Header Ads

Shubhanada Open Mic in Odisha by Shubhapallaba Advertisement to register to perform and attend
  • Latest Post

    ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ - ପଞ୍ଚମ ସ୍କନ୍ଧ

    Odia Bhagabata by Jagannagh Das

    ପ୍ରଥମ ଅଧ୍ୟାୟ

    ମୈତ୍ରେୟ ଉବାଚ
    ପରମ-ପୁରୁଷ ଗୋବିନ୍ଦ । ଅରୁଣ-ଚରଣାରବିନ୍ଦ ॥ ୧
    ତହୁଁ ଗଳଇ ମକରନ୍ଦେ । ତାହା ଯେ ପିବନ୍ତି ଆନନ୍ଦେ ॥ ୨
    ଶ୍ରଦ୍ଧାଯୁକ୍ତରେ ଚିନ୍ତାକରି । ହେଳେ ତରନ୍ତି ଭବବାରି ॥ ୩
    ପରମଭକ୍ତି ସେ ଲଭଇ । କରୁଣା କରନ୍ତି ଗୋସାଇଁ ॥ ୪
    ତାହାଙ୍କ ଚରଣେ ବନ୍ଦଇ । ପଞ୍ଚମସ୍କନ୍ଧେ ଗୀତ ଗାଇ ॥ ୫
    କହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୬
    ଶୁକ ପରୀକ୍ଷିତ ସମ୍ବାଦ । ଶୁଣିଲେ ତୁଟେ ଭବବନ୍ଧ ॥ ୭


    ପରୀକ୍ଷିତ ଉବାଚ
    ଭୋ ମୁନି ରାଜା ପ୍ରିୟବ୍ରତ । ସେ ଆତ୍ମାରାମ ଭାଗବତ ॥ ୮
    ଗୃହେ ରମିଲା ତାର ମନ । ପ୍ରାରବ୍‌ଧ-କର୍ମରେ ବନ୍ଧନ ॥ ୯
    ନିଶ୍ଚୟେ ମୁକ୍ତସଙ୍ଗ ଯାର । ଏମନ୍ତ ପ୍ରାଣୀମାନଙ୍କର ॥ ୧୦
    କିମ୍ପା ଏ ଗୃହେ ମନ ରହେ । ଭୋ ମୁନି ଫେଡିବା ସନ୍ଦେହେ ॥ ୧୧
    ନିଶ୍ଚେ ମହତଲୋକଙ୍କର । ଉତ୍ତମ ଶ୍ଳୋକ କଥାସାର ॥ ୧୨
    ନିବୃତ୍ତଚିତ୍ତ ସେ ହୁଅନ୍ତି । ସେ କିମ୍ପା ବ୍ୟର୍ଥ ଆଚରନ୍ତି ॥୧୩
    ଏ ମୋତେ ସଂଶୟ ବହୁତ । ଯେ ପ୍ରାଣୀ ଗୃହେ ମୋହଚିତ୍ତ ॥ ୧୪
    ତା ମତି କୃଷ୍ଣ-ବିଷୟରେ । ହୋଇଲା କେମନ୍ତ ପ୍ରକାରେ ॥ ୧୫
    ଏମନ୍ତ ରାଜା ମୁଖୁଁ ଶୁଣି । ମୁନି କହନ୍ତି ପରିମାଣି ॥ ୧୬


    ଶୁକ ଉବାଚ
    ଯାହା ତୁ କରିଲୁ ପ୍ରଶନ । ଧନ୍ୟ ରାଜନ ତୋ ବଚନ ॥ ୧୭
    ଉତ୍ତମଶ୍ଳୋକ ଯେ ଗୋବିନ୍ଦ । ତାହାଙ୍କ ଚରଣାରବିନ୍ଦ ॥ ୧୮
    ତହୁଁ ଅମୀୟରସ ବହେ । ସେ ରସ ଯେବା ପ୍ରାଣୀ ପିଏ ॥ ୧୯
    ଭକତ ସାଧୁ ସେହୁ ଜନ । ପରମହଂସ ଦିବ୍ୟଜ୍ଞାନ ॥ ୨୦
    ତାହାର କୃଷ୍ଣକଥା ବିନେ । କେବେହେଁ ମନ ନୋହେ ଆନେ ॥ ୨୧
    ଅନ୍ୟ ଯେ ଗୁଣକଥାମାନ । ଇଚ୍ଛା ନ କରନ୍ତି ସେ ଜନ ॥ ୨୨
    ତେଣୁ ସେ ନୃପ ପ୍ରିୟବ୍ରତ । ଗୁଣରେ ହୋଇଲା ପୂଜିତ ॥ ୨୩
    ମୁନି ପରମ-ଭାଗବତ । ନାରଦ ଲୋକରେ ବିଖ୍ୟାତ ॥ ୨୪
    ତାହାଙ୍କ ଚରଣ ସେବାରେ । ସର୍ବକଳୁଷ ଗଲା ଦୂରେ ॥ ୨୫
    ତକ୍ଷଣେ ସ‌ତ୍ତ୍ୱଗୁଣ ହୋଇ । ବ୍ରହ୍ମଯଜ୍ଞରେ ଦୀକ୍ଷା ପାଇ ॥ ୨୬
    ପିତାର ଆଜ୍ଞା ଘେନି ଶିରେ । ଅବନୀ ପାଳନ ବିଚାରେ ॥ ୨୭
    ତେଣେ ନ ଇଚ୍ଛେ ନୃପବର । ଉତ୍ତମ ସ‌ତ୍ତ୍ୱଗୁଣ ତାର ॥ ୨୮
    ଅଖିଳଲୋକଙ୍କ ଜୀବନ । ଅନାଦିନାଥ ନାରାୟଣ ॥ ୨୯
    ତାହାଙ୍କ ଚରଣାରବିନ୍ଦେ । ଚିତ୍ତ ନିବେଶି ଅପ୍ରମୋଦେ ॥ ୩୦
    ପ୍ରବୃତ୍ତ ସଂସାର ବେଭାର । ତହୁଁ ମନକୁ କରି ଦୂର ॥ ୩୧
    ନିଶ୍ଚୟ ଜାଣି ପରାଭବ । ଇଚ୍ଛଇ ନାହିଁ ରାଜ୍ୟ ଲାଭ ॥ ୩୨
    ଏଥି ଉତ୍ତାରେ ଭଗବାନ । ଦେବଙ୍କ ଯେ ଆଦି କାରଣ ॥ ୩୩
    ରାଜାର ଗୁଣମାନ ଘେନି । ଜନ କୁଶଳେ ଆତ୍ମଯୋନି ॥ ୩୪
    ନିଗମ ନିଜ ଗୁଣେ ଥାଇ । ଭୁବନୁ ଅଇଲେ ଗୋସାଇଁ ॥ ୩୫
    ଗଗନ ମଧ୍ୟେ ଚନ୍ଦ୍ର ଯେହ୍ନେ । ବିରାଜି ଶୋହେ ତାରାଗଣେ ॥ ୩୬
    ନିର୍ମଳ ପୂଜା ଉପହାରେ । ପୂଜିଲେ ତାଙ୍କୁ ଦେବବରେ ॥ ୩୭
    ପଥରେ ଯୂଥ ଯୂଥ ହୋଇ । ସିଦ୍ଧ ଗନ୍ଧର୍ବେ ଗୀତ ଗାଇ ॥ ୩୮
    ଚାରଣ ମୁନିଙ୍କ ସହିତେ । ଗାୟନ କଲେ ଯେଝାମତେ ॥ ୩୯
    ଗନ୍ଧମାର୍ଦ୍ଦନ ଗିରି ତଳେ । ଶୋଭା କରାଇ ବିଜେ କଲେ ॥ ୪୦
    ହଂସଯାନରେ ଆଗମନ । ହିରଣ୍ୟଗର୍ଭ ଯାର ନାମ ॥ ୪୧
    ସେଠାରେ ଥାଇଣ ନାରଦ । ବନ୍ଦିଲେ ପିତା ପଦ୍ମପାଦ ॥ ୪୨
    ମନୁ ସହିତେ ନୃପବର । ଆନନ୍ଦେ ଯୋଡି ବେନିକର ॥ ୪୩
    ପିତାମହକଙ୍କୁ ସେ ନମିଲା । ଚରଣେ ଶିର ନିବେଶିଲା ॥ ୪୪
    ପ୍ରିୟବ୍ରତର ପୂଜା ଘେନି । କୋମଳବାକ୍ୟେ ପଦ୍ମଯୋନି ॥ ୪୫
    ସଦୟେ ଚାହିଁ ବେଦବର । ରାଜାଙ୍କୁ ବୋଲନ୍ତି ଉତ୍ତର ॥ ୪୬


    ବ୍ରହ୍ମା ଉବାଚ
    ହେ ପ୍ରିୟବ୍ରତ କହୁଁ ତୋତେ । କ୍ରୋଧ ନ କର ତୋର ଚିତ୍ତେ॥ ୪୭
    ଆମ୍ବେ ନାରଦ ଆଦି ଯେତେ । ଯା ଆଜ୍ଞା ବହୁ ଅନାୟତ୍ତେ ॥ ୪୮
    ତପସ୍ୟା ବିଦ୍ୟା ଯୋଗ କରି । ପଣ୍ତିତପଣକୁ ଆଚରି ॥ ୪୯
    ଧର୍ମେ ବା ଅର୍ଥେ କେହୁ ଏଡି । ଈଶ୍ୱର ଇଚ୍ଛାକୁ ନ ପାରି ॥ ୫୦
    ଜନ୍ମ ମରଣ କର୍ମେ ପାଇ । ଜୀବ ଶରୀରକୁ ବହଇ ॥ ୫୧
    ଶୋକ-ମୋହକୁ ନିତ୍ୟେ ପାଇ । ସୁଖ ଦୁଃଖକୁ ସେ ଭୁଞ୍ଜଇ ॥ ୫୨
    ଦଉଡି ନାସାରନ୍ଧ୍ରେ ଦେଇ । ପଶୁକୁ ଯେସନେ ବୁହାଇ ॥ ୫୩
    ଈଶ୍ୱର ବାକ୍ୟ ଗୁଣ ବଳେ । ଜୀବ ଭ୍ରମଇ ଏ ଶୟଳେ ॥ ୫୪
    ଦ୍ୱିପଦ ଚତୁଷ୍ପଦ ଯେତେ । ସର୍ବେ ବନ୍ଧନ ସେହିମତେ ॥ ୫୫
    ଦୁଃଖସୁଖ କର୍ମ ଗୁଣରେ । ଏମାନ ଘେନି ସଙ୍ଗତରେ ॥ ୫୬
    ଈଶ୍ୱର ସୃଷ୍ଟିର କରତା । ସକଳେ ତାହାଙ୍କୁ ସେବନ୍ତା ॥ ୫୭
    ସେହି ଈଶ୍ୱରବଶେ ଦେହୀ । ଅନ୍ଧର ପ୍ରାୟ ଭ୍ରମୁଥାଇ ॥ ୫୮
    ଦେଖୁ ଦେଖୁଣ ଭ୍ରମୁ ଥାଇ । ଏକଥା ମୂଢ଼ ନ ଜାଣଇ ॥ ୫୯
    ବିମୁକ୍ତ ହେଲେ ହେଁ ପୁରୁଷ । ପ୍ରାରବ୍‌ଧ ଭୁଞ୍ଜଇ ଅବଶ୍ୟ ॥ ୬୦
    ନିଦ୍ରାକୁ ପାଇ ଯେହ୍ନେ ନରେ । ସ୍ୱପ୍ନ ଦେହରେ ଭୋଗ କରେ ॥ ୬୧
    ପ୍ରମତ୍ତ-ପ୍ରାଣୀମାନଙ୍କର । କେବେହେଁ ଭ୍ରମ ନୋହେ ଦୂର ॥ ୬୨
    ଲୋଭାଦିମାନଙ୍କରେ ଯୁତ । ଯେଣୁ ହୁଅଇ ଅବିରତ ॥ ୬୩
    ଯେ ବୁଧ ଜିଣେ ଇନ୍ଦ୍ରିମାନ । ତାହାର ଗୃହ କର୍ମମାନ ॥ ୬୪
    ବନ୍ଧନ ନ କରେ ତାହାରେ । ନିର୍ଭୟେ ଭ୍ରମେ ସେ ଗୃହରେ ॥ ୬୫
    ଲୋଭାଦି ଜିଣନ୍ତି ଯେ ଜନ । ଗୃହେ ନ ରମେ ତାର ମନ ॥ ୬୬
    ଦୁର୍ଗ ମଧ୍ୟରେ ଥାଇ ଯେହ୍ନେ । ଜିଣି ପ୍ରରଳ ଶତ୍ରୁଗଣେ ॥ ୬୭
    ଗୃହ ମଧ୍ୟରେ ଦେଇ ମନ । ଲୋଭାଦି ନାଶିବ ତେସନ ॥ ୬୮
    ଇନ୍ଦ୍ରିୟ ଜିଣନ୍ତେ ସେ ନର । ଆନନ୍ଦେ ଭ୍ରମିବ ସଂସାର ॥ ୬୯
    ତୁ ପଦ୍ମନାଭ-ପଦାଶ୍ରିତ । ସର୍ବସଙ୍ଗରୁ ହୋଇ ମୁକ୍ତ ॥ ୭୦
    କରି ସଂସାର-ସୁଖ ଲାଭ । ଅନ୍ତେ ପରମଗତି ଲାଭ ॥ ୭୧


    ଶୁକ ଉବାଚ
    ଏମନ୍ତ ତ୍ରିଭୁବନେ ପୁରି । ଭଗବାନଙ୍କ ଆଜ୍ଞାକାରୀ ॥ ୭୨
    ବିନୟେ ବ୍ରହ୍ମା ଉପଦେଶେ । ସ୍ୱୀକାର କଲା ସେ ବିଶ୍ୱାସେ ॥ ୭୩
    ନାରଦ ରାଜା ପ୍ରିୟବ୍ରତେ । ପୂଜିତ ହୋଇ ଯଥୋଚିତେ ॥ ୭୪
    ନିଶ୍ଚଳଆତ୍ମା ନିଜସ୍ଥାନେ । ଗମିଲେ ଚତୁରଆନନେ ॥ ୭୫
    ଶୁଣ ରାଜନ ପରୀକ୍ଷିତ । ତଦନ୍ତେ ରାଜା ପ୍ରିୟବ୍ରତ ॥ ୭୬
    ବ୍ରହ୍ମାଙ୍କ ଜ୍ଞାନବାକ୍ୟ ଶୁଣି । ଆପଣେ ଅକିଞ୍ଚନ ମାନି ॥ ୭୭
    ମନରେ ଭାଳନ୍ତି ରାଜନ । ପାଳିବି ବ୍ରହ୍ମାଙ୍କ ବଚନ ॥ ୭୮
    ନାରଦ ବାକ୍ୟେ ମନ ଦେଇ । ମନୁ ଆତ୍ମଜେ ମହୀ ଦେଇ ॥ ୭୯
    ବିଷମ-ବିଷୟାକୁ ତେଜି । ରହେ ସା‌ତ୍ତ୍ୱିକଭାବେ ମଜ୍ଜି ॥ ୮୦
    ଏଥୁ ଅନ୍ତରେ ପୃଥିବୀରେ । ନିଯୁକ୍ତ ହୋଇଲା କୁମରେ ॥ ୮୧
    ଅଖିଳ-ଜଗତ-ବନ୍ଦନ । ନିବେଶି କୃଷ୍ଣପାଦେ ମନ ॥ ୮୨
    ଆଦିପୁରୁଷ ପାଦେ ଧ୍ୟାୟି । ମନ ନିବେଶି ନିତ୍ୟେ ତହିଁ ॥ ୮୩
    ପୃଥିବୀ ପରିପାଳନରେ । ଚିତ୍ତ ସେ ଦେଲା ନିରନ୍ତରେ ॥ ୮୪
    ଯେ ବିଶ୍ୱକର୍ମା ପ୍ରଜାପତି । ତାର ଦୁହିତା ବର୍ହିଷ୍କୃତୀ ॥ ୮୫
    ସେ କନ୍ୟା ବରି ନରନାଥ । ବିଭା ହୋଇଲା ଯଥୋଚିତ ॥ ୮୬
    ଦଶ ଆତ୍ମଜ ତାର ତହିଁ । ଜନ୍ମିଲେ ଗୁଣ-ତେଜ ବହି ॥ ୮୭
    ଏକ ଦୁହିତା ରୂପବତୀ । ନାମ ଯାହାର ଉର୍ଜସ୍ୱତୀ ॥ ୮୮
    ଆଗ୍ନୀଧ୍ର ଇଧ୍ୱଜିହ୍ୱ ଦୁଇ । ତୃତୀୟ ଯଜ୍ଞବାହୁ ହୋଇ ॥ ୮୯
    ସବପନ ଘୃତପୁଷ୍ଠ ଆର । ହିରଣ୍ୟରେତା ମହାବୀର ॥ ୯୦
    ବୀତିହୋତ୍ର ଯେ ମେଧାତିଥି । କବି ଏ ଦଶନାମ ଖ୍ୟାତି ॥ ୯୧
    ଏ ଦଶନାମ ପୁତ୍ରଙ୍କର । ଏଥିର ମଧ୍ୟେ ତିନି ସାର ॥ ୯୨
    ମହାବୀର କବି ସବନ । ଉର୍ଦ୍ଧ୍ୱରେତା ଏ ତନିଜଣ ॥ ୯୩
    ପରମହଂସ ଦୀକ୍ଷା ଧରି । ସକଳ ଚେଷ୍ଟା ପରିହରି ॥ ୯୪
    ସର୍ବଜୀବରେ କୃପାମୟ । ଶ୍ରୀବାସୁଦେବେ କରି ଲୟ ॥ ୯୫
    ଭୟେ ଆରତ-ପ୍ରାଣୀଙ୍କର । ଶରଣ-ରକ୍ଷଣ-ଶ୍ରୀଧର ॥ ୯୬
    ସେ ପଦ୍ମପାଦ ଆଶ୍ରୟରୁ । ନିରତେ ନାମ କୀର୍ତ୍ତନରୁ ॥ ୯୭
    ପରମଭକ୍ତି ପ୍ରଭାବରେ । ଦୟା ବହିଲେ ପ୍ରାଣୀଠାରେ ॥ ୯୮
    ଭାବେ ନିର୍ମଳଚିତ୍ତ ହୋଇ । ହରି ସର୍ବଭୂତେ ଦେଖଇ ॥ ୯୯
    ସେ ମହାପ୍ରଭୁ ନାରାୟଣେ । ନିତ୍ୟେ ଭଜିଲେ ଦାସପଣେ ॥ ୧୦୦
    ପ୍ରିୟବ୍ରତଙ୍କ ଅନ୍ୟନାରୀ । ଥିଲା ସେ ଅତୀବ ସୁନ୍ଦରୀ ॥ ୧୦୧
    ଦ୍ୱିତୀୟ ପତ୍ନୀ ଗର୍ଭେ ତାର । ହୋଇଲେ ତିନି ଯେ କୁମର ॥ ୧୦୨
    ଉତ୍ତମ ତାମସ ରୈବତ । ମନୁରେ ହୋଇଲେ ବିଖ୍ୟାତ ॥ ୧୦୩
    ଏମନ୍ତ ପୁତ୍ରମାନ ଘେନି । ସେ ରାଜା ଚିରକାଳ ପୁଣି ॥ ୧୦୪
    ସୁବାହୁ ବଳବୀର୍ଯ୍ୟ ଧରି । ପୃଥିବୀ ନିଷ୍କଣ୍ଟକ କରି ॥ ୧୦୫
    ସେ ରାଜା ପୁରୁଷାର୍ଥ କରି । ଧରମପଥକୁ ଆଚରି ॥ ୧୦୬
    ସେ ରାଜା ପତ୍ନୀ ବିଷୟରେ । ପ୍ରତି ଦିବସ ସ୍ନେହଭରେ ॥ ୧୦୭
    ସେ ପତ୍ନୀ ନବ-ଯଉବନେ । ମନ୍ଦହାସ ଅବଲୋକନେ ॥ ୧୦୮
    ବିହାର ତାର ସଙ୍ଗେ କରି । ତା ବଶ ନୋହି ଦଣ୍ତଧାରୀ ॥ ୧୦୯
    ବିବିଧ-କ୍ରୀଡା ନାନାରଙ୍ଗେ । ଦିନ ହରଇ ତାର ସଙ୍ଗେ ॥ ୧୧୦
    ଏମନ୍ତେ ରାଜା ପ୍ରିୟବ୍ରତ । ରାଜ୍ୟ ପାଳନେ ହେଲା ରତ ॥ ୧୧୧
    ପ୍ରଜାଙ୍କୁ ପାଳନ୍ତି ହରଷେ । ଏକାଦଶ-ଅର୍ବୁଦ-ବର୍ଷେ ॥ ୧୧୨
    ତାହାଙ୍କ ବେନିଭୂଜ ତେଜେ । ବିପକ୍ଷପକ୍ଷ ତାଙ୍କୁ ଭଜେ ॥ ୧୧୩
    ଏମନ୍ତ ନିର୍ଭୟ-ମନରେ । ଆନନ୍ଦେ ସଂସାରେ ବିହରେ ॥ ୧୧୪
    ମେରୁକୁ ସୂର୍ଯ୍ୟ ଯେବେ ଯାଏ । ତେଜରେ ପ୍ରକାଶ ସେ ହୋଏ ॥ ୧୧୫
    ତେଜେ ସୂର୍ଯ୍ୟତେଜ ଗଞ୍ଜଇ । ତପସ୍ୟାବଳେ ବିରାଜଇ ॥ ୧୧୬
    ଆରୋହି ଜ୍ୟୋତିର୍ମୟ-ରଥେ । ପ୍ରକାଶ କରାଇବା ଅର୍ଥେ ॥ ୧୧୭
    ରଜନୀ ଦିବସେ ଭ୍ରମଇଁ । ଦ୍ୱିତୀୟସୂର୍ଯ୍ୟ ପ୍ରାୟ ହୋଇ ॥ ୧୧୮
    ତପସ୍ୟାବଳୁ ପ୍ରିୟବ୍ରତ । ସାଧିଳା ଅବ୍ୟକ୍ତ ଏ ବ୍ରତ ॥ ୧୧୯
    ଏମନ୍ତ ଜାଣି ବେଦପତି । ଆସି ମିଳିଲେ ତାର କତି ॥ ୧୨୦
    ସସ୍ନେହେ କହେ ବେଦବର । ଏ ନୋହେ ତୁମ୍ଭ ଅଧିକାର ॥ ୧୨୧
    ସେ ରାଜା ରଥର ଚକ୍ରର । ହୋଇଲା ଯେତେକ ବିସ୍ତାର ॥ ୧୨୨
    ତେଣୁ ସପତସିନ୍ଧୁ ହେଲା । ପୃଥିବୀ ସାତଭାଗ କଲା ॥ ୧୨୩
    ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷ । କୁଶ ପୁଷ୍କର ଆଉ କ୍ରୌଞ୍ଚ ॥ ୧୨୪
    ଏପରି ସପ୍ତଦ୍ୱୀପ ହେଲା । ସେ ରାଜା ଆନନ୍ଦେ ବୁଡିଲା ॥ ୧୨୫
    ଆନନ୍ଦମନେ ଦଣ୍ତଧାରୀ । ଏହା ସେ କର୍ମରେ ବିଚାରି ॥ ୧୨୬
    ଏମନ୍ତେ ରାଜା ପ୍ରିୟବ୍ରତ । ସଂସାରକାର୍ଯ୍ୟେ ହେଲ ବ୍ରତ ॥ ୧୨୭
    ପୁତ୍ରଙ୍କୁ ଅଧିପତି କଲେ । ରାଜ୍ୟ ବିଭାଗ କରିଦେଲେ ॥ ୧୨୮
    ଦୁହିତା ଊର୍ଜସ୍ୱତୀ ନାମ । ତାହାକୁ ଶୁକ୍ରେ କଲା ଦାନ ॥ ୧୨୯
    ତାହାର କନ୍ୟା ଅନୁପମ । ହୋଇଲା ଦେବଯାନୀ ନାମ ॥ ୧୩୦
    ଏଥୁ ଅନ୍ତରେ ରାଜା ଚିତ୍ତେ । ବୈରାଗ୍ୟ ଉପୁଜେ ନିରତେ ॥ ୧୩୧
    ମନେ ବିଚାରି ନୃପନାଥ । ସ୍ୱନିନ୍ଦା କଲାକ ବହୁତ ॥ ୧୩୨
    ସ୍ତ୍ରୀସଙ୍ଗେ ଆସକ୍ତ ହୋଇଲି । ବଡ଼ ଅସାଧୁପଣ କଲି ॥ ୧୩୩
    ଏଣୁ ଇନ୍ଦ୍ରିୟେ ବଣ ହୋଇ । ଅବିଦ୍ୟା-ବିଷୟରେ ଥାଇ ॥ ୧୩୪
    ଏଣୁ ଏ ଧିକ ମୋ ଜୀବନ । ବିସ୍ମୟେ ଭାଳନ୍ତେ ରାଜନ ॥ ୧୩୫
    ଈଷ୍ଟ ଦେବତା-ପ୍ରସାଦରେ । ବୈରାଗ୍ୟ ଜାତ ତା ମନରେ ॥ ୧୩୬
    ବିଷୟ-ଚେଷ୍ଟା ପାଶୋରିଲା । ଇନ୍ଦ୍ରିୟମାନ ନିରୋଧିଲା ॥ ୧୩୭
    ରାଜସମ୍ପଦ ନ ଇଚ୍ଛିଲା । ପୁତ୍ରଙ୍କୁ ଭାଗ କରି ଦେଲା ॥ ୧୩୮
    ସ୍ୱପତ୍ନୀ ତେଜି ମୃତପ୍ରାୟେ । ମୁକ୍ତି ଇଚ୍ଛିଲା ନୃପରାୟେ ॥ ୧୩୯
    ମହାନୁଭାବ ଭଗବାନ । ନାରଦ ବ୍ରହ୍ମାର ନନ୍ଦନ ॥ ୧୪୦
    ତାହାଙ୍କ ପଥ ଆଶ୍ରେ କଲା । ନିଶ୍ଚୟେ ନିବୃତ୍ତ ହୋଇଲା ॥ ୧୪୧
    ଯେଉଁ ରାଜାର ଏତେ କୃତ୍ୟ । ଗାୟନ କରନ୍ତି ଜଗତ ॥ ୧୪୨
    ପ୍ରିୟବ୍ରତର କଲାକର୍ମ । ଏହା କେ କରିବାକୁ କ୍ଷମ ॥ ୧୪୩
    ତାହାର ରଥଚକ୍ର-ମାର୍ଗେ । ସପ୍ତସମୁଦ୍ର ପୃଥ୍ୱୀଭାଗେ ॥ ୧୪୪
    ଭାଗ-ବିଭାଗ ମହୀ କରି । ଦ୍ୱୀପ-ଉପଦ୍ୱୀପ ବିସ୍ତାରି ॥ ୧୪୫
    ଯେବା କଲା ମନୁକୁମର । ପୃଥିବୀ-ସ୍ୱର୍ଗେ ଅଗୋଚର ॥ ୧୪୬
    ସେ ପ୍ରିୟବ୍ରତର ମହିମା । ତ୍ରୈଲୋକ୍ୟେ ନାହିଁନା ଉପମା ॥ ୧୪୭
    ପ୍ରିୟ ଅଖିଳ ଜନଙ୍କର । ମହାମହିମା ଅଗୋଚର ॥ ୧୪୮
    ପ୍ରିୟବ୍ରତ ରାଜା ଚରିତ । କହଇ ଦାସ ଜଗନ୍ନାଥ ॥ ୧୪୯

    ଇତି ଶ୍ରୀମଦ୍ଭାଗବତେ ମହୁପରାଣେ ପାରମହଂସ୍ୟା
    ସଂହିତାୟାଂ ପଞ୍ଚମସ୍କନ୍ଧେ ପ୍ରିୟବ୍ରତ ବିଜୟେ
    ପ୍ରଥମୋଽଧ୍ୟାୟଃ ॥

    ଦ୍ୱିତୀୟ ଅଧ୍ୟାୟ

    ଶୁକ ଉବାଚ
    ଶୁଣ ରାଜନ ଏ ଅନ୍ତରେ । ପିତାର ଆଜ୍ଞା ଘେନି ଶିରେ ॥ ୧
    ଜମ୍ବୁଦ୍ୱୀପରେ ପ୍ରଜାଜନ । ଆଗ୍ନୀଧ୍ର କରଇ ପାଳନ ॥ ୨
    ଏମନ୍ତେ କେତେଦିନ ଗଲା । ଆଗ୍ନୀଧ୍ର ମନେ ବିଚାରିଲା ॥ ୩
    ସନ୍ତୋଷ ପିତୃଲୋକଙ୍କର । କେମନ୍ତେ ହୋଇବ ମୋହାର ॥ ୪
    ଏମନ୍ତ ମନେ ବିଚାରିଲା । ମନ୍ଦରଗିରିରେ ମିଳିଲା ॥ ୫
    ସୁରବନିତା କ୍ରୀଡାସ୍ଥାନେ । ପଶିଲା ଗହନ କାନନେ ॥ ୬
    ସଂସାରକରତାଙ୍କୁ ଧ୍ୟାୟି । ବସିଳା ସ୍ଥିରମନ ହୋଇ ॥ ୭
    ତାହା ଜାଣିଲେ ଭଗବାନ । ଯେ ବ୍ରହ୍ମା ସୃଷ୍ଟିର କାରଣ ॥ ୮
    ସଭାରେ କରଇ ଗାୟନ । ଯାହାର ପୂର୍ବଚିତ୍ତ ନାମ ॥ ୯
    ଅତି ସୁନ୍ଦରୀ ଅପସରୀ । ତାକୁ ପେଷିଲେ ବେଗ କରି ॥ ୧୦
    ଆଗ୍ନୀଧ୍ର ତପୋବନ ଲାଗେ । ମିଳିଲା ଅପସରୀ ବେଗେ ॥ ୧୧
    ଅତିମଞ୍ଜୁଳ ମନୋହର । ବିବିଧ-ବିଟପୀ-ଅପାର ॥ ୧୨
    ଘନ-ନିବିଡ-ଲତାମାନ । ଅଛନ୍ତି ନାନା-ପକ୍ଷୀଗଣ ॥ ୧୩
    କର୍ଣ୍ଣାଭିରାମ-ଧ୍ୱନିମାନ । କରନ୍ତି ହରଷିତ ମନ ॥ ୧୪
    ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି । ବିବିଧ-ଜଳାଶୟେ ପୂରି ॥ ୧୫
    କୁକ୍ଳୁଟ-କାରଣ୍ତବ-ହଂସ । କରନ୍ତି ରୁଚିର-ବିଳାସ ॥ ୧୬
    କାନନେ ନାନା ପୁଷ୍ପସାର । ପଦ୍ମ-ପୂରିତ-ସରୋବର ॥ ୧୭
    ମନ୍ଦପବନ ବହେ ନିତ୍ୟେ । ତା ଦେଖି କନ୍ୟା ତୋଷଚିତ୍ତେ ॥ ୧୮
    କରଇ ଲଳିତେ ଗାୟନ । ବିନ୍ୟାସେ ପାଦଗତିମାନ ॥ ୧୯
    ଚରଣେ ନୂପୁର ତାହାର । ଧ୍ୱନି କରଇ ମନୋହର ॥ ୨୦
    ଅତି ମଞ୍ଜୁଳ-ତାନ ଶୁଣି । ନୃପ କୁମର-ଶିରୋମଣି ॥ ୨୧
    ସମାଧିଯୋଗରୁ ତାହାର । ନୟନକମଳଯୁଗଳ ॥ ୨୨
    ଈଷିତେ ବିକଶିତ କଲା । ମନ୍ଦ-ମଧୁରେ ସେ ଚାହିଁଲା ॥ ୨୩
    ନିକଟେ ତାର ମୁଖ ଦେଖି । ପିଛାଡି ନ ପାରଇ ଆଖି ॥ ୨୪
    ଭ୍ରମର-ମତି ସେ ଯେସନ । ପୁଷ୍ପ ଲୋଡଇ ବନେବନ ॥ ୨୫
    ଦେବମାନବ ଆଦି ଯେତେ । ଉଲ୍ଲାସ ହୁଅନ୍ତି ଜଗତେ ॥ ୨୬
    ବିହାର-ଅବଲୋକନରେ । ସୁସ୍ୱର-ବଚନ-ମଧୁରେ ॥ ୨୭
    ପ୍ରାଣୀର ମନକୁ ସେ ନେଇ । ଅନଙ୍ଗେ ଅସ୍ଥିର କରଇ ॥ ୨୮
    ସେ ଯେତେବେଳେ ବାକ୍ୟ କହି । ବଦନୁ ସୁଗନ୍ଧ ବାସଇ ॥ ୨୯
    ତେଣେ ଲୁବୁଧ-ଭୃଙ୍ଗଗଣେ । ଭ୍ରମନ୍ତି ତାର ସନ୍ନିଧାନେ ॥ ୩୦
    ତେଣୁ ନ ପାରେ ବେଗେ ଯାଇ । ପବନେ ବସନ ଚଳଇ ॥ ୩୧
    ତା ଦେଖି ନୃପତିନନ୍ଦନ । ହୋଇଲା ଅନଙ୍ଗେ ଅଧୀନ ॥ ୩୨
    ଜଡ ପରାୟେ ସେ ହୋଇଲା । କାହୁଁ ତୁ ଅଇଲୁ ବୋଇଲା ॥ ୩୩
    ବନଦେବତା ମାୟାକରି । ବନେ କି ଖୋଜୁ ବନ ହେରି ॥ ୩୪
    କାମର ଅସ୍ତ୍ରମାନ ଯୋଖି । କି ଅର୍ଥେ ବୁଲୁ ତୁ ମୃଗାକ୍ଷି ॥ ୩୫
    ମୃଗାକ୍ଷି କହ ତୁ ବଚନ । ମୃଗକୁ ଲୋଡୁ କି କାରଣ ॥ ୩୬
    ତୋ ବେନି କମଳଲୋଚନ । ନିଶ୍ଚୟ ଅନଙ୍ଗର ବାଣ ॥ ୩୭

    ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ଆଗ୍ନୀଧ୍ରବର୍ଣ୍ଣନଂ ନାମ
    ଦ୍ୱିତୀୟୋଽଧ୍ୟାୟଃ ॥

    ତୃତୀୟ ଅଧ୍ୟାୟ

    ଶୁକ ଉବାଚ
    ଆଗ୍ନୀଧ୍ରସୁତଙ୍କ ମଧ୍ୟରେ । ନାଭିଙ୍କ ପୁତ୍ର ନୋହିବାରେ ॥ ୧
    ବା‚ଞ୍ଛା କରି ପୁତ୍ରକାମରେ । ତା ପତ୍ନୀ ମେରୁଦେବୀଠାରେ ॥ ୨
    ଭଗବାନ - ଯଜ୍ଞପୁରୁଷେ । ସେ ରାଜା ଭଜିଲା ବିଶ୍ୱାସେ ॥ ୩
    ନାଭି ଯେ ଶୁଦ୍ଧଭାବ ଧରି । ମନ୍ତ୍ରେ ଆହୁତି ହବି-ବଳି ॥ ୪
    ତାହାର ଶ୍ରଦ୍ଧାଭାବୁଁ କରି । ଯଜ୍ଞେ ପ୍ରସନ୍ନ ନରହରି ॥ ୫
    ଭଗବାନ-ଭକ୍ତବତ୍ସ›ଳ । ସେ ସର୍ବଆତ୍ମାର କୁଶଳ ॥ ୬
    ରାଜାର ସନ୍ତୋଷ ନିମନ୍ତେ । ସ୍ୱଚ୍ଛନ୍ଦେ ଅତି ହୃଷ୍ଟଚିତ୍ତେ ॥ ୭
    ମନ-ନୟନାନନ୍ଦ-ବେଶ । ଅଗ୍ନିରେ ହୋଇଲେ ପ୍ରକାଶ ॥ ୮
    ଭୁଜଯୁଗଳ ବେନିକରି । ପୀତବସନ ଛନ୍ତି ଧରି ॥ ୯
    ଶଙ୍ଖ-କମଳ ବାମେ ଧରି । ଦକ୍ଷିଣକରେ ଗଦା ଅରୀ ॥ ୧୦
    ତେଜେ ବିରାଜମାନ ହୋଇ । କୌସ୍ତୁଭମଣି କଣ୍ଠେ ଶୋହି ॥ ୧୧
    ଅମୂଲ୍ୟରତ୍ନ-ମୁକ୍ତହାର । ବିରାଜମାନ ହୃଦୟର ॥ ୧୨
    ବିବିଧମଣିମାନଙ୍କରେ । ନିର୍ମିତ ମୁକଟ ଶିରରେ ॥ ୧୩
    କୁଣ୍ତଳ-କଙ୍କଣ-ସୁନ୍ଦର । କଟୁମେଖଳା ରତ୍ନସାର ॥ ୧୪
    ହାର କେୟୂର ଯେ ନୂପୁର । ଏ ଆଦି ଭୂଷଣ ଶରୀର ॥ ୧୫
    ସେ ଯଜ୍ଞ ବରଣକର୍ତ୍ତାର । ଉ›ତ୍ସୁକ ହୃଦୟେ ଅପାର ॥ ୧୬
    ନିର୍ଦ୍ଧନ-ଗୃହପତି ଧନେ । ପ୍ରାପତ କୋଟିନିଧି ଯେହ୍ନେ ॥ ୧୭
    ତେମନ୍ତ ହୋଇ ଦ୍ୱିଜଗଣ । ଯଜ୍ଞରେ ଥିଲେ ଯେତେ ଜନ ॥ ୧୮
    ପରମ-ହରଷକୁ ପାଇ । ନମିଲେ ଶିରେ କର ଦେଇ ॥ ୧୯
    ଭୋନାଥ ପରମକାରଣ । ତୁମ୍ଭର ଆମ୍ଭେ ଭୃତ୍ୟଗଣ ॥ ୨୦
    ସର୍ବପୂରିତ ତୁ ଠାକୁର । ସେବା ତୁ ଘେନ ହେ ଆମ୍ଭର ॥ ୨୧
    ତୋହର ଚରଣାରବିନ୍ଦେ । ନମିଲୁ ପରମ ଆନନ୍ଦେ ॥ ୨୨
    ତୋର ଭିଆଣ ଏ ଜଗତ । ପ୍ରକୃତି-ପୁରୁଷ ବିଦିତ ॥ ୨୩
    ତ୍ରିଗୁଣେ ଜୀବ ବନ୍ଦୀ ହୋଇ । ତୋର ମାୟାରେ ଭ୍ରମୁଥାଇ ॥ ୨୪
    ଯେତେ ସୃଷ୍ଟିର କର୍ତ୍ତାମାନ । ସେ ସର୍ବେ ତୋହର ଅଧୀନ ॥ ୨୫
    ଭୋନାଥ ତୋହର ମହିମା । ସଂଖ୍ୟାରେ କେ କରିବ ସୀମା ॥ ୨୬
    ତୋର ଆକୃତି-ରୂପ -ନାମ । ଧ୍ୟାନେ କରନ୍ତି ନିରୂପଣ ॥ ୨୭
    ସାକ୍ଷାତେ ନୁହଁଇ ଗୋଚର । ଭୋ ପ୍ରଭୁ ରୂପଗୁଣ ତୋର ॥ ୨୮
    ତୋହର ନାମ ଉଚ୍ଚାରଣ । ସକଳ-ପାପ-ବିଧ୍ୱଂସନ ॥ ୨୯
    ଅଖିଳ-ବ୍ରହ୍ମାଣ୍ତ-ଠାକୁର । ତୁ ନାଥ କରୁଣାସାଗର ॥ ୩୦
    ତୋହର ଯେତେ ଭକ୍ତଜନେ । ଆନନ୍ଦେ ପ୍ରସନ୍ନ ବଦନେ ॥ ୩୧
    ସଲିଳ-ଦୂର୍ବା-ତୁଳସୀରେ । ପୂଜନ୍ତି ତୋହର ପୟରେ ॥ ୩୨
    ତେଣୁ ତୁ ପରମପୁରୁଷ । ପ୍ରସନ୍ନ ହେଉ ହୃଷୀକେଶ ॥ ୩୩
    ଏ ଯଜ୍ଞ ହୋଇଲା ସଫଳ । ଯେଣୁ ପ୍ରସନ୍ନ ଆଦିମୂଳ ॥ ୩୪
    ସୁଫଳ କି ଅବା ଅପରେ । ହୋଇବ ଏଥୁ ଅଧିକରେ ॥ ୩୫
    ବାଳକବୁଦ୍ଧି ସେ ଯେସନେ । ତେମନ୍ତ ପ୍ରାୟ ଆମ୍ଭେମାନେ ॥ ୩୬
    ପୂର୍ଣ୍ଣ ଯେ ପରମ-ପୁରୁଷେ । ଯଜ୍ଞ ଯେ କରୁ ତୋ ବିଶ୍ୱାସେ ॥ ୩୭
    ପରମ-ଦୟାର ସାଗର । ରାଜାଙ୍କୁ ପ୍ରଭୁ କୃପା କର ॥ ୩୮
    ଏମନ୍ତ ସ୍ତୁତି ଶ୍ରବଣରେ । ଜଗତ ପ୍ରଭୁ ସେ ଅଗ୍ନିରେ ॥ ୩୯
    ରାଜାର ଚକ୍ଷୁର ଗୋଚର । ହୋଇଲେ ଅତି ମନୋହର ॥ ୪୦
    ଯେ ଅବଶେଷ ପାପ ଥିଲା । ତକ୍ଷଣେ ସର୍ବ ଦୂର ଗଲା ॥ ୪୧
    ପୁଣି ବୋଲନ୍ତି ଦ୍ୱିଜଗଣ । ଭୋନାଥ ସାବଧାନେ ଶୁଣ ॥ ୪୨
    ଜ୍ଞାନ ଅନଳେ ପାପ ଦହି । ତୋ ପାଦପଦ୍ମଯୁଗ ଧ୍ୟାୟି ॥ ୪୩
    ଯେ ଆତ୍ମାରାମ-ମୁନିଗଣ । ସେବନ୍ତି ତୋହର ଚରଣ ॥ ୪୪
    ଏ ତୋର ଗୁଣକର୍ମମାନ । କରନ୍ତି ଅବିରତେ ଧ୍ୟାନ ॥ ୪୫
    ତୁ ନାଥ ଅଖିଳଠାକୁର । ପରମମଙ୍ଗଳର ଘର ॥ ୪୬
    ଆମ୍ଭେ ସ୍ୱଭାବେ ହୀନଜନ । କରିବୁଁ ତୋହର ସ୍ମରଣ ॥ ୪୭
    ସକଳ-କଳୁଷ-ନାଶନ । ନିର୍ମଳ ତୋଗୁଣ ଗାୟନ ॥ ୪୮
    ଆମ୍ଭର ମରଣଦଶାରେ । ତୋ ନାମ ଥିବ ବଚନରେ ॥ ୪୯
    ଏମନ୍ତ ଆଜ୍ଞା ପ୍ରଭୁ କର । ଅଖିଳବହ୍ମାଣ୍ତଠାକୁର ॥ ୫୦
    ଏବେ ତୁ ଶୁଣ ଭାବଗ୍ରାହୀ । ଏ ରାଜା ପୁତ୍ରକାମୀ ହୋଇ ॥ ୫୧
    ତୋର ପ୍ରସାଦୁ ଏ କୁମର । ମାଗଇ ସଦୃଶରେ ତୋର ॥ ୫୨
    ସ୍ୱର୍ଗ ଭୋଗ ଯେ ମୋକ୍ଷପଦ । ସକଳ ଦେଉ ତୁ ଗୋବିନ୍ଦ ॥ ୫୩
    ଏ ପୁତ୍ର ମାଗଇ ଯେମନ୍ତେ । ତୁଷ ମାଗିବା ଧନବନ୍ତେ ॥ ୫୪
    ଏଥୁ ଅନ୍ତରେ ସେ ରାଜନ । ନିଶ୍ଚଳ ଚିତ୍ତେ କରି ଧ୍ୟାନ ॥ ୫୫
    ଈଶ୍ୱର-ଶ୍ରୀମୁଖକୁ ଚାହିଁ । ଗଦ୍‌ଗଦେ ବଚନ ବୋଲଇ ॥ ୫୬
    ଭୋ ନାଥ ପରମମଙ୍ଗଳ । ପ୍ରସନ୍ନ ହୁଅ ଆଦିମୂଳ ॥ ୫୭
    ଏ ତୋର ଚରଣାରବିନ୍ଦ । ଆଶ୍ରୟ ନ କରି ଗୋବିନ୍ଦ ॥ ୫୮
    ଏ ଭବସାଗରେ ଯେ ଜନ । ମାୟାର ହୁଅନ୍ତି ଅଧୀନ ॥ ୫୯
    ସେ ମୂଢ଼ପ୍ରାଣୀମାନଙ୍କର । ଭୋ ନାଥ ଏମନ୍ତ ବେଭାର ॥ ୬୦
    ତୋର ଚରଣେ ନ ଭଜନ୍ତି । ଅଜ୍ଞାନେ ସଂସାରେ ପଡନ୍ତି ॥ ୬୧
    ସକଳକର୍ତ୍ତା ତୁ ଈଶ୍ୱର । ତୋର ଭିଆଣ ଏ ସଂସାର ॥ ୬୨
    ଏମନ୍ତେ ନାଭି-ସ୍ତୁତି ଶୁଣି । ଦେବାଧିଦେବଶିରୋମଣି ॥ ୬୩
    ଅଖିଳ-ବୃନ୍ଦାରକଗଣ । ସେବନ୍ତି ଯାହାର ଚରଣ ॥ ୬୪
    ସଦୟ ଚିତ୍ତେ ଭଗବାନ । କହନ୍ତି କୋମଳ ବଚନ ॥ ୬୫

    ଭଗବାନ ଉବାଚ
    ହେ ସର୍ବ ମୁନିଜନ ଯେତେ । ସ୍ତୁତିରେ ବଶ କଲ ମୋତେ ॥ ୬୬
    ମୋର ସଦୃଶ ଏହା ସୁତ । ମାଗିଲ ଏ ବଡ଼ ଅଦ୍‌ଭୁତ ॥ ୬୭
    ମୋହର ରୂପତ ଅପାର । କି ରୂପେ ହୋଇବି କୁମର ॥ ୬୮
    ତପସ୍ୟା-ବ୍ରହ୍ମବାକ୍ୟମାନ । ବିଅର୍ଥ ହୋଇବ କେସନ ॥ ୬୯
    ବ୍ରହ୍ମାର କୁଳ ଏ ହୁଅଇ । ମୋହର ପାଳିବା ଯୋଗାଇ ॥ ୭୦
    ଏବେ ମୁଁ ପୁତ୍ରରୂପ ହୋଇ । ଅଂଶରେ ଅବତରିବଇଁ ॥ ୭୧
    ରାଜା ସହିତେ ମୁନିଗଣ । ଶୁଣିଲେ ଏମନ୍ତ ବଚନ ॥ ୭୨
    ଏତେକ କହି ନାରାୟଣ । ଅଗ୍ନିରେ ହେଲେ ଅନ୍ତର୍ଦ୍ଧାନ ॥ ୭୩
    ଏମନ୍ତେ ମୁନି ଯଜ୍ଞ କରି । ପ୍ରସନ୍ନ କରାଇଲେ ହରି ॥ ୭୪
    ରାଜାର ପ୍ରିୟଭାବ ବହି । ସେ ପ୍ରଭୁ ମେରୁଦେବୀ ତହିଁ ॥ ୭୫
    ସଂସାରେ ଧର୍ମ ବିସ୍ତାରିଣ । ଅବତରିଲେ ନାରାୟଣ ॥ ୭୬
    ବୋଲଇ ଦାସ ଜଗନ୍ନାଥ । ରାଜା-ଯଜ୍ଞସ୍ତୁତି-ଚରିତ ॥ ୭୭

    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
    ପଞ୍ଚମସ୍କନ୍ଧେ ନାଭିଚରିତେ ଋଷଭାବତାରୋ ନାମ
    ତୃତୀୟୋଽଧ୍ୟାୟଃ ॥

    ଚତୁର୍ଥ ଅଧ୍ୟାୟ

    ଶୁକ ଉବାଚ
    ଏଥୁଅନ୍ତରେ ଶୁଣ ରାୟେ । ନାଭିରେ ହୋଇଲା ତନୟେ ॥ ୧
    ଯେତେ ଲକ୍ଷଣ କୃଷ୍ଣଠାରେ । ସକଳ ଅଛି ସେ କୁମରେ ॥ ୨
    ଶାନ୍ତି-ବୈରାଗ୍ୟ ଗୁଣ ଯେତେ । ଐଶ୍ୱର୍ଯ୍ୟ ଆଦି ଏ ସମସ୍ତେ ॥ ୩
    ଅତି ସୋହାଗେ ବହୁଧନେ । ପାଳିତ ହୋଇ ପ୍ରତିଦିନେ ॥ ୪
    ଶୁକଳପକ୍ଷେ ବନ୍ଦ୍ର ଯେହ୍ନେ । ବଢ଼ଇ ପୁତ୍ର ଦିନୁଦିନେ ॥ ୫
    ଅମାତ୍ୟଆଦି ପ୍ରଜା ଯେତେ । ଦେବତା-ବ୍ରାହ୍ମଣ ସହିତେ ॥ ୬
    ଅବନୀତଳେ ଯେତେ ଜନ । ସାନନ୍ଦ ହେଲା ତାଙ୍କ ମନ ॥ ୭
    ତାହାର ବାଳରୂପ-ଗୁଣ । ଅତି ଅଦ୍‌ଭୁତ ଯେ ଲକ୍ଷଣ ॥ ୮
    ଦେଖି ତାହାର ଚିହ୍ନ ବର୍ଣ୍ଣ । ପିତା ଋଷଭ ଦେଲେ ନାମ ॥ ୯
    ଯେବେ ତାହାଙ୍କ ସଙ୍ଗତରେ । ବିବାଦ କଲେ ପୁରନ୍ଦରେ ॥ ୧୦
    ସେ ଭଗବାନ ଯୋଗେଶ୍ୱର । ଋଷଭ ନାମଟି ଯାହାର ॥ ୧୧
    ଆପଣା ଯୋଗମାୟା ବଳେ । ଇନ୍ଦ୍ରଙ୍କୁ ନିଗ୍ରହ ଯେ କଲେ ॥ ୧୨
    ନାଭି ସେ କର୍ମମାନ ଦେଖି । ଲୋତକେ ପୂର୍ଣ୍ଣ କଲା ଆଖି ॥ ୧୩
    ଆନନ୍ଦେ ଗଦଗଦ ହୋଇ । ହେ ପୁତ୍ର ହେ ତାତ ବୋଲଇ ॥ ୧୪
    ସେ ଭଗବାନ ଯୋଗେଶ୍ୱର । ପୁରାଣ-ପୁରୁଷ-ଠାକୁର ॥ ୧୫
    ମାୟାରେ ଅଂଶରୂପ ହୋଇ । ଲୀଳାରେ ଶରୀର ବହଇ ॥ ୧୬
    ତାହାଙ୍କୁ ପୁତ୍ରଭାବେ କରି । ବଦନେ ବଚନ ଉଚ୍ଚାରି ॥ ୧୭
    ସ୍ନେହଭାବରେ ସେ ଭଜିଲା । ପରମବ୍ରହ୍ମକୁ ପାଇଲା ॥ ୧୮
    ଏଥୁଅନ୍ତରେ ନୃପମଣି । ପୁତ୍ରର ବୁଦ୍ଧି-ବଳ ଜାଣି ॥ ୧୯
    ଆତ୍ମୀୟ-ବ୍ରାହ୍ମଣଙ୍କୁ ରାଇ । ରାଜତ୍ୱପଣ ପୁତ୍ରେ ଦେଇ ॥ ୨୦
    ଯେ ମେରୁଦେବୀ ପତ୍ନୀ ତାର । ସଙ୍ଗତେ ଘେନି ନୃପବର ॥ ୨୧
    ବଦରିକାଶ୍ରମେ ରହିଲା । ପରମତପ ଆଚରିଲା ॥ ୨୨
    ସମାଧିଯୋଗରେ ରାଜନ । ଚିନ୍ତଇ ପ୍ରଭୁ ଭଗବାନ ॥ ୨୩
    କେତେହେଁ ଦିନ ତପ କଲା । ଅନ୍ତେ ସେ ମୁକତି ଲଭିଲା ॥ ୨୪
    ଯା ଯଶ ଏ ବେନିଶ୍ଳୋକରେ । ଗାୟନ କରନ୍ତି ସଂସାରେ ॥ ୨୫
    ଏମନ୍ତ ସଂସାରେ କେ ହେବ । ନାଭିର କର୍ମକୁ କରିବ ॥ ୨୬
    ଯାହାର ଶୁଦ୍ଧଭାବୁଁ କରି । ପୁତ୍ର ହୋଇଲେ ନରହରି ॥ ୨୭
    ସେ ରାଜା ବିପ୍ରଭକ୍ତ ହୋଇ । ଯଜ୍ଞେ ପୂଜିଲେ ଭାବଗ୍ରାହୀ ॥ ୨୮
    ଅଗ୍ନିରେ ପ୍ରଭୁ ଚକ୍ରଧର । ଦେଖିଲେ ନୟନ-ଗାଚର ॥ ୨୯
    ଏଥୁଅନ୍ତରେ ନୃପ ଶୁଣ । ସେ ଯେ ଋଷଭଗବାନ ॥ ୩୦
    ଗୁରୁକୁଳରେ ବାସ କଲେ । ଲୋକରେ ଧର୍ମ ଦେଖାଇଲେ ॥ ୩୧
    ସମସ୍ତ ବିଦ୍ୟା ପୂର୍ଣ୍ଣ କରି । ଗୁରୁଙ୍କ ଆଜ୍ଞା ଶିରେ ଧରି ॥ ୩୨
    ଗୃହସ୍ଥଧର୍ମ ଆଚରଣ । କରନ୍ତେ ସଂସାର-ପାଳନ ॥ ୩୩
    ଗୁରୁ ସନ୍ତୋଷେ ଦେଲେ ବର । ହୋଇବ ଶତେକ କୁମର ॥ ୩୪
    ଏମନ୍ତେ ଗଲା କେତେଦିନ । ଋଷଭ ସେ ମହାରାଜନ ॥ ୩୫
    ବେଦଉକତ ଧର୍ମମତେ । ବିଭା ହୋଇଲେ ଯଥୋଚିତେ ॥ ୩୬
    ପୂର୍ବେ ଇନ୍ଦ୍ରର ହୋଇ ଦତ୍ତ । ଯେ କନ୍ୟା ଜୟନ୍ତୀ ବିଦିତ ॥ ୩୭
    ତହିଁ ବିବିଧ ଭୋଗକରି । ଆନନ୍ଦେ ସ୍ୱଚ୍ଛନ୍ଦେ ବିହରି ॥ ୩୮
    ଯଥାକାଳରେ ତାହାଙ୍କର । ହୋଇଲେ ଶତେକ କୁମର ॥ ୩୯
    ଏହାଙ୍କ ମଧ୍ୟେ ମହାବୀର । ଜ୍ୟେଷ୍ଠ ଯେ ଭରତ କୁମର ॥ ୪୦
    ଏ ଭୂମି ଯାହାର ନାମରେ । ଭାରତ ବୋଲାଇ ସଂସାରେ ॥ ୪୧
    ଏ ଜ୍ୟେଷ୍ଠ ଭରତ ଅନ୍ତରେ । ହୋଇଲେ ଋଷଭ କୁମରେ ॥ ୪୨
    ଯେ ଇଳାବର୍ତ୍ତ କୁଶାବର୍ତ୍ତ । ଇନ୍ଦ୍ରସ୍ପୁକ ଯେ ବ୍ରହ୍ମାବର୍ତ୍ତ ॥ ୪୩
    ମଳୟ କେତୁ ଯେ ନନ୍ଦନ । ବିଦର୍ଭ ଆର ଭଦ୍ରସେନ ॥ ୪୪
    କୀକଟ ଆଦି ନବପୁତ୍ର । ପଛେ କହିବା ତା ଚରିତ ॥ ୪୫
    ଏହାଙ୍କ ଯେ ନବ ଅନୁଜ । ଶୁଣ କହିବା ମହାରାଜ ॥ ୪୬
    ସେ କବି ହରି ଅନ୍ତରୀକ୍ଷ । ଏ ତିନି ଦାନଧ୍ୟାନେ ଦକ୍ଷ ॥ ୪୭
    ପ୍ରବୁଦ୍ଧ ଯେ ପିପ୍‌ପଳାୟନ । ଷଷ୍ଠରେ ଆବିର୍ହୋତ୍ର ନାମ ॥ ୪୮
    ଦୁର୍ମିଳ ଚମସ ଏ ଦୁଇ । କରଭାଜନ ନବଭାଇ ॥ ୪୯
    ଏ ନବ ଶ୍ରେଷ୍ଠଭାଗବତ । ପବିତ୍ର କଲେ ଏ ଜଗତ ॥ ୫୦
    ପରେ ବସୁଦେବ ନାରଦ । ବେନିଜନଙ୍କ ଯେ ସମ୍ବାଦ ॥ ୫୧
    ସେଠାରେ ବର୍ଣ୍ଣିବୁ ସମସ୍ତ । ଶୁଣ ରାଜନ ପରୀକ୍ଷିତ ॥ ୫୨
    ଏକାଶୀପୁତ୍ରଙ୍କ ଚରିତ । ଶୁଣ କହିବା ଏକଚିତ୍ତ ॥ ୫୩
    ଶ୍ରୋତ୍ରିୟ ସୁଶୀଳ ମହାନ୍ତ । ପିତା ଆଜ୍ଞାରେ ଅନୁଗତ ॥ ୫୪
    ଯଜ୍ଞାଦି କର୍ମରେ ନିପୁଣ । ହୋଇଲେ ବିଶୁଦ୍ଧ-ବ୍ରାହ୍ମଣ ॥ ୫୫
    ଏଥୁ ଉତ୍ତାରେ ସେ ଈଶ୍ୱର । ଋଷଭନାମେ ଯୋଗେଶ୍ୱର ॥ ୫୬
    ସେ ନିତ୍ୟ ଅବ୍ୟୟ ଅନନ୍ତ । ପରମାନନ୍ଦ ସେ ଅଚ୍ୟୁତ ॥ ୫୭
    ମାୟାରେ ନରଦେହ ଧରି । ଅନେକକାଳ ସେ ବିହରି ॥ ୫୮
    ଧର୍ମ ଆଚର-ଶିକ୍ଷାମାନ । ଦିଅନ୍ତି ପ୍ରଜା ପୁତ୍ରେ ଦାନ ॥ ୫୯
    ପରମ ଦୟାଳୁ ସେ ପୁଣ । ସର୍ବଭୂତରେ ମିତ୍ରପଣ ॥ ୬୦
    ପ୍ରତିପାଳନ୍ତି ପ୍ରଜାଜନ । ପୁତ୍ରକୁ ପିତାହିଁ ଯେସନ ॥ ୬୧
    ବେଦପ୍ରମାଣେ ମୁନିଗଣ । ଯେ ପଥ କରନ୍ତି ଦର୍ଶନ ॥ ୬୨
    ସେହିପ୍ରକାରେ ନୃପବର । ପାଳନ କରନ୍ତି ସଂସାର ॥ ୬୩
    ଉତ୍ତମସ୍ଥଳେ ଶୁଦ୍ଧକାଳେ । ନାନାସମ୍ଭାରେ ସେ ନିଶ୍ଚଳେ ॥ ୬୪
    ମନ୍ତ୍ର ସମ୍ପାଦି ଅନୁକ୍ରମେ । ସଙ୍କଳ୍ପ କରି ଶୁଦ୍ଧମନେ ॥ ୬୫
    ଏମନ୍ତ କଲେ ଯଜ୍ଞ ଶତେ । ବେଦ-ବିହିତ-ଯଥୋଚିତେ ॥ ୬୬
    ଋଷଭ ପରିପାଳେ ମହୀ । ଏମନ୍ତ କେ ଅବା ଅଛଇ ॥ ୬୭
    ଦରିଦ୍ର ଖଳ ହିଂସ୍ର ବାଦୀ । ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି ॥ ୬୮
    ଦ୍ରବ୍ୟେ ଯେ ଯାଚନା କରଇ । ଏମନ୍ତ ଜନ କେହି ନାହିଁ ॥ ୬୯
    ଶ୍ରୀକୃଷ୍ଣଭକ୍ତି ବିନୁ ଆର । ଆନ ନ ବାଞ୍ଛ‚ନ୍ତି ସେ ନର ॥ ୭୦
    ଏବେ ହୋ ଶୁଣ ସାବଧାନେ । ଋଷଭ ବୁଲୁଁ ଏକଦିନେ ॥ ୭୧
    ବ୍ରହ୍ମଋଷି-ସଭାରେ ଯାଇ । ତନୟମାନେ ଛନ୍ତି ଯହିଁ ॥ ୭୨
    କୋମଳ-ମଧୁର ବଚନେ । ଶିକ୍ଷା କରାନ୍ତି ଯେ ରାଜନେ ॥ ୭୩
    କହନ୍ତି ହିତବାକ୍ୟମାନ । ଶୁଣନ୍ତି ଯେତେ ସଭାଜନ ॥ ୭୪
    ବୋଲଇ ଜଗନ୍ନାଥ ଦାସ । ଋଷଭ ନାରାୟଣ ଅଂଶ ॥ ୭୫
    ତାଙ୍କ ଚରିତ ଯେ ଶୁଣନ୍ତି । ସେ ପ୍ରାଣୀ ସଂସାରୁ ତରନ୍ତି ॥ ୭୬

    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
    ପଞ୍ଚମସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ॥

    ପଞ୍ଚମ ଅଧ୍ୟାୟ

    ଋଷଭ ଉବାଚ
    ଭୋ ପୁତ୍ରମାନେ ସାବଧାନ । ହୋଇଣ ଶୁଣ ମୋ ବଚନ ॥ ୧
    ଯେ ପ୍ରାଣୀ କାମ୍ୟକର୍ମମାନ । ନିରତେ କରେ ଆଚରଣ ॥ ୨
    ସେ ପ୍ରାଣୀ ବ୍ୟର୍ଥ ଏ ସଂସାରେ । ପଡେ ନରକେ ମହାଘୋରେ ॥ ୩
    ଯେ ବ୍ରହ୍ମକର୍ମ ସ‌ତ୍ତ୍ୱଗୁଣ । ତପେ ଅନନ୍ତ-ଆରାଧନ ॥ ୪
    ନିର୍ମାଣମାର୍ଗ ଏ ବିଦିତ । ଶୁଣ କହିବା ପୁତ୍ରେ ସତ୍ୟ ॥ ୫
    ସ୍ତିରୀସଙ୍ଗମ ଆଦି ଯେତେ । ଏ ଗୋରତମ ଶତସୁତେ ॥ ୬
    ଏ ସର୍ବ ଦୂରେ ପରିହରି । ମହାନ୍ତଜନ ସେବା କରି ॥ ୭
    ମହାନ୍ତପ୍ରାଣୀ ଅଟେ ସେହି । ପ୍ରଶାନ୍ତ-ସାଧୁ ସେ ବୋଲାଇ ॥ ୮
    ଯେ ଜନ କ୍ରୋଧ ବିବର୍ଜିତ । ତାହାର ସୁହୃଦ ଜଗତ ॥ ୯
    ସେ ପ୍ରାଣୀ ମୋର ପଦ୍ମପାଦେ । ମନ ଅର୍ପଇ ଅପ୍ରମାଦେ ॥ ୧୦
    ଯେ ଜନ ଜାୟା ଗୃହ ଧନ । ତନୟ-କ୍ଳେଶ ନାନାକର୍ମ ॥ ୧୧
    କରି ନାନାଭ୍ରମ ହୋଇ । ଯାବତ ମୋତେ ନ ଭଜଇ ॥ ୧୨
    ଅନିତ୍ୟ-ଦେହ ନିତ୍ୟ କରେ । ସେ ସାଧୁ ନୋହଇ ସଂସାରେ ॥ ୧୩
    ତାବତ ପରାଭବ ପାଇ । ଯାବତ ଆତ୍ମା ନ ଚିହ୍ନଇ ॥ ୧୪
    ଯାବତ ନାନାକର୍ମ କରେ । ମନ ବଢ଼ାଇ ନିରନ୍ତରେ ॥ ୧୫
    ତାବତ କର୍ମବଶ ହୋଇ । ନାନା ଶରୀରେ ସେ ଭ୍ରମଇଁ ॥ ୧୬
    ଅବ୍ୟୟ-ବାସୁଦେବ ମୁହିଁ । ମୋରେ ଯାହାର ପ୍ରୀତି ନାହିଁ ॥ ୧୭
    ସେ ନୋହେ ଦେହବନ୍ଧୁଁ ପାର । ଯେଣୁ ନ ଚିହ୍ନେ ସେ ଈଶ୍ୱର ॥ ୧୮
    ସ୍ୱପନପ୍ରାୟ ଦେହେ ନର । କରଇ ନାନା ଅହଙ୍କାର ॥ ୧୯
    ନିଦ୍ରାରେ ଯେତେ ସୁଖଭୋଗ । ଜାଗ୍ରତେ ନ ପାଇ ତା ଲାଭ ॥ ୨୦
    ଗୃହବନ୍ଧର ଏ କାରଣ । ନାରୀ ସଙ୍ଗତେ ଅନୁଦିନ ॥ ୨୧
    ସ୍ତିରୀ-ପୁରୁଷ ଭାବବହି । ତହିଁରେ ମନକୁ ବାନ୍ଧଇ ॥ ୨୨
    ମୋହର ଗୃହ ମୋର ଧନ । ବୋଲେ ମାୟାରେ ହୋଇ ଛନ୍ନ ॥ ୨୩
    ତାବତ କର୍ମବନ୍ଧମାନ । ନୋହଇ ତାହାର ଖଣ୍ତନ ॥ ୨୪
    ଯେବେଟି ପଦ୍ମପାଦେ ମୋର । ଆଶ୍ରୟ କରଇ ସେ ନର ॥ ୨୫
    ପାଦପଲ୍ଲବଯୁଗ ଧରି । ତରଇ ଏ ଭବ-ଲହରୀ ॥ ୨୬
    ଅଖିଳଗୁରୁ ମୁହିଁ ହରି । ମୋତେ ଭଜିବ ଦେହ ଧରି ॥ ୨୭
    ନିବୃତ୍ତଚିତ୍ତ ହୋଇ ନର । ଭକ୍ତି କରିବ ମୋ ପୟର ॥ ୨୮
    ବ୍ୟସନ-ହିଂସାକୁ ଛାଡିବ । ତପରେ ମୋତେ ଆରଧିବ ॥ ୨୯
    ମୋହର ଗୁଣକର୍ମ ନାମ । ନିରତେ କରିବ କୀର୍ତ୍ତନ ॥ ୩୦
    ଏକାନ୍ତଭାବ ମୋହଠାରେ । ଭୋ ପୁତ୍ରେ କରନ୍ତି ଯେ ନରେ ॥ ୩୧
    ଇନ୍ଦ୍ରିୟଗୁଣଙ୍କୁ ନିବାରି । ଅଧ୍ୟାତ୍ମବିଦ୍ୟାକୁ ଆଚରି ॥ ୩୨
    ଶ୍ରଦ୍ଧାରେ ବ୍ରହ୍ମଚର୍ଯ୍ୟ କରେ । ପ୍ରଶାନ୍ତ-ସତ୍ୟ-ବଚନରେ ॥ ୩୩
    ମୋହର ଭାବଭକ୍ତିମାନ । ଚିତ୍ତେ ଚିନ୍ତଇ ଅନୁକ୍ଷଣ ॥ ୩୪
    ଭବଜଳରୁ ସେ ତରଇ । ଗୃହବନ୍ଧନ ତାର ନାହିଁ ॥ ୩୫
    ସ୍ୱକର୍ମ କରି ଏ ସଂସାରେ । ଯେ ଅର୍ପେ ମୋହର ପୟରେ ॥ ୩୬
    ତାହାର କର୍ମବନ୍ଧ ମୁହିଁ । ଅକ୍ଳେଶେ ନିଶ୍ଚୟ ଛେଦଇଁ ॥ ୩୭
    ଆତ୍ମାର ଶ୍ରେୟକର୍ମଠାରେ । ଶ୍ରଦ୍ଧା ନ କରନ୍ତି ପାମରେ ॥ ୩୮
    ଅଳପସୁଖ ହେତୁକରି । ଅନ୍ୟୋନ୍ୟ-ହିଂସାକୁ ଆଚରି ॥ ୩୯
    ଅଶେଷଦୁଖର କାରଣ । କରନ୍ତି ହୋଇ ମତିଭ୍ରମ ॥ ୪୦
    ମୃଗତୃଷ୍ଣାର ପ୍ରାୟେ ହୋଇ । ଅବିଦ୍ୟାସମୂହେ ଭ୍ରମଇ ॥ ୪୧
    ଅନ୍ଧ ଯେସନେ ପଥେ ଯାଇ । କକ-ଦୁର୍ଗମେ ଭ୍ରମଇ ॥ ୪୨
    ଭକତିଯୋଗେ ଯେ ସଂସାରେ । ନିକଟ-ମୃତ୍ୟୁ ନ ନିବାରେ ॥ ୪୩
    ସେ ନୋହେ ଗୁରୁ ମିତ୍ର ପିତା । ପତି ଜନନୀ ବା ଦେବତା ॥ ୪୪
    ମୃଢ଼ ଜାଣିବ ଏହା କାହିଁ । ନିତ୍ୟେ ମାୟାରେ ଭ୍ରମୁଥାଇ ॥ ୪୫
    ଭୋପୁତ୍ରେ ଶୁଣ ମୋ ଉତ୍ତର । ଏ ଯେ ମୋହର କଳେବର ॥ ୪୬
    ଅଷ୍ଟାଙ୍ଗଯୋଗଧ୍ୟାନେ ମୋତେ । ମୁନି ଚିନ୍ତନ୍ତି ଅବିରତେ ॥ ୪୭
    ଯେଣୁ ଆମ୍ଭର ତୁମ୍ଭେ ସୁତ । ପରମ ଶ୍ରେଷ୍ଠ-ଭାଗବତ ॥ ୪୮
    ଏବେ ଏମନ୍ତ ତୁମ୍ଭେ କର । ଭରତ ଜ୍ୟେଷ୍ଠ ଯେ ତୁମ୍ଭର ॥ ୪୯
    ଅକ୍ଳେଶବୁଦ୍ଧିରେ ସମସ୍ତେ । ତାହାଙ୍କୁ ଭଜ ଯଥୋଚିତେ ॥ ୫୦
    ମୋର ବଚନ ଧରି ଶିରେ । ସୁଖେ ଭ୍ରମିବ ଏ ସଂସାରେ ॥ ୫୧
    ସର୍ବଭୂତରେ ମୁହିଁଥାଇ । ସୁଖଦୁଃଖାଦି ମୁଁ ଭୁଞ୍ଜଇ ॥ ୫୨
    ଭୂତ-ଗନ୍ଧର୍ବ ସେ ମାନବ । ପ୍ରମଥଗଣ ଯେତେ ଦେବ ॥ ୫୩
    ଯେ ବ୍ରହ୍ମସୁତ ଦକ୍ଷଆଦି । ମୋର ଶରୀର ଯେ ପ୍ରସିଦ୍ଧି ॥ ୫୪
    ସର୍ବଦେହର ମଧ୍ୟେ ସାର । ସଂସାରେ ବିପ୍ର-କଳେବର ॥ ୫୫
    ଶ୍ରଦ୍ଧାରେ ଶୁଦ୍ଧଚିତ୍ତେ ଯେହି । ଯେ ଦ୍ରବ୍ୟ ବିପ୍ରଙ୍କୁ ଦିଅଇ ॥ ୫୬
    ସନ୍ତୋଷେ ମୁଁ ତାହା ଭୁଞ୍ଜଇ । ଯଜ୍ଞେ ସନ୍ତୋଷ ତେତେ ନୋହି ॥ ୫୭
    ଯମନିୟମନ୍ଦମେ ମୋତେ । ବିପ୍ରେ ପୂଜନ୍ତି ଯଥୋଚିତେ ॥ ୫୮
    ସକଳ ପରଙ୍କର ପର । ମୁହିଁ ଅନନ୍ତ-ଯୋଗେଶ୍ୱର ॥ ୫୯
    ସ୍ୱର୍ଗମୋକ୍ଷର ଦାତା ମୁହିଁ । ମୋ ବିନୁ ଅନ୍ୟ କେହି ନାହିଁ ॥ ୬୦
    ଯେ ପ୍ରାଣୀ ଅକିଞ୍ଚନ ହୋଇ । ମୋହର ପାଦେ ମନ ଦେଇ ॥ ୬୧
    ତାହାର ଯେତେ କର୍ମମାନ । ସକଳ କରଇ ଗ୍ରହଣ ॥ ୬୨
    ମୋହର ପୂଜା ତୁମ୍ଭେମାନେ । କରିବ ଯଥାର୍ଥ-ବିଧାନେ ॥ ୬୩
    ପବିତ୍ର ଅବଲୋକନରେ । ସ୍ଥିର-ମନ-ବାକ୍ୟ-ବୁଦ୍ଧିରେ ॥ ୬୪
    ମୋହର ଅନୁଗ୍ରହ ବିନେ । ସଂସାରେ ଯେତେ ପ୍ରାଣୀମାନେ ॥ ୬୫
    ଶମନ-ପାଶ-ବନ୍ଧନରୁ । କେ ଅବା ତରିବ ସଂସାରୁ ॥ ୬୬

    ଶୁକ ଉବାଚ
    ଏମନ୍ତ ଶିକ୍ଷା ପୁତ୍ରେ ଦେଇ । ଋଷଭ ପ୍ରଭୁ ଭାବଗ୍ରାହୀ ॥ ୬୭
    ପ୍ରାଣୀଙ୍କ ନିସ୍ତାର କାରଣେ । ଧର୍ମ ବିସ୍ତାରିଲେ ଆପଣେ ॥ ୬୮
    ଶତେତନୟ ମଧ୍ୟେ ସାର । ଜ୍ୟେଷ୍ଠ ଯେ ଭରତକୁମର ॥ ୬୯
    ପରମ-ଭାଗବତ ସେହି । ନିରତେ ପ୍ରଭୁଙ୍କୁ ଭଜଇ ॥ ୭୦
    ସାଧୁସଙ୍ଗତେ ଅନୁଗତ । ତାହାର ଗୁଣ ଯେ ବହୁତ ॥ ୭୧
    ଅବନୀ ପାଳିବାର ପାଇଁ । ରାଜତ୍ୱପଣ ତାକୁ ଦେଇ ॥ ୭୨
    ଯେ ମୁକ୍ତି ଧର୍ମ ମହାମୁନି । ଜ୍ଞାନ-ବୈରାଗ୍ୟ-ଭକ୍ତି ଘେନି ॥ ୭୩
    ତାହାଙ୍କ ଲକ୍ଷଣ ଆଚରି । ଋଷଭ ପ୍ରଭୁ ନରହରି ॥ ୭୪
    ବାହ୍ୟ-ଶରୀର-ମାତ୍ର ଧରି । ଉନ୍ମତ୍ତରୂପକୁ ଆଚରି ॥ ୭୫
    ମୁକୁଳା କରି କେଶପାଶ । ଗଗନ କରି କଟିବାସ ॥ ୭୬
    ଯେହ୍ନେ ବଧିର ଜଡ଼ ମୂକ । ଅନ୍ଧ ପିଶାଚ ଉନ୍ମାଦକ ॥ ୭୭
    ଏମନ୍ତ ଅବଧୂତବେଶ । ଧରି ସେ ବ୍ରହ୍ମାଣ୍ତର ଈଶ ॥ ୭୮
    ପ୍ରାଣୀଙ୍କି ବଚନ ନ କହି । ମଉନ ବ୍ରତକୁ ସେ ଲଇ ॥ ୭୯
    ସକଳ-ପୁର-ଗ୍ରାମ-ଗିରି । ଘୋର କାନନ ଆଦିକରି ॥ ୮୦
    ଦୁର୍ଜନ-ଦୁଷ୍ଟଙ୍କ ବଚନ । ପ୍ରହାର ଆଦି ଅପମାନ ॥ ୮୧
    ଏ ପରାଭବକୁ ସେ ସହି । ସୁଖେ ଭ୍ରମନ୍ତି ଏହା ମହୀ ॥ ୮୨
    ଆପଣାଠାରେ ଚିତ୍ତ ଥୋଇ । ନିତ୍ୟ ଆନନ୍ଦମନା ହୋଇ ॥ ୮୩
    ଅତି ସୁନ୍ଦର ସୁକୁମାର । ଚରଣଯୁଗ ବେନିକର ॥ ୮୪
    ବିପୁଳ ଉଚ୍ଚ ବକ୍ଷସ୍ଥଳ । ମଞ୍ଜୁଳ ବଦନକମଳ ॥ ୮୫
    ଅତି ସୁନ୍ଦର ତା ଶରୀର । ଈଷତହାସ ବିମ୍ବାଧର ॥ ୮୬
    ନବ-ନଳୀନଦଳ ଯେହ୍ନେ । ଲୋଚନଯୁଗଳ ତେସନେ ॥ ୮୭
    ସୁରଙ୍ଗ ସୁନ୍ଦର କପୋଳ । ନିଗୂଢ଼ କଣ୍ଠ ସୁମଞ୍ଜୁଳ ॥ ୮୮
    ସେ ରୂପ ଦେଖିଣ ନୟନେ । ଟଳନ୍ତି ସୁରପତ୍ନୀମାନେ ॥ ୮୯
    କୁସୁମାୟୁଧବାଣେ ମନ । ତକ୍ଷଣେ ହୋଏ ଅଚେତନ ॥ ୯୦
    ସୁନ୍ଦର ଶରୀର ମଳିନ । ଦିଶିଲେ ଆନୁ ଆନ ବର୍ଣ୍ଣ ॥ ୯୧
    ସଂସାରେ ଯେତେ ଦୁଷ୍ଟପ୍ରାଣୀ । ଯୋଗ ଭାଙ୍ଗିବେ ଏହା ଜାଣି ॥ ୯୨
    ଯେ ବ୍ରତ ଅତିଭୟଙ୍କର । ଅଜଗରର ଯେ ଆଚାର ॥ ୯୩
    ସେ ଅଜଗରପ୍ରାୟ ହୋଇ । ରହିଲେ ନିଜପରୂପ ଧ୍ୟାୟି ॥ ୯୪
    ଏମନ୍ତେ କହିବଇଁ କେତେ । ଅଷ୍ଟାଙ୍ଗଯୋଗ ନାନାମତେ ॥ ୯୫
    କରି ସେ କଇବଲ୍ୟ ଦାତା । ଯେ ପ୍ରଭୁ ଜଗତକରତା ॥ ୯୬
    ଏମନ୍ତେ ନାନାଯୋଗ ଚିନ୍ତି । ସେ ହରି ଭକତର ଗତି ॥ ୯୭
    ସକଳଭୂତ ଆତ୍ମା ସେହି । ଋଷଭ ଅଂଶେ ଦେହ ବହି ॥ ୯୮
    ପରମପ୍ରଭୁ ଯୋଗେଶ୍ୱର । ସେ ଯୋଗ ସାଧିଲେ ଅପାର ॥ ୯୯
    ସେ ପ୍ରଭୁ ଚରଣେ ସନ୍ତତ । ନିଶ୍ଚଳେ ବହୁ ମୋର ଚିତ୍ତ ॥ ୧୦୦
    କହଇ ଦାସ ଜଗନ୍ନାଥ । ଋଷଭ ଗୋବିନ୍ଦ ଚରିତ ॥ ୧୦୧
    ସୁଜନେ ଚିତ୍ତେ ଏହା ଭାବ । ସଂସାରୁ ଯେମନ୍ତେ ତରିବ ॥ ୧୦୨
    ଗୁରୁଦୀକ୍ଷାକୁ ମନେ କରି । ଭବସାଗରୁ ହେବ ପାରି ॥ ୧୦୩

    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ଋଷଭଦେବାନୁ ଚରିତେ
    ପଞ୍ଚମୋଽଧ୍ୟାୟଃ ॥

    ଷଷ୍ଠ ଅଧ୍ୟାୟ

    ପରୀକ୍ଷିତ ଉବାଚ
    ମୋର ସଂଶୟ ହୃଦଗତେ । ଭୋ ମୁନି ଫେଡ଼ ଦୟାଚିତ୍ତେ ॥ ୧
    ଯେ ଇଚ୍ଛାବିହାରୀ ପୁରୁଷ । ସକଳକର୍ମର ଯେ ଈଶ ॥ ୨
    ଏ ରୂପେ କିବା କାର୍ଯ୍ୟ ତାର । ସଂଶୟ ଫେଡ ମୁନିବର ॥ ୩
    ଅଷ୍ଟ ଐଶ୍ୱର୍ଯ୍ୟଦାତା ହୋଇ । କଷ୍ଟେ କ୍ଲେଶିତ କାହିଁପାଇଁ ॥ ୪

    ଶୁକ ଉବାଚ
    ଯେ ପ୍ରଶ୍ନ କଲ ହେ ରାଜନ । କହଇ ଶୁଣ ସାବଧାନ ॥ ୫
    ଐଶ୍ୱର୍ଯ୍ୟପଦ ଆଦି ଯେତେ । ନିତ୍ୟେ କଦର୍ଥନ୍ତି ସମସ୍ତେ ॥ ୬
    ଏ ମନ ଚଞ୍ଚଳ ସ୍ୱଭାବ । କେବେ ହେଁ ବିଶ୍ୱାସ ନ ଯିବ ॥ ୭
    ଯାହାର ମୂଳ କାମ ଲୋଭ । ଶୋକ ମୋହ ଯେ କ୍ରୋଧ ଗର୍ବ ॥ ୮
    ଏ ସର୍ବ ଯାର ମୂଳ ହୋଇ । ପ୍ରାଣୀଙ୍କି ବନ୍ଧନ କରଇ ॥ ୯
    କେ ଏହା ସାଧୁ କରି ମଣେ । ମୂଢ଼ ପାମର ଜନ ବିନେ ॥ ୧୦
    ଏବେ ହୋ ଶୁଣ ମହୀପାଳ । ସେ ଯେ ଋଷଭ-ଅବତାର ॥ ୧୧
    ଅଖିଳ-ଲୋକପାଳ-ବର । ବଦନ୍ତି ଚରଣେ ଯାହାର ॥ ୧୨
    ସେ ଦେବ ନାନା ବିଲକ୍ଷଣ । ଜଡ଼ର ପ୍ରାୟ ଆଚରଣ ॥ ୧୩
    ଭ୍ରମନ୍ତି ନାନା ଦେଶ-ଗ୍ରାମେ । ଯୋଗ ଶିଖାଇ ଯୋଗଧର୍ମେ ॥ ୧୪
    ଏମନ୍ତେ ଗଲା କେତେଦିନ । ଶୁଣ ରାଜନ ଏକମନ ॥ ୧୫
    ଋଷଭ ମନେ ବିଚାରିଲେ । ଏ ଦେହ ଛାଡିବୁ ବୋଇଲେ ॥ ୧୬
    ଆତ୍ମାରେ ଆତ୍ମାକୁ ବୁଡାଇ । ଇନ୍ଦ୍ରିୟବୃତ୍ତେ ମନ ନାହିଁ ॥ ୧୭
    ଏମନ୍ତ ମୁକ୍ତଲିଙ୍ଗରୂପ । ହୋଇଲେ ଈଶ୍ୱର-ସ୍ୱରୂପ ॥ ୧୮
    ମୃତ୍ପିଣ୍ତ ପ୍ରାୟେ ଦେହ ମଣି । ସ୍ୱଚ୍ଛନ୍ଦେ ବିହରିଲେ ଜ୍ଞାନୀ ॥ ୧୯
    ଦକ୍ଷିଣେ କର୍ଣ୍ଣାଟଦେଶରେ । ମିଳିଲେ କୁଟକଗିରିରେ ॥ ୨୦
    ତହିଁର ଉପବନେ ସେହି । ବୁଲନ୍ତି ମୁକ୍ତଦେଶ ହୋଇ ॥ ୨୧
    ଏମନ୍ତେ ପବନ ବେଗରେ । ଅଗ୍ନି ଜଳିଲା ଅତିଖରେ ॥ ୨୨
    ବନସ୍ତ-ବୃକ୍ଷ-ଜୀବମାନ । ଶୀଘ୍ର ସେ କରଇ ଦହନ ॥ ୨୩
    ସେ ଜଡ଼ରୂପ ଯୋଗେଶ୍ୱର । ପଶିଲେ ଅଗ୍ନିର ଭିତର ॥ ୨୪
    ଅନଳତେଜ ଅତିଖର । ଦହିଲା ତାହାଙ୍କ ଶରୀର ॥ ୨୫
    ପାଷଣ୍ତପଣ ଯହୁଁ ହୋଇ । କୁପଥମାନଙ୍କୁ ସେ ଲଇ ॥ ୨୬
    କଳିଯୁଗରେ ନରନାଥ । ଏ ଯେ ଋଷଭଦେବ-ପଥ ॥ ୨୭
    ନ ବୁଝ ପାଷାଣ୍ତ ବହୁତ । ବାହ୍ୟ-ଆଚାରେ ଅବଧୂତ ॥ ୨୮
    ଶୌଚ-ପବିତ୍ର ଦୂରକରି । ଦେବତାନିନ୍ଦାକୁ ଆଚରି ॥ ୨୯
    କଳିର ଆଚର ଯେସନ । ତହିଁରେ ହୋଇ ମତିଭ୍ରମ ॥ ୩୦
    ଦେବ-ବ୍ରାହ୍ମଣ-ଯଜ୍ଞମାନ । ନିନ୍ଦା କରିବେ ଅନୁକ୍ଷଣ ॥ ୩୧
    ସୁକର୍ମପଥକୁ ଛାଡିବେ । କୁମାର୍ଗମାନ ଆଚରିବେ ॥ ୩୨
    ଶୁଣ କହିବା ନୃପବର । ଏ ଯେ ଋଷଭ-ଅବତାର ॥ ୩୩
    ରଜଗୁଣର ଜାତ ଯେତେ । ତାହାଙ୍କ କଇବଲ୍ୟ ଅର୍ଥେ ॥ ୩୪
    ତାହାଙ୍କ ଗୁଣ ଏ ସଂସାରେ । ଗାୟନ କରୁଛନ୍ତି ନରେ ॥ ୩୫
    ସପତସିନ୍ଧୁ ମଧ୍ୟେ ଥାଇ । ଦ୍ୱୀପ ବରଷ ଯେତେ ହୋଇ ॥ ୩୬
    ଭାରତବର୍ଷ ତହିଁ ଧନ୍ୟ । ଯହିଁରେ ଜନ୍ମି ପ୍ରାଣୀମାନ ॥ ୩୭
    ଅଖିଳଜନର ଠାକୁର । ତାହାଙ୍କ ଜନ୍ମ-ଅବତାର ॥ ୩୮
    ଗାୟନ କରନ୍ତି ହରଷେ । ଯେଣେ ଅଜ୍ଞାନ-ପାପ ନାଶେ ॥ ୩୯
    ଧନ୍ୟ ଏ ପ୍ରିୟବ୍ରତ ବଂଶ । ଯହିଁ ଜନ୍ମିଲେ ବିଷ୍ଣୁଅଂଶ ॥ ୪୦
    ଧନ୍ୟ ସେ ରାଜାମଧ୍ୟେ ଶ୍ରେଷ୍ଠ । ଭକତ ମଧ୍ୟରେ ଗରିଷ୍ଠ ॥ ୪୧
    ଏହାର ତୁଲ୍ୟ କେ ଅପର । ଯେ ବଂଶେ ଦେବ-ଯୋଗେଶ୍ୱର ॥ ୪୨
    ବେଦ ବ୍ରାହ୍ମଣ ଗୋରୁ ଆଦି । ଦେବତା ନର ଯେ ପ୍ରସିଦ୍ଧି ॥ ୪୩
    ଏ ସର୍ବ ଗୁରୁ ଭଗବାନ । ଋଷଭ ପରମ-କାରଣ ॥ ୪୪
    ତାହାଙ୍କ ଅଦଭୁତ-କର୍ମ । ବିଶୁଦ୍ଧ ଯେତେ ଆଚରଣ ॥ ୪୫
    ପ୍ରାଣୀମାନଙ୍କ ପାପହର । ପରମ-ମଙ୍ଗଳ-ମନ୍ଦିର ॥ ୪୬
    ଶ୍ରଦ୍ଧାରେ ଶୁଣନ୍ତି ଯେ ନର । ହରଷେ କରନ୍ତି ବିଚାର ॥ ୪୭
    ଚଞ୍ଚଳଚିତ୍ତ ସ୍ଥିର କରି । ଯେ ଅବା ବଦନେ ଉଚ୍ଚାରି ॥ ୪୮
    ତା ମତି କୃଷ୍ଣର ପୟରେ । ରହଇ ଅତି ଦୃଢ଼ତରେ ॥ ୪୯
    ପରମ-କୃପାମୟ ତହିଁ । ନିଶ୍ଚଳ-ଭକତି ଲଭଇ ॥ ୫୦
    ଯେ ଭକ୍ତିପ୍ରସାଦରୁ ନର । ସଂସାରବନ୍ଧୁ ହୋନ୍ତି ପାର ॥ ୫୧
    ବିଷୟଜଳେ ବୁଡୁଥାଇ । ଭକ୍ତିଭେଳାରେ ସେ ତରଇ ॥ ୫୨
    ସେ ସର୍ବପୁରୁଷାର୍ଥ ପାଇ । ଯାର ପ୍ରସାଦୁ ମୋକ୍ଷ ହୋଇ ॥ ୫୩
    ଶୁଣ କହିବା ନୃପବର । ଯେ ଯଦୁବଂଶର ଠାକୁର ॥ ୫୪
    ତାହାର ଭୃତ୍ୟ ତୁ ରାଜନ । ସେ ଯେ ଅନାଦି-ଭଗବାନ ॥ ୫୫
    ନାନାଦି ଅବତାର ବହି । ସଂସାରୁ ପ୍ରାଣୀଙ୍କି ତାରଇ ॥ ୫୬
    ଭକ୍ତିରେ ତାଙ୍କୁ ଯେ ଭଜଇ । ସେ ପ୍ରଭୁ ତାରେ ମୋକ୍ଷ ଦେଇ ॥ ୫୭
    ଯେ ନିତ୍ୟ-ଆନନ୍ଦ-ଶରୀର । ତାହାର ତୃଷ୍ଣା ଆଦି ଦୂର ॥ ୫୮
    ପରମ-କଲ୍ୟାଣ-କାରଣ । ଲୋକରେ ଦୟା ପରାୟଣ ॥ ୫୯
    ସେ ଯେ ରକ୍ଷଭ-ଯୋଗେଶ୍ୱର । ତାହାଙ୍କୁ ମୋର ନମସ୍କାର ॥ ୬୦
    କହଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୬୧
    ସେ ପ୍ରଭୁ ଋଷଭ-ଚରଣେ । ମୋ ମନ ରହୁ ଅନୁକ୍ଷଣେ ॥ ୬୨

    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ଋଷଭଦେବାନୁଚରିତେ ଷଷ୍ଠୋଽଧ୍ୟାୟଃ ॥

    ସପ୍ତମ ଅଧ୍ୟାୟ

    ଶୁକ ଉବାଚ
    ଏବେ ହୋ ଶୁଣ ପରୀକ୍ଷିତ । ଋଷଭ ଉତ୍ତାରେ ଯେମନ୍ତ ॥ ୧
    କହିବା ତହିଁର ଉଦନ୍ତ । ରାଜନ ହୁଅ ଏକଚିତ୍ତ ॥ ୨
    ଭରତ ମହାଭାଗବତ । ଋଷଭେ ହୋଇଣ ସମ୍ଭୂତ ॥ ୩
    ତାହାଙ୍କ ଆଜ୍ଞା ଶିରେ ଘେନି । ଆନନ୍ଦେ ପାଳନ୍ତି ମେଦିନୀ ॥ ୪
    ବିଶ୍ୱରୂପର କନ୍ୟା ସେହି । ପଞ୍ଚଜନୀକୁ ବିଭା ହୋଇ ॥ ୫
    ପଞ୍ଚକୁମର ଯେ ତାହାର । ହୋଇଲେ ଅତି ମନୋହର ॥ ୬
    ଧୂମ୍ରକେତୁ ଯେ ସୁଦର୍ଶନ । ସୁମତି ରାଷ୍ଟଭୃତ ନାମ ॥ ୭
    ଅପରେ ଆବରଣ ନାମ । ହୋଇଲେ ଅତି ଅନୁପମ ॥ ୮
    ଏ ଦେଶ ଅଜନାଭ ଥିଲା । ଭରତୁଁ ଭାରତ ହୋଇଲ ॥ ୯
    ଏମନ୍ତେ ଶୁଣ ପରୀକ୍ଷିତ । ବିଷ୍ଣୁଭକତ ସେ ଭରତ ॥ ୧୦
    ଦେବ-ବ୍ରାହ୍ମଣ-ପ୍ରଜାଜନ । ସ୍ୱଚ୍ଛନ୍ଦେ କରଇ ପାଳନ ॥ ୧୧
    ଯେ ଯାହା ଧର୍ମଅନୁସାର । ଆନ ନ କରନ୍ତି ଆଚାର ॥ ୧୨
    ଯେ ଦର୍ଶ-ପୌର୍ଣ୍ଣମାସ ଆଦି । ଚାତୁର୍ମାସ୍ୟ ଯଜ୍ଞ ପ୍ରସିଦ୍ଧି ॥ ୧୩
    ଅଗ୍ନିହୋତ୍ର ଯେ ପଶୁ-ସୋମ । ଏ ଆଦି ଯେତେ ଯଜ୍ଞମାନ ॥ ୧୪
    ଶ୍ରଦ୍ଧାରେ ଯାଗଯଜ୍ଞ କରି । ପୂଜନ୍ତି ଦେବ ନରହରି ॥ ୧୫
    ଯଜ୍ଞେ ସକଳଦେବ ତୋଷି । ଯେଯାହା ଭାବେ ରାଜଋଷି ॥ ୧୬
    ନାନାଯଜ୍ଞରେ ସେ ରାଜନ । ସନ୍ତୋଷେ ପୂଜେ ଭଗବାନ ॥ ୧୭
    ସର୍ବଦେବତାମୂଳ ସେହି । ଅଶେଷ-ପ୍ରଭୁ-ଭାବଗ୍ରାହୀ ॥ ୧୮
    ଅଖିଳଦେବଙ୍କ ଈଶ୍ୱର । ସକଳ-ବ୍ରହ୍ମାଣ୍ତ-ଠାକୁର ॥ ୧୯
    ତାହାଙ୍କ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୨୦
    ସକଳ ଯଜ୍ଞଅବସାନେ । ଦେବେ ସନ୍ତୋଷ ହୋଇ ମନେ ॥ ୨୧
    ପରମକଲ୍ୟାଣ ସେ କରି । ହରଷେ ଗଲେ ଯେଜା ପୁରୀ ॥ ୨୨
    ସୁକର୍ମ-ପ୍ରସାଦୁ ରାଜାର । ନିର୍ମଳ ହେଲା କଳେବର ॥ ୨୩
    ସ‌ତ୍ତ୍ୱଗୁଣରେ ନୃପମଣି । ମନେ ଚିନ୍ତଇ ଚକ୍ରପାଣି ॥ ୨୪
    ଆକାଶପ୍ରାୟ ଯେ ଈଶ୍ୱର । ଶୁଦ୍ଧ ନିର୍ମଳ ସ‌ତ୍ତ୍ୱସାର ॥ ୨୫
    ପରମବ୍ରହ୍ମ ବାସୁଦେବ । ଅନାଦିପୁରୁଷ ମାଧବ ॥ ୨୬
    ନାନାଲକ୍ଷଣେ ବିରାଜିତ । ଚତୁରଭୁଜେ ସେ ଶୋଭିତ ॥ ୨୭
    ଶ୍ରୀବତ୍ସ କଉସ୍ତୁଭମଣି । ଗଦା କମଳ ଚକ୍ରପାଣି ॥ ୨୮
    ଶଙ୍ଖ ଶୋହଇ ବାମକରେ । ବନମାଳା ଯେ ଲମ୍ବେ ଉରେ ॥ ୨୯
    ଏ ଆଦି ଯେତେ ଚିହ୍ନ-ବର୍ଣ୍ଣ । ଚିନ୍ତା କରଇ ସେ ରାଜନ ॥ ୩୦
    ଅତିଭକତି ନାରାୟଣେ । ହୋଇଲା ତାର ଦିନୁଦିନେ ॥ ୩୧
    ଏମନ୍ତେ ଗଲା କେତେଦିନ । ଶୁଣ ସୁମନେ ହେ ରାଜନ ॥ ୩୨
    ଲକ୍ଷେବରଷ ସେ ରାଜନ । ଅବନୀ କରିଣ ପାଳନ ॥ ୩୩
    ସକଳକର୍ମ ସାଧ୍ୟ କଲେ । ପୁତ୍ରଙ୍କୁ ରାଇ ଆଜ୍ଞା ଦେଲେ ॥ ୩୪
    ରାଜସମ୍ପଦ ଯଥୋଚିତେ । ବିଭାଗ କରି ଯେଝାମତେ ॥ ୩୫
    ଦେଇ ସେ ଋଷଭକୁମର । ଆପଣେ ହୋଇଲେ ବାହାର ॥ ୩୬
    ପୁଲହଋଷିଙ୍କ ଆଶ୍ରମ । ତହିଁକି କଲେକ ଗମନ ॥ ୩୭
    ଅଦ୍ୟାପି ହରି -ଭଗବାନ । ଯହିଁ ଅଛନ୍ତି କରି ସ୍ଥାନ ॥ ୩୮
    ତହିଁର ନଦୀ ଶୁଦ୍ଧଜଳ । ସୁଖେ ସେବନ୍ତି ମୁନିକୁଳ ॥ ୩୯
    ତାହର ଗଣ୍ତକୀ ଯେ ନାମ । ସ୍ମରଣେ ପାପ-ବିନାଶନ ॥ ୪୦
    ପୁଲହାଶ୍ରମ ଯେ ଗହନ । ବିବିଧ ଦ୍ରୁମରେ ଶୋଭନ ॥ ୪୧
    ନାନା କୁସୁମେ ପରିମଳ । ନିର୍ମଳ ସୁଶୀତଳ ଜଳ ॥ ୪୨
    ମଳୟପବନ ନିରତେ । ତହିଁ ଭରତ ଶୁଦ୍ଧ ଚିତ୍ତେ ॥ ୪୩
    କୋମଳ ତୁଳସୀରଦଳ । ସୁସ୍ୱାଦୁ ପକ୍ୱ ଫଳମୂଳ ॥ ୪୪
    ଅନ୍ୟ ଯେ ବନ୍ୟ-ଉପହାର । ନିବେଦି ଗୋବିନ୍ଦ ପୟର ॥ ୪୫
    ଇନ୍ଦ୍ରିୟଗଣକୁ ନିବାରି । ବିଷୟରସ ଦୂର କରି ॥ ୪୬
    ନିତ୍ୟେ ଗୋବିନ୍ଦ-ଆରାଧନ । କରଇ ହରଷେ ରାଜନ ॥ ୪୭
    ମହାପୁରୁଷ ସେବା ବିନେ । ଅନ୍ୟ ସେ ନ ଭାବଇ ମନେ ॥ ୪୮
    ଜଗତ-ପ୍ରଭୁ ନାରାୟଣେ । ଶ୍ରଦ୍ଧା ବଢାଇ ଅନୁକ୍ଷଣେ ॥ ୪୯
    କୈବଲ୍ୟଦାତା ନାମ ଧରି । ହୃଦୟ ଗଦଗଦ କରି ॥ ୫୦
    ରୋମପୁଲକ ଅଶ୍ରୁପାତ । ହରଷ ତନୁ ଅବିରତ ॥ ୫୧
    ଏମନ୍ତ ପ୍ରଭୁ ଯେ ଗୋବିନ୍ଦ । ଅରୁଣ-ଚରଣାରବିନ୍ଦ ॥ ୫୨
    ଆସ୍ୱାଦ କରି ଅବିରତେ । ପରମଭକ୍ତି ଯୋଗମତେ ॥ ୫୩
    ଗଭୀର-ହ୍ରଦ-ହୃଦୟରେ । ଚିତ୍ତ ବୁଡାଇ ନିରନ୍ତରେ ॥ ୫୪
    ନିତ୍ୟେ ଯେ ପ୍ରଭୁ ସେବା ତାର । ବିସ୍ମର କଲା ନୃପବର ॥ ୫୫
    ଏଥୁ ଅନ୍ତରେ ସେ ରାଜନ । ଅଜିନ କରି ପରିଧାନ ॥ ୫୬
    ଶିରେ କପିଳ-ଜଟାଭାର । ଶରୀର ଦିଶଇ ସୁନ୍ଦର ॥ ୫୭
    ସୂର୍ଯ୍ୟମଣ୍ତଳେ ସେ ରାଜନ । ବ୍ରହ୍ମରୂପକୁ କରି ଧ୍ୟାନ ॥ ୫୮
    ଏମନ୍ତ ବାକ୍ୟ ଅନୁମାନେ । ବୋଲଇ ହରଷିତ ମନେ ॥ ୫୯
    ହେ ପରଂବହ୍ମ ତୁ ସବିତା । ନିଖିଳ-କର୍ମଫଳଦାତା ॥ ୬୦
    ଇଚ୍ଛାମାତ୍ରକେ ସୃଷ୍ଟି କରୁ । ସକଳ ଜୀବେ ପ୍ରତିପାଳୁ ॥ ୬୧
    ତୋ ତେଜେ ସର୍ବବୁଦ୍ଧି ସ୍ଫୁରେ । ଶରଣ ଗଲି ତୋ ପୟରେ ॥ ୬୨
    ସେ ପରାପର-ବ୍ରହ୍ମରୂପ । ତାଙ୍କୁ ଚିନ୍ତଇ ନିତ୍ୟେ ନୃପ ॥ ୬୩
    ଭରତ କର୍ମ ଅନୁସରି । ସୂଜନେ ଚିନ୍ତ ନରହରି ॥ ୬୪
    ସେ ପ୍ରଭୁ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୬୫
    କହଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣ-ଭଜନ-ଚରିତ ॥ ୬୬
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତଚରିତେ ଭଗବତ୍‌ପରିଚର୍ଯ୍ୟାୟାଂ
    ସପ୍ତମୋଽଧ୍ୟାୟଃ ॥

    ଅଷ୍ଟମ ଅଧ୍ୟାୟ

    ଶୁକଉବାଚ
    ଶୁଣ ରାଜନ ସାବଧାନେ । ମହାନଦୀରେ ଏକଦିନେ ॥ ୧
    ସ୍ନାନ-ଆହ୍ନିକକ୍ରିୟା ସାରି । ଭରତ ଗୋବିନ୍ଦ ସୁମରି ॥ ୨
    ତିନିମୁହୂର୍ତ୍ତ ଜଳେ ରହି । ଏକାନ୍ତେ ବିଷ୍ଣୁଙ୍କୁ ଭଜଇ ॥ ୩
    ତକ୍ଷଣେ ଦେଖେ ମହୀପାଳ । ହରିଣୀ ହୋଇ ତୃଷାକୁଳ ॥ ୪
    ମିଳିଲା ଜଳାଶୟତୀରେ । ଜଳ ପିଅଇ ସେ ସଧୀରେ ॥ ୫
    ଏମନ୍ତ ସମୟେ ରାଜନ । ଶୁଭିଲା ସିଂହର ଗର୍ଜନ ॥ ୬
    ଡେଇଁଲା ମୃଗେନ୍ଦ୍ର ଭୟରେ । ପଳାଏ ଅତି ଦୁରାନ୍ତରେ ॥ ୭
    ସେ ମୃଗବଧୂ ଯେ ଗର୍ଭିଣୀ । ଜଳ ପିଅନ୍ତେ ଛନ୍ନପୁଣି ॥ ୮
    ଜଳପାନରେ ତୃଷା ତାର । ପୂର୍ଣ୍ଣ ନୋହିଲା ନୃପବର ॥ ୯
    ଚାରିଦିଗରେ ସେ ନୟନ । ବୁଲାଇ ଅତି ଛନ୍ନଛନ୍ନ ॥ ୧୦
    ନିକଟେ ସିଂହ ପ୍ରାୟ ମଣି । ଅତି କାତରେ ସେ ହରିଣୀ ॥ ୧୧
    ଜଳୁ ଉଠିଣ ଧାତିକାରେ । ଡେଇଁଲା ମରଣ କାତରେ ॥ ୧୨
    ସ୍ୱଭାବେ ଗର୍ଭ ହୋଇଥିଲା । ସେ ଗର୍ଭ ଜଳରେ ପଡିଲା ॥ ୧୩
    ଗର୍ଭ ନିପାତେ ଖେଦମତି । ପ୍ରାଣ ତେଜିଲା ମୃଗସତୀ ॥ ୧୪
    ନଦୀରେ ଦେଖି ମୃଗବାଳ । ସେ ଯେ ଭରତ-ମହୀପାଳ ॥ ୧୫
    ମାତାର ମୃତ୍ୟୁ ତାର ଦେଖି । ଦୟାରେ ଅଶ୍ରୁପୂର୍ଣ୍ଣ ଆଖି ॥ ୧୬
    ଚିତ୍ତେ ଆକୁଳ ନୃପବର । ପ୍ରବେଶ ବାଳକ ପାଶର ॥ ୧୭
    ମୃଗନନ୍ଦନ ଘେନି କରେ । ଆଶ୍ରମେ ମିଳିଲେ ସତ୍ୱରେ ॥ ୧୮
    ସେ ମୃଗନନ୍ଦନର ତହିଁ । ଅତ୍ୟନ୍ତ ସ୍ନେହଭର ହୋଇ ॥ ୧୯
    ନିତ୍ୟେ କୋମଳ-ତୃଣାଙ୍କୁର । ଲୋଡି ଆଣଇ ନୃପବର ॥ ୨୦
    ଯାହା ସେ କରେ ଅଭିଳାଷ । ତା ଦେଇ କରେ ମନତୋଷ ॥ ୨୧
    ତା ସେବା ନିରତେ କରଇ । ମାୟାରେ ମତିଭ୍ରମ ହୋଇ ॥ ୨୨
    ନିୟମ-ସନ୍ଧ୍ୟା-ତପ ଯେତେ । ବିସ୍ମର ହେଲା ନୃପ ଚିତ୍ତେ ॥ ୨୩
    କେତେ ହେଁ ଦିନ ଅନନ୍ତର । ପ୍ରଭୁର ସେବା କଲା ଦୂର ॥ ୨୪
    ଜଗତ ପିତାମାତା ହରି । ତାର ଚରନ ଚିତ୍ତେ ଧରି ॥ ୨୫
    ଦାରା ତନୟ ଆଦି ଯେତେ । ସକଳ ଦୂରକରି ଚିତ୍ତେ ॥ ୨୬
    ଏ ଭାବେ ଥିଲା ସେ ରାଜନ । ଦେଖ ଏହାର ମୂଢ଼ପଣ ॥ ୨୭
    ସକଳ କର୍ମ ଦୂର କଲା । ମୃଗବାଳକେ ମନ ଦେଲା ॥ ୨୮
    ବିଚାରେ ମାତାପିତା ଭାଇ । ଏହାର ଆନ କେହି ନାହିଁ ॥ ୨୯
    ଆଶ୍ରୟ କରିଅଛି ମୋତେ । ମୁଁ ତାକୁ ତେଜିବି କେମନ୍ତେ ॥ ୩୦
    ଏ ସାଧୁକର୍ମର କାରଣ । ଏମନ୍ତ ଚିନ୍ତିଣ ରାଜନ ॥ ୩୧
    ଆସନ-ଶୟନ-ଗମନେ । ସ୍ନାନ-ଭୋଜନ-ଜନପାନେ ॥ ୩୨
    ମୃଗବାଳକେ ମନ ତାର । ନିମିଷମାତ୍ର ନୋହେ ଦୂର ॥ ୩୩
    କାଷ୍ଠ-ପଲାଶ ଆଣିବାରେ । ଯେବେ ସେ ଯାଇ ବନସ୍ତରେ ॥ ୩୪
    ମୃଗବାଳକ ଘେନି ସଙ୍ଗେ । ପଥେ ଚଳଇ ନାନାରଙ୍ଗେ ॥ ୩୫
    ବାଳକ ଚଳି ନ ପାରଇ । ଭରତ ମନେ ବିଚାରଇ ॥ ୩୬
    ଅତ୍ୟନ୍ତ ସ୍ନେହବଶ ହୋଇ । କନ୍ଧେ ତାହାକୁ ସେ ବହଇ ॥ ୩୭
    ହୃଦରେ ଆରୋପି ହରଷେ । ବାହୁରେ ଭିଡେ ସ୍ନେହବଶେ ॥ ୩୮
    ସ୍ନାନ-ଭୋଜନବେଳେ ତାର । କ୍ଷଣେ ହେଁ ନ କରେ ଅନ୍ତର ॥ ୩୯
    ଏଥି ଉତ୍ତାରେ କିଛିଦିନେ । ମୃଗଶାବକ ଗଲା ବନେ ॥ ୪୦
    ସେ ଅବସରେ ନୃପବର । ନ ଦେଖି ମୃଗର କୁମର ॥ ୪୧
    ଅସ୍ଥିରେ ତାହାକୁ ଲୋଡଇ । ପୁଣି ସେ ଯେବେଟି ଦେଖଇ ॥ ୪୨
    ଚଞ୍ଚଳଚିତ୍ତ ସ୍ଥିର କରେ । ଆଶିଷ ବାଞ୍ଛଇ ତାହାରେ ॥ ୪୩
    ହେ ବତ୍ସ ମୋହର କଲ୍ୟାଣ । ଶୁଭ କରନ୍ତୁ ନାରାୟଣ ॥ ୪୪
    ଯେବେ ନିମିଷେ ନ ଦେଖଇ । ଶୋକ-ସାଗରେ ସେ ବୁଡଇ ॥ ୪୫
    କୃପଣ ଦ୍ରବ୍ୟକୁ ଯେସନ । ଚଉର୍ଯ୍ୟ କରି ନେଲେ ଆନ ॥ ୪୬
    ତେମନ୍ତ ପ୍ରାୟେ ମହୀପାଳ । କ୍ଷଣେ ନ ଦେଖି ମୃଗବାଳ ॥ ୪୭
    ବିହଳେ ହୃଦୟ କାତର । ଲୋଡଇ ମୃଗର କୁମର ॥ ୪୮
    ଭ୍ରମେ ବୋଲଇ ବାକ୍ୟମାନ । ମଲା କି ମୃଗରନନ୍ଦନ ॥ ୪୯
    କି କର୍ମ କଲି ମୁଁ କିରାତ । କେଣେ ମୋ ଗଲା ମୃଗସୁତ ॥ ୫୦
    ମୃଗବାଳକ ସୁକଲ୍ୟାଣେ । ଚରୁକି ଥିବ ଉପବନେ ॥ ୫୧
    ପ୍ରଭୁ କି ରଖିଥିବେ ତାରେ । ଦେଖିବି ନୟନଗୋଚରେ ॥ ୫୨
    କି ଅବା ମୃଗବାଳେ ମୋର । ଭକ୍ଷିଲେ ଶୃଗାଳ କୁକୁର ॥ ୫୩
    ରବିର ଅସ୍ତକାଳ ହୋଇ । ମୋ ମୃଗସୁତ ନ ଦିଶଇ ॥ ୫୪
    ଶୋକେ ଆକୁଳ ମୋର ଦେହୀ । କେଣେ ହେଁ ମୃଗବାଳ ନାହିଁ ॥ ୫୫
    ସେ ମୃଗରାଜର କୁମର । ମନୋଜ୍ଞ-ଗମନ ତାହାର ॥ ୫୬
    କ୍ଷଣକେ ଆଶ୍ରମଲୋକର । ଦୁଃଖ ଖଣ୍ତଇ ନିରନ୍ତର ॥ ୫୭
    ମିଥ୍ୟାରେ ଚକ୍ଷୁବୁଜି ମୁହିଁ । କ୍ଷଣମାତ୍ରକ ଯେବେ ରହି ॥ ୫୮
    ଚକିତ ପ୍ରାୟେ ସେ ହୁଅଇ । ମୋହର ଅଗ୍ରତେ ଲୋଟଇ ॥ ୫୯
    ଋଷିକୁକମରଙ୍କର ସଙ୍ଗେ । ଖେଳୁ ଯେ ଥାଇ ନାନରଙ୍ଗେ ॥ ୬୦
    କୋମଳତୃଣାଙ୍କୁରମାନ । ବାଳକେ ଦିଅନ୍ତି ବହନ ॥ ୬୧
    ସେ ସର୍ବସୁଖ ଦୂର ହେଲା । ମୃଗକୁମର କେଣେ ଗଲା ॥ ୬୨
    ସେ ମୋର କୃଷ୍ଣସାରବାଳ । ମୃଦୁ ତାହାର ପାଦତଳ ॥ ୬୩
    କୋମଳ ଖୁରପୁଟପନ୍ତି । ସେ ମୋର ଦ୍ରବିଣ-ସମ୍ପତ୍ତି ॥ ୬୪
    ମୃଗଶାବକ ଖୋଜିବାର । ନୃପତି ହୋଇଲା ବାହାର ॥ ୬୫
    ପଥରେ ପଦଚିହ୍ନ ଦେଖି । କହଇ ନିରେଖି ନିରେଖି ॥ ୬୬
    ଧନ୍ୟ ପୃଥିବୀ ତୋର ପୁଣ୍ୟ । ଏ ଚିହ୍ନ କଲୁ ତୁ ଧାରଣ ॥ ୬୭
    ବିପ୍ରଙ୍କ ଯଜ୍ଞସ୍ଥାନ ପ୍ରାୟେ । ତୋ ଦେହ ଶୋଭାକୁ ଯେ ପାଏ ॥ ୬୮
    ପୁଣି ଉର୍ଦ୍ଧ୍ୱକୁ ଦୃଷ୍ଟି ଦେଲା । ଯହୁଁ ସେ ଚନ୍ଦ୍ରକୁ ଦେଖିଲା ॥ ୬୯
    ତହିଁ ଦେଖିଣ ମୃଗଚିହ୍ନ । ଭାବିଲା ନିଜ ମନେ ମନ ॥ ୭୦
    ମୃଗଶାବକ ଦେଖି ଏକ । ଦୟାରେ କି ତାରାନାୟକ ॥ ୭୧
    ସିଂହଭୟରୁ ରକ୍ଷା କଲେ । ଆପଣା ନିକଟେ ରଖିଲେ ॥ ୭୨
    ଅତ୍ୟନ୍ତ ସୁଖକୁ ସେ ଦେଇ । ତା ବିନୁ ମୋର କେହି ନାହିଁ ॥ ୭୩
    ଏ ଯେ ଆଶ୍ରମ-ମୁନିଗଣ । କରନ୍ତି ନାନା ଶୁଭକର୍ମ ॥ ୭୪
    ହରଷଚିତ୍ତେ ମୁନିଗଣ । କରନ୍ତି ତାହାରେ କଲ୍ୟାଣ ॥ ୭୫
    ମୃଗେନ୍ଦ୍ର ଭୟରୁ ତାହର । ମାତା ଯେ ଛାଡିଲା ଶରୀର ॥ ୭୬
    ତେଣୁ ମୁଁ ଳଭିଲି ତାହାରେ । ଏବେ ସେ ଗଲା ବନଘୋରେ ॥ ୭୭
    ଏମନ୍ତେ ଶୁଣ ମହୀପାଳ । କ୍ଷଣେ ସେ ଦେଖି ମୃଗବାଳ ॥ ୭୮
    ବ୍ୟର୍ଥକର୍ମରେ ସେବା ତାର । ସୁକର୍ମ ତେଜି ନୃପବର ॥ ୭୯
    ପୂର୍ବତପସ୍ୟା ହତ ତାର । ଶୁଭକର୍ମକୁ କଲା ଦୂର ॥ ୮୦
    ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନାଦିନାଥ-ନାରାୟଣ ॥ ୮୧
    ତାର ଚରଣ ଦୂର କରି । ମୃଗବାଳକେ ମନ ଧରି ॥ ୮୨
    ମୋକ୍ଷପଦକୁ ପ୍ରତିବନ୍ଧ । ସେ ମୃଗବାଳ ପଶୁମନ୍ଦ ॥ ୮୩
    ତହିଁ ମମତା ରାଜା କଲା । ଯୋଗଅଭ୍ୟାସ ନ ଜାଣିଲା ॥ ୮୪
    ତାହାକୁ ଥୋଇ ହୃଦାସନେ । ଭୁଲିଲା ଜଗତ କାରଣେ ॥ ୮୫
    ମୃଗର ଲାଳନ-ପାଳନ । ଏଣେ ହରଇ ସେହୁ ଦିନ ॥ ୮୬
    ଏମନ୍ତେ କେତେ ଦିନ ଗଲା । ଆୟୁଷ ଶେଷ ତା ହୋଇଲା ॥ ୮୭
    ଏମନ୍ତେ ଶୁଣ ହେ ରାଜନ । କାଳର ହେଲା ସେ ଅଧୀନ ॥ ୮୮
    ସମୀପେ ଦେଖି ମୃଗବାଳ । ଶୋକରେ ହୋଇଲା ବିକଳ ॥ ୮୯
    ପୁତ୍ରର ପ୍ରାୟେ ସ୍ନେହଭରେ । ମନ ଅର୍ପଲା ତାହାଠାରେ ॥ ୯୦
    ଅତ୍ୟନ୍ତ ଶୋକକରି ମନେ । ପ୍ରାଣ ଛାଡିଲା ତତକ୍ଷଣେ ॥ ୯୧
    ମୃଗର ତହିଁ ମନ ଥିଲା । ତେଣୁ ସେ ମୃଗଜନ୍ମ ହେଲା ॥ ୯୨
    ମୃଗଜନ୍ମଟି ସେ କାରଣୁ । ଶୁଣ ହେ ଅଭିମନ୍ଯୁ -ତନୁ ॥ ୯୩
    ପୂର୍ବଜନ୍ମର କଥା ତାର । ସ୍ମରଣ କଲା ନୃପବର ॥ ୯୪
    ମୃଗଙ୍କ ସେଙ୍ଗ ବନେ ଥାଇ । ଅରଣ୍ୟେ ବୁଲଇ ସେ ମହୀ ॥ ୯୫
    ବୁଲନ୍ତେ ଏକଦିନକର । ବୃକ୍ଷର ମୂଳେ ମୁନିବର ॥ ୯୬
    ବ୍ରହ୍ମସାଧନେ ଚିତ୍ତ ଦେଇ । ମନକୁ ବ୍ରହ୍ମରନ୍ଧ୍ରେ ଥୋଇ ॥ ୯୭
    ତା ଦେଖି ରାଜା ବିଚାରଇ । ମୁଁ ଯେ ହୋଇଣ ଥିଲି ଏହି ॥ ୯୮
    ମନରେ ଜାଣି ସେ ରାଜନ । ବିକଳେ ହୋଇ ଛନ୍ନଛନ୍ନ ॥ ୯୯
    ମୃଗଜନ୍ମର ଯେ କାରଣ । ମନେ ଜାଣିଲା ସେ ରାଜନ ॥ ୧୦୦
    ପ୍ରଭୁର ସେବା ଭ୍ରଷ୍ଟ ହୋଇ । ମନେ ବହୁତ ତାପ ପାଇ ॥ ୧୦୧
    ଅତ୍ୟନ୍ତ ଶୋକ କରି ମନେ । ବୋଲଇ ଲୋତକନୟନେ ॥ ୧୦୨
    ଭ୍ରଷ୍ଟ ହୋଇଲି ମୁଁ ପାମର । ପ୍ରଭୁର ସେବା କଲି ଦୂର ॥ ୧୦୩
    ସମସ୍ତ ତପକୁ ହୁଡିଣ । ବିବିଧ-ଯଜ୍ଞ-ଶୁଭକର୍ମ ॥ ୧୦୪
    ନାମଶ୍ରବଣ ଉଚ୍ଚାରଣ । ନିରତେ କରି ଆରାଧନ ॥ ୧୦୫
    ସକଳ-ଆତ୍ମା ଭଗବାନ । ମନ ଅର୍ପିଲି ଅନୁଦିନ ॥ ୧୦୬
    ଯେଣୁ ସେ ସକଳ ଛାଡିଲି । ମୃଗବାଳକେ ମନ ଦେଲି ॥ ୧୦୭
    ତେଣୁ ଏ ଜୀବନ ମୋହର । ପାଇଲା ମୃଗର ଶରୀର ॥ ୧୦୮
    ଏମନ୍ତ ମନରେ ବିଚାରି । ଚଞ୍ଚଳଚିତ୍ତ ସ୍ଥିର କରି ॥ ୧୦୯
    ଆପଣା ମାତା ଯେ ହରିଣୀ । ତାହାକୁ ତେଜି ନୃପମଣି ॥ ୧୧୦
    ପ୍ରଭୁର ଅତି ପ୍ରିୟସ୍ଥାନ । ଯେ ତୀର୍ଥ ଶାଳଗ୍ରାମ ନାମ ॥ ୧୧୧
    ପରମସାଧୁ ଭକ୍ତଜନେ । ଅଛନ୍ତି ଯହିଁ ମୁନିମାନେ ॥ ୧୧୨
    ତହିଁକି ଶୀଘ୍ର ଚଳିଯାଇ । ରହିଲା ମୃତ୍ୟୁବାଟ ଚାହିଁ ॥ ୧୧୩
    କୁସଙ୍ଗ-ସଙ୍ଗକୁ ସେ ଡରି । ମନେ ଚିନ୍ତଇ ନରହରି ॥ ୧୧୪
    ନୀରସଦଳ ସେ ଭକ୍ଷଇ । ମୃଗଶରୀର ଯିବା ପାଇଁ ॥ ୧୧୫
    ମନରେ କରଇ ବିଚାର । କେମନ୍ତେ ଯିବ ଏ ଶରୀର ॥ ୧୧୬
    ଏମନ୍ତେ ଶୁଣ ହେ ରାଜନ । କେତେହେଁ ଗଲା ତହିଁ ଦିନ ॥ ୧୧୭
    ସେ ତୀର୍ଥଜଳରେ ତାହାର । ତେଜିଲା ମୃଗକଳେବର ॥ ୧୧୮
    ଯେ ପ୍ରଭୁ ବ୍ରହ୍ମାଣ୍ତ କାରଣ । ବ୍ରହ୍ମା ଚିନ୍ତଇ ଯା ଚଉଣ ॥ ୧୧୯
    ସେ ଚକ୍ରଧର ନାରୟଣ । ପଦପଙ୍କଜ ସୁମରିଣ ॥ ୧୨୦
    କହଇ ଦାସ ଜଗନ୍ନାଥ । ସାଧୁଙ୍କ ହିତେ ଭାଗବତ ॥ ୧୨୧
    ପଞ୍ଚମସ୍କନ୍ଧେ କୃଷ୍ଣବାଣୀ । ଶୁଣି ସଂସାରୁ ତରପ୍ରାଣୀ ॥ ୧୨୨
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
    ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତଚରିତେ
    ଅଷ୍ଟମୋଽଧ୍ୟାୟଃ ॥

    ନବମ ଅଧ୍ୟାୟ

    ଶୁକ ଉବାଚ
    ଶୁଣ ରାଜନ ପରୀକ୍ଷିତ । ଏ ଅନନ୍ତରେ ସେ ଭରତ ॥ ୧
    ସନ୍ଧ୍ୟାଦି ତପ ଶମଦମ । ତିତିକ୍ଷା ଆଦି ଯେ ନିୟମ ॥ ୨
    ଜ୍ଞାନୀଙ୍କ ମଧ୍ୟେ ଶ୍ରେଷ୍ଠବର । ଦ୍ୱିଜ ଆଙ୍ଗରସ-ପ୍ରବର ॥ ୩
    ଏ ସବୁ ଗୁଣେ ଗୁଣୀ ସେହି । ପତ୍ନୀ ତାହାଙ୍କ ଥିଲା ଦୁଇ ॥ ୪
    ଜ୍ୟେଷ୍ଠଭାର୍ଯ୍ୟାର ନବସୁତ । ପିତାଙ୍କ ତୁଲ୍ୟେ ଗୁଣବନ୍ତ ॥ ୫
    କନିଷ୍ଠାଭାର୍ଯ୍ୟା ଗର୍ଭଜାତ । ଏକ ଦୁହିତା ଏକ ସୁତ ॥ ୬
    ଏ ସୁତ ମହାଭାଗବତ । ସେହି ସେ ରାଜର୍ଷି ଭରତ ॥ ୭
    ମୃଗଦେହକୁ ତ୍ୟାଗ କରି । ତଦନ୍ତେ ବିପ୍ରରୂପ ଧରି ॥ ୮
    ଦ୍ୱିଜଙ୍କ ପୁତ୍ରଭାବ ବହି । ଜନ୍ମ ଲଭିଲେ ତାଙ୍କ ତହିଁ ॥ ୯
    ଅପରେ ତାର ସହୋଦର । ଉତ୍ତମ-ସାଧୁଶୀଳପର ॥ ୧୦
    ସେ ସାଧୁସଙ୍ଗରୁ ରାଜନ । ତାହାର ହେଲା ଶୁଦ୍ଧଜ୍ଞାନ ॥ ୧୧
    ଯେଣୁ କର୍ମବନ୍ଧ ଖଣ୍ତନ । ଶ୍ରୀକୃଷ୍ଣ ନାମ-କର୍ମ-ଗୁଣ ॥ ୧୨
    ତାହା ଶୁଣଇ ଅବିରତେ । ପଦାରବିନ୍ଦ ଧାୟି ଚିତ୍ତେ ॥ ୧୩
    ପ୍ରଭୁଙ୍କ କୃପାରୁ ରାଜନ । ପୂର୍ବଜନ୍ମର କଥାମାନ ॥ ୧୪
    ସ୍ମରଣ ହୋଇଲା ତାହାର । ଅସାଧୁ ସଙ୍ଗକୁ ତା ଡର ॥ ୧୫
    ଉନ୍ମତ୍ତ ଜଡ ଯେ ବଧିର । ପ୍ରାୟେ ସେ ବ୍ରାହ୍ମଣ-କୁମର ॥ ୧୬
    ଅଶେଷ-ଜ୍ଞାନେ ଶ୍ରେଷ୍ଠ ହୋଇ । କପଟ ଲୋକରେ ଦେଖାଇ ॥ ୧୭
    ତେବେହେଁ ପୁତ୍ରଠାରେ ତାର । ସଂସ୍କାର କଲାକ କୁମର ॥ ୧୮
    ବେଦ-ଉଚିତ-କର୍ମ ଯେତେ । ଦଶକର୍ମରେ ଯଥୋଚିତେ ॥ ୧୯
    ଶୁଣ ପରୀକ୍ଷ ନୃପବର । ସେ ଯେଉଁ ବ୍ରାହ୍ମଣକୁମର ॥ ୨୦
    ଶଉଚ ଆଚମନ ବିଧି । ବ୍ରାହ୍ମଣ-କର୍ମ ଯେ ପ୍ରସିଦ୍ଧି ॥ ୨୨
    ଗୁରୁଙ୍କ ଉପଦେଶ ବିନେ । ଜାଣିଲା ସେ ଯେ ଅନୁମାନେ ॥ ୨୩
    ପୁତ୍ରର ଶୁଦ୍ଧମନ ଜାଣି । ସେ ଯେ ବ୍ରାହ୍ମଣ-ଶିରୋମଣି ॥ ୨୪
    ଅତ୍ୟନ୍ତ ସ୍ନେହଭର ହୋଇ । ମନ ଅର୍ପିଲା ତାର ତହିଁ ॥ ୨୫
    ଓଁକାର ଆଦି ବେଦସାର । ବ୍ୟାହୃତି-ପ୍ରଣବ-ଅକ୍ଷର ॥ ୨୬
    ସାବିତ୍ରୀ-ମୂଳମନ୍ତ୍ର-ସାର । ସାନନ୍ଦେ ଦେଲେ ବିପ୍ରବର ॥ ୨୭
    ଯଜନଆଦି ଷଟକର୍ମ । ଏ ଯେ ବ୍ରାହ୍ମଣ ନିଜଧର୍ମ ॥ ୨୮
    ପୁରୁଷସୂକ୍ତଆଦି ଯେତେ । ସର୍ବ କହିଲେ ଯଥୋଚିତେ ॥ ୨୯
    ପ୍ରତୁସ୍ନେହରେ ବିପ୍ରବର । ଶିକ୍ଷା କରନ୍ତି ନିରନ୍ତର ॥ ୩୦
    ସମ୍ପୂର୍ଣ୍ଣ ନୋହୁ ମନୋରଥ । ଏମନ୍ତେ ଶୁଣ ନରନାଥ ॥ ୩୧
    ଆୟୁଷଶେଷେ ସେ ବ୍ରାହ୍ମଣ । କାଳର ହୋଇଲା ଅଧୀନ ॥ ୩୨
    ଦ୍ୱିଜଙ୍କ କନିଷ୍ଠ ରମଣୀ । ଭହତପୁତ୍ର ସଙ୍ଗେ ଘେନି ॥ ୩୩
    ଆପଣା ଜ୍ୟେଷ୍ଠ-ସପତ୍ନୀରେ । ସମର୍ପି ଦେଲ ସ୍ନେହଭରେ ॥ ୩୪
    ଆପଣେ ପତିର ସଙ୍ଗତେ । ଚଳିଲା ହରଷିତ ଚିତ୍ତେ ॥ ୩୫
    ଏମନ୍ତେ ପିତାର ଅନ୍ତରେ । ସେ ଯେ ବ୍ରାହ୍ମଣର କୁମରେ ॥ ୩୬
    ଜଡ ଯେ ବ୍ରାହ୍ମଣ କୁମର । ତାଠାରେ କଲେ ହତାଦର ॥ ୩୭
    ତାହାର ପ୍ରଭାବ ନ ଜାଣି । ଜଡ଼ର ପ୍ରାୟେ ତାକୁ ମଣି ॥ ୩୮
    ଜଡ଼ ବଧିର ଯେ ଉନ୍ମତ୍ତ । ଏମନ୍ତ ରୂପ ସେ ଭରତ ॥ ୩୯
    ଦ୍ୱିପଦନର ପଶୁମତେ । ଏହାଙ୍କୁ ଦେଖନ୍ତି ଏମନ୍ତେ ॥ ୪୦
    ସେ ପରାଧୀନ ପ୍ରାୟ ହୋଇ । ଲୋକରେ କର୍ମକୁ କରଇ ॥ ୪୧
    ଲୋକେ ଶ୍ରଦ୍ଧାରେ ଯାହା ଦେଇ । ପରମତୋଷେ ତା ଭୁଞ୍ଜଇ ॥ ୪୨
    ଇନ୍ଦ୍ରିୟପ୍ରୀତି ନିମିତ୍ତରେ । କେବେହେଁ ଆହାର ନ କରେ ॥ ୪୩
    ନିବୃତ୍ତ ହୋଇ ସର୍ବଠାରେ । ପରମ ଆନନ୍ଦେ ବିହରେ ॥ ୪୪
    ଦୁଃଖସୁଖରେ ସମ ତାର । ହୃଦେ ନ କରେ ଅହଙ୍କାର ॥ ୪୫
    ଗ୍ରୀଷ୍ମ ବରଷା ଶୀତ ବାତ । ସକଳ ସହେ ସେ ଭରତ ॥ ୪୬
    ଦିଶଇ ମହାମଣି ସମ । ଶରୀର ଅତି-ସ୍ଥୂଳ-ପୀନ ॥ ୪୭
    ଅତ୍ୟନ୍ତ ବ୍ରହ୍ମତେଜ ବହି । ଜଡ଼ର ପ୍ରାୟେ ସେ ଭ୍ରମଇ ॥ ୪୮
    ଆହାରଆଦି ସର୍ବଠାରେ । ସେ ଥାଇ ନିଗ୍ରହ-ବେଭାରେ ॥ ୪୯
    ତଥାପି ଶୁଣ ହେ ରାଜନ । ତାହାର ନିଜ ଭ୍ରାତାଗଣ ॥ ୫୦
    କୃଷିରକ୍ଷଣ କାରଣରେ । ନିଯୁକ୍ତ କରନ୍ତି ତାହାରେ ॥ ୫୧
    ଭ୍ରାତୃବଚନ ଅନୁମତେ । କୃଷି ରଖଇ ଯଥୋଚିତେ ॥ ୫୨
    ମୃଗ ବରାହଙ୍କୁ ନିବାରି । ଥାଇ ସେ ନିରତେ ଆବୋରି ॥ ୫୩
    ଶୁଣ ହେ ଅଭିମୁନ୍ୟୁ ବଳା । ଏମନ୍ତେ କେତେଦିନ ଗଲା ॥ ୫୪
    ଏମନ୍ତେ ସାବଧାନେ ଶୁଣ । ବୃଷଳପତି ଯେ ରାଜନ ॥ ୫୫
    ଅତ୍ୟନ୍ତ ପୁତ୍ରକାମୀ ହୋଇ । ଦେବୀଙ୍କି ମହାପଶୁ ସହି । ୫୬
    ଶକ୍ତି-ଭକ୍ତିରେ ଦୃଢ଼ ସେହି । ଅନ୍ୟଦେବତା ନ ଜାଣଇ ॥ ୫୭
    ତାହାର ପ୍ରସାଦରୁ କରି । ଅନେକ-ସମ୍ପଦ ତାହାରି ॥ ୫୮
    ଗ୍ରାମ-ଅନ୍ତରେ ଦେବୀବାସ । ମଧୁ-ମାଂସେ ବଡ଼ ତୋଷ ॥ ୫୯
    ଚଣ୍ତୀର ସନ୍ତୋଷ କାରଣେ । ବିନାଶେ ନରପଶୁଗଣେ ॥ ୬୦
    ରୁଧିର-ମାଂସେ ତୋଷ ହୋଇ । ନିତ୍ୟେ ଚଣ୍ତିକା ବିହରଇ ॥ ୬୧
    ତାହାର ପୂଜା ଅନୁସରି । ରାଜସେବକେ ପଶୁ ଧରି ॥ ୬୨
    ନରପଶୁ ଏ ଯତ୍ନ କରି । ରଖନ୍ତି ନିରତେ ପାହାରୀ ॥ ୬୩
    ଦଇବେ ଅଭିମନ୍ୟୁବଳା । ସେ ନରପଶୁ କେଣେ ଗଲା ॥ ୬୪
    ତାହାର ପଥ ଅନୁସରେ । ଧାଇଁଲେ ତାର ଅନୁଚରେ ॥ ୬୫
    ନିଶି ଅନ୍ଧାର ଘୋର ତମେ । ଖୋଜନ୍ତି ନାନାଦିଗ ଗ୍ରାମେ ॥ ୬୬
    ପଶୁ ନ ପାଇ ଅନୁଚରେ । ନିରାଶ ହୋଇଲେ ଅନ୍ତରେ ॥ ୬୭
    ଗୃହକୁ କରନ୍ତେ ଗମନ । ଦେଖିଲେ ବିପ୍ରର ନନ୍ଦନ ॥ ୬୮
    ଇତର ପ୍ରାୟ ତାକୁ ମଣି । ଜଡ଼ର ପ୍ରଭାବ ନ ଜାଣି ॥ ୬୯
    ବନ୍ଧନ କରି ତତକ୍ଷଣେ । ସ୍ୱାମୀର କର୍ମ-ସମ୍ପାଦନେ ॥ ୭୦
    ଚଣ୍ତିକାଗୃହେ ପ୍ରବେଶିଲେ । ସ୍ୱାମୀଙ୍କି ସମର୍ପଣ ଦେଲେ ॥ ୭୧
    ସୁଗନ୍ଧ-ଶୀତଳ ଜଳରେ । ସ୍ନାହନ କରାଇ ବିଧିରେ ॥ ୭୨
    ଶୁଭ୍ର-ନିର୍ମଳ-ବସ୍ତ୍ର ଦେଲେ । ନାନାଭୂଷଣେ ସେ ମଣ୍ତିଲେ ॥ ୭୩
    ବିବିଧ-ସ୍ୱାଦୁଦ୍ରବ୍ୟମାନ । ତାହାକୁ କରାନ୍ତି ଭୋଜନ ॥ ୭୪
    ସୁଗନ୍ଧ-ଚନ୍ଦନାଦି ଦେଲେ । ମାଳାଏ କଣ୍ଠେ ଲମ୍ବାଇଲେ ॥ ୭୫
    ମୃଦଙ୍ଗ ଶଙ୍ଖ ଭେରୀ ସ୍ୱନ । ଆନନ୍ଦେ କରନ୍ତି ଗାୟନ ॥ ୭୬
    ଏମନ୍ତେ ନାନାବିଧିମତେ । ସ୍ଥାପିଲେ ଦେବୀର ଅଗ୍ରତେ ॥ ୭୭
    ବୃଷଳପତି ଏ ଅନ୍ତରେ । ତୀକ୍ଷ୍‌ଣ-ଖଡଗ ଧରି କରେ ॥ ୭୮
    ତାହାର ରୁଧିରକୁ ଦେଇ । ଦେବୀ ସନ୍ତୋଷ ହେବା ପାଇଁ ॥ ୭୯
    ଏମନ୍ତେ ଶୁଣ ହେ ରାଜନ । ବୃଷଳେ ହୋଇ ମତିଭ୍ରମ ॥ ୮୦
    ଧନସମ୍ପଦ ମଦେ କରି । ତମଗୁଣକୁ ଆଶ୍ରା କରି ॥ ୮୧
    ଈଶ୍ୱରଅଂଶକୁ ଯେ ଧରେ । ହିଂସା କରନ୍ତି ସେ ତାହାରେ ॥ ୮୨
    ଦାରୁଣକର୍ମ ତାହାଙ୍କର । ପ୍ରତ୍ୟକ୍ଷେ ବ୍ରାହ୍ମଣକୁମର ॥ ୮୩
    କୃଷ୍ଣର କଳାବନ୍ତ ଯେହି । ତାହାଙ୍କୁ କଦର୍ଥନ୍ତି ନେଇ ॥ ୮୪
    ଯେ ସର୍ବଭୂତେ ସମଚିତ୍ତ । ବିଷ୍ଣୁ ଜପଇ ଅବିରତ ॥ ୮୫
    ତାହାଙ୍କୁ ପଶୁରେ ବିଚାରି । ନିକଟେ ହେଲା ଖଡ୍‌ଗ ଧରି ॥ ୮୬
    ଏବେ ହୋ ଶୁଣ ପରୀକ୍ଷିତ । ବ୍ରାହ୍ମଣ-ତେଜ ଅପ୍ରମିତ ॥ ୮୭
    ଜ୍ୱାଳା-କରାଳ-ଦୁର୍ବିଃସହ । ତେଣୁ ସେ ଦଗ୍‌ଧଦେବୀ ଦେହ ॥ ୮୮
    ଭକ୍ତଙ୍କ ପ୍ରତି ହିଂସା ଦେଖି । ଦେବୀ ମନରେ କୋପ ରଖି ॥ ୮୯
    ପ୍ରତିମା ପରିତ୍ୟାଗ କଲେ । ଭକ୍ତକୁ କୋଳରେ ଘେନିଲେ ॥ ୯୦
    ତକ୍ଷଣେ ଉଗ୍ରମୂର୍ତ୍ତି ହୋଇ । ଉଠିଲେ ଅତି ରୋଷବହି ॥ ୯୧
    ସେ ଦେବୀ ଚଣ୍ତୀ ଭଦ୍ରକାଳୀ । ଅତ୍ୟନ୍ତ କୋପେ ପରଜ୍ୱଳି ॥ ୯୨
    ଭ୍ରୂକଟୀ କୁଟୀଳ ତାହାର । ବଦନ ଦିଶେ ଭୟଙ୍କର ॥ ୯୩
    ଦନ୍ତ ଦିଶନ୍ତି ବିକରାଳ । ଅରୁଣ ନୟନଯୁଗଳ ॥ ୯୪
    ଚଣ୍ତାଟ୍ଟହାସ ଘୋରସ୍ୱନ । ପୂର୍ଣ୍ଣ ନୋହିଛି ଦେବୀମନ ॥ ୯୫
    ଧାଇଁଲେ ଅତି ଶୀଘ୍ରତରେ । ପାପିଷ୍ଠମାନଙ୍କ ଉପରେ ॥ ୯୬
    ତାହାର ହସ୍ତୁ ଖଡ୍‌ଗ ଘେନି । ଶୁଣ ହେ ନୃପଶିରୋମଣି ॥ ୯୭
    ଶାଣିତ ଅସି ତୀକ୍ଷ୍‌ଣ ଧାର । ଛେଦିଲେ ତାହାଙ୍କର ଶିର ॥ ୯୮
    ପରମ ସନ୍ତୋଷକୁ ପାଇ । ଆପଣାଗଣ ସଙ୍ଗେ ଲଇଁ ॥ ୯୯
    ରୁଧିର ସୁରା କରି ପାନ । ଭୋଳେ ହୋଇଲେ ମନେ ଛନ୍ନ ॥ ୧୦୦
    ଦେବୀର ଯେତେ ପାରିଷଦ । ଆନନ୍ଦେ କରି ଗୀତନାଦ ॥ ୧୦୧
    ମସ୍ତକମାନ ହସ୍ତେ ଧରି । ହରଷେ ବୁଲନ୍ତି ବିହରି ॥ ୧୦୨
    ଶୁଣ ରାଜନ ସାବଧାନେ । ସେ ଯେ ବୃଷଳ ପାପୀମାନେ ॥ ୧୦୩
    ସାଧୁଙ୍କୁ କରି ପରାଭବ । ଆପଣେ ନାଶ ଗଲେ ସର୍ବ ॥ ୧୦୪
    ବିଷ୍ଣୁଭକତ ଯେତେ ନରେ । ଦୟା ବହନ୍ତି ସର୍ବଠାରେ ॥ ୧୦୫
    ବଇର ହିଂସା ଦୂରେ ତେଜି । ସେ ପାଦପଦ୍ମ ହୃଦେ ଭଜି ॥ ୧୦୬
    ପରମହଂସ-ଭାଗବତ । ତାହାଙ୍କୁ ରଖନ୍ତି ଅଚ୍ୟୁତ ॥ ୧୦୭
    କହଇ ଦାସ ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୧୦୮
    ପ୍ରଭୁ ପଦାରବିନ୍ଦତଳେ । ମନ ମୋ ରହିବ ନିଶ୍ଚଳେ ॥ ୧୦୯
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
    ସଂହିତାୟାଂ ପଞ୍ଚମସ୍କନ୍ଧେ ଜଡ଼ଭରତ ଚରିତେ ନବମୋଽଧ୍ୟାୟଃ ॥

    ଦଶମ ଅଧ୍ୟାୟ

    ଶୁକ ଉବାଚ
    ଏଥୁ ଅନ୍ତରେ ଏକଦିନେ । ଶୁଣ ରାଜନ ସାବଧାନେ ॥ ୧
    ସିନ୍ଧୁପତି ଯେ ରହୂଗଣ । ସେ ରାଜା ବିଷ୍ଣୁ ପରାୟଣ ॥ ୨
    ତାହାର ଏକ ଶ୍ରେଷ୍ଠଭୃତ୍ୟେ । ରାଜାର ଗମନ ନିମନ୍ତେ ॥ ୩
    ବିମାନ ବହିବାର ପାଇଁ । ଏକ ପୁରୁଷେ ସେ ଲୋଡଇ ॥ ୪
    ଦଇବଯୋଗ ଦେଖ ତାର । ସେ ବିଷ୍ଣୁଅଂଶ ବିପ୍ରବର ॥ ୫
    ସେଠାରେ ହେଲା ଉପସ୍ଥିତ । ତାକୁ ଦେଖିଲା ନୃପଦୂତ ॥ ୬
    ହରଷମନେ ବିଚାରଇ । ଏହାର ତୁଲ୍ୟ କେହି ନାହିଁ ॥ ୭
    ଅତିବଳିଷ୍ଠ ଏ ଶରୀର । ବିମାନ ବହିବ ନିକର ॥ ୮
    ଏମନ୍ତେ ଶୀଘ୍ରେ ଘେନିଗଲା । ବିମାନ ବୁହାରେ ଖଞ୍ଜିଲା ॥ ୯
    ତହିଁ ନିଯୁକ୍ତ ନର ସଙ୍ଗେ । ବିମାନ ବହିଲା ସେ ରଙ୍ଗେ ॥ ୧୦
    ସାକ୍ଷାତେ ବିଷ୍ଣୁଭକ୍ତ ସେହି । ପର ଅଧୀନ ପ୍ରାୟ ହୋଇ ॥ ୧୧
    ସେ ଯେ ପରମ-ଭାଗବତ । ଏ କର୍ମ ତାର ଅନୁଚିତ ॥ ୧୨
    ପୂର୍ବେ ଯେ ପାପକର୍ମ କଲା । ଅସାଧୁ-ସଙ୍ଗକୁ ଭଜିଲା ॥ ୧୩
    ସେହି ସକାଶୁ ଏହିଗତି । ଶୁଣ ତୁ ଏକମନେ ଚିନ୍ତି ॥ ୧୪
    ବିମାନ ବହି ନ ଜାଣଇ । ବିଷମସମେ ସେ ଚଳଇ ॥ ୧୫
    କ୍ଷୁଦ୍ର-ଜୀବଙ୍କ ମୃତ୍ୟୁଭୟେ । ପାଦ ନ କ୍ଷେପନ୍ତି ନିର୍ଭୟେ ॥ ୧୬
    ତେଣୁ ବିମାନ ବକ୍ର ହୋଇ । ରାଜା ଦେହରେ କଷ୍ଟ ପାଇ ॥ ୧୭
    ବିମାନ ବୁହା ପୁରୁଷରେ । ନୃପ କହଇ କୋପଭରେ ॥ ୧୮
    ବିଷମସମ ଭାବ ହୋଇ । ବିମାନ ବହ କାହିଁ ପାଇଁ ॥ ୧୯
    ପ୍ରଭୁବଚନ କୋପଭରେ । ଶୁଣି କମ୍ପନ୍ତି ସେ କିଙ୍କରେ ॥ ୨୦
    ଅତ୍ୟନ୍ତ ଭୟଚିତ୍ତ ହୋଇ । ଜଡ଼କୁ ଦେଲେ ସେ ଦେଖାଇ ॥ ୨୧
    ଭୋନାଥ ଆମ୍ଭ ଦୋଷ ନାହିଁ । ଏ ଯେ ପୁରୁଷ ନ ଚଳଇ ॥ ୨୨
    ଏହାର ବକ୍ରଗତି ପାଇଁ । ବିମାନ ବକ୍ରଭାବ ହୋଇ ॥ ୨୩
    ଭୋନାଥ ଶୁଣ ସାବଧାନେ । ପୁଣି ହିଁ ଚଳଇ ବିଷମେ ॥ ୨୪
    ଏହାର ସଙ୍ଗତେ ରାଜନ । ବହି ନ ପାରିବୁ ବିମାନ ॥ ୨୫
    ଏହାର ସଂସର୍ଗ ଦୋଷରେ । ଆମ୍ଭଙ୍କୁ ଦଣ୍ତିବ ବେଭାରେ ॥ ୨୬
    ଏମନ୍ତେ ଭୃତ୍ୟବାକ୍ୟ ଶୁଣି । ସେ ଯେ ରାଜନ ଶିରୋମଣି ॥ ୨୭
    ଏହାଙ୍କୁ ସଂସର୍ଗ ଦୋଷରେ । କିମ୍ପା ଦଣ୍ତିବା ଅବିଚାରେ ॥ ୨୮
    ରାଜା ସ୍ୱଭାବେ ସାଧୁ ହୋଇ । ରଜୋଗୁଣରୁ କ୍ରୋଧ ବହି ॥ ୨୯
    ବିଷ୍ଣୁଭକତ ନୃପବର । ଭରତେ ବୋଲନ୍ତି ଉତ୍ତର ॥ ୩୦
    ପୁଷ୍ଟ ପୃଥୁଳ ତୋ ଶରୀର । କଠିନ ପୀନ ଗ୍ରୀବା ତୋର ॥ ୩୧
    ସ୍ଥକିତେ ଚଳୁ କି କାରଣ । ଏ ତୋର ଦେହ ନିଷ୍କାରଣ ॥ ୩୨
    ଏ କ୍ଷୁଦ୍ରେ ତୋର ସଙ୍ଗତରେ । ବିମାନ ବୁହନ୍ତି ତ‌ତ୍ପରେ ॥ ୩୩
    ବ୍ୟର୍ଥ ତୋହର କଳେବର । ମିଥ୍ୟାରେ ବହୁ ତୁ ଶରୀର ॥ ୩୪
    ଏମନ୍ତେ ଶୁଣ ପରୀକ୍ଷିତ । ସେ ଯେ ବ୍ରାହ୍ମଣ ବିଷ୍ଣୁଭକ୍ତ ॥ ୩୫
    ଏମନ୍ତ ବଚନେ ମଉନ । ସ୍ୱଭାବେ ବହନ୍ତି ବିମାନ ॥ ୩୬
    ପୁଣି ବିମାନ ବକ୍ର ହେଲା । ସେ ରାଜା ଅତି କୋପ କଲା ॥ ୩୭

    ରାଜା ଉବାଚ
    ଆରେ ପାମର ମୂଢ଼ଚିତ୍ତ । ଜୀବନ ଥାଉଁ ତୁହି ମୃତ ॥ ୩୮
    ମୋହର ଅଙ୍ଗେ କଷ୍ଟ ଦେଉ । ପ୍ରମତ୍ତଭାବକୁ ତୁ ବହୁ ॥ ୩୯
    ଯମର ପ୍ରାୟ ମୁଁ ଅଟଇ । ଦୁଷ୍ଟଙ୍କ ଦର୍ପ ବିନାଶଇ ॥ ୪୦
    ତୋହର ମତ୍ତଭାବ ମୁହିଁ । ଆଜହୁଁ ଦୂର କରିବଇଁ ॥ ୪୧
    ଏମନ୍ତେ ଅତି ନିନ୍ଦାମାନ । ଜଡକୁ କଲା ସେ ରାଜନ ॥ ୪୨
    ରଜୋଗୁଣରୁ ତମ ତାର । ତମୋଗୁଣରୁ ଅହଙ୍କାର ॥ ୪୩
    ସେ ଯେ ବ୍ରାହ୍ମଣର କୁମର । ସକଳଭୂତେ ଦୟାପର ॥ ୪୪
    ଈଷତହାସ୍ୟ-ବଦନରେ । ବଚନ କହନ୍ତି ରାଜାରେ ॥ ୪୫

    ବ୍ରାହ୍ମଣ ଉବାଚ
    ଭୋ ନୃପ ଶୁଣ ସାବଧାନେ । ତୁମ୍ଭେ ଯା କହିଲ ବଚନେ ॥ ୪୬
    ହେ ବୀର ଭାର ନାମ ଯେହି । ଭାର ବହଇ ଅବା କେହି ॥ ୪୭
    ଗମନ କରି ନ ପାରଇ । ଅତିହିଁ ସ୍ଥୂଳ ମୋର ଦେହୀ ॥ ୪୮
    ଜୀବନ ମୃତ ଯେ ବୋଇଲ । ସେ କଥା ସତ୍ୟଟି କହିଲ ॥ ୪୯
    ଯେ ସ୍ଥୂଳ କୃଶ ଆଧି ବ୍ୟାଧି । କ୍ଷୁଧା ପିପାସା ଭୟ ଆଦି ॥ ୫୦
    ନିଦ୍ରା ବିହାର କ୍ରୋଧ ଯେତେ । ମଦ ଅହଙ୍କାର ସହିତେ ॥ ୫୧
    ଯା ଦେହେ ଅଭିମାନ ଥାଇ । ତାହାର ତହିଁ ଏତେ ଥାଇ ॥ ୫୨
    ମୋର ଦେହରେ ଏତେ ନାହିଁ । ଏଣୁ ଜୀବନମୃତ ମୁହିଁ ॥ ୫୩
    ବିଶେଷ କହିଲି ରାଜନ । ବ୍ରହ୍ମବିଚାରେ ଏ ବଚନ ॥ ୫୪
    କେ ଅବା କାହାରେ ବହଇ । ଏମନ୍ତ ମୁହିଁ ନ ଦେଖଇ ॥ ୫୫
    କେବା ଈଶ୍ୱର କେ କିଙ୍କର । ଏମନ୍ତ ନ ଦେଖି ଅପର ॥ ୫୬
    ତୁମ୍ଭେ ଆମ୍ଭରେ ଏ ବଚନ । କେମନ୍ତେ କହିଲ ରାଜନ ॥ ୫୭
    ଆମ୍ଭେ କି କରିବୁ ତୁମ୍ଭରେ । ସ୍ୱଭାବେ ଏ ଜଡ଼-ଶରୀରେ ॥ ୫୮
    ପ୍ରମତ୍ତ-ଜଡ଼ଭାବେ ମୁହିଁ । ବିମାନ କେବେ ବହିନାହିଁ ॥ ୫୯

    ଶୁକ ଉବାଚ
    ଶୁଣ ପରୀକ୍ଷ ନୃପବର । ସେ ଯେ ବ୍ରାହ୍ମଣର କୁମର ॥ ୬୦
    ସୁଶୀଳ ସାଧୁ ସମଚିତ୍ତ । ବିଶେଷେ ଶ୍ରୀକୃଷ୍ଣଭକତ ॥ ୬୧
    ରାଜାର ବାକ୍ୟ ଅନୁସାରେ । ଏମନ୍ତ କହି ସେ ମଧୁରେ ॥ ୬୨
    ପ୍ରାରବ୍‌ଧକର୍ମ କ୍ଷୟପାଇଁ । ପୁଣି ବହନ୍ତି ତୁନିହୋଇ ॥ ୬୩
    ଏମନ୍ତେ ଶୁଣ ନୃପବର । ବିଷୟକର୍ମ କରି ଦୂର ॥ ୬୪
    ତ‌ତ୍ତ୍ୱଜିଜ୍ଞାସା ନିମନ୍ତରେ । ରାଜା ଯେ ଥାଏ ସ୍ନେହଭରେ ॥ ୬୫
    ବିପ୍ର ବଚନେ ତ‌ତ୍ତ୍ୱଜ୍ଞାନ । ବିଷୟ ଭ୍ରମ ତା ଖଣ୍ତନ ॥ ୬୬
    ଅମୃତପ୍ରାୟ ତାଙ୍କ ବାଣୀ । ମନେ ଚିନ୍ତିଲା ନୃପମଣି ॥ ୬୭
    ତକ୍ଷଣେ ଶୀଘ୍ରତର ହୋଇ । ବିମାନୁ ପଡିଲା ଓହ୍ଲାଇ ॥ ୬୮
    ବ୍ରାହ୍ମଣ ପାଦଯୁଗଳରେ । ଶିର ସମର୍ପି ଭୟାତୁରେ ॥ ୬୯
    ବୋଲଇ ବାକ୍ୟ ଗଦଗଦ । କ୍ଷମା କରିବା ଅପରାଧ ॥ ୭୦
    କେ ତୁମ୍ଭେ କହ ସ୍ୱାମୀ ମୋରେ । କରୁଣାକର ଏ କିଙ୍କରେ ॥ ୭୧
    ଗୁପତଭାବେ ଭ୍ରମୁଥାଅ । ବ୍ରାହ୍ମଣଭାବ ତୁମ୍ଭ ଦେହ ॥ ୭୨
    କି ଅବା ଅବଧୂତ-ବର । କେମନ୍ତେ ମିଳିଲ ଏଠାର ॥ ୭୩
    କାହିଁ ତୁମ୍ଭର ନିଜସ୍ଥାନ । କେମନ୍ତେ ବହିଲ ବିମାନ ॥ ୭୪
    ଏ ଯେତେ ଅପରାଧ ମୋର । କ୍ଷମା ତୁ କର ଦ୍ୱିଜବର ॥ ୭୫
    ଇନ୍ଦ୍ରାଦି ଯେତେ ଦେବାସୁର । ପବନ ଅଗ୍ନିଦିବାକର ॥ ୭୬
    ଏହାଙ୍କ କ୍ରୋଧକୁ ମୋହର । ଭୟ ଯେ ନାହିଁ ଦ୍ୱିଜବର ॥ ୭୭
    ବ୍ରାହ୍ମଣଅପମାନେ ମୋର । ହୃଦ କମ୍ପଇ ଥରହର ॥ ୭୮
    ଏଣୁ ଅପରାଧ ମୋହର । କ୍ଷମାକରିବା ବିପ୍ରବର ॥ ୭୯
    ଅଶେଷଜ୍ଞାନର କାରଣ । ତୁ ନାଥ ବିଷ୍ଣୁପରାୟଣ ॥ ୮୦
    ଅଜ୍ଞାନ-ପ୍ରାଣୀମାନଙ୍କରେ । ଦେଖୁ ଏଜଡ଼ ଶରୀରେ ॥ ୮୧
    ତୋହର ଯେତେ ବାକ୍ୟମାନ । ଗ୍ରଥିତ ହୋଇଅଛି ଜ୍ଞାନ ॥ ୮୨
    ସକଳବର୍ଣ୍ଣ‌ଗୁରୁ ତୁହି । ତୋତେ ମୁଁ ପ୍ରଶନ କରଇ ॥ ୮୩
    ଜ୍ଞାନ-ସ୍ୱରୂପ ତୋ ଶରୀର । ଭୋନାଥ ମୋତେ କୃପାକର ॥ ୮୪
    ଅଦ୍ଭୁତ-ଜଡ଼ରୂପ ହୋଇ । ପ୍ରାଣୀଙ୍କ ହିତେ ଭ୍ରମୁ ତୁହି ॥ ୮୫
    ଭୋନାଥ ବିପ୍ର-ଯୋଗେଶ୍ୱର । ମୁଁ ମୂଢ ପତିତ ପାମର ॥ ୮୬
    କେମନ୍ତେ ତୋତେ ଚିହ୍ନିବଇଁ । ସ୍ୱଭାବେ ଗୃହବନ୍ଧେ ଥାଇ ॥ ୮୭
    ଏ ଯେ ମୋହର ଅନୁଚର । ଅତ୍ୟନ୍ତ ମୂଢ ଦୁରାଚାର ॥ ୮୮
    ଅଜ୍ଞାନହେତୁ ଆଣି ଦେଲେ । ବିଧାତାଘଟଣାର ବଳେ ॥ ୮୯
    ଭାର ବହିଲେ ଶ୍ରମ ହୋଇ । ତୁ କିମ୍ପା ବୋଲୁ ଶ୍ରମ ନାହିଁ ॥ ୯୦
    ସକଳ ବସ୍ତୁ ଏ ଜଗତେ । ମିଥ୍ୟାତୁ ବୋଲୁ ବା କେମନ୍ତେ ॥ ୯୧
    ଘଟାଦି ଯେବେ ମିଥ୍ୟା ହୋଇ । କେମନ୍ତେ ଜଳ ଆଣି ତହିଁ ॥ ୯୨
    ଆତ୍ମାର ସ୍ଥୂଳ କୁଶଭାବ । କେମନ୍ତେ ନୁହଁଇ ସମ୍ଭବ ॥ ୯୩
    ଅଗ୍ନିର ତାପ ପାତ୍ରେ ଯାଇ । ସେ ତାପେ ଜଳ ଉଷ୍ଣ ହୋଇ ॥ ୯୪
    ତହୁଁ ତଣ୍ତୁଳ ତାପ ପାଇ । ଅନ୍ନ ରୂପରେ ସିଦ୍ଧ ହୋଇ ॥ ୯୫
    ଇନ୍ଦ୍ରିରୁ ପ୍ରାଣେ ପ୍ରାଣୁ ମନେ । ଜୀବ ତା ଭୁଞ୍ଜଇ ତକ୍ଷଣେ ॥ ୯୬
    ତେସନ ଦେହ ଗ୍ରୀଷ୍ମତାପେ । ସେ ତାପ ଇନ୍ଦ୍ରିଗଣେ ବ୍ୟାପେ ॥ ୯୭
    ଉପାଧି ଧର୍ମ ପୁରୁଷର । କେମନ୍ତେ ବୋଲୁ ନୁହେ ତାର ॥ ୯୮
    ତୁ ଯେ ବୋଇଲୁ ଏହା ସତ୍ୟ । କେ ଅବାପ୍ରଭୁ କେବା ଭୃତ୍ୟ ॥ ୯୯
    ତଥାପି ରାଜାପ୍ରଜାଭାବ । ଅବଶ୍ୟ ସଂସାରେ ରହିବ ॥ ୧୦୦
    ବିଚାର କରି ଧର୍ମାଧର୍ମ । କରିବ ଦଣ୍ତ ଯେ ପାଳନ ॥ ୧୦୧
    କୃଷ୍ଣ ଆଦେଶ ମଣି କଲେ । ପାପ ନଲାଗେ ତାକୁ ଭଲେ ॥ ୧୦୨
    ମୁଁ ତୋତେ କଲି ଅପମାନ । ଏ ଦୋଷ ମୋହର ନଘେନ ॥ ୧୦୩
    ତୋହର ମାନଅପମାନ । ତୁଲ୍ୟ ବା ବୋଲିବୁ ଏସନ ॥ ୧୦୪
    ତଥାପି ମହତ-ଲଂଘନ । ଦୋଷେ ମୁଁ ନାଶ ଯିବି ଜାଣ ॥ ୧୦୫
    ଏଣୁ ମାଗଇ କ୍ଷମାକର । ଯେଣୁ ତୁ କାତରବତ୍ସଳ ॥ ୧୦୬
    ଶୁଣ ପରୀକ୍ଷ ସାବଧାନେ । ସେ ବିପ୍ର ନୃପତି ବଚନେ ॥ ୧୦୭
    ଜ୍ଞାନ ବୈରାଗ୍ୟ ଆଦି କରି । ସକଳ ଅଛି ତହିଁ ପୂରି ॥ ୧୦୮
    ଗୋବିନ୍ଦ-ପାଦପଦ୍ମ-ତଳେ । ମନ ତୁ ରୁହାଅ ନିଶ୍ଚଳେ ॥ ୧୦୯
    ପଞ୍ଚମସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୧୦
    କୃଷ୍ଣଚରିତ ସୁଧାରସ । କହଇ ଜଗନ୍ନାଥଦାସ ॥ ୧୧୧
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
    ସଂହିତାୟାଂ ପଞ୍ଚମସ୍କନ୍ଧେ ଦଶମୋଽଧ୍ୟାୟଃ ॥

    ଏକାଦଶ ଅଧ୍ୟାୟ

    ଜଡ଼ଭରତ ଉବାଚ
    ହେ ନୃପ ଶୁଣ ସାବଧାନେ । ତୁ ଯେ କହିଲୁ ଅନୁମାନେ ॥ ୧
    ମୂର୍ଖ-ପଣ୍ତିତ ଦୁଇମତ । ଏ କଥା ଅଟଇ ଉଚିତ ॥ ୨
    ତଥାପି ପଣ୍ତିତ ତୁ ନୋହୁ । ପଣ୍ତିତପ୍ରାୟେ କଥା କହୁ ॥ ୩
    କେ କାହା ସ୍ୱାମୀ କେବା ଭତ୍ୟ । ଏମନ୍ତ ଜାଣ ନରନାଥ ॥ ୪
    ଅଜ୍ଞାନବଶୁ ଦେଖୁ ଭିନ୍ନ । ତ‌ତ୍ତ୍ୱବିଚାରେ ସର୍ବସମ ॥ ୫
    ଅପରେ ଶୁଣ ହେ ରାଜନ । ଗୃହ କର୍ମରେ ଯେଉଁଜନ ॥ ୬
    ସୁକର୍ମବିଦ୍ୟାକୁ ଆଚରେ । ତ‌ତ୍ତ୍ୱଜ୍ଞାନକୁ ମନେ ଧରେ ॥ ୭
    ପଣ୍ତିତ ବୋଲିବା ତାହାରେ । ସେ ଶୁଦ୍ଧ ଏ ଘୋର-ସଂସାରେ ॥ ୮
    ସେ ସାଧୁ ବୋଲାଇ ସଂସାରେ । ପ୍ରାଣୀଙ୍କି ଯେବା ଦୟାକରେ ॥ ୯
    ଦଣ୍ତିବା ଶକ୍ତି ଯାର ଥାଇ । ସେ ଯେବେ କ୍ଷମା ଆଚରଇ ॥ ୧୦
    ସାଧୁଙ୍କ ଶ୍ରେଷ୍ଠ ସେହୁ ନର । ସୁଖଦୁଃଖରୁ ସେ ବାହାର ॥ ୧୧
    ଅପରେ ଶୁଣ ନୃପବର । ଯାବତ ପ୍ରାଣୀମାନଙ୍କର ॥ ୧୨
    ସ‌ତ୍ତ୍ୱ ରଜ ତମ ଗୁଣରେ । ମନ ରହଇ ଦୃଢତରେ ॥ ୧୩
    ଯେ ଗୁଣ ଯାହାର ହୁଅଇ । ସେ ଗୁଣେ ପ୍ରାଣୀ ପ୍ରକାଶଇ ॥ ୧୪
    କୁଶଳ ମନ୍ଦଭାବେ ଦୁଇ । ମଧ୍ୟମ ଭାବକୁ ବହଇ ॥ ୧୫
    ଧରଇ ଗୁଣ ଅନୁସାରେ । ରୂପ ଗୁଣ ନାମ ବେଭାରେ ॥ ୧୬
    ଯେ ଦୁଃଖସୁଖ ଆଦି କରି । ଲଭଇ କର୍ମକୁ ଆବୋରି ॥ ୧୭
    ଦେଖ ଏ ଅନିତ୍ୟ-ଶରୀର । ମାୟା-ଚରିତ ଆତ୍ମାସାର ॥ ୧୮
    ତାହାର ଗୁଣ ଅନୁସାରେ । ପ୍ରାଣୀ ଯେ କର୍ମମାନ କରେ ॥ ୧୯
    କ୍ଷେତ୍ରଜ୍ଞାଭାବକୁ ସେ ବହି । ସକଳ-ସାକ୍ଷୀ ହୋଇ ରହି ॥ ୨୦
    ତେଣୁ କହନ୍ତି ବେଦସାର । ଗୁଣନିର୍ଗୁଣ ଏ ବିଚାର ॥ ୨୧
    ସଗୁଣେ ପ୍ରାଣୀମାନଙ୍କର । ନାନାବ୍ୟସନର ଆଚାର ॥ ୨୨
    ନିର୍ଗୁଣଭାବକୁ ଯେ ଧରେ । ସେ ପ୍ରାଣୀ ଭବସିନ୍ଧୁ ତରେ ॥ ୨୩
    ଘୃତ-ପ୍ରଦୀପ ପ୍ରାୟେ ହୋଇ । ସଗୁଣେ ସଂସାରେ ଭ୍ରମଇଁ ॥ ୨୪
    ଦ୍ରବ୍ୟ ସ୍ୱଭାବ କାଳ କର୍ମ । ଆଶ୍ରୟ ଅଙ୍ଗ ହେ ରାଜନ ॥ ୨୫
    ମାୟାରବଳେ ଏ ସଂସାରେ । ପ୍ରାଣୀମାନଙ୍କ ମନ ହରେ ॥ ୨୬
    କ୍ଷେତ୍ରଜ୍ଞଭାବକୁ ଆଚରି । ଶରୀର ରହିଛି ଆବୋରି ॥ ୨୭
    ପ୍ରତ୍ୟକ୍ଷଭାବେ କେବେ ଥାଇ । କେବେ ବା ପ୍ରାଣୀ ନ ଜାଣଇ ॥ ୨୮
    ଶୁଦ୍ଧ-ଅଶୁଦ୍ଧ ଏ ଶରୀରେ । ଦେଖଇ ଭୁଞ୍ଜଇ ବିକାରେ ॥ ୨୯
    ଅପରେ ଶୁଣ ହେ ରାଜନ । କ୍ଷେତ୍ରଜ୍ଞ ପୁରୁଷ-ପୁରାଣ ॥ ୩୦
    ପରମଆତ୍ମା ଜ୍ୟୋତିର୍ମୟ । ଅନାବୃତ ସେ ସର୍ବଦେହ ॥ ୩୧
    ସେ ନାରାୟଣ ଭଗବାନ । ବାସୁଦେବ ଆଦିକାରଣ ॥ ୩୨
    ଯାର ସ୍ମରଣେ ପାପମାନ । ବିଶେଷେ ହୁଅନ୍ତି ଖଣ୍ତନ ॥ ୩୩
    ସ୍ୱକୀୟ-ମାୟାରେ ଜଗତ । କ୍ରୀଡା କରି ଅବିରଚ ॥ ୩୪
    ସ୍ଥାବରଜଙ୍ଗମାଦିଠାରେ । ପବନ ଯେସନେ ସଞ୍ଚରେ ॥ ୩୫
    ତେମନ୍ତ ହୋଇ ସର୍ବଠାରେ । କ୍ଷେତ୍ରଜ୍ଞରୂପେ ସେ ବିହରେ ॥ ୩୬
    ଯାବତକାଳ ପ୍ରାଣୀମନ । ମାୟାକୁ ନ କରେ ଖଣ୍ତନ ॥ ୩୭
    ଷଡ଼ଅଇରି ନ ଜିଣଇ । ବିମୁକ୍ତସଙ୍ଗ ସେ ନୁହଇ ॥ ୩୮
    ପ୍ରଭୁଙ୍କୁ ଏ ରୂପେ ନ ଜାଣେ । ତାବତ ଭ୍ରମେ ଅକାରଣେ ॥ ୩୯
    ସଂସାର-ତାପେ ଗ୍ରସ୍ତମନ । ସେ ଯେ ଅନାଦି ନାରାୟଣ ॥ ୪୦
    ଯାବତ ତାଙ୍କୁ ନ ଚିହ୍ନଇ । ଶୋକ-ମୋହରେ ଭ୍ରମୁଥାଇ ॥ ୪୧
    ତୁ ଏବେ ଶୁଣ ନୃପବର । ସେ ଯେ ବ୍ରହ୍ମାଣ୍ତର ଠାକୁର ॥ ୪୨
    ଅଖିଳପ୍ରାଣୀଙ୍କର ଗୁରୁ । ଯାର ମହିମା ମହାମେରୁ ॥ ୪୩
    ତାହାର ଚରଣାରବିନ୍ଦେ । ମନ ନିବଶେି ଅପ୍ରମାଦେ ॥ ୪୪
    ମାୟା-କପଟ ଏ ସଂସାର । ତୁ ଏହା ଶୀଘ୍ର ପରିହର ॥ ୪୫
    ପଞ୍ଚମସ୍କନ୍ଧେ ବିପ୍ରବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୪୬
    ସେ ପ୍ରଭୁ ପାଦକମଳରେ । ମନ ମୋ ରହୁ ନିରନ୍ତରେ ॥ ୪୭
    କହଇ ବିପ୍ର ଜଗନ୍ନାଥ । ହରିଚରିତ ଭାଗବତ ॥ ୪୮
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ବ୍ରାହ୍ମଣରହୂଗଣସମ୍ବାଦେ
    ଏକଦଶୋଽଧ୍ୟାୟଃ ॥

    ଦ୍ୱାଦଶ ଅଧ୍ୟାୟ

    ରହୂଗଣ ଉବାଚ
    ନମଇଁ ପ୍ରଭୁ ବିପ୍ରବର । ପ୍ରାଣୀଙ୍କ ହିତେ ତୋ ଶରୀର ॥ ୧
    ସ୍ୱଇଚ୍ଛା-ବିହାର ତୋହର । ନମସ୍ତେ ଦୟାର ସାଗର ॥ ୨
    ବେଶରେ ତୁହି ଅବଧୂତ । ମାୟାରୂପରେ ତୁ ଯେସ୍ଥିତ ॥ ୩
    ଗୁପତଭାବେ ଭ୍ରମୁ ତୁହି । ତୋହର ମାୟା କେ ଜାଣଇ ॥ ୪
    ବିଅର୍ଥେ ପ୍ରାଣୀ ଆତଯାତ । ତୁ ଯେ ମାୟାର ପରେସ୍ଥିତ ॥ ୫
    ବ୍ୟାଧିରେ ପୀଡିତ ଯେ ଜନ । ତାହାର ଔଷଧି ଯେସନ ॥ ୬
    ନିଦାଘ-ଆତପେ ପୀଡିତ । ତାହାକୁ ଯେହ୍ନେ ଜଳଶୀତ ॥ ୭
    ସଂସାର-ଦୁଃଖ-ଦାବାନଳ । ତହିଁ ମୁଁ ହୋଇଲି ଆକୁଳ ॥ ୮
    ପୀୟୂଷରସ ତୁମ୍ଭ ବାଣୀ । ପିଇ ତରିଲି ଦ୍ୱିଜମଣି ॥ ୯
    ସଂଶୟ ମନରୁ ମୋହର । ତୁମ୍ଭେ ଛେଦିବ ବିପ୍ରବର ॥ ୧୦
    ଅଜ୍ଞାନ-ଜଡ଼ଭାବ ଥିଲେ । ତାହା ଛେଦିବ ତୁମ୍ଭେ ଭଲେ ॥ ୧୧
    ଅଧ୍ୟାତ୍ମଯୋଗ ତୋ ବଚନ । ଶୁଣି ସନ୍ତୋଷ ମୋର ମନ ॥ ୧୨
    ତ‌ତ୍ତ୍ୱଜ୍ଞାନରେ ପ୍ରାଣୀଙ୍କର । ମନ ନୋହଇ ଦୃଢ଼ତର ॥ ୧୩
    ଯେତେ ଏ କ୍ରିୟାଫଳମାନ । କହିଲ ଈଶ୍ୱର-ଅଧୀନ ॥ ୧୪
    ପରମତ‌ତ୍ତ୍ୱ ଏ ବେଭାର । ପୃଥୁଳବୁଦ୍ଧି ମାନଙ୍କର ॥ ୧୫
    ଏ ଯେ ସଂଶୟ ମନେ ମୋର । ଭୋ ବିପ୍ର ଛେଦନ ତୁ କର ॥ ୧୬

    ଜଡ଼ଭରତ ଉବାଚ
    ପାର୍ଥିବ-ବିକାର ଯେହୁଟି । ଭାରକୁ ବହଇ ସେହିଟି ॥ ୧୭
    ଶ୍ରମ ଯେ ହୋଇବ କାହାର । ଏହାକୁ ବୁଝ ନୃପବର ॥ ୧୮
    ଶରୀରେ ଅଛି ଯେ ଚରଣ । ତହିଁ ଉପରେ ଗୁଳ୍‌ଫ ଜାଣ ॥ ୧୯
    ଜାନୁ ଊରୁ ଯେ ମଧ୍ୟଦେଶ । ବକ୍ଷସ୍ଥଳ ଯେ ସ୍କନ୍ଧଦେଶ ॥ ୨୦
    ସ୍କନ୍ଧରେ ବିମାନ ଅଛଇ । କେ ତାର ଭାରକୁ ବହଇ ॥ ୨୧
    ତହିଁରେ ଅବୟବ ବହି । ସୌବୀର ରାଜା ବସିଛଇଁ ॥ ୨୨
    ସେ ଅଟେ ପାର୍ଥିବ-ବିକାର । ଏହା ତୁ ନୃପ ହେତୁକର ॥ ୨୩
    ଏହି ବିକାରେ ଅଭିମାନ । ତୋହର ହୋଇଛି ରାଜନ ॥ ୨୪
    ଏ ଯେ ସଂସାରେ ପ୍ରାଣୀମାନେ । ନୃପସେବକ ନାମ ଭିନ୍ନେ ॥ ୨୫
    କେହୁ କାହାକୁ ନମସ୍କାର । କରଇ ଆଚାର ବେଭାର ॥ ୨୬
    ଏ ଜୀବମାନେ ବସି ତହିଁ । ନାନା-କୁକଥାମାନ କହି ॥ ୨୭
    ମୁଁ ନୃପ ବୋଲି ଅହଙ୍କାର । ଏ ମୂଢ଼ଲୋକଙ୍କ ବେଭାର ॥ ୨୮
    ପ୍ରାଣୀଙ୍କି ଦଣ୍ତ ଦେଉ ତୁହି । ଏମନ୍ତେ ନାନାକଥା କହି ॥ ୨୯
    ପ୍ରମତ୍ତଭାବକୁ ଧଇଲୁ । ଏଣୁ ତୁ ମୋତେ ନ ଚିହ୍ନିଲୁ ॥ ୩୦
    ଦେଖ ଏ ଅଖିଳସଂସାର । ଜନ୍ମଇଁ ଯହୁଁ ଚରାଚର ॥ ୩୧
    ଯା ତହୁଁ ନାନା ଯାହାପରେ । ବଡ଼ଟି ନାହିଁ ଏ ସଂସାରେ ॥ ୩୨
    ପରମ ଅଣୁ ସୂକ୍ଷ୍ମ ସ୍ଥୂଳ । ଏ ଆଦି ଯେତେକ ସକଳ ॥ ୩୩
    ତା ବିନୁ ଅନ୍ୟ କେହି ନାହିଁ । ଅଜ୍ଞାନମତି ନ ଜାଣଇ ॥ ୩୪
    ବୃହତ କ୍ଷୁଦ୍ର ଆଦି ଯେତେ । ନିର୍ଜୀବ ସଜୀବ ସହିତେ ॥ ୩୫
    ଦ୍ରବ୍ୟ ସ୍ୱଭାବ କାଳ କର୍ମ । ପୃଥକଭାବ ଯେହୁ ନାମ ॥ ୩୬
    ଜ୍ଞାନ ବିଶୁଦ୍ଧ ସେ ଅଟଇ । ପରମଆତ୍ମା-ରୂପ ବହି ॥ ୩୭
    ଏକ ଅନେକ ସର୍ବ ସେହି । ପ୍ରଭୁଙ୍କ ବିନୁ ଆନ ନାହିଁ ॥ ୩୮
    ସର୍ବଜ୍ଞପୁରୁଷ ଅଚ୍ୟୁତ । ତାହାର ଲୀଳା ଏ ଜଗତ ॥ ୩୯
    ସେ ପ୍ରଭୁ ଅଖିଳକାରଣ । ମୁନିଏ କରନ୍ତି ଗାୟନ ॥ ୪୦
    ହେ ରହୂଗଣ ସାବଧାନେ । ଶୁଣ ତୁ ମୋହର ବଚନେ ॥ ୪୧
    ବିବିଧ-ତପ ଯଜ୍ଞକର୍ମ । କି ଅବା ବେଦଅଧ୍ୟୟନ ॥ ୪୨
    ଏ ଆଦି ଯେତେ ହେ ରାଜନ । ସକଳ-ଶ୍ରେଷ୍ଠ ଭକ୍ତଜନ ॥ ୪୩
    ଯା ପାଦରଜେ ପାପମାନ । ନିଃଶେଷେ ହୁଅନ୍ତି ଖଣ୍ତନ ॥ ୪୪
    ଉତ୍ତମଶ୍ଳୋକ କଥାସାର । ଯେ ପ୍ରାଣୀ କରନ୍ତି ଉଚ୍ଚାର ॥ ୪୫
    ଗ୍ରାମ୍ୟକଥାରେ ତାର ମତି । କେବେହେଁ ନୁହଁଇ ସଙ୍ଗତି ॥ ୪୬
    ଯେବେ ନିଶ୍ଚଳଭାବେ ମନ । ପ୍ରଭୁରେ କରଇ ଅର୍ପଣ ॥ ୪୭
    ତାହାଙ୍କୁ ପ୍ରଭୁ ଭାବଗ୍ରାହୀ । ସ‌ତ୍ତ୍ୱପ୍ରଧାନ-ମତି ଦେଇ ॥ ୪୮
    ଏବେ ତୁ ଶୁଣ ନୃପମଣି । ଆମ୍ଭର ପୂର୍ବଜନ୍ମ-ବାଣୀ ॥ ୪୯
    ଭରତ ନାମେ ରାଜା ମୁହିଁ । ବ୍ରହ୍ମାର ବଂଶେ ଜାତ ହୋଇ ॥ ୫୦
    ସର୍ବସମ୍ପଦ ଦୂର କଲି । ନିଶ୍ଚଳେ ପ୍ରଭୁଙ୍କୁ ଭଜିଲି ॥ ୫୧
    ପୂର୍ବଅର୍ଜିତ କର୍ମଫଳ । ମୃଗବାଳକେ ମତିଭୋଳ ॥ ୫୨
    ଯେଣୁ ଅସାଧୁସଙ୍ଗ କଲି । ମୃଗଶରୀର ମୁଁ ପାଇଲି ॥ ୫୩
    ପୂର୍ବଜନ୍ମର ପୁଣ୍ୟ ଥିଲା । ପ୍ରଭୁଙ୍କ କରୁଣା ହୋଇଲା ॥ ୫୪
    ତେଣୁ ପୂର୍ବର କଥାମାନ । ମୋହର ହୋଇଲା ସ୍ମରଣ ॥ ୫୫
    ଏବେ ହୋ ଶୁଣ ନୃପବର । ଲଭିଲି ବ୍ରାହ୍ମଣ-ଶରୀର ॥ ୫୬
    ଏଣୁ ସଙ୍ଗକୁ ମୁହିଁ ଡ଼ରି । ଏ ଜଡ଼ରୂପକୁ ଆବୋରି ॥ ୫୭
    ଭ୍ରମଇଁ ଏ ଘୋର-ସଂସାରେ । କର୍ମବନ୍ଧନ ଖଣ୍ତିବାରେ ॥ ୫୮
    ଏକାକୀ ନିବୃତ୍ତ-ବେଭାରେ । ମନ ନିବେଶି କୃଷ୍ଣଠାରେ ॥ ୫୯
    ଶୁଣ ରାଜନ ଏକମନେ । ଏଣୁ ସଂସାରେ ପ୍ରାଣୀମାନେ ॥ ୬୦
    ଅସତ-ସଙ୍ଗୁ ମୋକ୍ଷ ନୋହେ । ନାନାଯୋନିରେ ଦେହ ବହେ ॥ ୬୧
    ସାଧୁସଙ୍ଗତେ ସଙ୍ଗ ଯାର । ପବିତ୍ର ହୁଏ ତା ଶରୀର ॥ ୬୨
    ନିଶ୍ଚଳମତି ସେ ହୁଅଇ । ସଂସାରସାଗରୁ ତରଇ ॥ ୬୩
    ସାଧୁସଙ୍ଗତି ପ୍ରଭାବରେ । ପ୍ରଭୁର କୃପା ହୋଇ ତାରେ ॥ ୬୪
    ସେ ଯେ ଅନାଦି ଚକ୍ରଧର । ଜଗତବନ୍ଧୁ ଦାମୋଦର ॥ ୬୫
    ସେ ପ୍ରଭୁ ପଦ୍ମପାଦତଳେ । ମୋ ମନ ରହିବ ନିଶ୍ଚଳେ ॥ ୬୬
    ଜଡ଼ଭରତ-ତ‌ତ୍ତ୍ୱବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୬୭
    ବୋଲଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୬୮
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ବ୍ରାହ୍ମଣ-ରହୂଗଣ ସମ୍ବାଦେ
    ଦ୍ୱାଦଶୋଽଧ୍ୟାୟଃ ॥

    ତ୍ରୟୋଦଶ ଅଧ୍ୟାୟ

    ଜଡ଼ଭରତ ଉବାଚ
    ଏ ପଥ ଅତ୍ୟନ୍ତ-ଦୁର୍ଗମ । ପ୍ରବୃତ୍ତିମାର୍ଗ ଯାର ନାମ ॥ ୧
    ମାୟାରେ ତହିଁ ପ୍ରବେଶିଣ । ଯେ ଭବ ଗହନ-ଅରଣ୍ୟ ॥ ୨
    ସ‌ତ୍ତ୍ୱ-ରଜ-ତମର ମତେ । ପୃଥକଭାବେ କର୍ମ ଚିନ୍ତେ ॥ ୩
    ସଂସାର-ଅରଣ୍ୟେ ଭ୍ରମଇଁ । ସୁଖର ଲେଶ ତାର ନାହିଁ ॥ ୪
    ଯେମନ୍ତେ ବଣିଜାରମାନେ । ଅର୍ଥଅର୍ଜନ ଲୋଭମନେ ॥ ୫
    ଏ ଯେ ସଂସାର ମହାଘୋର । ଅରଣ୍ୟ ଅତି ଭୟଙ୍କର ॥ ୬
    ଏଥି ନିବେଶେ ମୂଢ ମନ । ନାନାଯାତନାର ଯେ ସ୍ଥାନ ॥ ୭
    ଯେ ବନେ ଷଡ଼ଇନ୍ଦ୍ରି-ଚୋର । ନାନାଭୋଗରେ ତତପର ॥ ୮
    ଦେଖ ସଂସାରେ କୁନାୟକ । ବୁଦ୍ଧି-ସାରଥି ଅବିବେକ ॥ ୯
    ଶୃଗାଳତୁଲ୍ୟ ଦାରାପୁତ୍ର । ସେ ବନେ ଅଛନ୍ତି ନିରତ ॥ ୧୦
    ଯେ ଯାହା ମତେ ଆକର୍ଷନ୍ତି । ମେଷକୁ ଯେହ୍ନେ ବୃକପନ୍ତି ॥ ୧୧
    ସେ ବନେ ଲତା ତୃଣ ଗୁଳ୍ମ । ଗହ୍ୱରପ୍ରାୟ କାମ୍ୟକର୍ମ ॥ ୧୨
    ଦୁର୍ଜନ-ମଶକାଦି ତେଣେ । ପୀଡ଼ନ୍ତି କଠୋର-ଦଂଶନେ ॥ ୧୩
    ଗନ୍ଧର୍ବପୁରପ୍ରାୟ ଦେହେ । ମଣେ ଅସତ୍ୟ ସତ୍ୟପ୍ରାୟେ ॥ ୧୪
    ନିବାସ ପଶୁ ଯେ ଦ୍ରବିଣ । ତହିଁରେ ହୋଇ ହୃଷ୍ଟମନ ॥ ୧୫
    କରଇ ତହିଁ ଆତ୍ମବୁଦ୍ଧି । ଏମନ୍ତ ବନେ ସେ ଦୁର୍ବୁଦ୍ଧି ॥ ୧୬
    ବାତ-ଭ୍ରମିତ ରେଣୁ ଲାଗି । ଚକ୍ଷୁ ହୁଅଇ ଦୁଃଖଭାଗୀ ॥ ୧୭
    ବିବିଧ-ଘୋରସ୍ୱନ ଲାଗି । କର୍ଣ୍ଣ ହୁଅଇ ଦୁଃଖଭାଗୀ ॥ ୧୮
    ଉଲ୍ଲ୍ଲୁକଆଦି ଘୋରବାଣୀ । ଆତ୍ମା ଦୁଃଖିତ ତାହା ଶୁଣି ॥ ୧୯
    କ୍ଷୁଧାପୀଡିତ ଯେବେ ହୋଇ । ନିଷ୍ଫଳ-ବୃକ୍ଷକୁ ଧାମଇଁ ॥ ୨୦
    କେବେ ବା ମୃଗତୃଷ୍ଣା ଦେଖି । ତୃଷାରେ ଧାମଇଁ ନିରେଖି ॥ ୨୧
    ନିରାଶ ହୋଇଣ ତହିଁରେ । ଧାମଇଁ ଶୁଷ୍କନଦୀତୀରେ ॥ ୨୨
    ଅନ୍ୟୋନ୍ୟଭାବକୁ ସେ ବହି । ନିର୍ଦ୍ଧନ-ପ୍ରାଣୀଙ୍କି ମାଗଇ ॥ ୨୩
    ଦାରା ତନୟ ଅଗ୍ନି ପ୍ରାୟେ । ତହିଁ କ୍ରୀଡ଼ଇ ମାୟାମୋହେ ॥ ୨୪
    କେବେହେଁ ଶାନ୍ତି ନ ଭଜଇ । ପୁଣି ଉଦ୍‌ବେଗ-ମନ ହୋଇ ॥ ୨୫
    ବିବିଧ-ଶୋକ-ଦୁଃଖ ପାଇ । ପରମକ୍ଲେଶକୁ ଲଭଇ ॥ ୨୬
    ଗନ୍ଧର୍ବପୁରେ ପ୍ରବେଶିଣ । ପ୍ରମୋଦଲଭେ ଏକକ୍ଷଣ ॥ ୨୭
    କଣ୍ଟକ-ଦୁର୍ଗମ-ପାଷାଣେ । ନିରତେ ଭ୍ରମେ ଅକାରଣେ ॥ ୨୮
    ବିମନ ହୋଇ ଦୁଃଖପାଇ । କ୍ଷଣକେ ପୁଣି ପାଶୋରଇ ॥ ୨୯
    ଅନ୍ତର-ବାହାରେ ଯନ୍ତ୍ରିତ । ପ୍ରାଣୀ ହୁଅଇ ଅବିରତ ॥ ୩୦
    କୁଟୁମ୍ବ ପାଇଁ ନାନାପାପ । ବିପକ୍ଷପକ୍ଷେ ବହେ କୋପ ॥ ୩୧
    ଦୁଷ୍ଟଜନ୍ତୁରେ ପୀଡ଼ା ପାଇ । ବିପିନେ ନିରତେ ଭ୍ରମଇଁ ॥ ୩୨
    ଅନ୍ଧ ଯେସନେ ଅନ୍ଧକୂପେ । ପଡ଼ଇ କର୍ମର ବିପାକେ ॥ ୩୩
    ସେ ଭବବନେ କଦାଚିତ । ପରଯୋଷିତେ ହୋଇରତ ॥ ୩୪
    ତା ସ୍ୱାମୀ ଦେଖିଲେ ଦଣ୍ତଇ । ତହିଁରେ ବ୍ୟଥିତ ହୁଅଇ ॥ ୩୫
    କାହିଁ ବା ଶୀତ ବର୍ଷା ବାତ । ଗ୍ରୀଷମେ ହୁଅଇ ପୀଡିତ ॥ ୩୬
    ଧନବିହୁନେ ଗୃହ ନାହିଁ । ଶଯ୍ୟା ଆସନ ଅବା କାହିଁ ॥ ୩୭
    ଲୋଡ଼ଇ ପୁଣି ପରଧନ । ତେଣେ ହୁଅଇ ହୀନିମାନ ॥ ୩୮
    ଦୁଃଖେ ଅର୍ଜିତ ଯେତେ ଧନ । କେହି ବା ହରାଇ ବିପନ୍ନ ॥ ୩୯
    ତାହାଙ୍କୁ ତେଜି ଅନ୍ୟେ ଯାନ୍ତି । ପୁଣି ଲେଉଟି ନ ଆସନ୍ତି ॥ ୪୦
    ଏ ମୋର ଭୂମି ମୋର ଗୃହ । ପଣ୍ତିତେ କରନ୍ତି କଳହ ॥ ୪୧
    ଯେ ସର୍ବ ଶ୍ରୀକୃଷ୍ଣେ ଅର୍ପଇ । ତା ଗତି ପାଇବେ ସେ କାହିଁ ॥ ୪୨
    ବାଳଭାଷିତେ ମୋହ ହୋଇ । ଯୋଷିତ-ଭୁଜଲତା କେହି ॥ ୪୩
    ଆଶ୍ରୟ କରି କାଳଡରେ । ପାଷଣ୍ତ ସଙ୍ଗତେ ବିହରେ ॥ ୪୪
    ତହିଁ ବଞ୍ଚିତ ହୋଇ ପୁଣ । ହଂସର ତୁଲ୍ୟ ବିପ୍ରଗଣ ॥ ୪୫
    ସଙ୍ଗେ ବିହରେ କିଛିକାଳ । ତାଙ୍କ ଆଚାର କୁଳଶୀଳ ॥ ୪୬
    ଦେଖି ନ ମଣେ ତାକୁ ଈଷ୍ଟ । ମର୍କଟ ସଙ୍ଗେ ହୁଏ ଭ୍ରଷ୍ଟ ॥ ୪୭
    କେବେ ବା ପ୍ରମାଦ ବଶରେ । ପଡଇ ଗିରି କନ୍ଦରରେ ॥ ୪୮
    ପୁଣି ଭ୍ରମଇଁ ଛାଡି କରି । ନିର୍ଭୟ-ପଥକୁ ଆବୋରି ॥ ୪୯
    ତହିଁ ଅତି-କଷ୍ଟରୁ ନର । ବାହୁଡି ଭ୍ରମଇଁ ଅପାର ॥ ୫୦
    ପୁଣି ଆତ୍ମାର ତ‌ତ୍ତ୍ୱବାଣୀ । କ୍ଷଣକେ ପାଶୋରଇ ପ୍ରାଣୀ ॥ ୫୧
    ମାୟା-ରଚିତ ଏ ସଂସାର । ନିସ୍ତାର ନୋହେ ମୂଢନର ॥ ୫୨
    ନାନାକୁକର୍ମରେ ଭ୍ରମନ୍ତି । ଆତ୍ମା-କାରଣ ନ ଜାଣନ୍ତି ॥ ୫୩
    ହେ ରହୂଗଣ ଏ ସଂସାର । ଦୁର୍ଗମପଥ ଯେ ଏହାର ॥ ୫୪
    ସେ ଜୀବଆତ୍ମା ଏଣୁ ତୁଲ୍ୟ । ଜାଣଇ ପ୍ରାଣୀ-ମନ୍ଦଭଲ ॥ ୫୫
    ସୁଜିତଆତ୍ମା ହୋଇ ତହିଁ । ହରିସେବାରେ ମନଦେଇ ॥ ୫୬
    ଜ୍ଞାନଖଡଗ ଧରି କର । ନିଶ୍ଚିନ୍ତେ ଏଥୁ ହୁଅ ପାର ॥ ୫୭

    ରହୂଗଣ ଉବାଚ
    ସାଧୁମାନଙ୍କ ଜନ୍ମସାର । ସଂସାରେ କିବା ଜନ୍ମ ଆର ॥ ୫୮
    ଯେ ଜନ ହୃଷୀକେଶ-ଗୁଣ । ବଦନେ କରେ ଉଚ୍ଚାରଣ ॥ ୫୯
    ଶ୍ରବଣେ ଶୁଣି ଯଶଗାଇ । ସୁସାଧୁ ସଙ୍ଗତେ ବସଇ ॥ ୬୦
    ଭୋ ସ୍ୱାମୀ ତୁମ୍ଭ ପାଦରେଣୁ । ମୋ ଦେହେ ଲାଗିଲାକ ଯେଣୁ ॥ ୬୧
    ସର୍ବଦୁରିତ କ୍ଷୟଗଲା । ମନ ମୋ ନିର୍ମଳ ହୋଇଲା ॥ ୬୨
    ଅବିଦ୍ୟାକର୍ମ ଯେ ମୋହର । ଭୋ ସ୍ୱାମୀ ସମାଗମେ ତୋର ॥ ୬୩
    ଅବିବେକାଦି ଯେ ପ୍ରମାଦେ । ହତ ହୋଇଲେ ତୋ ପ୍ରସାଦେ ॥ ୬୪
    ନମଇଁ ମହତ-ଈଶ୍ୱର । ନମସ୍ତେ ଶିଶୁରୂପଧର ॥ ୬୫
    ତୁ ନାଥ ଯୁବାରୂପଧର । ତୋତେ ମୋହର ନମସ୍କାର ॥ ୬୬
    ଅବଧୂତରୁପକୁ ଧରି । ପୃଥିବୀ ପର୍ଯ୍ୟଟନ କରି ॥ ୬୭
    ଏମନ୍ତ ରୂପ ଯେ ତୁମ୍ଭର । ତୋ ପାଦେ ମୋର ନମସ୍କାର ॥ ୬୮
    ଏ ରୂପ ଧରି ଯେ ବ୍ରାହ୍ମଣ । ପୃଥିବୀ କରେ ପର୍ଯ୍ୟଟନ ॥ ୬୯
    ପ୍ରଜାଙ୍କ କୁଶଳ ନିମନ୍ତେ । ଭାବେ ଭ୍ରମଣ ଏ ଜଗତେ ॥ ୭୦

    ଶୁକ ଉବାଚ
    ଏମନ୍ତେ ରହୂଗଣ ବାଣୀ । ସାନନ୍ଦେ ଶୁଣି ବିପ୍ରମଣି ॥ ୭୧
    ପରମ-କରୁଣାକୁ ବହି । ରହୂଗଣକୁ ତ‌ତ୍ତ୍ୱ କହି ॥ ୭୨
    ହରଷ ହୋଇ ରହୂଗଣ । ବନ୍ଦିଲେ ତାହାଙ୍କ ଚରଣ ॥ ୭୩
    ରାଜାର ପୂଜାକୁ ଘେନିଲେ । ଧରଣୀ-ଭ୍ରମଣେ ଗମିଲେ ॥ ୭୪
    ସେ ନରପତି ରହୂଗଣ । ପରମତ‌ତ୍ତ୍ୱକୁ ପାଇଣ ॥ ୭୫
    ଆତ୍ମା ଅବିଦ୍ୟା ଧ୍ୟାନ ଯେତେ । ଦେହ ଅହଙ୍କାର ସହିତେ ॥ ୭୬
    ତକ୍ଷଣେ ଛାଡ଼ିଲା ସକଳ । ଶୁଣ ପରୀକ୍ଷ ମହୀପାଳ ॥ ୭୭
    ଆଶ୍ରିତ-ଭାଗବତଜନ । ଏଡ଼େ ପ୍ରଭାବ ହେ ରାଜନ ॥ ୭୮

    ପରୀକ୍ଷିତ ଉବାଚ
    ଯେତେ ପ୍ରକାରେ ଏ ସଂସାର । ବର୍ଣ୍ଣିଲେ ବ୍ରାହ୍ମଣ-କୁମର ॥ ୭୯
    ଯେ ଭାଗବତ-ଶ୍ରେଷ୍ଠନର । ଜାଣିବ ତହିଁର ବିଚାର ॥ ୮୦
    ଏହାଙ୍କ ବାକ୍ୟ ଅନୁସରି । ଯେ ପ୍ରାଣି ହେତୁରେ ନ ଧରି ॥ ୮୧
    ତାଙ୍କର କି ଗତି ଅପାର । ଏ ଯେ ଦୁରଧିଗମ୍ୟ ମୋର ॥ ୮୨
    ତାହାର ସଂଘଟନ ଯେତେ । ବୁଝାଇ କହ ମୋ ଅଗ୍ରତେ ॥ ୮୩
    ତୁ ଅନୁଗ୍ରହ କରି କହ । ମୋହର ଫେଡିବା ସନ୍ଦେହ ॥ ୮୪
    ସେ ବିପ୍ର ରହୂଗଣ ବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥ ୮୫
    ସକଳ ପାପୁ ସେ ତରନ୍ତି । ଅନ୍ତେ କୈବଲ୍ୟକୁ ଲଭନ୍ତି ॥ ୮୬
    କହଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୮୭
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
    ସଂହିତାୟାଂ ପଞ୍ଚମସ୍କନ୍ଧେ ତ୍ରୟୋଦଶୋଽଧ୍ୟାୟଃ ॥

    ଚତୁର୍ଦ୍ଦଶ ଅଧ୍ୟାୟ

    ଶୁକ ଉବାଚ
    ଏ ଯେଉଁ ସଂସାର-ଅରଣ୍ୟ । ତହିଁରେ ଯେତେ ଜୀବଗଣ ॥ ୧
    ବେପାରୀ ବଣିଜାର ପ୍ରାୟେ । ସଂସାରମାର୍ଗେ ଭ୍ରମୁଥାଏ ॥ ୨
    ଭଗବାନ ପ୍ରଭୁ ଈଶ୍ୱର । ଯେ ବିଷ୍ଣୁ ଅଖିଳଠାକୁର ॥ ୩
    ତାର ମାୟାରେ ମୋହ ହୋଇ । ଏ ଜୀବ କିଛି ନ ଜାଣଇ ॥ ୪
    ଦେହାଭିମାନୀ ହୋଇ ନର । ସ‌ତ୍ତ୍ୱାଦିଗୁଣେ ତାହାଙ୍କର ॥ ୫
    କୁଶଳ-ଅକୁଶଳ ଦୁଇ । ମିଶ୍ରଣେ ନିର୍ମିତ ଯେ ହୋଇ ॥ ୬
    ବିବିଧ ଦେହମାନ ବହି । ସଂଯୋଗ ବିଯୋଗ ସେ ହୋଇ ॥ ୭
    ଏଣେ ନିର୍ମିତ ଯେ ସଂସାର । ଇନ୍ଦ୍ରିୟଦ୍ୱାରେ ତା ବିହାର ॥ ୮
    ଦୁର୍ଗମମାର୍ଗ ଏ ସଂସାର । ଶ୍ମଶାନ ପ୍ରାୟ ଭୟଙ୍କର ॥ ୯
    ଏହାକୁ ମୂଢ ନ ଜାଣଇ । ବିଷ୍ଣୁ ମାୟାରେ ମୋହ ହୋଇ ॥ ୧୦
    ଘୋର-ଅରଣ୍ୟ ଏ ସଂସାର । ଏଥିରେ ରତ ମୂଢ଼ନର ॥ ୧୧
    ବିବିଧ ବିଫଳ ଯେ କର୍ମ । ତେଣେ ହୁଅଇ ମତିଭ୍ରମ ॥ ୧୨
    ପ୍ରଭୁଙ୍କ ଚରଣାରବିନ୍ଦ । ସ୍ୱାଦୁ ସୁଗନ୍ଧ ମକରନ୍ଦ ॥ ୧୩
    ତାହାକୁ ଆସ୍ୱାଦ ଯେ କରି । ଅଛନ୍ତି ସେ ପଦ ଆବୋରି ॥ ୧୪
    ତାହାଙ୍କଠାରେ ଏ ସଂସାର । ହୁଅଇ ସୁଖର ଆକର ॥ ୧୫
    ପାପ ନାଶଇ ସୁଖ ଦେଇ । ଏମନ୍ତ ପଦବୀ ସେ ହୋଇ ॥ ୧୬
    ସେ ପଥ ଆଶ୍ରୟ ନ କରି । ଭ୍ରମନ୍ତି ମାୟାକୁ ଆବୋରି ॥ ୧୭
    ଏ ଦେହେ ଯେତେ ଇନ୍ଦ୍ରିଗଣ । ଚଉର ବୋଲି ତାଙ୍କୁ ଜାଣ ॥ ୧୮
    ପରମଗୁରୁ ଆରାଧନ । ଏ ଆଦି ଯେତେ ଶୁଭକର୍ମ ॥ ୧୯
    ବହୁ କୁଚ୍ଛ୍ରାଦି ତପଫଳ । ବଳେ ହରନ୍ତି ମହୀପାଳ ॥ ୨୦
    ଦୃଷ୍ଟିରେ ବସ୍ତୁରୂପ ଦେଖି । କରେ ସ୍ପରଶ ଉପଲକ୍ଷି ॥ ୨୧
    ଶବଦ ଶୁଣଇ କର୍ଣ୍ଣରେ । ଆସ୍ୱାଦ କରଇ ଜିହ୍ୱାରେ ॥ ୨୨
    ଏ ଆଦି ଯେତେ ଇନ୍ଦ୍ରିଗଣ । ନାନା-ଉପଭୋଗ କାରଣ ॥ ୨୩
    ଗ୍ରାମ୍ୟ-ଭୋଗରେ ଭୋଳ ହୋଇ । ଅଜିତେନ୍ଦ୍ରିୟ ଯେତେ ଦେହୀ ॥ ୨୪
    କରନ୍ତି ଆତ୍ମାପୁଣ୍ୟ ଦୂର । ତେଣୁ ସେ ମୂଢ଼ ନୃପବର ॥ ୨୫
    ଅଥବା କୁଟୁମ୍ବ ବିଷୟେ । ଅପତ୍ୟ-ସ୍ନେହ ମାୟାମୋହେ ॥ ୨୬
    କଦର୍ଯ୍ୟା-କୁଟୁମ୍ବ-ଭରଣ । ମୋହେ ହୁଅନ୍ତି ହତଜ୍ଞାନ ॥ ୨୭
    ଦାରା ତନୟ ନାମ ବହି । ବ୍ୟାଘ୍ର ଶୃଗାଳ ପ୍ରାୟ ହୋଇ ॥ ୨୮
    ନାଶନ୍ତି ତାର ଧର୍ମ-ଧନ । ମେଷ ଶାବକକୁ ଯେସନ ॥ ୨୯
    ଯେସନେ କୃଷିକାରୀ ଜନେ । ଅନୁବତ୍ସର କରଷଣେ ॥ ୩୦
    ଯେ ତୃଣ ଗୁଳ୍ମ ଲତା ଆଦି । ନିଃଶେଷେ ନ ପାରନ୍ତି ଛେଦି ॥ ୩୧
    ସେ ବୀଜ କେବେ ନଷ୍ଟ ନୋହେ । ପୁଣି ସେ କ୍ଷେତ୍ରେ ଉଦେ ହୋଏ ॥ ୩୨
    ସେ ରୂପେ ଏ ଯେ ଗୃହାଶ୍ରମ । କର୍ମନାଶନେ ନୋହେ କ୍ଷମ ॥ ୩୩
    ଦଂଶ ମଶକ ନୀଚଜନ । କ୍ରୀଡା କରିଣ ହରେ ଧନ ॥ ୩୪
    ଶଲଭ ଶକୁନ୍ତ ତସ୍କର । ମୂଷିକ ଆଦି ପୀଡା ଘୋର ॥ ୩୫
    ଅବିଦ୍ୟା-କାମ୍ୟକର୍ମେ ମନ । ଜଡିଣ ଥାଇ ଅନୁକ୍ଷଣ ॥ ୩୬
    ବାସନା କ୍ଷୀଣ ତାର ନୋହି । ଏ ନରଲୋକେ ଭ୍ରମୁଥାଇ ॥ ୩୭
    ଗନ୍ଧର୍ବ-ନଗର ପରାୟେ । ମିଥ୍ୟାକୁ ସତ୍ୟେ ଦେଖେ ରାୟେ ॥ ୩୮
    ଏ ଯେ ଗନ୍ଧର୍ବ ନଗରରେ । ବିଷୟ-ମୃଗତୃଷ୍ଣାତୁରେ ॥ ୩୯
    ମଦ୍ୟ ମାଂସ ଯେ ସ୍ପୀସଙ୍ଗମ । ନିରତେ ଏଣେ ହୋଏ ଭ୍ରମ ॥ ୪୦
    ଦାରା ତନୟ ଗୃହେ ଥାଇ । କେବଳ କ୍ଳେଶକୁ ଲଭଇ ॥ ୪୧
    ଅଶେଷ ଦୋଷଙ୍କର ସ୍ଥାନ । ଅଗ୍ନି-ପୁରୀଷ ଯେ ସୁବର୍ଣ୍ଣ ॥ ୪୨
    ତେଣେ ସେ ଦେଇଥାଇ ବୁଦ୍ଧି । ସୁବର୍ଣ୍ଣ-ଅର୍ଜନେ ଅବଧି ॥ ୪୩
    ଯେସନେ ଶୀତାତୁରଜନେ । ପିଶାଚ ଅଗ୍ନି ଦେଖି ବନେ ॥ ୪୪
    ଅଗ୍ନିମଣି ତାକୁ ପ୍ରତ୍ୟକ୍ଷେ । ଧାଇଁ ଛୁଟଇ ତାର ପଛେ ॥ ୪୫
    ସ୍ୱଭାବେ ଅଗ୍ନି ସେ ନୁହଇ । ତାକୁ ପାଇବ ଅବା କାହିଁ ॥ ୪୬
    କେବେ ବା ଗୃହାଶ୍ରମକର୍ମେ । ମନ ନିବେଶି ସେ ଯେ ଭ୍ରମେ ॥ ୪୭
    କେବେହେଁ କୁଟୁମ୍ବ ଆବୋରି । ବାତ-ଉପମା ସେ ଯେ ନାରୀ ॥ ୪୮
    ତାହାଙ୍କ ଅଙ୍କ ଆଶ୍ରେ କରେ । ଧୂଳି-ଉପମା ତା ସ୍ନେହରେ ॥ ୪୯
    ତେଣେ ତା ଦୃଷ୍ଟି ଆବରଣେ । ଦିଗ ଦେବତାଙ୍କୁ ନ ଜାଣେ ॥ ୫୦
    ପାପ ଆଚରେ ମତିଭ୍ରମେ । ଶାସ୍ତ୍ରମର୍ଯ୍ୟାଦା ଅତିକ୍ରମେ ॥ ୫୧
    କେବେହେଁ ଦେହ ମିଥ୍ୟା ମାନି । ନିବୃତ୍ତମନ ହୋଏ ପ୍ରାଣୀ ॥ ୫୨
    ନିଦ୍ରାରେ ସ୍ୱପ୍ନପ୍ରାୟ କରି । କ୍ଷଣକେ ପୁଣି ତା ପାଶୋରି ॥ ୫୩
    କେବେ ଉଲ୍ଲୁକ ଅବା ଝିଲ୍ଲି । କର୍କଶରାବଠାରୁ ବଳି ॥ ୫୪
    ରିପୁ ବା ରାଜକୁଳଜନ । କରନ୍ତି ଯେ ଅବା ଭର୍ତ୍ସନ ॥ ୫୫
    ତେଣେ ବ୍ୟଥିତଚିତ୍ତ ହୋଇ । ବଧିରପ୍ରାୟ ରହିଥାଇ ॥ ୫୬
    ଯେତେ ସୁକୃତ-କର୍ମଫଳ । ଭୋଗର ଅନ୍ତେ ମହୀପାଳ ॥ ୫୭
    ଜୀବନମୃତ ଯେତେ ଧନୀ । ତାହାଙ୍କୁ ଅନୁସରେ ପ୍ରାଣୀ ॥ ୫୮
    ପ୍ରାଣୁ ଅଧିକ ସ୍ନେହ ଭରେ । ସେ ଧନ ରଖେ ନିରନ୍ତରେ ॥ ୫୯
    ଦେବ ଅତିଥି ପିତୃଜନ । ନ ଦିଏ ନକରେ ଭୋଜନ ॥ ୬୦
    ଏଣୁ ଅସତସଙ୍ଗେ ନର । ଲଭଇ ପାଷଣ୍ତ ଶରୀର ॥ ୬୧
    ଉଭୟଲୋକେ ଦୁଃଖ ପାଏ । ଏମନ୍ତ ଜାଣ ନରରାୟେ ॥ ୬୨
    କେବେ ବା କ୍ଷୁଧା ତୃଷାଭରେ । ଅତି ପୀଡିତ ହୋଇ ନରେ ॥ ୬୩
    ପିତା ପୁତ୍ର ଯେ ଅନ୍ୟୁ ଅନ୍ୟେ । ନାଶନ୍ତି ପୁଣି ଅନ୍ନବିନେ ॥ ୬୪
    ଗୃହ ଦ୍ରବିଣ ଦାରା ସୁତ । ଏ ଆଦି ଯେତେ ପ୍ରିୟଅର୍ଥ ॥ ୬୫
    ତହିଁ କ୍ଲେଶିତ କେହି ହୋଇ । ବନଅନଳେ ଯେହ୍ନେ ଦହି ॥ ୬୬
    କେବେ ବା ରାଜା ହରେ ଧନ । ନାନାକ୍ଲେଶରେ ଦୁଃଖମନ ॥ ୬୭
    ଜୀବନମୃତ ପ୍ରାୟ ହୋଇ । କେବେ ବା କ୍ଷଣେ ସେ ରହଇ ॥ ୬୮
    କେବେ ବା ପିତୃ-ପିତାମହେ । ଚିନ୍ତାରେ ଲଭେ ସ୍ୱପ୍ନ ପ୍ରାୟେ ॥ ୬୯
    କେବେ ବା ଗୃହାଶ୍ରମ-କର୍ମେ । ମନନିବେଶି ମାୟାଭ୍ରମେ ॥ ୭୦
    ପାପ-ଅନଳେ ଦେହ ଧରି । ନିତ୍ୟ ଭ୍ରମଇଁ କର୍ମକରି ॥ ୭୧
    ଲୌକିକ-କର୍ମେ କ୍ଳେଶଜାତ । କ୍ଷଣକ୍ଷଣକେ ଦୁଃଖଚିତ୍ତ ॥ ୭୨
    କଣ୍ଟକ-ଦୁର୍ଗମ-ପର୍ବତେ । ଅରୋହେ ନାନା କଷ୍ଟମତେ ॥ ୭୩
    କେବେ ବା କୁଟୁମ୍ବ ଆବୋରି । ବିଷୟା-ବିଷ ପାନକରି ॥ ୭୪
    କ୍ଷୁଧା-ଅନଳେ ଦହି ହୁଏ । ତେଣୁ କୁଟୁମ୍ବେ କ୍ରୋଧ ବହେ ॥ ୭୫
    କେବେ ସେ ନିଦ୍ରା-ଅଜଗରେ । ଅଜ୍ଞାନତମେ ଶୋଇ ମରେ ॥ ୭୬
    ଶ୍ମଶାନ ଶବ ପ୍ରାୟ ହୋଇ । ସୁଖଦୁଃଖକୁ ନ ଜାଣଇ ॥ ୭୭
    ଦୁର୍ଜନଦ୍ୱନ୍ଦ୍ୱେ ଦୁଃଖକରି । ଉନ୍ନିଦ୍ର-ଭାବକୁ ଆଚରି ॥ ୭୮
    ବ୍ୟଥିତ-ହୃଦୟକୁ ପାଇ । ଅନ୍ଧ ଯେସନେ କଷ୍ଟେ ଥାଇ ॥ ୭୯
    ଅଜ୍ଞାନଭାବୁ କଷ୍ଟଚିତ୍ତେ । ପଡ଼ଇ ଅନ୍ଧତମେ ଅନ୍ତେ ॥ ୮୦
    ସକାମେ ହରି ପରଧନ । କେବେ ତା ନ କରେ ପ୍ରଦାନ ॥ ୮୧
    ନିରତେ ପରଦାରା ସେବି । ପରକଥାରେ ପରାଭବି ॥ ୮୨
    ସ୍ୱାମୀରେ ଦ୍ରୋହ ଚିନ୍ତା କରେ । ଦୁର୍ଗମ-ନରକ ଆବୋରେ ॥ ୮୩
    ଏମନ୍ତେ ଆତ୍ମା-କର୍ମଫଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥ ୮୪
    ଜନ୍ମବାସନାଫଳେ ତାର । ପୁଣି ଜନ୍ମଇ ଏ ସଂସାର ॥ ୮୫
    ଶୁଣ ରାଜନ ଏକମନେ । ଯେବେ ଏ କର୍ମେ କର୍ମୀମାନେ ॥ ୮୬
    ଛେଦନ୍ତି କୃଷ୍ଣେ ଆଶ୍ରେ କରି । ତେବେ ସଂସାରୁ ପ୍ରାଣୀ ତରି ॥ ୮୭
    ଶୀତ ବରଷା ଯେ ତପତି । ତ୍ରିତାପତାପେ ଦୁଃଖମତି ॥ ୮୮
    ଏ ଆଦି ନିବାରଣ ସେହି । କେବେ ହେଁ କରି ନ ପାରଇ ॥ ୮୯
    ଦୁରନ୍ତଚିନ୍ତାମଗ୍ନ ହୋଇ । ବିଷର୍ଣ୍ଣଭାବରେ ରହଇ ॥ ୯୦
    କେବେହେଁ ନାନା ଗୀତନାଦେ । ଦୈବର ବିଭୂତି ସମ୍ପଦେ ॥ ୯୧
    କେବେହେଁ ହୃଦେ ନ ଚିନ୍ତିବ । ବିଷ୍ଣୁର ପାଦେ ମନଦେବ ॥ ୯୨
    ଆନର ଧନ ଆନେ ଦେଇ । ସ୍ୱଭାବେ ଦ୍ୱନ୍ଦ୍ୱ ଉପୁଜାଇ ॥ ୯୩
    ଏ ଯେ ସଂସାର ଘୋରପଥ । ନାନା ଉପସର୍ଗ ସହିତ ॥ ୯୪
    ଦ୍ୱେଷଭାବକୁ ଲୋକେ ପାଇ । ଅନ୍ତେ ସେ ନରକ ଲଭଇ ॥ ୯୫
    ଏ ଭାବେ ଆଶ୍ରେ କରି ପ୍ରାଣୀ । ଏ ଭବ ଅନୁଭବେ ଜାଣି ॥ ୯୬
    ଶୋକ-ଲୋଭାଦି ମୋହମାନ । ମାତ୍ସର୍ଯ୍ୟ ଈର୍ଷ୍ୟା ଅଭିମାନ ॥ ୯୭
    ସୁଖ ଦୁଃଖ ବା ଅପମାନ । ରାଗ ଦ୍ୱେଷ ଯେ କ୍ଷୁଧା ଜନ୍ମ ॥ ୯୮
    ପିପାସାଆଦି ବ୍ୟାଧି ଯେତେ । ଜରା-ମରଣାଦି ସହିତେ ॥ ୯୯
    ଦେବମାୟା ମୋହ ହୋଇ । ନାରୀର ବଶଭାବ ବହି ॥ ୧୦୦
    ତା ଭୁଜଲତାରେ ବନ୍ଧନ । ତା ସ୍ନେହେ ମନ କରି ଛନ୍ନ ॥ ୧୦୧
    ତା ଅବଲୋକନ-ବିହାରେ । ତେଣେ ଆସକ୍ତ ମୂଢ଼ନରେ ॥ ୧୦୨
    ସୁତ-ଦୁହିତାଙ୍କ ବଚନେ । ଶ୍ରୁତି ନିବେଶି ଅନୁକ୍ଷଣେ ॥ ୧୦୩
    ତାହାଙ୍କ କୋମଳବଚନ । ଶ୍ରବଣେ ପୀୟୁଷ ଯେସନ ॥ ୧୦୪
    ହୃଦୟେ ହରଷିତ ହୋଇ । ଆଶାକୁ ତହିଁରେ ବଳାଇ ॥ ୧୦୫
    ଦୁର୍ବଳଆତ୍ମା ଯେ ଅଟନ୍ତି । ଜୀବକୁ ନରକେ କ୍ଷେପନ୍ତି ॥ ୧୦୬
    କେବେ ବା ଅଖିଳଈଶ୍ୱର । ବିଷ୍ଣୁ ଭଗବାନ ଠାକୁର ॥ ୧୦୭
    ଯାହାର କାଳଚକ୍ରେ କରି । ସଂସାରସମୂହ ସଂହରି ॥ ୧୦୮
    ସକଳ ବଶଟି ତାହାର । ଏମନ୍ତ ପ୍ରଭୁ ଯେ ଈଶ୍ୱର ॥ ୧୦୯
    ତାହାର କାଳଚକ୍ର କରେ । ଭ୍ରମଇଁ ଅଖିଳସଂସାରେ ॥ ୧୧୦
    ଯେ ଯଜ୍ଞପୁରୁଷ ଠାକୁର । ତାହାଙ୍କୁ କରି ଅନାଦର ॥ ୧୧୧
    ପାଷଣ୍ତଭାବକୁ ଆଚରି । ନାନାଦେବତା ସେବାକରି ॥ ୧୧୨
    ଆତ୍ମାର ଗତି ନ ବିଚାରି । ବିବିଧ କୁପଥ ଆଚରି ॥ ୧୧୩
    ନିଗମ-ଅନାଚାର-କର୍ମ । କରନ୍ତି ହୋଇ ମତିଭ୍ରମ ॥ ୧୧୪
    ପାଷଣ୍ତଭାବରେ ବିଦିତ । ଆତ୍ମାକୁ କରନ୍ତି ବଞ୍ଚିତ ॥ ୧୧୫
    ଅଗ୍ନିହୋତ୍ରାଦି ସହିତରେ । ବଞ୍ଚଇ ଶୁଦ୍ର -ପରକାରେ ॥ ୧୧୬
    ମୈଥୁନଭାବ ଅନୁକ୍ଷଣେ । ଆକୁଳ କୁଟୁମ୍ବପୋଷଣେ ॥ ୧୧୭
    ଅଜ୍ଞାନ-ପାଷଣ୍ତ ବେଭାରେ । ନିରତେ ସ୍ତ୍ରୀବଶେ ବିହରେ ॥ ୧୧୮
    ଅତି-କୃପଣବୁଦ୍ଧି ହୋଇ । ଅନ୍ୟୋନ୍ୟେ ସ୍ନେହଭାବ ବହି ॥ ୧୧୯
    ତା ମୁଖ ଚାହେଁ ଅନୁକ୍ଷଣେ । ପ୍ରତେଜି ପିତୃମାତୃଗଣେ ॥ ୧୨୦
    ବିସ୍ମରି ମୃତ୍ୟୁକାଳ ତହିଁ । ଅଜ୍ଞାନେ ସ୍ୱଚ୍ଛନ୍ଦେ ଭ୍ରମଇଁ ॥ ୧୨୧
    ବାନର-ପଶୁର ସମାନ । ମୈଥୁନେ ହରୁଥାଇ ଦିନ ॥ ୧୨୨
    ପରମ-ଉତ୍ସବ ମଣଇ । ଦାରାତନୟମଧ୍ୟେ ରହି ॥ ୧୨୩
    ମୃତ୍ୟୁ-ଅଜଗର ଭୟରେ । ପଶଇ ଗିରି-କନ୍ଦରରେ ॥ ୧୨୪
    ଶୀତ ତପତ ଦୁଃଖମାନ । ଦୈବ୍ୟର ବିଭୂତିବ୍ୟସନ ॥ ୧୨୫
    ଦୁସ୍ତର ଚିନ୍ତାମଗ୍ନ ହୋଇ । ବିକଳଭାବରେ ରହଇ ॥ ୧୨୬
    କେବେହେଁ ଏକାନ୍ତେ ରମଇଁ । କେବେହେଁ କ୍ଷୀଣଧନ ହୋଇ ॥ ୧୨୭
    ଦ୍ରବ୍ୟ-ସଂଗ୍ରହେ ଯେ ସ୍ୱଭାବ । ଶଯ୍ୟା ଆସନ ଆଦିଭୋଗ ॥ ୧୨୮
    ସକଳ-ଉପଭୋଗ ତାର । ଦ୍ରବ୍ୟ-ବିହୀନେ ହୋଏ ଦୂର ॥ ୧୨୯
    ପୁଣି କେବେହେଁ ମନୋରଥ । ଦ୍ରବ୍ୟ-ଲାଳସେ ଭ୍ରମେ ଚିତ୍ତ ॥ ୧୩୦
    ପୁଣି କେବେହେଁ ଦ୍ରବ୍ୟ ପାଇଁ । ମତି ତାହାର ତୁଷ୍ଟ ହୋଇ ॥ ୧୩୧
    ସୁଖବିହାର ଆଦି ଯେତେ । ଇଚ୍ଛଇ କଳତ୍ର ସହିତେ ॥ ୧୩୨
    ଏମନ୍ତ ଚିତ୍ତବୃତ୍ତି ସଙ୍ଗେ । ବୁଡଇ ସ୍ନେହ-ଅନୁରାଗେ ॥ ୧୩୩
    ତେଣୁ ସେ ପୂର୍ବ-ବାସନାରେ । ବିବିଧ ଶରୀରେ ପ୍ରଚରେ ॥ ୧୩୪
    ତେଣୁ ସଂସାରପଥେ ନର । ନାନା କ୍ଲେଶ ବ୍ୟାଧି ଶରୀର ॥ ୧୩୫
    ପୁଣି ଜନ୍ମିଣ ନାଶ ଯାଇ । ନାନା ଆପଦକୁ ଭୁଞ୍ଜଇ ॥ ୧୩୬
    ନାନା ଶୋକ ମୋହ ତାପରେ । ପୀଡିତ ହୋଏ ତା ଶରୀରେ ॥ ୧୩୭
    ଅସାଧୁ-ବନ୍ଧନେ ବଞ୍ଚଇ । ସେ ପଥ ପାର ନ ଦେଖଇ ॥ ୧୩୮
    ଯେ ପଥ ଅତ୍ୟନ୍ତ ନିର୍ମଳ । ସୁସାଧୁ ନର ଯହିଁ ଠୁଳ ॥ ୧୩୯
    ଅଗମ୍ୟ ରାଜଋଷିଙ୍କର । ଯେ ପଥ ଅତି ଅଗୋଚର ॥ ୧୪୦
    ମାୟାକୁ ପରିହାର କରି । ଯେ କର୍ମେ ଆୟୁର୍ବଳ ସାରି ॥ ୧୪୧
    ସେ ପଥ ପାର ନ ଦେଖନ୍ତି । ଲେଉଟି ସଂସାରେ ଭ୍ରମନ୍ତି ॥ ୧୪୨
    ଏଣୁ ଋଷିଏ ଶ୍ରଦ୍ଧାଚିତ୍ତେ । ଗାବନ୍ତି ଭରତଚରିତେ ॥ ୧୪୩
    ଭରତ ରାଜଋଷିବର । ତା ପଥ ଅତି ଅଗୋଚର ॥ ୧୪୪
    ଯୋଗର ଅନୁଶୀଳ କରେ । ଯେ ମାର୍ଗେ ଅମର ଶରୀରେ ॥ ୧୪୫
    ଆପଦ-ନରକୁ ବିମୁକ୍ତ । ଯାହାକୁ ଭାବନ୍ତି ଜଗତ ॥ ୧୪୬
    ପ୍ରାଣୀର ମନୋରଥ ପଥେ । ଅଗମ୍ୟ ଅଟଇ ଯୁଗତେ ॥ ୧୪୭
    ଏମନ୍ତ କେବା ନରଦେବ । ତା ପଥେ ପଥିକ ହୋଇବ ॥ ୧୪୮
    ଗରୁଡ଼ପକ୍ଷୀ ଗତି ଯହିଁ । ମକ୍ଷିକା ଗତି ତହିଁ କାହିଁ ॥ ୧୪୯
    ଦୁସ୍ତ୍ୟଜ ସୁତ ଦାରା ଧନ । ସୁହୃଦ ରାଜ୍ୟ ଗୃହମାନ ॥ ୧୫୦
    ଏହା ଯେ ତୁଚ୍ଛପ୍ରାୟେ ବୁଝେ । ଉତ୍ତମଶ୍ଳୋକ ପାଦେ ଭଜେ ॥ ୧୫୧
    ଯାହାର ସାମ୍ରାଜ୍ୟ-ବିଭବ । ତ୍ରିଦଶମାନଙ୍କୁ ଦୁର୍ଲଭ ॥ ୧୫୨
    ଏହା ନ ଦେଖି ସାଧୁ ଚିତ୍ତେ । ମହତ ଗୁରୁପାଦଗତେ ॥ ୧୫୩
    ସେବିଣ ମନ-ବୁଦ୍ଧି ଦେଇ । ଥିଲେ ଯେ ମନକୁ ବୁଡାଇ ॥ ୧୫୪
    ହେ ଯଜ୍ଞଧର୍ମ ତପୋମୟ । ବିଧି-ନିପୁଣ ଯୋଗଦେହ ॥ ୧୫୫
    ସାଂଖ୍ୟଯୋଗରେ ଯେହୁ ସାର । ହେ ପ୍ରଭୁ ପ୍ରକୃତି ଈଶ୍ୱର ॥ ୧୫୬
    ହେ ନାରାୟଣ କୃଷ୍ଣ ହରି । ଏମନ୍ତ ନାମ ମୁଖେ ଧରି ॥ ୧୫୭
    ଛାଡିଲେ ମୃଗକଳେବର । କି ଅବା ଦେବା ପଟାନ୍ତର ॥ ୧୫୮
    ହେ ଭାଗବତ ପରୀକ୍ଷିତ । ବିଶୁଦ୍ଧକର୍ମା ଯେ ଭରତ ॥ ୧୫୯
    ଏହା ଶଗୁଣ-ଚରିତମାନ । ପଢ଼ନ୍ତି ଶୁଣନ୍ତି ଯେ ଜନ ॥ ୧୬୦
    ଆୟୁଷ ଯଶ ଧର୍ମ ତାର । ଲଭଇ ମଙ୍ଗଳ ଅପାର ॥ ୧୬୧
    ଏହା ଯେ ଶୁଣେ ଶୁଦ୍ଧଚିତ୍ତେ । ଭରତ ଉପାଖ୍ୟାନ ଗତେ ॥ ୧୬୨
    କୃଷ୍ଣଚରଣେ ଭକ୍ତି ତାର । ଅଶେଷପାପୁ ହୋଏ ପାର ॥ ୧୬୩
    ଯେବେ ହୋଇବ ସିନ୍ଧୁ ପାର । ଗୋବିନ୍ଦପାଦେ ଆଶ୍ରେ କର ॥ ୧୬୪
    ପ୍ରଭୁ-ପଦାରବିନ୍ଦଗତେ । ମନ ମୋ ରହୁ ଅବିରତେ ॥ ୧୬୫
    ପଞ୍ଚମସ୍କନ୍ଧେ ଭାଗବତ । ସୁଜନେ ଶୁଣ ଦେଇ ଚିତ୍ତ ॥ ୧୬୬
    ଅମୃତ-ରସମୟ-ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୬୭
    ବୋଲଇ ଜଗନ୍ନାଥ ଦାସ । ଭରତ-ଗୀତ-କଥାରସ ॥ ୧୬୮
    ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତୋପାଖ୍ୟାନେ ଚତୁର୍ଦ୍ଦଶୋଽଧ୍ୟାୟଃ ॥

    ପଞ୍ଚଦଶ ଅଧ୍ୟାୟ

    ଶୁକ ଉବାଚ
    ଶୁଣ ପରୀକ୍ଷ ନରନାଥ । ଭରତବଂଶାନୁଚରିତ ॥ ୧
    ସୁମତି ତାହାର ତନୟେ । ଋଷଭପଥେ ସେ ଆଶ୍ରୟେ ॥ ୨
    ପାଷଣ୍ତଜନେ କଳିଯୁଗେ । ଧର୍ମକଳ୍ପିବେ ତାଙ୍କ ମାର୍ଗେ ॥ ୩
    ବେଦ ଯେତେକ ଅଛି କହି । ତହିଁରେ ଏ ଦେବତା ନାହିଁ ॥ ୪
    ତାହାର ବୃଦ୍ଧସେନା ନାମ । ଭାର୍ଯ୍ୟା ଅଟଇ ଅନୁପମ ॥ ୫
    ସୁମତି-ପତ୍ନୀଠାରେ ସୁତ । ହୋଇଲା ନାବ ଦେବଜିତ ॥ ୬
    ତାହାର ହୋଇଲା କୁମର । ଦେବଦ୍ୟୁମନ ନାମ ତାର ॥ ୭
    ପରମେଷ୍ଠୀ ତାର କୁମର । ଜନ୍ମିଲା ଧେନୁମତୀ ଠାର ॥ ୮
    ସୁବର୍ଚ୍ଚଳା ଯେ ପତ୍ନୀ ତାର । ଜନ୍ମିଲା ପ୍ରତୀହ କୁମର ॥ ୯
    ଏ ଆତ୍ମବିଦ୍ୟା ବ୍ୟାଖ୍ୟାକରି । ଭଜିଲା ପ୍ରଭୁ ନରହରି ॥ ୧୦
    ତାହାର ପ୍ରତିହର୍ତ୍ତା ନାମ । ତନୟ ହୋଇଲେ ଜନମ ॥ ୧୧
    ପ୍ରତିହର୍ତ୍ତା‌ର ଯେ କୁମର । ବେନି ହୋଇଲେ ନୃପବର ॥ ୧୨
    ଭୂମାନ ଅଜ ଯେ କୁମର । ହୋଇଲେ ସ୍ତୁତିଠାରେ ତାର ॥ ୧୩
    ଉଦ୍‌ଗୀଥ ଭୂମାର ଯେ ସୁତ । ଋଷିକୂଲ୍ୟାର ତହୁଁ ଜାତ ॥ ୧୪
    ଦେବକୂଲ୍ୟାର ତହିଁ ତାର । ହୋଇଲା ପ୍ରସ୍ତାବ କୁମର ॥ ୧୫
    ନିରୁତ୍ସାୟାର ତହିଁ ତାର । ଜନ୍ମିଲା ବିଭୁ ଯେ କୁମର ॥ ୧୬
    ରତିରଠାରେ ଯେ ବିଭୁର । ପୃଥୁବେଣ ବୋଲି କୁମର ॥ ୧୭
    ଆକୂତିଠାରେ ତାର ସୁତ । ନକ୍ତ ନାମରେ ସେ ବିଦିତ ॥ ୧୮
    ନକ୍ତରାଜାର ଯେ କୁମର । ହୋଇଲା ଗୟ ନୃପବର ॥ ୧୯
    ସେ ବିଷ୍ଣୁଅଂଶକୁ ବହଇ । ନାନା ଲକ୍ଷଣେ ପୂର୍ଣ୍ଣ ହୋଇ ॥ ୨୦
    ସ୍ୱଧର୍ମେ ପ୍ରଜାପାଳନରେ । ମନ ତାହାର ନିରନ୍ତରେ ॥ ୨୧
    ଯେ ମହାପୁରୁଷ ଈଶ୍ୱର । ଅନାଦିନାତ ନିରାକାର ॥ ୨୨
    ସେ ସର୍ବଦେବଙ୍କର ବର । ପରମବ୍ରହ୍ମ ଯୋଗେଶ୍ୱର ॥ ୨୩
    ତାହାଙ୍କ ତହିଁ ମନ ଦେଇ । ପରମଭକ୍ତିଭାବ ବହି ॥ ୨୪
    ସ‌ତ୍ତ୍ୱପ୍ରଧାନମତି ହୋଇ । ଆନନ୍ଦେ ପାଳଇ ସେ ମହୀ ॥ ୨୫
    ତାହାର ଗୁଣ ମହୀତଳେ । ଗାୟନ କରନ୍ତି ସକଳେ ॥ ୨୬
    ଗୟର ସମ କେ ସଂସାରେ । ଯଜ୍ଞାଦିକର୍ମ କରିବାରେ ॥ ୨୭
    ଯାହାର ଭକ୍ତିଭାବୁଁ କରି । ବଶ ହୋଇଲେ ନରହରି ॥ ୨୮
    ଯାହାକୁ ଦକ୍ଷକନ୍ୟାଯାକ । ସନ୍ତୋଷେ କଲେ ଅଭିଷେକ ॥ ୨୯
    ସକଳତୀର୍ଥୁ ଜଳ ନେଇ । ରାଜତ୍ୱପଣ ତାକୁ ଦେଇ ॥ ୩୦
    ତାହାର ପ୍ରଜାସୁଖ ପାଇଁ । ବହୁତ ଶସ୍ୟ ଦେଲା ମହୀ ॥ ୩୧
    ମହୀରେ ଯେତେ ନୃପବର । ଖଟନ୍ତି ତାହାର ପୟର ॥ ୩୨
    ସଂଗ୍ରାମେ ଯାହାର ଚରିତ । ସ୍ତୁତି କରନ୍ତି ଶୂରବନ୍ତ ॥ ୩୩
    ଯାହାର ଯଜ୍ଞମାନଙ୍କରେ । ସନ୍ତୋଷ ହେଲେ ଦ୍ୱିଜବରେ ॥ ୩୪
    ଇନ୍ଦ୍ର-ସୂର୍ଯ୍ୟାଦି ଦେବ ଯେତେ । ସନ୍ତୁଷ୍ଟ ହୋଇଲେ ସମସ୍ତେ ॥ ୩୫
    ଏ ଅନନ୍ତରେ ପରୀକ୍ଷିତ । ତାହାର ହେଲେ ତିନିସୂତ ॥ ୩୬
    ସୁଗତି ଚିତ୍ରରଥ ନାମ । ତୃତୀୟ ଯେ ଅବରୋଧନ ॥ ୩୭
    ଚିତ୍ରରଥର ପତ୍ନୀଠାର । ସମ୍ରାଟ ହୋଇଲେ କୁମର ॥ ୩୮
    ଉତ୍କଳାପତ୍ନୀଠାରେ ତାର । ମରୀଚି ହୋଇଲା କୁମର ॥ ୩୯
    ତା ପତ୍ନୀ ବିନ୍ଦୁମତୀଠାରେ । ବିନ୍ଦୁମାନ ହେଲା କୁମରେ ॥ ୪୦
    ବିନ୍ଦୁମାନର ଯେ କୁମର । ମଧୁ ହୋଇଲା ନୃପବର ॥ ୪୧
    ତାର ବୀରବ୍ରତ କୁମର । ଭୋଜା ନାମରେ ପତ୍ନୀ ତାର ॥ ୪୨
    ତାହାର ତହୁଁ ବେନିସୁତ । ମନ୍ଥୁ ପ୍ରମନ୍ଥୁ ଯେ ବିଦିତ ॥ ୪୩
    ମନ୍ଥୁର ସତ୍ୟାଠାରେ ସୁତ । ଭୌବନ ହୋଇଲେ ବିଦିତ ॥ ୪୪
    ଦୂଷଣା-ପତ୍ନୀଠାରେ ତାର । ତୋଷ୍ଟା ସେ ହୋଇଲା କୁମର ॥ ୪୫
    ବିରୋଚନାର ତହିଁ ତାର । ବିରଜ ହୋଇଲା କୁମର ॥ ୪୬
    ଶୁଣ ରାଜନ ପରୀକ୍ଷିତ । ବିରଜ-ପୁତ୍ର ହେଲେ ଶତ ॥ ୪୭
    ଏହାଙ୍କ ମଧ୍ୟେ ଶ୍ରେଷ୍ଠତର । ଶତଜିତ ପୁତ୍ର ତାହାର ॥ ୪୮
    ବିଷୂଚୀ ପତ୍ନୀଠାରେ ତାର । କନ୍ୟା ଗୋଟିଏ ଯେ ଅପର ॥ ୪୯
    ଶୁଣ ରାଜନ ପରୀକ୍ଷିତ । ଏମନ୍ତେ ଲୋକେ ହୋଇ ଜାତ ॥ ୫୦
    ପ୍ରିୟବତର ବଂଶମାନ । ବିରଜ ପ୍ରଭାବୁଁ ରାଜନ ॥ ୫୧
    ବିଷ୍ଣୁପ୍ରଭାବୁ ଦେବେ ଯେହ୍ନେ । ଶୋଭିତ ହୋଇଲେ ତେସନେ ॥ ୫୨
    ବିଦିତ ହେଲେ ସର୍ବସ୍ଥାନେ । ବିଷ୍ଣୁ ଭକତି ବିଦ୍ୟମାନେ ॥ ୫୩
    ପ୍ରିୟବ୍ରତର ବଂଶମାନ । ସୁଜନେ ସାବଧାନେ ଶୁଣ ॥ ୫୪
    ଏଣୁ କୃଷ୍ଣର ପାଦତଳେ । ଭକତି ହୋଇବ ନିଶ୍ଚଳେ ॥ ୫୫
    କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୫୬
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପଞ୍ଚମସ୍କନ୍ଧେ ପ୍ରିୟବ୍ରତବଂଶାନୁକୀର୍ତ୍ତନମ୍‌ନାମ
    ପଞ୍ଚଦଶୋଽଧ୍ୟାୟଃ ॥

    ଷୋଡ଼ଶ ଅଧ୍ୟାୟ

    ରାଜନ ଉବାଚ
    ଏ ଭୂମିମଣ୍ତଳ ବିସ୍ତାର । ତୁମ୍ଭେ କହିଲ ମୁନିବର ॥ ୧
    ଯାବତ ସୂର୍ଯ୍ୟର ପ୍ରକାଶ । ନକ୍ଷତ୍ର ଚନ୍ଦ୍ରଙ୍କର ବାସ ॥ ୨
    ପ୍ରିୟବ୍ରତ-ରଥଚରଣ । ଯାବତ କରିଛି ଭ୍ରମଣ ॥ ୩
    ତହୁଁ ଯେ ଗର୍ତ୍ତ ଉପୁଜିଲା । ସପତସିନ୍ଧୁ ସେ ହୋଇଲା ॥ ୪
    ଏହା କହିଲ ବିପରୀତ । ଅପରେ କି କି ଦ୍ୱୀପ ସାତ ॥ ୫
    ଏହାର କେତେ ପରିମାଣ । ଅପରେ ଯେତେକ ଲକ୍ଷଣ॥ ୬
    ଏ ସର୍ବ କହ ମୁନିବର । ଶୁଣିତେ ଶରଧା ମୋହର ॥ ୭
    ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନନ୍ତ ଯାର ନାମ-ଗୁଣ ॥ ୮
    ଯେ ସ୍ଥୂଳରୂପ ଭଗବାନ । ସେ ଜ୍ୟୋତିର୍ମୟ ସୂକ୍ଷ୍ମ ବ୍ରହ୍ମ ॥ ୯
    ପରମ ପରଙ୍କର ପର । ଯେ ବାସୁଦେବ ଚକ୍ରଧର ॥ ୧୦
    ତାହାଙ୍କ ଚରଣାରବିନ୍ଦେ । ମନ ମୋ ରହୁ ଅପ୍ରମାଦେ ॥ ୧୧
    ଯେଣୁ ତୁମ୍ଭର ଅଗୋଚର । ନାହିଁ ଏ ବ୍ରହ୍ମାଣ୍ତ ମଧ୍ୟର ॥ ୧୨
    ଏଣୁ ଏ ମୋହର ସନ୍ଦେହ । ଭୋ ମୁନି ବିସ୍ତାରିଣ କହ ॥ ୧୩

    ଶୁକ ଉବାଚ
    ଶୁଣ ପରୀକ୍ଷ ନୃପବର । ମାୟାରେ ପ୍ରଭୁଙ୍କ ଶରୀର ॥ ୧୪
    ସଂସାର ଯାହାର ଭିଆଣ । ଅଶେଷପୁର ଯାର ସ୍ଥାନ ॥ ୧୫
    ତାହାଙ୍କ ରୂପ ଗୁଣ ନାମ । ବର୍ଣ୍ଣନେ କେବା ଅଛି କ୍ଷମ ॥ ୧୬
    ନର ଅମର ଯେବେ ହୋଇ । ତେବେ ସେ ବର୍ଣ୍ଣି ନ ପାରଇ ॥ ୧୭
    ତଥାପି କିଛି ଶ୍ରେଷ୍ଠ କରି । କହିବା ଶୁଣ ଦଣ୍ତଧାରୀ ॥ ୧୮
    ଭୂଗୋଳଚକ୍ରର ବର୍ଣ୍ଣନ । ରାଜନ ସାବଧାନେ ଶୁଣ ॥ ୧୯
    ଏ ଜମ୍ବୁଦ୍ୱୀପ ନୃପବର । ବିକଚକମଳ ଆକାର ॥ ୨୦
    ଅତି ଅଦ୍‌ଭୁତ ଏହି ସ୍ଥଳ । ଲକ୍ଷେକ ଯୋଜନ ବିସ୍ତାର ॥ ୨୧
    ଏ ମଧ୍ୟେ ନବ ଯେ ବରଷ । ସହସ୍ରଯୋଜନ ପ୍ରକାଶ ॥ ୨୨
    ମହତ ନବପର୍ବତରେ । ବିଭାଗ ହୋଏ ଯେ ଯାହାରେ ॥ ୨୩
    ଏ ନବବରଷ ମଧ୍ୟରେ । ବର୍ଷ ଈଳାବୃତ ନାମରେ ॥ ୨୪
    ଯାହାର ନାଭିଦେଶ ତହିଁ । ପର୍ବତରାଜ ବିରାଜଇ ॥ ୨୫
    ସୁବର୍ଣ୍ଣମୟ ବିରାଜିତ । ଅତି ସୁନ୍ଦର ଅଦଭୁତ ॥ ୨୬
    ଯାହାର ମସ୍ତକ ପ୍ରମାଣ । ବିତ୍ରଶ ସହସ୍ର-ଯୋଜନ ॥ ୨୭
    ଷୋଳସହସ୍ର ଯେ ଯୋଜନ । ତାହାର ମୂଳ ପରିମାଣ ॥ ୨୮
    ସୁବର୍ଣ୍ଣଶୃଙ୍ଗ ତିନି ତାର । ମହୀରେ ସ୍ତମ୍ଭର ଆକାର ॥ ୨୯
    ପୂର୍ବ ଭାଗରେ ତିନି ଗିରି । ନୀଳ ଧବଳ ରୂପ ଧରି ॥ ୩୦
    ଲବଣସିନ୍ଧୁ ନିକଟରେ । ବେନିସହସ୍ର ଯେ ବିସ୍ତାରେ ॥ ୩୧
    ନିଷଧ ହେମକୂଟ ଆଦି । ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି ॥ ୩୨
    ଏହା ଦକ୍ଷିଣେ ଗିରିବର । ହିମାଳୟ ନାମ ତାହାର ॥ ୩୩
    ପୂର୍ବହୁଁ ଯଥାକ୍ରମେ ତାର । ଅୟୁତଯୋଜନ ବିସ୍ତାର ॥ ୩୪
    ପୂର୍ବେ ପଶ୍ଚିମେ ମାଲ୍ୟବାନ । ବିଶାଳ ଯେ ଗନ୍ଧମାର୍ଦ୍ଦନ ॥ ୩୫
    ଦ୍ୱିସସ୍ରଯୋଜନ ବିସ୍ତାର । ଅଛଇ ଜଗତେ ପ୍ରଚାର ॥ ୩୬
    ଭଦ୍ରାଶ୍ୱ କେତୁମାଳ ଆଦି । ଏହାଙ୍କ ସୀମା ସେ ପ୍ରସିଦ୍ଧି ॥ ୩୭
    ମନ୍ଦର ଯେ ମେରୁମନ୍ଦର । ସୁପାର୍ଶ୍ୱ ଆଦି ଗିରିବର ॥ ୩୮
    ସ୍ୱର୍ଣ୍ଣ‌ଗିରିଚତୁର୍ଭାଗରେ । ଅଛନ୍ତି ବେଷ୍ଟିତ ଆକାରେ ॥ ୩୯
    ବୃକ୍ଷ ନ୍ୟାଗ୍ରୋଧ ଆମ୍ରସାର । ଜମ୍ବୁ କଦମ୍ବ ଏ ଚତ୍ୱାର ॥ ୪୦
    ପର୍ବତପ୍ରାୟେ ଉଚ୍ଚଶିର । ଯୋଜନସହସ୍ର ବିସ୍ତାର ॥ ୪୧
    ଚତ୍ୱାର-ସିନ୍ଧୁ ତା ନିକଟେ । ବିରାଜେ ନାନା ଶୁଭ୍ରତଟେ ॥ ୪୨
    ମଧୁକ୍ଷୀର ଯେ ଈକ୍ଷୁ ଜଳ । ଯହିଁ ସକଳ ଦେବମେଳ ॥ ୪୩
    ଯେ ଯାହା ମତେ କରି ଧ୍ୟାନ । ପ୍ରଭୁଙ୍କୁ କରନ୍ତି ଭଜନ ॥ ୪୪
    ସେ ଜଳ ଅତି ଚମତ୍କାର । ସେବନେ ତୁଷ୍ଟ ଯୋଗୀବର ॥ ୪୫
    ଭଦ୍ର ଚୈତ୍ରରଥ ନନ୍ଦନ । ବୈଭ୍ରାଜ ଚାରି ଉପବନ ॥ ୪୬
    ଯହିଁ ଅମରବୃନ୍ଦମାନ । କ୍ରୀଡା କରନ୍ତି ଅନୁକ୍ଷଣ ॥ ୪୭
    କାମିନୀ ସଙ୍ଗତେ ଘେନିଣ । ଯହିଁ ଅନଙ୍ଗ ମୂର୍ତ୍ତିମାନ ॥ ୪୮
    ଏକାଦଶଶତଯୋଜନ । ମନ୍ଦର-ଗିରିକ୍ରୋଟ ଜାଣ ॥ ୪୯
    ଅତ୍ୟନ୍ତ-ତୁଙ୍ଗ ବୃକ୍ଷବର । ସୁରଙ୍ଗ-ଦଳ ଫଳ ତାର ॥ ୫୦
    ସୁଗନ୍ଧ ଅମୃତ ସୁସ୍ୱାଦ । ରସ ଗଳଇ ବିଶାରଦ ॥ ୫୧
    ସେଠାରୁ ଅରୁଣୋଦା ସାର । ମନ୍ଦରୁ ହୋଇଛି ବାହାର ॥ ୫୨
    ମେରୁମନ୍ଦରୁ ଜମ୍ବୁଫଳ । ପାଚି ପଡଇ ମହୀତଳ ॥ ୫୩
    ହସ୍ତୀପ୍ରମାଣେ ଫଳ ତାର । ରସ ଗଳଇ ଯେ ଅପାର ॥ ୫୪
    ତହିଁରୁ ଜମ୍ବୁନଦ ଜାତ । ଶୁଣ ସୁମନେ ପରୀକ୍ଷିତ ॥ ୫୫
    ତାହାର ଜଳ-ସଂଯୋଗରେ । ସୁବର୍ଣ୍ଣ ହୋଇଛି କ୍ଷିତିରେ ॥ ୫୬
    ମହା କଦମ୍ବ-ତରୁବର । ତହିଁର ମଧ୍ୟରେ କ୍ରୋଟର ॥ ୫୭
    ପରମଧାରା ରୂପ ହୋଇ । ତହୁଁ ଯେ ମଧୁ ପ୍ରସରଇ ॥ ୫୮
    ଈଲାବୃତକୁ ବେଢି କରି । ସୁଗନ୍ଧ ଆମୋଦ ପ୍ରସରି ॥ ୫୯
    ତାର ସ୍ପରଶୁ ଯେ ପବନ । ସୁଗନ୍ଧ ଶତେକଯୋଜନ ॥ ୬୦
    କୁମୁଦଗିରି-ତଟଦେଶେ । ବିଶାଳବଟ ଯେ ପ୍ରକାଶେ ॥ ୬୧
    ତାହାର କନ୍ଦରୁ ବାହାର । ସୁସ୍ୱାଦୁ ପୟୋରାଶି ସାର ॥ ୬୨
    ଈଳାବୃତର ଯେ ଉତ୍ତରେ । ପ୍ରଜାଏ ସୁସ୍ଥ ଯାର ନୀରେ ॥ ୬୩
    ଯାବତ ଜୀବ ସୁଖୀ ହୋଇ । ଅଛନ୍ତି ଯାର ଜଳ ପିଇ ॥ ୬୪
    କୁରଙ୍ଗ କୁଶୁମ୍ଭ କୁରର । ବୈକଙ୍କ ତ୍ରିକୁଟ ଶିଶିର ॥ ୬୫
    ବୈଦୁର୍ଯ୍ୟ ନିଷଦ ରୂଚକ । କପିଳ ଶିନୀବାସ ଶଙ୍ଖ ॥ ୬୬
    ଋଷଭ ଯାରୁଧି ପତଙ୍ଗ । କାଳଞ୍ଜର ଯେ ହଂସ ନାଗ ॥ ୬୭
    ନୀରଦ ଆଦି ଯେ ବିଦିତ । ଏମନ୍ତ ବିଂଶ ଯେ ପର୍ବତ ॥ ୬୮
    ମେରୁକର୍ଣ୍ଣିକା ଚାରିପାଶେ । ବିରାଜେ କେଶର-ସଦୃଶେ ॥ ୬୯
    ଜଠର ଦେବକୁଟ ଦୁଇ । ମେରୁର ପୂର୍ବଭାଗେ ରହି ॥ ୭୦
    ବେନିସହସ୍ର ଉଚ୍ଚତାର । ଅଠରଯୋଜନ ବିସ୍ତାର ॥ ୭୧
    ପବନ ପାରିପାତ୍ର ଦୁଇ । ତାହାର ପଶ୍ଚିମେ ଶୋଭଇ ॥ ୭୨
    କୈଳାସ କରବୀର ଦୁଇ । ଦକ୍ଷିଣପାଶେ ବିରାଜଇ ॥ ୭୩
    ଉତ୍ତରେ ତ୍ରିଶୃଙ୍ଗ ମକର । ଅଛନ୍ତି ବେନିଗିରିବର ॥ ୭୪
    ଏ ଅଷ୍ଟଗିରି ମଧ୍ୟଦେଶେ । ସୁବର୍ଣ୍ଣ‌ଗିରି ଯେ ପ୍ରକାଶେ ॥ ୭୫
    ସୁବର୍ଣ୍ଣ‌ଗିରି ଅଗ୍ରଦେଶେ । ବ୍ରହ୍ମାର ସଦନ ପ୍ରକାଶେ ॥ ୭୬
    ଅୟୁତଯୋଜନ ସେ ହୋଇ । ନାନାକୁସୁମେ ସୁବାସଇ ॥ ୭୭
    ହେମକଳସ ତୁଙ୍ଗ ସାର । କି ଅବା ଦେବା ପଟାନ୍ତର ॥ ୭୮
    ଚାରିଦିଗରେ ଯେ ତାହାର । ଇନ୍ଦ୍ରାଦିଲୋକପାଳଙ୍କର ॥ ୭୯
    ଯଥାକ୍ରମରେ ଯେଝାମତେ । ନିର୍ମିତ ପୁର ଯଥୋଚିତେ ॥ ୮୦
    ଆନନ୍ଦ ହୋଇ ଯତୋଚିତେ । ବିହାର କରନ୍ତି ସମସ୍ତେ ॥ ୮୧
    ଅଷ୍ଟଦିଗପାଳଙ୍କ ପୁର । ସୁସଞ୍ଚ ଅତି ମନୋହର ॥ ୮୨
    ପଞ୍ଚମସ୍କନ୍ଧେ ଏହୁ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୮୩
    ପ୍ରଭୁ-ପଦାରବିନ୍ଦତଳେ । ମୋମନ ରହୁ ସୁନିଶ୍ଚଳେ ॥ ୮୪
    କହଇ ଦାସ ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୮୫
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣ‌ନଂ ନାମ ଷୋଡ଼ଶୋଽଧ୍ୟାୟଃ ॥

    ସପ୍ତଦଶ ଅଧ୍ୟାୟ

    ଶୁକ ଉବାଚ
    ଶୁଣ ରାଜନ ପରୀକ୍ଷିତ । ସେ ଯଜ୍ଞପୁରୁଷ ଅଚ୍ୟୁତ ॥ ୧
    ମାୟାବାମନ ଅବତାର । ତାହାଙ୍କ ବାମ ଯେ ପୟର ॥ ୨
    ଯାହା କନିଷ୍ଟଅଙ୍ଗୁଳିରେ । ବ୍ରହ୍ମାଣ୍ତ ଭାଜିଲା ନିର୍ଭରେ ॥ ୩
    ତହୁଁ ଅଦ୍‌ଭୁତ ଜଳଧାର । କି ଅବା ଦେବା ପଟାନ୍ତର ॥ ୪
    ଦୁରିତ ନାଶଇ ସ୍ମରଣେ । ପ୍ରାଣୀ ତରନ୍ତି ସ୍ନାନପାନେ ॥ ୫
    ତହୁଁ ଗଳିଣ ଅତିଖରେ । ପଡ଼ିଲା ତୁଙ୍ଗ-ପର୍ବତରେ ॥ ୬
    ଧରାରେ ଅବତୀର୍ଣ୍ଣ ହୋଇ । ଜୀବଙ୍କ କଲ୍ୟାଣ ସାଧଇ ॥ ୭
    ଧ୍ରୁବ ପରମଭାଗବତ । ଜାଣିଲେ ବିଷ୍ଣୁ ପଦାମୃତ ॥ ୮
    ଭକ୍ତିଯୋଗରେ ବଶ ହୋଇ । ଆନନ୍ଦେ ରୋମ ପୁଲକାଇ ॥ ୯
    ମାର୍ଜନ କରିବା ନିମନ୍ତେ । ଶିରରେ ଘେନିଲେ ତୁରିତେ ॥ ୧୦
    ତେଣୁ ସପତମୁନିଗଣ । ପ୍ରଭାବ ଜାଣି ତତକ୍ଷଣ ॥ ୧୧
    ସକଳଆତ୍ମା-ଭଗବାନେ । ତପ ସମାଧି ଯୋଗଧ୍ୟାନେ ॥ ୧୨
    ମୋକ୍ଷ-କାରଣେ ସେ ଭଜନ୍ତି । ପ୍ରଭୁର ମହିମା ଗୁଣନ୍ତି ॥ ୧୩
    ସେ ଜଳ ପାଇ ତୁଷ୍ଟ ହୋଇ । ଜଟାରେ ଥୋଇଲେ ସେ ନେଇ ॥ ୧୪
    ସେ ଗଙ୍ଗା ସ୍ୱର୍ଗରୁ ଗମିଲା । ଚନ୍ଦ୍ରମଣ୍ତଳ ଆଚ୍ଛାଦିଲା ॥ ୧୫
    ତାହାକୁ ଲକ୍ଷ୍ୟ କରି ଗଲା । ବ୍ରହ୍ମ ସଦନେ ସେ ପଡିଲା ॥ ୧୬
    ତହୁଁ ସେ ଚାରିଧାରା ହୋଇ । ଚତୁର୍ଦ୍ଧାରୂପକୁ ବହଇ ॥ ୧୭
    ଶୁଣ ପରୀକ୍ଷ ନୃପବର । ଏ ନାମ ଚାରିଟି ତାହାର ॥ ୧୮
    ସୀତା ଅଳକନନ୍ଦା ଦୁଇ । ଚକ୍ଷୁ ଭଦ୍ରା ନାମକୁ ବହି ॥ ୧୯
    ଚାରିଦିଗରେ ଏ ଭ୍ରମନ୍ତି । ସିନ୍ଧୁରେ ପ୍ରବେଶ ହୁଅନ୍ତି ॥ ୨୦
    ବ୍ରହ୍ମସଦନୁ ସୀତା ଯାଇ । କେଶରାଚଳେ ସେ ପଡଇ ॥ ୨୧
    ଅଧ-ଅଧରେ ଭ୍ରମିଯାଇ । ଗନ୍ଧମାର୍ଦ୍ଦନେ ସେ ପଡ଼ଇ ॥ ୨୨
    ତାହାର ଶୃଙ୍ଗରେ ବିହରି । ଭଦ୍ରାଶ୍ୱବର୍ଷ ଶୁଦ୍ଧ କରି ॥ ୨୩
    କ୍ଷାରସିନ୍ଧୁର ପୂର୍ବଭାଗେ । ପ୍ରବେଶ କରିଅଛି ବେଗେ ॥ ୨୪
    ବ୍ରହ୍ମାସଦନୁ ଚକ୍ଷୁ ଯାଇ । ମାଲ୍ୟବନ୍ତଶିଖେ ପଡ଼ଇ ॥ ୨୫
    କେତୁମାଳର ମଧ୍ୟ ଦେଇ । ପଶ୍ଚିମ-ସମୁଦ୍ରେ ମିଶଇ ॥ ୨୬
    ମେରୁଶିଖରୁ ଭଦ୍ରା ଯାଇ । ଉତ୍ତରଦିଗେ ସେ ଭ୍ରମଇଁ ॥ ୨୭
    ଉତ୍ତରକୁରୁ ବେଢି ଖରେ । ସମୁଦ୍ରେ ମିଶଇ ଉତ୍ତରେ ॥ ୨୮
    ଅଳକନନ୍ଦା ନାମ ହୋଇ । ବହୁଗିରିରେ ସେ ଭ୍ରମଇ ॥ ୨୯
    ସୁବର୍ଣ୍ଣ‌ଗିରି ହିମାଳୟ । ତାହାକୁ କରି ସେ ଆଶ୍ରୟ ॥ ୩୦
    ଅତିପ୍ରଖର ବେଗବଶେ । ପଡ଼ଇ ଭାରତ ବରଷେ ॥ ୩୧
    ତହୁଁ ଲବଣ-ସିନ୍ଧୁଜଳେ । ପ୍ରବେଶ ହୁଅଇ ନିଶ୍ଚଳେ ॥ ୩୨
    ଅନ୍ୟ ଯେ ନଦନଦୀ ଯେତେ । ଶତସହସ୍ର ଯେଥାମତେ ॥ ୩୩
    ନାନାଗିରିରୁ ଜାତ ହୋଇ । ସିନ୍ଧୁରେ ପ୍ରବେଶନ୍ତି ଯାଇ ॥ ୩୪
    ଭାରତବରଷ ରାଜନ । ଏ କର୍ମକ୍ଷେତ୍ର ବୋଲି ଜାଣ ॥ ୩୫
    ଅପରେ ଅଷ୍ଟ ଯେ ବରଷ । ସ୍ୱର୍ଗଲୋକଙ୍କର ଏ ବାସ ॥ ୩୬
    ତହିଁ ପୁରୁଷଙ୍କ ଆୟୁଷ । ଦଶ ସହସ୍ର ଯେ ବରର୍ଷ ॥ ୩୭
    ଦେବତା ତୁଲ୍ୟ ପରାକ୍ରମ । ନିତ୍ୟେ ସେ ଦିଶନ୍ତି ନବୀନ ॥ ୩୮
    ପରମ ଆନନ୍ଦେ ସେ ନିତ୍ୟେ । ବିହାର ଯୁବତୀ ସଙ୍ଗତେ ॥ ୩୯
    ସ୍ୱର୍ଗଭୋଗ ଶେଷଭାଗରେ । ଦେବେ ରହନ୍ତି ସେହି ପୁରେ ॥ ୪୦
    ତହିଁରେ ଦେବଶ୍ରେଷ୍ଠମାନେ । ଆନନ୍ଦେ ହରଷିତମନେ ॥ ୪୧
    ସୁରସୁନ୍ଦରୀ ବୃନ୍ଦମେଳେ । ବିହାର କରନ୍ତି ନିଶ୍ଚଳେ ॥ ୪୨
    ଷଡ଼ଋତୁ ଏକସମୟେ । ଯହିଁ ଅଛନ୍ତି ଏକଠାଏ ॥ ୪୩
    ନାନାକୁସୁମ ନାନାଫଳ । ସୁଗନ୍ଧ ସମୀର ଶୀତଳ ॥ ୪୪
    ବିକଚ ନାନା ପୁଷ୍ପତ୍ତରେ । ଲତାଏ ବେଷ୍ଟିତ ଉପରେ ॥ ୪୫
    ସଦନଆକାରେ ଆଚ୍ଛାଦି । ବୃକ୍ଷ ଲତାରେ ଛନ୍ଦାଛନ୍ଦି ॥ ୪୬
    ଅତି ମଞ୍ଜୁଳ ମନୋରମ । ନିବିଡ଼ ଲତାର ସଦନ ॥ ୪୭
    ପର୍ବତ-ଦ୍ରୋଣି ସୁଶୀତଳେ । ନିର୍ମଳ ନାନା ଶୀତଜଳେ ॥ ୪୮
    ରୁଚିରପଙ୍କଜ ସୁନ୍ଦର । ସୁସଞ୍ଚ ଦିଶେ ସରୋବର ॥ ୪୯
    ଜଳରେ ରାଜହଂସମାନେ । କ୍ରୀଡନ୍ତି ହରଷିତ ମନେ ॥ ୫୦
    ଜଳ କୁକ୍‌କୁଯ ଜଳହଂସ । ଚକ୍ର କାରଣ୍ତବ ସାରସ ॥ ୫୧
    ମଧୁରେ ନାନା ଧ୍ୱନି କରି । ଜଳେ ସେ କ୍ରୀଡନ୍ତି ବିହରି ॥ ୫୨
    ଏମନ୍ତେ ନାନା ସୁଖସ୍ଥଳେ । ସୁରସୁନ୍ଦରୀବୃନ୍ଦ ମେଳେ ॥ ୫୩
    ଅମରବୃନ୍ଦ ତୋଷଚିତ୍ତେ । ସର୍ବେ ରମନ୍ତି ଏକଚିତ୍ତେ ॥ ୫୪
    ତପର ବଳେ ତାହାଙ୍କର । କରୁଣା କରନ୍ତି ଶ୍ରୀଧର ॥ ୫୫
    ନବବରଷେ ହେ ରାଜନ । ସେ ଯେ ଅନାଦି ନାରାୟଣ ॥ ୫୬
    ଲୋକର ନିସ୍ତାର କାରଣେ । ଅଛନ୍ତି ପ୍ରଭୁ ଅନୁକ୍ଷଣେ ॥ ୫୭
    ଯେ ପୁଣ୍ୟ ଈଳାବୃତବର୍ଷ । ଭବ ଯେ ଏକଇ ପୁରୁଷ ॥ ୫୮
    ଭବାନୀ-ଶାପ ଯୋଗୁଁ ତହିଁ । ଅନ୍ୟ ପୁରୁଷ ବାସ ନାହିଁ ॥ ୫୯
    ନ ଜାଣି କେହି ତହିଁ ଗଲେ । ତକ୍ଷଣେ ସ୍ତ୍ରୀଭାବରେ ମିଳେ ॥ ୬୦
    ତାହାଙ୍କ ଶାପର କାରଣ । ପଛେ କହିବା ହେ ରାଜନ ॥ ୬୧
    ଭବାନୀ କୋଟିନାରୀ ମେଳେ । ଯାହାଙ୍କ ପଦରେ ଖଟିଲେ ॥ ୬୨
    ସେ ମହାପୁରୁଷଙ୍କ ଶକ୍ତି । ଘେନନ୍ତି ଚତୁର୍ବିଧମୂର୍ତ୍ତି ॥ ୬୩
    ଚତୁର୍ଥୀ ତାମସୀ ଯେ ଜାଣ । ଯାହାର ନାମ ସଙ୍କର୍ଷଣ ॥ ୬୪
    ତହିଁ ସ୍ତୁବନ୍ତି ଶିବ ଧ୍ୟାନେ । ତାମସୀ-ମୂର୍ତ୍ତି ସଙ୍କର୍ଷଣେ ॥ ୬୫

    ରୁଦ୍ର ଉବାଚ
    ନମସ୍ତେ ପୁରାଣପୁରୁଷ । ଅଶେଷଗୁଣ ଯହିଁ ବାସ ॥ ୬୬
    ଅବ୍ୟକ୍ତ ଅନନ୍ତ କାରଣ । ଭଜଇ ତୋହର ଚରଣ ॥ ୬୭
    ବ୍ରହ୍ମା ଈଶ୍ୱର ପର ତୁହି । ପ୍ରକୃତି ଥାଇ ତୋର ତହିଁ ॥ ୬୮
    ଭୂତଭାବନ ତୋର ନାମ । ତୋ ନାମେ ଏ ଭବଖଣ୍ତନ ॥ ୬୯
    ଯାହାର ନାମ ଗୁଣ କର୍ମ । ମନ-ବଚନେ ନୋହେ ଗମ୍ୟ ॥ ୭୦
    ତୋ ତମ-ମାୟା-ଗୁଣେ ଛନ୍ଦି । ସଂସାର କରିଅଛୁ ବନ୍ଦୀ ॥ ୭୧
    ମଧୁ-ଆସବେ ତାମ୍ରବର୍ଣ୍ଣ । ଶୋଭଇ ଯାହାର ଲୋଚନ ॥ ୭୨
    ଦିଶଇ ଅତି ଭୟଙ୍କର । ନାଗବଧୂଙ୍କ ମନୋହର ॥ ୭୩
    ଯାହାର ସଦୃଶ ଅପରେ । ନାହିଁ ଏ ବ୍ରହ୍ମାଣ୍ତ ଭିତରେ ॥ ୭୪
    ଉତ୍ପତ୍ତି-ପ୍ରଳୟ-ପାଳନ । ଏ ସର୍ବ ଯାହାର ଭିଆଣ ॥ ୭୫
    ଯାହାର ଆଦି-ଅନ୍ତ ନାହିଁ । ଅନନ୍ତ ନାମ ସେ ବୋଲାଇ ॥ ୭୬
    ଯାର ଅସଂଖ୍ୟଶିରେ ମହୀ । ସର୍ଷପପ୍ରାୟେ ବିରାଜଇ ॥ ୭୭
    ଯାହାର ତହୁଁ ଜନ୍ମ ହୋଇ । ଅଜ ଏ ସଂସାର ସର୍ଜଇ ॥ ୭୮
    ବ୍ରହ୍ମାଦି ଆମ୍ଭେ ଯେ ସକଳେ । ସେବିଛୁ ଯାର ପାଦତଳେ ॥ ୭୯
    ରଜ୍ଜୁବନ୍ଧନ ପ୍ରାୟ ହୋଇ । ଯନ୍ତ୍ରିତ ହୋଇଅଛୁ ରହି ॥ ୮୦
    ଅନୁଗ୍ରହରୁଟି ଯାହାର । ଭିଆଣ କରୁଁ ଏ ସଂସାର ॥ ୮୧
    ତ୍ରିଗୁଣସଙ୍ଗତେ ବନ୍ଧନ । ଯାର ମାୟାରେ ପ୍ରାଣୀ ମନ ॥ ୮୨
    ତ୍ରିଗୁଣବଶେ ମୋହି ହୋଇ । ଜନ୍ମର ତ‌ତ୍ତ୍ୱ ନ ଜାଣଇ ॥ ୮୩
    ତେସନ ମାୟାକୁ ବିସ୍ତାରି । ଯେ ପ୍ରଭୁ ଜଗତେ ବିହରି ॥ ୮୪
    ତାହାଙ୍କୁ ମୋର ନମସ୍କାର । ଯେ ପ୍ରଭୁ ଜଗତଠାକୁର ॥ ୮୫
    ସୂଜନେ ଶୁଣ ଏହୁବାଣୀ । ପଞ୍ଚମସ୍କନ୍ଧେ ପରିମାଣି ॥ ୮୬
    ସେ ପ୍ରଭୁ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୮୭
    କହଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏକଚିତ୍ତ ॥ ୮୮
    ମୁହିଁ ପାମର ଦୁରାଚାର । ଭୋ ନାଥ ମୋତେ କୃପାକର ॥ ୮୯
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ ॥

    ଅଷ୍ଟାଦଶ ଅଧ୍ୟାୟ

    ଶୁକ ଉବାଚ
    ଭଦ୍ରାଶ୍ୱ ବରଷ ବିଧାନ । ରାଜନ ଶୁଣ ସାବଧାନ ॥ ୧
    ଭଦ୍ରଶ୍ରବା ନାମ ତାଙ୍କର । ସାକ୍ଷାତେ ଧର୍ମର କୁମର ॥ ୨
    ତାହାର କୁଳେ ହୋଇ ଜାତ । ଯେତେକ ପୁରୁଷ ବିଦିତ ॥ ୩
    ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନନ୍ତ ପ୍ରଭୁ ନାରାୟଣ ॥ ୪
    ତାହାଙ୍କ ସନ୍ତୋଷ କାରଣେ । ପରମ ସମାଧି ବିଧାନେ ॥ ୫
    ପ୍ରଭୁ ଯେ ଧର୍ମରୂତ ବହି । ଅଛନ୍ତି ପ୍ରାଣୀହିତ ପାଇଁ ॥ ୬
    ତାହାଙ୍କ ସେବାରେ ନିରତେ । ଅଛନ୍ତି ଯେ ଯାହାରମତେ ॥ ୭
    ପରମ ପ୍ରିୟଭାବ ଧରି । ଏହି ସ୍ତବରେ ସ୍ତୁତି କରି ॥ ୮

    ଭଦ୍ରଶ୍ରବାଗଣ ଉବାଚ
    ନମଇଁ ଧର୍ମ-ଅବତାର । ଆତ୍ମା-ଶୋଧନ ପ୍ରାଣୀଙ୍କର ॥ ୯
    ତୁମ୍ଭର ଲୀଳା ଚମତ୍କାର । ବୁଦ୍ଧି-ଜ୍ଞାନର ଅଗୋଚର ॥ ୧୦
    ଶରୀରମାତ୍ରେ ଯେ ଅଛଇ । ତଥାପି ପ୍ରାଣୀ ନ ଜାଣଇ ॥ ୧୧
    ଯାର ମାୟାରେ ମୋହି ହୋଇ । ମୃତ୍ୟୁକୁ ଦେଖି ନ ଦେଖଇ ॥ ୧୨
    ଜୀବ ଯେ ମୃତ୍ୟୁର ଅଧୀନ । ନ ଭାବେ ଏହା କଦାଚନ ॥ ୧୩
    ଦେଖଇ ଜୀବ ଅନୁକ୍ଷଣେ । ମରନ୍ତି ଆତ୍ମୀୟସ୍ୱଜନେ ॥ ୧୪
    ତାହାଙ୍କ ଦେହ ଅବିରତେ । ଭସ୍ମ ହେଉଛି ନିତ୍ୟେନିତ୍ୟେ ॥ ୧୫
    ଆପଣେ ମଣି ଚିରଞ୍ଜୀବ । ପାପଆଚରେ ମୂଢ଼ଜୀବ ॥ ୧୬
    ମିଥ୍ୟାସଂସାର ମୂର୍ଖଜନେ । ସତ୍ୟ କରନ୍ତି ଅନୁକ୍ଷଣେ ॥ ୧୭
    ଜ୍ଞାନୀମାନେ ଏ ସଂସାରର । କହନ୍ତି ବିଶ୍ୱକୁ ନଶ୍ୱର ॥ ୧୮
    ତଥାପି ଯାହାର ମାୟାରେ । ପଣ୍ତିତେ ଭ୍ରମନ୍ତି ସଂସାରେ ॥ ୧୯
    ଆତ୍ମତ‌ତ୍ତ୍ୱଜ୍ଞ ଯୋଗୀମାନ । ସମାଧି ଯୋଗରେ ପ୍ରମାଣ ॥ ୨୦
    ସର୍ବଦା ପ୍ରତ୍ୟକ୍ଷ କରନ୍ତି । ତେବେହେଁ ମାୟାରେ ବୁଡ଼ନ୍ତି ॥ ୨୧
    ସେ ଅଜ ବ୍ରହ୍ମାଣ୍ତଠାକୁର । ତାହାଙ୍କୁ କରୁ ନମସ୍କାର ॥ ୨୨
    ସକଳ-ଆବରଣ ହୋଇ । ଯାହାର ଆବରଣ ନାହିଁ ॥ ୨୩
    ଏ କଥା ଉଚିତ ତୋହର । କାର୍ଯ୍ୟ କାରଣ ତୁ ଠାକୁର ॥ ୨୪
    ନାନା ଶରୀରବନ୍ତ ହୋଇ । ସର୍ବ ଭୋଗକୁ ଭୁଞ୍ଜୁ ତୁହି ॥ ୨୫
    ତୁ ନାଥ ସକଳ ଈଶ୍ୱର । ତୋତେ ଆମ୍ଭର ନମସ୍କାର ॥ ୨୬
    ଜ୍ଞାନ-ବିଜ୍ଞାନ-ଯୁକ୍ତି ବଳେ । ତୁମ୍ଭର ଚରଣ ନ ମିଳେ ॥ ୨୭
    ବେଦେ ତୁ ବିଶ୍ୱର ବିଧାତା । ସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା ॥ ୨୮
    ଯେବେ ପ୍ରଚଣ୍ତ ଦୈତ୍ୟଗଣ । ବେଦକୁ କଲେ ଅପମାନ ॥ ୨୯
    ପ୍ରଳୟ-ଅବସାନେ ତୁହି । ହୟଗ୍ରୀବମୂର୍ତ୍ତିକି ବହି ॥ ୩୦
    ରସାତଳରୁ ଉଦ୍ଧରିଲୁ । ବ୍ରହ୍ମା ମାଗନ୍ତେ ତାକୁ ଦେଲୁ ॥ ୩୧
    ତୁ ସତ୍ୟସଙ୍କଳ୍ପଠାକୁର । ନମଇଁ ତୁମ୍ଭର ପୟର ॥ ୩୨
    ଏମନ୍ତେ ନାନା ସ୍ତୁତିମତେ । ସେବନ୍ତି ତାଙ୍କ ପାଦଗତେ ॥ ୩୩
    ନୃସିଂହ ନାମେ ଯେ ଠାକୁର । ଅଛନ୍ତି ହରିବରଷର ॥ ୩୪
    ତାହାଙ୍କ ରୂପର କାରଣ । ପଛେ କହିବା ହେ ରାଜନ ॥ ୩୫
    ପରମଭାଗବତଜନ । ମହାପୁରୁଷ ହେ ରାଜନ ॥ ୩୬
    ଦୈତ୍ୟଦାନବ-କୁଳମଣି । ସୁଶୀଳ ସାଧୁ ସତ୍ୟବାଣୀ ॥ ୩୭
    ପ୍ରହ୍ଲାଦ ନାମ ସେ ବହଇ । ପ୍ରଭୁଙ୍କ ଅତି ପ୍ରିୟ ସେହି ॥ ୩୮
    ଇନ୍ଦ୍ରିୟଗୁଣ ସେ ନିବାରି । ଚଞ୍ଚଳମନ ସ୍ଥିର କରି ॥ ୩୯
    ସେ ସ୍ଥଳଲୋକଙ୍କ ସହିତେ । ପ୍ରଭୁଙ୍କୁ ଚିନ୍ତେ ଅବିରତେ ॥ ୪୦
    ଏହି ସ୍ତବରେ ସ୍ତୁତି କରି । ସେବଇ ପ୍ରଭୁ ନରହରି ॥ ୪୧
    ତୁ ପ୍ରଭୁ ଜଗତ କାରଣ । ନୃସିଂହ ରୂପୀ ଭଗବାନ ॥ ୪୨
    ତୁ ଯେ ଜଗତଜୀବ ହରି । ତୁ ଅଛୁ ସର୍ବଘଟେ ପୂରି ॥ ୪୩
    ତେଜଙ୍କ ତେଜରୂପେ ତୁହି । ଅଛୁ ଯେ ପ୍ରକଟିତ ହୋଇ ॥ ୪୪
    ହେ ବଜ୍ରଦଂଷ୍ଟ୍ର ବଜ୍ରନଖ । ତୁମ୍ଭ ଚରଣେ ମୋତେ ରଖ ॥ ୪୫
    କର୍ମ ବାସନା ଦଗ୍‌ଧ କର । ଅଜ୍ଞାନତମ ବେଗେ ହର ॥ ୪୬
    ଭୋ ନାଥ ଜୀବର ଜୀବନ । ବିଶ୍ୱକୁ କର ତୁ କଲ୍ୟାଣ ॥ ୪୭
    ନମସ୍ତେ ପ୍ରଭୁ ଦଇତ୍ୟାରି । ଯାହାର ତେଜେ ଦିଗ ପୂରି ॥ ୪୮
    ନଖଙ୍କ ତେଜ ପରକାଶ । ରବିକିରଣ କରେ ନାଶ ॥ ୪୯
    କରାଳଦଂଷ୍ଟ୍ର ସେ ବଦନ । ଅଗ୍ନିର ପ୍ରାୟ ସେ ଲୋଚନ ॥ ୫୦
    ଯାହାର ନାମେ ଦୁଷ୍ଟ ଡରେ । ନମଇଁ ତାହାର ପୟରେ ॥ ୫୧
    ଭୋନାଥ ତୋହର ପ୍ରସାଦେ । ପ୍ରାଣୀ ତରନ୍ତି ଅପ୍ରମାଦେ ॥ ୫୨
    ତୋହର ଅଭୟ-ଚରଣେ । ମନ ମୋ ରହୁ ଅନୁକ୍ଷଣେ ॥ ୫୩
    ଦାରା ତନୟ ଗୃହେ ମୋର । ଏ ମନ ନୋହୁ ଭୋ ଈଶ୍ୱର ॥ ୫୪
    ତୁମ୍ଭର ଭକ୍ତଜନସଙ୍ଗେ । ସୁଖେ ବଞ୍ଚିବି ନାନାରଙ୍ଗେ ॥ ୫୫
    ଆତ୍ମାର ପ୍ରିୟ ଯେ ଅପରେ । ନାହିଁ ଏ ଅଖିଳ-ସଂସାରେ ॥ ୫୬
    ସକଳ ଆତ୍ମାର ଠାକୁର । ଏଣୁ ତୁ ପ୍ରିୟ ପ୍ରାଣୀଙ୍କର ॥ ୫୭
    ଯେ ଜନ ଚରଣେ ତୋହର । ସର୍ବସ୍ୱ ଦେଇ ରହେ ସ୍ଥିର ॥ ୫୮
    ତାହାଙ୍କ ଅନ୍ତରର ମଳ । ଭୋଦେବ କରୁ ତୁ ନିର୍ମଳ ॥ ୫୯
    ତୋହର ନାମ ସୁମରଣ । ଅଶେଷ ପାପର ଖଣ୍ତନ ॥ ୬୦
    ଏମନ୍ତ ଯାହାର ପ୍ରଭାବ । ତାହାଙ୍କୁ କେବା ନ ସେବିବ ॥ ୬୧
    ତୋହର ତହିଁ ଭକ୍ତି ଯାର । ପୂଜ୍ୟ ସେ ଦେବମାନଙ୍କର ॥ ୬୨
    ସକଳ ଗୁଣ ତାଙ୍କଠାରେ । ଆଶ୍ରୟ କରନ୍ତି ନିର୍ଭରେ ॥ ୬୩
    ତୋର ଅଭକ୍ତ ଯେଉଁ ଜନ । ସଂସାରେ ବନ୍ଧନ କାରଣ ॥ ୬୪
    ଯେହ୍ନେ ସକଳ ମୀନଗଣ । ଜଳରେ କରନ୍ତି ଭ୍ରମଣ ॥ ୬୫
    ତେସନେ ଯେତେ ଦେହୀଗଣ । ତୋ ମଧ୍ୟେ କରେ ବିଚରଣ ॥ ୬୬
    ଏହା ଜାଣିଣ ଯେହୁ ନର । ଭଜଇ ନୃସିଂହ ପୟର ॥ ୬୭
    ଅଶେଷ ଭୟରୁ ତରଇ । କର୍ମବନ୍ଧନ ତାର କାହିଁ ॥ ୬୮
    ଶୁଣ ରାଜନ ମନତୋଷେ । କେତୁମାଳ ନାମେ ବରଷେ ॥ ୬୯
    ଅଖିଳ-ବ୍ରହ୍ମାଣ୍ତ-କାରଣ । କାମଦେବରୂପ ଧରିଣ ॥ ୭୦
    ଲକ୍ଷ୍ମୀର ସନ୍ତୋଷ କାରଣେ । ବିହାର କରନ୍ତି ଆପଣେ ॥ ୭୧
    ସେ ସ୍ଥଳଲୋକ ପୁଣ୍ୟଫଳେ । ନାନା-ବିହାର ସୁଖଭୋଳେ ॥ ୭୨
    ଅତି ଲଳିତ ଗତି ତାର । ବିଳାସ ନାନା ମନୋହର ॥ ୭୩
    ରୁଚିର ହାସ ଲୀଳାମାନ । କଟାକ୍ଷେ ଯେ ଅବଲୋକନ ॥ ୭୪
    ବିକଚ-ବଦନାରବିନ୍ଦ । ନିନ୍ଦଇ ପୂର୍ଣ୍ଣମୀର ଚାନ୍ଦ ॥ ୭୫
    ଲଳିତ ହାସ ସୁଖଭୋଳେ । ଲକ୍ଷ୍ମୀ ସଙ୍ଗତେ କୁତୂହଳେ ॥ ୭୬
    କ୍ରୀଡା କରନ୍ତି ସୁଖମନେ । ଇନ୍ଦ୍ରିୟଭୋଗ ଅନୁମାନେ ॥ ୭୭
    ପ୍ରଜାପତି-ଦୁହିତା ସଙ୍ଗେ । ତହିଁରେ ଲକ୍ଷ୍ମୀଦେବୀ ରଙ୍ଗେ ॥ ୭୮
    ପରମ-ସମାଧି-ଯୋଗରେ । ସ୍ତୁତି କରନ୍ତି ବିଷ୍ଣୁଠାରେ ॥ ୭୯
    ନମସ୍ତେ ପ୍ରଭୁ ହୃଷୀକେଶ । ସକଳ ଗୁଣେ ତୁ ପ୍ରକାଶ ॥ ୮୦
    ଷୋଡଶ-କଳାବନ୍ତ ତୁହି । ବେଦ ତୋହର ନିଜ ଦେହୀ ॥ ୮୧
    ସକଳଆତ୍ମା ତୁ ଈଶ୍ୱର । ଅମୃତମୟ ତୋ ଶରୀର ॥ ୮୨
    ତୁମ୍ଭେ ପରମ-ମନୋହର । ତୁ ନାଥ ଶୁଭଙ୍କ ଈଶ୍ୱର ॥ ୮୩
    ଅତି ସୁଶୀଳ ଶାନ୍ତ ତୁହି । ତୋ ତହୁଁ ଆନ କେହି ନାହିଁ ॥ ୮୪
    ଭୋ ନାଥ ତୋ ପାଦକମଳ । ସେବି ଲଭନ୍ତି ପୁଣ୍ୟଫଳ ॥ ୮୫
    ତୋହର ଭକ୍ତ ଯେ ହୁଅଇ । ତାଙ୍କୁ ସଙ୍କଟୁ ତାରୁ ତୁହି ॥ ୮୬
    ତୋ ପାଦ-ସରୋରୁହ ଦୁଇ । ନିରତେ ଯେମନ୍ତେ ସେବଇ ॥ ୮୭
    ଏମନ୍ତ ଆଜ୍ଞା ମୋତେ କର । ଭୋ ନାଥ କରୁଣାସାଗର ॥ ୮୮
    ଯେ ତୋତେ ମନେ ଆରାଧଇ । ତାହାର ମନୋରଥ ତୁହି ॥ ୮୯
    ତୋହର ପରସନ୍ନୁ ତାର । ସକଳ ହୁଅଇ ସୁଫଳ ॥ ୯୦
    ତେଣୁ ତୁ ତ୍ରୈଲୋକ୍ୟଈଶ୍ୱର । ଦ୍ୱିତୀୟ ନାହିଁ ପଟାନ୍ତର ॥ ୯୧
    ଭୋ ନାଥ ତୁମ୍ଭେ ନାନାଦେହ । ସାଧୁଙ୍କ ନିସ୍ତାରଣେ ବହ ॥ ୯୨
    ତୁମ୍ଭର ଚେଷ୍ଟା ଏ ସଂସାରେ । ବ୍ରହ୍ମାଦି କେବା ଜାଣିପାରେ ॥ ୯୩
    ରମ୍ୟକବରଷ ଚରିତ । ଶୁଣ ରାଜନ ପରୀକ୍ଷିତ ॥ ୯୪
    ପ୍ରଭୁର ମତ୍ସ୍ୟ-ଅବତାର । ଦେବମାନବେ ଅଗୋଚର ॥ ୯୫
    ଅତି ସୁନ୍ଦର ରୂପରାଶି । ମନୁର ବଂଶ ତହିଁ ବସି ॥ ୯୬
    ସେ ରୂପ ଆରାଧନା ପାଇଁ । ଏମନ୍ତ ସ୍ତୁତି ଯେ କରଇ ॥ ୯୭
    ନମସ୍ତେ ପରମ ଈଶ୍ୱର । ଯାହାର ଯଶ ଅଗୋଚର ॥ ୯୮
    ବିସ୍ତାର-ମତ୍ସ୍ୟ ତୋ ଶରୀର । ତୁ ପ୍ରଭୁ ସର୍ବପ୍ରାଣୀଙ୍କର ॥ ୯୯
    ଥାଉ ଯେ ଅନ୍ତର-ବାହାରେ । ତୋ ମାୟା କେବା ଜାଣିପାରେ ॥ ୧୦୦
    ତୋହର ମାୟା-ମୀନ-ଦେହୀ । ଦେବମାନବେ ଦେଖା ନାହିଁ ॥ ୧୦୧
    ସଂସାର-ସାଗରେ ତୋ ଜନ୍ମ । ମାୟାତରଙ୍ଗ ଯହିଁ ଭ୍ରମ ॥ ୧୦୨
    ପରମ ମହାବଳୀ ହେଉ । ସଂସାରେ ନାନା ଦେହ ବହୁ ॥ ୧୦୩
    ତୁ ସର୍ବ ଜଗତଠାକୁର । ତୋ ପାଦେ ମୋର ନମସ୍କାର ॥ ୧୦୪
    ହିରଣ୍ମୟବରଷ ବାଣୀ । ରାଜନ ଶୁଣ ପରିମାଣି ॥ ୧୦୫
    ଅଖିଳ-ବ୍ରହ୍ମାଣ୍ତ-ଠାକୁର । ଧରିଣ କୂର୍ମର ଶରୀର ॥ ୧୦୬
    ଅର୍ଯ୍ୟାମା ତୁଲେ ପିତୃଗଣେ । ଯେତେ ଅଛନ୍ତି ସେହିସ୍ଥାନେ ॥ ୧୦୭
    ତାହାଙ୍କୁ ଘେନି ପିତୃପତି । ପ୍ରଭୁଙ୍କୁ ଆନନ୍ଦେ ସେବନ୍ତି ॥ ୧୦୮
    ଏମନ୍ତେ ନାନା ସ୍ତୁତିମତେ । ସେବନ୍ତି ପ୍ରଭୁ-ପାଦଗତେ ॥ ୧୦୯
    ନମଇଁ ସର୍ବ -ସ‌ତ୍ତ୍ୱଗୁଣ । ଲକ୍ଷି ନୋହଇ ଯାର ସ୍ଥାନ ॥ ୧୧୦
    ନମସ୍ତେ ପ୍ରଭୁ କୂର୍ମଦେହୀ । ତୋ ପଦେ ରଖ ହେ ଗୋସାଇଁ ॥ ୧୧୧
    ତୋର ଅଶେଷ ନାମ ଗୁଣ । ନମଇଁ ପ୍ରଭୁ ଭଗବାନ ॥ ୧୧୨
    ନିଜ ମାୟାରେ ଦେହଧରି । ଅଶେଷ ଦେହକୁ ଆବୋରି ॥ ୧୧୩
    ନାନା-ଜନ୍ମ ଏ ପ୍ରସିଦ୍ଧି । ତୋ ପଦ୍ମପାଦେ ମୋର ବୁଦ୍ଧି ॥ ୧୧୪
    ଭୋ ଦେବ ତୁହି ଜରାୟୁଜ । ତୁହି ତ ଅଣ୍ତଜ ସ୍ୱେଦଜ ॥ ୧୧୫
    ତୁହିତ ପ୍ରଭୁ ଭଗବାନ । ଉଦ୍ଭିଦ ସ୍ଥାବର ଜଙ୍ଗମ ॥ ୧୧୬
    ଦେବତା ଋଷି ପିତୃଭୂତ । ଇନ୍ଦ୍ରିୟ ଆଦି ଯେ ସମସ୍ତ ॥ ୧୧୭
    ଆକାଶ ଗ୍ରହ ମହୀସ୍ଥଳ । ଗିରି କାନନ ନାନାଜଳ ॥ ୧୧୮
    ଦିଗ ବରଷ ଯେ ସାଗର । ଏ ସର୍ବ ନାମଟି ତୋହର ॥ ୧୧୯
    ବ୍ରହ୍ମାଣ୍ତେ ଯେତେକ ଅଛନ୍ତି । କବିଏ ଯେତେ ବିଚାରନ୍ତି ॥ ୧୨୦
    ସେ ସର୍ବରୂପ ତୁ ଠାକୁର । ନମଇଁ ତୋହର ପୟର ॥ ୧୨୧
    ଉତ୍ତରକୁରୁବରଷର । ବରାହ ରୂପୀ ମହୀଧର ॥ ୧୨୨
    କୂର୍ମର ଅନ୍ତେ ତହିଁ ମହୀ । ଆନନ୍ଦେ ସ୍ତୁତି ସେ କରଇ ॥ ୧୨୩
    ନମଇଁ ଅନାଦି ଅବ୍ୟୟ । ସକଳ ଯଜ୍ଞ ତୋର ଦେହ ॥ ୧୨୪
    ତ୍ରିଯୁଗ ନାନାରୂପଧର । ନମଇଁ ତୋହର ପୟର ॥ ୧୨୫
    ନିବୃତ୍ତତୃଷ୍ଣ ଜ୍ଞାନୀଜନ । ମାୟାଟି ଯା ନାମେ ଖଣ୍ତନ ॥ ୧୨୬
    ସୃଷ୍ଟି ଉଦୟ ସ୍ଥିତି ଲୟ । ତ୍ରିଗୁଣ ଘେନି ବହେ ଦେହ ॥ ୧୨୭
    ସେ ତୋର ମାୟାରେ ଭ୍ରମନ୍ତି । ତୋ ମାୟା କେହି ନ ଜାଣନ୍ତି ॥ ୧୨୮
    ସର୍ବ କର୍ମର ତୁ ଈଶ୍ୱର । ଭୋ ନାଥ ତୋତେ ନମସ୍କାର ॥ ୧୨୯
    ସଂଗ୍ରାମେ ନାଶୁ ଦୁଷ୍ଟଗଣ । ମାୟା-ଶୂକର ରୂପେ ଜନ୍ମ ॥ ୧୩୦
    ଅଗ୍ର ଦନ୍ତରେ ମୋର ପ୍ରାଣ । ଉଦ୍ଧାର କଲୁ ନାରାୟଣ ॥ ୧୩୧
    ତୁମ୍ଭର ପାଦପଦ୍ମ-ଦୁଇ । ଆନନ୍ଦେ ମୁହିଁ ଯେ ନମଇଁ ॥ ୧୩୨
    ବରାହ-ଧରଣୀର ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୩
    ସୁଜନଜନଙ୍କ ପୟରେ । ମୋ ମନ ରହୁ ନିରନ୍ତରେ ॥ ୧୩୪
    କହଇ ବିପ୍ର ଜଗନ୍ନାଥ । ଶ୍ରୀକୃଷ୍ଣ-ଚରିତ-ଅମୃତ ॥ ୧୩୫
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣ‌ନଂ
    ନାମ ଅଷ୍ଟାଦଶୋଽଧ୍ୟାୟଃ

    ଉନବିଂଶ ଅଧ୍ୟାୟ

    ଶୁକ ଉବାଚ
    କିଂପୁରୁଷବରଷ ବାଣୀ । ରାଜନ ଶୁଣ ପରିମାଣି ॥ ୧
    ସୀତାରମଣ ପ୍ରଭୁ ରାମ । ତାହାଙ୍କ କନିଷ୍ଠ ଲକ୍ଷ୍ମଣ ॥ ୨
    ପରମ ପ୍ରଭୁ ଯେ ଈଶ୍ୱର । ତାହାଙ୍କୁ ହନୁ ମହାବୀର ॥ ୩
    ପରମ ଭାଗବତ ସେହି । ନିଶ୍ଚଳେ ଭକ୍ତିଯୋଗ ଲଇଁ ॥ ୪
    ପ୍ରଭୁ ପଦାରବିନ୍ଦ ତଳେ । ସେବଇ ମନର ନିଶ୍ଚଳେ ॥ ୫
    ଶ୍ରୀରାମ କଥା ପୁଣ୍ୟତମ । ଗନ୍ଧର୍ବେ କରନ୍ତି ଗାୟନ ॥ ୬
    ଆର୍ଷ୍ଟିଷେଣ ସହିତ ତହିଁ । ହନୁ ଶୁଣଇ ତୋଷ ହୋଇ ॥ ୭
    ଏମନ୍ତ କରନ୍ତି ଗାୟନ । ସ୍ତୁତି କରନ୍ତି ଏ ବଚନ ॥ ୮
    ଉତ୍ତମଶ୍ଳୋକ ତୁ ଠାକୁର । ନମଇଁ ତୋହର ପୟର ॥ ୯
    ସକଳ ଲକ୍ଷଣ ତୋ ତହିଁ । ସକଳ ଶ୍ରେଷ୍ଠ ତୁ ଗୋସାଇଁ ॥ ୧୦
    ସର୍ବ-ବନ୍ଦନ ତୁ ଠାକୁର । ତୋତେ ମୋହର ନମସ୍କାର ॥ ୧୧
    ନମଇଁ ବ୍ରହ୍ମାଣ୍ତ ଈଶ୍ୱର । ସକଳ ଦେବଙ୍କର ବର ॥ ୧୨
    ମହାପୁରୁଷ ମହାରାଜ । ନମଇଁ ବ୍ରହ୍ମାଣ୍ତର ବୀଜ ॥ ୧୩
    ସ୍ୱତେଜେ କରି ତିନିଗୁଣ । ବିନାଶ କରୁ ନାରାୟଣ ॥ ୧୪
    ପ୍ରଶାନ୍ତ-ସାଧୁ ତୁ ଠାକୁର । ଜ୍ଞାନୀଙ୍କି ଜ୍ଞାନେ ତୁ ଗୋଚର ॥ ୧୫
    ତୋହର ନାମ ରୂପ ଯେତେ । କେହି ନ ଜାଣନ୍ତି ଜଗତେ ॥ ୧୬
    ମାୟାସଂସାରେ ତୋର ଜନ୍ମ । ରାକ୍ଷସ-ସଂହାର-କାରଣ ॥ ୧୭
    ଅନ୍ୟଥା କାହିଁ ଭଗବାନ । ସୀତାହରଣେ କ୍ଷୋଭ ମନ ॥ ୧୮
    ମାନବଶିକ୍ଷାର ନିମନ୍ତେ । ତୋହର ଜନ୍ମ ଏ ଜଗତେ ॥ ୧୯
    ଅଖିଳ-ବ୍ରହ୍ମାଣ୍ତ-ଠାକୁର । ତୁମ୍ଭେ ବା କି କରି ନ ପାର ॥ ୨୦
    ତେବେ ପତ୍ନୀର ନିମିତ୍ତରେ । କ୍ଲେଶ ମାନବ-ଅବତାରେ ॥ ୨୧
    ଏ କି ତୋହରେ ସମ୍ଭବଇ । ଭୋ ନାଥ ତୋର ମାୟା ଏହି ॥ ୨୨
    ଜନ୍ମ ମରଣ ଯାର ନାହିଁ । ଅଖିଳପ୍ରଭୁ ଭାବଗ୍ରାହୀ ॥ ୨୩
    ସୁର-ଅସୁର ଆଦି କରି । ବ୍ରହ୍ମାଣ୍ତେ ଯେତେ ଦେହଧାରୀ ॥ ୨୪
    ଏ ସର୍ବଆତ୍ମା ଯେ ଈଶ୍ୱର । କି ଅବା ଅକର୍ତ୍ତବ୍ୟ ତୋର ॥ ୨୫
    ଉତ୍ତରକୋଶଳରେ ଜାତ । ଯେ ପ୍ରଭୁ ନରଦେହବନ୍ତ ॥ ୨୬
    ସେ ରାମ ପାଦତଳେ ମୁହିଁ । ସହସ୍ରେ ପ୍ରଣାମ କରଇ ॥ ୨୭
    ଶୁଣ ରାଜନ ମନତୋଷେ । ଏବେ ଯେ ଭାରତବରଷେ ॥ ୨୮
    ନର ନାରାୟଣ ସେ ହରି । କଳ୍ପେ ପର୍ଯ୍ୟନ୍ତ ଦେହଧରି ॥ ୨୯
    ସାଧୁଙ୍କ ପରିତ୍ରାଣ ପାଇଁ । ସଂସାରେ ରୂପବନ୍ତ ହୋଇ ॥ ୩୦
    ଭ୍ରମନ୍ତି ଆତ୍ମାଗୁଣ ମତେ । ନାରଦ ତାକୁ ଯଥୋଚିତେ ॥ ୩୧
    ଭକ୍ତିରେ ସାଧୁଜନ ମେଳେ । ସ୍ତୁତି କରନ୍ତି ଯେ ନିଶ୍ଚଳେ ॥ ୩୨
    ନମସ୍ତେ ସ୍ୱଭାବ-ସୁଶୀଳ । ତୋ ରୂପ ଚରିତ୍ର ନିର୍ମଳ ॥ ୩୩
    ଋଷିଙ୍କ ବର ତୁ ଠାକୁର । ତୋତେ ମୋହର ନମସ୍କାର ॥ ୩୪
    ନର-ନାରାୟଣ ଶରୀର । ପରମହଂସ ତୁ ଠାକୁର ॥ ୩୫
    ସକଳ ଆତ୍ମଭୂତ ତୁହି । ତୋ ପାଦପଦ୍ମେ ପ୍ରଣମଇଁ ॥ ୩୬
    ସକଳ କର୍ତ୍ତା ତୁ ଈଶ୍ୱର । ନାହିଁ ତୋହର ଅହଙ୍କାର ॥ ୩୭
    ତୁ ଯେ ମାନବ କଳେବର । ଶରୀରଭୋଗ ନାହିଁ ତୋର ॥ ୩୮
    ସକଳ ଦେଖୁ ତୁ ଠାକୁର । ଗୁଣରେ ଦୋଷ ନାହିଁ ତୋର ॥ ୩୯
    ସକଳ ଗୁଣେ ତୋ ବିହାର । ସର୍ବବିଷୟେ ନିର୍ବିକାର ॥ ୪୦
    ତୋହର ତହିଁ ଯାର ମନ । ତାହାର ସଂସାର ଖଣ୍ତନ ॥ ୪୧
    ଦାରା ତନୟ ଧନ ଘର । ଏଣେ ଅର୍ପିତ ମନ ଯାର ॥ ୪୨
    ସେ ତୋତେ ପାଇବେଟି କାହିଁ । ଶ୍ରମ କେବଳ ତାଙ୍କ ଦେହୀ ॥ ୪୩
    ଏ ମୋର ମୂଢ଼ମତି ତୁହି । ବିନାଶ କର ଭାବଗ୍ରାହୀ ॥ ୪୪
    ଏ ତୋର ପାଦେ ମୋର ମନ । ନିଶ୍ଚଳେ ରହୁ ଭଗବାନ ॥ ୪୫
    ଏ ଯେ ଭାରତବରଷର । ପର୍ବତ ଅଛନ୍ତି ଅପାର ॥ ୪୬
    ମଳୟ ଋଷଭ କୂଟକ । ମଙ୍ଗଳ ପ୍ରସ୍ଥ ଯେ ମୈନାକ ॥ ୪୭
    କୋଲ୍ଲ ସହ୍ୟ ଦ୍ରୋଣ ତ୍ରିକୂଟ । ଦେବଗିରି ବିନ୍ଧ୍ୟ ବେଙ୍କଟ ॥ ୪୮
    ବାରିଧାର ଯେ ଋଷ୍ୟମୂକ । ଋକ୍ଷଗିରି ଯେ ଗୋକାମୁଖ ॥ ୪୯
    ପାରିଯାତ୍ର ଯେ ଶକ୍ତିମାନ । ଚିତ୍ରକୂଟ ଯେ ଗୋବର୍ଦ୍ଧନ ॥ ୫୦
    କାମଗିରି କକୁଭ ନୀଳ । ରୈବତକ ଯେ ଇନ୍ଦ୍ରକୀଳ ॥ ୫୧
    ମହେନ୍ଦ୍ର ଶ୍ରୀଶୈଳ ସମେତେ । ଅଛନ୍ତି ଶତ ସସ୍ର ମତେ ॥ ୫୨
    ଆବର ନଦନଦୀ ଆଦି । ଶତସହସ୍ର ଯେ ପ୍ରସିଦ୍ଧି ॥ ୫୩
    ଚନ୍ଦ୍ରବସା ଯେ ତାମ୍ରପର୍ଣ୍ଣୀ । ଅବଟୋଦା ଯେ ପୟସ୍ୱିନୀ ॥ ୫୪
    କୃତମାଳା କାବେରୀ ପୁଣ୍ୟା । ଶର୍କରାବର୍ତ୍ତା କୃଷ୍ଣା ବେଣ୍ୟା ॥ ୫୫
    ବୈହାୟସୀ ଯେ ତୁଙ୍ଗଭଦ୍ରା । ଭୀମରଥୀ ତାପ୍ତି ନିର୍ବିନ୍ଧ୍ୟା ॥ ୫୬
    ଗୋଦାବରୀ ରେବା ସୁରସା । ପୟୋଷ୍ଣୀ ନର୍ମଦା ଯେ ବିଶ୍ୱା ॥ ୫୭
    ଚର୍ମଣ୍ୱତୀ ଶୋଣ ତ୍ରିସାମା । ସରଯୂ ଶତଦ୍ରୁ ସୁଷୋମା ॥ ୫୮
    ବ୍ରହ୍ମପୁତ୍ର ଯେ ମନ୍ଦାକିନୀ । ଯମୁନା ବିତସ୍ତା ଅସିକ୍ନୀ ॥ ୫୯
    ମହାନଦୀ ଯେ ବେଦସ୍ମୃତି । ଋଷିକୁଲ୍ୟା ଯେ ରୋଧସ୍ୱତୀ ॥ ୬୦
    କୌଶିକୀ ସିନ୍ଧୁ ସରସ୍ୱତୀ । ଚନ୍ଦ୍ରଭାଗା ଯେ ଷଷ୍ଠବତୀ ॥ ୬୧
    ଦୃଶଦ୍‌ବତୀ ପୁଣି ଗୋମତୀ । ମରୁତବୃଦ୍ଧା ସପ୍ତବତୀ ॥ ୬୨
    ଏ ପୁଣ୍ୟଜଳ ସ୍ନାନପାନ । କରି ତରନ୍ତି ପ୍ରଜାଜନ ॥ ୬୩
    ତ‌ତ୍ତ୍ୱଜ୍ଞ-ଯୋଗୀ ଋଷିମାନେ । କର୍ମ କରନ୍ତି ଏହି ସ୍ଥାନେ ॥ ୬୪
    ଏହି ବରଷେ ହେ ରାଜନ । କର୍ମରୁ ପ୍ରାଣୀ ହୋନ୍ତି ଜନ୍ମ ॥ ୬୫
    ଶୁକ୍ଳ ଲୋହିତ କୃଷ୍ଣ ବର୍ଣ୍ଣ । କର୍ମରୁ ଲଭେ ପ୍ରାଣୀ ଜନ୍ମ ॥ ୬୬
    ସା‌ତ୍ତ୍ୱିକ ରାଜସ ତାମସ । କର୍ମରେ ଦେବତା ମାନସ ॥ ୬୭
    ଯେ ପ୍ରାଣୀ ଦୃଢ କରେ ମନ । ସକଳ-ତୀର୍ଥେ କୃଷ୍ଣନାମ ॥ ୬୮
    ସ୍ୱର୍ଗ ନରକ ଭୂମିଭାଗ । କର୍ମଅଧୀନେ କରେ ଭୋଗ ॥ ୬୯
    ଯେ ପ୍ରାଣୀ ସର୍ବଭୂତପର । କୃଷ୍ଣରେ ମତିଟି ଯାହାର ॥ ୭୦
    ସର୍ବଭୂତରେ ଆତ୍ମା ସେହି । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ॥ ୭୧
    ସେ ବାସୁଦେବ ଚକ୍ରଧର । ତାହାର ତହିଁ ମତି ଯାର ॥ ୭୨
    ଭକତିଯୋଗ ଦୃଢ଼ତାରେ । ସେ ପ୍ରାଣୀ କର୍ମବନ୍ଧୁ ତରେ ॥ ୭୩
    ମହାପୁରୁଷ ପ୍ରସଙ୍ଗରେ । ହେଳାରେ ଶ୍ରଦ୍ଧାରେ ବା କରେ ॥ ୭୪
    ଦେବେ ତାହାର ଗୁଣ-କର୍ମ । ଆନନ୍ଦେ କରନ୍ତି ଗାୟନ ॥ ୭୫
    ଧନ୍ୟ ଜୀବନ ତାର ସାର । ମୁକୁନ୍ଦ ପାଦେ ମତି ଯାର ॥ ୭୬
    ଭାରତେ ମାନବ-ଜନ୍ମରେ । ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ ॥ ୭୭
    ଦୁଷ୍କର-ଜପ-ତପମାନ । ତଥିରେ କି ଅବା କାରଣ ॥ ୭୮
    ଯଜନ ଆଦି ଷଟକର୍ମ । ଭକ୍ତି-ବିହୀନେ ନିଷ୍କାରଣ ॥ ୭୯
    ପ୍ରଭୁ-ପଦାରବିନ୍ଦ ସାର । ସୁମତି ନାହିଁଟି ଯାହାର ॥ ୮୦
    କଳ୍ପ-ଆୟୁଷ ସୁଖମାନ । ଏହୁ ସକଳ ବ୍ୟର୍ଥଶ୍ରମ ॥ ୮୧
    କ୍ଷଣେ ଆୟୁଷ ଭାରତରେ । ମନ ଯାହାର କୃଷ୍ଣଠାରେ ॥ ୮୨
    ସେ ପ୍ରାଣୀ ସର୍ବଶ୍ରେଷ୍ଠ ହୋଇ । ତାହାର ସମ କେହି ନାହିଁ ॥ ୮୩
    ପ୍ରାଣ-ପ୍ରୟାଣ ସମୟରେ । ଯେବେ ମାନସେ କୃଷ୍ଣ-ସ୍ମରେ ॥ ୮୪
    କ୍ଷଣକେ କର୍ମକୁ ଛେଦଇ । ବୈକୁଣ୍ଠପଦକୁ ଲଭଇ ॥ ୮୫
    ବୈକୁଣ୍ଠକଥା ସୁଧାରସ । ଯେ ସ୍ଥଳେ ନ ହୁଏ ପ୍ରକାଶ ॥ ୮୬
    କୃଷ୍ଣଆଶ୍ରିତ ପ୍ରାଣୀମାନ । ଯହିଁ ନାହାନ୍ତି ସାଧୁଜନ ॥ ୮୭
    ସୁଯଜ୍ଞ-ମହୋତ୍ସବ ଆଦି । ଯେ ସ୍ଥଳେ ନାହିଁ ଭକ୍ତି ସିଦ୍ଧି ॥ ୮୮
    ଇନ୍ଦ୍ରର ପୁର ଯେବେ ହୋଇ । ତହିଁରେ ବାସ ନ ଯୋଗାଇ ॥ ୮୯
    ମାନବ ଜନ୍ମ ହୋଇ ନର । ଜ୍ଞାନେ ଅଜ୍ଞାନ ଧ୍ୱଂସ ଯାର ॥ ୯୦
    ତଥାପି ପ୍ରଭୁଙ୍କ ଭଜନ । ତେଜଇ ହୋଇ ମତେ ଛନ୍ନ ॥ ୯୧
    ନାନାଯୋନିରେ ଜନ୍ମ ହୋଇ । କର୍ମବନ୍ଧନେ ସେ ପଡଇ ॥ ୯୨
    ଶ୍ରଦ୍ଧାରେ ଯେତେ ଯେତେ ନରେ । ଘୃତ ଦିଅନ୍ତି ଅଗ୍ନିଠାରେ ॥ ୯୩
    ନାନା-ଦେବତା ରୂପ ହୋଇ । ଯଜ୍ଞ ଭୁଞ୍ଜନ୍ତି ଭାବଗ୍ରାହୀ ॥ ୯୪
    ମାୟାରେ ପୃଥକ ସେ ହୋଇ । ତତ୍ତ୍ୱ ତା ବିନୁ କେହି ନାହିଁ ॥ ୯୫
    ତାଙ୍କୁ ଭଜନ୍ତି ଯେତେ ପ୍ରାଣୀ । ତାହାଙ୍କୁ ମନୁଷ୍ୟରେ ଗଣି ॥ ୯୬
    ଇଚ୍ଛା ନ କଲେ ଫଳ ଦେଇ । ଯେଣୁ ତା ନାମ ଭାବଗ୍ରାହୀ ॥ ୯୭
    ପଦପଲ୍ଲବ ଭଜନରେ । ଯାହାର ମନ ନିରନ୍ତରେ ॥ ୯୮
    ସେ ଭକ୍ତପ୍ରାଣୀମାନଙ୍କରେ । କରୁଣା କରନ୍ତି ବେଭାରେ ॥ ୯୯
    ଦେବେ ବୋଲନ୍ତି ସ୍ୱର୍ଗେ ଥାଇ । ଭାରତବର୍ଷେ ଜନ୍ମ ହୋଇ ॥ ୧୦୦
    ଯହିଁ ହରିର ସ୍ମୃତି ଜାତ । ହରି ଚରଣେ ସେବାବନ୍ତ ॥ ୧୦୧

    ଶୁକ ଉବାଚ
    ଜମ୍ବୁଦ୍ୱୀପରେ ନୃପବର । ଯେ ଅଷ୍ଟ ଉପଦ୍ୱୀପ ସାର ॥ ୧୦୨
    ଅଶ୍ୱ ଖୋଜନ୍ତେ ବସୁନ୍ଧରୀ । ସଗରପୁତ୍ରଙ୍କରେ କରି ॥ ୧୦୩
    ଗର୍ତ୍ତ ହୋଇଲା ଚାରିଦିଗ । ଏଣୁ ଏ ଅଷ୍ଟଦ୍ୱୀପ ଭାଗ ॥ ୧୦୪
    ଶୁଣ ହେ ପରୀକ୍ଷ ରାଜନ । ଯେ ଅଷ୍ଟ ଉପଦ୍ୱୀପ ନାମ ॥ ୧୦୫
    ସୁବର୍ଣ୍ଣପ୍ରସ୍ଥ ନାମେ ଏକ । ଚନ୍ଦ୍ରଶୁକ୍ଳ ନାମ ଆରକ ॥ ୧୦୬
    ତୃତୀୟ ନାମ ଆବର୍ତ୍ତନ । ଚତୁର୍ଥ ମନ୍ଦରହରିଣ ॥ ୧୦୭
    ରମଣକ ନାମ ପଞ୍ଚମ । ଷଷ୍ଠର ପାଞ୍ଚଜନ୍ୟ ନାମ ॥ ୧୦୮
    ସିଂହଳ ଲଙ୍କା ନାମ ହୋଇ । ଆବର ଉପଦ୍ୱୀପ ଦୁଇ ॥ ୧୦୯
    ବରଷ-ବିଭାଗ ସମେତେ । ଜମ୍ବୁଦ୍ୱୀପର ଯଥୋଚିତେ ॥ ୧୧୦
    ତୁମ୍ଭ ପ୍ରଶନ ଅନୁସାରେ । ଭୋ ନୃପ କହିଲୁ ତୁମ୍ଭରେ ॥ ୧୧୧
    ଦ୍ୱୀପ ବରଷ ବନ ଗିରି । ସକଳକର୍ତ୍ତା ନରହରି ॥ ୧୧୨
    ସେ ପ୍ରଭୁ ଚରଣାରବିନ୍ଦେ । ମୋ ମନ ରହୁ ଅପ୍ରମାଦେ ॥ ୧୧୩
    କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୧୧୪
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ଜମ୍ବୁଦ୍ୱୀପବର୍ଣ୍ଣ‌ନଂ ନାମ ଊନବିଂଶୋଽଧ୍ୟାୟଃ ॥

    ବିଂଶ ଅଧ୍ୟାୟ

    ଶୁକ ଉବାଚ
    ଏ ଅନନ୍ତରେ ହେ ରାଜନ । ପ୍ଳକ୍ଷ ଆଦି ଯେ ଦ୍ୱୀପମାନ ॥ ୧
    ବରଷ-ଲକ୍ଷଣ ପ୍ରମାଣ । କହିବା ସାବଧାନେ ଶୁଣ ॥ ୨
    ଜମ୍ବୁଦ୍ୱୀପ ଯେତେ ପ୍ରମାଣ । ପ୍ଲକ୍ଷ ଯେ ତହିଁରେ ଦ୍ୱିଗୁଣ ॥ ୩
    ଜମ୍ବୁବୃକ୍ଷେ ଏ ଦ୍ୱୀପ ଖ୍ୟାତ । ପ୍ଲକ୍ଷରେ ସେ ଦ୍ୱୀପ ବିଖ୍ୟାତ ॥ ୪
    ସପତଜିହ୍ୱ ଅଗ୍ନି ତହିଁ । ଅପରେ ଛନ୍ତି ଯେତେ ରହି ॥ ୫
    ପ୍ରିୟବ୍ରତର ସେ ନନ୍ଦନ । ଇଧ୍ମଜିହ୍ୱ ତାହାର ନାମ ॥ ୬
    ସେ ଦ୍ୱୀପ ସମଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ॥ ୭
    ସପତପୁତ୍ରେ ଯେଝାମତେ । ସପ୍ତବରଷ ଯଥୋଚିତେ ॥ ୮
    କଳ୍ପେ ପର୍ଯ୍ୟନ୍ତ ଭୋଗକଲେ । ସ୍ୱଚ୍ଛନ୍ଦେ ଅବନୀ ମଣ୍ତଳେ ॥ ୯
    ବରଷ ନାମ ଶୁଣ ତୁହି । ଶିବ ଯବସ ଶାନ୍ତ ହୋଇ ॥ ୧୦
    ସୁଭଦ୍ର କ୍ଷେମ ଯେ ଅମୃତ । ଅଭୟ ନାମ ଏ ଯେ ସପ୍ତ ॥ ୧୧
    ତହିଁରେ ଛନ୍ତି ଗିରି-ସାତ । ନଦୀହିଁ ସାତ ତହିଁ ଖ୍ୟାତ ॥ ୧୨
    ଏଥେ ଯେତେକ ଗିରିମାନ । ଅଛନ୍ତି ଶୁଣ ହେ ରାଜନ ॥ ୧୩
    ମଣିକୂଟ ଯେ ଇନ୍ଦ୍ରସେନ । ବଜ୍ରକୂଟ ଯେ ଜ୍ୟୋତିଷ୍ମାନ ॥ ୧୪
    ହିରଣ୍ୟଷ୍ଠୀବ ମେଘମାଳ । ସୁପର୍ଣ୍ଣଶୃଙ୍ଗ ସେତୁଶୈଳ ॥ ୧୫
    ସାବିତ୍ରୀ ଆଙ୍ଗିରସୀ ବେନି । ଅରୁଣା ନୃମଣା ତଟିନୀ ॥ ୧୬
    ସୁପ୍ରଭାତା ଯେ ସତ୍ୟମ୍ଭରା । ବିଖ୍ୟାତ ଆର ଋତମ୍ଭରା ॥ ୧୭
    ଏ ମହାନଦୀମାନେ ତହିଁ । ଏଣୁ ଏ ସ୍ଥଳୀ ବିରାଜଇ ॥ ୧୮
    ତହିଁର ଜଳ ସ୍ନାନ ପାନେ । ମାନବ-ପଶୁ-ଜୀବମାନେ ॥ ୧୯
    ସକଳ ପାପ ଦୂର କରି । ସୁଖେଣ ଅଛନ୍ତି ବିହରି ॥ ୨୦
    ଦେବଙ୍କ ଆୟୁଷ ପ୍ରମାଣେ । ଜୀବନ୍ତି ତହିଁ ପ୍ରାଣୀମାନେ ॥ ୨୧
    ଯଜ୍ଞ-ଯୋଗ ନାନା ପ୍ରାକାରେ । ସୂର୍ଯ୍ୟଙ୍କୁ ପୂଜନ୍ତି ସେ ନରେ ॥ ୨୨
    ସ୍ତୁତି କରନ୍ତି ଏ ବଚନେ । ଶୁଣ ରାଜନ ସାବଧାନେ ॥ ୨୩
    ବିଷ୍ଣୁଙ୍କ ସ୍ୱରୂପକୁ ଧରି । ଅଖିଳ ପ୍ରକାଶ ଯେ କରି ॥ ୨୪
    ତୁ ସତ୍ୟବ୍ରହ୍ମ ଯେ ପୁରୁଷ । ସକଳଭୂତେ ତୋର ବାସ ॥ ୨୫
    ତୁ ଯେ ଅଶେଷ ବହୁ ନାମ । ତୋ ପାଦେ ଆମ୍ଭର ପ୍ରଣାମ ॥ ୨୬
    ସେ ପଞ୍ଚଦ୍ୱୀପ ପ୍ଳକ୍ଷ ଆଦି । ଏଥିରେ ଯେତେକ ପ୍ରସିଦ୍ଧି ॥ ୨୭
    ସେ ଦ୍ୱୀପବାସୀଙ୍କ ଆୟୁଷ । ଇନ୍ଦ୍ରିୟ ବଳ ଯେ ସାହସ ॥ ୨୮
    ସ୍ୱଇଚ୍ଛାମତେ ସେ ହୁଅଇ । ଉତପତ୍ତିରୁ ଯେଝାତହିଁ ॥ ୨୯
    ପ୍ଳକ୍ଷଦ୍ୱୀପର ଚାରିପାଶେ । ଇକ୍ଷୁରସ ସିନ୍ଧୁ ପ୍ରକାଶେ ॥ ୩୦
    ଏହାକୁ ଦ୍ୱିଗୁର ବିସ୍ତାର । ଶାଳ୍ମଳଦ୍ୱୀପ ନୃପବର ॥ ୩୧
    ସୁରାସମୁଦ୍ର ବେଢି ତାରେ । ଅଛଇ ବଳୟ ଆକାରେ ॥ ୩୨
    ସେ ଦ୍ୱୀପେ ଯାର ଅଧିକାର । ପ୍ରିୟବ୍ରତର ସେ କୁମର ॥ ୩୩
    ଯଜ୍ଞବାହୁ ତାହାର ନାମ । ସେ ସାଧୁ ବିଷ୍ଣୁ ପରାୟଣ ॥ ୩୪
    ଏ ଦ୍ୱୀପ ସପ୍ତଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ॥ ୩୫
    ବିଭାଗେ ତାର ସପ୍ତସୁତେ । ନେଲେ ସେ ଯେ ଯାହାର ମତେ ॥ ୩୬
    ସେ ସାତକୁମରଙ୍କ ନାମ । ଶୁଣ ରାଜନ ସାବଧାନ ॥ ୩୭
    ପାରିଭଦ୍ର ଯେ ସୁରୋଚନ । ଦେବବର୍ଷ ଯେ ଆପ୍ୟାୟନ ॥ ୩୮
    ରମଣକ ଯେ ଅବିଜ୍ଞାତ । ସୌମନସ୍ୟ ଏ ଭାଇ ସାତ ॥ ୩୯
    ଏହି ବରଷେ ନଦୀ ଗିରି । ଏତେ ଅଛନ୍ତି ଦଣ୍ତଧାରୀ ॥ ୪୦
    ଶତଶୃଙ୍ଗ ଯେ ପୁଷ୍ପବର୍ଷ । ମୁକୁନ୍ଦ କୁନ୍ଦ ଯେ ସ୍ୱରସ ॥ ୪୧
    ସହସ୍ରଶ୍ରୁତିର ସହିତେ । ବାମଦେବ ସପ୍ତପର୍ବତେ ॥ ୪୨
    ପ୍ରଥମ ନଦୀ ଅନୁମତି । ଦ୍ୱିତୀୟ ସିନୀବାଲୀ ଖ୍ୟାତି ॥ ୪୩
    ତୃତୀୟ ସରସ୍ୱତୀ ହୋଇ । କୁହୁ ରଜନୀ ପୁଣ ଦୂଇ ॥ ୪୪
    ଆବର ନନ୍ଦା ରାକା ପୁଣ । ନଦୀଙ୍କ ଏହି ସପ୍ତନାମ ॥ ୪୫
    ବର୍ଷବାସୀ ପୁରୁଷ ନାମ । ଶ୍ରବଣ କର ତୁ ରାଜନ ॥ ୪୬
    ଶ୍ରୁତଧର ଯେ ବୀର୍ଯ୍ୟଧର । ବସୁନ୍ଧର ଯେ ଇଷନ୍ଧର ॥ ୪୭
    ଏ ଯେ ବରଷ ପ୍ରାଣୀମାନେ । ତପ ଆରଧି ଦିନେଦିନେ ॥ ୪୮
    ସେ ରାଜା ଭଗବାନ ସୋମ । ତାହାଙ୍କୁ କରନ୍ତି ବନ୍ଦନ ॥ ୪୯
    ଭୋ ନାଥ ତୋର ସୁଧାରସ । ପିତୃ ଦେବତାଙ୍କ ସନ୍ତୋଷ ॥ ୫୦
    ଆମ୍ଭେ ତୋ ଚରଣେ ଶରଣ । ଅମୃତପଦ ଯେ କାରଣ ॥ ୫୧
    ଔଷଧିନାଥ ନମୋନମ । ନମସ୍ତେ କଳାପୂର୍ଣ୍ଣ ସୋମ ॥ ୫୨
    ଘୃତ-ସମୁଦ୍ର ମଧ୍ୟଦେଶେ । କୁଶଦ୍ୱୀପ ନାମ ପ୍ରକାଶେ ॥ ୫୩
    କ୍ରମେ ସେ ସିନ୍ଧୁଦ୍ୱୀପ ମାନ । ପୂର୍ବକୁ ଅପରେ ଦ୍ୱିଗୁଣ ॥ ୫୪
    ପ୍ରିୟବ୍ରତର ସେ ନନ୍ଦନ । ହିରଣ୍ୟରେତା ତାର ନାମ ॥ ୫୫
    କୁଶଦ୍ୱୀପରେ ସେ ରାଜନ । ତାହାର ସପତ ନନ୍ଦନ ॥ ୫୬
    ସେ ଦ୍ୱୀପ କ୍ରମେ ଭାଗକରି । ପୁତ୍ରଙ୍କୁ ଦେଲେ ଦଣ୍ତଧାରୀ ॥ ୫୭
    ସପତ ବରଷକୁ କଲା । ଯେ ଯାହାମତେ ତାଙ୍କୁ ଦେଲା ॥ ୫୮
    ସକଳ ସମ୍ପଦ ଛାଡିଲା । ଆପଣେ ତପ ଆଶ୍ରେ କଲା ॥ ୫୯
    ବସୁଦାନ ଯେ ସ୍ତୁତ୍ୟବ୍ରତ । ଦୃଢ଼ରୁଚି ଯେ ନାଭିଗୁପ୍ତ ॥ ୬୦
    ବସୁ ବିବିକ୍ତ ନାମ ଆଉ । ବାମଦେବ ଯେ ପୁତ୍ରେ ଏହୁ ॥ ୬୧
    ନଦୀ ପର୍ବତ ସୀମା କରି । ବେଭାରେ ଦେଲା ଦଣ୍ତଧାରୀ ॥ ୬୨
    ଗିରିଙ୍କ ନାମ ମହୀପାଳ । ଚକ୍ର ଚତୁଃଶୃଙ୍ଗ କପିଳ ॥ ୬୩
    ଚିତ୍ରକୂଟ ଯେ ଉର୍ଦ୍ଧ୍ୱରୋମ । ଦେବାନୀକ ଗିରି ଦ୍ରବିଣ ॥ ୬୪
    ରସକୁଲ୍ୟା ଯେ ମିତ୍ରବୃନ୍ଦା । ମଧୁକୁଲ୍ୟା ଯେ ଶ୍ରୁତବିନ୍ଦା ॥ ୬୫
    ଦେବଗର୍ଭା ଯେ ଘୃତଚ୍ୟୁତା । ମନ୍ତ୍ରମାଳା ଗିରି ଦୁହିତା ॥ ୬୬
    ଏ ସପ୍ତନଦୀ ଜଳପାନେ । ସୁଖେ ବଞ୍ଚନ୍ତି ତହିଁ ଜନେ ॥ ୬୭
    ଅଗ୍ନିଦେବତାଙ୍କୁ ଯେ ସ୍ମରି । ଅଛନ୍ତି ଏକମନ କରି ॥ ୬୮
    ପରମବ୍ରହ୍ମର ମୂରତି । ତୋ ରୂପ ଯୋଗୀଜନେଚିନ୍ତି ॥ ୬୯
    ସଂସାରେ ଯେତେ ସାଧୁଜନ । ଯଜ୍ଞେ କରନ୍ତି ତୋ ଅର୍ଚ୍ଚନ ॥ ୭୦
    ଏମନ୍ତେ ନାନାସ୍ତୁତି ମତେ । ଅଗ୍ନି ପୂଜନ୍ତି ଯଥୋଚିତେ ॥ ୭୧
    କ୍ଷୀରସିନ୍ଧୁ ମଧ୍ୟ ଭାଗରେ । ଦ୍ୱୀପ ଯେ କ୍ରୋଞ୍ଚ ନାମ ଧରେ ॥ ୭୨
    କ୍ରୌଞ୍ଚନାମେ ଯେ ଗିରିବର । ତା ନାମେ ନାମ ସେ ଦ୍ୱୀପର ॥ ୭୩
    ପ୍ରିୟବ୍ରତର ପୁତ୍ର ହୋଇ । ଘୃତପୃଷ୍ଠ ନାମ ବହଇ ॥ ୭୪
    ସେ ଦ୍ୱୀପେ ରାଜତ୍ୱ ତାହାର । ସପତ ତାହାଙ୍କ କୁମର ॥ ୭୫
    ସପ୍ତବରଷ ପୁତ୍ରେ ଦେଇ । ନିଶ୍ଚଳେ କୃଷ୍ଣଙ୍କୁ ଭଜଇ ॥ ୭୬
    ମଧୁରୁହ ଯେ ମେଘପୃଷ୍ଠ । ସୁଧାମା ଆମ ଯେ ଭ୍ରାଜିଷ୍ଟ ॥ ୭୭
    ଲୋହିତାର୍ଣ୍ଣ ଯେ ବନସ୍ଫତି । ଏ ସପ୍ତ ନାମେ ବର୍ଷ ଖ୍ୟାତି ॥ ୭୮
    ଶୁକ୍ଳ ବର୍ଦ୍ଧମାନ ଭୋଜନ । ଉପବର୍ହଣ ନାମେ ଆନ ॥ ୭୯
    ନନ୍ଦ ନନ୍ଦନ ବେନି ଖ୍ୟାତ । ସର୍ବତୋଭଦ୍ର ମିଶି ସାତ ॥ ୮୦
    ଅଭୟା ଶୁକ୍ଳା ତୀର୍ଥବତୀ । ଅମୃତୌଘା ଯେ ରୂପବତୀ ॥ ୮୧
    ଆର୍ଯ୍ୟକା ଯେ ପବିତ୍ରବତୀ । ଏ ସପ୍ତନଦୀ ନାମ ଖ୍ୟାତି ॥ ୮୨
    ଏସବୁ ନଦୀଙ୍କର ଜଳ । ଅତୀବ ପବିତ୍ର ନିର୍ମଳ ॥ ୮୩
    ସେ ଜଳ କରି ନିତ୍ୟେ ପାନ । କ୍ରୌଞ୍ଚଦ୍ୱୀପେ ସେ ଯେତେ ଜନ ॥ ୮୪
    ପୁରୁଷ ଋଷଭ ଦ୍ରବିଣ । ଦେବକ ନାମରେ ସେ ପୁଣ ॥ ୮୫
    ଯାହାର ଜଳ ପାନ କରି । ଦେବଦେହକୁ ପ୍ରାଣୀ ଧରି ॥ ୮୬
    ପୂଜନ୍ତି ବରୁଣକୁ ଯାର । ସଲିଳମୟ କଳେବର ॥ ୮୭
    ହେ ଆପମୟ ତୁ ଈଶ୍ୱର । ଭୁବନ ପବିତ୍ର ତୁ କର ॥ ୮୮
    ତୁମ୍ଭର ପାଦରେ ବନ୍ଦନ । ଆମ୍ଭରେ ତେଣୁ କରି ମନ ॥ ୮୯
    ତୁମ୍ଭର ଆପରେ ବହନ । ଆମ୍ଭର ପୂତ କର ମନ ॥ ୯୦
    ଆମ୍ଭଙ୍କୁ ଅନୁକମ୍ପା କର । ବାହ୍ୟାଭ୍ୟନ୍ତର ପାପ ହର ॥ ୯୧
    ଏ ଅନନ୍ତରେ ପରୀକ୍ଷିତ । ଶାକଦ୍ୱୀପର ଯେ ତଦନ୍ତ ॥ ୯୨
    ବତିଶଲକ୍ଷ ଯେ ଯୋଜନ । ଶାକଦ୍ୱୀପର ପରିମାଣ ॥ ୯୩
    ଦଧିସମୁଦ୍ର ବେଢି ତାରେ । ଅଛି ଯେ ବଳୟ ପ୍ରକାରେ ॥ ୯୪
    ତହିଁରେ ଶାକ-ତରୁବର । ସୁଗନ୍ଧ କରଇ ବିସ୍ତାର ॥ ୯୫
    ପ୍ରିୟବ୍ରତର ସେ କୁମର । ମେଧାତିଥି ନାମ ଯାହାର ॥ ୯୬
    ରାଜତ୍ୱପଣ କରି ତହିଁ । ଶାକଦ୍ୱୀପକୁ ସେ ପାଳଇ ॥ ୯୭
    ଦ୍ୱୀପକୁ ସାତଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ॥ ୯୮
    ତାହାଙ୍କ ପୁତ୍ରଙ୍କର ନାମ । କହିବା ଶୁଣ ହେ ରାଜନ ॥ ୯୯
    ପବମାନ ଯେ ମନୋଜବ । ଧୂମ୍ରାନୀକ ଯେ ପୁରୋଜବ ॥ ୧୦୦
    ଚିତ୍ରରେଫ ଯେ ବହୁରୂପ । ବିଶ୍ୱାଧାର ଏ ସାତନୃପ ॥ ୧୦୧
    ସପ୍ତବରଷ ଯେଝାମତେ । ଦେଇ ଏ ପୁତ୍ରେ ଯଥୋଚିତେ ॥ ୧୦୨
    ପ୍ରଭୁପାଦରେ ଚିତ୍ତ ଦେଲା । ତପୋବନରେ ସେ ରହିଲା ॥ ୧୦୩
    ସେ ଦ୍ୱୀପ ପର୍ବତଙ୍କ ନାମ । କହିବା ଶୁଣ ହେ ରାଜନ ॥ ୧୦୪
    ସହସ୍ରସ୍ରୋତ ଦେବପାଳ । ମହାନସ ଶତକେସର ॥ ୧୦୫
    ଗିରି ବଳଭଦ୍ର ଈଶାନ । ଉରୁଶୃଙ୍ଗ ଯେ ସାତନାମ ॥ ୧୦୬
    ଅପରାଜିତା ନିଜଧୃତି । ଆୟୁର୍ଦା ଯେ ସହସ୍ରଶୂତି ॥ ୧୦୭
    ଉଭୟସୃଷ୍ଟି ପଞ୍ଚପଦୀ । ଅଗଘା ଆଦି ସପ୍ତନଦୀ ॥ ୧୦୮
    ସେ ବରଷର ଯେ ପୁରୁଷ । ଋତବ୍ରତ ଆଦି ବିଶେଷ ॥ ୧୦୯
    ପବନରୂପୀ ଭଗବାନ । ତାହାଙ୍କୁ କରନ୍ତି ସେବନ ॥ ୧୧୦
    ପରମଯୋଗ-ସମାଧିରେ । ସ୍ତୁତି କରନ୍ତି ସେ ପ୍ରଭୁରେ ॥ ୧୧୧
    ଭୋ ଦେବ ପବନ ଆକାର । ତୋତେ ଆମ୍ଭର ନମସ୍କାର ॥ ୧୧୨
    ପ୍ରାଣୀଙ୍କ ଅନ୍ତର ବାହାରେ । ତୁ ନାଥ ଥାଉ ନିରନ୍ତରେ ॥ ୧୧୩
    ଦଧିସିନ୍ଧୁ ପରେ ରାଜନ । ପୁଷ୍କରଦ୍ୱୀପ ଯେ ଦ୍ୱିଗୁଣ ॥ ୧୧୪
    ସ୍ୱାଦୁଜଳସିନ୍ଧୁ ତାହାରେ । ବେଢିଛି ବଳୟ ଆକାରେ ॥ ୧୧୫
    ତହିଁ କମଳ ବିରାଜିତ । ସୁବର୍ଣ୍ଣମୟ ଲକ୍ଷପତ୍ର ॥ ୧୧୬
    ସେହି କମଳେ ଭଗବାନ । ବସନ୍ତି ଯେ କମଳାସନ ॥ ୧୧୭
    ଯାହାର ନାମ ଦ୍ୱୀପବର । ଲୋକପ୍ରସିଦ୍ଧ ଯେ ପୁଷ୍କର ॥ ୧୧୮
    ଏ ଦ୍ୱୀପମଧ୍ୟେ ନୃପବର । ପର୍ବତ ମାନସଉତ‌ତ୍ତର ॥ ୧୧୯
    ବିସ୍ତାର ଅୟୁତଯୋଜନ । ଚାରିଦିଗରେ ହେ ରାଜନ ॥ ୧୨୦
    ଇନ୍ଦ୍ରାଦି ଲୋକପାଳଙ୍କର । ଅଛଇ ଏଥି ଚାରିପୁର ॥ ୧୨୧
    ମେରୁ ଭ୍ରମନ୍ତେ ଦିନକର । ଉପରେ ଭ୍ରମେ ଚକ୍ର ତାର ॥ ୧୨୨
    ଏ ଦ୍ୱୀପପତି ବୀତିହୋତ୍ର । ପ୍ରିୟବ୍ରତଙ୍କର ଏ ପୁତ୍ର ॥ ୧୨୩
    ଧାତକି ରମଣକ ଦୁଇ । ବୀତିହୋତ୍ରର ପୁତ୍ର ହୋଇ ॥ ୧୨୪
    ଏ ଦ୍ୱୀପେ ତାଙ୍କ ଅଧିକାର । ଶୁଣ ପରୀକ୍ଷ ନୃପବର ॥ ୧୨୫
    ସେ ସ୍ଥଳଲୋକଙ୍କ ସହିତେ । ଏହି ସ୍ତୁତିରେ ଯଥୋଚିତେ ॥ ୧୨୬
    ଯେ ବ୍ରହ୍ମରୂପୀ ଭଗବାନ । ତାହାଙ୍କୁ କରନ୍ତି ଭଜନ ॥ ୧୨୭
    ବର୍ଷଦ୍ୱୟର ବାସୀଗର । ଭଜନ୍ତି ନିତ୍ୟେ ପଦ୍ମାସନ ॥ ୧୨୮
    ଯାହାଙ୍କ ଚରଣାରବିନ୍ଦ । ନିତ୍ୟେ ବାଞ୍ଛନ୍ତି ମୁନିବୃନ୍ଦ ॥ ୧୨୯
    ଭକ୍ତିଯୋଗରେ ସାଧୁଗଣ । ପୂଜନ୍ତି ଯାହାଙ୍କ ଚରଣ ॥ ୧୩୦
    ସେ ବ୍ରହ୍ମ ବିଶ୍ୱରୂପ ହୋଇ । ଅଖିଳ-ସୃଷ୍ଟିକି ଭିଆଇ ॥ ୧୩୧
    ଏ ବ୍ରହ୍ମରୂପୀ ଯେ ଠାକୁର । ନମଇଁ ତାହାଙ୍କ ପୟର ॥ ୧୩୨
    ଏହାର ପରେ ପରୀକ୍ଷିତ । ଲୋକାଲୋକ ନାମେ ପର୍ବତ ॥ ୧୩୩
    ତାହାର ମଧ୍ୟେ ଯେଉଁ ସ୍ଥଳ । ପାଞ୍ଚନଭୂମି ମହୀପାଳ ॥ ୧୩୪
    ମେରୁ-ମାନସ ମଧ୍ୟ ଦେଶେ । କାଞ୍ଚନଭୂମି ଯେ ପ୍ରକାଶେ ॥ ୧୩୫
    ଯେଣୁ ଏହାର ଅନନ୍ତରେ । ଗତାଗତ ନାହିଁ ଅପରେ ॥ ୧୩୬
    ଏଣୁ ଏ ଲୋକାଲୋକ ନାମ । ଏ ସର୍ବ ଈଶ୍ୱରଭିଆଣ ॥ ୧୩୭
    ଏହୁ ଯେ ଭୂଗୋଳ ରାଜନ । ପଞ୍ଚାଶକୋଟି ଯେ ବିସ୍ତୀର୍ଣ୍ଣ ॥ ୧୩୮
    ପୃଥ୍ୱୀର ଚାରିଭାଗ ସମ । ଏ ଲୋକାଲୋକ ଗିରି ନାମ ॥ ୧୩୯
    ଅଖିଳ ଜଗତର ଗୁରୁ । ଯେ ଆତ୍ମଯୋନି ମହାମେରୁ ॥ ୧୪୦
    ଅଖିଳ ଲୋକଙ୍କର ହିତେ । ଏହା ଉପରେ ଯଥୋଚିତେ ॥ ୧୪୧
    ଦିଗ୍ଗଜପତିଏ ଚତ୍ୱାରେ । ରଖିଲେ କ୍ରମେ ସେ ବେଭାରେ ॥ ୧୪୨
    ଏ ଚାରି ଗଜପତି ନାମ । ଭୋ ନୃପ ଶୁଣ ତୁ ଆପଣ ॥ ୧୪୩
    ଋଷଭ ନାମ ଯେ ଏକର । ପୁଷ୍କରଚୂଡ ଯେ ଅପର ॥ ୧୪୪
    ଅପରାଜିତ ଯେ ବାମନ । ଶେଷ ଦୁଇର ଏହି ନାମ ॥ ୧୪୫
    ଏହାଙ୍କ ବଳ ନିମନ୍ତରେ । ଅଖିଳ-ବ୍ରହ୍ମାଣ୍ତ-ଠାକୁରେ ॥ ୧୪୬
    ସେନାଦିପାରିଷଦବରେ । ନାନା ଆୟୁଧ ଧରି କରେ ॥ ୧୪୭
    ସେ ହସ୍ତୀ ରକ୍ଷଣର ପାଇଁ । ରଖିଲେ ପ୍ରଭୁ ଭାବଗ୍ରାହୀ ॥ ୧୪୮
    ନାନା ଅଳଙ୍କାରକୁ ଦେଇ । ବିଚିତ୍ରବେଶକୁ କରାଇ ॥ ୧୪୯
    ଆପଣେ ଗଦା ଧରି କରେ । ବୁଲନ୍ତି ଲୋକାଲୋକ ପରେ ॥ ୧୫୦
    ବରଷ ଦ୍ୱୀପ ନଦୀ ଗିରି । ତୁମ୍ଭରେ କହିଲୁ ବିସ୍ତାରି ॥ ୧୫୧
    ଲୋକାଲୋକଗିରି ଅନ୍ତରେ । ଈଶ୍ୱରସୃଷ୍ଟି ଅଗୋଚରେ ॥ ୧୫୨
    ଅଣ୍ତ ମଧ୍ୟରେ ରବି ସ୍ଥିତି । ଭୂମି ସ୍ୱର୍ଗର ମଧ୍ୟବର୍ତ୍ତୀ ॥ ୧୫୩
    ସୂର୍ଯ୍ୟ ଭୂମିର ଯେ ଅନ୍ତର । କହନ୍ତି ମଧ୍ୟ ବ୍ରହ୍ମାଣ୍ତର ॥ ୧୫୪
    ସୂର୍ଯ୍ୟଅଣ୍ତ ମଧ୍ୟରେ ମଧ୍ୟ । ପଞ୍ଚାଶକୋଟି ଯେ ପ୍ରସିଦ୍ଧ ॥ ୧୫୫
    ବୈରାଜରୂପେ ଗ୍ରହେଶ୍ୱର । ପ୍ରବିଷ୍ଟ ମୃତାଣ୍ତ ମଧ୍ୟର ॥ ୧୫୬
    ମୃତଅଣ୍ତରେ ଉଦେ ହୋନ୍ତି । ମାର୍ତ୍ତଣ୍ତ ନାମକୁ ବହନ୍ତି ॥ ୧୫୭
    ହିରଣ୍ୟ ଅଣ୍ତୁ ଯେ ସମ୍ଭବ । ତେଣୁ ନାମ ହିରଣ୍ୟଗର୍ଭ ॥ ୧୫୮
    ଦିଶ ଆକାଶ ସୂର୍ଯ୍ୟ କରି । ବିଭାଗ ହୋଇ ଦଣ୍ତଧାରୀ ॥ ୧୫୯
    ଦେବତୀର୍ଯ୍ୟକ ନର ଆଦି । ସରୀସୃପ ବୃକ୍ଷ ପ୍ରସିଦ୍ଧି ॥ ୧୬୦
    ଆତ୍ମାର ଚକ୍ଷୁରୂପ ସେହି । ସେ ସୂର୍ଯ୍ୟ ଅଖିଳ ଗୋସାଇଁ ॥ ୧୬୧
    ତା ଶକ୍ତି ଜଗତେ ପ୍ରକାଶ । ଜଗତ ତମ କରେ ନାଶ ॥ ୧୬୨
    ବିଷ୍ଣୁର ରୂପ ସେ ସାକ୍ଷତ । କହଇ ବିପ୍ର ଜଗନ୍ନାଥ ॥ ୧୬୩
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
    ସଂହିତାୟାଂ ପଞ୍ଚମସ୍କନ୍ଧେ ଭୁବନକୋଷବର୍ଣ୍ଣନେ
    ବିଂଶୋଽଧ୍ୟାୟଃ ॥

    ଏକବିଂଶ ଅଧ୍ୟାୟ

    ଶୁକ ଉବାଚ
    ଭୁବନକୋଷ ପରିମାଣ । କହିଲୁ ଯେତେକ ଲକ୍ଷଣ ॥ ୧
    ଏମନ୍ତ ଦିବିମଣ୍ତଳର । ଲକ୍ଷଣ ଶୁଣ ନୃପବର ॥ ୨
    ଚଣକ ବେନିଫାଳ ଯେହ୍ନେ । ଏକକୁ ଆରେକ ସମାନେ ॥ ୩
    ତେସନ ଧରା ପରିମାଣ । ଦିବିମଣ୍ତଳ ଯେ ସମାନ ॥ ୪
    ଏ ବେନି ମଧ୍ୟେ ଯେ ଆକାଶ । ସଂଲଗ୍ନ ତା ଉଭୟ ପାର୍ଶ୍ୱ ॥ ୫
    ଏ ମଧ୍ୟଅନ୍ତରୀକ୍ଷେ ରହି । ସୂର୍ଯ୍ୟ ତ୍ରିଲୋକକୁ ତାପଇ ॥ ୬
    ଅୟନ ବେନିଭାଗ ହୋଇ । ଉତ୍ତର-ଦକ୍ଷିଣେ ଭ୍ରମଇଁ ॥ ୭
    ମନ୍ଦ କ୍ଷିପ୍ର ବା ବେଗସମ । ଦିନ ରାତି ବେନି ରାଜନ ॥ ୮
    ମକରଠାରୁ ରାଶି ଯେତେ । ଦୀର୍ଘ-ହ୍ରସ୍ୱ ଜାଣ ଯୁଗତେ ॥ ୯
    ବିଷୁବେ ସମାନକୁ ପାଇ । ପୁଣି ଦୀର୍ଘ-ହ୍ରସ୍ୱେ ବଢଇ ॥ ୧୦
    ତୁଳା ମେଷ ବିଷୁବ ପାଇ । ଅହୋରାତ୍ର ସମାନ ହୋଇ ॥ ୧୧
    ଏସବୁ ଯେ ପରିବର୍ତ୍ତନ । ସୁଧୀ କରନ୍ତି ପରିମାଣ ॥ ୧୨
    ନ'କୋଟି ଏକାବନଲକ୍ଷ । ଯୋଜନ ପ୍ରମା ପ୍ରତ୍ୟକ୍ଷ ॥ ୧୩
    ମାନସୋତ୍ତରଗିରି ତହିଁ । ଇନ୍ଦ୍ରର ପୁର ବିରାଜଇ ॥ ୧୪
    ପୂର୍ବଭାଗରେ ସେ ମେରୁର । ଦେବଧାନୀ ନାମ ତାହାର ॥ ୧୫
    ଯମର ପୁର ତା ଦକ୍ଷିଣେ । ବିରାଜେ ସଂଯମନୀ ନାମେ ॥ ୧୬
    ପଶ୍ଚିମେ ପୁର ବରୁଣର । ନିମ୍ନୋଚନୀ ନାମ ତାହାର ॥ ୧୭
    ଉତ୍ତରଭାଗେ ଚନ୍ଦ୍ରପୁରୀ । ନାମ ତାହାର ବିଭାବରୀ ॥ ୧୮
    ତହିଁ ଉଦୟ ମଧ୍ୟ ଅସ୍ତ । ନିଶୀଥକାଳ ଯେ ବିଦିତ ॥ ୧୯
    ସୁମେରୁ ଚତ୍ୱାରଦିଗରେ । ପ୍ରାଣୀ ପ୍ରବୃତ୍ତି-ନିବୃତ୍ତିରେ ॥ ୨୦
    ଅହର୍ନିଶି ଭାବରେ ରହି । ପ୍ରାଣୀଙ୍କ ସମୟ ହୁଅଇ ॥ ୨୧
    ବାମାବର୍ତ୍ତନ କରି ତହିଁ । ନିତ୍ୟେ ଆଦିତ୍ୟ ସେ ଭ୍ରମଇଁ ॥ ୨୨
    ଉଦୟ କାଳେ ଯେ ଲକ୍ଷଣ । ଅସ୍ତକାଳରେ ସେହି ପୁଣ ॥ ୨୩
    ଦ୍ୱିକୋଟିଦ୍ୱାଦଶଯୋଜନ । ଲକ୍ଷରେ କରି ପରିମାଣ ॥ ୨୪
    ପଞ୍ଚଦଶଘଟିକା ବେଳେ । ଇନ୍ଦ୍ରର ପୁରୁ ଅବହେଳେ ॥ ୨୫
    ଯମର ପୁରରେ ପ୍ରବେଶ । ସେଠାରେ କରନ୍ତି ପ୍ରକାଶ ॥ ୨୬
    ଏଥୁଁ ବରୁଣଆଦି ଯେତେ । ଆଦିତ୍ୟ ଭ୍ରମନ୍ତି ସେ ନିତ୍ୟେ ॥ ୨୭
    ଚନ୍ଦ୍ରାଦି ଯେତେ ଗ୍ରହମାନ । ଏହି କ୍ରମରେ ସେ ଭ୍ରମଣ ॥ ୨୮
    ଜ୍ୟୋତିଷଚକ୍ର ଏ ପ୍ରକାରେ । ଭ୍ରମଇଁ ଚତ୍ୱାର-ଦିଗରେ ॥ ୨୯
    ଆଦିତ୍ୟ ରଥର ଗମନ । ମୁହୂର୍ତ୍ତକରେ ହେ ରାଜନ ॥ ୩୦
    ଚଉତ୍ରିଂଶଲକ୍ଷ ଯୋଜନ । ଅଷ୍ଟଶତଅଧିକ ପୁଣ ॥ ୩୧
    ଇନ୍ଦ୍ରାଦି ସର୍ବଦେବ ପୁରେ । ଏ କ୍ରମେ ଭ୍ରମନ୍ତି ନିଶ୍ଚଳେ ॥ ୩୨
    ଶତେକ ପାଖୁଡା ପଦ୍ମର । ସୂଚି ମାରନ୍ତେ ନୃପବର ॥ ୩୩
    ସେ ଯେହ୍ନେ ତ‌ତ୍କାଳେ ଗଳଇ । ତେସନେ ଶୀଘ୍ର ସେ ଚଳଇ ॥ ୩୪
    ଦ୍ୱାଦଶ ଅର ନାମ ତାର । ସେ ରଥେ ଏକ ଚକ୍ରବର ॥ ୩୫
    ସୁମେରୁ-ମସ୍ତକ ଉପରେ । କ୍ରମେ ସେ ମାନସଉତ୍ତରେ ॥ ୩୬
    ତୈଳଯନ୍ତ୍ରର ପ୍ରାୟ ହୋଇ । ରବିର ରଥ ସେ ଭ୍ରମଇଁ ॥ ୩୭
    ରଥର ଗର୍ଭ ପରିମାଣ । ଷଡ଼ତ୍ରିଂଶ ଲକ୍ଷ ଯୋଜନ ॥ ୩୮
    ଚତୁର୍ଥଭାଗ ଉଚ୍ଚ ହୋଇ । ଯୁଗ ସେ ବିସ୍ତାରେ ଅଟଇ ॥ ୩୯
    ସପତଛନ୍ଦ ଅଶ୍ୱ ହୋନ୍ତି । ଆଦିତ୍ୟଦେବଙ୍କୁ ବହନ୍ତି ॥ ୪୦
    ଅରୁଣ ସାରଥି ତହିଁରେ । ତପତଅଶ୍ୱ ଯେଝାଠାରେ ॥ ୪୧
    ଅଙ୍ଗୁଷ୍ଠ-ପବମାତ୍ର ହୋଇ । ଷାଠିସହସ୍ର ମୁନି ତହିଁ ॥ ୪୨
    ବିବିତ ସେ ବାଳଖିଲ୍ୟାରେ । ରବିରଥ ଅଗ୍ରଭାଗରେ ॥ ୪୩
    ମୁନିଏ ସର୍ବେ ନାନାମତେ । ସ୍ତୁତି କରନ୍ତି ଯଥୋଚିତେ ॥ ୪୪
    ଅନ୍ୟ ଯେ ନାନା ଋଷିଗଣ । ଗନ୍ଧର୍ବ ସିଦ୍ଧ ଯେ ଚାରଣ ॥ ୪୫
    ସକଳ ଯକ୍ଷଙ୍କର ବର । ଅପ୍‌ସରାଗଣେ ଯେଝାଠାର ॥ ୪୬
    ଯେ ଯାତୁଧାନ ନାଗମାନ । ସଙ୍ଗତେ ଘେନି ଯେଝାଗଣ ॥ ୪୭
    ଅପ୍‌ସରାଗଣ ନୃତ୍ୟଗୀତେ । ଏମନ୍ତେ ଯେ ଯାହାର ମତେ ॥ ୪୮
    ସେ ସୂର୍ଯ୍ୟରୂପୀ ଭଗବାନ । ଅଖିଳ-ଆତ୍ମାର କାରଣ ॥ ୪୯
    ତାହାଙ୍କ ଚରଣାରବିନ୍ଦେ । ନମନ୍ତି ପରମ ଆନନ୍ଦେ ॥ ୫୦
    ଯେ ଯାହା କର୍ମ ଅନୁମତେ । ସେବନ୍ତି ତାଙ୍କ ପାଦଗତେ ॥ ୫୧
    ନବକୋଟିଲକ୍ଷ ଯୋଜନ । ଅଧିକ ଲକ୍ଷ ଏକାବନ ॥ ୫୨
    କ୍ଷଣମାତ୍ରକେ ଭଗବାନ । ବେନିସହସ୍ର ଯେ ଯୋଜନ ॥ ୫୩
    ଏମନ୍ତ କୋଷ ଯେ ଭୁବନ । ସେ ସୂର୍ଯ୍ୟ କରନ୍ତି ଭ୍ରମଣ ॥ ୫୪
    ଅଖିଳ ଅନାଦି କାରଣ । ସେ ସୂର୍ଯ୍ୟରୂପକୁ ଧରିଣ ॥ ୫୫
    ଭ୍ରମନ୍ତି ପ୍ରାଣୀଙ୍କର ହିତେ । ତାହାଙ୍କ ପାଦପଦ୍ମଗତେ ॥ ୫୬
    ମୁଁ ଯେ ପାମର ମୂଢଚିତ୍ତ । ତହିଁରେ ରହୁ ଅବିରତ ॥ ୫୭
    ଅଚିନ୍ତ୍ୟ ତାହାଙ୍କ ଚରିତ । କହଇ ଦାସ ଜଗନ୍ନାଥ ॥ ୫୮
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
    ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରସୂର୍ଯ୍ୟରଥମଣ୍ତଳବର୍ଣ୍ଣ‌ନଂ
    ନାମ ଏକବିଂଶୋଽଧ୍ୟାୟଃ ॥

    ଦ୍ୱାବିଂଶ ଅଧ୍ୟାୟ

    ପରୀକ୍ଷିତ ଉବାଚ
    ଭୋ ମୁନି ଏଥିର ତଦନ୍ତ । ଶୁଣିଳେ ଯିବଇଁ ପ୍ରତୀତ ॥ ୧
    ଆଦିତ୍ୟଦେବ ଯଥୋଚିତେ । ମେରୁ ପ୍ରଦକ୍ଷିଣ କରନ୍ତେ ॥ ୨
    ଦ୍ୱାଦଶରାଶିଙ୍କ ସମ୍ମୁଖେ । ଭୋଗ ସେ କରନ୍ତି ପ୍ରତ୍ୟକ୍ଷେ ॥ ୩
    ଆଦିତ୍ୟଗତି ବ୍ୟଗ୍ରତର । ତହିଁରେ କେମନ୍ତେ ସଞ୍ଚାର ॥ ୪
    ଏଣେ ତ ମୋହର ସନ୍ଦେହ । ଭୋ ମୁନି ତଦନ୍ତ ତୁ କହ ॥ ୫

    ଶୁକ ଉବାଚ
    ଯେ କାଳରୂପୀ ଭଗବାନ । ଲୋକଙ୍କ ମଙ୍ଗଳ କାରଣ ॥ ୬
    ବେଦମୟବପୁ ଆପଣ । ଦ୍ୱାଦଶ ଭାବେ କରିଭିନ୍ନ ॥ ୭
    ସୂର୍ଯ୍ୟଙ୍କ ରୂପକୁ ଯେ ଧରି । ଅଛନ୍ତି ଅନ୍ତରୀକ୍ଷ ପୂରୀ ॥ ୮
    ତାଙ୍କ ପ୍ରଭାବେ ଋତୁମାନ । କରନ୍ତି ଶୀତାଦି ବିଧାନ ॥ ୯
    ପ୍ରଭୁଙ୍କ ଏମନ୍ତ ବିଧାନ । ଚିନ୍ତନ୍ତି ବେଦବିଦମାନ ॥ ୧୦
    ବିର୍ଣ୍ଣାଶ୍ରମାଚାରୀ ଉକତ । ହୁଅନ୍ତି ଇନ୍ଦ୍ରାଦି ଭକତ ॥ ୧୧
    ତାହାଙ୍କ ମତେ ଭଗବାନ । ଇନ୍ଦ୍ରାଦି ରୂପେ ଅବତୀର୍ଣ୍ଣ ॥ ୧୨
    ଲୋକଙ୍କ ଆତ୍ମା ଏ ଆଦିତ୍ୟ । ଆକାଶ ମଣ୍ତଳେ ବିଦିତ ॥ ୧୩
    ସ୍ୱର୍ଗ ପୃଥିବୀ ମଧ୍ୟେ ରହି । ନିରତେ ଆକାଶେ ଭ୍ରମଇଁ ॥ ୧୪
    କୁରାଳଚକ୍ର ପ୍ରାୟେ ହୋଇ । ଆଦିତ୍ୟ ରଥ ଯେ ଭ୍ରମଇଁ ॥ ୧୫
    ରାଶି ନକ୍ଷତ୍ର ଆଦି ଯେତେ । ତହିଁରେ ଭ୍ରମନ୍ତି ସମସ୍ତେ ॥ ୧୬
    କୁରାଳଚକ୍ରର ସହିତେ । ପିପିଲିକାଦି ଜନ୍ତୁମତେ ॥ ୧୭
    ସେ କାଳଚକ୍ର ଏକ ଦେଶେ । ଭ୍ରମନ୍ତି ଯେ ଯାହା ପ୍ରକାଶେ ॥ ୧୮
    ଧ୍ରୁବ ସୁମେରୁ ପ୍ରଦକ୍ଷିଣ । କରି ଭ୍ରମନ୍ତି ଅନୁକ୍ଷଣ ॥ ୧୯
    ଆଦି ପୁରୁଷ ଭଗବାନ । ଧରଣୀ କଲେ ଉଦ୍ଧାରଣ ॥ ୨୦
    ତ୍ରୟୀମୟ ଯେ ତାଙ୍କ ମୂର୍ତ୍ତି । କର୍ମ-ବିଶୁଦ୍ଧିରେ ତା ଚିନ୍ତି ॥ ୨୧
    ସେ ମୂର୍ତ୍ତି ଦ୍ୱାଦଶ ପ୍ରକାର । କରିଣ ବ୍ରହ୍ମାଣ୍ତଠାକୁର ॥ ୨୨
    ଷଡ଼ଋତୁ ବସନ୍ତ ଆଦି । ଏ ଥିରେ ଯେତେକ ପ୍ରସିଦ୍ଧି ॥ ୨୩
    ଯେ ଋତୁକାଳେ ଯେ ହୁଅନ୍ତି । ଆପଣେ ବିଧାନ କରନ୍ତି ॥ ୨୪
    ଆଶ୍ରମମତେ ନାନାପଥେ । ନାନାକର୍ମରେ ଯଥୋଚିତେ ॥ ୨୫
    ମହାପୁରୁଷ ମହାଜନେ । ନାନାଯୋଗରେ ଶ୍ରଦ୍ଧାମନେ ॥ ୨୬
    ଯେ ତାଙ୍କ ଚରଣେ ସେବନ୍ତି । ସକଳ ପାପୁ ସେ ତରନ୍ତି ॥ ୨୭
    ପରମ କଲ୍ୟାଣ ଲଭନ୍ତି । ଅନ୍ତେ ପରମଗତି ପାନ୍ତି ॥ ୨୮
    ଏମନ୍ତେ ଶୁଣ ନୃପବର । ସେ ସୂର୍ଯ୍ୟଆତ୍ମା ପ୍ରାଣୀଙ୍କର ॥ ୨୯
    ପୃଥିବୀ ଆକାଶ ମଧ୍ୟରେ । କାଳଚକ୍ରରେ ଏ ଶୂନ୍ୟରେ ॥ ୩୦
    ଦ୍ୱାଦଶମାସକୁ ଭଜନ୍ତି । ସମ୍ବତ୍ସର ନାମ ବହନ୍ତି ॥ ୩୧
    ମାସକେ ବେନିପକ୍ଷ କରି । ଭୁଞ୍ଜନ୍ତି ଅହୋରାତ୍ର କରି ॥ ୩୨
    ସେ ବେନି ମାସେ ଏକ ଋତୁ । ଛ ଋତୁ ସମ୍ବତ୍ସର ହେତୁ ॥ ୩୩
    ଯେ କାଳ ନଭ ଅର୍ଦ୍ଧଭାଗେ । ରହନ୍ତି କାଳଚକ୍ର ଲାଗେ ॥ ୩୪
    ତାକୁ ଅୟନ ବୋଲି କହି । ଶୁଣ ରାଜନ ମନ ଦେଇ ॥ ୩୫
    ଦ୍ୟାବାପୃଥିବୀର ସହିତେ । ନଭୋମଣ୍ତଳକୁ ଯାବତେ ॥ ୩୬
    ରବି ଭୁଞ୍ଜନ୍ତି ଯେତେକାଳେ । ସମ୍ବତ୍ସରଟି ବୋଲି ତାରେ ॥ ୩୭
    ଏ ଅନନ୍ତରେ ହେ ରାଜନ । ଚନ୍ଦ୍ରର ଏ ରୂପେ ଗମନ ॥ ୩୮
    ଲକ୍ଷେଯୋଜନର ଅନ୍ତରେ । ସୂର୍ଯ୍ୟରଠାରୁ ସେ ବିହରେ ॥ ୩୯
    ପ୍ରବଳଗତି ତାର ଖରେ । ଚନ୍ଦ୍ର ଭୁଞ୍ଜନ୍ତି ଯେ ବେଭାରେ ॥ ୪୦
    ସୂର୍ଯ୍ୟଙ୍କ ଭୋଗ ବେନିପକ୍ଷେ । ବେନିନକ୍ଷତ୍ର ପାଦଋକ୍ଷେ ॥ ୪୧
    ପକ୍ଷଭୋଗକୁ ଏକଦିନେ । ଭୁଞ୍ଜନ୍ତି ଅହୋରାତ୍ରମାନେ ॥ ୪୨
    ଏ ଅନନ୍ତରେ ନୃପବର । ବର୍ଦ୍ଧିତକଳା-ଶଶଧର ॥ ୪୩
    ଅହୋରାତ୍ର ସେ ଦେବଙ୍କର । ସେ ଶୁକ୍ଳପକ୍ଷରେ ବିହାର ॥ ୪୪
    କ୍ଷୀଣକଳାରେ ପିତୃଙ୍କର । ଅହୋରାତ୍ର ହେ ନୃପବର ॥ ୪୫
    ସେ ଯେ ସକଳ ପ୍ରାଣୀଙ୍କର । ଜୀବନଭୂତ-ଶଶଧର ॥ ୪୬
    ଭୁଞ୍ଜନ୍ତି ତ୍ରିଂଶତମୂହୂର୍ତ୍ତ । ଏକନକ୍ଷତ୍ର ଯଥୋଚିତ ॥ ୪୭
    ଏଣୁ ସେ ଅନାଦିପୁରୁଷ । ଷୋଡ଼ଶକଳା ସେ ବିଶେଷ ॥ ୪୮
    ଅମୃତଶରୀରକୁ ଧରି । ପ୍ରାଣୀଙ୍କୁ ଆପ୍ୟାୟନ କରି ॥ ୪୯
    ମନୁଷ୍ୟ ପଶୁପକ୍ଷୀ ଆଦି । ସରୀସୃପ ବୃକ୍ଷ ପ୍ରସିଦ୍ଧି ॥ ୫୦
    ଏହାଙ୍କ ହୃଦରେ ବସନ୍ତି । ଏଣୁ ସେ ସର୍ବସୁଖ ଦ୍ୟନ୍ତି ॥ ୫୧
    ଏହାର ଉର୍ଦ୍ଧ୍ୱେ ହେ ରାଜନ । ତୃତୀୟ ଲକ୍ଷ ଯେ ଯୋଜନ ॥ ୫୨
    ଭ୍ରମନ୍ତି ନକ୍ଷତ୍ର ସକଳେ । ଜଗତପିତାର କୌଶଳେ ॥ ୫୩
    ଏ ସବୁ ନକ୍ଷତ୍ର ବିଖ୍ୟାତ । ଅଭିଜିତ ତାରା ସହିତ ॥ ୫୪
    ନକ୍ଷତ୍ର ଯେ ଅଷ୍ଟାବିଂଶତି । ମେରୁର ଦକ୍ଷିଣେ ବସନ୍ତି ॥ ୫୫
    ଦ୍ୱିଲକ୍ଷ ତାହାର ଉପରେ । ଉଶନା ବାସ ଯେଉଁଠାରେ ॥ ୫୬
    ଆଦିତ୍ୟ ପ୍ରାୟ ନାନାଗତି । ପାରୁଶେ ତାଙ୍କର ବସତି ॥ ୫୭
    ଲୋକର ଯେ ଶୁଭ କଲ୍ୟାଣ । ଏଥେଁ ସେ ନିତ୍ୟ ପରାୟଣ ॥ ୫୮
    ଏ ଗ୍ରହ ସାଞ୍ଚାର ଯେ ହେଲେ । ବୃଷ୍ଟି ହୁଅନ୍ତି ମହୀତଳେ ॥ ୫୯
    ଶୁକ୍ରଙ୍କ କାର୍ଯ୍ୟର ସମାନ । ବୁଧର କାର୍ଯ୍ୟର ପ୍ରମାଣ ॥ ୬୦
    ଶୁକ୍ରଙ୍କ ଉପର-ଭାଗରେ । ଦ୍ୱିଲକ୍ଷଯୋଜନ ଅନ୍ତରେ ॥ ୬୧
    ସର୍ବଦା ବୁଧ ତହିଁ ରହି । ଜୀବଙ୍କ କଲ୍ୟାଣ ସାଧଇ ॥ ୬୨
    ବୁଧ ନାମେ ଯେ ଚନ୍ଦ୍ରସୁତ । ତହିଁରେ ତାହାଙ୍କରସ୍ଥିତ ॥ ୬୩
    ପ୍ରାଣୀର ସୁଖେ ସେହୁ ଥାଇ । ଯେବେ ସେ ସୂର୍ଯ୍ୟ ବେଗ ହୋଇ ॥ ୬୪
    ଅତିଗମନ ଖରତରେ । ଅନାବୃଷ୍ଟିକି ସେ ଆଚରେ ॥ ୬୫
    ଦ୍ୱିଲକ୍ଷଯୋଜନ ଅନ୍ତରେ । ମଙ୍ଗଳ ବୁଧଙ୍କ ଉପରେ ॥ ୬୬
    ଏଥି ଅନ୍ତରେ ଏହା ରହି । ପ୍ରାଣୀଙ୍କ ମନ୍ଦ ଯେ କରଇ ॥ ୬୭
    ଏକରାଶିରେ ତିନିପକ୍ଷ । ମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ ॥ ୬୮
    ବକ୍ରଭାବରେ ଭୋଗକରେ । ଏ କ୍ରମେ ଦ୍ୱାଦଶରାଶିରେ ॥ ୬୯
    ମଙ୍ଗଳ ଉପର ଭାଗରେ । ଦ୍ୱିଲକ୍ଷଯୋଜନ ଅନ୍ତରେ ॥ ୭୦
    ତହିଁ ଅଛନ୍ତି ବୃହସ୍ପତି । ଯେ ଦେବପୁରୋହିତ ହୋନ୍ତି ॥ ୭୧
    ଏକରାଶିରେ ସେ ବରଷେ । ଭୋଗ ଯେ କରନ୍ତି ସନ୍ତୋଷେ ॥ ୭୨
    ସେ ବୃହସ୍ପତି ଭଗବାନ । ବ୍ରାହ୍ମଣକୁଳର କଲ୍ୟାଣ ॥ ୭୩
    ଯେବେ ସେ ବକ୍ରଗତି ହୋଇ । କଦର୍ଯ୍ୟଫଳକୁ ଦିଅଇ ॥ ୭୪
    ତହୁଁ ଦ୍ୱିଲକ୍ଷଯୋଜନରେ । ରହି ଅଛନ୍ତି ଶନିଶ୍ଚରେ ॥ ୭୫
    ଏକରାଶିରେ ଭୋଗ ତାର । ତିରିଶମାସ ନୃପବର ॥ ୭୬
    ଅଶାନ୍ତି ସକଳେ କରଇ । ଅଧିକ କେ ଅବା ଭୁଞ୍ଜଇ ॥ ୭୭
    ତହିଁ ଉପରେ ହେ ରାଜନ । ଏକାଦଶଲକ୍ଷ ଯୋଜନ ॥ ୭୮
    ଋଷିଙ୍କ ବାସ ଯେ ସେଠାରେ । ସେ କୃପା କରନ୍ତି ପ୍ରାଣୀରେ ॥ ୭୯
    ଲୋକଙ୍କ ଭାବନ୍ତି କୁଶଳ । ଅଶେଷ-କରୁଣାର ମୂଳ ॥ ୮୦
    ବିଷ୍ଣୁ ପଦକୁ ନିତ୍ୟେ ଚିନ୍ତି । ପ୍ରଦକ୍ଷିଣରେ ଭ୍ରମୁଛନ୍ତି ॥ ୮୧
    ସେ ମୁନିଗଣଙ୍କ ପୟରେ । ମୋ ଚିତ୍ତ ରହୁ ନିରନ୍ତରେ ॥ ୮୨
    କହଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୮୩
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରବର୍ଣ୍ଣନେ ଦ୍ୱାବିଂଶୋଽଧ୍ୟାୟଃ ॥

    ତ୍ରୟୋବିଂଶ ଅଧ୍ୟାୟ

    ଶୁକ ଉବାଚ
    ଏଥୁ ଅନ୍ତରେ ହେ ରାଜନ । ତ୍ରୟୋଦଶଲକ୍ଷଯୋଜନ ॥ ୧
    ସେ ସ୍ଥାନ ବିରାଜଇ ତହିଁ । ବିଷ୍ଣୁର ସ୍ଥଳ ତାକୁ କହି ॥ ୨
    ଯହିଁ ପରମ-ଭାଗବତ । ଧ୍ରୁବ ଉତ୍ତାନପାଦସୁତ ॥ ୩
    ଅଛନ୍ତି କଶ୍ୟପ ସଙ୍ଗତେ । କାଳଯଷ୍ଟିର ସେବାମତେ ॥ ୪
    କଳ୍ପେ ପର୍ଯ୍ୟନ୍ତେ ସୁଖଭୋଳେ । ପ୍ରଭୁଙ୍କୁ ଭଜନ୍ତି ନିଶ୍ଚଳେ ॥ ୫
    ସେ ଭାଗବତ ଧୃବବାଣୀ । ପୂର୍ବେ କହିଛୁଁ ନୃପମଣି ॥ ୬
    ଗ୍ରହ ନକ୍ଷତ୍ର-ଜ୍ୟୋତିର୍ଗଣ । ଧ୍ରୁବର ସହିତେ ରାଜନ ॥ ୭
    ଈଶ୍ୱରସୃଷ୍ଟି ଅନୁସାରେ । ଏବେ ଦିଶଇ ସେ ଲୋକରେ ॥ ୮
    କାଳଚକ୍ରରେ ଭ୍ରମେ ଜାଣ । ବେଗେ ଭ୍ରମନ୍ତି ଅନୁକ୍ଷଣ ॥ ୯
    ମେରିରେ ପଶୁଗଣ ଯେହ୍ନେ । ସକଳେ ଭ୍ରମନ୍ତି ତେସନେ ॥ ୧୦
    ମଣ୍ତଳଆକାରରେ ତହିଁ । ଯେ ଯାହା ସ୍ଥାନରେ ଭ୍ରମଇଁ ॥ ୧୧
    ନକ୍ଷତ୍ର-ଗ୍ରହ ଆଦି ଯେତେ । ଏହି ପ୍ରକାରେ ସେ ସମସ୍ତେ ॥ ୧୨
    କାଳର ଚକ୍ରେ ଯେ ଭ୍ରମଣ । ବାହାର-ଅନ୍ତରେ ଭ୍ରମିଣ ॥ ୧୩
    କଳ୍ପାନ୍ତଯାଏଁ ସେ ପ୍ରକାରେ । ଅଛନ୍ତି ବିବିଧ-ବେଭାରେ ॥ ୧୪
    ଶୂନ୍ୟମଣ୍ତଳେ ମେଘମାଳେ । ଯେସନେ ଥାନ୍ତି ବାୟୁବଳେ ॥ ୧୫
    ଯେହ୍ନେ ଶ୍ୱେନାଦି ପକ୍ଷୀମାନେ । ପବନବଳେ ଥାନ୍ତି ଶୂନ୍ୟେ ॥ ୧୬
    କର୍ମଅଧୀନେ ଜ୍ୟୋତିର୍ଗଣେ । ଶୂନ୍ୟରେ ଭ୍ରମନ୍ତି ତେସନେ ॥ ୧୭
    ପ୍ରକୃତିପୁରୁଷଙ୍କ ଭୋଗ । ତହିଁରେ ହୁଅନ୍ତି ସଂଯୋଗ ॥ ୧୮
    କର୍ମବନ୍ଧନ ନିମିତ୍ତରେ । ପତନ ନୁହଁନ୍ତି ଭୂମିରେ ॥ ୧୯
    ଏ ଅନନ୍ତରେ ନୃପବର । ଏ ଜ୍ୟୋତିଶ୍ଚକ୍ର ଶିଶୁମାର ॥ ୨୦
    ଏମନ୍ତ କରି କେ ବର୍ଣ୍ଣଇ । କହିବା ଶୁଣ ମନ ଦେଇ ॥ ୨୧
    ଯେ ପ୍ରଭୁ ଅଖିଳ କାରଣ । ଶ୍ରୀବାସୁଦେବ ନାରାୟଣ ॥ ୨୨
    ତାହାଙ୍କ ଯୋଗର ମୂରତି । ଶରୀର କୁଣ୍ତଳ ଆକୃତି ॥ ୨୩
    ଅଧୋବଦନ ତାହାଙ୍କର । ପୁଚ୍ଛରେ ନିବାସ ଧ୍ରୁବର ॥ ୨୪
    ଲାଙ୍ଗୁଳେ ପ୍ରଜାପତି ବାସ । ଅନଳ ଧର୍ମ ଯେ ସୁରେଶ ॥ ୨୫
    ଧାତା ବିଧାତା ପୁଚ୍ଛମୂଳେ । ସପତଋଷି କଟିସ୍ଥଳେ ॥ ୨୬
    ଦକ୍ଷିଣାବର୍ତ୍ତ ପ୍ରାୟ ହୋଇ । କୁଣ୍ତଳ ଆକାର ସେ ଦେହୀ ॥ ୨୭
    ତାର ଦକ୍ଷିଣଅଂଶଗତେ । ନକ୍ଷତ୍ରମାନ ଯେ ସମସ୍ତେ ॥ ୨୮
    ଅଭିଜିତ ଆଦି ଏ ଗଣ । ବାମପାରୁଶେ ତାଙ୍କ ସ୍ଥାନ ॥ ୨୯
    ପୁନର୍ବସୁ ଯେ ପୁଷ୍ୟା ଦୁଇ । ବାମ-ଦକ୍ଷିଣ-ଶ୍ରେଣୀ ତହିଁ ॥ ୩୦
    ଆକାଶଗଙ୍ଗା ଯେ ପୃଷ୍ଠରେ । ବିରାଜେ ଅତି ଶୁଭ୍ରତରେ ॥ ୩୧
    ବାମ ଦକ୍ଷିଣ ପାଦଦେଶେ । ଆରାଦ୍ରା ଅଶ୍ଳେଷା ପ୍ରକାଶେ ॥ ୩୨
    ଉତ୍ତରାଷାଢ଼ା ଅଭିଜିତ । ସବ୍ୟ-ଦକ୍ଷିଣ-ଘ୍ରାଣେସ୍ଥିତ ॥ ୩୩
    ଶ୍ରବଣା ପୂର୍ବାଷାଢ଼ା ଦୁଇ । ବାମ-ଦକ୍ଷିଣ-ନେତ୍ରେ ରହି ॥ ୩୪
    ଧନିଷ୍ଠା ମୂଳା ବେନିଜନେ । ଦକ୍ଷିଣ ବାମ ବେନିକର୍ଣ୍ଣେ ॥ ୩୫
    ମଘାଦି ଆଠ ଯେ ବିଦିତ । ବାମ ଅସ୍ଥିରେ କ୍ରମେସ୍ଥିତ ॥ ୩୬
    ମୃଗଶିରାଦି ଦକ୍ଷିଣରେ । ଜ୍ୟେଷ୍ଠା ଶତଭିଷା ସ୍କନ୍ଧରେ ॥ ୩୭
    ଉତ୍ତର ଅଧର ହନୁରେ । ଅଗସ୍ତି ଶମନ କ୍ରମରେ ॥ ୩୮
    ମୁଖରେ ଅଙ୍ଗାରକ ଶୋହେ । ଉପସ୍ଥେ ଶନିଶ୍ଚର ରହେ ॥ ୩୯
    ଆଦିତ୍ୟ ବକ୍ଷସ୍ଥଳେ ବସେ । ବୃହସ୍ପତି କକୁଦଦେଶେ ॥ ୪୦
    ହୃଦୟେ ନାରାୟଣ ସ୍ଥିତି । ଚନ୍ଦ୍ରମା ମନରେ ବସନ୍ତି ॥ ୪୧
    ନାଭିରେ ଉଶନା ପ୍ରକାଶ । ସ୍ତନରେ ଅଶ୍ୱିନୀର ବାସ ॥ ୪୨
    ପ୍ରାଣ-ଅପାନେ ବୁଧ ବସେ । ଗଳାରେ ରାହୁ ଯେ ପ୍ରକାଶେ ॥ ୪୩
    ସର୍ବ ଅଙ୍ଗରେ କେତୁସ୍ଥାନ । ଏ ଅନୁକ୍ରମେ ହେ ରାଜନ ॥ ୪୪
    ରୋମମୂଳରେ ତାରାଗଣ । ବିଚିତ୍ରରୂପ ନାରାୟଣ ॥ ୪୫
    ଏ ରୂପେ ସର୍ବଦେବ ସେହି । ଯେ ଜନ ଶୁଚିମନ୍ତ ହୋଇ ॥ ୪୬
    ସନ୍ଧ୍ୟାରେ ଦେଖି ସ୍ତବ କରେ । ଅଶେଷ ପାପୁଁ ସେ ନିସ୍ତରେ ॥ ୪୭
    ଏ ସ୍ତବ ତୁଣ୍ତେ ଉଚ୍ଚାରିଣ । ସ୍ତୁତି କରିବ ସାବଧାନ ॥ ୪୮
    ନମଇଁ ଜ୍ୟୋତିର୍ଲୋକମୟ । କାଳ ଅଦ୍‌ଭୁତ ଯାର ଦେହ ॥ ୪୯
    ସକଳଦେବ-ସ୍ୱାମୀ ତୁହି । ତୋ ପାଦେ ଆନନ୍ଦେ ନମଇଁ ॥ ୫୦
    ଗ୍ରହ ନକ୍ଷତ୍ର ରାଶିଗଣ । ସର୍ବାଧି-ଦେବ ନାରାୟଣ ॥ ୫୧
    ତ୍ରିକାଳସନ୍ଧ୍ୟାରେ ଯେ ନର । ସ୍ମରଣେ କରେ ନମସ୍କାର ॥ ୫୨
    ଅହୋରାତ୍ରର ପାପ ତାର । ଦହନ ହୋଏ ନୃପବର ॥ ୫୩
    ସେ ପ୍ରଭୁ ସ୍ୱୟଂ ଯୋଗେଶ୍ୱର । ଅନାଦି ବ୍ରହ୍ମାଣ୍ତ ଠାକୁର ॥ ୫୪
    ତାହାଙ୍କ ଚରଣ କମଳେ । ମୋ ଚିତ୍ତ ରହୁ ନିରନ୍ତରେ ॥ ୫୫
    କହଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୫୬
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପଞ୍ଚମସ୍କନ୍ଧେ ଶିଶୁମାର ସଂସ୍ଥାବର୍ଣ୍ଣ‌ନଂ
    ନାମ ତ୍ରୟୋବିଂଶୋଽଧ୍ୟାୟଃ ॥

    ଚତୁବିଂଶ ଅଧ୍ୟାୟ

    ଶୁକ ଉବାଚ
    ଆଦିତ୍ୟଠାରୁ ଅଧୋମେଳେ । ଅୟୁତ ଯୋଜନର ତଳେ ॥ ୧
    ଭ୍ରମ ଆକାରେ ରାହୁ ସ୍ଥିତି । ଏମନ୍ତ କେ ଅବା କହନ୍ତି ॥ ୨
    ସ୍ୱଭାବେ ସିଂହିକାନନ୍ଦନ । ଏଟି ଅସୁର ଭୋ ରାଜନ ॥ ୩
    ଯେଣୁ ପ୍ରଭୁର କୃପା ହୋଇ । ଅଜରାମର ଏହା ଦେହୀ ॥ ୪
    ଏହାର ଜନ୍ମକର୍ମମାନ । ପଛେ କହିବା ହେ ରାଜନ ॥ ୫
    ଅଧୋଭାଗରେ ଯେ ପଡ଼ଇ । ତରଣିମଣ୍ତଳ ହୁଅଇ ॥ ୬
    ଅୟୁତଯୋଜନ ବିସ୍ତାର । ଲୋକରେ ଖ୍ୟାତ ନୃପବର ॥ ୭
    ଦ୍ୱାଦଶ ସହସ୍ରଯୋଜନ । ଚନ୍ଦ୍ରମଣ୍ତଳ ପରିମାଣ ॥ ୮
    ତ୍ରୟୋଦଶସସ୍ରଯୋଜନ । ରାହୁମଣ୍ତଳ ଯେ ବିସ୍ତୀର୍ଣ୍ଣ ॥ ୯
    ଏ ରାହୁ ସୁଧାପାନ ବେଳେ । ଚନ୍ଦ୍ର-ସୂର୍ଯ୍ୟଙ୍କ ମଧ୍ୟେ ମିଳେ ॥ ୧୦
    ତା ଦୁହେଁ କଲେ ବ୍ୟବଧାନ । ତାହା ଜାଣିଲେ ଭଗବାନ ॥ ୧୧
    ବୈରାନୁବନ୍ଧଭାବେ ତହିଁ । ଚନ୍ଦ୍ର-ସୂର୍ଯ୍ୟ ଗ୍ରାସିବାପାଇଁ ॥ ୧୨
    ଧାମଇଁ ବେଗବନ୍ତ ହୋଇ । ତା ଦେଖି ବ୍ରହ୍ମାଣ୍ତଗୋସାଇଁ ॥ ୧୩
    ରକ୍ଷା ନିମନ୍ତେ ସୁଦର୍ଶନ । ରଖି ଅଛନ୍ତି ଭଗବାନ ॥ ୧୪
    ଚକ୍ରର ଅତିତେଜ ପାଇଁ । ନିକଟୁ ନିବୃତ୍ତ ହୁଅଇ ॥ ୧୫
    ଚକିତ ହୋଇଣ ତାହାର । ଉଦ୍‌ବେଗ ହୁଅଇ ଅନ୍ତର ॥ ୧୬
    ତାହାକୁ ଉପରାଗ ନାମ । ଏ ଲୋକେ କରନ୍ତି ଗାୟନ ॥ ୧୭
    ତାହାର ତଳେ ନୃପବର । ସିଦ୍ଧ ଚାରଣ ବିଦ୍ୟାଧର ॥ ୧୮
    ଏହାଙ୍କ ସଦନ ନିର୍ମିତ । ଏହାର ତଳେ ପରୀକ୍ଷିତ ॥ ୧୯
    ଯକ୍ଷ ପିଶାଚ ଭୂତ ପ୍ରେତ । ଏହାଙ୍କ ଗୃହ ଯେ ନିର୍ମିତ ॥ ୨୦
    ଯାବତ ବାୟୁର ସଞ୍ଚାର । ଯାବତ ଗତି ଜଳଧର ॥ ୨୧
    ଭୂମିମଣ୍ତଳ ହେ ରାଜନ । ତା ତଳେ ଶତେକଯୋଜନ ॥ ୨୨
    ଗମନ କରନ୍ତି ଶୂନ୍ୟରେ । ସୁପର୍ନାଦି ପକ୍ଷୀବରେ ॥ ୨୩
    ଭୂମିମଣ୍ତଳର ବର୍ଣ୍ଣ‌ନ । କହିତ ଅଛୁ ହେ ରାଜନ ॥ ୨୪
    ଅବନୀତଳର ବେଭାର । କହିବା ଶୁଣ ନୃପବର ॥ ୨୫
    ସପତଭୂବିବରେ କରି । ସପ୍ତଭୁବନ ଦଣ୍ତଧାରୀ ॥ ୨୬
    ଅତଳ ବିତଳ ସୁତଳ । ତଳାତଳ ଯେ ମହାତଳ ॥ ୨୭
    ରସାତଳ ଯେ ମହୀପାଳ । ସପ୍ତମେ ବିଦିତ ପାତାଳ ॥ ୨୮
    କ୍ରମେ ଏ ଅୟୁତଯୋଜନ । ଏକ ଏକର ଯେ ପ୍ରମାଣ ॥ ୨୯
    ବିଳସ୍ୱର୍ଗ ନାମ ଏହାର । ସ୍ୱର୍ଗୁ ଅଧିକ ସୁଖକର ॥ ୩୦
    କାମ ଐଶ୍ୱର୍ଯ୍ୟ ନାନାଭୋଗ । ପରମାନନ୍ଦ ସୁଖଯୋଗ ॥ ୩୧
    ନାନା ରତ୍ନରେ ଦିବ୍ୟପୁର । ସୌରଭେ ଭୁବନ ସୁନ୍ଦର ॥ ୩୨
    ବିବିଧ-କ୍ରୀଡାର ମନ୍ଦିର । ସୁସଞ୍ଚସ୍ଥଳ ମନୋହର ॥ ୩୩
    ଏ ସ୍ଥଳେ କ୍ରୀଡନ୍ତି ଆନନ୍ଦେ । ସେ ସ୍ଥଳବାସୀ ଜୀବବୃନ୍ଦେ ॥ ୩୪
    କାଦ୍ରବ ଦାନବ ଦଇତ୍ୟେ । ଅପତ୍ୟ ପତ୍ନୀର ସହିତେ ॥ ୩୫
    ଗନ୍ଧର୍ବ ବିଦ୍ୟାଧର ଯେତେ । ଅପ୍‌ସରାଗଣଙ୍କ ସହିତେ ॥ ୩୬
    ମାୟାବୀ ମୟଦୈତ୍ୟ ଯହିଁ । ନିର୍ମାଣ କରି ଯେ ଅଛଇ ॥ ୩୭
    ନାନାମଣିରେ ଦିବ୍ୟପୁର । ବିଚିତ୍ର ବୈଦୂର୍ଯ୍ୟର ଘର ॥ ୩୮
    ସଭା ଚତ୍ୱର ଯେ ଗୋପୁର । ବିବିଧ ନାନାମଣି ସାର ॥ ୩୯
    ମିଥୁନ ଶୁକ ପାରାବତ । କୃତ୍ରିମ-ମଣିରେ ନିର୍ମିତ ॥ ୪୦
    ଶାରିକାଆଦି ପକ୍ଷୀମାନ । ବିବିଧ ପ୍ରକାର ଭିଆଣ ॥ ୪୧
    ମଣିସଦନ ଉଚ୍ଚ ସାର । ଶୋହଇ ଅତି ମନୋହର ॥ ୪୨
    ବିଚିତ୍ର-ଚିତ୍ର ଉପବନ । ସୌରଭ ହରେ ପ୍ରାଣୀମନ ॥ ୪୩
    କୁସୁମ ଫଳ ଅତିଭରେ । ବିଟପୀ ଲାଗନ୍ତି ଭୂମିରେ ॥ ୪୪
    କୋମଳ ପଲ୍ଲବ ସୁରଙ୍ଗ । ପକ୍ଷୀମିଥୁନ ଯହିଁ ସଙ୍ଗ ॥ ୪୫
    ବିବିଧ ଜଳାଶୟମାନ । କ୍ରୀଡନ୍ତି ନାନା ବିହଙ୍ଗମ ॥ ୪୬
    ଧ୍ୱନି କରନ୍ତି ମନୋହର । ଋଷିଙ୍କ ତପ କ୍ଷୋଭକର ॥ ୪୭
    ନୀରଜ କୁମୁଦ କହ୍ଲାର । ଏହାଙ୍କ ବନେ ତାଙ୍କ ଘର ॥ ୪୮
    ସେ ପକ୍ଷୀଗଣ ଦିବ୍ୟସ୍ୱନ । ଶ୍ରବଣେ ହରେ ପ୍ରାଣୀମନ ॥ ୪୯
    ସ୍ୱର୍ଗହୁଁ ଅତି ମନୋହର । ସେ ସ୍ଥାନମାନ ନୃପବର ॥ ୫୦
    ଅହିଙ୍କ ଶିରେ ମଣିମାନ । ଯହିଁ ହରଇ ଅନ୍ଧତମ ॥ ୫୧
    ସେ ଭୂମି ଅତି ଅନୁପମ । ତହିଁ ତ ନାହିଁ ରାତ୍ରଦିନ ॥ ୫୨
    ଆଧିର ପରାଭବ ନାହିଁ । ଦେହରେ ରୋଗ ନ ଲାଗଇ ॥ ୫୩
    ପୁରୁଷ-ଯୁବତୀମାନର । ଏଣୁ ଯେ ସୁନ୍ଦର ଶରୀର ॥ ୫୪
    ତେଣୁ ସେ ଶରୀର-ଭେଦରେ । ଶରୀରକାନ୍ତି ନାହିଁ ସରେ ॥ ୫୫
    ଯଶ-ସମ୍ପଦ ତାଙ୍କ ତହିଁ । ନିତ୍ୟ ପ୍ରକାଶ ଅଛି ଯହିଁ ॥ ୫୬
    ତହିଁର ନରନାରୀମାନ । ପରମମଙ୍ଗଳ ଭାଜନ ॥ ୫୭
    ଶ୍ରୀହରି ଚକ୍ର ବିନୁ ତହିଁ । ଅବସ୍ଥା ମୃତ୍ୟୁ ଭୟ ନାହିଁ ॥ ୫୮
    ଅତଳେ ଅଛି ମହୀପାଳ । ମୟର ପୁତ୍ର ନାମ ବଳ ॥ ୫୯
    ତାହାର ମାୟା ଦୃଢ଼ତରେ । ଅଦ୍ୟାପି ସଂସାରେ ପ୍ରଚରେ ॥ ୬୦
    ବଳାସୁର ଜୃମ୍ଭଣେ ଜନ୍ମି । ସ୍ୱୈରିଣୀ ପୁଂଶ୍ଚଳୀ କାମିନୀ ॥ ୬୧
    ହାଟକ ନାମେ ମାୟାରସ । ତାହାକୁ ପିଅନ୍ତେ ପୁରୁଷ ॥ ୬୨
    ବିଳାସ-ଅବଲୋକନରେ । ନାନା ପ୍ରକାରେ କ୍ରୀଡା କରେ ॥ ୬୩
    ଅୟୁତ-ମହାଗଜବଳ । ହୁଅଇ ତହୁଁ ପୁରୁଷର ॥ ୬୪
    ବିତଳେ ଶମ୍ଭୁଭଗବାନ । ହାଟକେଶ୍ୱର ଯାର ନାମ ॥ ୬୫
    ପ୍ରଜାପତି-ସୃଷ୍ଟି ନିମନ୍ତେ । ଅଛନ୍ତି ଭବାନୀ ସହିତେ ॥ ୬୬
    ଏହାଙ୍କ ବୀର୍ଯ୍ୟୁ ଜାତ ହୋଇ । ହାଟକୀ ନାମେ ନଦୀ ବହି ॥ ୬୭
    ତାର ସଂସର୍ଗୁ ଜାତ ହୋଇ । ସୁବର୍ଣ୍ଣ ହାଟକ ବୋଲାଇ ॥ ୬୮
    ଅସୁରଙ୍କର ବଧୂଗଣ । ତାହାକୁ କରନ୍ତି ଭୂଷଣ ॥ ୬୯
    ବିରୋଚନଙ୍କ ପୁତ୍ର ବଳି । ଅଛନ୍ତି ସୁତଳରେ ମିଳି ॥ ୭୦
    ଉଦାରଶ୍ରବା ପୁଣ୍ୟଶ୍ଳୋକ । ଯାହାକୁ ବୋଲନ୍ତି ତ୍ରିଲୋକ ॥ ୭୧
    ଇନ୍ଦ୍ରର ପ୍ରିୟଭାବ ବହି । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ॥ ୭୨
    ଅଦିତି ତହୁଁ ଜାତ ହୋଇ । ବଟୁବାମନ ରୂପ ବହି ॥ ୭୩
    ନାନା-ସମ୍ପଦ ତାର ହରି । ପୁଣି ଦୟାକଲେ ମୁରାରି ॥ ୭୪
    ଇନ୍ଦ୍ରାଦିସୁର ତହୁଁ ବଳି । ସମ୍ପତ୍ତି ଦେଲେ ବନମାଳୀ ॥ ୭୫
    ପୂଜ୍ୟ ଅଖିଳ ଦେବଙ୍କର । ଅନାଦି-ପ୍ରଭୁ ଯେ ଈଶ୍ୱର ॥ ୭୬
    ସ୍ୱକର୍ମେ ତାଙ୍କୁ ଆରାଧିଣ । ସୁଖେ ସେ ଅଛନ୍ତି ରାଜନ ॥ ୭୭
    ସେ ସର୍ବବୀଜ ଭଗବାନ । ପରମଆତ୍ମା ସୂକ୍ଷ୍ମ ବ୍ରହ୍ମ ॥ ୭୮
    ଯେ ତୀର୍ଥପଦ ଜଗନ୍ନାଥ । ସକଳ-ଦେଶକାଳ-ପାତ୍ର ॥ ୭୯
    ତାହାଙ୍କୁ ଶ୍ରଦ୍ଧାଯୁକ୍ତ ହୋଇ । ସ୍ଥିରମନରେ ଭୂମି ଦେଇ ॥ ୮୦
    ବିଳସ୍ୱର୍ଗକୁ ଭୋଗ କରେ । ନାନା-ଐଶ୍ୱର୍ଯ୍ୟର ବେଭାରେ ॥ ୮୧
    ଯାଚଞ୍ଜା ଛଳେ ଯେ ଉପାୟେ । ତହିଁରେ କରି ଦେବରାୟେ ॥ ୮୨
    ତ୍ରିଲୋକ ବ୍ୟାପିଲେ ଶରୀରେ । ଶେଷ ନରହିଲା ସଂସାରେ ॥ ୮୩
    ଯେ ଇନ୍ଦ୍ରେ ଅନୁଗ୍ରହ କରି । ଇନ୍ଦ୍ରର ଭ୍ରାତୃଭାବ ଧରି ॥ ୮୪
    ଜନ୍ମିଲେ ବ୍ରହ୍ମାଣ୍ତଠାକୁର । ଯାହା ନିମନ୍ତେ ନୃପବର ॥ ୮୫
    ସେ ସର୍ବଭାବ ଭଗବାନ । ଅଖିଳ-ଗୁରୁ ନାରାୟଣ ॥ ୮୬
    ଯାହାର ଦ୍ୱାରେ ଗଦା ଧରି । ଅଛନ୍ତି ପ୍ରଭୁ ଯେ ଉଭାରି ॥ ୮୭
    ତାହାର ଅଧୋଦେଶେ ଯେହି । ତଳାତଳ ନାମ ବୋଲାଇ ॥ ୮୮
    ମୟଦାନବ ଯେ ପୂର୍ବରେ । ଦ୍ରୋହ ଚିନ୍ତିଲା ଚକ୍ରଧରେ ॥ ୮୯
    ସ୍ୱପୁର ତ୍ରୟ ଦଗ୍‌ଧ କଲା । ତେଣୁ ସେ ବରକୁ ଲଭିଲା ॥ ୯୦
    ମାୟାବୀମାନଙ୍କର ବର । ଐଶ୍ୱର୍ଯ୍ୟ ଲଭି ସେ ଅସୁର ॥ ୯୧
    ଅଭୟ ବରକୁ ସେ ପାଇ । ତଳାତଳରେ ଯେ ଅଛଇ ॥ ୯୨
    ସୁଦରଶନ ଚକ୍ର ଡରେ । ଶରଣ ପଶିଲା ଶମ୍ଭୁରେ ॥ ୯୩
    ସେ ଭୟ ତାର ଦୂର କରି । ରଖିଲେ ଶିବ ଶୂଳଧାରୀ ॥ ୯୪
    ନିର୍ଭୟ ହୋଇ ସେ ଦାନବ । ସେ ସ୍ଥଳେ ଭୁଞ୍ଜଇ ବିଭବ ॥ ୯୫
    ତାହାର ଅଧୋଭାଗ ଦେଶେ । ମହାତଳପୁର ପ୍ରକାଶେ ॥ ୯୬
    ତହିଁରେ ନାନା ନାଗ ଆଦି । କ୍ରୋଧବଶ ନାମ ପ୍ରସିଦ୍ଧି ॥ ୯୭
    କୁହକ କାଳୀୟ ସୁଷେଣ । ତକ୍ଷକ ପ୍ରଧାନ ଏମାନ ॥ ୯୮
    ସୁଦୀର୍ଘକାୟ ବଳବନ୍ତ । ତହିଁ ଅଛନ୍ତି ପରୀକ୍ଷିତ ॥ ୯୯
    ନିତ୍ୟ ସେ ଗରୁଡ଼ଙ୍କ ଭୟେ । ଉଦ୍‌ବେଗ ହୋଏ ତାଙ୍କ କାୟେ ॥ ୧୦୦
    ଦାରା ତନୟ ବନ୍ଧୁ ସଙ୍ଗେ । ବିହାର କରନ୍ତି ସେ ରଙ୍ଗେ ॥ ୧୦୧
    ତାହାର ତଳେ ମହୀପାଳ । ଯେ ପୁର ନାମ ରସାତଳ ॥ ୧୦୨
    ଦୈତ୍ୟ-ଦାନବ ପତିମାନ । କବଚ କାଳେୟ ହିରଣ୍ୟ ॥ ୧୦୩
    ଅତ୍ୟନ୍ତ-ବଳବନ୍ତ ହୋନ୍ତି । ଦେବଙ୍କ ଦ୍ରୋହ ସେ ଚିନ୍ତନ୍ତି ॥ ୧୦୪
    ସକଳ ଲୋକର କାରଣ । ମହାପୁରୁଷ ନାରାୟଣ ॥ ୧୦୫
    ମହାନୁଭାବ ସେ ଯେ ହରି । ତାହାଙ୍କ ଅତିତେଜେ କରି ॥ ୧୦୬
    ଗୃହୀତବଳ ସେ ଦାନବେ । ସେ ସ୍ଥଳେ ଥାନ୍ତି ଉଦବେଗେ ॥ ୧୦୭
    ଇନ୍ଦ୍ରଦୂତୀର ବାକ୍ୟ ଶୁଣି । ନିତ୍ୟେ ଡରନ୍ତି ନୃପମଣି ॥ ୧୦୮
    ତାହାର ତଳେଟି ପାତାଳ । ତହିଁ ଅଛନ୍ତି ନାଗବଳ ॥ ୧୦୯
    ବାସୁକି ଆଦି ନାଗବଳ । ଶଙ୍ଖ କୁଳିକ ଯେ କମ୍ବଳ ॥ ୧୧୦
    ମହାଶଙ୍ଖ ଯେ ଆରାଶ୍ୱେତ । ଧନଞ୍ଜୟ ଯେ ଦେବଦତ୍ତ ॥ ୧୧୧
    ଧୃତରାଷ୍ଟ୍ର ଯେ ଶଙ୍ଖଚୂଡ଼ । ଯେ ମହାଭୋଗୀ ଅଶ୍ୱତର ॥ ୧୧୨
    ଏ ଯେତେ ମହାଭୋଗୀମାନେ । ବସନ୍ତି ପାତାଳଭୁବନେ ॥ ୧୧୩
    ପଞ୍ଚ-ସପତ-ଦଶଶିର । ଅନେକ-ଫଣା ତାହାଙ୍କର ॥ ୧୧୪
    ଏହାଙ୍କ ମହାମଣିମାନ । ପ୍ରକାଶେ ଆଦିତ୍ୟ ଯେସନ ॥ ୧୧୫
    ପାତାଳ ବିବର ତିମିର । ସ୍ୱତେଜେ କରନ୍ତି ଯେ ଦୂର ॥ ୧୧୬
    ରାଜନ ସପତପାତାଳ । କହିଲୁ ଯେଝା ବାସସ୍ଥଳ ॥ ୧୧୭
    ପଞ୍ଚମସ୍କନ୍ଧେ ଏ ବର୍ଣ୍ଣ‌ନ । ସୂଜନେ ସାବଧାନେ ଶୁଣ ॥ ୧୧୮
    କୃଷ୍ଣଚରଣେ ମନ ଦିଅ । ସୁଜନେ ନିତ୍ୟେ ଏହା ଗାଅ ॥ ୧୧୯
    କୃଷ୍ଣପଦାରବିନ୍ଦ ରସ । ସ୍ନେହରେ କର ଏହା ଗ୍ରାସ ॥ ୧୨୦
    କହଇ ଜଗନ୍ନାଥ ଦାସ । ଶ୍ରୀଭାଗବତ ସୁଧାରସ ॥ ୧୨୧
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପଞ୍ଚମସ୍କନ୍ଧେ ରାହ୍ୱାଦିସ୍ଥିତିବିଳସ୍ୱର୍ଗମର୍ଯ୍ୟାଦା ନିରୂପଣଂ ନାମ
    ଚତୁର୍ବିଂଶୋଽଧ୍ୟାୟଃ ॥

    ପଞ୍ଚବିଂଶ ଅଧ୍ୟାୟ

    ଶୁକ ଉବାଚ
    ପାତାଳ ତଳେ ହେ ରାଜନ । ତିରିଶ-ସହସ୍ର-ଯୋଜନ ॥ ୧
    ତାମସୀକଳା ଯେ ବିଶେଷ । ଅନନ୍ତନାମ ପରକାଶ ॥ ୨
    ଯେ ବିଷ୍ଣୁଅଂଶେ ଜନ୍ମ ହୋଇ । ସଙ୍କରଷଣ ନାମ ବହି ॥ ୩
    ଅନନ୍ତ ମୂରତି ଠାକୁର । ସହସ୍ରମସ୍ତକ ତାହାର ॥ ୪
    ତାହାର ଏକଇ ଶିରରେ । ମହୀମଣ୍ତଳ ଅଛି ସ୍ଥିରେ ॥ ୫
    ଯେ ସୃଷ୍ଟି କରଇ ସଂହାର । ଭ୍ରୂକୁଟି କରିଣ କରାଳ ॥ ୬
    ଏକାଦଶରୁଦ୍ର ଯେ ହୋଇ । ସଙ୍କରଷଣ ସେ ବୋଲାଇ ॥ ୭
    ତିନି ଲୋଚନ ତିନି ଶିର । ପ୍ରଚଣ୍ତ ଶୂଳଟି ଯାହାର ॥ ୮
    ଭକ୍ତିରେ ଅହିପତିମାନ । ଯାହାଙ୍କୁ କରନ୍ତି ବନ୍ଦନ ॥ ୯
    ଯାହାର ଚରଣକମଳ । ବିରାଜେ ନଖର ମଣ୍ତଳ ॥ ୧୦
    ଶିରମଣିରେ ନଖପନ୍ତି । ଚନ୍ଦ୍ରକୁ ଜିଣି ବିରାଜନ୍ତି ॥ ୧୧
    କୁଣ୍ତଳ-ପ୍ରଭାରେ ମଣ୍ତିତ । ଗଣ୍ତ ମଣ୍ତଳ ହୃଷ୍ଟଚିତ୍ତ ॥ ୧୨
    ତାହାଙ୍କ ଚରଣାରବିନ୍ଦେ । ଚକ୍ଷୁ ନିବେଶନ୍ତେ ଆନନ୍ଦେ ॥ ୧୩
    ପରମଭକ୍ତି ଯୋଗମତେ । ଉଦିତ ହୋଏ ହୃଦଗତେ ॥ ୧୪
    ଯାହାଙ୍କୁ ବିବିଧ-ବିଧାନେ । ସେବନ୍ତି ନାଗପତ୍ନୀମାନେ ॥ ୧୫
    ଯେ ଧରେ ରୂପ ମନୋହର । ବିଶୁଦ୍ଧ ଧବଳ ଶରୀର ॥ ୧୬
    ବିପୁଳ ବକ୍ଷସ୍ଥଳ ତାର । କୁଙ୍କୁମ ଚନ୍ଦନେ ରୁଚିର ॥ ୧୭
    ହଳମୂଷଳ କରେ ଯାର । କି ଅବା ଦେବା ପଟାନ୍ତର ॥ ୧୮
    ରଜତ ସ୍ତମ୍ଭ ଭୂଜ ଦୁଇ । ମନ୍ଦସ୍ମିତରେ ମୁଖ ଶୋହି ॥ ୧୯
    ମଦ୍ୟେ ଘୂର୍ଣ୍ଣି‌ତ ସୁଲୋଚନ । ବିସ୍ତାର ଅରୁଣ ବଦନ ॥ ୨୦
    ସେ ଯେ ଅନନ୍ତ ଭଗବାନ । ଅନନ୍ତ ଗୁଣର ନିଧାନ ॥ ୨୧
    ସେ ଆଦିଦେବ ଯେ ଈଶ୍ୱର । କ୍ରୋଧକୁ କରିଣ ସଂହାର ॥ ୨୨
    ଲୋକପାଳନ ନିମନ୍ତରେ । ତହିଁ ଅଛନ୍ତି ସେ ଠାକୁରେ ॥ ୨୩
    ଉରଗ ସୁର ଯେ ଅସୁର । ସିଦ୍ଧ ଗନ୍ଧର୍ବ ବିଦ୍ୟାଧର ॥ ୨୪
    ଅଶେଷ ମୁନିଗଣ ଯେତେ । ଆନନ୍ଦେ ଯେ ଯାହାର ମତେ ॥ ୨୫
    ଅପରେ ପାରିଷଦ ଗଣେ । ସେବନ୍ତି ଯାହାର ଚରଣେ ॥ ୨୬
    ନବତୁଳସୀ ଫୁଲ ଶିରେ । ଗନ୍ଧ ଆମୋଦଇ ପ୍ରଖରେ ॥ ୨୭
    ଗନ୍ଧେ ମଧୁକର ନିକର । ଧ୍ୱନି କରନ୍ତି ମନୋହର ॥ ୨୮
    ବନମାଳାଏ କଣ୍ଠେ ଧରି । କୁଣ୍ତଳ ଅତି ମନୋହାରୀ ॥ ୨୯
    ସୁନ୍ଦର ଭୁଜ ଲମ୍ବମାନ । ମହେନ୍ଦ୍ରବାରଣ ଯେସନ ॥ ୩୦
    ଧ୍ୟାନ ଶ୍ରବଣ ଯୋଗସାରେ । ମୁନି ଚିନ୍ତନ୍ତି ଯା ମନରେ ॥ ୩୧
    କଳିକଳୁଷ କର୍ମଗ୍ରନ୍ଥି । ଅବିଦ୍ୟା ନାଶ ଯେ କରନ୍ତି ॥ ୩୨
    ଶ୍ରଦ୍ଧା-ଆରତେ ଯେବା ଜନ । ଯେବେ କରଇ ସୁମରଣ ॥ ୩୩
    ଯେ ଏହା କରନ୍ତି ସକଳ । କରୁଣା ବହେ ଆଦିମୂଳ ॥ ୩୪
    ଯାହାର ଅନୁଭବମାନ । ନାରଦମୁନି ହେ ରାଜନ ॥ ୩୫
    ବ୍ରହ୍ମା-ସଭାରେ ବିସ୍ତାରିଲେ । ସକଳେ ଶୁଣି ନିସ୍ତରିଲେ ॥ ୩୬
    ଯାହାର କଟାକ୍ଷକୁ ପାଇ । ଉତ୍ପତ୍ତି ସ୍ଥିତି ଲୟ ହୋଇ ॥ ୩୭
    ଯାର ମୂରତି କୃପାମୟୀ । ସତ ଅସତ ଯାର ଦେହୀ ॥ ୩୮
    ସୁଜନ-ମନ ହରିବାରେ । ମୃଗେନ୍ଦ୍ର ପ୍ରାୟ ଲୀଳା କରେ ॥ ୩୯
    ଯାହାର ନାମ ସୁମରଣ । ଶ୍ରବଣ କୀର୍ତ୍ତନ ରାଜନ ॥ ୪୦
    ଘୋର-ଦୁର୍ଗମେ ନର ଥାଇ । ଯେବେ ଆରତେ ସୁମରଇ ॥ ୪୧
    ଆପଦ ଯାଇ ତାର ଦୂର । ସକଳ-ପାପୁ ହୋଏ ପାର ॥ ୪୨
    ଆଶ୍ରୟ ହୋଇଲେ ତାହାର । ମୋକ୍ଷକୁ ଲଭେ ସେ ନିର୍ଭର ॥ ୪୩
    ଭୂଗୋଳ ନାନା ନଦୀ ଗିରି । ଦ୍ୱୀପ ସମୁଦ୍ର ଆଦି କରି ॥ ୪୪
    ଯାହାର ମସ୍ତକେ ଜଗତ । ସ୍ଥିରେ ଅଛଇ ପରୀକ୍ଷିତ ॥ ୪୫
    ଅତି ବିକ୍ରମ ସେ ପୁରୁଷ । କେ କହୁଁ ତା ରୂପ ବିଶେଷ ॥ ୪୬
    ଯେ ଆତ୍ମତନ୍ତ୍ର ଭଗବାନ । ତାର ଅଶେଷ ଗୁଣଗ୍ରାମ ॥ ୪୭
    ଲୀଳାମାତ୍ରକେ ଏ ସଂସାର । ଯେ ଧରିଅଛି ବିଶ୍ୱଭାର ॥ ୪୮
    ଏମନ୍ତ ପ୍ରଭାବ ଯାହାର । ଦୁରିତହାରୀ ସେ ଠାକୁର ॥ ୪୯
    ଏବେ କହିଲୁ ଜୀବଗତି । କର୍ମରୁ ଯେ ଯାହା ଭୁଞ୍ଜନ୍ତି ॥ ୫୦
    ଯାହାର ସ୍ଥାନଟି ଯେମନ୍ତ । ସକଳ କରିଲୁଁ ବିଦିତ ॥ ୫୧
    ଯାହାର ଯେମନ୍ତ ଲକ୍ଷଣ । ଯେ ଧର୍ମ ଯାର ଆଚରଣ ॥ ୫୨
    ଯେ ଉଚ୍ଚ-ନୀଚ ଜୀବଜନ୍ତୁ । ଯାହାର ଯେ କର୍ମ ଯେହେତୁ ॥ ୫୩
    ତୁମ୍ଭ ପ୍ରଶନ ଅନୁସାରେ । ସକଳ କହିଲୁ ତୁମ୍ଭରେ ॥ ୫୪
    ଏବେ କି ତୁମ୍ଭ ଅଭିଳାଷ । ଅପରେ କହିବୁଁ ବିଶେଷ ॥ ୫୫
    ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନାଦି ପ୍ରଭୁ ନାରାୟଣ ॥ ୫୬
    ସେ ପ୍ରଭୁ ଚରଣେ ମୋ ମତି । ଅନବରତେ ହେଉ ସ୍ଥିତି ॥ ୫୭
    କହଇ ଜଗନ୍ନାଥ ଦାସ । ହରିଚରିତ ସୁଧାରସ ॥ ୫୮
    ସୁଜନେ ଶୁଣ ଦେଇମନ । ଫିଟିବ ଭବର ବନ୍ଧନ ॥ ୫୯
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ପଞ୍ଚମସ୍କନ୍ଧେ ଭୂବିବରବିଧି ଉପବର୍ଣ୍ଣ‌ନଂ
    ନାମ ପଞ୍ଚବିଂଶୋଽଧ୍ୟାୟଃ ॥

    ଷଡ଼୍‌ବିଂଶ ଅଧ୍ୟାୟ

    ପରୀକ୍ଷିତ ଉବାଚ
    ବିଚିତ୍ରଗତି ଲୋକଙ୍କର । ତୁମ୍ଭେ କହିଲ ମୁନିବର ॥ ୧
    ଏ କଥା ସଂଶୟ ମୋ ମନେ । ଏବେ କହିବା ବିଦ୍ୟମାନେ ॥ ୨
    ଏବେ କହିବା ଫଳଭାବ । ଯେମନ୍ତେ ତରଇ ଅର୍ଣ୍ଣବ ॥ ୩

    ଶୁକ ଉବାଚ
    ତ୍ରିଗୁଣେ ବିଚିତ୍ର ହୁଅଇ । ଶୁଣ ପରୀକ୍ଷ ମନଦେଇ ॥ ୪
    କର୍ତ୍ତାରମତେ ଫଳଯାଇ । ଶ୍ରଦ୍ଧା-ଅଶ୍ରଦ୍ଧା ବେନି ହୋଇ ॥ ୫
    ସାତ୍ତ୍ୱିକକର୍ମୀ ହୁଏ ସୁଖୀ । ରାଜସକର୍ମୀ ସୁଖୀଦୁଃଖୀ ॥ ୬
    ତାମସ ଦୁଃଖୀ ଯେ ବିମୂଢ଼ । ଏ ତ‌ତ୍ତ୍ୱ ବୁଝେ ନାହିଁ ମୂଢ଼ ॥ ୭
    ଯେତେ ଅଧର୍ମକାରୀଗଣ । ସଦା ଯେ ତମର ଅଧୀନ ॥ ୮
    ତମୋଗୁଣଙ୍କ ଏହି ବ୍ରତ । ଲଭନ୍ତି ଫଳ ବିପରୀତ ॥ ୯
    ସକଳ ଏକଭାବ ହୋଇ । କେବେହେଁ କେହି ନ ଭଜଇ ॥ ୧୦
    ଏ ଅନନ୍ତରେ ଏବେ ଶୁଣ । ନିଷିଦ୍ଧ ଅଧର୍ମ ଲକ୍ଷର ॥ ୧୧
    ଧର୍ମ ଅଧର୍ମ ବେନି ମତ । ଶ୍ରଦ୍ଧା ଅଶ୍ରଦ୍ଧା ଯେ ବିଦିତ ॥ ୧୨
    ସମାନ କର୍ମଫଳମାନ । କାହାରି ନୁହଁଇ ରାଜନ ॥ ୧୩
    ଯେତେ ଅବିଦ୍ୟା କାମ୍ୟକର୍ମ । ଏହା ଲକ୍ଷଣ ପରିଣାମ ॥ ୧୪
    ଗତି ଯେ ଶତ ଶତ ମତ । ପ୍ରବୃତ୍ତ ହୁଏ ପରୀକ୍ଷିତ ॥ ୧୫
    ଏହାର ଗତି ଅଗୋଚର । ବିସ୍ତାରି ବିର୍ଣ୍ଣବୁ ଅପର ॥ ୧୬

    ପରୀକ୍ଷିତ ଉବାଚ
    ଭୋ ମୁନି ତ୍ରିଲୋକ ବାହାରେ । ନରକ କିବା ଅନ୍ତରାଳେ ॥ ୧୭
    କିବା ତ୍ରିଭୁବନ ମଧ୍ୟରେ । କହିବା ସାବଧାନେ ମୋରେ ॥ ୧୮

    ଶୁକ ଉବାଚ
    ସେ ତ‌ତ୍ତ୍ୱ ଶୁଣ ତୁ ରାଜନ । କହନ୍ତି ଋଷି ହୃଷ୍ଟମନ ॥ ୧୯
    ତ୍ରିଜଗତର ଅନ୍ତରାଳ । ଦକ୍ଷିଣଦିଗେ ମହୀପାଳ ॥ ୨୦
    ଭୂମିର ତଳେ ଜଳପରେ । ଅଗ୍ନିଷ୍ୱାତ୍ତସଭା ତହିଁରେ ॥ ୨୧
    ସକଳ ପିତୃଗଣ ଯେତେ । ସ୍ୱଗୋତ୍ର କଲ୍ୟାଣ ନିମନ୍ତେ ॥ ୨୨
    ଯହିଁ ବସନ୍ତି ହେ ରାଜନ । ତହିଁ ଅନ୍ତକ ଭଗବାନ ॥ ୨୩
    ଅନ୍ତେ ଜୀବକୁ ସେ ନିଅନ୍ତି । ଯମପୁରୁଷେ ଦଣ୍ତ ଦ୍ୟନ୍ତି ॥ ୨୪
    ଦୋଷ ଯେ କର୍ମ ଅନୁସରି । ଯେ ପ୍ରାଣୀ ଯାହା ଥାଇ କରି ॥ ୨୫
    ଭଗବତ-ଆଜ୍ଞା ଲଂଘିଣ । ବିପଥେ ଯେ କରେ ଗମନ ॥ ୨୬
    ତାହାଙ୍କୁ ନେଇ ଦଣ୍ତଧର । ଦଣ୍ତ ଯେ ଦିଅନ୍ତି ଅପାର ॥ ୨୭
    ଏକବିଂଶତି ପରକାରେ । ନରକେ ଅଛନ୍ତି ଯହିଁରେ ॥ ୨୮
    ଯେ ରୂପ ଯେ ନାମ ଲକ୍ଷଣ । କହିବା ଶୁଣ ହେ ରାଜନ ॥ ୨୯
    ଅନ୍ଧକୂପ ଯେ ଅସିପତ୍ର । ଶୂକରମୁଖ କାଳସୂତ୍ର ॥ ୩୦
    ରୌରବ ମହା ଯେ ନରକ । ଅନ୍ଧତାମିସ୍ର କୁମ୍ଭୀପାକ ॥ ୩୧
    ତାମିସ୍ର ଯେ କୃମିଭୋଜନ । ସନ୍ଦଂଶ ତପ୍ତସୂର୍ମି ନାମ ॥ ୩୨
    ବଜ୍ରକଣ୍ଟକ ଶାଳମଳ । ବଇତରଣୀ ମହୀପାଳ ॥ ୩୩
    ପ୍ରାଣରୋଧ ଯେ ବିଶସନ । ପୂୟୋଦ ସାରମେୟାଦନ ॥ ୩୪
    ଅପରେ ଅବୀଚି ରାଜନ । ଲାଳାଭକ୍ଷ ଯେ ଅୟଃପାନ ॥ ୩୫
    ଶୂଳପ୍ରୋତ କ୍ଷାର କର୍ଦ୍ଦମ । ଯେବା ରକ୍ଷୋଗଣ ଭୋଜନ ॥ ୩୬
    ଅବଟନିରୋଧନ ଆର । ଦନ୍ଦଶୂକ ନାମେ ଅପର ॥ ୩୭
    ସୂଚୀମୁଖ ପର୍ଯ୍ୟାବର୍ତ୍ତନ । ଅଷ୍ଟବିଂଶତି ଏହୁ ନାମ ॥ ୩୮
    ଏ ଯେ ନରକ ମହୀପାଳ । ବିବିଧ ଯାତନାର ସ୍ଥଳ ॥ ୩୯
    ପରସ୍ତିରୀ ଅପତ୍ୟ ଧନ । ଯେ ପ୍ରାଣୀ କରଇ ହରଣ ॥ ୪୦
    ସେ କାଳପାଶେ ବନ୍ଦୀ ହୋଇ । ଯମର ପୁରେ ଦୁଃଖ ପାଇ ॥ ୪୧
    ତାମିସ୍ରନରକେ ପଡ଼ଇ । ନାନା ଯାତନା ସେ ଭୁଞ୍ଜଇ ॥ ୪୨
    କ୍ଷୁଧା-ପିପାସାରେ ପୀଡ଼ିତ । ହୋଇ ସେ ଦଣ୍ତରେ ତାଡ଼ିତ ॥ ୪୩
    ନାନା ତର୍ଜନା ଯେ ପ୍ରହାର । ଯେତେ ଯାତନା ଭୟଙ୍କର ॥ ୪୪
    ପରମକଷ୍ଟ ପାଇ ତହିଁ । କ୍ଷଣକ୍ଷଣକେ ମୋହ ଯାଇ ॥ ୪୫
    ଅନ୍ଧତାମିସ୍ରେ ଏ ପ୍ରକାରେ । ଯାତନା ପ୍ରାଣୀ ଭୋଗକରେ ॥ ୪୬
    କପଟେ ପରଦାରା ହରି । ଯେବେ ତାମିସ୍ରୁ ନ ଉବୁରି ॥ ୪୭
    ତେବେ ପଡ଼ଇ ସେ ଯେ ତହିଁ । ଯାତନା-ସିନ୍ଧୁରେ ବୁଡ଼ଇ ॥ ୪୮
    ନଷ୍ଟ ହୁଅଇ ମତି ତାର । ଦୃଷ୍ଟି ନାଶଇ ନୃପବର ॥ ୪୯
    ମୁହିଁ ମୋହର ଭାବ ବହି । ପ୍ରାଣୀଦ୍ରୋହକୁ ଯେ ଚିନ୍ତଇ ॥ ୫୦
    କୁଟୁମ୍ବ ପାଇଁ ହିଂସା ବହି । ସେ ପ୍ରାଣୀ ରୌରବେ ପଡଇ ॥ ୫୧
    ସେ ଜୀବ ହିଂସନ୍ତି ସଂସାରେ । ତାହାଙ୍କୁ ପର ଯେ ଲୋକରେ ॥ ୫୨
    ରୌରବ ମୂର୍ତ୍ତି ଜୀବ ହୋଇ । ସେଠାରେ ତାହାଙ୍କୁ ହିଂସଇ ॥ ୫୩
    ମହାରୌରବ ଏହି ମତ । ଯହିଁ କ୍ରୂରଜୀବ ବିଦିତ ॥ ୫୪
    ତହିଁରେ ଯେ ପ୍ରାଣୀ ପଡ଼ଇ । ରୌରବ-କ୍ରବ୍ୟାଦ ତା ଖାଇ ॥ ୫୫
    ଯେ ନର ପଶୁପକ୍ଷୀମାନ । ପ୍ରାଣ ଥାଉଁ କରେ ରନ୍ଧନ ॥ ୫୬
    ରାକ୍ଷସୁଁ ବଳି ସେହି ହୋଇ । କୁମ୍ଭୀପାକରେ ସେ ପଡଇ ॥ ୫୭
    ତପତ-ତଇଳେ ତାହାର । ରନ୍ଧନ ହୁଅଇ ଶରୀର ॥ ୫୮
    କାଳସୂତ୍ର ନରକ ନାମ । ବିସ୍ତାର ଅୟୁତ ଯୋଜନ ॥ ୫୯
    ତାମ୍ରମୟ ଯେ ଭୂମିତାର । ଉପରେ ଥାଇ ଯେ ଭାସ୍କର ॥ ୬୦
    ଅଧୋଭାଗରେ ଅଗ୍ନିଥାଇ । ଏମନ୍ତ ନରକ ଅଟଇ ॥ ୬୧
    ଯେ ନର ବ୍ରହ୍ମହତ୍ୟା କରେ । ସେ ତହିଁ ପଡଇ ନିର୍ଭରେ ॥ ୬୨
    ତପତ-ସୁବର୍ଣ୍ଣ ଫୁଟଇ । ତହିଁ ସେ ଦଗଧ ହୁଅଇ ॥ ୬୩
    କ୍ଷଣକେ ଉଠଇ ଲୋଟଇ । ବସଇ ବ୍ୟାକୁଳେ ଧାମଇଁ ॥ ୬୪
    କ୍ଷୁଧା ପିପାସା ପୀଡାମାନ । କ୍ଷଣକେ ହୁଏ ଅଚେତନ ॥ ୬୫
    ପଶୁର ଦେହେ ରୋମଯେତେ । ବର୍ଷ ତାବତ ସେହିମତେ ॥ ୬୬
    ଅତ୍ୟନ୍ତ ଯାତନା ଭୁଞ୍ଜଇ । ସେ ପ୍ରାଣୀ ତହିଁ କଡିଥାଇ ॥ ୬୭
    ଯେ ନିଜ ଧର୍ମପଥ ଛାଡି । ବେଦବଚନ ନିନ୍ଦେ ହୁଡି ॥ ୬୮
    ପାଷଣ୍ତ ବୋଲି ତାକୁ କହି । ଅସିପତ୍ରରେ ସେ ପଡଇ ॥ ୬୯
    ଲୌହମୁନ୍ଦ୍‌ଗର ତା ଉପରେ । ପ୍ରହାର କରନ୍ତି ନିର୍ଭରେ ॥ ୭୦
    ଅଦୋଷେ ଦଣ୍ତନ୍ତି ଯେ ନରେ । ପାପା ଭୁଞ୍ଜନ୍ତି ତମଘୋରେ ॥ ୭୧
    ଅତ୍ୟନ୍ତ ପାପାରାଶି ବହି । ଶୂକରମୁଖେ ସେ ପଡ଼ଇ ॥ ୭୨
    ତହିଁରେ ପୁରୋଇ ନିର୍ଭରେ । ନାନାଆୟୁଧର ପ୍ରହାରେ ॥ ୭୩
    ଇକ୍ଷୁଦଣ୍ତର ପ୍ରାୟ କରି । ତାକୁ ପେଷନ୍ତି ଦଣ୍ତଧାରୀ ॥ ୭୪
    ଅତ୍ୟନ୍ତ କଷ୍ଟକୁ ସେ ପାଇ । କ୍ଷଣ କ୍ଷଣକେ ମୋହ ଯାଇ ॥ ୭୫
    ଏ ଯେ ସଂସାରେ ନରଦେହୀ । କ୍ଷୁଦ୍ରପ୍ରାଣୀଙ୍କୁ ପୀଡା ଦେଇ ॥ ୭୬
    ହିଂସଇ ଜ୍ଞାନହୀନ ମତେ । ସନ୍ତାପ ଲଭଇ ତେମନ୍ତେ ॥ ୭୭
    ସେ ପ୍ରାଣୀ ପରଲୋକେ ଯାଇ । ଅନ୍ଧକୂପରେ ପଡିଥାଇ ॥ ୭୮
    ଯେ ଗ୍ରାସ ନ ବାଣ୍ଟି ଭୁଞ୍ଜଇ । ବାୟସ ତୁଲ୍ୟ ତାକୁ କହି ॥ ୭୯
    ନରକ ଯେ କୃମି ଭୋଜନ । ନରକମାନଙ୍କେ ଅଧମ ॥ ୮୦
    ଶତ ସହସ୍ର ଯେ ଯୋଜନ । ଯେ କୃମିକୁଣ୍ତ ପରିମାଣ ॥ ୮୧
    ତହୁଁ ପଡ଼ଇ ସେହୁ ନର । ଉଗ୍ର-ଯାତନାର ଯେ ଘର ॥ ୮୨
    କୃମିକୁ ଭକ୍ଷଇ ସେ ଜନ । ତାକୁ ଭକ୍ଷନ୍ତି କୃମିମାନ ॥ ୮୩
    ଯାବତ କର୍ମ କ୍ଷୟ ନୋହେ । ତାବତ ତହିଁ ସେହୁ ରହେ ॥ ୮୪
    ବିପ୍ରର ଦ୍ରବ୍ୟ ଯେ ହରଇ । ସନ୍ଦଂଶେ ପୀଡା ସେ ଲଭଇ ॥ ୮୫
    ଅଗମ୍ୟା ସ୍ତିରୀ ଯେ ରମଇ । ତପ୍ତସୂର୍ମିରେ ସେ ପଡ଼ଇ ॥ ୮୬
    ନାରୀ ବା ଅଗମ୍ୟ ପୁରୁଷେ । ଚିତ୍ତ ବଳାଇ ରତି ଆଶେ ॥ ୮୭
    ତପତ ଲୌହମୂର୍ତ୍ତିମାନ । ତାକୁ କରାନ୍ତି ଆଲିଙ୍ଗନ ॥ ୮୮
    ପୁରୁଷ ରୂପ ସ୍ତିରୀଠାରେ । ସ୍ତିରୀଏ ପୁରୁଷ ବେଭାରେ ॥ ୮୯
    ଅଗମ୍ୟ ପଶ୍ୱାଦି ଗମନ । କରଇ ପାଷଣ୍ତ ଜନ ॥ ୯୦
    ବଜ୍ରକଣ୍ଟକଶାଳଳୀରେ । ଆରୋହ କରାନ୍ତି ତାହାରେ ॥ ୯୧
    ଯେ ରାଜପୁରୁଷ ଅପର । କରନ୍ତି ଧର୍ମସେତୁ ଦୂର ॥ ୯୨
    ଧର୍ମ ଆଚରେ ଯେହୁ ନର । ତାଙ୍କୁ ହିଂସନ୍ତି ଯେ ପାମର ॥ ୯୩
    ସେ ଅନ୍ତେ ବଇତରଣୀରେ । ପାପିଷ୍ଠେ ପଡ଼ନ୍ତି ନିର୍ଭରେ ॥ ୯୪
    ନିରୟ ପରିଖା ଯାହାର । ଏମନ୍ତ ଯେଉଁ ନଦୀବର ॥ ୯୫
    ତହିଁର ଜଳଜନ୍ତୁମାନ । ପାପୀଙ୍କୁ କରନ୍ତି ଭକ୍ଷଣ ॥ ୯୬
    ମୂତ୍ର ପୁରୀଷ ଯେ ଶୋଣିତ । ନଖ ମେଦ ଅସ୍ଥି ବହୁତ ॥ ୯୭
    ଏଥି ପଡ଼ିଣ ତାପ ପାଇ । ବାସନା କର୍ମ ସୁମରଇ ॥ ୯୮
    ବୃଷଳୀଗମନ ଯେ କରେ । ଶୌଚ ଆଚାର ପରିହରେ ॥ ୯୯
    ନିର୍ଲ୍ଲଜ୍ଜଭାବକୁ ବହଇ । ନିତ୍ୟେ ନିୟମକୁ ଛାଡଇ ॥ ୧୦୦
    ଅନ୍ତେ ସେ ପୂୟୋଦେ ପଡ଼ଇ । ଶ୍ଲେଷ୍ମା ଯେ ମଳମୂତ୍ର ଯହିଁ ॥ ୧୦୧
    ଅତି ବୀଭତ୍ସ ଯେ ଭୋଜନ । ତାହାକୁ ଭୁଞ୍ଜଇ ସେ ଜନ ॥ ୧୦୨
    ମୃଗୟାବିହାରେ ଯେ ନର । ପ୍ରବୃତ୍ତ ହୋଇ ବାରମ୍ବାର ॥ ୧୦୩
    ମୃଗାଦି ବାଳପଶୁମାନ । ବହୁତ ମାରନ୍ତି ରାଜନ ॥ ୧୦୪
    ବିବିଧବାଣେ ଯମଦୂତ । ତାକୁ ପ୍ରହାରନ୍ତି ବହୁତ ॥ ୧୦୫
    କପଟଯଜ୍ଞେ ଯେହୁ ନରେ । ଦମ୍ଭ ଆଚରି ପଶୁ ମାରେ ॥ ୧୦୬
    ସେ ଲୋକ ବିଶସନ ନାମେ । ନରକେ ପଡ଼ନ୍ତି ସମାନେ ॥ ୧୦୭
    ପତ୍ନୀକି ରେତକୁ ପିଆଇ । ଯେ ଜନ କାମବଶ ହୋଇ ॥ ୧୦୮
    ଅମୂତ୍ର ରେତ ଯେ କୁଲ୍ୟାରେ । ରେତକୁ ପିଆନ୍ତି ତାହାରେ ॥ ୧୦୯
    ଯେ ନର ଗୃହେ ଅଗ୍ନି ଦେଇ । କପଟେ ଗରଳ ଭୁଞ୍ଜାଇ ॥ ୧୧୦
    ସେ ପରଲୋକ ଯେବେ ଯାଇ । ବିବିଧଯାତନା ଭୁଞ୍ଜଇ ॥ ୧୧୧
    ଉଗ୍ରଦଶନ ଶ୍ୱାନ ଶତ । ତାକୁ ଭୂଞ୍ଜନ୍ତି ଅବିରତ ॥ ୧୧୨
    ସାକ୍ଷ୍ୟରେ ମିଥ୍ୟା ଯେ କହଇ । ଅବୀଚି-ନରକେ ପଡ଼ଇ ॥ ୧୧୩
    ଅଧକୁ ହୁଅଇ ତା ଶିର । ନରକ ଭୁଞ୍ଜଇ ପାମର ॥ ୧୧୪
    ଯାହାର ଶ୍ରେଷ୍ଠ ଯେଉଁ ଜନ । ସେ ତାଙ୍କୁ ନ କରେ ବନ୍ଦନ ॥ ୧୧୫
    କ୍ଷାରକର୍ଦ୍ଦମେ ସେ ପଡ଼ଇ । ବହୁତ ଯାତନା ଭୁଞ୍ଜଇ ॥ ୧୧୬
    ଯେ ପ୍ରାଣୀ ନରମେଧ କରେ । ଦେବତା-ସନ୍ତୋଷ-ପ୍ରକାରେ ॥ ୧୧୭
    ସ୍ତିରୀ ବାଳକ ପଶୁ ମାରେ । ଡ଼ାକିନୀରୂପେ ସେ ସଞ୍ଚରେ ॥ ୧୧୮
    ସେହି ବାଳକ-ପଶୁମାନେ । ପ୍ରବେଶି ଯମର ସଦନେ ॥ ୧୧୯
    ରାକ୍ଷସରୂପକୁ ଆଚରି । ଶୋଣିତ ପିବନ୍ତି ତାହାରି ॥ ୧୨୦
    ସେ ସ୍ତିରୀ ପୁରୁଷ ରକତ । ଖାଇ ହୁଅନ୍ତି ମଦେ ମତ୍ତ ॥ ୧୨୧
    ନାଚନ୍ତି ଗାୟନ୍ତି ହରଷେ । ଯେମନ୍ତ ରାକ୍ଷସ-ପୁରୁଷେ ॥ ୧୨୨
    ବିବିଧ ରଜ୍ଜୁର ପ୍ରକାରେ । ଯେ ନର ଗ୍ରାମ୍ୟଅରଣ୍ୟରେ ॥ ୧୨୩
    ବିଶ୍ୱାସୀ-ପଶୁଙ୍କୁ ମାରଇ । ସେ ନର ନରକେ ପଡ଼ଇ ॥ ୧୨୪
    ପାଶେ ବନ୍ଧନ ହୋଇ ସେହି । କ୍ଷୁଧା-ତୃଷାରେ ପୀଡା ପାଇ ॥ ୧୨୫
    ବୃକ କୁକୁର ଗୃଧ୍ରଗଣ । ତୁଣ୍ତରେ କରନ୍ତି ତାଡନ ॥ ୧୨୬
    ବିବିଧ-କ୍ଳେଶକୁ ଲଭଇ । ଆପଣା କର୍ମ ସୁମରଇ ॥ ୧୨୭
    ଉଗ୍ରସ୍ୱଭାବ ଯେଉଁ ନରେ । ପ୍ରାଣୀଙ୍କୁ ଉଦବେଗ କରେ ॥ ୧୨୮
    ନନ୍ଦଶୂକ ଘୋର ନରକେ । ପଡ଼ନ୍ତି ଯାଇ ପରଲୋକେ ॥ ୧୨୯
    ପଞ୍ଚ ବା ସପ୍ତମୁଖ ଯାର । ଏମନ୍ତ ଦନ୍ଦଶୂକବର ॥ ୧୩୦
    ଅନେକ ଅଛନ୍ତି ତହିଁରେ । ଭକ୍ଷନ୍ତି ସେ ପାପୀ ଶରୀରେ ॥ ୧୩୧
    ଯେ ଗର୍ତ୍ତଆଦି କଷ୍ଟସ୍ଥଳେ । ପ୍ରାଣୀଙ୍କି ଥୋଇ ଅବହେଳେ ॥ ୧୩୨
    ଦ୍ୱାର ରୁନ୍ଧଇ ମୁଦ ଦେଇ । ସେ ନର ନରକେ ପଡ଼ଇ ॥ ୧୩୩
    ଗର୍ତ୍ତେ ପାମରକୁ ଥୁଅନ୍ତି । ସଧୂମଅଗ୍ନି ଦ୍ୱାରେ ଦ୍ୟନ୍ତି ॥ ୧୩୪
    ପୂର୍ବେ ଯେ ଆସି ଯାଇ ନାହିଁ । ଅତିଥି ଭାବରେ ଆସଇ ॥ ୧୩୫
    ଗୃହେ ନ ରଖି ତାକୁ ଯେବେ । ଅବଲୋକଇ କ୍ରୋଧଭାବେ ॥ ୧୩୬
    କର୍କଶବାକ୍ୟ ତାକୁ କହି । ଅନ୍ତେ ସେ ନରକେ ପଡଇ ॥ ୧୩୭
    ବକ୍ରତୁଣ୍ତ ଯେ ଗୃଧ୍ର କଙ୍କ । କାକ ସହିତେ ଯେବା ବକ ॥ ୧୩୮
    ଦୀର୍ଘଚଞ୍ଚୁରେ ଚିରି ତାର । ଚକ୍ଷୁ ଖୋଳନ୍ତି ନୃପବର ॥ ୧୩୯
    ଯେ ଅହଙ୍କାରେ ଛନ୍ନ ହୋଇ । ପ୍ରାଣୀଙ୍କି କଟାକ୍ଷେ ଚାହଁଇ ॥ ୧୪୦
    କୁଟିଳହୃଦୟ ଭାବରେ । ଜୀବର ମନ୍ଦକୁ ଆଚରେ ॥ ୧୪୧
    ଅନ୍ତେ ସେ ଯାଇ ପରଲୋକେ । ପଡେ ନରକ ସୂଚୀମୁଖେ ॥ ୧୪୨
    ତହିଁରେ ପାପୀର ଶରୀର । ପୀଡନ୍ତି ଯମର କିଙ୍କର ॥ ୧୪୩
    ଏମନ୍ତ ପ୍ରକାରେ ରାଜନ । ଶତଶତ-ନରକମାନ ॥ ୧୪୪
    ଅଛନ୍ତି ଯମର ସଦନ । ତହିଁ ପାପୀଙ୍କ ନିଜସ୍ଥାନ ॥ ୧୪୫
    ଯେ ଯେତେ କର୍ମ ଆଚରଇ । ସେ ରୂପେ ଫଳ ସେ ଭୁଞ୍ଜଇ ॥ ୧୪୬
    ନିବୃତ୍ତି ମାର୍ଗର ଲକ୍ଷଣ । ଆଗେ ତ କହିଛୁଁ ରାଜନ ॥ ୧୪୭
    ଏ ଚତୁର୍ଦ୍ଦଶଭାଗ ହୋଇ । ବ୍ରହ୍ମାଣ୍ତକୋଷ ଏ ବୋଲାଇ ॥ ୧୪୮
    ପୁରାଣ ଅନୁମାନ କରି । ତୁମ୍ଭରେ କହିଲୁଁ ବିସ୍ତାରି ॥ ୧୪୯
    ଯେ ଭାଗବତ ନାରାୟଣ । ମହାପୁରୁଷ ଭଗବାନ ॥ ୧୫୦
    ଗରିଷ୍ଠରୂପ ତାହାଙ୍କର । ମାୟାଗୁଣରେ ନୃପବର ॥ ୧୫୧
    ଯେତେକ ବର୍ଣ୍ଣିଲଇଁ ମୁହିଁ । ସକଳରୂପ ସେ ଅଟଇ ॥ ୧୫୨
    ଯେ ନର ଶ୍ରଦ୍ଧାବନ୍ତ ହୋଇ । ପଢଇ ଶୁଣଇ ଶୁଣାଇ ॥ ୧୫୩
    ସେ ସାଧୁଭକ୍ତ ଶୁଦ୍ଧନର । ପରମଆତ୍ମା ଯେ ଈଶ୍ୱର ॥ ୧୫୪
    ଅଚିନ୍ତ୍ୟରୂପଟି ଯାହାର । ପରମସୂକ୍ଷ୍ମରୁ ଯେ ପର ॥ ୧୫୫
    ଅତିସୂକ୍ଷ୍ମରୁ ସୂକ୍ଷ୍ମତର । ଦେବଙ୍କୁ ଯାହା ଅଗୋଚର ॥ ୧୫୬
    ସୁଗତି ଲଭଇ ସେ ଜନ । ପରମଶ୍ରେଷ୍ଠ ତା ଜୀବନ ॥ ୧୫୭
    ଦ୍ୱୀପ ବରଷ ନଦୀ ଗିରି । ସର୍ବ ସମୁଦ୍ର ଦଣ୍ତଧାରୀ ॥ ୧୫୮
    ପାତାଳ ଦିଗ ଯେ ନରକ । ଭାଗ ଲକ୍ଷଣ ଯେତେ ଲୋକ ॥ ୧୫୯
    ଈଶ୍ୱର ସ୍ଥୂଳ ଯେ ଶରୀର । ଆଶ୍ରୟ ସକଳଜୀବର ॥ ୧୬୦
    ଏ ସର୍ବ ବିଭାଗ ପ୍ରକାରେ । ଭୋ ନୃପ କହିଲୁ ତୁମ୍ଭରେ ॥ ୧୬୧
    କହଇ ଜଗନ୍ନାଥ ଦାସ । ପଞ୍ଚମସ୍କନ୍ଧେ ସୁଧାରସ ॥ ୧୬୨
    ସାଦରେ ପିଅ ସାଧୁପ୍ରାଣୀ । ତରିବ ଭବତରଙ୍ଗିଣୀ ॥ ୧୬୩
    ଏ ଯେ ସଂସାର-ସିନ୍ଧୁ-ଘୋର । ଦୁଷ୍ଟଜନରେ ଭୟଙ୍କର ॥ ୧୬୪
    ପାଦପଲ୍ଲବଯୁଗ ଧରି । ସୁଖେ ତରିବ ଭବବାରି ॥ ୧୬୫
    ତା ବିନୁ ଅନ୍ୟଗତି ନାହିଁ । ତ୍ରାହି କରିବେ ଭାବଗ୍ରାହୀ ॥ ୧୬୬
    ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
    ସଂହିତାୟାଂ ପଞ୍ଚମସ୍କନ୍ଧେ ନରକାନୁବର୍ଣ୍ଣ‌ନଂ ନାମ
    ଷଡ୍‌ବିଂଶୋଽଧ୍ୟାୟଃ ॥ 

    No comments

    Post Top Ad

    Shubhapallaba free eMagazine and online web Portal

    Post Bottom Ad

    Shubhapallaba Hindi Portal