Header Ads

Shubhapallaba online English Portal
  • Latest Post

    ରାଧାଷ୍ଟମୀ ବ୍ରତ - ସମ୍ପୂର୍ଣ୍ଣ ପୂଜା ବହି

    ରାଧାଷ୍ଟମୀ ବ୍ରତ - ସମ୍ପୂର୍ଣ୍ଣ ପୂଜା ବହି

    ଓଁ ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ
    ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ
    ଭାଦ୍ରେମାସିସୀତେପକ୍ଷେ, ଋକ୍ଷାନୁରାଧାସଂଜ୍ଞାନେ ।
    ଅଷ୍ଟମ୍ୟାଂ ଭାନୁବାରେ ଚ ଦିନମଧ୍ୟେତି ଶୋଭନେ ॥
    ବୃଷଭାନୁ ଗୃହେ ଜନ୍ମଂ ରାଧାୟା ସୁମନୋହରଂ ।
    ଅଦୌ ଘଟେ ବରୁଣପୂଜାଂ କୁର୍ଯ୍ୟାତ୍ ତଦନନ୍ତରଂ ସଂକଳ୍ପ
    ବିଧିମାଚରେତ୍ ତ‌ତ୍ ଯଥା- ଓଁ ର୍ବିଷ୍ଣୋ ନମଃହେତ୍ୟାଦି ଏବ ପୂର୍ବୋକ୍ତ ବିଧିବିଶେଷଣ ଅମୁକସ୍ୟଗୋତ୍ର ଶ୍ରୀମାନ୍ ଅନୁକ ଦେବଶର୍ମ୍ମଣେ ଶ୍ରୀରାଧାଷ୍ଟମୀ ବ୍ରତ ମହଂ କରିଷ୍ୟେ ।

    -ଧ୍ୟାନଂ-

    ପ୍ରଥମ ଅଧ୍ୟାୟ

    ଓଁ- ଶ୍ରୀରାଧିକାଂ ସମୃଦ୍ଦିଶ୍ୟ ସର୍ବପାପ ପ୍ରଶାନ୍ତୟେ
    ଉପବାସଂ କରିଷ୍ୟାମି ରାଧାଷ୍ଟମ୍ୟାଂ ନଭସ୍ୟାହଂ ।
    ଆଜନ୍ମ ମରଣଂ ଯାବତ୍ ଜନ୍ମୟାଦୁଷ୍କୃତଂ କୃତ୍ୟଂ
    ତୁତ୍ ପ୍ରାଣାଶାୟ ରାଧିକେ ପ୍ରସାଦ ପରମେଶ୍ୱରୀ ।
    ଏହି ମନ୍ତ୍ରରେ ଧ୍ୟାନ କରି ଶ୍ରୀରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବ ।

    ଶୁଣ ଶୁଣ ସୁଜନେ ଦେଇ ମନ । କ‌ହିବା ଅପୂର୍ବ ବିଧାନ ॥
    ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ॥
    ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ॥
    ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ॥
    ଏହି ସମୟେ ତାଙ୍କ ପାଶ । ରୁକ୍ମଣୀ ହୋଇଲେ ପ୍ରବେଶ ॥
    ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ॥
    ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ॥
    ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ॥
    ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବ‌ହିଣ କୁହବାରେ ॥
    ଆଜି ଯେ ରାଧାଷ୍ଟମୀ ବ୍ରତ । ରାଜ୍ୟରେ ହୁଅଇ ପାଳିତ ॥
    ତାହାର ସର୍ବ ବିବରଣ । ଶୁଣିବା ପାଇଁ ବଳେ ମନ ॥
    ସେ ରାଧା ଦେବୀ କାହାଘରେ । ଜନ୍ମ ଲଭିଲେ କେଉଁଠାରେ ॥
    କାହିଁକି ମର୍ତ୍ତ୍ୟେ ହେଲେ ଜାତ । ତାହା ବିସ୍ତାରି କୁହ ନାଥ ॥
    କେବଣ ମହିମା ତାଙ୍କର । କେଉଁ ଅଂଶରେ ଅବତାର ॥
    ଶୁଣିବା ପାଇଁ ବଳେ ମନ । ଦାସରେ ସଦୟ ହୋଇଣ ।
    କୁହ‌ନ୍ତୁ ସକଳ ବିଷୟ । ମନରୁ ଛାଡ଼ିବ ସନ୍ଦେହ ॥
    ଏମନ୍ତ କ‌ହିଣ ରୁକ୍ମଣୀ । ମଉନ ହେଲେ କ୍ଷେତ୍ର ମଣି ॥

    ଶ୍ରୀକୃଷ୍ଣ ଉବାଚ
    ରୁକ୍ମଣୀ ବଚନେ ଗୋବିନ୍ଦ । ମନରେ ହୋଇଣ ଆନନ୍ଦ ॥
    ବୋଇଲେ ଶୁଣ ପାଟବଂଶୀ । ଯାହା ପୁଚ୍ଛିଲ ହେଲି ଖୁସି ॥
    ରାଧାଙ୍କ ଜନ୍ମ ସମାଚାର । ଆବର ମହିମା ତାଙ୍କର ॥
    ବର୍ଣ୍ଣନା କରିବାର ପାଇଁ । ବିଧାତା ସକ୍ଷମ ନୁହଇ ॥
    ଶଙ୍କର ସଦା କରି ତପ । ନ‌ଜାଣେ ରାଧାଙ୍କ ସ୍ୱରୂପ ॥
    ତୁମ୍ଭେ ଯଦ୍ୟପି ଜାଣିବାକୁ । ଆସିଛ ମୋହର ପାଶକୁ ॥
    ତା' ହେଲେ ଯାହା ଜାଣେ ମୁହିଁ । କ‌ହିବି ଶୁଣ ମନ‌ଦେଇ ॥
    ରାଧା ବୋଲି ଯେ ଦିଅକ୍ଷର । ସକଳ ପରେ ଅଟେ ସାର ॥
    ସେ ରାଧାଠାରୁ ସର୍ବ ସୃଷ୍ଟି । ଜନମିଛନ୍ତି ପରମେଷ୍ଠି ॥
    ଦେଖ ଏ ଯେତେ ଜଳସ୍ଥଳ । ରାଧାଙ୍କଠାରୁ ଏ ସକଳ ॥
    ଉତ୍ପତ୍ତି ହୋଇଅଛି ଜାଣ । ଆକାଶ ଅନଳ ପବନ ॥
    ଆବର ଚନ୍ଦ୍ର ଦିବାକର । ଇନ୍ଦ୍ରାଦି ସକଳ ଅମର ॥
    ରାଧା ରାଣୀଙ୍କଠାରୁ ଜାତ । ଜନମିଛନ୍ତି ପଞ୍ଚଭୂତ ॥
    ଏହି ପ୍ରକାରେ ତୁମ୍ଭ ନେତ୍ରେ । ଜଗତେ ଦେଖୁଅଛ ଯେତେ ॥
    ସମସ୍ତ ସୃଷ୍ଟି ତାହାଙ୍କର । ବର୍ଣ୍ଣିବି କି ଗୁଣ ତାଙ୍କର ॥
    ଶୂନ୍ୟ ଶୂନ୍ୟ ଯେ ମହାଶୂନ୍ୟ । ତା ମଧ୍ୟେ ବିଜେ ନିରଞ୍ଜନ ॥
    ସେ ନିରଞ୍ଜନ ପରେ ଜାଣ । ନିରାକାରଙ୍କର ଆସ୍ଥାନ ॥
    ନିରାକାରଙ୍କ ପରେ ସେହି । ଶୁକ୍ଳାମ୍ବର ଯେ ଛନ୍ତି ରହି ॥
    ତାପରେ ଶଶୀ ବର୍ଣ୍ଣିଛନ୍ତି । ନାହିଁ ତାଙ୍କର ରୂପକାନ୍ତି ॥
    ଅରୂପେ କରନ୍ତି ବିହାର । ଅବନା ମଣ୍ଡଳ ମଧ୍ୟର ॥
    ସେଠାରେ ଯେଉଁପୂର ଅଛି । ବରଣି ନ ପାରିବି କିଛି ॥
    ତ‌ହିଁରେ ଅରୂପ ବିହାରି । ଅଛନ୍ତି ଜାଣ ବିଜେ କରି ॥
    ସେ ପୁର ମହିମା ଅପାର । ବର୍ଣ୍ଣିବା ଶକ୍ତି ନାହିଁକାର ॥
    ତାମଧ୍ୟେ ବିଜେ ପୂର୍ଣ୍ଣ ବ୍ରହ୍ମ । ପୁରୁଷମାନଙ୍କ ଉତ୍ତମ ॥
    ବିଜୟ କ‌ହିଛନ୍ତି ଜାଣ । ସର୍ବଦା ଲାଗିଛି ଭଜନ ॥
    ରୋଗ ଶୋକ ଯେ ଜରା ମୃତ । ସେଠାରେ ନାହିଁ ତିଳେମାତ୍ର ॥
    ଆବର ଦିବସ ରଜନୀ । ନ ହୁଏ ସେଠାବରେ ଜାଣି ॥
    ମଳୟ ବ‌ହେ ଅବିରତ । କୁସୁମେ ଭୃଙ୍ଗ ହୋନ୍ତି ମର ॥
    ଚନ୍ଦ୍ର ଉଦିଆ ଜଳେ ତ‌ହିଁ । ମାଣିକ୍ୟ ଦ୍ୱୀପ ଯେ ଜଳଇ ॥
    ଆବର ରତନର ପୁର । ଖୁମ୍ବ ନ ଥାଇ ସେ ତିଆର ॥
    ଆଡ଼ଦୀର୍ଘ ତା ନୋହେ କଳି । ମଧ୍ୟେ ଅଛଇ ରାସସ୍ଥଳି ॥
    ସେ ରାସ ସ୍ଥଳିର ମହିମା । ବରଣି ନ ପାରିବେ ବ୍ରହ୍ମା ॥
    ତା ମଧ୍ୟେ ରତ୍ନବେଦୀ ସାର । ବିଚିତ୍ର ଭାବେ ସେ ତିୟାର ॥
    ହୀରା ନୀଳା ଯେ ବଇଡୁର୍ଯ୍ୟ । ହୋଇଛି ନାନା କାରୁକାର୍ଯ୍ୟ ॥
    କେବଣ ବିନ୍ଧାଣ ତାହାରେ । ଗଢ଼ିଛି କେବଣ ଯନ୍ତ୍ରରେ ॥
    କିପରି କରିଛି ତୟାର । ଦେଖିଲେ ଚକ୍ଷୁ ହେବ ସ୍ଥିର ॥
    ଏମନ୍ତ ଯେଉଁ ବେଦୀ ଗୋଟି । ତ‌ହିଁ ବିଜୟ ପରମେଷ୍ଟି ॥
    ଶୂନ୍ୟେ ଆସନେ ବିଜେ କରି । ଅଛନ୍ତି ଶ୍ରୀରାଧାଙ୍କୁ ଧରି ॥
    ଯୋଗମାୟା ଯେ ତାହାଙ୍କର । ବ‌ହ‌ନ କରିଛନ୍ତି ଭାର ॥
    ଅଷ୍ଟକାଳରେ ଅଷ୍ଟସ‌‌ହି । ସେବା କରନ୍ତି ତ‌ହିଁ ଯାଇଁ ॥
    ଶାରଳା ବୀଣା ଯନ୍ତ୍ର ଧରି । ବଜାନ୍ତି ଦିବସ ଶର୍ବରୀ ॥
    ମାର୍ଦ୍ଦଳ ବଜାନ୍ତି ଶଙ୍କର । ଚାମର ଢାଳେ ସୁନାଶିର ॥
    ସେହି ମଣ୍ଡଳ ଅଧିଶ୍ୱରୀ । ଅଟନ୍ତି ଶ୍ରୀରାଧା ସୁନ୍ଦରୀ ॥
    ଏକଇ ଅଙ୍ଗେ ବେନିଜନ । ଖେଳନ୍ତି ମହାନିତ୍ୟେ ଜାଣ ॥
    ତାହାଙ୍କ ଦର୍ଶନ ନିମନ୍ତେ । କେ କେତେ ଭାବି ହୃଦଗତେ ॥
    ଥୋକାଏ ଦୂର ଛନ୍ତି ଯାଇ । ପାବଚ୍ଛ ତଳେ ଛନ୍ତି ରହି ॥
    ଜପି ତପି ଯେ ସୁରଗଣ । ଦର୍ଶନ ଆଶାରେ ଯାଇଣ ॥
    ଅର୍ଦ୍ଧ ପଥରେ ରହିଛନ୍ତି । ଯିବାକୁ ଆଦେଶ ନ ପାନ୍ତି ॥
    ଏମନ୍ତ ଯେଉଁ ରାଧାରଣୀ । କ‌ହିବି କିସ ତାଙ୍କ ବାଣୀ ॥
    ଏହା କ‌ହିଣ ଜନାର୍ଦ୍ଦନ । ଚାହିଁଲେ ରକ୍ମଣୀ ବଦନ ॥
    ଏହାପରେ ଯେ ସମାଚାର । କ‌ହିବି ଶୁଣ ସୁଜ୍ଞନର ॥
    ଶ୍ରବଣେ ହୋଇବ ମୁକତା । କ୍ଷେତ୍ରମୋହ‌ନ ଲେଖେ ଗୀତା ॥
    ଶୁଣ ସୁଜନେ ଦେଇ ଚିତ୍ତ । ରାଧାଅଷ୍ଟମୀ ଜନ୍ମଗତ ॥
    ଶ୍ରବଣ କରିଲେ କର୍ଣ୍ଣରେ । ବସିବ ବଇକୁଣ୍ଠ ପୁରେ ॥
    ପାଳନ କରିବେ ଯେ ଜନ । କ‌ହି ନୁହଇ ତାର ପୁଣ୍ୟ ॥
    ଶ୍ରୀକୃଷ୍ଣ ନିତ୍ୟ ସମାଚାର । ଭାଷନ୍ତେ ରାଣୀଙ୍କ ଆଗର ॥
    ଉଠିଣ ସତ୍ୟଭାମା ତ‌ହିଁ । ପାଦରେ ପ୍ରଣିପାତ ହୋଇ ॥
    ବୋଇଲେ ଆହେ ପ୍ରାଣେଶ୍ୱର । ସନ୍ଦେହ ହୁଏ ମୋ ମନର ॥
    କ‌ହିଲ ରାଧା ନିତ୍ୟଶ୍ୱରୀ । ରାସ ମଣ୍ଡଳ ଅଧିକାରୀ ॥
    ଆବର କ‌ହିଲେ ଆମ୍ଭରେ । ବିଜୟ ରତ୍ନ ବେଦୀ ପରେ ॥
    ଏକଇ ଅଙ୍ଗେ ରାଧାକୃଷ୍ଣ । ହୋଇଣ ଛନ୍ତି ପ୍ରତିଷ୍ଠିତ ॥
    ସର୍ବଦା ରାହାସ କରନ୍ତି । ଦିବା ରଜନୀ ନ ଜାଣନ୍ତି ॥
    ଏମନ୍ତ ଯେଉଁ ରାସେଶ୍ୱରୀ । ଶ୍ରୀରାଧା ନାମ ଯେ ତାଙ୍କରି ॥
    ଆବର କୃଷ୍ଣ ସଙ୍ଗେ ଛନ୍ତି । ତିଳେହେଁ ଅଲଗା ନୁହ‌ନ୍ତି ॥
    ଏଣେ କିପରି ଗୋପରୁରେ । ଜନ୍ମିଲେ ବୃଷଭାନୁ ଘରେ ॥
    ଚନ୍ଦ୍ରସେଣାକୁ ବିଭା ଦେଲେ । ତୁମ୍ଭର ମାଇଁ ବୋଲାଇଲେ ॥
    ମାଇଁ ଭଣଜା କେଉଁପରି । ବିହାର କଲେ ହେ ମୁରାରି ॥
    ଷୋଳ ସ‌ହସ୍ର ଗୋପୀ ସଙ୍ଗେ । ରମିଲେ ରାଧା ନେଇ ରଙ୍ଗେ ॥
    ଏହା କିପରି କଲ ନାଥ । ଶୁଣି ମୁଁ ହୁଏ ଆଚମ୍ବିତ ।
    ସେ ମହାନିତ୍ୟ ରାଧା ସ‌ହ । ଏ ରାଧା ସମ୍ବନ୍ଧ କି କ‌ହ ॥
    କିପରି ଭାବେ କେଉଁଦିନ । ମର୍ତ୍ତ୍ୟେ ହୋଇଲେ ଉତପନ୍ନ ॥
    କାହିଁକି ଜନମିଲେ ସେହି । କ‌ହ‌ନ୍ତୁ ଆମ୍ଭରେ ବୁଝାଇ ॥
    ପୁଣି ସେ ଅନ୍ୟାନ୍ୟ କୂଳରେ । ନ ଜନ୍ମି କିମ୍ପା ଗୋପ‌ପୁରେ ॥
    ଗଉଡ଼ ଘରେ ହେଲେ ଜାତ । ବୁଝାଇ କ‌ହ ପ୍ରାଣନାଥ ॥
    ଆବର କାହା ଜନ୍ମଦିନ । ସକଳେ କରନ୍ତି ପାଳନ ॥
    ଏ ଛାର ଗଉଡ଼ୁଣୀଟାର । ବ୍ରତ ପାଳନ୍ତି କିବା ନର ॥
    କି ଅବା ନିତ୍ୟ ରାସେଶ୍ୱରୀ । ବ୍ରତ ପାଳନ୍ତି ନର ନାରୀ ॥
    ତାହା ଶୁଣାଇ ଆମ୍ଭ ଚିତ୍ତ । ତୃପତ କର ଆହେ ନାଥ ॥
    ଏମନ୍ତ ଭାଷିଣ ବଚନ । ସତ୍ୟ ଯେ ହୋଇଲେ ମଉନ ॥
    କ୍ଷେତ୍ରମୋହ‌ନ ଯୋଡ଼ିକର । ବୋଲଇ ଶୁଣ ସମାଚାର ॥
    ସେ ରାଧାକୃଷ୍ଣଙ୍କ ପୟରେ । ଶରଣ ପଶ ସର୍ବନରେ ॥

    ଶ୍ରୀକୃଷ୍ଣଙ୍କର ସତ୍ୟଭାମାଙ୍କୁ ଉତ୍ତର ପ୍ରଦାନ
    ଶୁଣ ହେ ସତୀ ଶିରୋମଣି । ପୁଚ୍ଛିଲେ ତୁମ୍ଭେ ଯେଉଁ ବାଣୀ ॥
    ତାହା ହେ ଅତ୍ୟନ୍ତ ଗ‌ହ‌ନ । ଶ୍ରବଣେ ହୋଇବ ମୋଚନ ॥
    ମର୍ତ୍ତ୍ୟରେ ଯେଉଁ ରାଧାରାଣୀ । ଜନ୍ମିଲେ ଗୋପ‌ପୁରେ ପୁଣି ॥
    ସେ ରାଧା ନିତ୍ୟ ରାଧାଙ୍କର । ପ୍ରଭେଦ ନାହିଁ ତିଳେମାତ୍ର ॥
    ମୋ ସଙ୍ଗେ ତାହାଙ୍କର ଭାବ । ସଂସାରେ ଅଟଇ ଦୁର୍ଲ୍ଲଭ ॥
    କ‌ହିଲ ମାଇଁ ମୋର ସେହି । ଲୋକେ ଦେଖାଣ ଯେ ଅଟଇ ॥
    ପ୍ରକୃତ ଘଟଣା ଜାଣିଲେ । ପୁଛିବ ନାହିଁ କେବେ ହେଲେ ॥
    କ‌ହିଛି ଆଗରୁ ବୁଝାଇ । ରାଧାଙ୍କ ଗୁଣ କ‌ହିନୋହି ॥
    ତାହାଙ୍କ ପାଦରେଣୁ ସାଥେ । ସମନୋହିବେ କେହି ମର୍ତ୍ତ୍ୟେ ॥
    ସେ ରାସେଶ୍ୱରୀ କାହିଁ ପାଇଁ । ଜନ୍ମିଲେ ଶୁଣ ମନ ଦେଇ ॥
    ଯୁଗକୁ ଯୁଗ ମ‌ହୀ ତଳେ । ଜନମୁଁ ଆମ୍ଭେ ବେନିହଳେ ।
    ଆପଣା କାର୍ଯ୍ୟ ଶେଷ କରି । ନିତ୍ୟକୁ ଯାଉ ଯେ ବାହାରି ॥
    ସତ୍ୟଯୁଗରେ ଜାଣ ମୁହିଁ । ନୃସିଂହ ରୂପ ଥିଲି ବ‌ହି ॥
    ରାଧା ଜେ ମାଳତୀ ନାମରେ । ଆସିଣ ଥିଲେ ମୋ ସଙ୍ଗରେ ॥
    ଦାନବ ବଳ କରି ଧ୍ୱଂସ । ନିତ୍ୟେ ହୋଇଲୁ ପରବେଶ ॥
    ତାପରେ ତ୍ରେତୟା ଯୁଗରେ । ଆମ୍ଭେ ଜନ୍ମିଲୁ ଅଯୋଧ୍ୟାରେ ॥
    ରାମ ଅବତାର ଥିଲୁ ହୋଇ । ସେ ଥିଲେ ସୀତା ନାମ ବ‌ହି ॥
    ସେ ଯୁଗେ ଅପାର କଷଣ । ଲଭିଲୁ ଆମ୍ଭେ ଦୁଇଜଣ ॥
    ତାପରେ ନିଜ ପୁରେ ଗଲୁ । ରାସ ଉତ୍ସବେ ମନ ଦେଲୁ ॥
    ଏହି ସମୟେ କଂସାସୁର । ଜନ୍ମ ଲଭିଲା ମଥୁରାର ॥
    ଦେବଙ୍କୁ ବ‌ହୁତ ଦଣ୍ଡିଲା । ପାଦରେ ଆଣି ଖଟାଇଲା ॥
    ଦେବେ ତାହାର ଅତ୍ୟାଚାରେ । ବ୍ୟଥିତ ହୋଇ ଆକୁଳରେ ॥
    ଧାତାଙ୍କୁ ସଙ୍ଗତରେ ନେଇ । ମିଳିଲେ କ୍ଷୀରାବ୍‌ଧିରେ ଯାଇ ॥
    ତା ତଟେ ବସିଣ ଅମରେ । ଡାକିଲେ ମୋତେ ଆକୁଳରେ ॥
    ତାହାଙ୍କ କଷଣ ନ ସ‌ହି । ପ୍ରବେଶ ହେଲି ତ‌ହିଁ ଯାଇଁ ॥
    ପୁଛିଲେ ତାହାଙ୍କ କାରଣ । କ‌ହିଲେ ଧାତା ବୁଝାଇଣ ॥
    କଂସାସୁରର ଅତ୍ୟାଚାର । ବଢ଼ୁଛି ଭୋ ପ୍ରଭୁ ଅପାର ॥
    ଆପଣ ଯେବେ ନ ବୁଝିବେ । ସକଳ ଅମରେ ମରିବେ ॥
    ଏପରି କୁହ‌ନ୍ତେ ବିଧାତା । ଆମ୍ଭେ ବୋଇଲୁ କ୍ରୋଧେ କଥା ॥
    ତ୍ରେତୟା ଯୁଗେ ତୁମ୍ଭ ପାଇଁ । ଅପାର କଷ୍ଟ ଆମେ ପାଇ ॥
    ମାଇଲୁ ଦୁର୍ଦ୍ଦାନ୍ତ ରାବଣ । ନାଶିଲୁ ସର୍ବ ଦୈତ୍ୟଗଣ ॥
    ତ‌ଥାପି ତୁମେ ନ ବୁଝିଲ । ବ୍ରହ୍ମ ହତ୍ୟାରେ ଦାୟୀକଲ ॥
    ଏକ୍ଷଣି କଂସ ଅତ୍ୟାଚାର । ଭୟରେ ହୋଇ ଜର ଜର ॥
    ଆମ୍ଭଙ୍କୁ କରୁଛି ଆପତ୍ତି । ପଛରେ ଶୁଣି ଦେବ ଶାସ୍ତି ॥
    ଏପରି କ‌ହନ୍ତି କ୍ରୋଧରେ । ଅମରେ ପଡ଼ିଲେ ପୟରେ ॥
    ବିଧାତା କ‌ହିଲେ ବୁଝାଇ । ଏ ଜନ୍ମ ତୋଷ ହେବ ସାଇଁ ॥
    ଷୋଳ ସ‌ହସ୍ର ରମଣୀଙ୍କୁ । ପେଶିବୁ ଆମେ ଯେ ଗୋପକୁ ॥
    ତାହାଙ୍କ ସଙ୍ଗେ ବିହରିବ । ମର୍ତ୍ତ୍ୟରେ ରାହାସ କରିବ ॥
    ତାପରେ ମଧୁପୁରେ ରାଜା । ହୋଇଣ ପାଳିବ ପରଜା ॥
    ଅପାର ଆନନ୍ଦ ପାଇବ । ସୁଖରେ ମର୍ତ୍ତ୍ୟେ ବିହରିବ ॥
    ଏମନ୍ତ ଧାତା ବୁଝାବନ୍ତେ । କିଞ୍ଚିତ ତୋଷ ହେଲୁ ଚିତ୍ତେ ॥
    ବୋଇଲୁ ଭାବନା ନ‌କର । ଜନ୍ମିବୁ ଆମ୍ଭେ ନିକଟର ॥
    ମଥୁରାପୁରେ ବସୁଦେବ । ଆମର ଜନ‌କ ହୋଇବ ॥
    ଦେବକୀ ହେବେ ଆମ୍ଭ ମାତା । ସର୍ବଦା କରୁଛନ୍ତି ଚିନ୍ତା ॥
    ସପ୍ତମ ଗର୍ଭ ତାହାଙ୍କର । ସେ ଦୁଷ୍ଟ କରିବ ସଂହାର ॥
    ଅଷ୍ଟମ ଗର୍ଭେ ଆମ୍ଭେ ଯାଇ । ଜନ୍ମିବୁ ବନ୍ଦୀଘରେ ତ‌ହିଁ ॥
    ବଢ଼ିବୁ ନନ୍ଦର ମନ୍ଦିରେ । ଯଶୋଦା ମାତାଙ୍କ କୋଳରେ ॥
    ଅନନ୍ତ ଆମ ସଙ୍ଗେ ଯିବେ । ବଳରାମ ସେ ବୋଲାଇବେ ॥
    ଅପରେ ଦାନବ ବଳଙ୍କୁ । ବିନାଶି ଫେରିବୁ ପୁରକୁ ॥
    ଏମନ୍ତ କ‌ହି ସେ ଠାବରେ । ବିଜୟ କଲୁ ନିଜପୁରେ ॥
    ରାଧାଙ୍କୁ ଗୋଟି ଗୋଟି କରି । କ‌ହିଲୁ ସକଳ ବିଚାରି ॥
    ତା ଶୁଣି ରାସେଶ୍ୱରୀ ଦୁଃଖେ । ବୋଇଲେ ଆମର ସମୀପେ ॥
    ହେ ପ୍ରାଣନାଥ ଦୟାବ‌ହି । ଦାସୀଙ୍କୁ ସଙ୍ଗେ ଯାନ୍ତୁ ନେଇ ॥
    କାୟାକୁ ଛାଡ଼ି ଦଣ୍ଡେ ମାତ୍ର । ଛାୟା କି ହୋଇବ ବଞ୍ଚିତ ॥
    ତେଣୁ ଜଣାଏ ଶ୍ରୀ ପୟରେ । ମୋତେ ନିଅନ୍ତୁ ସଙ୍ଗତରେ ॥
    ସେବା କରିଣ ଦିନ ନେବି । ପୁନଶ୍ଚ ସଙ୍ଗତେ ଫେରିବି ॥
    ଆବର ଏକ କଥା ମୋର । ଭୋ ନାଥ ପଡ଼ୁଛି ମନର ॥
    ଦିନେ ତ୍ରେତୟା ଯୁଗେ ମୁହିଁ । ଅନ୍ନ ପରଶୁଥିଲି ତ‌ହିଁ ॥
    ନର ବାନର ଋଷିଦେବ । ଏକତ୍ରେ ଭୁଞ୍ଜୁଥିଲେ ସର୍ବ ॥
    ଏକାଳେ ଆମ ପ୍ରିୟ ଭୃତ୍ୟ । ଯାହାର ନାମ ହ‌ନୁମନ୍ତ ॥
    ସେ ମୋର ପାଦକୁ ଅନାଇଁ । ମନରେ ବିଚାରିଲା ତ‌ହିଁ ॥
    ଏପରି ଏକ ନାରୀବର । ଯେବେ ଘରଣୀ ହୋନ୍ତା ମୋର ॥
    ସର୍ବଦା ପରଶି ଦିଅନ୍ତା । ମନରେ କେଡ଼େ ସୁଖ ହୋନ୍ତା ॥
    ତାହାର ମନ ଜାଣି ମୁହିଁ । ବୋଇଲି ସ୍ନେହଭରେ ତ‌ହିଁ ॥
    ଆହାରେ ବାବୁ ହ‌ନୁମାନ । ଯାହା ତୁ ବିଚାରିଛୁ ମନ ॥
    ଏ ଯୁଗେ ପୂରଣ ନୋହିବ । ଦ୍ୱାପରେ କାମନା ପୁରିବ ॥
    ମୁଁ ରାଧା ନାମ ଥିବି ବ‌ହି । ତୁ ଥିବୁ ଚନ୍ଦ୍ରସେଣ ହୋଇ ॥
    ଗୋପାଳ କୁଳେ ହେବୁ ଜାତ । ନ ଥିବ ତୋର ପୁରୁଷତ୍ୱ ॥
    କେବଳ ଜଗି ରହିଥିବୁ । ପ୍ରଭୁ ଆସିଲେ ଛାଡ଼ିଦେବୁ ॥
    ଏପରି ତାହାକୁ କ‌ହିଛି । ଭୋ ନାଥ ଚରଣ ଧରୁଛି ॥
    ଯଦ୍ୟପି ସଙ୍ଗରେ ନ ନେବ । ମୋ କଥା ଅନ୍ୟଥା ହୋଇବ ॥
    ଆଦର ଛାଡ଼ି କ୍ଷଣେ ମାତ୍ର । ଦାସୀ ନ ହୋଇବ ଜୀବୀତ ॥
    ଏପରି କ‌ହ‌ନ୍ତେ ବୁଝାଇ । ରାଧାଙ୍କୁ ଆଶ୍ୱାସନା ଦେଇ ॥
    ବୋଇଲୁ ଆମ୍ଭେ ଦରହସି । ଦୁଃଖ ନ କର ଶୁଭ୍ରକେଶୀ ॥
    ଆମ୍ଭ ସଙ୍ଗତେ ତୁମ୍ଭେ ଯିବ । ମର୍ତ୍ତ୍ୟରେ ଲୀଳା ଆରମ୍ଭିବ ॥
    ଏହା କ‌ହିଣ ସାଥେ ସାଥେ । ତାହାଙ୍କୁ ପଠାଇଲୁ ମର୍ତ୍ତ୍ୟେ ॥
    ବୋଇଲୁ ଆଗେ ତୁମ୍ଭେ ଯାଅ । ଆମ୍ଭଙ୍କୁ ଅନାଇଣ ରୁହ ॥
    ବୃଷଭାନୁ ଯେ ବ‌ହୁଦିନ । ହେଲାଣି କରୁଛି ଭଜନ ॥
    ତାହାର ପୁତ୍ର ପୌତ୍ରୀ ନାହିଁ । ଅଛି ସେ ସଦା ପଥଚାହିଁ ॥
    ବ‌ହ‌ନ ତାର ଘରେ ଯାଇ । ପ୍ରବେଶ ହୁଅ ଚାନ୍ଦମୁହିଁ ॥
    ଏମନ୍ତ କ‌ହି ସେହିକ୍ଷଣ । ପେଶିଲୁ ତାହାଙ୍କୁ ମର୍ତ୍ତ୍ୟେଣ ॥
    ଭାଦ୍ରବ ମାସ ଯେ ଅଟଇ । ଶୁକଳ ପକ୍ଷ ଥିଲା ହୋଇ ॥
    ଅଷ୍ଟମୀ ତିଥି ମଧ୍ୟେ ଜାଣ । ରବିଙ୍କ ବାର ଯେ ପ୍ରମାଣ ॥
    ଅନୁରାଧା ଯେ ନକ୍ଷତ୍ରରେ । ଦିବସ ମଧ୍ୟାହ୍ନ ଭାଗରେ ॥
    ମର୍ତ୍ତ୍ୟକୁ ଗମନ କରିଲେ । କାଳିନ୍ଦୀ ହ୍ରଦେ ପ୍ରବେଶିଲେ ॥
    ବାଳିକା ରୂପେ ହୋଇ ତ‌ହିଁ । ପଦ୍ମ‌ପତ୍ରରେ ଗଲେ ଶୋଇ ॥
    ସେ ଦିନ ଶୁଭ ଗ୍ରହ‌ମାନେ । ରହିଣ ଥିଲେ ଉଚ୍ଚ ସ୍ଥାନେ ॥
    ବିନ୍ଦୁ ଲଗ୍ନର ଆଦ୍ୟ ଭାଗେ । ବୃହସ୍ପତିଙ୍କ ଶୁଭଯୋଗେ ॥
    ରାଧା ହୋଇଲେ ଆବିର୍ଭୁତା । ଶୁଣ ତା ପରେ ଆଜ ଗାଥା ॥
    ସେ କାଳେ ବୃଷଭାନୁ ରାୟ । ସୈନ୍ୟ ସାମନ୍ତଙ୍କର ସ‌ହ ॥
    ମୃଗୟା ଲାଗି ଯାଉଥିଲେ । କାଳିନ୍ଦୀ କୂଳରେ ମିଳିଲେ ॥
    ସେ ହ୍ରଦେ ବ‌ହୁ ପଦ୍ମ ପୁଷ୍ପ । ଫୁଟିଣ ଚ‌ହଟେ ସୁବାସ ॥
    ନୀଳ ଧବଳ ପୁଷ୍ପେ ଭରା । ହୋଇଣ ଦୁରେ ଦିଶେ ତୋରା ॥
    ତା ଦେଖି ଆନନ୍ଦେ ରାଜନ । ଭୃତ୍ୟକୁ ବୋଲଇ ବଚନ ॥
    ଆମ୍ଭର ବୋଲ ମାନି ତୁହି । ଥୋକାଏ ପୁଷ୍ପ ଆଣ ଯାଇ ॥
    ରାଣୀ ଦେଖିଲେ ତୋଷ ହେବେ । ଲକ୍ଷ୍ମୀଙ୍କ ପୟରେ ପୂଜିବେ ॥
    ପଦ୍ମ ପୁଷ୍ପକୁ ନାରାୟଣୀ । ସ୍ନେହ କରନ୍ତି ଅଛି ଜାଣି ॥
    ଏମନ୍ତ ରାଜନ କ‌ହ‌ନ୍ତେ । ଭୃତ୍ୟ ଚଳିଲେ ପାଞ୍ଚ ସାତେ ॥
    କାଳିନ୍ଦୀ ହ୍ରଦରେ ପଶିଲେ । ଥୋକାଏ କୁସୁମ ତୋଳିଲେ ॥
    ଏହି ସମୟେ ଜଣେ ଭୃତ୍ୟ । ନିରେଖି ଦେଖିଲା ସେ ନେତ୍ର ॥
    ଏକଇ ନୀଳ ପଦ୍ମ‌ ପରେ । ଶିଶୁ ଶୋଇଛି ନିଶ୍ଚିନ୍ତରେ ॥
    ତା ଦେହୁଁ ଜ୍ୟୋତି ପରକାଶି । ନିନ୍ଦା କରଇ ରବି ଶଶୀ ॥
    ଏହା ଦେଖିଣ ସେହି ଭୃତ୍ୟ । ଆନନ୍ଦେ ହୋଇ ପୁଲକିତ ॥
    ନୃପତି ସନିଧ୍ୟକୁ ଯାଇ । କ‌ହିଲା ସମସ୍ତ ବୁଝାଇ ॥
    ଶୁଣି ଆନନ୍ଦ ନରନାଥ । ଭୃତ୍ୟକୁ ବୋଇଲେ ତଦନ୍ତ ॥
    ସେ ଶିଶୁ ଅଛି କେଉଁସ୍ଥାନ । ଦେଖାଅ ମୋତେ ଯେ ବ‌ହ‌ନ ॥
    ଏହା କ‌ହ‌ନ୍ତେ ନୃପବର । ଭୃତ୍ୟ ଚଳିଲା ଅଗ୍ରତର ॥
    ଜଳରେ ପଶି ନରନାଥ । ଥୋକାଏ ଦୂର ଯାନ୍ତେ ପଥ ॥
    ଦେଖିଲେ ନୟନରେ ଚାହିଁ । ଅପୂର୍ବ ଜ୍ୟୋତି ପ୍ରକାଶଇ ॥
    ଏକଇ ପଦ୍ମ‌ପୁଷ୍ପ ପରେ । ବାଳିକା ଶୋଇଛି ଶାନ୍ତିରେ ॥
    ଯେସନ ହୀରାର କଣ୍ଢେଇ । ତେମନ୍ତ ରୂପ ଶୋଭାପାଇ ॥
    ଏହା ଦେଖିଣ ନରନାଥ । ମନରେ ହୋଇ ଆନନ୍ଦିତ ॥
    ସେ ଶିଶୁ ପାଶରେ ମିଳିଲେ । ପ୍ରବେଶ ହୋଇଲେ କୂଳରେ ॥
    କୋଳେ ବସାଇ ଆନନ୍ଦରେ । ପ୍ରବେଶ ହୋଇଲେ ବଳରେ ॥
    ସେ ବେଳେ ବୃଷଭାନୁଙ୍କର । ଆନନ୍ଦ ନ ଧରିଲା ଘର ॥
    ଦରିଦ୍ର କୋଟିନିଧି ପାଇ । ଯେମନ୍ତେ ଆନନ୍ଦ ହୁଅଇ ॥
    ଅନ୍ଧ ପାଇଲେ ଚକ୍ଷୁଦାନ । ଯେସନେ ହୁଏ ତା'ର ମନ ॥
    ସେହି ପ୍ରକାରେ ନରସାଇଁ । ନାଚିଲେ କନ୍ୟାମୁଖ ଚାହିଁ ॥
    ସତେ କି କୋଟି ଦିନନାଥ । ହୋଇଛି ତାଙ୍କ କରଗତ ॥
    ଏମନ୍ତ ମଣି ନରସାଇଁ । ଫେରିଲେ ମୃଗୟା ନ ଯାଇ ॥
    ନବରେ ପ୍ରବେଶ ହୋଇଲେ । ରାଣୀଙ୍କୁ ତୁହାଇ ଡାକିଲେ ॥
    ବୋଇଲେ ଆସ ଆସ ସ‌ହୀ । ଅମୂଲ୍ୟ ରତ୍ନ ଅଛି ପାଇ ॥
    ଯାହାକୁ ପାଇବା ନିମନ୍ତେ । ଅପାର ଦୁଃଖ ଥିଲା ଚିତ୍ତେ ॥
    ତାହା ପ୍ରପାତ କଲେ ସାଇଁ । ଦ‌ହ‌ନ ଆସି ଯାଅ ନେଇ ॥
    ଯତନ କରି ପ୍ରତିପାଳ । ଲଭିବ ବ‌ହୁ ପୁଣ୍ୟଫଳ ॥
    ଏମନ୍ତ ରାଜନଙ୍କ ବାଣୀ । ଶୁଣି ଆସିଲେ ଧାଇଁ ରାଣୀ ॥
    କନ୍ୟାକୁ ଦେଖୁ ଦେଖୁ ନେତ୍ରେ । ଅତି ଅନନ୍ଦ ହୋଇ ଚିତ୍ତେ ॥
    କୋଳକୁ ସ୍ନେହେ ତୋଳିନେଇ । ଲ‌ଲାଟେ ଚୁମା ଦେଲେ ଛାଇ ॥
    ସେ ବେଳେ ଆନନ୍ଦ ତାଙ୍କର । ବରଣି ନ ହେବ ମୁଖର ॥
    କନ୍ୟାର ରୂପକୁ ନିରେଖି । ଚାହିଁଣ ରାଣୀ ହେଲେ ସୁଖୀ ॥
    ଚନ୍ଦ୍ରକିରଣ ପ୍ରାୟ ଜ୍ୟୋତି । ନିର୍ଧୂମାନଳ ସମକାନ୍ତି ॥
    କୋଟିଏ ରତି ହେଲେ ମେଳେ । ସମ ନୋହିବ ପାଦତଳେ ॥
    ଆବର ବ‌ହୁ ଶୁଭ ଚିହ୍ନ । କନ୍ୟାର ଦେହେଁ ବିଦ୍ୟାମାନ ॥
    ଦେଖିଣ ଚଞ୍ଚଳା ଚତୁରି । ଦାସୀଙ୍କୁ ବୋଇଲେ ହକାରି ॥
    ଆସଲୋ ଆସଲୋ ବ‌ହ‌ନ । ମୋ ରତ୍ନେ କରାଅ ମାର୍ଜନ ॥
    ପଦ୍ମ‌ବନରୁ ଅଛି ପାଇ । ରାଧିକା ନାମ ଦେବି ମୁହିଁ ॥
    ଏମନ୍ତ ମହାଦେଈ ବାଣୀ । ଶୁଣିଣ ସକଳ ତରୁଣୀ ॥
    କନ୍ୟାକୁ ମାର୍ଜନା କରାଇ । ରତ୍ନ‌ଦୋଳିରେ ଦେଲେଶୋଇ ॥
    ରତନ ଚାନ୍ଦୁଆ ଆଣିଲେ । ଯତନେ ଉପରେ ଟାଣିଲେ ॥
    ଉତ୍ତ୍ୱାନଶାୟୀ ହୋଇ ବାଳୀ । ଶୋଇଲା ଚଞ୍ଚଳା ଦୁଲାଲୀ ॥
    ମଳମୂତ୍ର ଯେ ତା'ର ନାହିଁ । କ୍ଷୀର ନୀର ସେ ନ‌ଛୁଅଁଇ ॥
    ତା ଶୁଣି ସକଳ ଗୋପାଳ । ଗୋପୀଙ୍କ ସ‌ହ ହୋଇ ମେଳ ॥
    ନାନାଦି ଉପଚାର ମାନ । ଘେନି ମିଳିଲେ ଯେ ବ‌ହ‌ନ ॥
    କନ୍ୟାକୁ ଦରଶନ ମାତ୍ରେ । ଆନନ୍ଦେ ହେଲେ ସର୍ବେଚିତ୍ତେ ॥
    ତାପରେ ରାଜା ତୋଷ ଦେଇ । ଭଣ୍ଡାର ମାନ ଖୋଲିଦେଇ ॥
    ଦୁଃଖୀ ଦରିଦ୍ର ବ୍ରାହ୍ମଣଙ୍କୁ । ଡକାଇ ଆପଣା ପୁରକୁ ॥
    ବ‌ହୁତ ଧନ ଦାନ କଲେ । ଯେ ଯାହା ଇଚ୍ଛାମତେ ନେଲେ ॥
    ସେଦିନ ପ୍ରତ୍ୟେକ ଗୃହରେ । ବ୍ରତ ପାଳିଲେ ଆନନ୍ଦରେ ॥
    ଘୃତ ପ୍ରଦୀପ ଜାଳିଦେଲେ । ସୁବର୍ଣ୍ଣ କୁମ୍ଭ ବସାଇଲେ ॥
    ସେ କାଳେ ଆନନ୍ଦ ଉତ୍ସବ । ମୁଖରେ ବରଣି ନ ହେବ ॥
    ଏମନ୍ତେ ଜନ୍ମ ରାଧାଙ୍କର । କ‌ହିଲି କରିଣ ବିସ୍ତାର ॥
    ୟପରେ ଆନ‌ଗାଥାମାନ । କରିବି ସଂକ୍ଷେପରେ ବର୍ଣ୍ଣନ ॥
    ରାଧାଙ୍କ ଜନ୍ମ ସମାଚାର । ସମ୍ପୂର୍ଣ୍ଣ ହୋଇଲା ଏଠାର ॥
    ତୁମ୍ଭେ ଯେଣୁ ମୋ ପ୍ରିୟବତୀ । କ‌ହିଲି ଶୁଣ ଆହେ ସତୀ ॥
    ଏମନ୍ତ କ‌ହି ନାରାୟଣ । ବସିଲେ ମଉନ ହୋଇଣ ॥
    ଅଧମ କ୍ଷେତ୍ର ଯୋଡ଼ିକର । କ‌ହଇ ମୋ ଦୁଃଖ ନିବାର ॥

    ସତ୍ୟଭାମା ଉବାଚ
    ଭୋ ନାଥ ନମୁଛି ପୟରେ । ସଂଶୟ ରହିଲା ମନରେ ॥
    ରାଧାତ ମର୍ତ୍ତ୍ୟେ ହେଲେ ଜାତ । ନ ଖାଇ ବଞ୍ଚିବେ କମନ୍ତେ ॥
    ତା'ପରେ କେଉଁ ପରକାରେ । ବରିଲେ ସେ ଚନ୍ଦ୍ର ସେଣାରେ ॥
    ସେ ଚନ୍ଦ୍ରସେଣା ଅଟେ କିଏ । ଶୁଣାଅ ପଡ଼ୁଅଛି ପାଏ ॥
    ସେହୁ ରାଧାଙ୍କୁ ବିଭାହେଲା । କିମ୍ପାଇଁ ମିଳନ ନୋହିଲା ॥
    ତୁମ୍ଭେ କିପରି ମର୍ତ୍ତ୍ୟେପୁର । ଆସିଲ କୁହ ପ୍ରାଣେଶ୍ୱର ॥
    ଏହ ଶୁଣାଇ ଦୟାମୟ । ତୁଟାଅ ଆମ୍ଭର ସଂଶୟ ॥
    ଶୁଣିବା ପାଇଁ ବଳେ ଚିତ୍ତ । କ୍ଷେତ୍ରମୋହ‌ନ ରଚେ ଗୀତ ॥

    ଶ୍ରୀକୃଷ୍ଣ ଉବାଚ
    ପାଟ ବଂଶୀଙ୍କ ମୁଖ ଚାହିଁ । କ‌ହ‌ନ୍ତି ଦ୍ୱାରକାରେ ଯାଇ ॥
    ଯାଇ ପୁଚ୍ଛିଲେ ତୁମ୍ଭେ ମୋତେ । ପୂର୍ବରୁ କ‌ହିଅଛି କେତେ ॥
    ତ୍ରେତୟା ଯୁଗେ ହ‌ନୁ ଯେହି । ଦ୍ୱାପରେ ଚନ୍ଦ ସେଣା ସେହି ॥
    ରାଧା ଯେ ଥିଲେ ସୀତା ସତୀ । ଅତି ସୁନ୍ଦର ରୂପ କାନ୍ତି ॥
    ତେଣୁ ସେ ହ‌ନୁମନ୍ତ ବୀର । ଚନ୍ଦ୍ରସେଣା ଯେ ଦ୍ୱାପରର ॥
    ତାହାଙ୍କୁ ରାଧା ଯେଉଁପରି । ବିବାହ କଲେ ଶୁଣ ଗୋରୀ ॥
    ବୃଷଭାନୁଙ୍କ ଗୃହେ ସତୀ । ହୋଇଣଥାନ୍ତି ଶିଶୁ ମୂର୍ତ୍ତି ॥
    କୌଣସି ଖାଦ୍ୟ ନ ଛୁଅନ୍ତି । ବଚନ କାରେ ନ ଭାସନ୍ତି ॥
    ମୋହର ପାଦେ ମନ‌ଦେଇ । ରତ୍ନ‌ଦୋଳିରେ ଥାନ୍ତି ଶୋଇ ॥
    ଏମନ୍ତ ବ‌ହୁକାଳ ଗଲା । ଦୋଳିରୁ ସତୀ ନ ଉଠିଲା ॥
    କଟିଲା ନାହିଁ ବାଲ୍ୟଭାବ । ବଚନ ନ କ‌ହିଲେ ଲବ ॥
    ଏହା ଦେଖିଣ ରାଜାରାଣୀ । ଅପାର ଦୁଃଖହେଲେ ପୁଣି ॥
    ବ‌ହୁ ପ୍ରକାର ଚେଷ୍ଟା କଲେ । ତାଙ୍କୁ ଭୁଞ୍ଜାଇ ନ ପାରିଲେ ॥
    ଶୁଣି ନ ପାରିଲେ ବଚନ । ଦୁଃଖରେ କଟାଇଲେ ଦିନ ॥
    ୟାପରେ ଏକ ଦିନ‌କର । ମିଳିଲେ ଧାତାଙ୍କ କୁମର ॥
    ତାହାଙ୍କୁ ଦେଖି ନରନାଥ । ପାଦରେ ହୋଇ ପ୍ରଣିପାତ ॥
    ରତ୍ନ ଆସନେ ବସାଇଲେ । ସମସ୍ତ ବର୍ଣ୍ଣନ କରିଲେ ॥
    ଆଦ୍ୟଠୁଁ ପ୍ରାନ୍ତ ଯାଏ ପୁଣି । ଭାଷିଲେ ସର୍ବ ନର ମଣି ॥
    ଶୁଣି ନାରଦ ହସି ହସି । କ‌ହିଲେ ରାଜାଙ୍କୁ ଆଶ୍ୱାସୀ ॥
    ତୁମ୍ଭ ପରାୟେ ଭାଗ୍ୟବାନ । ନାହାନ୍ତି ଏ ତିନି ଭୁବନ ॥
    ସ୍ୱୟଂ କମଳା ତୁମ୍ଭ ପରେ । ଅଛନ୍ତି ସନ୍ତ‌ତ ଭାବରେ ॥
    ପରମ ବ୍ରହ୍ମେ ଲୟ ରଖି । ଶୋଇ ଅଛନ୍ତି ପଦ୍ମମୁଖି ॥
    ଯେବେ ଜନ୍ମିବେ ନାରାୟଣ । ତୁଟିବ ତୁମ୍ଭର କଷଣ ॥
    ଫିଟିବ ଦେବୀଙ୍କର ମୁଖ । ଯୌବନ ବିକଶିବ ଭୂପ ॥
    ସେ ପାଇଁ ଭାବନା ନ କର । ବଢ଼ିବ ସୁପୁଣ୍ୟ ଅପାର ॥
    ଏହା କ‌ଁହିଣ ଧାତାସୁତ । ରାଜାଙ୍କୁ କ‌ହିଲେ ତଦନ୍ତ ॥
    ଶୋଇଛି କନ୍ୟା ଯେଉଁଠାରେ । ଦେଖାଅ ନେଇ ମତେ ଥରେ ॥
    ମାତ୍ର ମୁଁ କ‌ହୁଛି ଚେତାଇ । ମୋ ଥିବାଯାଏ ତ‌ହିଁ କେହି ॥
    ନ ଯିବେ ଜାଣ ଜଣେ ମାତ୍ର । ତୁମ୍ଭେ ବି ନ ଯିବଟି ସେଥ ॥
    ଏମନ୍ତ କ‌ହିଣ ଦେବର୍ଷି । ଗୃହ ଭିତରେ ଗଲେ ପଶି ॥
    ଦେଖିଲେ ରତ୍ନ ଦୋଳି ପରେ । କନ୍ୟା ଶୋଇଛି ନିଶ୍ଚିନ୍ତରେ ॥
    ଦିବ୍ୟ ଜ୍ୟୋତି ସେ ଅଙ୍ଗତାର । ଚ‌ହଟି ବିକଶଇ ପୁର ॥
    ଦେଖିଣ ନାରଦ ମହର୍ଷି । ମନ ମଧ୍ୟରେ ହୋଇ ଖୁସି ॥
    ବୋଇଲେ ବିନୟ ହୋଇଣ । ଭୋମାତା କିମ୍ପା ଏ ଭାବେଣ ॥
    ଶୋଇଛୁ ବଚନ ନ କ‌ହି । କ୍ଷୀର ନୀର ଯେ ନ ଛୁଅଇଁ ॥
    ହୋଇଣ ତ୍ରିଜଗତ ମାତ । ମାୟା ଭିଆଇଛୁ କେମନ୍ତ ॥
    ଭୋ ମାତା ବାରେ ଦୟା ବ‌ହି । ରାଜା କଷଣ ନାଶ ତୁହି ॥
    ତୋ ଲାଗି ଦିବସ ରଜନୀ । କାନ୍ଦନ୍ତି ରାଜାରାଣୀ ବେନି ॥
    ଆଉ ମା' ଏମନ୍ତେ ନ ଶୋଇ । ବଚନ ଭାଗ କ୍ଷୀର ଖାଇ ॥
    ବାଳ ସ୍ୱଭାବ ତ୍ୟାଗ କର । ଜଗତେ ନବ ଭାବ ଧର ॥
    ଯାହା ନିମନ୍ତେ ତୁହି ମାତ । ଶୟନ କରିଛୁ ଏମନ୍ତ ॥
    ସେ ପ୍ରଭୁ ଆଉ ଅଳ୍ପଦିନେ । ଜନ୍ମିବେ ଯେ ମଧୁଭୂବନେ ॥
    କଂସକୁ ବିନାଶିବା ପାଇଁ । ଦେବଙ୍କୁ ଛନ୍ତି କଥା ଦେଇ ॥
    ଦେବକୀ ଗର୍ଭରେ ଏକ୍ଷଣି । ପ୍ରଭୁ ଯେ ଆସି ରହିଲେଣି ॥
    ଆଉ ଅଳ୍ପଦିନ‌କେ ମାତ୍ର । ଜନମ ହେବେ ଜଗନ୍ନାଥ ॥
    ଏ ଗୋପ ପୁରରେ ବଢ଼ିବେ । ଅପାର ଦାନବ ନାଶିବେ ॥
    ପୂର୍ବରୁ ବ‌ହୁ ସୁରାସୁରୀ । ଗୋପରେ ଛନ୍ତି ଅବତରୀ ॥
    ପ୍ରଭୁଙ୍କ ପଥ ଛନ୍ତି ଚାହିଁ । ଭାବନା ତେଜ ଚାନ୍ଦମୁହିଁ ॥
    ତୋତେ ତେଜିଣ କ୍ଷଣେମାତ୍ର । ପ୍ରଭୁ କି ହୋଇବେ ନିଶ୍ଚିତ ॥
    ଏମନ୍ତେ ନାରଦଙ୍କ ବାଣୀ । କର୍ଣ୍ଣରେ ରାଧା ଦେବୀ ଶୁଣି ॥
    ବୋଇଲେ ନାରଦଙ୍କୁ ଚାହିଁ । ମନରେ ହରଷିତ ହୋଇ ॥
    ତା ହେଲେ ମୋର ପ୍ରାଣକାନ୍ତ । ମର୍ତ୍ତ୍ୟେ ହେଲେଣି ଉପଗତ ॥
    ଚାଲ ଦେବଶ୍ରୀ ଅଗ୍ରତରେ । ଜଣାଅ ମୋ ମାତା ପିଅରେ ॥
    ଭୋଜନ ଆଣିଦ୍ୟନ୍ତୁ ବେଗେ । କ୍ଷୁଧାରେ ଜଳେ ମୋର ଅଙ୍ଗ ॥
    ଶୁଣି ନାରଦ ଆନନ୍ଦରେ । ମଳିଲେ ନୃପତି ପାଶରେ ॥
    ବୋଇଲେ ସର୍ବ ସମାଚାର । ଶୁଣି ଆନନ୍ଦ ନୃପବର ॥
    ଚଞ୍ଚଳାରାଣୀଙ୍କୁ ଡକାଇ । ବୋଇଲା ବେଗେ ଆସ ଧାଇଁ ॥
    କନ୍ୟା ମୋ କଥା କ‌ହିଲାଣି । ଭକ୍ଷିବା ପାଇଁ ମାଗେ ପୁଣି ॥
    ଶୁଣିଣ ରାଣୀ ରାଜା ଗିର । ଧାଇଁଲା ହୋଇ ତର ତର ॥
    ଅପୂର୍ବ ଷଡ଼ରସମାନ । ଘେନିଣ ଧାଇଁଲେ ବ‌ହ‌ନ ॥
    ଦେଖିଲେ ଦୋଳି ମଧ୍ୟୁ ବାଳି । ଉଠିଣ ହୁଏ କୁତୁହଳି ॥
    ମାତା ପିତାଙ୍କୁ ଦେଖି ନେତ୍ରେ । ଧାଇଁ ଆସିଣ ତ‌ତ୍‌କ୍ଷଣାତେ ॥
    ମାତାଙ୍କୁ କୁଣ୍ଢାଇ ଧରିଲା । ଅମୀୟ ବଚନ ଭାଷିଲା ॥
    ଦେଖିଲା ଚଞ୍ଚଳା ସୁନ୍ଦରୀ । ଶୋଇଣ ଥିଲା ଯେ କୁମାରୀ ॥
    କ୍ଷୁଦ୍ର ବାଳିକା ରୂପ ଥିଲା । ତକ୍ଷଣେ ଯୁବତୀ ହୋଇଲା ॥
    ନମିଣ ଦେବର୍ଷି ପୟରେ । ବସିଲା ମାତାଙ୍କ କୋଳରେ ॥
    ବିଦାୟ ନେଇଣ ନାରଦ । ଚଳିଲେ ହୋଇଣ ଆନନ୍ଦ ॥
    ସେ ଦିନଠାରୁ ନରପତି । ଖୋଜିଲେ କନ୍ୟା ଲାଗି ପତି ॥
    ଗୋପରେ ଚନ୍ଦନ୍ରସେଣା ଥିଲା । ନୃପତିକୁଳେ ଜନ୍ମିଥିଲା ॥
    ଉତ୍ତମ ବଂଶ ଅଟେ ତାର । ଧନ ଧାନ୍ୟରେ ଭରପୁର ॥
    ଗୋଧନ ଗୁହାଳ ଗୁହାଳ । ଦେଖିଣ ବୃଷଭାନୁ ପାଳ ॥
    କନ୍ୟାର ଉପଯୁକ୍ତ ପତି । ଭାବିଣ ମନେ ନରପତି ॥
    ରାଧାଙ୍କୁ ତାହା ସଙ୍ଗତରେ । ବିବାହ କଲେ ଆଡ଼ମ୍ବରେ ॥
    ସେ ଚନ୍ଦ୍ରସେଣା ମୋ ମାତାର । ଲେଖାରେ ଭାଇ ଯେ ଧର୍ମର ॥
    ଏହି ପ୍ରକାରେ ମାମୁଁ ସେହି । ମୋର ତା ସଙ୍ଗେ ଭାବ ଏହି ॥
    ନନ୍ଦ ଆବର ଯଶୋବନ୍ତି । ଶାଳକ ମୋହର ଅଟନ୍ତି ॥
    ତାଙ୍କରି ଲେଖା ଯୋଖା ଭାଇ । ସେ ଚନ୍ଦ୍ରସେଣା ଯେ ଅଟଇ ॥
    ତା'ପରେ ଆମ୍ଭେ ଗୋପ‌ପୁରେ । ବଢ଼ିଲୁ ଜନ୍ମି ମଥୁରାରେ ॥
    ଆମ୍ଭଙ୍କୁ ପାଇବା ନିମନ୍ତେ । ରାଧା ସର୍ବଦା ହୃଦଗତେ ॥
    ଭାବନା କରି ଦିନରାତି । ସୂର୍ଯ୍ୟକୁ ପୂଜା କଲା ସତୀ ॥
    ଷୋଳ ସ‌ହସ୍ର ଗୋପୀ ମେଳେ । ମୋତେ ପାଇବାପାଇଁ ହେଳେ ॥
    ବ‌ହୁତ ଜପ ତପ କଲା । ଶେଷେ ଦୁହିଁଙ୍କ ଭେଟ ହେଲା ॥
    ବୃନ୍ଦାବନରେ ରାସ କେଳି । କରିଲୁ ରାଧା ସ‌ହ ମିଳି ॥
    ପୂର୍ବରୁ ସର୍ବ ଗୋପୀମାନେ । ଜନମିଥିଲେ ସେ ଭୂବନେ ॥
    ତାଙ୍କ କାମନା ପୂର୍ଣ୍ଣକରି । ଆମ୍ଭେ ଯେ ଆସିଲୁ ବାହାରି ॥
    ସେ ଖେଳା ସେଠାରେ ରହିଲା । ତବ ସ‌ହିତ ଖେଳା ହେଲା ॥
    ରାଧାଙ୍କ ଜନ୍ମ ସମାଚାର । କ‌ହିଲି ତୁମ୍ଭ ଅଗ୍ରତର ॥
    ଏମନ୍ତ କ‌ହି ଗୋପୀନାଥ । ମଉନ ହେଲେ ଭଣେ କ୍ଷେତ୍ର ॥

    ବ୍ରତ ସୂଚନା

    ଶୁଣ ସୁଜନେ ମନ ଦେଇ । ଶ୍ରୀକୃଷ୍ଣ ମୁଖୁ ଶୁଣି ସ‌ହୀ ॥
    ମନରେ ହୋଇ ଆନନ୍ଦିତ । ପାଳିଲେ ରାଧାଷ୍ଟମୀ ବ୍ରତ ॥
    ରୁକ୍ମଣୀ ସତ୍ୟଭାମା ସାଥେ । ସେ ପାଟବଂଶୀ ସେ ସମସ୍ତେ ॥
    ଭକତିଭରେ କୃଷ୍ଣଙ୍କର । ପୂଜିଲେ ସକଳ ପୟର ॥
    ତାହାଙ୍କୁ ଦେଖି ଦ୍ୱାରକାରେ । ବ୍ରତ ପାଳିଲେ ଘରେ ଘରେ ॥
    ଏମନ୍ତେ ରାଧାଷ୍ଟମୀ ବ୍ରତ । ପାଳନ କରିଲେ ସମସ୍ତ ॥
    ଏ ବ୍ରତ ନୁହେଁ ତ ସାମାନ୍ୟ । ପାଳନ କଲେ ବଢ଼େ ପୁଣ୍ୟ ॥
    ଅପୁତ୍ରୀ ନାରୀ କଲେ ବ୍ରତ । ପୁତ୍ର ପୌତ୍ରୀ ଯେ ହୋନ୍ତିପ୍ରାପ୍ତ ॥
    ନିର୍ଦ୍ଧନୀ ଏ ବ୍ରତ ପାଳିଲେ । ଅପାର ଧନ ବଢ଼େ ହେଳେ ॥
    ଆବର ବ୍ୟାଧିବନ୍ତ ନର । ଏ ବ୍ରତ ପାଳିଲେ ଭକ୍ତିର ॥
    ସକଳ ବ୍ୟାଧି ହୁଏ ନାଶ । ଅନ୍ତେ ବୈକୁଣ୍ଠେ ଲଭେବାସ ॥
    ରାଧା ଅଷ୍ଟମୀ ବ୍ରତ ଦିନ । ଯେମନ୍ତେ କରିବ ପାଳନ ॥
    ତାହାର ବିଧି ଶୁଣ ଧିରେ । ଭଣଇକ୍ଷେତ୍ରର ଗୀତରେ ॥

    ବ୍ରତ ବିଧାନ

    ରାଧା ଅଷ୍ଟମୀ ଜନ୍ମ‌ବ୍ରତ । ଯେ ଜନ କରିବ ପାଳିତ ॥
    ନୂତନ ବସ୍ତ୍ର ଅଳଙ୍କାର । ମଣ୍ଡିବ ହୃଦୟେ ଯତ୍ନର ॥
    ନାନାଦି ଉପ‌ହାରମାନ । କରିବ ଯତ୍ନେ ଆୟୋଜନ ॥
    ବାସ ଚନ୍ଦନ ସ‌ହିତର । କୁଙ୍କୁମ କସ୍ତୁରୀ ସିନ୍ଦୂର ॥
    ହରଦ୍ରା ମିଶାଇ ତ‌ହିଁରେ । ଲାଗି କରିବ ରାଧିକାରେ ॥
    ନାନାଦି ସୁବାସ କୁସୁମ । ମଣ୍ଡିବ ଶ୍ରୀରାଧାଙ୍କ ଅଙ୍ଗ ॥
    ବିବିଧ ବାଦ୍ୟ ନାଦ ଛଳେ । ପୂଜା କରିବ ଭକ୍ତିଭୋଳେ ॥
    ଦୁର୍ବା ଅକ୍ଷତ ବା ଶ୍ରୀଫଳ । ସୁବାସ ବିଡ଼ିଆ ତାମ୍ବୁଳ ॥
    କୁଙ୍କୁମ ବିଲେପନ କର । ଭକତି ଭାବ ହୃଦେ ଧରି ॥
    ସେ ଦିନ କରି ଉପବାସ । ଅନ୍ୟାୟ ନ କରିବ ଲେଶ ॥
    ଭକତି ଭାବେ ଯେ ସମସ୍ତ । ଅର୍ପିବ ରାଧା ପାଦଗତ ॥
    ଏମନ୍ତେ କରିଲେ ପାଳନ । ରାଧିକା ହେବେ ସୁପ୍ରସନ୍ନ ॥
    ଆବର କୃଷ୍ଣଙ୍କର ସାଥେ । ପୂଜିବ ତାହାଙ୍କୁ ସମସ୍ତେ ॥
    ନୋହିଲେ ଫଳ ନ ପାଇବ । କାର୍ଯ୍ୟ ସେ ଅସମ୍ପୂର୍ଣ୍ଣ ହେବ ॥
    ରାଧା କୃଷ୍ଣ ଯେ ବେନି ଜନ । କେଭେ ନୁହ‌ନ୍ତି ଭିନ୍ନା ଭିନ୍ନ ॥
    ଯେଉଁଠି କୃଷ୍ଣ ରାଧା ତ‌ହିଁ । ତାହାଙ୍କ ଭିନ୍ନ ଭିନ୍ନା ନାହିଁ ॥
    କୃଷ୍ଣ ତାଙ୍କରି ପ୍ରାଣପତି । ପ୍ରେମ ଭକ୍ତିରେ ବନ୍ଧାଥାନ୍ତି ॥
    ପରମ ଭକ୍ତ ଭାବ ଭୋଳେ । ରାଧା ଅଷ୍ଟମୀ ବ୍ରତ କଲେ ॥
    ବ‌ହୁତ ସୁଫଳ ପାଇବ । ଅନ୍ତେ ଯେ ବୈକୁଣ୍ଠେ ବସିବ ॥
    ହେ ଭାଇ ଭଗ୍ନିମାନେ ଶୁଣ । ଶ୍ରୀରାଧା କୃଷ୍ଣଙ୍କ ପାଦେଣ ॥
    ଭକତି କର ଅପ୍ରମିତେ । ସଂସାରୁ ପାର ହେବା ଅର୍ଥେ ॥
    ଜଗତ ଜନନୀଙ୍କୁ ଧ୍ୟାୟୀ । ଏ ରାଧାଷ୍ଟମୀ ଲେଖେଲଇଁ ॥
    ସୂଜନ ଜନଙ୍କ ପୟରେ । ମୋ ମନ ରହୁ ନିରନ୍ତରେ ॥
    ଏ ଗୀତ ହୋଇଲା ସମ୍ପୂର୍ଣ୍ଣ । ରାଧାକୃଷ୍ଣଙ୍କୁ ଭଜ ଜନ ॥
    କ‌ହଇ କ୍ଷେତ୍ରବାସୀ ଛାର । ଶ୍ରୀରାଧା ଗୋବିନ୍ଦ ଉଦ୍ଧାର ॥

    ଇତି ଶ୍ରୀ ହରିବଂଶେ ଶ୍ରୀ ରାଧା ଜନ୍ମ କଥନେ ସଦା ଜୟେ ସମ୍ପୂର୍ଣ୍ଣ ।

    No comments

    Post Top Ad

    Shubhapallaba free eMagazine and online web Portal

    Post Bottom Ad

    Shubhapallaba Hindi Portal