Header Ads

Shubhapallaba online English Portal
  • Latest Post

    ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ - ଦ୍ୱିତୀୟ ସ୍କନ୍ଧ

    Odia Bhagabata by Jagannagh Das

    ପ୍ରଥମ ଅଧ୍ୟାୟ

    ସୂତ ଉବାଚ

    ହରି-ଚରଣ ଚିନ୍ତି ଧ୍ୟାନେ । କୋମଳ-ଗଭୀର-ବଚନେ । । ୧
    ରୋମପୁଲକ ନିଜଦେହୀ । ଶୁକ କହନ୍ତି ରାଜା ଚାହିଁ । । ୨

    ଶୁକ ଉବାଚ

    ହେ ପରୀକ୍ଷିତ ନୃପବର । ଗରିଷ୍ଠ ପ୍ରଶ୍ନ ଏ ତୋହର । । ୩
    ପଚାରୁ ଜୀବଲୋକ ହିତେ । ଯେ ପ୍ରଶ୍ନ ଅଛି ତୋର ଚିତ୍ତେ । । ୪
    ଏ ଆତ୍ମାଜ୍ଞାନୀଙ୍କର ସାର । ସଂସାରେ ଜନଉପକାର । । ୫
    ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ । ଆଗମ ନିଗମ ଭକତେ । । ୬
    ସହସ୍ର ସହସ୍ର ପ୍ରକାରେ । ଯେ ପ୍ରଶ୍ନ ଅଛି ଏ ସଂସାରେ । । ୭
    ସଂସାର କରିବାର ଆଶେ । ଯେତେ ଅଛନ୍ତି ଗୃହବାସେ । । ୮
    ଇନ୍ଦ୍ରିୟବଶେ ଗୃହେ ଥାଇ । ଆତ୍ମାର ହିତେ ଜ୍ଞାନ ନାହିଁ । । ୯
    ଆୟୁଷ କ୍ଷୟ ନ ଜାଣନ୍ତି । ବିଷୟ ଅର୍ଥ ନିତ୍ୟେ ଚିନ୍ତି । । ୧୦
    ନିଶା ହରଇ ଅର୍ଦ୍ଧବେଳ । ନିଦ୍ରା ବା ବଧୂ ସଙ୍ଗ ମେଳ । । ୧୧
    ଦିବସେ ଅର୍ଥ ଚିନ୍ତାକୁଳ । କୁଟୁମ୍ବପୋଷଣେ ବିକଳ । । ୧୨
    ସୁତ-କଳତ୍ର ଦେହ ପାଇ । ଆନନ୍ଦେ ତାଙ୍କ ମଧ୍ୟେ ଥାଇ । । ୧୩
    ବିଷ୍ଣୁର ମାୟା ସତ୍ୟ ଚିନ୍ତି । ନିକଟେ ମୃତ୍ୟୁ ନ ଦେଖନ୍ତି । । ୧୪
    ମରଣ ଦେଖୁଥାନ୍ତି ଡୋଳେ । ଅଜ୍ଞାନେ ଭ୍ରମେ ସୁଖଭୋଳେ । । ୧୫
    ଏଣୁ ସଂସାର ପ୍ରାଣୀଙ୍କର । ଆତ୍ମାର ଗତି ଅଗୋଚର । । ୧୬
    ଏଣୁ ସଂସାର ଭାବ ତେଜି । ଆତ୍ମାର ଗତି ଚିତ୍ତେ ହେଜି । । ୧୭
    ଯେ ହରି ସର୍ବଘଟେ ପୂରେ । ନିର୍ଲେପ ବାହ୍ୟ-ଅଭ୍ୟନ୍ତରେ । । ୧୮
    ତାର ମହିମା ଶୁଣି କର୍ଣ୍ଣେ । ନାମକୁ ଉଚ୍ଚାରି ବଦନେ । । ୧୯
    ସ୍ମରଣ କର ହୃଦଗତେ । ଯେବେ ଅଭୟ-ଇଚ୍ଛା ଚିତ୍ତେ । । ୨୦
    ଏକଥା ସାଂଖ୍ୟଯୋଗେ ଜାଣି । ସ୍ୱଧର୍ମନିଷ୍ଠା ପରିମାଣି । । ୨୧
    ଜନ୍ମର ଲାଭ ଏ ପ୍ରମାଣ । ଅନ୍ତେ ସ୍ମରଣ ନାରାୟଣ । । ୨୨
    ପୂର୍ବେ ନିର୍ମଳ-ମୁନି ଯେତେ । ତତ୍ତ୍ୱ ବିଚାରି ବେଦମତେ । । ୨୩
    ବିଧି ନିଷେଧ ଦୂର କରି । କୃଷ୍ଣର ଭାବ ହୃଦେ ଧରି । । ୨୪
    କୃଷ୍ଣର ଗୁଣ ଅନୁକ୍ଷଣେ । ଗୁଣନ୍ତି ଶୁଣନ୍ତି ଶ୍ରବଣେ । । ୨୫
    ଏ ଭାଗବତ ଧର୍ମବାଣୀ । ବ୍ରହ୍ମସମାନେ ପରିମାଣି । । ୨୬
    ଦ୍ୱାପରଯୁଗ ଅନ୍ତଃକାଳେ । ମୁଁ ଯେ ଅନେକ ଶିଷ୍ୟମେଳେ । । ୨୭
    ମୋର ଜନକ ବ୍ୟାସମୁନି । ତାହାଙ୍କ ଶିକ୍ଷା ଶିରେ ଘେନି । । ୨୮
    ନିର୍ଗୁଣ ମାର୍ଗେ ଦୃଢ଼ଚିତ୍ତ । ବିଷ୍ଣୁର ଭାବ ହେଲା ଜାତ । । ୨୯
    ନିଶ୍ଚଳ ଯୋଗେ ମନ ଥୋଇ । ଯେବା ଅଭ୍ୟାସ କଲି ମୁହିଁ । । ୩୦
    କହିବି ତୋର ଆଗେ ତାହା । ଶୁଣ ପରୀକ୍ଷ ପୁଣ୍ୟଦେହା । । ୩୧
    ଏ ଭାଗବତ ବାଣୀ କର୍ଣ୍ଣେ । ଯେ ଶୁଣେ ଶ୍ରଦ୍ଧା ଅବଧାନେ । । ୩୨
    ମୁକୁନ୍ଦପାଦେ ତାଙ୍କ ମନ । ନିଶ୍ଚଳେ ରହେ ଅନୁକ୍ଷଣ । । ୩୩
    ମୋକ୍ଷ ଇଚ୍ଛିଲା ପ୍ରାଣୀଙ୍କର । ହରିକୀର୍ତ୍ତନ ଅଟେ ଫଳ । । ୩୪
    ତାକୁ ନ ଲାଗେ ଯମଭୟେ । ନିର୍ଭୟପଥେ ଚିତ୍ତ ରହେ । । ୩୫
    ଯୋଗ ଅଭ୍ୟାସେ ଯୋଗୀଜନେ । ଦୀର୍ଘେ ଜୀବନ୍ତି ଯୋଗଧ୍ୟାନେ । । ୩୬
    ଯେବେ ସେ କୃଷ୍ଣନାମ ମୁଖେ । କହନ୍ତି ଏକକୁ ଆରକେ । । ୩୭
    ଦିନ ବଞ୍ଚନ୍ତି କୃଷ୍ଣ-ଗାଇ । ଅନ୍ତରେ ତାର ପଦ ଧ୍ୟାୟି । । ୩୮
    ଯେ ହରି ନ ବୋଲେ ବଦନେ । କି ପ୍ରୟୋଜନ ଯୋଗଧ୍ୟାନେ । । ୩୯
    କାଳ ନିର୍ଣ୍ଣୟ ନାହିଁ ତହିଁ । ହେ ନୃପ ଶୁଣ ମନଦେଇ । । ୪୦
    ମୁହୂର୍ତ୍ତମାତ୍ରେ କୃଷ୍ଣବାଣୀ । ଯେ ଶୁଣେ ଯେବା ମୁଖେ ଭଣି । । ୪୧
    ସେ ପ୍ରାଣୀ ଆତ୍ମାକୁ ଉଦ୍ଧରେ । କି ଭାବ ବହୁ ସମ୍ବତ୍ସ›ରେ । । ୪୨
    ଖଟ୍ୱାଙ୍ଗ ନାମେ ରାଜା ଥିଲା । ସ୍ୱର୍ଗେ ଦେବଙ୍କୁ ହିତ କଲା । । ୪୩
    ରିପୁ ସଂହାରି ଦେବପାଶେ । ମିଳିଲା ଭକତି-ବିଶ୍ୱାସେ । । ୪୪
    ଦେବେ ବୋଇଲେ ମାଗ ବର । ଶୁଣି ବୋଇଲା ନୃପବର । । ୪୫
    ଆୟୁଷ ଅଛଇ ମୋ କେତେ । ଦେବେ କହିଲେ ଶାସ୍ତ୍ରମତେ । । ୪୬
    ମୁହୂର୍ତ୍ତେ ଅଛି ତୋ ଜୀବନ । ତାଣୁଣି ସନ୍ତୋଷ ରାଜନ । । ୪୭
    ତକ୍ଷଣେ ଆସି ମହୀତଳେ । ଭାବିଲା ଅକିଞ୍ଚନ ମେଳେ । । ୪୮
    ମୁହୂର୍ତ୍ତେ ନାମ ଉଚ୍ଚାରିଲା । ଅନ୍ତେ ସେ ଗୋବିନ୍ଦେ ପଶିଲା । । ୪୯
    ଏବେ ସପତଦିନ ଯାଏ । ଜୀବନ ଥିବ ତୋର ଦେହେ । । ୫୦
    ଏବେ ହରିଙ୍କି ଆଶ୍ରେକର । କର୍ଣ୍ଣେ ଶୁଣ ମୁଖେ ଉଚ୍ଚାର । । ୫୧
    ଯେ ଅନ୍ତଃକାଳେ କୃଷ୍ଣବାଣୀ । ମୁଖେ ଉଚ୍ଚାରେ କର୍ଣ୍ଣେ ଶୁଣି । । ୫୨
    ତାହାର ମୃତ୍ୟୁଭୟ ନୋହେ । ଦାରାତନୟ ନିଜ ଦେହେ । । ୫୩
    ଯେତେ ବିଷୟ ଆତ୍ମାଭେଦି । ଅସଙ୍ଗଶସ୍ତ୍ରେ ତାହା ଛେଦି । । ୫୪
    ବେଗେ ସେ ପଶେ କୃଷ୍ଣଭାବେ । ଶୁଣ କହିବା ତୋତେ ଏବେ । । ୫୫
    ଯେ ପ୍ରାଣୀ ଅନ୍ତଃକାଳ ଜାଣି । ଆତ୍ମାର ହିତ ମନେ ଗୁଣି । । ୫୬
    ଘରୁ ବାହାର ହୋଇ ଜ୍ଞାନେ । ତପଆଚରେ ଘୋରବନେ । । ୫୭
    ସ୍ନହାନ ସାରି ତୀର୍ଥଜଳେ । ଆସନେ ବସିବ ନିଶ୍ଚଳେ । । ୫୮
    ଏକାନ୍ତେ ଯେ ବିଧି ଆସନେ । ପ୍ରଥମ-ଆଶ୍ରମ ଲକ୍ଷଣେ । । ୫୯
    ଅଭ୍ୟାସ କରି ଶୁଦ୍ଧମନେ । ତ୍ରିବୃତ-ବ୍ରହ୍ମ ସୁମରଣେ । । ୬୦
    ପ୍ରାଣ ପବନ ଯୋଗେ ରୁନ୍ଧି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି । । ୬୧
    ବୁଦ୍ଧି-ସାରଥି ଆଶ୍ରେ କରି । ବିଷୟ-ସମୂହ ସଂହରି । । ୬୨
    କର୍ମେ ଚଞ୍ଚଳମନ ବଳେ । ନିରୋପି କୃଷ୍ଣ-ପାଦତଳେ । । ୬୩
    ତାର ଶରୀର ଅବୟବେ । ଚିନ୍ତିବ ଏକେ ଏକେ ଭାବେ । । ୬୪
    ମନକୁ ନିର୍ବିଷୟ କରି । ସକଳଚିନ୍ତା ପରିହରି । । ୬୫
    ମନ ପ୍ରସନ୍ନ ଯେତେବେଳେ । ଜ୍ଞାନ-ପ୍ରସରେ ସୁନିଶ୍ଚଳେ । । ୬୬
    ସ୍ୱଭାବେ ମନ ଦୁଷ୍ଟପଣେ । ଆବୃତ ରଜ ତମୋ ଗୁଣେ । । ୬୭
    ଏଣୁ ଧାରଣା ଆଶ୍ରେ କରି । ମନର ମଳ ଅପହରି । । ୬୮
    ଏମନ୍ତ ଯୋଗର ଧାରଣ । ଯୋଗୀଙ୍କ ଭକତି ଲକ୍ଷଣ । । ୬୯
    ଯେ ଭକ୍ତି-ଧାରଣାର ବଳେ । ଯୋଗପ୍ରାପତ ଅଳ୍ପକାଳେ । । ୭୦
    ବିଷୟ ଦେଖଇ ମଙ୍ଗଳ । କୃଷ୍ଣେ କରଇ ସର୍ବମେଳ । । ୭୧
    ଏମନ୍ତ ଶୁକ ମୁଖୁ ଶୁଣି । ବୋଲେ ପାଣ୍ଡବ-ଚୂଡ଼ାମଣି । । ୭୨

    ରାଜା ଉବାଚ

    ଧାରଣା-ଯୋଗ ଚିତ୍ତେ ଧରି । ଯେମନ୍ତେ ତରେ ବ୍ରହ୍ମଚାରୀ । । ୭୩
    ଯେମନ୍ତ ଧାରଣା ନିଶ୍ଚଳ । ବେଗେ ହରଇ ମନୁ ମଳ । । ୭୪
    ଏ ଯୋଗଧାରଣା ସ୍ୱଭାବ । ଯେ ଶାସ୍ତ୍ରମାର୍ଗେ ଅନୁଭବ । । ୭୫
    ଗୁରୁ ବଚନେ କିବା ଜାଣି । ଯୋଗଧାରଣା ପରିମାଣି । । ୭୬
    ଯେଣେ ଅଭ୍ୟାସ ପ୍ରାଣୀକରେ । ଯେମନ୍ତେ ମନୁ ମଳ ହରେ । । ୭୭
    କହି ପବିତ୍ର ମୋତେ କର । ନିର୍ମଳ ହେଉ ମୋ ଶରୀର । । ୭୮
    ଏମନ୍ତ ରାଜା ପ୍ରଶ୍ନ ଶୁଣି । ଶୁକ କହନ୍ତି ମନେ ଗୁଣି । । ୭୯

    ଶୁକ ଉବାଚ

    ଜିତ ଆସନ ଜିତ ପ୍ରାଣ । ଜିତ ବିଷୟ ଇନ୍ଦ୍ରିଗଣ । । ୮୦
    ସ୍ଥୂଳ ଶରୀରେ ବୁଦ୍ଧିବଳେ । ମନକୁ ସ୍ଥାପିବ ନିଶ୍ଚଳେ । । ୮୧
    ବିଶେଷେ ଗୋବିନ୍ଦ ଶରୀର । ଅତ୍ୟନ୍ତ ସ୍ଥୂଳୁ ସ୍ଥୂଳତର । । ୮୨
    ଯହିଁ ସଂସାର ପରମାଣ । ଭୂତ-ଭବିଷ୍ୟ-ବତ୍ତର୍ମାନ । । ୮୩
    ବ୍ରହ୍ମାଣ୍ଡ ବସେ ଯାର ଦେହି । ସପ୍ତାବରଣେ ଯୁକ୍ତ ହୋଇ । । ୮୪
    ବିରାଜ-ପୁରୁଷ ଏ ମଧ୍ୟେ । ବସେ ଧାରଣା ଅନୁବାଦେ । । ୮୫
    ବ୍ରହ୍ମାଣ୍ଡ ଚତୁର୍ଦ୍ଦଶ-ପୁର । ପ୍ରମାଣ ଯାହାର ଶରୀର । । ୮୬
    ଶୁଣ କହିବା ଅଧଉର୍ଦ୍ଧ୍ୱେ । ବିରାଟରୂପ ଥାଇ ମଧ୍ୟେ । । ୮୭
    ପାତାଳ ବୋଲି ପାଦମୂଳ । ପାର୍ଷ୍ଣି ପାଦଗ୍ର ରସାତଳ । । ୮୮
    ଚରଣ ଗୁଳ୍‌ଫେ ମହାତଳ । ଜଂଘଯୁଗଳ ତଳାତଳ । । ୮୯
    ସୁତଳ ବୋଲି ଜାନୁଯୁଗେ । ବିତଳାତଳ ଉରୁଭାଗେ । । ୯୦
    ଜଘନଦେଶ ମହୀତଳ । ନାଭିମଣ୍ଡଳ ନଭସ୍ଥଳ । । ୯୧
    ସ୍ୱର୍ଲୋକ ହୃଦୟରେ ବସେ । ଜ୍ୟୋତିସମୂହ ପରକାଶେ । । ୯୨
    କଣ୍ଠ ଆଶ୍ରିତ ମହର୍ଲୋକ । ବଦନେ ବଶେ ଜନଲୋକ । । ୯୩
    ଲଲାଟେ ତପଲୋକ ବସେ । ସତ୍ୟ କଳ୍ପିତ ଶିରଦେଶେ । । ୯୪
    ବାସବ ଆଦି ଦିଗପାଳ । ଯାହାର ଭୁଜ ସୁବିଶାଳ । । ୯୫
    କର୍ଣ୍ଣ ଯାହାର ଅଷ୍ଟଦିଶା । ଅଶ୍ୱିନୀକୁମାରେ ଯା ନାସା । । ୯୬
    ଜ୍ୱଳନ୍ତା ଅଗ୍ନି ଯା ବଦନ । ନୟନ ଗୋଲୋକ ଗମନ । । ୯୭
    ତପନ ଯାର ଚକ୍ଷୁବେନି । ଉଦୟ ଅସ୍ତ ପକ୍ଷୁ ବେନି । । ୯୮
    ଯାର ଭ୍ରୂଭଙ୍ଗ ବ୍ରହ୍ମପଦ । ସଲିଳ ତାଳୁ ରସଜିହ୍ୱ । । ୯୯
    ସକଳ ବେଦ ବ୍ରହ୍ମରନ୍ଧ୍ର । ବିକଟ ଦନ୍ତ ଯମପଦ । । ୧୦୦
    ଯାହାର ତୁଣ୍ଡେ ସ୍ନେହକଳା । ଅଧଉଦ୍ଧ୍ୱର୍ରେ ଦନ୍ତମାଳା । । ୧୦୧
    ଜନଉନ୍ମାଦ ଯାର ହାସ । ଯେ ବିଷ୍ଣୁମାୟାର ପ୍ରକାଶ । । ୧୦୨
    ସଂସାର ଯାହାର କଟାକ୍ଷ । ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ । । ୧୦୩
    ଉପର ଓଷ୍ଠେ ଲଜ୍ଜା ବସେ । ଲୋଭ ବସଇ ଅଧୋଦେଶେ । । ୧୦୪
    ଧର୍ମ ବସଇ ସ୍ତନଯୁଗେ । ଅଧର୍ମପଥ ପୃଷ୍ଠଭାଗେ । । ୧୦୫
    ଅଣ୍ଡେ ବସଇ ପ୍ରଜାପତି । ମିତ୍ରାବରୁଣ କୋଷେ ସ୍ଥିତି । । ୧୦୬
    ଉଦଧି ଯାହାର ଉଦର । ଅସ୍ଥିସମୂହ ମହୀଧର । । ୧୦୭
    ଶିରାସମୂହ ନଦୀଗଣ । ବୃକ୍ଷଔଷଧି ତନୁରୋମ । । ୧୦୮
    ଅନନ୍ତବୀର୍ଯ୍ୟ ଯହିଁ ବସେ । ଶ୍ୱାସପବନ ଅଣଚାଶେ । । ୧୦୯
    ଯାହାର ଗତି ଜାଣ କାଳ । ଜୀବ ସଂସାର ଯାର ଖେଳ । । ୧୧୦
    ଜୀମୂତଗଣ ଯାର କେଶ । ସନ୍ଧ୍ୟା ଯାହାର ନିଜବାସ । । ୧୧୧
    ପ୍ରକୃତି ହୃଦୟ ଯାହାର । ଯାହାର ମନ ନିଶାକର । । ୧୧୨
    ହେ କୁରୁଶ୍ରେଷ୍ଠ ପରୀକ୍ଷିତ । ଈଶ୍ୱର ସର୍ବ କୋଷଭୂତ । । ୧୧୩
    ବିଜ୍ଞାନଶକ୍ତି ଯା ମହିମା । ଅନ୍ତଃକରଣ ରୁଦ୍ରସୀମା । । ୧୧୪
    କଲଭ ଅଶ୍ୱ ଅଶ୍ୱତର । ନଖସମୂହ କରିବର । । ୧୧୫
    ଯେ ପଶୁ ମୃଗାଦି ବିଶେଷେ । ସର୍ବ କଳ୍ପିତ ଶ୍ରୋଣୀଦେଶେ । । ୧୧୬
    ପକ୍ଷିଏ ଯାର ବ୍ୟାକରଣ । ବୁଦ୍ଧି ବିଷୟ ମନୁଗଣ । । ୧୧୭
    ଯାର ନିବାସ ନରଦେହ । ଯହିଁ କଳ୍ପିତ ମାୟାମୋହ । । ୧୧୮
    ଗନ୍ଧର୍ବ ବିଦ୍ୟାଧର ଆଦି । ଚାରଣ ଗଣିକା ପ୍ରସିଦ୍ଧି । । ୧୧୯
    କିନ୍ନରଗଣ ଯାର ସ୍ୱର । ବୀର୍ଯ୍ୟରେ କଳ୍ପିତ ଅସୁର । । ୧୨୦
    ବ୍ରାହ୍ମଣ ଯାର ମୁଖୁ ଜାତ । କ୍ଷତ୍ରିୟ ଭୁଜରୁ ସମ୍ଭୂତ । । ୧୨୧
    ଉରୁରୁ ବୈଶ୍ୟ ଉତପତ୍ତି । ପାଦରୁ ଜନ୍ମ ଶୂଦ୍ରଜାତି । । ୧୨୨
    ନାନା ପ୍ରକାର ନାମ ବହି । ଅଭୀଷ୍ଟ ଦେବେ ଯାର ଦେହି । । ୧୨୩
    ନିଗମ-କର୍ମ-କାଣ୍ଡ ଯେତେ । ଯାହାର କର୍ମ ଏ ଯୁଗତେ । । ୧୨୪
    ଏମନ୍ତେ ଈଶ୍ୱରର ଦେହେ । ବସନ୍ତି ଅବୟବ ପ୍ରାୟେ । । ୧୨୫
    ଏମନ୍ତେ ଏ ସ୍ଥୂଳ-ଶରୀରେ । ଧାରଣାଯୋଗେ ନିର୍ବିକାରେ । । ୧୨୬
    ମନ ନିରୋଳ ଯୋଗବଳେ । ଗୋବିନ୍ଦ-ଚରଣ-କମଳେ । । ୧୨୭
    ସର୍ବ ଶରୀରେ ଭଗବାନ । ତା ତହୁଁ କେବା ଅଛି ଆନ । । ୧୨୮
    ସେ ସର୍ବ-ବୁଦ୍ଧି ଅନୁଭବ । ଜୀବ ପରମ ପଦ୍ମନାଭ । । ୧୨୯
    ସତ୍ୟ-ପରମାନନ୍ଦ-ନିଧି । ତାର ଭଜନ ସର୍ବସିଦ୍ଧି । । ୧୩୦
    ଜନ୍ମମରଣ ତାର ତହୁଁ । କେବା ଗୋଚରେ ତାହା କହୁଁ । । ୧୩୧
    ଯେ ଅନ୍ୟସଙ୍ଗ ଦାରାସୁତ । ନ କରି ଯେଣୁ ଆତ୍ମପାତ । । ୧୩୨
    ସ୍ୱପ୍ନରେ ଜୀବର ଯେମନ୍ତ । ଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ । । ୧୩୩
    ସେ ସର୍ବମିଥ୍ୟା ଜୀବ ସତ୍ୟ । ଏ ଜ୍ଞାନେ ହୁଅଇ ମୁକତ । । ୧୩୪

    ସୂତ ଉବାଚ

    ଏମନ୍ତ କହି ଶୁକମୁନି । ହରଷେ ହରିଭାବ ଘେନି । । ୧୩୫
    ଆନନ୍ଦେ ପରୀକ୍ଷିତ ମେଳେ । ଯାହା କହିଲେ ଗଙ୍ଗାକୂଳେ । । ୧୩୬
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ମହାପୁରୁଷସଂସ୍ଥାନ ଅନୁବର୍ଣ୍ଣନେ ନାମ ପ୍ରଥମୋଽଧ୍ୟାୟଃ ।।

    ଦ୍ୱିତୀୟ ଅଧ୍ୟାୟ

    ସୂତ ଉବାଚ

    କହନ୍ତି ଶୁକ ମହାମୁନି । ଶୁଣ ରାଜନ-ଚୂଡ଼ାମଣି । । ୧

    ଶୁକ ଉବାଚ

    ଏ ଯେତେ କହିଲି ମୁଁ ତୋତେ । ଈଶ୍ୱର ଶରୀର ସମେତେ । । ୨
    ଏ ସ୍ଥୂଳଦେହେ ମନ ଧରି । ସୁବୁଦ୍ଧିବଳେ ଯତ୍ନ କରି । । ୩
    ସେ ହରି ଅନ୍ତରେ ବାହାରେ । ଆନ କେ ଅଛି ଏ ସଂସାରେ । । ୪
    ସେ ସର୍ବବୁଦ୍ଧି ଅନୁଭୂତ । ସ୍ୱପ୍ନ-ଜାଗ୍ରତ ମଧ୍ୟେ ସ୍ଥିତ । । ୫
    ସତ୍ୟ-ଆନନ୍ଦ-ଜଳନିଧି । ଭକ୍ତଜନଙ୍କ ସର୍ବସିଦ୍ଧି । । ୬
    ଯାହାର ତହୁଁ ଏ ଜଗତ । ଆତ୍ମାର ତୁଲେ ଉଦେ ଅସ୍ତ । । ୭
    ଏହି ପ୍ରକାରେ ପୂର୍ବକାଳେ । ସେ ଆତ୍ମଯୋନି ଏ ଶୟଳେ । । ୮
    ଆତ୍ମ ସ୍ମରଣେ ବୁଦ୍ଧିବଳେ । ସର୍ଜିଲା ଏ ବିଶ୍ୱ-ମଣ୍ତଳେ । । ୯
    ପୂର୍ବେ ଯେମନ୍ତେ ଥିଲା ବିଧି । ତେହ୍ନେ ଧାରଣା ବଳେ ସାଧି । । ୧୦
    ଆତ୍ମାକୁ ପାଳି ପୁଣ ହରେ । ବଣିଜ ଯେହ୍ନେ ବଣିଜାରେ । । ୧୧
    ଶବଦ ବ୍ରହ୍ମର ଏ ପଥ । ଯେ ମାର୍ଗେ ଜୀବ ଆତଯାତ । । ୧୨
    ପଡ଼ି ଭ୍ରମଇ ଅଧ ଉର୍ଦ୍ଧ୍ୱେ । କିଛି ନ ଲଭେ ଲାଭପଦେ । । ୧୩
    ନାନା ଦେବତା ଦୀକ୍ଷା କରେ । ବିଅର୍ଥ-ସୁଖେ ମନ ଧରେ । । ୧୪
    ବାସନା-ମାୟାମୟ-ଯାନେ । ନ ବୁଝି ନିରତେ ଭ୍ରମଣେ । । ୧୫
    ତାହାଙ୍କ ମଧ୍ୟେ ଯେ ସୁବୁଦ୍ଧି । ଜାଣଇ ବେଗ-ସତ୍ୟ-ବୁଦ୍ଧି । । ୧୬
    ବିଚାର କରେ ମାୟାଗ୍ରସ୍ତେ । ମୁହିଁ ଭ୍ରମଇ କିସ ଅର୍ଥେ । । ୧୭
    ଶ୍ରମ ଲଭଇ ଆତଯାତେ । ଲାଭ ନ ମିଳେ ମୋର ହସ୍ତେ । । ୧୮
    ଏଣୁ ଏ ପଥଶ୍ରମ ତେଜି । ଯେ ପ୍ରାଣୀ ଆତ୍ମାଲାଭ ଖୋଜି । । ୧୯
    ପ୍ରୟାସ ଦୂରେ ପରିହରି । ଆତ୍ମାରେ ଆତ୍ମା ବୋଧ କରି । । ୨୦
    ଅଳପ ଭୋଗେ ଆତ୍ମା ପୋଷେ । ବର୍ତ୍ତଇ ଅବା ଉପବାସେ । । ୨୧
    ଥାଉଁ ଏ ବସୁନ୍ଧରୀ ଅଙ୍କ । ସୁବର୍ଣ୍ଣ ପଲେଙ୍କ କି ସୁଖ । । ୨୨
    ସମର୍ଥ-ଭୁଜ ଥାଉଁ ବାମେ । କି ପ୍ରୟୋଜନ ଉପାଧାନେ । । ୨୩
    ଅଞ୍ଜଳି ଅଛି ଯେବେ ହସ୍ତେ । କି ପ୍ରୟୋଜନ ଅନ୍ୟପାତ୍ରେ । । ୨୪
    ଦିଗ-ବକଳ ଯାର ବାସ । ବସନେ ତାର କିବା ଆଶ । । ୨୫
    ଲେଙ୍କଡ଼ା ବସ୍ତ୍ର ପଥେ ଦେଖି । ତାର ଗ୍ରହଣେ ହୋନ୍ତି ସୁଖୀ । । ୨୬
    ଥାଉଁ ସମର୍ଥ ଦୁଇଭୁଜ । କୃତ୍ୟ କିଙ୍କରେ କିସ କାର୍ଯ୍ୟ । । ୨୭
    ଆରୋହି ମନ ଯାର ପାଦ । ଗଜତୁରେଙ୍ଗ କିସ ସଧ । । ୨୮
    ଫଳ ପୂରିଛି ବୃକ୍ଷେ ବନେ । କି ପ୍ରୟୋଜନ ଭିକ୍ଷାଅନ୍ନେ । । ୨୯
    ନିର୍ଝର ନଦୀ କୂପ ସ୍ଥଳେ । କି ପ୍ରୟୋଜନ କମଣ୍ତଳେ । । ୩୦
    ପର୍ବତ ଗୁହା ତୃଣେ ବେଢ଼ି । ସେ ଥାଉଁ ଗୃହେ କିମ୍ପା ପଡ଼ି । । ୩୧
    ଏମନ୍ତ ଭାବେ କୃଷ୍ଣପାଦେ । ଯେ ପ୍ରାଣୀ ରମନ୍ତି ଆନନ୍ଦେ । । ୩୨
    ତାହାଙ୍କ ରକ୍ଷଣ ଉପାୟ । କରନ୍ତି ପ୍ରଭୁ ଦେରାୟ । । ୩୩
    ସେ କିମ୍ପା ଧନଗର୍ବୀ ଲୋକେ । କ୍ଷଣେ ଭଜିବେ ଆତ୍ମସୁଖେ । । ୩୪
    ଏହି ପ୍ରକାରେ ଆତ୍ମଚିତ୍ତେ । ସିଦ୍ଧି ଲଭନ୍ତି ଅନୁଭୂତେ । । ୩୫
    ସେ ପ୍ରାଣୀ ହୋଏ କୃତକୃତ୍ୟ । ତାହାକୁ ପ୍ରସନ୍ନ ଅନନ୍ତ । । ୩୬
    ଏଣୁ ନିୟତ ଆତ୍ମା ଯୋଗେ । ଭଜିବ କୃଷ୍ଣ-ପାଦଯୁଗେ । । ୩୭
    ମୁଁ ତୋତେ କହିଲି ବିଶ୍ୱାସେ । ଏଣେ ସଂସାର-ହେତୁ ନାଶେ । । ୩୮
    ଏ ଭାବ ଅନାଦର କରି । ସଂସାର-ଚିନ୍ତା ଚିତ୍ତେ ଧରି । । ୩୯
    ପଶୁଙ୍କ ପ୍ରାୟ ତାଙ୍କ ଗତି । ଏ ମାୟା-ସଂସାରେ ଭ୍ରମନ୍ତି । । ୪୦
    ଦେଖ ସଂସାରେ ପ୍ରାଣୀ ଯେତେ । ଯନ୍ତ୍ରିତ ଯମର ଆୟତ୍ତେ । । ୪୧
    ବଇତରଣୀ ନାମେ ନଦୀ । ଯାତନା ମଧ୍ୟେ ସେ ପ୍ରସିଦ୍ଧି । । ୪୨
    ତହିଁ ପଡ଼ନ୍ତି ଦେଖୁ ଦେଖୁ । ତାଙ୍କ ଜୀବନ କେବା ରଖୁ । । ୪୩
    ଅର୍ଜିଲା କର୍ମଫଳ ସେବି । ଅଶେଷ ଦେହେ ତାହା ଭାବି । । ୪୪
    ଏବେ ହୋ ଶୁଣ ନୃପମଣି । ଯେଣେ ସଂସାରୁ ତରେ ପ୍ରାଣୀ । । ୪୫
    ଏ ଭାବେ ଏ ନର-ଶରୀରେ । ଧାରଣାଯୋଗ ନିର୍ବିକାରେ । । ୪୬
    ସ୍ୱଦେହେ ହୃଦୟ ପ୍ରକାଶେ । ସେ ହରି ଘୋରତମ ନାଶେ । । ୪୭
    ପ୍ରାଦେଶମାତ୍ର ରୂପ ଧରି । ବିଜୟେ ପ୍ରଭୁ ନରହରି । । ୪୮
    ସୂକ୍ଷ୍ମ-ସ୍ୱରୂପ ରୂପ ତାର । ଶୁଣ ସୁମନେ କୁରୁବୀର । । ୪୯
    ଶ୍ୟାମସୁନ୍ଦର ଭୁଜଚାରି । ଶଙ୍ଖ-କମଳ-ଗଦା-ଅରୀ । । ୫୦
    ଧାରଣା ଯୋଗେ ଏହା ଚିନ୍ତି । ନିଶ୍ଚଳ-ନୟନେ ଦେଖନ୍ତି । । ୫୧
    ପ୍ରସନ୍ନ ଶ୍ରୀମୁଖ-ମଣ୍ତଳ । ଲୋଚନ ଅମଳ-କମଳ । । ୫୨
    କଦମ୍ବ ଜିଞ୍ଜଳ୍ କ ସୁରଙ୍ଗେ । ପୀତବସନ ଶୋହେ ଅଙ୍ଗେ । । ୫୩
    ସୁବର୍ଣ୍ଣ କରୀଟ କୁଣ୍ତଳ । ସୁନ୍ଦର ଅଳକା କପୋଳ । । ୫୪
    ଅମୂଲ୍ୟ-ହାର ବକ୍ଷସ୍ଥଳେ । ରତ୍ନକେୟୂର ବାହୁମୂଳେ । । ୫୫
    ହୃଦୟପଦ୍ମ ମଧ୍ୟେ ସ୍ମରି । ଯେ ପାଦଧ୍ୟାୟେ ବ୍ରହ୍ମଚାରୀ । । ୫୬
    ସେ ପାଦ ଲକ୍ଷ୍ମୀରେ ଚିହ୍ନିତ । ଦିଶଇ ଅତ୍ୟନ୍ତ ଶୋଭିତ । । ୫୭
    ଶ୍ରୀବତ୍ସ› କଉସ୍ତୁଭମଣି । ସୁବର୍ଣ୍ଣସୂତ୍ରେ ସୁଖଞ୍ଜଣି । । ୫୮
    ଆଜାନୁଲମ୍ବେ ବନମାଳେ । ସ୍କନ୍ଧୁବେଷ୍ଟିତ ବକ୍ଷସ୍ଥଳେ । । ୫୯
    ରତ୍ନମେଖଳା କଟୀମାଝେ । ଅଙ୍ଗୁଷ୍ଠେ ମୁଦ୍ରିକା ବିରାଜେ । । ୬୦
    ଅଙ୍ଗଦ ନୂପୁର କଙ୍କଣ । ବିବିଧ ଅଙ୍ଗ-ଆଭରଣ । । ୬୧
    ଅମଳପୁଷ୍ପ ଶିରେ ଶୋହେ । ନୀଳକୁନ୍ତଳ ଜନ ମୋହେ । । ୬୨
    ସୁନ୍ଦର ହୃଷିତ-ବଦନ । ଅଞ୍ଜନ ବିରାଜେ ନୟନ । । ୬୩
    ଭ୍ରୂଭଙ୍ଗ ଅନୁଗ୍ରହ ମୁଖ । ଭ୍ରୂକୁଟୀ କୁଟୀଳ ସୁରେଖ । । ୬୪
    ଅନେକ ଅନୁଗ୍ରହ ଯହିଁ । ସଞ୍ଚିତ ହୋଇଅଛି ରହି । । ୬୫
    ଏମନ୍ତେ ଈଶ୍ୱରର ଦେହ । ଚିତ୍ତେ ଚିନ୍ତିବ ଚିନ୍ତାମୟ । । ୬୬
    ଯାବତ ଧାରଣାର ବଳେ । ମନକୁ ରୁହାଇ ନିଶ୍ଚଳେ । । ୬୭
    ତାବତ ଏକ ଏକ ଅଙ୍ଗେ । ନିତ୍ୟେ ଭାବିବ ବୁଦ୍ଧିଯୋଗେ । । ୬୮
    ହାସବଦନୁ ପାଦଯାଏ । ଭାବିବ ବିଷ୍ଣୁ ସ୍ଥୂଳଦେହେ । । ୬୯
    ସ୍ଥାନକୁ ସ୍ଥାନ ଧ୍ୟାନ କରି । ଛାଡ଼ିବ ଅପର ଆବୋରି । । ୭୦
    ଯାବତ ବୁଦ୍ଧି ଏ ଶରୀରେ । ପରମେ ଭକ୍ତି ନ ବିଚାରେ । । ୭୧
    ଯାବତ ବିଷ୍ଣୁ ନିଜ ଦେହେ । ନ ଦେଖି ତତ୍ତ୍ୱର ଉଦୟେ । । ୭୨
    ତାବତ ସ୍ଥୂଳ ରୂପ ଚିନ୍ତି । ଚିତ୍ତେ ସ୍ମରିବ ନିତିନିତି । । ୭୩
    ସୁଖେ ବସିବ ସ୍ଥିରାସନେ । ସ୍ଥୂଳ-ଶରୀର ଯୋଗଧ୍ୟାନେ । । ୭୪
    ଏମନ୍ତ କରିବ ଧାରଣ । ଯାବତ ନ ଲଭେ ମରଣ । । ୭୫
    ଏମନ୍ତ ଯୋଗୀ ଏ ଦେହକୁ । ଯେବେ ଇଚ୍ଛିବ ଛାଡ଼ିବାକୁ । । ୭୬
    ପବିତ୍ର-ପୁଣ୍ୟ-ତୀର୍ଥ-କାଳ । ମନରେ ନ କରି ବିଚାର । । ୭୭
    ଯୋଗସାଧନେ ପଞ୍ଚପ୍ରାଣ । ସାଧିବ ସମାଧି ଧାରଣ । । ୭୮
    ଆସନ ପ୍ରତ୍ୟାହାର ବଳେ । ମନକୁ ସ୍ଥାପିବ ନିଶ୍ଚଳେ । । ୭୯
    ମନ ସମେତେ ଇନ୍ଦ୍ରିଗଣ । ନିର୍ମଳ ବୁଦ୍ଧିରେ ସଂଯମ । । ୮୦
    ସେ ବୁଦ୍ଧି କ୍ଷେତ୍ରଜ୍ଞେ ପ୍ରମାଣି । ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି । । ୮୧
    ଆତ୍ମାରେ ଆତ୍ମାକୁ ନିରୋଧି । ଏମନ୍ତେ ଯେ ଜନ ସୁବୁଦ୍ଧି । । ୮୨
    ଆତ୍ମାର ଲାଭ ଲଭେ ହେଳେ । କର୍ମଛାଡ଼ିବ ତେତେବେଳେ । । ୮୩
    ଏ ଭାବେ ଜୀବର ନିସ୍ତାର । କାଳର ନାହିଁ ଅଧିକାର । । ୮୪
    ଦେବେ ନ ପାରେ ତାରେ ହିଂସି । ତ୍ରିଗୁଣେ ନ ପାରନ୍ତି ପଶି । । ୮୫
    ଇନ୍ଦ୍ରିୟଗଣେ ଅଗୋଚର । ଯହିଁ ମହତତତ୍ତ୍ୱ ଦୂର । । ୮୬
    ଦେବେ ନ ପାନ୍ତି ଯାହା ଚିନ୍ତି । ନ ଜାଣୁ ନ ଜାଣୁ ବୋଲନ୍ତି । । ୮୭
    ଦୁରାତ୍ମାଭାବ ପରିହରି । ସୁହୃଦଭାବ ଚିତ୍ତେ ଧରି । । ୮୮
    ଯେ ଅଟେ ବୈଷ୍ଣବର ଧାମ । ପରମପଦ ଯାର ନାମ । । ୮୯
    ସେ ପଦ ହୃଦରେ ଧରନ୍ତି । ସର୍ବତ୍ର ଶ୍ରେଷ୍ଠ ମନେ ଚିନ୍ତି । । ୯୦
    ଏ ରୂପେ ସାଧି ମୁନିଜନ । ପରମପଦେ କରେ ସ୍ଥାନ । । ୯୧
    ଯେବେ ନ ପାରେ ଏ ସାଧନେ । ତେବେ ବିଜ୍ଞାନ-ଶାସ୍ତ୍ରଜ୍ଞାନେ । । ୯୨
    ନାଶଇ ବିଷୟ-ବାସନା । ନାହିଁ ତା ମାୟାର ରଚନା । । ୯୩
    ଯେବେ ତା ଦେହତ୍ୟାଗେ ମନ । ତେବେ ସାଧିବ ଦୃଢ଼ାସନ । । ୯୪
    ବାମଚରଣ ପଛଭର । ତେଣେ ନିରୋଧି ମୂଳାଧାର । । ୯୫
    ମୂଳପବନ ଉର୍ଦ୍ଧ୍ୱେ ତୋଳି । ନାଭିପବନ ସଙ୍ଗେ ମିଳି । । ୯୬
    ବେନି ପବନ ପୁଣି ବଳେ । ସ୍ଥାପିବ ହୃଦୟ-କମଳେ । । ୯୭
    ତହୁଁ ତୋଳିବ ତିନି ପ୍ରାଣ । କଣ୍ଠେ ଯେ ବସଇ ଉଦାନ । । ୯୮
    ବ୍ୟାନ-ପବନ ତାର ତୁଲେ । ଧରି ସ୍ଥାପିବ ତାଳୁମୂଳେ । । ୯୯
    ତହୁଁ କୁମ୍ଭକ ସାଧ୍ୟକରି । ପ୍ରାଣକୁ ଭ୍ରୂମଣ୍ତଳେ ଭରି । । ୧୦୦
    ନିରୋଧ କରି ସପ୍ତଦ୍ୱାର । ସ୍ମରଣ କରିବ ଓଁକାର । । ୧୦୧
    ଯେବେ ଭୋଗରେ ମନ ନାହିଁ । ମୁହୂର୍ତ୍ତଅର୍ଦ୍ଧ ତହିଁ ରହି । । ୧୦୨
    ନିୟତ ଥାଇ ଯୋଗବନ୍ଧେ । ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ । । ୧୦୩
    ନିଶ୍ଚଳ-ଯୋଗ ଦୃଢ଼େ ସାଧି । ତକ୍ଷଣେ ବ୍ରହ୍ମରନ୍ଧ୍ର ଭେଦି । । ୧୦୪
    ପରମପଦେ ତାର ଗତି । ଦେହଇନ୍ଦ୍ରିୟ ପାଶୋରନ୍ତି । । ୧୦୫
    ହେ ନୃପ ଯେବେ ବ୍ରହ୍ମପଦ । ବୋଲିବ ପ୍ରୟାସ-ଆସ୍ପଦ । । ୧୦୬
    ଯେ ସିଦ୍ଧିଦେବଙ୍କର ସ୍ଥାନ । ଯେ ଅଷ୍ଟନିଧିରେ ସମ୍ପନ୍ନ । । ୧୦୭
    ବ୍ରହ୍ମର ବ୍ରହ୍ମଲୋକେ ସ୍ଥିତି । ସେ ସ୍ଥାନ ଭୋଗ ମନେ ଚିନ୍ତି । । ୧୦୮
    ଗୁଣ ସମୂହେ ଗୁଣସିଦ୍ଧି । ଯେବା ବାଞ୍ଛଇ ସର୍ବସିଦ୍ଧି । । ୧୦୯
    ମନ ଇନ୍ଦ୍ରିୟଗଣ ମେଳେ । ତକ୍ଷଣେ ସେ ଲୋକରେ ମିଳେ । । ୧୧୦
    ଯୋଗେଶ୍ୱରଙ୍କ ଏହୁ ଗତି । ପରମପୁରୁଷେ ବୋଲନ୍ତି । । ୧୧୧
    ଏମନ୍ତ ତିନିଲୋକ ଜିଣି । ଶୁଣ କହିବା ପରିମାଣି । । ୧୧୨
    ଯେ କର୍ମସାଧେ କର୍ମକାଣ୍ତେ । ସେ କାହିଁ ଯିବ ଉର୍ଦ୍ଧ୍ୱଦାଣ୍ତେ । । ୧୧୩
    କେବା ଲଭିବ କର୍ମଭାବେ । ସମାଧି-ବିଦ୍ୟା-ତପ-ଯୋଗେ । । ୧୧୪
    ଯେ ବ୍ରହ୍ମଲୋକ ମନେ କରେ । ପ୍ରଥମେ ଅଗ୍ନି ଆଶ୍ରେ କରେ । । ୧୧୫
    ସୁଷୁମ୍ନାରନ୍ଧ୍ରେ ବ୍ରହ୍ମପଥେ । ଜ୍ୟୋତି ପ୍ରକାଶେ ଉର୍ଦ୍ଧ୍ୱଗତେ । । ୧୧୬
    ବିଧୂତ-କଳ୍ମଷ-ଶରୀର । ସେ ଚକ୍ରେ ସ୍ଥିତ ଶିଶୁମାର । । ୧୧୭
    ସେ ଶିଶୁମାର ଚକ୍ରସାର । ସେ ଚକ୍ର ତଳେ ଧ୍ରୁବପୁର । । ୧୧୮
    ବିଶ୍ୱର ନାଭି ସେ ବୋଲାଇ । ଆତ୍ମା ସ୍ୱରୂପେ ତହୁଁ ଯାଇ । । ୧୧୯
    ପ୍ରବେଶ ପରମ-ସ୍ୱରୂପେ । ବ୍ରହ୍ମନିର୍ବାଣ ମହର୍ଲୋକେ । । ୧୨୦
    କଳ୍ପଆୟୁଷ ଦେବଗଣେ । ଯହିଁ ରମନ୍ତି ଅନୁକ୍ଷଣେ । । ୧୨୧
    ସେ ପୁଣି କଳ୍ପକ୍ଷୟକାଳେ । ଅନନ୍ତ-ନିଃଶ୍ୱାସ-ଅନଳେ । । ୧୨୨
    ଦହନ ଦେଖି ଅନ୍ତରୀକ୍ଷେ । ଅନନ୍ତଶୟନେ ପ୍ରତ୍ୟକ୍ଷେ । । ୧୨୩
    ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ । ବେଦ ଯା ବ୍ରହ୍ମଲୋକେ ଘୋଷେ । । ୧୨୪
    ବେନିପରାର୍ଦ୍ଧ ଯହିଁ ଗଣି । ସେ ବ୍ରହ୍ମଲୋକ ପରିମାଣି । । ୧୨୫
    ସଂସାରକର୍ତ୍ତା ଯେ ବୋଲାନ୍ତି । ସେ ବ୍ରହ୍ମା ବ୍ରହ୍ମଲୋକେ ସ୍ଥିତି । । ୧୨୬
    ସେ ପୁରେ ନାହିଁ ଦୁଃଖଶୋକ । ଜରା-ମରଣ-ଉଦବେଗ । । ୧୨୭
    ଚିତ୍ତଅନର୍ଥହେତୁ ନାହିଁ । ଜନ୍ମମରଣ ଭୟ କାହିଁ । । ୧୨୮
    କେତେ ହେଁ କାଳେ ସେ ଭୁବନେ । ଥାଇ ଚିନ୍ତଇ ଅବଧାନେ । । ୧୨୯
    ଲିଙ୍ଗ-ଶରୀରେ ପୃଥିବୀରେ । ନିର୍ଭୟେ ସେ ସ୍ଥଳେ ବିହରେ । । ୧୩୦
    ପୃଥିବୀ ରୂପେ ଜଳେ ଯାଇ । ଯେ ଇଷ୍ଟଭୋଗ ତା ଭୁଞ୍ଜଇ । । ୧୩୧
    ଅନଳ ମଧ୍ୟେ ତହୁଁ ସ୍ଥିତି । ଜ୍ୟୋତିସ୍ୱରୂପ ପ୍ରାଣ ଚିନ୍ତି । । ୧୩୨
    ପବନେ କରଇ ସଞ୍ଚାର । ଧରଇ ପବନ ଶରୀର । । ୧୩୩
    ସେ ବାୟୁ କାଳେ ନଭେ ପୁରେ । ସେ ନଭେ ଲିଙ୍ଗରୂପ ଧରେ । । ୧୩୪
    ଗନ୍ଧ କଳ୍ପଇ ଘ୍ରାଣମାତ୍ରେ । ରସକୁ ରସନାସମେତେ । । ୧୩୫
    ଦୃଷ୍ଟିରେ ରୂପକୁ ସଂହରେ । ପବନ ବଶେ ଚର୍ମ ପରେ । । ୧୩୬
    ଆକାଶଗୁଣ କର୍ଣ୍ଣେ ଭରି । ଏ ରୂପେ ପ୍ରାଣ ସୂକ୍ଷ୍ମେ ଭରି । । ୧୩୭
    ବୁଦ୍ଧି-ଇନ୍ଦ୍ରିୟ-ଭାବ ଏଣେ । ପଞ୍ଚତନ୍ମାତ୍ରେ ପରିମାଣେ । । ୧୩୮
    ଏ ଅହଙ୍କାର ତିନିଗୁଣ । ବୁଦ୍ଧି-ଇନ୍ଦ୍ରିୟ-ଦିବ୍ୟଜ୍ଞାନ । । ୧୩୯
    ପଞ୍ଚବିକାର ପଞ୍ଚଦେବା । ମନ ସମେତେ କରି ସେବା । । ୧୪୦
    ଏ ପଞ୍ଚଦେବତା ସମେତେ । ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ୱେ । । ୧୪୧
    ତେ ତତ୍ତ୍ୱଗୁଣର ସଂସ୍ଥାନ । ପ୍ରଧାନ ଦେହେ ହୋଏ ଲୀନ । । ୧୪୨
    ସେ ନିତ୍ୟ-ଶାନ୍ତି-ସନାତନେ । ଆତ୍ମା-ନିରୋଧେ ଆତ୍ମଜ୍ଞାନେ । । ୧୪୩
    ପ୍ରବେଶ କରେ ବିଦ୍ୟମାନେ । ବିଜ୍ଞାନ-ଆନନ୍ଦ-ଚେତନେ । । ୧୪୪
    ଆନନ୍ଦଜ୍ଞାନ ରସଭୋଳେ । ଶାନ୍ତି ଲଭଇ ସୁନିଶ୍ଚଳେ । । ୧୪୫
    ଏମନ୍ତେ ଧାରଣାନୁଭାବେ । ନିଶ୍ଚେ ପଶଇ ବାସୁଦେବେ । । ୧୪୬
    ଅନ୍ତେ ଲଭଇ ଯେଉଁ ଗତି । ତାହାକୁ ବୋଲି ଭାଗବତୀ । । ୧୪୭
    ଯହିଁ ପଶିଲେ ଆତ୍ମାମନ । ନ ଲଭେ ପୁନରାଗମନ । । ୧୪୮
    ଶୁଣ ହେନୃପ ପରୀକ୍ଷିତ । ଯେଣୁ ପୁଚ୍ଛିଲୁ ଭାଗବତ । । ୧୪୯
    ତେଣୁ କହିଲି ଶ୍ରୁତିଯୋଗେ । ତୋର ସମୀପେ ଅନୁରାଗେ । । ୧୫୦
    ଦଇବେ କାଳ ଅବସାନ । ଏବେ କହିବା ଦିବ୍ୟଜ୍ଞାନ । । ୧୫୧
    ବ୍ରହ୍ମାର ତପେ ହୋଇ ତୋଷ । ବିଷ୍ଣୁ ଯେ ଦେଲେ ଉପଦେଶ । । ୧୫୨
    ଯେ ସଦ୍ୟୋମୁକ୍ତି କ୍ରମମୁକ୍ତି । ସ୍ୱଭାବସିଦ୍ଧ ବେନିଗତି । । ୧୫୩
    ସେ ପଥ କହିବି ମୁଁ ତୋତେ । ଏବେ ତୁ ଶୁଣ ଏକଚିତ୍ତେ । । ୧୫୪
    ସଂସାରେ ସଞ୍ଚରନ୍ତି ଯେତେ । ତାଙ୍କ ତାରଣେ ପଥ ଯେତେ । । ୧୫୫
    ଏହିଟି ଜାଣ ଶିବପଥ । ତା ତହୁଁ ଭକ୍ତିଯୋଗ ଜାତ । । ୧୫୬
    ଯେ କଥା ଶୁଣି ପ୍ରିୟଭାବେ । ଭକତି ଲଭେ ବାସୁଦେବେ । । ୧୫୭
    ବ୍ରହ୍ମାର ତପକଷ୍ଟେ ହରି । ଯାହା କହିଲେ ଦୟାକରି । । ୧୫୮
    ସେ ବ୍ରହ୍ମା ବ୍ରହ୍ମବେଦସାର । ସକଳ ବୁଝି ତିନିବାର । । ୧୫୯
    ଯେ ଭକ୍ତି ଜୀବ-ସୁଖପଥ । ଏ ଭାବେ ହେଲା ଆତ୍ମେ ରତ । । ୧୬୦
    ସେ ହରି ସର୍ବଭୂତ ମଧ୍ୟେ । ନିତ୍ୟେ ବିହରେ ଆତ୍ମାପଦେ । । ୧୬୧
    ବୁଦ୍ଧି ଲକ୍ଷଣେ ଅନୁମାନେ । ନିଶ୍ଚଳଯୋଗୀ ଯୋଗଧ୍ୟାନେ । । ୧୬୨
    କେ ଅବା କରିବ ଗୋଚର । ଜଗତ ବାହ୍ୟ-ଅଭ୍ୟନ୍ତର । । ୧୬୩
    ଏ ଘେନି ସର୍ବ ଆତ୍ମାଭାବେ । ସର୍ବଦା କାଳେ ସର୍ବଠାବେ । । ୧୬୪
    ହରିଙ୍କି ଶ୍ରୁତିପଥେ ଶୁଣ । ମୁଖେ ନିରତେ ନାମ ଭଣ । । ୧୬୫
    ସେ ହରିକଥାମୃତରସ । ଯେ କରେ ଶ୍ରୁତିପଥେ ଗ୍ରାସ । । ୧୬୬
    ବିଷୟ-ବିଦୂଷିତ-ଚିତ୍ତ । ପବିତ୍ର କରେ ଅନ୍ତର୍ଗତ । । ୧୬୭
    ଗୋବିନ୍ଦ-ଚରଣ-କମଳେ । ପଶଇ ଭକ୍ତିଯୋଗବଳେ । । ୧୬୮
    ଏ ଭାଗବତ ରସ ଯେତେ । ସୁଜନେ ପିବ ଶ୍ରୁତିପଥେ । । ୧୬୯
    ବିଷୟାରସରେ ନ ରସ । କହଇ ଜଗନ୍ନାଥ ଦାସ । । ୧୭୦

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ପୁରୁଷସଂସ୍ଥାବର୍ଣ୍ଣନଂ ନାମ ଦ୍ୱିତୀୟୋଽଧ୍ୟାୟଃ ।।


    ତୃତୀୟ ଅଧ୍ୟାୟ

    ସୂତ ଉବାଚ

    ଶୁକ କହନ୍ତି ଶୁଦ୍ଧଚିତ୍ତେ । ପ୍ରସନ୍ନେ ନୃପତି ଅଗ୍ରତେ । । ୧

    ଶୁକ ଉବାଚ

    ଶୁଣ ପରୀକ୍ଷ ପୁଣ୍ୟଦେହା । ତୁ ମୋତେ ପଚାରିଲୁ ଯାହା । । ୨
    ମନୁଷ୍ୟ ମଧ୍ୟେ ସାଧୁପ୍ରାଣୀ । ମରଣକାଳେ ଯାହା ଜାଣି । । ୩
    ଏବେ କହିବି ଜ୍ଞାନସାର । ଭକତଜନଙ୍କ ବେଭାର । । ୪
    ବ୍ରହ୍ମତେଜକୁ ଯାର ଇଚ୍ଛା । ବ୍ରହ୍ମଭଜନେ ହୋଇ ବାଞ୍ଛା । । ୫
    ଇନ୍ଦ୍ରିୟସୁଖେ ଯାର ଭାବ । ସେ ନର ଇନ୍ଦ୍ରଙ୍କୁ ପୂଜିବ । । ୬
    ପୁତ୍ରକାମରେ ଯାର ମତି । ସେ ଜନ ପୂଜେ ପ୍ରଜାପତି । । ୭
    ଶ୍ରୀକାମୀ ପ୍ରାଣୀ ଦେବୀଭଜେ । ତେଜସ୍ୱୀ ପୂଜେ ଗ୍ରହରାଜେ । । ୮
    ବସୁଙ୍କୁ ପୂଜେ ବସୁକାମୀ । ଦୃଢ଼ଭକତିଭାବ ଘେନି । । ୯
    ବୀର୍ଯ୍ୟରେ ହୋଏ ଯାର ମତି । ସେ ଭଜେ ପଶୁଙ୍କରପତି । । ୧୦
    ଅନ୍ନାଦିକାମେ ଯାର ଚିନ୍ତା । ସେବେ ଅଦିତି ଦେବମାତା । । ୧୧
    ଦେବଙ୍କୁ ପୂଜେ ସ୍ୱର୍ଗକାମୀ । ବିଶ୍ୱଦେବାଙ୍କୁ ରାଜ୍ୟସ୍ୱାମୀ । । ୧୨
    ସାଧ୍ୟଙ୍କୁ ପୂଜି ପ୍ରଜାହିତେ । ଆୟୁଷକାମେ ଅଶ୍ୱିସୁତେ । । ୧୩
    ଯେ ପ୍ରାଣୀ ତୁଷ୍ଟ-ପୁଷ୍ଟିକାମୀ । ସର୍ବଲକ୍ଷଣେ ପୂଜେ ଭୂମି । । ୧୪
    ପ୍ରତିଷ୍ଠାକାମେ ଯେବେ ଇଚ୍ଛେ । ସେ ପୂଜେ ଭୂମି-ଅନ୍ତରୀକ୍ଷେ । । ୧୫
    ସୁନ୍ଦରରୂପେ ଯାର ଭାବ । ସେ ନର ପୂଜନ୍ତି ଗନ୍ଧର୍ବ । । ୧୬
    ଯେ ନର ଇଚ୍ଛେ ଦିବ୍ୟନାରୀ । ଭାବେ ଉର୍ବଶୀ ପୂଜାକରି । । ୧୭
    ସକଳ-ଆଧିତ୍ୟ-ଚିନ୍ତା । ଯେ କରେ ସେ ପୂଜେ ବିଧାତା । । ୧୮
    ଯଶ ଇଚ୍ଛଇ ଯେହୁ ନର । ଯଜ୍ଞେ ପୂଜିବ ଯଜ୍ଞେଶ୍ୱର । । ୧୯
    ଧନଭଣ୍ତାର ଯେ ଇଚ୍ଛନ୍ତି । ବରୁଣ-ଚରଣେ ପୂଜନ୍ତି । । ୨୦
    ଇଶ୍ୱରପୂଜେ ବିଦ୍ୟାଅର୍ଥୀ । ଦମ୍ପତିକାମେ ଉମାସତୀ । । ୨୧
    ଧର୍ମାର୍ଥୀ ବିଷ୍ଣୁର ଚରଣେ । ସନ୍ତାନଅର୍ଥେ ପିତୃଗଣେ । । ୨୨
    ଯକ୍ଷକୁ ପୂଜେ ରକ୍ଷାକାମେ । ବଳାର୍ଥୀ ପୂଜେ ପ୍ରଭଞ୍ଜନେ । । ୨୩
    ସକଳରାଜ୍ୟେ ରାଜାପଣେ । ସେ ଆଶେ ପୂଜେ ମନୁଗଣେ । । ୨୪
    ଶତ୍ରୁମାରଣେ ଯାର ଇଚ୍ଛା । ରାକ୍ଷସ-ଭଜନେ ତା ବାଞ୍ଛା । । ୨୫
    ସୋମକୁ ପୂଜେ କାମକାମୀ । ଅକାମୀ ଆତ୍ମାରାମେ ରମି । । ୨୬
    ଅକାମେ ଅବା ସର୍ବକାମେ । ଯେ ଅବା ଭଜେ ମୋକ୍ଷକାମେ । । ୨୭
    ପରମପୁରୁଷ ଚରଣେ । ଯେବା ସେବନ୍ତି ଦାସପଣେ । । ୨୮
    ଏ ଭାବେ ତାହାଙ୍କ ଜୀବନ । ଜନ୍ମମରଣେ ଧନ୍ୟ ଧନ୍ୟ । । ୨୯
    ପରମପଦ ସେ ଲଭନ୍ତି । କୃଷ୍ଣଚରଣେ ନିତ୍ୟେ ଚିନ୍ତି । । ୩୦
    ହରିଭକତଜନ ସଙ୍ଗେ । ତରଇ ଏ ଭବତରଙ୍ଗେ । । ୩୧
    ଜ୍ଞାନ ପ୍ରସରେ ଭକ୍ତିବଳେ । ତ୍ରିଗୁଣ ହରଇ ନିଶ୍ଚଳେ । । ୩୨
    ଆତ୍ମା ପ୍ରସନ୍ନ ସୁବିବେକେ । ଗୁଣେ ଅସଙ୍ଗ ବେନିଲୋକେ । । ୩୩
    କୈବଲ୍ୟ-ସମ୍ମତ ଏ ପଥ । ଏ ଭକ୍ତି ଯୋଗୀଙ୍କର ମତ । । ୩୪
    କେବା ନିବୃତ ହରିଭାବେ । ଆତ୍ମାର କଇବଲ୍ୟ-ଲାଭେ । । ୩୫
    ଶୌନକ ସୂତମୁଖ ଚାହିଁ । ପୁଣି ପୁଚ୍ଛଇ ଭାବବହି । । ୩୬

    ଶୌନକ ଉବାଚ

    ଏମନ୍ତ ଶୁକ ମୁଖୁ ଶୁଣି । ସେ କୁରୁବୀର ଚୂଡ଼ାମଣି । । ୩୭
    ପୁଣି ସେ ଅଭିମନ୍ୟୁ ବଳା । ଆନ-ପ୍ରଶନ କିବା କଲା । । ୩୮
    ସେ ହରିକଥା ଆମ୍ଭଆଗେ । ହେ ସୂତ କହ ସଭାଯୋଗେ । । ୩୯
    ସେ କଥା ତୁମ୍ଭ ମୁଖୁ ଶୁଣି । ତରିବୁ ଭବ-ତରଙ୍ଗିଣୀ । । ୪୦
    ତୁମ୍ଭର ଅଛି ଯେବେ ସ୍ନେହ । ସଦୟଚିତ୍ତେ ମୁନି କହ । । ୪୧
    ଯେ ହରିକଥା ସଭାମଧ୍ୟେ । ଭକତେ କହନ୍ତି ଆନନ୍ଦେ । । ୪୨
    ସେ ପଣ୍ତୁବଂଶେ ମହାରଥ । ସ୍ୱଭାବେ କୃଷ୍ଣଅଂଶେ ଜାତ । । ୪୩
    ବାଳକ-କ୍ରୀଡ଼ା-ରସଖେଳେ । ଯେ ପୂଜେ କୃଷ୍ଣ-ପାଦମୂଳେ । । ୪୪
    ବ୍ୟାସକୁମର ସତ୍ତ୍ୱଗୁଣ । ସ୍ୱଭାବେ ବିଷ୍ଣୁ-ପାରାୟଣ । । ୪୫
    ପରମାନନ୍ଦ ଗୁଣଗାଥା । ସତସଙ୍ଗମେ ଯେ ବକତା । । ୪୬
    ଜୀବନ ବହି ଏ ଜଗତେ । ହରିକଥାରେ ନିତ୍ୟେ ନିତ୍ୟେ । । ୪୭
    ନ କରେ ଜୀବନ ସଫଳ । ବ୍ୟର୍ଥ ତାହାର ଆୟୁର୍ବଳ । । ୪୮
    ଏ ରବି ଉଦେ ଅସ୍ତକାଳେ । ଜନ୍ତୁଜୀବନ ଘେନି ଚଳେ । । ୪୯
    ଯେ ହରିଭାବେ ଥାନ୍ତି ଜଡ଼ି । ତାଙ୍କ ଜୀବନ ଦୂରେ ଏଡ଼ି । । ୫୦
    ଏ ତରୁଗଣେ ଏ ସଂସାରେ । ଜୀବନ୍ତି ଅଜ୍ଞାନ ପ୍ରକାରେ । । ୫୧
    ଲୌହକାରଙ୍କ ଗୃହେ ଭାତି । ଶ୍ୱାସ ଛାଡ଼ନ୍ତେ ନ ଜୀବତି । । ୫୨
    ଗ୍ରାମ-କାନନେ ପଶୁଗଣ । କି ନ ଭକ୍ଷନ୍ତି ଜଳତୃଣ । । ୫୩
    ମୂତ୍ରୁପୁରୀଷ ଉତ୍ସର୍ଗନ୍ତି । ଅଜ୍ଞାନସୁଖେ ସେ ଜୀବନ୍ତି । । ୫୪
    ଶ୍ୱାନ ଶୁକର ଉଷ୍ଟ୍ରଖର । ଏହାଙ୍କ ସମାନ ସେ ନର । । ୫୫
    କୃଷ୍ଣର ନାମ ଉଚ୍ଚାରଣ । ନ ଶୁଣେ ଯାହାର ଶ୍ରବଣ । । ୫୬
    ତାହାର ଶ୍ରୁତିଯୁଗ କାନ୍ଥେ । ବିବରେ ଦିଶନ୍ତି ଯେମନ୍ତେ । । ୫୭
    ତୁଣ୍ତର ମଧ୍ୟେ ଜିହ୍ୱା ବହି । ଯେ ହରିନାମ ନ ଭଜଇ । । ୫୮
    ଦର୍ଦ୍ଦୁର ବାଣୀ ବୋଲି ତାରେ । ଯେ ହରିନାମ ନ ଉଚ୍ଚାରେ । । ୫୯
    ଯାର ଉତ୍ତମ-ଅଙ୍ଗସାଜେ । ସୁବର୍ଣ୍ଣ-ମୁକୁଟ ବିରାଜେ । । ୬୦
    ପାଟବସନେ ବାନ୍ଧି ଚୂଳ । ଶ୍ରବଣେ ମକର-କୁଣ୍ତଳ । । ୬୧
    ସେ ଯେବେ ହରିଙ୍କି ନ ନମେ । ସେ ମୁଣ୍ତ ଭାରବହି ଶ୍ରମେ । । ୬୨
    ସେ ବା ସୁନ୍ଦର ବେନିଭୁଜେ । କାଞ୍ଚନ କଙ୍କଣ ବିରାଜେ । । ୬୩
    କୃଷ୍ଣର କାର୍ଯ୍ୟ ଯେବେ ନୋହେ । ଶ୍ୱଶାନ-ଅସ୍ଥି ପ୍ରାୟ ହୋଏ । । ୬୪
    ଲୋଚନବେନି ଥାଉଁ ମୁଖେ । ଯେ ହରିମୂରତି ନ ଦେଖେ । । ୬୫
    ମୟୂରପୁଚ୍ଛ ବୋଲି ତାରେ । ସେ ଅନ୍ଧ ସଂସାର-ସାଗରେ । । ୬୬
    ଚରଣଯୁଗ ବହି ନରେ । ଯେବେ ନ ଯାନ୍ତି ବିଷ୍ଣୁ ପୁରେ । । ୬୭
    ତାହାକୁ ବୋଲି ବୃକ୍ଷଦୁଇ । ସେ ଯେହ୍ନେ ପାଦେ ନ ଚଳଇ । । ୬୮
    କୃଷ୍ଣର ଭକତଚରଣୁ । ଶିରେ ନ ଲାଗେ ଯାର ରେଣୁ । । ୬୯
    ପବିତ୍ର ନୋହେ ତା ଶରୀର । ଜୀଅଁନ୍ତା ଶବର ଆକାର । । ୭୦
    ତୁଳସୀଦଳ କୃଷ୍ଣଦେହେ । ଶୁଦ୍ଧ-ସୌରଭ-ଗନ୍ଧ ବହେ । । ୭୧
    ସେ ଗନ୍ଧ ଯାର ନାସାଦ୍ୱାର । ନ ଲଭେ ଶବ ତା ଶରୀର । । ୭୨
    ଗୋବିନ୍ଦନାମ ଯାରହୃଦେ । ନ ପଶେ ପୁଲକ ଆନନ୍ଦେ । । ୭୩
    କି ଅବା ପଶିଲେ ହୃଦରେ । ନୟନୁ ଅଶ୍ରୁ ତା ନ ଝରେ । । ୭୪
    ତାର ହୃଦୟ ଅଶ୍ମସାର । ବହଇ ଲୋହମୟ ଭାର । । ୭୫
    ହେ ସୂତ ଶୁଣ କୃଷ୍ଣଗୁଣ । ଶୁଣାଅ ଆମ୍ଭର ଶ୍ରବଣ । । ୭୬
    ଯେ ସାଧୁ ପ୍ରଶ୍ନ ପରୀକ୍ଷିତ । ପୁଚ୍ଛିଲା ଶୁକଙ୍କ ଅଗ୍ରତ । । ୭୭
    ହରଷେ ବ୍ୟାସଙ୍କ କୁମର । ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର । । ୭୮
    ଆନନ୍ଦେ ମୁନିଗଣମେଳେ । ଯାହା କହିଲେ ଗଙ୍ଗାକୂଳେ । । ୭୯
    ସେ ଆମ୍ଭମନ ଅନୁକୂଳ । କହି ସଂସାରୁ କର ପାର । । ୮୦
    ସେ ହରି-ଚରଣ-ପଙ୍କଜେ । ବ୍ରାହ୍ମଣ-ଜଗନ୍ନାଥ ଭଜେ । । ୮୧

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ତୃତୀୟୋଽଧ୍ୟାୟଃ ।।


    ଚତୁର୍ଥ ଅଧ୍ୟାୟ

    ସୂତକ ଉବାଚ

    ଏମନ୍ତ ଶୁକବାକ୍ୟ ଶୁଣି । ଆତ୍ମାର ତତ୍ତ୍ୱ ମନେ ଗୁଣି । । ୧
    କୃଷ୍ଣବିଷୟେ ଦୃଢ଼ମନ । କଳ୍ପିଲା ଉତ୍ତରା-ନନ୍ଦନ । । ୨
    ଆତ୍ମା-କଳତ୍ର-ସୁତ-ଗୃହେ । ପଶୁ-ଦ୍ରବିଣ-ବନ୍ଧୁସ୍ନେହେ । । ୩
    ରାଜ୍ୟ-ସମ୍ପଦ ଯେତେ ଆଶ । ହୃଦୁ ଛାଡ଼ିଲା ସ୍ନେହପାଶ । । ୪
    ତୁମ୍ଭେ ଯା ପଚାରିଲ ମୋତେ । ଏ କଥା ରାଜା ଦୃଢ଼ଚିତ୍ତେ । । ୫
    କୃଷ୍ଣାନୁଭାବ ଶୁଣିବାରେ । ଶ୍ରଦ୍ଧାବଳିଲା ନିର୍ବିକାରେ । । ୬
    ଆତ୍ମନିଧନ ମନେ ସ୍ମରି । ବେଦବଚନ ଦୃଢ଼କରି । । ୭
    କୃଷ୍ଣବିଷୟେ ଦୃଢ଼ଚିତ୍ତ । ନିଶ୍ଚୟ କରି ପରୀକ୍ଷିତ । । ୮
    ଆତ୍ମତ୍ୱଭାବ ହେଲେ ଦେହେ । ପୁଣି ପୁଚ୍ଛଇ ଅତି ସ୍ନେହେ । । ୯

    ରାଜା ଉବାଚ

    ହେ ଶୁକ ତୁମ୍ଭର ବଚନ । କୃଷ୍ଣର ଯେତେ ଗୁଣକର୍ମ । । ୧୦
    ଯାହା ଶୁଣନ୍ତେ ପାପହରେ । ପବିତ୍ର ବାହ୍ୟ-ଅଭ୍ୟନ୍ତରେ । । ୧୧
    ଶୁଣି ଅଜ୍ଞାନ ମୋର ଗଲା । ତୁମ୍ଭ ପ୍ରସାଦ ଯେଣୁ ହେଲା । । ୧୨
    ସେ କଥା କହ ମୁନି ମୋତେ । ଯେମନ୍ତେ ଧରି ଦୃଢ଼ଚିତ୍ତେ । । ୧୩
    ସେ ହରି ଆତ୍ମମାୟାବଳେ । ସୃଷ୍ଟି ସଞ୍ଚଇ ଏ ଶୟଳେ । । ୧୪
    ବିଷ୍ଣୁର ସର୍ଜିଲା ସଂସାର । ଅନ୍ୟଦେବଙ୍କୁ ଅଗୋଚର । । ୧୫
    ସେ କଥା ଜାଣିବାର ପାଇଁ । ଭୋ ମୁନି ପୁଣି ମୁଁ ପୁଚ୍ଛଇ । । ୧୬
    ସେ ବହୁ ଶକ୍ତିମନ୍ତ ହରି । ପରମ-ପୁରୁଷ-ମୁରାରି । । ୧୭
    ଯେମନ୍ତେ ପାଳି ପୁଣ ପରେ । ଯେ କାଳେ ଯେବା ଶକ୍ତିଧରେ । । ୧୮
    ଆତ୍ମାକୁ ଆତ୍ମା କରି ଖେଳା । କୁହୁକମତେ ବିଷ୍ଣୁଲୀଳା । । ୧୯
    ସୃଜଇ ପାଳଇ ସଂହରେ । ମାୟା-ତ୍ରିଗୁଣରୂପ ଧରେ । । ୨୦
    ଯେମନ୍ତେ ବ୍ରହ୍ମା-ବିଷ୍ଣୁ-ହର । କ୍ରୀଡ଼ନ କରେ ଦାମୋଦର । । ୨୧
    ବିବିଧରୂପ ଏ ଜଗତେ । ଯେମନ୍ତେ କରେ କ୍ରୀଡ଼ାଅର୍ଥେ । । ୨୨
    ଅଦ୍ଭୁତକର୍ମ ଏ ତାହାର । କେ କରି ପାରିବ ଗୋଚର । । ୨୩
    ଏକଇ ପୁରୁଷ ଅନନ୍ତ । ପ୍ରକୃତିମତେ ବହୁମତ । । ୨୪
    ଆଦିପୁରୁଷ ରୂପ ଧରି । ଯେମନ୍ତେ କ୍ରମେ ନରହରି । । ୨୫
    କାର୍ଯ୍ୟମାନଙ୍କୁ ଏ ସଂସାରେ । କଲେ କହିବା ମୁନିବରେ । । ୨୬
    ଯେ ଶବ୍ଦ ବ୍ରହ୍ମରେ ବିଚାର । ବ୍ରହ୍ମାନୁଭବରେ ଗୋଚର । । ୨୭
    ଏକ ଅନେକ ରୂପ ଧରେ । ଅଶେଷଜନ୍ମ କର୍ମ କରେ । । ୨୮
    ଏଣୁ ଶ୍ରବଣେ ଇଚ୍ଛା ମୋର । କହ ହେ ବ୍ୟାସଙ୍କ କୁମର । । ୨୯
    ହେ ମହାମୁନି ଭାଗବତ । ଶ୍ରବଣେ ପିଆଅ ଅମୃତ । । ୩୦

    ସୂତ ଉବାଚ

    ଏମନ୍ତ ପରୀକ୍ଷିତ କଥା । ପୁରୁଷୋତ୍ତମ-ଗୁଣଗାଥା । । ୩୧
    ଶୁଣି ସାନନ୍ଦ ବ୍ୟାସସୁତ । କୃଷ୍ଣଚରଣେ ଦେଇ ଚିତ୍ତ । । ୩୨
    ସେ ପରୀକ୍ଷିତେ ପ୍ରତିବାଣୀ । କହିବା ଅର୍ଥେ ମୁନିମଣି । । ୩୩
    ଧ୍ୟାନେ ସେ ଚିନ୍ତି ନାରାୟଣ । ବୋଇଲେ ପରୀକ୍ଷିତ ଶୁଣ । । ୩୪
    ନମସ୍ତେ ପରମ-ପୁରୁଷ । ଅନନ୍ତଘଟେ ଯା ପ୍ରକାଶ । । ୩୫
    ଲୀଳାବିହାରେ ସୃଷ୍ଟିକରେ । ପାଳଇ ପୁଣି ସେ ସଂହରେ । । ୩୬
    ହେଳେ ଏ ତିନିଶକ୍ତି ଧରେ । ଜନ୍ତୁର ଅନ୍ତରେ ବିହରେ । । ୩୭
    ତେଣୁ ତା ମାର୍ଗ ଉପଲକ୍ଷ୍ୟ । କରିବ କାହାର ବା ଶକ୍ୟ । । ୩୮
    ନମସ୍ତେ ଜଗତଜୀବନ । ସାଧୁଙ୍କ ବୃଜିନ-ଦହନ । । ୩୯
    ଅସାଧୁ-ଦମନ ବେଭାର । ଅଖିଳଜନ୍ତୁ ରୂପ ତୋର । । ୪୦
    ପରମହଂସଙ୍କ ଆଶ୍ରମେ । ଯେ ବ୍ୟବସ୍ଥିତ ପ୍ରାଣୀମାନେ । । ୪୧
    ତାହାଙ୍କ ଆତ୍ମତତ୍ତ୍ବଦାତା । ନିରତେ ତୋର ପାଦେ ଚିନ୍ତା । । ୪୨
    ନମସ୍ତେ ସାତ୍ତ୍ବତବତ୍ସ›ଳ । କୁଯୋଗୀଗଣେ ଅଗୋଚରେ । । ୪୩
    ସମେ ପ୍ରକାଶ ସର୍ବଠାରେ । ଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେ । । ୪୪
    ଐଶ୍ୱର୍ଯ୍ୟେ ପରମ-କାରଣ । ଯେ ନିତ୍ୟେ ସ୍ୱଧାମ-ଧାରଣ । । ୪୫
    ଯା ନାମ ଶ୍ରବଣ-କୀର୍ତ୍ତନ । ଯା ରୂପ ଦେଖିଣ ନୟନ । । ୪୬
    ନମିଲେ ଯାହାର ଚରଣ । ସ୍ମରଣ ପୂଜା ସମର୍ପଣ । । ୪୭
    ଜନ୍ତୁଙ୍କ କଳ୍ମଷ ନାଶଇ । ଯେ ସର୍ବମଙ୍ଗଳ ବୋଲାଇ । । ୪୮
    ଯେହରି ଶରଣ-ସୋଦର । ତାହାଙ୍କୁ ମୋର ନମସ୍କାର । । ୪୯
    ପଣ୍ତିତଜନ ଯାର ପାଦେ । ସେବା ସମ୍ପାଦି ଅପ୍ରମାନେ । । ୫୦
    ଆତ୍ମାର କଳ୍ମଷ ନାଶନ୍ତି । ଜନ୍ମମରଣେ ନଡରନ୍ତି । । ୫୧
    ଆତ୍ମାର ଶ୍ରମ କରି ଶାନ୍ତି । ଅନ୍ତେ ଲଭନ୍ତି ବ୍ରହ୍ମଗତି । । ୫୨
    ସର୍ବମଙ୍ଗଳ ଦାମୋଦର । ତାହାଙ୍କୁ ମୋର ନମସ୍କାର । । ୫୩
    ଯେ ପ୍ରାଣୀ ତପ-ଦାନ କରେ । ଯଶ ସମ୍ପାଦି ଏ ସଂସାରେ । । ୫୪
    ସୁବୁଦ୍ଧିପଣେ ମନ୍ତ୍ରସାଧି । ମଙ୍ଗଳକର୍ମକୁ ଆରାଧି । । ୫୫
    ଏଣୁ ଅର୍ଜନ୍ତି ଯେତେ ଫଳ । ତୋତେ ନ ସମର୍ପି ନିଷ୍ଫଳ । । ୫୬
    ସୁଭଦ୍ରଶ୍ରବା ନାମ ଯାର । ତାହାଙ୍କୁ ମୋର ନମସ୍କାର । । ୫୭
    କିରାତ ହୂଣ ଆନ୍ଧ୍ର ଯେତେ । ପୁଳିନ୍ଦ ଚଣ୍ତାଳ ସମେତେ । । ୫୮
    ଆଭୀର କଙ୍କ ଯେ ଯବନ । ଏ ଆଦି ଯେତେ ଅନ୍ତ୍ୟଜନ । । ୫୯
    ଦୁଷ୍କୃତକର୍ମ ଯେ କରନ୍ତି । ଯା ପାଦ ଆଶ୍ରିତେ ତରନ୍ତି । । ୬୦
    ସର୍ବ-ପ୍ରଭବଶୀଳ ଯେହି । ତା ପାଦପଦ୍ମେ ମୁଁ ନମଇଁ । । ୬୧
    ଯେ ହରି ଜଗତ-ଜୀବନ । ଆତ୍ମଜ୍ଞାନୀଙ୍କ ଆତ୍ମାଧନ । । ୬୨
    ଏ ତିନିବେଦ ଯାର ଦେହ । ଯେ ଧର୍ମମୟ ତପୋମୟ । । ୬୩
    ନିର୍ମଳତପେ ଯୋଗୀଜନେ । ବ୍ରହ୍ମାଶଙ୍କର ଅନୁମାନେ । । ୬୪
    ନାନାପ୍ରକାରେ ଧ୍ୟାନେ ଚିନ୍ତି । ଯା ରୂପ କେହି ନ ଦେଖନ୍ତି । । ୬୫
    ଯେ ଲକ୍ଷ୍ମୀପତି ଯଜ୍ଞପତି । ଯେ ପ୍ରଜାପତି ଜ୍ଞାନପତି । । ୬୬
    ଯେ ଲୋକପତି ଧରାପତି । ଯାଦବବଂଶ-ପତି-ଗତି । । ୬୭
    ସାଧବଗଣେ ଯାହା ଚିନ୍ତି । ସେ ହେଉ ମୋର ମନେ ସ୍ଥିତି । । ୬୮
    ଯାର ଚରଣ-ଧ୍ୟାନବଳେ । ନିଶ୍ଚଳ-ସମାଧିର ଜଳେ । । ୬୯
    ବୁଦ୍ଧି କି ପ୍ରକ୍ଷାଳନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ । । ୭୦
    ସଗୁଣ-ନିର୍ଗୁଣ ବିଚାରେ । କହନ୍ତି ଯଥା ଅନୁସାରେ । । ୭୧
    ସେହରି ମୋର ହୃଦଗତେ । ପ୍ରକାଶ ହେଉ ଅବିରତେ । । ୭୨
    ଯାହାର ଆଜ୍ଞା ପରମାଣେ । ଭାରତୀ ଆସି ତତକ୍ଷଣେ । । ୭୩
    ପ୍ରକାଶି କଳ୍ପ ଆଦିକାଳେ । ବ୍ରହ୍ମାର ହୃଦୟ-କମଳେ । । ୭୪
    ସୃଷ୍ଟି-ବିଷୟ ଜ୍ଞାନ ଦେଲା । ମୁଖେ ଗାୟତ୍ରୀ ଉଚ୍ଚାରିଲା । । ୭୫
    ନମସ୍ତେ ବ୍ୟାସରୂପ ହରି । ହୃଦୟେ ବସ କୃପା କରି । । ୭୬
    ମହତ ଆଦି ପଞ୍ଚଭୂତେ । ଜନ୍ତୁ ଭିଆଇ ଏ ଜଗତେ । । ୭୭
    ଜନ୍ତୁଙ୍କ ହୃଦୟ-କମଳେ । ଯାର ଆସନ ସୁଖଭୋଳେ । । ୭୮
    ଗୁଣସମୂହ ସୁଖେ ଭୁଞ୍ଜେ । ଷୋଡ଼ଶଆତ୍ମାରୂପେ ରାଜେ । । ୭୯
    ସେ ହରି ବସୁ ମୋର ହୃଦେ । ବାକ୍ୟ ଆବୋରି ପଦେପଦେ । । ୮୦
    ନମଇଁ ବ୍ୟାସମୁନିବର । କୃଷ୍ଣେ ଅକୁଣ୍ଠବୁଦ୍ଧି ଯାର । । ୮୧
    ଯା ମୁଖପଦ୍ମୁଁ ଜ୍ଞାନରସେ । ମୁନିଏ ପିବନ୍ତି ହରଷେ । । ୮୨
    ଯେ ହରିକଥା ପୂର୍ବକାଳେ । ନାରଦଋଷି ମୁନିମେଳେ । । ୮୩
    ବ୍ରହ୍ମାଙ୍କୁ ପଚାରିଲେ ଯେତେ । ପ୍ରସନ୍ନେ କହିବି ମୁଁ ତୋତେ । । ୮୪
    ଏ ବାଣୀ ଶୁଣି ସୁଖଭୋଳେ । ପ୍ରାଣୀ ନିସ୍ତରେ ଭବଜଳେ । । ୮୫
    କହଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ । । ୮୬
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ।।


    ପଞ୍ଚମ ଅଧ୍ୟାୟ

    ଆନନ୍ଦ ଚିତ୍ତେ ସେ ନାରଦ । ପୁଚ୍ଛଇ ବ୍ରହ୍ମାଙ୍କର ପାଦ । । ୧

    ନାରଦ ଉବାଚ

    ଭୋ ଦେବଦେବ ନମସ୍ତୁତେ । ଭୂତଭାବନ ତୁ ଜଗତେ । । ୨
    ସୃଷ୍ଟିର ଅଗ୍ରେ ତୋର ଦେହୀ । ତୋ ଭାବ ନ ଜାଣନ୍ତି କେହି । । ୩
    ଆତ୍ମାର ତତ୍ତ୍ୱ ତୁମ୍ଭେ ଜାଣ । ଯେ ବେଦ-ପୁରାଣେ ପ୍ରମାଣ । । ୪
    ଯେ ରୂପ ଯହିଁ ତୋର ବାସ । ଯହୁଁ ଏ ଜଗତ ପ୍ରକାଶ । । ୫
    ଯାହାର ଆଶ୍ରେ ଏ ବର୍ତ୍ତଇ । ପ୍ରକାଶି ଯହିଁ ଲୀନ ହୋଇ । । ୬
    ଭୂତ-ଭବିଷ୍ୟ-ବର୍ତ୍ତମାନ । ତୁମ୍ଭ ଗୋଚରେ ଦିବ୍ୟଜ୍ଞାନ । । ୭
    ହସ୍ତେ ଅଏଁଳାଫଳ ପ୍ରାୟେ । ତୁମ୍ଭ ଗୋଚରେ ଜ୍ଞାନ ରହେ । । ୮
    ଯେଣୁ ତୁମ୍ଭର ଜ୍ଞାନ ସ୍ଫୁରେ । ଯେବା ତୁମ୍ଭଙ୍କୁ ହୃଦେ ଧରେ । । ୯
    ଯାହାର ବଶ ତୁ ବୋଲାଇ । ବର୍ତ୍ତୁ ତୁ ଯାର ଆତ୍ମା ବହି । । ୧୦
    ଭୂତେ ସଞ୍ଚରି ଭୂତ କରୁ । ଯାହାର ମାୟାରେ ବିହରୁ । । ୧୧
    ଏ ଭୂତଗଣଙ୍କୁ ଯେ ପାଳେ । ଅପରାଭବୀ ଆତ୍ମା ତୁଲେ । । ୧୨
    ଆତ୍ମାର ଶକ୍ତିବଳେ ଭାବି । ଅକ୍ଳେଶେ ଯଥା ଉର୍ଣ୍ଣନାଭି । । ୧୩
    ଏ ସୃଷ୍ଟିକର୍ମ ଅଗୋଚର । କି ନାମ ଗୁଣରୂପ ଆର । । ୧୪
    ପର ଅପର ଯେ ମଧ୍ୟମ । ଯେ ଅବା ଅଛି ସ୍ଥୂଳସୂକ୍ଷ୍ମ । । ୧୫
    ଜାଣେ ମୁଁ ନାହିଁ ତୋ ବାହାରେ । ଅନ୍ୟ ବା କେ ଅଛି ସଂସାରେ । । ୧୬
    ତୁମ୍ଭେ ଯେ ଘୋରତପ କର । ଆତ୍ମା ସମାଧିବଳେ ଧର । । ୧୭
    ତେଣୁ ମୋହିତ ମୋର ମନ । ତୁମ୍ଭ ଉପରେ କେବା ଅନ୍ୟ । । ୧୮
    ଏ ମାୟା ସୃଜିଲା କେମନ୍ତେ । ଏଣୁ ସଂଶୟ ମୋର ଚିତ୍ତେ । । ୧୯
    ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର । ମୋର ସଂଶୟ କର ଦୂର । । ୨୦
    ଭକତଭାବେ ପଚାରଇ । ସ୍ୱଭାବେ ପୁତ୍ର ମୁଁ ଅଟଇ । । ୨୧
    ଯେମନ୍ତେ ମୋର ଚିତ୍ତେ ସ୍ଫୁରେ । ଏ ବିଶ୍ୱ ସମାଧି-ଗୋଚରେ । । ୨୨
    ଏଣୁ ନାରଦବାକ୍ୟ ଶୁଣି । ହରଷେ କହେ ପଦ୍ମଯୋନି । । ୨୩

    ବ୍ରହ୍ମା ଉବାଚ

    ଧନ୍ୟ ନାରଦ ମୁନିବର । ସାଧୁ ପ୍ରସ୍ତାବ ଏ ତୋହର । । ୨୪
    ତୁ ଯେ ପଚାରୁ ଜନହିତେ । ଏ ବ୍ରହ୍ମଭାଗ ଭାଗବତେ । । ୨୫
    ବିଷ୍ଣୁ ମହିମା ଦରଶନେ । ପୁଚ୍ଛିଲୁ ବିନୟବଚନେ । । ୨୬
    ତୁ ଯାହା ପଚାରିଲୁ ମୋତେ । ମିଥ୍ୟା ନୁହଇ ଏ ଉଚିତେ । । ୨୭
    ଯେଣୁ ଈଶ୍ୱର ପ୍ରାୟ କେହାଇ । ଏ ସୃଷ୍ଟି ମୋହର ଅଟଇ । । ୨୮
    ପରମେଶ୍ୱର ଜ୍ଞାନ ଯେଣୁ । ନାହିଁ ତୋହର ଭ୍ରାନ୍ତି ତେଣୁ । । ୨୯
    ବିଷ୍ଣୁର ଆଜ୍ଞା ଘେନି ମାଥେ । ବ୍ରହ୍ମାଣ୍ତ ସୃଜିଲି ଯେମନ୍ତେ । । ୩୦
    ଯେମନ୍ତେ ଅର୍କ-ଅଗ୍ନି-ଶଶୀ । ଗ୍ରହ-ନକ୍ଷତ୍ର-ତାରା-ରାଶି । । ୩୧
    ତୋ ଆଦି ସନ୍ଥ ଛନ୍ତି ଯେତେ । ଯେ ବିଷ୍ଣୁମାୟା ବଳଗ୍ରସ୍ତେ । । ୩୨
    ବୋଲନ୍ତି ମୋତେ ବିଶ୍ୱଗୁରୁ । ଯାର ମହିମା ମହାମେରୁ । । ୩୩
    ତାହା କହିବି ତୋ ସମୀପେ । ବିଷ୍ଣୁର ଆଜ୍ଞାବଳ ଦର୍ପେ । । ୩୪
    ଯେ ହରି ଜଗତ-ଈଶ୍ୱର । ତାହାକୁ ମୋର ନମସ୍କାର । । ୩୫
    ଯାହାର ଇଚ୍ଛାମାର୍ଗେ ସ୍ଥିତି । ଲାଜେ ଶଙ୍କିତ ଭଗବତୀ । । ୩୬
    ସେ ମାୟାବଶେ ଏ ଜଗତ । ଅଜ୍ଞାନ ମଦେ ବିମୋହିତ । । ୩୭
    ମୁହିଁ ମୋହର ଏ ଶରୀର । ଦାରା ସମ୍ପଦ ବନ୍ଧୁ ମୋର । । ୩୮
    ଅଜ୍ଞାନଜନଙ୍କ ଏ ଭାବ । ସର୍ବସମ୍ପଦ ପଦ୍ମନାଭ । । ୩୯
    ଏ ଦ୍ରବ୍ୟ-କାଳ-କର୍ମ-ଜୀବ । ଜୀବର ଯେ ଅବା ସ୍ୱଭାବ । । ୪୦
    ଯେତେ ଦେଖଇ ଭିନ୍ନେ ଭିନ୍ନେ । କୃଷ୍ଣହୁଁ କେବା ଅଛି ଅନ୍ୟେ । । ୪୧
    ବେଦବଚନ ଦେବଗଣ । ଏ ସର୍ବଲୋକ ଯଜ୍ଞଦାନ । । ୪୨
    ତପସ୍ୟା-ଯୋଗ-ଜ୍ଞାନ-ଗତି । ସର୍ବସମ୍ପଦ ଦାଶରଥି । । ୪୩
    ଯେ ହରି ସର୍ବଦେହେ ଦେହୀ । ସର୍ବ ଦେଖଇ ହୃଦେ ରହି । । ୪୪
    ତାର ଶରୀରୁ ମୁହିଁ ଜାତ । ତା ତେଜେ ସର୍ଜଇ ଜଗତ । । ୪୫
    ସ୍ୱଭାବେ ନିର୍ଗୁଣ-ମୁରାରି । ସୃଷ୍ଟି ସଞ୍ଚଇ ଗୁଣ ଧରି । । ୪୬
    ନିର୍ଗୁଣ-ପୁରୁଷ-ଈଶ୍ୱର । ତା ମାୟାବଳେ ଏ ସଂସାର । । ୪୭
    ସର୍ଗ-ପାଳନ-ତିରୋଧାନେ । ଗୁଣକୁ ଧରେ ଭିନ୍ନେ ଭିନ୍ନେ । । ୪୮
    କାର୍ଯ୍ୟ-କାରଣ-କର୍ତ୍ତା-ଅର୍ଥେ । ଦ୍ରବ୍ୟ-ଜ୍ଞାନ-କ୍ରିୟା ସମେତେ । । ୪୯
    ଗୁଣେ ରହନ୍ତି ଆଶ୍ରେ କରି । ନିର୍ଗୁଣ-ପୁରୁଷ ଆବୋରି । । ୫୦
    ଏ ତିନିଗୁଣ ଲିଙ୍ଗଗତେ । ମଧ୍ୟେ ବର୍ତ୍ତଇ ଅଲକ୍ଷିତେ । । ୫୧
    ମୋ ଆଦି ସର୍ବଜନଙ୍କର । ଆତ୍ମାସ୍ୱରୂପ ସେ ଈଶ୍ୱର । । ୫୨
    ମାୟା-ଈଶ୍ୱର ମାୟାବଳେ । ସର୍ଜେ ସ୍ୱଭାବ କର୍ମକାଳେ । । ୫୩
    ଆପଣା ଇଚ୍ଛାବଳେ କରି । ବିବିଧ-ଶରୀରକୁ ଧରି । । ୫୪
    ସେ କାଳ-ଗୁଣ ବ୍ୟତିକରେ । ସୃଜଇ ପାଳଇ ସଂହରେ । । ୫୫
    ତାର ସ୍ୱଭାବ କର୍ମ ଯୋଗେ । ମହତ ଉପୁଜିଲା ଆଗେ । । ୫୬
    ମହତ ବିକାରୁ ତକ୍ଷଣେ । ତ୍ରିଗୁଣ-ଲିଙ୍ଗ ଆବରଣେ । । ୫୭
    ତମପ୍ରଧାନ ଅତିରେକେ । ସେ ଦ୍ରବ୍ୟଜ୍ଞାନ କ୍ରିୟାତ୍ମକେ । । ୫୮
    ସ୍ୱଭାବେ ଶକ୍ତି ମହାଘୋର । ତମଅଧିକ ଅହଙ୍କାର । । ୫୯
    ସେ ଅହଙ୍କାର ନାମ ହୋଇ । ସେ ତିନି ପ୍ରକାର ଭଜଇ । । ୬୦
    ଗୁଣ ପ୍ରକାଶ ତିନିତିନି । ବିକାର-ତମ-ତେଜ ଘେନି । । ୬୧
    ଯେ ଶକ୍ତି-ଦ୍ରବ୍ୟ-କ୍ରିୟା-ଜ୍ଞାନ । ଏ ଭାବେ ଭେଦ ଭିନ୍ନ ଭିନ୍ନ । । ୬୨
    ସେ ଅହଙ୍କାରେ ଭୂତ ଆଦି । ତାମସ-ଶକ୍ତି ତହିଁ ଭେଦି । । ୬୩
    ଶବଦ-ଗୁଣ-ମାତ୍ରା ସଞ୍ଚେ । ନଭପ୍ରକାଶେ ଅନ୍ତରୀକ୍ଷେ । । ୬୪
    ଶବଦ-ଗୁଣ ସେ ପ୍ରଧାନ । ଦୃଶ୍ୟଦର୍ଶକ ଭେଦସ୍ଥାନ । । ୬୫
    ଶବଦ-ଗୁଣ ନଭୁ ହୋଇ । ଚତୁର୍ଥମାତ୍ରା ସଙ୍ଗେ ଲଇ । । ୬୬
    ନଭବିକାରୁ ବାୟୁ ଜାତ । ସ୍ପରଶ ଶବ୍ଦଗୁଣେ ସ୍ଥିତ । । ୬୭
    ସ୍ପରଶଗୁଣ ତା ପ୍ରବଳ । ଯେ ପ୍ରାଣସହ ଓଜ-ବଳ । । ୬୮
    ପବନବିକାରୁ ତକ୍ଷଣେ । ସ୍ୱଭାବକାଳ କର୍ମଗୁଣେ । । ୬୯
    ସ୍ପରଶଗୁଣ ତହିଁ ଥାଇ । ତୃତୀୟମାତ୍ରା ଭାବ ବହି । । ୭୦
    ଶବଦ-ସ୍ପର୍ଶ-ରୂପ ତାର । ପ୍ରଚଣ୍ତତେଜ ମହାଘୋର । । ୭୧
    ତେଜବିକାରୁ ସେ ଉଦକ । ଯାର ସ୍ୱଭାବ ରସାତ୍ମକ । । ୭୨
    ଶବ୍ଦ-ସ୍ପରଶ-ରୂପ ତିନି । ଏ ତିନିରସ ସଙ୍ଗେ ଘେନି । । ୭୩
    ଆପବିକାରୁ ମହୀଜାତ । ସେ ପଞ୍ଚମାତ୍ରା ଗୁଣେ ଯୁତ । । ୭୪
    ସତ୍ତ୍ୱ-ବିକାରତହୁଁ ମନ । ଯେ ରୂପେ ପ୍ରକାଶେ ଗଗନ । । ୭୫
    ମନର ସଙ୍ଗେ ଦେବବଳ । ଦଶଇନ୍ଦ୍ରିୟ ରକ୍ଷପାଳ । । ୭୬
    ଦିଗ-ବାତାର୍କ-ଜଳପତି । ଅଶ୍ୱିନୀ-ବହ୍ନି-ସୁରପତି । । ୭୭
    ଉପେନ୍ଦ୍ର-ମିତ୍ର-ପ୍ରଜାପତି । ଏ ରୂପେ ଦଶ ଉତପତି । । ୭୮
    ତୈଜସବିକାରୁ ତକ୍ଷଣେ । ଜନ୍ମିଲେ ଦଶଇନ୍ଦ୍ରିଗଣେ । । ୭୯
    ଯେ ଜ୍ଞାନ କ୍ରିୟା ବୁଦ୍ଧି ପ୍ରାଣ । ତୈଜସଶକ୍ତି ଏ ପ୍ରମାଣ । । ୮୦
    ଶ୍ରୁତିଯୁଗଳ ଚର୍ମ ଘ୍ରାଣ । ନୟନ ଜିହ୍ୱା ପଞ୍ଚଜ୍ଞାନ । । ୮୧
    ବଚନ ପାଣି ଅଂଘ୍ରିବେନି । ଉପସ୍ଥ ମୂଳାଧାର ଘେନି । । ୮୨
    ଏ କର୍ମ ଇନ୍ଦ୍ରିୟ ପ୍ରକାର । ଦଶଦେବଙ୍କ ଅଧିକାର । । ୮୩
    ଭୂତ ଇନ୍ଦ୍ରିୟ-ଗଣ ମନ । ମହତ ଆଦି ତିନିଗୁଣ । । ୮୪
    ଯେଣୁ ନୋହିଲେ ଏକମନ । ଏ ତେଣୁ ନ ପାଇଲେ ସ୍ଥାନ । । ୮୫
    ବ୍ରହ୍ମାଣ୍ତ ହେତୁ ଏ ପ୍ରତ୍ୟକ୍ଷେ । ସୂକ୍ଷ୍ମେ ରହିଲେ ଅନ୍ତରୀକ୍ଷେ । । ୮୬
    ସ୍ଥାନ ନ ପାଇ ଅନ୍ୟୋଅନ୍ୟେ । ସ୍ଥକିତେ ରହିଲେ ଗଗନେ । । ୮୭
    କେତେହେଁ କାଳ ଶୂନ୍ୟେ ରହି । ଶବଦେ ବିଷ୍ଣୁଆଜ୍ଞା ପାଇ । । ୮୮
    ଏ ମହାଭୂତେ ସୂକ୍ଷ୍ମଭୂତେ । ଘଟିତ ଅନ୍ୟୋଅନ୍ୟ ଯୁତେ । । ୮୯
    ସୁବର୍ଣ୍ଣ-ଅଣ୍ତ ଉପୁଜିଲା । ତକ୍ଷଣେ ଉଦକେ ପଡ଼ିଲା । । ୯୦
    ଅନେକ ସହସ୍ର ବରଷେ । ସେ ଅଣ୍ତ ମହାଜଳେ ଭାସେ । । ୯୧
    ସେ ଅଣ୍ତ ମଧ୍ୟେ ଜୀବ ଜାତ । କାଳ କର୍ମ ସ୍ୱଭାବେ ସ୍ଥିତ । । ୯୨
    ଜୀବ ସ୍ୱଭାବେ ଅଚେତନ । ଚେତନା ଦେଲେ ଭଗବାନ । । ୯୩
    ସେ ସର୍ବଗୁଣ ସର୍ବସିଦ୍ଧି । କେତେହେଁ କାଳେ ଅଣ୍ତଭେଦି । । ୯୪
    ପୁରୁଷେ ହୋଇଲା ବାହାର । ଏବେ ହୋ ଶୁଣ ମୁନିବର । । ୯୫
    ସହସ୍ର-ଉରୁ-ଅଂଘ୍ରି-ବକ୍ଷ । ସହସ୍ରନୟନ ପ୍ରତ୍ୟକ୍ଷ । । ୯୬
    ସହସ୍ରେ ଶିର ସସ୍ରଭୁଜ । ଆନନ ଅପ୍ରମିତ ତେଜ । । ୯୭
    ତାହାର ଦେହ ଶୂନ୍ୟେ ଦେଖି । ଲୋକର ସ୍ଥିତି ଉପଲକ୍ଷି । । ୯୮
    ଦ୍ୱିସପ୍ତଲୋକ ତାର ଅଙ୍ଗେ । କଳ୍ପିତ ଅଧ ଉର୍ଦ୍ଧ୍ୱ ଭାଗେ । । ୯୯
    ମୁଖୁ କଳ୍ପିତ ବ୍ରହ୍ମକୁଳ । କ୍ଷତ୍ରିୟଜାତ ବାହୁମୂଳ । । ୧୦୦
    ଉରୁ ଯୁଗଳୁ ବୈଶ୍ୟଗଣେ । ଶୂଦ୍ର ଉପୁଜିଲା ଚରଣେ । । ୧୦୧
    ଭୂଲୋକ କଟୀଭାଗେ ସ୍ଥିତ । ନାଭିରୁ ଭୁବଲୋକ ଜାତ । । ୧୦୨
    ହୃଦରେ ସ୍ୱର୍ଗଲୋକ ମିଳେ । ମହତଲୋକ ଉରସ୍ଥଳେ । । ୧୦୩
    ଜନଲୋକ ଯେ ଗ୍ରୀବାତଟେ । ତପ ବସଇ ବେନିଓଷ୍ଠେ । । ୧୦୪
    ମୂର୍ଦ୍ଧନି ମଧ୍ୟେ ସତ୍ୟଲୋକ । ଯେ ବ୍ରହ୍ମ-ସନାତନ-କଳ୍ପ । । ୧୦୫
    ସପ୍ତପାତାଳ ଅଧୋଭାଗେ । ଶୁଣ କହିବା ପ୍ରତିଅଙ୍ଗେ । । ୧୦୬
    ଅତଳ ବସେ କଟୀଦେଶେ । ଉରୁରେ ବିତଳ ପ୍ରକାଶେ । । ୧୦୭
    ସୁତଳ ବସେ ଜାନୁମୂଳ । ଜଂଘର ମୂଳେ ତଳାତଳ । । ୧୦୮
    ଯେ ମହାତଳ ଗୁଳ୍ଫଦେଶେ । ପାଦାଗ୍ରେ ରସାତଳ ବସେ । । ୧୦୯
    ପାତାଳ ପାଦତଳେ ରହେ । ଏଣୁ ଭୁବନ ବିଶ୍ୱଦେହେ । । ୧୧୦
    ଯେ ଭୂଲୋକ ପାଦେ ବସେ । ନାଭିରେ ଭୁବ ଯେ ପ୍ରକାଶେ । । ୧୧୧
    ସ୍ୱଲୋକ କଳ୍ପିତ ମୂର୍ଦ୍ଧନି । ବିଶ୍ୱଦେହେ ବା ବିଶ୍ୱମାନି । । ୧୧୨
    ନାରଦ ଆଗେ ବେଦବର । ଯାହା କହିଲେ ବେଦସାର । । ୧୧୩
    ସୁଜନଜନଙ୍କ ଶ୍ରବଣେ । ବ୍ରାହ୍ମଣ ଜଗନ୍ନାଥ ଭଣେ । । ୧୧୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ।।


    ଷଷ୍ଠ ଅଧ୍ୟାୟ

    ବ୍ରହ୍ମା ଉବାଚ

    ଶୁଣ ନାରଦ ମହାଋଷି । ବିରାଜରୂପେ ବ୍ରହ୍ମରାଶି । । ୧
    ବ୍ରହ୍ମାଣ୍ତ ମଧ୍ୟେ ପ୍ରବେଶିଲା । ଯେ ଅଙ୍ଗୁ ଯେବା ପ୍ରକାଶିଲା । । ୨
    ତାହା କହିବା ତୋତେ ଭଲେ । ଇନ୍ଦ୍ରିୟଅର୍ଥେ ଇନ୍ଦ୍ରିତୁଲେ । । ୩
    ବଚନ ବହ୍ନିମୁଖେ ବସେ । ଯେଣେ ତା ଶବଦ ପ୍ରକାଶେ । । ୪
    ସପତଛନ୍ଦ ଧାତୁ ଯେତେ । ଦେହରେ ବସେ ତା ବାହ୍ୟାନ୍ତେ । । ୫
    ରସନା ଷଡ଼ରସେ ରସେ । ଜଳାଧିପତି ଯହିଁ ବସେ । । ୬
    ସେ ଦେବ-ପିତୃ ନରଙ୍କର । ଅନ୍ନର ସ୍ଥାନ ସେ ଆବର । । ୭
    ପ୍ରାଣସହିତ ଦଶପ୍ରାଣ । ସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ । । ୮
    ନାସାବିବରେ ଆଶ୍ରେ କଲେ । ଅଶ୍ୱିନୀକୁମାରଙ୍କ ତୁଲେ । । ୯
    ଚକ୍ଷୁଇନ୍ଦ୍ରିୟ ରୂପ ଅର୍ଥେ । ସୂର୍ଯ୍ୟ ପ୍ରକାଶ ଦୃଷ୍ଟିପଥେ । । ୧୦
    ଶବଦଅର୍ଥେ କର୍ଣ୍ଣବେନି । ଦିଗବସଇ ତୀର୍ଥ ଘେନି । । ୧୧
    ସେ ଦେବଦେହେ ଚର୍ମଦେଶେ । ସ୍ପରଶ ପବନ ପ୍ରକାଶେ । । ୧୨
    ଯେ ସର୍ବଯଜ୍ଞବସ୍ତୁ ସାର । ସର୍ବସୌଭାଗ୍ୟର ବେଭାର । । ୧୩
    ଚର୍ମ ଉପରେ ରୋମ ଭେଦି । ସେବୃକ୍ଷ ଯେଣେ ଯଜ୍ଞ ସାଧି । । ୧୪
    କେଶ ପ୍ରକାଶ ମୁଣ୍ତେ ଦାଢ଼ି । ଯେ ପାଦେ କରେ ନଖ ଜଡ଼ି । । ୧୫
    ସେ ତିନି ମଧ୍ୟେ ତିନିଦେବା । ପାଷାଣ ଲୌହ ମେଘପ୍ରଭା । । ୧୬
    ବାସବଆଦି ଦିଗପାଳେ । ବସନ୍ତି ତାର ଭୁଜମୂଳେ । । ୧୭
    ତାର ବିକ୍ରମେ ଲୋକତିନି । ଭୂଲୋକ-ଭୁବ-ସ୍ୱର୍ଗ ଘେନି । । ୧୮
    ଯେ ସର୍ବ-କୁଶଳ-କାରଣ । ସକଳ-ଭୟ-ନିବାରଣ । । ୧୯
    ସେ ହରି ଚରଣକମଳ । ସକଳ-କାମବର-ସ୍ଥଳ । । ୨୦
    ଯେ ସର୍ଗ ଶୁକ୍ରଘ ନରସ । ଯା ମେଢ୍ରେ ପ୍ରଜାପତି ବାସ । । ୨୧
    ମନ ଇନ୍ଦ୍ରିୟରସେ ରସେ । ଜନନେ ପ୍ରଜାପତି ବସେ । । ୨୨
    ସନ୍ତାନ ଅର୍ଥେ ସେ କଳ୍ପିତ । ସମ୍ଭୋଗ କାମେଣ ନିବୃତ୍ତ । । ୨୩
    ମଳ ଉତ୍ମର୍ଗ ମଳଦ୍ୱାରେ । ଯମ ବସଇ ଅଧିକାରେ । । ୨୪
    ନାଡ଼ୀ ସମୂହେ ନଦୀନଦେ । ଗିରି ସମୂହେ ଅସ୍ଥିଭେଦେ । । ୨୫
    ପାୟୁ ନରକ ଯମକ୍ଷେତ୍ର । ତା ମଳତ୍ୟାଗସ୍ଥାନ ମିତ୍ର । । ୨୬
    ହିଂସା ଅଲକ୍ଷ୍ମୀ ମୃତ୍ୟୁ ତହିଁ । ନିୟତ ବସତି କରଇ । । ୨୭
    ସେ ଜୀବଦେହେ ପୃଷ୍ଠଦେଶେ । ଅଧର୍ମ ସଙ୍ଗେ ତମ ବସେ । । ୨୮
    ସପତସିନ୍ଧୁ ଗର୍ଭେ ରହି । ଭୋଜନେ ତୁଷ୍ଟି ପୁଷ୍ଟି ବହି । । ୨୯
    ଉଦରେ ମୃତ୍ୟୁ ହୃଦଦେଶେ । ସର୍ବବ୍ୟାପକ ମନ ବସେ । । ୩୦
    ବିରାଟଆତ୍ମା ଦେହ ମଧ୍ୟେ । ବସଇ ସକଳ ସମ୍ପଦେ । । ୩୧
    ଧର୍ମ ସଙ୍ଗତେ ପଦ୍ମଯୋନି । ତୋ ସଙ୍ଗେ କୁମାରଙ୍କୁ ଘେନି । । ୩୨
    ବିଜ୍ଞାନ-ସତ୍ତ୍ୱ ରୁଦ୍ର ସଙ୍ଗେ । ସର୍ବେ ଆଶ୍ରିତ ଆତ୍ମାଅଙ୍ଗେ । । ୩୩
    ବ୍ରହ୍ମା ନାରଦ ଭବ ଆଦି । ମୁନିଏ ଯେତେ ବେଦବାଦୀ । । ୩୪
    ସୁର ଅସୁର ନର ନାଗ । ଯେ ସରୀସୃପ ଖଗ ମୃଗ । । ୩୫
    ଗନ୍ଧର୍ବ ଅପ୍ସରା ଯକ୍ଷ । ଭୂତ ଉରଗ ପଶୁ ରକ୍ଷ । । ୩୬
    ପିତର ସିଦ୍ଧ ବିଦ୍ୟାଧର । ଚାରଣ ଗୁହ୍ୟକ କିନ୍ନର । । ୩୭
    ବୃକ୍ଷ ଔଷଧି ଲତା ଯେତେ । ବିବିଧଜୀବଙ୍କ ସମେତେ । । ୩୮
    ଯେ ଜଳ ସ୍ଥଳ ଅନ୍ତରୀକ୍ଷେ । ଗ୍ରହ ଆଦିତ୍ୟ କେତୁଋକ୍ଷେ । । ୩୯
    ତାରା ସମୂହ ତେଜେ ଝଳି । ଜୀମୂତ ପ୍ରକାଶେ ବିଜୁଳି । । ୪୦
    ତା ତନୁ ଏ ସର୍ବ କାରଣ । ଭୂତ ଭବିଷ୍ୟ ବର୍ତ୍ତମାନ । । ୪୧
    ଏ ରୂପେ ଏ ବିଶ୍ୱ-ସଂସାର । ପ୍ରକାଶେ ଯାହାର ଶରୀର । । ୪୨
    ବିତସ୍ତିମାତ୍ର ମଧ୍ୟେ ରହେ । ଏକ ଅନେକ ଜନ୍ତୁ ଦେହେ । । ୪୩
    ଭିତରେ ରହେ ପ୍ରାଣ ତେଜେ । ପ୍ରକାଶେ ଅନ୍ତର ବାହିଯ୍ୟେ । । ୪୪
    ଅବ୍ୟୟ ଅମୃତ ଈଶ୍ୱର । ଜନ୍ମ-ମରଣ ଆରପାର । । ୪୫
    ତାହାର ଏମନ୍ତ ମହିମା । ଏଣୁ ଦୁସ୍ତର ଗୁଣସୀମା । । ୪୬
    ପାଦେ ଅଶେଷ ଭୂତ ବସେ । ଅମୃତାଭୟ କ୍ଷେମକୋଷେ । । ୪୭
    ତ୍ରିଲୋକ ଉର୍ଦ୍ଧ୍ୱେ ତିନିଲୋକ । ବହେ ଅଭୟ କ୍ଷେମ ସୁଖ । । ୪୮
    ଯେ ପ୍ରଜାଶ୍ରମେ ଧର୍ମ ଚିନ୍ତେ । ତ୍ରିଲୋକେ ଭ୍ରମେ ଗତାଗତେ । । ୪୯
    ଯେ ଆନ ଆଶ୍ରମେ ରମନ୍ତି । ତ୍ରୈଲୋକ୍ୟ ବାହ୍ୟେ ତାଙ୍କ ସ୍ଥିତି । । ୫୦
    ଜୀବର ଏହି ବେନିଗତି । ବିଦ୍ୟା ଅବିଦ୍ୟା ଭାବେ ହୋନ୍ତି । । ୫୧
    ଯେ ଶ୍ରୁତିମାର୍ଗେଣ ଉତ୍ତରେ । ଦକ୍ଷିଣେ ପୁରୁଷ ସଞ୍ଚରେ । । ୫୨
    ଭୋଗାପବର୍ଗର ସାଧନ । ଜୀବର ଏ ବେନି ଅୟନ । । ୫୩
    ଯାହାର ଅଂଶ ମାୟାମୟ । ଭୂତ-ଇନ୍ଦ୍ରିୟ-ଗୁଣାଶ୍ରୟ । । ୫୪
    ବିରାଟ ରୂପେ ଜାତ ହୁଏ । କିରଣ ଯେହ୍ନେ ସୂର୍ଯ୍ୟଦେହେ । । ୫୫
    ଯାହାର ନାଭିପଦ୍ମୁ ଜାତ । ମୁଁ ବ୍ରହ୍ମା ବ୍ରହ୍ମାଣ୍ତର ନାଥ । । ୫୬
    ଯଜ୍ଞସମ୍ଭାର ନ ଜାଣଇ । ଯାବତ ତାର ଦେହେ ଥାଇ । । ୫୭
    ତାର ଶରୀରେ ଯଜ୍ଞବିଧି । ଆଗମ-ନିଗମ ପ୍ରସିଦ୍ଧି । । ୫୮
    ପଶୁ ଇନ୍ଧନ କୁଶ ଆଦି । ଯେମନ୍ତେ ଯେ ଅବା ସମ୍ପାଦି । । ୫୯
    ଯଜନ ଦେବ ପିତୃ ତୋଷେ । ଯେ କାଳ ଯେବା ପୁଣ୍ୟଦେଶେ । । ୬୦
    ଯେତେ ପାତ୍ରରେ ଯଜ୍ଞ କରି । ମନ୍ତ୍ର ଔଷଧି ଆଦିକରି । । ୬୧
    ସ୍ନେହରସ ଯେ ଲୌହ ଆଦି । ମୃତ୍ତିକା ଜଳ ଯେ ସମ୍ପାଦି । । ୬୨
    ଋକ ଯଜୁଃ ଯେ ସାମ ତିନି । ଚତୁରହୋତ୍ର କର୍ମ ଘେନି । । ୬୩
    ଯେ ନାମଧେୟ ଯେବା ମନ୍ତ୍ର । ଯେବା ଦକ୍ଷିଣା ଯେବା ବ୍ରତ । । ୬୪
    ଦେବତା ଅନୁକ୍ରମ କଳ୍ପ । ଯେ ତନ୍ତ୍ର ଯେ ଅବା ସଙ୍କଳ୍ପ । । ୬୫
    ଯେ ଗତି ଯଜ୍ଞ ଯେବା ମତି । ଯେ ସମର୍ପଣ ପ୍ରାୟଶ୍ଚିତ୍ତି । । ୬୬
    ଯଜ୍ଞସମ୍ଭାର ତା ଶରୀରେ । ଲଭିଲି ଜନ ଉପକାରେ । । ୬୭
    ତାର ବିଭୂତି ତାର ଅଙ୍ଗେ । ଯଜ୍ଞ ଆରୋଧି ହବିର୍ଭାଗେ । । ୬୮
    ପୂଜିଲି ପୁରୁଷ-ପୁରାଣ । ତେଣୁ ମୁଁ ସଂସାର-କାରଣ । । ୬୯
    ସକଳ ଯଜ୍ଞଭାଗେ ଚିନ୍ତି । ମୋ ଅନ୍ତେ ନବପ୍ରଜାପତି । । ୭୦
    ଯଜ୍ଞପୁରୁଷ ସ୍ଥାପି କୁଣ୍ତେ । ଯେମନ୍ତ ବିଧି କର୍ମକାଣ୍ତେ । । ୭୧
    ପୂଜିଲେ ତାହାର ଚରଣେ । ଯେ ବିଧି ମନ୍ତ୍ର-ଉଚ୍ଚାରଣେ । । ୭୨
    ଏହି ପ୍ରକାରେ ସର୍ବଋଷି । ପିତୃ ଦେବତା ମନୁ ବସି । । ୭୩
    ଦାନବ ମାନବ ସହିତେ । ଯଜ୍ଞେ ପୂଜିଲେ ବେଦମନ୍ତ୍ରେ । । ୭୪
    ସେ ହରି ଅଙ୍ଗେ ଏ ଜଗତ । ଯଜ୍ଞ ପୂଜନେ ସମାହିତ । । ୭୫
    ଯେ ସ୍ୱୟଂ ନିର୍ଗୁଣ ଅନନ୍ତ । ମାୟା ଗୃହୀତ ଗୁଣବନ୍ତ । । ୭୬
    ଯଜ୍ଞେ ତାହାଙ୍କୁ ପୂଜା କରି । ମୁଁ ଏ ସଂସାରେ ଅଧିକାରୀ । । ୭୭
    ତାହା ଆଜ୍ଞା ଶିରେ ବହି । ମୁଁ ଏ ସଂସାର ସରଜଇ । । ୭୮
    ପାଳଇ ବିଷ୍ଣୁ ରୂପ ଧରି । ଶଙ୍କର ରୂପେଣ ସଂହରି । । ୭୯
    ସୃଷ୍ଟିପାଳନ ସଂହାରଣ । ଏ ଆଦି ବିକାର ତ୍ରିଗୁଣ । । ୮୦
    ସେ ମାୟାଧର ନରହରି । ଖେଳଇ ସୃଷ୍ଟିଲୀଳା କରି । । ୮୧
    ତୁ ଯାହା ପୁଚ୍ଛିଲୁ ପ୍ରସ୍ତାବେ । ସଂକ୍ଷେପି କହିଲି ମୁଁ ଏବେ । । ୮୨
    ସତ ଅସତ ରୂପ ଯେତେ । ମାୟା କଳ୍ପିତ ଏ ଜଗତେ । । ୮୩
    ଏ ସର୍ବରୂପ ନାରାୟଣ । ଅନାଦି-ପରମ-କାରଣ । । ୮୪
    ମୋର ବଚନ ହେ ନାରଦ । କେବେ ହେଁ ନୁହଇ ଅସଦ । । ୮୫
    ମୋହର ମନ ସତ୍ୟେ ସ୍ଥିତି । ସ୍ୱଭାବେ ନୁହେ ମିଥ୍ୟାଗତି । । ୮୬
    ଏ ମୋର ଇନ୍ଦ୍ରିଗଣ କେବେ । ନ ଯାନ୍ତି ଅସତ୍ୟ ଅମାର୍ଗେ । । ୮୭
    ଯେଣୁ ମୋ ହୃଦେ ନାରାୟଣ । ଉକ୍ରଣ୍ଠାଭାବେ ସୁମରଣ । । ୮୮
    ତପ ସମାଧି ମୋର ସ୍ଥିତି । ମୁଁ ପ୍ରଜାପତିଙ୍କର ପତି । । ୮୯
    ଯୋଗେ ନିପୁଣ ସମାହିତ । ଯେଣୁ ମୁଁ ଆତ୍ମତନ୍ତ୍ରେ ଜାତ । । ୯୦
    ତେବେ ହେଁ ନ ଜାଣିଲି ତାକୁ । ଆନ କେ ଅଛି ଜାଣିବାକୁ । । ୯୧
    ତାର ଚରଣେ ନମସ୍କାର । ଯା ଭାବେ ତୁଟଇ ସଂସାର । । ୯୨
    ଶୁଭ ମଙ୍ଗଳ ସ୍ୱସ୍ତ୍ୟୟନ । ଆନନ୍ଦମୂଳ ମାୟାଧାମ । । ୯୩
    ବ୍ରହ୍ମାଦି ଦେବେ ଅଗୋଚର । ଅକୁଣ୍ଠ-ମହିମା ଯାହାର । । ୯୪
    ଆତ୍ମାରେ ଆତ୍ମମାୟା କରେ । ଲୀଳାରେ ବିହରେ ସଂସାରେ । । ୯୫
    ସ୍ୱମାୟା ସେହି ନ ଜାଣଇ । କେ ଅବା ଅପରେ ଜାଣଇ । । ୯୬
    ଦୃଶ୍ୟ ଅଦୃଶ୍ୟ ସର୍ବବ୍ୟାପୀ । ଗଗନ ଯେହ୍ନେ ବିଶ୍ୱରୂପୀ । । ୯୭
    ମୁଁ ଯାର ଗତି ନ ଜାଣଇ । ତୁ କାହିଁ ପ୍ରବେଶିବୁ ତହିଁ । । ୯୮
    ଭାବ ନ ପାରେ ଯାକୁ ଚିନ୍ତି । ଦେବେ ଜାଣିବେ କାହିଁ ଗତି । । ୯୯
    ତାର ମାୟାରେ ମୋହି ହୋଇ । ତା ରୂପ କେହି ନ ଜାଣଇ । । ୧୦୦
    ଆତ୍ମାର ସମ ଆମ୍ଭେ ଜାଣୁ । କେ ତାର ରୂପ ପରିମାଣୁ । । ୧୦୧
    ଯା ଅବତାର କର୍ମମାନ । ମୋ ଆଦି କରନ୍ତି ଗାୟନ । । ୧୦୨
    ତତ୍ତ୍ବେ ଜାଣିବୁ ଆମ୍ଭେ କାହିଁ । ଯାହାର ଆଦିଅନ୍ତ ନାହିଁ । । ୧୦୩
    ଯାର ଚରଣେ ଆମ୍ଭେ ନମୁ । ଯା ମାୟାରୂପ ବଳେ ଭ୍ରମୁ । । ୧୦୪
    ସେ ଆଦିପୁରୁଷ ମୁରାରି । କଳ୍ପ-କଳ୍ପକେ ସୃଷ୍ଟି କରି । । ୧୦୫
    ଆତ୍ମାରେ ଆତ୍ମାରୂପେ ମିଳେ । ଆତ୍ମାକୁ ଆପେ ହରେ ପାଳେ । । ୧୦୬
    କେବଳ ଶୁଦ୍ଧ-ଜ୍ଞାନମୟେ । ସତ୍ୟସ୍ୱରୂପ ସର୍ବଦେହେ । । ୧୦୭
    ଅନାଦି ଅନନ୍ତ ନିର୍ଗୁଣ । ନିତ୍ୟ ଅବ୍ୟୟ ନାରାୟଣ । । ୧୦୮
    ଶୁଣ ନାରଦ ମନ ଦେଇ । ଯେମନ୍ତେ ତାହାକୁ ଜାଣଇ । । ୧୦୯
    ପ୍ରଶାନ୍ତ-ଆତ୍ମା ମୁନିଗଣେ । ନିର୍ମଳ-ଅନ୍ତରକରଣେ । । ୧୧୦
    ସମାଧି ଯୋଗବଳେ ଚିନ୍ତି । ଆତ୍ମାରେ ଆତ୍ମାକୁ ଦେଖନ୍ତି । । ୧୧୧
    ଅସତ୍ୟ ତର୍କ ଯେବେ ଥାଇ । ତେବେ ତା ଭାବ ନ ଜାଣଇ । । ୧୧୨
    ପରମ-ପୁରୁଷ ମୁରାରି । ଆଦ୍ୟାବତାର ତନୁ ଧରି । । ୧୧୩
    କାଳ ସ୍ୱଭାବ ସଙ୍ଗେ ମନ । ଯେ ନିତ୍ୟ ଶୁଦ୍ଧ ଚଇତନ । । ୧୧୪
    ଦ୍ରବ୍ୟ ବିକାର ତିନିଗୁଣ । ଦେବ ସମେତେ ଇନ୍ଦ୍ରିଗଣ । । ୧୧୫
    ବିରାଟ ରୂପେ ମହୀ ମାଝେ । ସ୍ଥାବର ଆଦି ଦେହେ ବିଜେ । । ୧୧୬
    ବ୍ରହ୍ମା ଶଙ୍କର ଯଜ୍ଞପତି । ଦକ୍ଷାଦି ଯେତେ ପ୍ରଜାପତି । । ୧୧୭
    ତୁ ଆଦି ସନକ ସହିତେ । ସ୍ୱର୍ଗେ ଦେବତା ଛନ୍ତି ଯେତେ । । ୧୧୮
    ଗରୁଡ଼ ଆଦି ଖଗପାଳେ । ଭୂଲୋକ ସପତ-ପାତାଳେ । । ୧୧୯
    ଗନ୍ଧର୍ବ ବିଦ୍ୟାଧରଗଣ । ଯେ ଯକ୍ଷ କିନ୍ନର ଚାରଣ । । ୧୨୦
    ରାକ୍ଷସ ସରୀସୃପ ନାଗେ । ବାସୁକି ଆଦି ମହୋରଗେ । । ୧୨୧
    ଋଷିଙ୍କ ମଧ୍ୟେ ଶ୍ରେଷ୍ଠ ଯେତେ । ଯେ ପିତୃଗଣଙ୍କ ସମେତେ । । ୧୨୨
    ଦୈତ୍ୟ ଦାନବ ସିଦ୍ଧକୁଳ । ପ୍ରେତ ପିଶାଚ ଭୂତବଳ । । ୧୨୩
    କୁଷ୍ମାଣ୍ତ ଜଳଜୀବ ଯେତେ । କି ଅବା ପଶୁପକ୍ଷୀ ଯେତେ । । ୧୨୪
    ଯେ ଆନେ ଛନ୍ତି ଯହିଁ ଯେତେ । ତେଜ ବିକ୍ରମ ବଳ ଯୁତେ । । ୧୨୫
    କମଳା ଆଦି ଅଷ୍ଟନିଧି । ଯେ ଗୁଣେ ଯେ ଅବା ପ୍ରସିଦ୍ଧି । । ୧୨୬
    ପ୍ରଧାନ ଗୁଣ ଯେବା ଭୂତେ । ଜଗତ ମଧ୍ୟେ ଛନ୍ତି ଯେତେ । । ୧୨୭
    ଏ ସର୍ବ ପରତତ୍ତ୍ୱ ଯେହି । ତାହାର ବିଭୂତି ଅଟଇ । । ୧୨୮
    ଏ ସର୍ବସାର ତା ଶରୀର । ଯେ ବିଷ୍ଣୁଲୀଳା ଅବତାର । । ୧୨୯
    ଏ ଲୀଳାକଥା ଗୀତସ୍ୱରେ । ପଶଇ ଯାର କର୍ଣ୍ଣଦ୍ୱାରେ । । ୧୩୦
    ସର୍ବ-ଦୁରିତ-ତମ ନାଶେ । ଯେବା ବଦନେ ନିତ୍ୟ ଘୋଷେ । । ୧୩୧
    ଶୁଣ ନାରଦ ମନଦେଇ । ଲୀଳାନୁକ୍ରମେ କହିବଇଁ । । ୧୩୨
    ଅମୃତ କୃଷ୍ଣଲୀଳା-ରସ । ଶ୍ରୁତିଯୁଗଳେ କର ଗ୍ରାସ । । ୧୩୩
    ତାହାଙ୍କ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । । ୧୩୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ।।


    ସପ୍ତମ ଅଧ୍ୟାୟ

    ବ୍ରହ୍ମା ଉବାଚ

    ଶୁଣ ନାରଦ ମୁନିବର । ଭବିଷ୍ୟ ଲୀଳା ଅବତାର । । ୧
    ଅଶେଷଜନଙ୍କର ହିତେ । ଶୁଣ କହିବା ତୋ ଅଗ୍ରତେ । । ୨
    ପଦ୍ମକଳ୍ପର ଅନ୍ତେ ହରି । ଶୂକରରୂପେ ଅବତରି । । ୩
    ସେ ସର୍ବ ଯଜ୍ଞମୟ ଗାତ୍ରେ । ଧରଣୀ ଉଦ୍ଧରିବା ଅର୍ଥେ । । ୪
    ଆଦିଅସୁର ଅବତାର । ପ୍ରଚଣ୍ତ ହିରଣ୍ୟାକ୍ଷ ବୀର । । ୫
    ତାହାକୁ ମହାର୍ଣ୍ଣବ-ଜଳେ । ଦନ୍ତେ ବିଦାରିଲେ ପାତାଳେ । । ୬
    ବଜ୍ରେ ଯେସନେ ବଜ୍ରଧର । ହେଳେ ବିଦାରେ ମହୀଧର । । ୭
    ସେ ପୁଣି ରୁଚିଋଷି ଘରେ । ଜନ୍ମିଲେ ଆକୂତି ଉଦରେ । । ୮
    ସେ ଯଜ୍ଞରୂପ ନରହରି । ଦକ୍ଷିଣା ଗର୍ଭେ ବିଜେକରି । । ୯
    ସର୍ବଦେବଙ୍କୁ ଜାତ କଲେ । ତ୍ରୈଲୋକ୍ୟ-ଭୟ ନିବାରିଲେ । । ୧୦
    ମନୁ ଯେ ବ୍ରହ୍ମାର ନନ୍ଦନ । ହରଷେ ଦେଲେ ହରି ନାମ । । ୧୧
    କର୍ଦ୍ଦମଋଷି ଗୃହେ ପୂର୍ବେ । ଜନ୍ମିଲେ ଦେବହୂତି ଗର୍ଭେ । । ୧୨
    ତାଙ୍କ ସଙ୍ଗତେ ନବନାରୀ । ଜନ୍ମିଲେ ଦିବ୍ୟରୂପ ଧରି । । ୧୩
    ସେ ଜନ୍ମେ ଜନନୀର ଦୁଃଖ । ଦେଖି ସଦୟ ପଦ୍ମମୁଖ । । ୧୪
    ଆତ୍ମାର ଗତି ମାତାଆଗେ । କହିଲେ ତତ୍ତ୍ୱ-ଅନୁରାଗେ । । ୧୫
    ସେ ତତ୍ତ୍ବେ ଆତ୍ମା-ଗୁଣ-ଦୋଷ । ସେ ଦେବହୂତି କଲେ ନାଶ । । ୧୬
    ତାହାଙ୍କୁ ମାୟାରୁ ଉଦ୍ଧରି । କପିଳରୂପେ ତପ କରି । । ୧୭
    ଅତ୍ରିର ତପ ଦେଖି ତୋଷେ । ତକ୍ଷଣେ ମିଳି ତାର ପାଶେ । । ୧୮
    ବୋଇଲେ ତୋତେ ଦେଲି ବର । ହୋଇବି ତୋହର କୁମର । । ୧୯
    ଦତ୍ତ-ବଚନେ ଦତ୍ତ ନାମ । ସୁନ୍ଦରେ ସମ ନୋହେ କାମ । । ୨୦
    ଧରଣୀ ପର୍ଯ୍ୟଟନ କଲେ । ଅନେକ ତପ ଆଚରିଲେ । । ୨୧
    ହୈହୟ ଯଦୁ ଆଦି ରାଜା । ଯାର ଚରଣେ କରି ପୂଜା । । ୨୨
    ଯୋଗ-ସମାଧି ସମ୍ପାଦିଲେ । ଜନ୍ମ-ମରଣୁ ନିସ୍ତରିଲେ । । ୨୩
    ସୃଷ୍ଟି-ସୃଜନେ ମନ କରି । ଆଦ୍ୟେ ମୁଁ ତପ ଯେ ଆଚରି । । ୨୪
    ତପର ବଳେ ଭଗବାନ । ଜାତ ହୋଇଲେ ଚତୁଃସନ । । ୨୫
    ଯେ ଯୋଗ ପୂର୍ବକାଳେ ଥିଲା । କଳ୍ପ-ପ୍ରଳୟେ ନାଶ ଗଲା । । ୨୬
    ତାହା ଉଦ୍ଧରି ଯୋଗବଳେ । ଧର୍ମ ରଖିଲେ ମହୀତଳେ । । ୨୭
    ଦକ୍ଷକୁମାରୀ ଗର୍ଭେ ହରି । ଧର୍ମର ବୀର୍ଯ୍ୟେ ଅବତରି । । ୨୮
    ସେ ଦକ୍ଷକନ୍ୟା ମୂର୍ତ୍ତି ନାମ । ସର୍ବସୁନ୍ଦର ଅନୁପମ । । ୨୯
    ତାର ଉଦରୁ ପୂର୍ବକଳ୍ପେ । ଜନ୍ମିଲେ ନାରାୟଣ ରୂପେ । । ୩୦
    ନର ସ୍ୱରୂପ ନର ନାମ । ସର୍ବସୁନ୍ଦର ପୁଣ୍ୟଧାମ । । ୩୧
    ନିଶ୍ଚଳ ତପ ଯୋଗଧ୍ୟାନେ । ବସିଲେ ବଦରିକାଶ୍ରମେ । । ୩୨
    ଅତି ଦୁଃସହ ତପ ଘୋରେ । ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ । । ୩୩
    ତକ୍ଷଣେ ଅପସରା ଗଣେ । ମିଳିଲେ ବଦରିକା ବନେ । । ୩୪
    ଦିବ୍ୟ ସୁବେଶେ ନାନାରଙ୍ଗେ । ଆସି ମିଳିଲେ ତପଭଙ୍ଗେ । । ୩୫
    ଡୋଳେ ଉର୍ବଶୀ ରୂପ ଦେଖି । ଲାଜେ ହୋଇଲେ ଅଧୋମୁଖୀ । । ୩୬
    କୋପନୟନେ ମୁନିଜନ । କାମକୁ କରନ୍ତି ଦହନ । । ୩୭
    କୋପକୁ ନ ପାରନ୍ତି ଦହି । କୋପ ପ୍ରବେଶ ଯହିଁ ନାହିଁ । । ୩୮
    କାହୁଁ କରିବେ ତପ ନାଶ । ବାହୁଡ଼ି ହୋଇଲେ ନିରାଶ । । ୩୯
    ଉତ୍ତାନପାଦ ରାଜା କୋଳେ । ଧ୍ରୁବବାଳକ ରସଭୋଳେ । । ୪୦
    ବସିବ ବୋଲି ବିଚାରିଲା । ମାତା-ସପତ୍ନୀ ଝିଙ୍ଗାସିଲା । । ୪୧
    ସେ ନିଜ ଜନନୀ ବଚନେ । ଅରଣ୍ୟେ ଗଲା ଦୁଃଖମନେ । । ୪୨
    ଅତି କଠୋର ତପ କଲା । ତାକୁ ଯେ ଧ୍ରୁବପଦ ଦେଲା । । ୪୩
    ମୁନିଏ ଉର୍ଦ୍ଧ୍ୱେ ତଳେ ଥାଇ । ଧ୍ରୁବ ତପସ୍ୟାଫଳ ଚାହିଁ । । ୪୪
    ସ୍ତୁତି କରନ୍ତି ତାର ତପେ । ଜନନୀ ଦେଖି ତା ସମୀପେ । । ୪୫
    ବେଣ ଯେ ସତ୍ୟଯୁଗେ ରାଜା । ଅଧର୍ମେ ପାଳେ ଜନପ୍ରଜା । । ୪୬
    ହରିଙ୍କି ନ ସ୍ଥାପନ୍ତେ ଭଲେ । ବ୍ରାହ୍ମଣେ ଶାପେ ନାଶ କଲେ । । ୪୭
    ରାଜା-ମାରଣେ ଅରାଜକେ । ପ୍ରଜା ଦୁଃଖିତ ଅତିରେକେ । । ୪୮
    ତା ଦେଖି ଦ୍ୱିଜେ ସ୍ତୁତି କରି । ତକ୍ଷଣେ ପୃଥୁରୂପ ଧରି । । ୪୯
    ହରି ଜନ୍ମିଲେ ରାଜକୁଳେ । ଭୂମିକି ଦୁହିଁ ବାହୁବଳେ । । ୫୦
    ପ୍ରଜାଙ୍କୁ ଶସ୍ୟବୀଜ ଦେଲେ । ଅନ୍ନସଙ୍କଟୁ ଉଦ୍ଧରିଲେ । । ୫୧
    ନାଭିର ବୀର୍ଯ୍ୟେ ସେ ଋଷଭ । ସୁଦେବୀ ଉଦରେ ସମ୍ଭବ । । ୫୨
    କପଟେ ଜଡ଼ରୂପ ଧରି । ସକଳ ଯୋଗ ସାଧ୍ୟ କରି । । ୫୩
    ପରମହଂସ ମୁନିଗଣେ । ନମନ୍ତି ଯାହାର ଚରଣେ । । ୫୪
    ସେ ସ୍ୱଚ୍ଛ ଶାନ୍ତ ଅନୁଗତ । ଅଶେଷସଙ୍ଗରୁ ବିମୁକ୍ତ । । ୫୫
    ପୁଣି ମୋହର ଯଜ୍ଞକାଳେ । ମନ୍ତ୍ରେ ଉପୁଜିଲା ଅନଳେ । । ୫୬
    ନର-ଶରୀର ଅଶ୍ୱଶିର । ସୁବର୍ଣ୍ଣବର୍ଣ୍ଣ ଜଟାଭାର । । ୫୭
    ସକଳ ବେଦ ଯଜ୍ଞମୟ । ଅଖିଳ-ଆତ୍ମା ନିଜ ଦେହ । । ୫୮
    ତାର ନିଃଶ୍ୱାସୁ ବେଦ ତିନି । ଜନ୍ମିଲେ କର୍ମକାଣ୍ତ ଘେନି । । ୫୯
    ଯୁଗାନ୍ତକାଳେ ମହାଜଳେ । ରାଜାର ତର୍ପଣର କାଳେ । । ୬୦
    ରାଜା ତାରଣେ ଦଇତାରି । ମିଳିଲେ ମତ୍ସ୍ୟରୂପ ଧରି । । ୬୧
    ଯୁଗ-ବିପ୍ଳବେ ବେଦରାଶି । ଥିଲା ଯେ ମହାଜଳେ ପଶି । । ୬୨
    ସେ ବେଦ ସଲିଳୁ ଉଦ୍ଧରି । ମନୁକୁ ଦେଲେ ନରହରି । । ୬୩
    ବାସବ-ସମ୍ପଦ ଉଦ୍ଧାରେ । କ୍ଷୀରସମୁଦ୍ର ମନ୍ଥିବାରେ । । ୬୪
    ମିଳି ସକଳ ଦେବାସୁର । ସମୁଦ୍ରେ ସ୍ଥାପିଲେ ମନ୍ଦର । । ୬୫
    ଅଗାଧଜଳେ ମଧୁହାରୀ । ମିଳିଲେ କୂର୍ମରୂପ ଧରି । । ୬୬
    ପୃଷ୍ଠେ ବହିଲେ ଗିରିବର । ମନ୍ଥନ କଲେ ଦେବାସୁର । । ୬୭
    ଗିରି-ଘର୍ଷଣ କଣ୍ତୁ-ସୁଖେ । ନିଦ୍ରାନୟନ ଅଧୋମୁଖେ । । ୬୮
    ଦେବଙ୍କ ଭୟ ନାଶିବାରେ । ସେ ନରସିଂହ ରୂପ ଧରେ । । ୬୯
    ଭ୍ରମାଇ ଭ୍ରୂକୁଟୀ-କୁଟୀଳ । ଦନ୍ତ-ଶ୍ରୀମୁଖ ବିକରାଳ । । ୭୦
    ଗଦା ବୁଲାଇ ଅତି ବେଗେ । ଦୈତ୍ୟ ମିଳିଲା ଆସି ଆଗେ । । ୭୧
    ତକ୍ଷଣେ ଉରୁ ମଧ୍ୟେ ଧରି । ନଖାଗ୍ରେ ହିରଣ୍ୟ ବିଦାରି । । ୭୨
    ମହାଦୈତ୍ୟକୁ ସଂହାରିଲେ । ସଂସାର ସଙ୍କଟୁ ତାରିଲେ । । ୭୩
    ଅଗାଧ-ସରୋବର ମଧ୍ୟେ । କୁମ୍ଭୀର ଗଜରାଜ ପାଦେ । । ୭୪
    ଧଇଲା ଅତି ଦୃଢ଼ବଳେ । ହସ୍ତୀର ଚରଣ ନିଶ୍ଚଳେ । । ୭୫
    ଚଳି ନ ପାରି ଯୂଥପତି । ଆରତେ ସୁମରେ ଶ୍ରୀପତି । । ୭୬
    ହସ୍ତେ କମଳ ଉଚ୍ଚେ ତୋଳି । ନୟନୁ ଅଶ୍ରୁଜଳ ଗଳି । । ୭୭
    ଆଦିପୁରୁଷ ଲୋକନାଥ । ତୀର୍ଥ-ପବିତ୍ର ତୋ ଚରିତ । । ୭୮
    ଶ୍ରବଣ-ମଙ୍ଗଳ ତୋ ନାମ । ପୁଣ୍ୟପୁରୁଷ ଗୁଣଧାମ । । ୭୯
    ସେ ହରି ସ୍ତୁତି ଶୁଣି କର୍ଣ୍ଣେ । ଗଜବିକଳ ଯୋଗଧ୍ୟାନେ । । ୮୦
    ମରଣକାଳେ ସୁମରିଲା । ବିଷ୍ଣୁର ସମାଧି ଭାଜିଲା । । ୮୧
    ତାର ମହିମା ଅପ୍ରମେୟ । ନିମିତ୍ତେ ବହେ ନାନାଦେହ । । ୮୨
    ଦକ୍ଷିଣଭୁଜେ ଚକ୍ର ଧରି । ଗରୁଡ଼-ସ୍କନ୍ଧେ ବିଜେ କରି । । ୮୩
    ଚକ୍ର ପ୍ରହାରେ ନକ୍ର ମାରି । ହସ୍ତୀର ହସ୍ତ ହସ୍ତେ ଧରି । । ୮୪
    ଜଳୁ ଉଦ୍ଧରି ନାରାୟଣ । ଅନ୍ତର ହୋଇଲେ ତକ୍ଷଣ । । ୮୫
    ଅଦିତି-ପୁତ୍ରଙ୍କର ସାନ । ଗୁଣରେ ଜ୍ୟେଷ୍ଠ ସେ ବାମନ । । ୮୬
    ତ୍ରିପାଦେ ତିନିଲୋକ ଜିଣି । ସେ ଅଧିଯଜ୍ଞ ନାମ ଭଣି । । ୮୭
    ଯେ ଧର୍ମମାର୍ଗେ ନିତ୍ୟେ ଥାନ୍ତି । ଯାଚଞ୍ଜା ବିନା ତା ସମ୍ପତ୍ତି । । ୮୮
    ଈଶ୍ୱର ଆଦିତନୁ ଧରି । କେହି ନ ପାରେ ତାହା ହରି । । ୮୯
    ସେ ବଳି ଦୃଢ଼ ସତ୍ୟ ମନେ । କୃଷ୍ଣଚରଣ ଆରାଧନେ । । ୯୦
    ମନ୍ତ୍ରୀର ବୋଲ ନ ଶୁଣିଲା । ତ୍ରିପାଦ-ଭୂମି ଦାନ ଦେଲା । । ୯୧
    ବିଷ୍ଣୁର ପାଦରଜେ ଇଚ୍ଛା । ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା । । ୯୨
    ସର୍ବ-ସମ୍ପଦ ଆତ୍ମା ତୁଲେ । ଅର୍ପିଲା ବିଷ୍ଣୁ-ପାଦମୂଳେ । । ୯୩
    ତୁ ଯେ ନାରଦ ତାରଅଂଶେ । ଶରୀର ବହୁ ମୋର ବଂଶେ । । ୯୪
    ତୁମ୍ଭଙ୍କୁ ଭକ୍ତି ହଂସରୂପେ । କହିଲା ଭକ୍ତ-ତୋଷ ଅର୍ଥେ । । ୯୫
    ତହୁଁ ଲଭିଲୁ ଦିବ୍ୟଜ୍ଞାନ । ଯେ ଯୋଗୀଗଣେ ବିଦ୍ୟମାନ । । ୯୬
    ଯେ ଜ୍ଞାନେ କୃଷ୍ଣର ଚରଣ । ସୁଖେଣ ପଶନ୍ତି ଶରଣ । । ୯୭
    ସେ ମନ୍ୱନ୍ତରେ ମନୁବଂଶେ । ସ୍ୱତେଜେ ଚକ୍ରବର୍ତ୍ତୀ ଅଂଶେ । । ୯୮
    ଦୁଷ୍ଟରାଜାଙ୍କୁ ଦଶଦିଗେ । ଜିଣି ସ୍ଥାପିଲା ସାଧୁମାର୍ଗେ । । ୯୯
    ତ୍ରିଲୋକ ପରେ ସତ୍ୟଲୋକେ । କୀର୍ତ୍ତି ବିସ୍ତାରି କଉତୁକେ । । ୧୦୦
    ସେ ଧନ୍ୱନ୍ତରୀ ରୂପ ଧରି । ବ୍ରହ୍ମାଣ୍ତ ମଧ୍ୟେ ଅବତରି । । ୧୦୧
    ହରିଲା ପ୍ରାଣୀଙ୍କର ବ୍ୟାଧି । ଭିଆଇ ମନ୍ତ୍ର-ମଉଷଧି । । ୧୦୨
    ଯଜ୍ଞେ ସ୍ୱଭାଗ ଭୋଗକଲା । ପ୍ରାଣୀଙ୍କି ଆୟୁର୍ବେଦ ଦେଲା । । ୧୦୩
    ବ୍ରାହ୍ମଣବଧ ଦେଖି କୋପେ । ସେ ପୁଣି ପର୍ଶୁରାମ ରୂପେ । । ୧୦୪
    ପରଶୁ ଦକ୍ଷଭୁଜେ ଧରି । ଅବନୀ ପର୍ଯ୍ୟଟନ କରି । । ୧୦୫
    କ୍ଷତ୍ରିୟ-ରୁଧିର ତର୍ପଣେ । ତୋଷିଲା ନିଜ ପିତୃଗଣେ । । ୧୦୬
    ମୋର ବଚନେ ଦଇତାରି । ଈକ୍ଷ୍ୱାକୁବଂଶେ ଅବତରି । । ୧୦୭
    ପିତା ବଚନେ ଗଲା ବନ । ସ୍ୱପତ୍ନୀ ସହିତେ ଲକ୍ଷ୍ମଣ । । ୧୦୮
    ସୀତା ରାବଣ ନେଲା ହରି । ସେ କୋପେ ତାର ବଂଶ ମାରି । । ୧୦୯
    ବିଭୀଷଣଙ୍କୁ ଲଙ୍କା ଦେଲେ । ଦେବଙ୍କ ଭୟ ନିବାରିଲେ । । ୧୧୦
    ତ୍ରିପୁରବଧେ ଯେହ୍ନେ ହର । ସେ ରୂପେ ତେଜ ରଘୁବୀର । । ୧୧୧
    ସେ ତେଜେ ଉରଗ ମକର । ନକ୍ରସମୂହ ଥରହର । । ୧୧୨
    ଜଳଧି ତାରେ ଭୟକରି । ତାହାର ନିଜରୂପ ଧରି । । ୧୧୩
    ଚରଣେ ଶରଣ ପଶିଲା । ଲଙ୍କାଗମନେ ମାର୍ଗ ଦେଲା । । ୧୧୪
    ଦିଗବିଜୟେ ଲଙ୍କାପତି । ଅଇରାବତ ନାମେ ହସ୍ତୀ । । ୧୧୫
    ତାହାର ସଙ୍ଗେ ବାଦ କରି । ଉରସ୍ପରଶେ ଦନ୍ତ ଚୂରି । । ୧୧୬
    ଦେଖି ଭାଜିଲା ଗଜଶ୍ରେଷ୍ଠ । ରାବଣ ସଙ୍ଗେ କାହିଁ ହଟ । । ୧୧୭
    ସେହି ରାବଣଦର୍ପ ରଣେ । ଶ୍ରୀରାମ ସଂହାରିଲେ ବାଣେ । । ୧୧୮
    ଭୂମିର ଭାରା ନିବାରଣେ । କ୍ଷୀରସମୁଦ୍ରେ ଦେବଗଣେ । । ୧୧୯
    ଈଶ୍ୱର ସଙ୍ଗେ ଦେବବଳେ । ନମିଲେ ଚରଣକମଳେ । । ୧୨୦
    ଅନେକ ମତେ ସ୍ତୁତି ଭଣି । ବିଷ୍ଣୁ ସନ୍ତୋଷ ତାହାଣୁଣି । । ୧୨୧
    ସନ୍ତୋଷେ ଶୁକ୍ଳକୃଷ୍ଣକେଶ । ଜଂଘୁ ଉପାଡ଼ି ହୃଷୀକେଶ । । ୧୨୨
    ସେ ବେନିରୋମ ମହୀତଳେ । ଜନ୍ମି ଅସୁର ସଂହାରିଲେ । । ୧୨୩
    ହରିଲେ ଅବନୀର ଭାର । ମହାମହିମା ଚକ୍ରଧର । । ୧୨୪
    ତିନିଦିବସେ ନାରାୟଣ । ଶୋଷିଲେ ପୂତନାର ପ୍ରାଣ । । ୧୨୫
    ମାସକେ ନନ୍ଦଗୃହେ ହରି । ପାଦେ ଶକଟା ଚୂର କରି । । ୧୨୬
    ଦଧିମନ୍ଥନ କାଳେ ଧରି । ରୋଳେ ବାନ୍ଧିଲା ନନ୍ଦନାରୀ । । ୧୨୭
    ସେ ରୋଳ ସଙ୍ଗେ ନନ୍ଦବଳା । ବେନିଅର୍ଜୁନ ମଧ୍ୟେଗଲା । । ୧୨୮
    ଅତି ଉତ୍ସର୍ଗ ବେନିବୃକ୍ଷେ । ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ । । ୧୨୯
    ସେ ପୁଣି ଗୋବତ୍ସ ରକ୍ଷଣେ । କାଳିନ୍ଦୀତଟେ ବୃନ୍ଦାବନେ । । ୧୩୦
    ବତ୍ସା-ବାଳକ ବିଷଜଳେ । ପଶିଲେ ତୃଷାର ବିକଳେ । । ୧୩୧
    ସକଳେ କଲେ ଜଳପାନ । ତକ୍ଷଣେ ହାରିଲେ ଜୀବନ । । ୧୩୨
    ଅଦ୍ଭୁତ ଦେଖି ଭାବଗ୍ରାହୀ । ଅମୃତନୟନେ ଅନାଇ । । ୧୩୩
    ତାହାଙ୍କୁ ଜୀବଦାନ ଦେଲେ । ସେ ଜଳେ ସର୍ପକୁ ଦେଖିଲେ । । ୧୩୪
    ଜିହା ଚଞ୍ଚଳ ବିଷ ବଳେ । ବିହାର କାଳିନ୍ଦୀର ଜଳେ । । ୧୩୫
    ଦୂରେ ନିବେଶି ନାଗବଳ । ଅମୃତ କଲେ ବିଷଜଳ । । ୧୩୬
    ଜନ୍ତୁଙ୍କୁ କରାଇଲେ ପାନ । ଅଦ୍ଭୁତଗତି ଭଗବାନ । । ୧୩୭
    ଅମ୍ବିକାବନେ ଗୋପଜନେ । ଶୟନେ ନିଶିଅର୍ଦ୍ଧମାନେ । । ୧୩୮
    ଅଗ୍ନି ବେଢ଼ିଲା ବେଗେ ଆସି । ପ୍ରଳୟାନଳ ପ୍ରାୟ ଦିଶି । । ୧୩୯
    ଅନଳ ଦେଖି ନନ୍ଦବଳା । ବଦନ ଲୁଚାଅ-ବୋଇଲା । । ୧୪୦
    ଡରେ ଲୁଚାଇଲେ ମଦନ । ଗୋବିନ୍ଦ କଲେ ଅଗ୍ନିପାନ । । ୧୪୧
    ବାନ୍ଧିବା ପାଇଁ ଡୋର ଆଣି । ଯେତେ ଯୋଖିଲା ନନ୍ଦରାଣୀ । । ୧୪୨
    ବାନ୍ଧି ନ ପାରେ ନନ୍ଦନାରୀ । ମହାମହିମ ନରହରି । । ୧୪୩
    ମାତାର କୋଳେ ବସିଥିଲା । ଜୃମ୍ଭଣେ ମୁଖ ବିସ୍ତାରିଲା । । ୧୪୪
    ଗୋପୀ ଚାହିଁଲେ ତା ବଦନ । ଉଦରେ ଅଶେଷ-ଭୁବନ । । ୧୪୫
    ଐଶ୍ୱର୍ଯ୍ୟଲୀଳା ତାର ଦେହୀ । ଦେଖି ଶଙ୍କିତମନ ହୋଇ । । ୧୪୬
    ବରୁଣପୁରୁ ଦଇତାରି । ନନ୍ଦକୁ ବନ୍ଦୀମୋକ୍ଷ କରି । । ୧୪୭
    ବରୁଣପୁରୁ ଯେତେବଳେ । ନନ୍ଦକୁ ଆଣିଲେ ଗୋକୁଳେ । । ୧୪୮
    ଗୋପାଳେ ବରୁଣଭୁବନ । ଦେଖିବେ ବୋଲି କଲେ ମନ । । ୧୪୯
    ତାହାଙ୍କୁ ନିଦ୍ରାକାଳେ ନେଇ । ବରୁଣଭୁବନ ଦେଖାଇ । । ୧୫୦
    ପୁଣି ମାୟାରେ ଭଗବାନ । ଦେଖାଇ ଆପଣା ଭୁବନ । । ୧୫୧
    ସେ ପୁଣି ବଳଦେବ ସଙ୍ଗେ । ବନେ ଖେଳନ୍ତି ନାନାରଙ୍ଗେ । । ୧୫୨
    ବ୍ୟୋମଅସୁର ମାୟା କଲା । ଗୋପାଳପୁଅଙ୍କୁ ହରିଲା । । ୧୫୩
    ଗିରିକ୍ରୋଟରେ ନେଇ ଥୋଇ । ଦ୍ୱାରରୁନ୍ଧିଲା ଶିଳା ଦେଇ । । ୧୫୪
    ତାହା ଜାଣିଲେ ଚକ୍ରପାଣି । ବନ୍ଦୀରୁ ଗୋପସୁତ ଆଣି । । ୧୫୫
    ଅସୁରଜୀବନ ହରିଲେ । ପୁଣି ଅଦ୍ଭୁତକର୍ମ କଲେ । । ୧୫୬
    ଗୋପାଳେ ନନ୍ଦଗୋପ ମେଳେ । ଇନ୍ଦ୍ର-ଉତ୍ସବ-ଯଜ୍ଞ କାଳେ । । ୧୫୭
    ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜି । ପର୍ବତ-ଗୋବର୍ଦ୍ଧନ ପୂଜି । । ୧୫୮
    ମେଘ-ପବନ ଘେନି ସଙ୍ଗେ । ଇନ୍ଦ୍ର ମିଳିଲା ଗୋପେ ବେଗେ । । ୧୫୯
    ଇନ୍ଦ୍ରବରଷେ କୋପ କରି । ପ୍ରଳୟକାଳେ ଯେହ୍ନେ ବାରି । । ୧୬୦
    ତା ଦେଖି କୃଷ୍ଣ ଦୟାଚିତ୍ତେ । ଗୋରୁଗୋପାଳ ରକ୍ଷାଅର୍ଥେ । । ୧୬୧
    ସପତ-ବରଷ-କୁମର । ହସ୍ତେ ଉପାଡ଼ି ଗିରିବର । । ୧୬୨
    ଛତ୍ର ପରାଏ ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ । । ୧୬୩
    ସପତଦିନ ବରଷିଲା । କୃଷ୍ଣର କରେ ଗିରି ଥିଲା । । ୧୬୪
    ଭୟେ ଚିନ୍ତିଣ ସୁରରାୟେ । ଶରଣଗଲା କୃଷ୍ଣପାୟେ । । ୧୬୫
    ଆସି ସୁରଭୀ ଘେନି ସଙ୍ଗେ । ପୂଜିଲା କୃଷ୍ଣପାଦଯୁଗେ । । ୧୬୬
    ଗୋବିନ୍ଦ ନାମ ଦେଇଗଲା । ସନ୍ତୋଷେ ପୁରେ ପ୍ରବେଶିଲା । । ୧୬୭
    ପୁଣି ଶରଦଋତୁ କାଳେ । ଗୋବିନ୍ଦ ଯୋଗମାୟା ବଳେ । । ୧୬୮
    ରାତ୍ରେ ଶଶାଙ୍କରଶ୍ମିଜାଳେ । ରାସଉତ୍ସବ ଗୋପୀମେଳେ । । ୧୬୯
    ମଧୁର-ବେଣୁନାଦ-ଗୀତେ । ମନମୋହିଲେ ବାମା ଯେତେ । । ୧୭୦
    ଅନଙ୍ଗମୋହେ ବ୍ରଜନାରୀ । ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି । । ୧୭୧
    ଶୁଣି କୃଷ୍ଣର ବେଣୁସ୍ୱନ । ମିଳିଲା କୁବେରନନ୍ଦନ । । ୧୭୨
    ଗୋପୀଙ୍କି ହରିବାର ଆଶେ । ଲୁଚି ବସିଲା ବନଦେଶେ । । ୧୭୩
    ତାହାକୁ ଧରି ବେଣୁଧର । କରପ୍ରହାରେ ଛେଦିଶିର । । ୧୭୪
    ମଣି ହରିଲେ ତାର ଶିରୁ । ଅଶେଷଜନପିତାଗୁରୁ । । ୧୭୫
    ପ୍ରଳମ୍ବା ଖର ବକାସୁର । କେଶୀ ଧେନୁକା ଷଣ୍ଢାବୀର । । ୧୭୬
    ମୁଷ୍ଟିକମଲ୍ଲ କୁବଳୟା । କଂସ ଯବନ ଘୋରମାୟା । । ୧୭୭
    ନାରକା ସାଲ୍ୱ ପୁଣ୍ତରୀକ । କପି ବଲ୍ୱଳ ଦନ୍ତବକ୍ର । । ୧୭୮
    ସପତଷଣ୍ଢ ବିଦୂରଥ । ସମ୍ବର ରୁକ୍ମିଣୀର ଭ୍ରାତ । । ୧୭୯
    କାମ୍ବୋଜ ମତ୍ସ୍ୟ କୁରୁବୀରେ । ସୃଞ୍ଜୟ କେକୟ ଅପରେ । । ୧୮୦
    ଏହାଙ୍କୁ ସଂଗ୍ରାମେ ନିବାରି । ଭୀମ ଅର୍ଜୁନ ସଙ୍ଗେ କରି । । ୧୮୧
    ପରମପଦେ ଦେଲେ ସ୍ଥାନ । ମାୟା-ମନୁଷ୍ୟ-ଭଗବାନ । । ୧୮୨
    କଳିପ୍ରବେଶ କାଳବଳେ । ପ୍ରାଣୀଏ ଚେତନା-ଚଞ୍ଚଳେ । । ୧୮୩
    ଭାରତୀ ନ ପାରନ୍ତି ଧରି । ଅଳ୍ପଆୟୁଷ ଦେଖି ହରି । । ୧୮୪
    ଜନ୍ମିଲେ ବ୍ୟାସ ରୂପ ଧରି । ଅଶେଷ-ଶ୍ରୁତିଶାସ୍ତ୍ର କରି । । ୧୮୫
    ବେଦଦ୍ରୁମକୁ ଶାଖା କଲେ । ଏକୁ ଅନେକ ବୁଦ୍ଧିବଳେ । । ୧୮୬
    ଅସୁରେ ରହି ବେଦମାର୍ଗେ । ମାୟାଭିମାନେ କଳିଯୁଗେ । । ୧୮୭
    ମୟଦଇତର ସଙ୍ଗତେ । ଦୃଶ୍ୟ-ଅଦୃଶ୍ୟ ବେନିପଥେ । । ୧୮୮
    ସେକଥା ଜାଣି ଜଗନ୍ନାଥେ । ବୁଦ୍ଧାବତାରେ ଜନହିତେ । । ୧୮୯
    କପଟ-ମାୟା-ମୋହବଶେ । ପାଷାଣ୍ତମାର୍ଗ ଉପଦେଶେ । । ୧୯୦
    ଅନେକ ଦୁର୍ଗତି ହରିବେ । ସୁଜନଜନଙ୍କୁ ରଖିବେ । । ୧୯୧
    ପୁଣି ଏ କଳିଯୁଗ ଅନ୍ତେ । ସୁଧୁଜନଙ୍କ ଗୃହଗତେ । । ୧୯୨
    କୃଷ୍ଣ-ସ୍ମରଣ-ଗୁଣଗାଥା । ନୋହିବ ଯେବେ ହରିକଥା । । ୧୯୩
    ଦ୍ୱିଜେ ପାଷଣ୍ତ ଆଚରିବେ । ସେ ପଞ୍ଚଯଜ୍ଞ ନ କରିବେ । । ୧୯୪
    ରାଜା ହୋଇବେ ଶୂଦ୍ରଜନେ । ପ୍ରଜା ପୀଡ଼ିବେ କର-ଧନେ । । ୧୯୫
    ଯେ ସ୍ୱାହା ସ୍ୱଧା ବଷଟ୍ କାର । ଛାଡ଼ି କରିବେ ଦୁରାଚାର । । ୧୯୬
    ଏ କର୍ମ ଦେଖି କଳ୍କୀ ରୂପେ । ଅଶ୍ୱ ଆରୋହି ମହାକୋପେ । । ୧୯୭
    ଖଡ଼୍ଗ ଉଭାରି ବେନିହସ୍ତେ । ଶେଷେ ସ୍ଥାପିବେ ଧର୍ମପଥେ । । ୧୯୮
    ସର୍ଜନେ ମୁହିଁ ଋଷି ନବ । ପ୍ରଜାପତିଏ ତପଭାବ । । ୧୯୯
    ସ୍ଥିତିରେ ଧର୍ମ ମନୁଗଣ । ଯଜ୍ଞସ୍ୱରୂପ ବିଷ୍ଣୁ ପଣ । । ୨୦୦
    ଅମରଗଣ ରାଜାଗଣ । ସଂହାରେ ଅଧର୍ମ କାରଣ । । ୨୦୧
    ଯେ ହର ହରେ ତିନିପୁର । ଉରଗ ଆଦି ଯେ ଅସୁର । । ୨୦୨
    ଅନନ୍ତ ଶକ୍ତି ଦାମୋଦର । ଏ ସର୍ବ ବିଭୂତି ତାହାର । । ୨୦୩
    ଯେଣୁ ସେ ମାୟାରୂପ ଧରେ । କଳ୍ପକଳ୍ପାନ୍ତେ ସୃଷ୍ଟି କରେ । । ୨୦୪
    ଯେ ବିଷ୍ଣୁ-ନାଭି-ଜାତ-ପାଦ । ଆବୋରି ଭୁବନ ଚଉଦ । । ୨୦୫
    ଯା ବେଗେ ପ୍ରକୃତି କମ୍ପିଲା । ନିଜ ବିକ୍ରମେ ଯେ ଧଇଲା । । ୨୦୬
    ସେ ବିଷ୍ଣୁ-ମହିମା ସଂସାରେ । କେ ଗଣି ସଂଖ୍ୟା କରିପାରେ । । ୨୦୭
    ଯେ କବି ଭୂମି ରେଣୁ ଗଣି । ସେ କି ପାରିବ ପରିମାଣି । । ୨୦୮
    ତାହାର ମାୟାବଳ ଗତି । ତା ଅନ୍ତ କେହି ନ ଜାଣନ୍ତି । । ୨୦୯
    ତୋର ଅଗ୍ରଜ ମୁନି ଶାନ୍ତ । ସେ କାହିଁ ଜାଣିବେ ତଦନ୍ତ । । ୨୧୦
    ବ୍ରହ୍ମା ଶଙ୍କର ନ ପ୍ରମାଣେ । ଅପରେ କେବା ତାହା ଜାଣେ । । ୨୧୧
    ବାସୁକି ଅୟୁତବଦନେ । ସମର୍ଥ ନୋହେ ଗୁଣଗାନେ । । ୨୧୨
    ଯାହାରେ ହରି ଦୟାକରେ । ସେ ଯେବେ ନିଷ୍କପଟେ ଧରେ । । ୨୧୩
    ଦୁସ୍ତର-ମାୟା ସେ ତରନ୍ତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି । । ୨୧୪
    ଶ୍ୱାନ-ଶୃଗାଳ-ଭକ୍ଷ ଦେହେ । ଏ ମୋର ବୋଲି ଜ୍ଞାନ ନୋହେ । । ୨୧୫
    ଏବେ ନାରଦ ଶୁଣ ଧୀରେ । ଯେବା ତରିଲେ ମାୟାଘୋରେ । । ୨୧୬
    ତା ମାୟା ଚିତ୍ତେ ଜାଣି ଭଲେ । ଯେ ଏ ସଂସାରୁ ତରିଗଲେ । । ୨୧୭
    ମୁହିଁ ଜାଣଇ ମାୟା ତାର । ତୁମ୍ଭେ ସନକାଦି ଶଙ୍କର । । ୨୧୮
    ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ । ମନୁ ଯେ କୁଟୁମ୍ବ ସହିତେ । । ୨୧୯
    ପ୍ରାଚୀନବାର୍ହି ଋଭୁ ଅଙ୍ଗ । ଧ୍ରୁବ ଈକ୍ଷ୍ୱାକୁ ମୁଚୁକୁନ୍ଦ । । ୨୨୦
    ବିଦେହ ସୌମ୍ୟସୁତ ଗାଧି । ରଘୁ ଅମ୍ବରୀଶ ସୁବୁଦ୍ଧି । । ୨୨୧
    ଗୟ ନହୁଷ ଆଦି ଯେତେ । ଶୁଣ ନାରଦ କହୁଁ ତୋତେ । । ୨୨୨
    ମାନ୍ଧାତାଳର୍କ ଶତଧନୁ । ରନ୍ତିଦେବ ଯେ ଗଙ୍ଗାସୂନୁ । । ୨୨୩
    ଅମୂର୍ତ୍ତରୟ ଯେ ସୌଭରି । ଦିଲୀପ ଉତ୍ତଙ୍କ ଯେ ବଳୀ । । ୨୨୪
    ଶିବି ଦେବଳ ପିପ୍ ପଲାଦ । ସାରସ୍ୱତ ସଙ୍ଗେ ଉଦ୍ଧବ । । ୨୨୫
    ଯେ ପରାଶର ଭୂରିଷେଣ । ରାବଣଭ୍ରାତ ହନୁମାନ । । ୨୨୬
    ଶୁକ ଯେ ଉପଇନ୍ଦ୍ର ଦତ୍ତ । ବିଦୁର ଆର୍ଷ୍ଟିଷେଣ ପାର୍ଥ । । ୨୨୭
    ବ୍ରାହ୍ମଣ ଶ୍ରୁତଦେବ ତୁଲେ । ବିଷ୍ଣୁମାୟାରୁ ତରିଗଲେ । । ୨୨୮
    ହୂଣ ଯବନ ଶୂଦ୍ର ସ୍ତିରୀ । ଶବର ତୁଲେ ଗଲେ ତରି । । ୨୨୯
    କୃଷ୍ଣର ରୂପେ ମନ ଯାର । କିବା କହିବା ଗତି ତାର । । ୨୩୦
    ଅଦ୍ଭୁତକର୍ମ ଯେ ତାହାର । ଯେ ଭାବେ ନାହିଁ ପରାପର । । ୨୩୧
    ତା ଭକ୍ତିଶିକ୍ଷା ଅଟେ ଯାର । ସେହୁ ତରନ୍ତି ମାୟାଘୋର । । ୨୩୨
    ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ । ପ୍ରବୋଧ ମାତ୍ର ଯାର ଦେହ । । ୨୩୩
    ସେ ଶୁଦ୍ଧ ସର୍ବଘଟେ ସମ । ରୂପ-ଅରୂପ ପରଧାମ । । ୨୩୪
    ଶବ୍ଦ ନ ପାରେ ଯାହା କହି । ଅନେକ କ୍ରିୟାଯୋଗ ବହି । । ୨୩୫
    ଯାର ସମ୍ମୁଖେ ଭଗବତୀ । ଲାଜେ ପଳାଇ ଶିରପୋତି । । ୨୩୬
    ଯେ ବ୍ରହ୍ମଜ୍ଞାନୀ ମୁନିଗଣେ । ଯାହା ସ୍ମରନ୍ତି ଅନୁକ୍ଷଣେ । । ୨୩୭
    ନିଜସ୍ୱରୂପ ତାର ଚିନ୍ତି । ପରମପୁରୁଷ ବୋଲାନ୍ତି । । ୨୩୮
    ଅଜରାମର ଯେ ବିଶୋକ । ନାହିଁ ଯାହାର ରୂପରେଖ । । ୨୩୯
    ଯାହାର ମନ ଦୃଢ଼ଚିେତ୍ତେ । କୃଷ୍ଣବିଷୟେ ଅବିରତେ । । ୨୪୦
    ଭାବି ଛାଡ଼ଇ ସର୍ବତାପ । ଇନ୍ଦ୍ର ନ ଖୋଳେ ଯେହ୍ନେ କୂପ । । ୨୪୧
    ସେ ହରି କଇବଲ୍ୟନାଥ । ଭାବ ସ୍ୱଭାବ ଏ ଜଗତ । । ୨୪୨
    କରାଏ ସର୍ବଦେହେ ବସି । ଶମାଦି ସ୍ୱଭାବ ପ୍ରକାଶି । । ୨୪୩
    ଦେହ-ବିଯୋଗ କାଳେ ଦେହୀ । ଗଗନପ୍ରାୟେ ଶୂନ୍ୟେ ରହି । । ୨୪୪
    ତେଣେ ତାହାର ସଙ୍ଗ ନାହିଁ । ଜନମ ମୃତ୍ୟୁ ତାର କାହିଁ । । ୨୪୫
    ହେ ପୁତ୍ର କହିଲି ମୁଁ ତୋତେ । ହରିମହିମା ଭାବି ଚିତ୍ତେ । । ୨୪୬
    ସତ ଅସତ ରୂପ ସେହି । ଅଶେଷ ମାୟାରୂପ ବହି । । ୨୪୭
    କରଇ ଆତ୍ମା ଖେଳାଲୀଳା । ତାର ଚରିତ ଭବଭେଳା । । ୨୪୮
    ଏ ଭାଗବତଧର୍ମ ଯେତେ । ଗୋବିନ୍ଦ କହିଥିଲେ ମୋତେ । । ୨୪୯
    ଏ ସର୍ବ ସଂଗ୍ରହର ମୂଳ । ଅଶେଷ ଧର୍ମ ଯଜ୍ଞଫଳ । । ୨୫୦
    ଲୀଳା ବିସ୍ତାରି କହ ମୁଖେ । ସୁଜନଜନଙ୍କର ସୁଖେ । । ୨୫୧
    ଯେମନ୍ତେ ପ୍ରାଣୀଙ୍କର ଚିତ୍ତେ । କୃଷ୍ଣବିଷୟ ଅବିରତେ । । ୨୫୨
    ଯେମନ୍ତେ ନାଶେ ଶୋକମୋହ । ଇତି ସଙ୍କଳ୍ପି ତାତ କହ । । ୨୫୩
    ବର୍ଣ୍ଣିଲି ଈଶ୍ୱରର ମାୟା । ଯେ ଶୁଣେ ତରେ ତାର କାୟା । । ୨୫୪
    ମାୟା ନ ଲାଗେ ତାର ଚିତ୍ତେ । ଯେ ମୁଖେ ଗୁଣେ ଅବିରତେ । । ୨୫୫
    ଏମନ୍ତ ଭାଗବତବାଣୀ । ନାରଦ ବ୍ରହ୍ମାମୁଖୁ ଶୁଣି । । ୨୫୬
    ମନଆନନ୍ଦେ କୃତକୃତ୍ୟ । କହଇ ଦାସ ଜଗନ୍ନାଥ । । ୨୫୭
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ବ୍ରହ୍ମାନାରଦସମ୍ୱାଦେ ସପ୍ତମୋଽଧ୍ୟାୟଃ ।।


    ଅଷ୍ଟମ ଅଧ୍ୟାୟ

    ଶୁକଚରଣେ ଦେଇ ଚିତ୍ତ । ଆନନ୍ଦେ ବୋଲେ ପରୀକ୍ଷିତ । । ୧

    ପରୀକ୍ଷିତ ଉବାଚ

    ନାରଦ ଆଗେ ବ୍ରହ୍ମା ଯେତେ । ବିଷ୍ଣୁମହିମା ଭାଗବତେ । । ୨
    କହିଲେ ଜନ ଉପକାରେ । ଯେ କଥା ଶୁଣି ପ୍ରାଣୀ ତରେ । । ୩
    ଯେ ସ୍ଥାନେ ଯାହାକୁ ଯେ ଭାବେ । ମୁନି କହିଲେ ହରିଭାବେ । । ୪
    ତାହା ଶ୍ରବଣେ ଇଚ୍ଛା ମୋର । ତୁମ୍ଭେ ତତ୍ତ୍ୱଜ୍ଞ ମଧ୍ୟେ ବର । । ୫
    ହରିମହିମା ଅଗୋଚର । ଶ୍ରବଣ-ମଙ୍ଗଳ-ଉଚ୍ଚାର । । ୬
    ସେ କଥା କହ ମୁନି ମୋତେ । ସେ ହରିଚରଣେ ଯେମନ୍ତେ । । ୭
    ନିଶ୍ଚଳେ ମନ କରି ସ୍ଥିର । ଯେମନ୍ତେ ଛାଡ଼ିବି ଶରୀର । । ୮
    ଶ୍ରଦ୍ଧାରେ ନିତ୍ୟେ ଯେବା ଶୁଣେ । ଯେ ହରିକଥା ମନେ ଗୁଣେ । । ୯
    ମଙ୍ଗଳ-ନାମ-ଉଚ୍ଚାରଣ । ତାର ହୃଦୟେ ତତକ୍ଷଣ । । ୧୦
    ଶ୍ରବଣମାର୍ଗେ ହରି ପଶେ । ହୃଦୟପଦ୍ମେ ସ୍ଥିରେ ବସେ । । ୧୧
    ସର୍ବ ଦୁରିତ ହେଳେ ନାଶେ । ଶରଦ ଯେହ୍ନେ ବୃଷ୍ଟିଶେଷେ । । ୧୨
    ଜଳୁ ହରଇ ମଳରାଶି । ସେ ଯେହ୍ନେ ନିର୍ମଳ ପ୍ରକାଶି । । ୧୩
    ନିର୍ମଳ ଆତ୍ମା ତାର ହୋଇ । ସେ କୃଷ୍ଣ-ପାଦମୂଳେ ଥାଇ । । ୧୪
    କେବେହେଁ ନୁହଇ ବାହାର । ମାୟା-ଭ୍ରମଣ ହୋଏ ଦୂର । । ୧୫
    ପଥିକ ପଥଶ୍ରମ ପାଇ । ସେ ଯେହ୍ନେ ନିଜଗୃହେ ଯାଇ । । ୧୬
    ଶ୍ରମ ପାଶୋରି ସୁଖେ ରହେ । ଗୃହସମ୍ପଦ-ଭୋଗେ ଦେହେ । । ୧୭
    ଅଧାତୁମନ୍ତ-ଆତ୍ମା ହୋଏ । ଧାତୁଘଟଣ ଦେହ ବହେ । । ୧୮
    ଜାଣୁ ତୁ କହ ଏ କେମନ୍ତେ । କି ବା ଏ କାଳକ୍ରମ ମତେ । । ୧୯
    ଯାର ଉଦରୁ ପଦ୍ମ ହୋଇ । ଲୋକ-ସଂସ୍ଥାନ ପ୍ରକାଶଇ । । ୨୦
    ଯା ରୂପ ନ ଜାଣନ୍ତି କେହି । ପ୍ରକାଶେ ଅବୟବ-ଦେହୀ । । ୨୧
    ସେ ଯେବେ ଅବୟବୀ ହୋଇ । ଜୀବ ଈଶ୍ୱର ଭେଦ କାହିଁ । । ୨୨
    ସ୍ୱଭାବେ ତାର ଜନ୍ମ ନାହିଁ । ଆତ୍ମାରୁ ପ୍ରାଣୀଙ୍କି ସୃଜଇ । । ୨୩
    ବ୍ରହ୍ମା ଯେ ଭୂତଆତ୍ମା ହୋଏ । ସେ ପୁଣି ଯାର ଅନୁଗ୍ରହେବ । । ୨୪
    ନାଭିକମଳୁ ହୋଇ ଜାତ । ତାହାକୁ ଦେଖେ ରୂପବନ୍ତ । । ୨୫
    କାଳର ବଳେ ସେ ପୁରୁଷ । କରଇ ସୃଷ୍ଟି-ସ୍ଥିତି-ନାଶ । । ୨୬
    ସକଳଭୂତେ ଯାର ବାସ । ସେ ଯେଉଁ ରୂପେଣ ପ୍ରକାଶ । । ୨୭
    ଏ ଲୋକ ଲୋକପାଳ ସଙ୍ଗେ । ସର୍ବକଳ୍ପିତ ତାର ଅଙ୍ଗେ । । ୨୮
    ଏ ଯେତେ ଚତୁŸର୍ଦ୍ଦଶ ପୁର । କଳ୍ପନା କରି ଅଙ୍ଗ ତାର । । ୨୯
    ଏ ଭାବେ ଶୁଣିଲି ଯେ ମୁହିଁ । ଏବେ ତୁମ୍ଭଙ୍କୁ ପଚାରଇ । । ୩୦
    କଳ୍ପ-ବିକଳ୍ପ ଯଥାକାଳେ । ସେ ବ୍ରହ୍ମ କରେ ଅବହେଳେ । । ୩୧
    ସୃଷ୍ଟି-ପାଳଣ-ସଂହାରଣ । ଭୂତ-ଭବିଷ୍ୟ-ବର୍ତ୍ତମାନ । । ୩୨
    କାଳର ଠାରୁ ଏ ଯେମନ୍ତେ । ଆୟୁ ପ୍ରମାଣ କାର କେତେ । । ୩୩
    କାଳର ଯେବା ଅନୁଗତି । ଅଳ୍ପ ବହୁତ ସଂଖ୍ୟା ସ୍ଥିତି । । ୩୪
    କର୍ମର ଗତି ଅବା ଯେତେ । ଯେ ହେତୁ ପ୍ରକାଶ ଯେମନ୍ତେ । । ୩୫
    ଗୁଣଙ୍କ ପରିଣାମେ କେବା । ଦେବାଦି-ରୂପ ଇଚ୍ଛେ ଯେବା । । ୩୬
    କି କର୍ମ କରି ଯହିଁ ତହିଁ । କି ଭାବେ ଜୀବ ତା ଭୁଞ୍ଜଇ । । ୩୭
    ଭୂମି ପାତାଳ ଦଶଦିଶ । ଯେ ରୂପେ ସମ୍ଭବେ ଆକାଶ । । ୩୮
    ଗ୍ରହ ନକ୍ଷତ୍ର ମହୀଧର । ନଦୀ ସମୁଦ୍ର ଦ୍ୱୀପପାର । । ୩୯
    ଏଥି ଆଶ୍ରିତ ଜନ୍ତୁ ଯେତେ । ବ୍ରହ୍ମା ପ୍ରମାଣ ବା କେତେ । । ୪୦
    ବାହ୍ୟ ଅନ୍ତରେ ବସ୍ତୁ ଯେତେ । ସଂକ୍ଷେପି କହ ମୋ ଅଗ୍ରତେ । । ୪୧
    ମହାନ୍ତଜନ-ଆଚରଣ । ଯେ ବର୍ଣ୍ଣବିଭାଗ ଆଶ୍ରମ । । ୪୨
    ଏ ଅଣ୍ତକୋଷ ମଧ୍ୟଗତେ । ବିଷ୍ଣୁର ଅବତାର ଯେତେ । । ୪୩
    ଯୁଗାନୁଯୁଗେ ଯୁଗମାନ । ଯେ ଯୁଗେ ଯେବା ଧର୍ମଜ୍ଞାନ । । ୪୪
    ମନୁଷ୍ୟ ସାଧାରଣଧର୍ମ । ଯେବା ବିଶେଷ ଯଥାକ୍ରମ । । ୪୫
    ବ୍ରହ୍ମଋଷିଙ୍କ ଧର୍ମ ଆଦି । ଯା ରାଜଋଷି ଏ ସମ୍ପାଦି । । ୪୬
    ଆପଦେ ଧର୍ମ ପ୍ରାଣୀଙ୍କର । ଏ ସର୍ବ କହ ମୁନିବର । । ୪୭
    ସଂଖ୍ୟା-ଲକ୍ଷଣ ତତ୍ତ୍ୱଙ୍କର । କି ରୂପେ ହେତୁ କେ କାହାର । । ୪୮
    ପୁରୁଷ-ଆରାଧନା-ବିଧି । ଅଷ୍ଟାଙ୍ଗଯୋଗ ଯେହ୍ନେ ସାଧି । । ୪୯
    ଯୋଗେଶ୍ୱରଙ୍କ ଗତି ଯେତେ । ଲିଙ୍ଗଭଗନ ମୋକ୍ଷପଥେ । । ୫୦
    ଯେ ଧର୍ମ ବେଦ-ଉପବେଦେ । ପୁରାଣ-ଇତିହାସବାଦେ । । ୫୧
    ସର୍ବଭୂତଙ୍କ ଯେ ସମ୍ଭବ । ବିକ୍ରମ ସଙ୍କ୍ରମ ପ୍ରସ୍ତାବ । । ୫୨
    ଯେ ଇଷ୍ଟ ବଇଦିକର୍ମ । ଯେ ଅବା ସ୍ମାର୍ତ୍ତକର୍ମ -ଧର୍ମ । । ୫୩
    ଯେ ବିଧିଯଜ୍ଞ ଜଳଦାନେ । ଯେ କର୍ମ ତ୍ରିବର୍ଗସାଧନେ । । ୫୪
    ଯେ ରୂପେ ଜୀବ ସମ୍ଭବନ୍ତି । ଯେ ରୂପେ ପାଷାଣ୍ତ ହୁଅନ୍ତି । । ୫୫
    ଆତ୍ମାର ବନ୍ଧ-ମୋକ୍ଷ ଦୁଇ । ଯେବା ସ୍ୱରୂପେ ଯେହ୍ନେ ହୋଇ । । ୫୬
    ସେ ଆତ୍ମତନ୍ତ୍ର ଭାବଗ୍ରାହୀ । ଆତ୍ମମାୟାରେ ସେ କ୍ରୀଡ଼ଇ । । ୫୭
    ସେ ମାୟା ବିସର୍ଜି ଯେମନ୍ତେ । ପ୍ରଳୟେ ରହେ ସାକ୍ଷୀମତେ । । ୫୮
    ଭୋ ମୁନି ପଚାରିଲି ଯେତେ । ସଂକ୍ଷେପି କହିବାକ ମୋତେ । । ୫୯
    ତୁ ଯେ ବ୍ରହ୍ମାର ସମ ମୁନି । ଏ ବିଶ୍ୱସଂସାର ପ୍ରମାଣି । । ୬୦
    ପୁଣ୍ୟପୁରୁଷେ ଯାହା ଚିନ୍ତି । ଅପରେ ଯାହା ଆଚରନ୍ତି । । ୬୧
    ଆହାରହୀନେ ମୋର ପ୍ରାଣ । କେବେହେଁ ନୋହିବ ମଳିନ । । ୬୨
    ତୁମ୍ଭ ବଚନୁ ହରିରସ । ପିବନ୍ତେ ମନ ହେବ ତୋଷ । । ୬୩
    ସୂତ କହନ୍ତି ଅନୁରାଗେ । ଶୌନକଆଦି ମୁନି ଆଗେ । । ୬୪

    ସୂତ ଉବାଚ

    ଏମନ୍ତେ ପରୀକ୍ଷିତବାଣୀ । ହରଷେ ଶୁକମୁନି ଶୁଣି । । ୬୫
    ମୁନିଜନଙ୍କ ସମାମଧ୍ୟେ । ଯେ ଅବା କହିଲେ ଆନନ୍ଦେ । । ୬୬
    ସେ ଭାଗବତ ହରିଗୁଣ । ବ୍ରହ୍ମସମ୍ମତ ଯେ ପୁରାଣ । । ୬୭
    ଯେ କଥା ବ୍ରହ୍ମାର ଅଗ୍ରତେ । ସେ ବ୍ରହ୍ମକଳ୍ପ-ଉପଗତେ । । ୬୮
    ଏକାନ୍ତେ କହିଲେ ମୁରାରି । ବିଶ୍ୱସଂସାରେ ଦୟାକରି । । ୬୯
    ପାଣ୍ତବଶ୍ରେଷ୍ଠ ପରୀକ୍ଷିତ । ଯେ ପ୍ରଶ୍ନ କଲେକ ଉକତ । । ୭୦
    ସେ କଥା ଆଦି ମଧ୍ୟ ଅନ୍ତେ । କହିବି ତୁମ୍ଭର ଅଗ୍ରତେ । । ୭୧
    ବୋଲଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ । । ୭୨
    ଅମୃତ-ରସମୟ-ଗୀତେ । ସୁଜନଜନଙ୍କର ହିତେ । । ୭୩
    ପ୍ରାକୃତବନ୍ଧେ ଗୀତବାଣୀ । ଶୁଣି ସଂସାରୁ ତର ପ୍ରାଣୀ । । ୭୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ପ୍ରଶ୍ନବିଧିର୍ନାମାଷ୍ଟମୋଽଧ୍ୟାୟଃ ।।

    ନବମ ଅଧ୍ୟାୟ

    ଶୁକ କହନ୍ତି ରାଜା ଆଗେ । ତାର ପ୍ରଶନେ ଅନୁରାଗେ । । ୧

    ଶୁକ ଉବାଚ

    ଶୁଣ ନୃପତି ପୁଣ୍ୟଦେହା । ତୁ ମୋତେ ପଚାରିଲୁ ଯାହା । । ୨
    ବିଷ୍ଣୁର କ୍ରୀଡ଼ା ମାୟାଗୁଣ । ସୃଷ୍ଟି-ପାଳନ-ସଂହାରଣ । । ୩
    ଆତ୍ମମାୟାରେ ସୃଷ୍ଟିକରେ । ସେ ମାୟା କେବା କଳିପାରେ । । ୪
    କରଇ ସକଳ ସମ୍ଭବ । ସ୍ୱପ୍ନେ ଯେସନେ ଅନୁଭବ । । ୫
    ଏହା ଈଶ୍ୱର-ମାୟା ବିନେ । ନ ଘଟେ ତତ୍ତ୍ୱ ଅନୁମାନେ । । ୬
    ଯେବେ ସେ ମାୟାରେ ମିଶଇ । ଏକୁ ଅନେକ ପ୍ରକାଶଇ । । ୭
    ସ୍ୱଭାବେ ମାୟା ବହୁରୂପୀ । ରୂପ ପ୍ରକାଶେ ସର୍ବବ୍ୟାପୀ । । ୮
    ସେ ରୂପେ ଥାଇ ସର୍ବଗୁଣେ । ମୁହିଁ ମୋହର ପ୍ରାୟେ ମଣେ । । ୯
    ଯେବେ ସେ ଭକ୍ତିଯୋଗ କରେ । ତେବେ ମମତା ପରିହରେ । । ୧୦
    ସତ୍ୟ ପ୍ରକାଶେ ଯେବେ ଦେହେ । ନିଶ୍ଚିନ୍ତେ ଆତ୍ମାରୂପେ ରହେ । । ୧୧
    କାଳ ମାୟାର ପରେ ରହି । ପର ଆପଣା ଭେଦ କାହିଁ । । ୧୨
    ମାୟାକୁ ରମେ ସତ୍ୟ ପ୍ରାୟେ । ସତ୍ୟ ଅସତ୍ୟେ ଭେଦ ନୋହେ । । ୧୩
    ଆତ୍ମାର ତତ୍ତ୍ୱଶୁଦ୍ଧି ଅର୍ଥେ । କହିଲେ ବ୍ରହ୍ମାର ଅଗ୍ରତେ । । ୧୪
    ଯେଣୁ ସେ ଘୋରତପ କରି । ଅନେକ କଷ୍ଟେ ପ୍ରାଣ ଧରି । । ୧୫
    ତପେ ତୋଷିଲା ଭଗବାନ । ତେଣୁ ପାଇଲା ଦରଶନ । । ୧୬
    ନିର୍ମଳ ନିଷ୍କପଟ ଚିତ୍ତେ । ଯେଣୁ ଚିନ୍ତିଲା ହୃଦଗତେ । । ୧୭
    ଶୁଣ କହିବା ତୋ ଅଗ୍ରତେ । ବ୍ରହ୍ମାଙ୍କୁ ଦିଶିଲା ଯେମନ୍ତେ । । ୧୮
    ସେ ଆଦି-ଦେବଗଣ-ଗୁରୁ । ଭକତ-ବାଞ୍ଛା-କଳ୍ପତରୁ । । ୧୯
    ନିଜ ଭୁବନେ ସୁଖେ ଥିଲା । ଖେଳିବା ଅର୍ଥେ ବିଚାରିଲା । । ୨୦
    ଆତ୍ମାରେ ଆତ୍ମା ମାୟାଗ୍ରସ୍ତ । ପ୍ରପଞ୍ଚ ନିର୍ମାଣ ଯେମନ୍ତ । । ୨୧
    ନାଭିରୁ ପଦ୍ମ କଲା ଜାତ । ତହୁଁ ଜନ୍ମିଲା ଚତୁର୍ମାଥ । । ୨୨
    ସେ ପୁଣି ଚିନ୍ତାଭରେ ରହି । ପର ଅପର ନ ଜାଣଇ । । ୨୩
    ସୃଷ୍ଟି ବିଷୟ କି ପ୍ରକାର । ମନେ ଚିନ୍ତଇ ବେଦବର । । ୨୪
    ଚିନ୍ତା ବିକଳେ ଭାବେ ମନେ । ଶବଦ ଶୁଭିଲା ଗଗନେ । । ୨୫
    ଜଳେ କମଳମଧ୍ୟେ ଥିଲା । ବେନି ଅକ୍ଷର ସେ ଶୁଣିଲା । । ୨୬
    କ କାର ଆଦି ଯେ ଷୋଡ଼ଶେ । ପଞ୍ଚ ମିଶ୍ରିତ ଏକବିଂଶେ । । ୨୭
    ଶବଦେ ତପ ଉଚ୍ଚାରଣ । ନିଷ୍କିଞ୍ଚନଙ୍କ ନିଜଧନ । । ୨୮
    ସେ ବାଣୀ ଶୁଣି ବ୍ରହ୍ମା କର୍ଣ୍ଣେ । ନିରୋପି ଚାହିଁଲା ଗଗନେ । । ୨୯
    ଶୂନ୍ୟେ କି ସୁଧା ଉଛୁଳିଲା । କିବା ଅମୃତ ବରଷିଲା । । ୩୦
    ଦିଗ ସହିତେ ଅନାଇଲା । କାହିଁ ସେ କିଛି ନ ଦେଖିଲା । । ୩୧
    ସେ ପୁଣି ରହି ନିଜସ୍ଥାନେ । ଆତ୍ମାର ହିତ ଚିନ୍ତି ମନେ । । ୩୨
    ଜାଣିଲା ଏ ପରମତତ୍ତ୍ୱ । ତପ ସାଧନେ ଦେଲା ଚିତ୍ତ । । ୩୩
    ଏ ମୋର ହିତ ବୋଲି ଜାଣି । ନିଶ୍ଚଳ ମନେ କୁଶପାଣି । । ୩୪
    ଅମୋଘ-ଦୃଷ୍ଟି ସେ ବିଧାତା । ତପେ ବଢ଼ିଲା ତାର ଚିନ୍ତା । । ୩୫
    ଦେବବରଷେ ଦଶଶତ । ତପେ ବସିଲା ଦୃଢ଼ ଚିତ୍ତ । । ୩୬
    ମନ ପବନ କଲା ବନ୍ଦି । ଦଶଇନ୍ଦ୍ରିୟଗଣ ରୁନ୍ଧି । । ୩୭
    ତପସ୍ୟା କଲା ଅତିରେକ । ଯହୁଁ ପ୍ରକାଶ ସର୍ବଲୋକ । । ୩୮
    ତପ ପ୍ରସାଦେ ନରହରି । ମିଳିଲେ ନିଜରୂପ ଧରି । । ୩୯
    ସ୍ୱଲୋକ ସ୍ୱଗଣ ସହିତେ । ଦିଶିଲେ ବ୍ରହ୍ମାର ଅଗ୍ରତେ । । ୪୦
    ସେ ରୂପ ନ ଜାଣନ୍ତି କେହି । ମାୟା-ସଂସାରେ ଦେହ ବହି । । ୪୧
    ବିଷ୍ଣୁ ପ୍ରସନ୍ନେ ପ୍ରଜାପତି । ଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି । । ୪୨
    ଶୂନ୍ୟେ ବିଜୟେ ଶଙ୍ଖଧାରୀ । ଅଶେଷ ଦେବେ ସ୍ତୁତି କରି । । ୪୩
    ଯାର ଶରୀରେ ରଜ-ତମେ । ପଶି ନ ପାରନ୍ତି ସଂଭ୍ରମେ । । ୪୪
    ଯେ ଅବା କାଳର ବିକ୍ରମ । ସେ ବା ହୋଇବ କାହିଁ କ୍ଷମ । । ୪୫
    ମାୟା ନ ପାରେ ପଶି ଯହିଁ । ରାଗ-ଲୋଭାଦି ଭେଦ କାହିଁ । । ୪୬
    ବିମାନ ମଧ୍ୟେ ନାରାୟଣ । ବେଷ୍ଟିତ ପାରିଷଦଗଣ । । ୪୭
    ସର୍ବେ ଦିଶନ୍ତି ବିଷ୍ଣୁତେଜ । ସ୍ୱଭାବେ ଚାରି ଚାରି ଭୁଜ । । ୪୮
    ଶ୍ୟାମସୁନ୍ଦର ତନୁ ବର୍ଣ୍ଣ । ଅରୁଣ-ପଙ୍କଜ-ଲୋଚନ । । ୪୯
    ପୀତବସନ ପରିଧାନ । ସୁରୁଚି ସୁନ୍ଦର ବଦନ । । ୫୦
    ମଣି ପଦକ କଣ୍ଠ ଦେଶେ । କାମ-ଗଞ୍ଜନ ନିଜ ବେଶେ । । ୫୧
    ପ୍ରବାଳ ବଇଦୁର୍ଯ୍ୟ କାନ୍ତି । ମୃଣାଳ ପ୍ରାୟ ଝଟକନ୍ତି । । ୫୨
    କିରୀଟ ଖଞ୍ଜିତ କପୋଳ । ଶ୍ରବଣେ ମକର-କୁଣ୍ତଳ । । ୫୩
    ତେଜେ ବିରାଜେ ନଭସ୍ଥଳୀ । ବିମାନ ପରେ ସର୍ବେ ମିଳି । । ୫୪
    ଦିବ୍ୟ କାମିନୀଗଣ ସଙ୍ଗେ । ବିଜୁଳି ଯେହ୍ନେ କଳାମେଘେ । । ୫୫
    ଅଷ୍ଟବିଭୂତି ସଙ୍ଗ ମେଳେ । କମଳା ସେବେ ପାଦ ତଳେ । । ୫୬
    ଦିବ୍ୟ ଦୋଳିକା ମଧ୍ୟେ ନାରୀ । ପୁଷ୍ପ ବରଷି ସ୍ତୁତି କରି । । ୫୭
    ହରିର ପ୍ରିୟ କର୍ମମାନ । ଭ୍ରମରେ କରନ୍ତି ଗାୟନ । । ୫୮
    ଏମନ୍ତେ ବିଷ୍ଣୁ ନଭସ୍ଥଳେ । ବ୍ରହ୍ମା ଦେଖିଲେ ନିଜ ଡୋଳେ । । ୫୯
    ଯାହାର ନାମ ଶିରୀପତି । ଭକତଜନଙ୍କର ପତି । । ୬୦
    କମଳାପତି ଯଜ୍ଞପତି । ଜଗତପତି ସର୍ବଗତି । । ୬୧
    ସୁନନ୍ଦ-ନନ୍ଦ ଆଦି ଯେତେ । ପୂଜା ଉଚିତ ବଳି ହସ୍ତେ । । ୬୨
    ପୂଜନ୍ତି କିଙ୍କର ସ୍ୱଭାବେ । ମିଳି ସଂଭ୍ରମେ ସର୍ବଦେବେ । । ୬୩
    ଭୃତ୍ୟଙ୍କୁ ପ୍ରସନ୍ନ-ବଦନ । ଅରୁଣ-ପଙ୍କଜ-ଲୋଚନ । । ୬୪
    କିରୀଟ କୁଣ୍ତଳ ବିରାଜେ । ପୀତବସନ କଟିମାଝେ । । ୬୫
    ଶ୍ରୀବତ୍ସ› ଚିହ୍ନ ହୃଦେ ଶୋହେ । ରୂପେ ଅଶେଷଜନ ମୋହେ । । ୬୬
    ଅମୂଲ୍ୟ-ସିଂହାସନେ ସ୍ଥିତି । ବେଷ୍ଟିତ ପଞ୍ଚବିଂଶ-ଶକ୍ତି । । ୬୭
    ସ୍ୱଭାବେ ଅଇଶ୍ୱର୍ଯ୍ୟମୟ । ଇତରଜନେ ଅନିଶ୍ଚୟ । । ୬୮
    ସ୍ୱଧାମେ ସ୍ୱରୂପେ ରମନ୍ତି । ଏଣୁ ସେ ଈଶ୍ୱର ବୋଲାନ୍ତି । । ୬୯
    ଏମନ୍ତ ରୂପ ବ୍ରହ୍ମା ଦେଖି । ଉଠିଲେ ଆସନ ଉପେକ୍ଷି । । ୭୦
    କୃଷ୍ଣ-ଦର୍ଶନ ଆହାଲାଦ । ଅନ୍ତରେ ହୋଇ ଗଦଗଦ । । ୭୧
    ଲୋମ ହରଷେ ତନୁ ପୂର୍ଣ୍ଣ । ପ୍ରେମାଶ୍ରୁ ଗଳଇ ଲୋଚନ । । ୭୨
    ଶ୍ରୀକୃଷ୍ଣ-ପାଦପଦ୍ମ ଚାହିଁ । ନମିଲା ଶିରେ କର ଦେଇ । । ୭୩
    ଆନନ୍ଦସାଗରେ ବୁଡ଼ିଲା । ଅଧିକେ ଆତ୍ମା ପାଶୋରିଲା । । ୭୪
    ଅତି ଆନନ୍ଦେ ପ୍ରେମ ସୁଖେ । ସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ । । ୭୫
    ପ୍ରଜା-ସର୍ଜନେ ତାର ମନ । ଜାଣିଲେ ପ୍ରଭୁ ଭଗବାନ । । ୭୬
    ବ୍ରହ୍ମା-ବଦନ ହରି ଚାହିଁ । ଈଷିତ-ହାସ୍ୟେ ବାକ୍ୟ କହି । । ୭୭
    ଆତ୍ମାର ପ୍ରିୟ ପ୍ରାୟ କରି । ବ୍ରହ୍ମାର କର କରେ ଧରି । । ୭୮

    ଭଗବାନ ଉବାଚ

    ହେ ବେଦଗର୍ଭ ସୃଷ୍ଟିଅର୍ଥେ । ତୁମ୍ଭେ ଯେ ତୋଷ କଲ ମୋତେ । । ୭୯
    ଅତି ଦୁସ୍ତର ଘୋରତପେ । ତେଣୁ ମୁଁ ତୋହର ସମୀପେ । । ୮୦
    ସ୍ୱଭାବେ ଯୋଗୀଙ୍କୁ ଦୁର୍ଲଭ । ତୋତେ ମୁଁ ହୋଇଲି ସୁଲଭ । । ୮୧
    ସର୍ବମଙ୍ଗଳ ହେଉ ତୋର । ଦୃଢ଼ଚିତ୍ତରେ ମାଗ ବର । । ୮୨
    ମୋହର ଦରଶନ ଯେବେ । ପ୍ରାଣୀ ଲଭଇ ପୁଣ୍ୟଭାବେ । । ୮୩
    ତାହାର ଶ୍ରେୟ ପରିଶ୍ରମ । ଅନ୍ତରେ ହୋଏ ଆତ୍ମାରାମ । । ୮୪
    ଗଗନେ ଶୁଣି ମୋ ବଚନ । ତୁ ଯେ ତପରେ କଲୁ ମନ । । ୮୫
    କର୍ମ ବିଭ୍ରମ ଦେଖି ତୋତେ । ମୁଁ ଯେ ଡାକିଲି ଶୂନ୍ୟପଥେ । । ୮୬
    ବୋଇଲି ଦୃଢ଼େ ତପ କର । ମୁଁ ତୋତେ ହୋଇବି ଗୋଚର । । ୮୭
    ମୋର ହୃଦୟ ତପ ଜାଣ । ତପ ମୋ ଆତ୍ମାଟି ପ୍ରମାଣ । । ୮୮
    ତପେ ମୁଁ ସୃଷ୍ଟି କଲି ହେଳେ । ଅନ୍ତେ ସଂହରେ ତପବଳେ । । ୮୯
    ତପର ବଳେ ଏ ଜଗତ । ମୁହିଁ ପାଳଇ ଅବିରତ । । ୯୦
    ଏମନ୍ତେ ବିଷ୍ଣୁ ମୁଖୁ ଶୁଣି । ବିଧାତା କହେ ସ୍ତୁତିବାଣୀ । । ୯୧

    ବ୍ରହ୍ମା ଉବାଚ

    ହେ ନାରାୟଣ ଭୂତେଶ୍ୱର । ପ୍ରାଣୀ ହୃଦୟେ ତୁମ୍ଭ ଘର । । ୯୨
    ହୃଦୟପଦ୍ମ ମଧ୍ୟେ ଥାଉ । ପ୍ରାଣୀଙ୍କି ଉପଦେଶ ଦେଉ । । ୯୩
    ଏଣୁ ମୋହର ମନ ଜାଣି । ଯେ ଜ୍ଞାନ ଦେଲ ଚକ୍ରପାଣି । । ୯୪
    ଅନାଥନାଥ ତୋ ମହିମା । କେ ଜାଣିପାରେ ଗୁଣସୀମା । । ୯୫
    ମୁଁ ତୋର ଚରଣେ କିଙ୍କର । ଏମନ୍ତ ଆଜ୍ଞା ମୋତେ କର । । ୯୬
    ରୂପ ଅରୂପ ତୋର ଯେତେ । ଏ ସୃଷ୍ଟି କରୁ ତୁ ଯେମନ୍ତେ । । ୯୭
    ଯେ ମାୟାଯୋଗେ ସୃଷ୍ଟି କରୁ । ନାନାପ୍ରକାରେ ଶକ୍ତି ଧରୁ । । ୯୮
    ଏ ସୃଷ୍ଟି-ସ୍ଥିତି-ସଂହାରଣ । ଯେମନ୍ତେ ହେଉ ତୁ କାରଣ । । ୯୯
    ସ୍ୱତନ୍ତ୍ର-ସୂତ୍ରେ ଊର୍ଣ୍ଣନାଭି । କ୍ରୀଡ଼ଇ ଯେହ୍ନେ ମନେ ଭାବି । । ୧୦୦
    ତେମନ୍ତ ବୁଦ୍ଧି ଦିଅ ମୋତେ । ଏ ସୃଷ୍ଟି କରଇ ଯେମନ୍ତେ । । ୧୦୧
    ସୃଷ୍ଟି-ସଂକଳ୍ପେ ମୋର ଇଚ୍ଛା । ତୁ ନାଥ କହ ସୃଷ୍ଟି-ଦୀକ୍ଷା । । ୧୦୨
    ତୁମ୍ଭର ଶିକ୍ଷା ଘେନି ଚିତ୍ତେ । ସୃଷ୍ଟି କରିବି ଅବିରତେ । । ୧୦୩
    ସୃଷ୍ଟି କରଣେ ଭଗବାନ । କେବେହେଁ ନାହିଁ ମୋର ଜ୍ଞାନ । । ୧୦୪
    ତୋ ଅନୁଗ୍ରହ ଯେବେ ମୋତେ । ତୁ ନାଥ ବସ ମୋର ଚିତ୍ତେ । । ୧୦୫
    ହେ ହରି ସଖାପ୍ରାୟ କରି । ତୁ ଯେ ମୋହର କର ଧରି । । ୧୦୬
    ସେ ଅହଂକାର ମୋର ମନେ । ନୋହିବ ହେବ ତୋ ଅର୍ଚ୍ଚନେ । । ୧୦୭
    ଯାବତ ପ୍ରଜାସର୍ଗେ ଜନ । କରିବି ଉତ୍ତମ ମଧ୍ୟମ । । ୧୦୮
    ମୁଁ ଅଜ ସ୍ୱତନ୍ତ୍ର ମୋ ଭାବ । ଏମନ୍ତ ନୋହିବ ମୋ ଗର୍ବ । । ୧୦୯
    ଏମନ୍ତ ବ୍ରହ୍ମାର ବଚନ । ଶୁଣି କହନ୍ତି ଭଗବାନ । । ୧୧୦

    ଭଗବାନ ଉବାଚ

    ଶୁଣ ବିଧାତା ମୋ ବଚନ । ଯେଣେ ଲଭିବୁ ସୃଷ୍ଟି-ଜ୍ଞାନ । । ୧୧୧
    ଯେ ଭକ୍ତିଯୋଗ ମୋ ସମ୍ମତ । ଅଟଇ ଅତ୍ୟନ୍ତ ଗୁପତ । । ୧୧୨
    ସୃଷ୍ଟି ସର୍ଜନା ଅଙ୍ଗ ଯେତେ । ହରଷେ କହୁଁ ତୋ ଅଗ୍ରତେ । । ୧୧୩
    ଯେମନ୍ତ ସ୍ୱରୂପ ମୋ ହୋଇ । ସ୍ୱଭାବେ ରୂପ ଗୁଣ ଯେହି । । ୧୧୪
    ଯେ କର୍ମମାନ ମୁହିଁ ବହେ । ସେ ତତ୍ତ୍ୱବିଜ୍ଞାନ ତୋ ଦେହେ । । ୧୧୫
    ପ୍ରସରୁ ମୋର ଅନୁଗ୍ରହେ । ଜଗତ ଯେହ୍ନେ ମୋର ଦେହେ । । ୧୧୬
    ସୃଷ୍ଟିର ଅଗ୍ରେ ମୁହିଁ ଏକ । ମୋ ତହୁଁ ପ୍ରସରେ ଅନେକ । । ୧୧୭
    ସତ ଅସତ ପର ମୁହିଁ । ଯେ ଅବଶେଷ ଶେଷ ରହି । । ୧୧୮
    ଏଣୁ ଏ ଆଦି ମଧ୍ୟ ଅନ୍ତେ । ମୋ ତହୁଁ ଅନ୍ୟ କେ ଜଗତେ । । ୧୧୯
    ଅର୍ଥକୁ ଛାଡ଼ି ଯାର ବଶେ । ପ୍ରତୀତ ହୁଅଇ ଆଭାସେ । । ୧୨୦
    ମାୟା ପ୍ରକାଶେ ସେ ପ୍ରମାଣେ । ଗଗନେ ଯେହ୍ନେ ଜ୍ୟୋତିର୍ଗଣେ । । ୧୨୧
    ଯେମନ୍ତେ ସ୍ଥୂଳ ସୂକ୍ଷ୍ମ ଭୂତେ । ପ୍ରବେଶ ପଞ୍ଚ-ମହାଭୂତେ । । ୧୨୨
    ଛାଡ଼ି ପଶନ୍ତି ପୁଣ ପୁଣ । ମୁଁ ମାୟା ଶରୀରେ ତେସନ । । ୧୨୩
    ଆତ୍ମା ସର୍ବଦା ସର୍ବଠାବେ । ଅନ୍ୱୟ-ବ୍ୟତିରେକ ଭାବେ । । ୧୨୪
    ଏହା ଜାଣନ୍ତି ତତ୍ତ୍ୱଜ୍ଞାନୀ । ମାୟାସଂସାରେ ଅନୁମାନି । । ୧୨୫
    ତୋର ପ୍ରସ୍ତାବେ ପ୍ରଜାପତି । କହିଲି ସୃଷ୍ଟି ଯଥାଗତି । । ୧୨୬
    ଯେଝା ବିଚାର ଅନୁମାନେ । ଯେ ସର୍ବକାଳ ବିଦ୍ୟମାନେ । । ୧୨୭
    ଏ ମୋର ତତ୍ତ୍ୱଜ୍ଞାନ ବଳେ । ଧର ତୁ ସମାଧି ନିଶ୍ଚଳେ । । ୧୨୮
    କଳ୍ପ ବିକଳ୍ପେ ତୋର ଚିତ୍ । କେବେହେଁ ନୋହୁ ବିମୋହିତ । । ୧୨୯

    ଶୁକ ଉବାଚ

    ଏ ରୂପେ ପ୍ରଭୁ ଭାବଗ୍ରାହୀ । ବ୍ରହ୍ମାକୁ ସୃଷ୍ଟିତତ୍ତ୍ୱ କହି । । ୧୩୦
    ତକ୍ଷଣେ ବ୍ରହ୍ମାର ଅଗ୍ରତେ । ଗୋବିନ୍ଦ ଗଲେ ଶୂନ୍ୟପଥେ । । ୧୩୧
    କୃଷ୍ଣ ନ ଦେଖି ପ୍ରଜାପତି । ଅନେକମତେ କଲା ସ୍ତୁତି । । ୧୩୨
    କରଅଞ୍ଜଳି ଶିରେ ଦେଇ । ଅନେକଭାବେ ଭାବ ବହି । । ୧୩୩
    ବିଶ୍ୱ ସର୍ଜିଲା ବିଷ୍ଣୁ ତେଜେ । ପୂର୍ବର ପ୍ରାୟ ନାନା ବୀର୍ଯ୍ୟେ । । ୧୩୪
    ସେ ପ୍ରଜାପତି ଧର୍ମପତି । ଯମ ନିୟମେ ଦେଲା ମତି । । ୧୩୫
    ପ୍ରଜା କଲ୍ୟାଣ ଚିନ୍ତାକରି । ଆତ୍ମାର ହିତ ମନେ ଧରି । । ୧୩୬
    ବ୍ରହ୍ମାର ସମାଧି ନିଶ୍ଚଳ । ଦେଖି ନାରଦ ମୁନିବର । । ୧୩୭
    ପୁତ୍ରଙ୍କ ମଧ୍ୟେ ପ୍ରିୟତମ । ବିନୟେ ସେବାରେ ସେ ପୁଣ । । ୧୩୮
    ବ୍ରହ୍ମାର ମନ ତୋଷ କଲେ । ବିଷ୍ଣୁର ମାୟା ଜାଣିବାରେ । । ୧୩୯
    ପିତାର ମନ ତୋଷ ଜାଣି । ବିନୟଭାବେ ମୁନିମଣି । । ୧୪୦
    ପୁଚ୍ଛିଲେ ପିତାର ଅଗ୍ରତେ । ତୁ ଯାହା ପଚାରିଲୁ ମୋତେ । । ୧୪୧
    ନାରଦ ବାକ୍ୟେ ବେଦବର । ହରି-ମହିମା ଅଗୋଚର । । ୧୪୨
    ଯେତେ କହିଲେ ସୃଷ୍ଟି ଅର୍ଥେ । ମାୟାର ମହିମା ଯେମନ୍ତେ । । ୧୪୩
    ଜାଣିବା ଅର୍ଥେ ମହାମୁନି । କହି ବିଧାତା ହେଲେ ତୁନି । । ୧୪୪
    ବ୍ରହ୍ମା-ନାରଦ ପ୍ରଶ୍ନ ଯେତେ । କହିଲି ତୋହର ଅଗ୍ରତେ । । ୧୪୫
    ରାଜନ ସାବଧାନେ ଶୁଣ । ଏ ଭାଗବତର ପ୍ରମାଣ । । ୧୪୬
    ଦଶଲକ୍ଷଣେ ଏହା ଜାଣି । ଯେବା କହିଲେ ପରିମାଣି । । ୧୪୭
    ଏ କଥା ସରସ୍ୱତୀତଟେ । ନାରଦ ବ୍ୟାସଙ୍କ ନିକଟେ । । ୧୪୮
    ଏବେ ମୁଁ ତୋହର ଅଗ୍ରତେ । କହିଲି ପଚାରିଲୁ ଯେତେ । । ୧୪୯
    ଏମନ୍ତେ ପରୀକ୍ଷିତ ମେଳେ । ଶୁକ କହିଲେ ଗଙ୍ଗାକୂଳେ । । ୧୫୦
    ଦଶଲକ୍ଷଣେ ଭାଗବତ । କହଇ ଦାସ ଜଗନ୍ନାଥ । । ୧୫୧
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ଦ୍ୱିତୀୟସ୍କନ୍ଧେ ନବମୋଽଧ୍ୟାୟଃ ।।

    ଦଶମ ଅଧ୍ୟାୟ

    ଶୁକ ଉବାଚ

    ମୁନି କହନ୍ତି ରାୟେ ଶୁଣ । ଏ ଭାଗବତର ଲକ୍ଷଣ । । ୧
    ଦଶପ୍ରକାରେ ଭାବ ଚିନ୍ତି । ପୁରାଣ-ପୁରୁଷେ ବୋଲାନ୍ତି । । ୨
    ତାହା କହିବା ଏକେ ଏକେ । ପ୍ରସ୍ତାବେ ତୋହର ସମ୍ମୁଖେ । । ୩
    ସର୍ଗ ବିସର୍ଗ ଯେବା ସ୍ଥାନ । ପୋଷଣ ଉତି ପରିମାଣ । । ୪
    ଯେ ମନ୍ୱନ୍ତର ଈଶକଥା । ନିରୋଧ ମୁକ୍ତିର ବ୍ୟବସ୍ଥା । । ୫
    ଆଶ୍ରୟ ମିଶି ଦଶଗୁଣ । ଏ ଭାଗବତର ଲକ୍ଷଣ । । ୬
    ଦଶ ବିଶୁଦ୍ଧ ଅର୍ଥେ ରହେ । ନବ ଲକ୍ଷଣ ଯେବା ହୋଏ । । ୭
    ବେଦ ବିଚାରି ମହାଜନେ । ତତ୍ତ୍ୱ କହନ୍ତି ଅନୁମାନେ । । ୮
    ଦଶଇନ୍ଦ୍ରିୟ ପଞ୍ଚମାତ୍ର । ମହତ ତୁଲେ ପଞ୍ଚଭୂତ । । ୯
    ତାହାଙ୍କ ଜନ୍ମ ସର୍ଗ କହି । ବିସର୍ଗ ଶୁଣ ଚିତ୍ତ ଦେଇ । । ୧୦
    ବିରାଟ-ପୁରୁଷର ଦେହେ । ବ୍ରହ୍ମା ସର୍ଜନା ଯେତେ ହୋଏ । । ୧୧
    ପୌରୁଷ ଚରାଚର ଯେତେ । ବିସର୍ଗ ବୋଲନ୍ତିଟି ଏତେ । । ୧୨
    ବିଷ୍ଣୁ ବିଜୟ ସ୍ଥିତି ନାମ । ଭକ୍ତାନୁଗ୍ରହ ଯେ ପୋଷଣ । । ୧୩
    ମନ୍ୱନ୍ତର ଯେ ମନୁ ଧର୍ମ । କର୍ମବାସନା ଉତି ନାମ । । ୧୪
    ବିଷ୍ଣୁ ଅବତାର ଚରିତ । ତାର ଭକ୍ତଙ୍କ ଯେ ଭକତ । । ୧୫
    କୃଷ୍ଣର କଥା ଅନୁବାଦେ । ଉତ୍ତମ ପୁରୁଷଙ୍କ ମଧ୍ୟେ । । ୧୬
    ଈଶାନୁକଥା ଏହା କହି । ଅପରେ ଶୁଣ ମନ ଦେଇ । । ୧୭
    ସଂହରି ଆତ୍ମାର ଶକତି । ଜଳେ ଶୟନ ଯୋଗପତି । । ୧୮
    ନିରୋଧ ବୋଲି ତାର ନାମ । ନିଜ ସ୍ୱଭାବେ ପୂର୍ଣ୍ଣକାମ । । ୧୯
    ମୁକ୍ତି ସ୍ୱରୂପେ ବ୍ୟବସ୍ଥିତି । ଯହିଁ ନ ଘଟେ ପୁନର୍ଗତି । । ୨୦
    ଆଭାସ ନିରୋଧ ଏ ଦୁଇ । ଯା ଠାରୁ ପ୍ରକାଶ ହୁଅଇ । । ୨୧
    ଆଶ୍ରୟ ନାମ ସେ ବୋଲାଇ । ପରମ ବ୍ରହ୍ମ ଯାକୁ କହି । । ୨୨
    ସେ ପରମାତ୍ମା ନରହରି । ଅଂଶେ ଅଶେଷଘଟେ ପୂରି । । ୨୩
    ତାର ସକାଶୁ ଜୀବ ଏକ । ତେଣୁ ବୋଲାଇ ଆଧ୍ୟାତ୍ମିକ । । ୨୪
    ସେ ଅଧିଦେବତା ବୋଲାଇ । ଅଧିଭୂତଙ୍କ ଆତ୍ମା ସେହି । । ୨୫
    ଯେ ବେନି ବିଚ୍ଛେଦ କରଇ । ତାହାକୁ ଅଧିଭୂତ କହି । । ୨୬
    ଅଭାବେ ଏକ ଏକତର । ଯଦି ନ ଲକ୍ଷେ ପରସ୍ପର । । ୨୭
    ତେବେ ଏ ନୁହଁଇ ସଂସାର । ଯେମନ୍ତେ ଚକ୍ଷୁ ଦିନକର । । ୨୮
    ତୃତୀୟେ ସାକ୍ଷୀରୂପ ହୋଇ । ଯେ ଦେଖେ ପରଆତ୍ମା ସେହି । । ୨୯
    ଅନ୍ୟ ଆଶ୍ରୟ ସେ ହୁଅଇ । ତାର ଆଶ୍ରୟ ଅଟେ ସେହି । । ୩୦
    ସର୍ବଆଶ୍ରୟ ତାର ନାମ । ପରମ ପୁରୁଷ ଉତ୍ତମ । । ୩୧
    ସେ ଯେଉଁ କାଳେ ଅଣ୍ତଭେଦି । ବାହାର ହେଲା ଗୁଣନିଧି । । ୩୨
    ଆତ୍ମାର ସ୍ଥାନ ଇଚ୍ଛା କରି । ସ୍ୱଭାବେ ଜଳସୃଷ୍ଟି କରି । । ୩୩
    ସେ ଜଳ ମଧ୍ୟେ ମାୟାଧର । ବଞ୍ଚିଲା ସହସ୍ରବତ୍ସର । । ୩୪
    ଜଳର ‘ନାରା’ ବୋଲି ନାମ । ତେଣୁ ତା ନାମ ନାରାୟଣ । । ୩୫
    ଯେ ଦ୍ରବ୍ୟ ଗୁଣ କର୍ମ କାଳ । ସ୍ୱଭାବେ ଜୀବ ଏକମେଳ । । ୩୬
    ଯା ଅନୁଗ୍ରହେ ଉପୁଜନ୍ତି । ଯାର ନିଗ୍ରହେ ଲୀନ ହୋନ୍ତି । । ୩୭
    ଯେ ଯୋଗମାୟା ବଳେ ଉଠି । ଅଂଶେ କଳ୍ପଇ ନାନାସୃଷ୍ଟି । । ୩୮
    ସୁବର୍ଣ୍ଣମୟ ତା ଶରୀର । ସର୍ଜିଲା ତ୍ରିବିଧ ପ୍ରକାର । । ୩୯
    ଆଧିଦୈବତ ଆଧ୍ୟାତ୍ମିକ । ଆବର ଆଧିଭଉତିକ । । ୪୦
    ଗୁଣ ପୌରୁଷ ବୀର୍ଯ୍ୟବଳେ । ଯଥା ତ୍ରିବିଧି ଭେଦ ହେଲେ । । ୪୧
    ଅନ୍ତଃଶରୀର ଆକାଶରୁ । ପରମପୁରୁଷ ଚେଷ୍ଟାରୁ । । ୪୨
    ସ୍ୱଭାବେ ଓଜ-ସହ-ବଳ । ଜାତ ହୋଇଲେ ଅନର୍ଗଳ । । ୪୩
    ଏ ତିନିଭାବୁ ପ୍ରାଣ ଜାତ । ଦଶପ୍ରାଣଙ୍କ ମୂଳନାଥ । । ୪୪
    ତାହାର ବଳେ ପ୍ରାଣ ଚଳେ । ଇନ୍ଦ୍ରିୟ ଚେଷ୍ଟାକୁ ସେ କରେ । । ୪୫
    ଜ୍ଞାନ ଅଜ୍ଞାନ ଏହିମତେ । ଅଶେଷଜନ ଅନ୍ତର୍ଗତେ । । ୪୬
    ରାଜାକୁ ଯେହ୍ନେ ଆଶ୍ରେ କରି । ସେବକେ ପଥ ଅନୁସରି । । ୪୭
    ମୂଳକମଳୁ ଏହି ମତେ । ସଞ୍ରୁ ବ୍ରହ୍ମରନ୍ଧ୍ରପଥେ । । ୪୮
    ପ୍ରାଣର ଆତଯାତ ଶ୍ରମେ । ଉପୁଜେ କ୍ଷୁଧାତୃଷା ସମେ । । ୪୯
    କ୍ଷୁଧାତୃଷାର ମାର୍ଗ ସୁଖ । ଅର୍ଥେ ସୃଜିଲା ଅଗ୍ରେ ମୁଖ । । ୫୦
    ମୁଖର ମୂଳେ ତାଳୁ ଜାତ । ସଂଯୋଗେ ରସନା ସମ୍ଭୂତ । । ୫୧
    ତାର ସଂଯୋଗେ ନାନାରସେ । ବସନ୍ତି ବରୁଣ ବିଶ୍ୱାସେ । । ୫୨
    ଶବଦ ଅର୍ଥେ ମୁଖଦ୍ୱାରେ । ଅଗ୍ନିଦେବତା ବାକ୍ୟ ଧରେ । । ୫୩
    ସୁଚିରକାଳ ଥାଇ ଜଳେ । ନାସାବିମ୍ବର ବାୟୁବଳେ । । ୫୪
    ଆଘ୍ରାଣ ଅର୍ଥେ ଉପୁଜିଲେ । ତକ୍ଷଣେ ଗନ୍ଧବହ ତୁଲେ । । ୫୫
    ଆତ୍ମାର ଦେଖି ଅନ୍ଧକାର । ବ୍ରହ୍ମା ସୃଜିଲା ଚକ୍ଷୁଦ୍ୱାର । । ୫୬
    ଜ୍ୟୋତି ସର୍ଜିଲା ତା ରକ୍ଷଣେ । ରୂପ-ଗ୍ରହଣ ଇଚ୍ଛି ମନେ । । ୫୭
    ବେଦପୁରୁଷଙ୍କ ବଚନେ । ବିଧାତା ବେଦ ଅନୁମାନେ । । ୫୮
    ଶୁଣିବା ଅର୍ଥେ ନାନାସ୍ୱନ । ନିର୍ମଳେ ପ୍ରକାଶିଲା କର୍ଣ୍ଣ । । ୫୯
    ଦିଗ-ଦେବତାଙ୍କ ରକ୍ଷଣେ । ପ୍ରକାଶେ ଯେ ବାମେ ଦକ୍ଷିଣେ । । ୬୦
    ବସ୍ତୁର କୋମଳ କଠିନ । ଲଘୁ କି ଅବା ଗୁରୁ ଗୁଣ । । ୬୧
    ଶୀତଳ ଉଷ୍ମ ଯେଣେ ଜାଣି । ପବନ ଯୋଗେ ପରିମାଣି । । ୬୨
    ସେ ଚର୍ମଇନ୍ଦ୍ରିଗୁଣେ ଭଜି । ଉପରେ ବହେ ରୋମରାଜି । । ୬୩
    ଅଶେଷକର୍ମ କରିବାରେ । ପ୍ରକାଶ ହୃଦୟ ଉପରେ । । ୬୪
    ବାମ ଦକ୍ଷିଣ ବେନିକର । ଯହିଁ ରକ୍ଷକ ସୁନାସୀର । । ୬୫
    ଦାନ ଆଦାନ କର୍ମ ଆଦି । ଅର୍ଥେ ସର୍ଜିଲା ବେଦବାଦୀ । । ୬୬
    ସୁଗମଗତି ଚିନ୍ତି ପୁଣ । ବିଧାତା ସର୍ଜିଲା ଚରଣ । । ୬୭
    ସେ ବାମ-ଦକ୍ଷିଣ-ପଦର । ରକ୍ଷକ ହେଲେ ଯଜ୍ଞେଶ୍ୱର । । ୬୮
    ସମସ୍ତ ହବ୍ୟ-କବ୍ୟ-ବିଧି । ଚରଣଯୁଗ ବଳେ ସାଧି । । ୬୯
    ବେନିଚରଣ ମୂଳଦେଶେ । ଆନନ୍ଦେ ଶିଶ୍ନ ପରକାଶେ । । ୭୦
    ସନ୍ତାନ-ଉତ୍ପତ୍ତି କାରଣେ । ରକ୍ଷକ ପ୍ରଜାପତିଗଣେ । । ୭୧
    ଉଭୟ ଆନନ୍ଦର ଦ୍ୱାର । ଅନଙ୍ଗତୁଲେ ନିଶାକର । । ୭୨
    ଉତ୍ସର୍ଗ ଅର୍ଥେ ବେଦବର । ତପେ ସୃଜିଲା ମଳଦ୍ୱାର । । ୭୩
    ମିତ୍ର-ଦେବତାର ବିଷୟ । ଉଭୟ ଉତ୍ସର୍ଗ-ଆଶ୍ରୟ । । ୭୪
    ଦେହରୁ ଦେହାନ୍ତର ଗତି । ଇଚ୍ଛାରୁ ନାଭି ଉତପତ୍ତି । । ୭୫
    ନାଭିରେ ପ୍ରାଣ ଯେ ଅପାନ । ବିଯୋଗେ ହୁଅଇ ମରଣ । । ୭୬
    ଅନ୍ନ ଭୋଜନ ପାନ ସଧେ । ନାଡ଼ି ସୃଜିଲା କୁକ୍ଷିମଧ୍ୟେ । । ୭୭
    ନାଡ଼ୀରେ ନଦୀ ତୃଷା ବସେ । ଅନ୍ତ୍ରେ ସମୁଦ୍ର ରହେ ଗ୍ରାସେ । । ୭୮
    ଉଭୟ ନିମିତ୍ତ ଏ ଦୁଇ । ଯେ ତୁଷ୍ଟି ପୁଷ୍ଟି ନାମ ବହି । । ୭୯
    ଆତ୍ମମାୟାକୁ ଚିନ୍ତା କରି । ସତ୍ତ୍ବେ ହୃଦୟ ରୂପ ଧରି । । ୮୦
    କାମ ସଙ୍କଳ୍ପ ଚନ୍ଦ୍ର ମନ । ହୃଦୟ ଏହାଙ୍କର ସ୍ଥାନ । । ୮୧
    ହୃଦୟ ଆବୋରିବା ଆଶେ । ଅସ୍ଥି ସର୍ଜିଲା ପୃଷ୍ଠଦେଶେ । । ୮୨
    ଅସ୍ଥି ଭିତରେ ମଜ୍ଜା କଲା । ଉପରେ ମେଦ ଭିଆଇଲା । । ୮୩
    ତାର ଉପରେ ମାଂସ ଧରି । ରୁଧିର ଆବରଣ କରି । । ୮୪
    ତାର ଉପରେ ଚର୍ମ-ରୋମ । ମଜ୍ଜାର ମଧ୍ୟେ ରହେ ବ୍ୟୋମ । । ୮୫
    ଏମନ୍ତ କରି ସପ୍ତଧାତୁ । ପ୍ରାଣୀଜୀବନ ମୂଳହେତୁ । । ୮୬
    ବାସ୍ତରି ସହସ୍ତ ଯେ ନାଡ଼ୀ । ହୃଦକମଳ ମଧ୍ୟେ ବେଢ଼ି । । ୮୭
    ପ୍ରାଣ ରହଇ ତାଙ୍କ ମଧ୍ୟେ । ଅନ୍ତରେ ରସ-ମୂଳ ଭେଦେ । । ୮୮
    ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ । ଭୂତାଦି ପ୍ରଭବ ଯେ ଗୁଣ । । ୮୯
    କଳ୍ପିତ ଅହଙ୍କାରେ ପୁଣ । ସର୍ବବିକାର ଆତ୍ମା ମନ । । ୯୦
    ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ । ଯେଣେ ସଂସାରମାୟା ଜିଣି । । ୯୧
    ଅବନୀ ଉଦକ ଅନଳ । ପବନ ଆକାଶ ମଣ୍ତଳ । । ୯୨
    ଏ ପଞ୍ଚଭୂତ କଳେବର । ବିଷ୍ଣୁର ଭଜନ-ମନ୍ଦିର । । ୯୩
    ଏମନ୍ତେ କହିଲି ମୁଁ ତୋତେ । ବିଷ୍ଣୁର ସ୍ଥୂଳରୂପ ଯେତେ । । ୯୪
    ଏ ଜୀବ ବ୍ରହ୍ମାଣ୍ତ-ଧାରଣେ । ବେଷ୍ଟିତ ଅଷ୍ଟ-ଆବରଣେ । । ୯୫
    ପୃଥିବୀ ଆଦି ପଞ୍ଚଭୂତ । ମନ ଅହଙ୍କାର ମହତ । । ୯୬
    ଏ ଅଷ୍ଟଗୁଣେ ଆବରଣ । ଏମନ୍ତେ ବ୍ରହ୍ମାଣ୍ତ-ଘଟଣ । । ୯୭
    ଏ ସ୍ଥୂଳରୂପ ଯେ ତାହାର । ଏହା ଉପରେ ସୂକ୍ଷ୍ମତର । । ୯୮
    ସେ ନିର୍ବିକାର ନିରଞ୍ଜନ । ଅନାଦି-ମଧ୍ୟମ-ନିଧନ । । ୯୯
    ସେ ଶୂନ୍ୟମଧ୍ୟେ ନିରାକାର । ମନ-ବଚନ-ଅଗୋଚର । । ୧୦୦
    ଏ ସ୍ଥୂଳ-ସୂକ୍ଷ୍ମ ରୂପ ଧରି । ଖେଳଇ ଆତ୍ମମାୟା କରି । । ୧୦୧
    ପଣ୍ତିତେ ନ ମାନନ୍ତି ଏହା । ସୃଷ୍ଟି-ସଂକଳ୍ପ ବିଷ୍ଣୁମାୟା । । ୧୦୨
    ବାଚ୍ୟ-ବାଚକ ରୂପ ଧରି । ସେ ବ୍ରହ୍ମରୂପୀ ଅବତରି । । ୧୦୩
    ସେ ରୂପ ନାମ କ୍ରିୟା ଧାତୁ । ଅକର୍ମା ହୋଇ କର୍ମହେତୁ । । ୧୦୪
    ସର୍ବସଙ୍କଳ୍ପ କ୍ରିୟା ଅର୍ଥେ । ଶୁଣ କହିବା ଆର ଯେତେ । । ୧୦୫
    ଆତ୍ମାକୁ ଭିନ୍ନଭିନ୍ନ କରି । ସେ ପ୍ରଜାପତି ରୂପ ଧରି । । ୧୦୬
    ମନୁଙ୍କୁ ସର୍ଜିଲା ସେ ହେଳେ । ଋଷି ଦେବତା ପିତୃମେଳେ । । ୧୦୭
    ସିଦ୍ଧ ଚାରଣ ବିଦ୍ୟାଧର । ଗନ୍ଧର୍ବ ଗୁହ୍ୟକ ଅସୁର । । ୧୦୮
    କିନ୍ନର ଅପସରା ଗଣ । ନାଗ କିଂପୁରୁଷ ଯେ ପୁଣ । । ୧୦୯
    ଯକ୍ଷ ଉରଗ ମାତୃଗଣ । ପିଶାଚ ଭୂତ ପ୍ରେତମାନ । । ୧୧୦
    କୁଷ୍ମାଣ୍ତଗଣ ବିନାୟକ । ଉନ୍ମାଦ ବେତାଳ ଯେତେକ । । ୧୧୧
    ଯେ ଯାତୁଧାନ ସରୀସୃପ । ଗ୍ରହ ମୃଗାଦି ଖଗ ରୂପ । । ୧୧୨
    ବୃକ୍ଷ ପର୍ବତ ପଶୁଗଣ । ଏ ରୂପେ କଲେକ ସର୍ଜନ । । ୧୧୩
    ଦ୍ୱିବିଧ ଚତୁର୍ବିଧ ଗଣେ । ଜଳେ ବା ସ୍ଥଳେ ବା ଗଗନେ । । ୧୧୪
    ମିଶ୍ର କୁଶଳ ଅକୁଶଳ । ତିନି ପ୍ରକାରେ କର୍ମଫଳ । । ୧୧୫
    ଏତେ ପ୍ରକାରେ କର୍ମଗତି । ଆତ୍ମାର ବଳେ ସେ ସର୍ଜନ୍ତି । । ୧୧୬
    ଗୁଣ ପ୍ରଭେଦେ ତିନିଲୋକ । ଦେବ ଅସୁର ନରଲୋକ । । ୧୧୭
    ସତ୍ତ୍ବଗୁଣରୁ ଦେବ ହୋଇ । ମନୁଷ୍ୟ ରଜଗୁଣ ବହି । । ୧୧୮
    ତମଗୁଣରୁ ଅଧୋଗତି । ପାପିଷ୍ଠେ ଯହିଁ ବିଶ୍ରାମନ୍ତି । । ୧୧୯
    ସେ ତିନିଲୋକେ ତିନିଗତି । ଭାବେ ସୃଜିଲା ପ୍ରଜାପତି । । ୧୨୦
    ସେ ଗୁଣ ଚିତ୍ରପ୍ରାୟ ହୋଇ । ସ୍ୱଭାବେ ଭିନ୍ନଭିନ୍ନ ଦେହୀ । । ୧୨୧
    ଏକ ଆରକେ ନ ଗଣିଲେ । ନିଶ୍ଚଳେ ରହି ନ ପାରିଲେ । । ୧୨୨
    ତା ଦେଖି ପ୍ରଭୁ ନରହରି । ତକ୍ଷଣେ ଧର୍ମରୂପ ଧରି । । ୧୨୩
    ବିଶ୍ୱକୁ ପାଳିବାର ଅର୍ଥେ । ଦେବ ମନୁଷ୍ୟ ପଶୁ ଯେତେ । । ୧୨୪
    ଏ ତିନିରୂପେ ଭଗବାନ । ରକ୍ଷା-ପୋଷଣେ କରି ସ୍ଥାନ । । ୧୨୫
    ସୁଖ ସମ୍ପଦ ଭୋଗ ଦେଇ । ଯେ ବିଧି ସଂସାରେ ବଢ଼ାଇ । । ୧୨୬
    ସୃଷ୍ଟିର ଭୋଗଅନ୍ତେ ହରି । କାଳାଗ୍ନି-ରୁଦ୍ରରୂପ ଧରି । । ୧୨୭
    ଆତ୍ମାର କ୍ରୀଡ଼ା ନାଶ କରେ । ବାଳକ ଯେସନେ ବେଭାରେ । । ୧୨୮
    ସର୍ବ ହରଇ ଅବସାନେ । ଜୀମୂତ ଯେସନ ପବନେ । । ୧୨୯
    ଏ ଭାବେ ହରିଗୁଣ ଯେତେ । ଦେବେ ଚିନ୍ତିବେ କାହିଁ ଚିତ୍ତେ । । ୧୩୦
    କେବଳ ଭାବେ ତାଙ୍କୁ ଜାଣି । ଶ୍ରୁତିବଚନେ ତା ପ୍ରମାଣି । । ୧୩୧
    ସୃଷ୍ଟିର ଜନ୍ମ ଆଦିକାଳେ । ଯେ କର୍ମସାଧେ ଯୋଗବଳେ । । ୧୩୨
    ସ୍ୱଭାବେ କର୍ମ ଯାର ନାହିଁ । ମାୟାରେ ବିଶ୍ୱ ପ୍ରକାଶଇ । । ୧୩୩
    ଏ ବ୍ରହ୍ମକଳ୍ପିତ ସଂସାର । ବିକଳ୍ପ ନାମଟି ଏହାର । । ୧୩୪
    ଏ ନିତ୍ୟ ସାଧାରଣ ବିଧି । ଯେ ପୂର୍ବକଳ୍ପରୁ ପ୍ରସିଦ୍ଧି । । ୧୩୫
    ପ୍ରାକୃତ ବୈକୃତ ସଂସାର । ମହତ-ସ୍ଥାନର ସଞ୍ଚାର । । ୧୩୬
    ସଂକ୍ଷେପେ କହିଲଇଁ ତୋତେ । ତୁ ଯାହା ପଚାରିଲୁ ମୋତେ । । ୧୩୭
    ଯେ କଳ୍ପ-ଲକ୍ଷଣ ଯେ ନାମ । ଯେ ବା କାଳର ପରିମାଣ । । ୧୩୮
    ଭାବେ କହିବି କଳ୍ପଗୁଣ । ରାଜନ ସାବଧାନେ ଶୁଣ । । ୧୩୯
    ଶୌନକ ଆଦି ମୁନିଗଣ । ସୂତଙ୍କୁ ପଚାରନ୍ତି ପୁଣ । । ୧୪୦

    ଶୌନକ ଉବାଚ

    ହେ ସୂତ ତୁମ୍ଭେ ଆମ୍ଭଆଗେ । ଯାହା କହିଲ ଆତ୍ମମାର୍ଗେ । । ୧୪୧
    ଦୁର୍ଯ୍ୟୋଧନର ଦୁଷ୍ଟବାଣୀ । ବିଦୁର ସଭାମଧ୍ୟେ ଶୁଣି । । ୧୪୨
    କୁଟୁମ୍ବ ଆଶା ଦୂରକରି । ତୀର୍ଥସେବନ ମନେ ଧରି । । ୧୪୩
    ପୃଥିବୀ କଲା ପର୍ଯ୍ୟଟନ । ବୁଲି ପର୍ବତ ଘୋରବନ । । ୧୪୪
    କୈବଲ୍ୟ ଲାଭେ ଇଚ୍ଛାକଲା । ଅନେକ ତୀର୍ଥ ସେ ଭ୍ରମିଲା । । ୧୪୫
    ମୈତ୍ରେୟ ମୁନି ସଙ୍ଗେ ତାର । କାହିଁ ହୋଇଲା ଏକସ୍ୱର । । ୧୪୬
    ବ୍ରହ୍ମସମ୍ବାଦ ବେନିଜନେ । କରି ବଞ୍ଚିଲେ କେଉଁସ୍ଥାନେ । । ୧୪୭
    ବିଦୁର ପଚାରିଲେ ଯେତେ । ମୈତ୍ରେୟ ବୋଧିଲେ ଯେମନ୍ତେ । । ୧୪୮
    ସେ ବନ୍ଧୁତ୍ୟାଗୀ କି ନିମନ୍ତେ । ପୁଣି ମିଳିଲେ ଇନ୍ଦ୍ରପ୍ରସ୍ଥେ । । ୧୪୯
    ହେ ସୂତ କହ ସର୍ବକଥା । ଯେଣେ ଛାଡ଼ିବ ଭବବ୍ୟଥା । । ୧୫୦
    ପଦ୍ମକଳ୍ପର କଥା କହ । ଯେଣେ ନ ଲାଗେ ଭବମୋହ । । ୧୫୧
    ଶୌନକ ପ୍ରଶ୍ନ ସୂତ ଶୁଣି । କହନ୍ତି ଶୁଣ ମହାମୁନି । । ୧୫୨

    ସୂତ ଉବାଚ

    ଯେ ପ୍ରଶ୍ନ କଲ ତୁମ୍ଭେ ମୋତେ । ଏ ପ୍ରଶ୍ନ ଶୁକଙ୍କ ଅଗ୍ରତେ । । ୧୫୩
    ପୁଚ୍ଛିଲେ ରାଜା ପରୀକ୍ଷିତ । ମୈତ୍ରେୟ-ବିଦୁର ଚରିତ । । ୧୫୪
    ପରୀକ୍ଷ-ବାକ୍ୟ ଚିତ୍ତେ ଘେନି । ଯାହା କହିଲେ ଶୁକମୁନି । । ୧୫୫
    ସେ ପ୍ରଶ୍ନ ଅନୁସାରେ ଯେତେ । ଶୁଣ କହିବା ଭାଗବତେ । । ୧୫୬
    ସୂତ-ଶଉନକ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୧୫୭
    ଦ୍ୱିତୀୟସ୍କନ୍ଧେ ଭାଗବତ । ଅମୃତ-ରସମୟ-ଗୀତ । । ୧୫୮
    ସୁଜନଜନଙ୍କର ହିତ । କହିଲା ଦାସ ଜଗନ୍ନାଥ । । ୧୫୯
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ
    ଦ୍ୱିତୀୟସ୍କନ୍ଧେ ଅଷ୍ଟାଦଶସାହସ୍ର୍ୟାଂ ସଂହିତାୟାଂ ପୁରୁଷସଂସ୍ଥାନୁବର୍ଣ୍ଣନଂ ନାମ ଦଶମୋଽଧ୍ୟାୟଃ ।।


    ଉତ୍ସ: ଓଡ଼ିଆ ଉଇକିପାଠଗାର

    No comments

    Post Top Ad

    Shubhapallaba free eMagazine and online web Portal

    Post Bottom Ad

    Shubhapallaba Hindi Portal