ଦୂର ତାଳବଣ ଆକାଶେ ଶୁଣାଏ
ମାଟିର କବିତା କିସେ
ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ ।
କ୍ଷେତ ପରେ କ୍ଷେତ,
କାଶଫୁଲ ଆଉ –
ବେଣାରେ ଜଟିଳା ପାଟ,
ପାଟ ପରେ ବଣ ବଣ ପାରି ହେଲେ
ମାମୁଁ ଘର ଗାଁ ଦିଶେ ।
ପଥର ସେ ପାଖେ ବୁଣା ହରଡ଼ା ଓ ବୁଟ,
ଆଗରେ ଚାରଣ ପଡ଼ିଆ ଗୋରୁର ଗୋଠ
ଶିମୁଳି ଶାଖାରେ
ବାହୁନେ କପୋତୀ
‘ଉଠ୍ ପୂତା ଉଠ୍
ପୂରିଲାଣି ମାଣ',
ଏ ପାଖେ କଇଁର ପୋଖରୀ ଗାଧୁଆ ତୁଠ ।
ଭୁଆସୁଣୀ ମାଜେ ପାଦର ପାହୁଡ଼ା ଏଥି
ମୁକୁଳା ବେଣୀରେ ପଖାଳେ ଦେଇଣ ମେଥି,
ନଣନ୍ଦ ତାହାର
ଅଧିକ ଚତୁରୀ
ଗାଲାଜୋର ହଳଦୀ ମାଖେ
ହଲିଲା ପାଣିରେ ମୁହଁର ଛାଇକି ଦେଖେ ।
ପୋଇଶାଗ ଆଉ ପାଣିକଖାରୁର ଲତା
ମାଡ଼ି ମାଡ଼ି ଆସି ଟପିଲାଣି ଘର ମଥା,
ସଜନାର ଶାଖୁଁ
ଝରିପଡ଼େ କେତେ ଫୁଲ
ବାଡ଼ ଦେହେ ପୁଣି ଅପରାଜିତାର ଛଟା ।
ସେଇ ପଥେ, ଫେରେ ଗ୍ରାମବଧୂ ସାରି
ସକାଳ ସ୍ନାହାନ ଏକା
ଧୂଳିରେ ଆଙ୍କି ସଜଳ ଚରଣ ରେଖା
ମାଆ ବୋଲି ଥରେ
ଡାକିବାକୁ ପ୍ରାଣ ଲୋଡ଼େ,
ପୃଥିବୀର ସମ ସହନଶୀଳା ସେ
ଅସୀମ କରୁଣାବତୀ
ନୟନେ ଶତେକ ଯୁଗର ବେଦନା ଲେଖା ।
ଏ ପଥେ ଗ୍ରାମର ତରୁଣ ବିଦେଶ ଯାଏ
ଲେଉଟ ପଥକୁ ନୁତନା ଘରଣୀ
ଆକୁଳେ ଅନାଇ ଥାଏ ।
କି ବାରତା ତାରେ ଆଣେ
କିଏ ଜାଣେ
ଆଧାର ଲୋଭୀ ଏ କାକା !
ଏ ଗ୍ରାମଦେବତୀ
ସେ ବ୍ୟଥା ବୁଝେ କି ହାଏ !!
ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୂ
ବିତରି ବୁକୁର ମମତା ମୁଖର ମଧୁ
ପୂଅ ଝିଅ ନାତି ନାତୁଣୀରେ ରଖି
ମଶାଣି ଏ ପଥେ, ଫେରେ
ଆସିବା ଜନର ସାକ୍ଷୀ ଏ ପଥ
ଫେରିବା ଜନର ବନ୍ଧୁ ।
ଜନ୍ମ ଏ ପଥେ ଢାଳଇ ରଜତ ମାୟା
କୁମାରୀ ଦଳର ମିଳିତ କଣ୍ଠୁ
ସଙ୍ଗୀତ ଉଠେ ଆହା,
ଧାନ କ୍ଷେତେ ଚଳେ
କୃଷକ ତରୁଣ
ରାତ୍ରି ଶୟନ ପାଇଁ
ପ୍ରାନ୍ତର ଡେଇଁ ଧାଏଁ ଦେଖ ଦେଖ
ଭସାଣି ମେଘର ଛାୟା ।
ଧୂଳି ଘର ଛାଡ଼ି ଏ ପଥେ ଚଳଇ
ଶାଶୁଘର ଗାଆଁ ଝୁଅ
ମାଆର ପଣତେ ବନ୍ୟା ରଚଇ
ଅମାନିଆ ଆଖି ଲୁହ ।
ଏ ପଥର ସ୍ନାତି ଚେତନା ଲେଖଇ
ସେ କେଉଁ ଜନମ କଥା ।
ଛାତି ଫାଟିଯାଏ କ୍ରନ୍ଦନେ ତାର
ବିଧାତା କି ପାଇଁ ଏ ବିଧାନ କଲା କୁହ !
ଶ୍ୟାମ ପ୍ରାନ୍ତରେ ଉଲଙ୍ଗ ଶିଶୁସମ
ଏ ପଥ ଘୁମାଏ,
ନୀଳନଜୋଇ ଯଥା
ଛାୟାପଥ ମନୋରମ
ଗ୍ରାମ ଝରଣାରେ
ଲଙ୍ଗି ଏ ପଥ
ସରଗ ସୀମାକୁ ଧାଏଁ,
ସନ୍ନ୍ୟାସୀ ସେ କି, ବିତରି କରୁଣାଧନ ।
ବନ୍ଦନା, ତତେ କରାଇରେ ଗ୍ରାମପଥ !
ବାଳକ ବେଳର ହେ ମୋର ପ୍ରିୟ ସାଥୀ,
ଅୟୁତ ଦଣ୍ଡବତ ।
- ବିନୋଦ ଚନ୍ଦ୍ର ନାୟକ
Subscribe to:
Post Comments
(
Atom
)
About Shubhapallaba
Shubhapallaba, an online Odia Magazine publishing quarterly since January 2018. The main aim of Shubhaplallba is to increase the reader and improve all the writeups in different languages.
No comments