Header Ads

Shubhapallaba online English Portal
  • Latest Post

    ପେଟେଣ୍ଟ୍ ମେଡିଶିନ୍ – ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଗଳ୍ପସ୍ୱଳ୍ପରୁ

    Odia Story Petent Medicine by Byasakabi Fakir Mohan Senapati

    ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଘରୁ ଗୋଡ଼ କାଢ଼ି କାହିଁ ଯାଇପାରିବେ ନାହିଁ ।”କ୍ୟାଁ ଯିବ? କ’ଣ ଲୋଡ଼ା?

    ଯାହା କରିବାକୁ ହେବ, ଘରେ ବସି କର । ଲେଖ, ପଢ଼, ଖବରଦାର ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଣ୍ଟା ଲାଗି ଦାଣ୍ଡ ଦୁଆର ପାଖ ସଡ଼କରେ ବୁଲିପାରିବେ । ତା’ ବି ବହୁତ ଦୂରକୁ ଯାଇ ପାରିବେ ନାହିଁ, କବାଟ ଫାଙ୍କ ବାଟେ ଅନାଇଲେ ଯେମନ୍ତ ଦିଶୁଥିବ । 

    ସକାଳ ସାତଟା ଅନ୍ଦାଜ ବେଳ ହେବ, ବାବୁ ଚନ୍ଦ୍ରମଣି ପଟ୍ଟାନାୟକେ ଦାଣ୍ଡଦୁଆର ଆଗ ସଡ଼କରେ ବୁଲୁଛନ୍ତି । ହଠାତ୍ ଅନାଇ ଦେଇ ଦେଖିଲେ, ଚାରି ପଞ୍ଚାଶ କଦମ ଦୂରରେ ଗୋଟାଏ ଲୋକ ଛିଡ଼ା ହୋଇ ତାଙ୍କୁ ଏକ ଧ୍ୟାନରେ ଅନାଇଛି । ବାବୁଙ୍କ ନଜର ତା’ ଉପରେ ଯିମିତି ପଡ଼ିଛି, ସେ ହାତ ଠାରି ଡାକିଲା । ବାବୁ ଭଲ କରି ଅନାଇ ଦେଖିଲେ, ‘ଓହୋ ! ଏ ତ ସେହି ଭଦରଖିଆ ଟୋକା ରେ ! ’ ମନ ମଧ୍ୟରେ ଭାରି ଖୁସିଟାଏ ହେଲେ, ପାଖକୁ ଆସିବା ଲାଗି ହାତ ଠାରିଦେଲେ, ଆପେ ବି ଆପଣା ଦୁଆରକୁ ଅନାଇ ଅନାଇ ଅଳ୍ପ ଅଳ୍ପ ଆଗେଇ ଆଗେଇ ଯାଉଥାନ୍ତି । ଯିମିତି ସେ ଟୋକାର ପାଖ ପାଖ ହେଲେ, ଦୁଆର ଆଡ଼କୁ ମୁହଁ କରି ପଛକୁ ଡେବିରି ହାତଟା ବଢ଼େଇ ଦେଲେ । ଟୋକାଟା ବାବୁଙ୍କ ହାତରେ ଚିଠି ଖଣ୍ଡେ ଯାକି ଦେଇ ଝଟ୍ ଲେଉଟି ପଡ଼ି ଚାଲିଗଲା । ବାବୁ ଚିଠି ଖଣ୍ଡ ମୁଠେଇ ଧରି ଥା’ନ୍ତି, ତେତେବେଳେ ପଢ଼ିଲେ ନାହିଁ, ଦୁଆର ପାଖିଆ ଆସି ଭଲ କରି କବାଟ ଫାଙ୍କକୁ ଅନାଇଲେ । ଚିଠି ଖଣ୍ଡ ପଢ଼ି ଟିକି ଟିକି କରି ଛିଣ୍ଡେଇ ପକେଇ ପବନରେ ଉଡ଼ାଇ ଦେଲେ । 

    ଘର ଭିତରକୁ ଆସି ଖୁବ୍ ସ୍ନେହରେ ଖୁବ୍ କଅଁଳରେ ଡାକିଲେ, “ଆଗୋ ! ଆଗୋ ! ଶୁଣୁଛ ନା – ଟିକିଏ ଶୁଣିଗଲ !” ଘର ଭିତରୁ ଗୋଟାଏ ଭାରି ଚଢ଼ା ଗଳା ଶୁଭିଲା, “ଓହୋ ! ଆଜି ଯେ ଭାରି ପ୍ରେମ ଡାକ ! କଥା କ’ଣ? ମୋର ତ ଭାରି କପାଳ ଦେଖୁଛି ! କ’ଣ କହୁଛ କହ ।”

    ବାବୁ କହିଲେ – ଶୁଣିଛ, ଆଜିକି ଚାରି ଦିନ ହେଲା ରୋଜ ରୋଜ ରାତିରେ ମୋ’ ମୁଣ୍ଡ ବୁଲାଏ – ପେଟ ବି ଟାଣେ । ଦେହ ବଡ଼ ଝିମ୍ ଝିମ୍ କରେ, ବଡ଼ କଷ୍ଟ ହୁଏ – ଭାରି କଷ୍ଟ । 

    ସାଆନ୍ତାଣୀ କହିଲେ ହେଇ ହେଲା, ଆହୁରି ଗୋଟାଏ କ’ଣ ପ୍ରେମ ବାହାରିଲାଣି । ସେ ଯେ ଗଞ୍ଜେଇ – ମଦ – ମଦତ – ନିଆଁ ପାଉଁଶ ନିଶା ଗୁଡ଼ାକ ଖାଇଥିଲ, ତାହାରି ଫିସାଦ । ନିଶାଗୁଡ଼ାକର କ’ଣ ଊଣା ଗୁଣ? ପୃଥ୍ୱୀଯାକ ବେମାରି ଦେହରେ । ଏଣେ ତିନି ତିନି ଜାଗା ଚାକିରି ହେଲା, ଗଲା । ଲୋକେ କେତେ ଛି ଛାକର କରୁଛନ୍ତି, କେତେ ଟଙ୍କା ବରବାଦ କରିଦେଲ ! ଗଲା ଯାଉ ଚାକିରି, ଯାଉ ଟଙ୍କା, ଯାହା ହେବାର ତ ହୋଇଗଲା, ଏଣିକି ଦିହଟା ଭଲା ସୁଧୁରି ଯାଉ । ଚାରି ମାସ କାଳ ଜଗି ଜଗି ଟିକିଏ ଭଲ କରିଥିଲେ, ନିଶାଗୁଡ଼ାକ ଛାଡ଼ିବାରୁ ଟିକିଏ ଭଲ ଥିଲ – ପୁଣି ତାହାରି କ’ଣ ପୁରୁଣା ଫିସାଦଟାଏ ବାହାରିଲାଣି? 

    ଚନ୍ଦ୍ରମଣି ବାବୁ କହିଲେ – ନାହିଁ ଗୋ ନାହିଁ – ସେ କଥା ନୁହେଁ ଯେ, ଆଜି ସକାଳେ ମାଧବାଚାର୍ଯ୍ୟ ଖଡ଼ିରତ୍ନଙ୍କ ସଙ୍ଗରେ ଭେଟ ହୋଇଥିଲା । ସେ ମୋ’ କୋଷ୍ଠି ଗଣି କହିଲେ, ‘ମୋର କକଡ଼ା ରାଶିକୁ ବିଛା ରାଶି ଶନିସପ୍ତା ହୋଇଛି । ଏଇଟା ତାହାରି ଫିସାଦ, କିଛି ପୁଣ୍ୟ କାର୍ଯ୍ୟ କରିଦେଲେ ସବୁ ଦୋଷ କଟିଯିବ । 

    ସା’ନ୍ତାଣୀ – କ’ଣ ପୁଣ୍ୟ କାର୍ଯ୍ୟ କରିବାକୁ ଖଡ଼ିରତ୍ନେ କହିଗଲେ? 

    ଚନ୍ଦ୍ରମଣି ବାବୁ – ମୁଁ ତିନି ଦିନ ଲାଗି ଯାଇ ଭୁବନେଶ୍ୱର, ଖଣ୍ଡଗିରି, ଉଦୟଗିରିରେ ଯେତେ ମହାଦେବ ଅଛନ୍ତି, ସମସ୍ତଙ୍କୁ ଦର୍ଶନ କରିବି, କିଛି ଟଙ୍କା ଘେନି ଯାଇଥିବି, ବ୍ରାହ୍ମଣ ମାନଙ୍କୁ ଦେଲେ ସେମାନେ ଶହେ ମାଠିଆ – ନା ନା, ହଜାରେ କୁମ୍ଭ – ନାହିଁ ନାହିଁ ସହସ୍ର କୁମ୍ଭ ପୂଜା କରିବେ; ସବୁ ଦୋଷ, ସବୁ ଗ୍ରହ ଅବଳ ଏକାବେଳକେ କଟିଯିବ । ଦେହ ଖୁବ୍ ଆଚ୍ଛା ହୋଇଯିବ, ଆଉ ନିଶାଫିସା ଖାଇବାକୁ ମନ ବଳିବ ନାହିଁ । 

    ସା’ନ୍ତାଣୀଙ୍କ ମନକୁ ଟିକିଏ କିମିତିକା ଧୋକା ଛୁଇଁଲା । କହିଲେ, “ଖଡ଼ିରତ୍ନେ ଆସିଥିଲେ, କାହିଁ ମୁଁ ଶୁଣି ନାହିଁ?”

    ବାବୁ କହିଲେ – ନାହିଁ, ନାହିଁ ସେ ଆସି ନାହାନ୍ତି, ତାଙ୍କ ପୁଅ ଆସିଥିଲା । 

    ସା’ନ୍ତାଣୀ – ତାଙ୍କର ପୁଣି ପୁଅଟାଏ କାହୁଁ ଅଇଲା? 

    ବାବୁ – ଓ ନାହିଁ ନାହିଁ, ତାଙ୍କର ଚାକର ହାତରେ କହି ପଠାଇଥିଲେ । 

    ସା’ନ୍ତାଣୀ ବାବୁଙ୍କ ମୁହଁକୁ ଭଲ କରି ଅନାଇଲେ, ମନରେ କଲେ ଏ ସବୁ ମିଛ କଥା, ତିନି ଦିନ ଲାଗି ଯାଇ କେଉଁଠି ମତୁଆଲାମାନଙ୍କ ସଙ୍ଗରେ ପଡ଼ି ମଦ ଖାଇବେ, ନୋହିଲେ ତେଲଙ୍ଗା ବଜାର କାହା ଓଳିରେ ପଡ଼ିବେ । କେତେ ମୁଷ୍କିଲରେ ଟିକିଏ ଭଲ ବାଟକୁ ଆଣିଛି, ନଜରରୁ ଉହାଡ଼ ହେଲେ କ’ଣ ବୋଲି କ’ଣ କରି ପକାଇବେ । ଖୁବ୍ ଗୋଟାଏ ପାଟି କରି କହିଲେ, “ନାହିଁ ନାହିଁ, ତୁମେ ଭୁବନେଶ୍ୱର ଫୁବନେଶ୍ୱର କାହିଁ ଯାଇ ପାରିବ ନାହିଁ, ଘରେ ବସି ଥାଅ ।”

    ବାବୁ କହିଲେ – ହଁ, ସତ – ସତ, ଠିକ୍ କହିଲ, କୁଆଡ଼େ ତିନି ଦିନ ଯାଏ ଯିବି? ଆଚ୍ଛା, ମୁଁ ଉଛୁଣି ଯାଉଛି, ଧବଳେଶ୍ୱର ମହାଦେବଙ୍କୁ ଦର୍ଶନ କରି ସଞ୍ଜ ସଞ୍ଜ ଲେଉଟି ଆସିବି । 

    ସା’ନ୍ତାଣୀ – ନା – ନା, ତାହା ବି ହେବ ନାହିଁ । 

    ବାବୁ – ଆଚ୍ଛା ନ ହେଲା ନାହିଁ, ଗୋଟା କେତେ ଟଙ୍କା ଦେଲ, କଟକ ସହର ଭିତରେ ଯେତେ ମହାଦେବ ଅଛନ୍ତି, ପୂଜା କରି ବାହାରି ଆସେଁ । 

    ସା’ନ୍ତାଣୀ – ଆଛା ମକ୍ରାକୁ କହ, ଗୋଟାଏ ବଗି ଡାକି ଆଣୁ, ଦୁହେଁ ଯାଇ ଠାକୁର ଦର୍ଶନ କରିବା, ପୂଜା ଦେବା । 

    ବାବୁ ନିଶ୍ୱାସଟାଏ ପକାଇ ଚାଲିଗଲେ । ଗୋଟାଏ ଜାଗାରେ ବସି ଟିକିଏ ଚିନ୍ତା କଲେ । ଆରେ ! ଭଲ ଫିକରଟାଏ ମନରେ ପଡ଼ିଗଲା ! ବାହାବା ! ଆଛା କଥା ! “ଆଗୋ ଶୁଣୁଛ? ମୋ ଦେହଟା ବି ଭଲ ନାହିଁ; ବାର ଆଡ଼େ ବୁଲିଲେ ଫେର କିଛି ଗୋଟାଏ ବେମାର ବାହାରି ପଡ଼ିପାରେ । ଖଡ଼ିରତ୍ନେ ଏ କଥା ବି କହିଛନ୍ତି, କୁଆଡ଼େ ନ ଯାଇ ମହାଦେବଙ୍କୁ ଧାରଣା କଲେ ସବୁ ରୋଗ ଛାଡ଼ିଯିବ ।”

    ସା’ନ୍ତାଣୀ – ସେ ଧାରଣା କି’ ରକମ? 

    ବାବୁ – ରକମ କ’ଣ କି, ଜ୍ୟୋତିଷେ କହିଛନ୍ତି, ପୂରା ପାଞ୍ଚ ପହର କାଳ – ଧର – ପାଞ୍ଚ ପହର ହେଲେ ଏତେବେଳୁ ରାତି ନ’ଟା ଯାଏ, ଖଣ୍ଡେ ବଡ଼ କମ୍ବଳ ଘୋଡ଼ି ହୋଇ ମୁହଁ ମାଡ଼ି ଲମ୍ବ ହୋଇ ଶୋଇ ପଡ଼ିବି । ଆଉ କିଛି କଥା ମନରେ ନ କରି ପୃଥିବୀରେ ଯେତେ ଠାକୁର ଦେବତା ଅଛନ୍ତି, ସମସ୍ତଙ୍କୁ ଧ୍ୟାନ କରୁଥିବି । 

    ସା’ନ୍ତାଣୀ କହିଲେ – ତାହା ହେଲେ ସବୁ ଗ୍ରହ ଅବଳ କଟି ଯିବ ତ? 

    ବାବୁ ମନ ମଧ୍ୟରେ ଖୁସିଟାଏ ହୋଇ କହିଲେ – “ହଁ, ହଁ, ଖଡ଼ିରତ୍ନେ କହିଛନ୍ତି, ବିଲକୁଲ ଗ୍ରହ ଅବଳ କଟିଯିବ । ସେ ଆହୁରି ବି ଗୋଟାଏ କଥା ବାରମ୍ବାର କରି କହି ଦେଇଛନ୍ତି । ଦଶଟି ଟଙ୍କା ଠାକୁରଙ୍କ ନାମରେ ମନାସି ମୁଣ୍ଡ ତଳେ ଦେଇଥିବି, ମାସକ ବାଦ ଦେହ ଭଲ ହୋଇ ଗଲେ ସେଇ ଟଙ୍କାରେ ଠାକୁର ପୂଜା ଆଉ ବ୍ରାହ୍ମଣ ବୈଷ୍ଣବଙ୍କୁ ଭୋଜନ ଦିଆଯିବ ।”

    ସା’ନ୍ତାଣୀ – ଆଜି କ’ଣ କିଛି ଖାଇବ ନାହିଁ? 

    ବାବୁ – ରାମ ! ରାମ ! ଠାକୁର ଦେବତା ଧ୍ୟାନ ବେଳେ କିଛି କ’ଣ ଖା’ନ୍ତି? ଦିନ ଯାକ ଓପାସ – ଟୋପାଏ ପାଣି ବି ନା । 

    ସା’ନ୍ତାଣୀ ନିଶ୍ୱାସଟାଏ ପକାଇ କହିଲେ – ଆଚ୍ଛା, ତେବେ ଧାରଣା ଦିଅ । 

    ବାବୁ କହିଲେ – ଆଉ ଗୋଟାଏ କଥା, ଧାରଣା ଘର ମଧ୍ୟରେ ହେବ ନାହିଁ, ପବିତ୍ର ଥାନ ଲୋଡ଼ା । ଘରେ ଆଇଁଷ ରନ୍ଧା ଯାଏ – ଧୂଆଁ ବୁଲି ଅପବିତ୍ର ହୋଇ ଯାଇଛି । ଆଉ ଦେବତା ତ ନୁହନ୍ତି; ହର ପାର୍ବତୀ କଥା । ଦାଣ୍ଡ ବଙ୍ଗଳା ପାଖରେ ଯେଉଁ ସାନ ଗମ୍ଭୀରି ଘର ସେହି ଘରଟି ପବିତ୍ର । ସେ ଘର ନିରୋଳା ହେବ । ଖୁବ୍ ସାବଧାନ ! ସେ ଘରେ ତିର୍ଲା ଲୋକ ଛାଇ ପଡ଼ିଲେ – ପାଟି ଶୁଭିଲେ ଧ୍ୟାନ ଫଳ ମିଳିବ ନାହିଁ, ସବୁ ଅକାରଣ ହୋଇ ଯିବ । ସାବଧାନ ! ସେ ପ୍ରସ୍ତରେ କେହି ତିର୍ଲା ଲୋକ ଛାଇ ପଡ଼ିବ ନାହିଁ – ପାଟି ବି ଶୁଭିବ ନାହିଁ । 

    ସା’ନ୍ତାଣୀ ବାବୁଙ୍କ କଷ୍ଟ କଥା ମନରେ ପକାଇ ଭାରି ମନୋଦୁଃଖ କରି ଘର ଭିତରକୁ ଚାଲିଗଲେ । ତେତିକିବେଳେ ରୋଷେୟା ବ୍ରାହ୍ମଣ ଆସି ପଚାରିଲା, “ଆଜ୍ଞା ! ଆଜି କ’ଣ ରୋଷେଇ ହେବ?”

    ସା’ନ୍ତାଣୀ – ଆଜି ବାବୁଙ୍କର ଓପାସ, ମୁଁ ଆଉ କ’ଣ ଖାଇବି? ରୋଷେଇ ସବୁ ବନ୍ଦ । 

    ରୋଷେୟା ବ୍ରାହ୍ମଣ ଟିକିଏ ମୁରକିହସା ଦେଇ ଚାଲିଗଲା । ମନରେ ବିଚାରିଲା, ଆମ ସା’ନ୍ତାଣୀ ଗୋଟିଏ ଅଦ୍ଭୁତ ସ୍ତ୍ରୀ, ସ୍ୱାମୀ ଉପରେ ଭକ୍ତିର ସୀମା ନାହିଁ, ବାବୁ ଟିକିଏ ବାଧକି ପଡ଼ିଲେ, ଆପେ ନ ଖାଇ ନ ପିଇ ଦିନ ଯାକ ପାଖରେ ବସି ସେବା କରୁଥିବେ, ଆଉ ରାଗିଲେ ତ ବାଡ଼ି ପଡ଼ୁ, ଛାଞ୍ଚୁଣି ପଡ଼ୁ, ଯାହା ହାତରେ ପଡ଼ୁ ବାଡ଼େଇବାକୁ ଧାଇଁବେ – ଯାବତ ଖରାପ କଥାରେ ଗାଳି ଦେବେ । ହେଲେ ସା’ନ୍ତାଣୀଟି ବଡ଼ ଭଲ, ବଡ଼ ଲୋକ ଝିଅ, ବଡ଼ ଲୋକ ବୋହୂ, ମନ ବି ସେଇପରି ବଡ଼; ମାତ୍ର ଟିକିଏ ରାଗୀ, ମୁହଁଟା ବଡ଼ କଡ଼ା । 

    ବାବୁ ମକ୍ରା ଚାକର ଟୋକାକୁ ଦାଣ୍ଡପଟକୁ ଡାକି ଖୁବ୍ ତୁନି ତୁନି ଖୁବ୍ ସାକୁଲେ ସାକୁଲେ କହିଲେ, ‘ଶୁଣ ମକରୁ, ଗୋଟାଏ କାମ ମୋ ପାଇଁ କରିବୁ । ଏହି କମ୍ବଳ ଖଣ୍ଡ ଘୋଡ଼ି ହୋଇ ଗମ୍ଭୀରି ଭିତରେ କବାଟକୁ ଆଉଜି ଶୋଇ ଥା । ରାତି ଘଡ଼ିକ ସରିକି ମୁଁ ଲେଉଟି ଆସିବି, ତେତେବେଳ ଯାଇ ଶୋଇଥିବୁ । ଖବରଦାର ! ଘରୁ ବାହାରିବୁ ନାହିଁ । ’

    ମକ୍ରା – ଆଜ୍ଞା ନା, ଆଜ୍ଞା ନା, ମୁଁ ପାରିବି ନାହିଁ, ସା’ନ୍ତାଣୀ ଗାଳି ଦେବେ, ଖପା ହେବେ । 

    ବାବୁ ଖପା ହୋଇ କହିଲେ, “ପାଜି, ଦୁଷ୍ଟ, ଭୂତ । ମୋ’ କଥା ଶୁଣିବୁ ନାହିଁ? ଜାଣୁ, ବାଡ଼େଇ ପକାଇବି ।” ଟିକିଏ ବାଦ୍ କହିଲେ, “ନାହିଁରେ ମକରୁ ନାହିଁରେ, ମୁଁ ତୁଚ୍ଛା ଟାପରା କରୁଥିଲି ! ଦେଖ ମକରୁ, ତୁ କେନ୍ଦ୍ରାପଡ଼ା ମାମୁ ଘରକୁ ଯିବୁ କହୁଥିଲୁ, କାଲି ଯିବୁ । ଚାରିଦିନ ଛୁଟି ଦେଲି, ଏହି ନେ ଚାରିଟା ଟଙ୍କା

    ଖରଚ କରିବୁ, ଆଉ କାଲି ତୋତେ ଗୋଟାଏ ଅଙ୍ଗା କିଣି ଦେବି ।”

    ମକରୁ ଆଉ କିଛି କଥା ନ କହି କମ୍ବଳ ଘୋଡ଼ି ହୋଇ ଗମ୍ଭୀରି ଭିତରେ ଧାରଣା ଦେଇ ଶୋଇ ପଡ଼ିଲା । 

    ଏଣେ ସା’ନ୍ତାଣୀଙ୍କ ମନରେ ସୁଖ ନାହିଁ । ଗାଧୋଇ ଆସି ଆପଣା ଶୋଇବା ଘରେ ଖଣ୍ଡେ ଆସନ ପାରି ବସିଲେ, ଯେତେ ଠାକୁର ଦେବତାଙ୍କ ନାମ ମନରେ ପଡ଼ିଲା, ବାବୁଙ୍କ ଗ୍ରହ ଅବଳ ଶାନ୍ତି ପାଇଁ ପ୍ରାର୍ଥନା କଲେ । ଧବଳେଶ୍ୱରଙ୍କୁ ସହସ୍ର ପଞ୍ଚାମୃତ ମାନିଲେ ।”ହେ ମା’ କଟକଚଣ୍ଡୀ ! କାଳୀଗଳିର କାଳୀ ଠାକୁରାଣୀ ! ବାବୁଙ୍କ ଦେହ ଭଲ ହୋଇଯାଉ, ମୁଁ ଦୁହିଙ୍କୁ ଦୁଇ ଖଣ୍ଡ କଳା କସ୍ତା ଶାଢ଼ୀ, ଯୋଡ଼ାଏ କଳା ବୋଦା ବଳି ଦେବି ।” ଏପରି ଠାକୁର ଦେବତା ଡାକୁ ଡାକୁ ଦିନ ତିନି ପହର ବିତିଗଲାଣି । ମନରେ କଲେ, ବାବୁ ଧ୍ୟାନରୁ ଉଠି କ’ଣ ଖାଇବେ? ଅନ୍ନ ତ ଛୁଇଁବେ ନାହିଁ, ଫଳାହାର କରିବେ । ପାଚଲା କଦଳୀ, ନଡ଼ିଆ, ଛେନା, ଦୁଧ, ଦହି ସବୁ ସଜିଲ କରି ଘରେ ଥୋଇଦେଲେ । ଥରକୁ ଥର ବାହାର ଛାଇକୁ ଅନାଉଛନ୍ତି, ଆଉ ଦିନ ଦୁଇ ଘଡ଼ି ଅଛି – ମଝି ବାହାର ଖରା ଚାଳି ଉପରକୁ ଉଠି ଗଲାଣି । ହାତରେ ଆଉ କିଛି ପାଇଟି ନାହିଁ, ଘର ବାହାରେ ନହର ପହର ହେଉଛନ୍ତି । ସନ୍ଧ୍ୟା ହୋଇ ଆସିଲା, ଧୀରେ ଧୀରେ ଗମ୍ଭୀରି ଦୁଆର ପାଖକୁ ଗଲେ । ବାବୁ କହିଛନ୍ତି, ତିର୍ଲା ଲୋକ ଛାଇ ପଡ଼ିବ ନାହିଁ ! କାଳେ ପାଟିରୁ କଥା ବାହାରି ପଡ଼ିବ, ଆପଣା ପଣତକାନି ପାଟିରେ ଯାକି ଦେଲେ, ଅଳ୍ପ ଟିକିଏ କବାଟ ମେଲେଇ ଦେଲେ, ଘର ଭିତରଟା ଭଲ ଦିଶୁ ନାହିଁ, ଅନ୍ଧାରିଆ, ବାବୁ ସ୍ଥିର ହୋଇ ଧ୍ୟାନରେ ପଡ଼ିଛନ୍ତି ।”ହାୟ ! ହାୟ ! ବାବୁଙ୍କୁ କେତେ ବାଧୁଥିବ? ହେ ଠାକୁର ଦେବତାମାନେ ! ମୋ ବାବୁଙ୍କୁ ଭଲ କରିଦିଅ । ଦେବତାମାନେ ସତ ଅଛନ୍ତି, ଦୁଃଖୀର ଗୁହାରି ଶୁଣନ୍ତି, ମୁଁ କେତେ ପ୍ରାର୍ଥନା କଲି, ବାବୁଙ୍କ ନିଶାଖିଆ ଛଡ଼ାଇ ଦିଅ । ମା’ କାଳୀ ଠାକୁରାଣୀ ! ବାବୁଙ୍କ ଦେହ ଭଲ କରିଦିଅ । ଗୋଟାଏ କାଳିଆ ବୋଦା, ଆଉ ଗୋଟାଏ କାଳିଆ କୁକୁଡ଼ା ବଳି ଦେବି ।” ଭୂଇଁରେ ମୁଣ୍ଡ ଲଗାଇ ଠାକୁର ଦେବତାଙ୍କୁ ଢେର ଥର ଜୁହାର କଲେ । 

    ତହିଁ ବାଦେ ଅଳ୍ପ ଦୁଆର ମେଲା କରି ଭିତରକୁ ଯିମିତି ଗୋଡ଼ ବଢ଼େଇ ଦେଇଛନ୍ତି, ଅନ୍ଧାରିଆ – କମ୍ବଳ ଭଲ ଦିଶୁ ନାହିଁ, ଏକାବେଳକେ ବାବୁଙ୍କ ମୁଣ୍ଡରେ ଗୋଡ଼ ପଡ଼ିଗଲା । ଜିଭ କାମୁଡ଼ି ପଛକୁ ନେଉଟି ପଡ଼ିଲେ, କାନ୍ଦି ପକାଇଲେ, ‘ହାୟ ! ମୁଁ କେଡ଼େ ଅପରାଧ କଲି । ’ ହାତଯୋଡ଼ି ବାବୁଙ୍କ ଉଦ୍ଦେଶ୍ୟରେ, ଠାକୁର ଦେବତାଙ୍କ ଉଦ୍ଦେଶ୍ୟରେ ଢେର ଥର କ୍ଷମା ମାଗିଲେ । ତହିଁ ଉତ୍ତାରେ ଧୀରେ ଧୀରେ ଭଲ କରି ଅନାଇ ଭିତରକୁ ଗଲେ । ବାବୁଙ୍କ ଦୁଇ ଗୋଡ଼ ତିନି ତିନି ଥର ମୁଣ୍ଡରେ ଲଗାଇ ଜୁହାର କଲେ । ଜୁହାର କଲା ବେଳେ କମ୍ବଳ ଗୋଟାଯାକ ଥରି ଯାଉଥାଏ । ଜୁହାର ବେଳେ ବାବୁଙ୍କ ଗୋଡରୁ, ହାତରୁ ଝାଳ ଲାଗିଲା । ‘ହାୟ ! ହାୟ ! ବାବୁ ଝାଳରେ ବୁଡ଼ି ଗଲେଣି । ’ ପଣନ୍ତକାନିରେ ଗୋଡ଼ ପିଠି ଭଲ କରି ପୋଛି ଦେଲେ । ମୁହଁ ପୋଛିବାକୁ ଯାଇ ଦେଖିଲେ, ମୁଛ ହାତକୁ ଲାଗିଲା ନାହିଁ । ‘ଏଁ – ଏ କଅଣ? ବାବୁଙ୍କ ମୁଛ କାହିଁ? ’ ଦୁଇ ଥର ଅଣ୍ଡାଳିଲେ, ତିନି ଥର ଅଣ୍ଡାଳିଲେ, ‘ନାହିଁ ତ – ମୁଛ କାହିଁ? ’ ଭାରି ସନ୍ଦେହ ହେଲା, କବାଟଟା ଭଲ କରି ମେଲାଇ ଦେଇ ଅନାଇଲେ, କମ୍ବଳଟା ଟାଣି ପକାଇଲେ । ଭାରି ରାଗି ଯାଇ ପଛକୁ ଡେଇଁ ପଡ଼ି ପାଟିଟାଏ କରି କହିଲେ, “ଡ଼ାଙ୍କୁଣୀଖିଆ – ଅଳପଇସିଆ – ନଈଶୁଆ, କି ରେ ମକ୍ରା, ତୁ ଏଠି କ୍ୟାଁ ପଡ଼ିଛୁ ରେ?” ମକ୍ରା ଆଉ କ’ଣ କହିବ? ଚୋରଟି ପରି ହାତ ଯୋଡ଼ି କାନ୍ଥକୁ ଆଉଜି ତୁନି ହୋଇ ଛିଡ଼ା ହୋଇଛି । ସାନ୍ତାଣୀ ଘଡ଼ିଏ ଯାଏ ଗର୍ଜନ କରି ଥକି ପଡ଼ିଲେଣି । ତାହାବାଦେ ମନରେ ବିଚାର କଲେ – “ନାହିଁ, ନାହିଁ, ଗୋଳମାଳ କଲେ ଭଲ ହେବ ନାହିଁ । ଅସଲ କଥାଟା କ’ଣ ବୁଝିବାକୁ ହେବ । ‘ ମକ୍ରାକୁ ସଲାରେ ରଖିବାକୁ ହେବ । ଧୀରେ ଧୀରେ କଅଁଳେଇ କଅଁଳେଇ କହିଲେ, ଆରେ ମକରୁ ! ତୁ ମାମୁଁ ଘରକୂ ଯିବୁ କହୁଥିଲୁ ପରା? ଯା – କାଲି ଯିବୁ । ଏଇ ନେ ଚାରିଟା ଟଙ୍କା, ବାଟ ଖରଚ କରିବୁ, ଖଜା କିଣି ଖାଇବୁ । କାଲି ତୋତେ ଗୋଟାଏ ମାଣିଆବନ୍ଧି ଜଥା ଦେବି, ପିନ୍ଧିବୁ । ଉଛୁଣି କିଛି ପାଟି କର ନା – ଯା, ରୋଷେଇଘର କୋଣରେ ତୁନି ହୋଇ ବସିଥିବୁ ।”

    ମକ୍ରା ମନେ କରିଥିଲା, ସାନ୍ତାଣୀ ବାଡ଼େଇ ପକାଇବେ । ଏ କ’ଣ, ନଗଦ ସାଙ୍ଗେ ସାଙ୍ଗେ ଚାରିଟା ଟଙ୍କା, ପୁଣି ଯୋଡ଼ାଏ ଲୁଗା ମିଳିବ । ମନର ଆନନ୍ଦଟା ସମ୍ଭାଳି ପାରୁ ନାହିଁ । ସାନ୍ତଙ୍କ ଟଙ୍କା ପୁଞ୍ଜାକ ଅଣ୍ଟିରେ ଖୋଷିଥିଲା, କାଢ଼ି – ଏ ଟଙ୍କା ସାଙ୍ଗରେ ମିଳେଇ ଦୁଇ ଥର ତିନି ଥର ଗଣିଲା । ଆଠ ଟଙ୍କା ଭଲ କରି ଅଣ୍ଟିରେ ଖୋଷି ରୋଷେଇ ଘର କୋଣରେ ଲୁଚିଲା । ସାନ୍ତାଣୀ ଗମ୍ଭୀରି ଭିତରେ ମକ୍ରା ଜାଗାରେ ଧାରଣା ଦେଇ ପଡ଼ି ରହିଲେ । 

    ରାତି ପହରକ ସରିକି ଚନ୍ଦ୍ରମଣି ବାବୁ ତୁନି ତୁନି ଆସି ଗମ୍ଭୀରି ଦୁଆରେ ପହଞ୍ଚି ଗଲେ । ପୁରା ନିଶା, ଚାଲିବା ବେଳେ ଗୋଡ଼ ଟଳି ଯାଉଛି, ପାଟି ଖନି ବାଜୁଛି, ଧଡ଼ କରି କବାଟଟା ମେଲାଇ ଦେଲେ । ମକ୍ରା ଧାରଣା ଦେଇ ପଡ଼ିଛି । ବାବୁ ଭାରି ଖୁସିଟାଏ ହୋଇ ନାଚି ନାଚି ଗୀତ ଆରମ୍ଭ କଲେ । 

    ‘ବାହାବା ମଜାଦାର ! 

    ମଦ ଗଞ୍ଜା ଗୁଣ ଯେ ଜାଣେ ସେଇ ତ ସମଜଦାର ।”

    “ଉଠ ଭାଇ ମକ୍ରୁ ! ସାବାସ ବାବା ମକ୍ରୁ ! ମେରି ଦୋସ୍ତ ମକ୍ରାମ୍ ! ଶୁଣ ମକ୍ରା, ଉଠ, ଉଠ । ଏଥର କେଉ ଶଳା ଶାଳୀକି ଡରରେ? ମକ୍ରା ! ଅଜିକା ମଜା କଥା କେତେ କ’ଣ କହିବି? ତୋ’ ସାନ୍ତାଣୀ ପୋଇଲୀଟା ଦି’ମାସ ହେଲା ଅଟକାଇଛି – ପାଟି ପଡ଼ି ଯାଇଥିଲା – ଦି’ମାସର ମଜା ଦିନକେ ଫତେ ! ଆରେ ସେ କ’ଣ ଆଜିକା କଥା? ତା’ ସଙ୍ଗରେ ତିନି ବରଷର ଦୋସ୍ତି, ପ୍ରୀତି । ସେଇ ଯେ ଗୋପାଳ ବାବୁ ଦୁଆରକୁ ନାଚିବାକୁ ଆସିଥିଲା, ସେଇ ଦିନୁ ଦୋସ୍ତି । ସାବାସ ! ମଜେଦାର ! ତା’ ନାମ କ’ଣ ଜାଣୁ? ତୋ’ ସା’ନ୍ତାଣୀ ନାମଟା ହେଲା, ସୁଲ-ଚୁନା ! ସୁଲ କ’ଣ ନା, ପୋଖରୀରେ ହୁଏ, ଚୁନା ଚକୁଳି ପିଠା ହୁଏ । ଛି, ଛି, ଛି ! କି ଅପରଛନିଆ ନାମ ! ତା’ ନମ ଉସ୍-ମାନ୍-ତା-ରା ! ବାହାବା ! ମଜେଦାର ! ଜିତେ ରହ ମେରି ଉସ୍ମାନ୍ ତାରା ! ନାମଟା ଯିମିତିକା, ଗୁଣ ବି ସେଇ ରକମ । ଗୁଣ ତଗୁଣ ଉସ୍ମାନ୍ ତାରା – କ୍ୟା ମଜେଦାର ! ଦେଖ ତ ମକ୍ରାମ୍, ତାର କେତେ ବୁଦ୍ଧି, କେତେ ମେହରବାନି ! ପୁରୁଣା ଦୋସ୍ତି ଭୁଲି ପାରି ନାହିଁ । କାଲି ଆସି ଯିମିତି କଟକରେ ଗୋଡ଼ ଦେଇଛି, ମୋତେ ଡାକି ପଠାଇଛି । ମୁଁ ତାକୁ ଦେଖି ନିଧି ପାଇଗଲି, ସେ ତ ଆନନ୍ଦରେ ହସି ହସି ଢଳି ପଡ଼ିଲା । ମୁଁ ବିଛଣାରେ ବସିଛି କି ନା, ଲାଗିଲା ମାଲର ଧୂମ । ସବୁ ଠିକ୍ ଠାକ୍ ସଜିଲ କରି ରଖିଛି । ଟିପା ଗଞ୍ଜେଇ – ମଦତ ହୁକା – ମେରୁ, ସବୁ ଠିକ୍ । ଆଗ ଫିଟିଲା ମାଲ ବୋତଲ । ଆସ୍କା ରମ୍ ନୁହେଁ, ଅସଲ ବିଲାତୀ, ନମ୍ବର ଉଆନ୍ ! ତୁ ଯେବେ ଗ୍ଲାସେ ଟାଣି ଦିଅନ୍ତୁ, ଦେଖନ୍ତୁ ମଜା ! ଆମେ ଦି’ଜଣ ସଙ୍ଗେ ସଙ୍ଗେ ବୋତଲ ଖାଲି କରିଦେଲୁ ! ଖାଲି – ର – ତୁଚ୍ଛା – ର ଟୋପାଏ ପାଣି ନାହିଁ । ତୋ’ ସାନ୍ତାଣୀ ରୋଜ ନିଜେ ତିଆରି କରେ ପୁରି, ସରଭଜା, କ୍ଷୀରୀ । ଆରେ ଛି ! ସେ ଗୁଡ଼ାକ ତ ବିରାଡ଼ି ଖାଏ । ସେ ଯେ କରି ରଖିଥିଲା ଲୁଣିଆ ବୁଟ-ଭଜା, ଶୁକୁଆ ପୋଡ଼ା, ମାଲ ସଙ୍ଗକୁ ମଜାଦାର, ପେଟେ ମାରିଦେଲି । ଦେ ମଜାଦାର ! ତୋ’ ସାନ୍ତାଣୀକୁ ଚିତା ଦେଇ କିମିତିକା ଦଶ ଟଙ୍କା ମାରି ନେଇଥିଲି । ସେ ସବୁ ମଉଜ ଜାଗାକୁ ତୁଚ୍ଛା ହାତରେ କେହି ଯାଏ? ତା’ ଆଗରେ ଟଙ୍କା ଯିମିତି ଥୋଇ ଦେଇଛି, ଟିକିଏ ଚାହିଁ ଦେଇ ମୁହଁ ମୋଡ଼ି ଦେଲା । ମୁଁ ହୁସିଆର ମଣିଷ, ତୋ’ ସାନ୍ତାଣୀ ପରି କ’ଣ ହେଣ୍ଡା? ବୁଝି ପାରିଲି, ପସନ୍ଦ ହେଲା ନାହିଁ । କିମିତି ପସନ୍ଦ ହେବ ରେ? ଦିନ ରାତିରେ ମଜୁରା କଲେ ଶହ ଶହ ପାଏ । ମୁଁ କହି ଆସିଛି, କାଲି ଶହେ ଟଙ୍କା ଦେବି । ସେ ହସି ହସି କହିଲା, ‘ଟଙ୍କା କ’ଣ ହେବ? ତୁମେ ଆସିବ । ’ ସତ ସତ, ସେ କ’ଣ ଟଙ୍କା ଚାହେଁ? ଚାହେଁ ମୌଜ । ସେ ଟଙ୍କା ଚାହେଁ ନାହିଁ, ତାର କଣ ଟଙ୍କାର ଅଭାବ? ହେଲେ ମୁଁ କ’ଣ ଅସତ୍ୟ ହେବି? ଜବାବ ଦେଇଛି ତ, ଟଙ୍କା ଦେଇଛି । ‘ମରଦକି ବାତ୍, ହାତୀକା ଦାଁତ୍ । ’ କାଲି ଟଙ୍କା ଶହେ କୋଉଠୁ ଆଣିବି ଜାଣୁ? ହୋ ହୋ ହୋ ! ବଡ଼ ମଜା । ତୋ’ ସାନ୍ତାଣୀ ନାଟବନ୍ଦି ଟଙ୍କା ସେହି ସିନ୍ଧୁକରେ ରଖିଛି । ଗୋଟାଏ ଲୁହାକଣ୍ଟାରେ ସିନ୍ଧୁକଟା ଫିଟାଇ ପକାଇ ଆଚ୍ଛା କରି ଚିତା ଦେବି । ଦି ତିନି ଥର ଟଙ୍କା ନେଲିଣି । ସାନ୍ତାଣୀ ବୋପା, ତା’ ଗୋସାଇଁ ବାପା ବି ବୁଝି ପାରିବ ନାହିଁ । ସିନ୍ଧୁକରେ ଢେର ଟଙ୍କା ରଖିଛି, ମୋ’ ହାତରେ ପଡ଼ିଗଲେ କଟକର ଫାଙ୍କେ ମଉଜରେ ଭସାଇ ଦିଅନ୍ତି । ତୋ’ ସାନ୍ତାଣୀ ଯଦି ଗିଲାସେ ମଦ ଟାଣି ଦିଅନ୍ତା, ବୁଝନ୍ତା କେଡ଼େ ମଉଜ । ସେ ମଉଜ ବୁଝିଛି ଉସ୍-ମାନ୍-ତାରା । ଏଇଟା କାଠ ମୂର୍ତ୍ତିଟାଏ ! ଆଜି ମାଲ ସଙ୍ଗରେ ପେଟେ ଚାଟ୍ ପକେଇଛି । ତୋ’ ସାନ୍ତାଣୀ ବାପ ଶଳା ବି ସାତ ଜନ୍ମରେ ଦେଖି ନଥିବ ।”

    ସାନ୍ତାଣୀ କମ୍ବଳ ଖଣ୍ଡକ ପାଞ୍ଚ ହାତ ଦୂରକୁ ଫୋପାଡ଼ି ଦେଇ ଡେଇଁ ପଡ଼ିଲେ । ଭାରି ଗୋଟାଏ ଗର୍ଜନ କରି କହିଲେ, “କ’ଣ କହିଲୁ, କ’ଣ କହିଲୁ ମଦୁଆ, ଯୋଗିନୀଖିଆ ! ମୋ’ ବାପ ତୋ’ ଶଳା ! ଦିନଯାକ କେଉଁଠି ପଡ଼ିଥିଲୁ ରେ? ହୁଁ କ’ଣ- ଉସ୍ମାନ୍ ତାରା?”

    ବାବୁ ତ ଡରରେ ଛାନିଆ ହୋଇଗଲେଣି, ଚଞ୍ଚଳ କହି ପକାଇଲେ, “ନା – ନା, ମୁଁ କାହିଁ ଯାଇନାହିଁ, ଟିକିଏ ବାହାରକୁ ପ୍ରସାବ କରିବାକୁ ଯାଇଥିଲି – ତୁମ ରାଣ, ତୁମ ମୁଣ୍ଡ ଛୁଉଁଛି ।”

    ସାନ୍ତାଣୀ ତ କ୍ରୋଧରେ ଅଜ୍ଞାନ ।”ହଁ ରେ ମୋ’ ମୁଣ୍ଡ ଛୁଇଁଲୁ, ମୋ’ ମରିବାକୁ ଚାହିଁଛୁ?”

    ଘରେ ଗୋଟାଏ ଛାଞ୍ଚୁଣି ପଡ଼ିଥିଲା; ସେଇଟା ଧରି ଦେ ପ୍ରହାର – ପ୍ରହାର – ପ୍ରହାର – ମୁଣ୍ଡରେ, ପିଠିରେ, ହାତରେ ଯେଉଁଠି ବାଜୁ ! ବାବୁ ସମ୍ଭାଳି ପାରିଲେ ନାହିଁ, ଦେ ଦୌଡ଼ ! ନିଶା ଝୁଙ୍କରେ ଗୋଡ଼ ଟଳମଳ ହେଉଛି । ଦୁଲଦାଲ ପଡ଼ିଗଲେ । ତା’ ଉପରେ ବି ପାଣି ଅସରା ପରି ପଡ଼ୁଛି । 

    ସାନ୍ତାଣୀ ଥକି ଯିବାରୁ ଘର ଭିତରକୁ ଯାଇ ଭୂଇଁରେ ଲଠ୍ କରି ଶୋଇ ପଡ଼ିଲେ । ଆକୁଳ ହୋଇ କାନ୍ଦୁଛନ୍ତି । କାନ୍ଦୁ କାନ୍ଦୁ ଯେତେ ଠାକୁର ଦେବତା ମନରେ ପଡ଼ିଲେ ସମସ୍ତଙ୍କୁ ଡାକି କ୍ଷମା ମାଗିଲେ, “ହେ ଠାକୁର ଦେବତାମାନେ ! ମୋତେ କ୍ଷମାକର, ମୋ’ ଦେବତା ସ୍ୱାମୀକୁ ବାଡ଼େଇଛି, ବଡ଼ ଅପରାଧ କରିଛି, ଦୋଷ କ୍ଷମା କର, ଆଉ ମୋ ସ୍ୱାମୀକୁ ସୁବୁଦ୍ଧି ଦିଅ ।” ରାତି ପାହି ଗଲାଣି । ସାନ୍ତାଣୀଙ୍କ ରାଗଟା ବି ଚାଲିଗଲାଣି । ଧୀରେ ଧୀରେ ଯାଇ ଦେଖିଲେ, ବାବୁ ଠାଁ ଭୂଇଁରେ ପଡ଼ିଛନ୍ତି । ନିଶା ଛାଡ଼ିଗଲାଣି, ସକାଳୁଆ ଶୀତଳ ପବନ ଲାଗି ଭାରି ନିଦଟାଏ ହୋଇଛି । ଘଡ଼ ଘଡ଼ କରି ନାକ ଡାକୁଛି । ସାନ୍ତାଣୀ ଅନାଇ ଦେଖିଲେ, ପିଠି, ହାତ, ଗୋଡ଼ ଜାଗା ଜାଗା ଛାଞ୍ଚୁଣି ମାଡରେ ଫୁଲି ଯାଇଛି । ଗୋଟାଏ ଗୋଟାଏ ଜାଗାରେ ରକ୍ତ ବହି ଶୁଖି ଗଲାଣି । ଏ ସବୁ ଦେଖି ଭାରି ଆକୁଳରେ କାନ୍ଦିଲେ – “ହାୟ ! ମୁଁ କ’ଣ କଲି ! ସ୍ୱାମୀଦେବତାଙ୍କୁ ଛାଞ୍ଚୁଣିରେ ବାଡ଼େଇଲି ! ହାୟ ! ହାୟ ! ମୋ ଦଶା କ’ଣ ହେବ?” ଆଉ ଥରେ ଡାକିଲେ – “ଠାକୁର ଦେବତାମାନେ ! ମୋ ଦୋଷ କ୍ଷମା କର ।” ଝର ଝର ହୋଇ ଦୁଇ ଆଖିରୁ ଦୁଇ ଧାର ବହୁଛି । ଗିନାଏ ରାଶି ମାଲପା ଆଣି ଫୁଲା ଜାଗାମାନଙ୍କରେ ଧୀରେ ଧୀରେ ଘଷି ଦେଲେ, ଆଉ ଗିନାଏ ମାଲପା ଆଣି ଦେହଯାକ ଲଗାଇ ଦେଲେ । ଦିନ ଦୁଇ ଘଡ଼ି ସରିକି ବାବୁଙ୍କ ନିଦ ଭାଙ୍ଗିଲା । ଟିକିଏ ଅନାଇ ଦେଲେ, ସାନ୍ତାଣୀ ପାଖରେ ବସିଛନ୍ତି । ମନରେ ଭାରି ଗୋଟାଏ ଡର ପଶିଗଲା, କେଜାଣେ ଆଉ ଥରେ ବା ଛାଞ୍ଚୁଣିରେ ବାଡ଼େଇ ପକେଇବେ । ଆଉ ନିଦ ତ ନାହିଁ, ଆଖି ବୁଜୁଜି ଘାଲେଇ ପଡ଼ିଥାନ୍ତି । ଆଉ ଥରେ ଧୀରେ ଧୀରେ ଅନାଇ ଦେଖିଲେ, ସାନ୍ତାଣୀଙ୍କର ରାଗର ଚିହ୍ନ ନାହିଁ । ଦୁଇ ଆଖିରୁ ଦୁଇଟା ଧାରା ବହି ଯାଉଛି, ଧୀରେ ଧୀରେ ଗୋଡରେ ତେଲ ଘଷି ଦେଉଛନ୍ତି । ସାନ୍ତାଣୀ ବୁଝି ପାରିଲେ, ବାବୁଙ୍କର ନିଦ ଭାଙ୍ଗିଗଲାଣି । ଚାରି ମାଠିଆ ଜଳ ଅଣାଇ ଶୋଇବା ଜାଗାରେ ଥୋଇଲେ – ବାବୁଙ୍କ ହାତ ଧରି ଉଠାଇ ବସାଇଲେ । ମୁଣ୍ଡରେ ଦେହରେ ଜଳ ଢାଳି ଭଲ କରି ସ୍ନାନଟା କରାଇ ଦେଲେ । ବାବୁଙ୍କର ନିଶାର ଖେଉରିରେ ଦେହଟା ଜଳୁଥିଲା, ଜଳ ପଡ଼ି ବଡ଼ ଆରାମ ଲାଗୁଥାଏ । ଆଖି ବୁଜି ଠାକୁରଟି ପରି ଧୀର ହୋଇ ବସିଥାନ୍ତି । ସାନ୍ତାଣୀ ଶୁଖିଲା ଲୁଗା ପିନ୍ଧାଇ ଦେଲେ । ରୋଷେୟା ଭାତ ପରଷି ଗଲା । ସାନ୍ତାଣୀ ବଳେଇ ବଳେଇ ଦିଟା ଭୋଜନ କରାଇଲେ; ତହିଁ ବାଦେ ଭଲ କରି ଶେଯଟା ପାରି ବାବୁଙ୍କୁ ଶୁଆଇ ଦେଲେ । କାଲିଠାରୁ ସାନ୍ତାଣୀଙ୍କର ଓପାସ, ଆଜି ବି ଜଳ ସ୍ପର୍ଶ ନାହିଁ । ସ୍ୱାମୀଙ୍କ ଗୋଡ଼ ତଳେ ବସି ହାତ ବୁଲାଉଛନ୍ତି । ଦିନଯାକ ଆଖିରୁ ପାଣି ଶୁଖିବାକୁ ନାହିଁ । ମନ ମଧ୍ୟରେ ଠାକୁର ଦେବତାଙ୍କୁ ଡାକୁଛନ୍ତି – “ହେ ପ୍ରଭୁ, ମୋ’ ଦୋଷ କ୍ଷମା କର, ମୋ ସ୍ୱାମୀଙ୍କୁ ସୁବୁଦ୍ଧି ଦିଅ ।” ଦିନ ଯାକ ସ୍ୱାମୀ ସ୍ତ୍ରୀ କାହାରି ମୁହଁରୁ କଥା ବାହାରି ନାହିଁ, ଘରେ ଚାକର ଚାକରାଣୀ ମଧ୍ୟ ସମସ୍ତେ ତୁନି ତାନି । ସ୍ୱାମୀ ସ୍ତ୍ରୀ କେହି କାହାରି ମୁହଁକୁ ଲାଜରେ ଭରସି ଚାହିଁ ପାରୁ ନାହାନ୍ତି । ପରସ୍ପର ଦୁହେଁ ଆପଣା ଆପଣାକୁ ଅପରାଧୀ ମଣି ମନସ୍ତୁଷ୍ଟି ପାଇଁ ସାଧ୍ୟାନୁସାରେ ଚେଷ୍ଟା କରୁଥାନ୍ତି । ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜି ଠାରୁ ସବୁ ନିଶା ଗୋରକ୍ତ, ବିଷ୍ଠା । 

    ଦୁଇ ମାସ ଗଲା, ଚାରି ମାସ ଗଲା, ଛ ମାସ ବି ଗଲାଣି । ସାଇ ପଡ଼ିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ, ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣାଶୁଣି ନାହିଁ । ଦୁଇଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାପ ପଢ଼ନ୍ତି । ଉତ୍କଳ ସାହିତ୍ୟ, ମୁକୁର, ଦୀପିକା ଖବରକାଗଜ ପଢ଼ନ୍ତି । ବାବୁ ହେଣ୍ଡ ନୋଟରେ ଢେର ଟଙ୍କା ଦେଣା କରି ପକାଇଥିଲେ, ବର୍ଷଟା ଭିତରେ ଅଧାଅଧି ଶୁଝି ଗଲାଣି । ବାବୁ ଘରୁ ବାହାରନ୍ତି ନାହିଁ । କେଉଁ ଜାଗାରୁ ନାଟ ତାମସାର ନିମନ୍ତ୍ରଣ ଆସିଲେ, ସାନ୍ତାଣୀ ହେଣ୍ଟାରିଲେ, ପେଲାପେଲି କଲେ ବି ବାହାରୁ ନାହାନ୍ତି । ଦିନେ ଦିନେ ସଞ୍ଜବେଳେ ଦୁଇ ଜଣ ବଗିଟିରେ ବସି ସହରଯାକ ବୁଲି ଆସନ୍ତି । 

    ସହର ଲୋକେ, ସାଙ୍ଗସୁଙ୍ଗା ବାବୁମାନେ ଦେଖି ଶୁଣି ଆଶ୍ଚର୍ଯ୍ୟ ! ଆରେ କଥା କ’ଣ? ବାବୁଙ୍କ ବାପେ ଜମିଦାର ଶ୍ୟାମ ପଟ୍ଟନାୟକେ ମାଷ୍ଟର ରଖି ବାବୁଙ୍କୁ ପଢ଼ାଇଲେ । ସ୍କୁଲରେ ବି ପଢ଼ୁଥା’ନ୍ତି । ଏତେ ପଢ଼ିଲେ କ’ଣ ହେଲା? ବଦ୍ ସଙ୍ଗରେ ପଡ଼ି ଭାରି ନିଶାଖୋର ହୋଇଗଲେ । କେବଳ ଦିନ ରାତି ବଦ୍‌ଖିଆଲି, ଚରିତ୍ର ଏକାବେଳକେ ଗଲା, ରାତିଯାକ ମନ୍ଦ ଯାଗାମାନଙ୍କରେ ବୁଲାବୁଲି, ଯେତେ ମତୁଆଲା ମନ୍ଦଲୋକ ସାଙ୍ଗ । ଭଲ ଲୋକେ ପାଞ୍ଚଜଣ କହିଲେ, ‘ପୁଅ ବିଭା ହେଲେ ଚରିତ୍ର ବଦଳି ଯିବ । ’ ରାମକୃଷ୍ଣ ମହାନ୍ତିଙ୍କର ଗୋଟିଏ ଝିଅ, ପରମା ସୁନ୍ଦରୀ, ଖୁବ୍ ଗୁଣବତୀ – ଜମିଦାର ବାବୁ ତାକୁ ବୋହୂ କରି ଆଣିଲେ । ତେବେ ବି ପୁଅ ସୁଧୁରିଲା ନାହିଁ, ଘରୁ ମାଲମତା ନଗଦ ଟଙ୍କା ଚୋରି କରି ଉଡ଼ାଏ, ଦେଣା ପାଞ୍ଚ ଟଙ୍କା ନେଇ କୋଡ଼ିଏ ଟଙ୍କାର ହେଣ୍ଡ୍ ନୋଟ୍ ଲେଖିଦିଏ । ଏଣେ ଘର କଥା, ଜମିଦାରୀ କଥା କିଛି ବୁଝିବାକୁ ନାହିଁ । ଜମିଦାର ବାବୁ ଦେଖିଲେ, ଆଉ ହେବ ନାହିଁ, କୁଳାଙ୍ଗାରଟା ବିଷୟ ସମ୍ପତ୍ତି ସବୁ ଉଡ଼େଇ ଦେବ । ବୋହୂ ଶ୍ରୀମତୀ ସୁଲୋଚନା ଦେଈ ନାମରେ ଚଳାଚଳ ସମସ୍ତ ସମ୍ପତ୍ତି ଲେଖିଦେଇ ଯାଇଛନ୍ତି । ବାପା ଯେତେ ବୁଝାଇଥିଲେ, ଶ୍ୱଶୁରେ ଆସି ଯେତେ ବୁଝାଇଥିଲେ, କାହିଁରେ କିଛି ହୋଇ ନଥିଲା । ହଠାତ୍ ରାତିକ ଭିତରେ ଏତେ ଭଲ ଲୋକ ପାଲଟି ଗଲେ କିପରି? ଗୋପୀ ବାବୁ ଜଣ ମସ୍କରିଆ ଭଳିଆ ଲୋକ, ହସି ହସି କହିଲେ “ସେ ଦିନ ରାତିରେ ସାନ୍ତାଣୀ ଯେ ଅର୍ଦ୍ଦାଳିଆ ଛାଞ୍ଚୁଣି ବୃଷ୍ଟି କରିଥିଲେ, ଏଇଟା ତାହାରି ଫଳ । ନିଶା, ବଦଖିଆଲି ଯେତେ ଉତ୍କଟ ରୋଗ, ଛାଞ୍ଚୁଣି ପ୍ରହାର ଔଷଧରେ ସବୁ ଛାଡ଼େ ।”

    ଶ୍ୟାମଘନ ବାବୁ ହସି ହସି କହିଲେ, “କାହିଁ ବୈଦ୍ୟଶାସ୍ତ୍ର, ଡାକ୍ତରୀ କିତାବ, କାହିଁରେ ଏ ରୋଗକୁ ଏ ଔଷଧର ତ ବ୍ୟବସ୍ଥା ନାହିଁ?”

    ଗୋପୀ ବାବୁ କହିଲେ, “ଆରେ ତୁମେ ବୁଝିଲ ନାହିଁ, ଏଇଟା ସା’ନ୍ତାଣୀଙ୍କର ଆବିଷ୍କାର –

    “ପେଟେଣ୍ଟ ମେଡ଼ିଶିନ୍”

    ପୂର୍ବ ଦୁଷ୍କୃତି ହେତୁରୁ ଯଦି କୌଣସି ସୁନ୍ଦରୀଙ୍କ ସେ – ଅର୍ଥାତ୍ ସେମାନେ ଯଦି ଏପରି ରୋଗଗ୍ରସ୍ତ ହୋଇଥା’ନ୍ତି, ଲେଖକର ବିନୟ ପୁରଃସର ନିବେଦନମିଦଂ, ଏହି ପେଟେଣ୍ଟ୍ ମେଡ଼ିଶିନ୍‌ଟା ଥରେ ପ୍ରୟୋଗ ପୂର୍ବକ ପରୀକ୍ଷା କରି ଦେଖିବେ । 

    ***

    No comments

    Post Top Ad

    Shubhapallaba free eMagazine and online web Portal

    Post Bottom Ad

    Shubhapallaba Hindi Portal