Header Ads

Shubhapallaba online English Portal
  • Latest Post

    କୁମାର ପୂର୍ଣ୍ଣିମା ଓଷା - Kumara Purnima Osha Odia Book

    Kumara Purnima Osha full book in Odia download free

    ନମସ୍ତେ ଶୈଳ ସୁତାସୁତ । ପ୍ରଣତି ଘେନ ଗଣନାଥ ॥
    ପ୍ରଣତି ଘେନ ଲମ୍ବୋଦର । ନମସ୍ତେ ବିଦ୍ୟାର ଭଣ୍ଡାର ॥
    ତୋ ପାଦେ ଶରଣ ସୁକାନ୍ତ । ଖେଲୁଛି ଏହି ଓଷା ଗୀତ ॥
    ସୁଜନେ ଶୁଣ ଦେଇ ମନ । କୁମାର ଓଷାର ବିଧାନ ॥
    କୁମାରୀ କନ୍ୟାଙ୍କର ଓଷା । ଓଷା କରିବେ ଗୃହ ଯୋଶା ॥
    କନ୍ୟା ସଂକ୍ରାନ୍ତିଠାରୁ ଭୋଗ । ପଚିଶ ଦିନେ ମହାଯୋଗ ॥
    ଆଶୂନ୍ୟ ପୂର୍ଣ୍ଣିମୀ ତିଥିରେ । ଭାସ୍କର ଅଶ୍ୱିନୀ ମେଷରେ ॥
    ଏମନ୍ତ ପବିତ୍ର ଯୋଗରେ । କୁମାର ଓଷା ହିନ୍ଦୁ ଘରେ ॥
    ଅନୂଢ଼ା କନ୍ୟା ଭକ୍ତି ପ୍ରାଣେ । ଓଷା କରିବେ ଆଚରଣେ ॥
    କୁମାର ଉତ୍ସବ ଓ ଓଷା । କୁଳବଧୂଙ୍କର ଭରଷା ॥
    କାର୍ତ୍ତିକ ଜନ୍ମ ପର୍ବ ଏହି । ଶୁଣ କୁମାରୀ ମନ ଦେଇ ॥
    ପବିତ୍ର ଚିତ୍ତେ ଓଷା କଲେ । ଭକ୍ତିରେ ନଇବିଦ୍ୟ ଦେଲେ ॥
    ମନର ବାଞ୍ଚା ସିଦ୍ଧି ହେବ । ଆରେଗ୍ୟ ଜୀବନ ଲଭିବ ॥
    କାର୍ତ୍ତିକ ସମ ବଳବାନ । ରୂପ ଓ ଗୁଣେ ବୀର୍ଯ୍ୟବାନ ॥
    ସୁଯୋଗ୍ୟ ବର ପ୍ରାପ୍ତ ହେବ । ବିଧରେ ସଂସାର ଗଢ଼ିବ ॥
    କୁଳବଧୁ ଏ ଓଷା କଲେ । ସନ୍ତାନ ଧରିବେଟି କୋଳେ ॥
    ଆରୋଗ୍ୟ ହେବେ ସ୍ଵାମୀ ପୁତ୍ର । ବୈକୁଣ୍ଠ ପ୍ରାପ୍ତି ଏହା ସତ୍ୟ ॥
    ବଣ୍ଡିଲି ଓଷାର ବିଧାନ । ଭକତି ପ୍ରାଣେ ଏହା ଘେନ ॥
    କୁମାର ପୂର୍ଣ୍ଣିମା ତିଥିରେ । ପବିତ୍ର ତୁଳସୀ ମଞ୍ଚାରେ ॥
    ଗୋମୟ ନୀରେ ଶୁଦ୍ଧ କରି । ମୁରୁଜ ଚିତା କର ବାଳି ॥
    କୁଞ୍ଜ କରିବ ହୃଷ୍ଟ ହୋଇ । ବିଭିନ୍ନ ଫୁଲରେ ସଜେଇ ॥
    ଗୋଧୂଳୀ ଲଗ୍ନ ଉପଗତେ । କଳସ ଥାପିବ ତ୍ୱରିତେ ॥
    ଭକ୍ତିରେ ଗଣେଶ ପୂଜିବ । ଚନ୍ଦ୍ର ଉଦୟକୁ ଚାହିଁବ ॥
    ତୁଳସୀ ଚାରିଦିଗେ ବାଳି । ସମୟ ନେବେ ପୁଚି ଖେଳି ॥
    ଗୋଧୂଳି ଠାରୁ ସନ୍ଧ୍ୟା ଯାଏ । କୁମାରୀ ପୁଚି କ୍ରୀଡ଼ା ହୁଏ ॥
    ପୁଚି କ୍ରୀଡ଼ାର ଗୁଣ ଶୁଣ । କୁମାରୀ ଅଙ୍କ ପ୍ରସାଧନ ॥
    ପୂର୍ଣ୍ଣିମା ଶଶୀ ଦେଖା ଦେଇ । ସେକାଳେ ଓଷା ଆରମ୍ଭିଲେ ॥
    ଦୁର୍ବାକ୍ଷ ବିପତ୍ର ଫୁଲ । ଆସ୍ତାନେ କରିଦିଅ ଠୁଳ ॥
    ମୟୁର ପୁଚ୍ଛ ଆସ୍ତାନରେ । ରଖୁବ ଭକତି ଚିତ୍ତରେ ॥
    ଗନ୍ଧ ଚନ୍ଦନ ଧୂପ ଦୀପ ଜାଳି କରିବା ସର୍ବେ ତପ ॥
    ଦୁଧ କଦଳୀ ନାରବେଳ । ଛେନା ମଧୁର ଫଳମୂଳ ॥
    କାକାର ଆରିଶା ପେ ପୁରି । ଯତନେ ବାଢ଼ି ପିଠାଥାଳି ॥
    ଶିବ-ପାର୍ବତୀ ଆବାହନ । କରି ସମର୍ପ ସେ ଆସ୍ତାନ ॥
    ତା'ପରେ କାର୍ତ୍ତିକେୟ ଦେବ । ଆସ୍ତାନେ ଅର୍ଚ୍ଚନା କରିବ ॥
    ଶଙ୍ଖ ଧ୍ୱନି ଯେ ହୁଳହୁଳି । ସେ ସ୍ଥାନେ ଉଠିବ ଉଛୁଳି ॥
    ଓଷାର କିମ୍ବଦନ୍ତୀ ଶୁଣ । ସତ୍ୟରେ ଶିବଙ୍କ ପୁରାଣ ॥
    ଦକ୍ଷ ରାଜାଙ୍କ କନ୍ୟା ସତୀ । ଶିବଙ୍କୁ ବିବାହ କରନ୍ତି ॥
    କନ୍ୟାର ପତି ନିର୍ବାଚନ । ଦୁଃଖରେ ଦକ୍ଷ ପ୍ରିୟମାଣ ॥
    ଶିବଙ୍କୁ ସେ ଘୃଣା କରନ୍ତି । କ୍ଲାଇଁ ସମ୍ମାନ ନ ଦିଅନ୍ତି ॥
    ଯଜ୍ଞ କରିଲେ ଦକ୍ଷରାଜ । ଶିବଙ୍କୁ କରିଲେ ଅଗ୍ରାଯ୍ୟ ॥
    ବ୍ରାହ୍ମାଣ୍ଡ ନିମନ୍ତ୍ରଣ କଲେ । ଜ୍ୱାଇଁଙ୍କୁ ଉପେକ୍ଷା କରିଲେ ॥
    ସତୀଙ୍କୁ କଲେ ନିମନ୍ତ୍ରଣ । ସତୀ ଦୁଃଖରେ ମ୍ରୟମାଣ ॥
    ଦକ୍ଷପୁରକୁ ସତୀ ଗଲେ । ପିତା ସମିପେ ଉଭା ହେଲେ ॥
    ବିଧିରେ ବାଢ଼ିଲେ ଯୁକତି । କ୍ରୋଧେ ଉଚ୍ଛନ ତାଙ୍କ ମତି ॥
    ଜାମାତା ନ କରି ବରଣ । କନ୍ୟା କରିଛ ନିମନ୍ତ୍ରଣ ॥
    ଏକି ବିଚାର କଲ ପିତା । ଏ ନୁହେଁ ରାଜକୀୟ ଚିନ୍ତା ॥
    କନ୍ୟାର ଯୁକ୍ତିକୁ ଖଣ୍ଡନ । କରନ୍ତି ସେ ଦକ୍ଷ ରାଜନ ॥
    ଅଦ୍ଧ ଲଙ୍ଗଳା ଭୋଳାନାଥ । ସେ ନୁହେଁ ଜ୍ୱାଇଁ ଉପଯୁକ୍ତ ॥
    ଶ୍ମଶାନବାସୀ ସଦାଶିବ । ବୃଷଭ ଉପରେ ଚଢ଼ିବ ॥
    ଭଷ୍ମ ଲେପିବ ତା’ ସର୍ବାଙ୍ଗ । ଦେଖୁଲେ ମତେ ଘୃଣା ଲାଗେ ॥
    ସ୍ୱାମୀଙ୍କ ନିନ୍ଦା ଶୁଣି ସତୀ । ଉଚ୍ଛନ୍ନ ହେଲା ତାଙ୍କ ମତି ॥
    ଯଜ୍ଞ କୁଣ୍ଡରେ ଝାସ ଦେଲେ । ଅଗ୍ନିରେ ପ୍ରାଣ ହରାଇଲେ ॥
    ସତୀ ଦେହାନ୍ତ ବାର୍ଭା ଶୁଣି । ଶୋକେ ଅସ୍ଥିର ଶୂଳପାଣି ॥
    ଯଜ୍ଞ କ୍ଷେତ୍ରରେ ଉପସ୍ଥିତ । ଉଚ୍ଛନ୍ନ ମତି ଭୋଳାନାଥ ॥
    ସତୀଙ୍କ ଅର୍ଦ୍ଧଦଗ୍ଧ ଦେହ । ବିଲୋକି ଶିବ ତ ଅଥୟ ॥
    ସ୍କନ୍ଧ ଧରିଣ ପତ୍ନୀ ଶବ । ଉନ୍ମାଦ ହେଲେ ସଦାଶିବ ॥
    ବ୍ରହ୍ମାଣ୍ଡ ଧ୍ୱଂସ ଚିନ୍ତା କଲେ । ପ୍ରଳୟ ତାଣ୍ଡବ ରଚିଲେ ॥
    ବ୍ରହ୍ମାଙ୍କ ଆସ୍ଥାନ କମ୍ପିଲା । ବୈକୁଣ୍ଡ ଥରହର ହେଲା ॥
    ବ୍ରହ୍ମା ଓ ବିଷ୍ଣୁ ଚିନ୍ତା କଲେ । ଧରଣୀ ଯିବେ ରସାତଳେ ॥
    କ୍ରୋଧରେ ହୋଇ ହତଜ୍ଞାନ । ତାଣ୍ଡବେ ମତ୍ତ ତ୍ରିଲୋଚନ ॥
    ଧରିଣୀ ହେଲା ଥରହର । ଡାକିଲା ରଖ ନିରାକାର ॥
    ବିଷ୍ଣୁ ପେଶିଲେ ସୁଦର୍ଶନ । କରିଲେ ସତୀ ଅଙ୍ଗ ଛିନ୍ନ ॥
    ଛିନ୍ନ କରିଲେ ସତୀ ଅଙ୍ଗ । ଫିଙ୍ଗିଲେ କରି ସାତ ଭାଗ ॥
    ହିମାଳୟର ପାଦ ଦେଶେ । ପଡ଼ିଲା ପିଣ୍ଡ କିଛି ଅଂଶେ ॥
    ଗିରି ରାଜନ ହିମାଳୟ । ଧାନରେ ଦେଇଥିଲେ ଲୟ ॥
    କର୍ତ୍ତେ ଶୁଣିଲେ ଶୂନ୍ୟବାଶୀ । ସତୀଙ୍କ ପିଣ୍ଡ ଅଂଶ ଆଣି ॥
    ପୂର୍ଣ୍ଣାଙ୍ଗ ଜୀବନ୍ୟାସ କଲେ । କନ୍ୟା ଯତନେ ସାଇତିଲେ ॥
    ପର୍ବତ ରାଜକନ୍ୟା ଯେଣୁ । ପାର୍ବତୀ ନାମ ଦେଲେ ତେଣୁ ॥
    ଶିବଙ୍କୁ କନ୍ୟା ସମର୍ପଣ ॥କରିଲେ ସେ ଗିରି ରାଜନ ॥
    ବିର ବିଧାନଟି ଯାହା । ଅବଶ୍ୟ ଘଟିଗଲା ତାହା ॥
    ଶିବ-ପାର୍ବତୀ ପରିଣୟ । ଜଗତ ହୋଇଗଲା ଥୟ ॥
    ଭାର୍ଯ୍ୟାଙ୍କୁ ଧରି ତ୍ରିଲୋଚନ । ରହିଲେ ଆପଣା ଭୁବନ ॥
    ଦାମ୍ପତ୍ୟ ସୁଖରେ ମଜିଲେ । ମାୟାରେ ଆଚ୍ଛନ୍ନ ହୋଇଲେ ॥
    ପ୍ରିୟା-ପ୍ରଣୟ କାଳ ଗଲା । ଧରିତ୍ରୀ ମନରେ ଭାବିଲା ॥
    ପ୍ରଳୟ କର୍ଭା ସଦାଶିବ । ସେ ଯଦି ସଂସାରେ ମଜିବ ॥
    ଦୁଷ୍ଟ ଦାନବ ଅତ୍ୟାଚାରେ । ବିଶ୍ୱବାସୀ ଏ ଭୟ ଥରେ ॥
    କିଏବା ରଖୁବ ଜଗତ । ରକ୍ଷକ ତ୍ରିଶକ୍ତି ତ୍ରିନାଥ ॥
    ଧରଣୀ ଦେବୀ ମହାଦୁଃଖେ । ଚଳିଲେ ଇନ୍ଦ୍ରଙ୍କ ସମ୍ମୁଖେ ॥
    ସୁଧର୍ମା ସଭା ବସାଇଲେ । ସମସ୍ତ ଦୁଃଖ ବଖାଣିଲେ ॥
    ସକଳ ଦେବତା ସଭାରେ । ବିଚାର ବିମର୍ଷ ବିଧରେ ॥
    ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର । କରତା ପାଳକ ସଂହାର ॥
    ସଂହାର ଦେବ ମହେଶ୍ୱର । ପ୍ରେମ ପ୍ରଣୟରେ ଅଧୁର ॥
    ତାରକାସୁର ଅତ୍ୟାଚାର । ଜୀବଜଗତ ଥରହର ॥
    ଧରଣୀ ସହି ନ ପାରନ୍ତି । ସ୍ୱର୍ଗରେ ଆପତ୍ତି କରନ୍ତି ॥
    ସର୍ବ ଦେବତା ଏକମତେ । ଚଳିଲେ କୈଳାସ ପର୍ବତେ ॥
    ଗମ୍ଭିରା ମଧେ ଭୋଳାନାଥ । ପାର୍ବତୀ ସଙ୍ଗେ ପ୍ରେମରତ ॥
    ଅଧା ପ୍ରଣୟେ ମୃତ୍ତ ଥିଲେ । ଦେବତା ପ୍ରାର୍ଥନା କରିଲେ ॥
    ଭଗ୍ନି-ମରୁତ-ଦିବାକର । ବାଶବ-ଯମ-ବେଦବର ॥
    କମଳାପତି ବୃହସ୍ପତି । କରିଲେ ଶ୍ୟାମ ବେଦେ ସ୍ତୁତି ॥
    ସେ ଧ୍ୱନି ଶୁଣି ଭୋଳାନାଥ । ପ୍ରଣୟ କରିଲେ ସ୍ଥଗିତ ॥
    କ୍ରୋଧେ ହୋଇଲେ ଜରଜର । ଅର୍ବ ଆହାର ଯୁଦ୍ଧାତୁର ॥
    ଦେବଙ୍କ ସମିପେ ମିଳିଲେ । ବ୍ରହ୍ମାଙ୍କୁ ଏମନ୍ତ କହିଲେ ॥
    ହେ ସୃଷ୍ଟି କର୍ତ୍ତା ବେଦବର । ଅର୍ଷ ପ୍ରଣୟ ମୁଁ କାତର ॥
    ମୋ ବ୍ରହ୍ମରେତ ବସୁଧାରେ । ପଡ଼ିବ ଯଦି ଖରତରେ ॥
    ବିଶ୍ୱ ବ୍ରହ୍ମାଣ୍ଡ ଜଳିଯିବ । ତୁମ୍ଭ ସର୍ଜନା ପଣ୍ଡ ହେବ ॥
    ଉପାୟ ଚିନ୍ତ ବେଦପତି । ବ୍ରହ୍ମାଣ୍ଡ ରଖିବ କିମତି ॥
    ସଦାଶିବଙ୍କ ବାଣୀ ଶୁଣି । ଦେବଙ୍କୁ ପଡ଼ିଲା ଭାଳେଣି ॥
    ସର୍ବ ଦେବତା ଏକମତେ । ଅଗ୍ନିକୁ କହିଲେ ତ୍ୱରିତେ ॥
    ହେ ଅଗ୍ନିଦେବ ହୁତାଶନ । ବିପଦ କରନ୍ତୁ ଖଣ୍ଡନ ॥
    ମହେଶ୍ୱର ବ୍ରହ୍ମରେତ । ବହନ ପାଇଁ ସାମରଥ ॥
    ତୁମେ ପାବକ ମହାବଳି । ତେଣୁ ସକଳେ କରୁ ଅଛି ॥
    ଏ ବ୍ରହ୍ମ ରେତକୁ ଧାରଣ । କରନ୍ତୁ ଦେବ ହୁତାଶନ ॥
    ଅଗ୍ନି ଯେ ସନମତ ହେଲେ । ରେତକୁ ମସ୍ତକେ ଧରିଲେ ॥
    ମସ୍ତକେ ଧରି ବ୍ରହ୍ମଜ୍ୟୋତି । ଚାଲନ୍ତି ରେ ସାହାପତି ॥
    ରୋତ ପର୍ବତ ସମ ଭାର । ଅଗ୍ନିଯେ ହୋଇଲେ ଅସ୍ଥିର ॥
    ପବନ ଦେବ ସଙ୍ଗେ ଥିଲେ । ଅଗ୍ନି ତାହାଙ୍କୁ ରେତଦେଲେ ॥
    ମରୁତ ଧରି ବ୍ରହ୍ନ ରେତ । ଜାହ୍ନବୀ କୂଳେ ଉପଗତ ॥
    ଦୂରରୁ ଦେଖନ୍ତି ମରୁତ । ଲିଙ୍ଗଳା ଷଡ଼କନ୍ୟାସ୍ଥିତ ॥
    ବୃତ୍ତିକା ଷଢ଼କନ୍ୟାମାନେ । ଆସି ଅଛନ୍ତି ଗଙ୍ଗାସ୍ନାନେ ॥
    ଉଲଙ୍ଗ ହୋଇ ଢଳବାଳି । ଆନନ୍ଦ କଲେ ଜଳକେଳି ॥
    ପବନ ମନେ ବିଚାରନ୍ତି । ଲଙ୍ଗଳା ଏ ଷଡ଼ଯୁବତୀ ॥
    ଏ ବ୍ରହ୍ମଜ୍ୟୋତି ଶିବ ରେତ । ଷଢ଼ କନ୍ୟାଙ୍କ ଗର୍ଭସ୍ଥିତ ॥
    ସମାନ ଷଡ଼ ଭାଗ କଲେ । କନ୍ୟାଙ୍କ ଗର୍ଭକୁ କ୍ଷେପିଲେ ॥
    ବିଧାତା ଗଢ଼ିଲେ ବିଧାନ । ଶୁଣନ୍ତୁ ଆହେ ବିଜ୍ଞଜନ ॥
    ଆଶ୍ୱିନ ପୂର୍ଣ୍ଣମୀ ତିଥିରେ । ରବି ଥାଆନ୍ତି ମେଷ ଘରେ ॥
    ଜନ୍ମ ହୋଇଲେ ଷଡ଼ସୁତ । କନ୍ୟାଙ୍କୁ ଲିଜ୍ୟ ଅପ୍ରମିତ ॥
    କୁମାରୀ ବୟସେ ସନ୍ତାନ । ପିତାର ପରିଚୟ ହୀନ ॥
    ସରଲବଣରେ ଜନ୍ମ କରି । କୁମାରୀଙ୍କର ଏ ଭାଳେଣୀ ॥
    ଏହାଙ୍କୁ ରଖୁବା ଉଚିତ । ନୁହଁଇ ସର୍ବେ ଏକମତ ॥
    କାଷ୍ଠ ମଞ୍ଜୁଷା ଏକ କରି । ଷଢ଼ ସନ୍ତାନ ତହିଁ ଭରି ॥
    ଭସାଇ ଦେଲେ ଗଙ୍ଗା ସ୍ତୋତେ । ଲଜ୍ୟାରୁ ନିସ୍ତାର ନିମନ୍ତେ ॥
    ବିଧାତା ପୁରୁଷ ଜାଣିଲେ । ଜାହ୍ନବୀ କୂଳେ ପହଞ୍ଚିଲେ ॥
    ମଞ୍ଜୁଷା ଭାଷିଯାଏ ନୀରେ । ବ୍ରହ୍ମା ଚଳନ୍ତି ଗଙ୍ଗା ତୀରେ ॥
    ଏକଇଁ ସରବଣ ତୀରେ । ମଞ୍ଜୁଷା ଲାଗିଲା ସେଠାରେ ॥
    ମଞ୍ଜୁଷା ଖୋଲି ବେଦବର । ଧରିଲେ ସେ ଷଢ଼ କୁମର ॥
    ବିଚାର କଲେ ତଚୁରାନ୍ତି । ଏ ଶିଶୁ ଶିବଙ୍କ ନନ୍ଦନ ॥
    ଦୁଷ୍ଟଙ୍କ ନିଧନ ନିମିତ । ମହାତେଜସ୍ୱ ବଳବନ୍ତ ॥
    ଅପରାଜେୟ ଶକ୍ତି ଦେଲେ । ଶିବ-ପାର୍ବତୀଙ୍କୁ ଭେଟିଲେ ॥
    ଷଡ଼ ତନୁକୁ ଏକ କଲେ । ଷଢ଼ ମସ୍ତକକୁ ଯୋଡ଼ିଲେ ॥
    କୃଭିକା କନ୍ୟା ଗର୍ଭ ଜାତ । କାର୍ତ୍ତିକ ନାମ ଦେଲେ ଧାତ ॥
    ଶିବ ପାର୍ବତୀ ସୂତ ପାଇ । ଆନନ୍ଦ କେ ପାରିବ କହି ॥
    ଧାତା ବୋଇଲେ ତ୍ରିଲୋଚନ । କାର୍ତ୍ତିକ ଭବିଷ୍ୟତ ଶୁଣ ॥
    ଏ ହେବେ ଦେବ ସେନାପତି । ନାଶିବେ ତାରକା ଅଗ୍ରତି ॥
    କୁମାରୀ ଗର୍ଭ ୟାଙ୍କୁ ଜନ୍ମ । କୁମାର ଦେଲି ଏକ ନାମ ॥
    ଷଢ଼ ମସ୍ତକ ଷଢ଼ାନନ । କରିବେ ଅରାତି ଦମନ ॥
    ଆଶ୍ୱିନ ପୂର୍ଣ୍ଣମୀ ତିଥିରେ । ଜନମ ଯେ ହେତୁ ବିଧରେ ॥
    କୁମାର ପୂର୍ଣ୍ଣମୀ ଉର୍ବର । ବ୍ରହ୍ମମଣ୍ଡଳେ କ୍ଷାତ ହେବ ॥
    କୁମାରୀ କନ୍ୟା ଓଷା କରି । ଲଭିବେ ବିଶ୍ୱ ସର୍ବଶିରୀ ॥
    ପାଇବେ ଉପଯୁକ୍ତ ପତି । ଲଭିବେ ସନ୍ତାନ ସନ୍ତତି ॥
    ଏମନ୍ତ କହି ଧାତା ଗଲେ । ପାର୍ବତୀ ମନେ ବିଚାରିଲେ ॥
    ଧାତାଙ୍କ ବାଣୀ ଯଦି ସତ୍ୟ । କୁମାର ପୂର୍ଣ୍ଣିମା ମହାମ୍ୟ ॥
    ଆଉ ଗୋଟିଏ ସୂତ ପାଇଁ । କୁମାର ଓଷା କରିବଇଁ ॥
    ଏକ ସନ୍ତାନ ଏକ ଆଖୁ । ଏକଇଁ ସାକ୍ଷୀ ନୁହେଁ ସାକ୍ଷୀ ॥
    ଶିବଙ୍କୁ ମନ କଥା ଖୋଲି । କହିଲେ ପାର୍ବତୀ ସୁନ୍ଦରୀ ॥
    ଏକ ବରଷ ବିତିଗଲା । ଆଶ୍ୱିନ ପୂର୍ତ୍ତିମା ଆସିଲା ॥
    ଦ୍ୱିତୀୟ ପୁତ୍ର କାମନାରେ । ପାର୍ବତୀ ଦେବୀ ଓଷା କଲେ ॥
    କାର୍ତ୍ତିକ, ଭାଷନ୍ତି ଜନନୀ । ଓଷା ମହାନ୍ୟ ଅଛି ଶୁଣି ॥
    ଧାତା ଯେ କାଳେ କହୁଥିଲେ । ମୋ ଓଷା ଯେ କରେ ଭକ୍ତିରେ ॥
    କାମନା ସିଦ୍ଧ ମୁଁ କରିବି । ଅପୁତ୍ରିକାକୁ ପୁତ୍ର ଦେବି ॥
    କୁମାରୀ କନ୍ୟା ଯୋଗ୍ୟକାନ୍ତ । ଦେବି ମୁଁ କରିଲି ସିଦ୍ଧାନ୍ତ ॥
    ତୁମ୍ଭେ ଜନନୀ କଲ ଓଷା । ପୂର୍ଣ୍ଣ କରିବି ତୁମ୍ଭ ଆଶା ॥
    ଅଙ୍ଗ ମଳିରୁ ଜାତ ହେବ । ଦ୍ୱିତୀୟ ସନ୍ତାନ ପାଇବ ॥
    ସନ୍ତୋଷ ହେଲେ ମା’ ପାର୍ବତୀ । ଗଣେଶ ଜନ୍ମ କିମ୍ବଦନ୍ତୀ ॥
    କୁମାର ଓଷ କରି ମାତ । ପାଇଲେ ପୁତ୍ର ଗଣନାଥ ॥
    ତ୍ରେତୟା ଯୁଗ କିମ୍ବଦନ୍ତୀ । ମାଣ୍ଡବୀ ହେଲେ ଭକ୍ତମତି ॥
    କୁମାର ଓଷା ସେ କରିଲେ । ବୀର ଭରତେ ବିଭା ହେଲେ ॥
    ଋକ୍ମଣୀ ଏହି ଓଷା କରି । ସ୍ଵାମୀ ପାଇଲେ ବନମାଳି ॥
    ସୁଭଦ୍ରା ଓଷା କରିଥିଲେ । ଧନଞ୍ଜୟଙ୍କୁ ସେ ପାଇଲେ ॥
    ଭକତି ରଖି ହୃଦଗତେ । ଓଷା ପୂଜିବି ବିଧିମତେ ॥
    ଭକ୍ତିରେ ଶଙ୍ଖ ହୁଳହୁଳି । ମଣ୍ଡଳ ଉଠିବ ଉଛୁଳି ॥
    ଓଷା ପୂଜିବ ବିମତେ । ପୁଷ୍ପଅଞ୍ଜଳି ଦେବ ହସ୍ତେ ॥
    ଶ୍ରୀହରି ଗଉରୀ ସୃରିବ । କାର୍ତ୍ତିକେୟଙ୍କୁ ପୂଜା ଦେବ ॥
    ଓଷାର ସରଞ୍ଜାମ ମାନ । ଜଳରେ କର ବିସର୍ଜନ ॥
    ଏ ଓଷା ହେଲା ସମାପନ । ଆନନ୍ଦ ହୁଅ ସର୍ବଜନ ॥
    ଓଷାର ଗୀତ ହେଲା ଶେଷ । କହନ୍ତି ଶ୍ରୀ ସୁକାନ୍ତ ଦାଶ ॥

    ~ ସମାପ୍ତ ~


    ବି.ଦ୍ର.: ବଜାରରେ ଉପଲବ୍ଧ ଥିବା ପୁସ୍ତକରୁ ଟାଇପ୍ କରାଯାଇଛି ଏହି ସମ୍ପୂର୍ଣ୍ଣ ଓଷା ବହିଟି ।

    No comments

    Post Top Ad

    Shubhapallaba free eMagazine and online web Portal

    Post Bottom Ad

    Shubhapallaba Hindi Portal