ବା
ବନ୍ଦଇ ଦେବ ଜଗନ୍ନାଥ । କମଳା ଦେବୀର ସଙ୍ଗାତ ।।
ଲକ୍ଷ୍ମୀ ଦେବୀର ପ୍ରାଣନାହା । ଶୋଭିତ ଶଙ୍ଖ ଚକ୍ର ବାହା ।।
ଅଶେଷ ବ୍ରହ୍ମାଣ୍ତ ଠାକୁର । ବିଜୟ ଦ୍ୱାରକା ନଗର ।।
ଧନ୍ୟ ସେ ଦ୍ୱାରକା ମହିମା । ନିର୍ମାଣ କଲା ବିଶ୍ୱକର୍ମା ।।
ଅଠର ବଂଶ ଲୋକ ଯହିଁ । ଅଛନ୍ତି ପ୍ରଭୁ ସଙ୍ଗେ ନେଇ ।।
ସମସ୍ତେ ବିଷ୍ଣୁର କୁଟୁମ୍ବ । ସକଳ ସମ୍ପଦ ଆରମ୍ଭ ।।
ଅର୍ଜିଲେ ବହୁ ସୁତାସୁତ । କୁଟୁମ୍ବ ହୋଇଲେ ବହୁତ ।।
କୃଷ୍ଣର ବହୁତ ଯୁବତୀ । ବତିଶ ସହସ୍ର ଅଛନ୍ତି ।।
ଗୋଟିଏ ଲେଖାଏଁ ଦୁଲ୍ଲଣା । ଏଥି ଅଧିକ ନୁହେଁ ଉଣା ।।
ଦୁହିତା ତିନିଗୋଟି ଜାତ । ଏମନ୍ତେ କୁଟୁମ୍ବ ବହୁତ ।।
ରାଜା ତହିଁରେ ଉଗ୍ରେସେନ । ମନ୍ତ୍ରୀ ଯାଦତ ତିନିଜଣ ।।
ଶୁଭେଣ ପରିଜା ପାଳନ୍ତି । ବଳିଷ୍ଠ ଦୁର୍ବଳ ଅଛନ୍ତି ।।
ସବୁରି ଘରେ ଶୁଦ୍ଧ ସ୍ୱର୍ଣ୍ଣ । ସମସ୍ତେ କୁବେର ସମାନ ।।
ଯାବତ ଓଷା ବାରବ୍ରତ । ସେ ପୁରେ ଅଛଇ ସମସ୍ତ ।।
ଆପେ ମନୁଷ୍ୟ ଦେହ ଧରି । ମେଦିନୀ ଭାରା ନାଶ କରି ।।
ଯହିଁ ବିଜୟ ଯଦୁବତ୍ସ । ତହିଁକି କିସ ଦେବା ଭକ୍ଷ ।।
ଆଶ୍ୱିନ କାର୍ତ୍ତିକ ହୋଇଲା । ମାର୍ଗଶିର ଯେ ପ୍ରବେଶିଲା ।।
ତା ଅନ୍ତେ ପୌଷ ମାଘ ଲେଖ । ଫାଲ୍ଗୁନ ଚୈତ୍ର ଯେ ବୈଶାଖ ।।
ଜ୍ୟେଷ୍ଠ ଆଷାଢ଼ ଯେ ଶ୍ରାବଣ । ଭାଦ୍ରବ ମାସ ହୁଏ ପୁଣ ।।
କୃଷ୍ଣ ପ୍ରତିପଦା ତିଥିର । ଯେତେ ହୁଅଇ ରବିବାର ।।
ଖୁଦୁରୁକୁଣୀ ନାମେ ଓଷା । ହୋଇଲା ସେହିଦିନ ନିଶା ।।
ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ଶୁଣ ଚକ୍ରଧର ।।
ଆଦିତ୍ୟ ବାର ଆଜି ହୁଏ । ହୋଇବ ମଙ୍ଗଳ ଓଷାଏ ।।
ଖୁଦୁରୁକୁଣୀ ନାମ ତାର । ପୁଜିଲେ ମଙ୍ଗଳ ଅପାର ।।
ସତ୍ୟ ଯୁଗରେ ଯେ ମଙ୍ଗଳା । ଝିଅଙ୍କୁ ପାଳି ଗିରିବାଳା ।।
ମାତାଙ୍କୁ ମାଗିଲେ ସେ ବର । ଏ ଓଷା ହୋଇବ ଆମ୍ଭର ।।
ପ୍ରସନ୍ନ ହୋଇ ବର ଦେବା । ଅସ୍ତୁ ବୋଇଲେ ତାଙ୍କୁ ସର୍ବା ।।
ସେ ଦିନୁ ଏ ଓଷା ସମ୍ଭୁତ । ବାଳିକାମାନଙ୍କର ମତ ।।
ପ୍ରସନ୍ନ ବଦନ ମଙ୍ଗଳା । ବାଳିକାମାନଙ୍କର ଲୀଳା ।।
ଏଥକୁ ଆଶ୍ରେ ହେଲେ ହରି । ପୂଜିବେ ସୁଖେ ବାଳି ନାରୀ ।।
ଶ୍ରୀକୃଷ୍ଣ ବୋଇଲେ ମୃଗାକ୍ଷୀ । ପୂର୍ବରୁ ଯେବେ ବିଧି ଅଛି ।।
ଆମ୍ଭେ ତା ନ କରିବା ନାସ୍ତି । ବାଳିକା ଶ୍ରଦ୍ଧା ଯେ କରନ୍ତି ।।
ଶୁଣି ରୁକ୍ମଣୀ ହେଲେ ତୋଷ । ଆଶ୍ରମେ ହୋଇଲେ ପ୍ରବେଶ ।।
ବିବିଧ ବର୍ଣ୍ଣେ ନାନାପୁଷ୍ପ । ମଣ୍ତିଲେ ଦାସୀ ଚଉପାଶ ।।
ଅନେକ ପୁଷ୍ପ ମାଳ ମାଳ । ରଚି ରୁକ୍ମଣୀ ତତ କାଳ ।।
ଲିପିଣ ମୁରୁଜ ପାଢ଼ିଲେ । ସୁବର୍ଣ୍ଣ କୁମ୍ଭ ବସାଇଲେ ।।
ଫଳ ଉପାଧିମାନ କରି । ସୁବର୍ଣ୍ଣ ଚାଙ୍ଗୁଡ଼ାରେ ଭରି ।।
ଥୋଇଲେ ସକଳ ସନ୍ନିଧେ । ଅନେକ ଦିପାବଳୀ ମଧ୍ୟେ ।।
ଯେତେକ ଓଷାର ଯେ ବିଧି । ଯେତକ ଦ୍ରବ୍ୟ କଲେ ସିଦ୍ଧି ।।
ବସିଲେ ବାଳିକା ସୁନ୍ଦରୀ । ହସ୍ତରେ ପୁଷ୍ପାଞ୍ଜଳି ଧରି ।।
ଆବୋରି ବସିଲେ ସମସ୍ତେ । ଅଠର ବଂଶଲୋକ ଯେତେ ।।
ଶ୍ରୀୟା ଯେ ମଧୁବତୀ ବାମା । ରୁକ୍ମଣୀ ଲୀଳା ସତ୍ୟଭାମା ।।
ସେ ଲୀଳା ମାଳ ଯେ ଦୁଲ୍ଲଣା । ସୁକେଶୀ ଚଞ୍ଚଳ ଖଞ୍ଜନା ।।
ମରୁଆ ସେବତୀ କୁଙ୍କୁମ । ସରୁଆ ତୁଳସୀ ଉତ୍ତମ ।।
ପଦ୍ମା ହେ ସେବତୀ ପାର୍ବତୀ । ବିମଳା ମଦନ ମାଳତୀ ।।
କପୋତୀ ହଂସ ଯେ ସୁମେଧା । ରମ୍ଭା ଶ୍ରୀକୃଷ୍ଣ ପ୍ରିୟ ରାଧା ।।
ଏମନ୍ତେ ଅନେକ ତରୁଣୀ । କେ ତାହା ପାରିବ ବଖାଣି ।।
ଦେବକୀ କୃଷ୍ଣର ଜନନୀ । ବସିଲେ ସବୁ ନାରୀ ଘେନି ।।
ବୃଦ୍ଧ ବାଳିକା ଯୁବ ନାରୀ । ବସିଲେ ମଙ୍ଗଳା ସୁମରି ।।
ଜୟ ଗୋ ଜୟ ଗୋ ମଙ୍ଗଳା । ଉଦ୍ଧାରୁ ବୁଡ଼ିବାର ଭେଳା ।।
ଜୟ ତୁ ମଙ୍ଗଳା ଉତ୍ତମ । ଆରତୀ ଭଞ୍ଜନୀ ତୋ ନାମ ।।
ସଙ୍କଟ ତାରିଣୀ ମଙ୍ଗଳା । ହୃଦେ ମନ୍ଦାର ପୁଷ୍ପ ମାଳା ।।
ପ୍ରସନ୍ନ ହୁଆ ମହାମାୟେ । ଆମ୍ଭଙ୍କୁ ହୁଅ ଗୋ ସଦୟେ ।।
ସଙ୍କଟ ତାରିଣୀ ମଙ୍ଗଳା । ଉଦ୍ଧାରୁ ବୁଡ଼ିବାର ଭେଳା ।।
ହସ୍ତ ଯୋଡ଼ିଣ ସର୍ବନାରୀ । ବାଞ୍ଛା ସମସ୍ତେ ହୃଦେ କରି ।।
ଏଥୁ ଉତ୍ତାରୁ ଶକ୍ରାବତୀ । ଶାଶୁଙ୍କୁ ବଚନ ବୋଲନ୍ତି ।।
କହ ଏ ଓଷା ବିଧି କଥା । ପୂର୍ବହୁଁ ଯେମନ୍ତେ ବ୍ୟବସ୍ଥା ।।
ବଧୁ ବଚନେ କରି ଦୟା । କହନ୍ତି ବସୁଦେବ ପ୍ରିୟା ।।
ପ୍ରଥମେ ଜମ୍ବୁଦୀପେ ସାର । ବେଢ଼ିଛି ଲବଣ ସାଗର ।।
ଏ ପକ୍ଷେ ଦ୍ୱୀପେ ଶୁଦ୍ଧ ନୀର । ବେଢ଼ିଛି ବଳୟ ଆକାର ।।
ଦଧି ସମୁଦ୍ର ବାର ଦ୍ୱୀପେ । ଲବଣ ସମୁଦ୍ର ସମିପେ ।।
ସୁରା ସମୁଦ୍ର ଯେ ତହିଁରେ । ବେଢ଼ିଛି ଚାରି ପାରୁଷରେ ।।
ରତ୍ନ ଦ୍ୱୀପରେ ସିନ୍ଧୁ ଶୁଣ । ବେଢ଼ିଛି ଯେସନେ ପୁଣ ।।
ଦ୍ୱୀପଙ୍କ ମଧ୍ୟେ ଅସ୍ତଗିରି । ବେଢିଛି ମେରୁକୁ ଆବୋରି ।।
ଗିରିକି କେତେ ହେ ଅନ୍ତର । ଅଛଇ ଏକ ଦ୍ୱୀପାନ୍ତର ।।
ତହିଁରେ ରାଜା ତିଳଧ୍ୱଜ । ବହୁତ ଆୟତନ ରାଜ୍ୟ ।।
ସମସ୍ତ ଘରେ ଯେ କୁଶଳ । ଧର୍ମ ସ୍ଥାପିଣ ମହିପାଳ ।।
ଭାରିଯାମାନେ ପତିବ୍ରତା । ନିଯୋଗ ଲୋକ ଯେ ଖଟନ୍ତା ।।
ସଭାରେ ତାର ମିଛ ନାହିଁ । ରାଜ୍ୟକୁ ଶତ୍ରୁ ନ ଆସଇ ।।
ପରଜା ପାଳେ ପୁତ୍ର ଜାଣି । ଗୁହାରୀ ତତକାଳେ ଶୁଣି ।।
ମନ୍ତ୍ରୀର ନାମ ଗୁଣନିଧି । ପୁତ୍ରର ନାମ ତା ସୁବୁଦ୍ଧି ।।
ସେ ନଗ୍ର ବଡ଼ ଶୋଭାବନ । ଅଳକା ପୁରକୁ ସମାନ ।।
ବହୁତ ସାଧବ ଅଛନ୍ତି । ବୋଇତ ବାଣିଜ୍ୟ କରନ୍ତି ।।
ସେହି ବାଣିଜ୍ୟ ପରସାବେ । ଜିଣନ୍ତି କୁବେରକୁ ବାଦେ ।।
ପୋଇଲି ପିନ୍ଧେ ପାଟ ଶାଢ଼ୀ । ଆବର ହସ୍ତେ ସୁନାଚୁଡ଼ି ।।
ସାଧବ ମାନଙ୍କର ନାରୀ । ଶରୀର ସୁବର୍ଣ୍ଣ ଆବୋରି ।।
ଗୁରୁ ହୋଇବ ବୋଲି ଅଙ୍ଗ । ଅଳଙ୍କାରକୁ ମଣେ ଖଙ୍ଗ ।।
ସ୍ଫଟିକ ପୀଡ଼ା ସର୍ବ ଘରେ । ପାବଚ୍ଛ ମାନ ସ୍ପଟିକରେ ।।
ପ୍ରକାର ସ୍ତମ୍ଭ ସୁନା ଶ୍ରେଣୀ । ଉହାଡ଼େ ସୁବର୍ଣ୍ଣ ଛାଉଣୀ ।।
ସୁବର୍ଣ୍ଣ କଳସ ପୀଢ଼ାରେ । ପତାକା ଉଡ଼ଇ ସଧିରେ ।।
ଧନ୍ୟ ସେ ନଗର ଉତ୍ତମ । ସମସ୍ତ ଘର ଲୋକ ସମ ।।
ତହିଁରେ ଏକ ସାଧୁ ଘର । ତନୟ ବନ୍ତ ନାମ ତାର ।।
ପତ୍ନୀର ନାମ ଶକୁନ୍ତଳା । ଜନ୍ମ ସେ କଲା ସପ୍ତବାଳା ।।
ଝିଅର ନାମ ତଅପୋଈ । ସବୁହୁ ଦୁଲ୍ଲଣା ଅଟଇ ।।
ସାଧବ ବଡ଼ ଧନେଶ୍ୱର । ବୋଇତ ସାତ ଖଣ୍ତତାର ।।
ସାତ ପୁଅରେ ସାତ ବୋହୁ । ସମସ୍ତେ ସୁନ୍ଦରୀ ସବୁହୁଁ ।।
ଚାଲନ୍ତି ସୁନାରେ ରୂପାରେ । ଶୁଅନ୍ତି ଖଟ ପଲଙ୍କରେ ।।
ଏକ ଦିନରେ ତଅପୋଈ । ଖୋଳିଣ ଗଲା ସାଇ ପାଇ ।।
ମନ୍ତ୍ରୀର ଝିଅ ସଙ୍ଗେ ମିତ । ଆବର ଅନେକ ସଙ୍ଗାତ ।।
ଖେଳଇ ଘେନି ସଙ୍ଗାତକୁ । ବୟସ ପାଞ୍ଚ ସିନା ତାକୁ ।।
ଏକ ବ୍ରାହ୍ମଣୀ ରାଣ୍ତୀ ଆସି । ଝିଅ ଖେଳିଲା ଘରେ ପଶି ।।
ବୋଇଲେ ତଅପୋଈ ମାଏ । ବାପାଙ୍କର ଯେ ଏକଝିଏ ।।
ପୁଅ ମାନଙ୍କ ଠାରୁ ସାନ । ମାଆ ବାପାଙ୍କର ଜୀବନ ।।
କରିଛୁ ବାଂଶର କଲାଇ । ଧରିଛୁ ବାଂଶର ଟୋକାଇ ।।
ତୋପରା ହୋଇଥିଲେ ମୁହିଁ । ଚଢ଼ାନ୍ତି ସୁବର୍ଣ୍ଣ କୁଲାଇ ।।
ବାପ ମାଆଙ୍କୁ କରି ଦ୍ୱନ୍ଦ । ଗଢ଼ାନ୍ତି ସୁବର୍ଣ୍ଣର ଚାନ୍ଦ ।।
ତୁ ହାବେ ହୋଇଅଛୁ ଯାହା । ତୋତେ କି ନ ମିଳିବ ତାହା ।।
ଦେଖ ଏମନ୍ତ ଯେମାଦେଈ । ଘେନିଛୁ ବାଂଶର କୁଲାଇ ।।
ଏ ଯେତେ ସାଧବଙ୍କ ବାଳି । ଖେଳନ୍ତି ସୁନାର ଚାଙ୍ଗୁଡ଼ି ।।
ଏତକ କହି ରାଣ୍ତୀ ଗଲା । ତିମିର ପ୍ରବେଶ ହୋଇଲା ।।
ଖେଳ ଭାଙ୍ଗିଣ ସର୍ବ ବାଳି । ନିଜ ମନ୍ଦିରେ ଗଲେ ଚଳି ।।
ବିରସେ ତଅପୋଇ ଗଲା । ଗମ୍ଭୀରି ଭିତରେ ପଶିଲା ।।
କବାଟ କିଳି ମୁହଁ ମାଡ଼ି । ଶୋଇଲା ରତ୍ନ ଖଟେପଡ଼ି ।।
ସମସ୍ତେ ଭୁଞ୍ଜିଣ ବସିଲେ । ଝିଅକୁ ବାପା ସଙ୍ଖୋଳିଲେ ।।
ମାଏ ବୋଇଲେ ଆସିନାହିଁ । ଏତେ ରାତ୍ରରେ ଥିବ କାହିଁ ।।
କହଇ ସାନ ବୋହୁ ଯାଇ । ଅଛନ୍ତି ଗମ୍ଭୀରରେ ଶୋଇ ।।
ସାଧବ ଫେଡ଼ିଲା କବାଟ । ବସିଲା ଯାଇ ରତ୍ନଖଟ ।।
ବୋଇଲେ କାହିଁ ପାଇଁ ମାଏ । ଶୋଇଛୁ ରୁଷିଲା ପରାଏ ।।
ଗଢ଼ାଇ ଦେବି ଭାଙ୍ଗିଥିଲେ । ଖୋଜାଇ ଦେବି ହଜିଥିଲେ ।।
ଧୋବଣି ଧୋବା ନ ଖଟିଲା । ତାମ୍ବୁଳି ପାନ କି ନ ଦେଲା ।।
ଗଭା କି ନ ଦେଇଛି ମାଳି । କିଏବା ତୋତେ ଦେଲା ଗାଳି ।।
ତୋତେ କି ବିଭା କରାଇବା । ତହିଁକି ରୁଷିଅଛୁ ଅବା ।।
କଥା ନ କହି କିମ୍ପା ମୋରେ । ରୁଷିଛୁ କେଉଁ ନିମନ୍ତରେ ।।
ଚାଟ ନ ଶୁଣେ ତଅପୋଈ । ଶୋଇଛୁ ମାନଭର ହୋଇ ।।
ସପତ ଭାଇ ଉଠାଇଲେ । ମାତାହିଁ ଅନେକ କହିଲେ ।।
କେବେହେଁ ନ ଉଠଇ ବାଳି । କୁଟୁମ୍ବ ଯାକ ମନେ ଭାଳି ।।
ନିଳେନ୍ଦ୍ରି ନାମେ ସାନ ବୋହୁ । ତଅପୋଈର ପ୍ରିୟ ସେହୁ ।।
ସେ ବୋହୁ ଅନେକ କହିଲା । ନ ଉଠି ବଚନ ବୋଇଲା ।।
କହ ମୋ ପିତାର ଅଗ୍ରତେ । ସୁବର୍ଣ୍ଣ ଚାନ୍ଦ ଦେଉ ମୋତେ ।।
ନ୍ଦେଲେ ନ ଖାଇବି ଭାତ । ତୋ ଆଗେ କହୁଅଛି ସତ ।।
ଶୁଣି ସମସ୍ତେ ତୋଷହେଲେ । ଝିଅଙ୍କୁ ପିଅର ବୋଇଲେ ।।
ଏ ଛାର କଥାକୁ ଗୋ ମାଏ । ରୁଷିଛୁ ନ ମିଳିଲା ପ୍ରାୟେ ।।
କାଲି ଭିତରେ ଗଢ଼ାଇବି । ପନ୍ଦର ଦିନେ ଚାନ୍ଦ ଦେବି ।।
ଶୁଣି ଉସତ ତଅପୋଈ । ବସିଲା ମାତା କୋଳେ ଯାଇ ।।
ଏମନ୍ତ ରଜନୀ ପାହିଲା । ସାଧବ ବିନ୍ଧାଣି ଆଣିଲା ।।
ସାଧବସାଧବାଣୀ ବସି । ଗଢ଼ାନ୍ତି ସୁବର୍ଣ୍ଣର ଶଶି ।।
ଚାରି ପାରୁଶେ ଶୋହେହିରା । ଚନ୍ଦ୍ରକୁ ବେଢ଼ି ଯେହ୍ନେ ତାରା ।।
ଏମନ୍ତେ କେତେ ଦିନଗଲା । ସାଧବ ଅଧା ଚାନ୍ଦେ ମଲା ।।
ମାତା ହିଁ ପୂର୍ଣ୍ଣଚାନ୍ଦେ ମଲେ । ସମସ୍ତେ କୁଟୁମ୍ବ କାନ୍ଦିଲେ ।।
କିଛି ଦିନରେ କ୍ରିୟା ସାରି । ବ୍ରାହ୍ମଣେ କଉତିଶେ ବରି ।।
ଏମନ୍ତ କେତେ ଦିନ ଗଲା । ବୋଇତ ପଦାର୍ଥ ସରିଲା ।।
ସୁବାୟୁ ଦେଖି ସାଧୁମାନେ । ହରଷ ହେଲେ ନିଜ ମନେ ।।
ସମୁଦ୍ରେ ବୋଇତ ମେଲିଲେ । ସପତ ବୋହୁକୁ ଡ଼ାକିଲେ ।।
ବୋଇତେ ଯାଉଅଛୁ ଆମ୍ଭେ । ଘର ସମ୍ଭାଳି ଥିବ ତୁମ୍ଭେ ।।
ଦେଖ ଏ ଦଇବର କୃତ୍ୟ । ପିତା ସଙ୍ଗତେ ଗଲେ ମାତ ।।
ଯେମନ୍ତେ ଝିଅ ନ ଝୁରିବ । ତେମନ୍ତେ ସେବା କରୁଥିବ ।।
ଭୋଜନ କରାଇବ ଆଣି । କହି ଅପୂର୍ବ ରସବାଣୀ ।।
ଦୋଳିରେ ଦୋଳି ପଞ୍ଚାଇବ । ନିମିଷେ ହେଳା ନ କରିବ ।।
ଶୁଣି ବୋଲନ୍ତି ସାତ ଯାଏ । ଝିଅଙ୍କୁ ନାହିଁ କିଛି ଭୟେ ।।
ନିରତେ ସେବା କରୁଥିବୁ । କ୍ଷଣେ ହେ ହେଳା ନ କରିବୁ ।।
ତୁମ୍ଭଙ୍କୁ ଦେଖିକରି ଆମ୍ଭେ । ହେଳାରେ ରହିଥିଲୁ ଦମ୍ଭେ ।।
ଯେବେ ଯାଉଛ ବାଣିଜ୍ୟରେ । ଆଣିଥିବଟି ଅଳଙ୍କାରେ ।।
କେବୋଲେ ମୋର ସୁନାଚୁଡ଼ି । ଆଣି ଥିବଟି ରତ୍ନେ ଜଡ଼ି ।।
କେ ବୋଲେ ହୀରାର ବୟଣୀ । ମୋହର ପାଇଁ ଥିବ ଆଣି ।।
କେ ବୋଲେ ସୁବର୍ଣ୍ଣ କଙ୍କଣ । ଆଣିବ ମୋହ ନିମନ୍ତେଣ ।।
କେ ବୋଲେ ଅଷ୍ଟରତ୍ନ ତାରା । କେ ବୋଲେ ଖଞ୍ଜା ମୋତିହୀରା ।।
କେ ବୋଲେ ହୀରା ମଲ୍ଲୀ କଢ଼ି । ଉତ୍ତମ ରୂପେ ଥିବ ଗଢ଼ି ।।
ଭାଇଙ୍କ ବୋଲେ ତଅପୋଈ । ମୋ ପାଇଁ ହୀରାର କୁଣ୍ଢାଇ ।।
କେ ବୋଲେ ବସନ୍ତ ପତନୀ । ମୋହର ପାଇଁ ଥିବ ଆଣି ।।
ଏମନ୍ତେ ଶୁଣି ସାତଭାଇ । ଜଳେ ବୋଇତ ଗଲେ ବାହି ।।
ଏମନ୍ତେ କେତେଦିନ ଗଲା । ବୋଇତ ସେ ରାଜ୍ୟେ ଲାଗିଲା ।।
କୁଶଳେ ରହିଲେ ସେ ଯାଇ । କୋଶଳ ଦ୍ୱୀପ ସେ ବୋଲାଇ ।।
କହନ୍ତି ପ୍ରଭୁ ଚକ୍ରପାଣି । ଶୁଣି ସନ୍ତୋଷ ଠାକୁରାଣୀ ।।
ସମସ୍ତେ ଦେଲେ ହୁଳ ହୁଳି । ଯୁବା ତରୁଣୀ ବୃଦ୍ଧା ମିଳି ।।
ମଙ୍ଗଳା ନାମ ଉଚ୍ଚାରିଲେ । କର ଅଞ୍ଜଳି ଶିରେ ଦେଲେ ।।
ଯେ ଯାହା ଉପଚାର ବିଧି । ପୂଜି କାମନା କଲେ ସିଦ୍ଧି ।।
କହନ୍ତି ଦାସ ଗୋପୀନାଥ । କୃଷ୍ଣ ଚରଣେ ମୋର ମାଥ ।।
ପ୍ରଥମ ପାଳି ଅଧା ଶେଷ । କାମିନୀ ଗଣ ହେଲେ ତୋଷ ।।
ଚଳିଲେ ଯେ ଯାହା ସଦନ । ମଙ୍ଗଳ ନାମ କରି ଧ୍ୟାନ ।।
ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ନାମ ପ୍ରଥମ ଅଧ୍ୟାୟ ।।
ଏଥିଉତ୍ତାରୁ ଏବେ ଶୁଣ । କହନ୍ତି ପ୍ରଭୁ ନାରାୟଣ ।।
ରଙ୍ଗ ଅଧରେ ନନ୍ଦେ ହସି । ରୁକ୍ମଣୀ ମୁଖ ଚାହିଁ ଭାସି ।।
ବୋଲନ୍ତି ଆରେ ପ୍ରିୟତମା । ତଅପୋଈର ଏ ମହିମା ।।
ଶୁଣିଲୁ ଟିକି ପ୍ରିୟସହୀ । ତୋ ଆଗେ କହିଲାଇଁ ମୁହିଁ ।।
ସତ୍ୟଭାମା ଯେ ପାଶେ ଥିଲେ । କର ଯୋଡ଼ିଣ ଜଣାଇଲେ ।।
ବୋଇଲେ କହ ଏ ବିଧାନ । ଶୁଣି ଶରଧା ହେବ ମନ ।।
ସତ୍ୟଭାମାର ବୋଲ ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି ।।
ତନୟ ସାଧବ କୁମରେ । ଗଲେ ବୋଇତ ବାଣିଜ୍ୟରେ ।।
ଲାଗିଲା ଏକ ଦୀପାନ୍ତରେ । ସୁଖେଣ ବିକା କିଣା କଲେ ।।
କିଣିଲେ ଅଳଙ୍କାର ମାନ । ରହିଲେ ତହିଁ କିଛି ଦିନ ।।
ଏଥି ଉତ୍ତାରୁ ସାତଯାଏ । ଘର ସମ୍ଭାଳି ଦିନ ନିଏ ।।
ତଅପୋଈକି ପାଳିଥାନ୍ତି । କ୍ଷଣେ ହେ ହେଳା ନ କରନ୍ତି ।।
ସେବା କରିଣ ଥାନ୍ତି ନୀତି । ଦେଖ ଗୋ ଦଇବର ଗତି ।।
ସେତ ସ୍ୱର୍ଗର ଅପସରୀ । ମର୍ତ୍ତେ ମନୁଷ୍ୟ ଦେହ ଧରି ।।
ସୁନ୍ଦର ପଣେ ମନୋହର । ଦେଖି ଢ଼ଳିବେ ସୁର ନର ।।
ମୁଖ ଦିଶଇ ଚନ୍ଦ୍ର ଜିଣି । ତିଳ କୁସୁମ ନାସାମଣି ।।
ଅଧର ପକ୍ୱ ବିମ୍ବଫଳ । ଘଞ୍ଜନ ନୟନ ଚଞ୍ଚଳ ।।
କୁମ୍ବଳାକୃତି କଣ୍ଠ ଦେଶ । ବୀର ଚାମର ପ୍ରାୟ କେଶ ।।
କୋକିଳ ପ୍ରାୟେ କହେ ବାଣୀ । ଅଙ୍ଗୁଳି ଚମ୍ପାକଢ଼ କିଣି ।।
ଚରଣ ରଙ୍ଗ ଅରବିନ୍ଦ । ବେଢ଼ିଣ ଥାନ୍ତି ଷଟପଦ ।।
ଏମନ୍ତେ ତଅପୋଈ ବାଳା । ତାହାର ସପତଣି ଲୀଳା ।।
ଏହି ସମୟେ କାଳ ଜାଣି । ସ୍ୱର୍ଗରୁ ଅଇଲା ରମଣୀ ।।
ସାଧବ ଦ୍ୱାରେ ସେ ମିଳିଲା । କପଟେ ଭିକ୍ଷା ସେ ମାଗିଲା ।।
ରାଣ୍ଡୀ ବ୍ରାହ୍ମଣୀ ରୂପଧାରୀ । ଦେଖିଲେ ସାଧବର ନାରୀ ।।
ସର୍ବେ ଦେଖିଣ ତାରେ ଧାଇଁ । ମାୟାରେ କିଛି ନ ଦିଶଇ ।।
ତାହାର ଡାକ ଶୁଣି କର୍ଣ୍ଣ । କେହି ନ ବୋଇଲେ ବଚନ ।।
ବୋଲଇ ଭିକ୍ଷା ଦିଅ ମାୟେ । କି କରୁଅଛ ସାତଯାଏ ।।
ରାଣ୍ଡୀ ବ୍ରାହ୍ମଣୀ ବୋଲେ ଶୁଣି । ସମସ୍ତେ କେ ଲୁଚନ୍ତି ବାଣୀ ।।
କେ ବୋଲି କୁଙ୍କୁମ ଲିପୁଛି । କେ ବୋଲେ ଗଭାବାନ୍ଧୁ ଅଛି ।।
କେ ବୋଲି ଭାଙ୍ଗୁ ଅଛି ଗୁଆ । ବ୍ରାହ୍ମଣୀ ଦଣ୍ଡେ ହୁଅ ଠିଆ ।।
ଯେ ଯେଉଁ ରୂପେ କରୁଥିଲେ । ସମସ୍ତେ ସେପରି କହିଲେ ।।
ବ୍ରାହ୍ମଣୀ ବୋଲେ ତାହା ଶୁଣି । କାହାକୁ ନିଯୋଗ ଲୋ ପୁଣି ।।
ଏମନ୍ତ ବୋଲି ଦେଲା ଚାହିଁ । ଦୋଳିରେ ଅଛି ତଅପୋଈ ।।
ବ୍ରାହ୍ମଣୀ ବୋଲଇ ଉତ୍ତର । ଏ କିସ ହୁଅନ୍ତି ତୁମର ।।
ହରଷ ବୋଲି ସବୁଯାଏ । ଆମ୍ଭର ନଣନ୍ଦ ଗୋ ହୁଏ ।।
ବ୍ରହ୍ମଣୀ ଶୁଣି ବୋଲେ ବାଣୀ । ତୁମ୍ଭେ ଲୋ ନିର୍ଲ୍ଲଜ ତରୁଣୀ ।।
କନିଷ୍ଠ ନଣନ୍ଦ ଛାରକୁ । ଶତ୍ରୁ ରଖିଛ ଉପରକୁ ।।
ବସିଛି ଦୋଳିର ଉପର । କିମ୍ପା ଏହାକୁ ସେବା କର ।।
ଏକାଳେ ମାଣୁଅଛ ଭଳ । ପଛକୁ ପାଇବଟି ସଲ ।।
ଭାଇ ମାନଙ୍କୁ ଖଚ କହି । ଅନେକ ଶାସ୍ତି ଲୋ ଭୟ ।।
ଛେଳି ରଖାଅ ବନସ୍ତରେ । ମରାଅ ବ୍ୟାଘ୍ର ଭଲ୍ଲୁକରେ ।।
ନୋହିଲେ ନିଶ୍ଚୟ ମରିବ । ଏମନ୍ତେ ଯେବେ ନ କରିବ ।।
ଭଲ ସମୟ ଅଛି ହୋଇ । ଘରେ ନାହାନ୍ତି ସାତଭାଇ ।।
ଏକଥା ଯାହା ସେ କହିଲା । ସବୁରି ମନକୁ ଅଇଲା ।।
ନିଳେନ୍ଦ୍ରି ନାମେ ସାନବୋହୁ । ତଅପୋଇର ପ୍ରିୟ ସେହୁ ।।
ମୋ ମନେ ଯେଉଁକଥା ଅଛି । ତୁ ଏକା ହୋଇଥିବୁ ସାକ୍ଷୀ ।।
ସେ ବୋହୁ ଏମନ୍ତ ଚିନ୍ତିଲା । ଏମନ୍ତ କେତେଦିନ ଗଲା ।।
ନ ଦେଲେ ସୁଗନ୍ଧ ଚନ୍ଦନ । ନ ଦେଲେ ଅଳଙ୍କାରମାନ ।।
ମୁଣ୍ଡକୁ ନ ଦେଲେ ଯେ ତେଲ । ନ ଦେଲେ ପିନ୍ଧିବାକୁ ଭଲ ।।
ବସାଇ ନ ଦେଲେ ଯେ ଦୋଳି । ଆବର ରଖାଇଲେ ଛେଳି ।।
ଅନେକ ଦୁଃଖେ ତଅପୋଇ । ବନସ୍ତେ ଛେଳି ଜଗଥାଇ ।।
ଚଦଇ ବଡ଼ବୋହୁ ପୁଣି । ହଜିବ ଯେବେ ଘରମଣି ।।
ଛେଳିର ନାମ ଘରମଣି । ତେଣୁ ତିଆରେ ମହାମାନୀ ।
ମୁଖେ ଲଗାଇ ଚୂନକାଳି । କାଟିବି ନାକର ବଉଳି ।।
ଛିଣ୍ଡା ଟୋକେଇ ଖଣ୍ଡେ ନେଲା । ଉପରେ ପତର ବୁଜିଲା ।।
ତଳରେ ମୂଷାମାଟି ଭରି । ପତ୍ରରେ ଭାତଗୋଟା ଚାରି ।।
ପାଉଁଶ ଲୁଣ ବୋଳି ଦେଲା । ପତର ଘୋଡ଼ାଇଣ ଦେଲା ।।
ଘେନିଣ ତଅପୋଇ ଚଳି । ବନରେ ଚରାଇଲା ଛେଳି ।।
ଭୋକେଣ ଟୋକେଇ ଫେଡ଼ିଲା । ମାଟି ଦେଖିଣ ଫିଙ୍ଗିଦେଲା ।।
ନିତ୍ୟରେ ଛଅ ବୋହୁମାନ । ଏହି ପ୍ରକାରେ ଦିନେ ଦିନେ ।।
ସାନବୋହୁର ପାଳି ଦିନ । ବହୁତ ଦେଇଥାଇ ଅନ୍ନ ।।
ତିଅଣ ଲୁଣ ଦେଇଥାଇ । ସେଦିନ ବସି ସୁସ୍ଥେ ଖାଇ ।।
ଏମନ୍ତ କେତେଦିନ ଗଲା । ଭାଦ୍ରବ ମାସ ଯେ ହୋଇଲା ।।
ବନରେ ବସି ତଅପୋଇ । କଷ୍ଟେଣ ଛେଳି ରଖିଥାଇ ।।
ବରଷାବେଳେ ଘରମଣି । ହଜିଲା ବନସ୍ତରେ ପୁଣି ।।
ଘରକୁ ସବୁ ଛେଳି ଗଲେ । ଗୁହାଳ ଭିତରେ ପଶିଲେ ।।
ଦେଖିଲା ବଡ଼ବୋହୁ ଯାଇଁ । ଗୁହାଳେ ଘରମଣି ନାହିଁ ।।
ମାଇଲୁ ମୋର ଛେଳିଗୋଟି । ହଜାଇଅଛୁ ନାକ କାଟି ।।
ନଲେ ନାକ ଯେ କାଟିବି । ଘରୁ ବାହାର କରିଦେବି ।।
ଏଥି ଉତ୍ତାରୁ ତଅପୋଇ । ନୀରବେ ଛେଳି ଖୋଜିଯାଇ ।।
ଆଡ଼ ଉହାଡ଼ ଲତା ତଳ । ଖୋଜେ କଣ୍ଟକ କଣ୍ଟାମାଳ ।।
ସମସ୍ତ ଠାବ ସେ ବୁଲିଲା । ନପାଇ ତାଟଖା ହୋଇଲା ।।
ନିଶି ହୋଇଛି ଘଡ଼ି ଦୁଇ । ଅନ୍ଧାରେ ପଥ ନ ଦିଶଇ ।।
ଯୋଗେ ସେଦିନ ରବିବାର । ଖୁଦୁରୁକୁଣୀ ଓଷା ସାର ।।
କୋଠରେ ବାଳଝିଅ ମିଳି । ହେଉଅଛନ୍ତି ହୁଳହୁଳି ।।
ତାହା ଶୁଣିଲା ତଅପୋଇ । କୋଠରେ ମିଳିଲା ସେ ଯାଇ ।।
ବୋଇଲା ନାରୀମାନେ ଶୁଣ । ଏ ଓଷା କଲେ କେଉଁ ଗୁଣ ।।
ଶୁଣି ବୋଲନ୍ତି ବାଳଝିଏ । ଏ ଓଷା ପାଞ୍ଚପାଳି ହୁଏ ।।
ଖୁଦୁରୁକୁଣୀ ଏ ଅଟଇ ଯାହା ମାଗିବ ତାହା ପାଇ ।।
ଏଥିରେ ଦେବତା ମଙ୍ଗଳା । ରଖନ୍ତି ବଡ଼ିବାର ଭେଳା ।।
ଏମନ୍ତ ଶୁଣି ତଅପୋଈ । ମନରେ ଆନନ୍ଦ ହୁଅଇ ।।
ବୋଇଲା ଏ ଓଷା କରିବି । ହଜିଲା ଛେଳିକି ପାଇବି ।।
ତଅପୋଈକୁ ବସାଇଲେ । ସମସ୍ତ ଫଳ ନେଇ ଦେଲେ ।।
ବସିଲା ସାଧବର ବାଳୀ । ମନରେ ମଙ୍ଗଳା ସୁମରି ।।
ମାଗୋ ମଙ୍ଗଳା ତୁ କାମାକ୍ଷୀ । ମୁଁ ତୋତେ ସେବା କରୁଅଛି ।।
ଛେଳିକି ପାଇବି ମୁଁ ଯେବେ । ମୋହର ବାଞ୍ଛା ସିଦ୍ଧ ତେବେ ।।
ଏମନ୍ତ ବିଚାରି ମନରେ । ଛେଳି ନିମନ୍ତେ ଗଲା ଖରେ ।।
ବାଟେ ଦେଖିଲା ଘରମଣି । ନିଶ୍ଚିତ ହୋଇଲା ତତ୍କ୍ଷଣି ।।
ମନରେ ବାଞ୍ଛା ସିଦ୍ଧ କଲା । ଛେଳିକି ନେଇଣ ରଖିଲା ।।
ଏଥି ଉତ୍ତାରୁ ସାଧୁ ବାଳି । ଘରମଣିକି ନେଇ ଚଳି ।।
ଘରକୁ ଅଡ଼ାଇଣ ନେଲା । ଗୁହାଳ ଭିତରେ ଛାଡ଼ିଲା ।।
ବସିଲା ବହନ୍ତିରେ ଯାଇ । ଦେହକୁ ଶୀତଳ କରାଇ ।।
ଏ ଅନ୍ତେ ବଡ଼ ବୋହୁ ଆସି । ଦେଖିଲା ହାରେ ଅଛି ବସି ।।
ବୋଇଲା କାଲି କାହିଁ ଥିଲୁ । ମୋର ଛେଳିକି ହଜାଇଲୁ ।।
ପଡ଼ିନ ଥାନ୍ତୁ ଯେବେ ଭେଟ । ପିଟନ୍ତି ତେନ୍ତୁଳିର ଛାଟ ।।
ଏମନ୍ତ ଶୁଣି ତଅପୋଈ । ଡରେଣ ବଚନ ବୋଲଇ ।।
ଛେଳିକି ଅଣିଲ ଯେ ଖୋଜି । ବରଷା ବେଳେ ଥିଲା ହଜି ।।
ବୋଲଇ ବଡ଼ ବୋହୁ ପୁଣି । ବହନ ଛେଳି ଯାଅ ଘେନି ।।
ସକାଳୁ ଭାତ ବଢ଼ା ହୋଇ । ଥୁଆ ହୋଇଛି ତୋହପାଇଁ ।।
ରାତ୍ର ପାହିଲା ଘେନିଯାଅ । ଛେଳିକି ବହନ ଚରାଅ ।।
ତା ଶୁଣି ତଅପୋଈ ଗଲା । ଗୁହାଳ ଭିତରେ ପଶିଲା ।।
ଛେଳି ପଲକୁ ଅଡ଼ାଇଲା । ବନରେ ନେଇ ଚରାଇଲା ।।
ବେଳ ବୁଡ଼ିଲା ବନସ୍ତର । ଅନ୍ଧାରେ ନ ଦିଶେ ଦୁଆର ।।
ଏମନ୍ତ କେତେ ଦିନଗଲା । ଖୁଦୁରୁକୁଣୀ ଓଷା ହେଲା ।।
ରାଜର ତଅପୋଇ ବାଳି । ପାଇଛି ହଜିଲାର ଛେଳି ।।
ଏମନ୍ତ ପାଞ୍ଚପାଳି ଗଲା । ସଖିଙ୍କ ସଙ୍ଗତେ ମିଳିଲା ।।
ଖୁଦକୁଣ୍ଡାରେ ପିଠା କରି । ଖୁଦ ତଣ୍ଡୁଳ ପୂର କରି ।।
ସଖିଙ୍କି ମାଗିଲା ବହନ । ଫଳ ଫୁଲର ପିଠାମାନ ।।
ଓଷା କୋଠିରେ ଯାଇ ବସି । ଭାଇଙ୍କ ଶୁଭ ସେ ମନାସି ।।
ବୋଇଲା ମଙ୍ଗଳା ଉଦ୍ଧାର । ମହା ସଙ୍କଟୁ ପାରିକର ।।
ଦଶ ବରଷ ହେଲା ଗଲେ । ଆପଣା ରାଜ୍ୟକୁ ନଇଲେ ।।
ଅସାର ସପନ ଦେଖିଲି । ତେଣୁ ତୁମ୍ଭଙ୍କୁ ଆଶ୍ରା କଲି ।।
ଭୋଦେବୀ ମଙ୍ଗଳା ତୋସଇଁ । ଶୁଭେ ଆସିବେ ସାତ ଭାଇ ।।
ଦେଖିବି ବେନି ନୟନରେ । ପ୍ରବେଶ ହୋଇଲେ ମନ୍ଦିରେ ।।
ଏମନ୍ତ ବାଞ୍ଛା କରି ବାଳି । କରେ ଘେନିଲା ଦୀପାବଳୀ ।।
ସମସ୍ତେ ହୁଳହୁଳି ଦେଲେ । ମଙ୍ଗଳା ନାମ ସୁମରିଲେ ।।
ଏମନ୍ତେ ଓଷା ପୂଜା ସାରି । ଯେ ଯାହା ମନ୍ଦିରକୁ ଚଳି ।।
କହଇ ଗୋପିନାଥ ଦାସ । ଦୟା କରିବେ ପୀତବାସ ।।
ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ତଅପୋଇ । ମନୋରଥ ପ୍ରାପ୍ତ ଉଚ୍ଚାରଣେ ନାମ ଦ୍ୱିତୀୟୋଧ୍ୟାୟଃ ।।
ଏଥୁ ଅନନ୍ତେ ଏବେ ଶୁଣ । ଯେ ଯାହା ପୂର୍ବର କଷଣ ।।
ସେ କଥା ଆନ ଯେ ନୁହଇ । ଦଇବ ଯୋଗେ ଭୋଗ ହୋଇ ।।
ପ୍ରଭାତେ ତଅପୋଇ ବାଳି । ସ୍ନାନ ସାରିଣ ନେଲା ଛେଳି ।।
ଦେଇଛି ବଡ଼ ବୋହୁ ଭାତ । ଫେଡ଼ିଣ ଦେଖିଲା କୁରିତ ।।
ତଳୁରେ ଅଛି ମୂଷାମାଟି । ଉପରେ ଭାତ ଚାରିଗୋଟି ।।
ପାଉଁଶ ବାଲି ଲୁଣ ନାହିଁ । ତିଅଣ ଅବା ଥିବ କାହିଁ ।।
ଏହା ଦେଖିଣ ତଅପୋଇ । ଉଚ୍ଚେଣ ଉଠିଲା ବୋବାଇ ।।
ପିଅର ଅଧା ଚାନ୍ଦେ ମଲେ । ମାତା ହିଁ ପୁରାଚାନ୍ଦେ ମଲେ ।।
ବୋଇତେ ସାତ ଭାଇ ଗଲେ । ଭାଉଜ ଏତେ କଷ୍ଟ ଦେଲେ ।।
ନିଶ୍ଚେ ଏ ବନରେ ମରିବି । ଘରକୁ ଆଉ କିମ୍ପା ଯିବି ।।
ଏମନ୍ତ କହି କାନ୍ଦେ ବାଳି । ଶବଦେ ବନସ୍ତ ଉଛୁଳି ।।
ଦେଖ ବିଧାତା ଘଟସୂତ୍ର । ତେଣେ ସାଧବ ସାତପୁତ୍ର ।।
ବୋଇତ ଘେନି ଆସି କୂଳେ । କାନ୍ଦଣା ଶବଦ ଶୁଣିଲେ ।।
ନିକଟେ କାନ୍ଦୁଅଛି ବାଳି । ତୁଣ୍ଡ ବାରିଣ ମନେ ଭାଳି ।।
ତଅପୋଇର ତୁଣ୍ଡ ପ୍ରାୟେ । ଶୁଭଇ ଅରଣ୍ୟ ଲତାଏ ।।
ଶୁଣି କନିଷ୍ଠ ଭାଇ ଗଲା । ଅରଣ୍ୟ ଭିତରେ ପଶିଲା ।।
ରଜନୀ ଅର୍ଦ୍ଧ ଅଛି ହୋଇ । ଦେଖି ସାଧବପୁତ୍ର ଯାଇ ।।
କିଏ ତୁ ଭଲଣେ ଗୋ କହ । ତଅପୋଈର କମ୍ପେ ଦେହ ।।
କାହାର ଅଟୁ ତୁ ଗୋ ବଂଶ । ନାମ ତୋହର ଅଟେ କିସ ।।
ଏମନ୍ତ ଶୁଣି ତଅପୋଈ । ନ କାନ୍ଦି ସମ୍ଭାଳି କହଇ ।।
ନ ଜାଣେ ଭାଇ ବୋଲି କର । ଉଭା ହୋଇଲା ମନେ ଡରି ।।
ବୋଇଲା କେ ତୁମ୍ଭେ ଗୋସାଇଁ । ନିରକ୍ଷ ପ୍ରାଣୀ ମୁଁ ଅଟଇ ।।
ବଡ଼ ଘରେଣ ହୋଇ ଜାତ । ଏ ବନେ ହୋଇଲି ଅନାଥ ।।
ମୋର ପିତାଙ୍କ ନାମ ସାହୁ । ସାତ ପୁଅରେ ସାତବୋହୁ ।।
ବୋଇତ ସାତଖଣ୍ଡ ତାର । ସେ ଅଟେ ପିଅର ମୋହର ।।
ମୋହର ନାମ ତଅପୋଈ । କହିଲେ କଷ୍ଟ ନ ସରଇ ।।
ଭାଇ ଯେ ଗଲେ ବୋଇତରେ । ଭାଉଜ କଷ୍ଟଦେଲେ ମୋରେ ।।
ଅନେକ ମୋତେ ଦେଲେ ଗାଳି । ବନସ୍ତେ ରଖାଇଲେ ଛେଳି ।।
ମନେ ପଡ଼ିଲେ ଭାଇମାନେ । ରୋଦନ କରୁଛି ବନେ ।।
ଶୁଣ ହେ ମାତ ତଅପୋଈ । ବୋଇତ ଘେନି ସାତଭାଇ ।।
ଆସିଲୁ ଏହି ନିକଟରେ । ରୋଦନ ଶୁଣିଲୁ ସେଠାରେ ।।
ମୋତେ ପେଶିଲେ ଜ୍ୟେଷ୍ଠଭାଇ । ବୋଇତେ ଛନ୍ତି ଦେଖଯାଇ ।।
ତେଣୁ ମୁଁ ଏଠାକୁ ଅଇଲି । ଅରଣ୍ୟେ ତୋତେ ମୁଁ ଦେଖିଲି ।।
ଏବେ ଗୋ ମାଏ ଚାଲ ଯିବା । ଭାଇଙ୍କୁ ସମସ୍ତ କହିବା ।।
ଶୁଣି ଆନନ୍ଦ ତଅପୋଈ । ଅନ୍ଧ କି ଚକ୍ଷୁଦାନ ପାଲ ।।
ଚାତକ ପିଇଲା କି ନୀର । ଚନ୍ଦ୍ର କି ଦେଖିଲା ଚକୋର ।।
ଭାଇ ଭଉଣୀ ବେଗେ ଗଲେ । ବୋଇତେ ପ୍ରବେଶ ହୋଇଲେ ।।
ବୋଇତେ ଜଳୁଥିଲା ଦୀପ । ଦେଖିଲେ ତଅପୋଇ ରୂପ ।।
ତେଲ ବିହୁନେ କେଶ ଉଡ଼େ । ମୁଣ୍ଡୁ ଉକୁଣୀ ଝରି ପଡ଼େ ।।
ଛିଣ୍ଡା ଲେଙ୍କଡ଼ା ପିନ୍ଧିଥାଇ । ଦେଖି ବିକଳ ସାତଭାଇ ।।
କହଇ ଭାଇଙ୍କ ଆଗରେ । ତୁମ୍ଭେ ତ ଗଲ ବୋଇତରେ ।।
ପାଳି ଯେ ଥିଲେ ମାସ ଦୁଇ । ଯେଉଁ ପ୍ରକାରେ ଥିଲ କହି ।।
ରାଣ୍ଡି ବ୍ରାହ୍ମଣୀ ବୋଲ ଶୁଣି । ନଦେଲେ ମୋତେ ଅନ୍ନପାଣି ।।
ସେ ରାଣ୍ଡି କହିଲା ତାହାଙ୍କୁ । ଛେଳି ରଖାଅ ନଣନ୍ଦକୁ ।।
ତାହାର ବୋଲକୁ ଶୁଣିଲେ । ବନରେ ଛେଳି ରଖାଇଲେ ।।
ଭିତରେ ମୂଷାମାଟି ଭରି । ଉପରେ ଗୋଟି ଭାତ ଚାରି ।।
ବଡ଼ବୋହୁର ଏହି ମତେ । ଦୁଃଖ ଯେ ଦେଲେ ଯେତେ ।।
ସାନବୋହୁର ପାଳି ଦିନ । ବହୁତ ଦେଇଥାଇ ଅନ୍ନ ।।
ଏମନ୍ତ ଶୁଣି ସାତ ଭାଇ । କହନ୍ତି ଶୋକଭର ହୋଇ ।।
ଅଷ୍ଟରତ୍ନର ଅଳଙ୍କାର । ଦେଲେ ଯେ ଭଉଣୀ ଶରୀର ।।
ବସାଇ ଚଉକି ଉପରେ । ତୀକ୍ଷ୍ଣକାତିଏ ଦେଲେ କରେ ।।
ବୋଇଲେ ଯେହୁ ପ୍ରିୟତୋର । ନସିକା ନ କାଟିବୁ ତାର ।।
ଯେଅବା ଦୁଖଃଦେଲେତୋରେ । ନାସିକା କାଟିବୁ ତାହାରେ ।।
ଏମନ୍ତ କହି ଭାଇ ଗଲେ । ରାଜ୍ୟକୁ ଦୂତ ବରିଗଲେ ।।
ରାଜ୍ୟରେ ଚହଳ ପଡ଼ିଲା । ଶୁଭେଣ ବୋଇତ ଲାଗିଲା ।।
ଆନନ୍ଦ ରାଜ୍ୟ ଲୋକେ ଶୁଣି । ଏଥି ଉତ୍ତାରୁ ଶୁଣ ପୁଣି ।।
ପୁଣି ହିଁ ସାଧବର ପୁଅ । ଘରକୁ କହି ପଠିଆଏ ।।
ବେଗ ହୋଇଣ ତୁମ୍ଭେ ଯାଅ । ବୋହୁମାନଙ୍କ ଆଗେ କହ ।।
ସଙ୍ଗତେ ଘେନି ତଅପୋଈ । ଆସନ୍ତୁ ବୋଇତ ବନ୍ଦାଇ ।।
ତକ୍ଷଣେ ଲୋକ ଧାଇଁଗଲେ । ସପତ ବୋହୁଙ୍କୁ କହିଲେ ।।
ତଅପୋଇକି ସଙ୍ଗେ ନିଅ । ଶୁଭେଣ ବୋଇତ ବନ୍ଦାଅ ।।
ଶୁଣି ସମସ୍ତେ ଆରତେଣ । ତଅପୋଇକି ଖୋଜି ଆଣ ।।
ବୋଲଇ ସାନବୋହୁ ତହିଁ । କାଲିତ ବନୁ ଆସି ନାହିଁ ।।
ଖାଇଲା ଭୂତ କି ରାକ୍ଷାସ । ଏବେ ଲୋଡ଼ିଲେ ହେବ କିସ ।।
କର୍ମେ ଅବଶ୍ୟ ଅଛି ଯାହା । ଭୋଗ କରିବାଟିକି ତାହା ।।
ବୋଇଲ ବଡ଼ ବୋହୁ ଶୁଣି । ବାହାର ହୁଅ ଅର୍ଘ ଘେନି ।।
ବୋଇତ ବେଗେ ବନ୍ଦାଇବା । ପୁଚ୍ଛାଲେ ବଞ୍ଚାଇ କହିବା ।।
ଏମନ୍ତେ ଅର୍ଘ ଘେନି ବାଳି । ବୋଇତ ପାଶେ ଯାଇ ମିଳି ।।
ବୋହୁଙ୍କୁ ଦେଖି ସାତ ଭାଇ । ବୋଲଇ ଅଧର କମ୍ପାଇ ।।
ସଙ୍ଗତେ ତଅପୋଇ ନାହିଁ । ତୁମ୍ଭେ ଆସିଲ କିମ୍ପାଇଁ ।।
ମଝିଆଁ ବୋହୁ ବୋଲେ ବାଣୀ । ଜରାଇଛନ୍ତି ଝିଅମଣି ।।
କେମନ୍ତେ ଚାଲିଣ ଆସିବେ । ହେହରେ ପୀଡ଼ା ଯେ ପାଇବେ ।।
ଏମନ୍ତ ଶୁଣି ସାତ ଭାଇ । କହନ୍ତି ଚକ୍ରାଧଭର ହୋଇ ।।
ଦେବତା ଛନ୍ତି ମଙ୍ଗ କୋଣେ । ବନ୍ଦାଅ ଯାଇ ଜଣେ ଜଣେ ।।
ପ୍ରଥମେ ବଡ଼ବୋହୁ ଗଲା । କୋଣେ ଦେବତା ବନ୍ଦାଇଲା ।
ଛୁରୀରେ ତଅପୋଇ ବାଳି । କାଟିଲା ନାକର ବଉଳି ।।
ନୀଳେନ୍ଦ୍ରି ନାମେ ସାନବୋହୁ । ତଅପୋଇର ପ୍ରିୟ ସେହୁ ।।
ସମସ୍ତ ପଛେ ସେ ଅଇଲା । ସେ ବୋହୁ ପଛେ ବନ୍ଦାଇଲା ।।
ସାନବୋହୁକୁ ଦେଖି ବାଳି । ସେ ହସ୍ତରୁ ପକାଇଲା ଛୁରୀ ।।
କଣ୍ଠୁ କାଢ଼ିଲା ରତ୍ନମାଳି । ବୋହୁବେକେରେ ଦେଲା ବାନ୍ଧି ।।
କାଖ କରିଣ ବୋହୁ ନେଲା । ଆପଣା ମନ୍ଦିରେ ରଖିଲା ।।
ଅତି ଆନନ୍ଦ ସେ ହୋଇଲେ । ଉତ୍ତମ ସୁଖ ଭୋଗ କଲେ ।।
ଏମନ୍ତ ଶୁଣି ସେ ରୁକ୍ମଣୀ । ବୋଲନ୍ତି ଆହେ ଚକ୍ରପାଣି ।।
ନାକୋଇମାନେ କାହିଁ ଗଲେ । କେମନ୍ତେ ଯାଇ ସେ ରହିଲେ ।।
ସେ କଥା କହ ଆହେ ହରି । କେମନ୍ତେ ହେଲେ ଏତେସରି ।।
ରାଣ୍ଡି ବ୍ରାହ୍ମଣୀ ସିନା ଆସି । ତାହାକୁ ଶିଖାଇଲା ବସି ।।
ବୋଲଇ ନଣନ୍ଦ ଏ ଛାର । ଏହାକୁ ଏତେ ସେବାକର ।।
କଷଣ ଦେଇ ତ ମାଇଲ । ପଛକୁ ଦୁଃଖ ସମ୍ପାଦିଲ ।।
ତୁମ୍ଭେ ଗୋ ନିର୍ଲ୍ଲଜ ବାଳୀଶ । ଏହାର ଯୋଗ ଯିବ ନାଶ ।।
ଏମନ୍ତ କହିଣ ସେ ଗଲା । ମାୟା ମୋହିନୀ ଲଗାଇଲା ।।
ହଜିଲା ଏହାଙ୍କର ବୁଦ୍ଧି । ନଣନ୍ଦ ସଙ୍ଗେ ହେଲେ ବାଦୀ ।।
ଆୟତ ନ ଥିଲା ତାଙ୍କରି । କିମ୍ପା ହୋଇଲେ ଏତେସରି ।।
କହନ୍ତି ଦେବକୀ ନନ୍ଦନ । ଶୁଣ ଗୋ ଯୁବତୀ ରତନ ।।
ନାକୋଇମାନେ ତହିଁଗଲେ । ଅରଣ୍ୟ ଭିତରେ ପଶିଲେ ।।
ବହୁତଦୂର ପଥ ଯାଇ । ବୁଲନ୍ତି ବାଇ ପ୍ରାୟ ହୋଇ ।।
ବିକଳେ କରନ୍ତି ରୋଦନ । ଶୁଭଇ ଘୋର ଗରଜନ ।।
ସମସ୍ତେ ହୋଇ ଏକମେଳ । ବସିଲେ ବୃକ୍ଷ ଛାଇତଳ ।।
ରଧିରେ ତନୁ ଜର ଜର । ପଡ଼ଇ ଧରିଣୀ ଉପର ।।
ହୃଦୟେ ବେନିକର ମାରି । କାନ୍ଦନ୍ତି ଦଇବ ସୁମରି ।।
ଆହା ବିଧାତା ଏହା କଲୁ । କି ଦୋଷେ ଏ ଦଶା କହିଲୁ ।।
ଏକା କରମ ଷଡ଼ ନାରୀ । ଲେଖିଣ ଥିଲୁ କି ବିଚାର ।।
କମ୍ପାଇ ନ କଲୁ ମରଣ । ବନସ୍ତେ ଥିଲା ଏ କଷଣ ।।
ସାଧବ ଘରେ ହେଲେ ଜାତ । ଏକାଳେ ହୋଇଲୁ ଅନାଥ ।।
ଯାଆନ୍ତୁ ବାପା ଭାଇ ଘର । ମୁଖକୁ ଚାହିଁବୁ କାହାର ।।
ଏମନ୍ତ ବୋଲିଣ ଯୁବତୀ । ସମସ୍ତେ ରୋଦନ କରନ୍ତି ।।
ବୋଇଲେ କରିବା ଗୋ କିସ । ଖାଇ ମରିବା ଆଣ ବଷ ।।
କେ ବୋଲେ କିଛିଗୋ ନଭାଳ । ନିଶ୍ଚେ ପୁରିଲା ଆମ୍ଭ କାଳ ।।
କେ ବୋଲେ ବନେ ପଶିଯିବା । ବ୍ୟାଘ୍ର ଭାଲୁଙ୍କ ମୁଖେ ଯିବା ।।
କେହି ଆମ୍ଭଙ୍କୁ ନ ଖାଇଲେ । ନିରେଖ ବୋଲି ଛାଡ଼ିଗଲେ ।।
ଏମନ୍ତ ବହୁ ବେଳ ଗଲା । ତମିର ଆସି ପ୍ରବେଶିଲା ।।
ଦଇବ ଯୋଗେଣ ଶଦୃଳ । କ୍ଷୁଧା ତୃଷାରେ ସେ ଆକୁଳ ।।
ମିଳିଲେ ଯୁବତୀଙ୍କ ପାଶ । ଦେଖିଣ ବଡ଼ିଲା ସାହାସ ।।
ନାକୋଇମାନେ ତହିଁ ପଡ଼ି । ପିଣ୍ଡରୁ ପ୍ରାଣ ଗଲା ଛାଡ଼ି ।।
ବେନି ଶାର୍ଦ୍ଦୃଳ ତହିଁ ଗଲେ । ସେ ମୃତପିଣ୍ଡ ପଡ଼ିଥିଲେ ।।
ଏମନ୍ତ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ।।
ସେ ବନେ ସଦାଶିବ ଥାନ୍ତି । ମର୍କତଲିଙ୍ଗ ଶୋଭାପାନ୍ତି ।।
ତାହାଙ୍କୁ ନ ଦେଖନ୍ତି କେହି । ଗୁପତେ ହୋଇଥାନ୍ତି ରହି ।।
ବିରୁପା ନାମେଣ ଶବର । ବୁଲଇ ମହାବନ ଘୋର ।।
ଏମନ୍ତେ ବନେ ବୁଲୁଥିଲା । ବନେ ସେ ଲିଙ୍ଗକୁ ଭେଟିଲା ।।
ଦେଖିଲା ମର୍କତ ଲିଙ୍ଗକୁ । ବିଚାର କଲା ସେ ମନକୁ ।।
ବୋଇଲା ଆଜି ଭାଗ୍ୟେ ମୋର । ଦର୍ଶନ ପାଇଲା ଶଙ୍କର ।।
ସେ ଶୁଦ୍ଧଚିତ୍ତେ ଦୃଢ଼ କଲା । ସାଷ୍ଟାଙ୍ଗ ଦଣ୍ଡବତ କଲା ।।
ଉଠି ହୋଇଲା କୃତ୍ୟ କୃତ୍ୟ । ସେଠାରୁ ଗଲାକ ତ୍ୱରିତ ।।
ସ୍ନାନ ଶଉଚ ଜଳେସାରି । ନୀର ଆଣିଲା କରେ ଧରି ।।
ଶିବଙ୍କ ଶିରରେ ଢାଳିଲା । କୁସୁମ ବେଲପତ୍ର ଦେଲା ।।
ସୁସ୍ୱାଦୁ ପକ୍ୱଫଳ ଆଣି । ଦେଇ ପୂଜିଲା ଶୂଳପାଣି ।।
ଉଠିଣ କଲା ନମସ୍କାର । ମେଲିଣ ମାଗିଲା ଛାମୁର ।।
ଉଠି ବୋଇଲେ ଦେବ ହର । ଆନନ୍ଦେ ବୋଇଲେ ଶବର ।।
ଏମନ୍ତ ନିତ୍ୟ ସେବା କରି । ଦୃଢ଼ବିଶ୍ୱାସ ଚିତ୍ତେ ଧରି ।।
ଦିନେ ସେ ବିରୁପା ଶବର । ପୂଜିଣ ଯାଉ ସେ ଶଙ୍କର ।।
ବନେ ଯାଉଛି ବେଗ ହୋଇ । ବାଟରେ ଦେଖିଲାକ ଯାଇ ।।
ଷଡ଼ ଯୁବତୀ ଛନ୍ତି ମରି । ନାସାଛେଦନ ସବୁଙ୍କରି ।।
ଦେଖିଣ ଆଶ୍ଚର୍ଯ୍ୟ ହୋଇଲା । ମର୍କତ ଲିଙ୍ଗ ପାଶେ ଗଲା ।।
ସେ ନିତ୍ୟକର୍ମ ଯେ ସାରିଲା । ଯିବାକୁ ମେଲାଣି ମାଗିଲା ।।
ହିରଣ୍ୟ ନ କହି ବଚନ । ବୁଝିବା ପାଇଁ ତାର ମନ ।।
ଶବର ବହୁତ ଡାକିଲା । ଡାକିଣ ନିରାଶ ହୋଇଲା ।
ବୋଇଲେ ଅପରାଧ ମୋର । ଦୟା ତେଜିଲେ ଦେବ ହର ।।
ଆଉ ଜୀବନ କାର୍ଯ୍ୟ ନାହିଁ । ଆକେଳେ ଦଶଦିଗ ଚାହିଁ ।।
ନାରାଜ ପାଷାଣେ ଘସିଲା । କଣ୍ଠ ତଣ୍ଟିରେ ବସାଇଲା ।।
ଡାକିଲେ ପ୍ରଭୁ ଦେବ ହର । ରହରେ ବିରୂପା ଶବର ।।
କମ୍ପାଇଁ ହାରୁଛୁ ଜୀବନ । ମୁହିଁ ଜାଣିଲି ତୋର ମନ ।।
ପ୍ରସନ୍ନ ହେଇ ମାଗ ହର । ଯେ ଇଚ୍ଛା ମନରେ ତୋହର ।।
ଶବର ମନେ ବିଚାରିଲା । ଯେ ପ୍ରାଣୀ ପରହିତେ ଥାଇ ।।
ସ୍ୱର୍ଗ ପ୍ରାପତ ହୁଏ ତାରେ । ଶୁଣି ମୁଁ ଅଛଇ ସଂସାରେ ।।
ଏମନ୍ତ ମନେ ଚିଚାରିଲା । କର ଯୋଡ଼ିଣ ଜଣାଇଲା ।।
ବୋଇଲା ପ୍ରଭୁ ମହେଶ୍ୱର । ମୋ ଅପରାଧ କ୍ଷମାକର ।।
ଷଡ଼ ଯେ ନାରୀ ଛନ୍ତି ମରି । ଜୀଇଁବେ ନାସିକା କଅଁଳି ।।
ଅସ୍ତୁ ବୋଇଲେ ଶୁଳଧର । ତକ୍ଷଣେ ଦେଖିଲା ଶବର ।।
ବୋଲଇ ଆଗୋ ନାରୀମାନେ । କିମ୍ପା ଅଇଲ ଘୋର ବନେ ।।
ଶୁଣି ସାଧବ ବୋହୁମାନେ । ବୋଲନ୍ତି ଶୁଣ ସାବଧାନେ ।।
କିନିଷ୍ଠ ନଣନ୍ଦ ଆମ୍ଭର । ତା ଲାଗି ହେଲୁ ଏତେ ଦୂର ।।
ନାମ ତା ତଅପୋଇ ବାଳୀ । କାଟିଲା ନାକର ବଉଳି ।।
ନାକୋଇ ହୋଇ ପଳାଇଲୁ । ଲଜ୍ୟାରେ ବନସ୍ତେ ପଶିଲୁ ।।
ବ୍ୟାଘ୍ର ଦେଖିଣ ମୋହ ଯାଇ । ପଡ଼ିଣ ଥିଲୁ ଏହିଠାଇଁ ।।
କେଉଁ ବିଧାତା ବରଦେଲା । ନାସିକାମାନ କଅଁଳିଲା ।।
ଶବର ସମସ୍ତ କହିଲା । ତାହାଙ୍କୁ ପଥ ଦେଖାଇଲା ।।
ସେ ବାପା ଭାଇ ଘର ଗଲେ । ନିଶ୍ଚିନ୍ତ ହୋଇଣ ରହିଲେ ।।
କହଇ ଗୋପିନାଥ ଦାସ । ଉଦ୍ଧାର ମତେ ପୀତ ବାସ ।।
ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ସାହବ ଷଡ଼ବଧୁ ଉଦ୍ଧାରେଣ ନାମ ତୃତୀୟୋଧ୍ୟାୟ ।।
ଏମନ୍ତ କୃଷ୍ଣ ବାଣୀ ଶୁଣି । ହସି ବୋଲନ୍ତି ଠାକୁରାଣୀ ।।
ସେ ତଅପୋଇ କିସ କଲା । କେମନ୍ତ ହୋଇଣ ରହିଲା ।।
ଏମନ୍ତେ କେତେ ଦିନ ଗଲା । ସାଧବ ମନେ ବିଚାରିଲା ।।
ଏବେ କରିବା ସୁ ବିଚାର । ତଅପୋଇର ବିଭାଘର ।।
ଜ୍ୟେଷ୍ଠ ଭ୍ରାତାର ଏହିବାଣୀ । ସମସ୍ତେ ଭାଇମାନେ ଶୁଣି ।।
ବୋଇଲେ କହିବା ଉଚିତ । ଯେ ସାଧୁ ଶ୍ରେଷ୍ଠ କୁଳବନ୍ତ ।।
ଅଇଶ୍ୱର୍ଯ୍ୟରେ ଥିବ ରହି । ବିଭା କରିବା ତଅପୋଇ ।।
କହନ୍ତି ସାଧବ ନନ୍ଦନ । ଏମନ୍ତ ଗଲା କେତେ ଦିନ ।।
ବିରଞ୍ଚି ବୋଲିଣ ସାଧବ । ତାହାର ଧନ ଅସମ୍ଭବ ।।
କୁବେର ସମ୍ପତ୍ତିକୁ ବଳି । ପ୍ରତାପ ନ ପାରିବ କଳି ।।
ସେହି ଦ୍ୱୀପରେ ତାର ଘର । ତା ପୁତ୍ର ନାମ ରତ୍ନାକର ।।
ସୁନ୍ଦର ସୁବୁଦ୍ଧି ପଣ୍ଡିତ । ଗରିଷ୍ଠ ପଣେ ବଳବନ୍ତ ।।
ତାହାକୁ ବିଭା କରିବାକୁ । ତା ପିତା ବିଚାରେ ମନକୁ ।।
ଦୂତମାନଙ୍କୁ ଡକାଇଲା । ପ୍ରସଙ୍ଗ କରିଣ ପେଶିଲା ।।
ତକ୍ଷଣେ ଦୂତମାନେ ଗଲେ । ଥୋକାଏ ରାଜ୍ୟ ସେ ବୁଲିଲେ ।।
ତନୟ ସାଧବର ସୁତ । ସେ ରାଜ୍ୟେ ସେହି ଭାଗ୍ୟବନ୍ତ ।।
ଏକ ଭଉଣୀ ସାତ ଭାଇ । ତାହାର ନାମ ତଅପୋଇ ।।
ତାହାଙ୍କ ହାତରେ ଦୂତ ଆସି । ପ୍ରସଙ୍ଗ କହିଲେ ବିଶେଷି ।।
ବୋଇଲେ ବିରଞ୍ଚି ସାଧୁତ । ତାହାଙ୍କ ପୁତ୍ର ବଳବନ୍ତ ।।
ତଅପୋଇକି ବିଭାକର । ଏ କଥା ଉଚିତ ବେଭାର ।।
ଏମନ୍ତ କହି ଦୂତମାନେ । ମେଲିଣ ହୋଇଲେ ବହନେ ।।
ଯାଇଣ ସାଧବ ତୋଷ ହୋଇ । ଯେ ବିଧି ବିଧାନ ଭିଆଇ ।।
କୂଳ ଧର୍ମର ଯେଉଁ ରୀତି । ସେହି ପ୍ରକାରେ ସେ କରନ୍ତି ।।
ମଙ୍ଗଳ କୃତ୍ୟ ଯେ ଭିଆଣ । ମିଳି ବହୁତ ନାରୀ ଗଣ ।।
ନବୀନ ଭାଣ୍ଡ ମଙ୍ଗୁଳିଲେ । ସମସ୍ତ ହୁଳ ହୁଳି ଦେଲେ ।।
ବସ୍ତ୍ର ଭୁଷଣ ଅଳଙ୍କାର । ଯେ ପୂଜା ବିଧି ଉପଚାର ।।
ଦେଇଣ ସମସ୍ତେ ପୂଜନ୍ତି । ଯୁବତୀ ହୁଳହୁଳି ଦିଅନ୍ତି ।।
ଶଙ୍ଖ ମହୁରୀ ନାନା ବାଦ୍ୟ । ବାଜନ୍ତେ ଉଛୁଳେ ଶବଦ ।।
ସେଠାରୁ ହୁଅନ୍ତି ମେଲାଣି । ବର କନ୍ୟାକୁ ଘରୁ ଆଣି ।।
ଢ଼ାଳନ୍ତି ନେଇ ତୀର୍ଥ ଜଳ । ଯୁବତୀ ହୋଇ ଏକମେଳ ।।
ତ୍ୱରିତେ ତହୁଁ ପୋଛି ଦେଲେ । ମଳିନ ବସ୍ତ୍ର ପିନ୍ଧାଇଲେ ।।
ଏଥି ଉତ୍ତାରୁ ଆରଦିନ । ବିଭା ଉତ୍ସବ ଯୋଗ ଲଗ୍ନ ।।
ବ୍ରାହ୍ମଣ ଯଉଚିଷ ଆସି । ବିଶେଷ ପଚାରନ୍ତି ବସି ।।
କହନ୍ତେ ସମସ୍ତେ ଶୁଣିଲେ । ବିଭା ଉଦ୍ୟମ ପଚାରିଲେ ।।
ମଙ୍ଗଳ ବାଦ୍ୟ ଉଚ୍ଚାରନ୍ତି । ବରକୁ ବେଦୀରେ ବସାନ୍ତି ।।
ବ୍ରାହ୍ମଣେ ବେଦ ବାକ୍ୟ ଭାଷି । ବୋଇଲେ କନ୍ୟାକୁ ଆଣସି ।।
ତା ଶୁଣି କନ୍ୟାକୁ ଅଣାଇ । ଲବଣ ଚଉଁରୀ ପକାଇ ।।
ଅଷ୍ଟରତ୍ନର ଅଳଙ୍କାର । ଖଞ୍ଜିଲେ କନ୍ୟାର ଶରୀର ।।
ଝିନ ବସନେ ପିନ୍ଧାଇଣ । ଦେବାଙ୍ଗ ବସ୍ତ୍ର ଉପରଣ ।।
ଦେଇଣ କନ୍ୟାକୁ ଆଣିଲେ । ବେଦୀ ଉପରେ ବସାଇଲେ ।।
ଅନେକ ବାକ୍ୟ ବଜାବନ୍ତି । ଯୁବତୀ ହୁଳହୁଳି ଦିଅନ୍ତି ।।
ଶବଦ ଶୁଭେ ଘୋରନାଦ । ବ୍ରହ୍ମଣେ ପଢ଼ୁଛନ୍ତି ବେଦ ।।
ଜନ ଗହଳେ ନୁହେଁ ପଶି । ଦେଖି ବର କନ୍ୟାକୁ ତୋଷି ।।
ସମସ୍ତେ ଧନ୍ୟ ଧନ୍ୟ କଲେ । ବିଭା ଉତ୍ସବ ବଢ଼ାଇଲେ ।।
ବନ୍ଧୁ କୁଟୁମ୍ବ ଜ୍ଞାତଜନ । ଭୋଜନ କଲେ ମିଷ୍ଟଅନ୍ନ ।।
ସେଦିନ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ।।
ସାତ ଭାଇଙ୍କି ଅଣାଇଲା । ବିରଞ୍ଚି ସାଧବ ଉଠିଲା ।।
ବୋଇଲା ମେଲାଣି ଆମ୍ଭଙ୍କୁ । ବହନ ଦିଅ ହେ ଯିବାକୁ ।।
ଶୁଣି ତନୟ ସାଧୁ ସୁତେ । ଉଦ୍ୟମ କଲେ ଯିବା ଅର୍ଥେ ।।
ସଜ କରିଣ ରାଜଦୋଳି । ବସାଇ ତଅପୋଇ ବାଳୀ ।।
ସୁବର୍ଣ୍ଣ ଚାନ୍ଦ ଘରେ ଥିଲା । ସାଧବ ବେଗେ ଅଣାଇଲା ।।
ଉପରେ ଟଣାଇଲା ସେହି । ଦେଖି ଆନନ୍ଦ ତଅପୋଇ ।।
ଚନ୍ଦ୍ରକୁ ବେଢ଼ି ଯେହେ ତା'ରା । ଅତି ସୁନ୍ଦର ଦିଶେ ତୋରା ।।
ଦେଖିଣ ନଗ୍ର ନାରୀମାନେ । ବୋଲନ୍ତି ଧନ୍ୟ ତୋ ଜୀବନ ।।
ସାତ ଭାଇରେ ତଅପୋଇ । ଦଣ୍ଡେ ମୂର୍ଚ୍ଛାନ୍ତି କେହି ନାହିଁ ।।
ଭାଉଜ ଦେଖି ନ ପାରିଲେ । ଏହାର ଲାଗି ଦୂର ହେଲେ ।।
ସାନ ଭାଉଜ ନଣନ୍ଦର । ଦଣ୍ଡେ ହେ ନୁହେଁ ଅଭ୍ୟନ୍ତର ।।
କେମନ୍ତେ ମୁର୍ଚ୍ଛିବ ଏହାକୁ । ଆସିବା ଯାଏ ତା ଘରକୁ ।।
ଏମନ୍ତ ଶୁଣି ତଅପୋଇ । ବେନି ନୟନୁ ଲୁହ ବୋହି ।।
ଭାଉଜ କାନ୍ଦେ ଶୋକଭରେ । ଲୁହ ପୋଛିଣ ବେନି କରେ ।।
ସାହି ପଡ଼ିଶା ଯେତେ ଥିଲେ । କାନ୍ଦିଣ ପ୍ରବୋଧନ କଲେ ।।
ଏମନ୍ତ ସୈନ୍ୟ ସାଜ ହେଲେ । ଯେ ଯାହା ବାହାନ ଚଢ଼ିଲେ ।।
ବରକୁ ସେବେଶ କରାଇ । ପାଲିଙ୍କି ଉପରେ ବସାଇ ।।
ଆଗରେ ଗଲେ ତଅପୋଇ । ପଛରେ ବର ଚଳି ଯାଇ ।।
ତଅପୋଇର ସାତ ଭାଇ । ପାଛୋଟି ଖଣ୍ଡେ ଦୂର ଯାଇ ।।
ଚିରଞ୍ଚି ସାଧବକୁ କହି । ଯେ ଯାହା ରୂପେ ମାନ୍ୟହୋଇ ।।
ଲେଉଟି ଘରକୁ ଅଇଲେ । କନ୍ୟ ଘେଣିଣ ସେହି ଗଲେ ।।
ଯାଇଣ ମିଳିଲେ ରାଜ୍ୟରେ । ଶୁଣ ହେ ଏଥୁ ଅନନ୍ତରେ ।।
ଚଉଠି ସାତ ଯେ ମଙ୍ଗଳା । ଏ ରୂପେ ସବୁ ଯେ ବଢ଼ିଲା ।।
ଏମନ୍ତେ ଶ୍ରୀକୃଷ୍ଣର ବାଣୀ । ରକ୍ମଣୀ ସତ୍ୟଭାମା ଶୁଣି ।।
ବୋଲନ୍ତି ଶୁଣ ଦେବହରି । ସେତ ସ୍ୱର୍ଗର ଅପସରୀ ।।
ସାଧବ ଘରେ ସେ ରହିଲା । କେମନ୍ତ ସ୍ୱର୍ଗକୁ ସେ ଗଲା ।।
କହନ୍ତି କମଳ ଲୋଚନ । ଶୁଣ ଗୋ ରମଣୀ ରତନ ।।
ସେ ଚିତ୍ରସେନ ସ୍ୱର୍ଗପୁରେ । ଭାଳଇ ବସି ନିରନ୍ତରେ ।।
ନିକଟ ଦିନ ଆସି ହୋଇ । ଷୋଳ ବରଷ ପୁରି ନାହିଁ ।।
ଏମନ୍ତ ସମୟେ ଗନ୍ଧର୍ବ । ଇନ୍ଦ୍ରଙ୍କୁ ବୋଇଲା ଭୋ ଦେବ ।।
ଏବେ ମୁଁ କରିବି କେମନ୍ତ । ବିଚାରି କହ ଶଚିନାଥ ।।
ଇନ୍ଦ୍ର ବୋଇଲେ ଚିତ୍ରସେନ । ଷୋଳ ବରଷ ଯେଉଁ ଦିନ ।।
ସମ୍ପୂର୍ଣ୍ଣ ହୋଇବଟି ଯେବେ । ବିମାନ ଘେନିଯିବୁ ତେବେ ।।
ବସି କରି ତୋର ନାରୀ । ମଞ୍ଚୁ ଆଣିବୁ ସ୍ୱର୍ଗପୁରୀ ।।
ଶୁଣିଣ ଇନ୍ଦ୍ରର ବଚନ । ଗନ୍ଧର୍ବ ଗଣୁଥାଇ ଦିନ ।।
ଷୋଳ ବରଷ ଯହୁଁ ହେଲା । ବିମାନ ଘେନି ସେ ଚଳିଲା ।।
ପୁଷ୍ପ ବିମାନ ଆକାଶରେ । ରହିଣ ଥିଲା ସେ ଗୁପ୍ତରେ ।।
ଦେଖ ଦଇବର ଗତି । ଯେ ଯାହା କର୍ମ ସେ ଭୁଞ୍ଜନ୍ତି ।।
ତଅପୋଇକି ନେବା ପାଇଁ । ଗନ୍ଧର୍ବ ଆସିଥିଲେ ତହିଁ ।।
ସାତମଙ୍ଗଳା ବିଧି ସାରି । ଅଷ୍ଟମଙ୍ଗଳା ବିଧି କରି ।।
ତଅପୋଇକି ଭାଇ ସାଥେ । ବସାଇ ଗଜଦନ୍ତ ରଥେ ।।
ଘରକୁ ଘେନିଣ ଗମନ୍ତି । ଶୂନ୍ୟେ ଦେଖିଲା ତାର ପତି ।।
ଆସିଣ ପଥ ଓଗାଳିଲେ । ସବୁଙ୍କୁ ଘଉଡ଼ାଇ ଦେଲା ।।
ତଅପୋଇକି ଘେନିଯାଇ । ପୁଷ୍ପକ ବିମାନେ ବସାଇ ।।
ସ୍ୱର୍ଗରେ ଯାଇଣ ମିଳିଲା । ଇନ୍ଦ୍ର ଛାମୁରେ ଜଣାଇଲା ।।
ମାନବ ରୂପ ତାର ଗଲା । ଦେବ ଶରୀର ପ୍ରକାଶିଲା ।।
ଆନନ୍ଦ ହୋଇ ବେନି ଜନେ । ସୁଖେ ରହିଲେ ସ୍ୱର୍ଗ ସ୍ଥାନେ ।।
କହଇ ଶିଶୁ ଗୋପିନାଥ । ଉଦ୍ଧର ଶଙ୍ଖ ଚକ୍ର ହସ୍ତ ।।
ଇତି ଶ୍ରୀକୃଷ୍ଣ ସତ୍ୟଭାମା ଉକ୍ତୌ ତଅପୋଇ ବିବାହ ଓ ସ୍ୱର୍ଗଗମନ ଚତୁର୍ଥ ଅଧ୍ୟାୟ ।।
ଏଥ ଉତ୍ତାରୁ ଏବେ ଶୁଣ । କହିବା ତହିଁର ବିଧାନ ।।
ଯହୁଁ ସେ ତଅପୋଇ ବାଳି । ସ୍ୱର୍ଗଭୁବନେ ଗଲା ଚଳି ।।
ଦେଖି ତାହାର ବନ୍ଧୁ ଜନେ । ଚକିତେ ଚାହିଁଲେ ଗଗନେ ।।
କହନ୍ତେ ସମସ୍ତେ ଶୁଣିଲେ । ବହୁତ ଜନ ମେଳ ହେଲେ ।।
ଦୂରରୁ ଶୁଭିଲା ଶବଦ । ସକଳେ ହୋଇଲେ ନିବେଦ ।।
ବୃଦ୍ଧ ବିବେକ ଜନମାନେ । ବିଚାର କଲେ ମନେ ମନେ ।।
ବୋଇଲେ ସ୍ୱର୍ଗ ଅପସରୀ । ମର୍ତ୍ତେ ଜନ୍ମିଲା ଦେହ ଧରି ।।
ଭୋଗ ସରନ୍ତେ ସେହୁ ଗଲା । ସ୍ୱର୍ଗରେ ଯାଇଣ ବସିଲା ।।
ପୁଣି ତନୟ ସାଧୁ ସୁତ । ବୋଇଲେ ଏ କଥା ଉଚିତ ।।
ଯେବେ ସେ ଦେବତା ନୁହନ୍ତା । ସ୍ୱର୍ଗର ଚାନ୍ଦକି ମାଗନ୍ତା ।।
ଏମନ୍ତ ଶୁଣି ତହୁଁ ଗଲେ । ନିଜ ଭୁବନେ ପ୍ରବେଶିଲେ ।।
ସେ ସାତ ଭାଇ ମେଳେ ହୋଇ । ଭାଳନ୍ତି ଏକମନ ହୋଇ ।।
ବୋଲନ୍ତି ଦେବତାର ମାୟା । କେ ଅବା ଜାଣିଥିଲା ଏହା ।।
ନ ବୁଝି ଆମେ ଏତେ ସରି । କୁଳବଧୁଙ୍କୁ ଦୂର କରି ।।
ନାସିକାମାନ କଟାଇଣ । ଘଉଡ଼ି ଦେଲଇ ତକ୍ଷଣ ।।
ନିରାଶ ହୋଇ ପଳାଇଲେ । କେ କାହିଁ ପ୍ରାଣ ଯେ ହାରିଲେ ।
ଏବେ କରିବା ଆମ୍ଭେ କିସ । ସବୁ ମରିବା ଖାଇ ବିଷ ।।
ଧନ୍ୟ ସମ୍ପଦ ଅକାରଣ । ଦଇବ ଦେଲା ଯେ କଷଣ ।।
ମାତା ପିଅର ଆମ୍ଭ ମଲେ । ଆମ୍ଭ କଷଣ ନ ଦେଖିଲେ ।।
କହିଣ ବିକଳ ହୁଅନ୍ତି । ନୟନୁ ଲୋତକ ଗଡ଼ନ୍ତି ।।
ଏମନ୍ତେ ଗଲା କେତେ ଦିନ । ଦୁଃଖିତ ହେଲେ ଅନୁଷଣ ।।
ବହୁତ ବୋଇଲା କଷଣ । ଜଗତେ ଶୁଭିଲା ଘୋଷଣ ।।
ସାଧବ ପୁତ୍ର ହୋଇ କରି । ଭାରିଯା ଦେଲୁ ଦୂର କରି ।।
ଏବେ ପାଇଁଲେ ଏଡ଼େ ଦୁଃଖ । ହୋଇଲେ ଅତିହିଁ ନିରେଖ ।।
ସେ କୁଳ ବଧୁମାନେ ଥିଲେ । ସମସ୍ତେ ବାରତା ପାଇଲେ ।।
ଶୁଣିଣ ହୋଇଲେ ଉଷତ । ବହନ ପେଶି ଦେଲେ ଦୂତ ।।
ସେ ଯାହା ଅନୁରୂପେ ଗଲେ । ସାଧବ ମନ୍ଦିରେ ମିଳିଲେ ।।
କହିଲେ ସକଳ ବିଧାନ । ଶୁଣ ହୋଇଲେ ତୋଷ ମନ ।।
ସକଳ ବନ୍ଧୁ ଘରେ ଗଲେ । ଭାରିଯାମାନଙ୍କୁ ଦେଖିଲେ ।।
ଦେଖିଣ କଲେ ସେ ରୋଦନ । ବହଇ ଅଶୃ ଘନ ଘନ ।।
ସକଳ କଥା ମାନ ନେଇ । ବହୁତ ହେଲେ କୁହାକୁହି ।।
ବୋଇଲେ ଆସ ଯିବା ଘର । ନାହିଁ ଯେ କଲେ ନାରୀ ବର ।।
ବହୁତ କଷ୍ଟରେ ଅଇଲେ । ଯେ ଯାହା ସୁଖେ ରାଜ୍ୟ କଲେ ।।
ଧନ ବସନ ରତ୍ନମାନ । ବହୁତ ବିପ୍ରେ କଲେ ଦାନ ।।
ପୁତ୍ର ଦିହିତା ହେଲେ ଜାତ । ଏମନ୍ତେ ବଂଶ ଅପ୍ରମିତ ।।
ସେହି ସାଧବ ବୋହୁ ଯେତେ । ଏ ଓଷା କଲେକ ସମସ୍ତେ ।।
ଭାଦ୍ରବ ମାସ ରବିବାର । ଖୁଦୁରୁକୁଣୀ ଆଦ୍ୟ ସାର ।।
ସେଦିନ ଉପବାସ କରି । ମଙ୍ଗଳା ଦେବୀଙ୍କୁ ସମରି ।।
ଓଷା ମନ୍ଦିର ଯତ୍ନ କଲେ । ଚୂନରେ ଯତନେ ଲିପିଲେ ।।
ମଙ୍ଗଳା ଦେବୀ ରୂପ ଦେଖି । ସମସ୍ତେ ମାନ୍ୟ କଲେ ଦେଖି ।।
ସାତ ବୋଇତ ଯେ ଦେଖିଲେ । ସାତ ସାଧବ ବସାଇଲେ ।।
ତଅପୋଈକି ମଙ୍ଗ କୋଶେ । ଦେଖି ହସିଲେ ଜଣେ ଜଣେ ।।
ବୋଇଲେ ଏପରି ସୁନ୍ଦରୀ । ନାକ କାଟିଲା ସବୁଙ୍କରି ।।
ସାନବୋହୁର ପ୍ରୀତି ସିନା । ଭାଇମାନଙ୍କର ଦୁଲ୍ଲଣା ।।
କେ ବୋଲେ ନଣନ୍ଦ ଆମ୍ଭର । କରିଛି ଯେତେ ଉପକାର ।।
କେ ବୋଲେ ଦୋଳିରେ ବସିଲା । କେବୋଲେ ଛେଳି ରଖିଥିଲା ।।
କେ ବୋଲେ ଭାତ ମୂଷାମାଟି । ବନସ୍ତେ ଖାଉଥିଲା ଖୁଣ୍ଟି ।।
ପାଉଁଶ ଲୁଣ ଏ ଖାଇଲା । ତେଣୁଟି ଭାଇଙ୍କି କହିଲା ।।
କେହୁ ବୋଲଇ ଏହିଠାରେ । ତୀକ୍ଷ୍ଣ ଛୁରୀଟି ବେଲେକରେ ।।
ପୁଣି ହିଁ ନାକ ଯେ କାଟିବ । ଆମ୍ଭଙ୍କୁ ବଳେ ବିନାଶିବ ।।
ଏମନ୍ତ ପରିହାସ କରି । କହନ୍ତି ସାଧବର ନାରୀ ।।
ତହିଁ ଉତ୍ତାରୁ ସର୍ବେ ଗଲେ । ଯେଯାହ ବିଧି ଯେ ଆଣିଲେ ।।
ବିବିଧ ଫୁଲମାଳ ମାନ । କର୍ପୁର କସ୍ତୁରୀ ଚନ୍ଦନ ।।
ଅଗୁର ଧୂପ ଦୀପାବଳୀ । ବନ୍ଦାଇ ଦେଲେ ହୁଳହୁଳି ।।
ଶ୍ରୀଫଳ ଆଦି ଯେତେ ଫଳ । କାକୁଡ଼ି ମକା ଯେ କଦଳି ।।
ଉଖୁଡ଼ା ମୁଆଁ ଠୁଳ କରି । ଚାଙ୍ଗଡ଼ାମାନଙ୍କରେ ଭରି ।।
ଦେଇଣ ମଙ୍ଗଳା ପୂଜିଲେ । ଆନନ୍ଦେ ହୁଳହୁଳୀ ଦେଲେ ।।
ଉଠିଣ ଗଲେ ଯେଝା ଘରେ । ଆସି ମିଳିଲେ ପ୍ରଭାତରେ ।।
ଏମନ୍ତ ପ୍ରତି ପାଳି କରି । ପ୍ରାତସ୍ନାନକୁ ତହିଁ ସାରି ।।
ପଥେ ଆସନ୍ତେ ହୁଳ ହୁଳି । ଦିଅନ୍ତି ନବୀନ ଦୁଲ୍ଲଳୀ ।।
ଯାହାର ଯେ ଇଚ୍ଛା କଳ୍ପନା । ମଙ୍ଗଳା ନାମେ ସୁମରଣା ।।
କହନ୍ତି ଯେଝା ମନ ଜାଣି । ଦୟା କରନ୍ତି ଠାକୁରାଣୀ ।।
ଦେଖିଲା ଗୋପିନାଥ ଦାସ । ଏ ତଅପୋଈ ଗୀତ ଶେଷ ।।
କହନ୍ତି ପ୍ରଭୁ ପୀତବାସ । ରୁକ୍ମଣୀ ସତ୍ୟଭାମା ତୋଷ ।।
ଇତି ଶ୍ରୀ ରୁକ୍ମଣୀ ସତ୍ୟଭାମା ଉକ୍ତୌ ସାଧବ ପୁତ୍ର ବଧୂ ସ୍ୱସ୍ଥାନ ଗମନଂ ନାମ ପଞ୍ଚୋମାଧ୍ୟାୟ ।
Subscribe to:
Post Comments
(
Atom
)
About Shubhapallaba
Shubhapallaba, an online Odia Magazine publishing quarterly since January 2018. The main aim of Shubhaplallba is to increase the reader and improve all the writeups in different languages.
However, you might prefer a unique on-line slots casino, so we propose doing some analysis yourself as well. Ultimately, dafabet it boils down to down to} your private style in on-line slots, but one factor to always bear in mind is to by no means deposit with an unlicensed casino. Players can also take pleasure in a solid selection of video poker games, including a number of} titles that supply a lot as} 10 hands at one time. For payouts, players can select wire switch, verify by courier, Litecoin, Bitcoin Cash, and Bitcoin. When Bitcoin is used for withdrawals, payouts are delivered in less than 24 hours. House of Fun does not require payment to entry and play, however it also lets you purchase virtual objects with real money inside the game.
ReplyDelete