ଯଥା ସମୟରେ ସରୋଜ ପିଉସୀଙ୍କୁ ଘେନି ଘରେ ପହଞ୍ଚିଲା । ତାହା ଶୁଭମୁହୂର୍ତ୍ତ କି ଅଶୁଭ ମୁହୂର୍ତ୍ତ ସେ ଆଦୌ ବୁଝି ନ ଥିଲା ତେବେ ବୁଢ଼ୀଙ୍କ ଜିମାରେ ମଣିକୁ ସମର୍ପିଦେଇ ଦୁଇବନ୍ଧୁ ବର ଖୋଜି ବାହାରିଲେ । ମଣି ଆଖିର ଲୁହ ଆଖିରେ ମାରି ଘରେ ରହିଲା । ତାର ପ୍ରାଣ କଲବଲ ହେଲା । ମୁହଁ ଫିଟାଇ ତାର ମର୍ମର ବେଦନା କାହାକୁ କହିବ ? ସର୍ବଦା ସଜଳ ନୟନରେ ଘରକୋଣରେ ପଡ଼ିରହିଲା । ଗଲାବେଳେ ମଣିର ମୁଖର ଭାବ ଲକ୍ଷ୍ୟ କରିଥିଲା ଜଣେ- ସେ ବିନୋଦ ।
- x -
ମଣି ଫୁଲର କୋମଳତା ନେଇ, ଦାମିନୀର-ଦୀପ୍ତିନେଇ, କୌମୁଦୀର ରୂପ ନେଇ ଜନ୍ମ ହୋଇଥିଲା । ସେ ଗାଢ଼ ଅଭାବ ମଧ୍ୟରେ ଥିଲା; ମାତ୍ର କଷ୍ଟ କେବେ କଣ ଜାଣି ନ ଥିଲା । ପ୍ରଥମ ଜୀବନ ପାଞ୍ଚବର୍ଷଯାଏ ସେ ଶିଶୁ ଅବସ୍ଥାରେ ବାପା ମାଆଙ୍କ କୋଳରେ ମହାସୁଖରେ ଥିଲା, ତାପରେ ତାର ବୁଢ଼ୀମାଆ ନିକଟରେ ୧୦ ବର୍ଷ ଯାଏ ରହି କେବେ ଏତେ ଅଭାବ ମଧ୍ୟରେ ଦୁଃଖ କଣ ଜାଣି ନ ଥିଲା । ତା ପରେ ଆସିଲା ବଡ଼ଲୋକ ଘରକୁ, ତାର ଭାଗ୍ୟ ପରିବର୍ତ୍ତିତ ହେଲା । ଶ୍ୟାମବାବୁଙ୍କର ସେ ହେଲା ଗେହ୍ଲା ଝିଅ । ତାକୁ ସେ ଫୁଲରୁ ବଳି ଆଦରରେ ସାଇତିଲେ । ଇସ୍କୁଲରେ ପଢ଼ିଲା । ହଜାର ହଜାର ଟଙ୍କାରେ ଭାସିଲା । ଆଦର ସ୍ନେହ ଛଡ଼ା ଦୁଃଖ, କଷ୍ଟ ସେ କିଛି ଜାଣିଲା ନାହିଁ । ପାଶ କଲା- ଘରକୁ ଆସିଲା, ବାପା ମଲେ- ତାପରେ ତାର ହୃଦୟର ନିଧି ପ୍ରାଣର ପ୍ରାଣ ଭାଇ ତତ୍ତ୍ୱରେ କାଳ କାଟିଲା । ତାର ଭାଇ ତାକୁ କେବେ ନିମିଷକ ପାଇଁ ମ ବୋଲି କହି ନାହିଁ । ମାତ୍ର ଆଜି- ?
ଯେ ରୂପ ଗୁଣରେ ଲକ୍ଷ୍ମୀ, ସରସ୍ୱତୀପରି, ତା ଉପରେ ଆଜି ଏ କି ଚଢ଼ୋଉ ? ତାର ପ୍ରାଣ ଅଥୟ ହେଲା । କାନ୍ଦିଲା- କାନ୍ଦି ପାରିଲା ନାହିଁ, ବସିଲା- ବସିପାରିଲା ନାହିଁ । ମନ ବଦଳାଇବାକୁ ଭାବିଲା; ମାତ୍ର ତାହା ମଧ୍ୟ କରିପାରିଲା ନାହିଁ । ଆଜି ସେ ଏକାକୀ- ଶୂନ୍ୟ; ତାର ଆଜି ନିଜର କେହି ନାହିଁ- ତାର ଆଜି ହୃଦୟର କେହି ନାହିଁ । ଜଗତରେ ତ ତାର ଜଣେ ମାତ୍ର ନିଜର । ସେ ତ କେଉଁ ଦୂର ରାଇଜ ରାଇଜର ଅତିଥି, ସେ କାହା ଆଗରେ ତାର ଦୁଃଖ କାହାଣୀ କହିବ ? ସର୍ବଦା କେତେ କଣ ଭାବେ, ମାତ୍ର କିଛି ସେ ଭାବନାର ଥଳକୂଳ ପାଏନାହିଁ ।
ଆଜକୁ ମୋଟ ପନ୍ଦର ଦିନ ହେଲା ପିଉସୀଙ୍କର ଆଗମନ । ସେ ହିନ୍ଦୁ ବିଧବା । ତାଙ୍କର ବାର ଦିନରେ ୧୩ ଉପାସ ଝିଅପାଇଁ । ଯଦି ସୁନ୍ଦରୀ ହିସାବରେ- ଧନବନ୍ତ ହିସାବରେ- ଗୁଣ ହିସାବରେ କିଏ ଥାଏ ରବିତଳରେ, ତେବେ ତାଙ୍କ ମତରେ ତାଙ୍କ ଝିଅ । ମାତ୍ର ପ୍ରକୃତରେ ତାଙ୍କର ଝିଅଟିର ରଙ୍ଗ ଖୁବ୍ ତୋଫା । ଏହି ରଙ୍ଗକୁ ଯେ ସୌନ୍ଦର୍ଯ୍ୟ କୁହାଯାଏ ଏହା ସୌନ୍ଦର୍ଯ୍ୟ ଗ୍ରାହକମାନଙ୍କର ଧାରଣା କରିବା କର୍ତ୍ତବ୍ୟ । ଦେହ ମୁଖର ଗଠନ ଦେଖିଲେ ପ୍ରାଣ ଶିହରି ଉଠେ, ମାଙ୍କଡୀ କରି ଜନ୍ମ ନ ଦେଇ ବିଧାତା ଏପରି ଜନ୍ମ ଦେବାରେ କି ସାର୍ଥକ ହୋଇଚି ଜଣା ଯାଏ ନାହିଁ; ତଥାପି ସେ ସୁନ୍ଦରୀ । ଯେତେ ହେଲ ତାର ନାକ ୫/୭ଠା ଫୋଡ଼ା ହୋଇ ଅଛି । ସେଥିରୁ ଠାଏ ଏପରି ଆକାର ଧାରଣ କରିଚି ଯେ, ସେଥିରେ ଗୋଟାଏ ପେନସିଲ ଗଳିଯିବ । ନାକର ଚମଡ଼ା ଆଉ ଅଳ୍ପ ବାକି ଥାଉ ଥାଉ ବୁଦ୍ଧି କରି ସୁନ୍ଦରୀ ଅଲଗା କଣାକୁ ତାଙ୍କ ପରମ ବଡ଼େଇର ଧନ ୨୦ଟଙ୍କାର ନଥଟାକୁ ବଦଳେଇ ଦେଇଚନ୍ତି । ଆଉ ଗହଣାମାନେ ବେଶ୍ ଲାଗି ଲାଗି ଯତ୍ନରେ ଅଛନ୍ତି । ଏହି ଗହଣାହିଁ ସ୍ୱାମୀ ପ୍ରୀତି ଏବଂ ସତୀତ୍ୱର ପରମ ନିଦର୍ଶନ ପରା । କାନରେ ଅସଂଖ୍ୟ କଣା- କେତେ ଯେ କଣ ଓହଳିଛି ତାର ସୀମା ନାହିଁ; ମଳି ଗୁଡ଼ିକ ସେ ବେଶ୍ ଯତ୍ନରେ ମୁଖପଦ୍ମରେ ସାଇତି ରଖିଚିନ୍ତି । ନାକରୁ ମଇଳା ବାହାର କରିବାର ବିଜ୍ଞାନ ନୀତି ଏ ଜୀବନ୍ତ ପ୍ରକ୍ରିୟା ମଧ୍ୟରେ କିପରି ଲୁକ୍କାୟିତ ତାହା ସେ ଜାଣନ୍ତି । ଏହିପରି ସମଗ୍ର ଦେହର ଗହଣା ବର୍ଣ୍ଣନା କଲେ ବେଳ ବୁଡ଼ି ଯିବ । ମୁଣ୍ଡରେ-ମୁଣ୍ଡ ବାଳରେ, ବେକରେ, ହାତରେ, ଗୋଡ଼ରେ, ଅଣ୍ଟାରେ ଇତ୍ୟାଦି ଇତ୍ୟାଦି । ଏଣେ ଲୁଗାଖଣ୍ଡି ବେଶ୍ ତାତ୍ପର୍ଯ୍ୟରେ ଶରୀର ଆବୃତ କରିଚି । ମୁଣ୍ଡ ଦିଶିବାକୁ ଚାରା ନାହିଁ, ମାତ୍ର ଆଉ କେତେ ଜାଗା ଦିଶାବା ଶାସ୍ତ୍ରବିରୁଦ୍ଧ ନୁହେଁ । ଗୋଡ଼ିଖାଇ ବେଶ୍ କରି ମୁଣ୍ଡଟିକୁ ବାଲିଭିତରେ ପୋତିଛି, ମାତ୍ର ତାର ଲାଞ୍ଜ ପାଖଟା ପରିଷ୍କାର ଭାବେ ଦର୍ଶକର ନେତ୍ରାତିଥି ।
ତେବେ ଯାହା କିଛି ହେଲେହେଁ ତାଙ୍କର ଝିଅ ସୁନ୍ଦରୀ । ସେ ଇସ୍କୁଲ-ଗାଁ ଚାଟଶାଳୀକୁ କେବ ଦିନେ ନା କଣ ଯାଇଥିଲା, ମାତ୍ର ପାଠଗୁଡ଼ାକ ବଡ଼ ଗରିଷ୍ଠ ଖାଦ୍ୟ । ମର୍କଟ ନୟନରେ ତାହାର ରୂପ ଦେଖି ତାକୁ ସୁନ୍ଦର ଶରୀରରେ ଜୀର୍ଣ୍ଣ ହେବ ନାହିଁ ଭାବି ଫେରିଅଇଲା । ଆଜି କାଲି କଥା ପଡ଼ିଲେ କହନ୍ତି- "ଯା ମ, ମୋର ଯୋଉ ବୁଦ୍ଧି- ମୁଁ ପାଠ ପଢ଼ିଥିଲେ ଏଇ ନବଖଣ୍ଡ ମେଦିନୀ ଏକ କରି ନ ଥାନ୍ତି ଯେବେ ।" ଆଉ ତାଙ୍କ ଗରବ ଗୌରବ କଥା ବେଶୀ ଲେଖି ଲାଭ ନାହିଁ । ମଧୁର ରସ ସହିତ ଅମ୍ଳରସ ଭଳି ଏହା ପ୍ରୀତିକର ହେବ ।
ପ୍ରଥମେ ପିଉସୀ ସରୋଜ ଘରକୁ ଆସି ପ୍ରାୟ ଦିନ ଯୋଡ଼ାକରେ ବେଶ ମାଲିକ ହୋଇ ପଡ଼ିଚନ୍ତି । ଏହାମଧ୍ୟରେ ତାଙ୍କର ସୁନ୍ଦରୀ କନ୍ୟାଙ୍କୁ ମଧ୍ୟ ଶାଶୁଘରଠୁ ଅଣାଇଚନ୍ତି । ସେ ଆଉ ଭୁଇଁରେ ଛିଡ଼ା ହେଉ ନାହାନ୍ତି । ମଣିକି ନେଇ ତାଙ୍କର ବେଳେ ବେଳେ ଥଟା ପରିହାସ ହୁଏ । କେବେ କେବେ ମିଛରେ ଦେଖାଇ ଶିଖାଇ ହୋଇ ମଧ୍ୟ କହନ୍ତି- "ଇଏ କି ବେଶ ଲୋ ମା, ମାଇକିନା ଝିଅ ଦିନରାତି ବହି କିତାବ ଧରି ବିସିଥିବ । ଛି ଛି !"
ପ୍ରଥମ ପାଞ୍ଚଟି ଦିନ ସରୋଜର ସମର୍ପଣ ଅନୁଯାୟୀ ପିଉସୀ ମଣିକୁ ବେଶ୍ ସ୍ନେହ କରିଥିଲେ । ସେଥିପାଇଁ ମଣି ଭାବିଥିଲା, ଏହି ବୃଦ୍ଧାଯୋଗେ
ତାର ଦିନ କଟିଯିବ । ମାତ୍ର ତାହା ହେଲା ନାହିଁ । ଦିନକର ସାଧାରଣ ଘଟଣାରେ ମଣି ଉପରେ ବଜ୍ର ପଡ଼ିଲା ।
ପିଉସୀ ଅଇଲା ଦିନୁଁ ସେ ନିଜର ରୋଷେଇ କରି ଖାଆନ୍ତି । ପୂଜାରୀ ରୋଷେଇ କରେ ଯେ, ମଣି ଆଉ ଚାକର ବାକର ଖାଆନ୍ତି । ମଣି ପିଉସୀଙ୍କର ପରିବା ବନେଇ ଦିଏ, କେତେ କାମ କରିଦିଏ । ଦିନେ ସେ ଖାଇ ବସିଛନ୍ତି, ଏଣୁ ମଣି ଗୋଟାଏ ଖବରକାଗଜ ନେଇ "ଏଇ ଦେଖିଲଣି ନାନି ?" କହି ତାଙ୍କ ଖାଇବା ଜାଗାରେ ଝଟ୍କିନା ପହଞ୍ଚିଗଲା । ସେ ଜାଣେ ନାହିଁ, ଏଥିପାଇଁ କିଛି ଗୋଳ ଲାଗିବ । ତାର ଆନନ୍ଦ ଏକା ଥରକେଚୂର୍ଣ୍ଣ ହୋଇଗଲା । ପିଉସୀ ପ୍ରାୟ ୩ ଭାଗ ଭାତ ଖାଇ ସାରିଥିଲେ; ମାତ୍ର ଛାଇ ପଡ଼ିଗଲା ବୋଲି ଝଟ୍କିନି ଉଠି ପଡ଼ିଲେ । ଆଉ କିଛି କହିଲେ ନାହିଁ । ମନେ ମନେ ଗୁଣୁ ଗୁଣୁ ହେଲେ, "କି ଦୁର୍ଯୋଗରେ ରାତି ପାହିଥିଲା- ଶୁଦ୍ରଛାଇ ଖାଇବା ବେଳୁଟାରେ ପଡ଼ିଲା- କଣ ହେବ... !"
ଆଉ ମଣି ଏକମିନିଟ ଛିଡ଼ା ହୋଇ ରହି ପାରିଲା ନାହିଁ; ତାର ମୁଣ୍ଡ ବୁଲାଇ ନେଲା- ସେ ଆସି ବଡ଼ କଷ୍ଟରେ ବିଛଣାରେ ଶୋଇ ପଡ଼ିଲା । ଆଉ ସେ ଦିନଠୁ ସେ ଖାଇବା ବେଳେ ତାଙ୍କ ପାଖ ମାଡ଼ିଲା ନାହିଁ । ମାତ୍ର ମନ ବଦଳାଇବା ପାଇଁ ବେଳେ ବେଳେ ଯଦିଚ ତାଙ୍କ ପାଖକୁ ଗଲା, ସେ କାହିଁକି ସୁଖରେ କଥା କହିଲେ ନାହିଁ ।
ଦିନେ ମଣି ଉପର ମହଲାରେ ଛିଡ଼ା ହୋଇଚି- ତାକୁ କେହି ଦେଖି ନାହିଁ- ବୁଢ଼ୀ ମେହେନ୍ତରିଆଣୀ ସଙ୍ଗେ ବସି ଗପ କରୁଚି- "ହଇଲୋ ଝିଅ, କହିଲୁ କହିଲୁ, ମୁଁ ବେଶୀ ଆପଣାର କି- ଏଇ ବଙ୍ଗାଳୁଣୀ ବେଶୀ ଆପଣାର ? ସରୋଜ କଣ ଏକୁ କହି ଯାଇଚି ମତେ ଏପରି ପଡ଼ି ଦେବା ପାଇଁ- ପୂଜାରୀ ଘରଭିତରୁ ଜିନିଷ ବାହାର କରି ନେବ, ମୋତେ ପ୍ରିତିଦିନ ଏପରି ଗଣ୍ଡେ ଗଣ୍ଡେ ପଡ଼ି ଦିଆ ହେବ ? କହିଲୁ ଝିଅ କହିଲୁ, କା ଦିହ ଏଥିରେ ସମାଳିବ । କାଲି ମୋ ଝିଅଟି ଆସିବ- ସେ କଣ ଏକଥା ସହିବଟି କି ? କିଲୋ, ତୋର କଣ ଅଛି- ତୁ ଆମ ଜାତିର ନାଁ ପତିର- ତୋତେ ସାଇତି ବଡ଼ କରିଦେଲେ, ଏଥିପାଇଁ କଣ ତୁ ଘରର ସର୍ବେସର୍ବା ? ସରୋଜ ଆସିଲେ ଏଥର ସବୁ ମୁଁ ଠିକଣା କରି ନେବି ଯେ । ଏଇପରି ଚାକରାଣୀ ରଖିବାକୁ ମୋତେ ଏଇଠିକି ଆଣିଚି, ଆଲୋ ଝିଅ ! ତୁମେ ଆଦୌ ବୁଝି ନାହିଁ । ଏ ଯୋଉ ମଣି, ୟା ଗୁଣ ତୁମେ ନ ଜାଣି ଭଲ ଭଲ ସିନା କହୁଚ- ସାରୁ ଭିତରେ ମାରୁ ନ ଥାଇ ଯିବ କୁଆଡ଼େ ?" ଏପରି କେତେ କେତେ କଥା-
ଏଥର ମଣିର ଆଖିରେ ଲୁହ ଆସିଲା- ସେ ବିପଦ ଗଣିଲା । ତାର ବିପଦ ଯୋଗ ଆସୁଚି । ସରୋଜ ତାକୁ ଛାଡ଼ି ଯାଇଚି, ଏହି ଦୁଃଖ କଷ୍ଟ ପାଇଁ । ବୁଢ଼ୀର ଗୁଣ ଅନୁଭବ କରିବାକୁ ଏତେ ବଡ଼ ଶିକ୍ଷିତା କୁମାରୀ କବିର ହୃଦୟ ବେଶ ଶକ୍ତ ଥିଲା । ସେ ବୁଝିଲା ଏ ଧନର କାଙ୍ଗାଳ । ଆଉ ଏକ ମିନିଟ ସମାଳିଲା ନାହିଁ । ଚାଉଳ ଇତ୍ୟାଦି ସାଧାରଣ ପଦାର୍ଥ ଘରର ଚାବିଟାମାନ ଶୀଘ୍ର ବାହାର କରି ତଳକୁ ଯାଇ ପିଉସୀ ହାତରେ ଦେଇ ଦେଲା । କହିଲା- "ନାନି ! ଏ ଚାବିଟାମାନ ତୁମେ ରଖୁନାହଁ- ସେ ପୂଜାରୀ ମୋତେ ସଦାବେଳ ଖାଇ ପକୋଉଚି । ତମେ ତାକୁ ଜିନିଷପାତି ଏଣିକି ଦେବ ।"
ବୁଦ୍ଧିମତୀର କହିବା ଚାତୁରୀରେ ବୁଢ଼ୀର ଖଳତୁଣ୍ଡର ଚିନ୍ତା ଦବିଗଲା । ସେ ଦାନ୍ତୁରୀ ହସରେ କହିଲେ "ହଉ ହଉ ଜେମା-" ଏହା କହି ଆନନ୍ଦରେ ତାକୁ ନେଇ କାନିରେ ବାନ୍ଧିଲେ ।
କିଛିଦିନ ପରେ ଯେତେବେଳେ ତାଙ୍କର ଝିଅ ଘର ଉଜ୍ୱଳ କରି ପ୍ରକାଶିତ ହେଲେ, ତେତେବେଳେ ଶାନ୍ତି- ଆନନ୍ଦ ମଣି କୋଠରୀରୁ
କୁଆଡ଼େ ଦୂର ହୋଇ ଗଲା । ଏ ରାଣୀଙ୍କର ବୟସ ୩୦ ପର୍ଯ୍ୟନ୍ତ । ଏ ନିଃସନ୍ତାନ ବତୀ; ତଥାପି ଆଶାନ୍ୱିତା । ତାଙ୍କର ହାତରେ କାଚ ଅଛି; ସେ ବିଧାବାମାନଙ୍କ ଅପେକ୍ଷା ପରମଭାଗ୍ୟବତୀ ବୋଲି ତାଙ୍କର ଗର୍ବ ।
ହଠାତ୍ ଘରେ ପହଞ୍ଚି ମଣିକୁ ଦେଖି କହିଲେ, "ବୋଉ- ! ଏଇ କି ଲୋ ସେଇ ଗରିବ ଘର ପିଲାଟା ? କେଡ଼େଟିଏ ତ ହୋଇ ଗଲାଣି । ପାଣ ପଠାଣ କୋଉ ଜାତିର କଣ ଜଣାଗଲା ବୋଉ?
ବୁଢ଼ୀଙ୍କୁ ପ୍ରଥମେ ଏହି କଥା ଶୁଣିବାକୁ ଟିକିଏ ଅଳ୍ପରେ କଷ୍ଟ ହେଲା; ମାତ୍ର ସେ ଭାବି ନେଲେ, "ହଁ, କ୍ଷତି କଣ- ମଣି କଣ ସେଇୟା ନୁହେଁ କି ? ମୋ ଝିଅତ ମୁହେଁ ମୁହେଁ କହିବା ବାଲା, ସେ କିଆଁ ସମାଳିବ ? ଅସଲ କଥା କହିବାରେ ଲାଜ କିଆଁ?"
ମଣି ଏତେ ଆଦରରେ ପିଉସୀ ଝିଅ ଭଉଣୀକୁ ଓଳଗି ହୋଇ ଆନନ୍ଦରେ ଆସି ଯେଉଁ ଉପହାର ପାଇଲା, ତାହା ତାହାର ପ୍ରଥମ ସ୍ୱର୍ଣ୍ଣ ପଦକ । ତେବେ ସେ କଥାରେ ସେ ବିଚଳିତ ହେଲା ନାହିଁ । ଆଉ କି ଉପହାର ଅଛି, ପାଇବ ବୋଲି ଚାହିଁ ରହିଲା ।
ବୋଉ ଝିଅଙ୍କ କଥା ଶୁଣି ଉତ୍ତର କଲେ- "ହଁ, ହଁ ବିଚରାଟି ମୋର ଭାଇ ଥିଲା ବୋଲି ଥଳ କୂଳରେ ରହିଲା । ନୋହିଲେ ତ ଶେଷ ହୋଇ ଯାଇଥାନ୍ତା । ସରୋଜ ପରା ଏଇ ପୋଡ଼ାକପାଳୀ ପାଇଁ ବୁଲି ବୁଲି ଥକିଲାଣି ଲୋ ମା'- ଏ ରୂପକୁ ବର କୁଠୁ ଆସିବ ?"
ଏ ସବୁ ସତ୍ୟବାଦିତା ମଧ୍ୟରେ କି ଆନନ୍ଦର ମାଧୁରୀ ଧାରା ଗୁପ୍ତେ ଗୁପ୍ତେ ରହିଥିଲା, ତାହା ଦୀର୍ଘନିଃଶ୍ୱାସ ଛାଡ଼ି ଅନୁଭବ କରୁଥିଲା ମଣି ! ତାର ଆଖି ଛଳ ଛଳ ହେବା ସାଙ୍ଗେ ସାଙ୍ଗେ ପିଉସୀଙ୍କ
ରୂପବତୀ କନ୍ୟା କହି ଉଠିଲେ- "କିଲୋ ଝିଅ ! କାନ୍ଦେ ନାଁ, କାନ୍ଦେ ନାଁ- ଯୋଉ ଘର ତୋତେ ଛତରଖିଆରୁ ଆଣି ଘରେ ଏତେ ବଡ଼ କରିଚନ୍ତି, ସେ କଣ ଆଉ ପାଞ୍ଚ ପଚିଶ ଟଙ୍କା ଖର୍ଚ୍ଚ କରିବେ ନାହିଁ ?..." ଏଥର ଦୃଷ୍ଟି ପଡ଼ିଗଲା ମଣିର ଗହଣା ଉପରେ । "ମଲା ମୋର ! ଏବେ ଏଇ ପିତଳ ସାଜ ଉପରେ ଭାରୀ ଦୃଷ୍ଟି ପଡ଼ିଚି । କାନରେ ହାତରେ ଏମିତି ପିତଳ ଜିନିଷ ଲଗେଇବାକୁ ଆମେ ଚାହୁଁ ନାହିଁ ଲୋ ମା' ! କରିବ ତ କରିବ ରୂପାରେ ଦିଖଣ୍ଡ କରିବ, ସୁନାରେ, ଦିଖଣ୍ଡ କରିବ । ଆହା ! ଗରିବ ସୁନାରୂପା କୋଉଠୁ ପାଇବେଟି ? ଏଥର ଠାକୁରାଣୀଙ୍କର ଦୟା ହେଲା- ।
ମଣି ସବୁ ଶୁଣିଲା, ମାତ୍ର କିଛି କହିଲା ନାହିଁ । ମାଆ ଝିଅ କେତେ ଯେ କଣ କଥାବାର୍ତ୍ତା ହେଲେ ତାହା ଲେଖି ହେବ ନାହିଁ ।
ହାୟ ! ଯେଉଁ ମାନେ-
"ଚାନରାଣାଂ ବିବାହେତୁ ଗର୍ଦ୍ଦଭାଃ ସ୍ତୁତିପାଠ କାଃ ।
ଅନ୍ୟୋନ୍ୟେତେ ପ୍ରଶଂସନ୍ତେ ଅହୋ ରୂପ ମହୋଧ୍ୱନି ।"
ସେମାନଙ୍କ ଦୃଷ୍ଟିରେ ପରମ ରମଣୀୟ କାନ୍ତି- ସୁନ୍ଦରୀ ରାଣୀ ମଣିର ମଣିମୟ ଦେହ ଯେ ଅସୁନ୍ଦର ନ ହେବ- ତାର ୩୦୦୦ ଟଙ୍କାର ଗହଣା ଯେ ପିତଳ ନ ହେବ- ତହିଁରେ ସନ୍ଦେହ କଣ ? କୌତୂହଳୀ ମଣି ସବୁ ଶୁଣି ଅଳ୍ପ ହସି ଅଳ୍ପ କାନ୍ଦି ଘରକୁ ଗଲା । ଭାଇଙ୍କର ଚିଠି ଆସିଥିଲା, ସେ ଉତ୍ତର ଦେଇ ବସିଲା । ସେଥିରେ ପିଉସୀଙ୍କ ଝିଅ 'କନ୍ଧ'ର ଆଗମନ ଲେଖି ଦେଲା ।
ଆଜିକାଲି ମଣିର ଦିନ ଗୁଡ଼ିକ ଶୀଘ୍ର କଟିଲା ନାହିଁ । ଏ ପୋଡ଼ା ପାଷଣ୍ଡୀ ମା ଝିଅ ବୁଝିଲେ ନାହିଁ ଯେ, ଏ ବାଳିକା ପରମ ଶିକ୍ଷିତାକବି । ଏହାର ବିବାହ ପାଇଁ ଶତଶତ ବଡ଼ ବଡ଼ ଘରର ପୁଅ ଇଚ୍ଛୁକ; ମାତ୍ର ସରୋଜ ସର୍ବଗୁଣ ସଂପନ୍ନ ଭାବରେ ବର ଖୋଜୁଛି । ଏ ଗୃହକୋଣ ଚାନ୍ଦିନୀ ମାର୍କଟା ତାକୁ ଅସୁନ୍ଦର କୁତ୍ସିତ ବର୍ଣ୍ଣନା କରି ଦୂର ଦୂର କରୁଚନ୍ତି- ଯେପରି ସେ ଆଦୌ ଏମାନଙ୍କ ସଂସ୍କୃତ କଳ୍ପନା ବୁଝି ପାରୁ ନାହିଁ । ହାୟ ! ହାୟ ! ହାୟ !
ଆଗରୁ ତ ଚାବିକାଠିଟି ବୁଢ଼ୀ ପାଇ ଯାଇଥିଲେ । ତେଣୁ ଆଜି କାଲି ଘରଧନ ବିକିରି କିଣିରି ଲୁଚାଇ ଲୁଚାଇ କରିବାକୁ ତାଙ୍କୁ ବେଶ ସୁବିଧା ମିଳୁଥିଲା । ଚାକର ବାକରଙ୍କ ଠାରୁ ଶୁଣିଲେହେଁ ଏବଂ ସ୍ୱୟଂ ଦେଖିଲେହେଁ ମଣି କିଛି ମାତ୍ର କହେ ନାହିଁ- ତୁନି ହୋଇ ରହେ ।
ଦିନେ ମଣି ପଚାରି ଦେଇଥିଲା "ପିଉସି ! ସେ ମହଣକ ଡାଲି କଣ ସରିଗଲାଣି ?" ଆଉ କହିବାକୁ ଅବସର ନ ଦେଇ ବୁଢ଼ୀ ଯାହା ବକିଥିଲା, ଛାଡ଼ । ଶୁଣିଲେ ହୃଦୟ କଣ ହେଇଯିବ ।
"କିଲୋ ତୋର ଏଡ଼େ ମଗଦୂର- ଏ ଘରେ ତୁ କଣ ରଜା- କିଏ ଖାଇଗଲା କି? ଆଲୋ ମୁଁ ଚୋରଣୀ ନୁହେ ଲୋ- ମୁଁ ଘର କିରିଚି ମ ମା'- ମୋ ଘରେ ତ ଅଚଳାଚଳ ସମ୍ପତ୍ତି ଥିଲା- କେତେ କାହାକୁ ବାଣ୍ଟି ଦେଇଚିଲୋ ଝିଅ । ଆଜି ମୋର ସବୁ ମରି ହଜିଗଲେ ବୋଲି ନାହିଁ । ଏ ସମ୍ପତ୍ତି ମୋର ମୂଢ଼ି ଖିଆକୁ ନିଅଣ୍ଟ-
ସେଠୁ ଝିଅ ବାହାରି ପଡ଼ିଲେ- ମୋର ମାମୁଁର ତ ଘର- ଏ ଛତରଖାଇର ଗଲା କଣ ? କିଲୋ, ଏହାରି ତଳେ ଚାକିରି କରି ଆସିଚୁ କିଲୋ, ଶେଷ କାଳକୁ, ମଲା ଯେ-
ପରଧନରେ ଲହର ପହର
ଛଡ଼େଇ ନେଲେ ବିକଳେ ମର ଏ ମା- ତୁ ସିମିତି କଥା କହିବୁ ନାହିଁ- ତୁ ପରା ଛୋଟଘର ଝିଅ, ତୁ ବଡ଼ କଥା କାହୁଁ ଜାଣିବୁ । ପାଠରେ ନାଇଁ ଲୋ ମା ସେ କଥା ।
ମା ଝିଅ ଠିକ ମୋଫସଲି କଜିଆଖୋରଣି ପରି ତାକୁ ଆଉ କଥା କହିବାକୁ ଦେଲେ ନାହିଁ । ତାଙ୍କର ମନ, ଯଦି କିଛି ଉତ୍ତର କରନ୍ତା ତେବେ ଝାଡ଼ୁ ବାଡ଼ି ବେଇ ବାହାର କରିଦିଅନ୍ତୁ ।-
ହାୟ, ହାୟ ! ବୃଦ୍ଧା ସେ କିଏ- ତାକୁ ତୁମେ ଚିହ୍ନିନାହଁ ? କାହା ପ୍ରତି ଆଜି ଏ ଅତ୍ୟାଚାର କରୁଚ, ସରିଯାଇଚି ବୋଇଲେ ଆଉ ସେ ଅଣାଇ ଦେବ ଏଥିପାଇଁ ପଚାରିଥିଲା- ତୁମର ଏହି ଚାଉଳ ଡାଲି ବିକ୍ରୟକୁ ସେ ଖାତିର କରେ ନାହିଁ । ଯେ ଇଚ୍ଛାକଲେ ଜଣକୁ କହି ତୁମ୍ଭଙ୍କୁ ଧନରତ୍ନରେ ପୋତି ଦେଇପାରେ ତା'ଉପରେ ଏ ଭଳି କର୍କଶ ବାଣୀ । ଏ ଯେ ମୋଫସଲ ନୁହେଁ- ସେ ଯେ କଜିଆଖୋରଣୀ ନୁହେଁ- ସେ ଭଦ୍ରମହିଳା ।
କିପରି ଦିନଯାଏ- ରାତି ଆସେ, ରାତି ଯାଏ- ଦିନ ଆସେ, ଏହା ମଣିର ହୃଦୟ ବୁଝିପାରିଲା ନାହିଁ । ସର୍ବଦା ପ୍ରଭୁଙ୍କୁ ଡାକିଲା- ସେ କିପରି ଏ ଦୁଃଖରୁ ତ୍ରାଣ ପାଇବ । ସରୋଜ ପାଖରୁ ବାରମ୍ବାର ପତ୍ର ପାଏ, ମଧ୍ୟ ଦିଏ । ମାତ୍ର କେବେ ଏ କଥା ଲେଖେ ନାହିଁ । କିପରି ଲେଖିବ, କଣ ଲେଖିବ, ଠିକ୍ କରିପାରେ ନାହିଁ- ଲେଖିଲେ ସରୋଜ କଣ ଭାବିବ ? ସେ ଯଦି ତା' କଥାରେ ବିଶ୍ୱାସ ସ୍ଥାପନ ନ କରେ- ତେବେ ? ପୁଣି ଏହି ଛାର କଥାଗୁଡ଼ାକ କଣ ଲେଖିବ ?
ଆସ୍ତେ ଆସ୍ତେ ଅଙ୍ଗୁଳି ପ୍ରବେଶାତ୍ ବାହୁ ପ୍ରବେଶ ପରି ମା ଝିଅ ମଣିକୁ ଦାସୀପରି ଚକ୍ଷୁରେ ଦେଖିଲେ । ତାର ସ୍ୱଭାବ- ସେ କୌଣସି କଥାର ଉତ୍ତର ଦେଇ ପାରେ ନାହିଁ କିମ୍ବା ଏହି ବିଶାଳ ସଂପତ୍ତିର ରକ୍ଷଣାବେକ୍ଷଣ ତାର ହାତମୁଠାରେ ଥିଲେହେଁ ସେ ନିଜକୁ ପରିଚାଳିକା ଭାବିପାରେ ନାହିଁ । ତାର ଇଜ୍ଜା ଆସେ । କେବେ ଆମଘର ବୋଲି ସେ ଏହି ବଦ୍ମୁଖାମାନଙ୍କ ନିକଟରେ କହେ ନାହିଁ । ତଥାପି ତା ଉପରେ ପ୍ରହାର । ଏପରି କେତେ ଦିନଯାଏ ବାଳିକା ଉପବାସରେ ଦିନରାତି କଟାଇ ଦିଏ- ଏପରି କେତେଦିନ ଆସେ, ସେ ଚିନ୍ତାରେ ଜଡ଼ ହୋଇ ଶୋଇ ଶୋଇ କାନ୍ଦି କାନ୍ଦି ଦିନଟାକୁ କଟାଇଦିଏ । ରାତି ହେଲେ ଚାକର ଟୋକାଟିକୁ ଧରି ଶୋଇପଡ଼େ । ହାୟ ! ତାର ଏହି ଦୁଃଖମୟ ଜୀବନର କାହାଣୀ ଲେଖିବାକୁ ସହଜେତ ସେ ସଙ୍ଗୀହୀନ; ପୁଣି ଯେ ତାର ଭାଷା ଥିଲା ବ୍ୟକ୍ତ କରିବାକୁ, ତାହା ମଧ୍ୟ ପାଏ ନାହିଁ । କେବେ କେବେ ସରୋଜକୁ ଭାବିଭାବି, ଭବିଷ୍ୟତ ସୁଖ କଳ୍ପନାରେ ଦିନଟି କଟାଏ ।
ଅତିଶୟ ଯାତନା ମଧ୍ୟରେ ମଣି ତାର ପ୍ରେମମୟ ଚିନ୍ତାରେ ଦେଢ଼ମାସ କାଳ କାଟି ଦେଲା । ବୁଢ଼ୀ ସାଙ୍ଗ ସାଥୀ ହୋଇ ଘରର ପୁରୁଣା ଚାକରାଣୀ ଠାରୁ କେତେଗୁଡ଼ିଏ କଥା ସଂଗ୍ରହ କରିଥିଲେ ଯେ, ବାବୁ ଏଇ ମଣିଯୋଗେ ବିଭା ହେଉ ନାହାନ୍ତି ! ତାକୁ ବିଭା କଲେ ସେ ବିବାହ କରିବେ । ଆଉ ମଣିର ଇଚ୍ଛା ତାଙ୍କୁ ବିଭାହେବା ପାଇଁ ।
ବୁଢ଼ୀ ସେତିକି ଶୁଣି ଖଡ଼ ଖଡ଼ ହେଉଥିଲା । ଦେଖିଲା, ମଣି ତଳକୁ ଆସୁଚି; ତାକୁ ପାଖକୁ ଡାକି ପଚାରିଲା- "କିଲୋ ଝିଅ, କି ହୀନ କପାଳରେ ଜନ୍ମ ହୋଇଥିଲୁ- ଗୋଟିଏ ବଉଁଶ ଖାଇ ତ ଛତର ଯାଏ ଗଲୁ । ଆଉ କଣ ମୋ' ବାପଘରକୁ ସେମିତି କରିବୁ ଭାବିଚୁ କି ? କିଲୋ, ତୋର ଏତେ ମଗଦୁର ଯେ, ତୋର ସରୋଜଠେଇ ମନ ? ଯା, ଯା ଛି- ଛି- ଏକଥା ମନରେ ଧରନ୍ତି ଟିକି ? ସବୁକଥା ମୁଁ ବୁଝି ନାହିଁ । ତୁ ଏବେ ତୋ ବାଟ ଧ- ବୃଥାରେ ଏଠି ରହି ତୋର ଲାଭ କଣ ?" ମଣି ଆଉ ସମାଳି ପାରିଲା ନାହିଁ, କାତର ସ୍ୱରରେ "ପିଉସି ! ଏହି ସବୁ କଥା ଛଡ଼ା ତୁମ୍ଭର ଅନ୍ୟ କିଛି କଥା କହିବାକୁ ମୋତେ ନାହିଁ । ସର୍ବଦା ଏପରି କଟୁ କଥା ମୋତେ କହି କି ସୁଖ ପାଉଚ ଭଲା ?"
ଏତିକି କହି କାନ୍ଦି ପକାଇଲା । ଆଜି ସେ ଏତେ ନିର୍ଯ୍ୟାତନା ମଧ୍ୟରେ ଏହି ପଦକ କହିଲା, ମାତ୍ର ମା ଝିଅ ଗର୍ଜି ଉଠିଲେ-
"ଆଲୋ ମାଆ ଲୋ, ଜବରଦସ୍ତି ଏ ଛତର ଖାଇର ! ଏଡ଼େ ଟାଣୁଆ ! ଆରେ- ଭଲ କହିଲେ ଭେଲ ଲାଗୁଚି । ଏ କାଳ ତ ହେଇଚି ତା । ହଉ ହଉ ଝିଅ- ମୋ' କଥା ମତେ ଫେରେଇ ଦେ- ଆଉ କହିବି ବୋଇଲେ-"
ଝିଅ ମୂର୍ତ୍ତି ଚମକି ପଡ଼ି କଥାରେ ବାଧା ଦେଇ କହିଲେ- "କିଆଁ ଲୋ ! ତାକୁ ଡରି କଥା କହିବେ ନାହିଁ- କଣ ସୁନ୍ଦର ରୂପ ଦେଖି, ନା ବଙ୍ଗାଳୁଣୀ ଛଇ ଦେଖି ? ସକ କାଢ଼ିଚି- ହକକଥା କହିଲେ କାନ୍ଦ !"
ମଣି କିଛିମାତ୍ର ଆଉ କହିଲା ନାହିଁ- ସେ ଏହି ଦେଢ଼ ମାସମଧ୍ୟରେ ଏପରି କେତେ ଶୁଣୁଛି, କେତେ କାନ୍ଦିଛି । ତାହାର ଏହା ତ ପୁରସ୍କାର ! ସେ କାନ୍ଦିବ, କାନ୍ଦ ତ ତାର କେହି ମନା କରିବେ ନାହିଁ । ତେବେ ମଧ୍ୟ ଏ ରାକ୍ଷସପୁରୀରେ ସେ ମନା ପରା ! ଏ ବୁଢ଼ୀ ଏପରି ଗୋଟାଏ ସ୍ତ୍ରୀ ଯେ ସର୍ବଦା ଚବିଶ ଘଣ୍ଟା ପାଟି ନ କଲେ ତାଙ୍କର ମୁକ୍ତି ନାହିଁ- ଧନ୍ୟ ତାଙ୍କର ପାଟି ! କେହି ପାଖରେ ନ ଥିଲେ ସୁଦ୍ଧା ମନକୁ ମନ ସେ କଥା ହେବେ । ଯଦି ଘରେ କୌଣସି ଠାରେ ଟିକିଏ କଣ ତାଙ୍କ ମତର ଓଲଟା ଦେଖିବେ, ତେବେ ଦିନ ରାତି ବକ ବକ ହେଉଥିବେ ଏବଂ ବକ ବକ ଦେଖି ଚାକର ପୂଜାରୀ ପଳାଇବାକୁ ଇଚ୍ଛା କଲେଣି; ମାତ୍ର
ମଣିର କୋମଳ ଇଙ୍ଗିତକୁ ଛାଡ଼ି ଚାଲି ଯାଇ ପାରୁ ନାହାନ୍ତି । ଦିନ ରାତି ବକ ବକ ହେଲେ ମଣିଷ କେତେ ସହିବ- କେତେ ଶୁଣିବ ? କହିବାକୁ କାର ସାଧ୍ୟ ? କହିଲେ କାର ଚୁଟି ପିଠି ତ ରହିବ ନାହିଁ ।
ଯଦି କେହି ଖାଇ ଜାଣେ- ତେବେ ତାଙ୍କ ମା ଝିଅ; ଯଦି କେହି ଦାନ ଧ୍ୟାନ କରେ- ତେବେ ତାଙ୍କର ଘର; ଯଦି କେହି ସୁନ୍ଦର ତେବେ ସେ ନିଜେ । ସମସ୍ତଙ୍କର ବାହୁନା । ନିଜେ ମାଙ୍କଡ଼ ପରି ସୁନ୍ଦର-ମାତ୍ର-ଅପରର ନାକ କାର ବଂଶୀ ପରି- ଆଖି କାର ନୀଳକଇଁ ପରି, ମୁହଁ କାର ଗୋଲାପ କଢ଼ି ପରି- ପଦ୍ମଫୁଲ ପରି- ବାଳ କାର ଭ୍ରମର ପରି; ଏଗୁଡ଼ାକୁ ସୁନ୍ଦରୀଶିଖରା ବାହାଡ଼ାଦାନ୍ତି ଚେପଟାନାକୀ ବଳଦଆଖି ଲୋଦରପେଟି ଘୋଡ଼ାଗୋଡ଼ି ଆଦୌ ପସନ୍ଦ କରନ୍ତି ନାହିଁ । ତାଙ୍କ ପରି ଯାହାର ଅଙ୍ଗ ପ୍ରତ୍ୟଙ୍ଗ, ସେ ମହାମହିମାମୟୀ- ସୁନ୍ଦର ସଂସାର ରାଜରାଜେଶ୍ୱରୀ । ଧନ୍ୟରେ ସଂସାର ! ଏଗୁଡ଼ିକୁ କେବେ ତୋ କୋଳରୁ ବିଦାୟ ଦେବୁ ?
ମଣି ସକାଳେ ଟେଲିଗ୍ରାମ ପାଇଚି ଯେ, "ସରୋଜ ଏକା ଆଜି ଆସି ସନ୍ଧ୍ୟାବେଳେ ପହଞ୍ଚିବ ।" ସରୋଜ ଫେରି ଆସିବାର ପ୍ରଧାନ କାରଣ ମଣିର ଲେଖାରେ ମାଧୁରୀଶୂନ୍ୟତା ଦେଖି । ମଣିର ଚିଠି ଏବେ କିପରି ବିପଦ ଗ୍ରସ୍ତର ଲେଖା ପରି ଜଣା ଯାଏ । ତାହା ପଢ଼ି ସରୋଜର ସନ୍ଦେହ ହେଲା । ସେ ଜାଣେ ଯେ, ତାର ପିଉସୀ ମୋଫସଲର ଲୋକ । କାଳେ ମଣିକୁ କିଛି ହୀନସ୍ତା କରି ଥିବ ? ସନ୍ଦେହ ଦୋଳାରେ ଦୋଳାୟମାନ ହୋଇ ସରୋଜ ଘରକୁ ଫେରିଲା । ତାର ମଧ୍ୟ ଫେରିବାର ସମୟ ହୋଇଥିଲା । କାରଣ ୧୦ ଦିନ ହେଲା ବିନୋଦ ତାକୁ ଛାଡ଼ି ଚାଲି ଯାଇଥିଲା । ସହରରେ ଆଉ ବେଶୀ ଦିନ ରହିବାର ପ୍ରୟୋଜନ ନାହିଁ- ଢେର୍ ସେ
ଦେଖିଲା । ମଣି ପାଇଁ ବର ସଂବନ୍ଧ କରି ଆନନ୍ଦରେ ଫେରିଲା । ମଣିପାଇଁ କେତେକ ସୁନ୍ଦର ସୁନ୍ଦର ଜିନିଷ କିଣିଲା, ଆଉ ଶୁଣିଥିଲା ତାର ପିଉସୀ ଝିଅ ଭଉଣୀ ଆସଚି- ସେଥିପାଇଁ ଏଣୁ ତେଣୁ କିଛି କିଣି ଘରକୁ ଅଇଲା ।
ମଟରକାରଟା ତା ସହିତ ରହିଥିଲା । ସକାଳେ ଟେଲିଗ୍ରାମ ପାଇ ମଣିର ଆନନ୍ଦ ଆସି ଥିଲା । ସେ ଛନ ଛନ ହେଉଥିଲା ଭାଇକୁ କେତେ ବେଳେ ଦେଖିବ- ମାତ୍ର ପିଉସୀଙ୍କ ସ୍ନେହସ୍ପର୍ଶରେ ତାର ହୃଦୟ ଭାଙ୍ଗି ପଡ଼ିଲା । ତାକୁ ଯେ "ଅସତୀ- **** ପ୍ରଭୃତି ଗାଳି ଦେଲେ ତାର ମନରେ ତାହାହିଁ ବେଶୀ ଭେଦିଲା । ତେବେ ସେ କଣ ଏହିପରି ? ଜୀବନଟାକୁ ଏହି ପାପ ମଧ୍ୟରେ ଜୀବନ୍ତ ରଖିବାର ପ୍ରୟୋଜନ କଣ ? ଭାବିଲା ନଷ୍ଟ କରିଦେବ, ମାତ୍ର ପୁଣି ଭାବିଲା ନା- ଏହା ଯେ ଜଣକ ପାଇଁ ଉତ୍ସର୍ଗୀକୃତ । ତାହାର ହୃଦୟରେ ଆକାଶ ପାତାଳ ଚିନ୍ତା ଅଇଲା । ଅଭିମାନରେ, କୋହରେ ତାର ଛାତି ଫାଟିଗଲା ପରି ଲାଗିଲା । ତାର ମନ ହେଲା, ଏହିକ୍ଷଣି ସେ ମରିଗଲେ କ୍ଷତି କଣ ହୁଅନ୍ତା ? ସରୋଜ ତ ତାର ପିଉସୀକୁ ଧରି ଗୋଟିଏ ବିବାହ ହୋଇ ମହାସୁଖରେ ରହନ୍ତା, ଆଉ କଣ ? ମାତ୍ର ପୁଣି କିଏ ଯେପରି ତାକୁ ନାହିଁ କଲା, "ନା- ସେ ଆତ୍ମହତ୍ୟା ନିତାନ୍ତ ଗୁଢ଼ପାପ । ଅନ୍ଧକାର ପରେ ଆଲୋକ ଅଛି; ସହିଯାଅ କୁମାରି, ସହିଯାଅ । ତୁମର ଜ୍ଞାନ ଅଛି, ତୁମଙ୍କୁ ଏହି ପାଷଣ୍ଡ ହୀନ ଅବିବେକିନୀ କେହି 'ଅସତୀ' କହିଲା ବୋଲି ତୁମେ ବିଚଳିତ ହୁଅନା । ମା ଜାଣିଥାଅ- ତୁମର ଆତ୍ମପ୍ରତ୍ୟୟ ଯେବେ ତୁମଙ୍କୁ ପାପୀ ବୋଲି ବିଶ୍ୱାସ ଦେଉ ନାହିଁ, ତେବେ ତୁମେ ଅପର କାହାର କେଉଁ ହୀନ ଅମନୁଷ୍ୟର କଥାରେ ନିଜକୁ ପାପୀ ବୋଲି ବିଶ୍ୱାସ କର ନାହିଁ ।"
ମନରେ କେତେ ଭାବ ଆସିଲା । ମାତ୍ର ଆଖିର ଲୁହଧାର କୋମଳ ବଦନର ଆକର୍ଣ୍ଣବିଶ୍ରାନ୍ତ ଚକ୍ଷୁରୁ ବନ୍ଦ ହେଲା ନାହିଁ । ଖାଇବାକୁ ଚାକର
ଟୋକା କେତେ ଡାକିଲା, ମାତ୍ର ସେ ଉଠିଲା ନାହିଁ । ନିସ୍ତବ୍ଧ ଭାବେ ଭୟଙ୍କର ଅଭିମାନ ସମୁଦ୍ରରେ ବୁଡ଼ି ରହି ପଡ଼ି ରହିଲା । କଳ୍ପନା କଲା- ସେହି ଦାରିଦ୍ର୍ୟ ପୀଡ଼ାରେ ତାର ବହୁଦିନ ପୂର୍ବେ ମୃତ୍ୟୁ ହୋଇଥିଲେ କ୍ଷତି କଣ ହୋଇଥାନ୍ତା ? ଏହି ତିରସ୍କାର, ମର୍ମନ୍ତୁଦ ଅପମାନ ଅପେକ୍ଷା ତ ବରଂ ଭଲ ହୋଇଥାନ୍ତା । ତେବେ ବିଧାତା ତାକୁ ନ ମାରି ଏପରି ଦାବ ଦହନ କରିବାକୁ ରଖିଲା କାହିଁକି ? କାନ୍ଦୁ କାନ୍ଦୁ ଭାବୁ ଭାବୁ ଶୋଇ ପଡ଼ିଲା ।
ସରୋଜ ଘରେ ଚୁପ୍ କରି ପହଞ୍ଚି ପିଣ୍ଡାରେ ପାଦ ଦେବା ମାତ୍ରେ ଶୁଣିଲା- କଳି ଗୋଳର ବିକଟ ଶବ୍ଦ । ତାର ମନରେ ଆସିଲା, ବାସ୍ତବରେ କଳ୍ପନାଟା ଠିକ୍ । ଆହା ! କୁସୁମକୋମଳା ମଣିଟିକୁ ମୋର ତ ଏହିପରି କଣ କହି ଝାଉଁଳାଇ ଦେବେଣି !
ଆଉ ଟିକିଏ ପାଖକୁ ଗଲା- ଶୁଣିଲା ମା' ଝିଅ ପାଟିମାନ ଓସାରି ଏପରି କଥା ସବୁ କହୁଚନ୍ତି, ଯହିଁରେ ପକାଘର ଖଣ୍ଡ ଦୁଲୁ ଦୁଲୁ କରୁଚି ।
ବୁଢ଼ୀ ଏଠି ପାଣି ଟିକିଏ ଢାଳିଦେଇ- ସେଠି ଖଡ଼ିକା ଖାଡ଼ୁଟା ଟିକିଏ ମାରିଦେଇ କହି ଚାଲି ଯାଉଚି- "ଏ ନିଆଁଲଗା ପୋଡ଼ପାଡ଼ ଘରେ ପାଣି ଟିକିଏ କଣ ଅଛି ? ସମସ୍ତେ ତ ନବାବ । ଆଲୋ ଖଟେଇ ଖଟେଇ ମାରି ଦେବେ ଲୋ ? ମଣିଷ ଯୋଉଥିରେ ହାତ ନଦେଲା ତା ନ ହେଲା । ମୋ' ମାଲୋ- ଜେମାମଣି । ଏ ତ ସତେ ଜେମାମଣିଟିଏ ! ଇଏ ଗେଲବସର ହୋଇ ରୁଷିଲେ । ତାଙ୍କ ସାଙ୍ଗରେ ଚାକର ପୂଜାରୀ ସାଙ୍ଗ ହୋଇ ରୁଷିଲେ । ରୁଷରେ ବାପା ରୁଷ । ଆମେ ତମ ଭଲପାଇଁ କଥା କହିଲୁଁ । ଯେ ଯେତିକିର ଲୋକ ସେତିକିରେ ଚଳ । କାଲି ତ ଛତର ଖାଇ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଥିଲ, ଆଜି ରାଜଭୋଗ
କଲ ବୋଲି କଣ ବଡ଼ଲୋକ ହୋଇଗଲ । ବଡ଼ ଘରେ ଅଛ ନିଜ ପଦଟିକୁ ଜଗି ଚଳିବ କି ?
ସରୋଜ ଆଉ ଶୁଣିପାରିଲା ନାହିଁ । ପାଟିର ଧାରା ଲମ୍ବି ଲମ୍ବି ଯାଉଥିଲା । ସେ ସମସ୍ତ ବାକ୍ୟବାଣ ତାର ସ୍ନେହମୟୀ ଉପରେ ପଡ଼ିବାର ସେ ଶୁଣିଲା । ତାର ମନ ବଡ଼ ଦୁଃଖ ହେଲା, ସେ ବଡ଼ ଭୁଲ୍ କରିଚି । ସେ ଜାଣିଶୁଣି ନାଗସାପ ଗାତରେ ହାତ ଭରତି କରିଚି- ସେ କାମୁଡ଼ିବ ନାହିଁ ତ କିଏ କାମୁଡ଼ିବ ?
ତା ପରେ ପିଉସୀଙ୍କ ଝିଅ ଭଉଣୀ ମହାଶୟା ଯାହା କହିଲେ, ତାହା ଶୁଣି ତାର ହୃଦୟ ବିଦାରି ହୋଇଗଲା । ଭାବିଲା, ଏମାନଙ୍କୁ ଏହି ମୁହୂର୍ତ୍ତରେ କାଳବିଳମ୍ବ ନ କରି ବିଦାୟ କରିଦେବି; ମାତ୍ର ପୁଣି ଧୈର୍ଯ୍ୟଧରି ସହିଲା । ଭାବିଲା- "ମଣି କିପରି ସହିଚି- ମତେ ତ ଆଦୌ ଲେଖିଲା ନାହିଁ । ଆହା, କି ସହଣି ପିଲା ? ଧନ୍ୟ କୁମାରୀ !" ତାର ଆଖି ସଜଳ ହେଲା । ଏଥର ସେ ଧୀରେ ଧୀରେ ଉପରକୁ ଉଠିଲା । ଦେଖିଲା, ଚାକର ଟୋକା ଦିବ ସିଡ଼ିପାଖରେ ଖାଙ୍କା ପେଟରେ ଶୋଇଚି; ତା ମୁହଁ ଦେଖିଲା, ସେ ଶୁଖିଲା । ଭାବିଲା, ଏପିଲା ଆଦୌ କିଛି ଖାଇନାହିଁ । ତାକୁ କୋମଳହସ୍ତ ସ୍ପର୍ଶ କରି ଉଠାଇ କହିଲା, "ଦିବ, ଅଇଲୁ-" କୋଳକୁ ଟାଣି ନେଲା । ଧୀରେ ଧୀରେ ମୂଳରୁ ଶେଷଯାଏ ତାକୁ ସବୁକଥା ପଚାରିଲା । ଦିବଟି ବଡ଼ ସୁନ୍ଦର ପିଲା । ସେଉଟି ସରୋଜ ଆଉ ମଣିର ଆଦରର ଧନ । ଠିକ୍ ପୋଷିଲା ହରିଣଛୁଆ ପରି । ଦିବ କାନ୍ଦି କାନ୍ଦି ସବୁ କଥା କହିଗଲା । ମଣିର ଅପମାନ କଥା ଶୁଣି ସରୋଜ ସମାଳି ପାରିଲା ନାହିଁ, କାନ୍ଦି ଉଠିଲା; ମାତ୍ର ସମାଳି ନେଲା । ଧୀରେ ଧୀରେ ଶୋଇବା ଘରେ ପଶିଲା ।
ଦେଖିଲା- ମଣି ବାହାର ପାଖକୁ ମୁହଁ କରି ଶୋଇଚି- ତାର ଆଖିରୁ ଲୁହ ବୋହି ବୋହି ଆଖି ଫୁଲି କଳା ପଡ଼ିଯାଇଚି- କୁନ୍ତଳ
ଆଲୁଲାୟିତ । ଲୁଗା ପଟା ଅସଂଯତ- ମୁହଁ ଶୁଖି ଯାଇଚି- ଦେହରେ ଯେପରି ପ୍ରାଣ ନାହିଁ ।
ତାର ମନେ ହେଲା, "ଏହି ବିକଚ ଶତଦଳଟିକୁ ମୁଁ କାହା ପାଖରେ ଦେଇଗଲି- ଯେ କୃମିର କୀଟ, ସେ ତାର କି ତତ୍ତ୍ୱ ନେବ ? ଆହା, ମୋର ଜୀବନର ଶ୍ରେଷ୍ଠ ଧନଟି କଣ ଏହି ଅବସ୍ଥା ? ତେବେ ବିନୋଦ କଥା ଠିକ୍- ?"
ବ୍ୟଥିତ ସରୋଜ କାନ୍ଦି କାନ୍ଦି ଯାଇ ମଣିକୁ କୋଳକୁ ଟାଣି ଆଣିଲା । ମଣିର ଆଖି ଫିଟିଗଲା । ସେ ଯାହା ଦେଖିଲା, ତାର ହୃଦୟ ପୁଷ୍ପ ଫୁଟିଉଠିଲା । ପ୍ରାଣରେ ପୁଲକ ଆସିଲା । ମନ ଦୁଃଖ କ୍ଳେଶ ଅଭିମାନ ଭୁଲିଯାଇ ଆନନ୍ଦରେ ନାଚିଲା; ମାତ୍ର ଅଭିମାନିନୀ ସରୋଜକୁ ଦୁଇ ବାହୁରେ ହୃଦୟ ପାଖକୁ ଟାଣି ଆଣିବାକୁ ଇଚ୍ଛାକଲା, ମାତ୍ର ପାରିଲା ନାହିଁ- ତାର ଆଖିରୁ ଠସ୍ ଠସ୍ ଲୁହଧାର ବହିଗଲା ।
ବହୁ ବେଳ ଧରି ଦୁହେଁ ଦୁହିଁଙ୍କୁ ଧରି କାନ୍ଦିଲେ । ଏହି କ୍ରନ୍ଦନରେ ବହୁଦିନର ଅଭିଶାପ ଦୂରହେଲା ପରା ! ସରୋଜ ମଣିକୁ କିଛି ପଚାରିଲା ନାହିଁ; ମାତ୍ର ଏତିକି କହିଲା- "ମଣି ଖାଇଚୁ- ? ମୁହଁ ତ ଶୁଖିଲା ଦିଶୁଚି ?"
ଆଜି ନିଦ ଭାଙ୍ଗିବା ସଙ୍ଗେ ତାର ପ୍ରିୟଦର୍ଶନ ହେବ; ସେ ଆଦୌ ଭାବି ନଥିଲା; ମାତ୍ର ପ୍ରଭୁଙ୍କ କରୁଣାକୁ ସେ ଶତ ଶତ ଧନ୍ୟବାଦ ଦେଇ କହିଲା- "ମୋର ଦେହ ଖରାପ ଥିଲା ବୋଲି ଖାଇ ନାହିଁ ।" ଏତିକି କହି ଭାଇଙ୍କ ପାଇଁ କିଛି ବନ୍ଦୋବସ୍ତ କରିବା ପାଇଁ ତଳକୁ ଗଲା । ଅଲାଜୁକ ଝିଅଟା ସମାଳି ପାରିଲା ନାହିଁ- ଝଟ୍କିନି କହିଦେଇ ଆସିଲା- ଭାଇ ଅଇଲେଣି । ବୁଢ଼ୀ ଏଥର ଚମକି ପଡ଼ିଲେ । ତେବେ ମଣି ବିରୁଦ୍ଧରେ ବାକ୍ୟବାଣ ସବୁ ପ୍ରସ୍ତୁତ କଲେ । ହାୟ, ଏତେ
ଅପମାନରେ ସୁଦ୍ଧା ଯେ ଛଳ କରୁ ନାହିଁ, ଯାର ଏ ବିରାଟ ସଂପତ୍ତି ନଖାଗ୍ରରେ- ଜଣେ ତା' ପାଇଁ ସମସ୍ତ ବ୍ୟୟ କରିପାରେ- ରାକ୍ଷସୀ ତାଠାରେ ତୁମର ଏ କି ବିରୋଧ ?
ସରୋଜ ମଣିକୁ ଆଉ କୌଣସି ବିଷୟ ପଚାରିଲା ନାହିଁ- ଦିବଠାରୁ ସେ ମାସସବୁର ପଞ୍ଜିକା ପାଇଯାଇଥିଲା । ସମସ୍ତେ ଉପରେ ରହି ସରୋଜ ଆଣିଥିବା ମିଷ୍ଟାନ୍ନ ଜଳଖିଆ କଲେ । ଏମାନେ ତ ସମସ୍ତେ ପିଲା । କାହାର ଗତ କଥା ପ୍ରତି ଆଦୌ ଦୃଷ୍ଟି ରହିଲା ନାହିଁ । ପୂଜାରୀ ମହାଶୟ ପରିଷ୍କାର ସୁଦର୍ଶନ ହେଲେହେଁ ତାଙ୍କ ପଖାଳକୁ ସେ ଛାଡ଼ି ପାରିଲେ ନାହିଁ । ଜଳଖିଆ ତାଙ୍କ ଦେହରେ ନ ଯିବା କଥା ତାଙ୍କ ପୁରାଣରେ ପ୍ରସିଦ୍ଧ ।
ପିଉସୀ ଭଉଣୀଙ୍କ ପାଖକୁ ଖୁବ୍ ଥୋଡ଼ା ପଠାଇଦେଲେ । ସରୋଜ ତଳକୁ ଗଲା । ଏଥର ପିଉସୀଙ୍କ ସକ ସକ ହେଲା ଶୁଖିଲା ଆଖିଟାମାନ, କାନ୍ଦିଲା ପରି ହୋଇ କେତେ କହିଲେ- "କୁଆଡ଼େ ଯାଇ ବୁଲୁଚୁରେ ବାପା, ବୟସ ହେଲା- ବିଭା ସିଭାଟିଏ ହୁଅନ୍ତୁ, ଘର ଦୁଆର କରନ୍ତୁ- ଅଭିଆଡ଼ି ହୋଇ ଏମିତି କେତେ କାଳ ରହିବୁ କହିଲୁ ? ମର୍ଦପୁଅ କୁ ଆମକୁ କନ୍ୟା ଅପୂର୍ବ ? ବାୟାମନ ଥିର କର । ଏମିତି ପଗଲା ପରି ହୁଅନାଁ:- ନିଶଦାଢ଼ି ତ ହେଲା, ଆଉ ବିଭାରେ ସୁନ୍ଦର କଣ ରହିବ ? ବିଭା ହେଲେ ତ, ଆଉ କରଣ ଘର ରଜାଘର ପରି ଆମଘର ନୁହେଁ- ଅବଶ୍ୟ ୩ ବର୍ଷ ତ ଯିବ ?"
ଆହୁରି କ୍ରନ୍ଦନ ସ୍ୱରକୁ ଲମ୍ବା କରିଦେଇ କହିଲେ- "ହଇରେ ବାପା ! ଏ ପିଲାଟିକୁ ଆମର ରଖିବାର ଲୋଡ଼ା କଣ କହିଲୁ ବାପା ? ତାକୁ ଛାନ୍ଦିଦବାକୁ ଭାବିଥିଲୁ । ବର କଣ ସହଜରେ ମିଳୁଚନ୍ତି- ଗୁଣ ଥିଲେ
ହବ କି- ରୂପ ଥିଲେ ହବ କି ? ସେ ତ ସାଆନ୍ତିଆ ଜାତି । କିଛି ଖାଇଲେ ହେବ କି ? ଏବେ ମୋର ଗୋଟିଏ କଥା ଶୁଣ । ମୁଁ ଏ ଝିଅଟିପାଇଁ ଛୋଟରା ସାଆନ୍ତ ଘରେ ଗୋଟିଏ ପିଲାକୁ ଠିକଣା କରିଚି- ଦି ଅକ୍ଷର ପଢ଼ିଚି- ତେବେ ଗୋଟିଏ ହାତ କେମ୍ପା । ହେଲେ କଣ ହେବ ପୁରୁଷ ପୁଅ । ତାଙ୍କର ରୂପ କିଏ ଖୋଜୁଛି ? କଣ କହୁଛୁ କହିଲୁ- ତାଙ୍କୁ ଖବର କରି ଏ କାମରୁ କିମିତି ତ୍ରାହି ପାଇବା ? ଏ ଅଲକ୍ଷଣୀ ମୋ ପିଲାକୁ ସର୍ବନାଶ କଲା !"
ଆଉ ଶୁଣିବାକୁ ସରୋଜ ଅବସର ଦେଲା ନାହିଁ- ସେ ଅତିଶୀଘ୍ର ସେ ସ୍ଥାନ ପରିତ୍ୟାଗ କଲା । କି ଉପାୟରେ ଏମାନଙ୍କୁ ଦୂର କରିବ, ଏହାହିଁ ଭାବିଲା । ହଠାତ୍ ଛାଡ଼ିଦେଲେ ଲୋକେ ଭିନ୍ନ ଭାବିବେ, ତେବେ ଆଉ ମାସେ ପକ୍ଷେ ଏମିତି ଯାଉ । କୌଶଳରେ ଏମାନଙ୍କୁ ଶୀଘ୍ର ଦୂର କରିବା ପ୍ରୟୋଜନ ।
ବୁଢ଼ୀର କଥା ଶୁଣି ସରୋଜର ମନକୁ ଯେପରି ବାଧିଲା, ସେପରି ମଧ୍ୟ ହସ ମାଡ଼ିଲା । ହାୟ, ତାର ମଣିକୁ ଏପରି ତ କେତେ କଟୁ କଥା ଏମାନେ କହୁଥିବେ । ମଣିମୋର ମଣି- କମ୍ ସହି ନାହିଁ । ଆହା, ମୁଁ କି ଭୁଲ୍ କଲିଟି ?-
+ + + +
ସରୋଜ ଏତେଗୁଡ଼ାଏ ଦିନ ମଣିକୁ ଘରେ ଏକୁଟିଆ ଛାଡ଼ି ଦେଇ ମଉଜରେ ବିନୋଦ ସହିତ ବୁଲୁ ନ ଥିଲା । ଏ ରାଜ୍ୟ ସେ ରାଜ୍ୟ ହୋଇ ବର ଖୋଜୁଥିଲା । ଯେଉଁ ବରଟିକି ଠିକଣା କରି ଆସିଲା, ସେଥିରେ ତାର ମନ ମାନିଥିଲା । + + +
ମଣି ତଳକୁ ଆସି ଖାଇବା ପିଇବାକୁ ବୁଝୁଥିଲା- ସରୋଜ ଉପରେ ବସି ଭାବୁଥିଲା ମଣିର ଭବିଷ୍ୟତ । ପିଲାଟି ସୁନ୍ଦର, ଓକିଲାତି କରିଛି- ଅବସ୍ଥାସଂପନ୍ନ ଘର- ବାପା, ମା ଅଛନ୍ତି । ତେବେ ମଣିର ଆଉ ଦୁଃଖ କଣ ?
ସେ ଏହିପରି କେତେ କଥା ଭାବୁଛି, ଏହି ସମୟରେ ମଣି ପହଞ୍ଚିବା ସଙ୍ଗେ ସଙ୍ଗେ ସରୋଜ କହିଲା- "ମଣି, ମୁଁ ଯେ ଏତେ ଦିନ ବାହାରେ ଘୁରୁଥିଲି ତାର କାରଣ କଣ ତୁ ଜାଣି ପାରିଥିବୁ ତ ?"
ମଣି କିଛି କହିଲା ନାଇଁ- ଚିତ୍ରପିତୁଳା ପରି ଛିଡ଼ା ହେଲା । ସେଠୁ ସରୋଜ କହିଲା- "ମୁଁ ଆଉ ଲୁଚାଇବି କାହିଁକି- ତୁ ତ କିଛି ପିଲା ନୁହଁ, ତେବେ ତୋର ଶାଶୁ ଘର ଠିକଣା ହେଲା । ବିନୋଦ ଆଉ ମୁଁ ନିର୍ବନ୍ଧ କରି ଆସିଛୁ ।"
ମଣିର ଆଖି ଲୁହଭରା ହୋଇଗଲା- ମାତ୍ର ସେ ନିଜକୁ ସମ୍ଭାଳି ନେଇ କହିଲା- "ତୁମର ଇଚ୍ଛା ଯାହା କରିବ, ସେଥିରେ ମୋର କଣ ଅଛି ?" ଏତିକିମାତ୍ର କହି ସେଠୁ ଉଠି ଚାଲିଗଲା; ଆଉ ଭାବିଲା, "ଭଗବାନ ଅଭାଗୀ କପାଳରେ ବହୁତ ଦୁଃଖ ଲେଖିଚନ୍ତି- ଜୀବନରେ ମୋର ସୁଖ କେଉଁଠି ?" ଏହିକଥା ଭିତରେ କି ରହସ୍ୟ ଥିଲା ସେ ଜାଣେ; ବିନୋଦ ଜାଣେ, ଶୁଷ୍କ କାଠ ପଥର ହୃଦୟ ସରୋଜ କାହୁଁ ବୁଝିବ ?
ସରୋଜ କିଛି ଭାବିଲା ନାହିଁ- ପତ୍ର ଅପେକ୍ଷାରେ ଚାହିଁ ରହିଲା । ମଣିର ବରଘର ପତ୍ର ଦେବାକୁ ସ୍ୱୀକୃତ କରିଥିଲେ; ତେଣୁ ସେ ଆଉ କଥା କିଛି ନ ପକାଇ ତୁନି ରହିଲା ।
ଦୁଇ ଦିନପରେ ଦିବ ଆଣି ଖଣ୍ଡେ ମୁଦାଚିଠି ସରୋଜ ହାତରେ ଦେଲା । ସେ ଦିନ ସରୋଜର ମନ କେଜାଣି କାହିଁକି ସୁଖ ନଥିଲା- ତେବେ ଚିଠି ଖୋଲି ପଢ଼ିବା ସାଙ୍ଗେ ସାଙ୍ଗେ ତାର ମନ ମଧ୍ୟ ଆଉରି
ଦୁଃଖରେ ଭରି ଉଠିଲା । ତେବେ କଣ ମଣିର ଗ୍ରହ ଖରାପ ? ଯେଉଁ ଡାଳ ଧଇଲେ ସେ ଡାଳ ଛିଡ଼ୁଚି । କି ଅସମ୍ଭବ କଥା ? ତାର କୋମଳ ହୃଦୟ ଚିଠି ପଢ଼ୁ ପଢ଼ୁ ଚମକି ଉଠିଲା । କି ସଇତାନିକାମ, କି ନିର୍ଲ୍ଲଜ କଥା ! ହାୟରେ ସଂସାର, ତୋର କେତେ ଭଳିର ଲୀଳା ନିତି ଅହରହ ଲାଗିଚି, କିଏ ତା ବୁଝିବ ?
ଚିଠିଟି ଏ ପାଖ ସେ ପାଖ କେତେ ଲେଉଟାଇଲା, ଥରେ ପଢ଼ିଲା, ଫିଙ୍ଗି ଦେଲା- ଦୁଇଥର ପଢ଼ିଲା, ଫିଙ୍ଗି ଦେଲା- ପୁଣି ଆଉଥରେ ପଢ଼ିଲା, କାଳେ କିଛି ସେ ଭୁଲ ପଢ଼ିଥିବ । ମାତ୍ର ସବୁ ଥର ତାକୁ ଏକା ଏକା ଜଣା ଗଲା । ତେବେ ମଣିର ଭାଗ୍ୟ ଅପ୍ରସନ୍ନ । ମଣି ତେବେ ଚାଣ୍ଡାଳୁଣୀ ? ହେଲା କଣ- ସେ ଚାଣ୍ଡାଳୁଣୀ ହେଉ, ସମାଜଚ୍ୟୁତା ହେଉ- ସରୋଜ ନିକଟରେ ତାର କଣ ସ୍ଥାନ ନାହିଁ ? ଭାବିଲା- ମାତ୍ର କିଛି ଠିକ୍ କରି ପାରିଲା ନାହିଁ । ଚିଠିରେ ଲେଖା ଥିଲା-
ଭାଇ ସରୋଜ,
ମୋର ବିବାହ ପାଇଁ ତୁମେ ଯେ ସବୁ ଠିକ୍ କରିଗଲ, ତାହା ଏବେ ତାଣ୍ଡବଲୀଳାରେ ଆସି ଉପସ୍ଥିତ । ତୁମେ ଭଲ କରି ଜାଣ ଯେ, ମୁଁ ମୋର ବାପା, ମାଆଙ୍କର ଇଚ୍ଛା ବିରୁଦ୍ଧରେ କିଛି କାମ କରିବି ନାଇଁ, କାରଣ ଆମର ସମାଜ ଅଛି- ଆମର ଜାତି ଅଛି । କ୍ଷତ୍ରିୟ ସମାଜର ଆଜି ସେ ବୀରତ୍ୱ ନ ଥାଇପାରେ; ମାତ୍ର ତାର ମହତ୍ତ୍ୱ ଅଛି ।
ମୋର ପିତା ତୁମ ମଣି ବିଷୟରେ କୁଆଡ଼ୁ କେତେ କଥା ସଂଗ୍ରହ କରିଚନ୍ତି । ମୁଁ ଲେଖି ପାରିବି ନାହିଁ, ତୁମ ମନରେ କଷ୍ଟ ଆସିପାରେ; ତେବେ ଏତିକି କହିପାରେ ଯେ ତାର ଜାତି ନାହିଁ- ତେଣୁ ମୋର ବିବାହ ସେଠି ହୋଇ ପାରିବ ନାହିଁ । ବୋଧହୁଏ ମୋର ପିତା ତୁମ୍ଭଙ୍କୁ ନିକଟରେ ସେ ବିଷୟରେ ପତ୍ର ଲେଖିବେ । ତୁମ ମନରେ ମୋ ପ୍ରତି କାଳେ କିଛି ମନ୍ଦ ଧାରଣା ଆସିପାରେ, ଏଇଥିପାଇଁ ଏ ପତ୍ର ଲେଖିଲି- ମତେ କ୍ଷମା କରିବ । ଇତି-
ତୁମର
ମର୍ଦ୍ଦରାଜ ସିଂହ
ସେ ମର୍ଦ୍ଦରାଜ ସିଂହ ସ୍ୱାକ୍ଷରିତ ପତ୍ରଟି ପାଠ କରିସାରିଲା; ମାତ୍ର କଥାଟା କିଛି ବୁଝି ପାରିଲା ନାହିଁ । ମଣିର ଜାତି ନାହିଁ, ଏହାର ଅର୍ଥ କଣ ? ସେ ଗରିବ ଥିଲା, ଭିକ ମାଗି ତ ନାହିଁ ମାଗିଲେ ବା କଣ ହେବ ? ସେ ପୋଲିସ ଦ୍ୱାରା ପିଲା ଦିନେ ମିଛରେ ଧରା ହେଇଚି, ଏଥିରେ ଜାତି ଯିବାରକଥା କଣ ଥିଲା ? ସେ ମିଶନସ୍କୁଲ ବୋଡିଂରେ ଥିଲା, ଏଥିରେ ବୋଧହୁଏ ତାର ଜାତି ଯାଇଚି- ଜାତି ଗୋଟାଏ କଣ ? ସେ ଗଲା କିପରି ? ସ୍ତ୍ରୀ ଜାତିର ସ୍ୱଭାବ କଣ ତାର ଲୋପ ହେଇଚି ? ଛି- ଛି, ମର୍ଦ୍ଦରାଜ ତେବେ ପାଠ ପଢ଼ି ଏତେ ନିମ୍ନରେ ?
ସରୋଜ ଏତେବେଳେ କଣ ଭାବିଲା, ତା ମନ ଜାଣେ, ମାତ୍ର ଥୟ ହୋଇ ରହି ପାରିଲା ନାହିଁ । ସବୁ ମଣିର ଭାଗ୍ୟକୁ ଦୋଷ ଦେଲା- ଶେଷକୁ ହୁଁକାର କରି ଉଠିଲା- ସରୋଜ ନିଜର ଧ୍ୱଂସ ଯାଏ ଚେଷ୍ଟାକରି ମଣିକୁ ସୁପାତ୍ରରେ ନିଶ୍ଚୟ ଦେବ- ଦେବ- ଦେବ ।
ମଣିକୁ କିଛି ନ କହି ପୁଣି ଥରେ ସେ ବୁଲିବ- ଏହିପରି କେତେ କଥା ଭାବି ଠିକ୍ କଲା । ତାକୁ କଣ କହି ବିଦେଶକୁ ଯିବ- ପୁଣି କାହା ଯିମାରେ ବା ତାକୁ ଦେବ ? ଜାତି ସମାଜର ଭୟ ନ ଥିଲେ ସେ ଆଜି ନିଜେ କଣ ରକ୍ଷାକର୍ତ୍ତା ହୋଇ ପାରନ୍ତା ନାଇଁ- ମାତ୍ର ଶାସ୍ତ୍ର ଯେ ସବୁ ଭୟ ଦେଖାଉଚି ସେ 'କଣ କରିବ', 'କଣ କରିବ' ଏହି କଥା ପ୍ରତିନିୟତ ଭାବିଲା । ରାତିରେ ଖିଆ ପିଆ ସରିଲା । ସମସ୍ତେ ଶୋଇବାକୁ ଯିବାକୁ ବାହାରିଲେ । ସରୋଜ ମଣିକୁ ପାଖକୁ ଡାକିଲା, ପଚାରିଲା-
"ମଣି ! କଣ କରିବି କହିଲୁ- ବହୁ ସ୍ଥାନ ବୁଲିଲି, ଗୋଟିଏ ସୁପାତ୍ର ମୋତେ ମିଳିଲା ନାହିଁ, ଯହିଁରେ ତୋର ଜୀବନ ସୁଖମୟ ହେବ । ସେପରି ପାତ୍ର ମୋ ଦୃଷ୍ଟିରେ ଆଦୌ ପଡ଼ିଲା ନାହିଁ । ଯେ ବା ପଡ଼ିଲେ, ବିନୋଦର ସେଥିରେ ତିଳେ ମତ ହେଲା ନାହିଁ । ବାପାଙ୍କର କଥା ରକ୍ଷା ନ କରି ମୁଁ ତ ରହି ପାରୁ ନାହିଁ- କଣ କରିବି ?" ଏପରି କେତେକ କଥା ଯୋଡ଼ିଯାଡ଼ି କହିଦେଲା ।
ମଣି ଆଖିରୁ ଲୁହ ଗଡ଼ିଲା । ସେ କିଛି ମାତ୍ର ଉତ୍ତର ଦେଲା ନାହିଁ, ଖଟ ତଳକୁ ଓହ୍ଲାଇ ପଡ଼ି ସରୋଜର ପାଦ ଦୁଇଟି ଧରି ଗୋଟିଏ ମୁଣ୍ଡିଆ ମାରିଦେଇ ତା କୋଠରୀକୁ ପଳାଇଲା । ସରୋଜ ସେଥିର ଅର୍ଥ ବୁଝିଲା କି ନାହିଁ, ସେ ଜାଣେ, ମାତ୍ର ନ ବୁଝିଲା ପରି ରହିଲା । ସେ କି ସାହସରେ ମଣିକୁ ସେ ଚିଠି କଥା କହିବ ? ଭାବିଲା, ଆଛା, ପୂନର୍ବାର ଚେଷ୍ଟା କରେ । ପ୍ରଫେସର କଣ ଲେଖୁଛନ୍ତି- ତାଙ୍କୁ ତ କହି ଆସିଛି । ଭାବି ଆଶ୍ୱସ୍ତ ହେଲା, ଶୋଇ ପଡ଼ିଲା ।
ମାତ୍ର ଚିନ୍ତାରେ ପଡ଼ିଲା- ମଣି । ତାର ଜୀବନର ପ୍ରତ୍ୟେକ ଚିତ୍ର ଆଜି ତା' ଆଖି ଆଗରେ ଉଦ୍ଭାସି ଉଠିଲା । ସରୋଜ କଣ ଏତେ ନିର୍ମମ- ତାଠି କଣ ଟିକିଏ ମାୟା ନାହିଁ ! ଏହି ନିବଶ୍ରୟାଟିକୁ ନିଜେ ଗ୍ରହଣ କଲେ ଏପରି କଣ ବା କ୍ଷତି ହୁଅନ୍ତା- ହାୟ, ନିଜେ ଏହା କିପରି କହିବ ? ନିଜର ସ୍ୱାର୍ଥ ପାଇଁ ନିଜେ କିପରି ପ୍ରସ୍ତାବନା ଆଣିବି ? ବିଧାତାର ଅନ୍ୟ କିଛି ତେବେ ସୃଷ୍ଟିର ରହସ୍ୟ ଅଛି । ଥିଲେ ବା ମୁଁ ତ ଗ୍ରହଣ କରିବି ନାହିଁ । ଯେଉଁ ପାଦପଲ୍ଲବରେ ମନପୁଷ୍ପଟିକୁ ଅର୍ପଣ କରିଚି, ତାହା ତ କେବେ ଫେରାଇ ଆଣିବ ନାହିଁ । ଦାସୀ ହୋଇ ରହିବି- ତଥାପି ତାର ପରିବର୍ତ୍ତନ ମୋ ପାଖରେ ଅସମ୍ଭବ । ହିନ୍ଦୁନାରୀର ତାହା ଜାତକରେ ନାହିଁ । ହିନ୍ଦୁନାରୀ ତାହା କିପରି କରିବ ? ୧୧ବର୍ଷଦିନୁ ଯେ ସ୍ନେହରେ କୋଳକୁ ଟାଣିନେଇ ଚୁମ୍ବନ ଦେଇଚି, ସେଇତ ସ୍ମୃତି, ସେଇତ ସତ୍ୟ- ଆଉ କଣ ? ନା, ହେବ ନାହିଁ ପ୍ରଭୁ ! ଆଉ କେତେଦିନ ଚିନ୍ତାନଳରେ ଦଗ୍ଧ କରିବ- ଆଉ କେତେଦିନ ପୋଡ଼ି ମାରିବ ?
କେତେ କଣ ତା' ମନରେ ଅଇଲା- ଲେଖିଥିଲେ 'ବିଷାଦତା' ବୋଲି ଖଣ୍ଡେ ବିରାଟ କାବ୍ୟ ହୋଇଥାନ୍ତା । ମାତ୍ର ବହୁଦିନୁଁ ସେ ଲେଖନୀ ଛାଡ଼ିଥିଲା । ଲେଖିହବାକୁ ତାର ଇଚ୍ଛା ଆଦୌ ହେଉ ନଥିଲା । କଣ କରିବି- କରିବି କଣ ? ପ୍ରଭୁ ଜଗନ୍ନାଥ- ଦୂରେ ଦୂରେ କେତେ ରଖିବଥି, ତାର ତ ହେଲା ମନ୍ତ୍ର- ସେ ଆଉ କବିତା ଲେଖିବ କିପରି ?
- x -
ଆଖି ବୁଜି ଶେଜରେ ପଡ଼ି ସରୋଜ କାଲି ରାତିରେ ଦେଖି ଆସିଥିବା ସିନେମା କୋମ୍ପାନିର ବାୟସ୍କୋପ- Love reward (ପ୍ରେମ ପ୍ରତିଦାନ) କଥା ଭାବୁଥିଲା । ଦୁଷ୍ଟର ଲେଲିହାନ ଜିହ୍ୱା ପାଖରୁ ବାପପୁଅ ରୁଷି ବାଳିକାକୁ ଛଡ଼ାଇ ଆଣିଲେ, ତା ପରେ ସେ ଅଳ୍ପ ଦିନରେ ବଡ଼ ଲୋକର ଝିଅ ହୋଇଗଲା । ହାୟ, ସେ କି ସୁନ୍ଦର ! ଯୁବକ ସହିତ କୁମାରୀର ଅବାଧ ମିଳନ କି ପବିତ୍ର ଭାବରେ ଘଟୁଥିଲା ! ଏହା ଭିତରେ ସେମାନେ ପରସ୍ପର ପ୍ରତି ଏତେ ଭଲ ପାଇଲେ ଯେ, ଜଣେ ଜଣକୁ ନ ଦେଖିଲେ ସମ୍ଭାଳି ପାରିଲା ନାହିଁ । ପିତାଙ୍କ ହାବୁଡ଼େ ଦିନେ ଦୁହଁଏ ପଡ଼ିଲେ । ପିତା ଜଣେ ଜଜ- ସେ ବାଳିକାକୁ ଘରୁ ବାହାର କରିଦେଲେ, ସେ ଚାଲିଗଲା- ତା ପଛରେ ମଧ୍ୟ ଏ ଯୁବକ ଘରର ସମସ୍ତ ମାୟା ତ୍ୟାଗ କରି ଚାଲିଗଲା । ଶେଷରେ ବାଳିକା ପାଇଁ ବାଳକ ଫାଶି କାଠରେ ଝୁଲିଲା- ମାତ୍ର ବାଳିକା ତାକୁ ରକ୍ଷା କଲା । ଯୁବକର କି ବାତୁଳତା ! ସେ ତାର ପ୍ରାଣ ପର୍ଯ୍ୟନ୍ତ ତାର ପ୍ରେମିକା ନିକଟରେ ବଳି ଦେବାପାଇଁ ଭୟ କଲା ନାହିଁ । ତାର ମନରେ ଅଇଲା, ସେ କଣ ଏହି ଲୋକାଚାର, ସମାଜ ଭୟକୁ ସେପରି ପାଦରେ ଦଳି ପାରିବ ? ସେ କଣ ଜଣକ ପାଇଁ ପ୍ରାଣବଳି ଦେବାକୁ କୁଣ୍ଠିତ ହେବ ନାହିଁ ? ଭାବିଲା, ଆଉ କଣ ଚେଷ୍ଟା- ସେ ନିଜେ ଚେଷ୍ଟାର ପରିପୂର୍ଣ୍ଣ ସାମଗ୍ରୀ । ସରୋଜ ବୁଝିଥିଲା, ମାତ୍ର ନ ବୁଝିଲାପରି ରହିଲା ।
ଉଠିବା ମାତ୍ରେ ଦେଖିଲା, ଘର ଆଲୁଅ କରି ସେହି ଦିବ୍ୟ ପ୍ରତିବିମ୍ବଟି ଝଲ ଝଲ ହେଉଚି । ଆହା, ଏହାକୁ ଅପରକୁ ଦେବାରେ ଲାଭ କଣ ? ତେବେ ତାର ସ୍ୱୀକୃତି- !
କିଛି ସମୟପରେ ଡାକବାଲା ଖଣ୍ଡେ ଚିଠି ଦେଇଗଲା । ଉପରେ ଦେଖିଲା ବିନୋଦଠାରୁ ଆସିଚି- ମୁହଁ ଧୋଇ ଖୋଲି ତାକୁ ଦେଖିଲା, ସେ ଚିଠି କଣ- ଗୋଟିଏ ପ୍ରବନ୍ଧ ! ବିନୋଦ ଏକବାରେ ଲେଖି ଯାଇଚି କେତେ କଣ !
ପ୍ରିୟତମ ଭାଇ !
ତୋର ପତ୍ର ପଢ଼ି ମୁଁ ବିସ୍ମୟ ହୋଇଚି । ମୁଁ ତୋତେ ବାରମ୍ବାର କହୁଚି ଯେ, ମୁଁ ପରୀକ୍ଷାକରି ଦେଖିଚି, ମୁଁ ହାତଲେଖା କବିତା ପଢ଼ି ଜାଣିଚି- ମୁଁ ସୁମଧୁର ସଙ୍ଗୀତ ମଧ୍ୟରେ ଶୁଣିଚି- ସେହି ତୁଣ୍ଡରେ ସେହି ହୃଦୟରେ ସେହି ମାଧୁରୀ ମଧ୍ୟରେ ତୋର ପ୍ରତିବିମ୍ବ ! ତୋରି ରୂପ । ସେଠାରେ ଅନ୍ୟର ଆଦୌ ନାମ ଗନ୍ଧ ନାହିଁ । ତାର ଅସ୍ୱୀକାର ହେବ ଏ କଳ୍ପନା ତୁ କିପରି କଲୁ ମୁଁ ଜାଣେ ନାହିଁ ! ହାୟ, ଦିନ ନାହିଁ, ରାତି ନାହିଁ, ସନ୍ଧ୍ୟା ନାହିଁ, ସକାଳ ନାହିଁ, ସର୍ବଦା ଯେ ତୋରି ରୂପ, ତୋରି ଗୁଣ, ତୋରି ପ୍ରାପ୍ତ ହୃଦୟରେ ପୂର୍ଣ୍ଣରୂପେ ସ୍ଥାନ ଦେଇଚି, ତୁ ଭୀତ- ଏ ପ୍ରସ୍ତାବ କରି ପାରିବୁ ନାହିଁ ?
ମୋରେ ଲେଖିଚୁ ଯେ "ତୁ ମତେ କଣ ଏପରି କଲେ ପୂର୍ବପରି ଗ୍ରହଣ କରିବୁ ?" କିପରି ଲେଖିଲୁ ବୁଝି ପାରିଲି ନାହିଁ । ଥରେ କହିଚି, ତୁ ଯଦି ନର୍କର ସୁଗଭୀର ପ୍ରଦେଶକୁ ଭଲ ପାଇ ଯାଉ ତେବେ ମୋତେ ନ ଡାକୁଣୁ ମୁଁ ନିଶ୍ଚୟ ଯିବି । ଏଥିରେ ତୋର ଭୟ କଣ ମୁଁ ବୁଝି ପାରୁ ନାହିଁ । ତୋ ଛଡ଼ା ଆଉ ମଣିର ଉପଯୁକ୍ତ କିଏ ? ଯଦି ମୋ ପରି ଗରିବ ଘରେ ବନ୍ଧୁ କରୁ, ତେବେ ମୁଁ ତୋର ସମଧି ହେବି । ତୋ ଦଳରେ କେତେ ଯୁବକ ନାମ ଲେଖାଇବେ । ଏ ଜାତି-ସମାଜର ବନ୍ଧନ ମନୁଷ୍ୟର ସ୍ୱାର୍ଥକୃତ । ଯେଉଁମାନେ ଶାସ୍ତ୍ର ଶାସ୍ତ୍ର ହେଉଚନ୍ତି- ଯେଉଁ ସ୍ମୃତି ପ୍ରଭୃତିରୁ ଆଦର୍ଶ ଦେଖାଇ ଏ ନାସସୁଙ୍ଘାଦଳ ଖଡ୍ଗ ଘେନି ଆଜି ବାହାରୁଚନ୍ତି ତାଙ୍କର ଜାତି କେଉଁଠି ? ଆଜି ବିଶ୍ୱ ବ୍ରହ୍ମାଣ୍ଡରେ ମାନବ ଜାତି । ମାନବ ଧର୍ମ ପ୍ରଚଳିତ ହେବ । ସେ ସ୍ୱାର୍ଥ ତ୍ୟାଗ କର । ଭାରତର ଅଧିବାସୀମାତ୍ରେ ହିନ୍ଦୁ । ସ୍ମୃତିକର୍ତ୍ତାମାନଙ୍କର କଣ ଜାତି ଥିଲା ତୁ ତ ଜାଣୁ ? ବଶିଷ୍ଠ ପରା ଦାସୀ ପୁତ୍ର- ପରାଶର ପରା ଚଣ୍ଡାଳୀର ପୁତ୍ର- ନାରଦ ପରା ଶୁଦ୍ରାର ପୁତ୍ର- ବ୍ୟାସ ପରା କେଉଟୁଣୀ ପୁଅ, ଏହା ସେହି ଯୁକ୍ତିତରଙ୍ଗାୟିତବକ୍ଷ ମନୀଷୀମାନେ ଜାଣିଚନ୍ତି ଟିକି ? କହିଲେ କହନ୍ତି- ସେମାନେ ନହିଲେ ତୁମେ । ଆରେ ଏ କଣ ହେଲା ତାର ଉତ୍ତର । ଏ ମୂର୍ଖମାନଙ୍କ କଥାରେ କୌଣସି ମୂଲ୍ୟ ନାହିଁ ।
ତୋର ବିବାହ ଆଶାସ୍ତ୍ରୀୟ ଆଦୌ ନୁହେଁ । ସେଥିପାଇଁ ଏହି କ୍ଷୁଦ୍ର ଜାତିଭୟ ତୋତେ ଛାଡ଼ିବାକୁ ହେବ । ମୁଁ ଲଢ଼ାଇ କରିବି । ଲଢ଼ାଇ କଲେ ଜାତି ଶିଖିବ । ବଶିଷ୍ଠ- "ଅକ୍ଷମାଳା"କୁ ବିବାହ କରିଥିଲେ, ସେ କି ଜାତିର କନ୍ୟା? ନୀଚ ବର୍ଣ୍ଣ ଅନାର୍ଯ୍ୟ ଟିକି? ଜମଦଗ୍ନି ରେଣୁକାକୁ ବିବାହ କରିଥିଲେ, ସେ କଣ କ୍ଷତ୍ରିୟଟି ? ଗୌତମଙ୍କ ସ୍ତ୍ରୀ ଅହଲ୍ୟା କଣ ?- କ୍ଷତ୍ରିୟଟି ? ପୁରାଣରେ ଏପରି ଲକ୍ଷ ଲକ୍ଷ ଅସବର୍ଣ୍ଣ ବିବାହ ସେହି ବୈଦିକ ଯୁଗରୁ ଚଳି ଆସୁଅଛି । ସେଥିରେ କୌଣସି ପ୍ରକାର ଦୋଷ ନାହିଁ ।
ଆଦି କାଳରୁ ଦେଶରେ ପ୍ରତିଲୋମ ଆଉ ଅନୁଲୋମ ବିବାହ ପ୍ରଚଳିତ ଅଛି । ତେବେ ଉଚ୍ଚ ଜାତିର ପୁରୁଷ ନିମ୍ନ ଜାତୀୟା ସ୍ତ୍ରୀକୁ ବିବାହ କରିବାକୁ ଅନୁଲୋମୀ ବିବାହ କହନ୍ତି, ଏହା ଦେଶରେ ସର୍ବତ୍ର ଚଳି ଆସି ଅଛି; ମାତ୍ର ପ୍ରତିଲୋମ ବିବାହ ଅଳ୍ପ ଏବଂ ଦୂଷଣୀୟ ହେଲେହେଁ ଶ୍ରୀମଦ୍ ଭାଗବତର ୧୦|୭୮|୧୩|୧୪ ଶ୍ଳୋକରେ ପ୍ରତିଲୋମକ ରୋମ-ହର୍ଷଣ ବ୍ରାହ୍ମଣମାନଙ୍କ ମଧ୍ୟରେ ଉଚ୍ଚାସନ ଲାଭ କରିଅଛନ୍ତି । ଆଉ ପଚାରୁଛୁ କଣ ?
ଅସବର୍ଣ୍ଣ ବିବାହ ପୂର୍ବ ଯୁଗରେ ଅବାଧରେ ପ୍ରଚଳିତ ଥିଲା । ଯଦି ଶାସ୍ତ୍ରୀୟ ପ୍ରମାଣ ଦେଖିବାକୁ ଚାହଁ, ତେବେ ଦେଖ-
ତିସ୍ରସ୍ତୁ ଭାର୍ଯ୍ୟା ବିପ୍ରସ୍ୟ ଦ୍ୱେଭାର୍ଯ୍ୟା କ୍ଷତ୍ରିୟସ୍ୟତୁ । ଏକୈକ ଭାର୍ଯ୍ୟା ବୈଶ୍ୟସ୍ୟ ତଥା ଶୁଦ୍ରସ୍ୟ କୀର୍ତ୍ତିତା ବ୍ରାହ୍ମଣୀ କ୍ଷତ୍ରିୟା ବୈଶ୍ୟା ବ୍ରାହ୍ମଣସ୍ୟ ପ୍ରକୀର୍ତ୍ତିତାଃ କ୍ଷତ୍ରିୟା ଚୈବ ବୈଶ୍ୟଚ କ୍ଷତ୍ରିୟସ୍ୟ ବିଧୀୟତେ ବୈଶ୍ୟୈବ ଭାର୍ଯ୍ୟା ବୈଶ୍ୟସ୍ୟ ଶୁଦ୍ରାଶୂଦ୍ରସ୍ୟ କୀର୍ତ୍ତିତା ।
ଏ କାହାର ମନଗଢ଼ା ଶ୍ଳୋକ ନୁହେଁ । ବ୍ରାହ୍ମଣର ତିନିଜାତିର କନ୍ୟା ଭାର୍ଯ୍ୟା, କ୍ଷତ୍ରିୟର ଦୁଇଜାତି ଏବଂ ବୈଶ୍ୟ ଓ ଶୂଦ୍ରର ଏକ ଏକ ଜାତି ହେବ । ବ୍ରାହ୍ମଣ, କ୍ଷତ୍ରିୟ, ଶୁଦ୍ର କନ୍ୟା ବ୍ରାହ୍ମଣ-କ୍ଷତ୍ରିୟ, ବୈଶ୍ୟ, କନ୍ୟା କ୍ଷତ୍ରିୟ ବିବାହ କରିବ । ମହର୍ଷିବ୍ୟାସ ବ୍ୟାସ ସଂହିତାର ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଏହି କଥା ସମର୍ଥନ କରିଚନ୍ତି ଯେ-
"ଉଦେ୍ ବହେତ୍ କ୍ଷତ୍ରିୟାଂ ବିପ୍ରୋ ବୈଶ୍ୟଞ୍ଚ କ୍ଷତ୍ରିୟୋ ବିଶାଂ ।"
"ବ୍ରାହ୍ମଣ-କ୍ଷତ୍ରିୟ ଓ ବୈଶ୍ୟ, କ୍ଷତ୍ରିୟ-ବୈଶ୍ୟ କନ୍ୟା ଆଉ ବୈଶ୍ୟ-ଶୂଦ୍ରକନ୍ୟା ବିବାହ କରିପାରେ ।"
ଶାସ୍ତ୍ରାନ୍ଧ ବ୍ୟକ୍ତିଙ୍କର ମୁଖମଣ୍ଡନ କଥାରେ କାହାର ପ୍ରୟୋଜନ ଅଛି ? ଆମେ ତ ପ୍ରଥମେ ଶାସ୍ତ୍ର ମାନିବୁ ନାହିଁ- କାରଣ ମନୁଙ୍କ ଆଇନ ମନୁଙ୍କ ଯୁଗ ପାଇଁ ଥିଲା, ଆଜି ଯୁଗର ମନୁ ଆମ୍ଭେମାନେ- ଆଇନ କରିବୁ । ଯେତିକି ପଦାର୍ଥ ମନୁ ତାଙ୍କ ଯୁଗରେ ଦେଖିଥିଲେ, ଯେତୋଟି ଆଚାର ବିଚାର ମନୁ ଅନୁଭବ କରିଥିଲେ, ତେତୋଟି ଲେଖିଚନ୍ତି । ଆଛା ସିଗାରେଟ ଖାଇଲେ ବିଡ଼ି ଖାଇଲେ କି ପ୍ରାୟଶ୍ଚିତ୍ତ କରିବାକୁ ହେବ ତାହା ମନୁ କେଉଁଠି ଲେଖିଚନ୍ତି- ତେବେ ଏଠାରେ ଧୂମ୍ରପାନ ବୋଲି ନେଇଯିବେ ଯୁକ୍ତିକାରୀମାନେ । ମାତ୍ର ମନୁ ଏପରି ଗୋଟିଏ ଚିନ୍ତା କରିଥିଲେ କି, ତାଙ୍କ ବର୍ଣ୍ଣିତ ମ୍ଳେଛ ଦେଶରୁ ଯେଉଁ କାଗଜ ମଧ୍ୟ ଦେଇ ଯତ୍ନରେ ଧୂମ୍ରପାନର ଉପକରଣ ଆସିବ, ତାହା ପାଇଁ କଣ କରାଯିବ ?
ପୂର୍ବରୁ ନିୟମକୁ ଯଯାତି କି ଭୀଷଣ ଭାବରେ ଚୂର୍ଣ୍ଣ କରିଛନ୍ତି । ଦେବଯାନୀ ବ୍ରାହ୍ମଣ କୁମାରୀ- ପୁଣି ଗୁରୁପୁତ୍ରୀ- ତାକୁ ବିବାହ ହେବା କି ପ୍ରକାର ଅନିୟମ କାର୍ଯ୍ୟ ! ମାତ୍ର ତାହା ପ୍ରାଚୀନ ଋଷିମହର୍ଷି ତ ଅସମର୍ଥନ କରି ନାହାନ୍ତି । ସେମାନେ ବର୍ତ୍ତମାନ ସମାଜ ନେତାଙ୍କ ଭଳି ମୂର୍ଖ, ହୀନ ନ ଥିଲେ ।
ବିଷ୍ଣୁ ସଂହିତାରେ ଲେଖା ଅଛି-
ଅଥ ବ୍ରାହ୍ମଣସ୍ୟ ବର୍ଣ୍ଣାନୁକ୍ରମେଣ
ଚତସ୍ରୋ ଭାର୍ଯ୍ୟା ଭବନ୍ତି । ତିସ୍ରଃ କ୍ଷତ୍ରିୟସ୍ୟ ।
ଦ୍ୱେବୈଶ୍ୟସ୍ୟ । ଏକା ଶୂଦ୍ରସ୍ୟ ।- ୨୪ ଅଧ୍ୟାୟ
ପୁଣି ମନୁ ସଂହିତାର ୩ୟ ଅଧ୍ୟାୟ ୧୩ଶ ଶ୍ଳୋକରେ ଲେଖା ଅଛି-
ଶୂଦ୍ରୈବ ଭାର୍ଯ୍ୟା ଶୁଦ୍ରସ୍ୟ ସାଚ ସ୍ୱାଚ ବିଶଃସ୍ମୂତେ
ତେଚ ସ୍ୱା ଚୈବ ରାଜ୍ଞଃସ୍ୟୁ ସ୍ତାଣ୍ଣ ସ୍ୱାଚାଗ୍ରଜନ୍ମନଃ ।
"ଶୂଦ୍ରା କେବଳ ଶୂଦ୍ରର ଭାର୍ଯ୍ୟା ହେବ; ଶୂଦ୍ରା ଏବଂ ବୈଶ୍ୟା - ବୈଶ୍ୟର ବିବାହଯୋଗ୍ୟା । ଶୂଦ୍ରା, ବୈଶ୍ୟା, କ୍ଷତ୍ରିୟା କ୍ଷତ୍ରିୟ ବର୍ଣ୍ଣର ବିବାହଯୋଗ୍ୟା ଏବଂ ଶୂଦ୍ରା, ବୈଶ୍ୟା, କ୍ଷତ୍ରିୟା ଏବଂ ବ୍ରାହ୍ମଣ ବ୍ରାହ୍ମଣର ବିବାହଯୋଗ୍ୟା ହେବ ।"
Mr. Elphinstone (ଏଲ୍ଫିନ୍ଷ୍ଟୋନ୍) ସାହେବ ତାଙ୍କ ରଚିତ ଭାରତବର୍ଷର ଇତିହାସରେ କଣ ଲେଖିଚନ୍ତି-
"Men of the three first classes are freely indulged in the choice of women from any inferior caste, but not marriage is permitted with woman of a higher class-."
ଏହିପରି ଲକ୍ଷ ଲକ୍ଷ ପ୍ରମାଣ ଆର୍ଯ୍ୟ ଶାସ୍ତ୍ରରେ ପୂର୍ଣ୍ଣ ହୋଇ ରହିଅଛି । ଶୂଦ୍ରାଦି ନିକୃଷ୍ଟ ବର୍ଣ୍ଣୀୟ ବଂଶ ସବୁ ବ୍ରାହ୍ମଣାଦି ଉଚ୍ଚବଂଶ ସହିତ ବୈବାହିକ ସୂତ୍ରରେ ବଦ୍ଧ ହେଲେ ଯେ ଉଚ୍ଚ ବଂଶତ୍ୱ ପ୍ରାପ୍ତ ହୁଅନ୍ତି ଏହା ମନୁ ତାଙ୍କର ତୃତୀୟ ଅଧ୍ୟାୟ ୪୪ ଶ୍ଳୋକରେ ଲେଖି ଯାଇ ଅଛନ୍ତି-
"ଶରଃ କ୍ଷତ୍ରିୟୟା ଗ୍ରାହ୍ୟଃ ପ୍ରତୋ ଦୋ ବୈଶ୍ୟ କନ୍ୟାୟା
ବସନସ୍ୟ ଦଶା ଗ୍ରାହ୍ୟା ଶୂଦ୍ରୟୋତ୍କୃଷ୍ଟ ବେଦନେ ।"
ଆଜି ନିମ୍ନ ବ୍ରାହ୍ମଣ ଜାତି ନିଜମଧ୍ୟରେ ଶତ ଶତ ପ୍ରଭେଦ ସୃ୍ଷ୍ଟି କରି ଅନ୍ୟାନ୍ୟ ଜାତିକୁ ହୀନ କରି ରଖି ଅଛି । ସେଥିପାଇଁ ଉଠିବାକୁ ହେବ- ବୀର ବିକ୍ରମରେ ଜାଗିବାକୁ ହେବ । ତୁ ବୀରକେଶରୀ ହେବୁ ସରୋଜ ! ତୋରି ଯୋଗେ ଜାତି ନବ ଜୀବନ ପାଇବ । ନାନା ସ୍ଥାନରେ ନାନା ଉପାୟରେ ଏହା ଅନେକେ ଚଳାଇ ଲେଣି । ଛାର କଟୁ ଭର୍ତ୍ସନା ପ୍ରତି ଭୟ କର ନାଁ । ପ୍ରକୃତରେ ତୋର ସ୍ଥାନ ବର୍ତ୍ତମାନ କଠିନ- ତୁ ସ୍ୱୟଂ ପରିବର୍ତ୍ତନ ଆଣିବୁ । ତୁ ଏପରି ଦୀପ୍ତ ସାହାସରେ ଉଠିବାକୁ ଇଚ୍ଛା କରୁଅଛୁ- ମୁଁ ତୋର ଚିରସାଥୀ- ଏଥିରେ ସାଙ୍ଗ ହେବି ନାହିଁ ? ମୁଁ ତ ଗାଇ ବୁଲିବି ମନୁଙ୍କର-
ସେହି ନବମ ଅଧ୍ୟାୟ ବର୍ଣ୍ଣିତ ୨୩|୨୪ ଶ୍ଳୋକ ଦୁଇଟିକୁ- ଚତୁର୍ଦ୍ଦିଗରେ-ଗଗନ ପବନ ମୁଖରିତ କରି-
ଅକ୍ଷମାଳା ବଶିଷ୍ଠେନ ସଂଯୁକ୍ତାଧମ ଯୋନିଜା
ଶାରଙ୍ଗୀ ମନ୍ଦପାଳେନ ଜଗାମାର୍ଭା ର୍ହନୀୟତାଂ
ଏତା ଶ୍ଚାନ୍ୟାଶ୍ଚ ଲୋକେଅସ୍ମିନ୍ନପକୃଷ୍ଟ ପ୍ରସୂତୟଃ
ଉତ୍କର୍ଷଂ ଯୋଷିତଃ ପ୍ରାପ୍ତାଃ ସ୍ୱୈଃ
ସ୍ୱୈର୍ଭର୍ତ୍ତୃଗୁଣୈଃ ଶୁଭୈଃ । ନିକୃଷ୍ଟକୁଳସମ୍ଭୂତା ଅକ୍ଷମାଳା ଏବଂ ପକ୍ଷିନୀ-ଶାରଙ୍ଗୀ କ୍ରମାନ୍ୱୟରେ ଋଷିବଶିଷ୍ଠ ଓ ମନ୍ଦପାଳଙ୍କ ସହିତ ବିବାହସୂତ୍ରରେ ମିଳିତ ହୋଇ ପରମ ମାନ୍ୟା ହୋଇଥିଲେ । ଉକ୍ତ ରମଣୀ ଦୁହେଁ ଏବଂ ସତ୍ୟ ତା ପ୍ରଭୃତି ଆହୁରି କେତେଗୁଡ଼ିଏ ରମଣୀ ଅପକୃଷ୍ଟ ବଂଶୀୟା ବା ଅପକୃଷ୍ଟଯୋନିଜା ହେଲେ ମଧ୍ୟ ଭର୍ତ୍ତୃଗୁଣରେ ସବିଶେଷ ଉତକର୍ଷ ଲାଭ କରିଥିଲେ ।
"ସ୍ତ୍ରୀରତ୍ନଂ ଦୁଷ୍ଫୁଳାଦପି"- ମନୁ ଲେଖିଛନ୍ତି, ଦୁଷ୍ଫୂଳରୁ ସୁଦ୍ଧା ଗ୍ରହଣ କରି ପାରିବ ।
ଆଉ ଲେଖି ପାରିବି ନାହିଁ । ଢେର ଲେଖିଛି । ସମାଜର ଲୋକେ କଣ କହିବେ, ଏହି ଭୟ କାପୁରୁଷ ଛଡ଼ା ଅନ୍ୟ କାହାଠାରେ ଦେଖା ଯାଏ ନାହିଁ । ମୋତେ ଆମ ଗାଁରେ କଣ କରୁ ନ ଥିଲେ । ମୁଁ ମୋର ସ୍ତ୍ରୀ ଠାରୁ ନାକ କାନରୁ ଗହଣା ଫିଙ୍ଗି ଦେଇଥିଲି- ତାର ବ୍ରହ୍ମରାକ୍ଷସୀ ରୂପ ବଦଳାଇ ଦେଇଥିଲି-
ମାତ୍ର ମୋର ଏ ଦୋଷ କେତେ ଦିନ ରହିଲା ? ଆଜି ମୋର ଶିକ୍ଷା ଏ ରାଜ୍ୟରେ ଉପକାର କରିଛି । ବହୁତ ବାଳିକା ନିଜେ ନିଜେ ବୁଝି ପାରି ତାହା ଫିଙ୍ଗି ଦେଇଅଛନ୍ତି, ବହୁତ ଯୁବକ ସ୍ୱ ସ୍ୱ ସ୍ତ୍ରୀମାନଙ୍କଠାରୁ ବାହାର କରି ଦେଇଅଛନ୍ତି । ହାୟ ହାୟ ! ନାକଟାକୁ ଗୁଡ଼ାଏ ବିଭତ୍ସତାରେ ମଣ୍ଡନ କଲେ ସେ କି କଷ୍ଟ ପାଇବ ନାହିଁଟି ? ପୁଣି ବ୍ରହ୍ମରାକ୍ଷସୀ ଦେଖିଲେ କିଏ ନ ଚମକିବ ?
ସବୁ ଚାଲାକି ସରୋଜ ମୁଁ ଜାଣେ ।
ସେ ପରା କବିତା ଲେଖିଥିଲା- "କବିତା ରାଇଜେ ସେହି ପ୍ରଥମ ଚୁମ୍ବନ"- ସବୁ ମନେ ଅଛି । ଉଭୟଙ୍କର ଉଭୟଙ୍କଠାରେ ପ୍ରୀତି ଅଛି , ଏ ମିଳନ ଅତି ମଙ୍ଗଳଜନକ । ଏଥିରେ ପଛେଇବାର କୌଣସି କଥା ନାହିଁ । ବୃଥାରେ ହୂଦୟକୁ ବିଚଳିତ କରି ପାଗଳ ହେବାର ପ୍ରୟୋଜନ ନାହିଁ । ଧୀରସ୍ଥିର ଭାବରେ କାର୍ଯ୍ୟ କଲେ- ସାହାସ ଧୈର୍ଯ୍ୟଧରି କର୍ମରେ ପ୍ରବେଶ କଲେ ସଫଳତା ଆପେ ଆପେ ମିଳିବ- ମଣିକାଞ୍ଚନର ସଂଯୋଗ ହେବ ।
ଏ ବିବାହରେ ପୁରୋହିତ- ବିନୋଦ । ସେଥିପାଇଁ ତିଳେ ଭୟ ନାହିଁ ମୋର । ଏହା ଲୁଚାଇ ଛପାଇ ହେବ ନାହିଁ- ସମସ୍ତେ ଜାଣିବେ, ସମାଲୋଚନା କରିବେ, ଆଦୌ ସେଥିପାଇଁ ଚିନ୍ତା ନାହିଁ । ବୀର ଯୁବକ, ଧୈର୍ଯ୍ୟ ଧରି ଉଠ । ପଛକୁ ଚାହଁ- ତୁମ୍ଭର ସ୍ନେହମୟ ସଖା ବିନୋଦ ଚାରିହତିଆର ବାନ୍ଧି ଛିଡ଼ା ହୋଇଚି । ଶୁଭଦିନ ନିକଟରେ । ମୁଁ ଶୀଘ୍ର ଯିବି- ଆଜି ଏତିକି ।
ଚିରସ୍ନେହର
ଶ୍ରୀମାନ୍ ବିନୋଦ-
ଦୀର୍ଘ ଦଶପୃଷ୍ଠାବ୍ୟାପୀ ପତ୍ରଖଣ୍ଡି ସରୋଜ ପଢ଼ିସାରି ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲା । ଦେଖିଲା- ମଣି ତାକୁ ଚାହିଁ ବସି ଶେଯ ସାଇତୁଚି । ହାଠାତ୍ ଉଠିଯାଇ ତାକୁ ଦୁଇ ବାହୁରେ ଆବଦ୍ଧ କରି କହିଲା- "ମଣି ! ମଣି ! ଏତେଦିନ ନବଶକ୍ତିରେ ତୋ ନିକଟରେ ଗୋଟିଏ ପ୍ରସ୍ତାବ କରିବାକୁ ମୁଁ ସାହାସୀ ହୋଇଛି । ପିତାଙ୍କର ଶୁଭ ଇଚ୍ଛା ପୂରଣ ପାଇଁ ମୁଁ ତୋ ପାଇଁ ତୋ ସମକକ୍ଷ ସୁପାତ୍ରଟିଏ ଖୋଜିଛି । ସେ କଣ ତୋ ମନକୁ ପାଇବ ? ଆଛା, ତୁ କଣ ମୋତେ ବିବାହ କରି ପାରିବୁ ?
ଦୁଃଖୀ କୋଟି ନିଧି ପାଇଲେ ଯେପରି ହୁଏ, ଦିଗହରା ତାର ପ୍ରକୃତ ପଥ ପାଇଲେ ଯେପରି ଆନନ୍ଦରେ ମୁଗ୍ଧ ହୋଇଯାଏ, ମଣି ଠିକ୍ ସେହିପରି ହେଲା । ତାର ହୃଦୟ ଆନନ୍ଦରେ ଗଦ ଗଦ ହୋଇଗଲା । କିଛି କହି ପାରିଲା ନାହିଁ । ସ୍ନିଗ୍ଧ ଆନନ୍ଦ- ମାଧୁରୀ ତାର ବିଶ୍ୱ ମନୋହାରୀ ଆଖି ଯୁଗଳର କୋଣରୁ ଝରି ପଡ଼ିଲା । ସେ ଦୁଇ ବାହୁ ଲତାରେ ତାର ପ୍ରିୟତମକୁ ଟାଣି ଧରି ତାର ହୃଦୟରେ ମୁହଁଟିକୁ ଲୁଚାଇ ଦେଲା । ଦିନ ଦିନ ରାତି ରାତି ଚିନ୍ତାରେ-କଳ୍ପନାରେ ଆଶାରେ-କବିତାରେ-କଥାରେ-ଗାନରେ ସେ ଯାହାକୁ ଅନବରତ ଭାବୁଚି; ସେ ପ୍ରଶ୍ନ କରୁଚି ଏତେ ଭୀତ ହୋଇ କାହିଁକି ? ସେ ଭାବିଲା ଏ ଅଭାଗୀର କଣ ଏପରି ଭାଗ୍ୟ ଅଛି- କହିବ ବୋଲି ମାତ୍ର କହି ପାରିଲା ନାହିଁ ।
ଏତେ ଅଭିନୟରେ ତଥାପି ସରୋଜ ବିଶ୍ୱାସ କରିପାରିଲା ନାହିଁ; ସେ ପୁଣି ପଚାରିଲା- "ତୋର ହୃଦୟକଥା ମୋତେ ସ୍ପଷ୍ଟ କହ- ମୁଁ ଶୁଣିବାକୁ ଚାହେଁ- ବାସ୍ତବରେ ତୁ କଣ ମୋତେ ସେପରି ଇଚ୍ଛାରେ ଭଲପାଉ ? ଉଦ୍ଦ୍ୱାରା ତୋର ଜୀବନ ସୁଖମୟ ହେବ ?"
ମଣିର ମନ କଣ ହୋଇଗଲା । ସେ ଆଉ କିପରି ଭଲ ପାଇବ ? ତାର ପ୍ରେମ ଭିତରେ ସେ କଣ ସେହି ଜୀବନ୍ତ ମୂର୍ତ୍ତିର ଛାୟାକୁ ଅନୁଭବ କରିନାହିଁ ? କହିବାକୁ ଲାଜ ମାଡ଼ିଲେ ସୁଦ୍ଧା ମୁହଁଟିକୁ ଲୁଚାଇ କହିଲା- "ମୋର ସେପରି ଭାଗ୍ୟ ଥିଲେ ସିନା ? ଯଦି ପ୍ରାଣଟି ଅର୍ପଣ କରି ଦେଇଛି କାହାର ପାଦପଦ୍ମରେ, ଯଦି କାହାପାଇଁ ନିତି ପ୍ରତି ମୁହୂର୍ତ୍ତରେ ଲୋତକ ଢ଼ାଳିଚି - ଯଦି କାହାର ଏକମାତ୍ର ପ୍ରାଣମନ ବିମୋହନ ମୂର୍ତ୍ତି ଚିନ୍ତାକରିଚି, ତେବେ ମୋର ସେହି ଆଦରଧନଟିର-ଯାହାର ହସ୍ତ ସହିତ ପିତା ମୃତ୍ୟୁକାଳର ଠିକ୍ ପୂର୍ବ ମୁହୂର୍ତ୍ତରେ ମୋର ହାତଟିକୁ ମିଶାଇ ଦେଇ ଚିପି ଧରିଥିଲେ-"
ଆଉ କହି ପାରିଲା ନାହିଁ- ତୋଟି ବସିଗଲା । ବେଳୁ ବେଳ ସରୋଜକୁ ଟାଣି ଧଇଲା । ଏତେଦିନେ ସେ ତାର ଚିରପ୍ରୀତିମୟକୁ ହୃଦୟ ନିକଟରେ ପାଇଚି- ଛାଡ଼ିବ କିପରି ? ସୋରଜର ସବୁ ପୂର୍ବ କଥା ଗୋଟିକଠୁ ମନେ ପଡ଼ିଲା, ସେ ମନେ କଲା- "ବିନୋଦର କଥା ଠିକ୍ । ହାୟ ! ଏହି ସୁକୁମାର ଫଳଟିକୁ ତପ୍ତ ଜଳରେ ନିକ୍ଷେପ କରିଥିଲେ ତାର ଅବସ୍ଥା କଣ ହୋଇଥାନ୍ତା- ଏବଂ ତା' ସଙ୍ଗେ ମୋର ଦଶା କଣ ହୋଇଥାନ୍ତା ?"
"ମଣି ! ମଣି ! ଯେବେ ମୁଁ ତୋତେ ବିବାହ କରେଁ, ତେବେ ମୁଁ ତ ବ୍ରାହ୍ମଣ ଜାତିରେ ଆଉ ରହିବି ନାହିଁ ? କିପରି ପୁଣି ହେବ ? ମୋତେ ତ ଜାତିବାଲା ଅଟକ କରିବେ ?"
ମଣି କିଛି ସଙ୍ଗେ ସଙ୍ଗେ କହି ପାରିଲା ନାହିଁ- ଶେଷରେ ବଡ଼ କଷ୍ଟରେ କହିଲା- "ତୁମ ନିକଟରେ ଜାତି ସମାଜର ବନ୍ଧନ କେତେ ଦୂର ଜାଣେ ନାଁ- ତଥାପି ତମର ଯଦି ସେପରି ଅସୁବିଧା ହୁଏ, ତେବେ ମୋର ବିବାହ ପ୍ରୟୋଜନ ନାହିଁ । ମୁଁ ଚାହେଁ ତମର ମଙ୍ଗଳ । ମୋର ସ୍ୱାର୍ଥ ପାଇଁ ତମର କ୍ଷତି କରିବା ମୋର ଇଚ୍ଛା ନୁହେଁ । ଆହା ମୋତେ କଣ ତୁମ ବିବାହିତ ସ୍ତ୍ରୀର ଦାସୀଭାବରେ ରଖିବ ନାହିଁ ?"
ସରୋଜ କାନ୍ଦିପକାଇଲା- ଦୁହେଁ ଦୁହିଁଙ୍କୁ ଧରି ଖୁବ୍ ଅସରାଏ ଲେଖାଏଁ କାନ୍ଦିଲେ । ସରୋଜ ଧୈର୍ଯ୍ୟ ଧରି କହିଲା- "ମଣି ! ତୁ ମୋର ହୃଦୟର ଦେବତା-ନନ୍ଦନର ପାରିଜାତ-ତୋତେ ମୁଁ ଦାସୀ କରି ରଖିବି-ଆଉ ମୋର ଗୃହର ଅଧୀଶ୍ୱରୀ କିଏ ହେବ ? ଛାର ଜାତି-ସମାଜର ବନ୍ଧନ ପାଇଁ ମୁଁ ତୋତେ ଦାସୀ କରିବି-? ହାୟ, ଆଉ କାନ୍ଦନା ? ତୁ ମୋର-ମୁଁ ତୋର-ମୁଁ ତୋ'ପାଇଁ-ତୁ ମୋ ପାଇଁ-ଆମେ ଦୁହେଁ ପରସ୍ପର ବନ୍ଧା- । ପିତା ବାନ୍ଧି ଦେଇ ଯାଇଅଛନ୍ତି-ମୁଁ ମୂଢ-ବୁଝି ନ ପାରି ବ୍ରହ୍ମାଣ୍ତ ବୁଲୁଥିଲି । ତୁ ମୋତେ ପ୍ରାଣଠାରୁ ଅଧିକ ଭଲ ପାଉ- ମୁଁ ତୋତେ ପ୍ରାଣଠୁ ଅଧିକ ଭଲପାଏ । ଏହା କେହି କାହା କଥା ଆଦୌ ନ ଜାଣି ଆମେ ଏପରି ସନ୍ଦିଗ୍ଧ । ତୋ କଥା ମୁଁ ଜାଣିପାରେ ନାହିଁ- କିଂବା ମୋ କଥା ତୁ ଜାଣିପାରୁ ନାହିଁ । ଏହି କଥା ନାଁ କଣ ?""
ମଣି ଏଥର ଆଗ୍ରହରେ କହିଲା- "ହଁ" ସରୋଜ କିଛି ସମୟ ଛାଡ଼ି ହସିଦେଇ କହିଲା- "ମଣି ! ଆଛା- ମୁଁ ତ ତୋତେ ମୋର ସ୍ତ୍ରୀ ଭାବରେ ସମ୍ମାନ ଦେଇ କଥା କହିପାରିବି ନାହିଁ କିଂବା ତୋତେ ତ ପ୍ରିୟତମା ବୋଲି ସଂବୋଧନ କରି ପାରିବି ନାହିଁ - ତୁ ତ କବି, ଏତେ ବଡ଼ ଶିକ୍ଷିତା ମହିଳା- ମୋତେ ବିରକ୍ତ ହେବୁ ନାହଁ ? ଆଛା- ଆରେ ତତେ ତ ବେଶୀ ଅଡ଼ୁଆ ପଡ଼ିବ- ତୁ ମୋତେ କଣ ବୋଲି ଡାକିବୁ ? ଭାଇ କଣ ଆଉ କହିବୁ ?"
ଏଥର ମଣି ମୁହଁରେ ହସ ଦେଖାଗଲା । ସେ ଦରହସା ମୁହଁରେ କହିଲା- "ବେଳ ଆସିଲେ ଯାହା ବୋଲି ଡାକିବି, ଏଇ ଆଗ ଡାକି ଦେଉଚି- "ମୋ ପ୍ରିୟତମ !"
ସରୋଜ ହସି ଉଠିଲା- "ଆଛା, ମୁଁ ତେବେ ପ୍ରିୟତମା ବୋଲି ଗୋଟାଏ ଡାକ ଡାକି ଦେଉଚି ।" ମାତ୍ର ସେ କହିଲା, ଡାକିପାରିଲା ନାହିଁ । ସରୋଜ ପୁଣି କହିଲା- "ସତେ ମଣି, ମୁଁ କଣ ତତେ- 'ତୁ'-'ମଣି' ଏପରି ଡାକିବି ?"
ଏଥର ମଣି ମୁଣ୍ଡ ନୁଆଇଁ କହିଲା- "ମୋତେ କିଛି ସେପରି ଡାକି ନ ପାରିଲେ ମୋର 'ଗୋବର ଗୋଟେଇ' ନାମ ଧରି ଡାକୁ ନାହଁ ?" ଆଜି ତାର ଏହି ମିଳନ ଦିନରେ ସେହି ବହୁକାଳର ଗତ ସ୍ମୃତି ମନେ ପଡ଼ିଗଲା ।
ସରୋଜ ମଣିକୁ କହିଲା- "ନାଁ-ନାଁ-ତୁ ମୋର ଗୋବର ଗୋଟେଇ ନୁହଁ- ତୁ ମୋର ପ୍ରିୟତମା ନୁହଁ- ତୁ ମୋର ସେହି ଆଦରର ମଣି-'ମଣି' । ଏହା କହି ହୃଦୟକୁ ଟାଣିନେଲା । ଦୁଇଟିପ୍ରାଣ ଏକାଠି ମିଶିଗଲା । ସେ କି ପରମ ସୁଖ ! ସେ କି ମଧୁର ଅନୂଭୁତି !!!!
ମଣିର ମନେ ପଡ଼ିଲା ତାର ଇସ୍କୁଲ ପାଠ ପଢ଼ା କଥା । ତାକୁ ମିସରାୟ ଯେ ସର୍ବଦା ତା ନିକଟରେ ଜଗନ୍ନାଥ ପ୍ରତିମାର କୃଷ୍ଣ ମୂର୍ତ୍ତିର ହୀନତା ବର୍ଣ୍ଣନା କରି ଯୀଶୁଙ୍କର ମହତ୍ତ୍ୱ ଶିଖାଇ ପରାସ୍ତ ହୋଇଥିଲେ ତାହା ମନେ ପଡ଼ିଲା । ସରୋଜକୁ ସେହି କଥା କହି, କହିଲା- "ଭାଇ, ବାସ୍ତବରେ ମୁଁ କିପରି ଛାଡ଼ିବି- ତୁମେ ତ ମୋର ଭାଇ । ମୁଁ ତାହା ବଦଳାଇ ପାରିବି ନାହିଁ । କାରଣ ମିସ୍ରାୟଙ୍କ ଶତ ଚେଷ୍ଟାରେ ମୋର ଜଗନ୍ନାଥ ଭକ୍ତି ଦୂର ହୋଇ ନାଇଁ, ଆଉ 'ଭାଇ' ଡାକ କିପରି ଛାଡ଼ିବି ? ମୁଁ ଯେ ଗୋଟିଏ ପଥରଯାତ୍ରୀ ।" ସରୋଜ "ବଦଳାନା ପଛକେ", କହି ସେ ମିସ୍ରାୟ କଥା ଶୁଣିବାକୁ ବଡ଼ କୈତୂହଳୀ ହେଲା ।
ମଣି କହିଲା- "ଆମର ପ୍ରିନ୍ସପାଲ ମିସ୍ରାୟ ମତେ ବଡ଼ ଭଲ ପାଆନ୍ତି । ଇସ୍କୁଲରେ ସମସ୍ତେ ଯେତେ ଭଲପାଆନ୍ତି, ତାହା ଅପେକ୍ଷା ସେ ବେଶୀ ଭଲ ପାଆନ୍ତି ଗୋଟିଏ କାରଣ ନେଇ । କାରଣ ତାଙ୍କର ଇଚ୍ଛା, ସେ ମୋତେ ଖ୍ରୀଷ୍ଟିୟାନ କରିବେ । ସେଥିପାଇଁ ମୋତେ କେତେ ପ୍ରଲୋଭନ ଦେଖାନ୍ତି ଏବଂ ନାନାପ୍ରକାର ଶୁଖିଲା ଧମକ ଦିଅନ୍ତି । ଉପାସନା ବେଳେ ଯୀଶୁ ନାମଠାରେ ମୋର କୃଷ୍ଣନାମ କିଂବା ଜଗନ୍ନାଥ ନାମ ହୋଇଯାଏ ।
"ଛାତ୍ରୀମାନଙ୍କୁ ଉପାସନା ଶେଷରେ ବୁଝାଇ ଦିଆଯାଏ ଯେ- ଦେଖ, ଇଶ୍ୱରଙ୍କ ପୁତ୍ରଙ୍କ ପାଖରେ ତୁମ୍ଭେମାନେ ଶରଣ ନ ନେଇ ଯଦି ପିତୁଳା ନିକଟରେ ନିଅ, ତେବେ ଅନନ୍ତ ନରକ ଭୋଗିବ । ଥରେ ଖଣ୍ଡେ ଠେଙ୍ଗା ନେଇ ତୁମ୍ଭ ଠାକୁରଙ୍କୁ ଏକପାହାର ଦେବଟି, ସେ ଦେଖିବା କିପରି ବଞ୍ଚି ଉଠିବେ ? ଆଉ ତୁମ୍ଭଙ୍କୁ ଓଲଟି କିପରି ଚାପୁଡ଼ା ମାରିବେ ? ତାହା ଯଦି ନ ହୁଏ ତେବେ ସେ ତୁମ୍ଭଙ୍କୁ ଅନନ୍ତ ନରକରୁ କିପରି ତ୍ରାଣ କରିବେ ?"
"ଏସବୁ ଯୁକ୍ତି ଶୁଣି ମୋତେ ହସ ମାଡେ । ହିନ୍ଦୁ ତେବେ ପିତୁଳା ପୂଜାକରେ ଏହି ଅର୍ଥରେ । ଅନ୍ୟାନ୍ୟ ଛାତ୍ରୀମାନେ ବିଶ୍ୱାସ ନ କଲେହେଁ ପ୍ରିନିସ୍ପାଲଙ୍କର ଆଦର ପାଇବା ପାଇଁ ସବୁ କଥାରେ ହଁ କରି ଦିଅନ୍ତି- ମାତ୍ର ମୁଁ ବାସ୍ତବରେ କେବେ ମିଛ କହେ ନାହିଁ । ମିସ୍ରାୟ ତ ପ୍ରାୟ ସଦାବେଳେ ମେମ୍ ସାଜିଥାନ୍ତି; ତାଙ୍କର ମୁଣ୍ଡବାଳ ଠାରୁ ଆରମ୍ଭ କରି ଗୋଡ଼ଯାଏ ସେ ବିଂଶ ଶତାବ୍ଦୀର ସଭ୍ୟତାଲୋକିତ ଉଲଗ୍ନ ପ୍ରକୃତିର ମେମ୍ଟିଏ । ତା ନ ହେଲେ ମିଶନ୍ ସ୍କୁଲରେ ପ୍ରିନିସ୍ପାଲ ହେବେ କିପରି ? ବିଲାତରୁ ଫେରି ତାଙ୍କର କୌଣସି ପ୍ରକାରେ ବିଲାତି ଫେଶ୍ନଟା ଦୂର ହୋଇ ନ ଥାଏ ।
"ଦିନେ ମୋତେ ଉପାସନା ଗୀତଗାନ ସମୟରେ ପଚାରିଲେ- "ମନି ! ଆଇ ହୋପ୍ ଇଉ ଲାଇକ୍ ଦି ସାମସ୍ ? (ମୁଁ ଆଶା କରେ- ଧର୍ମସଙ୍ଗୀତ ତୁମ୍ଭଙ୍କୁ ବଡ଼ ଭଲ ଲାଗେ ?)"
ମୁଁ ମିଥ୍ୟା କହି ପାରିଲି ନାହିଁ- ସତ୍ୟ କହି ତାଙ୍କ କଟୂ କଟାକ୍ଷରେ ପଡ଼ିଲି ସତ୍ୟ ତେବେ ମୋଠି ଏପରି କଣ ତାଙ୍କର ଶ୍ରଦ୍ଧା ଥିଲା, ସେ ରାଗଟା ଦଣ୍ଡକେ ଭୁଲିଯାଇ ପୁଣି ପ୍ରତିମା ପୂଜାରେ ଅନନ୍ତ ନରକ ଭୋଗ ଶିଖାଇ ବସିଲେ ।
"ମୁଁ କହିଲି- ନୋ ! ଓଃ ହାଉ ଶକ !" (ନା, ଉଃ ବଡ଼ ଭୟାନକ !) ତାଙ୍କର ଆଖି ଲାଲ ହୋଇଗଲା- ସେ ଗର୍ଜନ କରି ପାଟିକରି ଉଠିଲେ ଏବଂ ଜଗନ୍ନାଥଙ୍କର ନିନ୍ଦାରେ ସେଠା ସ୍ଥାନର ଗଗନ ପବନ ଏକାବେଳେ ଅପରିଷ୍କାର କରିଦେଲେ । ଜଗନ୍ନାଥଙ୍କ ନିନ୍ଦା ଶୁଣିଲେ ମୋ ଆଖିରୁ ଲୁହ ଗଡ଼ିଯାଏ- ମୁଁ ସମାଳିପାରେ ନାହିଁ । ସେଥିପାଇଁ ସେ ମୋତେ ଛଳାଇ କହନ୍ତି- 'ଛି-ଛି, ଏତେବଡ଼ ଶିକ୍ଷିତା ଚତୁରୀ ପିଲାଟା ପିତୁଳାର ନିନ୍ଦା ଶୁଣି କାନ୍ଦୁଚି ! ଆଛା, ମଣି ! ତୁ ତ ହିନ୍ଦୁସମାଜର ପିଲାପରି ଦେଖା ଯାଉନାହୁଁ; ତୋର ଚେହେରା ତ ଖ୍ରୀଷ୍ଟିଆନ ସମାଜ ପରି ସ୍ପଷ୍ଟ ଦେଖାଯାଉଚି । ତୁ ଉନ୍ନତ ସମାଜ ନାମରେ ନାମିତ ହେବାକୁ କୁଣ୍ଠିତ କାହିଁକି ?
"ମୁଁ କିଛିମାତ୍ର କହେ ନାହିଁ । ମୋର ସ୍କୁଲ ଛାଡ଼ିବା ଯାଏ ମିସ୍ ରାୟ ବହୁତ ଚେଷ୍ଟା କରିଚନ୍ତି; ମାତ୍ର ମୋର ଜଗନ୍ନାଥ କୃଷ୍ଣ-ନାମର ପରିବର୍ତ୍ତନ ନ ଦେଖି ଚମକି ପଡ଼ିଚନ୍ତି । ଆଉ ଶେଷରେ ବିଦାୟ ନେଲା-ବେଳେ ମୋତେ କୋଳକୁ ନେଇ କହିଚନ୍ତି- ମଣି ! ତୋର ସତ୍ୟବାଦିତା, ନିର୍ଭିକତା ଏହି ଦଶବର୍ଷ ସର୍ଭିସ୍ରେ କୌଣସି ବାଳିକାଠାରେ କେବେ ମାତ୍ର ଦେଖି ନାହିଁ । ତୁ ମୋର କଣ ଶିଷ୍ୟା ହେବୁ, ତୁ ମୋର ଗୁରୁ । ଦେଖ, ଏଇ ଆଜି ତୋରି ସମ୍ମୁଖରେ ପ୍ରତିଜ୍ଞା କରୁଚି ଯେ, ତୁମେ ଯେତେବେଳେ ମୋର ଏତେ ଚେଷ୍ଟାରେ ଭିନ୍ନଧର୍ମକୁ ଅନ୍ତରର ସହିତ ଗ୍ରହଣ କରିପାରିଲୁ ନାହିଁ, ମୁଁ ସ୍ୱତଃବୃତ୍ତ ହୋଇ ପରର ବେଶଭୂଷା ଆପଣାର କରିବାର ଲୋଡ଼ା କଣ ? ତୋପରି ମୁଁ ନିର୍ମଳ ହେବି-ଜଗନ୍ନାଥଙ୍କୁ ଭକ୍ତି କରିବି-ତୋ ପରି ଶାଢ଼ୀ ପିନ୍ଧିବି-ମୁଁ ହିନ୍ଦୁନାରୀ ହେବି । ଯଦି ସେପରି ସୁବିଧା ମିଳେ, ମୁଁ ନିଶ୍ଚୟ ଏ ଧର୍ମ ତ୍ୟାଗକରି ସ୍ୱଦେଶ ଧର୍ମ ଗ୍ରହଣ କରିବି ।"
ସରୋଜର ହୃଦୟ ପ୍ରଫୁଲ୍ଲ ହୋଇଗଲା । ସେ କହିଲା- "ମଣି, ମୁଁ ତ ଶୁଣିଛି, ମିସ୍ ରାୟ ତୁମ୍ଭ ସ୍କୁଲର ମାଷ୍ଟର ଲାହୋରରେ ହିନ୍ଦୁ ହୋଇ ଯାଇଚନ୍ତି ।"
ସେହିଦିନ ଉଭୟଙ୍କ ହୃଦୟରୁ ପାପତାପ ଦୂର ହୋଇଗଲା । ଅଭିମାନ ଦଃଖର ବନ୍ଧ ଭାଙ୍ଗିଗଲା- ଦୁଇଟି ପରିଷ୍କାର ବିସ୍ତୃତ ସୁନ୍ଦର ଅଗଣା ମଧ୍ୟରୁ ସୁଦୃଢ଼ ପକ୍କା କାନ୍ଥଟି ଉଠିଗଲା । ବିନୋଦର ଚିଠି ଖଣ୍ଡକ ସରୋଜ ଜେମାମଣି ହାତକୁ ବଢ଼ାଇ ଦେଇ ନିତ୍ୟକର୍ମ ସାରିବା ପାଇଁ ତଳକୁ ଚାଲିଆସିଲା । ମଣି ସ୍ନେହରେ ଲୁଚାଇ ଲୁଚାଇ ତାହା ପାଠକଲା । ଥରେ ପଢ଼ିଲା, ଦୁଇଥର ପଢ଼ିଲା, ମଧ୍ୟ ତାର ତେବେ ତୃପ୍ତି ଆସିଲା ନାହିଁ । ତେବେ ବିନୋଦ ତାର ଏତେ ଉପକାରୀ-ବିନୋଦ ତାର ଏତେ ହିତକାମୀ ! ହାୟ, ବିନୋଦ ଭାଇ, ଆମ ପାଖରେ ନ ରହି ଦୂରରେ ରହିବ କାହିଁକି ? ତାର ନାନା ପ୍ରକାର ଚିନ୍ତା ଅଇଲା-
- x -
ସରୋଜ ତଳକୁ ଯାଇ ପିଉସୀଙ୍କର ଗର୍ଜନ ଶୁଣି ଥମିଗଲା । ଧନ୍ୟ ପାଟି ! ଏ ପାଟି କାହିଁରେ ତିଆରି ହୋଇଛି, ଏହାର ତିଳେମାତ୍ର ବିଶ୍ରାମ ନାହିଁ ! ଧନ୍ୟ ଧନ୍ୟ ! ସରୋଜ ବୁଢ଼ୀର ଭାବ ଗତିବିଧି ଦେଖିବା ପାଇଁ କହିଲା, "ନାନି ! ମୋର ବିବାହ ଏବେ ୧୫ ଦିନ ପରେ ଶୁକ୍ଳ ଦଶମୀ ଦିନ ହେଉଚି- ଶୁଣିଚ ନା ?"
ବୁଢ଼ୀ ଆନନ୍ଦ ହୋଇ କହି ଉଠିଲା- "ଆଲୋ, ମୋ ବାୟାର ବୁଦ୍ଧି ହେଲାଣି ଲୋ ! ହଉ ହଉ ! କଣ ପାଡୁଷୀଙ୍କ ଘରେ କଲୁପୁଅ ? ଦୁଃଖୀ ତ ଭାରି ଭଲ ପିଲା । ଗୋଟିଏ ଚାଉଳରେ ଗଢ଼ା । ଆଉ ଅଳଙ୍କାର ଦହିମୁଣ୍ଡ ଡାଳରେ ଫୁଲ ଗୁନ୍ଥା ହେଲା ପରି ରହିଚି । ହଉ-ହଉ !
ସରୋଜ ମୁଡ଼କି ହସିଲା । ମାତ୍ର ସେଦିନ ଆଉ କିଛି କହିଲା ନାହିଁ । ମଣିକୁ ସରୋଜ କହିଦେଲା ଯେ, ସେମାନେ ତାକୁ ଯାଚ୍ଛା ତା' କହିଲେ ସେ ଯେପରି ସହିଯାଏ । ମଣି କି ସରୋଜ କଥାକୁ ଅମାନିଆ ହେବ ?
ବୁଢ଼ୀ ଆଉ ଦିନେ ସରୋଜକୁ ଡାକି ମଣି କଥା ନେଇ କେତେ ମନ୍ଦ କଥା ଅତି ଧୀରରେ କହି ବସିଲା- ଯେପରି ସରୋଜ ତାଙ୍କର ନିଜର ! ମଣିଟା କିଏ ଗୋଟାଏ କୁଆଡର । ସରୋଜ କିଛି ଉତ୍ତର କଲା ନାହିଁ- ମାତ୍ର ଏତିକି କହି ଅଇଲା "ଦେଖିବା-"
ସେତିକି କଥାରେ ମା ଝିଅଙ୍କର ଏପରି ମନ ମୋଟ ହୋଇଗଲା ଯେ, ମଣିକୁ ଗୋଡ଼େ ଗୋଡ଼େ ଜଗିଲା- କଣ ପଦେ କଟୁ କରି ଶୁଣାଇ ଦେବା ପାଇଁ । ମାତ୍ର ଚତୁରୀ କୁମାରୀକୁ ସୁବିଧାରେ କେହି ପାଇଲେ ନାହିଁ । ମଣି ସେମାନଙ୍କ କଥା ସବୁକୁ ଉପନ୍ୟାସ ଲେଖିବା ପାଇଁ ନୋଟ୍ କରି ରଖିଲା ଏବଂ ତାଙ୍କ କଥାରେ ସେ ହସି ହସି ଗଡ଼ିଗଲା ।
ବିନୋଦ ଯେତେବେଳେ ଆସି ଘରେ ପହଞ୍ଚିଲା- ପ୍ରଥମରେ ତାର ପାଦ ବନ୍ଦନା କଲା ମଣି । ବିନୋଦକୁ କଷ୍ଟ ହେଲା । ମଣିର ଏ କି ସଂବର୍ଦ୍ଧନା ? ପରେ କଥାବାର୍ତ୍ତାରୁ ଜାଣିଲା, ମଣିର ସେ ଯେ ପୁରୋହିତ- ମଣିର ସେ ଯେ ପଥପ୍ରଦର୍ଶକ, ପୁଣି ଭାଇ- ତାର ପ୍ରାଣର ପ୍ରାଣ ସରୋଜର ସଖା- ସେଥିପାଇଁ ଏ ସଂବର୍ଦ୍ଧନା ! ମଣି ପ୍ରଥମେ ପ୍ରଥମେ ନ ଜାଣିଲା ପରି ବ୍ୟବହାର କଲା । ମାତ୍ର ପରେ ବିନୋଦ ପାଖରେ ଧରା ପଡ଼ିଲା । ବିନୋଦର ରହସ୍ୟମୟ ମୁଖ ବି'ପଦ କହିବାକୁ ଭୁଲିଲା ନାହିଁ ।
ଏଥର ସୁଖର ଦିନ ଜୀବନ୍ତ ମୂର୍ତ୍ତି ଧରି ସେମାନଙ୍କର ଅଙ୍ଗ ଧୀରେ ଧୀରେ ପରଶିଲା ।
ଏହି ସମୟରେ ବିନୋଦ ଘରେ ବିଷମ କୋଳାହଳ ଆଣି ଘଟାଇଲା । ସେ ଜାଣେ ନାହିଁ, ସରୋଜର ପିଉସୀ ଏପରି କଜିଆ-ଖୋରଣୀ । ସେ ତଳକୁ ଯାଉଥିଲା, ପଡ଼ିଲା ତାଙ୍କ ହାବୁଡ଼େ ବୁଢ଼ୀ ତାକୁ ଆଦରରେ ପାଖକୁ ଡାକି ନେଲେ, ଆସନ ଖଣ୍ଡିଏ ପକାଇ ଦେଲେ । ଝିଅମୂର୍ତ୍ତିମତ୍ତାଙ୍କୁ ପାନ ଦିଖଣ୍ଡ ଦେବାକୁ କହିଲେ । ବିନୋଦ ବସିଲା । ତାକୁ ଚୁପ୍ ଚୁପ୍ କରି ପଚାରିଲେ"ହଇରେ ବାପ ! ତୁ କଥାଟା ବୁଝିଥିବୁ । ସରୋଜ ତ କଥାଟା ଖୋଲି କହିଲା ନାହିଁ, ଖାଲି କହିଲା- ପିଉସି ! ମୋର ବିବାହ ଆସନ୍ତା ଶୁକ୍ଳ ଦଶମୀକୁ ହେଉଛି- କଣ ପାଡ଼ୁଷୀଘରେ କଲେ ନାଁ ପୁରୋହିତଙ୍କ ଘରେ କଲେ ? ଶୁଣୁଚି ସବୁ ପରା ବାମନ ମିଶ୍ର କରୁଚି ? ଆଲୋ ମା, ଆଲୋ, ବାମନ ମିଶ୍ର ତ ମୋର ଛାଇ ଦେଖି ପାରେ ନାହିଁ । କଣ କଥାଟା କହିଲୁ ବାପ ?"
ବିନୋଦ ମୁରୁକିହସା ଦେଇ କହିଲା- "ନାଇଁ ଏଇ ପାଖରେ କେଉଁଠି ବିଭା ହେଉଛି । ସେ ସ୍କୁଲରେ ପାସ୍ କରିଚି-
"ଆରେ କଣ ଖିରସ୍ଥାନିଆ କିରେ- ଆଉ ପାଠ କିଏ ପଢ଼ିଚି ମ ? ଦୁଃଖୀ କି ଲାବ କେହି ତ ପାଠ ପଢ଼ିନାହାନ୍ତି ! ଆଉ କିଏ, କଥାଟା ଖୋଲି କହମ ? ଏତେ ଲୁଚାଲୁଚି କିଆଁ ? ଏଠି ଆଉ କିଏ ଅଛି କି ?"
ବିନୋଦ କହିଲା- "ହଁ, ଗୋଟିଏ ଅଛି- ସେ ଭାରି ସୁନ୍ଦରୀ, ଭାରି ବୁଦ୍ଧିମତି-ଭାରି ଶିକ୍ଷିତା । ତା'ଠୁ ବଳି ପିଲା ଏ ରାଜ୍ୟରେ କେହି ନାହିଁ ।"
ବୁଢ଼ୀ ଭାବି ଭାବି କିଛି ଥଳକୂଳ ପାଇଲା ନାହିଁ- "ଆଉ କିଏ ସେ ? କିଏ ତ ଗୋଟାଏ ଖିରସ୍ତାନିଆ ହୋଇଥିବ ? ସୁନ୍ଦରୀ- ମଲା ମୋର, ସୁନ୍ଦର ଆଉ ଦେଖା ନାହିଁ । ଏହି ମଣି ଅଛନ୍ତି ରେ ପୁଅ, ଏ ଘରେ ସେ ଯେମିତି ସୁନ୍ଦରୀ, ସେପରି ସୁନ୍ଦରୀ ହୋଇଥିବେ ?:
ଏତିକିବେଳେ ଖୁବ୍ ସରଳରେ ବିନୋଦ ଟିକିଏ କାଶୀ କହି ଦେଲା- "ପିଉସି ! ସରୋଜ ପରା ମଣିକୁ ବିଭା ହେଉଛି । ଦୋଷ କଣ ? ମଣିପରି ପିଲାକୁ ସରୋଜ ବିଭା ନ ହେଲେ ସାଜିବ ଟିକି ?" ଶୁଣୁ ଶୁଣୁ ବୁଢ଼ୀର ଚେତା ହଜିଗଲା । ସେ କଣ କହିଦିଅନ୍ତା ପରା ? ଖୋରଣୀ ପାଟିକୁ ଓସାର କରି ଆଉ ଥରେ ପଚାରିଲା- "ସତ ପୁଅ ସତ ?"
ବିନୋଦ ଆଦୌ ହସା ହସି କିଛି ନ କରି କହିଲା- "ଆଉ କଣ ତମକୁ ମିଛ କହୁଛି ? ମୋର ଲାଭ କଣ ?"
ଏଥର ବୁଢ଼ୀ ମୁଣ୍ଡ ବୁଲେଇ ନେଲା- "ଆଲୋ, ସାରିଦେଲା ଲୋ- ସାରିଦେଲା ! କୂଳରେ କଳାକନା ଲିପିଦେଲା- ଏ ବୁଦ୍ଧି ତାକୁ କିଏ ଶିଖେଇଲାଟି ? ପିତୃପୁରୁଷ ପାଣିପାତ୍ରିଏ ତ ପାଇବେ ନାହିଁ, ମ-କଣ କଲା ? ହଇରେ ପୁଅ ! ସରୋଜ ପାଇଁ କଣ ଏ ଗୁମାନମୁହୀଁଠୁ ସୁନ୍ଦର ଆଉ ମିଳିଲେ ନାହିଁ ! ମୁଁ ଜାଣେ, ସେ କୋଡରେ ରହି କୋଡ଼ ମାଉଁସ ଖାଇବ । ତା ମୁହଁ, ତା ଆଖି ମୋତେ ଦେଖିଲା ଦିନୁଁ କହି ଦେଇଚି । ଯଃ- ଏଠି ଆଉ ଦଣ୍ଡେ ରହି କରି ନାହିଁ । ଝିଅ, କାଲି ଚାଲ, ଆମର ଚାଲିଯିବା- !"
ବିନୋଦ ହସି ପଳାଇ ଆସିଲା । ବୁଢ଼ୀ ଛି-ଛି-ମ-ମ- ଏପରି ଦିନ ତମାମ୍ ହୋଇ ରାତି ୧୨ଟା ଯାଏ ହେଲେ । ତାପରେ ଆଲୁଅ ଲଗେଇ ଏଥର କାଠି କୁଟା ସଜଡ଼ାରେ ଲାଗି ପଡ଼ିଲେ । ଲୁଚେଇ ଚୋରେଇ କୁଠି ଗଣ୍ଡେ ବିରି- ଗଣ୍ଡେ ମୁଗ ଏପରି କେତେ କଣ ସବୁ ରଖିଥିଲେ, ତାକୁ କନାରେ ବାନ୍ଧି ସଜାଡ଼ି ପକାଇଲେ ! ଝିଅକୁ କହିଲେ- "ଝିଅ ! ଲୋକ ହସିବେ ଏଠି ଆଉ ଦଣ୍ଡେ ରହି କରି ନାହିଁ । ସମସ୍ତେ କହିବେ ତାଙ୍କ ଘରେ ୬୦ ବର୍ଷ ବୁଢ଼ୀଟେ ଥିଲା, ସେ କିଛି କହିପାରିଲା ନାହିଁ । ଭିତର କଥା କିଏ ବୁଝିବ ଲୋ ଝିଅ !"
ରାତି ପାଇଲା । ସରୋଜ ନ ଜାଣିଲା ପରି ହୋଇ ଆସି ପଚାରିଲା, "ପିଉସି ଆଜି ସକାଳୁ କିଆଁ ଗୋଧୋଇ ନାହଁ- ଦିହ କଣ ଖରାପ ଅଛି କି ?" ବୁଢ଼ୀ କହିଲା- "ନାଇଁରେ ପୁଅ, ବାଟରେ ନଈରେ ଗୋଧୋଇବି । ମୋତେ ଗୋଟେ ଲୋକ ଟିକିଏ କରିଦେ । ମୁଁ ଯାଏଁ ଭାରି । ଆମେପରା ଜାଣିବା ଶୁଣିବା ଲୋକଗୁଡ଼ାକ- ଏକଥା ସହିପାରିବୁଁ ନାହିଁ ।"
ସରୋଜ କହିଲା- "କି କଥା ପିଉସି !" "ସବୁ ଶୁଣିଛିରେ ବାବୁ, ଶୁଣିଛି, ଯଃ- ଆଉ କହି ଲାଭ କଣ ? ମାଳିକା କଥା ତ ଘଟିଗଲା । ଘୋରକଳି ପହଞ୍ଚିଗଲା । ହଉରେ ବାପା, ସୁଖେ ରହି ଘର ଦୁଆର କର ।"
"ପିଉସି ! ସେ ତ ଆହୁରି କେତେ ଦିନ ଅଛି । ଏତେ ତର ତର କିଆଁ ହଉଚ ?"
ବୁଢ଼ୀ ଆଉ ଶୁଣିଲା ନାହିଁ । ସରୋଜକୁ ଯିବା ପାଇଁ ବଡ଼ ବ୍ୟସ୍ତ କରି ପକେଇଲା । ସରୋଜ ମଟରଟି ଆଣି ହାଜର କଲା । ମଣିହାତରେ ୧୦୦ଟଙ୍କା ଦେଲା । ଦୁହିଁଙ୍କୁ ୫୦ଟାଙ୍କ ଲେଖାଏଁ ଦେବା ପାଇଁ ଆଉ ଆଣିଥିବା ପାଟଅଳଙ୍କାର ପ୍ରଭୃତି ପିଉସୀଝିଅ ଭଉଣୀକୁ ଦେବା ପାଇଁ ତା' ହାତରେ ଦେଲା ।
ମହାସମାରୋହରେ ଦୁଇଟା ମଟର ସଜଲି କରି ବଉଁଶଯାକ ପିଉସୀଙ୍କୁ ଛାଡ଼ି ବାହାରିଲେ । ଯେତେ ବୁଝାଇଲେ ବୁଝିଲା ନାହିଁ । ସେ ଯିବାକୁ ନିହାତି ଅଡ଼ି ଧରି ବସିଲା, ଶେଷରେ ତାହାହିଁ ହେଲା । ବୁଢ଼ୀଙ୍କୁ ବିଦାୟ ଦେବାପାଇଁ ସମସ୍ତେ ମଟରରେ ଚଢ଼ିଲେ । ମଣି ଯିବାଟା ବୁଢ଼ୀକୁ କିଂବା ତାର ଝିଅକୁ ଭଲ ଲାଗିଲା ନାହିଁ । ପୁଣି ମଣି-ବୁଢ଼ୀ-ଆଉ ତାଙ୍କ ଝିଅ ଏ ବସିଲେ ଗୋଟାଏ ମଟରରେ ତାଙ୍କ ବୁଜୁଳି ମୁଜୁଳି ଧରି-ଆରଟାରେ ବିନୋଦ-ସରୋଜ-'ଦିବ' ବସିଲେ । ମଟର ଚାଲିଲା । ମଣିକୁ ମା ଝିଅ ଆଦୌ ଚାହିଁଲେ ନାହିଁ । ବଡ଼ ଖିତ୍ ଖିତ୍ ହେଉଥାନ୍ତି । ବକି ଦିଅନ୍ତେ ପରା- ମାତ୍ର ପାଖରେ ଯେ ଆର ପାଖକୁ ଡ୍ରାଇଭର୍ଟା ବସିଛି- କିପରି କଣ କହିବେ; ତେବେ ଗର ଗର ହେଉଥାନ୍ତି ।-ଏଉଟା କିଆଁ ଆମ ସାଙ୍ଗରେ ଆସିଚି ! ମନେ ମନେ ଭାବୁଥାନ୍ତି, ପଇସା ଦିଅଣା କରି ସରୋଜ ବାଟ ଖର୍ଚ୍ଚ ସୁଦ୍ଧା ଦେଲା ନାହିଁ ? ସବୁ ଏଇ ନଟକଟୀର ନବରଙ୍ଗ ! ମା ଝିଅ କଣ କଥାବାର୍ତ୍ତା ହେବାକୁ ମନ କରୁଥିଲେ, ମାତ୍ର ହେବାର କୌଣସି ସୁବିଧା ପାଇଲେ ନାହିଁ । ତେବେ ମଣିକୁ ନଚାହିଁ ବାର ଦିଗରେ ଆଖି ବୁଲାଉ ଥାନ୍ତି ।
ଏହି ସମୟରେ ମଣି ଟଙ୍କାଗୁଡ଼ିକ କାନିରୁ ଫିଟେଇ ଆଗ ଭାଗେ ପିଉସୀଙ୍କ ହାତରେ ଗୁଞ୍ଜିଦେଲା । ଏଥର ପିଉସୀ ଚମକି ପଡ଼ିଲେ । ବୁଢ଼ୀଙ୍କର ରାକ୍ଷସୀ ଭାବ ଦଣ୍ଡକେ କୁଆଡ଼େ ବଦଳିଗଲା । ସ୍ନେହରେ ମୁଣ୍ଡକୁ ମଣିର ଆଉଁଶି ଦେଇ କହିଲେ, "ଆଲୋ ମା, ଦଉଚୁ କିଲୋ ?- ଏ ଝିଅ ସାରାଜୀବନ ତ ପୋଷିବୁ । ତୁ ତ ଆମର ।"
ଏହି ସମୟରେ ମଣି ଆର ପାଖରେ ଝିଅଙ୍କ ହାତରେ ବାକି ୫୦ଟି ଧରାଇ ଦେଇ ଧୀରେ ଧୀରେ କହିଲା- "ନାନି ! ଏଇତକ ନେଇଥାଅ, ବାଟଖର୍ଚ୍ଚ ହେରିକା କରିବ । ଆହା, ତମେ ତ ଚାଲି ଯାଉଚ- ପୁଣି ଆସିବ ?"
ବିଜୁଳି ଆଲୁଅ ଧପ୍ କରି ଯେପରି ଜଳି ଉଠେ ଠିକ୍ ସେହିପରି ଆଖି ପିଛୁଳାକେ ମା' ଝିଅଙ୍କର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ଏଥର ମା ଝିଅମୁହଁକୁ, ଝିଅ ମା ମୁହଁକୁ ଚାହିଁ ଅସ୍ୱକୃତ ପାପକୁ ଦୃଷ୍ଟିଦେଲେ । ଆହା, ସେମାନେ ଏଇ ଶିରୀଷକୋମଳ ଦେହକୁ କି କଷ୍ଟ ଦେଇ ନାହାନ୍ତି- କି ବାକ୍ୟବାଣ ମାରି ନାହାନ୍ତି । କୋଉ ପୁରୁଷରେ ଦିକୋଡ଼ି ଦଶ ଟଙ୍କା ଲେଖାଏଁ ସେମାନେ ହାତରେ ଧରିଥିଲେ ? ବୁଢ଼ୀ ଏଥର ମଣିକୁ କୋଡ଼କୁ ନେଇଗଲା- ତାଙ୍କର ଝିଅକାନ୍ଧ ପାଖକୁ ଲାଗିଗଲା । ବୁଢ଼ୀ ସକେଇ କରି କହିଲେ- "ଆଲୋ ଝିଅ, ମୁଁ ଚାଲି ଯାଉଚି ବୋଲି ଦୁଃଖ କରୁଚୁ କି ? ନାଇଁ ମା, ମୁଁ ଯାଉଚି କୁଆଡ଼େ ? ଆଲୋ, ଆମେ ପରା ବିଧବା ବୁଢ଼ୀ ମଣିଷ । ତମର ଏ କାମଟା ସରିଗଲା ପରେ ମତେ ଡାକିଲେ ମୁଁ ତଳଟାରେ ପଡ଼ିଥିବି । ମୋ ବାୟାଣୀ ମୋର କୁଳବଧୂ ହେବ । ଆଲୋ, ପୁରୁଷଠୋଉଁ ଆମେ ପରା ଟିକିଏ ଭୟାଳୁ । ତତେ ଏବେ ପାଞ୍ଚକଥା ମୁଁ କହି ଦିଏ- କିଆଁ କହେ ? ସେମିତି ଆଗ ଆଗକହନ୍ତି । ଏ ପରା ନୂଆକଥା ହବ । ଆଇ ସୁଲକ୍ଷଣୀ ହେଇ ଥା-ମା-ଆହା, କି ସୁନ୍ଦର ଦେହ । ମୋ ମା'ତ ସରଗର ଅପସରୀ ।" ଏଥର ବୁଢ଼ୀ ମଣିକୁ କେତେ ଗେଲ କଲେ । ମଣି ଯତ୍ନରେ ଲୁଚାଇ ରଖିଥିବା ପାଟଖଣ୍ଡି ଆଉ ଅଳଙ୍କାରଗୁଡ଼ିକ ବୁଢ଼ୀଙ୍କୁ ଦେଇ କହିଲା- "ପିଉସି ! ଏହାକୁ ନିଅ କି, ନାନୀ ଶାଶୁଘରକୁ ଗଲା ବେଳେ ତାକୁ ଦବ ।" ଏଥର ମା ଝିଅ ଦୁହିଁଙ୍କ ଆଖିରୁ ଲୁହଧାର ଗଡ଼ି ପଡ଼ିଲା । ଏଭଳି ପାଟ ତାଙ୍କ ଜନ୍ମରେ ସେ ଦେଖି ନାହାନ୍ତି । କଥାରେ ସିନା କୁବେରଭଣ୍ଡାର ବର୍ଣ୍ଣନା କରିପାରନ୍ତି, ମାତ୍ର ସତରେ କେଉଁଠି କଣ ଅଛି ? ସେ ସବୁକୁ ବୁଢ଼ୀ ଝଟ୍ କରି ଆଉ କିଏ ଦେଖିବ, କି ଡ୍ରାଇଭର୍ଟା ଦେଖିଯାଇ ସରୋଜ ପ୍ରଭୃତିଙ୍କୁ କହିଦବ, ଏଥିପାଇଁ ତାକୁ ଲୁଗାକାନିତଳେ ଲୁଚାଇ ଦେଲେ । ହାୟ, ତାଙ୍କର ଘରମଣି ମଣି କଣ ସତେ ଦେଖିବାକୁ ଯେପରି ଅସାମାନ୍ୟ ସୁନ୍ଦରୀ-ସେପରି ଗୁଣରେ କଣ ସର୍ବଗୁଣସମଳଂକୃତା । ମଣିକୁ ଏଥର ଆଦର ଗୌରବରେ ମା ଝିଅ ପୋତି ପକାଇଲେ ।
"ମା, ମା, କିଛି ଦୁଃଖ କରିବୁ ନାହିଁ- କାମଟା ସରିଗଲା ମାତ୍ରେ ମଟର ପଠେଇ ଦେଲେ ମୋର ଯେତେ କାମ ଥାଉ ମୁଁ ଆସିବିକିଛି ଚିନ୍ତା କର ନାହିଁ । ସବୁ ହରି ସୁଖରେ ସୁଖରେ ସଂପୂର୍ଣ୍ଣ କରିବେ ।"
କାନ ପାଖରେ ମୁହଁ ରଖି ଚୁପ୍ ଚୁପ୍ କହିଲେ- ବାୟାଣି ! ଯେବେ ଆମ ମା ଝିଅଙ୍କୁ ବିଭାଘରେ ଲୋଡ଼ାକରୁ ତେବେ ବିଭାଘର ଦିଦିନ ଥିବ ଡକେଇ ପଠେଇବୁ । ଯା, ମୋର ତ ତିନିକାଳ ଯାଇଚି- କିଏ ପଚାରୁଚିଲୋ ମା ? ଝିଅ ମୋର ମଧ୍ୟ ଘରେ ଥିବ । ଅହ୍ୟ ମାଇକିନାଟିଏ ଘରକୁତ ଅଇଲେ ଭଲହେବ- କଣ କହୁଚୁ ?"
ମଣି ମନେ ମନେ ଭାବୁଥାଏ-ଧନର-ଅର୍ଥର-ମହତ୍ୱ, ସେ ତ ବେଶ୍ ପରିବର୍ତ୍ତନ ମନୁଷ୍ୟକୁ କରିପାରେ-ମାତ୍ର କ୍ଷଣକପାଇଁ-ଯେତେବେଳଯାଏ ଗାଡ଼ିରେ ତେଲ ଅଛି ତେତେବେଳ ଯାଏ ସେ ଚାଲୁଛି । ତେଲ ସରିଲେ ସେ ବନ୍ଦ । ଅର୍ଥ ଦେବା ପର୍ଯ୍ୟନ୍ତ ସମସ୍ତେ ଆପଣାର-ଅର୍ଥ ସରିଲେ କେହି କାହାର ନୁହନ୍ତି । ଏ ମା' ଝିଅଙ୍କ କଥା ଶୁଣି ତାକୁ ହସ ମାଡ଼ିଲା । ଏମାନେ ତାକୁ କି ବାକ୍ୟ ବାଣରେ ନିର୍ଜାତିତ କରୁ ନ ଥିଲେ- ମାତ୍ର ବର୍ତ୍ତମାନ କୋଡ଼ରେ କାଖରେ ବସାଇ କି ମଧୁର କଥା କହୁଛନ୍ତି ପୁଣି କି ମହତ୍ୱ ବର୍ଣ୍ଣନା କରୁଚନ୍ତି । ହାୟ ! ସଂସାରର ରୀତି ଏହିପରି ।
ବର୍ତ୍ତମାନ ବିଦାୟର ସମୟ ଆସି ପହଞ୍ଚିଲା । ଗାଡ଼ି ଛିଡ଼ା ହେଲା । ପିଉସୀ- ଝିଅ ଦୁହେଁ ମଣିକୁ କୋଡ଼ରେ ପୂରାଇ ଖୁବ୍ଝୁଙ୍କାଏ କାନ୍ଦି ପକାଇଲେ । ତାକୁ ଛାଡ଼ି ଯିବା ପାଇଁ ଯେପରି ତାଙ୍କର ମନ ଆଦୌ ହେଲା ନାହିଁ । ଏ ଅଭିନୟ ବିନୋଦ ଆଉ ସରୋଜ ଦେଖି ଆଶ୍ଚର୍ଯ୍ୟ ହେଲେ । ମୁହଁରେ ରୋମାଲ ଦେଇ ହସିଲେ । ବାଃ-କି ଚମତ୍କାର ପରିବର୍ତ୍ତନ ! ତେବେ ମଣି ଏମାନଙ୍କର ନିଜର ଏତେ ଦୂର । ଆମେ ସବୁ ପର ନିଶ୍ଚୟ ବିନୋଦ !' ବିନୋଦ କହିଲା- "ରହ-ଦେଖ ଅଭିନୟ ।"
ବୁଢ଼ୀ ମଣିକୁ ଆଶୀର୍ବାଦ ଉପରେ ଆଶୀର୍ବାଦ ଢାଳି ଦେଇ ଦିହମୁଣ୍ଡ ଆଉଁଶି ପକାଇଲେ । ଆଜି ତାଙ୍କର କରାଳ କାଳୀ ମୂର୍ତ୍ତି ଏପରି ପ୍ରସନ୍ନ ବଦନା-ଶାନ୍ତ ମୂର୍ତ୍ତି ଧରିଛି ଯାହା ପୂର୍ବେ କେବେ ହେଲେ ଥରକ ପାଇଁ ଲୋକ ଲୋଚନ ଅଗୋଚର ଥିଲା ।
ସରୋଜ ହସକୁ ମାରି ବିନୋଦ ସହିତ ଯାଇ ପିଉସୀଙ୍କୁ ନମସ୍କାର ହୋଇ କହିଲା- "ଯାଉଛତ- ମନେ ପକୋଉ ଥିବ ?"
ଏଥର ପିଉସୀ ସରୋଜକୁ ପାଖକୁ ଡାକି ଟିକିଏ ଦୂରେଇ ହୋଇ ଛିଡ଼ା ହୋଇ ଚିବୁକରେ ତାର ହାତ ଦେଇ କହିଲେ "ବାୟା । ଯାଉଚି-ବାୟାଣୀକୁ ସବୁ କହିଚି-ସେ କହିବ ଯେ ।"
ଏହି ସମୟରେ ମଣି କାନର ଫୁଲ ଦୁଇଟିକୁ ବାହାର କଲା । ଏ ଫୁଲ ଦୁଇଟିର ସୌନ୍ଦର୍ଯ୍ୟ ଅତୁଳନୀୟ । ତାର କାନରେ ଲାଗି ଏହା ଯେ କି ମଧୁର ଦିଶେ ତାହା ବର୍ଣ୍ଣନା କରି ହେବନାହିଁ । ତେବେ ସେ ଏହି କାନଫୁଲ ଦୁଇଟିକୁ ବଡ଼ ଆଦର କରେ । ଅଳ୍ପ ଭୂଷଣାର ସାଧାରଣ କେତେ ଖଣ୍ଡ ଗହଣା ଭିତରେ କାନଫୁଲ ତା ନିକଟରେ ଅତି ସ୍ନେହର । ପିଉସୀଙ୍କ ଝିଅର ଆଦର ତାହା ପ୍ରତି ଗାଡ଼ିଚାଲିବା ବେଳେ ସେ ଅନୁଭବ କରିଥିଲା । ତାର ଏହି ଫୁଲକୁ ବହୁବାର ଦେଖି କନ୍ଧ ପଚାରିଥିଲା-"ଏହାର ଦାମ କେତେ- ଏହା କେତେଦିନୁଁ ଲଗାଇଲୁଣି ? ଇତ୍ୟାଦି ।"
ମଣି ବୁଝିଥିଲା କନ୍ଧ ନାନୀର ଏହା ପ୍ରତି ସ୍ନେହ ଆସିଛି । ସେ ସେଥିପାଇଁ ଶେଷ ବିଦାୟ ସମୟରେ କାନରୁ ବାହାର କରି ତା ହାତରେ ଗୁଞ୍ଜି ଦେଲା । ସେ ପ୍ରଥମେ ଅନିଚ୍ଛା ପ୍ରକାଶ କରୁଥିଲା- ମାତ୍ର ମଣିର ଗଳାଯୋରରେ ନେଲା । ମଣିକୁ କୁଣ୍ଢେଇ ଗେଲ କରି-ଆଶୀର୍ବାଦ ଦେଇ-ଚୁମାଦେଇ ବୁଢ଼ୀ ଆଉ କନ୍ଧ ବିଦାୟ ନେଲେ କାନ୍ଦି କାନ୍ଦି ।
ସରୋଜ, ବିନୋଦ, ମଣି ଅନ୍ୟ ଗାଡ଼ିରେ ଫେରି ଆସିଲେ । ଏଥର ହସର ଯୁଆର ଉଠିଲା । ମାତ୍ର ମଣି ବିଦାୟ ଦୁଃଖରେ ଏପରି ବିଷାଦିତ ଥିଲା ଯେ ଆଦୌ ସେମାନଙ୍କ ହସରେ ଯୋଗଦେଇ ପାରିଲା ନାହିଁ । ବରଂ ଆଖିରୁ ଲୁହ ଧାରା ଗଡ଼ାଇଲା । ସରୋଜ ଆଉ ସମ୍ଭାଳି ପାରିଲା ନାହିଁ-ହୋ ହୋ ହୋଇ ହସି ଉଠିଲା । "ବାଃ-ଭାରିତ ପ୍ରେମ-ପିଉସୀ ତ ଏକବାରେ ହୃଦୟର ମଣି କରି ନେଇଗଲେ । ବାଃ-ଅର୍ଥ କଣ ନ କରେ ?
ଏଥର ମଣି ବିରକ୍ତ ହେଲା- "ନାଇଁ ତା'ନୁହେ, ସେମାନେ ଭାରି ଭଲ ଲୋକ- ।"
"ଆରେ କବିଙ୍କ ଦୃଷ୍ଟିରେ କିଏ ଭଲ ନୁହେଁ କି ? ବାଲି ଗୁଡ଼ାକତ ମୁକ୍ତା ରେଣୁ । ହେଉ ହେଉ ପିଉସୀ କଣ ଗୁପ୍ତମନ୍ତ୍ର ଦେଉ ଥିଲେ ? ସମସ୍ତ କଥା ମଣି ଗୋଟି ଗୋଟି କହିଗଲା ସରୋଜର ବିନୋଦର ପେଟ ପିଡ଼ା ହୋଇଗଲା ହସି ହସି । ତେବେ ପିଉସୀ-ଆସିବେ-ଆଛା ।"
ନାନାପ୍ରକାର ହସ ରହସ୍ୟରେ ସମସ୍ତେ ଘରକୁ ଫେରିଗଲେ । ସେ ଦିନ ସାରା ମଣିକୁ ଦୁହେଁଯାକ-ଘାଣ୍ଟି ପକାଇଲେ । କିମିତି ସେମାନେ ଉଗ୍ରଚକ୍ଷୁରେ ଚାହୁଁଥିଲେ-ତୁ କିପରି ଟଙ୍କା ତାଙ୍କୁ ଦେଲୁ ? ସେଠୁ ବୁଢ଼ୀ କଣ କହିଲା-ଝିଅ କଣ କହିଲା । ତାକୁ ବାରଂବାର ଏହି କଥାଟା ଶୁଣିବାକୁ ବଡ଼ ଭଲ ଲାଗିଲା ।
ବିନୋଦ କାଗଜ ପେନ୍ସିଲ୍ ଧରି ବସିଗଲା । ଏ ଦୃଶ୍ୟଟାକୁ ସେ ଗୋଟାଏ ଗଳ୍ପ ନକଲେ ହୃଦୟର ବେଗ ସମଳା ଯିବ ନାହିଁ । ଗଳ୍ପଟି ଲେଖା ସରିଲା । ତାହା ସମସ୍ତେ ବହୁବାର ପଢ଼ିଲେ । ବିନୋଦ ବହୁଦିନୁଁ ଲେଖା ଲେଖି ଚୁଲିକି ଫିଙ୍ଗି ଦେଇଥିଲା । କଲେଜରେ ଥିବାଯାଏ ଗୋଟାଏ ଗୋଟାଏ କେବେ କିପରି ଲେଖୁଥିଲା- ମାତ୍ର ଗୋଡ଼ାଗାଁକୁ ଯାଇ ସେ ଦଣ୍ଡେ ସମୟ ପାଇଲା ନାହିଁ । ସେଥିପାଇଁ ଗୀତ କବିତା ଏକାବେଳେ ଭୁଲିଥିଲା । ଆଜି ତାର ଗଳ୍ପଟି ଅତି ମନୋହର ହୋଇଅଛି । କବିଙ୍କୁ ତାର ସଂଶୋଧନ ଭାର ଦିଆଗଲା-କାରଣ-ସେ ଅନୁଭବୀ ।
ବିନୋଦ ଚତୁର୍ଦ୍ଦିଗରେ ପତ୍ରଲେଖି ପ୍ରାୟ ୭୦-୭୫ ସରିକି ଯୁବକ ବନ୍ଧୁ ଆମନ୍ତ୍ରଣ କରି ଆଣିଲା । ବନ୍ଧୁମାନଙ୍କର ସ୍ତ୍ରୀ-ଭଉଣୀମାନେ ଆସି ଘର ମଣ୍ଡି ପକାଇଲେ । ବିନୋଦର ସ୍ତ୍ରୀ ମଧ୍ୟ ଅଇଲା । ଶୁଭ ଶଙ୍ଖ ଧ୍ୱନି ବାଜି ଉଠିଲା । ହୁଳୁ ହୁଳି ତାନରେ ଗଗନ ପବନ କମ୍ପିଗଲା । ପଡ଼ୋଶୀ ବ୍ରାହ୍ମଣମାନେ ଉଁକି ମାରୁଥିଲେ ।
- x -
ଦୂର ସ୍ୱର୍ଗ ଧାମରୁ ଦେଖିଯାଅ ବୃଦ୍ଧା ! ଦେଖିଯାଅ-ଶ୍ୟାମବାବୁ । କିପରି ମଣି ସହିତ କାଞ୍ଚନର ମିଶ୍ରଣ ଶୋଭା ଚତୁର୍ଦ୍ଦିଗ ମୁଗ୍ଧ କରୁଅଛି ।
ବୃଦ୍ଧ ! ଏ ସୌଭାଗ୍ୟ ଦେଖିବାକୁ ବିଧାତା ତୁମ୍ଭଙ୍କୁ ଇହଲୋକରେ ରଖିଦେଲା ନାହିଁ ତୁମର "ଗୋବର ଗୋଟେଇ" ଆଜି ରାଜରାଣୀ । ଆଜି ଧନେ-ମାନେ-ବିଦ୍ୟାରେ-ସୌନ୍ଦର୍ଯ୍ୟରେ କୁଳୀନତାରେ ଶ୍ରେଷ୍ଠ ସରୋଜ କୁମାର ମିଶ୍ର ଏମ୍, ଏ ବି, ଏଲ୍ଙ୍କର ସହଧର୍ମଣୀ-ତାଙ୍କ ହଏତ୍ ପଦ୍ମର କମଳା ।
ଯେଉଁ ବାଳିକା, ଦିନେ ଘସିଦିଖଣ୍ଡି ପକାଇ ତାହାରି ଉପାର୍ଜ୍ଜନରେ ପ୍ରାଣରକ୍ଷା କରୁଥିଲା- ଆଜି ସେ କୁବେର ଭଣ୍ଡାରର ଅଧିକାରୀ-ଆଜି ସେ ଶତ ଶତ ନିରନ୍ତ-ଦୁଃଖ କ୍ଳିଷ୍ଟ ପରିବାରର ପୋଷଣ କର୍ତ୍ତୀ । ଏ ସୌଭାଗ୍ୟ ଯାହା ତୁମ୍ଭେ ଦେଖିଲ ନାହିଁ । କେତେ ଯତ୍ନରେ ପାଳନ କରିଥିଲ । ଛିନ୍ନ ଅଞ୍ଚଳ ତଳେ ନିଜର ରକ୍ତ ଦେଇ ବଞ୍ଚାଇଥିଲ, ସ୍ୱର୍ଗରେ ଥାଇ ତାର ସୌଭାଗ୍ୟ ଦେଖ ।
ମହା ସମାରୋହରେ ବିବାହ ସଂପନ୍ନ ହେଲା । ବ୍ରାହ୍ମଣ ପୁଂଗବ ବାଚପ୍ପତି ଶର୍ମା ଏହିବିବାହରେ ପୌରାହିତ୍ୟ କଲେ । ବ୍ରାହ୍ମଣମାନେ ପ୍ରଥମେ ପ୍ରଥମେ ନାନାପ୍ରକାର ଗୋଳ ଯୋଗ ଆରମ୍ଭ କଲେ । କିଏ କେତେ ପ୍ରକାର ଭାବଭଙ୍ଗୀ ଦେଖାଇଲେ ମାତ୍ର "ଅର୍ଥେନ ସର୍ବେ ବଶାଃ"- ବିବାହ ଭୋଜି ଖାଇବା ପାଇଁ ଜଣେ କେହି ଅଟକିଲେ ନାହିଁ ।- ଅନ୍ନଭୋଜନକୁ ବନ୍ଧୁବାନ୍ଧବମାନେ ଆସିବାକୁ ଇଚ୍ଛାକଲେ ନାହିଁ-ମାତ୍ର ଦେଖିଲେ ଯେ ଶିକ୍ଷିତ ଯୁବକ ବାପାମାନଙ୍କୁ ଛାଡ଼ି ଚାଲି ଆସିଲେ । ତେଣୁ ବୁଢ଼ାମାନେ ଅଭିଶାପ ବର୍ଷଣ କଲେ । ମାତ୍ର ଅବ୍ରାହ୍ମଣତ୍ୱ ଯୋଗେ ଅଭିଶାପ ଆଦୌ ଗୁଣକଲାନାହିଁ । ଯେତେବେଳେ ସରୋଜ ସ୍ୱୟଂ ଦୁଆର ଦୁଆର ବୁଲି ବୁଢ଼ାମାନଙ୍କୁ ଡାକିଲା ତେତେବେଳେ କେତେଜଣ ଏ ପାଖ ସେପାଖ ହୋଇ ବିଚାର କଲେ ।
ବିଚାରରେ ଯିବାଟା ଠିକ ହେଲା । ଆସିଲେ ଖାଇଲେ-ମାତ୍ର ଯିବାବେଳେ କଥାଟାକୁ ସ୍ୱୀକାର କଲେ ନାହିଁ-କେହି କେହି ଗାୟତ୍ରୀ ସାବିତ୍ରୀ କରିବେ ବୋଲି ରାତି ପାହିବାକୁ ଅନାଇଁ ବସିଲେ- କେହି ବା "ଘୃତ-ପକ୍ୱାନ୍ନ ଭୋଜନଂ, ନଦୋଷ ଭାକ୍" ଏହି ସୂତ୍ରରେ ଦୋଷ କ୍ଷାଳନ କଲେ ।
ସେମାନଙ୍କର ହୃଦୟ ବୁଝିଲା ନାହିଁ । ଏକକରଣୀରେ ଦୁଇଟି ପାପ (?) ତାଙ୍କୁ ବ୍ୟସ୍ତ କରିଦେଲା । ଏଣେ ବ୍ରାହ୍ମଣ ହୋଇ ବୃଷଳୀ କନ୍ୟା (ଯୁବତୀ) ବିବାହ ପୁଣି କ୍ଷତ୍ରିୟା । ବାପ୍ରେ- କି ଅଘଟନ କଥା ! ତେବେ କାମସରିବା ପରେ ୧୫/୨୦ ଦିନ ଏପରି ଆଲୋଚନା ଲାଗିଲା । ମାତ୍ର ଯେମାମଣିଠାରୁ ଗାଁର ଲୋକେ ଯେତେବେଳେ ପାଞ୍ଚ କଥା ପାଇଲେ, ପାଞ୍ଚ ଅଭାବ ପୂରା କଲେ ଏବଂ ତାର ସୁରୂପ-ସୁଗୁଣ ଦେଖିଲେ, ତେତେବେଳେ ସବୁ କଥା ଭୁଲିଗଲେ । ମଣିଯୋଗେ ସେମାନଙ୍କର ଅଭାବ ଆଉ ରହିଲା ନାହିଁ । ମଣି ଯୋଗେ ଇସ୍କୁଲରେ ପିଲାଟିମାନ ପାଠ ପଢ଼ିଲେ ।
ବିନୋଦ ସସ୍ତ୍ରୀକ ପ୍ରାୟ ଦୁଇମାସ ଯାଏ ରହିଲା; ମାତ୍ର ତାର ପିତାଙ୍କର ଆଗ୍ରହ ଡକରାରେ ସେ ଯିବାକୁ ଉତ୍ସୁକ ହେଲା । ତାର ପିତା ପୁଅର ପ୍ରତ୍ୟେକ କାର୍ଯ୍ୟକୁ ସମର୍ଥନ କରୁଥିଲେ । କଥା ପଡ଼ିଲେ କହୁଥିଲେ- "ଆହେ, ଆମଯୁଗଥିଲା ଅଲଗା- ଏ ପରା ନୂଆଯୁଗର ପିଲା । ତାଙ୍କ ମନଇଚ୍ଛାରେ ସେ ଚଳିବେ ନାହିଁ ଆଉ କଣ ଆମରି ଏଇ ମୂର୍ଖ କଥା ଗୁଡ଼ାଏ ଶୁଣିବେ । କହିଲ- କଣ ପାଠପଢ଼ା ଆମର ? ଏତେ ଦେଶ ବିଦେଶର କଥା- ଏତେ ଶାସ୍ତ୍ର ଆଲୋଚନା କୋଉଁ ପଣ୍ଡିତ କରୁଛନ୍ତି ? ଆମ କ୍ଷୁଦ୍ର ଗଣ୍ଡିଟି ଭିତରେ ଆମେ ଆବଦ୍ଧ ରହି କହୁଛୁଁ- ସପ୍ତ ବ୍ରହ୍ମାଣ୍ତ ଦେଖୁଛୁ । ସେ ଯେଉଁ ଶାସ୍ତ୍ର ପ୍ରମାଣ ଦେଉଚନ୍ତି କେତେ ଜଣ ଦେଉଚ ତମ ଭିତରୁ । ଖାଲି କଥା ।"
ବୁଢ଼ା ନୃତନତ୍ୱକୁ ବଡ଼ ଭଲ ପାଉଥିଲେ । ତାଙ୍କର ଧାରଣା ଏମାନେ ପାଠ ସାଠ ପଢ଼ିଚନ୍ତି ଯେଉଁ ବାଟ କରିବେ ସେଟା ଆମମାନଙ୍କୁ ଅପେକ୍ଷା ଭଲ ନ ହେବ କାହିଁକି ? କେତେଗୁଡ଼ାଏ ଲୋକ ତାଙ୍କୁ ଏହି କଥା ଶୁଣି ବଡ଼ ଅସନ୍ତୁଷ୍ଟ ହୁଅନ୍ତି, କହନ୍ତି- "ଦେଖ ବୁଢ଼ାଟେ-ତିନିକାଳ ଗଲା । ୪ର୍ଥ ଅବସ୍ଥାରେ କିକଥା କହି ପିଲାଗୁଡ଼ାକର ମନ ମୋଟ କରିଦେଉଚି ।" ବିନୋଦ ଦିନେ ତାର ସ୍ତ୍ରୀକୁ ଧରି ତାର ଗାଁକୁ ଚାଲିଗଲା । ମଣି ଆଉ ସରୋଜ ତାକୁ ପ୍ରାୟ ଅଧାବାଟଯାଏ ଛାଡ଼ିଯାଇ କାନ୍ଦି କାନ୍ଦି ଫେରି ଆସିଲେ । ମଣି କିଛିଦିନ ପରେ ବିନୋଦ ଗାଁକୁ ଯିବ ବୋଲି ଅମ୍ବିକାକୁ କହିଲା । ବିନୋଦ ସ୍ତ୍ରୀର ନାମ ଅମ୍ବିକା । ସେ ଯେପରି ସୁନ୍ଦରୀ ସେପରି ଗୁଣବତୀ । ତେବେ-ତେତେ ପାଠ ପଢ଼ିନାହିଁ । ବିନୋଦ ଯାହା ଅଳ୍ପ ପଢ଼ାଇଛି । ବିନୋଦ ମଧ୍ୟ ପାଠ ଲୋଡ଼େ ନାହିଁ । ଯାହା ସ୍ତ୍ରୀଠାରେ ଥିବାର ପ୍ରୟୋଜନ ସେ ତାହା ଅମ୍ବିକାଠାରୁ ପାଇ ସନ୍ତୁଷ୍ଟ । ଅମ୍ବିକାର ଗୁଣରେ ମଣି ଏପରି ମୁଗ୍ଧ ହୋଇଥିଲା ଯେ, ତାକୁ ପ୍ରାଣଠାରୁ ଅଧିକ କରି ଭଲ ପାଉଥିଲା । ଦୁହେଁ ଦୁଇ ଭଉଣୀ ପରି ଚଳୁଥିଲେ । ତାଙ୍କ ଭିତରେ ଏହା ମଧ୍ୟରେ କଥାହେଲା ଯେ, ସେମାନେ ସମୟ ନେଇ ଏକାଠି ରହିବେ । ଅମ୍ବିକା ଥିଲା ଗୃହିଣୀ ପରି ବଡ଼ସ୍ଥିର । ମାତ୍ର ମଣିର ଶିଶୁଭାବ ଯାଇ ନ ଥିଲା । ତାର ଗୃହିଣୀର ଦାୟିତ୍ୱରେ କେତେକ ଅଭାବ ଥିଲା । କଳ୍ପନାର କଳ୍ପଲୋକରେ ଭାସିବା ତାର ଥିଲା ବିଶେଷ ଅନୁଭୂତି ।
ଅମ୍ବିକାକୁ ମଣି କଣ ଦେଇ ନଥିଲା- ଧନ ପଦାର୍ଥତ ଯାହା ଦେବାର ଦେଇଥିଲା- ସେକଥା କିଏ ପଚାରେ- ତେବେ ସେ ଆଉ ଗୋଟିଏ ଅମୂଲ୍ୟ ପଦାର୍ଥ ଦେଇଥିଲା- ତାହା- ତାର ପ୍ରାଣର ଭଲ ପାଇବା ।
ସେଥି ମଧ୍ୟରେ ମଣିଥିଲା ସ୍ୱର୍ଗର ପାରିଜାତ ଅମ୍ବିକା ଥିଲା ମର୍ତ୍ତ୍ୟର ମନ୍ଦାର-ଉଭୟଙ୍କର ବିଦାୟ ମିଳନର ଦୃଶ୍ୟକୁ ସ୍ମୃତିକୋଷର ଅମୂଲ୍ୟ ନିଧି କରି ଉଭୟେ ଭିନ୍ନ ଭିନ୍ନ ଦିଗରେ ଗଲେ ।
କବିଙ୍କ ତୁଣ୍ଡରୁ ଶୁଭିଲା-
ବିରହ ଦହନେ ନ ତାତିଲେ ତନୁ
ମିଳନ ମାଧୁରୀ ପାଶୋରନ୍ତା ମନୁ ନଥିଲେ ବଜର ବରଷନ୍ତା ଘନୁଁ
ସୁଧାରସ ଧାରା କେ କରନ୍ତା ପାନ ।
ସମାଜର କୁସଂସ୍କାର ଗୌରବ ଚୁଡ଼ାକୁ ସରୋଜ ଭାଙ୍ଗିଦେଇ କେତେ ସମାଜ ମିତ୍ରଙ୍କଠାରୁ ଗାଳିଖାଇଲା, ମାତ୍ର ଦେଶର ପ୍ରତ୍ୟେକ ପତ୍ର ପତ୍ରିକା ତାର ମଙ୍ଗଳ ଚିନ୍ତାକଲେ- ତାକୁ ଧନ୍ୟବାଦ ଦେଲେ । ଏ ବିବାହର ନୂତନତ୍ୱରେ ପତ୍ରିକା ମଣ୍ଡଳୀ ଛବି ମାଳରେ ଭୂଷିତ ହୋଇ କାଟଭିର ସୀମା ରଖିଲେ ନାହିଁ । "ଶେଷରେ ମଣି-ସରୋଜ" ଛବି ଦର୍ଶକକୁ ନବଭାବରେ ବିମୁଗ୍ଧ କରି ଦେଇଥିଲା ।
ସେମାନଙ୍କର ପ୍ରଦର୍ଶିତ ପଥରେ ଦେଶର ଶତ ଶତ ଯୁବକ ଆଗଭର ହୋଇ ପଥିକ ହେଲେ । ସେମାନଙ୍କର ସୁଗୁଣ ସୌରଭ ଚତୁର୍ଦ୍ଦିଗରେ ବିକିରିତ ହେଲା । ଲେଖକ ବିଚରା କର୍ତ୍ତବ୍ୟ ଚକରୁ ପଛକେ ଶତ୍ରୁକାରେ ନାଁଟି ଦେଖାଇବା ପାଇଁ ଲେଖିଲା-
"ସେ ସୌରଭେ ବ୍ରାହ୍ମଣର ଦର୍ପ ହେଲା ଚୂନା ।
ଚାଣ୍ଡାଳ ରଚିଲା ନିତି ଦେବ ଅରଚନା ।
ପତିତ ସେ ସୌରଭରେ ହୋଇଲା ଜାଗ୍ରତ ।
ଶଠତା ଭଣ୍ଡତା ଯେତେ ଦଳିଲା ମହତ ।"
ସନାତନ ଧର୍ମ ସଂସ୍କୃତ ହେଲା- ଅର୍ଯ୍ୟ ଗୌରବ ରବି ବିକଶି ଉଠିଲା ।
- x -
ବାଡ଼ି ପଛ ବଗିଚାରେ ଗୋଟିଏ ଗଛ ମୂଳେ ବସି ସରୋଜ ଚାହିଁଥିଲା ଦୂର ଆକାଶକୁ ଏବଂ ତାର ଜୀବନର ଲକ୍ଷକୁ ଚିନ୍ତା କ୍ଷେତ୍ରକୁ ଟାଣୁଥିଲା । ତା' ମନରେ ଗୋଟାଏ ଅପୂର୍ବ ଆନନ୍ଦ ଆସିଲା, ତାର ଜୀବନ କି ସୁଖମୟ ! ଦୁଃଖ ଯେ ସେ ପାଇନାହିଁ, ପାଇବ ନାହିଁ ତାହା ନୁହେଁ । ମାତ୍ର ସେ ଦୁଃଖକୁ ହୁଃଖ ଭାବିନାହିଁ ବା ଭାବିବ ନାହିଁ । କାହିଁକି - ଯେପରି ତାର ମନର ଭାବ ଅନୁଭବ କରି ସୁନ୍ଦରୀ ରାଣୀ "ଜେମାମଣି"- ତେଣୁ ଗାଇ ଗାଇ ଆସି କୋଳରେ ପଶିଗଲା- ସେହି ଅତୀତର ଅନ୍ଧକାର ପାଶୋରା ଭବିଷ୍ୟତର ଭାବନାମରାକବି ଓମରଙ୍କର ଲଳିତକାନ୍ତ ବର୍ତ୍ତମାନ ଚିନ୍ତାର କବିତା-
"ଏଇଠାରେ ଏଇ ତରୁତଳେ
ତୁମେ ମୁଁ ବସି କୁତୂହଳେ
ଜୀବନର ଯେ କେତୋଟି-ଦିନ
କାଟିଦେବା ହେଳେ ।
ସଙ୍ଗେଥିବ ପାନୀୟ ପାତ୍ର
ଅଳ୍ପ କିଛି ଆହାର ମାତ୍ର
ଖଣ୍ଡିଏ ମାତର ଛାନ୍ଦ ମଧୁର କାବ୍ୟ କଳା କରେ-
ଥିବ ତୁମେ ମୋହରି ପାଶେ
ଗାଇବା ଦୁହେଁ ପ୍ରେମୋଚ୍ଛାସେ
ମରୁ ମଝିରେ ସ୍ୱପ୍ନ ସ୍ୱର୍ଗ କରିବା ବିରଚନ
ଗହନ କାନନ ହେବ ସିନା
ସରଗ ନନ୍ଦନ ।"
No comments