Header Ads

Shubhanada Open Mic in Odisha by Shubhapallaba Advertisement to register to perform and attend
  • Latest Post

    ସମ୍ପୂର୍ଣ୍ଣ ଓଡ଼ିଆ ଭାଗବତ (Full Odia Bhagabata) by Jagannath Das

     

    Sampurana Odia Bhagabata (ଓଡ଼ିଆ ଭାଗବତ) written by Jagannath Das

    ପ୍ରଥମ ସ୍କନ୍ଧ

    ପ୍ରଥମ ଅଧ୍ୟାୟ


    ଓଁ ନମୋ ଭଗବତେ ବାସୁଦେବାୟ ।

    ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
    ଯସ୍ୟାସ୍ତେ ହୃଦୟେ ସମ୍ୱିତ୍ ତଂ ନୃସିଂହ‌ମହଂ ଭଜେ ।।୧

    ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍
    ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମି ତ‌ତ୍ ।।୨

    ମାଧବୋ ମାଧବାବୀଶୌ ସର୍ବସିଦ୍ଧିବିଧାୟିନୌ ।
    ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନତିପ୍ରିୟୌ ।।୩

    ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘ‌ୟତେ ଗିରିମ୍ ।
    ଯତ୍ କୃପା ତମ‌ହଂ ବନ୍ଦେ ପରମାନନ୍ଦମାଧବମ୍ ।।୪

    ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବ୍ୟୈଃ ସ୍ତବୈ ।
    ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈ ର୍ଗାୟନ୍ତି ଯଂ ସାମଗାଃ ।
    ଧ୍ୟାନାବସ୍ଥିତ‌ତଦ୍‌ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ
    ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ ।।୫

    ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମ‌ମ୍ ।
    ଦେବୀଂ ସ‌ରସ୍ୱତୀଂ ବ୍ୟାସଂ ତ‌ତୋ ଜୟମୁଦୀରୟେତ୍ ।।୬

    ଜନ୍ମାଦ୍ୟସ୍ୟ ଯତୋଽନ୍ୱୟାଦିତରତଶ୍ଚାର୍ଥେଷ୍ୱଭିଜ୍ଞଃ ସ୍ୱରାଟ୍
    ତେନେ ବ୍ରହ୍ମହୃଦା ଯ ଆଦିକବୟୋ ମୁହ୍ୟନ୍ତି ଯତ୍ ସୁରୟଃ ।
    ତେଜୋ ବାରିମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋଽମୃଷା
    ଧାମ୍ନା ସ୍ୱେନ ସଦା ନିରସ୍ତକୁ‌ହକଂ ସତ୍ୟଂ ପରଂ ଧୀମହି ।।୭

    ଧର୍ମଃ ପ୍ରୋଜ୍‌ଝିତକୈତବୋଽତ୍ର ପରମୋ ନିର୍ମତ୍ସରାଣାଂ ସତାଂ
    ବେଦ୍ୟଂ ବାସ୍ତବମତ୍ର ବସ୍ତୁ ଶିବଦଂ ତାପତ୍ରୟୋନ୍ମୂଳନ‌ମ୍ ।
    ଶ୍ରୀମଦ୍‌ଭାଗବତେ ମହାମୁନିକୃତେ କିମ୍ୱା ପରୈରୀଶ୍ୱରଃ
    ସଦ୍ୟୋ ହୃଦ୍ୟବରୁଧ୍ୟତେଽତ୍ର କୃତିଭିଃ ଶୁଶ୍ରୂଷୁଭିସ୍ତ‌ତ୍‌କ୍ଷଣାତ୍ ।।୮

    ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତମ୍ ।
    ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବି ଭାବୁକାଃ ।।୯

    ଶ୍ରୀ ଗଣେଶାୟ ନମଃ

    ନମଇଁ ନୃସିଂହ ଚରଣ । ଅନାଦି ପରମକାରଣ ॥ ୧
    ଯା ବିନୁ ଆଦି ମଧ୍ୟ ଅନ୍ତ । ବିଚାରେ ନ ଘଟେ ଜଗତ ॥ ୨
    ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥ ୩
    ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥ ୪
    ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି ॥ ୫
    ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ ॥ ୬
    ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି ॥ ୭
    ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥ ୮
    ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ ॥ ୯
    ଆତ୍ମ ପ୍ରକାଶେ ସଦା ଥାଇ । ନିରସ୍ତ କୁହକ ବୋଲାଇ ॥ ୧୦
    ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ॥ ୧୧
    ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥ ୧୨
    ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥ ୧୩
    ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ॥ ୧୪
    ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥ ୧୫
    ନିର୍ମଳ ମୁନିଙ୍କର ମତେ । ହରି-ଚରିତ ଭାଗବତେ ॥ ୧୬
    କହିବି ଅଛି ଯେତେ ଗୁଣ । ସୁଜନେ ସାବଧାନେ ଶୁଣ ॥ ୧୭
    ନାହିଁ ତାହାଙ୍କ ଅହଙ୍କାର । ସହିଷ୍ଣୁ ଭୂତେ ଦୟାପର ॥ ୧୮
    କପଟ ଧର୍ମ ଯାର ନାହିଁ । ସ୍ୱଭାବେ ସନ୍ଥ ସେ ବୋଲାଇ ॥ ୧୯
    ସେ ସାଧୁଜନଙ୍କର ଧର୍ମ । ମାୟାବର୍ଜିତ ଶୁଦ୍ଧକର୍ମ ॥ ୨୦
    ତାଙ୍କ ବିଚାରେ ଧର୍ମ ଯେତେ । ଶୁଣ କହିବା ଦୃଢ଼ଚିତ୍ତେ ॥ ୨୧
    ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ପ୍ରାଣୀ । ବୋଧ ବିଚାରେ ପରିମାଣି ॥ ୨୨
    ସେ ଧର୍ମ ଯହିଁ ଅନୁମାନି । ଏଣେ ସଂସାରେ ଯେତେ ଜ୍ଞାନୀ ॥ ୨୩
    ସେ ବସ୍ତୁ ଅଛି ଯହିଁ ପୂରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୨୪
    ଶ୍ରବଣ ମାତ୍ରେ ମୋକ୍ଷ ପାଇ । ତାପତ୍ରିତୟ କ୍ଷୟ ଯାଇ ॥ ୨୫
    ହୃଦୟେ ବସଇ ତକ୍ଷଣ । ଅନାଦି ପ୍ରଭୁ ନାରାୟଣ ॥ ୨୬
    ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ । କି ପ୍ରୟୋଜନ ଏ ଜଗତେ ॥ ୨୭
    ଏଣୁ ଏ ଭାଗବତ ଯେହି । ଶ୍ରବଣମାତ୍ରେ ଭକ୍ତି ହୋଇ ॥ ୨୮
    ଏ ଭାଗବତର ମହିମା । କେ ଚିନ୍ତି ପାରେ ଗୁଣସୀମା ॥ ୨୯
    ସକଳ ଶାସ୍ତ୍ରଫଳ ଏହି । ଶ୍ରୀଭାଗବତ ନାମ ଯେହି ॥ ୩୦
    ସକଳ ବେଦ ହୋଇ ବୃକ୍ଷେ । ଫଳ ଫଳିଲେ ଅନ୍ତରୀକ୍ଷେ ॥ ୩୧
    କେତେହେଁ ଦିନେ ପାଚି ତଳେ । ବୃକ୍ଷୁ ପଡ଼ିଲେ ବାୟୁବଳେ ॥ ୩୨
    ଶୁକ ଧାଇଁଲେ ତାହା ଦେଖି । ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ॥ ୩୩
    ତୋଷେ ଅଧର କ୍ଷତ କଲା । ଭିତରେ ସୁରଙ୍ଗ ଦିଶିଲା ॥ ୩୪
    ତହୁଁ ଗଳିଲା ରସସାର । କି ଅବା ଦେବା ପଟାନ୍ତର ॥ ୩୫
    ଅମୃତ ନିନ୍ଦେ ସ୍ୱାଦୁ ପଣେ । ସୁଜନେ ପିବ ଅନୁକ୍ଷଣେ ॥ ୩୬
    ଆନନ୍ଦେ କର ସୁଧାପାନ । ଯେଣେ ପାଇବ ଦିବ୍ୟଜ୍ଞାନ ॥ ୩୭
    ଏ ଚାରିବେଦଙ୍କର ମୂଳ । ନିଗମବୃକ୍ଷର ଏ ଫଳ ॥ ୩୮
    ପିବ ଜୀବନ ଅନ୍ତଯାଏ । ଯେବେ ବଞ୍ଚିବ ମାୟାମୋହେ ॥ ୩୯
    ଏବେ ହୋ ଶୁଣ ସାଧୁଜନେ । ହରିଚରିତ ଶୁଦ୍ଧମନେ ॥ ୪୦
    ସର୍ବଦେବଙ୍କ ରମ୍ୟସ୍ଥାନ । ନାମ ଯେ ନୈମିଷଅରଣ୍ୟ ॥ ୪୧
    କଳିର ଆଗମନ ଦେଖି । ମୁନିଏ ସ୍ଥାନ ଉପଲକ୍ଷି ॥ ୪୨
    ଶୌନକ ଆଦି ମୁନିଗଣେ । ମିଳିଲେ ନୈମିଷଅରଣ୍ୟେ ॥ ୪୩
    କଳି-କଳୁଷ ଭୟ କରି । ମୁନିଏ ଏକାନ୍ତେ ବିଚାରି ॥ ୪୪
    ସଂକଳ୍ପ କରି ଏତ ତୁଲେ । ସହସ୍ର-ଯଜ୍ଞ ଆରମ୍ଭିଲେ ॥ ୪୫
    ଜାଣନ୍ତି ଶୁଭପ୍ରଦ ବାଞ୍ଛା । ସ୍ୱର୍ଗାଦିଲୋକେ କଲେ ଇଚ୍ଛା ॥ ୪୬
    ସକଳେ ମିଳି ପ୍ରାତଃକାଳେ । କର୍ମ ସମ୍ପାଦିଲେ ଅନଳେ ॥ ୪୭
    ସୂତମୁନିଙ୍କି ପୂଜା କରି । ବସିଲେ ସକଳେ ଆବୋରି ॥ ୪୮
    ସକଳମୁନି ଶୁଦ୍ଧମନେ । ପୁଚ୍ଛିଲେ ଅମୃତ-ବଚନେ ॥ ୪୯

    ଋଷିଗଣ ଉବାଚ

    ହେ ସୂତ ଶୁଣ ସାବଧାନେ । ତୁମ୍ଭ ମହିମା ଅନୁମାନେ ॥ ୫୦
    ସର୍ବ-ପୁରାଣ ଇତିହାସ । ଶୁଣିଲୁ ତୁମ୍ଭର ସକାଶ ॥ ୫୧
    ସଂସାରେ ଧର୍ମଶାସ୍ତ୍ର ଯେତେ । ସର୍ବ ଗୋଚର ତୁମ୍ଭମତେ ॥ ୫୨
    ବେଦବିଦଙ୍କ ମଧ୍ୟେ ଶ୍ରେଷ୍ଠ । ଯେ ବ୍ୟାସମୁନି ତପୋନିଷ୍ଠ ॥ ୫୩
    ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ । ଏ କଥା ଭଲେ ଜାଣୁ ଆମ୍ଭେ ॥ ୫୪
    ପୂର୍ବେ ଯେ ଥିଲେ ବ୍ରହ୍ମମୁନି । ତାଙ୍କ ବଚନ ତୁମ୍ଭେ ଶୁଣି ॥ ୫୫
    ସକଳ ଶାସ୍ତ୍ର ତୁମ୍ଭ ତହିଁ । ବେଦପୁରାଣେ ଯେତେ କହି ॥ ୫୬
    ବ୍ୟାସଙ୍କ ଅନୁଗ୍ରହ ଘେନି । ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ॥ ୫୭
    ଦଇବେ ଅଛି ଏହି ମତ । ଯେ ଶିଷ୍ୟ ଗୁରୁରେ ଭକତ ॥ ୫୮
    ଶିଷ୍ୟ ଭକ୍ତିରେ ଦୟା ବହେ । ସକଳ ଗୂଢ଼ତତ୍ତ୍ୱ କହେ ॥ ୫୯
    ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ । ପ୍ରକାଶ ଆମ୍ଭର ଅଗ୍ରତେ ॥ ୬୦
    ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ । ଏ ଜୀବ ତରିବ ଯେମନ୍ତେ ॥ ୬୧
    ଯେଣେ ତୁଟଇ ବିଷ୍ଣୁ ମାୟା । କହ ଆମ୍ଭଙ୍କୁ ଯେବେ ଦୟା ॥ ୬୨
    ଏ କଳିଯୁଗେ ଯେତେ ପ୍ରାଣୀ । ଅଳ୍ପ ଆୟୁଷ ପରିମାଣି ॥ ୬୩
    ସ୍ୱଭାବେ ମନ୍ଦମତି ହୋନ୍ତି । ପ୍ରାଣୀଙ୍କ ଉପଦ୍ରବ ଚିନ୍ତି ॥ ୬୪
    ଯୁଗ ବେଭାରେ ପରିମାଣି । ସକଳ ଧର୍ମ ତୁମ୍ଭେ ଜାଣି ॥ ୬୫
    ଏ ପ୍ରଶ୍ନ ଶୁଭ ଆମ୍ଭମତେ । ସାର ଉଦ୍ଧାରି ଦୃଢ଼ଚିତ୍ତେ ॥ ୬୬
    କହ ସଂସାରେ ପ୍ରାଣୀଙ୍କର । ଯେମନ୍ତେ ମାୟାରୁ ନିସ୍ତାର ॥ ୬୭
    ଯେଣେ ପ୍ରସନ୍ନ ହୋଇ ହରି । ଏ ଜୀବ ଆତ୍ମାକୁ ଉଦ୍ଧାରି ॥ ୬୮
    କର ଏ ମାୟାରୁ ନିସ୍ତାର । ଏ ଜୀବମାନଙ୍କୁ ଉଦ୍ଧାର ॥ ୬୯
    ତୁମ୍ଭ ପ୍ରସନ୍ନେ ଯୋଗବଳେ । ପ୍ରକାଶ କର ମହୀତଳେ ॥ ୭୦
    କି ପ୍ରୟୋଜନ ଜଗନ୍ନାଥ । ଦେବକୀ ଉଦରେ ସମ୍ଭୂତ ॥ ୭୧
    ସେ ହେତୁ କହ ଶୁଦ୍ଧଚିତ୍ତେ । ଆମ୍ଭେ ପଚାରୁ ଜନହିତେ ॥ ୭୨
    ସଂସାରେ ଯାର ଅବତାର । ପ୍ରାଣୀ-ମଙ୍ଗଳ-ବୃଦ୍ଧିକର ॥ ୭୩
    ଜଗତ ପାର ସେ ଚରିତ । ତୁମ୍ଭେ ତା ବର୍ଣ୍ଣନେ ସମର୍ଥ ॥ ୭୪
    ଘୋର-ସଂସାରେ ପ୍ରାଣୀ ପଡ଼ି । ଆତ୍ମା-ନିସ୍ତାର-ପଥ ହୁଡ଼ି ॥ ୭୫
    ଯାହାର ନାମ ଉଚ୍ଚାରିଲେ । ସଙ୍କଟୁ ତରିଯାନ୍ତି ଭଲେ ॥ ୭୬
    ଯେ ଭୟ ଜୀବ ତେଜ ହରେ । ସେ ହରି ନାମ ଶୁଣି ଡରେ ॥ ୭୭
    ଯାର ଚରଣେ ଆଶ୍ରେ କରି । ପବିତ୍ର ହୋନ୍ତି ବ୍ରହ୍ମଚାରୀ ॥ ୭୮
    ଶୁଦ୍ଧ କରନ୍ତି ସର୍ବଜନେ । ଗଙ୍ଗା ଯେସନେ ସ୍ନାନପାନେ ॥ ୭୯
    ଯାହାର ଯଶ ପୁଣ୍ୟଶ୍ଳୋକେ । ସୁଖେ ଗୁଣନ୍ତି ଜ୍ଞାନୀଲୋକେ ॥ ୮୦
    କଳିକଳୁଷ ନ ଲାଗଇ । କେବା ନ ତରେ ଏହା ଗାଇ ॥ ୮୧
    ଯା ଯଶ ଗାଇ ମୁନିଗଣେ । ସୁଖେ ତରନ୍ତି ଭବବଣେ ॥ ୮୨
    ଯେ ହରି ବ୍ରହ୍ମା ଭିତରେ । ଲୀଳା ସରାଗେ ଅବତରେ ॥ ୮୩
    ବିଶ୍ୱ-ଉତ୍ପତ୍ତି-ସ୍ଥିତି-ନାଶ । କି ରୂପେ କର ତା ପ୍ରକାଶ ॥ ୮୪
    ମତ୍ସ୍ୟାଦି ଅବତାରମାନ । ଧରିଣ ପ୍ରଭୁ ଭଗବାନ ॥ ୮୫
    ଆତ୍ମାର ଯୋଗମାୟା ବଳେ । ବିହରେ ଅବନୀ-ମଣ୍ତଳେ ॥ ୮୬
    ସେ ହରି ସ୍ୱଚ୍ଛ ଶୁଭ କଥା । କହ ହେ ସୂତ ଧର୍ମଜ୍ଞାତା ॥ ୮୭
    ତାର ମହିମା ଶୁଣି ନିତ୍ୟେ । ତୋଷ ନଲଭୁ ଆମ୍ଭଚିତ୍ତେ ॥ ୮୮
    ଜିହ୍ୱା ଯେସନ ସୁଧାରସ । ପିବନ୍ତେ ନୁହଇ ସନ୍ତୋଷ ॥ ୮୯
    ଅନନ୍ତ ସଙ୍ଗେ ଥାଇ ହରି । ଜଗତେ ଯେତେ କର୍ମ କରି ॥ ୯୦
    କପଟେ ନରରୂପ ଧରି । ଅତିମାନୁଷ କର୍ମ କରି ॥ ୯୧
    କଳି ଆଗମ ଆମ୍ଭେ ଦେଖି । ସକଳ ସମ୍ପଦ ଉପେକ୍ଷି ॥ ୯୨
    ଏ ପୁଣ୍ୟକ୍ଷେତ୍ରେ ଶୁଭକ୍ଷଣେ । କୃଷ୍ଣର କଥା ଅନୁକ୍ଷଣେ ॥ ୯୩
    କରି ତରିବୁ ବିଷ୍ଣୁ ମାୟା । ଭୋ ମୁନି ତୁମ୍ଭେ କର ଦୟା ॥ ୯୪
    ଆମ୍ଭର ପୂର୍ବ ପୁଣ୍ୟଫଳେ । ସଙ୍ଗ ହୋଇଲୁ ତୁମ୍ଭ ମେଳେ ॥ ୯୫
    ଏ ଭୟଙ୍କର କଳିକାଳେ । ଆମ୍ଭେ ଯେ ଅଛୁ ଭବଜଳେ ॥ ୯୬
    ଏ ଜଳୁ ତୁମ୍ଭେ କର ପାର । ବୋଇତେ ଯେହ୍ନେ କର୍ଣ୍ଣଧାର ॥ ୯୭
    ଯେ ହରି ବ୍ରହ୍ମାଣ୍ଡ-ବକ୍ଷଳ । ସର୍ବଦେବଙ୍କ ଆଦିମୂଳ ॥ ୯୮
    ଧର୍ମ-କବଚ ଯାର ଅଙ୍ଗେ । ସୁଖେ ବିହରେ ନାନାରଙ୍ଗେ ॥ ୯୯
    କଳି ଆଗମେ ଭଗବାନ । ଗମିଲେ ଆପଣା ଭୁବନ ॥ ୧୦୦
    ଯେ ଧର୍ମ ସଂସାର ରଖିବ । ସେ କାହିଁ ଶରଣ ପଶିବ ॥ ୧୦୧
    ଏ କଥା କହ ମୁନିବର । ଆମ୍ଭ ସଂଶୟ ଯାଉ ଦୂର ॥ ୧୦୨
    ଏମନ୍ତେ ନଇମିଷ ବନେ । ସର୍ବମୁନିଙ୍କ ସନ୍ନିଧାନେ ॥ ୧୦୩
    ଶୌନକ ଆଦି ମୁନିଗଣେ । ଯେ ପ୍ରଶ୍ନ କଲେ ଜଣେ ଜଣେ ॥ ୧୦୪
    ନିର୍ମଳ ବିଷ୍ଣୁର ଚରିତ । କୃଷ୍ଣ-ବିଷୟ ଭାଗବତ ॥ ୧୦୫
    ସୁଜନଜନଙ୍କର ହିତେ । କହଇ ଦାସ ଜଗନ୍ନାଥେ ॥ ୧୦୬


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ ।।

    ଦ୍ୱିତୀୟ  ଅଧ୍ୟାୟ

    ସୂତ ଉବାଚ

    ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି । ହରଷମନେ ମନେ ଗୁଣି ॥ ୧
    ଗୁରୁଙ୍କୁ ମନେ ମନେ ଧ୍ୟାୟି । ପରମ-ପ୍ରୀତି-ବାକ୍ୟେ ଗାଇ ॥ ୨
    ଜୀବର ହିତେ କୃତକୃତ୍ୟ । ହସି କହନ୍ତି ମୁନି ସୂତ ॥ ୩
    ଯେ ଶୁକ ଏକାନ୍ତ ଗମନ । କରିଣ ଦେହ କଲେ ଶୂନ୍ୟ ॥ ୪
    ପୁତ୍ରର ସ୍ନେହ ମନେ ଧରି । ବ୍ୟାସ ଡାକନ୍ତି ଉଚ୍ଚକରି ॥ ୫
    ପିତାର ସ୍ନେହ ରକ୍ଷା ଅର୍ଥେ । ଉତ୍ତର ଦେଲେ ବୃକ୍ଷ ପଥେ ॥ ୬
    ତାହାଙ୍କୁ ମୋର ନମସ୍କାର । ଯେ ହୃଦ ସର୍ବ ପ୍ରାଣୀଙ୍କର ॥ ୭
    ଜୀବର ପରିତ୍ରାଣ ଅର୍ଥେ । କରୁଣା ବହି ଯେହୁ ଚିତ୍ତେ ॥ ୮
    ଅଖିଳ-ବେଦର ଯେ ସାର । ଯେ ଅନୁଭବ ଆପଣାର ॥ ୯
    କହିଲେ ପୁରାଣର ସାର । ତାହାଙ୍କୁ ମୋର ନମସ୍କାର ॥ ୧୦
    ବାଣୀ ନର ଯେ ନାରାୟଣ । ଯେ ଗ୍ରନ୍ଥ ସଂସାର-ତାରଣ ॥ ୧୧
    ଉଦିତ କଲେ ଏ ସଂସାରେ । ନମଇଁ ତାହାଙ୍କ ପୟରେ ॥ ୧୨
    ଏମନ୍ତେ ନମସ୍କାର କରି । କହନ୍ତି ମନେ ମୋଦ ଭରି ॥ ୧୩
    ଶୁଣ ସକଳ ମୁନିଜନ । ସାଧୁ ଏ ତୁମ୍ଭର ବଚନ ॥ ୧୪
    ପରମ-ମଙ୍ଗଳ ଏ ବାଣୀ । ଜୀବ ନିସ୍ତରେ ଯାହା ଶୁଣି ॥ ୧୫
    ପରମଧର୍ମ ଏ ଜଗତେ । କୃଷ୍ଣ ଭକତି ଯେଉଁ ମତେ ॥ ୧୬
    ଫଳର ଆଶା ଯହିଁ ନାହିଁ । ବିଘ୍ନ ପଶିବ ଅବା କାହିଁ ॥ ୧୭
    ଯେ ଭକ୍ତିବଳେ ଏ ସଂସାର । ନୁହଇ ପୁଣ ଏ ଜୀବର ॥ ୧୮
    ଭକତି କଲେ ଜ୍ଞାନ ହୋଏ । ଜୀବ ନ ପଡ଼େ ମାୟାମୋହେ ॥ ୧୯
    କୃଷ୍ଣଚରିତ ଶୁଣି ଯେବେ । ଭକ୍ତି ନ ଜନ୍ମେ ମୂଢ଼ଭାବେ ॥ ୨୦
    କେବଳ ଶ୍ରମ ତାହାଙ୍କର । କାହୁଁ ତରିବେ ତମଘୋର ॥ ୨୧
    ଅର୍ଥସଞ୍ଚନ୍ତି ଯେତେ ନର । କେବଳ ଦୁଃଖ ତାହାଙ୍କର ॥ ୨୨
    ଅର୍ଥେ ନ ପାଇ ଧର୍ମ ମୋକ୍ଷ । ସେ କାମ ଲୋଭଟି ପ୍ରତ୍ୟକ୍ଷ ॥ ୨୩
    ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ । ଲୋଭେ ଭ୍ରମର କାମ ଅର୍ଥେ ॥ ୨୪
    ଯାବତ ଜୀବନ ଧରଇ । କାମ ଲୋଭରେ ସୁଖ କାହିଁ ॥ ୨୫
    ଜୀବର ତତ୍ତ୍ୱ ଜାଣିବାରେ । କେ ଜ୍ଞାନୀ ଅଛି ଏ ସଂସାରେ ॥ ୨୬
    ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ । ଜ୍ଞାନ କହନ୍ତି ଏ ଜଗତେ ॥ ୨୭
    କେହୁ କହନ୍ତି ବ୍ରହ୍ମତତ୍ତ୍ୱ । କେ ଅବା ବୋଲେ ପରମାର୍ଥ ॥ ୨୮
    କେହୁ ବୋଲନ୍ତି ଭଗବାନ । ନିର୍ମଳରସ ଗୋପ୍ୟ-ଜ୍ଞାନ ॥ ୨୯
    ସେବୋଲେ ଶ୍ରଦ୍ଧା ଯେ କରନ୍ତି । ଜ୍ଞାନବୈରାଗ୍ୟ ଆଚରନ୍ତି ॥ ୩୦
    କରନ୍ତି ବିଷ୍ଣୁରେ ଭକତି । ଆତ୍ମାରେ ଆତ୍ମାକୁ ଦେଖନ୍ତି ॥ ୩୧
    ହରି ଚରଣେ ଭକ୍ତିଜାତ । ଅଜ୍ଞାନେ ନ ଜାଣେ ଜଗତ ॥ ୩୨
    ଏଣୁ ଏ ଅଖିଳ ଜଗତେ । ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥ ୩୩
    ସ୍ୱଭାବ ଧର୍ମ ଆଚରଣେ । ଭକ୍ତି ଉପୁଜେ ନାରାୟଣେ ॥ ୩୪
    ତେଣୁ ସନ୍ତୋଷ କୃଷ୍ଣ ହୋଇ । ପ୍ରାଣୀଙ୍କି ଚଉବର୍ଗ ଦେଇ ॥ ୩୫
    ଏ ଘେନି ହୋଇ ଏକମନ । ଭାବେ ତୋଷିବ ଭଗବାନ ॥ ୩୬
    ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ । ନିତ୍ୟେ ଶୁଣିବ କର୍ଣ୍ଣପଥେ ॥ ୩୭
    ନିର୍ମଳ କରି ଦୃଢ଼ମନ । ନିରତେ କରିବ କୀର୍ତ୍ତନ ॥ ୩୮
    ଧ୍ୟାନେ ଚିନ୍ତିବ କୃଷ୍ଣରୂପେ । ପୂଜା କରିବ ସୂକ୍ଷ୍ମକଳ୍ପେ ॥ ୩୯
    ଏ ଭାବେ ଭକ୍ତିଯୋଗ ବଢ଼େ । କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥ ୪୦
    ଏଣୁ ଜଗତେ ଜ୍ଞାନୀ ଯେତେ । କୃଷ୍ଣ ନ ଭଜିବେ କେମନ୍ତେ ॥ ୪୧
    କୃଷ୍ଣକଥାରେ ରତି ଯାର । ସେ ପ୍ରାଣୀ ଭବ ମଧ୍ୟେ ସାର ॥ ୪୨
    ହରିଚରଣେ ଯାର ଶ୍ରଦ୍ଧା । ତାକୁ ନ ଲାଗେ ଭବବାଧା ॥ ୪୩
    ସେପୁଣ୍ୟେ ସାଧୁସଙ୍ଗ ମିଳେ । ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥ ୪୪
    ଭକତ ସେଙ୍ଗ ଯେବେ ମିଶେ । ତେବେ ସେ ହରିରସେ ରସେ ॥ ୪୫
    କୃଷ୍ଣର କଥା ଯେ ଶୁଣନ୍ତି । ବଦନେ ମହିମା ଗୁଣନ୍ତି ॥ ୪୬
    ତାହାଙ୍କ ହୃଦେ ହରି ବସେ । ସକଳ କଳ୍ମଷ ବିନାଶେ ॥ ୪୭
    ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ । ବେଦେ କହନ୍ତି ମୁନିଜନ ॥ ୪୮
    ସାଧୁଜନଙ୍କ ମିତ୍ର ହରି । ଏଣୁ ଭକତକୁ ଆବୋରି ॥ ୪୯
    ହେଳେ ତାରଇ ଭବସିନ୍ଧୁ । ଯେଣୁ ଭକତଜନବନ୍ଧୁ ॥ ୫୦
    ଭକତଜନ ସେବା ଫଳେ । ଦହନ ହୋନ୍ତି ଅମଙ୍ଗଳେ ॥ ୫୧
    ତେଣୁ ସେ ଗୋବିନ୍ଦ ବିଷୟେ । ଭକ୍ତି ଉପୁଜେ ନରଦେହେ ॥ ୫୨
    ସ୍ୱଭାବେ ରଜ ତମ ଦୁଇ । କାମାଦି ଯେତେ ରିପୁ ଥାଇ ॥ ୫୩
    ଚିତ୍ତୁ ବାହାର ହୋଇଯାନ୍ତି । ସାତ୍ତ୍ୱିକଗୁଣ ଆବୋରନ୍ତି ॥ ୫୪
    ଏହି ପ୍ରକାରେ ଯେବେ ମନ । ହୋଇବ ନିର୍ମଳ ପ୍ରସନ୍ନ ॥ ୫୫
    ତେବେ ସେ ଭକ୍ତିଯୋଗ ବଳେ । କୃଷ୍ଣଭକତ ସଙ୍ଗମେଳେ ॥ ୫୬
    ନିର୍ମଳ ଜ୍ଞାନ ପ୍ରକାଶଇ । ଜନ୍ମ ମରଣ ଆଉ କାହିଁ ॥ ୫୭
    ଅଶେଷ-କର୍ମ-ଗଣ୍ଠି-ଛନ୍ଦ । ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥ ୫୮
    ସର୍ବ ସଂଶୟ ତୁଲେ କର୍ମ । ତୁଟଇ ବିଶ୍ୱମାୟାଭ୍ରମ ॥ ୫୯
    ଆତ୍ମାରେ ଆତ୍ମାକୁ ଦେଖନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୬୦
    ଏଣୁ ପଣ୍ତିତଜନ ଯେତେ । ଆନନ୍ଦେ ଭକ୍ତିଯୋଗ ମତେ ॥ ୬୧
    ହରି ବିଷୟ ଦୃଢ଼ଚିତ୍ତେ । ନିତ୍ୟେ ଭଜନ୍ତି ଆତ୍ମା ହିତେ ॥ ୬୨
    ବିଷ୍ଣୁର ମାୟାରୁ ସମ୍ଭୂତ । ଆଦି ପ୍ରକୃତି ଜନମାତ ॥ ୬୩
    ଯେ ସତ୍ତ୍ୱ-ରଜ-ତମ ଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୬୪
    ଅନାଦି-ପରମ-ପୁରୁଷ । ଏ ତିନିଗୁଣେ ସେ ପ୍ରକାଶ ॥ ୬୫
    ସୃଷ୍ଟି ଉଦୟେ ବ୍ରହ୍ମା ହୋଇ । ପାଳନେ ବିଷ୍ଣୁ ସେ ବୋଲାଇ ॥ ୬୬
    ସଂହାର କାଳେ ରୁଦ୍ର ରୂପେ । ସୁଖେ ବିହରେ ମୋହକଳ୍ପେ ॥ ୬୭
    ସେ ଶୁଦ୍ଧସତ୍ତ୍ୱ ବିଷ୍ଣୁଦେହେ । ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥ ୬୮
    କାଷ୍ଠ ସଂଯୋଗେ ଧୂମ ଜାତ । ଧୂମରୁ ଅନଳ ସମ୍ଭୂତ ॥ ୬୯
    ତୃତୀୟ ଅଙ୍ଗାର ପ୍ରମାଣ । ତାମସ ରଜ ସତ୍ତ୍ୱ ଗୁଣ ॥ ୭୦
    ଏ ଭାବେ ବ୍ରହ୍ମ ପରିମାଣି । ଭବସାଗର ତରେ ପ୍ରାଣୀ ॥ ୭୧
    ନିର୍ମଳଚେତା ମୁନି ଯେତେ । ବିଚାର କରି ଆତ୍ମାହିତେ ॥ ୭୨
    ବିଷ୍ଣୁଙ୍କୁ ସତ୍ତ୍ୱଗୁଣେ ଜାଣି । ଭଜିଲେ ମୋକ୍ଷ ପରିମାଣି ॥ ୭୩
    ତାମସ ରଜଗୁଣେ ଯେତେ । ଯେ ଭୂତପତି ଏ ଜଗତେ ॥ ୭୪
    ସ୍ୱଭାବେ ଘୋର ଭୟଙ୍କର । ଏଣୁ ନ ଭଜେ ସାଧୁନର ॥ ୭୫
    ଅହିଂସା ଶାନ୍ତିଗୁଣେ ଥାନ୍ତି । ହରି ଚରିତ ଚିତ୍ତେ ଚିନ୍ତି ॥ ୭୬
    ଧନ ସମ୍ପଦେ ଯାର ଇଚ୍ଛା । ସେ କରେ ଭୂତପ୍ରେତ ଦୀକ୍ଷା ॥ ୭୭
    ସଂସାରେ ଦେବଯଜ୍ଞ ଯେତେ । ଯୋଗସାଧନ କ୍ରିୟାମତେ ॥ ୭୮
    ପରମଜ୍ଞାନ ତପ ଆଦି । କଠୋର ଯେତେ ଧର୍ମ ସାଧି ॥ ୭୯
    ଏ ସର୍ବଗତି ନାରାୟଣ । ଏବେ ହୋ ମୁନିଗଣେ ଶୁଣ ॥ ୮୦
    ଏ ସର୍ବବିଧି ଧର୍ମ ଯେତେ । କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥ ୮୧
    ଏ ତିନିଗୁଣେ ନାରାୟଣ । ସୃଷ୍ଟି ପାଳନ ସଂହାରଣ ॥ ୮୨
    ଏମନ୍ତେ ବିଶ୍ୱରୂପ ଧରେ । ମାୟାସଂସାରେ ସେ ବିହରେ ॥ ୮୩
    ସ୍ୱଭାବେ ନିର୍ଗୁଣ ମୁରାରି । ଖେଳଇ ତ୍ରିଗୁଣ ଆବୋରି ॥ ୮୪
    ସକଳ ଜୀବ ମଧ୍ୟେ ଥାଇ । ଅଜ୍ଞାନେ ଜୀବ ନ ଜାଣଇ ॥ ୮୫
    ଅଶେଷ ମହିମା ଯେ ଧରେ । କିବା ଉପମା ଦେବା ତାରେ ॥ ୮୬
    ସେ ହରି-ଚରଣ-ପଙ୍କଜ । ସୁଜନଜନ ନିତ୍ୟେ ଭଜ ॥ ୮୭
    କହଇ ଦାସ ଜଗନ୍ନାଥ । ଗୀତ-ପ୍ରବନ୍ଧେ ଭାଗବତ ॥ ୮୮

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ।।

    ତୃତୀୟ ଅଧ୍ୟାୟ

    ସୂତ ଉବାଚ

    ସୂତ କହନ୍ତି ଶୁଦ୍ଧ ଚିତ୍ତେ । ହରଷେ ମୁନିଙ୍କ ଅଗ୍ରତେ ॥ ୧
    ଶୁଣ ସକଳ ମୁନିଜନେ । ହରିଚରିତ ସାବଧାନେ ॥ ୨
    ସୃଷ୍ଟିର କାଳେ ସେ ମୁରାରି । ମହାପୁରୁଷ ରୂପ ଧରି ॥ ୩
    ମହତ ଆଦି ଅଙ୍ଗେ ମିଶି । ବିରାଟ ରୂପେ ବ୍ରହ୍ମରାଶି ॥ ୪
    କଳା ବହଇ ଷଡ଼ଦଶ । ଅନାଦି-ପରମ-ପୁରୁଷ ॥ ୫
    ବୁଦ୍ଧି ଚେତନା ଅହଙ୍କାର । ମନ ଅନ୍ତରୀକ୍ଷ ସମୀର ॥ ୬
    ଅନଳ ଜଳ ବସୁମତୀ । ବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି ॥ ୭
    ଜୀବ ପରମ ଏ ଷୋଡ଼ଶ । ଏ ଆଦି ସୃଷ୍ଟି ଉପଦେଶ ॥ ୮
    ସେ ସୃଷ୍ଟିସର୍ଗ ଇଚ୍ଛା କରି । ଜଳେ ଯୋଗନିଦ୍ରା ବିସ୍ତାରି ॥ ୯
    ତା ନାଭିକମଳୁ କମଳ । ପ୍ରକାଶି ଆଚ୍ଛାଦିଲା ଜଳ ॥ ୧୦
    ବ୍ରହ୍ମା ହୋଇଲା ତହୁଁ ଜାତ । ଯେ ପ୍ରଜାପତିଙ୍କର ନାଥ ॥ ୧୧
    ତାର ଶରୀରୁ ସୃଷ୍ଟ ଲୋକ । ବିସ୍ତାର ହୋଇଲା ଅନେକ ॥ ୧୨
    ସେ ଶୁଦ୍ଧ ସତ୍ତ୍ୱ ବିଷ୍ଣୁ ରୂପ । ଯାହା ଭିଆଣ ମାୟାକଳ୍ପ ॥ ୧୩
    ଜ୍ଞାନଚକ୍ଷୁର ଦ୍ୱାରେ ଭରି । ଯେ ରୂପ ଦେଖେ ବ୍ରହ୍ମଚାରୀ ॥ ୧୪
    ସହସ୍ର ପାଦ ଉରୁ ଭୁଜ । ଶିର ବଦନ ନାସା ତେଜ ॥ ୧୫
    ସହସ୍ର ଲୋଚନ ଶ୍ରବଣ । ବସନ କୁଳ ଭୂଷଣ ॥ ୧୬
    ମଣି କଙ୍କଣ ଝଟକନ୍ତି । ଦିଶଇ ଅତି ରୂପ କାନ୍ତି ॥ ୧୭
    ଏ ସୃଷ୍ଟି ମଧ୍ୟେ ମାୟାଧର । କରଇ ଯେତେ ଅବତାର ॥ ୧୮
    ତାହାଙ୍କ ମୂଳବୀଜ ଏହି । ଜଗତେ ବ୍ରହ୍ମା ସେ ବୋଲାଇ ॥ ୧୯
    ଯାହାର ଅଂଶାଅଂଶ ବଳେ । ଗଗନ ପୃଥିବୀ ପାତାଳେ ॥ ୨୦
    ଦେବ ମନୁଷ୍ୟ ପଶୁ ଆଦି । ନିଗମ ଗୋଚରେ ସମ୍ପାଦି ॥ ୨୧
    ପ୍ରଥମେ କୁମାର ରୂପେ ସେ । ସୃଷ୍ଟି ଉଦୟ ଉପଦେଶେ ॥ ୨୨
    ଦୁସ୍ତର ବ୍ରହ୍ମଚର୍ଯ୍ୟବ୍ରତେ । ତପ ସାଧିଲା ଦୃଢ଼ଚିତ୍ତେ ॥ ୨୩
    ଦ୍ୱିତୀୟେ ସୃଷ୍ଟିର ଆଗମେ । ସାଧିଲା ଯଜ୍ଞେଶ୍ୱର ନାମେ ॥ ୨୪
    ପୂର୍ବ ପ୍ରଳୟକାଳ ବେଳେ । ମହୀ ଯେ ଥିଲା ରସାତଳେ ॥ ୨୫
    ତାର ଉଦ୍ଧାରେ ନରହରି । ତକ୍ଷଣେ କୋଳରୂପ ଧରି ॥ ୨୬
    ଉଦ୍ଧରି ଜଳେ ବସାଇଲା । ବରାହକଳ୍ପ ବୋଲାଇଲା ॥ ୨୭
    ତୃତୀୟେ ଋଷିସର୍ଗେ ହରି । ନାରଦ ମୁନି ରୂପ ଧରି ॥ ୨୮
    କୃଷ୍ଣଭକତ ଜନହିତ । ନିଷ୍କାମ ଶାସ୍ତ୍ର କଲେ ଉକ୍ତ ॥ ୨୯
    ଚତୁର୍ଥେ ଜନ୍ମ ଧର୍ମକଳା । ଦେବ ଉଦ୍ଦେଶ୍ୟେ କର୍ମ କଲା ॥ ୩୦
    ସେ ରୂପ ନର ନାରାୟଣ । ସୃଜିଲେ ଧର୍ମ ଆଚରଣ ॥ ୩୧
    ତପ ସାଧିଲେ ଦୃଢ଼ଚିତ୍ତେ । ସୃଷ୍ଟିକଳ୍ପନା ଅଭିମତେ ॥ ୩୨
    ପଞ୍ଚମେ ସିଦ୍ଧ ଅବତାରେ । ଜନ୍ମିଲେ କର୍ଦ୍ଦମର ଘରେ ॥ ୩୩
    ନାମେ ସେ କପିଳ ବୋଲାଇ । ପିତାମାତାଙ୍କୁ ଜ୍ଞାନ କହି ॥ ୩୪
    ଷଷ୍ଠେ ସେ ଅତ୍ରିପୁତ୍ର ହୋଇ । ଅନସୂୟାଙ୍କ ମାତା ପାଇ ॥ ୩୫
    ପ୍ରହ୍ଲାଦ ଆଦି ଦୈତ୍ୟଗଣେ । ଜ୍ଞାନ କହିଲେ ଜଣେ ଜଣେ ॥ ୩୬
    ସପ୍ତମସର୍ଗେ ନରହରି । ଆକୂତି ଗର୍ଭେ ଅବତରି ॥ ୩୭
    ଅନେକ ଜ୍ଞାନଶାସ୍ତ୍ର କଲେ । ସ୍ୱାୟମ୍ବୁ ମନ୍ୱନ୍ତ୍ର ପାଳିଲେ ॥ ୩୮
    ଅଷ୍ଟମେ ନାଭିଗୃହେ ଜାତ । ଋଷଭ ମେରୁଦେବୀ ସୁତ ॥ ୩୯
    ଅତି କଠୋର ତପ କଲେ । ଜ୍ଞାନୀଙ୍କି ପଥ ଦେଖାଇଲେ ॥ ୪୦
    ନବମେ ପୃଥୁ ରୂପ ଧରି । ବଳେ ଦୁହିଁଲେ ବସୁନ୍ଧରୀ ॥ ୪୧
    କ୍ଷୀରେ ଧରଣୀ କଲେ ସମ । ନାମ ବହିଲେ ଉଶମ ॥ ୪୨
    ଦଶମେ ମତ୍ସ୍ୟରୂପ ହୋଇ । ନାବ ପ୍ରଳୟ ଜଳେ ବାହି ॥ ୪୩
    ପ୍ରଳୟ ଜଳେ ବିହରିଲେ । ରବିର ବଂଶକୁ ରଖିଲେ ॥ ୪୪
    ଏକାଦଶରେ ଚକ୍ରଧର । ଯେ ରୂପେ ଜନ ଉପକାର ॥ ୪୫
    ଇନ୍ଦ୍ରର ଅର୍ଥେ ଦେବାସୁରେ । କ୍ଷୀରସମୁଦ୍ର ମନ୍ଥିବାରେ ॥ ୪୬
    କପଟେ କୂର୍ମ ରୂପ ହୋଇ । ମନ୍ଦରଗିରି ପୃଷ୍ଠେ ବହି ॥ ୪୭
    ଦ୍ୱାଦଶସର୍ଗେ ବିଶ୍ୱକଳ୍ପେ । ଜନ୍ମିଲେ ଧନ୍ୱନ୍ତରୀ ରୂପେ ॥ ୪୮
    ଅମୃତ କ୍ଷୀରାର୍ଣ୍ଣବୁ ଆଣି । ଦେବଙ୍କୁ ପିଆଇଲେ ପୁଣି ॥ ୪୯
    ମୋହିନୀ ରୂପେ ତ୍ରୟୋଦଶେ । ଶଙ୍କର ମୋହେ କାମବଶେ ॥ ୫୦
    ଚତୁରଦଶେ ସିଂହବପୁ । ବିଦାରେ ହିରଣ୍ୟକଶିପୁ ॥ ୫୧
    ବାମନ ରୂପେ ଚତୁର୍ଦ୍ଦଶେ । ବଳିକି ଛଳିଲେ ବିଶ୍ୱାସେ ॥ ୫୨
    ଷୋଡ଼ଶ ଅବତାରେ ହରି । ପରଶୁରାମ ରୂପ ଧରି ॥ ୫୩
    ପିତାବଧରେ ଅହଙ୍କାରେ । ଧରଣୀ ଏକବିଂଶ ବାରେ ॥ ୫୪
    ଭ୍ରମିଲେ ମହାକୋପାନଳେ । ରାଜାଙ୍କୁ ଧରି ବାହୁବଳେ ॥ ୫୫
    ଦୁଷ୍ଟକ୍ଷତ୍ରିୟ କାଟି ମୁଣ୍ତ । ରୁଧିରେ ପୂର୍ଣ୍ଣକରି କୁଣ୍ତ ॥ ୫୬
    ତର୍ପଣ କଲେ ପିତୃଗଣେ । ତପେ ରହିଲେ ଘୋରବନେ ॥ ୫୭
    ସପତଦଶେ ଦେବ କାର୍ଯ୍ୟେ । ଜନ୍ମିଲେ ପରାଶର ବୀର୍ଯ୍ୟେ ॥ ୫୮
    ନିଗମ ବୃକ୍ଷ ଥିଲା ଏକା । ବିଚାରି କଲେ ଶତେଶାଖା ॥ ୫୯
    ପ୍ରାଣୀଙ୍କି ଦେଖି ଅଳ୍ପବୁଦ୍ଧି । ଯେ ଧର୍ମ ସଂସାରେ ପ୍ରସିଦ୍ଧି ॥ ୬୦
    ସେ ପୁଣି ଦିବାକର-ବଂଶେ । ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ॥ ୬୧
    ଜଳଧି ବାନ୍ଧି ସୀତା ଛଳେ । ଲଙ୍କା ଧ୍ୱଂସିଲେ ଭୁଜବଳେ ॥ ୬୨
    ରାବଣ ମାରି ଦେବରାଜ । ଭଲେ ସମ୍ପାଦି ଦେବ କାର୍ଯ୍ୟ ॥ ୬୩
    ଊନବିଂଶତି ରୂପେ ହରି । ଯାଦବବଂଶେ ଅବତରି ॥ ୬୪
    କୃଷ୍ଣ ସ୍ୱରୂପେ ରାମ ତୁଲେ । ଅବନୀ ଭାରା ଉଶ୍ୱାସିଲେ ॥ ୬୫
    କଳି ଆଗମେ ଭାବଗ୍ରାହୀ । ପାଷା-ଜନ-ମନ ମୋହି ॥ ୬୬
    ବୁଦ୍ଧ ସ୍ୱରୂପ ଅବତାରେ । ଜନ୍ମିବେ କୀକଟ ନଗରେ ॥ ୬୭
    ଜ୍ଞାନ ଉଦ୍ଦେଶ୍ୟେ ଭଗବାନ । ମୋହିବେ ଅସୁରଙ୍କ ମନ ॥ ୬୮
    ଏମନ୍ତେ ଜନ୍ମ ଏକବିଂଶ । ସୁଜନ ହିତେ ହୃଷୀକେଶ ॥ ୬୯
    ସେ ପୁଣି କଳିଯୁଗ ଅନ୍ତେ । ରାଜାଙ୍କୁ ଦେଖିବେ ଜଗତେ ॥ ୭୦
    ନିର୍ଦ୍ଦୟ-ହୃଦେ ପ୍ରଜାମାରି । ଧନ ଜୀବନ ନ୍ୟନ୍ତି ହରି ॥ ୭୧
    ସେ କାଳେ ବିଷ୍ଣୁଯଶା ଘରେ । ଜନ୍ମିବେ କଳ୍କି-ଅବତାରେ ॥ ୭୨
    ମନହୁଁ ବେଗ ବଳବନ୍ତ । ଅଶ୍ୱ ଆରୋହି ଜଗନ୍ନାଥ ॥ ୭୩
    ସୁନନ୍ଦ-ଖଡ୍ଗ କରେ ଧରି । ଦୁଷ୍ଟରାଜାଙ୍କୁ ବେଗେ ମାରି ॥ ୭୪
    ଅଳପ ରାଜା-ଜନ-ଦେଶ । ଦୟାରେ କରିଣ ଆଶ୍ୱାସ ॥ ୭୫
    ସେ ସତ୍ୟନିଧି ମାୟାଧର । ଅଶେଷ କରେ ଅବତାର ॥ ୭୬
    ଯଥା ଜୀମୂତ ବୃଷ୍ଟି ଜଳେ । ସହସ୍ର ନଦୀ ମହୀତଳେ ॥ ୭୭
    ଋଷି ଦେବତା ମନୁରାଜା । ଯେ ମନୁ ପୁତ୍ରେ ମହାତେଜା ॥ ୭୮
    ଏ ଆଦି ଯେତେ ପ୍ରଜାପତି । କୃଷ୍ଣର ଅଂଶେ ଜାତ ହୋନ୍ତି ॥ ୭୯
    କେ ଅଂଶ କେବା କଳା ହୋଇ । ବିଭୂତି ଗୁଣେ କେ ଜନ୍ମଇ ॥ ୮୦
    ସକଳ ଅବତାର ସାର । କି ଅବା ଦେବା ପଟାନ୍ତର ॥ ୮୧
    ନୀଳ ଜୀମୂତ ଚକ୍ରଧର । ସ୍ୱୟଂ ଶ୍ରୀକୃଷ୍ଣ ଅବତାର ॥ ୮୨
    ଏମନ୍ତେ ନାନାରୂପ ଧରି । ସଂସାରେ ରମେ ନରହରି ॥ ୮୩
    ଦୁଷ୍ଟର ତେଜ ତେଜେ ହରି । ସଂସାରେ ଖେଳଇ ମୁରାରି ॥ ୮୪
    କୃଷ୍ଣର ଜନ୍ମ-କର୍ମ ବାଣୀ । ଯେ ଏହା କର୍ଣ୍ଣପଥେ ଶୁଣି ॥ ୮୫
    ରାତ୍ର ଦିବସ ମଧ୍ୟେ ଯେବେ । କାଳ ବଞ୍ଚଇ କୃଷ୍ଣଭାବେ ॥ ୮୬
    ସେ ଦୁଃଖ-ସଙ୍କଟୁ ତରନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୮୭
    ଏମନ୍ତେ ନାନାରୂପ ଯେତେ । ବିଷ୍ଣୁ ଧରନ୍ତି ଏ ଜଗତେ ॥ ୮୮
    ସ୍ୱଭାବେ ରୂପ ଯାର ନାହିଁ । ନିର୍ଲେପ ନିରଞ୍ଜନ ସେହି ॥ ୮୯
    ମାୟାର ଗୁଣେ ବିରଚିତ । ମହତ ଆଦିରୁ ସମ୍ଭୂତ ॥ ୯୦
    ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି । ପବନ ବଳେ ସେ ଉଡ଼ନ୍ତି ॥ ୯୧
    ପାର୍ଥିବ ରେଣୁଏ ଯେମନ୍ତେ । ଉଡ଼ନ୍ତି ପବନ ବିଘାତେ ॥ ୯୨
    ଆକାଶ ଧୂସର ଦିଶଇ । ନାନା ବର୍ଣ୍ଣରେ ଆଭାସଇ ॥ ୯୩
    ତାହାକୁ ଦୃଷ୍ଟିଭେଦେ ଦେଖି । ଯେ ସତ୍ୟ ପ୍ରାୟେ ଉପଲକ୍ଷି ॥ ୯୪
    ସେ ରୂପେ ଆତ୍ମାରେ ଶରୀର । କଳ୍ପନା କରନ୍ତି ଯେ ନର ॥ ୯୫
    ତାହାଙ୍କୁ ବୋଲି ଜ୍ଞାନହୀନ । ଏବେ ହୋ ମୁନିଗଣେ ଶୁଣ ॥ ୯୬
    ସ୍ୱଭାବେ ଦୃଶ୍ୟବସ୍ତୁ ନୋହେ । ଗୁଣ ଆବୋରି ଦେହ ବହେ ॥ ୯୭
    ଏଣୁ ସେ ଜୀବ ରୂପ ବହି । ଜନ୍ମ-ମରଣ ପଥେ ଥାଇ ॥ ୯୮
    ସମ ଅସମ ରୂପ ଯେତେ । ସମ୍ଭବେ ବିଷ୍ଣୁ-ମାୟା-ଗ୍ରସ୍ତେ ॥ ୯୯
    ଆତ୍ମାରେ କଳ୍ପିତ ଈଶ୍ୱର । ଏ ତତ୍ତ୍ୱେ ବ୍ରହ୍ମର ବିଚାର ॥ ୧୦୦
    ମାୟା ମିଶ୍ରିତ ମତି ଯେବେ । ନିରସ୍ତ ହୋଇ ଜ୍ଞାନ ଭାବେ ॥ ୧୦୧
    ତେବେ ଆତ୍ମାରେ ଆତ୍ମା ଦେଖି । ନିର୍ମଳ ମହିମା ନିରେଖି ॥ ୧୦୨
    ଏ ମାୟା ଈଶ୍ୱରୁ ପ୍ରକାଶ । ଯେବେ ସେ ହୁଅଇ ବିନାଶ ॥ ୧୦୩
    ପରମାନନ୍ଦ ରୂପେ ଚିତ୍ତ । ତେବେ ସେ ହୁଅଇ ଭାବିତ ॥ ୧୦୪
    ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନ । ଜାଣଇ ତତ୍ତ୍ୱ ଜ୍ଞାନୀଜନ ॥ ୧୦୫
    ଏମନ୍ତେ ଜନ୍ମକର୍ମ ଯେତେ । ବିଚାର କରି ବେଦପଥେ ॥ ୧୦୬
    ବୋଲନ୍ତି ଯେତେ ମୁନିଜନେ । ଏ ତ ନ ଘଟେ ଅନୁମାନେ ॥ ୧୦୭
    ସ୍ୱଭାବେ ଯାର ଜନ୍ମ ନାହିଁ । ବିଚାର କରିବ ତା କେହି ॥ ୧୦୮
    ଅମୋଘ-ଲୀଳା ନରହରି । ଆତ୍ମାରେ ବିଶ୍ୱମାୟା କରି ॥ ୧୦୯
    ବ୍ରହ୍ମା ସୃଜଇ ପାଳଇ । ଅନ୍ତେ ଆପଣେ ସଂହାରଇ ॥ ୧୧୦
    ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେ । ଷଡ଼୍ ବର୍ଗେ ଭୋଗ କରେ ନିତ୍ୟେ ॥ ୧୧୧
    ଏଣୁ ଈଶ୍ୱର ସେ ବୋଲାଇ । କିବା ଉପମା ଦେବି ମୁହିଁ ॥ ୧୧୨
    ଈଶ୍ୱର-ଲୀଳା-କର୍ମ ଯେତେ । କେ ଜାଣି ପାରେ ତର୍କମତେ ॥ ୧୧୩
    ଏହାର ଅଛି ଯେତେ ନାମ । ସ୍ୱଭାବେ ଯେତେ ଗୁଣଗ୍ରାମ ॥ ୧୧୪
    ଅଜ୍ଞାନେ କେ ଜାଣିବ ତାହା । ଦୁରଧିଗମ୍ୟ ବିଷ୍ଣୁ ମାୟା ॥ ୧୧୫
    ନଟ ଯେସନେ ମାୟା କରି । ମୋହଇ କୁହୁକ ବିସ୍ତାରି ॥ ୧୧୬
    ସେ ଚକ୍ର ପାଣିର ଚରିତ । କେ ଜାଣି ପାରେ ତ୍ରିଜଗତ ॥ ୧୧୭
    ଏ କାଳଚକ୍ର ଯାର ହସ୍ତେ । କେ ଯାଇ ପାରେ ତାର ପଥେ ॥ ୧୧୮
    ସେ ହରି ପାଦପଦ୍ମଗନ୍ଧ । ଯେ ନିତ୍ୟେ ପିବେ ମକରନ୍ଦ ॥ ୧୧୯
    ଧନ୍ୟ ଜୀବନ ତାହାଙ୍କର । ଯେ ହରିଚରଣେ କିଙ୍କର ॥ ୧୨୦
    ସର୍ବ ଆତ୍ମାକୁ ଆତ୍ମଭାବେ । ଭଜନ୍ତି ନିତ୍ୟେ ବାସୁଦେବେ ॥ ୧୨୧
    ଏମନ୍ତ ଭାବେ ଯେ ଭଜଇ । ଏ ମାୟା ତାକୁ ନ ଲାଗଇ ॥ ୧୨୨
    ଏ ଯେ ପୁରାଣ ଭାଗବତ । ନିର୍ମଳପଦ ବ୍ରହ୍ମତତ୍ତ୍ୱ ॥ ୧୨୩
    କୃଷ୍ଣଚରିତ ପରଶଂସି । ପ୍ରକାଶ କଲେ ବ୍ରହ୍ମଋଷି ॥ ୧୨୪
    ଜୀବର ମୋକ୍ଷଫଳ ଅର୍ଥେ । ଧନ୍ୟ ମଙ୍ଗଳ ଏ ଜଗତେ ॥ ୧୨୫
    ସର୍ବ-ନିଗମ ଇତିହାସେ । ସାର ଉଦ୍ଧାରି ମନତୋଷେ ॥ ୧୨୬
    ଆତ୍ମଜ୍ଞାନୀଙ୍କ ମଧ୍ୟେ ବର । ଯେ ଶୁକରୂପେ ଅବତାର ॥ ୧୨୭
    ତାହାଙ୍କୁ ଭାଗବତ ଦୀକ୍ଷା । ଦେଇ କହିଲେ ଆତ୍ମଶିକ୍ଷା ॥ ୧୨୮
    ସେ ପୁଣି ପରୀକ୍ଷିତ ଆଗେ । କହିଲେ ଆତ୍ମ-ଅନୁରାଗେ ॥ ୧୨୯
    ବ୍ରାହ୍ମଣ ଶାପେ ସେ ବିକଳେ । ନିବାସ କରି ଗଙ୍ଗାକୂଳେ ॥ ୧୩୦
    ପରମ-ଋଷି ମେଳେ ଥାଇ । କୃଷ୍ଣଚରଣେ ମନ ଦେଇ ॥ ୧୩୧
    ଏ ଭାଗବତ-ରସ ଶୁଣି । ତରିଲା ଭବ-ତରଙ୍ଗିଣୀ ॥ ୧୩୨
    ଶ୍ରୀକୃଷ୍ଣ ଗଲେ ନିଜଧାମ । ସଙ୍ଗତେ ଘେନି ଜ୍ଞାନ ଧର୍ମ ॥ ୧୩୩
    ଏ କଳିଯୁଗେ ଯେତେ ନରେ । ପଡ଼ିବେ ମାୟା ଅନ୍ଧକାରେ ॥ ୧୩୪
    ତାହାଙ୍କୁ ତପନ ଉଦିତ । ହୋଇବ ଭାବେ ଭାଗବତ ॥ ୧୩୫
    ରାଜା ସଙ୍ଗତେ ଗଙ୍ଗାତଟେ । ଅନେକ ଋଷିଙ୍କ ନିକଟେ ॥ ୧୩୬
    ଏ ଭାଗବତ ତତ୍ତ୍ୱବାଣୀ । ଶୁକମୁନିଙ୍କ ମୁଖୁ ଶୁଣି ॥ ୧୩୭
    ଜାଣିଲି ଶୁକ ଅନୁରାଗେ । ଏବେ କହିବା ତୁମ୍ଭ ଆଗେ ॥ ୧୩୮
    ଏ ଭାବେ ଚିନ୍ତି ନରହରି । ଘୋର ସଂସାରୁ ଯିବା ତରି ॥ ୧୩୯
    ବୋଲଇ ଦାସ ଜଗନ୍ନାଥ । ସୁଜନ-ହିତେ ଭାଗବତ ॥ ୧୪୦
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ତୃତୀୟୋଽଧ୍ୟାୟଃ ।।

    ଚତୁର୍ଥ ଅଧ୍ୟାୟ

    ଏମନ୍ତେ ଭାଗବତବାଣୀ । ସୂତମୁନିଙ୍କ ମୁଖୁ ଶୁଣି ॥ ୧
    ମୁନିଙ୍କ ମଧ୍ୟେ କର୍ମଶୁଦ୍ଧ । ଶୌନକ ନାମେ କୁଳବୃଦ୍ଧ ॥ ୨
    ସର୍ବମୁନିଙ୍କ ଅବଧାନେ । ପୁଚ୍ଛନ୍ତି ମଧୁର-ବଚନେ ॥ ୩

    ଶୌନକ ଉବାଚ

    ହେ ସୂତ ତୁମ୍ଭେ ମହାଧୀର । ବକତାଜନ ମଧ୍ୟେ ବର ॥ ୪
    ଗଙ୍ଗାର ତୀରେ ରାଜା ଆଗେ । ଶୁକ କହିଲେ ବ୍ରହ୍ମଭାଗେ ॥ ୫
    ଏ ଭାଗବତଧର୍ମ କେବେ । ବ୍ୟାସ ରଚିଲେ କେଉଁ ଯୁଗେ ॥ ୬
    ସେ କଥା କହ ଆମ୍ଭ ଆଗ । ତୁମ୍ଭେ ସେ ଅଟ ମହାଭାଗ ॥ ୭
    କାହାର ବୋଲେ କାହିଁ ବସି । କି ଭାବେ କି ହେତୁ ଉେଦ୍ଦ୍ୟେଶି ॥ ୮
    ଶୁକ ଯେ ତାହାଙ୍କ କୁମର । ସମଦରଶୀ ନିର୍ବିକାର ॥ ୯
    ଏକାନ୍ତ-ମତି ରାତ୍ର ଦିନେ । କୃଷ୍ଣ-ମହିମା ଯାର ମନେ ॥ ୧୦
    ନିର୍ମାୟା ମୂଢ଼ତା ପ୍ରତୀତି । ଲକ୍ଷି ନ ପାରେ କେହି ଗତି ॥ ୧୧
    ଯାହାର ଆଗମନ କାଳେ । ଦେବକନ୍ୟାଏ ଥିଲେ ଜଳେ ॥ ୧୨
    ସ୍ୱଭାବେ ନଗ୍ନ ତାଙ୍କୁ ଦେଖି । ଧାଇଁଲେ ଲଜ୍ଜାକୁ ଉପେକ୍ଷି ॥ ୧୩
    ଦେଖିବା ଅର୍ଥେ ଜଳତଟେ । ମିଳିଲେ ମୁନିଙ୍କ ନିକଟେ ॥ ୧୪
    ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ । ଜଳେ ପଶିଲେ ବେଗେ ଯାଇ ॥ ୧୫
    ସ୍ୱଭାବେ ସେ ସୁର-ଯୁବତୀ । ଜାଣନ୍ତି ସର୍ବପ୍ରାଣୀ ଗତି ॥ ୧୬
    ଦେଖି କନ୍ୟାଙ୍କ ମୂଢ଼ଗତି । ଚଞ୍ଚଳ ବ୍ୟାସଙ୍କର ମତି ॥ ୧୭
    ଏମନ୍ତେ କନ୍ୟାଗଣେ ଚାହିଁ । ବ୍ୟାସ କହନ୍ତି ଖେଦ ବହି ॥ ୧୮
    ପୁଣି କ୍ଷଣକେ ପାଇ ଶାନ୍ତି । କନ୍ୟାଙ୍କୁ ଚାହିଁ ପଚାରନ୍ତି ॥ ୧୯
    ଅଇଲ ମୋର ପୁତ୍ର ଚାହିଁ । କିମ୍ପା ପଶିଲ ଜଳେ ଯାଇ ॥ ୨୦
    ଏ କିସ ତୁମ୍ଭର ବେଭାର । ସେ ଶୁକ ମୋହର କୁମର ॥ ୨୧
    ତରୁଣ ବୟସ ତାହାର । ଏ ବୃଦ୍ଧ-ଶରୀର ମୋହର ॥ ୨୨
    ବ୍ୟାସ-ବଚନେ ନାରୀଗଣେ । ତକ୍ଷଣେ ନମିଲେ ଚରଣେ ॥ ୨୩
    ବୋଲନ୍ତି ବ୍ୟାସ ମୁଖ ଚାହିଁ । ସଂସାର ତାଙ୍କ ଦେହେ ନାହିଁ ॥ ୨୪
    ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ । ବିଷୟରସେ ଅଛି ସଧ ॥ ୨୫
    ଏ ଘେନି ହୋଇଲୁ ଅନ୍ତର । ଆମ୍ଭର ଦୋଷ କ୍ଷମାକର ॥ ୨୬
    ଏମନ୍ତେ ଗଲେ ନାରୀଗଣେ । ଶୁକ ରହିଲେ ସେହି ବନେ ॥ ୨୭
    ସେ ଶୁକମୁନି କିସ କାର୍ଯ୍ୟେ । ପ୍ରବେଶ କଲେ କୁରୁରାଜ୍ୟେ ॥ ୨୮
    ଉନ୍ମତ୍ତ ଜଡ଼ରୂପ ବହି । ତାହାଙ୍କୁ କେହି ନ ଜାଣଇ ॥ ୨୯
    କେମନ୍ତେ ପରୀକ୍ଷିତ ମେଳେ । ମିଳିଲେ ଜାହ୍ନବୀର କୂଳେ ॥ ୩୦
    ତହିଁ ଅନେକ ମୁନିମଧ୍ୟେ । ଏ ଭାଗବତର ସମ୍ବାଦେ ॥ ୩୧
    ପ୍ରଜାଙ୍କ ଦ୍ୱାରେ ସାୟଂକାଳେ । ଯେ ନିତ୍ୟେ ଭିକ୍ଷାଅର୍ଥେ ମିଳେ ॥ ୩୨
    ଗୋଦୋହ ମାତ୍ର ଦ୍ୱାରେ ରହି । ଗୃହୀଙ୍କି ତୀର୍ଥଫଳ ଦେଇ ॥ ୩୩
    ସେ ମୁନି ପରୀକ୍ଷିତ ମେଳେ । ମିଳିଲେ ପୂର୍ବ-ପୁଣ୍ୟ-ଫଳେ ॥ ୩୪
    ସେ ପୁଣି ଭାଗବତ-ଶାସ୍ତ୍ର । କହିଲେ ଏତ ଆଚମ୍ବିତ ॥ ୩୫
    ସେ ଭାଗବତ ପରୀକ୍ଷିତ । ସ୍ୱଭାବେ ଅଭିମନ୍ୟୁ-ସୁତ ॥ ୩୬
    ତାହାଙ୍କ ଜନ୍ମ-କର୍ମ ଯେତେ । କହିବା ଆମ୍ଭର ଅଗ୍ରତେ ॥ ୩୭
    ଅଦ୍ଭୁତ ପ୍ରାୟ ତାହା ଶୁଣି । ତରିବୁ ଭବ-ତରଙ୍ଗିଣୀ ॥ ୩୮
    ସେ ସର୍ବ-ରାଜାଙ୍କର ସାର । ପାଣ୍ତବବଂଶେ କୀର୍ତ୍ତିଧର ॥ ୩୯
    ଏଡ଼େ ସମ୍ପଦ କରି ଦୂର । କିମ୍ପା ରହିଲେ ଗଙ୍ଗାତୀର ॥ ୪୦
    ଶତ୍ରୁ ରାଜାଏ ଯାର ପାଦ । ନମନ୍ତି ଦେଇଣ ସମ୍ପଦ ॥ ୪୧
    ଯୁବାବୟସେ ନରପତି । ତେଜିଣ ଅଚଳ ବିଭୂତି ॥ ୪୨
    ଯେହୁ ଶରୀର ଏ ସଂସାରେ । ବହଇ ପର ଉପକାରେ ॥ ୪୩
    ହରିଚରଣ ଚିନ୍ତି ଚିତ୍ତେ । ଯେ ରାଜା ବର୍ତ୍ତେ ଜନହିତେ ॥ ୪୪
    ସେ କିମ୍ପା ଛାଡ଼ିଲେ ଜୀବନ । ଉପେକ୍ଷି ଗୃହ-ଦାରା-ଧନ ॥ ୪୫
    କହ କାରଣ କିବା ଅର୍ଥେ । ସଂଶୟ ଛାଡ଼ିବ ଯେମନ୍ତେ ॥ ୪୬
    ତୁମ୍ଭେ ସର୍ବଜ୍ଞ ନିର୍ବିକାର । କହ ସଂଶୟ ଯାଉ ଦୂର ॥ ୪୭
    ଏମନ୍ତେ ଶୌନକ ବଚନେ । ସକଳ ପ୍ରଶ୍ନ ଅନୁମାନେ ॥ ୪୮
    କହନ୍ତି ସୂତ ମହାଋଷି । ମୁନିଙ୍କ ପ୍ରଶ୍ନ ପରଶଂସି ॥ ୪୯

    ସୂତ ଉବାଚ

    ଶୁଣ ସକଳ ମୁନିଜନ । ଶ୍ରୀକୃଷ୍ଣ ଚରିତ ବିଧାନ ॥ ୫୦
    ତ୍ରେତୟା ଯୁଗ ଭୋଗ ଅନ୍ତେ । ଦ୍ୱାପର ଯୁଗ ଉପଗତେ ॥ ୫୧
    ବିଷ୍ଣୁର ଅଂଶେ ବ୍ୟାସମୁନି । ଜନ୍ମିଲେ ନରଦେହ ଘେନି ॥ ୫୨
    ପରାଶରଙ୍କ ବୀର୍ଯ୍ୟେ ଜାତ । ଯୋଜନଗନ୍ଧା ଗର୍ଭଗତ ॥ ୫୩
    ସେ ଏକଦିନେ ପ୍ରାତଃକାଳେ । ସ୍ନାହାନ ସାରି ଗଙ୍ଗାଜଳେ ॥ ୫୪
    ଏକାନ୍ତେ ବଦରିକାଶ୍ରମେ । ବସିଣ ନିଶ୍ଚଳ ଆସନେ ॥ ୫୫
    ପର ଅପର ଜ୍ଞାନ ଜାଣେ । ସକଳ-ଶାସ୍ତ୍ର ପରିମାଣେ ॥ ୫୬
    ଯେ କାଳ ପୁରୁଷର ବଳେ । ଯୁଗେ ଉଡ଼ନ୍ତି ଅନ୍ତରାଳେ ॥ ୫୭
    ତାହାକୁ ନ ଦେଖନ୍ତି କେହି । ବ୍ରହ୍ମା ମଧ୍ୟେ ଦେହ ବହି ॥ ୫୮
    ପ୍ରାଣୀଙ୍କ ବଳ ନିତ୍ୟେ ହରେ । ଯୁଗ ସ୍ୱଭାବ ଅନୁସାରେ ॥ ୫୯
    କଳି-ଆଗମେ ପ୍ରାଣିଙ୍କର । ଯେମନ୍ତ ହୋଇବ ବେଭାର ॥ ୬୦
    ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ । ଦୁର୍ବଳ ହୋଇବେ ଶରୀରେ ॥ ୬୧
    ବୁଦ୍ଧି ହୋଇବ ଲୋଭେ ଗ୍ରାସ । ସ୍ୱଭାବେ ଅଳପ ଆୟୁଷ ॥ ୬୨
    ଦୁର୍ଭଗା ହୋଇବେ ସକଳେ । ଏହା ଜାଣିଲେ ଯୋଗବଳେ ॥ ୬୩
    ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । କଳି ବଞ୍ଚିବେ ଯେଉଁ ଧମେ ॥ ୬୪
    ବେଦ ଉଚିତ ଶୁଦ୍ଧକର୍ମ । ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ॥ ୬୫
    ଜୀବର ଶୁଦ୍ଧେ ଅର୍ଥ କରି । ଯେମନ୍ତେ ବିଷ୍ଣୁମାୟା ତରି ॥ ୬୬
    ଧର୍ମ ସାଧିବେ ଯଜ୍ଞମତେ । ଏମନ୍ତ ଭାଳି ମୁନି ଚିତ୍ତେ ॥ ୬୭
    ବେଦକୁ କଲେ ଚାରିଖଣ୍ତ । ମଧ୍ୟେ ଭିଆଇ କର୍ମକାଣ୍ତ ॥ ୬୮
    ଋକ ଯଜୁ ସାମ ଅଥର୍ବ । ଏ ରୂପେ କରି ଭିନ୍ନଭାବ ॥ ୬୯
    ପଞ୍ଚମ ବେଦ ଇତିହାସ । ବ୍ରହ୍ମ ପୁରାଣ ଅଷ୍ଟାଦଶ ॥ ୭୦
    ପଇଲ ମୁନିଙ୍କି ଆଣିଲେ । ପ୍ରଥମବେଦ ପଢ଼ାଇଲେ ॥ ୭୧
    ଜଇମିନିଙ୍କି ଦେଲେ ସାମ । ଯଜୁ ଯେ ବଇଶମ୍ପାୟନ ॥ ୭୨
    ଅଙ୍ଗିରାମୁନି ଅଥର୍ବଣେ । ମୋ ପିତା ରୋମହରଷଣେ ॥ ୭୩
    ପୁରାଣ ଅଷ୍ଟାଦଶ ଦେଲେ । ଏମନ୍ତେ କର୍ମ ସମ୍ପାଦିଲେ ॥ ୭୪
    ସେ ଶିଷ୍ୟେ ବିଚାରି ନିଶ୍ଚଳେ । ବେଦ-ବୃକ୍ଷକୁ ଯୋଗବଳେ ॥ ୭୫
    ଅନେକ ଶାଖା ଭିଆଇଲେ । ଶିଷ୍ୟେ ପ୍ରଶିଷ୍ୟେ ଶିଖାଇଲେ ॥ ୭୬
    ଅଳପ ବୁଦ୍ଧି ନର ଯେତେ । ବେଦ ଧରିବେ ଦୃଢ଼ଚିତ୍ତେ ॥ ୭୭
    ତେଣୁ ଏ ବେଦ ଭାଗ କଲେ । ଯେ ଯାହା ମତି ଅନୁସାରେ ॥ ୭୮
    ସ୍ତ୍ରୀ-ଶୂଦ୍ରଜନ ଏ ଜଗତେ । ଯୋଗ୍ୟ ନୁହନ୍ତି ବେଦପଥେ ॥ ୭୯
    ତାହାଙ୍କ ନିସ୍ତାରଣ ଅର୍ଥେ । ଉପାୟ ଚିନ୍ତି ଦୟାଚିତ୍ତେ ॥ ୮୦
    ବୁଦ୍ଧି-ମନ୍ଥନେ ବେଦ ମନ୍ଥି । ଭାରତ ପଦବନ୍ଧେ ଗୁନ୍ଥି ॥ ୮୧
    ବେଦୁ ଉଦ୍ଧାରି ସାରଅର୍ଥ । ସୃଜିଲେ ପୁରାଣ ଭାରତ ॥ ୮୨
    ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ । କାନନେ ମିଳିଲେ ନିଶ୍ଚିନ୍ତେ ॥ ୮୩
    କଲେ ହେଁ ସର୍ବଧର୍ମ ଯେତେ । ତୋଷ ନୋହିଲେ ହୃଦ ଗତେ ॥ ୮୪
    ଆଶ୍ରିତ ସରସ୍ୱତୀ କୂଳେ । ମନ ନ ରହଇ ନିଶ୍ଚଳେ ॥ ୮୫
    ଯୋଗେ ନ ପାରି ଚିତ୍ତ ଧରି । ଚଞ୍ଚଳେ ଏମନ୍ତ ବିଚାରି ॥ ୮୬
    ଅତି କଠୋରେ ବେଦ ଘେନି । ଗୁରୁ ଅନଳେ ଚିତ୍ତ ମାନି ॥ ୮୭
    ଯେବା ଭାରତ କଲି ସାର । ସ୍ତ୍ରୀ-ଶୂଦ୍ରଜନଙ୍କ ନିସ୍ତାର ॥ ୮୮
    ତେବେ ନିର୍ମଳ ନୋହେ ମନ । ଚିନ୍ତା ଅନଳେ ଛନ ଛନ ॥ ୮୯
    ଏ ମନ ଧରିବି କେମନ୍ତେ । ନିଶ୍ଚଳ କରି ଜ୍ଞାନ ପଥେ ॥ ୯୦
    ଯେତେ ଚିନ୍ତିଲି ବେଦଧର୍ମ । ବିଚାରେ ଏ ସେ ମାୟାଭ୍ରମ ॥ ୯୧
    ଏ ମାୟା ତୁଟଇ ଯେମନ୍ତେ । ଶ୍ରୀକୃଷ୍ଣ-ଭକ୍ତି-ଯୋଗ ପଥେ ॥ ୯୨
    କହିବି ଭାଗବତ ଧର୍ମ । ଯେଣେ ନ ଲାଗେ ମାୟାଭ୍ରମ ॥ ୯୩
    ଏମନ୍ତ ହୃଦୟେ ବିଚାରି । ମନକୁ ନ ପାରନ୍ତି ଧରି ॥ ୯୪
    ଏମନ୍ତ ସମୟେ ନାରଦ । ଆସନ୍ତେ ଶୁଭେ ବୀଣାନାଦ ॥ ୯୫
    ତକ୍ଷଣେ ସରସ୍ୱତୀ ତଟେ । ମିଳିଲେ ବ୍ୟାସଙ୍କ ନିକଟେ ॥ ୯୬
    ନାରଦ ଆଗମନ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୯୭
    କେତେ ହେଁ ଦୂର ଆଗସରି । ନାରଦ କରେ କର ଧରି ॥ ୯୮
    ବସାଇ ଉତ୍ତମ ଆସନେ । ପୂଜିଲେ ଅତିଥି ବିଧାନେ ॥ ୯୯
    ସେ ବ୍ୟାସ-ନାରଦଙ୍କ ପାଦେ । ସୁଜନେ ପ୍ରଣମ ଆନନ୍ଦେ ॥ ୧୦୦
    ଯାର ଚିନ୍ତନେ ପାପନାଶ । ନମଇଁ ଜଗନ୍ନାଥ ଦାସ ॥ ୧୦୧
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଚତୁର୍ଥୋଽଧ୍ୟାୟଃ ।।

    ପଞ୍ଚମ ଅଧ୍ୟାୟ

    ସୂତ ଉବାଚ

    ସୁତ କହନ୍ତି ଅନୁରାଗେ । ହରଷେ ମୁନିଙ୍କର ଆଗେ ॥ ୧
    ଶୁଣ ସକଳ ମୁନି ଜନେ । ହରିଚରିତ ସାବଧାନେ ॥ ୨
    ବ୍ୟାସ ସମୀପେ ଦେବଋଷି । ସୁଖ-ଆସନେ ଦୃଢ଼େ ବସି ॥ ୩
    ବ୍ୟାସ ପୁଚ୍ଛିଲେ ମନ ତୋଷେ । ଯେ ଜାତ ଗୋବିନ୍ଦର ଅଂଶେ ॥ ୪
    ହରଷେ ବୀଣା ହସ୍ତୁ ଥୋଇ । କହନ୍ତି ବ୍ୟାସ ମୁଖ ଚାହିଁ ॥ ୫

    ନାରଦ ଉବାଚ

    ହେ ପରାଶର-ଋଷି-ସୁତ । ତୁମ୍ଭେ ସ୍ୱଭାବେ ଭାଗବତ ॥ ୬
    ଚଞ୍ଚଳ ଦିଶୁଛି ବଦନ । ଦେଖି ଜାଣିଲି ତୁମ୍ଭ ମନ ॥ ୭
    ସକଳ ବେଦ ଶିଷ୍ୟେ ଦେଇ । ପୁରାଣ ଭାରତ ଭିଆଇ ॥ ୮
    ବେଦ ବିଚାରି ବ୍ରହ୍ମଚିନ୍ତି । ଚିତ୍ତ ନୋହିଲା ତୁମ୍ଭ ଶାନ୍ତି ॥ ୯
    ଭଲେ ଜାଣିଲି ମୁହିଁ ଏହା । ତୁମ୍ଭେ ସ୍ୱଭାବେ ପୁଣ୍ୟଦେହା ॥ ୧୦
    ନାରଦ ବାକ୍ୟ ଶୁଣି କର୍ଣ୍ଣେ । ବ୍ୟାସ କହନ୍ତି ସାବଧାନେ ॥ ୧୧

    ବ୍ୟାସ ଉବାଚ

    ତୁମ୍ଭେ କହିଲ ମୁନି ଯେତେ । ମୋର ଅଭ୍ୟାସ ବହୁମତେ ॥ ୧୨
    ବେଦ ପୁରାଣ ଅର୍ଥ ଯେତେ । ମୁଁ ସର୍ବ ସମ୍ପାଦିଲି ଚିତ୍ତେ ॥ ୧୩
    ତଥାପି ଆତ୍ମା ତୋଷ ନୋହେ । ସ୍ଥିର ନ ରହେ ମନ ଦେହେ ॥ ୧୪
    ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ । ଭଲେ ଜାଣିଲ ମୋର ମନ ॥ ୧୫
    ଏ ମନ ସ୍ଥିର କରିବାରେ । ଗୋବିନ୍ଦ ବିନା କେବା ପାରେ ॥ ୧୬
    ସକଳ-ଶାସ୍ତ୍ର ତହୁଁ ସାର । ତାର ମହିମା ଅଗୋଚର ॥ ୧୭
    ତାର ଭକତି ଯେଣୁ ନାହିଁ । ଏଣୁ ମୋ ଚିତ୍ତ ସ୍ଥିର ନୋହି ॥ ୧୮
    ତୁମ୍ଭେ ସକଳ ତତ୍ତ୍ୱ ଜାଣ । ଯେ କୃଷ୍ଣ-ମହିମା ପ୍ରମାଣ ॥ ୧୯
    ସେ ସର୍ବଜୀବଙ୍କ ଈଶ୍ୱର । ଯାର ମାୟାରେ ଏ ସଂସାର ॥ ୨୦
    ସୃଜଇ ପାଳଇ ସଂହାରେ । ତ୍ରିଗୁଣ-ବ୍ୟାଜେ ସେ ବିହରେ ॥ ୨୧
    ସେ ମାୟା ତାକୁ ନ ଲାଗଇ । ନିତ୍ୟେ ସେ ନିଜ ସୁଖେ ଥାଇ ॥ ୨୨
    ଏ ତିନିଲୋକ ତୁମ୍ଭ ଦେହେ । ନିରତେ ଭ୍ରମେ ରବି ପ୍ରାୟେ ॥ ୨୩
    ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ । ଯେସନେ ସମୀର ସଞ୍ଚରେ ॥ ୨୪
    ଆତ୍ମା ଯେସନେ ସାକ୍ଷୀ ରୂପେ । ନିତ୍ୟେ ବିହରେ ନିଜ ସୁଖେ ॥ ୨୫
    ସେ ବିଷ୍ଣୁ-ପାଦପଦ୍ମ ଜଳେ । ତୁମ୍ଭର ସ୍ନାନ ସୁନିଶ୍ଚଳେ ॥ ୨୬
    ସେ ଜଳ ଶୀତ ଉଷ୍ମ ଭାବ । ନିତ୍ୟେ ତୁମ୍ଭର ଅନୁଭବ ॥ ୨୭
    ତାଙ୍କ ମହିମା ପରିମାଣି । ତୁମ୍ଭହୁଁ ଅନ୍ୟ କେବା ଜାଣି ॥ ୨୮
    କହ ଆନନ୍ଦେ ମୁନିବର । ଯେମନ୍ତେ ମନ ହୋଏ ସ୍ଥିର ॥ ୨୯
    ଏମନ୍ତ ବ୍ୟାସ ମୁଖୁ ଶୁଣି । ଭାବେ କହନ୍ତି ଦେବମୁନି ॥ ୩୦

    ନାରଦ ଉବାଚ

    ଭୋ ମୁନି ସତ୍ୟ ଏ ବଚନ । ଯେଣୁ ସନ୍ତୋଷ ନୋହେ ମନ ॥ ୩୧
    କୃଷ୍ଣ ନିର୍ମଳ ଯଶଗୁଣ । ଯେଣୁ ନକଲ ଉଚ୍ଚାରଣ ॥ ୩୨
    ଯେ ଧର୍ମେ କୃଷ୍ଣ ତୋଷ ନୋହି । ସେ ଧର୍ମ ନିଷ୍ଫଳ ଅଟଇ ॥ ୩୩
    ଧର୍ମ ସମ୍ପଦ କାମ ଅର୍ଥେ । ଯେତେ କହିଲ ବେଦପଥେ ॥ ୩୪
    ଯେବେ ଗୋବିନ୍ଦ ଗୁଣଗ୍ରାମ । ଅଭ୍ୟାସେ ଥାନ୍ତା କିଛି ଶ୍ରମ ॥ ୩୫
    ତେବେ କି ମନ ଅସନ୍ତୋଷ । କହିବି ଶୁଣ ଉପଦେଶ ॥ ୩୬
    ଯେବେ ଏ ଜିହ୍ୱା ବାକ୍ୟ-ଶ୍ରମେ । ନ କରେ କୃଷ୍ଣ-ଗୁଣ-ଗ୍ରାମେ ॥ ୩୭
    ଯେ ବାଣୀ ଅଖିଳ-ତାରିଣୀ । ତା ଛାଡ଼ି ଅନ୍ୟ ଯେବେ ଭଣି ॥ ୩୮
    ତାହାକୁ ବୋଲି କାକ ବାଣୀ । ଯହିଁ ଗୋବିନ୍ଦଙ୍କୁ ନ ଶୁଣି ॥ ୩୯
    ନିଶ୍ଚୟ କାକତୀର୍ଥ ସେହି । ସେ ଜଳେ କେବା ଅବଗାହି ॥ ୪୦
    ପରମହଂସ ମୁନିମେଳେ । ଯେ ଥାନ୍ତି ପୁଣ୍ୟ-ତୀର୍ଥ-କୂଳେ ॥ ୪୧
    ଯେ ବାକ୍ୟେ କୃଷ୍ଣଗୁଣ ଗାଇ । ନିଶ୍ଚୟେ ପୁଣ୍ୟତୀର୍ଥ ସେହି ॥ ୪୨
    ସେ ବାକ୍ୟ ଜନ ତାପ ନାଶେ । ତୀର୍ଥ ଯେସନେ ପାପ ଧ୍ୱଂସେ ॥ ୪୩
    କୃଷ୍ଣର ଗୁଣଗାଥା ଯେବେ । ପ୍ରବନ୍ଧେ ଉଚ୍ଚାରଇ ଭାବେ ॥ ୪୪
    ପଦ ଦୂଷିତ ଯେବେ ହୋଏ । ସେ ପ୍ରାଣୀ ସର୍ବପାପ ଦହେ ॥ ୪୫
    ଅନନ୍ତ ନାମ-ଯଶ-ଗୁଣେ । ସାଧୁଙ୍କ ବାକ୍ୟ ନିତ୍ୟେ ଭଣେ ॥ ୪୬
    ସେ ହରି-ଭାବ ଯେବେ ଛାଡ଼ି । ଯେ ଯାନ୍ତି କର୍ମ ପଥ ମାଡ଼ି ॥ ୪୭
    ଯେ ପୁଣ୍ୟ ବେଦମାର୍ଗେ କରେ । ସକାମ ଚିତ୍ତେ ଫଳ ଧରେ ॥ ୪୮
    ହରିଙ୍କି ନ କରେ ଅର୍ପଣ । ସେ ସର୍ବଫଳ ଅକାରଣ ॥ ୪୯
    ନିଷ୍କାମମତେ ସର୍ବ ନ୍ୟାସି । ତପ ସାଧନ୍ତି ବନେ ପଶି ॥ ୫୦
    ହରି ମହିମା ଛାଡ଼ି ଯେବେ । ଅତି ନିର୍ମଳ ଜ୍ଞାନ ଭାବେ ॥ ୫୧
    ସେ କାହିଁ ଅଶୁଭ ନାଶିବ । ତପ ସାଧିଲା ଫଳ ଦେବ ॥ ୫୨
    ତୁମ୍ଭେ ସ୍ୱଭାବେ ଭାଗବତ । ମହାନୁଭାବ ଶୁଚିମନ୍ତ ॥ ୫୩
    ସତ୍ୟବଚନ ଧୃତିମନ୍ତ । ଏଣୁ ଅମୋଘ ତୁମ୍ଭ ଚିତ୍ତ ॥ ୫୪
    ସମାଧି କରି କୃଷ୍ଣପାଦେ । ତାର ଚରିତ ଅନୁବାଦେ ॥ ୫୫
    ପ୍ରବନ୍ଧ ଭାଗବତ କର । ଅଖିଳ ଜନଙ୍କୁ ଉଦ୍ଧର ॥ ୫୬
    ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ । ହରି ଭକତି ଦୂରେ ତେଜେ ॥ ୫୭
    କୃଷ୍ଣ ଭକତି ଲାଭ ଛାଡ଼ି । ତୃତୀୟବର୍ଗେ ଚିତ୍ତ ବଢ଼ି ॥ ୫୮
    ତାହାର ସୁଖ ଲେଶ କାହିଁ । ସମୁଦ୍ରେ ଯେହ୍ନେ ନାବ ଥାଇ ॥ ୫୯
    ଜଳ ପବନ ମେଘ ତେଜେ । କୂଳେ ନ ଲାଗି ଯେହ୍ନେ ଭାଜେ ॥ ୬୦
    ତାହାଙ୍କ ଗତି ସେହି ମତ । ଶୁଣ ହେ ପରାଶର-ସୁତ ॥ ୬୧
    ନିନ୍ଦିତ କର୍ମ ଚିତ୍ତେ ଚିନ୍ତି । ଯେ ଅନ୍ୟଜନେ ଶିକ୍ଷା ଦ୍ୟନ୍ତି ॥ ୬୨
    ସ୍ୱଭାବେ ମୂଢ଼ ସେହୁ ଜନ । ବିଅର୍ଥ ତାହାର ଜୀବନ ॥ ୬୩
    ତାର ବଚନେ ସେହୁ ଭ୍ରମେ । ଯେ ପ୍ରାଣୀ ଆଚରେ ଅଧର୍ମେ ॥ ୬୪
    ସାଧୁ-ନିନ୍ଦନ ଯେ କରନ୍ତି । ଜଗତେ ନାହିଁ ତାଙ୍କ ସ୍ଥିତି ॥ ୬୫
    ପାପ ଆଚରି ନରଲୋକେ । ଅନ୍ତେ ସେ ପଡ଼ନ୍ତି ନରକେ ॥ ୬୬
    ତୁମ୍ଭେ ସ୍ୱଭାବେ ବିଚକ୍ଷଣ । ଭାବ ଅଭାବ ଭଲେ ଜାଣ ॥ ୬୭
    ଅନନ୍ତ ପାର ବିଷ୍ଣୁକଥା । ତୁମ୍ଭେ ବର୍ଣ୍ଣନେ ସାମରଥା ॥ ୬୮
    ନିବୃତ୍ତି ପ୍ରବୃତ୍ତି ଏ ଭାବେ । ଯେମନ୍ତେ ପ୍ରାଣୀ ନିସ୍ତରିବେ ॥ ୬୯
    ହରି ଚରିତ ଦୀପ କର । ଜନଙ୍କୁ ଅନ୍ଧାରୁ ଉଦ୍ଧର ॥ ୭୦
    ଯେ ପ୍ରାଣୀ ନିଜ ଧର୍ମ ତେଜି । ହରି-ଚରଣ ଦୃଢ଼େ ଭଜି ॥ ୭୧
    ଭଜୁଁ ମରଇ ଯେବେ ଦୁଃଖେ । କେବେହେଁ ନ ପଡ଼େ ନରକେ ॥ ୭୨
    ସ୍ୱଧର୍ମେ ଭଜନ୍ତି ଯେ ପ୍ରାଣୀ । ହରି ଭକତି ନ ପ୍ରମାଣି ॥ ୭୩
    ଅନ୍ତେ ତାହାଙ୍କ ଗତି ଯେତେ । କେ ଅନୁମାନି ପାରେ ଚିତ୍ତେ ॥ ୭୪
    ଏବେ ହୋ ଶୁଣ ମୁନିବର । ପଣ୍ତିତଜନଙ୍କ ବେଭାର ॥ ୭୫
    ଯେ ଲାଭ କେହି ନ ଲଭନ୍ତି । ସେ ଲାଭେ ଯାର ଚିତ୍ତ ଚିନ୍ତି ॥ ୭୬
    ସେ ଅର୍ଥେ ଯତ୍ନ ଯେ କରନ୍ତି । ସଂସାରେ ପଣ୍ତିତ ବୋଲାନ୍ତି ॥ ୭୭
    କାଳର ବଳେ ପୁଣପୁଣ । ଏ ଭବ ମଧ୍ୟେ ତା ଭ୍ରମଣ ॥ ୭୮
    ପୂର୍ବ ଅର୍ଜିତ କର୍ମବଶେ । ଦୁଃଖ ସଦୃଶ ସୁଖ ଆସେ ॥ ୭୯
    ଏ ଅଧ ଉର୍ଦ୍ଧ୍ୱ ବେନି ପଥେ । ପ୍ରାଣୀଏ ଭ୍ରମନ୍ତି ନିରତେ ॥ ୮୦
    ତାହାଙ୍କ ମଧ୍ୟେ ଜଣେ ଜଣେ । ଲୋଭିଲେ ସେ ଫଳ ଧାରଣେ ॥ ୮୧
    ସେ ଫଳ ପାଇ ସୁଖେ ଖାଇ । ଭ୍ରମଣେ ଶ୍ରମ ନ ଲାଗଇ ॥ ୮୨
    ଭ୍ରମିଣ ପ୍ରାଣୀ ଯେବେ ପାଇ । ପୁଣି ଭ୍ରମନ୍ତି ତାହା ଖାଇ ॥ ୮୩
    ଏଣୁ ମୁକୁନ୍ଦ-ପାଦଗତେ । ଯେ ପ୍ରାଣୀ ଭଜନ୍ତି ନିରତେ ॥ ୮୪
    ମୁକୁନ୍ଦପାଦ ତାର ଗତି । ଅନ୍ୟର ପ୍ରାୟ ନ ଭ୍ରମନ୍ତି ॥ ୮୫
    କୃଷ୍ଣର ପାଦପଦ୍ମ ରସ । ନିରତେ କରନ୍ତି ଯେ ଗ୍ରାସ ॥ ୮୬
    ସେ ରସ ଛାଡ଼ିବ ସେ କେହ୍ନେ । ରସେ ରସିକଜନ ଯେହ୍ନେ ॥ ୮୭
    ଈଶ୍ୱର ହେତୁ ଏସଂସାର । ସଂସାରୁ ଈଶ୍ୱର ବାହାର ॥ ୮୮
    ଯେଣୁ ଉତ୍ପତ୍ତି ସ୍ଥିତି ନାଶ । ବିଶ୍ୱର ହୁଅଇ ପ୍ରକାଶ ॥ ୮୯
    ଏଣୁ ଲୀଳାକୁ କରିଅଛି । ପ୍ରାଣୀଙ୍କି ନୋହିବ ପ୍ରତ୍ୟକ୍ଷି ॥ ୯୦
    ଈଶ୍ୱର ଜୀବ ଏ ସଂସାର । ଏ ସର୍ବ ଏକଇ ପ୍ରକାର ॥ ୯୧
    ଏ ସର୍ବ ବ୍ରହ୍ମଭାବେ ଜାଣି । ବେଦରେ ଅଛି ପରିମାଣି ॥ ୯୨
    ତୁମ୍ଭେ ସର୍ବଜ୍ଞ ମୁନିବର । କହ କୃଷ୍ଣର ଅବତାର ॥ ୯୩
    ତୁମ୍ଭେ ଯେ ଆତ୍ମରାମେ ରମି । ଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ ॥ ୯୪
    ପରମ ପୁରୁଷଙ୍କ କଳା । ସୁମରି ଗୋବିନ୍ଦର ଲୀଳା ॥ ୯୫
    ସଂସାର ନିସ୍ତାରଣ ଅର୍ଥେ । ଶ୍ରୀଭାଗବତ କର ଗ୍ରନ୍ଥେ ॥ ୯୬
    ସ୍ୱଭାବେ ଜନ୍ମ ଯାର ନାହିଁ । ମାୟା ଶୟଳେ ରୂପ ବହି ॥ ୯୭
    ତାର ଚରିତରୁ କିଞ୍ଚିତେ । ପ୍ରକାଶ କର ଜନହିତେ ॥ ୯୮
    ଏହୁ ସେ ପୁରୁଷାର୍ଥ ସାର । ଯଜ୍ଞ ତପସ୍ୟା ବେଦସାର ॥ ୯୯
    ଇଷ୍ଟ ପୂଜନ ଯଜ୍ଞ ଦାନ । ଯେବେ ଭାବଇ କୃଷ୍ଣନାମ ॥ ୧୦୦
    ତାହାଙ୍କ ଫଳ ଏ ଅଟଇ । ତା ବିନୁ ନିଷ୍ଫଳ ହୁଅଇ ॥ ୧୦୧
    ପୂର୍ବେ ନିର୍ମଳ ଋଷିଜନେ । ତପ ଆଚରି ଘୋରବନେ ॥ ୧୦୨
    ସଂସାର ସାର କୃଷ୍ଣକଥା । ନିରତେ ଗାଇ ଗୁଣଗାଥା ॥ ୧୦୩
    ଏ ଭାବେ ପାଇଲି ଯେମନ୍ତେ । କହିବି ତୁମ୍ଭର ଅଗ୍ରତେ ॥ ୧୦୪
    ପୂର୍ବେ ମୁଁ ଦକ୍ଷ ଶାପ ପାଇ । ଜନ୍ମିଲି ଦାସୀପୁତ୍ର ହୋଇ ॥ ୧୦୫
    ବ୍ରାହ୍ମଣ ଘରେ ଏକାଏକି । ମୋହର ଜନନୀ ସେବକୀ ॥ ୧୦୬
    ବ୍ୟାପାର କରେ ରାତ୍ର ଦିନେ । ଏମନ୍ତେ ବିଧିର ବିଧାନେ ॥ ୧୦୭
    ସେ ବିପ୍ରଗୃହେ ବର୍ଷା କାଳେ । ଅତିଥି ବ୍ରାହ୍ମଣେ ମିଳିଲେ ॥ ୧୦୮
    ତାହାଙ୍କୁ ଅନ୍ନଜଳ ଦେଇ । ବ୍ରାହ୍ମଣ କହେ ଭାବ ବହି ॥ ୧୦୯
    ହେ ବିପ୍ରେ ଶୁଣ ମୋ ବଚନ । ଆଜ ଜୀବନ ମୋର ଧନ୍ୟ ॥ ୧୧୦
    ତୁମ୍ଭର ଦୟା ଯେବେ ମୋତେ । ମୋ ଘରେ ରୁହ ଦିନାକେତେ ॥ ୧୧୧
    ଦୁର୍ଗମ ବର୍ଷାମାସ ଚାରି । ଏ ଋତୁ ମୋର ଘରେ ସାରି ॥ ୧୧୨
    ହେଉ ବୋଇଲେ ବିପ୍ରଜନେ । ବ୍ରାହ୍ମଣ ଗୃହେ ଶୁଦ୍ଧମନେ ॥ ୧୧୩
    ରହିଲେ ମନର ସନ୍ତୋଷେ । ମୁଁ ସେବା କଲି ତାଙ୍କ ପାଶେ ॥ ୧୧୪
    ବାଳୁତ ଚପଳ ମୋ ଚିତ୍ତ । ସେବା କରଇ ଅବିରତ ॥ ୧୧୫
    ସେ ବିପ୍ରଗଣେ ମୋତେ ଚାହିଁ । ଆଶ୍ୱାସ କଲେ ଦୟାବହି ॥ ୧୧୬
    ତାହାଙ୍କ ଭୋଜନର ଅନ୍ତେ । ପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ ॥ ୧୧୭
    ତାହା ଭୁଞ୍ଜଇ ନିତ୍ୟେ ମୁହିଁ । ଅନ୍ୟ ଭୋଜନ ନ ଜାଣଇ ॥ ୧୧୮
    ଉଚ୍ଛିଷ୍ଟ ଭୋଜନ ପ୍ରସାଦେ । ମୋହର ଚିତ୍ତୁ ଅପ୍ରମାଦେ ॥ ୧୧୯
    ସର୍ବ କିଳ୍ବିଷ କେଣେ ଗଲା । ତାହାଙ୍କ ଧର୍ମ ଉଦେ ହେଲା ॥ ୧୨୦
    ବିପ୍ରଙ୍କ ମୁଖୁ ହରିବାଣୀ । ଦିନ ବଞ୍ଚଇ ନିତ୍ୟେ ଶୁଣି ॥ ୧୨୧
    ପଦକୁ ପଦ ଗୀତ ସ୍ମରେ । ସେ ବାଣୀ ମୋର ମନ ହରେ ॥ ୧୨୨
    ନିରତେ ଶୁଣି ପଦେ ପଦେ । ମନ ବୁଡ଼ିଲା କୃଷ୍ଣପାଦେ ॥ ୧୨୩
    କୃଷ୍ଣ ହୁଁ ଆନ ନ ଜାଣଇ । ବିଷୟ-ରସ ଆର କାହିଁ ॥ ୧୨୪
    ଯେଣୁ ଏ ସଦସତ ରୂପ । ପ୍ରାଣୀ ଦେଖନ୍ତି ମୋହକଳ୍ପ ॥ ୧୨୫
    ଆପଣା ଅଜ୍ଞାନ ସେ ଅଟେ । କେବେହେଁ ସତ୍ୟ ସେ ନଘଟେ ॥ ୧୨୬
    ମୁହିଁ ଦେଖଇ ବହୁମତେ । ହରିହୁଁ ଆନ କେ ଜଗତେ ॥ ୧୨୭
    ଏମନ୍ତେ ବରଷା ସରିଲା । ଶରଦ ଋତୁ ପ୍ରସରିଲା ॥ ୧୨୮
    ନିରତେ ଶବ୍ଦେ ହରିବାଣୀ । ବିପ୍ରଜନଙ୍କ ମୁଖୁ ଶୁଣି ॥ ୧୨୯
    ସାତ୍ତ୍ୱିକ ଭକ୍ତି ମୋର ମନେ । ପ୍ରକାଶ ହେଲା ଅନୁକ୍ଷଣେ ॥ ୧୩୦
    ମୋହର ସେବା ଦିନୁ ଦିନେ । ଦେଖି ସନ୍ତୋଷ ବିପ୍ରଜନେ ॥ ୧୩୧
    ଜାଣିଲେ ଶୁଦ୍ଧସତ୍ତ୍ୱ ରୂପେ । ଭକତି ଜାତ ମୋର ଚିତ୍ତ ॥ ୧୩୨
    ଯିବାର ବେଳେ ମୋତେ ରାଇ । କୃଷ୍ଣମହିମା ଶିକ୍ଷା ଦେଇ ॥ ୧୩୩
    ଯେ ଗୁହ୍ୟ ଗୁହ୍ୟତମ ଜ୍ଞାନ । ଯେଣେ ଉଦିତ ଭଗବାନ ॥ ୧୩୪
    ସର୍ବ କହିଲେ ମୋର କର୍ଣ୍ଣେ । ଦୀନବତ୍ସଳ ମୁନିଜନେ ॥ ୧୩୫
    ବିଷ୍ଣୁର ମାୟା ଅନୁଭବ । ତେଣୁ ଜାଣିଲି ମୁହିଁ ସର୍ବ ॥ ୧୩୬
    ଯେଭାବେ ଭାବି ଅପ୍ରମାଦେ । ପ୍ରାଣୀ ପଶନ୍ତି କୃଷ୍ଣପାଦେ ॥ ୧୩୭
    ଏଣୁ ଏ କୃଷ୍ଣାର୍ପିତ କର୍ମ । କଲେ ତୁଟଇ ଭବଭ୍ରମ ॥ ୧୩୮
    ଆତ୍ମାରେ ଜ୍ଞାନ ପ୍ରକାଶଇ । ତ୍ରିତାପମାନ କ୍ଷୟ ଯାଇ ॥ ୧୩୯
    ବ୍ୟାଧି ଉପୁଜେ ଯାର ଭୋଗେ । ସେ ଦ୍ରବ୍ୟେ ଚିକିତ୍ସା ନ ଲଭେ ॥ ୧୪୦
    ଏଣୁ ଗୋବିନ୍ଦ-ରସ ତେଜି । ଯେବେ ବିଷୟ-ରସେ ମଜ୍ଜ ॥ ୧୪୧
    ସେ କାହିଁ ତରିବ ସଂସାରେ । ପଡ଼ଇ ଘୋର ଅନ୍ଧକାରେ ॥ ୧୪୨
    ଏ ଭବ ମଧ୍ୟେ ଦେହ ଧରି । ବିଷ୍ଣୁ ତୋଷଣେ କର୍ମ କରି ॥ ୧୪୩
    ଭକତିଯୋଗ ଜାତ ହୋଇ । ଜ୍ଞାନ ଅଧୀନ ଯା ଅଟଇ ॥ ୧୪୪
    ଯେବେ ସକଳକର୍ମ କରି । କୃଷ୍ଣ ଅର୍ପଣ ମନେ ଧରି ॥ ୧୪୫
    ବିଷ୍ଣୁର ଯେତେ ଗୁଣଗ୍ରାମ । ଜଗତେ ଅଛି ଯେତେ ନାମ ॥ ୧୪୬
    ମୁଖେ ଉଚ୍ଚାରି ମନେ ସ୍ମରି । ସେ ଭକ୍ତିଯୋଗେ ଅଧିକାରୀ ॥ ୧୪୭
    ଅରୂପବ୍ରହ୍ମ ମନେ ସ୍ମରି । ଯେ ଚିନ୍ତେ ତାଙ୍କ ନାମ ଧରି ॥ ୧୪୮
    ଶ୍ରୀବାସୁଦେବ ଯେ ପ୍ରଦ୍ୟୁମ୍ନ । ଯେ ଅନିରୁଦ୍ଧ ସଙ୍କର୍ଷଣ ॥ ୧୪୯
    ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରି । ପୂଜା କରନ୍ତି ଭକ୍ତି ଭରି ॥ ୧୫୦
    ସେହୁ ନପଡ଼େ ମାୟା ମୋହେ । ଅନ୍ତେ ପଶଇ କୃଷ୍ଣଦେହେ ॥ ୧୫୧
    ଏମନ୍ତେ ସାଧୁସଙ୍ଗ ଫଳେ । କୃଷ୍ଣଭକତି ଯୋଗବଳେ ॥ ୧୫୨
    ଅଶେଷ ଦୁଃଖ ଦୂର ଗଲା । ସେ ହରି ମୋତେ ଜ୍ଞାନଦେଲା ॥ ୧୫୩
    ଏବେ ହୋ ଶୁଣ ମୁନିବର । ହରିଚରଣେ ମନ ଧର ॥ ୧୫୪
    କୃଷ୍ଣର ନାମଗୁଣ ଯେତେ । ପ୍ରାଣୀଙ୍କି କହ ଭାଗବତେ ॥ ୧୫୫
    ଯେଣେ ପଣ୍ତିତଜନଙ୍କର । ଅବୋଧ-କର୍ମ ଯିବ ଦୂର ॥ ୧୫୬
    ବିଷୟ-ବିଷେ ପ୍ରାଣୀ ମରେ । ଆତ୍ମାର ଗତି ନ ବିଚାରେ ॥ ୧୫୭
    ସେ ଏବେ ଭାଗବତ ଶୁଣି । ତରିବେ ଭବ-ତରଙ୍ଗିଣୀ ॥ ୧୫୮
    ଏମନ୍ତ ବ୍ୟାସ ଆଗେ କହି । ବୀଣାଶବଦେ କୃଷ୍ଣ ଗାଇ ॥ ୧୫୯
    ସେ ମୁନିବର ପାଦଯୁଗେ । ସୁଜନେ ନମ ଅନୁରାଗେ ॥ ୧୬୦
    ହୋଇବ ଭବବନ୍ଧ ନାଶ । କହଇ ଜଗନ୍ନାଥ ଦାସ ॥ ୧୬୧
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ବ୍ୟାସ-ନାରଦ ସମ୍ୱାଦେ ପଞ୍ଚମୋଽଧ୍ୟାୟଃ ।।

    ଷଷ୍ଠ ଅଧ୍ୟାୟ

    ସୂତ ଉବାଚ

    ଶୌନକ ଆଦି ମୁନି ମଧ୍ୟେ । ସୂତ କହନ୍ତି ଜ୍ଞାନବୋଧେ ॥ ୧
    ଶୁଣ ସକଳ ମୁନିଜନ । ସେ ବ୍ୟାସ-ନାରଦ ପ୍ରଶନ ॥ ୨
    ଏମନ୍ତେ ନାରଦଙ୍କ ବାଣୀ । ସେ ସତ୍ୟବତୀ-ସୁତ ଶୁଣି ॥ ୩
    ନାରଦ ଜନ୍ମକର୍ମ ଯେତେ । ହରିଙ୍କି ଭଜିଲେ ଯେମନ୍ତେ ॥ ୪
    ଏସର୍ବକଥା ଜାଣିମାରେ । ପୁଣି ପୁଚ୍ଛିଲେ ଆରବାରେ ॥ ୫

    ବ୍ୟାସ ଉବାଚ

    ଥିଲେ ସନ୍ନ୍ୟାସୀ ଯେତେ ଦିନ । ତୁମ୍ଭଙ୍କୁ କଲେ ମନ୍ତ୍ର ଦାନ ॥ ୬
    ସନ୍ତୋଷେ ଦେଇ ମନ୍ତ୍ରଦୀକ୍ଷା । ଗମିଲେ ଯେଣେ ତାଙ୍କ ଇଚ୍ଛା ॥ ୭
    ତଦଅନ୍ତରେ କଲ କିସ । ତୁମ୍ଭର ପ୍ରଥମ-ବୟସ ॥ ୮
    ଜନ୍ମ ସଞ୍ଚଇ ପ୍ରଜାପତି । ବାଳୁତକାଳୁ ଯେତେ ଗତି ॥ ୯
    କରି ବଞ୍ଚନ୍ତି ପ୍ରାଣୀ ସର୍ବେ । ତୁମ୍ଭେ ବଞ୍ଚିଲ କେଉଁ ଭାବେ ॥ ୧୦
    କାଳ ପ୍ରବେଶେ ମୁନିବର । କେହ୍ନେ ଛାଡ଼ିଲ କଳେବର ॥ ୧୧
    ପୂର୍ବକଳ୍ପର ଏ ବିଚାର । କିରୂପେ ହେଲ ଜାତିସ୍ମର ॥ ୧୨
    ତୁମ୍ଭର ଜ୍ଞାନ ଦେହ ଅନ୍ତେ । କାଳ ନ ହରିଲା କେମନ୍ତେ ॥ ୧୩
    ଏମନ୍ତ ବ୍ୟାସମୁଖୁ ଶୁଣି । ବ୍ରହ୍ମାନନ୍ଦନ ବାକ୍ୟ ଭଣି ॥ ୧୪

    ନାରଦ ଉବାଚ

    ଶୁଣ ହେ ମୁନି ଶୁଦ୍ଧଚେତା । ମୋ ଜନ୍ମକର୍ମର ବାରତା ॥ ୧୫
    ମୋତେ ପରମଜ୍ଞାନ ଦେଇ । ବିପ୍ରେ ଯେ ଗଲେ ପଥଚାହି ॥ ୧୬
    ମୁଁ ପୁଣି ପ୍ରଥମ-ବୟସେ । ମୁନିଜନଙ୍କ ଉପଦେଶେ ॥ ୧୭
    ଦିନ ବଞ୍ଚଇ ମାତା କୋଳେ । ମନ ମୋ କୃଷ୍ଣପାଦତଳେ ॥ ୧୮
    ମୋର ଜନନୀ ବିପ୍ରଘରେ । ସେବକୀ ପଣେ ଦିନ ହରେ ॥ ୧୯
    ସେବଇ ବିପ୍ରଘରେ ନିତ୍ୟେ । ନ ଥାଇ ଆତ୍ମାର ଆୟତ୍ତେ ॥ ୨୦
    ଏକଇ ପୁତ୍ର ତାର ମୁହିଁ । ସେ ମୋତେ ଦଣ୍ତେ ନ ଛାଡ଼ଇ ॥ ୨୧
    ସ୍ନେହେ ପୋଷଇ ନିତିନିତି । ମୋ ତହୁଁ ନାହିଁ ଅନ୍ୟଗତି ॥ ୨୨
    ମୋର ନିମିତ୍ତେ ଭିକ୍ଷାଅନ୍ନ । ବହୁତ କଳ୍ପେ ତାର ମନ ॥ ୨୩
    ସେ ବା ପାଇବ ଅନ୍ନ କାହିଁ । ବ୍ରାହ୍ମଣଘରେ ଯା ମିଳଇ ॥ ୨୪
    ମୋତେ ଭୁଞ୍ଜାଇ ଅବଶେଷ । ମୋର ଜନନୀ କରେ ଗ୍ରାସ ॥ ୨୫
    ସଂସାର ଈଶ୍ୱର-ଆୟତ୍ତେ । ଏମନ୍ତେ ଗଲା ଦିନାକେତେ ॥ ୨୬
    ମୁଁ ସେ ବ୍ରାହ୍ମଣ ଘରେ ଥାଇ । ସନ୍ଧ୍ୟା-ସକାଳ ନ ଜାଣଇ ॥ ୨୭
    ବାଳକ ପଞ୍ଚମ ବୟସେ । ବଞ୍ଚଇ ଜନନୀର ପାଶେ ॥ ୨୮
    ମୋର ଜନନୀ ଏକଦିନେ । ବ୍ରାହ୍ମଣଘରେ ଗୋଦୋହନେ ॥ ୨୯
    ଧେନୁ ଦୋହନ୍ତେ ପଥେ ବସି । ସର୍ପେ ମିଳିଲା ପାଶେ ଆସି ॥ ୩୦
    ଦଇବ ଯୋଗେ ସେ ଦଂଶିଲା । ତକ୍ଷଣେ ଜନନୀ ମୋ ମଲା ॥ ୩୧
    ମୁହିଁ ମାତାଙ୍କୁ ଅଗ୍ନି ଦେଇ । ଭାଳଇ ଚଉଦିଗ ଚାହିଁ ॥ ୩୨
    ବିପ୍ରଙ୍କ ତହିଁ ମୋର ମନ । ନିତ୍ୟେ ଭାଳଇ ଛନଛନ ॥ ୩୩
    ତାହାଙ୍କୁ ଭେଟିବାର ଅର୍ଥେ । ଗଲି ଉତ୍ତରଦିଗ ପଥେ ॥ ୩୪
    ଅନେକ ପୁର ନଗ୍ର ଗ୍ରାମେ । ବିପ୍ରଙ୍କୁ ଖୋଜି ପଥଶ୍ରମେ ॥ ୩୫
    ଖେଟ ଖର୍ବଟ ବାଟୀ ବନେ । ଦୁର୍ଗମ ପର୍ବତ କାନନେ ॥ ୩୬
    ପବିତ୍ରଜଳେ ପୁଣ୍ୟତୀର୍ଥେ । ଦେବେ ସେବନ୍ତି ଯହିଁ ନିତ୍ୟେ ॥ ୩୭
    ଉତ୍ତମ ସରୋବର ବନେ । ହଂସ ସାରସ ଭୃଙ୍ଗସ୍ୱନେ ॥ ୩୮
    ପୁଣି ମିଳିଲି ଘୋରଦେଶେ । ପୂରିତ ନଳ କୁଶ କାଶେ ॥ ୩୯
    ହସ୍ତୀସେବିତ ବନ ଆଦି । ଯେ ସ୍ୱର୍ଣ୍ଣଚିତ୍ର ପୁଣ୍ୟନଦୀ ॥ ୪୦
    ବୈଣବୀ ଲତା ଗୁଳ୍ମସାର । ଦିଶଇ ଘୋର ଅନ୍ଧକାର ॥ ୪୧
    ସର୍ପ ଉଲୂକ ଶିବାଗୃହେ । ବନେ ଭ୍ରମଇ ଏକାଦେହେ ॥ ୪୨
    ଏମନ୍ତେ ଭ୍ରମୁ ଘୋରପଥେ । ଶ୍ରମେ ପିପାସା ବୁଭୁକ୍ଷିତେ ॥ ୪୩
    ଏମନ୍ତେ ଯାଉଁ ପଦେପଦେ । ଶ୍ରମେ ପଶିଲି ନଦୀହ୍ରଦେ ॥ ୪୪
    ଶୀତଳ ବାରି ସ୍ନାନପାନ । କରନ୍ତେ ଗଲା ମୋର ଶ୍ରମ ॥ ୪୫
    ସେ ନଦୀ ଜଳେ ପ୍ରାଣ ତୋଷି । ଅଶ୍ୱତ୍ଥ ତରୁତଳେ ବସି ॥ ୪୬
    ଯେରୂପେ ମୁନିଙ୍କ ବଚନେ । ଆତ୍ମାରେ ଆତ୍ମା ଅବଧାନେ ॥ ୪୭
    କୃଷ୍ଣର ପାଦପଦ୍ମ ଯୁଗେ । ଧ୍ୟାନ ମୁଁ କଲି ଅନୁରାଗେ ॥ ୪୮
    ଉତ୍କଣ୍ଠା ଗଦ୍ ଗଦ ବଚନ । ଅଶ୍ରୁଜଳରେ ନେତ୍ର ପୂର୍ଣ୍ଣ ॥ ୪୯
    ତକ୍ଷଣେ ପରମ ଆନନ୍ଦେ । ହରି ବିଜୟେ ମୋର ହୃଦେ ॥ ୫୦
    ଅତ୍ୟନ୍ତ ପ୍ରେମଭରେ ଦେହେ । ଉଦ୍ ଗମ ହେଲେ ତନୁରୁହେ ॥ ୫୧
    ଆନନ୍ଦ-ସାଗରେ ବୁଡ଼ିଲି । ଉଭୟଲୋକ ନ ଜାଣିଲି ॥ ୫୨
    ରୂପେ କି ଦେବା ପଟାନ୍ତର । ମନ ବଚନ ଆଗୋଚର ॥ ୫୩
    ଦେଖି ଉଠିଲି ତତକ୍ଷଣେ । ବିକଳେ ଚିତ୍ତକରଷଣେ ॥ ୫୪
    ପୁଣି ରହିଲି ଦୃଢ଼ଚିତ୍ତେ । ସେ ରୂପ ଦେଖିବା ନିମନ୍ତେ ॥ ୫୫
    ସେ ହରି ହୋଇଲେ ଅନ୍ତର । ଦିଶିଲା ଘୋର-ଅନ୍ଧକାର ॥ ୫୬
    ବାହୁଡ଼ି ଚାହିଁଲି ବାହାରେ । ଦିଶ ଆକାଶ ଅଭ୍ୟନ୍ତରେ ॥ ୫୭
    ଭିତରେ ବାହାରେ ନ ପାଇ । ଆକୁଳେ କମ୍ପେ ମୋର ଦେହୀ ॥ ୫୮
    ଏମନ୍ତେ ଅନ୍ତରୀକ୍ଷ-ବାଣୀ । କିବା ଅମୃତ ତରଙ୍ଗିଣୀ ॥ ୫୯
    ମନ-ବଚନେ ଅଗୋଚର । ସ୍ୱଭାବେ ଗମ୍ଭୀର ସୁସ୍ୱର ॥ ୬୦
    ପ୍ରସନ୍ନ କଲା ମୋର ମନ । ଶୁଣିଲି ଆକାଶ-ବଚନ ॥ ୬୧
    ଏଜନ୍ମେ ଦେଖିବୁ ତୁ କାହିଁ । ମୋହର ଆଦି ଅନ୍ତ ନାହିଁ ॥ ୬୨
    କୁଜନଜନଙ୍କର ଚିତ୍ତ । କର୍ମ-ବାସନାରେ ଜଡ଼ିତ ॥ ୬୩
    ଯାବତ ଶୁଭାଶୁଭ-କର୍ମେ । ଚିତ୍ତ ଆକର୍ଷେ ମତି ଭ୍ରମେ ॥ ୬୪
    ସେ ମୋତେ ପାଇବେ କେମନ୍ତେ । କର୍ମ ଆବୋରି ନାନାମତେ ॥ ୬୫
    ମୋର ସେବକ ସେବା ଫଳେ । ତେଣୁ ଦେଖିଲୁ ମୋତେ ଡୋଳେ ॥ ୬୬
    ମୁଁ ଯାର ଚିତ୍ତେ ନିତ୍ୟେ ଥାଇ । ତା ହୃଦେ ଅମଙ୍ଗଳ କାହିଁ ॥ ୬୭
    ଏବେ ସାଧୁଙ୍କ ସେବା କରି । ଦୀର୍ଘଜୀବନ ଦେହେ ଧରି ॥ ୬୮
    ଦୃଢ଼ଭକତି ମୋର ପାଦେ । ଚିତ୍ତେ ପ୍ରସରୁ ଅପ୍ରମାଦେ ॥ ୬୯
    ଏ ଦେହ ଛାଡ଼ି ମୋର ଧ୍ୟାନେ । ଅନ୍ତେ ମିଳିବୁ ମୋ ଭୁବନେ ॥ ୭୦
    ମୋର ବିଷୟେ ତୋର ମତି । କେବେ ହେଁ ନୋହିବ ଦୁର୍ଗତି ॥ ୭୧
    ସୃଷ୍ଟିପ୍ରଳୟ ବାଧା ଯେତେ । କେବେହେଁ ନ ଲାଗିବ ତୋତେ ॥ ୭୨
    ମୋ ଅନୁଗ୍ରହେ ହେଉ ଜ୍ଞାନ । ଏମନ୍ତ ଆକାଶ-ବଚନ ॥ ୭୩
    ସ୍ୱଭାବେ ସ୍ଫୁରେ ଅନ୍ତରୀକ୍ଷେ । କେ ତାହା ଦେଖିବ ପ୍ରତ୍ୟକ୍ଷେ ॥ ୭୪
    ସ୍ୱଭାବେ ରୂପ ନାହିଁ ଯାର । ମହାମହିମା ନିର୍ବିକାର ॥ ୭୫
    ସେ ବାଣୀ ଶୁଣି ଚିତ୍ତ ସ୍ଥିରେ । ପ୍ରଣାମ କଲି ତା ପୟରେ ॥ ୭୬
    ମୋର ଜୀବନ କୃତକୃତ୍ୟ । ଶୁଣ ହେ ସତ୍ୟବତୀ-ସୁତ ॥ ୭୭
    ସେ ବିନୁ ନ ଜାଣଇ ଆନ । ମୋ ସର୍ବଗତି ଭଗବାନ ॥ ୭୮
    ଲାଜଭୟକୁ ପରିହରି । ହୃଦେ ଗୋବିନ୍ଦ ନାମ ଧରି ॥ ୭୯
    ଅନନ୍ତ ନାମ ଗୁଣ ଯେତେ । ଚିତ୍ତେ ସୁମରି ଅବିରତେ ॥ ୮୦
    ଭୂମି କରଇ ପର୍ଯ୍ୟଟନ । ବିଗତରାଗ ତୁଷ୍ଟ ମନ ॥ ୮୧
    ମଦମତ୍ସରମାନ ତେଜି । କୃଷ୍ଣ-ଚରଣେ ଦୃଢ଼େ ଭଜି ॥ ୮୨
    ଏମନ୍ତେ ଭ୍ରମୁ ଅନୁଦିନ । ନିର୍ମଳ ହୋଇଲା ମୋ ମନ ॥ ୮୩
    ଏମନ୍ତେ ମରଣ ନିୟତ । କାଳ ହୋଇଲା ଉପଗତ ॥ ୮୪
    ସଂଶୟ ସ୍ଫୁରେ ମୋର ମନେ । ବିଜୁଳି ଯେହ୍ନେ ନୀଳଘନେ ॥ ୮୫
    ଦିବ୍ୟସ୍ୱରୂପ ମୁହିଁ ଦେଖି । ତକ୍ଷଣେ ଶରୀର ଉପେକ୍ଷି ॥ ୮୬
    ଆନନ୍ଦେ କୃଷ୍ଣ ଅନୁଗ୍ରହେ । ଶୂନ୍ୟେ ଗମିଲି ଦିବ୍ୟଦେହେ ॥ ୮୭
    କଳ୍ପାନ୍ତେ ଦିନ ପ୍ରଳୟରେ । ଏ ସୃଷ୍ଟି ଦେଖିଣ ଉଦରେ ॥ ୮୮
    କ୍ଷୀରଜଳଧି ମଧ୍ୟେ ସ୍ଥିତ । ଅନନ୍ତଶୟନେ ଅଚ୍ୟୁତ ॥ ୮୯
    ପଶିଲି ତାର ଅଭ୍ୟନ୍ତରେ । ନିର୍ଲେପ ନିର୍ମଳ ଶରୀରେ ॥ ୯୦
    ଯେବେ ସହସ୍ରଯୁଗ ଗଲା । ଶୟନୁ ଅନନ୍ତ ଉଠିଲା ॥ ୯୧
    ତକ୍ଷଣେ ବ୍ରହ୍ମ-ରୂପ ଧରି । ଭୂମି ଭିଆଇ ସୃଷ୍ଟିକରି ॥ ୯୨
    ମରୀଚି ଆଦି ସପ୍ତସୁତ । ବ୍ରହ୍ମା ମନରୁ ହେଲେ ଜାତ ॥ ୯୩
    ମୁହିଁ ହୋଇଲି ତାଙ୍କ ସଙ୍ଗେ । ସମ୍ଭୂତ ବିଧାତାର ଅଙ୍ଗେ ॥ ୯୪
    ନିଶ୍ଚଳ ଚିତ୍ତେ ଦୃଢ଼ବ୍ରତେ । ଏ ତିନିଲୋକେ ଭ୍ରମେ ନିତ୍ୟେ ॥ ୯୫
    କୃଷ୍ଣର ଭାବେ ଭ୍ରମେ ନିତି । ମୋହର ଅବ୍ୟାହତଗତି ॥ ୯୬
    କୃଷ୍ଣଭକତି ଭାବଭୋଳେ । ମୁହିଁ ଗମଇ ଅନ୍ତରାଳେ ॥ ୯୭
    ଦେବଙ୍କ ମଧ୍ୟେ ମୁହିଁ ଥାଇ । ନୃତ୍ୟ କରଇ କୃଷ୍ଣ ଗାଇ ॥ ୯୮
    ଶୁଣି ସନ୍ତୋଷ ମୋର ବାଣୀ । ବୀଣା ଗୋଟିଏ ଦେଲେ ଆଣି ॥ ୯୯
    ସପତସ୍ୱର ବିଭୂଷଣା । ସୁସ୍ୱର ନାଦ ତିନିଗୁଣା ॥ ୧୦୦
    ସ୍ୱର ମୂର୍ଚ୍ଛନା ନାଦ ବାଇ । ଆନନ୍ଦେ କୃଷ୍ଣଗୁଣ ଗାଇ ॥ ୧୦୧
    ନିରତେ ଭ୍ରମେ ତ୍ରିଜଗତେ । ଶୁଣ କହିବା ଆଉ ଯେତେ ॥ ୧୦୨
    ହରିର ଅଭୟଚରଣ । ଅଶେଷତୀର୍ଥଙ୍କର ସ୍ଥାନ ॥ ୧୦୩
    ସେ ପାଦ କଲେ ସୁମରଣ । ଶୀଘ୍ରେ ମୋ ଚିତ୍ତେ ନାରାୟଣ ॥ ୧୦୪
    ଆଦିତ୍ୟ ତେଜ ପ୍ରାୟ ଦିଶେ । ଅଜ୍ଞାନତମ ବେଗେ ନାଶେ ॥ ୧୦୫
    ସେ ହରିଚରିତର ଗୁଣ । ଭୋ ମୁନି ସାବଧାନେ ଶୁଣ ॥ ୧୦୬
    ଭବସାଗରେ ଯେତେ ନରେ । ଆତୁରଚିତ୍ତ ଅଭ୍ୟନ୍ତରେ ॥ ୧୦୭
    ବିଷୟରସେ ସୁଜଡ଼ିତ । କେବେହେଁ ନୋହେ ଶୁଦ୍ଧଚିତ୍ତ ॥ ୧୦୮
    ଅଛନ୍ତି ଭବ-ସିନ୍ଧୁ-ଗର୍ଭେ । ସେ ନରେ କେମନ୍ତେ ତରିବେ ॥ ୧୦୯
    କୃଷ୍ଣର ଗୁଣଗାଥା ଘୋଷି । ଆନନ୍ଦେ ସୁଖନାବେ ବସି ॥ ୧୧୦
    ହେଳେ ତରିବେ ହରି ଗାଇ । ଅନ୍ୟଥା ସୁଖ ଲେଶ ନାହିଁ ॥ ୧୧୧
    ଯମ ନିୟମ ଯୋଗପଥେ । ଯେ ନର ସାଧେ ଅବିରତେ ॥ ୧୧୨
    ଏ ନାବ ପାଇବ ସେ କାହିଁ । ଯେବେ ଗୋବିନ୍ଦେ ଚିତ୍ତ ନାହିଁ ॥ ୧୧୩
    ଶୁଣ ହେ ସତ୍ୟବତୀ-ସୁତ । ମୋହର ପୂର୍ବର ଚରିତ ॥ ୧୧୪
    ଜନ୍ମ କର୍ମାଦି ମୋର ଯେତେ । କହିଲି ତୁମ୍ଭର ଅଗ୍ରତେ ॥ ୧୧୫
    ତୁମ୍ଭର ମନ ତୋଷ ଅର୍ଥେ । କହିଲି ଭକ୍ତିଯୋଗ ଯୋଗଯେତେ ॥ ୧୧୬

    ସୂତ ଉବାଚ

    ସୂତ କହନ୍ତି ଅନୁରାଗେ । ଯଜ୍ଞେ ସମସ୍ତ ମୁନିଆଗେ ॥ ୧୧୭
    ନାରଦ ଜନ୍ମକର୍ମ କଥା । ବିଷ୍ଣୁ ଭକତିର ବ୍ୟବସ୍ଥା ॥ ୧୧୮
    ବ୍ୟାସଙ୍କ ଆଗେ ସର୍ବ କହି । ଆନନ୍ଦେ ବୀଣାବାଦ୍ୟ ବାଇ ॥ ୧୧୯
    ଆକାଶମାର୍ଗେ ଗଲେ ଏକେ । ବିଜୁଳି ଯେହ୍ନେ ବଳାହକେ ॥ ୧୨୦
    ଧନ୍ୟ ମହିମା ଦେବଋଷି । ନିରତେ କୃଷ୍ଣନାମ ଘୋଷି ॥ ୧୨୧
    ହରି ଗାୟନେ ଭୋଳ ହୋଇ । ବିବିଧଛନ୍ଦେ ବୀଣା ବାଇ ॥ ୧୨୨
    ନିରତେ ଭ୍ରମେ ତିନିପୁରେ । ଜଗତ ସଙ୍କଟୁ ଉଦ୍ଧରେ ॥ ୧୨୩
    ବୋଲଇ ଦାସ ଜଗନ୍ନାଥ । ପ୍ରଥମସ୍କନ୍ଧେ ଭାଗବତ ॥ ୧୨୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ବ୍ୟାସ-ନାରଦ-ସମ୍ୱାଦେ ଷଷ୍ଠୋଽଧ୍ୟାୟଃ ।।

    ସପ୍ତମ ଅଧ୍ୟାୟ

    ଏମନ୍ତେ ଶୁକ ମୁଖୁ ଶୁଣି । ଶୌନକ ଆଦି ସର୍ବ ମୁନି ॥ ୧
    ସୂତମୁନିଙ୍କ ମୁଖ ଚାହିଁ । ପୁଣି ପୁଚ୍ଛନ୍ତି ଭାବ ବହି ॥ ୨

    ଶୌନକ ଉବାଚ

    ବ୍ୟାସଙ୍କୁ ଛାଡ଼ି ଗଙ୍ଗାକୂଳେ । ନାରଦ ଗଲେ ଯେତେବେଳେ ॥ ୩
    ଚିତ୍ତେ ସଂଶୟ ଯେତେ ଥିଲା । ନାରଦବାକ୍ୟେ ଦୂର ହେଲା ॥ ୪
    ସେ ସର୍ବଗୁଣେ ଅଧିକାରୀ । ନାରଦବାକ୍ୟ ଚିତ୍ତେ ଧରି ॥ ୫
    ପୁଣି କି କଲେ ପୁଣ୍ୟଦେହା । କହ ଆମ୍ଭଙ୍କୁ ଯେବେ ଦୟା ॥ ୬
    ଏମନ୍ତେ ମୁନିଙ୍କ ପ୍ରଶନେ । କୃଷ୍ଣମହିମା ଶୁଣି କର୍ଣ୍ଣେ ॥ ୭
    ସୂତ କହନ୍ତି ତୋଷ ଚିତ୍ତେ । ମୁନିଜନଙ୍କର ଅଗ୍ରତେ ॥ ୮

    ସୂତ ଉବାଚ

    ସେ ବ୍ରହ୍ମନଦୀର ପଶ୍ଚିମେ । ଆଶ୍ରମ ଶମ୍ୟାପ୍ରାସ ନାମେ ॥ ୯
    ଯହିଁ ଅଶେଷ ମୁନିଜନ । ଏଣୁ ଅନେକ ଯଜ୍ଞସ୍ଥାନ ॥ ୧୦
    ମଧ୍ୟେ ବଦରୀ ନାମେ ବନ । ବ୍ୟାସଙ୍କ ନିୟତ ଆଶ୍ରମ ॥ ୧୧
    ସେ ବନେ ସରସ୍ୱତୀଜଳେ । ସ୍ନାହାନ ସାରି ପ୍ରାତଃକାଳେ ॥ ୧୨
    କୃଷ୍ଣମହିମା ଚିନ୍ତି ମନେ । ମୁନି ବସିଲେ ଯୋଗଧ୍ୟାନେ ॥ ୧୩
    ନିର୍ମଳ ମନେ ଧ୍ୟାନ କରି । ତକ୍ଷଣେ ପ୍ରଭୁ ନରହରି ॥ ୧୪
    ମାୟା ସହିତେ ହେଲେ ଦୃଶ୍ୟ । ଯେ ପୂର୍ବପୁରାଣପୁରୁଷ ॥ ୧୫
    ଯେ ମାୟା ତ୍ରିଗୁଣେ ଜଡ଼ିତ । ଅଜ୍ଞାନ ପଥେ ମୋହଗ୍ରସ୍ତ ॥ ୧୬
    ଅସତ୍ୟ ସତ୍ୟ ପ୍ରାୟେ ମଣେ । ଆତ୍ମାର ଗତି ନ ପ୍ରମାଣେ ॥ ୧୭
    ତେଣୁ ସେ ଜନ୍ମାଦି ଅନର୍ଥ । ଜୀବକୁ ହୁଅଇ ପ୍ରାପତ ॥ ୧୮
    ତାହାକୁ ଉଦ୍ଧରିବା ଅର୍ଥେ । କୃଷ୍ଣଭକତି ଯୋଗପଥେ ॥ ୧୯
    ରଚିଲେ ଭାଗବତବାଣୀ । ଏ ଜୀବ ତରେ ଯାହା ଶୁଣି ॥ ୨୦
    ଭକତି ଲଭେ କୃଷ୍ଣପାଦେ । ନ ପଡ଼େ ଶୋକ ମୋହ ବାଦେ ॥ ୨୧
    ସଂହିତା ଛଳେ ହରିବାଣୀ । ଶୁକ ମୁନିଙ୍କି ଘରେ ଆଣି ॥ ୨୨
    ସ୍ୱଭାବେ ତାଙ୍କ ନିଜ ସୁତ । ହରଷେ ଦେଲେ ଭାଗବତ ॥ ୨୩
    ବଶେଷେ ଗୋବିନ୍ଦ ପ୍ରସନ୍ନେ । ମାୟା ନ ଲାଗେ ତାଙ୍କ ମନେ ॥ ୨୪
    ଏମନ୍ତେ ସୂତପ୍ରଶ୍ନଶୁଣି । ମୁନି ସକଳେ ମନେ ଗୁଣି ॥ ୨୫
    ମନେ ସଂଶୟ ଖେଦ ବହି । କହନ୍ତି ସୂତ ମୁଖ ଚାହିଁ ॥ ୨୬

    ଶୌନକ ଉବାଚ

    ମାୟା ନ ଲାଗେ ଯାର ଚିତ୍ତେ । କି ପ୍ରୟୋଜନ ତାର ଗ୍ରନ୍ଥେ ॥ ୨୭
    ଶୁକ ସ୍ୱଭାବେ ଆତ୍ମାରାମ । ତାହାଙ୍କ ଗ୍ରନ୍ଥେ କିବା ଶ୍ରମ ॥ ୨୮
    କାହାର ଅର୍ଥେ ବ୍ୟାସସୁତ । ଅଭ୍ୟାସ କଲେ ଭାଗବତ ॥ ୨୯
    ନିର୍ଲେପ ଯୋଗୀ ସେ ଯୁଗତେ । ସଂଶୟ ଲାଗେ ଆମ୍ଭ ଚିତ୍ତେ ॥ ୩୦
    ଶୁଣି ସଂଶୟ ମୁନିକଥା । କହନ୍ତି ସୂତ ବ୍ରହ୍ମବେତ୍ତା ॥ ୩୧

    ସୂତ ଉବାଚ

    ସ୍ୱଭାବେ ମୁନିଙ୍କର ଚିତ୍ତ । ଗ୍ରନ୍ଥରେ ନୁହଇ ଗ୍ରନ୍ଥିତ ॥ ୩୨
    ତଥାପି ଅକିଞ୍ଚନ ପଣେ । ଭଜନ୍ତି ଗୋବିନ୍ଦଚରଣେ ॥ ୩୩
    ଯେଣୁ ସକଳ ଭୂତେ ହରି । ପରମ ଆତ୍ମା ରୂପେ ପୂରି ॥ ୩୪
    ତେଣୁ ଭକତି ଅତିରେକେ । କହନ୍ତି ଏକକୁ ଆରେକେ ॥ ୩୫
    ସେ ଶୁକମୁନି ଶୁଦ୍ଧଚେତା । ନିତ୍ୟେ ଅଭ୍ୟାସେ କୃଷ୍ଣକଥା ॥ ୩୬
    ଭକତଜନ ପ୍ରିୟ ଅର୍ଥେ । ଯାହାର ଜନ୍ମ ଏ ଜଗତେ ॥ ୩୭
    ଏବେ ହୋ ଶୁଣ ବିପ୍ରଜନେ । ହରି ଚରିତ ଅବଧାନେ ॥ ୩୮
    ଭକତ ପରୀକ୍ଷିତ କଥା । ପଣ୍ତୁନନ୍ଦନଙ୍କ ବ୍ୟବସ୍ଥା ॥ ୩୯
    କୁରୁ ପାଣ୍ତବ ଯୁଦ୍ଧ ଅନ୍ତେ । ବୀରେ ଗମିଲେ ବୀରପଥେ ॥ ୪୦
    ଭୀମସେନର ଗଦା ବାଜି । ଦୁର୍ଯ୍ୟୋଧନର ଜାନୁ ଭାଜି ॥ ୪୧
    ପଳାଇ ଗଲା ପ୍ରାଣ ଡରେ । ଲୁଚିଲା ବ୍ୟାସ-ସରୋବରେ ॥ ୪୨
    ଏମନ୍ତେ ହୋଇଲା ରଜନୀ । ଜଳେ ଭାଳଇ ଭୟ ଘେନି ॥ ୪୩
    କାନ୍ଦଇ ଜୀବନ ବିକଳେ । ଦ୍ରୋଣନନ୍ଦନ ଦେଖି କୂଳେ ॥ ୪୪
    ବୋଲଇ ରାଜା ମୁଖ ଚାହିଁ । ମୋତେ ଯେ ନ ବରିଲୁ ତୁହି ॥ ୪୫
    ଯୁଦ୍ଧେ ସକଳ ବୀର ମାରି । ଏ ଭୂମି ଅପାଣ୍ତବା କରି ॥ ୪୬
    ତୋତେ ବସାନ୍ତି ରାଜକୁଳେ । ଅଖଣ୍ତ ଅବନୀ ମଣ୍ତଳେ ॥ ୪୭
    ଶୁଣି ବୋଲଇ ନୃପବର । ଏବେ ହୋ ଅପାଣ୍ତବା କର ॥ ୪୮
    ଏବେ ବରିଲି ସେନାପତି । ଫେଡ଼ ତୁ ମୋହର ଦୁର୍ଗତି ॥ ୪୯
    ଏମନ୍ତ କହି ଅନ୍ଧବଳା । ତାହାର ହସ୍ତେ ଜଳ ଦେଲା ॥ ୫୦
    ଦ୍ରୋଣ କୁମର ବେଗେ ଉଠି । ଧନୁ ଧଇଲା ଦୃଢ଼ମୁଷ୍ଠି ॥ ୫୧
    ମନ୍ତ୍ରିଣ ନାରାଚ ପେଷିଲା । ପାଣ୍ବତ ଶିବିରେ ପଡ଼ିଲା ॥ ୫୨
    ଦ୍ରୌପଦୀ ପାଞ୍ଚ ଯେ କୁମରେ । ଶୋଇଣ ଥିଲେ ଅନ୍ତଃପୁରେ ॥ ୫୩
    ପଡ଼ି କାଟିଲା ତାଙ୍କ ଶିର । ଶବଦ କଲା ମହାଘୋର ॥ ୫୪
    ଶୁଣି କମ୍ପିଲେ ଦିଗପାଳେ । ପୂରିଲା ଭୂମି ଅନ୍ତରାଳେ ॥ ୫୫
    ଅତି ନିନ୍ଦିତ କର୍ମ କଲା । ଦଇବ ବଶେ ଦ୍ରୋଣବଳା ॥ ୫୬
    ଦ୍ରୌପଦୀ ଶୟନ ଉପେକ୍ଷି । ପୁତ୍ର ମରଣ ଦୁଃଖେ ଦୁଃଖୀ ॥ ୫୭
    ବିକଳେ କରଇ ରୋଦନ । ତା ପାଶେ ମିଳିଲେ ଅର୍ଜୁନ ॥ ୫୮
    ଅନେକ ଶାନ୍ତି ବାକ୍ୟ କହି । ବୋଲେ ଦ୍ରୌପଦୀ ମୁଖ ଚାହିଁ ॥ ୫୯
    ଦ୍ରୋଣ କୁମର ଶିର ବାଣେ । କାଟି ସ୍ଥାପିବି ତୋ ଚରଣେ ॥ ୬୦
    ତେବେ ହରିବି ତୋର ଶୋକ । ତୁ ଏବେ ସ୍ଥିର ଚିତ୍ତେ ଦେଖ ॥ ୬୧
    ସେ ବ୍ରହ୍ମବନ୍ଧୁ ଆତତାୟୀ । ତାହାର ବଧେ ଦୋଷ ନାହିଁ ॥ ୬୨
    ଏମନ୍ତେ ମଧୁର ବଚନେ । ଶାନ୍ତି କରାଇ ତାର ମନେ ॥ ୬୩
    ଯାର ସାରଥି ଭଗବାନ । କେ ତାରେ କରେ ଅପମାନ ॥ ୬୪
    ଗାଣ୍ତୀବ ଧନୁ ଧରି ହସ୍ତେ । ବସିଲା କପିଧ୍ୱଜ ରଥେ ॥ ୬୫
    ବେଗେ ଧାଇଁଲା ସଜହୋଇ । ଦେବେ ଗଗନେ ଛନ୍ତି ଚାହିଁ ॥ ୬୬
    ଅର୍ଜୁନ ଦେଖି ଦ୍ରୋଣ ବଳା । କାତରେ ହୃଦୟ କମ୍ପିଲା ॥ ୬୭
    ବାଳକ ବଧେ ଛନ୍ନ ମନେ । ପଳାଇ ଜୀବନ ରକ୍ଷଣେ ॥ ୬୮
    ବେଗେ ପଳାଇ ଭୂମିଗତେ । ପଶିଲା ଗହନ ବନସ୍ତେ ॥ ୬୯
    ପୁଣି ପଳାଇ ଘୋର ବନେ । ଅନ୍ଧକ ରୁଦ୍ର ଡରେ ଯେହ୍ନେ ॥ ୭୦
    ତାରେ ରକ୍ଷକ କେହି ନାହିଁ । ଶ୍ରମେଣ ଅଶ୍ୱ ନ ଚଳଇ ॥ ୭୧
    ପ୍ରାଣ ରକ୍ଷଣେ ଦ୍ରୋଣସୁତ । ମନେ ସୁମରି ବ୍ରହ୍ମଅସ୍ତ୍ର ॥ ୭୨
    ତକ୍ଷଣେ ଜଳେ ସ୍ନାନ କରି । ବ୍ରହ୍ମଶିରାକୁ ହସ୍ତେ ଧରି ॥ ୭୩
    ସଂହାର ନ ଜାଣେ ତାହାରେ । ପେଷିଲା ଅର୍ଜୁନ ଉପରେ ॥ ୭୪
    ସ୍ୱଭାବେ ବ୍ରହ୍ମଶିରା ନାମ । ତେଜେ ବିରାଜେ ରବି ସମ ॥ ୭୫
    ତାର ପ୍ରଚଣ୍ତ ତେଜ ଚାହିଁ । କମ୍ପଇ ଅର୍ଜୁନର ଦେହୀ ॥ ୭୬
    ବ୍ରହ୍ମ ଅସ୍ତ୍ରକୁ ଭୟ କଲା । ଗୋବିନ୍ଦ ମୁଖକୁ ଚାହିଁଲା ॥ ୭୭
    ପଡ଼ି ଅଭୟ ପାଦତଳେ । ବୋଲଇ ଜୀବନ ବିକଳେ ॥ ୭୮

    ଅର୍ଜୁନ ଉବାଚ

    ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର । ଶରଣଜନଙ୍କ ସୋଦର ॥ ୭୯
    ସଂସାର ଅନଳ ଦହନେ । ଡରେ ସ୍ମରନ୍ତି ତୋତେ ଜନେ ॥ ୮୦
    ତାହାଙ୍କୁ ଦେଉ ମୋକ୍ଷ ଗତି । ଅଭୟ ବ୍ରହ୍ମେ ସେ ପଶନ୍ତି ॥ ୮୧
    ଆଦିପୁରୁଷ ନିରଞ୍ଜନ । ପ୍ରକୃତି ପରେ ତୋ ବିଶ୍ରାମ ॥ ୮୨
    ସ୍ୱରୂପେ ମାୟାକୁ ସଂହରୁ । କୈବଲ୍ୟ ରୂପେ ତୁ ବିହରୁ ॥ ୮୩
    ଏଣୁ ତୋହର ଗତି ମୁହିଁ । ମାୟାର ବଳେ ନ ଜାଣଇ ॥ ୮୪
    ଏ ଜୀବଲୋକେ ଘୋରମାୟା । ତୁଟଇ ଯାରେ କରୁ ଦୟା ॥ ୮୫
    ଏଯେ ତୋହର ଅବତାର । ଖଣ୍ତିବ ଅବନୀର ଭାର ॥ ୮୬
    ତୋରେ ଶରଣ ଯେ ପଶଇ । ସଂସାର ତାକୁ ନ ଲାଗଇ ॥ ୮୭
    ଏଣୁ ମୋହର ଗତି ତୁହି । ତୋ ମାୟାବଳ ମୁଁ ଜାଣଇ ॥ ୮୮
    ଏ ଯେ ଆସଇ ବ୍ରହ୍ମଶର । ତେଜେ ଆଚ୍ଛାଦି ତିନିପୁର ॥ ୮୯
    ସ୍ୱଭାବେ ପ୍ରଚଣ୍ତ ଦାରୁଣ । ଦେଖି କମ୍ପଇ ମୋର ପ୍ରାଣ ॥ ୯୦
    କହ କି କରିବି ଗୋସାଇଁ । ତୋ ତହୁଁ ଆନଗତି ନାହିଁ ॥ ୯୧
    ଅର୍ଜୁନ ବାକ୍ୟ ଶୁଣି ହସି । କହନ୍ତି ପ୍ରଭୁ ବ୍ରହ୍ମରାଶି ॥ ୯୨

    ଶ୍ରୀକୃଷ୍ଣ ଉବାଚ

    ଜୀବନ ଡରେ ଦ୍ରୋଣ ବଳା । ଅତିମାନୁଷ କର୍ମ କଲା ॥ ୯୩
    ମନ୍ତ୍ର ନ ଜାଣଇ ସଂହାରେ । ବେଗେ ପେଷିଲା ପ୍ରାଣଡରେ ॥ ୯୪
    ଏହା ନିବାରେ ଶସ୍ତ୍ର ନାହିଁ । କେହି ନ ଜାଣେ ଦେହ ବହି ॥ ୯୫
    ତୁ ତ ସକଳ ଶାସ୍ତ୍ର ଜାଣୁ । ଚଞ୍ଚଳ ଚିତ୍ତେ ନ ପ୍ରମାଣୁ ॥ ୯୬
    ଏ ବ୍ରହ୍ମଶସ୍ତ୍ର ତେଜ ଘୋର । ତୁ ବ୍ରହ୍ମଶସ୍ତ୍ରେଣ ନିବାର ॥ ୯୭

    ସୂତ ଉବାଚ

    ଶୁଣି ଗୋବିନ୍ଦ ମୁଖୁ ବାଣୀ । ଅର୍ଜ୍ଜୁନ ମନେ ମନେ ଗୁଣି ॥ ୯୮
    ତକ୍ଷଣେ ଆଚମନ କଲା । କୃଷ୍ଣଙ୍କୁ ମନେ ସୁମରିଲା ॥ ୯୯
    ଦ୍ରୋଣଙ୍କ ତହୁଁ ଅଛି ଜାଣି । ଭାବେ କହିଲେ ଚକ୍ରପାଣି ॥ ୧୦୦
    ବ୍ରହ୍ମଶରକୁ ବ୍ରହ୍ମଶର । ମନ୍ତ୍ରି ପେଷିଲା ବୀରବର ॥ ୧୦୧
    ଗଗନ ମଧ୍ୟେ ବେନି ଶରେ । ଭୂମି କମ୍ପଇ ଥରହରେ ॥ ୧୦୨
    ଅର୍କ ଅନଳ ପ୍ରାୟ ଦିଶି । ବେଢ଼ିଲେ ଦଶଦିଗ ଗ୍ରାସି ॥ ୧୦୩
    ସେ ବେନି ଶସ୍ତ୍ର ତେଜରାଶି । ପ୍ରଳୟାନଳ ପ୍ରାୟ ଦିଶି ॥ ୧୦୪
    ଦହିବା ପ୍ରାୟ ତ୍ରିଭୁବନ । ଦେଖି ଡରିଲେ ସର୍ବଜନ ॥ ୧୦୫
    ତେଜେ ତାପିତ ତ୍ରିଭୁବନ । ତା ଦେଖି ତକ୍ଷଣେ ଅର୍ଜୁନ ॥ ୧୦୬
    କୃଷ୍ଣ ବୋଇଲେ ଶୁଣ ବୀର । ଅସ୍ତ୍ରେ ସେ ଅସ୍ତ୍ରକୁ ସଂହାର ॥ ୧୦୭
    ଯହୁଁ କହିଲେ ଚକ୍ରପାଣି । ତକ୍ଷଣେ ସଂହାରିଲା ଆଣି ॥ ୧୦୮
    ରଥୁ ଓହ୍ଲାଇ ମହାରୋଷେ । ଧଇଲା ଅଶ୍ବତ୍ ଥାମା କେଶେ ॥ ୧୦୯
    ପ୍ରଚଣ୍ତ ରୋଷେ ଶିରଝୁଣି । ଆକର୍ଷି ପାଡ଼ିଲା ଧରଣୀ ॥ ୧୧୦
    କର ଚରଣ ତନୁ ଛନ୍ଦେ । ବେଗେ ବାନ୍ଧିଲା ମାଲ ବନ୍ଧେ ॥ ୧୧୧
    ବରୁଣ ପାଶକୁ ସୁମରି । ପଶୁଙ୍କ ପ୍ରାୟ ବନ୍ଦୀ କରି ॥ ୧୧୨
    ଅର୍ଜ୍ଜୁନ ମନେ ଦୟା ବହି । ରାଜସଦନେ ନେବା ପାଇଁ ॥ ୧୧୩
    ରଥର ଦଣ୍ତେ ବାନ୍ଧେ ଆଣି । ଦେଖି ବୋଲନ୍ତି ଚକ୍ରପାଣି ॥ ୧୧୪
    ଏ ବ୍ରହ୍ମବନ୍ଧୁ ବତ୍ସଦ୍ରୋହୀ । ଏହାକୁ ଦଣ୍ତେ ହେଁ ନ ଥୋଇ ॥ ୧୧୫
    ମନେ ତୁ ଅନ୍ୟ ନ ବିଚାର । ବେଗେ ଏହାର ପ୍ରାଣ ହର ॥ ୧୧୬
    ନିେର୍ଦୋଷ ବାଳକ ଶୟନେ । ଥିଲେଯେ ନିଦ୍ରିତ ଲୋଚନେ ॥ ୧୧୭
    ଏ ନାଶ କଲା ତାଙ୍କ ପ୍ରାଣ । ଏବେ କହିବା ପାର୍ଥ ଶୁଣ ॥ ୧୧୮
    ମତ୍ତ ପ୍ରମତ୍ତ ଉନମତ୍ତ । ବାଳ ବନିତା ନିଦ୍ରାଗତ ॥ ୧୧୯
    ଶରଣାଗତ ରଥହୀନ । ସଙ୍କଟେ ଦେଖି ରିପୁଜନ ॥ ୧୨୦
    ଏହାଙ୍କୁ ବଧ ଯେ କରନ୍ତି । ଜୀବନ ଥାଉଁ ସେ ମରନ୍ତି ॥ ୧୨୧
    ପର ଜୀବନ ମାରି ଆଣି । ଆତ୍ମାକୁ ପୋଷନ୍ତି ଯେ ପ୍ରାଣୀ ॥ ୧୨୨
    ତାଙ୍କୁ ମାରନ୍ତେ ବହୁ ପୁଣ୍ୟ । ବେଦେ କହନ୍ତି ବିପ୍ରଜନ ॥ ୧୨୩
    ତୁ ଯେ ଦ୍ରୌପଦୀ ଆଗେ ରହି । ପ୍ରତିଜ୍ଞା କଲୁ ଗର୍ବ ବହି ॥ ୧୨୪
    ବୋଇଲୁ ନ କାନ୍ଦ ସୁନ୍ଦରି । ତୋର ରିପୁକୁ ମୁହିଁ ଧରି ॥ ୧୨୫
    ତାହାର ଶିର କାଟି ବେଗେ । ସ୍ଥାପିବି ତୋର ପାଦଯୁଗେ ॥ ୧୨୬
    ମୁହିଁ ଯେ ଶୁଣିଅଛି ଏହା । ଏବେ ରଖିଲୁ କରି ଦୟା ॥ ୧୨୭
    ବେଗେ ଏହାର ପ୍ରାଣ ହର । ନିମିଷେ ବିଳମ୍ବ ନ କର ॥ ୧୨୮
    ଏ ପାପୀ ଆତତାୟୀ ନର । ବାଳକ ହନ୍ତା ଏ ତୁମ୍ଭର ॥ ୧୨୯
    ଯାହାର ଆଶ୍ରେ ଭୋଗ କଲା । ତାର ଅପ୍ରିୟ ଏ ଚିନ୍ତିଲା ॥ ୧୩୦
    ଏଣୁ ଏ କୁଳପାଂଶୁ ପଣେ । ନିତ୍ୟେ ବଞ୍ଚଇ ଘୋର ବନେ ॥ ୧୩୧

    ସୂତ ଉବାଚ

    ଏମନ୍ତେ ଧର୍ମ ପରୀକ୍ଷାର୍ଥେ । କୃଷ୍ଣ କହିଲେ ନାନା ମତେ ॥ ୧୩୨
    ଅର୍ଜୁନ ନ ଶୁଣଇ ତାହା । ଗୁରୁ ପୁତ୍ରକୁ କରି ଦୟା ॥ ୧୩୩
    ଯଦ୍ୟପି ଅଟେ ପୁତ୍ରଦ୍ରୋହୀ । ତଥାପି ବଧେ ଇଚ୍ଛା ନାହିଁ ॥ ୧୩୪
    ତକ୍ଷଣେ ଉଠି ବୀର ପାର୍ଥ । ବନ୍ଧନ କରି ଗୁରୁସୁତ ॥ ୧୩୫
    ଦ୍ରୌପଦୀ ଆଗେ ନେଇ ଦେଲା । ତୋ ରିପୁ ସମ୍ଭାଳ ବୋଇଲା ॥ ୧୩୬
    ନିନ୍ଦିତ କର୍ମେ ହୀନ ହୋଇ । ବନ୍ଧନ ପଶୁ ପାଶେ ଦେହୀ ॥ ୧୩୭
    ଦ୍ରୌପଦୀ ତାର ରୂପ ଚାହିଁ । ତକ୍ଷଣେ ଚିତ୍ତେ ଦୟା ବହି ॥ ୧୩୮
    ପୁତ୍ରଙ୍କ ରିପୁ ଏ ନିୟତ । ସ୍ୱଭାବେ ଦ୍ରୋଣ-ଗୁରୁ-ସୁତ ॥ ୧୩୯
    ଅନ୍ତରେ ନମସ୍କାର କଲା । ଅର୍ଜୁନ ମୁଖକୁ ଚାହିଁଲା ॥ ୧୪୦
    ବୋଲଇ ବେନି କରଯୋଡ଼ି । ବନ୍ଧନ ଦିଅ ବେଗେ ଫେଡ଼ି ॥ ୧୪୧
    ସ୍ୱଭାବେ ବିପ୍ର ଗୁରୁଜନ । ବିଶେଷେ ଦ୍ରୋଣଙ୍କ ନନ୍ଦନ ॥ ୧୪୨
    ରହସ୍ୟ ଧନୁର୍ବେଦ ଗ୍ରାମ । ବିସର୍ଗ ସଂହାର ସଂଯମ ॥ ୧୪୩
    ସକଳ ଅସ୍ତ୍ର ଶସ୍ତ୍ର କଳା । ଯେ ଗୁରୁ ପଣେ ଶିଖାଇଲା ॥ ୧୪୪
    ସେହିଟି ପୁତ୍ର ରୂପେ ଜାତ । ଆତ୍ମାରୁ ଆପଣେ ସମ୍ଭୂତ ॥ ୧୪୫
    ସ୍ୱାମୀର ତହୁଁ ଅର୍ଦ୍ଧେ ଘେନି । ଯୁକତେ ଏହାର ଜନନୀ ॥ ୧୪୬
    ସ୍ୱାମୀର ସଙ୍ଗେ ସେ ନ ମଲା । ଯେଣୁ ଏ ପୁତ୍ର ତାର ଥିଲା ॥ ୧୪୭
    ତୁମ୍ଭେ ଧର୍ମଜ୍ଞ ମହାଭାଗ । ଏ ନୋହେ ତୁମ୍ଭ ଦଣ୍ତଯୋଗ୍ୟ ॥ ୧୪୮
    ଏ ତୋର ଧର୍ମ ଗୁରୁକୁଳ । ଏହାକୁ ଭଲେ ପ୍ରତିପାଳ ॥ ୧୪୯
    ଏହାର ଗଉତମୀ ମାତା । ସୁପୁଣ୍ୟବତୀ ପତିବ୍ରତା ॥ ୧୫୦
    ରୋଦନ ନ କରୁ ସେ ଶୋକେ । ମୋହର ପ୍ରାୟେ ପୁତ୍ର ଦୁଃଖେ ॥ ୧୫୧
    କ୍ଷତ୍ରିୟ ଯେବେ ମୂଢ଼ପଣେ । କୋପ ସମ୍ପାଦେ ବିପ୍ରଗଣେ ॥ ୧୫୨
    ସେ କୋପେ ନିଜକୁଳ ଦହେ । ଏଣୁ କେ ବିପ୍ର ମନ୍ୟୁ ସହେ ॥ ୧୫୩

    ସୂତ ଉବାଚ

    ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ । ହରଷେ ଯୁଧିଷ୍ଠିର ଶୁଣି ॥ ୧୫୪
    ଶୁଣି ନକୁଳ ସହଦେବ । ସାତ୍ୟକି ଅର୍ଜୁନ ପାଣ୍ତବ ॥ ୧୫୫
    ଗୋବିନ୍ଦ ଆଦି ଶୁଣି କରି । କୁନ୍ତୀ ସହିତେ ଯେତେ ନାରୀ ॥ ୧୫୬
    ମଉନେ କିଛି ନ ବୋଇଲେ । ସେ ଧର୍ମ ଅନ୍ତରେ ଜାଣିଲେ ॥ ୧୫୭
    ତାହାଙ୍କ ମଧ୍ୟେ ଭୀମସେନ । କଟାକ୍ଷେ ଅରୁଣ ଲୋଚନ ॥ ୧୫୮
    କୋପେ ଅନାଇ କୃଷ୍ଣ ମୁଖେ । ବୋଲନ୍ତି ଅତି ମନ ଦୁଃଖେ ॥ ୧୫୯
    ତୀକ୍ଷ୍ଣ ଖଡ଼ଗେ କାଟି ଶିର । ଏହାକୁ ନରକୁ ଉଦ୍ଧର ॥ ୧୬୦
    କି ପ୍ରୟୋଜନ କିବା ଅର୍ଥେ । ଏ ପାପୁ ତରିବ କେମନ୍ତେ ॥ ୧୬୧
    ଶୟନେ ଶିଶୁବଧ କଲା । ସ୍ୱଭାବେ ଜିଉଁ ଜିଉଁ ମଲା ॥ ୧୬୨
    ଦ୍ରୌପଦୀ ତୁଲେ ଚକ୍ରପାଣି । ଏ ଧର୍ମ ଭୀମ ମୁଖୁ ଶୁଣି ॥ ୧୬୩
    ଅଳପ ହାସେ ଭାବଗ୍ରାହୀ । ବୋଲନ୍ତି ଅର୍ଜୁନକୁ ଚାହିଁ ॥ ୧୬୪

    ଶ୍ରୀଭଗବାନୁବାଚ

    ବ୍ରାହ୍ମଣ ବଧ ଯୋଗ୍ୟ ନୋହି । ଏହା ମୁଁ ଶାସ୍ତ୍ରେ ଅଛି କହି ॥ ୧୬୫
    ଯେ ଆତତାୟୀ କର୍ମ କରେ । ଅଧର୍ମ ମାର୍ଗେ ଶସ୍ତ୍ରଧରେ ॥ ୧୬୬
    ଜୀବନ ଥାଉଁ ସେ ମରନ୍ତି । ଅନ୍ତେ ନରକ ପଥ ଚିନ୍ତି ॥ ୧୬୭
    ମରଣ ଉଚିତ ଏହାର । ଏହାକୁ ରଖ ବୀରବର ॥ ୧୬୮
    ଉଭୟ ବାକ୍ୟ ମୋର କର । ଯେ ଧର୍ମ ଉଚିତ ବେଭାର ॥ ୧୬୯
    ଦ୍ରୌପଦୀ ପୁତ୍ର ଶୋକ ବେଳେ । ତୁ ଯେ ବୋଇଲୁ ଅବହେଳେ ॥ ୧୭୦
    ତୋହର ପୁତ୍ର ଶତ୍ରୁ ମାରି । ଶିର ଚରଣେ ପୂଜା କରି ॥ ୧୭୧
    ଖଣ୍ତିବ ପୁତ୍ର ଶୋକ ତେବେ । ମୋର ବଚନ କର ଏବେ ॥ ୧୭୨
    ଶସ୍ତ୍ରେ ଏହାର ତେଜ ହର । ଜୀବନ ମୃତ୍ୟୁ ପ୍ରାୟେ କର ॥ ୧୭୩
    ଶାସ୍ତି ଲାଞ୍ଛନେ ଏ ବିହରୁ । ଏ ବିପ୍ର ଜୀବନେ ନ ମରୁ ॥ ୧୭୪
    ଶୋକ ନ ଥାଉ କୃଷ୍ଣା ଚିତ୍ତେ । ଏ କଥା କର ଭୀମ ହିତେ ॥ ୧୭୫
    ଏକଥା ମୋର ସନମତ । ଶୁଣି ଅର୍ଜୁନ କୃତକୃତ୍ୟ ॥ ୧୭୬
    ତକ୍ଷଣେ ଉଠି କୋପଭରେ । ତୀକ୍ଷ୍ଣ ଖଡ୍ ଗ ଧରି କରେ ॥ ୧୭୭
    କେଶ ଧଇଲା ବାମ ହସ୍ତେ । ମଣି ଯେ ଥିଲା ତାମ ମାଥେ ॥ ୧୭୮
    ଖଡ଼ଗ ଧରି ଦୃଢ଼ମୁଷ୍ଟି । ମଣି ସହିତେ ଶିଖା କାଟି ॥ ୧୭୯
    ଆଣି ଥୋଇଲା ବାହୁବଳେ । ଦ୍ରୌପଦୀ ଦେବୀ ପାଦ ତଳେ ॥ ୧୮୦
    ବନ୍ଧନ ତକ୍ଷଣେ ଫେଇଲା । ଦ୍ରୌପଦୀ ତା ମୁଖ ଚାହିଁଲା ॥ ୧୮୧
    ବାଳକ ହତ୍ୟା ଦୋଷେ ହୀନ । ମଳିନ ଦିଶେ ତା ବଦନ ॥ ୧୮୨
    ମଣି ହରଣେ ତେଜ ଗଲା । ନଗରୁ ବେଗେ ପଳାଇଲା ॥ ୧୮୩
    କେଶବପନ ଧନ ହରି । ତାହାକୁ ରାଜ୍ୟୁ ଦୂର କରି ॥ ୧୮୪
    ବ୍ରାହ୍ମଣ ଦଣ୍ତ ଏହି ମତେ । ମରଣ ଲଭଇ ଜୀବନ୍ତେ ॥ ୧୮୫
    ଦ୍ରୋଣ କୁମରେ ଶାସ୍ତି ଦେଇ । ଜ୍ଞାତି ବାନ୍ଧବେ ରୁଣ୍ତ ହୋଇ ॥ ୧୮୬
    ସର୍ବେ ଆତୁର ପୁତ୍ର ଶୋକେ । ବାଳକ ଘେନି ଏକେ ଏକେ ॥ ୧୮୭
    ଦହନ କଲେ ଦୁଃଖ ମନେ । ଏବେ ହୋ ଶୁଣ ମୁନିଜନେ ॥ ୧୮୮
    ସୁଜନ ହିତେ ଭାଗବତ । ଭିଆଇ ରସମୟ ଗୀତ ॥ ୧୮୯
    ପ୍ରଥମସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୯୦
    ଅମୃତ ଶ୍ରୀକୃଷ୍ଣ ଚରିତ । କହଇ ଦାସ ଜଗନ୍ନାଥ ॥ ୧୯୧
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ଦୌଣିନିଗ୍ରହୋ ନାମ ସପ୍ତମୋଽଧ୍ୟାୟଃ ।।

    ଅଷ୍ଟମ ଅଧ୍ୟାୟ

    ସୂତ ଉବାଚ

    ସକଳେ ମିଳି ଦୁଃଖ ଶୋକେ । ମିଳିଲେ ଗଙ୍ଗାର ଉଦକେ ॥ ୧
    ମୃତ୍ୟୁ ଉଦକ ଦାନ ଅର୍ଥେ । ଦ୍ରୌପଦୀ କୁନ୍ତୀର ସହିତେ ॥ ୨
    ଅପରେ ଯେତେ ନାରୀଗଣେ । ସକଳ ଶୋକ ନିବାରଣେ ॥ ୩
    ଗଙ୍ଗାର ତୀରେ ଦୁଃଖମନେ । ମିଳିଲେ ସର୍ବ ବନ୍ଧୁଜନେ ॥ ୪
    ଉଦକ ଦେଇ ଗଙ୍ଗାଜଳେ । ଦ୍ୱିତୀୟ ସ୍ନାନ କରି ଗଲେ ॥ ୫
    ଧର୍ମନନ୍ଦନ ଭୀମସେନ । ଅମ୍ବିକାସୁତ ଯେ ଅର୍ଜୁନ ॥ ୬
    ଗାନ୍ଧାରୀ ପୁତ୍ରଶୋକେ କାନ୍ଦି । ଧରଣୀ ଲୋଟଇ ଦ୍ରୌପଦୀ ॥ ୭
    କୁନ୍ତୀ କାନ୍ଦଇ ଅଶ୍ରୁମୁଖେ । ଏମନ୍ତେ ସର୍ବେ ଦୁଃଖ ଶୋକେ ॥ ୮
    ବିକଳେ କରନ୍ତେ ରୋଦନ । ତା ଦେଖି ଦେବକୀନନ୍ଦନ ॥ ୯
    ବ୍ୟାସ ସହିତେ ସର୍ବମୁନି । କୃଷ୍ଣ ବସିଲେ ସଙ୍ଗେ ଘେନି ॥ ୧୦
    ଧର୍ମପୁରାଣ ଇତିହାସ । ମୁନିଏ କରନ୍ତି ପ୍ରକାଶ ॥ ୧୧

    ମୁନି ଉବାଚ

    ମିଥ୍ୟା ସଂସାର ବିଷ୍ଣୁମାୟା । କେ ସତ୍ୟ କରିପାରେ ଏହା ॥ ୧୨
    କାଳର କ୍ରୀଡ଼ା ଏ ଜଗତ । କାଳକୁ କେବା ସାମରଥ ॥ ୧୩
    ସର୍ଜି ପାଳଇ ପୁଣ ହରେ । କାଳର କ୍ରୀଡ଼ା ଏ ସଂସାରେ ॥ ୧୪
    ତାହାକୁ ପ୍ରତିକ୍ରିୟା ନାହିଁ । ଏମନ୍ତେ ବୋଧ ତାଙ୍କୁ ଦେଇ ॥ ୧୫
    ଶୋକ ହରିଲେ ନାରାୟଣ । ଏବେ ହୋ ମନିଗଣେ ଶୁଣ ॥ ୧୬
    ଦୁଷ୍ଟରାଜାଙ୍କ ସଙ୍ଗ ମେଳେ । କିତବେ ରାଜ୍ୟ ହରିଥିଲେ ॥ ୧୭
    ଦ୍ରୌପଦୀ କେଶ ସ୍ପର୍ଶ ଦୋଷେ । ସ୍ୱଭାବେ ଅଳପ ଆୟୁଷେ ॥ ୧୮
    ତାହାଙ୍କୁ ପ୍ରଭୁ ମାୟା କରି । ଅର୍ଜୁନ ଗାଣ୍ତୀବେ ସଂହାରି ॥ ୧୯
    ଯୁଧିଷ୍ଠିରଙ୍କୁ ରାଜ୍ୟ ଦେଲେ । ଅବନୀଭାରା ନିବାରିଲେ ॥ ୨୦
    ଉତ୍ତମ କଳ୍ପେ ସୁସମ୍ପାଦି । କରାଇ ତିନି ଅଶ୍ୱମେଧି ॥ ୨୧
    ରାଜାର ଯଶ ମହୀତଳେ । ଇନ୍ଦ୍ରର ପ୍ରାୟେ ସମ୍ପାଦିଲେ ॥ ୨୨
    ପାଣ୍ତୁପୁତ୍ରଙ୍କୁ କରି ଭାବ । ସଙ୍ଗତେ ସାତ୍ୟକି ଉଦ୍ଧବ ॥ ୨୩
    ବ୍ୟାସ ସମେତେ ଯେତେ ମୁନି । କୃଷ୍ଣ ପୂଜିଲେ ଅର୍ଘ୍ୟ ଘେନି ॥ ୨୪
    ସନ୍ତୋଷେ ସର୍ବ ମୁନିଗଣେ । କୃଷ୍ଣଙ୍କୁ ପୂଜିଲେ କଲ୍ୟାଣେ ॥ ୨୫
    ତାହାଙ୍କୁ ମାଗି ଅନୁଯାନ । ରଥେ ବସିଲେ ଭଗବାନ ॥ ୨୬
    ଦ୍ୱାରକା ବିଜେ ନରହରି । ବାଜଇ ମଙ୍ଗଳ ମହୁରୀ ॥ ୨୭
    ଏମନ୍ତେ ଶୁଣ ମୁନିଜନେ । ଉତ୍ତରା ରାଜାର ଭୁବନେ ॥ ୨୮
    ଥିଲା ଯେ ଅଭିମନ୍ୟୁ ଅନ୍ତେ । ଅନଳେ ନ ଗଲା ସଙ୍ଗତେ ॥ ୨୯
    ବିଧବା ରୂପେ ଗର୍ଭବାସେ । କୁନ୍ତୀ ଦ୍ରୌପଦୀଙ୍କ ଆଶ୍ୱାସେ ॥ ୩୦
    ତାର ଗର୍ଭକୁ କୋପ କଲା । କାନନେ ଦ୍ରୋଣଗୁରୁବଳା ॥ ୩୧
    ଅର୍ଜ୍ଜୁନ ହସ୍ତେ ଦଣ୍ତ ପାଇ । ଲୁଚିଲା ଘୋରବନେ ଯାଇ ॥ ୩୨
    ସହି ନ ପାରି ଅପମାନ । କୋପ ବସିଲା ତାର ମନ ॥ ୩୩
    ସଙ୍କଳ୍ପ କରି ଗଙ୍ଗାଜଳେ । ଧନୁ ଧଇଲା କୋପାନଳେ ॥ ୩୪
    ମନ୍ତ୍ର ଉଚ୍ଚାରି ବ୍ରହ୍ମଶର । ବୋଲଇ ଦ୍ରୋଣଙ୍କ କୁମର ॥ ୩୫
    ତୁ ଯେ କଠୋର ସାଧ୍ୟ ମୋର । ଅବନୀ-ଅପାଣ୍ତବ କର ॥ ୩୬
    ଏମନ୍ତେ ବିନ୍ଧିଲା ନାରାଚ । ଗଗନେ ଯେହ୍ନେ ରବିତେଜ ॥ ୩୭
    ଦିଶ ଆକାଶ ଆବୋରିଲା । ତା ତେଜେ ଭୁବନ କମ୍ପିଲା ॥ ୩୮
    ଗଗନେ ଆସୁଅଛି କ୍ଷେପି । ଉତ୍ତରା ଭୟ କଲା ଦେଖି ॥ ୩୯
    ଧାମଇ ଜୀବନ ବିକଳେ । କେଶ ବସନ ଅସମ୍ଭାଳେ ॥ ୪୦
    ବିକଳେ ବେନିକର ତୋଳି । ଡାକଇ ରଖ ବନମାଳୀ ॥ ୪୧
    ହେ ଦେବ ଦେବ ଜଗନ୍ନାଥ । ଭାରା ନିବାରେ ତୋ ସମ୍ଭୂତ ॥ ୪୨
    ହେ ମହାଯୋଗୀ ଯୋଗେଶ୍ୱର । ଜଗତଈଶ୍ୱର ଈଶ୍ୱର ॥ ୪୩
    ଅନାଥ ନାଥ ଭାବଗ୍ରାହୀ । ଘୋର ସଙ୍କଟୁ କର ତ୍ରାହି ॥ ୪୪
    ତୋ ତହୁଁ ନ ଜାଣଇ ଆନ । ଅଭୟ ସଙ୍କଟ ଭଞ୍ଜନ ॥ ୪୫
    ଏ ଯେ ଗଗନ ମାର୍ଗେ ଶର । ଆସଇ ଯେହ୍ନେ ଦିବାକର ॥ ୪୬
    ପାଣ୍ତବକୁଳ ଏ ହରିବ । ଏହାକୁ କେବା ନିବାରିବ ॥ ୪୭
    ତୋରେ ଶରଣ ଗଲି ମୁହିଁ । ମୋ ଗର୍ଭ ରଖ ଭାବଗ୍ରାହୀ ॥ ୪୮
    ଏ ଗର୍ଭ ରବିତଳେ ଥାଉ । ମୋର ଜୀବନ ବାଣ ଦହୁ ॥ ୪୯

    ସୂତ ଉବାଚ

    ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣି । ମନେ ଚିନ୍ତିଲେ ଚକ୍ରପାଣି ॥ ୫୦
    ଦ୍ରୋଣ କୁମର ଅପମାନେ । ଲୁଚି ଯେ ଥିଲା ଘୋରବନେ ॥ ୫୧
    ମନ୍ତ୍ରୀ ନାରାଚ ବ୍ରହ୍ମଶର । ପ୍ରହାର କଲା କୋପଭର ॥ ୫୨
    ମେଦିନୀ-ଅପାଣ୍ତବ-ଶର । ମୁହିଁ କରିବି ପ୍ରତିକାର ॥ ୫୩
    ଏକଥା କୃଷ୍ଣ ମୁଖୁ ଶୁଣି । ପାଣ୍ତବେ ନିଜ ଧନୁ ଆଣି ॥ ୫୪
    ସୂର୍ଯ୍ୟର ପ୍ରାୟ ଏକେ ଏକେ । ପଞ୍ଚ-ନାରାଚ ଅଭିମୁଖେ ॥ ୫୫
    ଯୋଚି ଚାହିଁଲେ କୃଷ୍ଣମୁଖ । ଅନ୍ତେ ବୋଲନ୍ତି ରଖ ରଖ ॥ ୫୬
    ତାହା ଜାଣିଲେ ନରହରି । ତକ୍ଷଣେ ଚକ୍ରକୁ ସୁମରି ॥ ୫୭
    ବୋଇଲେ ଶୁଣ ସୁଦର୍ଶନ । ରଖ ତୁ ପାଣ୍ତବ ଜୀବନ ॥ ୫୮
    ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ଯହିଁ ପାଣ୍ତବ ପାଞ୍ଚଭାଇ ॥ ୫୯
    ମେଘର ପ୍ରାୟେ ଆଚ୍ଛାଦିଲା । କୃଷ୍ଣର କରେ ବିଜେ କଲା ॥ ୬୦
    ସେ ଚକ୍ର ଘେନି କୃଷ୍ଣ ବେଗେ । ପଶିଲେ ଉତ୍ତରାର ଗର୍ଭେ ॥ ୬୧
    ସେ ମାୟାଧର ଚକ୍ରପାଣି । କେବା ପାରିବ ପରିମାଣି ॥ ୬୨
    ସକଳ ଆତ୍ମା ଯୋଗେଶ୍ୱର । ଯାର ମହିମା ଅଗୋଚର ॥ ୬୩
    ପାଣ୍ତବ ବଂଶ ରକ୍ଷା ଅର୍ଥେ । ଗର୍ଭ ଆବୋରି ଚକ୍ରହସ୍ତେ ॥ ୬୪
    ସ୍ୱଭାବେ ଶସ୍ତ୍ର ବ୍ରହ୍ମଶର । ତାହାକୁ ନାହିଁ ପ୍ରତିକାର ॥ ୬୫
    କୃଷ୍ଣର ତେଜ ତା ସଂହାରି । ଗର୍ଭକୁ ରଖିଲେ ମୁରାରି ॥ ୬୬
    ଯାହାର ମାୟା ଏ ସଂସାରେ । ସଞ୍ଚଇ ପାଳଇ ସଂହାରେ ॥ ୬୭
    ଏକି ଆଶ୍ଚର୍ଯ୍ୟ ଅଟେ ତାର । ସର୍ବ ଆଶ୍ଚର୍ଯ୍ୟ ଯେ ଈଶ୍ୱର ॥ ୬୮
    ସେ ବ୍ରହ୍ମଶସ୍ତ୍ର ଯହୁଁ ଗଲା । ପାଣ୍ତବେ ଗୋବିନ୍ଦ ରଖିଲା ॥ ୬୯
    ତକ୍ଷଣେ ପାଣ୍ତବ ଜନନୀ । କୃଷ୍ଣା ଉତ୍ତରା ସେଙ୍ଗ ଘେନି ॥ ୭୦
    ପାଞ୍ଚପୁତ୍ରଙ୍କୁ ଘେନି ସେଙ୍ଗ । ନମିଲେ କୃଷ୍ଣ-ପାଦ-ଯୁଗେ ॥ ୭୧
    କାତରେ ଯୋଡ଼ି ବେନି ପାଣି । କଣ୍ଠ କୁଣ୍ଠିତେ କହେ ବାଣୀ ॥ ୭୨
    ବୋଲଇ କୃଷ୍ଣ ମୁଖ ଚାହିଁ । ଭୋ ନାଥ କର ମୋତେ ତ୍ରାହି ॥ ୭୩

    କୁନ୍ତୀ ଉବାଚ

    ଭୋ କୃଷ୍ଣ ମୁଁ ତୋର କିଙ୍କର । ଆଦି ପୁରୁଷ ତୁ ଈଶ୍ୱର ॥ ୭୪
    ପ୍ରକୃତି ପରେ ତୋର ବାସ । ଏଣୁ ପ୍ରାଣିଙ୍କି ଅପ୍ରକାଶ ॥ ୭୫
    ଜନ୍ତୁଙ୍କ ଅନ୍ତର ବାହାରେ । ତୋ ବିନୁ ଅନ୍ୟ ନାହିଁ ପରେ ॥ ୭୬
    ଆଚ୍ଛାଦି ମାୟା ଯବନିକା । ନିର୍ଲେ ରୂପେ ଥାଉ ଏକା ॥ ୭୭
    ଇନ୍ଦ୍ରିୟଗଣ ତୁଲେ ପୂରି । ଅବ୍ୟୟ ଆତ୍ମାରୂପ ଧରି ॥ ୭୮
    ତୋହର ମାୟା ଯାର ଚିତ୍ତେ । ସେ ତୋତେ ଜାଣିବେ କେମନ୍ତେ ॥ ୭୯
    ନଟଙ୍କ ମଧ୍ୟେ ଯେ ନାୟକ । ସେ ଯେହ୍ନେ ନାଟେ ମୋହେ ଲୋକ ॥ ୮୦
    ନାନା କାଛେଣି ସେ ଭିଆଇ । ନୃତ୍ୟକାରକୁ ସେ ନଚାଇ ॥ ୮୧
    ଦେଖନ୍ତା ପ୍ରାଣୀ ମନ ମୋହେ । ନିଶ୍ଚେ ବିଚାରେ ସତ୍ୟ ନୋହେ ॥ ୮୨
    ପରମହଂସ ଦୀକ୍ଷା ପଣେ । ନିର୍ମଳଚେତା ମୁନିଗଣେ ॥ ୮୩
    ଦୃଢ଼-ଭକତି-ଯୋଗ ମତେ । ତୋ ପାଦେ ଧ୍ୟାନ ଅବିରତେ ॥ ୮୪
    ସେ ଭକ୍ତିଯୋଗର ବିଧାନ । କାହୁଁ ଦେଖିବେ ସ୍ତିରୀଜନ ॥ ୮୫
    ତୁ ନାଥ କୃଷ୍ଣ ଅବତାରେ । ପ୍ରକାଶ ବସୁଦେବ ଘରେ ॥ ୮୬
    ଦେବକୀ ଉଦରୁ ସମ୍ଭବ । ଏଣୁ ତୋ ନାମ ବାସୁଦେବ ॥ ୮୭
    ସକଳ ଜନ୍ତୁ ହୃଦଗତେ । ତୋର ବିଜୟ ଆତ୍ମାମତେ ॥ ୮୮
    କୁମାର ରୂପେ ନନ୍ଦ ଘରେ । ତୋର ବିହାର ଗୋପପୁରେ ॥ ୮୯
    ଇନ୍ଦ୍ର ବିବାଦେ ବନମାଳୀ । ପର୍ବତ ବାମକରେ ତୋଳି ॥ ୯୦
    ରଖିଲୁ ଗୋପର ସମ୍ପଦ । ଏମନ୍ତେ ନାମ ତୋ ଗୋବିନ୍ଦ ॥ ୯୧
    ତୁମ୍ଭଙ୍କୁ ମୋର ନମସ୍କାର । ତୋ ବିନୁ ନ ଜାଣଇ ଆର ॥ ୯୨
    ପ୍ରଳୟଜଳେ ତୋର ବାସ । ନାଭିରୁ ପଙ୍କଜ ପ୍ରକାଶ ॥ ୯୩
    ପଙ୍କଜମାଳା ତୋର ଗଳେ । ବିହରୁ ଭୁବନ ମଣ୍ତଳେ ॥ ୯୪
    ପଙ୍କଜ-ଲୋଚନ ସୁନ୍ଦର । ନମଇ ପଙ୍କଜ-ପୟର ॥ ୯୫
    ଦେବକୀ ଦେବୀ କଂସ ଘରେ । ବନ୍ଦୀରେ ଥିଲା ଶୋକ ଭରେ ॥ ୯୬
    ମୁଁ ପଞ୍ଚପୁତ୍ର ଘେନି ଏକେ । ବନେ ବଞ୍ଚଇ ଦୁଃଖଶୋକେ ॥ ୯୭
    ଦେବକୀ ପ୍ରାୟେ ମୋତେ କରି । ଅଶେଷ ସଙ୍କଟୁ ଉଦ୍ଧରି ॥ ୯୮
    ଭୀମକୁ ବିଷଲଡ଼ୁ ଦେଲେ । ତହୁଁ ରଖିଲୁ ତେତେବେଳେ ॥ ୯୯
    ଜତୁର ଘର ଦହନରୁ । ତୁ ନାଥ ତହୁଁ ଉଦ୍ଧରିଲୁ ॥ ୧୦୦
    ଜଳେ କୁମ୍ଭିରୀ ଆଦି ଯେତେ । ରାକ୍ଷସେ ମିଳିଲେ ବନସ୍ତେ ॥ ୧୦୧
    ହିଡିମ୍ବକାଦି ଯେ ରାକ୍ଷସ । ତହୁଁ ରଖିଲୁ ପୀତବାସ ॥ ୧୦୨
    ପଶା କପଟେ ରାଜ୍ୟ ହରି । ନେଲେ ଦ୍ରୌପଦୀ କେଶ ଧରି ॥ ୧୦୩
    ବିବସ୍ତ୍ର କଲେ ସଭାତଳେ । ତହୁଁ ରଖିଲୁ ତେତେବେଳେ ॥ ୧୦୪
    ପୁଣି ଅଜ୍ଞାତ ବନବାସେ । ଦିନ ବଞ୍ଚିଲୁ ନାନା ଦେଶେ ॥ ୧୦୫
    ଯୁଦ୍ଧେ ଦୁର୍ଜୟ ରିପୁ ତ୍ରାସୁ । ତୁ ନାଥ ମୋ ପୁତ୍ରେ ଆଶ୍ୱାସୁ ॥ ୧୦୬
    ଦ୍ରୋଣକୁମର ବ୍ରହ୍ମଶର । ତହୁଁ ରଖିଲୁ ବଂଶ ମୋର ॥ ୧୦୭
    ଏଣୁ ବିପଦେ ନ ଡରଇ । ଯେ ଦୁଃଖେ ତୋତେ ମୁଁ ଦେଖଇ ॥ ୧୦୮
    ତୋହର ଦରଶନ ଫଳେ । ଏ ଜୀବ ରହଇ ନିଶ୍ଚଳେ ॥ ୧୦୯
    ପରମଲୋକେ ଲଭେ ବାସ । ତୁ ନାଥ ଭକତ ବିଶ୍ୱାସ ॥ ୧୧୦
    ଉତ୍ତମ କୁଳେ ଜନ୍ମ ହୋଇ । ବିଦ୍ୟା ସମ୍ପଦ ଯେବେ ଥାଇ ॥ ୧୧୧
    ବୁଡ଼ଇ ମତ୍ତଗର୍ବ-ଚିତ୍ତେ । ସେ ତୋତେ ପାଇବ କେମନ୍ତେ ॥ ୧୧୨
    ତୁ ନାଥ ଜଗତ ଜୀବନ । ତୁ ଅକିଞ୍ଚନ-ଜନ-ଧନ ॥ ୧୧୩
    ଦରିଦ୍ର-ଜନ-ଧନ ତୁହି । ପ୍ରକୃତି ତୋତେ ନ ଜାଣଇ ॥ ୧୧୪
    ତୁ ନାଥ ଆତ୍ମାରାମ ଶାନ୍ତ । ନମଇଁ କୈବଲ୍ୟର ନାଥ ॥ ୧୧୫
    ତୁ ନାଥ କାଳରୂପ ହେଉ । ଅନାଦି-ନିଧନ ବୋଲାଉ ॥ ୧୧୬
    ସମେ ତୁ ବସୁ ସର୍ବଦେହେ । ପ୍ରାଣୀ ତୋହର ମାୟାମୋହେ ॥ ୧୧୭
    ଭଜନ୍ତି ଅନ୍ୟ ଅନ୍ୟ ଭାବେ । କଳି ଯେସନେ କଳିଯୁଗେ ॥ ୧୧୮
    ତୋହର ଇଚ୍ଛା କେ ଜାଣିବ । ଶରୀର ବହି ବ୍ରହ୍ମା ଶିବ ॥ ୧୧୯
    ତୋର ଚରିତ ଭଗବାନ । ଏ ନରଲୋକେ ବିଡ଼ମ୍ବନ ॥ ୧୨୦
    ଏଣୁ ତୋ ରିପୁ ମିତ୍ର ନାହିଁ । ପ୍ରାଣୀ ଜାଣିବେ ତୋତେ କାହିଁ ॥ ୧୨୧
    ତୋଠାରେ ଭେଦବୁଦ୍ଧି କରି । ବଇରି ମିତ୍ର ଅନୁସରି ॥ ୧୨୨
    ତୁ ବିଶ୍ୱଆତ୍ମା ନରହରି । ଲୀଳାବିହାରେ ଦେହ ଧରି ॥ ୧୨୩
    ପଶୁଙ୍କ ମଧ୍ୟେ ହେଉ ଜାତ । ଋଷିଙ୍କ ଘରେ ଋଷିସୁତ ॥ ୧୨୪
    ଜଳଜନ୍ତୁଙ୍କ ମଧ୍ୟେ ତୁହି । ବିହରୁ ମୀନ କୂର୍ମ ହୋଇ ॥ ୧୨୫
    ଏ କଥା ତୋତେ ବିଡ଼ମ୍ବନ । ଆଧ୍ୟାତ୍ମ ଆତ୍ମା ନିରଞ୍ଜନ ॥ ୧୨୬
    ଦଧି ମନ୍ଥନ ବେଳେ ଧରି । ରୋଳେ ବାନ୍ଧିଲା ନନ୍ଦନାରୀ ॥ ୧୨୭
    ପଛେ ଲୁଚାଇ ଛାଟ ଗୋଟି । ତା ଦେଖି ଭୂମିରେ ତୁ ଲୋଟି ॥ ୧୨୮
    ଚକ୍ଷୁ ଅଞ୍ଜନ ଘଷି କରେ । କାନ୍ଦି ପଡ଼ିଲୁ ତା ପୟରେ ॥ ୧୨୯
    ବଦନ ହସ୍ତରେ ଲୁଚାଇ । ଭୟେ କମ୍ପଇ ତୋର ଦେହୀ ॥ ୧୩୦
    ଏ ତୋର ସର୍ବ ସମ୍ପାଦିଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୩୧
    ଭୟ ଯାହାର ନାମେ ଡରେ । ସେ କିମ୍ପା ଯଶୋଦାକୁ ଡରେ ॥ ୧୩୨
    ତୁ ନାଥ ଯୋଗମାୟା ଅଂଶେ । ଜନ୍ମିଲୁ ଯଦୁରାଜ ବଂଶେ ॥ ୧୩୩
    ସ୍ୱଭାବେ ଜନ୍ମ ନାହିଁ ତୋର । ଯୁଧିଷ୍ଠି କାର୍ଯ୍ୟେ ଅବତାର ॥ ୧୩୪
    ଏଣୁ କଳ୍ପନ୍ତି ସାଧୁଜନ । ମଳୟେ ଯେସନେ ଚନ୍ଦନ ॥ ୧୩୫
    ଅପରେ ଯେତେ ସାଧୁଜନ । ତୋ ଜନ୍ମ କରି ଅନୁମାନ ॥ ୧୩୬
    ବୋଲନ୍ତି ବାସୁଦେବ ଘରେ । ଜନ୍ମିଲୁ ଭୂମିଭାରା ହରେ ॥ ୧୩୭
    ପୂର୍ବେ କଠୋର ତପ କରି । ବର ମାଗିଲା ପୁତ୍ର କରି ॥ ୧୩୮
    ତେଣୁ ଦେବକୀ ଗର୍ଭେ ଜାତ । ତୁ ଯେଣୁ ଅନାଥର ନାଥ ॥ ୧୩୯
    ଅସୁରଙ୍କର ଭାରେ ମହୀ । ବ୍ରହ୍ମା ସମୀପେ ଦୁଃଖ କହି ॥ ୧୪୦
    ତାହାର ଅର୍ଥେ ଭଗବାନ । ଜଳେ ଯେ ତୋହର ଶୟନ ॥ ୧୪୧
    ସର୍ବଦେବଙ୍କୁ ଘେନିଗଲା । ତୋର ଚରଣେ ସ୍ତୁତି କଲା ॥ ୧୪୨
    କହିଲା ତୋ ଚରଣ ତଳେ । ନାବ ବୁଡ଼ଇ ଯେହ୍ନେ ଜଳେ ॥ ୧୪୩
    ତେମନ୍ତ ବୁଡ଼ଇ ଧରଣୀ । ଏହାକୁ ରଖ ଚକ୍ରପାଣି ॥ ୧୪୪
    ତେଣୁ ତୁ ନର ରୂପ ଧରି । ଭୂମିମଣ୍ତଳେ ଅବତରି ॥ ୧୪୫
    ଅବିଦ୍ୟା କାମ୍ୟକର୍ମ ବଳେ । ଜନ୍ତୁଏ ଦୁଃଖେ ଭବଜଳେ ॥ ୧୪୬
    ଅତି କ୍ଳେଶିତ ତାଙ୍କ ଦେହୀ । ତାହାଙ୍କୁ ଉଦ୍ଧରିବା ପାଇଁ ॥ ୧୪୭
    ଧ୍ୟାନ ଶ୍ରବଣ ମନ୍ତ୍ରଗୁରୁ । ତେଣୁ ମହିମା କଳ୍ପତରୁ ॥ ୧୪୮
    ତୋର ଚରିତ କର୍ଣ୍ଣେ ଶୁଣି । ତୋହର ନାମ ମୁଖେ ଭଣି ॥ ୧୪୯
    ମନ ତୋହର ଦେହେ ଦ୍ୟନ୍ତି । ଆନନ୍ଦେ ଦେହ ସମର୍ପନ୍ତି ॥ ୧୫୦
    ଏଣୁ ପଶନ୍ତି ତୋ ଚରଣେ । ନିଶ୍ଚିନ୍ତେ ଧ୍ୟାନେ ସୁମରଣେ ॥ ୧୫୧
    ତୋର ଚରଣ ତାଙ୍କୁ ରଖେ । ଭବ-ପ୍ରବାହୁ ତରେ ସୁଖେ ॥ ୧୫୨
    ସେ ପାଦେ ପଶିଲି ଶରଣ । ମୋତେ ନ ତେଜ ନାରାୟଣ ॥ ୧୫୩
    ତୁ ଯେ ମୋହର ସୁତ ହିତେ । ଜନ୍ମିଲୁ ଏ ଘୋର ଜଗତେ ॥ ୧୫୪
    ତୋର ସୁହୃଦ ପଣେ ହରି । ତୋର ଚରଣେ ଆଶ୍ରା କରି ॥ ୧୫୫
    ନିତ୍ୟେ କରନ୍ତି ତୋତେ ଧ୍ୟାନ । ତୋ ତହୁଁ ନ ଜାଣନ୍ତି ଆନ ॥ ୧୫୬
    ଅପ୍ରାଧ କରି ରାଜକୁଳେ । ନମନ୍ତି ତୋର ବାହୁ ବଳେ ॥ ୧୫୭
    କେବଳ ନାମ ରୂପ ତୋର । ମୋର ପୁତ୍ରଙ୍କ ସୁଖଘର ॥ ୧୫୮
    ଯଦୁଙ୍କ ତୁଲେ ତାହା ଚିନ୍ତି । ଏ ଭବଭୟ ନ ଡରନ୍ତି ॥ ୧୫୯
    ତୋ ରୂପ ନ ଦେଖି ନୟନେ । ଇନ୍ଦ୍ରିୟ ଯେହ୍ନେ ଆତ୍ମା ବିନେ ॥ ୧୬୦
    ଏ ମହୀ ତୋର ପାଦ ଲାଗି । ଯେମନ୍ତ ଦିଶଇ ସୌଭାଗୀ ॥ ୧୬୧
    ତୋ ଅବତାର ଯେବେ ଯିବ । ବିଧବା ପ୍ରାୟେକ ଦିଶିବ ॥ ୧୬୨
    ଏହା ଉପରେ ଯେତେ ଜନ । ଗ୍ରାମ ଔଷଧି ଗିରିବନ ॥ ୧୬୩
    ସମୁଦ୍ର ଆଦି ଜଳସ୍ଥାନେ । ବଞ୍ଚନ୍ତି ତୋ ଚରଣ ଧ୍ୟାନେ ॥ ୧୬୪
    ହେ ବିଶ୍ୱ ଆତ୍ମା ବିଶ୍ୱେଶ୍ୱର । ମୁଁ ତୋର ଚରଣେ କିଙ୍କର ॥ ୧୬୫
    ପାଣ୍ତବ କୁଳେ ବୃଷ୍ଣିବଂଶେ । ମୁଁ ଯେ ବନ୍ଧନ ସ୍ନେହ ପାଶେ ॥ ୧୬୬
    ତୁ ଯେବେ ଶରଣ ସୋଦର । ଏ ସ୍ନେହ ପାଶ ଦୂର କର ॥ ୧୬୭
    ଭୋ ନାଥ ଶ୍ରୀମଧୁସୂଦନ । ତୋର ଚରଣେ ମୋର ମନ ॥ ୧୬୮
    ସର୍ବ ବ୍ୟସନ ଦୂରେ ଚିନ୍ତି । ତୋର ଚରଣେ ହେଉ ମତି ॥ ୧୬୯
    ଗଙ୍ଗାର ସ୍ରୋତ ଯେହ୍ନେ ବହେ । ସେ ପୁଣି ସିନ୍ଧୁଜଳେ ରହେ ॥ ୧୭୦
    ହେ କୃଷ୍ଣ କୃଷ୍ଣସଖା ତୁହି । ହେ ବୃଷ୍ଣିଶ୍ରେଷ୍ଠ ଭାବଗ୍ରାହୀ ॥ ୧୭୧
    ଅଖିଳଗୁରୁ ଯୋଗେଶ୍ୱର । ଦୁଷ୍ଟ କ୍ଷତ୍ରିୟ କୁଳାନଳ ॥ ୧୭୨
    ତୋହର ହେତୁ ଏ ତରନ୍ତି । ନିଶ୍ଚିନ୍ତେ ତୋ ଦେହେ ପଶନ୍ତି ॥ ୧୭୩
    ଗୋବିନ୍ଦ ଶରଣ ସୋଦର । ହେ ଦେବ-ବିପ୍ର-ଦୁଃଖ-ହର ॥ ୧୭୪
    ତୋ ଅବତାର ଏ ଜଗତେ । ଗୋରୁ-ବ୍ରାହ୍ମଣ-ଦେବହିତେ ॥ ୧୭୫
    ଅଖିଳ ଗୁରୁ ଯୋଗେଶ୍ୱର । ତୋ ପାଦେ ମୋର ନମସ୍କାର ॥ ୧୭୬

    ସୂତ ଉବାଚ

    ସୂତ କହନ୍ତି ମଞ୍ଜୁବାଣୀ । କୁନ୍ତୀ ବଚନ କୃଷ୍ଣ ଶୁଣି ॥ ୧୭୭
    ଅଳପ ହସି ଦାମୋଦର । କୋମଳ ବଚନ ଗମ୍ଭୀର ॥ ୧୭୮
    କରିବି ସତ୍ୟ ତୋ ବଚନ । କହି ଉଠିଲେ ଭଗବାନ ॥ ୧୭୯
    ହସ୍ତିନାପୁରେ ଯାଇ ପଶି । ଅନ୍ଧ ଗାନ୍ଧାରୀଙ୍କି ଆଶ୍ୱାସି ॥ ୧୮୦
    ବ୍ୟାସ ସହିତେ ମୁନିଗଣ । ସଙ୍ଗତେ ଘେନି ନାରାୟଣ ॥ ୧୮୧
    ନିକଟେ ବସି ଏକେ ଏକେ । ବୋଧିଲେ ଇତିହାସ ବାକ୍ୟେ ॥ ୧୮୨
    କୃଷ୍ଣମାୟାରେ ମନଚ୍ଛନ୍ନ । ନ ବୁଝେ କୃଷ୍ଣର ବଚନ ॥ ୧୮୩
    ପୁଣି ମାୟାରେ ଚ୍ଛନ୍ନ ହୋଇ । ସୁହୃଦ ବଧ ଚିତ୍ତେ ଧ୍ୟାୟି ॥ ୧୮୪
    ସ୍ନେହ ମୋହରେ ବଶ ହୋଇ । ଶ୍ରୀକୃଷ୍ଣ ମୁଖକୁ ଅନାଇଁ ॥ ୧୮୫
    କପୋଳେ ଦେଇ ବେନିକର । ବୋଲଇ ରାଜା ଯୁଧିଷ୍ଠିର ॥ ୧୮୬

    ଯୁଧିଷ୍ଠିର ଉବାଚ

    ଶୁଣ ହେ ପ୍ରଭୁ ଦାମୋଦର । ମୁଁ ରାଜା ଧର୍ମର କୁମର ॥ ୧୮୭
    ମୋହର ପୂର୍ବ କର୍ମ ଦୋଷେ । ପଡ଼ିଲି ସ୍ନେହ ମୋହପାଶେ ॥ ୧୮୮
    ଦେଖ ଅଜ୍ଞାନ ବୁଦ୍ଧି ମୋର । ମୁଁ ମୂଢ଼ ଦୁଷ୍ଟ ଦୁରାଚାର ॥ ୧୮୯
    ଏ ମାୟାଦେହେ ସ୍ନେହ କରି । ଅନେକ ଅକ୍ଷୌହିଣୀ ମାରି ॥ ୧୯୦
    ବାଳକ ଦ୍ୱିଜ ବନ୍ଧୁ ମିତ । ପିତୃ ଭ୍ରାତର ମୋର ହିତ ॥ ୧୯୧
    ଦ୍ରୋହ ମୁଁ କଲି ଅବିବେକେ । ନିଶ୍ଚୟେ ପଡ଼ିବି ନରକେ ॥ ୧୯୨
    ବରଷ ଅୟୁତୁଁ ଅୟୁତେ । କେବେହେଁ ମୋକ୍ଷ ନାହିଁ ମୋତେ ॥ ୧୯୩
    ଏମନ୍ତ ଶାସ୍ତ୍ରର ବଚନ । ଯେ ଧର୍ମ କହେ ମୁନିଜନ ॥ ୧୯୪
    ପ୍ରଜାପାଳନେ ଧର୍ମଯୁଦ୍ଧେ । ଦୋଷ ନ ଲାଗେ ଶତ୍ରୁ ବଧେ ॥ ୧୯୫
    ଏ କଥା ମୋତେ ବୋଧ ନୋହେ ।ସକଳ ଘଟେ ହରି ରହେ ॥ ୧୯୬
    ପ୍ରାଣୀର ବଧେ କାହିଁ ଧର୍ମ । ଏ ଟି ଅବିଦ୍ୟା ମୋହଭ୍ରମ ॥ ୧୯୭
    ବାନ୍ଧୁବାନ୍ଧବ ନ ପ୍ରମାଣି । ସଂଗ୍ରାମେ ମଲେ ଯେତେ ପ୍ରାଣୀ ॥ ୧୯୮
    ତାଙ୍କ ରମଣୀଜନେ ଗୃହେ । ଦିନ ବଞ୍ଚନ୍ତି ଶୋକ ମୋହେ ॥ ୧୯୯
    ତହୁଁ ଯେ ତାପ ଉପୁଜିବ । କି କର୍ମେ ସେ ତାପ ଖଣ୍ତିବ ॥ ୨୦୦
    ଦେହେ ଲାଗିଲା ପଙ୍କ ଯେହ୍ନେ । ନ ଯାଇ ପଙ୍କ ପ୍ରକ୍ଷାଳନେ ॥ ୨୦୧
    ମଦ୍ୟକୁ ଆଣି ଦେହେ ବୋଳି । ମଦ୍ୟେ ଯେସନେ ତା ପଖାଳି ॥ ୨୦୨
    ପ୍ରାଣୀର ବଧ ପ୍ରାଣୀ ହିତେ । କାହୁଁ ତାରିବ ଯଜ୍ଞମତେ ॥ ୨୦୩

    ସୂତ ଉବାଚ

    ଏମନ୍ତେ କୃଷ୍ଣର ଅଗ୍ରତେ । ରାଜା କହିଲେ ଦୁଃଖଚିତ୍ତେ ॥ ୨୦୪
    ତକ୍ଷଣେ ପ୍ରଭୁ ନରହରି । ମାୟାରେ ତାଙ୍କ ମନ ହରି ॥ ୨୦୫
    ପଞ୍ଚପାଣ୍ତବ ସଙ୍ଗେ ଘେନି । କିଛି ନ କହି ହେଲେ ତୁନି ॥ ୨୦୬
    ସେ ମାୟାଧର ପାଦଗତ । ନମଇ ଦାସ ଜଗନ୍ନାଥ ॥ ୨୦୭
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ କୁନ୍ତୀସ୍ତୁତି ଯୁଧିଷ୍ଠିରାନୁତାପୋ ନାମାଷ୍ଟମୋଽଧ୍ୟାୟଃ ।।

    ନବମ ଅଧ୍ୟାୟ

    ସୂତ ଉବାଚ

    ଏମନ୍ତେ ପ୍ରାଣୀ ବଧେ ଭୟ । ନିବେଦି ଧର୍ମର ତନୟ ॥ ୧
    ସକଳ ଧର୍ମ ଜ୍ଞାନ ଅର୍ଥେ । ବିଜୟ କଲେ ନିଜ ରଥେ ॥ ୨
    ଯୁଦ୍ଧଭୂମିକୁ ହୋଇ ସଜ । ସଙ୍ଗତେ ଘେନି ଦେବରାଜ ॥ ୩
    ମିଳିଲେ କୁରୁକ୍ଷେତ୍ରେ ଯାଇ । ଭୀଷ୍ମ ଅଛନ୍ତି ଯହିଁ ଶୋଇ ॥ ୪
    ରାଜା ସଙ୍ଗତେ ଚାରିଭ୍ରାତେ । ସଜ ହୋଇଲେ ଯେଝା ରଥେ ॥ ୫
    ଉତ୍ତମ ନାନା ଅଶ୍ୱଗଣ । ସ୍ୱଭାବେ ରତ୍ନ ବିଭୂଷଣ ॥ ୬
    ତାହାଙ୍କ ସଙ୍ଗେ ବିପ୍ରଜନେ । ଗମନ କଲେ ତୋଷ ମନେ ॥ ୭
    ଗୋବିନ୍ଦ ନନ୍ଦିଘୋଷ ରଥେ । ବସିଲେ ଅର୍ଜୁନ ସଙ୍ଗତେ ॥ ୮
    ପାଣ୍ତବ ମଧ୍ୟେ ଚକ୍ରଧର । କି ଅବା ଦେବା ପଟାନ୍ତର ॥ ୯
    ଗୁହ୍ୟକଗଣ ମଧ୍ୟଗତେ । କୁବେର ପ୍ରକାଶ ଯେମନ୍ତେ ॥ ୧୦
    ଏମନ୍ତେ କୁରୁକ୍ଷେତ୍ର ଗଲେ । ପାଣ୍ତବେ ଗୋବିନ୍ଦଙ୍କ ତୁଲେ ॥ ୧୧
    ଶର ଶୟନେ ଗଙ୍ଗାସୁତ । ଦେଖିବା ଅର୍ଥେ ଉପଗତ ॥ ୧୨
    ଅବନୀ ପୃଷ୍ଠେ ମୋହଗତ । କି ବା ଅମର ଭୂମିଗତ ॥ ୧୩
    ପାଣ୍ତବେ ଗୋବିନ୍ଦର ତୁଲେ । ଭୀଷ୍ମ ଚରଣେ ପ୍ରଣମିଲେ ॥ ୧୪
    ବ୍ରାହ୍ମଣେ ମିଳିଲେ ତକ୍ଷଣେ । ବ୍ୟାସ ସହିତେ ମୁନିଗଣେ ॥ ୧୫
    ଅପରେ ଯେତେ ରାଜଋଷି । ମିଳିଲେ କୁରୁକ୍ଷେତ୍ରେ ଆସି ॥ ୧୬
    ପର୍ବତ ନାମେ ମହାଋଷି । ଧୈାମ୍ୟ ନାରଦ ତୁଲେ ମିଶି ॥ ୧୭
    ବାଦରାୟଣ ବୃହଦଶ୍ୱ । ଭରଦ୍ୱାଜଙ୍କ ସଙ୍ଗେ ଶିଷ୍ୟ ॥ ୧୮
    ପରମକ୍ଷତ୍ରୀ ପର୍ଶୁରାମ । ବଶିଷ୍ଠ ଇନ୍ଦ୍ରପ୍ରମଦନ ॥ ୧୯
    ତ୍ରିତ ଅସିତ ଗୃତ୍ସମଦ । ଗୌତମ କକ୍ଷୀବାନ ସିଦ୍ଧ ॥ ୨୦
    ଅତ୍ରି କୌଶିକ ସୁଦର୍ଶନ । କଶ୍ୟପ ଅଙ୍ଗୀରସ ନାମ ॥ ୨୧
    ନିର୍ମଳଚେତା ବ୍ରହ୍ମଚାରୀ । ମିଳିଲେ ଶୁକ ମଧ୍ୟେ କରି ॥ ୨୨
    ଏମନ୍ତେ ସର୍ବ ମୁନିଜନେ । ମିଳିଲେ ଭୀଷ୍ମ ସନ୍ନିଧାନେ ॥ ୨୩
    ମୁନିଙ୍କି ଶାୟନ୍ତନୁସୁତ । ଶୟନେ କଲେ ପ୍ରଣିପାତ ॥ ୨୪
    ଧର୍ମଜ୍ଞ ଗଙ୍ଗାର କୁମର । ଯେ ଦେଶାଚାର ସତକାର ॥ ୨୫
    ତେଣୁ ପୂଜିଲେ ଏକେ ଏକେ । ମୁନିଙ୍କି ଦୃଢ଼ମାନସିକେ ॥ ୨୬
    ଯେ ହରି ଜଗତ ଈଶ୍ୱର । ଅନାଦି ଧର୍ମ ନିରାକାର ॥ ୨୭
    କୃଷ୍ଣଙ୍କୁ ହୃଦରେ ବସାଇ । ପୂଜିଲେ ଦୃଢ଼ ଚିତ୍ତ ହୋଇ ॥ ୨୮
    ପ୍ରେମେ ବିନୟଭାବ ହୋଇ । ନିକଟେ ଥିବା ପଞ୍ଚଭାଇ ॥ ୨୯
    ପାଣ୍ତୁପୁତ୍ରଙ୍କୁ ଦୟାଚିତ୍ତେ । ଭାବେ ବୋଲନ୍ତି ଅଶ୍ରୁନେତ୍ରେ ॥ ୩୦
    ଭୀଷ୍ମ କହନ୍ତି ଦୟାମନେ । ସକଳ ମୁନି ଅବଧାନେ ॥ ୩୧

    ଭୀଷ୍ମ ଉବାଚ

    ଏ ବଡ଼କଷ୍ଟ ମୋର ଚିତ୍ତେ । ଏ ପାଞ୍ଚଭାଇ କୁନ୍ତୀ ସୁତେ ॥ ୩୨
    ବନେ ବଞ୍ଚିଲେ କଷ୍ଟ କର୍ମେ । ଜୀବନ ପୋଷି ବିପ୍ରଧର୍ମେ ॥ ୩୩
    ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ । ଅନେକ ସଙ୍କଟୁ ତରିଲେ ॥ ୩୪
    ସ୍ୱାମୀ ମରଣେ କୁନ୍ତୀ ସାଧୁ । ସ୍ୱଭାବେ ବାଳକୁଳବଧୂ ॥ ୩୫
    ପୁତ୍ରଙ୍କ ତୁଲେ ବହୁକ୍ଳେଶେ । ଦୁଃଖେ ବଞ୍ଚିଲେ ବନବାସେ ॥ ୩୬
    କାଳର ବଶ ଏ ଜଗତ । ପ୍ରାଣୀଏ କାଳର ଆୟତ୍ତ ॥ ୩୭
    ସେ କାଳବଶେ ସର୍ବେ ଚଳି । ପବନେ ଯେହ୍ନେ ଘନାବଳୀ ॥ ୩୮
    ଯେ କୁଳେ ରାଜା ଧର୍ମସୁତ । ରକ୍ଷକ ଭୀମ ଗଦାହସ୍ତ ॥ ୩୯
    ଅର୍ଜୁନ ଯହିଁ ଧନୁ ଧରେ । ଯହିଁ ଗୋବିନ୍ଦ ରକ୍ଷାକରେ ॥ ୪୦
    ସେ କୁଳେ ପଡ଼ଇ ବିପତ୍ତି । ଏମନ୍ତ ବିଧାତାର ଗତି ॥ ୪୧
    କେ ଜାଣିପାରେ ଏହା ଚିନ୍ତି । ଯହିଁ ପଣ୍ତିତେ ଭ୍ରମି ଯାନ୍ତି ॥ ୪୨
    ସଂସାର କର୍ମର ଆୟତ୍ତ । ଏହା ତୁ ଜାଣ କୁନ୍ତୀସୁତ ॥ ୪୩
    ଏଣୁ ତୁ କିଛି ହିଁ ନ ଭାଳ । ଅନାଥ ପ୍ରଜା ଏବେ ପାଳ ॥ ୪୪
    ଦେଖ ଏ ଆଦିନାରାୟଣ । ଜଗତ ପରମ କାରଣ ॥ ୪୫
    ମାୟାରେ ଲୋକ ମନ ହରି । ଯାଦବ ବଂଶେ ଅବତରି ॥ ୪୬
    ଏହାର ଅନୁଭାବ ଗତି । ଅଥବା ଜାଣେ ପଶୁପତି ॥ ୪୭
    ନାରଦ ଜାଣେ ଭାବ ଘେନି । କିବା କପିଳ ମହାମୁନି ॥ ୪୮
    ତୁ କୃଷ୍ଣ ମହିମା ନ ଜାଣି । ମାତୁଳସୁତ ପ୍ରାୟ ମଣି ॥ ୪୯
    ପ୍ରିୟ ସୁହୃଦ ମିତ୍ର ପରି । ସଚିବ ବୁଦ୍ଧି କି ଆଚରି ॥ ୫୦
    ଏହାଙ୍କୁ ଦୌତ୍ୟରେ ନିଯୋଗି । ପେଷିଲୁ ପଞ୍ଚଗ୍ରାମ ମାଗି ॥ ୫୧
    ବାନ୍ଧବପ୍ରାୟେ ସ୍ନେହ କରି । ରଥେ ସାରଥି ପଣେ ବରି ॥ ୫୨
    ଯହୁଁ ଏ ପ୍ରଭୁ ଭାବଗ୍ରାହୀ । ସ୍ୱଭାବେ ପରପର ନାହିଁ ॥ ୫୩
    ଏଣୁ ତା ଉଚ୍ଚ ନୀଚ କର୍ମ । ଯୋଗ୍ୟ ଅଯୋଗ୍ୟ ସବୁ ସମ ॥ ୫୪
    ଏ ଥାଇ ଭକତଙ୍କ ହିତେ । ଦେଖ ମୋ ଭାଗ୍ୟର ଆୟତ୍ତେ ॥ ୫୫
    ଜୀବନ ଛାଡ଼ିବାର କାଳେ । ମିଳିଲା ଶରଶଯ୍ୟା ତଳେ ॥ ୫୬
    ଯାର ଚରଣ ଭକ୍ତି ବଳେ । ନିଶ୍ଚଳମନେ ଅନ୍ତଃ କାଳେ ॥ ୫୭
    ତୁଣ୍ତେ ଯେ ନାମ ଉଚ୍ଚାରନ୍ତି । ପରମପଦେ ସେ ମିଶନ୍ତି ॥ ୫୮
    କର୍ମବାସନା ଯାଇ ଦୂର । ଏମନ୍ତ ମହିମା ଯାହାର ॥ ୫୯
    ସେ ଦେବଦେବ ଭଗବାନ । ଭାବେ ଜାଣିଲେ ମୋର ମନ ॥ ୬୦
    ଚିତ୍ତେ ପ୍ରସନ୍ନ ହେଉ ମୋର । ମୁହିଁ ଛାଡ଼ିବି କଳେବର ॥ ୬୧
    ପ୍ରଫୁଲ୍ଲ କମଳ ଲୋଚନ । ସୁନ୍ଦର ହର୍ଷିତ ବଦନ ॥ ୬୨
    ଚକ୍ର ସହିତେ ମହାବାହୁ । ସେ ମୋର ଧ୍ୟାନପଥେ ରହୁ ॥ ୬୩

    ସୂତ ଉବାଚ

    ଭୀଷ୍ମ ବଚନ କର୍ଣ୍ଣେ ଶୁଣି । ଧର୍ମନନ୍ଦନ ମନେ ଗୁଣି ॥ ୬୪
    ଭୀଷ୍ମଙ୍କୁ ଶରତଳ୍ପେ ଚାହିଁ । କର ଯୁଗଳ ଶିରେ ଦେଇ ॥ ୬୫
    ବିବିଧ ଧର୍ମ ପଚାରିଲେ । ଅଶେଷ ମୁନିଗଣ ତୁଲେ ॥ ୬୬
    ସ୍ୱଭାବ ଧର୍ମ ଯେ ଜଗତେ । ଚତୁର ବର୍ଣ୍ଣାଶ୍ରମ ଯେତେ ॥ ୬୭
    ରାଗ ବୈରାଗ୍ୟ ଆଦି କରି । ଯେ ମାର୍ଗେ ସଂସାରୁ ନିସ୍ତରି ॥ ୬୮
    ଯେ ଦାନଧର୍ମ ରାଜଧର୍ମ । ମୋକ୍ଷ ସାଧନେ ଯେତେ କର୍ମ ॥ ୬୯
    ଯଥା ବିଧାନେ ଯେତେ କରି । ଗୃହୀ ବନସ୍ଥ ବ୍ରହ୍ମଚାରୀ ॥ ୭୦
    ସ୍ତିରୀ ଜନ୍ମର ଯେବା ଧର୍ମ । ଯେ ବିଷ୍ଣୁ ଭକତଙ୍କ କର୍ମ ॥ ୭୧
    ଧର୍ମାର୍ଥ କାମ ମୋକ୍ଷ ଆଦି । ଯେତେ ପ୍ରକାରେ ଯାହା ସାଧି ॥ ୭୨
    ସକଳ କହିଲେ ହରଷେ । ନାନା ଆଖ୍ୟାନ ଇତିହାସେ ॥ ୭୩
    ଏମନ୍ତେ କହୁଁ କହୁଁ ଧର୍ମ । ଭୀଷ୍ମର ଚିତ୍ତେ କାଳଭ୍ରମ ॥ ୭୪
    ସିଦ୍ଧ ପୁରୁଷ ଯୋଗବଳେ । ଯାହା ଚିନ୍ତନ୍ତି ଅନ୍ତଃକାଳେ ॥ ୭୫
    ସେ କାଳ ଅତି ପୁଣ୍ୟ ଧର୍ମ । ଉତ୍ତରାୟଣ ଯାର ନାମ ॥ ୭୬
    ସେ କାଳ ଆଗମନ ଦେଖି । ସେଙ୍କାଚ କଲେ ବେନି ଆଖି ॥ ୭୭
    ସହସ୍ର ସହସ୍ର ବଚନ । ଶୁଣାଇ ହୋଇଲେ ମଉନ ॥ ୭୮
    ତକ୍ଷଣେ ବିଷ୍ଣୁଭାବ ଘେନି । ଗଙ୍ଗାନନ୍ଦନ ହେଲେ ତୁନି ॥ ୭୯
    ସର୍ବୁଁ ସଂହରି ଦୃଷ୍ଟି ମନ । କୃଷ୍ଣ ଚରଣେ ଅବଧାନ ॥ ୮୦
    ଯେ ହରି ଅଛି ଅଗ୍ରେ ବସି । ଚତୁରଭୁଜ ପରକାଶି ॥ ୮୧
    ପୀତବସନ କଟୀଭାଗେ । ବିଜୁଳି ଯେହ୍ନେ ନୀଳମେଘେ ॥ ୮୨
    ଏମନ୍ତ କୃଷ୍ଣ ରୂପ ହେଜି । ବଚନ ଶ୍ରମେ ଚକ୍ଷୁ ବୁଜି ॥ ୮୩
    ଧାରଣା ଯୋଗେ ଧ୍ୟାନ କରି । ସଂଶୟ ଦୂରେ ପରିହରି ॥ ୮୪
    ଯୁଦ୍ଧର ଶ୍ରମ ଯେତେ ଥିଲା । ତକ୍ଷଣେ ଶରୀରୁ ଛାଡ଼ିଲା ॥ ୮୫
    ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ । ଚିତ୍ତୁ ଛାଡ଼ିଲା ମାୟାଭ୍ରମ ॥ ୮୬
    ଅନ୍ତରେ ବେନିକର ଯୋଡ଼ି । ବୋଲେ ଗୋବିନ୍ଦ ପାଦେ ପଡ଼ି ॥ ୮୭

    ଭୀଷ୍ମ ଉବାଚ

    ଏମନ୍ତ ଭାବେ ମନ ମୋର । ତୃଷ୍ଣା ବର୍ଜିତ ନିର୍ବିକାର ॥ ୮୮
    କୃଷ୍ଣ ଶରୀରେ ହେଉ ଲୀନ । ଯେ ହରି ଭକତ ତାରଣ ॥ ୮୯
    ଯାର ମହିମା ଯୋଗୀଜନେ । ଚିନ୍ତି ନ ପାନ୍ତି ଯୋଗଧ୍ୟାନେ ॥ ୯୦
    ସ୍ୱସୁଖେ ଥାଇ ଅବିରତେ । ପ୍ରକୃତି ବଶେ ବିଶ୍ୱ ଅର୍ଥେ ॥ ୯୧
    ପ୍ରକୃତି ତହୁଁ ଏ ଜଗତ । ପ୍ରବାହ ରୂପେ ଆତଯାତ ॥ ୯୨
    ତମାଳପତ୍ର ପ୍ରାୟେ ବର୍ଣ୍ଣ । ଯେ ରୂପେ ମୋହେ ତ୍ରିଭୁବନ ॥ ୯୩
    ପୀତବସନ କଟୀ ଶୋହେ । ପ୍ରକାଶେ ରବିରଶ୍ମି ପ୍ରାୟେ ॥ ୯୪
    ଅଳକା ଆବୃତ କପୋଳ । ବିରାଜେ ବଦନ କମଳ ॥ ୯୫
    ଅର୍ଜୁନ ସଖା ପାଦତଳେ । ମୋ ଚିତ୍ତ ରହୁ ସୁନିଶ୍ଚଳେ ॥ ୯୬
    ସଂଗ୍ରାମେ ଅଶ୍ୱଧୂଳି କାୟେ । ଶିର ବଦନ ଧୂମ୍ର ପ୍ରାୟେ ॥ ୯୭
    ବିରାଜେ ସ୍ୱେଦ କଣା ଅଙ୍ଗେ । ବିବିଧ ଅଳଙ୍କାର ରଙ୍ଗେ ॥ ୯୮
    ମୋହର ତୀକ୍ଷ୍ଣ ବାଣପନ୍ତି । ଯାର କବଚେ ଝଲକନ୍ତି ॥ ୯୯
    ସେ ରୂପେ ପଶୁ ମୋର ପ୍ରାଣ । ଏ ଭବଜଳୁ ପରିତ୍ରାଣ ॥ ୧୦୦
    ଯେ ହରି ଅର୍ଜୁନ ବଚନେ । ରଥ ନିବେଶି ମଧ୍ୟ ସ୍ଥାନେ ॥ ୧୦୧
    ଅନାଇଁ କଟାକ୍ଷ ଲୋଚନେ । ଆୟୁଷ ହରେ ପର ସୈନ୍ୟେ ॥ ୧୦୨
    ତାର ଚରଣେ ମନ ଚିନ୍ତି । ନିରତେ ହେଉ ମୋର ପ୍ରୀତି ॥ ୧୦୩
    ଯୁଦ୍ଧର ଅର୍ଥେ କୋପ ଭରି । ସକଳ ବୀରେ ଶସ୍ତ୍ର ଧରି ॥ ୧୦୪
    ସମରେ ଦେଖି ବନ୍ଧୁଜନ । ଦୟାରେ ନ ଯୁଝେ ଅର୍ଜୁନ ॥ ୧୦୫
    ମାୟାରେ ତାର ମନ ମୋହି । ଅନେକ ଆତ୍ମବିଦ୍ୟା କହି ॥ ୧୦୬
    ତାହାର କୁମତି ହରିଲା । ଛଳେ ସମସ୍ତ ସଂହାରିଲା ॥ ୧୦୭
    ତାର ଚରଣେ ମୋର ମତି । ନିଶ୍ଚଳେ ହେଉ ଆତ୍ମରତି ॥ ୧୦୮
    ମୋହର ତୁଲେ ସତ୍ୟ କଲା । ଶସ୍ତ୍ର ନ ଧରିବି ବୋଇଲା ॥ ୧୦୯
    ମୋହର ତୀକ୍ଷ୍ଣବାଣେ କୋପି । ମୋହ ବଚନେ ସତ୍ୟ ସ୍ଥାପି ॥ ୧୧୦
    ତକ୍ଷଣେ ଚକ୍ର ଘେନି ହସ୍ତେ । ରଥୁ ଧାଇଁଲା ଭୂମିଗତେ ॥ ୧୧୧
    ସ୍ୱଧର୍ମ ସମର ଉପେକ୍ଷି । ସିଂହ ଯେସନେ ଗଜ ଦେଖି ॥ ୧୧୨
    ଧାମନ୍ତେ ଅବନୀ କମ୍ପିଲା । ଉତ୍ତରୀ କନ୍ଧୁ ଉଡ଼ିଗଲା ॥ ୧୧୩
    ଚକ୍ର ଉଞ୍ଚାଇ ମହାକୋପେ । ମିଳିଲା ମୋହର ସମୀପେ ॥ ୧୧୪
    ମୁଁ ଆତତାୟୀ ପଣେ । ଅନେକ ବାଣ ରୋଷେ ବିନ୍ଧି ॥ ୧୧୫
    ବିଶୀର୍ଣ୍ଣ କଲି ସେହ୍ନୀ ଅଙ୍ଗେ । ଦେଖି ଧାଇଁଲା ଅତି ବେଗେ ॥ ୧୧୬
    ରୁଧିର ଭୂଷଣ ଶରୀରେ । ଭୂମି କମ୍ପଇ ପାଦଭରେ ॥ ୧୧୭
    ହରିବା ପାଇଁ ମୋର ପ୍ରାଣ । ମୁଁ ଏବେ ପଶିଲି ଶରଣ ॥ ୧୧୮
    ବିଜୟ ରଥେ ଯେ ସାରଥି । ରଥ ଆରୋହି ଶୁଭ ଚିନ୍ତି ॥ ୧୧୯
    ହୟଙ୍କ ରଶ୍ମି ଯେହୁ ଧରେ । ସେ ରୂପେ ମନ ରହୁ ସ୍ଥିରେ ॥ ୧୨୦
    ସଂଗ୍ରାମ କରି ଯେତେ ମଲେ । ତା ମୁଖ ଦେଖି ତରିଗଲେ ॥ ୧୨୧
    ଏବେ ମୋହର ଅନ୍ତଃକାଳେ । ମୋ ଚିତ୍ତ ରମୁ ତା ପୟରେ ॥ ୧୨୨
    ଗୋପନଗରେ ବୃନ୍ଦାବନେ । ରାସଉତ୍ସବେ ଗୋପୀଜନେ ॥ ୧୨୩
    ଲଳିତ ଗତି ସୁବିଳାସ । ମନୋଜ୍ଞ ଦୃଷ୍ଟି ମନ୍ଦହାସ ॥ ୧୨୪
    ଯାହାର ସଙ୍ଗେ ଭାବ କରି । ଗୋପୀଏ ଭବୁ ଗଲେ ତରି ॥ ୧୨୫
    ଧର୍ମନନ୍ଦନ ଯଜ୍ଞକାଳେ । ଋଷି ବ୍ରାହ୍ମଣ ରାଜା ମେଳେ ॥ ୧୨୬
    ଯାହାର ପାଦେ ଅର୍ଘ୍ୟ ଦେଇ । ସୁଖେ ସୁନ୍ଦର ମୁଖ ଚାହିଁ ॥ ୧୨୭
    ସକଳେ ଗଲେ ମୋକ୍ଷମାର୍ଗେ । ସେ ଏବେ ଦିଶେ ମୋର ଆଗେ ॥ ୧୨୮
    ନିର୍ମଳ ଆତ୍ମାରୂପ ହୋଇ । ପ୍ରାଣୀଙ୍କ ହୃଦେ ଯେ ବସଇ ॥ ୧୨୯
    ଯେ ରୂପେ ଦୃଷ୍ଟିଭେଦେ ରବି । ଅନେକ ବୋଲି ଅନୁଭବି ॥ ୧୩୦
    ସେ ହରି ପାଦଯୁଗେ ଭଜି । ପଶିଲି ଭବମୋହ ତେଜି ॥ ୧୩୧

    ସୂତ ଉବାଚ

    ଏମନ୍ତେ ଗୋବିନ୍ଦ ବିଷୟେ । ମନ ବଚନ ଦୃଷ୍ଟି ଦେହେ ॥ ୧୩୨
    ଆତ୍ମାରେ ଆତ୍ମା ସ୍ଥିର କରି । ପବନେ ପବନ ସଂହରି ॥ ୧୩୩
    ଦେଖନ୍ତି ସୁର ନର ମୁନି । ଗଙ୍ଗାନନ୍ଦନ ହେଲେ ତୁନି ॥ ୧୩୪
    ଶରୀର ତେଜି ଭାବ ମୋହେ । ପଶିଲେ ଗୋବିନ୍ଦର ଦେହେ ॥ ୧୩୫
    ଭୀଷ୍ମ ମରଣ ଦେଖି ଭଲେ । ଯେ ଅବା ଥିଲେ କୃଷ୍ଣ ତୁଲେ ॥ ୧୩୬
    ମଉନେ ବସିଲେ ସମସ୍ତେ । ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ॥ ୧୩୭
    ତକ୍ଷଣେ ଦୁନ୍ଦୁଭି ଶବଦ । ଦେବମାନବେ କଲେ ବାଦ୍ୟ ॥ ୧୩୮
    ସାଧୁ ଶବଦ ଶୂନ୍ୟେ ସ୍ଫୁରେ । ପୁଷ୍ପ ବରଷେ ନିରନ୍ତରେ ॥ ୧୩୯
    ତକ୍ଷଣେ ଯୁଧିଷ୍ଠିର ଯାଇ । ଅନଳେ ଭୀଷ୍ମ ଦେହ ଦହି ॥ ୧୪୦
    ମୁହୂର୍ତ୍ତେ ବସି ଦୁଃଖ ମନେ । ଉଠି ସକଳ ମହାଜନେ ॥ ୧୪୧
    ଯେ ଯାହା ମତେ ସ୍ତୁତି କଲେ । ନମିଲେ କୃଷ୍ଣ ପାଦତଳେ ॥ ୧୪୨
    ଉଠି ସକଳେ ଦୁଃଖ ଚିତ୍ତେ । ଗୃହେ ଚଳିଲେ ଯେଝାମତେ ॥ ୧୪୩
    ପାଣ୍ତବେ କୃଷ୍ଣ ସଙ୍ଗତେ । ହସ୍ତିନା ମିଳିଲେ ତୁରିତେ ॥ ୧୪୪
    ତକ୍ଷଣେ ଅନ୍ତଃପୁରେ ଯାଇ । ଅନ୍ଧଗାନ୍ଧାରୀଙ୍କି ଦୁଝାଇ ॥ ୧୪୫
    ଗୋବିନ୍ଦ ଧୃତରାଷ୍ଟ୍ର ବୋଲେ । ଯୁଧିଷ୍ଠିରଙ୍କୁ ରାଜା କଲେ ॥ ୧୪୬
    ସେ ରାଜା ଧର୍ମେ ରାଜ୍ୟ କଲା । ଯା ପିତୃ ପିତାମହେ ଥିଲା ॥ ୧୪୭
    ଏମନ୍ତେ କରି ରାଜପଣ । ସଙ୍ଗତେ ଘେନି ନାରାୟଣ ॥ ୧୪୮
    ସେ ନାରାୟଣ ପାଦଗତ । ଶରଣ ଦାସ ଜଗନ୍ନାଥ ॥ ୧୪୯
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ଯୁଧିଷ୍ଠିର ରାଜ୍ୟପ୍ରଲମ୍ଭୋ ନାମ ନବମୋଽଧ୍ୟାୟଃ ।।

    ଦଶମ ଅଧ୍ୟାୟ

    ଶୌନକ ଉବାଚ

    ଭୋ ସୂତ କହ କୃଷ୍ଣବାଣୀ । ସଂସାରୁ ତରି ଯାହା ଶୁଣି ॥ ୧
    ପଣ୍ତୁରାଜାର ଅନ୍ତଃକାଳେ । ଦୁଷ୍ଟେ ଯେ ରାଜ୍ୟ ନେଲେ ବଳେ ॥ ୨
    ଗୋବିନ୍ଦ ପାଦେ ଆଶ୍ରେ କରି । ସେ ଆତତାୟୀ ଜନେ ମାରି ॥ ୩
    ପଞ୍ଚଭ୍ରାତାଏ ଏକମେଳେ । ପ୍ରଜାଙ୍କୁ ପାଳି ରାଜ୍ୟ କଲେ ॥ ୪
    ତେବେ କି କଲେ ପଣ୍ତୁସୁତେ । ସ୍ୱଭାବେ କୃଷ୍ଣ ସଙ୍ଗତେ ॥ ୫

    ସୂତ ଉବାଚ

    ପାଣ୍ତବବଂଶ ରକ୍ଷା କରି । କୁରୁବଂଶକୁ ନରହରି ॥ ୬
    କ୍ରୋଧ ଅନଳେ ଭସ୍ମ କଲେ । ଦାବାଗ୍ନି ଯେହ୍ନେ ବନସ୍ଥଳେ ॥ ୭
    ପାଣ୍ତବେ ନିଜ ରାଜ୍ୟ ମଧ୍ୟେ । କୃଷ୍ଣ ସ୍ଥାପିଲେ ରାଜପଦେ ॥ ୮
    ଭୀଷ୍ମଙ୍କ ତହୁଁ ଧର୍ମବାଣୀ । ଯେବା କହିଲେ ଚକ୍ରପାଣି ॥ ୯
    ସେ ବାକ୍ୟେ ଶୋକମୋହ ଛାଡ଼ି । ପ୍ରଜାପାଳନେ ଚିତ୍ତ ବଢ଼ି ॥ ୧୦
    ଆନନ୍ଦମନେ ଧର୍ମବଳା । ପ୍ରଜାପାଳନେ ମନ ଦେଲା ॥ ୧୧
    କୃଷ୍ଣର ତେଜେ ରାଜାଗଣେ । ସେବନ୍ତି ଯୁଧିଷ୍ଠି ଚରଣେ ॥ ୧୨
    ସମୁଦ୍ର ଅନ୍ତଃ ଯାଏ ମହୀ । ଧର୍ମନନ୍ଦନ ଆଜ୍ଞାବହି ॥ ୧୩
    ପ୍ରଜା ବଚନେ ମେଘମାଳ । ଭୂମିରେ ବରଷନ୍ତି ଜଳ ॥ ୧୪
    କାମଧେନୁର ପ୍ରାୟେ ମହୀ । ପ୍ରଜା କଳ୍ପିତେ ଶସ୍ୟ ଦେଇ ॥ ୧୫
    ଗୋପାଳ ଗୋଷ୍ଠ ମଧ୍ୟେ ଥାଇ । ଅନେକ କ୍ଷୀର ଦ୍ୟନ୍ତି ଗାଈ ॥ ୧୬
    ନଦୀ ବହନ୍ତି ପୂରି ଜଳେ । ସମୁଦ୍ର ରହିଲା ନିଶ୍ଚଳେ ॥ ୧୭
    ପର୍ବତେ ନିଜ ସ୍ଥାନେ ସ୍ଥିର । ଆବୃତ ଲତା ବନ ଘୋର ॥ ୧୮
    ସର୍ବଔଷଧି ଫଳ ଯେତେ । ଫଳନ୍ତି ପ୍ରଜାଙ୍କ ଆୟତ୍ତେ ॥ ୧୯
    ପ୍ରଜାଙ୍କୁ ଆଧି-ବ୍ୟାଧି-କ୍ଳେଶ । ନ ଲାଗେ ତାପ-ତ୍ରୟ-ତ୍ରାସ ॥ ୨୦
    ଧର୍ମନନ୍ଦନ ରାଜ୍ୟେ ଯେତେ । ପ୍ରଜାଏ ବଞ୍ଚନ୍ତି ନିଶ୍ଚିନ୍ତେ ॥ ୨୧
    ବନ୍ଧୁଙ୍କ ଶୋକ ଶାନ୍ତ କରି । ସୁଭଦ୍ରା ପ୍ରିୟକାମେ ହରି ॥ ୨୨
    ହସ୍ତିନାପୁରେ ହୃଷୀକେଶ । ଭାବେ ବଞ୍ଚିଲେ କେତେ ମାସ ॥ ୨୩
    ଦ୍ୱାରକା ଗମନେ ଉଦ୍ଯୋଗୀ । ଯୁଧିଷ୍ଠିରଙ୍କୁ ଆଜ୍ଞା ମାଗି ॥ ୨୪
    ଜଣ ଜଣକେ କରି କୋଳ । ସୁହୃଦ-ପ୍ରେମ-ବାକ୍ୟେ ଭୋଳ ॥ ୨୫
    ରଥେ ବସିଲେ ବନମାଳୀ । ତୁଲେ ସକଳ ବନ୍ଧୁ ମିଳି ॥ ୨୬
    କୃଷ୍ଣା ସୁଭଦ୍ରା କୁନ୍ତୀସୁତେ । ରାଜାଏ ଆସିଥିଲେ ଯେତେ ॥ ୨୭
    ଗାନ୍ଧାରୀ ଧୃତରାଷ୍ଟ୍ର ମେଳେ । ଯୁଯୁସୁ ଗଉତମ ତୁଲେ ॥ ୨୮
    ଧୌମ୍ୟ ସଙ୍ଗତେ ଭୀମ ଗଲା । ଉତ୍ତରା ନାରୀ ସଙ୍ଗେ ଥିଲା ॥ ୨୯
    କୃଷ୍ଣଙ୍କୁ ନମିଲା ଅନ୍ତରେ । ପ୍ରବେଶ କଲା ଅନ୍ତଃପୁରେ ॥ ୩୦
    କୃଷ୍ଣ ବିରହେ ମନଛନ୍ନ । ସହି ନ ପାରି ହତଜ୍ଞାନ ॥ ୩୧
    କୃଷ୍ଣର ଭାବେ ଭାବ ବଢ଼ି । ତା ସଙ୍ଗ କେ ପାରିବ ଛାଡ଼ି ॥ ୩୨
    ଯାହାର ଯଶ ଗୁଣ କର୍ଣ୍ଣେ । ନିରତେ ଭାବୁଥାନ୍ତି ମନେ ॥ ୩୩
    ନ ଦେଖି ତାର ପଦ୍ମମୁଖ । କାହିଁ ଲଭିବେ ଆତ୍ମସୁଖ ॥ ୩୪
    ନିରତେ କରନ୍ତି ଦର୍ଶନ । ସ୍ନେହ ନିର୍ଭରେ ଆଲିଙ୍ଗନ ॥ ୩୫
    କୃଷ୍ଣଙ୍କୁ କହନ୍ତି ବଚନ । ଆବୋରି ଶୟନ ଭୋଜନ ॥ ୩୬
    ଏ ରୂପେ ଚିତ୍ତବୃିରରି ଦେଇ । ଚକ୍ଷୁ ପିଞ୍ଛଡ଼ା ନ ଚଳଇ ॥ ୩୭
    ତାହାର ସ୍ନେହେ ବଦ୍ଧ ହୋଇ । ତା ତହୁଁ ଅନ୍ୟେ ଚିତ୍ତ ନାହିଁ ॥ ୩୮
    ପୁରୁ ବାହାର ହୋନ୍ତେ ହରି । ବିକଳେ ଯେତେ ପୁରନାରୀ ॥ ୩୯
    ଚକ୍ଷୁ ବୁଜିଲେ ଭାବଭରେ । ରୋମାଞ୍ଚତନୁ ଅଶ୍ରୁଝରେ ॥ ୪୦
    କୁଣ୍ଠିତ କଣ୍ଠେ ବାକ୍ୟ କହି । ବୋଲନ୍ତି ଏକୁ ଆରେ ଚାହିଁ ॥ ୪୧
    ଦ୍ୱାରକା ଗଲେ ଭାବଗ୍ରାହୀ । ଆମ୍ଭର ସୁଖଲେଶ କାହିଁ ॥ ୪୨
    ମୃଦଙ୍ଗ ଶଙ୍ଖ ଭେରୀ ବୀଣା । ଘଣ୍ଟ ଦୁନ୍ଦୁଭି ନିଘୋଷଣା ॥ ୪୩
    ସେ କୁରୁରାଜ୍ୟେ ଯେତେ ନାରୀ । କୃଷ୍ଣ ବିଚ୍ଛେଦେ ତନୁ ଘାରି ॥ ୪୪
    ଜଗତୀ ଅ…ଟ୍ଟାଳୀ ଆରୋହୀ । ପୁଷ୍ପବିଞ୍ଚନ୍ତି କୃଷ୍ଣ ଚାହିଁ ॥ ୪୫
    କୃଷ୍ଣର ଶିରେ ଶ୍ୱେତଛତ୍ର । ରତ୍ନ କାଞ୍ଚନେ ସୁଘଟିତ ॥ ୪୬
    ଆନନ୍ଦେ ଘେନି ମନତୋଷେ । ଅର୍ଜୁନ ଗୋବିନ୍ଦର ପାଶେ ॥ ୪୭
    ବାମ ଦକ୍ଷିଣ ପାଶେ ଟେକି । ବ୍ୟଜନ ଉଦ୍ଧବ ସାତ୍ୟକି ॥ ୪୮
    ଚାମର ହସ୍ତେ ପୁଣି ବିଞ୍ଚି । କୃଷ୍ଣେ କର୍ପୂରଧୂଳି ସିଞ୍ଚି ॥ ୪୯
    ଦେବେ କୁସୁମ ବରଷନ୍ତି । ମାର୍ଗେ ବିଜୟ ଯଦୁ ପତି ॥ ୫୦
    ବ୍ରାହ୍ମଣେ ମିଳି କୃଷ୍ଣ ଆଗେ । ସୁସ୍ୱରେ ସାମଗାନ ରଙ୍ଗେ ॥ ୫୧
    ଆଶିଷ ଅର୍ଥେ ବେଦବାଣୀ । ହୃଦେ ନମନ୍ତି ଚକ୍ରପାଣି ॥ ୫୨
    ନିର୍ଗୁଣ ଗୁଣ ଯାର ଦେହୀ । ଭାବ ଅଭାବ ଯାର ନାହିଁ ॥ ୫୩
    ବିପ୍ର ସମୂହ ଅନ୍ୟେ ଅନ୍ୟେ । ଆଶିଷ ଦେଲେ ତୋଷ ମନେ ॥ ୫୪
    କୌରବପୁର ନାରୀଙ୍କର । ସେ ସର୍ବସୁଖ ମନୋହର ॥ ୫୫
    ଉତ୍ତମ ଶ୍ଳୋକେ ଚିତ୍ତ ଯାର । ଅନ୍ୟୋଽନ୍ୟେ କରନ୍ତି ବିଚାର ॥ ୫୬
    ସେ ହରି ପୁରୁଷ ପୁରାଣ । ଆତ୍ମାକୁ ଆତ୍ମାରେ ନିର୍ମାଣ ॥ ୫୭
    କରି ସକଳ ଦେହେ ବସେ । ରହଇ ଏକ ଅବଶେଷେ ॥ ୫୮
    ଗୁଣତ୍ରିତୟେ ଏ ଜଗତ । ମାୟାରେ କରେ ଆତଯାତ ॥ ୫୯
    ଆତ୍ମାରେ ଆତ୍ମାଭାବ ବହେ । ସକଳଶକ୍ତି ଘେନି ରହେ ॥ ୬୦
    ଦିବସ ଅନ୍ତେ ପ୍ରାଣୀ ଦେହେ । ନିଦ୍ରା ଯେସନେ ସର୍ବ ମୋହେ ॥ ୬୧
    ପୁଣି ଉଠନ୍ତି ରାତ୍ରି ଅନ୍ତେ । ବିଷୟ ଧ୍ୟାନ ଅବିରତେ ॥ ୬୨
    ଯାହାର ନିଜ ବୀର୍ଯ୍ୟବଳେ । ପ୍ରକୃତି ପ୍ରସରେ ଶୟଳେ ॥ ୬୩
    ଜୀବର ସଙ୍ଗେ ସଙ୍ଗ କରି । ବିହରେ ନାନାରୂପ ଧରି ॥ ୬୪
    ଏମନ୍ତେ ସଞ୍ଚରେ ଜଗତ । ଶାସ୍ତ୍ର କରଇ ଆତଯାତ ॥ ୬୫
    ଯାହାର ପାଦ ଆଶ୍ରେ କରି । ଜିତଇନ୍ଦ୍ରିୟ ବ୍ରହ୍ମଚାରୀ ॥ ୬୬
    ନିର୍ମଳ ଆତ୍ମାରେ ନିଶ୍ଚଳେ । ଦେଖନ୍ତି ଭକ୍ତି ଯୋଗବଳେ ॥ ୬୭
    ତାହାଙ୍କ ହୃଦେ ପ୍ରକାଶଇ । ସକଳ କଳୁଷ ନାଶଇ ॥ ୬୮
    ଯାର ମହିମା ମୁନିଗଣେ । ଆଗମ ନିଗମ ପ୍ରମାଣେ ॥ ୬୯
    ଏକୁ ଆରେକ କଥା କହି । ବଞ୍ଚନ୍ତି ଯାର ପାଦ ଧ୍ୟାୟି ॥ ୭୦
    ଯେ ଏକ ଈଶ ଲୀଳା କରି । ପ୍ରକୃତି ସଙ୍ଗତେ ବିହରି ॥ ୭୧
    ସୃଷ୍ଟି କରିଣ ପୁଣି ପାଳେ । ଈଶ୍ୱର ରୂପେ ଅନ୍ତଃ କରେ ॥ ୭୨
    ସେ ଦୋଷ ନ ଲାଗେ ତାହାର । ନଳିନୀ ଦଳେ ଯେହ୍ନେ ନୀର ॥ ୭୩
    ସେହି ଏ ଆମ୍ଭ ଦୃଷ୍ଟି ପଥେ । ଦେଖ ଗୋ ସଖି ଅଛି ରଥେ ॥ ୭୪
    ଦୁଷ୍ଟ କ୍ଷତ୍ରିୟେ ଯେତେବେଳେ । ଅଧର୍ମେ ଗ୍ରାସନ୍ତି ଶୟଳେ ॥ ୭୫
    ସେ ହରି ସତ୍ତ୍ୱଗୁଣ ଧରି । ନାନା ଶରୀରେ ଅବତରି ॥ ୭୬
    ଯଶ ବିସ୍ତାରି ଦୟା ସଙ୍ଗେ । ସୁଖେ ବିହରେ ଯୁଗେଯୁଗେ ॥ ୭୭
    ଯାହାର ଅଂଶ ଅବତାରେ । ଯାଦବକୁଳ ଏ ସଂସାରେ ॥ ୭୮
    ପୁରୁଷଉତ୍ତମ ଶ୍ରୀପତି । ଯେଣୁ ଯାଦବେ ଉତପତ୍ତି ॥ ୭୯
    ରଜନୀ ଅନ୍ତେ ନରଲୋକେ । ନାମ ଧରନ୍ତି ପୁଣ୍ୟଶ୍ଳୋକେ ॥ ୮୦
    ଯାର ନିବାସ ମଧୁବନ । ତେଣୁ ସ୍ୱଭାବେ ପୁଣ୍ୟତମ ॥ ୮୧
    ଏ ଯେ ଦ୍ୱାରକା ତ୍ରିଅକ୍ଷର । ଅପାର ପୁଣ୍ୟ ଯଶସ୍କର ॥ ୮୨
    ଯହିଁ ସକଳ ପ୍ରଜାଜନ । କୃଷ୍ଣର ହସିତ ବଦନ ॥ ୮୩
    ନିଗମ ବାକ୍ୟ ଯାହା ଘୋଷି । ଦେଖନ୍ତି ନିଜଦ୍ୱାରେ ବସି ॥ ୮୪
    ସାତ୍ୱିକଭାବେ ବିପ୍ରଗଣେ । ଯାର ଚରଣ ଅନୁକ୍ଷଣେ ॥ ୮୫
    ଯମ ନିୟମ ବ୍ରତ ସ୍ନାନ । ଯଜ୍ଞ ତପସ୍ୟା ମହାଦାନ ॥ ୮୬
    ସଙ୍କଳ୍ପ କରି ଦକ୍ଷହସ୍ତେ । ତର୍ପଣ କରୁଥାନ୍ତି ନିତ୍ୟେ ॥ ୮୭
    କୃଷ୍ଣର ଯେତେ ପତ୍ନୀଗଣ । ସେ ତ ସ୍ୱଭାବେ ଭାଗ୍ୟବାନ ॥ ୮୮
    ସଙ୍କଳ୍ପ କରି ଜନ୍ମାନ୍ତରେ । ତାହାଙ୍କୁ ଲଭିଛନ୍ତି ବରେ ॥ ୮୯
    ଯାର ଅଧର ମଧୁରସେ । ଗୋକୁଳ ଗୋପୀଏ ହରଷେ ॥ ୯୦
    ନିତ୍ୟେ ପିବନ୍ତି ଚକ୍ଷୁଦ୍ୱାରେ । ତନୁ ଅତନୁ ଶର ଘାରେ ॥ ୯୧
    ରୁକ୍ମିଣୀ ସ୍ୱୟମ୍ବର କାଳେ । ସଭାର ମଧ୍ୟେ ନୃପ ମେଳେ ॥ ୯୨
    କୃଷ୍ଣ ବିଷୟେ ଯେତେ ବାଦୀ । କ୍ଷତ୍ରିୟ ଶିଶୁପାଳ ଆଦି ॥ ୯୩
    ତାହାଙ୍କ ଦର୍ପ ନାଶ କରି । ନାରକାପୁରୁ କନ୍ୟା ହରି ॥ ୯୪
    ସେ ବଧୂଜନେ ତାର ସଙ୍ଗେ । ଖଟନ୍ତି ସଉଭାଗ୍ୟ ରଙ୍ଗେ ॥ ୯୫
    ତାର କଟାକ୍ଷେ ବଶ ହୋଇ । ନିଶ୍ଚଳ ଚିତ୍ତେ ରୂପ ଧ୍ୟାୟି ॥ ୯୬
    ନିରତେ କୃଷ୍ଣ ଘେନି ଘରେ । ପ୍ରେମେ ସେବନ୍ତି ତା ପୟରେ ॥ ୯୭
    ପାରିଜାତକ ଆଦି ଦାନ । ଦେଇ ଆନନ୍ଦ ତାଙ୍କ ମନ ॥ ୯୮
    କରିଣ ପ୍ରଭୁ ଭାବଗ୍ରାହୀ । ତାହାଙ୍କ ସଙ୍ଗ ନ ଛାଡ଼ଇ ॥ ୯୯
    କୁରୁମଣ୍ତଳ ବଧୂଜନେ । ଏକାନ୍ତ ବାଣୀ ଅନ୍ୟୁ ଅନ୍ୟେ ॥ ୧୦୦
    ସ୍ମିତ ଇକ୍ଷଣେ ତାହା ଜାଣି । ରଥେ ଚଳିଲେ ଚକ୍ରପାଣି ॥ ୧୦୧
    କୃଷ୍ଣର ସ୍ନେହ ମନେ ଧରି । ପାଣ୍ତବେ ଘେନି ସୈନ୍ୟ ଚାରି ॥ ୧୦୨
    ଶତ୍ରୁଙ୍କ ଭୟ ଚିତ୍ତେ ଚିନ୍ତି । କୃଷ୍ଣଙ୍କୁ ଆବୋରି ଚଳନ୍ତି ॥ ୧୦୩
    କେତେ ହେଁ ଦୂରେ ଭାବଗ୍ରାହୀ । ପାଣ୍ତବମାନଙ୍କୁ ରୁହାଇ ॥ ୧୦୪
    ଉଦ୍ଧବ ଆଦି ପ୍ରିୟ ସଙ୍ଗେ । ଚଳିଲେ ନିଜ ପୁର ମାର୍ଗେ ॥ ୧୦୫
    କୁରୁ ଜାଙ୍ଗଳ ଦେଶ ଜିଣି । ପାଞ୍ଚାଳ ଦେଶ ଶୂରସେନୀ ॥ ୧୦୬
    ଯମୁନା ଦେଶ ବ୍ରହ୍ମାବର୍ତ୍ତ । ମତ୍ସ୍ୟନଗର ସାରସ୍ୱତ ॥ ୧୦୭
    ମରୁଧନ୍ୱନ ସଉବୀର । ଆଭୀରପୁରୀ ଯେ ଅପର ॥ ୧୦୮
    ଅନ୍ୟାନ୍ୟ ଆଦି ଦେଶ ଯେତେ । ଜିଣି ଗମିଲେ ନିଜ ରଥେ ॥ ୧୦୯
    ସେ ଦେଶେ ଯେତେ ପ୍ରଜାଜନେ । ସଂଭ୍ରମେ କୃଷ୍ଣ ଦରଶନେ ॥ ୧୧୦
    ଅନେକ ଉପାୟନ ହସ୍ତେ । ନିବେଦି କୃଷ୍ଣପାଦଗତେ ॥ ୧୧୧
    ଏମନ୍ତେ ଦ୍ୱାରକା ଅଗ୍ରତେ । ମିଳିଲେ ଦିନକର ଅସ୍ତେ ॥ ୧୧୨
    ସେ ହରି ଚରଣ ପଙ୍କଜେ । କିଙ୍କର ଜଗନ୍ନାଥ ଭଜେ ॥ ୧୧୩


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଶ୍ରୀକୃଷ୍ଣ ଦ୍ୱାରକା ଗମନଂ ନାମ ଦଶମୋଽଧ୍ୟାୟଃ ।।

    ଏକାଦଶ ଅଧ୍ୟାୟ

    ସୂତ ଉବାଚ

    ଏମନ୍ତେ ନିଜ ରାଜ୍ୟେ ହରି । ମିଳିଲେ ଶଙ୍ଖନାଦ କରି ॥ ୧
    ସେ ପାଞ୍ଚଜନ୍ୟର ଶବଦ । ହରିଲା ପ୍ରଜାଙ୍କ ବିଷାଦ ॥ ୨
    ସେ ଶଙ୍ଖଧବଳ ଉଦର । ବିରାଜେ ଶ୍ରୀକୃଷ୍ଣର କର ॥ ୩
    ଅଧର ରଙ୍ଗେ ରଙ୍ଗ ଦିଶି । ଉଚ୍ଚ ଶବଦ ସେହୁ ଭାଷି ॥ ୪
    ରକତ ପଦ୍ମ କୋଳେ ଯେହ୍ନେ । ଶୋଭିତ ରାଜହଂସ ସ୍ୱନେ ॥ ୫
    ସେ ନାଦ ଯେତେଦୂର ସ୍ଫୁରେ । ଜନ୍ମ ମରଣ ଭୟ ହରେ ॥ ୬
    ସେ ନାଦ ସ୍ଫୁରେ ଘନଘନ । ଶୁଣି ସକଳ ପ୍ରଜାଜନ ॥ ୭
    ଧାମନ୍ତି ପରମ ହରଷେ । ଶ୍ରୀକୃଷ୍ଣ ଦର୍ଶନ ଲାଳସେ ॥ ୮
    ବିବିଧ ଉପାୟନ ହସ୍ତେ । ମିଳିଲେ ଗୋବିନ୍ଦ ଅଗ୍ରତେ ॥ ୯
    ରବି ସମୀପେ ଦୀପପନ୍ତି । ଦିବସେ ଯେସନେ ଦିଶନ୍ତି ॥ ୧୦
    ଯେ ହରି ନିତ୍ୟ ପୂର୍ଣ୍ଣକାମ । ଆତ୍ମ ପ୍ରକାଶ ଆତ୍ମାରାମ ॥ ୧୧
    ତାର ନିକଟେ ରୁଣ୍ତ ହୋଇ । ସକଳେ ଶିରେ କର ଦେଇ ॥ ୧୨
    ବାଳକ ପିତା ସନ୍ନିଧାନେ । ଯେମନ୍ତେ ମାନ ଅପମାନେ ॥ ୧୩
    ଆନନ୍ଦେ କୃଷ୍ଣ ମୁଖ ଚାହିଁ । ବୋଲନ୍ତି ଗଦଗଦ ହୋଇ ॥ ୧୪
    ଭୋନାଥ ପରମ କାରଣ । ତୋହର ଅଭୟ ଚରଣ ॥ ୧୫
    ଶିବ ବିରଞ୍ଚି ଆଦି ଦେବେ । ନିତ୍ୟେ ସେବନ୍ତି ଆତ୍ମଭାବେ ॥ ୧୬
    ଯେ ଚିନ୍ତେ ଆତ୍ମାର କାରଣ । ତୋ ପାଦପଦ୍ମ ନାରାୟଣ ॥ ୧୭
    ଯେ କାଳ ସକଳ ସଂହାରେ । ତୋର ସେବକେ ସେ ନପାରେ ॥ ୧୮
    ତୁ ଆମ୍ଭ ପିତାମାତା ପତି । ସର୍ବ ସଙ୍କଳ୍ପ କ୍ଷେମଗତି ॥ ୧୯
    ପରମଗୁରୁ ଦଇବତ । ସୁହୃଦ ବନ୍ଧୁ ପ୍ରିୟମିତ୍ର ॥ ୨୦
    ତୋ ବିନୁ ଆମ୍ଭେ ନୋହୁ କିଛି । ତୁ ନାଥ ସର୍ବ-ଆତ୍ମା-ସାକ୍ଷୀ ॥ ୨୧
    ଅନାଥ ନାଥ ତୁ ଆମ୍ଭର । ଦେବମାନବେ ଅଗୋଚର ॥ ୨୨
    ତୋର ବଦନ ନାରାୟଣ । ପ୍ରେମ ହସିତ ନିରୀକ୍ଷଣ ॥ ୨୩
    ସେ ମୁଖ ଦେଖୁ ତୋର ଦେହେ । ସର୍ବସୌନ୍ଦର୍ଯ୍ୟ ଯହିଁ ରହେ ॥ ୨୪
    ଯେବେ ସୁହୃଦ ଦେଖିବାରେ । କୁରୁନଗର ମଧୁୁପୁରେ ॥ ୨୫
    ଇଚ୍ଛାରେ କରୁ ତୁ ଗମନ । ତୋତେ ନ ଦେଖି ଆମ୍ଭମନ ॥ ୨୬
    କ୍ଷଣକ କୋଟିଯୁଗ ମଣେ । ରଜନୀ ଦିବସ ନ ଜାଣେ ॥ ୨୭
    କୋଟିନୟନ ପ୍ରାଣୀ ବହି । କି କରେ ରବି ଯେବେ ନାହିଁ ॥ ୨୮
    ତୋହର ପ୍ରସନ୍ନ ବଦନ । ଅଖିଳ ତାପ ବିମୋଚନ ॥ ୨୯
    ଚିର ପ୍ରବାସେ ତା ନ ଦେଖି । ଆମ୍ଭ ଜୀବନ ବଡ଼ ଦୁଃଖୀ ॥ ୩୦
    ଏମନ୍ତ ଜନ ମୁଖୁ ଶୁଣି । ଆନନ୍ଦ ମନେ ଚକ୍ରପାଣି ॥ ୩୧
    ଅମୃତ ଲୋଚନେ ଅନାଇ । ପୁରେ ପ୍ରବେଶ ଭାବଗ୍ରାହୀ ॥ ୩୨
    ଯାଦବ ସାତବଂଶ ମିଳି । ଶବଦ ଶୁଭେ କୁଶସ୍ଥଳୀ ॥ ୩୩
    ରକ୍ଷିତ ନିଜ ତୁଲ୍ୟ ବଳେ । ପାତାଳ ଯେହ୍ନେ ନାଗବଳେ ॥ ୩୪
    ମତ୍ତ ମାତଙ୍ଗ ଅଶ୍ୱ ଖର । ରଥ ଶକଟ ବହୁତର ॥ ୩୫
    ପଦାତିବଳ ଅପ୍ରମିତ । ଧାମନ୍ତି ବୀରେ ଯୂଥଯୂଥ ॥ ୩୬
    ଚଳନ୍ତେ ମୁଖରାବ ଗୋଳ । ପାତାଳେ ଯେହ୍ନେ ନାଗବଳ ॥ ୩୭
    ସକଳ ଋତୁ ପୁଷ୍ପଫଳେ । ଆଶ୍ରଇ ଲତା ଦ୍ରୁମ ମେଳେ ॥ ୩୮
    ଆରାମ ଭବନେ ଶୋଭନ । ଜଳେ ଜଳଜ ହଂସ ମୀନ ॥ ୩୯
    ତୋରଣ ପୁର ଦ୍ୱାର ମାର୍ଗେ । ଉଚ୍ଚେ ବନ୍ଧନ ନବରଙ୍ଗେ ॥ ୪୦
    ଧ୍ୱଜ ପତାକା ଚିତ୍ର ଶୋହେ । ସୁନ୍ଦର ପଥ ମନ ମୋହେ ॥ ୪୧
    ମାର୍ଜିତ ମାର୍ଗ ଦ୍ୱାରେ ଦ୍ୱାରେ । ସିଞ୍ଚା କୁସୁମ ଗନ୍ଧନୀରେ ॥ ୪୨
    ଗୃହମାନଙ୍କ ପ୍ରତିଦ୍ୱାରେ । ଦଧି ଅକ୍ଷତ ଫଳଭରେ ॥ ୪୩
    ପୂର୍ଣ୍ଣ କଳସ ଧୂପଦୀପେ । ଜୟଶବଦ ନାନାରୂପେ ॥ ୪୪
    କୃଷ୍ଣର ଆଗମନ ଜାଣି । ସଙ୍ଗତେ ବସୁଦେବ ଘେନି ॥ ୪୫
    ରାମ ଅକ୍ରୁର ଉଗ୍ରସେନ । କୃଷ୍ଣର ଯେତେକ ନନ୍ଦନ ॥ ୪୬
    ହରଷେ ଉଛୁଳିଲା ମନ । ଉପେକ୍ଷି ଶୟନ ଭୋଜନ ॥ ୪୭
    ଉତ୍ତମ ହସ୍ତୀ ସଜ କରି । ମାଗଧେ ମଙ୍ଗଳ ଉଚ୍ଚାରି ॥ ୪୮
    ମଙ୍ଗଳ ବେଦନାଦ ସ୍ୱରେ । ଅଗ୍ରେ ଚଳିଲେ ବିପ୍ରବରେ ॥ ୪୯
    ଶଙ୍ଖ ମହୁରୀ ଭେରୀ ତୂରୀ । ଯେ ବାଦ୍ୟେ ମଙ୍ଗଳ ଉଚ୍ଚାରି ॥ ୫୦
    ଏମନ୍ତେ ପୁରଜନ ପଥେ । ଆନନ୍ଦେ ମିଳିଲେ ସମସ୍ତେ ॥ ୫୧
    ଶତ ସହସ୍ର ବାରାଙ୍ଗନା । ଯେ ରୂପେ ଜଗତ ମୋହନା ॥ ୫୨
    କୁଣ୍ତଳ ଲୋଳିତ ଶ୍ରବଣେ । ଲୋଚନ ପୂରିତ ଅଞ୍ଜନେ ॥ ୫୩
    ଅଳକା ତିଳକ କୁସୁମ । ଦେବମାନବେ ମନୋରମ ॥ ୫୪
    ନଟ ନର୍ତ୍ତକ ବନ୍ଦୀ ସୂତେ । ଅଗ୍ରେ ଚଳନ୍ତି ଯୂଥେଯୂଥେ ॥ ୫୫
    କୃଷ୍ଣର ଅଦ୍ଭୁତ ଚରିତ । ଗାୟନ କରି ନୃତ୍ୟଗୀତ ॥ ୫୬
    ମିଳିଲେ ଗୋବିନ୍ଦର ପାଶେ । ସକଳେ ପରମ ହରଷେ ॥ ୫୭
    ଗୋବିନ୍ଦ ଦେଖି ପୁରଜନ । ତକ୍ଷଣେ ଉପେକ୍ଷି ଆସନ ॥ ୫୮
    ଯେ ହରି ସର୍ବ ଗୁଣନିଧି । ବନ୍ଧୁ ପୂଜିଲେ ଯଥାବିଧି ॥ ୫୯
    କାହାକୁ କରି ନମସ୍କାର । ଆନନ୍ଦେ ଧରି କରେ କର ॥ ୬୦
    କାହାକୁ କରି ଆଲିଙ୍ଗନ । କା ଶିରେ ଆଘ୍ରାଣ ଚୁମ୍ବନ ॥ ୬୧
    କାହାକୁ ମନ୍ଦହାସେ ଚାହିଁ । ଭାବେ ତୋଷିଲେ ଭାବଗ୍ରାହୀ ॥ ୬୨
    ଆଶ୍ୱାସ କରି ପୁରଜନେ । ତୋଷିଲେ ସର୍ବ ବାକ୍ୟଧନେ ॥ ୬୩
    ଚାଣ୍ତାଳୁ ବ୍ରହ୍ମଯାଏଁ ପୂଜା । କରି ତୋଷିଲେ ଦେବରାଜା ॥ ୬୪
    କୁଳ ପୂଜିତ ଜ୍ଞାନବୃଦ୍ଧ । କୃଷ୍ଣଙ୍କୁ କଲେ ଆଶୀର୍ବାଦ ॥ ୬୫
    ପୁରେ ପଶନ୍ତେ ଜନାର୍ଦ୍ଦନ । ଦ୍ୱାରକାପୁର ବଧୂଜନ ॥ ୬୬
    ତକ୍ଷଣେ ଲାଜ ଦୂର କରି । ଆରୋହି ଅଟ୍ଟାଳୀ ପାଚେରୀ ॥ ୬୭
    ଦେଖିଣ କୃଷ୍ଣର ଶରୀର । ମହାଉତ୍ସବେଣ ଅସ୍ଥିର ॥ ୬୮
    ଯଦ୍ୟପି ନିତ୍ୟେ ନିତ୍ୟେ ପୁରେ । କୃଷ୍ଣ ବଦନ ନିରନ୍ତରେ ॥ ୬୯
    ଦେଖି ସନ୍ତୋଷ ନୋହେ ମନ । ଯା ଅଙ୍ଗ ସର୍ବ ଶୋଭାବନ ॥ ୭୦
    ଲକ୍ଷ୍ମୀ ବିଳାସ ଯାର ଅଙ୍ଗେ । ଅଦ୍ଭୁତ ବିବିଧ ବିଭଙ୍ଗେ ॥ ୭୧
    ସୁଧା-ସମ୍ପୂର୍ଣ୍ଣ ଯାର ଗାତ୍ର । ପ୍ରାଣୀ ଲୋଚନ ପାନପାତ୍ର ॥ ୭୨
    ଯାହାର ଚାରିଭୁଜତଳେ । ବାସବ ଆଦି ଦିଗପାଳେ ॥ ୭୩
    ଯାହାର ଅଭୟ ଚରଣ । ଭକତଜନଙ୍କ ଶରଣ ॥ ୭୪
    ଧବଳଛତ୍ର କେବା ଧରେ । କେବା ଚାମର ବିଞ୍ଚେ ଧୀରେ ॥ ୭୫
    ଜୟଶବଦ କେ କରନ୍ତି । କେ ବା କୁସୁମ ବରଷନ୍ତି ॥ ୭୬
    ପଥେ ଗୋବିନ୍ଦ ତନୁ ଶୋଭା । କିବା ଉପମା ତାରେ ଦେବା ॥ ୭୭
    ପୀତବସନ ବନମାଳ । ଶ୍ରବଣେ ମକର କୁଣ୍ତଳ ॥ ୭୮
    ପିଶଙ୍ଗ ବସ୍ତ୍ର ମଧ୍ୟଭାଗେ । ଯେହ୍ନେ ବିଜୁଳି ନୀଳମେଘେ ॥ ୭୯
    ରବି ଶଶାଙ୍କ ଶକ୍ରଚାପ । ସ୍ୱଭାବେ ଘନନୀଳ ରୂପ ॥ ୮୦
    ପୁରେ ପଶନ୍ତେ ବ୍ରହ୍ମରାଶି । ତକ୍ଷଣେ ମାତୃଗଣେ ଆସି ॥ ୮୧
    ଆନନ୍ଦେ କରି ଆଲିଙ୍ଗନ । କୃଷ୍ଣଙ୍କୁ କରନ୍ତି କଲ୍ୟାଣ ॥ ୮୨
    ଦେବକୀ ଆଦି ସପ୍ତନାରୀ । ଚରଣେ ନମିଲେ ମୁରାରି ॥ ୮୩
    ସକଳ ମାତୃଗଣେ ମିଳି । କୋଳେ ବସାଇ ବନମାଳୀ ॥ ୮୪
    ଅତ୍ୟନ୍ତ ପୁତ୍ର ସ୍ନେହଭରେ । କ୍ଷୀର ସ୍ରବଇ ପୟୋଧରେ ॥ ୮୫
    ଅତି ଆନନ୍ଦେ ଅଶ୍ରୁଜଳେ । ସିଞ୍ଚନ୍ତି କୃଷ୍ଣଙ୍କ ଉପରେ ॥ ୮୬
    ମାତୃଗଣଙ୍କ ସଙ୍ଗୁ ହରି । ନିଜ ଭୁବନେ ବିଜେ କରି ॥ ୮୭
    ଷୋଳସହସ୍ର ପତ୍ନୀଙ୍କର । ବିରାଜେ ରତ୍ନମୟ ପୁର ॥ ୮୮
    ସକଳ କାମ ଅର୍ଥ ଧର୍ମ । ଯହିଁ ବିଜୟେ ପୂର୍ଣ୍ଣବ୍ରହ୍ମ ॥ ୮୯
    ମାୟାର ବଳେ ବନମାଳୀ । ପତ୍ନୀ ଭୁବନେ ବେଗେ ମିଳି ॥ ୯୦
    ଅଷ୍ଟ ଅଧିକ ଶତନାରୀ । ଷୋଳସହସ୍ର ମନୋହାରୀ ॥ ୯୧
    ପଶିଲେ ଏତେ ରୂପ ହୋଇ । ହାସ୍ୟ କଟାକ୍ଷେ ମନ ମୋହି ॥ ୯୨
    ଭୁବନେ ଦେଖି ନିଜ ପତି । ସମ୍ଭ୍ରମେ ସକଳ ଯୁବତୀ ॥ ୯୩
    ଦୂରୁ ଗୋବିନ୍ଦ ମୁଖ ଦେଖି । ଉଠିଲେ ଆସନ ଉପେକ୍ଷି ॥ ୯୪
    କି ଅବା ଦେବା ପଟାନ୍ତର । ଚକୋରେ ଯେହ୍ନେ ନିଶାକର ॥ ୯୫
    ତକ୍ଷଣେ ହରିରୂପ ଦେଖି । ନିର୍ମଳ କରି ବେନିଆଖି ॥ ୯୬
    ଅନ୍ତରେ ସ୍ୱାମୀରୂପ ଧରି । ନିବିଡ଼େ ଆଲିଙ୍ଗନ କରି ॥ ୯୭
    ପୁଣି କୃଷ୍ଣର ପାଶେ ମିଳି । ପୁତ୍ରାଦି ଦ୍ୱାରା କୋଳ କରି ॥ ୯୮
    ସ୍ୱଭାବେ ସଲଜ୍ଜ ବଦନ । ଲୋତକେ ପୂରିତ ନୟନ ॥ ୯୯
    ଯଦ୍ୟପି ପାଇଲେ ଏକାନ୍ତେ । ତଥାପି କୃଷ୍ଣ ପାଦଗତେ ॥ ୧୦୦
    ଅତି ପୀରତି ନବନବ । ସ୍ୱାମୀ ଚରଣେ କଲେ ଭାବ ॥ ୧୦୧
    ପାଦପଦ୍ମରେ ସେବା କଲେ । କେ ତାହା ଛାଡ଼ି ପାରେ ଭଲେ ॥ ୧୦୨
    ଲକ୍ଷ୍ମୀ ଯେ ସ୍ୱଭାବେ ଚଞ୍ଚଳା । ସେ ନ ଛାଡ଼ଇ ଅତିଭୋଳା ॥ ୧୦୩
    ଏହି ପ୍ରକାରେ ନରହରି । ଛଳେ ଧରଣୀ ଭାରା ହରି ॥ ୧୦୪
    ଦଶ ଅୟୁତ ରାଜାଗଣେ । ଉଭାରି ସଂହାରିଲେ ରଣେ ॥ ୧୦୫
    କଳି ଭିଆଇ ନାରାୟଣ । ଅନଳେ ଯେହ୍ନେ ସମୀରଣ ॥ ୧୦୬
    ନାଶିଲେ ଅହଙ୍କାର ବାଦେ । ବିମାନେ ବସି ନିରାୟୁଧେ ॥ ୧୦୭
    ସ୍ୱମାୟାବଳେ ନରହରି । ମନୁଷ୍ୟ ଦେହେ ଅବତରି ॥ ୧୦୮
    ଅଜ୍ଞାନୀ ଯେହ୍ନେ ଗୃହେ ରହି । ବଞ୍ଚଇ ପତ୍ନୀବଶ ହୋଇ ॥ ୧୦୯
    ପତ୍ନୀର ଭାବ ପ୍ରେମରଙ୍ଗେ । ଯନ୍ତ୍ରିତ ମୋହନ ଅନଙ୍ଗେ ॥ ୧୧୦
    କୃଷ୍ଣର ଯେତେ ନାରୀଗଣ । ସୁନ୍ଦରେ ମୋହନ୍ତି ମଦନ ॥ ୧୧୧
    ସ୍ୱଭାବେ ପ୍ରେମଛନ୍ଦେ ରସେ । ନିତ୍ୟେ ସେବନ୍ତି କୃଷ୍ଣପାଶେ ॥ ୧୧୨
    ବିବିଧ ଆଲିଙ୍ଗନ ଦେଇ । ତା ମନ ନ ପାରିଲେ ମୋହି ॥ ୧୧୩
    ଏ ଜୀବଲୋକ କାହୁଁ ଜାଣେ । ଆପଣା ତୁଲ୍ୟ ପ୍ରାୟ ମଣେ ॥ ୧୧୪
    କାହୁଁ ପାରିବେ ବଶ କରି । ନିର୍ଲେପ ପ୍ରଭୁ ନରହରି ॥ ୧୧୫
    ସେ ହରି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୧୧୬
    କହଇ ଦାସ ଜଗନ୍ନାଥ । ପ୍ରଥମ ସ୍କନ୍ଧେ ଭାଗବତ ॥ ୧୧୭
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଶ୍ରୀକୃଷ୍ଣ ଦ୍ୱାରକାପ୍ରବେଶୋ ନାମ ଏକାଦଶୋଽଧ୍ୟାୟଃ ।।

    ଦ୍ୱାଦଶ ଅଧ୍ୟାୟ

    ଶୌନକ ଉବାଚ

    କୋପେ ଯେ ଦ୍ରୋଣଙ୍କ କୁମର । ମନ୍ତ୍ରି ପେଷିଲା ବ୍ରହ୍ମଶର ॥ ୧
    ତାର ପ୍ରଚଣ୍ତ ତେଜଜାଳେ । ଭୟେ କମ୍ପିଲେ ଦିଗପାଳେ ॥ ୨
    ଉତ୍ତରା ଗର୍ଭେ ସେ ପଡ଼ିଲା । ତକ୍ଷଣେ ଗୋବିନ୍ଦ ରଖିଲା ॥ ୩
    ସେ ପୁଣି ଗର୍ଭୁ ଜନ୍ମ ହୋଇ । ପାଳିଲା ରାଜାପଣେ ମହୀ ॥ ୪
    ଜଗତେ ଯେତେ କର୍ମ କଲା । ପ୍ରଜାଙ୍କୁ ଯେମନ୍ତେ ପାଳିଲା ॥ ୫
    କେବଣ ହେତୁ ନୃପରାଣ । କାହିଁ ଛାଡ଼ିଲା ନିଜପ୍ରାଣ ॥ ୬
    ଅଳପ ବୟସେ ନୃପତି । ଅନ୍ତେ ଲଭିଲା କେଉଁଗତି ॥ ୭
    ଆନନ୍ଦେ ବ୍ୟାସଙ୍କର ସୁତ । ଯାହାଙ୍କୁ ଦେଲେ ଜ୍ଞାନତତ୍ତ୍ୱ ॥ ୮
    ତାର ସକଳ କର୍ମଦୀକ୍ଷା । ଶ୍ରବଣେ କଲୁ ଆମ୍ଭେ ଇଚ୍ଛା ॥ ୯
    ଆମ୍ଭଙ୍କୁ ଯେବେ ଦୟା ବହ । ସଂଶୟ ଯାଉ ମୁନି କହ ॥ ୧୦

    ସୂତ ଉବାଚ

    କୁରୁ ନଗରେ ଧର୍ମରାଜା । ପୁତ୍ରଙ୍କ ପ୍ରାୟେ ପାଳେ ପ୍ରଜା ॥ ୧୧
    କୃଷ୍ଣହୁଁ ନ ଜାଣଇ ଆନ । ବିଷୟା ରସେ ନାହିଁ ମନ ॥ ୧୨
    ଧନ ସମ୍ପଦର ରକ୍ଷଣେ । ଯେ ସ୍ନେହ ଭାର୍ଯ୍ୟା ଭ୍ରାତୃଗଣେ ॥ ୧୩
    ରାଜ୍ୟ ପାଳନେ ଏହିମତେ । ଧର୍ମହୁଁ ଅନ୍ୟ ନାହିଁ ଚିତ୍ତେ ॥ ୧୪
    ଏ ଜମ୍ବୁଦ୍ୱୀପେ ଯେତେ ରାଜା । ସର୍ବେ କରନ୍ତି ପାଦପୂଜା ॥ ୧୫
    ଯାର ମହିମା ତିନିଲୋକେ । ଘୋଷନ୍ତି ଏକକୁ ଆରକେ ॥ ୧୬
    ଗୋବିନ୍ଦ ଯାର ହୃଦେ ବସେ । ସେ କି ବିଷୟରସେ ରସେ ॥ ୧୭
    କ୍ଷୁଧିତଜନ ମନ ଯେହ୍ନେ । ଅନ୍ନହୁଁ ନ ଲୋଡ଼ଇ ମନେ ॥ ୧୮
    ଏବେ ହୋ ଶୁଣ ବିପ୍ରଜନ । କହିବା ପରୀକ୍ଷିତ ଜନ୍ମ ॥ ୧୯
    ମାତାର ଗର୍ଭେ ଯେବେ ଥିଲା । ନୟନେ କୃଷ୍ଣଙ୍କୁ ଦେଖିଲା ॥ ୨୦
    ତେଜେ ଯେସନେ ଦିବାକର । ଗର୍ଭେ ପଡ଼ିଲା ବ୍ରହ୍ମଶର ॥ ୨୧
    ଉତ୍ତରା ଡାକେ ତ୍ରାହି ତ୍ରାହି । ତକ୍ଷଣେ ପ୍ରଭୁ ଭାବଗ୍ରାହୀ ॥ ୨୨
    ଅଙ୍ଗୁଷ୍ଠି ପ୍ରମାଣେ ଶରୀରେ । ସୁଦରଶନ ଧରି କରେ ॥ ୨୩
    କିରୀଟ କୁଣ୍ତଳ ବିରାଜେ । ପ୍ରଭା ସବିତାତେଜ ଗଞ୍ଜେ ॥ ୨୪
    ଅପୂର୍ବ ରୂପ ଘନଶ୍ୟାମ । ତଡ଼ିତବାସ କଟିଦାମ ॥ ୨୫
    ଆଜାନୁଲମ୍ବେ ଭୁଜ ଚାରି । ଶଙ୍ଖ କମଳ ଗଦା ଧରି ॥ ୨୬
    କୋପେ ଲୋହିତ ବେନି ଦୃଷ୍ଟି । ଗଦା ଭ୍ରମଣେ ଦୃଢ଼ମୁଷ୍ଟି ॥ ୨୭
    ଗଦାର ତେଜ ରବିତ୍ରାସ । ମଣ୍ତଳେ ପୂରେ ଦଶଦିଶ ॥ ୨୮
    ହରିଲେ ବ୍ରହ୍ମଶର ତେଜ । ନୀହାର ଯେହ୍ନେ ଗ୍ରହରାଜ ॥ ୨୯
    ନିକଟେ ଦେଖି ବିତର୍କିତ । ଏ କେ ମୋ ପାଶେ ଉପଗତ ॥ ୩୦
    ନିର୍ମଳଆତ୍ମା ଭଗବାନ । ଧର୍ମ ପାଳକ ଜନାର୍ଦ୍ଦନ ॥ ୩୧
    ତକ୍ଷଣେ ଗର୍ଭ ରକ୍ଷା କରି । ଅନ୍ତର ହୋଇଲେ ମୁରାରି ॥ ୩୨
    ବାଳକ ଦେଖେ ତା ନୟନେ । ଗୋବିନ୍ଦ ଗଲେ ଅନ୍ତର୍ଦ୍ଧାନେ ॥ ୩୩
    ତକ୍ଷଣେ ସର୍ବଶୁଭ ବେଳେ । ଗ୍ରହ ସକଳ ଅନୁକୂଳେ ॥ ୩୪
    ବାଳକ ହୋଇଲା ବାହାର । ଗୁଣେ ପାଣ୍ତବ ବଂଶଧର ॥ ୩୫
    ଅତି ସୁନ୍ଦର ବିରାଜିଲା । ପୁଣି କି ପାଣ୍ତୁ ପ୍ରକାଶିଲା ॥ ୩୬
    ଦେଖି ସନ୍ତୋଷ ଧର୍ମସୁତ । ସଙ୍ଗତେ ଘେନି ପୁରୋହିତ ॥ ୩୭
    ଆନନ୍ଦେ ମିଳି ମହାଜନେ । ସ୍ୱସ୍ତିକ ମଙ୍ଗଳ ବଚନେ ॥ ୩୮
    ଶୁଭଇ ଶଙ୍ଖନାଦ ଭେରୀ । ଶୁଭେଣ ଜାତକର୍ମ କରି ॥ ୩୯
    ସୁବର୍ଣ୍ଣ ମହୀ ଧେନୁ ତୁଲେ । ଅନେକ ଗ୍ରାମଦାନ ଦେଲେ ॥ ୪୦
    ଅଶ୍ୱ କୁଞ୍ଜର ନିଜ ଅନ୍ନ । ସୁମୃତି ମତେ ଦେଲେ ଦାନ ॥ ୪୧
    ସୂତ ମାଗଧ ଆଦି ଲୋକେ । ଯେ ଆସି ମିଳିଲେ ଯାଚକେ ॥ ୪୨
    ଧର୍ମନନ୍ଦନ ସୁଖଚିତ୍ତେ । ଦକ୍ଷିଣା ଦେଲେ ପ୍ରଜାତୀର୍ଥେ ॥ ୪୩
    ସନ୍ତୋଷେ ବସି ବିପ୍ରଗଣ । ବିଚାରି ଜାତକ ଲକ୍ଷଣ ॥ ୪୪
    ଗ୍ରହ ନକ୍ଷତ୍ର ଚିନ୍ତି ଚିତ୍ତେ । କହନ୍ତି ରାଜାଙ୍କ ଅଗ୍ରତେ ॥ ୪୫
    ଏ ଅଭିମନ୍ୟୁର କୁମର । ପାଣ୍ତବବଂଶେ କୀର୍ତ୍ତିକର ॥ ୪୬
    ଗର୍ଭସଙ୍କଟୁ ଏ ତରିଲା । ଏହାକୁ ବିଷ୍ଣୁ ରକ୍ଷା କଲା ॥ ୪୭
    ସର୍ବ ଲକ୍ଷଣେ ଏ ସମ୍ଭୂତ । ଏହାର ନାମ ବିଷ୍ଣୁରାତ ॥ ୪୮
    କୁରୁ ପାଣ୍ତବ ବଂଶଧର । ଏ ଭାଗବତ ମଧ୍ୟେ ବର ॥ ୪୯
    ଏମନ୍ତେ ବ୍ରାହ୍ମଣଙ୍କ ବାଣୀ । ଶ୍ରବଣେ ସୁଧାପ୍ରାୟ ମଣି ॥ ୫୦
    ହେ ବିପ୍ରବରେ ତୁମ୍ଭ ବାଣୀ । ବୋଲନ୍ତି ଯୁଧିଷ୍ଠିର ଶୁଣି ॥ ୫୧
    ଆଗମ ନିଗମେ ଯା ସାର । ତୁମ୍ଭଙ୍କୁ ନୋହେ ଅଗୋଚର ॥ ୫୨
    ଗ୍ରହନକ୍ଷତ୍ର ଯୋଗମତେ । ଯାହା କହିଲ ଶାସ୍ତ୍ରତତ୍ତ୍ୱେ ॥ ୫୩
    ଏ ବଂଶଧର ସାଧୁବାଦେ । ସତେ ପାଳିବ ରାଜପଦେ ॥ ୫୪
    ରାଜାବଚନେ ବିପ୍ରଗଣ । କହନ୍ତି ଜାତକ ଲକ୍ଷଣ ॥ ୫୫
    ଶୁଣ ହେ ଧର୍ମର ନନ୍ଦନ । ଆମ୍ଭର ଆଶିଷ ବଚନ ॥ ୫୬
    ପ୍ରଜାପାଳନେ ଏ ନିୟତ । ଯେହ୍ନେ ଇକ୍ଷ୍ୱାକୁ ମନୁସୁତ ॥ ୫୭
    ବ୍ରାହ୍ମଣ ଜନହିତକର । ସତ୍ୟପ୍ରତିଜ୍ଞ ଗୁଣଧର ॥ ୫୮
    ଏହାର ଯଶ ସର୍ବଦେଶେ । ଯେହ୍ନେ ଶ୍ରୀରାମ ରଘୁବଂଶେ ॥ ୫୯
    ଶିବି ଯେସନେ ଦାତାବର । ଦୟାଳୁ ମଧ୍ୟେ ଏ କୁମର ॥ ୬୦
    ଭରତ ପ୍ରାଏ ଯଜ୍ଞକାରୀ । ଅର୍ଜୁନ ସମ ଧନୁର୍ଦ୍ଧାରୀ ॥ ୬୧
    ହୁତାଶ ପ୍ରାୟ ତେଜୋମୟ । ଦୁସ୍ତର ସମୁଦ୍ରର ପ୍ରାୟ ॥ ୬୨
    ବିକ୍ରମେ ଯେସନେ କେଶରୀ । ଆଶ୍ରୟେ ଯେହ୍ନେ ହିମଗିରି ॥ ୬୩
    ପୃଥିବୀ ସମ ଧୀରଚେତା । ସହିଷ୍ଣୁ ଯେହ୍ନେ ପିତାମାତା ॥ ୬୪
    ସମ ପାଳନେ କି ବିଧାତା । ଈଶ୍ୱର ପ୍ରାୟ ବରଦାତା ॥ ୬୫
    ଆଶ୍ରୟ ସର୍ବ ପ୍ରାଣୀଙ୍କର । ଯେହ୍ନେ ସଂସାରେ ରମାବର ॥ ୬୬
    ସର୍ବଲକ୍ଷଣେ କୃଷ୍ଣସମ । ସୁଦୃଢ଼ବ୍ରତ ସତ୍ୟଧାମ ॥ ୬୭
    ଉଦାର ପଣେ ରନ୍ତିଦେବ । ଯଯାତି ପ୍ରାୟେ ଧୀରଭାବ ॥ ୬୮
    ବଳିର ପ୍ରାୟ ଧୀରପଦ । ବୈଷ୍ଣବ ଯେହ୍ନେ ପ୍ରହଲାଦ ॥ ୬୯
    ସଂସ୍କାର ମନ୍ତ୍ର ହବିର୍ଭାଗେ । ଦେବଙ୍କୁ ଅଶ୍ୱମେଧ ଯଜ୍ଞେ ॥ ୭୦
    ପୂଜାରେ କରାଇ ସନ୍ତୋଷ । ବୃଦ୍ଧ ସେବାରେ ସେ ବିଶ୍ୱାସ ॥ ୭୧
    ରାଜଋଷିଙ୍କ ଜାତକାରୀ । ଦୁଷ୍ଟଜନଙ୍କ ଦର୍ପହାରୀ ॥ ୭୨
    ଅବନୀ ଧର୍ମ ରକ୍ଷା ଅର୍ଥେ । କଳିକି ବାନ୍ଧିବି ଆୟତ୍ତେ ॥ ୭୩
    ବ୍ରାହ୍ମଣ ଶାପ ମହାରୋଷେ । ଲଭିବ ଅଳପ ବୟସେ ॥ ୭୪
    ବ୍ରହ୍ମବଚନ ତୀକ୍ଷ୍ଣବାଣ । ତକ୍ଷକ ହସ୍ତେ ଦେବ ପ୍ରାଣ ॥ ୭୫
    ବ୍ରାହ୍ମଣ ଶାପେ ଭୟ ପାଇ । ତକ୍ଷଣେ ସାଧୁସଙ୍ଗୀ ହୋଇ ॥ ୭୬
    ଜାହ୍ନବୀକୂଳେ ଅନ୍ତର୍ଜଳେ । ହରି-ଭକତି ସନ୍ଥମେଳେ ॥ ୭୭
    କୃଷ୍ଣ-ମହିମା ଶୁକ ମୁଖେ । ଶୁଣି ଛାଡ଼ିବ ପ୍ରାଣ ସୁଖେ ॥ ୭୮
    ଗୋବିନ୍ଦ ଅଭୟ ଚରଣ । ନିଶ୍ଚିନ୍ତେ ପଶିବ ଶରଣ ॥ ୭୯

    ସୂତ ଉବାଚ

    ଏମନ୍ତେ ଜାତକର୍ମ କଲେ । ବନ୍ଧୁବାନ୍ଧବ ବିପ୍ରମେଳେ ॥ ୮୦
    ରାଜାଙ୍କୁ ମାଗି ଅନୁଯାନ । ବିପ୍ରେ ଚଳିଲେ ନିଜ ସ୍ଥାନ ॥ ୮୧
    ଗର୍ଭେ ଦେଖିଲା ଚକ୍ରପାଣି । ସଂସାରେ ଦେଖେ ଯେତେ ପ୍ରାଣୀ ॥୮୨
    ଏ ଅବା ସେହି ଅବା ନୋହି । ଏମନ୍ତ ପରୀକ୍ଷା କରଇ ॥ ୮୩
    ଏ ଘେନି ନାମ ପରୀକ୍ଷିତ । ଲୋକରେ ହୋଇଲା ବିଖ୍ୟାତ ॥ ୮୪
    ଦିନକୁଦିନ ତେଜରାଶି । ଶୁକଳପକ୍ଷେ ଯେହ୍ନେ ଶଶୀ ॥ ୮୫
    ଦିନକୁଦିନ ପିତୃଗଣେ । ସ୍ନେହେ ପାଳନ୍ତି ଅନୁକ୍ଷଣେ ॥ ୮୬
    ବାଳକ ଦେହେ ପରୀକ୍ଷିତ । ସ୍ୱଭାବେ କୃଷ୍ଣ ଭକତ ॥ ୮୭
    ସକଳ ଲୋକେ ପ୍ରୀତିଦାତା । ସାଧୁ-ସୁନ୍ଦର-ଶୁଦ୍ଧଚେତା ॥ ୮୮
    ଏବେ ହୋ ଶୁଣ ବିପ୍ରଜନେ । ଧର୍ମନନ୍ଦନ ଚିନ୍ତେ ମନେ ॥ ୮୯
    ଜ୍ଞାତି ମାରଣ ଦ୍ରୋହ ଚିତ୍ତେ । ସର୍ବକଳୁଷ ନାଶ ଅର୍ଥେ ॥ ୯୦
    ପ୍ରଜାଙ୍କ ତହୁଁ ନିଜଧନ । ନକରି ଦଣ୍ତ କରଷଣ ॥ ୯୧
    କୃଷ୍ଣ ଆଜ୍ଞାରେ ଭ୍ରାତୃଗଣେ । ଗଲେ ଯେ ରାଜାଙ୍କ ଚରଣେ ॥ ୯୨
    ରାଜାଙ୍କ ତହୁଁ କେତେ ଆଣି । ସଙ୍ଗତେ ଘେନି ଚକ୍ରପାଣି ॥ ୯୩
    ପଞ୍ଚଭ୍ରାତାଏ ତୋଷେ ମିଳି । ବିପ୍ରଙ୍କୁ ଘେନି ବନମାଳୀ ॥ ୯୪
    ଆଗମ ନିଗମ ଯେ ବିଧି । କରାଇ ତିନି ଅଶ୍ୱମେଧି ॥ ୯୫
    କେତେହେଁ ଦିନ କୃଷ୍ଣ ରହି । ଜ୍ଞାତି ସୁହୃଦ ଭାବ ବହି ॥ ୯୬
    ଦ୍ରୌପଦୀ କୁନ୍ତୀ ଅନୁମତେ । ବିଚାର କରି ପଞ୍ଚଭ୍ରାତେ ॥ ୯୭
    ରଥେ ଅର୍ଜୁନ ସଙ୍ଗେ କରି । ନିଜ ଭୁବନେ ଗଲେ ହରି ॥ ୯୮
    ସେ ହରି-ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୯୯


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପରୀକ୍ଷିତ ଜନ୍ମାଦି ଉତ୍‌କର୍ଷୋ ନାମ ଦ୍ୱାଦଶୋଽଧ୍ୟାୟଃ ।।

    ତ୍ରୟୋଦଶ ଅଧ୍ୟାୟ

    ସୂତ ଉବାଚ

    ବିଦୁର ତୀର୍ଥଯାତ୍ରା କ୍ରମେ । ମିଳିଲେ ମୈତ୍ରେୟ ଆଶ୍ରମେ ॥ ୧
    କେତେହେଁ ଦିନ ତହିଁ ଥାଇ । ଆତ୍ମାର ତତ୍ତ୍ୱଜ୍ଞାନ ପାଇ ॥ ୨
    ହସ୍ତିନା ନଗରେ ବିଶ୍ୱାସେ । ମିଳିଲେ ଯୁଧିଷ୍ଠିର ପାଶେ ॥ ୩
    ଜାଣିବା ପାଇଁ ତାର ଗତି । ସ୍ୱଭାବେ ସାଧୁ ଧୀରମତି ॥ ୪
    ମୈତ୍ରେୟ ଆଗେ ଯେବା ପ୍ରଶ୍ନ । କରି ପାଇଲେ ଆତ୍ମଜ୍ଞାନ ॥ ୫
    ତେଣୁ ଗୋବିନ୍ଦେ ଭକ୍ତି ଜାତ । କେବଳ ନାହିଁ ଶତ୍ରୁମିତ୍ର ॥ ୬
    ବିଦୁର ଦେଖି ଧର୍ମସୁତ । ବନ୍ଧୁ ଆଗମେ କୃତକୃତ୍ୟ ॥ ୭
    ସଙ୍ଗତେ ଘେନି ଚାରିଭାଇ । ନମିଲେ ଆସନେ ବସାଇ ॥ ୮
    ଯୁଯୁସୁ ଧୃତରାଷ୍ଟ୍ର ସୂତ । ସଙ୍ଗତେ ଘେନି ଶାରଦ୍ ବତ ॥ ୯
    ଗାନ୍ଧାରୀ ଦ୍ରୌପଦୀ ସହିତେ । ସୁଭଦ୍ରା ଉତ୍ତରା ସମେତେ ॥ ୧୦
    ଆଗେ ଗମନ୍ତି ଦେବୀକୁନ୍ତୀ । ଅନ୍ୟେ ସୁହୃଦ-ବନ୍ଧୁ-ଜ୍ଞାତି ॥ ୧୧
    ପଣ୍ତୁର ଯେତେ ବନ୍ଧୁଜନେ । ମିଳିଲେ ହରଷ ବଦନେ ॥ ୧୨
    ପ୍ରାଣକୁ ପାଇ ତନୁ ଯେହ୍ନେ । ପୁଣି ଉଠଇ ଦିବ୍ୟଜ୍ଞାନେ ॥ ୧୩
    ସକଳେ ମିଳି ତାର ପାଶେ । ବନ୍ଦିଲେ ଯେ ଯାହା ବିଶ୍ୱାସେ ॥ ୧୪
    ଅନାଇ ବିଦୁର ବଦନ । ଆନନ୍ଦେ ଅଶ୍ରୁଜଳ ପୂର୍ଣ୍ଣ ॥ ୧୫
    ସକଳ ପୂଜାବିଧି କରି । ରାଜନ କରେ କର ଧରି ॥ ୧୬
    ବିଦୁରେ ବସାଇ ଆସନେ । ପାଶେ ଭୁଞ୍ଜଇ ସୁଖମନେ ॥ ୧୭
    ତାର ବଦନ ରାଜା ଚାହିଁ । ଆନନ୍ଦେ ଘେନି ଚାରିଭାଇ ॥ ୧୮
    ଉଚ୍ଚେ ପଚାରି ପ୍ରୀତିବାଣୀ । ଯେମନ୍ତେ ସର୍ବଲୋକେ ଶୁଣି ॥ ୧୯

    ଯୁଧିଷ୍ଠିର ଉବାଚ

    ହେ ତାତ କହୁଁ ତୋ ଅଗ୍ରତେ । ଆମ୍ଭ କୁଶଳ ତୋର ଚିତ୍ତେ ॥ ୨୦
    ସ୍ମରଣ କରୁ ତୀର୍ଥଭ୍ରମେ । ବନଗହନ ବହୁଶ୍ରମେ ॥ ୨୧
    ତୁମ୍ଭର ଛାୟା ଆଶ୍ରେ କରି । ସକଳ କଷ୍ଟହିଁ ପାଶୋରି ॥ ୨୨
    ବିପଦ-ଦଶା ଯେତେ ହୋଇ । ବନେ ବଞ୍ଚିଲୁ ପାଞ୍ଚଭାଇ ॥ ୨୩
    ମାତା ସହିତେ ଜତୁଘରେ । ଅଗ୍ନି ଦହନ ମହାଘୋରେ ॥ ୨୪
    ବିଷଭକ୍ଷଣ ଆଦି ଯେତେ । ତୋ ଆଗେ କହିବି ମୁଁ କେତେ ॥ ୨୫
    ଅନେକ ଆପଦ ପ୍ରମାଦୁ । ବଞ୍ଚିଲୁ ତୁମ୍ଭର ପ୍ରସାଦୁ ॥ ୨୬
    ତୁ ଆମ୍ଭ ସ୍ନେହ ଦୂର କରି । ଭ୍ରମଣ କଲୁ ବସୁନ୍ଧରୀ ॥ ୨୭
    ଉଦାସୀ ପଥିକ ଲକ୍ଷଣେ । ଏକା ତୁ ବୁଲୁ ବନେ-ବନେ ॥ ୨୮
    କିପରି ପ୍ରାଣ ରକ୍ଷା କରୁ । ଏ ପଥଶ୍ରମ କେହ୍ନେ ହରୁ ॥ ୨୯
    ଭ୍ରମିଲୁ ଅବନୀ ମଣ୍ତଳେ । ତୀର୍ଥ-ଆଶ୍ରମ ପୁଣ୍ୟସ୍ଥଳେ ॥ ୩୦
    ତୋହର ପ୍ରାୟେ ସାଧୁ ଯେତେ । ପବିତ୍ର ଦେହେ ସର୍ବତୀର୍ଥେ ॥ ୩୧
    ଭ୍ରମି କରନ୍ତି ପୁଣ୍ୟତର । ଯାହାଙ୍କ ଚିତ୍ତେ ଚକ୍ରଧର ॥ ୩୨
    ତୁ ଯେ ସ୍ୱଭାବେ ପୁଣ୍ୟଦେହ । ପ୍ରସନ୍ନ ଚିତ୍ତେ ତାତ କହ ॥ ୩୩
    ଯାଦବ ସଙ୍ଗେ ବନମାଳୀ । ସୂଖେ କି ଛନ୍ତି କୁଶସ୍ଥଳୀ ॥ ୩୪
    ତାହାର ଭଲେ ଭଲ ମୋର । ସେ ହରି ଶରଣ-ସୋଦର ॥ ୩୫
    ସୁଖେ ଅଛନ୍ତି କି ଯାଦବେ । ଭୋ ତାତ ପଚାରୁ ପ୍ରସ୍ତାବେ ॥ ୩୬
    ଏମନ୍ତେ ରାଜା ବାକ୍ୟ ଶୁଣି । ବିଦୁର ମନେମନେ ଗୁଣି ॥ ୩୭
    ସୁହୃଦ ଭାବେ ଭୟ କଲା । ଯାଦବ କ୍ଷୟ ନ କହିଲା ॥ ୩୮
    ବିଚାରେ କହିବି ମୁଁ ଯେବେ । ଜୀବନ ଛାଡ଼ିବେ ପାଣ୍ତବେ ॥ ୩୯
    କେମନ୍ତେ ଦେଖିବି ମୁଁ ଏହା । ଏତେ ବିଚାରି କଲା ମାୟା ॥ ୪୦
    ନ କହେ ଯଦୁବଂଶ ନାଶ । ନିର୍ଘାତେ ଛାଡ଼ିଲା ନିଃଶ୍ୱାସ ॥ ୪୧
    ଉର୍ଦ୍ଧ୍ୱ-ବଦନେ ସେ ବିଦୁର । କପଟେ କହଇ ମଧୁର ॥ ୪୨
    ସର୍ବ-କୁଶଳ ଯା ପ୍ରସାଦେ । କୃଷ୍ଣ ଅଛନ୍ତି ଅପ୍ରମାଦେ ॥ ୪୩
    ଏମନ୍ତେ ରାଜା ଆଗେ କହି । କେତେହେଁ ଦିନ ପୁରେ ରହି ॥ ୪୪
    ଜ୍ୟେଷ୍ଠଭ୍ରାତାର ଶ୍ରେୟ ଅର୍ଥେ । ସର୍ବଜନଙ୍କ ପ୍ରୀତିମତେ ॥ ୪୫
    ନିତ୍ୟେ ଆନନ୍ଦ ଧର୍ମରାଜା । ବିଦୁର-ପାଦେ କରେ ପୂଜା ॥ ୪୬
    ରାତ୍ର-ଦିବସ ତାର ସଙ୍ଗେ । ଧର୍ମନନ୍ଦନ ଅନୁରାଗେ ॥ ୪୭
    ଅଶେଷ ତୀର୍ଥଙ୍କ ମହିମା । କେ କହିପାରେ ଗୁଣସୀମା ॥ ୪୮
    ସର୍ବ କହିଲା ସୁଖ ମନେ । ଏବେ ହୋ ଶୁଣ ବିପ୍ରଜନେ ॥ ୪୯
    ମାଣ୍ତବ୍ୟ ଠାରୁ ଶାପ ପାଇ । ଯମ ବିଦୁର ଦେହ ବହି ॥ ୫୦
    ଶତେ ବରଷ ଶୂଦ୍ର ଦେହେ । ବଞ୍ଚିଲା ବିଷ୍ଣୁ-ମାୟା-ମୋହେ ॥ ୫୧
    ପାପୀଙ୍କ ଦଣ୍ତେ ଅଧିକାର । କରନ୍ତି ଦେବ ଦିନକର ॥ ୫୨
    କୁଳରକ୍ଷକ ପରୀକ୍ଷିତ । ଜାଣି ନିଶ୍ଚିନ୍ତ ଧର୍ମସୁତ ॥ ୫୩
    ଏବେ ପାଣ୍ତବ ପାଞ୍ଚଭାଇ । ରିପୁ ସଂହାରି ରାଜ୍ୟ ପାଇ ॥ ୫୪
    ଗୃହ କରଣେ ଚିତ୍ତ ଜଡ଼ି । ବିଷ୍ଣୁର ମାୟାମୋହେ ପଡ଼ି ॥ ୫୫
    ରାଜ୍ୟ କରନ୍ତେ ଧର୍ମସୁତ । ମିଳିଲା କାଳ ବିପରୀତ ॥ ୫୬
    କେହି ନ ଜାଣେ ଗତି ତାର । ସ୍ୱଭାବେ ଅବ୍ୟକ୍ତ ଈଶ୍ୱର ॥ ୫୭
    ଧୂମ ପୂରିଲା ଦଶଦିଶେ । ବିଦୁର ଦେଖି ମହାତ୍ରାସେ ॥ ୫୮
    ବସିଲା ଧୃତରାଷ୍ଟ୍ର ମେଳେ । ବିଶ୍ୱାସେ କହେ କର୍ଣ୍ଣମୂଳେ ॥ ୫୯
    ହେ ଭ୍ରାତ ଶୁଣ ମୋ ଉତ୍ତର । ଚଳ ତୁ ବେଗେ ତେଜି ପୁର ॥ ୬୦
    କାଳ ମିଳିଲା ଭୟଙ୍କର । ଦିଶ-ଆକାଶ ଅନ୍ଧକାର ॥ ୬୧
    ଏଥକୁ ପ୍ରତିକ୍ରିୟା ନାହିଁ । ଅବ୍ୟକ୍ତ ରୂପ ଯାରଦେହୀ ॥ ୬୨
    ଦ୍ୱାପର ଯୁଗ ଶେଷ ହେଲା । ଏ କଳିକାଳ ପ୍ରକାଶିଲା ॥ ୬୩
    ଆମ୍ଭର ପ୍ରାଣ ଏ ହରିବ । ଏହାକୁ କେବା ନିବାରିବ ॥ ୬୪
    ଜନ ସମ୍ପଦ ମହୀତଳେ । ସଂହାର କରିବ ଏ ବଳେ ॥ ୬୫
    ଦେବ ଦାନବ ମହାବଳ । ବୃଦ୍ଧ ପ୍ରତାପୀ ଯୁବା ବାଳ ॥ ୬୬
    ଯାହାର ଦରଶନ ମାତ୍ରେ । କଦଳୀବନ ଯେହ୍ନେ ବାତେ ॥ ୬୭
    ଭୟେ କମ୍ପନ୍ତି ଥରହର । କାତରେ ନେତ୍ରୁ ବହେ ନୀର ॥ ୬୮
    ଅନିତ୍ୟ ଏ ମନୁଷ୍ୟ ଦେହୀ । ସାର ଏହାର କିଛି ନାହିଁ ॥ ୬୯
    ଏ ଦେହେ ଯେ ମୁକ୍ତ-ବନ୍ଧନ । ତାହାକୁ ବୋଲି ମହାଜନ ॥ ୭୦
    ଦେଖ ତୋହର କର୍ମଫଳ । ନାଶିଲେ ଭ୍ରାତୃ ପୁତ୍ର ବଳ ॥ ୭୧
    ଆୟୁଷ ତୋର ଶେଷ ହେଲା । ମରଣ ନିକଟ ହୋଇଲା ॥ ୭୨
    ଅତି ଦୁଃଖିତ ବୃଦ୍ଧଦେହେ । ତୋର ନିବାସ ପର ଗୃହେ ॥ ୭୩
    ବିଶେଷେ ଚକ୍ଷୁହୀନ ତୁହି । ବଧିର ବୁଦ୍ଧି ଆର କାହିଁ ॥ ୭୪
    ବିଶୀର୍ଣ୍ଣ ଦନ୍ତ ତୋ ଅଧର । କଫେ ଜଡ଼ିତ କଣ୍ଠସ୍ୱର ॥ ୭୫
    ଅନ୍ତରେ ଅଗ୍ନି ମନ୍ଦ ହୋଇ । ଅନ୍ନ-ଭୋଜନ ନ ଜୀରଇ ॥ ୭୬
    ପ୍ରାଣୀ ଜୀବିତ ଆଶା ଯେତେ । କେ ତାକୁ କରିବ ଆୟତ୍ତେ ॥ ୭୭
    ଯେଉଁ ଭୀମର ଗଦାଘାତେ । ସମରେ ନଶିଲେ ତୋ ସୁତେ ॥ ୭୮
    ତାର ବର୍ଜିତ ପିଣ୍ତେ ଆଶା । ଶ୍ୱାନର ପ୍ରାୟେ ତୋ ଭରସା ॥ ୭୯
    କୁମନ୍ତ୍ରୀଜନ ସଙ୍ଗେ ଭାଳି । ତୋର କୁମରେ କଲେ କଳି ॥ ୮୦
    ପଣ୍ତୁର ପଞ୍ଚପୁତ୍ର ମାରି । ସୁଖେ ଭୁଞ୍ଜିବା ରାଜ୍ୟଶିରୀ ॥ ୮୧
    ଦୁଷ୍ଟଙ୍କ ସଙ୍ଗେ ବିଚାରିଲେ । ଭୀମକୁ ବିଷଲଡ଼ୁ ଦେଲେ ॥ ୮୨
    ସେ ଭୀମ କେବେହେଁ ନମଲା । ତାହାକୁ ଗୋବିନ୍ଦ ରଖିଲା ॥ ୮୩
    ଜତୁର ଘରେ ଅଗ୍ନି ଦେଲେ । ସେ ବେଳେ ପାଣ୍ତବେ ନ ମଲେ ॥ ୮୪
    ପୁଣି କପଟପଶା କରି । ଧନ ସମ୍ପଦ ଅପହରି ॥ ୮୫
    ଦ୍ରୌପଦୀ କେଶ ଧରି ବଳେ । ବିବସ୍ତ୍ର କଲେ ସଭା ତଳେ ॥ ୮୬
    ଏ ଆଦି ଯେତେ କର୍ମ କଲେ । ତୁ ତାହା ଶୁଣିଅଛୁ ଭଲେ ॥ ୮୭
    ସେ କିମ୍ପା ତାଙ୍କ ଚିତ୍ତୁ ଯିବ । ମନୁଷ୍ୟ ଜନ୍ମର ସ୍ୱଭାବ ॥ ୮୮
    ତାହାଙ୍କ ଦତ୍ତ ପିଣ୍ତ ଖାଇ । ସେବକ ପ୍ରାୟ ଗୃହେ ଥାଇ ॥ ୮୯
    ତୋର ବୟସ ଆଉ କାହିଁ । ଅତି ପୀଡ଼ିତ ବୃଦ୍ଧଦେହୀ ॥ ୯୦
    ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ ॥ ୯୧
    ଏ ଦେହେ ବିରକ୍ତ ଯେ ଜନ । ସେ ପ୍ରାଣୀ ବିମୁକ୍ତ-ବନ୍ଧନ ॥ ୯୨
    ଅନିତ୍ୟ ନର-କଳେବର । ଭିତରେ କିଛି ନାହିଁ ସାର ॥ ୯୩
    ଏହା ବିଚାରି ଯୋଗବଳେ । ହରି ଭକତ ସଙ୍ଗ ମେଳେ ॥ ୯୪
    ନିର୍ବେଦ ହୋଇ ଚଳେ ବନ । ସେ ପ୍ରାଣୀ ପୁରୁଷ ଉତ୍ତମ ॥ ୯୫
    ତୁ ବୁଧଜନଙ୍କ ଉତ୍ତମ । ଏବେ ତୁ ଛାଡ଼ ମତିଭ୍ରମ ॥ ୯୬
    ଉତ୍ତର-ପଥେ ଚଳ ବେଗେ । ପତ୍ନୀ ସମେତେ ମୋର ସଙ୍ଗେ ॥ ୯୭
    ମୁହିଁ ଉଦାସୀପଣେ ବନେ । ସେବିବି ତୋତେ ଅନୁକ୍ଷଣେ ॥ ୯୮
    ଦେଖ ଏ କାଳ ଭୟଙ୍କର । ଶିରୀ ହରିବ ପ୍ରାଣୀଙ୍କର ॥ ୯୯
    ଏମନ୍ତେ ବିଦୁରର ବାଣୀ । ସେ ଅନ୍ଧ ଧୃତରାଷ୍ଟ୍ର ଶୁଣି ॥ ୧୦୦
    ତକ୍ଷଣେ ମୋହ ଜଡ଼ ଛାଡ଼ି । ବନ ଗମନେ ଚିତ୍ତ ବଢ଼ି ॥ ୧୦୧
    ବିଷ୍ଣୁର ମାୟା କରି ଦୂର । ନବରୁ ହୋଇଲା ବାହାର ॥ ୧୦୨
    ପତିର ବନବାସ କଥା । ଶୁଣି ସାନନ୍ଦେ ପତିବ୍ରତା ॥ ୧୦୩
    ବିଦୁର କନ୍ଧେ ଦେଇ କର । ନଗରୁ ହୋଇଲେ ବାହାର ॥ ୧୦୪
    ମନ ଆନନ୍ଦେ ବେନିଜନେ । ପଶିଲେ ହିମାଳୟ-ବନେ ॥ ୧୦୫
    କ୍ଷତ୍ରିୟ ଯେହ୍ନେ ମହାଯୁଦ୍ଧେ । ପଶଇ ମନର ସାନନ୍ଦେ ॥ ୧୦୬
    ଏବେ ହୋ ଶୁଣ ମୁନିବରେ । ଧର୍ମନନ୍ଦନ ନିଜ ଘରେ ॥ ୧୦୭
    ସନ୍ଧ୍ୟାଦି ନିତ୍ୟକର୍ମ ସାରି । ଅଗ୍ନି ପୂଜନ ଦାନ କରି ॥ ୧୦୮
    ଗୁରୁ-ବନ୍ଦନ ପୂଜା ଅର୍ଥେ । ଗୃହେ ପଶିଲେ କୃତକୃତ୍ୟେ ॥ ୧୦୯
    ଗୁରୁ-ଭୁବନେ ଯାଇ ମିଳି । ହସ୍ତରେ ଘେନି ଅର୍ଘ୍ୟସ୍ଥାଳୀ ॥ ୧୧୦
    ତକ୍ଷଣେ ଦେଖି ଶୂନ୍ୟଘର । କାତର ମନେ ନୃପବର ॥ ୧୧୧
    ପୁଚ୍ଛିଲେ ସଞ୍ଜୟକୁ ଚାହିଁ । ମୋ ଗୁରୁଜନେ ଗଲେ କାହିଁ ॥ ୧୧୨
    କେହି ନ ଶୁଣନ୍ତି ବଚନ । ଭୟେ ଚାହାନ୍ତି ଛନ୍ନଛନ୍ନ ॥ ୧୧୩
    ପୁଣି ବୋଲନ୍ତି ଜନେ ଚାହିଁ । ତାତ ଜନନୀ ଗଲେ କାହିଁ ॥ ୧୧୪
    ବିଦୁର ନାହିଁ ମୋର ପାଶେ । ତାତ ଜନନୀ ମୋ ନ ଦିଶେ ॥ ୧୧୫
    ଲୋଚନେ ନ ଦିଶଇ ପଥ । ଦଇବେ ବୟସେ ବୃଦ୍ଧତ୍ୱ ॥ ୧୧୬
    ପୁତ୍ରଙ୍କ ମରଣେ ଦୁଃଖିତ । କେବଣ ଦେଶେ ଉପଗତ ॥ ୧୧୭
    ନ ପୁଣ ପୁତ୍ର-ଶୋକ-ଜାଳେ । ପ୍ରାଣ ଛାଡ଼ିଲେ ଗଙ୍ଗାଜଳେ ॥ ୧୧୮
    ବନ୍ଧୁ ସୁହୃଦ ପୁତ୍ର ନାଶେ । ମୋର ଜନନୀ ତାତ ତ୍ରାସେ ॥ ୧୧୯
    ଦୁଃଖସାଗରେ ନିମଜ୍ଜିଲେ । ମୋର ଦୁଷ୍କୃତ-କର୍ମ ଫଳେ ॥ ୧୨୦

    ସୂତ ଉବାଚ

    ଧର୍ମନନ୍ଦନ ବାକ୍ୟ ଶୁଣି । ସାରଥି ନ କହିଲା ବାଣୀ ॥ ୧୨୧
    ନ ଦେଖି ଧୃତରାଷ୍ଟ୍ର ପାଶେ । ଅତି ପୀଡ଼ିତ ସ୍ନେହ ବଶେ ॥ ୧୨୨
    ବିରହ ଦୁଃଖରେ ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୧୨୩
    ପୁଣି ସେ ମନେ ଧୈର୍ଯ୍ୟ ଧରି । ହସ୍ତେ ପୋଛିଲା ନେହୁ ବାରି ॥ ୧୨୪
    ଧୃତରାଷ୍ଟ୍ରର ଯେ ବିଯୋଗ । କହଇ ଯୁଧିଷ୍ଠିର ଆଗ ॥ ୧୨୫

    ସଞ୍ଜୟ ଉବାଚ

    ଶୁଣ ହେ ନୃପ-ଚୂଡ଼ାମଣି । ତୋହର ପିଅର ଜନନୀ ॥ ୧୨୬
    ରଜନୀ କାଳେ ଗଲେ କାହିଁ । ସର୍ବଥା ନ ଜାଣଇ ମୁହିଁ ॥ ୧୨୭
    ମୋର ଜୀବନ ଦୁଃଖ ଭରେ । ମଜ୍ଜିଲା ବୃଜିନ-ସାଗରେ ॥ ୧୨୮
    ଏମନ୍ତେ କହୁଁ ମନ ଖେଦ । ଗଗନେ ଶୁଭେ ବୀଣାନାଦ ॥ ୧୨୯
    ଶୁଣି ଚାହିଁଲେ ଅନ୍ତରୀକ୍ଷେ । ନାରଦ ଦିଶିଲେ ପ୍ରତ୍ୟକ୍ଷେ ॥ ୧୩୦
    ତୁମ୍ବୁରୁ ଅଛି ତାଙ୍କ ସଙ୍ଗେ । ବୀଣା-ବିନୋଦ ବାଦ୍ୟରଙ୍ଗେ ॥ ୧୩୧
    ନାଦେ ଗୋବିନ୍ଦ ଗୁଣ ଗାଇ । ପୁଲକ ରୋମପନ୍ତି ବହି ॥ ୧୩୨
    ଆନନ୍ଦେ ଅଶ୍ରୁଜଳ ପୂରେ । ମିଳିଲେ ରାଜାର ଛାମୁରେ ॥ ୧୩୩
    ଦେଖି ସମ୍ଭ୍ରମେ ନୃପମଣି । ଅନୁଜ ସଙ୍ଗେ ପାଦେ ନମି ॥ ୧୩୪
    ମୁନିଙ୍କି ଆସନେ ବସାଇ । ବେନି ଚରଣ କରେ ଧୋଇ ॥ ୧୩୫
    ଚରଣ ପୂଜି ବିଧିମତେ । କହନ୍ତି ନାରଦ ଅଗ୍ରତେ ॥ ୧୩୬

    ଯୁଧିଷ୍ଠିର ଉବାଚ

    ଭୋ ବ୍ରହ୍ମମୁନି ଶୁଣ ଭଲେ । ମୋ ତାତମାତ କେଣେ ଗଲେ ॥ ୧୩୭
    ମୋର କରମ ଦୁଃଖ ଶୁଣ । ଭୋ ମୁନି ତୁମ୍ଭେ ଭଲେ ଜାଣ ॥ ୧୩୮
    ଚକ୍ଷୁ ବିହୀନେ ଘୋରବନେ । ଜୀବନ ଧରିବେ କେସନେ ॥ ୧୩୯
    ଗଭୀର-ଜଳେ ନାବ ଥୋଇ । ନାବିକ ଯେସନେ ପଳାଇ ॥ ୧୪୦
    ତେମନ୍ତେ କରିଗଲେ ମୋତେ । ଅଧିକ କହିବି ମୁଁ କେତେ ॥ ୧୪୧
    ଏ ଶୋକ-ସାଗର ଅପାର । ପାରକ ତୁମ୍ଭେ କର୍ଣ୍ଣଧାର ॥ ୧୪୨
    ରାଜନ ଶୋକବାଣୀ ଶୁଣି । ମୁନି କହନ୍ତି ଯୋଗବାଣୀ ॥ ୧୪୩

    ନାରଦ ଉବାଚ

    ଭୋ ନୃପ ଶୋକ ତୁ ନକର । ଈଶ୍ୱର ମାୟା ଏ ସଂସାର ॥ ୧୪୪
    ପ୍ରାଣୀ ଭିଆଇ ମାୟାଯୋଗେ । ଖେଳଇ ସଂଯୋଗ-ବିଯୋଗେ ॥ ୧୪୬
    ଗୋରୁ ନାସିକା ଯେହ୍ନେ ବିନ୍ଧି । ଆକର୍ଷି ଚର୍ମରଜ୍ଜୁ ବାନ୍ଧି ॥ ୧୪୭
    ସେ ପ୍ରାଣୀ ଯେହ୍ନେ ଭାରା ବହେ । ଅନ୍ତରେ ଦୁଃଖ ଖେଦ ସହେ ॥ ୧୪୮
    କ୍ରୀଡ଼ା-କନ୍ଦୁକ କ୍ରୀଡ଼ାରଙ୍ଗେ । ଭ୍ରମଇ ସଂଯୋଗେ ବିଯୋଗେ ॥ ୧୪୯
    ଯେ ଦାନ ପଡ଼ଇ ଯେମନ୍ତେ । କନ୍ଦୁକ ଚଳେ ସେହିମତେ ॥ ୧୫୦
    ସଂସାର ଈଶ୍ୱରର ଇଚ୍ଛା । ଏ ଭବପଥ ଗୁରୁଦୀକ୍ଷା ॥ ୧୫୧
    ତୁ ରାଜା ତୋତେ ହେଁ ନ ଜାଣୁ । ସଂସାର ସତ୍ୟ ପ୍ରାୟ ମଣୁ ॥ ୧୫୨
    ସତ୍ୟ କି ମିଥ୍ୟା ବେନିପଥେ । ଶୋକ ନ କରି ପାରୁ ଚିତ୍ତେ ॥ ୧୫୩
    ଯଦି ତୁ ଜୀବ ସତ୍ୟ ମଣୁ । ଦେହ ଅନିତ୍ୟ ପରିମାଣୁ ॥ ୧୫୪
    ଅଥବା ବ୍ରହ୍ମଭାବ ବହୁ । ସ୍ନେହ ଛାଡ଼ିଲେ ଶୋକ କାହୁଁ ॥ ୧୫୫
    ଏଣୁ ଅଜ୍ଞାନ ଜଡ଼ମତି । ବ୍ୟାକୁଳ ଛାଡ଼ ହେ ନୃପତି ॥ ୧୫୬
    ତୁ ଯେ ବିଚାରୁ ସ୍ନେହଭାବେ । ମୋ ବିନେ କେମନ୍ତେ ବଞ୍ଚିବେ ॥ ୧୫୭
    ଏ ଦେହ ପଞ୍ଚଭୂତେ ଜଡ଼ି । ଅବିଦ୍ୟା କାଳକର୍ମେ ପଡ଼ି ॥ ୧୫୮
    ଆପଣା ଦୁଃଖେ ନିତ୍ୟ ଦୁଃଖୀ । ଏ କାହିଁ ପରପ୍ରାଣ ରଖି ॥ ୧୫୯
    ଉରଗ ଗିଳିଛି ଯାହାକୁ । ସେ କାହିଁ ରଖିବ ଆନକୁ ॥ ୧୬୦
    ଦେଖ ପ୍ରତ୍ୟକ୍ଷେ ନୃପବର । ବିଷ୍ଣୁର ମାୟା-ଖେଳଘର ॥ ୧୬୧
    ସ୍ୱଭାବେ ନାହିଁ ଯାର ହସ୍ତ । ହସ୍ତ ଥିଲାର ସେ ଆୟତ୍ତ ॥ ୧୬୨
    ଦ୍ୱିପଦ ଚତୁଷ୍ପଦ ଯେତେ । ନି ଦେ ତାହାଙ୍କ ଆୟତ୍ତେ ॥ ୧୬୩
    ବଡ଼ଙ୍କ ଭକ୍ଷ୍ୟ ହୋନ୍ତି ସାନେ । ସେ ନାଶ ଯାନ୍ତି ଅନ୍ୟେ ଅନ୍ୟେ ॥୧୬୪
    ଏ ଜୀବ ଜୀବଙ୍କ ଆହାର । କେବଳ ନିର୍ବଳ ବିଚାର ॥ ୧୬୫
    ସେ ହରି ନିତ୍ୟ ବିଶ୍ୱରୂପେ । ନର ଶରୀରେ ମୋହକଳ୍ପେ ॥ ୧୬୬
    ଏକଇ ଆତ୍ମା ନରହରି । ଭାବେ ଅଶେଷ ଦେହେ ପୂରି ॥ ୧୬୭
    ଅନ୍ତର ବାହାରେ ପ୍ରକାଶ । ସେ ଭୋଗ୍ୟ ଭୋକ୍ତା ହୃଷୀକେଶ ॥ ୧୬୮
    ଏ ମାୟା ଦୁରନ୍ତ ତାହାର । କେ କରି ପାରିବ ଗୋଚର ॥ ୧୬୯
    ଭାରା ନିବାରେ ତନୁ ଧରି । ଦୁର୍ଜନ ସମୂହ ସଂହାରି ॥ ୧୭୦
    ନିଜ ଜନଙ୍କୁ ରକ୍ଷା କରେ । ଏମନ୍ତେ ସଂସାରେ ବିହରେ ॥ ୧୭୧
    ଦେବଙ୍କ କାର୍ଯ୍ୟ କରି ତୋଷେ । ଏବେ ବର୍ତ୍ତଇ ଅବଶେଷେ ॥ ୧୭୨
    ଯାବତ ଥିବ ଚକ୍ରଧର । ତାବତ ତୁମ୍ଭ ଅଧିକାର ॥ ୧୭୩
    ଏବେ ହୋ ଶୁଣ ମହାରଥା । ତୋ ତାତ-ଜନନୀ ବ୍ୟବସ୍ଥା ॥ ୧୭୪
    ବିଦୁର ଧୃତରାଷ୍ଟ୍ର ବେନି । ସଙ୍ଗତେ ପତିବ୍ରତା ଘେନି ॥ ୧୭୫
    ସେ ହିମବନ୍ତର ଦକ୍ଷିଣେ । ଋଷି ଆଶ୍ରମ ଘୋରବନେ ॥ ୧୭୬
    ଯେ ସପ୍ତସ୍ରୋତ ସୁରନଦୀ । ଭରତଖଣ୍ତେ ଯେ ପ୍ରସିଦ୍ଧି ॥ ୧୭୭
    ସେ ଜଳେ ନିତ୍ୟେ କରି ସ୍ନାନ । ଅନଳେ କରି ହୋମଦାନ ॥ ୧୭୮
    କେବଳ ଜଳ-ଗ୍ରାସ ଭକ୍ଷି । ଶରୀରେ ଜୀବଆତ୍ମା ରଖି ॥ ୧୭୯
    ବିଗତରାଗ ଇନ୍ଦ୍ରିଗଣେ । ପ୍ରଣବେ ନିଃଶ୍ୱାସ ଧାରଣେ ॥ ୧୮୦
    ଦୃଢ଼ ଆସନେ ବସି ଧୀରେ । ଷଡ଼ ଇନ୍ଦ୍ରିୟ ପରିହରେ ॥ ୧୮୧
    ସର୍ବ ବିଷୟ ରସ ତେଜି । ହରି ଚରଣ ଭାବେ ଭଜି ॥ ୧୮୨
    ମନ ଛଡ଼ାଇ ତିନିଗୁଣେ । ସମାଧି ଗୋବିନ୍ଦ ଚରଣେ ॥ ୧୮୩
    ବିଜ୍ଞାନ ଆତ୍ମା ଜ୍ଞାନେ ଭରି । ଜୀବ ପରମ ଏକ କରି ॥ ୧୮୪
    ପ୍ରବେଶି ଅନାହତ ପୁରେ । ଗୋବିନ୍ଦ ନାମ ଧରି ଧୀରେ ॥ ୧୮୫
    ଗଗନେ ଗମନ ପ୍ରବେଶ । କି ଅବା ରହେ ଅବଶେଷ ॥ ୧୮୬
    ତ୍ରିଗୁଣ ମାୟା ନାଶ କରି । ବସଇ ଇନ୍ଦ୍ରିୟ ସଂହରି ॥ ୧୮୭
    ସର୍ବବିଷୟ ଯୋଗବଳେ । ନିବାରି ଆସନ ନିଶ୍ଚଳେ ॥ ୧୮୮
    ନିଶ୍ଚଳ ସ୍ଥାଣୁ ପ୍ରାୟ ଲକ୍ଷି । କେ ଅବା ତାରେ ବିଘ୍ନ ଇଚ୍ଛି ॥ ୧୮୯
    ଆଜହୁଁ ପଞ୍ଚଦିନ ଅନ୍ତେ । ପ୍ରାଣ ଛାଡ଼ିବେ ଯୋଗପଥେ ॥ ୧୯୦
    ରଜନୀ କାଳେ ବୃକ୍ଷମୂଳେ । ପବନ ଯୋଗେ ଦାବାନଳେ ॥ ୧୯୧
    ଦହନ ହୋଇବ ଶରୀର । ତା ପତ୍ନୀ ଥିବ ଯେ ବାହାର ॥ ୧୯୨
    ତକ୍ଷଣେ ସ୍ୱାମୀ ଧରି କୋଳେ । ଦହନ ହୋଇବ ଅନଳେ ॥ ୧୯୩
    ତା ଦେଖି ବିଦୁର ଶରୀର । ହରଷ ଶୋକରେ କାତର ॥ ୧୯୪
    ହୃଦେ ସୁମରି ନରହରି । ବେଗେ ସେ ବନୁ ଅପସରି ॥ ୧୯୫
    ତୀର୍ଥ ସେବନେ ଆଗମନ । କରିବ ଶୁଣ ହେ ରାଜନ ॥ ୧୯୬
    ଏମନ୍ତେ ରାଜା ଆଗେ କହି । ତୁମ୍ବୁରୁ ତୁଲେ ବୀଣା ବାଇ ॥ ୧୯୭
    ଆକାଶ ମାର୍ଗେ ଗଲେ ମୁନି । ଧର୍ମନନ୍ଦନ ତାହା ଶୁଣି ॥ ୧୯୮
    ତତ୍ତ୍ୱବଚନ ହୃଦେ ଧରି । ସର୍ବ ସଂଶୟ ଦୂର କରି ॥ ୧୯୯
    ରାଜ୍ୟ ପାଳନେ ଦୃଢ଼ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୨୦୦


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ନାମ ତ୍ରୟୋଦଶୋଽଧ୍ୟାୟଃ ।।

    ଚତୁର୍ଦ୍ଦଶ ଅଧ୍ୟାୟ

    ସୂତ ଉବାଚ

    ଅର୍ଜୁନ ରାଜାର ବଚନେ । ଗଲା ଯେ ଦ୍ୱାରକା ଭୁବନେ ॥ ୧
    ବନ୍ଧୁବାନ୍ଧବ ଦୃଷ୍ଟି ଆଶେ । ସ୍ନେହ ଜଡ଼ିତ ମୋହପାଶେ ॥ ୨
    ମାୟା ମନୁଷ୍ୟ ରୂପେ ହରି । ଛଦ୍ରମେ ଗୃହବାସ କରି ॥ ୩
    ସଂସାର ଯାର ଖେଳଘର । ବ୍ରହ୍ମାଶଙ୍କରେ ଅଗୋଚର ॥ ୪
    ବିଚାର ତାର ଜାଣିବାରେ । ମିଳିଲେ ଦ୍ୱାରକା ନଗରେ ॥ ୫
    କେତେହେଁ ଦିନ ତହିଁ ରହି । କୃଷ୍ଣର ପଦେ ଚିତ୍ତ ଦେଇ ॥ ୬
    ଏମନ୍ତେ ଗଲା ମାସ କେତେ । ଚଞ୍ଚଳ ଯୁଧିଷ୍ଠିର ଚିତ୍ତେ ॥ ୭
    ଅର୍ଜୁନ ନ ମିଳିଲା ପାଶେ । ଘୋର ଅଦ୍ଭୁତ ଦେଖି ତ୍ରାସେ ॥ ୮
    କାଳର ଗତି ବିପରୀତ । ଅଧର୍ମେ ପ୍ରାଣୀଙ୍କର ଚିତ୍ତ ॥ ୯
    ପାପ ଆଚାର କଲେ ଦମ୍ଭେ । ଯନ୍ତ୍ରିତ କାମ କ୍ରୋଧ ଲୋଭେ ॥ ୧୦
    ମିତ୍ର ସୁହୃଦ ଶଠମତି । ପିତାମାତା ଯେ ଭ୍ରାତା ଜ୍ଞାତି ॥ ୧୧
    ସ୍ୱାମୀ ଭାରିଯା ପୁତ୍ର ମେଳେ । ଧ୍ୱନି ସେ ଉଠଇ କନ୍ଦଳେ ॥ ୧୨
    ନିରତେ ଅରିଷ୍ଟ-ସୂଚକ । ପ୍ରକାଶ ହୋଇଲା ଅନେକ ॥ ୧୩
    ପାପ ପ୍ରକୃତି ପ୍ରାଣୀଙ୍କର । ଦେଖି ଚକିତ ନୃପବର ॥ ୧୪
    ଭୀମସେନକୁ ରାଇ ପାଶେ । କହନ୍ତି ଆତ୍ମାର ବିଶ୍ୱାସେ ॥ ୧୫

    ଯୁଧିଷ୍ଠିର ଉବାଚ

    ଅର୍ଜୁନ ଦ୍ୱାରକା ଭୁବନେ । ଗଲା ବାନ୍ଧବ ଦରଶନେ ॥ ୧୬
    କୃଷ୍ଣ ମହିମା କୃଷ୍ଣସଙ୍ଗେ । ଜାଣିବା ପାଇଁ ମନରଙ୍ଗେ ॥ ୧୭
    ଏବେ ସପତ ମାସ ଗଲା । ତେବେ ହେଁ ଅର୍ଜୁନ ନଇଲା ॥ ୧୮
    କିବା କେବଣ ବିପରୀତ । ତେଣୁ ଚଞ୍ଚଳ ମୋର ଚିତ୍ତ ॥ ୧୯
    କି ହେତୁ ମୋର ପାଶ ଛାଡ଼ି । ଅର୍ଜୁନ ରହେ ଲୋଭବଢ଼ି ॥ ୨୦
    ଏହାତ ଜାଣି ନ ପାରଇ । ଭୟେ ବ୍ୟାକୁଳ ମୋର ଦେହୀ ॥ ୨୧
    ନାରଦ କହିଗଲେ ମୋତେ । ସେ କାଳ ହେଲା ବା ପ୍ରାପତେ ॥ ୨୨
    କ୍ରୀଡ଼ା ଶରୀରର ଉଚ୍ଛନ୍ନ । କି ବା ଇଚ୍ଛିଲେ ଭଗବାନ ॥ ୨୩
    ହରି ସେନେହ ଅପ୍ରମାଦେ । ମୁଁ ଯେ ବସିଲି ରାଜପଦେ ॥ ୨୪
    ଦାରା ସମ୍ପଦ ପ୍ରାଣ ମୋର । ସର୍ବ ମଙ୍ଗଳ ଦାମୋଦର ॥ ୨୫
    ସକଳ-ରାଜା ମୋର ପାଦେ । ଖଟନ୍ତି ଯାହାର ପ୍ରସାଦେ ॥ ୨୬
    ତାହାର ଭଲେ ଭଲ ମୋର । ସେ ହରି ଶରଣ-ସୋଦର ॥ ୨୭
    ଦେଖ ପ୍ରତ୍ୟକ୍ଷେ ବୃକୋଦର । ଦିଶ ଆକାଶ ଅନ୍ଧକାର ॥ ୨୮
    ତ୍ରିବିଧ ଉତ୍ପାତ ଗଗନେ । ତେଣୁ ସଂଶୟ ମୋର ମନେ ॥ ୨୯
    ଭୂମି ଆକାଶ ପ୍ରାଣୀମନ । ଭୟେ କମ୍ପନ୍ତି ଛନ ଛନ ॥ ୩୦
    ମୋହର ମନ ବୁଦ୍ଧି ଚିତ୍ତେ । କମ୍ପେ କଦଳୀ ଯେହ୍ନେ ବାତେ ॥ ୩୧
    ଉରୁ ଲୋଚନ ବାହୁମାନ । ବାମେ କମ୍ପନ୍ତି ଘନ ଘନ ॥ ୩୨
    ଭୟେ କମ୍ପଇ ମୋ ଶରୀର । ଦେଖ ପ୍ରତ୍ୟକ୍ଷେ ବୃକୋଦର ॥ ୩୩
    ଏ ରିଷ୍ଟ ସୂଚକ ସ୍ୱଭାବ । ଏ ସେ ନିକଟେ ଦୁଃଖ ଦେବ ॥ ୩୪
    ରବି ଉଦୟ କାଳେ ଆସି । ଶୃଗାଳ ଯୂଥେ-ଯୂଥେ ବସି ॥ ୩୫
    ପୂର୍ବଦିଗକୁ ମୁଖ କରି । ବଦନୁ ଅନଳ ଉଦ୍ଗାରି ॥ ୩୬
    କରନ୍ତି ଭୟଙ୍କର ନାଦ । ଏ ସେ ସୂଚକ ପରମାଦ ॥ ୩୭
    କୁକୁର ମୋର ମୁଖ ଚାହିଁ । ନିର୍ଭୟେ ରୋଦନ କରଇ ॥ ୩୮
    ଶୃଗାଳେ ମୋର ବାମଭାଗେ । ବେଗେ ପଳାନ୍ତି ଦକ୍ଷମାର୍ଗେ ॥ ୩୯
    ଆବର ଶୁଭପଶୁ ଯେତେ । ମୋତେ ଭ୍ରମନ୍ତି ବିପରୀତେ ॥ ୪୦
    ଏ ମୋର ଗଜ ଅଶ୍ୱ ଯେତେ । ମୋତେ ଚାହାନ୍ତି ଅଶ୍ରୁନେତ୍ରେ ॥ ୪୧
    ଯମର ଦୂତ ପ୍ରାୟେ ଆସି । ଉଲୂକେ ମୋର ଆଗେ ବସି ॥ ୪୨
    ଶବଦେ କମ୍ପାନ୍ତି ମେଦିନୀ । ମୋର ଚାହାନ୍ତେ ନୋହେ ତୁନି ॥ ୪୩
    ପ୍ରତି ଉଲୂକ ମୁଖରାବେ । ରାବଇ ଭୟଙ୍କର ଭାବେ ॥ ୪୪
    ଏହାଙ୍କ ରାବେ ଶୂନ୍ୟ ମହୀ । ପ୍ରଜାଏ ନ ରହିବେ କେହି ॥ ୪୫
    ଦେଖ ଏ ଧୂମ ଦଶଦିଶେ । ଅନ୍ଧାର ପ୍ରାୟେ ମହୀ ଦିଶେ ॥ ୪୬
    ପର୍ବତ ତୁଲେ ବସୁନ୍ଧରୀ । କମ୍ପଇ ଘୋରନାଦ କରି ॥ ୪୭
    ନିର୍ମେଘେ ନିର୍ଘାତ ଶୁଭଇ । ବିଜୁଳୀ ତେଜ ଝଟକଇ ॥ ୪୮
    ବାୟୁ ବହଇ ଖରତର । ଧୂଳିରେ ଦିଗ ଅନ୍ଧକାର ॥ ୪୯
    ରୁଧିର ବରଷନ୍ତି ମେଘେ । ଆମିଷ ଗନ୍ଧ ସର୍ବଦିଗେ ॥ ୫୦
    ସୂର୍ଯ୍ୟର ଦେହେ ନାହିଁ ତେଜ । ଦେଖ ଆକାଶେ ଗ୍ରହଯୁଝ ॥ ୫୧
    ଦିଗେ ଦିଶନ୍ତି ଭୂତଗଣେ । ଯେହ୍ନେ ପୂରିତ ଅଗ୍ନିବାଣେ ॥ ୫୨
    କ୍ଷୁଭିତ ଦିଶେ ନଦୀନଦ । କରନ୍ତି ସିନ୍ଧୁପ୍ରାୟେ ନାଦ ॥ ୫୩
    ଜନ୍ତୁଙ୍କ ମନ ସେହିମତେ । ଅଦ୍ଭୁତ ପୂରିତ ଜଗତେ ॥ ୫୪
    ଅନଳ ଲିଭେ ଘୃତଧାରେ । କାଳ କି ପ୍ରବେଶ ସଂସାରେ ॥ ୫୫
    ବତ୍ସା ନ କରେ କ୍ଷୀରପାନ । ଗାବ ନ ଦ୍ୟନ୍ତି କ୍ଷୀରଦାନ ॥ ୫୬
    ତୃଣ ନ ଚରି ଅଶ୍ରୁମୁଖେ । ବୃଷଭ ବୁଲେ ମନଦୁଃଖେ ॥ ୫୭
    ହରଷେ ନ କରନ୍ତି ନାଦ । ଦେଖ ଅଦ୍ଭୁତ ପରମାଦ ॥ ୫୮
    ଦେବତା ପ୍ରତିମା ଚଞ୍ଚଳେ । ରୋଦନ୍ତି ତନୁ-ଘର୍ମ-ଜଳେ ॥ ୫୯
    ଏ ଜନପଦ ଗ୍ରାମମାନ । ନଗର ଆବର ଉଦ୍ୟାନ ॥ ୬୦
    ବନ ଆଶ୍ରମେ ଯେତେ ଜନେ । ମୁହିଁ ଯା ଦେଖଇ ନୟନେ ॥ ୬୧
    ସର୍ବେ ଦିଶନ୍ତି ହତଶିରୀ । ଚଳ ଚଞ୍ଚଳ ବନଗିରି ॥ ୬୨
    ବାହ୍ୟ ଅନ୍ତର ସର୍ବ ଚାହିଁ । ମୁହିଁ ଏମନ୍ତ ବିଚାରଇ ॥ ୬୩
    ଶ୍ରୀକୃଷ୍ଣ ପାଦ ଲାଗି ମହୀ । ଅତି ସୁନ୍ଦର ବିରାଜଇ ॥ ୬୪
    ସେ ପାଦ କିବା ଶୂନ୍ୟେ ଗଲା । ଅବନୀ ଏମନ୍ତ ଦିଶିଲା ॥ ୬୫

    ସୂତ ଉବାଚ

    ଏମନ୍ତ କହୁଁ ଭୀମ ଆଗେ । ଧର୍ମନନ୍ଦନ ଉଦବେଗେ ॥ ୬୬
    ଭୟେ କମ୍ପନ୍ତି ଛନ ଛନ । ତକ୍ଷଣେ ମିଳିଲା ଅର୍ଜୁନ ॥ ୬୭
    ରାଜା ଚରଣ ତଳେ ପଡ଼ି । ଅଜ୍ଞାନେ ନମସ୍କାର ହୁଡ଼ି ॥ ୬୮
    ଲୋଚନୁ ବହେ ଅଶ୍ରୁଜଳ । ଦେହେ ବ୍ୟାପିତ ଶ୍ରମଝାଳ ॥ ୬୯
    ଅର୍ଜୁନ ଦେଖି ଧର୍ମସୁତ । ତକ୍ଷଣେ ଛାଡ଼ି ଭୀମହସ୍ତ ॥ ୭୦
    ନିସ୍ତେଜ ଦେଖି ତାର ଗାତ୍ର । ବ୍ୟାକୁଳେ ହୃଦୟ କମ୍ପିତ ॥ ୭୧
    ବନ୍ଧୁ-ସୁହୃଦ ମଧ୍ୟେ ଥାଇ । ପୁଚ୍ଛନ୍ତି ଅର୍ଜୁନକୁ ଚାହିଁ ॥ ୭୨
    ନାରଦ ବଚନ ସୁମରି । ଅନ୍ତରେ ଚିନ୍ତି ନରହରି ॥ ୭୩
    ଅର୍ଜୁନ ମୁଖ ଚାହିଁ ଭଣି । ଛନ୍ନ ବଦନେ ନୃପମଣି ॥ ୭୪

    ଯୁଧିଷ୍ଠିର ଉବାଚ

    ଶୁଣ ଅର୍ଜୁନ ସାବଧାନେ । ଦ୍ୱାରକାପୁରେ ବନ୍ଧୁଜନେ ॥ ୭୫
    ସୁଖେ ଅଛନ୍ତି ନା ସମସ୍ତେ । ଯାଦବବଂଶ ଯେ ସପତେ ॥ ୭୬
    ଶୂର ମୋହର ମାତାମହ । ସେ ଭଲେ ଅଛନ୍ତି କି କହ ॥ ୭୭
    ମାତୁଳ ଅକ୍ରୂରର ତୁଲେ । ସ୍ୱଗୃହେ ଅଛନ୍ତି ନା ଭଲେ ॥ ୭୮
    ଦେବକୀ ଆଦି ପତ୍ନୀ ଯେତେ । ସୁଖେ ଅଛନ୍ତି ନା ସମସ୍ତେ ॥ ୭୯
    ଦେବକ ଉଗ୍ରସେନ ଦୁଇ । ଭଲେ କି ଛନ୍ତି ବେନିଭାଇ ॥ ୮୦
    ଗଦ ସାରଣ ଜୟନ୍ତନ । ଏ ଆଦି ମାତୁଳ-ନନ୍ଦନ ॥ ୮୧
    ଶାମ୍ବ ସାତ୍ୟକି ହଳଧର । କହ କୁଶଳ ତାହାଙ୍କର ॥ ୮୨
    ଯାଦବବଂଶେ ମହାରଥ । ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ॥ ୮୩
    ତାର କୁମର ଅନିରୁଦ୍ଧ । ଅତି ଗମ୍ଭୀର ଶୂର ଯୋଧ ॥ ୮୪
    ସୁଷେଣ ସୁମିତ୍ର ସହିତେ । ଭଲେ କି ଛନ୍ତି କୃଷ୍ଣ ସୁତେ ॥ ୮୫
    ଋଷଭ ଆଦି ମହାବୀରେ । ସୁଖେ ଅଛନ୍ତି ନା ନଗରେ ॥ ୮୬
    ଗୋବିନ୍ଦ ଅନୁଚର ଯେତେ । ସୁଖେ ଅଛନ୍ତି ନା ସମସ୍ତେ ॥ ୮୭
    ସୁନନ୍ଦ ନନ୍ଦ ଆଦି ଯେତେ । ଉଦ୍ଧବ ମନ୍ତ୍ରୀର ସମେତେ ॥ ୮୮
    ରାମଗୋବିନ୍ଦ ଭୁଜାଶ୍ରିତେ । ସର୍ବେ ଅଛନ୍ତି ଟି କି ସୁସ୍ଥେ ॥ ୮୯
    ନିଶ୍ଚିନ୍ତେ ଭୁବନେ ଅଛନ୍ତି । ଆମ୍ଭ କୁଶଳ ପଚାରନ୍ତି ॥ ୯୦
    କରୁଣାସିନ୍ଧୁ ନନ୍ଦବାଳ । ବ୍ରହ୍ମଣ୍ୟ ଭକତ-ବତ୍ସଳ ॥ ୯୧
    ବନ୍ଧୁବାନ୍ଧବ ତୁଲେ ବସି । ସୁଧର୍ମା ମଧ୍ୟେ ବ୍ରହ୍ମରାଶି ॥ ୯୨
    ଲୋକ-ମଙ୍ଗଳ-କ୍ଷେମ ଅର୍ଥେ । ଯାହାର ଜନ୍ମ ଏ ଜଗତେ ॥ ୯୩
    ସେ ହରି ଅଛନ୍ତି ନା ଭଲେ । ରୋହିଣୀସୁତ ରାମ ତୁଲେ ॥ ୯୪
    ଯାହାର ଭୁଜ ଆଶ୍ରେ କରି । ଯାଦବେ ବିଷ୍ଣୁତେଜ ଧରି ॥ ୯୫
    ମହାପୁରୁଷ ଯୋଗବନ୍ଧେ । କ୍ରୀଡ଼ନ୍ତି ପରମ ଆନନ୍ଦେ ॥ ୯୬
    ଯାର ଚରଣେ ସେବା କରି । ଷୋଳ ସହସ୍ର କୃଷ୍ଣନାରୀ ॥ ୯୭
    ସତ୍ୟାର ଛଳେ ଇନ୍ଦ୍ର ଜିଣି । ନନ୍ଦନବନୁ ଚକ୍ରପାଣି ॥ ୯୮
    ଲୀଳାରେ ଜିଣି ଶଚୀନାଥ । ବଳେ ଉପାଡ଼ି ପାରିଜାତ ॥ ୯୯
    ଯାହା ବିଳସେ ଇନ୍ଦ୍ରନାରୀ । ସେ ପୁଷ୍ପ ବିଷ୍ଣୁ ତେଜେ ହରି ॥ ୧୦୦
    ସହସ୍ରେ ଶାଖା ପରିମାଣି । ନାରୀଙ୍କି ଦେଲେ ଚକ୍ରପାଣି ॥ ୧୦୧
    ଯାହାର ଭୁଜଦଣ୍ତ ବଳେ । ଯଦୁ-ପ୍ରବୀରେ ମହୀତଳେ ॥ ୧୦୨
    ନିର୍ଭୟେ ଜଗତେ ଭ୍ରମନ୍ତି । ପାଦେ ସୁଧର୍ମା ଆକ୍ରମନ୍ତି ॥ ୧୦୩
    ହେ ଭ୍ରାତ ଶୁଣ ମହାଭୁଜ । ତୁ ମୋତେ ଦିଶୁ ହତବୀର୍ଯ୍ୟ ॥ ୧୦୪
    ଲଭିଲା ବସ୍ତୁ କେଣେ ଗଲା । ତୋତେ ଅବଜ୍ଞା କେହୁ କଲା ॥ ୧୦୫
    ଚିରପ୍ରବାସେ ଦୁଃଖ ଚିନ୍ତା । ତେଣୁ ବଦନ ମଳିନତା ॥ ୧୦୬
    କେବା ଭର୍ତ୍ସନା ଅମଙ୍ଗଳେ । ତୋତେ ଶଂପିଲା ବାକ୍ୟବଳେ ॥ ୧୦୭
    ଅର୍ଥୀ ପ୍ରାଣୀଙ୍କୁ ଦେବାକଲୁ । ମାଗନ୍ତେ କି ଅବା ନ ଦେଲୁ ॥ ୧୦୮
    ବୃଦ୍ଧ ବ୍ରାହ୍ମଣ ନିରମାଖି । ସ୍ତିରୀ ବାଳକ ଗୋରୁ ଦୁଃଖୀ ॥ ୧୦୯
    ରୋଗ ପୀଡ଼ନ୍ତେ ଯେ ରୋଦନ୍ତି । ଯେ ଅବା ଶରଣ ପଶନ୍ତି ॥ ୧୧୦
    ଏହାଙ୍କୁ ଦୟା ବା ନକଲୁ । ତେଣୁ ତୁ ଅଶୁଭ ଦିଶିଲୁ ॥ ୧୧୧
    ଅଗମ୍ୟେ କଲୁ ବା ଗମନ । କି ବା ହରିଲୁ ସ୍ତିରୀଜନ ॥ ୧୧୨
    ମାର୍ଗେ ଆସନ୍ତେ ତୁ ଚଞ୍ଚଳେ । କେବା ଜିଣିଲା ତୋତେ ବଳେ ॥ ୧୧୩
    ବାଳକ ବୃଦ୍ଧ ନ ଭୁଞ୍ଜଇ । ଅଗ୍ରେ ଭୁଞ୍ଜିଲୁ ଅବା ତୁହି ॥ ୧୧୪
    କି ବା ନିନ୍ଦିତ-କର୍ମ କଲୁ । ତେଣୁ ତୁ ଏମନ୍ତ ଦିଶିଲୁ ॥ ୧୧୫
    ଅତିଥି ଭୃତ୍ୟ ଗର୍ଭନାରୀ । କନ୍ୟା ବା ଅଭୋଜନ କରି ॥ ୧୧୬
    କି ବା ତୋ ଜୀବନ ଠାକୁର । ଗୋବିନ୍ଦ ହୋଇଲେ ଅନ୍ତର ॥ ୧୧୭
    ତାହାର ଶୂନ୍ୟେ ଶୂନ୍ୟ ତୁହି । ଏମନ୍ତ ପ୍ରାୟ ମୁଁ ମଣଇ ॥ ୧୧୮
    ତୋ ମନ ଦୁଃଖ ଏହା ବିନେ । କେବେହେଁ ନ ଘଟେ ମୁଁ ମଣେ ॥ ୧୧୯
    ହରିଚରିତ ସୁଧାବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୨୦
    କହଇ ଦାସ ଜଗନ୍ନାଥ । ପ୍ରଥମ ସ୍କନ୍ଧେ ଭାଗବତ ॥ ୧୨୧


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ଯୁଧିଷ୍ଠିରବିତର୍କୋ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।।

    ପଞ୍ଚଦଶ ଅଧ୍ୟାୟ

    ସୂତ ଉବାଚ

    ଏମନ୍ତ ରାଜାର ବଚନ । ଅର୍ଜୁନ ଶୁଣି ଶୋକମନ ॥ ୧
    ଯେତେ କହିଲେ ଧର୍ମସୁତ । ନାନା ଶକୁନ ବିପରୀତ ॥ ୨
    କୃଷ୍ଣ ବିଯୋଗେ ଖେଦମନ । ସ୍ୱଭାବେ ଶୁଖିଛି ବଦନ ॥ ୩
    ତେଜ ପ୍ରଭାବ ଦୂର ଗଲା । ଜୀବନ ଥାଉଁ ଦେହ ମଲା ॥ ୪
    ଶୋକେ କମ୍ପିତ କଳେବର । ବଦନୁ ନ ସ୍ଫୁରେ ଉତ୍ତର ॥ ୫
    ଲୋଚନେ ଦେଇ ବେନିକର । ଶୋକ ସମ୍ବରି ବୀରବର ॥ ୬
    ଶୋକେ କୁଣ୍ଠିତ କଣ୍ଠଦ୍ୱାର । ବିହ୍ୱଳେ ନ ସ୍ଫୁରେ ଉତ୍ତର ॥ ୭
    ସଖା ସୁହୃଦ ନନ୍ଦବଳା । ସାରଥିପଣେ ରଥେ ଥିଲା ॥ ୮
    ଏ ଆଦି ଯେତେ କୃଷ୍ଣଗୁଣ । ସୁମରି କାନ୍ଦେ ପୁଣପୁଣ ॥ ୯
    ରାଜାଙ୍କୁ ଚାହିଁ ମନଖେଦେ । ବୋଲଇ ଶୋକ ଗଦଗଦେ ॥ ୧୦

    ଅର୍ଜୁନ ଉବାଚ

    ସନ୍ଦେଶ ଶୁଣ ନରନାଥ । କୃଷ୍ଣେ ମୁଁ ହୋଇଲି ବଞ୍ଚିତ ॥ ୧୧
    ମୋର ଜୀବନବନ୍ଧୁ ହରି । ତାର ବିଯୋଗେ ହତଶିରୀ ॥ ୧୨
    ବିଶୀର୍ଣ୍ଣ ମୋହର ଶରୀର । ଦେଖ ପ୍ରତ୍ୟକ୍ଷେ ନୃପବର ॥ ୧୩
    ଯେ ତେଜ ପ୍ରତାପ ମୋହର । ଦେବ-ଦାନବେ ଅଗୋଚର ॥ ୧୪
    ସେ ତେଜ କୃଷ୍ଣ ସଙ୍ଗେ ଗଲା । ଜୀବନ ଜୀଉଁ ଜୀଉଁ ମଲା ॥ ୧୫
    କୃଷ୍ଣ ବିଯୋଗେ କ୍ଷଣମାତ୍ରେ । ଶୋକ ପୂରିତ ନିଜ ଗାତ୍ରେ ॥ ୧୬
    ଲୋକେ ଅପ୍ରିୟ ଦରଶନ । ଦେଖି କୁଣ୍ଠିତ ମୋର ମନ ॥ ୧୭
    ମରଣ କାଳେ ପ୍ରାଣୀ ଯେହ୍ନେ । ସମ୍ଭ୍ରମେ କୁଣ୍ଠିତ-ବଚନେ ॥ ୧୮
    ଯାହାର ପାଦେ ଆଶ୍ରେକରି । ନିଜ ଗାଣ୍ତିବ କରେ ଧରି ॥ ୧୯
    ଦ୍ରୁପଦ ଗୃହେ ରାଜମେଳେ । ଦ୍ରୌପଦୀ ସ୍ୱୟମ୍ବର କାଳେ ॥ ୨୦
    ଯେତେ ମିଳିଲେ ରାଜପୁତ୍ରେ । କନ୍ୟା ଲଭିବା ଫଳ ଅର୍ଥେ ॥ ୨୧
    କନ୍ୟା ଲଭିବା କାଳେ ଗୋଳ । ଯେସନେ ଜଳଧି ଉଲ୍ଲୋଳ ॥ ୨୨
    ହେଳେ ତାହାଙ୍କ ତେଜ ହରି । ଲଭିଲି ଲାଖବିନ୍ଧି ନାରୀ ॥ ୨୩
    ଖାଣ୍ତବବନେ କ୍ରୀଡ଼ାରଙ୍ଗେ । କୃଷ୍ଣ ଯେ ଥିଲେ ମୋର ସଙ୍ଗେ ॥ ୨୪
    ସେ ବନ ଅଗ୍ନିମୁଖେ ଦେଇ । ଲଭିଲି ମାୟାସଭା ମୁହିଁ ॥ ୨୫
    ଅମରଗଣ ତୁଲେ ପୁଣି । କିଞ୍ଚିତେ ଇନ୍ଦ୍ରତେଜ ଜିଣି ॥ ୨୬
    ମୟନିର୍ମିତ ସଭା ଆଣି । ଯହିଁ ସକଳ ନୃପମଣି ॥ ୨୭
    ତୋହର ଯଜ୍ଞକାଳେ ମିଳି । ତୋ ପାଦେ କଲେ ନିଉଛାଳି ॥ ୨୮
    ଯାହାର ତୁଲେ ବେନିଭାଇ । ଛଦ୍ରମେ ବିପ୍ରରୂପ ହୋଇ ॥ ୨୯
    ଜରାକୁ ବାହୁଯୁଦ୍ଧେ ଜିଣି । ରାଜାଙ୍କୁ ବନ୍ଦୀଘରୁ ଆଣି ॥ ୩୦
    ତୋହର ଯଜ୍ଞ ନିମନ୍ତ୍ରଣେ । ତୋତେ ଖଚିଲେ ନୃପଗଣେ ॥ ୩୧
    ତୋହର ଯଜ୍ଞସ୍ନାନ କାଳେ । ଦ୍ରୌପଦୀ ଦେଖି ତୋର କୋଳେ ॥ ୩୨
    ସ୍ୱଭାବେ ନାରୀ ଶିରୋମଣି । କବରୀ ବେଶେ ଜନ ଜିଣି ॥ ୩୩
    କପଟପଶା କରି ବାଦେ । କୌରବେ ତୋତେ ସଭାମଧ୍ୟେ ॥ ୩୪
    ଜିଣି ପାଞ୍ଚାଳୀ କେଶ ଧରି । ବିବସ୍ତ୍ର ସଭାତଳେ କରି ॥ ୩୫
    ଭୟେ ପାଞ୍ଚାଳୀ ସୁମରିଲା । ସେବେଳେ ଯେ ହରି ରଖିଲା ॥ ୩୬
    ପୁଣି ଅଜ୍ଞାତ-ବନବାସେ । ଦୁର୍ବାସା ଦୁଷ୍ଟଙ୍କ ବିଶ୍ୱାସେ ॥ ୩୭
    ଭୋଜନ ଅନ୍ତେ ଭିକ୍ଷାଅର୍ଥେ । ଅୟୁତ ବିପ୍ର ଘେନି ସାଥେ ॥ ୩୮
    ଭୁଞ୍ଜିବା ପାଇଁ ସ୍ନାନ ସାରି । ତା ଜାଣି ପ୍ରଭୁ ନରହରି ॥ ୩୯
    ଅତିଥି ରୂପେ ବିଜେ କଲା । ଶେଷ ଯେ ଶାକଅନ୍ନ ଥିଲା ॥ ୪୦
    କର ପ୍ରସାରି ତାହା ଖାଇ । ମୁନିଙ୍କ ମନମଧ୍ୟେ ଯାଇ ॥ ୪୧
    ସନ୍ତୋଷ କଲା ଜଳ ମଧ୍ୟେ । ତକ୍ଷଣେ ବ୍ରାହ୍ମଣ ଆନନ୍ଦେ ॥ ୪୨
    ସନ୍ତୋଷେ ନିଜସ୍ଥାନେ ଗଲେ । ସେ ଦୁଃଖୁ ଯେ ହରି ରଖିଲେ ॥ ୪୩
    ଯାହାର ତେଜେ ଧନୁ ଟାଣି । ବନେ ଜିଣିଲି ଶୂଳପାଣି ॥ ୪୪
    ସନ୍ତୋଷେ ମୋତେ ଉମାକାନ୍ତ । ବୋଇଲେ ବରମାଗ ପାର୍ଥ ॥ ୪୫
    ପାର୍ବତୀ ବିଶ୍ୱାସେ ମୋହିତ । ବରେ ପାଇଲି ପାଶୁପତ ॥ ୪୬
    ହର ବିଶ୍ୱାସେ ମୋତେ ପୁଣ । ପାର୍ବତୀ ଦେଲେ ଅକ୍ଷତୂଣ ॥ ୪୭
    ସେ ବେନିଶସ୍ତ୍ର ପାଇ ବନେ । ମିଳିଲି ଇନ୍ଦ୍ରର ଭୁବନେ ॥ ୪୮
    ନର ଶରୀରେ ସୁରଦେଶେ । ମିଳିଲି ଯେ ହରି ବିଶ୍ୱାସେ ॥ ୪୯
    ବିଷ୍ଣୁର ତେଜ ଦେଖି ମୋତେ । ସର୍ବ ଦେବତା ତୋଷଚିତ୍ତେ ॥ ୫୦
    ବିଚାରି ସର୍ବ ଅନୁମାନେ । ବସାଇ ଇନ୍ଦ୍ରର ଆସନେ ॥ ୫୧
    ମୋତେ ପୂଜିଲେ ପୁରସ୍କାରେ । ମୁଁ ପୁଣି ରହି ସ୍ୱର୍ଗପୁରେ ॥ ୫୨
    ସର୍ବ ଦେବତାଙ୍କ ବିଶ୍ୱାସ । ଅସୁରବଳ କଲି ନାଶ ॥ ୫୩
    ଇନ୍ଦ୍ର ସହିତେ ସର୍ବଦେବେ । ମୋତେ ପୂଜିଲେ ଗଉରବେ ॥ ୫୪
    ଯା ତେଜୁ ମୋ ପୁରୁଷକାର । ସେ ହରି ମୋତେ କଲା ଦୂର ॥ ୫୫
    ଯେଉଁ ଗୋବିନ୍ଦ ବନ୍ଧୁପଣେ । କୁରୁସାଗର-ଘୋରରଣେ ॥ ୫୬
    ତରଲି ଦୁସ୍ତର-ସାଗର । ଦେବ-ମାନବେ ଅଗୋଚର ॥ ୫୭
    ସଂଗ୍ରାମେ ରିପୁବଳ ଜିଣି । ଅନେକ ଧନରତ୍ନ ଆଣି ॥ ୫୮
    ରତ୍ନ ମୁକୁଟ ମଣିପରେ । ଥିଲା ଯେ ରାଜାଙ୍କର ଶିରେ ॥ ୫୯
    ତାହା ହରିଲି ବାହୁବଳେ । ନିର୍ଭୟେ ଅବନୀ-ମଣ୍ତଳେ ॥ ୬୦
    ବିରାଟ-ଗୋଧନ ହରଣେ । ମହାଦୁସ୍ତର ଘୋରରଣେ ॥ ୬୧
    ଗୋଧନ ନେଲି ନିଜପୁର । ସେ ହରି କଲା ମୋତେ ଦୂର ॥ ୬୨
    ଯେ ହରି ମୋର ରଥେ ବସି । ଅଗାଧ-କୁରୁବଳେ ଝାସି ॥ ୬୩
    ଭୀଷ୍ମ ସବିତାସୁତ କୃପ । ଶଲ୍ୟ ସହିତେ ଯେତେ ନୃପ ॥ ୬୪
    ତାହାଙ୍କ ଅଗ୍ରେ ରଥ କରି । ଅଶ୍ୱ ରସନା କରେ ଧରି ॥ ୬୫
    ରିପୁ ଆୟୁଷ ସଙ୍ଗେ ମନ । ହରିଲା ନନ୍ଦର ନନ୍ଦନ ॥ ୬୬
    ଭୀଷ୍ମାଦି ଥିଲେ ଯେତେ ବୀର । ସେ ଗୁରୁ-ଦ୍ରୋଣଙ୍କ ସଙ୍ଗର ॥ ୬୭
    ଅମୋଘ ଅସ୍ତ୍ର ବରଷନ୍ତି । ସେ ମୋର ହୃଦେ ନ ଭେଦନ୍ତି ॥ ୬୮
    ଯେସନେ ନୃସିଂହର ପାଦ । ଆଶ୍ରେ ତରିଲା ପ୍ରହଲାଦ ॥ ୬୯
    ଜୟଦ୍ରଥର ବଧ କାଳେ । ଅଶ୍ୱେ ତୃଷିତ ମୋର ହେଲେ ॥ ୭୦
    ତାହାଙ୍କୁ ଜଳ ଦେବା ଅର୍ଥେ । ସଂଗ୍ରାମେ ହେଲି ଭୂମିଗତେ ॥ ୭୧
    ମହାରଥୀଙ୍କ ଚିତ୍ତେ ଯାଇ । ପ୍ରବେଶ ହେଲେ ଭାବଗ୍ରାହୀ ॥ ୭୨
    ନୟନେ ମୋ ରୂପ ଦେଖନ୍ତି । ଦେଖନ୍ତେ କେହି ନ ମାରନ୍ତି ॥ ୭୩
    ଯାହାର ପାଦପଦ୍ମ ନିତ୍ୟେ । ଜ୍ଞାନୀଏ ଭାବୁଥାନ୍ତି ଚିତ୍ତେ ॥ ୭୪
    କୁମତି-ବଳେ ନ ବିଚାରି । ତାହାଙ୍କୁ ସାରଥି ମୁଁ କରି ॥ ୭୫
    ସେ କୃଷ୍ଣ ବସି ମୋର ପାଶେ । ଶୋଭନ-ସ୍ମିତ-ମନ୍ଦହାସେ ॥ ୭୬
    ଆନନ୍ଦେ କରେ କର ଧରି । ବିବିଧ ପରିହାସ କରି ॥ ୭୭
    ହେ ପାର୍ଥ ଅର୍ଜୁନ ହେ ସଖେ । କୁରୁନନ୍ଦନ ବୋଲି ଡାକେ ॥ ୭୮
    ତାହାର ଗୁଣକର୍ମ ଯେତେ । ସୁମରି କ୍ଷୋଭିତ ମୋ ଚିତ୍ତେ ॥ ୭୯
    ଶୟନ-ଆସନ-ଭୋଜନେ । ମୁହିଁ ଯେ ତାର ସନ୍ନିଧାନେ ॥ ୮୦
    ସଙ୍ଗେ ବିହରି ସଖାପରି । ତା କରେ କର ଧରାଧରି ॥ ୮୧
    ମୁଁ ପାପୀ କୁମତି ମୋହର । କେବେ ବା କରେ ତିରସ୍କାର ॥ ୮୨
    ସେ ଅପରାଧ ମୋର ହରି । ନ ଘେନେ ମୋରେ ସ୍ନେହ କରି ॥ ୮୩
    ସଖାର ସଖା ଯେହ୍ନେ ସହେ । ପିତାମାତା ବା ଯେହ୍ନେ ପୋଏ ॥ ୮୪
    ନୃପେନ୍ଦ୍ର ଶୁଣ ମୋର ବାଣୀ । ମୋତେ ମୁଞ୍ଚିଲେ ଚକ୍ରପାଣି ॥ ୮୫
    ମୋହର ପ୍ରିୟସଖା ହରି । ହୃଦୟ ଗଲା ଶୂନ୍ୟ କରି ॥ ୮୬
    ଦେଖ ମୋହର ବୀରପଣ । ମାର୍ଗେ ଗୋବିନ୍ଦ-ପତ୍ନୀଗଣ ॥ ୮୭
    ଆବୋରି ନ ପାରିଲି ବଳେ । ତକ୍ଷଣେ ଲୁଚିଲେ ଗୋପାଳେ ॥ ୮୮
    ସେହି ଗାଣ୍ତୀବଧନୁ ମୋର । ସେହି ଅକ୍ଷୟ ତୂଣଶର ॥ ୮୯
    ସେହି ବିମାନ ଅଶ୍ୱ ଦେଖ । କ୍ଷଣକେ ହୋଇଲି ନିରେଖ ॥ ୯୦
    ଯାହାର ତେଜେ ନୃପଗଣେ । ନମନ୍ତି ମୋହର ଚରଣେ ॥ ୯୧
    ତାର ବିଯୋଗେ ତନୁ କ୍ଷୀଣ । ଦିଗେ ଦିଶନ୍ତି ମୋତେ ଶୂନ୍ୟ ॥ ୯୨
    ସେ ପ୍ରାଣବାନ୍ଧବ ବିଯୋଗ । ଭସ୍ମେ ଯେସନେ ହବିର୍ଭାଗ ॥ ୯୩
    କୁହୁକ ବସ୍ତୁ ମୁଷ୍ଟିଗତେ । ପ୍ରତ୍ୟକ୍ଷ ନୋହେ ଦୃଷ୍ଟିମାତ୍ରେ ॥ ୯୪
    ଉଷର ଭୂମିରେ ରୋପିତ । ବୀଜର ପ୍ରାୟେ ମୁଁ ନିହତ ॥ ୯୫
    ଶୁଣ ହେ ନୃପ ଶୁଦ୍ଧଚେତା । ବନ୍ଧୁବାନ୍ଧବଙ୍କ ବାରତା ॥ ୯୬
    ଅପରେ ଯେତେ ଯଦୁକୁଳେ । ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ ॥ ୯୭
    ବ୍ରାହ୍ମଣଶାପ ଅବସାନେ । ମିଳିଲେ ଏରକାର ବନେ ॥ ୯୮
    ଚାରୁଣୀମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ॥ ୯୯
    ଏରକା ମୁଷ୍ଟି କରେ ଧରି । ଏକ ଆରେକ ମରାମରି ॥ ୧୦୦
    ଆତ୍ମାକୁ ନ ଜାଣନ୍ତି ଭୋଳେ । ନାଶିଲେ ବ୍ରହ୍ମଶାପ ଫଳେ ॥ ୧୦୧
    ଏଣୁ ଯାଦବ ବଂଶନାଶ । ରହିଲେ ଚାରିପାଞ୍ଚ ଶେଷ ॥ ୧୦୨
    ଈଶ୍ୱର କ୍ରୀଡ଼ା ଏ ଜଗତ । ପ୍ରାଣୀଏ ଈଶ୍ୱର ଆୟତ୍ତ ॥ ୧୦୩
    ମାରନ୍ତି ଏକୁ ଆର ବଳେ । ଜଳ ଜନ୍ତୁଏ ଯେହ୍ନେ ଜଳେ ॥ ୧୦୪
    ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି । ନିଜ ମରଣ ନ ଜାଣନ୍ତି ॥ ୧୦୫
    ଦୁର୍ବଳ-ପ୍ରାଣୀଙ୍କି ସବଳେ । ଦର୍ପ ହରନ୍ତି ଅବହେଳେ ॥ ୧୦୬
    ଏହି ପ୍ରକାରେ ଯଦୁବଳେ । କଳି ଭିଆଇ ମଦ୍ୟଭୋଳେ ॥ ୧୦୭
    ଯଦୁଙ୍କୁ ଯଦୁବଳେ ମାରି । ଭୂମିର ଭାରା ଅପହରି ॥ ୧୦୮
    ଗୋବିନ୍ଦ କଲେ କର୍ମ ଯେତେ । ଲୀଳା ବିହାରେ ଏ ଜଗତେ ॥ ୧୦୯
    ତା ଦେଶ-କାଳ-ଅର୍ଥଯୁକ୍ତ । ଶୀତଳବାଣୀ ଜନହିତ ॥ ୧୧୦
    ସେ ବାଣୀ ସ୍ମରି ମୋର ଚିତ୍ତେ । ପ୍ରାଣ ଦହଇ ଅନ୍ତର୍ଗତେ ॥ ୧୧୧

    ସୂତ ଉବାଚ

    ଏମନ୍ତେ ପାଣ୍ତବ ଅର୍ଜୁନ । କୃଷ୍ଣ ଚରଣେ ଦେଇ ମନ ॥ ୧୧୨
    ସୁହୃଦଭାବେ ଗାଢ଼େ ଚିନ୍ତି । ଲଭିଲା ସୁବିମଳ ଗତି ॥ ୧୧୩
    କୃଷ୍ଣ ଚରଣ ଅନୁଧ୍ୟାନେ । ଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ ॥ ୧୧୪
    ଥିଲା ଯେ ଅଶେଷ କଳୁଷ । ଭକ୍ତିମନ୍ଥନେ ଗଲା ନାଶ ॥ ୧୧୫
    ନିର୍ମଳବୁଦ୍ଧି ପ୍ରକାଶିଲା । ଗୋବିନ୍ଦ ବାକ୍ୟ ସୁମରିଲା ॥ ୧୧୬
    ସଂଗ୍ରାମ ମଧ୍ୟେ ରଥେ ରହି । ଯେ ଗୀତା କୃଷ୍ଣଥିଲେ କହି ॥ ୧୧୭
    ତାହା ସୁମରି ଶୁଦ୍ଧମନେ । ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ ॥ ୧୧୮
    ପ୍ରକୃତି ଲୀନେ ଗୁଣ ଲିଙ୍ଗ । ସ୍ଥୂଳଶରୀର ସଙ୍ଗଭଙ୍ଗ ॥ ୧୧୯
    ତେବେ ଦ୍ୱଇତ ଭାବ ଯାଇ । ଶୋକ-ସମ୍ଭ୍ରମ ଆଉ କାହିଁ ॥ ୧୨୦
    ଆପଣା ଅଂଶ ବଂଶ ହରି । ଶ୍ରୀକୃଷ୍ଣ ଗଲେ ନିଜପୁରୀ ॥ ୧୨୧
    ଅର୍ଜୁନ ମୁଖୁ ଏହା ଶୁଣି । ନିର୍ବେଦ ନୃପ-ଚୂଡ଼ାମଣି ॥ ୧୨୨
    ଆତ୍ମା ନିବୃତ୍ତ ଜ୍ଞାନମାର୍ଗେ । ନିଶ୍ଚୟ କଲେ ସ୍ୱର୍ଗମାର୍ଗେ ॥ ୧୨୩
    କୁନ୍ତୀ ଯେ ନିଜପୁରେ ଥିଲା । ଶ୍ରୀକୃଷ୍ଣ ବିଯୋଗ ଶୁଣିଲା ॥ ୧୨୪
    ତକ୍ଷଣେ ପାଇ ଦିବ୍ୟଜ୍ଞାନ । ଗୋବିନ୍ଦ ପାଦେ ହେଲା ଲୀନ ॥ ୧୨୫
    ଯେ ଦେହ ଭୂମିଭାର ନାଶେ । ଧରି ଜନ୍ମିଲେ ଯଦୁବଂଶେ ॥ ୧୨୬
    ଭାରା ନିବାରି ତା ସଂହରେ । କଣ୍ଟକ ଯେହ୍ନେ କଣ୍ଟକରେ ॥ ୧୨୭
    ମତ୍ସ୍ୟାଦି ରୂପକୁ ଯେମନ୍ତେ । ଧରି ଛାଡ଼ଇ କାର୍ଯ୍ୟଅନ୍ତେ ॥ ୧୨୮
    ଯେସନେ ନଟରୂପ ଧରେ । କ୍ଷଣକୁ କ୍ଷଣ ଆନ କରେ ॥ ୧୨୯
    ଭୂଭାର କ୍ଷୟ ଯେ ଦେହେଣ । ସେ ଦେହ କଲେ ଅନ୍ତର୍ଦ୍ଧାନ ॥ ୧୩୦
    ଯେବେ ମୁକୁନ୍ଦ ମହୀତେଜି । ସ୍ୱଭାବେ ନିଜଧାମ ଭଜି ॥ ୧୩୧
    ଯାର ମହିମା ନରଲୋକେ । ସାଧବେ ଏକକୁ ଆରକେ ॥ ୧୩୨
    କହି ତରିଲେ ଭବଜଳୁ । କଳି ଆଗମ ସେହି ବେଳୁ ॥ ୧୩୩
    ସକଳ ଦୋଷ ହେତୁ ଯହିଁ । ବେଦ-ପୁରାଣ-ମାର୍ଗେ କହି ॥ ୧୩୪
    ମିଳିଲା ନରଲୋକେ ଆସି । ତକ୍ଷଣେ ଗ୍ରାମେଗ୍ରାମେ ପଶି ॥ ୧୩୫
    ସକଳ ପୁରେ ପ୍ରାଣୀ ଚିତ୍ତେ । ଲୋଭ କପଟ ଦମ୍ଭମତେ ॥ ୧୩୬
    ପ୍ରାଣୀ ହିଂସନ ଧର୍ମନାଶେ । ପ୍ରାଣୀୟେ କଳିର ବିଶ୍ୱାସେ ॥ ୧୩୭
    ନିଷ୍ଠୁର ଚିତ୍ତ ସର୍ବଜନ । ତା ଦେଖି ଧର୍ମର ନନ୍ଦନ ॥ ୧୩୮
    ସ୍ୱର୍ଗ-ଗମନ ମନେ ଗୁଣି । ତକ୍ଷଣେ ପରୀକ୍ଷିତ ଆଣି ॥ ୧୩୯
    ଉତ୍ତମ ରାଜଚିହ୍ନ ଦେଖି । ସକଳ ଗୁଣ ଉପଲକ୍ଷି ॥ ୧୪୦
    ଆତ୍ମାର ତୁଲ୍ୟପ୍ରାୟ ମଣି । ଅନେକ ତୀର୍ଥଜଳ ଆଣି ॥ ୧୪୧
    ହସ୍ତିନାପୁର ନରଲୋକେ । ସ୍ଥାପିଲେ ନୃପ ଅଭିଷେକେ ॥ ୧୪୨
    ଯାଦବବଂଶେ ଶେଷଥିଲା । ବଜ୍ର ଯେ ଅନିରୁଦ୍ଧବଳା ॥ ୧୪୩
    ମଥୁରାପୁରେ ଧର୍ମଚାଟେ । ସ୍ଥାପିଲେ ଶୂରସେନପାଟେ ॥ ୧୪୪
    ସକଳ ଭୋଗ ଦୂରକରି । ଶରୀର-ବନ୍ଧ ପରିହରି ॥ ୧୪୫
    ଆତ୍ମାରେ ଆତ୍ମା-ଅଗ୍ନି ଜାଳି । ସର୍ବ-ବିଷୟ-ଘୃତ ଢାଳି ॥ ୧୪୬
    ଜ୍ଞାନଗୋଚରେ ଅଗ୍ନିପାନ । ତକ୍ଷଣେ ଧର୍ମର ନନ୍ଦନ ॥ ୧୪୭
    ସର୍ବ ସମ୍ପଦ କରି ଦୂର । ନିର୍ମଳ-ରାଗ-ଅହଙ୍କାର ॥ ୧୪୮
    ଅଶେଷ କର୍ମ୍ପାଶ ଛେଦି । ଯୋଗେ ଶରୀରରନ୍ଧ୍ର ରୁନ୍ଧି ॥ ୧୪୯
    ବଚନ ମନେ ଲୀନ କରି । ବାୟୁ ଧାରଣେ ମନ ଧରି ॥ ୧୫୦
    ବାୟୁ ଧାରଣ ପ୍ରାଣ ଯେହି । ଅପାନେ ତାହାକୁ ମିଶାଇ ॥ ୧୫୧
    ଅପାନ ଉତ୍ସର୍ଗ ସହିତ । ଯେ ମାର୍ଗେ ହୋଏ ଅନ୍ତର୍ଗତ ॥ ୧୫୨
    ସେ ମୃତ୍ୟୁଦେବକୁ ପଞ୍ଚତ୍ୱେ । ପଞ୍ଚକୁ ପଞ୍ଚରେ ଏକତ୍ୱେ ॥ ୧୫୩
    ପୁଣି ପଞ୍ଚକୁ ତିନିଗୁଣେ । ତ୍ରିଗୁଣ ସମସ୍ତ କାରଣେ ॥ ୧୫୪
    ତାହାକୁ ଜୀବେ ଦେଇ ସ୍ଥାନ । ଯେଣେ ଜୀବର ପରିତ୍ରାଣ ॥ ୧୫୫
    ସକଳ ଗୁଣ ପରିହରି । ଆତ୍ମାରେ ଆତ୍ମା ହୋମକରି ॥ ୧୫୬
    ବ୍ରହ୍ମନିର୍ବାଣେ ଥୋଇ ଚିତ୍ତ । ଉତ୍ତରପଥେ ଉପଗତ ॥ ୧୫୭
    ଚିରବସନ ନିରାହାର । ମଉନ ମୁକ୍ତକେଶ ଶିର ॥ ୧୫୮
    ଜଡ-ଉନ୍ମତ୍ତ-ଜନ ପ୍ରାୟେ । ଲୋକେ ଦେଖାଇ ନିଜକାୟେ ॥ ୧୫୯
    ଲୋକ ବଦନକୁ ନ ଚାହିଁ । ଅନ୍ଧ-ବଧିର ପ୍ରାୟ ହୋଇ ॥ ୧୬୦
    ହୃଦେ ନିବେଶି ବେନିପାଣି । ଉତ୍ତରଦିଗେ ନୃପମଣି ॥ ୧୬୧
    ପୂର୍ବେ ଅଶେଷ ମୁନି ସନ୍ଥେ । ମୋକ୍ଷହୋଇଲେ ଯେଉଁ ପଥେ ॥ ୧୬୨
    ପରମବ୍ରହ୍ମ ଚିନ୍ତି ଚିତ୍ତେ । ପ୍ରସ୍ଥାନ କଲେ ସ୍ୱର୍ଗପଥେ ॥ ୧୬୩
    ପଛେ ଚଳନ୍ତି ଚାରିଭାଇ । ରାଜାର ଅନୁରୂପ ହୋଇ ॥ ୧୬୪
    ପ୍ରଜାଙ୍କୁ କରି ଆଲିଙ୍ଗନ । ହରଷେ ହରି ତାଙ୍କ ମନ ॥ ୧୬୫
    ସେ ସାଧୁକୃତ୍ୟ ସତ୍ତ୍ୱ ଗୁଣୀ । ଆତ୍ମାର ହିତ ଚିତ୍ତେ ଜାଣି ॥ ୧୬୬
    ମନ ନିବେଶି କୃଷ୍ଣପାଦେ । ବିଷ୍ଣୁ ଭକତି ଯୋଗସାଧେ ॥ ୧୬୭
    ନିର୍ମଳ ଚିତ୍ତ ତାହାଙ୍କର । ଗୋବିନ୍ଦେ ଧ୍ୟାନ ନିରନ୍ତର ॥ ୧୬୮
    କୃଷ୍ଣ ପାଦେ ଚିତ୍ତ ଦେଲେ । ପରମଗତି ସେ ଲଭିଲେ ॥ ୧୬୯
    ଅସତ୍ୟ ଇନ୍ଦ୍ରିୟ ବିଷୟେ । ନିତ୍ୟେ ଯାହାର ଚିତ୍ତ ରହେ ॥ ୧୭୦
    ସେ ଯେବେ ପାଦହୃଦେ ଚିନ୍ତି । ସର୍ବକଳୁଷ ନାଶ ଯାନ୍ତି ॥ ୧୭୧
    ସେପାଦେ ଲଭଇ ସେ ସ୍ଥାନ । ତାହା ପାଇଲେ ପଣ୍ତୁନାନ ॥ ୧୭୨
    ବିଦୁର ଥିଲେ ବନବାସେ । ପ୍ରଭାସତୀର୍ଥେ ମୋକ୍ଷ ଆଶେ ॥ ୧୭୩
    ଗୋବିନ୍ଦ-ଚରଣ-କମଳେ । ପ୍ରାଣ ଛାଡ଼ିଲେ ଯୋଗବଳେ ॥ ୧୭୪
    ପିତୃଗଣଙ୍କ ସଙ୍ଗେ ମିଶି । ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ ॥ ୧୭୫
    ନିଜ ଭୁବନେ ବିଜେ କଲେ । ବ୍ରାହ୍ମଣଶାପୁ ନିସ୍ତରିଲେ ॥ ୧୭୬
    ତକ୍ଷଣେ ଦ୍ରୁପଦ କୁମାରୀ । ଭର୍ତ୍ତାଙ୍କ ପଥ ଅନୁସରି ॥ ୧୭୭
    କୃଷ୍ଣେ ନିବେଶି ପଞ୍ଚପ୍ରାଣ । ପଥେ ଛାଡ଼ିଲେ ନିଜପ୍ରାଣ ॥ ୧୭୮
    କହନ୍ତି ସୂତ ଶୁଦ୍ଧଚିତ୍ତେ । ସର୍ବମୁନିଙ୍କ ମଧ୍ୟଗତେ ॥ ୧୭୯
    ଏବେ ହୋ ଶୁଣ ବିପ୍ରଜନେ । କୃଷ୍ଣ-ମହିମା ଶୁଦ୍ଧମନେ ॥ ୧୮୦
    ଗୋବିନ୍ଦ ଚରଣ କମଳେ । ପଣ୍ତୁକୁମରେ ଭାବଭୋଳେ ॥ ୧୮୧
    ସଂସାର ମାୟା ଦୂର କଲେ । ଜଗତ ମଧ୍ୟୁ ନିସ୍ତରିଲେ ॥ ୧୮୨
    ପରମ ମଙ୍ଗଳ ଏ ବାଣୀ । ଯେ ପ୍ରାଣୀ ଶୁଦ୍ଧଚିତ୍ତେ ଶୁଣି ॥ ୧୮୩
    ଭକତି ଲଭେ କୃଷ୍ଣପାଦେ । ସଂସାରୁ ତରେ ଅପ୍ରମାଦେ ॥ ୧୮୪
    କୃଷ୍ଣ-ମହିମା-ସୁଧାରସ । କହିଲା ଜଗନ୍ନାଥ ଦାସ ॥ ୧୮୫


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ପାଣ୍ତବସ୍ୱର୍ଗାରାହଣଂ ନାମ ପଞ୍ଚଦଶୋଽଧ୍ୟାୟଃ ।।

    ଷୋଡ଼ଶ ଅଧ୍ୟାୟ

    ସୂତ କହନ୍ତି ଅନୁରାଗେ । ଆନନ୍ଦେ ମୁନିଙ୍କର ଆଗେ ॥ ୧

    ସୂତ ଉବାଚ

    ସ୍ୱଭାବେ ଅଭିମନ୍ୟୁସୁତ । ତେଜ-ବିକ୍ରମେ ପରୀକ୍ଷିତ ॥ ୨
    ବ୍ରାହ୍ମଣବାକ୍ୟେ ଜନ୍ମକାଳେ । ସମ୍ଭବି ହସ୍ତିନା-ମଣ୍ତଳେ ॥ ୩
    ରାଜ୍ୟ ଆବୋରି ମହାତେଜେ । ବିପ୍ରବଚନ ଗୁଣ ଭଜେ ॥ ୪
    ବିରାଟସୁତ ସୁତା ଥିଲା । ସ୍ନେହେ ସେ ପରୀକ୍ଷିତେ ଦେଲା ॥ ୫
    ଉତ୍ତରସୁତା ଭାଗ୍ୟବତୀ । ନାମ ତାହାର ଈରାବତୀ ॥ ୬
    ତାହାର ଗର୍ଭେ ଚାରିସୁତ । ଧର୍ମେ ସମ୍ପାଦି ପରୀକ୍ଷିତ ॥ ୭
    କୁମାର ଜନ୍ମଜୟ ଆଦି । ସକଳଗୁଣେ ସେ ପ୍ରସିଦ୍ଧି ॥ ୮
    ଆନନ୍ଦେ ରାଜା ପରୀକ୍ଷିତ । ଯଜ୍ଞେ ବରିଲା ପୁରୋହିତ ॥ ୯
    ଗଙ୍ଗାର ତୀରେ ବେଦସିଦ୍ଧ । ସାଧିଲା ତିନି ଅଶ୍ୱମେଧ ॥ ୧୦
    ଦକ୍ଷିଣା ଦେଲା ମନଭରି । ଦିଗବିଜୟେ ବିଜେ କରି ॥ ୧୧
    କଳିଯୁଗକୁ ଏକଦିନେ । ଦେଖିଲା ବେଳ ଅବସାନେ ॥ ୧୨
    ସେ ଶୂଦ୍ରଜାତି ନୃପସଜେ । କାଷ୍ଠ ମୂଷଳ ଧରି ଭୁଜେ ॥ ୧୩
    ଅଗ୍ରେ ଗୋମିଥୁନକୁ ଥୋଇ । ହୁଙ୍କାରେ ପାଦ ପ୍ରହାରଇ ॥ ୧୪
    ତାହାକୁ ଦେଖି ନୃପମଣି । ତକ୍ଷଣେ ଭୁଜ ଧରି ଆଣି ॥ ୧୫
    ବନ୍ଧନ କଲା ବାହୁବଳେ । ସେ ବୀର ଅବନୀ ମଣ୍ତଳେ ॥ ୧୬
    ଏମନ୍ତେ ସୂତ ମୁଖୁ ଶୁଣି । ଶୌନକ ଆଦି ଯେତେ ମୁନି ॥ ୧୭
    ଆନନ୍ଦେ ହୋଇ କୃତକୃତ୍ୟ । ବୋଲନ୍ତି ଶୁଣ ମୁନି ସୂତ ॥ ୧୮

    ଶୌନକ ଉବାଚ

    କେବଣ ହେତୁ ପରୀକ୍ଷିତ । ଦିଗବିଜୟେ ଉପଗତ ॥ ୧୯
    କଳିକି ଧରି ବାହୁବଳେ । ବନ୍ଧନ କଲା କିମ୍ପା ଛଳେ ॥ ୨୦
    ସ୍ୱଭାବେ ଶୂଦ୍ରରୂପ ଧରି । କପଟେ ନୃପବେଶ କରି ॥ ୨୧
    ପାଦେ ପ୍ରହାରିଲା କାହାକୁ । ଭୋ ସୂତ କହିବା ଆମ୍ଭଙ୍କୁ ॥ ୨୨
    ଯେ କୃଷ୍ଣକଥା ଶୁଭବାଣୀ । ଏଜୀବ ତରେ ଯାହା ଶୁଣି ॥ ୨୩
    ଶରୀର ବହି ମୋହକଳ୍ପେ । କି ଲାଭ ଅସତ୍ୟ ଆଳାପେ ॥ ୨୪
    ଆୟୁଷ ଦିନୁଦିନ ତୁଟେ । ଜଳ ଯେସନେ ଛିଦ୍ରଘଟେ ॥ ୨୫
    କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କର । ଅମୃତଦାତା ଚକ୍ରଧର ॥ ୨୬
    ଯଜ୍ଞେ ପ୍ରାଣୀଙ୍କ ନାଶ ଅର୍ଥେ । ମୃତ୍ୟୁପୁରୁଷ ଏ ଜଗତେ ॥ ୨୭
    ସେ ନୋହେ କାହାରି ଆୟତ୍ତ । କରଇ କ୍ଷଣେ କ୍ଷଣେ ଗ୍ରସ୍ତ ॥ ୨୮
    ଯାବତ ଯମ ଏହିଠାରେ । ମୃତ୍ୟୁ ନୋହିବ ମର୍ତ୍ତ୍ୟପୁରେ ॥ ୨୯
    ସେ ମୃତ୍ୟୁମୁଖୁ ନିସ୍ତାରଣ । କେବଳ ଶ୍ରୀକୃଷ୍ଣଶରଣ ॥ ୩୦
    କୃଷ୍ଣ-ଭକତି-ସୁଧାପାନେ । ଅମୃତ-ପିହିତ-ବଚନେ ॥ ୩୧
    ଦିନ ହରନ୍ତି ଦୁଃଖସୁଖେ । ତାହାଙ୍କୁ ନାରାୟଣ ରଖେ ॥ ୩୨
    ସ୍ୱଭାବେ ମନ୍ଦବୁଦ୍ଧି ପ୍ରାଣୀ । ନିଜ ଆୟୁଷ ନ ପ୍ରମାଣି ॥ ୩୩
    ନିରତେ ମନ୍ଦକର୍ମ କରେ । ତାର ଆୟୁଷ ଏ ସଂସାରେ ॥ ୩୪
    ଅର୍ଦ୍ଧେ ହରଇ ନିଦ୍ରା ନିଶି । ଦିବସ ବ୍ୟର୍ଥକର୍ମେ ଗ୍ରାସି ॥ ୩୫
    ଏମନ୍ତେ ମୁନିଙ୍କ ପ୍ରଶନେ । ସୂତ କହନ୍ତି ତୋଷମନେ ॥ ୩୬

    ସୂତ ଉବାଚ

    ସେ ରାଜଋଷି ଯେତେବେଳେ । ବସିଲେ ହସ୍ତିନା-ମଣ୍ତଳେ ॥ ୩୭
    ବିଶେଷେ ଅର୍ଜୁନର ନାତି । ରାଜାଙ୍କ ମଧ୍ୟେ ଚକ୍ରବର୍ତ୍ତୀ ॥ ୩୮
    କଳି-ପ୍ରବେଶ-କଥା ଶୁଣି । ଦିଗବିଜୟେ ନୃପମଣି ॥ ୩୯
    ତାର ସଙ୍ଗତେ ନୃପବରେ । ସମର୍ଥ ନୁହନ୍ତି ସମରେ ॥ ୪୦
    ଉତ୍ତମରଥ ସଜକରି । ରଥେ ଯୋଚିଲା ଅଶ୍ୱଚାରି ॥ ୪୧
    ଶ୍ୟାମ ତୁରଙ୍ଗ ମନୋଜବ । କେ କହୁ ଅଶ୍ୱଙ୍କ ପ୍ରଭାବ ॥ ୪୨
    ଅଶ୍ୱଭୂଷିତ ଅଳଙ୍କାର । ଯେହ୍ନେ ଉଦିତ ଦିବାକର ॥ ୪୩
    ରଥ ଉପରେ ସିଂହଧ୍ୱଜ । ପୁରୁ ବାହାର ମହାରାଜ ॥ ୪୪
    ଆବୃତ୍ତ ଚତୁରଙ୍ଗ ବଳେ । କେ ତାକୁ ସମ ମହୀତଳେ ॥ ୪୫
    ଦିଗବିଜୟେ ବିଜେ କଲା । ଚାଲନ୍ତେ ଅବନୀ କମ୍ପିଲା ॥ ୪୬
    ମିଳେ ଉତ୍ତର କୁରୁଦେଶେ । ସର୍ବ ନୃପତି ତାର ବଶେ ॥ ୪୭
    ଭଦ୍ରାଶ୍ୱ କେତୁମାଳ ଜିଣି । ଭାରତବର୍ଷ ନୃପମଣି ॥ ୪୮
    ବରଷ କିଂପୁରୁଷ ଆଦି । ଜିଣିଲା ସକଳ ସମ୍ପାଦି ॥ ୪୯
    ସର୍ବ ନୃପତି ତା ଚରଣେ । ଧନେ ଖଟିଲେ ଦାସପଣେ ॥ ୫୦
    କେତେହେଁ ଲୋକ ତାର ଆଗେ । କୃଷ୍ଣଚରିତ ନାନାରଙ୍ଗେ ॥ ୫୧
    ଆତ୍ମାକୁ ରଖିଲେ ଯେମନ୍ତେ । ଦ୍ରୋଣକୁମର ଶସ୍ତ୍ରଘାତେ ॥ ୫୨
    ବୃଷ୍ଣି ପାଣ୍ତବ ବନ୍ଧୁ ପଣେ । ଭକତି କୃଷ୍ଣ ଚରଣେ ॥ ୫୩
    ପୂର୍ବୁପୁରୁଷଙ୍କର ବାଣୀ । ତୋଷ ତାହାଙ୍କ ମୁଖୁ ଶୁଣି ॥ ୫୪
    ସନ୍ତୋଷ ହେଲେ ନୃପମଣି । ଉତ୍ତମ-ଧନ-ବସ୍ତ୍ର ଆଣି ॥ ୫୫
    ତାହାଙ୍କୁ ଦେଲେ ପୁରସ୍କାର । ରତ୍ନ-କଙ୍କଣ-ମଣିହାର ॥ ୫୬
    ପାଣ୍ତବ ତୁଲେ ଯେତେ ଭାବ । ସଂସାରେ ସାଧିଲେ ମାଧବ ॥ ୫୭
    ରଣେ ସାରଥି ପଣେ ରଥେ । ଯେ ବନବାସ ଘୋରପଥେ ॥ ୫୮
    ଦୁଃଖୁ ଉଦ୍ଧାରି ସଖାପଣେ । ହସ୍ତିନା ଗଲେ ଦୂତପଣେ ॥ ୫୯
    ଆସନ ଶୟନ ଭୋଜନେ । ସ୍ମୃତିବଚନେ ବନ୍ଧୁପଣେ ॥ ୬୦
    ଏ ଆଦି ଯେତେ କର୍ମକରି । ପାଣ୍ତବ ସଙ୍ଗତେ ବିହରି ॥ ୬୧
    ସେ ଭାବଘେନି ଦୃଢ଼ଚିତ୍ତେ । ଭଜିଲା କୃଷ୍ଣ-ପାଦଗତେ ॥ ୬୨
    ପୂର୍ବୁପୁରୁଷଙ୍କର ଧର୍ମ । ସାଧିଲା ଅନୁଦିନେ କର୍ମ ॥ ୬୩
    ସେ ପୁଣି ନିଜ କର୍ମବଶେ । ଲଭିଲା ଅଳପ-ବୟସେ ॥ ୬୪
    ତାର ଆଶ୍ଚର୍ଯ୍ୟକଥା ଯେତେ । ଶୁଣ ଶୌନକ ଶୁଦ୍ଧଚିତ୍ତେ ॥ ୬୫
    ଧର୍ମ ଯେ ଏକପାଦ ବହି । ଦିନେ ସେ ବୃଷରୂପ ହୋଇ ॥ ୬୬
    ଭୂମିକି ଦେଖି ଧେନୁରୂପେ । ବିଶ୍ୱାସେ ମିଳିଲା ସମୀପେ ॥ ୬୭
    ସେ ଧେନୁ ଅତିଦୁଃଖେ ଦୁଃଖୀ । ଅଧୋବଦନେ ଅଶ୍ରୁମୁଖୀ ॥ ୬୮
    କାନ୍ଦଇ ତେଜହୀନ ହୋଇ । ବତ୍ସା ବିହୁନେ ଯେହ୍ନେ ଗାଈ ॥ ୬୯
    ତାର ବଦନ ଚାହିଁ ଧୀରେ । ଧର୍ମ ପୁଚ୍ଛଇ ପ୍ରିୟଭରେ ॥ ୭୦
    ଭୋ ବସୁନ୍ଧରୀ ସତ୍ୟ କହ । ତୋର ବିଷୟେ ମୋ ସନ୍ଦେହ ॥ ୭୧
    ତୋର ଶରୀରେ କିବା ବ୍ୟାଧି । ଅନ୍ତର-ବାହାରେ ଆଚ୍ଛାଦି ॥ ୭୨
    ବିରସ ବଦନ ତୋହର । ଯେ ମୁଖ ସ୍ୱଭାବେ ସୁନ୍ଦର ॥ ୭୩
    କିବା ତନୟ ତୋର ମଲା । ସ୍ୱାମୀ ବା ଦୂରେ ପ୍ରବାସିଲା ॥ ୭୪
    କିବା ତୋହର ମନବ୍ୟଥା । କି ନଷ୍ଟଧନେ ତୋର ଚିନ୍ତା ॥ ୭୫
    ଏକଇ ପାଦ ଦେଖି ମୋତେ । ଦୟା ବସିଲା ତୋର ଚିତ୍ତେ ॥ ୭୬
    କିବା ଏ ଘୋର କଳିକାଳେ । ଶୂଦ୍ରେ ଭୁଞ୍ଜିବେ ତୋତେ ବଳେ ॥ ୭୭
    କିବା ଦେବଙ୍କ ପ୍ରୀତି ଛଳେ । ଯଜ୍ଞ ନୋହିଲା ମହୀତଳେ ॥ ୭୮
    ତେଣୁ ବା ଇନ୍ଦ୍ର ନ ବର୍ଷିଲେ । ଏଣୁ ବା ପ୍ରଜାନାଶ ଗଲେ ॥ ୭୯
    କି ବା ପୁରୁଷେ ନିଜ ନାରୀ । ଉପେକ୍ଷି ପରଦାରା କରି ॥ ୮୦
    କି ବା ବାଳକେ ପିତାମାତା । ଛାଡ଼ିବେ ତେଣୁ ତୋର ଚିନ୍ତା ॥ ୮୧
    କି ବା ବ୍ରାହ୍ମଣେ ବେଦବାଣୀ । ସାଧିବେ ହୀନକୁଳେ ଆଣି ॥ ୮୨
    କି ହୀନ କ୍ଷତ୍ରବନ୍ଧୁ ରାଜା । କଳି-ପୀଡ଼ିତ ଜନପ୍ରଜା ॥ ୮୩
    ନିଜ ଭୁବନ ଛାଡ଼ି ଜନେ । ପଶିବେ ଦୁର୍ଗମ-ବିିପିନେ ॥ ୮୪
    ପ୍ରାଣୀ ନ ମଣି ସ୍ଥାନାସ୍ଥାନ । ଆସନ ଶୟନ ଭୋଜନ ॥ ୮୫
    କରିବେ ପରପାକେ ମତି । ପର ଯୁବତୀ ସଙ୍ଗେ ରତି ॥ ୮୬
    କିବା ତୋହର ଗୁରୁଭାର । ଖଣ୍ତିଲା କୃଷ୍ଣ-ଅବତାର ॥ ୮୭
    ତାର ଚରଣ ତୋ ଉପର । ଯେହ୍ନେ ଭୂଷିତ ଅଳଙ୍କାର ॥ ୮୮
    ତାର ଚରିତ ଗୁଣଲୀଳା । କିବା ତୋ ମନ ସୁମରିଲା ॥ ୮୯
    ତାର ବିଯୋଗେ ତୋର ଚିତ୍ତ । ଚିନ୍ତା-ସାଗରେ ମୋହଗତ ॥ ୯୦
    ଏ ଆଦି ଯେତେ ଚିନ୍ତାଭାର । କହ ତୋ ବିମନ ବେଭାର ॥ ୯୧
    ଦେବେ ପୂଜନ୍ତି ତୋତେ ଭଲେ । ଏବେ ଅବଜ୍ଞା କିବା କଲେ ॥ ୯୨
    କାଳ ବା ତୋର ଶୁଭ ହରି । ଏଣୁ ଦିଶିଲୁ ହତଶିରୀ ॥ ୯୩
    ଧର୍ମ ବୃଷଭ ବାକ୍ୟ ଶୁଣି । ଧରଣୀ କହେ ମନେ ଗୁଣି ॥ ୯୪

    ଧରଣୀ ଉବାଚ

    ଭୋ ବୃଷ ଯେତେ ପ୍ରଶ୍ନ ତୋର । ଏ ତୋତେ ନୋହେ ଅଗୋଚର ॥ ୯୫
    ତୋହର ଚତୁର ଚରଣ । ପ୍ରାଣୀଙ୍କ ସୁଖର କାରଣ ॥ ୯୬
    ସତ୍ୟ ଶଉଚ ଦୟା କ୍ଷାନ୍ତି । ତ୍ୟାଗ ସନ୍ତୋଷ ଋଜୁବୃତ୍ତି ॥ ୯୭
    ତପ ସମତା ଶମ ଦମ । ତିତିକ୍ଷା ଇନ୍ଦ୍ରିୟ ସଂଯମ ॥ ୯୮
    ଜ୍ଞାନ ବୈରାଗ୍ୟ ଅଇଶ୍ୱର୍ଯ୍ୟ । ସ୍ୱାତନ୍ତ୍ର୍ୟ ତେଜ ସ୍ମୃତି ଶୌର୍ଯ୍ୟ ॥ ୯୯
    ଧୈର୍ଯ୍ୟ କୌଶଳ ମୃଦୁଭାବ । କାନ୍ତି ବାଗ୍ମିତା ସୁସ୍ୱଭାବ ॥ ୧୦୦
    ବିନୟ ସହ ଓଜବଳ । ସ୍ଥୈର୍ଯ୍ୟ ଗାମ୍ଭୀର୍ଯ୍ୟ ଏ ସକଳ ॥ ୧୦୧
    କୀର୍ତ୍ତି ମାନ ଅନହଙ୍କାର । ଏ ସର୍ବ ଯାହାର ଶରୀର ॥ ୧୦୨
    ଏ ଆଦି ଅନ୍ୟ ଧର୍ମ ଯେତେ । କର୍ମ ସାଧନ ଏ ଜଗତେ ॥ ୧୦୩
    ମହତଜନ ଆଚରଣ । ଆତ୍ମାର ପରମ କାରଣ ॥ ୧୦୪
    ଏ ସର୍ବଗୁଣ ସଉଭାଗେ । ଗମିଲେ ଗୋବିନ୍ଦର ସଙ୍ଗେ ॥ ୧୦୫
    ପଡ଼ିଲା କଳି ଦୃଷ୍ଟିପାତ । ତେଣୁ ଶୋଚନା ମୋର ଚିତ୍ତ ॥ ୧୦୬
    ସେ କୃଷ୍ଣ ବିରହେ କାତର । ତେଣୁ ଶୋଚନା ମୋର ଚିତ୍ତ ॥ ୧୦୭
    ମୁଁ ଏବେ ଆତ୍ମାକୁ ସୁମରି । ଏ ସର୍ବଗୁଣ ମନେ ଧରି ॥ ୧୦୮
    ତୋର ଚରଣ ଭଗ୍ନ ଦେଖି । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୦୯
    ଦେବତା ଋଷି ପିତୃଗଣ । ଯେ ବର୍ଣ୍ଣାଶ୍ରମ ଆଚରଣ ॥ ୧୧୦
    ଏ ସର୍ବ ଧର୍ମ ଗଲା ଦୂର । ମୋତେ ଛାଡ଼ିଲେ ଚକ୍ରଧର ॥ ୧୧୧
    ବ୍ରହ୍ମାଦି ଦେବଦେବୀ ଯେତେ । ନିଶ୍ଚଳେ ମୋହର ସହିତେ ॥ ୧୧୨
    ଯାର ଅପାଙ୍ଗ ମୋକ୍ଷଶିରୀ । ଲଭିବୁ ବୋଲି ଆଶ କରି ॥ ୧୧୩
    କଠୋର ତପ ସାଧି ବନେ । ପ୍ରପନ୍ନ ଯାହାର ଚରଣେ ॥ ୧୧୪
    ସେ ଲକ୍ଷ୍ମୀ ତେଜି ପଦ୍ମବନ । ଯାର ହୃଦୟେ ଲଭି ସ୍ଥାନ ॥ ୧୧୫
    ସେ ସ୍ଥାନେ ନ ରହେ ତା ମନ । ଯାର ଚରଣେ ନିତ୍ୟେ ଧ୍ୟାନ ॥ ୧୧୬
    କରି ବଞ୍ଚଇ ସର୍ବବେଳା । ସେ ହରି ନିଜପୁରେ ଗଲା ॥ ୧୧୭
    ତାର ଚରଣ ଚିହ୍ନ ଯେତେ । ଧ୍ୱଜ ଅଙ୍କୁଶ ମୋର ଗାତ୍ରେ ॥ ୧୧୮
    ସେ ବେଶେ ଅଳଂକୃତ ହୋଇ । ଶୁଦ୍ଧ ସୁନ୍ଦର ବିରାଜଇ ॥ ୧୧୯
    ଯେଣୁ ଛାଡ଼ିଲେ ମୋତେ ହରି । ତେଣୁ ଦିଶଇ ହତଶିରୀ ॥ ୧୨୦
    ଅସୁର ଅକ୍ଷୌହିଣୀ ଭାର । ଉଶ୍ୱାସ କଲା ଯେ ମୋହର ॥ ୧୨୧
    ତୋତେ ସ୍ଥାପିଲେ ଏ ସଂସାରେ । ଅଶେଷ-ଜନ-ଉପକାରେ ॥ ୧୨୨
    ଯାଦବବଂଶ ହିତକର । ଅଶେଷ-ଅନଙ୍ଗ-ସୁନ୍ଦର ॥ ୧୨୩
    ଏ ତିନିଲୋକ ମନ ମୋହେ । ଶ୍ୟାମସୁନ୍ଦର ନିଜ ଦେହେ ॥ ୧୨୪
    ସେ ରୂପ ହୋଇଲା ଅନ୍ତର । ତେଣୁ ବିବର୍ଣ୍ଣ ରୂପ ମୋର ॥ ୧୨୫
    କଥନ ମନୋହର ସ୍ମିତେ । ପ୍ରେମାବଲୋକ ବହୁମତେ ॥ ୧୨୬
    ଦ୍ୱାରକାପୁର ନାରୀଙ୍କର । ଯେ ମାନ ହରେ ନିରନ୍ତର ॥ ୧୨୭
    ଯାର ଚରଣ ରେଣୁ ଲାଗି । ତୃଣ ଛଳେ ମୁଁ ପୁଲକାଙ୍ଗୀ ॥ ୧୨୮
    ତାର ବିଯୋଗ କେବା ସହି । ଏ ଜୀବଲୋକେ ଦେହ ବହି ॥ ୧୨୯
    ସୂତ କହନ୍ତି ଅବଧାନେ । ଏବେ ହୋ ଶୁଣ ମୁନିଜନେ ॥ ୧୩୦

    ସୂତ ଉବାଚ

    ଏମନ୍ତେ କହୁ କହୁ ବାଣୀ । ଧର୍ମର ସଙ୍ଗତେ ଧରଣୀ ॥ ୧୩୧
    ସେ ପରୀକ୍ଷିତ ଦଣ୍ତଧାରୀ । ଦିଗବିଜୟ କର୍ମ ସାରି ॥ ୧୩୨
    ଧର୍ମ ଧରଣୀ ସଙ୍ଗମେଳେ । ମିଳିରେ ସରସ୍ୱତୀ କୂଳେ ॥ ୧୩୩
    ବୋଲଇ ଦାସ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ॥ ୧୩୪
    ଭବସିନ୍ଧୁ-ତରଣେ-ଭେଳା । ଏଣେ ସୁଜନେ ହୁଅ ମେଳା ॥ ୧୩୫
    ଅମୃତ କୃଷ୍ଣର ଚରିତ । ପ୍ରଥମ ସ୍କନ୍ଧେ ଭାଗବତ ॥ ୧୩୬
    ଅମୃତରସ କୃଷ୍ଣବାଣୀ । ସୁଜନେ ତର ଏହା ଶୁଣି ॥ ୧୩୭


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପୃଥ୍ୱୀଧର୍ମସମ୍ୱାଦୋ ନାମ ଷୋଡ଼ଶୋଽଧ୍ୟାୟଃ ।।

    ସପ୍ତଦଶ ଅଧ୍ୟାୟ

    ସୂତ ଉବାଚ

    ଏବେ ହୋ ଶୁଣ ମୁନିଜନେ । ହରି ଚରିତ ଶୁଦ୍ଧମନେ ॥ ୧
    ସେ ପ୍ରାଚୀ ସରସ୍ୱତୀ କୂଳେ । ପ୍ରବେଶ ଚତୁରଙ୍ଗ ବଳେ ॥ ୨
    ସେ ରାଜଋଷି ପରୀକ୍ଷିତ । ତେଜେ କି ବିରାଜେ ଆଦିତ୍ୟ ॥ ୩
    ତକ୍ଷଣେ ସରସ୍ୱତୀ କୂଳେ । ମିଳିଲେ ଗୋ-ମିଥୁନ ମେଳେ ॥ ୪
    ଦେଖିଲେ ରାଜରୂପଧାରୀ । ଲୁହାର ଯଷ୍ଟି କରେ ଧରି ॥ ୫
    ସ୍ୱଭାବେ ଶୂଦ୍ର ତାର ଦେହୀ । ନଟର ପ୍ରାୟ ସଜ ହୋଇ ॥ ୬
    ସର୍ପର ପ୍ରାୟେ ଘୋରନାଦେ । ଦଣ୍ତ ପ୍ରହାରେ ବୃଷ ପାଦେ ॥ ୭
    ସ୍ୱଭାବେ ଏକଇ ଚରଣ । ପ୍ରହାର କରେ ପୁଣା ପୁଣ ॥ ୮
    ତାର ପ୍ରହାରେ ସେ ବିକଳ । ଲୋଚନୁ ବହେ ଅଶ୍ରୁଜଳ ॥ ୯
    କମ୍ପଇ ମହାଭୟେ ଦେହୀ । ମୂତ୍ର ପୁରୀଷ ଉତ୍ସର୍ଗଇ ॥ ୧୦
    ତାର ପ୍ରହାରେ ଧେନୁ କାନ୍ଦେ । ସ୍ଥିର ନ ରହେ ଚାରିପାଦେ ॥ ୧୧
    ପାଦେ ପ୍ରହାରେ ଧେନୁ ପୁଣ । ଲୁଟଇ ଚତୁର ଚରଣ ॥ ୧୨
    ବତ୍ସା ବିହୀନ କୃଶଦେହୀ । କ୍ଷୁଧାେର୍ ଭୋଜନ ଇଚ୍ଛଇ ॥ ୧୩
    ତାର ନିକଟେ ରଥେ ଥାଇ । ରାଜନ ଅଳଙ୍କୃତ ଦେହୀ ॥ ୧୪
    ବାର ଆରୋପି ଧନୁର୍ଗୁଣେ । ଗଭୀର କୋମଳ ବଚନେ ॥ ୧୫
    ଅନାଇଁ ବୃଷଭ ବଦନ । ପୁଚ୍ଛଇ ପ୍ରହାର କାରଣ ॥ ୧୬
    ସେ ଦୁଷ୍ଟ ପୁରୁଷକୁ ଚାହିଁ । ରାଜନ କହେ ରୋଷବହି ॥ ୧୭

    ରାଜା ଉବାଚ

    କହ ଏ କେବଣ କାରଣ । କିମ୍ପାଇ କରୁ ପ୍ରହାରଣ ॥ ୧୮
    କାହୁଁ ଅଇଲୁ ତୁ ପୁରୁଷ । କହ ତୋହର ନାମ କିସ ॥ ୧୯
    ମୋର ଶରଣ ନରଲୋକ । ଏହାକୁ କରୁ ତୁ ନିରେଖ ॥ ୨୦
    ନିର୍ବଳ ପ୍ରାଣୀଙ୍କି ତୁ ବଳେ । ପ୍ରହାରୁ ବଳିଆର ଛଳେ ॥ ୨୧
    ବେଶେ ତୁ ରାଜରୂପ ବହୁ । ନଟର ପ୍ରାୟ ଦ୍ୱିଜ ନୋହୁ ॥ ୨୨
    କହ ଏ କେବଣ କାରଣ । ଦେଖ ମୋ କରେ ଧନୁର୍ବାଣ ॥ ୨୩
    ଦେଖ ଅର୍ଜୁନ ସଙ୍ଗେ କରି । ନିଜ ଭୁବନେ ଗଲେ ହରି ॥ ୨୪
    ସେ ତ ସ୍ୱଭାବେ ଅରକ୍ଷିତ । ପ୍ରାଣୀଙ୍କି କିମ୍ପା କରୁ ହତ ॥ ୨୫
    ପ୍ରାଣୀ ସଂହରୁ ଅବହେଳେ । କାଳ ତୋ ପୂରିଲା ନିଶ୍ଚଳେ ॥ ୨୬
    ପୁଣି ବୃଷଭ ମୁଖ ଚାହିଁ । ସମ୍ଭ୍ରମ ଚିତ୍ତେ ପଚାରଇ ॥ ୨୭
    ତୁ ବୃଷ ମୃଣାଳ ଧବଳ । ଏକଇ ପାଦେ ତୁମ୍ଭେ ଚଳ ॥ ୨୮
    ତିନି ଚରଣ ତୋର ଥିଲା । କହ କି ହେତୁ କେଣେ ଗଲା ॥ ୨୯
    କେଉଁ ଦେବତା କହ ତୁହି । ମାୟାରେ ବୃଷରୂପ ହୋଇ ॥ ୩୦
    ଏ କଥା ମୋତେ ବଡ଼ ଗରୁ । ମୋହର ମନେ ଖେଦ କରୁ ॥ ୩୧
    ଦେଖ କୌରବ ବଂଶଭୁଜେ । ପ୍ରଜା ରକ୍ଷିତ ମୋର ରାଜ୍ୟେ ॥ ୩୨
    ପ୍ରାଣୀ ଲୋଚନୁ ଅଶ୍ରୁଜଳ । ତୋ ବିନୁ ନ ପଡ଼ଇ ତଳ ॥ ୩୩
    ପୁଣି ସୁରଭୀ ମୁଖ ଚାହିଁ । ଆଶ୍ୱାସ ବାକ୍ୟେ ପଚାରଇ ॥ ୩୪
    ତୁ ଧେନୁ କାନ୍ଦୁ କାହିଁପାଇଁ । ବୃଷଭ ଭୟ ତୋର ନାହିଁ ॥ ୩୫
    ଭୋ ମାତ ରୋଦନ ନ କର । ମୁହିଁ ଖଳଙ୍କ ଦର୍ପହର ॥ ୩୬
    ମୁହିଁ ପାଳକ ଅଛି ଯହିଁ । ମୋର ପ୍ରଜାଙ୍କୁ ଦୁଃଖ କାହିଁ ॥ ୩୭
    ଯାହାର ରାଜ୍ୟେ ପ୍ରଜାକୁଳେ । ହିଂସା କରନ୍ତି ଦୁଷ୍ଟଖଳେ ॥ ୩୮
    ତା ଯେବେ ରାଜା ନ ଶୁଣଇ । ତାର ଆୟୁଷ ଯଶ କାହିଁ ॥ ୩୯
    ନାଶଇ ଇହ ପରଲୋକ । ଅନ୍ତେ ସେ ପଡ଼ଇ ନରକ ॥ ୪୦
    ରାଜପଣର ଧର୍ମ ଏହି । ନିଶ୍ଚିନ୍ତେ ପ୍ରଜା ଯେ ପାଳଇ ॥ ୪୧
    ଏଣୁ ଏହାକୁ ବଧ କରି । ଧର୍ମେ ଅଧର୍ମ ଦୂର କରି ॥ ୪୨
    ପ୍ରଜାରକ୍ଷଣେ ଏ କାରଣ । ଏବେ ହୋ ବୃଷଭ ତୁ ଶୁଣ ॥ ୪୩
    ତୋର ଚତୁରପାଦ ଥିଲା । ତିନିଚରଣ କେଣେ ଗଲା ॥ ୪୪
    କୃଷ୍ଣସେବକ ରାଜ୍ୟେ କେହି । ତୋ ପରି ଦୁଃଖଚିତ୍ତେ ନାହିଁ ॥ ୪୫
    କୃଷ୍ଣାନୁବ୍ରତୀ ରାଜା ଯେତେ । ତାହାଙ୍କ ରିପୁ ଏ ଜଗତେ ॥ ୪୬
    ଧର୍ମ ନାଶନ୍ତି ମହୀତଳେ । ଯେ ସାଧୁ ହିଂସେ ଅବହେଳେ ॥ ୪୭
    ତୋହର ବିରୂପ ଚରଣ । ପାଣ୍ତବବଂଶେ ଏ ଦୂଷଣ ॥ ୪୮
    ନିର୍ଦ୍ଦୋଷ ପ୍ରାଣୀଙ୍କି ଯେ ହିଂସେ । ସେ ଅପରାଧେ ଆତ୍ମା ନାଶେ ॥ ୪୯
    ତାହା ତୁ କହ ମୋ ଆଗର । ମଙ୍ଗଳ କରିବି ତୁମ୍ଭର ॥ ୫୦
    ସଂସାରେ ପାପୀଜନଙ୍କର । ମୋ ଭୟେ ହୃଦୟ କାତର ॥ ୫୧
    ସାଧୁଙ୍କ ମଙ୍ଗଳ ନିମନ୍ତେ । ଅସାଧୁଗଣ ନାଶ ଅର୍ଥେ ॥ ୫୨
    ଏଣୁ ଏ ଲୋକେ ଅପଯଶ । ଯେ କରେ ହୋଇ ନିରଙ୍କୁଶ ॥ ୫୩
    ମୁହିଁ ତାହାର ଭୁଜ ଦୁଇ । ଛେଦିବି ଯେବେ ଦେବ ହୋଇ ॥ ୫୪
    ରାଜା ପରମଧର୍ମ ଏହି । ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ॥ ୫୫
    ସ୍ୱଧର୍ମେ ପାଳେ ବସୁନ୍ଧରୀ । ଖଳ ଚଉର୍ଯ୍ୟଙ୍କୁ ନିବାରି ॥ ୫୬
    ଯେ ଚାରିବର୍ଣ୍ଣ ଏ ଜଗତେ । ସ୍ୱଧର୍ମ ଛାଡ଼ି ଅନ୍ୟପଥେ ॥ ୫୭
    ତାହାଙ୍କ ଗର୍ବ ଯେବେ ହରେ । ସେ ରାଜଧର୍ମ ରାଜ୍ୟ କରେ ॥ ୫୮
    ରାଜାର ବାକ୍ୟ ଶୁଣି ତୋଷେ । ସେ ଧର୍ମ କହନ୍ତି ହରଷେ ॥ ୫୯

    ଧର୍ମ ଉବାଚ

    ପାଣ୍ତବବଂଶେ ଏ ବେଭାର । ଆରତ ପ୍ରାଣୀ ଭୟ ହର ॥ ୬୦
    ଯାହାର ପୁଣ୍ୟଗୁଣେ ହରି । ସାରଥି ଦୂତପଣ କରି ॥ ୬୧
    ଶୁଣ ହୋ ପୁରୁଷ-ଉତ୍ତମ । ଯାହାର ଯେବା ନିଜଧର୍ମ ॥ ୬୨
    ପ୍ରାଣୀଙ୍କ କ୍ଳେଶବୀଜ ଯେତେ । ପ୍ରକାଶ ନୋହେ ମୋର ଚିତ୍ତେ ॥ ୬୩
    ଯେ ବାକ୍ୟଭେଦ ବିମୋହନ । ତାକୁ ନ ଜାଣେ ତେଣୁ ଜନ ॥ ୬୪
    କେ ଆତ୍ମଜ୍ଞାନେ ଆତ୍ମା ଧରେ । ଆତ୍ମାର ବିକଳ୍ପ ବିଚାରେ ॥ ୬୫
    କେ ବୋଲେ ଦୈବ ବଳୀୟାର । କେ ବୋଲେ କର୍ମର ଏ ଫଳ ॥ ୬୬
    କେ ବୋଲେ ସ୍ୱଭାବ ଏହାର । ବ୍ରହ୍ମାଶଙ୍କରେ ଅଗୋଚର ॥ ୬୭
    ତର୍କି ନ ପାରି ଯାହା ମନେ । କେ ତାହା କହିବ ବଚନେ ॥ ୬୮
    ଏ ଆଦି ଯେ ବିଧି ବୃତ୍ତାନ୍ତ । ତୁ ରାଜା ଏହା ମନେ ଚିନ୍ତ ॥ ୬୯

    ସୂତ ଉବାଚ

    ଏମନ୍ତେ ଧର୍ମମୁଖୁ ବାଣୀ । ସେ ରାଜା ସାବଧାନେ ଶୁଣି ॥ ୭୦
    ମନରୁ ଖେଦ ଦୂର କଲା । ସ୍ୱରୂପେ ଧର୍ମକୁ ଦେଖିଲା ॥ ୭୧
    ଦେହେ ଉତ୍ତରୀ ଅକ୍ଷମାଳ । କଟୀରେ ଅଜିନ ଦୁକୂଳ ॥ ୭୨
    ଲମ୍ବ ସୁନ୍ଦର ଚାରିକର । ଶିରେ ଶୋଭିତ ଜଟାଭାର ॥ ୭୩
    ତନୁ ଶଶାଙ୍କ-ବପୁ ଗଞ୍ଜେ । ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ ॥ ୭୪
    ଯେସନେ ତଡ଼ିତ ତରାସ । ରାଜା ଦେଖିଲା ଏହୁ ବେଶ ॥ ୭୫
    ରାଜାକୁ ସ୍ୱରୂପ ଦେଖାଇ । ସେ ବୃଷ ଏକପାଦେ ରହି ॥ ୭୬
    ରାଜା ଦେଖିଲା ଧର୍ମ ରୂପ । ଚିତ୍ତେ ପ୍ରକାଶେ ଜ୍ଞାନଦୀପ ॥ ୭୭
    କପୋଳେ ଦେଇ ବେନିକର । ଧର୍ମକୁ ବୋଲେ ନୃପବର ॥ ୭୮

    ରାଜା ଉବାଚ

    ତୁ ଧର୍ମ ଧର୍ମକଥା କହୁ । ଛଳେ ବୃଷଭ ରୂପ ବହୁ ॥ ୭୯
    ଅଧର୍ମ କର୍ମ ଯେ କରଇ । ଯେ ଅବା ତାହା ପ୍ରକାଶଇ ॥ ୮୦
    ନରକେ ଗତି ଦୁହିଙ୍କର । ଏ ରୂପେ ଶାସ୍ତ୍ରର ବିଚାର ॥ ୮୧
    କିବା ଏ ଦେବମାୟା ଗତି । କେ ଜାଣି ବାରେ ଚିତ୍ତେ ଚିନ୍ତି ॥ ୮୨
    ମନ ବଚନେ ଅଗୋଚର । ନିଶ୍ଚୟ ବିଚାର ପ୍ରାଣୀର ॥ ୮୩
    ତୋହର ଚତୁର ଚରଣ । ପ୍ରଥମ ଯୁଗେ ଆଚରଣ ॥ ୮୪
    ତପ ଶଉଚ ଦୟା ସତ୍ୟ । ଏ ଯୁଗ ଅନୁରୂପେ କୃତ୍ୟ ॥ ୮୫
    ସତ୍ୟର ସଙ୍ଗେ ତପ ଗଲା । ଶଉଚ ତ୍ରେତୟା ହରିଲା ॥ ୮୬
    ଦ୍ୱାପର ଗଲା ଦୟା ସଙ୍ଗେ । ସତ୍ୟ ରହିଲା କଳିଯୁଗେ ॥ ୮୭
    ତପକୁ ଗର୍ବ ନାଶ କଲା । ଶଉଚ ସଙ୍ଗ ସଂହାରିଲା ॥ ୮୮
    ଦୟା ହରିଲା ମଦ ବଳେ । ସତ୍ୟ ଯେ ରହିଲା ନିଶ୍ଚଳେ ॥ ୮୯
    ଯେ ସତ୍ୟବଳେ ପ୍ରାଣୀ ତୋତେ । ସାଧନ୍ତି କର୍ମ ନାନାମତେ ॥ ୯୦
    ଏବେ ଯେ ଅଛି ଏକପାଦ । ଏ କଳି ତାହାକୁ ଆପଦ ॥ ୯୧
    ଚିନ୍ତଇ ମିଥ୍ୟା ଅଧର୍ମରେ । ଏ କିମ୍ପା ମୋର ଅଧିକାରେ ॥ ୯୨
    କଠୋର ସତ୍ୟ ଯେ ପାଳିବ । ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ ॥ ୯୩
    ଏ ସତ୍ୟଭାବୁଁ ସତ୍ୟଯୁଗ । ଏ କଳି ଅନ୍ତେ ପ୍ରକାଶିବ ॥ ୯୪
    ଏ ଭୂମି ଭାରାଭର ହରି । ଶ୍ରୀକୃଷ୍ଣ ଗଲେ ଅପସରି ॥ ୯୫
    କୃଷ୍ଣର ପାଦପଦ୍ମ ଚିହ୍ନ । ମଣି କୁଣ୍ତଳ ଶୋଭାବନ ॥ ୯୬
    ପବିତ୍ର ସୁନ୍ଦର ଶରୀର । ଦେଖି ସାନନ୍ଦ ସୁରନର ॥ ୯୭
    ସେ ହରି ଛାଡ଼ିଗଲା ଯେବେ । ଦେଖ ଏହାର ଦୁଃଖ ଏବେ ॥ ୯୮
    ଦୁର୍ଭଗା ପ୍ରାୟେ ଅଶ୍ରୁମୁଖୀ । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୯୯
    ପାପିଷ୍ଠ ଶୂଦ୍ରରାଜା ଯେତେ । ସର୍ବେ ଭୁଞ୍ଜିବେ ମିଳି ମୋତେ ॥ ୧୦୦
    ଏମନ୍ତେ ଧର୍ମ ବସୁନ୍ଧରୀ । ବାକ୍ୟ ପ୍ରବନ୍ଧେ ବୋଧ କରି ॥ ୧୦୧
    ତୀକ୍ଷ୍ଣ ଖଡ଼ଗ ଧରି ହସ୍ତେ । ମିଳିଲା କଳିର ଅଗ୍ରତେ ॥ ୧୦୨
    ଅଧର୍ମ ହେତୁ ବଳେ ମାରି । ମୁହିଁ ପାଳିବି ବସୁନ୍ଧରୀ ॥ ୧୦୩
    କଳି ଦେଖିଣ ତା ବଦନ । ଛାଡ଼ିଲା ନୃପତି ଲାଞ୍ଛନ ॥ ୧୦୪
    ପ୍ରାଣ କାତରେ ଉଦବେଗେ । ପଡ଼ିଲା ରାଜା ପାଦଯୁଗେ ॥ ୧୦୫
    ସେ କଳି ଜୀବନ ବିକଳେ । ପାଦେ ପଡ଼ିଲା ଯେତେବେଳେ ॥ ୧୦୬
    ଦେଖିଣ କଳିର ବିକଳ । ସ୍ୱଭାବେ ମେଦିନୀ ବତ୍ସଳ ॥ ୧୦୭
    ତାର ବିକଳ ମୁଖ ଦେଖି । ଖଡ଼ଗ ଭୁଜ ଉର୍ଦ୍ଧ୍ୱେ ରଖି ॥ ୧୦୮
    ଛେଦନ ନ କରି ତା ଶିର । ହସି ବୋଲନ୍ତି ନୃପବର ॥ ୧୦୯

    ରାଜା ଉବାଚ

    ତୁ ଯେ ଅଞ୍ଜଳି ଶିରେ ଧରି । ପାଦେ ପଡ଼ିଲୁ ଭୟ କରି ॥ ୧୧୦
    ଅର୍ଜୁନବଂଶେ ଜାତ ଯାର । ତାହାକୁ ଭୟ ନାହିଁ ତୋର ॥ ୧୧୧
    ଅଧର୍ମବନ୍ଧୁ ତୁ ସ୍ୱଭାବେ । ମୋର ବଚନ ଶୁଣ ଏବେ ॥ ୧୧୨
    ମୋହର କ୍ଷେତ୍ରେ ନ ପଶିବୁ । ଯେବେ ତୁ ଜୀବନେ ବଞ୍ଚିବୁ ॥ ୧୧୩
    ତୁ କେହ୍ନେ ଥିବୁ ରାଜଘରେ । ଅଧର୍ମ ଯୂଥ ତୋ ସଙ୍ଗରେ ॥ ୧୧୪
    ଲୋଭ ଅସତ୍ୟ ଚୌର୍ଯ୍ୟକର୍ମ । ଏ ଆଦି ଅଶେଷ ଅଧର୍ମ ॥ ୧୧୫
    ଦୁର୍ଜନ ଆଚରଣ ଅହଂ । ମାୟା କଳହ ଦମ୍ଭ ମୋହ ॥ ୧୧୬
    ତୋହର ସଙ୍ଗେ ଥାନ୍ତି ଏତେ । ମୋ ଦେଶେ ଥିବୁ ତୁ କେମନ୍ତେ ॥ ୧୧୭
    ଯେ ପ୍ରାଣୀ ଥିବେ ସତ୍ୟଧର୍ମେ । ତହିଁ ତୁ ନ ପଶିବୁ ଭ୍ରମେ ॥ ୧୧୮
    ଏ ବ୍ରହ୍ମାବର୍ତ୍ତେ ଯେତେ ଜନ । ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ॥ ୧୧୯
    ଆଗମ ନିଗମ ପ୍ରମାଣେ । ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ ॥ ୧୨୦
    ହରିଚରଣେ ପୂଜା କରି । ଯେଣେ ସନ୍ତୋଷ ନରହରି ॥ ୧୨୧
    ସ୍ଥାବର ଆଦି ଚାରିଦେହେ । ବାହ୍ୟ ଅନ୍ତରେ ବ୍ୟାପିରହେ ॥ ୧୨୨
    ଯେହ୍ନେ ପବନ ଏ ଶରୀରେ । ବହଇ ଅନ୍ତର ବାହାରେ ॥ ୧୨୩
    ସେ ହରିପୂଜା କରି ଯହିଁ । ତହିଁ ପ୍ରବେଶ ତୋର ନାହିଁ ॥ ୧୨୪
    ଏ ଧର୍ମ ମୋହର ପ୍ରମାଣ । ଏଥକୁ ସାକ୍ଷ ନାରାୟଣ ॥ ୧୨୫

    ସୂତ ଉବାଚ

    ଶୁଣି ସେ ରାଜାର ଉତ୍ତର । କଳି କମ୍ପଇ ଥରହର ॥ ୧୨୬
    ଉଚ୍ଚେ ଉଞ୍ଚାଇ ଅସିବର । ଯେହ୍ନେ କୁପିତ ଦଣ୍ତଧର ॥ ୧୨୭
    ସେ ରାଜା ମୁଖ କଳି ଚାହିଁ । ବୋଲଇ ଶିରେ କର ଦେଇ ॥ ୧୨୮

    କଳି ଉବାଚ

    ଭୋ ରାଜା ତୋହର ଚରଣେ । ଥିବି ତୋ ଆଜ୍ଞା ପରମାଣେ ॥ ୧୨୯
    ତୋତେ ଦେଖଇ ମୋର ପଛେ । ଖଡ଼ଗ ହସ୍ତେ ତୁ ପ୍ରତ୍ୟକ୍ଷେ ॥ ୧୩୦
    ତୁ ଧର୍ମପ୍ରାଣୀଙ୍କର ସାର । ବିଚାରି ମୋତେ ସ୍ଥାନ କର ॥ ୧୩୧
    ଯହିଁ ନିଶ୍ଚିନ୍ତେ ଥିବି ମୁହିଁ । ତୋହର ଆଜ୍ଞା ଶିରେ ବହି ॥ ୧୩୨
    ସୂତ କହନ୍ତି ଶୁଦ୍ଧମନେ । ଶୁଣ ସକଳ ମୁନିଜନେ ॥ ୧୩୩

    ସୂତ ଉବାଚ

    କଳି ବଚନ ଶୁଣି ହସି । ସନ୍ତୋଷ ଚିତ୍ତେ ରାଜଋଷି ॥ ୧୩୪
    ଚାରି ପ୍ରକାରେ ସ୍ଥାନ ଦେଲା । ନିତ୍ୟେ ଅଧର୍ମ ଯହିଁ ମେଳା ॥ ୧୩୫
    ଦ୍ୟୂତ କାମିନୀ ମଦ୍ୟପାନ । ପ୍ରାଣୀ ମାରଣ ଯେବା ସ୍ଥାନ ॥ ୧୩୬
    ପୁଣି ବୋଲଇ କଳିଯୁଗ । ମୋର ଏ ସ୍ଥାନ ଚାରିଭାଗ ॥ ୧୩୭
    ଯହିଁ ମୁଁ ଥିବି ନିରନ୍ତରେ । ପଞ୍ଚମଭାଗ ଦିଅ ମୋରେ ॥ ୧୩୮
    କଳିର ବାକ୍ୟ ଭାଳି ଚିତ୍ତେ । ସୁବର୍ଣ୍ଣ ଦେଲା ତାର ହସ୍ତେ ॥ ୧୩୯
    ଏ ପଞ୍ଚସ୍ଥାନ ପଞ୍ଚଗୁଣ । ବ୍ରାହ୍ମଣେ ସାବଧାନେ ଶୁଣ ॥ ୧୪୦
    ମିଥ୍ୟା ବସଇ ଦ୍ୟୂତ ମଧ୍ୟେ । କାମ କାମିନୀ ମଦ ମଧ୍ୟେ ॥ ୧୪୧
    ପ୍ରାଣୀ ମାରଣେ ରଜୋଗୁଣ । ସୁବର୍ଣ୍ଣ ମଧ୍ୟେ ରିପୁଗଣ ॥ ୧୪୨
    ଏ ପଞ୍ଚସ୍ଥାନ ତାରେ ଦେଲା । ଯହିଁ ଅଧର୍ମ ସଙ୍ଗମେଳା ॥ ୧୪୩
    ପ୍ରମାଣି ଅଭିମନ୍ୟୁବଳା । କଳିଯୁଗକୁ ସ୍ଥାନ ଦେଲା ॥ ୧୪୪
    ତକ୍ଷଣେ ରାଜାର ବଚନେ । କଳି ବସିଲା ପଞ୍ଚସ୍ଥାନେ ॥ ୧୪୫
    ଏଣୁ ଏମାନଙ୍କୁ ସେବନ । ନ କରେ ବିଜ୍ଞ ଯେଉଁ ଜନ ॥ ୧୪୬
    ସେ ଧର୍ମଶୀଳ ଯେହ୍ନେ ମେରୁ । ସ୍ୱଭାବେ ଲୋକପତି ଗୁରୁ ॥ ୧୪୭
    ତପ ଶଉଚ ଦୟା ତିନି । ବୃଷଭପାଦ ବୋଲି ମାନି ॥ ୧୪୮
    ନିଜର ବିଷୟ ପାଳନେ । ବର୍ତ୍ତିଲା ଏ ଚାରି ଚରଣେ ॥ ୧୪୯
    ଆଶ୍ୱାସ ବାକ୍ୟେ ମନ ହରି । ପୃଥ୍ୱୀକି ସମବୁଦ୍ଧି କରି ॥ ୧୫୦
    ସ୍ୱଭାବେ ସ୍ୱଧର୍ମ ପାଳନେ । ରାଜାର ଉଚିତ ପ୍ରମାଣେ ॥ ୧୫୧
    ଧର୍ମନନ୍ଦନ ଧରି ବୋଳେ । ତପେ ଅରଣ୍ୟେ ଯିବାବେଳେ ॥ ୧୫୨
    ପରୀକ୍ଷେ ରାଜଶିକ୍ଷା ଦେଇ । ସ୍ୱର୍ଗେ ଚଳିଲେ ପାଞ୍ଚଭାଇ ॥ ୧୫୩
    ସେହି ପ୍ରକାରେ ମନେ ଗୁଣି । ରହେ କୌରବ ଶିରୋମଣି ॥ ୧୫୪
    ହସ୍ତିନାପୁରେ ରାଜନୀତି । ପ୍ରଜାପାଳନେ ଚକ୍ରବର୍ତ୍ତୀ ॥ ୧୫୫
    ଏମନ୍ତେ ଅଭିମନ୍ୟୁସୁତ । ପ୍ରଜାପାଳନେ ସୁବିଦିତ ॥ ୧୫୬
    ଯାହାର ରାଜ୍ୟେ ତୁମ୍ଭେ ଥାଇ । ହରି ଭଜୁଛ ଯଜ୍ଞେ ଦାହି ॥ ୧୫୭
    ସେ ହରି ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୫୮


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ କଳିନିଗ୍ରହୋ ନାମ ସପ୍ତଦଶୋଽଧ୍ୟାୟଃ ।।

    ଅଷ୍ଟାଦଶ ଅଧ୍ୟାୟ

    କହନ୍ତି ସୂତ ଶୁଦ୍ଧଚେତା । ଶୁଣ ସକଳ ବ୍ରହ୍ମବେତ୍ତା ॥ ୧

    ସୂତ ଉବାଚ

    ଦ୍ରୋଣକୁମର ଶସ୍ତ୍ରାଘାତେ । ଯେ ରାଜା ବଞ୍ଚି ଗର୍ଭଗତେ ॥ ୨
    କୃଷ୍ଣର ଅନୁଗ୍ରହ ଭାବେ । ନ ମଲା ଜନନୀର ଗର୍ଭେ ॥ ୩
    ବ୍ରାହ୍ମଣ କୋପେ ଶାପ ଦେଲା । ତକ୍ଷକେ ମର ତୁ ବୋଇଲା ॥ ୪
    ତେଣୁ ତକ୍ଷକ ତାକୁ ବଳେ । ବେଗେ ଦଂଶିଲା ଗଙ୍ଗାଜଳେ ॥ ୫
    ମରଣ ଜାଣି ମହୀପତି । ହୃଦେ ଚିନ୍ତିଲା ଯଦୁପତି ॥ ୬
    ହରିମହିମା ପରିମାଣି । ବ୍ୟାସକୁମର ମୁଖୁ ଶୁଣି ॥ ୭
    ଛାଡ଼ିଣ ସର୍ବସଙ୍ଗ ହେଳେ । ଯେ ଜୀବ ଜ୍ଞାନତତ୍ତ୍ୱ ବଳେ ॥ ୮
    ଗଙ୍ଗାରେ ଛାଡ଼ି ନିଜପ୍ରାଣ । ଗୋବିନ୍ଦେ ପଶିଲା ଶରଣ ॥ ୯
    କୃଷ୍ଣର ଗାଥା ଗୁଣପନ୍ତି । ଯେ ନିତ୍ୟେ ହୃଦରେ ଚିନ୍ତନ୍ତି ॥ ୧୦
    କୃଷ୍ଣର କଥାମୃତ ତୁଣ୍ତେ । କହି ରୋମାଞ୍ଚ ନିଜ ପିଣ୍ତେ ॥ ୧୧
    ସର୍ବଦା ପାଦ ଯେ ସ୍ମରନ୍ତି । ମରଣେ କିବା ତାଙ୍କ ଭୀତି ॥ ୧୨
    ସେ ରାଜା ଯେତେଦିନ ଥିଲା । ସଂସାରେ କଳି ନ ପଶିଲା ॥ ୧୩
    ନନ୍ଦନନ୍ଦନ ଯେତେବେଳେ । ତନୁ ଛାଡ଼ିଲେ ମହୀତଳେ ॥ ୧୪
    ତକ୍ଷଣେ ଅଧର୍ମ ପୁରୁଷ । କଳି ଏ ସଂସାରେ ପ୍ରବେଶ ॥ ୧୫
    ସେ ରାଜା ତାକୁ ସ୍ଥାନ ଦେଇ । ସାରଙ୍ଗ ପ୍ରାୟ ସାର ଖାଇ ॥ ୧୬
    କୁଶଳ କର୍ମ ଯେ କରନ୍ତି । ସେ ଫଳ ଏ ଦେହେ ଭୁଞ୍ଜନ୍ତି ॥ ୧୭
    ଇତର ଚିନ୍ତା ନ ଲାଗଇ । ଯେ ଶୁଭକର୍ମେ ନିତ୍ୟେ ଥାଇ ॥ ୧୮
    ସେ କଳିଯୁଗ ଭୟଙ୍କର । ସ୍ୱଭାବେ ସୁବୁଦ୍ଧି ଗଭୀର ॥ ୧୯
    ନିରତେ ଅପ୍ରମତ୍ତ ହୋଇ । ସିଂହର ପ୍ରାୟେ ବିକ୍ରମଇ ॥ ୨୦
    ପ୍ରମତ୍ତ ପ୍ରାୟ ବାଳ ମଧ୍ୟେ । ସେ କଳି ବିହରେ ଆନନ୍ଦେ ॥ ୨୧
    ସେ ପରୀକ୍ଷିତ ଗୁଣଗାଥା । ଯହିଁ ପ୍ରକାଶ କୃଷ୍ଣକଥା ॥ ୨୨
    ପ୍ରସଙ୍ଗେ କହିଲଇଁ ଏବେ । ଯେଣୁ ପୁଚ୍ଛିଲ ପ୍ରିୟଭାବେ ॥ ୨୩
    କୃଷ୍ଣର ଯେତେ ଗୁଣଗାଥା । ଯେ ସାଧୁଜନ ମଧ୍ୟେ କଥା ॥ ୨୪
    ତାର ମହିମା ଶୁଦ୍ଧଚିତ୍ତେ । କହି ବଞ୍ଚନ୍ତି ସାଧୁସନ୍ଥେ ॥ ୨୫
    ନିତ୍ୟେ ତାହାର ପଦ ଚିନ୍ତି । ନିଶ୍ଚୟେ ଗୋବିନ୍ଦେ ପଶନ୍ତି ॥ ୨୬
    ସୂତ ବଚନ ଶୁଣି କର୍ଣ୍ଣେ । ମନ ଆନନ୍ଦେ ମୁନିଜନେ ॥ ୨୭
    କର ପ୍ରସାରି ଜଣେ ଜଣ । ସୂତଙ୍କୁ କରନ୍ତି କଲ୍ୟାଣ ॥ ୨୮

    ଋଷିଜନ ଉବାଚ

    ନିର୍ମଳ-ଯଶ-ଗୁଣ-ଦେହୀ । ଚିର ଜୀବନେ ରହ ତୁହି ॥ ୨୯
    ଆମ୍ଭେ ଯେ ନରଦେହ ବହି । ତୋର ନିକଟେ ଶୁଭେ ଥାଇ ॥ ୩୦
    କୃଷ୍ଣ ଅମୃତ କଥାମାନ । ତୋର ବଚନୁ କର୍ଣ୍ଣେ ପାନ ॥ ୩୧
    କରି ବଞ୍ଚିଲୁ ଦିନାକେତେ । ସୁସାଧୁ ସଙ୍ଗର ଆୟତ୍ତେ ॥ ୩୨
    ଏ ଯଜ୍ଞକର୍ମେ ଆମ୍ଭ ଚିତ୍ତ । ବେଦ ବଚନେ ମୋହଗତ ॥ ୩୩
    ଏ ଯଜ୍ଞ ଧୂମେ ଧୂମାକୁଳ । ଆମ୍ଭର ଆତ୍ମା ହୀନବଳ ॥ ୩୪
    ଫୁଟିଲୁ ଯଜ୍ଞବାଟେ ଭ୍ରମି । ପଥୁକୀ ଯେହ୍ନେ ପଥଶ୍ରମୀ ॥ ୩୫
    ତୁ ଯେ ଆମ୍ଭର ଶ୍ରମ ଜାଣି । କୃଷ୍ଣ ଅମୃତ କଥା ବାଣୀ ॥ ୩୬
    ପାନ କରାଇ ଶ୍ରୁତିମାର୍ଗେ । ରଖିଲ ଆମ୍ଭ ପ୍ରାଣ ବେଗେ ॥ ୩୭
    ହରି ଭକତଜନ ସଙ୍ଗେ । ଯେ କ୍ଷଣେ ବଞ୍ଚେ ନର ଅଙ୍ଗ ॥ ୩୮
    ତା ସଙ୍ଗେ ସ୍ୱର୍ଗ-ଭୋଗ-ମୋକ୍ଷ । କେ ତୁଲ୍ୟ କରିବ ପ୍ରତ୍ୟକ୍ଷ ॥ ୩୯
    ଏଣୁ ଯେ କରେ ସାଧୁସଙ୍ଗ । ତରଇ ଏ ଭବତରଙ୍ଗ ॥ ୪୦
    ପ୍ରାଣୀ ବାଞ୍ଛିତ ଆଶା ଏତେ । ଅଧିକ କ୍ଳେଶ ଏ ଜଗତେ ॥ ୪୧
    କୃଷ୍ଣକଥାରେ ରସ ଯେତେ । ତାହା ଆସ୍ୱାଦି ଶୁଦ୍ଧଚିତ୍ତେ ॥ ୪୨
    କେବା ରସଜ୍ଞ ତାହା ତେଜେ । କର୍ଣ୍ଣ ଜିହ୍ୱାରେ ସୁଖେ ଭୁଞ୍ଜେ ॥ ୪୩
    ଯାହାର ଗୁଣ ଅନ୍ତ ନାହିଁ । ସ୍ୱଭାବେ ନିର୍ଗୁଣ ବୋଲାଇ ॥ ୪୪
    ଭବ ବିରଞ୍ଚି ଯାର ଅନ୍ତ । ପ୍ରମାଣି ନ ପାରେ ଜଗତ ॥ ୪୫
    ଏଣୁ ଭକତ ପ୍ରାଣୀଙ୍କର । ଭାବୁକ ମଧ୍ୟେ ତୁମ୍ଭେ ବର ॥ ୪୬
    ମହତଜନଙ୍କ ଶରଣ । ଯାହାର ଅଭୟ ଚରଣ ॥ ୪୭
    ଶ୍ରୀକୃଷ୍ଣ ଉଦାର ଚରିତ । ବିଶୁଦ୍ଧ ରସେ ଆମ୍ଭ ଚିତ୍ତ ॥ ୪୮
    ଲୋଭିଲା ମଧୁକର ପ୍ରାୟେ । ଭୋ ମୁନି କର ତୁ ସଦୟେ ॥ ୪୯
    କହ ଗୋବିନ୍ଦ-ରସକଥା । ଯେଣେ ଛାଡ଼ିବୁ ଭବବ୍ୟଥା ॥ ୫୦
    ସେ ମହାଭାଗ ପରୀକ୍ଷିତ । ଭକତ ମଧ୍ୟେ ବୁଦ୍ଧିମନ୍ତ ॥ ୫୧
    ବ୍ୟାସନନ୍ଦନ ମୁଖୁ ବାଣୀ । ସାନନ୍ଦେ ଗଙ୍ଗାତୀରେ ଶୁଣି ॥ ୫୨
    କୃଷ୍ଣର ପାଦପଦ୍ମ ଗନ୍ଧେ । ଭୃଙ୍ଗ ଯେସନେ ମକରନ୍ଦେ ॥ ୫୩
    ଗରୁଡ଼ଧ୍ୱଜ ପାଦମୂଳେ । ପ୍ରାଣ ନିବେଶି ଗଙ୍ଗାଜଳେ ॥ ୫୪
    ପଶିଲା ସର୍ବସୁଖ ତେଜି । ହରି ଚରଣ ଭାବେ ଭଜି ॥ ୫୫
    ତାର ଚରିତ ଯୋଗସାର । ସେ ଯେ ଭକତ ମଧ୍ୟେ ବର ॥ ୫୬
    ଅନନ୍ତ ଚରିତ ସଂଯୁତ । ଯେ କର୍ମ କଲେ ପରୀକ୍ଷିତ ॥ ୫୭
    କହ ସକଳ ଆମ୍ଭ ଆଗ । ତୁମ୍ଭେ ସହଜେ ମହାଭାଗ ॥ ୫୮
    ଶୁଣି କହନ୍ତି ସୂତମୁନି । ବିପ୍ରଙ୍କ ଭାବେ ଭାବ ଘେନି ॥ ୫୯

    ସୂତ ଉବାଚ

    ବୋଲନ୍ତି ଭାଗ୍ୟ ଏ ମୋହର । ବୃଦ୍ଧଙ୍କ ମଧ୍ୟେ ପୁରସ୍କାର ॥ ୬୦
    ବିଲୋମେ ଜନ୍ମ ମୁଁ ଲଭିଲି । ସତ୍ କୂଳ ମଧ୍ୟେ ଗଣ୍ୟ ହେଲି ॥ ୬୧
    ମହତଜନଙ୍କୁ ଯେ ପାଇ । ତାର ଦୁଷ୍କୃତ ଦୋଷ କାହିଁ ॥ ୬୨
    ଶ୍ରୀକୃଷ୍ଣ ନାମ ଯେ ଗୁଣନ୍ତି । ଯେ ଅବା ଶ୍ରବଣେ ଶୁଣନ୍ତି ॥ ୬୩
    ତାଙ୍କର କଥା କି କହିବା । ତାଙ୍କୁ ସମାନ ଅଛି କେବା ॥ ୬୪
    ସେ ହରି ସର୍ବଘଟେ ଥାଇ । ଶରଣ ରକ୍ଷଣ ବୋଲାଇ ॥ ୬୫
    ଅନନ୍ତ ଶକ୍ତି ଯେ ଅନନ୍ତ । ମହାନ୍ତଗୁଣ ନାହିଁ ଅନ୍ତ ॥ ୬୬
    ବ୍ରହ୍ମାଦି ଦେବ ଋଷି ଯେତେ । ଯା ଅନୁରୋଧେ ବେଦପଥେ ॥ ୬୭
    ଯୋଗ ସମାଧି ତପେ ଚିନ୍ତି । ଯେ ଲକ୍ଷ୍ମୀ କଟାକ୍ଷ ଇଚ୍ଛନ୍ତି ॥ ୬୮
    ସେ ଲକ୍ଷ୍ମୀ ସର୍ବ ଗୁଣ ଛାଡ଼ି । ତାର ଚରଣେ ଚିତ୍ତ ବଢ଼ି ॥ ୬୯
    ନିତ୍ୟେ ବସଇ ବୃକ୍ଷସ୍ଥଳେ । ଧ୍ୟାନ ନିରୋପି ପାଦମୂଳେ ॥ ୭୦
    କୃଷ୍ଣର ପାଦପଦ୍ମ ରଜେ । ନିଷ୍କାମ ମାର୍ଗେ ନିତ୍ୟେ ଭଜେ ॥ ୭୧
    ଯାହାର ପାଦ ନଖ ଲାଗି । ସ୍ୱଭାବେ ଗଙ୍ଗା ସଉଭାଗୀ ॥ ୭୨
    ସେ ଗଙ୍ଗାଜଳ ଏ ଜଗତେ । ପୂଜନ୍ତି ବିରଞ୍ଚି ସହିତେ ॥ ୭୩
    ସେ ଗଙ୍ଗାନାମ ଉଚ୍ଚାରିଲେ । ପ୍ରାଣୀ ତରନ୍ତି ପାପୁ ଭଲେ ॥ ୭୪
    ଏଣୁ ମୁକୁନ୍ଦ ନାମ ବିନେ । ସଂସାରେ କେବା ଉଚ୍ଚାରଣେ ॥ ୭୫
    ସେ କି ପଦାର୍ଥ ଏ ଜଗତେ । ଚିନ୍ତି ନ ପାରେ ମୁନିସନ୍ଥେ ॥ ୭୬
    ଯାର ଚରଣେ ସିଦ୍ଧଗଣେ । ସମାଧି ଯୋଗ ଆଚରଣେ ॥ ୭୭
    ଛାଡ଼ି ବିଷୟ ମୁନିଗଣ । ନିତ୍ୟେ କରନ୍ତି ସୁମରଣ ॥ ୭୮
    ଭକ୍ତି ସମାଧି ଦୃଢାସନେ । ତରିଲେ ସଂସାର ବନ୍ଧନେ ॥ ୭୯
    ହେ ଅର୍ଯ୍ୟମଣ ମୁନି ଯେତେ । ତୁମ୍ଭେ ଯେ ପଚାରିଲ ମୋତେ ॥ ୮୦
    କହିବି କୃଷ୍ଣର ମହିମା । ଯେ ଅବା ତାର ଗୁଣସୀମା ॥ ୮୧
    କେ ଅବା ପାରେ ମୁଖେ କହି । ଯେହ୍ନେ ଗଗନ ଅନ୍ତ ନାହିଁ ॥ ୮୨
    କୃଷ୍ଣ ମହିମା ସେହିମତେ । ଯେ ପକ୍ଷୀ ଉଡ଼ିପାରେ ଯେତେ ॥ ୮୩
    ତାର ବାରତା ସେ ଜାଣନ୍ତି । ଅଧିକେ ନ ପାରନ୍ତି ଚିନ୍ତି ॥ ୮୪
    ଏଣୁ ପଣ୍ତିତଜନ ଯେତେ । ଜ୍ଞାନ ବିଚାରି ଏ ଜଗତେ ॥ ୮୫
    କୃଷ୍ଣର ମହିମା ବିଚାରେ । ସହସ୍ରଜନ୍ମେ କେବା ପାରେ ॥ ୮୬
    ଏବେ ହୋ ଶୁଣ ବିପ୍ରଜନେ । ହରିଚରିତ ଶୁଦ୍ଧମନେ ॥ ୮୭
    ସେ ପରୀକ୍ଷିତ ଏକଦିନେ । ମୃଗୟା ଅର୍ଥେ ଗଲା ବନେ ॥ ୮୮
    ମୃଗ ନ ପାଇ ଘୋରବନେ । କ୍ଷୁଧିତ ତୃଷିତ ବଦନେ ॥ ୮୯
    ଜଳ ନ ପାଇ ପଥଶ୍ରମେ । ମିଳିଲା ମୁନିଙ୍କ ଆଶ୍ରମେ ॥ ୯୦
    ଦେଖଇ ଏକବୃକ୍ଷ ତଳେ । ବ୍ରାହ୍ମଣ ଆସନ ନିଶ୍ଚଳେ ॥ ୯୧
    ଆନନ୍ଦେ ମୁଦ୍ରିତ ଲୋଚନେ । ଆତ୍ମା ନିବେଶି ଯୋଗଧ୍ୟାନେ ॥ ୯୨
    ନିଶ୍ଚଳ ଆତ୍ମା ମନ ବୁଦ୍ଧି । ପବନ ନବଦ୍ୱାରେ ରୁନ୍ଧି ॥ ୯୩
    ଇନ୍ଦ୍ରିୟଗଣ ପ୍ରତ୍ୟାହାରେ । ଧ୍ୟାନେ ପ୍ରବେଶ ଶୂନ୍ୟପୁରେ ॥ ୯୪
    ଆଧାର ଲିଙ୍ଗ ନାଭିହୃଦେ । କଣ୍ଠମଣ୍ତଳ ଭୂରୁମଧ୍ୟେ ॥ ୯୫
    ମନପବନ ବ୍ରହ୍ମରନ୍ଧ୍ରେ । ନିବେଶି ଅଛନ୍ତି ଆନନ୍ଦେ ॥ ୯୬
    ଯୋଗନିଶ୍ଚଳ ବ୍ରହ୍ମଭୂତ । ତିନିବିକାରୁ ସେ ଅତୀତ ॥ ୯୭
    ପ୍ରକୀର୍ଣ୍ଣ ଜଟାଭାର ଶିରେ । ହରିଣ ଚର୍ମର ଉପରେ ॥ ୯୮
    ଏମନ୍ତ ବିପ୍ରକୁ ଅନାଇ । ତୃଷିତେ କଣ୍ଠ ଶୁଷ୍କ ହୋଇ ॥ ୯୯
    ଜଳ ମାଗିଲା ମହାରାଜା । ଇଚ୍ଛଇ ଆପଣାର ପୂଜା ॥ ୧୦୦
    ଉଦକ ତୃଣ ଭୂମି ଆଦି । ଅତିଥି ପୂଜାର ପ୍ରସିଦ୍ଧି ॥ ୧୦୧
    ଅର୍ଘ୍ୟ ସୁନୃତ ସାଧୁବାଣୀ । ନ ଲଭି କୋପେ ନୃପମଣି ॥ ୧୦୨
    ମନେ ବିଚାରେ ମହାରାଜ । ଅବଜ୍ଞା କଲା ମୋତେ ଦ୍ୱିଜ ॥ ୧୦୩
    କ୍ଷୁଧା ତୃଷାର ବଳେ ମନ । କ୍ଷଣ କ୍ଷଣକେ ଅଚେତନ ॥ ୧୦୪
    ପ୍ରଚଣ୍ତ କ୍ରୋଧ କୋପାନଳେ । ମୃତ ଉରଗ ଧନୁହୁଳେ ॥ ୧୦୫
    ବ୍ରାହ୍ମଣଗଳେ ନେଇ ଦେଲା । ତକ୍ଷଣେ ନିଜପୁରେ ଗଲା ॥ ୧୦୬
    ସେ ପରୀକ୍ଷିତ ନୃପମଣି । ବ୍ରାହ୍ମଣ କଥା ମନେ ଗୁଣି ॥ ୧୦୭
    ସର୍ବ ଇନ୍ଦ୍ରିୟର ନିବୃତ୍ତି । ନୟନ ବୁଜି କିମ୍ପା ଛନ୍ତି ॥ ୧୦୮
    କିବା ଏ ରାଜାଙ୍କ ଆଗତ । ନିମିତ୍ତେ କରି ଦୃଢ଼ବ୍ରତ ॥ ୧୦୯
    ତେଣୁ ଏ କପଟ ଏହାର । ନିଶ୍ଚଳ ସମାଧି ଗୋଚର ॥ ୧୧୦
    ଏତେ ଅବଜ୍ଞା ନରଦେହେ । କ୍ଷତ୍ରିୟଜନ୍ମେ କେବା ସହେ ॥ ୧୧୧
    ଏମନ୍ତେ ଗଲା ନରନାଥ । ତକ୍ଷଣେ ବ୍ରାହ୍ମଣର ସୁତ ॥ ୧୧୨
    ବାଳକ ସଙ୍ଗେ କ୍ରୀଡ଼ା କରେ । ତେଜେ ଅନଳ ରୂପ ଧରେ ॥ ୧୧୩
    ରାଜାର ଆଗମନ କଥା । ପିତାର ଯେମନ୍ତ ବ୍ୟବସ୍ଥା ॥ ୧୧୪
    ବାଳକ ମୁଖୁ ଶୁଣି କୋପେ । ମିଳିଲା ପିତାର ସମୀପେ ॥ ୧୧୫
    ପିତାର ଗଳେ ସର୍ପ ଦେଖି । କୋପେ ଚଞ୍ଚଳ କଲା ଆଖି ॥ ୧୧୬
    ସଂସାର ଧର୍ମ ଯେ ପାଳକ । ଦେଖ ତାହାର ଅବିବେକ ॥ ୧୧୭
    ଶ୍ୱାନର ପ୍ରାୟେ ଚେଷ୍ଟା କଲା । ଦାସ ତ ସ୍ୱାମୀକୁ ଲଂଘିଲା ॥ ୧୧୮
    ବ୍ରାହ୍ମଣେ କ୍ଷତ୍ରିୟଙ୍କୁ ବରି । ଯଜ୍ଞରେ ଦ୍ୱାରପାଳ କରି ॥ ୧୧୯
    ଶ୍ୱାନର ପ୍ରାୟେ ଦ୍ୱାରେ ଥାନ୍ତି । ସେ ଭାଣ୍ତେ ଭୋଜନ ଇଚ୍ଛନ୍ତି ॥ ୧୨୦
    ଉତ୍ପଥ ପ୍ରାଣୀ ଦଣ୍ତ ଅର୍ଥେ । ଯେ କୃଷ୍ଣ ଥିଲେ ଏ ଜଗତେ ॥ ୧୨୧
    ସେ ଯେଣୁ ନିଜପୁରେ ଗଲା । ତେଣୁ ଏ ଅନ୍ୟାୟ ଚିନ୍ତିଲା ॥ ୧୨୨
    ଏ ପ୍ରାଣୀ ସଂସାରେ ରହିଲେ । ଧର୍ମ ନଥିବ ଏଥି ଭଲେ ॥ ୧୨୩
    ଦେଖ ମୋହର ବିପ୍ରଗଣ । କରିବି ଏଥିର କାରଣ ॥ ୧୨୪
    ଏମନ୍ତ ବାଳକଙ୍କୁ କହି । ରଙ୍ଗନୟନେ ରୋଷ ବହି ॥ ୧୨୫
    କୌଶିକୀ ଜଳେ ହସ୍ତଭରି । ମାର୍ଜନା ଆଚମନ କରି ॥ ୧୨୬
    ରାଜା ଉଦ୍ଦେଶ୍ୟ କରି ମନେ । ବଜ୍ର-ପ୍ରହାରଣ ବଚନେ ॥ ୧୨୭
    ବୋଲଇ ଅଧର୍ମ ବିଚାର । ଅନ୍ୟାୟ କଲା ଏ ପାମର ॥ ୧୨୮
    ଆଜହୁଁ ସପତ-ଦିବସେ । ତକ୍ଷକ ଆସି ମହାରୋଷେ ॥ ୧୨୯
    ତାର ଶରୀର ବେଗେ ଖାଉ । ଏ ପାପୀ ଜଗତେ ନ ଥାଉ ॥ ୧୩୦
    ମୋର ପିତାର ଦ୍ରୋହକାରୀ । ସେ କିମ୍ପା ଥିବ ଦେହଧରି ॥ ୧୩୧
    ଏମନ୍ତ ଶାପ ତାକୁ ଦେଇ । ମିଳିଲା ପିତା ପାଶେ ଯାଇ ॥ ୧୩୨
    ପିତାର ଗଳେ ସର୍ପ ଦେଖି । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୩୩
    ପୁତ୍ର ରୋଦନ କର୍ଣ୍ଣେ ଶୁଣି । ଧ୍ୟାନ ତେଜିଲା ବିପ୍ରମଣି ॥ ୧୩୪
    ସେ ଆଙ୍ଗିରସ ନିଜାସନେ । ଚାହିଁଲା ଉନ୍ମୀଳ ଲୋଚନେ ॥ ୧୩୫
    ଆପଣା ଗଳେ ସର୍ପ ଦେଖି । ଉଠିଲା ଆସନ ଉପେକ୍ଷି ॥ ୧୩୬
    ଗଳାରୁ ସର୍ପକୁ ପକାଇ । ପୁଚ୍ଛଇ ପୁତ୍ରମୁଖ ଚାହିଁ ॥ ୧୩୭
    ହେ ପୁତ୍ର କାନ୍ଦୁ କିସ ଅର୍ଥେ । କେ ପ୍ରାଣୀ ଶୋକ ଦେଲା ତୋତେ ॥ ୧୩୮
    ପିତା ବଚନ ଶୁଣି ବଳା । ସଂକ୍ଷେପି ସକଳ କହିଲା ॥ ୧୩୯
    ହେ ତାତ ଶୁଣ ମୋର ବାଣୀ । ମୃଗୟା ଆସି ନୃପମଣି ॥ ୧୪୦
    ମଉନବ୍ରତ ତୋର ଦେଖି । ସ୍ୱଧର୍ମ କଲା ସେ ଉପେକ୍ଷି ॥ ୧୪୧
    ମୃତ-ଉରଗ ତୋର ଗଳେ । ଦେଇ ଚଳିଲା ଅବହେଳେ ॥ ୧୪୨
    ମୁଁ ତାକୁ ଜାଣି ଶାପ ଦେଲି । ତକ୍ଷକେ ମର ତୁ ବୋଇଲି ॥ ୧୪୩
    ଏବେ ତୋ ଗଳେ ସର୍ପ ଚାହିଁ । ଭୟେ କାନ୍ଦଇ ଦୂରେ ରହି ॥ ୧୪୪
    ପୁତ୍ର ବଚନ ଶୁଣି କର୍ଣ୍ଣେ । କୋପ ବସିଲା ବିପ୍ରମନେ ॥ ୧୪୫
    ପୁତ୍ରକୁ ଚାହିଁ କୋପଭରେ । ବୋଲଇ ନିଷ୍ଠୁର ଉତ୍ତରେ ॥ ୧୪୬
    ଅଳପ ଅପରାଧେ ତୁହି । ଏ କର୍ମ କଲୁ କିସ ପାଇଁ ॥ ୧୪୭
    ସେ ଭାଗବତ ପୁଣ୍ୟଦେହୀ । ଏ ଶାପ ତାକୁ ନ ଯୋଗାଇ ॥ ୧୪୮
    ଅହୋ ଆଶ୍ଚର୍ଯ୍ୟ ଦେଖ କଥା । ଶୁଣି ମୋ ମନେ ଗରୁ ବ୍ୟଥା ॥ ୧୪୯
    ଅଳପ ଅପରାଧେ ଦେଖ । ଦୁର୍ବୁଦ୍ଧି ବିହିଲୁ ବାଳକ ॥ ୧୫୦
    ଯାହାର ଭୁଜ ଆଶ୍ରେ କରି । ଧର୍ମ-ସମ୍ପଦ-ସୁଖ-ଶିରୀ ॥ ୧୫୧
    ପ୍ରଜାଏ ସୁଖେଣ ଭୁଞ୍ଜନ୍ତି । ସେ କି କାହାରେ ଦ୍ରୋହ ଚିନ୍ତି ॥ ୧୫୨
    ବିଷ୍ଣୁର ଅଂଶ ନରପତି । କେ ଅଛି ତାରେ ଦ୍ରୋହ ଚିନ୍ତି ॥ ୧୫୩
    ଏବେ ରାଜାର ଅନ୍ତେ ମହୀ । ଚଉର୍ଯ୍ୟ ବଳଦର୍ପ ବହି ॥ ୧୫୪
    ଅରକ୍ଷ ମେଷଯୂଥ ପ୍ରାୟେ । ଲୋକ ନଶିବେ ଚୋରଭୟେ ॥ ୧୫୫
    ଧନ ହରିବେ ଅନ୍ୟୋଅନ୍ୟେ । ପ୍ରଜା ପଶିବେ ଘୋରବନେ ॥ ୧୫୬
    ନିର୍ଭୟେ ପଶୁଙ୍କୁ ହିଂସିବେ । ପର ରମଣୀ ନ ମାନିବେ ॥ ୧୫୭
    ଅନାଥ ହୋଇବ ସଂସାର । ସେ ପାପ ହୋଇବ ଆମ୍ଭର ॥ ୧୫୮
    ଧର୍ମ ଛାଡ଼ିବ ଚାରିପାଦେ । ଯେବା ବିହିତ ଅଛି ବେଦେ ॥ ୧୫୯
    ବର୍ଣ୍ଣ ଆଶ୍ରମ ଯେ ଆଚାର । ଏ ତିନିଧର୍ମ ଯେ ବେଦର ॥ ୧୬୦
    ସେ ଧର୍ମ ତେଜି ଅଭ୍ୟନ୍ତରେ । ପଶିବେ ଅଧର୍ମ ବେଭାରେ ॥ ୧୬୧
    ସର୍ବେ ବୁଡ଼ିବେ ଅର୍ଥକାମେ । ବଞ୍ଚିବେ ଶ୍ୱାନ କପି ଧର୍ମେ ॥ ୧୬୨
    ଏ ଧର୍ମପାଳ ନରପତି । ସୁକୃତବନ୍ତ ଚକ୍ରବର୍ତ୍ତୀ ॥ ୧୬୩
    ସାକ୍ଷାତେ ମହାଭାଗବତ । ସେ ରାଜଋଷି ପରୀକ୍ଷିତ ॥ ୧୬୪
    କଲା ଯେ ତିନି ଅଶ୍ୱମେଧି । ଆଗମ ନିଗମ ପ୍ରସିଦ୍ଧି ॥ ୧୬୫
    କ୍ଷୁଧା ତୃଷାରେ ବୁଲି ବନେ । ମିଳିଲା ମୋହର ଆଶ୍ରମେ ॥ ୧୬୬
    ତାହାଙ୍କୁ ଶାନ୍ତି ତୁ ନ କଲୁ । ବିଶେଷେ ଘୋରଶାପ ଦେଲୁ ॥ ୧୬୭
    ସେ ଆମ୍ଭ ଶାପ୍ୟେ ଯୋଗ୍ୟ ନୋହେ । ଅଶେଷ ଧର୍ମେ ଦେହ ବହେ ॥ ୧୬୮
    ଏମନ୍ତେ କୃଷ୍ଣ ମନେ ଧ୍ୟାୟି । ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି ॥ ୧୬୯
    ନିଷ୍ପାପ ଭୃତ୍ୟକୁ ଏ ବଳେ । ଦ୍ରୋହ ଚିନ୍ତିଲା ମହୀତଳେ ॥ ୧୭୦
    ଅଳପ ବୁଦ୍ଧି ଏ ବାଳକ । ଏହାର ମନେ କଲା ଦୁଃଖ ॥ ୧୭୧
    ଭୋ ନାଥ କରୁଣାସାଗର । ବାଳକ ଦୋଷ କ୍ଷମାକର ॥ ୧୭୨
    ନିନ୍ଦା କପଟ ଅବଜ୍ଞାନ । ଶାପ ତାଡ଼ନ ଆଦି ମାନ ॥ ୧୭୩
    କଲା ପ୍ରାଣୀଙ୍କି ପ୍ରତିକୃତ । ନ କରେ ଯେ ତୋର ଭକତ ॥ ୧୭୪
    ତୋହର ଭକତ ଯେ ଜନ । କୋପ ନ ବସେ ତାର ମନ ॥ ୧୭୫
    ପ୍ରାଣୀଙ୍କ ଅପରାଧ ସହେ । ତୋହର ଭାବେ ଚିତ୍ତବହେ ॥ ୧୭୬
    ଅତି ଅନ୍ୟାୟ କର୍ମ ମୋର । ମୁଁ କର୍ମହୀନ ଦୁରାଚାର ॥ ୧୭୭
    ନିରପରାଧେ ଦ୍ରୋହ ଚିନ୍ତି । ଏ ମୋର ଚିତ୍ତେ ଗରୁଭ୍ରାନ୍ତି ॥ ୧୭୮
    ଦେବହେଳନ କର୍ମ ମୋର । ନିଶ୍ଚେ ଲଭିଲି ଦାମୋଦର ॥ ୧୭୯
    ଦୁଃଖ ମୁଁ ଲଭିବି ନିକଟେ । ଏ ଘୋର-ସଂସାର-ସଙ୍କଟେ ॥ ୧୮୦
    ଏମନ୍ତେ ପୁତ୍ର ଅପରାଧେ । ମହତ ଶାପ ଅପବାଦେ ॥ ୧୮୧
    ଅନୁତାପିତ ବିପ୍ରବର । ବୋଲେ ଗୋବିନ୍ଦ ରକ୍ଷାକର ॥ ୧୮୨
    ରାଜା ଯେ ଅପରାଧ କଲା । ସେ କଥା ଚିତ୍ତେ ନଘେନିଲା ॥ ୧୮୩
    ଏ ନରଲୋକେ ସାଧୁ ଯେତେ । କୋପ ନ ବଶେ ତାଙ୍କ ଚିତ୍ତେ ॥ ୧୮୪
    ପ୍ରାଣୀଙ୍କ ଦୋଷ ନ ଘେନନ୍ତି । ସ୍ତୁତିରେ ହରଷ ନୁହନ୍ତି ॥ ୧୮୫
    ପରଦୁଃଖରେ ଦୁଃଖୀ ହୋନ୍ତି । ସମଦୃଷ୍ଟିରେ ଆତ୍ମା ଚିନ୍ତି ॥ ୧୮୬
    ସେ ସାଧୁଜନଙ୍କର କଥା । କେବେହେଁ ନୁହଇ ଅନ୍ୟଥା ॥ ୧୮୭
    ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୧୮୮
    ସୁଜନଜନଙ୍କର ହିତେ । ଯେବା ପ୍ରକାଶ ମୋର ଚିତ୍ତେ ॥ ୧୮୯
    ସୁଜନେ ନ ଘେନିବ ଦୋଷ । ମୁଁ ତୁମ୍ଭ ଦାସଙ୍କର ଦାସ ॥ ୧୯୦


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ବିପ୍ରଶାପୋପଲମ୍ଭନଂ ନାମ ଅଷ୍ଟାଦଶୋଽଧ୍ୟାୟଃ ।।

    ଉନବିଂଶ ଅଧ୍ୟାୟ

    ସୂତ କହନ୍ତି ଅନୁରାଗେ । ଶୌନକଆଦି ଋଷିଆଗେ ॥ ୧

    ସୂତ ଉବାଚ

    ସେ ମହୀପତି ପରୀକ୍ଷିତ । ଚିନ୍ତା ନିମଗ୍ନ ଦୁଃଖଚିତ୍ତ ॥ ୨
    ଏକାନ୍ତେ ବସି ବିଚାରଇ । ନିନ୍ଦିତକର୍ମ କଲି ମୁହିଁ ॥ ୩
    ଅର୍ଜିତ-କର୍ମବଶ ହୋଇ । ଗୁରୁ ଯେସନେ ଶିକ୍ଷା ଦେଇ ॥ ୪
    ଅନ୍ୟାୟେ ପ୍ରାଣୀଙ୍କ ବେଭାରେ । କୁକର୍ମ କଲି ଏ ସଂସାରେ ॥ ୫
    ନିର୍ଦ୍ଦୋଷ-ବ୍ରାହ୍ମଣର ଗଳେ । ସର୍ପ ଲମ୍ବାଇ ଧନୁହୁଳେ ॥ ୬
    ନିଶ୍ଚଳ-ଯୋଗେ ତାର ଧ୍ୟାନ । ନ ଜାଣି ହେଲି ହତଜ୍ଞାନ ॥ ୭
    ଦେବହେଳନ କର୍ମ କଲି । ନିକଟେ ସଙ୍କଟ ଲଭିଲି ॥ ୮
    ଏ ପାପ-ବିନାଶନ ହେତୁ । ବେଗେ ବିଧାତା ମୋତେ ଚିନ୍ତୁ ॥ ୯
    ଏ କର୍ମ ପୁଣ ମୁଁ ଯେମନ୍ତେ । କେବେହେଁ ନ କଳ୍ପଇ ଚିତ୍ତେ ॥ ୧୦
    ବ୍ରାହ୍ମଣକ୍ରୋଧ ଦାବାନଳ । ଏ ମୋର ରାଜ୍ୟ-ଧନବଳ ॥ ୧୧
    ଆତ୍ମାର ସଙ୍ଗେ ଦହୁ ମୋତେ । ଏ କର୍ମ ନ କରେ ଯେମନ୍ତେ ॥ ୧୨
    ଗୋଦ୍ୱିଜଦେବଙ୍କ ହିଂସନେ । ଦୁର୍ବୁଦ୍ଧି ନ ସ୍ଫୁରୁ ମୋ ମନେ ॥ ୧୩
    ଏମନ୍ତେ ବିଚାରୁ ବିଷାଦେ । ବୃତ୍ତାନ୍ତ ଶୁଭେ ଜନପଦେ ॥ ୧୪
    ଉରଗ ବ୍ରାହ୍ମଣର ଗଳେ । ରାଜା ଯେ ଦେଲା ଧନୁହୁଳେ ॥ ୧୫
    ତାର ବାଳକ ଶାପ ଦେଲା । ତକ୍ଷକ ଦଂଶିବ ବୋଇଲା ॥ ୧୬
    ସପ୍ତମଦିନେ କୋପାନଳେ । ତାହାଙ୍କୁ ଦଂଶିବ ସେ ବଳେ ॥ ୧୭
    ଏମନ୍ତ ଜନମୁଖୁ ଶୁଣି । ମନେ ସାନନ୍ଦ ନୃପମଣି ॥ ୧୮
    ବୋଲଇ ବେଗେ ମୋତେ ଖାଉ । ଏ ମୋର କୁଳେ ତାପ ନୋହୁ ॥ ୧୯
    ଯେଣୁ ବିଷୟା ତ୍ୟାଗ ହେତୁ । ତେଣୁ ଚିନ୍ତଇ ଆତ୍ମାମୃତ୍ୟୁ ॥ ୨୦
    ଯେମନ୍ତେ ଇହ ପରଲୋକେ । ମରଣେ ନ ପଡ଼ଇ ଦୁଃଖେ ॥ ୨୧
    ଏମନ୍ତ ନିଶ୍ଚୟ ବିଚାରି । ରାଜସମ୍ପଦ ପରିହରି ॥ ୨୨
    ଚିନ୍ତିଲା କୃଷ୍ଣ-ପାଦପୃଷ୍ଠ । ସେବନ ବିନା ନାହିଁ ଶ୍ରେଷ୍ଠ ॥ ୨୩
    କୃଷ୍ଣର ପାଦପଦ୍ମଜଳେ । ପ୍ରବେଶ ଯାଇ ଗଙ୍ଗାକୂଳେ ॥ ୨୪
    ଶ୍ରୀକୃଷ୍ଣ-ଚରଣ-ତୁଳସୀ । ପାଦଉଦକରଜେ ମିଶି ॥ ୨୫
    ଅତି ପବିତ୍ର ବହେ ବାରି । ଉଭୟଲୋକ ପାପହରି ॥ ୨୬
    ପ୍ରାଣୀର ପ୍ରାଣତ୍ୟାଗ କାଳେ । କେବା ନବସେ ତାର କୂଳେ ॥ ୨୭
    ପାଣ୍ତବବଂଶେ କୀର୍ତ୍ତିକର । ସକଳରାଜା ମଧ୍ୟେ ବର ॥ ୨୮
    ସେ ସୁରନଦୀ ତୀରେ ଯାଇ । ଚିତ୍ତେ ଗୋବିନ୍ଦପଦ ଧ୍ୟାୟି ॥ ୨୯
    ବିଷୟସଙ୍ଗ ଦୂର କରି । ଅନ୍ନ-ଉଦକ ପରିହରି ॥ ୩୦
    ମୁନିଙ୍କ ବ୍ରତେ ସେ ନିଶ୍ଚଳେ । ମନ ନିବେଶି ଗଙ୍ଗାଜଳେ ॥ ୩୧
    ସେ କଥା ଶୁଣି ମୁନିଜନେ । ଯେ ଅବା ଥିଲେ ଗିରିବନେ ॥ ୩୨
    ନିଜ ନିବାସ ଉପେକ୍ଷିଲେ । ହସ୍ତିନା ନଗରେ ମିଳିଲେ ॥ ୩୩
    ଯେ ଅବା ଥିଲେ ଯେଉଁ ଦେଶେ । ରାଜାଙ୍କୁ ଦେଖିବାର ଆଶେ ॥ ୩୪
    ସଙ୍ଗତେ ଘେନି ଶିଷ୍ୟଗଣ । ଅପରେ ଅଶେଷ ବ୍ରାହ୍ମଣ ॥ ୩୫
    ତାଙ୍କ ମହିମା କେବା କହେ । ତୀର୍ଥ ପବିତ୍ର ତାଙ୍କ ଦେହେ ॥ ୩୬
    ଅତ୍ରି ବଶିଷ୍ଠ ଆଦି ମୁନି । ଚ୍ୟବନ ଭୃଗୁ ବ୍ୟାସ ଘେନି ॥ ୩୭
    ଅଙ୍ଗିରା ପରାଶର ଗାଧି । ସୁତ ଉତଥ୍ୟ ଯେ ପ୍ରସିଦ୍ଧି ॥ ୩୮
    ଗୌତମ ଭରଦ୍ୱାଜ ମୁନି । ମୈତ୍ରେୟ ବିଶ୍ୱାମିତ୍ର ଘେନି ॥ ୩୯
    ଅରିଷ୍ଟନେମି ଆର୍ଷ୍ଟିଷେଣ । ଇନ୍ଦ୍ରପ୍ରମଦ ଶରଦ୍ ବାନ ॥ ୪୦
    ନାରଦମୁନି ଆଦି କରି । ସର୍ବେ ମିଳିଲେ ରାଜପୁରୀ ॥ ୪୧
    ଦେବର୍ଷି ରାଜର୍ଷି ମହର୍ଷି । ଅପରେ ଯେତେକ ବ୍ରହ୍ମର୍ଷି ॥ ୪୨
    ସକଳ ଋଷି ଏକମେଳେ । ମିଳିଲେ ଜାହ୍ନବୀର କୂଳେ ॥ ୪୩
    ତାହାଙ୍କୁ ଦେଖି ପରୀକ୍ଷିତ । କପୋଳେ ଦେଇ ବେନିହସ୍ତ ॥ ୪୪
    ବନ୍ଦିଲା ମୁନିଗଣ-ପାଦେ । ଆନନ୍ଦେ ଅଶ୍ରୁ-ଗଦଗଦେ ॥ ୪୫
    ସୁଖେ ବସିଲେ ମୁନିଗଣେ । ପୁଣି ହିଁ ରାଜା ପରଣାମେ ॥ ୪୬
    କର ଅଞ୍ଜଳି ଶିରେ ଦେଇ । ବୋଲଇ କୃତକୃତ୍ୟ ହୋଇ ॥ ୪୭

    ପରୀକ୍ଷିତ ଉବାଚ

    ରାଜାଙ୍କ ମଧ୍ୟେ ମୋ ଜୀବନ । ନିଶ୍ଚେ ଜାଣିଲି ଧନ୍ୟ ଧନ୍ୟ ॥ ୪୮
    ମୋହର ପ୍ରାଣତ୍ୟାଗ କାଳେ । ମହାନ୍ତଜନେ ବିଜେ କଲେ ॥ ୪୯
    ବ୍ରାହ୍ମଣପାଦ ଯହିଁ ଧୋଇ । ସେ ସ୍ଥାନେ ନିଜ ଶିର ଦେଇ ॥ ୫୦
    କ୍ଷତ୍ରିୟ ସ୍ୱଭାବ ଏମନ୍ତ । ଆଗମ ନିଗମ ଉକତ ॥ ୫୧
    ଯେ ଏହା ଲଙ୍ଘେ ଦୁଷ୍ଟପଣେ । ଦୂଷିତ ହୋଇ ତତକ୍ଷଣେ ॥ ୫୨
    ସେ ବିପ୍ରେ ଆସି ମୋର ପାଶେ । ବସନ୍ତି ମନର ହରଷେ ॥ ୫୩
    ତାହାର ଭାଗ୍ୟ କି କହିବା । ଯାହା ନ ପାନ୍ତି ସୁର ଦେବା ॥ ୫୪
    ଅପ୍ରାଧ କଲି ବିପ୍ରକୁଳେ । ଦେଖ ମୋହର ଅନ୍ତକାଳେ ॥ ୫୫
    ସର୍ବ-ବିଷୟ-ସଙ୍ଗ ତେଜି । କୃଷ୍ଣଚରଣେ ଚିତ୍ତ ମଜ୍ଜି ॥ ୫୬
    ତୁମ୍ଭେ ଅଶେଷ ବ୍ରହ୍ମଋଷି । ମିଳିଲ ମୋର ପାଶେ ଆସି ॥ ୫୭
    ବ୍ରାହ୍ମଣ ଶାପ କୋପାନଳ । ଏ ମୋର ବିମୁକ୍ତିର ମୂଳ ॥ ୫୮
    ଯେ କର୍ମ କଲେ ଏ ସଂସାରେ । ପ୍ରାଣୀ ତରନ୍ତି ମାୟାଘୋରେ ॥ ୫୯
    ତୁମ୍ଭର ଅନୁଗ୍ରହ ସେବି । ପ୍ରସନ୍ନ ହେଉ ଗଙ୍ଗାଦେବୀ ॥ ୬୦
    କୃଷ୍ଣଚରଣେ ପ୍ରୀତି ହେଉ । କୁହକ ତକ୍ଷକ ବା ଖାଉ ॥ ୬୧
    ତେଣେ ସଂଶୟ ନାହିଁ ମୋର । ସକଳେ କୃଷ୍ଣକଥା କର ॥ ୬୨
    କୃଷ୍ଣବିଷୟେ ହେଉ ମତି । ତାର ସେବକ ସଙ୍ଗ ଗତି ॥ ୬୩
    ମୋହର କର୍ମଫଳ ଲଇ । ଜନ୍ମ ଲଭିବି ଯହିଁ ତହିଁ ॥ ୬୪
    ମୁଁ ତହିଁ କୃଷ୍ଣଦାସ ପଣେ । ସେବିବି ଅଭୟ ଚରଣେ ॥ ୬୫
    ଶରଣାଗତ ବୋଲି ମୁହିଁ । ହେ ବିପ୍ରେ ଭାବ ଦୟା ବହି ॥ ୬୬
    ସକଳଜୀବେ ମିତ୍ରଭାବ । ଯେମନ୍ତେ ହୋଇବ ସମ୍ଭବ ॥ ୬୭
    ଏମନ୍ତ ମୋତେ ଦିଅ ବର । ତୁମ୍ଭ ଚରଣେ ନମସ୍କାର ॥ ୬୮
    ଏମନ୍ତ ମୁନିଙ୍କି ଜଣାଇ । କୃଷ୍ଣଚରଣେ ମନ ଦେଇ ॥ ୬୯
    ଜାହ୍ନବୀତୀରେ କୁଶଶଯ୍ୟା । ଶୟନ ଅର୍ଥେ କଲା ରାଜା ॥ ୭୦
    ପୂର୍ବଦିଗକୁ ଶିର କରି । ଉତ୍ତରମୁଖେ ଦଣ୍ତଧାରୀ ॥ ୭୧
    ଗଙ୍ଗା ଦକ୍ଷିଣକୂଳେ ଶୋଇ । କାରୁଣ୍ୟଜଳେ ଦୃଷ୍ଟି ଦେଇ ॥ ୭୨
    ଯେ ଜନ୍ମେଜୟ ସୁତ ତାର । ତା ଶିରେ ଦେଇ ରାଜ୍ୟଭାର ॥ ୭୩
    ଅଶେଷ ଋଷିଗଣ ମଧ୍ୟେ । ମନ ନିବେଶି କୃଷ୍ଣପାଦେ ॥ ୭୪
    ଆକାଶେ ଥାଇ ଦେବଗଣେ । ଆନନ୍ଦେ ପୁଷ୍ପବରଷଣେ ॥ ୭୫
    ଦୁନ୍ଦୁଭି ବାଦ୍ୟନାଦ ତୁଲେ । ସାଧୁଶବଦେ ସ୍ତୁତି କଲେ ॥ ୭୬
    ଯେ ମୁନିଗଣେ ଗଙ୍ଗାକୂଳେ । ଥିଲେ ଯେ ପରୀକ୍ଷିତ ମେଳେ ॥ ୭୭
    ଗଗନେ ଶୁଣି ସାଧୁବାଣୀ । ଆନନ୍ଦମନେ ସର୍ବମୁନି ॥ ୭୮
    ସାଧୁଶବଦ ଉଚ୍ଚସ୍ୱରେ । ଦିଶ ପୂରିଲା ଗଙ୍ଗାତୀରେ ॥ ୭୯
    ପ୍ରଜାଏ ଅନୁଗ୍ରହ ମୁଖେ । କହନ୍ତି ଏକକୁ ଆରକେ ॥ ୮୦
    ଏ ସାଧୁରାଜା ବିଚକ୍ଷଣ । ଅକାଳେ ଲଭିବ ମରଣ ॥ ୮୧
    ଦେଖ ଏହାର ଭାଗ୍ୟବଳେ । ମୁନିଙ୍କ ମଧ୍ୟେ ଅନ୍ତକାଳେ ॥ ୮୨
    ୟାର ଆସ୍ଥାନେ ସର୍ବରାଜା । ଶିର ନୁଆଁଇ କଲେ ପୂଜା ॥ ୮୩
    ସେ ରାଜା କାଳେ ହରିଭାବେ । ପଶିବ ଜନ୍ମର ସ୍ୱଭାବେ ॥ ୮୪
    ଏ ନରପତି ଯେତେଦିନେ । ପ୍ରାଣ ଛାଡ଼ିବ କୃଷ୍ଣଧ୍ୟାନେ ॥ ୮୫
    ସୁଖେ ଲଭିବ ବିଷ୍ଣୁଲୋକ । ଯେ ସ୍ଥାନ ବିମୋହ ବିଶୋକ ॥ ୮୬
    ଆମ୍ଭେ ସକଳେ ଏହି ସ୍ଥାନେ । ବଞ୍ଚିବା ଗଙ୍ଗାଜନପାନେ ॥ ୮୭
    ଏ ଭାଗବତର ଉତ୍ତମ । ନିଶ୍ଚେ ଲଭିବ ପ୍ରେମଧାମ ॥ ୮୮
    ଏମନ୍ତେ ପ୍ରଜାମୁଖୁ ଶୁଣି । ଅମୃତ ସମ ସାଧୁବାଣୀ ॥ ୮୯
    ରାଜା ମଣିଲା ସତ୍ୟ ପ୍ରାୟ । ଛାଡ଼ିଲା ସକଳ ସଂଶୟ ॥ ୯୦
    କୃଷ୍ଣଚରଣ ସେବାଫଳେ । ଅଶେଷ ପ୍ରାଣୀ ମହୀତଳେ ॥ ୯୧
    ପୂର୍ବେ ଲଭିଲେ ହରିଭାବ । ଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ ॥ ୯୨
    ଦେଖ ମୋହର ଭାଗ୍ୟବଶୁ । ସର୍ବେ ମିଳିଲେ ସର୍ବଦେଶୁ ॥ ୯୩
    ବେଦେ ଯେମନ୍ତ ଦେହବନ୍ତେ । ସ୍ୱର୍ଗେ ବିବୁଧଙ୍କ ସଙ୍ଗତେ ॥ ୯୪
    ବସି କହନ୍ତି ନାନାଧର୍ମ । ଯେ ବର୍ଣ୍ଣେ ଯେବା ନିଜକର୍ମ ॥ ୯୫
    ଯେ ଫଳ ଇହ ପରଲୋକେ । ପ୍ରାଣୀ ଲଭନ୍ତି ସୁଃଖସୁଖେ ॥ ୯୬
    ତେମନ୍ତେ ଅନୁଗ୍ରହ ଚିତ୍ତେ । ତୁମ୍ଭେ ଆଗତ ପରହିତେ ॥ ୯୭
    ଏ ବିନେ ନାହିଁ କାର୍ଯ୍ୟ ଆର । ଏ ଦେହସ୍ୱଭାବ ତୁମ୍ଭର ॥ ୯୮
    ତୁମ୍ଭଙ୍କୁ ପଚାରଇ ମୁହିଁ । ମରଣେ ଅନ୍ତର୍ଚଳେ ଥାଇ ॥ ୯୯
    ଏବେ କି କୃତ୍ୟ ଅଛି ମୋତେ । କହ ସକଳେ ଶୁଦ୍ଧଚିତ୍ତେ ॥ ୧୦୦
    ଏ ଘୋର-ସଂସାର-ସାଗରେ । ମରଣୁ କିବା କରି ତରେ ॥ ୧୦୧
    ଏମନ୍ତ ପୁଛୁଁ ରାଜଋଷି । ଶୁକ ମିଳିଲେ ବେଗେ ଆସି ॥ ୧୦୨
    ମହୀ-ଭ୍ରମଣ ଇଚ୍ଛା ସୁଖେ । ଶ୍ରୀକୃଷ୍ଣନାମ ଗାଇ ମୁଖେ ॥ ୧୦୩
    ଲକ୍ଷି ନପାରି ଯାର ଅଙ୍ଗ । କ୍ଷଣକ୍ଷଣକେ ନାନାରଙ୍ଗ ॥ ୧୦୪
    ନିରତେ ନିଜ ଲାଭେ ତୋଷ । ସ୍ୱଭାବେ ଅବଧୂତ ବେଶ ॥ ୧୦୫
    ବେଷ୍ଟିତ ବାଳକ ସମୂହେ । କିବା ଉପମା ଦେବା ଦେହେ ॥ ୧୦୬
    ସ୍ୱଭାବେ ଷୋଡ଼ଶ ଅବଦ । ସୁନ୍ଦର ସୁକୁମାର ପାଦ ॥ ୧୦୭
    କର ଯୁଗଳ ବାହୁ ଅଂସ । ଉନ୍ନତ ସୁନ୍ଦର ସୁନାସ ॥ ୧୦୮
    ନିବିଡ଼ ବେନି ଉରୁ ସାଜେ । ସୁନ୍ଦର କପୋଳ ବିରାଜେ ॥ ୧୦୯
    ଆୟତ ଚକ୍ଷୁ ଚାରୁକର୍ଣ୍ଣ । ସୁଗ୍ରୀବ ସୁନ୍ଦର ଆନନ ॥ ୧୧୦
    ମାଂସେ ନିଗୂଢ଼ ଜତ୍ରୁ ସାଜେ । ତୁଙ୍ଗ ବକ୍ଷସ୍ଥଳ ବିରାଜେ ॥ ୧୧୧
    ତ୍ରିବଳୀ କୁକ୍ଷି ମନୋହର । ଆବର୍ତ୍ତ ନାଭି ସୁଗଭୀର ॥ ୧୧୨
    ବିକୀର୍ଣ୍ଣ କେଶ ଦିଗମ୍ବର । ବିଭୂତି-ଭୂଷଣ ଶରୀର ॥ ୧୧୩
    ପ୍ରଳମ୍ବଭୁଜ ଜାନୁଯାଏ । ଦିଶେ ଅମରବର ପ୍ରାୟେ ॥ ୧୧୪
    ଶରୀର ବର୍ଣ୍ଣରୁଚି ଶ୍ୟାମ । ରୂପେ ତୁଳିତ ନୋହେ କାମ ॥ ୧୧୫
    କି ଅବା ଦେବା ପଟାନ୍ତର । କାମିନୀଜନ-ମନୋହର ॥ ୧୧୬
    ଏମନ୍ତ ରୂପ ତାର ଦେଖି । ମୁନିଏ ଆସନ ଉପେକ୍ଷି ॥ ୧୧୭
    ଜାଣନ୍ତି ତାହାଙ୍କ ଲକ୍ଷଣ । ସେ ଯୋଗୀ କୃଷ୍ଣ-ପରାୟଣ ॥ ୧୧୮
    ଶୁକ ଆଗମ ଦେଖି ରାଜା । ତକ୍ଷଣେ ଆଣି ଅର୍ଘ୍ୟପୂଜା ॥ ୧୧୯
    ବିନୟଭାବେ ଦଣ୍ତଧାରୀ । ଚରଣେ ନମସ୍କାର କରି ॥ ୧୨୦
    ସ୍ତିରୀ ବାଳକ ଯେତେ ଥିଲେ । ତା ଦେଖି ଭୟେ ବାହୁଡ଼ିଲେ ॥ ୧୨୧
    ରାଜା ପୂଜିଲା ମନତୋଷେ । ଶୁକ ବସିଲେ ରାଜାପାଶେ ॥ ୧୨୨
    ବେଷ୍ଟିତ ଋଷିଗଣ ମଧ୍ୟେ । ସେ ଶୁକ ବସିଲେ ଆନନ୍ଦେ ॥ ୧୨୩
    ଶଶାଙ୍କ ଯେହ୍ନେ ତାରାମେଳେ । ବିରାଜେ ଗଗନ ମଣ୍ତଳେ ॥ ୧୨୪
    ପ୍ରଶାନ୍ତ-ଚିତ୍ତ ମୁନିବର । ଅକୁଣ୍ଠ-ଧାରଣା ଯାହାର ॥ ୧୨୫
    ସେ ମୁନିପାଦେ ନମସ୍କାର । କରି ଯୋଡ଼ିଲା ବେନିକର ॥ ୧୨୬
    ନିର୍ମଳବାକ୍ୟ ସୁଧାଧାର । ମୁନିଙ୍କି ଚାହିଁ ନୃପବର ॥ ୧୨୭
    ପୁଚ୍ଛଇ ବେନିକର ଯୋଡ଼ି । ଚରଣେ ପୁଣ ପୁଣ ପଡ଼ି ॥ ୧୨୮

    ରାଜା ଉବାଚ

    ଆଜ ମୋହର ଜନ୍ମ ଧନ୍ୟ । କ୍ଷତ୍ରିୟବଂଶେ ବିଦ୍ୟମାନ ॥ ୧୨୯
    ତୁମ୍ଭେ ଅତିଥି ରୂପେ ଆସି । ନିର୍ମଳଚିତ୍ତେ ବ୍ରହ୍ମଋଷି ॥ ୧୩୦
    ଦେଖି ମୋ ଆତ୍ମା କୃତକୃତ୍ୟ । ଦେହକୁ କଲି ତୀର୍ଥଭୂତ ॥ ୧୩୧
    ଯାହାର ସ୍ମରଣ ବିଶ୍ୱାସ । ପବିତ୍ର କରେ ଗୃହୀବାସ ॥ ୧୩୨
    ତାହାର ଦରଶନ ମାତ୍ରେ । ଦୁରିତ ନ ରହଇ ଗାତ୍ରେ ॥ ୧୩୩
    ସ୍ପରଶ ପାଦଜଳ ଯହିଁ । ସକଳ ତୀର୍ଥଫଳ ତହିଁ ॥ ୧୩୪
    ଆଜ ଜୀବନ ମୋର ଧନ୍ୟ । ଦେଖିଲି ତୁମ୍ଭର ବଦନ ॥ ୧୩୫
    ଯେତେ ଦୁରିତ ଦେହେ ଥିଲା । ତୁମ୍ଭ ସାନ୍ନିଧ୍ୟେ ଦୂର ଗଲା ॥ ୧୩୬
    ବିଷ୍ଣୁର ତେଜ ମହାଘୋରେ । ଯେମନ୍ତେ ନଶନ୍ତି ଅସୁରେ ॥ ୧୩୭
    ଆଜ ଜାଣିଲି ମୋତେ ହରି । ପାଣ୍ତବ ସ୍ନେହେ ପ୍ରୀତି କରି ॥ ୧୩୮
    ବାନ୍ଧବପ୍ରିୟ ବ୍ରହ୍ମରାଶି । ଯେହ୍ନେ ପାଣ୍ତବ ଗୃହେ ଆସି ॥ ୧୩୯
    ତାହାଙ୍କ ଗୋତ୍ର ଯେଣୁ ମୁହିଁ । ତେଣୁ ସଦୟ ମୋରେ ହୋଇ ॥ ୧୪୦
    କୃଷ୍ଣର ଦୟା ଯେଣୁ ହୋଇ । ତୁମ୍ଭ ଦର୍ଶନେ ଯୋଗ୍ୟ ମୁହିଁ ॥ ୧୪୧
    ଅବ୍ୟକ୍ତଗତି ଯେ ତୁମ୍ଭର । କେ ତାହା କରିବ ଗୋଚର ॥ ୧୪୨
    ପୁଣି ମରଣେ ତୁମ୍ଭ ସଙ୍ଗ । ତରିଲି ଏ ଭବ-ତରଙ୍ଗ ॥ ୧୪୩
    ଯୋଗୀଙ୍କ ମଧ୍ୟେ ତୁମ୍ଭେ ଗୁରୁ । ଯେହ୍ନେ ଅଚଳ-ମହାମେରୁ ॥ ୧୪୪
    ଦେଖ ଜୀବନ ଯିବା କାଳେ । କିବା ସାଧିବି ମହୀତଳେ ॥ ୧୪୫
    କିବା ଶୁଣିବି କର୍ଣ୍ଣପଥେ । ସ୍ମରଣ କି କରିବି ଚିତ୍ତେ ॥ ୧୪୬
    କିବା ବଚନ ଉଚ୍ଚାରଣେ । ଭଜିବି କାହାର ଚରଣେ ॥ ୧୪୭
    ତୁମ୍ଭେ ଯେ ପ୍ରାଣୀଙ୍କର ଦ୍ୱାରେ । ଦଣ୍ତେ ନ ରହ ମନସ୍ଥିରେ ॥ ୧୪୮
    ଗୋଦୋହମାତ୍ରେ ତୁମ୍ଭ ଗତି । ଏଣୁ ମୋହର ମନେ ଭ୍ରାନ୍ତି ॥ ୧୪୯
    କହନ୍ତି ସୂତ ଶୁଦ୍ଧମନେ । ଶୁଣ ସକଳ ମୁନିଜନେ ॥ ୧୫୦

    ସୂତ ଉବାଚ

    ଏମନ୍ତ ପରୀକ୍ଷିତ ବାଣୀ । ଆନନ୍ଦେ ଶୁକମୁନି ଶୁଣି ॥ ୧୫୧
    ହରଷେ ମୁଦ୍ରିତ ଲୋଚନ । ଚିତ୍ତେ ଚିନ୍ତିଲେ ଭଗବାନ ॥ ୧୫୨
    ସେ ମୁନି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୧୫୩
    ପ୍ରଥମସ୍କନ୍ଧେ ଭାଗବତ । ବର୍ଣ୍ଣଇ ଦାସ ଜଗନ୍ନାଥ ॥ ୧୫୪


    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପ୍ରଥମସ୍କନ୍ଧେ ଶୁକାଗମନଂ ନାମ ଏକୋନବିଂଶୋଽଧ୍ୟାୟଃ ।।


    ଦ୍ୱିତୀୟ ସ୍କନ୍ଧ

    ପ୍ରଥମ ଅଧ୍ୟାୟ

    ସୂତ ଉବାଚ

    ହରି-ଚରଣ ଚିନ୍ତି ଧ୍ୟାନେ । କୋମଳ-ଗଭୀର-ବଚନେ । । ୧
    ରୋମପୁଲକ ନିଜଦେହୀ । ଶୁକ କହନ୍ତି ରାଜା ଚାହିଁ । । ୨

    ଶୁକ ଉବାଚ

    ହେ ପରୀକ୍ଷିତ ନୃପବର । ଗରିଷ୍ଠ ପ୍ରଶ୍ନ ଏ ତୋହର । । ୩
    ପଚାରୁ ଜୀବଲୋକ ହିତେ । ଯେ ପ୍ରଶ୍ନ ଅଛି ତୋର ଚିତ୍ତେ । । ୪
    ଏ ଆତ୍ମାଜ୍ଞାନୀଙ୍କର ସାର । ସଂସାରେ ଜନଉପକାର । । ୫
    ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ । ଆଗମ ନିଗମ ଭକତେ । । ୬
    ସହସ୍ର ସହସ୍ର ପ୍ରକାରେ । ଯେ ପ୍ରଶ୍ନ ଅଛି ଏ ସଂସାରେ । । ୭
    ସଂସାର କରିବାର ଆଶେ । ଯେତେ ଅଛନ୍ତି ଗୃହବାସେ । । ୮
    ଇନ୍ଦ୍ରିୟବଶେ ଗୃହେ ଥାଇ । ଆତ୍ମାର ହିତେ ଜ୍ଞାନ ନାହିଁ । । ୯
    ଆୟୁଷ କ୍ଷୟ ନ ଜାଣନ୍ତି । ବିଷୟ ଅର୍ଥ ନିତ୍ୟେ ଚିନ୍ତି । । ୧୦
    ନିଶା ହରଇ ଅର୍ଦ୍ଧବେଳ । ନିଦ୍ରା ବା ବଧୂ ସଙ୍ଗ ମେଳ । । ୧୧
    ଦିବସେ ଅର୍ଥ ଚିନ୍ତାକୁଳ । କୁଟୁମ୍ବପୋଷଣେ ବିକଳ । । ୧୨
    ସୁତ-କଳତ୍ର ଦେହ ପାଇ । ଆନନ୍ଦେ ତାଙ୍କ ମଧ୍ୟେ ଥାଇ । । ୧୩
    ବିଷ୍ଣୁର ମାୟା ସତ୍ୟ ଚିନ୍ତି । ନିକଟେ ମୃତ୍ୟୁ ନ ଦେଖନ୍ତି । । ୧୪
    ମରଣ ଦେଖୁଥାନ୍ତି ଡୋଳେ । ଅଜ୍ଞାନେ ଭ୍ରମେ ସୁଖଭୋଳେ । । ୧୫
    ଏଣୁ ସଂସାର ପ୍ରାଣୀଙ୍କର । ଆତ୍ମାର ଗତି ଅଗୋଚର । । ୧୬
    ଏଣୁ ସଂସାର ଭାବ ତେଜି । ଆତ୍ମାର ଗତି ଚିତ୍ତେ ହେଜି । । ୧୭
    ଯେ ହରି ସର୍ବଘଟେ ପୂରେ । ନିର୍ଲେପ ବାହ୍ୟ-ଅଭ୍ୟନ୍ତରେ । । ୧୮
    ତାର ମହିମା ଶୁଣି କର୍ଣ୍ଣେ । ନାମକୁ ଉଚ୍ଚାରି ବଦନେ । । ୧୯
    ସ୍ମରଣ କର ହୃଦଗତେ । ଯେବେ ଅଭୟ-ଇଚ୍ଛା ଚିତ୍ତେ । । ୨୦
    ଏକଥା ସାଂଖ୍ୟଯୋଗେ ଜାଣି । ସ୍ୱଧର୍ମନିଷ୍ଠା ପରିମାଣି । । ୨୧
    ଜନ୍ମର ଲାଭ ଏ ପ୍ରମାଣ । ଅନ୍ତେ ସ୍ମରଣ ନାରାୟଣ । । ୨୨
    ପୂର୍ବେ ନିର୍ମଳ-ମୁନି ଯେତେ । ତତ୍ତ୍ୱ ବିଚାରି ବେଦମତେ । । ୨୩
    ବିଧି ନିଷେଧ ଦୂର କରି । କୃଷ୍ଣର ଭାବ ହୃଦେ ଧରି । । ୨୪
    କୃଷ୍ଣର ଗୁଣ ଅନୁକ୍ଷଣେ । ଗୁଣନ୍ତି ଶୁଣନ୍ତି ଶ୍ରବଣେ । । ୨୫
    ଏ ଭାଗବତ ଧର୍ମବାଣୀ । ବ୍ରହ୍ମସମାନେ ପରିମାଣି । । ୨୬
    ଦ୍ୱାପରଯୁଗ ଅନ୍ତଃକାଳେ । ମୁଁ ଯେ ଅନେକ ଶିଷ୍ୟମେଳେ । । ୨୭
    ମୋର ଜନକ ବ୍ୟାସମୁନି । ତାହାଙ୍କ ଶିକ୍ଷା ଶିରେ ଘେନି । । ୨୮
    ନିର୍ଗୁଣ ମାର୍ଗେ ଦୃଢ଼ଚିତ୍ତ । ବିଷ୍ଣୁର ଭାବ ହେଲା ଜାତ । । ୨୯
    ନିଶ୍ଚଳ ଯୋଗେ ମନ ଥୋଇ । ଯେବା ଅଭ୍ୟାସ କଲି ମୁହିଁ । । ୩୦
    କହିବି ତୋର ଆଗେ ତାହା । ଶୁଣ ପରୀକ୍ଷ ପୁଣ୍ୟଦେହା । । ୩୧
    ଏ ଭାଗବତ ବାଣୀ କର୍ଣ୍ଣେ । ଯେ ଶୁଣେ ଶ୍ରଦ୍ଧା ଅବଧାନେ । । ୩୨
    ମୁକୁନ୍ଦପାଦେ ତାଙ୍କ ମନ । ନିଶ୍ଚଳେ ରହେ ଅନୁକ୍ଷଣ । । ୩୩
    ମୋକ୍ଷ ଇଚ୍ଛିଲା ପ୍ରାଣୀଙ୍କର । ହରିକୀର୍ତ୍ତନ ଅଟେ ଫଳ । । ୩୪
    ତାକୁ ନ ଲାଗେ ଯମଭୟେ । ନିର୍ଭୟପଥେ ଚିତ୍ତ ରହେ । । ୩୫
    ଯୋଗ ଅଭ୍ୟାସେ ଯୋଗୀଜନେ । ଦୀର୍ଘେ ଜୀବନ୍ତି ଯୋଗଧ୍ୟାନେ । । ୩୬
    ଯେବେ ସେ କୃଷ୍ଣନାମ ମୁଖେ । କହନ୍ତି ଏକକୁ ଆରକେ । । ୩୭
    ଦିନ ବଞ୍ଚନ୍ତି କୃଷ୍ଣ-ଗାଇ । ଅନ୍ତରେ ତାର ପଦ ଧ୍ୟାୟି । । ୩୮
    ଯେ ହରି ନ ବୋଲେ ବଦନେ । କି ପ୍ରୟୋଜନ ଯୋଗଧ୍ୟାନେ । । ୩୯
    କାଳ ନିର୍ଣ୍ଣୟ ନାହିଁ ତହିଁ । ହେ ନୃପ ଶୁଣ ମନଦେଇ । । ୪୦
    ମୁହୂର୍ତ୍ତମାତ୍ରେ କୃଷ୍ଣବାଣୀ । ଯେ ଶୁଣେ ଯେବା ମୁଖେ ଭଣି । । ୪୧
    ସେ ପ୍ରାଣୀ ଆତ୍ମାକୁ ଉଦ୍ଧରେ । କି ଭାବ ବହୁ ସମ୍ବତ୍ସ›ରେ । । ୪୨
    ଖଟ୍ୱାଙ୍ଗ ନାମେ ରାଜା ଥିଲା । ସ୍ୱର୍ଗେ ଦେବଙ୍କୁ ହିତ କଲା । । ୪୩
    ରିପୁ ସଂହାରି ଦେବପାଶେ । ମିଳିଲା ଭକତି-ବିଶ୍ୱାସେ । । ୪୪
    ଦେବେ ବୋଇଲେ ମାଗ ବର । ଶୁଣି ବୋଇଲା ନୃପବର । । ୪୫
    ଆୟୁଷ ଅଛଇ ମୋ କେତେ । ଦେବେ କହିଲେ ଶାସ୍ତ୍ରମତେ । । ୪୬
    ମୁହୂର୍ତ୍ତେ ଅଛି ତୋ ଜୀବନ । ତାଣୁଣି ସନ୍ତୋଷ ରାଜନ । । ୪୭
    ତକ୍ଷଣେ ଆସି ମହୀତଳେ । ଭାବିଲା ଅକିଞ୍ଚନ ମେଳେ । । ୪୮
    ମୁହୂର୍ତ୍ତେ ନାମ ଉଚ୍ଚାରିଲା । ଅନ୍ତେ ସେ ଗୋବିନ୍ଦେ ପଶିଲା । । ୪୯
    ଏବେ ସପତଦିନ ଯାଏ । ଜୀବନ ଥିବ ତୋର ଦେହେ । । ୫୦
    ଏବେ ହରିଙ୍କି ଆଶ୍ରେକର । କର୍ଣ୍ଣେ ଶୁଣ ମୁଖେ ଉଚ୍ଚାର । । ୫୧
    ଯେ ଅନ୍ତଃକାଳେ କୃଷ୍ଣବାଣୀ । ମୁଖେ ଉଚ୍ଚାରେ କର୍ଣ୍ଣେ ଶୁଣି । । ୫୨
    ତାହାର ମୃତ୍ୟୁଭୟ ନୋହେ । ଦାରାତନୟ ନିଜ ଦେହେ । । ୫୩
    ଯେତେ ବିଷୟ ଆତ୍ମାଭେଦି । ଅସଙ୍ଗଶସ୍ତ୍ରେ ତାହା ଛେଦି । । ୫୪
    ବେଗେ ସେ ପଶେ କୃଷ୍ଣଭାବେ । ଶୁଣ କହିବା ତୋତେ ଏବେ । । ୫୫
    ଯେ ପ୍ରାଣୀ ଅନ୍ତଃକାଳ ଜାଣି । ଆତ୍ମାର ହିତ ମନେ ଗୁଣି । । ୫୬
    ଘରୁ ବାହାର ହୋଇ ଜ୍ଞାନେ । ତପଆଚରେ ଘୋରବନେ । । ୫୭
    ସ୍ନହାନ ସାରି ତୀର୍ଥଜଳେ । ଆସନେ ବସିବ ନିଶ୍ଚଳେ । । ୫୮
    ଏକାନ୍ତେ ଯେ ବିଧି ଆସନେ । ପ୍ରଥମ-ଆଶ୍ରମ ଲକ୍ଷଣେ । । ୫୯
    ଅଭ୍ୟାସ କରି ଶୁଦ୍ଧମନେ । ତ୍ରିବୃତ-ବ୍ରହ୍ମ ସୁମରଣେ । । ୬୦
    ପ୍ରାଣ ପବନ ଯୋଗେ ରୁନ୍ଧି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି । । ୬୧
    ବୁଦ୍ଧି-ସାରଥି ଆଶ୍ରେ କରି । ବିଷୟ-ସମୂହ ସଂହରି । । ୬୨
    କର୍ମେ ଚଞ୍ଚଳମନ ବଳେ । ନିରୋପି କୃଷ୍ଣ-ପାଦତଳେ । । ୬୩
    ତାର ଶରୀର ଅବୟବେ । ଚିନ୍ତିବ ଏକେ ଏକେ ଭାବେ । । ୬୪
    ମନକୁ ନିର୍ବିଷୟ କରି । ସକଳଚିନ୍ତା ପରିହରି । । ୬୫
    ମନ ପ୍ରସନ୍ନ ଯେତେବେଳେ । ଜ୍ଞାନ-ପ୍ରସରେ ସୁନିଶ୍ଚଳେ । । ୬୬
    ସ୍ୱଭାବେ ମନ ଦୁଷ୍ଟପଣେ । ଆବୃତ ରଜ ତମୋ ଗୁଣେ । । ୬୭
    ଏଣୁ ଧାରଣା ଆଶ୍ରେ କରି । ମନର ମଳ ଅପହରି । । ୬୮
    ଏମନ୍ତ ଯୋଗର ଧାରଣ । ଯୋଗୀଙ୍କ ଭକତି ଲକ୍ଷଣ । । ୬୯
    ଯେ ଭକ୍ତି-ଧାରଣାର ବଳେ । ଯୋଗପ୍ରାପତ ଅଳ୍ପକାଳେ । । ୭୦
    ବିଷୟ ଦେଖଇ ମଙ୍ଗଳ । କୃଷ୍ଣେ କରଇ ସର୍ବମେଳ । । ୭୧
    ଏମନ୍ତ ଶୁକ ମୁଖୁ ଶୁଣି । ବୋଲେ ପାଣ୍ଡବ-ଚୂଡ଼ାମଣି । । ୭୨

    ରାଜା ଉବାଚ

    ଧାରଣା-ଯୋଗ ଚିତ୍ତେ ଧରି । ଯେମନ୍ତେ ତରେ ବ୍ରହ୍ମଚାରୀ । । ୭୩
    ଯେମନ୍ତ ଧାରଣା ନିଶ୍ଚଳ । ବେଗେ ହରଇ ମନୁ ମଳ । । ୭୪
    ଏ ଯୋଗଧାରଣା ସ୍ୱଭାବ । ଯେ ଶାସ୍ତ୍ରମାର୍ଗେ ଅନୁଭବ । । ୭୫
    ଗୁରୁ ବଚନେ କିବା ଜାଣି । ଯୋଗଧାରଣା ପରିମାଣି । । ୭୬
    ଯେଣେ ଅଭ୍ୟାସ ପ୍ରାଣୀକରେ । ଯେମନ୍ତେ ମନୁ ମଳ ହରେ । । ୭୭
    କହି ପବିତ୍ର ମୋତେ କର । ନିର୍ମଳ ହେଉ ମୋ ଶରୀର । । ୭୮
    ଏମନ୍ତ ରାଜା ପ୍ରଶ୍ନ ଶୁଣି । ଶୁକ କହନ୍ତି ମନେ ଗୁଣି । । ୭୯

    ଶୁକ ଉବାଚ

    ଜିତ ଆସନ ଜିତ ପ୍ରାଣ । ଜିତ ବିଷୟ ଇନ୍ଦ୍ରିଗଣ । । ୮୦
    ସ୍ଥୂଳ ଶରୀରେ ବୁଦ୍ଧିବଳେ । ମନକୁ ସ୍ଥାପିବ ନିଶ୍ଚଳେ । । ୮୧
    ବିଶେଷେ ଗୋବିନ୍ଦ ଶରୀର । ଅତ୍ୟନ୍ତ ସ୍ଥୂଳୁ ସ୍ଥୂଳତର । । ୮୨
    ଯହିଁ ସଂସାର ପରମାଣ । ଭୂତ-ଭବିଷ୍ୟ-ବତ୍ତର୍ମାନ । । ୮୩
    ବ୍ରହ୍ମାଣ୍ଡ ବସେ ଯାର ଦେହି । ସପ୍ତାବରଣେ ଯୁକ୍ତ ହୋଇ । । ୮୪
    ବିରାଜ-ପୁରୁଷ ଏ ମଧ୍ୟେ । ବସେ ଧାରଣା ଅନୁବାଦେ । । ୮୫
    ବ୍ରହ୍ମାଣ୍ଡ ଚତୁର୍ଦ୍ଦଶ-ପୁର । ପ୍ରମାଣ ଯାହାର ଶରୀର । । ୮୬
    ଶୁଣ କହିବା ଅଧଉର୍ଦ୍ଧ୍ୱେ । ବିରାଟରୂପ ଥାଇ ମଧ୍ୟେ । । ୮୭
    ପାତାଳ ବୋଲି ପାଦମୂଳ । ପାର୍ଷ୍ଣି ପାଦଗ୍ର ରସାତଳ । । ୮୮
    ଚରଣ ଗୁଳ୍‌ଫେ ମହାତଳ । ଜଂଘଯୁଗଳ ତଳାତଳ । । ୮୯
    ସୁତଳ ବୋଲି ଜାନୁଯୁଗେ । ବିତଳାତଳ ଉରୁଭାଗେ । । ୯୦
    ଜଘନଦେଶ ମହୀତଳ । ନାଭିମଣ୍ଡଳ ନଭସ୍ଥଳ । । ୯୧
    ସ୍ୱର୍ଲୋକ ହୃଦୟରେ ବସେ । ଜ୍ୟୋତିସମୂହ ପରକାଶେ । । ୯୨
    କଣ୍ଠ ଆଶ୍ରିତ ମହର୍ଲୋକ । ବଦନେ ବଶେ ଜନଲୋକ । । ୯୩
    ଲଲାଟେ ତପଲୋକ ବସେ । ସତ୍ୟ କଳ୍ପିତ ଶିରଦେଶେ । । ୯୪
    ବାସବ ଆଦି ଦିଗପାଳ । ଯାହାର ଭୁଜ ସୁବିଶାଳ । । ୯୫
    କର୍ଣ୍ଣ ଯାହାର ଅଷ୍ଟଦିଶା । ଅଶ୍ୱିନୀକୁମାରେ ଯା ନାସା । । ୯୬
    ଜ୍ୱଳନ୍ତା ଅଗ୍ନି ଯା ବଦନ । ନୟନ ଗୋଲୋକ ଗମନ । । ୯୭
    ତପନ ଯାର ଚକ୍ଷୁବେନି । ଉଦୟ ଅସ୍ତ ପକ୍ଷୁ ବେନି । । ୯୮
    ଯାର ଭ୍ରୂଭଙ୍ଗ ବ୍ରହ୍ମପଦ । ସଲିଳ ତାଳୁ ରସଜିହ୍ୱ । । ୯୯
    ସକଳ ବେଦ ବ୍ରହ୍ମରନ୍ଧ୍ର । ବିକଟ ଦନ୍ତ ଯମପଦ । । ୧୦୦
    ଯାହାର ତୁଣ୍ଡେ ସ୍ନେହକଳା । ଅଧଉଦ୍ଧ୍ୱର୍ରେ ଦନ୍ତମାଳା । । ୧୦୧
    ଜନଉନ୍ମାଦ ଯାର ହାସ । ଯେ ବିଷ୍ଣୁମାୟାର ପ୍ରକାଶ । । ୧୦୨
    ସଂସାର ଯାହାର କଟାକ୍ଷ । ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ । । ୧୦୩
    ଉପର ଓଷ୍ଠେ ଲଜ୍ଜା ବସେ । ଲୋଭ ବସଇ ଅଧୋଦେଶେ । । ୧୦୪
    ଧର୍ମ ବସଇ ସ୍ତନଯୁଗେ । ଅଧର୍ମପଥ ପୃଷ୍ଠଭାଗେ । । ୧୦୫
    ଅଣ୍ଡେ ବସଇ ପ୍ରଜାପତି । ମିତ୍ରାବରୁଣ କୋଷେ ସ୍ଥିତି । । ୧୦୬
    ଉଦଧି ଯାହାର ଉଦର । ଅସ୍ଥିସମୂହ ମହୀଧର । । ୧୦୭
    ଶିରାସମୂହ ନଦୀଗଣ । ବୃକ୍ଷଔଷଧି ତନୁରୋମ । । ୧୦୮
    ଅନନ୍ତବୀର୍ଯ୍ୟ ଯହିଁ ବସେ । ଶ୍ୱାସପବନ ଅଣଚାଶେ । । ୧୦୯
    ଯାହାର ଗତି ଜାଣ କାଳ । ଜୀବ ସଂସାର ଯାର ଖେଳ । । ୧୧୦
    ଜୀମୂତଗଣ ଯାର କେଶ । ସନ୍ଧ୍ୟା ଯାହାର ନିଜବାସ । । ୧୧୧
    ପ୍ରକୃତି ହୃଦୟ ଯାହାର । ଯାହାର ମନ ନିଶାକର । । ୧୧୨
    ହେ କୁରୁଶ୍ରେଷ୍ଠ ପରୀକ୍ଷିତ । ଈଶ୍ୱର ସର୍ବ କୋଷଭୂତ । । ୧୧୩
    ବିଜ୍ଞାନଶକ୍ତି ଯା ମହିମା । ଅନ୍ତଃକରଣ ରୁଦ୍ରସୀମା । । ୧୧୪
    କଲଭ ଅଶ୍ୱ ଅଶ୍ୱତର । ନଖସମୂହ କରିବର । । ୧୧୫
    ଯେ ପଶୁ ମୃଗାଦି ବିଶେଷେ । ସର୍ବ କଳ୍ପିତ ଶ୍ରୋଣୀଦେଶେ । । ୧୧୬
    ପକ୍ଷିଏ ଯାର ବ୍ୟାକରଣ । ବୁଦ୍ଧି ବିଷୟ ମନୁଗଣ । । ୧୧୭
    ଯାର ନିବାସ ନରଦେହ । ଯହିଁ କଳ୍ପିତ ମାୟାମୋହ । । ୧୧୮
    ଗନ୍ଧର୍ବ ବିଦ୍ୟାଧର ଆଦି । ଚାରଣ ଗଣିକା ପ୍ରସିଦ୍ଧି । । ୧୧୯
    କିନ୍ନରଗଣ ଯାର ସ୍ୱର । ବୀର୍ଯ୍ୟରେ କଳ୍ପିତ ଅସୁର । । ୧୨୦
    ବ୍ରାହ୍ମଣ ଯାର ମୁଖୁ ଜାତ । କ୍ଷତ୍ରିୟ ଭୁଜରୁ ସମ୍ଭୂତ । । ୧୨୧
    ଉରୁରୁ ବୈଶ୍ୟ ଉତପତ୍ତି । ପାଦରୁ ଜନ୍ମ ଶୂଦ୍ରଜାତି । । ୧୨୨
    ନାନା ପ୍ରକାର ନାମ ବହି । ଅଭୀଷ୍ଟ ଦେବେ ଯାର ଦେହି । । ୧୨୩
    ନିଗମ-କର୍ମ-କାଣ୍ଡ ଯେତେ । ଯାହାର କର୍ମ ଏ ଯୁଗତେ । । ୧୨୪
    ଏମନ୍ତେ ଈଶ୍ୱରର ଦେହେ । ବସନ୍ତି ଅବୟବ ପ୍ରାୟେ । । ୧୨୫
    ଏମନ୍ତେ ଏ ସ୍ଥୂଳ-ଶରୀରେ । ଧାରଣାଯୋଗେ ନିର୍ବିକାରେ । । ୧୨୬
    ମନ ନିରୋଳ ଯୋଗବଳେ । ଗୋବିନ୍ଦ-ଚରଣ-କମଳେ । । ୧୨୭
    ସର୍ବ ଶରୀରେ ଭଗବାନ । ତା ତହୁଁ କେବା ଅଛି ଆନ । । ୧୨୮
    ସେ ସର୍ବ-ବୁଦ୍ଧି ଅନୁଭବ । ଜୀବ ପରମ ପଦ୍ମନାଭ । । ୧୨୯
    ସତ୍ୟ-ପରମାନନ୍ଦ-ନିଧି । ତାର ଭଜନ ସର୍ବସିଦ୍ଧି । । ୧୩୦
    ଜନ୍ମମରଣ ତାର ତହୁଁ । କେବା ଗୋଚରେ ତାହା କହୁଁ । । ୧୩୧
    ଯେ ଅନ୍ୟସଙ୍ଗ ଦାରାସୁତ । ନ କରି ଯେଣୁ ଆତ୍ମପାତ । । ୧୩୨
    ସ୍ୱପ୍ନରେ ଜୀବର ଯେମନ୍ତ । ଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ । । ୧୩୩
    ସେ ସର୍ବମିଥ୍ୟା ଜୀବ ସତ୍ୟ । ଏ ଜ୍ଞାନେ ହୁଅଇ ମୁକତ । । ୧୩୪

    ସୂତ ଉବାଚ

    ଏମନ୍ତ କହି ଶୁକମୁନି । ହରଷେ ହରିଭାବ ଘେନି । । ୧୩୫
    ଆନନ୍ଦେ ପରୀକ୍ଷିତ ମେଳେ । ଯାହା କହିଲେ ଗଙ୍ଗାକୂଳେ । । ୧୩୬
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ମହାପୁରୁଷସଂସ୍ଥାନ ଅନୁବର୍ଣ୍ଣନେ ନାମ ପ୍ରଥମୋଽଧ୍ୟାୟଃ ।।

    ଦ୍ୱିତୀୟ ଅଧ୍ୟାୟ

    ସୂତ ଉବାଚ

    କହନ୍ତି ଶୁକ ମହାମୁନି । ଶୁଣ ରାଜନ-ଚୂଡ଼ାମଣି । । ୧

    ଶୁକ ଉବାଚ

    ଏ ଯେତେ କହିଲି ମୁଁ ତୋତେ । ଈଶ୍ୱର ଶରୀର ସମେତେ । । ୨
    ଏ ସ୍ଥୂଳଦେହେ ମନ ଧରି । ସୁବୁଦ୍ଧିବଳେ ଯତ୍ନ କରି । । ୩
    ସେ ହରି ଅନ୍ତରେ ବାହାରେ । ଆନ କେ ଅଛି ଏ ସଂସାରେ । । ୪
    ସେ ସର୍ବବୁଦ୍ଧି ଅନୁଭୂତ । ସ୍ୱପ୍ନ-ଜାଗ୍ରତ ମଧ୍ୟେ ସ୍ଥିତ । । ୫
    ସତ୍ୟ-ଆନନ୍ଦ-ଜଳନିଧି । ଭକ୍ତଜନଙ୍କ ସର୍ବସିଦ୍ଧି । । ୬
    ଯାହାର ତହୁଁ ଏ ଜଗତ । ଆତ୍ମାର ତୁଲେ ଉଦେ ଅସ୍ତ । । ୭
    ଏହି ପ୍ରକାରେ ପୂର୍ବକାଳେ । ସେ ଆତ୍ମଯୋନି ଏ ଶୟଳେ । । ୮
    ଆତ୍ମ ସ୍ମରଣେ ବୁଦ୍ଧିବଳେ । ସର୍ଜିଲା ଏ ବିଶ୍ୱ-ମଣ୍ତଳେ । । ୯
    ପୂର୍ବେ ଯେମନ୍ତେ ଥିଲା ବିଧି । ତେହ୍ନେ ଧାରଣା ବଳେ ସାଧି । । ୧୦
    ଆତ୍ମାକୁ ପାଳି ପୁଣ ହରେ । ବଣିଜ ଯେହ୍ନେ ବଣିଜାରେ । । ୧୧
    ଶବଦ ବ୍ରହ୍ମର ଏ ପଥ । ଯେ ମାର୍ଗେ ଜୀବ ଆତଯାତ । । ୧୨
    ପଡ଼ି ଭ୍ରମଇ ଅଧ ଉର୍ଦ୍ଧ୍ୱେ । କିଛି ନ ଲଭେ ଲାଭପଦେ । । ୧୩
    ନାନା ଦେବତା ଦୀକ୍ଷା କରେ । ବିଅର୍ଥ-ସୁଖେ ମନ ଧରେ । । ୧୪
    ବାସନା-ମାୟାମୟ-ଯାନେ । ନ ବୁଝି ନିରତେ ଭ୍ରମଣେ । । ୧୫
    ତାହାଙ୍କ ମଧ୍ୟେ ଯେ ସୁବୁଦ୍ଧି । ଜାଣଇ ବେଗ-ସତ୍ୟ-ବୁଦ୍ଧି । । ୧୬
    ବିଚାର କରେ ମାୟାଗ୍ରସ୍ତେ । ମୁହିଁ ଭ୍ରମଇ କିସ ଅର୍ଥେ । । ୧୭
    ଶ୍ରମ ଲଭଇ ଆତଯାତେ । ଲାଭ ନ ମିଳେ ମୋର ହସ୍ତେ । । ୧୮
    ଏଣୁ ଏ ପଥଶ୍ରମ ତେଜି । ଯେ ପ୍ରାଣୀ ଆତ୍ମାଲାଭ ଖୋଜି । । ୧୯
    ପ୍ରୟାସ ଦୂରେ ପରିହରି । ଆତ୍ମାରେ ଆତ୍ମା ବୋଧ କରି । । ୨୦
    ଅଳପ ଭୋଗେ ଆତ୍ମା ପୋଷେ । ବର୍ତ୍ତଇ ଅବା ଉପବାସେ । । ୨୧
    ଥାଉଁ ଏ ବସୁନ୍ଧରୀ ଅଙ୍କ । ସୁବର୍ଣ୍ଣ ପଲେଙ୍କ କି ସୁଖ । । ୨୨
    ସମର୍ଥ-ଭୁଜ ଥାଉଁ ବାମେ । କି ପ୍ରୟୋଜନ ଉପାଧାନେ । । ୨୩
    ଅଞ୍ଜଳି ଅଛି ଯେବେ ହସ୍ତେ । କି ପ୍ରୟୋଜନ ଅନ୍ୟପାତ୍ରେ । । ୨୪
    ଦିଗ-ବକଳ ଯାର ବାସ । ବସନେ ତାର କିବା ଆଶ । । ୨୫
    ଲେଙ୍କଡ଼ା ବସ୍ତ୍ର ପଥେ ଦେଖି । ତାର ଗ୍ରହଣେ ହୋନ୍ତି ସୁଖୀ । । ୨୬
    ଥାଉଁ ସମର୍ଥ ଦୁଇଭୁଜ । କୃତ୍ୟ କିଙ୍କରେ କିସ କାର୍ଯ୍ୟ । । ୨୭
    ଆରୋହି ମନ ଯାର ପାଦ । ଗଜତୁରେଙ୍ଗ କିସ ସଧ । । ୨୮
    ଫଳ ପୂରିଛି ବୃକ୍ଷେ ବନେ । କି ପ୍ରୟୋଜନ ଭିକ୍ଷାଅନ୍ନେ । । ୨୯
    ନିର୍ଝର ନଦୀ କୂପ ସ୍ଥଳେ । କି ପ୍ରୟୋଜନ କମଣ୍ତଳେ । । ୩୦
    ପର୍ବତ ଗୁହା ତୃଣେ ବେଢ଼ି । ସେ ଥାଉଁ ଗୃହେ କିମ୍ପା ପଡ଼ି । । ୩୧
    ଏମନ୍ତ ଭାବେ କୃଷ୍ଣପାଦେ । ଯେ ପ୍ରାଣୀ ରମନ୍ତି ଆନନ୍ଦେ । । ୩୨
    ତାହାଙ୍କ ରକ୍ଷଣ ଉପାୟ । କରନ୍ତି ପ୍ରଭୁ ଦେରାୟ । । ୩୩
    ସେ କିମ୍ପା ଧନଗର୍ବୀ ଲୋକେ । କ୍ଷଣେ ଭଜିବେ ଆତ୍ମସୁଖେ । । ୩୪
    ଏହି ପ୍ରକାରେ ଆତ୍ମଚିତ୍ତେ । ସିଦ୍ଧି ଲଭନ୍ତି ଅନୁଭୂତେ । । ୩୫
    ସେ ପ୍ରାଣୀ ହୋଏ କୃତକୃତ୍ୟ । ତାହାକୁ ପ୍ରସନ୍ନ ଅନନ୍ତ । । ୩୬
    ଏଣୁ ନିୟତ ଆତ୍ମା ଯୋଗେ । ଭଜିବ କୃଷ୍ଣ-ପାଦଯୁଗେ । । ୩୭
    ମୁଁ ତୋତେ କହିଲି ବିଶ୍ୱାସେ । ଏଣେ ସଂସାର-ହେତୁ ନାଶେ । । ୩୮
    ଏ ଭାବ ଅନାଦର କରି । ସଂସାର-ଚିନ୍ତା ଚିତ୍ତେ ଧରି । । ୩୯
    ପଶୁଙ୍କ ପ୍ରାୟ ତାଙ୍କ ଗତି । ଏ ମାୟା-ସଂସାରେ ଭ୍ରମନ୍ତି । । ୪୦
    ଦେଖ ସଂସାରେ ପ୍ରାଣୀ ଯେତେ । ଯନ୍ତ୍ରିତ ଯମର ଆୟତ୍ତେ । । ୪୧
    ବଇତରଣୀ ନାମେ ନଦୀ । ଯାତନା ମଧ୍ୟେ ସେ ପ୍ରସିଦ୍ଧି । । ୪୨
    ତହିଁ ପଡ଼ନ୍ତି ଦେଖୁ ଦେଖୁ । ତାଙ୍କ ଜୀବନ କେବା ରଖୁ । । ୪୩
    ଅର୍ଜିଲା କର୍ମଫଳ ସେବି । ଅଶେଷ ଦେହେ ତାହା ଭାବି । । ୪୪
    ଏବେ ହୋ ଶୁଣ ନୃପମଣି । ଯେଣେ ସଂସାରୁ ତରେ ପ୍ରାଣୀ । । ୪୫
    ଏ ଭାବେ ଏ ନର-ଶରୀରେ । ଧାରଣାଯୋଗ ନିର୍ବିକାରେ । । ୪୬
    ସ୍ୱଦେହେ ହୃଦୟ ପ୍ରକାଶେ । ସେ ହରି ଘୋରତମ ନାଶେ । । ୪୭
    ପ୍ରାଦେଶମାତ୍ର ରୂପ ଧରି । ବିଜୟେ ପ୍ରଭୁ ନରହରି । । ୪୮
    ସୂକ୍ଷ୍ମ-ସ୍ୱରୂପ ରୂପ ତାର । ଶୁଣ ସୁମନେ କୁରୁବୀର । । ୪୯
    ଶ୍ୟାମସୁନ୍ଦର ଭୁଜଚାରି । ଶଙ୍ଖ-କମଳ-ଗଦା-ଅରୀ । । ୫୦
    ଧାରଣା ଯୋଗେ ଏହା ଚିନ୍ତି । ନିଶ୍ଚଳ-ନୟନେ ଦେଖନ୍ତି । । ୫୧
    ପ୍ରସନ୍ନ ଶ୍ରୀମୁଖ-ମଣ୍ତଳ । ଲୋଚନ ଅମଳ-କମଳ । । ୫୨
    କଦମ୍ବ ଜିଞ୍ଜଳ୍ କ ସୁରଙ୍ଗେ । ପୀତବସନ ଶୋହେ ଅଙ୍ଗେ । । ୫୩
    ସୁବର୍ଣ୍ଣ କରୀଟ କୁଣ୍ତଳ । ସୁନ୍ଦର ଅଳକା କପୋଳ । । ୫୪
    ଅମୂଲ୍ୟ-ହାର ବକ୍ଷସ୍ଥଳେ । ରତ୍ନକେୟୂର ବାହୁମୂଳେ । । ୫୫
    ହୃଦୟପଦ୍ମ ମଧ୍ୟେ ସ୍ମରି । ଯେ ପାଦଧ୍ୟାୟେ ବ୍ରହ୍ମଚାରୀ । । ୫୬
    ସେ ପାଦ ଲକ୍ଷ୍ମୀରେ ଚିହ୍ନିତ । ଦିଶଇ ଅତ୍ୟନ୍ତ ଶୋଭିତ । । ୫୭
    ଶ୍ରୀବତ୍ସ› କଉସ୍ତୁଭମଣି । ସୁବର୍ଣ୍ଣସୂତ୍ରେ ସୁଖଞ୍ଜଣି । । ୫୮
    ଆଜାନୁଲମ୍ବେ ବନମାଳେ । ସ୍କନ୍ଧୁବେଷ୍ଟିତ ବକ୍ଷସ୍ଥଳେ । । ୫୯
    ରତ୍ନମେଖଳା କଟୀମାଝେ । ଅଙ୍ଗୁଷ୍ଠେ ମୁଦ୍ରିକା ବିରାଜେ । । ୬୦
    ଅଙ୍ଗଦ ନୂପୁର କଙ୍କଣ । ବିବିଧ ଅଙ୍ଗ-ଆଭରଣ । । ୬୧
    ଅମଳପୁଷ୍ପ ଶିରେ ଶୋହେ । ନୀଳକୁନ୍ତଳ ଜନ ମୋହେ । । ୬୨
    ସୁନ୍ଦର ହୃଷିତ-ବଦନ । ଅଞ୍ଜନ ବିରାଜେ ନୟନ । । ୬୩
    ଭ୍ରୂଭଙ୍ଗ ଅନୁଗ୍ରହ ମୁଖ । ଭ୍ରୂକୁଟୀ କୁଟୀଳ ସୁରେଖ । । ୬୪
    ଅନେକ ଅନୁଗ୍ରହ ଯହିଁ । ସଞ୍ଚିତ ହୋଇଅଛି ରହି । । ୬୫
    ଏମନ୍ତେ ଈଶ୍ୱରର ଦେହ । ଚିତ୍ତେ ଚିନ୍ତିବ ଚିନ୍ତାମୟ । । ୬୬
    ଯାବତ ଧାରଣାର ବଳେ । ମନକୁ ରୁହାଇ ନିଶ୍ଚଳେ । । ୬୭
    ତାବତ ଏକ ଏକ ଅଙ୍ଗେ । ନିତ୍ୟେ ଭାବିବ ବୁଦ୍ଧିଯୋଗେ । । ୬୮
    ହାସବଦନୁ ପାଦଯାଏ । ଭାବିବ ବିଷ୍ଣୁ ସ୍ଥୂଳଦେହେ । । ୬୯
    ସ୍ଥାନକୁ ସ୍ଥାନ ଧ୍ୟାନ କରି । ଛାଡ଼ିବ ଅପର ଆବୋରି । । ୭୦
    ଯାବତ ବୁଦ୍ଧି ଏ ଶରୀରେ । ପରମେ ଭକ୍ତି ନ ବିଚାରେ । । ୭୧
    ଯାବତ ବିଷ୍ଣୁ ନିଜ ଦେହେ । ନ ଦେଖି ତତ୍ତ୍ୱର ଉଦୟେ । । ୭୨
    ତାବତ ସ୍ଥୂଳ ରୂପ ଚିନ୍ତି । ଚିତ୍ତେ ସ୍ମରିବ ନିତିନିତି । । ୭୩
    ସୁଖେ ବସିବ ସ୍ଥିରାସନେ । ସ୍ଥୂଳ-ଶରୀର ଯୋଗଧ୍ୟାନେ । । ୭୪
    ଏମନ୍ତ କରିବ ଧାରଣ । ଯାବତ ନ ଲଭେ ମରଣ । । ୭୫
    ଏମନ୍ତ ଯୋଗୀ ଏ ଦେହକୁ । ଯେବେ ଇଚ୍ଛିବ ଛାଡ଼ିବାକୁ । । ୭୬
    ପବିତ୍ର-ପୁଣ୍ୟ-ତୀର୍ଥ-କାଳ । ମନରେ ନ କରି ବିଚାର । । ୭୭
    ଯୋଗସାଧନେ ପଞ୍ଚପ୍ରାଣ । ସାଧିବ ସମାଧି ଧାରଣ । । ୭୮
    ଆସନ ପ୍ରତ୍ୟାହାର ବଳେ । ମନକୁ ସ୍ଥାପିବ ନିଶ୍ଚଳେ । । ୭୯
    ମନ ସମେତେ ଇନ୍ଦ୍ରିଗଣ । ନିର୍ମଳ ବୁଦ୍ଧିରେ ସଂଯମ । । ୮୦
    ସେ ବୁଦ୍ଧି କ୍ଷେତ୍ରଜ୍ଞେ ପ୍ରମାଣି । ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି । । ୮୧
    ଆତ୍ମାରେ ଆତ୍ମାକୁ ନିରୋଧି । ଏମନ୍ତେ ଯେ ଜନ ସୁବୁଦ୍ଧି । । ୮୨
    ଆତ୍ମାର ଲାଭ ଲଭେ ହେଳେ । କର୍ମଛାଡ଼ିବ ତେତେବେଳେ । । ୮୩
    ଏ ଭାବେ ଜୀବର ନିସ୍ତାର । କାଳର ନାହିଁ ଅଧିକାର । । ୮୪
    ଦେବେ ନ ପାରେ ତାରେ ହିଂସି । ତ୍ରିଗୁଣେ ନ ପାରନ୍ତି ପଶି । । ୮୫
    ଇନ୍ଦ୍ରିୟଗଣେ ଅଗୋଚର । ଯହିଁ ମହତତତ୍ତ୍ୱ ଦୂର । । ୮୬
    ଦେବେ ନ ପାନ୍ତି ଯାହା ଚିନ୍ତି । ନ ଜାଣୁ ନ ଜାଣୁ ବୋଲନ୍ତି । । ୮୭
    ଦୁରାତ୍ମାଭାବ ପରିହରି । ସୁହୃଦଭାବ ଚିତ୍ତେ ଧରି । । ୮୮
    ଯେ ଅଟେ ବୈଷ୍ଣବର ଧାମ । ପରମପଦ ଯାର ନାମ । । ୮୯
    ସେ ପଦ ହୃଦରେ ଧରନ୍ତି । ସର୍ବତ୍ର ଶ୍ରେଷ୍ଠ ମନେ ଚିନ୍ତି । । ୯୦
    ଏ ରୂପେ ସାଧି ମୁନିଜନ । ପରମପଦେ କରେ ସ୍ଥାନ । । ୯୧
    ଯେବେ ନ ପାରେ ଏ ସାଧନେ । ତେବେ ବିଜ୍ଞାନ-ଶାସ୍ତ୍ରଜ୍ଞାନେ । । ୯୨
    ନାଶଇ ବିଷୟ-ବାସନା । ନାହିଁ ତା ମାୟାର ରଚନା । । ୯୩
    ଯେବେ ତା ଦେହତ୍ୟାଗେ ମନ । ତେବେ ସାଧିବ ଦୃଢ଼ାସନ । । ୯୪
    ବାମଚରଣ ପଛଭର । ତେଣେ ନିରୋଧି ମୂଳାଧାର । । ୯୫
    ମୂଳପବନ ଉର୍ଦ୍ଧ୍ୱେ ତୋଳି । ନାଭିପବନ ସଙ୍ଗେ ମିଳି । । ୯୬
    ବେନି ପବନ ପୁଣି ବଳେ । ସ୍ଥାପିବ ହୃଦୟ-କମଳେ । । ୯୭
    ତହୁଁ ତୋଳିବ ତିନି ପ୍ରାଣ । କଣ୍ଠେ ଯେ ବସଇ ଉଦାନ । । ୯୮
    ବ୍ୟାନ-ପବନ ତାର ତୁଲେ । ଧରି ସ୍ଥାପିବ ତାଳୁମୂଳେ । । ୯୯
    ତହୁଁ କୁମ୍ଭକ ସାଧ୍ୟକରି । ପ୍ରାଣକୁ ଭ୍ରୂମଣ୍ତଳେ ଭରି । । ୧୦୦
    ନିରୋଧ କରି ସପ୍ତଦ୍ୱାର । ସ୍ମରଣ କରିବ ଓଁକାର । । ୧୦୧
    ଯେବେ ଭୋଗରେ ମନ ନାହିଁ । ମୁହୂର୍ତ୍ତଅର୍ଦ୍ଧ ତହିଁ ରହି । । ୧୦୨
    ନିୟତ ଥାଇ ଯୋଗବନ୍ଧେ । ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ । । ୧୦୩
    ନିଶ୍ଚଳ-ଯୋଗ ଦୃଢ଼େ ସାଧି । ତକ୍ଷଣେ ବ୍ରହ୍ମରନ୍ଧ୍ର ଭେଦି । । ୧୦୪
    ପରମପଦେ ତାର ଗତି । ଦେହଇନ୍ଦ୍ରିୟ ପାଶୋରନ୍ତି । । ୧୦୫
    ହେ ନୃପ ଯେବେ ବ୍ରହ୍ମପଦ । ବୋଲିବ ପ୍ରୟାସ-ଆସ୍ପଦ । । ୧୦୬
    ଯେ ସିଦ୍ଧିଦେବଙ୍କର ସ୍ଥାନ । ଯେ ଅଷ୍ଟନିଧିରେ ସମ୍ପନ୍ନ । । ୧୦୭
    ବ୍ରହ୍ମର ବ୍ରହ୍ମଲୋକେ ସ୍ଥିତି । ସେ ସ୍ଥାନ ଭୋଗ ମନେ ଚିନ୍ତି । । ୧୦୮
    ଗୁଣ ସମୂହେ ଗୁଣସିଦ୍ଧି । ଯେବା ବାଞ୍ଛଇ ସର୍ବସିଦ୍ଧି । । ୧୦୯
    ମନ ଇନ୍ଦ୍ରିୟଗଣ ମେଳେ । ତକ୍ଷଣେ ସେ ଲୋକରେ ମିଳେ । । ୧୧୦
    ଯୋଗେଶ୍ୱରଙ୍କ ଏହୁ ଗତି । ପରମପୁରୁଷେ ବୋଲନ୍ତି । । ୧୧୧
    ଏମନ୍ତ ତିନିଲୋକ ଜିଣି । ଶୁଣ କହିବା ପରିମାଣି । । ୧୧୨
    ଯେ କର୍ମସାଧେ କର୍ମକାଣ୍ତେ । ସେ କାହିଁ ଯିବ ଉର୍ଦ୍ଧ୍ୱଦାଣ୍ତେ । । ୧୧୩
    କେବା ଲଭିବ କର୍ମଭାବେ । ସମାଧି-ବିଦ୍ୟା-ତପ-ଯୋଗେ । । ୧୧୪
    ଯେ ବ୍ରହ୍ମଲୋକ ମନେ କରେ । ପ୍ରଥମେ ଅଗ୍ନି ଆଶ୍ରେ କରେ । । ୧୧୫
    ସୁଷୁମ୍ନାରନ୍ଧ୍ରେ ବ୍ରହ୍ମପଥେ । ଜ୍ୟୋତି ପ୍ରକାଶେ ଉର୍ଦ୍ଧ୍ୱଗତେ । । ୧୧୬
    ବିଧୂତ-କଳ୍ମଷ-ଶରୀର । ସେ ଚକ୍ରେ ସ୍ଥିତ ଶିଶୁମାର । । ୧୧୭
    ସେ ଶିଶୁମାର ଚକ୍ରସାର । ସେ ଚକ୍ର ତଳେ ଧ୍ରୁବପୁର । । ୧୧୮
    ବିଶ୍ୱର ନାଭି ସେ ବୋଲାଇ । ଆତ୍ମା ସ୍ୱରୂପେ ତହୁଁ ଯାଇ । । ୧୧୯
    ପ୍ରବେଶ ପରମ-ସ୍ୱରୂପେ । ବ୍ରହ୍ମନିର୍ବାଣ ମହର୍ଲୋକେ । । ୧୨୦
    କଳ୍ପଆୟୁଷ ଦେବଗଣେ । ଯହିଁ ରମନ୍ତି ଅନୁକ୍ଷଣେ । । ୧୨୧
    ସେ ପୁଣି କଳ୍ପକ୍ଷୟକାଳେ । ଅନନ୍ତ-ନିଃଶ୍ୱାସ-ଅନଳେ । । ୧୨୨
    ଦହନ ଦେଖି ଅନ୍ତରୀକ୍ଷେ । ଅନନ୍ତଶୟନେ ପ୍ରତ୍ୟକ୍ଷେ । । ୧୨୩
    ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ । ବେଦ ଯା ବ୍ରହ୍ମଲୋକେ ଘୋଷେ । । ୧୨୪
    ବେନିପରାର୍ଦ୍ଧ ଯହିଁ ଗଣି । ସେ ବ୍ରହ୍ମଲୋକ ପରିମାଣି । । ୧୨୫
    ସଂସାରକର୍ତ୍ତା ଯେ ବୋଲାନ୍ତି । ସେ ବ୍ରହ୍ମା ବ୍ରହ୍ମଲୋକେ ସ୍ଥିତି । । ୧୨୬
    ସେ ପୁରେ ନାହିଁ ଦୁଃଖଶୋକ । ଜରା-ମରଣ-ଉଦବେଗ । । ୧୨୭
    ଚିତ୍ତଅନର୍ଥହେତୁ ନାହିଁ । ଜନ୍ମମରଣ ଭୟ କାହିଁ । । ୧୨୮
    କେତେ ହେଁ କାଳେ ସେ ଭୁବନେ । ଥାଇ ଚିନ୍ତଇ ଅବଧାନେ । । ୧୨୯
    ଲିଙ୍ଗ-ଶରୀରେ ପୃଥିବୀରେ । ନିର୍ଭୟେ ସେ ସ୍ଥଳେ ବିହରେ । । ୧୩୦
    ପୃଥିବୀ ରୂପେ ଜଳେ ଯାଇ । ଯେ ଇଷ୍ଟଭୋଗ ତା ଭୁଞ୍ଜଇ । । ୧୩୧
    ଅନଳ ମଧ୍ୟେ ତହୁଁ ସ୍ଥିତି । ଜ୍ୟୋତିସ୍ୱରୂପ ପ୍ରାଣ ଚିନ୍ତି । । ୧୩୨
    ପବନେ କରଇ ସଞ୍ଚାର । ଧରଇ ପବନ ଶରୀର । । ୧୩୩
    ସେ ବାୟୁ କାଳେ ନଭେ ପୁରେ । ସେ ନଭେ ଲିଙ୍ଗରୂପ ଧରେ । । ୧୩୪
    ଗନ୍ଧ କଳ୍ପଇ ଘ୍ରାଣମାତ୍ରେ । ରସକୁ ରସନାସମେତେ । । ୧୩୫
    ଦୃଷ୍ଟିରେ ରୂପକୁ ସଂହରେ । ପବନ ବଶେ ଚର୍ମ ପରେ । । ୧୩୬
    ଆକାଶଗୁଣ କର୍ଣ୍ଣେ ଭରି । ଏ ରୂପେ ପ୍ରାଣ ସୂକ୍ଷ୍ମେ ଭରି । । ୧୩୭
    ବୁଦ୍ଧି-ଇନ୍ଦ୍ରିୟ-ଭାବ ଏଣେ । ପଞ୍ଚତନ୍ମାତ୍ରେ ପରିମାଣେ । । ୧୩୮
    ଏ ଅହଙ୍କାର ତିନିଗୁଣ । ବୁଦ୍ଧି-ଇନ୍ଦ୍ରିୟ-ଦିବ୍ୟଜ୍ଞାନ । । ୧୩୯
    ପଞ୍ଚବିକାର ପଞ୍ଚଦେବା । ମନ ସମେତେ କରି ସେବା । । ୧୪୦
    ଏ ପଞ୍ଚଦେବତା ସମେତେ । ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ୱେ । । ୧୪୧
    ତେ ତତ୍ତ୍ୱଗୁଣର ସଂସ୍ଥାନ । ପ୍ରଧାନ ଦେହେ ହୋଏ ଲୀନ । । ୧୪୨
    ସେ ନିତ୍ୟ-ଶାନ୍ତି-ସନାତନେ । ଆତ୍ମା-ନିରୋଧେ ଆତ୍ମଜ୍ଞାନେ । । ୧୪୩
    ପ୍ରବେଶ କରେ ବିଦ୍ୟମାନେ । ବିଜ୍ଞାନ-ଆନନ୍ଦ-ଚେତନେ । । ୧୪୪
    ଆନନ୍ଦଜ୍ଞାନ ରସଭୋଳେ । ଶାନ୍ତି ଲଭଇ ସୁନିଶ୍ଚଳେ । । ୧୪୫
    ଏମନ୍ତେ ଧାରଣାନୁଭାବେ । ନିଶ୍ଚେ ପଶଇ ବାସୁଦେବେ । । ୧୪୬
    ଅନ୍ତେ ଲଭଇ ଯେଉଁ ଗତି । ତାହାକୁ ବୋଲି ଭାଗବତୀ । । ୧୪୭
    ଯହିଁ ପଶିଲେ ଆତ୍ମାମନ । ନ ଲଭେ ପୁନରାଗମନ । । ୧୪୮
    ଶୁଣ ହେନୃପ ପରୀକ୍ଷିତ । ଯେଣୁ ପୁଚ୍ଛିଲୁ ଭାଗବତ । । ୧୪୯
    ତେଣୁ କହିଲି ଶ୍ରୁତିଯୋଗେ । ତୋର ସମୀପେ ଅନୁରାଗେ । । ୧୫୦
    ଦଇବେ କାଳ ଅବସାନ । ଏବେ କହିବା ଦିବ୍ୟଜ୍ଞାନ । । ୧୫୧
    ବ୍ରହ୍ମାର ତପେ ହୋଇ ତୋଷ । ବିଷ୍ଣୁ ଯେ ଦେଲେ ଉପଦେଶ । । ୧୫୨
    ଯେ ସଦ୍ୟୋମୁକ୍ତି କ୍ରମମୁକ୍ତି । ସ୍ୱଭାବସିଦ୍ଧ ବେନିଗତି । । ୧୫୩
    ସେ ପଥ କହିବି ମୁଁ ତୋତେ । ଏବେ ତୁ ଶୁଣ ଏକଚିତ୍ତେ । । ୧୫୪
    ସଂସାରେ ସଞ୍ଚରନ୍ତି ଯେତେ । ତାଙ୍କ ତାରଣେ ପଥ ଯେତେ । । ୧୫୫
    ଏହିଟି ଜାଣ ଶିବପଥ । ତା ତହୁଁ ଭକ୍ତିଯୋଗ ଜାତ । । ୧୫୬
    ଯେ କଥା ଶୁଣି ପ୍ରିୟଭାବେ । ଭକତି ଲଭେ ବାସୁଦେବେ । । ୧୫୭
    ବ୍ରହ୍ମାର ତପକଷ୍ଟେ ହରି । ଯାହା କହିଲେ ଦୟାକରି । । ୧୫୮
    ସେ ବ୍ରହ୍ମା ବ୍ରହ୍ମବେଦସାର । ସକଳ ବୁଝି ତିନିବାର । । ୧୫୯
    ଯେ ଭକ୍ତି ଜୀବ-ସୁଖପଥ । ଏ ଭାବେ ହେଲା ଆତ୍ମେ ରତ । । ୧୬୦
    ସେ ହରି ସର୍ବଭୂତ ମଧ୍ୟେ । ନିତ୍ୟେ ବିହରେ ଆତ୍ମାପଦେ । । ୧୬୧
    ବୁଦ୍ଧି ଲକ୍ଷଣେ ଅନୁମାନେ । ନିଶ୍ଚଳଯୋଗୀ ଯୋଗଧ୍ୟାନେ । । ୧୬୨
    କେ ଅବା କରିବ ଗୋଚର । ଜଗତ ବାହ୍ୟ-ଅଭ୍ୟନ୍ତର । । ୧୬୩
    ଏ ଘେନି ସର୍ବ ଆତ୍ମାଭାବେ । ସର୍ବଦା କାଳେ ସର୍ବଠାବେ । । ୧୬୪
    ହରିଙ୍କି ଶ୍ରୁତିପଥେ ଶୁଣ । ମୁଖେ ନିରତେ ନାମ ଭଣ । । ୧୬୫
    ସେ ହରିକଥାମୃତରସ । ଯେ କରେ ଶ୍ରୁତିପଥେ ଗ୍ରାସ । । ୧୬୬
    ବିଷୟ-ବିଦୂଷିତ-ଚିତ୍ତ । ପବିତ୍ର କରେ ଅନ୍ତର୍ଗତ । । ୧୬୭
    ଗୋବିନ୍ଦ-ଚରଣ-କମଳେ । ପଶଇ ଭକ୍ତିଯୋଗବଳେ । । ୧୬୮
    ଏ ଭାଗବତ ରସ ଯେତେ । ସୁଜନେ ପିବ ଶ୍ରୁତିପଥେ । । ୧୬୯
    ବିଷୟାରସରେ ନ ରସ । କହଇ ଜଗନ୍ନାଥ ଦାସ । । ୧୭୦

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ପୁରୁଷସଂସ୍ଥାବର୍ଣ୍ଣନଂ ନାମ ଦ୍ୱିତୀୟୋଽଧ୍ୟାୟଃ ।।


    ତୃତୀୟ ଅଧ୍ୟାୟ

    ସୂତ ଉବାଚ

    ଶୁକ କହନ୍ତି ଶୁଦ୍ଧଚିତ୍ତେ । ପ୍ରସନ୍ନେ ନୃପତି ଅଗ୍ରତେ । । ୧

    ଶୁକ ଉବାଚ

    ଶୁଣ ପରୀକ୍ଷ ପୁଣ୍ୟଦେହା । ତୁ ମୋତେ ପଚାରିଲୁ ଯାହା । । ୨
    ମନୁଷ୍ୟ ମଧ୍ୟେ ସାଧୁପ୍ରାଣୀ । ମରଣକାଳେ ଯାହା ଜାଣି । । ୩
    ଏବେ କହିବି ଜ୍ଞାନସାର । ଭକତଜନଙ୍କ ବେଭାର । । ୪
    ବ୍ରହ୍ମତେଜକୁ ଯାର ଇଚ୍ଛା । ବ୍ରହ୍ମଭଜନେ ହୋଇ ବାଞ୍ଛା । । ୫
    ଇନ୍ଦ୍ରିୟସୁଖେ ଯାର ଭାବ । ସେ ନର ଇନ୍ଦ୍ରଙ୍କୁ ପୂଜିବ । । ୬
    ପୁତ୍ରକାମରେ ଯାର ମତି । ସେ ଜନ ପୂଜେ ପ୍ରଜାପତି । । ୭
    ଶ୍ରୀକାମୀ ପ୍ରାଣୀ ଦେବୀଭଜେ । ତେଜସ୍ୱୀ ପୂଜେ ଗ୍ରହରାଜେ । । ୮
    ବସୁଙ୍କୁ ପୂଜେ ବସୁକାମୀ । ଦୃଢ଼ଭକତିଭାବ ଘେନି । । ୯
    ବୀର୍ଯ୍ୟରେ ହୋଏ ଯାର ମତି । ସେ ଭଜେ ପଶୁଙ୍କରପତି । । ୧୦
    ଅନ୍ନାଦିକାମେ ଯାର ଚିନ୍ତା । ସେବେ ଅଦିତି ଦେବମାତା । । ୧୧
    ଦେବଙ୍କୁ ପୂଜେ ସ୍ୱର୍ଗକାମୀ । ବିଶ୍ୱଦେବାଙ୍କୁ ରାଜ୍ୟସ୍ୱାମୀ । । ୧୨
    ସାଧ୍ୟଙ୍କୁ ପୂଜି ପ୍ରଜାହିତେ । ଆୟୁଷକାମେ ଅଶ୍ୱିସୁତେ । । ୧୩
    ଯେ ପ୍ରାଣୀ ତୁଷ୍ଟ-ପୁଷ୍ଟିକାମୀ । ସର୍ବଲକ୍ଷଣେ ପୂଜେ ଭୂମି । । ୧୪
    ପ୍ରତିଷ୍ଠାକାମେ ଯେବେ ଇଚ୍ଛେ । ସେ ପୂଜେ ଭୂମି-ଅନ୍ତରୀକ୍ଷେ । । ୧୫
    ସୁନ୍ଦରରୂପେ ଯାର ଭାବ । ସେ ନର ପୂଜନ୍ତି ଗନ୍ଧର୍ବ । । ୧୬
    ଯେ ନର ଇଚ୍ଛେ ଦିବ୍ୟନାରୀ । ଭାବେ ଉର୍ବଶୀ ପୂଜାକରି । । ୧୭
    ସକଳ-ଆଧିତ୍ୟ-ଚିନ୍ତା । ଯେ କରେ ସେ ପୂଜେ ବିଧାତା । । ୧୮
    ଯଶ ଇଚ୍ଛଇ ଯେହୁ ନର । ଯଜ୍ଞେ ପୂଜିବ ଯଜ୍ଞେଶ୍ୱର । । ୧୯
    ଧନଭଣ୍ତାର ଯେ ଇଚ୍ଛନ୍ତି । ବରୁଣ-ଚରଣେ ପୂଜନ୍ତି । । ୨୦
    ଇଶ୍ୱରପୂଜେ ବିଦ୍ୟାଅର୍ଥୀ । ଦମ୍ପତିକାମେ ଉମାସତୀ । । ୨୧
    ଧର୍ମାର୍ଥୀ ବିଷ୍ଣୁର ଚରଣେ । ସନ୍ତାନଅର୍ଥେ ପିତୃଗଣେ । । ୨୨
    ଯକ୍ଷକୁ ପୂଜେ ରକ୍ଷାକାମେ । ବଳାର୍ଥୀ ପୂଜେ ପ୍ରଭଞ୍ଜନେ । । ୨୩
    ସକଳରାଜ୍ୟେ ରାଜାପଣେ । ସେ ଆଶେ ପୂଜେ ମନୁଗଣେ । । ୨୪
    ଶତ୍ରୁମାରଣେ ଯାର ଇଚ୍ଛା । ରାକ୍ଷସ-ଭଜନେ ତା ବାଞ୍ଛା । । ୨୫
    ସୋମକୁ ପୂଜେ କାମକାମୀ । ଅକାମୀ ଆତ୍ମାରାମେ ରମି । । ୨୬
    ଅକାମେ ଅବା ସର୍ବକାମେ । ଯେ ଅବା ଭଜେ ମୋକ୍ଷକାମେ । । ୨୭
    ପରମପୁରୁଷ ଚରଣେ । ଯେବା ସେବନ୍ତି ଦାସପଣେ । । ୨୮
    ଏ ଭାବେ ତାହାଙ୍କ ଜୀବନ । ଜନ୍ମମରଣେ ଧନ୍ୟ ଧନ୍ୟ । । ୨୯
    ପରମପଦ ସେ ଲଭନ୍ତି । କୃଷ୍ଣଚରଣେ ନିତ୍ୟେ ଚିନ୍ତି । । ୩୦
    ହରିଭକତଜନ ସଙ୍ଗେ । ତରଇ ଏ ଭବତରଙ୍ଗେ । । ୩୧
    ଜ୍ଞାନ ପ୍ରସରେ ଭକ୍ତିବଳେ । ତ୍ରିଗୁଣ ହରଇ ନିଶ୍ଚଳେ । । ୩୨
    ଆତ୍ମା ପ୍ରସନ୍ନ ସୁବିବେକେ । ଗୁଣେ ଅସଙ୍ଗ ବେନିଲୋକେ । । ୩୩
    କୈବଲ୍ୟ-ସମ୍ମତ ଏ ପଥ । ଏ ଭକ୍ତି ଯୋଗୀଙ୍କର ମତ । । ୩୪
    କେବା ନିବୃତ ହରିଭାବେ । ଆତ୍ମାର କଇବଲ୍ୟ-ଲାଭେ । । ୩୫
    ଶୌନକ ସୂତମୁଖ ଚାହିଁ । ପୁଣି ପୁଚ୍ଛଇ ଭାବବହି । । ୩୬

    ଶୌନକ ଉବାଚ

    ଏମନ୍ତ ଶୁକ ମୁଖୁ ଶୁଣି । ସେ କୁରୁବୀର ଚୂଡ଼ାମଣି । । ୩୭
    ପୁଣି ସେ ଅଭିମନ୍ୟୁ ବଳା । ଆନ-ପ୍ରଶନ କିବା କଲା । । ୩୮
    ସେ ହରିକଥା ଆମ୍ଭଆଗେ । ହେ ସୂତ କହ ସଭାଯୋଗେ । । ୩୯
    ସେ କଥା ତୁମ୍ଭ ମୁଖୁ ଶୁଣି । ତରିବୁ ଭବ-ତରଙ୍ଗିଣୀ । । ୪୦
    ତୁମ୍ଭର ଅଛି ଯେବେ ସ୍ନେହ । ସଦୟଚିତ୍ତେ ମୁନି କହ । । ୪୧
    ଯେ ହରିକଥା ସଭାମଧ୍ୟେ । ଭକତେ କହନ୍ତି ଆନନ୍ଦେ । । ୪୨
    ସେ ପଣ୍ତୁବଂଶେ ମହାରଥ । ସ୍ୱଭାବେ କୃଷ୍ଣଅଂଶେ ଜାତ । । ୪୩
    ବାଳକ-କ୍ରୀଡ଼ା-ରସଖେଳେ । ଯେ ପୂଜେ କୃଷ୍ଣ-ପାଦମୂଳେ । । ୪୪
    ବ୍ୟାସକୁମର ସତ୍ତ୍ୱଗୁଣ । ସ୍ୱଭାବେ ବିଷ୍ଣୁ-ପାରାୟଣ । । ୪୫
    ପରମାନନ୍ଦ ଗୁଣଗାଥା । ସତସଙ୍ଗମେ ଯେ ବକତା । । ୪୬
    ଜୀବନ ବହି ଏ ଜଗତେ । ହରିକଥାରେ ନିତ୍ୟେ ନିତ୍ୟେ । । ୪୭
    ନ କରେ ଜୀବନ ସଫଳ । ବ୍ୟର୍ଥ ତାହାର ଆୟୁର୍ବଳ । । ୪୮
    ଏ ରବି ଉଦେ ଅସ୍ତକାଳେ । ଜନ୍ତୁଜୀବନ ଘେନି ଚଳେ । । ୪୯
    ଯେ ହରିଭାବେ ଥାନ୍ତି ଜଡ଼ି । ତାଙ୍କ ଜୀବନ ଦୂରେ ଏଡ଼ି । । ୫୦
    ଏ ତରୁଗଣେ ଏ ସଂସାରେ । ଜୀବନ୍ତି ଅଜ୍ଞାନ ପ୍ରକାରେ । । ୫୧
    ଲୌହକାରଙ୍କ ଗୃହେ ଭାତି । ଶ୍ୱାସ ଛାଡ଼ନ୍ତେ ନ ଜୀବତି । । ୫୨
    ଗ୍ରାମ-କାନନେ ପଶୁଗଣ । କି ନ ଭକ୍ଷନ୍ତି ଜଳତୃଣ । । ୫୩
    ମୂତ୍ରୁପୁରୀଷ ଉତ୍ସର୍ଗନ୍ତି । ଅଜ୍ଞାନସୁଖେ ସେ ଜୀବନ୍ତି । । ୫୪
    ଶ୍ୱାନ ଶୁକର ଉଷ୍ଟ୍ରଖର । ଏହାଙ୍କ ସମାନ ସେ ନର । । ୫୫
    କୃଷ୍ଣର ନାମ ଉଚ୍ଚାରଣ । ନ ଶୁଣେ ଯାହାର ଶ୍ରବଣ । । ୫୬
    ତାହାର ଶ୍ରୁତିଯୁଗ କାନ୍ଥେ । ବିବରେ ଦିଶନ୍ତି ଯେମନ୍ତେ । । ୫୭
    ତୁଣ୍ତର ମଧ୍ୟେ ଜିହ୍ୱା ବହି । ଯେ ହରିନାମ ନ ଭଜଇ । । ୫୮
    ଦର୍ଦ୍ଦୁର ବାଣୀ ବୋଲି ତାରେ । ଯେ ହରିନାମ ନ ଉଚ୍ଚାରେ । । ୫୯
    ଯାର ଉତ୍ତମ-ଅଙ୍ଗସାଜେ । ସୁବର୍ଣ୍ଣ-ମୁକୁଟ ବିରାଜେ । । ୬୦
    ପାଟବସନେ ବାନ୍ଧି ଚୂଳ । ଶ୍ରବଣେ ମକର-କୁଣ୍ତଳ । । ୬୧
    ସେ ଯେବେ ହରିଙ୍କି ନ ନମେ । ସେ ମୁଣ୍ତ ଭାରବହି ଶ୍ରମେ । । ୬୨
    ସେ ବା ସୁନ୍ଦର ବେନିଭୁଜେ । କାଞ୍ଚନ କଙ୍କଣ ବିରାଜେ । । ୬୩
    କୃଷ୍ଣର କାର୍ଯ୍ୟ ଯେବେ ନୋହେ । ଶ୍ୱଶାନ-ଅସ୍ଥି ପ୍ରାୟ ହୋଏ । । ୬୪
    ଲୋଚନବେନି ଥାଉଁ ମୁଖେ । ଯେ ହରିମୂରତି ନ ଦେଖେ । । ୬୫
    ମୟୂରପୁଚ୍ଛ ବୋଲି ତାରେ । ସେ ଅନ୍ଧ ସଂସାର-ସାଗରେ । । ୬୬
    ଚରଣଯୁଗ ବହି ନରେ । ଯେବେ ନ ଯାନ୍ତି ବିଷ୍ଣୁ ପୁରେ । । ୬୭
    ତାହାକୁ ବୋଲି ବୃକ୍ଷଦୁଇ । ସେ ଯେହ୍ନେ ପାଦେ ନ ଚଳଇ । । ୬୮
    କୃଷ୍ଣର ଭକତଚରଣୁ । ଶିରେ ନ ଲାଗେ ଯାର ରେଣୁ । । ୬୯
    ପବିତ୍ର ନୋହେ ତା ଶରୀର । ଜୀଅଁନ୍ତା ଶବର ଆକାର । । ୭୦
    ତୁଳସୀଦଳ କୃଷ୍ଣଦେହେ । ଶୁଦ୍ଧ-ସୌରଭ-ଗନ୍ଧ ବହେ । । ୭୧
    ସେ ଗନ୍ଧ ଯାର ନାସାଦ୍ୱାର । ନ ଲଭେ ଶବ ତା ଶରୀର । । ୭୨
    ଗୋବିନ୍ଦନାମ ଯାରହୃଦେ । ନ ପଶେ ପୁଲକ ଆନନ୍ଦେ । । ୭୩
    କି ଅବା ପଶିଲେ ହୃଦରେ । ନୟନୁ ଅଶ୍ରୁ ତା ନ ଝରେ । । ୭୪
    ତାର ହୃଦୟ ଅଶ୍ମସାର । ବହଇ ଲୋହମୟ ଭାର । । ୭୫
    ହେ ସୂତ ଶୁଣ କୃଷ୍ଣଗୁଣ । ଶୁଣାଅ ଆମ୍ଭର ଶ୍ରବଣ । । ୭୬
    ଯେ ସାଧୁ ପ୍ରଶ୍ନ ପରୀକ୍ଷିତ । ପୁଚ୍ଛିଲା ଶୁକଙ୍କ ଅଗ୍ରତ । । ୭୭
    ହରଷେ ବ୍ୟାସଙ୍କ କୁମର । ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର । । ୭୮
    ଆନନ୍ଦେ ମୁନିଗଣମେଳେ । ଯାହା କହିଲେ ଗଙ୍ଗାକୂଳେ । । ୭୯
    ସେ ଆମ୍ଭମନ ଅନୁକୂଳ । କହି ସଂସାରୁ କର ପାର । । ୮୦
    ସେ ହରି-ଚରଣ-ପଙ୍କଜେ । ବ୍ରାହ୍ମଣ-ଜଗନ୍ନାଥ ଭଜେ । । ୮୧

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ତୃତୀୟୋଽଧ୍ୟାୟଃ ।।


    ଚତୁର୍ଥ ଅଧ୍ୟାୟ

    ସୂତକ ଉବାଚ

    ଏମନ୍ତ ଶୁକବାକ୍ୟ ଶୁଣି । ଆତ୍ମାର ତତ୍ତ୍ୱ ମନେ ଗୁଣି । । ୧
    କୃଷ୍ଣବିଷୟେ ଦୃଢ଼ମନ । କଳ୍ପିଲା ଉତ୍ତରା-ନନ୍ଦନ । । ୨
    ଆତ୍ମା-କଳତ୍ର-ସୁତ-ଗୃହେ । ପଶୁ-ଦ୍ରବିଣ-ବନ୍ଧୁସ୍ନେହେ । । ୩
    ରାଜ୍ୟ-ସମ୍ପଦ ଯେତେ ଆଶ । ହୃଦୁ ଛାଡ଼ିଲା ସ୍ନେହପାଶ । । ୪
    ତୁମ୍ଭେ ଯା ପଚାରିଲ ମୋତେ । ଏ କଥା ରାଜା ଦୃଢ଼ଚିତ୍ତେ । । ୫
    କୃଷ୍ଣାନୁଭାବ ଶୁଣିବାରେ । ଶ୍ରଦ୍ଧାବଳିଲା ନିର୍ବିକାରେ । । ୬
    ଆତ୍ମନିଧନ ମନେ ସ୍ମରି । ବେଦବଚନ ଦୃଢ଼କରି । । ୭
    କୃଷ୍ଣବିଷୟେ ଦୃଢ଼ଚିତ୍ତ । ନିଶ୍ଚୟ କରି ପରୀକ୍ଷିତ । । ୮
    ଆତ୍ମତ୍ୱଭାବ ହେଲେ ଦେହେ । ପୁଣି ପୁଚ୍ଛଇ ଅତି ସ୍ନେହେ । । ୯

    ରାଜା ଉବାଚ

    ହେ ଶୁକ ତୁମ୍ଭର ବଚନ । କୃଷ୍ଣର ଯେତେ ଗୁଣକର୍ମ । । ୧୦
    ଯାହା ଶୁଣନ୍ତେ ପାପହରେ । ପବିତ୍ର ବାହ୍ୟ-ଅଭ୍ୟନ୍ତରେ । । ୧୧
    ଶୁଣି ଅଜ୍ଞାନ ମୋର ଗଲା । ତୁମ୍ଭ ପ୍ରସାଦ ଯେଣୁ ହେଲା । । ୧୨
    ସେ କଥା କହ ମୁନି ମୋତେ । ଯେମନ୍ତେ ଧରି ଦୃଢ଼ଚିତ୍ତେ । । ୧୩
    ସେ ହରି ଆତ୍ମମାୟାବଳେ । ସୃଷ୍ଟି ସଞ୍ଚଇ ଏ ଶୟଳେ । । ୧୪
    ବିଷ୍ଣୁର ସର୍ଜିଲା ସଂସାର । ଅନ୍ୟଦେବଙ୍କୁ ଅଗୋଚର । । ୧୫
    ସେ କଥା ଜାଣିବାର ପାଇଁ । ଭୋ ମୁନି ପୁଣି ମୁଁ ପୁଚ୍ଛଇ । । ୧୬
    ସେ ବହୁ ଶକ୍ତିମନ୍ତ ହରି । ପରମ-ପୁରୁଷ-ମୁରାରି । । ୧୭
    ଯେମନ୍ତେ ପାଳି ପୁଣ ପରେ । ଯେ କାଳେ ଯେବା ଶକ୍ତିଧରେ । । ୧୮
    ଆତ୍ମାକୁ ଆତ୍ମା କରି ଖେଳା । କୁହୁକମତେ ବିଷ୍ଣୁଲୀଳା । । ୧୯
    ସୃଜଇ ପାଳଇ ସଂହରେ । ମାୟା-ତ୍ରିଗୁଣରୂପ ଧରେ । । ୨୦
    ଯେମନ୍ତେ ବ୍ରହ୍ମା-ବିଷ୍ଣୁ-ହର । କ୍ରୀଡ଼ନ କରେ ଦାମୋଦର । । ୨୧
    ବିବିଧରୂପ ଏ ଜଗତେ । ଯେମନ୍ତେ କରେ କ୍ରୀଡ଼ାଅର୍ଥେ । । ୨୨
    ଅଦ୍ଭୁତକର୍ମ ଏ ତାହାର । କେ କରି ପାରିବ ଗୋଚର । । ୨୩
    ଏକଇ ପୁରୁଷ ଅନନ୍ତ । ପ୍ରକୃତିମତେ ବହୁମତ । । ୨୪
    ଆଦିପୁରୁଷ ରୂପ ଧରି । ଯେମନ୍ତେ କ୍ରମେ ନରହରି । । ୨୫
    କାର୍ଯ୍ୟମାନଙ୍କୁ ଏ ସଂସାରେ । କଲେ କହିବା ମୁନିବରେ । । ୨୬
    ଯେ ଶବ୍ଦ ବ୍ରହ୍ମରେ ବିଚାର । ବ୍ରହ୍ମାନୁଭବରେ ଗୋଚର । । ୨୭
    ଏକ ଅନେକ ରୂପ ଧରେ । ଅଶେଷଜନ୍ମ କର୍ମ କରେ । । ୨୮
    ଏଣୁ ଶ୍ରବଣେ ଇଚ୍ଛା ମୋର । କହ ହେ ବ୍ୟାସଙ୍କ କୁମର । । ୨୯
    ହେ ମହାମୁନି ଭାଗବତ । ଶ୍ରବଣେ ପିଆଅ ଅମୃତ । । ୩୦

    ସୂତ ଉବାଚ

    ଏମନ୍ତ ପରୀକ୍ଷିତ କଥା । ପୁରୁଷୋତ୍ତମ-ଗୁଣଗାଥା । । ୩୧
    ଶୁଣି ସାନନ୍ଦ ବ୍ୟାସସୁତ । କୃଷ୍ଣଚରଣେ ଦେଇ ଚିତ୍ତ । । ୩୨
    ସେ ପରୀକ୍ଷିତେ ପ୍ରତିବାଣୀ । କହିବା ଅର୍ଥେ ମୁନିମଣି । । ୩୩
    ଧ୍ୟାନେ ସେ ଚିନ୍ତି ନାରାୟଣ । ବୋଇଲେ ପରୀକ୍ଷିତ ଶୁଣ । । ୩୪
    ନମସ୍ତେ ପରମ-ପୁରୁଷ । ଅନନ୍ତଘଟେ ଯା ପ୍ରକାଶ । । ୩୫
    ଲୀଳାବିହାରେ ସୃଷ୍ଟିକରେ । ପାଳଇ ପୁଣି ସେ ସଂହରେ । । ୩୬
    ହେଳେ ଏ ତିନିଶକ୍ତି ଧରେ । ଜନ୍ତୁର ଅନ୍ତରେ ବିହରେ । । ୩୭
    ତେଣୁ ତା ମାର୍ଗ ଉପଲକ୍ଷ୍ୟ । କରିବ କାହାର ବା ଶକ୍ୟ । । ୩୮
    ନମସ୍ତେ ଜଗତଜୀବନ । ସାଧୁଙ୍କ ବୃଜିନ-ଦହନ । । ୩୯
    ଅସାଧୁ-ଦମନ ବେଭାର । ଅଖିଳଜନ୍ତୁ ରୂପ ତୋର । । ୪୦
    ପରମହଂସଙ୍କ ଆଶ୍ରମେ । ଯେ ବ୍ୟବସ୍ଥିତ ପ୍ରାଣୀମାନେ । । ୪୧
    ତାହାଙ୍କ ଆତ୍ମତତ୍ତ୍ବଦାତା । ନିରତେ ତୋର ପାଦେ ଚିନ୍ତା । । ୪୨
    ନମସ୍ତେ ସାତ୍ତ୍ବତବତ୍ସ›ଳ । କୁଯୋଗୀଗଣେ ଅଗୋଚରେ । । ୪୩
    ସମେ ପ୍ରକାଶ ସର୍ବଠାରେ । ଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେ । । ୪୪
    ଐଶ୍ୱର୍ଯ୍ୟେ ପରମ-କାରଣ । ଯେ ନିତ୍ୟେ ସ୍ୱଧାମ-ଧାରଣ । । ୪୫
    ଯା ନାମ ଶ୍ରବଣ-କୀର୍ତ୍ତନ । ଯା ରୂପ ଦେଖିଣ ନୟନ । । ୪୬
    ନମିଲେ ଯାହାର ଚରଣ । ସ୍ମରଣ ପୂଜା ସମର୍ପଣ । । ୪୭
    ଜନ୍ତୁଙ୍କ କଳ୍ମଷ ନାଶଇ । ଯେ ସର୍ବମଙ୍ଗଳ ବୋଲାଇ । । ୪୮
    ଯେହରି ଶରଣ-ସୋଦର । ତାହାଙ୍କୁ ମୋର ନମସ୍କାର । । ୪୯
    ପଣ୍ତିତଜନ ଯାର ପାଦେ । ସେବା ସମ୍ପାଦି ଅପ୍ରମାନେ । । ୫୦
    ଆତ୍ମାର କଳ୍ମଷ ନାଶନ୍ତି । ଜନ୍ମମରଣେ ନଡରନ୍ତି । । ୫୧
    ଆତ୍ମାର ଶ୍ରମ କରି ଶାନ୍ତି । ଅନ୍ତେ ଲଭନ୍ତି ବ୍ରହ୍ମଗତି । । ୫୨
    ସର୍ବମଙ୍ଗଳ ଦାମୋଦର । ତାହାଙ୍କୁ ମୋର ନମସ୍କାର । । ୫୩
    ଯେ ପ୍ରାଣୀ ତପ-ଦାନ କରେ । ଯଶ ସମ୍ପାଦି ଏ ସଂସାରେ । । ୫୪
    ସୁବୁଦ୍ଧିପଣେ ମନ୍ତ୍ରସାଧି । ମଙ୍ଗଳକର୍ମକୁ ଆରାଧି । । ୫୫
    ଏଣୁ ଅର୍ଜନ୍ତି ଯେତେ ଫଳ । ତୋତେ ନ ସମର୍ପି ନିଷ୍ଫଳ । । ୫୬
    ସୁଭଦ୍ରଶ୍ରବା ନାମ ଯାର । ତାହାଙ୍କୁ ମୋର ନମସ୍କାର । । ୫୭
    କିରାତ ହୂଣ ଆନ୍ଧ୍ର ଯେତେ । ପୁଳିନ୍ଦ ଚଣ୍ତାଳ ସମେତେ । । ୫୮
    ଆଭୀର କଙ୍କ ଯେ ଯବନ । ଏ ଆଦି ଯେତେ ଅନ୍ତ୍ୟଜନ । । ୫୯
    ଦୁଷ୍କୃତକର୍ମ ଯେ କରନ୍ତି । ଯା ପାଦ ଆଶ୍ରିତେ ତରନ୍ତି । । ୬୦
    ସର୍ବ-ପ୍ରଭବଶୀଳ ଯେହି । ତା ପାଦପଦ୍ମେ ମୁଁ ନମଇଁ । । ୬୧
    ଯେ ହରି ଜଗତ-ଜୀବନ । ଆତ୍ମଜ୍ଞାନୀଙ୍କ ଆତ୍ମାଧନ । । ୬୨
    ଏ ତିନିବେଦ ଯାର ଦେହ । ଯେ ଧର୍ମମୟ ତପୋମୟ । । ୬୩
    ନିର୍ମଳତପେ ଯୋଗୀଜନେ । ବ୍ରହ୍ମାଶଙ୍କର ଅନୁମାନେ । । ୬୪
    ନାନାପ୍ରକାରେ ଧ୍ୟାନେ ଚିନ୍ତି । ଯା ରୂପ କେହି ନ ଦେଖନ୍ତି । । ୬୫
    ଯେ ଲକ୍ଷ୍ମୀପତି ଯଜ୍ଞପତି । ଯେ ପ୍ରଜାପତି ଜ୍ଞାନପତି । । ୬୬
    ଯେ ଲୋକପତି ଧରାପତି । ଯାଦବବଂଶ-ପତି-ଗତି । । ୬୭
    ସାଧବଗଣେ ଯାହା ଚିନ୍ତି । ସେ ହେଉ ମୋର ମନେ ସ୍ଥିତି । । ୬୮
    ଯାର ଚରଣ-ଧ୍ୟାନବଳେ । ନିଶ୍ଚଳ-ସମାଧିର ଜଳେ । । ୬୯
    ବୁଦ୍ଧି କି ପ୍ରକ୍ଷାଳନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ । । ୭୦
    ସଗୁଣ-ନିର୍ଗୁଣ ବିଚାରେ । କହନ୍ତି ଯଥା ଅନୁସାରେ । । ୭୧
    ସେହରି ମୋର ହୃଦଗତେ । ପ୍ରକାଶ ହେଉ ଅବିରତେ । । ୭୨
    ଯାହାର ଆଜ୍ଞା ପରମାଣେ । ଭାରତୀ ଆସି ତତକ୍ଷଣେ । । ୭୩
    ପ୍ରକାଶି କଳ୍ପ ଆଦିକାଳେ । ବ୍ରହ୍ମାର ହୃଦୟ-କମଳେ । । ୭୪
    ସୃଷ୍ଟି-ବିଷୟ ଜ୍ଞାନ ଦେଲା । ମୁଖେ ଗାୟତ୍ରୀ ଉଚ୍ଚାରିଲା । । ୭୫
    ନମସ୍ତେ ବ୍ୟାସରୂପ ହରି । ହୃଦୟେ ବସ କୃପା କରି । । ୭୬
    ମହତ ଆଦି ପଞ୍ଚଭୂତେ । ଜନ୍ତୁ ଭିଆଇ ଏ ଜଗତେ । । ୭୭
    ଜନ୍ତୁଙ୍କ ହୃଦୟ-କମଳେ । ଯାର ଆସନ ସୁଖଭୋଳେ । । ୭୮
    ଗୁଣସମୂହ ସୁଖେ ଭୁଞ୍ଜେ । ଷୋଡ଼ଶଆତ୍ମାରୂପେ ରାଜେ । । ୭୯
    ସେ ହରି ବସୁ ମୋର ହୃଦେ । ବାକ୍ୟ ଆବୋରି ପଦେପଦେ । । ୮୦
    ନମଇଁ ବ୍ୟାସମୁନିବର । କୃଷ୍ଣେ ଅକୁଣ୍ଠବୁଦ୍ଧି ଯାର । । ୮୧
    ଯା ମୁଖପଦ୍ମୁଁ ଜ୍ଞାନରସେ । ମୁନିଏ ପିବନ୍ତି ହରଷେ । । ୮୨
    ଯେ ହରିକଥା ପୂର୍ବକାଳେ । ନାରଦଋଷି ମୁନିମେଳେ । । ୮୩
    ବ୍ରହ୍ମାଙ୍କୁ ପଚାରିଲେ ଯେତେ । ପ୍ରସନ୍ନେ କହିବି ମୁଁ ତୋତେ । । ୮୪
    ଏ ବାଣୀ ଶୁଣି ସୁଖଭୋଳେ । ପ୍ରାଣୀ ନିସ୍ତରେ ଭବଜଳେ । । ୮୫
    କହଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ । । ୮୬
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ।।


    ପଞ୍ଚମ ଅଧ୍ୟାୟ

    ଆନନ୍ଦ ଚିତ୍ତେ ସେ ନାରଦ । ପୁଚ୍ଛଇ ବ୍ରହ୍ମାଙ୍କର ପାଦ । । ୧

    ନାରଦ ଉବାଚ

    ଭୋ ଦେବଦେବ ନମସ୍ତୁତେ । ଭୂତଭାବନ ତୁ ଜଗତେ । । ୨
    ସୃଷ୍ଟିର ଅଗ୍ରେ ତୋର ଦେହୀ । ତୋ ଭାବ ନ ଜାଣନ୍ତି କେହି । । ୩
    ଆତ୍ମାର ତତ୍ତ୍ୱ ତୁମ୍ଭେ ଜାଣ । ଯେ ବେଦ-ପୁରାଣେ ପ୍ରମାଣ । । ୪
    ଯେ ରୂପ ଯହିଁ ତୋର ବାସ । ଯହୁଁ ଏ ଜଗତ ପ୍ରକାଶ । । ୫
    ଯାହାର ଆଶ୍ରେ ଏ ବର୍ତ୍ତଇ । ପ୍ରକାଶି ଯହିଁ ଲୀନ ହୋଇ । । ୬
    ଭୂତ-ଭବିଷ୍ୟ-ବର୍ତ୍ତମାନ । ତୁମ୍ଭ ଗୋଚରେ ଦିବ୍ୟଜ୍ଞାନ । । ୭
    ହସ୍ତେ ଅଏଁଳାଫଳ ପ୍ରାୟେ । ତୁମ୍ଭ ଗୋଚରେ ଜ୍ଞାନ ରହେ । । ୮
    ଯେଣୁ ତୁମ୍ଭର ଜ୍ଞାନ ସ୍ଫୁରେ । ଯେବା ତୁମ୍ଭଙ୍କୁ ହୃଦେ ଧରେ । । ୯
    ଯାହାର ବଶ ତୁ ବୋଲାଇ । ବର୍ତ୍ତୁ ତୁ ଯାର ଆତ୍ମା ବହି । । ୧୦
    ଭୂତେ ସଞ୍ଚରି ଭୂତ କରୁ । ଯାହାର ମାୟାରେ ବିହରୁ । । ୧୧
    ଏ ଭୂତଗଣଙ୍କୁ ଯେ ପାଳେ । ଅପରାଭବୀ ଆତ୍ମା ତୁଲେ । । ୧୨
    ଆତ୍ମାର ଶକ୍ତିବଳେ ଭାବି । ଅକ୍ଳେଶେ ଯଥା ଉର୍ଣ୍ଣନାଭି । । ୧୩
    ଏ ସୃଷ୍ଟିକର୍ମ ଅଗୋଚର । କି ନାମ ଗୁଣରୂପ ଆର । । ୧୪
    ପର ଅପର ଯେ ମଧ୍ୟମ । ଯେ ଅବା ଅଛି ସ୍ଥୂଳସୂକ୍ଷ୍ମ । । ୧୫
    ଜାଣେ ମୁଁ ନାହିଁ ତୋ ବାହାରେ । ଅନ୍ୟ ବା କେ ଅଛି ସଂସାରେ । । ୧୬
    ତୁମ୍ଭେ ଯେ ଘୋରତପ କର । ଆତ୍ମା ସମାଧିବଳେ ଧର । । ୧୭
    ତେଣୁ ମୋହିତ ମୋର ମନ । ତୁମ୍ଭ ଉପରେ କେବା ଅନ୍ୟ । । ୧୮
    ଏ ମାୟା ସୃଜିଲା କେମନ୍ତେ । ଏଣୁ ସଂଶୟ ମୋର ଚିତ୍ତେ । । ୧୯
    ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର । ମୋର ସଂଶୟ କର ଦୂର । । ୨୦
    ଭକତଭାବେ ପଚାରଇ । ସ୍ୱଭାବେ ପୁତ୍ର ମୁଁ ଅଟଇ । । ୨୧
    ଯେମନ୍ତେ ମୋର ଚିତ୍ତେ ସ୍ଫୁରେ । ଏ ବିଶ୍ୱ ସମାଧି-ଗୋଚରେ । । ୨୨
    ଏଣୁ ନାରଦବାକ୍ୟ ଶୁଣି । ହରଷେ କହେ ପଦ୍ମଯୋନି । । ୨୩

    ବ୍ରହ୍ମା ଉବାଚ

    ଧନ୍ୟ ନାରଦ ମୁନିବର । ସାଧୁ ପ୍ରସ୍ତାବ ଏ ତୋହର । । ୨୪
    ତୁ ଯେ ପଚାରୁ ଜନହିତେ । ଏ ବ୍ରହ୍ମଭାଗ ଭାଗବତେ । । ୨୫
    ବିଷ୍ଣୁ ମହିମା ଦରଶନେ । ପୁଚ୍ଛିଲୁ ବିନୟବଚନେ । । ୨୬
    ତୁ ଯାହା ପଚାରିଲୁ ମୋତେ । ମିଥ୍ୟା ନୁହଇ ଏ ଉଚିତେ । । ୨୭
    ଯେଣୁ ଈଶ୍ୱର ପ୍ରାୟ କେହାଇ । ଏ ସୃଷ୍ଟି ମୋହର ଅଟଇ । । ୨୮
    ପରମେଶ୍ୱର ଜ୍ଞାନ ଯେଣୁ । ନାହିଁ ତୋହର ଭ୍ରାନ୍ତି ତେଣୁ । । ୨୯
    ବିଷ୍ଣୁର ଆଜ୍ଞା ଘେନି ମାଥେ । ବ୍ରହ୍ମାଣ୍ତ ସୃଜିଲି ଯେମନ୍ତେ । । ୩୦
    ଯେମନ୍ତେ ଅର୍କ-ଅଗ୍ନି-ଶଶୀ । ଗ୍ରହ-ନକ୍ଷତ୍ର-ତାରା-ରାଶି । । ୩୧
    ତୋ ଆଦି ସନ୍ଥ ଛନ୍ତି ଯେତେ । ଯେ ବିଷ୍ଣୁମାୟା ବଳଗ୍ରସ୍ତେ । । ୩୨
    ବୋଲନ୍ତି ମୋତେ ବିଶ୍ୱଗୁରୁ । ଯାର ମହିମା ମହାମେରୁ । । ୩୩
    ତାହା କହିବି ତୋ ସମୀପେ । ବିଷ୍ଣୁର ଆଜ୍ଞାବଳ ଦର୍ପେ । । ୩୪
    ଯେ ହରି ଜଗତ-ଈଶ୍ୱର । ତାହାକୁ ମୋର ନମସ୍କାର । । ୩୫
    ଯାହାର ଇଚ୍ଛାମାର୍ଗେ ସ୍ଥିତି । ଲାଜେ ଶଙ୍କିତ ଭଗବତୀ । । ୩୬
    ସେ ମାୟାବଶେ ଏ ଜଗତ । ଅଜ୍ଞାନ ମଦେ ବିମୋହିତ । । ୩୭
    ମୁହିଁ ମୋହର ଏ ଶରୀର । ଦାରା ସମ୍ପଦ ବନ୍ଧୁ ମୋର । । ୩୮
    ଅଜ୍ଞାନଜନଙ୍କ ଏ ଭାବ । ସର୍ବସମ୍ପଦ ପଦ୍ମନାଭ । । ୩୯
    ଏ ଦ୍ରବ୍ୟ-କାଳ-କର୍ମ-ଜୀବ । ଜୀବର ଯେ ଅବା ସ୍ୱଭାବ । । ୪୦
    ଯେତେ ଦେଖଇ ଭିନ୍ନେ ଭିନ୍ନେ । କୃଷ୍ଣହୁଁ କେବା ଅଛି ଅନ୍ୟେ । । ୪୧
    ବେଦବଚନ ଦେବଗଣ । ଏ ସର୍ବଲୋକ ଯଜ୍ଞଦାନ । । ୪୨
    ତପସ୍ୟା-ଯୋଗ-ଜ୍ଞାନ-ଗତି । ସର୍ବସମ୍ପଦ ଦାଶରଥି । । ୪୩
    ଯେ ହରି ସର୍ବଦେହେ ଦେହୀ । ସର୍ବ ଦେଖଇ ହୃଦେ ରହି । । ୪୪
    ତାର ଶରୀରୁ ମୁହିଁ ଜାତ । ତା ତେଜେ ସର୍ଜଇ ଜଗତ । । ୪୫
    ସ୍ୱଭାବେ ନିର୍ଗୁଣ-ମୁରାରି । ସୃଷ୍ଟି ସଞ୍ଚଇ ଗୁଣ ଧରି । । ୪୬
    ନିର୍ଗୁଣ-ପୁରୁଷ-ଈଶ୍ୱର । ତା ମାୟାବଳେ ଏ ସଂସାର । । ୪୭
    ସର୍ଗ-ପାଳନ-ତିରୋଧାନେ । ଗୁଣକୁ ଧରେ ଭିନ୍ନେ ଭିନ୍ନେ । । ୪୮
    କାର୍ଯ୍ୟ-କାରଣ-କର୍ତ୍ତା-ଅର୍ଥେ । ଦ୍ରବ୍ୟ-ଜ୍ଞାନ-କ୍ରିୟା ସମେତେ । । ୪୯
    ଗୁଣେ ରହନ୍ତି ଆଶ୍ରେ କରି । ନିର୍ଗୁଣ-ପୁରୁଷ ଆବୋରି । । ୫୦
    ଏ ତିନିଗୁଣ ଲିଙ୍ଗଗତେ । ମଧ୍ୟେ ବର୍ତ୍ତଇ ଅଲକ୍ଷିତେ । । ୫୧
    ମୋ ଆଦି ସର୍ବଜନଙ୍କର । ଆତ୍ମାସ୍ୱରୂପ ସେ ଈଶ୍ୱର । । ୫୨
    ମାୟା-ଈଶ୍ୱର ମାୟାବଳେ । ସର୍ଜେ ସ୍ୱଭାବ କର୍ମକାଳେ । । ୫୩
    ଆପଣା ଇଚ୍ଛାବଳେ କରି । ବିବିଧ-ଶରୀରକୁ ଧରି । । ୫୪
    ସେ କାଳ-ଗୁଣ ବ୍ୟତିକରେ । ସୃଜଇ ପାଳଇ ସଂହରେ । । ୫୫
    ତାର ସ୍ୱଭାବ କର୍ମ ଯୋଗେ । ମହତ ଉପୁଜିଲା ଆଗେ । । ୫୬
    ମହତ ବିକାରୁ ତକ୍ଷଣେ । ତ୍ରିଗୁଣ-ଲିଙ୍ଗ ଆବରଣେ । । ୫୭
    ତମପ୍ରଧାନ ଅତିରେକେ । ସେ ଦ୍ରବ୍ୟଜ୍ଞାନ କ୍ରିୟାତ୍ମକେ । । ୫୮
    ସ୍ୱଭାବେ ଶକ୍ତି ମହାଘୋର । ତମଅଧିକ ଅହଙ୍କାର । । ୫୯
    ସେ ଅହଙ୍କାର ନାମ ହୋଇ । ସେ ତିନି ପ୍ରକାର ଭଜଇ । । ୬୦
    ଗୁଣ ପ୍ରକାଶ ତିନିତିନି । ବିକାର-ତମ-ତେଜ ଘେନି । । ୬୧
    ଯେ ଶକ୍ତି-ଦ୍ରବ୍ୟ-କ୍ରିୟା-ଜ୍ଞାନ । ଏ ଭାବେ ଭେଦ ଭିନ୍ନ ଭିନ୍ନ । । ୬୨
    ସେ ଅହଙ୍କାରେ ଭୂତ ଆଦି । ତାମସ-ଶକ୍ତି ତହିଁ ଭେଦି । । ୬୩
    ଶବଦ-ଗୁଣ-ମାତ୍ରା ସଞ୍ଚେ । ନଭପ୍ରକାଶେ ଅନ୍ତରୀକ୍ଷେ । । ୬୪
    ଶବଦ-ଗୁଣ ସେ ପ୍ରଧାନ । ଦୃଶ୍ୟଦର୍ଶକ ଭେଦସ୍ଥାନ । । ୬୫
    ଶବଦ-ଗୁଣ ନଭୁ ହୋଇ । ଚତୁର୍ଥମାତ୍ରା ସଙ୍ଗେ ଲଇ । । ୬୬
    ନଭବିକାରୁ ବାୟୁ ଜାତ । ସ୍ପରଶ ଶବ୍ଦଗୁଣେ ସ୍ଥିତ । । ୬୭
    ସ୍ପରଶଗୁଣ ତା ପ୍ରବଳ । ଯେ ପ୍ରାଣସହ ଓଜ-ବଳ । । ୬୮
    ପବନବିକାରୁ ତକ୍ଷଣେ । ସ୍ୱଭାବକାଳ କର୍ମଗୁଣେ । । ୬୯
    ସ୍ପରଶଗୁଣ ତହିଁ ଥାଇ । ତୃତୀୟମାତ୍ରା ଭାବ ବହି । । ୭୦
    ଶବଦ-ସ୍ପର୍ଶ-ରୂପ ତାର । ପ୍ରଚଣ୍ତତେଜ ମହାଘୋର । । ୭୧
    ତେଜବିକାରୁ ସେ ଉଦକ । ଯାର ସ୍ୱଭାବ ରସାତ୍ମକ । । ୭୨
    ଶବ୍ଦ-ସ୍ପରଶ-ରୂପ ତିନି । ଏ ତିନିରସ ସଙ୍ଗେ ଘେନି । । ୭୩
    ଆପବିକାରୁ ମହୀଜାତ । ସେ ପଞ୍ଚମାତ୍ରା ଗୁଣେ ଯୁତ । । ୭୪
    ସତ୍ତ୍ୱ-ବିକାରତହୁଁ ମନ । ଯେ ରୂପେ ପ୍ରକାଶେ ଗଗନ । । ୭୫
    ମନର ସଙ୍ଗେ ଦେବବଳ । ଦଶଇନ୍ଦ୍ରିୟ ରକ୍ଷପାଳ । । ୭୬
    ଦିଗ-ବାତାର୍କ-ଜଳପତି । ଅଶ୍ୱିନୀ-ବହ୍ନି-ସୁରପତି । । ୭୭
    ଉପେନ୍ଦ୍ର-ମିତ୍ର-ପ୍ରଜାପତି । ଏ ରୂପେ ଦଶ ଉତପତି । । ୭୮
    ତୈଜସବିକାରୁ ତକ୍ଷଣେ । ଜନ୍ମିଲେ ଦଶଇନ୍ଦ୍ରିଗଣେ । । ୭୯
    ଯେ ଜ୍ଞାନ କ୍ରିୟା ବୁଦ୍ଧି ପ୍ରାଣ । ତୈଜସଶକ୍ତି ଏ ପ୍ରମାଣ । । ୮୦
    ଶ୍ରୁତିଯୁଗଳ ଚର୍ମ ଘ୍ରାଣ । ନୟନ ଜିହ୍ୱା ପଞ୍ଚଜ୍ଞାନ । । ୮୧
    ବଚନ ପାଣି ଅଂଘ୍ରିବେନି । ଉପସ୍ଥ ମୂଳାଧାର ଘେନି । । ୮୨
    ଏ କର୍ମ ଇନ୍ଦ୍ରିୟ ପ୍ରକାର । ଦଶଦେବଙ୍କ ଅଧିକାର । । ୮୩
    ଭୂତ ଇନ୍ଦ୍ରିୟ-ଗଣ ମନ । ମହତ ଆଦି ତିନିଗୁଣ । । ୮୪
    ଯେଣୁ ନୋହିଲେ ଏକମନ । ଏ ତେଣୁ ନ ପାଇଲେ ସ୍ଥାନ । । ୮୫
    ବ୍ରହ୍ମାଣ୍ତ ହେତୁ ଏ ପ୍ରତ୍ୟକ୍ଷେ । ସୂକ୍ଷ୍ମେ ରହିଲେ ଅନ୍ତରୀକ୍ଷେ । । ୮୬
    ସ୍ଥାନ ନ ପାଇ ଅନ୍ୟୋଅନ୍ୟେ । ସ୍ଥକିତେ ରହିଲେ ଗଗନେ । । ୮୭
    କେତେହେଁ କାଳ ଶୂନ୍ୟେ ରହି । ଶବଦେ ବିଷ୍ଣୁଆଜ୍ଞା ପାଇ । । ୮୮
    ଏ ମହାଭୂତେ ସୂକ୍ଷ୍ମଭୂତେ । ଘଟିତ ଅନ୍ୟୋଅନ୍ୟ ଯୁତେ । । ୮୯
    ସୁବର୍ଣ୍ଣ-ଅଣ୍ତ ଉପୁଜିଲା । ତକ୍ଷଣେ ଉଦକେ ପଡ଼ିଲା । । ୯୦
    ଅନେକ ସହସ୍ର ବରଷେ । ସେ ଅଣ୍ତ ମହାଜଳେ ଭାସେ । । ୯୧
    ସେ ଅଣ୍ତ ମଧ୍ୟେ ଜୀବ ଜାତ । କାଳ କର୍ମ ସ୍ୱଭାବେ ସ୍ଥିତ । । ୯୨
    ଜୀବ ସ୍ୱଭାବେ ଅଚେତନ । ଚେତନା ଦେଲେ ଭଗବାନ । । ୯୩
    ସେ ସର୍ବଗୁଣ ସର୍ବସିଦ୍ଧି । କେତେହେଁ କାଳେ ଅଣ୍ତଭେଦି । । ୯୪
    ପୁରୁଷେ ହୋଇଲା ବାହାର । ଏବେ ହୋ ଶୁଣ ମୁନିବର । । ୯୫
    ସହସ୍ର-ଉରୁ-ଅଂଘ୍ରି-ବକ୍ଷ । ସହସ୍ରନୟନ ପ୍ରତ୍ୟକ୍ଷ । । ୯୬
    ସହସ୍ରେ ଶିର ସସ୍ରଭୁଜ । ଆନନ ଅପ୍ରମିତ ତେଜ । । ୯୭
    ତାହାର ଦେହ ଶୂନ୍ୟେ ଦେଖି । ଲୋକର ସ୍ଥିତି ଉପଲକ୍ଷି । । ୯୮
    ଦ୍ୱିସପ୍ତଲୋକ ତାର ଅଙ୍ଗେ । କଳ୍ପିତ ଅଧ ଉର୍ଦ୍ଧ୍ୱ ଭାଗେ । । ୯୯
    ମୁଖୁ କଳ୍ପିତ ବ୍ରହ୍ମକୁଳ । କ୍ଷତ୍ରିୟଜାତ ବାହୁମୂଳ । । ୧୦୦
    ଉରୁ ଯୁଗଳୁ ବୈଶ୍ୟଗଣେ । ଶୂଦ୍ର ଉପୁଜିଲା ଚରଣେ । । ୧୦୧
    ଭୂଲୋକ କଟୀଭାଗେ ସ୍ଥିତ । ନାଭିରୁ ଭୁବଲୋକ ଜାତ । । ୧୦୨
    ହୃଦରେ ସ୍ୱର୍ଗଲୋକ ମିଳେ । ମହତଲୋକ ଉରସ୍ଥଳେ । । ୧୦୩
    ଜନଲୋକ ଯେ ଗ୍ରୀବାତଟେ । ତପ ବସଇ ବେନିଓଷ୍ଠେ । । ୧୦୪
    ମୂର୍ଦ୍ଧନି ମଧ୍ୟେ ସତ୍ୟଲୋକ । ଯେ ବ୍ରହ୍ମ-ସନାତନ-କଳ୍ପ । । ୧୦୫
    ସପ୍ତପାତାଳ ଅଧୋଭାଗେ । ଶୁଣ କହିବା ପ୍ରତିଅଙ୍ଗେ । । ୧୦୬
    ଅତଳ ବସେ କଟୀଦେଶେ । ଉରୁରେ ବିତଳ ପ୍ରକାଶେ । । ୧୦୭
    ସୁତଳ ବସେ ଜାନୁମୂଳ । ଜଂଘର ମୂଳେ ତଳାତଳ । । ୧୦୮
    ଯେ ମହାତଳ ଗୁଳ୍ଫଦେଶେ । ପାଦାଗ୍ରେ ରସାତଳ ବସେ । । ୧୦୯
    ପାତାଳ ପାଦତଳେ ରହେ । ଏଣୁ ଭୁବନ ବିଶ୍ୱଦେହେ । । ୧୧୦
    ଯେ ଭୂଲୋକ ପାଦେ ବସେ । ନାଭିରେ ଭୁବ ଯେ ପ୍ରକାଶେ । । ୧୧୧
    ସ୍ୱଲୋକ କଳ୍ପିତ ମୂର୍ଦ୍ଧନି । ବିଶ୍ୱଦେହେ ବା ବିଶ୍ୱମାନି । । ୧୧୨
    ନାରଦ ଆଗେ ବେଦବର । ଯାହା କହିଲେ ବେଦସାର । । ୧୧୩
    ସୁଜନଜନଙ୍କ ଶ୍ରବଣେ । ବ୍ରାହ୍ମଣ ଜଗନ୍ନାଥ ଭଣେ । । ୧୧୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ।।


    ଷଷ୍ଠ ଅଧ୍ୟାୟ

    ବ୍ରହ୍ମା ଉବାଚ

    ଶୁଣ ନାରଦ ମହାଋଷି । ବିରାଜରୂପେ ବ୍ରହ୍ମରାଶି । । ୧
    ବ୍ରହ୍ମାଣ୍ତ ମଧ୍ୟେ ପ୍ରବେଶିଲା । ଯେ ଅଙ୍ଗୁ ଯେବା ପ୍ରକାଶିଲା । । ୨
    ତାହା କହିବା ତୋତେ ଭଲେ । ଇନ୍ଦ୍ରିୟଅର୍ଥେ ଇନ୍ଦ୍ରିତୁଲେ । । ୩
    ବଚନ ବହ୍ନିମୁଖେ ବସେ । ଯେଣେ ତା ଶବଦ ପ୍ରକାଶେ । । ୪
    ସପତଛନ୍ଦ ଧାତୁ ଯେତେ । ଦେହରେ ବସେ ତା ବାହ୍ୟାନ୍ତେ । । ୫
    ରସନା ଷଡ଼ରସେ ରସେ । ଜଳାଧିପତି ଯହିଁ ବସେ । । ୬
    ସେ ଦେବ-ପିତୃ ନରଙ୍କର । ଅନ୍ନର ସ୍ଥାନ ସେ ଆବର । । ୭
    ପ୍ରାଣସହିତ ଦଶପ୍ରାଣ । ସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ । । ୮
    ନାସାବିବରେ ଆଶ୍ରେ କଲେ । ଅଶ୍ୱିନୀକୁମାରଙ୍କ ତୁଲେ । । ୯
    ଚକ୍ଷୁଇନ୍ଦ୍ରିୟ ରୂପ ଅର୍ଥେ । ସୂର୍ଯ୍ୟ ପ୍ରକାଶ ଦୃଷ୍ଟିପଥେ । । ୧୦
    ଶବଦଅର୍ଥେ କର୍ଣ୍ଣବେନି । ଦିଗବସଇ ତୀର୍ଥ ଘେନି । । ୧୧
    ସେ ଦେବଦେହେ ଚର୍ମଦେଶେ । ସ୍ପରଶ ପବନ ପ୍ରକାଶେ । । ୧୨
    ଯେ ସର୍ବଯଜ୍ଞବସ୍ତୁ ସାର । ସର୍ବସୌଭାଗ୍ୟର ବେଭାର । । ୧୩
    ଚର୍ମ ଉପରେ ରୋମ ଭେଦି । ସେବୃକ୍ଷ ଯେଣେ ଯଜ୍ଞ ସାଧି । । ୧୪
    କେଶ ପ୍ରକାଶ ମୁଣ୍ତେ ଦାଢ଼ି । ଯେ ପାଦେ କରେ ନଖ ଜଡ଼ି । । ୧୫
    ସେ ତିନି ମଧ୍ୟେ ତିନିଦେବା । ପାଷାଣ ଲୌହ ମେଘପ୍ରଭା । । ୧୬
    ବାସବଆଦି ଦିଗପାଳେ । ବସନ୍ତି ତାର ଭୁଜମୂଳେ । । ୧୭
    ତାର ବିକ୍ରମେ ଲୋକତିନି । ଭୂଲୋକ-ଭୁବ-ସ୍ୱର୍ଗ ଘେନି । । ୧୮
    ଯେ ସର୍ବ-କୁଶଳ-କାରଣ । ସକଳ-ଭୟ-ନିବାରଣ । । ୧୯
    ସେ ହରି ଚରଣକମଳ । ସକଳ-କାମବର-ସ୍ଥଳ । । ୨୦
    ଯେ ସର୍ଗ ଶୁକ୍ରଘ ନରସ । ଯା ମେଢ୍ରେ ପ୍ରଜାପତି ବାସ । । ୨୧
    ମନ ଇନ୍ଦ୍ରିୟରସେ ରସେ । ଜନନେ ପ୍ରଜାପତି ବସେ । । ୨୨
    ସନ୍ତାନ ଅର୍ଥେ ସେ କଳ୍ପିତ । ସମ୍ଭୋଗ କାମେଣ ନିବୃତ୍ତ । । ୨୩
    ମଳ ଉତ୍ମର୍ଗ ମଳଦ୍ୱାରେ । ଯମ ବସଇ ଅଧିକାରେ । । ୨୪
    ନାଡ଼ୀ ସମୂହେ ନଦୀନଦେ । ଗିରି ସମୂହେ ଅସ୍ଥିଭେଦେ । । ୨୫
    ପାୟୁ ନରକ ଯମକ୍ଷେତ୍ର । ତା ମଳତ୍ୟାଗସ୍ଥାନ ମିତ୍ର । । ୨୬
    ହିଂସା ଅଲକ୍ଷ୍ମୀ ମୃତ୍ୟୁ ତହିଁ । ନିୟତ ବସତି କରଇ । । ୨୭
    ସେ ଜୀବଦେହେ ପୃଷ୍ଠଦେଶେ । ଅଧର୍ମ ସଙ୍ଗେ ତମ ବସେ । । ୨୮
    ସପତସିନ୍ଧୁ ଗର୍ଭେ ରହି । ଭୋଜନେ ତୁଷ୍ଟି ପୁଷ୍ଟି ବହି । । ୨୯
    ଉଦରେ ମୃତ୍ୟୁ ହୃଦଦେଶେ । ସର୍ବବ୍ୟାପକ ମନ ବସେ । । ୩୦
    ବିରାଟଆତ୍ମା ଦେହ ମଧ୍ୟେ । ବସଇ ସକଳ ସମ୍ପଦେ । । ୩୧
    ଧର୍ମ ସଙ୍ଗତେ ପଦ୍ମଯୋନି । ତୋ ସଙ୍ଗେ କୁମାରଙ୍କୁ ଘେନି । । ୩୨
    ବିଜ୍ଞାନ-ସତ୍ତ୍ୱ ରୁଦ୍ର ସଙ୍ଗେ । ସର୍ବେ ଆଶ୍ରିତ ଆତ୍ମାଅଙ୍ଗେ । । ୩୩
    ବ୍ରହ୍ମା ନାରଦ ଭବ ଆଦି । ମୁନିଏ ଯେତେ ବେଦବାଦୀ । । ୩୪
    ସୁର ଅସୁର ନର ନାଗ । ଯେ ସରୀସୃପ ଖଗ ମୃଗ । । ୩୫
    ଗନ୍ଧର୍ବ ଅପ୍ସରା ଯକ୍ଷ । ଭୂତ ଉରଗ ପଶୁ ରକ୍ଷ । । ୩୬
    ପିତର ସିଦ୍ଧ ବିଦ୍ୟାଧର । ଚାରଣ ଗୁହ୍ୟକ କିନ୍ନର । । ୩୭
    ବୃକ୍ଷ ଔଷଧି ଲତା ଯେତେ । ବିବିଧଜୀବଙ୍କ ସମେତେ । । ୩୮
    ଯେ ଜଳ ସ୍ଥଳ ଅନ୍ତରୀକ୍ଷେ । ଗ୍ରହ ଆଦିତ୍ୟ କେତୁଋକ୍ଷେ । । ୩୯
    ତାରା ସମୂହ ତେଜେ ଝଳି । ଜୀମୂତ ପ୍ରକାଶେ ବିଜୁଳି । । ୪୦
    ତା ତନୁ ଏ ସର୍ବ କାରଣ । ଭୂତ ଭବିଷ୍ୟ ବର୍ତ୍ତମାନ । । ୪୧
    ଏ ରୂପେ ଏ ବିଶ୍ୱ-ସଂସାର । ପ୍ରକାଶେ ଯାହାର ଶରୀର । । ୪୨
    ବିତସ୍ତିମାତ୍ର ମଧ୍ୟେ ରହେ । ଏକ ଅନେକ ଜନ୍ତୁ ଦେହେ । । ୪୩
    ଭିତରେ ରହେ ପ୍ରାଣ ତେଜେ । ପ୍ରକାଶେ ଅନ୍ତର ବାହିଯ୍ୟେ । । ୪୪
    ଅବ୍ୟୟ ଅମୃତ ଈଶ୍ୱର । ଜନ୍ମ-ମରଣ ଆରପାର । । ୪୫
    ତାହାର ଏମନ୍ତ ମହିମା । ଏଣୁ ଦୁସ୍ତର ଗୁଣସୀମା । । ୪୬
    ପାଦେ ଅଶେଷ ଭୂତ ବସେ । ଅମୃତାଭୟ କ୍ଷେମକୋଷେ । । ୪୭
    ତ୍ରିଲୋକ ଉର୍ଦ୍ଧ୍ୱେ ତିନିଲୋକ । ବହେ ଅଭୟ କ୍ଷେମ ସୁଖ । । ୪୮
    ଯେ ପ୍ରଜାଶ୍ରମେ ଧର୍ମ ଚିନ୍ତେ । ତ୍ରିଲୋକେ ଭ୍ରମେ ଗତାଗତେ । । ୪୯
    ଯେ ଆନ ଆଶ୍ରମେ ରମନ୍ତି । ତ୍ରୈଲୋକ୍ୟ ବାହ୍ୟେ ତାଙ୍କ ସ୍ଥିତି । । ୫୦
    ଜୀବର ଏହି ବେନିଗତି । ବିଦ୍ୟା ଅବିଦ୍ୟା ଭାବେ ହୋନ୍ତି । । ୫୧
    ଯେ ଶ୍ରୁତିମାର୍ଗେଣ ଉତ୍ତରେ । ଦକ୍ଷିଣେ ପୁରୁଷ ସଞ୍ଚରେ । । ୫୨
    ଭୋଗାପବର୍ଗର ସାଧନ । ଜୀବର ଏ ବେନି ଅୟନ । । ୫୩
    ଯାହାର ଅଂଶ ମାୟାମୟ । ଭୂତ-ଇନ୍ଦ୍ରିୟ-ଗୁଣାଶ୍ରୟ । । ୫୪
    ବିରାଟ ରୂପେ ଜାତ ହୁଏ । କିରଣ ଯେହ୍ନେ ସୂର୍ଯ୍ୟଦେହେ । । ୫୫
    ଯାହାର ନାଭିପଦ୍ମୁ ଜାତ । ମୁଁ ବ୍ରହ୍ମା ବ୍ରହ୍ମାଣ୍ତର ନାଥ । । ୫୬
    ଯଜ୍ଞସମ୍ଭାର ନ ଜାଣଇ । ଯାବତ ତାର ଦେହେ ଥାଇ । । ୫୭
    ତାର ଶରୀରେ ଯଜ୍ଞବିଧି । ଆଗମ-ନିଗମ ପ୍ରସିଦ୍ଧି । । ୫୮
    ପଶୁ ଇନ୍ଧନ କୁଶ ଆଦି । ଯେମନ୍ତେ ଯେ ଅବା ସମ୍ପାଦି । । ୫୯
    ଯଜନ ଦେବ ପିତୃ ତୋଷେ । ଯେ କାଳ ଯେବା ପୁଣ୍ୟଦେଶେ । । ୬୦
    ଯେତେ ପାତ୍ରରେ ଯଜ୍ଞ କରି । ମନ୍ତ୍ର ଔଷଧି ଆଦିକରି । । ୬୧
    ସ୍ନେହରସ ଯେ ଲୌହ ଆଦି । ମୃତ୍ତିକା ଜଳ ଯେ ସମ୍ପାଦି । । ୬୨
    ଋକ ଯଜୁଃ ଯେ ସାମ ତିନି । ଚତୁରହୋତ୍ର କର୍ମ ଘେନି । । ୬୩
    ଯେ ନାମଧେୟ ଯେବା ମନ୍ତ୍ର । ଯେବା ଦକ୍ଷିଣା ଯେବା ବ୍ରତ । । ୬୪
    ଦେବତା ଅନୁକ୍ରମ କଳ୍ପ । ଯେ ତନ୍ତ୍ର ଯେ ଅବା ସଙ୍କଳ୍ପ । । ୬୫
    ଯେ ଗତି ଯଜ୍ଞ ଯେବା ମତି । ଯେ ସମର୍ପଣ ପ୍ରାୟଶ୍ଚିତ୍ତି । । ୬୬
    ଯଜ୍ଞସମ୍ଭାର ତା ଶରୀରେ । ଲଭିଲି ଜନ ଉପକାରେ । । ୬୭
    ତାର ବିଭୂତି ତାର ଅଙ୍ଗେ । ଯଜ୍ଞ ଆରୋଧି ହବିର୍ଭାଗେ । । ୬୮
    ପୂଜିଲି ପୁରୁଷ-ପୁରାଣ । ତେଣୁ ମୁଁ ସଂସାର-କାରଣ । । ୬୯
    ସକଳ ଯଜ୍ଞଭାଗେ ଚିନ୍ତି । ମୋ ଅନ୍ତେ ନବପ୍ରଜାପତି । । ୭୦
    ଯଜ୍ଞପୁରୁଷ ସ୍ଥାପି କୁଣ୍ତେ । ଯେମନ୍ତ ବିଧି କର୍ମକାଣ୍ତେ । । ୭୧
    ପୂଜିଲେ ତାହାର ଚରଣେ । ଯେ ବିଧି ମନ୍ତ୍ର-ଉଚ୍ଚାରଣେ । । ୭୨
    ଏହି ପ୍ରକାରେ ସର୍ବଋଷି । ପିତୃ ଦେବତା ମନୁ ବସି । । ୭୩
    ଦାନବ ମାନବ ସହିତେ । ଯଜ୍ଞେ ପୂଜିଲେ ବେଦମନ୍ତ୍ରେ । । ୭୪
    ସେ ହରି ଅଙ୍ଗେ ଏ ଜଗତ । ଯଜ୍ଞ ପୂଜନେ ସମାହିତ । । ୭୫
    ଯେ ସ୍ୱୟଂ ନିର୍ଗୁଣ ଅନନ୍ତ । ମାୟା ଗୃହୀତ ଗୁଣବନ୍ତ । । ୭୬
    ଯଜ୍ଞେ ତାହାଙ୍କୁ ପୂଜା କରି । ମୁଁ ଏ ସଂସାରେ ଅଧିକାରୀ । । ୭୭
    ତାହା ଆଜ୍ଞା ଶିରେ ବହି । ମୁଁ ଏ ସଂସାର ସରଜଇ । । ୭୮
    ପାଳଇ ବିଷ୍ଣୁ ରୂପ ଧରି । ଶଙ୍କର ରୂପେଣ ସଂହରି । । ୭୯
    ସୃଷ୍ଟିପାଳନ ସଂହାରଣ । ଏ ଆଦି ବିକାର ତ୍ରିଗୁଣ । । ୮୦
    ସେ ମାୟାଧର ନରହରି । ଖେଳଇ ସୃଷ୍ଟିଲୀଳା କରି । । ୮୧
    ତୁ ଯାହା ପୁଚ୍ଛିଲୁ ପ୍ରସ୍ତାବେ । ସଂକ୍ଷେପି କହିଲି ମୁଁ ଏବେ । । ୮୨
    ସତ ଅସତ ରୂପ ଯେତେ । ମାୟା କଳ୍ପିତ ଏ ଜଗତେ । । ୮୩
    ଏ ସର୍ବରୂପ ନାରାୟଣ । ଅନାଦି-ପରମ-କାରଣ । । ୮୪
    ମୋର ବଚନ ହେ ନାରଦ । କେବେ ହେଁ ନୁହଇ ଅସଦ । । ୮୫
    ମୋହର ମନ ସତ୍ୟେ ସ୍ଥିତି । ସ୍ୱଭାବେ ନୁହେ ମିଥ୍ୟାଗତି । । ୮୬
    ଏ ମୋର ଇନ୍ଦ୍ରିଗଣ କେବେ । ନ ଯାନ୍ତି ଅସତ୍ୟ ଅମାର୍ଗେ । । ୮୭
    ଯେଣୁ ମୋ ହୃଦେ ନାରାୟଣ । ଉକ୍ରଣ୍ଠାଭାବେ ସୁମରଣ । । ୮୮
    ତପ ସମାଧି ମୋର ସ୍ଥିତି । ମୁଁ ପ୍ରଜାପତିଙ୍କର ପତି । । ୮୯
    ଯୋଗେ ନିପୁଣ ସମାହିତ । ଯେଣୁ ମୁଁ ଆତ୍ମତନ୍ତ୍ରେ ଜାତ । । ୯୦
    ତେବେ ହେଁ ନ ଜାଣିଲି ତାକୁ । ଆନ କେ ଅଛି ଜାଣିବାକୁ । । ୯୧
    ତାର ଚରଣେ ନମସ୍କାର । ଯା ଭାବେ ତୁଟଇ ସଂସାର । । ୯୨
    ଶୁଭ ମଙ୍ଗଳ ସ୍ୱସ୍ତ୍ୟୟନ । ଆନନ୍ଦମୂଳ ମାୟାଧାମ । । ୯୩
    ବ୍ରହ୍ମାଦି ଦେବେ ଅଗୋଚର । ଅକୁଣ୍ଠ-ମହିମା ଯାହାର । । ୯୪
    ଆତ୍ମାରେ ଆତ୍ମମାୟା କରେ । ଲୀଳାରେ ବିହରେ ସଂସାରେ । । ୯୫
    ସ୍ୱମାୟା ସେହି ନ ଜାଣଇ । କେ ଅବା ଅପରେ ଜାଣଇ । । ୯୬
    ଦୃଶ୍ୟ ଅଦୃଶ୍ୟ ସର୍ବବ୍ୟାପୀ । ଗଗନ ଯେହ୍ନେ ବିଶ୍ୱରୂପୀ । । ୯୭
    ମୁଁ ଯାର ଗତି ନ ଜାଣଇ । ତୁ କାହିଁ ପ୍ରବେଶିବୁ ତହିଁ । । ୯୮
    ଭାବ ନ ପାରେ ଯାକୁ ଚିନ୍ତି । ଦେବେ ଜାଣିବେ କାହିଁ ଗତି । । ୯୯
    ତାର ମାୟାରେ ମୋହି ହୋଇ । ତା ରୂପ କେହି ନ ଜାଣଇ । । ୧୦୦
    ଆତ୍ମାର ସମ ଆମ୍ଭେ ଜାଣୁ । କେ ତାର ରୂପ ପରିମାଣୁ । । ୧୦୧
    ଯା ଅବତାର କର୍ମମାନ । ମୋ ଆଦି କରନ୍ତି ଗାୟନ । । ୧୦୨
    ତତ୍ତ୍ବେ ଜାଣିବୁ ଆମ୍ଭେ କାହିଁ । ଯାହାର ଆଦିଅନ୍ତ ନାହିଁ । । ୧୦୩
    ଯାର ଚରଣେ ଆମ୍ଭେ ନମୁ । ଯା ମାୟାରୂପ ବଳେ ଭ୍ରମୁ । । ୧୦୪
    ସେ ଆଦିପୁରୁଷ ମୁରାରି । କଳ୍ପ-କଳ୍ପକେ ସୃଷ୍ଟି କରି । । ୧୦୫
    ଆତ୍ମାରେ ଆତ୍ମାରୂପେ ମିଳେ । ଆତ୍ମାକୁ ଆପେ ହରେ ପାଳେ । । ୧୦୬
    କେବଳ ଶୁଦ୍ଧ-ଜ୍ଞାନମୟେ । ସତ୍ୟସ୍ୱରୂପ ସର୍ବଦେହେ । । ୧୦୭
    ଅନାଦି ଅନନ୍ତ ନିର୍ଗୁଣ । ନିତ୍ୟ ଅବ୍ୟୟ ନାରାୟଣ । । ୧୦୮
    ଶୁଣ ନାରଦ ମନ ଦେଇ । ଯେମନ୍ତେ ତାହାକୁ ଜାଣଇ । । ୧୦୯
    ପ୍ରଶାନ୍ତ-ଆତ୍ମା ମୁନିଗଣେ । ନିର୍ମଳ-ଅନ୍ତରକରଣେ । । ୧୧୦
    ସମାଧି ଯୋଗବଳେ ଚିନ୍ତି । ଆତ୍ମାରେ ଆତ୍ମାକୁ ଦେଖନ୍ତି । । ୧୧୧
    ଅସତ୍ୟ ତର୍କ ଯେବେ ଥାଇ । ତେବେ ତା ଭାବ ନ ଜାଣଇ । । ୧୧୨
    ପରମ-ପୁରୁଷ ମୁରାରି । ଆଦ୍ୟାବତାର ତନୁ ଧରି । । ୧୧୩
    କାଳ ସ୍ୱଭାବ ସଙ୍ଗେ ମନ । ଯେ ନିତ୍ୟ ଶୁଦ୍ଧ ଚଇତନ । । ୧୧୪
    ଦ୍ରବ୍ୟ ବିକାର ତିନିଗୁଣ । ଦେବ ସମେତେ ଇନ୍ଦ୍ରିଗଣ । । ୧୧୫
    ବିରାଟ ରୂପେ ମହୀ ମାଝେ । ସ୍ଥାବର ଆଦି ଦେହେ ବିଜେ । । ୧୧୬
    ବ୍ରହ୍ମା ଶଙ୍କର ଯଜ୍ଞପତି । ଦକ୍ଷାଦି ଯେତେ ପ୍ରଜାପତି । । ୧୧୭
    ତୁ ଆଦି ସନକ ସହିତେ । ସ୍ୱର୍ଗେ ଦେବତା ଛନ୍ତି ଯେତେ । । ୧୧୮
    ଗରୁଡ଼ ଆଦି ଖଗପାଳେ । ଭୂଲୋକ ସପତ-ପାତାଳେ । । ୧୧୯
    ଗନ୍ଧର୍ବ ବିଦ୍ୟାଧରଗଣ । ଯେ ଯକ୍ଷ କିନ୍ନର ଚାରଣ । । ୧୨୦
    ରାକ୍ଷସ ସରୀସୃପ ନାଗେ । ବାସୁକି ଆଦି ମହୋରଗେ । । ୧୨୧
    ଋଷିଙ୍କ ମଧ୍ୟେ ଶ୍ରେଷ୍ଠ ଯେତେ । ଯେ ପିତୃଗଣଙ୍କ ସମେତେ । । ୧୨୨
    ଦୈତ୍ୟ ଦାନବ ସିଦ୍ଧକୁଳ । ପ୍ରେତ ପିଶାଚ ଭୂତବଳ । । ୧୨୩
    କୁଷ୍ମାଣ୍ତ ଜଳଜୀବ ଯେତେ । କି ଅବା ପଶୁପକ୍ଷୀ ଯେତେ । । ୧୨୪
    ଯେ ଆନେ ଛନ୍ତି ଯହିଁ ଯେତେ । ତେଜ ବିକ୍ରମ ବଳ ଯୁତେ । । ୧୨୫
    କମଳା ଆଦି ଅଷ୍ଟନିଧି । ଯେ ଗୁଣେ ଯେ ଅବା ପ୍ରସିଦ୍ଧି । । ୧୨୬
    ପ୍ରଧାନ ଗୁଣ ଯେବା ଭୂତେ । ଜଗତ ମଧ୍ୟେ ଛନ୍ତି ଯେତେ । । ୧୨୭
    ଏ ସର୍ବ ପରତତ୍ତ୍ୱ ଯେହି । ତାହାର ବିଭୂତି ଅଟଇ । । ୧୨୮
    ଏ ସର୍ବସାର ତା ଶରୀର । ଯେ ବିଷ୍ଣୁଲୀଳା ଅବତାର । । ୧୨୯
    ଏ ଲୀଳାକଥା ଗୀତସ୍ୱରେ । ପଶଇ ଯାର କର୍ଣ୍ଣଦ୍ୱାରେ । । ୧୩୦
    ସର୍ବ-ଦୁରିତ-ତମ ନାଶେ । ଯେବା ବଦନେ ନିତ୍ୟ ଘୋଷେ । । ୧୩୧
    ଶୁଣ ନାରଦ ମନଦେଇ । ଲୀଳାନୁକ୍ରମେ କହିବଇଁ । । ୧୩୨
    ଅମୃତ କୃଷ୍ଣଲୀଳା-ରସ । ଶ୍ରୁତିଯୁଗଳେ କର ଗ୍ରାସ । । ୧୩୩
    ତାହାଙ୍କ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । । ୧୩୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ।।


    ସପ୍ତମ ଅଧ୍ୟାୟ

    ବ୍ରହ୍ମା ଉବାଚ

    ଶୁଣ ନାରଦ ମୁନିବର । ଭବିଷ୍ୟ ଲୀଳା ଅବତାର । । ୧
    ଅଶେଷଜନଙ୍କର ହିତେ । ଶୁଣ କହିବା ତୋ ଅଗ୍ରତେ । । ୨
    ପଦ୍ମକଳ୍ପର ଅନ୍ତେ ହରି । ଶୂକରରୂପେ ଅବତରି । । ୩
    ସେ ସର୍ବ ଯଜ୍ଞମୟ ଗାତ୍ରେ । ଧରଣୀ ଉଦ୍ଧରିବା ଅର୍ଥେ । । ୪
    ଆଦିଅସୁର ଅବତାର । ପ୍ରଚଣ୍ତ ହିରଣ୍ୟାକ୍ଷ ବୀର । । ୫
    ତାହାକୁ ମହାର୍ଣ୍ଣବ-ଜଳେ । ଦନ୍ତେ ବିଦାରିଲେ ପାତାଳେ । । ୬
    ବଜ୍ରେ ଯେସନେ ବଜ୍ରଧର । ହେଳେ ବିଦାରେ ମହୀଧର । । ୭
    ସେ ପୁଣି ରୁଚିଋଷି ଘରେ । ଜନ୍ମିଲେ ଆକୂତି ଉଦରେ । । ୮
    ସେ ଯଜ୍ଞରୂପ ନରହରି । ଦକ୍ଷିଣା ଗର୍ଭେ ବିଜେକରି । । ୯
    ସର୍ବଦେବଙ୍କୁ ଜାତ କଲେ । ତ୍ରୈଲୋକ୍ୟ-ଭୟ ନିବାରିଲେ । । ୧୦
    ମନୁ ଯେ ବ୍ରହ୍ମାର ନନ୍ଦନ । ହରଷେ ଦେଲେ ହରି ନାମ । । ୧୧
    କର୍ଦ୍ଦମଋଷି ଗୃହେ ପୂର୍ବେ । ଜନ୍ମିଲେ ଦେବହୂତି ଗର୍ଭେ । । ୧୨
    ତାଙ୍କ ସଙ୍ଗତେ ନବନାରୀ । ଜନ୍ମିଲେ ଦିବ୍ୟରୂପ ଧରି । । ୧୩
    ସେ ଜନ୍ମେ ଜନନୀର ଦୁଃଖ । ଦେଖି ସଦୟ ପଦ୍ମମୁଖ । । ୧୪
    ଆତ୍ମାର ଗତି ମାତାଆଗେ । କହିଲେ ତତ୍ତ୍ୱ-ଅନୁରାଗେ । । ୧୫
    ସେ ତତ୍ତ୍ବେ ଆତ୍ମା-ଗୁଣ-ଦୋଷ । ସେ ଦେବହୂତି କଲେ ନାଶ । । ୧୬
    ତାହାଙ୍କୁ ମାୟାରୁ ଉଦ୍ଧରି । କପିଳରୂପେ ତପ କରି । । ୧୭
    ଅତ୍ରିର ତପ ଦେଖି ତୋଷେ । ତକ୍ଷଣେ ମିଳି ତାର ପାଶେ । । ୧୮
    ବୋଇଲେ ତୋତେ ଦେଲି ବର । ହୋଇବି ତୋହର କୁମର । । ୧୯
    ଦତ୍ତ-ବଚନେ ଦତ୍ତ ନାମ । ସୁନ୍ଦରେ ସମ ନୋହେ କାମ । । ୨୦
    ଧରଣୀ ପର୍ଯ୍ୟଟନ କଲେ । ଅନେକ ତପ ଆଚରିଲେ । । ୨୧
    ହୈହୟ ଯଦୁ ଆଦି ରାଜା । ଯାର ଚରଣେ କରି ପୂଜା । । ୨୨
    ଯୋଗ-ସମାଧି ସମ୍ପାଦିଲେ । ଜନ୍ମ-ମରଣୁ ନିସ୍ତରିଲେ । । ୨୩
    ସୃଷ୍ଟି-ସୃଜନେ ମନ କରି । ଆଦ୍ୟେ ମୁଁ ତପ ଯେ ଆଚରି । । ୨୪
    ତପର ବଳେ ଭଗବାନ । ଜାତ ହୋଇଲେ ଚତୁଃସନ । । ୨୫
    ଯେ ଯୋଗ ପୂର୍ବକାଳେ ଥିଲା । କଳ୍ପ-ପ୍ରଳୟେ ନାଶ ଗଲା । । ୨୬
    ତାହା ଉଦ୍ଧରି ଯୋଗବଳେ । ଧର୍ମ ରଖିଲେ ମହୀତଳେ । । ୨୭
    ଦକ୍ଷକୁମାରୀ ଗର୍ଭେ ହରି । ଧର୍ମର ବୀର୍ଯ୍ୟେ ଅବତରି । । ୨୮
    ସେ ଦକ୍ଷକନ୍ୟା ମୂର୍ତ୍ତି ନାମ । ସର୍ବସୁନ୍ଦର ଅନୁପମ । । ୨୯
    ତାର ଉଦରୁ ପୂର୍ବକଳ୍ପେ । ଜନ୍ମିଲେ ନାରାୟଣ ରୂପେ । । ୩୦
    ନର ସ୍ୱରୂପ ନର ନାମ । ସର୍ବସୁନ୍ଦର ପୁଣ୍ୟଧାମ । । ୩୧
    ନିଶ୍ଚଳ ତପ ଯୋଗଧ୍ୟାନେ । ବସିଲେ ବଦରିକାଶ୍ରମେ । । ୩୨
    ଅତି ଦୁଃସହ ତପ ଘୋରେ । ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ । । ୩୩
    ତକ୍ଷଣେ ଅପସରା ଗଣେ । ମିଳିଲେ ବଦରିକା ବନେ । । ୩୪
    ଦିବ୍ୟ ସୁବେଶେ ନାନାରଙ୍ଗେ । ଆସି ମିଳିଲେ ତପଭଙ୍ଗେ । । ୩୫
    ଡୋଳେ ଉର୍ବଶୀ ରୂପ ଦେଖି । ଲାଜେ ହୋଇଲେ ଅଧୋମୁଖୀ । । ୩୬
    କୋପନୟନେ ମୁନିଜନ । କାମକୁ କରନ୍ତି ଦହନ । । ୩୭
    କୋପକୁ ନ ପାରନ୍ତି ଦହି । କୋପ ପ୍ରବେଶ ଯହିଁ ନାହିଁ । । ୩୮
    କାହୁଁ କରିବେ ତପ ନାଶ । ବାହୁଡ଼ି ହୋଇଲେ ନିରାଶ । । ୩୯
    ଉତ୍ତାନପାଦ ରାଜା କୋଳେ । ଧ୍ରୁବବାଳକ ରସଭୋଳେ । । ୪୦
    ବସିବ ବୋଲି ବିଚାରିଲା । ମାତା-ସପତ୍ନୀ ଝିଙ୍ଗାସିଲା । । ୪୧
    ସେ ନିଜ ଜନନୀ ବଚନେ । ଅରଣ୍ୟେ ଗଲା ଦୁଃଖମନେ । । ୪୨
    ଅତି କଠୋର ତପ କଲା । ତାକୁ ଯେ ଧ୍ରୁବପଦ ଦେଲା । । ୪୩
    ମୁନିଏ ଉର୍ଦ୍ଧ୍ୱେ ତଳେ ଥାଇ । ଧ୍ରୁବ ତପସ୍ୟାଫଳ ଚାହିଁ । । ୪୪
    ସ୍ତୁତି କରନ୍ତି ତାର ତପେ । ଜନନୀ ଦେଖି ତା ସମୀପେ । । ୪୫
    ବେଣ ଯେ ସତ୍ୟଯୁଗେ ରାଜା । ଅଧର୍ମେ ପାଳେ ଜନପ୍ରଜା । । ୪୬
    ହରିଙ୍କି ନ ସ୍ଥାପନ୍ତେ ଭଲେ । ବ୍ରାହ୍ମଣେ ଶାପେ ନାଶ କଲେ । । ୪୭
    ରାଜା-ମାରଣେ ଅରାଜକେ । ପ୍ରଜା ଦୁଃଖିତ ଅତିରେକେ । । ୪୮
    ତା ଦେଖି ଦ୍ୱିଜେ ସ୍ତୁତି କରି । ତକ୍ଷଣେ ପୃଥୁରୂପ ଧରି । । ୪୯
    ହରି ଜନ୍ମିଲେ ରାଜକୁଳେ । ଭୂମିକି ଦୁହିଁ ବାହୁବଳେ । । ୫୦
    ପ୍ରଜାଙ୍କୁ ଶସ୍ୟବୀଜ ଦେଲେ । ଅନ୍ନସଙ୍କଟୁ ଉଦ୍ଧରିଲେ । । ୫୧
    ନାଭିର ବୀର୍ଯ୍ୟେ ସେ ଋଷଭ । ସୁଦେବୀ ଉଦରେ ସମ୍ଭବ । । ୫୨
    କପଟେ ଜଡ଼ରୂପ ଧରି । ସକଳ ଯୋଗ ସାଧ୍ୟ କରି । । ୫୩
    ପରମହଂସ ମୁନିଗଣେ । ନମନ୍ତି ଯାହାର ଚରଣେ । । ୫୪
    ସେ ସ୍ୱଚ୍ଛ ଶାନ୍ତ ଅନୁଗତ । ଅଶେଷସଙ୍ଗରୁ ବିମୁକ୍ତ । । ୫୫
    ପୁଣି ମୋହର ଯଜ୍ଞକାଳେ । ମନ୍ତ୍ରେ ଉପୁଜିଲା ଅନଳେ । । ୫୬
    ନର-ଶରୀର ଅଶ୍ୱଶିର । ସୁବର୍ଣ୍ଣବର୍ଣ୍ଣ ଜଟାଭାର । । ୫୭
    ସକଳ ବେଦ ଯଜ୍ଞମୟ । ଅଖିଳ-ଆତ୍ମା ନିଜ ଦେହ । । ୫୮
    ତାର ନିଃଶ୍ୱାସୁ ବେଦ ତିନି । ଜନ୍ମିଲେ କର୍ମକାଣ୍ତ ଘେନି । । ୫୯
    ଯୁଗାନ୍ତକାଳେ ମହାଜଳେ । ରାଜାର ତର୍ପଣର କାଳେ । । ୬୦
    ରାଜା ତାରଣେ ଦଇତାରି । ମିଳିଲେ ମତ୍ସ୍ୟରୂପ ଧରି । । ୬୧
    ଯୁଗ-ବିପ୍ଳବେ ବେଦରାଶି । ଥିଲା ଯେ ମହାଜଳେ ପଶି । । ୬୨
    ସେ ବେଦ ସଲିଳୁ ଉଦ୍ଧରି । ମନୁକୁ ଦେଲେ ନରହରି । । ୬୩
    ବାସବ-ସମ୍ପଦ ଉଦ୍ଧାରେ । କ୍ଷୀରସମୁଦ୍ର ମନ୍ଥିବାରେ । । ୬୪
    ମିଳି ସକଳ ଦେବାସୁର । ସମୁଦ୍ରେ ସ୍ଥାପିଲେ ମନ୍ଦର । । ୬୫
    ଅଗାଧଜଳେ ମଧୁହାରୀ । ମିଳିଲେ କୂର୍ମରୂପ ଧରି । । ୬୬
    ପୃଷ୍ଠେ ବହିଲେ ଗିରିବର । ମନ୍ଥନ କଲେ ଦେବାସୁର । । ୬୭
    ଗିରି-ଘର୍ଷଣ କଣ୍ତୁ-ସୁଖେ । ନିଦ୍ରାନୟନ ଅଧୋମୁଖେ । । ୬୮
    ଦେବଙ୍କ ଭୟ ନାଶିବାରେ । ସେ ନରସିଂହ ରୂପ ଧରେ । । ୬୯
    ଭ୍ରମାଇ ଭ୍ରୂକୁଟୀ-କୁଟୀଳ । ଦନ୍ତ-ଶ୍ରୀମୁଖ ବିକରାଳ । । ୭୦
    ଗଦା ବୁଲାଇ ଅତି ବେଗେ । ଦୈତ୍ୟ ମିଳିଲା ଆସି ଆଗେ । । ୭୧
    ତକ୍ଷଣେ ଉରୁ ମଧ୍ୟେ ଧରି । ନଖାଗ୍ରେ ହିରଣ୍ୟ ବିଦାରି । । ୭୨
    ମହାଦୈତ୍ୟକୁ ସଂହାରିଲେ । ସଂସାର ସଙ୍କଟୁ ତାରିଲେ । । ୭୩
    ଅଗାଧ-ସରୋବର ମଧ୍ୟେ । କୁମ୍ଭୀର ଗଜରାଜ ପାଦେ । । ୭୪
    ଧଇଲା ଅତି ଦୃଢ଼ବଳେ । ହସ୍ତୀର ଚରଣ ନିଶ୍ଚଳେ । । ୭୫
    ଚଳି ନ ପାରି ଯୂଥପତି । ଆରତେ ସୁମରେ ଶ୍ରୀପତି । । ୭୬
    ହସ୍ତେ କମଳ ଉଚ୍ଚେ ତୋଳି । ନୟନୁ ଅଶ୍ରୁଜଳ ଗଳି । । ୭୭
    ଆଦିପୁରୁଷ ଲୋକନାଥ । ତୀର୍ଥ-ପବିତ୍ର ତୋ ଚରିତ । । ୭୮
    ଶ୍ରବଣ-ମଙ୍ଗଳ ତୋ ନାମ । ପୁଣ୍ୟପୁରୁଷ ଗୁଣଧାମ । । ୭୯
    ସେ ହରି ସ୍ତୁତି ଶୁଣି କର୍ଣ୍ଣେ । ଗଜବିକଳ ଯୋଗଧ୍ୟାନେ । । ୮୦
    ମରଣକାଳେ ସୁମରିଲା । ବିଷ୍ଣୁର ସମାଧି ଭାଜିଲା । । ୮୧
    ତାର ମହିମା ଅପ୍ରମେୟ । ନିମିତ୍ତେ ବହେ ନାନାଦେହ । । ୮୨
    ଦକ୍ଷିଣଭୁଜେ ଚକ୍ର ଧରି । ଗରୁଡ଼-ସ୍କନ୍ଧେ ବିଜେ କରି । । ୮୩
    ଚକ୍ର ପ୍ରହାରେ ନକ୍ର ମାରି । ହସ୍ତୀର ହସ୍ତ ହସ୍ତେ ଧରି । । ୮୪
    ଜଳୁ ଉଦ୍ଧରି ନାରାୟଣ । ଅନ୍ତର ହୋଇଲେ ତକ୍ଷଣ । । ୮୫
    ଅଦିତି-ପୁତ୍ରଙ୍କର ସାନ । ଗୁଣରେ ଜ୍ୟେଷ୍ଠ ସେ ବାମନ । । ୮୬
    ତ୍ରିପାଦେ ତିନିଲୋକ ଜିଣି । ସେ ଅଧିଯଜ୍ଞ ନାମ ଭଣି । । ୮୭
    ଯେ ଧର୍ମମାର୍ଗେ ନିତ୍ୟେ ଥାନ୍ତି । ଯାଚଞ୍ଜା ବିନା ତା ସମ୍ପତ୍ତି । । ୮୮
    ଈଶ୍ୱର ଆଦିତନୁ ଧରି । କେହି ନ ପାରେ ତାହା ହରି । । ୮୯
    ସେ ବଳି ଦୃଢ଼ ସତ୍ୟ ମନେ । କୃଷ୍ଣଚରଣ ଆରାଧନେ । । ୯୦
    ମନ୍ତ୍ରୀର ବୋଲ ନ ଶୁଣିଲା । ତ୍ରିପାଦ-ଭୂମି ଦାନ ଦେଲା । । ୯୧
    ବିଷ୍ଣୁର ପାଦରଜେ ଇଚ୍ଛା । ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା । । ୯୨
    ସର୍ବ-ସମ୍ପଦ ଆତ୍ମା ତୁଲେ । ଅର୍ପିଲା ବିଷ୍ଣୁ-ପାଦମୂଳେ । । ୯୩
    ତୁ ଯେ ନାରଦ ତାରଅଂଶେ । ଶରୀର ବହୁ ମୋର ବଂଶେ । । ୯୪
    ତୁମ୍ଭଙ୍କୁ ଭକ୍ତି ହଂସରୂପେ । କହିଲା ଭକ୍ତ-ତୋଷ ଅର୍ଥେ । । ୯୫
    ତହୁଁ ଲଭିଲୁ ଦିବ୍ୟଜ୍ଞାନ । ଯେ ଯୋଗୀଗଣେ ବିଦ୍ୟମାନ । । ୯୬
    ଯେ ଜ୍ଞାନେ କୃଷ୍ଣର ଚରଣ । ସୁଖେଣ ପଶନ୍ତି ଶରଣ । । ୯୭
    ସେ ମନ୍ୱନ୍ତରେ ମନୁବଂଶେ । ସ୍ୱତେଜେ ଚକ୍ରବର୍ତ୍ତୀ ଅଂଶେ । । ୯୮
    ଦୁଷ୍ଟରାଜାଙ୍କୁ ଦଶଦିଗେ । ଜିଣି ସ୍ଥାପିଲା ସାଧୁମାର୍ଗେ । । ୯୯
    ତ୍ରିଲୋକ ପରେ ସତ୍ୟଲୋକେ । କୀର୍ତ୍ତି ବିସ୍ତାରି କଉତୁକେ । । ୧୦୦
    ସେ ଧନ୍ୱନ୍ତରୀ ରୂପ ଧରି । ବ୍ରହ୍ମାଣ୍ତ ମଧ୍ୟେ ଅବତରି । । ୧୦୧
    ହରିଲା ପ୍ରାଣୀଙ୍କର ବ୍ୟାଧି । ଭିଆଇ ମନ୍ତ୍ର-ମଉଷଧି । । ୧୦୨
    ଯଜ୍ଞେ ସ୍ୱଭାଗ ଭୋଗକଲା । ପ୍ରାଣୀଙ୍କି ଆୟୁର୍ବେଦ ଦେଲା । । ୧୦୩
    ବ୍ରାହ୍ମଣବଧ ଦେଖି କୋପେ । ସେ ପୁଣି ପର୍ଶୁରାମ ରୂପେ । । ୧୦୪
    ପରଶୁ ଦକ୍ଷଭୁଜେ ଧରି । ଅବନୀ ପର୍ଯ୍ୟଟନ କରି । । ୧୦୫
    କ୍ଷତ୍ରିୟ-ରୁଧିର ତର୍ପଣେ । ତୋଷିଲା ନିଜ ପିତୃଗଣେ । । ୧୦୬
    ମୋର ବଚନେ ଦଇତାରି । ଈକ୍ଷ୍ୱାକୁବଂଶେ ଅବତରି । । ୧୦୭
    ପିତା ବଚନେ ଗଲା ବନ । ସ୍ୱପତ୍ନୀ ସହିତେ ଲକ୍ଷ୍ମଣ । । ୧୦୮
    ସୀତା ରାବଣ ନେଲା ହରି । ସେ କୋପେ ତାର ବଂଶ ମାରି । । ୧୦୯
    ବିଭୀଷଣଙ୍କୁ ଲଙ୍କା ଦେଲେ । ଦେବଙ୍କ ଭୟ ନିବାରିଲେ । । ୧୧୦
    ତ୍ରିପୁରବଧେ ଯେହ୍ନେ ହର । ସେ ରୂପେ ତେଜ ରଘୁବୀର । । ୧୧୧
    ସେ ତେଜେ ଉରଗ ମକର । ନକ୍ରସମୂହ ଥରହର । । ୧୧୨
    ଜଳଧି ତାରେ ଭୟକରି । ତାହାର ନିଜରୂପ ଧରି । । ୧୧୩
    ଚରଣେ ଶରଣ ପଶିଲା । ଲଙ୍କାଗମନେ ମାର୍ଗ ଦେଲା । । ୧୧୪
    ଦିଗବିଜୟେ ଲଙ୍କାପତି । ଅଇରାବତ ନାମେ ହସ୍ତୀ । । ୧୧୫
    ତାହାର ସଙ୍ଗେ ବାଦ କରି । ଉରସ୍ପରଶେ ଦନ୍ତ ଚୂରି । । ୧୧୬
    ଦେଖି ଭାଜିଲା ଗଜଶ୍ରେଷ୍ଠ । ରାବଣ ସଙ୍ଗେ କାହିଁ ହଟ । । ୧୧୭
    ସେହି ରାବଣଦର୍ପ ରଣେ । ଶ୍ରୀରାମ ସଂହାରିଲେ ବାଣେ । । ୧୧୮
    ଭୂମିର ଭାରା ନିବାରଣେ । କ୍ଷୀରସମୁଦ୍ରେ ଦେବଗଣେ । । ୧୧୯
    ଈଶ୍ୱର ସଙ୍ଗେ ଦେବବଳେ । ନମିଲେ ଚରଣକମଳେ । । ୧୨୦
    ଅନେକ ମତେ ସ୍ତୁତି ଭଣି । ବିଷ୍ଣୁ ସନ୍ତୋଷ ତାହାଣୁଣି । । ୧୨୧
    ସନ୍ତୋଷେ ଶୁକ୍ଳକୃଷ୍ଣକେଶ । ଜଂଘୁ ଉପାଡ଼ି ହୃଷୀକେଶ । । ୧୨୨
    ସେ ବେନିରୋମ ମହୀତଳେ । ଜନ୍ମି ଅସୁର ସଂହାରିଲେ । । ୧୨୩
    ହରିଲେ ଅବନୀର ଭାର । ମହାମହିମା ଚକ୍ରଧର । । ୧୨୪
    ତିନିଦିବସେ ନାରାୟଣ । ଶୋଷିଲେ ପୂତନାର ପ୍ରାଣ । । ୧୨୫
    ମାସକେ ନନ୍ଦଗୃହେ ହରି । ପାଦେ ଶକଟା ଚୂର କରି । । ୧୨୬
    ଦଧିମନ୍ଥନ କାଳେ ଧରି । ରୋଳେ ବାନ୍ଧିଲା ନନ୍ଦନାରୀ । । ୧୨୭
    ସେ ରୋଳ ସଙ୍ଗେ ନନ୍ଦବଳା । ବେନିଅର୍ଜୁନ ମଧ୍ୟେଗଲା । । ୧୨୮
    ଅତି ଉତ୍ସର୍ଗ ବେନିବୃକ୍ଷେ । ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ । । ୧୨୯
    ସେ ପୁଣି ଗୋବତ୍ସ ରକ୍ଷଣେ । କାଳିନ୍ଦୀତଟେ ବୃନ୍ଦାବନେ । । ୧୩୦
    ବତ୍ସା-ବାଳକ ବିଷଜଳେ । ପଶିଲେ ତୃଷାର ବିକଳେ । । ୧୩୧
    ସକଳେ କଲେ ଜଳପାନ । ତକ୍ଷଣେ ହାରିଲେ ଜୀବନ । । ୧୩୨
    ଅଦ୍ଭୁତ ଦେଖି ଭାବଗ୍ରାହୀ । ଅମୃତନୟନେ ଅନାଇ । । ୧୩୩
    ତାହାଙ୍କୁ ଜୀବଦାନ ଦେଲେ । ସେ ଜଳେ ସର୍ପକୁ ଦେଖିଲେ । । ୧୩୪
    ଜିହା ଚଞ୍ଚଳ ବିଷ ବଳେ । ବିହାର କାଳିନ୍ଦୀର ଜଳେ । । ୧୩୫
    ଦୂରେ ନିବେଶି ନାଗବଳ । ଅମୃତ କଲେ ବିଷଜଳ । । ୧୩୬
    ଜନ୍ତୁଙ୍କୁ କରାଇଲେ ପାନ । ଅଦ୍ଭୁତଗତି ଭଗବାନ । । ୧୩୭
    ଅମ୍ବିକାବନେ ଗୋପଜନେ । ଶୟନେ ନିଶିଅର୍ଦ୍ଧମାନେ । । ୧୩୮
    ଅଗ୍ନି ବେଢ଼ିଲା ବେଗେ ଆସି । ପ୍ରଳୟାନଳ ପ୍ରାୟ ଦିଶି । । ୧୩୯
    ଅନଳ ଦେଖି ନନ୍ଦବଳା । ବଦନ ଲୁଚାଅ-ବୋଇଲା । । ୧୪୦
    ଡରେ ଲୁଚାଇଲେ ମଦନ । ଗୋବିନ୍ଦ କଲେ ଅଗ୍ନିପାନ । । ୧୪୧
    ବାନ୍ଧିବା ପାଇଁ ଡୋର ଆଣି । ଯେତେ ଯୋଖିଲା ନନ୍ଦରାଣୀ । । ୧୪୨
    ବାନ୍ଧି ନ ପାରେ ନନ୍ଦନାରୀ । ମହାମହିମ ନରହରି । । ୧୪୩
    ମାତାର କୋଳେ ବସିଥିଲା । ଜୃମ୍ଭଣେ ମୁଖ ବିସ୍ତାରିଲା । । ୧୪୪
    ଗୋପୀ ଚାହିଁଲେ ତା ବଦନ । ଉଦରେ ଅଶେଷ-ଭୁବନ । । ୧୪୫
    ଐଶ୍ୱର୍ଯ୍ୟଲୀଳା ତାର ଦେହୀ । ଦେଖି ଶଙ୍କିତମନ ହୋଇ । । ୧୪୬
    ବରୁଣପୁରୁ ଦଇତାରି । ନନ୍ଦକୁ ବନ୍ଦୀମୋକ୍ଷ କରି । । ୧୪୭
    ବରୁଣପୁରୁ ଯେତେବଳେ । ନନ୍ଦକୁ ଆଣିଲେ ଗୋକୁଳେ । । ୧୪୮
    ଗୋପାଳେ ବରୁଣଭୁବନ । ଦେଖିବେ ବୋଲି କଲେ ମନ । । ୧୪୯
    ତାହାଙ୍କୁ ନିଦ୍ରାକାଳେ ନେଇ । ବରୁଣଭୁବନ ଦେଖାଇ । । ୧୫୦
    ପୁଣି ମାୟାରେ ଭଗବାନ । ଦେଖାଇ ଆପଣା ଭୁବନ । । ୧୫୧
    ସେ ପୁଣି ବଳଦେବ ସଙ୍ଗେ । ବନେ ଖେଳନ୍ତି ନାନାରଙ୍ଗେ । । ୧୫୨
    ବ୍ୟୋମଅସୁର ମାୟା କଲା । ଗୋପାଳପୁଅଙ୍କୁ ହରିଲା । । ୧୫୩
    ଗିରିକ୍ରୋଟରେ ନେଇ ଥୋଇ । ଦ୍ୱାରରୁନ୍ଧିଲା ଶିଳା ଦେଇ । । ୧୫୪
    ତାହା ଜାଣିଲେ ଚକ୍ରପାଣି । ବନ୍ଦୀରୁ ଗୋପସୁତ ଆଣି । । ୧୫୫
    ଅସୁରଜୀବନ ହରିଲେ । ପୁଣି ଅଦ୍ଭୁତକର୍ମ କଲେ । । ୧୫୬
    ଗୋପାଳେ ନନ୍ଦଗୋପ ମେଳେ । ଇନ୍ଦ୍ର-ଉତ୍ସବ-ଯଜ୍ଞ କାଳେ । । ୧୫୭
    ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜି । ପର୍ବତ-ଗୋବର୍ଦ୍ଧନ ପୂଜି । । ୧୫୮
    ମେଘ-ପବନ ଘେନି ସଙ୍ଗେ । ଇନ୍ଦ୍ର ମିଳିଲା ଗୋପେ ବେଗେ । । ୧୫୯
    ଇନ୍ଦ୍ରବରଷେ କୋପ କରି । ପ୍ରଳୟକାଳେ ଯେହ୍ନେ ବାରି । । ୧୬୦
    ତା ଦେଖି କୃଷ୍ଣ ଦୟାଚିତ୍ତେ । ଗୋରୁଗୋପାଳ ରକ୍ଷାଅର୍ଥେ । । ୧୬୧
    ସପତ-ବରଷ-କୁମର । ହସ୍ତେ ଉପାଡ଼ି ଗିରିବର । । ୧୬୨
    ଛତ୍ର ପରାଏ ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ । । ୧୬୩
    ସପତଦିନ ବରଷିଲା । କୃଷ୍ଣର କରେ ଗିରି ଥିଲା । । ୧୬୪
    ଭୟେ ଚିନ୍ତିଣ ସୁରରାୟେ । ଶରଣଗଲା କୃଷ୍ଣପାୟେ । । ୧୬୫
    ଆସି ସୁରଭୀ ଘେନି ସଙ୍ଗେ । ପୂଜିଲା କୃଷ୍ଣପାଦଯୁଗେ । । ୧୬୬
    ଗୋବିନ୍ଦ ନାମ ଦେଇଗଲା । ସନ୍ତୋଷେ ପୁରେ ପ୍ରବେଶିଲା । । ୧୬୭
    ପୁଣି ଶରଦଋତୁ କାଳେ । ଗୋବିନ୍ଦ ଯୋଗମାୟା ବଳେ । । ୧୬୮
    ରାତ୍ରେ ଶଶାଙ୍କରଶ୍ମିଜାଳେ । ରାସଉତ୍ସବ ଗୋପୀମେଳେ । । ୧୬୯
    ମଧୁର-ବେଣୁନାଦ-ଗୀତେ । ମନମୋହିଲେ ବାମା ଯେତେ । । ୧୭୦
    ଅନଙ୍ଗମୋହେ ବ୍ରଜନାରୀ । ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି । । ୧୭୧
    ଶୁଣି କୃଷ୍ଣର ବେଣୁସ୍ୱନ । ମିଳିଲା କୁବେରନନ୍ଦନ । । ୧୭୨
    ଗୋପୀଙ୍କି ହରିବାର ଆଶେ । ଲୁଚି ବସିଲା ବନଦେଶେ । । ୧୭୩
    ତାହାକୁ ଧରି ବେଣୁଧର । କରପ୍ରହାରେ ଛେଦିଶିର । । ୧୭୪
    ମଣି ହରିଲେ ତାର ଶିରୁ । ଅଶେଷଜନପିତାଗୁରୁ । । ୧୭୫
    ପ୍ରଳମ୍ବା ଖର ବକାସୁର । କେଶୀ ଧେନୁକା ଷଣ୍ଢାବୀର । । ୧୭୬
    ମୁଷ୍ଟିକମଲ୍ଲ କୁବଳୟା । କଂସ ଯବନ ଘୋରମାୟା । । ୧୭୭
    ନାରକା ସାଲ୍ୱ ପୁଣ୍ତରୀକ । କପି ବଲ୍ୱଳ ଦନ୍ତବକ୍ର । । ୧୭୮
    ସପତଷଣ୍ଢ ବିଦୂରଥ । ସମ୍ବର ରୁକ୍ମିଣୀର ଭ୍ରାତ । । ୧୭୯
    କାମ୍ବୋଜ ମତ୍ସ୍ୟ କୁରୁବୀରେ । ସୃଞ୍ଜୟ କେକୟ ଅପରେ । । ୧୮୦
    ଏହାଙ୍କୁ ସଂଗ୍ରାମେ ନିବାରି । ଭୀମ ଅର୍ଜୁନ ସଙ୍ଗେ କରି । । ୧୮୧
    ପରମପଦେ ଦେଲେ ସ୍ଥାନ । ମାୟା-ମନୁଷ୍ୟ-ଭଗବାନ । । ୧୮୨
    କଳିପ୍ରବେଶ କାଳବଳେ । ପ୍ରାଣୀଏ ଚେତନା-ଚଞ୍ଚଳେ । । ୧୮୩
    ଭାରତୀ ନ ପାରନ୍ତି ଧରି । ଅଳ୍ପଆୟୁଷ ଦେଖି ହରି । । ୧୮୪
    ଜନ୍ମିଲେ ବ୍ୟାସ ରୂପ ଧରି । ଅଶେଷ-ଶ୍ରୁତିଶାସ୍ତ୍ର କରି । । ୧୮୫
    ବେଦଦ୍ରୁମକୁ ଶାଖା କଲେ । ଏକୁ ଅନେକ ବୁଦ୍ଧିବଳେ । । ୧୮୬
    ଅସୁରେ ରହି ବେଦମାର୍ଗେ । ମାୟାଭିମାନେ କଳିଯୁଗେ । । ୧୮୭
    ମୟଦଇତର ସଙ୍ଗତେ । ଦୃଶ୍ୟ-ଅଦୃଶ୍ୟ ବେନିପଥେ । । ୧୮୮
    ସେକଥା ଜାଣି ଜଗନ୍ନାଥେ । ବୁଦ୍ଧାବତାରେ ଜନହିତେ । । ୧୮୯
    କପଟ-ମାୟା-ମୋହବଶେ । ପାଷାଣ୍ତମାର୍ଗ ଉପଦେଶେ । । ୧୯୦
    ଅନେକ ଦୁର୍ଗତି ହରିବେ । ସୁଜନଜନଙ୍କୁ ରଖିବେ । । ୧୯୧
    ପୁଣି ଏ କଳିଯୁଗ ଅନ୍ତେ । ସୁଧୁଜନଙ୍କ ଗୃହଗତେ । । ୧୯୨
    କୃଷ୍ଣ-ସ୍ମରଣ-ଗୁଣଗାଥା । ନୋହିବ ଯେବେ ହରିକଥା । । ୧୯୩
    ଦ୍ୱିଜେ ପାଷଣ୍ତ ଆଚରିବେ । ସେ ପଞ୍ଚଯଜ୍ଞ ନ କରିବେ । । ୧୯୪
    ରାଜା ହୋଇବେ ଶୂଦ୍ରଜନେ । ପ୍ରଜା ପୀଡ଼ିବେ କର-ଧନେ । । ୧୯୫
    ଯେ ସ୍ୱାହା ସ୍ୱଧା ବଷଟ୍ କାର । ଛାଡ଼ି କରିବେ ଦୁରାଚାର । । ୧୯୬
    ଏ କର୍ମ ଦେଖି କଳ୍କୀ ରୂପେ । ଅଶ୍ୱ ଆରୋହି ମହାକୋପେ । । ୧୯୭
    ଖଡ଼୍ଗ ଉଭାରି ବେନିହସ୍ତେ । ଶେଷେ ସ୍ଥାପିବେ ଧର୍ମପଥେ । । ୧୯୮
    ସର୍ଜନେ ମୁହିଁ ଋଷି ନବ । ପ୍ରଜାପତିଏ ତପଭାବ । । ୧୯୯
    ସ୍ଥିତିରେ ଧର୍ମ ମନୁଗଣ । ଯଜ୍ଞସ୍ୱରୂପ ବିଷ୍ଣୁ ପଣ । । ୨୦୦
    ଅମରଗଣ ରାଜାଗଣ । ସଂହାରେ ଅଧର୍ମ କାରଣ । । ୨୦୧
    ଯେ ହର ହରେ ତିନିପୁର । ଉରଗ ଆଦି ଯେ ଅସୁର । । ୨୦୨
    ଅନନ୍ତ ଶକ୍ତି ଦାମୋଦର । ଏ ସର୍ବ ବିଭୂତି ତାହାର । । ୨୦୩
    ଯେଣୁ ସେ ମାୟାରୂପ ଧରେ । କଳ୍ପକଳ୍ପାନ୍ତେ ସୃଷ୍ଟି କରେ । । ୨୦୪
    ଯେ ବିଷ୍ଣୁ-ନାଭି-ଜାତ-ପାଦ । ଆବୋରି ଭୁବନ ଚଉଦ । । ୨୦୫
    ଯା ବେଗେ ପ୍ରକୃତି କମ୍ପିଲା । ନିଜ ବିକ୍ରମେ ଯେ ଧଇଲା । । ୨୦୬
    ସେ ବିଷ୍ଣୁ-ମହିମା ସଂସାରେ । କେ ଗଣି ସଂଖ୍ୟା କରିପାରେ । । ୨୦୭
    ଯେ କବି ଭୂମି ରେଣୁ ଗଣି । ସେ କି ପାରିବ ପରିମାଣି । । ୨୦୮
    ତାହାର ମାୟାବଳ ଗତି । ତା ଅନ୍ତ କେହି ନ ଜାଣନ୍ତି । । ୨୦୯
    ତୋର ଅଗ୍ରଜ ମୁନି ଶାନ୍ତ । ସେ କାହିଁ ଜାଣିବେ ତଦନ୍ତ । । ୨୧୦
    ବ୍ରହ୍ମା ଶଙ୍କର ନ ପ୍ରମାଣେ । ଅପରେ କେବା ତାହା ଜାଣେ । । ୨୧୧
    ବାସୁକି ଅୟୁତବଦନେ । ସମର୍ଥ ନୋହେ ଗୁଣଗାନେ । । ୨୧୨
    ଯାହାରେ ହରି ଦୟାକରେ । ସେ ଯେବେ ନିଷ୍କପଟେ ଧରେ । । ୨୧୩
    ଦୁସ୍ତର-ମାୟା ସେ ତରନ୍ତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି । । ୨୧୪
    ଶ୍ୱାନ-ଶୃଗାଳ-ଭକ୍ଷ ଦେହେ । ଏ ମୋର ବୋଲି ଜ୍ଞାନ ନୋହେ । । ୨୧୫
    ଏବେ ନାରଦ ଶୁଣ ଧୀରେ । ଯେବା ତରିଲେ ମାୟାଘୋରେ । । ୨୧୬
    ତା ମାୟା ଚିତ୍ତେ ଜାଣି ଭଲେ । ଯେ ଏ ସଂସାରୁ ତରିଗଲେ । । ୨୧୭
    ମୁହିଁ ଜାଣଇ ମାୟା ତାର । ତୁମ୍ଭେ ସନକାଦି ଶଙ୍କର । । ୨୧୮
    ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ । ମନୁ ଯେ କୁଟୁମ୍ବ ସହିତେ । । ୨୧୯
    ପ୍ରାଚୀନବାର୍ହି ଋଭୁ ଅଙ୍ଗ । ଧ୍ରୁବ ଈକ୍ଷ୍ୱାକୁ ମୁଚୁକୁନ୍ଦ । । ୨୨୦
    ବିଦେହ ସୌମ୍ୟସୁତ ଗାଧି । ରଘୁ ଅମ୍ବରୀଶ ସୁବୁଦ୍ଧି । । ୨୨୧
    ଗୟ ନହୁଷ ଆଦି ଯେତେ । ଶୁଣ ନାରଦ କହୁଁ ତୋତେ । । ୨୨୨
    ମାନ୍ଧାତାଳର୍କ ଶତଧନୁ । ରନ୍ତିଦେବ ଯେ ଗଙ୍ଗାସୂନୁ । । ୨୨୩
    ଅମୂର୍ତ୍ତରୟ ଯେ ସୌଭରି । ଦିଲୀପ ଉତ୍ତଙ୍କ ଯେ ବଳୀ । । ୨୨୪
    ଶିବି ଦେବଳ ପିପ୍ ପଲାଦ । ସାରସ୍ୱତ ସଙ୍ଗେ ଉଦ୍ଧବ । । ୨୨୫
    ଯେ ପରାଶର ଭୂରିଷେଣ । ରାବଣଭ୍ରାତ ହନୁମାନ । । ୨୨୬
    ଶୁକ ଯେ ଉପଇନ୍ଦ୍ର ଦତ୍ତ । ବିଦୁର ଆର୍ଷ୍ଟିଷେଣ ପାର୍ଥ । । ୨୨୭
    ବ୍ରାହ୍ମଣ ଶ୍ରୁତଦେବ ତୁଲେ । ବିଷ୍ଣୁମାୟାରୁ ତରିଗଲେ । । ୨୨୮
    ହୂଣ ଯବନ ଶୂଦ୍ର ସ୍ତିରୀ । ଶବର ତୁଲେ ଗଲେ ତରି । । ୨୨୯
    କୃଷ୍ଣର ରୂପେ ମନ ଯାର । କିବା କହିବା ଗତି ତାର । । ୨୩୦
    ଅଦ୍ଭୁତକର୍ମ ଯେ ତାହାର । ଯେ ଭାବେ ନାହିଁ ପରାପର । । ୨୩୧
    ତା ଭକ୍ତିଶିକ୍ଷା ଅଟେ ଯାର । ସେହୁ ତରନ୍ତି ମାୟାଘୋର । । ୨୩୨
    ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ । ପ୍ରବୋଧ ମାତ୍ର ଯାର ଦେହ । । ୨୩୩
    ସେ ଶୁଦ୍ଧ ସର୍ବଘଟେ ସମ । ରୂପ-ଅରୂପ ପରଧାମ । । ୨୩୪
    ଶବ୍ଦ ନ ପାରେ ଯାହା କହି । ଅନେକ କ୍ରିୟାଯୋଗ ବହି । । ୨୩୫
    ଯାର ସମ୍ମୁଖେ ଭଗବତୀ । ଲାଜେ ପଳାଇ ଶିରପୋତି । । ୨୩୬
    ଯେ ବ୍ରହ୍ମଜ୍ଞାନୀ ମୁନିଗଣେ । ଯାହା ସ୍ମରନ୍ତି ଅନୁକ୍ଷଣେ । । ୨୩୭
    ନିଜସ୍ୱରୂପ ତାର ଚିନ୍ତି । ପରମପୁରୁଷ ବୋଲାନ୍ତି । । ୨୩୮
    ଅଜରାମର ଯେ ବିଶୋକ । ନାହିଁ ଯାହାର ରୂପରେଖ । । ୨୩୯
    ଯାହାର ମନ ଦୃଢ଼ଚିେତ୍ତେ । କୃଷ୍ଣବିଷୟେ ଅବିରତେ । । ୨୪୦
    ଭାବି ଛାଡ଼ଇ ସର୍ବତାପ । ଇନ୍ଦ୍ର ନ ଖୋଳେ ଯେହ୍ନେ କୂପ । । ୨୪୧
    ସେ ହରି କଇବଲ୍ୟନାଥ । ଭାବ ସ୍ୱଭାବ ଏ ଜଗତ । । ୨୪୨
    କରାଏ ସର୍ବଦେହେ ବସି । ଶମାଦି ସ୍ୱଭାବ ପ୍ରକାଶି । । ୨୪୩
    ଦେହ-ବିଯୋଗ କାଳେ ଦେହୀ । ଗଗନପ୍ରାୟେ ଶୂନ୍ୟେ ରହି । । ୨୪୪
    ତେଣେ ତାହାର ସଙ୍ଗ ନାହିଁ । ଜନମ ମୃତ୍ୟୁ ତାର କାହିଁ । । ୨୪୫
    ହେ ପୁତ୍ର କହିଲି ମୁଁ ତୋତେ । ହରିମହିମା ଭାବି ଚିତ୍ତେ । । ୨୪୬
    ସତ ଅସତ ରୂପ ସେହି । ଅଶେଷ ମାୟାରୂପ ବହି । । ୨୪୭
    କରଇ ଆତ୍ମା ଖେଳାଲୀଳା । ତାର ଚରିତ ଭବଭେଳା । । ୨୪୮
    ଏ ଭାଗବତଧର୍ମ ଯେତେ । ଗୋବିନ୍ଦ କହିଥିଲେ ମୋତେ । । ୨୪୯
    ଏ ସର୍ବ ସଂଗ୍ରହର ମୂଳ । ଅଶେଷ ଧର୍ମ ଯଜ୍ଞଫଳ । । ୨୫୦
    ଲୀଳା ବିସ୍ତାରି କହ ମୁଖେ । ସୁଜନଜନଙ୍କର ସୁଖେ । । ୨୫୧
    ଯେମନ୍ତେ ପ୍ରାଣୀଙ୍କର ଚିତ୍ତେ । କୃଷ୍ଣବିଷୟ ଅବିରତେ । । ୨୫୨
    ଯେମନ୍ତେ ନାଶେ ଶୋକମୋହ । ଇତି ସଙ୍କଳ୍ପି ତାତ କହ । । ୨୫୩
    ବର୍ଣ୍ଣିଲି ଈଶ୍ୱରର ମାୟା । ଯେ ଶୁଣେ ତରେ ତାର କାୟା । । ୨୫୪
    ମାୟା ନ ଲାଗେ ତାର ଚିତ୍ତେ । ଯେ ମୁଖେ ଗୁଣେ ଅବିରତେ । । ୨୫୫
    ଏମନ୍ତ ଭାଗବତବାଣୀ । ନାରଦ ବ୍ରହ୍ମାମୁଖୁ ଶୁଣି । । ୨୫୬
    ମନଆନନ୍ଦେ କୃତକୃତ୍ୟ । କହଇ ଦାସ ଜଗନ୍ନାଥ । । ୨୫୭
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ବ୍ରହ୍ମାନାରଦସମ୍ୱାଦେ ସପ୍ତମୋଽଧ୍ୟାୟଃ ।।


    ଅଷ୍ଟମ ଅଧ୍ୟାୟ

    ଶୁକଚରଣେ ଦେଇ ଚିତ୍ତ । ଆନନ୍ଦେ ବୋଲେ ପରୀକ୍ଷିତ । । ୧

    ପରୀକ୍ଷିତ ଉବାଚ

    ନାରଦ ଆଗେ ବ୍ରହ୍ମା ଯେତେ । ବିଷ୍ଣୁମହିମା ଭାଗବତେ । । ୨
    କହିଲେ ଜନ ଉପକାରେ । ଯେ କଥା ଶୁଣି ପ୍ରାଣୀ ତରେ । । ୩
    ଯେ ସ୍ଥାନେ ଯାହାକୁ ଯେ ଭାବେ । ମୁନି କହିଲେ ହରିଭାବେ । । ୪
    ତାହା ଶ୍ରବଣେ ଇଚ୍ଛା ମୋର । ତୁମ୍ଭେ ତତ୍ତ୍ୱଜ୍ଞ ମଧ୍ୟେ ବର । । ୫
    ହରିମହିମା ଅଗୋଚର । ଶ୍ରବଣ-ମଙ୍ଗଳ-ଉଚ୍ଚାର । । ୬
    ସେ କଥା କହ ମୁନି ମୋତେ । ସେ ହରିଚରଣେ ଯେମନ୍ତେ । । ୭
    ନିଶ୍ଚଳେ ମନ କରି ସ୍ଥିର । ଯେମନ୍ତେ ଛାଡ଼ିବି ଶରୀର । । ୮
    ଶ୍ରଦ୍ଧାରେ ନିତ୍ୟେ ଯେବା ଶୁଣେ । ଯେ ହରିକଥା ମନେ ଗୁଣେ । । ୯
    ମଙ୍ଗଳ-ନାମ-ଉଚ୍ଚାରଣ । ତାର ହୃଦୟେ ତତକ୍ଷଣ । । ୧୦
    ଶ୍ରବଣମାର୍ଗେ ହରି ପଶେ । ହୃଦୟପଦ୍ମେ ସ୍ଥିରେ ବସେ । । ୧୧
    ସର୍ବ ଦୁରିତ ହେଳେ ନାଶେ । ଶରଦ ଯେହ୍ନେ ବୃଷ୍ଟିଶେଷେ । । ୧୨
    ଜଳୁ ହରଇ ମଳରାଶି । ସେ ଯେହ୍ନେ ନିର୍ମଳ ପ୍ରକାଶି । । ୧୩
    ନିର୍ମଳ ଆତ୍ମା ତାର ହୋଇ । ସେ କୃଷ୍ଣ-ପାଦମୂଳେ ଥାଇ । । ୧୪
    କେବେହେଁ ନୁହଇ ବାହାର । ମାୟା-ଭ୍ରମଣ ହୋଏ ଦୂର । । ୧୫
    ପଥିକ ପଥଶ୍ରମ ପାଇ । ସେ ଯେହ୍ନେ ନିଜଗୃହେ ଯାଇ । । ୧୬
    ଶ୍ରମ ପାଶୋରି ସୁଖେ ରହେ । ଗୃହସମ୍ପଦ-ଭୋଗେ ଦେହେ । । ୧୭
    ଅଧାତୁମନ୍ତ-ଆତ୍ମା ହୋଏ । ଧାତୁଘଟଣ ଦେହ ବହେ । । ୧୮
    ଜାଣୁ ତୁ କହ ଏ କେମନ୍ତେ । କି ବା ଏ କାଳକ୍ରମ ମତେ । । ୧୯
    ଯାର ଉଦରୁ ପଦ୍ମ ହୋଇ । ଲୋକ-ସଂସ୍ଥାନ ପ୍ରକାଶଇ । । ୨୦
    ଯା ରୂପ ନ ଜାଣନ୍ତି କେହି । ପ୍ରକାଶେ ଅବୟବ-ଦେହୀ । । ୨୧
    ସେ ଯେବେ ଅବୟବୀ ହୋଇ । ଜୀବ ଈଶ୍ୱର ଭେଦ କାହିଁ । । ୨୨
    ସ୍ୱଭାବେ ତାର ଜନ୍ମ ନାହିଁ । ଆତ୍ମାରୁ ପ୍ରାଣୀଙ୍କି ସୃଜଇ । । ୨୩
    ବ୍ରହ୍ମା ଯେ ଭୂତଆତ୍ମା ହୋଏ । ସେ ପୁଣି ଯାର ଅନୁଗ୍ରହେବ । । ୨୪
    ନାଭିକମଳୁ ହୋଇ ଜାତ । ତାହାକୁ ଦେଖେ ରୂପବନ୍ତ । । ୨୫
    କାଳର ବଳେ ସେ ପୁରୁଷ । କରଇ ସୃଷ୍ଟି-ସ୍ଥିତି-ନାଶ । । ୨୬
    ସକଳଭୂତେ ଯାର ବାସ । ସେ ଯେଉଁ ରୂପେଣ ପ୍ରକାଶ । । ୨୭
    ଏ ଲୋକ ଲୋକପାଳ ସଙ୍ଗେ । ସର୍ବକଳ୍ପିତ ତାର ଅଙ୍ଗେ । । ୨୮
    ଏ ଯେତେ ଚତୁŸର୍ଦ୍ଦଶ ପୁର । କଳ୍ପନା କରି ଅଙ୍ଗ ତାର । । ୨୯
    ଏ ଭାବେ ଶୁଣିଲି ଯେ ମୁହିଁ । ଏବେ ତୁମ୍ଭଙ୍କୁ ପଚାରଇ । । ୩୦
    କଳ୍ପ-ବିକଳ୍ପ ଯଥାକାଳେ । ସେ ବ୍ରହ୍ମ କରେ ଅବହେଳେ । । ୩୧
    ସୃଷ୍ଟି-ପାଳଣ-ସଂହାରଣ । ଭୂତ-ଭବିଷ୍ୟ-ବର୍ତ୍ତମାନ । । ୩୨
    କାଳର ଠାରୁ ଏ ଯେମନ୍ତେ । ଆୟୁ ପ୍ରମାଣ କାର କେତେ । । ୩୩
    କାଳର ଯେବା ଅନୁଗତି । ଅଳ୍ପ ବହୁତ ସଂଖ୍ୟା ସ୍ଥିତି । । ୩୪
    କର୍ମର ଗତି ଅବା ଯେତେ । ଯେ ହେତୁ ପ୍ରକାଶ ଯେମନ୍ତେ । । ୩୫
    ଗୁଣଙ୍କ ପରିଣାମେ କେବା । ଦେବାଦି-ରୂପ ଇଚ୍ଛେ ଯେବା । । ୩୬
    କି କର୍ମ କରି ଯହିଁ ତହିଁ । କି ଭାବେ ଜୀବ ତା ଭୁଞ୍ଜଇ । । ୩୭
    ଭୂମି ପାତାଳ ଦଶଦିଶ । ଯେ ରୂପେ ସମ୍ଭବେ ଆକାଶ । । ୩୮
    ଗ୍ରହ ନକ୍ଷତ୍ର ମହୀଧର । ନଦୀ ସମୁଦ୍ର ଦ୍ୱୀପପାର । । ୩୯
    ଏଥି ଆଶ୍ରିତ ଜନ୍ତୁ ଯେତେ । ବ୍ରହ୍ମା ପ୍ରମାଣ ବା କେତେ । । ୪୦
    ବାହ୍ୟ ଅନ୍ତରେ ବସ୍ତୁ ଯେତେ । ସଂକ୍ଷେପି କହ ମୋ ଅଗ୍ରତେ । । ୪୧
    ମହାନ୍ତଜନ-ଆଚରଣ । ଯେ ବର୍ଣ୍ଣବିଭାଗ ଆଶ୍ରମ । । ୪୨
    ଏ ଅଣ୍ତକୋଷ ମଧ୍ୟଗତେ । ବିଷ୍ଣୁର ଅବତାର ଯେତେ । । ୪୩
    ଯୁଗାନୁଯୁଗେ ଯୁଗମାନ । ଯେ ଯୁଗେ ଯେବା ଧର୍ମଜ୍ଞାନ । । ୪୪
    ମନୁଷ୍ୟ ସାଧାରଣଧର୍ମ । ଯେବା ବିଶେଷ ଯଥାକ୍ରମ । । ୪୫
    ବ୍ରହ୍ମଋଷିଙ୍କ ଧର୍ମ ଆଦି । ଯା ରାଜଋଷି ଏ ସମ୍ପାଦି । । ୪୬
    ଆପଦେ ଧର୍ମ ପ୍ରାଣୀଙ୍କର । ଏ ସର୍ବ କହ ମୁନିବର । । ୪୭
    ସଂଖ୍ୟା-ଲକ୍ଷଣ ତତ୍ତ୍ୱଙ୍କର । କି ରୂପେ ହେତୁ କେ କାହାର । । ୪୮
    ପୁରୁଷ-ଆରାଧନା-ବିଧି । ଅଷ୍ଟାଙ୍ଗଯୋଗ ଯେହ୍ନେ ସାଧି । । ୪୯
    ଯୋଗେଶ୍ୱରଙ୍କ ଗତି ଯେତେ । ଲିଙ୍ଗଭଗନ ମୋକ୍ଷପଥେ । । ୫୦
    ଯେ ଧର୍ମ ବେଦ-ଉପବେଦେ । ପୁରାଣ-ଇତିହାସବାଦେ । । ୫୧
    ସର୍ବଭୂତଙ୍କ ଯେ ସମ୍ଭବ । ବିକ୍ରମ ସଙ୍କ୍ରମ ପ୍ରସ୍ତାବ । । ୫୨
    ଯେ ଇଷ୍ଟ ବଇଦିକର୍ମ । ଯେ ଅବା ସ୍ମାର୍ତ୍ତକର୍ମ -ଧର୍ମ । । ୫୩
    ଯେ ବିଧିଯଜ୍ଞ ଜଳଦାନେ । ଯେ କର୍ମ ତ୍ରିବର୍ଗସାଧନେ । । ୫୪
    ଯେ ରୂପେ ଜୀବ ସମ୍ଭବନ୍ତି । ଯେ ରୂପେ ପାଷାଣ୍ତ ହୁଅନ୍ତି । । ୫୫
    ଆତ୍ମାର ବନ୍ଧ-ମୋକ୍ଷ ଦୁଇ । ଯେବା ସ୍ୱରୂପେ ଯେହ୍ନେ ହୋଇ । । ୫୬
    ସେ ଆତ୍ମତନ୍ତ୍ର ଭାବଗ୍ରାହୀ । ଆତ୍ମମାୟାରେ ସେ କ୍ରୀଡ଼ଇ । । ୫୭
    ସେ ମାୟା ବିସର୍ଜି ଯେମନ୍ତେ । ପ୍ରଳୟେ ରହେ ସାକ୍ଷୀମତେ । । ୫୮
    ଭୋ ମୁନି ପଚାରିଲି ଯେତେ । ସଂକ୍ଷେପି କହିବାକ ମୋତେ । । ୫୯
    ତୁ ଯେ ବ୍ରହ୍ମାର ସମ ମୁନି । ଏ ବିଶ୍ୱସଂସାର ପ୍ରମାଣି । । ୬୦
    ପୁଣ୍ୟପୁରୁଷେ ଯାହା ଚିନ୍ତି । ଅପରେ ଯାହା ଆଚରନ୍ତି । । ୬୧
    ଆହାରହୀନେ ମୋର ପ୍ରାଣ । କେବେହେଁ ନୋହିବ ମଳିନ । । ୬୨
    ତୁମ୍ଭ ବଚନୁ ହରିରସ । ପିବନ୍ତେ ମନ ହେବ ତୋଷ । । ୬୩
    ସୂତ କହନ୍ତି ଅନୁରାଗେ । ଶୌନକଆଦି ମୁନି ଆଗେ । । ୬୪

    ସୂତ ଉବାଚ

    ଏମନ୍ତେ ପରୀକ୍ଷିତବାଣୀ । ହରଷେ ଶୁକମୁନି ଶୁଣି । । ୬୫
    ମୁନିଜନଙ୍କ ସମାମଧ୍ୟେ । ଯେ ଅବା କହିଲେ ଆନନ୍ଦେ । । ୬୬
    ସେ ଭାଗବତ ହରିଗୁଣ । ବ୍ରହ୍ମସମ୍ମତ ଯେ ପୁରାଣ । । ୬୭
    ଯେ କଥା ବ୍ରହ୍ମାର ଅଗ୍ରତେ । ସେ ବ୍ରହ୍ମକଳ୍ପ-ଉପଗତେ । । ୬୮
    ଏକାନ୍ତେ କହିଲେ ମୁରାରି । ବିଶ୍ୱସଂସାରେ ଦୟାକରି । । ୬୯
    ପାଣ୍ତବଶ୍ରେଷ୍ଠ ପରୀକ୍ଷିତ । ଯେ ପ୍ରଶ୍ନ କଲେକ ଉକତ । । ୭୦
    ସେ କଥା ଆଦି ମଧ୍ୟ ଅନ୍ତେ । କହିବି ତୁମ୍ଭର ଅଗ୍ରତେ । । ୭୧
    ବୋଲଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ । । ୭୨
    ଅମୃତ-ରସମୟ-ଗୀତେ । ସୁଜନଜନଙ୍କର ହିତେ । । ୭୩
    ପ୍ରାକୃତବନ୍ଧେ ଗୀତବାଣୀ । ଶୁଣି ସଂସାରୁ ତର ପ୍ରାଣୀ । । ୭୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ପ୍ରଶ୍ନବିଧିର୍ନାମାଷ୍ଟମୋଽଧ୍ୟାୟଃ ।।

    ନବମ ଅଧ୍ୟାୟ

    ଶୁକ କହନ୍ତି ରାଜା ଆଗେ । ତାର ପ୍ରଶନେ ଅନୁରାଗେ । । ୧

    ଶୁକ ଉବାଚ

    ଶୁଣ ନୃପତି ପୁଣ୍ୟଦେହା । ତୁ ମୋତେ ପଚାରିଲୁ ଯାହା । । ୨
    ବିଷ୍ଣୁର କ୍ରୀଡ଼ା ମାୟାଗୁଣ । ସୃଷ୍ଟି-ପାଳନ-ସଂହାରଣ । । ୩
    ଆତ୍ମମାୟାରେ ସୃଷ୍ଟିକରେ । ସେ ମାୟା କେବା କଳିପାରେ । । ୪
    କରଇ ସକଳ ସମ୍ଭବ । ସ୍ୱପ୍ନେ ଯେସନେ ଅନୁଭବ । । ୫
    ଏହା ଈଶ୍ୱର-ମାୟା ବିନେ । ନ ଘଟେ ତତ୍ତ୍ୱ ଅନୁମାନେ । । ୬
    ଯେବେ ସେ ମାୟାରେ ମିଶଇ । ଏକୁ ଅନେକ ପ୍ରକାଶଇ । । ୭
    ସ୍ୱଭାବେ ମାୟା ବହୁରୂପୀ । ରୂପ ପ୍ରକାଶେ ସର୍ବବ୍ୟାପୀ । । ୮
    ସେ ରୂପେ ଥାଇ ସର୍ବଗୁଣେ । ମୁହିଁ ମୋହର ପ୍ରାୟେ ମଣେ । । ୯
    ଯେବେ ସେ ଭକ୍ତିଯୋଗ କରେ । ତେବେ ମମତା ପରିହରେ । । ୧୦
    ସତ୍ୟ ପ୍ରକାଶେ ଯେବେ ଦେହେ । ନିଶ୍ଚିନ୍ତେ ଆତ୍ମାରୂପେ ରହେ । । ୧୧
    କାଳ ମାୟାର ପରେ ରହି । ପର ଆପଣା ଭେଦ କାହିଁ । । ୧୨
    ମାୟାକୁ ରମେ ସତ୍ୟ ପ୍ରାୟେ । ସତ୍ୟ ଅସତ୍ୟେ ଭେଦ ନୋହେ । । ୧୩
    ଆତ୍ମାର ତତ୍ତ୍ୱଶୁଦ୍ଧି ଅର୍ଥେ । କହିଲେ ବ୍ରହ୍ମାର ଅଗ୍ରତେ । । ୧୪
    ଯେଣୁ ସେ ଘୋରତପ କରି । ଅନେକ କଷ୍ଟେ ପ୍ରାଣ ଧରି । । ୧୫
    ତପେ ତୋଷିଲା ଭଗବାନ । ତେଣୁ ପାଇଲା ଦରଶନ । । ୧୬
    ନିର୍ମଳ ନିଷ୍କପଟ ଚିତ୍ତେ । ଯେଣୁ ଚିନ୍ତିଲା ହୃଦଗତେ । । ୧୭
    ଶୁଣ କହିବା ତୋ ଅଗ୍ରତେ । ବ୍ରହ୍ମାଙ୍କୁ ଦିଶିଲା ଯେମନ୍ତେ । । ୧୮
    ସେ ଆଦି-ଦେବଗଣ-ଗୁରୁ । ଭକତ-ବାଞ୍ଛା-କଳ୍ପତରୁ । । ୧୯
    ନିଜ ଭୁବନେ ସୁଖେ ଥିଲା । ଖେଳିବା ଅର୍ଥେ ବିଚାରିଲା । । ୨୦
    ଆତ୍ମାରେ ଆତ୍ମା ମାୟାଗ୍ରସ୍ତ । ପ୍ରପଞ୍ଚ ନିର୍ମାଣ ଯେମନ୍ତ । । ୨୧
    ନାଭିରୁ ପଦ୍ମ କଲା ଜାତ । ତହୁଁ ଜନ୍ମିଲା ଚତୁର୍ମାଥ । । ୨୨
    ସେ ପୁଣି ଚିନ୍ତାଭରେ ରହି । ପର ଅପର ନ ଜାଣଇ । । ୨୩
    ସୃଷ୍ଟି ବିଷୟ କି ପ୍ରକାର । ମନେ ଚିନ୍ତଇ ବେଦବର । । ୨୪
    ଚିନ୍ତା ବିକଳେ ଭାବେ ମନେ । ଶବଦ ଶୁଭିଲା ଗଗନେ । । ୨୫
    ଜଳେ କମଳମଧ୍ୟେ ଥିଲା । ବେନି ଅକ୍ଷର ସେ ଶୁଣିଲା । । ୨୬
    କ କାର ଆଦି ଯେ ଷୋଡ଼ଶେ । ପଞ୍ଚ ମିଶ୍ରିତ ଏକବିଂଶେ । । ୨୭
    ଶବଦେ ତପ ଉଚ୍ଚାରଣ । ନିଷ୍କିଞ୍ଚନଙ୍କ ନିଜଧନ । । ୨୮
    ସେ ବାଣୀ ଶୁଣି ବ୍ରହ୍ମା କର୍ଣ୍ଣେ । ନିରୋପି ଚାହିଁଲା ଗଗନେ । । ୨୯
    ଶୂନ୍ୟେ କି ସୁଧା ଉଛୁଳିଲା । କିବା ଅମୃତ ବରଷିଲା । । ୩୦
    ଦିଗ ସହିତେ ଅନାଇଲା । କାହିଁ ସେ କିଛି ନ ଦେଖିଲା । । ୩୧
    ସେ ପୁଣି ରହି ନିଜସ୍ଥାନେ । ଆତ୍ମାର ହିତ ଚିନ୍ତି ମନେ । । ୩୨
    ଜାଣିଲା ଏ ପରମତତ୍ତ୍ୱ । ତପ ସାଧନେ ଦେଲା ଚିତ୍ତ । । ୩୩
    ଏ ମୋର ହିତ ବୋଲି ଜାଣି । ନିଶ୍ଚଳ ମନେ କୁଶପାଣି । । ୩୪
    ଅମୋଘ-ଦୃଷ୍ଟି ସେ ବିଧାତା । ତପେ ବଢ଼ିଲା ତାର ଚିନ୍ତା । । ୩୫
    ଦେବବରଷେ ଦଶଶତ । ତପେ ବସିଲା ଦୃଢ଼ ଚିତ୍ତ । । ୩୬
    ମନ ପବନ କଲା ବନ୍ଦି । ଦଶଇନ୍ଦ୍ରିୟଗଣ ରୁନ୍ଧି । । ୩୭
    ତପସ୍ୟା କଲା ଅତିରେକ । ଯହୁଁ ପ୍ରକାଶ ସର୍ବଲୋକ । । ୩୮
    ତପ ପ୍ରସାଦେ ନରହରି । ମିଳିଲେ ନିଜରୂପ ଧରି । । ୩୯
    ସ୍ୱଲୋକ ସ୍ୱଗଣ ସହିତେ । ଦିଶିଲେ ବ୍ରହ୍ମାର ଅଗ୍ରତେ । । ୪୦
    ସେ ରୂପ ନ ଜାଣନ୍ତି କେହି । ମାୟା-ସଂସାରେ ଦେହ ବହି । । ୪୧
    ବିଷ୍ଣୁ ପ୍ରସନ୍ନେ ପ୍ରଜାପତି । ଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି । । ୪୨
    ଶୂନ୍ୟେ ବିଜୟେ ଶଙ୍ଖଧାରୀ । ଅଶେଷ ଦେବେ ସ୍ତୁତି କରି । । ୪୩
    ଯାର ଶରୀରେ ରଜ-ତମେ । ପଶି ନ ପାରନ୍ତି ସଂଭ୍ରମେ । । ୪୪
    ଯେ ଅବା କାଳର ବିକ୍ରମ । ସେ ବା ହୋଇବ କାହିଁ କ୍ଷମ । । ୪୫
    ମାୟା ନ ପାରେ ପଶି ଯହିଁ । ରାଗ-ଲୋଭାଦି ଭେଦ କାହିଁ । । ୪୬
    ବିମାନ ମଧ୍ୟେ ନାରାୟଣ । ବେଷ୍ଟିତ ପାରିଷଦଗଣ । । ୪୭
    ସର୍ବେ ଦିଶନ୍ତି ବିଷ୍ଣୁତେଜ । ସ୍ୱଭାବେ ଚାରି ଚାରି ଭୁଜ । । ୪୮
    ଶ୍ୟାମସୁନ୍ଦର ତନୁ ବର୍ଣ୍ଣ । ଅରୁଣ-ପଙ୍କଜ-ଲୋଚନ । । ୪୯
    ପୀତବସନ ପରିଧାନ । ସୁରୁଚି ସୁନ୍ଦର ବଦନ । । ୫୦
    ମଣି ପଦକ କଣ୍ଠ ଦେଶେ । କାମ-ଗଞ୍ଜନ ନିଜ ବେଶେ । । ୫୧
    ପ୍ରବାଳ ବଇଦୁର୍ଯ୍ୟ କାନ୍ତି । ମୃଣାଳ ପ୍ରାୟ ଝଟକନ୍ତି । । ୫୨
    କିରୀଟ ଖଞ୍ଜିତ କପୋଳ । ଶ୍ରବଣେ ମକର-କୁଣ୍ତଳ । । ୫୩
    ତେଜେ ବିରାଜେ ନଭସ୍ଥଳୀ । ବିମାନ ପରେ ସର୍ବେ ମିଳି । । ୫୪
    ଦିବ୍ୟ କାମିନୀଗଣ ସଙ୍ଗେ । ବିଜୁଳି ଯେହ୍ନେ କଳାମେଘେ । । ୫୫
    ଅଷ୍ଟବିଭୂତି ସଙ୍ଗ ମେଳେ । କମଳା ସେବେ ପାଦ ତଳେ । । ୫୬
    ଦିବ୍ୟ ଦୋଳିକା ମଧ୍ୟେ ନାରୀ । ପୁଷ୍ପ ବରଷି ସ୍ତୁତି କରି । । ୫୭
    ହରିର ପ୍ରିୟ କର୍ମମାନ । ଭ୍ରମରେ କରନ୍ତି ଗାୟନ । । ୫୮
    ଏମନ୍ତେ ବିଷ୍ଣୁ ନଭସ୍ଥଳେ । ବ୍ରହ୍ମା ଦେଖିଲେ ନିଜ ଡୋଳେ । । ୫୯
    ଯାହାର ନାମ ଶିରୀପତି । ଭକତଜନଙ୍କର ପତି । । ୬୦
    କମଳାପତି ଯଜ୍ଞପତି । ଜଗତପତି ସର୍ବଗତି । । ୬୧
    ସୁନନ୍ଦ-ନନ୍ଦ ଆଦି ଯେତେ । ପୂଜା ଉଚିତ ବଳି ହସ୍ତେ । । ୬୨
    ପୂଜନ୍ତି କିଙ୍କର ସ୍ୱଭାବେ । ମିଳି ସଂଭ୍ରମେ ସର୍ବଦେବେ । । ୬୩
    ଭୃତ୍ୟଙ୍କୁ ପ୍ରସନ୍ନ-ବଦନ । ଅରୁଣ-ପଙ୍କଜ-ଲୋଚନ । । ୬୪
    କିରୀଟ କୁଣ୍ତଳ ବିରାଜେ । ପୀତବସନ କଟିମାଝେ । । ୬୫
    ଶ୍ରୀବତ୍ସ› ଚିହ୍ନ ହୃଦେ ଶୋହେ । ରୂପେ ଅଶେଷଜନ ମୋହେ । । ୬୬
    ଅମୂଲ୍ୟ-ସିଂହାସନେ ସ୍ଥିତି । ବେଷ୍ଟିତ ପଞ୍ଚବିଂଶ-ଶକ୍ତି । । ୬୭
    ସ୍ୱଭାବେ ଅଇଶ୍ୱର୍ଯ୍ୟମୟ । ଇତରଜନେ ଅନିଶ୍ଚୟ । । ୬୮
    ସ୍ୱଧାମେ ସ୍ୱରୂପେ ରମନ୍ତି । ଏଣୁ ସେ ଈଶ୍ୱର ବୋଲାନ୍ତି । । ୬୯
    ଏମନ୍ତ ରୂପ ବ୍ରହ୍ମା ଦେଖି । ଉଠିଲେ ଆସନ ଉପେକ୍ଷି । । ୭୦
    କୃଷ୍ଣ-ଦର୍ଶନ ଆହାଲାଦ । ଅନ୍ତରେ ହୋଇ ଗଦଗଦ । । ୭୧
    ଲୋମ ହରଷେ ତନୁ ପୂର୍ଣ୍ଣ । ପ୍ରେମାଶ୍ରୁ ଗଳଇ ଲୋଚନ । । ୭୨
    ଶ୍ରୀକୃଷ୍ଣ-ପାଦପଦ୍ମ ଚାହିଁ । ନମିଲା ଶିରେ କର ଦେଇ । । ୭୩
    ଆନନ୍ଦସାଗରେ ବୁଡ଼ିଲା । ଅଧିକେ ଆତ୍ମା ପାଶୋରିଲା । । ୭୪
    ଅତି ଆନନ୍ଦେ ପ୍ରେମ ସୁଖେ । ସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ । । ୭୫
    ପ୍ରଜା-ସର୍ଜନେ ତାର ମନ । ଜାଣିଲେ ପ୍ରଭୁ ଭଗବାନ । । ୭୬
    ବ୍ରହ୍ମା-ବଦନ ହରି ଚାହିଁ । ଈଷିତ-ହାସ୍ୟେ ବାକ୍ୟ କହି । । ୭୭
    ଆତ୍ମାର ପ୍ରିୟ ପ୍ରାୟ କରି । ବ୍ରହ୍ମାର କର କରେ ଧରି । । ୭୮

    ଭଗବାନ ଉବାଚ

    ହେ ବେଦଗର୍ଭ ସୃଷ୍ଟିଅର୍ଥେ । ତୁମ୍ଭେ ଯେ ତୋଷ କଲ ମୋତେ । । ୭୯
    ଅତି ଦୁସ୍ତର ଘୋରତପେ । ତେଣୁ ମୁଁ ତୋହର ସମୀପେ । । ୮୦
    ସ୍ୱଭାବେ ଯୋଗୀଙ୍କୁ ଦୁର୍ଲଭ । ତୋତେ ମୁଁ ହୋଇଲି ସୁଲଭ । । ୮୧
    ସର୍ବମଙ୍ଗଳ ହେଉ ତୋର । ଦୃଢ଼ଚିତ୍ତରେ ମାଗ ବର । । ୮୨
    ମୋହର ଦରଶନ ଯେବେ । ପ୍ରାଣୀ ଲଭଇ ପୁଣ୍ୟଭାବେ । । ୮୩
    ତାହାର ଶ୍ରେୟ ପରିଶ୍ରମ । ଅନ୍ତରେ ହୋଏ ଆତ୍ମାରାମ । । ୮୪
    ଗଗନେ ଶୁଣି ମୋ ବଚନ । ତୁ ଯେ ତପରେ କଲୁ ମନ । । ୮୫
    କର୍ମ ବିଭ୍ରମ ଦେଖି ତୋତେ । ମୁଁ ଯେ ଡାକିଲି ଶୂନ୍ୟପଥେ । । ୮୬
    ବୋଇଲି ଦୃଢ଼େ ତପ କର । ମୁଁ ତୋତେ ହୋଇବି ଗୋଚର । । ୮୭
    ମୋର ହୃଦୟ ତପ ଜାଣ । ତପ ମୋ ଆତ୍ମାଟି ପ୍ରମାଣ । । ୮୮
    ତପେ ମୁଁ ସୃଷ୍ଟି କଲି ହେଳେ । ଅନ୍ତେ ସଂହରେ ତପବଳେ । । ୮୯
    ତପର ବଳେ ଏ ଜଗତ । ମୁହିଁ ପାଳଇ ଅବିରତ । । ୯୦
    ଏମନ୍ତେ ବିଷ୍ଣୁ ମୁଖୁ ଶୁଣି । ବିଧାତା କହେ ସ୍ତୁତିବାଣୀ । । ୯୧

    ବ୍ରହ୍ମା ଉବାଚ

    ହେ ନାରାୟଣ ଭୂତେଶ୍ୱର । ପ୍ରାଣୀ ହୃଦୟେ ତୁମ୍ଭ ଘର । । ୯୨
    ହୃଦୟପଦ୍ମ ମଧ୍ୟେ ଥାଉ । ପ୍ରାଣୀଙ୍କି ଉପଦେଶ ଦେଉ । । ୯୩
    ଏଣୁ ମୋହର ମନ ଜାଣି । ଯେ ଜ୍ଞାନ ଦେଲ ଚକ୍ରପାଣି । । ୯୪
    ଅନାଥନାଥ ତୋ ମହିମା । କେ ଜାଣିପାରେ ଗୁଣସୀମା । । ୯୫
    ମୁଁ ତୋର ଚରଣେ କିଙ୍କର । ଏମନ୍ତ ଆଜ୍ଞା ମୋତେ କର । । ୯୬
    ରୂପ ଅରୂପ ତୋର ଯେତେ । ଏ ସୃଷ୍ଟି କରୁ ତୁ ଯେମନ୍ତେ । । ୯୭
    ଯେ ମାୟାଯୋଗେ ସୃଷ୍ଟି କରୁ । ନାନାପ୍ରକାରେ ଶକ୍ତି ଧରୁ । । ୯୮
    ଏ ସୃଷ୍ଟି-ସ୍ଥିତି-ସଂହାରଣ । ଯେମନ୍ତେ ହେଉ ତୁ କାରଣ । । ୯୯
    ସ୍ୱତନ୍ତ୍ର-ସୂତ୍ରେ ଊର୍ଣ୍ଣନାଭି । କ୍ରୀଡ଼ଇ ଯେହ୍ନେ ମନେ ଭାବି । । ୧୦୦
    ତେମନ୍ତ ବୁଦ୍ଧି ଦିଅ ମୋତେ । ଏ ସୃଷ୍ଟି କରଇ ଯେମନ୍ତେ । । ୧୦୧
    ସୃଷ୍ଟି-ସଂକଳ୍ପେ ମୋର ଇଚ୍ଛା । ତୁ ନାଥ କହ ସୃଷ୍ଟି-ଦୀକ୍ଷା । । ୧୦୨
    ତୁମ୍ଭର ଶିକ୍ଷା ଘେନି ଚିତ୍ତେ । ସୃଷ୍ଟି କରିବି ଅବିରତେ । । ୧୦୩
    ସୃଷ୍ଟି କରଣେ ଭଗବାନ । କେବେହେଁ ନାହିଁ ମୋର ଜ୍ଞାନ । । ୧୦୪
    ତୋ ଅନୁଗ୍ରହ ଯେବେ ମୋତେ । ତୁ ନାଥ ବସ ମୋର ଚିତ୍ତେ । । ୧୦୫
    ହେ ହରି ସଖାପ୍ରାୟ କରି । ତୁ ଯେ ମୋହର କର ଧରି । । ୧୦୬
    ସେ ଅହଂକାର ମୋର ମନେ । ନୋହିବ ହେବ ତୋ ଅର୍ଚ୍ଚନେ । । ୧୦୭
    ଯାବତ ପ୍ରଜାସର୍ଗେ ଜନ । କରିବି ଉତ୍ତମ ମଧ୍ୟମ । । ୧୦୮
    ମୁଁ ଅଜ ସ୍ୱତନ୍ତ୍ର ମୋ ଭାବ । ଏମନ୍ତ ନୋହିବ ମୋ ଗର୍ବ । । ୧୦୯
    ଏମନ୍ତ ବ୍ରହ୍ମାର ବଚନ । ଶୁଣି କହନ୍ତି ଭଗବାନ । । ୧୧୦

    ଭଗବାନ ଉବାଚ

    ଶୁଣ ବିଧାତା ମୋ ବଚନ । ଯେଣେ ଲଭିବୁ ସୃଷ୍ଟି-ଜ୍ଞାନ । । ୧୧୧
    ଯେ ଭକ୍ତିଯୋଗ ମୋ ସମ୍ମତ । ଅଟଇ ଅତ୍ୟନ୍ତ ଗୁପତ । । ୧୧୨
    ସୃଷ୍ଟି ସର୍ଜନା ଅଙ୍ଗ ଯେତେ । ହରଷେ କହୁଁ ତୋ ଅଗ୍ରତେ । । ୧୧୩
    ଯେମନ୍ତ ସ୍ୱରୂପ ମୋ ହୋଇ । ସ୍ୱଭାବେ ରୂପ ଗୁଣ ଯେହି । । ୧୧୪
    ଯେ କର୍ମମାନ ମୁହିଁ ବହେ । ସେ ତତ୍ତ୍ୱବିଜ୍ଞାନ ତୋ ଦେହେ । । ୧୧୫
    ପ୍ରସରୁ ମୋର ଅନୁଗ୍ରହେ । ଜଗତ ଯେହ୍ନେ ମୋର ଦେହେ । । ୧୧୬
    ସୃଷ୍ଟିର ଅଗ୍ରେ ମୁହିଁ ଏକ । ମୋ ତହୁଁ ପ୍ରସରେ ଅନେକ । । ୧୧୭
    ସତ ଅସତ ପର ମୁହିଁ । ଯେ ଅବଶେଷ ଶେଷ ରହି । । ୧୧୮
    ଏଣୁ ଏ ଆଦି ମଧ୍ୟ ଅନ୍ତେ । ମୋ ତହୁଁ ଅନ୍ୟ କେ ଜଗତେ । । ୧୧୯
    ଅର୍ଥକୁ ଛାଡ଼ି ଯାର ବଶେ । ପ୍ରତୀତ ହୁଅଇ ଆଭାସେ । । ୧୨୦
    ମାୟା ପ୍ରକାଶେ ସେ ପ୍ରମାଣେ । ଗଗନେ ଯେହ୍ନେ ଜ୍ୟୋତିର୍ଗଣେ । । ୧୨୧
    ଯେମନ୍ତେ ସ୍ଥୂଳ ସୂକ୍ଷ୍ମ ଭୂତେ । ପ୍ରବେଶ ପଞ୍ଚ-ମହାଭୂତେ । । ୧୨୨
    ଛାଡ଼ି ପଶନ୍ତି ପୁଣ ପୁଣ । ମୁଁ ମାୟା ଶରୀରେ ତେସନ । । ୧୨୩
    ଆତ୍ମା ସର୍ବଦା ସର୍ବଠାବେ । ଅନ୍ୱୟ-ବ୍ୟତିରେକ ଭାବେ । । ୧୨୪
    ଏହା ଜାଣନ୍ତି ତତ୍ତ୍ୱଜ୍ଞାନୀ । ମାୟାସଂସାରେ ଅନୁମାନି । । ୧୨୫
    ତୋର ପ୍ରସ୍ତାବେ ପ୍ରଜାପତି । କହିଲି ସୃଷ୍ଟି ଯଥାଗତି । । ୧୨୬
    ଯେଝା ବିଚାର ଅନୁମାନେ । ଯେ ସର୍ବକାଳ ବିଦ୍ୟମାନେ । । ୧୨୭
    ଏ ମୋର ତତ୍ତ୍ୱଜ୍ଞାନ ବଳେ । ଧର ତୁ ସମାଧି ନିଶ୍ଚଳେ । । ୧୨୮
    କଳ୍ପ ବିକଳ୍ପେ ତୋର ଚିତ୍ । କେବେହେଁ ନୋହୁ ବିମୋହିତ । । ୧୨୯

    ଶୁକ ଉବାଚ

    ଏ ରୂପେ ପ୍ରଭୁ ଭାବଗ୍ରାହୀ । ବ୍ରହ୍ମାକୁ ସୃଷ୍ଟିତତ୍ତ୍ୱ କହି । । ୧୩୦
    ତକ୍ଷଣେ ବ୍ରହ୍ମାର ଅଗ୍ରତେ । ଗୋବିନ୍ଦ ଗଲେ ଶୂନ୍ୟପଥେ । । ୧୩୧
    କୃଷ୍ଣ ନ ଦେଖି ପ୍ରଜାପତି । ଅନେକମତେ କଲା ସ୍ତୁତି । । ୧୩୨
    କରଅଞ୍ଜଳି ଶିରେ ଦେଇ । ଅନେକଭାବେ ଭାବ ବହି । । ୧୩୩
    ବିଶ୍ୱ ସର୍ଜିଲା ବିଷ୍ଣୁ ତେଜେ । ପୂର୍ବର ପ୍ରାୟ ନାନା ବୀର୍ଯ୍ୟେ । । ୧୩୪
    ସେ ପ୍ରଜାପତି ଧର୍ମପତି । ଯମ ନିୟମେ ଦେଲା ମତି । । ୧୩୫
    ପ୍ରଜା କଲ୍ୟାଣ ଚିନ୍ତାକରି । ଆତ୍ମାର ହିତ ମନେ ଧରି । । ୧୩୬
    ବ୍ରହ୍ମାର ସମାଧି ନିଶ୍ଚଳ । ଦେଖି ନାରଦ ମୁନିବର । । ୧୩୭
    ପୁତ୍ରଙ୍କ ମଧ୍ୟେ ପ୍ରିୟତମ । ବିନୟେ ସେବାରେ ସେ ପୁଣ । । ୧୩୮
    ବ୍ରହ୍ମାର ମନ ତୋଷ କଲେ । ବିଷ୍ଣୁର ମାୟା ଜାଣିବାରେ । । ୧୩୯
    ପିତାର ମନ ତୋଷ ଜାଣି । ବିନୟଭାବେ ମୁନିମଣି । । ୧୪୦
    ପୁଚ୍ଛିଲେ ପିତାର ଅଗ୍ରତେ । ତୁ ଯାହା ପଚାରିଲୁ ମୋତେ । । ୧୪୧
    ନାରଦ ବାକ୍ୟେ ବେଦବର । ହରି-ମହିମା ଅଗୋଚର । । ୧୪୨
    ଯେତେ କହିଲେ ସୃଷ୍ଟି ଅର୍ଥେ । ମାୟାର ମହିମା ଯେମନ୍ତେ । । ୧୪୩
    ଜାଣିବା ଅର୍ଥେ ମହାମୁନି । କହି ବିଧାତା ହେଲେ ତୁନି । । ୧୪୪
    ବ୍ରହ୍ମା-ନାରଦ ପ୍ରଶ୍ନ ଯେତେ । କହିଲି ତୋହର ଅଗ୍ରତେ । । ୧୪୫
    ରାଜନ ସାବଧାନେ ଶୁଣ । ଏ ଭାଗବତର ପ୍ରମାଣ । । ୧୪୬
    ଦଶଲକ୍ଷଣେ ଏହା ଜାଣି । ଯେବା କହିଲେ ପରିମାଣି । । ୧୪୭
    ଏ କଥା ସରସ୍ୱତୀତଟେ । ନାରଦ ବ୍ୟାସଙ୍କ ନିକଟେ । । ୧୪୮
    ଏବେ ମୁଁ ତୋହର ଅଗ୍ରତେ । କହିଲି ପଚାରିଲୁ ଯେତେ । । ୧୪୯
    ଏମନ୍ତେ ପରୀକ୍ଷିତ ମେଳେ । ଶୁକ କହିଲେ ଗଙ୍ଗାକୂଳେ । । ୧୫୦
    ଦଶଲକ୍ଷଣେ ଭାଗବତ । କହଇ ଦାସ ଜଗନ୍ନାଥ । । ୧୫୧
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ନବମୋଽଧ୍ୟାୟଃ ।।

    ଦଶମ ଅଧ୍ୟାୟ

    ଶୁକ ଉବାଚ

    ମୁନି କହନ୍ତି ରାୟେ ଶୁଣ । ଏ ଭାଗବତର ଲକ୍ଷଣ । । ୧
    ଦଶପ୍ରକାରେ ଭାବ ଚିନ୍ତି । ପୁରାଣ-ପୁରୁଷେ ବୋଲାନ୍ତି । । ୨
    ତାହା କହିବା ଏକେ ଏକେ । ପ୍ରସ୍ତାବେ ତୋହର ସମ୍ମୁଖେ । । ୩
    ସର୍ଗ ବିସର୍ଗ ଯେବା ସ୍ଥାନ । ପୋଷଣ ଉତି ପରିମାଣ । । ୪
    ଯେ ମନ୍ୱନ୍ତର ଈଶକଥା । ନିରୋଧ ମୁକ୍ତିର ବ୍ୟବସ୍ଥା । । ୫
    ଆଶ୍ରୟ ମିଶି ଦଶଗୁଣ । ଏ ଭାଗବତର ଲକ୍ଷଣ । । ୬
    ଦଶ ବିଶୁଦ୍ଧ ଅର୍ଥେ ରହେ । ନବ ଲକ୍ଷଣ ଯେବା ହୋଏ । । ୭
    ବେଦ ବିଚାରି ମହାଜନେ । ତତ୍ତ୍ୱ କହନ୍ତି ଅନୁମାନେ । । ୮
    ଦଶଇନ୍ଦ୍ରିୟ ପଞ୍ଚମାତ୍ର । ମହତ ତୁଲେ ପଞ୍ଚଭୂତ । । ୯
    ତାହାଙ୍କ ଜନ୍ମ ସର୍ଗ କହି । ବିସର୍ଗ ଶୁଣ ଚିତ୍ତ ଦେଇ । । ୧୦
    ବିରାଟ-ପୁରୁଷର ଦେହେ । ବ୍ରହ୍ମା ସର୍ଜନା ଯେତେ ହୋଏ । । ୧୧
    ପୌରୁଷ ଚରାଚର ଯେତେ । ବିସର୍ଗ ବୋଲନ୍ତିଟି ଏତେ । । ୧୨
    ବିଷ୍ଣୁ ବିଜୟ ସ୍ଥିତି ନାମ । ଭକ୍ତାନୁଗ୍ରହ ଯେ ପୋଷଣ । । ୧୩
    ମନ୍ୱନ୍ତର ଯେ ମନୁ ଧର୍ମ । କର୍ମବାସନା ଉତି ନାମ । । ୧୪
    ବିଷ୍ଣୁ ଅବତାର ଚରିତ । ତାର ଭକ୍ତଙ୍କ ଯେ ଭକତ । । ୧୫
    କୃଷ୍ଣର କଥା ଅନୁବାଦେ । ଉତ୍ତମ ପୁରୁଷଙ୍କ ମଧ୍ୟେ । । ୧୬
    ଈଶାନୁକଥା ଏହା କହି । ଅପରେ ଶୁଣ ମନ ଦେଇ । । ୧୭
    ସଂହରି ଆତ୍ମାର ଶକତି । ଜଳେ ଶୟନ ଯୋଗପତି । । ୧୮
    ନିରୋଧ ବୋଲି ତାର ନାମ । ନିଜ ସ୍ୱଭାବେ ପୂର୍ଣ୍ଣକାମ । । ୧୯
    ମୁକ୍ତି ସ୍ୱରୂପେ ବ୍ୟବସ୍ଥିତି । ଯହିଁ ନ ଘଟେ ପୁନର୍ଗତି । । ୨୦
    ଆଭାସ ନିରୋଧ ଏ ଦୁଇ । ଯା ଠାରୁ ପ୍ରକାଶ ହୁଅଇ । । ୨୧
    ଆଶ୍ରୟ ନାମ ସେ ବୋଲାଇ । ପରମ ବ୍ରହ୍ମ ଯାକୁ କହି । । ୨୨
    ସେ ପରମାତ୍ମା ନରହରି । ଅଂଶେ ଅଶେଷଘଟେ ପୂରି । । ୨୩
    ତାର ସକାଶୁ ଜୀବ ଏକ । ତେଣୁ ବୋଲାଇ ଆଧ୍ୟାତ୍ମିକ । । ୨୪
    ସେ ଅଧିଦେବତା ବୋଲାଇ । ଅଧିଭୂତଙ୍କ ଆତ୍ମା ସେହି । । ୨୫
    ଯେ ବେନି ବିଚ୍ଛେଦ କରଇ । ତାହାକୁ ଅଧିଭୂତ କହି । । ୨୬
    ଅଭାବେ ଏକ ଏକତର । ଯଦି ନ ଲକ୍ଷେ ପରସ୍ପର । । ୨୭
    ତେବେ ଏ ନୁହଁଇ ସଂସାର । ଯେମନ୍ତେ ଚକ୍ଷୁ ଦିନକର । । ୨୮
    ତୃତୀୟେ ସାକ୍ଷୀରୂପ ହୋଇ । ଯେ ଦେଖେ ପରଆତ୍ମା ସେହି । । ୨୯
    ଅନ୍ୟ ଆଶ୍ରୟ ସେ ହୁଅଇ । ତାର ଆଶ୍ରୟ ଅଟେ ସେହି । । ୩୦
    ସର୍ବଆଶ୍ରୟ ତାର ନାମ । ପରମ ପୁରୁଷ ଉତ୍ତମ । । ୩୧
    ସେ ଯେଉଁ କାଳେ ଅଣ୍ତଭେଦି । ବାହାର ହେଲା ଗୁଣନିଧି । । ୩୨
    ଆତ୍ମାର ସ୍ଥାନ ଇଚ୍ଛା କରି । ସ୍ୱଭାବେ ଜଳସୃଷ୍ଟି କରି । । ୩୩
    ସେ ଜଳ ମଧ୍ୟେ ମାୟାଧର । ବଞ୍ଚିଲା ସହସ୍ରବତ୍ସର । । ୩୪
    ଜଳର ‘ନାରା’ ବୋଲି ନାମ । ତେଣୁ ତା ନାମ ନାରାୟଣ । । ୩୫
    ଯେ ଦ୍ରବ୍ୟ ଗୁଣ କର୍ମ କାଳ । ସ୍ୱଭାବେ ଜୀବ ଏକମେଳ । । ୩୬
    ଯା ଅନୁଗ୍ରହେ ଉପୁଜନ୍ତି । ଯାର ନିଗ୍ରହେ ଲୀନ ହୋନ୍ତି । । ୩୭
    ଯେ ଯୋଗମାୟା ବଳେ ଉଠି । ଅଂଶେ କଳ୍ପଇ ନାନାସୃଷ୍ଟି । । ୩୮
    ସୁବର୍ଣ୍ଣମୟ ତା ଶରୀର । ସର୍ଜିଲା ତ୍ରିବିଧ ପ୍ରକାର । । ୩୯
    ଆଧିଦୈବତ ଆଧ୍ୟାତ୍ମିକ । ଆବର ଆଧିଭଉତିକ । । ୪୦
    ଗୁଣ ପୌରୁଷ ବୀର୍ଯ୍ୟବଳେ । ଯଥା ତ୍ରିବିଧି ଭେଦ ହେଲେ । । ୪୧
    ଅନ୍ତଃଶରୀର ଆକାଶରୁ । ପରମପୁରୁଷ ଚେଷ୍ଟାରୁ । । ୪୨
    ସ୍ୱଭାବେ ଓଜ-ସହ-ବଳ । ଜାତ ହୋଇଲେ ଅନର୍ଗଳ । । ୪୩
    ଏ ତିନିଭାବୁ ପ୍ରାଣ ଜାତ । ଦଶପ୍ରାଣଙ୍କ ମୂଳନାଥ । । ୪୪
    ତାହାର ବଳେ ପ୍ରାଣ ଚଳେ । ଇନ୍ଦ୍ରିୟ ଚେଷ୍ଟାକୁ ସେ କରେ । । ୪୫
    ଜ୍ଞାନ ଅଜ୍ଞାନ ଏହିମତେ । ଅଶେଷଜନ ଅନ୍ତର୍ଗତେ । । ୪୬
    ରାଜାକୁ ଯେହ୍ନେ ଆଶ୍ରେ କରି । ସେବକେ ପଥ ଅନୁସରି । । ୪୭
    ମୂଳକମଳୁ ଏହି ମତେ । ସଞ୍ରୁ ବ୍ରହ୍ମରନ୍ଧ୍ରପଥେ । । ୪୮
    ପ୍ରାଣର ଆତଯାତ ଶ୍ରମେ । ଉପୁଜେ କ୍ଷୁଧାତୃଷା ସମେ । । ୪୯
    କ୍ଷୁଧାତୃଷାର ମାର୍ଗ ସୁଖ । ଅର୍ଥେ ସୃଜିଲା ଅଗ୍ରେ ମୁଖ । । ୫୦
    ମୁଖର ମୂଳେ ତାଳୁ ଜାତ । ସଂଯୋଗେ ରସନା ସମ୍ଭୂତ । । ୫୧
    ତାର ସଂଯୋଗେ ନାନାରସେ । ବସନ୍ତି ବରୁଣ ବିଶ୍ୱାସେ । । ୫୨
    ଶବଦ ଅର୍ଥେ ମୁଖଦ୍ୱାରେ । ଅଗ୍ନିଦେବତା ବାକ୍ୟ ଧରେ । । ୫୩
    ସୁଚିରକାଳ ଥାଇ ଜଳେ । ନାସାବିମ୍ବର ବାୟୁବଳେ । । ୫୪
    ଆଘ୍ରାଣ ଅର୍ଥେ ଉପୁଜିଲେ । ତକ୍ଷଣେ ଗନ୍ଧବହ ତୁଲେ । । ୫୫
    ଆତ୍ମାର ଦେଖି ଅନ୍ଧକାର । ବ୍ରହ୍ମା ସୃଜିଲା ଚକ୍ଷୁଦ୍ୱାର । । ୫୬
    ଜ୍ୟୋତି ସର୍ଜିଲା ତା ରକ୍ଷଣେ । ରୂପ-ଗ୍ରହଣ ଇଚ୍ଛି ମନେ । । ୫୭
    ବେଦପୁରୁଷଙ୍କ ବଚନେ । ବିଧାତା ବେଦ ଅନୁମାନେ । । ୫୮
    ଶୁଣିବା ଅର୍ଥେ ନାନାସ୍ୱନ । ନିର୍ମଳେ ପ୍ରକାଶିଲା କର୍ଣ୍ଣ । । ୫୯
    ଦିଗ-ଦେବତାଙ୍କ ରକ୍ଷଣେ । ପ୍ରକାଶେ ଯେ ବାମେ ଦକ୍ଷିଣେ । । ୬୦
    ବସ୍ତୁର କୋମଳ କଠିନ । ଲଘୁ କି ଅବା ଗୁରୁ ଗୁଣ । । ୬୧
    ଶୀତଳ ଉଷ୍ମ ଯେଣେ ଜାଣି । ପବନ ଯୋଗେ ପରିମାଣି । । ୬୨
    ସେ ଚର୍ମଇନ୍ଦ୍ରିଗୁଣେ ଭଜି । ଉପରେ ବହେ ରୋମରାଜି । । ୬୩
    ଅଶେଷକର୍ମ କରିବାରେ । ପ୍ରକାଶ ହୃଦୟ ଉପରେ । । ୬୪
    ବାମ ଦକ୍ଷିଣ ବେନିକର । ଯହିଁ ରକ୍ଷକ ସୁନାସୀର । । ୬୫
    ଦାନ ଆଦାନ କର୍ମ ଆଦି । ଅର୍ଥେ ସର୍ଜିଲା ବେଦବାଦୀ । । ୬୬
    ସୁଗମଗତି ଚିନ୍ତି ପୁଣ । ବିଧାତା ସର୍ଜିଲା ଚରଣ । । ୬୭
    ସେ ବାମ-ଦକ୍ଷିଣ-ପଦର । ରକ୍ଷକ ହେଲେ ଯଜ୍ଞେଶ୍ୱର । । ୬୮
    ସମସ୍ତ ହବ୍ୟ-କବ୍ୟ-ବିଧି । ଚରଣଯୁଗ ବଳେ ସାଧି । । ୬୯
    ବେନିଚରଣ ମୂଳଦେଶେ । ଆନନ୍ଦେ ଶିଶ୍ନ ପରକାଶେ । । ୭୦
    ସନ୍ତାନ-ଉତ୍ପତ୍ତି କାରଣେ । ରକ୍ଷକ ପ୍ରଜାପତିଗଣେ । । ୭୧
    ଉଭୟ ଆନନ୍ଦର ଦ୍ୱାର । ଅନଙ୍ଗତୁଲେ ନିଶାକର । । ୭୨
    ଉତ୍ସର୍ଗ ଅର୍ଥେ ବେଦବର । ତପେ ସୃଜିଲା ମଳଦ୍ୱାର । । ୭୩
    ମିତ୍ର-ଦେବତାର ବିଷୟ । ଉଭୟ ଉତ୍ସର୍ଗ-ଆଶ୍ରୟ । । ୭୪
    ଦେହରୁ ଦେହାନ୍ତର ଗତି । ଇଚ୍ଛାରୁ ନାଭି ଉତପତ୍ତି । । ୭୫
    ନାଭିରେ ପ୍ରାଣ ଯେ ଅପାନ । ବିଯୋଗେ ହୁଅଇ ମରଣ । । ୭୬
    ଅନ୍ନ ଭୋଜନ ପାନ ସଧେ । ନାଡ଼ି ସୃଜିଲା କୁକ୍ଷିମଧ୍ୟେ । । ୭୭
    ନାଡ଼ୀରେ ନଦୀ ତୃଷା ବସେ । ଅନ୍ତ୍ରେ ସମୁଦ୍ର ରହେ ଗ୍ରାସେ । । ୭୮
    ଉଭୟ ନିମିତ୍ତ ଏ ଦୁଇ । ଯେ ତୁଷ୍ଟି ପୁଷ୍ଟି ନାମ ବହି । । ୭୯
    ଆତ୍ମମାୟାକୁ ଚିନ୍ତା କରି । ସତ୍ତ୍ବେ ହୃଦୟ ରୂପ ଧରି । । ୮୦
    କାମ ସଙ୍କଳ୍ପ ଚନ୍ଦ୍ର ମନ । ହୃଦୟ ଏହାଙ୍କର ସ୍ଥାନ । । ୮୧
    ହୃଦୟ ଆବୋରିବା ଆଶେ । ଅସ୍ଥି ସର୍ଜିଲା ପୃଷ୍ଠଦେଶେ । । ୮୨
    ଅସ୍ଥି ଭିତରେ ମଜ୍ଜା କଲା । ଉପରେ ମେଦ ଭିଆଇଲା । । ୮୩
    ତାର ଉପରେ ମାଂସ ଧରି । ରୁଧିର ଆବରଣ କରି । । ୮୪
    ତାର ଉପରେ ଚର୍ମ-ରୋମ । ମଜ୍ଜାର ମଧ୍ୟେ ରହେ ବ୍ୟୋମ । । ୮୫
    ଏମନ୍ତ କରି ସପ୍ତଧାତୁ । ପ୍ରାଣୀଜୀବନ ମୂଳହେତୁ । । ୮୬
    ବାସ୍ତରି ସହସ୍ତ ଯେ ନାଡ଼ୀ । ହୃଦକମଳ ମଧ୍ୟେ ବେଢ଼ି । । ୮୭
    ପ୍ରାଣ ରହଇ ତାଙ୍କ ମଧ୍ୟେ । ଅନ୍ତରେ ରସ-ମୂଳ ଭେଦେ । । ୮୮
    ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ । ଭୂତାଦି ପ୍ରଭବ ଯେ ଗୁଣ । । ୮୯
    କଳ୍ପିତ ଅହଙ୍କାରେ ପୁଣ । ସର୍ବବିକାର ଆତ୍ମା ମନ । । ୯୦
    ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ । ଯେଣେ ସଂସାରମାୟା ଜିଣି । । ୯୧
    ଅବନୀ ଉଦକ ଅନଳ । ପବନ ଆକାଶ ମଣ୍ତଳ । । ୯୨
    ଏ ପଞ୍ଚଭୂତ କଳେବର । ବିଷ୍ଣୁର ଭଜନ-ମନ୍ଦିର । । ୯୩
    ଏମନ୍ତେ କହିଲି ମୁଁ ତୋତେ । ବିଷ୍ଣୁର ସ୍ଥୂଳରୂପ ଯେତେ । । ୯୪
    ଏ ଜୀବ ବ୍ରହ୍ମାଣ୍ତ-ଧାରଣେ । ବେଷ୍ଟିତ ଅଷ୍ଟ-ଆବରଣେ । । ୯୫
    ପୃଥିବୀ ଆଦି ପଞ୍ଚଭୂତ । ମନ ଅହଙ୍କାର ମହତ । । ୯୬
    ଏ ଅଷ୍ଟଗୁଣେ ଆବରଣ । ଏମନ୍ତେ ବ୍ରହ୍ମାଣ୍ତ-ଘଟଣ । । ୯୭
    ଏ ସ୍ଥୂଳରୂପ ଯେ ତାହାର । ଏହା ଉପରେ ସୂକ୍ଷ୍ମତର । । ୯୮
    ସେ ନିର୍ବିକାର ନିରଞ୍ଜନ । ଅନାଦି-ମଧ୍ୟମ-ନିଧନ । । ୯୯
    ସେ ଶୂନ୍ୟମଧ୍ୟେ ନିରାକାର । ମନ-ବଚନ-ଅଗୋଚର । । ୧୦୦
    ଏ ସ୍ଥୂଳ-ସୂକ୍ଷ୍ମ ରୂପ ଧରି । ଖେଳଇ ଆତ୍ମମାୟା କରି । । ୧୦୧
    ପଣ୍ତିତେ ନ ମାନନ୍ତି ଏହା । ସୃଷ୍ଟି-ସଂକଳ୍ପ ବିଷ୍ଣୁମାୟା । । ୧୦୨
    ବାଚ୍ୟ-ବାଚକ ରୂପ ଧରି । ସେ ବ୍ରହ୍ମରୂପୀ ଅବତରି । । ୧୦୩
    ସେ ରୂପ ନାମ କ୍ରିୟା ଧାତୁ । ଅକର୍ମା ହୋଇ କର୍ମହେତୁ । । ୧୦୪
    ସର୍ବସଙ୍କଳ୍ପ କ୍ରିୟା ଅର୍ଥେ । ଶୁଣ କହିବା ଆର ଯେତେ । । ୧୦୫
    ଆତ୍ମାକୁ ଭିନ୍ନଭିନ୍ନ କରି । ସେ ପ୍ରଜାପତି ରୂପ ଧରି । । ୧୦୬
    ମନୁଙ୍କୁ ସର୍ଜିଲା ସେ ହେଳେ । ଋଷି ଦେବତା ପିତୃମେଳେ । । ୧୦୭
    ସିଦ୍ଧ ଚାରଣ ବିଦ୍ୟାଧର । ଗନ୍ଧର୍ବ ଗୁହ୍ୟକ ଅସୁର । । ୧୦୮
    କିନ୍ନର ଅପସରା ଗଣ । ନାଗ କିଂପୁରୁଷ ଯେ ପୁଣ । । ୧୦୯
    ଯକ୍ଷ ଉରଗ ମାତୃଗଣ । ପିଶାଚ ଭୂତ ପ୍ରେତମାନ । । ୧୧୦
    କୁଷ୍ମାଣ୍ତଗଣ ବିନାୟକ । ଉନ୍ମାଦ ବେତାଳ ଯେତେକ । । ୧୧୧
    ଯେ ଯାତୁଧାନ ସରୀସୃପ । ଗ୍ରହ ମୃଗାଦି ଖଗ ରୂପ । । ୧୧୨
    ବୃକ୍ଷ ପର୍ବତ ପଶୁଗଣ । ଏ ରୂପେ କଲେକ ସର୍ଜନ । । ୧୧୩
    ଦ୍ୱିବିଧ ଚତୁର୍ବିଧ ଗଣେ । ଜଳେ ବା ସ୍ଥଳେ ବା ଗଗନେ । । ୧୧୪
    ମିଶ୍ର କୁଶଳ ଅକୁଶଳ । ତିନି ପ୍ରକାରେ କର୍ମଫଳ । । ୧୧୫
    ଏତେ ପ୍ରକାରେ କର୍ମଗତି । ଆତ୍ମାର ବଳେ ସେ ସର୍ଜନ୍ତି । । ୧୧୬
    ଗୁଣ ପ୍ରଭେଦେ ତିନିଲୋକ । ଦେବ ଅସୁର ନରଲୋକ । । ୧୧୭
    ସତ୍ତ୍ବଗୁଣରୁ ଦେବ ହୋଇ । ମନୁଷ୍ୟ ରଜଗୁଣ ବହି । । ୧୧୮
    ତମଗୁଣରୁ ଅଧୋଗତି । ପାପିଷ୍ଠେ ଯହିଁ ବିଶ୍ରାମନ୍ତି । । ୧୧୯
    ସେ ତିନିଲୋକେ ତିନିଗତି । ଭାବେ ସୃଜିଲା ପ୍ରଜାପତି । । ୧୨୦
    ସେ ଗୁଣ ଚିତ୍ରପ୍ରାୟ ହୋଇ । ସ୍ୱଭାବେ ଭିନ୍ନଭିନ୍ନ ଦେହୀ । । ୧୨୧
    ଏକ ଆରକେ ନ ଗଣିଲେ । ନିଶ୍ଚଳେ ରହି ନ ପାରିଲେ । । ୧୨୨
    ତା ଦେଖି ପ୍ରଭୁ ନରହରି । ତକ୍ଷଣେ ଧର୍ମରୂପ ଧରି । । ୧୨୩
    ବିଶ୍ୱକୁ ପାଳିବାର ଅର୍ଥେ । ଦେବ ମନୁଷ୍ୟ ପଶୁ ଯେତେ । । ୧୨୪
    ଏ ତିନିରୂପେ ଭଗବାନ । ରକ୍ଷା-ପୋଷଣେ କରି ସ୍ଥାନ । । ୧୨୫
    ସୁଖ ସମ୍ପଦ ଭୋଗ ଦେଇ । ଯେ ବିଧି ସଂସାରେ ବଢ଼ାଇ । । ୧୨୬
    ସୃଷ୍ଟିର ଭୋଗଅନ୍ତେ ହରି । କାଳାଗ୍ନି-ରୁଦ୍ରରୂପ ଧରି । । ୧୨୭
    ଆତ୍ମାର କ୍ରୀଡ଼ା ନାଶ କରେ । ବାଳକ ଯେସନେ ବେଭାରେ । । ୧୨୮
    ସର୍ବ ହରଇ ଅବସାନେ । ଜୀମୂତ ଯେସନ ପବନେ । । ୧୨୯
    ଏ ଭାବେ ହରିଗୁଣ ଯେତେ । ଦେବେ ଚିନ୍ତିବେ କାହିଁ ଚିତ୍ତେ । । ୧୩୦
    କେବଳ ଭାବେ ତାଙ୍କୁ ଜାଣି । ଶ୍ରୁତିବଚନେ ତା ପ୍ରମାଣି । । ୧୩୧
    ସୃଷ୍ଟିର ଜନ୍ମ ଆଦିକାଳେ । ଯେ କର୍ମସାଧେ ଯୋଗବଳେ । । ୧୩୨
    ସ୍ୱଭାବେ କର୍ମ ଯାର ନାହିଁ । ମାୟାରେ ବିଶ୍ୱ ପ୍ରକାଶଇ । । ୧୩୩
    ଏ ବ୍ରହ୍ମକଳ୍ପିତ ସଂସାର । ବିକଳ୍ପ ନାମଟି ଏହାର । । ୧୩୪
    ଏ ନିତ୍ୟ ସାଧାରଣ ବିଧି । ଯେ ପୂର୍ବକଳ୍ପରୁ ପ୍ରସିଦ୍ଧି । । ୧୩୫
    ପ୍ରାକୃତ ବୈକୃତ ସଂସାର । ମହତ-ସ୍ଥାନର ସଞ୍ଚାର । । ୧୩୬
    ସଂକ୍ଷେପେ କହିଲଇଁ ତୋତେ । ତୁ ଯାହା ପଚାରିଲୁ ମୋତେ । । ୧୩୭
    ଯେ କଳ୍ପ-ଲକ୍ଷଣ ଯେ ନାମ । ଯେ ବା କାଳର ପରିମାଣ । । ୧୩୮
    ଭାବେ କହିବି କଳ୍ପଗୁଣ । ରାଜନ ସାବଧାନେ ଶୁଣ । । ୧୩୯
    ଶୌନକ ଆଦି ମୁନିଗଣ । ସୂତଙ୍କୁ ପଚାରନ୍ତି ପୁଣ । । ୧୪୦

    ଶୌନକ ଉବାଚ

    ହେ ସୂତ ତୁମ୍ଭେ ଆମ୍ଭଆଗେ । ଯାହା କହିଲ ଆତ୍ମମାର୍ଗେ । । ୧୪୧
    ଦୁର୍ଯ୍ୟୋଧନର ଦୁଷ୍ଟବାଣୀ । ବିଦୁର ସଭାମଧ୍ୟେ ଶୁଣି । । ୧୪୨
    କୁଟୁମ୍ବ ଆଶା ଦୂରକରି । ତୀର୍ଥସେବନ ମନେ ଧରି । । ୧୪୩
    ପୃଥିବୀ କଲା ପର୍ଯ୍ୟଟନ । ବୁଲି ପର୍ବତ ଘୋରବନ । । ୧୪୪
    କୈବଲ୍ୟ ଲାଭେ ଇଚ୍ଛାକଲା । ଅନେକ ତୀର୍ଥ ସେ ଭ୍ରମିଲା । । ୧୪୫
    ମୈତ୍ରେୟ ମୁନି ସଙ୍ଗେ ତାର । କାହିଁ ହୋଇଲା ଏକସ୍ୱର । । ୧୪୬
    ବ୍ରହ୍ମସମ୍ବାଦ ବେନିଜନେ । କରି ବଞ୍ଚିଲେ କେଉଁସ୍ଥାନେ । । ୧୪୭
    ବିଦୁର ପଚାରିଲେ ଯେତେ । ମୈତ୍ରେୟ ବୋଧିଲେ ଯେମନ୍ତେ । । ୧୪୮
    ସେ ବନ୍ଧୁତ୍ୟାଗୀ କି ନିମନ୍ତେ । ପୁଣି ମିଳିଲେ ଇନ୍ଦ୍ରପ୍ରସ୍ଥେ । । ୧୪୯
    ହେ ସୂତ କହ ସର୍ବକଥା । ଯେଣେ ଛାଡ଼ିବ ଭବବ୍ୟଥା । । ୧୫୦
    ପଦ୍ମକଳ୍ପର କଥା କହ । ଯେଣେ ନ ଲାଗେ ଭବମୋହ । । ୧୫୧
    ଶୌନକ ପ୍ରଶ୍ନ ସୂତ ଶୁଣି । କହନ୍ତି ଶୁଣ ମହାମୁନି । । ୧୫୨

    ସୂତ ଉବାଚ

    ଯେ ପ୍ରଶ୍ନ କଲ ତୁମ୍ଭେ ମୋତେ । ଏ ପ୍ରଶ୍ନ ଶୁକଙ୍କ ଅଗ୍ରତେ । । ୧୫୩
    ପୁଚ୍ଛିଲେ ରାଜା ପରୀକ୍ଷିତ । ମୈତ୍ରେୟ-ବିଦୁର ଚରିତ । । ୧୫୪
    ପରୀକ୍ଷ-ବାକ୍ୟ ଚିତ୍ତେ ଘେନି । ଯାହା କହିଲେ ଶୁକମୁନି । । ୧୫୫
    ସେ ପ୍ରଶ୍ନ ଅନୁସାରେ ଯେତେ । ଶୁଣ କହିବା ଭାଗବତେ । । ୧୫୬
    ସୂତ-ଶଉନକ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୧୫୭
    ଦ୍ୱିତୀୟସ୍କନ୍ଧେ ଭାଗବତ । ଅମୃତ-ରସମୟ-ଗୀତ । । ୧୫୮
    ସୁଜନଜନଙ୍କର ହିତ । କହିଲା ଦାସ ଜଗନ୍ନାଥ । । ୧୫୯
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ
    ଦ୍ୱିତୀୟସ୍କନ୍ଧେ ଅଷ୍ଟାଦଶସାହସ୍ର୍ୟାଂ ସଂହିତାୟାଂ ପୁରୁଷସଂସ୍ଥାନୁବର୍ଣ୍ଣନଂ ନାମ ଦଶମୋଽଧ୍ୟାୟଃ ।।


    ତୃତୀୟ ସ୍କନ୍ଧ

    ପ୍ରଥମ ଅଧ୍ୟାୟ

    ଶୌନକ ଆଦି ମୁନିଜନେ । ଆନନ୍ଦେ ସୂତ ସନ୍ନିଧାନେ । । ୧
    ବିଦୁର କଥା ମନେ ଚିନ୍ତି । ବିଶ୍ୱାସଭାବେ ପଚାରନ୍ତି । । ୨

    ଶୌନକ ଉବାଚ

    ହେ ସୂତ ତୁମ୍ଭର ବଚନ । ଶୁଣି ସନ୍ତୋଷ ଆମ୍ଭମନ । । ୩
    ମହାତ୍ମା ବିଦୁରର ବାଣୀ । ଆମ୍ଭେ ତୁମ୍ଭର ମୁଖୁଁ ଶୁଣି । । ୪
    ହେଳେ ଛାଡ଼ିବୁ ଭବବ୍ୟଥା । ବିସ୍ତାରି କହ ତାର କଥା । । ୫
    ସର୍ବସମ୍ପଦ ଛାଡ଼ି ବନେ । କିପାଁ ପଶିଲା ଦୁଃଖ ମନେ । । ୬
    ଅନେକତୀର୍ଥେ ଦେଇ ମନ । ପୃଥିବୀ କଲା ପର୍ଯ୍ୟଟନ । । ୭
    ମୈତ୍ରେୟ ମୁନି ସଙ୍ଗେ ତାର । ଏକାନ୍ତେ ଅଧ୍ୟାତ୍ମ-ବିଚାର । । ୮
    କାହିଁ ବା ନଦୀ-ତୀର ବନେ । ସାନନ୍ଦେ ବସି ବେନିଜନେ । । ୯
    ସନ୍ତୋଷେ ବିଦୁରର ଆଗେ । ମୈତ୍ରେୟ ମୁନି ଅନୁରାଗେ । । ୧୦
    କହିଲେ ତତ୍ତ୍ୱସାର ବାଣୀ । ଯା ଶୁଣି ଭବୁ ତରେ ପ୍ରାଣୀ । । ୧୧
    ସେ କଥା କହ ମୁନିବର । ବିଦୁର ବିଷ୍ଣୁ ଭକ୍ତସାର । । ୧୨
    ସେ ବନ୍ଧୁତ୍ୟାଗୀ କିବା ଅର୍ଥେ । ପୁଣି ମିଳିଲା ଇନ୍ଦ୍ରପ୍ରସ୍ଥେ । । ୧୩
    ଏମନ୍ତ ମୁନିଙ୍କର ବାଣୀ । ସୂତ ସନ୍ତୋଷମନେ ଶୁଣି । । ୧୪
    କହନ୍ତି ଶୌନକଙ୍କ ଆଗେ । କୃଷ୍ଣର ଭାବ ଅନୁରାଗେ । । ୧୫

    ସୂତ ଉବାଚ

    ଶୁଣ ହେ ମୁନିଗଣ ତୋଷେ । ଏ କଥା ଶୁକମୁନି ପାଶେ । । ୧୬
    ଆନନ୍ଦେ ଅଭିମନ୍ୟୁ-ସୁତ । ପୁଚ୍ଛିଲା ବିଦୁରଚରିତ । । ୧୭
    ସେ ମୁନି କହିଲେ ଯେମନ୍ତେ । ସେ କଥା ଶୁଣ ଏକଚିତ୍ତେ । । ୧୮

    ଶୁକ ଉବାଚ

    ଶୁକ ବୋଲନ୍ତି ଭାବଭରି । ଶୁଣ ପରୀକ୍ଷ ଦଣ୍ଡଧାରୀ । । ୧୯
    ସେ ଧୃତରାଷ୍ଟ୍ର ଯେତେବେଳେ । ନିଷ୍ଠୁର ହୀନ ବୁଦ୍ଧିବଳେ । । ୨୦
    ଅଧର୍ମେ ଧନ ସେ ସଞ୍ଚଇ । ନିଜ ସୁତଙ୍କୁ ଭୋଗ ଦେଇ । । ୨୧
    ପଣ୍ତୁସୁତଙ୍କୁ ଦେଖେ ଭିନ୍ନେ । ନିନ୍ଦଇ ନିଷ୍ଠୁର-ବଚନେ । । ୨୨
    ବାଳକେ ପିତୃହୀନ ହୋଇ । ମାତାର ସଙ୍ଗେ ଦୁଃଖ ସହି । । ୨୩
    ହସ୍ତିନାପୁରେ ତା’ଙ୍କ ଘରେ । ବଞ୍ଚନ୍ତି ଅତି ଅବେଭାରେ । । ୨୪
    ତାହାଙ୍କ ମରଣ ଇଚ୍ଛଇ । ଭୀମକୁ ବିଷଲଡ଼ୁ ଦେଇ । । ୨୫
    ଜତୁର ଘରେ ଅଗ୍ନି ଦେଲା । ସେବେଳେ ଗୋବିନ୍ଦ ରଖିଲା । । ୨୬
    ପୁଣି ସଭାର ତଳେ ଆଣି । ପଞ୍ଚପାଣ୍ତବଙ୍କ ରମଣୀ । । ୨୭
    କେଶ ଆକର୍ଷି ବାହୁବଳେ । ବିବସ୍ତ୍ର କଲେ ସଭାତଳେ । । ୨୮
    କୁଚ କୁଙ୍କୁମ ବହେ ଉରେ । ଅଧୋବଦନ ଅଶ୍ରୁଧାରେ । । ୨୯
    ବଧୂର ଦୁଃଖ ସେ ଶୁଣିଲା । ପୁତ୍ରଙ୍କୁ ବାରଣ ନ କଲା । । ୩୦
    ମାୟା କପଟପାଶା କରି । ଦ୍ୟୁତଖେଳାଇ ଧନହରି । । ୩୧
    ଛଳେ ହରିଲା ତା’ଙ୍କ ଦେଶ । କାନନେ ଦ୍ୱାଦଶବରଷ । । ୩୨
    ଅଜ୍ଞାତେ ଅଧିକ ବରଷେ । ବିରାଟ ରାଜ୍ୟେ ମ›ତ୍ସ୍ୟଦେଶେ । । ୩୩
    ତହିଁ ବଞ୍ଚିଲେ ଦୁଃଖ-ସୁଖେ । ବନକଷଣ ଅତିରେକେ । । ୩୪
    ପୁଣି ମିଳିଲେ ରାଜ୍ୟେ ଆସି । ବିଶ୍ୱାସେ ରାଜା ପାଶେ ବସି । । ୩୫
    ଜୀବିକା ଅର୍ଥେ କିଛି ଧନ । ମାଗିଲେ ନ ଦେଲା ରାଜନ । । ୩୬
    ପୁଣି କୃଷ୍ଣଙ୍କୁ କରି ଦୂତ । ଗ୍ରାମ ମାଗିଲେ ପଣ୍ତୁସୁତ । । ୩୭
    କୃଷ୍ଣର ବୋଲ ସେ ନ କଲା । ସୂଚୀ ଅଗ୍ରତେ ସେ ନ ଦେଲା । । ୩୮
    କୃଷ୍ଣଙ୍କୁ କରି ଅପମାନ । ଲୋଭେ ହୋଇଲା ହତଜ୍ଞାନ । । ୩୯
    ବିଦୁର ଆଣି ଏକାନ୍ତରେ । ବିଚାର କଲା ଅନ୍ତଃପୁରେ । । ୪୦
    ପାଣ୍ତବ ମାରି ନାନାମତେ । ରାଜା ହୋଇବ ସେ ନିଶ୍ଚିନ୍ତେ । । ୪୧
    ଶୁଣି ବିଦୁର କରଯୋଡ଼ି । ବୋଲଇ ରାଜାପାଦେ ପଡ଼ି । । ୪୨

    ବିଦୁର ଉବାଚ

    ଅସହ୍ୟ ଅପରାଧ ତୋ’ର । କେତେ ସହିଛି ଯୁଧିଷ୍ଠିର । । ୪୩
    ତାହାଙ୍କୁ ଅର୍ଦ୍ଧରାଜ୍ୟ ଦେଇ । ପୁତ୍ରଙ୍କ ତୁଲେ ଭୁଞ୍ଜ ମହୀ । । ୪୪
    ନୋହିଲେ ସୁଖ ନାହିଁ ତୋର । ସେ ବିଷ୍ଣୁତେଜେ ବଳୀୟାର । । ୪୫
    ଶ୍ରୀହରି ତାଙ୍କୁ ସଙ୍ଗେ ଘେନି । ଉଶ୍ୱାସ କରିବେ ମେଦିନୀ । । ୪୬
    ସେ ହରି ଥାଇ ନିଜପୁରେ । ପାଣ୍ତବବଂଶ ପକ୍ଷ ଧରେ । । ୪୭
    ସେ ଭଗବାନ ଦଇତ୍ୟାରୀ । ଦେବ ବ୍ରାହ୍ମଣ ସଙ୍ଗେ ଧରି । । ୪୮
    ସେ କୃଷ୍ଣ ଆସି ତୋର ପୁରେ । ମିଳିଲେ ବାନ୍ଧବ-ବେଭାରେ । । ୪୯
    ତାଙ୍କୁ ଇତର ପ୍ରାୟ ମଣି । ଜ୍ଞାନ ହାରିଲୁ ନୃପମଣି । । ୫୦
    ତାର ମହିମା ତୁ ନ ଜାଣୁ । ମନୁଷ୍ୟ ପ୍ରାୟ ପରିମାଣୁ । । ୫୧
    ଏ ପୁତ୍ର ଆସି ତୋର ପୁରୀ । ବସିଲା ଦୋଷରୂପ ଧରି । । ୫୨
    ତାକୁ ତୁ ପୁତ୍ରପ୍ରାୟ ମଣୁ । କୁଳ କୁଶଳ ନ ପ୍ରମାଣୁ । । ୫୩
    ଶ୍ରୀକୃଷ୍ଣେ ଭକତି ନ କରି । ତୁହି ହୋଇଲୁ ହତଶିରୀ । । ୫୪
    କୁଳ-କୁଶଳେ ଯେବେ ମନ । ତେଜ ଅଶୁଭ ଦୁର୍ଯ୍ୟୋଧନ । । ୫୫
    ଏମନ୍ତ ବିଦୁରର ବାଣୀ । ସକ୍ରୋଧ ଦୁର୍ଯ୍ୟୋଧନ ଶୁଣି । । ୫୬
    ସଙ୍ଗେ ଅଛନ୍ତି ତିନିଜଣ । କର୍ଣ୍ଣ ଶକୁନି ଦୁଃଶାସନ । । ୫୭
    ବୋଲଇ ସ୍ଫୁରିତ ଅଧରେ । ଆକର୍ଷି ଦୁଃଶାସନ କରେ । । ୫୮
    ଏ ଦାସୀପୁତ୍ର ମୋର ଘରେ । ବସଇ ବାନ୍ଧବ-ବେଭାରେ । । ୫୯
    ଏ ମୋର ନିତ୍ୟେ ଅନ୍ନ ଖାଇ । ପଣ୍ତୁପୁତ୍ରଙ୍କ ହିତେ ଥାଇ । । ୬୦
    କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ । ମୋର ବିନାଶ ଚିତ୍ତେ ଚିନ୍ତେ । । ୬୧
    ଏମନ୍ତ କୁଟିଳ ଲୋକକୁ । କେ ଅବା ଡାକିଲା ଏଠାକୁ । । ୬୨
    ଏମନ୍ତ ବୋଲି ବିଚାରିଲା । କୋପେ ଅନେକ ଗାଳିଦେଲା । । ୬୩
    ଦଶନେ କାମୋଡ଼ି ଅଧର । ବୋଲେ ଭଣ୍ତାର କର ଜୂର । । ୬୪
    ଏହାକୁ ଦଣ୍ତେ ହେଁ ନ ଥୁଅ । ରାଜ୍ୟୁ ବାହାର କରିଦିଅ । । ୬୫
    ଏମନ୍ତ ତାର ବାକ୍ୟ ଶୁଣି । ବଜ୍ର ପଡ଼ିଲା ପ୍ରାୟ ମଣି । । ୬୬
    ମରମ-ଉଚ୍ଚାଟ ବଚନ । ଶୁଣି ହୋଇଲା ହତଜ୍ଞାନ । । ୬୭
    ଜ୍ୟେଷ୍ଠଭ୍ରାତାର ତୁଲେ ଥିଲା । ରାଜା ହିଁ ଆଶ୍ୱାସ ନ କଲା । । ୬୮
    ତକ୍ଷଣେ ଉଠି ସେ ବିଦୁର । ଚିତ୍ତେ ଚିନ୍ତଇ ଚକ୍ରଧର । । ୬୯
    ବିଷ୍ଣୁର ମାୟା ବିଚାରିଲା । ତକ୍ଷଣେ ବନସ୍ତେ ପଶିଲା । । ୭୦
    ସମ୍ପଦ ତୁଚ୍ଛପ୍ରାୟ ମଣି । ମନେ ଚିନ୍ତଇ ଚକ୍ରପାଣି । । ୭୧
    ହସ୍ତିନା ନଗରୁ ବାହାର । ତୀର୍ଥଗମନେ ଆଗୁସାର । । ୭୨
    ମିଳିଲା ଯାଇ ଘୋରବନେ । ଭ୍ରମଇ ଋଷି-ବିପ୍ରସ୍ଥାନେ । । ୭୩
    ମନେ ଚିନ୍ତଇ ତୀର୍ଥଗତି । ହରିଭକତ ଯହିଁ ଥାନ୍ତି । । ୭୪
    ନିରାଶ କରି ଆତ୍ମମନ । ଗ୍ରାମ ପାଟଣା ଉପବନ । । ୭୫
    ସୁପୁଣ୍ୟଗିରି-କୁଞ୍ଜଦେଶେ । ଭ୍ରମଇ ତୀର୍ଥ ଅଭିଳାଷେ । । ୭୬
    ପୁଣ୍ୟସରିତ ପୁଣ୍ୟସର । ନିରତେ ଭ୍ରମଇ ବିଦୁର । । ୭୭
    ଅନନ୍ତ ସିଦ୍ଧଲିଙ୍ଗେ ଯହିଁ । ଶୁଦ୍ଧ ପବିତ୍ର ପୁଣ୍ୟଭୂଇଁ । । ୭୮
    ଏମନ୍ତେ ଅବଧୂତ ବେଶେ । ବିଦୁର ଭ୍ରମେ ପୁଣ୍ୟଦେଶେ । । ୭୯
    ହରିତୋଷଣ ବ୍ରତ ଯେତେ । ତୀର୍ଥେ ସେବଇ ଅବିରତେ । । ୮୦
    ଏମନ୍ତେ ଭାରତବରଷେ । କାଳେ ମିଳିଲା ସେ ପ୍ରଭାସେ । । ୮୧
    ତହିଁ ଶୁଣିଲା ସାଧୁବାଣୀ । ପାଣ୍ତବେ କୁରୁବଳ ଜିଣି । । ୮୨
    କୃଷ୍ଣ ସାରଥିପଣେ ବରି । ଅନେକ ଅକ୍ଷୌହିଣୀ ମାରି । । ୮୩
    ଗୋବିନ୍ଦ ଘେନି ତୀର୍ଥଜଳେ । ମଙ୍ଗଳ ଶୁଭ ଅନୁକୂଳେ । । ୮୪
    କରାଇ ଅଭିଷେକ ପୂଜା । ଏକାଙ୍ଗଚକ୍ରେ କଲେ ରାଜା । । ୮୫
    ସର୍ବେ ନଶିଲେ କୁରୁବଳେ । ଯେସନେ ବେଣୁ ଦାବାନଳେ । । ୮୬
    କୁଟୁମ୍ବବଧେ ଶୋକକରି । ସ୍ୱଜନ ବାନ୍ଧବ ସୁମରି । । ୮୭
    ମଉନ ହୋଇ ଅଶ୍ରୁକଣ୍ଠେ । ମିଳିଲା ସରସ୍ୱତୀତଟେ । । ୮୮
    ଯାହାର ତୀରେ ଏକାଦଶ । ତୀର୍ଥେ ବସନ୍ତି ପୁଣ୍ୟଯଶ । । ୮୯
    ତ୍ରିତ ଉଶନା ମନୁ ନାମ । ପୃଥୁ ଅନଳ ଯେ ପବନ । । ୯୦
    ସୁଦାସ ଗାବ ଗୁହ ଯମ । ଅସିତ ଏକାଦଶ ନାମ । । ୯୧
    ଏତେ ମନ୍ଦିର ବିଷ୍ଣୁ ଅର୍ଥେ । ତୀରେ ସଞ୍ଚିଲେ ଯେଝାମତେ । । ୯୨
    ଋଷି ଦେବତା ଆଦି ଯେତେ । ତୀର୍ଥେ ସେବନ୍ତି ଦୃଢ଼ଚିତ୍ତେ । । ୯୩
    ପ୍ରତ୍ୟଙ୍ଗମୁଖ୍ୟାଙ୍କିତ ଘର । ଦିଶନ୍ତି ଅତି ମନୋହର । । ୯୪
    ଯେ ପୁର ଦରଶନ ମାତ୍ରେ । ବିଷ୍ଣୁସ୍ମରଣ ପଶେ ଗାତ୍ରେ । । ୯୫
    ଏମନ୍ତ ସରସ୍ୱତୀତୀର୍ଥ । ଦେଖି ବିଦୁର କୃତକୃତ୍ୟ । । ୯୬
    ତହୁଁ ଚଳିଲା ତୋଷମନେ । ସୌରାଷ୍ଟ୍ର ସୌବୀର ବିପିନେ । । ୯୭
    କୁରୁ ଜାଙ୍ଗଳ ମତ୍ସ୍ୟଦେଶ । ଜିଣି ଯମୁନା ପରବେଶ । । ୯୮
    କାଳିନ୍ଦୀତୀରେ ବୃନ୍ଦାବନ । ଯହିଁ ବିରାଜେ ଗୋବର୍ଦ୍ଧନ । । ୯୮
    ସେ ବନେ ବୁଲେ ଏକେ ଏକେ । ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ । । ୯୯
    ହରି-ଭକତଙ୍କର ସାର । ତପ ଆଚରି ମହାଘୋର । । ୧୦୦
    ଆସନ ନିଶ୍ଚଳ ସମାଧି । ଶ୍ରୀକୃଷ୍ଣ-ଚରଣେ ଆରାଧି । । ୧୦୧
    ଏକାନ୍ତେ ଅଛି ବୃକ୍ଷମୂଳେ । ବିଦୁର ଦେଖେ ବେନିଡୋଳେ । । ୧୦୨
    ସେ ବାସୁଦେବ ଅନୁଚର । କି ଅବା ଦେବା ପଟାନ୍ତର । । ୧୦୩
    ଦେବଗୁରୁଙ୍କ ଶିଷ୍ୟ ସ୍ନେହେ । ସ୍ୱଭାବେ ମନ୍ତ୍ରୀବୁଦ୍ଧି ବହେ । । ୧୦୪
    ଏମନ୍ତେ ମିଳି ବେନିଜନ । ନିବିଡେ଼ କଲେ ଆଲିଙ୍ଗନ । । ୧୦୫
    ବିଦୁର ଉଦ୍ଧବକୁ ଚାହିଁ । ବନ୍ଧୁବାନ୍ଧବ ସ୍ନେହ ବହି । । ୧୦୬
    ରୋମହରଷେ ଶୁଦ୍ଧଚେତା । ପୁଚ୍ଛଇ କୃଷ୍ଣର ବାରତା । । ୧୦୭
    କୃଷ୍ଣପୁତ୍ରଙ୍କୁ ଆଦି କରି । ଏକ ଆରେକ ନାମ ଧରି । । ୧୦୮

    ବିଦୁର ଉବାଚ

    ଶୁଣ ଉଦ୍ଧବ ମୋ ବଚନ । ମୁଁ ଯେ ପୁଚ୍ଛଇ ବନ୍ଧୁଜନ । । ୧୦୯
    ଯେ ହରି ପୁରୁଷ-ପୁରାଣ । ଅନାଦି-ପରମ-କାରଣ । । ୧୧୦
    ଧରଣୀଭାରା ନାଶ ଅର୍ଥେ । ମନୁଷ୍ୟ ଦେହେ ଏ ଜଗତେ । । ୧୧୧
    ରାମ ଗୋବିନ୍ଦ ରୂପ ଧରି । ଯାଦବବଂଶେ ଅବତରି । । ୧୧୨
    ଅଛନ୍ତି ବସୁଦେବ ଘରେ । ଆନନ୍ଦେ ବେନି ସହୋଦରେ । । ୧୧୩
    ଆମ୍ଭର ବଂଶେ ଅଧିଦେବ । ଦେବକୀ ତୁଲେ ବସୁଦେବ । । ୧୧୪
    ସୁଖେ କି ଛନ୍ତି ନିଜପୁରେ । ବନ୍ଧୁ-ସୁହୃଦ-ଭାବଭରେ । । ୧୧୫
    ପ୍ରଦ୍ୟୁମ୍ନ ଅଛଇ ନା ଭଲେ । ଆନନ୍ଦେ ଜନନୀର ତୁଲେ । । ୧୧୬
    ରୁକ୍ମିଣୀ ପୂର୍ବ-ତପଫଳେ । ପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ । । ୧୧୭
    ଭୋଜାଦି ସାତବଂଶ ରାଜା । ଗୋବିନ୍ଦ ଯାକୁ କଲେ ପୂଜା । । ୧୧୮
    ଛାଡ଼ି ଆପଣା ନୃପାସନ । ରାଜ୍ୟେ ସ୍ଥାପିଲେ ଉଗ୍ରସେନ । । ୧୧୯
    ତୀର୍ଥଉଦକ ସିଞ୍ଚି ଶିରେ । ସେ ସୁଖେ ଅଛିଟି କି ପୁରେ । । ୧୨୦
    ଭଲେ କି ଜାମ୍ବବତୀସୁତ । ଯେ ରଥୀ ମଧ୍ୟେ ମହାରଥ । । ୧୨୧
    କୃଷ୍ଣର ସଦୃଶ ଯେ ହୋଇ । ପୂର୍ବେ ଅମ୍ବିକା ଗର୍ଭେ ଥାଇ । । ୧୨୨
    ଯାହାକୁ ଜାମ୍ବବତୀ ଦେବୀ । ପାଇଲା ନାନାବ୍ରତ ସେବି । । ୧୨୩
    କ୍ଷେମେ କି ଅଛି ଯୁଯୁଧାନ । ଯାହାକୁ ସନ୍ତୋଷ ଅର୍ଜୁନ । । ୧୨୪
    ରହସ୍ୟ-ଧନୁର୍ବେଦ ଦେଲା । ଯେ ପୁଣି ହୃଷ୍ଣ ଆରାଧିଲା । । ୧୨୫
    ସୁଖେ ହୋଇଲା ଗତି ତାର । ଯେ ଯୋଗୀଜନେ ଅଗୋଚର । । ୧୨୬
    ଶ୍ୱଫଳ୍‌କ ସୁତ ଯଶସ୍କର । ଶୁଭେ କି ଅଛଇ ଅକ୍ରୂର । । ୧୨୭
    କଂସ ଆଦେଶେ ଗୋପପୁରେ । ଲଭିଲା କୃଷ୍ଣରେଣୁ ଶିରେ । । ୧୨୮
    ଭଲେ କି ଅଛଇ ଦେବକୀ । ଯେ ଗର୍ଭେ ଧଇଲା ହରିଙ୍କି । । ୧୨୯
    ଅଶେଷ ମନୋରଥ ବୋଧ । ଭଲେ କି ଅଛି ଅନିରୁଦ୍ଧ । । ୧୩୦
    ଯାର ମହିମା ଶବ୍ଦଯୋନି । ତୁରୀୟତତ୍ତ୍ୱ ସଙ୍ଗେ ମାନି । । ୧୩୧
    ସତ୍ୟଭାମାର ସୁତ ଯେତେ । ଭଲେ କି ଅଛନ୍ତି ସମସ୍ତେ । । ୧୩୨
    ଗଦର କହ ଭଲ କଥା । ଯେ ଅନ୍ୟ ଯାଦବ ବାରତା । । ୧୩୩
    ଏକାନ୍ତେ କୃଷ୍ଣର ପୟରେ । ସେବନ୍ତି ସବୁ ପରକାରେ । । ୧୩୪
    ଧର୍ମେ କି ଅଛି ଯୁଧିଷ୍ଠିର । ଯେ ଧର୍ମେ ରଖିଲା ସଂସାର । । ୧୩୫
    ଯାହାର ବାହୁପ୍ରାୟ ହୋଇ । କୃଷ୍ଣ ଅର୍ଜୁନ ବେନି ଥାଇ । । ୧୩୬
    ଭୀମର କହ ଭଲ କଥା । ଯେ ଭୀମ ଅତି ବଳବନ୍ତା । । ୧୩୭
    ଯାର ଚରଣ-ଘାତ କୋପେ । ଦୁର୍ଜୟ-ରଣଭୂମି କମ୍ପେ । । ୧୩୮
    ଅର୍ଜୁନ ଅଛିଟି କି ଭଲେ । ନିରତେ ଗୋବିନ୍ଦର ତୁଲେ । । ୧୩୯
    ଗାଣ୍ତୀବଧନୁ କରେ ଧରି । ରଣେ ତୋଷିଲା ଶୂଳଧାରୀ । । ୧୪୦
    ନକୁଳ ସହଦେବ ବେନି । କୁଶଳ କହ ପରିମାଣି । । ୧୪୧
    ଅଶ୍ୱିନୀ ନାସିକା-ବିବରେ । ଜନ୍ମ ହୋଇଲେ ଯେ ଶରୀରେ । । ୧୪୨
    କେ କହୁ ତାଙ୍କ ଗୁଣଗ୍ରାମ । ଦେବଙ୍କ ବ୍ୟାଧି ହରେ ନାମ । । ୧୪୩
    ତାହାଙ୍କ ବୀର୍ଯ୍ୟୁ ଜାତ ହୋଇ । ସୁନ୍ଦର ରୂପେ ଜନ ମୋହି । । ୧୪୪
    ପାବ-ଚକ୍ଷୁ ସେ ବୋଲାନ୍ତି । କହ କୁଶଳେ କି ଅଛନ୍ତି । । ୧୪୫
    ଦେଖ ଏ କୁନ୍ତୀ ଗର୍ଭଅର୍ଥେ । ସ୍ୱାମୀକୁ ଚିନ୍ତେ ଅବିରତେ । । ୧୪୬
    ସ୍ୱ-ସ୍ୱାମୀ ବିନୁ ସୁତ ଲଭେ । ଯା ନାମ ଚଉଦିଗେ ଶୁଭେ । । ୧୪୭
    ତାହାଙ୍କୁ ଛାଡ଼ି ଭୋଗ ବିନେ । ରହିଲା ପୁତ୍ରସ୍ନେହ ମନେ । । ୧୪୮
    ଶୁଣ ଉଦ୍ଧବ ସାଧୁ ଧୀର । ଧୃତରାଷ୍ଟ୍ରର ଯେ ବେଭାର । । ୧୪୯
    ସେ ପିତୃହୀନ ପଞ୍ଚପୁତ୍ରେ । ତାଙ୍କ ମରଣ ଚିତ୍ତେ ଚିନ୍ତେ । । ୧୫୦
    ପୁତ୍ରଙ୍କ ତୁଲେ ତା’ ବିଚାର । ମୁଁ ପ୍ରିୟ ସୁହୃଦ ତାହାର । । ୧୫୧
    ପୁରୁ ବାହାର କରିଦେଲା । ଚିତ୍ତେ ତା ଦୟା ନ ବସିଲା । । ୧୫୨
    ଏଣୁ ପଡ଼ିବ ତମଘୋର । ଜୀବନେ ଚିନ୍ତା ତାକୁ ମୋର । । ୧୫୩
    ଯେ କୃଷ୍ଣ ପରମ-ମଙ୍ଗଳ । ଆନନ୍ଦମାନଙ୍କର ମୂଳ । । ୧୫୪
    ସେ ହରି ମନୁଷ୍ୟ-ଶରୀରେ । ସାକ୍ଷାତେ ସଂସାରେ ବିହରେ । । ୧୫୫
    ତାର ପ୍ରସାଦୁ ତା ମାହାତ୍ମ୍ୟ । ଜାଣି ଛାଡ଼ିଲି ସର୍ବ ଭ୍ରମ । । ୧୫୬
    ତାର ଚରଣ ଧ୍ୟାନ କରି । ମୁଁ ଏବେ କାନନେ ବିହରି । । ୧୫୭
    ଦେଖ ଉଦ୍ଧବ ତା ମହିମା । କେ କହିପାରେ ଗୁଣସୀମା । । ୧୫୮
    ଯେ ଯେତେ ଥିଲେ ମହୀପାଳେ । ଅନେକ ଅକ୍ଷୌହିଣୀ ମେଳେ । । ୧୫୯
    ତାହାଙ୍କୁ ମାୟାରେ ସଂହାରି । ହେଳେ ତ୍ରିଭୁବନ ଉଦ୍ଧରି । । ୧୬୦
    ପ୍ରପନ୍ନଜନ ଦୁଃଖ ନାଶ । ଅର୍ଥେ କ୍ଷଣକେ ପୀତବାସ । । ୧୬୧
    ପାରନ୍ତି କୁରୁଙ୍କୁ ସଂହାରି । ସହିଲେ ଦୋଷ କ୍ଷମା କରି । । ୧୬୨
    ସେ ଗୁଣାତୀତ ଅଜ ହରି । ଖଳନାଶନେ ଅବତରି । । ୧୬୩
    ଅଖିଳଲୋକଙ୍କୁ କୁଶଳେ । ଯେ ଦେହବନ୍ତ ଯଦୁକୁଳେ । । ୧୬୪
    ଯାହାର ଆଜ୍ଞାରେ ସଂସାର । ତୀର୍ଥର ପ୍ରାୟେ କୀର୍ତ୍ତି ଯାର । । ୧୬୫
    ସେ ହରି ଶୁଭକଥା ମୋତେ । କହ ଉଦ୍ଧବ ଶୁଦ୍ଧଚିତ୍ତେ । । ୧୬୬
    ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ମନେ ପରିମାଣି । । ୧୬୭
    ଚିତ୍ତେ ଚିନ୍ତିଲା ନାରାୟଣ । ସୁଜନେ ଏକମନେ ଶୁଣ । । ୧୬୮
    ହରିଚରିତ ସୁଧାରସ । କହିଲା ଜଗନ୍ନାଥ ଦାସ । । ୧୬୯
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ପ୍ରଥମୋଽଧ୍ୟାୟଃ

    ଦ୍ୱିତୀୟ ଅଧ୍ୟାୟ

    ଶୁକ ଉବାଚ

    ଏମନ୍ତେ ବିଦୁର ବଚନ । ଶୁଣି ଉଦ୍ଧବ ହତଜ୍ଞାନ । । ୧
    କୃଷ୍ଣ-ଚରଣେ ଚିତ୍ତ ଦେଇ । ଉତ୍କଣ୍ଠେ ନ ପାରଇ କହି । । ୨
    ପାଞ୍ଚବରଷେ ତାର ମାତ । ପ୍ରାତଃ ଭୋଜନେ ଡାକେ ସୁତ । । ୩
    କୃଷ୍ଣସେବାରେ ଦେଇମନ । ଉଦ୍ଧବ ନ କରେ ଭୋଜନ । । ୪
    କୃଷ୍ଣସେବାରେ ଦିନ ଗଲା । ସ୍ୱଭାବେ ବୟସ ସରିଲା । । ୫
    ବିଦୁରବାକ୍ୟ ଶୁଣି କର୍ଣ୍ଣେ । ବଚନ ନ ସ୍ଫୁରେ ବଦନେ । । ୬
    କୃଷ୍ଣଚରଣେ ଦେଇ ମନ । ମୁହୁର୍ତ୍ତେ ରହିଲା ମଉନ । । ୭
    ତକ୍ଷଣେ ଦେହଭାବ ଛାଡ଼ି । କୃଷ୍ଣଭକତି ଜଳେ ବୁଡ଼ି । । ୮
    କୃଷ୍ଣଚରଣ-ସୁଧା-ପାନ । କରି ପାଇଲା ଦିବ୍ୟଜ୍ଞାନ । । ୯
    ପୁଲକ ହେଲା ରୋମରାଜି । ଅଶ୍ରୁ ମୁଞ୍ଚଇ ଚକ୍ଷୁବୁଜି । । ୧୦
    ଧ୍ୟାନେ ହୋଇଲା ପୂର୍ଣ୍ଣକାମ । ସ୍ନେହ-ସଲିଳେ କଲା ସ୍ନାନ । । ୧୧
    ଧ୍ୟାନ ଛଡ଼ାଇ କୃଷ୍ଣପାଦେ । ପୁଣି ମିଳିଲା ଦେହମଧ୍ୟେ । । ୧୨
    ବେନିଲୋଚନ ଘଷି କରେ । ନିଃଶ୍ୱାସ ଛାଡ଼ି ଖରତରେ । । ୧୩
    ବିଦୁର ମୁଖ ଚାହିଁ ଦୁଃଖେ । ଉଦ୍ଧବ କହେ ଅଶ୍ରୁମୁଖେ । । ୧୪

    ଉଦ୍ଧବ ଉବାଚ

    ଯାଦବ ମଧ୍ୟେ କୃଷ୍ଣ ଥାଇ । ସୂର୍ଯ୍ୟର ପ୍ରାୟ ପ୍ରକାଶଇ । । ୧୫
    ସେ ସୂର୍ଯ୍ୟ ଅସ୍ତାଚଳେ ଗଲା । ନିବିଡ଼ତମ ପ୍ରକାଶିଲା । । ୧୬
    ମୁଁ ଏବେ ଅତିଦୁଃଖ-ଶୋକେ । ପଡ଼ିଛି ଅଜଗର-ମୁଖେ । । ୧୭
    ଆମ୍ଭ କୁଶଳ କାହିଁ ଆର । କହିବି ଶୁଣ ହେ ବିଦୁର । । ୧୮
    ସଂସାର ମଧ୍ୟେ ଯେତେଜନ । ସର୍ବେ ହୋଇଲେ ଭାଗ୍ୟହୀନ । । ୧୯
    ଦେଖ ଅଭାଗ୍ୟ ଯଦୁବଂଶ । ବାଳକ ପ୍ରାୟ ବୁଦ୍ଧିଭ୍ରଂଶ । । ୨୦
    ବସନ୍ତି କୃଷ୍ଣ ଅଙ୍ଗସେଙ୍ଗ । ରାତ୍ରଦିବସ ଅନୁରାଗେ । । ୨୧
    ତାହାଙ୍କୁ କେହି ନ ଜାଣିଲେ । ଚନ୍ଦ୍ରକୁ ମୀନ ଯେହ୍ନେ ଜଳେ । । ୨୨
    ଯାଦବେ କୃଷ୍ଣ ସଙ୍ଗମେଳେ । ଦିନ ହରନ୍ତି କୁତୂହଳେ । । ୨୩
    ସଙ୍ଗତେ ପାଇ ନରହରି । ଦେଖନ୍ତି ଅନାଦର କରି । । ୨୪
    ଅତି ନିପୁଣ ସେ ଅଟନ୍ତି । ଜ୍ଞାନୀ ହେଲେହେଁ ନ ଜାଣନ୍ତି । । ୨୫
    ଯା’ର ମାୟାରେ ଅନ୍ୟଜନେ । ବଇରୀଭାବ ଚିନ୍ତିମନେ । । ୨୬
    କୃଷ୍ଣର ମାୟାବଳେ ଗ୍ରନ୍ଥି । ମନୁଷ୍ୟ ପ୍ରାୟ ସେ ମଣନ୍ତି । । ୨୭
    ପ୍ରାଣୀଙ୍କ ତପୋବଳ ଚାହିଁ । ନୟନେ ଶରୀର ଦେଖାଇ । । ୨୮
    ପୁଣି ହରିଲେ ନିଜ ଅଙ୍ଗ । ପ୍ରାଣୀଙ୍କ ଚକ୍ଷୁ ଘେନି ସଙ୍ଗ । । ୨୯
    ମାୟା ମନୁଷ୍ୟ ରୂପେ ହରି । ଅନନ୍ତ ଲୀଳାଏ ବିହରି । । ୩୦
    ସର୍ବସମ୍ପଦ ଆତ୍ମାତୁଲେ । ନିଜ ଭୁବନେ ବିଜେକଲେ । । ୩୧
    ଧର୍ମକୁମର ଯଜ୍ଞକାଳେ । ଦେବ-ମନୁଷ୍ୟ-ଋଷିମେଳେ । । ୩୨
    ଯେ ରୂପ ଦେଖି ତୋଷମନେ । କୈବଲ୍ୟ ଲଭିଲେ ଲୋଚନେ । । ୩୩
    ବ୍ରହ୍ମା ସର୍ଜନା ଯେଣୁ ନୋହି । ତେଣୁ ସକଳ ମନମୋହି । । ୩୪
    ଯେ କୃଷ୍ଣ-ଅନୁରାଗ-ମୁଖ । ସୁନ୍ଦର-ହାସ-ରଙ୍ଗରେଖ । । ୩୫
    ତେଣେ ମୋହିତ ଚି ଧରି । ମୋକ୍ଷ ଲଭିଲେ ବ୍ରଜନାରୀ । । ୩୬
    ସେ ଶାନ୍ତରୂପ ଏକରୂପୀ । ବସଇ ସର୍ବଭୂତେ ବ୍ୟାପୀ । । ୩୭
    ତା’ର ବିଭୂତି ଦେବଗଣ । ପୂଜନ୍ତି ତାହାର ଚରଣ । । ୩୮
    ଦେବଙ୍କ ଅର୍ଥେ ସେ ମୁରାରି । ଜନ୍ମଇ ନାନାରୂପ ଧରି । । ୩୯
    ସ୍ୱଭାବେ ଜନ୍ମ ଯା’ର ନାହିଁ । ନିମି ଅର୍ଥେ କଳ୍ପେ ଦେହୀ । । ୪୦
    ଅଗ୍ନି ଯେସନେ ନାନାମତେ । ଯତନେ ଜଳଇ ଜଗତେ । । ୪୧
    ଏ କଥା ମୋରେ ଖେଦକରେ । ସେ ଜନ୍ମି ବସୁଦେବ ଘରେ । । ୪୨
    କଂସର ଡରେ ଗୋପମେଳେ । ଲୁଚି ଯେ ଥିଲେ ବାଳକାଳେ । । ୪୩
    ତହୁଁ ମଥୁରାପୁରେ ଆସି । ଗଜ ଚାଣୂର କଂସ ନାଶି । । ୪୪
    ଯାଇଣ ମାତାପିତା ପାଶ । ବୋଇଲେ କ୍ଷମା କରଦୋଷ । । ୪୫
    ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରି । ବିଅର୍ଥେ ବେ ଦେହଧରି । । ୪୬
    ସେ କଥା ବିଡ଼ମ୍ବନ ମୋତେ । ହୃଦୟ ଦହେ ଅବିରତେ । । ୪୭
    ତା’ର ଚରଣରେଣୁ ଗନ୍ଧ । ଆଘ୍ରାଣ କରି ନାସାରନ୍ଧ୍ର । । ୪୮
    କେ ତା’ ପାଶୋରିପାରେ ଚିେ । ସୁଦୃଢ଼-ଯୋଗାଭ୍ୟାସେ ନିତ୍ୟେ । । ୪୯
    ଭୂମିର ଭାର ନାଶ ଅର୍ଥେ । ତାହାର ଜନ୍ମ ଏ ଜଗତେ । । ୫୦
    ତୁମ୍ଭେ ତ ଦେଖିଅଛ ଡୋଳେ । ଧର୍ମନନ୍ଦନ-ଯଜ୍ଞକାଳେ । । ୫୧
    ଯାହାକୁ ଶିଶୁପାଳ ନିନ୍ଦି । ତକ୍ଷଣେ ତା’ର ଦେହେ ଭେଦି । । ୫୨
    ଲୁଚିଲା ଅଭୟ-ଚରଣେ । ରହିଲା ଅଜରାମରଣେ । । ୫୩
    ଯେ ଗତି ଯୋଗୀଜନେ ଚିନ୍ତି । ଜନ୍ମମରଣୁ ନିସ୍ତରନ୍ତି । । ୫୪
    ତା’ର ବିଯୋଗ କେବା ସହେ । ଯେ ବା ଜଗତେ ଦେହବହେ । । ୫୫
    ଦେଖ ଭାରତଯୁଦ୍ଧେ ଯେତେ । ରଥୀ ପଦାତି ଅପ୍ରମିତେ । । ୫୬
    ଭୂଲୋକେ ଯେତେ ବୀର ଥିଲେ । ମରଣେ ତା’ ମୁଖ ଦେଖିଲେ । । ୫୭
    ଅର୍ଜୁନ-ବାଣେ କ୍ଷୀଣ ହୋଇ । ପଶିଲେ ତା’ର ଦେହେ ଯାଇ । । ୫୮
    ତ୍ରୈଲୋକ୍ୟନାଥ ସେ ଅନନ୍ତ । ସ୍ୱଭାବେ କମଳାର କାନ୍ତ । । ୫୯
    ତ୍ରିଦଶ-ଦେବେ ତା’ ଚରଣେ । ସେବା କରନ୍ତି ଅନୁକ୍ଷଣେ । । ୬୦
    ଯା’ର ସମାନ ବା ଅଧିକ । ନାହିଁ ଏ ଚତୁŸର୍ଶଲୋକ । । ୬୧
    ସେ ପୁଣି ସ୍ଥାପି ରାଜପଦେ । ପୂଜିଲା ଉଗ୍ରସେନ ପାଦେ । । ୬୨
    ଭୃତ୍ୟର ଭୃତ୍ୟ ଅଟେ ଯେହୁ । ତାହାକୁ ଆଜ୍ଞାମାଗେ ସେହୁ । । ୬୩
    ଏ କଥା ଦେଖି ହେ ବିଦୁର । ଅତି ଦୁଃଖିତ ଚିତ୍ତ ମୋର । । ୬୪
    ଦେଖ ପୂତନା ଧାତ୍ରୀ ରୂପେ । ସ୍ତନ ନିବେଶି ତା’ର ମୁଖେ । । ୬୫
    କ୍ଷୀର ଗରଳ ସେଙ୍ଗ ଦେଇ । ପଶିଲା ତା’ର ଦେହେ ଯାଇ । । ୬୬
    ସେ ଦୟାନିଧିର ଚରଣ । କେବା ନ ପଶିଲା ଶରଣ । । ୬୭
    ଯେତେ ଅସୁର ଏ ଜଗତେ । ନଶିଲେ ଗୋବିନ୍ଦର ହସ୍ତେ । । ୬୮
    ଗରୁଡ଼କନ୍ଧେ ତାକୁ ଚାହିଁ । ପଶିଲେ ତା’ର ଦେହେ ଯାଇ । । ୬୯
    ସେ ଭାଗବତ ମଧ୍ୟେ ସାର । କି ଅବା ଦେବା ପଟାନ୍ତର । । ୭୦
    କଂସରାଜାର ବନ୍ଦୀଘରେ । ଜନ୍ମିଲା ଦେବକୀ ଉଦରେ । । ୭୧
    ବ୍ରହ୍ମାଙ୍କ ବୋଲେ ହୃଷୀକେଶ । ଧରଣୀଭାର କଲେ ନାଶ । । ୭୨
    ସେ ବସୁଦେବ କଂସ ଡରେ । ନେଇ ଥୋଇଲା ନନ୍ଦଘରେ । । ୭୩
    ଗୁପତେ ସେଙ୍ଗ ହଳଧର । ବଢ଼ିଲେ ଏଗାରବ›ର । । ୭୪
    ଗୋପବାଳକ ସେଙ୍ଗ ଥାଇ । ବନେ ଚରାନ୍ତି ନିତ୍ୟେ ଗାଈ । । ୭୫
    ବେଣୁଶବଦ ଶିଙ୍ଗାନାଦେ । ବନେ ବୁଲନ୍ତି ଅପ୍ରମାତେ । । ୭୬
    ଯମୁନାକୂଳେ ଥାଇ ନିତ୍ୟେ । ଭୃଙ୍ଗ-କୋକିଳ-ନାଦ-ଗୀତେ । । ୭୭
    ବରଜବାସୀଙ୍କ ଲୋଚନେ । କୁମାରଲୀଳା ଅନୁଦିନେ । । ୭୮
    ରୋଦନ ହସନ ଖେଳନେ । ନିରତେ ବସେ ତା’ଙ୍କମନେ । । ୭୯
    ବାଳସିଂହର ପ୍ରାୟେ ଚାହେଁ । ଯେ କାଳେ ଯେ ଲୀଳା ଦେଖାଏ । । ୮୦
    ଦିନକୁଦିନ ଶୋଭାବନ୍ତ । ବନେ ବୁଲଇ ନନ୍ଦସୁତ । । ୮୧
    ଗୋଧନ ଘେନି ଗୋପସେଙ୍ଗ । ବେଣୁ ବଜାଇ ନାନାରେଙ୍ଗ । । ୮୨
    କଂସର ଆଜ୍ଞାରେ ଅସୁରେ । ଯେତେ ମିଳିଲେ ଗୋପପୁରେ । । ୮୩
    ପୂତନା ଆଦି ମାୟାରୂପୀ । ମିଳିଲେ ବନଗିରି ବ୍ୟାପୀ । । ୮୪
    ତାହାଙ୍କୁ କରି ବାଳଖେଳା । ହେଳେ ମାଇଲେ ନନ୍ଦବଳା । । ୮୫
    ଯମୁନା ବିଷଜଳ ଖାଇ । ମରୁ ଯେ ଥିଲେ ଗୋପଗାଈ । । ୮୬
    ତା’ଙ୍କୁ ଜୀଆଇ ନନ୍ଦବାଳ । ଅମୃତ କଲା ବିଷଜଳ । । ୮୭
    ଇନ୍ଦ୍ରଉ›ବ ଭଙ୍ଗ କରି । ଗୋପଙ୍କୁ ପୂଜାଇଲେ ଗିରି । । ୮୮
    ଯଜ୍ଞବିଭେଙ୍ଗ କୋପକରି । ଇନ୍ଦ୍ର ବରଷେ ଘୋର ବାରି । । ୮୯
    ଗୋରୁ ଗୋପାଳଙ୍କ ବିକଳ । ତକ୍ଷଣେ ଦେଖି ନନ୍ଦବାଳ । । ୯୦
    ଛତ୍ର ଆକାରେ ଗିରି ଧରି । ରଖିଲେ ଗୋପପୁର ଶିରୀ । । ୯୧
    ଶରଦ-ଚନ୍ଦ୍ରନିଶି ଚାହିଁ । କାନନେ ବେଣୁନାଦ ବାଇ । । ୯୨
    ସେ ଗୋପୀମଳ-ମନ । ରାସ-ଉ›ବେ ଭଗବାନ । । ୯୩
    ଷୋଳସହସ୍ର ଗୋପନାରୀ । ରମିଲେ ନାନାରୂପ ଧରି । । ୯୪
    ତା’ର ମହିମା କେ କହିବ । ଯାହା ନ ଜାଣେ ବ୍ରହ୍ମା-ଶିବ । । ୯୫
    ସେ ହରିଚରଣକମଳେ । ସୁଜନେ ଚିନ୍ତ ଧ୍ୟାନବଳେ । । ୯୬
    ବିଦୁର-ଉଦ୍ଧବ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୯୭
    ଏଣେ ଗୋବିନ୍ଦପାଦେ ରସ । କହଇ ଜଗନ୍ନାଥ ଦାସ । । ୯୮
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଦ୍ବିତୀୟୋଽଧ୍ୟାୟଃ

    ତୃତୀୟ ଅଧ୍ୟାୟ

    ଉଦ୍ଧବ ଉବାଚ

    ଶୁଣ ବିଦୁର ମୋ ବଚନ । ଧରି ନ ପାରେ ଖେଦମନ । । ୧
    ସେ ରାମକୃଷ୍ଣ ଏକାରଥେ । ଗମିଲେ ଅକ୍ରୂର ସଙ୍ଗତେ । । ୨
    ମାତାପିତାଙ୍କର କୁଶଳ । ପୁଚ୍ଛନ୍ତି ରାମ-ଆଦିମୂଳ । । ୩
    କଂସକୁ ଦୃଷ୍ଟିରେ ସଂହାରି । ମଞ୍ଚାଉପରୁ କେଶଧରି । । ୪
    ତଳେ ପକାଇ ରୋଷଭରେ । ମୃତପିଣ୍ତକୁ ଆକର୍ଷିଲେ । । ୫
    ସାନ୍ଦୀପନିର ଘରେ ଯାଇ । ସକଳବିଦ୍ୟା ଶିକ୍ଷା ପାଇ । । ୬
    ସେ ଦୈତ୍ୟ ନାମ ପଞ୍ଚଜନ । କରି ତା ଉଦର ବିଦୀର୍ଣ୍ଣ । । ୭
    ଗୁରୁଦକ୍ଷିଣା ଅର୍ଥେ ପୁଣି । ଯମପୁରରୁ ପୁତ୍ର ଆଣି । । ୮
    ଗୁରୁକାମିନୀ ଦୁଃଖ ହରି । ପୁଣି ମିଳିଲେ ନିଜପୁରୀ । । ୯
    ଭୀଷ୍ମକ କନ୍ୟା ଅର୍ଥେ ହରି । କୁଣ୍ତୀନଗରେ ବିଜେକରି । । ୧୦
    ଗନ୍ଧର୍ବବୃତ୍ତି ଆଚରିଲେ । ବଳେ ସେ କନ୍ୟାକୁ ହରିଲେ । । ୧୧
    ଶୃଗାଳ ମଧ୍ୟୁ ସିଂହ ଯେହ୍ନେ । ସ୍ୱଭାଗ ହରଇ ତେସନେ । । ୧୨
    ଯେହ୍ନେ ସୁପର୍ଣ୍ଣ ନିଜ ଭାଗ । ଅମୃତ ହରି କଲା ଭୋଗ । । ୧୩
    କୋଶଳପୁରେ ନରହରି । ସପତଷଣ୍ଢ ବନ୍ଦୀ କରି । । ୧୪
    କନ୍ୟା ଲଭିଲେ ନନ୍ଦବାଳ । ଜିଣି ସକଳ ଶତ୍ରୁବଳ । । ୧୫
    ସତ୍ୟଭାମାର ବୋଲେ ପୁଣି । ନନ୍ଦନବନୁ ଚକ୍ରପାଣି । । ୧୬
    ବଳେ ହରିଲେ ପାରିଜାତ । ଲୀଳାୟେ ଜିଣି ଶଚୀନାଥ । । ୧୭
    ପୁରେ ରୋପିଲେ ବୃକ୍ଷ ନେଇ । ପତ୍ନୀର ପ୍ରିୟଭାବ ବହି । । ୧୮
    ଗରୁଡେ଼ ବସି ଭାବଗ୍ରାହୀ । ନାରକାସୁରପୁରେ ଯାଇ । । ୧୯
    ଦେଖିଲେ ତାହାର ଭବନ । ଶରୀରେ ବ୍ୟାପିଛି ଗଗନ । । ୨୦
    ଚକ୍ରେ ତାହାର ମୁଣ୍ତାହାଣି । ଦେଖି ପ୍ରଣମିଲା ଧରଣୀ । । ୨୧
    ବୋଲଇ କଲୁ ପୁତ୍ର ନାଶ । ଧରଣୀ ବଚନେ ବିଶ୍ୱାସ । । ୨୨
    ନାରକାପୁତ୍ରକୁ ମୁରାରି । ତା’ ରାଜ୍ୟେ ଅଭିଷେକ କରି । । ୨୩
    ନାରକା ଅନ୍ତଃପୁରେ ହରି । କୋଟିକନ୍ଦର୍ପ ରୂପ ଧରି । । ୨୪
    ଯୁଦ୍ଧେ ସକଳ ରାଜା ଜିଣି । ଯେ କନ୍ୟା ଥିଲା ଦୈତ୍ୟ ଆଣି । । ୨୫
    ସେ ସର୍ବ ଦେଖି କାମଭୋଳେ । ଚାହାଁନ୍ତି ନୟନ-ନିଶ୍ଚଳେ । । ୨୬
    ଷୋଳସହସ୍ର ଶତାଧିକେ । ତୁଲ୍ୟବୟସୀ ଏକେ ଏକେ । । ୨୭
    ହରିଙ୍କି ବରିଲେ ସକଳେ । ମଙ୍ଗଳ-ଶୁଭଲଗ୍ନ ବେଳେ । । ୨୮
    ତାହାଙ୍କୁ ନିଜପୁରେ ଆଣି । ଏକମୁହୂର୍ତ୍ତେ ଚକ୍ରପାଣି । । ୨୯
    ବିବାହ କଲେ ବେଦମତେ । ଶୁଣ ତାହାଙ୍କ ପୁତ୍ର ଯେତେ । । ୩୦
    ଦଶକୁମର କନ୍ୟା ଏକ । ଆତ୍ମାସଦୃଶ ରୂପରେଖ । । ୩୧
    କାଳଯବନ ଜରାସନ୍ଧେ । ଶାଲ୍ୱ ସହିତେ ପୁର ରୁନ୍ଧେ । । ୩୨
    ତାହାଙ୍କୁ ନିଜତେଜେ ନାଶି । ସ୍ୱଜନ-ବାନ୍ଧବ ଆଶ୍ୱାସି । । ୩୩
    ଶମ୍ବର ଦ୍ୱିବିନ୍ଦବାନର । ମୁର ବଲ୍ୱଳ ବାଣାସୁର । । ୩୪
    ଯେ ଦନ୍ତବକ୍ର ଆଦି କରି । ତାହାଙ୍କୁ ସଂଗ୍ରାମେ ସଂହାରି । । ୩୫
    ଏବେ ତୋ ଜ୍ୟେଷ୍ଠଭ୍ରାତସୁତେ । ଅନେକ ନୃପତି ସହିତେ । । ୩୬
    ସଙ୍ଗତେ ନିଜବଳ ଘେନି । ଚରଣେ କମ୍ପାଇ ମେଦିନୀ । । ୩୭
    ମିଳିଲେ କୁରୁକ୍ଷେତ୍ର ମଧ୍ୟେ । ଜିଣି ଭୁଞ୍ଜିବେ ମହୀ ସାଧ୍ୟେ । । ୩୮
    କର୍ଣ୍ଣ ଶକୁନି ଦୁଃଶାସନ । ସ୍ୱଭାବେ ଦୁଷ୍ଟ ତିନିଜଣ । । ୩୯
    ତାହାଙ୍କୁ ହୋଇଲେ ବିଶ୍ୱାସ । ଏଣୁ ହୋଇଲେ ଅଳ୍ପାୟୁଷ । । ୪୦
    ଦେଖ ପଡ଼ିଲେ ରଣମଧ୍ୟେ । ମୂଢ଼ ଅଧର୍ମ-ଦୋଷବାଦେ । । ୪୧
    ଶୁଣ ବିଦୁର କହୁଁ ତୋତେ । ଶ୍ରୀକୃଷ୍ଣ ଭାଳେ ଅନ୍ତର୍ଗତେ । । ୪୨
    ଯେ ଭୀଷ୍ମ ଦ୍ରୋଣ ଭୀମାର୍ଜୁନ । ମାରିଲେ ଅନେକ ରାଜନ । । ୪୩
    ଭାରା-ନିବାର-ଅର୍ଥେ ମହୀ । ସଂହାର ଅଳପ ମଣଇ । । ୪୪
    ଏ ଯେ ମୋହର ଯଦୁବଂଶ । ଏ ମଲେ ଭାରା ହୋଏ ଶେଷ । । ୪୫
    ମଦ୍ୟେ ଅରୁଣଚକ୍ଷୁ କୋପେ । ସର୍ବେ ମରିବେ ବିପ୍ରଶାପେ । । ୪୬
    ଏ ଯେ ନ ମଲେ ନୋହେ ଶାନ୍ତି । ଏମନ୍ତ ଯୋଗମାୟା ଚିନ୍ତି । । ୪୭
    ଏମନ୍ତେ ମନେ ଚିନ୍ତାକରି । ଧର୍ମସୁତଙ୍କୁ ନରହରି । । ୪୮
    ବନ୍ଧୁ-ସୁହୃଦଜନ ମଧ୍ୟେ । କୃଷ୍ଣ ସ୍ଥାପିଲେ ରାଜପଦେ । । ୪୯
    ଉତ୍ତରାଗର୍ଭେ କୁରୁବଂଶ । କୃଷ୍ଣ ରଖିଲେ ଅବଶେଷ । । ୫୦
    ପରୀକ୍ଷିତଙ୍କୁ କରି ରକ୍ଷା । ଧର୍ମନନ୍ଦନେ ଦେଲେ ଦୀକ୍ଷା । । ୫୧
    ଜ୍ଞାତିମାରଣ ଦୋଷ ନାଶେ । ଧର୍ମନନ୍ଦନଙ୍କୁ ବିଶ୍ୱାସେ । । ୫୨
    ସର୍ବସମ୍ପଦେ ସୁସମ୍ପାଦି । କରାଇ ତିନି-ଅଶ୍ୱମେଧି । । ୫୩
    ଯୁଧିଷ୍ଠି କୃଷ୍ଣେ ଅନୁଗତ । ପାଳିଲେ ମହୀ ଘେନି ଭ୍ରାତ । । ୫୪
    ଆପଣେ ନିଜପୁରେ ଯାଇ । ନାରୀଗଣଙ୍କ ମଧ୍ୟେ ଥାଇ । । ୫୫
    ଗୃହସ୍ଥଧର୍ମ ବେଦମତେ । କୃଷ୍ଣ ଆଚରିଲେ ଜଗତେ । । ୫୬
    ସ୍ମିତ-ନୟନେ ସ୍ନେହ ବହି । ପୀୟୂଷ ସମ କଥା କହି । । ୫୭
    ନାରୀଗଣଙ୍କ ମନ ମୋହି । ଗୃହଚରିତେ ଗୃହେ ଥାଇ । । ୫୮
    ଯେ ଧର୍ମ ଇହ ପରଲୋକେ । କୃଷ୍ଣ ସାଧିଲେ ସୁବିବେକେ । । ୫୯
    ଏମନ୍ତେ ବହୁତ ବରଷେ । ରମନ୍ତେ ଗୃହମେଧ ଆଶେ । । ୬୦
    ବିଷୟେ ବଇରାଗ୍ୟ ଜାତ । ହୋଇଲା ଯୋଗେ ହୃଦଗତ । । ୬୧
    କର୍ମ ଅଧୀନେ କାମେ ଜଡ଼ି । ଦେବମାୟାରେ ସୁଖ ଲୋଡ଼ି । । ୬୨
    ପୁରୁଷ କର୍ମର ଅଧୀନ । ଯୋଗେଶ୍ୱରଙ୍କୁ ଯେ ଗହନ । । ୬୩
    ସେ ହରି ବିଷ୍ଣୁମାୟା କରି । ନିଜପୁତ୍ରଙ୍କ ମନ ହରି । । ୬୪
    ସେ ପୁତ୍ରେ କ୍ରୀଡ଼ାରସେ ଦିନେ । କୋପ ସଞ୍ଚିଲେ ବିପ୍ରମନେ । । ୬୫
    ହରିର ମତ ଜାଣି ଭଲେ । ବ୍ରାହ୍ମଣେ ଶାପ ଦେଇଗଲେ । । ୬୬
    ବ୍ରାହ୍ମଣ-ଶାପ ପାଇ ପୁରେ । ଅଦ୍ଭୁତ ଦେଖିଲେ ବିସ୍ତାରେ । । ୬୭
    କୃଷ୍ଣବଚନେ ଶାନ୍ତି ଅର୍ଥେ । ପ୍ରଭାସେ ମିଳିଲେ ସମସ୍ତେ । । ୬୮
    ସେ ପୁଣ୍ୟଜଳେ କରି ସ୍ନାନ । ପିତୃତର୍ପଣ ପିଣ୍ତଦାନ । । ୬୯
    ପୂଜିଲେ ଋଷି ଦେବଗଣେ । ଗୋଦାନେ ତୋଷିଲେ ବ୍ରାହ୍ମଣେ । । ୭୦
    ସୁବର୍ଣ୍ଣ ରଜତ ଶୟନ । ବସନ କମ୍ବଳ ଅଜିନ । । ୭୧
    ରଥକୁଞ୍ଜର ଅଶ୍ୱମାନ । ଧରଣୀତୁଲେ କନ୍ୟାଦାନ । । ୭୨
    ଅନ୍ନ ସହିତେ ନାନାରସେ । ବିପ୍ରଙ୍କୁ ଭୁଞ୍ଜାଇ ହରଷେ । । ୭୩
    ଏମନ୍ତେ ଯଦୁ-ଭୋଜଗଣ । ଗୋ-ବିପ୍ରସେବା ତା’ଙ୍କ ପ୍ରାଣ । । ୭୪
    ବିପ୍ରଙ୍କ ପାଦେ ପ୍ରଣମିତେ । ଦିବସ ବଞ୍ଚିଲେ ଏମନ୍ତେ । । ୭୫
    ସ୍ୱଭାବେ କରି ଉପବାସେ । ରାତ୍ର ବଞ୍ଚିଲେ ସେ ନିରାଶେ । । ୭୬
    ସେ ଯଦୁବଂଶର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ । । ୭୭
    ହୋଇବ କୃଷ୍ଣରେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । । ୭୮
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ତୃତୀୟୋଽଧ୍ୟାୟଃ

    ଚତୁର୍ଥ ଅଧ୍ୟାୟ

    ଉଦ୍ଧବ ଉବାଚ

    ଉଦ୍ଧବ କହେ ଅଶ୍ରୁମୁଖେ । ସେ ଯଦୁବଂଶ ରାତ୍ରିମୁଖେ । । ୧
    ବାରୁଣୀମଦ୍ୟ କଲେ ପାନ । ତେଣୁ ହୋଇଲେ ହତଜ୍ଞାନ । । ୨
    ମର୍ମଭେଦନ କଟୁବାକ୍ୟେ । କନ୍ଦଳ କଲେ ଏକେ ଏକେ । । ୩
    ମନ ହରିଲା ମଦ୍ୟଦୋଷ । ଭୋଳେ ହୋଇଲେ ବୁଦ୍ଧିଭ୍ରଂଶ । । ୪
    ରଜନୀ ମଧ୍ୟେ ଯଦୁବଳେ । କନ୍ଦଳଯୁଦ୍ଧେ ନାଶ ଗଲେ । । ୫
    ତକ୍ଷଣେ ଆତ୍ମମାୟାଗତି । ବିଚାରି ପ୍ରଭୁ ଯଦୁପତି । । ୬
    ମିଳିଲେ ସରସ୍ୱତୀକୂଳେ । ବନେ ଅଶ୍ୱତଥ୍‌-ତରୁମୂଳେ । । ୭
    ସ୍ୱକୁଳ ନାଶ ଇଚ୍ଛା କରି । ଦ୍ୱାରକା ଥିଲାବେଳେ ହରି । । ୮
    ମୋତେ ବୋଇଲେ ଶିଷ୍ୟଧର୍ମେ । ଚଳ ତୁ ବଦରିକାଶ୍ରମେ । । ୯
    ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ପଦକମଳେ ମନ ଥୋଇ । । ୧୦
    ନ କରି ତୀର୍ଥକୁ ଗମନ । ଚାହିଁଲି ଶ୍ରୀକୃଷ୍ଣ-ବଦନ । । ୧୧
    ତା’ର ଗମନ ପଛେ ମୁହିଁ । ଗଲି ତାହାର ଭାବ ବହି । । ୧୨
    ସେ ପ୍ରିୟମତି ନରହରି । ଖୋଜନ୍ତେ ତା’କୁ ଅନୁସରି । । ୧୩
    ଦେଖିଲି ସରସ୍ୱତୀତୀରେ । ଏକାନ୍ତ-ଆସନ ସଧୀରେ । । ୧୪
    ଶ୍ୟାମସୁନ୍ଦର ତନୁ ବର୍ଣ୍ଣ । ପ୍ରଶାନ୍ତ-ଅରୁଣଲୋଚନ । । ୧୫
    ଚତୁରଭୁଜେ ଶସ୍ତ୍ର ଶୋହେ । ପୀତବସନ ମନମୋହେ । । ୧୬
    ଦକ୍ଷିଣପାଦ ବାମଜଙ୍ଘେ । ବାଳ-ଅଶ୍ୱତଥ୍‌ ପୃଷ୍ଠଭାଗେ । । ୧୭
    ଏବେ ହୋ କୁରୁବୀର ଶୁଣ । ମୈତ୍ରେୟ ମିଳିଲେ ସେ ସ୍ଥାନ । । ୧୮
    ବ୍ୟାସମୁନିଙ୍କ ସଖା ହୋ’ନ୍ତି । ଆନନ୍ଦେ ଭୁବନେ ଭ୍ରମନ୍ତି । । ୧୯
    ତକ୍ଷଣେ କୃଷ୍ଣପାଶେ ଯାଇ । ପଦେ ନମିଲେ ଶିରଦେଇ । । ୨୦
    ମୁହିଁ ଶୁଣଇ ଅନୁରାଗେ । ଯେବା ବୋଇଲେ କୃଷ୍ଣଭାବେ । । ୨୧

    ଭଗବାନ ଉବାଚ

    ଉଦ୍ଧବ ଶୁଣ ମୋ’ ବଚନ । ମୁହିଁ ଜାଣିଲି ତୋ’ର ମନ । । ୨୨
    ଦୁର୍ଲ୍ଲଭ-ଜ୍ଞାନ ଦେବି ତୋତେ । ସଂସାରୁ ତରିବୁ ଯେମନ୍ତେ । । ୨୩
    ପୂର୍ବେ ବ୍ରହ୍ମାର ଯଜ୍ଞକାଳେ । ସକଳ-ବସୁଙ୍କର ମେଳେ । । ୨୪
    କଳ୍ପିଲୁ ଯୋଗେ ଇଷ୍ଟସିଦ୍ଧି । ମୋ’ର ଚରଣ ଧ୍ୟାନେ ବନ୍ଦି । । ୨୫
    ଏ ଯୋଗ ସର୍ବ ପୂର୍ବେସିଦ୍ଧି । ଯେଣୁ ମୋ’ ଅନୁଗ୍ରହ-ବିଧି । । ୨୬
    ତେଣୁ ଲଭିଲୁ ମୋତେ ହେଳେ । ନିଜ ଭୁବନେ ଯିବାବେଳେ । । ୨୭
    ବିଷୟରସ ଭୋଗଚିନ୍ତି । ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି । । ୨୮
    ଭକ୍ତିବୈରାଗ୍ୟ ଯା’ର ନାହିଁ । ସେ ବା ଲଭିବ ମୋତେ କାହିଁ । । ୨୯
    ଯେ ଜ୍ଞାନ ବ୍ରହ୍ମାର ସମୀପେ । ମୁହିଁ କହିଲି ପଦ୍ମକଳ୍ପେ । । ୩୦
    ପରମ-ଜ୍ଞାନର ମହିମା । କେ ଚିନ୍ତିପାରେ ଆଦିସୀମା । । ୩୧
    ଏଣୁ ପଣ୍ତିତେ ମୁନିଜନେ । ଦୃଢେ଼ ବିଚାରି ଅନୁମାନେ । । ୩୨
    ଏ ଭାଗବତ-ଧର୍ମ ଚିନ୍ତି । ଏ ଭବଜଳୁ ତରିଯା’ନ୍ତି । । ୩୩

    ଉଦ୍ଧବ ଉବାଚ

    ସେ ଆଦିପୁରୁଷ ବଚନ । ଶୁଣି ଆନନ୍ଦ ମୋର ମନ । । ୩୪
    ତା’ ଅନୁଗ୍ରହ ପ୍ରତିକ୍ଷଣେ । କଳ୍ପିଲି ତାହାର ସ୍ମରଣେ । । ୩୫
    କୃଷ୍ଣସ୍ନେହରେ ମୋରଦେହୀ । ରୋମପୁଲକେ ଅଶ୍ରୁ ବହି । । ୩୬
    କରଯୁଗଳ ଶିରେ ଦେଇ । କହିଲି ତାହାଙ୍କୁ ବିନୋୟି । । ୩୭
    ଭୋ ନାଥ ତୋ’ର ପଦ୍ମପାଦେ । ଯେ ପ୍ରାଣୀ ଭଜନ୍ତି ଆନନ୍ଦେ । । ୩୮
    ତାହାଙ୍କୁ ସର୍ବ-ପୁରୁଷାର୍ଥ । ଯେ ଧର୍ମ-କାମ-ମୋକ୍ଷ-ଅର୍ଥ । । ୩୯
    ଦୁର୍ଲଭ ନୋହେ ଲଭିବାରେ । ନିଶ୍ଚୟ ମୋହର ବିଚାରେ । । ୪୦
    ମୋହର ତେଣେ ଆଶାନାହିଁ । କେବଳ ତୋ’ ପାଦ ଭଜଇ । । ୪୧
    ସ୍ୱଭାବେ ଜନ୍ମ ଯା’ର ନାହିଁ । କର୍ମର ଚେଷ୍ଟା ତା’ର କାହିଁ । । ୪୨
    ସ୍ୱଭାବେ କାଳରୂପ ତୋ’ର । ଜ୍ଞାନବିଜ୍ଞାନେ ଅଗୋଚର । । ୪୩
    ତୋ’ର ମହିମା ଆତ୍ମାରତି । ଯୋଗୀଏ ନ ପାରନ୍ତି ଚିନ୍ତି । । ୪୪
    ତୁ ପୁଣି ଶତ୍ରୁଭୟ ପାଇ । ସମୁଦ୍ରେ ଦୁର୍ଗକୁ ଭିଆଇ । । ୪୫
    ପଳାଇ ରହିଲୁ ଆନନ୍ଦେ । ଅନେକ ନାରୀଗଣ ମଧ୍ୟେ । । ୪୬
    ମନ୍ତ୍ରଣା ଅର୍ଥେ ମୋତେ ରାଇ । ଆଦରେ ସମୀପେ ବସାଇ । । ୪୭
    ସ୍ୱଭାବେ ଅକୁଣ୍ଠିତ-ବୁଦ୍ଧି । ଅଖଣ୍ତ-ଆତ୍ମଜ୍ଞାନନିଧି । । ୪୮
    ସଂଶୟେ ବୁଦ୍ଧି ହୁଏ କ୍ଷୀଣ । ଦେଖିଣ ତୋ’ର ଆଚରଣ । । ୪୯
    ସର୍ବଜ୍ଞପଣ ଯା’ର ତହିଁ । ସେ କିପାଁ ମୋତେ ପଚାରଇ । । ୫୦
    ଏଣୁ ମୋ ମନ ଖେଦ ପାଇ । ତୋ’ ମାୟା ଗହନେ ଭ୍ରମଇଁ । । ୫୧
    ଯେ ଆତ୍ମାଜ୍ଞାନ ତୁ ଏକାନ୍ତେ । କହିଲୁ ବ୍ରହ୍ମାର ଅଗ୍ରତେ । । ୫୨
    ମୁଁ ଯେବେ ଶୁଣିବାରେ କ୍ଷମ । କହ ହେ ପୁରୁଷଉତ୍ତମ । । ୫୩
    ଯେ ଜ୍ଞାନମାର୍ଗେ ତୋତେ ସେବି । ଏ ମାୟାସଂସାରୁ ତରିବି । । ୫୪
    ଏମନ୍ତ ପଚାରନ୍ତେ ମୁହିଁ । ସେ କୃଷ୍ଣ ମୋତେ ଦୟାବହି । । ୫୫
    ଆତ୍ମାର ତତ୍ତ୍ବ ନିତ୍ୟଜ୍ଞାନ । କହିଲେ କମଳଲୋଚନ । । ୫୬
    ସେ ତୀର୍ଥପାଦ ଜଗନ୍ନାଥ । ମୋହର ଭାବେ ଆରାଧିତ । । ୫୭
    ସେ ହରିମୁଖୁ ଜ୍ଞାନ ପାଇ । ତା’ ପାଦପଦ୍ମେ ଶିରଦେଇ । । ୫୮
    ସେ ଦେବଦେବ ଭଗବାନ । ତାହାଙ୍କୁ କରି ପ୍ରଦକ୍ଷିଣ । । ୫୯
    ତା’ର ବିଚ୍ଛେଦେ ଆତ୍ମା ମୋ’ର । କ୍ଷଣେ ଏ ଦେହେ ନୋହେ ସ୍ଥିର । । ୬୦
    ତା’ର ବିରହ ଆତ୍ମାତୁଲେ । ତକ୍ଷଣେ ଅଇଲି ଏ ସ୍ଥଳେ । । ୬୧
    ତା’ର ବିଯୋଗ ଆର୍ତ୍ତିଯୁତେ । ଯିବି ମୁଁ ତା’ର ପ୍ରିୟତୀର୍ଥେ । । ୬୨
    ନାମ ତା’ ବଦରିକାଶ୍ରମ । ଯହିଁରେ ନରନାରାୟଣ । । ୬୩
    ଏ ନରଲୋକେ ଶୁଭ ଅର୍ଥେ । ତପ ଆରାଧି ଦୃଢ଼ଚିତ୍ତେ । । ୬୪
    ଅଛନ୍ତି ନରନାରାୟଣ । ଶୁକ ବୋଲନ୍ତି ରାୟ ଶୁଣ । । ୬୫

    ଶୁକ ଉବାଚ

    ସୁହୃଦ-ବନ୍ଧୁ-ବଧ ବାଣୀ । ଉଦ୍ଧବ ମୁଖୁ ତାହା ଶୁଣି । । ୬୬
    ଦୁଃସହ-ଦୁଃଖ ତା’ ମନର । ଜ୍ଞାନେ ସଂହରିଲା ବିଦୁର । । ୬୭
    କହି ଉଦ୍ଧବ ଚଳିଯା’ନ୍ତେ । ବିଦୁର ପଡେ଼ ପାଦଗତେ । । ୬୮
    ପୁଣି ବିଶ୍ୱାସ ତା’ଙ୍କୁ କରି । ବୋଲେ ଚରଣ ଶିରେ ଧରି । । ୬୯

    ବିଦୁର ଉବାଚ

    ଉଦ୍ଧବ ଶୁଣ ମୋ’ ବଚନ । ତୋ’ର ଠାକୁର ଭଗବାନ । । ୭୦
    ସେ ଜ୍ଞାନ କହିଛନ୍ତି ଯେତେ । ଉଦ୍ଧବ କହ ମୋ’ ଅଗ୍ରତେ । । ୭୧
    ଯେ ଜ୍ଞାନ ଧ୍ୟାନ ସୁଖ ଭୋଳେ । ପଶିବି ତା’ ପାଦକମଳେ । । ୭୨
    ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ବୋଲେ ତାହା ଶୁଣି । । ୭୩

    ଉଦ୍ଧବ ଉବାଚ

    ଶୁଣ ବିଦୁର ମୋ’ ବଚନ । ସେ ଯୋଗେଶ୍ୱର ଭଗବାନ । । ୭୪
    ଜୀବନ ଛାଡ଼ିବାର କାଳେ । ମୈତ୍ରେୟ ମୁନିଙ୍କି ନିଶ୍ଚଳେ । । ୭୫
    ସମ୍ପୂର୍ଣ୍ଣ-ଜ୍ଞାନ ତା’ଙ୍କୁ ଦେଲେ । ନିଜ ଭୁବନେ ବିଜେ କଲେ । । ୭୬
    ତୁ ଏବେ ଚଳ ତା’ଙ୍କ ପାଶ । ନିର୍ମଳ-ଭକ୍ତି-ଉପଦେଶ । । ୭୭
    ସେ ତୋତେ ଦେବେ ଦିବ୍ୟଜ୍ଞାନ । ଏମନ୍ତ କହି ବେନିଜନ । । ୭୮
    ପୁଲିନେ ବଞ୍ଚିଲେ ରଜନୀ । ନିଶ୍ଚଳେ କୃଷ୍ଣଭାବଘେନି । । ୭୯
    କୃଷ୍ଣ-ଚରଣ-ଧ୍ୟାନ ବଳେ । ବନ୍ଧୁ-ବିଯୋଗ ପାଶୋରିଲେ । । ୮୦
    ଏମନ୍ତେ ପାହିଲା ରଜନୀ । କୃଷ୍ଣଭକତିଭାବ ଘେନି । । ୮୧
    ଉଦ୍ଧବ ଗଲା ତୋଷମନେ । ମିଳିଲା ବଦରିକାଶ୍ରମେ । । ୮୨
    ପରୀକ୍ଷ କହେ ଶୁକେ ଚାହିଁ । ଭାବେ ଚରଣେ ଶିର ଦେଇ । । ୮୩

    ପରୀକ୍ଷିତ ଉବାଚ

    ଭୋ ମୁନି ଅସମ୍ଭବ ବାଣୀ । ମୁହିଁ ତୁମ୍ଭର ମୁଖୁ ଶୁଣି । । ୮୪
    ସଂଶୟ ରହିଲା ମୋ’ ମନେ । ପୁଚ୍ଛଇ ତୁମ୍ଭ ସନ୍ନିଧାନେ । । ୮୫
    ବ୍ରାହ୍ମଣଶାପେ ଯଦୁବଳେ । ନଶିଲେ ରଣେ ମଦ୍ୟଭୋଳେ । । ୮୬
    ରଥ କୁଞ୍ଜର ଯୂଥପତି । କେବେ ହେଁ ରଣେ ନ ଘୁଞ୍ଚନ୍ତି । । ୮୭
    ଯୂଥପତିଙ୍କ ମଧ୍ୟେ ମୁଖ୍ୟ । ଉଦ୍ଧବ ଅଟଇ ପ୍ରତ୍ୟକ୍ଷ । । ୮୮
    ଏ ବଡ଼ ସଂଶୟ ମୋ’ ଚିତ୍ତେ । ଉଦ୍ଧବ ବଞ୍ଚିଲା କେମନ୍ତେ । । ୮୯
    ଯହିଁ ଗୋବିନ୍ଦ ଦେହ ଗଲା । ଏ ବା କେମନ୍ତେ ଉବୁରିଲା । । ୯୦
    ଶୁଣି କହନ୍ତି ଶୁକମୁନି । ଆନନ୍ଦେ କୃଷ୍ଣଭାବ ଘେନି । । ୯୧

    ଶୁକ ଉବାଚ

    ବ୍ରାହ୍ମଣ-ଶାପ ବଡ଼ଦୋଷ । ନିଶ୍ଚେ ଦହିବ ଯଦୁବଂଶ । । ୯୨
    ଏମନ୍ତ ଜାଣି ଭାବଗ୍ରାହୀ । ନିକଟେ ଉଦ୍ଧବ ବସାଇ । । ୯୩
    ଆତ୍ମମରଣ ପରିମାଣି । ମନେ ଚିନ୍ତିଲେ ଚକ୍ରପାଣି । । ୯୪
    ଏ ମୋର ତତ୍ତ୍ବଜ୍ଞାନ ଯେତେ । ମୁଁ ଗଲେ ଯିବ ମୋ’ ସଙ୍ଗତେ । । ୯୫
    ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ । ପ୍ରାଣୀ ତରିବେ ଏହିଭାବେ । । ୯୬
    ଏମନ୍ତେ ମନେ ବିଚାରିଲେ । ଉଦ୍ଧବେ ତତ୍ତ୍ବଜ୍ଞାନ ଦେଲେ । । ୯୭
    ବୋଇଲେ ସାଧ ଜ୍ଞାନବ୍ରହ୍ମ । ଏ ଯେ ଉଦ୍ଧବ ମୋର ସମ । । ୯୮
    ଏ ଜ୍ଞାନ ପ୍ରାଣୀଙ୍କି ବୁଝାଉ । ଏଣୁ ଏ ନରଲୋକେ ରହୁ । । ୯୯
    ଉଦ୍ଧବ କହିବ ଯେମନ୍ତେ । ପ୍ରାଣୀଏ ଯିବେ ସେହିପଥେ । । ୧୦୦
    ଏଣୁ ତ୍ରିଲୋକଗୁରୁ-ହରି । ଜ୍ଞାନେ ଉଦ୍ଧବକୁ ଉଦ୍ଧରି । । ୧୦୧
    ତେଣୁ ଗୋବିନ୍ଦ ବୋଲେ ଗଲା । ବଦ୍ରିକାଆଶ୍ରମେ ମିଳିଲା । । ୧୦୨
    ସମାଧି କରି ଘୋରବନେ । ପୂଜିଲା ଗୋବିନ୍ଦ-ଚରଣେ । । ୧୦୩
    ଏମନ୍ତେ ଉଦ୍ଧବର ବାଣୀ । ବିଦୁର ସାବଧାନେ ଶୁଣି । । ୧୦୪
    କୃଷ୍ଣର ଲୀଳା ଅବତାର । ଯେ ଗୁଣଗାଥା କର୍ମ ତା’ର । । ୧୦୫
    ଶରୀର ଛାଡ଼ିଲେ ଯେମନ୍ତେ । ଏ ସର୍ବକଥା ସ୍ମରି ଚିତ୍ତେ । । ୧୦୬
    କୃଷ୍ଣର ସ୍ନେହେ ଦେଇମନ । ଚଳନ୍ତେ କରଇ ରୋଦନ । । ୧୦୭
    କେତେ ହେଁ ଦିନ ବନେ ଗଲା । କାଳିନ୍ଦୀତଟରେ ମିଳିଲା । । ୧୦୮
    ତହୁଁ ଚଳିଲା ଗଙ୍ଗାତୀରେ । ମୈତ୍ରେୟ-ମୁନି-ଅନୁସରେ । । ୧୦୯
    କହଇ ବିପ୍ର ଜଗନ୍ନାଥ । ତୃତୀୟସ୍କନ୍ଧେ ଭାଗବତ । । ୧୧୦
    ବିଦୁର-ଉଦ୍ଧବ-ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୧୧୧
    ସୁଜନେ ଏଣେ ଦିନ ବଞ୍ଚ । କୃଷ୍ଣ-ଭକତି ହୃଦେ ସଞ୍ଚ । । ୧୧୨
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଚତୁର୍ଥଽଧ୍ୟାୟଃ

    ପଞ୍ଚମ ଅଧ୍ୟାୟ

    ଶୁକ ଉବାଚ

    ଶୁଣ ହେ କୁରୁ ନୃପବର । ଗଙ୍ଗାରତୀରେ ସେ ବିଦୁର । । ୧
    ସେ ଗଙ୍ଗାତୀରେ ଉପବନେ । ଦୃଢ଼ ନିଶ୍ଚଳେ ଯେଗାସନେ । । ୨
    ଅଗାଧବୋଧ ବ୍ରହ୍ମଋଷି । ବୃକ୍ଷର ମୂଳେ ଛନ୍ତି ବସି । । ୩
    ମୈତ୍ରେୟ ନାମ ତାହାଙ୍କର । ତେଜେ କି ବିରାଜେ ଭାସ୍କର । । ୪
    ତାଙ୍କ ସମୀପେ ବେଗେ ଯାଇ । କପୋଳେ ବେନିକର ଦେଇ । । ୫
    ଗୋବିନ୍ଦଭାବ ଘେନି ହୃଦେ । ବିଦୁର ପୁଚ୍ଛିଲା ଆନନ୍ଦେ । । ୬

    ବିଦୁର ଉବାଚ

    ଭୋ ବ୍ରହ୍ମମୁନି ମୋତେ କହ । ଏ ମୋର ମନରେ ସନ୍ଦେହ । । ୭
    ଏ ଜୀବଲୋକ ସୁଖଅର୍ଥେ । କର୍ମ ସମ୍ପାଦୁଥାଇ ନିତ୍ୟେ । । ୮
    କେବେହେଁ ଦୁଃଖ ନ ଚିନ୍ତଇ । ନିଷ୍କାମମାର୍ଗେ ନ ରହଇ । । ୯
    ସୁଖ ଚିନ୍ତନ୍ତେ ଦୁଃଖଲଭେ । କହ ଏ କେବଣ ପ୍ରସ୍ତାବେ । । ୧୦
    କୃଷ୍ଣ-ବିମୁଖ ଯେତେ ନର । କର୍ମ ଅଭାଗ୍ୟ ତାହାଙ୍କର । । ୧୧
    ବଞ୍ଚିତ ଗୁରୁଧର୍ମଦୀକ୍ଷା । କାହୁଁ ପାଇବେ ସୁଖବାଞ୍ଛା । । ୧୨
    କୃଷ୍ଣର ଅନୁଗ୍ରହୀ ଜନେ । ଭୂତ-ଭବିଷ୍ୟ-ବର୍ତ୍ତମାନେ । । ୧୩
    ତାଙ୍କ କୁଶଳ ଆଚରନ୍ତି । କ୍ଷେମେଣ ସଂସାରେ ଭ୍ରମନ୍ତି । । ୧୪
    ହେ ସାଧୁଜନଙ୍କର ସାର । କହ ସାଧୁମାର୍ଗ ବିଚାର । । ୧୫
    ଯେ ମାର୍ଗେ କୃଷ୍ଣଙ୍କୁ ଆରାଧି । ପ୍ରାଣୀ ଲଭନ୍ତି ସର୍ବସିଦ୍ଧି । । ୧୬
    ସେ ହରି ଭକ୍ତି ଅନୁଗତେ । ବସନ୍ତି ଭକ୍ତ-ହୃଦଗତେ । । ୧୭
    ନିର୍ମଳଚିତ୍ତେ ଜ୍ଞାନ କହେ । ଜନ୍ମମରଣ ତାପ ଦହେ । । ୧୮
    ସେ ହରି ନାନା-ଅବତାରେ । ସଂସାରେ ଯେତେ କର୍ମକରେ । । ୧୯
    ସ୍ୱଭାବେ ତ୍ରୈଲୋକ୍ୟଈଶ୍ୱର । ବ୍ରହ୍ମା-ଶଙ୍କରେ ଅଗୋଚର । । ୨୦
    ସ୍ୱଭାବେ ଚେଷ୍ଟା ଯାର ନାହିଁ । ସେ କିପାଁ ସଂସାର ସର୍ଜଇ । । ୨୧
    ବ୍ରହ୍ମାଣ୍ତେ କରେ ନାନାମୂର୍ତ୍ତି । ଯେ ଜୀବ ଯେମନ୍ତେ ଜୀଅନ୍ତି । । ୨୨
    ଜୀବଙ୍କୁ ହୃଦେ ଭରି ଶୋଏ । କେବଳ ଆତ୍ମମାୟା-ମୋହେ । । ୨୩
    ଯୋଗେଶ୍ୱରଙ୍କ ଅଧୀଶ୍ୱର । ଯେମନ୍ତେ ବହୁତ ପ୍ରକାର । । ୨୪
    ବହୁପ୍ରକାରେ ପ୍ରକାଶଇ । ରବି ଯେସନେ ଶୂନ୍ୟେଥାଇ । । ୨୫
    କ୍ରୀଡ଼ାବିହାରେ ଏ ଜଗତେ । ଗୋ-ବିପ୍ର-ଦେବ-ରକ୍ଷାଅର୍ଥେ । । ୨୬
    କର୍ମ କରଇ ସେ ଯେମନ୍ତେ । ରୂପ ପ୍ରଭେଦ ବହୁମତେ । । ୨୭
    ସେ ହରି-ଚରିତ-ଅମୃତ । ଶୁଣି ସନ୍ତୋଷ ନୋହେ ଚିତ୍ତ । । ୨୮
    ସେ ଆଦିଲୋକନାଥ ହରି । ଯେ ଅବା ତତ୍ତ୍ବ ଆଶ୍ରେକରି । । ୨୯
    ଲୋକ-ଅଲୋକ-ଲୋକପାଳ । ଅନେକ ଭୁବନମଣ୍ତଳ । । ୩୦
    ନାନାପ୍ରକାରେ ଭେଦକରି । ପ୍ରାଣୀଙ୍କ କର୍ମସୂତ୍ର ଧରି । । ୩୧
    ସେ ନାରାୟଣ ଆତ୍ମଯୋନି । ବିଶ୍ୱସର୍ଜଇ ଯାକୁ ଘେନି । । ୩୨
    ଯେମନ୍ତେ ଜୀବମାନଙ୍କର । ସ୍ୱଭାବକର୍ମ ଯେ ଯାହାର । । ୩୩
    ସେ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ । । ୩୪
    ପରଅପର କଥା ଯେତେ । ଗୋବିନ୍ଦ-ଚରିତ ସମେତେ । । ୩୫
    ବ୍ୟାସଙ୍କ ମୁଖୁ ଅନୁକ୍ଷଣେ । ଶୁଣିଛି ତୃଷିତ-ଶ୍ରବଣେ । । ୩୬
    ଅଳପ ସୁଖ ଯା ଲକ୍ଷଣ । ସେ କାହିଁ ହରିବ ମୋ ମନ । । ୩୭
    ଶ୍ରୀକୃଷ୍ଣ-କଥାମୃତରସ । ପାନରେ ସର୍ବଦା ମୋ ଆଶ । । ୩୮
    କୃଷ୍ଣଚରିତ ତୀର୍ଥପଦ । ହରଇ ବିଷୟା-ବିଷାଦ । । ୩୯
    ସକଳତୀର୍ଥେ ମୁନିଗଣେ । ଯାର ଚରିତ ଅନୁକ୍ଷଣେ । । ୪୦
    ସ୍ତୁତି କରନ୍ତି ଆତ୍ମାଲାଭେ । କେବଳ ଆତ୍ମଜ୍ଞାନଲୋଭେ । । ୪୧
    ସେ କଥା ପଶି କର୍ଣ୍ଣଦ୍ବାରେ । ସୁତୀକ୍ଷ୍‌ଣ-ଚକ୍ର ଘେନି କରେ । । ୪୨
    ଯେ କର୍ମ ଗୃହ-ଧନ୍ଦେ ଥାଇ । ତ୍ରିଗୁଣ-ରଜ୍ଜୁ ଗଳେ ଦେଇ । । ୪୩
    ଜନ୍ମମରଣ-ମାର୍ଗେ ଟାଣେ । ସେ କର୍ମ ଛେଦେ ତତକ୍ଷଣେ । । ୪୪
    ଏମନ୍ତ କୃଷ୍ଣଗୁଣ ଯେତେ । କେ ତୃପ୍ତ ଶୁଣି କର୍ଣ୍ଣପଥେ । । ୪୫
    ତୁମ୍ଭର ସଖା ମୁନିବ୍ୟାସ । ଭାରତେ କୃଷ୍ଣ ଗୁଣ-ଯଶ । । ୪୬
    ଅର୍ଥକାମାଦିଦ୍ୱାରେ କହି । ଯେଣେ ଶ୍ରୀକୃଷ୍ଣେ ମତିହୋଇ । । ୪୭
    ଯାହା ଶୁଣନ୍ତେ କର୍ଣ୍ଣେ ସୁଖ । ମନେ ନ ରହେ କିଛି ଦୁଃଖ । । ୪୮
    ଯାହା ଶୁଣନ୍ତେ ନିତିନିତି । ନିବିଡେ଼ ବଢ଼ଇ ବିରକ୍ତି । । ୪୯
    ସେ ହରି କଥନ ଶ୍ରବଣେ । ଯେ ପ୍ରାଣୀ ବାଞ୍ଛେ ଅନୁକ୍ଷଣେ । । ୫୦
    ସକଳଦୁଃଖ ହରେ ତାର । ରବି ଯେସନେ ଅନ୍ଧକାର । । ୫୧
    ଯେ ହରି-କଥନେ ବିମୁଖୀ । ତାର ଜୀବନ ସଦା ଦୁଃଖୀ । । ୫୨
    ତାର ଆୟୁଷ ଗତି-ସ୍ମୃତି । କାଳର ବଳେ ନାଶ ଯାନ୍ତି । । ୫୩
    ତାହା ନ ଜାଣି ମୂଢ଼ପଣେ । ବିଅର୍ଥବାଦ ଅନୁକ୍ଷଣେ । । ୫୪
    ଏଣୁ ଗୋବିନ୍ଦ କଥା ଯେତେ । ଆଗମ ନିଗମ ଭକତେ । । ୫୫
    ସକଳ କଥା ମଧ୍ୟେ ସାର । ସର୍ବକଲ୍ୟାଣ ସୁଖଘର । । ୫୬
    ଉଧରି କହ ବିପ୍ର ମୋତେ । ଏ ଜୀବଆତ୍ମା ମୋକ୍ଷଅର୍ଥେ । । ୫୭
    ପୁଷ୍ପରୁ ସାର ମଧୁ ଯେହ୍ନେ । ଉଦ୍ଧରି ମଧୁକର ଆଣେ । । ୫୮
    ଚିତ୍ତ-ସନ୍ତୋଷେ ପାନ କରେ । ନିର୍ମଳଭାବେ ଦିନ ହରେ । । ୫୯
    ସୃଷ୍ଟି-ପାଳନ-ସଂହାରଣେ । ଯେ ହରି ଆତ୍ମାମାୟା-ଗୁଣେ । । ୬୦
    ଅଶେଷ ଶରୀରେ ବିହରେ । ଅତିମାନୁଷ କର୍ମକରେ । । ୬୧
    ନାନା ପ୍ରକାର ଶକ୍ତି ଧରେ । ଯେମନ୍ତେ ସଂସାରେ ବିହରେ । । ୬୨
    ସେ ହରି ଗୁଣକର୍ମ ଯେତେ । ଭୋ ମୁନି କହ ମୋ ଅଗ୍ରତେ । । ୬୩

    ଶୁକ ଉବାଚ

    ଏମନ୍ତ ବିଦୁରର ବାଣୀ । ଆନନ୍ଦେ ମଇତ୍ରେୟ ଶୁଣି । । ୬୪
    ଏ ଜୀବ ନିସ୍ତରେ ଯେମନ୍ତେ । କହନ୍ତି ବିଦୁର ଅଗ୍ରତେ । । ୬୫

    ମୈତ୍ରେୟ ଉବାଚ

    ବିଦୁର ସାଧୁ ତୋ ବଚନ । ଯେଣେ ତରିବେ ଦୁଃଖୀଜନ । । ୬୬
    ଯେ କଥା ହରି-ପାରାୟଣ । ବିସ୍ତାରି ପୁଚ୍ଛୁ ତୁ କାରଣ । । ୬୭
    ବ୍ୟାସଙ୍କ ବୀର୍ଯ୍ୟେ ତୁ ସ୍ୱଭାବେ । ଜନ୍ମ ଲଭିଲୁ ହରିଭାବେ । । ୬୮
    ମାଣ୍ତବ୍ୟ ତହୁଁ ଶାପ ପାଇ । ତୁ ଯମ ଶୂଦ୍ରରୂପ ବହି । । ୬୯
    ବ୍ୟାସ କନିଷ୍ଠଭ୍ରାତା କ୍ଷେତ୍ରେ । ଯୋଜନଗନ୍ଧା ଅନୁମତେ । । ୭୦
    ଶୁଦ୍ରାର ଗର୍ଭେ ତୋର ଜାତ । ତେଣୁ ତୁ ବ୍ୟାସଙ୍କର ସୁତ । । ୭୧
    ସେ ବିପ୍ରଶାପ ମୋକ୍ଷଅର୍ଥେ । ହରି ଭଜିଲୁ ଅବିରତେ । । ୭୨
    ସେ ହରି ପ୍ରାଣତ୍ୟାଗ କାଳେ । ବନେ ପିପ୍‌ପଳ ବୃକ୍ଷମୂଳେ । । ୭୩
    ତୋହର ଅର୍ଥେ ମୋତେ ଜ୍ଞାନ । କହିଲେ ଦେବକୀନନ୍ଦନ । । ୭୪
    ସେ ଜ୍ଞାନ ତୋତେ ମୁଁ କହିବି । ଶୁଣନ୍ତା-ପ୍ରାଣୀ ନିସ୍ତାରିବି । । ୭୫
    ସେ ହରି ଯୋଗମାୟା ବଳେ । ଲୀଲାବିହାର ଏ ଶୟଳେ । । ୭୬
    ବିଶ୍ୱ ସର୍ଜଇ ପାଳି ହରେ । ଯେ ଯୁଗେ ଯେବା କର୍ମକରେ । । ୭୭
    ନାନାପ୍ରକାର ଲୀଳା କରେ । ଇଚ୍ଛା ଏ ସଂସାରେ ବିହରେ । । ୭୮
    ସୃଷ୍ଟିର କାଳେ ଭଗବାନ । ଆତ୍ମାକୁ ଆତ୍ମାଜ୍ଞାନେ ଧ୍ୟାନ । । ୭୯
    କରିଣ ଦେଖେ ଏତଜ୍ୟୋତି । ସେ ପୁଣି ଆତ୍ମଜ୍ଞାନେ ସ୍ଥିତି । । ୮୦
    ଅଶେଷ ଶକ୍ତି ତାର ଦେହେ । ନିଦ୍ରିତ ପ୍ରାୟେ ସୁଖେ ରହେ । । ୮୧
    ସେ ଶକ୍ତି ଜ୍ଞାନବଳେ ସ୍ମରି । ତକ୍ଷଣେ ମାୟାରୂପ ଧରି । । ୮୨
    ସତ-ଅସତ-ଆତ୍ମା ତାର । ଯେ ଭାବେ ନିର୍ମିତ ସଂସାର । । ୮୩
    ସେ ମାୟାମଧ୍ୟେ କାଳ ରୂପେ । ତ୍ରିଗୁଣ ଗୁଣମୟେ କଳ୍ପେ । । ୮୪
    ପୁରୁଷରୂପେ ବୀର୍ଯ୍ୟ ଥୋଇ । ସେ ବୀର୍ଯ୍ୟେ ସ୍ୱୟଂ ପ୍ରକାଶଇ । । ୮୫
    ଅବ୍ୟକ୍ତ ମଧ୍ୟୁ କାଳବଳେ । ମହତ ଉଦୟ ନିଶ୍ଚଳେ । । ୮୬
    ବିଲୀନଆତ୍ମା ଦେହଗତ । ଯେ ବୀର୍ଯ୍ୟେ ଏ ବିଶ୍ୱ ବ୍ୟକତ । । ୮୭
    ଯହୁଁ ସକଳ ପରକାଶେ । ଅନ୍ଧାର ଯେହ୍ନେ ରବି-ତ୍ରାସେ । । ୮୮
    ସେ ଅଂଶ ଗୁଣ କାଳବଶେ । ଆତ୍ମାରୁ ସଂସାର ପ୍ରକାଶେ । । ୮୯
    ଆତ୍ମାରୁ ଆତ୍ମାଗୁଣ ବଳେ । ଲହରୀ ଯେହ୍ନେ ସିନ୍ଧୁଜଳେ । । ୯୦
    ସେ ପୁଣି ଈଶ୍ୱରର ଇଚ୍ଛା । ଯହୁଁ ଉପୁଜେ ସୃଷ୍ଟିଦୀକ୍ଷା । । ୯୧
    ଯେସନେ ରୋପିତ ଅଙ୍କୁର । ଧରଇ ବୃକ୍ଷର ଆକାର । । ୯୨
    ସେ ରୂପେ ବିଶ୍ୱର ପ୍ରକାଶ । ନିଜଦେହରୁ କରେ ଈଶ । । ୯୩
    ସେ ଅଂଶ-ଗୁଣ-କାଳ-ଆତ୍ମା । ବିକୃତ କରି ନିଜ ଆତ୍ମା । । ୯୪
    ତାର ବିକାରୁ ଅହଙ୍କାର । ତକ୍ଷଣେ ହୋଇଲା ବାହାର । । ୯୫
    କାର୍ଯ୍ୟ କାରଣ କର୍ତ୍ତା ଦେହ । ଭୂତ ଇନ୍ଦ୍ରିୟ ମନୋମୟ । । ୯୬
    ସାତ୍ତ୍ବିକ ରାଜସ ତାମସ । ଏ ତିନିରୂପେ ତା ପ୍ରକାଶ । । ୯୭
    ସେ ପୁଣି ବିଷ୍ଣୁ-ମାୟାବଳେ । ଜଳବୁଦ୍‌ବୁଦ ଯେହ୍ନେ ଜଳେ । । ୯୮
    ମନ ଉପୁଜିଲା ତକ୍ଷଣ । ଇନ୍ଦ୍ରିୟ ଦେବତାଏ ପୁଣ । । ୯୯
    ତୈଜସୁ ହେଲେ ଇନ୍ଦ୍ରିଗଣେ । ଯେ ଜ୍ଞାନ ପରମ କାରଣେ । । ୧୦୦
    ତମୁ ଉପୁଜିଲା ଶବଦ । ସ୍ପରଶ ରୂପ-ରସ-ଗନ୍ଧ । । ୧୦୧
    ଏ ପଞ୍ଚ ସୂକ୍ଷ୍ମଗୁଣେ ମିଶି । ଶବଦୁ ଗଗନ ପ୍ରକାଶି । । ୧୦୨
    ସେ କାଳମାୟା ଅଂଶଯୋଗେ । ବିଷ୍ଣୁର ଦୃଷ୍ଟିର ସଂଯୋଗେ । । ୧୦୩
    ତହୁଁ ସ୍ପରଶ-ଗୁଣ ହୋଇ । ସ୍ପର୍ଶୁ ପବନ ପ୍ରକାଶଇ । । ୧୦୪
    ତାହାର ତହିଁ ବେନିଗୁଣ । ଶବଦ ସ୍ପରଶ ଲକ୍ଷଣ । । ୧୦୫
    ସେ ପୁଣି କାଳେ ବିକାରିତ । ଜ୍ୟୋତି ତାହାର ତହୁଁ ଜାତ । । ୧୦୬
    ସେ ଜ୍ୟୋତି ମଧ୍ୟେ ରୂପ ଥୋଇ । ଶବ୍ଦ-ସ୍ପରଶ-ରୂପମୟୀ । । ୧୦୭
    ଜ୍ୟୋତିବିକାରେ ରସୁଁ ଆପ । ଶବ୍ଦ-ସ୍ପରଶ-ରସ-ରୂପ । । ୧୦୮
    ଏ ଚାରିଗୁଣ ଜଳେ ଥୋଇ । ଭୂମି ଉପୁଜେ ଗନ୍ଧ ଲଇ । । ୧୦୯
    ଏମନ୍ତେ ସୃଷ୍ଟିର ସଞ୍ଚାର । ମହତଆଦିତତ୍ତ୍ବଙ୍କର । । ୧୧୦
    ଅଧିଦେବତା ଅଧିକାର । ଯେ ଅଂଶ ଅଟନ୍ତି ବିଷ୍ଣୁର । । ୧୧୧
    ସେ ତତ୍ତ୍ବମାନଙ୍କ ଈଶ୍ୱର । ଚେତନା-ବିକ୍ଷେପ-ବିଚାର । । ୧୧୨
    ଏ ତିନିଗୁଣଙ୍କୁ ସେ ଧରି । ବ୍ରହ୍ମାଣ୍ତ ସୃଜିଣ ନ ପାରି । । ୧୧୩
    କରଅଞ୍ଜଳି ଶିରେ ଦେଇ । ଭାବେ ବୋଲନ୍ତି ବିଷ୍ଣୁ ଚାହିଁ । । ୧୧୪

    ଦେବଗଣ ଉବାଚ

    ଭୋ ଦେବ ନମୁଁ ତୋ ପୟର । ପ୍ରପନ୍ନଜନ ଦୁଃଖ ହର । । ୧୧୫
    ଯେ ପାଦପଦ୍ମ ଆଶ୍ରେ କରି । ସଂସାରୁ ତରନ୍ତି ସଂସାରୀ । । ୧୧୬
    ହେ ଧାତା ତୋର ମାୟାବଳେ । ଅଶେଷଜନ୍ତୁ ଏ ଶୟଳେ । । ୧୧୭
    କରନ୍ତି ତାପତ୍ରୟେ ଭ୍ରମ । ଏଣୁ ଲଭନ୍ତି ପ୍ରାଣୀ ଶ୍ରମ । । ୧୧୮
    ତୋ ପାଦପଦ୍ମ ଛାୟାତଳେ । ଯେ ପ୍ରାଣୀ ରହନ୍ତି ନିଶ୍ଚଳେ । । ୧୧୯
    ସେ ପ୍ରାଣୀ ସଂସାରୁ ତରନ୍ତି । କେବେ ହେଁ ଭ୍ରମେ ନ ପଡ଼ନ୍ତି । । ୧୨୦
    ଏଣୁ ତୋ ପାଦ ସେବାଅର୍ଥେ । ଆମ୍ଭେ ରହିବୁ ଏ ଜଗତେ । । ୧୨୧
    ତୋ ମୁଖପଦ୍ମ ଛାୟା ପ୍ରାୟ । ଯେମନ୍ତେ ପକ୍ଷୀଙ୍କ ଆଶ୍ରୟ । । ୧୨୨
    ନିଶ୍ଚିନ୍ତ ପ୍ରାୟେ ଘୋରବନେ । ଆଶ୍ରେ କରନ୍ତି ମୁନିଜନେ । । ୧୨୩
    ସେ ପାଦ ଛୁଇଁ ତୀର୍ଥବର । ଗଙ୍ଗା ଯେ ସ୍ୱଭାବେ ନିର୍ମଳ । । ୧୨୪
    ସମ୍ପୂର୍ଣ୍ଣ ଅଘମରଷଣ । ସେ ପାଦେ ପଶିଲୁ ଶରଣ । । ୧୨୫
    ଏଣୁ ଯେ ତୋହର ଚରଣେ । ହୃଦେ ଭାବନ୍ତି ଅନୁକ୍ଷଣେ । । ୧୨୬
    ଜ୍ଞାନ-ବୈରାଗ୍ୟବଳେ ଚିନ୍ତି । ଯେ ପାଦ ହୃଦେ ଆରୋପନ୍ତି । । ୧୨୭
    ସେ ପାଦେ ପଶିଲୁ ଶରଣ । ପ୍ରସନ୍ନ ହୁଅ ନାରାୟଣ । । ୧୨୮
    ସୃଷ୍ଟି-ସ୍ଥିତି-ସଂହାର ଅର୍ଥେ । ତୋ ଅବତାର ଏ ଜଗତେ । । ୧୨୯
    ସେ ରୂପ ଗୁଣ ଯେ ଚିନ୍ତନ୍ତି । ଏ ଘୋରସଂସାରୁ ତରନ୍ତି । । ୧୩୦
    ଭୋ ନାଥ ଗୃହ-ଅନ୍ଧକୂପେ । ପ୍ରାଣୀ ପଡ଼ନ୍ତି ମୋହକଳ୍ପେ । । ୧୩୧
    ମୁହିଁ ମୋହର ବୋଲି ଭାଷି । ହୃଦେ ବାନ୍ଧନ୍ତି ମୋହଫାଶି । । ୧୩୨
    ସେ ଦୃଢ଼-ବନ୍ଧନ ବିଷାଦ । ହେଳେ ଖଣ୍ତଇ ତୋର ପାଦ । । ୧୩୩
    ତୋ ପାଦପଦ୍ମେ ଜଗନ୍ନାଥ । ନିରତେ ରହୁ ଆମ୍ଭ ଚିତ୍ତ । । ୧୩୪
    ଅଶାନ୍ତ ଇନ୍ଦ୍ରିଗଣ ମେଳେ । ହୃଦୟ ନ ରହେ ନିଶ୍ଚଳେ । । ୧୩୫
    ଆତ୍ମାର ପଥ ନ ଦେଖନ୍ତି । ଯେ କଳ୍ପେ ସମ୍ପଦ-ବିଭୂତି । । ୧୩୬
    ତୋ କଥା ସୁଧା ରସପାନ । ପ୍ରବୋଧ-ଭକ୍ତି-ଦିବ୍ୟଜ୍ଞାନ । । ୧୩୭
    ବୈରାଗ୍ୟସାର ସେ ଲଭନ୍ତି । ନିର୍ଭୟେ ବିଷ୍ଣୁ ଲୋକେ ଯାନ୍ତି । । ୧୩୮
    ଅପରେ ଯେତେ ମୁନିକୁଳେ । ଆତ୍ମା-ସମାଧି-ଯୋଗବଳେ । । ୧୩୯
    ଘୋର ପ୍ରକୃତି-ମୁଖୁ ତରି । ତୋ ପଦ-କମଳ ଆବୋରି । । ୧୪୦
    ତୋର ସେବାରେ ଭ୍ରମ ତୁଟେ । ଅଶେଷ-ବାୟାବନ୍ଧ ଫିଟେ । । ୧୪୧
    ଲୋକ ସର୍ଜିବା ଅର୍ଥେ ତୁହି । ଆମ୍ଭଙ୍କୁ ଆପଣେ ଭିଆଇ । । ୧୪୨
    ତ୍ରିଗୁଣ-ଭେଦଭାବ ଦେଇ । ଆମ୍ଭଙ୍କୁ ସର୍ଜୁ ନାଥ ତୁହି । । ୧୪୩
    ଆମ୍ଭେ ବିଯୁକ୍ତଭାବେ ଥାନ୍ତେ । ତୋ ସୃଷ୍ଟି କରିବୁ କେମନ୍ତେ । । ୧୪୪
    ଯେମନ୍ତେ ଯଥାକାଳେ ବଳି । ତୋ ପାଦେ ଦେଇ ବନମାଳୀ । । ୧୪୫
    ଥୋକାଏ ପାଇ ତୋଷଚିତ୍ତେ । ତୋ ପାଦେ ସେବୁଁ ଅବିରତେ । । ୧୪୬
    ତୁ କୂଟସ୍ଥିତ ଆଦି ହରି । ମାୟା-ପୁରୁଷ ରୂପ ଧରି । । ୧୪୭
    ଅବିଦ୍ୟା ଗୁଣ-କର୍ମ-ବଳେ । ତୋ ଶକ୍ତିଗର୍ଭେ ତୁ ନିଶ୍ଚଳେ । । ୧୪୮
    ଅମୋଘ-ବୀର୍ଯ୍ୟ ନାଥ ଥୋଇ । ସୃଷ୍ଟି ସର୍ଜନା କରୁ ତୁହି । । ୧୪୯
    ତୋହର ତହୁଁ ଆମ୍ଭେ ଜାତ । ସତ୍ୟ ପ୍ରମୁଖ ଜଗନ୍ନାଥ । । ୧୫୦
    ତୋ ଆଜ୍ଞା ଶିରେ ଘେନି ଭାବେ । କହ କି କରିବଇଁ ଏବେ । । ୧୫୧
    ଆମ୍ଭଙ୍କୁ ଦିବ୍ୟଚକ୍ଷୁ ଦେଇ । ତୋର ବ୍ୟାପାରେ ରଖ ତୁହି । । ୧୫୨
    ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ । । ୧୫୩
    ସେ ହରିଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ । । ୧୫୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ

    ଷଷ୍ଠ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ । । ୧
    ନିଦ୍ରିତ ପ୍ରାୟ ଲୋକତନ୍ତ୍ର । ଈଶ୍ୱର ଇଚ୍ଛାର ଆୟତ୍ତ । । ୨
    ସେ କାଳଶକ୍ତି ରୂପ ଧରି । ତ୍ରୟୋବିଂଶଶତିତତ୍ତ୍ବେ ପୂରି । । ୩
    ଚେଷ୍ଟା-ସ୍ୱରୂପେ ତାଙ୍କ ମଧ୍ୟେ । ନିଦ୍ରିତ-କର୍ମକୁ ପ୍ରବୋଧେ । । ୪
    ସଂଯୋଗ କରି ଭିନ୍ନଭିନ୍ନ । ଯାହାର ଯହିଁ ପ୍ରୟୋଜନ । । ୫
    ସେ ତ୍ରୟୋବିଂଶତତ୍ତ୍ବଗଣେ । ଈଶ୍ୱର-ଆଜ୍ଞା ପରମାଣେ । । ୬
    ଯେ ଯାହା ମାତ୍ରା ବଳ ଦେଇ । ଅଧିପୁରୁଷ ରୂପ ବହି । । ୭
    ଏମନ୍ତେ ପରମପୁରୁଷ । ମାତ୍ରାଙ୍କ ମଧ୍ୟେ ପରକାଶ । । ୮
    ଏକ ଆରକେ କ୍ଷୋଭ ପାଇ । ଚରଅଚର ଲୋକ ଯହିଁ । । ୯
    ସୁବର୍ଣ୍ଣମୟ ସେ ପୁରୁଷ । ରହିଲା ସହସ୍ରବରଷ । । ୧୦
    ଜଳେ ଶୟନ ନାରାୟଣ । ଅନାଦି-ପରମ-କାରଣ । । ୧୧
    ସକଳ ଜୀବ ଆତ୍ମା ସେହି । ସର୍ବଶରୀରେ ସଞ୍ଚରଇ । । ୧୨
    ସଂସାରେ ଯେତେ ପ୍ରଜାପତି । ବିଶ୍ୱସଂସାରକୁ ସର୍ଜନ୍ତି । । ୧୩
    ତାହାଙ୍କ ରୂପହେତୁ ସେହି । ତୃତୀୟଶକ୍ତି କି ସେ ବହି । । ୧୪
    ଦଇବ ଆତ୍ମା କର୍ମମୟ । ବିଭାଗ କରି ଆତ୍ମାଦେହ । । ୧୫
    ସର୍ଜିଲା ଏକ ଦଶ ତିନି । ସୃଷ୍ଟିବ୍ୟାପାରେ କର୍ମ ଘେନି । । ୧୬
    ଜ୍ଞାନେ ଚୈତନ୍ୟରୂପ ଧରି । କ୍ରିୟାଶକ୍ତିରେ ପ୍ରାଣଭରି । । ୧୭
    ଯେ ପ୍ରାଣ ଅପାନ ସମାନ । ଉଦାନ ବ୍ୟାନଟି ପ୍ରମାଣ । । ୧୮
    କୃକର କୂର୍ମ ନାଗ ଖ୍ୟାତ । ଯେ ଧନଞ୍ଜୟ ଦେବଦତ୍ତ । । ୧୯
    ଏମନ୍ତେ ଦଶପ୍ରାଣ କରି । ଏହାଙ୍କ ବୃତ୍ତିଭେଦେ ହରି । । ୨୦
    ଅଶେଷ ପ୍ରାଣୀ ଆତ୍ମା ଏହି । ଖେଳଇ ଅଂଶରୂପ ହୋଇ । । ୨୧
    ଆଦି ଅବତାର ସର୍ଜନ । ଏ ଭୂତଗ୍ରାମ ଭିନ୍ନ ଭିନ୍ନ । । ୨୨
    ଅଧ୍ୟାତ୍ମ ଅଧିଭୂତ ଭାବ । ପୁଣି କଳ୍ପିଲା ଅଧିଦେବ । । ୨୩
    ବିରାଟରୂପେ ଦଶପ୍ରାଣ । ଏକା ସେ ହୃଦୟ କାରଣ । । ୨୪
    ବିଶ୍ୱ-ସର୍ଜନ ଅର୍ଥେ ହରି । ତତ୍ତ୍ବଙ୍କ କଥାକୁ ସୁମରି । । ୨୫
    ପ୍ରଜାପତିଙ୍କ ଜନ୍ମ ଜାଣି । ବିରାଜଦେହେ ଚକ୍ରପାଣି । । ୨୬
    ତକ୍ଷଣେ ପଶି ନିଜ ତେଜେ । ଯେବା ଯେ ପ୍ରୟାଜନ କାର୍ଯ୍ୟୋ । । ୨୭
    ସ୍ଥାନ ଭିଆଇ ଦଶମତେ । ଶୁଣ ତୁ ସ୍ଥାପିଲେ ଯେମନ୍ତେ । । ୨୮
    ବିରାଜମୁଣ୍ତେ ତୁଣ୍ତ କରି । ବଚନ ଅର୍ଥେ ଅଧିକାରୀ । । ୨୯
    ଅଗ୍ନି ସ୍ଥାପିଲେ ଶବ୍ଦ ଅର୍ଥେ । ଏତେ ତୁ ଶୁଣ ଏକଚିତ୍ତେ । । ୩୦
    ସେ ମୁଖ ମଧ୍ୟେ ତାଳୁ ଭେଦି । ବରୁଣ ରସନା ସମ୍ପାଦି । । ୩୧
    ଜିହ୍ୱା ଆବୋରି ଷଡ଼ରସେ । ଥାପିଲେ ଆସ୍ୱାଦନ ବଶେ । । ୩୨
    ତୁଣ୍ତ ଉପରେ ନାସାଦ୍ୱାରେ । ବସିଲେ ଅଶ୍ୱିନୀକୁମାରେ । । ୩୩
    ଘ୍ରାଣ ଆବୋରି ଗନ୍ଧ ଅର୍ଥେ । ସୁଗନ୍ଧ ଦୁର୍ଗନ୍ଧ ସହିତେ । । ୩୪
    ସେ ନାସାମୂଳେ ଚକ୍ଷୁଦ୍ୱାର । ସମେ ବସଇ ଦିବାକର । । ୩୫
    ଜ୍ୟୋତିସ୍ୱରୂପେ ସେ ଲୋଚନେ । ରହିଲେ ରୂପ-ସମ୍ପାଦନେ । । ୩୬
    ପବନ ବହେ ଦେହେ ପଶି । କେବେହେଁ କାହିଁରେ ନ ମିଶି । । ୩୭
    ଶୀତ-ତପତ ଜାଣିବାରେ । ଚର୍ମେ ବସିଲେ ଅଧିକାରେ । । ୩୮
    ସେ ବେନିଚକ୍ଷୁର ଉପରେ । ବାମ-ଦକ୍ଷିଣ କର୍ଣ୍ଣଦ୍ବାରେ । । ୩୯
    ଶବଦ ଅର୍ଥେ ଦିଗ ବସେ । ଯେବା ଶବଦ ଯେଣେ ଭାଷେ । । ୪୦
    ତ୍ୱକ ଯେ ଚର୍ମୁ ଭିନ୍ନ ହେଲା । ଔଷଧି ଲୋମେ ଯେ ବସିଲା । । ୪୧
    ସେହି ଲୋମରୁ କଣ୍ତୁ ଆଦି । ହୁଅଇ ସ୍ପରଶ ସୁଖାଦି । । ୪୨
    ମେଢ୍ର ଆବୋରି ଲିଙ୍ଗବୃତ୍ତି । ତହିଁ ବସିଲେ ପ୍ରଜାପତି । । ୪୩
    ଶୁକ୍ର ରେତସ ଅନୁବନ୍ଧେ । ମୈଥୁନ ସ୍ପରଶ ଆନନ୍ଦେ । । ୪୪
    ସନ୍ତତି ଉପୁଜିବା ଅର୍ଥେ । ଲିଙ୍ଗେ ରହିଲେ ଦୃଢ଼ଚିତ୍ତେ । । ୪୫
    ତା ଅଧେ ଅଷ୍ଟମଅଙ୍ଗୁଳେ । ଯେ ମଳଦ୍ୱାର ପାୟୁମୂଳେ । । ୪୬
    ମିତ୍ର ବସିଲା ତା ଆବୋରି । ମୃତ୍ୟୁଦେବତା ସଙ୍ଗେ କରି । । ୪୭
    ମଳ ଉର୍ତ୍ସଗ ଦୃଢ଼ବନ୍ଧେ । ବ୍ୟାପାର ଆବୋରି ଆନନ୍ଦେ । । ୪୮
    ହୃଦ ଉପରେ ବେନିଭୁଜେ । ଇନ୍ଦ୍ର ବସିଲା ନିଜ ତେଜେ । । ୪୯
    ବୃତ୍ତିବ୍ୟାପାର କର୍ମ ଅର୍ଥେ । ଜୀବର ଜୀବିକା ଯେମନ୍ତେ । । ୫୦
    କଟୀ ସନ୍ଧାନ ପାଦ କରି । ତହିଁ ବସିଲେ ନରହରି । । ୫୧
    ଏ ପିଣ୍ତ ଚଳିବ ଯେମନ୍ତେ । ଗମନ ପ୍ରାପ୍ୟସ୍ଥାନ ଅର୍ଥେ । । ୫୨
    ବାଗୀଶ ବସେ ବୁଦ୍ଧି ମଧ୍ୟେ । ସୁବୁଦ୍ଧି ପ୍ରବୋଧ ଆନନ୍ଦେ । । ୫୩
    ହୃଦୟଭେଦେ ନିଶାକର । ଯେ ମନବ୍ୟାପାର-ଗୋଚର । । ୫୪
    ଚନ୍ଦ୍ରମା ତହିଁ ଦୃଢ଼ମତେ । ଆବୋରି ରହିଲା ନିଶ୍ଚିନ୍ତେ । । ୫୫
    ଆତ୍ମାରେ ବସେ ଅଭିମାନ । ଯେଣୁ କର୍ତ୍ତବ୍ୟେ ବହେ ଜ୍ଞାନ । । ୫୬
    ଚିତ୍ତକୁ ଭେଦି ସ୍ରଷ୍ଟା ବସେ । ଯେଣେ ସେ ବିଜ୍ଞାନ ପ୍ରକାଶେ । । ୫୭
    ମୂର୍ଦ୍ଧନି ଦେଶେ ସ୍ୱର୍ଗରହେ । ପାଦଯୁଗଳେ ମହୀ ବହେ । । ୫୮
    ନାଭିରୁ ପ୍ରକାଶେ ଗଗନ । ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ । । ୫୯
    ଏମନ୍ତେ ଆତ୍ମା ତାଙ୍କ ମତେ । ଦେହ ଆବୋରିଲେ ନିଶ୍ଚିନ୍ତେ । । ୬୦
    ସୁର-ଈଶ୍ୱରଗଣ ଜନ । ଦେହେ କଳ୍ପିଲେ ଭଗବାନ । । ୬୧
    ଅତ୍ୟନ୍ତ ସତ୍ତ୍ବଗୁଣ କରି । ଦେବେ ରହିଲେ ସ୍ୱର୍ଗପୁରୀ । । ୬୨
    ରଜ-ସ୍ୱଭାବ ନରଗଣ । ଭୂମିରେ କଲେ ଅଧିଷ୍ଠାନ । । ୬୩
    ରୁଦ୍ରପାର୍ଷଦ ଭୂତଗଣ । ତାଙ୍କ ସ୍ୱଭାବ ତମୋଗୁଣ । । ୬୪
    ତାହାଙ୍କ ଅନ୍ତରୀକ୍ଷଲୋକ । ଯାହାକୁ ବୋଲି ଭୂବଲୋକ । । ୬୫
    ବ୍ରାହ୍ମଣ ଜନ୍ମିଲା ମୁଖରୁ । ଯେ ଚାରିବର୍ଣ୍ଣଙ୍କର ଗୁରୁ । । ୬୬
    ବିରାଜ ତେଜଗୁଣେ ହରି । ଭୁଜୁଁ କ୍ଷତ୍ରିୟ ଜନ୍ମ କରି । । ୬୭
    ବୈଶ୍ୟ ଜନ୍ମିଲେ ଜାନୁଯୁଗେ । ଜୀବର ଜୀବିକା ସ୍ୱଭାବେ । । ୬୮
    ଏ ତିନିବର୍ଣ୍ଣ ସେବାଅର୍ଥେ । ଶୂଦ୍ର ଜନ୍ମିଲା ପାଦଗତେ । । ୬୯
    ଯାହାର ସେବାବୃତ୍ତି ଫଳେ । ହରି ସନ୍ତୋଷ ଏ ଶୟଳେ । । ୭୦
    ଏ ଚାରିବର୍ଣ୍ଣ ଏ ଜଗତେ । ସ୍ୱଭାବଧର୍ମ ଅନୁମତେ । । ୭୧
    ଜଗତଗୁରୁ ହରିପାଦେ । ଭଜିବେ ଯୁଗ ଅନୁବାଦେ । । ୭୨
    ଶୁଦ୍ଧ ସୁବୃତ୍ତି ଘେନି ସୁଖେ । ବିଷ୍ଣୁ ପୂଜିବେ ଯଜ୍ଞମୁଖେ । । ୭୩
    ତାହାର ଗୁଣ ବର୍ଣ୍ଣିବାରେ । କେବା ସମର୍ଥ ଏ ସଂସାରେ । । ୭୪
    ଏମନ୍ତେ ଶୁଣ ହେ ବିଦୂର । ଯାହା କହିଲେ ଗଦାଧର । । ୭୫
    ମୁଁ ତୋତେ କହିଲଇଁ ଭାବେ । ଯାହା ପଚାରିଲୁ ପ୍ରସ୍ତାବେ । । ୭୬
    ସେ ହରି ଗୁଣ-ମାୟା-ଅର୍ଥ । କେ ମୁଖେ କହି ସାମରଥ । । ୭୭
    ତଥାପି ଜ୍ଞାନ ମୋର ଯେତେ । ସବୁ କହିବି ତୋ’ ଅଗ୍ରତେ । । ୭୮
    ଯେଣୁ ସେ କୃଷ୍ଣର ଚରିତ । କରଇ ବଚନ ପବିତ୍ର । । ୭୯
    ଯା’ର ମହିମା ଅବଧାନେ । ଜ୍ଞାନ-ଅମୃତ-ରସ-ପାନେ । । ୮୦
    ଜନ୍ମ-ମରଣୁ ପ୍ରାଣୀତରେ । ନ ବୁଡେ଼ ସଂସାରସାଗରେ । । ୮୧
    ତା’ର ମହିମା ଏ ସଂସାରେ । କେ କହୁ ଶତ ସମ୍ବ›ତ୍ସରେ । । ୮୨
    ଯା’ର ମହିମା ଯୋଗେ ଚିନ୍ତି । ବ୍ରହ୍ମାଶଙ୍କରେ ମୋହ ଯା’ନ୍ତି । । ୮୩
    ସେ ହରି ଏ ମାୟା ସଂସାରେ । ମୋହିନୀ ରୂପରେ ପ୍ରଚରେ । । ୮୪
    ସେ ହରି ସ୍ୱୟଂ ଆତ୍ମାଗତି । ସେହି ନ ଜାଣେ ମାୟାଗତି । । ୮୫
    ଅପରେ କେବା ତାହା ଜାଣେ । ବ୍ରହ୍ମାଦି ଯେତେ ଦେବଗଣେ । । ୮୬
    ଯା’ର ଚରଣ ଖୋଜିଗଲେ । ମନ-ବଚନ ନ ପାଇଲେ । । ୮୭
    ଅପରେ କେ ତାହା ଜାଣିବ । କେ ମୁଖେ ରେଣୁକୁ ଗଣିବ । । ୮୮
    ସେ ହରିପାଦେ କରି ଆଶ । କହଇ ଜଗନ୍ନାଥ ଦାସ । । ୮୯
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ଷ‌ଷ୍ଠୋଽଧ୍ୟାୟଃ

    ସପ୍ତମ ଅଧ୍ୟାୟ

    ଶୁକ ଉବାଚ

    ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ଦୃଢ଼ଚିତ୍ତେ ଶୁଣି । । ୧
    ଆନନ୍ଦମନେ ବ୍ୟାସସୁତ । କପୋଳେ ଦେଇ ବେନିହସ୍ତ । । ୨
    ରୋମପୁଲକ ତା’ର ଦେହୀ । ପୁଚ୍ଛେ ମୈତ୍ରେୟ ମୁଖ ଚାହିଁ । । ୩

    ବିଦୁର ଉବାଚ

    ଭୋ ମୁନି ଏ ତ ବିପରୀତ । ଭ୍ରମେ ଭ୍ରମଇ ମୋ’ର ଚିତ୍ତ । । ୪
    ସେ ହରି ସ୍ୱଭାବେ ନିର୍ଗୁଣ । ଚିନ୍ମାତ୍ର ପରମ-କାରଣ । । ୫
    ଲୀଳା-ବିହାରେ-ଗୁଣ କ୍ରିୟା । କି ରୂପେ ସର୍ଜେ ତାରମାୟା । । ୬
    ବାଳକ କ୍ରୀଡ଼ାଭାବ ଯେହ୍ନେ । ଏ ତ ନ ଘଟେ ଅନୁମାନେ । । ୭
    ଇଚ୍ଛା-ସ୍ୱଭାବେ ଖେଳତା’ର । ଏ ନୋହେ ମୋହର ଗୋଚର । । ୮
    ଯେ ନିଦ୍ରାଗତ ନିଜ ସୁଖେ । ସେ କିପାଁ ମିଶେ ଏତେ ଦୁଃଖେ । । ୯
    ଯେ ଗୁଣମୟୀ ମାୟାବଳେ । ବିଶ୍ୱସର୍ଜଇ ଅବହେଳେ । । ୧୦
    ପୁଣି ପାଳିଣ କରେ ଅନ୍ତ । ବ୍ୟାପାରୀ ପୁରୁଷ ଯେମନ୍ତ । । ୧୧
    ଯେ ଜୀବଆତ୍ମା ବ୍ରହ୍ମମୟେ । କିପାଁ ଅବିଦ୍ୟା ସଙ୍ଗହୋଏ । । ୧୨
    କର୍ମ କରଇ ନାନାମତେ । ଯେ ଦେଶକାଳପାତ୍ର ଅର୍ଥେ । । ୧୩
    କେମନ୍ତେ ସୃଷ୍ଟି ସେ କରଇ । ସେ କର୍ମ ତା’କୁ ନ ଲାଗଇ । । ୧୪
    ମାୟା ସଂଯୋଗେ ନିପାତଇ । ଅନ୍ୟ ପୁରୁଷ ପ୍ରାୟ ହୋଇ । । ୧୫
    ସେ ଏକ ସର୍ବ ଆତ୍ମାଗତି । ସକଳ କ୍ଷେତ୍ରେ ତା’ର ସ୍ଥିତି । । ୧୬
    କର୍ମରୁ ସୁଖ-କ୍ଳେଶ ସ୍ଫୁରେ । ସେ କିପାଁ ଏ କର୍ମେ ବିହରେ । । ୧୭
    ଅଜ୍ଞାନ-ସଙ୍କଟେ ମୋ’ ମନ । ପଡ଼ି ଭାଳଇ ଛନ୍ନଛନ୍ନ । । ୧୮
    ଏଣୁ ମୋ’ ମନେ ଯେତେ ଖେଦ । ଜ୍ଞାନ-ଖଡ଼ଗେ ମୁନି ଛେଦ । । ୧୯

    ଶୁକ ଉବାଚ

    କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତଧର । । ୨୦
    ଏମନ୍ତେ ବିଦୁରର ବାଣୀ । ସାନନ୍ଦେ ମଇତ୍ରେୟ ଶୁଣି । । ୨୧
    ବିଷ୍ଣୁ-ଚିନ୍ତନ ଅନୁରାଗେ । ହସି କହନ୍ତି ତା’ର ଆଗେ । । ୨୨

    ମୈତ୍ରେୟ ଉବାଚ

    ସେ ବିଷ୍ଣୁ ମାୟାମୟ ଦେହୀ । ଏମନ୍ତେ ମନକୁ ମୋହଇ । । ୨୩
    ଈଶ୍ୱର ସ୍ୱଭାବେ ବିମୁକ୍ତ । ତା’ର ବନ୍ଧନ ମାୟା ମାତ୍ର । । ୨୪
    ଯେସନେ ସ୍ୱପ୍ନେ ଅନୁମାନ । ହୁଅଇ ମସ୍ତକ ଛେଦନ । । ୨୫
    ସେ ରୂପେ ଆତ୍ମାର ବନ୍ଧନ । ଅସତ୍ୟ ସତ୍ୟ ପ୍ରାୟେ ଜାଣ । । ୨୬
    ଆତ୍ମାର ବିପରୀତ ଭାବେ । ଈଶ୍ୱର ଈଶ୍ୱର ସ୍ୱଭାବେ । । ୨୭
    ଶରୀର ଭେଦେ ଇଚ୍ଛାକରେ । ଯେସନେ ଦର୍ପଣ ଭିତରେ । । ୨୮
    ଦେଖନ୍ତା ପୁରୁଷକୁ ମୋହେ । ତା’ର ବିକାର ଦେହେ ବହେ । । ୨୯
    କର୍ମ କରନ୍ତେ ସେ କରଇ । ସେ ଯେହ୍ନେ ତା’କୁ ନ ଲାଗଇ । । ୩୦
    ଏମନ୍ତେ କୃଷ୍ଣ-ମାୟାବଳେ । ଚନ୍ଦ୍ରର ଛାୟା ଯେହ୍ନେ ଜଳେ । । ୩୧
    ଜଳ କମ୍ପନେ ସେ କମ୍ପଇ । ସେ ଯେହ୍ନେ ତା’କୁ ନ ଲାଗଇ । । ୩୨
    ତେମନ୍ତେ ଜୀବ ମାୟାବଳେ । ଆତ୍ମାରେ ନ ରହେ ନିଶ୍ଚଳେ । । ୩୩
    ଯୋଗୀଏ ଯୋଗଧ୍ୟାନ ବଳେ । ଆତ୍ମାରେ ରହନ୍ତି ନିଶ୍ଚଳେ । । ୩୪
    ଇନ୍ଦ୍ରିୟ ତା’ଙ୍କୁ ନ ଲାଗନ୍ତି । ଅନ୍ତରେ ନିଶ୍ଚଳେ ରହନ୍ତି । । ୩୫
    ବିଷ୍ଣୁର ପାଦ ସେହି ମତେ । ଯେବା ଚିନ୍ତନ୍ତି ଅବିରତେ । । ୩୬
    ତାହାଙ୍କ ଦେହେ କ୍ଳେଶ ଯେତେ । ଦହନ ହୁଅନ୍ତି ସମସ୍ତେ । । ୩୭
    ଏଣୁ କୃଷ୍ଣର ଗୁଣଗାଥା । ଯେ ଶୁଣେ ଯେ ଅବା ବକତା । । ୩୮
    ଅଶେଷ-କ୍ଳେଶ ତା’ଙ୍କ ଦେହେ । ଦହନ ହୋନ୍ତି ତୃଣପ୍ରାୟେ । । ୩୯
    ସେ ହରି-ପାଦପଦ୍ମ-ଗନ୍ଧେ । ଚିତ୍ତ ଲୋଭିତ ମକରନ୍ଦେ । । ୪୦
    ନିତ୍ୟେ ପିବନ୍ତି ଭୃଙ୍ଗ ପ୍ରାୟ । ତା’ଙ୍କୁ ନ ଲାଗେ ଯମଭୟ । । ୪୧

    ବିଦୁର ଉବାଚ

    ଭୋ ମୁନି ତୁମ୍ଭ ବାକ୍ୟ-ଅସି । ମୋ’ ମନ-ସଂଶୟ ବିନାଶି । । ୪୨
    ଜୀବ-ପରମ ବେନିଭାବେ । ଚିତ୍ତ ମୋ’ ପ୍ରବେଶିଲା ଏବେ । । ୪୩
    ଅବିଦ୍ୟାମୂଳ ଏ ସଂସାର । ସତ୍ୟ ଏ ବଚନ ତୋହର । । ୪୪
    ବିଷ୍ଣୁ-ମାୟାରେ ଜୀବ ଭ୍ରମେ । ଅସତ୍ୟ ସତ୍ୟ ପ୍ରାୟ ମଣେ । । ୪୫
    ସଂସାରେ ମୂଢ଼ ଯେଉଁ ଜନ । ଯେବା ଈଶ୍ୱରେ ଦୃଢ଼ମନ । । ୪୬
    ଏ ବେନି ସଂସାରୁ ତରନ୍ତି । ମଝିମଝିକା ନାଶ ଯା’ନ୍ତି । । ୪୭
    ଅନର୍ଥ ଅସତ୍ୟ ସଂସାର । ସତ୍ୟ ପ୍ରତୀତି ଯେ ମୋହର । । ୪୮
    ତା’ ତୁମ୍ଭ ଚରଣ-ସେବାରେ । ନାଶିବି ତୁମ୍ଭର କୃପାରେ । । ୪୯
    ସାଧୁଙ୍କ ସେବାଫଳ ଏହି । କୃଷ୍ଣ-ଚରଣେ ପ୍ରୀତି ହୋଇ । । ୫୦
    ସେ ହରି ଚରଣ ପ୍ରସାଦେ । ସଂସାରୁ ତରେ ଅପ୍ରମାଦେ । । ୫୧
    ବୈକୁଣ୍ଠ-ମାର୍ଗ ସାଧୁଜନେ । ତାହାଙ୍କ ସେବା ଅଳ୍ପପୁଣ୍ୟେ । । ୫୨
    ଦୁର୍ଲ୍ଲଭ ଅଟଇ ଜଗତେ । ହରି କୀର୍ତ୍ତନ ଯହିଁ ନିତ୍ୟେ । । ୫୩
    ଇନ୍ଦ୍ରିୟ ମହଦାଦିତତ୍ତ୍ବ । ବିରାଟ-ପୁରୁଷ ସହିତ । । ୫୪
    ଏହାଙ୍କୁ ସର୍ଜି ନାରାୟଣ । ଅଂଶେ ପ୍ରବେଶ ତହିଁ ପୁଣ । । ୫୫
    ସହସ୍ରପାଦ ଉରୁ ହସ୍ତ । ଯା’ ଦେହେ ବ୍ରହ୍ମାଣ୍ତ ସମସ୍ତ । । ୫୬
    ବ୍ରାହ୍ମଣ ଆଦି ଚାରି ଜାତି । ବିଶେଷେ ତାହାର ବିଭୂତି । । ୫୭
    ବିସ୍ତାରି କହ ତୁ କାରଣେ । କ୍ଷୀଣ-ସଂଶୟ ହୋଏ ଯେଣେ । । ୫୮
    ଏ ସୃଷ୍ଟି ବିସ୍ତାର କାରଣେ । ଯେମନ୍ତେ ପ୍ରଜାପତିଗଣେ । । ୫୯
    ସର୍ଗ ସମେତେ ପ୍ରତିସର୍ଗ । ମନୁ ମନୁଅନ୍ତର ଭୋଗ । । ୬୦
    ଏହାଙ୍କ ତହୁଁ ବଂଶ ଯେତେ । ବଂଶାନୁଚରିତ ସହିତେ । । ୬୧
    ବିରାଜ ରୂପ ଦେହ ମଧ୍ୟେ । ଯେବା ବସନ୍ତି ଅଧଊଦ୍ଧ୍ୱେର୍ । । ୬୨
    ଚତୁରଦଶ ଲୋକ ସ୍ଥିତି । କେ କେତେ ଅନ୍ତରେ ବସନ୍ତି । । ୬୩
    ଦେବ ମନୁଷ୍ୟ ପଶୁଗଣ । ପକ୍ଷୀ ପତଙ୍ଗ ଭୂମି ତୃଣ । । ୬୪
    ସ୍ୱେଦଜ ଅଜ ଉଦ୍‌ଭିଜ । ଯେ ଅବା ପୁଣି ଜରାୟୁଜ । । ୬୫
    ଏହାଙ୍କ ସର୍ଗର ବିଭାଗ । ଭୋ ମୁନି କହ ମୋର ଆଗ । । ୬୬
    ଯେ ଗୁଣେ ଯେବା ଅବତାରେ । ସୃଷ୍ଟି ପାଳନ ଅନ୍ତକରେ । । ୬୭
    ଯେମନ୍ତେ ସୃଜେ ଶ୍ରୀନିବାସ । ତା’ର ମହିମା ତୁ ପ୍ରକାଶ । । ୬୮
    ଯେ ବର୍ଣ୍ଣାଶ୍ରମଙ୍କ ବିଭାଗ । ସୁଶୀଳ ସ୍ୱରୂପ ସ୍ୱଭାବ । । ୬୯
    ଋଷିଙ୍କ ଜନ୍ମକର୍ମ ଯେତେ । ବେଦବୃକ୍ଷର ଶାଖା କେତେ । । ୭୦
    ଯଜ୍ଞବିଧାନେ ବେଦବିଧି । ଯୋଗସାଧନେ ଯେତେ ସିଦ୍ଧି । । ୭୧
    ନିଷ୍କାମ ସାଂଖ୍ୟ-ବିଦ୍ୟା ସାର । ଯେ ତନ୍ତ୍ର-ମନ୍ତ୍ରର ବିଚାର । । ୭୨
    ପାଷ-ପଥର ବୈଷମ୍ୟ । ଯେ ଅନୁଲୋମ ପ୍ରତିଲୋମ । । ୭୩
    ଜୀବର ଗତି ଯେତେ ମାର୍ଗେ । ଯେ ରୂପ ଗୁଣ କର୍ମ ଯୋଗେ । । ୭୪
    ଧର୍ମାର୍ଥ-କାମ-ମୋକ୍ଷ ଆଦି । ଯେ ମାର୍ଗେ ଯେମନ୍ତ ସମ୍ପାଦି । । ୭୫
    ଯେ ବାର୍ତ୍ତା ଦଣ୍ତନୀତି ବେନି । ଯେ ବେଦବିଧି ଅନୁମାନି । । ୭୬
    ଶ୍ରାଦ୍ଧର ଯେବା ନୀତି ବିଧି । ପିତୃଗଣଙ୍କ ସ୍ଥାନ ସିଦ୍ଧି । । ୭୭
    ଗ୍ରହ ନକ୍ଷତ୍ର ତାରାଗଣ । ଯେ କାଳଚକ୍ରର ପ୍ରମାଣ । । ୭୮
    ଦାନ ତପସ୍ୟା ଫଳ ଯେତେ । ଯେ ଅବା ଲାଭ ଇଷ୍ଟାପୂର୍ତ୍ତେ । । ୭୯
    ପ୍ରବାସ ସ୍ଥିତି ଯେବା ଧର୍ମ । ଆପଦ କାଳେ ଯେବା କର୍ମ । । ୮୦
    ଯେଣେ ଗୋବିନ୍ଦ ତୋଷ ହୋଇ । ଯେ ଧର୍ମଜନକ ବୋଲାଇ । । ୮୧
    ସେ ହରି ପ୍ରସନ୍ନ ଯେମନ୍ତେ । ଭୋ ମୁନି କହ ଦୟାଚିତ୍ତେ । । ୮୨
    ସେବକ-ଶିଷ୍ୟେ ଋଷିଗଣେ । ଜ୍ଞାନ କହନ୍ତି ସାଧୁପଣେ । । ୮୩
    ଯେ ପୁତ୍ରେ ପିତା ତୋଷ ହୋଇ । ସ୍ୱଧର୍ମ ମାର୍ଗେ ଶିକ୍ଷା ଦେଇ । । ୮୪
    ଦୀନବ›ଳ ଯେଣୁ ଗୁରୁ । ପଚାରୁ ଅବା ନ ପଚାରୁ । । ୮୫
    ତ‌ତ୍ତ୍ବ-ପ୍ରଳୟ କେତେ ମତେ । ସୃଷ୍ଟିରେ ସଞ୍ଚରନ୍ତି ଯେତେ । । ୮୬
    ବିରାଜ ରୂପେ ଦେହେ ଥା’ନ୍ତି । ପୁଣି କେମନ୍ତେ ଲୀନ ହୋନ୍ତି । । ୮୭
    ଆତ୍ମାର ସ୍ଥିତି ଅବା କାହିଁ । କିବା ସ୍ୱରୂପେ ପ୍ରକାଶଇ । । ୮୮
    ଯେ ଗୁରୁ-ଶିଷ୍ୟଙ୍କ ସମ୍ବାଦେ । ଜ୍ଞାନ ସାଧନ୍ତି ମୋକ୍ଷ ସଧେ । । ୮୯
    ଏ ଆଦି ଯେତେ ପ୍ରଶ୍ନ ମୋର । ପଣ୍ତିତଜନେ ଯେ ଗୋଚର । । ୯୦
    କେମନ୍ତେ ପୁରୁଷଙ୍କ ଦେହେ । ଜ୍ଞାନ-ବୈରାଗ୍ୟ-ଭକ୍ତି ହୋଏ । । ୯୧
    ଏ ଯେତେ ପ୍ରଶନ ମୋହରି । ହରି ମହିମା ଇଚ୍ଛାକରି । । ୯୨
    ପୁଚ୍ଛିଲି ତୁମ୍ଭର ଅଗ୍ରତେ । ଭୋ ମୁନି କହ ସର୍ବ ମୋତେ । । ୯୩
    ଯେଣୁ ମାୟାରେ ପଡ଼ି ମୁହିଁ । ଜ୍ଞାନ-ବିହୀନେ ଅନ୍ଧ ହୋଇ । । ୯୪
    ତୁମ୍ଭ କୃପାରେ ଚକ୍ଷୁ ପାଇ । ନିର୍ଭୟେ ବିହରିବି ମୁହିଁ । । ୯୫
    ଜୀବର ଯେବା ଭୟ ଦହେ । ହରି ଦେଖାଏ ସର୍ବ ଦେହେ । । ୯୬
    ଯେତେ ଏ ବେଦ-ଯଜ୍ଞ-ମନ୍ତ୍ର । ତପ ସମାଧି ଦାନ ତୀର୍ଥ । । ୯୭
    ଏ ପୁଣ୍ୟ କଳାମାତ୍ରେ ସମ । ନୁହନ୍ତି ବେଦ ଆଦି କର୍ମ । । ୯୮
    ଶୁକ ଉବାଚ
    ଏମନ୍ତେ ପୁରାଣ-ସଙ୍କଳ୍ପେ । ବିଦୁର ମୈତ୍ରେୟ ସମୀପେ । । ୯୯
    ଆନନ୍ଦେ ଯେତେ ପଚାରିଲା । ସୃଷ୍ଟି-ସମ୍ବନ୍ଧେ ବିଷ୍ଣୁଲୀଳା । । ୧୦୦
    ଶୁଣି ହରଷ ମୁନିବର । ବୋଲନ୍ତି ଶୁଣ ହେ ବିଦୁର । । ୧୦୧
    ଏ ଭାଗବତ ପ୍ରଶ୍ନ ବାଣୀ । କେର୍ ଶୁଣନ୍ତି ଯେତେ ପ୍ରାଣୀ । । ୧୦୨
    ଯେ ଅବା ବଦନେ ଉଚ୍ଚାରି । ବିଷ୍ଣୁ ମାୟାରୁ ଯା’ନ୍ତି ତରି । । ୧୦୩
    ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ । । ୧୦୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ସପ୍ତମୋଽଧ୍ୟାୟଃ ।

    ଅଷ୍ଟମ ଅଧ୍ୟାୟ

    ଶୁକ ଉବାଚ

    ବିଦୁର ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ ଆନନ୍ଦିତ ମନେ । । ୧
    କୃଷ୍ଣ-ଚରଣ-ଯୁଗ ଧ୍ୟାୟି । କହନ୍ତି ବିଦୁରକୁ ଚାହିଁ । । ୨
    ମୈତ୍ରେୟ ଉବାଚ
    ଶୁଣ ବିଦୁର ଶୁଦ୍ଧଚେତା । ସୁପୁଣ୍ୟ ପରୀକ୍ଷିତ-ଗାଥା । । ୩
    ତୋହର ଜନ୍ମ ପୁରୁବଂଶେ । ପରମ-ଭାଗବତ-ଅଂଶେ । । ୪
    ଯାହା ମହିମା ଶୁଣି କର୍ଣ୍ଣେ । ସେବା କରନ୍ତି ସାଧୁଜନେ । । ୫
    ଯହିଁ ତୁ ଲୋକପାଳ ଯମ । ସାକ୍ଷାତେ ହୋଇଲୁ ଜନମ । । ୬
    ଭକ୍ତଜନଙ୍କ ଶିରୋମଣି । ତୋ’ର ସକାଶୁ ଜନ ଶୁଣି । । ୭
    କହ ସଂସାରେ କୃଷ୍ଣଲୀଳା । ବିଶ୍ୱମଙ୍ଗଳ କୀର୍ତ୍ତିମାଳା । । ୮
    ନିରତେ ନବ ନବ ମଣେ । ତୋଷ ନ ଲଭେ ପ୍ରତିକ୍ଷଣେ । । ୯
    ତା’ର ମହିମା ତୋ’ ସମ୍ମୁଖେ । କହିବି ଭକ୍ତଜନ-ସୁଖେ । । ୧୦
    ଦୁଃଖ-ସମୁଦ୍ରେ ସୁଖ ପ୍ରାୟେ । ନିରତେ ମନ ଯା’ର ଧାଏଁ । । ୧୧
    ତାହାଙ୍କ ନିସ୍ତାରଣ ଅର୍ଥେ । ଶୁଣ କହିବା ତୋ’ ଅଗ୍ରତେ । । ୧୨
    ଶ୍ରୀଭାଗବତ ରସସାର । ଋଷିଙ୍କି ଦେଲେ ଚକ୍ରଧର । । ୧୩
    ଶୁଣ ବିଦୁର ସାବଧାନେ । ବ୍ରହ୍ମାର ପୁତ୍ରେ ଏକଦିନେ । । ୧୪
    ସନକ ଆଦି ସପ୍ତଭ୍ରାତେ । ମିଳିଲେ ଅନନ୍ତ ଅଗ୍ରତେ । । ୧୫
    ରତ୍ନଆସନେ ଭୂମିଗତେ । ବସି ଅଛନ୍ତି ଶୁଦ୍ଧ ଚିତ୍ତେ । । ୧୬
    ଆଦି ଅନନ୍ତ ରୂପସାର । ଅକୁଣ୍ଠ-ମହିମା ଯାହାର । । ୧୭
    ତା’ଙ୍କ ସମୀପେ ସପ୍ତଭ୍ରାତେ । ମିଳିଲେ ଜ୍ଞାନ-ପ୍ରଶ୍ନ ଅର୍ଥେ । । ୧୮
    ପରମପଦେ କରି ଇଚ୍ଛା । ଏକୁ ଅନେକ କଲେ ପୁଚ୍ଛା । । ୧୯
    ସ୍ୱଭାବେ ସ୍ଥିର ଯା’ ଶରୀର । ଦେବମାନବେ ଅଗୋଚର । । ୨୦
    ସର୍ବେ କରନ୍ତି ବହୁ ମାନ୍ୟ । ଧ୍ୟାନେ ତରନ୍ତି ସଙ୍କର୍ଷଣ । । ୨୧
    ମୃଣାଳ-କୋଷ ପ୍ରାୟ ଦେହୀ । ଉନ୍ମୀଳ ଚକ୍ଷୁଯୁଗ ବହି । । ୨୨
    ବିବୁଧଜନଙ୍କ ଆନନ୍ଦେ । ସୁଖେ ନିଶ୍ଚଳ ଯୋଗାନନ୍ଦେ । । ୨୩
    ନିର୍ମଳ ଭୋଗବତୀ ନୀରେ । ଧୌତ କବରୀଭାର ଶିରେ । । ୨୪
    ସେ ଜଟାକଳାପେ ଚରଣ । ପଦ୍ମେ ନମନ୍ତି ମୁନିଗଣ । । ୨୫
    ଯେ ପାଦେ ନାଗଙ୍କ କାମିନୀ । ବିବିଧ-ଉପାୟନ ଘେନି । । ୨୬
    ସେବନ୍ତି ଯେଉଁ ପାଦଗତେ । ଉମ-ବର-ପ୍ରାପ୍ତି ଅର୍ଥେ । । ୨୭
    ସୁସ୍ୱର-ରୀତନାଦ-ଧ୍ୱନି । ସ୍ୱଭାବେ ଅନୁରାଗ ଘେନି । । ୨୮
    ଯାହାର କର୍ମ ଦୃଢ଼ଚିତ୍ତେ । ଗାୟନ କରନ୍ତି ନିରତେ । । ୨୯
    ଜାଣନ୍ତି ଲୀଳା-ତତ୍ତ୍ବଜ୍ଞାନ । ନିର୍ମଳ ମନେ ନିତ୍ୟେ ଧ୍ୟାନ । । ୩୦
    ସେ ଦେବ ସହସ୍ରଶୀରଷ । କିରୀଟ ମଣିମୟ ତ୍ରାସ । । ୩୧
    ଫଣାସହସ୍ରେ ଶୋଭା କରେ । ଆଦିତ୍ୟ ଯେସନେ ଅମ୍ବରେ । । ୩୨
    ତା’ର ଚରଣ-ରଜ ଶିରେ । ସନକ୍ରୁମାର ଧରି କରେ । । ୩୩
    ପୁଚ୍ଛିଲେ ସାର-ତତ୍ତ୍ବଜ୍ଞାନ । ଯା’ ଶୁଣି ନିସ୍ତରିବେ ଜନ । । ୩୪
    ନିବୃତ୍ତି-ଧର୍ମେ ଦେଖି ଚିତ୍ତ । ଏହାଙ୍କୁ କହିଲେ ଅନନ୍ତ । । ୩୫
    ସେ ପୁଣି ପ୍ରଶ୍ନ ଅନୁରାଗେ । କହିଲେ ସାଂଖ୍ୟାୟନ ଆଗେ । । ୩୬
    ସେ ସାଂଖ୍ୟାୟନ ଯୋଗ ଧ୍ୟାୟେ । ପରମହଂସ-ଦୀକ୍ଷା ବହେ । । ୩୭
    ସେ ପୁଣି ଦୟା-ଶୁଦ୍ଧଚିତ୍ତେ । ସଂସାରେ ନିସ୍ତାରଣ ଅର୍ଥେ । । ୩୮
    କୃଷ୍ଣ-ମହିମା ପରିମାଣି । ନିର୍ମଳ-ଭାଗବତ-ବାଣୀ । । ୩୯
    କୃଷ୍ଣ-ଭକତି ଅନୁରାଗେ । କହିଲେ ମୋ’ର ଗୁରୁ ଆଗେ । । ୪୦
    ଆବର ବୃହସ୍ପତି ଆଗେ । ଦେବସମୂହ ପ୍ରିୟଭାବେ । । ୪୧
    ସେ ପରାଶର ମହାମୁନି । ପୌଲସ୍ତ୍ୟ ମୁନି ଆଜ୍ଞା ଘେନି । । ୪୨
    ଦୟାଳୁ ମୁନି ପରାଶର । କହିଲେ ମୋହର ଆଗର । । ୪୩
    ବ୍ରହ୍ମ-ଗୁପତ-ବାଣୀ ଏବେ । ଶୁଣ କହିବା ତୋତେ ଭାବେ । । ୪୪
    ତୁ ଶ୍ରଦ୍ଧାଯୁତ ଅନୁଗତ । ଶୁଣ କହିବି ଭାଗବତ । । ୪୫
    ତୁ ଶୁଦ୍ଧଚିତ୍ତେ ବତ୍ସ› ଶୁଣ । ଏ ଆଦି ପରମ-ପୁରାଣ । । ୪୬
    ଯେ ବିଶ୍ୱସୃଷ୍ଟି ପୂର୍ବେ ଥିଲା । ପ୍ରଳୟ-ଜଳେ ନାଶ ଗଲା । । ୪୭
    ପରମସୁଖେ ଭଗବାନ । ନିଦ୍ରାରେ ମୁଦ୍ରିତ ନୟନ । । ୪୮
    ପ୍ରଳୟ-ଜଳନିଧି ମଧ୍ୟେ । ଅନନ୍ତ-ଶୟନେ ଆନନ୍ଦେ । । ୪୯
    ଶୋଇଲେ ଏକରୂପ ହୋଇ । ସଙ୍ଗେ ସଙ୍ଗତି ନାହିଁ କେହି । । ୫୦
    ନିଶ୍ଚେଷ୍ଟ-ଆତ୍ମସୁଖେ ରତ । ଭୂତେ ନିବେଶି ପଞ୍ଚଭୂତ । । ୫୧
    ଆତ୍ମା ଆଶ୍ରିତ ସୂକ୍ଷ୍ମଭୂତେ । କାଳାତ୍ମା ଶକ୍ତିର ଆୟତ୍ତେ । । ୫୨
    ଚେଷ୍ଟା ରହିତ ଭଗବାନ । ଦାରୁରେ ଯେହ୍ନେ ହୁତାଶନ । । ୫୩
    ସେ ରୂପ ବାହ୍ୟବୃତ୍ତି ଶୂନ୍ୟ । ଜଳରେ କଲେ ସେ ଶୟନ । । ୫୪
    ବିଷ୍ଣୁ-ରଜନୀ ପ୍ରକାଶିଲା । ଚାରିସହସ୍ର ଯୁଗ ଗଲା । । ୫୫
    ଜଳେ ଶୟନ ଭଗବାନ । ଯେ ଆତ୍ମଶକ୍ତିର ନିଦାନ । । ୫୬
    ତା’ର ଆୟତ୍ତ କାଳବଳେ । ସୃଷ୍ଟିସମୟ ସୁମରିଲେ । । ୫୭
    ପୂର୍ବ-ଜୀବଙ୍କୁ ଦେହେ ଚାହିଁ । ସେ ପୁଣି କର୍ମତନ୍ତ୍ର ହୋଇ । । ୫୮
    ତାହାଙ୍କ ଅବତାର ଅର୍ଥ । ସୂକ୍ଷ୍ମେ ନିବେଶି ଦୃଷ୍ଟିପଥ । । ୫୯
    କ୍ଷୋଭିତ-ସୃଷ୍ଟିର କାରଣେ । ସ୍ୱୟଂ ପ୍ରବେଶି ରଜୋଗୁଣେ । । ୬୦
    ସେ କାଳବଳର ବିଶ୍ୱାସେ । ମିଳିଲେ ବିଷ୍ଣୁ-ନାଭିଦେଶେ । । ୬୧
    ସେ ନାଭିମଧ୍ୟୁ ପଦ୍ମକୋଷ । ତକ୍ଷଣେ ହୋଇଲା ପ୍ରକାଶ । । ୬୨
    ସେ ପଦ୍ମ କାଳକର୍ମ ବଳେ । ରୂପ ବିରାଜେ ମହାଜଳେ । । ୬୩
    ଉଦିତ-ରବି ପ୍ରାୟେ ମାନି । ଜଳେ ପ୍ରକାଶ ଆତ୍ମଯୋନି । । ୬୪
    ସେ ଲୋକପଦ୍ମେ ନାରାୟଣ । ସ୍ୱୟଂପ୍ରବେଶ ରଜୋଗୁଣ । । ୬୫
    ସକଳଗୁଣେ ସେ ପ୍ରକାଶ । ସହସ୍ରରବି ଜିଣି ତ୍ରାସ । । ୬୬
    ସେ ପଦ୍ମକର୍ଣ୍ଣିକାର ମଧ୍ୟେ । ବ୍ରହ୍ମା ପ୍ରକାଶ ବେଦପଦେ । । ୬୭
    ବିଧାତା ନାମ ସେ ବୋଲାଇ । ଯା’ର ଶରୀର କର୍ମମୟୀ । । ୬୮
    ସ୍ୱୟମ୍ଭୁ ନାମ ସେ ସ୍ୱଭାବେ । ଉଦୟ ନିଜ କର୍ମଲାଭେ । । ୬୯
    ସେ ପଦ୍ମମଧ୍ୟେ ବ୍ରହ୍ମା ରହେ । ବସି ସକଳଦିଗେ ଚାହେଁ । । ୭୦
    ନ ଦେଖି ଲୋକଙ୍କ ଉଦ୍ଦେଶ୍ୟ । ତକ୍ଷଣେ ଚାହିଁଲା ଆକାଶ । । ୭୧
    ହୋଇଲା ତା’ର ଚାରିମୁଖ । କେବେହେଁ ନ ଲଭଇ ସୁଖ । । ୭୨
    ପ୍ରଳୟ-ପବନର ବଳେ । ଲହରୀ ଭ୍ରମ ମହାଜଳେ । । ୭୩
    ଆତ୍ମାକୁ ନ ଜାଣଇ ଭଲେ । ଯେ ଲୋକତତ୍ତ୍ବ ପଦ୍ମତୁଲେ । । ୭୪
    କାହୁଁ ଅଇଲି କେଉଁ ଦେଶ । ନ ଜାଣି ଆତ୍ମାର ବିଶେଷ । । ୭୫
    ଏ ପଦ୍ମ କାହୁଁ ଉପୁଜିଲା । କିବା ଏ ଜଳମଧ୍ୟେ ଥିଲା । । ୭୬
    ସ୍ଥଳ ନ ଥିଲେ ଜଳ କାହିଁ । ଏମନ୍ତ ମନେ ବିଚାରଇ । । ୭୭
    କିବା ଏ ପଦ୍ମମୂଳେ ଅଛି । ଏମନ୍ତ ମନେମନେ ଲକ୍ଷି । । ୭୮
    କେବେହେଁ ହେଜି ନ ପାରିଲା । ଏମନ୍ତେ କେତେକାଳ ଗଲା । । ୭୯
    ପୁଣି ଚାହିଁଲା ମନଦୁଃଖେ । ନିଜ ଆସନେ ଅଧୋମୁଖେ । । ୮୦
    ତଳେ ଦେଖିଲା ପଦ୍ମନାଳ । ତା’ ମଧ୍ୟେ ଅନ୍ଧକାର ବିଳ । । ୮୧
    ବିଚାରେ ଏହିମାର୍ଗେ ଯିବି । କାହୁଁ ଅଇଲି ତା’ ଦେଖିବି । । ୮୨
    ଏମନ୍ତେ ବିଚାରି ସଂଶୟେ । ବିଳେ ପଶିଲା ମହାଭୟେ । । ୮୩
    ସେ ବିଳମାର୍ଗେ ନାଭିପଥେ । ପଶିଲା ବିଷ୍ଣୁ-ଗର୍ଭଗତେ । । ୮୪
    ଅନେକ କାଳ ଗର୍ଭେ ଭ୍ରମି । ଫୁଟି ହୋଇଲା ପଥଶ୍ରମୀ । । ୮୫
    ଯେ କାଳ ଜନ୍ତୁଙ୍କର ପ୍ରାଣ । ବଳେ ହରଇ ଅନୁକ୍ଷଣ । । ୮୬
    ସେ କାଳବଳ-କରଷଣେ । ବାହାର ହୋଇଲା ତକ୍ଷଣେ । । ୮୭
    ମନ-କଳ୍ପିତ ନ ପାଇଲା । ନିଜ ଆସନେ ବିଜେ କଲା । । ୮୮
    ସ୍ଥିର-ନିଃଶ୍ୱାସ ଦୃଢେ଼ ଧରି । ମନ-ପବନ ହୃଦେ ଭରି । । ୮୯
    ନିବୃତ୍ତଚିତ୍ତେ ପ୍ରଜାପତି । ଯୋଗ ଅଭ୍ୟାସେ କଲା ମତି । । ୯୦
    ସେ ଶତେବର୍ଷ କାଳଭୋଗେ । ଲଭିଲା ବୋଧ ନିଷ୍ଠାଯୋଗେ । । ୯୧
    ତା’ର ହୃଦୟେ ବିଷ୍ଣୁଭାବେ । ପ୍ରକାଶେ ସୃଷ୍ଟିଅର୍ଥ ଲାଭେ । । ୯୨
    ପୂର୍ବେ ଯାହାକୁ ମହାଜଳେ । ଖୋଜି ନ ଦେଖିଲା ନିଶ୍ଚଳେ । । ୯୩
    ତାହାକୁ ଆପଣା ହୃଦୟେ । ଦେଖେ ସମାଧିଯୋଗଧ୍ୟାୟେ । । ୯୪
    ମୃଣାଣ-ଗୌର ଦେହକାନ୍ତି । ଅନନ୍ତ-ଶୟନେ ଶ୍ରୀପତି । । ୯୫
    ଏକା ଅଛନ୍ତି ନାହିଁ କେହି । ଦେଖେ ନିଶ୍ଚଳ-ନେତ୍ରେ ଚାହିଁ । । ୯୬
    ଫଣାସହସ୍ର ଊର୍ଦ୍ଧ୍ୱ ଜ୍ୟୋତି । ରତ୍ନସମୂହେ ଝଟକନ୍ତି । । ୯୭
    ଯୁଗାନ୍ତ-ଜଳ-ଅନ୍ଧକାର । ସେ ରତ୍ନଜ୍ୟୋତି କରେ ଦୂର । । ୯୮
    ମର୍କତଗିରି ନିନ୍ଦେ ରୂପ । ସନ୍ଧ୍ୟାଭ୍ର ଜିଣି ପୀତାଂଶୁକ । । ୯୯
    ସୁବର୍ଣ୍ଣ-ଶୃଙ୍ଗ ତିରସ୍କାର । କରେ ମୁକୁଟ ଶିରପର । । ୧୦୦
    ପର୍ବତ ବେଣୁବୃକ୍ଷ ଶୋଭା । ନିନ୍ଦଇ ଭୁଜପାଦ ପ୍ରଭା । । ୧୦୧
    ରତ୍ନଔଷଧି ଜଳ ପୁଷ୍ପେ । ଗିରିଭୂଷଣ ମାଳ ରୂପେ । । ୧୦୨
    ତାହାକୁ ବଳି ହରିଗଳେ । ରତ୍ନତୁଳସୀ ମୁକ୍ତାଫଳେ । । ୧୦୩
    ମହାପୁରୁଷ ବିଷ୍ଣୁରୂପେ । ସ୍ୱୟଂ ପ୍ରକାଶ ମହାକଳ୍ପେ । । ୧୦୪
    ପ୍ରକାଶ ଅଛଇ ବିସ୍ତାରେ । ତ୍ରିଲୋକ ପ୍ରକାଶ ଶରୀରେ । । ୧୦୫
    ଦିବ୍ୟ ବିଚିତ୍ର ଆଭରଣେ । ପ୍ରକାଶେ ବସ୍ତ୍ର ଆଚ୍ଛାଦନେ । । ୧୦୬
    ସର୍ବସୁନ୍ଦରର ସମୂହେ । ତେଜ ପ୍ରକାଶେ ବିଶ୍ୱଦେହେ । । ୧୦୭
    ମିଳି ସକଳ ମହାଜନେ । ନିଜ ବା‚ଞ୍ଛିତ ଆତ୍ମାଧ୍ୟାନେ । । ୧୦୮
    ଯେ କାମ ଯେ କରନ୍ତି ଧ୍ୟାୟେ । ତାହାଙ୍କୁ କାମଧେନୁ ପ୍ରାୟେ । । ୧୦୯
    ଦୟାସାଗର ଭଗବାନ । ବ୍ରହ୍ମାଙ୍କୁ ଦେଲେ ଦରଶନ । । ୧୧୦
    ଅଙ୍ଗୁଳି ଅଗ୍ରେ ନଖକାନ୍ତି । ଶଶାଙ୍କପ୍ରାୟ ଝଟକନ୍ତି । । ୧୧୧
    ସ୍ଫୁରିତ ଦିଶେ ହାସ୍ୟମୁଖ । ଦେଖନ୍ତେ ହରେ ପ୍ରାଣୀଦୁଃଖ । । ୧୧୨
    କର୍ଣ୍ଣେ କୁଣ୍ତଳବେନି ଶୋହେ । ଚନ୍ଦ୍ର-ତପନ ସମ ନୋହେ । । ୧୧୩
    ଶୋଣ-ଅରୁଣ ଓଷ୍ଠବେନି । ବିରାଜେ ଦନ୍ତପନ୍ତି ଘେନି । । ୧୧୪
    ପଦମ୍ବପୁଷ୍ପ ତେଜ ପ୍ରାୟେ । ପୀତବସନ କଟୀ ଶୋହେ । । ୧୧୫
    ରତ୍ନମେଖଳା ତେଜ ଦମ୍ଭେ । ସୁନ୍ଦର ବିରାଜେ ନିତମ୍ବେ । । ୧୧୬
    ଅଷ୍ଟରତନ ବନମାଳ । ଲମ୍ବେ ଶ୍ରୀବତ୍ସ›-ବକ୍ଷସ୍ଥଳ । । ୧୧୭
    ହାରକେୟୂର ରତ୍ନମାଳ । ସୁନ୍ଦର ଅଳକା କପୋଳ । । ୧୧୮
    ଭୁଜସହସ୍ର ଜାନୁଯାଏ । ଲମ୍ବେ ଶ୍ରୀବଟ ରୁହ ପ୍ରାୟେ । । ୧୧୯
    ସର୍ବ-ଭୁବନ ତା’ର ଦେହେ । ବିରାଜେ ପୁଷ୍ପକଣା ପ୍ରାୟେ । । ୧୨୦
    ଅଦୃଶ୍ୟ ମୂଳ ତା’ ସ୍ୱଭାବ । କେ ଅବା ଲୋଚନେ ଦେଖିବ । । ୧୨୧
    ମନ୍ଦରଗିରି ଯେହ୍ନେ ଜଳେ । କ୍ଷୀରୋଦ-ମନ୍ଥନର କାଳେ । । ୧୨୨
    ସହସ୍ରଶୃଙ୍ଗ ପ୍ରାୟ ସାଜେ । ସୁରତ୍ନ କିରୀଟ ବିରାଜେ । । ୧୨୩
    କଣ୍ଠେ କୌସ୍ତୁଭମଣି ଶୋହେ । ରତ୍ନପ୍ରଭାରେ ମନ ମୋହେ । । ୧୨୪
    ସୁକୀର୍ତ୍ତିମୟି ବନମାଳ । ଲମ୍ବେ ସୁନ୍ଦର-ବକ୍ଷସ୍ଥଳ । । ୧୨୫
    ଗନ୍ଧେ ଆବୃତ୍ତ ଭୃଙ୍ଗପନ୍ତି । ସୂର୍ଯ୍ୟ-ଶଶାଙ୍କ-ଅଗ୍ନିଜ୍ୟୋତି । । ୧୨୬
    ସେ ପୁଣି ଚାହାଁନ୍ତେ ନିରୋଳେ । ଆତ୍ମାକୁ ତା’ ନାଭି କମଳେ । । ୧୨୭
    ପବନ ଗଗନ ସଲିଳ । ବିଧାତା ଦେଖେ ଦେହେ ତା’ର । । ୧୨୮
    ରଜୋଗୁଣରେ ଯୁକ୍ତ ହୋଇ । ପ୍ରଜା-ସୃଜନେ ମନଦେଇ । । ୧୨୯
    ଲୋକ-ବିସୃଷ୍ଟି ଦେହେ ଦେଖି । ବିଧାତା ଆସନ ଉପେକ୍ଷି । । ୧୩୦
    କରଯୁଗଳ ଦେଇ ମୁଣ୍ତେ । ସ୍ତୁତି କରଇ ଚାରିତୁଣ୍ତେ । । ୧୩୧
    ସେ ହରି-ଚରଣେ ବିଶ୍ୱାସ । ନମଇଁ ଜଗନ୍ନାଥ ଦାସ । । ୧୩୨
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ ।

    ନବମ ଅଧ୍ୟାୟ

    ବ୍ରହ୍ମା ଉବାଚ

    ଭୋ ନାଥ ତୋ’ର ଗତି ମୁହିଁ । ଜାଣିଲି ତୋ’ର ଭାବ ବହି । । ୧
    ଏ ଜୀବ ତୋ’ର ମାୟାବର୍ତ୍ତୀ । କାହୁଁ ଜାଣିବେ ତୋ’ର ଗତି । । ୨
    ଦୃଶ୍ୟ ଅଦୃଶ୍ୟ ତୋ’ର ଭାବ । ଏ ଘେନି ତୋତେ କେ ଜାଣିବ । । ୩
    ମାୟାର ପରେ ତୋ’ର ବାସ । ନିତ୍ୟ ନିରଞ୍ଜନ ପ୍ରକାଶ । । ୪
    ସଦନୁଗ୍ରହେ ବନମାଳୀ । ତୁ ନାଥ ମାୟା ସଙ୍ଗେ ମିଳି । । ୫
    ତୋ’ର ଏ ରୂପ ନାରାୟଣ । ଶତ-ଅବତାର କାରଣ । । ୬
    ତୋ’ ନାଭିକମଳୁ ମୁଁ ଜାତ । ସ୍ୱଭାବେ ଅବିକାର-ତତ୍ତ୍ବ । । ୭
    ତୋ’ ରୂପ ଦେଖିଲି ଲୋଚନେ । ଏ ଲାଭୁଁ ଲାଭ ନାହିଁ ଅନ୍ୟେ । । ୮
    ଆନନ୍ଦରୂପ ତୋ’ ଶରୀର । ଅବିଦ୍ଧତେଜ ରୂପ ତୋ’ର । । ୯
    ତୁ ବିଶ୍ୱସୃଷ୍ଟି-ମୂଳ ଏକ । ତୋ’ ତହୁଁ ପ୍ରକାଶ ଅନେକ । । ୧୦
    ଭୂତ ଇନ୍ଦ୍ରିୟ ଆତ୍ମା ତୁହି । ତୋ’ ପାଦେ ଆଶ୍ରେ କଲି ମୁହିଁ । । ୧୧
    ତୁ ସେ ସଂସାର ଆଦିମୂଳ । ତୋ’ ରୂପ ଭୁବନମଙ୍ଗଳ । । ୧୨
    ଧାରଣା ଧ୍ୟାନେ ମନ ଦେଇ । ପ୍ରାଣୀ ତରନ୍ତି ଯାହା ଧ୍ୟାୟି । । ୧୩
    ତୋ ଅନୁଭାବେ ଭବ-ତମ । ହରଇ ପୁରୁଷଉତ୍ତମ । । ୧୪
    ଶ୍ରୀବାସୁଦେବ ନମୋସ୍ତୁତେ । ମନବଚନ ଜ୍ଞାନମତେ । । ୧୫
    ଯେ ତୋତେ ଅନାଦର କରେ । ନରକମାର୍ଗେ ସେ ସଞ୍ଚରେ । । ୧୬
    ଅନିତ୍ୟ ସଙ୍ଗେ ତା’ର ବାସ । ତୋ’ ଭାବେ ହୋନ୍ତି ସେ ନିରାଶ । । ୧୭
    ତୋ’ ପାଦପଦ୍ମ-ଗନ୍ଧ ଯା’ର । ଆଘ୍ରାଣ କରେ ନାସାଦ୍ୱାର । । ୧୮
    ଶ୍ରୁତିଯୁଗଳେ ନାମ ଶୁଣେ । ଯେ ଅବା ଜିହ୍ୱାଗ୍ରତେ ଗୁଣେ । । ୧୯
    ପରମଭକ୍ତି ଯୋଗବଳେ । ଯେ ନମେ ତୋ’ ପାଦକମଳେ । । ୨୦
    ତା ହୃଦପଦ୍ମ ମଧ୍ୟେ ଥାଉ । କେବେହେଁ କେଣିକି ନ ଯାଉ । । ୨୧
    ଏ ଭବଭୟ-ଧନ-ମୋହ । ସୁହୃଦ-ଶୋକ-ବନ୍ଧୁସ୍ନେହ । । ୨୨
    ସନ୍ତତି ଜାୟା ଜାତିକୁଳ । ଏ ସର୍ବ ଆପଦର ମୂଳ । । ୨୩
    ଯାବତ ତୋ’ ପାଦକମଳେ । ଯେ ପ୍ରାଣୀ ନ ରହେ ନିଶ୍ଚଳେ । । ୨୪
    ସେ କାହିଁ ଏ ଭୟ ତରିବ । ଯେବେ ନ ଜାଣେ ତୋ’ର ଭାବ । । ୨୫
    ଏ ଭବଭୟ ତେବେ ନାଶେ । ତୋ’ ସଙ୍ଗୀସଙ୍ଗେ ଯେବେ ମିଶେ । । ୨୬
    ତା’ ଛାଡ଼ି ଇନ୍ଦ୍ରିୟ-ଲାଳସେ । କ୍ଷଣିକ ସୁଖଲେଶ ଆଶେ । । ୨୭
    ଯତ୍ନ କରନ୍ତି ଅବିରତେ । ତୋ’ ମାୟା ତରିବେ କେମନ୍ତେ । । ୨୮
    କ୍ଷୁଧା ପିପାସା ମାର୍ଗେ ଭ୍ରମି । ଆଶା ବନ୍ଧନେ ପଥଶ୍ରମି । । ୨୯
    ଶୀତ ନିଦାଘ ବାତ ବୃଷ୍ଟି । ଏଣେ ଭ୍ରମନ୍ତି ପ୍ରାଣୀ ଫୁଟି । । ୩୦
    ଦୁର୍ଜୟ-କାମାନଳ ଦହେ । କେବେହେଁ ତୋ’ପାଦେ ନ ରହେ । । ୩୧
    ଏ ଦୁଃଖ ଦେଖି ମୋର ମନ । ଭୟେ କମ୍ପଇ ଭଗବାନ । । ୩୨
    ଯାବତ ଏ ମାୟା ଗହନେ । ମନ କଳ୍ପଇ ଭିନ୍ନେଭିନ୍ନେ । । ୩୩
    ଇନ୍ଦ୍ରିୟ ଅର୍ଥେ ଚିତ୍ତ ଜଡେ଼ । ଘୋର ସଙ୍କଟ ଦୁଃଖେ ପଡେ଼ । । ୩୪
    ତାବତ ସଂସାର ନ ତୁଟେ । ସଞ୍ଚରି ପୁଣି ପୁଣି ଫୁଟେ । । ୩୫
    ଏ ବେନିଲୋକ ସୁଖ ଅର୍ଥେ । ପୁଣି ଭ୍ରମନ୍ତି ସୃଷ୍ଟି ପଥେ । । ୩୬
    ଦୁଃଖ-ସମୁଦ୍ରେ ପୁଣି ଭାସେ । ଯତ୍ନ ନ କରେ ସୁଖଲେଶେ । । ୩୭
    ଭୂତ ଭବିଷ୍ୟେ ଆଶା କରି । ସର୍ବବିଷୟ ଚିତ୍ତେ ଭରି । । ୩୮
    ରାତ୍ରେ ନିଦ୍ରିତ ହୋଇ ଯେବେ । ସ୍ୱପ୍ନେ କଳ୍ପିତ ନାନାଭାବେ । । ୩୯
    ତେଣୁ ପ୍ରାଣୀଙ୍କ ସୁଖଲେଶ । ନ ଥାଇ କ୍ଳେଶ ମାତ୍ରଶେଷ । । ୪୦
    ଭ୍ରମଇଁ ମୁନିଙ୍କର ମନ । ତୋ’ ମାୟାବଳେ ଭଗବାନ । । ୪୧
    ଏଣୁ ତୋ’ ପାଦେ ଯେ ବିମୁଖ । ଇହ ସଂସାରେ ଲଭେ ଦୁଃଖ । । ୪୨
    ଶ୍ରବଣ ତୋ’ ନାମ ଯାହାର । ତୁ ପୁଣି ତାହାର ଗୋଚର । । ୪୩
    ତୋ’ ଭକ୍ତିଭାବେ ଯେ ଭାବିତ । ତା’ ହୃଦପଦ୍ମେ ତୁ ଉଦିତ । । ୪୪
    ସକଳ ଜୀବେ ତୋ’ ବିହାର । ତୁ ପୁଣି ତୋତେ ଅଗୋଚର । । ୪୫
    ଯେ ଯେତେଭାବେ ତୋତେ ଭାବେ । ତୋ’ ଅନୁଗ୍ରହେ ସୁଖଲଭେ । । ୪୬
    ନାନା ପ୍ରକାରେ ଉପଚାରେ । ତୋ’ ଆରାଧନା ଯେବା କରେ । । ୪୭
    ତୁ ପୁଣି ତେଣେ ବଶ ନୋହୁ । ସକଳ ହୃଦୟରେ ଥାଉ । । ୪୮
    ନିଷ୍କାମ ଯୋଗେ ତୁ ସୁଲଭ । ସକାମ-ଭକ୍ତିରେ ଦୁର୍ଲଭ । । ୪୯
    ଯେ ସର୍ବଭୂତେ ଦୟା ଚିନ୍ତି । ତା’ ସମ ତ୍ରିଦଶେ ନୁହଁନ୍ତି । । ୫୦
    ଯେ ତୋତେ ଶୁଦ୍ଧଭାବେ ଚିନ୍ତି । ନିଶ୍ଚିନ୍ତେ ତୋ’ ପାଦେ ପଶନ୍ତି । । ୫୧
    ତୁ ପୁଣି ସର୍ବଜନ୍ତୁ ଦେହେ । ପ୍ରକାଶୁ ଆଦିତ୍ୟର ପ୍ରାୟେ । । ୫୨
    ଏକୁ ଅନେକ ତୋ’ ପ୍ରକାଶ । ପ୍ରସନ୍ନ ଯେସନେ ଆକାଶ । । ୫୩
    ସର୍ବ ସୁହୃଦ ଅନ୍ତରାତ୍ମା । କେ ଲକ୍ଷିପାରେ ତୋ’ ମହିମା । । ୫୪
    ପ୍ରାଣୀଙ୍କ ମନ-କର୍ମବଳେ । ଦଣ୍ତେହେଁ ନ ରହେ ନିଶ୍ଚଳେ । । ୫୫
    ଆରାଧି ନାନା ତପ ବ୍ରତେ । ସୁକୃତ-ଫଳ ଦେଇ ତୋତେ । । ୫୬
    ବେଗେ ହୁଅନ୍ତି ଭବୁ ପାର । ନୋହିଲେ ଭ୍ରମନ୍ତି ସଂସାର । । ୫୭
    ତୋ’ର ସ୍ୱରୂପ ନିତ୍ୟେ ଚିନ୍ତି । ଘୋର ସଂସାରୁ ତରିଯା’ନ୍ତି । । ୫୮
    ବିଶ୍ୱ ଉତ୍ପତ୍ତି-ସ୍ଥିତି-ନାଶ । ତୋ’ ମାୟା-ଲୀଳାରୁ ପ୍ରକାଶ । । ୫୯
    ଏମନ୍ତ ମହିମା ତୋହର । ଭୋ ଦେବ ତୋତେ ନମସ୍କାର । । ୬୦
    ତୋ’ ଅବତାର ଗୁଣ କର୍ମ । ସେ ଅନୁରୂପେ ଯେବା ନାମ । । ୬୧
    ମରଣେ ଗୁଣନ୍ତି ଯେ ମୁଖେ । ବେଗେ ତରନ୍ତି ମହାସୁଖେ । । ୬୨
    ଅନେକ ଜନ୍ମ ଜରା ଭ୍ରାନ୍ତି । ନିର୍ଭୟେ ବେଗେ ସେ ତରନ୍ତି । । ୬୩
    ଅମୃତ ଲଭି ଅପ୍ରମାଦେ । ସୁଖେ ଲଭନ୍ତି ମୋକ୍ଷପଦେ । । ୬୪
    ଏମନ୍ତ ପ୍ରଭୁ ପାଦତଳେ । ଶରଣ ପଶିଲି ନିଶ୍ଚଳେ । । ୬୫
    ତୁ ନାଥ ପରମମଙ୍ଗଳ । ଉଦ୍ଭବ-ସ୍ଥିତି-ଅନ୍ତଃମୂଳ । । ୬୬
    ଭୁବନଦ୍ରୁମ ତୋ’ ମହିମା । କେ ଜାଣିପାରେ ଅନ୍ତଃସୀମା । । ୬୭
    ମୁଁ ଆଦିଭବ ବିଷ୍ଣୁ ତିନି । ତାଳ ସ୍ୱରୂପେ ଯହିଁ ମାନି । । ୬୮
    ମରୀଚି ମନୁ ଆଦି ଯେତେ । ଏ ସର୍ବଶାଖା ଅପ୍ରମିତେ । । ୬୯
    ଏମନ୍ତ ବୃକ୍ଷରୂପ ତୋ’ର । ତୋ’ ପାଦେ ମୋ’ର ନମସ୍କାର । । ୭୦
    ଏ ଜୀବଲୋକ ଅବିରତ । ବିକାର-ମାର୍ଗେ ସୁଜଡ଼ିତ । । ୭୧
    ଭାବଇ ଅକୁଶଳ କର୍ମ । ନିତ୍ୟେ କଳ୍ପଇ ନିଜଭ୍ରମ । । ୭୨
    ପ୍ରମତ୍ତ ନାନା ଫଳ ଲାଭେ । ତୋହର ଭଜନ ପ୍ରସ୍ତାବେ । । ୭୩
    ତା’ର ଜୀବନ ଆଶା ତୁହି । କ୍ଷଣକେ ଛେଦୁ ଭାବଗ୍ରାହୀ । । ୭୪
    ଏମନ୍ତ ପ୍ରଭୁ ପାଦଗତେ । ମୋ’ ନମସ୍କାର ଅବିରତେ । । ୭୫
    ଭୋ ନାଥ ଜୀବନ ମୋହର । ବେନିପରାର୍ଦ୍ଧ ଅଧିକାର । । ୭୬
    ସକଳ ଲୋକ ନମସ୍କୃତ । ସପ୍ତମଣ୍ତଳ ପରେ ସ୍ଥିତ । । ୭୭
    ଅନେକ ତପେ ଅଧିକାରୀ । ତୋ’ କାଳରୂପେ ତେବେ ଡରି । । ୭୮
    ତୁ ଅଧିଯଜ୍ଞ ଦାମୋଦର । ତୋ’ ପାଦେ ମୋର ନମସ୍କାର । । ୭୯
    ପଶୁ ମନୁଷ୍ୟ ଦେବଦେହେ । ସମ୍ଭବି ତୁ ଲୋକ ସଂଗ୍ରହେ । । ୮୦
    ଇଚ୍ଛାୟେ କରୁ ନାନାକର୍ମ । ନମସ୍ତେ ପୁରୁଷଉତ୍ତମ । । ୮୧
    ଯେ ନିଦ୍ରାଗତି ପଞ୍ଚବୃତ୍ତି । ତୁରୀୟ ସ୍ୱପ୍ନ ଯେ ସୁଷୁପ୍ତି । । ୮୨
    ଅବିଦ୍ୟା-ନିଦ୍ରାର କାରଣ । ତୁ ନୋହୁ ତାହାର ଅଧୀନ । । ୮୩
    ତଥାପି ନିଦ୍ରାଗଲା ପରି । ଲୋକ ସଂସାର ପେଟେ ଭରି । । ୮୪
    ଜୀବଙ୍କୁ ଦେବାକୁ ବିଶ୍ରାମ । ପ୍ରଳୟ ଜଳେ ତୋ’ ଶୟନ । । ୮୫
    ତ୍ରିଲୋକ-ଉପକାର ସଧେ । ମୋ’ ଜନ୍ମ ତୋ’ର ନାଭିପଦ୍ମେ । । ୮୬
    ଏ ଯୋଗମାୟା ଅବସାନ । ନମସ୍ତେ ନଳିନ ନୟନ । । ୮୭
    ଜୟତୁ ପ୍ରଭୁ ଭଗବାନ । ଅଶେଷ ଜନ୍ତୁଙ୍କ ଜୀବନ । । ୮୮
    ତୋ’ର ଆଦେଶ ଶିରେ ଧରି । ମୁଁ ଏ ସଂସାରେ ଅଧିକାରୀ । । ୮୯
    ଯେ ଜ୍ଞାନ-ଅଇଶ୍ୱର୍ଯ୍ୟ ବଳୁ । ତୁହି ସଂସାର ସୃଜି ପାଳୁ । । ୯୦
    ଯେ ଜ୍ଞାନ ଦିଅ ଅନୁଗ୍ରହେ । ସୃଷ୍ଟି କରିବି ପୂର୍ବ ପ୍ରାୟେ । । ୯୧
    ଭୋ ନାଥ ପରମପୁରୁଷ । ଏ ଆତ୍ମାଶକ୍ତି ତୋ’ ବିଶ୍ୱାସ । । ୯୨
    ଗୁଣ-ଗୃହୀତ ଅବତାରେ । ଯେ ଅବା କରୁ ତୁ ସଂସାରେ । । ୯୩
    ସେ ଗୁଣ ଘେନି ସୃଷ୍ଟିଅର୍ଥେ । ଯେ ଅବା ହୋଇବ ଯେମନ୍ତେ । । ୯୪
    ସର୍ଜିବି ଆତ୍ମା ଯୋଗବଳେ । ମୋ’ ଚିତ୍ତ ଯେମନ୍ତେ ନିଶ୍ଚଳେ । । ୯୫
    ତୋ’ର ଚରଣେ ଦୃଢ଼ ହୋଏ । ଭୋ ନାଥ କର ଏ ଉପାୟେ । । ୯୬
    ଦୁର୍ଗମ ଏ ପ୍ରଳୟ ଜଳେ । ମୁଁ ଜାତ ତୋ’ ନାଭିକମଳେ । । ୯୭
    ବିଜ୍ଞାନ ଶକ୍ତି ଯେଣୁ ବହୁ । ତେଣୁ ଅନନ୍ତ ତୁ ବୋଲାଉ । । ୯୮
    ସଂଭ୍ରମେ ପଦ୍ମନାଳେ ମୁହିଁ । ଭ୍ରମନ୍ତେ ତୋ’ର ମାୟାବହି । । ୯୯
    ଦେଖିଲି ତୋ’ ପରମରୂପ । ଯେ ରୂପ ନିଗମ-ସଙ୍କଳ୍ପ । । ୧୦୦
    ସର୍ଜୁ ବିଚିତ୍ର ବିଶ୍ୱରୂପ । ମୋ’ ବ୍ରହ୍ମତେଜ ନୋହୁ ଲୋପ । । ୧୦୧
    ଅଶେଷ କରୁଣାସାଗର । ଭୋ ନାଥ ମହିମା ତୋହର । । ୧୦୨
    ରଙ୍ଗ ଅଧରେ ମନ୍ଦହାସ । ଦେଖାଇ ମୋର ମନ ତୋଷ । । ୧୦୩
    ଏ ବିଶ୍ୱସଂସାର କୁଶଳେ । ମୁଁ ଯେଣୁ ଅଛି ମହାଜଳେ । । ୧୦୪
    ସୃଷ୍ଟି କଳ୍ପନା ଚିନ୍ତା ଅର୍ଥେ । ମୁହିଁ ଭାଳଇ ଅବିରତେ । । ୧୦୫
    ତୁ ନାଥ ମଧୁର-ବଚନେ । ଚିନ୍ତା ନିବାର ମୋର ମନେ । । ୧୦୬
    ମୈତ୍ରେୟ ଉବାଚ

    ଏମନ୍ତେ ସଂଭ୍ରମ-ବଚନେ । ତପ ସମାଧି ଯୋଗଧ୍ୟାନେ । । ୧୦୭
    ନିର୍ମଳ ଦିବ୍ୟ-ଅନୁଭବେ । ନିଗମ ବଚନ ପ୍ରସ୍ତାବେ । । ୧୦୮
    ନାନା ପ୍ରକାରେ କରି ସ୍ତୁତି । ମନ-ବଚନେ ଯେତେ ଶକ୍ତି । । ୧୦୯
    ଅନ୍ତେ ଗୋବିନ୍ଦ-ଭାବ ଘେନି । ସେ ପଦ୍ମ ମଧ୍ୟେ ହେଲା ତୁନି । । ୧୧୦
    ଏମନ୍ତେ ବ୍ରହ୍ମା ମନ ଜାଣି । ଦୟାସାଗର ଚକ୍ରପାଣି । । ୧୧୧
    ବିଷାଦ ଚିତ୍ତେ ସେ ଭାଳଇ । ପ୍ରଳୟ ଜଳ ମଧ୍ୟେ ଥାଇ । । ୧୧୨
    ଲୋକ ସଂସ୍ଥାନ ଚିନ୍ତାକରି । ଭାଳଇ ଖେଦ ମନେ ଧରି । । ୧୧୩
    ସେ ଚିତ୍ତ ଜାଣି ଭଗବାନ । କୋମଳ ଗଭୀର ବଚନ । । ୧୧୪
    ବ୍ରହ୍ମାର ମନ ଖେଦ ହରି । କହନ୍ତି ପ୍ରଭୁ ଦଇତାରି । । ୧୧୫
    ଭଗବାନ ଉବାଚ

    ହେ ବେଦଗର୍ଭ ସୃଷ୍ଟିମୁଖ । ବେଗେ ତୁ ଛାଡ଼ ମନଦୁଃଖ । । ୧୧୬
    ତୁ ଯେ କଳ୍ପିତେ ମାଗୁ ଯାହା । ଆଗେ ମୁଁ କରିଅଛି ତାହା । । ୧୧୭
    ତୁ ଏବେ ତପେ କର ଆଶା । ମୋ’ ବିଦ୍ୟାବଳ ତୋ’ ଭରସା । । ୧୧୮
    ଏ ତପ-ଯୋଗବିଦ୍ୟା ବଳେ । ସୃଷ୍ଟି ତୁ କର ମହାଜଳେ । । ୧୧୯
    ଆତ୍ମା ନିଯୋଗେ ଭକ୍ତି କର । ଯେ ରୂପେ ହୋଇବ ସଂସାର । । ୧୨୦
    ସର୍ବ ଦେଖିବୁ ମୋର ଦେହେ । ମୋତେ ଦେଖିବୁ ସର୍ବମୟେ । । ୧୨୧
    ମୁଁ ବସେ ସର୍ବପ୍ରାଣୀ ମନେ । ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ । । ୧୨୨
    ମୋତେ ଯେ ଦେଖେ ବେଦବର । ତା’ର ସଂଶୟ ଯାଇ ଦୂର । । ୧୨୩
    ଭୂତ-ଇନ୍ଦ୍ରିୟ-ଗୁଣ ମେଳେ । ଅନ୍ତଃକରଣ ସୁନିଶ୍ଚଳେ । । ୧୨୪
    ଯେବେ ଦେଖଇ ଦେହେ ମୋତେ ।ସ୍ୱରାଜ୍ୟେ ରହଇ ନିଶ୍ଚିନ୍ତେ । । ୧୨୫
    କର୍ମ ବିଭାଗେ ନାନାମତେ । ଏ ସୃଷ୍ଟି ସର୍ଜିବୁ ଯେମନ୍ତେ । । ୧୨୬
    ମୋ’ ଅନୁଗ୍ରହେ ତୋ’ର ମନ । କେବେହେଁ ନୋହିବଟି ଛନ୍ନ । । ୧୨୭
    ତୁ ଯେବେ ମୋ’ର ଦେହେ ମନ । ଦେଇ ସର୍ଜିବୁ ପ୍ରଜାଜନ । । ୧୨୮
    ଏ ରଜଗୁଣେ ଯେତେ ଭାବ । କେବେହେଁ ତୋତେ ନ ଲାଗିବ । । ୧୨୯
    ପ୍ରାଣୀଙ୍କ ଦୁର୍ଲ୍ଲଭ ଯୁଗତେ । ତୁ ଯେ ଜାଣିଲୁ ଏବେ ମୋତେ । । ୧୩୦
    ଭୂତ-ଇନ୍ଦ୍ରିୟଗଣ ଗ୍ରସ୍ତେ । କେ ହେଜି ସମ୍ପାଦିବ ମୋତେ । । ୧୩୧
    ତୁ ଯେ ସଂଶୟ ଚିତ୍ତେ ବହି । କମଳନାଳ ମଧ୍ୟେ ଯାଇ । । ୧୩୨
    ତାହାର ମୂଳ ଇଚ୍ଛା କଲୁ । ଅନେକ କାଳ ତୁ ଭ୍ରମିଲୁ । । ୧୩୩
    ଦୟା ବସିଲା ମୋର ଚିତ୍ତେ । ବାହାରେ ଦେଖାଇଲି ତୋତେ । । ୧୩୪
    ତୁ ଯେତେ କଲୁ ମୋତେ ସ୍ତୁତି । କହଇ ଶୁଣ ବେଦପତି । । ୧୩୫
    ଯେ ତପନିଷ୍ଠା ତୋ’ର ଦେହେ । ଲଭିଲୁ ମୋ’ର ଅନୁଗ୍ରହେ । । ୧୩୬
    ସୁପ୍ରୀତ ହୋଇଲି ମୁଁ ତୋତେ । କଲ୍ୟାଣ ଲଭ ତୁ ଜଗତେ । । ୧୩୭
    ଲୋକମଙ୍ଗଳ ଅର୍ଥେ ତୋ’ର । ମହିମା ବର୍ଣ୍ଣିଲୁ ମୋହର । । ୧୩୮
    ଏ ସ୍ତୋତ୍ରେ ମୋତେ ଯେ ଭଜିବ । ସଂସାର ଭୟରୁ ତରିବ । । ୧୩୯
    ମୁଁ ବରଦାତା ଭଗବାନ । ତାହାକୁ ହୁଅଇ ପ୍ରସନ୍ନ । । ୧୪୦
    ସମାଧି ତପ ଯଜ୍ଞମତେ । ଜ୍ଞାନ ବୈରାଗ୍ୟ ଉପଗତେ । । ୧୪୧
    ମୋରେ ନିଶ୍ଚଳ ପ୍ରୀତିଭାବ । ଏ ସର୍ବ କର୍ମଫଳ ଲାଭ । । ୧୪୨
    ମୁଁ ଆତ୍ମା ଜଗତ ଜୀବର । ସଂଶୟଚିତ୍ତେ ଅଗୋଚର । । ୧୪୩
    ଏଣୁ ଯେ ମୋ’ ବିଷୟ ଭଜେ । ସ୍ୱଭାବେ ସର୍ବମାୟା ତେଜେ । । ୧୪୪
    ଆତ୍ମାରେ ଆତ୍ମମାୟା ତରେ । ନ ବୁଡେ଼ ସଂସାର-ସାଗରେ । । ୧୪୫
    ମାୟାରେ ଆତ୍ମାବୁଦ୍ଧି ଧର । ପୂର୍ବର ପ୍ରାୟେ ସୃଷ୍ଟି କର । । ୧୪୬
    ସକଳ ବେଦଭାବେ କରି । ମୋହର ଭାବ ହୃଦେ ଧରି । । ୧୪୭
    ଯେ ପ୍ରାଣୀ ମୋ’ର ଦେହେ ଥିଲେ । ପ୍ରଳୟ ଜଳେ ନାଶ କାଳେ । । ୧୪୮
    ତାହାଙ୍କୁ କର୍ମର ଆୟତ୍ତେ । ପୁଣି ପ୍ରକାଶ ଏ ଜଗତେ । । ୧୪୯
    ମୈତ୍ରେୟ ଉବାଚ

    ଏମନ୍ତ ବ୍ରହ୍ମା ଆଗେ କହି । ଅନ୍ତର ହେଲେ ଭାବଗ୍ରାହୀ । । ୧୫୦
    ସେ ହରିଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ । । ୧୫୧
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ନବମୋଽଧ୍ୟାୟଃ ।

    ଦଶମ ଅଧ୍ୟାୟ

    ବିଦୁର ଉବାଚ

    ମୈତ୍ରେୟ ପାଦେ ଦେଇ ଶିର । ଆନନ୍ଦେ ପଚାରେ ବିଦୁର । । ୧
    ଭୋ ମୁନି କହ ଶୁଦ୍ଧମନେ । ବିଷ୍ଣୁ ଯେ ଗଲେ ଅନ୍ତର୍ଦ୍ଧାନେ । । ୨
    ସେ ବେଦପତି ଜ୍ଞାନମତେ । ପ୍ରଜା ସର୍ଜିଲା ସେ କେମନ୍ତେ । । ୩
    ତା’ର କି ଦେହେ ପ୍ରଜା ଥିଲା । କେତେ ପ୍ରକାରେ ଭିଆଇଲା । । ୪
    ମନ କଳ୍ପିତ ଦେହଗତେ । କହ ସଂଶୟ ଯାଉ ଚିତ୍ତେ । । ୫
    ସୂତ ଉବାଚ
    ବିଦୁର ବାକ୍ୟ କର୍ଣ୍ଣେ ଶୁଣି । ଯେ ପୂର୍ବପ୍ରଶ୍ନ ମନେ ଗୁଣି । । ୬
    ବିଦୁର ପ୍ରୀତିଭାବ ଘେନି । କହନ୍ତି ମଇତ୍ରେୟ ମୁନି । । ୭
    ମୈତ୍ରେୟ ଉବାଚ
    ଶୁଣ ବିଦୁର ଏକଚିତ୍ତେ । ଜଗତ ସର୍ଜିଲା ଯେମନ୍ତେ । । ୮
    ଗୋବିନ୍ଦ ବାକ୍ୟେ ବେଦପତି । ତପ ସାଧନେ କଲା ମତି । । ୯
    ଶତେବରଷ ବେଦମତେ । ତପ ସାଧିଲା ଦୃଢ଼ଚିତ୍ତେ । । ୧୦
    ଆତ୍ମାରେ ଆତ୍ମା ଲୀନ କରି । ଗୋବିନ୍ଦ-ବଚନ ସୁମରି । । ୧୧
    ଦେଖଇ ନୟନ ନିଶ୍ଚଳେ । ଉର୍ମ୍ମି-ସଙ୍କୁଳ ମହାଜଳେ । । ୧୨
    ପବନ ଯୋଗେ ଅତି ଖର । ସ୍ୱଭାବେ ଦିଶେ ଭୟଙ୍କର । । ୧୩
    ପଦ୍ମ ସହିତେ ଳଜ କମ୍ପେ । ଉର୍ମ୍ମି-ସଙ୍କୁଳ ଅତିରେକେ । । ୧୪
    କାଳର ବଳେ କମ୍ପମାନ । ଦେଖି ଉଷତ ବ୍ରହ୍ମା ମନ । । ୧୫
    ତକ୍ଷଣେ ତପ-ବିଦ୍ୟାବଳେ । ସୁସ୍ଥିର ବିଜ୍ଞାନ ନିଶ୍ଚଳେ । । ୧୬
    ବାୟୁ ସହିତେ ଜଳରାଶି । ସେ ବ୍ରହ୍ମା ଯୋଗବଳେ ଗ୍ରାସି । । ୧୭
    ପ୍ରଳୟ ଜଳ ଯହୁଁ ଗଲା । ନିଶ୍ଚଳେ ପଦ୍ମ ବିକାଶିଲା । । ୧୮
    ସେ ପଦ୍ମେ ବସି ବେଦବର । ମନରେ କରଇ ବିଚାର । । ୧୯
    ପୂର୍ବେ କମଳ-ଗର୍ଭଗତେ । ଜନ୍ତୁଏ ପଶିଛନ୍ତି ଯେତେ । । ୨୦
    ତାହାଙ୍କୁ କରିବି ପ୍ରକାଶ । ସେ ଯେଣୁ ସ୍ୱକର୍ମେ ପ୍ରବେଶ । । ୨୧
    ଏକୁ ଅନେକ ରୂପ ଚିନ୍ତେ । ସ୍ୱକର୍ମ ବଳେ ନାନା ମତେ । । ୨୨
    ଦ୍ୱିସପ୍ତଲୋକ ସ୍ଥାନ ଯେହି । ତିନି ଭୁବନ କଲେ ତହିଁ । । ୨୩
    ଯହିଁରେ ଯେବା ନିଜ କର୍ମ । ସର୍ଜିଲେ ପ୍ରଜା ଭିନ୍ନ ଭିନ୍ନ । । ୨୪
    ଯେ ଯାହା ମତେ ଧର୍ମ ଚିନ୍ତି । ନିଶ୍ଚଳଯୋଗେ ପ୍ରଜାପତି । । ୨୫
    ବିଦୁର ଉବାଚ
    ଭୋ ମୁନି ହରିର ମହିମା । ଅଦ୍ଭୁତ କର୍ମ ଗୁଣସୀମା । । ୨୬
    ସୃଷ୍ଟି ପାଳନ ସଂହାରଣ । କାଳ ସ୍ୱରୂପ ନାରାୟଣ । । ୨୭
    ଖେଳଇ ନିଜ ମାୟାବଳେ । କେ ତା ଦେଖିବ ଚର୍ମଡୋଳେ । । ୨୮
    ତା’ର ଲକ୍ଷଣ କହ ମୋତେ । ଅଣୁ ବା ପରମାଣୁ ଯେତେ । । ୨୯
    ମୈତ୍ରେୟ ଉବାଚ
    ସ୍ୱଭାବେ ନିର୍ଗୁଣ ଅଚ୍ୟୁତ । ନିର୍ଲେପ ନିର୍ବିକଳ୍ପେ ସ୍ଥିତ । । ୩୦
    ତା’ର ଶରୀରୁ ଆତ୍ମା ଜାତ । ଲୀଳାରେ ସୃଜଇ ଜଗତ । । ୩୧
    ଏ ବିଶ୍ୱ ବ୍ରହ୍ମମୟ-ରୂପୀ । ନିଜ ମାୟାର ବଳେ ବ୍ୟାପି । । ୩୨
    କାଳ ପ୍ରଭାବେ ପରିଚ୍ଛିନ୍ନ । ଯେ କାଳ ସ୍ୱୟଂ ଭଗବାନ । । ୩୩
    ଯେମନ୍ତ ସୃଷ୍ଟି ଥିଲା ପୂର୍ବେ । ତେମନ୍ତ ପୁଣି ହେବ ଏବେ । । ୩୪
    ପ୍ରକୃତି ବିକୃତି ବିକାରେ । ଯେ ସର୍ଗ ନବ ପରକାରେ । । ୩୫
    ଯେ କାଳ ଦ୍ରବ୍ୟ ଗୁଣମୟ । ଏହାର ତିନିଟି ପ୍ରଳୟ । । ୩୬
    ଯେବା ପ୍ରଳୟ ହୁଏ କାଳେ । ତା’ ନିତ୍ୟ ବୋଲନ୍ତି ସକଳେ । । ୩୭
    ଯେ ସଙ୍କର୍ଷଣ ମୁଖାଗ୍ନିରେ । ପ୍ରଳୟ ଘଟଇ ସଂସାରେ । । ୩୮
    ସେ ଦ୍ରବ୍ୟ ହେତୁ ନୈମିତ୍ତିକ । ସ୍ୱକାର୍ଯ୍ୟ ଗ୍ରାସେ ପ୍ରାକୃତିକ । । ୩୯
    ଗୁଣର ବଶେ ତା’ ଉତ୍ପତ୍ତି । ଏ ରୂପେ ତ୍ରିବିଧ ବୋଲନ୍ତି । । ୪୦
    ଯେ କାଳେ ବ୍ରହ୍ମ ଉଦେ ହୋନ୍ତି । ମହତ ଆଦି ତତ୍ତ୍ବ ଚିନ୍ତି । । ୪୧
    ଗୁଣ-ବୈଷମ୍ୟେ ଆତ୍ମା ବସେ । ସ୍ୱଗୁଣ ସ୍ୱଭାବେ ପ୍ରକାଶେ । । ୪୨
    ମହତ ତତ୍ତ୍ବ ଆଦ୍ୟ ଚିନ୍ତି । ପ୍ରଥମ ସର୍ଗ ଉତପତ୍ତି । । ୪୩
    ଦ୍ୱିତୀୟ ଅହଙ୍କାରୋଦୟ । ଯେ ଦ୍ରବ୍ୟଜ୍ଞାନ-କ୍ରିୟାଶ୍ରୟ । । ୪୪
    ତୃତୀୟ ଭୂତସର୍ଗ ହୋଏ । ଯେ ମାତ୍ରା ଦିବ୍ୟଶକ୍ତି ବହେ । । ୪୫
    ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ । ଯେ ଜ୍ଞାନ-କ୍ରିୟାତ୍ମକ ନାମ । । ୪୬
    ଇନ୍ଦ୍ରି ରକ୍ଷକ ଦେବଗଣ । ଆବର ପଞ୍ଚମରେ ମନ । । ୪୭
    ଷଷ୍ଠରେ ତାମସ ଯେ ହୋଏ । ଅବିଦ୍ୟା ମହାଶକ୍ତି ବହେ । । ୪୮
    ଏ ଷଟ ପ୍ରକୃତି ଗୋଚର । ବିକୃତି ଶୁଣ ହେ ବିଦୁର । । ୪୯
    ଏ ସୃଷ୍ଟି ଜାତ ରଜୋଗୁଣେ । ହରିର ଲୀଳା ଏ ପ୍ରମାଣେ । । ୫୦
    ସ୍ଥାବର ସୃଜନ ସପ୍ତମ । ଅନ୍ୟାନ୍ୟ ସୃଷ୍ଟି ମୁଖ୍ୟତମ । । ୫୧
    ଏବେ ହୋ ମୁଖ୍ୟସର୍ଗ କହି । ସ୍ଥାବର ଷଡ଼ବିଧ ହୋଇ । । ୫୨
    ବନସ୍ପତି ଲତା ଔଷଧି । ବୀରୁଧ ଦ୍ରୁମ ବେଣୁ ଆଦି । । ୫୩
    ଏହାଙ୍କ ନାମ ଉର୍ଦ୍ଧ୍ୱ-ସ୍ରୋତ । ଅନ୍ତରେ ସ୍ପର୍ଶଜ୍ଞାନ ମାତ୍ର । । ୫୪
    ଅଷ୍ଟମସର୍ଗେ ପଶୁଗଣ । ସେ ଅଷ୍ଟବିଂଶ ପରମାଣ । । ୫୫
    ଅଜ୍ଞାନ ତମଗୁଣେ ଥା’ନ୍ତି । କେବଳ ଘ୍ରାଣେ ସେ ଜାଣନ୍ତି । । ୫୬
    ଗୋରୁ ମହିଷ ଛାଗ ତିନି । ଗବୟ ଶୂକର ହରିଣୀ । । ୫୭
    ଏହାଙ୍କ ପାଦେ ବେନିଖୁର । ମେଷ ଶରଭ ଉଷ୍ଟ୍ରଖର । । ୫୮
    ସମ୍ବର ମୃଗ ଆଦି ଯେତେ । ଯେ ଏକଖୁର କହୁଁ ତୋତେ । । ୫୯
    ଏବେ କହିବା ବୀର ଶୁଣ । ଯେ ପଞ୍ଚନଖୀ ପଶୁଗଣ । । ୬୦
    ଶ୍ୱା ବୃକ ବ୍ୟାଘ୍ର ଯେ ଶୃଗାଳ । ଶଶକ ଭଲ୍ଲୁକ ବିଡାଳ । । ୬୧
    ସିଂହ ବାନର କୂର୍ମ ହସ୍ତୀ । ଏ ପଞ୍ଚନଖ ବୋଲି ଥା’ନ୍ତି । । ୬୨
    ମକର ଆଦି ଜଳ ଜୀବେ । ଭାବେ କହିବା ଶୁଣ ଏବେ । । ୬୩
    ଯେ କଙ୍କ ଶାଗୁଣା ସଞ୍ଚାଣ । ଭାସ ଶଲ୍ଲକ ବରହିଣ । । ୬୪
    ହଂସ ସାରସ ଚକ୍ରବାକ । ଉଲ୍ଲୁକ ଆଦି ଚିଲ କାକ । । ୬୫
    ଏବେ ନବମସର୍ଗ କହି । ବିଦୁର ଶୁଣ ମନଦେଇ । । ୬୬
    ମନୁଷ୍ୟ ମଧ୍ୟେ ତାକୁ ଗଣି । ଦୁଃଖକୁ ସୁଖପ୍ରାୟ ମଣି । । ୬୭
    ରଜ ଅଧିକ କର୍ମ ପର । ବିକୃତ ଏ ତିନି ପ୍ରକାର । । ୬୮
    ଏବେ ଅପର କହୁଁ ତୋତେ । ଉଭୟ ମଧ୍ୟେ ସୃଷ୍ଟି ଯେତେ । । ୬୯
    କୁମାରସର୍ଗ ଯେ ବୋଲାଇ । ଉଭୟ ମତେ ଦେହ ବହି । । ୭୦
    ଦେବଙ୍କ ସୃଷ୍ଟି ଅଷ୍ଟବିଧ । ପିତର ଅସୁର ବିବୁଧ । । ୭୧
    ଗନ୍ଧର୍ବ ଅପ୍‌ସରା ସିଦ୍ଧ । ଚାରଣ ଯକ୍ଷ ରକ୍ଷ ଭେଦ । । ୭୨
    ଭୂତ ପିଶାଚ ପ୍ରେତଗଣ । କିନ୍ନର ବିଦ୍ୟାଧର ପୁଣ । । ୭୩
    ଏ ଅଷ୍ଟବିଧ ଉତପତ୍ତି । ସ୍ୱଭାବେ ଦେବତା ବୋଲନ୍ତି । । ୭୪
    ଏ ଦଶସର୍ଗ ହେ ବିଦୁର । କ୍ରମେ ସର୍ଜିଲା ବେଦବର । । ୭୫
    ଏବେ କହିବା କୁରୁବୀର । ଯେ ବଂଶ ମନୁ ମନ୍ୱନ୍ତର । । ୭୬
    ଏମନ୍ତେ ରଜଗୁଣେ ମିଶି । ସୃଷ୍ଟି ଆଗମେ ବ୍ରହ୍ମରାଶି । । ୭୭
    ଅମୋଘ-ସଙ୍କଳ୍ପ ସ୍ୱଭାବ । ଆତ୍ମାରେ ଆତ୍ମା ପଦ୍ମନାଭ । । ୭୮
    ତ୍ରିଗୁଣେ ନୋହେ ସେ ଗୃହୀତ । ଈଶ୍ୱର ମାୟା ମହୁମତ । । ୭୯
    ନଦୀଙ୍କ ଜଳ ଯେହ୍ନେ ଭ୍ରମେ । ଜଳଧି ଯା’ନ୍ତି ଯଥାକ୍ରମେ । । ୮୦
    ଏ ଯେତେ ଦେବାସୁର ଆଦି । ଯେତେ ମୁଁ କହିଲି ସମ୍ପାଦି । । ୮୧
    ସେ ନାନାବିଧ ରୂପ ହୋନ୍ତି । କ୍ରମେ ତାହାର ଦେହେ ଯା’ନ୍ତି । । ୮୨
    ଏମନ୍ତେ ବିଦୁର ସମୀପେ । ମୁନି କହିଲେ ପଦ୍ମକଳ୍ପେ । । ୮୩
    ଏ ଭାଗବତ ଜ୍ଞାନରସ । କହିଲା ଜଗନ୍ନାଥ ଦାସ । । ୮୪
    ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଦଶମୋଽଧ୍ୟାୟଃ ।

    ଏକାଦଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଶୁଣ ବିଦୁର ଏକଚିତ୍ତେ । ସେ କାଳରୂପ ସଂଖ୍ୟା ଯେତେ । । ୧
    ନିମିଷ ଆଦି ରୂପ ତା’ର । ଯେମନ୍ତେ ପୂରଇ ବ›ତ୍ସର । । ୨
    ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ । ଅଣୁ ତହିଁରୁ ଅଟେ ସାନ । । ୩
    ହେ କୁରୁବୀର ଶୁଣ ତୁହି । କହିବି ପରମାଣୁ ମୁହିଁ । । ୪
    ଯାହା ବିଭାଗ ନ ଲଭଇ । ସଂଯୋଗେ ଭାବ ଯା’ର ନାହିଁ । । ୫
    ଯାହା ସର୍ବଦା ବର୍ତ୍ତମାନ । ତାହାର ପରମାଣୁ ନାମ । । ୬
    ଅଣୁର ଅର୍ଦ୍ଧ ପରମାଣୁ । ତ୍ରିଭାଗେ ହୋଏ ତ୍ରସରେଣୁ । । ୭
    ତୃତୀୟ ତ୍ରସରେଣୁ ଯେହି । ତାହାକୁ ତ୍ରୁଟି ବୋଲି କହି । । ୮
    ଶଏ ତ୍ରୁଟିରେ ବେଧ ହୋଏ । ତ୍ରିବେଧେ ଲବ ନାମ ବହେ । । ୯
    ତ୍ରିଲବ କାଳ ଅଟେ ଯେହି । ନିମିଷ ବୋଲି ତା’କୁ କହି । । ୧୦
    ତିନି ନିମିଷେ ଏକ କ୍ଷଣ । ପଞ୍ଚ କ୍ଷଣରେ କାଷ୍ଠା ପୁଣ । । ୧୧
    କାଷ୍ଠା ପନ୍ଦର ଯେବେ ହୋଇ । ତାହାକୁ ଲଘୁ ବୋଲି କହି । । ୧୨
    ଏ ପଞ୍ଚଦଶ ଲଘୁ ଘେନ । ନାଡ଼ି ବୋଲିଣ ତା’କୁ ଜାଣ । । ୧୩
    ବେନି ନାଡ଼ିରେ ଯେ ମୁହୂର୍ତ୍ତ । ପ୍ରହର ଷଟ ଅବା ସପ୍ତ । । ୧୪
    ତାହାକୁ ଯାମ ବୋଲି କହି । ଅଷ୍ଟମେ ଅହୋରାତ୍ର ହୋଇ । । ୧୫
    ତାମ୍ର ଦ୍ୱାଦଶପଳ ଅର୍ଦ୍ଧେ । ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ । । ୧୬
    ଚାରି ଅଙ୍ଗୁଳି ଦୀର୍ଘ କରି । ଚତୁରମସେ ଚୂତୀ ଗଢ଼ି । । ୧୭
    ସ୍ୱର୍ଣ୍ଣସୂଚୀରେ ଛିଦ୍ର କରି । କରିବ ଆୟାମ ବିସ୍ତାରି । । ୧୮
    ଜଳେ ବୁଡ଼ନ୍ତେ ଦଣ୍ତେ ହୁଏ । ଏମନ୍ତେ କାଳର ନିର୍ଣ୍ଣୟେ । । ୧୯
    ଅଷ୍ଟପ୍ରହରେ ଦିବା-ରାତ୍ରି । କାଳଜ୍ଞେ ଏମନ୍ତ ଗଣନ୍ତି । । ୨୦
    ପନ୍ଦର ଅହୋରାତ୍ରେ ପକ୍ଷ । ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ । । ୨୧
    ଏ ବେନିପକ୍ଷେ ହୁଏ ମାସ । ପିତୃଙ୍କ ରାତ୍ରି ଯେ ଦିବସ । । ୨୨
    ଦ୍ୱିମାସେ ଋତୁ ଏକ ହୋଇ । ବସନ୍ତ ଆଦି ଷଟ ସେହି । । ୨୩
    ଏକ ଅୟନେ ଋତୁ ତିନି । ଉତ୍ତର ଦକ୍ଷିଣ ଯେ ବେନି । । ୨୪
    ବେନି ଅୟନେ ସମ୍ବ›ତ୍ସର । ଏମନ୍ତେ ଗଣନା କାଳର । । ୨୫
    ଦେବଙ୍କୁ ଅହୋରାତ୍ର ହୁଏ । ମନୁଷ୍ୟ-ବରାଷ ବୋଲାଏ । । ୨୬
    ଏମନ୍ତେ ଶତେକ ବରଷ । ମନୁଷ୍ୟ ପରମାୟୁ ଶେଷ । । ୨୭
    ଗ୍ରହ ନକ୍ଷତ୍ର ତାରା ଚକ୍ରେ । ସେ କାଳରୂପୀ ବିଭୁ ଏକେ । । ୨୮
    ଏମନ୍ତେ ସମ୍ବତ୍ସ›ର ଅନ୍ତେ । ବିହରେ ଆତ୍ମାର ଆୟତେ । । ୨୯
    ଅଣୁ ପ୍ରମାଣୁ ପରିମାଣେ । ପ୍ରାଣୀଙ୍କି ନାଶେ ଅନୁକ୍ଷଣେ । । ୩୦
    ଏ ପଞ୍ଚବିଧ-ସମ୍ବ›ତ୍ସର । ସୁମନେ ଶୁଣ ହେ ବିଦୁର । । ୩୧
    ପ୍ରଥମେ ସମ୍ବ›ତ୍ସର ହୋଏ । ପରିବତ୍ସ›ର ଯେ ଦ୍ୱିତୀୟେ । । ୩୨
    ଇଦାବତ୍ସ›ର ତୃତୀୟର । ଚତୁର୍ଥେ ଅନୁ ଯେ ବତ୍ସ›ର । । ୩୩
    ପଞ୍ଚମେ ବତ୍ସ›ର ବୋଲାଇ । କାଳ ସ୍ୱରୂପ ଗୁଣମୟୀ । । ୩୪
    ସେ ସୂର୍ଯ୍ୟ କାଳ ରୂପ ଧରି । ସଂସାର-ବୀଜକୁ ବିସ୍ତାରି । । ୩୫
    ସକାମ-ଫଳ ବିସ୍ତାରଣେ । ଯାହାର ଉଦୟ ଗଗନେ । । ୩୬
    ସେ ତେଜୋମୟ କାଳାନ୍ତକ । ପଞ୍ଚବତ୍ସ›ର ପ୍ରବର୍ତ୍ତକ । । ୩୭
    ସେ ମହାଭୂତ ମହାତେଜ । ବହୁ ପ୍ରକାରେ କରି କାର୍ଯ୍ୟ । । ୩୮
    ଧାଏଁ ଆକାଶେ ଅନୁକ୍ଷଣେ । ପୁରୁଷ ମୋହ ନିବାରଣେ । । ୩୯
    ନିତ୍ୟେ ତାହାଙ୍କ ପୂଜା କର । ତରିବ ଏ ଭବ-ସଂସାର । । ୪୦
    ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ବୋଲେ ତାହା ଶୁଣି । । ୪୧
    ବିଦୁର ଉବାଚ
    ପିତୃ ଦେବତା ନର ଆଦି । ପରମାୟୁଷ ଯଥାବିଧି । । ୪୨
    ଶୁଣିଲି ତୁମ୍ଭ ମୁଖୁ ଏବେ । ସନ୍ତୋଷ କହ ମୁନି ଭାବେ । । ୪୩
    ଏପରେ କଳ୍ପ ବାହ୍ୟେ ଯେତେ । ନାନା ପ୍ରକାରେ ଏ ଜଗତେ । । ୪୪
    ସନକ ଆଦି ମହାମୁନି । ତୈଲୋକ୍ୟ ବାହ୍ୟେ ଯେତେ ଜ୍ଞାନୀ । । ୪୫
    ଅଛନ୍ତି କାଳର ଆୟତ୍ତେ । ତା’ଙ୍କ ଆୟୁଷ କହ ମୋତେ । । ୪୬
    ତୁମ୍ଭେ ସେ କାଳଗତି ଜାଣ । ଯେ ଯୁଗେ ଯେ ଅବା ପ୍ରମାଣ । । ୪୭
    ଯେଣୁ ସେ ବିଚକ୍ଷଣ ଧୀର । ସୁବୁଦ୍ଧି ସୁଗୁଣ ଗମ୍ଭୀର । । ୪୮
    ଯେତେ ବିଷୟ ଏ ଶୟଳେ । ଜାଣନ୍ତି ଜ୍ଞାନଚକ୍ଷୁ ବଳେ । । ୪୯
    ମୈତ୍ରେୟ ଉବାଚ
    ବୋଲନ୍ତି ଶୁଣ ହେ ବିଦୁର । ଯେ ବ୍ରହ୍ମା ସୃଷ୍ଟିର ବିଚାର । । ୫୦
    ସତ୍ୟ ତ୍ରେତୟା ଦ୍ୱାପରାଦି । କଳି ଏ ଚତୁର୍ଯୁଗ ବିଧି । । ୫୧
    ଦେବଙ୍କ ଦ୍ୱାଦଶ ସହସ୍ରେ । ଏ ଚାରିଯୁଗ କାଳ ଅଂଶେ । । ୫୨
    ଚାରିସହସ୍ର ଯୁଗ ସତ୍ୟ । ତିନିସହସ୍ର ତ୍ରେତା ମତ । । ୫୩
    ଦ୍ୱାପର ଦ୍ୱିସହସ୍ର ଜାଣ । କଳି ସହସ୍ରେ ପରିମାଣ । । ୫୪
    ଏହି ପ୍ରମାଣେ ଶତ ଦେଇ । ଦ୍ୱିଗୁଣେ ଏହାକୁ ମିଶାଇ । । ୫୫
    ଯୁଗଙ୍କ ସନ୍ଧ୍ୟା ସନ୍ଧ୍ୟାଅଂଶ । ଅୟୁତେ ଯେ କାଳ ପ୍ରକାଶ । । ୫୬
    ଏମନ୍ତେ ଦେବବର୍ଷ ମତେ । ଦ୍ୱାଦଶସହସ୍ର ସମେତେ । । ୫୭
    ଏ ରୂପ ଯୁଗସଂଖ୍ୟା ଜାଣି । ଜ୍ଞାନୀଙ୍କ ଗୋଚରେ ପ୍ରମାଣି । । ୫୮
    ଯେ ଯୁଗେ ଯେବା ଧର୍ମବିଧି । ଆଗମ ନିଗମ ପ୍ରସିଦ୍ଧି । । ୫୯
    ଧର୍ମ ସତ୍ୟରେ ଚତୁଷ୍ପଦ । ଅଧର୍ମ କ୍ରମେ ହୀନପଦ । । ୬୦
    ତ୍ରେତାରେ ତିନିପଦ ଥିଲା । ଦ୍ୱାପରେ ଦ୍ୱିପାଦ ହୋଇଲା । । ୬୧
    କଳିର ଏକପଦ ରହେ । ଯେଣୁ ଅଧର୍ମ ବୃଦ୍ଧି ବହେ । । ୬୨
    ଦେବଙ୍କ ସହସ୍ର ଯୁଗରେ । ବ୍ରହ୍ମା ଦିବସ ବୋଲି ତାରେ । । ୬୩
    ଏହି ପ୍ରମାଣେ ରାତ୍ର ହୁଏ । ନିଶି ଆଗମେ ବ୍ରହ୍ମା ଶୁଏ । । ୬୪
    ରାତ୍ରର ଅନ୍ତେ ପୁଣି ଉଠି । ବେଦ ପ୍ରମାଣେ କରେ ସୃଷ୍ଟି । । ୬୫
    ଏମନ୍ତ ବ୍ରହ୍ମାର ଦିବସେ । ଭୁଞ୍ଜନ୍ତି ମନୁ-ଚତୁŸର୍ଦ୍ଦଶେ । । ୬୬
    ମନୁ ଅନ୍ତର କାଳ ଭୋଗ । ଏକସ୍ତରି ଯେ ଚତୁର୍ଯୁଗ । । ୬୭
    କିଛି ଅଧିକେ ହୁଏ ଶେଷ । ଏମନ୍ତେ ବ୍ରହ୍ମାଙ୍କ ଦିବସ । । ୬୮
    ମନୁଙ୍କ ବଂଶେ ମନୁସୂତେ । ଋଷି ଦେବତା ସୁରନାଥେ । । ୬୯
    ତିନିଭୁବନେ ପ୍ରାଣୀ ଯେତେ । ଭୁଞ୍ଜନ୍ତି କଳ୍ପ ପରିଯନ୍ତେ । । ୭୦
    ଏ ମୃଷ୍ଟି ଦୈନନ୍ଦିନ କାମ । ତୀର୍ଯ୍ୟକ ପିତୃ ଦେବ ଜନ । । ୭୧
    ଏମନ୍ତେ କଳ୍ପ ପରିଯନ୍ତେ । କର୍ମ ଭୁଞ୍ଜନ୍ତି ପ୍ରାଣୀ ଏଥେ । । ୭୨
    ମନ୍ୱନ୍ତରମାନଙ୍କେ ହରି । ବିଶୁଦ୍ଧ ସତ୍ତ୍ବମୂର୍ତ୍ତି ଧରି । । ୭୩
    ମନୁ ଶରୀରେ ଏ ସଂସାରେ । ପାଳି କ୍ରୀଡ଼େ ପୁରୁଷକାରେ । । ୭୪
    ମାୟାର ବଳେ ସେ ବିହରେ । ବ୍ରହ୍ମାଦିବସ ଅନ୍ତଃକାଳେ । । ୭୫
    ନିଶା ଆଗମେ ବିଶ୍ୱଦେହୀ । ମଉନ ବ୍ରତେ ସେ ବସଇ । । ୭୬
    ତ୍ରୈଲୋକ୍ୟ କମ୍ପେ ତାହା ଦେଖି । ସ୍ୱଜ୍ଞାନ ଜୀବନ ଉପେକ୍ଷି । । ୭୭
    ରବି ଶଶାଙ୍କ ଶୂନ୍ୟେ ଗଲା । ପ୍ରଳୟ ଅଗ୍ନି ପ୍ରକାଶିଲା । । ୭୮
    ସଙ୍କରଷଣ ମୁଖୁ ଆସି । ଅନଳ ତିନିଲୋକେ ଗ୍ରାସି । । ୭୯
    ପ୍ରଚଣ୍ତ-ବହ୍ନି ତେଜ ତ୍ରାସେ । ଋଷିଏ ଥାନ୍ତି ଯେ ଆକାଶେ । । ୮୦
    ସେ ମହର୍ଲୋକ ଛାଡ଼ି ବେଗେ । ପଶନ୍ତି ଜନଲୋକ-ମାର୍ଗେ । । ୮୧
    ତକ୍ଷଣେ ସପ୍ତସିନ୍ଧୁ-ଜଳେ । ତ୍ରିଲୋକ ଆଚ୍ଛାଦନ୍ତି ହେଳେ । । ୮୨
    ପବନ ଅଣଚାଶ ବଳେ । ବହନ୍ତେ ଗର୍ଜେ ଉର୍ମିମାଳେ । । ୮୩
    ଜଳ ତରଙ୍ଗ ମଧ୍ୟେ ପୁଣି । ନାଗଆସନେ ଚକ୍ରପାଣି । । ୮୪
    ନିଶ୍ଚିନ୍ତେ ନିଦ୍ରିତ-ନୟନେ । ଶୟନ ଅନନ୍ତ-ଶୟନେ । । ୮୫
    ସଙ୍ଗତେ ସଙ୍ଗ ନାହିଁ ଏକେ । ସ୍ତୁତି କରନ୍ତି ଜନଲୋକେ । । ୮୬
    ଏମନ୍ତେ ଅହୋରାତ୍ର ଗଣି । ଆଗମ-ନିଗମେ ପ୍ରମାଣି । । ୮୭
    ଏ ଭାବେ ଶତେକ ବରଷ । ବ୍ରହ୍ମାର ପରମ ଆୟୁଷ । । ୮୮
    ସେ ଆୟୁ କାଳବଣେ ପୁଣ । ହୁଅଇ ଦିନୁଦିନ କ୍ଷୀଣ । । ୮୯
    ସେ ବ୍ରହ୍ମା କାଳଭୟେ ଭୀତ । ବିଷୟାଶକ୍ତି ବିରହିତ । । ୯୦
    କରନ୍ତି ହରି-ଉପାସନ । କି ଏ ମାନବ ଅକିଞ୍ଚନ । । ୯୧
    ବ୍ରହ୍ମାର ଆୟୁଷ ଯେ ହୋଇ । ଅର୍ଦ୍ଧକେ ପରାର୍ଦ୍ଧ ବୋଲାଇ । । ୯୨
    ସେ ପୂର୍ବଅର୍ଦ୍ଧ ଭୋଗ ଯାଇ । ଅପରଅର୍ଦ୍ଧ ଏବେ ହୋଇ । । ୯୩
    ପୂର୍ବପରାର୍ଦ୍ଧେ ବ୍ରହ୍ମା ନାମ । ଶବଦବ୍ରହ୍ମ ଯେ ମହାନ । । ୯୪
    ପରାର୍ଦ୍ଧକଳ୍ପ ଯେବା ହୋଏ । ସେ ପଦ୍ମକଳ୍ପ ନାମ ବହେ । । ୯୫
    ବିଷ୍ଣୁ ନାଭିରୁ ପଦ୍ମଜାତ । ଯହୁଁ ଉପୁଜେ ବେଦନାଥ । । ୯୬
    ଦ୍ୱିତୀୟକଳ୍ପ ଏବେ କହି । ଶ୍ୱେତବରାହ ସେ ବୋଲାଇ । । ୯୭
    ଯେବଣ କଳ୍ପେ ନରହରି । ଶ୍ୱେତବରାହ ରୂପ ଧରି । । ୯୮
    ବେନି-ପରାର୍ଦ୍ଧ-ରୂପୀ କାଳ । ନିମିଷ ଆଦି-ଅନ୍ତ ଯା’ର । । ୯୯
    ଅନାଦି ଅବ୍ୟକ୍ତର ସୀମା । ଅନନ୍ତ ଈଶ୍ୱର ମହିମା । । ୧୦୦
    କେବଳ ପରିପୂର୍ଣ୍ଣ ବିଭୁ । ସେ ସର୍ବେଶ୍ୱର ସର୍ବ ପ୍ରଭୁ । । ୧୦୧
    ତାହାଙ୍କ ପରେ ପ୍ରଭୁପଣ । ସମର୍ଥ ନୋହେ କାଳ ଜାଣ । । ୧୦୨
    ଷୋଡ଼ଶ-ବିକାରେ ସଞ୍ଚରେ । ନାନା ବିଷୟେ ରୂପ ଧରେ । । ୧୦୩
    ଏ ଅଣ୍ତକୋଷ ଆଦ୍ୟ ପ୍ରାନ୍ତେ । ପଞ୍ଚାଶକୋଟି ପରିମିତେ । । ୧୦୪
    ବିସ୍ତୃତ ସପ୍ତଆବରଣେ । ଉତ୍ତରୋତ୍ତର ଦଶଗୁଣେ । । ୧୦୫
    କୋଟି ବ୍ରହ୍ମାଣ୍ତ ଯାର ଦେହେ । ଦିଶନ୍ତି ପରମାଣୁ ପ୍ରାୟେ । । ୧୦୬
    ଅକ୍ଷରବ୍ରହ୍ମ ତାର ନାମ । ସେ ସର୍ବକାରଣ-କାରଣ । । ୧୦୭
    ତାର ଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ । । ୧୦୮
    ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଏକାଦଶୋଽଧ୍ୟାୟଃ ।

    ଦ୍ୱାଦଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଏମନ୍ତେ କାଳସଂଖ୍ୟା ଯେତେ । ବର୍ଣ୍ଣିଲି ତୋହର ଅଗ୍ରତେ । । ୧
    ଏବେ ବିଦୁର କହୁଁ ତୋତେ । ସେ ବ୍ରହ୍ମା-ସର୍ଜନା ଯେମନ୍ତେ । । ୨
    ବେଦ ବିଚାରେ କଲା ସୃଷ୍ଟି । ଯେଣୁ ଅମୋଘ ତାର ଦୃଷ୍ଟି । । ୩
    ଅନ୍ଧତାମିସ୍ର ମହାମୋହ । ତାମିସ୍ର ପୁଣି ତମ ମୋହ । । ୪
    ଅବିଦ୍ୟା ପଞ୍ଚପର୍ବ ସୃଷ୍ଟି । ଆଗେ କଳ୍ପିଲା ପରମେଷ୍ଟି । । ୫
    ପାପ-ବହୁଳ-ସୃଷ୍ଟି ସେହି । ତା ଦେଖି ବ୍ରହ୍ମା ବିଚାରଇ । । ୬
    ଏ ସୃଷ୍ଟି ନୋହିଲା ଉଚିତ । ଦୃଢ଼େ ଗୋବିନ୍ଦେ ଦେଲା ଚିତ୍ତ । । ୭
    ଗୋବିନ୍ଦପାଦ ଧ୍ୟାନ ବଳେ । ସଂଯୁକ୍ତ-ଭକତି ନିଶ୍ଚଳେ । । ୮
    ବିଷ୍ଣୁର ଅଂଶେ ଚାରିଭ୍ରାତ । ବ୍ରହ୍ମାର ମନମଧ୍ୟୁ ଜାତ । । ୯
    ସନକ ସନନ୍ଦ ଏ ବେନି । କୁମାର ସନାତନ ଘେନି । । ୧୦
    ସ୍ୱଭାବେ ଉର୍ଦ୍ଧ୍ୱରେତା ହୋନ୍ତି । ବିଷ୍ଣୁହୁଁ ଆନ ନ ଜାଣନ୍ତି । । ୧୧
    ତାହାଙ୍କୁ ଚାହିଁ ବେଦବର । ସ୍ୱଭାବେ କହଇ ମଧୁର । । ୧୨
    ବ୍ରହ୍ମା ଉବାଚ
    ତୁମ୍ଭେ ଚତୁରପୁତ୍ରେ ମୋର । ବେଦପ୍ରମାଣେ ସୃଷ୍ଟି କର । । ୧୩
    ଏ ସୃଷ୍ଟି ହୋଇବ ତୁମ୍ଭର । ଯାଅ ଯା ମୋର ବୋଲ କର । । ୧୪
    ମୈତ୍ରେୟ ଉବାଚ
    ଏମନ୍ତେ ପିତା ବାକ୍ୟ ଶୁଣି । ପୁତ୍ରେ କହନ୍ତି ମନେ ଗୁଣି । । ୧୫
    ଆମ୍ଭର ତେଣେ କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି । । ୧୬
    ଗୋବିନ୍ଦ-ଚରଣାରବିନ୍ଦେ । ଭକ୍ତି କରିବୁ ମୋକ୍ଷ-ସଧେ । । ୧୭
    ଏମନ୍ତେ ଶୁଣି ତାଙ୍କ ବାଣୀ । କ୍ରୋଧେ କମ୍ପିଲା କୁଶପାଣି । । ୧୮
    ପୁଣି ବୁଦ୍ଧିରେ ଚିତ୍ତ ଧରି । ଧ୍ୟାନେ ସୁମରି ନରହରି । । ୧୯
    କୋପେ ଭ୍ରୂକୁଟୀ ତା କୁଟୀଳ । ବଦନ ଦିଶିଲା ପିଙ୍ଗଳ । । ୨୦
    ଭ୍ରୂକୁଟୀ ମଧ୍ୟୁ ପୁତ୍ର ଜାତ । ଦିଶଇ ସୁନୀଳ-ଲୋହିତ । । ୨୧
    ଦେବଙ୍କ ପୂର୍ବେ ଜାତ ସେହି । କାନ୍ଦଇ ବ୍ରହ୍ମା ମୁଖ ଚାହିଁ । । ୨୨
    ବୋଲଇ ଶୁଣ ବେଦବର । ମୋହର ନାମ ଆଗେ କର । । ୨୩
    ନିର୍ଭୟ ସ୍ଥାନେ ସ୍ଥାପ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ । । ୨୪
    ଶୁଣି ସାନନ୍ଦ ପ୍ରଜାପତି । ଚିନ୍ତିଲା ଯେବା ନାମ ସ୍ଥିତି । । ୨୫
    ହେ ପୁତ୍ର ରୋଦନ ନ କର । କରିବି ବଚନ ତୋହର । । ୨୬
    ରୋଦନ କଲୁ ଆଗେ ଯେଣୁ । ତୋ’ ନାମ ରୁଦ୍ର ହେଉ ତେଣୁ । । ୨୭
    ଏମନ୍ତ କହି ତାର ଆଗେ । ସ୍ଥାନ କଳ୍ପିଲା ଯଥାଭାଗେ । । ୨୮
    ମନ ଇନ୍ଦ୍ରିୟ ପ୍ରାଣ ବ୍ୟୋମ । ବାୟୁ ଅନଳ ଜଳସ୍ଥାନ । । ୨୯
    ମହୀ ମିହିର ଚନ୍ଦ୍ର ତପ । ଏମନ୍ତେ ଏକାଦଶ ରୂପ । । ୩୦
    ଯେ ସ୍ଥାନେ ଯେ ନାମ ତୋହର । ହୋଇବ ଶୁଣ ହେ କୁମର । । ୩୧
    ମନ ଉପରେ ମନ୍ୟୁ ନାମ । ଇନ୍ଦ୍ରିୟ ପଦେ ମନୁ ଜାଣ । । ୩୨
    ପ୍ରାଣରେ ବସେ ମହୀନସ । ଆକାଶେ ମହାନ ପ୍ରକାଶ । । ୩୩
    ପବନେ ଶିବରୂପ ବସେ । ଅନଳେ ଋତଧ୍ୱଜ ମିଶେ । । ୩୪
    ଉର୍ଦ୍ଧ୍ୱରେତସ ଜଳ ଯୋଗେ । ଭବ ବସିବ ଭୂମିଭାଗେ । । ୩୫
    ରବିର ସ୍ଥାନେ କଳାଭାବ । ଚନ୍ଦ୍ରେ ବସିବ ବାମଦେବ । । ୩୬
    ତପେ ବସିବ ଧୃତବ୍ରତ । ଏମନ୍ତେ ଏକାଦଶ ମତ । । ୩୭
    ତୁମ୍ଭର ପତ୍ନୀ ନାମ ଯେତେ । ଶୁଣ କହିବା ତୋ ଅଗ୍ରତେ । । ୩୮
    ଧୀ ବୃତ୍ତି ଉଶନା ଯେ ଉମା । ଅପରେ ଶୁଣ ଯେତେ ବାମା । । ୩୯
    ନିୟତ୍ସର୍ପୀ ଇଳା ଅମ୍ବିକା । ଇରାବତୀ ଯେ ସୁଧା ଦୀକ୍ଷା । । ୪୦
    ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି । ଏହାଙ୍କ ତୁମ୍ଭେ ହୁଅ ପତି । । ୪୧
    ଏ ଯେତେ ନାମ ଆଦି ସ୍ଥାନ । ସ୍ତିରୀ ସହିତେ ତୁହି ଘେନ । । ୪୨
    ଏହି ପ୍ରମାଣେ ସୃଷ୍ଟି କର । ହୁଅ ତୁ ପ୍ରଜାପତି-ବର । । ୪୩
    ଏମନ୍ତେ ଗୁରୁ ଆଜ୍ଞା ପାଇ । ନୀଳ ଲୋହିତ ତୋଷ ହୋଇ । । ୪୪
    ସତ୍ତ୍ବ ଆକୃତି ଆତ୍ମସମ । ନିର୍ମାଣ କଲା ପ୍ରଜାଗଣ । । ୪୫
    ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ । ସଂଶୟ ମନେ ବିଚାରଇ । । ୪୬
    ଏ ସୃଷ୍ଟି ମହା ଭୟଙ୍କର । ଦେଖି କମ୍ପିଲା ଚିତ୍ତ ମୋର । । ୪୭
    ବୋଲନ୍ତି ରୁଦ୍ର ମୁଖ ଚାହିଁ । ଭୋ ପୁତ୍ର ଏଣେ କାର୍ଯ୍ୟନାହିଁ । । ୪୮
    ଏ ସୃଷ୍ଟି ଦଶଦିଗ ତୁଲେ । ମୋହର ମନେ ତାପ କଲେ । । ୪୯
    ଏବେ ତୁ ତପ ସାଧ୍ୟକର । ସର୍ବଜୀବଙ୍କ ସୁଖଘର । । ୫୦
    ତପର ବଳେ ଏ ଜଗତେ । ପ୍ରଜା ତୁ କର ପୂର୍ବମତେ । । ୫୧
    ତପେ ତୁ ବିଷ୍ଣୁଙ୍କୁ ପାଇବୁ । ଯେ ଭାବେ ସର୍ବକାଳେ ଥିବୁ । । ୫୨
    ମୈତ୍ରେୟ ଉବାଚ
    ଏମନ୍ତ ବ୍ରହ୍ମା-ଆଜ୍ଞା ପାଇ । ନୀଳଲୋହିତ ତୋଷ ହୋଇ । । ୫୩
    ବ୍ରହ୍ମାର ଚରଣେ ନମିଲା । ତପ ସାଧନେ ବନେ ଗଲା । । ୫୪
    ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ । ସେ ବ୍ରହ୍ମା ମନେ ବିଚାରଇ । । ୫୫
    ଏ ତ ଅସଂଖ୍ୟ ରୁଦ୍ରଗଣ । ନୁହଁନ୍ତି ସୃଷ୍ଟିର କାରଣ । । ୫୬
    ତାହାଙ୍କୁ ଶିବଲୋକେ ଥୋଇ । ପୁଣି ସଂଶୟେ ବିଚାରଇ । । ୫୭
    ଏବେ କି କରିବି ଉପାୟ । ନ ପୁଣ କୋପେ ଦେବରାୟ । । ୫୮
    ଏମନ୍ତେ ବିଷ୍ଣୁପାଦ ଚିନ୍ତି । ଧ୍ୟାନେ ବସିଲା ପ୍ରଜାପତି । । ୫୯
    ତାର ଶରୀରୁ ଦଶସୁତ । ତକ୍ଷଣେ ହୋଇଲେ ସମ୍ଭୂତ । । ୬୦
    ଲୋକବର୍ଦ୍ଧନ ହେତୁ ଅର୍ଥେ । ନମିଲେ ବ୍ରହ୍ମା-ପାଦଗତେ । । ୬୧
    ମରୀଚି ଅତ୍ରି ଅଙ୍ଗିରସ । ପୌଲସ୍ତ୍ୟ ପୁଲହ ପ୍ରକାଶ । । ୬୨
    କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ । ଦଶମେ ନାରଦ ପ୍ରତ୍ୟକ୍ଷ । । ୬୩
    ଶୁଣ ବିଦୁର କହୁଁ ଭଲେ । ଯେ ଅଙ୍ଗୁ ଯେବା ଉପୁଜିଲେ । । ୬୪
    ନାରଦ ଉପୁଜିଲେ କୋଳୁ । ଦକ୍ଷ ଦକ୍ଷିଣାଙ୍ଗୁଷ୍ଠ ମୂଳୁ । । ୬୫
    ପ୍ରାଣୁ ବଶିଷ୍ଠମୁନି ଜାତ । ଭୃଗୁ ଯେ ତ୍ୱକରୁ ସମ୍ଭୂତ । । ୬୬
    କ୍ରତୁ ଉପୁଜେ ଭୁଜମୂଳୁ । ପୁଲହ ନାଭିର ମଣ୍ତଳୁ । । ୬୭
    ପୌଲସ୍ତ୍ୟ କର୍ଣ୍ଣମୂଳୁ ଜାତ । ଅଙ୍ଗିରା ବଦନୁ ସମ୍ଭୂତ । । ୬୮
    ଅତ୍ରି ଉପୁଜେ ଚକ୍ଷୁଯୁଗେ । ମରୀଚି ମନର ସଂଯୋଗେ । । ୬୯
    ଦକ୍ଷିଣସ୍ତନୁ ଧର୍ମ ଜାତ । ଯେ ଧର୍ମ ଧରଇ ଜଗତ । । ୭୦
    ଯେ ସ୍ଥାନେ ସ୍ୱୟଂ ନାରାୟଣ । ଅଛନ୍ତି ସଦା ବିଦ୍ୟମାନ । । ୭୧
    ଅଧର୍ମ ପୃଷ୍ଠଦେଶୁ ହୋଇ । ମୃତ୍ୟୁ ଯହିଁରୁ ସଞ୍ଚରଇ । । ୭୨
    କାମ ତା ହୃଦରୁ ସମ୍ଭୂତ । ଭୂରୁ ମଣ୍ତଳୁ କ୍ରୋଧ ଜାତ । । ୭୩
    ଲୋଭ ହୋଇଲା ଓଷ୍ଠଦେଶେ । ବଚନ ବଦନୁ ପ୍ରକାଶେ । । ୭୪
    ସପତସିନ୍ଧୁ ମେଢ୍ର ଦେଶୁ । ମୃତ୍ୟୁ ଦେବତା ଗୁହ୍ୟଦେଶୁ । । ୭୫
    କର୍ଦ୍ଦମ ଛାୟାରୁ ସମ୍ଭୂତି । ଯାହାର ପତ୍ନୀ ଦେବହୂତି । । ୭୬
    ଏମନ୍ତେ ଅଶେଷ ଜଗତ । ବ୍ରହ୍ମାର ମନ-ଦେହୁ ଜାତ । । ୭୭
    ଯେ କନ୍ୟା ବଚନୁ ଜନ୍ମିଲା । ବ୍ରହ୍ମାର ମନ ସେ ମୋହିଲା । । ୭୮
    ସକାମେ ବ୍ରହ୍ମା ତାର ହସ୍ତ । ଧଇଲେ ରତିରଙ୍ଗ ଅର୍ଥ । । ୭୯
    ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ । ପୁତ୍ରେ ମିଳିଲେ ତା ଅଗ୍ରତେ । । ୮୦
    ମରୀଚି ଆଦି ଯେତେ ଭାଇ । ବୋଲନ୍ତି ପିତା ମୁଖ ଚାହିଁ । । ୮୧
    ଭୋ ତାତ ସ୍ଥିରକର ଚିତ୍ତ । ଏ ତ ତୁମ୍ଭର ବିପରୀତ । । ୮୨
    ଯେ କର୍ମ ପୂର୍ବାପରେ ନାହିଁ । ଏବେ ସେ ସମ୍ଭବିବ କାହିଁ । । ୮୩
    କାହିଁ ଦୁହିତା ରମେ ପିତା । ଏଣୁ ଆମ୍ଭର ମନେ ଚିନ୍ତା । । ୮୪
    ପୂର୍ବେ ତେଜସ୍ୱୀ ଯେତେ ଥିଲେ । ସତ୍ୟେ ସେ ଧର୍ମ ଆଚରିଲେ । । ୮୫
    ସେ ନ କରନ୍ତି ଏଡ଼େ କର୍ମ । ସ୍ୱଭାବେ ନୁହଁଇ ଏ ଧର୍ମ । । ୮୬
    ଯେ ଧର୍ମ ଲୋକକ୍ଷେମ କରେ । ଆନନ୍ଦେ ଆତ୍ମାକୁ ଉଦ୍ଧାରେ । । ୮୭
    ଏଣୁ ସେ ବିଷ୍ଣୁସମ ନର । ଆମ୍ଭର ତାଙ୍କୁ ନମସ୍କାର । । ୮୮
    ତୁ ଦେବ ଆତ୍ମାକୁ ସୁମର । ଅଧର୍ମୁ ମନ ସ୍ଥିରକର । । ୮୯
    ଭୋ ତାତ ଧର୍ମେ କର ଚିତ୍ତ । ଅଧର୍ମେ ନ ବୁଡୁ ଜଗତ । । ୯୦
    ତୁ ଏବେ ପାପ ଆଚରିଲେ । ସଂସାରେ ଥିବ କେବା ଭଲେ । । ୯୧
    ଅନ୍ୟେ ତୋ କର୍ମ ଅନୁସାରେ । କୁଶଳୀ ହୋଇବେ ସଂସାରେ । । ୯୨
    ଏମନ୍ତେ ଶିରେ କର ଦେଇ । ପାଦେ ନମିଲେ ସର୍ବଭାଇ । । ୯୩
    ଏମନ୍ତ ବ୍ରହ୍ମାଙ୍କୁ ଜଣାଇ । ପୁଣି ବୋଲନ୍ତି ବିଷ୍ଣୁ ଚାହିଁ । । ୯୪
    ହେ ବିଷ୍ଣୁ ଜଗତ-ଈଶ୍ୱର । ଆମ୍ଭର ତୋତେ ନମସ୍କାର । । ୯୫
    ତୁ ଦେବ ଧର୍ମ ରକ୍ଷା କର । ଅଧର୍ମେ ନ ବୁଡୁ ପିଅର । । ୯୬
    ଏମନ୍ତେ ପୁତ୍ରଙ୍କୁ ଅନାଇ । ବ୍ରହ୍ମା ରହିଲେ ଲଜ୍ଜାପାଇ । । ୯୭
    ତକ୍ଷଣେ ଛାଡ଼ି ତାର ହସ୍ତ । ବିଷ୍ଣୁ ସୁମରେ ଚଉମାଥ । । ୯୮
    ଅତି ଲଜ୍ଜିତ ଯେଣୁ ହେଲେ । ଲୀଳାରେ ତନୁ ତ୍ୟାଗ କଲେ । । ୯୯
    ସେ ବ୍ରହ୍ମା ଯେଣୁ ଲଜ୍ଜା କଲା । ତା ତନୁ ଅଷ୍ଟଦିଗେ ଗଲା । । ୧୦୦
    ସେ ଘୋର-ଅନ୍ଧକାର ରେଖା । ନାମ ବହିଲା କୁଜ୍ଝଟିକା । । ୧୦୧
    ଅଧର୍ମେ ଅନ୍ଧକାର ହୋଇ । ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ । । ୧୦୨
    ପୁଣି ଚଳଇ ଅଷ୍ଟଦିଶେ । ସଞ୍ଚରେ ସମ୍ଭବି ଆକାଶେ । । ୧୦୩
    ମେଘର ପ୍ରାୟେ ତାର ଦେହୀ । ଶୁଣ ବିଦୁର ଏବେ କହି । । ୧୦୪
    ଚିନ୍ତା ଆକୁଳେ ପ୍ରଜାପତି । ସୃଷ୍ଟି-ବିଷୟେ କଲା ମତି । । ୧୦୫
    ଧ୍ୟାନ କରନ୍ତେ ମନେ ଖେଦ । ମୁଖୁ ଜନ୍ମିଲେ ଚାରିବେଦ । । ୧୦୬
    ଶବଦବ୍ରହ୍ମ ପରିମାଣେ । ଧର୍ମ ଅଧର୍ମ ଯେ ବଖାଣେ । । ୧୦୭
    ମନେ ବିଚାରେ ପଦ୍ମଯୋନି । ମୁଁ ଏବେ ବେଦତତ୍ତ୍ବ ଘେନି । । ୧୦୮
    କରିବି ବିଷୟ-ଗୋଚର । ଯେମନ୍ତେ ପୂର୍ବେ ଏ ସଂସାର । । ୧୦୯
    ବେଦବିଚାରେ ନାନାମତେ । କର୍ମ ବିସ୍ତାରି ଏ ଜଗତେ । । ୧୧୦
    ଏ ଚାରିହୋତ୍ର କର୍ମତନ୍ତ୍ର । ଯେ ଉପବେଦ ନ୍ୟାୟଶାସ୍ତ୍ର । । ୧୧୧
    ଏ ଭାବେ ଚାରିପାଦ-ଧର୍ମ । ଆଶ୍ରମ ବୃତ୍ତି ଯଥାକ୍ରମ । । ୧୧୨
    ଯେ ଯୁଗେ ପ୍ରସରିବ ଯେତେ । ବ୍ରହ୍ମା ବିଚାରେ ଅନ୍ତର୍ଗତେ । । ୧୧୩
    ମୈତ୍ରେୟ ମୁନି ପାଦେ ପଡ଼ି । ବିଦୁର ବୋଲେ କର ଯୋଡ଼ି । । ୧୧୪
    ବିଦୁର ଉବାଚ
    ଭୋ ମୁନି କହିବା ପ୍ରସନ୍ନେ । ସନ୍ଦେହ ଅଛି ମୋର ମନେ । । ୧୧୫
    ସେ ବିଶ୍ୱ ସର୍ଜନ-ଈଶ୍ୱର । ଅଶେଷ ଶକ୍ତି ଶ୍ରୁତିଧର । । ୧୧୬
    ଯେ ମୁଖେ ଯେ ବେଦ ସର୍ଜିଲେ । ଯହୁଁ ଯେ ଧର୍ମ ପ୍ରକାଶିଲେ । । ୧୧୭
    ସେ କଥା କହ ମୁନି ମୋତେ । ସଂଶୟ ନ ରହୁ ମୋ ଚିତ୍ତେ । । ୧୧୮
    ବିଦୁର-ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ କହନ୍ତି ପ୍ରସନ୍ନେ । । ୧୧୯
    ମୈତ୍ରେୟ ଉବାଚ
    ଶୁଣ ହୋ ବିଧାତାର ଲୀଳା । ଯେ ମୁଖୁ ଯେ ବେଦ ସର୍ଜିଲା । । ୧୨୦
    ଋଗ୍ ବେଦ ପୂର୍ବମୁଖୁ କଲା । ଦକ୍ଷିଣେ ଯଜୁଃ ପ୍ରକାଶିଲା । । ୧୨୧
    ସାମ ପଶ୍ଚିମମୁଖୁ ଜାତ । ଅଥର୍ବ ଉତ୍ତରୁ ସମ୍ଭୂତ । । ୧୨୨
    ବେଦାଦିଶାସ୍ତ୍ର ସ୍ମୃତି ସ୍ତୋତ୍ର । ଯଜ୍ଞାଦିକୃତ ଅଗ୍ନିହୋତ୍ର । । ୧୨୩
    ଦେବଙ୍କ ମନ୍ତ୍ର ସ୍ତୁତି ଯେତେ । ପୂର୍ବାଦି ଯଥାକ୍ରମ ମତେ । । ୧୨୪
    ଆୟୁର୍ବେଦ ଯେ ଧନୁର୍ବେଦ । ଗାନ୍ଧର୍ବବେଦ ଶିଳ୍ପବେଦ । । ୧୨୫
    ଏ ଆଦି ଉପବେଦ ଯେତେ । ପୂର୍ବାଦିମୁଖୁ କ୍ରମାଗତେ । । ୧୨୬
    ପଞ୍ଚମ ବେଦ ଇତିହାସ । ସକଳ ବଦନୁ ପ୍ରକାଶ । । ୧୨୭
    ଷୋଡ଼ଶୀ ଛନ୍ଦ ପୂର୍ବମୁଖେ । ପୁରିଷୀ ଅଗ୍ନିଷ୍ଫୁତ ଦକ୍ଷେ । । ୧୨୮
    ଆପ୍ତ ଉର୍ଯ୍ୟାମ ଅତିରାତ୍ର । ଗୋସବ ବାଜପେୟ ଜାତ । । ୧୨୯
    ଧର୍ମାଚରଣ ଚାରିବେଦେ । ବ୍ରହ୍ମା କଳ୍ପିଲା ଜ୍ଞାନଭେଦେ । । ୧୩୦
    ଯେ ବିଦ୍ୟା ଦାନ ତପ ସତ୍ୟ । ଏ ଧର୍ମ ଚତୁଷ୍ପାଦ ମତ । । ୧୩୧
    ଚତୁରାଶ୍ରମ ବୃତ୍ତିଭାବେ । ଯେ ଧର୍ମେ ଯେବା ନିସ୍ତରିବେ । । ୧୩୨
    ସାବିତ୍ରୀ ପ୍ରାଜାପତ୍ୟ ବ୍ରାହ୍ମ । ବୃହତ ଆଦି ଚାରିକର୍ମ । । ୧୩୩
    କୃଷି ଯାଜନ ଯେ ଶାଳୀନ । ଶୀଳୋଞ୍ଛବୃତ୍ତି ଆଦି ଧର୍ମ । । ୧୩୪
    ବୈଖାନ ବାଳଖିଲ୍ୟା ଦୀକ୍ଷା । ଉଡୁମ୍ବର ଫେନପା ଶିକ୍ଷା । । ୧୩୫
    ସନ୍ନ୍ୟାସେ କୁଟୀଚକ୍ର ଆଦି । ଆଶ୍ରମ ଧର୍ମ ଯେଣେ ସାଧି । । ୧୩୬
    ଅପର ଆନ୍ୱିକ୍ଷିକୀ ତ୍ରୟୀ । ବାର୍ତ୍ତା ଦଣ୍ତନୀତି ଯେ ହୋଇ । । ୧୩୭
    ବ୍ୟାହୃତି ସୃଷ୍ଟି ଏହିମତେ । ପ୍ରଣବ ଜନ୍ମ ହୃଦଗତେ । । ୧୩୮
    ଗାୟତ୍ରୀ ଆଦି ସପ୍ତଛନ୍ଦ । ମନ୍ତ୍ରଦେବତା ଅନୁବନ୍ଧ । । ୧୩୯
    ଉଷ୍ଣକଛନ୍ଦ ଲୋମୁ ଜାତ । ଗାୟତ୍ରୀ ଚର୍ମୁ ଉଦଭୁତ । । ୧୪୦
    ମାଂସୁ ଉପୁଜେ ତ୍ରିଷ୍ଟୁପ୍ ଛନ୍ଦ । ସ୍ନାୟୁରୁ ଅନୁଷ୍ଠୁପ ଛନ୍ଦ । । ୧୪୧
    ଜଗତି ଅସ୍ଥିଦେଶୁ ହୁଏ । ମଜ୍ଜାରେ ପଙ୍କ୍ତି ଛନ୍ଦ ରହେ । । ୧୪୨
    ବୃହତୀଛନ୍ଦ ଦଶପ୍ରାଣ । ଜୀବ ତାହାର ସ୍ପର୍ଶ ବର୍ଣ୍ଣ । । ୧୪୩
    ସ୍ୱର ବ୍ରହ୍ମା-ଶରୀରୁ ଜାତ । ଉଷ୍ମାଣ ଇନ୍ଦ୍ରିୟ ସମ୍ଭୂତ । । ୧୪୪
    ଅନ୍ତ୍ୟସ୍ଥବର୍ଣ୍ଣ ବଳେ ବସେ । ଯେ ବଳେ ଶରୀର ପ୍ରକାଶେ । । ୧୪୫
    ବ୍ରହ୍ମ-ବିହାର ସପ୍ତସ୍ୱର । ସୁଚିତ୍ତେ ଶୁଣ ହେ ବିଦୁର । । ୧୪୬
    ଶବଦବ୍ରହ୍ମ ତା ଶରୀର । ସ୍ୱଭାବେ ବ୍ୟକ୍ତାବ୍ୟକ୍ତ ପର । । ୧୪୭
    ଏଣୁ ସଂସାର ବ୍ରହ୍ମମୟେ । ଯେ ବ୍ରହ୍ମ ନାନା-ଶକ୍ତିବହେ । । ୧୪୮
    ଏମନ୍ତେ ଶବ୍ଦବ୍ରହ୍ମ କରି । ଅପର ସୃଷ୍ଟି ମନେ ସ୍ମରି । । ୧୪୯
    ଯେ ଋଷି ସୃଷ୍ଟି ପୂର୍ବେ କଲା । ତାଙ୍କ ବିସ୍ତାର ନ ଦେଖିଲା । । ୧୫୦
    ସ୍ୱଭାବେ ତେଜୋବନ୍ତ ହୋନ୍ତି । ପ୍ରଜା ସୃଜନ ନ କରନ୍ତି । । ୧୫୧
    ଏମନ୍ତ ବିଚାରି ବିଧାତା । ମନେ ପାଇଲା ଗୁରୁଚିନ୍ତା । । ୧୫୨
    ଦେଖ ମୋହର କର୍ମ ମନ୍ଦ । ମୁଁ ଯେ ସୃଜିଲି ଋଷିବୃନ୍ଦ । । ୧୫୩
    କେହି ନୋହିଲେ ସୃଷ୍ଟିଯୋଗ୍ୟେ । ସର୍ବେ ପଶିଲେ ତପଯୋଗେ । । ୧୫୪
    ଏଥିରେ ଦୈବ ପ୍ରତିକୂଳ । ଏଣୁ ମୋ ମାନସ ଆକୁଳ । । ୧୫୫
    ଏମନ୍ତେ ମନେ କରି ଚିନ୍ତା । ମଉନେ ବସିଲା ବିଧାତା । । ୧୫୬
    ତକ୍ଷଣେ ବ୍ରହ୍ମା ନିଜ ପିଣ୍ତ । ତାପେ ହୋଇଲା ବେନିଖଣ୍ତ । । ୧୫୭
    ସେ ବେନିଖଣ୍ତ ବ୍ରହ୍ମା ଦେହେ । ନାରୀ ପୁରୁଷ ବେନି ହୁଏ । । ୧୫୮
    ପୁରୁଷଖଣ୍ତ ତାହା ତନୁ । ସେ ହେଲା ସ୍ୱୟମ୍ଭୁବ ମନୁ । । ୧୫୯
    ସଂସାରେ ରାଜା ସେ ବୋଲାଇ । ଶୁଣ ବିଦୁର ଏବେ କହି । । ୧୬୦
    ଅପରଖଣ୍ତ ନାରୀ ଜନ୍ମ । ହୋଇଲା ଶତରୂପା ନାମ । । ୧୬୧
    ମନୁର ପତ୍ନୀ ସେ ହୋଇଲା । ମୈଥୁନେ ସୃଷ୍ଟି ଉପୁଜିଲା । । ୧୬୨
    ପଞ୍ଚସନ୍ତତି ତାର ତହୁଁ । ହୋଇଲେ ଶୁଣ ନାମ କହୁ । । ୧୬୩
    ଉତ୍ତାନପାଦ ପ୍ରିୟବ୍ରତ । ଆଗେ ହୋଇଲେ ବେନିସୁତ । । ୧୬୪
    ଅପରେ ଜାତ ବେନି କନ୍ୟା । ଜଗନ୍ମୋହିନୀ ଅନୁପମା । । ୧୬୫
    ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି । । ୧୬୬
    ସେ ମନୁ କନ୍ୟାଦାନ କଲା । ଆକୂତି ଋଚିବିପ୍ରେ ଦେଲା । । ୧୬୭
    ମଧ୍ୟମା ଦେବହୂତି ନାମ । ବିବାହ କଲେ ତା କର୍ଦ୍ଦମ । । ୧୬୮
    ତୃତୀୟା ନାମ ଯେ ପ୍ରସୂତି । ତାହାକୁ ଦକ୍ଷ ପ୍ରଜାପତି । । ୧୬୯
    ତାହାଙ୍କ ଗର୍ଭୁ ନାନାମତେ । ସନ୍ତତି ପୂରିଲେ ଜଗତେ । । ୧୭୦
    ଏମନ୍ତ ଭାଗବତ ବାଣୀ । ମୈତ୍ରେୟ ବିଦୁରେ ବଖାଣି । । ୧୭୧
    ଶୁଣ ସୁଜନେ ଶୁଦ୍ଧଚିତ୍ତେ । ତୃତୀୟସ୍କନ୍ଧ ଭାଗବତେ । । ୧୭୨
    ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୧୭୩
    ଏଣେ ହରିଙ୍କି କରି ଲୟେ । ବ୍ରାହ୍ମଣ ଜଗନ୍ନାଥ କହେ । । ୧୭୪
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ ।

    ତ୍ରୟୋଦଶ ଅଧ୍ୟାୟ

    ଶୁକ ଉବାଚ

    ଏମନ୍ତେ ମୈତ୍ରେୟ ବଚନ । ଶୁଣି ବିଦୁର ତୋଷମନ । । ୧
    କୃଷ୍ଣଚରିତେ ଭାବ ଭରି । ପୁଣି ପୁଚ୍ଛଇ ପାଦଧରି । । ୨

    ବିଦୁର ଉବାଚ

    ସେ ସ୍ୱାୟମ୍ଭୁବ ବ୍ରହ୍ମାସୁତ । ସଂସାର-ପ୍ରିୟ ପ୍ରିୟବ୍ରତ । । ୩
    ପ୍ରତ୍ୟକ୍ଷେ ବ୍ରହ୍ମାର ଶରୀର । ସେ ସ୍ୱାୟମ୍ଭୁବ ନୃପବର । । ୪
    ଯେ ଶତରୂପା ପତ୍ନୀ ତାର । ସ୍ୱଭାବେ ବ୍ରହ୍ମାର ଶରୀର । । ୫
    ନିର୍ମିତ ନରନାରୀ ରୂପେ । ବିଷ୍ଣୁ ଆଦେଶେ ମହାକଳ୍ପେ । । ୬
    ମୈଥୁନଭାବେ ସେ ରହିଲେ । କେମନ୍ତେ ସୃଷ୍ଟି ଭିଆଇଲେ । । ୭
    ସେ ରାଜଋଷିର ଚରିତ । କହି ସନ୍ତୋଷ କର ଚିତ୍ତ । । ୮
    ଏ କୃଷ୍ଣକଥା ପୁଣ୍ୟଯଶ । ଶ୍ରବଣେ ଚିତ୍ତ କଲା ଆଶ । । ୯
    ଏମନ୍ତେ ବିଦୁରର ବାଣୀ । ମୈତ୍ରେୟ ବୋଲେ ତାହା ଶୁଣି । । ୧୦

    ମୈତ୍ରେୟ ଉବାଚ

    ଶୁଣ ବିଦୁର ଏକଚିତ୍ତେ । ତୁ ଯାହା ପଚାରିଲୁ ମୋତେ । । ୧୧
    ବ୍ରହ୍ମାର ଶରୀରୁ ସମ୍ଭବ । ପତ୍ନୀର ତୁଲେ ସ୍ୱାୟମ୍ଭୁବ । । ୧୨
    କରଅଞ୍ଜଳି ଶିରେ ଦେଇ । ବୋଲଇ ବ୍ରହ୍ମାମୁଖ ଚାହିଁ । । ୧୩
    ତୁ ସର୍ବଜନ୍ତୁଙ୍କର ପିତା । ଜନ୍ମସମ୍ପଦ ବୃତ୍ତିଦାତା । । ୧୪
    ଆମ୍ଭେ ତୋହର ଭୃତ୍ୟପଣେ । ଯେମନ୍ତେ ଖଟୁ ତୋ ଚରଣେ । । ୧୫
    ସେ ଆଜ୍ଞା ଦିଅ ବେଦବର । ତୋ’ର ଚରଣେ ନମସ୍କାର । । ୧୬
    ଯେ କର୍ମ ସାଧି ଅତିରେକେ । ସୁ ଯଶ ଇହ ପରଲୋକେ । । ୧୭
    ଲଭନ୍ତି ପ୍ରାଣୀ ଆତ୍ମସୁଖେ । ସେ ଆଜ୍ଞା କର ତାତ ମୁଖେ । । ୧୮
    ଏମନ୍ତେ ପୁତ୍ରର ବଚନେ । ବ୍ରହ୍ମା କହିଲେ ତୋଷମନେ । । ୧୯

    ବ୍ରହ୍ମା ଉବାଚ

    ଶୁଣ କୁମର ସାଧୁଧୀର । ତୁ ଏ ସଂସାରେ ନୃପବର । । ୨୦
    ନିର୍ମଳ ହୃଦେ ତୁ ପଚାରୁ । ଯେହ୍ନେ ସମ୍ବାଦ ଶିଷ୍ୟ ଗୁରୁ । । ୨୧
    ତୋଠାରେ ହୋଇଲି ପ୍ରସନ୍ନ । ତୋହର ହେଉ ଯେ କଲ୍ୟାଣ । । ୨୨
    ପିତାର ଆଜ୍ଞା ଶିରେ ଧରି । ସାଦରେ ସର୍ବ ଦୂର କରି । । ୨୩
    ଏହାର ସଙ୍ଗେ ତୁହି ରମ । ସନ୍ତତି କର ଆତ୍ମସମ । । ୨୪
    ପୃଥିବୀ ପାଳନ ତୁ କର । ଯଜ୍ଞେ ସନ୍ତୋଷ ଚକ୍ରଧର । । ୨୫
    ପ୍ରଜା ପାଳନେ କର ଆଶା । ତେଣେ ମୋ ହୋଇ ଶୁଶ୍ରୂଷା । । ୨୬
    ଯେ ଯଜ୍ଞରୂପ ଜନାର୍ଦ୍ଦନ । ତୋ ପ୍ରତି ହୋଇବେ ପ୍ରସନ୍ନ । । ୨୭
    ସେ ଯଜ୍ଞ ଅନ୍ତେ ଜନାର୍ଦ୍ଦନ । ଯାହାକୁ ନୁହଁନ୍ତି ପ୍ରସନ୍ନ । । ୨୮
    ବିଫଳ ଶ୍ରମ ହିଁ ତାହାର । ଯେଣୁ ଆତ୍ମାରେ ଅନାଦର । । ୨୯
    ଏମନ୍ତେ ପିତାର ବଚନେ । ଶୁଣି ସ୍ୱାୟମ୍ଭୁବ ତୋଷମନେ । । ୩୦
    ଆନନ୍ଦେ ଶିରେ କର ଦେଇ । ବୋଲଇ ବ୍ରହ୍ମାମୁଖ ଚାହିଁ । । ୩୧

    ମନୁ ଉବାଚ

    ଭୋ ନାଥ ତୋହର ଆଦେଶେ । ସୃଷ୍ଟି ମୁଁ କରିବି ବିଶ୍ୱାସେ । । ୩୨
    ମୁଁ ସୃଷ୍ଟି ସରଜିବି କାହିଁ । ଏ ଜଳେ ଧରଣୀ ତ ନାହିଁ । । ୩୩
    ତାର ଉଦ୍ଧାରେ ଯତ୍ନ କର । ଯେମନ୍ତେ ସୃଷ୍ଟିର ସଂଚାର । । ୩୪

    ମୈତ୍ରେୟ ଉବାଚ

    ଏମନ୍ତେ ପୁତ୍ରର ବଚନେ । ବ୍ରହ୍ମା ବିଚାରେ ନିଜମନେ । । ୩୫
    ମାୟା ପ୍ରଳୟ ଜଳରାଶି । ପବନ ସଙ୍ଗେ ମୁଁ ଯେ ଗ୍ରାସି । । ୩୬
    ପୃଥିବୀ ନିବେଶିଲି ଜଳେ । ପ୍ରଜା କଳ୍ପିଲି ଯୋଗବଳେ । । ୩୭
    ଦେବ ଅସୁର ପିତୃ ନର । ପଶୁ ପତଙ୍ଗ ମହୀଧର । । ୩୮
    ବୃକ୍ଷ ଔଷଧି ଉଚ୍ଚ-ନୀଚେ । ଧରଣୀ ସ୍ଥାପିଲି ଯେ ସଞ୍ଚେ । । ୩୯
    ଏବେ ତ ଜଳେ ନାହିଁ ମହୀ । ଏମନ୍ତ ବ୍ରହ୍ମା ବିଚାରଇ । । ୪୦
    ଜଳେ ନ ଦେଖି ବସୁନ୍ଧରୀ । ବିଧାତା ମନେ ଧ୍ୟାନକରି । । ୪୧
    ମହୀ ବୁଡ଼ିଲା ମହାଜଳେ । କେମନ୍ତେ ଉଦ୍ଧରିବି ବଳେ । । ୪୨
    ଯାର ଆଦେଶେ ଅବତରି । ମୁଁ ଏ ସଂସାରେ ଅଧିକାରୀ । । ୪୩
    ସେ ହରି ଯେବେ ଦୟାକରେ । ଧରଣୀ ଆପଣେ ଉଦ୍ଧରେ । । ୪୪
    ନୋହିଲେ ମୋର ଶକ୍ୟ କାହିଁ । ଏମନ୍ତେ ବିଷ୍ଣୁପାଦ ଧ୍ୟାୟି । । ୪୫
    ବ୍ରହ୍ମା ରହିଲେ ସ୍ତମ୍ଭୀଭୂତେ । ଶୁଣ ବିଦୁର ଏକଚିତ୍ତେ । । ୪୬
    ତକ୍ଷଣେ ପ୍ରଭୁ ନରହରି । ବାଳ ଶୂକର ରୂପଧରି । । ୪୭
    ଅଙ୍ଗୁଷ୍ଠ ପ୍ରମାଣ ଶରୀରେ । ଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ । । ୪୮
    ପୁଣି କ୍ଷଣକେ ଗଜପ୍ରାୟେ । ଅଦ୍ଭୁତେ ବଢ଼େ ତାରକାୟେ । । ୪୯
    ମରୀଚି ଆଦି ମୁନି ଯେତେ । ସନତକୁମାର ସହିତେ । । ୫୦
    ଅଦ୍ଭୁତ ବରାହ ଶରୀର । କ୍ଷଣକ୍ଷଣକେ ଅଗୋଚର । । ୫୧
    ଋଷିଙ୍କି ଚାହିଁ ବେଦବର । କହନ୍ତି ଦେଖି ତା ଶରୀର । । ୫୨
    ଅଙ୍ଗୁଷ୍ଠ ମାତ୍ରେ ଜାତ ହୋଇ । ପର୍ବତ ସମାନେ ବଢ଼ଇ । । ୫୩
    ଶୁଣ ସକଳ ମୁନିଜନେ । ଏ ରୂପେ ଖେଦ ମୋରମନେ । । ୫୪
    ଏମନ୍ତେ ପୁତ୍ରଗଣ ଘେନି । ବିଚାର କରେ ପଦ୍ମଯୋନି । । ୫୫
    ଏ ବା ଅନାଦି-ଭଗବାନ । ଏ ରୂପେ ବୋଧେ ମୋର ମନ । । ୫୬
    ଏମନ୍ତ ଜାଣି ବାସୁଦେବ । ଗର୍ଜିଲେ ଗଜେନ୍ଦ୍ର ସ୍ୱଭାବ । । ୫୭
    ବ୍ରହ୍ମାଦି ଋଷିଙ୍କ ସମେତେ । ହରଷ କଲେ ସର୍ବେ ଚିତ୍ତେ । । ୫୮
    ଦିଗ ପୂରିଲା ଗରଜନ୍ତେ । ଅଦ୍ଭୁତ ଶବଦ ସହିତେ । । ୫୯
    ସେ ମାୟାମୟ ରୂପ ହରି । ଛଳେ ଶୂକର ରୂପ ଧରି । । ୬୦
    ଦେଖି ଚକିତ ମୁନିଜନେ । ଆନନ୍ଦେ ବିଚାରନ୍ତି ମନେ । । ୬୧
    ଜନ ସତ୍ୟ ତପ ନିବାସୀ । ମିଳି ସକଳ ବ୍ରହ୍ମଋଷି । । ୬୨
    ସ୍ତୁତି କରନ୍ତି ମନତୋଷେ । ଧରଣୀ ଉଦ୍ଧରିବା ଆଶେ । । ୬୩
    ଯାହାର ଗୁଣ ଅନୁବାଦେ । କ୍ଷମ ନୁହଁନ୍ତି ଚାରିବେଦେ । । ୬୪
    ଯା ରୂପ ମନଜ୍ଞାନେ ଚିନ୍ତି । ଅଶେଷ ଶାସ୍ତ୍ରେ ନ ଜାଣନ୍ତି । । ୬୫
    ମୁନିଙ୍କ ସ୍ତୁତିବାକ୍ୟ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି । । ୬୬
    ଦେବଙ୍କ ହିତଅର୍ଥେ ହରି । ପୁଣି ଶୂକର ନାଦକରି । । ୬୭
    ଗଜେନ୍ଦ୍ର ଲୀଳା କରି ହେଳେ । ବିଷ୍ଣୁ ପଶିଲେ ମହାଜଳେ । । ୬୮
    ଖୁର-ଲାଙ୍ଗୁଡ଼ ମୁଖେ ତାଡ଼ି । ଶବଦ ଶୁଭେ ଘଡ଼ଘଡ଼ି । । ୬୯
    ଜଳ ପ୍ରବେଶ ପୂର୍ବେ ହରି । ପୁଚ୍ଛ ଉତ୍ କ୍ଷେପ ଉର୍ଦ୍ଧ୍ୱେ କରି । । ୭୦
    ଲମ୍ଫରେ ଆକାଶେ ଉଠିଲେ । କଠୋର ଶଟା କମ୍ପାଇଲେ । । ୭୧
    ବରାହ ଦେହ ଜଳକଣେ । ଶୂନ୍ୟେ ତିନ୍ତିଲେ ଦେବଗଣେ । । ୭୨
    ଲାଙ୍ଗୁଡ଼-ବୃଷ୍ଟି-ଜଳଲାଗି । ଦିଗେ ହୋଇଲେ ସଉଭାଗୀ । । ୭୩
    ସୁତୀକ୍ଷ୍ଣ ଖୁର କ୍ଷିପ୍ତଜଳେ । ସମୁଦ୍ର ଉଛୁଳେ କଲ୍ଲୋଳେ । । ୭୪
    ପର୍ବତ ପ୍ରାୟେ ଦେହକାନ୍ତି । ଜ୍ୟୋତି ସମୂହେ ଝଟକନ୍ତି । । ୭୫
    ମହୀ ଖୋଜନ୍ତି ଘ୍ରାଣବାସେ । ଧରଣୀ ଉଦ୍ଧରିବା ଆଶେ । । ୭୬
    କରାଳ ଦନ୍ତ ଓଷ୍ଠ ପାଟି । ଉର୍ଦ୍ଧ୍ୱେ ମୁନିଙ୍କି ଦେଇ ଦୃଷ୍ଟି । । ୭୭
    ଅଙ୍ଗ ନିର୍ଘାତ ବଜ୍ର ପ୍ରାୟେ । ଦେଖି ଜଳଧି କଲା ଭୟେ । । ୭୮
    ତରଙ୍ଗ-କର ଉଚ୍ଚେ କରି । ଡାକଇ ରଖ ଦଇତାରି । । ୭୯
    ହେ ଯଜ୍ଞେଶ୍ୱର ତ୍ରାହିକର । ମୁଁ ତୁମ୍ଭ ଚରଣେ କିଙ୍କର । । ୮୦
    ସମୁଦ୍ର ମୁଖରାବ ଗୋଳେ । ହରି ପଶିଲେ ରସାତଳେ । । ୮୧
    ଜଳେ ନିମଗ୍ନା ବସୁନ୍ଧରୀ । ତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି । । ୮୨
    ଜଳୁ ଆସନ୍ତେ ଊଦ୍ଧ୍ୱର୍ମୁଖେ । ଅସୁର ମିଳିଲା ସମ୍ମୁଖେ । । ୮୩
    ଆଦିଅସୁର ଯେ ପ୍ରତ୍ୟକ୍ଷ । ନାମ ତାହାର ହିରଣାକ୍ଷ । । ୮୪
    ଗଦା ବୁଲାଇ ଅତିବେଗେ । ମିଳିଲା ଯଜ୍ଞନାଥ ଆଗେ । । ୮୫
    ମତ୍ତମାତଙ୍ଗ ଯେହ୍ନେ ମହୀ । କର୍କଶ ଦନ୍ତେ ବିଦାରଇ । । ୮୬
    ଲୀଳାଏ ଅସୁର ସଂହାରି । ଗଜକୁ ଯେସନେ କେଶରୀ । । ୮୭
    ତା ଦେହ ଦଶନେ ବିଦାରି । ଧରଣୀ ଘେନି ବିଜେକରି । । ୮୮
    ତମାଳ ନୀଳବର୍ଣ୍ଣ ଦେହୀ । ଶୁଭ୍ର ତୀକ୍ଷ୍ ଣ ଦନ୍ତ ଦୁୁୁଇ । । ୮୯
    ଦଶନଅଗ୍ରେ ମହୀ ରହେ । ଚନ୍ଦ୍ରେ କଳଙ୍କ ଯେହ୍ନେ ଶୋହେ । । ୯୦
    ଏମନ୍ତ ରୂପ ଦେଖି ବେଗେ । ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ । । ୯୧
    ସଙ୍ଗତେ ମୁନିଗଣ ଘେନି । ସ୍ତୁତି କରଇ ପଦ୍ମଯୋନି । । ୯୨
    ଋଷିଗଣ ଉବାଚ

    ହେ ଯଜ୍ଞରୂପୀ ଜନାର୍ଦ୍ଦନ । ତୋର ବିହାର ତ୍ରିଭୁବନ । । ୯୩
    ଜୟ ତୁ ଜୟ ଭଗବାନ । ତୁ ବେଦମୟ ବିଦ୍ୟମାନ । । ୯୪
    ଯଜ୍ଞମୂରତି ନିଜ ପିଣ୍ତେ । ଯେ ଯଜ୍ଞଧର୍ମ କର୍ମକାଣ୍ତେ । । ୯୫
    ତୋର ଶରୀର ରୋମକୂପେ । ସମୁଦ୍ର ଲୁଚିଲା ସ୍ୱରୂପେ । । ୯୬
    ନମୋ ଗୋବିନ୍ଦ ମହୀଧର । ଅଶେଷ-ମହିମା-ସାଗର । । ୯୭
    ହେ କାଳରୂପୀ ତୋ ଚରଣେ । ନିର୍ଭୟେ ପଶିଲୁ ଶରଣେ । । ୯୮
    ଯଜ୍ଞାଦି ଆତ୍ମା ତୋ ଶରୀର । ଦୁଷ୍କୃତଜନେ ଅଗୋଚର । । ୯୯
    ତୋ ଦେହ ଚର୍ମେ ବେଦ ବସେ । ଅନଳ ରୋମକୂପ ଦେଶେ । । ୧୦୦
    ଘୃତ ଆହୁତି ନେତ୍ରଯୁଗେ । ଚତୁରହୋତ୍ର ପାଦଭାଗେ । । ୧୦୧
    ଏ ଯଜ୍ଞ ଶ୍ରୁଚ ତୋର ତୁଣ୍ତେ । ଶ୍ରୁବ ନିର୍ମିତ ନାସାଖଣ୍ତେ । । ୧୦୨
    ଇଡ଼ା ଉଦର ଅନୁବନ୍ଧେ । ଚମସ ରହେ କର୍ଣ୍ଣରନ୍ଧ୍ରେ । । ୧୦୩
    ପ୍ରାଶିତ୍ର ବସେ ତୋର ଆସ୍ୟେ । ଗ୍ରହେ ବସନ୍ତି ତୋର ଗ୍ରାସେ । । ୧୦୪
    ଚର୍ବଣେ ଅଗ୍ନିହୋତ୍ର ରହେ । ଦୀକ୍ଷା ତୋ ଅନୁଜନ୍ମ ବହେ । । ୧୦୫
    ଯେ ଉପଷଦ ତିନିଈଷ୍ଟେ । ସେ ତୋର ଗ୍ରୀବାଦେଶ ଅଟେ । । ୧୦୬
    ଦନ୍ତେ ପ୍ରାୟଣୀ ଉଦୟିନୀ । ଜିହ୍ୱାରେ ପ୍ରବର୍ଗ୍ୟକୁ ଘେନି । । ୧୦୭
    ଶିରେ ହୋମରହିତ ଅଗ୍ନି । ଆବର ଉପାସନା ବହ୍ନି । । ୧୦୮
    ପ୍ରାଣେ ବସନ୍ତି ଚିତିଗଣ । ସୋମ ତୋ ରେତ ଆଚରଣ । । ୧୦୯
    ସବନ ତୋହର ଅବସ୍ଥା । ସପ୍ତଧାତୁଏ ତୋର ସଂସ୍ଥା । । ୧୧୦
    ତୋ ଦେହସନ୍ଧି ସର୍ବ ସତ୍ର । ତୁ ସର୍ବଯଜ୍ଞ କ୍ରତୁ ମାତ୍ର । । ୧୧୧
    ମନ୍ତ୍ରଦେବତା ରୂପ ତୁହି । ତୁ ଦ୍ରବ୍ୟ କ୍ରତୁ କ୍ରିୟା ହୋଇ । । ୧୧୨
    ବୈରାଗ୍ୟ ଭକ୍ତି ଆତ୍ମଜୟେ । କରାଉ ଜ୍ଞାନର ଉଦୟେ । । ୧୧୩
    ତୁ ବିଦ୍ୟାଗୁରୁ ଜ୍ଞାନଦାତା । ସକଳ ଜୀବ ପିତାମାତା । । ୧୧୪
    ଅଖିଳ ମୂର୍ତ୍ତି ଭଗବାନ । ତୋର ଚରଣେ ନମୋନମ । । ୧୧୫
    ତୋ ଦନ୍ତଅଗ୍ରେ ବସୁନ୍ଧରୀ । ବିରାଜେ ନିଜ ରୂପ ଧରି । । ୧୧୬
    କି ଅବା ଦେବା ପଟାନ୍ତର । ଜଳେ ଯେସନେ କରୀବର । । ୧୧୭
    ପଦ୍ମବନରୁ ସେ ନିର୍ଗତ । ଦନ୍ତାଗ୍ରେ ପଦ୍ମିନୀ ଶୋଭିତ । । ୧୧୮
    ଏ ଯେ ଶୂକର ତୋର ଦେହ । ଅଶେଷ ଯଜ୍ଞ ବେଦମୟ । । ୧୧୯
    ଦନ୍ତେ ଧରଣୀ କରେ ଶୋଭା । କିବା ଉପମା ଆମ୍ଭେ ଦେବା । । ୧୨୦
    ପର୍ବତଶୃେଙ୍ଗ ଜଳଧର । ଯେମନ୍ତେ ଦିଶଇ ସୁନ୍ଦର । । ୧୨୧
    ତେମନ୍ତେ ଶୋଭିତ ଧରଣୀ । ତୋ ଦନ୍ତଅଗ୍ରେ ଚକ୍ରପାଣି । । ୧୨୨
    ଏବେ ଧରଣୀ ସ୍ଥାପ ଜଳେ । ଭୋ ନାଥ ତୋର ମାୟାବଳେ । । ୧୨୩
    ଏ ଭୂମି ଜୀବଲୋକ-ମାତା । ତୁ ନାଥ ଜୀବଲୋକ-ପିତା । । ୧୨୪
    ତୋ ବିନୁ କେବା ଅନ୍ୟ ବଳେ । ମହୀ ଉଦ୍ଧରେ ମହାଜଳେ । । ୧୨୫
    ଏଣୁ ବିସ୍ମୟ ଆମ୍ଭ ନାହିଁ । ଅତି ବିସ୍ମୟ ବିଶ୍ୱେ ଯେହି । । ୧୨୬
    ତାହାକୁ ତୁହି ମାୟାବଳେ । ସର୍ଜନା କଲୁ ଏ ଶୟଳେ । । ୧୨୭
    ଏ ଯେ ଈଶ୍ୱର ତୋର ଦେହୀ । ସକଳ ବେଦମୟ ଏହି । । ୧୨୮
    ଜଳେ ପଶନ୍ତେ ତୋ ଶରୀର । ଜଳଧି ଦିଶେ ଭୟଙ୍କର । । ୧୨୯
    ତୋ ରୋମଅଗ୍ରେ ଜଳରାଶି । ଉଛୁଳି ଶୂନ୍ୟମାର୍ଗେ ଆସି । । ୧୩୦
    ସେ ଜଳବିନ୍ଦୁ ସ୍ପର୍ଶ ମାତ୍ର । ସକଳେ ହୋଇଲୁ ପବିତ୍ର । । ୧୩୧
    ଜନ ତପ ସତ୍ୟ ଭୁବନେ । ଆମ୍ଭେ ଯେ ରହୁ ତୋଷମନେ । । ୧୩୨
    ତୋ ରୋମଜଳେ କରି ସ୍ନାନ । ଆନନ୍ଦେ ତୋଷ କଲୁ ମନ । । ୧୩୩
    ପବିତ୍ର କଲୁ ପିଣ୍ତ ପ୍ରାଣ । ତୋର ଶରଣ ନାରାୟଣ । । ୧୩୪
    ତୋ କର୍ମ-ପାର ଜାଣିବାରେ । ଯେ ଜନ ମନେ ବାଞ୍ଛାକରେ । । ୧୩୫
    ତାହାକୁ ବୋଲି ମନ୍ଦମତି । ଯେଣୁ ଅସାଧ୍ୟ ତୋର ଗତି । । ୧୩୬
    ତୋ ଯୋଗମାୟା ଗୁଣ ବଳେ । ଆମ୍ଭେ ମୋହିତ ଏ ଶୟଳେ । । ୧୩୭
    ଏଣୁ ବିଶ୍ୱକୁ ସୁଖ ଦେଇ । ଆମ୍ଭଙ୍କୁ ନାଥ କର ତ୍ରାହି । । ୧୩୮

    ମୈତ୍ରେୟ ଉବାଚ

    ବ୍ରହ୍ମାଦି ମୁନିଙ୍କ ବଚନେ । ବରାହ ରୂପୀ ତୋଷମନେ । । ୧୩୯
    ଜଳେ ବସାଇ ବସୁନ୍ଧରୀ । ଅଦୃଶ୍ୟ ହୋଇଲେ ମୁରାରି । । ୧୪୦
    ସେ ହରି ଅଭୟ ଚରଣେ । ବିଦୁର ପଶ ତୁ ଶରଣେ । । ୧୪୧
    ଏ ମନୋହର କୃଷ୍ଣକଥା । ଯେ ଅବା ହୋନ୍ତି ଶ୍ରୋତା ବକ୍ତା । । ୧୪୨
    ତା’ର ହୃଦୟେ ଭଗବାନ । ତକ୍ଷଣେ ହୁଅନ୍ତି ପ୍ରସନ୍ନ । । ୧୪୩
    ସେ ହରି ଅଦ୍ଭୁତ ଚରିତ । ଶୁଣି ବିଦୁର ତୋଷଚିତ୍ତ । । ୧୪୪
    ଶୁଣ ସୁଜନେ ତୋଷଚିତ୍ତେ । ସଂସାରୁ ତରିବ ଯେମନ୍ତେ । । ୧୪୫
    ଯାର ପ୍ରସନ୍ନେ ମାୟାଘୋର । ନଳିନୀଦଳେ ଯେହ୍ନେ ନୀର । । ୧୪୬
    ନ ଲାଗେ ନିରତେ ସିଞ୍ଚନ୍ତେ । ବିଷ୍ଣୁ-ପ୍ରସଙ୍ଗ ଅନୁମତେ । । ୧୪୭
    କର୍ଣ୍ଣେ ପଶନ୍ତେ ହରିବାଣୀ । ସୁଧା-ସମୁଦ୍ର ପରିମାଣି । । ୧୪୮
    ଆନନ୍ଦେ କର ସୁଧାପାନ । ଯେଣେ ହୋଇବ ତତ୍ତ୍ବଜ୍ଞାନ । । ୧୪୯
    ତୃତୀୟସ୍କନ୍ଧେ ଭାଗବତ । ଅଦ୍ଭୁତ ବରାହ ଚରିତ । । ୧୫୦
    ଏଣେ ନିବେଶି ବୁଦ୍ଧି-ଚିତ୍ତ । କହଇ ଦାସ ଜଗନ୍ନାଥ । । ୧୫୧
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ବରାହପ୍ରାଦୁର୍ଭାବ ବର୍ଣ୍ଣନେ ନାମ ତ୍ରୟୋଦଶୋଽଧ୍ୟାୟଃ ।

    ଚତୁର୍ଦ୍ଦଶ ଅଧ୍ୟାୟ

    ଶୁକ ଉବାଚ

    ମୈତ୍ରେୟ ବାଣି ଶୁଣି କର୍ଣ୍ଣେ । ତୋଷ ନୋହିଲା ତାର ମନେ । । ୧
    କୃଷ୍ଣ ଶୂକରରୂପ କଥା । ଅମୃତ ରସମୟ ଗାଥା । । ୨
    ଆନନ୍ଦେ ଶିରେ କର ଦେଇ । ପୁଣି ବିଦୁର ପଚାରଇ । । ୩

    ବିଦୁର ଉବାଚ

    ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି । । ୪
    ଜଳୁ ଆସନ୍ତେ ଊର୍ଦ୍ଧ୍ୱଗତେ । ଆଦି ଅସୁର ତା’ ଅଗ୍ରତେ । । ୫
    ମିଳିଲା ଗଦା କରେ ଧରି । ତା’ ଦେହ ଦଶନେ ବିଦାରି । । ୬
    ଏ କଥା ଶୁଣି ତୁମ୍ଭ ମୁଖେ । ଏବେ ପଚାରେ ମନସୁଖେ । । ୭
    ସେ ଦୈତ୍ୟ ତେଜେ ଅନର୍ଗଳା । କି ହେତୁ ଗଦାଯୁଦ୍ଧ କଲା । । ୮
    ତାହାର ଜନ୍ମ କର୍ମ ଯେତେ । ବିସ୍ତାରି କହ ମୁନି ମୋତେ । । ୯
    ପରମ କୁତୂହଳ ବାଣୀ । ଜୀବ ନିସ୍ତରେ ଯାହା ଶୁଣି । । ୧୦

    ମୈତ୍ରେୟ ଉବାଚ

    ତୁ ଧନ୍ୟ ଧନ୍ୟ କୁରୁବୀର । ଏ ସାଧୁ ପ୍ରଶ୍ନ ଯେ ତୋହର । । ୧୧
    ହରି-ଚରିତ ଗୁର କଥା । ଅମୃତ ରସମୟ-ଗାଥା । । ୧୨
    ଯାହା ଶୁଣନ୍ତେ ମୃତ୍ୟୁପାଶ । ସୁତୀକ୍ଷ୍ ଣ ଚକ୍ରେ ହୋଏ ନାଶ । । ୧୩
    ସେ ସ୍ୱାୟମ୍ଭୁବ ମୁନି ସୁତ । ଉତ୍ତାନପାଦ-ସୁତ ଖ୍ୟାତ । । ୧୪
    ତପର ବଳେ ସେ ପ୍ରଚଣ୍ତେ । ଚରଣ ଦେଇ ମୃତ୍ୟୁମୁଣ୍ତେ । । ୧୫
    ସ୍ୱଭାବେ ତେଜେ ଅନର୍ଗଳା । ପରମପଦେ ସେ ପଶିଲା । । ୧୬
    ତୁ ଯେବେ ପଚାରିଲୁ ମୋତେ । ବିଦୁର ଶୁଣ ଏକଚିତ୍ତେ । । ୧୭
    ପ୍ରସ୍ତାବେ ଇତିହାସ ବାଣୀ । ଦେବଙ୍କ ସଭାମଧ୍ୟେ ଶୁଣି । । ୧୮
    ଦେବ ସମୀପେ ଦେବଦେବ । ବ୍ରହ୍ମା କହିଲେ ଯେ ପ୍ରସ୍ତାବ । । ୧୯
    ଜାଣଇ ଏଥିର କାରଣ । କହିବି ଏକଚିତ୍ତେ ଶୁଣ । । ୨୦
    ଦକ୍ଷ ଦୁହିତା ଦିତି ନାମା । କଶ୍ୟପ ଋଷିଙ୍କର ବାମା । । ୨୧
    ସେ ଏକଦିନେ ସନ୍ଧ୍ୟାକାଳେ । ଏକା ପଶିଲା ଯଜ୍ଞଶାଳେ । । ୨୨
    ମିଳିଲା ନିଜ ପତି ପାଶେ । କାମେ ପୀଡ଼ିତ ରତି ଆଶେ । । ୨୩
    ସେ ମହାଋଷି ଯଜ୍ଞଘରେ । ମନ୍ତ୍ରେ ଆହୁତି ଘୃତଧାରେ । । ୨୪
    ଯଜ୍ଞପୁରୁଷ ପ୍ରୀତି ଅର୍ଥେ । ଅସ୍ତ ପର୍ବତେ ସୂର୍ଯ୍ୟ ଯାନ୍ତେ । । ୨୫
    ହବିରେ ଅଗ୍ନିକି ପୂଜନ । କରନ୍ତି ହୋଇ ତୋଷମନ । । ୨୬
    ନିବିଡ଼ ସନ୍ଧ୍ୟା ଆଗମନେ । ମିଳିଲା ସ୍ୱାମୀ ସନ୍ନିଧାନେ । । ୨୭
    ସମାଧିସ୍ଥିତ ସ୍ୱାମୀ ପାଶେ । କାମ ପୀଡ଼ିତା ଦିତି ବସେ । । ୨୮
    କରଅଞ୍ଜଳି ଶିରେ ଦେଇ । ବୋଲେ କଶ୍ୟପ ମୁଖ ଚାହିଁ । । ୨୯

    ଦିତି ଉବାଚ

    ଭୋ ନାଥ ଶୁଣ ତପୋଧନ । ଅନଙ୍ଗ ଘେନି ଶରାସନ । । ୩୦
    ତା ପଞ୍ଚବାଣେ ମୋର ମନେ । ଦହଇ ତୁମ୍ଭର ବିହୁନେ । । ୩୧
    କଦଳୀବନ ଯେହ୍ନେ ଗଜ । ଦନ୍ତେ ବିଦାରେ ମହାତେଜ । । ୩୨
    ସମୃଦ୍ଧି ଦେଖି ସପତ୍ନୀର । ମୋ ମନ ଦଗ୍ଧ ନିରନ୍ତର । । ୩୩
    ତୁ ପ୍ରଜାପତିଙ୍କ ଈଶ୍ୱର । ସର୍ବ କଳ୍ପନା ସୁଖଘର । । ୩୪
    ଏବେ ମୋ’ଠାରେ ଅନୁଗ୍ରହ । କରି ସକଳ ସୁଖ ଦିଅ । । ୩୫
    ଯାହାକୁ ସ୍ୱାମୀ ହୋଏ ତୋଷ । ସଂସାରେ ରହେ ତାର ଯଶ । । ୩୬
    ଆପଣା ରୂପେ ପ୍ରତ୍ରଜାତ । ହୁଅଇ ଯାର ଗର୍ଭଗତ । । ୩୭
    ଆମ୍ଭର ଗର୍ଭେ ପୁତ୍ରହେଲେ । ତୋ ଯଶ ବିସ୍ତାରିବ ଭଲେ । । ୩୮
    ମୋ ପିତା ଦକ୍ଷ ପ୍ରଜାପତି । ପ୍ରଜା ସର୍ଜନେ ତା’ର ମତି । । ୩୯
    ଆମ୍ଭର ଗର୍ଭେ ପୁତ୍ର ଯେତେ । ଧର୍ମେ ପାଳିବେ ଏ ଜଗତେ । । ୪୦
    ଏ କଥା ମନେ ବିଚାରିଲା । ଯତ୍ନେ ଆମ୍ଭଙ୍କୁ ପଚାରିଲା । । ୪୧
    ସମ୍ମତି ଦେଖିଣ ଆମ୍ଭର । ତେଣୁ ବରିଲା ତୋତେ ବର । । ୪୨
    ଆମ୍ଭେ ଯେ ଭଗ୍ନୀ ତ୍ରୟୋଦଶ । ତୁମ୍ଭର ଚରଣେ ବିଶ୍ୱାସ । । ୪୩
    ଆମ୍ଭର ରୂପ ଶୀଳ ଗୁଣ । ତୁମ୍ଭେ ତ ପ୍ରତ୍ୟକ୍ଷ ପ୍ରମାଣ । । ୪୪
    ଭୋ ନାଥ ନଳିନଲୋଚନ । ଏବେ ତୁ କର ମୋ ବଚନ । । ୪୫
    ମୋ ସଙ୍ଗେ କର ଏବେ ରତି । ସୌଭାଗ୍ୟେ ହେଉ ମୋ ସନ୍ତତି । । ୪୬
    ମୈତ୍ରେୟ ଉବାଚ
    ଏମନ୍ତେ ଶୁଣି ତା ବଚନ । କଶ୍ୟପ ହୋଇ ଦୁଃଖ ମନ । । ୪୭
    ଚାହିଁଲେ ଦିତିର ବଦନ । ଅନଙ୍ଗବାଣେ ଛନଛନ । । ୪୮
    ଦେଖି ତାହାର ଦୁଷ୍ଟଚିତ୍ତ । କହନ୍ତି ମରୀଚିଙ୍କ ସୁତ । । ୪୯

    କଶ୍ୟପ ଉବାଚ

    ଶୁଣ ସୁନ୍ଦରି ମୋ ବଚନ । ମୁହିଁ ଜାଣଇ ତୋର ମନ । । ୫୦
    ଏ ସନ୍ଧ୍ୟାକାଳେ ମୋର ପାଶେ । ତୁ ଯେ ମିଳିଲୁ ରତି ଆଶେ । । ୫୧
    ଏ ଧର୍ମ-ପ୍ରମାଣ ସ୍ୱଭାବ । କେ ତାହା ଅନ୍ୟଥା କରିବ । । ୫୨
    ଏଣୁ ତୋହର ପ୍ରିୟଯେତେ । କରିବି ତୋହର ଆୟତ୍ତେ । । ୫୩
    ସଂସାର ସ୍ୱଭାବଟି ଏହି । ଯେ ଧର୍ମକର୍ମେ ରହେ ଗୃହୀ । । ୫୪
    ସର୍ବ ଆଶ୍ରମ ମଧ୍ୟେ ସାର । ପୁତ୍ର କଳତ୍ର ଘେନି ଘର । । ୫୫
    ଏଣୁ ହୁଅଇ ଦୁଃଖ ପାର । ବୋଇତେ ଯେହ୍ନେ ପାରାବାର । । ୫୬
    ଆତ୍ମାର ଅର୍ଦ୍ଧସମ ନାରୀ । ଅନ୍ୟଥା କେବା ତାହା କରି । । ୫୭
    ତାହାର ତହିଁ ଗୃହଭାର । ଦେଇ ନିଶ୍ଚିନ୍ତେ ଥାଇ ନର । । ୫୮
    ଯାହାର ଆଶ୍ରେ ପ୍ରାଣୀ ଥାଇ । ଇନ୍ଦ୍ରିୟ-ଶତ୍ରୁକୁ ଜିଣଇ । । ୫୯
    ଏଣୁ ତୁମ୍ଭର ଉପକାର । ଶୁଝା ଯେ ନ ଯିବ ଆମ୍ଭର । । ୬୦
    ଏ କଥା କେ କରିବ ଆନ । ଯାହା ସଞ୍ଚିଲେ ଭଗବାନ । । ୬୧
    ଏବେ ତୁ ଧୀର ଆତ୍ମମନେ । ମୁହୂର୍ତ୍ତେ ରହ ମୋ ବଚନେ । । ୬୨
    ଦେଖ ଏ ଭୟଙ୍କର ବେଳା । ପ୍ରେତ-ପିଶାଚଗଣ ମେଳା । । ୬୩
    ଭୂତ-ବେତାଳ ଘେନି ସଙ୍ଗେ । ରମନ୍ତି ଭୂତପତି ରଙ୍ଗେ । । ୬୪
    ଦେଖ ଏ ଘୋର-ସନ୍ଧ୍ୟାକାଳେ । ଘୋର ଶବଦ ଗଣମେଳେ । । ୬୫
    ଶ୍ମଶାନ-ଧୂଳିରେ ଧୂସର । ଜଟାକଳାପେ ଭୟଙ୍କର । । ୬୬
    ଭସ୍ମଲେପନ ସର୍ବଅଙ୍ଗେ । ଭୂତାଦିଗଣ ଘେନି ସଙ୍ଗେ । । ୬୭
    ବୃଷଭେ ବସି ଭୂତପତି । ଦେଖଇ ସର୍ବଜନ ଗତି । । ୬୮
    ତୋହର ଦେବର ସ୍ୱଭାବେ । ମୁହୂର୍ତ୍ତେ ରହ ସଖି ଏବେ । । ୬୯
    ପର ଅପର ଯାର ନାହିଁ । ବନ୍ଦନ ନିନ୍ଦନ ବା କାହିଁ । । ୭୦
    ଆମ୍ଭେ ସକଳେ ଯା ଚରଣେ । ସେବୁ ସୁବ୍ରତ ଆଚରଣେ । । ୭୧
    ତାର ପ୍ରସାଦ ଶେଷଭୋଗ । ଭୁଞ୍ଜୁ ଅତୁଲ୍ୟ ସଉଭାଗ୍ୟ । । ୭୨
    ଯାର ନିର୍ମଳ ଗୁଣ ଚିନ୍ତି । ମାୟା-ପଟଳେ ସର୍ବ ଯତି । । ୭୩
    ଚିନ୍ତନ୍ତି ନିର୍ଲେପ ଶରୀର । ଅଚିନ୍ତ୍ୟ ଗୁଣ ଯେ ଗଭୀର । । ୭୪
    ନିର୍ମଳଚେତା ମୁନିଗଣେ । ଧ୍ୟାନେ ଚିନ୍ତନ୍ତି ଯା ଚରଣେ । । ୭୫
    ତପ ସାଧନେ ଯୋଗେ ଚିନ୍ତି । ଅଶେଷ ସମ୍ପଦ ଲଭନ୍ତି । । ୭୬
    ପିଶାଚ-ମାର୍ଗ ଦେଖି ତା’ର । ସୁଜନେ କରନ୍ତି ବିଚାର । । ୭୭
    ଊଣା ଅଧିକେ ଯାର ନାହିଁ । ପିଶାଚ-ଚେଷ୍ଟାରେ ଭ୍ରମଇ । । ୭୮
    ତାଙ୍କୁ ଯେ ଦୁର୍ଭଗା ହସନ୍ତି । ସେ ତା ମହିମା ନ ଜାଣନ୍ତି । । ୭୯
    ବ୍ରହ୍ମାଦି ଦେବେ ଯା କିଙ୍କର । ଯା ମାୟାବଳେ ଏ ସଂସାର । । ୮୦
    ସୃଷ୍ଟି ପାଳନ ସଂହାରଣ । ଯେ ବିଶ୍ୱ ପରମ-କାରଣ । । ୮୧
    ପିଶାଚଚେଷ୍ଟା ତାର ଦେଖି । ସାଧବ ଜନେ ହୋନ୍ତି ଦୁଃଖୀ । । ୮୨
    ଚରିତ ବିଡ଼ମ୍ବନ ତା’ର । ଦେବ ମାନବେ ଅଗୋଚର । । ୮୩

    ମୈତ୍ରେୟ ଉବାଚ

    ଇନ୍ଦ୍ରିୟଗଣ ସେ ଦିତିର । କାମରେ ହୋଇଲା ଅସ୍ଥିର । । ୮୪
    ଏମନ୍ତେ ସ୍ୱାମୀ ବାକ୍ୟ ଶୁଣି । ସ୍ୱଭାବେ ଉନ୍ମତ୍ତ ତରୁଣୀ । । ୮୫
    ମଦନବାଣେ ଭୋଳ ଚିତ୍ତ । ବେଗେ ଧଇଲା ସ୍ୱାମୀ ହସ୍ତ । । ୮୬
    ବସ୍ତ୍ର କରଷି ବାମକରେ । କଟାକ୍ଷେ ଚାହେଁ କାମଭରେ । । ୮୭
    ବୃଷଳୀ ପ୍ରାୟେ ଲଜ୍ଜା ଛାଡ଼ି । ରମଣରସେ ଚିତ୍ତ ବଢ଼ି । । ୮୮
    ପତ୍ନୀ ନିର୍ବନ୍ଧ ମୁନି ଦେଖି । ଧର୍ମ ବିଷୟେ ମନେ ଦୁଃଖୀ । । ୮୯
    ଦଇବ ରୂପ ଯେ ଈଶ୍ୱର । ତାହାଙ୍କୁ କରି ନମସ୍କାର । । ୯୦
    ଏକାନ୍ତେ ଯାଇ ତା’ର ସଙ୍ଗେ । ମେଳ ହୋଇଲେ ରତିରଙ୍ଗେ । । ୯୧
    ପତ୍ନୀ ରମଣରସ ସାରି । ତକ୍ଷଣେ ଆଚମନ କରି । । ୯୨
    କର ଚରଣ ଧୋଇ ଜଳେ । ଆସନେ ବସିଲେ ନିଶ୍ଚଳେ । । ୯୩
    ଗାୟତ୍ରୀମନ୍ତ୍ର ପ୍ରାଣାୟାମ । କରି ଚିନ୍ତିଲେ ବିଷ୍ଣୁନାମ । । ୯୪
    ନିର୍ମଳ ଜ୍ୟୋତିରୂପେ ମନ । ନିବେଶି ହୋଇଲେ ମଉନ । । ୯୫
    ତକ୍ଷଣେ ଉଠି ଦିତି ବେଗେ । ବସ୍ତ୍ର ଆଚ୍ଛାଦି ସର୍ବଅଙ୍ଗେ । । ୯୬
    ସଲ୍ଲଜ୍ଜେ ଅଧୋମୁଖେ ରହି । କହେ କଶ୍ୟପ ମୁଖ ଚାହିଁ । । ୯୭

    ଦିତି ଉବାଚ

    ଭୋ ନାଥ ଶୁଣ ମୋ ବଚନ । ମୋହର କର୍ମଫଳ ହୀନ । । ୯୮
    ଯେ ଗର୍ଭ ହୋଇବ ମୋହର । ଯେମନ୍ତେ ନାଶ ନୋହେ ତା’ର । । ୯୯
    ଅବଜ୍ଞା କରି ଭୂତପତି । ମୁଁ ଯେ ଆଚରିଲି ଅନୀତି । । ୧୦୦
    ଭୋ ରୁଦ୍ର ନମୁଁ ତୋ ଚରଣେ । ତୋର ବିହାର ଭୂତଗଣେ । । ୧୦୧
    ହେ ଶିବ ଶିବ ଦଣ୍ତଧର । ଉŸଦ୍ଦଣ୍ତ ଦଣ୍ତ ତୋର କର । । ୧୦୨
    ତୁ ଉଗ୍ର ଭୀମ ଉମାପତି । ତୋ ଅନୁଗ୍ରହେ ନାହିଁ ଭୀତି । । ୧୦୩
    ଅପ୍ରାଧ ନାଶେ ତୋର ଦୟା । ତାକୁ ନ ଲାଗେ ବିଷ୍ଣୁମାୟା । । ୧୦୪
    ତୁ ଉଗ୍ରରୂପ କ୍ଷମାକର । ନମୋ ନମସ୍ତେ ତୋ ପୟର । । ୧୦୫
    ସଂହାରେ କ୍ରୋଧ ରୂପ ତୋର । ତୋ ପଦେ ମୋର ନମସ୍କାର । । ୧୦୬
    ଗର୍ଭ ମୋ ରଖ ହେ ଗୋସାଇଁ । ପ୍ରସନ୍ନ ହୁଅ ଦୟା ବହି । । ୧୦୭
    ହେ ପ୍ରଭୁ ଦେବ ଭଗବାନ । ଆମ୍ଭଙ୍କୁ ହୋଇବା ପ୍ରସନ୍ନ । । ୧୦୮
    ମୁଁ ଯେ ସ୍ୱଭାବେ ସ୍ତିରୀଜାତି । ନମୋ ନମସ୍ତେ ସତୀପତି । । ୧୦୯
    ପତ୍ନୀ-ସ୍ୱଭାବ ଭଲେ ଜାଣ । ବିଚାରି ହୁଅ ତୁ ପ୍ରସନ୍ନ । । ୧୧୦

    ମୈତ୍ରେୟ ଉବାଚ

    ଗର୍ଭ ଆଶିଷେ ମନ ଦେଇ । କମ୍ପେ କଶ୍ୟପ ମୁଖ ଚାହିଁ । । ୧୧୧
    ତକ୍ଷଣେ ଧ୍ୟାନ ବେଗେ । ମୁନି କହନ୍ତି ପତ୍ନୀ ଆଗେ । । ୧୧୨

    କଶ୍ୟପ ଉବାଚ

    ଭୋ ସଖି ଶୁଣ ଶୁଦ୍ଧଚିତ୍ତେ । ଏ କର୍ମ ତୋହର ଆୟତ୍ତେ । । ୧୧୩
    ମୁହୂର୍ତ୍ତ ଦୋଷ ଭୟଙ୍କର । ଦେବହେଳନ କର୍ମ ତୋ’ର । । ୧୧୪
    ଏ ଦୋଷୁ ତୋ’ର ଗର୍ଭଗତେ । ଜନ୍ମ ହୋଇବେ ବେନିସୁତେ । । ୧୧୫
    ଦୁଷ୍ଟ ହୋଇବେ ଏ ଶୟଳେ । ତପ ସାଧନ କର୍ମଫଳେ । । ୧୧୬
    ଏ ତିନିପୁର ରାଜାଗଣେ । ବିକଳେ ଖଟିବେ ଚରଣେ । ।୧୧୭
    ଧନଜୀବନ ସେ ହରିବେ । ପ୍ରାଣୀଙ୍କି ଦୁଃଖଶୋକ ଦେବେ । । ୧୧୮
    ନିର୍ଦ୍ଦୋଷ ପ୍ରାଣୀଙ୍କି ମାରଣେ । ପର ରମଣୀ କରଷଣେ । । ୧୧୯
    ଏ ଆଦି ଯେତେ ପାପକର୍ମେ । ବଳେ କରିବେ ମତିଭ୍ରମେ । । ୧୨୦
    ମହତଜନେ କୋପ ଜାତ । କରିବେ ସେହି ବେନିଭ୍ରାତ । । ୧୨୧
    ତାହାଙ୍କ ଦେଖି ଦୁଷ୍ଟକର୍ମ । କୋପିବେ ଶ୍ରୀପୁରୁଷୋତ୍ତମ । । ୧୨୨
    ଏ ମହୀତଳେ ଦେହ ବହି । ବିଷ୍ଣୁ ମାରିବେ ବେନିଭାଇ । । ୧୨୩
    ଇନ୍ଦ୍ର ଯେସନେ ଦେହ ଧରି । ଘୋର ପର୍ବତ ଦର୍ପ ହରି । । ୧୨୪
    ଏମନ୍ତେ କଶ୍ୟପ ବଚନ । ବିଷାଦ ଶୁଣି ଦିତି ମନ । । ୧୨୫
    ସ୍ୱାମୀ ଚରଣ ତଳେ ପଡ଼ି । ବୋଲଇ ବେନିକର ଯୋଡ଼ି । । ୧୨୬

    ଦିତି ଉବାଚ

    ଭୋ ନାଥ ମୋ’ର ପୁତ୍ର ଯେବେ । ସଂସାରେ ଦୁଷ୍ଟକର୍ମ ଭାବେ । । ୧୨୭
    ବିଷ୍ଣୁର ହସ୍ତେ ଯିବେ ନାଶ । ଏଣେ ମୋହର ନାହିଁ ତ୍ରାସ । । ୧୨୮
    ତହିଁକି ମୋ’ର ଭୟ ନାହିଁ । ବ୍ରାହ୍ମଣ କୋପେ ମୁଁ ଡରଇ । । ୧୨୯
    ବ୍ରାହ୍ମଣ କୋପେ ଯେ ମରନ୍ତି । ପ୍ରାଣୀଙ୍କ ବଧ ଆଚରନ୍ତି । । ୧୩୦
    ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ । । ୧୩୧
    କର୍ମର ବଳେ ଯେତେ ଯୋନି । ଜନ୍ମ ଲଭନ୍ତି ଦେହ ଘେନି । । ୧୩୨
    ଅଶେଷ ଦୁଃଖ ଫଳ ଭୋଗେ । ଭୁଞ୍ଜନ୍ତି ଜୀବନ ସଂଯୋଗେ । । ୧୩୩
    ଏମନ୍ତେ ଦିତିର ବଚନ । ଶୁଣି କଶ୍ୟପ ତପୋଧନ । । ୧୩୪
    ବୋଲନ୍ତି ଦିତି ମୁଖ ଚାହିଁ । ଭୋ ସଖି ଶୁଣ ମନଦେଇ । । ୧୩୫
    ଯେ ଅପରାଧ ତୋର କୃତ । ତେଣୁ ଯେ ଶୋକ ଅନୁତାପ । । ୧୩୬
    ଯେ ଭଲମନ୍ଦର ବିଚାର । ତକ୍ଷଣେ ହୋଇଲା ତୋହର । । ୧୩୭
    ଯେ ଭାବ ହେଲା ହରିଠାରେ । ଯେବା ଆଦର ତୋର ମୋରେ । । ୧୩୮
    ଏଣୁ ତୋହର ବେନିପୁତ୍ରେ । ଯନ୍ତ୍ରିତ ନିଜ କର୍ମସୂତ୍ରେ । । ୧୩୯
    ବିଷ୍ଣୁର ହସ୍ତେ ପ୍ରାଣ ଦେଇ । ଶାପୁ ତରିବେ ବେନିଭାଇ । । ୧୪୦
    ତାହାଙ୍କ ପୁତ୍ରଙ୍କର ମଧ୍ୟେ । ବିଷ୍ଣୁ ଭକତି ଅନୁବାଦେ । । ୧୪୧
    ହୋଇବ ବିଷ୍ଣୁଭକ୍ତ ସାର । ଅତୁଲ୍ୟ ଗୁଣ ସୁବିଚାର । । ୧୪୨v
    ତାହାର ଯଶ ଇହଲୋକେ । ବିଷ୍ଣୁଭକତ ମନସୁଖେ । । ୧୪୩
    ଶୁଣି ଶ୍ରବଣେ ନିରନ୍ତର । ତରିବେ ଏ ଭବସାଗର । । ୧୪୪
    ତା’ର ସ୍ୱଭାବ ପାଇବାରେ । ଯୋଗୀଏ ସାଧିବେ ସଂସାରେ । । ୧୪୫
    ହୋଇବ ହୃଦୟ ନିର୍ମଳ । ଅଗ୍ନିରେ ଯେହ୍ନେ ହେମ-ମଳ । । ୧୪୬
    ଯେ ହରି ସର୍ବଘଟେ ପୂରି । ସେ ହରି ତା’ରେ ଦୟାକରି । । ୧୪୭
    ତା’ର ପ୍ରସନ୍ନେ ଏ ସଂସାର । ଯେଣୁ ତା ନାହିଁ ନିଜ ଘର । । ୧୪୮
    ସେ ମହାଭାଗବତ ପୁଣି । ତା ଯଶ ଗାଇ ତରେ ପ୍ରାଣୀ । । ୧୪୯
    ମହାତ୍ମା ମହତେ ମହତ । ଭକତି ବଳେ ଶୋଧି ଚିତ୍ତ । । ୧୫୦
    ବିଷ୍ଣୁ ଭକତି ଅତିରେକେ । ଅନ୍ତେ ମିଳିବ ବିଷ୍ଣୁଲୋକେ । । ୧୫୧
    ପର ସମ୍ପଦେ ସେ ସୁଖିତ । ଦୁଃଖରେ ହୋଇବ ଦୁଃଖିତ । । ୧୫୨
    ହରିବ ଜନଶୋକରାଶି । ନିଦାଘ-ତାପ ଯେହ୍ନେ ଶଶୀ । । ୧୫୩
    ଦେଖିବ ତୋ ପୁତ୍ର ନନ୍ଦନ । ଅନ୍ତର ବାହ୍ୟେ ଭଗବାନ । । ୧୫୪
    ସୁନ୍ଦର-ବର-ସୁକୁମାର । କର୍ଣ୍ଣେ କୁଣ୍ତଳ ହୃଦେ ହାର । । ୧୫୫

    ମୈତ୍ରେୟ ଉବାଚ

    ପୌତ୍ରର ଗୁଣମାନ ଶୁଣି । ବୈଷ୍ଣବ-ଗୁଣେ ଶିରୋମଣି । । ୧୫୬
    ସଂସାର କରିବ ପବିତ୍ର । ଶୁଣି ଆନନ୍ଦ ଦିତି ଚିତ୍ତ । । ୧୫୭
    ଅନ୍ତର ଆତ୍ମା ଅତିତୋଷେ । ସ୍ୱାମୀଙ୍କି ନମିଲା ହରଷେ । । ୧୫୮
    ଦିତି-କଶ୍ୟପର ସମ୍ବାଦ । ଶୁଣ ସୁଜନେ ଜ୍ଞାନଭେଦ । । ୧୫୯
    ତୃତୀୟସ୍କନ୍ଧ ଭାଗବତ । କହିଲା ଦାସ ଜଗନ୍ନାଥ । । ୧୬୦
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ଦିତି-କଶ୍ୟପ-ସମ୍ବାଦେ ଚତୁŸର୍ଶୋଽଧ୍ୟାୟଃ ।

    ପଞ୍ଚଦଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ସେ ପ୍ରଜାପତି ତେଜବୀର୍ଯ୍ୟ । ଦିତି ଉଦରେ ସେ ଆତ୍ମଜ । । ୧
    ଶତେବରଷ ବେଦମତେ । ଗର୍ଭେ ଧଇଲା ଭୟଚିତ୍ତେ । । ୨
    ଦେବଦଳନ ତେଜ ଶୁଣି । ଅନ୍ତରେ ଭାଳଇ ତରୁଣୀ । । ୩
    ନ ଜାଣି କଲି ଏଡ଼େ କର୍ମ । କାମେ ହୋଇଲି ମତିଭ୍ରମ । । ୪
    ଦଇବବଳ ବଳୀୟାର । କି କରିପାରେ ସୁରନର । । ୫
    ଗଭୀର ତେଜ ବଳେ କରି । ଲୋକେ ଦିଶିଲେ ହତଶିରୀ । । ୬
    ଏବେ ହୋ ଶୁଣ କୁରୁବୀର । ସଂସାର ଦିଶେ ଅନ୍ଧକାର । । ୭
    ଇନ୍ଦ୍ରାଦି ଦିଗପାଳେ ମିଳି । ସକଳେ ଏକମନେ ଭାଳି । । ୮
    ବ୍ରହ୍ମାର ନିକଟେ ମିଳିଲେ । ଭୟେ ଅନେକ ସ୍ତୁତି କଲେ । । ୯

    ଦେବଗଣ ଉବାଚ

    ଭୋ ଦେବଦେବ ପ୍ରଜାପତି । ଦିଗେ ଦିଶନ୍ତି ଭୟାକୃତି । । ୧୦
    ଏ ଘୋର ଅନ୍ଧକାର ଯେଣୁ । ଆମ୍ଭେ ତ ଭଲେ ନ ପ୍ରମାଣୁ । । ୧୧
    କୁଶଳ ନୋହେ ଏ ସଂସାର । ଅଦ୍ଭୁତ ଘୋର ଅନ୍ଧକାର । । ୧୨
    ଏ କଥା ତୁମ୍ଭଙ୍କୁ ଗୋଚର । କି ଅଗୋଚର ବା ତୁମ୍ଭର । । ୧୩
    ଏ କାଳ ମହିମା କେ ଜାଣେ । ଆଗମ ନିଗମ ପ୍ରମାଣେ । । ୧୪
    ହେ ଦେବଦେବ ଜଗନ୍ନାଥ । ଆମ୍ଭେ ସକଳେ ତୋ’ର ଭୃତ୍ୟ । । ୧୫
    ତୁ ପରାତ୍ପର ଭାବଗ୍ରାହୀ । ଜଗତ ମାୟାବଳେ ମୋହି । । ୧୬
    ଗୃହୀତ ରଜୋଗୁଣେ ଦେହୀ । ତୋ ରୂପ ନ ଜାଣନ୍ତି କେହି । । ୧୭
    ଅନନ୍ୟଭାବେ ଆତ୍ମାଲାଭେ । ଯେ ପ୍ରାଣୀ ତୋ ଚରଣ ସେବେ । । ୧୮
    ତା'ର ଅଶୁଭ ଲେଶ ନାହିଁ । ସତ ଅସତ ପର ତୁହି । । ୧୯
    ନିର୍ଜନେ ବସି ଯୋଗୀଜନେ । ନିଶ୍ଚଳ ଚିତ୍ତେ ଯୋଗଧ୍ୟାନେ । । ୨୦
    ମନ ପବନ ହୃଦେ ରୁନ୍ଧି । ଇନ୍ଦ୍ରିୟ ସମୂହ ନିରୋଧି । । ୨୧
    ତୋ'ର ପ୍ରସାଦ ଯେ ଲଭନ୍ତି । ତାହାଙ୍କ ନାହିଁ ଭୟଭ୍ରାନ୍ତି । । ୨୨
    ଯା'ର ବଚନେ ପ୍ରଜାଗଣେ । ଭାବେ ସେବନ୍ତି ଅନୁକ୍ଷଣେ । । ୨୩
    ତରନ୍ତି ଭବଭୟ ତ୍ରାସ । ତୁ ନାଥ ଅନାଦି-ପୁରୁଷ । । ୨୪
    ଆମ୍ଭର ସୁଖ ଗଲା କ୍ଷୟ । ଭୋ ନାଥ କର ତୁ ଉପାୟ । । ୨୫
    ଦେଖ କଶ୍ୟପ ପ୍ରଜାପତି । ଦିତି ସଂଯୋଗେ କଲା ମତି । । ୨୬
    ଦିତିର ଗର୍ଭେ ବୀର୍ଯ୍ୟ ଦେଲା । ତମେ ଭୁବନ ଆଚ୍ଛାଦିଲା । । ୨୭
    ବେଳକୁ ବେଳ ବଢ଼େ ତେଜ । ସମିଧେ ଯେହ୍ନେ ଅଗ୍ନିତେଜ । । ୨୮

    ମୈତ୍ରେୟ ଉବାଚ

    ଏମନ୍ତେ ଦେବସ୍ତୁତି ଶୁଣି । ସଂଭ୍ରମ ଚିତ୍ତେ କୁଶପାଣି । । ୨୯
    ଶବଦବ୍ରହ୍ମେ ବେଦବର । ଦେବଙ୍କୁ କହନ୍ତି ମଧୁର । । ୩୦

    ବ୍ରହ୍ମା ଉବାଚ

    ଶୁଣ ସକଳ ଦେବଗଣ । କହିବା ଏଥିର କାରଣ । । ୩୧
    ତୁମ୍ଭର ପୂର୍ବସୃଷ୍ଟି ଲାଭେ । ମୁଁ ଯେ ବସିଲି ଧ୍ୟାନଭାବେ । । ୩୨
    ସନକ ଆଦି ଚାରିଭ୍ରାତେ । ଜନ୍ମିଲେ ମୋର ଶୁଦ୍ଧଚିତ୍ତେ । । ୩୩
    ଉର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧଚେତା । ତେଣୁ ହୋଇଲେ ଊର୍ଦ୍ଧ୍ୱରେତା । । ୩୪
    ଗଗନମାର୍ଗେ ତାଙ୍କ ଗତି । ସକଳ ଭୁବନେ ଭ୍ରମନ୍ତି । । ୩୫
    ବିଗତସ୍ପୃହା ତାଙ୍କ ଶିକ୍ଷା । ନିତ୍ୟେ ପରମହଂସ ଦୀକ୍ଷା । । ୩୬
    ଧୂଳି ଧୂସର ଦିଗମ୍ବର । ନିତ୍ୟ ନିର୍ବିଷୟ ଗୋଚର । । ୩୭
    ସେ ମୁନିଗଣେ ଏକଦିନେ । ମିଳିଲେ ବିଷ୍ଣୁର ଭୁବନେ । । ୩୮
    ଯେ ନାମ ବୈକୁଣ୍ଠ ବିଦିତ । ସର୍ବ ଦେବତା ନମସ୍କୃତ । । ୩୯
    ଯହିଁ ପୁରୁଷେ ମହାସୁଖେ । ବସନ୍ତି ବିଷ୍ଣୁର ସମ୍ମୁଖେ । । ୪୦
    ସର୍ବେ ଦିଶନ୍ତି ବିଷ୍ଣୁରୂପେ । ବିନାଶ ନାହିଁ କାଳକଳ୍ପେ । । ୪୧
    ନିମିତ୍ତାନିମିତ୍ତ ଆଚାରେ । ହରିଙ୍କି ଭଜନ୍ତି ବେଭାରେ । । ୪୨
    ଆଦି ପୁରୁଷ ଯହିଁ ହରି । ବସନ୍ତି ଧର୍ମରୂପ ଧରି । । ୪୩
    ସର୍ବ ଗୋଚର ଦୃଷ୍ଟିମାତ୍ରେ । ବିଶ୍ୱ ସଂସାରେ ଅବିରତେ । । ୪୪
    ନିର୍ମଳ ସତ୍ତ୍ବମୂର୍ତ୍ତି ବହି । ସୁଖେ ଅଛନ୍ତି ଯହିଁ ରହି । । ୪୫
    ଯହିଁ କୈବଲ୍ୟ ନାମେ ବନ । ବିରାଜେ କଳ୍ପଦ୍ରୁମମାନ । । ୪୬
    ବା‚ଞ୍ଚିତ ଲତା ବୃକ୍ଷବନ । ଯହିଁ ଅଛନ୍ତି ବିଦ୍ୟମାନ । । ୪୭
    ସକଳ ଋତୁ ଯହିଁ ବସେ । କୈବଲ୍ୟ ମୂର୍ତ୍ତିମନ୍ତ କି ସେ । । ୪୮
    ଯହିଁ ବିମାନ ଶତ ଶତେ । ଦିବ୍ୟକାମିନୀ ଯୂଥ ଯୂଥେ । । ୪୯
    ବିଷ୍ଣୁ ମହିମା ଗୁଣ ଗାନ୍ତି । କୋଟି-ଶଶାଙ୍କ ରୂପକାନ୍ତି । । ୫୦
    ବିକାଶ ପୁଷ୍ପ ଜଳାଶୟେ । ମଧୁ ମାଧବୀ ଗନ୍ଧବହେ । । ୫୧
    ସେ ଗନ୍ଧ ସର୍ବମନୋହର । ତାହାକୁ କରି ଅନାଦର । । ୫୨
    ବିଷ୍ଣୁର ପାଦେ ମନ ଦେଇ । ଆନନ୍ଦେ ତୁଣ୍ତେ ନାମ ଗାଇ । । ୫୩
    କୋକିଳ ପାରାବତ ହଂସ । ଡାହୁକ ତିତ୍ତିର ସାରସ । । ୫୪
    ଚକ୍ରବାକ ଯେ ବରହିଣ । ସୁସ୍ୱରନାଦେ ଅନୁକ୍ଷଣ । । ୫୫
    ସର୍ବେ ଗାୟନ୍ତି ହରିକଥା । ଯେ ଭାବେ ଖଣ୍ତେ ଭବବ୍ୟଥା । । ୫୬
    ମନ୍ଦାର କୁରୁବକ କୁନ୍ଦ । ଉତ୍ପଳ ଚମ୍ପକ କୁମୁଦ । । ୫୭
    ପୁନ୍ନାଗ ନାଗ ପାରିଜାତ । ତୁଳସୀଦଳ ସୁଲଳିତ । । ୫୮
    ନାନା କୁସୁମ ପରିମଳ । ସୁଗନ୍ଧ ସମୀର ଶୀତଳ । । ୫୯
    ମର୍କତ ବଇଡୁର୍ଯ୍ୟ ହେମ । ସହସ୍ର ସହସ୍ର ବିମାନ । । ୬୦
    ପ୍ରଣାମ କରି ହରିପାଦେ । ଭକତେ ବସନ୍ତି ଆନନ୍ଦେ । । ୬୧
    ସୁନ୍ଦରୀ ଶତଶତ ଯହିଁ । ବସନ୍ତି ହରିକଥା ଗାଇ । । ୬୨
    ପରମଲକ୍ଷ୍ମୀ ଯହିଁ ନିତ୍ୟେ । ନୀଳ ଲୋହିତ ପଦ୍ମ ହସ୍ତେ । । ୬୩
    ସ୍ଫଟିକ ପୁରମଧ୍ୟେ ବସେ । ପଦେ ନୂପୁର ଧ୍ୱନି ଘୋଷେ । । ୬୪
    ସୁବର୍ଣ୍ଣସ୍ତମ୍ଭ ଗୃହମଧ୍ୟେ । ବିରାଜେ ଭୁବନ ଆନନ୍ଦେ । । ୬୫
    ପଦ୍ମ କଳ୍ପିତ ସମ୍ମାର୍ଜନୀ । ମାର୍ଜନା କଲା ପ୍ରାୟେ ମାନି । । ୬୬
    ଯହିଁରେ ଲକ୍ଷ୍ମୀ କୁତୂହଳେ । ସକଳ ପରିଚାରୀ ମେଳେ । । ୬୭
    ଯଦ୍ୟପି ଧୂଳି ତହିଁ ନାହିଁ । ବିନୟ ଭକ୍ତି ପ୍ରକାଶଇ । । ୬୮
    ଗୋବିନ୍ଦ ଅନୁଗ୍ରହ ଆଶେ । ସ୍ୱବନେ ତୁଳସୀର ବାସେ । । ୬୯
    ପୂଜନ୍ତି କୃଷ୍ଣର ଚରଣ । ତେଣେ ସନ୍ତୋଷ ଭଗବାନ । । ୭୦
    ସେ ବନେ ବାପୀ ପୁଷ୍କରିଣୀ । ତୀରେ ବିଦ୍ରୁମଘାଟ ଶ୍ରେଣୀ । । ୭୧
    ସେ ଶୁଦ୍ଧଜଳେ ମୁଖ ଚାହିଁ । ବିଷ୍ଣୁ ଚୁମ୍ବନ ମନେ ବହି । । ୭୨
    ସେ ବିଷ୍ଣୁପୁରେ ପାପୀଜନ । ପ୍ରବେଶେ ନୁହନ୍ତି ଭାଜନ । । ୭୩
    ଯେ ଅର୍ଥେ କାମେ ରତି କରେ । ଗୋବିନ୍ଦ ଗୁଣ ନ ସୁମରେ । । ୭୪
    ଦୁଷ୍କୃତ ମାର୍ଗେ ଯେ ରମନ୍ତି । ନରକମାର୍ଗେ ଯାର ଗତି । । ୭୫
    ସେ କାହିଁ ପଶିବେ ସେ ପୁରେ । ନରକେ ପଡ଼ନ୍ତି ନିର୍ଭରେ । । ୭୬
    ସେ ଦେହ ପାଇ ଯେଉଁ ଜନ । ନ କରେ ହରିର ସେବନ । । ୭୭
    ଏ ଅତି ଦୁଃଖ ହିଁ ବିଦିତ । ସେ ବିଷ୍ଣୁମାୟା ବିମୋହିତ । । ୭୮
    ଯେ ଯୋଗମାର୍ଗେ ଅନୁବାଦେ । କଠୋର ତପକର୍ମ ସାଧେ । । ୭୯
    ମନ-ପବନ ହୃଦେ ଛନ୍ଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି । । ୮୦
    ଯେବେ ଗୋବିନ୍ଦଭାବ ନାହିଁ । ସେ ପୁରେ ପଶିବେ ସେ କାହିଁ । । ୮୧
    ବିଷ୍ଣୁର ମାୟାବଳେ ଜଡ଼ି । ଜନ୍ମ-ମରଣେ ଥାନ୍ତି ପଡ଼ି । । ୮୨
    ମୋ ଆଦି ଦେବେ ଯା ଚରଣେ । ଭଲେ ଖଟନ୍ତି ଅନୁକ୍ଷଣେ । । ୮୩
    ନମନ୍ତି ଭୃତ୍ୟପ୍ରାୟ ହୋଇ । ପାଦେ ଖଟନ୍ତି ବଳି ଦେଇ । । ୮୪
    ବିଷ୍ଣୁର ଯଶ ଗୁଣଗାଥା । ନିତ୍ୟେ କରନ୍ତି ମନେ ଚିନ୍ତା । । ୮୫
    ଆନନ୍ଦେ ଅଶ୍ରୁବହେ ନେତ୍ରେ । ରୋମହରଷ ସର୍ବଗାତ୍ରେ । । ୮୬
    ହରିଭକତି ଭାବେ କରି । କାରୁଣ୍ୟ ହିଂସା ପରିହରି । । ୮୭
    ସେମାନେ ଯାନ୍ତି ଆମ୍ଭ ଊର୍ଦ୍ଧ୍ୱେ । ସୁଖେ ବସନ୍ତି ବିଷ୍ଣୁପଦେ । । ୮୮
    ଏମନ୍ତ ବିଷ୍ଣୁର ଭୁବନେ । ପଶିଲେ ମୋହର ନନ୍ଦନେ । । ୮୯
    ଦେଖିଲେ ଅପୂର୍ବ-ଭୁବନ । ଜଗତଗୁରୁର ଯେ ସ୍ଥାନ । । ୯୦
    ବିବିଧ ଶ୍ରେଷ୍ଠ ଦେବମାନେ । ବିମାନେ ଦୀପ୍ତ ଏ ଭୁବନେ । । ୯୧
    ଯହିଁ ପୁରାଣ ଇତିହାସ । ଆଗମ ନିଗମ ପ୍ରକାଶ । । ୯୨
    ତର୍କ ବେଦାନ୍ତ ଯୋଗଶାସ୍ତ୍ରେ । ନ୍ୟାୟ ମୀମାଂସା ଆଦି ଯେତେ । । ୯୩
    ସ୍ତୁତି କରନ୍ତି ଅବଧାନେ । କୃଷ୍ଣଚରିତ ଗୁଣଗାନେ । । ୯୪
    ଏମନ୍ତେ ଶାସ୍ତ୍ରେ ମୂର୍ତ୍ତିମନ୍ତେ । ଯହିଁ ସେବନ୍ତି ଅବିରତେ । । ୯୫
    ସେ ପୁରେ ପଶି ମନସୁଖେ । କୃଷ୍ଣ ମହିମା ଗାଇ ମୁଖେ । । ୯୬
    ନିରତେ ହରିଗୁଣ ଚିନ୍ତି । କୃଷ୍ଣମାୟାରେ ନ ପଡ଼ନ୍ତି । । ୯୭
    ଚାରିକୁମରେ ଏକମେଳେ । ଆନନ୍ଦେ ଷଡ଼ଦ୍ୱାରେ ଗଲେ । । ୯୮
    ସପତଦ୍ୱାରେ ଯାନ୍ତେ ବଳେ । ଆଗେ ମିଳିଲେ ଦ୍ୱାରପାଳେ । । ୯୯
    କିରୀଟ କୁଣ୍ତଳ କେୟୂର । ଅମୂଲ୍ୟବେଶେ ଶୋଭାକର । । ୧୦୦
    ଉଚ୍ଚ ସୁନ୍ଦର ବକ୍ଷସ୍ଥଳ । କଣ୍ଠେ ଲମ୍ବଇ ବନମାଳ । । ୧୦୧
    ଦିଶନ୍ତି କୃଷ୍ଣରୂପ ତେଜେ । ସୁବର୍ଣ୍ଣବେତ ଧରି ଭୁଜେ । । ୧୦୨
    ଏମନ୍ତେ ବେନି ଦ୍ୱାରପାଳ । ଦେଖିଣ ମୋହର କୁମର । । ୧୦୩
    ସେ ବ୍ରହ୍ମଋଷି ପ୍ରତିଦ୍ୱାରେ । ଯେମନ୍ତେ ଗଲେ ବିଷ୍ଣୁପୁରେ । । ୧୦୪
    ତେମନ୍ତେ ତାଙ୍କୁ ନ ପଚାରି । ସପ୍ତମେ ଯାନ୍ତେ ଭାଇଚାରି । । ୧୦୫
    ଦ୍ୱାରେ କବାଟ ହେମମୟେ । ପ୍ରାଣୀ ନୟନ ମନ ମୋହେ । । ୧୦୬
    ସେ ଦ୍ୱାରେ ମିଳି ବେନିଭାଇ । ଦ୍ୱାର ରୁନ୍ଧିଲେ ରୋଷବହି । । ୧୦୭
    ସେ ଚାରିଭାଇ ମୋର ସୁତ । ଦେବଙ୍କ ପୂର୍ବସର୍ଗେ ଜାତ । । ୧୦୮
    ସ୍ୱଭାବେ ବୃଦ୍ଧ ସେ ଅଟନ୍ତି । ବାଳକ ପ୍ରାୟ ତନୁକାନ୍ତି । । ୧୦୯
    ପଞ୍ଚବରଷ ପୁତ୍ରପ୍ରାୟେ । ଦିଶନ୍ତି ବସ୍ତ୍ର ନାହିଁ ଦେହେ । । ୧୧୦
    ଉଲଗ୍ନ ଦେଖି ତାଙ୍କ ବେଶ । ତାହାଙ୍କୁ କଲେ ଉପହାସ । । ୧୧୧
    ତକ୍ଷଣେ ବେତ୍ର ଧରି କରେ । ନିଷେଧ କଲେ ସପ୍ତଦ୍ୱାରେ । । ୧୧୨
    ଦେବେ ଦେଖନ୍ତି ଶୂନ୍ୟେ ରହି । ନିରୋଧ କଲେ ବେନିଭାଇ । । ୧୧୩
    ସେ ଚାରିଋଷି ରହି ଦ୍ୱାରେ । ମନେ ବିଚାରି କୋପଭରେ । । ୧୧୪
    ବିଷ୍ଣୁର ଅତି ପ୍ରିୟପଣେ । ପାଦେ ଖଟନ୍ତି ଅନୁକ୍ଷଣେ । । ୧୧୫
    ଦେଖି ନ ପାରି କୃଷ୍ଣରୂପ । ହୃଦେ ବସିଲା ଗରୁତାପ । । ୧୧୬
    ବୋଲନ୍ତି ଅନ୍ୟୋଅନ୍ୟେ ଚାହିଁ । ଏ ଭାବ ଏ ପୁରେ ତ ନାହିଁ । । ୧୧୭
    ଏ ଦ୍ୱାରପାଳ ପଣେ ଥାଇ । କୁହୁକ ଜନପ୍ରାୟ ହୋଇ । । ୧୧୮
    ଯେ ବଇକୁଣ୍ଠପୁରେ ଥାନ୍ତି । ତାଙ୍କୁ ନ ଲାଗେ ରିପୁ ଭ୍ରାନ୍ତି । । ୧୧୯
    କାମାଦି ଶତ୍ରୁ ଷଡ଼ଭାଇ । ଏ ପୁରେ ସମ୍ଭବିବେ କାହିଁ । । ୧୨୦
    ସ୍ୱଭାବେ ସର୍ବପ୍ରାଣୀ ହୃଦେ । ହରି ବସନ୍ତି ଆତ୍ମାପଦେ । । ୧୨୧
    ବାହ୍ୟ ଅନ୍ତରେ ବିଶ୍ୱରୂପୀ । ଘଟ ଆକାଶ ପ୍ରାୟ ବ୍ୟାପି । । ୧୨୨
    କରନ୍ତି ଆତ୍ମାର ପ୍ରକାଶ । ପଣ୍ତିତେ ଯହିଁରେ ସନ୍ତୋଷ । । ୧୨୩
    ସମ ବିଷମ ଯହିଁ ନାହିଁ । ଅନ୍ୟାୟ କଲେ ବେନିଭାଇ । । ୧୨୪
    ବିଷ୍ଣୁର ଦ୍ୱାରପାଳ ଭାବେ । ଦୁଷ୍ଟ ହୋଇଲେ ମତ୍ତଗର୍ବେ । । ୧୨୫
    କପଟଧର୍ମୀ ବେନିଭାଇ । ଏ ପୁରେ ଥିବା ନ ଯୋଗାଇ । । ୧୨୬
    ବେଗେ ପଡ଼ନ୍ତୁ ମହୀତଳେ । ଜନ୍ମିବେ ଅସୁରଙ୍କ କୁଳେ । । ୧୨୭
    ତୃତୀୟ ଜନ୍ମ ଭୋଗ ସାରି । ପୁଣି ଲଭିବେ ବିଷ୍ଣୁପୁରୀ । । ୧୨୮
    ଏମନ୍ତ ଶାପ ତାଙ୍କୁ ଦ୍ୟନ୍ତେ । ଦ୍ୱାରେ ଶୁଣିଲେ ବେନିଭ୍ରାତେ । । ୧୨୯
    ଏ ବ୍ରହ୍ମଦଣ୍ତ ଅନିର୍ବାର । କେବେହେଁ ନାହିଁ ପ୍ରତିକାର । । ୧୩୦
    ମୁନି ବଚନେ ଦ୍ୱାରପାଳ । ମନରେ ହୋଇଲେ ବିକଳ । । ୧୩୧
    ଏମନ୍ତେ ଅତିଭୟ ମନେ । ପାଦେ ପଡ଼ିଲେ ବେନିଜନେ । । ୧୩୨
    ଉଠିଣ ଶିରେ କର ଦେଇ । କହନ୍ତି ମୁନିଙ୍କି ଅନାଇଁ । । ୧୩୩
    ଏ ଦଣ୍ତ ଉଚିତ ଆମ୍ଭର । ଏଥି ବା କି ଦୋଷ ତୁମ୍ଭର । । ୧୩୪
    ଦେବ ହେଳେନ କର୍ମ କରି । ଅସୁର ଦେହେ ଅବତରି । । ୧୩୫
    ତହିଁକି ନାହିଁ ଆମ୍ଭ ଡର । କେବଳ କୃପା ଏତେ କର । । ୧୩୬
    ଅର୍ଜିଲା କର୍ମର ଆୟତ୍ତେ । ଜନ୍ମ ମରଣ ଏ ଜଗତେ । । ୧୩୭
    ବୋଲନ୍ତି ଶୁଣ ମୁନିବର । କରିବ ପାପୀ ପ୍ରତିକାର । । ୧୩୮
    କୃଷ୍ଣର ସ୍ମରଣ ଆମ୍ଭର । ଯେମନ୍ତେ ନୋହିବ ବିସ୍ମର । । ୧୩୯
    ମୁନି ବୋଲନ୍ତି ଦୟାଚିତ୍ତେ । ସ୍ୱଭାବେ ଥିବ ଦୁଷ୍ଟମତେ । । ୧୪୦
    ତୁମ୍ଭର ଦେହେ ବିଷ୍ଣୁଭାବ । କଳାଏ ଅଂଶମାତ୍ର ଥିବ । । ୧୪୧
    ଏବେ ହୋ ଶୁଣ ସୁରଗଣ । ତାହା ଜାଣିଲେ ନାରାୟଣ । । ୧୪୨
    ମୁନିହେଳନ କର୍ମ ଶୁଣି । ପୁରୁ ବାହାର ଚକ୍ରପାଣି । । ୧୪୩
    ଦ୍ୱାରପାଳଙ୍କୁ ଦୟା ବହି । ଭୃତ୍ୟବତ୍ସ›ଳ ଭାବଗ୍ରାହୀ । । ୧୪୪
    ଲକ୍ଷ୍ମୀର କରେ ଦେଇ କର । ଗୋବିନ୍ଦ ହୋଇଲେ ବାହାର । । ୧୪୫
    ଗୋବିନ୍ଦ ଚଳନ୍ତି ଚରଣେ । ଯହିଁ ଅଛନ୍ତି ମୁନିଗଣେ । । ୧୪୬
    ପରମହଂସ ଦୀକ୍ଷା ବହି । ତେଜେ ପ୍ରଚଣ୍ତ ଚାରିଭାଇ । । ୧୪୭
    କୋପେ କମ୍ପନ୍ତି ମହାତାପେ । ଗୋବିନ୍ଦ ମିଳିଲେ ସମୀପେ । । ୧୪୮
    ଯାହାର ଦରଶନ ଅର୍ଥେ । ଯୋଗ ସାଧନ୍ତି ମୁନି-ସନ୍ଥେ । । ୧୪୯
    ଲକ୍ଷ୍ମୀଦେବୀଙ୍କ ପରିବାରୀ । କରେ ଚାମର ଛନ୍ତି ଧରି । । ୧୫୦
    କେ ଶୁକ୍ଳ ପାଟଛତ୍ର କରେ । ଘେନି ଚଳନ୍ତି ଧୀରେ ଧୀରେ । । ୧୫୧
    ଛତ୍ରେ ମୁକୁତାମାଳ ଶୋହେ । ହିମ ଶୀକର କଣା ବହେ । । ୧୫୨
    ପ୍ରସନ୍ନମୁଖ ଭଗବାନ । କିବା ସୁନ୍ଦର ଅନୁପମ । । ୧୫୩
    ସ୍ନେହ ଦୟାରେ ସର୍ବଜନ । ମନ ମୋହିଲେ ଭଗବାନ । । ୧୫୪
    ଶ୍ୟାମସୁନ୍ଦର ବକ୍ଷସ୍ଥଳେ । କମଳା ବସନ୍ତି ନିଶ୍ଚଳେ । । ୧୫୫
    କୌସ୍ତୁଭମଣି କଣ୍ଠେ ଶୋହେ । ଅଶେଷ ଜନମନ ମୋହେ । । ୧୫୬
    ପୀତବସନ କଟୀମାଝେ । କନକମେଖଳା ବିରାଜେ । । ୧୫୭
    ଉରେ ଲମ୍ବଇ ବନମାଳ । ସୁନ୍ଦର ଅଳକ କପୋଳ । । ୧୫୮
    କେୟୂର କଙ୍କଣ ବିରାଜେ । ରୂପେ କୋଟିଏ କାମଗଞ୍ଜେ । । ୧୫୯
    ଲୀଳାଅମ୍ବୁଜ ଏକକରେ । ଚଳନ୍ତେ ଭ୍ରମଇ ସେ କରେ । । ୧୬୦
    ବିଜୁଳି ପ୍ରାୟେ ଗଣ୍ତସ୍ଥଳେ । ଶୋଭଇ ମକରକୁଣ୍ତଳେ । । ୧୬୧
    ଶିରେ ମୁକୁଟମଣି ଶୋହେ । ଅଧିକେ ଜଗୁଜନ ମୋହେ । । ୧୬୨
    ଚତୁର ବାହୁର ମଧ୍ୟର । ସୁସଞ୍ଚ ମନୋହର ହାର । । ୧୬୩
    କଣ୍ଠେ ଲମ୍ବଇ ମଣିହାର । ମଧ୍ୟେ କୌସ୍ତୁଭ ରତ୍ନସାର । । ୧୬୪
    ଏମନ୍ତେ ନାନାରତ୍ନ ପୁଞ୍ଜେ । ତେଜେ କମଳାରୂପ ଗଞ୍ଜେ । । ୧୬୫
    ବ୍ରହ୍ମା-ଶଙ୍କର-ଦେବ ମନ । ମୋହନ ରୂପେ ହୋଏ ଛନ୍ନ । । ୧୬୬
    ସ୍ଥିରଲୋଚନେ ସ୍ତମ୍ଭୀଭୂତେ । ଦେଖି ତୃପତ ନୋହେ ଚିତ୍ତେ । । ୧୬୭
    ଆନନ୍ଦେ ସର୍ବ ମୁନିବରେ । ନମିଲେ କୃଷ୍ଣଙ୍କ ପୟରେ । । ୧୬୮
    ସେ ହରି ଚରଣାବହିନ୍ଦ । କିଞ୍ଜଳ୍ କ ତୁଳସୀ ଆମୋଦ । । ୧୬୯
    ପବନ ନାସାଦ୍ୱାରେ ପୂରେ । ଚିତ୍ତ ଶରୀର କ୍ଷୋଭ କରେ । । ୧୭୦
    କୃଷ୍ଣ ସୁନ୍ଦର ମୁଖତ୍ରାସ । ଯେହ୍ନେ ସୁନୀଳ ପଦ୍ମକୋଷ । । ୧୭୧
    ବିମ୍ବଅଧରେ କୁନ୍ଦହାସ । ଅଶେଷ ଜନମନ ତୋଷ । । ୧୭୨
    ସେ ରୂପ ଦେଖି ପୁଣି ଚିତ୍ତେ । ଧ୍ୟାନ ନିରୋପି ପାଦଗତେ । । ୧୭୩
    ଅରୁଣ ମଣି ନଖକାନ୍ତି । ନିଶ୍ଚଳ ଲୋଚନେ ଧରନ୍ତି । । ୧୭୪
    ଯାହାର ଗତି ଯୋଗମାର୍ଗେ । ଧ୍ୟାନେ ଚିନ୍ତନ୍ତି ମୁନିବର୍ଗେ । । ୧୭୫
    ସେ ରୂପ ନୟନଗୋଚରେ । ଦେଖିଲେ ମୋହର କୁମରେ । । ୧୭୬
    ଅଷ୍ଟ ଐଶ୍ୱର୍ଯ୍ୟ ମୁକ୍ତକଳ୍ପ । ଦେଖନ୍ତେ ପ୍ରଭୁ ନିଜରୂପ । । ୧୭୭
    ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ମୁଖ ଚାହିଁ । । ୧୭୮
    ଯେ ହରି ପ୍ରାଣୀଙ୍କ ଶରୀରେ । ଅନନ୍ତ ହୃଦୟେ ବିହରେ । । ୧୭୯
    ସାଧୁ ଅସାଧୁ ଯାର ନାହିଁ । ତାର ମହିମା କେବା କହି । । ୧୮୦
    ସେ ହରି ଆମ୍ଭ ଦୃଷ୍ଟି ପଥେ । ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ । । ୧୮୧
    ଯାହାର ଗୁଣ କର୍ମ ଗାଥା । ଏକାନ୍ତେ ବସି ଆମ୍ଭ ପିତା । । ୧୮୨
    କହିଲେ ପରମ ଆନନ୍ଦେ । ବ୍ରହ୍ମବିଗ୍ରହ ଅନୁବାଦେ । । ୧୮୩
    ସେ ପଶି ଆମ୍ଭ କର୍ଣ୍ଣଦ୍ବାରେ । ରହିଲା ହୃଦୟ-ବିବରେ । । ୧୮୪
    ତୁ ନାଥ ପରମାର୍ଥ-ତତ୍ତ୍ବ । ଯୋଗେ ସାଧନ୍ତି ମୁନିସନ୍ଥ । । ୧୮୫
    ତୋ ଧ୍ୟାନ ରଚି ସତ୍ତ୍ବଗୁଣେ । ଯେବା ଚିନ୍ତନ୍ତି ଅନୁକ୍ଷଣେ । । ୧୮୬
    ସଂସାର ଅନୁତାପେ ଯନ୍ତ୍ରି । ସୁହୃଦ ଭକ୍ତିଭାବେ ଚିନ୍ତି । । ୧୮୭
    ହୃଦରେ ସ୍ଥାପି ତୋର ରୂପ । ବେଗେ ଛାଡ଼ନ୍ତି ତିନିତାପ । । ୧୮୮
    ତୋର ପ୍ରସାଦ ଆତ୍ୟନ୍ତିକେ । ମନେ ଚିନ୍ତନ୍ତି ଯେବା ଲୋକେ । । ୧୮୯
    କି ଅବା ଅନ୍ୟ ଇଚ୍ଛାତାର । ଅଛି ଏ ସଂସାର ଭିତର । । ୧୯୦
    ଭୋ ଦେବ ତୋହର ଚରଣେ । ଯେ ପ୍ରାଣୀ ପଶନ୍ତି ଶରଣେ । । ୧୯୧
    ତୋର କଥାରେ ଯାର ରତି । ଘୋର ସଂସାରୁ ତରିଯା’ନ୍ତି । । ୧୯୨
    ଆମ୍ଭେ ତୋ ଭକ୍ତେ ଶାପ ଦେଇ । ଯେ ପାପ ଅର୍ଜିଲୁ ଗୋସାଇଁ । । ୧୯୩
    ସେ ପାପେ ନାନା ଯୋନିଗତେ । ଜନମ ଲଭି ଭୂମିଗତେ । । ୧୯୪
    ତୋ ଯଶ ଶୁଣି କର୍ଣ୍ଣମାର୍ଗେ । ତୋ ନାମ ଗୁଣି ଜିହ୍ୱାଅଗ୍ରେ । । ୧୯୫
    ତୋର ଚରଣେ ହେଉ ରତି । ଆମ୍ଭର ଜଡ଼ବୁଦ୍ଧି ମତି । । ୧୯୬
    ବଚନ ତୋ ଚରଣେ ରହୁ । ତୁଳସୀ ପ୍ରାୟ ଶୋଭା ପାଉ । । ୧୯୭
    ତୋ ଗୁଣଗଣେ କର୍ଣ୍ଣପଥ । ଶ୍ରବଣେ ପୂରୁ ଜଗନ୍ନାଥ । । ୧୯୮
    ତୁ ରୂପ ଦେଖାଇ ପବିତ୍ର । କୃତାର୍ଥ କଲୁ ଆମ୍ଭ ନେତ୍ର । । ୧୯୯
    ଭୋ ନାଥ କମଳାରମଣ । ଅନାଦି ପରମ କାରଣ । । ୨୦୦
    ଅଜିତ ଇନ୍ଦ୍ରିୟ ଜନର । ତୋ ରୂପ ଅଟେ ଅଗୋଚର । । ୨୦୧
    ଏମନ୍ତେ କହି ମୋର ସୁତେ । ନମିଲେ ବିଷ୍ଣୁ ପାଦଗତେ । । ୨୦୨
    ସେ ହରି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ । । ୨୦୩
    ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ । । ୨୦୪
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ଜୟବିଜୟୟୋଃ ସନକାଦିଶାପୋ ନାମ
    ପଞ୍ଚଦଶୋଽଧ୍ୟାୟଃ ।

    ଷୋଡ଼ଶ ଅଧ୍ୟାୟ

    ବ୍ରହ୍ମା ଉବାଚ

    ଏମନ୍ତେ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ । । ୧
    ମୁନିଙ୍କ ମୁଖ ଚାହିଁ ଭଣି । ମଞ୍ଜୁ କୋମଳ ଶୁଭବାଣୀ । । ୨

    ଭଗବାନ ଉବାଚ

    ଜୟ ବିଜୟ ବେନିଭ୍ରାତେ । ମୋ ଦ୍ୱାରେ ଥାନ୍ତି ଅବିରତେ । । ୩
    ମୋ ପାରିଷଦ ବେନିଜନେ । ଦ୍ୱାରେ ଖଟନ୍ତି ମୋ ଭୁବନେ । । ୪
    କଦର୍ଥ କରି ଯେବେ ମୋତେ । କୋପ ବସାଇ ତୁମ୍ଭ ଚିତ୍ତେ । । ୫
    ଯେ ବ୍ରହ୍ମଦଣ୍ତ ଏ ପାଇଲେ । ଅନ୍ୟଥା ନୋହେ କାହା ବୋଲେ । । ୬
    ଅସାଧୁ କାର୍ଯ୍ୟ ଯେ କରନ୍ତି । ସେ ଅପରାଧେ ଦଣ୍ତ ପା’ନ୍ତି । । ୭
    ମୁହିଁ ସମ୍ମତ କଲି ଚିତ୍ତେ । ଦେବହେଳନ ଅନୁମତେ । । ୮
    ଯେଣୁ ବ୍ରାହ୍ମଣ ଈଷ୍ଟ ମୋର । ତେଣୁ ସୁଦୟା ତୁମ୍ଭେ କର । । ୯
    ତୁମ୍ଭେ ପ୍ରସନ୍ନ ହୁଅ ଚିତ୍ତେ । ଏହାଙ୍କ ଦୋଷ କ୍ଷମ ମୋତେ । । ୧୦
    ଅଯଶ ସଂସାରେ ପ୍ରକାଶେ । ବ୍ୟାଧି ଯେସନେ ରୂପନାଶେ । । ୧୧
    ଯାହାର ଗୁଣ ଯଶ ସାର । ଯେହ୍ନେ ନିର୍ମଳ ସୁଧାଧାର । । ୧୨
    ଶ୍ରବଣପୁଟେ କରି ପାନ । ସଂସାରୁ ତରେ ସର୍ବଜନ । । ୧୩
    ସେ ବଇକୁଣ୍ଠନାଥ ମୁହିଁ । ତୁମ୍ଭର ଭାବ ହୃଦେ ବହି । । ୧୪
    ତୁମ୍ଭର କୋପ ଅତିରେକେ । ମିଳିଲି ତୁମ୍ଭର ସମୀପେ । । ୧୫
    ତୁମ୍ଭେ ମୋ’ ଭାବ ଦୂରକରି । ଅତ୍ୟନ୍ତ କୋପ ହୃଦେଧରି । । ୧୬
    ବହିଲ ଦ୍ୱାରପାଳେ ଦଣ୍ତ । ବ୍ରାହ୍ମଣ ତେଜ ପରଚଣ୍ତ । । ୧୭
    ଯେଉଁ ବ୍ରାହ୍ମଣ ସେବାକାଳେ । ପବିତ୍ର ରେଣୁ ମୋ’ ପୟରେ । । ୧୮
    ସଦ୍ୟ ପ୍ରସଙ୍ଗେ ମଳହରେ । ସକଳ ପ୍ରାଣୀଙ୍କି ନିସ୍ତାରେ । । ୧୯
    ସେ ପାଦ କମଳା ନିରତେ । ପ୍ରେମେ ନ ଛାଡ଼େ କଦାଚିତେ । । ୨୦
    ଯାର କଟାକ୍ଷ ଲେଶ ପାଇଁ । ବ୍ରହ୍ମାଦି ଦେବ ତପଧ୍ୟାୟି । । ୨୧
    ମୋତେ ବ୍ରାହ୍ମଣେ ବେଦମାର୍ଗେ । ଯଜ୍ଞେ ପୂଜନ୍ତି ହବିର୍ଭାଗେ । । ୨୨
    ଦଧି ଓଦନ ଘୃତପ୍ଳୁତେ । ମଧୁ ସଂଯୁକ୍ତ ବେଦମତେ । । ୨୩
    ଏଣେ ସନ୍ତୋଷ ମୋର ନାହିଁ । ବ୍ରାହ୍ମଣ ଦେହେ ମୁଁ ବସଇ । । ୨୪
    ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ । ମୁହିଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ । । ୨୫
    ବ୍ରାହ୍ମଣ ପାଦରଜ ବଳେ । ମୁଁ ଏ ସଂସାର ଜନ ମେଳେ । । ୨୬
    ମାୟା ବିଭୂତି ଅଇଶ୍ୱର୍ଯ୍ୟେ । ଭୁଞ୍ଜଇ ସର୍ବଦେହ ମାଝେ । । ୨୭
    ମୋ ପାଦଜଳ ଅଘ ଦହେ । ଚନ୍ଦ୍ରଶେଖର ଶିରେ ବହେ । । ୨୮
    ପବିତ୍ର ହୋନ୍ତି ତିନିଲୋକେ । ଏମନ୍ତ ହେଲେହେଁ ମସ୍ତକେ । । ୨୯
    କିରୀଟେ ଯାର ରେଣୁ ବହେ । ବ୍ରାହ୍ମଣ ଦୋଷ କେ ନ ସହେ । । ୩୦
    ବିପ୍ର-ଶରୀର ମୋର ତନୁ । ଏଣୁ ଦୁଃସହ ବିପ୍ର-ମନ୍ୟୁ । । ୩୧
    ଯେ ଭେଦବୁଦ୍ଧିଟି ବିଚାରି । ମୋତେ ଚିନ୍ତନ୍ତି ଭିନ୍ନକରି । । ୩୨
    ସେ ମୋରେ ଅପରାଧ କରେ । କେବେହେଁ ସଂସାରୁ ନ ତରେ । । ୩୩
    ଯମର ଗୃଧ୍ରରୂପୀ ଦୂତ । ଚଞ୍ଚୁରେ ନାଶେ ଦୃଷ୍ଟିପଥ । । ୩୪
    ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତି । ଏ ଭବସିଦ୍ଧୁ ନ ତରନ୍ତି । । ୩୫
    ବିପ୍ର ଭକତି ତେଜି ନିତ୍ୟେ । ଭ୍ରମନ୍ତି ଘୋର ମାୟା ପଥେ । । ୩୬
    ସ୍ୱଭାବ କର୍ମ ଦୂର କରି । ବିକର୍ମ ମତ ଅନୁସରି । । ୩୭
    ପାଷଣ୍ତବାଦ ଅନୁକ୍ଷଣେ । କରନ୍ତି ବିଦ୍ୟାଗର୍ବ ପଣେ । । ୩୮
    ନୁହଁନ୍ତି ମୋହରେ ବିଶ୍ୱାସ । ଏଣୁ ସଂସାରେ ହୋନ୍ତି ନାଶ । । ୩୯
    ବ୍ରାହ୍ମଣ କ୍ରୋଧ କଲେ ଚିତ୍ତେ । ଯେ ଶାନ୍ତ କରେ ଯଥୋଚିତେ । । ୪୦
    କଟୁ ଭାଷଣ ବ୍ରାହ୍ମଣର । ଶୁଣି ସନ୍ତୋଷ ଯେଉଁ ନର । । ୪୧
    ପୁତ୍ରର ପ୍ରାୟେ କରେ ସ୍ନେହ । ତା ବଶୀଭୂତ ମୋର ଦେହ । । ୪୨
    ବିପ୍ର ଭକ୍ତିରେ ମୋ ସନ୍ତୋଷ । ମୁହିଁ ନିଶ୍ଚୟ ତାର ବଶ । । ୪୩
    ସେ ବେଗେ ଭବନଦୀ ତରେ । ଏ ଭାବେ ମୋତେ ବଶ କରେ । । ୪୪
    ତୁମ୍ଭର ଭାବେ ଯେହୁ ଭାବି । ଶେଷେ ତରନ୍ତି ଭବନଦୀ । । ୪୫
    ତୁମ୍ଭର ମତ ଯେ ଆଚରି । ମାୟାସମୂହ ପରିହରି । । ୪୬
    ବ୍ରହ୍ମନିର୍ବାଣେ ପଶେ ଯାଇ । ଉଦୟ ଅସ୍ତ ତାର ନାହିଁ । । ୪୭
    ଏମନ୍ତ କହି ଭଗବାନ । ମୋହିଲେ ସନକାଦି ମନ । । ୪୮
    ତୁମ୍ଭର ବ୍ରହ୍ମଶାପ ଫଳେ । ତୃତୀୟ ଜନ୍ମ ରବିତଳେ । । ୪୯
    ଦୁଷ୍ଟଆଚାର କର୍ମ କରି । ଧର୍ମ ଅଧର୍ମ ନ ବିଚାରି । । ୫୦
    ଏବେ ଏ ତୁମ୍ଭର ସନ୍ତୋଷେ । ପୁଣି ମିଳିବେ ମୋର ପାଶେ । । ୫୧
    ମୁଁ ପୁଣି ତାଙ୍କ ଉପକାରେ । ଶରୀର ବହିବି ସଂସାରେ । । ୫୨
    କରିବି ତାହାଙ୍କୁ ନିସ୍ତାର । କହିଲେ ପ୍ରଭୁ ଚକ୍ରଧର । । ୫୩

    ବ୍ରହ୍ମା ଉବାଚ

    ଏମନ୍ତ କୃଷ୍ଣ ମଞ୍ଜୁବାଣୀ । ସନ୍ତୋଷ ବିପ୍ରବରେ ଶୁଣି । । ୫୪
    ବିଷ୍ଣୁର ଭକ୍ତି ହୃଦେ ବହି । ବୋଲନ୍ତି ଶିରେ କର ଦେଇ । । ୫୫

    ଋଷିଗଣ ଉବାଚ

    ଭୋ ଦେବଦେବ ଲକ୍ଷ୍ମୀପତି । ଆମ୍ଭେ ନ ଜାଣୁ ତୋର ଗତି । । ୫୬
    ଆମ୍ଭଙ୍କୁ ଅନୁଗ୍ରହ କରି । ଯାହା ବୋଇଲୁ ନରହରି । । ୫୭
    ବ୍ରହ୍ମଣ୍ୟଦେବ ତୋ ମହିମା । ତୋ ଗତି ନ ଜାଣନ୍ତି ବ୍ରହ୍ମା । । ୫୮
    ତୁ ପୁଣି ଦେବ ବିପ୍ରଙ୍କର । ଆତ୍ମା ସୁହୃଦ ଶକ୍ତିଧର । । ୫୯
    ଧର୍ମ ତୋ ଶରୀରୁ ପ୍ରକାଶେ । ଯେ ଧର୍ମ ସୃଷ୍ଟି ପାପ ନାଶେ । । ୬୦
    ତୁ ନାଥ ନିର୍ବିକାର ଧର୍ମ । ତାର ରକ୍ଷଣ ତୋର କର୍ମ । । ୬୧
    ଯାହାର ଅନୁଗ୍ରହେ ଜନ । ଧର୍ମ ସଞ୍ଚୟେ ଦ୍ୟନ୍ତି ମନ । । ୬୨
    ତୋ ପାଦପଦ୍ମ ସେବାଫଳେ । ମୃତ୍ୟୁ ଜିଣନ୍ତି ଅବହେଳେ । । ୬୩
    ତୁ ଅଟୁ ଏମନ୍ତ ପୁରୁଷ । ଆମ୍ଭର ଅନୁଗ୍ରହେ ଆଶ । । ୬୪
    ଏ ତୋର ଗତି ବିପରୀତ । କେ ଅବା ଜାଣିବ କିଞ୍ଚିତ । । ୬୫
    ଏମନ୍ତ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ । । ୬୬
    ବ୍ରାହ୍ମଣ ଭାବ ଚିତ୍ତେ ବହି । କହନ୍ତି ବିପ୍ରଙ୍କୁ ଅନାଇ । । ୬୭

    ଭଗବାନ ଉବାଚ

    ଜୟ ବିଜୟ ବେନିଭାଇ । ତୁମ୍ଭର ଚିତ୍ତେ କ୍ରୋଧ ଦେଇ । । ୬୮
    ଅସୁରଯୋନି ଏ ପାଇବେ । ଦୁଷ୍କୃତ କର୍ମ ଆଚରିବେ । । ୬୯
    ପୁଣି ଆସିବେ ମୋର ପୁରେ । ସୁବର୍ଣ୍ଣ ବେତ୍ର ଧରି କରେ । । ୭୦
    ଏ ବଇକୁଣ୍ଠ ପୁରେ ବାସ । ଯେବେ ତୁମ୍ଭର ମନ ତୋଷ । । ୭୧

    ବ୍ରହ୍ମା ଉବାଚ

    ଏ ଚାରି ମୋହର ନନ୍ଦନେ । ତକ୍ଷଣେ ଆନନ୍ଦ ଲୋଚନେ । । ୭୨
    ବିଷ୍ଣୁର ମୁଖ ଦେଖି ତୋଷେ । ବେଗେ ମିଳିଲେ କୃଷ୍ଣପାଶେ । । ୭୩
    ସ୍ୱଭାବେ ବିଷ୍ଣୁର ଭୁବନ । ଯହିଁ ନ ଥାନ୍ତି ଦୁଷ୍ଟଜନ । । ୭୪
    ବିଷ୍ଣୁଙ୍କୁ କରି ପ୍ରଦକ୍ଷିଣ । ଆଜ୍ଞା ମାଗିଣ ମୁନିଗଣ । । ୭୫
    ବିଷ୍ଣୁର ପାଦେ ସେ ନମିଲେ । ଆନନ୍ଦେ ନିଜସ୍ଥାନେ ଗଲେ । । ୭୬
    ଦ୍ୱାରପାଳଙ୍କ ମୁଖ ଚାହିଁ । କହନ୍ତି ପ୍ରଭୁ ଭାବଗ୍ରାହୀ । । ୭୭
    ତୁମ୍ଭେ ଯେ ଧରଣୀମଣ୍ତଳେ । ଜନ୍ମିବ ଅସୁରଙ୍କ କୁଳେ । । ୭୮
    ତୁମ୍ଭ କୁଶଳ ମୁଁ କରିବି । ତୃତୀୟ ଜନ୍ମ ଉଦ୍ଧରିବି । । ୭୯
    ବ୍ରାହ୍ମଣ ଶାପ ନାଶ ପାଇଁ । ମୁଁ ଅବା ସମର୍ଥ ଅଟଇ । । ୮୦
    ହେଲେହେଁ ସମ୍ମତ ମୋହର । ଭୟ ନ କର ବେନିବୀର । । ୮୧
    ଏ କଥା କମଳା ସମୀପେ । କହିଁ ମୁଁ ଅଛି ପୂର୍ବକଳ୍ପେ । । ୮୨
    ମୋର ଏକାନ୍ତେ ଲକ୍ଷ୍ମୀ ଯାନ୍ତେ । ଯେବେ ନିରୋଧ କଲ ପଥେ । । ୮୩
    ବ୍ରହ୍ମହେଳନ ଯେ କରନ୍ତି । ମୋ ହୃଦେ ଶଲ୍ୟ ସମର୍ପନ୍ତି । । ୮୪
    ତୁମ୍ଭର ତାରଣ ନିମନ୍ତେ । ମୁଁ ଦେହ ବହିବି ଜଗତେ । । ୮୫
    ଭୁବନେ ରହିବ ମୋ ଯଶ । ଶୁଣନ୍ତେ ପାପ ଯିବ ନାଶ । । ୮୬
    ମୋ କଥା ଭୁବନ-ପାବନୀ । ଏ ଭୂମିମଧ୍ୟେ ଦେହ ଘେନି । । ୮୭
    କରିବେ ଶ୍ରବଣ କୀର୍ତ୍ତନ । ଶୁଣି ତରିବେ ସର୍ବଜନ । । ୮୮

    ବ୍ରହ୍ମା ଉବାଚ

    ଏମନ୍ତେ ଦ୍ୱାରପାଳେ କହି । ନିଜ ଭୁବନେ ଭାବଗ୍ରାହୀ । । ୮୯
    ବସିଲେ କମଳାର ମେଳେ । ଆବୃତ ବିମାନ ସଙ୍କୁଳେ । । ୯୦
    ସେ ଦ୍ୱାରପାଳ ବେନିଭାଇ । ଭାଳନ୍ତି ଦଶଦିଗ ଚାହିଁ । । ୯୧
    ତକ୍ଷଣେ ଅଧର ଶୁଖିଲା । ଆତ୍ମାରୁ ବିଷ୍ଣୁତେଜ ଗଲା । । ୯୨
    ଦୁସ୍ତର ବ୍ରହ୍ମଶାପୁ କରି । ବେଗେ ହୋଇଲେ ହତଶିରୀ । । ୯୩
    ତକ୍ଷଣେ ହତଗର୍ବ ହୋଇ । ଅଧୋବଦନେ ବେନିଭାଇ । । ୯୪
    ବିଷ୍ଣୁର ଭୁବନୁ ପଡ଼ନ୍ତେ । ହାହା ଶବଦ ଶୂନ୍ୟ ପଥେ । । ୯୫
    ସେ ବେନିବୀର ଏକଭାବେ । ତକ୍ଷଣେ ପଶି ଦିତିଗର୍ଭେ । । ୯୬
    କଶ୍ୟପବୀର୍ଯ୍ୟ ଆଶ୍ରେ କରି । ଏଣୁ ଭୁବନଲୋକେ ଡରି । । ୯୭
    ସେ ବେନି ଅସୁରଙ୍କ ତେଜ । ତୁମ୍ଭଙ୍କୁ କରିଛି ନିସ୍ତେଜ । । ୯୮
    ସେ ବେନିଭାଇଙ୍କର ଦର୍ପେ । ତିନିଭୁବନ ଦିଶ କମ୍ପେ । । ୯୯
    ଏଥକୁ ନାହିଁ ପ୍ରତିକାର । ତ୍ରାହି କରିବେ ଚକ୍ରଧର । । ୧୦୦
    ଯେ ବିଶ୍ୱସୃଷ୍ଟିର କାରଣ । ଅନାଦି ପ୍ରଭୁ ନାରାୟଣ । । ୧୦୧
    ତା ମାୟା ନ ଜାଣନ୍ତି କେହି । ସଂସାରମଧ୍ୟେ ଦେହ ବହି । । ୧୦୨
    ଆମ୍ଭେ ସକଳେ ତା ଚରଣେ । ଆଶ୍ରୟ କରୁଁ ଭୃତ୍ୟପଣେ । । ୧୦୩
    ଏ ଘୋରଭୟ ହିଁ ଆମ୍ଭର । ଖଣ୍ତିବେ ପ୍ରଭୁ ଚକ୍ରଧର । । ୧୦୪
    ଏମନ୍ତେ ଦେବଗଣ ମଧ୍ୟେ । ବିଧାତା କହିଲେ ଆନନ୍ଦେ । । ୧୦୫
    ସେ ହରି ଚରଣ କମଳେ । ସୁଜନେ ଚିନ୍ତ ହେ ନିଶ୍ଚଳେ । । ୧୦୬
    ସେ ହରି ବ୍ରାହ୍ମଣ-ବତ୍ସ›ଳ । କରୁଣାସିନ୍ଧୁ ଆଦିମୂଳ । । ୧୦୭
    ତାହାଙ୍କ ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ । । ୧୦୮
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ ।

    ସପ୍ତଦଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ବ୍ରହ୍ମା ବଚନେ ଦେବଗଣ । ଶୁଣିଲେ ଅଦ୍ଭୁତ କାରଣ । । ୧
    ବିଧାତା ପାଦେ ପ୍ରଣମିଲେ । ଆନନ୍ଦେ ନିଜପୁରେ ଗଲେ । । ୨
    ଦିତି କଶ୍ୟପ ଆଜ୍ଞା ପାଇ । ପୁତ୍ରଙ୍କ ଜନ୍ମେ ଶଙ୍କା ବହି । । ୩
    ଶତେବରଷ ପୂର୍ଣ୍ଣ ହେଲା । ବେନିବାଳକ ପ୍ରସବିଲା । । ୪
    ସେ ବେନିପୁତ୍ର ଜନ୍ମକାଳେ । ଦିବି ମେଦିନୀ ଅନ୍ତରାଳେ । । ୫
    ଘୋର ଉତ୍ପାତ ଭୟଙ୍କର । ଦେଖି କମ୍ପିଲେ ସୁରନର । । ୬
    ଚଳ ଅଚଳ ସଙ୍ଗେ ମହୀ । କମ୍ପିଲେ ମହାଭୟ ପାଇ । । ୭
    ଦହିଲା ପ୍ରାୟ ଅଷ୍ଟଦିଗେ । ଦିଶନ୍ତି ଅନଳ ସଂଯୋଗେ । । ୮
    ଉଲ୍କା ସଙ୍କୁଳ ବଜ୍ର ଯୋଗେ । ସମୁଦ୍ର କମ୍ପିଲା ତରଙ୍ଗେ । । ୯
    କର୍କଶେ ବହଇ ପବନ । ଉଚ୍ଚେ ଶୁଭଇ ଘୋରସ୍ୱନ । । ୧୦
    ଘୋର ପ୍ରଚଣ୍ତ ବାତ ବଳେ । ବୃକ୍ଷେ ଉଡ଼ିଲେ ଅନ୍ତରାଳେ । । ୧୧
    ଧୂଳି ପୂରିଲା ଦଶଦିଶେ । ନିବିଡ଼ ଅନ୍ଧାର ପ୍ରକାଶେ । । ୧୨
    ଉଚ୍ଚେ ହସିଲାପ୍ରାୟ ହୋଇ । ତଡ଼ିତ ମେଘେ ଆଚ୍ଛାଦଇ । । ୧୩
    ଗଗନେ ଯେତେ ଜ୍ୟୋତି ଥିଲେ । ଘୋର ତିମିରେ ନ ଦିଶିଲେ । । ୧୪
    ଗଗନେ ନ ଦିଶଇ ପଥ । ତମ ଆକାଶ କଲା ଗ୍ରସ୍ତ । । ୧୫
    ସମୁଦ୍ର ଗର୍ଜିଲା ତରଙ୍ଗେ । କ୍ଷୁଭିତ ମକରାଦି ସଙ୍ଗେ । । ୧୬
    ନଦୀରୁ ଜଳ ଶୁଖିଗଲା । ନିବିଡ଼ ପଙ୍କ ପ୍ରକାଶିଲା । । ୧୭
    ଆକାଶେ ଚନ୍ଦ୍ର ଦିବାକର । ମଣ୍ତଳେ ଦିଶନ୍ତି ଧୂସର । । ୧୮
    ବିନା ମେଘରେ ଯେ ନିର୍ଘାତ । ହୋଇଲା ଘୋର ବଜ୍ରପାତ । । ୧୯
    ଫେରବଗଣ ପୂର୍ବମୁଖେ । ନାଦ କରନ୍ତି ଅତିଦୁଃଖେ । । ୨୦
    କରନ୍ତି ଅତିଘୋର ସ୍ୱନ । ତୁଣ୍ତେ କି ଜଳେ ହୁତାଶନ । । ୨୧
    ଶୃଗାଳୀ ଉଲ୍ଲୁକ ହୁଙ୍କାରେ । ନାଦ କରନ୍ତି ଅତିଖରେ । । ୨୨
    ଗର୍ଦ୍ଦŸଭ ସଙ୍ଗେ ଶ୍ୱାନେ ମିଳି । କାନ୍ଦନ୍ତି ଉର୍ଦ୍ଧ୍ୱେ ମୁଖ ତୋଳି । । ୨୩
    ବୃକ୍ଷୁ ପଡ଼ନ୍ତି ପକ୍ଷୀଗଣେ । ଅରଣ୍ୟ ପଶୁ ଘୋରବନେ । । ୨୪
    ମୂତ୍ର ପରୀଷ ଉତ୍ସ›ର୍ଗନ୍ତି । ରାସଭସ୍ୱନେ ମହାଭୀତି । । ୨୫
    ଗାବ ଦୋହନେ ରକ୍ତ ସ୍ରବେ । ଗଗନେ ଘୋରନାଦ ଶୁଭେ । । ୨୬
    ଆକାଶେ ପୂରି ମେଘମାଳେ । ପୂଜ ବରଷନ୍ତି ଗହଳେ । । ୨୭
    ଲିଙ୍ଗେ କାନ୍ଦନ୍ତି ଶକ୍ତି ଯୁକ୍ତେ । ବୃକ୍ଷେ ପଡ଼ନ୍ତି ବିନା ବାତେ । । ୨୮
    ଆକାଶେ ଗ୍ରହଗଣ ମିଳି । ଶୂନ୍ୟେ ନାଚନ୍ତି ତାରାବଳି । । ୨୯
    ଗ୍ରହେ କରନ୍ତି ଘୋରରଣ । ପ୍ରହାରେ ଦିଶେ ଅଗ୍ନିକଣ । । ୩୦
    ଉତ୍ପାତ ଦେଖି ଗୁରୁତରେ । ପ୍ରଜାଏ କମ୍ପିଲେ ନିର୍ଭରେ । । ୩୧
    ସନକ ଆଦି ଚାରିଭାଇ । ଦେଖନ୍ତି ଶୂନ୍ୟମାର୍ଗେ ରହି । । ୩୨
    ବିଶ୍ୱ-ସଂସାରେ ମହାତ୍ରାସେ । ସୃଷ୍ଟି ପ୍ରଳୟପ୍ରାୟ ଦିଶେ । । ୩୩
    ଏମନ୍ତେ କଶ୍ୟପ ଭୁବନେ । ପୁତ୍ରେ ବଢ଼ନ୍ତି ଦିନେ ଦିନେ । । ୩୪
    ସ୍ୱଭାବେ କର୍କଶ ଶରୀର । ଦିଶନ୍ତି ମହାଭୟଙ୍କର । । ୩୫
    ପର୍ବତପ୍ରାୟ ଦିନେ ଦିନେ । ବଢ଼ିଲେ କଶ୍ୟପ ଭୁବନେ । । ୩୬
    ଶିରେ କିରୀଟ ହେମମୟେ । ଉଚ୍ଚେ ଗଗନ କିବା ଛୁଏଁ । । ୩୭
    ରବି କି ଜିଣି କଟୀ ମାଝେ । ସୁବର୍ଣ୍ଣ-ମେଖଳା ବିରାଜେ । । ୩୮
    ବଜ୍ର ସମାନ ଗଦା ହସ୍ତେ । ନିତ୍ୟେ ଧାବନ୍ତି ନାନାପଥେ । । ୩୯
    ଗୃହେ ମିଳନ୍ତି ଘୋରନାଦେ । ଭୂମି କମ୍ପଇ ବାଜି ପାଦେ । । ୪୦
    ଏମନ୍ତେ ପୁତ୍ରଙ୍କର ଗତି । ଦେଖି କଶ୍ୟପ ପ୍ରଜାପତି । । ୪୧
    ନାମକରଣ ହୋମ କଲା । ବେନିପୁତ୍ରଙ୍କ ନାମ ଦେଲା । । ୪୨
    ବଜ୍ର-କଠିନ ଦେଖି ବପୁ । ବଡ଼ ଯେ ହିରଣ୍ୟକଶିପୁ । । ୪୩
    ଅନୁଜ ତାହା ତହୁଁ ଦକ୍ଷ । କଳ୍ପିଲା ନାମ ହିରଣ୍ୟାକ୍ଷ । । ୪୪
    ଦିନକୁ ଦିନ ମହାବପୁ । ବଢ଼ିଲା ହିରଣ୍ୟକଶିପୁ । । ୪୫
    ତପେ ବ୍ରହ୍ମାଙ୍କୁ ତୋଷ କଲା । ସ୍ୱଭାବେ ତେଜ ଅନର୍ଗଳା । । ୪୬
    ଗଦା ବୁଲାଇ ମହାରୋଷେ । ବେଗେ ଧାଇଁଲା ଦଶଦିଶେ । । ୪୭
    ଦେଖି ତାହାର ଦୁଷ୍ଟପଣ । ଭୟେ କମ୍ପିଲେ ଦେବଗଣ । । ୪୮
    ବେଗେ ମିଳିଲେ ତାର ପାଶେ । ଖଟିଲେ ଜୀବନର ଆଶେ । । ୪୯
    ତାର ଅନୁଜ ହିରଣ୍ୟାକ୍ଷ । ଗଦା-ସମରେ ମହାଦକ୍ଷ । । ୫୦
    ଜ୍ୟେଷ୍ଠ-ଭ୍ରାତାର ପ୍ରିୟକାରୀ । ଯୁଦ୍ଧେ ବୁଲଇ ଗଦା ଧରି । । ୫୧
    ବଳେ ପଶିଲା ସ୍ୱର୍ଗପୁରେ । ସୁବର୍ଣ୍ଣ ନୂପୁର ପୟରେ । । ୫୨
    ଚାଲନ୍ତେ ରୁଣୁଝୁଣୁ ବାଜେ । କୁସୁମମାଳା ଗଳେ ସାଜେ । । ୫୩
    କନ୍ଧେ ପକାଇ ଗଦାବର । କି ଅବା ଦେବା ପଟାନ୍ତର । । ୫୪
    ତାର ଗମନ ଅତିବେଗେ । ଅତି ଉତ୍କଟ ମତ୍ତଗର୍ବେ । । ୫୫
    ଦେଖି ପଳାନ୍ତି ରିପୁଯୂଥେ । ନିର୍ଭୟେ ଭ୍ରମଇ ଜଗତେ । । ୫୬
    ଦେବେ ତାହାର ରୂପ ଦେଖି । ଭାଜିଲେ ତ୍ରିଦିବ ଉପେକ୍ଷି । । ୫୭
    ଆକାଶ ତେଜି ଦେବଗଣେ । ଭୟେ ଲୁଚିଲେ ଘୋରବଣେ । । ୫୮
    ବନେ ବୁଲିଲେ ତା’ର ଦର୍ପେ । ଗରୁଡ଼ ଭୟେ ଯେହ୍ନେ ସର୍ପେ । । ୫୯
    ସ୍ୱର୍ଗେ ପଶିଲା ବେଗେ ଯାଇ । ଦେଖିଲା ସ୍ୱର୍ଗେ ଲୋକ ନାହିଁ । । ୬୦
    ଦେବତା ଇନ୍ଦ୍ରରାଜ ମେଳେ । ସ୍ୱର୍ଗ ସମ୍ପଦ ଛାଡ଼ି ଗଲେ । । ୬୧
    ଦେଖିଲା ସ୍ୱର୍ଗେ କେହି ନାହିଁ । ଗର୍ଜନ କଲା ମତ୍ତ ହୋଇ । । ୬୨
    ଦେଖିଣ ଇନ୍ଦ୍ରର ସମ୍ପଦ । ଅନେକ କଲା ଘୋରନାଦ । । ୬୩
    ମୁହୂର୍ତ୍ତେ ସ୍ୱର୍ଗପୁରେ ବସି । ପୁଣି ମିଳିଲା ମର୍ତ୍ତ୍ୟେ ଆସି । । ୬୪
    ଅସୁର ବିଚାରଇ ମନେ । ପଶିବି ବରୁଣ ଭୁବନେ । । ୬୫
    ମୋହର ପ୍ରାୟ ଗଦା ବଳେ । କେ ଅବା ଅଛଇ ପାତାଳେ । । ୬୬
    ଏମନ୍ତ ମନେ ବିଚାରିଲା । ଜଳଧି ମଧ୍ୟେ ସେ ପଶିଲା । । ୬୭
    ସେ ମଦମତ୍ତ-ହସ୍ତୀ ପ୍ରାୟେ । ଜଳଧି ମଧ୍ୟେ ଅବଗାହେ । । ୬୮
    ଏମନ୍ତେ ହିରଣ୍ୟାକ୍ଷ ବୀର । ଜଳେ ପଶିଲା କ୍ରୋଧଭର । । ୬୯
    ଜଳେ ପଶନ୍ତେ ମହାସୁର । କମ୍ପିଲା ବରୁଣର ପୁର । । ୭୦
    ଭାଜିଲେ ଜଳଜନ୍ତୁ ଗଣେ । କେବା ବଳିବ ତାକୁ ରଣେ । । ୭୧
    ସଭୟେ ସର୍ବେ ପଳାଇଲେ । ଗଭୀର-ଜଳେ ସେ ପଶିଲେ । । ୭୨
    ଏମନ୍ତ ବରୁଣ-ଭୁବନେ । ବହୁ ବରଷ କୋପମନେ । । ୭୩
    ସେ ବିଭାବରୀ ନାମ ପୁରୀ । ତା ମଧ୍ୟେ ବିଚରଣ କରି । । ୭୪
    ଭ୍ରମଇ କରେ ଗଦା ଧରି । କେ ତାକୁ ସମରେ ଉଭାରି । । ୭୫
    ତାର ନିଃଶ୍ୱାସ-ବାୟୁ ବେଗେ । ବହୁ ତରଙ୍ଗ ଜଳଭାଗେ । । ୭୬
    ସେ ଲୌହମୟ ଗଦା ନେଇ । ତାହା ଉପରେ ପ୍ରହାରଇ । । ୭୭
    ରାତ୍ରି ଆଗମେ ଏକଦିନେ । ମିଳି ବରୁଣ ସନ୍ନିଧାନେ । । ୭୮
    ଅଳପ ହସି ଉପହାସେ । ପ୍ରଣାମ କରି ତାର ପାଶେ । । ୭୯
    ନୀଚଜନଙ୍କ ପ୍ରାୟେ ହୋଇ । ବୋଲଇ ଶିରେ କର ଦେଇ । । ୮୦
    ହେ ରାଜା ଶୁଣ ମୋର ବୋଲ । ତୁ ଯୁଦ୍ଧ କର ମୋର ତୁଲ । । ୮୧
    ବୋଲଇ କରେ ଗଦା ତୋଳି । ଘୋରଶବଦେ ମହାବଳୀ । । ୮୨
    ମୁଁ ଏବେ ଭୁବନେ ତୋହର । ରହିଲି ବହୁ ସମ୍ବତ୍ସ›ର । । ୮୩
    ତୁ ମୋତେ ଗଦାଯୁଦ୍ଧ ଦେବୁ । ନ ଦେଲେ ଭୁବନେ ନ ଥିବୁ । । ୮୪
    ତୁ ଲୋକପାଳ ଅଧିପତି । ଦୁଷ୍ଟ ନାଶନେ ତୋର ଖ୍ୟାତି । । ୮୫
    ଦୈତ୍ୟ-ଦାନବ ନାଶ କରି । ରାଜସୂୟରେ ଅଧିକାରୀ । । ୮୬
    ମୋ ସଙ୍ଗେ ଯୁଦ୍ଧ କର ତୁହି । ନ ହେଲେ ସୁଖ ତୋର ନାହିଁ । । ୮୭
    ତୁ ଲୋକପାଳ ଶିରୋମଣି । ତୋର ମହିମା ମୁହିଁ ଜାଣି । । ୮୮
    ମିଳିଲି ତୋହର ସମ୍ମୁଖେ । ସମର କର ଆତ୍ମସୁଖେ । । ୮୯
    ତୁ ଧର୍ମଦାତା ମଧ୍ୟେ ମେରୁ । ବୀରମାନଙ୍କ ଦର୍ପ ହରୁ । । ୯୦
    ମୋହର ଦର୍ପ ଏବେ ହର । ସୁଖେ ରାଜୁସି ଯାଗ କର । । ୯୧
    ଏମନ୍ତ ଶୁଣି ତା ବଚନ । ଜଳଧିପତି କୋପେ ଛନ୍ନ । । ୯୨
    ପୁଣି ସେ କୋପ କରି ସ୍ଥିର । କହଇ ମଚନ ମଧୁର । । ୯୩
    ବୋଲେ ଶୁଣ ଭୋ ବୀରମଣି । ମୁଁ ତୋର ରିପୁ ନୋହେ ପୁଣି । । ୯୪
    ତୁ ବୀର କହୁ ମୋର ହିତେ । ମୁଁ ତୋତେ ଯୁଝିବି କେମନ୍ତେ । । ୯୫
    ତୁ ମହାବୀରଙ୍କର ବୀର । ମୋ ବୋଲେ କୋପ ତୁ ସଂହର । । ୯୬
    ଭୋ ବୀର ରହ ଦିନାକେତେ । ଇଚ୍ଛା ତୋ ଯେବେ ଯୁଦ୍ଧ ଅର୍ଥେ । । ୯୭
    ଯେ ତୋର ତୁଲେ ଯୁଦ୍ଧକାରୀ । ମିଳିବେ ମୋତେ ଦୟାକରି । । ୯୮
    ତୁ ଯୁଦ୍ଧମାର୍ଗରେ ନିପୁଣ । ତୋ ତୁଲେ ସମ ନାରାୟଣ । । ୯୯
    ତୁ ବୀର ରଣେ ସୁପଣ୍ତିତ । କେ ରଣେ ତୋଷିବ ତୋ ଚିତ୍ତ । । ୧୦୦
    କେବଳ ପୁରାଣପୁରୁଷ । ସେ ବିଷ୍ଣୁ କରିପାରେ ତୋଷ । । ୧୦୧
    ତୋତେ ମାରିବେ ସେ ସମରେ । ତୁ ପୁଣି ସଂଗ୍ରାମ ଭୂମିରେ । । ୧୦୨
    ବୀର ଶୟନେ ତୁ ଆନନ୍ଦେ । ଶୋଇବୁ କୁକୁରଙ୍କ ମଧ୍ୟେ । । ୧୦୩
    ସେ ରୂପ ବହେ ଏ ଜଗତେ । ତୋହର ପ୍ରାୟ ଦୁଷ୍ଟ ଯେତେ । । ୧୦୪
    ତାହାଙ୍କ ଗର୍ବ ଚୂର କରେ । ସଂସାର ହିତେ ସେ ବିହରେ । । ୧୦୫
    ସାଧୁଙ୍କ ଅନୁଗ୍ରହ ଅର୍ଥେ । ତା ଅବତାର ଏ ଜଗତେ । । ୧୦୬
    ତୋ’ପରି ଅସାଧୁ ବିନାଶେ । ଜଗତେ ସେ ରୂପ ପ୍ରକାଶେ । । ୧୦୭
    ଏମନ୍ତ ଅସୁରକୁ କହି । ମନେ ଚିନ୍ତଇ ଭାବଗ୍ରାହୀ । । ୧୦୮
    ସେ ହରି ଚରଣାରବିନ୍ଦେ । ସୁଜନେ ପ୍ରଣମ ଆନନ୍ଦେ । । ୧୦୯
    ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ । । ୧୧୦
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ହିରଣ୍ୟାକ୍ଷ-ଦିଗ୍ବିଜୟେ ସପ୍ତଦଶୋଽଧ୍ୟାୟଃ ।

    ଅଷ୍ଟାଦଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ବରୁଣ ବାକ୍ୟ ଶୁଣି କର୍ଣ୍ଣେ । ଅସୁର ବିଚାରଇ ମନେ । । ୧
    ବରୁଣ ତୁଲେ ଯୁଦ୍ଧ ମୋର । ଏ ତ ନୁହଇ ଯଶସ୍କର । । ୨
    ନାରଦ କହିଛନ୍ତି ମୋତେ । ବିଷ୍ଣୁର ଗତି ଏ ଜଗତେ । । ୩
    ଶୂକର ରୂପେ ସେ ଧରଣୀ । ସ୍ଥାପିବ ଦନ୍ତଅଗ୍ରେ ଆଣି । । ୪
    ତାହାର ତୁଲେ ମୋ ସମର । ନାମ ଯାହାର ଗଦାଧର । । ୫
    ମୋ ଭୁଜକଣ୍ତୁ ସେ ହରିବ । ଦେବଙ୍କୁ ସଙ୍କଟୁ ତାରିବ । । ୬
    ଏମନ୍ତ ମନେ ବିଚାରିଲା । ତକ୍ଷଣେ ପାତାଳେ ପଶିଲା । । ୭
    ଦେଖଇ ଗୋବିନ୍ଦର ଗତି । ଦଶନ ଅଗ୍ରେ ବସୁମତୀ । । ୮
    କୋଟି ଆଦିତ୍ୟ ତେଜ ଦେଖି । ଭୟେ ବୁଜିଲା ବେନିଆଖି । । ୯
    ପୁଣି କ୍ଷଣକେ ଚକ୍ଷୁଫେଇ । ବିଷ୍ଣୁଙ୍କୁ ଦେଖି ବିଚାରଇ । । ୧୦
    ନାରଦ ବାକ୍ୟ ଯେବେ ସତ୍ୟ । ମୁହିଁ ଦେଖଇ ବିପରୀତ । । ୧୧
    ଶୂକର କାନନେ ଗୋଚର । ପଙ୍କେ ଦୂଷିତ କଳେବର । । ୧୨
    ଏମନ୍ତ ବୋଲିଣ ହସିଲା । ବରାହ ନିକଟକୁ ଗଲା । । ୧୩
    ବୋଲେ ଶୂକର ମୁଖ ଚାହିଁ । ଦଶନୁ ବେଗେ ଥୁଅ ମହୀ । । ୧୪
    ପାତାଳ ଲୋକଙ୍କୁ ମେଦିନୀ । ପୂର୍ବେ ଦେଇଛି ପଦ୍ମଯୋନି । । ୧୫
    ଯେବେ ମେଦିନୀ ନ ଛାଡ଼ିବୁ । ମୋ ମୁଖୁ ଭଲେ ନ ବର୍ତ୍ତିବୁ । । ୧୬
    ସୁର ଅଧମ ତୁ ବୋଲାଉ । ଯେଣୁ ଶୂକର ରୂପ ବହୁ । । ୧୭
    ମୋର ରିପୁଙ୍କ ଶୁଭ ଚିନ୍ତି । ତୁ ବହୁ ଶୂକର ଆକୃତି । । ୧୮
    ରେ ମୂଢ଼ ଶୁଣ ମୋ ଉତ୍ତର । ଆମ୍ଭର ହସ୍ତେ ମୃତ୍ୟୁ ତୋର । । ୧୯
    ମାୟାରେ ମାରୁ ତୁ ଅସୁର । କପଟ ଧର୍ମ ଏ ତୋହର । । ୨୦
    ଆଜି ତୋ ସଂହାର କରିବି । ସୁହୃଦ-ଶୋକ ନିବାରିବି । । ୨୧
    ତୋର ମୋହର ଗଦାଯୁଦ୍ଧେ । ତ୍ରିଦଶେ ଦେଖନ୍ତୁ ଆନନ୍ଦେ । । ୨୨
    ତୋର ମସ୍ତକ ଗଦାଘାତେ । ବେଗେ ଉଡ଼ିବ ମହାବାତେ । । ୨୩
    ବଳି ହରନ୍ତି ଯେତେ ଦେବେ । ତୋହର ମରଣ ଦେଖିବେ । । ୨୪
    ମୂଳ ବିନାଶେ ବୃକ୍ଷ ଯେହ୍ନେ । ତ୍ରିଦଶେ ହୋଇବେ ତେସନେ । । ୨୫
    ଏମନ୍ତ ଅସୁରର ବାଣୀ । ଶୁଣିଣ କମ୍ପିଲା ଧରଣୀ । । ୨୬
    ଗୋବିନ୍ଦ ଦେଖି ଭୂମି ଭୟେ । ଜଳେ ବଢ଼ିଲେ ମହାକାୟେ । । ୨୭
    ବରାହ ରୂପୀ କୋପମନେ । ମର୍ମ ପ୍ରହାରେ ହସ୍ତୀ ଯେହ୍ନେ । । ୨୮
    ଜଳୁ ଉଠନ୍ତେ ମହାରୋଷେ । ପର୍ବତ ପ୍ରାୟ ଦେହ ଦିଶେ । । ୨୯
    ସେ ହିରଣ୍ୟାକ୍ଷ ଦେଖି କୋପେ । ମିଳିଲା ବରାହ ସମୀପେ । । ୩୦
    ସିଂହ ଯେସନେ ହସ୍ତୀ ଆଗେ । ମିଳିଲା ପବନହୁଁ ବେଗେ । । ୩୧
    କରାଳଦନ୍ତ ଗଦାପାଣି । ବଜ୍ର-ନିଃସ୍ୱନ ପ୍ରାୟ ବାଣୀ । । ୩୨
    ବୋଲେ ବରାହ ମୁଖ ଚାହିଁ । ତୋ’ର ବଦନେ ଲଜ୍ଜା ନାହିଁ । । ୩୩
    ଦେବଙ୍କ ଈଶ୍ୱର ବୋଲାଉ । ଶୂକର ରୂପ କିପାଁ ବହୁ । । ୩୪
    ଏମନ୍ତ ଅସୁର ବଚନେ । କୋପ ବସିଲା ବିଷ୍ଣୁମନେ । । ୩୫
    ଧରଣୀ ସମୁଦ୍ରର କୋଳେ । ଦନ୍ତୁ ଥୋଇଲେ ବିଷ୍ଣୁତଳେ । । ୩୬
    ନିଜ ମୂରତି ଗଦାଧର । କି ଅବା ଦେବା ପଟାନ୍ତର । । ୩୭
    ଦେଖି ସାନନ୍ଦ ଦେବଗଣ । କରନ୍ତି ପୁଷ୍ପ ବରଷଣ । । ୩୮
    ବ୍ରହ୍ମାଦି ଦେବଗଣେ ମିଳି । ସ୍ତୁତି କରନ୍ତି ଭୁଜ ତୋଳି । । ୩୯
    ଅସୁର ଦେବସ୍ତୁତି ଶୁଣି । କୋପେ କମ୍ପଇ ଶିର ଝୁଣି । । ୪୦
    ତାହାର ହସ୍ତେ ଗଦା ସାଜେ । କାଞ୍ଚନ-କବଚ ବିରାଜେ । । ୪୧
    ଶୁଣି ଅସୁର ଦୁର୍ବଚନ । କୋପେ କମ୍ପିଲେ ଭଗବାନ । । ୪୨
    ପ୍ରଚଣ୍ତତେଜ ମନ୍ଦହାସେ । ଅସୁର ମୁଖ ଚାହିଁ ରୋଷେ । । ୪୩
    ତା ଉପହାସ ପ୍ରତ୍ୟୁତ୍ତର । ସହାସ୍ୟେ କଲେ ଗଦାଧର । । ୪୪
    ଭଗବାନ ଉବାଚ ବୋଲନ୍ତି ପ୍ରଭୁ ଦୟାନିଧି । ଶୁଣ ହୋ ଅସୁର ଦୁର୍ବୁଦ୍ଧି । । ୪୫
    ବନ ଶୂକର ମୁଁ ସ୍ୱଭାବେ । ମୋର ମହିମା ଶୁଣ ଏବେ । । ୪୬
    ତୋହର ପ୍ରାୟ ଶ୍ୱାନଗଣ । ମୋ ତୁଲେ କେ କରିବ ରଣ । । ୪୭
    ତୁ ମୃତ୍ୟୁପାଶେ ବଦ୍ଧ ହୋଇ । ବିଶେଷେ କହୁ ଦମ୍ଭ ବହି । । ୪୮
    ଯେଣୁ ଅଳପ ବଳ ମୋର । କିବା କହିବି ତୋ ଆଗର । । ୪୯
    ଯେ ବୀରଗଣ ଏ ସଂସାରେ । ତୋର ପ୍ରଶଂସା କେବା କରେ । । ୫୦
    ଆସ ମୋ ପରାଭବ କର । ତୁ ଯୂଥପତିଙ୍କ ପ୍ରବର । । ୫୧
    କରି ତୁ ଆମ୍ଭର ନିଧନ । ତୋ ଯୁଦ୍ଧଆଶା କର ପୂର୍ଣ୍ଣ । । ୫୨
    ପ୍ରତିଜ୍ଞା ପୂର୍ଣ୍ଣ ଯେ ନ କରେ । ଅସାଧୁ ବୋଲାନ୍ତି ସଂସାରେ । । ୫୩
    ସ୍ୱର୍ଗରେ ଦେବଗଣ ଯେତେ । ଦେଖି ତୋହର ଗଦାହସ୍ତେ । । ୫୪
    ଆକାଶ ଛାଡ଼ି ପଳାଇଲେ । ମୋହର ସମୀପେ ମିଳିଲେ । । ୫୫
    କେମନ୍ତେ ସଂଗ୍ରାମ ନ ଦେବି । ପଳାଇ କାହିଁ ବା ପଶିବି । । ୫୬
    ତୋତେ ମୁଁ ସଂଗ୍ରାମେ ନାଶିବି । ଦେବଙ୍କୁ ସଙ୍କଟୁ ତାରିବି । । ୫୭
    ଗଦା ପ୍ରହାରି ତୋର ହୃଦେ । ଦେବେ ସ୍ଥାପିବି ନିଜ ପଦେ । । ୫୮

    ମୈତ୍ରେୟ ଉବାଚ

    ଏମନ୍ତେ ବରାହ ବଚନେ । ସେ ହିରଣ୍ୟାକ୍ଷ କୋପମନେ । । ୫୯
    ସ୍ୱଭାବେ ଦୁଷ୍ଟ ମହାବଳୀ । ଗର୍ଜଇ ହସ୍ତେ ଗଦା ତୋଳି । । ୬୦
    ଶବଦେ ବ୍ରହ୍ମାଣ୍ତ କମ୍ପିଲା । ବରାହ ଅଙ୍ଗେ ପ୍ରହାରିଲା । । ୬୧
    ସେ ହରି ନିଜ ମାୟାବଳେ । ଦୃଢ଼-ପ୍ରହାର ବଞ୍ଚାଇଲେ । । ୬୨
    ପୁଣି ଅସୁର ଗଦାହସ୍ତେ । ମଣ୍ତଳଗତି ଶୂନ୍ୟପଥେ । । ୬୩
    ଗଦା ବୁଲାଇ ଅତି ରୋଷେ । ପିଟିଲା ବିଷ୍ଣୁ ପୃଷ୍ଠଦେଶେ । । ୬୪
    ଶୁଭିଲା ବଜ୍ର ଘଡ଼ଘଡ଼ି । ଅଧର ଦଶନେ କାମୋଡ଼ି । । ୬୫
    ସେ ଗଦା ବଞ୍ଚାଇ ମୁରାରି । ଦକ୍ଷିଣଭୁଜେ ଗଦାଧରି । । ୬୬
    ପିଟିଲେ ଅସୁରର ମୁଣ୍ତେ । ବଜ୍ର ଯେସନେ ଗିରିଖଣ୍ତେ । । ୬୭
    ଏମନ୍ତେ ହରି-ହିରଣ୍ୟାକ୍ଷ । ସମରେ ବେନିଜନ ଦକ୍ଷ । । ୬୮
    ବେନି ଶରୀରେ ଗଦାଘାତ । ଶୁଭଇ ଯେହ୍ନେ ବଜ୍ରପାତ । । ୬୯
    ଜିଣିବା ଆଶେ ଅନ୍ୟୋଅନ୍ୟେ । ଯୁଦ୍ଧ କରନ୍ତି କୋପମନେ । । ୭୦
    ଏମନ୍ତେ ହରି ହିରଣ୍ୟାକ୍ଷେ । ଗଦା ପ୍ରହାରେ ଜାନୁ ବକ୍ଷେ । । ୭୧
    ଫାଟି ବହଇ ଶୋଣୀ ଧାର । ବିଶେଷେ ଯୁଦ୍ଧ ମହାଘୋର । । ୭୨
    ଗଦା ବିଚିତ୍ରଗତି କରି । ବେଗେ ପିଟନ୍ତେ କୋପଭରି । । ୭୩
    ଶବଦ ଶୁଭଇ ପ୍ରଚଣ୍ତ । ଯେହ୍ନେ ଯୁଝନ୍ତି ବେନିଷ‹ଣ୍ଢ । । ୭୪
    ଏମନ୍ତେ ହରି-ହିରଣ୍ୟାକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ । । ୭୫
    ମିଳିଲେ ଦେବ ଋଷିମେଳେ । ଅଞ୍ଜଳି ନିବେଶି କପୋଳେ । । ୭୬
    ବିଧାତା ଶୂନ୍ୟପଥେ ଥାଇ । ସ୍ତୁତି କରନ୍ତି ବିଷ୍ଣୁ ଚାହିଁ । । ୭୭

    ବ୍ରହ୍ମା ଉବାଚ

    ହେ ଦେବଦେବ ତୋ’ ଚରଣ । ଆମ୍ଭେ ଯେ ପଶିଲୁ ଶରଣ । । ୭୮
    ଆମ୍ଭ ସକାଶୁ ବର ପାଇ । ଏ ଦୈତ୍ୟ ଶତ୍ରୁଶୂନ୍ୟ ହୋଇ । । ୭୯
    ଗୋରୁ ବ୍ରାହ୍ମଣ ଦେବଙ୍କର । ଅନିଷ୍ଟ କରଇ ଅସୁର । । ୮୦
    ନିର୍ଭୟେ ଗଦା ଘେନି କରେ । ଯୁଦ୍ଧର ଅର୍ଥେ ତିନିପୁରେ । । ୮୧
    ଭ୍ରମଇଁ ଏହୁ ମହାରୋଷେ । ବାରଣ ଯେହ୍ନେ ନିରଙ୍କୁଶେ । । ୮୨
    ସର୍ପର ଲାଞ୍ଜ ଧରି କରେ । ବାଳକ ଯେହ୍ନେ କ୍ରୀଡ଼ାକରେ । । ୮୩
    ଏହି ମାୟାବୀ ଦୈତ୍ୟ ଘେନି । କ୍ରୀଡ଼ା ନ କର ଗଦାପାଣି । । ୮୪
    ଦିନକୁ ଦିନ ଏ ବଢ଼ନ୍ତେ । କେ ସୁଖେ ଥିବ ଏ ଜଗତେ । । ୮୫
    ଆସୁରୀ-ବେଳା ପ୍ରାପ୍ତ ହୋଇ । ଯାବତ ଏହି ନ ବଢ଼ଇ । । ୮୬
    ତାବତ ନିଜ ମାୟାବଳେ । ଏ ଦୁଷ୍ଟ ନଷ୍ଟକରେ ହେଳେ । । ୮୭
    ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । ଏହାର ପ୍ରାଣ ବେଗେ ହର । । ୮୮
    ଦେଖ ଏ ସନ୍ଧ୍ୟା ବିଭାବରୀ । ଏ ଭୂମି ଅନ୍ଧକାର କରି । । ୮୯
    ଆସଇ ମହାଘୋର ରୂପେ । ଭୋ ନାଥ ଦେଖ ତୋ’ ସମୀପେ । । ୯୦
    ଆମ୍ଭ ବିପକ୍ଷ ଦିତିବଳା । କିବା ତୋହର ବିଷ୍ଣୁଲୀଳା । । ୯୧
    ବେଗେ ଅସୁର ଏବେ ମାର । ଆମ୍ଭର ଜୟ ଉଦେକର । । ୯୨
    ମୁହୂର୍ତ୍ତ ଅଭିଜିତ ନାମ । ସର୍ବମଙ୍ଗଳ ଶୁଭଧାମ । । ୯୩
    ଏ ଶୁଭବେଳେ ଚକ୍ରଧର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । । ୯୪
    ଦୁରନ୍ତ-ଦାନବ ବିନାଶ । ଏ ଋଷି-ଦେବଙ୍କୁ ଉଶ୍ୱାସ । । ୯୫
    ଏହାଙ୍କ ଅଭିଶାପ କାଳେ । ତୁ ଅନୁଗ୍ରହ କଲୁ ହେଳେ । । ୯୬
    ଏହାର ମୃତ୍ୟୁ ତୁ ସାକ୍ଷାତେ । ଭାଗ୍ୟେ ମିଳିଲା ତୋ’ ଅଗ୍ରତେ । । ୯୭
    ଏମନ୍ତେ ଅସୁରର ଲକ୍ଷ୍ୟେ । ଋଷି-ଦେବତା ଅନ୍ତରୀକ୍ଷେ । । ୯୮
    ଅତି ବିକଳେ ସ୍ତୁତି କଲେ । ବରାହରୂପୀ ପାଦତଳେ । । ୯୯
    ସେ ଯଜ୍ଞବରାହ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ । । ୧୦୦
    ତୃତୀୟସ୍କନ୍ଧେ ହରିବାଣୀ । ସନ୍ତୋଷ ଶ୍ରୁତିପଥେ ଶୁଣି । । ୧୦୧
    ହରି ଚରଣେ କରି ଆଶ । କହଇ ଜଗନ୍ନାଥ ଦାସ । । ୧୦୨
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ହିରଣ୍ୟାକ୍ଷଯୁଦ୍ଧେ ଅଷ୍ଟାଦଶୋଽଧ୍ୟାୟଃ ।

    ବିଂଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଏମନ୍ତ ବ୍ରହ୍ମାର ବଚନ । ଶୁଣି ସନ୍ତୋଷ ଭଗବାନ । । ୧
    ଅମୃତ ପ୍ରାୟ ଶୁଣି କର୍ଣ୍ଣେ । ଅସୁରବଧେ ସାବଧାନେ । । ୨
    ଦକ୍ଷିଣକରେ ଗଦାଧରି । ହୁଁକାର ନାଦେ ଦଇତ୍ୟାରି । । ୩
    ନିର୍ଭୟ ଦେଖି ତା ନିକଟେ । ପ୍ରହାର କଲେ କର୍ଣ୍ଣତଟେ । । ୪
    ତକ୍ଷଣେ ଦୈତ୍ୟ ଗଦାବଳେ । ଗଦା ପଡ଼ିଲା ହସ୍ତୁ ତଳେ । । ୫
    ବିଷ୍ଣୁଙ୍କୁ ହିରଣ୍ୟାକ୍ଷ ଚାହିଁ । କ୍ଷତ୍ରିୟଧର୍ମ ବିଚାରଇ । । ୬
    ଆୟୁଧ ନାହିଁ ଏହା ହସ୍ତେ । ଏହାକୁ ମାରିବି କେମନ୍ତେ । । ୭
    ଏମନ୍ତେ ବିଚାରୁ ଅସୁର । ଶୂନ୍ୟେ ଶୁଭିଲା ହାହାକାର । । ୮
    ତା ଶୁଣି ପ୍ରଭୁ ଗଦାଧର । ସମ୍ଭ୍ରମେ ତୋଳି ବେନିକର । । ୯
    ବୋଲନ୍ତି ଦେବଗଣେ ଚାହିଁ । ଭୟ ନ କର ତୁମ୍ଭେ କେହି । । ୧୦
    ଏମନ୍ତେ କହି ଦେବରାଜ । ଉର୍ଦ୍ଧ୍ୱେ ତୋଳିଲେ ଦକ୍ଷଭୁଜ । । ୧୧
    ନିଜ ଆୟୁଧେ କଲେ ମନ । ତକ୍ଷଣେ ଜାଣି ସୁଦର୍ଶନ । । ୧୨
    ବେଗେ ଧାଇଁଲା ଶୂନ୍ୟେ ବ୍ୟାପି । ତେଜ ବିରାଜେ ବିଶ୍ୱରୂପୀ । । ୧୩
    ମିଳିଲା ବିଷ୍ଣୁକରେ ଯାଇ । ତା ଦିତିପୁତ୍ର ନ ଜାଣଇ । । ୧୪
    ଦେବେ ଦେଖନ୍ତି ଶୂନ୍ୟପଥେ । ଚକ୍ରକୁ ଚାହିଁ ବିଷ୍ଣୁହସ୍ତେ । । ୧୫
    କହନ୍ତି ବିଚିତ୍ର ବଚନ । ଭୋ ଦେବ ହେଉ ତୋ କଲ୍ୟାଣ । । ୧୬
    ଭୋ ନାଥ ତୋ’ର ଦ୍ୱାରପାଳ । ଏ ଦୁଷ୍ଟ ତେଜେ ଅନର୍ଗଳ । । ୧୭
    ଏହାର ପ୍ରାଣ ବେଗେ ହର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । । ୧୮
    ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି । କୋପେ ଧାଇଁଲା ବୀରମଣି । । ୧୯
    ସମୀପେ ଦେଖି ଚକ୍ରପାଣି । ଓଷ୍ଠ କାମୋଡ଼େ ପୁଣପୁଣି । । ୨୦
    ନିଃଶ୍ୱାସ ଖରତର ବହେ । କୋପେ କମ୍ପଇ ତାର କାୟେ । । ୨୧
    କରାଳ ଦିଶେ ତା ବଦନ । ନୟନୁ ପ୍ରକାଶେ ଦହନ । । ୨୨
    ଦହିଲା ପ୍ରାୟ ଦଶଦିଶେ । ବେଗେ ଧାଇଁଲା ମହାରୋଷେ । । ୨୩
    ଡାକଇ ପୂରିଲା ତୋ କାଳ । ମୋ ଗଦାପ୍ରହାର ସମ୍ଭାଳ । । ୨୪
    ଏମନ୍ତ ବୋଲି କୋପଭରେ । ପିଟିଲା ବିଷ୍ଣୁର ଉପରେ । । ୨୫
    ପବନବତ ଜଗନ୍ନାଥ । ପାଦେ ହରିଲେ ଗଦାଘାତ । । ୨୬
    ଦୈତ୍ୟକୁ ବୋଲନ୍ତି ଉତ୍ତର । ଯେବେ ଜିଣିବା ଇଚ୍ଛା ତୋ’ର । । ୨୭
    ଉତ୍ତମ ଶସ୍ତ୍ର ଧରି ହସ୍ତେ । ପ୍ରହାର କର ତୁହି ମୋତେ । । ୨୮
    ଏମନ୍ତ ଶୁଣିଣ ବଚନ । କୋପେ କମ୍ପଇ ଅପଘନ । । ୨୯
    ଗୋବିନ୍ଦ ଶିରେ ଗଦାଘାତ । ପଡ଼ି ଶୁଭିଲା ବଜ୍ରାଘାତ । । ୩୦
    ଶବଦେ ଭୁବନ କମ୍ପିଲା । ତକ୍ଷଣେ ଭୂମିରେ ପଡ଼ିଲା । । ୩୧
    ଭାଜିଲା ଶତେଖଣ୍ତ ହୋଇ । ଦେବେ ଦେଖନ୍ତି ଶୂନ୍ୟେ ରହି । । ୩୨
    ଗଦା ଯାଚିଲେ ନାରାୟଣ । ଅସୁର ନ ନେଲା ତା ପୁଣ । । ୩୩
    ଗଦା ବିଭଙ୍ଗେ କୋପଭରେ । ତୀକ୍ଷ୍ଣ ତ୍ରିଶୂଳ ଧରି କରେ । । ୩୪
    ଅନଳ ପ୍ରାୟ ଶୂଳ ଜଳେ । ଦେଖି କମ୍ପିଲେ ଦିଗପାଳେ । । ୩୫
    ଯଜ୍ଞ-ସ୍ୱରୂପୀ ବିଷ୍ଣୁ ଦେହେ । ବ୍ରାହ୍ମଣେ ଅଭିଚାର ପ୍ରାୟେ । । ୩୬
    ଉଚ୍ଚେ ଧଇଲା ଶୂଳ ତୋଳି । ପିଟିଲା ନେଇ ମହାବଳୀ । । ୩୭
    ତା ଦେଖି ପ୍ରଭୁ ଜଗନ୍ନାଥ । ସୁତୀକ୍ଷ୍ଣ ଚକ୍ର ଘେନି ହସ୍ତ । । ୩୮
    ସେ ଶୂଳ ଗଗନେ ପ୍ରକାଶେ । ଜ୍ୱଳନ୍ତ ଅଗ୍ନିପ୍ରାୟ ଦିଶେ । । ୩୯
    ଶୂଳ ଛେଦିଲେ ମହାଶୂନ୍ୟେ । ଗରୁଡ଼ ପକ୍ଷ ଇନ୍ଦ୍ର ଯେହ୍ନେ । । ୪୦
    ତ୍ରିଶୂଳ ଭଗ୍ନ ଦେଖି ରୋଷେ । ବେଗେ ମିଳିଲା ବିଷ୍ଣୁପାଶେ । । ୪୧
    ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେ । ପ୍ରହାରେ ଯଜ୍ଞରୂପୀ ଦେହେ । । ୪୨
    ମାୟାବୀ ହିରଣ୍ୟାକ୍ଷ ବୀର । ଶରୀର କଲା ଯେ ଅନ୍ତର । । ୪୩
    କେହି ନ ଦେଖେ କେଣେ ଗଲା । ଅଦ୍ଭୁତ ଶବଦ ଶୁଭିଲା । । ୪୪
    ତା’ର ପ୍ରହାରେ ପଦ୍ମମୁଖ । ସହଜେ ନୋହିଲେ ବିମୁଖ । । ୪୫
    ଗଜକୁ ପୁଷ୍ପମଣ୍ତା ଯେହ୍ନେ । ପ୍ରହାରେ ଦୁଃଖ ନାହିଁ ମନେ । । ୪୬
    ପୁଣି କ୍ଷଣକେ ମହାରୋଷେ । ଅସୁର ମିଳି ବିଷ୍ଣୁ ପାଶେ । । ୪୭
    ମାୟା ସର୍ଜିଲା ଅପ୍ରମିତେ । ଶ୍ରୀମାୟାଧରଙ୍କ ଅଗ୍ରତେ । । ୪୮
    ସେ ମାୟା ଦେଖି ଦେବଗଣେ । ହସ୍ତ ଆଚ୍ଛାଦିଲେ ନୟନେ । । ୪୯
    ଶରୀର କମ୍ପେ ମହାଭୟେ । ମଣିଲେ ପ୍ରଳୟର ପ୍ରାୟେ । । ୫୦
    ପ୍ରଚଣ୍ତ-ବାତ ବହେ ଖରେ । ଶୂନ୍ୟୁ ପାଷାଣ ବୃଷ୍ଟି କରେ । । ୫୧
    ପାଂଶୁ ପୂରିଲା ଦଶଦିଶେ । ନିଷ୍ଠୁର ତମ ଯେ ପ୍ରକାଶେ । । ୫୨
    ଘୋର ଗର୍ଜନ ମାୟା ମେଘେ । ବିଜୁଳି ଲୁଚିଲେ ଦଶଦିଗେ । । ୫୩
    ବିଷମ ମେଘର ଆଚ୍ଛନ୍ନେ । ଶୂନ୍ୟେ ଲୁଚିଲେ ଜ୍ୟୋତିର୍ଗଣେ । । ୫୪
    ପୂଯ ପୁରୀଷ ମୂତ୍ର ଅସ୍ଥି । ରୁଧିର ସଙ୍ଗେ ବରଷନ୍ତି । । ୫୫
    ପର୍ବତ ପ୍ରାୟ ଦେହ କରି । ରାକ୍ଷସୀ ନାନା ଶସ୍ତ୍ର ଧରି । । ୫୬
    ଧାମନ୍ତି ଅତି ମହାରୋଷେ । କଟୀ ବିବସ୍ତ୍ର ମୁକ୍ତ କେଶେ । । ୫୭
    ହସ୍ତେ ବିରାଜେ ତୀକ୍ଷ୍ଣ ଶୂଳ । ଶୁଭଇ ମୁଖ ରାବ ଗୋଳ । । ୫୮
    ପ୍ରଳୟ-କାଳ ପ୍ରାୟ ମଣି । ଅଦ୍ଭୁତେ କମ୍ପଇ ଧରଣୀ । । ୫୯
    ଯକ୍ଷ ରାକ୍ଷସ ପନ୍ତି-ପନ୍ତି । ରଥ ତୁରଙ୍ଗ ନର ହସ୍ତୀ । । ୬୦
    କୁ›ତ୍ସିତ ବାକ୍ୟେ ରାବ ଶୁଭେ । ଶୂନ୍ୟେ କମ୍ପନ୍ତି ସର୍ବଦେବେ । । ୬୧
    ଏମନ୍ତ ମାୟା ଦେଖି ହରି । ନିଶ୍ଚୟ ଜାଣିଲେ ଆସୁରୀ । । ୬୨
    ମାୟାବୀ ଦର୍ପ ବିନାଶନେ । କୋପ ବସିଲା ବିଷ୍ଣୁମନେ । । ୬୩
    ସୁଦରଶନ ଧରି କରେ । ହରି ଧାଇଁଲେ ଧାତିକାରେ । । ୬୪
    ତକ୍ଷଣେ କଶ୍ୟପ-ଭୁବନେ । ଭୟ ପଶିଲା ଦିତିମନେ । । ୬୫
    ହୃଦୟ କମ୍ପଇ କାତରେ । ବାକ୍ୟ ନ ସ୍ଫୁରେ କମ୍ପ-ଜ୍ୱରେ । । ୬୬
    ସ୍ୱାମୀର ବଚନ ସୁମରେ । ସ୍ତନୁ ରୁଧିର ଧାରା ଝରେ । । ୬୭
    ଚକ୍ରର ତେଜେ ମାୟା ଗଲା । ରବି କିରଣ ପ୍ରକାଶିଲା । । ୬୮
    କ୍ଷେପି ଅସୁର ମହାକୋପେ । ମିଳିଲା ବିଷ୍ଣୁର ସମୀପେ । । ୬୯
    ରୋଷେ ଅରୁଣ ଦିଶେ ଦୃଷ୍ଟି । ଉର୍ଦ୍ଧ୍ୱେ ତୋଳିଲା ବେନି ମୁଷ୍ଟି । । ୭୦
    ଗୋବିନ୍ଦ ହୃଦେ ପ୍ରହାରିଲା । ଶବଦେ ଭୁବନ କମ୍ପିଲା । । ୭୧
    ମୁଷ୍ଟି ବାଜିଲା ବଜ୍ର ପ୍ରାୟେ । ଦେଖି କୋପିଲେ ଦେବରାୟେ । । ୭୨
    କର ପ୍ରସାରି କର୍ଣ୍ଣମୂଳେ । ଗୋବିନ୍ଦ ପ୍ରହାରିଲେ ବଳେ । । ୭୩
    ପୂର୍ବେ ଯେସନେ ସୁରରାୟେ । ବିଶ୍ୱକର୍ମାର ପୁତ୍ର ଦେହେ । । ୭୪
    ଯଜ୍ଞ-ବରାହ ଅବହେଳେ । ପାଦ ପ୍ରହାରେ କର୍ଣ୍ଣମୂଳେ । । ୭୫
    କେବଳ ଏକ ପଦାଘାତେ । ଘୂର୍ଣ୍ଣିତ ଲୋଚନ ସହିତେ । । ୭୬
    ତା ହସ୍ତପାଦ ହେଲା ଶୀର୍ଣ୍ଣ । ହୋଇଲା ଶରୀର ବିବର୍ଣ୍ଣ । । ୭୭
    ମୁଷ୍ଟି ପ୍ରହାରେ ମୁଣ୍ତ ଫାଟି । ପଡ଼ିଲା ମହୀତଳେ ଲୋଟି । । ୭୮
    ବୃକ୍ଷ ଯେସନେ ବାୟୁ ବଳେ । ଉପୁଡ଼ି ପଡ଼ଇ ଭୂତଳେ । । ୭୯
    ତେସନେ ଭୂମିତଳେ ପଡ଼ି । ଦଶନେ ଅଧର କାମୋଡ଼ି । । ୮୦
    ସେ ନାଦ କଲା ଘୋରତର । ପ୍ରାଣ ଛାଡ଼ିଲା ମହାବୀର । । ୮୧
    ଅସୁର ମୃତ୍ୟୁ ଦେବେ ଦେଖି । ମିଳିଲେ ଗଗନ ଉପେକ୍ଷି । । ୮୨
    ଦେଖିଲେ ଅସୁର ବଦନ । ଭ୍ରୂକୁଟୀ କୁଟୀଳ ନୟନ । । ୮୩
    ବିଧାତା ଆଦି ସୁରବୃନ୍ଦ । କରନ୍ତି ଜୟ ଜୟ ନାଦ । । ୮୪
    ବୋଲନ୍ତି ଧନ୍ୟ ଏ ଅସୁର । ବିଷ୍ଣୁର ହସ୍ତେ ଗଲା ମାର । । ୮୫
    ଏମନ୍ତେ କେ ଲଭେ ମରଣ । ଲଭିଲା ବିଷ୍ଣୁର ଚରଣ । । ୮୬
    ଯେ ପାଦ ଅର୍ଥେ ଯୋଗୀଜନ । ନିର୍ଜନେ ଯୋଗ କରେ ଧ୍ୟାନ । । ୮୭
    ସେ ପଦାଘାତେ ଏ ଅସୁର । ତେଜିଲା ନିଜ କଳେବର । । ୮୮
    ଧନ୍ୟ ଜୀବନଟି ଏହାର । ବ୍ରାହ୍ମଣ ଶାପୁଁ ହେଲା ପାର । । ୮୯
    ପୁଣି ହୋଇବ ଜନ୍ମଦୁଇ । ଏମନ୍ତ ବୋଲି ବିଷ୍ଣୁ ଚାହିଁ । । ୯୦
    ବ୍ରହ୍ମାଦିଦେବେ କରଯୋଡ଼ି । ସ୍ତୁତି କରନ୍ତି ପାଦେ ପଡ଼ି । । ୯୧

    ଦେବଗଣ ଉବାଚ

    ନମୋ ଅଖିଳ ଯଜ୍ଞ-ତନ୍ତୁ । ତୋ ଅବତାର ଭକ୍ତ ହେତୁ । । ୯୨
    ନିର୍ମଳ ସତ୍ତ୍ବ ମୂର୍ତ୍ତି ଧରି । ସଂସାର ପାଳୁ ନରହରି । । ୯୩
    ଆମ୍ଭର ଭାଗ୍ୟେ ଭଗବାନ । ଏ ଦୁଷ୍ଟ କଲୁ ତୁ ନିଧନ । । ୯୪
    ତୋର ପ୍ରସନ୍ନେ ଜଗନ୍ନାଥ । ଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ । । ୯୫
    ତୋର ସଂସାର ପାଳ ଏବେ । ଏମନ୍ତ କହି ସର୍ବଦେବେ । । ୯୬
    ଆନନ୍ଦେ ଗଲେ ନିଜ ପୁର । ସୁମନେ ଶୁଣ ହେ ବିଦୁର । । ୯୭

    ମୈତ୍ରେୟ ଉବାଚ

    ଏମନ୍ତେ ହିରଣ୍ୟାକ୍ଷ ମାରି । ଯଜ୍ଞବରାହ ରୂପ ଧରି । । ୯୮
    ନିଜ ଭୁବନେ ହରି ଗଲେ । ଉତ୍ସ›ବ ପରମ ମଙ୍ଗଳେ । । ୯୯
    ବ୍ରହ୍ମାଦି ଦେବେ କଲେ ସ୍ତୁତି । ନିଜ ଭୁବନେ ଲକ୍ଷ୍ମୀପତି । । ୧୦୦
    ଭକ୍ତ ଉଦ୍ଧରି ମହାତୋଷେ । ମିଳିଲେ କମଳିନୀ ପାଶେ । । ୧୦୧
    ତୁ ଯାହା ପଚାରିଲୁ ମୋତେ । ପ୍ରସନ୍ନେ କହିଲି ମୁଁ ତୋତେ । । ୧୦୨
    ବିଷ୍ଣୁର ଲୀଳା ଅବତାର । ହିରଣ୍ୟାକ୍ଷର ଯେ ଉଦ୍ଧାର । । ୧୦୩

    ସୂତ ଉବାଚ

    ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ସାବଧାନେ ଶୁଣି । । ୧୦୪
    ପରମାନନ୍ଦ ସେ ଲଭିଲା । କାନନେ ପରାଶର-ବଳା । । ୧୦୫
    ଅନ୍ୟ ଯେ ପୁଣ୍ୟଶ୍ଳୋକ ଜନେ । ନାନାପ୍ରକାରେ ଏ ଭୁବନେ । । ୧୦୬
    ତାହାଙ୍କ ଯଶ କର୍ଣ୍ଣେ ଶୁଣି । ଭବସାଗରୁ ତରେ ପ୍ରାଣୀ । । ୧୦୭
    କୃଷ୍ଣର ଗୁଣ-ଅବତାର । କର୍ଣ୍ଣେ ଅମୃତ-ରସ-ଧାର । । ୧୦୮
    ଶୁଣି ସୁଜନେ କର୍ଣ୍ଣଦ୍ବାରେ । କିପାଁ ନ ତରିବେ ସଂସାରେ । । ୧୦୯
    ବନସ୍ତ ଗଜ ଜଳେ ପଶି । କରିଣୀ-ପଲ ମଧ୍ୟେ ମିଶି । । ୧୧୦
    ଜଳେ ଚରନ୍ତେ ପଦ୍ମବନେ । କୁମ୍ଭୀର ଗ୍ରାସିଲା ଚରଣେ । । ୧୧୧
    ଚରଣ ନ ପାରିଲା ଆଣି । ଅନେକ ହସ୍ତୀ ତାକୁ ପୁଣି । । ୧୧୨
    ଧଇଲେ ଉଦ୍ଧରିବା ବଳେ । ତିଳେ ହେଁ ଟାଲି ନ ପାରିଲେ

    ଉନବିଂଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଏମନ୍ତ ବ୍ରହ୍ମାର ବଚନ । ଶୁଣି ସନ୍ତୋଷ ଭଗବାନ । । ୧

    ଅମୃତ ପ୍ରାୟ ଶୁଣି କର୍ଣ୍ଣେ । ଅସୁରବଧେ ସାବଧାନେ । । ୨

    ଦକ୍ଷିଣକରେ ଗଦାଧରି । ହୁଁକାର ନାଦେ ଦଇତ୍ୟାରି । । ୩

    ନିର୍ଭୟ ଦେଖି ତା ନିକଟେ । ପ୍ରହାର କଲେ କର୍ଣ୍ଣତଟେ । । ୪

    ତକ୍ଷଣେ ଦୈତ୍ୟ ଗଦାବଳେ । ଗଦା ପଡ଼ିଲା ହସ୍ତୁ ତଳେ । । ୫

    ବିଷ୍ଣୁଙ୍କୁ ହିରଣ୍ୟାକ୍ଷ ଚାହିଁ । କ୍ଷତ୍ରିୟଧର୍ମ ବିଚାରଇ । । ୬

    ଆୟୁଧ ନାହିଁ ଏହା ହସ୍ତେ । ଏହାକୁ ମାରିବି କେମନ୍ତେ । । ୭

    ଏମନ୍ତେ ବିଚାରୁ ଅସୁର । ଶୂନ୍ୟେ ଶୁଭିଲା ହାହାକାର । । ୮

    ତା ଶୁଣି ପ୍ରଭୁ ଗଦାଧର । ସମ୍ଭ୍ରମେ ତୋଳି ବେନିକର । । ୯

    ବୋଲନ୍ତି ଦେବଗଣେ ଚାହିଁ । ଭୟ ନ କର ତୁମ୍ଭେ କେହି । । ୧୦

    ଏମନ୍ତେ କହି ଦେବରାଜ । ଉର୍ଦ୍ଧ୍ୱେ ତୋଳିଲେ ଦକ୍ଷଭୁଜ । । ୧୧

    ନିଜ ଆୟୁଧେ କଲେ ମନ । ତକ୍ଷଣେ ଜାଣି ସୁଦର୍ଶନ । । ୧୨

    ବେଗେ ଧାଇଁଲା ଶୂନ୍ୟେ ବ୍ୟାପି । ତେଜ ବିରାଜେ ବିଶ୍ୱରୂପୀ । । ୧୩

    ମିଳିଲା ବିଷ୍ଣୁକରେ ଯାଇ । ତା ଦିତିପୁତ୍ର ନ ଜାଣଇ । । ୧୪

    ଦେବେ ଦେଖନ୍ତି ଶୂନ୍ୟପଥେ । ଚକ୍ରକୁ ଚାହିଁ ବିଷ୍ଣୁହସ୍ତେ । । ୧୫

    କହନ୍ତି ବିଚିତ୍ର ବଚନ । ଭୋ ଦେବ ହେଉ ତୋ କଲ୍ୟାଣ । । ୧୬

    ଭୋ ନାଥ ତୋ’ର ଦ୍ୱାରପାଳ । ଏ ଦୁଷ୍ଟ ତେଜେ ଅନର୍ଗଳ । । ୧୭

    ଏହାର ପ୍ରାଣ ବେଗେ ହର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । । ୧୮

    ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି । କୋପେ ଧାଇଁଲା ବୀରମଣି । । ୧୯

    ସମୀପେ ଦେଖି ଚକ୍ରପାଣି । ଓଷ୍ଠ କାମୋଡ଼େ ପୁଣପୁଣି । । ୨୦

    ନିଃଶ୍ୱାସ ଖରତର ବହେ । କୋପେ କମ୍ପଇ ତାର କାୟେ । । ୨୧

    କରାଳ ଦିଶେ ତା ବଦନ । ନୟନୁ ପ୍ରକାଶେ ଦହନ । । ୨୨

    ଦହିଲା ପ୍ରାୟ ଦଶଦିଶେ । ବେଗେ ଧାଇଁଲା ମହାରୋଷେ । । ୨୩

    ଡାକଇ ପୂରିଲା ତୋ କାଳ । ମୋ ଗଦାପ୍ରହାର ସମ୍ଭାଳ । । ୨୪

    ଏମନ୍ତ ବୋଲି କୋପଭରେ । ପିଟିଲା ବିଷ୍ଣୁର ଉପରେ । । ୨୫

    ପବନବତ ଜଗନ୍ନାଥ । ପାଦେ ହରିଲେ ଗଦାଘାତ । । ୨୬

    ଦୈତ୍ୟକୁ ବୋଲନ୍ତି ଉତ୍ତର । ଯେବେ ଜିଣିବା ଇଚ୍ଛା ତୋ’ର । । ୨୭

    ଉତ୍ତମ ଶସ୍ତ୍ର ଧରି ହସ୍ତେ । ପ୍ରହାର କର ତୁହି ମୋତେ । । ୨୮

    ଏମନ୍ତ ଶୁଣିଣ ବଚନ । କୋପେ କମ୍ପଇ ଅପଘନ । । ୨୯

    ଗୋବିନ୍ଦ ଶିରେ ଗଦାଘାତ । ପଡ଼ି ଶୁଭିଲା ବଜ୍ରାଘାତ । । ୩୦

    ଶବଦେ ଭୁବନ କମ୍ପିଲା । ତକ୍ଷଣେ ଭୂମିରେ ପଡ଼ିଲା । । ୩୧

    ଭାଜିଲା ଶତେଖଣ୍ତ ହୋଇ । ଦେବେ ଦେଖନ୍ତି ଶୂନ୍ୟେ ରହି । । ୩୨

    ଗଦା ଯାଚିଲେ ନାରାୟଣ । ଅସୁର ନ ନେଲା ତା ପୁଣ । । ୩୩

    ଗଦା ବିଭଙ୍ଗେ କୋପଭରେ । ତୀକ୍ଷ୍ଣ ତ୍ରିଶୂଳ ଧରି କରେ । । ୩୪

    ଅନଳ ପ୍ରାୟ ଶୂଳ ଜଳେ । ଦେଖି କମ୍ପିଲେ ଦିଗପାଳେ । । ୩୫

    ଯଜ୍ଞ-ସ୍ୱରୂପୀ ବିଷ୍ଣୁ ଦେହେ । ବ୍ରାହ୍ମଣେ ଅଭିଚାର ପ୍ରାୟେ । । ୩୬

    ଉଚ୍ଚେ ଧଇଲା ଶୂଳ ତୋଳି । ପିଟିଲା ନେଇ ମହାବଳୀ । । ୩୭

    ତା ଦେଖି ପ୍ରଭୁ ଜଗନ୍ନାଥ । ସୁତୀକ୍ଷ୍ଣ ଚକ୍ର ଘେନି ହସ୍ତ । । ୩୮

    ସେ ଶୂଳ ଗଗନେ ପ୍ରକାଶେ । ଜ୍ୱଳନ୍ତ ଅଗ୍ନିପ୍ରାୟ ଦିଶେ । । ୩୯

    ଶୂଳ ଛେଦିଲେ ମହାଶୂନ୍ୟେ । ଗରୁଡ଼ ପକ୍ଷ ଇନ୍ଦ୍ର ଯେହ୍ନେ । । ୪୦

    ତ୍ରିଶୂଳ ଭଗ୍ନ ଦେଖି ରୋଷେ । ବେଗେ ମିଳିଲା ବିଷ୍ଣୁପାଶେ । । ୪୧

    ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେ । ପ୍ରହାରେ ଯଜ୍ଞରୂପୀ ଦେହେ । । ୪୨

    ମାୟାବୀ ହିରଣ୍ୟାକ୍ଷ ବୀର । ଶରୀର କଲା ଯେ ଅନ୍ତର । । ୪୩

    କେହି ନ ଦେଖେ କେଣେ ଗଲା । ଅଦ୍ଭୁତ ଶବଦ ଶୁଭିଲା । । ୪୪

    ତା’ର ପ୍ରହାରେ ପଦ୍ମମୁଖ । ସହଜେ ନୋହିଲେ ବିମୁଖ । । ୪୫

    ଗଜକୁ ପୁଷ୍ପମଣ୍ତା ଯେହ୍ନେ । ପ୍ରହାରେ ଦୁଃଖ ନାହିଁ ମନେ । । ୪୬

    ପୁଣି କ୍ଷଣକେ ମହାରୋଷେ । ଅସୁର ମିଳି ବିଷ୍ଣୁ ପାଶେ । । ୪୭

    ମାୟା ସର୍ଜିଲା ଅପ୍ରମିତେ । ଶ୍ରୀମାୟାଧରଙ୍କ ଅଗ୍ରତେ । । ୪୮

    ସେ ମାୟା ଦେଖି ଦେବଗଣେ । ହସ୍ତ ଆଚ୍ଛାଦିଲେ ନୟନେ । । ୪୯

    ଶରୀର କମ୍ପେ ମହାଭୟେ । ମଣିଲେ ପ୍ରଳୟର ପ୍ରାୟେ । । ୫୦

    ପ୍ରଚଣ୍ତ-ବାତ ବହେ ଖରେ । ଶୂନ୍ୟୁ ପାଷାଣ ବୃଷ୍ଟି କରେ । । ୫୧

    ପାଂଶୁ ପୂରିଲା ଦଶଦିଶେ । ନିଷ୍ଠୁର ତମ ଯେ ପ୍ରକାଶେ । । ୫୨

    ଘୋର ଗର୍ଜନ ମାୟା ମେଘେ । ବିଜୁଳି ଲୁଚିଲେ ଦଶଦିଗେ । । ୫୩

    ବିଷମ ମେଘର ଆଚ୍ଛନ୍ନେ । ଶୂନ୍ୟେ ଲୁଚିଲେ ଜ୍ୟୋତିର୍ଗଣେ । । ୫୪

    ପୂଯ ପୁରୀଷ ମୂତ୍ର ଅସ୍ଥି । ରୁଧିର ସଙ୍ଗେ ବରଷନ୍ତି । । ୫୫

    ପର୍ବତ ପ୍ରାୟ ଦେହ କରି । ରାକ୍ଷସୀ ନାନା ଶସ୍ତ୍ର ଧରି । । ୫୬

    ଧାମନ୍ତି ଅତି ମହାରୋଷେ । କଟୀ ବିବସ୍ତ୍ର ମୁକ୍ତ କେଶେ । । ୫୭

    ହସ୍ତେ ବିରାଜେ ତୀକ୍ଷ୍ଣ ଶୂଳ । ଶୁଭଇ ମୁଖ ରାବ ଗୋଳ । । ୫୮

    ପ୍ରଳୟ-କାଳ ପ୍ରାୟ ମଣି । ଅଦ୍ଭୁତେ କମ୍ପଇ ଧରଣୀ । । ୫୯

    ଯକ୍ଷ ରାକ୍ଷସ ପନ୍ତି-ପନ୍ତି । ରଥ ତୁରଙ୍ଗ ନର ହସ୍ତୀ । । ୬୦

    କୁ›ତ୍ସିତ ବାକ୍ୟେ ରାବ ଶୁଭେ । ଶୂନ୍ୟେ କମ୍ପନ୍ତି ସର୍ବଦେବେ । । ୬୧

    ଏମନ୍ତ ମାୟା ଦେଖି ହରି । ନିଶ୍ଚୟ ଜାଣିଲେ ଆସୁରୀ । । ୬୨

    ମାୟାବୀ ଦର୍ପ ବିନାଶନେ । କୋପ ବସିଲା ବିଷ୍ଣୁମନେ । । ୬୩

    ସୁଦରଶନ ଧରି କରେ । ହରି ଧାଇଁଲେ ଧାତିକାରେ । । ୬୪

    ତକ୍ଷଣେ କଶ୍ୟପ-ଭୁବନେ । ଭୟ ପଶିଲା ଦିତିମନେ । । ୬୫

    ହୃଦୟ କମ୍ପଇ କାତରେ । ବାକ୍ୟ ନ ସ୍ଫୁରେ କମ୍ପ-ଜ୍ୱରେ । । ୬୬

    ସ୍ୱାମୀର ବଚନ ସୁମରେ । ସ୍ତନୁ ରୁଧିର ଧାରା ଝରେ । । ୬୭

    ଚକ୍ରର ତେଜେ ମାୟା ଗଲା । ରବି କିରଣ ପ୍ରକାଶିଲା । । ୬୮

    କ୍ଷେପି ଅସୁର ମହାକୋପେ । ମିଳିଲା ବିଷ୍ଣୁର ସମୀପେ । । ୬୯

    ରୋଷେ ଅରୁଣ ଦିଶେ ଦୃଷ୍ଟି । ଉର୍ଦ୍ଧ୍ୱେ ତୋଳିଲା ବେନି ମୁଷ୍ଟି । । ୭୦

    ଗୋବିନ୍ଦ ହୃଦେ ପ୍ରହାରିଲା । ଶବଦେ ଭୁବନ କମ୍ପିଲା । । ୭୧

    ମୁଷ୍ଟି ବାଜିଲା ବଜ୍ର ପ୍ରାୟେ । ଦେଖି କୋପିଲେ ଦେବରାୟେ । । ୭୨

    କର ପ୍ରସାରି କର୍ଣ୍ଣମୂଳେ । ଗୋବିନ୍ଦ ପ୍ରହାରିଲେ ବଳେ । । ୭୩

    ପୂର୍ବେ ଯେସନେ ସୁରରାୟେ । ବିଶ୍ୱକର୍ମାର ପୁତ୍ର ଦେହେ । । ୭୪

    ଯଜ୍ଞ-ବରାହ ଅବହେଳେ । ପାଦ ପ୍ରହାରେ କର୍ଣ୍ଣମୂଳେ । । ୭୫

    କେବଳ ଏକ ପଦାଘାତେ । ଘୂର୍ଣ୍ଣିତ ଲୋଚନ ସହିତେ । । ୭୬

    ତା ହସ୍ତପାଦ ହେଲା ଶୀର୍ଣ୍ଣ । ହୋଇଲା ଶରୀର ବିବର୍ଣ୍ଣ । । ୭୭

    ମୁଷ୍ଟି ପ୍ରହାରେ ମୁଣ୍ତ ଫାଟି । ପଡ଼ିଲା ମହୀତଳେ ଲୋଟି । । ୭୮

    ବୃକ୍ଷ ଯେସନେ ବାୟୁ ବଳେ । ଉପୁଡ଼ି ପଡ଼ଇ ଭୂତଳେ । । ୭୯

    ତେସନେ ଭୂମିତଳେ ପଡ଼ି । ଦଶନେ ଅଧର କାମୋଡ଼ି । । ୮୦

    ସେ ନାଦ କଲା ଘୋରତର । ପ୍ରାଣ ଛାଡ଼ିଲା ମହାବୀର । । ୮୧

    ଅସୁର ମୃତ୍ୟୁ ଦେବେ ଦେଖି । ମିଳିଲେ ଗଗନ ଉପେକ୍ଷି । । ୮୨

    ଦେଖିଲେ ଅସୁର ବଦନ । ଭ୍ରୂକୁଟୀ କୁଟୀଳ ନୟନ । । ୮୩

    ବିଧାତା ଆଦି ସୁରବୃନ୍ଦ । କରନ୍ତି ଜୟ ଜୟ ନାଦ । । ୮୪

    ବୋଲନ୍ତି ଧନ୍ୟ ଏ ଅସୁର । ବିଷ୍ଣୁର ହସ୍ତେ ଗଲା ମାର । । ୮୫

    ଏମନ୍ତେ କେ ଲଭେ ମରଣ । ଲଭିଲା ବିଷ୍ଣୁର ଚରଣ । । ୮୬

    ଯେ ପାଦ ଅର୍ଥେ ଯୋଗୀଜନ । ନିର୍ଜନେ ଯୋଗ କରେ ଧ୍ୟାନ । । ୮୭

    ସେ ପଦାଘାତେ ଏ ଅସୁର । ତେଜିଲା ନିଜ କଳେବର । । ୮୮

    ଧନ୍ୟ ଜୀବନଟି ଏହାର । ବ୍ରାହ୍ମଣ ଶାପୁଁ ହେଲା ପାର । । ୮୯

    ପୁଣି ହୋଇବ ଜନ୍ମଦୁଇ । ଏମନ୍ତ ବୋଲି ବିଷ୍ଣୁ ଚାହିଁ । । ୯୦

    ବ୍ରହ୍ମାଦିଦେବେ କରଯୋଡ଼ି । ସ୍ତୁତି କରନ୍ତି ପାଦେ ପଡ଼ି । । ୯୧

    ଦେବଗଣ ଉବାଚ

    ନମୋ ଅଖିଳ ଯଜ୍ଞ-ତନ୍ତୁ । ତୋ ଅବତାର ଭକ୍ତ ହେତୁ । । ୯୨

    ନିର୍ମଳ ସତ୍ତ୍ବ ମୂର୍ତ୍ତି ଧରି । ସଂସାର ପାଳୁ ନରହରି । । ୯୩

    ଆମ୍ଭର ଭାଗ୍ୟେ ଭଗବାନ । ଏ ଦୁଷ୍ଟ କଲୁ ତୁ ନିଧନ । । ୯୪

    ତୋର ପ୍ରସନ୍ନେ ଜଗନ୍ନାଥ । ଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ । । ୯୫

    ତୋର ସଂସାର ପାଳ ଏବେ । ଏମନ୍ତ କହି ସର୍ବଦେବେ । । ୯୬

    ଆନନ୍ଦେ ଗଲେ ନିଜ ପୁର । ସୁମନେ ଶୁଣ ହେ ବିଦୁର । । ୯୭

    ମୈତ୍ରେୟ ଉବାଚ

    ଏମନ୍ତେ ହିରଣ୍ୟାକ୍ଷ ମାରି । ଯଜ୍ଞବରାହ ରୂପ ଧରି । । ୯୮

    ନିଜ ଭୁବନେ ହରି ଗଲେ । ଉତ୍ସ›ବ ପରମ ମଙ୍ଗଳେ । । ୯୯

    ବ୍ରହ୍ମାଦି ଦେବେ କଲେ ସ୍ତୁତି । ନିଜ ଭୁବନେ ଲକ୍ଷ୍ମୀପତି । । ୧୦୦

    ଭକ୍ତ ଉଦ୍ଧରି ମହାତୋଷେ । ମିଳିଲେ କମଳିନୀ ପାଶେ । । ୧୦୧

    ତୁ ଯାହା ପଚାରିଲୁ ମୋତେ । ପ୍ରସନ୍ନେ କହିଲି ମୁଁ ତୋତେ । । ୧୦୨

    ବିଷ୍ଣୁର ଲୀଳା ଅବତାର । ହିରଣ୍ୟାକ୍ଷର ଯେ ଉଦ୍ଧାର । । ୧୦୩

    ସୂତ ଉବାଚ

    ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ସାବଧାନେ ଶୁଣି । । ୧୦୪

    ପରମାନନ୍ଦ ସେ ଲଭିଲା । କାନନେ ପରାଶର-ବଳା । । ୧୦୫

    ଅନ୍ୟ ଯେ ପୁଣ୍ୟଶ୍ଳୋକ ଜନେ । ନାନାପ୍ରକାରେ ଏ ଭୁବନେ । । ୧୦୬

    ତାହାଙ୍କ ଯଶ କର୍ଣ୍ଣେ ଶୁଣି । ଭବସାଗରୁ ତରେ ପ୍ରାଣୀ । । ୧୦୭

    କୃଷ୍ଣର ଗୁଣ-ଅବତାର । କର୍ଣ୍ଣେ ଅମୃତ-ରସ-ଧାର । । ୧୦୮

    ଶୁଣି ସୁଜନେ କର୍ଣ୍ଣଦ୍ବାରେ । କିପାଁ ନ ତରିବେ ସଂସାରେ । । ୧୦୯

    ବନସ୍ତ ଗଜ ଜଳେ ପଶି । କରିଣୀ-ପଲ ମଧ୍ୟେ ମିଶି । । ୧୧୦

    ଜଳେ ଚରନ୍ତେ ପଦ୍ମବନେ । କୁମ୍ଭୀର ଗ୍ରାସିଲା ଚରଣେ । । ୧୧୧

    ଚରଣ ନ ପାରିଲା ଆଣି । ଅନେକ ହସ୍ତୀ ତାକୁ ପୁଣି । । ୧୧୨

    ଧଇଲେ ଉଦ୍ଧରିବା ବଳେ । ତିଳେ ହେଁ ଟାଲି ନ ପାରିଲେ । । ୧୧୩

    ନ ପାରି ହୋଇଲେ ବିଷାଦ । ଚିତ୍ତେ ଚିନ୍ତିଲେ ବିଷ୍ଣୁପଦ । । ୧୧୪

    ହସ୍ତୀଗଣଙ୍କ ଆର୍ତ୍ତନାଦ । ଶୁଣି ସଦୟ ସେ ମୁକୁନ୍ଦ । । ୧୧୫

    ତକ୍ଷଣେ ପ୍ରଭୁ ଚକ୍ରପାଣି । ଗଜ ରଖିଲେ ଗ୍ରାହା ହାଣି । । ୧୧୬

    ତାର ଚରଣେ ମୁନିବୃନ୍ଦେ । ନାନା ପ୍ରକାର ଯୋଗ ସାଧ୍ୟେ । । ୧୧୭

    ଅଭୟପଦେ ସେ ପଶନ୍ତି । ସେ ଅନ୍ୟଭାବ ନ ଚିନ୍ତନ୍ତି । । ୧୧୮

    ଯେ ଜନ ଦେଇ ମନପ୍ରାଣ । ସୁଖେ ଆରାଧେ ତା ଚରଣ । । ୧୧୯

    ହିରଣ୍ୟାକ୍ଷର ବଧ ତତ୍ତ୍ବ । ଅମୀୟ ରସ ଭାଗବତ । । ୧୨୦

    ନିଜ ଭକତ ଉଦ୍ଧାରିଣ । ଶୂକର ରୂପେ ନାରାୟଣ । । ୧୨୧

    ଧରଣୀ ଉଦ୍ଧରିଲେ ଦନ୍ତେ । କ୍ରୀଡ଼ା ବିହାର ଏ ଜଗତେ । । ୧୨୨

    ଏ କଥା ଶ୍ରବଣ କୀର୍ତ୍ତନ । କରି ବଞ୍ଚନ୍ତି ଯେଉଁ ଜନ । । ୧୨୩

    ବ୍ରାହ୍ମଣ ବଧ କରିଥିଲେ । ଦୋଷ ନ ଲାଗେ ତା’କୁ ଭଲେ । । ୧୨୪

    ଏ ପୁଣ୍ୟଯଶ ହରିକଥା । ଧନ ଆୟୁଷ ମୋକ୍ଷଦାତା । । ୧୨୫

    ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େ । ଦୁର୍ଗତି ରିଷ୍ଟ ବାଧା ଛାଡ଼େ । । ୧୨୬

    ସୁଜନ ସଙ୍ଗେ ଯେବେ ମିଶେ । ଅନ୍ତେ ଗୋବିନ୍ଦ ପାଦେ ପଶେ । । ୧୨୭

    ଏ କଥା ଶୁଣି ସାଧୁଜନେ । ବଞ୍ଚିବ ଶ୍ରବଣ କୀର୍ତ୍ତନେ । । ୧୨୮

    ତୃତୀୟସ୍କନ୍ଧେ ଭାଗବତ । ମୈତ୍ରେୟ ବିଦୁର ଚରିତ । । ୧୨୯

    ଯେତେ କହିଲେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ । । ୧୩୦

    ଭାଷା ପ୍ରବନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ । । ୧୩୧

    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

    ତୃତୀୟସ୍କନ୍ଧେ ହିରଣ୍ୟାକ୍ଷବଧୋ ନାମ ଉନବିଂଶୋଽଧ୍ୟାୟଃ ।

    । ୧୧୩
    ନ ପାରି ହୋଇଲେ ବିଷାଦ । ଚିତ୍ତେ ଚିନ୍ତିଲେ ବିଷ୍ଣୁପଦ । । ୧୧୪
    ହସ୍ତୀଗଣଙ୍କ ଆର୍ତ୍ତନାଦ । ଶୁଣି ସଦୟ ସେ ମୁକୁନ୍ଦ । । ୧୧୫
    ତକ୍ଷଣେ ପ୍ରଭୁ ଚକ୍ରପାଣି । ଗଜ ରଖିଲେ ଗ୍ରାହା ହାଣି । । ୧୧୬
    ତାର ଚରଣେ ମୁନିବୃନ୍ଦେ । ନାନା ପ୍ରକାର ଯୋଗ ସାଧ୍ୟେ । । ୧୧୭
    ଅଭୟପଦେ ସେ ପଶନ୍ତି । ସେ ଅନ୍ୟଭାବ ନ ଚିନ୍ତନ୍ତି । । ୧୧୮
    ଯେ ଜନ ଦେଇ ମନପ୍ରାଣ । ସୁଖେ ଆରାଧେ ତା ଚରଣ । । ୧୧୯
    ହିରଣ୍ୟାକ୍ଷର ବଧ ତତ୍ତ୍ବ । ଅମୀୟ ରସ ଭାଗବତ । । ୧୨୦
    ନିଜ ଭକତ ଉଦ୍ଧାରିଣ । ଶୂକର ରୂପେ ନାରାୟଣ । । ୧୨୧
    ଧରଣୀ ଉଦ୍ଧରିଲେ ଦନ୍ତେ । କ୍ରୀଡ଼ା ବିହାର ଏ ଜଗତେ । । ୧୨୨
    ଏ କଥା ଶ୍ରବଣ କୀର୍ତ୍ତନ । କରି ବଞ୍ଚନ୍ତି ଯେଉଁ ଜନ । । ୧୨୩
    ବ୍ରାହ୍ମଣ ବଧ କରିଥିଲେ । ଦୋଷ ନ ଲାଗେ ତା’କୁ ଭଲେ । । ୧୨୪
    ଏ ପୁଣ୍ୟଯଶ ହରିକଥା । ଧନ ଆୟୁଷ ମୋକ୍ଷଦାତା । । ୧୨୫
    ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େ । ଦୁର୍ଗତି ରିଷ୍ଟ ବାଧା ଛାଡ଼େ । । ୧୨୬
    ସୁଜନ ସଙ୍ଗେ ଯେବେ ମିଶେ । ଅନ୍ତେ ଗୋବିନ୍ଦ ପାଦେ ପଶେ । । ୧୨୭
    ଏ କଥା ଶୁଣି ସାଧୁଜନେ । ବଞ୍ଚିବ ଶ୍ରବଣ କୀର୍ତ୍ତନେ । । ୧୨୮
    ତୃତୀୟସ୍କନ୍ଧେ ଭାଗବତ । ମୈତ୍ରେୟ ବିଦୁର ଚରିତ । । ୧୨୯
    ଯେତେ କହିଲେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ । । ୧୩୦
    ଭାଷା ପ୍ରବନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ । । ୧୩୧
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ ହିରଣ୍ୟାକ୍ଷବଧୋ ନାମ ଉନବିଂଶୋଽଧ୍ୟାୟଃ ।

    ବିଂଶ ଅଧ୍ୟାୟ

    ଶୌନକ ଉବାଚ

    ବରାହରୂପୀ ଭାବଗ୍ରାହୀ । ଜଳେ ଧରଣୀ ଗଲେ ଥୋଇ । । ୧
    ସେ ସ୍ୱାୟମ୍ଭୁବ ମନୁବଳା । ଧରଣୀ ପୃଷ୍ଠେ ଯାହା କଲା । । ୨
    ନାନା ପ୍ରକାରେ ଜନ୍ତୁ ଯେତେ । ତାହାଙ୍କୁ ସାଧିଲା କେମନ୍ତେ । । ୩
    ଜ୍ୟେଷ୍ଠଭ୍ରାତା ଯେ ଧୃତରାଷ୍ଟ୍ର । ତା ପୁତ୍ର ଦୁର୍ଯେ୍ୟାଧନ ଦୁଷ୍ଟ । । ୪
    କର୍ ଶକୁନି ଦୁଃଶାସନ । ଏହାଙ୍କ ତୁଲେ ଯେତେ ଜନ । । ୫
    ପାବ ହିତେ ସେ ବିଶ୍ୱାସେ । ବର୍ଇ ବୋଲି ମହାରୋଷେ । । ୬
    ରାଜୁ୍ୟ ବାହାର କରିଦେଲା । ଯେଣୁ ସେ ବ୍ୟାସଙ୍କର ବଳା । । ୭
    କୃଷ୍ଣ ଚରଣେ ଆଶ୍ରେ କରି । ଛାଡ଼ିଲା ହସ୍ତିନା ନଗରୀ । । ୮
    ତୀର୍ଥ ସାଧନ ପୁଣ୍ୟବଳେ । ଏକାନ୍ତେ ବିଷ୍ଣୁଭକ୍ତି ଫଳେ । । ୯
    ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ । ବର୍ଇ ଭକ୍ତଜନ ମେଳେ । । ୧୦
    ବିଦୁର ଭ୍ରମୀ ତୀର୍ଥମାର୍ଗେ । କାନନେ ମୈତ୍ରେୟଙ୍କ ଆଗେ । । ୧୧
    ବନ ଗହନେ ଗଙ୍ଗାକୂଳେ । ସେ ବେନିଜନ ଏକମେଳେ । । ୧୨
    ବିଦୁର କିବା ପ୍ରଶ୍ନ କଲା । କହିବା ମୋତେ ବିଷ୍ଣୁଲୀଳା । । ୧୩
    ସେ ବିଷ୍ଣୁକଥା ବାକ୍ୟସାର । ଶ୍ରୁତିଯୁଗଳେ ସୁଧାଧାର । । ୧୪
    ଯେସନେ ଗଙ୍ଗାସ୍ନାନ କଲେ । ସେ ତିନିତାପରୁ ଉଦ୍ଧରେ । । ୧୫
    ଗୋବିନ୍ଦ କଥା ସେହି ମତେ । ପାନ ନ ରହେ ଅନ୍ତର୍ଗତେ । । ୧୬
    କୃଷ୍ଣ ଚେଷ୍ଟିତ ଭାବ ଯେତେ । ଭୋ ମୁନି କହ ମୋ ଅଗ୍ରତେ । । ୧୭
    କୃଷ୍ଣର ଲୀଳାମୃତ ରସେ । ରସଇ ଯା’ର ଶ୍ରୁତି ଗ୍ରାସେ । । ୧୮
    ସେ କାହିଁ ଛାଡ଼େ କୃଷ୍ଣକଥା । ଯେଣେ ହରଇ ଭବବ୍ୟଥା । । ୧୯
    ନୈମିଷ୍ୟାରଣ୍ୟେ ମୁନିଗଣେ । ସେ ଉଗ୍ରଶ୍ରବାର ଚରଣେ । । ୨୦
    ପ୍ରଣତ ହୋଇଣ କହିଲେ । ବିଷ୍ଣୁର କଥା କହ ଭଲେ । । ୨୧
    ସେ ଉଗ୍ରଶ୍ରବା ବିଷ୍ଣୁ ପଦେ । ମନକୁ ନିବେଶି ଆନନ୍ଦେ । । ୨୨
    କହିଲେ ଶୁଣି ମୁନିଗଣ । କହିବି ଶ୍ରୀହରିର ଗୁଣ । । ୨୩

    ସୂତ ଉବାଚ

    ବିଷ୍ଣୁ ଶୂକର ରୂପ ଧରି । ଧରଣୀ ପାତାଳୁ ଉଦ୍ଧରି । । ୨୪
    ଲୀଳା ବିହାରେ ହିରଣ୍ୟାକ୍ଷ । ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ । । ୨୫
    ସେ କଥା ଶୁଣି ତୋଷ ଚିତ୍ତେ । ଅଶ୍ରୁ ପୁଲକ ରୋମ ଗାତ୍ରେ । । ୨୬
    ମୈତ୍ରେୟ ପାଦେ ଦେଇ ଶିର । ଆନନ୍ଦେ ପୁଚ୍ଛଇ ବିଦୁର । । ୨୭

    ବିଦୁର ଉବାଚ

    ନାଭିରୁ ବ୍ରହ୍ମା ଅବତାର । ସେ ପ୍ରଜାପତିଙ୍କ ଈଶ୍ୱର । । ୨୮
    ପ୍ରଜାପତିଙ୍କୁ ଜାତ କଲା । ସୃଷ୍ଟି ସର୍ଜନେ ଆଜ୍ଞା ଦେଲା । । ୨୯
    ମରୀଚି ଆଦି ସପ୍ତତନୁ । ଅପରେ ସ୍ୱାୟମ୍ଭୁବ ମନୁ । । ୩୦
    ପିତାର ଆଦେଶେ ସମସ୍ତେ । ଏ ସୃଷ୍ଟି ସର୍ଜିଲେ କେମନ୍ତେ । । ୩୧
    ଭାର୍ଯ୍ୟା ସହିତେ ଯୋଗମତେ । କି ଅବା ସର୍ଜିଲେ ସ୍ୱତନ୍ତ୍ରେ । । ୩୨
    କିବା ସକଳ ଏକମେଳେ । ସୃଷ୍ଟି ସର୍ଜିଲେ ଅନ୍ତରାଳେ । । ୩୩
    କିବା ଧରଣୀ ଜଳେ ସ୍ଥାପି । ପ୍ରଜା ସର୍ଜିଲେ ବିଶ୍ୱରୂପୀ । । ୩୪
    ସେ ପୁଣି କିବା କଲେ ପରେ । ତୋ ବିନୁ କେବା କହିପାରେ । । ୩୫
    ତୁମ୍ଭେ ଆଗତ ଅନାଗତ । ସକଳ ବିଷୟେ ବିଦିତ । । ୩୬
    ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେ । ଜଗତ କଲେ କି ପ୍ରକାରେ । । ୩୭

    ମୈତ୍ରେୟ ଉବାଚ

    ଶୁଣ ବିଦୁର ଏକଚିତ୍ତେ । ଯେ ସୃଷ୍ଟି ପଦ୍ମକଳ୍ପ ଅନ୍ତେ । । ୩୮
    ଯେ କାଳରୂପୀ ବିଶ୍ୱନାଥ । ଯା ମାୟାବଳେ ଏ ଜଗତ । । ୩୯
    ସ୍ୱ ମାୟାବଳେ କ୍ଷୋଭ ପାଇ । ମହତ ରୂପ ସେ ଧରଇ । । ୪୦
    ରଜ ପ୍ରଧାନେ ତିନିଗୁଣେ । କଳ୍ପିଲା ଦଇବ ପ୍ରେରଣେ । । ୪୧
    ସେ ଭୂତ ଆଦି ଯେ ମହତ । ଅଗ୍ରେ ସର୍ଜିଲା ପଞ୍ଚଭୂତ । । ୪୨
    ଶବଦ ଆଦି ପଞ୍ଚଗୁଣେ । ମିଳିଲେ ସୃଷ୍ଟିର କାରଣେ । । ୪୩
    ଯେ ଜ୍ଞାନେନ୍ଦ୍ରିୟ ଚକ୍ଷୁ ଆଦି । ଯେ କର୍ମେନ୍ଦ୍ରିୟ ହିଁ ବାଗାଦି । । ୪୪
    ଶବ୍ଦାଦି ଯେତେକ ହୋଇଲେ । ସୃଜନେ ଅସମର୍ଥ ହେଲେ । । ୪୫
    ସେ ପୁଣି ଏକରୁଣ୍ତ ହୋଇ । ଦୈବଶକ୍ତିର ବଳପାଇ । । ୪୬
    କଳ୍ପିଲା ହେକମୟ ଅଣ୍ତ । ଯାହାକୁ ବୋଲନ୍ତି ବ୍ରହ୍ମାଣ୍ତ । । ୪୭
    ସେ ଅଣ୍ତକୋଷ ମହାଜଳେ । ପଡ଼ି ଭାସଇ କାଳବଳେ । । ୪୮
    ସେ ପୁଣି ସହସ୍ର ବରଷେ । ସେ ମହାର୍ଣ୍ଣବ ଜଳେ ଭାସେ । । ୪୯
    ସେ ଅଣ୍ତକୋଷ ମଧ୍ୟେ ହରି । ଶୋଏ ଅନନ୍ତ ଶଯ୍ୟା କରି । । ୫୦
    ତା ନାଭିପଦ୍ମୁ ପଦ୍ମକୋଷ । ସଲିଳେ ହୋଇଲା ପ୍ରକାଶ । । ୫୧
    ସେ ପଦ୍ମ ନିଜ ତେଜ ପୁଞ୍ଜେ । ସହସ୍ରେ ରବିରଶ୍ମି ଗଞ୍ଜେ । । ୫୨
    ସେ ପଦ୍ମ ମଧ୍ୟେ ସର୍ବଜନ୍ତୁ । ପ୍ରକାଶେ ନିଜ କର୍ମ ହେତୁ । । ୫୩
    ବିରାଜ ରୂପ ତାର ମଧ୍ୟେ । ଜନ୍ମିଲା ନିଜ କାର୍ଯ୍ୟ ସାଧ୍ୟେ । । ୫୪
    ସେ ପୁଣି ବିଷ୍ଣୁ ଉପଦେଶେ । ସୃଷ୍ଟି ସର୍ଜିଲା ଅଣ୍ତକୋଷେ । । ୫୫
    ପୂର୍ବେ ଯେମତେ ସୃଷ୍ଟି ଥିଲା । ସେ ନାନାରୂପେ ସମ୍ପାଦିଲା । । ୫୬
    କାଳର ବଳେ କୋପମନେ । ନିଃଶ୍ୱାସ ଛାଡ଼େ ଘନଘନେ । । ୫୭
    ତାର ନିଃଶ୍ୱାସୁ ତତକ୍ଷଣେ । ଅବିଦ୍ୟା ସଙ୍ଗେ ପଞ୍ଚଗଣେ । । ୫୮
    ତାମିସ୍ର ଅନ୍ଧତମ ତମ । ମୋହ ମହାମୋହ ପଞ୍ଚମ । । ୫୯
    ଏ ପଞ୍ଚତମ ଏକାବେଳେ । ଜନ୍ମିଲେ ଅନ୍ଧକାର ବଳେ । । ୬୦
    ଦେଖି ସେ ଛାୟାରୂପ ସୃଷ୍ଟି । ତୁଷ୍ଟ ନୋହିଲା ପରମେଷ୍ଠୀ । । ୬୧
    ଏ ସୃଷ୍ଟି ଦେଖି ତମୋମୟ । ଧାତା ଛାଡ଼ିଲା ନିଜଦେହ । । ୬୨
    ସେ ପିଣ୍ତ ଦେଖି ତମୋଗଣେ । ବେଗେ ଧାଇଁଲେ ତତକ୍ଷଣେ । । ୬୩
    ସେ ଦେହମଧ୍ୟେ ସନ୍ଧ୍ୟା ମିଶି । ତମେ ରଜନୀ ପ୍ରାୟ ଦିଶି । । ୬୪
    କ୍ଷୁଧା ତୃଷାର ଅତିବଳେ । ସର୍ବେ ମିଳିଲେ ଏକମେଳେ । । ୬୫
    ଥୋକେ ବୋଲନ୍ତି ରଖ ରଖ । ଥୋକେ ବୋଲନ୍ତି ବେଗେ ଭକ୍ଷ । । ୬୬
    ତକ୍ଷଣେ ବ୍ରହ୍ମା ଭୟପାଇ । ବୋଲେ ତାହାଙ୍କ ମୁଖଚାହିଁ । । ୬୭
    ଏ ପିଣ୍ଡ ରଖ ହୋ ନ ଭକ୍ଷ । ଏଣୁ ହୋଇବ ଯକ୍ଷ ରକ୍ଷ । । ୬୮
    ତୁମ୍ଭେ ଯେ ଯକ୍ଷ-ରକ୍ଷ-ଗଣ । ମୋର ବଚନ ଏବେ ଶୁଣ । । ୬୯
    ତୁମ୍ଭେ ମୋହର ପ୍ରଜା ହୁଅ । ଏମନ୍ତ କହି ପିତାମହ । । ୭୦
    ସୃଜିଲା ଅପସରାଗଣ । ଦେବଙ୍କ ଭୋଗ୍ୟ ଯେ ପ୍ରମାଣ । । ୭୧
    ଦିବସ ରୂପା ସେ ସାକ୍ଷାତେ । ସର୍ଜିଲା କ୍ରୀଡ଼ାର ନିମନ୍ତେ । । ୭୨
    ବ୍ରହ୍ମା ସା‌ତ୍ତ୍ବିକ ମନୋଭାବ । ତହୁଁ ଦେବଙ୍କ ଆବିର୍ଭାବ । । ୭୩
    ପୁଣି ଜଘନୁ ବେଦପତି । ଅସୁର କଲା ଉତ୍ପତ୍ତି। । ୭୪
    ସ୍ତିରୀ ଲମ୍ପଟ ସେ ଯୁକତେ । ନାରୀଙ୍କୁ ଦେଖିଲେ ଅଗ୍ରତେ । । ୭୫
    ତାହାଙ୍କୁ ଦେଖି ତତକ୍ଷଣେ । ଧାଇଁଲେ ସେ ଅସୁରଗଣେ । । ୭୬
    ମୈଥୁନ ଲୋଭ ବନ୍ଧେ ଧାଇଁ । ବେଗେ ବେଢ଼ିଲେ ଲୋଭବହି । । ୭୭
    ନିର୍ଲଜ୍ଜପଣ ତାହାଙ୍କର । ଦେଖି ହସିଲେ ବେଦବର । । ୭୮
    ବ୍ରହ୍ମାର ହାସ୍ୟ ଦେଖି କୋପେ । ମିଳିଲେ ତାଙ୍କର ସମୀପେ । । ୭୯
    ଚାହାଁନ୍ତେ କୋପିତ ବଦନେ । ଭୟ ପଶିଲା ବ୍ରହ୍ମା ମନେ । । ୮୦
    ଶୂନ୍ୟେ ଗୋବିନ୍ଦପଦ ଧ୍ୟାୟୀ । ବୋଲଇ ଶିରେ କର ଦେଇ । । ୮୧
    ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ । ତୁ ନାଥ ଆଜ୍ଞାଦେଲୁ ମୋତେ । । ୮୨
    ସୃଷ୍ଟି କରଇ ତୋର ବୋଲେ । ତୋ ଅନୁରୂପ ଏ ଶୟଳେ । । ୮୩
    ତୁ ମୋତେ ରଖ ଚକ୍ରଧର । ଏ ଗଣେ ମହାଭୟଙ୍କର । । ୮୪
    ଏ ଯେବେ ଭକ୍ଷିବେଟି ମୋତେ । କେମନ୍ତେ ସର୍ଜିବି ଜଗତେ । । ୮୫
    ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି । ବୋଇଲେ ପ୍ରଭୁ ଚକ୍ରପାଣି । । ୮୬
    ଏ ଦେହ ଘୋର ଭୟଙ୍କର । ବେଗେ ତୁ ଛାଡ଼ ଏ ଶରୀର । । ୮୭
    ଶୁଣି ଗୋବିନ୍ଦର ବଚନ । ତକ୍ଷଣେ ଛାଡ଼ିଲା ଜୀବନ । । ୮୮
    ସେ ଦେହ ସନ୍ଧ୍ୟାରୂପ ହୋଇ । ରୂପେ ଅସୁର ମନମୋହି । । ୮୯
    ଯେ ଅପସରାଗଣ ଥିଲେ । ତା ରୂପ ଦେଖି ମୋହ ଗଲେ । । ୯୦
    ନାନା ଅଳଙ୍କାର ସାଜେଣୀ । ଚରଣେ ନୂପୁର ବାଜେଣୀ । । ୯୧
    ମଦ ବିହ୍ୱଳିତ ଲୋଚନ । ଦୁକୂଳେ କଟୀ ଶୋଭାବନ । । ୯୨
    କଟୀ ମେଖଳା ରତ୍ନସାର । ହୃଦୟେ ତୁଙ୍ଗ ପୟୋଧର । । ୯୩
    ସୁନ୍ଦର ନାସିକା ବିରାଜେ । ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ । । ୯୪
    ସୁନ୍ଦର ହାସ ମନୋହର । ସଂଭ୍ରମ କଟାକ୍ଷ ସୁନ୍ଦର । । ୯୫
    ବସ୍ତ୍ରେ ଆଚ୍ଛାଦି କଳେବର । ପଥେ ଚାଲଇ ଲାଜଭର । । ୯୬
    ତାର କୁନ୍ତଳ ମନୋହର । ଶୁଣ ହେ ଧର୍ମାତ୍ମା ବିଦୁର । । ୯୭
    ଅସୁରେ ଦେଖି ତା ଗମନ । ସର୍ବେ ହୋଇଲେ ହତଜ୍ଞାନ । । ୯୮
    କହନ୍ତି ଏକ ଏକେ ଚାହିଁ । ଏମନ୍ତ ଦେଖିଲାତ ନାହିଁ । । ୯୯
    ନବୀନ ବୟସ ଏହାର । ରୂପ-ଲାବଣ୍ୟ ମନୋହର । । ୧୦୦
    ଏ ଆମ୍ଭ ମନମଧ୍ୟେ ରମେ । ଅକାମୀଜନ ପ୍ରାୟ ଭ୍ରମେ । । ୧୦୧
    ଏମନ୍ତେ ସନ୍ଧ୍ୟାରୂପ ଦେଖି । ପ୍ରମଦା ପ୍ରାୟ ଉପଲକ୍ଷି । । ୧୦୨
    ନୟନ ଦେଇ ତା ବଦନେ । ଭାବେ ପୁଚ୍ଛନ୍ତି ଅନ୍ୟୁଅନ୍ୟେ । । ୧୦୩
    ଏମନ୍ତ ବହୁତ ବିଚାର । କରିଣ ସକଳ ଅସୁର । । ୧୦୪
    ପ୍ରଣୟବଶେ ପ୍ରମଦାର । କରିଣ ବହୁତ ସତ୍କାର । । ୧୦୫
    କୁବୁଦ୍ଧି ପଣରେ ଅସୁର । ପୁଚ୍ଛିଲେ ତାଙ୍କୁ ବାରବାର । । ୧୦୬
    ଆହେ ରମ୍ଭୋରୁ ସୁକଲ୍ୟାଣି । ପ୍ରମଦାକୂଳ ଶିରୋମଣି । । ୧୦୭
    କାହାର ପତ୍ନୀ ତୁ ବୋଲାଉ । କହ ତୁ ଉପୁଜିଲୁ କାହୁଁ । । ୧୦୮
    କହ ତୁ ତୋର କିସ ନାମ । କି ପ୍ରୟୋଜନେ ତୋ ଗମନ । । ୧୦୯
    ତୋ ରୂପ ଗୁଣେ ହୋଇ ଛନ୍ନ । ଆମ୍ଭର ସ୍ଥଗିତ ଲୋଚନ । । ୧୧୦
    ତୋହର ରୂପଗୁଣ ରାଶି । ଆମ୍ଭର ପ୍ରଭାକୁ ବିନାଶି । । ୧୧୧
    ଆମ୍ଭର ପୂର୍ବଭାଗ୍ୟ ଫଳେ । ମିଳିଲୁ ଆମ୍ଭର ଛାମୁରେ । । ୧୧୨
    କନ୍ଦୁକ କ୍ରୀଡ଼ା ତୋ ନୟନ । ରୂପେ ହରିଲୁ ଆମ୍ଭମନ । । ୧୧୩
    ତୋର ଚରଣ ପଦ୍ମଯୁଗ । ଗମନ ଚଞ୍ଚଳ ତରଙ୍ଗ । । ୧୧୪
    ହସ୍ତେ କନ୍ଦୁକ ତୋର ସାଜେ । ତୋ ମଝା ସିଂହମଧ୍ୟ ଗଞ୍ଜେ । । ୧୧୫
    ସେ ପୁଣି ସ୍ତନଭାର ଖିନ୍ନେ । ଭାଜିଲା ପ୍ରାୟ ଅନୁମାନେ । । ୧୧୬
    ଏମନ୍ତ ସନ୍ଧ୍ୟା ରୂପ ଚାହିଁ । ଅସୁରଗଣ ଲୋଭ ବହି । । ୧୧୭
    ସନ୍ଧ୍ୟାକୁ ଧରି ବାହୁବଳେ । ମୋହେ ମଜ୍ଜିଲେ କାମଭୋଳେ । । ୧୧୮
    ଭାବ ଗମ୍ଭୀର ମଗ୍ନଚିତ୍ତ । ଦେଖି ବିଧାତା ହରଷିତ । । ୧୧୯
    ବ୍ରହ୍ମାର ଶରୀର ବିରାଜେ । ତକ୍ଷଣେ ନିଜ କାନ୍ତି ତେଜେ । । ୧୨୦
    ସ୍ୱଭାବେ ବ୍ରହ୍ମା ସେ ଆନନ୍ଦ । ଗନ୍ଧର୍ବ ଅପସରା ବୃନ୍ଦ । । ୧୨୧
    ବ୍ରହ୍ମାର ଶରୀରୁ ବାହାର । ଯେ ରୂପ ମୋହେ ସୁରନର । । ୧୨୨
    ଗନ୍ଧର୍ବ ବିଶ୍ୱାବସୁ ଆଦି । ସୁନ୍ଦର ରୂପରେ ପ୍ରସିଦ୍ଧି । । ୧୨୩
    ଆବୋରି ଅପସରାଗଣେ । ସୁଖେ ରହିଲେ ଜଣେଜଣେ । । ୧୨୪
    ତଦନ୍ତେ ଆତ୍ମତନ୍ଦ୍ରା ଧରି । ଭୂତ ପିଶାଚଗଣ କରି । । ୧୨୫
    ସେ ମୁକ୍ତକେଶ ଦିଗମ୍ବର । ଦେଖି କମ୍ପିଲେ ସୁରନର । । ୧୨୬
    ପଥେ ତାହାଙ୍କ ରୂପ ଦେଖି । ବ୍ରହ୍ମା ବୁଜିଲେ ବେନିଆଖି । । ୧୨୭
    ଭୟେ ଅଳସ ତାର ମୁଖେ । କ୍ଷଣେ ଶୋଇଲା ନିଦ୍ରାସୁଖେ । । ୧୨୮
    ସେ ଦେହ ନିଦ୍ରାବଶ ଚାହିଁ । ପୁଣି ଛାଡ଼ିଲା ନିଜ ଦେହୀ । । ୧୨୯
    ପରୋକ୍ଷ ପୁଣି ସତ୍ତ୍ବ‌ଗୁଣେ । ସର୍ଜିଲା ସାଧ୍ୟ ପିତୃଗଣେ । । ୧୩୦
    ସେ ସାଧ୍ୟ ପିତୃ ବେନିଗଣ । ସେ ଯହୁଁ ହୋଇଲେ ଜନମ । । ୧୩୧
    ସେ ଦେହ ପାଇ ତୋଷ ଚିତ୍ତ । କର୍ମକୋବିଦେ ଯେ ବିଦିତ । । ୧୩୨
    ସେ ସିଦ୍ଧ ବିଦ୍ୟାଧର ଗଣେ । ଜାତ ହୋଇଲେ ତତକ୍ଷଣେ । । ୧୩୩
    ସ୍ୱଭାବେ ତେଜ ଅନର୍ଗଳା । ତାହାଙ୍କୁ ଅନ୍ତର୍ଦ୍ଧାନ ଦେଲା ୧୩୪
    ବିଧାତା ପ୍ରତିବିମ୍ବ ବଳେ । ଦେଖିଣ ମନର ନିଶ୍ଚଳେ ୧୩୫
    କିନ୍ନର କିଂପୁରୁଷ ଜାତି । ପୁଣି ସର୍ଜିଲା ପ୍ରଜାପତି ୧୩୬
    ମିଥୁନ ଭାବେ ବୀଣା ବାଇ । ଦେବଙ୍କ ତୋଷେ ଗୀତଗାଇ ୧୩୭
    ଏବେ ତୁ ଶୁଣ ହେ ବିଦୁର । ବ୍ରହ୍ମାର ସୃଷ୍ଟିର ପ୍ରକାର ୧୩୮
    ସେ ସୃଷ୍ଟି ଚାହିଁ ପ୍ରଜାନାଥ । ମନରେ ହୋଇଲା ଚିନ୍ତିତ ୧୩୯
    ଏ ସୃଷ୍ଟି ବୃଦ୍ଧି ତ ନୋହିଲା । ଚିନ୍ତାରେ ବହୁତ ଶୋଇଲା ୧୪୦
    ତାହାଙ୍କୁ ସର୍ଜି ବେଦବର । ତକ୍ଷଣେ ଛାଡି ସେ ଶରୀର ୧୪୧
    ଦେହ ଅନ୍ତରେ ଶୂନ୍ୟେ ରହି । ଶରୀର ଦେଖି ବିଚାରଇ ୧୪୨
    ସର୍ଜନେ ଯୋଗ୍ୟ ଏ ନୁହନ୍ତି । ଏମନ୍ତେ କ୍ରୋଧେ ବହୁ ଚିନ୍ତି ୧୪୩
    କ୍ରୋଧର ବଶେ ପଦ୍ମଯୋନି । ସେ ଭୋଗଦେହ ତ୍ୟଜେ ପୁଣି ୧୪୪
    ତହୁଁ ସେ କେଶ ଗଲା ଖସି । ତହୁଁ ଜନ୍ମିଲେ ସର୍ପରାଶି ୧୪୫
    ତକ୍ଷଣେ ତମ ଗୁଣୁ ଜାତ । ଗରଳ ତେଜେ ବଳବନ୍ତ ୧୪୬
    ତାହାଙ୍କୁ ଚାହିଁ ପ୍ରଜାନାଥ । ସନ୍ତୋଷେ ହେଲା କୃତକୃତ୍ୟ ୧୪୭
    ପୁଣି କଳ୍ପିଲା ମନୋରଥେ । ଆବର ସୃଷ୍ଟିଭାବ ଯେତେ ୧୪୮
    ମନୁଙ୍କୁ କଲା ଉତପତ୍ତି । ମନର ତହୁଁ ବେଦପତି ୧୪୯
    ନିଜ ପୁରୁଷ ରୂପ ଦେହ । ତାଙ୍କୁ ଅର୍ପିଲା ପିତାମହ ୧୫୦
    ସ୍ତିରୀ ପୁରୁଷ କଳ୍ପେ ମନେ । ଯେ ସୃଷ୍ଟି ଉପୁଜେ ମୈଥୁନେ ୧୫୧
    ଯେ ଅଗ୍ରେ ଜାତ ହୋଇଥିଲେ । ତାଙ୍କୁ ପ୍ରଶଂସା ବହୁ କଲେ ୧୫୨
    ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ । ବିବୁଧେ ତାର ଗୁଣ ଗାଇ ୧୫୩
    ବୋଲନ୍ତି ଧନ୍ୟ ବେଦପତି । ସୃଷ୍ଟି ସର୍ଜନେ ଦୃଢମତି ୧୫୪
    ଅନେକ ତପ ଯେଣୁ କଲୁ । ଗୋବିନ୍ଦ ଆଜ୍ଞା ତୁ ଲଭିଲୁ ୧୫୫
    ନିଜ ସାଧନା ତପଫଳେ । ଏ ସୃଷ୍ଟି କଲୁ ବୁଦ୍ଧିବଳେ ୧୫୬
    ଏଣେ ହୋଇବ ସର୍ବଯୋଗ । ଆମ୍ଭେ ଲଭିବୁ ହବିର୍ଭାଗ ୧୫୭
    ତପସ୍ୟା ବିଦ୍ୟା ଆସନାଦି । ଅଷ୍ଟାଙ୍ଗଯୋଗ ସୁସମାଧି ୧୫୮
    ପୁଣି ସର୍ଜିଲା ଋଷିଗଣ । ସ୍ୱବଶ କରି ଇନ୍ଦ୍ରଗଣ ୧୫୯
    ଏମନ୍ତ ଋଷି ସୃଷ୍ଟି କଲା । ଆପଣା ଦେହ ଅଂଶ ହେଲା ୧୬୦
    ଏମନ୍ତେ ସୃଷ୍ଟିର କାରଣ । ବିଧାତା ରୂପେ ନାରାୟଣ ୧୬୧
    କରଇ ପୁଣ ପୁଣ ଭାବେ । ତାର ଭକତଜନ ଲାଭେ ୧୬୨
    ଏମନ୍ତେ ଭାଗବତ ବାଣୀ । ମୈତ୍ରେୟ ମୁନି ଆଗେ ଭଣି ୧୬୩
    ବନେ ପିପ୍ପଳ ବୃକ୍ଷ ମୂଳେ । ଶ୍ରୀକୃଷ୍ଣ ରୂପ ତ୍ୟାଗ କାଳେ ୧୬୪
    ସେ କଥା ପରୀକ୍ଷିତ ଆଗେ । ମୁନି କହିଲେ ପ୍ରିୟ ଭାବେ ୧୬୫
    ହରି ଚରିତ ଭାଗବତ । କହିଲା ଦାସ ଜଗନ୍ନାଥ ୧୬୬
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟଷ୍କନ୍ଧେ ବିଂଶୋଽଧ୍ୟାୟଃ ।

    ଏକବିଂଶ ଅଧ୍ୟାୟ

    ମୈତ୍ରେୟ ମୁନି ପାଦେ ପଡି । ବିଦୁର କହେ କରଯୋଡି ୧

    ବିଦୁର ଉବାଚ

    ବୋଇଲେ ଶୁଣ ହେ ମୈତ୍ରେୟ । ମୋହର ପ୍ରତି ତୁ ସଦୟ ୨
    ସେ ସ୍ୱାୟମ୍ଭୂବ-ମନୁବଂଶ । ମୋ ଆଗେ କର ହେ ପ୍ରକାଶ ୩
    ଯାର ପ୍ରଶଂସା ସାଧୁଲୋକ । କରନ୍ତି ସଦା ଅତିରେକ ୪
    ବ୍ରହ୍ମାର ତହୁଁ ଯାର ତନୁ । ଯେ ପୂର୍ବେ ସ୍ୱାୟମ୍ଭୂବମନୁ ୫
    ତାହାର ବଂଶ ଏ ଜଗତେ । କି ରୂପେ ପ୍ରସରିଲେ କେତେ ୬
    ମୈଥୁନ ମତେ କଲା ପ୍ରଜା । ଯେ ପୁଣି ମନୁବଂଶେ ରାଜା ୭
    ସେ ସ୍ୱାୟମ୍ଭୂବ ମନୁ ସୁତ । ଉତ୍ତାନପାଦ ପ୍ରିୟବ୍ରତ ୮
    ତେଜେ ପ୍ରଚଣ୍ତ ସେ ବିରାଜେ । ଏ ସପ୍ତଦ୍ୱୀପା ମହୀ ଭୁଞ୍ଜେ ୯
    ଯେମନ୍ତେ ଧର୍ମ ଏ ସଂସାରେ । ରଖିଲେ କହ ମୁନିବରେ ୧୦
    ତାର ଦୁହିତା ଅନୁପମ । ଯାହାର ଦେବହୂତି ନାମ ୧୧
    କର୍ଦ୍ଦମ ତାର ନିଜ ପତି । ତାର ଭୂବନେ ଦେବହୂତି ୧୨
    ସେବା କରଇ ଅନୁବ୍ରତେ । ଯେ ଧର୍ମ ପତିବ୍ରତା ମତେ ୧୩
    ସ୍ୱାମୀ ସୁହାଗେ ସଉଭାଗ୍ୟେ । ମୈଥୁନ ଭାବେ ରତିରଙ୍ଗେ ୧୪
    ତାହାର ଗର୍ଭେ ପୁତ୍ର କେତେ । ଜନ୍ମିଲେ କହ ମୋ ଅଗ୍ରତେ ୧୫
    ତାହା ଶ୍ରବଣେ ଇଚ୍ଛା ମୋର । କହ ସଦୟେ ମୁନିବର ୧୬
    ମନୁ ତନୟା ଯେ ଆକୂତି । ତାହାଙ୍କୁ ରୁଚି ପ୍ରଜାପତି ୧୭
    ବ୍ରହ୍ମଜ ଦକ୍ଷ ପ୍ରଜାପତି । ସେ ପୁଣ ଲଭିଣ ପ୍ରସୂତି ୧୮
    ସୃଷ୍ଟି ସୃଜିଲେ କେଉଁଭାବେ । ଭୋ ମୁନି ତାହା କହ ଏବେ ୧୯
    ଏମନ୍ତ ବିଦୁରର ବାଣୀ । ମୈତ୍ରେୟ ବୋଲେ ତାହାଶୁଣି ୨୦

    ମୈତ୍ରେୟ ଉବାଚ

    କର୍ଦ୍ଦମେ ରାଇ ବେଦବର । ବୋଇଲେ ପ୍ରଜା ସୃଷ୍ଟିକର ୨୧
    ବ୍ରହ୍ମାର ଆଜ୍ଞା ଘେନି ଶିରେ । ମିଳିଲେ ସରସ୍ୱତୀ ତୀରେ ୨୨
    ଅତି କଠୋର ତପ କଲା । ଶୁଣ ହେ ଯେତେ ଦିନ ଗଲା ୨୩
    ଦେବଙ୍କ ଅୟୂତ ବରଷେ । ବସିଲା ଆତ୍ମାର ବିଶ୍ୱାସେ ୨୪
    ସମାଧି ଯୋଗରେ କର୍ଦ୍ଦମ । ସେବିଲେ ପୁରୁଷଉତ୍ତମ ୨୫
    ତପ ସମାଧି କ୍ରିୟା ଯୋଗେ । ନିଶ୍ଚଳ ଭକ୍ତି ଅନୁରାଗେ ୨୬
    ତାର ସମୀପେ ହୃଷୀକେଶ । ତକ୍ଷଣେ ହୋଇଲେ ପ୍ରବେଶ ୨୭
    ଶୁକ୍ଳ-କମଳ-ମାଳ ଗଳେ । ବଦନ ଶୋଭିତ କୁଣ୍ତଳେ ୨୮
    ଶବଦବ୍ରହ୍ମ ରୂପ ଧରି । ଶତେ ଆଦିତ୍ୟ ନୋହେ ସରି ୨୯
    ଲୋଚନ ପୁଣ୍ତରୀକଦଳେ । ସୁନ୍ଦର ଅଳକା କପୋଳେ ୩୦
    ନିର୍ମଳ ବସ୍ତ୍ର ପରିଧାନ । ସୁନ୍ଦର ମସ୍ତକ ଭୂଷଣ ୩୧
    କିରୀଟ କୁଣ୍ତଳ ବିରାଜେ । ଶଙ୍ଖ କମଳ ଗଦା ସାଜେ ୩୨
    ଚକ୍ର ବିରାଜେ ଦକ୍ଷକରେ । ତେଜେଣ ଦଶଦିଗ ପୁରେ ୩୩
    ଅଧରେ ସ୍ମିତହାସ୍ୟ ଯାର । ବିରାଜେ ଅତି ମନୋହର ୩୪
    ସ୍ମିତ ବାରିକ ଚକ୍ଷୁ ବେନି । ବିରାଜେ ନିଜ ତେଜ ଘେନି ୩୫
    ସୁନ୍ଦର ହାସ୍ୟେ ମନ ମୋହେ । କୋଟି କନ୍ଦର୍ପ ସମ ନୋହେ ୩୬
    ଗରୁଡ ସ୍କନ୍ଧେ ଆରୋହଣ । ଅମୂଲ୍ୟ ରତ୍ନ ବିଭୂଷଣ ୩୭
    ଭ୍ରୂଭଙ୍ଗେ ରୁଚିର ଶ୍ରୀମୁଖ । ଦେଖନ୍ତେ ହରେ ଭବଦୁଃଖ ୩୮
    ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ । କୌସ୍ତୁଭମଣି କଣ୍ଠମାଝେ ୩୯
    ଶୁକ୍ଳ ଶରୀର ଶୂନ୍ୟମାର୍ଗେ । ଯେ ରୂପ ବହେ ସତ୍ୟଯୁଗେ ୪୦
    ଶୂନ୍ୟ-ମଣ୍ତଳେ ବିଷ୍ଣୁ ଦେଖି । ଉଠିଲା ଆସନ ଉପେକ୍ଷି ୪୧
    ବହୁ ବରଷ ତପ ଶ୍ରମ । ଦେଖନ୍ତେ ଗଲା ମନ ଭ୍ରମ ୪୨
    ରୋମ ହରଷ କଳେବର । ନୟନୁ ବହେ ଅଶ୍ରୁଧାର ୪୩
    କର ଅଞ୍ଜଳି ଦେଇ ମାଥେ । ଦଣ୍ତ ପ୍ରଣାମ ଭୂମିଗତେ ୪୪
    ଆନନ୍ଦେ ପ୍ରାପ୍ତ ମନୋରଥ । ଅନ୍ତରେ ହୋଇ କୃତକୃତ୍ୟ ୪୫
    ଶ୍ରୁତି ବଚନ ମୁଖେ କହି । ବୋଲଇ ବିଷ୍ଣୁ ରୂପ ଚାହିଁ ୪୬

    କର୍ଦ୍ଦମ ଉବାଚ

    ଭୋ ନାଥ ତବ ଦରଶନ । ସଫଳ କଲା ମୋ ନୟନ ୪୭
    ଯେ ରୂପ ଦେଖିବାର ଅର୍ଥେ । ଯୋଗ ସାଧନ୍ତି ମୁନିସନ୍ଥେ ୪୮
    ଭୋ ନାଥ ତୋହର ଚରଣ । ଜୀବର ପରମ କାରଣ ୪୯
    ତୋ ପାଦପଦ୍ମ ନାବ କରି । ଭବସାଗରୁ ଯାନ୍ତି ତରି ୫୦
    ଏ ଭାବ ଛାଡ଼ି ଯେ ସଂସାରେ । ବିଷୟରସ ଆଶ୍ରେ କରେ ୫୧
    ତାହାର ମୋକ୍ଷ ଆଉ କାହିଁ । ସଂସାରେ ନିୟତ ଭ୍ରମଇ ୫୨
    ନରକେ ଯାନ୍ତି ସେହି ମତେ । ସେ ତୋତେ ପାଇବେ କେମନ୍ତେ । ୫୩
    ସେହି ପ୍ରକାରେ ମନ ମୋର । କଳ୍ପଇ ବିଷୟା ଗୋଚର ୫୪
    ତୋର ଆଦେଶେ ସୃଷ୍ଟି ଧର୍ମେ । କଳ୍ପଇ ଗୃହସ୍ଥ ଆଶ୍ରମେ ୫୫
    ଯେ ଗୃହ କାମଧେନୁ ପ୍ରାୟେ । କୁଟୁମ୍ବ ଜନ ମନ ମୋହେ ୫୬
    ତୋର ଚରଣ କଳ୍ପଦ୍ରୁମ । ଆଶ୍ରେ ଲଭିବି ସର୍ବକାମ ୫୭
    ତୋ ଅନୁଗ୍ରହେ ମନୁରାଜା । କଳ୍ପିବ ତାହାର ତନୁଜା ୫୮
    ମୁଁ ପୁଣି ସର୍ବପ୍ରାଣୀ ହିତେ । ଯେମନ୍ତେ ତୋ ଚରଣାଗତେ ୫୯
    ବଳି ନିବେଦି ଗୃହଧର୍ମେ । ଯେମନ୍ତେ ରମିବି ଆଶ୍ରମେ ୬୦
    ତୋ ପଦ ବିନୁ ଚକ୍ରଧର । ସେବିବି କାହାର ପୟର ୬୧
    ତୋ ପାଦ ତାପତ୍ରୟ-ଛତ୍ର । ଏ କଥା ଜଗତେ ବିଦିତ ୬୨
    ତୋ ରୂପ ଗୁଣ ଅବତାର । ନିର୍ମଳ ବହେ ସୁଧାଧାର ୬୩
    ତେଣେ ଲୋଭିତ ଯାର ଚିତ୍ତ । ସେ ନୋହେ କାଳଚକ୍ରେ ଗ୍ରସ୍ତ ୬୪
    ତୋ କାଳଚକ୍ରର ମହିମା । କେ କରିପାରେ ଗୁଣ ସୀମା ୬୫
    ଯାହାର ବ୍ରହ୍ମରୂପୀ ଅକ୍ଷ୍ୟ । ଭ୍ରମଣେ କେବା କରୁ ଲକ୍ଷ୍ୟ ୬୬
    ତୃତୀୟ ଦଶ ଥର ହୋଇ । ତ୍ରିଶତଷଷ୍ଠୀ ପର୍ବ ଯହିଁ ୬୭
    ଅନନ୍ତ ପତ୍ର ଷଟନେମୀ । ତ୍ରିନାଭି ଯେହୁ ବ୍ୟଗ୍ରଗାମୀ ୬୮
    ଏ ରୂପେ ଧାମେ ଅବିରତେ । ପ୍ରାଣୀ ଆୟୁଷ ହରେ ନିତ୍ୟେ ୬୯
    ଏମନ୍ତ କାଳ ରୂପ ଯେହି । ତୋ ଭକ୍ତେ ନ ପାରଇ ସେହି ୭୦
    ତୁ ଏକରୂପୀ ଛନ୍ନଦେହା । ଜଗନ୍ମୋହିନୀ ତୋର ମାୟା ୭୧
    ତେଣେ ଏ ସୃଷ୍ଟି ସ୍ଥିତି ଅନ୍ତ । ଯେସନେ ଉର୍ଣ୍ଣନାଭି ବତ ୭୨
    କାମୀ ଅକାମୀ ମନ ପୂର୍ଣ୍ଣ । କରେ ତୋ ପାଦ କଳ୍ପଦ୍ରୁମ ୭୩
    ତୋତେ ଜାଣନ୍ତି ଯେତେ ଜୀବେ । କର୍ମର ଭୋଗନାଶ ତେବେ ୭୪
    ଆପଣେ ଆପଣା ମାୟାରୁ । ଏ ବିଶ୍ୱ ଆବର୍ତ୍ତିତ କରୁ ୭୫
    ତୁହି ସକଳ କାମଦାତା । ନିଷ୍କାମ ଜନ ମୋକ୍ଷଦାତା ୭୬
    ଏଣୁ ମୁଁ ନିଷ୍ଠା କାମ ବଳେ । ନମଇ ତୋ ପାଦ କମଳେ ୭୭
    ଯେଣୁ ତୁ ଭକ୍ତି-ମୁକ୍ତିଦାତା । ତୋ ପାଦେ ନମୁଁ ଦୁଃଖ ହର୍ତ୍ତା ୭୮
    ଭୋ ନାଥ ତୋହର ମହିମା । କେ କହିପାରେ ଗୁଣସୀମା ୭୯

    ମୈତ୍ରେୟ ଉବାଚ

    ଏମନ୍ତ ମୁନି ବାକ୍ୟ ଶୁଣି । ଗରୁଡ ସ୍କନ୍ଧେ ଚକ୍ରପାଣି ୮୦
    ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇ । କହନ୍ତି ମୁନି ମୁଖ ଚାହିଁ ୮୧

    ଭଗବାନ ଉବାଚ

    ଶୁଣ ହୋ ପ୍ରଜାପତି ସୁତ । ମୁହିଁ ଜାଣିଲି ତୋର ଚିତ୍ତ । ୮୨
    ତୁ ଯେଣୁ ପୂଜି ମୋ ଚରଣ । କଳ୍ପିଲୁ ସୃଷ୍ଟିର କାରଣ । ୮୩
    ଯହିଁ ତୋହାର ମନଯୋଗ । ପୂର୍ବେ କରିଛି ତା ସଂଯୋଗ । ୮୪
    ଅବଶ୍ୟ ତାହା କରିବଇଁ । ମୋ ପୂଜା ବିଅର୍ଥେ ନ ଯାଇ । ୮୫
    ତୁ ଏବେ ସାବଧାନେ ଶୁଣ । କହିବା ତହିଁର କାରଣ । ୮୬
    ଯେ ପୂର୍ବେ ପଦ୍ମଯୋନି ତନୁ । ସମ୍ଭୂତ ସ୍ୱାୟମ୍ଭୁବମନୁ । ୮୭
    ଯେ ପ୍ରଜାପତିଙ୍କର ପତି । ଯାହାର ସଦାଚାର ଖ୍ୟାତି । ୮୮
    ଏ ବ୍ରହ୍ମାବର୍ତ୍ତେ ରାଜା ହୋଇ । ପାଳଇ ସପ୍ତଦ୍ୱୀପା ମହୀ । ୮୯
    ସେହି ଧର୍ମଜ୍ଞ ମନୁ ତୋତେ । ଆସିବେ ଦେଖିବା ନିମନ୍ତେ । ୯୦
    ତାହାର ଶତରୂପା ନାରୀ । ରୂପେ କମଳା ନୋହେ ସରି । ୯୧
    ସେ ବେନିଜନେ ଏକ ରଥେ । ତୋ ରୂପ ଦେଖିବାର ଅର୍ଥେ । ୯୨
    ତୋହର ସମୀପେ ସାକ୍ଷତେ । ମିଳିବେ ବେନିଦିନ ଅନ୍ତେ । ୯୩
    ତାର ଦୁହିତା ଦେବହୂତି । ରୂପେ ସମାନ ନୋହେ ରତି । ୯୪
    ତାର ବୟସ ରୂପ ଗୁଣେ । ଅପରେ କେ ଅଛି ପ୍ରମାଣେ । ୯୫
    ତା ରୂପ ଅତି ମନୋହର । ତୁ ତାହା ଅନୁରୂପେ ବର । ୯୬
    ସେ କନ୍ୟା ସମର୍ପିବ ତୋତେ । ଯେ ବିଧିବିଧାନ ଉକତେ । ୯୭
    ତୁ ମୋ ଚରଣେ ଚିତ୍ତ ଦେଇ । ଯେତେ ବରଷ ତପ ଦାହି । ୯୮
    ନିରତେ କଲୁ ଆତ୍ମଯୋଗ । ଏବେ ବିଷୟ ଅନୁଭୋଗ । ୯୯
    ମନୁ-ଦୁହିତା ତୋର ସଙ୍ଗେ । ନିରତେ ଭଜୁ ଅନୁରାଗେ । ୧୦୦
    ସେ ତୋର ତୁଲେ କରି ଭାବ । ନବଧା-ଗର୍ଭ ପ୍ରସବିବ । ୧୦୧
    ତୋହର ବୀର୍ଯ୍ୟେ ଯେତେ କନ୍ୟା । ଜନ୍ମିବେ ରୂପଗୁଣେ ଧନ୍ୟା । ୧୦୨
    ତାହାଙ୍କ ଗର୍ଭେ ଋଷିଗଣ । କଳ୍ପିବେ ବହୁତ ସନ୍ତାନ । ୧୦୩
    ତୋହର ଗୁଣ ଅନୁପମ । ହୋଇବେ ଅନୁମତ ନାମ । ୧୦୪
    ତୁ ଯେ ମୋ ଆଜ୍ଞା ଶିରେ ଧରି ।ମୋତେ ତୁ ତୀର୍ଥପ୍ରାୟ କରି । ୧୦୫
    ଅଶେଷ କର୍ମଫଳ ଦେଇ । ମୋତେ ପାଇବୁ ତେଣୁ ତୁହି । ୧୦୬
    ଅଶେଷଭୂତେ ତୋର ଦୟା । ତୋତେ ନ ଲାଗୁ ବିଷ୍ଣୁ ମାୟା । ୧୦୭
    ଆତ୍ମାରେ ଜଗତ ଆରୋପି । ତୁ ଯେ ମୋହାର ଭାବେ ବ୍ୟାପି । ୧୦୮
    ଆତ୍ମା ସହିତେ ସର୍ବଭୂତ । ମୋଠାରେ ହୋଇଛି ମିଳିତ । ୧୦୯
    ତପ ସାଧିଲୁ ଚିରକାଳେ । ଏ ଘୋର ସଂସାର ଉଲ୍ଲୋଳେ । ୧୧୦
    ତୁ ମୋତେ ଆତ୍ମାରେ ଦେଖିବୁ । ଜୀବନ ସଫଳ ଲଭିବୁ । ୧୧୧
    ମୁଁ ପୁଣି ପଶି ତୋର ବୀର୍ଯ୍ୟେ। ସ୍ୱଭାବେ ବିଷ୍ଣୁଅଂଶ ତେଜେ । ୧୧୨
    ତୋହାର କ୍ଷେତ୍ରେ ମୁଁ ସମ୍ଭୂତ । ହୋଇବି ଦେବହୂତି ସୁତ । ୧୧୩
    ତତ୍ତ୍ବ ସଂହିତା ପ୍ରଣୟନ । କରିବି ହୋଇ ଅବତୀର୍ଣ୍ଣ । ୧୧୪

    ମୈତ୍ରେୟ ଉବାଚ

    ଏମନ୍ତ କହି ମୁନି ଆଗେ । ହରି ଚଳିଲେ ଶୂନ୍ୟମାର୍ଗେ । ୧୧୫
    ଗମିଲେ ବିନ୍ଦୁସରୋବରୁ । ନିର୍ମଳ ସରସ୍ୱତୀ ତୀରୁ । ୧୧୬
    ସେ ନଦୀତୀରେ ପୁଷ୍ପବନେ । ଗରୁଡ ପକ୍ଷୀ ନାଦ ସ୍ୱନେ । ୧୧୭
    ଭୃଙ୍ଗ ସମୂହେ ବାୟୁ ବହେ । ଶୁଭଇ ସାମଗାନ ପ୍ରାୟେ । ୧୧୮
    ଏମନ୍ତେ ଶୁଣ ହୋ ବିଦୁର । ସେ ସ୍ୱାୟମ୍ଭୁବ ମନୁବର । ୧୧୯
    ସୁବର୍ଣ୍ଣ ଆଚ୍ଛାଦିତ ରଥେ । ଆରୋହି ପାରିଷଦ ଯେତେ । ୧୨୦
    ସଙ୍ଗତେ ଘେନି ଦେବହୂତି । ଭୂମି ପର୍ଯ୍ୟଟନ କରନ୍ତି । ୧୨୧
    ମିଳିଲେ କର୍ଦ୍ଦମ ଆଶ୍ରମେ । ବିଷ୍ଣୁର କହିଥିବା ଦିନେ । ୧୨୨
    ନିର୍ମଳ ସରସ୍ୱତୀ ତୀରେ । ମିଳିଲେ ବିନ୍ଦୁ ସରୋବରେ । ୧୨୩
    ଦେଖିଲେ କର୍ଦ୍ଦମ ଶରୀର । ତପ ସାଧନେ କୃଶତର । ୧୨୪
    ପୂର୍ବେ ଯେ ସରସ୍ୱତୀ କୂଳେ । ବିଷ୍ଣୁ ମିଳିଲେ ଋଷିମେଳେ । ୧୨୫
    ଦେଖି ତାହାଙ୍କ ଭକ୍ତିଭାବ । ତନୁ ପୁଲକ ପଦ୍ମନାଭ । ୧୨୬
    ସ୍ୱଭାବେ ଭକ୍ତଜନବନ୍ଧୁ । ନୟନୁ ଅଶ୍ରୁ ଜଳବିନ୍ଦୁ । ୧୨୭
    ପଡିଲା ସରସ୍ୱତୀ ନୀର । ତେଣୁ ବୋଲାଇ ବିନ୍ଦୁସର । ୧୨୮
    ସେ ବନ ସାମାନ୍ୟ ନୋହର । ଯହିଁରେ ପ୍ରଭୁ ଭାବଗ୍ରାହୀ । ୧୨୯
    କର୍ଦ୍ଦମ ପ୍ରତି ଦୟା କରି । ପତିତ କଲେ ନେତ୍ର ବାରି । ୧୩୦
    ପୁଣ୍ୟ ପବିତ୍ର ସୁଧା ଜଳ । ସ୍ୱଭାବେ ନିର୍ମଳ ଶୀତଳ । ୧୩୧
    ଯେ ପୁଣ୍ୟଜଳ ମୁନିଗଣେ । ସେବା କରନ୍ତି ଅନୁକ୍ଷଣେ । ୧୩୨
    ପବିତ୍ର ଦ୍ରୁମଲତା ଘନେ । ନାଦ କରନ୍ତି ପକ୍ଷୀଗଣେ । ୧୩୩
    କ୍ରୀଡନ୍ତି ନାନା ବନଜୀବେ । ଗଭୀର ଶୁଭେ ଭୃଙ୍ଗରବେ । ୧୩୪
    ସକଳ ଋତୁ ଫଳ ନାହିଁ । ପୁଷ୍ପ ପଲ୍ଲବ ବିରାଜଇ । ୧୩୫
    ମତ୍ତ-ମୟୂର ଯୂଥ ଯୂଥ । କୋକିଳ ରାବ ସୁଲଳିତ । ୧୩୬
    ପ୍ରମତ୍ତ ଭ୍ରମର ନିକରେ । ନାନା ପ୍ରକାରେ କ୍ରୀଡ଼ା କରେ । ୧୩୭
    କଦମ୍ବ ଚମ୍ପକ ଅଶୋକ । ନାଗକେଶ୍ୱର କୁରୁବକ । ୧୩୮
    କରଞ୍ଜ ପନସ ଅସନ । କୁନ୍ଦ ମନ୍ଦାର ଚୂତବନ । ୧୩୯
    ହଂସ ସାରସ ବକପନ୍ତି । ଜଳକୁକ୍କୁଟ ରାବ ଦ୍ୟନ୍ତି । ୧୪୦
    ଚକୋର ଚକ୍ରବାକ ବାଣୀ । ଅତି ଗଭୀର ପରିମାଣି । ୧୪୧
    ଗୟଳ ଶଲ୍ଲକ କୁଞ୍ଜର । କୁରଙ୍ଗ ହରିଣ ଶୂକର । ୧୪୨
    ବାନର ଗୋଲାଙ୍ଗୁଳ ସାଜେ । ନକୁଳ କସ୍ତୁରୀ ବିରାଜେ । ୧୪୩
    ସେ ତୀର୍ଥବରେ ଆଦିରାଜା । ରଥେ ମିଳିଲେ ମହାତେଜା । ୧୪୪
    କଳତ୍ର ଦୁହିତା ସମେତେ । ପ୍ରବେଶ ହେଲା ରତ୍ନପଥେ । ୧୪୫
    ଦେଖିଲା ମୁନିଙ୍କ ବଦନ । ସ୍ୱଭାବେ ଦ୍ରୁତ ହୁତାଶନ । ୧୪୬
    ସ୍ୱଭାବେ ଘୋରତପ ତେଜେ । ସୁନ୍ଦର ଶରୀର ବିରାଜେ । ୧୪୭
    ବିଷ୍ଣୁ ଜନ୍ମିବେ ଯା ଶରୀରେ । ସୁନ୍ଦର କେତେକ ମାତରେ । ୧୪୮
    ଅମୃତ ତୁଲ୍ୟ ବିଷ୍ଣୁବାଣୀ । ସେ ମୁନି କର୍ଣ୍ଣପଥେ ଶୁଣି । ୧୪୯
    ରୋମ ପୁଲକ କଳେବର । ନେତ୍ରେ ଆନନ୍ଦ ଅଶ୍ରୁଧାର । ୧୫୦
    ଶିରେ ସୁନ୍ଦର ଶୋହେ ଜଟା । ବସନ ଚିରାଣି କାଛଟା । ୧୫୧
    ସେ ମୁନି ମଳିନ ଯେ ଗାତ୍ର । ରତ୍ନ ଯେସନେ ଅସଂସ୍କୃତ । ୧୫୨
    ଏମନ୍ତ ଦେଖି ନୃପମଣି । ସଙ୍ଗତେ ନିଜ ପତ୍ନୀ ଘେନି । ୧୫୩
    ରଥୁ ତୁରିତେ ଅବତରି । ମୁନି ସମୀପେ ଦଣ୍ତଧାରୀ । ୧୫୪
    ମିଳିଲେ ଯୋଡି ବେନିପାଣି । ପାଦେ ପ୍ରଣାମ କଲେ ପୁଣି । ୧୫୫
    ଦେଖି ଉଠିଲେ ମୁନି ବେଗେ । ଆଶିଷ କଲେ ମନ୍ତ୍ରଯୋଗେ । ୧୫୬
    ବିଷ୍ଣୁ ଆଦେଶ ଗୁଣି ମନେ । ଆନନ୍ଦ ଉଲ୍ଲୋଳ ଲୋଚନେ । ୧୫୭
    ପୂଜିଲେ ବସାଇ ଆସନେ । କହନ୍ତି ଅମୃତ ବଚନେ । ୧୫୮
    ରାଜ କୁଶଳ ପ୍ରଶ୍ନବାଣୀ । ସନ୍ତୋଷେ ପୁଚ୍ଛେ ବିପ୍ରମଣି । ୧୫୯

    କର୍ଦ୍ଦମ ଉବାଚ

    ତୋ ଆଗମନେ ନୃପବର । ଧନ୍ୟ ଏ ଆଶ୍ରମ ମୋହର । ୧୬୦
    ତୁମ୍ଭ ଭ୍ରମଣ ଏ ଜଗତେ । ସାଧୁଜନଙ୍କ ରକ୍ଷା ଅର୍ଥେ । ୧୬୧
    ଅସାଧୁଜନ ବିନାଶନେ । ନିଶ୍ଚଳେ ଧର୍ମର ସ୍ଥାପନେ । ୧୬୨
    ରବି ଶଶାଙ୍କ ଅଗ୍ନି ଯମ । ଇନ୍ଦ୍ର ବରୁଣ ବାତ ଧର୍ମ । ୧୬୩
    ଏ ଅଷ୍ଟ-ଦିଗପାଳ ତେଜ । ଏଣୁ କ୍ଷତ୍ରିୟ ଅଷ୍ଟଭୁଜ । ୧୬୪
    ଏଣୁ ତୁମ୍ଭଙ୍କୁ ନମସ୍କାର । ତୁ ଧର୍ମମୂର୍ତ୍ତି ନୃପବର । ୧୬୫
    ରଥ ଆରୋହି ତୋ ବିହାର । ଅସତଜନ ଗର୍ବ ହର । ୧୬୬
    ଘୋର-ଗର୍ଜନ ଧନୁ-ରବେ । ଉଦ୍ଦଣ୍ତ ସଂଗ୍ରାମ ଉତ୍ସବେ । ୧୬୭
    ବେଷ୍ଟିତ ଚତୁରଙ୍ଗ ବଳେ । କମ୍ପାଇ ଅବନୀ ମଣ୍ତଳେ । ୧୬୮
    ସୂର୍ଯ୍ୟର ପ୍ରାୟେ ତେଜ ଧରି । ଖେଟ ଖର୍ବଟ ବନଗିରି । ୧୬୯
    ଶତ୍ରୁ ବିନାଶେ ସାବଧାନେ । କ୍ଷତ୍ରିୟଧର୍ମ ଏ ପ୍ରମାଣେ । ୧୭୦
    ଏହା ନ କରି ଯେବେ ଘରେ । ସୁଖଶୟନେ ନିଦ୍ରା କରେ । ୧୭୧
    ତେବେ ଅସତ ରିପୁ ବଳ । ନାଶନ୍ତି ଭୁବନ ମଣ୍ତଳ । ୧୭୨
    ତଥାପି ଶୁଣ ହେ ରାଜନ । ଯେ ଅର୍ଥେ ତୁମ୍ଭ ଆଗମନ । ୧୭୩
    ତୁମ୍ଭର ପ୍ରିୟଭାବ ବହି । ସୁହୃଦ ଭାବେ କରିବଇଁ । ୧୭୪
    ଏମନ୍ତ କହି ରାଜା ଆଗେ । କର୍ଦ୍ଦମ ଅତି ସଉଭାଗ୍ୟେ । ୧୭୫
    ବିଷ୍ଣୁର ବଚନ ସୁମରି । ଅଧିକ ପ୍ରିୟଭାବ ଭାରି । ୧୭୬
    ସେ ମୁନି ଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ୧୭୭
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟଷ୍କନ୍ଧେ ଏକବିଂଶୋଽଧ୍ୟାୟଃ ।

    ଦ୍ୱାବିଂଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଏମନ୍ତେ ରାଜା ଗୁଣଗ୍ରାମ । ଆନନ୍ଦେ ବର୍ଣ୍ଣିଲେ କର୍ଦ୍ଦମ । ୧
    ଶୁଣିଣ ଆପଣା ସୁଖ୍ୟାତି । ଲଜ୍ଜିତ ହୋଇଲେ ଭୂପତି । ୨
    ବୋଇଲେ ମୁନି ମୁଖ ଚାହିଁ । ଶୁଣ କର୍ଦ୍ଦମ ଦୟାବହି । ୩

    ମନୁ ଉବାଚ

    ସେ ବେଦମୟ ବ୍ରହ୍ମାଆଗେ । ବେଦ ପ୍ରବୃତ୍ତି ଇଚ୍ଛାଯୋଗେ । ୪
    ତପସ୍ୟା ବିଦ୍ୟା ଯୋଗଯୁକ୍ତ । ଲମ୍ପଟ ଭାବ ବିରହିତ । ୫
    କରି ସୃଜିଲେ ଲୋକଗୁରୁ । ତୁମ୍ଭମାନଙ୍କୁ ସ୍ୱମୁଖରୁ । ୬
    ଏଣୁ ପବିତ୍ର ତୁମ୍ଭ ଦେହୀ । ସୁବିଦ୍ୟାତପ ଛନ୍ଦମୟୀ । ୭
    ଯୋଗ ସାଧନେ ଅଲମ୍ପଟ । ତୁମ୍ଭ ସାଧନ ସ୍ୱର୍ଗ-ବାଟ । ୮
    ଏ ତୁମ୍ଭ ଧର୍ମରକ୍ଷା ଅର୍ଥେ । ସେ ପିତାମହ ଏ ଜଗତେ । ୯
    ସହସ୍ରେ ଭୁଜ ତେଜ ଘେନି । ସୃଷ୍ଟି ପାଳନେ ପଦ୍ମଯୋନି । ୧୦
    କ୍ଷତ୍ରିୟ ଜାତି ଭିଆଇଲା । ସେ ତେଜ ସୃଷ୍ଟି ଆବୋରିଲା । ୧୧
    ଏ ବେନି ତେଜେ ବେନି ରହେ । ଧର୍ମ ପାଳନେ ଦେହ ବହେ । ୧୨
    ଏଣୁ ତୁମ୍ଭର ଦରଶନେ । ସଂଶୟ ନରହେ ମୋ ମନେ ୧୩
    ଯେଣୁ ଅନେକ ଭାଗ୍ୟ ମୋର । ଦେଖିଲି ତୁମ୍ଭର ଶରୀର ୧୪
    ତୁମ୍ଭ ଚରଣରଜ-ନୀର । ପବିତ୍ର କଲା ମୋ ଶରୀର ୧୫
    ପ୍ରାକୃତଜନ ମାନଙ୍କର । ଯେ ରୂପ ଅଟେ ଅଗୋଚର ୧୬
    ତୁମ୍ଭର ଅନୁଗ୍ରହ ପାଇ । ପବିତ୍ର କଲି ନିଜ ଦେହୀ ୧୭
    ତୁମ୍ଭର ବାକ୍ୟେ କର୍ଣ୍ଣପଥ । ନିଶ୍ଚଳ ହୋଏ କୃତକୃତ୍ୟ ୧୮
    ମୁଁ ଏ ଦୁହିତା ସ୍ନେହେ ଜଡି । ଏ ମାୟାମୋହ ବନ୍ଧେ ପଡି ୧୯
    ଏଣୁ ମୋହର ଦୁଃଖ ମନେ । କହିବି ଶୁଣ ସାବଧାନେ ୨୦
    ମୋହର ଜ୍ୟେଷ୍ଠ ବେନିସୁତ । ଉତ୍ତାନପାଦ ପ୍ରିୟବ୍ରତ ୨୧
    ତାଙ୍କ ଭଗିନୀ ଏ ସୁମୁଖୀ । ଏ ଦେବହୂତି ଚନ୍ଦ୍ରମୁଖୀ ୨୨
    ଏହାର ଗୁଣ ଶୀଳ ସମେ । ପତି ଇଚ୍ଛଇ ନିଜ ଧର୍ମେ ୨୩
    ତୁମ୍ଭର ରୂପ ଗୁଣ ଯେତେ । ନାରଦ ଏହାର ଅଗ୍ରତେ ୨୪
    କହିଲେ ମୋହର ସାକ୍ଷାତେ । ତେଣୁ କଳ୍ପିଲା ଏହା ଚିତ୍ତେ ୨୫
    ମୁଁ ଏବେ ଶ୍ରଦ୍ଧା ପ୍ରୀତି ଚିତ୍ତେ । ଘେନି ମିଳିଲି ତୋ ଅଗ୍ରତେ ୨୬
    କନ୍ୟା ଗ୍ରହଣ ତୁମ୍ଭେ କର । ଶ୍ରଦ୍ଧାରେ ଦେଲି ଉପହାର ୨୭
    ତୁ ଧର୍ମଜ୍ଞାନୀଙ୍କର ବର । ଗୃହସ୍ଥଧର୍ମ ଏବେ କର ୨୮
    ତୋ ଗୃହାଶ୍ରମ କର୍ମମାନ । ସୁନ୍ଦର କରିବ ସାଧନ ୨୯
    ଏଣେ ତୋ ପ୍ରତିବାଦ ନାହିଁ । ପୁଷ୍କଳଧର୍ମେ ଏହା କହି ୩୦
    ଉଦ୍ୟତଭୋଗ ଯେବେ ଛାଡି । ଯେ ଯାନ୍ତି ଭିକ୍ଷୁପଥ ମାଡି ୩୧
    ଯେ ଯଶମାନ ତାର ଥାଇ । ଅବଜ୍ଞା ବଶେ ନ ରହଇ ୩୨
    ତୁମ୍ଭର ବ୍ରହ୍ମଚର୍ଯ୍ୟବ୍ରତ । ଅବଧି ହେଲା ସମାପତ ୩୩
    ବିବାହ କରିବାର ପାଇଁ । ଶୁଣିଲୁ ଇଚ୍ଛା ବଳିଛଇଁ ୩୪
    ଏବେ ତୁ ଗୃହମେଧି ଧର୍ମ । କର ସଫଳ ଏ ଉଦ୍ୟମ ୩୫
    ଏ ଦେବହୂତି କନ୍ୟା ମୋର । ବେଦ ପ୍ରମାଣେ ବିଭାକର ୩୬
    ଏମନ୍ତ ମନୁବାକ୍ୟ ଶୁଣି । କŸର୍ଦ୍ଦମ ହୃଦେ ପରିମାଣି ୩୭
    ବୋଲନ୍ତ ମନୁ ମୁଖ ଚାହିଁ । ଆନନ୍ଦଚିତ୍ତେ ଦେହ ବହି ୩୮

    କର୍ଦ୍ଦମ ଉବାଚ

    ତୁମ୍ଭର ଆଜ୍ଞା ଶିରୋ ଧରି । ଏ ଦେବହୂତି ବିଭାକରି ୩୯
    ରମିବି ସଂସାର ଧାରଣେ । ଆତ୍ମାର ଉତ୍ପତ୍ତି କାରଣେ ୪୦
    ଯେ ମନୁରାଜାର ଦୁହିତ । ଉତ୍ତାନପାଦ ଯାର ଭ୍ରାତ ୪୧
    ଏ ଗୁଣବତୀ କନ୍ୟାସାର । କି ଅବା ଦେବା ପଟାନ୍ତର ୪୨
    ମୋହର କର୍ମେ ଏ ବିଦିତ । ସୁନ୍ଦର ଗୁଣ ବର୍ଣ୍ଣ‌ଯୁକ୍ତ ୪୩
    ଏଣୁ ଏ ଲଳନା ଲଲାମ । ଏହାର ଗୁଣ ଅନୁପମ ୪୪
    କେ ତାହା ଛାଡି ଅବା ପାରେ । ଶରୀର ବହି ଏ ସଂସାରେ ୪୫
    କରିବି ଦାର ପରିଗ୍ରହ । ତୁମ୍ଭେ ମୋହରେ ସ୍ନେହ ବହ ୪୬
    କିନ୍ତୁ ଏ ନିୟମ ମୋହର । ଶୁଣ ହେ ଧର୍ମପାଳ ବର ୪୭
    ଯାବତ ଏହା କୋଳେ ଜାତ । ସୁନ୍ଦର ଗୁଣବନ୍ତ ପୁତ୍ର ୪୮
    ତାବତ ଗୃହାଶ୍ରମ ରହି । ତହୁଁ ସନ୍ନ୍ୟାସ କରିବଇଁ ୪୯
    ତୁମ୍ଭ ବଚନ ମାନ୍ୟ ମୋର । ଯେ ଭାବେ ଜନ ଉପକାର ୫୦
    ପିତ୍ରାଦି ଋଣ ଶୋଧ କରି । ପରେ ସନ୍ନ୍ୟାସ ଅନୁସରି ୫୧
    ଏମନ୍ତ ବିଷ୍ଣୁ ଅନୁମତି । ତୁମ୍ଭଙ୍କୁ କହିଲି ସମ୍ପ୍ରତି ୫୨

    ମୈତ୍ରେୟ ଉବାଚ

    ଏମନ୍ତେ ବିପ୍ର ବାକ୍ୟ ଶୁଣି । ସନ୍ତୋଷ ଚିତ୍ତେ ରାଜା-ରାଣୀ ୫୩
    ମୁନିଙ୍କି ବରବେଶ କରି । ବେଦ-ବିଧାନେ କନ୍ୟା ବରି ୫୪
    ତାପସ ଶ୍ରେଷ୍ଠ ମୁନିବରେ । ହରଷେ ପ୍ରଫୁଲ୍ଲ ଅନ୍ତରେ ୫୫
    ବିବାହ ଦେଇ ସେ ଉ›ତ୍ସୁକ । ଅନେକ ଦେଲେ ଯଉତୁକ ୫୬
    ଅମୂଲ୍ୟ ବସନ ଭୂଷଣ । ଗୃହ ପୁଷ୍କଳ ମହୀ ଧନ ୫୭
    ଝିଅ ଜୁଆଇଁ ପ୍ରୀତି ଅର୍ଥେ । ସେ ରାଣୀ ଦେଲେ ବହୁମତେ ୫୮
    ସକଳ ଦେଇ ମୁନିଜନେ । ବୋଧିଲେ ଅମୃତ ବଚନେ ୫୯
    ଆନନ୍ଦ ଚିତ୍ତେ ଦଣ୍ତଧାରୀ । ମୁନିଙ୍କି ଆଲିଙ୍ଗନ କରି ୬୦
    କଣ୍ଠ କୁଣ୍ଠିତ ଅଶ୍ରୁ ମୁଖେ । ଦୁହିତା ସ୍ନେହଭଙ୍ଗ ଦୁଃଖେ ୬୧
    ହେ ମାତ ବୋଲି ଅଶ୍ରୁ ମୁଖ । ଦୁହିତା ଦୁଃଖେ ଅତି ଦଃଖ ୬୨
    ଦୁହିତା କେଶ ନେତ୍ର ଜଳେ । ଅତି କାତରେ ଆର୍ଦ୍ର କଲେ ୬୩
    ମୁନିଙ୍କି କନ୍ୟାଦାନ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ୬୪
    ରଥ ଆରୋହୀ ବେନି ଜନେ । ଗଲେ ସେ ଆପଣା ଭୁବନେ ୬୫
    ସେ ପୁଣ୍ୟନଦୀ ସରସ୍ୱତୀ । ଅତି ଶୋଭନ ତଟବତୀ ୬୬
    ସେ ଋଷିକୂଲ୍ୟା ନଦୀ ତଟେ । ଅନେକ ଋଷି ଯା ନିକଟେ ୬୭
    ପର୍ଣ୍ଣ କୁଟୀର ସେ ଭିଆଇ । ସୁଦୃଢେ କୁଶ କାଶ ଛାଇ ୬୮
    ସେ ନଦୀତୀରେ ସୁଖେ ରହି । ବିଷ୍ଣୁ ଭଜନେ ଯଜ୍ଞ ଦାହି ୬୯
    ତା ତଟେ ମୁନିଙ୍କ ଆଶ୍ରମ । ଦେଖି ତା ଶୋଭା ଅନୁପମ ୭୦
    ମନୁର ଚିତ୍ତ ତୃପ୍ତ ହେଲା । ସ୍ୱଗୃହ ମାର୍ଗେ ଚଳିଗଲା ୭୧
    ସେ ବ୍ରହ୍ମାବର୍ତ୍ତ ପ୍ରଜାଜନେ । ମନୁ ଆସନ୍ତେ ସ୍ୱଭୁବନେ ୭୨
    ହରଷେ ରାଜାର ଅଗ୍ରତେ । ମିଳିଲେ ବାଦ୍ୟ ସ୍ତୁତି ରୀତେ ୭୩
    ଯା ନା ବର୍ହିଷୃତି ପୁରୀ । ତହିଁ ବିଜୟେ ଦଣ୍ତଧାରୀ ୭୪
    ବରାହ ଅଙ୍ଗର କମ୍ପନେ । ରୋମ ପଡ଼ିଲା ଯେଉଁ ସ୍ଥାନେ ୭୫
    ସେ କୁଶ କାଶ ହୋଇ ଯହିଁ । ନିତ୍ୟେ ହରିର ତେଜ ବହି ୭୬
    ପୂର୍ବେ ଋଷିଏ ଯେଣେ କରି । ଅସୁରଙ୍କର ଦର୍ପ ହରି ୭୭
    ଯେ ଯଜ୍ଞ ବିଷ୍ଣୁ ପାଦତଳେ । ଯଜ୍ଞେ ପୂଜିଲେ ଏକ ମେଳେ ୭୮
    ସେ ମନୁ ସ୍ଥାନ ତହିଁ ପାଇ । ଯଜ୍ଞପୁରୁଷ ଯଜ୍ଞେ ଦାହି ୭୯
    ପୁର ନିର୍ମିତ କୁଶ କାଶେ । ସେ ସ୍ଥାନେ ତାପତ୍ରୟ ନାଶେ ୮୦
    ସେ ଗୃହେ ପତ୍ନୀ ତୁଲେ ରହି । ସନ୍ତତି ସହ ପ୍ରିୟ ବହି ୮୧
    କଳ୍ପିତ ସୁଖ ବଇଭୋଗେ । ସେ ପ୍ରଜାଅର୍ଥେ ରତି ରଙ୍ଗେ ୮୨
    ସୁସ୍ୱର ଗୀତ ନାଦ ଧ୍ୱନି । ଗନ୍ଧିର୍ବେ ସ୍ତୀରୀବୃନ୍ଦ ଘେନି ୮୩
    ସଙ୍ଗୀତ ରସ ବୀଣା ନାଦେ । ଲଳିତ ଗୀତ ଅନୁବାଦେ ୮୪
    ପ୍ରତି ଦିବସ ରାତ୍ରି ଅନ୍ତେ । କୃଷ୍ଣଚରିତ ହୃଦଗତେ ୮୫
    କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି । ଚିତ୍ତେ ଗୋବିନ୍ଦ ଭାବ ଭରି ୮୬
    ନିରତେ କୃଷ୍ଣନାମ ଘୋଷେ । ସେ ବେନିଜନେ ଗୃହବାସେ ୮୭
    ବିଷ୍ଣୁ ଚରିତ ହୃଦେ ଭରି । ନାମ ଶ୍ରବଣେ ଆଶା କରି ୮୮
    ସେ ମନୁ ଯୋଗମାୟା ଭୋଗେ । ଥିଲେ ହେଁ ତାହାଙ୍କୁ ନ ଲାଗେ ୮୯
    ଜାଗ୍ରତ ସ୍ୱପ୍ନ ଯେ ସୁଷୁପ୍ତି । ତାହାକୁ କେହି ନ ବାଧନ୍ତି ୯୦
    ଯେଣୁ ସେ ହରି ପରାୟଣ । ଅଟଇ ମନୁ ନୃପରାଣ ୯୧
    କୃଷ୍ଣର କତା କର୍ଣ୍ଣେ ଶୁଣେ । ତା ରୂପ ଧ୍ୟାନେ ପରିମାଣେ ୯୨
    ମୁଖେ ରଟନ୍ତି ନାମ ତାର । ତା କଥା କହି ନିରନ୍ତର ୯୩
    ଏମନ୍ତେ ନିଜ ମନ୍ୱନ୍ତର । ଯେ ଯୁଗଗଣନା ବେଭାର ୯୪
    ଏକସପ୍ତତି ଚତୁର୍ଯୁଗେ । ହୋଇଲା ମନ୍ୱନ୍ତର ଭୋଗେ ୯୫
    ଏମନ୍ତେ ହରିଭାବ କରି । ତୃତୀୟ ତାପୁଁ ଯେ ନିସ୍ତରି ୯୬
    ସେ ପୁଣି ମୁନିଙ୍କର ବୋଲେ । ବିବିଧ ଜ୍ଞାନ ହିଁ କହିଲେ ୯୭
    ତ୍ରିବିଧ ବାଧା ଲୋକେ ଅଛି । ଭକ୍ତଙ୍କୁ ନ ଲାଗଇ କିଛି ୯୮
    ମନୁର ବାଧା ହିଁ ନ ଥିଲା । ଯେଣୁ ହରିଙ୍କି ଆଶ୍ରେ କଲା ୯୯
    ଶୁଣ ବିଦୁର ପୁଣ୍ୟଦେହା । କହିଲି ପଚାରିଲୁ ଯାହା ୧୦୦
    ସେ ଆଦିରାଜ ମନୁ କଥା । ଶୁଣନ୍ତେ ତୁଟେ ଭବ ବ୍ୟାଥା ୧୦୧
    ଏ ସୃଷ୍ଟି ଆଦିର କାରଣ । ଏବେ ହୋଇ ମନୁବଂଶ ଶୁଣ ୧୦୨
    ତୃତୀୟ ସ୍କନ୍ଧେ ଭାବବତ । କହିଲା ଦାସ ଜଗନ୍ନାଥ ୧୦୩
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟଷ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ ।

    ତ୍ରୟୋବିଂଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଏମନ୍ତେ କନ୍ୟା ବିଭା ଦେଇ । ମନୁ ଯେ ଗଲେ ରଥ ବାହି ୧
    ଏବେ ହୋ ଶୁଣ କୁରୁନାଥ । କŸର୍ଦ୍ଦମମୁନୀଙ୍କ ଚରିତ ୨
    ସେ ନଦୀତୀରେ ପୁଣ୍ୟ ବନେ । ଦୃଢେ ରହିଲେ ତପସ୍ଥାନେ ୩
    ତାହାଙ୍କ ପତ୍ନୀ ଦେବହୂତି । ସୁନ୍ଦର ସୁଗୁଣ ସୁମତି ୪
    ସ୍ୱାମୀର ମନ ଜାଣି ଚିତ୍ତେ । ସେବା କରଇ ଅନୁବ୍ରତେ ୫
    ଇଙ୍ଗିତ ମାତ୍ରେ ଆଜ୍ଞା ବହେ । ଭବାନୀ ଭବସେବା ପ୍ରାୟେ ୬
    ବିଶ୍ୱାସ ଆତ୍ମ-ଶୌଚ ଧର୍ମେ । ଧୀର ଗୌରବ ସମ ଦମେ ୭
    ଶୁଶୂଷା ସହୃଦୟ ପ୍ରେମେ । ମଧୁରବାକ୍ୟେ ସୁସଂଭ୍ରମେ ୮
    ବର୍ଜିତ କାମ ମଦ ହିଂସା । ଦମ୍ଭ ଗର୍ବିତ ମିଥ୍ୟାଭାଷା ୯
    ଉଦ୍ୟମ ନିରଳସ ମତି । ସ୍ୱାମୀ ସନ୍ତୋଷେ ମନ ସ୍ଥିତି ୧୦
    ମନୁ ତନୟା ଦେବହୂତି । ଦେବ ସମାନେ ମଣେ ପତି ୧୧
    ପତିର ଆଶୀର୍ବାଦ ଲାଭ । କରିବା ପାଇଁ ତାର ଲୋଭ ୧୨
    ତେଣୁ ପତିର ସେବା ନିତ୍ୟେ । କରଇ ଭକ୍ତିଭାବେ ଚିତ୍ତେ ୧୩
    ଏମନ୍ତେ ଦେବହୂତି ଚାହିଁ । ମୁନି ସାନନ୍ଦେ ସ୍ନେହ ବହି ୧୪
    ପତି ଦେବତାର ଆଶିଷେ । ନିରତେ ସେବେ ସ୍ୱାମୀ ପାଶେ ୧୫
    ତାହାର ପତିବ୍ରତା ଧର୍ମ । ଦେଖି ବିଚାରଇ କŸର୍ଦ୍ଦମ ୧୬
    ଏ ପତବ୍ରତାଙ୍କର ସାର । ସୁଶୀଳ ସୁଗୁଣ ଗମ୍ଭୀର ୧୭
    ଏମନ୍ତ ଗୁଣ ମନେ ଗୁଣି । ସପ୍ରେମେ ଗଦଗଦ ବାଣୀ ୧୮
    ନିଜ କାମିନୀ ସୁଖ ଚାହିଁ । କŸର୍ଦ୍ଦମ କହେ ପ୍ରେମ ବହି ୧୯

    କŸର୍ଦ୍ଦମ ଉବାଚ

    ଶୁଣ ସୁନ୍ଦରି ମୋ ବଚନ । ମୋର ବିଷୟେ ତୋର ମନ ୨୦
    ଦେଖି ସନ୍ତୋଷ ମୋର ଚିତ୍ତ । ତୁ ଅନୁବ୍ରତେ ମୋର ଭକ୍ତ ୨୧
    ପ୍ରାଣୀମାନଙ୍କ ନିଜ ଦେହ । ସୁହୃଦ ପ୍ରିୟ ଅତି ସ୍ନେହ ୨୨
    ସେ ଦେହେ ତୋର ଯତ୍ନ ନାହିଁ । ମୋହରି ଅର୍ଥେ ମନ ଦେଇ ୨୩
    ସ୍ୱଧର୍ମ ରତ ପ୍ରାଣୀଙ୍କର । ତପ ସମାଧି ବିଦ୍ୟାସାର ୨୪
    ସୁଦୃଢ କର୍ମ ଆତ୍ମଧ୍ୟାନ । ଜୀବଙ୍କ ହିତ ତତ୍ତ୍ବଜ୍ଞାନ ୨୫
    ଏ ସର୍ବ ଗୋବିନ୍ଦ ପ୍ରସାଦେ । ମୁଁ ଯେ ସାଧିଲି ନିରାପଦେ ୨୬
    ତୋତେ ମୁଁ ଦିବ୍ୟଚକ୍ଷୁ ଦାନ । କଲି ତୁ ଦେଖ ବିଦ୍ୟମାନ ୨୭
    ଏ ସର୍ବ ତୋହର ସୁସାଧ୍ୟ । ତୁ ଏବେ ଭଜ ବିଷ୍ଣୁପାଦ ୨୮
    ଗୋବିନ୍ଦୁ ଯେବା ଭୋଗ ପାଇ । ସେ ଭୋଗେ ଭୟ ଶୋକ ନାହିଁ ୨୯
    ଅନ୍ୟ ଅନେକ ଅଛି ଭୋଗ । କିନ୍ତୁ ସେ ତୋର ନୋହେ ଯୋଗ୍ୟ ୩୦
    ତୁ ସିଦ୍ଧ ହେଲୁ ନିଜ କର୍ମେ । ଆପଣା ପତିବ୍ରତା ଧର୍ମେ ୩୧
    ଏଣୁ ତୁ ଦିବ୍ୟଭୋଗ କର । ଯାହା ଦୁଷ୍ପ୍ରାପ୍ୟ ମାନବର ୩୨
    ଏ ବିନେ ଅନ୍ୟ ଭୋଗ ଯେହି । କି କାର୍ଯ୍ୟ ତୁଚ୍ଛ ସେ ଅଟଇ ୩୩
    ଅଧିକ ଗୁଣ କିବା କହି । ସର୍ବ ସମ୍ପଦ ଯେଣେ ପାଇ ୩୪
    ସେ ହରି-ଚରଣପଙ୍କଜ । ନିର୍ମଳଚିତ୍ତେ ଏବେ ଭଜ ୩୫

    ମୈତ୍ରେୟ ଉବାଚ

    ଏମନ୍ତ କŸର୍ଦ୍ଦମ ବଚନେ । ସେ ଦେବହୂତି ତୋଷମନେ ୩୬
    ଭର୍ତ୍ତା ବଦନ ଚାହିଁ କହେ । ଗଭୀର ବାକ୍ୟ ସୁଧାମୟେ ୩୭

    ଦେବହୂତି ଉବାଚ

    ଭୋ ନାଥ ତୁମ୍ଭର ପ୍ରସାଦେ । ତୁମ୍ଭ ଚରଣେ ଅପ୍ରମାଦେ ୩୮
    ନିରତେ ହେଉ ମୋର ସେବା । ପ୍ରସନ୍ନେ ମୋତେ ଆଜ୍ଞା ଦେବା ୩୯
    ତୁମ୍ଭେ ମୋହାର ତୁଲେ ଏବେ । ଗୃହସ୍ଥ ଧର୍ମେ ପ୍ରିୟଭାବେ ୪୦
    ଅତୁଲ୍ୟ ଧର୍ମ ଭୋଗ କର । ଯେ ଧର୍ମ କାମଧେନୁ ସାର ୪୧

    ମୈତ୍ରେୟ ଉବାଚ

    ଏମନ୍ତେ ପତ୍ନୀର ବଚନ । କର୍ଦ୍ଦମ ଶୁଣି ତୋଷମନ ୪୨
    ପ୍ରିୟା କଳ୍ପିତ ମନ ଜାଣି । ଚିତ୍ତେ ବିଚାରି ବିପ୍ରମଣି ୪୩
    ବିଶ୍ୱକର୍ମାଙ୍କୁ ମନେ ସ୍ମରି । ବିମାନ ତପବଳେ କରି ୪୪
    ଯହିଁ କଳ୍ପିତ ବସ୍ତୁଯୁତ । ଅଶେଷ ରତ୍ନେ ସେ ନିର୍ମିତ ୪୫
    ମଣି ନିର୍ମିତ ସ୍ତମ୍ଭକୂଳେ । ସକଳ ଋତୁ ପୁଷ୍ପ ଫଳେ ୪୬
    ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦାକାଳ ସୁଖମୟୀ ୪୭
    ବିଚିତ୍ର ଚିତ୍ର ହେମମୟେ । ଚିତ୍ର ପତାକା ଧ୍ୱଜ ଶୋହେ ୪୮
    ସୁଗନ୍ଧ ପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବଇ ଗହଳେ ୪୯
    ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ ୫୦
    ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି ୫୧
    ସେ ରଥେ ସୁବର୍ଣ୍ଣ ପଲଙ୍କେ । କୋମଳ ଶଯ୍ୟା ଶୋହେ ରଙ୍ଗେ ୫୨
    ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥ କରିଛି ଘଟଣ ୫୩
    ମହାମର୍କତ ସ୍ତମ୍ଭ ଯହିଁ । ବିଦ୍ରୁମ-ବେଦୀ ବିରାଜଇ ୫୪
    ଯେଦ୍ୱାରେ ବିଦ୍ରୁମ ଦେହଳୀ । ହୀରା କବାଟ ଯହିଁ କିଳି ୫୫
    ଶିଖରମାନ ସ୍ୱର୍ଣ୍ଣକୁମ୍ଭେ । ବିରାଜେ ଇନ୍ଦ୍ରନୀଳ-ସ୍ତମ୍ଭେ ୫୬
    ଜଳନ୍ତି ପଦ୍ମରାଗ-ଦୀପେ । ବିଚିତ୍ରଚିତ୍ରେ ଚନ୍ଦ୍ରାତପେ ୫୭
    ହେମତୋରଣେ ହାର ଲମ୍ବେ । ପାଟ-ଦୋଳିକା ରତ୍ନସ୍ତମ୍ଭେ ୫୮
    ଶ୍ୱେତ ହଂସକ ପାରାବତ । ରାବ କହନ୍ତି ଉନମତ୍ତ ୫୯
    ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ ୬୦
    ବିହାର ଶଯ୍ୟା ଆଦି ସ୍ଥାନ । ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ ୬୧
    ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଦେବଙ୍କ ମନ ମୋହେ ୬୨
    ଏମନ୍ତ ଦିବ୍ୟପୁର ଚାହିଁ । ସନ୍ତୋଷ ଲଭେ ନେତ୍ରଦୁଇ ୬୩
    ଆପଣା ଦେହ ହୀନ କାନ୍ତି । ତୋଷ ନୋହିଲା ଦେବହୂତି ୬୪
    କŸର୍ଦ୍ଦମମୁନି ପତ୍ନୀ ଚାହିଁ । ଅମୃତ ବଚନ ବୋଲଇ ୬୫
    ସେ ସର୍ବ ପ୍ରାଣୀ ଚିତ୍ତ ଜାଣେ । ତପ ସମାଧି ବିଦ୍ୟା ଗୁଣେ ୬୬

    କର୍ଦ୍ଦମ ଉବାଚ

    ସୁନ୍ଦରୀ ଶୁଣ ମୋ ବଚନ । ଏ ତୀର୍ଥେ ତୋଷେ କର ସ୍ନାନ ୬୭
    ବିମାନେ ସୁଖେ ବିଜେ କର । ଚିତ୍ତେ ଗୋବିନ୍ଦ ନାମ ସ୍ମର ୬୮
    ଶୁକ୍ଳ ନିର୍ମିତ ତୀର୍ଥ ଏହି । ପ୍ରାଣୀଙ୍କି ସୁଖ ଫଳ ଦେଇ ୬୯
    ଏମନ୍ତ ସ୍ୱାମୀର ବଚନେ । ସେ ଦେବହୂତି ତୋଷମନେ ୭୦
    ମଳିନ ବସ୍ତ୍ର ପରିଧାନ । ହୃଦେ ଆଚ୍ଛାଦି ତୁଙ୍ଗ ସ୍ତନ ୭୧
    ଶିରେ ଶୋଭିତ ଜଟାବେଣୀ । ସୁଗନ୍ଧ ଅଙ୍ଗେ ଲେପେ ଆଣି ୭୨
    ପଶିଲା ସରସ୍ୱତୀ ନୀରେ । ଯେ ନୀର ସର୍ବପାପ ହରେ ୭୩
    ଜଳେ ପ୍ରବେଶ କରି ପୁଣି । ଆଶ୍ଚର୍ଯ୍ୟେ ଦେଖିଲା ତରୁଣୀ ୭୪
    ତକ୍ଷଣେ ସରୋବର ଜଳେ । ସହସ୍ରେ କନ୍ୟା ଏକମେଳେ ୭୫
    ଉଠିଲେ ଦିବ୍ୟରୂପ ଧରି । ଜୟ ଶବଦ ମୁଖେ କରି ୭୬
    ରୂପେ କି ଦେବା ପଟାନ୍ତର । ମୋହନ୍ତି ବ୍ରହ୍ମା ସୁର ନର ୭୭
    କିଶୋର ବୟସୀ ଆନନ୍ଦେ । ବାସନ୍ତି ନୀଳୋତ୍ପଳ ଗନ୍ଧେ ୭୮
    କନ୍ୟାଏ ଦେଖି ଜଳମଧ୍ୟେ । ସେ ଦେବହୂତିଙ୍କୁ ଆନନ୍ଦେ ୭୯
    କପୋଳେ ଦେଇ ବେନିକର । ସ୍ୱଭାବେ କହନ୍ତି ମଧୁର ୮୦
    ଆମ୍ଭେ ତୋହର ଦାସୀ ପଣେ । ସେବିବୁ ତୋହର ଚରଣେ ୮୧
    ଏ ଯେ ତୋହର ଦିବ୍ୟକାୟ । କିବା କରିବୁ ଆଜ୍ଞା ଦିଅ ୮୨
    ଏମନ୍ତ କହି କନ୍ୟାଗଣେ । ସେ ଦେବହୂତିର ଚରଣେ ୮୩
    ତକ୍ଷଣେ ନମସ୍କାର କରି । ସର୍ବେ ହୋଇଲେ ପରିଚାରୀ ୮୪
    ସୁଗନ୍ଧ ତାର ଅଙ୍ଗେ ବୋଳି । ଆନନ୍ଦେ ଦେଲେ ହୁଳହୁଳୀ ୮୫
    ସ୍ନାନ କରାଇ ପୁଣ୍ୟନୀରେ । ମଣ୍ତିଲେ ନାନା ଉପହାରେ ୮୬
    ନୂତନ ବସ୍ତ୍ରଯୁଗ ଦେଲେ । ବିବିଧ ଅଳଙ୍କାର ତୁଲେ ୮୭
    ଅମୂଲ୍ୟ ମାଳ ରତ୍ନପନ୍ତି । ଚନ୍ଦ୍ରକିରଣେ ଝଟକନ୍ତି ୮୮
    ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଭୋଜନ କରାଇ ହରଷେ ୮୯
    ସୁବାସ ଜଳେ ଆଚମନ । କରାଇ ସୁମୁଖ ବାସନ ୯୦
    ଉତ୍ତମ ଶଯ୍ୟାରେ ବସାଇ । ଦର୍ପଣ ସମର୍ପିଲେ ନେଇ ୯୧
    ମୁକୁରେ ଚାହିଁ ମୁଖଶୋଭା । ଶିରେ ଖଞ୍ଜିଲେ ପୁଷ୍ପଗଭା ୯୨
    କର୍ପୂର କୁଙ୍କୁମ ସୁଗନ୍ଧେ । ଅଙ୍ଗେ ଲେପିଲେ ସେ ଆନନ୍ଦେ ୯୩
    ଦୂର୍ବା ଅକ୍ଷତ ଗନ୍ଧ ଆଣି । ଆଶିଷ କନ୍ୟାଗଣେ ଭଣି ୯୪
    ଏମନ୍ତେ ସର୍ବ ପରିବାରୀ । ସୁଲଗ୍ନେ ଶୁଦ୍ଧସ୍ନାନ କରି ୯୫
    ଗଳେ ଆରୋପି ରତ୍ନହାର । ଚରଣେ ବାଜେଣି ନୂପୁର ୯୬
    କଟୀ ଶୋଭିତ କାଞ୍ଚୀ ଦାମ । ହୃଦେ କାଞ୍ଚଲା ଅନୁପମ ୯୭
    ଅମୂଲ୍ୟ ହାର ହୃଦେ ଶୋହେ । ରୂପେ କାମିନୀ ମନ ମୋହେ ୯୮
    ଦେଖିଲେ ଭ୍ରୂଦ୍ୱୟ ସୁନ୍ଦର । ଶୋଭନ ଦଶନ ନିକର ୯୯
    ନୟନେ ପଦ୍ମ ପରାଜିତ । ସୁନ୍ଦର ଅପାଙ୍ଗ ସଂଯୁତ ୧୦୦
    ସୁନୀଳ ଅଳକା କପୋଳେ । ଶୋଭିତ ବଦନ ମଣ୍ତଳେ ୧୦୧
    ଦର୍ପଣେ ନିଜ ଶୋଭା ଦେଖି । ସ୍ୱାମୀ ସ୍ମରିଲା ଶଶିମୁଖୀ ୧୦୨
    ରୂପ ମୋହନ ପ୍ରିୟ ଭାବେ । ବାକ୍ୟ କହନ୍ତି ପିକ ରବେ ୧୦୩
    ତକ୍ଷଣେ କନ୍ୟାଗଣ ତୁଲେ । ପ୍ରଜାପତିର ପାଶେ ମିଳେ ୧୦୪
    ସ୍ୱାମୀର ଯୋଗଗତି ଦେଖି । ସଂଶୟ ଚିତ୍ତେ ଅଧୋମୁଖୀ ୧୦୫
    ସମସ୍ତ ହେଲା କି ପ୍ରକାରେ । ଭାବି ବିସ୍ମୟ ତା ମନରେ ୧୦୬
    ସଂଶୟ ଦେଖି ତାର ମନେ । ମୁନି ଜାଣିଲେ ଯୋଗଧ୍ୟାନେ ୧୦୭
    ଅପୂର୍ବ ଶୋଭା ଦେଖି ତାର । ପ୍ରେମ ଜନ୍ମିଲା କŸର୍ଦ୍ଦମର ୧୦୮
    ଆବୃତ ତୁଙ୍ଗ ବେନିସ୍ତନ । ଦେଖି ସନ୍ତୋଷ ମୁନି ମନ ୧୦୯
    ତକ୍ଷଣେ ଧରି କନ୍ୟା ହସ୍ତ । ମୁନି ଆରୋହୀ ଦିବ୍ୟରଥ ୧୧୦
    ସହସ୍ରେ ନାରୀଗଣ ମଧ୍ୟେ । ଉର୍ଦ୍ଧ୍ୱେ ଗମନ ବିଷ୍ଣୁପଦେ ୧୧୧
    ସ୍ୱର୍ଗେ ଦେଖନ୍ତି ସୁରଦେବା । କି ଅବା ପଟାନ୍ତର ଦେବା ୧୧୨
    ଯେସନେ ତାରାଗଣ ମଧ୍ୟେ । ଚନ୍ଦ୍ର ବିରାଜେ ବିଷ୍ଣୁପଦେ ୧୧୩
    ଦେଖନ୍ତି ଅଷ୍ଟଦିଗପାଳେ । ବିମାନ ଅତି ଅନ୍ତରାଳେ ୧୧୪
    ଇନ୍ଦ୍ରାଦି ଅଷ୍ଟଲୋକସ୍ଥାନେ । ମେରୁ ପର୍ବତ ଘୋରବନେ ୧୧୫
    ସିଦ୍ଧ କିନ୍ନର କ୍ରୀଡ଼ା ଦେଶେ । ଗିରି ଗହ୍ୱର ଅଧିବାସେ ୧୧୬
    ଏମନ୍ତେ ନାନା କ୍ରୀଡ଼ା ସ୍ଥାନେ । ବିମାନେ ମୁନି ତୋଷମନେ ୧୧୭
    କୁବେର ପ୍ରାୟ ଅଷ୍ଟଦିଗେ । ଗମି ଭ୍ରମନ୍ତି ଅତିବେଗେ ୧୧୮
    ଦେବ ଉଦ୍ୟାନ ବନ ଯେତେ । ମାନସସରର ସମେତେ ୧୧୯
    ଏମନ୍ତେ ସନ୍ତୋଷେ ବିହରି । କାମିନୀ ସଙ୍ଗେ ସଙ୍ଗ କରି ୧୨୦
    ରତ୍ନ ବିମାନ କାମଗତି । ଯେ ଭାବେ ଯେବା ପ୍ରଚରନ୍ତି ୧୨୧
    ପବନ ଯେହ୍ନେ ସର୍ବଦେଶେ । କାମଗ ବିମାନ ପ୍ରକାଶେ ୧୨୨
    ବିଷ୍ଣୁ ସନ୍ତୋଷ ପ୍ରାଣୀଙ୍କର । କିବା ସମ୍ପଦ ଅଗୋଚର ୧୨୩
    ଏମନ୍ତେ ଦଶଦିଗ ଭ୍ରମି । ପଥିକ ପ୍ରାୟେ ପଥ ଶ୍ରମି ୧୨୪
    ପୁଣି ମିଳିଲେ ନିଜଘରେ । ଗୃହସ୍ଥ ଧର୍ମର ବେଭାରେ ୧୨୫
    ସେ ମୁନି ତପେ ଅନର୍ଗଳା । ଆତ୍ମାକୁ ନବରୂପ କଲା ୧୨୬
    ପତ୍ନୀ ସଂଯୋଗେ ହୋଇ କାମୀ । ଅନେକ ସମ୍ବ›ତ୍ସର ରମି ୧୨୭
    କେବେହେଁ କାମ ନ ପୂରିଲା । ମୁହୂର୍ତ୍ତେ ପ୍ରାୟ ଦିନ ଗଲା ୧୨୮
    ଏମନ୍ତେ ଯୋଗର ପ୍ରଭାବେ । ରମିଲେ ଦମ୍ପତି ସ୍ୱଭାବେ ୧୨୯
    ଶତେବରଷ ଦେବ ମତେ । ସୁଚିତ୍ତେ ରମିଲେ ନିଶ୍ଚିନ୍ତେ ୧୩୦
    ଏମନ୍ତେ ପ୍ରଜାପତି ରେତେ । ସେ ଦେବହୂତି ଗର୍ଭଗତେ ୧୩୧
    ନବକୁମାରୀ ଉପୁଜିଲେ । ଶୁଭ ମଙ୍ଗଳ ଲଗ୍ନବେଳେ ୧୩୨
    ସର୍ବେ ସୁରୂପା ରୂପ ମଧ୍ୟେ । ଶୋଣିତ ଉତ୍ପଳ ସୁଗନ୍ଧେ ୧୩୩
    ଏମନ୍ତେ ନବକନ୍ୟା ଚାହିଁ । ସେ ଦେବହୂତି ବିଚାରଇ ୧୩୪
    ଏ କି ଅଦ୍ଭୁତ କର୍ମ ମୋର । ଦଇବ ବଳେ ବଳିଆର ୧୩୫
    ଏମନ୍ତ ସମୟେ ସେ ମୁନି । ସନ୍ନ୍ୟାସାଶ୍ରମ ମନେ ଗୁଣୀ ୧୩୬
    ଗମନେ ହୋଇଲେ ପ୍ରବୃତ୍ତ । ତା ଦେଖି ଦେବହୂତି ଚିତ୍ତ ୧୩୭
    ଅତୀବ ବ୍ୟାକୁଳିତ ହେଲା । ବାହ୍ୟେ ବିସ୍ମୟ ପ୍ରକାଶିଲା ୧୩୮
    ବିକଳେ ପତି ପାଶେ ଯାଇ । ରହିଲା ଅଧୋମୁଖୀ ହୋଇ ୧୩୯
    ଅଶ୍ରୁ ପୂରିତ ସେ ଲୋଚନେ । ବୋଲଇ ବିନୟ ବଚନେ ୧୪୦

    ଦେବହୂତି ଉବାଚ

    ଭୋନାଥ ତୁମ୍ଭର ପ୍ରସାଦେ । ସକଳ ସୁଖ ମୁଁ ଆନନ୍ଦେ ୧୪୧
    ଭୁଞ୍ଜଇ ତବ ପାଦ ଧ୍ୟାୟି । ମୋହର ଚିତ୍ତେ ଚିନ୍ତା ନାହିଁ ୧୪୨
    ଏବେ ମୋ ଗର୍ଭେ କନ୍ୟା ଦେଖି । ହୋଇଲି ମନଦୁଃଖେ ଦୁଃଖୀ ୧୪୩
    ଯାହା ପ୍ରତିଜ୍ଞା ତୋର ଥିଲା । ତାହାତ ସମ୍ପୂର୍ଣ୍ଣ ହୋଇଲା ୧୪୪
    ତୋ ପାଦେ ପଶିଲି ଶରଣ । ମୋତେ ଅଭୟ ଦିଅ ପୁଣ ୧୪୫
    ସେବଇଁ ଚରଣେ ତୁମ୍ଭର । ମୋହର ମନଦୁଃଖ ହର ୧୪୬
    ପୁତ୍ର ନୋହିଲା ମୋର ଗର୍ଭେ । ଏଣୁ ମୋ ମନ ଦୁଃଖେ ଭାବେ ୧୪୭
    ଯେବା ହୋଇଲେ ନବନାରୀ । ଏ ଅନୁରୂପେ ବର ବରି ୧୪୮
    ବିବାହ ଦିଅ ତୁମ୍ଭେ ସୁଖେ । ମୋ ଦୀନଭାବ ଯାଉ ସୁଖେ ୧୪୯
    ତୁମ୍ଭେ ଯେ ବନେ ତପ କଲେ । ମୋ ମନ ନ ରହିବ ଭଲେ ୧୫୦
    ଏଣୁ ମୋ ମନଦୁଃଖ ଭାବେ । ପୁତ୍ର ସମ୍ପାଦ ମୋର ଗର୍ଭେ ୧୫୧
    ମୁଁ ଏତେ କାଳ ତୁମ୍ଭ ତୁଲେ । ବଞ୍ଚିଲି ନାନା ଭୋଗ ଭୋଳେ ୧୫୨
    ଇନ୍ଦ୍ରିୟ ଭୋଗର ଲାଳସେ । ବଞ୍ଚିଲି ନାନା ଭୋଗ ରସେ ୧୫୩
    ତୁମ୍ଭର ଅଙ୍ଗ ସଙ୍ଗ ମେଳେ । ଏ ଜନ୍ମ ଗଲା ମୋର ଭୋଳେ ୧୫୪
    ଏ କର୍ମଭୂମି ମଧ୍ୟେ ମୁହିଁ । ଉତ୍ତମ-କୁଳେ ଜନ୍ମ ହୋଇ ୧୫୫
    ଆତ୍ମାର ଗତି ନ ଜାଣଇଁ । ଏ ଦୁଃଖ ସୁଖ ମୁଁ ମଣଇଁ ୧୫୬
    ତୁମ୍ଭ ସଙ୍ଗତେ ସଙ୍ଗ କରି । ହରି-ଭଜନ ମୁଁ ପାଶୋରି ୧୫୭
    ହେ କାନ୍ତ ମୋତେ ଦୟା କର । ଏ ଭବସାଗରୁ ଉଦ୍ଧର ୧୫୮
    ଭୟ ନିବାର ମୋର ଚିତ୍ତେ । ଏ ମାୟା ତରିବି ଯେମନ୍ତେ ୧୫୯
    ବିଷୟା-ରସେ ଯାର ସଙ୍ଗ । ଆବୋରେ ସଂସାର-ତରଙ୍ଗ ୧୬୦
    ତାର ନିସ୍ତାର ଆର କାହିଁ । କର୍ମ-ବନ୍ଧନେ ସେ ପଡ଼ଇ ୧୬୧
    ବୁଡ଼ଇ ସଂସାର-ସାଗରେ । ସମ୍ଭବେ ଅଶେଷ ଉଦରେ ୧୬୨
    ଏ ଭାବ ଜାଣି ଯାର ମନ । ବିଷ୍ଣୁ-ଭଜନେ ସାବଧାନ ୧୬୩
    ସେ ଜୀବ ଆତ୍ମକୁ ଉଦ୍ଧରେ । ନ ବୁଡେ ସଂସାର-ସାଗରେ ୧୬୪
    ଯେ ଇହଜନ୍ମ କର୍ମ-ଧର୍ମେ । ହରି ନ ଭଜେ ମାୟା ଭ୍ରମେ ୧୬୫
    ଯେ ତୀର୍ଥପଦ ନ ସେବଇ । ଜୀବନ ଥାଉଁ ସେ ମରଇ ୧୬୬
    ମୁଁ ଏ ଇନ୍ଦ୍ରିୟ ଭୋଗ ବଳେ । ବଞ୍ଚିଲି ବିଷ୍ଣୁମାୟା ଭୋଳେ ୧୬୭
    ମୁଁ ତୁମ୍ଭ ପାଦେ ସେବା କରି । ମୋକ୍ଷେ ନୋହିଲି ଅଧିକାରୀ ୧୬୮
    ଏବେ ଉପାୟ କହ ମୋତେ । ଏ ମାୟା ତରିବି ଯେମନ୍ତେ ୧୬୯

    ମୈତ୍ରେୟ ଉବାଚ

    ଏମନ୍ତେ କŸର୍ଦ୍ଦମ ସମ୍ମୁଖେ । ସେ ଦେବହୂତି ମନଦୁଃଖେ ୧୭୦
    ଯେତେ କହିଲା ମନ-ତ୍ରାସ । ସୁଜନ ଜନେ ଏଥେଁ ରସ ୧୭୧
    ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ୧୭୨
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟଷ୍କନ୍ଧେ କାପିଳେୟୋପଖ୍ୟାନେ ତ୍ରୟୋବିଂଶୋଽଧ୍ୟାୟଃ ।

    ଚତୁବିଂଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଏମନ୍ତ ପତ୍ନୀର ବଚନେ । କର୍ଦ୍ଦମ ଅତି ସାବଧାନେ । ୧
    ଗୋବିନ୍ଦପାଦେ ମନଦେଇ । କହିଲେ ପତ୍ନୀ ମୁଖ ଚାହିଁ । ୨
    ଶୁକ୍ଳ ବଚନ ସ୍ମରି ମନେ । କହନ୍ତି ଅମୃତ ବଚନେ । ୩

    କର୍ଦ୍ଦମ ଉବାଚ

    ହେ ପ୍ରିୟ ଶୁଣ ମୋ ଉତ୍ତର । ମନରେ ଖେଦ ତୁ ନ କର । ୪
    ଏହି ନିକଟେ ତୋ ଉଦରେ । ଗୋବିନ୍ଦ ନର କଳେବରେ । ୫
    ଜାତ ହୋଇବେ ତୋର ଭାବେ । ତୋ ବ୍ରତ ତପର ପ୍ରସ୍ତାବେ । ୬
    ତୁ ବ୍ରତ ଦାନ ଧ୍ୟାନ କରି । ବିଷ୍ଣୁଚରଣ ହୃଦେ ଧରି । ୭
    ଏ ମାୟାମୟ ସୁଖ ତେଜ । ତପେ ଗୋବିନ୍ଦପାଦେ ଭଜ । ୮
    ସେ ଶୁକ୍ଳବର୍ଣ୍ଣ ତୋର ଭାବେ । ମୋହର ତପ ଫଳ ଲାଭେ । ୯
    ସଂଶୟ ଗ୍ରନ୍ଥି ତୋର ଚିତ୍ତେ । ସେ ଦୃଢ଼ବନ୍ଧ କର୍ମଗତେ । ୧୦
    ସେ ହରି ଜ୍ଞାନ ଉପଦେଶେ । ସର୍ବ ଛେଦିରେ ଅବଶେଷେ । ୧୧

    ମୈତ୍ରେୟ ଉବାଚ

    ସେ ପ୍ରଜାପତିର ସନ୍ଦେଶ । ବିଶ୍ୱାସ ଗୌରବ ପ୍ରକାଶ । ୧୨
    କରି ଭଜିଲେ ଶ୍ରଦ୍ଧାଭାବେ । ଜଗତଗୁରୁ ହରିପାଦେ । ୧୩
    ଏମନ୍ତେ ବହୁକାଳ ଗଲା । ହରିର ଅନୁଗ୍ରହ ହେଲା । ୧୪
    ଏ ବେନିଭାବ ହୃଦେ ଧରି । ଅଶେଷ-ମଙ୍ଗଳ-ମୁରାରି । ୧୫
    ପ୍ରବେଶ ପ୍ରଜାପତି ଅଙ୍ଗେ । ପତି କାମିନୀ ଅଙ୍ଗ ସଙ୍ଗେ । ୧୬
    ଗର୍ଭ ସଂଯୋଗେ ଦେହଧରି । ଜନ୍ମ ହୋଇଲେ ନରହରି । ୧୭
    ସଂସାର ନିସ୍ତାରଣ ସାଧେ । ଅନଳ ଯେହ୍ନେ ଦାରୁମଧ୍ୟେ । ୧୮
    ଆକାଶେ ଶୁଭେ ନାନାବାଦ୍ୟ । ଶୁଭ ମଙ୍ଗଳ ବେଦନାଦ । ୧୯
    ଗନ୍ଧର୍ବ ଗାନ ସୁଲଳିତ । ନାଚନ୍ତି ଅପସରା ଯୂଥ । ୨୦
    ଦେବେ କରନ୍ତି ପୁଷ୍ପବୃଷ୍ଟି । ମହୀମଙ୍ଗଳ ଶୁଭସୃଷ୍ଟି । ୨୧
    ପ୍ରସନ୍ନ ଦଶଦିଗ ଦିଶେ । ଜଳଧି ଉଲ୍ଲୋଳ ପ୍ରକାଶେ । ୨୨
    ସକଳ ପ୍ରାଣୀଙ୍କର ମନ । ସ୍ୱଭାବେ ହୁଏ ସୁପ୍ରସନ୍ନ । ୨୩
    କର୍ଦ୍ଦମ ଆଶ୍ରମ-ମଣ୍ତଳ । ବେଷ୍ଟିତ ସରସ୍ୱତୀ ଜଳ । ୨୪
    ମରୀଚି ଆଦି ସପ୍ତଋଷି । ବ୍ରହ୍ମାର ତୁଲେ ସର୍ବେ ଆସି । ୨୫
    ପରମବ୍ରହ୍ମ ସର୍ବବ୍ୟାପୀ । ସାତ୍ତ୍ବିକ ଅଂଶେ ସର୍ବରୂପୀ । ୨୬
    ସେ ତତ୍ତ୍ବ ସାଂଖ୍ୟାଜ୍ଞାନ ଅର୍ଥେ । ବିରାଜ ରୂପ ଏ ଜଗତେ । ୨୭
    ବିଶୁଦ୍ଧ ଚିତ୍ତ ନରହରି । କର୍ଦ୍ଦମ ଭକ୍ତି ହୃଦେ ଧରି । ୨୮
    ପ୍ରବେଶ କର୍ଦ୍ଦମ ମନ୍ଦିରେ । ଅଶେଷଜନ ଉପକାରେ । ୨୯
    କର୍ଦ୍ଦମ ମୁଖ ଚାହିଁ ଭଣି । ଆନନ୍ଦମନେ କୁଶପାଣି । ୩୦

    ବ୍ରହ୍ମା ଉବାଚ

    ତୁ ଯେ ମୋହର ଆଜ୍ଞା ଶିରେ । ଘେନି ଏ ସଂସାର-ସାଗରେ । ୩୧
    ତପ ସାଧିଲୁ ଘୋରଦୁଃଖେ । ରମିଲୁ ଗୃହମେଧି ସୁଖେ । ୩୨
    ପୁତ୍ରର ଧର୍ମଟି ଏମନ୍ତ । ଯାହା ବୋଲନ୍ତି ମାତା ତାତ । ୩୩
    ଆଦରେ ସର୍ବଦା କରଇ । ତେବେ ସେ ବିଷ୍ଣୁଙ୍କୁ ତୋଷଇ । ୩୪
    ତାହାର ଇହପରଲୋକେ । ସକଳ କାଳ ଯାଏ ସୁଖେ । ୩୫
    ଏ ନବକୁମାରୀ ତୋହର । ପରମ ସୁଗୁଣ ସୁନ୍ଦର । ୩୬
    ଏ ସୃଷ୍ଟି ସର୍ଜନ କାରଣ । ତୁ ଏବେ ମୋର ବୋଲ ଶୁଣ । ୩୭
    ମରୀଚି ଆଦି ମୁନି ଯେତେ । ତାହାଙ୍କୁ ବରି ଶୁଦ୍ଧ ଚିତ୍ତେ । ୩୮
    ଯଥା ଉଚିତେ କରି ଶୋଭା । ନିଗମମାର୍ଗେ ଦିଅ ବିଭା । ୩୯
    ତୋହର ଯଶ ସର୍ବକାଳେ । ଅଶେଷ ଭୁବନ ମଣ୍ତଳେ । ୪୦
    ଏବେ ତୋହର ଘରେ ହରି । ଅଂଶେ ଜନ୍ମିଲେ ଦେହ ଧରି । ୪୧
    ଜୀବର ନିସ୍ତାରଣ ଅର୍ଥେ । କପିଳ ରୂପେ ଏ ଜଗତେ । ୪୨
    ଏ ବାକ୍ୟ କର୍ଦ୍ଦମ‌କୁ କହି । ସେ ଦେବହୂତି ମୁଖ ଚାହିଁ । ୪୩
    କହନ୍ତି ପ୍ରଭୁ ବେଦବର । ଧନ୍ୟ ଜୀବନ ମାତ ତୋର । ୪୪
    ହେ ଦେବହୂତି ଶୁଣ ତୁହି । ତୋ ପୁତ୍ର ସାମାନ୍ୟ ନୁହଇ । ୪୫
    ଏ ହରି ତୋହର ନନ୍ଦନ । ଛେଦିବ ହୃଦୟ-ବନ୍ଧନ । ୪୬
    ଜ୍ଞାନ-ବିଜ୍ଞାନ ଯୋଗେ କର୍ମ । ନାଶିବ ଧରି ଯତିଧର୍ମ । ୪୭
    ଶିରେ ଅରୁଣ ଜଟାଭାର । ସ୍ୱରୂପେ ଜଗତ ସୁନ୍ଦର । ୪୮
    ନେତ୍ର ଚରଣେ ପଦ୍ମଚିହ୍ନ । ସୁନ୍ଦର ଜଗତ ମୋହନ । ୪୯
    ଜ୍ଞାନେ ବିଜ୍ଞାନେ ଏହି ଦେବ । କର୍ମମୂଳକୁ ଉପାଡ଼ିବ । ୫୦
    ପରମଜ୍ଞାନ ତୋତେ କହି । ଇଚ୍ଛାଏ ଭ୍ରମିବ ଏ ମହୀ । ୫୧
    ଏ ସିନ୍ଧଗଣଙ୍କ ଈଶ୍ୱର । ସୁସାଂଖ୍ୟଯୋଗୀଙ୍କର ସାର । ୫୨
    ତୋ ଯଶ କୀର୍ତ୍ତିର ବର୍ଦ୍ଧନ । ହୋଇବ କପିଳ ୟା ନାମ । ୫୩

    ମୈତ୍ରେୟ ଉବାଚ

    କର୍ଦ୍ଦମ ଦେବହୂତି ବେନି । ଆଶ୍ୱାସ କରି ପଦ୍ମଯୋନି । ୫୪
    ନାରଦ ଆଦି ପୁତ୍ର ମେଳେ । ଅନେକ ମୁନିଙ୍କ ଗହଳେ । ୫୫
    ସେ ହଂସମୟ ଦିବ୍ୟଯାନେ । ତକ୍ଷଣେ ଗଲେ ନିଜ ସ୍ଥାନେ । ୫୬
    ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ । ହରଷ ଚିତ୍ତେ ସୁସଂଭ୍ରମ । ୫୭
    ବ୍ରହ୍ମାର ଆଜ୍ଞା ଘେନି ଶିରେ । ଋଷିଙ୍କି ଆଣି ନିଜ ପୁରେ । ୫୮
    ମଙ୍ଗଳ ଦୂର୍ବାସୂତ୍ର ରକ୍ଷେ । ବର ବରିଲେ ଏକେ ଏକେ । ୫୯
    ମରୀଚି ମୁନି ହସ୍ତ ଧରି । କଳା କନ୍ୟାକୁ ବର ବରି । ୬୦
    ଆନନ୍ଦ ମନେ କରି ବିଭା । କିଅବା ପଟାନ୍ତର ଦେବା । ୬୧
    ତ୍ରିଦଶେ ଦେଖନ୍ତି ଆକାଶେ । ହରଗଉରୀ ପ୍ରାୟ ଦିଶେ । ୬୨
    ଦ୍ୱିତୀୟ କନ୍ୟା ଅନସୂୟା । ଅତ୍ରି ମୁନିଙ୍କି ଦେଲା ତାହା । ୬୩
    ଶ୍ରଦ୍ଧାକୁ ଅଙ୍ଗିରସ ମୁନି । ବରିଲା କରେ ଅର୍ଘ୍ୟ ଘେନି । ୬୪
    ପୁଲସ୍ତ୍ୟେ ହବି ଦେଲା ଦାନ । ପୁଲହେ ଗତି ବିଦ୍ୟମାନ । ୬୫
    କ୍ରତୁଙ୍କୁ ଦେଲା କ୍ରିୟା ସତୀ । ଭୃଭୁଙ୍କୁ ସମର୍ପିଲା ଖ୍ୟାତି । ୬୬
    ବଶିଷ୍ଠେ ବରି ଅରୁନ୍ଧତୀ । ଅଥର୍ବେ ସମର୍ପିଲା ଶାନ୍ତି । ୬୭
    ଏମନ୍ତେ ନବ-ବିପ୍ରବରେ । କନ୍ୟା ବିବାହେ ନିଜ ପୁରେ । ୬୮
    ଧନେ ସନ୍ତୋଷୀ ତାଙ୍କ ମନ । ଗଲେ ସେ ଯେ ଯାହା ଭୁବନ । ୬୯
    ମୁନିଙ୍କି କରି ଅନୁଯାନ । ସଂଭ୍ରମ କର୍ଦ୍ଦମ‌ର ମନ । ୭୦
    ଗୃହେ ଯେ ପୁତ୍ର ଉପୁଜିଲା । କପିଳ ନାମେ ବିଷ୍ଣୁକଳା । ୭୧
    ବେଗେ ମିଳିଲା ପୁତ୍ର ପାଶେ । ସ୍ୱଭାବେ ଜନକ ବିଶ୍ୱାସେ । ୭୨
    ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ । ସୁମରେ ଶୁକ୍ଳ-ବାକ୍ୟ ଭାବେ । ୭୩
    ଏକାନ୍ତେ ପୁତ୍ର ପାଶେ ଯାଇ । ବୋଲେ କପାଳେ କରଦେଇ । ୭୪

    କର୍ଦ୍ଦମ ଉବାଚ

    ଦେଖ ମୋହର ଦୁଷ୍ଟପଣ । ନ ସେବି ତୁମ୍ଭର ଚରଣ । ୭୫
    ଏ ଗୃହ-ଅନ୍ଧକୂପ ପଥେ । ପଡ଼ିଲି ଅମଙ୍ଗଳ ଯନ୍ତ୍ରେ । ୭୬
    ଅନେକ ଜନ୍ମେ ଯୋଗସାଧ୍ୟେ । ଯୋଗସମ୍ପାଦି ଅନୁବାଦେ । ୭୭
    ଯେ ପ୍ରାଣୀ ଗୃହବନ୍ଧ ତେଜେ । ବନସ୍ତେ ତୋ ଚରଣେ ଭଜେ । ୭୮
    ପର୍ଣ୍ଣକୁଟୀର ମଧ୍ୟେ ଥାଇ । ବଞ୍ଚନ୍ତି ତୋ ଚରଣ ଧ୍ୟାୟି । ୭୯
    ତୋ ପାଦ ଦେଖିବାର ଆଶେ । ସାଧନ୍ତି ଅନେକ ବରଷେ । ୮୦
    ଏମନ୍ତ ପ୍ରଭୁ ତୁମ୍ଭେ ହରି । ମୋର ଭୁବନେ ଅବତରି । ୮୧
    ତୋର ଭକତ ରକ୍ଷାଅର୍ଥେ । ତୋ ଅବତାର ଏ ଜଗତେ । ୮୨
    ନିଜ ବଚନ ସତ୍ୟ କରି । ତୁ ମୋର ଗୃହେ ଅବତରି । ୮୩
    ସ୍ୱଭାବେ ସର୍ବଭୂତେ ଥାଉ । ଭକତଜନେ ବଶ ହେଉ । ୮୪
    ଭକତହିତେ ନାନାଯୋନି । ଉପୁଜୁ ନିଜତେଜ ଘେନି । ୮୫
    ପଣ୍ତିତଜନେ ତୋ ବିଶ୍ୱାସେ । ତୋ ପାଦପଦ୍ମଗନ୍ଧାବାସେ । ୮୬
    ସଂସାର ତେଜି ସେ ଭଜନ୍ତି । ଅନ୍ତେ ତୋ ଶରୀରେ ପଶନ୍ତି । ୮୭
    ତୁ ପୂର୍ଣ୍ଣବ୍ରହ୍ମ ନରହରି । ପ୍ରକାଶୁ ଜ୍ୟୋତିରୂପ ଧରି । ୮୮
    ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ଜ୍ଞାନ । ତୁ ଶ୍ରୀ ବୈରାଗ୍ୟ ପରିପୂର୍ଣ୍ଣ । ୮୯
    ତେଣୁ ଶରଣାଗତ ମୁହିଁ । ମୋ ଦୋଷ କ୍ଷମ ଭାବଗ୍ରାହୀ । ୯୦
    ତୁ ନାଥ ପରମ-ପୁରୁଷ । ପ୍ରକୃତି ମଧ୍ୟେ ତୋ ପ୍ରକାଶ । ୯୧
    ମହତଆଦି ରୂପ ତୋର । ଭୂତଙ୍କ ସୂକ୍ଷ୍ମ ଅହଙ୍କାର । ୯୨
    ତ୍ରିଗୁଣମୟୀ କାଳରୂପୀ । ତୁ କବି ସର୍ବଭୂତେ ବ୍ୟାପି । ୯୩
    ତୋ ରୂପ ଆତ୍ମାଜ୍ଞାନ ଅର୍ଥେ । କପିଳରୂପେ ଏ ଜଗତେ । ୯୪
    ଶରଣାଗତ ତୋ ଚରଣେ । ମୋ ମନେ ରହ ଅନୁକ୍ଷଣେ । ୯୫
    ତୁ ପ୍ରଜାପତିଙ୍କର ନାଥ । ତୁ ଯେ ହୋଇଲୁ ମୋର ସୁତ । ୯୬
    ତୁ ଅବତୀର୍ଣ୍ଣ ହେଲା ମାତ୍ରେ । ମୋ ଋଣତ୍ରୟ ନାହିଁ ଗାତ୍ରେ । ୯୭
    ପୂର୍ଣ୍ଣ ହୋଇଲା ମନୋରଥ । ସନ୍ନ୍ୟାସାମାର୍ଗେ ଏବେ ଚିତ୍ତ । ୯୮
    ତେଣୁ ମାଗଇ ଆତ୍ମା ଅର୍ଥେ । ତୋ ପାଦଧ୍ୟାନ ହୃଦଗତେ । ୯୯
    ଧରିଣ ବୁଲିବି ଜଗତେ । ଏମନ୍ତ ଆଜ୍ଞା ଦିଅ ମୋତେ । ୧୦୦
    ଏମନ୍ତ କର୍ଦ୍ଦମ ବଚନ । ଶୁଣି କହନ୍ତି ଭଗବାନ । ୧୦୧

    ଭଗବାନ ଉବାଚ

    ତୋହର ତପ ତେଜ ବଳେ । ମୋ ଅବତାର ଏ ଶୟଳେ । ୧୦୨
    ନିଜ ବଚନ ସତ୍ୟ କରି । ତୋ ପତ୍ନୀ-ଗର୍ଭେ ଅବତରି । ୧୦୩
    କେ ଲଭିପାରେ ମୋର ଭାବ । ମୋ ରୂପ ଯୋଗୀଙ୍କି ଦୁର୍ଲ୍ଲଭ । ୧୦୪
    ମୁଁ ଏବେ ସଂସାରର ଅର୍ଥେ । ଜ୍ଞାନପ୍ରକାଶି ଏ ଜଗତେ । ୧୦୫
    ଏ ସିଦ୍ଧଦେହେ ଥିବି ମୁହିଁ । ଯାବତ ସୂର୍ଯ୍ୟ ଚନ୍ଦ୍ର ମହୀ । ୧୦୬
    ଯେ ତତ୍ତ୍ବଜ୍ଞାନ ପୂର୍ବେ ଥିଲା । କାଳର ବଳେ ନାଶ ଗଲା । ୧୦୭
    ସେ ତତ୍ତ୍ବ ପ୍ରକାଶିବା ଅର୍ଥେ । ମୋ ଅବତାର ଏ ଜଗତେ । ୧୦୮
    ତୋହର ସାଧୁକ୍ରିୟା ଯେତେ । ସବୁ ସମର୍ପି ଦିଅ ମୋତେ । ୧୦୯
    ମୋର ଚରଣେ ଭାବେ ବଢି । ଚଳ ତୁ ଗୃହବନ୍ଧ ଏଡ଼ି । ୧୧୦
    ସୁହୃଢେ ମୋ ପଦ ଭଜିବୁ । ଦୁର୍ଜୟ-ମରଣୁ ତରିବୁ । ୧୧୧
    ଅନ୍ତେ ପଶିବୁ ମୋ ଚରଣେ । ବେଗେ ଯା ତପ ସାଧ ବନେ । ୧୧୨
    ମୁଁ ଆତ୍ମାନନ୍ଦଜ୍ୟୋତି ପଦେ । ପ୍ରକାଶ ସର୍ବଭୂତହୃଦେ । ୧୧୩
    ଆତ୍ମାର ମଧ୍ୟେ ଆତ୍ମା ଦେଖ । ମୃତ୍ୟୁ ସକାଶୁ ଆତ୍ମା ରଖ । ୧୧୪
    ଅଧ୍ୟାତ୍ମ-ବିଦ୍ୟା ସାଧ୍ୟ କର । ଏ ମାୟା-ବନ୍ଧନୁ ନିସ୍ତର । ୧୧୫
    ଯେ ବିଦ୍ୟାବଳେ ଦେବହୂତି । ହେବ ପରମାନନ୍ଦ ପ୍ରାପ୍ତି । ୧୧୬

    ମୈତ୍ରେୟ ଉବାଚ

    ଏମନ୍ତ ହରି ଆଜ୍ଞା ପାଇ । ଅଭୟପଦେ ମନ ଦେଇ । ୧୧୭
    ବିଷ୍ଣୁଙ୍କ ପ୍ରଦକ୍ଷିଣ କଲା । ମଉନବ୍ରତେ ବନ ଗଲା । ୧୧୮
    ଅହିଂସାବ୍ରତ ଆଚରଣ । କେବଳ ଆତ୍ମାରେ ଶରଣ । ୧୧୯
    ନିଃସଙ୍ଗ ଗୃହ ନିରପେକ୍ଷ । ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ । ୧୨୦
    ନିର୍ଗୁଣବ୍ରହ୍ମେ ମନ ଦେଇ । ସତ ଅସତ ପର ସେହି । ୧୨୧
    ଏକାନ୍ତଭକ୍ତିରସେ ରସି । ଜିଣିଲା କାଳଦଣ୍ତଫାସି । ୧୨୨
    ଭ୍ରମଇ ବନ ଘନ ଗିରି । ଦେଖଇ ସର୍ବଭୂତେ ହରି । ୧୨୩
    ଇନ୍ଦ୍ରିୟଗଣଙ୍କୁ ନିରୋଧି । ଯେସନେ ନିଶ୍ଚଳ ଜଳଧି । ୧୨୪
    ସର୍ବଜ୍ଞେ ସର୍ବ ଆତ୍ମାଭାବେ । ଯେ ଭଗବାନ ବାସୁଦେବେ । ୧୨୫
    ଯେ ଭାବେ ରହି ଧୀରପଣେ । ନିର୍ବାଣମୁକ୍ତିର ଭିଆଣେ । ୧୨୬
    ଦେଖଇ ସର୍ବଭୂତେ ହରି । ଆତ୍ମା ସ୍ୱରୂପେ ଅଛି ପୂରି । ୧୨୭
    ହରିର ଦେହେ ଏ ଜଗତ । ଦେଖେ ଅଭେଦେ ଦୃଷ୍ଟିଗତ । ୧୨୮
    ଅନ୍ତେ ଲଭିଲା ହରିଭାବ । ଯେ ହରି ଦେବଙ୍କୁ ଦୁର୍ଲଭ । ୧୨୯
    ଏମନ୍ତ ବିଦୁରର ଆଗେ । ମୈତ୍ରେୟ କହେ ପ୍ରିୟଭାବେ । ୧୩୦
    ନିର୍ମଳ-ଭାଗବତବାଣୀ । ଭାଷାପ୍ରବନ୍ଧେ ପରିମାଣି । ୧୩୧
    ତୃତୀୟସ୍କନ୍ଧେ କୃଷ୍ଣରସ । କହିଲା ଜଗନ୍ନାଥ ଦାସ । ୧୩୨
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟଷ୍କନ୍ଧେ କାପିଳେୟେ ଚତୁର୍ବିଂଶୋଽଧ୍ୟାୟଃ ।

    ପଞ୍ଚବିଂଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ମୁନି ଅନ୍ତରେ ଦେବହୂତି । ସ୍ୱଭାବେ ସୁଗୁଣ ସୁମତି ୧
    ତକ୍ଷଣେ ପୁତ୍ରପାଶେ ଯାଇ । କହଇ ଶିରେ କର ଦେଇ ୨
    ଦେବହୂତି ଉବାଚ

    ତୁ ଅଜ ନିର୍ଗୁଣ ନିର୍ଲକ୍ଷ୍ୟ । ତୋ ଭକ୍ତଜନେ ତୁ ପ୍ରତ୍ୟକ୍ଷ ୩
    ଆଦିପୁରୁଷ ତୁ ଈଶ୍ୱର । ଯେ ଅନ୍ଧତମ ପ୍ରାଣୀଙ୍କର ୪
    ଜୀବର ପରିତ୍ରାଣ ଅର୍ଥେ । ତୋ ଅବତାର ଏ ଜଗତେ ୫
    ସ୍ତିରୀ ସ୍ୱଭାବ ମୁହିଁ ମନ୍ଦ । ନ ଜାଣେ ଆତ୍ମା ଭଲମନ୍ଦ ୬
    କି ରୂପେ ସଂସାର ତୁଟଇ । ଜୀବନ-ବନ୍ଧନ ଫିଟଇ ୭
    ମୁଁ ଯେ ଅଜ୍ଞାନ ମୂଢମତି । ସ୍ୱଭାବେ ଅଟଇ ଯୁବତୀ ୮
    ତୁ ମୋତେ ଜ୍ଞାନଚକ୍ଷୁ ଦେଇ । ଉଦ୍ଧର ଦୁର୍ଗତି ଖଣ୍ତାଇ ୯
    ତୁ ନାଥ ମୋତେ ଦୟାକର । ଏ ଘୋରସଂସାରୁ ଉଦ୍ଧର ୧୦
    ମାତୃଭାବେ କର ଦୟା । ଯେମନ୍ତେ ତୁଟେ ତୋର ମାୟା ୧୧

    ମୈତ୍ରେୟ ଉବାଚ

    ମାତା ବଚନେ ହୃଷୀକେଶ । ଅଳପ ହୋଇ ହସହସ ୧୨
    ଅଶେଷ ଜୀବ ଦେହବାସୀ । କହନ୍ତି ପ୍ରଭୁ ବ୍ରହ୍ମରାଶି ୧୩

    ଭଗବାନ କପିଳ ଉବାଚ

    ଶୁଣ ଜନନୀ କହୁଁ ତୋତେ । ଯେ ପ୍ରଶ୍ନ କଲୁ ତୁହି ମୋତେ ୧୪
    ଯାହାର ଚିତ୍ତେ ଭକ୍ତିଯୋଗ । ଭଜଇ ମୋ ଚରଣଯୁଗ ୧୫
    ତେବେ ବିଷୟେ ବଇରାଗ୍ୟ । ଉପୁଜେ ପୂର୍ବେ ଥିଲେ ଭାଗ୍ୟ ୧୬
    ଏ ଆତ୍ମନିଷ୍ଠା ଯୋଗ ଜାଣ । ପୁରୁଷ ମୋକ୍ଷର କାରଣ ୧୭
    ଭୋ ମାତ ତୁମ୍ଭେ ଏବେ ଶୁଣ । ନିର୍ଗୁଣଭକ୍ତିର କାରଣ ୧୮
    ପୂର୍ବେ ମୁଁ ଋଷିଙ୍କର ମଧ୍ୟେ । ଯେ ଯୋଗ କହିଲଇଁ ସାଧ୍ୟେ ୧୯
    ଯେତେଣ ଏ ମାୟା ଘୋରବନେ । ନିସ୍ତାର ଭକ୍ତି-କରଷଣେ ୨୦
    ଶୁଣ ଜନନୀ ସେ ଲକ୍ଷଣ । କହିବା ଯେ ଭକ୍ତି ନିର୍ଗୁଣ ୨୧
    ଚିତ୍ତ ସଂଯମ ବ୍ୟତିରେକେ । ଯୋଗର ସିଦ୍ଧି ନୋହେ ଲୋକେ ୨୨
    ବନ୍ଧ-ମୋକ୍ଷର ହେତୁ ଚିତ୍ତ । ଏ ଆତ୍ମଜ୍ଞାନୀଙ୍କ ସମ୍ମତ ୨୩
    ଜୀବର ଜନ୍ମ-ବନ୍ଧ-ପାଶ । ଯେ ଭାବେ ହୋଇବ ଉଶ୍ୱାସ ୨୪
    ବିଷୟାରତ ଚିତ୍ତ ଯେବେ । ଜୀବର ବଦ୍ଧଭାବ ତେବେ ୨୫
    ଈଶ୍ୱରେ ଦେଲେ ସେହି ଚିତ୍ତ । ବନ୍ଧନୁ ହୁଅଇ ମୁକତ ୨୬
    ମୁହିଁ ମୋହର ଭାବୁଁ ଜାତ । କାମାଦି ତେଜେ ଯେବେ ଚିତ୍ତ ୨୭
    ନିର୍ମଳ ହୁଅଇଟି ଜାଣ । ମଣଇ ସୁଖ ଦୁଃଖ ସମ ୨୮
    ଏ ରୂପେ ଚିତ୍ତଶୁଦ୍ଧ ଯେବେ । ଜୀବ ଈଶ୍ୱର ଏକ ଭାବେ ୨୯
    ଦେଖାଇ ପ୍ରକୃତିରୁ ଭିନ୍ନ । ସ୍ୱୟଂପ୍ରକାଶ ପରିପୂର୍ଣ୍ଣ ୩୦
    ପ୍ରକୃତି ବଳ ହୋଏ ହତ । ଜ୍ଞାନ ବୈରାଗ୍ୟ ଭକ୍ତି ଜାତ ୩୧
    ଅଖିଳ ଆତ୍ମା ପାଦଯୁଗେ । ଭଜିଲେ ଦୃଢ଼େ ଭକ୍ତିଯୋଗେ ୩୨
    ଏଣୁ ସେ ଲଭେ ବ୍ରହ୍ମଜ୍ଞାନ । ଏଥହୁଁ ପଥ ନାହିଁ ଆନ ୩୩
    ଏ ଭବ-ଜଳଧି-ତରଙ୍ଗ । ହରଇ ସାଧୁଙ୍କର ସଙ୍ଗ ୩୪
    ଭଜଇ କୈବଲ୍ୟ କାରଣେ । ମନ ନ ଭ୍ରମେ ଭବବଣେ ୩୫
    ଶୁଣ ଜନନୀ ସାଧୁଗୁଣ । ଯେ ଅବା ସାଧୁଙ୍କ ଲକ୍ଷଣ ୩୬
    ପ୍ରାଣୀବିଷୟେ ଆତ୍ମାବତ । କରଇ ତ୍ୟାଗ ଦୟା ଚିତ୍ତ ୩୭
    ଜଗତ ନିର୍ବଇର ଦେଖେ । ନିଶ୍ଚଳେ ରହେ ଆତ୍ମାସୁଖେ ୩୮
    ନିରତେ ଗୋବିନ୍ଦ ଚରଣେ । ସ୍ତୁତି କୀର୍ତ୍ତନ ଅନୁକ୍ଷଣେ ୩୯
    ଦାରା ସ୍ୱଜନ ସୁତ ଧନ । ଗୃହ ଉପେକ୍ଷି ଚଳେ ବନ ୪୦
    ସକଳ କର୍ମ ତେଜି ଦୃଢେ ।ମୋ ଭାବେ ମଜ୍ଜେ ଅତି ଗାଢେ ୪୧
    ମୋ ରୂପ ଗୁଣ କର୍ମ ଯେତେ । ଶ୍ରବଣ କୀର୍ତ୍ତନ ନିରତେ ୪୨
    ଏମନ୍ତ ଭାବ ନିତ୍ୟେ କରି । ଏ ମାୟାଭବୁ ଯାନ୍ତି ତରି ୪୩
    ଏ ରୂପେ ସାଧୁଙ୍କ ଚରିତ । ସମସ୍ତ ସଙ୍ଗ ବିବର୍ଜିତ ୪୪
    ଏମନ୍ତ ଭକ୍ତଜନ ସଙ୍ଗ । କରି ତୁ ତର ଏ ତରଙ୍ଗ ୪୫
    ଭକତଜନ ସଙ୍ଗ ଯେବେ । କରଇ ଭ୍ରମ ଖଣ୍ତେ ତେବେ ୪୬
    ମୋର ଚରିତ ଗୁଣଗାଥା । ଏକ ଆନରେ କରେ ଚିନ୍ତା ୪୭
    ଶୁଣି ଶୁଣାଇ ଅଶ୍ରୁଧାରେ । ଆନନ୍ଦେ ପୁଲକ ଶରୀରେ ୪୮
    ନିରତେ ଶ୍ରଦ୍ଧାଭକ୍ତି ବଢେ । ଭବ-ବନ୍ଧନ-ପାଶ ଛିଡେ ୪୯
    ଅଶେଷ ଜନ୍ମ ଭାଗ୍ୟୋଦୟେ । ଭକତଜନେ ଶ୍ରଦ୍ଧା ବହେ ୫୦
    ତହୁଁ ଉପୁଜେ ରତି ଭକ୍ତି । ମୋହର ଲୀଳା କର୍ମ ଚିନ୍ତି ୫୧
    ବୈରାଗ୍ୟ ହୁଅଇ ପ୍ରକାଶ । ପ୍ରକୃତି ଗୁଣ ଯାଇ ନାଶ ୫୨
    ଜ୍ଞାନ ବୈରାଗ୍ୟ ଭକ୍ତିବଳେ । ସକଳ ସମର୍ପେ ମୋଠାରେ ୫୩
    ତେବେ ଏ ଦେହେ ମୋତେ ପାଇ । ଶୁଣ ଜନନୀ ମନ ଦେଇ ୫୪
    ମୋ ନାମ ନାବ କରି ଭାବେ । ବସି ତରିବୁ ଭକ୍ତିଭାବେ ୫୫
    ଭକତ ସଙ୍ଗେ ନାବେ ବସି । ଏ ସିନ୍ଧୁ ତରଣେ ସାହସୀ ୫୬
    ଯେଣୁ ଭକତପ୍ରିୟ ହରି । ତା ଭାବେ ଭବସିନ୍ଧୁ ତରି ୫୭

    ମୈତ୍ରେୟ ଉବାଚ

    ଏମନ୍ତେ ପୁତ୍ର ବାକ୍ୟ ଶୁଣି । ଆନନ୍ଦେ କର୍ଦ୍ଦମ ଘରଣୀ ୫୮
    ଆନନ୍ଦରସେ ହରଷିତ । ତକ୍ଷଣେ ହୋଇ କୃତକୃତ୍ୟ ୫୯
    ଆକୁଳେ ପୁତ୍ର ପାଦେ ପଡି । ପୁଣି ପଚାରେ କରଯୋଡି ୬୦

    ଦେବହୂତି ଉବାଚ

    କି ରୂପେ ଭକ୍ତିଯୋଗ ଜାଣି । ଭକତି କିରୂପେ ପ୍ରମାଣି ୬୧
    ଯେ ଭକ୍ତିବଳେ ଅନାୟାସେ । ଜୀବ ନିର୍ବାଣପଦେ ପଶେ ୬୨
    ଯେ ଯୋଗ ମୁଖ୍ୟ ପ୍ରୟୋଜନ । ଶୁଣିଲି ତୁମ୍ଭର ବଚନ ୬୩
    ସେ ଯୋଗ କେମନ୍ତ ଅଟଇ । କେମନ୍ତ ସାଧନ ତା ହୋଇ ୬୪
    ମୁଁ ସ୍ତିରୀ ଅଟେ ମନ୍ଦବୁଦ୍ଧି । ଦୁର୍ବୋଧ୍ୟ ଯୋଗ ଦୟାନିଧି ୬୫
    ଏଣୁ ମୋ ଚିତ୍ତରେ ସଂଶୟ । କହ ହେ ପ୍ରଭୁ ଦୟାମୟ ୬୬

    ମୈତ୍ରେୟ ଉବାଚ

    ଏମନ୍ତ ମାତାବାକ୍ୟ ଶୁଣି । କପିଳ ବେଶେ ଚକ୍ରପାଣି ୬୭
    କହନ୍ତି ଜନନୀର ଆଗେ । ପରମ-ଜ୍ଞାନ ସଂ।ଖ୍ୟଯୋଗେ ୬୮

    କପିଳ ଉବାଚ

    ଶୁଣ ଜନନୀ ବାକ୍ୟ ସାର । ଆଗମ ନିଗମ ପ୍ରକାର ୬୯
    ଯେବା ଇନ୍ଦ୍ରିୟ ଦେବଗଣ । ଯାର ଯେ ସ୍ୱାଭାବିକ କର୍ମ ୭୦
    ଯେ ଧର୍ମ କର୍ମ ଅଛି ବେଦେ । ତାହା ଇନ୍ଦ୍ରିୟ ଯେବେ ସାଧେ ୭୧
    ଯେ ବର୍ଣ୍ଣେ ଯେବା ଧର୍ମ କର୍ମ । ଇନ୍ଦ୍ରିୟ କରେ ସେହି କର୍ମ ୭୨
    ସେ ସର୍ବକର୍ମ ଯେବେ ମୋତେ। ଦେଇ ଭଜଇ ଏକଚିତ୍ତେ ୭୩
    ଆପଣେ ଅକିଞ୍ଚନ ରୂପେ । ଭ୍ରମଇ ମାୟାମୟ କଳ୍ପେ ୭୪
    ଭକତ ମଧ୍ୟେ ଏ ପ୍ରଧାନ । ଲଭଇ କଇବଲ୍ୟ-ସ୍ଥାନ ୭୫
    ଜୀବ-ବାସନା-ବନ୍ଧ ହରେ । ନ ବୁଡେ ସଂସାର-ସାଗରେ ୭୬
    ବ୍ୟାଧି ଯେସନେ ସ୍ଥାନେସ୍ଥାନେ । ହରଇ ଅଉଷଧ ପାନେ ୭୭
    ଏ ଭାବେ ଯେ କରେ ବିଚାର । କୈବଲ୍ୟ କିବା ବସ୍ତୁ ତାର ୭୮
    ନିତ୍ୟେ ଭକତଜନ ମଧ୍ୟେ । ହରିଚରିତ ନାନାଛନ୍ଦେ ୭୯
    ନିରତେ କରେ ଅନୁପାନ । ଆନନ୍ଦ-ଅଶ୍ରୁ-ଜଳେ ସ୍ଥାନ ୮୦
    ତାର ସମାନ ଆନ ଜନେ । ନ ଦେଖି ଏ ତିନିଭୁବନେ ୮୧
    ଏମନ୍ତେ ବଞ୍ଚେ ଦୁଃଖ ସୁଖେ । ସେ ମୋର ନିଜରୂପ ଦେଖେ ୮୨
    ସୁନ୍ଦର ପ୍ରସନ୍ନ ବଦନ । ବିକଚ କମଳ ଲୋଚନ ୮୩
    ସର୍ବ ସୁନ୍ଦର ମନୋହର । ମୋ ଶ୍ୟାମସୁନ୍ଦର ଶରୀର ୮୪
    ମୋର ଅମୃତମୟ ବାଣୀ । ତନୁ ରୋମାଞ୍ଚ କରେ ଶୁଣି ୮୫
    ଏ ରୂପ ଛାଡି ତାର ମନ । କୈବଲ୍ୟେ କିବା ପ୍ରୟୋଜନ ୮୬
    ଏ ରୂପ ଦେଖି ଚିତ୍ତ ହରେ । କୈବଲ୍ୟ ଲଭେ ଅଭ୍ୟନ୍ତରେ ୮୭
    ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତି । ଅନନ୍ତ ଅନନ୍ତ ବିଭୂତି ୮୮
    ସେ ସର୍ବେ ଖଟନ୍ତି ତା ପାୟେ । ମୋ ଭକ୍ତଜନେ ଦୂର ନୋହେ ୮୯
    ଏଣୁ ଭକତ ରଖେ ହରି । କାଳ ନ ପାରେ ଗ୍ରାସ କରି ୯୦
    ମୁଁ ତାର ପ୍ରିୟ ଆତ୍ମା ସୁତ । ସଖା ସୁହୃଦ ଗୁରୁବତ ୯୧
    ତାହାର ଗୁରୁଦେବ ମୁହିଁ । ଯେ ମୋତେ ଏ ଭାବେ ଭାବଇ ୯୨
    ତାହାର ଈଷ୍ଟ ବନ୍ଧୁ ମୁହିଁ । ଯେ ମୋତେ ସର୍ବ ସମର୍ପଇ ୯୩
    ନାହିଁ ତା ଇହ ପର ଲୋକ । ନ ମାନେ ଆତ୍ମା ଦୁଃଖ ସୁଖ ୯୪
    ଏକାନ୍ତ ଭକ୍ତିବଳେ ମୋତେ । ମନ ବଚନେ ନିତ୍ୟେ ଚିନ୍ତେ ୯୫
    ସର୍ବ ସମର୍ପି ଅବିରତେ । ପଶଇ ମୋର ପାଦଗତେ ୯୬
    ମୁଁ ଈଶ ପୁରୁଷପ୍ରଧାନ । ମୋ ବିନୁ ବନ୍ଧୁ ନାହିଁ ଆନ ୯୭
    ଦେଖ ମୋହର ମାୟାଗତେ । ଯନ୍ତ୍ରିତ ଅଛନ୍ତି ସମସ୍ତେ ୯୮
    ମୋ ଆଜ୍ଞା କରୁଥାନ୍ତି ନିତ୍ୟେ । ନିତ୍ୟେ ଯନ୍ତ୍ରିତ ଭୟଚିତ୍ତେ ୯୯
    ଦେଖ ପବନ ମୋର ଡରେ । ବହଇ ବାହ୍ୟ ଅଭ୍ୟନ୍ତରେ ୧୦୦
    ମୋ ଭୟେ ଉଦେ ଦିନକର । ମୋ ଡରେ ବର୍ଷେ ସୁନାସୀର ୧୦୧
    ମୋ ଭୟେ ଯମ ଦଣ୍ତ ଧରେ । ମୃତ୍ୟୁ ସକଳ ପ୍ରାଣ ହରେ ୧୦୨
    ମୋ ଡରେ ଯେବା ଯାହା ଭକ୍ଷେ । ଅଗ୍ନି ଦହଇ ଅପ୍ରତ୍ୟକ୍ଷେ ୧୦୩
    ଶଶାଙ୍କ ଦିଶଇ ଆକାଶେ । ପ୍ରାଣୀଙ୍କ ମନ ସେ ଆଶ୍ୱାସେ ୧୦୪
    ଏମନ୍ତେ ମହାଯୋଗୀଜନେ । ଯନ୍ତ୍ରିତ ମୋହର ବଚନେ ୧୦୫
    ସେବନ୍ତି ମୋହର ଚରଣେ । ସଂସାର ପାର ଇଚ୍ଛି ମନେ ୧୦୬
    କରନ୍ତି ପ୍ରାଣୀହିତ ନିତ୍ୟେ । ଅନ୍ୟୋନ୍ୟାଭାବେ ଏ ଜଗତେ ୧୦୭
    ଏବେ ତୁ ଭକ୍ତିଯୋଗ ଶୁଣ । ଯେତେ ଜୀବର ପରିତ୍ରାଣ ୧୦୮
    ଯେ ଭାବେ ଏ ସଂସାର ତୁଟେ । ସୁଦୃଢ କର୍ମଗ୍ରନ୍ଥି ଫିଟେ ୧୦୯
    ତ‌ତ୍ତ୍ବ-ତପନ-ତମ ନାଶେ । ନିର୍ମଳଜ୍ଞାନ ହିଁ ପ୍ରକାଶେ ୧୧୦
    ଏଣୁ ଏ ତତ୍ତ୍ବଜ୍ଞାନ କହି । ଶୁଣ ଜନନୀ ମନଦେଇ ୧୧୧
    ଏମନ୍ତ ତତ୍ତ୍ବଜ୍ଞାନ ଜାଣି । ଯେ ଭାବେ ଭଜେ ଚକ୍ରପାଣି ୧୧୨
    ଯେ ଦୟାସାଗର ମୁରାରି । ମାତା ବିଷୟେ ଦୟାକରି ୧୧୩
    ଯେତେ କହିଲେ ଉପଦେଶ । ସୁଜନ ଜନେ ଏଣେ ରସ ୧୧୪
    ତା ପାଦେ ମନ କରି ସ୍ଥିର । ମୋକ୍ଷେ ଉଦୟ ଲଭେ ନର ୧୧୫
    ତୃତୀୟସ୍କନ୍ଧେ ଭାଗବତେ । ଜୀବର ପରିତ୍ରାଣ ଅର୍ଥେ ୧୧୬
    ହରିଚରିତ ସୁଧାରସ । କହଇ ଜଗନ୍ନାଥ ଦାସ ୧୧୭
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ କାପିଳେୟୋପାଖ୍ୟାନେ ନାମ ପଞ୍ଚବିଂଶୋଽଧ୍ୟାୟଃ ।

    ଷଡ଼୍‌ବିଂଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଶୁଣ ବିଦୁର ତତ୍ତ୍ୱ ବାଣୀ । ଏ ଜୀବ ତରେ ଯାହା ଶୁଣି ୧
    କପିଳରୂପେ ପ୍ରିୟଭାବେ । ଜନନୀ ପ୍ରବୋଧ ପ୍ରସ୍ତାବେ ୨
    ଯାହା କହିଲେ ନାରାୟଣ । ନିଶ୍ଚଳଚିତ୍ତେ ଏବେ ଶୁଣ ୩
    ବିଷ୍ଣୁ କହନ୍ତି ତୋଷମନେ । ମନୁତନୟା ସନ୍ନିଧାନେ ୪
    କପିଳ ଉବାଚ
    ଶୁଣ ଜନନୀ ମୋ ବଚନ । ଯେ ତତ୍ତ୍ୱଜ୍ଞାନର ଲକ୍ଷଣ ୫
    ଏବେ ତୁ ତତ୍ତ୍ୱଜ୍ଞାନ ଶୁଣ । ଯେଣେ ଜୀବର ପରିତ୍ରାଣ ୬
    ଏ ଜ୍ଞାନ ଜନ୍ମିଲେ ପୁରୁଷ । କାଟଇ ମୋହଗୁଣପାଶ ୭
    ଯେ ଭାବେ ଏ ସଂସାର ତୁଟେ । ସୁଦୃଢ-ହୃଦଗଣ୍ଠି ଫିଟେ ୮
    ତତ୍ତ୍ୱତପନ ତମ ନାଶେ । ନିର୍ମଳ ଜ୍ଞାନ ହିଁ ପ୍ରକାଶେ ୯
    ଏଣୁ ଏ ତତ୍ତ୍ୱଜ୍ଞାନ କହି । ଶୁଣ ଜନନୀ ମନ ଦେଇ ୧୦
    ଯେମନ୍ତ ତତ୍ତ୍ୱଜ୍ଞାନ ଜାଣି । ଯେ ଭାବେ ଲଭି ଚକ୍ରପାଣି ୧୧
    ନିଶ୍ଚଳଭାବେ କରି ଧ୍ୟାନ । ଆତ୍ମାକୁ କରନ୍ତି ଦର୍ଶନ ୧୨
    ଅଶେଷ-ବନ୍ଧନ ଫିଟାଇ । ବିବେକ ଜ୍ଞାନ ପ୍ରକାଶଇ ୧୩
    ମାୟା ଯନ୍ତ୍ରିତ ଅହଙ୍କାର । ହୃଦରୁ ତାହା ହୁଏ ଦୂର ୧୪
    କହିବା ଶୁଣ ମନଦେଇ । ଯେ ମାର୍ଗେ ସଂଶୟ ନ ଥାଇ ୧୫
    ଯେ ଆତ୍ମା ଅନାଦି-ପୁରୁଷ । ପ୍ରକୃତି ପରେ ଯାର ବାସ ୧୬
    ସ୍ୱଭାବେ ନିର୍ଗୁଣ ଅଟଇ । ଜ୍ୟୋତି-ସ୍ୱରୂପେ ପ୍ରକାଶଇ ୧୭
    ବ୍ୟାପିଛି ଏ ବିଶ୍ୱ ସଂସାରେ । ପ୍ରାଣୀଙ୍କ ବାହ୍ୟ-ଅଭ୍ୟନ୍ତରେ ୧୮
    ଏ ରୂପେ ପ୍ରକୃତି-ପୁରୁଷ । ସୂକ୍ଷ୍ମ ସ୍ୱରୂପରେ ପ୍ରକାଶ ୧୯
    ସେ ବିଷ୍ଣୁ ସୃଷ୍ଟି ଇଚ୍ଛା କରି । ଆଦିପ୍ରକୃତି ରୂପ ଧରି ୨୦
    ତ୍ରିଗୁଣ ଜାତ ସେ କରଇ । ରଜ ସା‌ତ୍ତ୍ୱକ ତମ ଦେହୀ ୨୧
    ରଜେ ସର୍ଜଇ ପାଳେ ସତ୍ତ୍ବେ । ତମ ସ୍ୱରୂପେ ହରେ ନିତ୍ୟେ ୨୨
    ଏ ରୂପେ ଲୀଳା ସେ କରଇ । ଦଇବୀ ମାୟା ଗୁଣମୟୀ ୨୩
    ଜୀବର ନାନାରୂପ କରେ । ଚିତ୍ର ବିଚିତ୍ର ଏ ସଂସାରେ ୨୪
    ପ୍ରଜା ସର୍ଜଇ ନାନାକଳ୍ପେ । ସ୍ଥାବର ଜଙ୍ଗମାଦି ରୂପେ ୨୫
    ଅଜ୍ଞାନେ ଆବୃତ୍ତ ତା ଦେହୀ । ସାକ୍ଷୀ ସ୍ୱରୂପେ ସେ ଦେଖଇ ୨୬
    ଏ ରୂପେ ପୂର୍ବରୁ ଭିଆଣ । ପ୍ରକୃତି କରଇ ନିର୍ମାଣ ୨୭
    କର୍ମରେ ଗତାଗତ ହୋଇ । ଉଚ୍ଚ-ନୀଚକୁ ସେ ନିଅଇ ୨୮
    ପ୍ରବୃତ୍ତିମାର୍ଗେ କରି କର୍ମ । ପ୍ରାଣୀ ଲଭନ୍ତି ପଥଶ୍ରମ ୨୯
    ନିବତ୍ତିମାର୍ଗେ ମୋକ୍ଷ ହୋଇ । ଏ ବେନିମାର୍ଗ ସେ ଭିଆଇ ୩୦
    ସାକ୍ଷୀ ସ୍ୱରୂପେ ସର୍ବଦେହୀ । ଦେଖଇ ହୃଦପଦ୍ମେ ରହି ୩୧
    କାର୍ଯ୍ୟ-କାରଣେ କର୍ତ୍ତା ହୋଇ । ପ୍ରକୃତି ଯେତେକ ଅର୍ଜଇ ୩୨
    ସୁକୃତ-ଦୁଷ୍କୃତାଦି ଯେତେ । ଜୀବ ଭୁଞ୍ଜଇ ତାହା ନିତ୍ୟେ ୩୩
    ଏମନ୍ତ ଶୁଣି ଦେବହୂତି । ସଂଶୟେ ପୁଣି ପଚାରନ୍ତି ୩୪

    ଦେବହୂତି ଉବାଚ

    କହ ହେ ପୁରୁଷ-ଉତ୍ତମ । କି ରୂପେ ବିଶ୍ୱ ସ୍ଥୂଳ ସୂକ୍ଷ୍ମ ୩୫
    କି ରୂପେ ପ୍ରକୃତି ପୁରୁଷ । ଜଗତେ ହୋଇଛି ପ୍ରକାଶ ୩୬
    ଏମନ୍ତ ଶୁଣି ଭଗବାନ । କହନ୍ତି ଅମୃତ ବଚନ ୩୭

    ଭଗବାନ ଉବାଚ

    ଯେତେ ଏ ତ୍ରିଗୁଣ-ବନ୍ଧନେ । ସତ ଅସତ ଯେ ଯେମାନେ ୩୮
    ଆତ୍ମା ଯେ ଜ୍ୟୋତିରୂପେ ଥାଇ। ଅବ୍ୟକ୍ତରୂପେ ପ୍ରକାଶଇ ୩୯
    ପ୍ରଧାନରୂପରେ ପ୍ରକୃତି । ସମସ୍ତକର୍ମେ ଅଧିପତି ୪୦
    ସମସ୍ତରୂପ ସେ ବହଇ । ମହତ ଆଦି ଯେତେ ଦେହୀ ୪୧
    ଶୁଣ ଜନନୀ ଏକଚିତ୍ତେ । ଚତୁର୍ବିଂଶତି ତତ୍ତ୍ୱ ଯେତେ ୪୨
    ପଞ୍ଚ ପଞ୍ଚ ଯେ ଚତୁର୍ଦ୍ଦଶ । ପ୍ରତ୍ୟେକେ କରିବା ପ୍ରକାଶ ୪୩
    ପୃଥିବୀ ଆପ ତେଜ ବାତ । ଆକାଶ ଆଦି ପଞ୍ଚଭୂତ ୪୪
    ଗନ୍ଧ ରୂପ ଯେ ରସ ଶବ୍ଦ । ସ୍ପର୍ଶାଦି ତନମାତ୍ର ଭେଦ ୪୫
    ଜିହ୍ୱା ନାସିକା ଚକ୍ଷୁ କର୍ଣ୍ଣ । ଚର୍ମ ପାଣି ପାଦ ବଚନ ୪୬
    ବୃଷଣ ପାୟୁ ଏ ଦଶମ । ଇନ୍ଦ୍ରିୟ ବୋଲି ଏହା ନାମ ୪୭
    ମନ ବୁଦ୍ଧି ଯେ ଅହଂ ଚିତ୍ତ । ଚତର୍ବିଂଶତି ଏହୁ ତ ୪୮
    ପଞ୍ଚବିଂଶତି କାଳ କହି । ଏ ରୂପେ ସଂଖ୍ୟାକ୍ରମ ହୋଇ ୪୯
    ପ୍ରକୃତି ଏତେରୂପ ହୋଇ । କାର୍ଯ୍ୟ-କାରଣେ ପ୍ରବର୍ତ୍ତଇ ୫୦
    କାଳସ୍ୱରୂପରେ ପୁରୁଷ । ସକଳ କରାଇ ପ୍ରକାଶ ୫୧
    ଏ ଦେହୀ ମୁଗ୍ଧ ଅହଙ୍କାରେ । ସେ କାଳେ ଡରେ ନିରନ୍ତରେ ୫୨
    ଏ ଦେହେ କର୍ତ୍ତା ସେ ହୁଅଇ । ସମସ୍ତ ଭୋଗ ସେ କରଇ ୫୩
    ପ୍ରକୃତି ଯାର ଚେଷ୍ଟା ବଳେ । ସର୍ଜି ନାଶଇ ଭୂମିତଳେ ୫୪
    କାଳ-ସ୍ୱରୂପୀ ଭଗବାନ । ଆତ୍ମା-ମାୟାରେ କରେ ଲୀନ ୫୫
    ଏ ପଞ୍ଚବିଂଶରୂପ ହୋଇ । ଅପରେ ଶୁଣ ମନ ଦେଇ ୫୬
    ପୁଣି ସେ ପରମ-ପୁରୁଷ । ପ୍ରକୃତି ମଧ୍ୟେ ତା ପ୍ରକାଶ ୫୭
    ସେ ସର୍ବଭୂତେ ପରିପୂର୍ଣ୍ଣ । ଜଳରେ ଚନ୍ଦ୍ରମା ଯେସନ ୫୮
    ପ୍ରକୃତି ତାର ତହୁଁ ଜାତ । ତା ତହୁଁ ହୋଏ ମହତ୍ତତ୍ତ୍ବ ୫୯
    ହିରଣ୍ୟମୟ ତାର ଦେହୀ । ବ୍ରହ୍ମାଣ୍ତମଧ୍ୟେ ବିରାଜଇ ୬୦
    ଏ ବିଶ୍ୱ ଆତ୍ମା ଯେ ଅଟଇ । ସୂକ୍ଷ୍ମ ସ୍ୱରୂପେ ଅଛି ରହି ୬୧
    ଆତ୍ମାରେ ପ୍ରକାଶ ସେ ହୋଇ । ଏ ଘୋରତିମିର ନାଶଇ ୬୨
    ଯେ ସ୍ଥାନେ ରାଗ ଦ୍ୱେଷ ନାହିଁ । ପର ଅପର ନ ଜାଣଇ ୬୩
    ସ‌ତ୍ତ୍ବଗୁଣରେ ପ୍ରକାଶଇ । ନିର୍ମଳ-ଜ୍ୟୋତିର୍ମୟ ଦେହୀ ୬୪
    ସେ ବିଷ୍ଣୁଭକ୍ତି ଲାଭ ସ୍ଥାନ । ବାସୁଦେବଟି ଯାର ନାମ ୬୫
    ଅଧ୍ୟାତ୍ମରୂପୀ ସେ ଚୈତନ୍ୟ । ମହତ ବୋଲି ତାର ନାମ ୬୬
    ପର ଅପରେ ବ୍ୟାପିଛଇଁ । ବିକାରଭାବ ଯାର ନାହିଁ ୬୭
    ସ୍ୱଚ୍ଛ ସୁଶାନ୍ତ ଭାବ ବହି । ଅମୃତମୟ ତାର ଦେହୀ ୬୮
    ମହତ ତହୁଁ ଜାତ ହୋଇ । ଯେ କ୍ରିୟାଶକ୍ତି ରୂପ ବହି ୬୯
    ସେ ଅହଂକାର ରୂପ ତିନି । ଜନ୍ମଇ ଶୁଣ ଗୋ ଜନନି ୭୦
    ସାତ୍ତ୍ବିକ ରାଜସ ତାମସ । ଏ ତିନି ହୁଅନ୍ତି ପ୍ରକାଶ ୭୧
    ମନ ଇନ୍ଦ୍ରିୟ ପଞ୍ଚଭୂତ । ଏ ତିନିଗୁଣେ ହୋନ୍ତି ଜାତ ୭୨
    ସହସ୍ର ଶିର ବାହୁ ହୋଇ । ସଙ୍କରଷଣ ଯାକୁ କହି ୭୩
    ଅନନ୍ତ ବୋଲି ଯାର କାୟ । ଭୂତ ଇନ୍ଦ୍ରିୟ ମନୋମୟ ୭୪
    କର୍ତ୍ତାରସ୍ବରୂପେ ଦେବେ ଜାତ । କାରଣେ ଇନ୍ଦ୍ରିୟ ସମ୍ଭୂତ ୭୫
    କାର୍ଯ୍ୟସ୍ୱରୂପେ ଭୂତଦେହୀ । ତ୍ରିଗୁଣେ ପ୍ରାଣୀ ମୋହ ହୋଇ ୭୬
    ସାତ୍ତ୍ବିକଅଂଶୁ ମନ ଜାତ । ସଙ୍କଳ୍ପ ବିକଳ୍ପରେ ସ୍ଥିତ ୭୭
    ହୃଷୀକମାନଙ୍କ ଈଶ୍ୱର । ଶ୍ୟାମସୁନ୍ଦର କଳେବର ୭୮
    ତା ଭକ୍ତି ସାଧି ଯୋଗୀ ସିଦ୍ଧ । ଯାହାର ନାମ ଅନିରୁଦ୍ଧ ୭୯
    ରଜୋଗୁଣରୁ ବୁଦ୍ଧି ଜାତ । ଦ୍ରବ୍ୟ ବିଜ୍ଞାନ ଇନ୍ଦ୍ରିଯୁତ ୮୦
    ସଂଶୟ ବିପର୍ଯ୍ୟସ ବେନି । ନିଶ୍ଚୟ ସ୍ମୃତି ନିଦ୍ରା ତିନି ୮୧
    ଏ ପାଞ୍ଚବୁଦ୍ଧିର ଲକ୍ଷଣ । ଏବେ ତୁ ଜନନି ଗୋ ଶୁଣ ୮୨
    ରାଜସ ଅହଙ୍କାରୁ ପୁଣ । ଜାତ ହୁଅନ୍ତି ଇନ୍ଦ୍ରିଗଣ ୮୩
    କ୍ରିୟା ଜ୍ଞାନରେ ଇନ୍ଦ୍ରିଗଣ । ଯେ ଯାହା ମାର୍ଗେ ପ୍ରବର୍ତ୍ତନ ୮୪
    ସେ ପ୍ରାଣ କ୍ରିୟାଶକ୍ତି ବଳେ । ଭୋଗ ଭଞ୍ଜଇ କୁତୂହଳେ ୮୫
    ବୁଦ୍ଧି ବିଜ୍ଞାନ ଶକ୍ତିବଳେ । ଧାରଣା କରେ ସୁନିଶ୍ଚଳେ ୮୬
    ତାମସ ଗୁଣେ ପଞ୍ଚମାତ୍ର । ବିଷ୍ଣୁର ଅଂଶେ ସେ ସମ୍ଭୂତ ୮୭
    ଆକାଶ ଗୁଣୁ ଶ୍ରୋତ୍ର ହୋଇ । ଶବଦ ସଂଗ୍ରହ କରଇ ୮୮
    ଶବଦ ତନ୍ମାତ୍ର ଗଗନ । ଅର୍ଥ ଆଶ୍ରୟ ଯେବା ସ୍ଥାନ ୮୯
    ଆତ୍ମା ଲିଙ୍ଗକୁ ପ୍ରକାଶଇ । ସ୍ୱଭାବେ ଅଦୃଶ୍ୟ ଅଟଇ ୯୦
    ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତର । ପ୍ରାଣ ଇନ୍ଦ୍ରିୟ ଯେ ମନର ୯୧
    ଆଶ୍ରୟ ହୋଇ ନ ଦିଶଇ । ଆକାଶଗୁଣ ଏହୁ ହୋଇ ୯୨
    ଆକାଶ ତହୁଁ ସ୍ପର୍ଶ ମାତ୍ର । କାଳର ଗତିବଳେ ଜାତ ୯୩
    ସ୍ପର୍ଶମାତ୍ରାରୁ ବାୟୁ ହୋଇ । ଚର୍ମ ତା ସଂଗ୍ରହ କରଇ ୯୪
    ମୃଦୁ କଠିନ ତ୍ୱଚ ହୋଇ । ଶୀତ ତପତି ସେ ଜଣାଇ ୯୫
    ବୃକ୍ଷ-ଶାଖାଦି ତୃଣମାନ । ବାୟୁର ବଳେ ସେ ଚଳନ ୯୬
    ଇନ୍ଦ୍ରିୟେ ସ୍ପର୍ଶ ଶବ୍ଦ ଗନ୍ଧ । ପ୍ରାଣୀଙ୍କି କରାଏ ଯେ ବୋଧ ୯୭
    ସକଳଇନ୍ଦ୍ରିମାନଙ୍କର । ଆତ୍ମା ସ୍ୱରୂପେ ତା ବିହାର ୯୮
    ପବନ ଦଇବ ପ୍ରେରିତ । ରୂପ ତନମାତ୍ର ସମ୍ଭୂତ ୯୯
    ତହୁଁ ହୋଇଲା ତେଜ ଜାତ । ସେ ତେଜୁ ଚକ୍ଷୁ ଯେ ସମ୍ଭୂତ ୧୦୦
    ଦ୍ରବ୍ୟ ଆକାର ଗୁଣଜ୍ଞାନ । ରୂପର ବୁତ୍ତି ଏ ଲକ୍ଷଣ ୧୦୧
    ପ୍ରକାଶ ପାଚନ ଶୋଷଣ । କ୍ଷୁଧା ତୃଷାର ଉତପନ୍ନ ୧୦୨
    ଭୋଜନ ପାନ ପରିପାକ । ଆବର ଶୀତ ନିବାରକ ୧୦୩
    ତେଜର ବୃତ୍ତି ଅଟେ ଏତେ । ଶୁଣ ଜନନୀ ଶୁଦ୍ଧ ଚିତ୍ତେ ୧୦୪
    ତେଜ ବିକାରେ ରସ ଜାତ । ରସରୁ ଜଳ ଯେ ସମ୍ଭୂତ ୧୦୫
    ତହୁଁ ରସନା ଇନ୍ଦ୍ରି ହୋଇ । ଯେ ସର୍ବସ୍ୱାଦକୁ ଘେନଇ ୧୦୬
    କଟୁ କଷାୟ ଯେ ଆମ୍ବିଳ । ତିକ୍ତ ଲବଣ ଯେ ମଧୁର ୧୦୭
    ଏ ରୂପେ ଭେଦଭାବ କହି । ଏକଇ ରସ ନାନା ଥାଇ ୧୦୮
    ତିନ୍ତା ଏ ମାଟି ପିଣ୍ତୁଳାଏ । ଜୀବନ ରଖେ ତୃପ୍ତି ଦିଏ ୧୦୯
    ତାପ ନିବାରେ ମୃଦୁ କରେ । ବହନ୍ତେ ପୁଣ ପୃଣ ଭରେ ୧୧୦
    ଜଳର ସାଧାରଣ ଗୁଣ । ଏବେ କହିବା ମାତ ଶୁଣ ୧୧୧
    ରସ ବିକାରୁ ଗନ୍ଧ ଜାତ । ପୃଥିବୀ ଗନ୍ଧରୁ ସମ୍ଭୂତ ୧୧୨
    ଗନ୍ଧ ଗ୍ରହଣେ ଇନ୍ଦ୍ରି ଘ୍ରାଣ । ତହୁଁ ହୋଇଲା ଉତପନ୍ନ ୧୧୩
    ଦୁର୍ଗନ୍ଧ ମିଶ୍ରଗନ୍ଧ ହୋଇ । ସୌରଭ ଶାନ୍ତ ଉଗ୍ର ଯେହି ୧୧୪
    ଏକଇ ଗନ୍ଧ ଭେଦ ଭାବ । ଦ୍ରବ୍ୟ ସଂଯୋଗେ ତା ସମ୍ଭବ ୧୧୫
    ଭୋ ମାତ ଶୁଣ ଭୂମି ଗୁଣ । ଯେ ଭୂମି ବ୍ରହ୍ମାର ଭାବନ ୧୧୬
    ବ୍ରହ୍ମପ୍ରତିମା ନିରୂପଣ । ସର୍ବ ଆଧାର ସର୍ବସ୍ଥାନ ୧୧୭
    ସକଳଭୂତ ଭେଦକରେ । ଭୂମି ଲକ୍ଷଣ ଏ ବେଭାରେ ୧୧୮
    ଆକାଶ ଗୁଣ ଯେ ବିଶେଷ । ଶବଦରୂପେ ସେ ପ୍ରକାଶ ୧୧୯
    ସେ ଯାର ବିଷୟ ଅଟଇ । ତାହାକୁ କର୍ଣ୍ଣ ଇନ୍ଦ୍ରି କହି ୧୨୦
    ପବନ ଗୁଣ ଯେ ବିଶେଷ । ସ୍ପରଶ ରୂପେ ସେ ପ୍ରକାଶ ୧୨୧
    ସେ ଯାର ବିଷୟ ଅଟଇ । ତାହାକୁ ଚମ ଇନ୍ଦ୍ରି କହି ୧୨୨
    ତେଜର ଗୁଣ ରୂପ ହୋଇ । ଚକ୍ଷୁର ବିଷୟଟି ସେହି ୧୨୩
    ଜଳର ଗୁଣ ରସ ହୋଇ । ସେ ପୁଣି ଜିହ୍ୱାରେ ବସଇ ୧୨୪
    ପୃଥିବୀ ଗୁଣ ଗନ୍ଧ ଜାଣ । ତାହାର ଇନ୍ଦ୍ରି ଅଟେ ଘ୍ରାଣ ୧୨୫
    ଏ ଭୂତଗଣ ପରେ ପରେ । ପୂର୍ବର ଗୁଣମାନ ଧରେ ୧୨୬
    ଏଣୁ ଭୂମିରେ ଶବ୍ଦ ସ୍ପର୍ଶ । ରୂପ ରସ ଗନ୍ଧ ପ୍ରକାଶ ୧୨୭
    ଏ ମାର୍ଗେ ପ୍ରାଣୀଏ ଭ୍ରମନ୍ତି । ଦଣ୍ତେ ହେଁ ସ୍ଥିର ସେ ନୁହଁନ୍ତି ୧୨୮
    ଏ ରୂପେ କାରଣ ଉତ୍ପତ୍ତି । ଏବେ ଗୋ ଶୁଣ କାର୍ଯ୍ୟୋତ୍ପତ୍ତି ୧୨୯
    ଯେ କାଳେ ପ୍ରଳୟ ହୁଅଇ । ଏ ସର୍ବରୂପ ଭଙ୍ଗ ଯାଇ ୧୩୦
    ଯା ଠାରୁ ହୁଅଇ ଉତ୍ପନ୍ନ । ତାଠାରେ ହୁଅଇ ସେ ଲୀନ ୧୩୧
    ସେକାଳେ ପ୍ରଭୁ ଭଗବାନ । ଯୋଗନିଦ୍ରାରେ ଅବଧାନ ୧୩୨
    ପୁଣି ଏ ସୃଷ୍ଟି ଆଦି କାଳେ । ସ୍ୱଭାବ କାଳ କର୍ମ ବଳେ ୧୩୩
    ସକଳେ ଉତ୍ପତ୍ତି ହୁଅନ୍ତେ । ଈଶ୍ୱର ତହିଁ ପ୍ରବେଶନ୍ତେ ୧୩୪
    ଅନ୍ୟୋନ୍ୟେ ଏକତ୍ୱ ହୁଅନ୍ତି । ତକ୍ଷଣେ ରୂପକୁ ଲଭନ୍ତି ୧୩୫
    ଜଳେ ହିରଣ୍ୟକୋଷ ପ୍ରାୟେ । ପଡି ଭାସନ୍ତି ମହାକାୟେ ୧୩୬
    କେତେହେଁ କାଳେ ତହୁଁଜାତ । ସହସ୍ର-ଶିର ସେ ଅନନ୍ତ ୧୩୭
    ଜଳେ ଶୟନ ସେ ଆନନ୍ଦେ । ବ୍ରହ୍ମା ଜନ୍ମିଲେ ନାଭିପଦ୍ମେ ୧୩୮
    ସୃଷ୍ଟିର ଅଧିପତି ସେହି । ବିଷ୍ଣୁର ଆଦିରୂପ ଯେହି ୧୩୯
    ଯେ ଅଂଶୁ ତାର ଯେବା ଜାତ । ବିରାଟରୂପ ଶୁଣ ମାତ ୧୪୦
    ବଚନୁ ଅଗ୍ନି ଜାତ ହୋଇ । ନାସାରୁ ପ୍ରାଣ ଉପୁଜଇ ୧୪୧
    ଘ୍ରାଣରୁ ବାୟୁ ଉତପନ୍ନ । ଚକ୍ଷୁରୁ ଜନ୍ମିଲା ତପନ ୧୪୨
    କର୍ଣ୍ଣରୁ ଦିଗମାନ ହୋଇ । ଇନ୍ଦ୍ରାଦି ଦଶଦେବେ ଯହିଁ ୧୪୩
    ଚର୍ମ ଉପରେ ଲୋମମାନ । ଔଷଧିଗଣ ତାକୁ ଜାଣ ୧୪୪
    ତା ରେତ ଆପ ଯେ ଅଟଇ । ଗୁହ୍ୟ ତା ମୃତ୍ୟୁଲୋକ କହି ୧୪୫
    ଭୁଜେ ତାହାର ଇନ୍ଦ୍ର ବସେ । ତା ସର୍ବଗତି ହୃଷୀକେଶେ ୧୪୬
    ନାଭି ଆଶ୍ରିତ ଶିରାକୁଳ । ଏ ସର୍ବନଦୀଙ୍କର ମୂଳ ୧୪୭
    ଉଦରେ ସମୁଦ୍ର ଅଛଇ । କ୍ଷୁଧା ପିପାସା ଅଗ୍ନି ବହି ୧୪୮
    ମନ ହୃଦରୁ ଜାତ ହୋଇ । ବିଷୟ ଭେଦ ସେ କରଇ ୧୪୯
    ମନର ପରେ ବୁଦ୍ଧିଜାତ । ସେ ବୁଦ୍ଧି ମହତୁଁ ସମ୍ଭୂତ ୧୫୦
    ଏତେ ପ୍ରକାରେ ଜାତ ହୋଇ । ବିରାଟ ତେବେ ନ ଉଠଇ ୧୫୧
    ଏ ଚତୁର୍ଦ୍ଦଶଲୋକ-ସ୍ଥିତି । ବିରାଟ ଅଙ୍ଗରେ ରହନ୍ତି ୧୫୨
    ଯେ ସ୍ଥାନୁ ଯେବା ଜାତ ହୋଇ । ସେ ଅଙ୍ଗେ ସେହୁ ବିଶ୍ରାମଇ ୧୫୩
    କ୍ଷେତ୍ରଜ୍ଞରୂପେ ଆତ୍ମା ଥାଇ । ଯେବେ ସେ ଶରୀରେ ପଶଇ ୧୫୪
    ତେବେ ସେ ଚେତନାକୁ ପାଇ । ବିରାଟ ଜଳରୁ ଉଠଇ ୧୫୫
    କାର୍ଯ୍ୟ କାରଣେ ଇନ୍ଦ୍ରିଗଣ । ଆତ୍ମାକୁ କରାନ୍ତି ଭ୍ରମଣ ୧୫୬
    ଏ ଭାବେ ଜାଣି ମୋର ପାଦ । ଯେବା ଭଜଇ ଅପ୍ରମାଦେ ୧୫୭
    ଏ ଭବଜଳକୁ ସେ ତରଇ । ଏ ମାୟା ତାକୁ ନ ଲାଗଇ ୧୫୮
    ତୃତୀୟସ୍କନ୍ଧେ ଭାଗବତ । ଅମୃତ ରସମୟ ଗୀତ ୧୫୯
    ସୁଜନଜନେ ଏଣେ ରସ । କହିଲା ଜଗନ୍ନାଥ ଦାସ ୧୬୦
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ କାପିଳେୟେ ତତ୍ତ୍ବସମାମ୍ନାୟେ ଷଡ୍ବିଂଶୋଽଧ୍ୟାୟଃ ।

    ସପ୍ତବିଂଶ ଅଧ୍ୟାୟ

    ଭଗବାନ ଉବାଚ

    ବିଷ୍ଣୁ କହନ୍ତି ତୋଷମନେ । ମନୁ ତନୟା ସନ୍ନିଧାନେ । ।୧
    ଶୁଣି ଜନନୀ ଏକମନ । ଯେ ହରି ଅଜ-ନିରଞ୍ଜନ । ।୨
    ନିର୍ଗୁଣ ନିର୍ବିକାରମୟେ । ବସଇ ଆତ୍ମାରୂପେ ଦେହେ । ।୩
    ପ୍ରକୃତିଗୁଣେ ନୋହେ ସଙ୍ଗ । ଜଳ ଯେସନେ ଅର୍କବିମ୍ବ । ।୪
    ସେ ଦେହଧର୍ମେ ବଦ୍ଧ ହୋଇ । ଆତ୍ମାଙ୍କୁ ଅହଙ୍କାର ବହି । ।୫
    ଆତ୍ମାର ଦୁଃଖ ସୁଖ ମଣେ । କର୍ମକରତା ମୁଁ ପ୍ରମାଣେ । ।୬
    ଆତ୍ମାର ବନ୍ଧ କର୍ମ ପାକେ । ନିତ୍ୟେ ଭ୍ରମଇ ଦୁଃଖ ସୁଖେ । ।୭
    ଦେହକୁ କରେ ଅଭିମାନ । ଏଣୁ ହରଇ ନିଜ ଜ୍ଞାନ । ।୮
    ନିରତେ ଅହଙ୍କାର ଘେନି । ଏମନ୍ତେ ଭ୍ରମେ ନାନା ଯୋନି । ।୯
    ଯେସନେ ଜଳେ ପ୍ରାଣୀ ପଶେ । ପୁଣି ଉଠନ୍ତେ ଶିର ଦିଶେ । ।୧୦
    ଜନ୍ମ ମରଣ ଏହି ମତ । ଅର୍ଜିଲା କର୍ମର ଆୟତ୍ତ । ।୧୧
    ଆତ୍ମାର କର୍ମଫଳ ଘେନି । ଜୀବ ଭ୍ରମଇ ନାନା ଯୋନି । ।୧୨
    ଅଜ୍ଞାନେ ଏ ଘୋର ସଂସାରେ । ଜୀବ ଭ୍ରମଇ ଅହଂକାରେ । ।୧୩
    ଦୁଃଖ ଲଭଇ ବାରେବାରେ । ଆତ୍ମାର ଗତି ନବିଚାରେ । ।୧୪
    ସ୍ୱପ୍ନେ ଅନର୍ଥ ଯେତେ ଦେଖି । ନାନା ପ୍ରପେଞ୍ଚେ ଉପଲକ୍ଷି । ।୧୫
    ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷ । ଯେହ୍ନେ ଜାଗରେ ହୋଏ ମିଛ । ।୧୬
    ଏ ରୂପେ ଜୀବର ସଞ୍ଚାର । ଏମନ୍ତ ମାୟା ଏ ସଂସାର । ।୧୭
    ଏ ଜୀବ ମୋହିତ ଅଜ୍ଞାନେ । ଏ ରୂପେ ପଡ଼ଇ ବନ୍ଧନେ । ।୧୮
    ଏଣୁ ସଂଯମଚିତ୍ତ କରି । ବିଷୟ-ବିଷରୁ ଉଦ୍ଧରି । ।୧୯
    ଭକ୍ତି-ବିରକ୍ତି ଯୋଗବଳେ । ମନକୁ ବଶ କରି ହେଳେ । ।୨୦
    ନିୟମେ ମାପି ସୁନିଶ୍ଚଳେ । ଛାଡ଼ି ଇନ୍ଦ୍ରିୟ ସଙ୍ଗ ମେଳେ । ।୨୧
    ବିଷ୍ଣୁ-ବିଷୟେ ମନ ଧରି । ସାଧିବ ଶରୀର ପାଶୋରି । ।୨୨
    ଯତ୍ନେ ସାଧିବ ଯୋଗ ତପ । ସତ୍ୟ-ଶଉଚ-ଶ୍ରଦ୍ଧା କଳ୍ପ । ।୨୩
    ମୋହର ଗୁଣ କର୍ମ ଯଶ । ଶ୍ରବଣ କୀର୍ତ୍ତନେ ହରଷ । ।୨୪
    ସକଳଜୀବେ ନିଜ ପ୍ରାୟେ । ସମେ ଦେଖିବ ବିଷ୍ଣୁମୟେ । ।୨୫
    ପ୍ରାଣୀଙ୍କ ହିତେ ଥିବ ନିତ୍ୟେ । ଚଞ୍ଚଳ-ଇନ୍ଦ୍ରିୟ ସଂଯତେ । । ୨୬
    ଈଶ୍ୱରେ ସ୍ଥାପି କର୍ମଫଳ । ସ୍ୱଧର୍ମ ସାଧିବ ନିଶ୍ଚଳ । ।୨୭
    ପ୍ରଥମ-ଆଶ୍ରମର ମତେ । ସ୍ୱଧର୍ମ ମୌନ ସତ୍ୟଯୁତେ । ।୨୮
    କରି ଛାଡ଼ିବ ଗୃହ ସ୍ନେହ । ଯେ ଅହଙ୍କାର ମାୟାମୋହ । ।୨୯
    ଆହାରେ ଭଲ ମନ୍ଦ ନାହିଁ । ଯେବା ମିଳିବ ଯାହା ଯହିଁ । ।୩୦
    ଅଳ୍ପ ଭୋଜନେ ମତ ତୋଷି । ଏକାନ୍ତ ଜ୍ଞାନେ ନିତ୍ୟେ ବସି । ।୩୧
    କରୁଣ ଶାନ୍ତ ଶିଷ୍ଟ ଗୁଣ । ସକଳ ଭୂତେ ମିତ୍ରପଣ । ।୩୨
    ସୁହୃଦ ସୁତ ଗୃହ ନାରୀ । ଏ ଦେହେ ମମତା ନକରି । ।୩୩
    ପ୍ରକୃତି ପୁରୁଷ ବିଚାର । ଜ୍ଞାନର ତ‌ତ୍ତ୍ବ ଅବଧାର । ।୩୪
    ତେଣେ ନିବୃତ୍ତ ବୁଦ୍ଧିଭାବ । ଜାଗ୍ରତ ସ୍ୱପ୍ନ ଆଦିଭାବ । ।୩୫
    ସମସ୍ତ ହୁଅଇ ନିବୃତ୍ତ । ବିଷୟ-ଚିନ୍ତା ଦୂରୀଭୂତ । ।୩୬
    ଅନ୍ୟ ଦର୍ଶନ ତାର ନାହିଁ । ଆତ୍ମାରେ ଆତ୍ମାକୁ ଦେଖଇ । ।୩୭
    ଚକ୍ଷୁର ଅର୍କେ ଅର୍କ ପ୍ରାୟେ । ଦେଖଇ ସର୍ବ ବ୍ରହ୍ମମୟେ । ।୩୮
    ସେ ବ୍ରହ୍ମ ନିତ୍ୟ ଲିଙ୍ଗମୁକ୍ତ । ଆଭାସେ ଅହଙ୍କାରେ ସ୍ଥିତ । ।୩୯
    ଏଣୁ ଯେ ଅହଙ୍କାରୀ ଜୀବ । କି ରୂପେ ବ୍ରହ୍ମଙ୍କୁ ଦେଖିବ । ।୪୦
    ଭୋ ମାତ ସଂଶୟ ନକର । ପ୍ରମାଣ କହିବା ତାହାର । ।୪୧
    ଯେସନେ ରବିବିମ୍ବ ଜଳେ । ଆଭାସୁ ପୁଣି ଲକ୍ଷି ସ୍ଥଳେ । ।୪୨
    ପୁଣି ସେ ଜଳବିମ୍ବ-ବଳେ । ଆକାଶ-ରବି ଦେଖି ଡୋଳେ । ।୪୩
    ତେସନେ ଦେହେନ୍ଦ୍ରିୟ ମନେ । ଏ ଜୀବ ଥାଇଣ ପ୍ରଚ୍ଛନ୍ନେ । ।୪୪
    ଏ ଯେ ତ୍ରିଗୁଣ ଅହଙ୍କାର । ଆଭାସ ଯହିଁରେ ବ୍ରହ୍ମର । ।୪୫
    ତହୁଁ ବ୍ରହ୍ମଙ୍କୁ ଉପଲକ୍ଷି । ପୁଣି ପତ୍ୟେକ୍ଷେ ତାକୁ ଦେଖି । ।୪୬
    ଆତ୍ମା ଅଟଇ ଶୁଦ୍ଧଜ୍ଞାନ । ଅନୁଭବରେ ତା ପ୍ରମାଣ । ।୪୭
    ସୁଷୁପ୍ତି ଅବସ୍ଥାରେ ଯେବେ । ଭୂତାଦି ରହେ ଲୀନ ଭାବେ । ।୪୮
    ନିଦ୍ରାରେ ଅହଙ୍କାର ଶୂନ୍ୟ । ଆତ୍ମା ସ୍ୱରୂପେ ବର୍ତ୍ତମାନ । ।୪୯
    ଦ୍ରଷ୍ଟାସ୍ୱରୂପେ ଥାଇ ଦେହେ । ନିଜକୁ ମଣେ ନଷ୍ଟ ପ୍ରାୟେ । ।୫୦
    ଉପାଧି ନାଶ ହେବା ଜାଣି । ଆପଣା ନାଶ ପରିମାଣି । ।୫୧
    ଧନବିନାଶେ ଲୋକ ଯେହ୍ନେ । ଆପଣ ନାଶ ପ୍ରାୟ ମଣେ । ।୫୨
    ସୁଷୁପ୍ତି ଅବସ୍ଥାରେ ପୁଣ । ବିଷୟ ମାତ୍ର ନୁହେଁ ଜ୍ଞାନ । ।୫୩
    ଏ ରୂପେ ସଂଶୟ ନକର । ଭୋ ମାତ ମନରେ ବିଚାର । ।୫୪
    ସୁଷୁପ୍ତି ଭଙ୍ଗରେ ପୁରୁଷ । ଏ ରୂପ କରଇ ପ୍ରକାଶ । ।୫୫
    ମୁଁ ଆଜି ସୁଖେ ନିଦ୍ରା ଗଲି । କିଛି ମାତ୍ର ହିଁ ନଜାଣିଲି । ।୫୬
    ଯେଣୁ ଏ ରୂପେ ମନେ ଥାଇ । ଆତ୍ମ ନଥିଲେ ଜ୍ଞାନ କାହିଁ । ।୫୭
    ପ୍ରକାଶେ ଯେ କାର୍ଯ୍ୟକାରଣ । ସେ ଦ୍ରଷ୍ଟାରୂପେ ବର୍ତ୍ତମାନ । ।୫୮

    ଦେବହୂତି ଉବାଚ

    ହେ ପ୍ରଭୁ ପୁରୁଷ ପ୍ରକୃତି । କେହି କାହାକୁ ନଛାଡ଼ନ୍ତି । ।୫୯
    ଅନ୍ୟୋନ୍ୟ ଆଶ୍ରୟ ସେ ନିତ୍ୟ । କେବେହେଁ ନୁହଁନ୍ତି ସେ ଚ୍ୟୁତ । ।୬୦
    ଯେମନ୍ତେ ଭୂମି ଗନ୍ଧ ଦୁଇ । କେହି କାହାକୁ ନଛାଡ଼ଇ । ।୬୧
    ଅଥବା ଦେଖ ଜଳ ରସ । ଏକ ଅଭାବେ ଏକ ନାଶ । ।୬୨
    ସେ ରୂପେ ପ୍ରକୃତି ପୁରୁଷେ । ବିୟୋଗ କି ରୂପେ ପ୍ରକାଶେ । ।୬୩
    ଅକର୍ତ୍ତା ପୁରୁଷ ବିଚାର । ତ୍ରିଗୁଣେ ପ୍ରକୃତି ସଞ୍ଚାର । ।୬୪
    ଏ କର୍ମବନ୍ଧ ଯେଣୁ ତାର । କେମନ୍ତେ ମୋକ୍ଷ ଏହାଙ୍କର । ।୬୫
    କେହି ବିବେକ ଜ୍ଞାନ ତତ୍ତ୍ବେ । ସଂସାର ଯେବେ ବା ନିବର୍ତ୍ତେ । ।୬୬
    ହେତୁ ତାହାର ଯେଣୁ ଥାଇ । କି ରୂପେ ମୋକ୍ଷ ବା ଘଟଇ । ।୬୭
    ଏମନ୍ତ ଦେଖଇ ବହୁତ । ତୁ ମୋତେ କହ ଯଥା ତତ୍ତ୍ବ । ।୬୮

    ଭଗବାନ ଉବାଚ

    ଶୁଣ ଜନନି ଦେଇ ଚିତ୍ତ । ଯେବା ଜୀବର ବନ୍ଧ-ମୁକ୍ତ । ।୬୯
    ନିଷ୍କାମେ ସ୍ୱଧର୍ମରେ ଥାଇ । ମନ ନିର୍ମଳେ ମୋତେ ଧ୍ୟାଇ । ।୭୦
    ମୋହର ଦୃଢ଼ଭକ୍ତି ଯୋଗ । ସେ ତତ୍ତ୍ବଜ୍ଞାନ ସୁବୈରାଗ୍ୟ । ।୭୧
    ଶ୍ରୀକୃଷ୍ଣ ଶ୍ରବଣ-କୀର୍ତ୍ତନେ । ଭକ୍ତିରେ ସାଧିବ ଯତନେ । ।୭୨
    ତତ୍ତ୍ବ ଦର୍ଶନ ଜ୍ଞାନବଳେ । ଦୃଢ଼ବୈରାଗ୍ୟ ତପବଳେ । ।୭୩
    ଆତ୍ମାର ପ୍ରାପ୍ତି ଉପାୟରେ । ଚିତ୍ତ ଏକାଗ୍ର ସମାଧିରେ । ।୭୪
    ଏ ସର୍ବ ପ୍ରକାର ସାଧନ । ଖଣ୍ତଇ ଜୀବର ବନ୍ଧନ । ।୭୫
    ପ୍ରକୃତି ପରାଭବ ପାଇ । ବିରହଭାବ ସେ ଲଭଇ । ।୭୬
    ଯେସନେ ଅରଣୀରୁ ଅଗ୍ନି । ଜନମି ଦହଇ ଅରଣୀ । ।୭୭
    ପ୍ରକୃତି ଭୋଗ ଶେଷ ହେଲେ । ତାହାର ଦୋଷ ଦିଶେ ଭଲେ । ।୭୮
    କାଟିଣ ସବୁ ବନ୍ଧ ପାଶ । ଆନନ୍ଦେ ବିହରେ ପୁରୁଷ । ।୭୯
    ଯେସନେ ସ୍ୱପନେ ଅନର୍ଥ । ଜାଗିଲେ ହୁଅଇ ଅସତ୍ୟ । ।୮୦
    ତେସନେ ସଂସାର ଦିଶଇ । ମୋ ମାୟା ତାକୁ ନଲାଗଇ । ।୮୧
    ବହୁତ ଜନ୍ମ ଭାଗ୍ୟବଳେ । ଅଧ୍ୟାତ୍ମଜ୍ଞାନ ହୁଏ କାଳେ । ।୮୨
    ଏ ରୂପେ ଆତ୍ମାରାମମୁନି । ବ୍ରହ୍ମଲୋକକୁ ତୁଚ୍ଛ ମଣି । ।୮୩
    ମୋ ଭକ୍ତ ହୋଇ ମୋ ପ୍ରସାଦେ । ଆତ୍ମାକୁ ଜାଣେ ଅପ୍ରମାଦେ । ।୮୪
    କୈବଲ୍ୟଧାମ ମୋ ଆଶ୍ରୟ । ଲଭେ ମୁକତି ଆଦି ଶ୍ରେୟ । ।୮୫
    ଲିଙ୍ଗ-ଶରୀର ନାଶ ଯାଇ । ଆଉ ଲେଉଟି ନ ଆସଇ । ।୮୬
    ଯାହାର ଚିତ୍ତ ଯୋଗୁ ଆନ । ମାୟାରେ ନୁହଇ ବିଭ୍ରମ । ।୮୭
    ସେ ଆତ୍ୟନ୍ତିକୀ ଗତି ପାଇ । ଯହିଁରେ ମୃତ୍ୟୁଭୟ ନାହିଁ । ।୮୮
    ମୈତ୍ରେୟ ବିଦୁର ଅଗ୍ରତେ । ବହୁ ସାଧନ ଯୋଗମତେ । ।୮୯
    କହିଲେ କପିଳଙ୍କ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ । ।୯୦
    ସଂସାରଜନ ହିତ ଅର୍ଥେ । ତୃତୀୟସ୍କନ୍ଧେ ଭାଗବତେ । ।୯୧
    ସୁଜନେ ଚିନ୍ତ ମନେ ଏହା । ଯେବେ ଖଣ୍ତିବ ଭବମାୟା । ।୯୨
    ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ । ।୯୩
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    କାପିଳାୟ ଉପାଖ୍ୟାନେ ସପ୍ତବିଂଶୋଽଧ୍ୟାୟଃ

    ଅଷ୍ଟବିଂଶ ଅଧ୍ୟାୟ

    ଭଗବାନ ଉବାଚ

    ଶୁଣ ନୃପତିସୁତା ତୁମ୍ଭେ । ଯୋଗଲକ୍ଷଣ କହୁ ଆମ୍ଭେ । ।୧
    ମନ ପ୍ରସନ୍ନ ଯେଣେ ହୋଇ । ସତ୍ପଥେ ସର୍ବଦା ଗମଇ । ।୨
    ଏଣୁ ଏ ଗ୍ରାମ୍ୟଧର୍ମ ଛାଡ଼ି । ନିବୃତ୍ତିମାର୍ଗେ ଚିତ୍ତ ବଢ଼ି । ।୩
    ନିଶ୍ଚଳ ସ୍ଥାନେ ଅବସ୍ଥାନ । କରିବ ପବିତ୍ର ଭୋଜନ । ।୪
    ଅହିଂସା ସତ୍ୟମାର୍ଗେ ଭଜି । ଅଧିକ ପ୍ରତିଗ୍ରହ ତେଜି । ।୫
    ଯେ ବ୍ରହ୍ମଚର୍ଯ୍ୟ ଆଚରଣ । ତପ ଶଉଚ ଅଧ୍ୟୟନ । ।୬
    ପରମ-ପୁରୁଷ ଅର୍ଚ୍ଚନ । ତା ପାଦେ ଦେଇ ବାକ୍ୟମନ । ।୭
    ନିଶ୍ଚଳେ ଆସନେ ବସିବ । ମଉନ ବ୍ରତ ଆଚରିବ । ।୮
    ମନକୁ ନିର୍ବିକ୍ଷୟ କରି । ଇନ୍ଦ୍ରିୟ ସମୂହ ନିବାରି । ।୯
    ଆହାର ଜିଣି ପ୍ରତ୍ୟାହାରେ । ପ୍ରାଣକୁ ସ୍ଥାପିବ ନିଶ୍ଚଳେ । ।୧୦
    ଆତ୍ମାରେ ଆତ୍ମାକୁ ଚିନ୍ତିବ । ବୈକୁଣ୍ଠଲୀଳାକୁ ଭାବିବ । ।୧୧
    ବୁଦ୍ଧିର ବଳେ କର୍ମସାଧି । ନିଶ୍ଚଳ ଯୋଗରେ ସମାଧି । ।୧୨
    ଏ ବିନୁ ଅନ୍ୟ ମାର୍ଗ ନାହିଁ । ଶୁଣ ଗୋ ମାତ ମନ ଦେଇ । ।୧୩
    ବିଶୁଦ୍ଧ ଦେଶରେ ଆସନ । କୁଶ କମ୍ବଳ କୃଷ୍ଣାଜିନ । ।୧୪
    ସ୍ୱସ୍ତିକ ଆସନେ ବସିବ । ଆନନ୍ଦେ ଯୋଗ ଅଭ୍ୟାସିବ । ।୧୫
    ଯେ ପ୍ରାଣମାର୍ଗ ବିଶୋଧକ । ପୂରକ କୁମ୍ଭକ ରେଚକ । ।୧୬
    ଏ ମାର୍ଗେ ପ୍ରାଣକୁ ଶୋଧିବ । ନିଶ୍ଚଳ ଚିତ୍ତରେ ଚିନ୍ତିବ । ।୧୭
    ଯେମନ୍ତେ ବାୟୁ ଅଗ୍ନି ଲାଗି । ଲୋହ ଦଗଧେ ମଳତ୍ୟାଗି । ।୧୮
    ସେ ରୂପେ ପ୍ରାଣାୟମ କଲେ । ଆତ୍ମା ନିର୍ମଳ ହୁଏ ଭଲେ । ।୧୯
    ସମସ୍ତ ଦୋଷ ଏଣେ ହରେ । ଯେବ ପାତକ ପୂର୍ବାପରେ । ।୨୦
    ପ୍ରତ୍ୟାହାରର ବଳେ ମନ । ଧ୍ୟାନରେ ଜିଣଇ ତ୍ରିଗୁଣ । ।୨୧
    ମନ ନିର୍ମଳ ଯେତେବେଳେ । ଯୋଗକୁ ସାଧିବ ନିଶ୍ଚଳେ । ।୨୨
    କଳା କାଷ୍ଠା ବା ଦଣ୍ତ କ୍ଷଣେ । ନାସିକା ଅଗ୍ର ଦରଶନେ । ।୨
    ଧ୍ୟାନେ ଚିନ୍ତିବ ଭଗବାନ । ଅନାଦି-ପରମ-କାରଣ । ।୨୪
    ଶ୍ୟାମସୁନ୍ଦର କଳେବର । ବଚନ ଅମୃତ ମଧୁର । ।୨୫
    ସୁନ୍ଦର ପ୍ରସନ୍ନ ବଦନ । ପଦ୍ମର ପ୍ରାୟେ ଯା ନୟନ । ।୨୬
    ପଙ୍କଜ କିଞ୍ଜଳ୍କର ପ୍ରାୟେ । ପୀତବସନ କଟୀ ଶୋହେ । ।୨୭
    ଯେ ଶଙ୍ଖଚକ୍ର ଗଦାଧର । ପଦ୍ମ ବିରାଜେ ଭୁଜେ ତାର । ।୨୮
    ଶ୍ରୀବତ୍ସ› ଚିହ୍ନ ବକ୍ଷସ୍ଥଳେ । କିବା ଉପମା ଦେବା ଭଲେ । ।୨୯
    ମୁକୁତା ଚାପସରି ଶୋହେ । କଣ୍ଠେ କୌସ୍ତୁଭମଣି ମୋହେ । ।୩୦
    ଲମ୍ବିତ ତାର ପୃଷ୍ଠଦେଶେ । ପାଟଝୁମ୍ପାଏ ସେ ପ୍ରକାଶେ । ।୩୧
    ଅମଳ ବନମାଳା ଗଳେ । ମତ୍ତ ଭ୍ରମର ମଧୁ ଭୋଳେ । ।୩୨
    ମଧୁର ଧ୍ୱନି ସେ କରନ୍ତି । ଆନନ୍ଦେ ଉଡ଼ି ପନ୍ତି ପନ୍ତି । ।୩୩
    କିରୀଟ ଅଙ୍ଗଦ ବିରାଜେ । ଅମୂଲ୍ୟ ହାର ହୃଦେ ସାଜେ । ।୩୪
    ରତ୍ନ ନୂପୁର ପାଦେ ଶୋହି । କିବା ଉପମା ଦେବା ତହିଁ । ।୩୫
    କଟିରେ କାଞ୍ଚିଗୁଣ ସାଜେ । ଭକ୍ତଙ୍କ ମନରେ ବିରାଜେ । ।୩୬
    ତାହାଙ୍କ କର୍ଣ୍ଣରେ କୁଣ୍ତଳ । ଶୋଭିତ କରେ ଗଣ୍ତସ୍ଥଳ । ।୩୭
    ଏମନ୍ତ ରୂପ ଭକ୍ତଜନେ । ହୃଦେ ଚିନ୍ତନ୍ତି ଅନୁକ୍ଷଣେ । ।୩୮
    ଆନନ୍ଦେ ଦର୍ଶନ କରନ୍ତି । ନିର୍ମଳ ନୟନେ ଦେଖନ୍ତି । ।୩୯
    କିଶୋର ତରୁଣ ବୟସ । ଅତି ସୁନ୍ଦର ସୁପ୍ରକାଶ । ।୪୦
    ସର୍ବଲୋକଙ୍କ ନମସ୍କୃତ । ଅବ୍ୟୟ ସୁଶାନ୍ତ ମହତ । ।୪୧
    ଭକ୍ତାନୁଗ୍ରହୀ ସେ ଅଟନ୍ତି । ଭକ୍ତର କଷ୍ଟ ନ ସହନ୍ତି । ।୪୨
    କୀର୍ତ୍ତନ-ଯୋଗ୍ୟ ଯଶ ଯାର । ତୀର୍ଥ ସମାନ ପାପହର । ।୪୩
    ଯାହାରକୀର୍ତ୍ତି ପୁଣ୍ୟଶ୍ଳୋକେ । ଗାୟନ କରୁଥାନ୍ତି ମୁଖେ । ।୪୪
    ଏରୂପେ ତା ଅଙ୍ଗ ସମଗ୍ରେ । ମନରେ ଚିନ୍ତିବେ ଏକାଗ୍ରେ । ।୪୫
    ଆସନେ ବସି ଏକାନ୍ତରେ । ଗମନ ଶୟନ ଗୁହାରେ । ।୪୬
    ଅଙ୍ଗକୁ ଅଙ୍ଗପ୍ରତି ଧ୍ୟାନ । ଚିନ୍ତିବ ବିଷ୍ଣୁର ଚରଣ । ।୪୭
    ଧ୍ୱଜ ଅଙ୍କୁଶ ବଜ୍ର ଚିହ୍ନ । ପଦ୍ମ ସହିତେ ଯେ ଲା‚ଞ୍ଛନ । ।୪୮
    ତୁଙ୍ଗ ସୁରଙ୍ଗ ପାଦ ଦୁଇ । ନଖ ଚନ୍ଦ୍ରିକା ବିରାଜଇ । ।୪୯
    ଖଣ୍ତଇ ହୃଦ ଅନ୍ଧକାର । ଧ୍ୟାନେ ଭଜିବ ନିରନ୍ତର । ।୫୦
    ଯା ପାଦୋଦକ ଗଙ୍ଗାନୀର । ଶିରରେ ରହିଛନ୍ତି ହର । ।୫୧
    ସେ ନୀରେ ବ୍ରହ୍ମାଣ୍ତ ମଧ୍ୟରେ । ସ୍ନାନେ ତରନ୍ତି ସୁରନରେ । ।୫୨
    ପାପ-ଶଇଳ ବଜ୍ରପ୍ରାୟେ । ଯା ପାଦ ନାଶଇ ନିର୍ଭୟେ । ।୫୩
    ସେ ପାଦପଦ୍ମେ ଧ୍ୟାନ କରି । ନିତ୍ୟେ ବାନ୍ଧିବ ଚିତ୍ତେ ଧରି । ।୫୪
    ସେ ପାଦପଦ୍ମର ମହିମା । କେ କହିପାରେ ଗୁଣସୀମା । ।୫୫
    ଯେ ପାଦଯୁଗ ମନୋହର । ଲକ୍ଷ୍ମୀ ସେବଇ ନିରନ୍ତର । ।୫୬
    ସୁନ୍ଦର ଜାନୁଲମ୍ବମାନ । ଗରୁଡ଼ସ୍କନ୍ଧରେ ଶୋଭନ । ।୫୭
    ଅତସୀ କୁସୁମର ପ୍ରାୟେ । ଅଙ୍ଗ ତାହାର ଶୋଭାପାଏ । ।୫୮
    ତଡ଼ିତ ଜିଣି ପୀତମ୍ବର । କାଞ୍ଚି ନିତମ୍ବେ ମନୋହର । ।୫୯
    ଏ ବିଶ୍ୱ ଯାହାର ଉଦର । ସପ୍ତସମୁଦ୍ର ଦ୍ୱୀପବର । ।୬୦
    ଯା ନାଭିପଦ୍ମୁ ବ୍ରହ୍ମଜାତ । ଅଖିଳ-ବ୍ରହ୍ମାଣ୍ତର ନାଥ । ।୬୧
    ଏମନ୍ତ ଭାବେ ଏହା ଚିନ୍ତି । ଅପରେ ହୃଦୟ ଆକୃତି । ।୬୨
    ମର୍କତମଣି ପ୍ରାୟେ ଶୋଭା । ସ୍ତନଯୁଗଳ ଦିବ୍ୟପ୍ରଭା । ।୬୩
    ତା ମଧ୍ୟେ ବିଶଦ ଯେ ହାର । ଅତ୍ୟନ୍ତ ଶୋଭା ସେ ହୃଦର । ।୬୪
    ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ । କୌସ୍ତୁଭମଣି ଶୋଭେ ଗଳେ । ।୬୫
    ଅଖିଳଲୋକ ନମସ୍କୃତ । ରୂପ ଚିନ୍ତିବ ଜଗନ୍ନାଥ । ।୬୬
    ମନ୍ଦରଗିରି ଶୃଙ୍ଖ ପ୍ରାୟେ । ତା ଭୁଜଦଣ୍ତ ଶୋଭାପାଏ । ।୬୭
    ଯେ ଚକ୍ର ଧରିଛନ୍ତି କର । ଅତି ଅସହ୍ୟ ତେଜ ତାର । ।୬୮
    ତା କରପଦ୍ମେ ଶଙ୍ଖ ପ୍ରଭା । ରାଜହଂସର ପ୍ରାୟେ ଶୋଭା । ।୬୯
    ଦାନବ ରୁଧିରେଣ ଯୁକ୍ତ । ଗଦାଏ ଅଛି ତାର ହସ୍ତ । ।୭୦
    ମାଳାରେ ତାକଣ୍ଠ ଶୋଭିତ । ଭ୍ରମର ଗୁଞ୍ଜନେ ଶବ୍ଦିତ । ।୭୧
    ତା ମଧ୍ୟ୍ୟେ କୌସ୍ତୁଭ ଖଚିତ । ଯାହା ଅଟଇ ଜୀବତ‌ତ୍ତ୍ବ । ।୭୨
    ଭୃତ୍ୟାନୁଗ୍ରହେ ତା ଶ୍ରୀମୁଖ । ସୁସ୍ମିତ ସୁରଙ୍ଗ ସୁରେଖ । ।୭୩
    ସୁନ୍ଦର ବଦନାରବିନ୍ଦ । ପରେ ଚିନ୍ତିବେ ଯୋଗୀବୃନ୍ଦ । ।୭୪
    ଶ୍ରବଣେ ମକର କୁଣ୍ତଳ । ଚଳନ୍ତେ ଶୋହେ ଗଣ୍ତସ୍ଥଳ । ।୭୫
    ତୁଙ୍ଗନାସିକା ଦିବ୍ୟଶୋଭା । କୁଟିଳ ଅଳକ ସୁପ୍ରଭା । ।୭୬
    ଲୋଚନଯୁଗ ପଦ୍ମପ୍ରାୟେ । ତହିଁରେ ଭୃଙ୍ଗ କିବା ଶୋହେ । । ୭୭
    ଏମନ୍ତ ରୂପ ଯେବା ଧ୍ୟାନ । ଆନନ୍ଦେ କରେ ଅନୁକ୍ଷଣ । ।୭୮
    ତାହାକୁ ପ୍ରଭୁ କୃପା କରେ । ଏ ଘୋର ତାପତ୍ରୟ ହରେ । ।୭୯
    ଏଣୁ ଏ ରୂପ ଗୁଣ ଧ୍ୟାନେ । ନିତ୍ୟେ ଚିନ୍ତିବ ଦୃଢ଼ମନେ । ।୮୦
    ଅଖିଳଲୋକ ତାପ ହରେ । ଯେ ମନ୍ଦହାସ ଶ୍ରୀମୁଖରେ । ।୮୧
    ମକରଧ୍ୱଜ-ଚାପ ପ୍ରାୟେ । ଭ୍ରୁଜଙ୍ଗଯୁଗ ତାର ଶୋହେ । ।୮୨
    କଟାକ୍ଷ ଶରପନ୍ତି ହୋଇ । ମୁନିଜନଙ୍କ ମନ ମୋହି । ।୮୩
    ଏଣେ ମୋହିତ ମୁନିଜନେ । ଧ୍ୟାନ କରନ୍ତି ଅନୁକ୍ଷଣେ । ।୮୪
    ତା ଉଚ୍ଚହାସ୍ୟ ଧ୍ୟାନ କର । ଅରୁଣବର୍ଣ୍ଣ ଓଷ୍ଠାଧାର । ।୮୫
    କୁନ୍ଦ-କୋରକ ପ୍ରାୟେ ହୋଇ । ତା ଦନ୍ତପଙ୍‌କ୍ତି ବିରାଜଇ । ।୮୬
    ପ୍ରେମାନୁବନ୍ଧେ ଏହା ଚିନ୍ତି । ସେ ଅନ୍ୟ କିଛି ନବାଛନ୍ତି । ।୮୭
    ଏ ରୂପ ଧ୍ୟାନଯୋଗ ଭାବେ । ଭକ୍ତ ହୃଦୟ ଯହୁଁ ଦ୍ରବେ । ।୮୮
    ଉତ୍କଣ୍ଠା ଅଶ୍ରୁ ପୁନଃ ପୁନଃ । ପୁଲକ ହୋଏ ତନୁଲୋମ । ।୮୯
    ଆନନ୍ଦସାଗରେ ବୁଡ଼ଇ । ଆଉ ବା ଧ୍ୟାନ ତାର କାହିଁ । ।୯୦
    ଏ ରୂପେ ନିର୍ବିଷୟ ହୋଇ । ନିଷ୍କାମମାର୍ଗେ ଯୋଗଧ୍ୟାୟି । ।୯୧
    ପରମାନନ୍ଦ ରୂପ ଚିନ୍ତି । ବ୍ରହ୍ମ ନିର୍ବାଣ ସେ ଲଭନ୍ତି । ।୯୨
    ଜ୍ୟୋତିସ୍ୱରୂପେ ଆତ୍ମା ଏକ । ସର୍ବତ୍ର ଦେଖଇ ପ୍ରତ୍ୟକ୍ଷ । ।୯୩
    ଗୁଣ ପ୍ରବାହକୁ ନାଶଇ । ଅଗମ୍ୟ ଦିବ୍ୟସ୍ଥାନ ପାଇ । ।୯୪
    ଏ ରୂପେ ଭକ୍ତିଯୋଗ ସାଧି । ତରଇ ସଂସାର ଜଳଧି । ।୯୫
    ନ ଜାଣେ ସୁଖ ଦୁଃଖ ଭାବ । ଜନ୍ମ ମୃତ୍ୟୁର ପରାଭବ । । ୯୬
    ମଦିରାପାନେ ଭୋଳ ହୋଇ । ଯେମନ୍ତ ବିବଶ ହୁଅଇ । ।୯୭
    ବସନ କଟିତଟେ ଅଛି । ଅଥବା ଭୂତଳେ ପଡ଼ିଛି । ।୯୮
    ଅଜ୍ଞାନେ କିଛି ନ ଜାଣନ୍ତି । ସେ ରୂପେ ଯୋଗୀ ଦେହବୃତ୍ତି । ।୯୯
    ଏ ଦେହ କର୍ମବଶ ହୋଇ । ସର୍ବ ସଂକଳ୍ପ କରୁଥାଇ । ।୧୦୦
    ଯାବତ ଯୋଗସିଦ୍ଧି ନୋହି । ତାବତ ବିଷୟେ ଭ୍ରମଇ । ।୧୦୧
    ପୁତ୍ର କଳତ୍ର ଗୃହ ଧନ । ସ୍ନେହେ ବନ୍ଧନ ପ୍ରାଣୀ ମନ । ।୧୦୨
    ସ୍ୱପ୍ନର ପ୍ରାୟ ତାହା ମଣି । ପୁରୁଷ ନ ମଜ୍ଜଇ ପୁଣି । ।୧୦୩
    ଅତି ସ୍ନେହରେ ପୁତ୍ର ବିତ୍ତ । ଆତ୍ମ ସ୍ୱରୂପେ ହିଁ କଳ୍ପିତ । ।୧୦୪
    ସ୍ୱଭାବେ ବିଭିନ୍ନ ଅଟଇ । ସେ ରୂପେ ଦେହେ ଆତ୍ମା ହୋଇ । ।୧୦୫
    ଯେମନ୍ତେ ଅଗ୍ନି ଧୂମ ବଳେ । କେବେ ହେଁ ନଦିଶେ ନିର୍ମଳେ । ।୧୦୬
    ସେ ରୂପେ ବିଷୟାରେ ପ୍ରାଣୀ । କେବେ ହେଁ ଆତ୍ମାକୁ ନ ଚିହ୍ନି । ।୧୦୭
    କାଷ୍ଠରୁ ଧୂମ ଅଗ୍ନି ଜାତ । ସେ କାଷ୍ଠ ଦହଇ ଯେମନ୍ତ । ।୧୦୮
    ଅଜ୍ଞାନୁ ଜ୍ଞାନ ଜାତ ହୋଇ । ବିଷୟ-ବାସନା ଦହଇ । ।୧୦୯
    ଭୂତ ଇନ୍ଦ୍ରିୟଗଣ ଯେତେ । ପ୍ରଧାନ-ପୁରୁଷ ସହିତେ । ।୧୧୦
    ଏକୁ ଅନେକ ରୂପ ହୋଇ । ବ୍ରହ୍ମାଣ୍ତେ ଲୀଳା ସେ କରଇ । ।୧୧୧
    ଏମନ୍ତ ଭାବେ ବ୍ରହ୍ମଜ୍ଞାନ । ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ । ।୧୧୨
    ଏ ସର୍ବଭୂତ ତାର ଦେହି । ସେ ସର୍ବଭୂତ ମଧ୍ୟେ ଥାଇ । ।୧୧୩
    ଏମନ୍ତ ଭାବେ ସର୍ବଭୂତେ । ଅନନ୍ୟଭାବେ ଦେଖେ ନିତ୍ୟେ । ।୧୧୪
    ସେ ଜ୍ୟୋତିର୍ମୟ ଆତ୍ମଯୋନି । ଗୁଣ ପ୍ରବାହ ଭେଦ ଘେନି । ।୧୧୫
    ଆଭାସେ ଯତା ଭିନ୍ନେ ଭିନ୍ନେ । ଆଧାର ଭେଦେ ଅଗ୍ନି ଯେହ୍ନେ । ।୧୧୬
    ସତ୍ ଅସତ୍ ଆତ୍ମା ସେହି । ତା ବିନୁ ଅନ୍ୟ ନାହିଁ କେହି । ।୧୧୭
    ପରମ ଭକ୍ତିଭାବ ଏହି । ଏ ଭାବେ ଚିନ୍ତ ମନ ଦେଇ । ।୧୧୮
    ତେବେ ଏ ସଂସାରୁ ତରିବ । ଶ୍ରୀକୃଷ୍ଣ-ଚରଣ ଲଭିବ । ।୧୧୯
    ଭୋ ମାତ ସାଧ ଏହି ଯୋଗ । ହେଳେ ତରିବ କର୍ମଭୋଗ । ।୧୨୦
    ଏଣୁ ସଂସାରୁ ତରିଯିବ । ନାହିଁ ଯାତନା ପରାଭବ । ।୧୨୧
    କହଇ ବିପ୍ର ଜଗନ୍ନାଥ । ସୁଜନେ ଚିନ୍ତ ଏହିପଥ । ।୧୨୨
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ କାପିଳେୟେ ସାଧନାନୁଷ୍ଠାନଂ ନାମ
    ଅଷ୍ଟାବିଂଶେଽଧ୍ୟାୟଃ ।

    ଉନତ୍ରିଂଶ ଅଧ୍ୟାୟ

    ଦେବହୂତି ଉବାଚ

    ଭୋନାଥ ପ୍ରଭୁ ଭଗବାନ । କହ ତୁ ପରମାର୍ଥଜ୍ଞାନ । ।୧
    ଯେ ଜ୍ଞାନେ ଭକ୍ତି ପ୍ରକାଶଇ । ଅଜ୍ଞାନ-ତିମିର ନାଶଇ । ।୨
    ମହତ ଆଦି ଯେ ପ୍ରମାଣ । ପ୍ରକୃତି ପୁରୁଷ ଲକ୍ଷଣ । ।୩
    ଯଥା ସାଂଖ୍ୟରେ ଅଛ କହି । ତୋ ଭକ୍ତିମାର୍ଗକୁ ଚିହ୍ନାଇ । ।୪
    ବିସ୍ତାରି କହ ପ୍ରଭୁ ମୋତେ । ସଂଶୟ ନ ରହୁ ମୋ ଚିତ୍ତେ । ।୫
    ଯାହା ଶୁଣିଲେ ପ୍ରାଣୀ-ପ୍ରାଣ । ବିରକ୍ତେ ଭଜେ ନାରାୟଣ । ।୬
    ଜୀବର ଜନ୍ମ ମୃତ୍ୟୁ ଦୁଇ । ଏ ଲୋକମାନଙ୍କର ହୋଇ । ।୭
    ତାହା କହିବା ମହାବାହୁ । କାଳସ୍ୱରୂପ ଆଦି କେହୁ । ।୮
    କାଳସ୍ୱରୂପ ଯେ ଈଶ୍ୱର । ସମସ୍ତ ଆତ୍ମାରେ ଗୋଚର । ।୯
    ମହାପ୍ରଭାବ ହିଁ ଯାହାର । ଯା ଭୟେ ପୁଣ୍ୟ କରେ ନର । ।୧୦
    ସେ କଥା ନିର୍ଣ୍ଣୟ କରିଣ । କହିବା ହେଉ ନାରାୟଣ । ।୧୧
    ଏ ଦେହ ମିଥ୍ୟା ବୋଲି ପୁଣି । ସ୍ତ୍ରୀ ପୁତ୍ର ସତ୍ୟପ୍ରାୟ ମଣି । ।୧୨
    ଏ ଭବ-ସଂସାରର ତମେ । ଜ୍ଞାନଚକ୍ଷୁକୁ ଢାଙ୍କି ଭ୍ରମେ । ।୧୩
    ଏ କର୍ମମାର୍ଗରେ ଆସକ୍ତ । ମିଥ୍ୟା-ସଂସାର ମଣି ସତ୍ୟ । ।୧୪
    ଏ ଲୋକ ଉଦ୍ଧାର ନିମନ୍ତେ । ଆପଣ ସୂର୍ଯ୍ୟ ଏ ଜଗତେ । ।୧୫
    କୃପାରେ ଉଦେ ହୋଇଅଛ । ଏ ଘେନି ଦିଶୁଛ ପ୍ରତ୍ୟକ୍ଷ । ।୧୬
    କାଳରୁ ନିସ୍ତାର ଉପାୟ । କହ ହେ ପ୍ରଭୁ ଦେବରାୟ । ।୧୭
    ତୋ ଜ୍ଞାନ ଦେଇ ନରହରି । ବିନାଶ ଅଜ୍ଞାନ-ତିମିରି । ।୧୮

    ମୈତ୍ରେୟ ଉବାଚ

    ଶୁଣ ବିଦୁର ମନଦେଇ । ମାତା ବଚନେ ଭାବଗ୍ରାହୀ । ।୧୯
    କହନ୍ତି ଅମୃତ ବଚନ । ଯେଣେ ସନ୍ତୋଷ ମାତାମନ । ।୨୦

    ଭଗବାନ ଉବାଚ

    ଶୁଣ ଜନନି ସ୍ଥିରମନେ । ଯେ ଜ୍ଞାନ ଭକ୍ତିର ଲକ୍ଷଣେ । ।୨୧
    ବହୁ ପ୍ରକାରେ ଭକ୍ତିଯୋଗ । ଜ୍ଞାନୀ ସାଧନ୍ତି ମୋକ୍ଷମାର୍ଗ । ।୨୨
    ସ୍ୱଭାବଗୁଣେ ଯୁକ୍ତ ହୋଇ । ନାନା ସଂକଳ୍ପ ମନେ ଧ୍ୟାୟି । ।୨୩
    ସା‌ତ୍ତ୍ବିକ ରାଜସ ତାମସ । ଗୁଣପ୍ରବାହେ ଯେ ପ୍ରକାଶ । ।୨୪
    ଦମ୍ଭ ମ›ତ୍ସର ଭାବ ବହି । ପ୍ରାଣୀ ହିଂସାରେ ଯୁକ୍ତ ହୋଇ । ।୨୫
    ପର ଅପର ଭେଦ ବୁଦ୍ଧି । ତାମସ ଗୁଣ ଏ ପ୍ରସିଦ୍ଧି । ।୨୬
    ଏ ଭାବେ ମୋତେ ଯେ ଭଜଇ । ତାମସ ଭକ୍ତି ତାକୁ କହି । ।୨୭
    ବିଷୟଭୋଗ ସେ ବାଞ୍ଛ‚ଇ । ଏ ଘେନି ଭୋଗାସକ୍ତ ହୋଇ । ।୨୮
    ଯଶ ଐଶ୍ୱର୍ଯ୍ୟ ଯେ ବାଞ୍ଛ‚ଇ । ସେ ବୁଦ୍ଧି ଭେଦ ପର ହୋଇ । ।୨୯
    ପ୍ରେମରେ ପ୍ରତିମାରେ ମୋତେ । ଯେ ପୂଜେ ଭକ୍ତିଭାବେ ନିତ୍ୟେ । ।୩୦
    ସେ ଭକ୍ତି ରାଜସ ବୋଲାଇ । ଯେଣୁ ସେ ରାଜପଦ ପାଇ । ।୩୧
    ବାହ୍ୟ ଅନ୍ତରେ ମାୟା ତେଜେ । କେବଳ ବିଷ୍ଣୁ ଭାବେ ଭଜେ । ।୩୨
    ଫଳ ନବା‚ଞ୍ଛି କର୍ମ କରେ । ଭେଦଦରଶୀ ନୋହେ ପରେ । ।୩୩
    ଈଶ୍ୱର ଅର୍ଥେ କର୍ମ କରେ । ଧର୍ମ ମାର୍ଗରେ ଯେ ପ୍ରଚରେ । ।୩୪
    ସର୍ବତ୍ର ଦେଖଇ ସମାନ । ସା‌ତ୍ତ୍ବିକ ଭକ୍ତି ତାକୁ ଜାଣ । ।୩୫
    ଅଧମ ମଧ୍ୟମ ଉତ୍ତମ । ଏଣେ ତ୍ରିବିଧ ଭକ୍ତି କ୍ରମ । ।୩୬
    ଶ୍ରବଣ କୀର୍ତ୍ତନ ସ୍ମରଣ । ଚରଣସେବନ ଅର୍ଚ୍ଚନ । ।୩୭
    ବଦନ ଦାସ୍ୟ ସଖ୍ୟଭାବ । ଆତ୍ମଅର୍ପଣ ଅଙ୍ଗ ନବ । ।୩୮
    ଏହି ପ୍ରକାରେ ନବ ନବ । ସଗୁଣା ଏକାଅଶି ଭାବ । ।୩୯
    ଏବେ କହିବା ମାତା ଶୁଣ । ନିର୍ଗୁଣ ଭକ୍ତିର ଲକ୍ଷଣ । ।୪୦
    ବିଷ୍ଣୁର ଗୁଣ ଗୁଣି ଯେବେ । ରୋମ ପୁଲକେ ତନୁ ଦ୍ରବେ । ।୪୧
    ଆନନ୍ଦେ ଅଶ୍ରୁ ନେତ୍ରୁ ବହେ । କଣ୍ଠ ଗଦ୍‌ଗଦେ ବାଣୀ କହେ । ।୪୨
    ଚେତନା ବୁଦ୍ଧି ଅହଙ୍କାର । ଯେ ଭୂତ ଭବିଷ୍ୟ ଗୋଚର । ।୪୩
    ମୋହର ଗୁଣ କୀର୍ତ୍ତିମାନ । ନିତ୍ୟେ ଯେ କରଇ ଶ୍ରବଣ । ।୪୪
    ମୁହିଁ ଯେ ସର୍ବ ଗୁହାଶ୍ରୟ । ବିଚ୍ଛେଦ ନାହିଁ କିବା ମୋହ । ।୪୫
    ଏମନ୍ତ ଭାବେ ଯେ ଭଜଇ । କର୍ମ-ବନ୍ଧନୁ ମୋକ୍ଷ ହୋଇ । ।୪୬
    ଏ ସର୍ବ ହରିଭାବେ ମାନେ । ଗଙ୍ଗା ସମୁଦ୍ରେ ମିଳେ ଯେହ୍ନେ । ।୪୭
    ସେ ରୂପେ ମୋର ଦେହେ ଲୀନ । ଭକ୍ତି ଭାବରେ ହୋନ୍ତି ଜନ । ।୪୮
    ନିଷ୍କାମମାର୍ଗେ ଆତ୍ମଜ୍ଞାନ । ସର୍ବତ୍ର ଦେଖଇ ସମାନ । ।୪୯
    ପୁରୁଷୋତ୍ତମ ଭାବେ ଭଜି । ପରମଆତ୍ମା ମନେ ହେଜି । ।୫୦
    ନିର୍ଗୁଣ ଭକ୍ତି ଏହା କହି । ଅପରେ ଶୁଣ ମନଦେଇ । ।୫୧
    ସାମୀପ୍ୟ ସାରୂପ୍ୟ ଏକତ୍ୱ । ସାଲୋକ୍ୟ ଅଇଶ୍ୱର୍ଯ୍ୟ ମତ । ।୫୨
    ଏ ଆଦି ଯେତେମେତେ ମୁକ୍ତି । ତେଣେ ସନ୍ତୋଷ ନୋହେ ମତି । ।୫୩
    ମୋର ସେବନ ବିନା କେହି । ଭକ୍ତ ସନ୍ତୋଷ ମୋର ନାହିଁ । ।୫୪
    ଏତେ ପ୍ରକାରେ ଭକ୍ତି ଯୋଗ । ସାଧନ୍ତି ପ୍ରାଣୀ ମୋକ୍ଷମାର୍ଗ । ।୫୫
    ଯେବେ ତ୍ରି‌ଗୁଣକୁ ଜିଣଇ । ମୋହର ଭାବକୁ ଲଭଇ । ।୫୬
    କ୍ରି‌ୟାଯୋଗରେ ନିଷ୍କାମରେ । ମୋତେ ସେବନ୍ତି ଯେବା ନରେ । ।୫୭
    ହିଂସା ବିହୀନ ଯେ ନିଷ୍କାମ । ନିତ୍ୟେ ଭଜଇ ମୋର ନାମ । ।୫୮
    କେ ଅବା ମୋତେ ପୂଜା କରେ । ସ୍ତୁତି ବନ୍ଦନେ ନିରନ୍ତରେ । ।୫୯
    ଦର୍ଶନ ସ୍ପର୍ଶନ ପ୍ରମାଣ । ମୋର ପ୍ରତିମା ଆରାଧନ । ।୬୦
    ମିତ୍ରଭାବରେ ସର୍ବଜନ । ଦେଖଇ ଆତ୍ମାର ସମାନ । ।୬୧
    ଯମ ନିୟମ ମାର୍ଗ ସାଧି । ମହତଜନେ ମାନ୍ୟ ବିଧି । ।୬୨
    ଦୀନରେ ଅନୁକମ୍ପା ବହି । ମୋ ବିନୁ ଅନ୍ୟ ନ ଜାଣଇ । ।୬୩
    ମୋହର ନାମ ସଂକୀର୍ତ୍ତନ । ଶ୍ରବଣ ଆଧ୍ୟାତ୍ମ ଦର୍ଶନ । ।୬୪
    ଆର୍ଜବ ସାଧୁସଙ୍ଗ ପୁଣ । ଅହିଂସା ଧର୍ମ ପରାୟଣ । । ୬୫
    ମୋହର ଧର୍ମ ଆଚରଣ । ଏ ରୂପେ ଚିତ୍ତ ଶୁଦ୍ଧ ଜାଣ । ।୬୬
    ମୋହର ଗୁଣ ଶୁଣି କର୍ଣ୍ଣେ । ମୋତେ ଲଭନ୍ତି ପ୍ରାଣୀମାନେ । ।୬୭
    ଯେମନ୍ତେ ପବନର ବଳେ । ଗନ୍ଧ ଆସିଣ ଘ୍ରାଣେ ମିଳେ । ।୬୮
    ସେ ରୂପ ନିର୍ବିକାର ଚିତ୍ତ । ଆତ୍ମାକୁ କରଇ ଆୟତ୍ତ । ।୬୯
    ମୁଁ ସର୍ବଭୂତର ଈଶ୍ୱର । ଆତ୍ମା ସ୍ୱରୂପରେ ଗୋଚର । ।୭୦
    ଏମନ୍ତ ଭାବ ମୋର ଛାଡ଼ି । ଯେ ପୂଜେ ଅନ୍ୟଭାବେ ପଡ଼ି । ।୭୧
    ଯେ ଜୀବେ ଦୟା ନକରଇ । ପ୍ରତିମା ପୂଜେ ମନେ ଧ୍ୟାୟି । ।୭୨
    ଭସ୍ମରେ ହୋମ ସେ ଯେମନ୍ତ । ତାହାର ପୂଜା ସେହି ମତ । ।୭୩
    ମୁଁ ସର୍ବବ୍ୟାପୀ ଯେ ଅଟଇ । ଏମନ୍ତ ଭାବ ନଜାଣଇ । ।୭୪
    ଯେ ଜୀବେ ବଦ୍ଧ-ବୈର ହୋଇ । ସେ ଶାନ୍ତି କେବେ ନଲଭଇ । ।୭୫
    ମୋତେ ପୂଜଇ ଯେବେ ସେହି । ତାର ପୂଜାରେ ତୋଷ ନୋହି । ।୭୬
    ସର୍ବଭୂତରେ ସ୍ଥିତ ମୁହିଁ । ଯାବତ ପ୍ରାଣୀ ନଜାଣଇ । ।୭୭
    ତାବତ ଥାଇ ସ୍ୱଧର୍ମରେ । ପୂଜିବ ପ୍ରତିମା ଆଦରେ । ।୭୮
    ପର ଅପର ଏକ ଆତ୍ମା । ଅନ୍ତର କରେ ଯେ ଦୁରାତ୍ମା । ।୭୯
    ସେ ମୃତ୍ୟୁ‌ପଥୁଁ ନ ତରଇ । ସଂସାରମାର୍ଗେ ଭ୍ରମୁଥାଇ । ।୮୦
    ମୁଁ ଆତ୍ମା ସର୍ବଭୂତ ମଧ୍ୟେ । ଅର୍ଚ୍ଚନା କରେ ଯେ ସୁସାଧ୍ୟେ । ।୮୧
    ମିତ୍ରଭାବରେ ସର୍ବ ଦେଖେ । ସଂସାରୁ ତରେ ସେ ପ୍ରତ୍ୟକ୍ଷେ । ।୮୨
    ଅଜୀବ ତହୁଁ ଜୀବ ଶ୍ରେଷ୍ଠ । ଜୀବରେ ପ୍ରାଣ ଯେ ଗରିଷ୍ଠ । ।୮୩
    ପ୍ରାଣରୁ ଚେତନା ବିଶିଷ୍ଟ । ତହୁଁ ଇନ୍ଦ୍ରି‌ୟ ବୃତ୍ତି ଶ୍ରେଷ୍ଠ । ।୮୪
    ସ୍ପର୍ଶ ଗୁଣରେ ବୃକ୍ଷ ଆଦି । ରସ ଗ୍ରହଣେ ମ›ତ୍ସ୍ୟ ଆଦି । ।୮୫
    ଗନ୍ଧ ଗ୍ରହଣେ ଭ୍ରମରାଦି । ତହୁଁ ସର୍ପାଦି ଶବ୍ଦଭେଦୀ । ।୮୬
    ରୂପରେ କାକ ଆଦି ଯେତେ । ତହୁଁ ଉଦୟ ଦନ୍ତବନ୍ତେ । ।୮୭
    ଅପାଦଠାରୁ ବହୁପାଦ । ବହୁ ପାଦରୁ ଚତୁଃଷ୍ପଦ । ।୮୮
    ଦ୍ୱିପଦ ମନୁଷ୍ୟାଦି ଜାଣ । ଏକୁ ଆରେକ ଏ ପ୍ରଧାନ । ।୮୯
    ମନୁଷ୍ୟ ମଧ୍ୟେ ଚାରିବର୍ଣ୍ଣ । ଏଥିରେ ବ୍ରାହ୍ମଣ ଉତ୍ତମ । ।୯୦
    ବ୍ରାହ୍ମଣ ମଧ୍ୟରେ ବେଦଜ୍ଞ । ତହୁଁ ଅଧିକ ଯେ ଅର୍ଥଜ୍ଞ । ।୯୧
    ତହୁଁ ସଂଶୟ-ଦୂରକାରୀ । ତହିଁରୁ ସ୍ୱଧର୍ମ-ଆଚାରୀ । ।୯୨
    ତହୁଁ ଅଧିକ ଅଟେ ସେହି । ବିଷୟ-ସଙ୍ଗ ଯାର ନାହିଁ । ।୯୩
    ମୋହର ପ୍ରିୟ କର୍ମ କରେ । ଆତ୍ମାରେ ଭାବ ନିରନ୍ତରେ । ।୯୪
    ସକଳ କର୍ମ ସମର୍ପଇ । ମନ ସହିତେ ମୋର ତହିଁ । ।୯୫
    ଏ ସର୍ବଭୂତେ ବିଜେ ମୁହିଁ । ବହୁ-ମାନନାରେ ନମଇ । ।୯୬
    ଏମନ୍ତ ଭାବେ ଯେ ଭଜଇ । ତା ହୃଦେ ବିଜେ ଭାବଗ୍ରାହୀ । ।୯୭
    ଆନନ୍ଦେ ଦର୍ଶନ ଦିଅନ୍ତି । ତା ଅଘତିମିର ନାଶନ୍ତି । ।୯୮
    ହେ ମନୁତନୟା ଗୋ ଶୁଣ । ଯେ ଭକ୍ତିଯୋଗର ଲକ୍ଷଣ । ।୯୯
    ଭକ୍ତିଯୋଗରେ ମୋତେ ଧ୍ୟାୟି । ଯେ ମୋତେ ହୃଦୟେ ଦେଖଇ । ।୧୦୦
    ପରମବ୍ରହ୍ମକୁ ଲଭଇ । ତେଣୁ ଏକାଗ୍ରଭାବେ ଧ୍ୟାୟି । ।୧୦୧
    ଈଶ୍ୱର ସର୍ବ-ଅନ୍ତର୍ଯ୍ୟାମୀ । ଏଭାବେ ପ୍ରାଣୀଙ୍କୁ ପ୍ରଣମି । ।୧୦୨
    ମନରେ ବହୁମାନ କରି । ପ୍ରାଣୀ ତରିବେ ଭବବାରି । ।୧୦୩
    ସେ ଯେ ପରମବ୍ରହ୍ମସାର । ପ୍ରଧାନପୁରୁଷଙ୍କ ପର । ।୧୦୪
    ତାର ଉପରେ କେହି ନାହିଁ । ସୃଷ୍ଟିର ଆଦି ଅନ୍ତ ସେହି । ।୧୦୫
    ତାହାଙ୍କ ପ୍ରେରିତ ସମସ୍ତ । ସେ ଦୈବ ବୋଲିଣ କଥିତ । ।୧୦୬
    ବସ୍ତୁ ଭେଦର ଯେ କାରଣ । ତାହାଙ୍କୁ କାଳ ବୋଲି ଜାଣ । ।୧୦୭
    ଅଦ୍ଭୁତ କାଳର ମହିମା । ଭୋ ମାତ ନିଶ୍ଚଳେ ଜାଣିମା । ।୧୦୮
    ମହତ ଆଦି ଯେତେ ଭୂତେ । ଯେତେକ ଅଛନ୍ତି ଜଗତେ । ।୧୦୯
    ସମସ୍ତ ଆତ୍ମା ମଧ୍ୟଗତ । ନିରତେ କରୁଅଛି ଗ୍ରସ୍ତ । ।୧୧୦
    ତାହାର ତହୁଁ ଭୟପାଇ । ନିରତେ କମ୍ପୁଅଛି ଦେହୀ । ।୧୧୧
    ବିଷ୍ଣୁର ନାମାନ୍ତର କାଳ । ସେହି ବିତରେ ଯଜ୍ଞଫଳ । ।୧୧୨
    ହେ ମାତ କାଳର ମହିମା । କେ କହିପାରେ ଗୁଣ ସୀମା । ।୧୧୩
    ଜଗତ ବଶ ଯେ କରନ୍ତି । ସେ ପୁଣି କାଳବଳେ ଥାନ୍ତି । ।୧୧୪
    ପ୍ରିୟ ଅପ୍ରି‌ୟ ଯାର ନାହିଁ । ବିନାଶ କରେ ସର୍ବଦେହୀ । ।୧୧୫
    ଯେ କାଳପୁରୁଷର ଭୟେ । ନିରତେ ପବନଟି ବହେ । ।୧୧୬
    ଯେ କାଳଭୟେ ସୂର୍ଯ୍ୟ ତାପେ । ଭ୍ରମେ ବ୍ରହ୍ମାଣ୍ତ ମଧ୍ୟେ ଆପେ । ।୧୧୭
    ଯାହାର ଭୟେ ମେଘଗଣ । ବୃଷ୍ଟି କରନ୍ତି ଯଥାକ୍ଷଣ । ।୧୧୮
    ଯାହାର ଭୟେ ତାରାଗଣେ । ଉଦିତ ହୁଅନ୍ତି ଗଗନେ । ।୧୧୯
    ଯାହାର ଭୟେ ବୃକ୍ଷଗଣ । ଲତା ଔଷଧି ଶସ୍ୟମାନ । ।୧୨୦
    ଯଥାକାଳରେ ପୁଷ୍ପଫଳ । ଫଳନ୍ତି ଫୁଟନ୍ତି ନିର୍ମଳ । ।୧୨୧
    ଯାହାର ଭୟେ ନଦୀଗଣ । ବହୁଅଛନ୍ତି ଅନୁକ୍ଷଣ । ।୧୨୨
    ଉଦଧି ଯାହାର ଭୟରେ । ଅଦ୍ୟାପି କେବେ ନ ଉଛୁଳେ । ।୧୨୩
    ଅଗ୍ନି ଯାହାର ଭୟେ ପୁଣ । ସମସ୍ତ କରଇ ଦହନ । ।୧୨୪
    ଯାହାର ଭୟେ ଗିରିବର । ଧରା ସହିତେ ସେ ନିଶ୍ଚଳ । ।୧୨୫
    ଯାହାର ଆଜ୍ଞା ପରିମାଣେ । ଆକାଶ ଭୟକରି ମନେ । ।୧୨୬
    ସ୍ୱଦେହ ବିସ୍ତାର ସେ କଲା । ସପ୍ତଲୋକକୁ ଠାବ ଦେଲା । ।୧୨୭
    ଯାର ଆଜ୍ଞାରେ ମହତ୍ତ‌ତ୍ତ୍ବ । ସପତାବରଣ ସମେତ । ।୧୨୮
    ଦେହକୁ ବିସ୍ତାର କରିଛି । ପ୍ରାଣକୁ ଧରିଣ ବହିଛି । ।୧୨୯
    ବ୍ରହ୍ମାଦି ଯେତେ ଦେବଗଣ । ସଚରାଚର ଯେ ଭିଆଣ । ।୧୩୦
    ଯାହାର ଭୟେ ବାରେବାରେ । ସର୍ଜନା ହୁଅନ୍ତି ସତ୍ୱରେ । ।୧୩୧
    ଯେ କାଳଭୟରେ ତ୍ରି‌ଗୁଣ । ସୃଷ୍ଟି ପାଳନ ସଂହାରଣ । ।୧୩୨
    ସେ କାଳରୂପୀ ଯେ ଅନନ୍ତ । ଅନାଦି ଅବ୍ୟୟ ଅଚ୍ୟୁତ । ।୧୩୩
    ସମସ୍ତ ଉପ୍ତତ୍ତି କରଇ । ଗୁଣ ପ୍ରବାହ ଭାବ ବହି । ।୧୩୪
    ଯେ କାଳରୂପେ ଅନ୍ତ କରେ । ଏଣୁ ଅନନ୍ତ ନାମ ଧରେ । ।୧୩୫
    ଏଣୁ ଏ କାଳର ମହିମା । କେ ଜାଣିପାରେ ଗୁଣସୀମା । ।୧୩୬
    ମୋର ଭକତଜନେ ଯହିଁ । କାଳର ଅଧିକାର ନାହିଁ । ।୧୩୭
    ସୁଜନେ ଏଣେ କର ମତି । ତୁଟିବ ସଂସାର ଦୁର୍ଗତି । ।୧୩୮
    ଏ ମାତା-ପୁତ୍ରଙ୍କ ସମ୍ବାଦ । ଶୁଣନ୍ତେ ନଲାଗେ ପ୍ରମାଦ । ।୧୩୯
    ପୁରାଣ ରସମୟ ଗୀତ । ହରିବ ସକଳ ଦୁରିତ । ।୧୪୦
    କହଇ ଦାସ ଜଗନ୍ନାଥ । ତୃତୀୟ ସ୍କନ୍ଧେ ଭାଗବତ । ।୧୪୧
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ କାପିଳେୟେ ସାଧନାନୁଷ୍ଠାନଂ ନାମ
    ଉନତ୍ରିଂଶେଽଧ୍ୟାୟଃ ।

    ତ୍ରିଂ‌ଶ ଅଧ୍ୟାୟ

    ଭଗବାନ ଉବାଚ

    କହନ୍ତି ପ୍ରଭୁ ଭଗବାନ । ଭୋ ମାତ ହୁଅ ସାବଧାନ । ।୧
    ସେ କାଳ ପୁରୁଷପୁରାଣ । ସେ ପୁଣି ଅତି ବଳବାନ । ।୨
    ସେ କାଳ ପରାକ୍ରମ ଯେତେ । କେ କହିପାରିବ ଜଗତେ । ।୩
    ଏ ଯେତେ ଜୀବଲୋକେ ଛନ୍ତି । ତା ଗତି କେହି ନଜାଣନ୍ତି । ।୪
    ସେ କାଳ ସକଳ ନାଶଇ । ଏଣୁ ତା ଗତି କେ ଜାଣଇ । ।୫
    ଏ ଚରାଚର ଦେହଧାରୀ । ଯେ ସ୍ଥୂଳ ସୂକ୍ଷ୍ମ ଆଦି କରି । ।୬
    ସକଳ କରଇ ଭକ୍ଷଣ । କ୍ଷୁଧାର୍ତ୍ତେ ଯେସନେ କୃପଣ । ।୭
    ଯେହ୍ନେ ସମୀର ବଳୀୟାର । ଜୀମୂତ କରଇ ସଞ୍ଚାର । ।୮
    ସେ ଘନ ତା ଗତି ନଜାଣେ । ତେସନେ ହୋଇ ଜୀବଗଣେ । ।୯
    କାଳର ଗତି ନ ଜାଣନ୍ତି । ସେ କାଳବଶେ ଭ୍ରମୁଥାନ୍ତି । ।୧୦
    ଏ ଜୀବ ସୁଖଭୋଗ ପାଇଁ । ଅର୍ଥ ଉପାର୍ଜନେ ଭ୍ରମଇ । ।୧୧
    ବିବିଧ ଦୁଃଖେ ତା ସଞ୍ଚଇ । ସେ ଅର୍ଥ କାଳ ଯେ ହରଇ । ।୧୨
    ତ୍ରିଲୋକ ଶୋଚେ ଯାହାପାଇଁ । ସେ ଅର୍ଥ କାଳ ବିନାଶଇ । ।୧୩
    ସେ କାଳ ଅତି ବଳିୟାର । କେ ଜାଣିପାରେ ଗତି ତାର । ।୧୪
    ସୂକ୍ଷ୍ମ ସ୍ୱରୂପେ ବିହରଇ । ମନ ବଚନେ ଭେଦ ନୋହି । ।୧୫
    କୃଷକଜନ ପ୍ରାୟେ ହୋଇ । ସଂସାର ପାଳି ବିନାଶଇ । ।୧୬
    ସେ କାଳମୁଖେ ଜୀବ ରହି । ନାନା ବିବାଦେ ହିଂସା ବହି । ।୧୭
    କରନ୍ତି ନାନା ଛନ୍ଦ ମାୟା । ହୃଦେ ନ ବସେ ଜୀବେ ଦୟା । ।୧୮
    ନିŸର୍ଦ୍ଦୟ ଭାବେ ମୂଢ଼ପଣେ । କାଳ ଗ୍ରାସଇ ପୂଣ୍ୟହୀନେ । ।୧୯
    ତାହାର ନାହିଁ ପକ୍ଷାପକ୍ଷ । ସକଳ କରଇ ସେ ଭକ୍ଷ୍ୟ । ।୨୦
    ଏ ଜୀବ ଅତି ମତିହୀନ । ଅର୍ଥ ସଞ୍ଚଇ ପ୍ରତିଦିନ । ।୨୧
    ଯେ ଅର୍ଥେ ମୃତ୍ୟୁ ଉପଗତ । ନ ଜାଣେ ଏ ମୂଢ଼ ସମସ୍ତ । ।୨୨
    ଅନିତ୍ୟ ଦେହ ନ ବୁଝଇ । ବ୍ୟାପାର କରେ ଦୁଃଖ ସହି । ।୨୩
    ଗୃହ କଳତ୍ର ଧନ ଆଦି । ଏଣେ କରଇ ନିତ୍ୟ ବୁଦ୍ଧି । ।୨୪
    ଏ ଦେହ ସୁତ ଦାରା ମୋହେ । ମୋହର ବୋଲି ନିତ୍ୟ କହେ । ।୨୫
    ଏ ମାୟାମୋହେ ପଡ଼ିଅଛି । ଏଣୁ ନବୁଝଇ କିଛି । ।୨୬
    ସଂସାର ମଧ୍ୟେ ଜୀବମାନେ । ନିରତେ ଭ୍ରମନ୍ତି ଅଜ୍ଞାନେ । ।୨୭
    ଯାବତ ଯୋନିରେ ଭ୍ରମନ୍ତି । ସର୍ବତ୍ର ଫୁଟିଣ ମରନ୍ତି । ।୨୮
    ଏ ଘୋର ଦୁଃଖ ସୁଖମନେ । ବୈରାଗ୍ୟ ନଜନ୍ମେ ଅଜ୍ଞାନେ । ।୨୯
    ଯେବେ ନରକେ କୀଟ ହୋଇ । ଅତ୍ୟନ୍ତ ସୁଖ ତା ମଣଇ । ।୩୦
    କରଇ ନରକ ଆହାର । ତଥାପି ଦୁଃଖ ନୋହେ ତାର । ।୩୧
    ସେ ଦେହତ୍ୟାଗ ନ ଇଚ୍ଛଇ । ଅଜ୍ଞାନ ମୋହେ ସ୍ନେହ ବହି । ।୩୨
    ଦେହ କଳତ୍ର ସୁତ ଘର । ପଶୁ ଭୃତ୍ୟାଦି ବନ୍ଧୁ ମୋର । ।୩୩
    ମନକୁ ଏଣେ ଦୃଢ଼ କରେ । ସୁଖ ମଣଇ ଦୁଃଖ ଘୋରେ । ।୩୪
    ମଣଇ କୃତାର୍ଥ ହୋଇଲି । ଅନେକ ସୁଖ ମୁଁ ଲଭିଲି । ।୩୫
    ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତ । କେ ଅଛି ମୋ ସମ ମହତ । ।୩୬
    ତହିଁରେ ଯେତେ ଦୁଃଖ ହୁଏ । ନ ବୁଝେ ପଡ଼ି ମାୟାମୋହେ । ।୩୭
    ଘୋର-ଗହନ ମାର୍ଗେ ହୁଡ଼ି । ଅଜ୍ଞାନେ ଭ୍ରମେ ଦୁଃଖ ପଡ଼ି । ।୩୮
    ସେ ସର୍ବ ସୁଖପ୍ରାୟେ ମଣେ । କୃଷ୍ଣ ନଭଜେ ଏକ କ୍ଷଣେ । ।୩୯
    କୁଟୁମ୍ବ-ପୋଷଣ ଉପାୟେ । ନିରତେ ଆକୁଳ ହୃଦୟେ । ।୪୦
    ତାଙ୍କ ପୋଷଣେ ଚିନ୍ତା କରେ । ଦଗଧି ମରେ ଦୁଃଖ ଘୋରେ । ।୪୧
    କ୍ଷଣେ ନପାରେ ଗୃହେ ବହି । ବାଣିଜ୍ୟ-ନାବ ପ୍ରାୟେ ହୋଇ । ।୪୨
    ସ୍ନେହ ବନ୍ଧନେ ଦିବା ନିଶେ । ସ୍ୱବଶ ନୋହେ ଅବକାଶେ । ।୪୩
    କରେ ଦୁରିତ କର୍ମମାନ । ଏମନ୍ତ ଏ ମୂଢ଼ ଅଜ୍ଞାନ । ।୪୪
    ଅସତୀ ଦୁଷ୍ଟା ନାରୀ ଘରେ । ବିବିଧ ଛନ୍ଦ ମାୟା କରେ । ।୪୫
    ତାର ବଶରେ ନିତ୍ୟେ ଥାଇ । ସେବକ ଜନ ପ୍ରାୟ ହୋଇ । ।୪୬
    ତା ବାକ୍ୟ ଶୁଣି ତୋଷମନେ । ଲଂଘି ନପାରେ ରାତ୍ର ଦିନେ । ।୪୭
    ନୟନ ଥାଉଁ ନଦେଖଇ । ଅନ୍ଧ ଜଳକା ପ୍ରାୟ ହୋଇ । ।୪୮
    ସେ ମନ-ଇନ୍ଦ୍ରି‌ୟ-ହାରିଣୀ । ତାର ସନ୍ତୋଷେ ନିତ୍ୟେ ପ୍ରାଣୀ । ।୪୯
    ସେ ନାରୀ ସଙ୍ଗେ ବିହରଇ । ନିଶି ଦିବସେ ମନ ଦେଇ । ।୫୦
    ତାହାଙ୍କ ସୁଖ ଭୋଗ ପ୍ରୀତି । ଓଟାରି ନରକେ ପକାନ୍ତି । ।୫୧
    ନରକ ବୋଲି ଯାକୁ କହି । ସ୍ତ୍ରିରୀ ସମ୍ଭୋଗ ସୁଖ ଏହି । ।୫୨
    ଏହା ନଜାଣି ମୂଢ଼ପ୍ରାଣୀ । ଦୁଃଖକୁ ସୁଖ ପରିମାଣି । ।୫୩
    ବାଳକ କୋମଳ ବଚନ । ତା ଶୁଣି ଅତି ତୋଷମନ । ।୫୪
    ବାଳକଗୀତେ ହୋଇ ପ୍ରୀତ । ତହିଁ ଅର୍ପିତ କରେ ଚିତ୍ତ । ।୫୫
    ଏ ସର୍ବ ସୁଖ କରି ମଣେ । ଯେ ହିତ ଅଜ୍ଞାନେ ନ ଜାଣେ । ।୫୬
    ଏ ଗୃହ ଅତି କୂଟ-ଧର୍ମ । କରାଏ ଅତି ଛନ୍ଦ-କର୍ମ । ।୫୭
    କେବଳ ଦୁଃଖର ଏ ମୂଳ । ତହିଁ ପଡ଼ିଣ ସେ ବ୍ୟାକୁଳ । ।୫୮
    ସେ ଦୁଃଖ ପ୍ରତିକାର ପାଇଁ । ନାନା ବ୍ୟାପାରେ ଦୁଃଖେ ଧାଇଁ । ।୫୯
    ସେ କ୍ଳେଶ ଅତି ସୁଖ ମଣେ । କେବଳ ମୋହେ ନ ପ୍ରମାଣେ । ।୬୦
    କୁଟୁମ୍ବ-ପୋଷଣରେ ଥାଇ । ବହୁତ ଧନ ଉପୁଜାଇ । ।୬୧
    ବହୁତ ହିଂସା କର୍ମ କରେ । ଅର୍ଥ-ଅର୍ଜନେ ନିରନ୍ତରେ । ।୬୨
    ତାହାଙ୍କୁ ପୋଷି ଦୁଃଖେ ନିତ୍ୟେ । ନରକ ଭୁଞ୍ଜେ ଦେହ ଅନ୍ତେ । ।୬୩
    ତାହାଙ୍କୁ ସତତ ପୋଷଇ । ଆପଣା ସୁଖ ନବାଞ୍ଛ‚ଇ । ।୬୪
    ଯେବେ କ୍ଷୁଧାରେ ମରୁଥାଇ । ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ । ।୬୫
    ତେବେ ଭୁଞ୍ଜଇ ଅବଶେଷ । ଏକର୍ମେ ଧର୍ମ ହୁଏ ନାଶ । ।୬୬
    ଅନ୍ତେ ସେ ଲଭେ ଅଧୋଗତି । ଏହା ନ ବୁଝେ ମୂଢ଼ମତି । ।୬୭
    ଜୀବିକା ଦଇବ ସଂଯୋଗେ । ବିନିଷ୍ଟ ହେଲେ କର୍ମଯୋଗେ । ।୬୮
    ପୁଣି ଜୀବିକା ଆରମ୍ଭଇ । ସେହି ଯଦ୍ୟପି ନାଶ ପାଇ । ।୬୯
    ପୁଣି ଆରମ୍ଭେ ବାରମ୍ବାର । କୁଟୁମ୍ବ ଅର୍ଥେ ମୂଢ଼ନର । ।୭୦
    ସମର୍ଥପଣ ଥିବା ଯାଏ । ତାବତ କରଇ ଉପାୟେ । ।୭୧
    ତହୁଁ ହୋଇଲେ ଅସମର୍ଥ । ଲୋଭେ ଚିନ୍ତଇ ପର-ବିତ୍ତ । ।୭୨
    ଲୋଭ ବଢ଼ାଇ ପରଧନେ । ନରକ ଭୟକୁ ନ ମାନେ । ।୭୩
    ନିନ୍ଦିତ-କର୍ମେ ହରେ ଦିନ । କୁଟୁମ୍ବ ଅର୍ଥେ ମୂଢ଼ଜନ । ।୭୪
    କେବଳ ମନ୍ଦଭାଗ୍ୟ ହୋଇ । କୁଟୁମ୍ବ ପୋଷି ନପାରଇ । ।୭୫
    ଏଣୁ ହରଇ ପରଧନ । ନାଶଇ ପୂର୍ବ-ଜନ୍ମ-ପୁଣ୍ୟ । ।୭୬
    ଦରିଦ୍ର ଜୀବନେ ବଞ୍ଚଇ । ନାନା ଆପଦ ପୀଡ଼ା ପାଇ । ।୭୭
    ବୃଥା ଉଦ୍ୟମେ ଫୁଟି ରହେ । ଆଉ ସମ୍ପଦ କେବେ ନୋହେ । ।୭୮
    ସର୍ବଦା ହୁଅଇ କୃପଣ । କରଇ ନିତ୍ୟେ ଅର୍ଥଧ୍ୟାନ । ।୭୯
    ଅର୍ଥ ବିହୀନେ ଚିନ୍ତାକୁଳ । ଶରୀର ଦୁଃଖେ ତା ନିର୍ବଳ । ।୮୦
    ଶ୍ୱାସ ଉଠଇ ନିରନ୍ତର । ଏମନ୍ତେ ନାଶଇ ଶରୀର । ।୮୧
    ଅତ୍ୟନ୍ତ ବୃଦ୍ଧଭାବ ପାଇ । କୁଟୁମ୍ପ ପୋଷି ନପାରଇ । । ୮୨
    ସାମର୍ଥ୍ୟ ହୀନେ ନିଜଘରେ । ବଞ୍ଚଇ ଅତିଥି ବେଭାରେ । ।୮୩
    ଭବବନ୍ଧନେ ଅଙ୍ଗ ଫୁଟେ । କଫ ନିରୋଧେ କଣ୍ଠତଟେ । ।୮୪
    ସ୍ମରଣ ବିସ୍ମରଣ କରେ । ଶୋଏ ଶିଥିଳ କଳେବରେ । ।୮୫
    ଉଠି ନ ପାରି ଅସମର୍ଥେ । ତା ଦେଖି ପୁତ୍ର ଦାରା ଭୃତ୍ୟେ । ।୮୬
    କରନ୍ତି ଅତି ଅପମାନ । ବୋଲନ୍ତି ନିନ୍ଦିତ ବଚନ । ।୮୭
    ତାହାକୁ କେହି ନଗଣନ୍ତି । ନାନା ବଚନେ ଗାଳିଦ୍ୟନ୍ତି । ।୮୮
    ବନ୍ଦୀ ଚୌରର ପ୍ରାୟେ ହୋଇ । ପ୍ରାଭବ ଭ›ର୍ତ୍ସନା ସହଇ । ।୮୯
    କିଛି ନ ପାରେ ତୁଣ୍ତେ କହି । ଅନ୍ତରେ ଅପମାନ ବହି । ।୯୦
    ଦାରା ତନୟ ଆଦି ଯେତେ । ଆଦର ଛାଡ଼ନ୍ତି ତୁରିତେ । ।୯୧
    ଯେବା ଆଦର ପୂର୍ବେ ଥିଲା । ସେ ପୂର୍ବ ସ୍ନେହ ସବୁ ଗଲା । ।୯୨
    ତାହାଙ୍କୁ ଜ୍ଞାତି ବନ୍ଧୁଜନେ । ଦୂରେ ତେଜନ୍ତି ଦୁଃଖମନେ । ।୯୩
    ଯେହ୍ନେ କୃଷକ ବୃଦ୍ଧ ଗାବେ । ମାରି ତେଜନ୍ତି ଅନ୍ୟଠାବେ । ।୯୪
    ତେସନେ ଦାରାଦି ସକଳେ । ବୃଦ୍ଧକୁ ନ ସେବନ୍ତି ହେଳେ । ।୯୫
    ତଥାପି ସ୍ନେହ ନଛାଡ଼ଇ । ଗୃହାଦି ବାରତ ପୁଛଇ । ।୯୬
    ତଥାପି ଦୟା ନକରନ୍ତି । ନିଷ୍ଠୁର ବାକ୍ୟେ ଗାଳି ଦ୍ୟନ୍ତି । ।୯୭
    ଦୁଃଖେଣ ପୋଷିଲା ଯାହାକୁ । ସେ ସର୍ବ ଛାଡ଼ିଲେ ତାହାକୁ । ।୯୮
    ଜରା ହରନ୍ତେ ରୂପକାନ୍ତି । ତେବେ ନଛାଡ଼େ ସ୍ନେହ ଅତି । ।୯୯
    ମରଣ ନିକଟ ହୋଇଲା । ବୈରାଗ୍ୟ କେବେ ନସ୍ଫୁରିଲା । ।୧୦୦
    ଦାରା ତନୟ ଭକ୍ଷ୍ୟ ତାରେ । ଦିଅନ୍ତି ଅତି ହତାଦରେ । ।୧୦୧
    କର୍ମ ଆୟତ୍ତେ ଯେବା ପାଇ । ସନ୍ତୋଷ ନେହେ ତାହା ଖାଇ । ।୧୦୨
    ଭୁଞ୍ଜଇ ଗୃହାନ୍ତରେ ଯାଇ । ଶଙ୍କିତେ ଶ୍ୱାନ ପ୍ରାୟେ ହୋଇ । ।୧୦୩
    ଚିନ୍ତା-ପ୍ରଜ୍ୱରେ ଦୁଃଖମନ । ରୋଗ ବଢ଼ଇ ପ୍ରତିଦିନ । ।୧୦୪
    କ୍ଷୁଧାରେ କମ୍ପଇ ଶରୀର । ଭକ୍ଷଇ ଅଳପ ଆହାର । ।୧୦୫
    କିଛି ନ ବୋଲେ ଅହଙ୍କାରେ । ଭିତରେ ପକ୍ଷୀ ପ୍ରାୟେ ଝୁରେ । ।୧୦୬
    ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ । ।୧୦୭
    ଆହାର ହୀନେ ଚିନ୍ତାଛନ୍ନେ । ନ ପଚେ ମନ୍ଦ-ହୁତାଶନେ । ।୧୦୮
    ଆହାର ଅଳପ ଭକ୍ଷଇ । ଦୁର୍ବଳେ ଉଠି ନ ପାରଇ । ।୧୧୯
    ଖର ପବନ ନାସାଦ୍ୱାରେ । ବହଇ ଅତି ଦୀର୍ଘତରେ । ।୧୧୦
    ଶବଦ ଅତି ଭୟଙ୍କର । ଯେହ୍ନେ ଗଭୀର କମ୍ବୁସ୍ୱର । ।୧୧୧
    ଗୃହ ବାହାରେ ଆସି ରହେ । କଫ ନିବାରେ ଶକ୍ତି ନୋହେ । ।୧୧୨
    କଫେ ପୂରିତ ନାଡ଼ିମାନ । ଶ୍ୱାସ ନଚଳଇ ସମାନ । ।୧୧୩
    କାଶରେ ବାୟୁ ଉର୍ଦ୍ଧ୍ୱଗତ । ତେଣୁ ନୟନ ବହିର୍ଗତ । ।୧୧୪
    ଯେଣୁ ପବନ ମନ୍ଦ ହୋଇ । ବଚନ ନପାରଇ କହି । ।୧୧୫
    ସର୍ବଦା ଉଠେ କାଶ ଶ୍ୱାସ । ଏଣେ ଲଭଇ ବହୁ କ୍ଳେଶ । ।୧୧୬
    କଣ୍ଠ ହୁଅଇ ଘୁର-ଘୁର । ବଚନ ନୁହଇ ବାହାର । ।୧୧୭
    ପ୍ରାଣ ହୁଅଇ କଣ୍ଠତଟ । ଜୀବନ ହୋଏ ଛଟପଟ । ।୧୧୮
    କାନ୍ଦଇ ବନ୍ଧୁ ମୁଖ ଚାହିଁ । ବଦନୁ ବାକ୍ୟ ନ ସ୍ଫୁରଇ । ।୧୧୯
    ଚିନ୍ତଇ କି ରୂପେ ମରିବି । କାହିଁ କେବଳ ମାର୍ଗେ ଯିବି । ।୧୨୦
    ମୋର ମରଣେ ପୁତ୍ର ନାରୀ । କେମନ୍ତେ ଥିବେ ଗୃହ କରି । ।୧୨୧
    ଦୁଃଖେ ସଞ୍ଚିଲି ଯେତେ ଧନ । ମୋ ମଲେ ଏହା ନେବ ଆନ । ।୧୨୨
    ଏ ଯେ ହୋଇବେ ଅରକ୍ଷିତ । ଏଣୁ ବ୍ୟାକୁଳ ହୁଏ ଚିତ୍ତ । ।୧୨୩
    ଭିତରେ ଆକୁଳେ କାନ୍ଦଇ । ତା ମନ କେହି ନ ଜାଣଇ । ।୧୨୪
    ଜୀବନ ଦହେ ଦାରା-ଧନେ । ଗୋବିନ୍ଦ ନସ୍ଫୁରେ ଅଜ୍ଞାନେ । ।୧୨୫
    ବାଲିଶଯ୍ୟାରେ ଶୋଇ ଦେଇ । ବନ୍ଧୁ ବାନ୍ଧବେ ବେଢ଼ି ତହିଁ । ।୧୨୬
    ସକଳେ କରନ୍ତି ରୋଦନ । ଶ୍ରବଣେ ଡାକନ୍ତି ସଘନ । ।୧୨୭
    ହେ ତାତ ବୋଲି କେ ଡାକଇ । ତା ଗୁଣ ଭାଳି କେ ରୋଦଇ । ।୧୨୮
    କେହୁ ଡାକନ୍ତି ପୁତ୍ର ଭାଇ । ପତ୍ନୀ ଡାକଇ ହେ ଗୋସାଇଁ । ।୧୨୯
    ନାନା ପ୍ରକାରେ ସେ ରୋଦନ୍ତି । ତା ଦୁଃଖ କେହି ନ ଘେନନ୍ତି । ।୧୩୦
    ସେ କାଳପାଶେ ବନ୍ଦୀ ହୋଇ । କିଞ୍ଚିତେ ବାକ୍ୟ ନ ଭାଷଇ । ।୧୩୧
    ପୀଡ଼ିତ ମୃତ୍ୟୁ ଦୁଃଖ-ଘୋରେ । କୁଟୁମ୍ବ ଭରଣ ବ୍ୟାପାରେ । ।୧୩୨
    ଶୁଣ ଜନନୀ ଏକ ଚିତ୍ତେ । ସଂସାର ଦୁଃଖସୁଖ ଏତେ । ।୧୩୩
    ମନ ନିବିଷ୍ଟ ତହିଁ କଲା । ଇନ୍ଦ୍ରି‌ୟ ଜିଣି ନପାରିଲା । ।୧୩୪
    ତେଣୁ ହୋଇଲା ମୃତ୍ୟୁ ତାର । ଏ ଦଣ୍ତ ଅତି ଭୟଙ୍କର । ।୧୩୫
    ବନ୍ଧୁ-ସ୍ୱଜନେ ସର୍ବେ ଥାଇ । ତା ଦୁଃଖଭାରୀ କେହି ନୋହି । ।୧୩୬
    ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ । ଏବେ ସେ ତେଜିଲେ ବିମୁଖେ । ।୧୩୭
    ପ୍ରାଣ ଯିବାର ବେଳେ ମାଏ । ଅତି ବେଦନା ଜୀବ ପାଏ । ।୧୩୮
    ଘୋର ବ୍ୟଥାରେ ନଷ୍ଟ ମତି । ଚେତନା ରହିତ ହୁଅନ୍ତି । ।୧୩୯
    ଏମନ୍ତେ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମ ଦୂତେ । ।୧୪୦
    ପ୍ରଚଣ୍ତ-ରୂପ ଭୟଙ୍କର । ଉଦ୍ଦଣ୍ତŸ ଦଣ୍ତ ପାଶଧର । ।୧୪୧
    ତାହାଙ୍କ ରୂପକୁ ଅନାଇଁ । ଅଜ୍ଞାନେ ବିକଳେ କମ୍ପଇ । ।୧୪୨
    ପାପୀଙ୍କି ଘେନି ଯିବା ପାଇଁ । ସକ୍ରୋଧ-ନୟନେ ଅନାଇ । ।୧୪୩
    ତାଙ୍କୁ ଦେଖନ୍ତି ପାପୀଜନ । ହୃଦୟ ଭୟେ କମ୍ପମାନ । ।୧୪୪
    ଆରତେ ଛାଡ଼େ ମଳମୂତ୍ର । ସର୍ବତ୍ର କମ୍ପମାନ ଗାତ୍ର । ।୧୪୫
    ଯମ-ଡଗରେ ଆଗସରି । ଯାତନା-ପୁରୁଷକୁ ଧରି । ।୧୪୬
    ବନ୍ଧନେ ନ କରନ୍ତି ଦୟେ । ତର୍ଜନ୍ତି ରାଜଭଟ୍ଟ… ପ୍ରାୟେ । ।୧୪୭
    ବନ୍ଧନ କରି ଚର୍ମପାଶେ । ଦଣ୍ତ ପ୍ରହାରି ମହାରୋଷେ । ।୧୪୮
    ସେ ରୂପ କେହି ନଦେଖନ୍ତି । ଅନ୍ଧାରପଥେ ଘେନିଯାନ୍ତି । ।୧୪୯
    ପଥରେ ଗମନ୍ତି କୁକୁର । ରୋଷେ କାଟନ୍ତି ତା ଶରୀର । ।୧୫୦
    ତାହାଙ୍କ ରୂପ ଦେଖି ଡରି । କାନ୍ଦଇ ଉଚ୍ଚ ନାଦ କରି । ।୧୫୧
    ତୀକ୍ଷ୍‌ଣ ଦଂଶନେ ଖଣ୍ତ ଖଣ୍ତ । ବେଗେ କରନ୍ତି ତାର ପିଣ୍ତ । ।୧୫୨
    ବିକ୍ରମି କରନ୍ତି ଭକ୍ଷଣ । କରଇ କାତରେ ରୋଦନ । ।୧୫୩
    ସେ ଅତି କଷ୍ଟେ ପୀଡ଼ା ପାଇ । ନିଜ ପାତକ ସୁମରଇ । ।୧୫୪
    ଉଠି ପଡ଼ଇ ସେ ଭୂତଳେ । ଘୋର ପ୍ରହାର ଭୟାକୁଳେ । ।୧୫୫
    କ୍ଷୁଧା-ପିପାସା-ଦୁଃଖାକୁଳେ । ପଥରେ ନିଅନ୍ତି ସତ୍ୱରେ । ।୧୫୬
    ବଇତରଣୀ ନଦୀକୂଳେ । ବାଲୁକା ଜଳଇ ଅନଳେ । ।୧୫୭
    ତପ୍ତ ବାଲୁକାମୟ ପଥ । ସେ ଉଷ୍ଣବାୟୁ ସନ୍ତାପିତ । ।୧୫୮
    ସୂର୍ଯ୍ୟକିରଣ ଦାବାନଳ । ସନ୍ତପ୍ତ କରେ ଅତିବେଳ । ।୧୫୯
    ଜଳି ତାପଇ ଅତିଘୋରେ । ସେ ତାପ କେ ସହୁ ଶରୀରେ । ।୧୬୦
    ତହୁଁ ତପତ ବାଲୁକାରେ । ପ୍ରବେଶ କରାନ୍ତି ସତ୍ୱରେ । ।୧୬୧
    ଯେବେ ନ ପଶେ ଭୟ କରି । ତକ୍ଷଣେ ଶିରେ ଯଷ୍ଟି ମାରି । ।୧୬୨
    କ୍ଷଣେ ବିଶ୍ରାମ ନ କରାନ୍ତି । ଅନେକ ଘୋର ଶାସ୍ତି ଦ୍ୟନ୍ତି । ।୧୬୩
    ଯେ ମାର୍ଗେ ଜଳ ବୃକ୍ଷ ନାହିଁ । ପ୍ରାଣ ସମ୍ଭାଳିବ ସେ କାହିଁ । ।୧୬୪
    ଆଶ୍ରୟ ଉଦକ ନ ମିଳେ । ସମର୍ଥ ହୀନେ ଭୟେ ଚଳେ । ।୧୬୫
    ଏମନ୍ତ ପଥେ ନ୍ୟନ୍ତି ଧରି । ଏକାନ୍ତେ ନିଜ କର୍ମ ସ୍ମରି । ।୧୬୬
    ପଡ଼ି ଉଠଇ ଦୁଃଖେ ଶ୍ରମେ । ମୂର୍ଚ୍ଛିତ ହୋଏ ଜ୍ଞାନ ଭ୍ରମେ । ।୧୬୭
    ମାରନ୍ତେ ସତ୍ୱରେ ଉଠଇ । ଅଜ୍ଞାନେ ପୁଣି ସେ ପଡ଼ଇ । ।୧୬୮
    ସେ ଦୂତେ ଦୟା ନକରନ୍ତି । ଦୁଃସହ ମାର୍ଗେ ଘେନିଯାନ୍ତି । ।୧୬୯
    ଗହନ ଘୋର ଅନ୍ଧକାରେ । ନିଅନ୍ତି ପାପୀକୁ ଯତ୍ନରେ । ।୧୭୦
    ପଥ ଅଦୃଶ୍ୟେ ହୁଡ଼ି ପଡ଼େ । ମୁଣ୍ତେ ପ୍ରହାରନ୍ତି ନିବିଡ଼େ । ।୧୭୧
    ଏମନ୍ତ ଦୁଃଖେ ପାପୀଜନ । ପ୍ରବେଶ ଯମର ଭୁବନ । ।୧୭୨
    ନବ ନବତି ପରିମିତ । ସହସ୍ର ଯୋଜନ ସେ ପଥ । ।୧୭୩
    ବେନି ବା ତିନି ମୁହୂର୍ତ୍ତରେ । ପ୍ରବେଶ କରାନ୍ତି ସେଠାରେ । ।୧୭୪
    ଯମ ନିକଟେ ତାକୁ ନେଇ । ବୋଲନ୍ତି ଶିରେ କରଦେଇ । ।୧୭୫
    ଭୋ ଧର୍ମରାଜ ତୋ ବଚନେ । ଆଣିଲୁ ତୋର ସନ୍ନିଧାନେ । ।୧୭୬
    ସେ ଯମ କରଣେ ହକାରି । ତା ପାପ ସୁକୃତ ବିଚାରି । ।୧୭୭
    ସୁକୃତୀ ରହେ ସ୍ୱର୍ଗଲୋକେ । ନାରକୀ ପଡ଼ଇ ନରକେ । ।୧୭୮
    କହନ୍ତି ପ୍ରଭୁ ନାରାୟଣ । ପାପୀ ଯାତନା ମାତା ଶୁଣ । ।୧୭୯
    ଯେ ପ୍ରାଣୀ ନରକେ ପଡ଼ନ୍ତି । ଦୁର୍ଗମ ତାହାଙ୍କ ଦୁର୍ଗତି । ।୧୮୦
    ତହିଁ ଦଣ୍ତନ୍ତି ଅନୁକ୍ଷଣ । ମସ୍ତାକ ସର୍ବାଙ୍ଗ ଚରଣ । ।୧୮୧
    ତଦନ୍ତେ ଦହନ୍ତି ଅନଳେ । ରୋଦଇ ନିର୍ଘାତ ଚହଳେ । ।୧୮୨
    ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ । କ୍ଷୁଧାରେ ହୋଏ ଜ୍ଞାନଭୋଳ । ।୧୮୩
    ଆପଣ ହସ୍ତେ ଦେହ ମାଂସ । କାଟିଣ କରୁଥାଇ ଗ୍ରାସ । ।୧୮୪
    ଅଥବା କାଟି ଦ୍ୟନ୍ତି ପର । ତହା ଭକ୍ଷଇ ପାପୀ ନର । ।୧୮୫
    ଗୃଧ୍ର କୁକୁର ଯମପୁରେ । ପାପୀଙ୍କି ବେଢ଼ିଣ ସତ୍ୱରେ । ।୧୮୬
    ଓଟାରି ନ୍ୟନ୍ତି ନାଡ଼ିଗଣ । ତଥାପି ନ ଛାଡ଼ଇ ପ୍ରାଣ । ।୧୮୭
    ମିଳନ୍ତି ମହା ମହା ସର୍ପେ । ଦଂଶନ୍ତି ତାର ଦେହେ କୋପେ । ।୧୮୮
    ମ›ର୍ତ୍ସ କଚ୍ଛପ ତା ଶରୀର । ବେଢ଼ି ଭକ୍ଷନ୍ତି ନିରନ୍ତର । ।୧୮୯
    କ୍ଷୁର ପ୍ରହାରେ ତାର ପିଣ୍ତ । କାଟି କରନ୍ତି ଖଣ୍ତ ଖଣ୍ତ । ।୧୯୦
    ଉତ୍ତାନେ ପକାଇ ଧରଣୀ । ଗଜେ ମାରନ୍ତି ଦନ୍ତ ଆଣି । ।୧୯୧
    ଦଶନେ ଶରୀର ଚିରନ୍ତି । ପର୍ବତ ଶିଖରୁ ପକାନ୍ତି । ।୧୯୨
    ତଦନ୍ତେ ଖାତଖୋଳି ରୁନ୍ଧି । ଧୂମ ପୁରାନ୍ତି ନିରବଧି । ।୧୯୩
    ବୁଡ଼ାଇ ରଖନ୍ତି ଜଳରେ । ପଥର ଲଦି ତା ଉପରେ । ।୧୯୪
    ଆକୁଳେ ରୋଦଇ ବିକଳେ । ମୁଖେ ପିଟନ୍ତି କୋପାନଳେ । ।୧୯୫
    ଏମନ୍ତେ କର୍ମର ଆୟତ୍ତେ । ନାନା ଯାତନା ଦଣ୍ତ ଯେତେ । ।୧୯୬
    ଚତୁରଅଶୀତି ନରକେ । ନେଇ ଭୁଞ୍ଜାନ୍ତି ଏକେ ଏକେ । ।୧୯୭
    ଏମନ୍ତେ ସଂସାର ଭ୍ରମଣେ । ବ୍ୟାକୁଳ କୁଟୁମ୍ବ ପୋଷଣେ । ।୧୯୮
    ଅନ୍ତେ ଯମର ପୁରେ ଯାନ୍ତେ । କେହି ନଯାନ୍ତି ତାର ସାଥେ । ।୧୯୯
    ବନ୍ଧୁବାନ୍ଧବ ପରିଜନେ । ଦହନ କରି ଶମଶାନେ । ।୨୦୦
    ବିମୁଖେ ନିଜ ପୁରେ ଯାନ୍ତି । ତା ସଙ୍ଗେ କେହି ନ ରହନ୍ତି । ।୨୦୧
    ଅର୍ଜିଲା ପାପପୁଣ୍ୟ ବେନି । ପଥେ ଗମନ୍ତି ତାକୁ ଘେନି । ।୨୦୨
    ଏ ଦୁଇବଳେ ପରଲୋକେ । ଭୋଗ କରଇ ଏକେ ଏକେ । ।୨୦୩
    ଅଧର୍ମେ ଧନାର୍ଜନ କରି । କୁଟୁମ୍ବ ପ୍ରପୋଷଣ କରି । ।୨୦୪
    ଧର୍ମ ନ ସଞ୍ଚେ ରେଣୁ ମାତ୍ରେ । ନିତ୍ୟେ ମଜ୍ଜଇ ଦାରା-ସୁତେ । ।୨୦୫
    ତାହାର ନାହିଁ ଇହପର । ଅନ୍ତେ ନରକ ମାତ୍ର ସାର । ।୨୦୬
    ଏମନ୍ତେ କର୍ମର ଆୟତ୍ତେ । ଚଳନ୍ତି ସ୍ୱର୍ଗ-ନର୍କ ପଥେ । ।୨୦୭
    ତାମିସ୍ର ଆଦି ଯେ ଯାତନା । କେତେ ତା କରିବି ବର୍ଣ୍ଣନା । ।୨୦୮
    ପାତକୀ ସକଳ ଭୁଞ୍ଜଇ । ସ୍ୱକର୍ମ-ପାଶେ ବଦ୍ଧ ହୋଇ । ।୨୦୯
    ଯେତେ ଅଛନ୍ତି ନରନାରୀ । ସର୍ବେ ଯାତନା ଅଧିକାରୀ । ।୨୧୦
    ଉଭୟ ସଙ୍ଗେ ଏ ନରକ । ଭୁଞ୍ଜଇ ସଦା ପାପୀଲୋକ । ।୨୧୧
    ଭୋ ମାତ ଦେଖ ସୁବିଚାରେ । ନରକ ସ୍ୱର୍ଗ ଏହିଠାରେ । ।୨୧୨
    ନରକ ରାଜଦଣ୍ତ ଆଦି । ଏହା ବୋଲନ୍ତି ଶାସ୍ତ୍ରବାଦୀ । ।୨୧୩
    ଯେ ଉପଭୋଗ ସ୍ୱର୍ଗସୁଖ । ଏଠାରେ ଦେଖ ତା ପ୍ରତ୍ୟକ୍ଷ । ।୨୧୪
    ଏ ବେନି ବୁଝ ପରିମାଣି । ବିବେକ ମୁଖେ ଶାସ୍ତ୍ର ଶୁଣି । ।୨୧୫
    ଏରୂପେ କୁଟୁମ୍ବ ଯେ ପୋଷେ । ନିଜ ଉଦର ପରିତୋଷେ । ।୨୧୬
    ଏ ବେନି ସଙ୍ଗତେ ନଯାଇ । ଛାଡ଼ିଣ ଏକା ସେ ଚଳଇ । ।୨୧୭
    ଭୂଞ୍ଜଇ ଆପେ କର୍ମଫଳ । ଯାଠାରୁ ନାହିଁ ବଳୀୟାର । ।୨୧୮
    ତେଜିଣ ନିଜ କଳେବର । ଏକା ସେ ଗମେ ଯମପୁର । ।୨୧୯
    ଅଧର୍ମେ ପ୍ରାଣୀ ହିଂସା କରି । ଯେ ଦେହ ପୋଷେ ସ୍ନେହ ଭରି । ।୨୨୦
    ସେ ଦେହ ତେଜିଣ ସେ ଯାଇ । ପାପକୁ ପୃଷ୍ଠରେ ବସାଇ । ।୨୨୧
    ଏକା ସେ ନରକ ଭୁଞ୍ଜଇ । ଦ୍ୱିତୀୟ ସଙ୍ଗତେ ନଯାଇ । ।୨୨୨
    କୁଟୁମ୍ବ-ପୋଷଣର ଫଳ । ତାହାର ଯେତେକ ଶମଳ । ।୨୨୩
    ସେ ଫଳ ଈଶ୍ୱର ଦିଅନ୍ତି । ପାପୀ ହିଁ ଏକାନ୍ତେ ଭୁଞ୍ଜନ୍ତି । ।୨୨୪
    ଧନ ହରାଇ ଯେହ୍ନେ ନର । ମନରେ ହୁଅଇ ଆତୁର । ।୨୨୫
    ତେସନ ପାପ କରେ ପ୍ରାଣୀ । ବ୍ୟାକୁଳେ ଭୁଞ୍ଜେ ପୁଣ ପୁଣି । ।୨୨୬
    ସେ ଦୁଃଖ ନ ଭୁଞ୍ଜଇ ପର । ତେସନେ ନରକ ଆହାର । ।୨୨୭
    କେବଳ ଅଧର୍ମ ଆଚରି । କୁଟୁମ୍ବ ପୋଷଣ ଯେ କରି । ।୨୨୮
    ଗମଇ ଅନ୍ଧ-ତାମିସ୍ରକୁ । ଉଦ୍ଧାର ନାହିଁ କାହିଁ ତାକୁ । ।୨୨୯
    ଅନ୍ଧ-ତାମିସ୍ର ଯାର ନାମ । ତାହା ହିଁ ନରମ ଚରମ । ।୨୩୦
    ସେ ତହିଁ ଗମନ କରଇ । ବହୁତ କାଳ ତହିଁ ଥାଇ । ।୨୩୧
    ତାର ନରକ ଭୋଗ ଅନ୍ତେ । ଆପଣା କର୍ମର ଆୟେତ୍ତେ । ।୨୩୨
    ଯେତେକ ଯାତନା ଅଛଇ । କ୍ରମେଣ ସକଳ ଭୁଞ୍ଜଇ । ।୨୩୩
    ସେ ପାପପୁଣ୍ୟ ଅବଶେଷ । କର୍ମେ ସେ ଉଦରେ ପ୍ରବେଶ । ।୨୩୪
    ଶ୍ୱାନ ଶୂକର ଆଦି ଯୋନି । ପାପୀ ଲଭଇ କର୍ମ ଘେନି । ।୨୩୫
    ଭୁଞ୍ଜନ୍ତି ପ୍ରାଣୀ ଦେହ ଘେନି । କହିବା ଶୁଣ ଗୋ ଜନନୀ । ।୨୩୬
    କ୍ରମେ ତା ପାପ କ୍ଷୀଣ ହୋଇ । ପୁଣି ସେ ନରଜନ୍ମ ପାଇ । ।୨୩୭
    ଏମନ୍ତେ ମାତାର ସମୀପେ । ଗୋବିନ୍ଦ କପିଳ ସ୍ୱରୂପେ । ।୨୩୮
    ଯେତେ କହିଲେ ଜ୍ଞାନବାଣୀ । ସୁଜନଜନେ ଏହା ଶୁଣି । ।୨୩୯
    ତରିବ ଭବବନ୍ଧ-ପାଶ । କହଇ ଜଗନ୍ନାଥ ଦାସ । ।୨୪୦
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ କର୍ମବିପାକୋ ନାମ
    ତ୍ରିଂଶୋଽଧ୍ୟାୟଃ ।

    ଏକତ୍ରିଂଶ ଅଧ୍ୟାୟ

    କପିଳ ଉବାଚ

    ଶୁଣ ଜନନୀ ତଦନ୍ତରେ । ପୁଣ୍ୟ ପାତକ ସୁବିଚାରେ । ।୧
    ଏ ପୁଣ୍ୟ ପାପ ଅନୁସାରେ । ମନୁଷ୍ୟ ଦେହ ପ୍ରାଣୀ ଧରେ । ।୨
    ମନୁଷ୍ୟ ଦେହ ଯେଣୁ ସ୍ଥିତି । ତେଣୁ ସେ ରାଜସିକ ମତି । ।୩
    ଏହା କହିବା ତୋ ଆଗରେ । ସୁଜନେ ଶୁଣ ହେତୁଦ୍ୱାରେ । ।୪
    ବୋଲନ୍ତି ପ୍ରଭୁ ଭଗବାନ । ଭୋ ମାତ ସାବଧାନେ ଶୁଣ । ।୫
    ଏ ଜୀବ ଯେ କର୍ମ ଇଚ୍ଛଇ । ଈଶ୍ୱର ତହିଁ ନିଯୋଜଇ । ।୬
    ଏ ଜୀବ ସ୍ୱକର୍ମ ବଶରେ । ପୁରୁଷ ରେତ ଆଶା କରେ । ।୭
    ପୁଣି ଏ ଦେହ ଧରିବାକୁ । ପ୍ରବେଶ ଜନନୀ ଗର୍ଭକୁ । ।୮
    ପୁରୁଷ ଦେହର ସ୍ୱରୂପେ । ପଶଇ ଆତ୍ମାର ସଙ୍କଳ୍ପେ । ।୯
    ଯେ ଜନ୍ମେ ଯେ ଗର୍ଭ ସଂଯୋଗ । ପଶଇ ରଜ-ବୀର୍ଯ୍ୟ ଯୋଗ । ।୧୦
    ସେ ରେତ ପ୍ରଥମ ଦିନରେ । ମିଶଇ ଶୋଣିତ ସଙ୍ଗରେ । ।୧୧
    ତାହାକୁ ବୋଲିଟି କଲ୍ଲୋଳ । ପଞ୍ଚମ ଦିନେ ସେ ବର୍ତ୍ତୁଳ । ।୧୨
    ସେ ପୁଣି ବଦରୀ ସମାନେ । କଠିନ ହୁଏ ଦଶଦିନେ । ।୧୩
    ତା ପରେ ହୋଇ ମାଂସ ପିଣ୍ତ । ତଦନ୍ତେ ପ୍ରକାଶଇ ଅଣ୍ତ । ।୧୪
    ମସ୍ତକ ପ୍ରଥମ ମାସରେ । ପ୍ରକାଶ ହୁଅଇ କନ୍ଧରେ । ।୧୫
    ସମ୍ପୂର୍ଣ୍ଣ ବେନିମା ଯାଏ । କର ଚରଣ ଆଦି ହୋଏ । ।୧୬
    ଅଙ୍ଗୁଳି ନଖ ତନୁ ରୋମ । ଅସ୍ଥି ହୃଦୟ ନାଡ଼ିମାନ । ।୧୭
    ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି । ତୃତୀୟମାସେ ଏ ପ୍ରସିଦ୍ଧି । ।୧୮
    ଚତୁର୍ଥମାସେ ଧାତୁ ହୋଏ । ପଞ୍ଚମେ କ୍ଷୁଧା ତୃଷା ବହେ । ।୧୯
    ତଦନ୍ତେ ଷଷ୍ଠ ପରିମିତ । କ୍ଷୁଧା ତୃଷାରେ ସେ ପୀଡ଼ିତ । ।୨୦
    ଗର୍ଭ ବେଷ୍ଟନେ ବଦ୍ଧ ହୋଇ । ଦକ୍ଷିଣ କୁକ୍ଷିରେ ଭ୍ରମଇ । । ୨୧
    ଜନନୀ ଯେ ଦ୍ରବ୍ୟ ଭକ୍ଷଇ । ସେ ରସେ ତା ଧାତୁ ବଢ଼ଇ । ।୨୨
    ମୂତ୍ର ପୁରୀଷ ରକ୍ତ ଲାଳେ । କୃମି ପୀଡ଼ିତ ସମାକୁଳେ । ।୨୩
    ତହିଁ ଯନ୍ତ୍ରିତେ ଶୋଇ ଥାଇ । କୃମି ସଂକୁଳ ମଧ୍ୟେ ରହି । ।୨୪
    ଅତି କୋମଳ କଳେବର । କୃମି ଭକ୍ଷଣେ ନୋହେ ସ୍ଥିର । ।୨୫
    ଅଙ୍ଗ କାଟନ୍ତେ କୃମିମାନେ । ପ୍ରଜ୍ୱଳେ ଦେହ ପ୍ରତିକ୍ଷଣେ । ।୨୬
    ବହୁତ କ୍ଳେଶ ତହିଁ ପାଇ । କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ । ।୨୭
    ଉଷ୍ଣ ଲବଣ କଟୁ ତୀକ୍ଷ୍ଣ । କ୍ଷାର ଆମ୍ବିଳ ଯା ଭକ୍ଷଣ । ।୨୮
    ଜନନୀ ଆହାର କରଇ । ସେ ରସେ ସର୍ବାଙ୍ଗ ପୀଡ଼ଇ । ।୨୯
    କରଇ ବେଦନାକୁ ଜାତ । ତେଣେ ତା ସର୍ବାଙ୍ଗ ପୀଡ଼ିତ । ।୩୦
    ନିବାସ ଜରାୟୁ ଭିତରେ । ନାଡ଼ିରେ ବେଷ୍ଟିତ ନିର୍ଭରେ । ।୩୧
    କୁଟିଳ ଭାବେ ଶିରୋଧର । ପୃଷ୍ଠ କୁଟିଳ କଳେବର । ।୩୨
    ମାତୃକୁକ୍ଷିରେ ଦେଇ ଶିର । ପଡ଼ି ଯେ ଥାଇ ନୋହେ ସ୍ଥିର । ।୩୩
    ଶରୀର ଚାଲି ନପାରଇ । ପିଞ୍ଜର-ପକ୍ଷୀ ପ୍ରାୟ ହୋଇ । ।୩୪
    ସେ ଗର୍ଭେ ପୂର୍ବକର୍ମ ବଶେ । ବହୁତ ଜନ୍ମ ତାକୁ ଦିଶେ । ।୩୫
    ଶତେଜନ୍ମର କର୍ମ ଯେତେ । ସୁମରୁ ଥାଏ ଗର୍ଭଗତେ । ।୩୬
    ସେ ପାପ ପୁଣ୍ୟ ମନେ ଧ୍ୟାଇ । ବହୁତ ନିଃଶ୍ୱାସ ଛାଡ଼ଇ । ।୩୭
    ତା ଫେଡ଼ି ନ ପାରଇ କେହି । କର୍ମଆୟତ୍ତେ ବଶ ହୋଇ । ।୩୮
    ସୁମରି ପୂର୍ବଜନ୍ମ ଦୁଃଖ । ସୁଖ ନ ଲଭି ସେ ବିମୁଖ । ।୩୯
    ସପ୍ତମମାସ ଆଦି କରି । ତା ଦେହେ ଜ୍ଞାନ ଥାଇ ପୁରି । ।୪୦
    ପ୍ରସୂତିବାତ ବଳୀୟାର । ତେଣେ କମ୍ପଇ ତା ଶରୀର । ।୪୧
    ଦେହକୁ ଅସ୍ଥିର କରଇ । କୃମି ଯେସନେ ଭ୍ରମୁଥାଇ । ।୪୨
    ସେ ରୂପେ ଗର୍ଭେ ତା ଭ୍ରମଣ । ଦୁଃସହ ସେ ଦୁଃଖ କଷଣ । ।୪୩
    ତଦନ୍ତେ ଶୁଣ ଗୋ ଜନନୀ । ଭାଳଇ ଦିବସ ରଜନୀ । ।୪୪
    ଅତି ବିମୁଖେ କଷ୍ଟ ସହି । ସେ ଗର୍ଭେ ଆତ୍ମାକୁ ଦେଖଇ । ।୪୫
    ତା ରୂପ ଅତି ମନୋହର । ଧ୍ୟାନେ ଜାଣଇ ତା ଶରୀର । ।୪୬
    ନିରତେ ଭାଳେ ଏକଚିତ୍ତେ । ଭକ୍ତିରେ ମନ ପ୍ରମୋଦିତେ । ।୪୭
    ସପ୍ତଧାତୁରେ ବଦ୍ଧ ହୋଇ । ଅଞ୍ଜଳି କରିଣ ପ୍ରାର୍ଥଇ । ।୪୮
    ଭୟେ ବିଚାରଇ ମନର । କେମନ୍ତେ ଏଥୁଁ ହେବି ପାର । ।୪୯
    ଏଥୁଁ ନିସ୍ତାର ମୋ କେମନ୍ତେ । ଆତଙ୍କେ ଚିନ୍ତଇ ନିରତେ । ।୫୦
    ଯେମନ୍ତେ ଆଉ ପୁନର୍ବାର । ଏ ଗର୍ଭ ଦୁଃଖ ନୋହୁ ମୋର । ।୫୧
    ଶ୍ରୀକୃଷ୍ଣପାଦେ କରି ଧ୍ୟାନ । ଅତି ଆନନ୍ଦ ସୁଖେ ମଗ୍ନ । ।୫୨
    ଏଥୁଁ ନିର୍ଗତ ମୋ କେମନ୍ତେ । ତାହାକୁ ଭାବେ ଅବିରତେ । ।୫୩
    ସେ ଦୁଃଖ ନ ଘେନଇ ଚିତ୍ତେ । ଅନାଥ ମୁଁ ଯେ ଗର୍ଭଗତେ । ।୫୪
    ବେଦନା ପାଉଅଛି ଯେତେ । ଏଥୁ ଉଦ୍ଧର ନାଥ ମୋତେ । ।୫୫
    ଏ ଦୁଃଖ ଯେମନ୍ତେ ନୋହିବ । ଏମନ୍ତ କୃପା ମୋତେ ହେବ । ।୫୬
    ଏ ରୂପେ ବ୍ୟାକୁଳେ କଷଣେ । ସ୍ତୁତି କରଇ ଅନୁକ୍ଷଣେ । ।୫୭

    ଜୀବ ଉବାଚ

    ତୁ ନାଥ ପୂର୍ଣ୍ଣଜ୍ଞାନମୟେ । ଆତ୍ମା ସ୍ୱରୂପେ ବସୁ ଦେହେ । ।୫୮
    ସକଳ ହୃଦୟେ ପ୍ରକାଶ । ଗଗନେ ଯେହ୍ନେ ରବି ତ୍ରାସ । ।୫୯
    ଏବେ ପ୍ରଣମୁଁ ତୋର ପାୟେ । ଭୋ ନାଥ କର ମୋତେ ଦୟେ । ।୬୦
    ଏ ଗର୍ଭବାସ ଦୁଃଖ ମୋତେ । ଯେମନ୍ତେ ନଲାଗେ ଜଗତେ । ।୬୧
    ନିର୍ଲେପ ନିରଞ୍ଜନ ତୁହି । ତୋ ରୂପ ନଜାଣନ୍ତି କେହି । ।୬୨
    ତୋ ପାଦ ନଭଜିଲି ମୁହିଁ । ଅଶେଷ ଗର୍ଭେ ଦେହ ବହି । ।୬୩
    ତେଣୁ ସକଳ ଗର୍ଭବାସ । ଜନ୍ମିଣ ପୁଣି ଯାଇ ନାଶ । ।୬୪
    ତୁ ଏବେ ମୋତେ ଦୟାକର । ଏ ଗର୍ଭସଙ୍କଟୁ ଉଦ୍ଧର । ।୬୫
    ଏ ମହାଗର୍ଭର କଷଣ । ଏଥୁ ଉଦ୍ଧର ନାରାୟଣ । ।୬୬
    ଏ ଗର୍ଭୁ ହୋଇଲେ ନିସ୍ତାର । ତୋର ଚରଣେ ଚକ୍ରଧର । ।୬୭
    ମୁଁ ପାପୀ ଭଜିବି ନିରତେ । ଏ ଦୁଃଖ ନ ଲଭି ଯେମନ୍ତେ । ।୬୮
    ଭୋନାଥ ତୋହର ଚରଣ । ପଶିଲି ଆଜି ମୁଁ ଶରଣ । ।୬୯
    ଜଗତ ରକ୍ଷାର ନିମିତ୍ତ । ଇଚ୍ଛାଏ ନାନା ତନୁଭୂତ । ।୭୦
    ମୁହିଁ ତ ଅଟଇ ଅସତ । ଏ ଗର୍ଭକଷ୍ଟ ମୋ ଉଚିତ । ।୭୧
    ତୋ ରୂପ ଦେଖାଇଲୁ ଦେବ । ଅପୂର୍ବ ଦୟାଳୁ ସ୍ୱଭାବ । ।୭୨
    ଗର୍ଭକୁ ଆଣିଲା ଯେ ମୋତେ । ତା ପାଦେ ସ୍ତୁତି ମୋ ନିରତେ । ।୭୩
    ତା ପାଦେ ପଶିଲି ଶରଣ । ସେ ମୋତେ କରୁ ପରିତ୍ରାଣ । ।୭୪
    ସେବଇ ତାର ପାଦଗତେ । ଅଶେଷ କର୍ତ୍ତା ଯେ ଜଗତେ । ।୭୫
    ଯେ ପ୍ରଭୃ ସୃଷ୍ଟି ରକ୍ଷା ପାଇଁ । ଇଚ୍ଛାରେ ଶରୀର ଧରଇ । ।୭୬
    ଯେ କଲା ଏତାଦୃଶ ଗତି । ମୁଁ ପାପୀ ଅତୀବ ଦୁର୍ମତି । ।୭୭
    ସେ ପ୍ରଭୁ ଏକଷ୍ଟୁ ରଖିବେ । ତା ବିନୁ ଆଶ୍ରା ନାହିଁ ଜୀବେ । ।୭୮
    ତାହାଙ୍କ ଅଭୟ ଚରଣେ । ଶରଣ ଗଲି ଏ କଷଣେ । ।୭୯
    ସେ ପାଦେ ଯେ ପ୍ରାଣୀ ପ୍ରପନ୍ନ । ନ ଲାଗେ ଏ ଦୁଃଖ ବୃଜିନ । ।୮୦
    ମୁଁ କଷ୍ଟେ ଜନନୀ ଗର୍ଭରେ । ଅଛଇ ମାୟା କଳେବରେ । ।୮୧
    ଜୀବ ସ୍ୱରୂପେ ଅଛି ମୁହିଁ । ମୋ ନିଜକମେ ବନ୍ଦୀ ହୋଇ । ।୮୨
    ଅଛଇ ବନ୍ଧନ ପରାୟେ । ଏ ଗର୍ଭପୀଡ଼ା ଅତି ଭୟେ । ।୮୩
    ନମଇଁ ତାହାଙ୍କ ପୟରେ । ଯେ ଦେବ ଛନ୍ତି ମୋ ହୃଦରେ । ।୮୪
    ବିଶୁଦ୍ଧ ବିକାର-ବିହୀନ । ଅଖଣ୍ତବୋଧ ଅନୁଦିନ । ।୮୫
    ତ୍ରିବିଧ ସନ୍ତାପେ ତାପିତ । ହୃଦୟେ ହୁଅଇ ପ୍ରତୀତ । ।୮୬
    ନମଇଁ ତାହାଙ୍କ ଚରଣେ । ସେ ନାଥ ରଖୁ ଏ କଷଣେ । ।୮୭
    ଏ ପଞ୍ଚଭୂତେ ବିରଚିତ । ଏମନ୍ତ ଦେହେ ମୁହିଁ ସ୍ଥିତ । ।୮୮
    ମିଥ୍ୟାରେ ଆଚ୍ଛନ୍ନ ହୋଇଛି । ବୁଝିଲେ ସତ୍ୟ ନୋହେ କିଛି । ।୮୯
    ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତ । ଏଥେଁ ମୁଁ ବଦ୍ଧ ଅବିରତ । ।୯୦
    ବନ୍ଦଇ ସେ ପ୍ରଭୁ ଚରଣ । ଏ କଷ୍ଟୁ କରିବେ ତାରଣ । ।୯୧
    ଅକୁଣ୍ଠ ମହିମା ତାହାର । କେବେ ହେଁ ନଥାଇ ବିକାର । ।୯୨
    ଯେଣୁ ସେ ଆଦି ନିରଞ୍ଜନ । ପ୍ରକୃତି ପୁରୁଷହୁଁ ଭିନ୍ନ । ।୯୩
    ସେ ପ୍ରଭୁ ପରମ-ପୁମାନ । ଦିଅନ୍ତୁ ମୋତେ ଦିବ୍ୟଜ୍ଞାନ । ।୯୪
    ଯା ମାୟା ଆବୋରି ରହିଛି । ଏଣୁ ମୁଁ ସବୁ ବିସ୍ମରୁଛି । ।୯୫
    ତେଣୁ ଭ୍ରମଇ ଏ ସଂସାରେ । ଶ୍ରମେ କାତର ନିରନ୍ତରେ । ।୯୬
    ତାହାଙ୍କୁ ଭଜିବଇଁ ଯେବେ । ଏ ଦୁଃଖୁ ନିସ୍ତାରିବେ ତେବେ । ।୯୭
    ଭଜିଲେ ନିଜରୂପ ପାଇ । ନ ଭଜି ପାରହେବି କାହିଁ । ।୯୮
    ସେ ପ୍ରଭୁ ବିନୁ ଏହି ଜ୍ଞାନ । କେ ଦେଇ ପାରି ମୋତେ ଆନ । ।୯୯
    ତା ତହୁଁ ଜ୍ଞାନ ମୁଁ ପାଇଛି । ଯେଣୁ ମୁଁ ତ୍ରିକାଳ ଦେଖୁଛି । ।୧୦୦
    ଏଣୁ ଏ ଗର୍ଭଦୁଃଖ ଘୋର । ନ ଜାଣେ ଶରୀର ମୋହର । ।୧୦୧
    ଏଣୁ ଯେ ତାହାଙ୍କୁ ଭଜିବି । ତେବେ ସେ କର୍ମକୁ ଜିଣିବି । ।୧୦୨
    ଯାହାର ଅଂଶ ସ୍ଥିରଚରେ । ବ୍ୟାପିଛି ଭବନ ଭିତରେ । ।୧୦୩
    ବନ୍ଦଇ ତାହାଙ୍କ ଚରଣ । ଭୋ ନାଥ ଦେବା ଦିବ୍ୟଜ୍ଞାନ । ।୧୦୪
    ବାଳ ଚଞ୍ଚଳ ଭାବ ମୁହିଁ । ତୋ ପାଦ-କମଳେ ପୁଛଇ । ।୧୦୫
    ଜନନୀ-ଉଦର-ଗୁହାରେ । ପୁରୀଷ ମୂତ୍ରାଦି କୁପରେ । ।୧୦୬
    ଅବଶେ ତହିଁ ମୁଁ ପଡ଼ିଛି । ଜଠରଅଗ୍ନି ଦହୁ ଅଛି । ।୧୦୭
    ତହୁଁ ବାହାର ହେବା ପାଇଁ । ସଭୟେ ମାସ ଗଣୁଛଇଁ । ।୧୦୮
    କେବେ ସେ କରିବେ ବାହାର । ସେ ପ୍ରଭୁ କୃପା-ପାରାବାର । ।୧୦୯
    ଯେ କଲା ଏତାଦୃଶ ଗତି । ଲଭିଲି ଦିବ୍ୟଜ୍ଞାନ ମତି । ।୧୧୦
    ସେ ବଡ଼ କରୁଣାସାଗର । ଯେ ମୋତେ ଦେଲେ ଜ୍ଞାନପର । ।୧୧୧
    ମୁଁ ତାଙ୍କୁ କିସେବା କରିବି । କି ଦ୍ରବ୍ୟ ଦେଇଣ ତୋଷିବି । ।୧୧୨
    ସେ ନାଥ ଦୀନବନ୍ଧୁ ଯେବେ । ସ୍ୱଗୁଣେ ତୁଷ୍ଟ ହେବେ ତେବେ । ।୧୧୩
    ଅଞ୍ଜଳି ବିନୁ ନାରାୟଣ । ମୋହର ଦ୍ରବ୍ୟ ନାହିଁ ଆନ । ।୧୧୪
    ଏ ଯେତେ ଜୀବପଶୁ ଆଦି । ଅଜ୍ଞାନ ଦେହେ ନିରବଧି । ।୧୧୫
    ଦେଖନ୍ତି ସୁଖ ଦୁଃଖ ମାତ୍ର । ଏଣୁ ହୁଅନ୍ତି କ୍ଳେଶପାତ୍ର । ।୧୧୬
    ଯେ ଦିବ୍ୟଜ୍ଞାନ ଦେଲେ ମୋତେ । ଯେ ବୁଦ୍ଧି ଘେନି ଅବିରତେ । ।୧୧୭
    ଏ ଦେହ ଭିତର ବାହାରେ । ପ୍ରତ୍ୟକ୍ଷ ଦେଖୁଛି ତାହାରେ । ।୧୧୮
    ଏ ଘେନି ସୁଖେ ଆଶା ନାହିଁ । ଦୁଃଖକୁ ଭୟ ଅବା କାହିିଁ । ।୧୧୯
    ଯେ ମୋତେ ଦେଲେ ଦିବ୍ୟଜ୍ଞାନ । ସେ ପାଦେ ମୋହର ବନ୍ଦନ । ।୧୨୦
    ସେ ପ୍ରଭୁ ରୂପ ମନୋହର । ଦର୍ଶନେ ଲୋଭ ଚିତ୍ତ ମୋର । ।୧୨୧
    ସେ ରୂପ-ସୁଧା ଆପ୍ୟାୟନେ । ତୃଷିତ ଲୋଚନ ସଘନେ । ।୧୨୨
    କେବେ ହେଁ ନପାରଇ ଛାଡ଼ି । ଆନନ୍ଦେ ସୁଧାର୍ଣ୍ଣବେ ବୁଡ଼ି । ।୧୨୩
    ବହୁତ ଦୁଃଖର ଆବାସ । ଏହି ମୋହର ଗର୍ଭବାସ । ।୧୨୪
    ମୁଁ ଦୁଃଖେ ବଞ୍ଚିବି ଗର୍ଭରେ । କେବେ ହେଁ ନଯିବି ବାହାରେ । ।୧୨୫
    ସଂସାର ଅନ୍ଧକୂପ ଅତି । ତହିଁକି ଯେ ଜୀବେ ଗମନ୍ତି । ।୧୨୬
    ତୋ ମାୟା ଘୋଟଇ ତାହାକୁ । ସେ ସତ୍ୟ ମଣଇଁ ମିଥ୍ୟାକୁ । ।୧୨୭
    ପଡ଼ଇ ସଂସାର-ଚକ୍ରରେ । ପୁତ୍ର କଳତ୍ର ମାୟା-ଘୋରେ । ।୧୨୮
    ଏଣୁ ବାହାରେ ନ ଯିବଇଁ । ମୁଁ ଗର୍ଭେ ମୋକ୍ଷ ସାଧିବଇଁ । ।୧୨୯
    ବ୍ୟାକୁଳ ନୋହି ଏ ଗର୍ଭର । ସହିବି ଦୁଃଖ ମହାଘୋର । ।୧୩୦
    ଆତ୍ମାକୁ ତାରିବି ଏଠାରେ । ମନ ନିବେଶି ଆତ୍ମାଠାରେ । ।୧୩୧
    ସାରଥି ବୁଦ୍ଧି ବିବେକକୁ । କରିଣ ତାରିବି ଆତ୍ମାକୁ । ।୧୩୨
    ଗର୍ଭ ନିବାସ ଦୁଃଖ ଆର । ଯେମନ୍ତ ନୋହିବ ମୋହର । ।୧୩୩
    ବିଷ୍ଣୁର ଚରଣେ ପଶିବି । ଅଶେଷ ଗର୍ଭେ ମୁଁ ନ ଯିବି । ।୧୩୪

    ମୈତ୍ରେୟ ଉବାଚ

    ଏମନ୍ତେ ନାନା ସ୍ତୁତି କରି । ଗର୍ଭ-ଯାତନା ଦୁଃଖେ ଡରି । ।୧୩୫
    ସେ ଜୀବ ଅତି ଦୁଃଖେ ଛନ୍ନ । ଦୁର୍ଗନ୍ଧ ଆଘ୍ରାଣେ ଅଜ୍ଞାନ । ।୧୩୬
    କହନ୍ତି କପିଳ ଗୋସାଇଁ । ସେ ଦେବହୂତି ମୁଖ ଚାହିଁ । ।୧୩୭

    କପିଳ ଉବାଚ

    ବିନୟ ଭାବେ ସ୍ତୁତି କରେ । ଏ ଜୀବ ଜନନୀ ଉଦରେ । ।୧୩୮
    କେବେ ହେଁ ନୋହେ ତା ଉଶ୍ୱାସ । ଦୁଃଖେ ପୀଡ଼ିତ ଦଶମାସ । ।୧୩୯
    ଏମନ୍ତ ଦୁଃଖ ଅବଶେଷେ । ଶରୀରୁ ପବନ ପ୍ରକାଶେ । ।୧୪୦
    ତାହାକୁ ପ୍ରସବ ମାରୁତ । ପ୍ରେରଣ କରଇ ବହୁତ । ।୧୪୧
    ତକ୍ଷଣେ ଅଧୋମୁଖ କରି । ପକାଇ ଯୋନିଦ୍ୱାର ଭରି । ।୧୪୨
    ଗର୍ଭ ଭିତରୁ ତାକୁ ହେଳେ । ପବନ ଝାଙ୍କି ମହାବଳେ । ।୧୪୩
    ସେ ଯୋନିଦ୍ୱାର ମାର୍ଗଗତେ । ବାହାର କରଇ ତୁରିତେ । ।୧୪୪
    ଅତି ସଂକୀର୍ଣ୍ଣ ଜନ୍ମଦ୍ୱାର । କଷ୍ଟରେ ହୁଅଇ ବାହାର । ।୧୪୫
    ସ୍ତମ୍ଭିତେ ଶ୍ୱାସ ନିରୋଧଇ । ସେ ଗର୍ଭଜ୍ଞାନ ପାଶୋରଇ । ।୧୪୬
    ଅଜ୍ଞାନେ ପଡ଼ଇ ଭୂମିରେ । ରକ୍ତ-ଜର୍ଜର କଳେବରେ । ।୧୪୭
    କୃମିର ପ୍ରାୟେ ଚେଷ୍ଟା କରେ । ରୋଦନ କରଇ କାତରେ । ।୧୪୮
    ଲଭଇ ବିପରୀତ ଗତି । ସେ ଜ୍ଞାନ ଆଉ ନ ସ୍ମରତି । ।୧୪୯
    ପାଳନ୍ତି ଜ୍ଞାତି ବନ୍ଧୁଜନେ । ତା ଅଭିମତ କେହୁ ଜାଣେ । ।୧୫୦
    କ୍ଷୁଧାରେ ତକ୍ଷଣେ ରୋଦଇ । ତା କେହି ବୁଝି ନପାରଇ । ।୧୫୧
    ବୋଲନ୍ତି ପେଟ ବଥାଇଲା । ଏଣୁ ଏ ବ୍ୟାକୁଳେ ରୋଦିଲା । ।୧୫୨
    ମୁଖେ ଦିଅନ୍ତି ନିମ୍ବରସ । ଜୀବ ତ ପିଅଇ ଅବଶ । ।୧୫୩
    ନିଷେଧି ତାହା ନ ପାରଇ । ଯାହା ଦିଅନ୍ତି ତାହା ଖାଇ । ।୧୫୪
    ଅଶୁଚି ଶଯ୍ୟାରେ ଶୟନ । କରନ୍ତି ତାକୁ ପରିଜନ । ।୧୫୫
    ତହିଁ ଅବଶେ ପଡ଼ିଥାଇ । ପିମ୍ପୁଡ଼ି ମାଛି କୀଟ ଖାଇ । ।୧୫୬
    ନିବାରେ ନୋହଇ ସମର୍ଥ । ଯେଣୁ ନଚଳେ ପଦ ହସ୍ତ । ।୧୫୭
    ଉଠି ବସିତେ ଶକ୍ୟ ନାହିଁ । ବନ୍ଧନ ଜୀବ ପ୍ରାୟ ହୋଇ । ।୧୫୮
    କୋମଳ ଚର୍ମ ତା ଶରୀରେ । କାଟନ୍ତି ମଶକ ନିର୍ଭରେ । ।୧୫୯
    ଦଶନ ବିକାଶି କାଟନ୍ତି । ଶୋଷିଣ ଶୋଣିତ ପିବନ୍ତି । ।୧୬୦
    ତହୁଁ ସେ ଜ୍ଞାନହୀନ ହୋଇ । ସର୍ବଦା ରୋଦନ କରଇ । ।୧୬୧
    ଏ ରୂପେ ପାଞ୍ଚବର୍ଷ ଯାଏ । ଶୈଶବେ ଦୁଃଖ ଭୋଗ ହୁଏ । ।୧୬୨
    ପୌଗଣ୍ତ କାଳେ ମହା ଦୁଃଖ । ତହିଁ ନପାଇ କିଛି ସୁଖ । ।୧୬୩
    ତଦନ୍ତେ ବିଦ୍ୟା ପ୍ରପଠନେ । ଭୟେ ତରସ୍ତ ପ୍ରତିଦିନେ । ।୧୬୪
    ମରଣୁ ସେ ଦୁଃଖ ବଳଇ । ନିର୍ଭୟସ୍ଥାନେ ପଶେ ଯାଇ । ।୧୬୫
    ଏମନ୍ତେ ଜୀବ ଲଭେ କ୍ଳେଶ । ନ ପାଇ ଜ୍ଞାନ ଉପଦେଶ । ।୧୬୬
    ଯୌବନାବସ୍ଥା ପ୍ରବେଶେଷ । ତହିଁ ପୀଡ଼ିତ କାମବାଣ । ।୧୬୭
    ମନେ କଳ୍ପିତ ଯା କରଇ । ସେ ଯେବେ ଆସି ନଘଟଇ । ।୧୬୮
    ଶୋକରେ ହୁଅଇ ବାଧିତ । କ୍ରୋଧିତ ହୋଏ ଅବିରତ । ।୧୬୯
    ଏମନ୍ତ ପ୍ରତି ସମ୍ବତ୍ସରେ । କାମ ବଢ଼ଇ ନିରନ୍ତରେ । ।୧୭୦
    ଯେ ରୂପେ ଶରୀର ବଢ଼ଇ । ତା ସଙ୍ଗେ କାମାଦି ବଢ଼ଇ । ।୧୭୧
    ପ୍ରକୋପ ବଢ଼େ କଳେବରେ । କାମିନୀ ସଙ୍ଗେ କେଳୀ କରେ । ।୧୭୨
    ଅତ୍ୟନ୍ତ କାମେ ହୋଇ ବାଇ । ଆପଣା ନାଶ ନ ଜାଣଇ । ।୧୭୩
    ନାନା ଯୋନିରେ ଆଶା କରେ । ଏ ଯୁବା ବୟସ ବେଭାରେ । ।୧୭୪
    ଏମନ୍ତେ ବଢ଼େ ଦିନେ ଦିନେ । ଯେ ରୂପେ ପ୍ରୌଢ଼ ସେ ଯୌବନେ । ।୧୭୫
    ବ୍ୟାକୁଳ ଧନ ଅରଜନେ । ଚିତ୍ତ ବ୍ୟାକୁଳ ଦୁଃଖମନେ । ।୧୭୬
    ଦିନକୁ ଦିନ କାମ ଗାଢ଼େ । ନିରତେ ଅହଙ୍କାର ବଢ଼େ । ।୧୭୭
    ସନ୍ତତି ଜନମ ବ୍ୟାକୁଳେ । କାମିନୀ ସଙ୍ଗେ ରତି ମେଳେ । ।୧୭୮
    ବଞ୍ଚଇ ସୁଖ ପ୍ରାୟ ମଣି । ଆତ୍ମାର ଦୁଃଖ ନ ପ୍ରମାଣି । ।୧୭୯
    ଏ ପଞ୍ଚଭୂତ କଳେବରେ । ଆପଣା ବୋଲି ଯା ଆଦରେ । ।୧୮୦
    ମୁଁ ହର୍ତ୍ତା କର୍ତ୍ତା ସର୍ବଠାରେ । ଏ ମୋର ଛନ୍ତି ଯେତେ ଘରେ । ।୧୮୧
    ଏହି କୁମତି ଭାବୁଥାଇ । ଆପଣା ହିତ ନଜାଣଇ । ।୧୮୨
    ଚର୍ମ ଶୋଣିତ ଗାଢ଼ ଭିତ୍ତି । ଅଶେଷ ରୋଗ ଯହିଁ ସ୍ଥିତି । ।୧୮୩
    ଏ ମୋ ଶରୀର ବୋଲି ଜାଣେ । କ୍ଷଣ-ବିଧ୍ୱଂସ ନ ପ୍ରମାଣେ । ।୧୮୪
    ଏ ଦେହ ଅସତ୍ୟ ସ୍ୱଭାବେ । ଯେ ଆତ୍ମବୁଦ୍ଧି ଅନୁଭବେ । ।୧୮୫
    ପରମହିଂସନେ କରେ ମତି । ନିଜ ଶରୀର ସୁଖ ଚିନ୍ତି । ।୧୮୬
    ଅସାଧୁ ସଙ୍ଗେ ନିତ୍ୟେ ଥାଇ । ସୁସାଧୁ ସଙ୍ଗ ନ ଇଚ୍ଛଇ । ।୧୮୭
    ନିତ୍ୟେ ବିଷୟା ସଙ୍ଗ ଚିନ୍ତି । ଏ ଯେ ନ ଭଲେ ଆତ୍ମଗତି । ।୧୮୮
    ଆହାର ଶୃଙ୍ଗାର ଇଚ୍ଛଇ । ନିବେଦେ ନିତ୍ୟେ ମନଦେଇ । ।୧୮୯
    ତାର ବିଶ୍ୱାସେ ନିତ୍ୟେ ମଜ୍ଜେ । ଜିହ୍ୱା ଇନ୍ଦ୍ରିୟ ରସେ ମଜ୍ଜେ । ।୧୯୦
    ଭଜଇ ବିଷୟ ତରଙ୍ଗ । କେବେହେଁ ନୋହେ ସାଧୁ ସଙ୍ଗ । ।୧୯୧
    ଆତ୍ମାକୁ ନକରେ ବିଚାର । ଏଣୁ ଏ ଦୁଃଖ ମହାଘୋର । ।୧୯୨
    ଯେ ଦେହେ ନାନା କ୍ଳେଶ ଦେଇ । କର୍ମ କରଇ ତାର ପାଇଁ । ।୧୯୩
    ଯେ କର୍ମେ ବଦ୍ଧ ପ୍ରାୟ ହୋଇ । ଅଜ୍ଞାନେ ପୁଣ ଜନ୍ମ ହୋଇ । ।୧୯୪
    ଶିଶୁ ଉଦର ସୁଖାତୁରେ । ଉଦ୍ୟମ କରେ ନିରନ୍ତରେ । ।୧୯୫
    ଏମନ୍ତ ଅସତ ଯେ ଜନ । ତାର ସଙ୍ଗତେ କରେ ମନ । ।୧୯୬
    ତାଙ୍କ ସ୍ୱକର୍ମ ଆଚରଇ । ଯେ ମାର୍ଗେ ନରକେ ପଡ଼ଇ । ।୧୯୭
    ଭୋମାତ ଶୁଣ ତଦନ୍ତରେ । ପୂର୍ବେ କହିଛୁ ଯେ ପ୍ରକାରେ । ।୧୯୮
    ସେ ଭାବେ ପୁଣି ନର୍କେପାଇ । ଯାତନା ଅନେକ ଭୁଞ୍ଜଇ । ।୧୯୯
    ଏଣୁ ଅସତ ସଙ୍ଗ କଲେ । ବିନାଶ ହୋଇ ଅବହେଳେ । ।୨୦୦
    ଅସତ ସଙ୍ଗ ସତ୍ୟ ନାଶେ । ଶଉଚ ତପ ନ ପ୍ରକାଶେ । ।୨୦୧
    ମଉନ ବ୍ରତାଦି ନ ରହେ । ବୁଦ୍ଧି-ବିବେକ ହୋନ୍ତି କ୍ଷୟେ । ।୨୦୨
    ଲଜ୍ଜା ଛାଡ଼ଇ କାନ୍ତି ଯଶ । କ୍ଷମାଦି ଅଯଶେ ବିନାଶ । । ୨୦୩
    ବିନାଶ ହୋନ୍ତି ସମ ଦମ । ଐଶ୍ୱର୍ଯ୍ୟ ହୋଏ ଉପଶମ । ।୨୦୪
    ଅଶାନ୍ତ ଜନେ ସଙ୍ଗ ହୋଇ । ଯେ ମୂଢ଼ ଭାବେ ନିତ୍ୟେ ରହି । ।୨୦୫
    ଜ୍ଞାନ ନ ବୁଝେ ଦମ୍ଭ ପଣେ । ମିଥ୍ୟା ଭାଷଇ ଅନୁକ୍ଷଣେ । ।୨୦୬
    ଯେ ଦେହେ ଆତ୍ମବୁଦ୍ଧି କରେ । ସାଧୁଜନଙ୍କୁ ନ ଆଦରେ । ।୨୦୭
    ବୋଲଇ ମୋ ତହୁଁ ଅପରେ । କେ ଭାଗ୍ୟବନ୍ତ ଏ ସଂସାରେ । ।୨୦୮
    ମୁଁ ଧର୍ମ ଜାଣଇ ସକଳ । ଏଣୁ ପୂଜିତ ଏ ଶୟଳ । ।୨୦୯
    ମୋ ତହୁଁ ଧନବନ୍ତ କେହି । ପ୍ରତୁଲ୍ୟ ନୋହିବ ଏ ମହୀ । ।୨୧୦
    ମୋ ଧନ ଉପାୟେ ମିଳଇ । ଏଣୁ ମୋହର ଭୟ ନାହିଁ । ।୨୧୧
    ଏମନ୍ତେ ଯେବା ଗର୍ବ କରେ । ଦେହାନ୍ତେ ନରକେ ସଞ୍ଚରେ । ।୨୧୨
    ହୁଅନ୍ତି ନାରୀଙ୍କ ଅଧୀନ । ଖେଳିବା ହରିଣ ଯେସନ । ।୨୧୩
    ଏମନ୍ତ ସଙ୍ଗ ନକରିବ । ଯେବେ ସୁଭାଗ୍ୟେ ଇଚ୍ଛା ଥିବ । ।୨୧୪
    ଆବର ଶୁଣସି ଗୋ ମାଏ । ଯେମନ୍ତେ ପ୍ରାଣୀ ନାଶ ପାଏ । ।୨୧୫
    ଯେଣୁ ଯୁବତୀ ସଙ୍ଗେ ମନ । ପ୍ରାଣୀର ହୋଏ ନିବନ୍ଧନ । ।୨୧୬
    ଏମନ୍ତ ଅନ୍ୟ ସଙ୍ଗ ନାହିଁ । ଏଣୁ ଯୁବତୀ ସଙ୍ଗୀ ନୋହି । ।୨୧୭
    ତାହାଙ୍କ ସଙ୍ଗୀ ଯେତେ ଜନ । ସେ ସଙ୍ଗ ନକରିବ ମନ । ।୨୧୮
    ସେ ସର୍ବେ ମୋହିତ କରନ୍ତି । ସେ ସଙ୍ଗେ ପ୍ରାଣୀ ନାଶଯାନ୍ତି । ।୨୧୯
    ପୂର୍ବେ ବିଧାତା କନ୍ୟା ଚାହିଁ । ତା ରୂପ ଦେଖି ବନ୍ଦୀ ହୋଇ । ।୨୨୦
    ସେ କନ୍ୟା ପିତାର ଅଜ୍ଞାନେ । ପଳାଇ ଗଲା ଘୋରବନେ । ।୨୨୧
    ହରିଣୀ ରୂପ ସେ ଧଇଲା । ଛଦ୍ରମେ ବନସ୍ତେ ପଶିଲା । ।୨୨୨
    ବିଧାତା ତ ଗତି ବିଚାରି । ସେହି ହରିଣ ରୂପ ଧରି । ।୨୨୩
    ଲଜ୍ଜା ଛାଡ଼ିଲେ ବେଦବ୍ରହ୍ମା । ନାରୀଙ୍କ ଏମନ୍ତ ମହିମା । ।୨୨୪
    ଏଣୁ କେ ତା ମୁଖୁଁ ତରିବ । ଯହିଁ ମୋହିତ ବ୍ରହ୍ମାଶିବ । ।୨୨୫
    ସେ ସଙ୍ଗ ଛାଡ଼ିବ ଯତନେ । ଶ୍ରେୟକୁ ବା‚ଞ୍ଛା ଥିଲେ ମନେ । ।୨୨୬
    ସେ ବ୍ରହ୍ମା ଯାହାକୁ ସର୍ଜିଲା । ତା ହେତୁ ଆପେ ମୋହଗଲା । ।୨୨୭
    ସେ ସଙ୍ଗ ଯେତେ ପ୍ରାଣୀ କଲେ । ଦେବ ମାୟାରେ ମୋହଗଲେ । ।୨୨୮
    ଏମନ୍ତ କେହୁ ପ୍ରାଣୀ ଅଛି । ନାରୀମାୟାରେ ନ ପଡ଼ିଛି । ।୨୨୯
    ବିନାଶେ ପ୍ରଭୁ ଭଗବାନ । ନାରୀଙ୍କି ନ ଜିଣିଲେ ଆନ । ।୨୩୦
    ଦେଖ ମୋ ଯୋଗମାୟା ବଳ । ଯୁବତୀ ସ୍ୱରୂପେ ପ୍ରବଳ । ।୨୩୧
    ସେ ଯାକୁ ଅପାଙ୍ଗେ ଇଚ୍ଛଇ । ସେ ପ୍ରାଣୀ ପଡ଼ି ମୋହଯାଇ । ।୨୩୨
    ଦିଗ ବିଜୟୀ ଯେବେ ହୋନ୍ତି । ତଥାପି ନାରୀବଶେ ଥାନ୍ତି । ।୨୩୩
    ସେବନ୍ତି ନାରୀଙ୍କ ପୟର । ଏମନ୍ତ ମାୟାବଳ ମୋର । ।୨୩୪
    ଯେ ମୋକ୍ଷସାଧନ ଇଚ୍ଛିବ । ସେ ନାରୀସଙ୍ଗ ନକରିବ । ।୨୩୫
    ସେବିଣ ସାଧୁ ସୁଜ୍ଞଜନ । ଲଭି ଯେ ଥାଇ ଆତ୍ମଜ୍ଞାନ । ।୨୩୬
    ଏମନ୍ତ ଯୋଗୀ ସେବା ହୋନ୍ତି । ତାହାଙ୍କୁ ଯୁବତୀ ନାଶନ୍ତି । ।୨୩୭
    ନାରୀ ଅଜ୍ଞାନ ତମଦ୍ୱାର । ଯୋଗୀ ଛାଡ଼ିବେ ସଙ୍ଗ ତାର । ।୨୩୮
    କେବଳ ମାୟାରେ ଯୁବତୀ । ନିର୍ମାଣ କଲା ପ୍ରଜାପତି । ।୨୩୯
    ସେ ସେବା କରିବାର ଛଳେ । ପାଶକୁ ଆସୁଥାଇ ବଳେ । ।୨୪୦
    କପଟେ ବିନୟ ବଚନ । କହି ବୋଧଇ ପ୍ରାଣୀମନ । ।୨୪୧
    ବ୍ୟାଧ ଯେସନେ ଛନ୍ଦ କରି । ଜୀବ ବିନାଶେ ପାଶେ ଭରି । ।୨୪୨
    ତେସନ ନାରୀଙ୍କ ବଚନ । ବିଶ୍ୱାସୀ ହରେ ପ୍ରାଣୀ ମନ । ।୨୪୩
    ତୃଣଆଚ୍ଛନ୍ନ କୂପେ ଥାଇ । ପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ । ।୨୪୪
    ନିଶି ଦିବସେ କୂପଦ୍ୱାରେ । ଜାଗ୍ରତେ ରହେ ନିରନ୍ତରେ । ।୨୪୫
    ସେ ପଥେ ଯେ ପ୍ରାଣୀ ଗମନ୍ତି । ସେ କୂପେ ପଡ଼ି ନାଶଯାନ୍ତି । ।୨୪୬
    ସେ କୂପ ଅତି ତମଘୋର । ଦେଖି ଭ୍ରମନ୍ତି ସୁରନର । ।୨୪୭
    ତାହାର ଅନ୍ତଃ ପାର ନାହିଁ । ଗଭୀର କେ ପାରିବ କହି । ।୨୪୮
    ଯହିଁ ଅଶେଷ ଉଦେ ଅସ୍ତ । ପ୍ରାଣୀ ନଜାଣେ ତାର ତ‌ତ୍ତ୍ବ । ।୨୪୯
    ସେ କୂପେ ପ୍ରାଣୀ ସୁଖଭରେ । ପଡ଼ି ବୃକ୍ଷାଦି ଯେବେ ଧରେ । ।୨୫୦
    ସେ ସର୍ବେ ଉପୁଡ଼ି ପଡ଼ନ୍ତି । ସେ କୂପେ ପଡ଼ି ନବର୍ତ୍ତନ୍ତି । ।୨୫୧
    ବୃକ୍ଷାଦି ଉପଲକ୍ଷ୍ୟ ଯେତେ । ଧର୍ମାଦି ପୁଣ୍ୟ ଏ ସମସ୍ତେ । ।୨୫୨
    ସେ କୂପ ପୁଣ୍ୟ-ବିନାଶିନୀ । ନିର୍ମିତ କଲେ ପଦ୍ମଯୋନି । ।୨୫୩
    ସେ ଜ୍ଞାନମାର୍ଗ ଆଚ୍ଛାଦଇ । ଅଜ୍ଞାନୀଜନେ ସୁଖମୟୀ । ।୨୫୪
    ସେ ସଙ୍ଗେ ପୁଣ୍ୟକର୍ମ କଲେ । ସକଳ ନାଶ ଯାଇ ଭଲେ । ।୨୫୫
    ଏ ଘେନି କୂପ ମାର୍ଗ ଗତେ । ଜ୍ଞାନୀ ନ ଗମେ ଭୟ ଚିତ୍ତେ । ।୨୫୬
    ଦୁର୍ଗମ-ଦ୍ୱାର କୂପ କହି । ତୃଣ ଆଚ୍ଛାଦି ରୂପ ଯହିଁ । ।୨୫୭
    ଯେବେ ଅଗ୍ୟାନେ ଭ୍ରମେ ଜୀବ । ତା ମୃତ୍ୟୁ ପ୍ରାୟେକ ଭାବିବ । ।୨୫୮
    ମୋ ମାୟା ନାରୀରୂପ ହୋଇ । ପୁରୁଷ ପ୍ରାଣ ବିନାଶଇ । ।୨୫୯
    ତାହାକୁ ବୋଲେ ମୋ ଯୁବତୀ । ତା ଶିରେ ଗୃହଧର୍ମ ଦ୍ୟନ୍ତି । ।୨୬୦
    ଧନ ଜୀବନ ଆଦି ଯେତେ । ସମର୍ପି ଥାଇ ସ୍ନେହ ଚିତ୍ତେ । ।୨୬୧
    ଗୁରୁଜନଙ୍କୁ ମାୟା କରେ । ତାର ବିଶ୍ୱାସେ ଦିନ ହରେ । ।୨୬୨
    ସେବକଜନ ପ୍ରାୟ ହୋଇ । ନିରତେ ସେବେ ସୁଖ ପାଇ । ।୨୬୩
    ଏ ଜୀବ ପ୍ରାଣ ଅନ୍ତଃକାଳେ । ତା ରୂପ ଧ୍ୟାନେ ସୁନିଶ୍ଚଳେ । ।୨୬୪
    ସେ ନାରୀ ସ୍ୱରୂପ ଧରଇ । ପୁରୁଷଅଙ୍ଗ ପ୍ରତେଜଇ । ।୨୬୫
    ସେ ମାୟାରୂପ ହୋଏ ପତି । ଗୃହ ତନୟ ସୁତା ନାତି । ।୨୬୬
    ତାହାଙ୍କ ସ୍ନେହେ ବଶ ହୋଇ । ସେ ମୃତ୍ୟୁ ବୋଲି ନ ଜାଣଇ । ।୨୬୭
    ଯେସନେ ବ୍ୟାଧ ଗୀତ ଗାଇ । ମୃଗ ତା ଶୁଣି ତୋଷ ହୋଇ । ।୨୬୮
    ଗୀତରେ ଦେଇଥାଇ ମନ । ନ ଜାଣେ ଆତ୍ମା ବିନାଶନ । ।୨୬୯
    ଏ ଜୀବ ରୂପ କଳେବର । କର୍ମ କରଇ ନିରନ୍ତର । ।୨୭୦
    ଲୋକରୁ ଅନ୍ୟ ଲୋକ ଯାଇ । ସଞ୍ଚିତ କର୍ମ ସେ ଭୁଞ୍ଜଇ । ।୨୭୧
    ସେ କର୍ମବଶେ ଗତାଗତ । କର୍ମ କରଇ ଅବିରତ । ।୨୭୨
    କର୍ମର ସମାପତ ନାହିଁ । ଯେଣୁ ସନ୍ତତ କରଇ । ।୨୭୩
    ଯେ ସୂକ୍ଷ୍ମଲିଙ୍ଗ କଳେବର । ସେହିଟି ଉପାଧି ଜୀବର । ।୨୭୪
    ସ୍ଥୂଳ ଶରୀର ଭୋଗସ୍ଥାନ । ସେ ପଞ୍ଚଭୂତେ ସୁଘଟନ । ।୨୭୫
    ଏ ବେନି କଳେବର ଯେବେ । କାର୍ଯ୍ୟକୁ କ୍ଷମ ଏ ନୋହିବେ । ।୨୭୬
    ଜୀବର ଏହିଟି ମରର । ଜନ୍ମଟି ଦେହ ଦରଶନ । ।୨୭୭
    ଏହାକୁ ବୋଲି ମୃତ୍ୟୁ ଜନ୍ମ । ମାୟା କରିଛି ଏତେ ଭ୍ରମ । ।୨୭୮
    ଏଥକୁ ଦୃଷ୍ଟାନ୍ତ କହିବା । ଜନ୍ମ ମରଣେ ବୁଝାଇବା । ।୨୭୯
    ନେତ୍ର ଗୋଲକ ଯେତେବେଳେ । ବ୍ୟାଧିରେ ପୀଡ଼ିତ ଆକୁଳେ । ।୨୮୦
    ଦେଖିତେ ସମର୍ଥ ନୁହଇ । ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ । ।୨୮୧
    ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ । ଦେଖିତେ ସମର୍ଥ ନୁହଇ । ।୨୮୨
    ଏଠାରେ ଦ୍ରଷ୍ଟାରୂପ ଜୀବ । କେମନ୍ତେ ରୂପ ସେ ଦେଖିବ । ।୨୮୩
    ଏହି ପ୍ରକାରେ ସ୍ଥୂଳ ଦେହେ । କର୍ମଯୋଗ୍ୟତା ଯେବେ ନୋହେ । ।୨୮୪
    ତେବେ ସେ ଲିଙ୍ଗ କଳେବର । କରି ନ ପାରଇ ବ୍ୟାପାର । ।୨୮୫
    ଏହିଟି ଜୀବର ମରଣ । ଏ ଜୀବ ଜନ୍ମ ମୃତ୍ୟୁ ହୀନ । ।୨୮୬
    ଯେବେ ତା ଜନ୍ମ ମୃତ୍ୟୁ ନାହିଁ । ଏବେନି ଭୟ ଆଉ କାହିଁ । ।୨୮୭
    ମୃତ୍ୟୁକୁ ଭୟ ନକରିବ । ଜୀଇବା ବ୍ୟାପାର ଛାଡ଼ିବ । ।୨୮୮
    ସାଧୁ ସଙ୍ଗତେ ଯାର ଚିତ୍ତ । କେବେ ହେଁ ନୋହେ ବିମୋହିତ । ।୨୮୯
    ଏ କଥା ପୂର୍ବପୁଣ୍ୟ ଗାଢ଼େ । ଆନନ୍ଦେ ବଢ଼ଇ ନିବିଡ଼େ । ।୨୯୦
    ଯାହାର ପୂର୍ବେ ତପ ନାହିଁ । ସୁସଙ୍ଗ ସେ ପାଇବ କାହିଁ । ।୨୯୧
    ଅଚେତେ ଅସାଧୁ ସଙ୍ଗମ । ମିଳେ ଅନୀତି ଭାବପ୍ରେମ । ।୨୯୨
    ଯେ ସଙ୍ଗେ ଭକ୍ତିଯୋଗ ମିଳେ । ଯତ୍ନ କରିବ ସଙ୍ଗ ମେଳେ । ।୨୯୩
    ଭକ୍ତି ମିଳନ୍ତେ ମୁକ୍ତି ଭାବ । ଭବଜଳଧିତଟେ ନାବ । ।୨୯୪
    ସେ ନାବେ ବସ ଦୃଢ଼ କରି । ମାୟା-ଜଳଧି ଯେଣେ ତରି । ।୨୯୫
    ଏମନ୍ତ ଜୀବଗତି ଜାଣି । ଛାଡ଼ିବ ସବୁ ସଙ୍ଗ ପୁଣି । ।୨୯୬
    ଗୋବିନ୍ଦପାଦେ ଦେଇ ଚିତ୍ତ । ଯେ ପ୍ରାଣୀ ଥିବ ଅବିରତ । ।୨୯୭
    ମାୟାବନ୍ଧନେ ନପଡ଼ିବ । ତେବେ ସେ ମୁକତି ଲଭିବ । ।୨୯୮
    ବୈରାଗ୍ୟ ଯୋଗାଭ୍ୟାସ କରି । ବୁଦ୍ଧି-ବିବେକ ସୁବିଚାରି । ।୨୯୯
    ମାୟା ରଚିତ ଏ ସଂସାରେ । ସ୍ନେହ ଛାଡ଼ିବ କଳେବରେ । ।୩୦୦
    କେବଳ ଶରୀର ରଖିବ । ଅଧିକ ଦ୍ରବ୍ୟ ପ୍ରତ୍ୟେଜିବ । ।୩୦୧
    ହରିଚରଣେ କରି ଧ୍ୟାନ । ଲଭିବ ଏହୁ ତତ୍ତ୍ବଜ୍ଞାନ । ।୩୦୨
    ଏମନ୍ତ କହି ନାରାୟଣ । ବନ୍ଦିଲେ ଜନନୀ ଚରଣ । ।୩୦୩
    ସେ ହରି ଚରଣ ପଙ୍କଜ । ସୁଜନ-ଜନ ନିତ୍ୟେ ଭଜ । ।୩୦୪
    ତୃତୀୟ ସ୍କନ୍ଧେ ଭାଗବତ । କପିଳଯୋଗବିଧି ଖ୍ୟାତ । ।୩୦୫
    ହରି କହିଲେ ଜୀବଗତି । ଶୁଣି ତରିବେ ମୂଢ଼ମତି । ।୩୦୬
    ଭଣଇ ଜଗନ୍ନାଥ ଦାସ । ସାଧୁଙ୍କ ହିତେ ଏ ପ୍ରକାଶ । ।୩୦୭
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ ଜୀବଗତି ର୍ନାମ
    ଏକତ୍ରିଂଶୋଽଧ୍ୟାୟଃ ।

    ଦ୍ୱାତ୍ରିଂଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ଶୁଣ ବିଦୁର ତୋଷମନ । କପିଳରୂପେ ଭଗବାନ । ।୧
    କହନ୍ତି ମାତା ମୁଖ ଚାହିଁ । ଶୁଣ ଜନନୀ ମନ ଦେଇ । ।୨

    କପିଳ ଉବାଚ

    ଭୋ ମାତ ଶୁଣ ସାବଧାନେ । ସଂଶୟ ତେଜି ଶୁଦ୍ଧମନେ । ।୩
    ପ୍ରାଣୀ ଯାତନା ଗତି ଯେତେ । କହିଲି ତୁମ୍ଭର ଅଗ୍ରତେ । ।୪
    କାମୀର କର୍ମ ଗତି ଯେତେ । ବିଧି ନିଷେଧ ବେନି ମତେ । ।୫
    ଯେ ପ୍ରାଣୀ ଗୃହଧର୍ମେ ଥାଇ । ସ୍ୱଧର୍ମ ନିତ୍ୟେ ଆଚରଇ । ।୬
    ତହିଁ ସୁସିଦ୍ଧ କାମ ଅର୍ଥ । ଏ ଆଶେ ଭ୍ରମୁଥାଇ ବ୍ୟର୍ଥ । ।୭
    ପୁଣି ସେ ଧର୍ମ ଆଚରଇ । ସେ ଧର୍ମେ କାମ ଅର୍ଥ ପାଇ । ।୮
    କାମର ମୂଢ଼ମତି ନର । କୃଷ୍ଣଭକତି କରେ ଦୂର । ।୯
    ଅର୍ଥ ସଞ୍ଚଇ ଅବିରତ । ଯଜ୍ଞରେ ଦେଇଥାଇ ଚିତ୍ତ । ।୧୦
    କରଇ ଯଜ୍ଞ-ଅନୁଷ୍ଠାନ । ତହିଁ ପୂଜଇ ଦେବମାନ । ।୧୧
    ତଦନ୍ତେ ପିତୃ ତୋଷ ଅର୍ଥେ । ପୂଜଇ ଶ୍ରାଦ୍ଧେ ଶୁଦ୍ଧଚିତ୍ତେ । ।୧୨
    ଶ୍ରଦ୍ଧାରେ ସେ ଧର୍ମ ଆଚରେ । ପିତୃ-ଦେବତା ପୂଜା କରେ । ।୧୩
    ସେ ପ୍ରାଣୀ ଗମେ ଚନ୍ଦ୍ରସ୍ଥାନ । ସେଠାରେ କରେ ସୋମପାନ । ।୧୪
    ଭୋଗର ଅନ୍ତ ଯେବେ ହୋଇ । ଲେଉଟି ସେ ସ୍ଥାନୁ ଆସଇ । ।୧୫
    ଯେ କାଳେ ଅନନ୍ତ ଶଯ୍ୟାରେ । ବିଜୟେ ହରି ସମୁଦ୍ରରେ । ।୧୬
    ସେ ଯୋଗନିଦ୍ରାରେ ଶୟନ । ସକଳ ଚେଷ୍ଟା କରି ଲୀନ । ।୧୭
    ଲୟ ହୁଅନ୍ତି ଲୋକ ତିନି । ଏ ମଧ୍ୟେ ଛନ୍ତି ଯେତେ ପ୍ରାଣୀ । ।୧୮
    ସେ ସର୍ବେ ତାଙ୍କ ଦେହେ ଥାନ୍ତି । ସେହରି ଉଠିଲେ ଆସନ୍ତି । ।୧୯
    କାମ୍ୟ-କର୍ମରୁ ଏହି ଗତି । କେବେ ନଯାଇ ଗତାଗତି । ।୨୦
    ଯେ ପ୍ରାଣୀ ପଣ୍ତିତ ହୁଅନ୍ତି । ସେ କେବେ ଧର୍ମ ନ ଛାଡ଼ନ୍ତି । ।୨୧
    କରନ୍ତି ସ୍ୱଧର୍ମ ଆଚର । ସଂସର୍ଗ ତେଜି ସର୍ବଠାର । ।୨୨
    ସାଧନ୍ତି ନାହିଁ ଅର୍ଥ କାମ । ଦେଖନ୍ତି ସର୍ବ ମାୟାଭ୍ରମ । ।୨୩
    କର୍ମାଦି କୃଷ୍ଣେ ସମର୍ପନ୍ତି । ସେ ବେଦ-ବିଧି ନଛାଡ଼ନ୍ତି । ।୨୪
    ହୁଅନ୍ତି ଶାନ୍ତଧର୍ମେ ରତ । ନିଜ ଧର୍ମରେ ଶ୍ରଦ୍ଧାଚିତ୍ତ । ।୨୫
    ନିବୃତ୍ତି ଧର୍ମପରାୟଣ । ହୁଅନ୍ତି ଅହଙ୍କାରହୀନ । ।୨୬
    ମାୟାରୁ ସ୍ନେହ ଦୂର କରି । କୃଷ୍ଣ-ଭଜନେ ପ୍ରି‌ୟଭରି । ।୨୭
    ଏ ଧର୍ମ ସ‌ତ୍ତ୍ବ-ଗୁଣମୟେ । ବିଶୁଦ୍ଧଚିତ୍ତ ତହୁଁ ହୋଏ । ।୨୮
    ଏମନ୍ତ ଯେବା ପ୍ରାଣୀ ମନ । ତାଙ୍କ ପ୍ରୟାଣ ମାତ ଶୁଣ । ।୨୯
    ସେ ସୂର୍ଯ୍ୟରଶ୍ମି ଦ୍ୱାରେ ଯାନ୍ତି । ପରମ-ପୁରୁଷ ଲଭନ୍ତି । ।୩୦
    ପର ଅପର ଈଶ ଯେହି । ଏ ବିଶ୍ୱ ପ୍ରକୃତିଟି ସେହି । ।୩୧
    ସେ ବିଶ୍ୱମୁଖ ନାରାୟଣ । ଯେ କରେ ସର୍ଜନ ପାଳନ । ।୩୨
    ଏମନ୍ତ ଯେହୁ ଭଗବାନ । ତାଙ୍କୁ ଲଭନ୍ତି ଭକ୍ତଜନ । ।୩୩
    ସେ ଇଚ୍ଛେ ମୁକ୍ତି ଲଭିବାକୁ । ଭଜଇ ହିରଣ୍ୟଗର୍ଭକୁ । ।୩୪
    ସେ ମୋକ୍ଷ ଗୁଣ ଶୁଣ ମାୟେ । କହିବା ତୁମ୍ଭଙ୍କୁ ଥୋକାୟେ । ।୩୫
    ବେନିପରାର୍ଦ୍ଧ କାଳ ଅନ୍ତେ । ବ୍ରହ୍ମପ୍ରଳୟ ଏ ଜଗତେ । ।୩୬
    ତାବତ କାଳ ବ୍ରହ୍ମଲୋକେ । ହିରଣ୍ୟଗର୍ଭର ସାଧକେ । ।୩୭
    ସୁଖେଣ ବିହାର କରନ୍ତି । ବ୍ରହ୍ମାର ସଙ୍ଗେ ଲୟ ଯାନ୍ତି । ।୩୮
    ଭୂଆଦି ପଞ୍ଚ ମହାଭୂତ । ଏ ଦଶ ଇନ୍ଦ୍ରିୟ ସହିତ । ।୩୯
    ପଞ୍ଚ ବିଷୟ ଅହଙ୍କାରେ । ଏ ସର୍ବ ବ୍ରହ୍ମାଣ୍ତ ଆକାରେ । ।୪୦
    ଏମାନ୍ତେ ରହନ୍ତି ପ୍ରଧାନେ । ପରାର୍ଦ୍ଧକାଳ ଅବସାନେ । ।୪୧
    ସେସ୍ଥାନେ ଯେତେ ଯୋଗୀଥାନ୍ତି । ବ୍ରହ୍ମାଙ୍କ ଶରୀରେ ପଶନ୍ତି । ।୪୨
    ଆୟୁଷଶେଷେ ପ୍ରଜାପତି । ପରମଆତ୍ମାରେ ମିଳନ୍ତି । ।୪୩
    ଯେଣୁ ତାହାଙ୍କ ଅଭିମାନ । ଦେହରେ ନୋହେ ଅବସାନ । ।୪୪
    ଏଣୁ ସାକ୍ଷାତେ ମୁକ୍ତି ନୋହେ । ବ୍ରହ୍ମାସଙ୍ଗତେ ହୋନ୍ତି ଲୟେ । ।୪୫
    ଯେମାନେ ହରିର ଭକତ । ହରି ଭଜନ୍ତି ଅବିରତ । ।୪୬
    ସେ ସର୍ବ ହରିଙ୍କୁ ଲଭନ୍ତି । ଦେହାଦିଭାବ ନ ଜାଣନ୍ତି । ।୪୭
    ସମ ଦେଖନ୍ତି ସର୍ବଜୀବ । ମିତ୍ର ଅମିତ୍ର ଏକ ଭାବ । ।୪୮
    ଏଣୁ ଭୋ ମାତ ହରି ଭଜ । ଭୋଗ-ବାସନା ସର୍ବ ତେଜ । ।୪୯
    ଏ ସର୍ବଭୂତଙ୍କ ହୃଦରେ । ହରି ଅଛନ୍ତି ସର୍ବଠାରେ । ।୫୦
    ତାହାଙ୍କ ମହିମା ସୁମରି । ମନକୁ ଯୋଗେ ଦୃଢ଼ କରି । ।୫୧
    ତାହାଙ୍କୁ ଭଜିଲେ ତରିବ । ଏ ଦେହ ପୁଣି ନହୋଇବ । ।୫୨
    ଯେ ଆଦ୍ୟ ଚରାଚରଙ୍କର । ଯାହାଙ୍କୁ ବୋଲି ସୁରେଶ୍ୱର । ।୫୩
    କୁମାରଆଦି ସିଦ୍ଧ ଯେତେ । ଯୋଗ କରନ୍ତି ଅବିରତେ । ।୫୪
    ନିଃସଙ୍ଗ କର୍ମ ହିଁ କରନ୍ତି । ତଥାପି ଭେଦ ନଛାଡ଼ନ୍ତି । ।୫୫
    ଯେଣୁ କରନ୍ତି ଅଭିମାନ । ଏଣୁ ନ ପାନ୍ତି ଶୁଦ୍ଧଜ୍ଞାନ । ।୫୬
    ସେମାନେ ପ୍ରଳୟ କାଳରେ । ପଶନ୍ତି ଈଶ୍ୱର ଦେହରେ । ।୫୭
    ହୋଇଲେ ସୃଷ୍ଟିର ଜାଗର । ପୁଣି ଘେନନ୍ତି ଅବତାର । ।୫୮
    ଲଭନ୍ତି ନିଜ ନିଜ ସ୍ଥାନ । ଭୋଗ କରନ୍ତି କର୍ମମାନ । ।୫୯
    ଯେମାନେ କାମ୍ୟକର୍ମେ ରତ । କର୍ମ କରନ୍ତି ଅବିରତ । ।୬୦
    ନିନ୍ଦିତ କର୍ମ ନ କରନ୍ତି । ବେଦବିଧିରେ ଆଚରନ୍ତି । ।୬୧
    ଇନ୍ଦ୍ରିୟ ନ ଜିଣିଲେ ଯେଣୁ । ସକାମ କର୍ମ କଲେ ତେଣୁ । ।୬୨
    ରଜଗୁଣରେ ତାଙ୍କ ମନ । ଆସକ୍ତ ଥାଇ ଅନୁକ୍ଷଣ । ।୬୩
    ଗୃହକର୍ମରେ ହୋଇ ରତ । ପିତୃଙ୍କୁ ପୂଜେ ଅବିରତ । ।୬୪
    ବିମୁଖ ଶ୍ରୀକୃଷ୍ଣ କଥାରେ । ରହନ୍ତି ଗୃହାଦି ବ୍ୟାପାରେ । ।୬୫
    ଛାଡ଼ି ଅମୃତ କୃଷ୍ଣ କଥା । ନିତ୍ୟେ ଗୁଣନ୍ତି ଗ୍ରାମ୍ୟଗାଥା । ।୬୬
    ତାଙ୍କୁ ବିଧାତା ବାମ ହେଲା । ବିଅର୍ଥେ ତାଙ୍କ ଜନ୍ମଗଲା । ।୬୭
    ସକଳ ଅନର୍ଥ ଯେତେକ । ଏକତ୍ୱେ କଲା ଅବିବେକ । ।୬୮
    ଯେସନେ ବିଷ୍ଠା ଭୋଜୀମାନେ । ବିଷ୍ଠା ଭକ୍ଷନ୍ତି ହତ ଜ୍ଞାନେ । ।୬୯
    ଏ ମୂଢ଼ଲୋକେ ସେହି ରୂପେ । ପଡ଼ି ଯନ୍ତ୍ରିତ ଭବକୂପେ । ।୭୦
    ସେ ପୁଣ କର୍ମଭୋଗ ଅନ୍ତେ । ଚଳନ୍ତି ଶୁଣ ଯେଉଁ ପଥେ । ।୭୧
    ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେ । ବସନ୍ତି ସେ ପିତୃଲୋକରେ । ।୭୨
    ସେ ଭୋଗଅନ୍ତେ ଗୋ ଜନନୀ । ସଂସାରେ ପଡ଼େ ଦେହ ଘେନି । ।୭୩
    ପୁତ୍ରାଦି ଗୃହେ ଜାତ ହୋଇ । ପୂର୍ବବାସନା ନଛାଡ଼ଇ । ।୭୪
    ଗର୍ଭ-ଆଧାନ ଆଦି କର୍ମ । ଦେହାନ୍ତେ ଶମଶାନଧର୍ମ । ।୭୫
    ଏ କର୍ମମାନ କରୁଥାନ୍ତି । ସଂସାର ଛାଡ଼ି ନପାରନ୍ତି । ।୭୬
    ଗମନ୍ତି ଦେବ-ପିତୃସ୍ଥାନ । ତହିଁ କରନ୍ତି ଭୋଗମାନ । ।୭୭
    ପୁଣି ଲଭନ୍ତି ନରଦେହ । ଏମନ୍ତେ କାମ୍ୟକର୍ମସ୍ନେହ । ।୭୮
    ଏଣୁ ସୁସ୍ଥିରେ ତୁମ୍ଭେ ମାଏ । ମନ ନିବେଶ କୃଷ୍ଣପାୟେ । ।୭୯
    ଶ୍ରବଣେ ଶୁଣ ତାଙ୍କ ଗୁଣ । କୀର୍ତ୍ତନ କର ଅନୁକ୍ଷଣ । ।୮୦
    ସ୍ମରଣ ଅର୍ଚ୍ଚନ ବନ୍ଦନ । ଯେ ନବଭକ୍ତିର ବିଧାନ । ।୮୧
    ପାଦ ସେବନ ଦାସ୍ୟଭାବ । ସଖ୍ୟାଦି ଆତ୍ମା ନିବେଦିବ । ।୮୨
    ଏତେ ପ୍ରକାରେ କୃଷ୍ଣପାଦେ । ଭକତି କର ଅପ୍ରମାଦେ । ।୮୩
    କୃଷ୍ଣରେ କଲେ ଭକ୍ତିଯୋଗ । ତହୁଁ ଲଭଇ ବଇରାଗ୍ୟ । ।୮୪
    ତେବେ ଲଭିବ ଦିବ୍ୟଜ୍ଞାନ । ପାଇବ ପରଂବ୍ରହ୍ମସ୍ଥାନ । ।୮୫
    ଭକ୍ତିରେ ଚିତ୍ତ ଯେତେବେଳେ । ରହଇ କୃଷ୍ଣ ସୁନିଶ୍ଚଳେ । ।୮୬
    ତେବେ ସେ ବିଷୟ ଛାଡ଼ଇ । ପ୍ରିୟ ଅପ୍ରିୟ ନ ଜାଣଇ । ।୮୭
    ଇନ୍ଦ୍ରିୟ ବୃତ୍ତିଭେଦ ନାହିଁ । ସମ ବିଷମ ଆର କାହିଁ । ।୮୮
    ଏମନ୍ତ ଭାବ ଜନ୍ମେ ଯେବେ । ଦେହେ ଆତ୍ମାକୁ ଦେଖେ ତେବେ । ।୮୯
    ପରମାନନ୍ଦ ସୁଖ ପାଇ । ଆନନ୍ଦେ ସଂସାର ଭ୍ରମଇ । ।୯୦
    ଛାଡ଼ଇ ସର୍ବ ସଙ୍ଗମାନ । ପରମାନନ୍ଦେ ରହେ ମନ । ।୯୧
    ସେ ବ୍ରହ୍ମ ପରମପୁମାନ । ରୂପ ବିହୀନ ଦିବ୍ୟଜ୍ଞାନ । ।୯୨
    ସେ ପରମାତ୍ମା ପରମେଶ । ତା ନାମ ପରମ-ପୁରୁଷ । ।୯୩
    ସେ ଏକ ନାନା ରୂପ ଧରେ । ଭ୍ରମ ଜନ୍ମାଇଛି ସଂସାରେ । ।୯୪
    ଯୋଗୀଙ୍କ ଯୋଗସାଧ୍ୟ ଏହି । ଏକାନ୍ତେ ସଙ୍ଗ ଯେ ଛାଡ଼ଇ । ।୯୫
    ପରମପଦ ଲଭେ ତେବେ । ତାବିନୁ ଭ୍ରମୁଥାଇ ଭବେ । ।୯୬
    ବ୍ରହ୍ମ ନିର୍ଗୁଣ ନିରାକାର । କେବଳ ଜ୍ଞାନରୂପ ତାର । ।୯୭
    ଶବ୍ଦାଦି ଧର୍ମ ଯାର ମାଏ । ସେ ଧର୍ମେ ପ୍ରକାଶ ସେ ହୋଏ । ।୯୮
    ଆଭାସ ଦିଶଇ ଭ୍ରାନ୍ତିରେ । ଏ ବାହ୍ୟ ଇନ୍ଦ୍ରି‌ୟଙ୍କ ଦ୍ୱାରେ । ।୯୯
    ପ୍ରତ୍ୟକ୍ଷେ ଦେଖୁ ଯେତେ କିଛି । ଏକା ସେ ସବୁ ହୋଇଅଛି । ।୧୦୦
    କହିବା ସେ ହେତୁ ପ୍ରକାର । ଯେ ରୂପେ ବ୍ରହ୍ମାଣ୍ତ ସଞ୍ଚାର । ।୧୦୧
    ପ୍ରଥମେ ମହତ ହୋଇଲା । ତହୁଁ ସେ ଅହଙ୍କାର ହେଲା । ।୧୦୨
    ତ୍ରିବିଧ ହୋଏ ଅହଙ୍କାର । ଏ ପଞ୍ଚଭୂତ ରୂପ ତାର । ।୧୦୩
    ମନ ଇନ୍ଦ୍ରିୟ ଏକାଦଶ । ଏଥୁଁ ବ୍ରହ୍ମାଣ୍ତ ପରକାଶ । ।୧୦୪
    ଜୀବରୂପରେ ସେହି ତହିଁ । ସ୍ୱରୂପ ତାହାରଟି ଏହି । ।୧୦୫
    ଯେବେ କରଇ ଯୋଗାଭ୍ୟାସ । ଶ୍ରଦ୍ଧାରେ ଭଜଇ ବିଶେଷ । ।୧୦୬
    ବୈରାଗ୍ୟେ ସଙ୍ଗ ତ୍ୟାଗ କରେ । ମନ ନିବେଶି କୃଷ୍ଣଠାରେ । ।୧୦୭
    ତେବେ ସେ ପ୍ରପଞ୍ଚ ଲେଛଇ । ପରମଆତ୍ମାଙ୍କୁ ଚିହ୍ନଇ । ।୧୦୮
    ଭୋ ମାତ ସାବଧାନେ ଘେନ । ତୁମ୍ଭଙ୍କୁ କହିଦେଲୁ ଜ୍ଞାନ । ।୧୦୯
    ଏ ଜ୍ଞାନେ ବ୍ରହ୍ମ ଦରଶନ । ଏହା ବୁଝଇ ଯେଉଁଜନ । ।୧୧୦
    ପ୍ରକୃତି ପୁରୁଷଙ୍କ ତତ୍ତ୍ବ । ସେ ପ୍ରାଣୀ ଦେଖଇ ବ୍ୟଜତ । ।୧୧୧
    ଜ୍ଞାନଯୋଗରେ ତାଙ୍କୁ ପାଇ । ଭକ୍ତିଯୋଗରେ ଲଭ୍ୟ ସେହି । ।୧୧୨
    କେବଳ ମାର୍ଗ ମାତ୍ର ଭେଦ । ନବୁଝି ପାଏ ବହୁ ଖେଦ । ।୧୧୩
    ଜ୍ଞାନରେ ନିର୍ଗୁଣ ଭଜଇ । ଭକ୍ତିରେ ସଗୁଣ ଲଭଇ । ।୧୧୪
    ସେ ଆତ୍ମା ଏକ ନାନା ହୋଏ । ଦୃଷ୍ଟାନ୍ତ କହେ ଶୁଣ ମାଏ । ।୧୧୫
    ଦେଖ ଶାକର କ୍ଷୀର ଆଦି । ଧରନ୍ତି ନାନା ଗୁଣ ବିଧି । ।୧୧୬
    କିନ୍ତୁ ପଦାର୍ଥ ଏକ ମାଏ । ଇନ୍ଦ୍ରି‌ୟଭେଦେ ଭିନ୍ନ ହୋଏ । ।୧୧୭
    ଚକ୍ଷୁରେ ଶୁକ୍ଳବର୍ଣ୍ଣ ଦିଶେ । ରସନେ ମଧୁର ବିଶେଷେ । ।୧୧୮
    ତ୍ୱଚରେ ଶୀତ ଉଷ୍ଣ ଭେଦ । ନାସାରେ ସୁବାସ ଆମୋଦ । ।୧୧୯
    ଭୋ ମାତ ଆତ୍ମା ବ୍ରହ୍ମ ଏକ । ଗୁଣରେ ଦିଶଇ ଅନେକ । ।୧୨୦
    ଯେ ତାକୁ ଯେ ରୂପେ ଭଜଇ । ସେ ତାକୁ ସେ ରୂପେ ଦିଶଇ । ।୧୨୧
    ତାକୁ ଜାଣିବ ଏକ ବୋଲି । ନବୁଝି କରୁଥାନ୍ତି କଳି । ।୧୨୨
    ଶାସ୍ତ୍ରମାର୍ଗରେ ନାନା କହେ । ସେ ପୁଣି ଏକ ନାନା ନୋହେ । ।୧୨୩
    ଶୁଣ ଜନନୀ ଶାସ୍ତ୍ରଭେଦ । ଯେଣେ ଛାଡ଼ିବ ସର୍ବଖେଦ । ।୧୨୪
    ଯେ କ୍ରିୟାପୂର୍ତ୍ତି ଆଦି କରି । ଯେ ଯାହା କରନ୍ତି ଆଦରି । ।୧୨୫
    ତହୁଁ ଯେ ହୋଏ ଭୋଗମାନ । ସେ ସବୁ ରୂପ ଭଗବାନ । ।୧୨୬
    ଯାଗକର୍ମରେ ପ୍ରାପ୍ୟ ସେହି । ଦାନରେ ଅନ୍ୟ ନାହିଁ କେହି । ।୧୨୭
    କେହୁ କରନ୍ତି ତପମାନ । ସେ ସବୁ ତହୁଁ ନୋହେ ଆନ । ।୧୨୮
    ସେହିଟି ବେଦ-ଅଧ୍ୟୟନେ । ମୀମାଂସାଶାସ୍ତ୍ର ତାହା ଭଣେ । ।୧୨୯
    ନିଷିଦ୍ଧ କର୍ମ ତ୍ୟାଗ ଯେହି । ସେ ଧର୍ମ ଜାଣିଥିବ ସେହି । ।୧୩୦
    ସନ୍ନ୍ୟାସ କାହାର ବା ଧର୍ମ । ଯହିଁ ଛାଡ଼ନ୍ତି କାମ୍ୟକର୍ମ । ।୧୩୧
    ବିବିଧ ଅଙ୍ଗ ଯୋଗ ସେହି । ଭକ୍ତିଯୋଗରେ ପ୍ରାପ୍ୟ ଏହି । ।୧୩୨
    ଜ୍ଞାନଯୋଗ ହିଁ ତାକୁ କହି । ସେ ଏକବସ୍ତୁ ସର୍ବମୟୀ । ।୧୩୩
    ସକାମ ନିଷ୍କାମ ଯେ ଧର୍ମ । ସଗୁଣରୂପ ସବୁ ବ୍ରହ୍ମ । ।୧୩୪
    ଆତ୍ମତ‌ତ୍ତ୍ବ‌ରେ ଗମ୍ୟ ଏହି । ବୈରାଗ୍ୟ ଧର୍ମେ ତାକୁ ପାଇ । ।୧୩୫
    ଏମନ୍ତେ ନାନା ଶାସ୍ତ୍ରମତେ । ଯେ ପ୍ରାଣୀ ଭଜଇ ଯେମନ୍ତେ । ।୧୩୬
    ସଗୁଣ ନିର୍ଗୁଣଟି ସେହି । ତା ବିନୁ ଅନ୍ୟ ନାହିଁ କେହି । ।୧୩୭
    ଏ ଭକ୍ତିଯୋଗ ଚାରିମତ । ସ୍ୱରୂପ କରିଲୁଁ ବ୍ୟକତ । ।୧୩୮
    ଯେ କାଳ ଅନ୍ତରେ ଧାବଇ । ସୃଜନ ଆଦି ଯେ କରଇ । ।୧୩୯
    କହିଲୁଁ ସ୍ୱରୂପ ତାହାର । ଭୋ ମାତ କରତୁ ବିଚାର । ।୧୪୦
    ଗତି ଏ ଜୀବମାନଙ୍କର । ଅବିଦ୍ୟାକର୍ମରେ ପ୍ରଚୁର । ।୧୪୧
    ଏ ଆତ୍ମା ତହିଁ ପଶିଥାଇ । ଆପଣା ଗତି ନ ବୁଝଇ । ।୧୪୨
    ଏମନ୍ତେ ଜୀବ ଗତାଗତି । କହିଲୁ ଛାଡ଼ ମନୁ ଭ୍ରାନ୍ତି । ।୧୪୩
    ଏ ଯୋଗ ନ କରି ପ୍ରକାଶ । କହିଲେ ଧର୍ମ ହୋଏ ନାଶ । ।୧୪୪
    କେବେହେଁ ଖଳେ ନ କହିବ । ବିନୟ ଯେ ପ୍ରାଣୀ ନୋହିବ । ।୧୪୫
    ନ କହି ଦୁର୍ଜନ ଅଗ୍ରତେ । ଅପରେ ଧର୍ମଧ୍ୱଜୀ ଯେତେ । ।୧୪୬
    ଦାମ୍ଭିକ ଅଗ୍ରତେ ନ କହି । ପ୍ରଲୋଭୀ ପ୍ରାଣୀ ଅଟେ ଯେହି । ।୧୪୭
    ଯେ ଗୃହଧର୍ମେ ହୋଇ ରତ । ତାରେ ନ କହି କଦାଚିତ । ।୧୪୮
    ନ ସହେ ଯେ ଭକତଜନେ । ନ କହ ଭକ୍ତିହୀନ ଜନେ । ।୧୪୯
    ଏମନ୍ତ ଲୋକେ ନ କହିବ । ଗର୍ବିତ ଭାବ ଯାର ଥିବ । ।୧୫୦
    ମୋ ଭକ୍ତିହୀନେ ନ କହିବ । ମୋ ଭକ୍ତେ ଦ୍ୱେଷ ଯାର ଥିବ । ।୧୫୧
    ଯାହାର ଶ୍ରଦ୍ଧା ଏଥି ଥିବ । ତାହାକୁ ଏ ମାର୍ଗ କହିବ । ।୧୫୨
    ଭକତଜନେ ଏହା କହି । ଯେ ଭକ୍ତଜନରେ ସେବଇ । ।୧୫୩
    ଯେ ପ୍ରାଣୀ ଏଥେ ସ୍ପୃହା କରେ । ଏ ଧର୍ମ କହିବ ତାହାରେ । ।୧୫୪
    ଯେ ପ୍ରାଣୀ ସର୍ବଭୂତେ ମିତ୍ର । ତାହାକୁ କହି ଏ ଚରିତ । ।୧୫୫
    ଯେ ପ୍ରାଣୀ ଗୁରୁଙ୍କୁ ସେବଇ । ଏ ଦୀକ୍ଷା ତାରେ ଶିକ୍ଷା ଦେଇ । ।୧୫୬
    ବିଷୟେ ବୈରାଗ୍ୟ ଯାହାର । ଯେ ପ୍ରାଣୀ ଶାନ୍ତଚିତ୍ତ ଧୀର । ।୧୫୭
    ଯେ ପ୍ରାଣୀ ହୋଏ ନିର୍ମ›ତ୍ସର । ବିନୀତ ଶୁଚି ନିରନ୍ତର । ।୧୫୮
    ପ୍ରି‌ୟମାନଙ୍କ ଅତିପ୍ରି‌ୟ । କରଇ ମୋରଠାରେ ସ୍ନେହ । ।୧୫୯
    ଏମନ୍ତ ପ୍ରାଣୀଙ୍କି କହିବ । ଅଧର୍ମଠାରେ ଲୁଚାଇବ । ।୧୬୦
    ଶ୍ରଦ୍ଧାରେ ଯେ ଏହା ଶୁଣନ୍ତି । ଅଥବା ଆଦରେ ଭଣନ୍ତି । ।୧୬୧
    ମୋହର ପଦବୀ ସେ ପାଏ । ସତ୍ୟ କହିଲୁ ଏହା ମାଏ । ।୧୬୨
    ତୃତୀୟସ୍କନ୍ଧେ ଭାଗବତ । କପିଳମୁନି ଯୋଗ ଖ୍ୟାତ । ।୧୬୩
    ମାତାଙ୍କୁ ଦେଲେ ଜ୍ଞାନବାଣୀ । ସୁଜନେ ତର ଏହା ଶୁଣି । ।୧୬୪
    କର୍ମବିପାକ ପ୍ରାଣୀଙ୍କର । ଦ୍ୱାତ୍ରିଂ‌ଶ ଅଧ୍ୟାୟ ସଞ୍ଚାର । ।୧୬୫
    ଶ୍ରବଣ କର ସାଧୁଜନେ । ବ୍ରାହ୍ମଣ ଜଗନ୍ନାଥ ଭଣେ । ।୧୬୬
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ କାପିଳେୟେ ଦ୍ୱାତ୍ରିଂ‌ଶୋଽଧ୍ୟାୟଃ ।

    ତ୍ରୟତ୍ରିଂ‌ଶ ଅଧ୍ୟାୟ

    ମୈତ୍ରେୟ ଉବାଚ

    ବୋଲନ୍ତି ମୈତ୍ରେୟ ବ୍ରାହ୍ମଣ । ବିଦୁର ସାବଧାନେ ଶୁଣ । ।୧
    କŸର୍ଦ୍ଦମ-ପତ୍ନୀ ଦେବହୂତି । ସ୍ୱଭାବେ ମନୁର ଦୁହିତୀ । ।୨
    କପିଳ ବଚନ ଶୁଣିଲେ । ମୋହପଟଳ ପ୍ରତେଜିଲେ । ।୩
    ତ‌ତ୍ତ୍ବବିଷୟ ସଂଖ୍ୟଜ୍ଞାନ । କହିଲେ ଯେଣୁ ଭଗବାନ । ।୪
    ତାହାଙ୍କୁ କଲେ ପ୍ରଣିପାତ । ବିନୟ ଯୋଡ଼ି ବେନିହସ୍ତ । ।୫
    ଚାହିଁଣ କପିଳ-ବଦନ । ଆନନ୍ଦେ କରନ୍ତି ସ୍ତବନ । ।୬

    ଦେବହୂତି ଉବାଚ

    ତୁ ନାଥ ଲୀଳା-ଅବସାନେ । କାଳକୁ ନିବେଶି ନୟନେ । ।୭
    ଶୟନ ସଲିଳ ଭିତରେ । ସର୍ପଙ୍କ ବିରାଟ-ଶରୀରେ । ।୮
    ଭୂତ ଇନ୍ଦ୍ରିୟ ମନୋମୟ । ଯହିଁରେ ଗୁଣଙ୍କ ପ୍ରବାହ । ।୯
    ଅଶେଷ କାରଣ-କରଣ । ତୋ କଳେବର ନାରାୟଣ । ।୧୦
    ଜଠର-ପଦ୍ମରୁ ଯାହାର । ଜାତ ହୋଇଲା ବେଦବର । ।୧୧
    ତୋ ରୂପ ଦେଖିବା ନିମନ୍ତେ । ସେ ଅଜ ବିଚାରିଲା ଚିତ୍ତେ । ।୧୨
    ଅନେକ ବ୍ୟାପାର ସେ କଲା । କେବେହେଁ ଦେଖି ନପାରିଲା । ।୧୩
    କେବଳ ଧ୍ୟାନେ ସେ ଦେଖିଲା । ଏ ବିଶ୍ୱସୃଷ୍ଟି ତହୁଁ କଲା । ।୧୪
    ତୁ ପ୍ରଭୁ ବହୁରୂପ ଧରି । ନିଜ ଶକ୍ତିରେ ମାୟା କରି । ।୧୫
    କଲୁ ଏ ବିଶ୍ୱ ସରଜନ । ସ୍ୱଭାବେ ତୁ ଯେ କର୍ମ ଭିନ୍ନ । ।୧୬
    ସତ୍ୟ-ସଂକଳ୍ପ ତୁମ୍ଭେ ହରି । ଜୀବଙ୍କ ଭୋଗ ଅନୁସରି । ।୧୭
    ସୃଷ୍ଟ୍ୟାଦି କରିଛ ବିଧାନ । ଏ ତୁମ୍ଭ ମାୟାର ଭିଆଣ । ।୧୮
    ଅନନ୍ତଶକ୍ତି ଏ ତୁମ୍ଭର । ତୋ ମାୟା କେ କରୁ ଗୋଚର । ।୧୯
    ପ୍ରଳୟକାଳେ ତୁମ୍ଭେ ହରି । ଏ ବିଶ୍ୱ ଉଦରେ ସଂହରି । ।୨୦
    ଶୟନ ବଟପତ୍ରେ ତୋର । ବାଳମୁକୁନ୍ଦ ରୂପଧର । ।୨୧
    ଚରଣ ଅଙ୍ଗୁଳି ବଦନେ । ଭରି ଶୟନ ଶିଶୁ ଯେହ୍ନେ । ।୨୨
    ଏ ବିଶ୍ୱ ଯାହାର ଉଦରେ । ମୁଁ ତାକୁ କେମନ୍ତେ ଜଠରେ । ।୨୩
    ଧଇଲି ବୁଝି ନପାରଇ । କେବଳ ତୋ ମାୟା ଗୋସାଇଁ । ।୨୪
    ତୁ ଦୁଷ୍ଟ ନିବାରିବା ପାଇଁ । ସାଧୁ ରକ୍ଷଣେ ତୋର ଦେହୀ । ।୨୫
    ଏଣୁ ତୁମ୍ଭର କଳେବର । ଅନ୍ୟଥା କିକାର୍ଯ୍ୟ ତୋହର । ।୨୬
    ତୁମ୍ଭେ କୋଳାଦି ରୂପଧରି । ଧର୍ମ ସ୍ଥାପିଲ ଦୁଷ୍ଟ ମାରି । ।୨୭
    ଏ ତ‌ତ୍ତ୍ବଜ୍ଞାନ ଦେବା ପାଇଁ । ଏ ରୂପ ଧଇଲ ଗୋସାଇଁ । ।୨୮
    ଏଣୁ କୃତାର୍ଥ ମୋତେ କଲ । ପୁତ୍ର ସ୍ୱରୂପେ ପ୍ରକାଶିଲ । ।୨୯
    ଯା ନାମ କରିଣ ଶ୍ରବଣ । ଅଥବା କରି ସଂକୀର୍ତ୍ତନ । ।୩୦
    ଯା ପାଦେ କରି ନମସ୍କାର । ସ୍ମରଣ କରି ନାମ ଯାର । ।୩୧
    ଚଣ୍ତାଳ ସୋମଯୋଗ୍ୟ ହୋଏ । ଜାତି ବିଚାର ଭ୍ରାନ୍ତି ନୋହେ । ।୩୨
    ଯେ ପ୍ରାଣୀ ନୟନେ ଦେଖିଲା । ସେ କିବା କୃତାର୍ଥ ନୋହିଲା । ।୩୩
    ଏଣୁ ମୁଁ ସୁଗତି ଲଭିଲି । ନୟନେ ତୋ ରୂପ ଦେଖିଲି । ।୩୪
    ମୋ ଭାଗ୍ୟ କେ କରୁ ପ୍ରମାଣ । ମୋତେ ଗୋଚର କାହିଁ ପୁଣ । ।୩୫
    ଚଣ୍ତାଳ ଏଣୁ ଶ୍ରେଷ୍ଠ ହେଲା । ଜିହ୍ୱାରେ ତୋନାମ ଧଇଲା । ।୩୬
    ଯେଣୁ ତୋ ନାମ ଉଚ୍ଚାରିଲା । ସକଳ ତପ ସେହୁ କଲା । ।୩୭
    ହୋମାଦି କଲା ବେଦମନ୍ତ୍ରେ । ସ୍ନାନ ସେ କଲା ନାନା ତୀର୍ଥେ । ।୩୮
    ଅପରେ ନାହିଁ ସଦାଚାର । ତୋନାମ ଜିହ୍ୱାରେ ଯାହାର । ।୩୯
    ସମଗ୍ର ବେଦ ସେ ପଢ଼ିଲା । ଯେ ତୁମ୍ଭ ନାମ ଉଚ୍ଚାରିଲା । ।୪୦
    ତୁମ୍ଭେ ଯେ ପୁରୁଷ ପୁରାଣ । ସକଳ-ଜଗତ ନିଦାନ । ।୪୧
    ତୁମ୍ଭଙ୍କୁ ନିଶ୍ଚଳ ମନରେ । ଯୋଗୀ ଭାବନ୍ତି ନିରନ୍ତରେ । ।୪୨
    ଗୁଣମାନଙ୍କୁ ନିଜ ତେଜେ । ବିନାଶ କରିଛ ସହଜେ । ।୪୩
    ତୁ ବ୍ରହ୍ମ ପରମ-ପୁରୁଷ । ଯୋଗୀଙ୍କ ମନେ ତୁ ପ୍ରକାଶ । ।୪୪
    ତୁମ୍ଭେ କପିଳ ବେଦଗର୍ଭ । ତୁ ବିଷ୍ଣୁ ବ୍ୟାପିଅଛୁ ସର୍ବ । ।୪୫
    ବନ୍ଦଇ ତୁମ୍ଭର ଚରଣ । ତୋ ବିନୁ ନ ଜାଣଇ ଆନ । ।୪୬

    ମୈତ୍ରେୟ ଉବାଚ

    ବୋଲନ୍ତି ମୈତ୍ରେୟ ଗୋସାଇଁ । ଶୁଣ ବିଦୁର ମନଦେଇ । ।୪୭
    ଏମନ୍ତେ ଦିବ୍ୟସ୍ତୁତି କରି । ଆନନ୍ଦ ମନେ ମୋଦଭରି । ।୪୮
    ଶୁଣ ହେ ବିଦୁର ତଦନ୍ତେ । ଜନନୀ ସ୍ତବନ କରନ୍ତେ । ।୪୯
    ଯେ ଯେ କପିଳ ଭଗବାନ । ସାକ୍ଷାତେ ପରମ ପୁମାନ । ।୫୦
    ଗଭୀର ବଚନେ ସଧୀରେ । କହିଲେ ଜନନୀ ଛାମୁରେ । ।୫୧

    କପିଳ ଉବାଚ

    ଭୋ ମାତ ଘେନ ମୋ ବଚନ । ମୋହର ବାକ୍ୟେ ଦିଅ ମନ । ।୫୨
    ଯେ ମାର୍ଗ ଭଜନ ପ୍ରକାର । କହିଲୁ ଅଗ୍ରତେ ତୁମ୍ଭର । ।୫୩
    ଯେବେ ଏ ମାର୍ଗେ ତୁମ୍ଭେ ଯିବ । ଏକାନ୍ତେ କୃଷ୍ଣଙ୍କୁ ଲଭିବ । ।୫୪
    ଅଚିରେ ଲଭିବ ମୁକତି । ପାଇଣ ନିଶ୍ଚଳ ଭକତି । ।୫୫
    ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର । ଲଭିବ ଗୋବିନ୍ଦ-ପୟର । ।୫୬
    ଏମନ୍ତେ ବ୍ରହ୍ମବାଦୀମାନେ । ମୋତେ ଲଭନ୍ତି ସାବଧାନେ । ।୫୭
    ଯହିଁରେ ମୃ‌ତ୍ୟୁ‌ଭୟ ନାହିଁ । ଶୁଣ ଜନନୀ ମନ ଦେଇ । ।୫୮
    ତୁମ୍ଭେ ପାଇବ ସେହିମତେ । ଏଣୁ କହିଲି ତୁମ୍ଭ ହିତେ । ।୫୯
    ଏମନ୍ତ ଯେହୁ ନ ଜାଣନ୍ତି । ସେ ପ୍ରାଣୀ ମୋତେ ନଭଜନ୍ତି । ।୬୦

    ମୈତ୍ରେୟ ଉବାଚ

    ଏମନ୍ତ ଭାବେ ଆତ୍ମାଗତି । ଦେଖାଇ ଦେଲେ ରମାପତି । ।୬୧
    ମାତାଙ୍କ ଅନୁମତି ନେଲେ । ତପ ସାଧନେ ବନେ ଗଲେ । ।୬୨
    ବ୍ରହ୍ମବାଦିନୀ ଦେବହୂତି । ଯୋଗମାର୍ଗରେ ଦେଲେ ମତି । ।୬୩
    ଆଶ୍ରମ ସରସ୍ୱତୀତୀରେ । ଯୋଗ ସାଧିଲେ ସେ ନିଶ୍ଚଳେ । ।୬୪
    ରହିଲେ ପୁତ୍ରବାକ୍ୟ ଘେନି । ସେ ସ୍ଥାନେ କŸର୍ଦ୍ଦମ-ଘରଣୀ । ।୬୫
    ସେ କାଳତ୍ରୟେ ସ୍ନାନ କରି । ବିହିତ ସକଳ ଆଚରି । ।୬୬
    କୁଟିଳ-ଅଳକ ସକଳ । ସେ ହେଲା କପିଳ ଜଟିଳ । ।୬୭
    କୃଶିତ ଲାବଣ୍ୟ ଶରୀର । ପିନ୍ଧନ୍ତି ବକଳ ଅମ୍ବର । ।୬୮
    ଏମନ୍ତେ ତପସ୍ୱିନୀ ବେଶେ । ସେ ଦେବହୂତି ରହେତୋଷେ । ।୬୯
    ରେଚକ କୁମ୍ଭକ ପୂରକେ । ଉଗ୍ର ତପସ୍ୟା ଅତିରେକେ । ।୭୦
    ଗୃହ ସମ୍ପଦ ଦୂର କରି । ତପସ୍ୱୀ ବେଶେ ବନଚାରୀ । ।୭୧
    କŸର୍ଦ୍ଦମ ଅଚଳ ବିଭୂତି । ଚିତ୍ତୁ ତ୍ୟାଗିଲା ଦେବହୂତି । ।୭୨
    ତା ଛାଡ଼ି ଚିତ୍ତ ବଇରାଗେ । ଭଜନମାର୍ଗେ ଅନୁରାଗେ । ।୭୩
    ପୂର୍ବେ କŸର୍ଦ୍ଦମ ପ୍ରଜାପତି । ସମ୍ପାଦି ଥିଲେ ଯେ ସମ୍ପତ୍ତି । ।୭୪
    ଗୃହସ୍ଥଧର୍ମ କରିଥିଲେ । ଉପମା ନାହିଁ ଭୂମଣ୍ତଳେ । ।୭୫
    ସୁଦିବ୍ୟ-ବିମାନେ ବିହରି । ଉପମା ନାହିଁ ତିନିପୁରି । ।୭୬
    ଯହିଁ କଳ୍ପିତ ବସ୍ତୁ ଯେତେ । ଅଶେଷ ରତ୍ନେ ସୁନିର୍ମିତେ । ।୭୭
    ମନ୍ଦିରେ ସ୍ଫଟିକର କାନ୍ଥ । ଭୂମି ରଚିତ ମରକତ । ।୭୮
    ରତ୍ନେ ଜଳନ୍ତି ଦୀପ ପ୍ରାୟେ । ଶୋଭନେ ଯୋଗୀମନ ମୋହେ । ।୭୯
    ଲଳନା-କୁଳ-ଶିରୋମଣି । ସେ ଦିବ୍ୟପୁରେ ନିବାସିନୀ । ।୮୦
    ଭୁବନ ବେଢ଼ି ଉପବନ । ତହିଁ କୁସୁମ ଦ୍ରୁମମାନ । ।୮୧
    ସକଳଋତୁ ପୁଷ୍ପଫଳ । ମଣି ନିର୍ମିତ ସ୍ତମ୍ଭକୁଳ । ।୮୨
    ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦା କାଳ ସୁଖମୟୀ । ।୮୩
    ବିଚିତ୍ର ଚିତ୍ର ହେମମୟେ । ଚିତ୍ର-ପତାକା-ଧ୍ୱଜ ଶୋହେ । ।୮୪
    ସୁଗନ୍ଧପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବେ ସୁଗହଳେ । ।୮୫
    ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ । ।୮୬
    ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି । ।୮୭
    ସେ ରଥେ ସୁବର୍ଣ୍ଣ ପଲଙ୍କ । ବିଚିତ୍ର ରଜ ପୁଣ୍ତରୀକ । ।୮୮
    ତା ଶଯ୍ୟା ଦୁଗ୍‌ଧ-ଫେନ-ନିଭ । ଦେଖି ଦେବଙ୍କ ହୋଏ ଲାଭ । ।୮୯
    ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥେ ହୋଇଛି ଘଟଣ । ।୯୦
    ମହାମର୍କତସ୍ଥଳୀ ଯହିଁ । ବିଦ୍ରୁମବେଦୀ ବିରାଜଇ । ।୯୧
    ଯେ ଦ୍ୱାରେ ବିକ୍ରୁମ-ଦେହଳୀ । ହୀରା କବାଟ ଯହିଁ କିଳି । ।୯୨
    ବାମ ଦକ୍ଷିଣେ ପୂର୍ଣ୍ଣକୁମ୍ଭ । ବିରାଜେ ଇନ୍ଦ୍ରନୀଳସ୍ତମ୍ଭ । ।୯୩
    ଜଳନ୍ତି ପଦ୍ମରାଗ ଦୀପେ । ବିଚିତ୍ର ଶିଖେ ଚନ୍ଦ୍ରତପେ । ।୯୪
    ମୌକ୍ତିକ ହେମମାଳା ଲମ୍ବେ । ପାଟଦୋଳିକା ରତ୍ନ‌ସ୍ତମ୍ଭେ । ।୯୫
    ଶ୍ୱେତହଂସକ ପାରାବତ । ନାଦ କରନ୍ତି ଉନମତ୍ତ । ।୯୬
    ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ । ।୯୭
    ବିହାର ସ୍ଥାନ ସୁମଣ୍ତନ । ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ । ।୯୮
    ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଯୋଗୀଙ୍କ ମନ ମୋହେ । ।୯୯
    ବିମାନେ ଯେବେ ବିହରନ୍ତି । ସେ ସୁଖ ସେମାନେ ବା‚ଞ୍ଛନ୍ତି । ।୧୦୦
    ନାନା ବିଚିତ୍ର କର୍ମମୟେ । ଦିବ୍ୟପୁରରେ ଶୋଭା ପାଏ । ।୧୦୧
    ଶୋହେ ସୁବର୍ଣ୍ଣ ପୀଢ଼ମାନ । ସରସ ସୁଖ ଉପାଧାନ । ।୧୦୨
    ଭୁବନ ବେଢ଼ିଣ ଉଦ୍ୟାନ । ଯହିଁ ଅମର ଦ୍ରୁମମାନ । ।୧୦୩
    ଫଳପୁଷ୍ପରେ ପରିପୂର୍ଣ୍ଣ । ତହିଁ ଲମ୍ବିତ ଲତାମାନ । ।୧୦୪
    ବିହଙ୍ଗ-ମିଥୁନେ କ୍ରୀଡ଼ନ୍ତି । ମତ୍ତ-ମଧୁପେ ଗୁଞ୍ଜରନ୍ତି । ।୧୦୫
    ବିବୁଧ-ଅନୁଚର ମାନେ । ବିହରୁଥାନ୍ତି ଉପବନେ । ।୧୦୬
    ସେ ଦେବହୂତି ଯଶ-କୀର୍ତ୍ତି । ସୁସ୍ୱରେ ଗୀତ ସେ ଗାବନ୍ତି । ।୧୦୭
    ଦିବ୍ୟ ବିଚିତ୍ର ବାପୀମାନ । କମଳ ଗନ୍ଧେ ସୁବାସନ । ।୧୦୮
    କŸର୍ଦ୍ଦମ ତହିଁ ବିହରନ୍ତି । ସଙ୍ଗେ ସୁନ୍ଦରୀ ଦେବହୂତି । ।୧୦୯
    ଏମନ୍ତ ରମ୍ୟ ସୁଖ ସ୍ଥାନ । ବା‚ଞ୍ଛନ୍ତି ଇନ୍ଦ୍ର ପତ୍ନୀମାନ । ।୧୧୦
    ସେ ପୁର ତେଜି ଦେବହୂତି । ଯୋଗସାଧନେ କଲେ ମତି । ।୧୧୧
    ପ୍ରତେଜି ସ୍ୱାମୀ ପୁତ୍ର ଗଲେ । ତେଣୁ ବିରହେ ନିମଜ୍ଜିଲେ । ।୧୧୨
    ଶୋକରେ ବିଷର୍ଣ୍ଣ-ବଦନ । ତଥାପି ଯୋଗେ ଦୃଢ଼ମନ । ।୧୧୩
    ପତି-ବିଚ୍ଛେଦ ଦୁଃଖାକୁଳେ । ପୁତ୍ର ସୁସଙ୍ଗେ ସୁଖେ ଥିଲେ । ।୧୧୪
    ସେ ପୁତ୍ର ତେଜି ଗଲେ ବନ । ଏଣୁ ବିଚ୍ଛେଦେ ଦୁଃଖ ମନ । ।୧୧୫
    ବ›ତ୍ସା ବିୟୋଗେ ଯେହ୍ନେ ଗାଈ । ଯେମନ୍ତେ ବ୍ୟାକୁଳେ ରୋଦଇ । ।୧୧୬
    ସେ ରୂପେ ଆକୁଳ ହୋଇଲେ । ହା ପୁତ୍ର ବୋଲି ମୋହଗଲେ । ।୧୧୭
    ଜନ୍ମିଲା ହୃଦେ ତ‌ତ୍ତ୍ବଜ୍ଞାନ । ତଥାପି ଶୋକ ବିଦ୍ୟମାନ । ।୧୧୮
    ପୁତ୍ରର ଗୁଣ ଅନୁକ୍ଷଣେ । ସ୍ମରଣ କରନ୍ତି ରୋଦନେ । ।୧୧୯
    ଦୁଃଖେ ତୃଷିତ ତଷାନନ । ଦେ ଦେହହୂତି ପ୍ରତିଦିନ । ।୧୨୦
    ଧ୍ୟାନେ ନିରୋପି କପିଳଙ୍କୁ । ସନ୍ତତି ଡାକନ୍ତି ତାହାଙ୍କୁ । ।୧୨୧
    ସ୍ନେହ ଛାଡ଼ିଲା ଧନାଗାରେ । ଚିତ୍ତ ରହିଲା ପୁତ୍ରଠାରେ । ।୧୨୨
    ମନକୁ କ୍ରମେ ସ୍ଥିର କଲେ । ନିଶ୍ଚଳେ ସୁଦୃଢ଼େ ବସିଲେ । ।୧୨୩
    ଯେ ଜ୍ଞାନ ପୁତ୍ର କହିଥିଲେ । ସେ ରୂପେ ନିତ୍ୟେ ଧ୍ୟାନ କଲେ । ।୧୨୪
    ବିଶୁଦ୍ଧ ହୋଇଅଛି ମନ । ତେଣୁ ନିଶ୍ଚଳରୂପେ ଧ୍ୟାନ । ।୧୨୫
    ଭକ୍ତିଯୋଗରେ ଦୃଢ଼ ହେଲେ । ଶାସ୍ତ୍ରବିଧିରେ ଆରାଧିଲେ । ।୧୨୬
    ବୈରାଗ୍ୟଭାବେ ତ‌ତ୍ତ୍ବଜ୍ଞାନ । ତେଣୁ ଭାବନ୍ତି ଭଗବାନ । ।୧୨୭
    ଆତ୍ମାକୁ ମାନସେ ଦେଖିଲେ । ତା ବିନୁ ଆନ ନ ଭାବିଲେ । ।୧୨୮
    ଯେ ଆତ୍ମା ହୋଏ ବିଶ୍ୱମୁଖ । ବିନାଶି ମାୟାଗୁଣ ଦୁଃଖ । ।୧୨୯
    ଏ ଜୀବ ଆଶ୍ରୟଯେ ବ୍ରହ୍ମ । ତହିଁ ରଖିଲେ ମତି ଧ୍ୟାନ । ।୧୩୦
    ତାହାଙ୍କ ଗଲା ଜୀବଭାବ । ହୋଇଲା ଆତ୍ମତ‌ତ୍ତ୍ବ ଲାଭ । ।୧୩୧
    ସଂସାର-କ୍ଳେଶ ନିବର୍ତ୍ତିଲା । ତା ଗୁଣଭ୍ରମ ଦୂରେ ଗଲା । ।୧୩୨
    ଆପଣା ଦେହ ପାଶୋରିଲେ । ସେ ବ୍ରହ୍ମସ୍ୱରୂପେ ରହିଲେ । ।୧୩୩
    ଯେସନେ ସ୍ୱପ୍ନ ଦେଖୁଥାଇ । ନିଦ୍ରା ପ୍ରବୋଧେ ନ ଦିଶଇ । ।୧୩୪
    ସେ ରୂପେ ଦେହ ପାଶୋରିଲେ । କେବଳ ବ୍ରହ୍ମକୁ ଲଭିଲେ । ।୧୩୫
    ସେ ଦେବହୂତି ଦପ-କ୍ଳେଶେ । ଶରୀର ମଳିନ ପ୍ରକାଶେ । ।୧୩୬
    ଅମର-ଯୁବତୀ-ସକଳେ । ଯେ ଅଙ୍ଗ ସମ୍ମାର୍ଜୁଣ ଥିଲେ । ।୧୩୭
    ସେ ଦେହ ମଳିନ ଦିଶିଲା । ତହିଁ ତା ଆଦର ନୋହିଲା । ।୧୩୮
    ଯେଣୁ ତା ମନୁ ତାପ ଗଲା । ଏଣୁ ସେ ଅକୃଶ ହୋଇଲା । ।୧୩୯
    ସଧୂମ-ପାବକର ପ୍ରାୟେ । ତେବେ ହେଁ ଅଙ୍ଗ ଶୋଭାପାଏ । ।୧୪୦
    ମନ ନିବେଶି କୃଷ୍ଣଭାବେ । ବସି ରହିଲେ ଶାନ୍ତିଲାଭେ । ।୧୪୧
    ଦେହ ହୋଇଲା ଯୋଗେ ଲୟ । ଆବର କାହିଁ ଲଜ୍ଜା ଭୟ । ।୧୪୨
    ସୁକେଶ ବନ୍ଧନ ଫିଟିଲା । ଅଙ୍ଗେ ବସନ ନ ରହିଲା । ।୧୪୩
    ପ୍ରାର୍‌ବଧ କର୍ମ ଭୋଗ ଯାଏ । ଏ ଦେହବନ୍ଧ ମାତ୍ର ଥାଏ । ।୧୪୪
    ଏଣୁ ସେ ଦେହ ମାତ୍ର ଅଛି । ତା ପାଇଁ ନ ସ୍ମରଇ କିଛି । ।୧୪୫
    ଶୁଣ ହେ ବିଦୁର ତଦନ୍ତେ । ସେ ଦେବୀ ଯୋଗରେ ରହନ୍ତେ । ।୧୪୬
    ଲଭିଲେ ସେ ବ୍ରହ୍ମ-ନିର୍ବାଣ । ଯେସନେ ଜଳେ ଜଳ ଲୀନ । ।୧୪୭
    ଶୁଣ ବିଦୁର ଯେଉଁସ୍ଥଳେ । ସେ ଦେବୀ ସୁସିଦ୍ଧି ଲଭିଲେ । ।୧୪୮
    ସେ ସ୍ଥଳ ପୁଣ୍ୟକ୍ଷେତ୍ର ହେଲା । ଭୁବନେ ବିଦିତ ହୋଇଲା । ।୧୪୯
    ତା ନାମ ସିଦ୍ଧପଦ କହି । ସିଦ୍ଧେ ସୁସିଦ୍ଧ ଯହିଁ ହୋଇ । ।୧୫୦
    ସେ ଦେବହୂତି କଳେବର । ଯୋଗେ ସୁସିଦ୍ଧ ପୁଣ୍ୟତର । ।୧୫୧
    କୃଷ୍ଣ ଭାବନା ଧ୍ୟାନ ନିତ୍ୟେ । ଆନନ୍ଦ ଭକ୍ତି ଯୋଗ ଯୁତେ । ।୧୫୨
    ସେ ଧ୍ୟାନେ ଶରୀର ମିଳାଇ । ନଦୀ ସ୍ୱରୂପେ ଗଲେ ବହି । ।୧୫୩
    ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା । ସୁପୁଣ୍ୟ ତୀର୍ଥ ବୋଲାଇଲା । ।୧୫୪
    ଯାହାଙ୍କୁ ସେବି ସିଦ୍ଧମାନେ । ସିଦ୍ଧି ଲଭନ୍ତି ସେହୁ ସ୍ଥାନେ । ।୧୫୫
    ନାମ ତା ସିଦ୍ଧିକା ହୋଇଲା । ସ୍ପରଶେ ପାପ ବିନାଶିଲା । ।୧୫୬
    ସେ ଯେ କପିଳ ମହାଯୋଗୀ । ବିଷୟେ ହୋଇ ବଇରାଗୀ । ।୧୫୭
    ମାତାଙ୍କ ସ୍ନେହ ତ୍ୟାଗି ଗଲେ । ଐଶାନ୍ୟ-ଦିଗେ ପ୍ରବେଶିଲେ । ।୧୫୮
    ସମୁଦ୍ର-ତୀରେ ଘୋରବନେ । ବସେ ନିର୍ମଳ ଯୋଗ ଧ୍ୟାନେ । ।୧୫୯
    ସମୁଦ୍ର ତାହାଙ୍କୁ ଦେଖିଲେ । ଆନନ୍ଦମନେ ପୂଜା କଲେ । ।୧୬୦
    ସେ ତାଙ୍କୁ ଦେଲେ ଦିବ୍ୟସ୍ଥାନ । ତହିଁ ରହିଲେ ଭଗବାନ । ।୧୬୧
    ଯହିଁ ସକଳ ସୁରଗଣ । ସେବନ୍ତି ଯେଝା ନିଯୋଗଣ । ।୧୬୨
    ସିଦ୍ଧ ଚାରଣ ମୁନିଜନେ । ଗନ୍ଧର୍ବ ଅପସରା ଗଣେ । ।୧୬୩
    ସ୍ତୁତି କରନ୍ତି କପିଳଙ୍କୁ । ସଭୟେ ନିତ୍ୟେ ସେବି ତାଙ୍କୁ । ।୧୬୪
    ଯୋଗେ ରହିଲେ ମହାମୁନି । ସାଂଖ୍ୟ ଆଚାର୍ଯ୍ୟମାନ ଘେନି । ।୧୬୫
    ତ୍ରି‌ଲୋକଜନ ଶାନ୍ତି ପାଇଁ । ଯୋଗେ ରହିଲେ ଯୋଗସାଇଁ । ।୧୬୬
    ରହିଲେ ବ୍ରହ୍ମକଳ୍ପ ଯାଏ । ଲୋକଶିକ୍ଷାରେ ଦେବରାଏ । ।୧୬୭
    ବିଦୁର ପଚାରିଲୁ ଯାହା । ସମ୍ପାଦି କହିଲି ମୁଁ ତାହା । ।୧୬୮
    କପିଳ-ଦେବହୂତିଙ୍କର । ପବିତ୍ର ସୁଜ୍ଞାନ ବିଚାର । ।୧୬୯
    ଏହା ଯେ ଶ୍ରବଣ କରନ୍ତି । କି ଅବା ବଦନେ ଗୁଣନ୍ତି । ।୧୭୦
    ଆନନ୍ଦେ ସଭାମଧ୍ୟେ କହେ । ଅଶେଷଜନ୍ମ ପାପ ଦହେ । ।୧୭୧
    ସେ ସର୍ବେ ଗୋବିନ୍ଦ-ଚରଣେ । ଭକ୍ତି ଲଭନ୍ତି ଅନୁକ୍ଷଣେ । ।୧୭୨
    ଅନ୍ତେ ଲଭନ୍ତି ହରି-ସ୍ଥାନ । କେ କରିପାରେ ତାହା ଆନ । ।୧୭୩
    ତୃତୀୟସ୍କନ୍ଧେ ଭାଗବତ । କପିଳ-ଜ୍ଞାନ ଉପଗତ । ।୧୭୪
    ତେତିଶଅଧ୍ୟା ସମାପତ । ମୈତ୍ରେୟ-ବିଦୁର ଚରିତ । ।୧୭୫
    ଶ୍ରୀକୃଷ୍ଣ ମୁଖରୁ ସମ୍ଭୂତ । ଭାବେ ହୋଇଲା ଭାଗବତ । ।୧୭୬
    ଏ ଭାବେ ରସ ସାଧୁଜନ । ତୁମ୍ଭ ଚରଣେ ମୋର ଧ୍ୟାନ । ।୧୭୭
    କହଇ ଜଗନ୍ନାଥ ଦାସ । ତ୍ରାହି କରିବେ ପୀତବାସ । ।୧୭୮
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ
    ତ୍ରୟତ୍ରିଂଶୋଽଧ୍ୟାୟଃ ।



    No comments

    Post Top Ad

    Shubhapallaba free eMagazine and online web Portal

    Post Bottom Ad

    Shubhapallaba Hindi Portal