Header Ads

Shubhanada Open Mic in Odisha by Shubhapallaba Advertisement to register to perform and attend
  • Latest Post

    ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ - ସପ୍ତମ ସ୍କନ୍ଧ

     

    Odia Bhagabata by Jagannagh Das

    ପ୍ରଥମ ଅଧ୍ୟାୟ

    ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥ ୧
    ଲୀଳା-ବିହାରେ ତନୁ ଧରି । ମର୍ତ୍ତ୍ୟେ କେ ପାରେ ସାଧ୍ୟ କରି ॥ ୨
    କୃଷ୍ଣ ଚରଣେ ଦେଇ ଚିତ୍ତ । ବୋଲନ୍ତି ବ୍ୟାସଙ୍କର ସୁତ ॥ ୩

    ଶୁକ ଉବାଚ
    ଏବେ ହୋ ଶୁଣ କୁରୁମଣି । ହରିଚରିତ ସୁଧାବାଣୀ ॥ ୪
    ଜନ୍ମବାସନା କର୍ମଫଳେ । ପ୍ରାଣୀ ଭୁଞ୍ଜନ୍ତି ଏ ଶୟଳେ ॥ ୫
    ସପ୍ତମସ୍କନ୍ଧେ ଭାଗବତେ । କହିବା ଶୁଣ ଏକଚିତ୍ତେ ॥ ୬
    କହିବା ପଞ୍ଚତତ୍ତ୍ୱ ଗୁଣ । ଶୁଣ ନୃପତି ସାବଧାନ ॥ ୭
    କର୍ମବାସନା ରୂପ ଧରି । ବେନି ପ୍ରକାରେ ସେ ସଞ୍ଚରି ॥ ୮
    ଶୁଭ ଅଶୁଭ ବେନି ପଦେ । ପ୍ରକାଶ କରେ ହେତୁ ଭେଦେ ॥ ୯
    ମହତ ଅପମାନ କୋପେ । ଅସୁର ଜନ୍ମ ପୁତ୍ରରୂପେ ॥ ୧୦
    ପୁଣ ମହତ ଅନୁଗ୍ରହେ । ସେ କର୍ମ ଶୁଭଫଳ ବହେ ॥ ୧୧
    ଶୁଣ କହିବା ପ୍ରିୟଭାବେ । ଯେ ଯହିଁ ଯେମନ୍ତ ପ୍ରସ୍ତାବେ ॥୧୨
    ବୈକୁଣ୍ଠେ ହରି ଦ୍ୱାରପାଳ । ଜୟ ବିଜୟ ମହାବଳ ॥୧୩
    ସେ ବେନିଭାଇ ହରିଦ୍ୱାରେ । ଖଟନ୍ତି ସେବା ଅନୁସାରେ ॥୧୪
    ଚତୁଃସନଙ୍କ କୋପ ଫଳେ । ଜନ୍ମିଲେ ଅସୁରଙ୍କ କୁଳେ ॥ ୧୫
    ବ୍ରାହ୍ମଣେ ଅପରାଧ କରି । ଜନ୍ମ ଲଭିଲେ ଦେହଧରି ॥ ୧୬
    ଅସୁର ଅଂଶେ ଅବତାର । ହିରଣ୍ୟକଶିପୁ କୁମର ॥ ୧୭
    ସେ ପଦ୍ମଚରଣରେ ମୁହିଁ । ନିରତେ ଶରଣ ପଶଇ ॥ ୧୮
    ସପ୍ତମ ସ୍କନ୍ଧେ ପ୍ରହଲ୍ଲାଦ । ଚରିତ ଅମୃତ ସମ୍ବାଦ ॥ ୧୯
    ନୃସିଂହ ଅମୃତ ଚରିତ । ଆଜ୍ଞାରେ ରହୁ ମୋର ଚିତ୍ତ ॥ ୨୦
    ସାଧୁ ସୁଜନେ କୃପାକର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୨୧
    ଏମନ୍ତେ ଶୁଣ ହେ ରାଜନ । ହରି ଚରିତ ସୁଧାପାନ ॥ ୨୨
    ସେ ପ୍ରହଲ୍ଲାଦ ଦୈତ୍ୟଦେହେ । ନାରଦ ମୁନି ଅନୁଗ୍ରହେ ॥୨୩
    ଶ୍ରୀକୃଷ୍ଣ-ଚରଣ-କମଳେ । ନିଶ୍ଚଳ ଭକ୍ତି-ଯୋଗବଳେ ॥୨୪
    ଜନ୍ମ-ବାସନା-ହେତୁ ସ୍ମରି । କୃଷ୍ଣ-ଭକତି ଦୃଢେ଼ ଧରି ॥ ୨୫
    ବିଷ୍ଣୁଭକତ ହୋଇ ଯେବେ । ଭକତି କରେ ସେହୁ ଭାବେ ॥ ୨୬
    ତାହାକୁ ରଖେ ଭଗବାନ । ନ ସହେ ଭକ୍ତ ଅପମାନ ॥ ୨୭
    ଜୟ ବିଜୟ ବେନିଭାଇ । ଅସୁର ଅଂଶେ ଜନ୍ମ ହୋଇ ॥୨୮
    ହରିଙ୍କି ଅପରାଧ କଲେ । ତୃତୀୟ ଜନ୍ମେ ନିସ୍ତରିଲେ ॥୨୯
    ଏଣୁ ପଣ୍ଡିତ ପ୍ରାଣୀମାନେ । ମହତ ଅନୁଗ୍ରହ ଧ୍ୟାନେ ॥୩୦
    ଯତ୍ନ କରନ୍ତି ନିରନ୍ତରେ। ଆତ୍ମାକୁ ଆପଣେ ଉଦ୍ଧରେ ॥୩୧
    ଏ ଭାବ ମୁନିଗଣେ ଚିନ୍ତି । ଭବସାଗରୁ ତରିଯାନ୍ତି ॥୩୨
    ଏ ଆଦି-ଅନ୍ତ ତୋତେ କହି । ଶୁଣ ପରୀକ୍ଷ ମନଦେଇ ॥୩୩
    ଦିତି ଉଦରେ ଦେହ ବହି । ଜୟବିଜୟ ବେନିଭାଇ ॥୩୪
    ବିଷ୍ଣୁ ବଇରୀ ନିରନ୍ତରେ । ସ୍ୱଭାବେ ଅସୁର ବେଭାରେ ॥୩୫
    ତାହାଙ୍କ କୁଳେ ପ୍ରହଲ୍ଲାଦ। ଶ୍ରୀକୃଷ୍ଣ ଭକ୍ତ ମଧ୍ୟେ ବୁଧ ॥୩୬
    ଏ ପିତାପୁତ୍ର ମଧ୍ୟଗତେ । ପୂର୍ବବାସନା ଅନୁମତେ ॥୩୭
    ମହାନ୍ତ-କୋପ-ଅନୁଗ୍ରହ । ବାସନାଭେଦ ଏ ନିଶ୍ଚୟ ॥ ୩୮
    ବାସନାବଳେ କର୍ମ ଜାତ । ଦଶଅଧ୍ୟାୟ ଏ ଚରିତ ॥ ୩୯
    ପଞ୍ଚପ୍ରସ୍ତାବ-ଶେଷେ ଜାଣ । ଧର୍ମର ନିର୍ଣ୍ଣୟ ଲକ୍ଷଣ ॥ ୪୦
    ପ୍ରଥମ ଅଧ୍ୟାରେ ପ୍ରସ୍ତାବ । କହିବା ପିତାପୁତ୍ର ଭାବ॥ ୪୧
    ହିରଣ୍ୟକଶିପୁ-କୁମର । କୃଷ୍ଣ ଭକତ ମଧ୍ୟେ ବର ॥ ୪୨
    ବ୍ରାହ୍ମଣ ଶାପେ ବେନିଭାଇ । ଅସୁର ଅଂଶେ ଜାତ ହୋଇ ॥ ୪୩
    ଇନ୍ଦ୍ରର ଅର୍ଥେ ଭଗବାନ । ଅସୁର କଲେକ ନିଧନ ॥୪୪
    ତେଣୁ କଶ୍ୟପ ଋଷି-ନାରୀ । ସେ ଦିତି ମନେ କୋପ କରି ॥ ୪୫
    ପୁତ୍ରଙ୍କ ମରଣ ବିଶ୍ୱାସେ । ନିର୍ଘାତେ ରୋଦେ ଦଶଦିଶେ ॥ ୪୬
    ଏମନ୍ତ ଶୁକ ବାକ୍ୟ ଶୁଣି । ବୋଲେ ପାଣ୍ଡବ-ଚୂଡ଼ାମଣି ॥ ୪୭

    ପରୀକ୍ଷିତ ଉବାଚ
    ଭୋ ମୁନି ଶୁଣ ମୋ ବଚନ । ସେ ହରି ସର୍ବଘଟେ ପୂର୍ଣ୍ଣ ॥ ୪୮
    ପ୍ରିୟ ଅପ୍ରିୟ ନାହିଁ ଯାର । ବିଶେଷେ ଶରଣସୋଦର ॥ ୪୯
    ସେ କିମ୍ପା ଇନ୍ଦ୍ରଙ୍କ ବୋଲରେ । ନିର୍ଦ୍ଦୟେ ଅସୁର ସଂହାରେ ॥ ୫୦
    ବିଷମ ମତ ଏ ତାହାର । ଯେ ହରି ଜଗତ ସୋଦର ॥ ୫୧
    ସୁରଗଣଙ୍କ ପକ୍ଷଧରେ । ନିଷ୍ଠୁରେ ଅସୁର ସଂହାରେ ॥ ୫୨
    ଯେ ହରି ସର୍ବ ଜୀବଗତି । ସେ ନିକି ଆଚାରେ ଅନୀତି ॥ ୫୩
    ଅଶେଷ ଜନ୍ତୁ ହୃଦେ ଥାଇ । ଅନ୍ତରେ ସର୍ବ ସେ ଦେଖଇ ॥ ୫୪
    ଆତ୍ମାର ନିସ୍ତାରଣ କରେ । ସେ କିମ୍ପା ଭେଦବୁଦ୍ଧି ଧରେ ॥ ୫୫
    ଦେବ-ଅସୁର ତାର ଦେହୀ । ସମ-ବିଷମ ତାର କାହିଁ ॥ ୫୬
    ସ୍ୱଭାବେ ତ୍ରିଗୁଣ ଶରୀର । ଯେ ନିରଞ୍ଜନ ନିର୍ବିକାର ॥ ୫୭
    ନିର୍ଗୁଣ ନିତ୍ୟ ଦେବପତି । ସକଳ ଭୂତେ ତାର ସ୍ଥିତି ॥ ୫୮
    ଏଣୁ ଗୋବିନ୍ଦ ଗୁଣ କର୍ମେ । ସଂଶୟେ ମୋର ଚିତ୍ତ ଭ୍ରମେ ॥୫୯
    ପୁଚ୍ଛଇ ଚରଣେ ତୁମ୍ଭର । ମନୁ ସଂଶୟ ଦୂରକର ॥ ୬୦

    ଶୁକ ଉବାଚ
    ଭୋ ନୃପ ସାଧୁ ତୋର ବାଣୀ । ତୁ ଯେ ପଚାରୁ ପରିମାଣି ॥ ୬୧
    ଅଦ୍ଭୁତ କୃଷ୍ଣର ମହିମା । କେ ଜାଣିପାରେ ଗୁଣ ସୀମା ॥ ୬୨
    ଏ ଗ୍ରନ୍ଥ ଭାଗବତ ଶୁଣ । କୃଷ୍ଣର ଭକତି ଲକ୍ଷଣ ॥ ୬୩
    ପରମ-ଜ୍ଞାନମୟ ବାଣୀ । ଯେ ଶୁଣେ ଯେବା ମୁଖେ ଭଣି ॥ ୬୪
    ନାରଦ ଆଦି ମୁନିଗଣେ । ଯାହା ଗାବନ୍ତି ଅନୁକ୍ଷଣେ ॥ ୬୫
    ବ୍ୟାସଚରଣେ ସେବି ମୁହିଁ । କହିବି ଯେ ଅବା ଜାଣଇ ॥ ୬୬
    ସେ ହରି ସ୍ୱଭାବେ ନିର୍ଗୁଣ । ଅଜନ୍ମା ଅବ୍ୟକ୍ତ କାରଣ ॥ ୬୭
    ସ୍ୱଭାବେ ସର୍ବଗୁଣ ପର । ବ୍ରହ୍ମା ଶଙ୍କରେ ଅଗୋଚର ॥ ୬୮
    ସେ ମାୟାଗୁଣ ଆଶ୍ରେ କରି । ବଧ୍ୟ ବଧିକ ରୂପ ଧରି ॥ ୬୯
    ଯେ ସତ୍ତ୍ୱ ରଜ ତମ ଗୁଣ । ପ୍ରକୃତି ଏହାଙ୍କ କାରଣ ॥ ୭୦
    ଆତ୍ମାର ଗୁଣ ଏ ନୁହନ୍ତି । ପ୍ରକୃତି ରୂପେ ପ୍ରକାଶନ୍ତି ॥ ୭୧
    ଉଦୟ ଅସ୍ତ ଏକାବେଳେ । ନୁହଁନ୍ତି ଗୁଣ କାଳବଳେ ॥ ୭୨
    ସୃଷ୍ଟି ପାଳନ କରେ ହରି । ସତ୍ତ୍ୱଗୁଣକୁ ଆଶ୍ରେ କରି ॥ ୭୩
    ଦେବତା-ଋଷି-ରୂପ ହୋଇ । ସ୍ୱଧର୍ମେ ସୃଷ୍ଟି ସେ ପାଳଇ ॥ ୭୪
    ରଜଗୁଣକୁ ଆଶ୍ରେ କରି । ଅସୁରମାନଙ୍କୁ ବିସ୍ତାରି ॥ ୭୫
    ଯକ୍ଷ ରାକ୍ଷସ ତମଗୁଣେ । ସୃଜଇ କାଳର ପ୍ରମାଣେ ॥ ୭୬
    ଜ୍ୟୋତି ସ୍ୱରୂପେ ପ୍ରକାଶଇ । ବିଚାରେ କାହିଁ ନ ମିଶଇ ॥ ୭୭
    କାଷ୍ଠ-ସଂଯୋଗେ ଅଗ୍ନି ଯେହ୍ନେ । ଜଳେ ଯେସନେ ପାତ୍ର ସ୍ଥାନେ ॥୭୮
    ଆକାଶ ଯେହ୍ନେ ଜଳଘଟେ । ତେମନ୍ତ ରୂପେ ସେ ପ୍ରକଟେ ॥ ୭୯
    ମାୟାରେ ନାନାରୂପ ହୋଇ । ସେ ମାୟା ତାକୁ ନ ଲାଗଇ ॥୮୦
    ଏହା ବିଚାରି ମୁନିଜନେ । ଆତ୍ମାକୁ ଆତ୍ମା ଅନୁମାନେ ॥ ୮୧
    ସଂଶୟ ନ କରନ୍ତି ମନେ । ହରି-ବିଷୟ କ୍ରୀଡ଼ାସ୍ଥାନେ ॥ ୮୨
    ସେ କାଳମାୟା-ଯୋଗ-ଯୁତେ । ପୁର ସର୍ଜଇ ଏ ଜଗତେ ॥ ୮୩
    ରଜ-ଗୁଣରେ ସୃଷ୍ଟି କରେ । କାରଣୁ ବ୍ରହ୍ମରୂପ ଧରେ ॥ ୮୪
    ଦେବାଧିଦେବ ଦେହ ମଧ୍ୟେ । ବସଇ ସତ୍ତ୍ୱ-ଅନୁବାଦେ ॥ ୮୫
    ରମିବା ଅର୍ଥେ ଭାବଗ୍ରାହୀ । ଅଶେଷ ଜନ୍ତୁ ହୃଦେ ଥାଇ ॥ ୮୬
    କ୍ରୀଡ଼ାର ଅନ୍ତେ ସେ ଆପଣେ । ସୃଷ୍ଟି-ସଂହରେ ତମୋଗୁଣେ ॥ ୮୭
    ସେ ସୃଷ୍ଟି-ଆଦ୍ୟକାଳେ ହରି । ଜୀବ ପ୍ରକୃତି ରୂପ ଧରି ॥ ୮୮
    ପ୍ରଧାନ ପୁରୁଷ ଏ ବେନି । ଜଗତ ପିଅର-ଜନନୀ ॥ ୮୯
    ନିମିତ୍ତେ ଏହା ସଙ୍ଗେ ଘେନି । ହରି ବିହରେ ଏ ମେଦିନୀ ॥ ୯୦
    ତାଙ୍କ ଆଶ୍ରୟ ସଙ୍ଗମେଳେ । ଜଗତ ଭିଆଇଲା କାଳେ ॥ ୯୧
    ସେ କାଳ ହରି ଆଜ୍ଞା ଘେନି । ପ୍ରଧାନ-ପୁରୁଷ ଏ ବେନି ॥ ୯୨
    ଉଭୟମତେ ନାନାଗୁଣେ । ହୋଇଲେ ସୃଷ୍ଟିର କାରଣେ ॥ ୯୩
    ସେ ହରି କାଳ ରୂପ ଧରେ । ସାତ୍ତ୍ୱିକେ ଦେବଙ୍କୁ ଉଦ୍ଧରେ ॥ ୯୪
    ଦେବଙ୍କ ପ୍ରିୟକର୍ମ କରେ । ଅସୁରବଳକୁ ସଂହାରେ ॥ ୯୫
    ଏଣୁ ସେ ପ୍ରଭୁ ଭଗବାନ । ବହଇ ସୁରପ୍ରିୟ ନାମ ॥ ୯୬
    ରଜ ତାମସ ଗୁଣ ଯେତେ । ତାଙ୍କୁ ସଂହାରେ ଅବିରତେ ॥ ୯୭
    ଏବେ ହୋ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ॥ ୯୮
    ତାହାଙ୍କ ମହିମା ବିଶେଷ । ଶୁଣ କହିବା ଇତିହାସ ॥ ୯୯
    ରାଜୁସି ଯଜ୍ଞ ସଭା ଅନ୍ତେ । ଧର୍ମନନ୍ଦନର ଅଗ୍ରତେ ॥ ୧୦୦
    ନାରଦ ମୁନି ଯାହା କହି । ସେ ସଭା ମଧ୍ୟେ ପାଞ୍ଚ ଭାଇ ॥ ୧୦୧
    ଦେବକୀନନ୍ଦନର ତୁଲେ । ଧର୍ମନନ୍ଦନ ପଚାରିଲେ ॥ ୧୦୨
    ସେ ସଭାମଧ୍ୟେ ଧର୍ମବଳା । ନୟନେ ଅଦ୍ଭୁତ ଦେଖିଲା ॥ ୧୦୩
    ଶିଶୁପାଳର ପଞ୍ଚପ୍ରାଣ । ଗୋବିନ୍ଦେ ପଶିଲା ତକ୍ଷଣ ॥ ୧୦୪
    ସଭାଲୋକଙ୍କ ଦୃଷ୍ଟିମାର୍ଗେ । ବିଜୁଳି ଯେହ୍ନେ ନୀଳମେଘେ ॥ ୧୦୫


    ଯୁଧିଷ୍ଠିର ଉବାଚ
    ଭୋ ମୁନି ଅଦ୍‌ଭୁତ ଏ କଥା । ଦେଖି ମୋ ମନେ ଗରୁଚିନ୍ତା ॥ ୧୦୬
    ଅଷ୍ଟାଙ୍ଗଯୋଗେ ମୁନିଗଣ । ଚିନ୍ତନ୍ତି ଯେ ହରିଚରଣ ॥ ୧୦୭
    ଏକାନ୍ତ ଭକ୍ତିଯୋଗେ ଚିନ୍ତି । ଯା ରୂପ କେହି ନ ଦେଖନ୍ତି ॥ ୧୦୮
    ଦେବ ମାନବେ ଅଗୋଚର । ଯେ ବ୍ରହ୍ମ ନିତ୍ୟ-ନିରାକାର ॥ ୧୦୯
    ଏ ଦମଘୋଷର କୁମର । ସ୍ୱଭାବେ ଦୁଷ୍ଟ-ଦୁରାଚାର ॥ ୧୧୦
    କୃଷ୍ଣେ ଅନେକ ନିନ୍ଦାକଲା । ସେ କିମ୍ପା କୃଷ୍ଣଙ୍କୁ ପାଇଲା ॥ ୧୧୧
    ଏ ସଭା ମଧ୍ୟେ ଏକେ ମୁହିଁ । ତୁମ୍ଭର ଛାମୁରେ ପୁଚ୍ଛଇ ॥ ୧୧୨
    କହ ହେ କେବଣ କାରଣେ । ଶୁଣନ୍ତୁ ସକଳେ ଶ୍ରବଣେ ॥ ୧୧୩
    ବିଷ୍ଣୁଙ୍କୁ ବିଷ୍ଣୁଜନ-ମେଳେ । ଯେବା ନିନ୍ଦନ୍ତି ଜ୍ଞାନଭୋଳେ ॥ ୧୧୪
    ସେ ପ୍ରାଣୀ ନରକେ ପଡ଼ନ୍ତି । ମହାନ୍ତେ ଏମନ୍ତ କହନ୍ତି ॥ ୧୧୫
    ସେ ଦମଘୋଷ-ସୁତ ବାଣୀ । ସଭାରେ ଦନ୍ତବକ୍ର ଶୁଣି ॥ ୧୧୬
    ସେହି ଅନେକ ନିନ୍ଦାକଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୧୭
    ଏ ବେନିଜନେ ନିନ୍ଦାକଲେ । ସଭାର ମଧ୍ୟେ ଏକତୁଲେ ॥ ୧୧୮
    କୃଷ୍ଣଙ୍କୁ ନିନ୍ଦାକରି ତୁଣ୍ଡେ । କିମ୍ପା ନଗଲେ ଯମଦଣ୍ଡେ ॥ ୧୧୯
    କେବଣ ହେତୁ ବେନିବୀରେ । ପଶିଲେ କୃଷ୍ଣର ଶରୀରେ ॥ ୧୨୦
    ଏଣେ ଭ୍ରମଇ ମୋର ମନ । ବନେ ଯେସନେ ହୁତାଶନ ॥ ୧୨୧
    କାରଣ କହ ମୁନି ମୋତେ । ଶୁଣିଲେ ଯିବଇଁ ପରତେ ॥ ୧୨୨


    ଶୁକ ଉବାଚ
    ଏମନ୍ତେ ଧର୍ମସୁତ-ବାଣୀ । ଆନନ୍ଦେ ଶୁଣି ବ୍ରହ୍ମମୁନି ॥ ୧୨୩
    କହନ୍ତି ରାଜାର ଅଗ୍ରତେ । ସକଳେ ଶୁଣନ୍ତି ଯେମନ୍ତେ ॥ ୧୨୪


    ନାରଦ ଉବାଚ
    ଏ ଯେତେ ନିନ୍ଦା-ସ୍ତୁତି ଅର୍ଥେ । ମନୁଷ୍ୟ ଶରୀର ଜଗତେ ॥ ୧୨୫
    ପ୍ରକୃତି- ପୁରୁଷ-ସଂଯୋଗେ । ଜନ୍ମଇଁ ଅବିବେକ ଭାବେ ॥ ୧୨୬
    ବହଇ ହିଂସା ଅଭିମାନ । ଦଣ୍ଡ ପୌରୁଷ ସାବଧାନ ॥ ୧୨୭
    ମୁହିଁ ମୋହର ବୋଲି ଜାଣେ । ଯାବତ ବଶ ତିନିଗୁଣେ ॥ ୧୨୮
    ଶରୀର ସ୍ୱଭାବ ଏମନ୍ତେ । ସଂସାର ମଧ୍ୟେ ଛନ୍ତି ଯେତେ ॥ ୧୨୯
    ଆତ୍ମାଭିମାନେ ଦେହ ବହି । ଲୁବୁଧେ ପ୍ରାଣୀ ବଧ ହୋଇ ॥ ୧୩୦
    ସେ ପୁଣି କୈବଲ୍ୟ ଆସ୍ଥାନେ । ନ ଘଟେ ଆତ୍ମା-ଅନୁମାନେ ॥ ୧୩୧
    ହରି ବିଷୟେ କର୍ମ ଯେତେ । କୈବଲ୍ୟ ଭୁଞ୍ଜେ ପ୍ରାଣୀ ଅନ୍ତେ ॥ ୧୩୨
    କେ ଭଜେ ରିପୁ-ଅନୁବନ୍ଧେ । କେ ଅବା ମିତ୍ରଭାବେ ସଧେ ॥ ୧୩୩
    କେ ଅବା ଭଜେ ତାକୁ ଡରେ । କେ ଅବା ପ୍ରିୟଭାବ କରେ ॥ ୧୩୪
    କେ କାମଭାବେ ଅନୁସରେ । କେ ଅବା ସ୍ନେହେ ଚିନ୍ତା କରେ ॥ ୧୩୫
    ଏ ସର୍ବଜନେ ଅନ୍ତଃକାଳେ । ପଶନ୍ତି ଚରଣକମଳେ ॥ ୧୩୬
    ନିତ୍ୟେ ବଇରୀ ଭାବେ ଚିନ୍ତି । ହରିଙ୍କି ଯେମନ୍ତେ ଲଭନ୍ତି ॥ ୧୩୭
    ନିଶ୍ଚଳଚିତ୍ତେ ନିତ୍ୟେ ଧ୍ୟାୟୀ । ଯୋଗୀଏ ଲଭିବେ ତା’ କାହିଁ ॥ ୧୩୮
    ଏ ଭାବ ନିଶ୍ଚେ ମୋର ମନେ । ଏବେ ହୋ ଶୁଣ ସାବଧାନେ ॥ ୧୩୯
    ଭ୍ରମର ଯେତେ କୀଟ ମାରେ । ନେଇ ସ୍ଥାପଇ ନିଜ ଘରେ ॥ ୧୪୦
    ସେ କୀଟ ପ୍ରାଣଯିବା କାଳେ । ସଭୟେ ଦେଖିଥାଇ ଡୋଳେ ॥ ୧୪୧
    ସ୍ୱଭାବେ ଭୟଯୋଗେ ମରେ । ତାର ସ୍ୱରୂପ ଅନ୍ତେ ଧରେ ॥ ୧୪୨
    ଏମନ୍ତେ କୃଷ୍ଣର ବିଷୟେ । ସେ ମାୟା ମନୁଷ୍ୟର ଦେହେ ॥ ୧୪୩
    ବଇରୀ ପଣେ ତାକୁ ଚିନ୍ତି । ନିର୍ମଳ-ହୃଦୟେ ପଶନ୍ତି ॥ ୧୪୪
    ଏ ଘେନି କାମ-କ୍ରୋଧ-ଭୟେ । ଯେବା ଭଜନ୍ତି ମିତ୍ରସ୍ନେହେ ॥ ୧୪୫
    କୃଷ୍ଣବିଷୟେ ଚିତ୍ତ ଦେଇ । ଅନେକ ଗଲେ ମୋକ୍ଷ ହୋଇ ॥ ୧୪୬
    ଗୋପନଗରେ ଗୋପୀ ଯେତେ । କୃଷ୍ଣ ଭଜିଲେ କାମଚିତ୍ତେ ॥ ୧୪୭
    ବ୍ରାହ୍ମଣପତ୍ନୀ ଦେବନାରୀ । ମଥୁରାପୁର-ମନୋହାରୀ ॥ ୧୪୮
    ରାଜକୁମାରୀ-ଆଦି ଯେତେ । ତରିଲେ ଭାବି କାମଚିତ୍ତେ ॥ ୧୪୯
    କଂସାଦି ଦୈତ୍ୟେ ଭୟକଲେ । ଅନ୍ତେ ସେ ଗୋବିନ୍ଦେ ପଶିଲେ ॥ ୧୫୦
    କ୍ଷତ୍ରିୟ-ଶିଶୁପାଳ ଆଦି । ତରିଲେ ହୋଇଣ ବିବାଦୀ ॥ ୧୫୧
    ଯାଦବ-ବୃଷ୍ଣିବଂଶ ଯେତେ । ତୁ ଭଜୁ ଭ୍ରାତୃ ସ୍ନେହମତେ ॥ ୧୫୨
    ମୁହିଁ ତା’ ଚରଣକମଳେ । ଭକତି କରଇ ନିଶ୍ଚଳେ ॥ ୧୫୩
    ପୂର୍ବେ ଯେ ବେଣ ସତ୍ୟଯୁଗେ । ନିତ୍ୟେ ଭଜିଲେ ଶତ୍ରୁଭାବେ ॥ ୧୫୪
    ବ୍ରାହ୍ମଣ-ଶାପୁଁ ନାଶ ଗଲା । ଅନ୍ତେ ସେ ନରକେ ପଡ଼ିଲା ॥ ୧୫୫
    ଏଣୁ ହରିଙ୍କି ନାନାମତେ । ଯେ ଭଜିପାରେ ଦୃଢ଼ଚିତ୍ତେ ॥ ୧୫୬
    ନିର୍ଭୟେ ଗୋବିନ୍ଦେ ପଶନ୍ତି । ଜନ୍ମ-ମରଣୁଁ ନିସ୍ତରନ୍ତି ॥ ୧୫୭
    ଯେ ଦମଘୋଷର କାମିନୀ । ତୋହର ମାତାର ଭଗିନୀ ॥ ୧୫୮
    ତାର ଉଦରୁ ବେନିବାଳ । ଯେ ଦନ୍ତବକ୍ର ଶିଶୁପାଳ ॥ ୧୫୯
    ପୂର୍ବେ ଏ ହରିଦ୍ୱାରେ ଥିଲେ । ବ୍ରାହ୍ମଣେ ଅପରାଧ କଲେ ॥ ୧୬୦
    ଏ ବେନିଭାଇ ସହୋଦର । କୃଷ୍ଣସେବକ ମଧ୍ୟେ ବର ॥ ୧୬୧
    ମହାନ୍ତ-ଅପରାଧ ଫଳେ । ଜନ୍ମିଲେ ଅସୁରର କୁଳେ ॥ ୧୬୨
    ଏ ଜନ୍ମେ ମନୁଷ୍ୟ ଶରୀରେ । ଏବେ ମିଳିଲେ ହରିଦ୍ୱାରେ ॥ ୧୬୩
    ନାରଦ ମୁଖୁଁ ଏ ଚରିତ । ଶୁଣି ବୋଲନ୍ତି ଧର୍ମସୁତ ॥ ୧୬୪


    ଯୁଧିଷ୍ଠିର ଉବାଚ
    ଯେ ହରିନାମ ଉଚ୍ଚାରନ୍ତି । ସେ ସର୍ବସଂକଟୁ ତରନ୍ତି ॥ ୧୬୫
    ଯେ ହରି-ଦ୍ୱାରପାଳ ପଣେ । ପାଣେ ଖଟନ୍ତି ଅନୁକ୍ଷଣେ ॥ ୧୬୬
    ତାହାଙ୍କୁ କେବା ଶାପ ଦେଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୬୭
    ଯେ ବଇକୁଣ୍ଠପୁରେ ଥାନ୍ତି । ସେ ତ ସଂସାରେ ନ ପଡ଼ନ୍ତି ॥ ୧୬୮
    ଦେହ ସମ୍ଭବ ଯହିଁ ନାହିଁ । ସେ କିମ୍ପା ବହେ ନରଦେହୀ ॥ ୧୬୯
    କିକେ ହୋଇଲେ ଦୁରାଚାର । ଏଣୁ ସଂଶୟ ଚିତ୍ତେ ମୋର ॥ ୧୭୦
    ଭୋ ମୁନି ନମୁଁ ତୋ ଚରଣ । କହ ଏ କେବଣ କାରଣ ॥ ୧୭୧
    ଏମନ୍ତ ଯୁଧିଷ୍ଠି ବଚନ । ଶୁଣିଣ ବ୍ରହ୍ମାଙ୍କ ନନ୍ଦନ ॥ ୧୭୨


    ନାରଦ ଉବାଚ
    ଶୁଣ ରାଜନ ସାବଧାନେ । ଯେ କଥା ବିଷ୍ଣୁର ଭୁବନେ ॥ ୧୭୩
    ବ୍ରହ୍ମାଙ୍କ ପୁତ୍ରେ ବେଦବାଦୀ । ସନକ ସନାତନ ଆଦି ॥ ୧୭୪
    ସେ ଚାରିଭାଇ ଏକଦିନେ । ଭ୍ରମନ୍ତି ଏ ତିନିଭୁବନେ ॥ ୧୭୫
    ପୁଣି ସେ ଅନ୍ତରୀକ୍ଷେ ଗଲେ । ବିଷ୍ଣୁର ଭୁବନେ ମିଳିଲେ ॥ ୧୭୬
    ପ୍ରବେଶ ହେଲେ ଦ୍ୱାରଦେଶେ । ବିଷ୍ଣୁର ଦର୍ଶନ ଲାଳସେ ॥ ୧୭୭
    ପଞ୍ଚ ଷଟ ବରଷ ପ୍ରାୟେ । ସର୍ବେ ଦିଶନ୍ତି ଏକଦେହେ ॥ ୧୭୮
    ବାଳସ୍ୱଭାବେ ଦିଗମ୍ବର । ସ୍ୱଭାବେ ବ୍ରହ୍ମାଙ୍କ କୁମର ॥ ୧୭୯
    ମରୀଚି ଆଦି ମୁନିଗଣେ । ସେବନ୍ତି ତାହାଙ୍କ ଚରଣେ ॥ ୧୮୦
    ତାଙ୍କୁ ବାଳକ ପ୍ରାୟେ ଚାହିଁ । ଜୟ ବିଜୟ ବେନିଭାଇ ॥ ୧୮୧
    ଉଲଗ୍ନ ଦେଖି ଦ୍ୱାରପାଳେ । ଦ୍ୱାର ନିରୋଧ କଲେ ବଳେ ॥ ୧୮୨
    ତାହାଙ୍କ ମନ ହରିପାଦେ । ପଶି ନପାରିଲେ ପ୍ରମାଦେ ॥ ୧୮୩
    ଦ୍ୱାରପାଳଙ୍କ ମୁଖ ଚାହିଁ । କୋପେ ବୋଇଲେ ଚାରିଭାଇ ॥୧୮୪
    ତୁମ୍ଭେ ଯେ ଦୁଷ୍ଟ ବେନିଭାଇ । ଏ ପୁରେ ଥିବା ନ ଯୋଗାଇ ॥ ୧୮୫
    ଏ ପୁର ବଇକୁଣ୍ଠ ଧାମ । ଏଥେ ନପଶେ ରଜ ତମ ॥ ୧୮୬
    ଏଥେ ନ ଥାଅ ଭାଇ ବେନି । ମର୍ତ୍ତ୍ୟେ ଜନ୍ମିବ ଦେହ ଘେନି ॥ ୧୮୭
    ଅତି ପାପିଷ୍ଠ ତୁମ୍ଭ ଦେହ । ଅସୁରକୁଳେ ଜନ୍ମହୁଅ ॥ ୧୮୮
    ତକ୍ଷଣେ ବିପ୍ରଶାପ ପାଇ । ଦ୍ୱାରୁ ଖସିଲେ ବେନି ଭାଇ ॥ ୧୮୯
    ଊର୍ଦ୍ଧ୍ୱ-ଚରଣ ଅଧୋମୁଖ । ତକ୍ଷଣେ ଦେଖି ତାଙ୍କ ଦୁଃଖ ॥ ୧୯୦
    ଦୟା ବସିଲା ତାଙ୍କ ଦେହି । ସ୍ନେହେ ବୋଇଲେ ଚାରିଭାଇ ॥ ୧୯୧
    ଅସୁର ହୋଇ ବେନିଜନ୍ମ । ନିତ୍ୟେ କରିବ ଦୁଷ୍ଟକର୍ମ ॥ ୧୯୨
    ତୃତୀୟ ଜନ୍ମେ ନର ହୋଇ । ଶାପୁ ତରିବ ବେନିଭାଇ ॥ ୧୯୩
    ବିଷ୍ଣୁଙ୍କୁ ଚିନ୍ତି ଅପରାଧ । ପୁଣି ଲଭିବ ବିଷ୍ଣୁପାଦ ॥ ୧୯୪
    ପ୍ରଥମେ କଶ୍ୟପଙ୍କ ଘରେ । ଜନ୍ମିବ ଦିତିର ଉଦରେ ॥ ୧୯୫
    ଜନ୍ମିଲେ ହିରଣ୍ୟକଶିପୁ । ହିରଣ୍ୟାକ୍ଷ ଯେ ମହାବପୁ ॥ ୧୯୬
    ଦେବ-ଦାନବ ତାଙ୍କ ପାଦେ । ଖଟନ୍ତି ନିତ୍ୟେ ଅପ୍ରମାଦେ ॥ ୧୯୭
    ହିରଣ୍ୟାକ୍ଷର ଗର୍ବ ଭରେ । ମହୀ କମ୍ପଇ ଥରହରେ ॥ ୧୯୮
    ସେ କଷ୍ଟ ହରି ନ ସହିଲେ । ଶୂକର ରୂପକୁ ଧଇଲେ ॥ ୧୯୯
    ଧରଣୀ ଉଦ୍ଧାରଣ ପାଇଁ । ବରୁଣପୁରେ ହେଲେ ଯାଇ ॥ ୨୦୦
    ସେ ଦୁଷ୍ଟ ହିରଣ୍ୟାକ୍ଷ ବୀର । ଅସୀମ ବଳ ଅଟେ ଯାର ॥ ୨୦୧
    ବରାହ ରୂପ ଦେଖି କୋପେ । ମିଳିଲା ଗୋବିନ୍ଦ ସମୀପେ ॥ ୨୦୨
    ଅନେକ ଗଦାଯୁଦ୍ଧ କଲା । ଶବଦେ ବ୍ରହ୍ମାଣ୍ଡ କମ୍ପିଲା ॥ ୨୦୩
    ବିଷ୍ଣୁର ଗଦାଘାତ ବଳେ । ପ୍ରାଣ ଛାଡ଼ିଲା ରସାତଳେ ॥ ୨୦୪
    ବିଷ୍ଣୁ ନୃସିଂହ ରୂପ ଧରି । ହିରଣ୍ୟକଶିପୁ ବିଦାରି ॥ ୨୦୫
    ହିରଣ୍ୟକଶିପୁର ସୁତ । ପ୍ରହ୍ଲାଦ ଗୋବିନ୍ଦ ଭକତ ॥ ୨୦୬
    ତାକୁ ଅନେକ ଦୁଃଖ ଦେଇ । କୃଷ୍ଣ ଭଜନ ନସହଇ ॥ ୨୦୭
    ସେ ପୁଣି ବିଷ୍ଣୁଭକ୍ତି ବଳେ । ଅଜେୟ ଏ ମହୀମଣ୍ଡଳେ ॥ ୨୦୮
    ତାକୁ ଅନେକ ଦୁଃଖ ଦେଲା । କେବେହେଁ ମାରି ନ ପାରିଲା ॥ ୨୦୯
    ଲୀଳାଏ ହରି ତାକୁ ମାରି । ପୁଣି ଜନ୍ମିଲେ ଦେହ ଧରି ॥ ୨୧୦
    ପୁଣି ରାକ୍ଷସୀକୋଳେ ଯାଇ । ବିଶ୍ରବା ଗୃହେ ବେନି ଭାଇ ॥ ୨୧୧
    କେଶିନୀଗର୍ଭେ ହୋଇ ଜନ୍ମ । ଅନେକ କଲେ ମନ୍ଦ କର୍ମ ॥ ୨୧୨
    ରାବଣ କୁମ୍ଭକର୍ଣ୍ଣ ରୂପେ । ତ୍ରୈଲୋକ୍ୟ ବଶ କଲେ ଦର୍ପେ ॥୨୧୩
    ତାହାଙ୍କୁ ରାମରୂପେ ମାରି । ରାକ୍ଷସ ଜନ୍ମରୁ ଉଦ୍ଧରି ॥ ୨୧୪
    ସେ ରାମଚରିତ ତୁ ସୁଖେ । ଶୁଣିବୁ ମାରକଣ୍ଡ ମୁଖେ ॥ ୨୧୫
    ପୁଣି ସେ ମହୀତଳେ ଜାତ । ତୋ ମାତା ଭଗିନୀର ସୁତ ॥ ୨୧୬
    ଏବେ ତୋ ଯଜ୍ଞସଭା ମଧ୍ୟେ । କୃଷ୍ଣଙ୍କୁ ନିନ୍ଦି ଅପରାଧେ ॥ ୨୧୭
    ଗୋବିନ୍ଦ ଚକ୍ରେ ଛେଦହୋଇ । ମୋକ୍ଷ ଲଭିଲେ ବେନିଭାଇ ॥ ୨୧୮
    ବୈରାନୁବନ୍ଧେ କରି ଧ୍ୟାନ । ତେଣେ ପାଇଲେ ଦିବ୍ୟଜ୍ଞାନ ॥ ୨୧୯
    ତୃତୀୟ ଜନ୍ମେ ମୋକ୍ଷ ହୋଇ । ଜୟ ବିଜୟ ବେନିଭାଇ ॥ ୨୨୦
    ପୁଣି ମିଳିଲେ ନିଜପୁରେ । ବିଷ୍ଣୁର ବୈକୁଣ୍ଠ ଦୁଆରେ ॥ ୨୨୧
    ଏମନ୍ତେ ଶୁଣି ଧର୍ମସୁତ । ମୁନି ଚରଣେ ଦେଇ ହସ୍ତ ॥ ୨୨୨
    ଭାବେ ପୁଲକ ତାର ଦେହି । ବୋଲେ ନାରଦ ମୁଖ ଚାହିଁ ॥ ୨୨୩


    ଯୁଧିଷ୍ଠିର ଉବାଚ
    ହିରଣ୍ୟକଶିପୁର ସୁତ । ସେ ଯେବେ ଗୋବିନ୍ଦ ଭକତ ॥ ୨୨୪
    ତାହାକୁ ପୁତ୍ରସ୍ନେହ ଛାଡ଼ି । ନିଷ୍ଠୁରପଥେ କିମ୍ପା ବଢ଼ି ॥ ୨୨୫
    ହିରଣ୍ୟକଶିପୁ କିମ୍ପାଇ । ପୁତ୍ରକୁ ଦ୍ରୋହ ଆଚରଇ ॥ ୨୨୬
    ଅସୁରେ ଜାତ ପ୍ରହଲ୍ଲାଦ । କିମ୍ପା ଭଜିଲା କୃଷ୍ଣପାଦ ॥ ୨୨୭
    ବୋଇଲ ଦାସ ଜଗନ୍ନାଥ । ନାରଦ ଆଗେ କୁନ୍ତୀସୁତ ॥ ୨୨୮
    ଯେ ପ୍ରଶ୍ନ ସଭାମଧ୍ୟେ କଲା । ଶ୍ରୀଭାଗବତ କୃଷ୍ଣଲୀଳା ॥ ୨୨୯
    ସପ୍ତମ ସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨୩୦
    ଶ୍ରୀଶୁକ କହେ ତୋଷଚିତ୍ତେ । ପରୀକ୍ଷ ରାଜାର ଅଗ୍ରତେ ॥ ୨୩୧
    ଶୁଣି ରାଜନ କୃତକୃତ୍ୟ । ବିଷ୍ଣୁଚରଣେ ଦେଲା ଚିତ୍ତ ॥ ୨୩୨
    ଯେ ଭାବେ ପାର ଦୃଢେ଼ ଧର । ପାରି କରିବେ ଚକ୍ରଧର ॥ ୨୩୩
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତ ଉପକ୍ରମେ ପ୍ରଥମୋଽଧ୍ୟାୟଃ ॥

    ଦ୍ୱିତୀୟ ଅଧ୍ୟାୟ

    ନାରଦ ଉବାଚ
    କହନ୍ତି ବ୍ରହ୍ମାଙ୍କ ନନ୍ଦନ । ରାଜନ ସାବଧାନେ ଶୁଣ ॥୧
    ଅସୁର କୁଳେ ଜାତ ହୋଇ । ଜୟ-ବିଜୟ ବେନିଭାଇ ॥୨
    ହିରଣ୍ୟ-ହିରଣ୍ୟାକ୍ଷ ବୀର । ତପେ ତୋଷିଲେ ବେଦବର ॥୩
    ତିନିଭୁବନେ ମହାତେଜେ । ଅସୁର ବଳ ଘେନି ରାଜେ ॥୪
    ହିରଣ୍ୟକଶିପୁ ଅସୁର । ବଳେ ହୋଇଲା ରାଜେଶ୍ୱର ॥୫
    ଲୋକ ବିପ୍ଳବ ଭୟଙ୍କର । ତ୍ରାସେ କମ୍ପିଲେ ସୁରନର ॥୬
    ତାର ଅନୁଜ ହିରଣ୍ୟାକ୍ଷ । ଗଦା-ସଂଗ୍ରାମେ ମହାଦକ୍ଷ ॥୭
    ଦେବ-ମନୁଷ୍ୟ ତାର ତୁଲେ । ଗଦା ସଂଗ୍ରାମେ ଭାଜିଗଲେ ॥୮
    ଏ ବେନି ଲୋକ ଜିଣି ବଳେ । ବିଜୟ କଲା ସେ ପାତାଳେ ॥୯
    ବରୁଣ ପୁରେ ଯାଇ ମିଳି । ପ୍ରଚଣ୍ଡ ଗଦା ଊର୍ଦ୍ଧେ ତୋଳି ॥୧୦
    ବୋଇଲା ମୋତେ ଯୁଦ୍ଧ ଦିଅ । ନୋହିଲେ ପାତାଳେ ନଥାଅ ॥୧୧
    ମୋର ଏ ପାତାଳଭୁବନ । ଏମନ୍ତେ ଗଲା କେତେଦିନ ॥୧୨
    ଯଜ୍ଞବରାହ ରୂପେ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥୧୩
    ସେ ହରି ଥିଲେ ତାର ପୁରେ । ତିନିଭୁବନେ ଉପକାରେ ॥୧୪
    ଅସୁର ଦେଖି ଗଦାଧର । ଗଦାପ୍ରହାରେ କଲେ ଚୂର ॥୧୫
    ହିରଣ୍ୟକଶିପୁ ତା ଶୁଣି । କୋପେ କମ୍ପିଲା ଶିର ଝୁଣି ॥୧୬
    ଅଧର ଦଶନେ କାମୁଡ଼ି । ହା- ହା ଶବଦେ ଶିର ତାଡ଼ି ॥୧୭
    ଭ୍ରାତୃ ନିଧନେ ସେ ବିକଳେ । ଚାହିଁଲା ଆକାଶ ମଣ୍ଡଳେ ॥୧୮
    ସଧୂମ ଦିଶେ ଦଶଦିଶ । ତା’ ଦେଖି କଲା ମହାରୋଷ ॥୧୯
    କରାଳ ଦନ୍ତ ଉଗ୍ର ଦୃଷ୍ଟି । ଲଲାଟେ କୁଟୀଳ ଭ୍ରୂକୁଟି ॥୨୦
    ଶୂଳ ଉଞ୍ଚାଇ ସଭା ମଧ୍ୟେ । ବୋଲଇ ଭ୍ରାତୃ ଶୋକବାଦେ ॥୨୧
    ଭୋ ଭୋ ଦାନବ ଦୈତ୍ୟଗଣ । କହଇ ସାବଧାନେ ଶୁଣ ॥୨୨
    ଦିମୂର୍ଦ୍ଧା ତ୍ରିନେତ୍ର ସମ୍ବର । ହେ ଶତବାହୁ ହୟଶିର ॥୨୩
    ନମୁଚି ହେ ପାକ ଇଲ୍ୱଳ । ହେ ବିପ୍ରଚିତ୍ତି ଶୁଣ ବୋଲ ॥୨୪
    ପୁଲୋମା ଶକୁନି ସହିତେ । ଏ ମୋର ସଭାମଧ୍ୟେ ଯେତେ ॥୨୫
    ମୋହର ବୋଲ ବେଗେ କର । ଏ ଶୋକସାଗରୁ ଉଦ୍ଧର ॥୨୬
    ମୋର ବଇରୀ ଦେବଲୋକେ । ମନୁଷ୍ୟ ମଧ୍ୟେ ଛନ୍ତି ଥୋକେ ॥୨୭
    ହରିଙ୍କି ଭଜନ୍ତି ଯେ ନିତ୍ୟେ । ବିଚାର କରି ଏକମତେ ॥୨୮
    ହରିର ପକ୍ଷ ଆଶ୍ରେ କଲେ । ମୋର ଭ୍ରାତାକୁ ସଂହାରିଲେ ॥୨୯
    ସେ ହରି ମୋହର ବଇରୀ । ଅତି ନିର୍ଦ୍ଦୟ ଅହଂକାରୀ ॥୩୦
    ମାୟାରେ ନାନା ରୂପ ଧରେ । ଭକତ ସଙ୍ଗେ ସେ ବିହରେ ॥୩୧
    ବାଳକ ପ୍ରାୟ ତାର ଗତି । ଏଣୁ ଅସ୍ଥିର ମୋର ମତି ॥୩୨
    ଏ ଶୂଳ ମାରି ତା’ ଶରୀରେ । ତର୍ପଣ କରିବି ରୁଧିରେ ॥୩୩
    ମୋ ଭାଇ ପ୍ରେତ କାର୍ଯ୍ୟଅର୍ଥେ । କହିଲି ତୁମ୍ଭର ଅଗ୍ରତେ ॥୩୪
    ସେ ହରି ନଷ୍ଟ ଦୁରାଚାର । ତାର ବିଶ୍ୱାସୀ ବେଗେ ମାର ॥୩୫
    ସେ ମଲେ ମରିବେ ସକଳେ । ମୂଳ କାଟିଲେ ଯେହ୍ନେ ଡାଳେ ॥୩୬
    ଯାବତ ନମରଇ ହରି । ତାବତ ଭ୍ରମ ବସୁନ୍ଧରୀ ॥୩୭
    ବ୍ରାହ୍ମଣ କ୍ଷତ୍ରୀ ବୈଶ୍ୟ ଯେତେ । କୃଷ୍ଣ ଭଜନ୍ତି ଅବିରତେ ॥୩୮
    ତପସ୍ୱୀ ଜନ ବେଗେ ମାର । ଯଜ୍ଞର ଅଗ୍ନି ନାଶକର ॥୩୯
    ଋତ୍ୱିକ ଅଗ୍ନିହୋତ୍ର ଯେତେ । ତାହାଙ୍କୁ ମାର ଅବିରତେ ॥୪୦
    ଯେ ଧର୍ମ କ୍ରିୟା ମୂଳ ହରି । ସେ ଥାଇ ସର୍ବଘଟେ ପୂରି ॥୪୧
    ଋଷି ଦେବତା ପିତୃଗଣେ । ଯେ ଥାନ୍ତି ଧର୍ମପରାୟଣେ ॥୪୨
    ଗୁରୁ ବ୍ରାହ୍ମଣ ଯହିଁ ତହିଁ । ବେଦ ପଠନେ ମନ୍ତ୍ରଧ୍ୟାୟୀ ॥୪୩
    ଆଶ୍ରମବେତ୍ତା ଯହିଁ ପାଅ । ଜଳେ ବୁଡ଼ାଇ ଅଗ୍ନି ଦିଅ ॥୪୪
    ଏମନ୍ତ ରାଜା ଆଜ୍ଞା ପାଇଁ । ଅସୁରେ ଗଲେ ସଜ ହୋଇ ॥୪୫
    ସ୍ୱଭାବେ ଅସୁର ନିର୍ଦ୍ଦୟ । ପ୍ରାଣୀ ମାରଣେ ବଡ଼ ପ୍ରିୟ ॥୪୬
    ଋଷି ଆଶ୍ରମ ତପୋବନେ । ତୀର୍ଥ ପବିତ୍ର ନାନାସ୍ଥାନେ ॥୪୭
    ତତ୍‌କ୍ଷଣେ ପଶି ଗ୍ରାମପୁରେ । ଗିରି-ବନସ୍ତ କ୍ଷେତ୍ରଦ୍ୱାରେ ॥୪୮
    ଖେଟ ଖର୍ବଟ ନାନାସ୍ଥାନେ । ଋଷି ଆଶମ୍ର ତପୋବନେ ॥୪୯
    ଗୋରୁ ବ୍ରାହ୍ମଣ ଯଜ୍ଞସ୍ଥାନ । ଅନଳେ ଦହିଲେ ତକ୍ଷଣ ॥୫୦
    ଖନିତ୍ର ଘେନି ମହାସୁରେ । ଭେଦିଲେ ପ୍ରାକାର ଗୋପୁରେ ॥୫୧
    ସୁଗନ୍ଧ ପୁଷ୍ପ ବୃକ୍ଷ ଛେଦି । ଚୂତ ଚମ୍ପକ ତୁଳୁସାଦି ॥୫୨
    ଚଳନ୍ତି ଗିରିବର ଭେଦି । ବୃକ୍ଷକୁ ପକାଇଲେ ଛେଦି ॥୫୩
    ଅସୁର ବଳ ବେଗେ ବ୍ୟାପି । ଛେଦି ପକାଇଲେ ବିଟପୀ ॥୫୪
    ଜୀବିକା-ବୃକ୍ଷ ଯେତେ ଥିଲେ । ପରଶୁ ହସ୍ତେ ତା’ ଛେଦିଲେ ॥୫୫
    ଏମନ୍ତ ରାଜାର ଆଦେଶେ । ଧର୍ମ ନାଶିଲେ ମହାରୋଷେ ॥୫୬
    ନିରତେ ପ୍ରାଣୀ ନାଶକଲେ । ଦେବେ ଆକାଶୁ ପକାଇଲେ ॥୫୭
    ଲୁଚିଲେ ବନ-ଗିରି-ଦ୍ରୋଣେ । ଯେହ୍ନେ କାନନେ ପଶୁଗଣେ ॥୫୮
    ଏମନ୍ତେ ପ୍ରାଣୀ ନାଶକରି । ଭ୍ରାତୃମରଣେ ଶୋକକରି ॥୫୯
    ଭାଇର ପ୍ରେତ କାର୍ଯ୍ୟକଲା । ଅନେକ ଅନ୍ନଦାନ ଦେଲା ॥୬୦
    ତର୍ପଣ-ଶ୍ରାଦ୍ଧ କର୍ମସାରି । ଭ୍ରାତୃପୁତ୍ରଙ୍କୁ କୋଳେଧରି ॥୬୧
    ତକ୍ଷଣେ ଅନ୍ତଃପୁରେ ଯାଇ । ସୁହୃଦ ଅସୁରଙ୍କୁ ରାଇ ॥୬୨
    ଶକୁନି ସମ୍ବର ଧୃଷ୍ଟିକ । ଭୂତ ସନ୍ତାପନ ଯେ ବୃକ ॥୬୩
    ଯେ କାଳନାଭ ମହାନାଭ । ହରିତଶ୍ମଶ୍ରୁ ଭଇରବ ॥୬୪
    ଉତ୍କଟ ବିକଟ ବସାଇ । ଅନୁଜ ପତ୍ନୀକି ଅନାଇଁ ॥୬୫
    ତାହାର ନାମ ରୁଷାଭାନୁ । ସ୍ୱାମୀ ମରଣେ ମହାମନ୍ୟୁ ॥୬୬
    ମାତା ସଙ୍ଗତେ ତାକୁ ଆଣି । ବସାଇ କହେ ମଞ୍ଜୁବାଣୀ ॥୬୭


    ହିରଣ୍ୟକଶିପୁ ଉବାଚ
    ହେ ମାତା ବଧୂପୁତ୍ରେ ଶୁଣ । ଏ ମାୟା-ସଂସାର ଭିଆଣ ॥୬୮
    ମୃତ ପ୍ରାଣୀକି ନ ସୁମରି । ଏ ଜୀବ ନୁହଇ କାହାରି ॥୬୯
    ବୀର ମରଣ ରିପୁମୁଖେ । ଲଭେ ଅକ୍ଷୟ-ସ୍ୱର୍ଗସୁଖେ ॥୭୦
    ତାର ମରଣେ ଚିନ୍ତା ନାହିଁ । ସ୍ୱର୍ଗେ ବସିଲା ମୋର ଭାଇ ॥୭୧
    ଏ ଭବ-ସଂସାର-ସାଗର । କୃଷ୍ଣର କ୍ରୀଡ଼ାର ମନ୍ଦିର ॥୭୨
    ଏ ଭବେ କିଛି ସ୍ଥିର ନୋହେ । ପଥେ ପଥୁକୀଜନ ପ୍ରାୟେ ॥୭୩
    ପୂର୍ବଜନ୍ମର କର୍ମଫଳେ । ପ୍ରାଣୀଏ ମିଳନ୍ତି ସଂସାରେ ॥୭୪
    ଜଳଛତ୍ରରେ ପ୍ରାଣୀ ଯେହ୍ନେ । ଶ୍ରମେ ମିଳନ୍ତି ଜଳପାନେ ॥୭୫
    ବସିଣ ଜଳପାନ କରି । ତହୁଁ ଚଳନ୍ତି ଶ୍ରମ ସାରି ॥୭୬
    ସେ ଯେହ୍ନେ ନୁହଇ କାହାରି । ସଂସାରେ ଘଟେ ସେହିପରି ॥୭୭
    ଉପାଧି ବସ୍ତୁ ନାଶ ଯାଇ । ଆତ୍ମା କେବେ ହେଁ ନ ମରଇ ॥୭୮
    ଏ ଆତ୍ମା ନିତ୍ୟ ସର୍ବଗତ । ଅବ୍ୟୟ ଶୁଦ୍ଧଗୁଣ ସତ୍ତ୍ୱ ॥୭୯
    ସର୍ବଜ୍ଞ ସର୍ବପରେ ରହେ । ଆତ୍ମାରୁ ଆତ୍ମରୂପ ବହେ ॥୮୦
    ସେ ଆତ୍ମା ଦେହରୁ ଚଳିଲେ । ଦେହ ବିନାଶ ଲଭେ ଭଲେ ॥୮୧
    ବୃକ୍ଷର ଛାଇ ଜଳେ ଥିଲେ । ସେ ଜଳ ପବନେ ଚଳିଲେ ॥୮୨
    ବୃକ୍ଷ ଚଳିଲା ପ୍ରାୟ ଦିଶେ । ସେ ଯେହ୍ନେ ଉଦକେ ନ ମିଶେ ॥୮୩
    ବାଳକେ କ୍ରୀଡ଼ାରେ ଘୂରନ୍ତି । ଭ୍ରମିଣ ଭୂମିରେ ପଡ଼ନ୍ତି ॥୮୪
    ଚାହାନ୍ତେ ଭ୍ରମଇ ସଂସାର । ଏମନ୍ତେ ମାୟା-କ୍ରୀଡ଼ାଘର ॥୮୫
    ଏଣୁ ଏ ଭ୍ରମ ଗୁଣ ଦୋଷେ । ମନ ନ ରହଇ ବିଶ୍ୱାସେ ॥୮୬
    ଅଦେହ ହୋଇ ଦେହବନ୍ତ । ଅଜ୍ଞାନୀ ଜନଙ୍କର ମତ ॥୮୭
    ଅର୍ଜିଲା କର୍ମଫଳ ବଳେ । ପ୍ରାଣୀ ଭ୍ରମନ୍ତି ମହୀତଳେ ॥୮୮
    ସଂସାର ସଂଯୋଗ-ବିଯୋଗେ । ଶୋକ ହରଷ ବେନିମାର୍ଗେ ॥୮୯
    ଏ ଅର୍ଥେ ଇତିହାସ କହି । ଶୁଣ ଜନନୀ ମନଦେଇ ॥୯୦
    ପୂର୍ବେ ଯେ ପ୍ରେତ-ବନ୍ଧୁ ତୁଲେ । ଯେବା ସମ୍ବାଦ ଯମ କଲେ ॥୯୧
    ଶୁଣ ଜନନୀ ମନ ତୋଷେ । ଯେ କଥା ଉଶୀନର ଦେଶେ ॥୯୨
    ସୁଯଜ୍ଞ ନାମେ ରାଜା ଥିଲା । ଶତ୍ରୁ-ସଂଗ୍ରାମେ ପ୍ରାଣ ଦେଲା ॥୯୩
    ତା’ ଶୁଣି ତାର ଜ୍ଞାତି ଜନେ । ମିଳିଲେ ମୃତପିଣ୍ଡ ସ୍ଥାନେ ॥୯୪
    ଦେଖିଲେ ରାଜାର ଶରୀର । ରୁଧିରେ ଧୂଳିରେ ଧୂସର ॥୯୫
    ରତ୍ନକବଚ ଖଣ୍ଡ ଖଣ୍ଡ । ବିଭ୍ରମ ଅଳଂକାର ପିଣ୍ଡ ॥୯୬
    ଶରେ ବିଚ୍ଛିନ୍ନ କଳେବର । ଶୟନ ଶ୍ମଶାନ-ଭୂମିର ॥୯୭
    ବିବର୍ଣ୍ଣ କେଶ ତାର ମୁଣ୍ଡେ । ବହେ ରୁଧିର ଧାରା ତୁଣ୍ଡେ ॥୯୮
    ଲଲାଟେ ଲୁଚିଛି ଲୋଚନ । ଓଷ୍ଠ ତା’ ଦିଶଇ ବିବର୍ଣ୍ଣ ॥୯୯
    ରଜେ କୁଣ୍ଠିତ ନାସାଦ୍ୱାର । ଛିନ୍ନ ଆୟୁଧ ଅଛି କର ॥୧୦୦
    ଏମନ୍ତେ ମିଳି ତା’ ସମୀପେ । କାମିନୀଗଣ ଶୋକତାପେ ॥୧୦୧
    ବନ୍ଧୁ ବାନ୍ଧବ ତୁଲେ ଯାଇ । କାନ୍ଦନ୍ତି ରାଜା ମୁଖ ଚାହିଁ ॥୧୦୨
    ଭୋ ନାଥ ତୋହର ମରଣେ । ତୋର ସକଳ ବଧୂଗଣେ ॥୧୦୩
    ଜୀବନ ଥାଉଁ ଆମ୍ଭେ ମଲୁ । ବିଧି ଏମନ୍ତ ଭିଆଇଲୁ ॥୧୦୪
    ହୃଦରେ ବେନି କରତାଡ଼ି । କାନ୍ଦନ୍ତି ମହୀତଳେ ପଡ଼ି ॥୧୦୫
    ଚରଣ ପୁଣ ପୁଣ ଧରି । ଉଚ୍ଚେ କାନ୍ଦନ୍ତି ତାର ନାରୀ ॥୧୦୬
    ଚରଣେ ସିଞ୍ଚି ଅଶ୍ରୁଜଳ । ଲୋତକେ ମିଶ୍ରିତ କଜ୍ଜ୍ୱଳ ॥୧୦୭
    କୁଚ-କୁଙ୍କୁମ ଅଶ୍ରୁଜଳେ । ପଡ଼ଇ ରାଜା ପାଦତଳେ ॥୧୦୮
    କେଶ-ବସନ ଅସମ୍ଭାଳ । ଶୁଭେ ରୋଦନ ମହାଗୋଳ ॥୧୦୯
    ହା-ହା ଦଇବ ତୁ ନିର୍ଦ୍ଦୟ । ଦୂରେ ଛେଦିଲୁ ଆମ୍ଭ ସ୍ନେହ ॥୧୧୦
    ଅଦୃଷ୍ଟ ଅଚିନ୍ତିତ କର୍ମ । ଭିଆଇ କଲୁ ମତିଭ୍ରମ ॥୧୧୧
    ପୂର୍ବେ ଆମ୍ଭଙ୍କୁ ସୁଖ ଦେଲୁ । ଏବେ ତୁ ନିଷ୍ଠୁର ହୋଇଲୁ ॥୧୧୨
    ପୁଣି ରାଜାର ପାଦଧରି । ଉଚ୍ଚେ କାନ୍ଦନ୍ତି ତାର ନାରୀ ॥୧୧୩
    ଆମ୍ଭର ପ୍ରାଣନାଥ ତୁହି । ମୁହୂର୍ତ୍ତେ ତୋ ମୁଖ ନଚାହିଁ ॥୧୧୪
    କେମନ୍ତେ ଧରିବୁ ଜୀବନ । ଦିଶଇ ଦଶଦିଗ ଶୂନ୍ୟ ॥୧୧୫
    କହ କେବଣ ଦିଗେ ଯିବୁ । ତୋ ବିନୁ ଶରୀର ଦହିବୁ ॥୧୧୬
    ଏମନ୍ତେ ପତିପାଦ ଧରି । ଉଚ୍ଚେ ରୋଦନ୍ତି ସର୍ବନାରୀ ॥୧୧୭
    ଦହନ କରି ନଦିଅନ୍ତି । ଦୁଃଖ ରହିଲେ ଗୋତ୍ରଜ୍ଞାତି ॥୧୧୮
    ଏମନ୍ତେ ରବି ଅସ୍ତ ଗଲା । ଘୋର-ତିମିରି ଆଚ୍ଛାଦିଲା ॥୧୧୯
    ଅତି କାରୁଣ୍ୟ ତାଙ୍କ ଦେଖି । ଶମନ ଭୁବନ ଉପେକ୍ଷି ॥୧୨୦
    ଶୋକ-ନିବାରେ ଇଚ୍ଛାକରି । ଯମ ବାଳକ ରୂପ ଧରି ॥୧୨୧
    ମିଳିଣ ତାଙ୍କ ସନ୍ନିଧ୍ୟାନେ । କହନ୍ତି କୋମଳ ବଚନେ ॥୧୨୨


    ଯମ ଉବାଚ
    ଅହୋ ଅଦ୍ଭୁତ କର୍ମ ଦେଖ । ଏ ସର୍ବେ ବୟସେ ଅଧିକ ॥୧୨୩
    ବାଳକ ପ୍ରାୟେ ନଜାଣନ୍ତି । ବିମୋହେ ରୋଦନ କରନ୍ତି ॥୧୨୪
    ଏ ପ୍ରାଣ ଯହୁଁ ଆସିଥିଲା । କର୍ମ-ସଙ୍ଗତେ କରି ଖେଳା ॥୧୨୫
    ତହିଁକି ଗଲା କର୍ମଅନ୍ତେ । ଜାଣି ନଜାଣନ୍ତି କେମନ୍ତେ ॥୧୨୬
    କର୍ମର ତୁଲେ ରହେ ଦେହୀ । କର୍ମ ସରିଲେ କେବା ରହି ॥୧୨୭
    ଏଣୁ ଏ କର୍ମମୟ ଦେହୀ । କର୍ମୁ ଅଧିକ କେହି ନାହିଁ ॥୧୨୮
    ଯହୁଁ ଅଇଲା ତା’ ନଜାଣେ । ଦେହକୁ ନିତ୍ୟ ପ୍ରାୟ ମଣେ ॥୧୨୯
    ଅନ୍ତେ ଯହିଁକି ପ୍ରାଣ ଯିବ । ଏହା ନଜାଣେ ବ୍ରହ୍ମା ଶିବ ॥୧୩୦
    ସଂସାର ମଧ୍ୟେ ଦେହ ବହି । ବାଳକ-ଜନ୍ମେ ଧନ୍ୟ ମୁହିଁ ॥୧୩୧
    ପିତା-ଜନନୀ ମୋର ନାହିଁ । ବୁଲଇ ଅରକ୍ଷିତ ହୋଇ ॥୧୩୨
    ବ୍ୟାଘ୍ର ଭଲ୍ଲୁକ ଜନ୍ତୁ ଯେତେ । କେହି ତ ନ ଭକ୍ଷିଲେ ମୋତେ ॥୧୩୩
    ଗର୍ଭେ ଯେ ରକ୍ଷାକଲା ମୋତେ । ଏବେ ସେ ଅଛି ମୋ ସଙ୍ଗତେ ॥୧୩୪
    ଈଶ୍ୱର ଇଚ୍ଛାରେ ସର୍ଜଇ । ପାଳଇ ପୁଣି ସଂହାରଇ ॥୧୩୫
    ତାହାର କ୍ରୀଡ଼ା ଏ ଜଗତ । କେ ଅବା ସୁତ ତାତ ମାତ ॥୧୩୬
    ଯେ ପ୍ରାଣୀ ନିଜ ପଥ ହୁଡ଼େ । ନିୟତ କର୍ମ ଯେବେ ଛାଡ଼େ ॥୧୩୭
    କର୍ମ ତାହାକୁ କରେ ରକ୍ଷା । ଗୁରୁଙ୍କ ପ୍ରାୟେ ଦେଇ ଦୀକ୍ଷା ॥୧୩୮
    ବାଳକ ଗୃହେ ଥାଏ ଯେବେ । କର୍ମେ ନଥିବ ଭାଗ୍ୟ ତେବେ ॥୧୩୯
    ରକ୍ଷକ ଥିଲେ ହେଁ ମରଇ । ଅତି ଯତନେ ଯେବେ ଥାଇ ॥୧୪୦
    ଯେ ବାଳ ବନେ ବିସର୍ଜିତ । ସ୍ୱଭାବେ ହୋଇ ଅରକ୍ଷିତ ॥୧୪୧
    ତାହାକୁ ଦଇବ ରଖଇ । ବେଦ ପୁରାଣେ ଏହା କହି ॥୧୪୨
    ଏଣୁ ପ୍ରାଣୀଏ କର୍ମଫଳେ । ଜନ୍ମ-ମରଣ ଏ ଶୟଳେ ॥୧୪୩
    ଆତ୍ମା ସକଳ ଦେହେ ଥାଇ । ଶରୀରୁ ଭିନ୍ନ ସେ ଅଟଇ ॥୧୪୪
    ଆତ୍ମାରୁ ଶରୀର ବିଖ୍ୟାତ । ମୋହ ଗହନେ ହୋଇ ଜାତ ॥୧୪୫
    ଗୃହସ୍ଥ ଗୃହେ ଥାଇ ଯେହ୍ନେ । ଆତ୍ମାକୁ ଗୃହ ଅନୁମାନେ ॥୧୪୬
    ଯେହ୍ନେ ବୁଦ୍‍ବୁଦ୍ ଜଳୁ ଜାତ । ମାଟିରୁ ଘଟ ଯେ ସମ୍ଭୂତ ॥୧୪୭
    ମୃତ୍ତିକା ଯେହ୍ନେ ଜଳେ ମାଡ଼ି । ଚକ୍ରେ ବସାଇ ରୂପ ଗଢ଼ି ॥୧୪୮
    ଅଗ୍ନି ସଂଯୋଗେ ଦୃଢ଼େ ଦହି । ନାନା ପ୍ରକାରେ ବସ୍ତୁ ବିହି ॥୧୪୯
    ସେ ଭାଣ୍ଡ ପ୍ରୟୋଜନ ଅନ୍ତେ । ପୁଣି ପଡ଼ଇ ଭୂମିଗତେ ॥୧୫୦
    ସ୍ୱର୍ଣ୍ଣରୁ କୁଣ୍ଡଳ ହୁଅଇ । ବିନାଶେ ନିଜତ୍ୱ ରହଇ ॥୧୫୧
    ମିଶଇ ବୁଦ୍‍ବୁଦ୍ ଜଳରେ । ଘଟ ବିଲୀନ ମୃତ୍ତିକାରେ ॥୧୫୨
    ତେସନେ କାଳ ଭୋଗେ ଜାତ । କର୍ମ ଭୋଗେଣ ଜୀବ ମୃତ ॥୧୫୩
    ବିନଷ୍ଟ ହୁଅଇ ଶରୀର । ଆତ୍ମା ଚଳଇ ନିରନ୍ତର ॥୧୫୪
    ଅନଳ ଯେହ୍ନେ ଦାରୁ ମଧ୍ୟେ । ଭିନ୍ନେ ପ୍ରକାଶେ ବସ୍ତୁ ଭେଦେ ॥୧୫୫
    ପବନ ଦେହ ମଧ୍ୟେ ଥାଇ । ନାସିକା ରନ୍ଧ୍ରେ ସଞ୍ଚରଇ ॥୧୫୬
    ସେହି ନ ଲାଗେ ତାର ଦେହେ । ସର୍ବ ସଞ୍ଚରି ଭିନ୍ନେ ରହେ ॥୧୫୭
    ଆକାଶ ସର୍ବବ୍ୟାପୀ ହୋଇ । କାହାରି ସଙ୍ଗେ ଲିପ୍ତ ନୋହି ॥୧୫୮
    ଏ ଜୀବ ପୁରୁଷ ତେମନ୍ତ । ସ୍ୱଭାବେ ତ୍ରିଗୁଣେ ଯନ୍ତ୍ରିତ ॥୧୫୯
    ସୁଯଜ୍ଞ ରାଜା ଏ ନୁହଇ । ରୋଦନ କର କାହିଁପାଇଁ ॥୧୬୦
    ଶ୍ରୋତା ବକତା ନାହିଁ ଏଥେ । ରୋଦନ ଶୁଣିବ କେମନ୍ତେ ॥୧୬୧
    ଏ ଦେହ ମଧ୍ୟେ ଆତ୍ମା ଥାଇ । ଇନ୍ଦ୍ରିୟ ସଙ୍ଗେ ପ୍ରକାଶଇ ॥୧୬୨
    ସେ ଏଥୁ ଗଲା ଅନ୍ତରୀକ୍ଷେ । ଦେଖ ଏ ମୃତ୍ତିକା ପ୍ରତ୍ୟକ୍ଷେ ॥୧୬୩
    ପାର୍ଥିବ-ବିକାର ଏ ଦେହୀ । ପୃଥିବୀ ସଙ୍ଗେ ଅଛି ଶୋଇ ॥୧୬୪
    ଯାହାକୁ ଶୋକ ତୁମ୍ଭେ କର । ସେ ପ୍ରାଣ ଏ ଦେହରୁ ପର ॥୧୬୫
    ଏ ପଞ୍ଚଭୂତ ଇନ୍ଦ୍ରିଗଣ । ମନଟି ଏହାଙ୍କ କାରଣ ॥୧୬୬
    ଆତ୍ମାଟି ଏହାଙ୍କର ସଙ୍ଗେ । ପ୍ରକାଶ ଉଚ୍ଚ-ନୀଚ ଅଙ୍ଗେ ॥୧୬୭
    ସେ ନିଜ ତେଜେ ପ୍ରକାଶଇ । ଶରୀର ଘେନଇ ଛାଡ଼ଇ ॥୧୬୮
    ଯାବତ ଆତ୍ମା ଦେହେ ଥାଇ । ତାବତ ଲିଙ୍ଗ ରୂପ ବହି ॥୧୬୯
    ଏ ଜୀବ କର୍ମରେ ବନ୍ଧନ । ଏହା ନ ଜାଣେ ମୂଢ଼ଜନ ॥୧୭୦
    ଏଣୁ ଏ ଗତାଗତ-ପଥେ । କ୍ଳେଶ ଲଭଇ ଅବିରତେ ॥୧୭୧
    ସେ ପୁଣି ମିଥ୍ୟା-କଳେବରେ । ଅତଥ୍ୟ ତଥ୍ୟପ୍ରାୟ ସ୍ଫୁରେ ॥୧୭୨
    ଯେମନ୍ତେ ସ୍ୱପ୍ନ ମନୋରଥେ । ଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥେ ॥୧୭୩
    ଦେଖଇ ସତ୍ୟ ପ୍ରାୟେ ତାହା । ନିଦ୍ରାର ଅନ୍ତେ ହୁଏ ମାୟା ॥୧୭୪
    ଏହାଙ୍କୁ ନିତ୍ୟାନିତ୍ୟମତେ । ପଣ୍ଡିତେ ନ ଘେନନ୍ତି ଚିତ୍ତେ ॥୧୭୫
    କର୍ମ ଅନ୍ୟଥା କେ କରିବ । ଯାହା ନ ମୁଞ୍ଚେ ବ୍ରହ୍ମାଶିବ ॥୧୭୬
    ଶୁଣ କହିବା ପୂର୍ବବାଣୀ । ମୁଁ ଯେ ବାଳକ ଅଛି ଶୁଣି ॥୧୭୭
    ଲୁବ୍ଧକ ପକ୍ଷୀଙ୍କ ମାରଣେ । ଦିନେ ପଶିଲା ଘୋରବନେ ॥୧୭୮
    ବୁଲଇ ହସ୍ତେ ପାଶ ଲଇ । ପକ୍ଷୀଙ୍କ କାଳପ୍ରାୟ ହୋଇ ॥୧୭୯
    ଲତାଗହଳେ ସେ ପଶିଲା । ଅନ୍ତରେ ଜାଲ ପ୍ରସାରିଲା ॥୧୮୦
    ଆହାର ଜାଲତଳେ ଥୋଇ । ଲୁଚିଲା ଲତା ମଧ୍ୟେ ଯାଇ ॥୧୮୧
    କୁଲିଙ୍ଗପକ୍ଷୀ ପତ୍ନୀମେଳେ । ବସି ଯେ ଥିଲା ବୃକ୍ଷ ଡାଳେ ॥୧୮୨
    ଆହାର ଦେଖି ଜାଲତଳେ । ପଶିଲା କ୍ଷୁଧାର ବିକଳେ ॥୧୮୩
    ଲୁବ୍ଧକ ଜାଲ ପାଶେ ଛନ୍ଦି । ତାର ପକ୍ଷିଣୀ ହେଲା ବନ୍ଦୀ ॥୧୮୪
    ପତ୍ନୀ ବନ୍ଧନ ପତି ଦେଖି । ତକ୍ଷଣେ ଆସନ ଉପେକ୍ଷି ॥୧୮୫
    ବୃକ୍ଷର ଉଚ୍ଚଡ଼ାଳେ ବସି । ନିର୍ଘାତେ ନିଃଶ୍ୱାସ ସାହାସି ॥୧୮୬
    ଅତି ବ୍ୟାକୁଳେ ଦୁଃଖମନେ । ଲୋତକ ବହଇ ନୟନେ ॥୧୮୭
    କର୍ମ ଆଦରି ଶୂନ୍ୟେ ଚାହିଁ । ବୋଲଇ ସୂର୍ଯ୍ୟଙ୍କୁ ଅନାଇଁ ॥୧୮୮
    ହା- ହା ଦଇବ ତୁ ନିର୍ଦ୍ଧୟ । ମୋର ବିଷୟେ କଲୁ କୋହ ॥୧୮୯
    କଷଣ ଦେଲୁ ପତ୍ନୀହୀନେ । ଏ ଦେହ ଧରିବି କେସନେ ॥୧୯୦
    ଶରୀର ଅର୍ଦ୍ଧଅଙ୍ଗ ନାରୀ । ଅର୍ଦ୍ଧକେ କେବା ଦେହଧରି ॥୧୯୧
    ବାଳକେ ଅଛନ୍ତି ମୋ ବାସେ । କି ଘେନି ଯିବି ତାଙ୍କ ପାଶେ ॥୧୯୨
    ତାହାଙ୍କ ଦେହେ ପକ୍ଷ ନାହିଁ । କେମନ୍ତେ ପୋଷିବଇଁ ମୁହିଁ ॥୧୯୩
    ବାଳକେ ମୋର ମାତୃହୀନେ । ଜୀବନ ଧରିବେ କେସନେ ॥୧୯୪
    ମାତାକୁ ଲୋଡ଼ିବେ ନିରତେ । ମୁଁ ତାହା ସହିବି କେମନ୍ତେ ॥୧୯୫
    ଏମନ୍ତେ ବୃକ୍ଷଡ଼ାଳେ ଥାଇ । ବିକଳେ କୁଲିଙ୍ଗ କାନ୍ଦଇ ॥୧୯୬
    ପତ୍ନୀର ଦେହେ ଦେଇ ମନ । କ୍ଷଣକ୍ଷଣକେ ଅଚେତନ ॥୧୯୭
    ଏମନ୍ତେ ବ୍ୟାଧ ବୃକ୍ଷତଳେ । ମିଳିଲା ଚରଣ ନିଶ୍ଚଳେ ॥୧୯୮
    ନାରାଚ ବିନ୍ଧି ତାକୁ ମାରି । ମୁଦିଣ ଥୋଇଲା ପଞ୍ଜରୀ ॥୧୯୯
    ତକ୍ଷଣେ ନିଜ ପୁରେ ଗଲା । ଶୁଣ ଗୋ ନୃପତି ଅବଳା ॥୨୦୦
    ଆତ୍ମାର ଗତି ତ ନ ଜାଣ । ସୁଜନ ବଚନ ନ ଶୁଣ ॥୨୦୧
    ଶତେ ବରଷ ଏହି ଠାବେ । ରୋଦନ କରୁଥିବ ଯେବେ ॥୨୦୨
    ତେବେ କି ଉଠିବ ଶରୀର । ଏ ଜ୍ଞାନ ବୁଡ଼ିଲା ତୁମ୍ଭର ॥୨୦୩


    ହିରଣ୍ୟକଶିପୁ ଉବାଚ
    ବାଳକ ବଚନ ଏମନ୍ତେ । ଶୁଣି ସକଳ ଏକଚିତ୍ତେ ॥୨୦୪
    ମାୟା ଛାଡ଼ିଲେ ଜ୍ଞାନ ପାଇ । ଉଠିଲେ ଏକୁ ଆରେ ଚାହିଁ ॥୨୦୫
    ବୋଲନ୍ତି ମିଥ୍ୟା ଏ ସଂସାର । ଅନିତ୍ୟ ଜୀବନ ଶରୀର ॥୨୦୬
    ଯମ ଏ ଉପଦେଶ ଦେଲା । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା ॥୨୦୭
    ତହୁଁ ସେ ଜ୍ଞାତିଗୋତ୍ର ମେଳେ । ରାଜାର ପ୍ରେତକାର୍ଯ୍ୟ କଲେ ॥୨୦୮
    ଏଣୁ ମୋ ଅନୁଜ ମରଣେ । ଶୋକ କରିବା କି କାରଣେ ॥୨୦୯
    ଏମନ୍ତ ମାୟା ଏ ସଂସାର । କେ ନିଜ କେବା ଅଛି ପର ॥୨୧୦
    କହନ୍ତି ବ୍ରହ୍ମାଙ୍କ ନନ୍ଦନ । ଶୁଣ ରାଜନ ତୋଷମନ ॥୨୧୧
    ନାରଦ ଯୁଧିଷ୍ଠିର ପାଶେ । ତତ୍ତ୍ୱ କହନ୍ତି ଇତିହାସେ ॥୨୧୨


    ନାରଦ ଉବାଚ
    ଏମନ୍ତ ଶୁଣି ପୁତ୍ରକଥା । ଶୋକ ଛାଡ଼ିଲା ରାଜମାତା ॥୨୧୩
    ପୁତ୍ରବଧୂଙ୍କୁ ଶାନ୍ତି କରି । ତତ୍ତ୍ୱବଚନ ମନେ ଧରି ॥୨୧୪
    ଦିତି ଛାଡ଼ିଲା ପୁତ୍ର ଶୋକ । ବ୍ରହ୍ମରେ ନିବେଶି ବିବେକ ॥୨୧୫
    ନାରଦ ମୁନି ଅନୁରାଗେ । କହିଲେ ଧର୍ମସୁତ ଆଗେ ॥୨୧୬
    ଏ ବାଣୀ ତତ୍ତ୍ୱଜ୍ଞାନସାର । ଶୁଣି ସଂସାରୁ ପ୍ରାଣୀ ତର ॥୨୧୭
    ଦେଖ ଏ ତତ୍ତ୍ୱଦିବ୍ୟଜ୍ଞାନ । ବାସନାବଳେ ଭ୍ରମେ ମନ ॥୨୧୮
    କହଇ ଦାସ ଜଗନ୍ନାଥ । ସପ୍ତମ ସ୍କନ୍ଧେ ଭାଗବତ ॥୨୧୯
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ଦିତି ଶୋକାପନୟନଂ ନାମ ଦ୍ୱିତୀୟୋଧ୍ୟାୟଃ ॥

    ତୃତୀୟ ଅଧ୍ୟାୟ

    ନାରଦ ଉବାଚ
    ଶୁଣ ପାଣ୍ଡବ-ଚୂଡ଼ାମଣି । ହିରଣ୍ୟକଶିପୁ କାହାଣୀ ॥ ୧
    ଅନୁଜ-ମରଣର ତାପେ । ମନ ନିଶ୍ଚଳ କଲା ତପେ ॥ ୨
    ଅଜୟ-ଅମର-ଶରୀର । ପାଇଁ ସାଧିବି ବେଦବର ॥ ୩
    ଗୃହ ଉପେକ୍ଷି ତପ ଅର୍ଥେ । ମିଳିଲା ମନ୍ଦର ପର୍ବତେ ॥ ୪
    ବସି ପର୍ବତଗୁହା ମଧ୍ୟେ । ତପସ୍ୟା କଲା ଯୋଗସାଧ୍ୟେ ॥ ୫
    ହୋଇବି ତ୍ରିଭୁବନେ ରାଜା । ସର୍ବେ ହୋଇବେ ମୋର ପ୍ରଜା ॥ ୬
    ଏମନ୍ତ କଳ୍ପେ ତାର ମନେ । ରିପୁ ନଥିବେ ତ୍ରିଭୁବନେ ॥ ୭
    ଊର୍ଦ୍ଧ୍ୱେ ସେ ବେନିକର ତୋଳି । ଗଗନେ ଚାହିଁଲା ନିରୋଳି ॥ ୮
    ପାଦଅଙ୍ଗୁଷ୍ଟେ ମହୀ ଚାପି । ଦେହ ରହିଲା ଶୂନ୍ୟେ ବ୍ୟାପି ॥ ୯
    ପିଙ୍ଗଳଜଟା ଶିରେ ସାଜେ । ପ୍ରଳୟ-ରବି ପ୍ରାୟ ତେଜେ ॥ ୧୦
    ତାହାର ଘୋରତପ ଚାହିଁ । ଶୂନ୍ୟେ ମିଳିଲେ ଦେବେ ଯାଇ ॥ ୧୧
    ଶତେବରଷ ଦେବମତେ । ତପେ ରହିଲା ଦୃଢ଼ଚିତ୍ତେ ॥ ୧୨
    କ୍ଷୁଧା ପିପାସା କଲା ଦୂର । କେବଳ ପବନ ଆହାର ॥ ୧୩
    ତାର ମୂର୍ଦ୍ଧନି ମଧ୍ୟଗତ । ସଧୂମ-ଅନଳ ସମ୍ଭୂତ ॥ ୧୪
    ତାପିଲା ଅଧଃ ଊର୍ଦ୍ଧ୍ୱେ ବ୍ୟାପି । ଦେଖି ଭୁବନଲୋକେ କମ୍ପି ॥ ୧୫
    ନଦୀ ସମୁଦ୍ର ଦିଗ ଭୂଇଁ । କମ୍ପିଲେ ମହାଭୟ ପାଇ ॥ ୧୬
    ଗଗନୁ ଗ୍ରହ ତାରା ତ୍ରାସେ । ଭୟେ ଖସିଲେ ଦଶଦିଶେ ॥ ୧୭
    ଦେବେ କମ୍ପିଲେ ତାହା ଦେଖି । ସଭୟେ ଭୁବନ ଉପେକ୍ଷି ॥ ୧୮
    ବିଚାର କରି ଏକେ ଏକେ । ସର୍ବେ ମିଳିଲେ ବ୍ରହ୍ମଲୋକେ ॥ ୧୯
    ବ୍ରହ୍ମା-ଚରଣେ ପ୍ରଣମିଲେ । ଅନେକ ମତେ ସ୍ତୁତି କଲେ ॥ ୨୦


    ଦେବଗଣ ଉବାଚ
    ହେ ଧାତା ଜଗତ ଈଶ୍ୱର । ଆମ୍ଭେ ଯେ ଶରଣ ତୋହର ॥ ୨୧
    ଦିତିସୁତର ତପ ଚାହିଁ । ଭୁବନେ ନ ପାରିଲୁ ରହି ॥ ୨୨
    ଭୟେ ଅଇଲୁ ତୁମ୍ଭ ପୁର । ଆମ୍ଭଙ୍କୁ ରଖ ବେଦବର ॥ ୨୩
    ତୋର ସଞ୍ଚିତ ସର୍ବଲୋକ । ଆମ୍ଭଙ୍କୁ ମହାଭୟୁ ରଖ ॥ ୨୪
    ଯେମନ୍ତେ ଲୋକନାଶ ନୋହେ । ତେମନ୍ତ କର ତୁ ଉପାୟେ ॥ ୨୫
    ଅସୁର ତପ ତୋର ଧ୍ୟାନେ । କିବା ସଂକଳ୍ପ ତାର ମନେ ॥ ୨୬
    ସେ ନୋହେ ତୋତେ ଅଗୋଚର । ଆମ୍ଭେ ଯେ ତୋହର କିଙ୍କର ॥ ୨୭
    ତଥାପି ତୋର ପାଦଗତେ । କହିଲୁ ଲୋକରକ୍ଷା ଅର୍ଥେ ॥ ୨୮
    ତୁମ୍ଭେ ଯେ ଘୋରତପ କରି । ପୂର୍ବେ ତୋଷିଲ ନରହରି ॥ ୨୯
    ତେଣୁ ଏ ବ୍ରହ୍ମଲୋକେ ସ୍ଥିତି । ପ୍ରଜା ଭିଆଣେ ପ୍ରଜାପତି ॥ ୩୦
    ଏ ବଳବନ୍ତ ଯୋଗବଳେ । ଯୋଗ-ସମ୍ପାଦି ସୁନିଶ୍ଚଳେ ॥ ୩୧
    ତପ ସାଧି ଜନ୍ମେ ଅନେକ । ସାଧ୍ୟ କରିବ ସର୍ବଲୋକ ॥ ୩୨
    ଏତେ ବିଚାରେ ସତ୍ୟଲୋକେ । ବସିବ ତପେ ଆତ୍ମସୁଖେ ॥ ୩୩
    ବ୍ରହ୍ମାଣ୍ଡ ସର୍ଜିବାର ଅର୍ଥେ । ଶ୍ରେୟ ବିଭୂତି କ୍ଷେମ ଯୁତେ ॥ ୩୪
    ଏମନ୍ତ ତାହାର ବିଚାର । କହିଲୁ ଯାହା ଇଚ୍ଛା କର ॥ ୩୫
    ଏବେ ଜଗତ ରକ୍ଷାକର । ତୁମ୍ଭେ ଯେ ଜଗତ ପିଅର ॥ ୩୬
    ଏମନ୍ତ ଦେବବାକ୍ୟ ଶୁଣି । ସଙ୍ଗତେ ଭୃଗୁ ଦକ୍ଷ ଘେନି ॥ ୩୭
    ଅପରେ ଯେତେ ବ୍ରହ୍ମମୁନି । ଘେନି ଚଳିଲେ ପଦ୍ମଯୋନି ॥ ୩୮
    ଜନକୁଶଳ ମନେ ଭାଳି । ଦୈତ୍ୟର ତପସ୍ଥାନେ ମିଳି ॥ ୩୯
    ଦେଖିଲେ ଅସୁର ଶରୀର । ସ୍ୱଭାବେ ଅତି ଭୟଙ୍କର ॥ ୪୦
    ବଲ୍ମୀକ-କୀଟ ଆଚ୍ଛାଦିତ । ତୃଣ ପିପୀଲିକା ଭକ୍ଷିତ ॥ ୪୧
    ମେଦ ଶୋଣିତ ମାଂସ ଚର୍ମ । ଅସ୍ଥି-ପଞ୍ଜରେ କୀଟଗ୍ରାମ ॥ ୪୨
    ତପ ସାଧନେ କ୍ଷୀଣକାୟ । ମାଂସ ଶୋଣିତ ଶୁଷ୍କପ୍ରାୟ ॥ ୪୩
    ତାହାର ତପ ଅତିରେକେ । ହେଳେ ତାପିତ ତିନିଲୋକେ ॥ ୪୪
    ଦେହ ନ ଦିଶେ ତୃଣାଚ୍ଛନ୍ନେ । ମେଘେ ଆବୃତ ରବି ଯେହ୍ନେ ॥ ୪୫
    ଏମନ୍ତ ଅସୁରର ଗତି । ଦେଖି ବିସ୍ମିତ ପ୍ରଜାପତି ॥ ୪୬
    ଆରୋହୀ ନିଜ ହଂସ ଯାନ । କହନ୍ତି କୋମଳ ବଚନ ॥ ୪୭


    ବ୍ରହ୍ମା ଉବାଚ
    ଉଠ ହେ କଶ୍ୟପ କୁମର । ହୋଇଛି ତପସିଦ୍ଧି ତୋର ॥ ୪୮
    ତପେ ତୋହର ତେଜ ଦେଖି । ଅଇଲୁ ଭୁବନ ଉପେକ୍ଷି ॥ ୪୯
    ତୋହର ବରଦାତା ମୁହିଁ । ବାଞ୍ଛିତ ବର ମାଗ ତୁହି ॥ ୫୦
    ତପେ ତୋ ପରି ସ୍ଥିରମତି । କେ ଅବା ଭୁବନେ ଅଛନ୍ତି ॥ ୫୧
    ଅଦ୍ଭୁତ ଦେଖିଲି ମୁଁ ତୋତେ । ତୋ ସମ ନାହାନ୍ତି ଜଗତେ ॥ ୫୨
    ପ୍ରାଣ ଅଛଇ ଅସ୍ଥିଗତେ । ଧ୍ୟାନ ତୋହର ଅନ୍ତର୍ଗତେ ॥ ୫୩
    ପୂର୍ବେ ଯେ ଥିଲେ ମୁନିଜନେ । ତପ ଆଚରି ଘୋର ବନେ ॥ ୫୪
    ତୋହର ପ୍ରାୟେ କେ ଅଛନ୍ତି । ନିରମ୍ବୁ-ଭକ୍ଷଣେ ରହନ୍ତି ॥ ୫୫
    ଶତେ ବରଷ ଦେବମତେ । ତପ ସାଧିଲୁ ଏ ଜଗତେ ॥ ୫୬
    ଭୂତ-ଭବିଷ୍ୟ-ଭର୍ତ୍ତମାନେ । ଦେଖିଲା ନାହିଁ ତ୍ରିଭୁବନେ ॥ ୫୭
    ଦୁଃସହ-ତପ ଏ ତୋହର । ମନ ବଚନେ ଅଗୋଚର ॥ ୫୮
    ତୋ ତପନିଷ୍ଠା ଦୃଢ଼ଚିତ୍ତେ । ସ୍ୱଭାବେ ଜିଣିଲୁ ତୁ ମୋତେ ॥ ୫୯
    ଏଣୁ ତୋ ତପ ଦୃଢ଼ ଦେଖି । ଅଇଲି ଆସନ ଉପେକ୍ଷି ॥ ୬୦
    ସିଦ୍ଧ ତୋହର ତପଦୀକ୍ଷା । ମାଗ ତୋ ମନେ ଯେବା ଇଚ୍ଛା ॥ ୬୧
    ଦେବଲୋକଙ୍କ ଦରଶନ । ନିଷ୍ଫଳ ନୋହେ କଦାଚନ ॥ ୬୨


    ନାରଦ ଉବାଚ
    ଏମନ୍ତ କହି ତାକୁ ବାଣୀ । ଦୟାସାଗର କୁଶପାଣି ॥ ୬୩
    ତକ୍ଷଣେ କମଣ୍ଡଳୁ କରେ । ଜଳ ସିଞ୍ଚିଲେ ତା ଉପରେ ॥ ୬୪
    କୀଟ-ବଲ୍ମୀକ-ଭକ୍ଷ୍ୟ ଦେହୀ । ତକ୍ଷଣେ ଦିବ୍ୟରୂପ ହୋଇ ॥ ୬୫
    ସର୍ବ ସଂପୂର୍ଣ୍ଣ କଳେବର । ବଜ୍ରହୁଁ କଠିନ ଶରୀର ॥ ୬୬
    ଯୁବା-ବୟସ ସୁଗଠନ । ଯୁବତୀ ମନ ବିମୋହନ ॥ ୬୭
    ତପ୍ତକାଞ୍ଚନ ପ୍ରାୟ ଦେହୀ । ତେଜେ ଅନଳ ରୂପ ଦହି ॥ ୬୮
    ଲୋଚନ ଘଷି ଚାହେଁ ବେଗେ । ଧାତାକୁ ଦେଖେ ଶୂନ୍ୟମାର୍ଗେ ॥ ୬୯
    ହଂସବାହନ-ରୂପ ଚାହିଁ । ନମିଲା ଦଣ୍ଡପ୍ରାୟ ହୋଇ ॥ ୭୦
    ବ୍ରହ୍ମା-ଦରଶନ ଉତ୍ସବେ । ନିଷ୍ଠୁର ତପର ପ୍ରଭାବେ ॥ ୭୧
    କରଅଞ୍ଜଳି ଶିରେ ଦେଇ । ହରଷେ ରୋମ ପୁଲକଇ ॥ ୭୨
    ଆନନ୍ଦେ ଅଶ୍ରୁ ଗଦଗଦେ । ସ୍ତୁତି କରଇ ପଦ୍ମପାଦେ ॥ ୭୩


    ହିରଣ୍ୟକଶିପୁ ଉବାଚ
    ନମସ୍ତେ ପ୍ରଭୁ ବେଦପତି । ତ୍ରିଲୋକ ତୋହର କୀରତି ॥ ୭୪
    କଳ୍ପ ଅନ୍ତରେ କାଳବଳେ । ଘୋର ଅନ୍ଧାର ଏ ଶୟଳେ ॥ ୭୫
    ନିଜ ଶରୀର ତେଜପୁଞ୍ଜେ । ଜଗତେ ଯେ ପ୍ରଭୁ ବିରାଜେ ॥ ୭୬
    ଆତ୍ମାତ୍ରିଗୁଣ ମାୟାଘୋରେ । ସର୍ଜଇ ପାଳଇ ସଂହରେ ॥ ୭୭
    ଏଣୁ ତ୍ରିଗୁଣ-ଧାମ-ଯୁତେ । ପରମତତ୍ତ୍ୱ ନମୋସ୍ତୁତେ ॥ ୭୮
    ଜ୍ଞାନ-ବିଜ୍ଞାନ ଆଦି କରି । ନମସ୍ତେ ବୀଜ-ଶକ୍ତିଧାରୀ ॥ ୭୯
    ପ୍ରାଣ ଇନ୍ଦ୍ରିୟ ମନ ବୃଦ୍ଧି । ବିକାରେ ବ୍ୟକ୍ତ ଯେ ପ୍ରସିଦ୍ଧି ॥ ୮୦
    ଜଗତ କଲ୍ୟାଣ ସ୍ୱରୂପୀ । ଜୀବକୁ ପ୍ରାଣବଳେ ବ୍ୟାପି ॥ ୮୧
    ପ୍ରଜାପତିଙ୍କ ପତି ହୋଇ । ଇନ୍ଦ୍ରିୟ ଇନ୍ଦ୍ରିଅର୍ଥେ ବହି ॥ ୮୨
    ତୁ ମହାଭୂତ ଗୁଣାଶ୍ରୟ । ସକଳ ଶ୍ରୁତି-ସ୍ମୃତିମୟ ॥ ୮୩
    ତୁ ଦେବ ସପ୍ତତନୁ ହେତୁ । ଚତୁରହୋତ୍ର ମୂଳତତ୍ତ୍ୱୁ ॥ ୮୪
    ଆତ୍ମାର ଆତ୍ମା ତୁ ଅନାଦି । ଅନନ୍ତ ଅପ୍ରମେୟବାଦୀ ॥ ୮୫
    ତୁ ନାଥ ଅନିମିଷ-କାଳ । ହରୁ ପ୍ରାଣୀଙ୍କ ଆୟୁର୍ବଳ ॥ ୮୬
    ନିମିଷ ଆଦି ରୂପ ତୋର । ତେଣୁ ପ୍ରାଣୀଙ୍କ ଆୟୁହର ॥ ୮୭
    ତୋର ସର୍ଜିତ ଏ ଜଗତ । ତୁ କୂଟ ଆତ୍ମାରୂପେସ୍ଥିତ ॥ ୮୮
    ତୁ ପରମେଷ୍ଠୀ ମହାଶ୍ରୟ । ଜୀବଲୋକର ଜୀବ ଦେହ ॥ ୮୯
    ତୋ ତହୁଁ ଅନ୍ୟ କେ ଜଗତେ । ପର ଅପର ଛନ୍ତି ଯେତେ ॥ ୯୦
    ସଂସାରେ ବିଦ୍ୟା କଳା ଯେତେ । ତୋର ଶରୀର ଏ ନିୟତେ ॥ ୯୧
    ବ୍ରହ୍ମାଣ୍ଡ ତୋର ତହୁଁ ଜାତ । ତୁ ଦେବ ତିନିପୁରନାଥ ॥ ୯୨
    ଜଗତ ହିତେ ତୋର ଦେହୀ । ମନଇନ୍ଦ୍ରିୟ ଗୁଣଗ୍ରାହୀ ॥ ୯୩
    ଏହାଙ୍କ ଭୋଗ କରୁ ଗୁଣ । ପରମପଦେ ତୋର ସ୍ଥାନ ॥ ୯୪
    ଅବ୍ୟକ୍ତ-ଆତ୍ମା ତୁ ନିର୍ଗୁଣ । ତୁ ନାଥ ପୁରୁଷ ପୁରାଣ ॥ ୯୫
    ଅନନ୍ତ-ଅବ୍ୟକ୍ତ-ଶରୀର । ତୁ ନାଥ ବ୍ରହ୍ମାଣ୍ଡ ଭିତର ॥ ୯୬
    ଚିତ-ଅଚିତ ଶକ୍ତିଯୁତ । ନମସ୍ତେ ପ୍ରଭୁ ଭଗବତ ॥ ୯୭
    ଯେବେ ତୁ ବର ଦେବୁ ମୋତେ । ଶୁଣ କହିବି ତୋ ଅଗ୍ରତେ ॥ ୯୮
    ତୋର ସଞ୍ଚିତ ସୃଷ୍ଟି ଯେତେ । ରୂପେ ଅଛନ୍ତି ଏ ଜଗତେ ॥ ୯୯
    ତାହାଙ୍କ ହସ୍ତେ ନ ମରିବି । ଅଜରାମର ହୋଇଥିବି ॥ ୧୦୦
    ବ୍ରହ୍ମାଣ୍ଡ ଅନ୍ତର ବାହାରେ । ରଜନୀ କିବା ଦିବସରେ ॥ ୧୦୧
    ନାନା ଆୟୂଧ ଛନ୍ତି ଯେତେ । କେବେ ହେଁ ନ କାଟିବେ ମୋତେ ॥୧୦୨
    ମୃତ୍ୟୁ ମୋ ନରପଶୁ ହସ୍ତେ । ନୋହିବ ଭୂମିଶୂନ୍ୟ ପଥେ ॥ ୧୦୩
    ଜୀବେ ଅଜୀବେ ନ ମରିବି । ନିତ୍ୟେ ନିର୍ଭୟେ ମୁଁ ବଞ୍ଚିବି ॥ ୧୦୪
    ସୁର ଅସୁର ସର୍ପାଘାତେ । ବିଯୋଗ ନ କରିବେ ମୋତେ ॥ ୧୦୫
    ସମରେ ମୋର ତୁଲେ ବଳେ । କେହି ନ ଥିବେ ଏ ଶୟଳେ ॥ ୧୦୬
    ହୋଇବି ତ୍ରିଭୁବନେ ରାଜା । ସର୍ବେ କରିବେ ମୋତେ ପୂଜା ॥ ୧୦୭
    ଦିଗପାଳଙ୍କ ମଧ୍ୟଗତେ । ତୋହର ମହିମା ଯେମନ୍ତେ ॥ ୧୦୮
    ମୋ ତପ-ମହିମା-ପ୍ରଭାବ । କେବେହେଁ ବିନାଶ ନୋହିବ ॥ ୧୦୯
    ଏମନ୍ତେ ବ୍ରହ୍ମାର ସମ୍ମୁଖେ । ବର ମାଗିଲା ଆତ୍ମ ସୁଖେ ॥ ୧୧୦
    କର ଅଞ୍ଜଳି ଶିରେ ଦେଇ । ବ୍ରହ୍ମାର ଶ୍ରୀମୁଖକୁ ଚାହିଁ ॥ ୧୧୧
    ନାରଦ ଯୁଧିଷ୍ଠିର ବାଣୀ । ଯଜ୍ଞସଭାର ମଧ୍ୟେ ଭଣି ॥ ୧୧୨
    ଅସୁର-ତପଫଳ ଶୁଣି । ଘୋର-ସଂସାରୁ ତର ପ୍ରାଣୀ ॥ ୧୧୩
    ଭଣଇ ଦାସ ଜଗନ୍ନାଥ । ସପ୍ତମ ସ୍କନ୍ଧେ ଭାଗବତ ॥ ୧୧୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ହିରଣ୍ୟକଶିପୋର୍ବରଯାଜନଂ ନାମ ତୃତୀୟୋଽଧ୍ୟାୟଃ ॥

    ଚତୁର୍ଥ ଅଧ୍ୟାୟ

    ନାରଦ ଉବାଚ
    ଶୁଣ ରାଜନ ସ୍ଥିରଚିତ୍ତେ । କହିବୁ ଯାହା ତୋ ଅଗ୍ରତେ ॥ ୧
    ହିରଣ୍ୟ-ତପେ ତୋଷ ହୋଇ । ବ୍ରହ୍ମା ବୋଲନ୍ତି ତାକୁ ଚାହିଁ ॥୨


    ବ୍ରହ୍ମା ଉବାଚ
    ଶୁଣ ହେ ଅସୁରପୁଙ୍ଗବ । ତୋହର ତପ ଏ ଦୁର୍ଲ୍ଲଭ ॥ ୩
    ଯେତେ ମାଗିଲୁ ବର ମୋତେ । ପ୍ରାଣୀଙ୍କି ଦୁର୍ଲ୍ଲଭ ଜଗତେ ॥ ୪
    ତୋହର ତପେ ତୋଷହୋଇ । ଦେବି ଅନ୍ୟଥା ଏଥେ ନାହିଁ ॥ ୫
    ହେଉ ତୋ ମନବାଞ୍ଛା ସିଦ୍ଧି । ଏମନ୍ତ କହି ବେଦନିଧି ॥ ୬
    ତକ୍ଷଣେ ଗଲେ ଅନ୍ତର୍ଦ୍ଧାନେ । ବିଜୟେ ଆପଣା ଭୁବନେ ॥ ୭
    ଏମନ୍ତେ ବ୍ରହ୍ମା ବର ପାଇ । ସୁବର୍ଣ୍ଣମୟ-ତନୁ ବହି ॥ ୮
    ବିଷ୍ଣୁ-ବିଷୟେ କ୍ରୋଧକରି । ଅନୁଜ-ମରଣ ସୁମରି ॥ ୯
    ବଳେ ତ୍ରାସିଲା ଦଶଦିଶ । ତିନିଭୁବନ କଲା ବଶ ॥ ୧୦
    ଦେବ ଅସୁର ନୃପସର୍ବ । ଉରଗ ଗରୁଡ଼ ଗନ୍ଧର୍ବ ॥ ୧୧
    ସିଦ୍ଧ ଚାରଣ ବିଦ୍ୟାଧର । ଋଷି ପିତର ମନୁବର ॥ ୧୨
    ପିଶାଚ ଯକ୍ଷ ରକ୍ଷଗଣ । ଭୂତ ବେତାଳ ରୁଦ୍ରଗଣ ॥ ୧୩
    ସକଳ ପ୍ରାଣୀ ଦର୍ପହରି । ବିଶ୍ୱ-ସଂସାର ବଶ କରି ॥ ୧୪
    ଦିଗପାଳଙ୍କ ଘରୁ ଆଣି । ଅମୂଲ୍ୟ ଧନରତ୍ନ ମଣି ॥ ୧୫
    ସ୍ୱର୍ଗଭୁବନେ ଭୋଗ ଯେତେ । ବିଚିତ୍ର ରଥ ବଳ ଯୁଥେ ॥ ୧୬
    ସକଳ ବଳେ ଆବୋରିଲା । ଇନ୍ଦ୍ରଭୁବନେ ବିଜେ କଲା ॥ ୧୭
    ବିଶ୍ୱକର୍ମାର ଶିଳ୍ପ ଯହିଁ । ଭୁବନେ ପଟାନ୍ତର ନାହିଁ ॥ ୧୮
    ତ୍ରୈଲୋକ୍ୟଲକ୍ଷ୍ମୀ ଯହିଁ ବସେ । ଅଶେଷ ସମ୍ପଦ ପ୍ରକାଶେ ॥ ୧୯
    ମର୍କତଭୂମି ଯହିଁ ସାଜେ । ପ୍ରବାଳ ପାବଚ୍ଛ ବିରାଜେ ॥ ୨୦
    ସ୍ପଟିକ ପାଚେରୀ ଆରମ୍ଭ । ନିର୍ମିତ ବଇଦୂର୍ଯ୍ୟ ସ୍ତମ୍ଭ ॥ ୨୧
    ଉପରେ ବିଚିତ୍ର ବିତାନ । ମାଣିକ୍ୟ ଘଟିତ ଆସନ ॥ ୨୨
    ଶଯ୍ୟା ରଚିତ ଯହିଁ ହୋଏ । ଦିଶନ୍ତି ଦୁଗ୍ଧଫେନ ପ୍ରାୟେ ॥ ୨୩
    ଲମ୍ବଇ ମୁକୁତାର ଝରା । ସୁବର୍ଣ୍ଣପୁଷ୍ପ କେରାକେରା ॥ ୨୪
    ଦିବ୍ୟ କାମିନୀଗଣ ତହିଁ । ଚଳନ୍ତି ଇତସ୍ତତ ହୋଇ ॥ ୨୫
    ଚରଣେ ନୂପୁର ବାଜେଣୀ । ରତ୍ନ ମେଖଳାର ସାଜେଣି ॥ ୨୬
    ରତ୍ନମେଖଳା ପୂର୍ଣ୍ଣ ଜ୍ୟୋତି । ତଡ଼ିତ ପ୍ରାୟ ଝଟକନ୍ତି ॥ ୨୭
    ଆପଣା ମୁଖ ରତ୍ନକାନ୍ଥେ । ହରଷେ ଦେଖନ୍ତି ଏକାନ୍ତେ ॥ ୨୮
    ଏମନ୍ତେ ଇନ୍ଦ୍ରର ଭୁବନେ । ଅସୁର ବସେ ତୋଷମନେ ॥ ୨୯
    ତିନିଭୁବନେ ଏକ ରାଜା । ଦେବେ କରନ୍ତି ପାଦପୂଜା ॥ ୩୦
    ପ୍ରଚଣ୍ଡ ତେଜେ ଆଜ୍ଞା କରେ । ଯମର ପ୍ରାୟେ ରୋଷଭରେ ॥ ୩୧
    ସୁଗନ୍ଧ ମଦ୍ୟ କରେ ପାନ । ସ୍ୱଭାବେ ଘୂର୍ଣ୍ଣିତ ଲୋଚନ ॥ ୩୨
    ତମ୍ବାର ପ୍ରାୟେ ଚକ୍ଷୁଜଳେ । ଦେବେ ମିଳିଲେ ପାଦତଳେ ॥ ୩୩
    ହସ୍ତରେ ଘେନି ଉପାୟନ । ଦିଶନ୍ତି ଅରକ୍ଷ ଯେସନ ॥ ୩୪
    ସ୍ୱଭାବେ ତପ-ଯୋଗ-ବଳେ । ବିରାଜେ ଆଦିତ୍ୟ ମଣ୍ଡଳେ ॥ ୩୫
    ସର୍ବଦେବତା ତାର ପାଶେ । ଖଟନ୍ତି ଜୀବନର ଆଶେ ॥ ୩୬
    ବିଧାତା ବିଷ୍ଣୁ ମହେଶ୍ୱର । ଏହୁ ରହିଲେ ନିଜପୁର ॥ ୩୭
    ଏହାଙ୍କୁ ଛାଡ଼ି ସର୍ବଦେବା । ତାର ଚରଣେ କଲେ ସେବା ॥ ୩୮
    ଇନ୍ଦ୍ର ଆସନେ କରି ବିଜେ । ଇନ୍ଦ୍ରହୁଁ ଅଧିକ ବିରାଜେ ॥ ୩୯
    ଗନ୍ଧର୍ବେ ମିଳି ତା ଚରଣେ । ସଙ୍ଗତେ ଅପସରାଗଣେ ॥ ୪୦
    ତୁମ୍ବୁରୁ ନାରଦ ସହିତେ । ମିଳିଲେ ବିଶ୍ୱାବସୁ ଯେତେ ॥ ୪୧
    ମିଳିଲେ ସିଦ୍ଧ ଋଷିଗଣେ । ସଭୟେ ଅସୁର ଚରଣେ ॥ ୪୨
    ସ୍ତୁତି କରନ୍ତି ଅନୁକ୍ଷଣେ । ଗନ୍ଧର୍ବେ ନୃତ୍ୟଗୀତ ଗାନେ ॥ ୪୩
    ବ୍ରାହ୍ମଣଆଦି ଚାରିବର୍ଣ୍ଣେ । ଅପରେ ଯେ ଚାରି ଆଶ୍ରମେ ॥ ୪୪
    ପୂଜନ୍ତି ପିତୃଦେବ ଯଜ୍ଞେ । ତାର ଚରଣେ ହବିର୍ଭାଗେ ॥ ୪୫
    ସପତଦ୍ୱୀପ ମହୀତଳେ । ବିନାକର୍ଷଣେ ଶସ୍ୟଫଳେ ॥ ୪୬
    ମଧୁ ସ୍ରବନ୍ତି ବୃକ୍ଷପନ୍ତି । ଗାବେ କଳ୍ପିତ କ୍ଷୀର ଦ୍ୟନ୍ତି ॥ ୪୭
    ଫୁଲ-ଫଳରେ ଭୂମି ପୂରି । ହୋଇଲା କାମଧେନୁ ସରି ॥ ୪୮
    ଷଡ଼ଋତୁର ଅନ୍ତରାଳେ । ଶୁଭେ ଖଟନ୍ତି ଯେଝାକାଳେ ॥ ୪୯
    ସମୁଦ୍ରେ ରତ୍ନମାନ ଦ୍ୟନ୍ତି । ନଦୀଏ ଊର୍ମି ଉଛୁଳାନ୍ତି ॥ ୫୦
    ଲବଣ ଈକ୍ଷୁ ସୁରା ଘୃତ । ଦଧି ଦୁଗ୍ଧ ଜଳେ ପୂରିତ ॥ ୫୧
    ପର୍ବତ ଦ୍ରୋଣି କ୍ରୀଡ଼ାସ୍ଥାନେ । ସକଳ ଋତୁ ପୁଷ୍ପମାନେ ॥ ୫୨
    ଦିଗପାଳଙ୍କ ଗୁଣ ଯେତେ । ରହିଲେ ଅସୁର ଆୟତ୍ତେ ॥ ୫୩
    ଏମନ୍ତେ ଦଶଦିଗ ଜିଣି । ସପତଦ୍ୱୀପେ ନୃପମଣି ॥ ୫୪
    ସକଳ ଭୋଗ୍ୟ ଭୋଗକଲା । କେବେହେଁ ସନ୍ତୋଷ ନୋହିଲା ॥ ୫୫
    ବିଶେଷେ ତପ-ଗର୍ବ ମୋହ । ସ୍ୱଭାବେ ଅଜିତ ଇନ୍ଦ୍ରିୟ ॥ ୫୬
    ଅଜିତ ଇନ୍ଦ୍ରିୟ ସନ୍ତୋଷ । ମନବାରଣ ନିରଙ୍କୁଶେ ॥ ୫୭
    ଅଜିତଇନ୍ଦ୍ରିୟର ବଳେ । ଘୃତେ ଅନଳ ଯେହ୍ନେ ଜଳେ ॥ ୫୮
    ଐଶ୍ୱର୍ଯ୍ୟମଦେ ମତ୍ତ ହୋଇ । ଈଶ୍ୱର ବାକ୍ୟ ନ ମାନଇ ॥ ୫୯
    ଏ ଅନ୍ତେ ବହୁକାଳ ଗଲା । ସନକ-ଶାପ ପ୍ରବେଶିଲା ॥ ୬୦
    ତାହାର ଉପଦ୍ରବ ଦେଖି । ତ୍ରିଦଶେ ଭୁବନ ଉପେକ୍ଷି ॥ ୬୧
    ଅନ୍ୟତ୍ର ଶରଣ ନ ପାଇ । ସକଳ ଦେବେ ରୁଣ୍ଡ ହୋଇ ॥ ୬୨
    ଭାଳନ୍ତି ଏକଚିତ୍ତ ହୋଇ । କାହିଁ ଲୁଚିବୁ ଆମ୍ଭେ ଯାଇ ॥ ୬୩
    ଯେ ଦିଗେ ଛନ୍ତି ଚକ୍ରଧର । ତହିଁକି କଲେ ନମସ୍କାର ॥ ୬୪
    ନିର୍ମଳ ଯୋଗୀଜନେ ଯହିଁ । ଗଲେ ପୁନରାବୃତ୍ତି ନାହିଁ ॥ ୬୫
    ଏମନ୍ତେ ଏକମନେ ଭାଳି । କ୍ଷୀରସମୁଦ୍ର ତୀରେ ମିଳି ॥ ୬୬
    ଉନିଦ୍ର ପବନ ଭୋଜନ । ଡାକନ୍ତି ରଖ ଭଗବାନ ॥ ୬୭
    ଅନେକମତେ କରି ସ୍ତୁତି । ଜଳଧି-ପୁଳିନେ ଭ୍ରମନ୍ତି ॥ ୬୮
    ମସ୍ତକେ ଦେଇ ବେନିକର । ଡାକନ୍ତି ରଖ ଚକ୍ରଧର ॥ ୬୯
    ମହାମହିମ ଭଗବାନ । ପରମଆତ୍ମା ନିରଞ୍ଜନ ॥ ୭୦
    ବିଶୁଦ୍ଧ-ଆନନ୍ଦ-ସମୂହ । ନମସ୍ତେ ପ୍ରଭୁ ଦିବ୍ୟଦେହ ॥ ୭୧
    ଏମନ୍ତେ ଦେବସ୍ତୁତି ଶୁଣି । ଶୁଭିଲା ଅନ୍ତରୀକ୍ଷ ବାଣୀ ॥ ୭୨
    ମେଘ-ଗମ୍ଭୀର ପ୍ରାୟେ ସ୍ଫୁରେ । ସାଧୁଜନଙ୍କ ଦୁଃଖ ହରେ ॥ ୭୩
    ଭୟ ନ କର ଦେବଗଣ । ତୁମ୍ଭର ହୋଇବ କଲ୍ୟାଣ ॥ ୭୪
    ମୋହର ଦରଶନ ଲାଭ । ଅଶେଷ ସମ୍ପଦ ସମ୍ଭବ ॥ ୭୫
    ପାପୀ ଅସୁର ଦୁଷ୍ଟପଣେ । ଭୟେ କମ୍ପିଲେ ଦେବଗଣେ ॥ ୭୬
    ଏ ଭୟ କରିବି ମୁଁ ଶାନ୍ତି । ତୁମ୍ଭେ ନ କର ମନେ ଭ୍ରାନ୍ତି ॥ ୭୭
    ଅଳପକାଳ ଦୁଃଖ ସହ । ନାଶିବି ତୁମ୍ଭର ସନ୍ଦେହ ॥ ୭୮
    ବେଦବଚନ ପୁରାତନ । ଭୋଦେବ ସାବଧାନେ ଶୁଣ ॥ ୭୯
    ଏ ଯେବେ ଦେବଙ୍କୁ ନିନ୍ଦିବ । ଗୋରୁ-ବ୍ରାହ୍ମଣ ବିନାଶିବ ॥ ୮୦
    ସାଧୁଜନଙ୍କୁ ଦୁଷ୍ଟପଣେ । ଯେବେ ହିଂସିବ ଅକାରଣେ ॥ ୮୧
    ନିର୍ଦ୍ଧୋଷ-ପ୍ରାଣୀଙ୍କର ମନେ । କ୍ଳେଶ-ସମ୍ପାଦେ ଅନୁକ୍ଷଣେ ॥ ୮୨
    ମୋତେ କରିବ ରିପୁଭାବ । ତେବେ ଏ ବେଗେ ନାଶଯିବ ॥ ୮୩
    ଏବେ ଏହାର ନିଜ ସୁତ । ହୋଇବ ଗୋବିନ୍ଦ ଭକତ ॥ ୮୪
    ସମଦରଶୀ ସାଧୁ ଧୀର । ପ୍ରହଲାଦ ନାମ ତାହାର ॥ ୮୫
    ତାହାକୁ ଅସୁର ଲଂଘିବ । କୋପେ ଅନେକ ଦୁଃଖ ଦେବ ॥ ୮୬
    ତାହାକୁ ସଙ୍କଟୁ ରଖିବି । ବ୍ରହ୍ମାର ବର ବିନାଶିବି ॥ ୮୭
    ଉଶ୍ୱାସ କରି ମହୀଭାର । ଦୁଃଖ ବିନାଶିବି ତୁମ୍ଭର ॥ ୮୮
    କହନ୍ତି ବ୍ରହ୍ମାର କୁମର । ଶୁଣ ହେ ରାଜା ଯୁଧିଷ୍ଠିର ॥ ୮୯


    ନାରଦ ଉବାଚ
    ଏମନ୍ତେ ଆକାଶର ବାଣୀ । ଶୁଣି ନମିଲେ ଚକ୍ରପାଣି ॥ ୯୦
    ଗୋବିନ୍ଦ ବଚନେ ବିଶ୍ୱାସ । ଜାଣିଲେ ନିଶ୍ଚେ ଯିବ ନାଶ ॥ ୯୧
    ବିଷ୍ଣୁଙ୍କ ପାଦପଦ୍ମେ ନମି । ଦେବେ ଚଳିଲେ ନିଜ ଭୂମି ॥ ୯୨
    ଏବେ ହୋ ଶୁଣ ଧର୍ମସୁତ । ଭକତ ପ୍ରହ୍ଲାଦ ଚରିତ ॥ ୯୩
    ଯାହା ଶୁଣନ୍ତେ ପ୍ରାଣୀ ଦେହେ । ଅଶେଷ ଦୂରିତ ନ ରହେ ॥ ୯୪
    ହିରଣ୍ୟକଶିପୁର ପୁରେ । ତାହାର ପତ୍ନୀର ଉଦରେ ॥ ୯୫
    ଜନ୍ମ ଲଭିଲେ ଚାରିସୁତ । ତେଜେ ବିରାଜେ କି ଆଦିତ୍ୟ ॥ ୯୬
    ସେ ପ୍ରହଲ୍ଳାଦ ଜ୍ୟେଷ୍ଠସୁତ । କୃଷ୍ଣ ଭଜଇ ଅବିରତ ॥ ୯୭
    ଗୁଣେ କି ଦେବା ପଟାନ୍ତର । କୃଷ୍ଣ ଭକତ ମଧ୍ୟେ ବର ॥ ୯୮
    ସତ୍ୟ-ସମ୍ପନ୍ନ-ଶୀଳ ଗୁଣେ । ସେବଇ ବିଷ୍ଣୁର ଚରଣେ ॥ ୯୯
    ସର୍ବଭୂତଙ୍କ ମଧ୍ୟେ ପ୍ରିୟ । ସ୍ୱଭାବେ ବିଜିତ-ଇନ୍ଦ୍ରିୟ ॥ ୧୦୦
    ସନ୍ଥ ଚରଣେ ଦାସ ପ୍ରାୟେ । ଦୁଃଖିଙ୍କି ସେବେ ପିତୃସ୍ନେହେ ॥ ୧୦୧
    ସମାନେ ଭଜେ ଭ୍ରାତୃଭାବେ । ଗୁରୁଙ୍କୁ ଈଶ୍ୱର ସ୍ୱଭାବେ ॥ ୧୦୨
    ବିଦ୍ୟାର୍ଥୀ ରୂପେ ସ୍ନେହ ସାର । ସ୍ୱଭାବେ ଗର୍ବ ନାହିଁ ତାର ॥ ୧୦୩
    ଦୁଃଖେ ଦୁଃଖିତଚିତ୍ତ ନୋହେ । ଜ୍ଞାନ ଗୋଚରେ ସର୍ବେ ସହେ ॥ ୧୦୪
    ଅସୁର ବଂଶେ ଜାତ ହୋଇ । ଅସୁର ଭାବ ହୃଦେ ନାହିଁ ॥ ୧୦୫
    ବିପଦେ ଧୀର ଭାବ ବହି । ସମସ୍ତ ନଶ୍ୱର ଭାବଇ ॥ ୧୦୬
    ଇନ୍ଦ୍ରିୟ ବୁଦ୍ଧି ଜୟ କରି । ଶାନ୍ତ ଭାବରେ ଦେହ ଧରି ॥ ୧୦୭
    ନିଶ୍ଚଳ ଦୁଷ୍ଟ-ଶ୍ରୁତଗୁଣେ । ବସ୍ତୁ-ଅବସ୍ତୁ ପରିମାଣେ ॥ ୧୦୮
    ଦୁଃଖୀ ବାଳକ ପ୍ରାୟେ ରହେ । ସ୍ୱଭାବେ ତପକ୍ଳେଶ ସହେ ॥ ୧୦୯
    ପ୍ରଶାନ୍ତଚିତ୍ତ ନିତ୍ୟେ ବହେ । ମଦମତ୍ସର ନାହିଁ ଦେହେ ॥ ୧୧୦
    ତାହାର ମହାଗୁଣମାନ । ମୁନି କହନ୍ତି ପୁଣ ପୁଣ ॥ ୧୧୧
    ସେ ପୁଣି ବିଷ୍ଣୁର ବିଷୟେ । ଲକ୍ଷିତେ ଅଲକ୍ଷିତ ରହେ ॥ ୧୧୨
    ସୁରସଭାରେ ଯାର କଥା । ନିତ୍ୟେ ଗାବନ୍ତି ସାଧୁ ଗାଥା ॥ ୧୧୩
    ଶତ୍ରୁଙ୍କୁ ମିତ୍ର ପ୍ରାୟ ଦିଶେ । ଯାର ମହିମା ବିଷ୍ଣୁ ଅଂଶେ ॥ ୧୧୪
    ତାହାଙ୍କୁ ସାଧୁ ସଭାମଧ୍ୟେ । ପ୍ରଶଂସା କରନ୍ତି ଆନନ୍ଦେ ॥ ୧୧୫
    ଯାର ମହିମା ମୁନିଗଣେ । ଚିତ୍ତେ ଭାବନ୍ତି ଅନୁକ୍ଷଣେ ॥ ୧୧୬
    ସ୍ୱଭାବେ ତାର ଶୁଦ୍ଧମତି । ହରି ଚରଣେ ନିତ୍ୟେ ରତି ॥ ୧୧୭
    ବାଳକମେଳେ କ୍ରୀଡ଼ା କରେ । କ୍ରୀଡ଼ା-କନ୍ଦୁକ ନ ସୁମରେ ॥ ୧୧୮
    ଜଡ଼ର ପ୍ରାୟ ହୋଇ ଖେଳେ । ଚିତ୍ତ ଗୋବିନ୍ଦ-ପାଦତଳେ ॥ ୧୧୯
    ନଥାଏ ସଂଜ୍ଞା ତାର ଦେହେ । କୃଷ୍ଣେ ଆବିଷ୍ଟ ହୋଇଥାଏ ॥ ୧୨୦
    ମନ ତା ଗୋବିନ୍ଦ ଚରଣେ । ସଂସାରସୁଖ ସେ ନ ମଣେ ॥ ୧୨୧
    ଜାଗ୍ରତେ ଶୟନେ ଭୋଜନେ । ଭ୍ରମଣେ ବାକ୍ୟ-ଆଳାପନେ ॥ ୧୨୨
    କୃଷ୍ଣଚରଣେ ଚିତ୍ତ ଦେଇ । ବିଷୟ ରସେ ଜ୍ଞାନ ନାହିଁ ॥ ୧୨୩
    କୃଷ୍ଣଚରଣ ଚିନ୍ତାବଳେ । କି ଅବା ବୋଲେ କିବା କରେ ॥ ୧୨୪
    ନିର୍ଲ୍ଲଜ ପ୍ରାୟ ନୃତ୍ୟ କରେ । ହସି କାନ୍ଦଇ ଉଚ୍ଚସ୍ୱରେ ॥ ୧୨୫
    କୃଷ୍ଣ ଗାୟନ ସେ ଆନନ୍ଦେ । ନିର୍ମଳ ଭକ୍ତିଭାବ ଭେଦେ ॥ ୧୨୬
    କୃଷ୍ଣର ଚେଷ୍ଟା ନିତ୍ୟେ କରେ । ସୁଜନଜନଙ୍କ ସଙ୍ଗରେ ॥ ୧୨୭
    କୃଷ୍ଣଚରଣେ ଭାବେ ମଜ୍ଜି । ପୁଲକ କରେ ରୋମରାଜି ॥ ୧୨୮
    ଆନନ୍ଦେ ଅଶ୍ରୁ ଝରଝର । ନିରତେ ବହେ ଚକ୍ଷୁଦ୍ୱାର ॥ ୧୨୯
    କୃଷ୍ଣଚରଣ-ସେବା-ଭୋଳେ । ରମଇ ଅକିଞ୍ଚନ ମେଳେ ॥ ୧୩୦
    ଆତ୍ମା-ନିବୃତ୍ତ ଅନୁକ୍ଷଣେ । ବିଷୟସଙ୍ଗ ଦୁଃଖ ମଣେ ॥ ୧୩୧
    ଏମନ୍ତେ ପୁତ୍ରର ବିଷୟେ । ହିରଣ୍ୟକଶିପୁ ନିର୍ଦ୍ଧୟେ ॥ ୧୩୨
    ଯାତନା କରେ ଅତିରେକେ । କେ ସହିପାରେ ନରଲୋକେ ॥ ୧୩୩


    ଯୁଧିଷ୍ଠିର ଉବାଚ
    ହେ ଦେବଋଷି ସତ୍ୟବ୍ରତ । କହିଲ ଅଦ୍‌ଭୁତ ଚରିତ ॥ ୧୩୪
    ନିଜ ସୁତକୁ ତାତ ଯେବେ । ଦଣ୍ଡିଲା ଶତ୍ରୁଜନ ଭାବେ ॥ ୧୩୫
    ସେ ଶୁଦ୍ଧଚେତା ପ୍ରହଲ୍ଲାଦ । କିମ୍ପାଇଁ ଅର୍ଜିଲା ପ୍ରମାଦ ॥ ୧୩୬
    କୁପୁତ୍ରପଣ ଯେ କରନ୍ତି । ପିତାକୁ ରିପୁ ପ୍ରାୟ ଚିନ୍ତି ॥ ୧୩୭
    ପୁତ୍ର-କୁଶଳେ ଶିକ୍ଷା ଅର୍ଥେ । ପିତା ଚିନ୍ତଇ ଦିବାରାତ୍ରେ ॥ ୧୩୮
    ନିଜ ପୁତ୍ରକୁ ପିତା କେବେ । ନ ଦଣ୍ଡେ ଅପର ସ୍ୱଭାବେ ॥ ୧୩୯
    ସେ ପୁତ୍ର ପିତା-ଅନୁଚର । ସ୍ୱଭାବେ ଶୁଦ୍ଧ ସାଧୁ ଧୀର ॥ ୧୪୦
    ଏହାକୁ କିମ୍ପା ଦୁଃଖ ଦେଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୪୧
    ଯେ ପିତା ପୁତ୍ରେ ଦିଏ ଦୁଃଖ । ସେ କଥା ମରଣୁଁ ଅଧିକ ॥ ୧୪୨
    ଏଣୁ ଦୁଃଖିତ ମୋର ମନ । କହ ହେ ବ୍ରହ୍ମାଙ୍କ ନନ୍ଦନ ॥ ୧୪୩


    ଶୁକ ଉବାଚ
    ଏମନ୍ତେ ଧର୍ମସୁତ ବାଣୀ । ନାରଦ ସଭା ମଧ୍ୟେ ଶୁଣି ॥ ୧୪୪
    କୃଷ୍ଣଚରଣେ ଦେଇ ଚିତ୍ତ । କହିଲେ ବିଷ୍ଣୁର ଚରିତ ॥ ୧୪୫
    ସେ ବ୍ରହ୍ମମୁନିର ଚରଣେ । ସୁଜନେ ନମ ଅନୁକ୍ଷଣେ ॥ ୧୪୬
    ତୁମ୍ଭର ହିତେ ଭାଗବତ । ଭାଷା-ପ୍ରବନ୍ଧେ କଲି ଗୀତ ॥ ୧୪୭
    ସପ୍ତମ ସ୍କନ୍ଧେ ଏହି ତତ୍ତ୍ୱ । କହଇ ଦାସ ଜଗନ୍ନାଥ ॥ ୧୪୮
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ପ୍ରହ୍ଲାଦ ଚରିତେ ଚତୁର୍ଥୋଽଧ୍ୟାୟଃ ॥

    ପଞ୍ଚମ ଅଧ୍ୟାୟ

    ନାରଦ ଉବାଚ
    ଅସୁରକୁଳେ ପୁରୋହିତ । ସର୍ବଜ୍ଞ ଶୁକ୍ର ଭୃଗୁସୁତ ॥୧
    ମୁନିଙ୍କ ପୁତ୍ର ବେନିଭାଇ । ଶଣ୍ଡ ଅମର୍କ ନାମେ ଦୁଇ ॥୨
    ରାଜା ଆଚାର୍ଯ୍ୟ ତାଙ୍କୁ କଲେ । ପୁତ୍ରମାନଙ୍କୁ ପଢ଼ାଇଲେ ॥୩
    ରାଜା ମନ୍ଦିରେ ବେନିଭାଇ । ଦୈତ୍ୟପୁତ୍ରଙ୍କୁ ସଙ୍ଗେ ଲଇ ॥୪
    ଯେ ଷଡ଼ନୀତି ରାଜକୁଳେ । ସର୍ବେ ପଢ଼ନ୍ତି ଏକମେଳେ ॥୫
    ତାହାଙ୍କ ମଧ୍ୟେ ପ୍ରହଲ୍ଲାଦ । ସକଳ-ଶାସ୍ତ୍ରେ ହେଲେ ସିଦ୍ଧ ॥୬
    ଗୁରୁଙ୍କ ମୁଖୁଁ ବେଳେ ଶୁଣି । ତକ୍ଷଣେ ଚିତ୍ତେ ପରିମାଣି ॥୭
    ଚିତ୍ତ ନିର୍ମଳେ ତାହା ଜାଣେ । କେବଳ ମନେ ନ ପ୍ରମାଣେ ॥୮
    ବିଚାର କରେ ଅନ୍ତର୍ଗତେ । କେ ରିପୁ କେ ମିତ୍ର ଜଗତେ ॥୯
    ଏକଇ ଆତ୍ମା ନରହରି । ସମେ ସକଳଘଟେ ପୂରି ॥୧୦
    ଏକଥା ଅଟଇ ପ୍ରମାଣ । ସକଳ ଆତ୍ମା ନରାୟଣ ॥୧୧
    ଯେ ପାଠ ପଢ଼େ ବାହ୍ୟମତେ । ଦୃଢ଼େ ନ ଧରେ ଅନ୍ତର୍ଗତେ ॥୧୨
    ଦିନେକ ପ୍ରହଲ୍ଲାଦ ଆଣି । କୋଳେ ବସାଇ ନୃପମଣି ॥୧୩
    ଅନେକ ଅଳଙ୍କାର ଦେଇ । ସାନନ୍ଦେ ପୁତ୍ରକୁ ପୁଚ୍ଛଇ ॥୧୪


    ହିରଣ୍ୟକଶିପୁ ଉବାଚ
    ହେ ପୁତ୍ର ଶୁଣ ବାକ୍ୟ ମୋର । ଯେ ଷଡ଼ନୀତି ରାଜାଙ୍କର ॥୧୫
    ତୁ ତାହା ଗୁରୁମୁଖୁଁ ଶୁଣୁ । ସୁଦୃଢ଼ଚିତ୍ତେ ନ ପ୍ରମାଣୁ ॥୧୬
    ମୁଁ ଭଲେ ଶୁଣିଲଇଁ ତାହା । କହ ତୁ ସାଧୁ ମଣୁ ଯାହା ॥୧୭
    ଯେ ରାଜନୀତି ଚିତ୍ତେ ଧରେ । କେବେ ହେଁ ଶତ୍ରୁକୁ ନ ଡରେ ॥୧୮
    ସଂଗ୍ରାମେ ରିପୁ ଜୟକରେ । ସେ ରାଜା ସୁଖ ଭୁଞ୍ଜେ ଭଲେ ॥୧୯
    ବିଦ୍ୟା ପଢ଼ିଲୁ ଏତେ କାଳ । ଭଲ କି ମଣୁ ମୋତେ ବୋଲ ॥୨୦
    ପିତା-ବଚନ ପୁତ୍ର ଶୁଣି । ଶିରେ ନିବେଶି ବେନି ପାଣି ॥୨୧
    ସାନନ୍ଦେ ବାକ୍ୟ ଗଦଗଦ । କହେ ବାଳକ ପ୍ରହଲ୍ଲାଦ ॥୨୨


    ପ୍ରହ୍ଲାଦ ଉବାଚ
    ଶୁଣ ଭୋ ତାତ ଏକଚିତ୍ତେ । ଯେ ସାଧୁ ମଣେ ମୋର ମତେ ॥୨୩
    ସଂସାର ସାଗର ପରାୟେ । ପ୍ରାଣୀଙ୍କୁ ଉଦବେଗ ଦିଏ ॥୨୪
    ଦେଖ ଏ ଗୃହ-ଅନ୍ଧକୂପ । ଆତ୍ମା ନିପାତ ମହାତାପ ॥୨୫
    ଏହାକୁ ଦୂରେ ପରିହର । ଅରଣ୍ୟେ କୃଷ୍ଣ ଆଶ୍ରେକର ॥୨୬
    ସାଧୁ ମଣଇ ଏହା ଚିତ୍ତେ । ସତ୍ୟ କହିଲି ତୋ ଅଗ୍ରତେ ॥୨୭


    ନାରଦ ଉବାଚ
    ଏମନ୍ତେ ପୁତ୍ରବାକ୍ୟ ଶୁଣି । ଶତ୍ରୁର ପକ୍ଷ ପ୍ରାୟେ ମଣି ॥୨୮
    ଉଚ୍ଚେ ହସିଲା ଅତିରେକ । ବୋଲଇ ପୁତ୍ର ଅବିବେକ ॥୨୯
    ଏପରି ପରବୁଦ୍ଧି ବଳେ । ନଷ୍ଟ ହୁଅନ୍ତି ସର୍ବକାଳେ ॥୩୦
    ଏହାର ବୁଦ୍ଧି କେ ହରିଲା । ଏ ମୋର ଶତ୍ରୁକୁ ଭଜିଲା ॥୩୧
    କୋଳୁ ବାଳକ ତଳେ ଥୋଇ । ବୋଲେ ସେବକ ମୁଖ ଚାହିଁ ॥୩୨
    ଗୁରୁ-ଭୁବନେ ନେଇ ଦିଅ । ଏକଥା ଗୁରୁ ଆଗେ କହ ॥୩୩
    ଏ ମୋର ବାଳକର ମନ । ବିଷ୍ଣୁବିଷୟେ କିବା ଛନ୍ନ ॥୩୪
    ଏହାର ମନ ବିଷ୍ଣୁ ପକ୍ଷେ । ଯେମନ୍ତେ ନ ଘଟେ ପ୍ରତ୍ୟକ୍ଷେ ॥୩୫
    ରାଜାର ଆଜ୍ଞା ଭୃତ୍ୟେ ପାଇ । ବାଳକ ଗୁରୁଘରେ ନେଇ ॥୩୬
    ବ୍ରାହ୍ମଣଗୋଷ୍ଠୀ ମଧ୍ୟେ ଦେଲା । ରାଜା ବଚନ ଜଣାଇଲା ॥୩୭
    ତା ଶୁଣି ବିପ୍ର ଉଦବେଗେ । ବୋଲନ୍ତି ପ୍ରହଲ୍ଲାଦ ଆଗେ ॥୩୮
    ସାଧୁ ବଚନ ବାକ୍ୟମତେ । କହନ୍ତି ହସ୍ତଧରି ହସ୍ତେ ॥୩୯
    ହେ ବତ୍ସ ପ୍ରହଳ୍ଲାଦ ଶୁଣ । ସର୍ବଦା ହେଉ ତୋ କଲ୍ୟାଣ ॥୪୦
    ଆମ୍ଭଙ୍କୁ ଲାଗଇ ସଂଶୟ । ମିଥ୍ୟା ତୁ ତେଜି ସତ୍ୟ କହ ॥୪୧
    ବାଳକବୁଦ୍ଧି ତୋ ନ ଦେଖି । ଅଦ୍‌ଭୁତ ପ୍ରାୟେ ଉପଲକ୍ଷି ॥୪୨
    ତୋହର ବୁଦ୍ଧି କେ ହରିଲା । ଶତ୍ରୁ-ଭଜନେ ଶିକ୍ଷା ଦେଲା ॥୪୩
    କିବା ଏ ସ୍ୱଭାବ ତୋହର । ଆମ୍ଭଙ୍କୁ ଲାଗେ ଅଗୋଚର ॥୪୪
    କହ କେ ତୋତେ ଦେଲା ଦୀକ୍ଷା । ଆମ୍ଭେ ଶ୍ରବଣେ କରୁ ଇଚ୍ଛା ॥୪୫


    ପ୍ରହ୍ଲାଦ ଉବାଚ
    ଯାହାର ମାୟାବଳେ ଜନ । ସ୍ୱ-ପର ବୁଦ୍ଧି କରେ ଭିନ୍ନ ॥୪୬
    ଯାହାର ନାହିଁ ପରାପର । ତାହାଙ୍କୁ ମୋର ନମସ୍କାର ॥୪୭
    ଯାହାଙ୍କ ଆଜ୍ଞା ପରମାଣେ । ପ୍ରାଣୀ ନିସ୍ତରେ ଭବ-ବଣେ ॥୪୮
    ସେ ସର୍ବଆତ୍ମା ଯୋଗେଶ୍ୱର । ତାହାର ନାହିଁ ଆତ୍ମାପର ॥୪୯
    ଯାହାକୁ ହରି କରେ ଦୟା । ତାହାର ଯାଏ ଭେଦମାୟା ॥୫୦
    ବାସନାବଳେ ସର୍ବଜନ୍ତୁ । ଭୁଞ୍ଜନ୍ତି ପରାପର-ହେତୁ ॥୫୧
    ତାହାର ମାର୍ଗେ ଶିବ-ବ୍ରହ୍ମ । ଗତି ନ ଲଭି ହୋନ୍ତି ଭ୍ରମ ॥୫୨
    ସେ ମୋର ମନ ଭିନ୍ନ କଲା । ପର ଅପର ନ କହିଲା ॥୫୩
    ଯେସନେ ଅୟସ୍କାନ୍ତ ଗୁଣେ । ଲୌହ ଭ୍ରମଇ ଆକର୍ଷଣେ ॥୫୪
    ମୋହର ମନ ସେହିମତେ । ଭ୍ରମଇ ବିଷ୍ଣୁର ଆୟତ୍ତେ ॥୫୫


    ନାରଦ ଉବାଚ
    ଗୁରୁଙ୍କୁ କହି ଏ ବଚନ । ପ୍ରହ୍ଲାଦ ହୋଇଲା ମଉନ ॥୫୬
    ବାଳକ ବାଣୀ ଶୁଣି କର୍ଣ୍ଣେ । କୋପ ବସିଲା ଗୁରୁ ମନେ ॥୫୭
    ସମୀପେ ଥିଲେ ରାଜାଲୋକ । ଗୁରୁହିଁ ରାଜାର ସେବକ ॥୫୮
    କୋପେ କମ୍ପିଲେ ବାକ୍ୟ ଶୁଣି । ତକ୍ଷଣେ ଘରୁ ବେତ ଆଣି ॥୫୯
    ରାଜାର ବଂଶେ ଦୁରାଚାର । ନିଶ୍ଚେ ଜନ୍ମିଲା କୁଳାଙ୍ଗାର ॥୬୦
    ଦୁର୍ବୁଦ୍ଧି ପଣ ଏ ବାଳକ । ଏହାକୁ ଦଣ୍ଡେ ହେଁ ନ ରଖ ॥୬୧
    ଚନ୍ଦନବନେ କଣ୍ଟାବୃକ୍ଷ । ଦେଖ ହୋ ଜନ୍ମିଲା ପ୍ରତ୍ୟକ୍ଷ ॥୬୨
    କଣ୍ଟକ ବୃକ୍ଷ ଯେବେ ମାରି । ଚନ୍ଦନ ବନ ଯତ୍ନ କରି ॥୬୩
    ତେବେ ନିର୍ଭୟେ ଭୋଗକରି । କଣ୍ଟକ ଥିଲେ ନିତ୍ୟେ ଡରି ॥୬୪
    ଚନ୍ଦନ ବନ ଦୈତ୍ୟଗଣ । ବିଷ୍ଣୁ ଯେ କୁଠାର ସମାନ ॥୬୫
    କୁଠାର ବେଣ୍ଟ ଏହୁ ହୋଇ । ଏ ଥିଲେ ଆମ୍ଭ ଭଲ ନାହିଁ ॥୬୬
    ଏମନ୍ତେ କରାଇଲେ ଭୟେ । ତର୍ଜ୍ଜିଲେ ବିବିଧ ଉପାୟେ ॥୬୭
    ପୁଣି ଆଶ୍ୱାସ ତାକୁ କରି । ଗୁରୁ ପଢ଼ାନ୍ତି ହସ୍ତଧରି ॥୬୮
    ଯେ ଧର୍ମ-ଅର୍ଥ-କାମଫଳେ । ସେ ବିଦ୍ୟା ପଢ଼ାଇଲେ ବଳେ ॥୬୯
    ମୋକ୍ଷ ହିଁ ଅଛି ତାର ତହିଁ । ଏମନ୍ତ ବାଳକେ ପଢ଼ାଇ ॥୭୦
    ମାତାଙ୍କ ଆଗେ ନେଇ ଦେଲେ । ସେ ତାକୁ ଅଳଙ୍କୃତ କଲେ ॥୭୧
    ରାଜା ସମୀପେ ଦେଲେ ନେଇ । ତା ଦେଖି ରାଜା ତୋଷହୋଇ ॥୭୨
    ଚରଣ ତଳେ ପୁତ୍ର ଚାହିଁ । ତକ୍ଷଣେ କୋଳ କଲା ନେଇ ॥୭୩
    ଆନନ୍ଦେ ଗାତ୍ରେ ହସ୍ତ ଦେଇ । ସ୍ନେହରେ କୋଳରେ ବସାଇ ॥୭୪
    ପୁତ୍ର ସ୍ୱଭାବେ ପ୍ରୀତିକରି । କଲ୍ୟାଣ କରେ କୋଳେ ଧରି ॥୭୫
    ପ୍ରସନ୍ନ ବଦନେ ଅନାଇଁ । ସଧୀରେ ପୁତ୍ରକୁ ବୋଲଇ ॥୭୬


    ହିରଣ୍ୟକଶିପୁ ଉବାଚ
    ହେ ପୁତ୍ର ଶୁଣ ମୋ ବଚନ । ଗୁରୁ ଭୁବନେ ଏତେ ଦିନ ॥୭୭
    ତୁ ଯେ ପଢ଼ିଲୁ ବାଳଭାବେ । ମୋର ସମ୍ମୁଖେ କହ ଏବେ ॥୭୮
    ଉତ୍ତମ ବିଦ୍ୟା ପୁତ୍ର କହ । ମୋ ମନେ ନ ରହୁ ସନ୍ଦେହ ॥୭୯


    ପ୍ରହ୍ଲାଦ ଉବାଚ
    ଶୁଣ ହେ ତାତ ମନଦେଇ । ଯେ ବିଦ୍ୟା ଉତ୍ତମ ମଣଇ ॥୮୦
    ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନ । ସ୍ମରଣ ଚରଣସେବନ ॥୮୧
    ସର୍ବସମ୍ପଦ ସମର୍ପିବ । ଚରଣେ ଦାସ ପଣେ ଥିବ ॥୮୨
    ସଖ୍ୟ ଭାବରେ ନେବ ଦିନ । କରିବ ଆତ୍ମନିବେଦନ ॥୮୩
    ଏତେ ପ୍ରକାରେ ବିଷ୍ଣୁଭାବ । ନିରତେ ଚିତ୍ତେ ସୁମରିବ ॥୮୪
    ଏହା ମୁଁ ଉତ୍ତମ ମଣଇ । କହିଲି ତୋର ଆଗେ ମୁହିଁ ॥୮୫
    ଏ ନବଲକ୍ଷଣେ ଭକତି । ଯେ ନର ଗୋବିନ୍ଦେ କରନ୍ତି ॥୮୬
    ଉତ୍ତମ ବିଦ୍ୟା ବୋଲି ତାହା । ଯେଣେ ନ ଲାଗେ ବିଷ୍ଣୁମାୟା ॥୮୭
    ଏମନ୍ତ ପୁତ୍ରମୁଖୁଁ ଶୁଣି । କୋପେ ଉଠିଲା ଶିର ଝୁଣି ॥୮୮
    ଆରକ୍ତ ବେନିଚକ୍ଷୁ ତାର । ପ୍ରଚଣ୍ଡେ କମ୍ପଇ ଅଧର ॥୮୯
    ଗୁରୁପୁତ୍ରର ମୁଖ ଚାହିଁ । ବୋଲଇ କୋପଭର ହୋଇ ॥୯୦
    ତୁ ବ୍ରହ୍ମବନ୍ଧୁ ଗୁରୁସୁତ । ଏ ତ ତୋହର ବିପରୀତ ॥୯୧
    ମୋର ବିପକ୍ଷ-ସ୍ତୁତି ଯେତେ । ଏହା ଶିଖାଇଲୁ କେମନ୍ତେ ॥୯୨
    ଅସାର ବିଦ୍ୟା ଶିଖାଇଲୁ । ତୁ ତ ଅବଜ୍ଞା ମୋତେ କଲୁ ॥୯୩
    ଅସାଧୁଲୋକ ଏ ସଂସାରେ । ଅଛନ୍ତି କୈତବ ବେଭାରେ ॥୯୪
    ତାହାଙ୍କ ଦୋଷ ତାଙ୍କୁ ମାରେ । ରୋଗ ଯେସନେ କଳେବରେ ॥୯୫
    ଯେ ପ୍ରାଣୀ ବ୍ରହ୍ମହତ୍ୟା କରେ । ସେ କ୍ଷୟରୋଗୀ ଜନ୍ମାନ୍ତରେ ॥୯୬
    ଯେ ନିତ୍ୟ ମଦ୍ୟପାନ କରେ । ବିକଟଦନ୍ତ ତା ଅଧରେ ॥୯୭
    ସୁବର୍ଣ୍ଣ ହରିଥାଇ ଯେପେ । କୁନଖୀ ହୋଇ ଜନ୍ମ ଲଭେ ॥୯୮
    ଗୁରୁକାମିନୀ ଯେହୁ ରତେ । ଧବଳକୁଷ୍ଠ ମୁଖ ହସ୍ତେ ॥୯୯
    ଏମନ୍ତେ ଅସୁର ବଚନେ । କହନ୍ତି ଗୁରୁଙ୍କ ନନ୍ଦନେ ॥୧୦୦


    ଗୁରୁପୁତ୍ର ଉବାଚ
    ମୋହର ଶିକ୍ଷା ଏ ନୁହଁଇ । ଆନ ବା ପଢ଼ାଇବ କେହି ॥୧୦୧
    ତୋର ପୁତ୍ରର ଏ ସ୍ୱଭାବ । ଜାଣି ତୁ ଚିନ୍ତ ପରାଭବ ॥୧୦୨


    ନାରଦ ଉବାଚ
    ଏମନ୍ତେ ଗୁରୁବାକ୍ୟ ଶୁଣି । ସଂଶୟଚିତ୍ତେ ନୃପମଣି ॥୧୦୩
    ପୁତ୍ରକୁ ଚାହିଁ କୋପଭରେ । ବୋଲଇ କୁତ୍ସିତ-ବେଭାରେ ॥୧୦୪


    ହିରଣ୍ୟକଶିପୁ ଉବାଚ
    ଏ ବିଦ୍ୟା ଗୁରୁବାକ୍ୟ ନୋହେ । କେ ଅବା ତୋର ମନ ମୋହେ ॥୧୦୫


    ପ୍ରହ୍ଲାଦ ଉବାଚ
    ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର । ମତିର ଗତି ଚକ୍ରଧର ॥୧୦୬
    ଯେ ପ୍ରାଣୀ ଗୃହକୃତ୍ୟ କରେ । ତା ମତି କୃଷ୍ଣ ନ ସୁମରେ ॥୧୦୭
    ଗୁରୁବଚନ କି କରିବ । ଯାହାର ଯେମନ୍ତ ସ୍ୱଭାବ ॥୧୦୮
    ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେ । ଗୃହସ୍ଥ ପଡ଼େ ରସାତଳେ ॥୧୦୯
    କୁଳବେଭାରେ ବଶହୋଇ । ଚର୍ବିତ ଚର୍ବଣ କରଇ ॥୧୧୦
    ତାହାଙ୍କ ମତି କୃଷ୍ଣଠାବେ । କେବେହେଁ ନୋହେ ଭକ୍ତିଭାବେ ॥୧୧୧
    ଯେ ପ୍ରାଣୀ ଦୁରାଶୟ ପଣେ । ଅନର୍ଥ ଅର୍ଥ ପ୍ରାୟେ ମଣେ ॥୧୧୨
    ସେ କାହିଁ କୃଷ୍ଣଙ୍କୁ ପାଇବ । ଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ ॥୧୧୩
    ଯାହାର ମତି ଅର୍ଥ ଧ୍ୟାୟି । ସେ ପ୍ରାଣୀ ଲଭିବ ତା କାହିଁ ॥୧୧୪
    ଅନ୍ଧକୁ ଅନ୍ଧ ଯେହ୍ନେ ବହେ । ସେ ଈଶତନ୍ତ୍ରେ ଭ୍ରମେ ମୋହେ ॥୧୧୫
    ଏମନ୍ତ ପ୍ରାଣୀଙ୍କ ସ୍ୱଭାବ । କେମନ୍ତେ କୃଷ୍ଣଙ୍କୁ ଲଭିବ ॥୧୧୬
    କୃଷ୍ଣ-ଚରଣ-ପଦ୍ମ ଦୁଇ । ଏ ଘେନି ଲଭି ନ ପାରଇ ॥୧୧୭
    ଯାହାର ଚରଣର ଅର୍ଥ । ସ୍ମରଣେ ଖଣ୍ଡଇ ଅନର୍ଥ ॥୧୧୮
    ଯାହାଙ୍କ ଚରଣାରବିନ୍ଦ । ସେବି ନ ପାନ୍ତି ସୁରବୃନ୍ଦ ॥୧୧୯
    ବିଷ୍ଣୁଭକତ ପାଦଧୂଳି । ଉଦକ ସେଙ୍ଗ ଶିରେ ବୋଳି ॥୧୨୦
    ତହିଁ ଯେ ସ୍ନାନ ନ କରଇ । ହରିଙ୍କି ଲଭିବ ସେ କାହିଁ ॥୧୨୧
    ଏମନ୍ତ କହି ଦୈତ୍ୟବଳା । ଅନ୍ତରେ ମଉନ ହୋଇଲା ॥୧୨୨
    ଶୁଣି ଅସୁର କୋପାନଳେ । କୋଳରୁ ପକାଇଲା ତଳେ ॥୧୨୩
    ରୋଷେ ଅରୁଣଚକ୍ଷୁ କଲା । ଅସୁରଗଣେ ଆଜ୍ଞା ଦେଲା ॥୧୨୪


    ହିରଣ୍ୟକଶିପୁ ଉବାଚ
    ଶୁଣ ହେ ନଈରତଗଣ । ମୋର ପୁତ୍ରର ଦୁଷ୍ଟପଣ ॥୧୨୫
    ମରଣ ଅର୍ଜିଲା ବେଭାରେ । ଏହାକୁ ରାଜ୍ୟୁ କର ଦୂରେ ॥୧୨୬
    ମୋର ଅନୁଜ ନାଶ କରି । ଯେ ବିଷ୍ଣୁ ମୋହର ବଇରୀ ॥୧୨୭
    ତାହାର ପକ୍ଷ ଏ ଧଇଲା । ନିଜ ସୁହୃଦ ଉପେକ୍ଷିଲା ॥୧୨୮
    ବିଷ୍ଣୁର ଦାସପଣେ ରହେ । କେ ପ୍ରାଣ ଥାଉଁ ଏହା ସହେ ॥୧୨୯
    ବିଷ୍ଣୁର ଆଶ୍ରେ ଏ ମୋହର । ନିଶ୍ଚେ କରିବ ଅପକାର ॥୧୩୦
    ପିତା ସୁହୃଦ ପୁତ୍ରଙ୍କର । ଦୁସ୍ତ୍ୟଜ୍ୟ ଏ ଶାସ୍ତ୍ର ବେଭାର ॥୧୩୧
    ଏ ପଞ୍ଚବରଷର ସୁତ । ପିତାମାତାରେ ଅଭକତ ॥୧୩୨
    ପରର ପୁତ୍ର ହୋଇ ଯେବେ । ଆପଣା ହିତ ଅନୁଭାବେ ॥୧୩୩
    ତାହାକୁ ଜାଣି ନିଜ ସୁତ । ରୋଗକୁ ଔଷଧ ଯେମନ୍ତ ॥୧୩୪
    ଆପଣା ତହୁଁ ଜାତ ହୋଇ । ପରର ହିତେ ଯେବେ ଥାଇ ॥୧୩୫
    ବ୍ୟାଧିର ପ୍ରାୟ ଜନ୍ମ ତାର । ତା ମଲେ ଆତ୍ମାର ନିସ୍ତାର ॥୧୩୬
    ଯେ ଅଙ୍ଗେ ସର୍ପାଘାତ କରେ । ସେ ଅଙ୍ଗ ଦୋଷେ ପ୍ରାଣୀ ମରେ ॥୧୩୭
    ସେ ଅଙ୍ଗ ଛେଦି ପକାଇଲେ । ଦେହେ ଜୀବନ ରହେ ଭଲେ ॥୧୩୮
    ଯେ ହିତ କରେ ପର ହୋଇ । ତା ତହୁଁ ଆର ବନ୍ଧୁ କାହିଁ ॥୧୩୯
    ଅହିତ କରେ ବନ୍ଧୁ ଯେବେ । ତାହାକୁ ଲେଖି ଶତ୍ରୁଭାବେ ॥୧୪୦
    ଦେହରୁ ବ୍ୟାଧି ଜନ୍ମ ହୋଇ । ଆତ୍ମା ସହିତେ ସଂହାରଇ ॥୧୪୧
    ଅରଣ୍ୟୁ ଅଉଷଧି ଆଣି । ରୋଗ-ସଙ୍କଟୁ ତରେ ପ୍ରାଣୀ ॥୧୪୨
    ପର ଅପର ଏ ବିଚାର । କେ ରିପୁ କେବା ଆପଣାର ॥୧୪୩
    ସୁହୃଦ ହୋଇ ଶତ୍ରୁପଣେ । ପାପ ଚିନ୍ତଇ ଅନୁକ୍ଷଣେ ॥୧୪୪
    ନାନା-ଉପାୟେ ତାକୁ ମାରି । ସେ ମଲେ ସୁଖେ ପ୍ରାଣ ଧରି ॥୧୪୫
    ଯୋଗୀଙ୍କ ଯୋଗଧ୍ୟାନ କାଳେ । ଦୁଷ୍ଟଇନ୍ଦ୍ରିୟ ଯେବେ ବଳେ ॥୧୪୬
    ତାହାକୁ ଯେବେ କରେ ସାଧ୍ୟ । ତେବେ ଲଭଇ ବ୍ରହ୍ମପଦ ॥୧୪୭
    ଏ ମିତ୍ରବେଶଧାରୀ ପର । ଏହାକୁ ବେଗେ ବଧ କର ॥୧୪୮
    ଭୋଜନ ଶୟନ ଆସନେ । ଉପାୟ କର ତା ମରଣେ ॥୧୪୯
    ଏମନ୍ତେ ରାଜା ଆଜ୍ଞା ପାଇ । ଅସୁରେ ଅସ୍ତ୍ର ଘେନି ଧାଇଁ ॥୧୫୦
    ବାଳକ-ନାଶ ମନେ ଚିନ୍ତି । ଶୂଳ ଅନ୍ତରୀକ୍ଷେ ବୁଲାନ୍ତି ॥୧୫୧
    ସୁତୀକ୍ଷ୍‌ଣ ଦିଶେ ଦନ୍ତପନ୍ତି । କରାଳ-ବଦନେ ଚାହାନ୍ତି ॥୧୫୨
    ତମ୍ବାର ବର୍ଣ୍ଣ ପ୍ରାୟେ ଦାଢ଼ି । ଶିରେ କପିଳଜଟା ବେଢ଼ି ॥୧୫୩
    ନାଚନ୍ତି ଭଇରବ ନାଦେ । ଅସୁରେ ଛନ୍ଦି ପାଦ ପାଦେ ॥୧୫୪
    ଶୂଳ ବୁଲାଇ ମହାଘୋରେ । ପିଟିଲେ ବାଳକ ଉପରେ ॥୧୫୫
    ତା ଦେଖି ଅସୁରକୁମର । ମନେ ଚିନ୍ତିଲା ଚକ୍ରଧର ॥୧୫୬
    ଗୋବିନ୍ଦପାଦେ ଚିତ୍ତ ଦେଇ । ବୋଲଇ ଅସୁରଙ୍କୁ ଚାହିଁ ॥୧୫୭
    ତୁମ୍ଭର ଦେହେ ଯେବେ ହରି । ଆତ୍ମା-ସ୍ୱରୂପେ ଛନ୍ତି ପୂରି ॥୧୫୮
    ସକଳ ଶସ୍ତ୍ରେ ହରି ଯେବେ । ଘଟଣେ ଛନ୍ତି ଆତ୍ମାଭାବେ ॥୧୫୯
    ଏକଥା ସତ୍ୟ ଯେବେ ହୋଇ । ଶସ୍ତ୍ର ନ କାଟୁ ମୋର ଦେହୀ ॥୧୬୦
    ଶୁଣି ଅସୁର କୋପଭରେ । ଅନେକଶସ୍ତ୍ର ପ୍ରହାରିଲେ ॥୧୬୧
    ପ୍ରହଲ୍ଲାଦର ଦେହେ ବାଜି । ସକଳ ଶସ୍ତ୍ରେ ଗଲେ ଭାଜି ॥୧୬୨
    ଅପୁଣ୍ୟବନ୍ତପ୍ରାଣୀ ଦେହେ । ସାତ୍ତ୍ୱିକଫଳ ଯେହ୍ନେ ନୋହେ ॥୧୬୩
    ଅଦ୍‌ଭୁତ-କର୍ମ ତାର ଦେଖି । ତକ୍ଷଣେ ଆସନ ଉପେକ୍ଷି ॥୧୬୪
    ଭିତରେ ପଶିଲା ଅସୁର । ଭୟରେ କମ୍ପେ ଥରହର ॥୧୬୫
    ମନ୍ତ୍ରୀ ସଙ୍ଗତେ ବିଚାରିଲା । ବାଳକ-ମରଣ ଚିନ୍ତିଲା ॥୧୬୬
    ଅଇରାବତ ଆଦି ନାଗେ । ତାହାଙ୍କୁ ଅଣାଇଲା ବେଗେ ॥୧୬୭
    ବୋଲଇ ଦନ୍ତାଘାତ କର । ଯେମନ୍ତେ ମରଇ କୁମର ॥୧୬୮
    ଶୁଣି ଅନେକ ହସ୍ତୀ ତୁଲେ । ବାଳକ-ସମୀପେ ମିଳିଲେ ॥୧୬୯
    ହସ୍ତୀଙ୍କି ଚାହିଁ ଦୈତ୍ୟବଳା । ଅନ୍ତରେ କୃଷ୍ଣ ସୁମରିଲା ॥୧୭୦
    ମହାକ୍ରୋଧରେ ଗଜବରେ । ନିଷ୍ଠୁର-ଦନ୍ତର ଅଗ୍ରରେ ॥୧୭୧
    ନିର୍ଘାତେ କରନ୍ତେ ପ୍ରହାର । ସକଳ ଦନ୍ତ ହେଲା ଚୂର ॥୧୭୨
    ଭୟେ ଭାଜିଲେ ହସ୍ତୀବଳ । ଦେଖି ଅସୁର କୋପାନଳ ॥୧୭୩
    ତକ୍ଷକ ଆଦି ଅଷ୍ଟନାଗେ । ଥିଲେ ଯେ ଅନ୍ତରୀକ୍ଷ ମାର୍ଗେ ॥୧୭୪
    ତାହାଙ୍କୁ ରାଇ ନୃପବର । ନିଷ୍ଠୁରେ ବୋଲଇ ଉତ୍ତର ॥୧୭୫
    ଏ କୁଳାଙ୍ଗାର ମୋ କୁମର । ଏହାର ପ୍ରାଣ ବେଗେ ହର ॥୧୭୬
    ନାଗକୁ ଦେଖି ପ୍ରହଲ୍ଲାଦ । ଚିତ୍ତେ ଚିନ୍ତିଲା କୃଷ୍ଣପାଦ ॥୧୭୭
    ତକ୍ଷଣେ କୋପେ ନାଗେ ଗଲେ । ବାଳକ ଶରୀରେ ଦଂଶିଲେ ॥୧୭୮
    ମୁଖରୁ ଦନ୍ତ ଝଡ଼ିଗଲା । ନାଗଙ୍କ ଫଣା ବଥାଇଲା ॥୧୭୯
    ନାଗେ ପଳାଇଗଲେ ବେଗେ । ଜୀବନ ଭୟେ ଦଶଦିଗେ ॥୧୮୦
    ପୁଣି ସେ କୃତ୍ୟାହୋମ କଲା । ପର୍ବତ ଶିଖୁ କଚାଡ଼ିଲା ॥୧୮୧
    ଶମ୍ବର ହସ୍ତେ ମାୟା କଲା । କେବେହେଁ ପ୍ରାଣ ତା ନଗଲା ॥୧୮୨
    ବନ୍ଧନ କରି ହସ୍ତପାଦ । ମେଲିଲା ଅଗାଧ ସମୁଦ୍ର ॥୧୮୩
    ବନ୍ଧନ କରି ପ୍ରତିଦିନେ । ମରିବ ବୋଲଇ କେସନେ ॥୧୮୪
    ଭର୍ତ୍ସନା କଲା ପ୍ରତିଦିନେ । ଗରଳ ଦେଲା ଅନ୍ନପାନେ ॥୧୮୫
    କେତେହେଁ ଦିନ ଅଭୋଜନ । ବଞ୍ଚିଲା ଅସୁରନନ୍ଦନ ॥୧୮୬
    ହିମ ପବନ ଅଗ୍ନି ଜଳେ । ପର୍ବତ ଚାପି କୋପାନଳେ ॥୧୮୭
    ନାନାପ୍ରକାରେ କଷ୍ଟ ଦେଲା । କେବେହେଁ ବାଳକ ନ ମଲା ॥୧୮୮
    ସ୍ୱଭାବେ ପାପ ତାର ନାହିଁ । ଦଣ୍ଡ ବାଧିବ ତାକୁ କାହିଁ ॥୧୮୯
    କେବେହେଁ ମାରି ନ ପାରିଲା । ଚିନ୍ତାସାଗରେ ନିମଜ୍ଜିଲା ॥୧୯୦
    ଜାଗ୍ରତ ସ୍ୱପ୍ନ ପ୍ରାୟେ ହୋଇ । କେବେହେଁ ଶାନ୍ତି ନ ଭଜଇ ॥୧୯୧
    ଦେଖ ଏ ବାଳକ ବିଷୟେ । କେତେ ନ ଚିନ୍ତିଲି ଉପାୟେ ॥୧୯୨
    ଶତ୍ରୁର ପ୍ରାୟେ ପଛେ ଥାନ୍ତେ । କେବେହେଁ ନ ଡରଇ ଚିତ୍ତେ ॥୧୯୩
    କଷଣ ଦେଲି ଯେତେ ମୁହିଁ । କିଛି ଏହାର ହେଲା ନାହିଁ ॥୧୯୪
    ଶୁନଃଶେଫର ପ୍ରାୟେ ସହେ । କି ଆଉ କରିବି ଉପାୟେ ॥୧୯୫
    ମହାନୁଭବ ଏ କୁମର । ମନବଚନେ ଅଗୋଚର ॥୧୯୬
    ନିର୍ଭୟେ ଏତେ ଦୁଃଖ ସହେ । ଏଣୁ ମୋ ଚିତ୍ତେ ମହାଭୟେ ॥୧୯୭
    ଏହାର ତୁଲେ ବାଦ କଲେ । ପ୍ରାଣ ମୁଁ ନ ପାଇବି ଭଲେ ॥୧୯୮
    ଏମନ୍ତେ ଭାଳି ମନଦୁଃଖେ । ଦଣ୍ଡେ ରହିଲା ଅଧୋମୁଖେ ॥୧୯୯
    ସାଧୁ ବିଷୟେ ଦ୍ରୋହ କଲେ । କେବା ସଂସାରେ ଥିବ ଭଲେ ॥୨୦୦
    ଗୁରୁ କୁମରେ ତାହା ଶୁଣି । ଅସୁର ମୁଖ ଚାହିଁ ଭଣି ॥୨୦୧


    ଗୁରୁପୁତ୍ର ଉବାଚ
    ଶୁଣ ହେ ନୃପ ଚୂଡ଼ାମଣି । ତପେ ତୁ ତ୍ରିଭୁବନ ଜିଣି ॥୨୦୨
    ଆତ୍ମାର ସୁଖେ ଭୋଗକରୁ । ଯେହ୍ନେ ଅଚଳ-ମହମେରୁ ॥୨୦୩
    ତୋହର ରିପୁ ଏ ସଂସାରେ । ନ ଦେଖି ଶରୀର-ବେଭାରେ ॥୨୦୪
    ଏ ବାଳକୁମର ତୋହର । ଏହାକୁ କିମ୍ପା ତୋର ଡର ॥୨୦୫
    ବାଳକ ଗୁଣ-ଦୋଷ ନାହିଁ । ସଂଶୟ କରୁ କିମ୍ପା ତୁହି ॥୨୦୬
    ଯେବେ ସଂଶୟ ତୋର ମନେ । କହିବା ଶୁଣ ସାବଧାନେ ॥୨୦୭
    ଏହାକୁ ବରୁଣର ପାଶେ । ବନ୍ଧନ କର ତୁ ବିଶ୍ୱାସେ ॥୨୦୮
    ନିକଟେ ରଖ ତୋ ଆୟତ୍ତେ । ଭୟ ନ ଲାଗୁ ତୋର ଚିତ୍ତେ ॥୨୦୯
    ବାଳୁତ-ଦଶା ଏ ଛାଡ଼ିଲେ । ସୁବୁଦ୍ଧି ପ୍ରକାଶିବ ଭଲେ ॥୨୧୦
    ବ୍ରହ୍ମାର ପୁରୁ ଆମ୍ଭ ତାତ । ତୋ ପାଶେ ନ ଆସେ ଯାବତ ॥୨୧୧
    ତାବତ ଥାଉ ଏହିମତେ । ସଂଶୟ ନ କର ତୁ ଚିତ୍ତେ ॥୨୧୨
    ଗୁରୁପୁତ୍ରଙ୍କ ବାକ୍ୟ ଶୁଣି । ସନ୍ତୋଷେ କହେ ନୃପମଣି ॥୨୧୩


    ହିରଣ୍ୟକଶିପୁ ଉବାଚ
    ଶୁଣ ହେ ଗୁରୁଙ୍କ କୁମର । ଏବେ ମୋହର ବୋଲ କର ॥୨୧୪
    ଗୃହସ୍ଥାଶ୍ରମ ଧର୍ମ ଯେତେ । ସେ ରାଜଧର୍ମ ନୀତି ଯୁକ୍ତେ ॥୨୧୫
    ତ୍ରିବର୍ଗ ଧର୍ମ-ଅର୍ଥ-କାମେ । ଯେମନ୍ତେ ପଢ଼େ ଅନୁକ୍ରମେ ॥୨୧୬
    ଏମନ୍ତେ ରାଜାର ବଚନେ । ପ୍ରହ୍ଲାଦେ ଗୁରୁ ବେନିଜନେ ॥୨୧୭
    ଅନେକ ଯତ୍ନେ ପଢ଼ାଇଲେ । ଅସୁରକୁମରଙ୍କ ତୁଲେ ॥୨୧୮
    ଗୁରୁଙ୍କ ମୁଖୁଁ ଯେତେ ଶୁଣେ । ଅନ୍ତରେ ସାଧୁ ତା ନମଣେ ॥୨୧୯
    ଗୃହସ୍ଥ-ଧର୍ମର ବ୍ୟବସ୍ଥା । ଆତ୍ମାର ନିପାତ ଏ କଥା ॥୨୨୦
    ଏ ଧର୍ମେ ମୋହିହୋନ୍ତି ଜନ । ଏଣେ କି ମୋର ପ୍ରୟୋଜନ ॥୨୨୧
    ଏମନ୍ତେ କରଇ ବିଚାର । ଏବେ ହୋ ଶୁଣ ନୃପବର ॥୨୨୨
    ପଢ଼ଇ ବାଳକଙ୍କ ମେଳେ । ଗୁରୁ ଯେ ଗୃହକର୍ମେ ଗଲେ ॥୨୨୩
    ସେ ପ୍ରହଲ୍ଲାଦ ଦୟାବହି । ବୋଲେ ବାଳକ ମୁଖ ଚାହିଁ ॥୨୨୪
    ଶୁଣ ହେ ଅସୁରକୁମରେ । ଯେ ବିଦ୍ୟା ସଂସାରୁ ଉଦ୍ଧରେ ॥୨୨୫
    ମଞ୍ଚେ ମାନବ ଦେହ ବହି । ଆତ୍ମା ଜ୍ଞାନଟି ଯାର ନାହିଁ ॥୨୨୬
    ତାର ଜୀବନ ଅକାରଣ । ଏବେ ହୋ ସାବଧାନେ ଶୁଣ ॥୨୨୭
    ଏ ପିତାପୁତ୍ରଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥୨୨୮
    କହଇ ଦାସ ଜଗନ୍ନାଥ । ସପ୍ତମ ସ୍କନ୍ଧେ ଭାଗବତ ॥୨୨୯
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ପଞ୍ଚମୋଽଧ୍ୟାୟଃ ॥

    ଷଷ୍ଠ ଅଧ୍ୟାୟ

    ପ୍ରହ୍ଲାଦ ଉବାଚ
    ଶୁଣ ହେ ଅସୁର ବାଳକେ । ଯେ ବିଦ୍ୟାସାର ନରଲୋକେ ॥୧
    ଆହେ ବୟସ୍ୟେ ତୁମ୍ଭେ ଦେଖ । ମୃତ୍ୟୁ-ଅଧୀନ ଜୀବଲୋକ ॥୨
    ମାୟାକ୍ରୀଡ଼ାରେ ଭୋଳହୋଇ । ତୁମ୍ଭର ଦେହେ ଜ୍ଞାନ ନାହିଁ ॥୩
    ବାଳୁତ ଯୁବା ବୃଦ୍ଧଦେହୀ । କେବେହେଁ ମୃତ୍ୟୁ ନ ତରଇ ॥୪
    ଏ ଭାବ ଚିତ୍ତେ ଯେ ଚିନ୍ତନ୍ତି । ଅନ୍ତେ ସେ କୈବଲ୍ୟ ଭୁଞ୍ଜନ୍ତି ॥୫
    ଯେବେ ଅଶେଷ ଗ୍ରନ୍ଥ ପଢ଼ି । ଆତ୍ମାର ଗତିପଥ ହୁଡ଼ି ॥୬
    ପର-ଅପର ବୋଲି ଚିନ୍ତି । ସେ ମୃତ୍ୟୁ-ମୁଖେ ସଞ୍ଚରନ୍ତି ॥୭
    ଯେ ଗୁରୁ କହେ ଶାସ୍ତ୍ରମତେ । ଅର୍ଥକୁ ବୁଝାଇ ଅନର୍ଥେ ॥୮
    ଅଜ୍ଞାନ ନିନ୍ଦିତ ବଚନେ । ନ ଘଟେ ଶାସ୍ତ୍ର ଅନୁମାନେ ॥୯
    ସେ ଗୁରୁବାକ୍ୟେ କାର୍ଯ୍ୟ କିସ । ନିଷ୍ଫଳ ତାର ଉପଦେଶ ॥୧୦
    ଆତ୍ମ-ଶରୀର ଉଦ୍ଧାରଣେ । ନ କହେ ଅଜ୍ଞାନ କାରଣେ ॥୧୧
    ଏଣୁ ଏ ଆତ୍ମଜ୍ଞାନୀ ଯେତେ । ଯତ୍ନ କରନ୍ତି ଆତ୍ମାହିତେ ॥୧୨
    ଏଣୁ ଅଜ୍ଞାନୀଙ୍କ ବଚନ । ନମାନେ ଆତ୍ମଜ୍ଞାନୀ ଜନ ॥୧୩
    ଅଜ୍ଞାନୀ ଅଜ୍ଞାନ ଦେଖାଏ । ଅନ୍ଧକୁ ଅନ୍ଧ ଯେହ୍ନେ ବାହେ ॥୧୪
    ଜ୍ଞାନୀର ଶତ୍ରୁ-ମିତ୍ର ନାହିଁ । ନିତ୍ୟେ ଉଦାସିପଣେ ଥାଇ ॥୧୫
    ଜନ୍ତୁର କର୍ମର ଆୟତ୍ତେ । ସଂପଦ ବିପଦ ଯୁଗତେ ॥୧୬
    ଏ ମାୟାମୟ ଗୃହବାସେ । ପ୍ରାଣୀ ଯନ୍ତ୍ରିତ ମୋହପାଶେ ॥୧୭
    ମନର ଚରଣେ ଶାଙ୍କୋଳି । ଏଣୁ ନ ପାରେ ପ୍ରାଣୀ ଚଳି ॥୧୮
    ଏ ମାୟାବନ୍ଧ ଯା ବଚନେ । ତୁଟଇ ଜ୍ଞାନ ଅନୁମାନେ ॥୧୯
    ସେ ଗୁରୁବଚନ ପ୍ରମାଣି । ତେବେ ସଂସାରୁ ତରେ ପ୍ରାଣୀ ॥୨୦
    ବିଅର୍ଥେ କ୍ରୀଡ଼ା ନିତ୍ୟେ ଚିନ୍ତି । ଆୟୁଷ କ୍ଷୟ ନ ଜାଣନ୍ତି ॥୨୧
    ଏମନ୍ତେ ଅସୁରଙ୍କୁ ଚାହିଁ । ସେ ପ୍ରହଲ୍ଲାଦ ଦୟାବହି ॥୨୨
    କହଇ ଭାଗବତ ଧର୍ମ । ଯେଣେ ତୁଟଇ ଭବଭ୍ରମ ॥୨୩
    ଏମନ୍ତେ ଦୈତ୍ୟଶିଶୁ ଆଗେ । ପୁଣ କହନ୍ତି ଅନୁରାଗେ ॥୨୪
    ଶୁଣ ବାଳକେ ମୋ ବଚନ । ସଂସାରେ ଯେବା ବୁଧଜନ ॥୨୫
    କୁମାର କାଳୁ ଭକ୍ତିଭରେ । ଶରୀର ଅନିତ୍ୟ ବିଚାରେ ॥୨୬
    ମନୁଷ୍ୟ ଶରୀର ଦୁର୍ଲ୍ଲଭ । ଏଣୁ ଗୋବିନ୍ଦେ କର ଭାବ ॥୨୭
    ଯେ ହରି ସର୍ବଜୀବ ଦେହେ । ଆତ୍ମା ସୁହୃଦ ପ୍ରିୟ ପ୍ରାୟେ ॥୨୮
    ବସଇ ଈଶ୍ୱର ସ୍ୱଭାବେ । ଏଣୁ ଭଜିବ ଆତ୍ମଲାଭେ ॥୨୯
    ଏ ସୁଖ ଦୁଃଖ ଭୋଗ ଲାଭେ । କର୍ମର ବଳେ ତାହା ଲଭେ ॥୩୦
    ଏଣୁ ନ କରି ପ୍ରତିଆଶ । ନିରତେ ହୋଇବ ସନ୍ତୋଷ ॥୩୧
    ଦେଖ ଆୟୁଷ ଏ ଶରୀରେ । ଛିଦ୍ରଘଟର ପ୍ରାୟେ ଝରେ ॥୩୨
    ଏଣୁ ମୁକୁନ୍ଦ-ପାଦଯୁଗେ । ନିରତେ ଭଜ ମନଯୋଗେ ॥୩୩
    ମରଣ ନିତ୍ୟେ ସନ୍ନିହିତେ । ତା ମୁଖେ ନ ପଡ଼ ଯାବତ ॥୩୪
    ଯାବତ ସୁସ୍ଥ ଏ ଶରୀର । ବୃଦ୍ଧ ଅବସ୍ଥା ଅଛି ଦୂର ॥୩୫
    ଯାବତ ଏ ଦୁର୍ଲ୍ଲଭ ଦେହେ । ଇନ୍ଦ୍ରିୟଶକ୍ତି ନଷ୍ଟ ନୋହେ ॥୩୬
    ଯାବତ ଜୀବ ରହେ ଦେହେ । କାଳର ବଳେ କ୍ଷୟ ନୋହେ ॥୩୭
    ତାବତ ଆତ୍ମା ନିସ୍ତାରଣେ । ଯତ୍ନ କରିବ ଅନୁକ୍ଷଣେ ॥୩୮
    ତେବେ ଆତ୍ମାର ହିତକରେ । ଦୁର୍ଲ୍ଲଭ ମାନବ ଶରୀରେ ॥୩୯
    ଏ ଜ୍ଞାନ ନ ବୁଝି ଯେ ହେଳେ । ବୋଲେ ସାଧିବି ବୃଦ୍ଧକାଳେ ॥୪୦
    ଗୃହେ ଲାଗିଲେ ଅଗ୍ନି ଯେହ୍ନେ । ଉଦ୍ୟମ କୂପର ଖନନେ ॥୪୧
    ଏମନ୍ତ ଅଜ୍ଞାନୀଙ୍କ ମତି । କେବେହେଁ ସୁଖ ନ ଲଭନ୍ତି ॥୪୨
    ସ୍ୱଭାବେ ଅଳପ ଆୟୁଷ । ଜୀବର ଶତେକ ବରଷ ॥୪୩
    ଯେବେ ଅଜ୍ଞାନପଣେ ଥାଇ । ତାହାର ଅର୍ଥେ ନାଶ ଯାଇ ॥୪୪
    ସ୍ୱଭାବେ ରାତ୍ରେ ନିଦ୍ରାକାଳେ । ଅର୍ଦ୍ଧଆୟୁଷ ଯାଇ ହେଳେ ॥୪୫
    ବାଳକ ପୌଗଣ୍ଡ କୈଶୋରେ । ବିଂଶବରଷ ତହୁଁ ହରେ ॥୪୬
    କାଳର ସ୍ୱଭାବ ଏମନ୍ତ । କ୍ରୀଡ଼ା ବିନୋଦେ କରେ ଗ୍ରସ୍ତ ॥୪୭
    ପୁଣ ବିଂଶତି ବୃଦ୍ଧେ ଯାଇ । ବଞ୍ଚଇ ଅସମର୍ଥ ହୋଇ ॥୪୮
    ଅପରେ ଯେ ଅବା ରହଇ । ତା ଗୃହବନ୍ଧେ ପାସୋରଇ ॥୪୯
    ଗୃହବନ୍ଧନେ ବନ୍ଦୀ ହୋଇ । ଆତ୍ମା ଉଦ୍ଧରି ନ ପାରଇ ॥୫୦
    ଅତି ଯନ୍ତ୍ରିତ ସ୍ନେହପାଶେ । ଦୁର୍ଜୟ ଇନ୍ଦ୍ରିୟ ଲାଳସେ ॥୫୧
    ଅର୍ଥ ଅର୍ଜନେ ଅବିରତେ । ଲୋଭ ବଢ଼ଇ ତାର ଚିତ୍ତେ ॥୫୨
    ପ୍ରାଣୁଁ ଅଧିକ ସ୍ନେହଭରେ । ସେ ତୃଷ୍ଣା କେବା ତେଜିପାରେ ॥୫୩
    ଯେ ଧନଅର୍ଥେ ବିକେ ପ୍ରାଣ । ତାହାର କାହିଁ ପରିତ୍ରାଣ ॥୫୪
    ତସ୍କରପଣେ ଚୋରି କରେ । ସେବା କରଇ ଯାଇ ପରେ ॥୫୫
    ବୋଇତେ ବସି ବଣିଜରେ । ଅଗାଧସିନ୍ଧୁ ଲୋଭେ ତରେ ॥୫୬
    ନିରତେ ଗୃହବନ୍ଧେ ବଞ୍ଚେ । ଯକ୍ଷର ପ୍ରାୟେ ଧନ ସଞ୍ଚେ ॥୫୭
    ଏକାନ୍ତେ କାମିନୀର ମେଳେ । କ୍ରୀଡ଼ା କରଇ କାମଭୋଳେ ॥୫୮
    ପତ୍ନୀର ବାକ୍ୟ ଅନୁକ୍ଷଣେ । ଗୁରୁଙ୍କ ମନ୍ତ୍ର ପ୍ରାୟେ ମଣେ ॥୫୯
    ବନ୍ଧୁବାନ୍ଧବ ବନ୍ଧନରେ । ବାଳକ ସ୍ନେହେ ମନହରେ ॥୬୦
    ସ୍ନେହମମତା ଅବିରତେ । ଚିନ୍ତଇ ଅନୁରାଗ ଚିତ୍ତେ ॥୬୧
    ଘରୁ ବାହାର ହୋଇ ଯେବେ । ପ୍ରବାସ କରଇ ସ୍ୱଭାବେ ॥୬୨
    ତହିଁ ଜୀବନେ ସୁସ୍ଥ ନାହିଁ । ଭାଳଇ ଗୃହେ ମନ ଦେଇ ॥୬୩
    ପୁତ୍ର ଦୁହିତା ସ୍ନେହଚିତ୍ତେ । ମନୋଜ୍ଞ ପତ୍ନୀଭାବ ଚିନ୍ତେ ॥୬୪
    ତାତ ଜନନୀ ଭ୍ରାତ ସ୍ମରେ । ଏ ଭଲେ ଥିବେ କି ମୋପୁରେ ॥୬୫
    ମନୋଜ୍ଞ ଗୃହବସ୍ତୁ ଯେତେ । ଜୀବିକା ପଶୁ ଭୃତ୍ୟ ମତେ ॥୬୬
    ଏ ରୂପେ କୋଷକାରୀ ପ୍ରାୟେ । ଅନ୍ତରେ ଅବିରତ ଧ୍ୟାୟେ ॥୬୭
    ଲୋଭେ ଅତୃପ୍ତକାମ ହୋଇ । ଜିହ୍ୱା ଉପସ୍ଥ ଭାବ ଧ୍ୟାୟି ॥୬୮
    ରହନ୍ତି ମୋହଭାବ ଚିତ୍ତେ । ସେ ପ୍ରାଣୀ ଛାଡ଼ିବେ କେମନ୍ତେ ॥୬୯
    ଦୁସ୍ତର ଭବମୋହ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ ॥୭୦
    ନିରତେ କୁଟୁମ୍ବ ପୋଷଣେ । ଆୟୁଷ କ୍ଷୟ ନ ପ୍ରମାଣେ ॥୭୧
    ସର୍ବଦା ତାପତ୍ରୟେ ଦୁଃଖୀ । କୁଟୁମ୍ବ-ରାଗ ନ ଉପେକ୍ଷି ॥୭୨
    ନିତ୍ୟେ ବିଭବ ଭବେ ଚିନ୍ତେ । କାମେ ଯନ୍ତ୍ରିତ ଅବିରତେ ॥୭୩
    ପଣ୍ଡିତପଣେ ସର୍ବ ଜାଣେ । ଆତ୍ମାର ଗତି ନ ପ୍ରମାଣେ ॥୭୪
    ଯେ ଫଳ ଇହ ପରଲୋକେ । ତା ଶୁଣି ଜାଣେ ଶାସ୍ତ୍ରମୁଖେ ॥୭୫
    କୁଟୁମ୍ବୀପଣେ ଗୃହ କରେ । କ୍ରୀଡ଼ା-ବିନୋଦେ ସେ ବିହରେ ॥୭୬
    କୁଟୁମ୍ବ-ଗ୍ରସ୍ତ ଯାକୁ କରେ । ଉଭୟଲୋକୁ ନ ନିସ୍ତରେ ॥୭୭
    ବିଭିନ୍ନ ଆତ୍ମା ପରଭାଗୀ । କାମସଙ୍କଳ୍ପେ ଅନୁରାଗୀ ॥୭୮
    ବିମୂଢ଼ମତି ଭବେ ଭ୍ରମେ । ଅନ୍ତେ ପଡ଼ଇ ଘୋରତମେ ॥୭୯
    ତୁମ୍ଭେ ସକଳେ ଏହା ଶୁଣି । ଆତ୍ମାର ହିତ ମନେ ଗୁଣି ॥୮୦
    ବିଷୟ ନ କର ହୋ ସଙ୍ଗ । ଯେସନେ ଉଦଧି-ତରଙ୍ଗ ॥୮୧
    ଏ ସଙ୍ଗ ଦୂରେ ପରିହର । ନାରାୟଣଙ୍କୁ ଆଶ୍ରେ କର ॥୮୨
    ସେ ନାରାୟଣ ସର୍ବଧାତା । ଈଷିତେ କଇବଲ୍ୟଦାତା ॥୮୩
    କୃଷ୍ଣଙ୍କୁ ଆଶ୍ରେ ଯେ କରନ୍ତି । ସେ ସର୍ବଦୁଃଖୁ ନିସ୍ତରନ୍ତି ॥୮୪
    ଅସୁରଭାବକୁ ଉପେକ୍ଷ । ଆତ୍ମାର ପ୍ରାୟ ସର୍ବ ଦେଖ ॥୮୫
    ଏ ବିଷ୍ଣୁମାୟା ପାରାବାର । ବ୍ରହ୍ମାଣ୍ଡ ବାହ୍ୟ-ଅଭ୍ୟନ୍ତର ॥୮୬
    ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ । ଅବ୍ୟକ୍ତରୂପ ପଞ୍ଚଭୂତେ ॥୮୭
    ଗୁଣ ଅଗୁଣ ଗୁଣସାମ୍ୟେ । ଏ ଆଦି ସର୍ବଘଟେ ରମେ ॥୮୮
    ବସଇ ଏକଆତ୍ମା ହରି । ଭୁଞ୍ଜେ ଅବ୍ୟୟରୂପ ଧରି ॥୮୯
    ଆତ୍ମା ସ୍ୱରୂପେ ସର୍ବଦେହେ । ଦୃଶ୍ୟ ଅଦୃଶ୍ୟ ଭାବେ ରହେ ॥୯୦
    ନିର୍ଲେପ ନିର୍ବିଷୟ ମତେ । କଳ୍ପି କେ ପାରିବ ଜଗତେ ॥୯୧
    କେବଳ ଆନନ୍ଦାନୁଭବେ । ଅଶେଷ-ଦେହେ ସର୍ବଜୀବେ ॥୯୨
    ବାହ୍ୟ-ଅନ୍ତରେ ବ୍ୟାପିରହେ । ଐଶ୍ୱର୍ଯ୍ୟଗୁଣ ସଙ୍ଗେ ବହେ ॥୯୩
    ଏ ଘେନି ସର୍ବଭୂତେ ସାର । ପ୍ରାଣୀବିଷୟେ ଦୟାକର ॥୯୪
    ସୁହୃଦଭାବ ଧର ଚିତ୍ତେ । ହରିଙ୍କି ଲଭିବ ଯେମନ୍ତେ ॥୯୫
    ଅସୁରଭାବ ଦୂର କରି । ଯେଣେ ସନ୍ତୋଷ ହୋଏ ହରି ॥୯୬
    ଏ ଭାବ ଦୃଢ଼ କରି ଚିତ୍ତେ । ହରିଙ୍କି ଭଜ ଅବିରତେ ॥୯୭
    ସେ ବିଷ୍ଣୁ ତୋଷ ଯାକୁ ଚିତ୍ତେ । କିବା ଅଲଭ୍ୟ ଏ ଜଗତେ ॥୯୮
    ଅନନ୍ତ ଅବ୍ୟକ୍ତ ମହିମା । କି ଗୁଣେ ଦେବା ତା ଉପମା ॥୯୯
    ତ୍ରିଗୁଣୁଁ କରେ ନିସ୍ତାରଣ । କୈବଲ୍ୟ ପରମ କାରଣ ॥୧୦୦
    ସଂସାର ମଧ୍ୟେ ସାର ସେହି । ତାର ଚରଣୁଁ ଅନ୍ୟ ନାହିଁ ॥୧୦୧
    ଏ ଘେନି କୃଷ୍ଣର ଚରଣ । ପ୍ରାଣୀଏ ପଶନ୍ତି ଶରଣ ॥୧୦୨
    ତାଙ୍କ ଚରଣେ ସେବାକର । ଏ ବିଷ୍ଣୁମାୟାରୁ ନିସ୍ତର ॥୧୦୩
    ଏବେ ହୋ ଶୁଣ ମୋର ବାଣୀ । ଶ୍ରୀଭାଗବତ ଯେ ବଖାଣି ॥୧୦୪
    ଧମାର୍ଥ-କାମ ବେଦମତେ । ଏ ତିନିବର୍ଗ ପରାପତେ ॥୧୦୫
    ସାଧନ କରି ଶମଦମ । ଯଜ୍ଞାଦି ନାନାବିଧ କର୍ମ ॥୧୦୬
    ସତ୍ୟବଚନ ବେଦବାଣୀ । ଏଥେ ସଂସାରୁ ତରେ ପ୍ରାଣୀ ॥୧୦୭
    ନାନାପ୍ରକାରେ ତପ ଦାହି । ଯେ ହରିପାଦେ ସମର୍ପଇ ॥୧୦୮
    ଧନ୍ୟ ତା ଶରୀର-ଧାରଣ । ସେ ଲଭେ ପରମ କାରଣ ॥୧୦୯
    ନିର୍ମଳ ଦୁର୍ଲ୍ଲଭ ଏ ଜ୍ଞାନ । ନିଗମସାର ଅନୁପମ ॥୧୧୦
    ନାରଦ ମୁନିଙ୍କ ଅଗ୍ରତେ । ସୁପୁଣ୍ୟ ବଦରିକା ତୀର୍ଥେ ॥୧୧୧
    ତପ ଆଚରି ଅନୁକ୍ଷଣ । ଅଛନ୍ତି ନରନାରୟଣ ॥୧୧୨
    ନାରଦ ମୁନି ଶୁଦ୍ଧଚେତା । ପୁଚ୍ଛିଲେ ହରିଗୁଣ ଗାଥା ॥୧୧୩
    ସେ ନାରାୟଣ ଶୁଦ୍ଧଭାବେ । ଯେ ବାଣୀ ବିବିଧ ପ୍ରସ୍ତାବେ ॥୧୧୪
    ନାରଦ ମୁନିଙ୍କ ସନ୍ତୋଷେ । କହିଲେ ଜ୍ଞାନ ଉପଦେଶେ ॥୧୧୫
    କୃଷ୍ଣର ପାଦପଦ୍ମ ଧୂଳି । ସାନନ୍ଦ ମନେ ଅଙ୍ଗେ ବୋଳି ॥୧୧୬
    ସଂସାରେ ଅକିଞ୍ଚନ ଜନେ । ଯାହା ଭାବନ୍ତି ଶୁଦ୍ଧମନେ ॥୧୧୭
    ପୂର୍ବେ ମୁଁ ନାରଦଙ୍କ ବାଣୀ । ମାତାଙ୍କ ଗର୍ଭେ ଥାଇ ଶୁଣି ॥୧୧୮
    ଏ ବାଣୀ ଭାଗବତ କଥା । ଶୁଣନ୍ତେ ତୁଟେ ଭବବ୍ୟଥା ॥୧୧୯
    ଭାବେ କହିଲି ତୁମ୍ଭ ଆଗେ । ହରିଚରିତ ଅନୁରାଗେ ॥୧୨୦
    ଏମନ୍ତେ ପ୍ରହଲ୍ଲାଦ ବାଣୀ । ଭାବେ ଅସୁରପୁତ୍ରେ ଶୁଣି ॥୧୨୧
    ବୋଲନ୍ତି ପ୍ରହଲ୍ଲାଦ ଆଗେ । ତୁଲ୍ୟବୟସ ଅନୁରାଗେ ॥୧୨୨
    ଶୁଣ ହେ ନୃପତି କୁମର । ଆମ୍ଭେ ଯେ ସଙ୍ଗତେ ତୋହର ॥୧୨୩
    ତୋହର ଭିନ୍ନ ଗୁରୁ ନାହିଁ । ଏ ବିଦ୍ୟା ସମ୍ପାଦିଲୁ କାହିଁ ॥୧୨୪
    ଏ ଗୁରୁପୁତ୍ରଙ୍କ ଚରଣେ । ଆମ୍ଭେ ଭଜିଲୁ ଅନୁକ୍ଷଣେ ॥୧୨୫
    ତାହାଙ୍କ ଉପଦେଶ ଜାଣୁ । ତୁ ଏହା କେମନ୍ତେ ବଖାଣୁ ॥୧୨୬
    ତୁହି ତ ବାଳକ ବେଭାରେ । ନିରତେ ଥାଉ ଅନ୍ତଃପୁରେ ॥୧୨୭
    ସ୍ୱଭାବେ ସ୍ତିରୀଙ୍କ ମନ୍ଦିର । ଦେବଦାନବେ ଅଗୋଚର ॥୧୨୮
    ତହିଁ ଭିତରେ ଥାଉ ତୁହି । ମହତ ସଙ୍ଗ ତୋର ନାହିଁ ॥୧୨୯
    ତେଣୁ ସଂଶୟ ଆମ୍ଭ ମନ । ନିହାର ବଳେ ଯେହ୍ନେ ଦିନ ॥୧୩୦
    ତୋହର ପାଦେ ନମସ୍କାର । ସଂଶୟ ଛେଦ ତୁ ଆମ୍ଭର ॥୧୩୧
    ଏମନ୍ତେ ଅସୁରବାଳକେ । ତାର ସମୀପେ ଏକେଏକେ ॥୧୩୨
    ଚରଣ ଧରି ପଚାରିଲେ । ବିଶ୍ୱାସବାକ୍ୟେ ପ୍ରବୋଧିଲେ ॥୧୩୩
    ଏମନ୍ତ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୩୪
    ସପ୍ତମ ସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ॥୧୩୫
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଷଷ୍ଠୋଽଧ୍ୟାୟଃ ॥

    ସପ୍ତମ ଅଧ୍ୟାୟ

    ନାରଦ ଉବାଚ
    ଏବେ ହୋ ଶୁଣ ପରୀକ୍ଷିତ । ଅସୁରବାଳକ ଚରିତ ॥୧
    ସେ ପ୍ରହଲ୍ଲାଦ ଦୟା ମନେ । କହେ ବାଳକ ଅବଧାନେ ॥୨


    ପ୍ରହଲ୍ଲାଦ ଉବାଚ
    ଏବେ ହୋ ଶୁଣ ଦୈତ୍ୟସୁତେ । ଯାହା କହିବା ତୁମ୍ଭ ହିତେ ॥୩
    ମୋହର ପିତା ତପ ଅର୍ଥେ । ଗଲେ ଯେ ମନ୍ଦର ପର୍ବତେ ॥୪
    ନିଶ୍ଚଳ ତପ ତାର ଦେଖି । ବିବୁଧେ ଗଗନ ଉପେକ୍ଷି ॥୫
    ଯୁଦ୍ଧଉଦ୍ୟମ କରି ହେଳେ । ମିଳିଲେ ଅବନୀମଣ୍ଡଳେ ॥୬
    ହିରଣ୍ୟକଶିପୁ ଅସୁର । ସ୍ୱଭାବେ ପାପୀ ଦୁରାଚାର ॥୭
    ସର୍ପକୁ ପିପୀଲିକା ଯେହ୍ନେ । ନାଶନ୍ତି ଆତ୍ମ ପାପ-ଗୁଣେ ॥୮
    ଏ ରୂପେ ତୁଚ୍ଛ-ମତ କରି । ବିବୁଧେ ସମର ଉଭାରି ॥୯
    ଯେତେ ଅସୁର ଥିଲେ ପୁରେ । ଦେବଙ୍କୁ ଦେଖି ମହାଡ଼ରେ ॥୧୦
    ନିଶସ୍ତ୍ର ହୋଇ ଶସ୍ତ୍ରାଘାତେ । ସଂଗ୍ରାମେ ଭାଜିଲେ ସମସ୍ତେ ॥୧୧
    ଭୟେ ପଶିଲେ ଦଶଦିଶେ । ମିଳିଲେ ଘୋର ବନଦେଶେ ॥୧୨
    ଗୃହ କଳତ୍ର ପୁତ୍ର ଏଡ଼ି । ସର୍ବସମ୍ପଦ ବେଗେ ଛାଡ଼ି ॥୧୩
    ଜୀବନ ଘେନି ପଳାଇଲେ । ବିବୁଧେ ନବରେ ପଶିଲେ ॥୧୪
    ସର୍ବସମ୍ପଦ ଜୂର କରି । ମୋହର ଜନନୀଙ୍କି ଧରି ॥୧୫
    ପଥେ ଚଳାଇ ନ୍ୟନ୍ତି ବେଗେ । ପିତାର ଭୟେ ଉଦବେଗେ ॥୧୬
    ମୋର ଜନନୀ ଅତିଭୟେ । ଚଳି ନ ପାରେ-ଗରୁ -ଦେହେ ॥୧୭
    ଅନେକ ଦୁଃଖ ଗରୁଶୋକେ । କୁରରୀ ପ୍ରାୟେ କାନ୍ଦେ ଦୁଃଖେ ॥୧୮
    ଏମନ୍ତେ ଗଲେ କେତେ ଦୂର । କାନନେ ବ୍ରହ୍ମାଙ୍କ କୁମର ॥୧୯
    ମୋର ଜନନୀ ଦେଖି ପଥେ । ମିଳିଲେ ଦେବଙ୍କ ଅଗ୍ରତେ ॥୨୦
    ବୋଲନ୍ତି ଇନ୍ଦ୍ରମୁଖ ଚାହିଁ । ଏ କଥା ଉଚିତ ନୁହଁଇ ॥୨୧
    ନିରପରାଧୀ ଏ ତୋହର । ଏହାକୁ ଛାଡ଼ ସୁନାସୀର ॥୨୨
    ପରର ସତୀ ଏ ସୁନ୍ଦରୀ । ତୁ କିମ୍ପା ନେଉ ବଳେ ଧରି ॥୨୩
    ଏହାର ଅପରାଧ ନାହିଁ । ବେଗେ ଏହାକୁ ଛାଡ଼ ତୁହି ॥୨୪
    ଏମନ୍ତେ ନାରଦ ବଚନେ । ଇନ୍ଦ୍ର ବୋଲଇ ଭୟମନେ ॥୨୫


    ଇନ୍ଦ୍ର ଉବାଚ
    ଅସୁର ବୀର୍ଯ୍ୟ ଏହା ଗର୍ଭେ । ଏ ମୋର ବଇରୀ ସ୍ୱଭାବେ ॥୨୬
    ଯେ ପୁତ୍ର ଅଛି ଗର୍ଭେ ରହି । ତାହାର ତେଜ କେବା ସହି ॥୨୭
    ସ୍ୱର୍ଗ ଘେନିବ ଏ ମୋହର । ଏହାକୁ ମୋର ବଡ଼ ଡ଼ର ॥୨୮
    ଏ ନାରୀ ମୋର ପୁରେ ଥିବ । ଯାବତ ଗର୍ଭ-ପ୍ରସବିବ ॥୨୯
    ଗର୍ଭକୁ ମାରି ସତୀ ପୁଣି । ଛାଡ଼ିବି ନିଜଘରେ ଆଣି ॥୩୦
    ଏକଥା ସଙ୍କଳ୍ପ ମୋହର । କହିଲି ଶୁଣ ମୁନିବର ॥୩୧
    ଏମନ୍ତେ ଇନ୍ଦ୍ରବାକ୍ୟ ଶୁଣି । ନାରଦ ମନେ ଧ୍ୟାନେ ଜାଣି ॥୩୨
    ବୋଇଲେ ଶୁଣ ସୁରନାଥ । ମୁହିଁ ଜାଣଇ ପୂର୍ବବୃତ୍ତ ॥୩୩


    ନାରଦ ଉବାଚ
    ଏହାର ଗର୍ଭେ ଯେ କୁମର । ନିଶ୍ଚେ ସେ ବଇଷ୍ଣବ ସାର ॥୩୪
    ଅଶେଷଗୁଣେ ଗୁଣନିଧି । ଏହାର ଦେହେ ସର୍ବସିଦ୍ଧି ॥୩୫
    କୃଷ୍ଣର ଏ ନିଜ ସେବକ । ଏବେ ଗର୍ଭର ତେଜ ଦେଖ ॥୩୬
    ତୁ କାହିଁ ଏହାକୁ ମାରିବୁ । ଏହାର ଚରଣେ ସେବିବୁ ॥୩୭


    ପ୍ରହଲ୍ଲାଦ ଉବାଚ
    ଏକଥା ମୁନିମୁଖୁଁ ଶୁଣି । ଇନ୍ଦ୍ର ଯେ ମନେ ମନେ ଗୁଣି ॥୩୮
    ନାରଦ ବାକ୍ୟେ ଶଚୀପତି । ଛାଡ଼ିଲା ଅସୁର-ଯୁବତୀ ॥୩୯
    ଅତ୍ୟନ୍ତ ପ୍ରିୟଭାବ ଭରି । ମାତାଙ୍କୁ ପ୍ରଦକ୍ଷିଣ କରି ॥୪୦
    ତକ୍ଷଣେ ନିଜପୁରେ ଗଲା । ଶୁଣ ହେ ଅସୁରଙ୍କ ବଳା ॥୪୧
    ମୋର ମାତାଙ୍କୁ ଆଗକରି । ଆଶ୍ୱାସ କରି ବ୍ରହ୍ମଚାରୀ ॥୪୨
    ନିଜ ଆଶ୍ରମେ ମୁନି ଆଣି । ମୁଖେ ସିଞ୍ଚିଲେ ଶୀତପାଣି ॥୪୩
    ବୋଲନ୍ତି ମଧୁର ବଚନ । ତୁ ଏଥେ ଥାଅ କେତେଦିନ ॥୪୪
    ଯାବତ ସ୍ୱାମୀ ତପୁଁ ଆସେ । ତାବତ ଥାଅ ମୋର ପାଶେ ॥୪୫
    ମୁନି ବଚନେ ମୋର ମାତା । ଛାଡ଼ିଲା ମନୁ ଦୁଃଖ-ଚିନ୍ତା ॥୪୬
    ନିର୍ଭୟେ ମୁନିପାଶେ ରହି । ଭର୍ତ୍ତାଆଗମେ ପଥ ଚାହିଁ ॥୪୭
    ପରମ ଭକ୍ତି ମୁନିପାଦେ । ମୋର ଜନନୀ ଅପ୍ରମାଦେ ॥୪୮
    ସେବା କରଇ ନିରନ୍ତରେ । ମୁନି-ପ୍ରସନ୍ନ ଅନୁସାରେ ॥୪୯
    ମୁନି-ଚରଣ ପରସାଦେ । ପ୍ରସବ ହେବ ଅପ୍ରମାଦେ ॥୫୦
    ଏମନ୍ତ ମନେ କରି ଚିନ୍ତା । ସୁଖେ ରହିଲା ମୋର ମାତା ॥୫୧
    ଗୃହେ ନାରଦ ବ୍ରହ୍ମଚାରୀ । ମୋର ମାତାଙ୍କୁ ଦୟାକରି ॥୫୨
    ଦିନକୁ ଦିନ କହି ଜ୍ଞାନ । ଆନନ୍ଦ କରି ମାତା ମନ ॥୫୩
    ନିର୍ମଳ-ଧର୍ମ-ତତ୍ତ୍ୱ ଯେତେ । କହନ୍ତି ମାତାଙ୍କ ଅଗ୍ରତେ ॥୫୪
    କୃଷ୍ଣର ଅଶେଷ ସମ୍ପଦେ । କହନ୍ତି ମନର ଆନନ୍ଦେ ॥୫୫
    ଯେତେ କହିଲେ ମହାମୁନି । ମୁଁ ତାହା ଗର୍ଭେ ଥାଇ ଶୁଣି ॥୫୬
    ଜନନୀ ସ୍ୱଭାବେ ଅବଳା । କାଳେ ସେ ଜ୍ଞାନ ପାସୋରିଲା ॥୫୭
    ନାରଦ ଅନୁଗ୍ରହମତେ । ଜ୍ଞାନ ରହିଲା ମୋର ଚିତ୍ତେ ॥୫୮
    ମୋର ବଚନେ ଶ୍ରଦ୍ଧା କର । ଏ ଜ୍ଞାନ ହୋଇବ ତୁମ୍ଭର ॥୫୯
    ନିର୍ମଳ ଜ୍ଞାନ ପ୍ରସରିବ । ଅବିଦ୍ୟା-ବନ୍ଧ ନାଶଯିବ ॥୬୦
    ନିର୍ମଳଜ୍ଞାନ ହେଲେ ଜାତ । ବିନାଶ ହୋଇ ଦୁରିତ ॥୬୧
    ସ୍ୱଭାବେ ମନୁଷ୍ୟ-ଶରୀରେ । ଜନ୍ମଇ ଏ ଷଡ଼ବିକାରେ ॥୬୨
    ଆତ୍ମାର ନୁହଁଇ ସ୍ୱଭାବ । ଶୁଣ କହିବା ଜ୍ଞାନଭାବ ॥୬୩
    ବୃକ୍ଷର ଫଳ ଯେହ୍ନେ କାଳେ । ପାଚି ପଡ଼ଇ ମହୀତଳେ ॥୬୪
    ଷଡ଼ବିକାରେ ନାଶ ଯାଇ । ଶରୀର ସ୍ୱଭାବଟି ଏହି ॥୬୫
    ଗର୍ଭୁ ଶରୀର ଜନ୍ମ ହୋଇ । ବାଳକ-ସ୍ୱରୂପେ ବଢ଼ଇ ॥୬୬
    ପୌଗଣ୍ଡ କିଶୋର ତରୁଣ । ଜରାନ୍ତେ ଲଭଇ ମରଣ ॥୬୭
    ଏ ଷଡ଼ବିକାରେ ଶରୀର । ଆତ୍ମା ସ୍ୱଭାବେ ନିର୍ବିକାର ॥୬୮
    ନିତ୍ୟ ଅବ୍ୟୟ ଶୁଦ୍ଧ ଏକ । କ୍ଷେତ୍ରଜ୍ଞ ଭାବେ ସର୍ବସାକ୍ଷ୍ୟ ॥୬୯
    ସର୍ବ-ଆଶ୍ରୟ ସର୍ବବ୍ୟାପି । ନିଷ୍କ୍ରିୟ ଅନାବୃତ୍ତ-ରୂପୀ ॥୭୦
    ଅସଙ୍ଗ ହେତୁ ବଦ୍ଧ ନୋହେ । ସ୍ୱପ୍ନ ଜାଗ୍ରତ ଯେହ୍ନେ ଦେହେ ॥୭୧
    ବୁଦ୍ଧିର ଧର୍ମ ପ୍ରକାଶଇ । ସେ ପୁଣି ତାକୁ ନ ଲାଗଇ ॥୭୨
    ବସ୍ତୁ ସ୍ୱଭାବେ ବଦ୍ଧ ନୋହେ । ଅଜ୍ଞାନେ ଦିଶେ ବଦ୍ଧ ପ୍ରାୟେ ॥୭୩
    ଭୂତ ଭବିଷ୍ୟ ବର୍ତ୍ତମାନେ । ବସ୍ତୁ ପ୍ରକାଶେ ଭିନ୍ନେ ଭିନ୍ନେ ।୭୪
    ସେ ପୁଣି ରହେ ଶେଷ ହୋଇ । ପୂର୍ଣ୍ଣ ସ୍ୱଭାବେ ପ୍ରକାଶଇ ॥୭୫
    ଏ ଘେନି ଦ୍ୱାଦଶପ୍ରକାର । ଆତ୍ମାଲକ୍ଷଣ ପ୍ରାଣୀଙ୍କର ॥୭୬
    ଅହଙ୍କାରକୁ ପରିହରେ । ଦେହାଭିମାନ ଦୂର କରେ ॥୭୭
    ଆତ୍ମଯୋଗରେ କରେ ଧ୍ୟାନ । ଏ ଦେହେ ଲଭେ ବ୍ରହ୍ମଜ୍ଞାନ ॥୭୮
    ମୁହିଁ ମୋହର ବୋଲି ଯେତେ । ମିଥ୍ୟା-ସ୍ୱଭାବ ଏ ଜଗତେ ॥୭୯
    ଦେହାଦି-ଉପାଧି ବିଶେଷ । ମୋହରୁ ଜାତ ଯେତେ ଅଂଶ ॥୮୦
    ମୂଢ଼-ସ୍ୱଭାବ ବେଗେ ତେଜ । ମୁକୁନ୍ଦ ପଦ୍ମପାଦେ ଭଜ ॥୮୧
    ସୁବର୍ଣ୍ଣକାର ଯେହ୍ନେ ଜଳେ । ପାଷାଣୁ ସୁବର୍ଣ୍ଣ ଧୋଇଲେ ॥୮୨
    ଘେନଇ ଅତି ଯତ୍ନ କରି । ସେହି ସ୍ୱଭାବ ବ୍ରହ୍ମଚାରୀ ॥୮୩
    କ୍ଷେତ୍ରଜ୍ଞ କ୍ଷେତ୍ରରୁ ଉଦ୍ଧରେ । ଆତ୍ମାକୁ ଲଭେ ଅଭ୍ୟନ୍ତରେ ॥୮୪
    ଅଷ୍ଟପ୍ରକୃତି ତିନିଗୁଣ । ଷୋଡ଼ଶ ବିକାର ଲକ୍ଷଣ ॥୮୫
    ଏତେ ପ୍ରକାରେ ଭିନ୍ନ ଆତ୍ମା । ଏ ଭାବେ ବିଚାରେ ମହାତ୍ମା ॥୮୬
    ଏତେ ପ୍ରକାରେ ଦେହ ଜାତ । ସ୍ଥାବର ଜଙ୍ଗମେ ବିଦିତ ॥୮୭
    ଏ ଭାବେ ଯେ ଜନ ବିଚାରେ । ମାୟାସମୂହ ପରିହରେ ॥୮୮
    ଜୀବେ ଅଜ୍ଞାନ ବ୍ୟତିରେକେ । ଜ୍ଞାନସଞ୍ଚରି ଏକେଏକେ ॥୮୯
    ସୃଷ୍ଟି ସ୍ଥିତି ଯେ ପ୍ରଳୟର । କାରଣ ବୁଝି ହେତୁକର ॥୯୦
    ସୁଷୁପ୍ତି ସ୍ୱପ୍ନ ଜାଗରଣ । ବୁଦ୍ଧିର ଏ ତିନିଲକ୍ଷଣ ॥୯୧
    ଯା ତହୁଁ ଅନୁଭବ ହୋଏ । ଅଧ୍ୟକ୍ଷ ପୁରୁଷ ସେ ଦେହେ ॥୯୨
    ଆତ୍ମା ଏ ତିନିଗୁଣେ ଦେହେ । ପବନେ ଗନ୍ଧପ୍ରାୟେ ରହେ ॥୯୩
    ଏ ତିନିଗୁଣ ନିବନ୍ଧନେ । ସଂସାରେ ମାୟା ଅନୁମାନେ ॥୯୪
    ଅଜ୍ଞାନ ମୂଳ ଏ ଅନର୍ଥ । ସ୍ୱପ୍ନ ଯେସନେ ନିଦ୍ରାଗତ ॥୯୫
    ଆତ୍ମାର ସ୍ୱପ୍ନ ଏ ଜଗତ । ଯେଣୁ ଏ ତ୍ରିଗୁଣେ ନିଦ୍ରିତ ॥୯୬
    ତ୍ରିଗୁଣାତ୍ମକ କର୍ମବୀଜେ । ଅଙ୍କୁରି ସମସ୍ତ ଉପୁଜେ ॥୯୭
    ଏ ବୀଜ ଅନଳ ସଂଯୋଗେ । ଦହନ କର ଯୋଗମାର୍ଗେ ॥୯୮
    ଅନ୍ୟଥା ସହସ୍ର-ଉପାୟେ । କେ ସାଧି ପାରିବ ଏ ଦେହେ ॥୯୯
    ଯେ ଭାବେ କୃଷ୍ଣେ ହୋଏ ରତି । ଭକ୍ତି-ଲକ୍ଷଣେ ତାହା ଚିନ୍ତି ॥୧୦୦
    ଭକ୍ତି-ଲକ୍ଷଣେ ଗୁରୁ ସେବ । କୃଷ୍ଣେ ସମର୍ପି ସର୍ବଲାଭ ॥୧୦୧
    ସଙ୍ଗ କରିବ ସାଧୁଜନ । ଏଣେ ଈଶ୍ୱର ଆରାଧନ ॥୧୦୨
    ସେ କୃଷ୍ଣକଥାର ଶ୍ରବଣେ । ଶ୍ରଦ୍ଧା କରିବ ଅନୁକ୍ଷଣେ ॥୧୦୩
    କୃଷ୍ଣର ଯେତେ ନାମଗୁଣ । କରିବ ଶ୍ରବଣ କୀର୍ତ୍ତନ ॥୧୦୪
    ପଦାରବିନ୍ଦ ଧ୍ୟାନବଳେ । ବଞ୍ଚିବ ବଇଷ୍ଣବମେଳେ ॥୧୦୫
    ବିଷ୍ଣୁଭକ୍ତଙ୍କ ପାଦ ସେବି । ଭାବବିହ୍ୱଳେ ବିଷ୍ଣୁ ଭାବି ॥୧୦୬
    ସକଳ ଭୂତେ ଭଗବାନ । ଅଛନ୍ତି ବୋଲି ଜାଣି ପୁଣ ॥୧୦୭
    ମନ-କର୍ମରେ ପ୍ରାଣୀ ସେବ । ଭାବୁକ ସଙ୍ଗେ କର ଭାବ ॥୧୦୮
    ଏ ଭକ୍ତିଯୋଗ ବଳେ ପ୍ରାଣୀ । ଅଇରି ଷଡ଼ବର୍ଗ ଜିଣି ॥୧୦୯
    କୃଷ୍ଣବିଷୟେ ଲଭେ ରତି । ଏ ଭାବେ ସଂସାରୁ ତରନ୍ତି ॥୧୧୦
    ଏବେ ଅସୁରପୁତ୍ରେ ଶୁଣ । ଯେଣେ ଜୀବର ପରିତ୍ରାଣ ॥୧୧୧
    କୃଷ୍ଣର ଯେତେ ପ୍ରିୟକର୍ମ । ଯେବା ଅଧିକ ଗୁଣଗ୍ରାମ ॥୧୧୨
    ଲୀଳାଶରୀରେ ଯେତେ କଲା । ଅନନ୍ତ ବୀର୍ଯ୍ୟ ଗୁଣ ଖେଳା ॥୧୧୩
    ସେ କଥା ଶୁଣି କର୍ଣ୍ଣଦ୍ୱାରେ । ପୁଲକ ଯାହାର ଶରୀରେ ॥୧୧୪
    ଆନନ୍ଦେ ଅଶ୍ରୁଜଳ ବହେ । କଣ୍ଠ ଗଦ୍‌ଗଦେ ବାଣୀ କହେ ॥୧୧୫
    ଆନନ୍ଦେ ଗାଏ କୃଷ୍ଣବାଣୀ । ଉଚ୍ଚେ କାନ୍ଦଇ ନାମ ଗୁଣି ॥୧୧୬
    ନୃତ୍ୟ କରଇ ବେନିପାଦେ । ହରଷେ ଡାକେ ଉଚ୍ଚନାଦେ ॥୧୧୭
    ଭୂତ ବେତାଳ ଗ୍ରହଗଣେ । ଲାଗିଲେ ଭୋଳ ହୋନ୍ତି ଯେହ୍ନେ ॥୧୧୮
    ଉନ୍ମତ୍ତ ହୋଇ ଭାବଭୋଳେ । ହୁଁକାର ନାଦେ କୃଷ୍ଣ ବୋଲେ ॥୧୧୯
    ଜନଙ୍କୁ କୃଷ୍ଣପ୍ରାୟେ ମଣେ । ନମଇଁ ତାହାଙ୍କ ଚରଣେ ॥୧୨୦
    ତୁଣ୍ଡେ ବୋଲଇ ରାମ ହରି । ହେ ଜଗନ୍ନାଥ ଦଇତାରି ॥୧୨୧
    ହେ ନାରାୟଣ ଯଦୁପତି । ଭବସାଗରୁ କର ଗତି ॥୧୨୨
    ହୃଦେ ଗୋବିନ୍ଦନାମ ଚିନ୍ତି । ନିର୍ଲ୍ଲଜପ୍ରାୟେ ବହେ ମତି ॥୧୨୩
    ଏମନ୍ତ ଭାବେ ଯେତେବେଳେ । ଭଜଇ କୃଷ୍ଣପାଦ ମୂଳେ ॥୧୨୪
    ଅଶେଷ-କର୍ମବନ୍ଧ-ପାଶ । ତକ୍ଷଣେ ହୋଏ ସେହୁ ନାଶ ॥୧୨୫
    କୃଷ୍ଣଚରଣେ ଭାବ କରେ । ଅଶେଷ-ବନ୍ଧନୁ ନିସ୍ତରେ ॥୧୨୬
    କୃଷ୍ଣଭାବନେ ହୋଏ ଶୁଦ୍ଧି । ଚେତନା ଅହଙ୍କାର ବୁଦ୍ଧି ॥୧୨୭
    ଏମନ୍ତ ବାହ୍ୟ-ଅଭ୍ୟନ୍ତର । ନିର୍ମଳେ ପ୍ରକାଶ ଶରୀର ॥୧୨୮
    କର୍ମବାସନା ବୀଜବଳେ । ଜୀବ ସଞ୍ଚରେ ଏ ଶୟଳେ ॥୧୨୯
    କୃଷ୍ଣଭଗତି ଯୋଗବଳେ । ପ୍ରକାଶ ପ୍ରଳୟ ଅନଳେ ॥୧୩୦
    ସେ ଅଗ୍ନିତେଜେ କର୍ମବୀଜ । ତକ୍ଷଣେ ହୁଅଇ ଦହିଯ୍ୟ ॥୧୩୧
    କର୍ମ ବିନାଶେ ଜୀବ ତରେ । ନିଶ୍ଚିନ୍ତେ କୃଷ୍ଣ ଆଶ୍ରେ କରେ ॥୧୩୨
    କୃଷ୍ଣ ଆଶ୍ରୟେ ପ୍ରାଣୀଙ୍କର । ଶୁଭ-ଅଶୁଭ ହୋଏ ଦୂର ॥୧୩୩
    ଏ ଶୁଭାଶୁଭ-ଚକ୍ରେ ଥାଇ । ପ୍ରାଣୀ ଅଶେଷ ଜନ୍ମ ପାଇ ॥୧୩୪
    ସଂସାରଚକ୍ର ଦୃଢ଼ ପାଶ । ହରି ଭଜନେ ହୋଏ ନାଶ ॥୧୩୫
    ଏ ଜୀବ ବନ୍ଧୁ ମୋକ୍ଷ ହୋଇ । ବ୍ରହ୍ମନିର୍ବାଣେ ପଶେ ଯାଇ ॥୧୩୬
    ପଣ୍ଡିତଜନଙ୍କର ମତ । କୃଷ୍ଣଭଜନ ବ୍ରହ୍ମତତ୍ତ୍ୱ ॥୧୩୭
    ବାଳକେ ମୋର ବୋଲ କର । ବେଳହୁଁ ଗୋବିନ୍ଦ ସୁମର ॥୧୩୮
    ହରିଙ୍କି ଭଜ ଦୃଢ଼ମନେ । କି ଦୁଃଖ କୃଷ୍ଣ-ଉପାସନେ ॥୧୩୯
    ହରି ଅଶେଷ ପ୍ରାଣୀ-ଦେହେ । କ୍ଷୁଦ୍ର-ଆକାଶ ପ୍ରାୟେ ରହେ ॥୧୪୦
    ଆତ୍ମାର ସଖା ପଦ୍ମନାଭ । ଅନ୍ୟ ଭଜନେ କିବା ଲାଭ ॥୧୪୧
    ଦେଖ ଏ ଧନ ଦାରା ସୁତ । ପଶୁ କୁଞ୍ଜର ଗୃହ କ୍ଷେତ୍ର ॥୧୪୨
    ନାନା ସମ୍ପଦ ଅର୍ଥ କାମ । କ୍ଷଣଭଙ୍ଗୁର ସର୍ବ ଜାଣ ॥୧୪୩
    ସ୍ୱପ୍ନର ପ୍ରାୟେ ମିଥ୍ୟା ହୋନ୍ତି । ଜୀବକୁ କିବା ଏ କରନ୍ତି ॥୧୪୪
    ସମ୍ପଦ ନୁହଁଇ ନିଶ୍ଚଳ । ଯେସନେ ସମୁଦ୍ର ଉଲ୍ଲୋଳ ॥୧୪୫
    ଏହା ନ ଜାଣି ମୂଢ଼ଜନେ । ଏ ମାୟା ନିଗମ ବଚନେ ॥୧୪୬
    ଯଜ୍ଞ ଆରମ୍ଭେ କରେ କର୍ମ । ଶ୍ରୁତି-ସଙ୍କୁଳେ ହୋଏ ଭ୍ରମ ॥୧୪୭
    ସେ ଯଜ୍ଞଫଳ ବେନିଲୋକେ । ଆବୋରି ଭୁଞ୍ଜେ ଏକେଏକେ ॥୧୪୮
    କର୍ମ ସରିଲେ ପୁଣି ଚଳେ । ଭ୍ରମଇ ଏ ମାୟାଶୟଳେ ॥୧୪୯
    ଅଦୃଷ୍ଟ କୃତକର୍ମ ଫଳ । କେବେହେଁ ନୁହଁଇ ନିର୍ମଳ ॥୧୫୦
    ଏ କର୍ମ ଦୂରେ ପରିହର । ଆତ୍ମାକୁ ମାୟାରୁ ଉଦ୍ଧର ॥୧୫୧
    ଅନ୍ତରେ ଆତ୍ମ-ସୁଖଲାଭେ । କୃଷ୍ଣଚରଣ ଚିନ୍ତ ଭାବେ ॥୧୫୨
    ଯେ ଅର୍ଥେ କର୍ମ ଇହଲୋକେ । କରଇ ପ୍ରାଣୀ ଏକେଏକେ ॥୧୫୩
    ସେ କର୍ମ ଯେବେ ହରିପାଦେ । ଅର୍ପଇ ନାହିଁ ସେ ଆନନ୍ଦେ ॥୧୫୪
    ନିମିଷେ ହରିଙ୍କୁ ନ ଭାବେ । ସେ ବିପରୀତ ଫଳ ଲଭେ ॥୧୫୫
    ଦୁଃଖ ବିନାଶେ ସୁଖ ଅର୍ଥେ । ପ୍ରାଣୀ ଭ୍ରମନ୍ତି ଏ ଜଗତେ ॥୧୫୬
    ଆପଦ ଦୁଃଖ ଭୁଞ୍ଜେ ନିତ୍ୟେ । ସୁଖ ନ ମିଳେ କଦାଚିତେ ॥୧୫୭
    ଅଶେଷ କାମଭୋଗ ଅର୍ଥେ । କର୍ମ କରଇ ପ୍ରାଣୀ ନିତ୍ୟେ ॥୧୫୮
    ସେ ଫଳ ପରଲୋକେ ପାଇ । ମିଳଇ ଅବା ନ ମିଳଇ ॥୧୫୯
    ଯେ ଦେହ ପାଇଁ କର୍ମମାନ । କରଇ ତାକୁ ଭଣି ଶ୍ୱାନ ॥୧୬୦
    ଏ ଦାରା ସୁତ ଗୃହ ଧନ । ରାଜ୍ୟ ଭଣ୍ଡାର ଭୃତ୍ୟଜନ ॥୧୬୧
    ମମତା-ଆବୃତେ ଏ ଥାନ୍ତି । ଦିଶନ୍ତି ପୁଣି ନ ଦିଶନ୍ତି ॥୧୬୨
    ଇନ୍ଦ୍ରିୟ ପ୍ରାୟେ ଦେହ ତୁଲେ । ସର୍ବେ ନାଶନ୍ତି ଅନ୍ତଃକାଳେ ॥୧୬୩
    ଅନର୍ଥ ଅର୍ଥ ପ୍ରାୟେ ମଣି । ମାୟା ସଂଗ୍ରହେ ସର୍ବପ୍ରାଣୀ ॥୧୬୪
    ଏ ନିତ୍ୟ ଆନନ୍ଦସାଗରେ । ଚିତ୍ତ ମଜ୍ଜାଅ ନିରନ୍ତରେ ॥୧୬୫
    ଦେହ ଧାରଣେ ଏତେ ଲାଭ । ଅସୁରମତି ଛାଡ଼ି ଭାବ ॥୧୬୬
    ଦେଖ ଏ ଶରୀର-ଧାରଣ । ଜନ୍ମହୁଁ ଯାବତ ମରଣ ॥୧୬୭
    ଏ ମଧ୍ୟେ ଅଶେଷ ଉପାୟେ । ଜୀବର କ୍ଳେଶ ମାତ୍ର ହୋଏ ॥୧୬୮
    କର୍ମସଂଯୋଗେ ଦେହ ବହି । ନିରତେ କର୍ମହିଁ ସଞ୍ଚଇ ॥୧୬୯
    ଜନ୍ମ ମରଣ କର୍ମ ଫଳେ । ଭୁଞ୍ଜଇ ଅବିବେକ ବଳେ ॥୧୭୦
    ଏ ଘେନି ଧର୍ମ ଅର୍ଥ କାମ । ଏ ତିନି ଜୀବର ଯେ ଭ୍ରମ ॥୧୭୧
    ଏଣୁ ଭ୍ରମଇ ନିରନ୍ତରେ । କ୍ଷଣେ ନ ରହେ ସୁଖେ ଘରେ ॥୧୭୨
    ଏଣୁ ସଂଶୟ ଦୂରକରି । ଅନ୍ତରେ ଭଜ ନରହରି ॥୧୭୩
    ଆତ୍ମାର ପ୍ରିୟ ଯେ ଈଶ୍ୱର । ଚିତ୍ତ-ନିର୍ମଳେ ଆଶ୍ରେକର ॥୧୭୪
    ଏ ସୂକ୍ଷ୍ମଭୂତ ମହାଭୂତେ । ଜନ୍ମ କରାଏ ସ୍ୱଆୟତ୍ତେ ॥୧୭୫
    ସଂଯୋଗେ ଶରୀର ପ୍ରକାଶେ । କର୍ମ ସରିଲେ ପ୍ରାଣୀ ନଶେ ॥୧୭୬
    ଦେବ ଅସୁର ନର ଯେବେ । ଯକ୍ଷ ଗନ୍ଧର୍ବ ଭକ୍ତିଭାବେ ॥୧୭୮
    ବିପ୍ର ଦେବତା ଋଷି ହୋଇ । ଯେବେ କୃଷ୍ଣଙ୍କୁ ନ ଭଜଇ ॥୧୭୯
    ଅନେକ ବିଦ୍ୟାବାଦ କରେ । ସ୍ୱବୃତ୍ତି-କର୍ମେ ଦିନ ହରେ ॥୧୮୦
    ଅନେକ ଦାନ ତପ ସାଧି । ଅଷ୍ଟାଙ୍ଗଯୋଗ କର୍ମବିଧି ॥୧୮୧
    ଯଜ୍ଞ ଶଉଚ ବ୍ରତ ଯେତେ । ନାନା ଉପାୟ ଏ ଜଗତେ ॥୧୮୨
    ଅଜ୍ଞାନ ବିଡ଼ମ୍ବନ ଏହି । ଏଣେ ଗୋବିନ୍ଦଙ୍କୁ ନ ପାଇ ॥୧୮୩
    ଯେବେ ଜନ୍ମଇ ଅନ୍ତର୍ଗତେ । ନିର୍ମଳଭକ୍ତି ଅବିରତେ ॥୧୮୪
    ତେବେ ଲଭଇ ଭଗବାନ । ଅନ୍ୟଥା ସର୍ବ ବିଡ଼ମ୍ବନ ॥୧୮୫
    ଏଣୁ ଗୋବିନ୍ଦପାଦେ ଭଜ । ଅସୁରବୁଦ୍ଧି ଦୂରେ ତେଜ ॥୧୮୬
    ସେ ଆତ୍ମା ସୁବୁଦ୍ଧି ବିବେକ । ଆତ୍ମା ସମାନେ ସର୍ବ ଦେଖ ॥୧୮୭
    ସକଳ ଘଟେ ବିଜେ ହରି । ସୂକ୍ଷ୍ମ ସ୍ୱରୂପେ ଛନ୍ତି ପୂରି ॥୧୮୮
    ଏ ଭାବ ଜାଣି ଏ ଶୟଳେ । ଅନେକ ପ୍ରାଣୀ ନିସ୍ତରିଲେ ॥୧୮୯
    ଅସୁର ଯକ୍ଷ ରକ୍ଷଗଣ । ସ୍ତିରୀ ଗୋପାଳ ଶୂଦ୍ରଜନ ॥୧୯୦
    ମୃଗ ପତଙ୍ଗ ପାପୀଜୀବେ । ସର୍ବେ ତରିଲେ କୃଷ୍ଣଭାବେ ॥୧୯୧
    ଏ ଜୀବଲୋକେ ଏ ଦୁର୍ଲ୍ଲଭ । ଏକାନନ୍ତଚିତ୍ତେ ହରି ଭାବ ॥୧୯୨
    ଜ୍ଞାନଲୋଚନେ ସର୍ବ ଦେଖ । ଆତ୍ମାକୁ ଆତ୍ମାଭାବେ ରଖ ॥୧୯୩
    ଉତ୍ତମ କର୍ମର ଲକ୍ଷଣ । ଦେଖ ଏ ଦୈତ୍ୟସୁତେ ପୁଣ ॥୧୯୪
    ଅସୁରପୁତ୍ରଙ୍କର ଆଗେ । ସେ ପ୍ରହଲ୍ଲାଦ ଅନୁରାଗେ ॥୧୯୫
    ଯେତେ କହିଲେ ହରିବାଣୀ । ସୁଜନେ ତର ଏହା ଶୁଣି ॥୧୯୬
    ସପ୍ତମ ସ୍କନ୍ଧେ ହରିଲୀଳା । ଏ ଭବସମୁଦ୍ରକୁ ଭେଳା ॥୧୯୭
    ଭଣଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥୧୯୮
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଦୈତ୍ୟପୁତ୍ରାନୁଶାସନଂ ନାମ ସପ୍ତମୋଽଧ୍ୟାୟଃ ॥

    ଅଷ୍ଟମ ଅଧ୍ୟାୟ

    ନାରଦ ଉବାଚ
    ଏମନ୍ତେ ପ୍ରହଲ୍ଲାଦ ବାଣୀ । ବାଳକେ ସାବଧାନେ ଶୁଣି ॥୧
    ଭାଳନ୍ତି ପୁଣି ମନେ ମନ । ନିନ୍ଦନ୍ତି ଗୁରୁଙ୍କ ବଚନ ॥୨
    ଏଣେ ଆମ୍ଭର କାର୍ଯ୍ୟ ନାହିଁ । ଏମନ୍ତ ଭାଳି ସର୍ବେ ଯାଇ ॥୩
    ଗୁରୁଙ୍କ ଆଗେ ଜଣାଇଲେ । ସଂକ୍ଷେପି ସକଳ କହିଲେ ॥୪
    ଶିଷ୍ୟଙ୍କ ବାକ୍ୟ ଶୁଣି ଗୁରୁ । ମନେ ପାଇଲେ ଚିନ୍ତାଗରୁ ॥୫
    ଏକାନ୍ତ ବୁଦ୍ଧି ତ ଏହାର । ଅନ୍ୟେ ଅଲକ୍ଷ୍ୟ ଅଗୋଚର ॥୬
    ସତ୍ୟସଂଯୁତେ ଆବୋରିଲା । ବାଳକବୁଦ୍ଧି ନାଶ କଲା ॥୭
    ଯେବେ ଏହାର ବୋଲେ ଥିବେ । ସର୍ବ ବାଳକ ନାଶ ଯିବେ ॥୮
    ଏମନ୍ତ ହୃଦୟେ ବିଚାରି । ରାଜଦଣ୍ଡକୁ ଭୟ କରି ॥୯
    ବେଗେ ରାଜାର ଆଗେ ଆସି । ବିସ୍ତାରି କହିଲେ ବିଶ୍ୱାସି ॥୧୦
    ରାଜନ ଶୁଣି ସର୍ବକଥା । ମନେ ପାଇଲା ଗରୁବ୍ୟଥା ॥୧୧
    ପୁତ୍ରର ଅନ୍ୟାୟ ବଚନ । ଶୁଣି ଅସୁର ଛନଛନ ॥୧୨
    କ୍ରୋଧେ କମ୍ପଇ ତା ଶରୀର । ସର୍ପ ଯେସନେ ଫୁଫୁକାର ॥୧୩
    ଅନେକ ମତେ ବିଚାରିଲା । ପୁତ୍ରମାରଣେ ମନଦେଲା ॥୧୪
    ଗୁରୁପୁତ୍ରଙ୍କ ବାକ୍ୟ ଶୁଣି । ପ୍ରଚଣ୍ଡ-କୋପେ ବୀରମଣି ॥୧୫
    ଅରୁଣନୟନେ ସେ ଚାହେଁ । ପାପିଷ୍ଠ-ପଣେ କାଳଭୟେ ॥୧୬
    ପ୍ରହ୍ଲାଦ ପିତାର ଅଗ୍ରତେ । କର-ଅଞ୍ଜଳି ଦେଇ ମାଥେ ॥୧୭
    ବିନୟଭାବେ ଅବନତ । ସ୍ୱଭାବ ଶୀଳ ଶାନ୍ତ ଦାନ୍ତ ॥୧୮
    ଚରଣେ ନମସ୍କାର କଲେ । ସର୍ବବାଳକ ସଙ୍ଗମେଳେ ॥୧୯
    ଏମନ୍ତେ ପୁତ୍ରକୁ ଅନାଇଁ । ଚିତ୍ତେ ପ୍ରଚଣ୍ଡ କୋପ ବହି ॥୨୦
    ଗର୍ଜଇ ମନେ କରି ତାପ । ପାଦ ପ୍ରହାରେ ଯେହ୍ନେ ସର୍ପ ॥୨୧
    ସ୍ୱଭାବେ ଦାରୁଣ ଅସୁର । ଦିଶଇ ଯେହ୍ନେ ଦିବାକର ॥୨୨
    ପ୍ରଳୟାଳନ-କୋପ ବହି । ବୋଲଇ ପୁତ୍ର ମୁଖ ଚାହିଁ ॥୨୩


    ହିରଣ୍ୟକଶିପୁ ଉବାଚ
    ଆରେ ଦୁର୍ବୃତ୍ତ ମନ୍ଦବୁଦ୍ଧି । ଅଧମ ଦୁଷ୍ଟ କୁଳଭେଦୀ ॥୨୪
    ମୋହର କୋପେ ତିନିପୁର । ଭୟେ କମ୍ପନ୍ତି ଥରହର ॥୨୫
    ତ୍ରାସେ କମ୍ପନ୍ତି ଦିଗପାଳେ । ନକ୍ଷତ୍ରେ ଗଗନମଣ୍ଡଳେ ॥୨୬
    ନିର୍ଭୟଚିତ୍ତେ ମୂଢ଼ପଣେ । ମୋ ଆଜ୍ଞା ଭାଙ୍ଗି ଅପ୍ରମାଣେ ॥୨୭
    କୁପୁତ୍ର ମୋର କୁଳାଙ୍ଗାର । ଆଜି ପେଷିବି ଯମପୁର ॥୨୮
    କାହାର ବୋଲେ ଦୁଷ୍ଟପଣେ । ମୋ ଆଜ୍ଞା ଭାଙ୍ଗୁ କି କାରଣେ ॥୨୯


    ପ୍ରହ୍ଲାଦ ଉବାଚ
    ଶୁଣ ପିଅର ମୋର ବାଣୀ । ତୁ ଯେ ତ୍ରୈଲୋକ୍ୟେ ବୀରମଣି ॥୩୦
    ଏ କଥା ଅନୁଚିତ ତୋର । କହଇ ଶୁଣ ନୃପବର ॥୩୧
    ଯେଉଁ ପ୍ରଭୁର ବଳେ ମୁହିଁ । ଜୀବକୁ ସମାନ ମଣଇ ॥୩୨
    ତୋର ମୋହର ଆଦି କରି । ଅପରେ ଯେତେ ଦେହଧାରୀ ॥୩୩
    ଜଗତେ ମହାବଳୀ ଯେତେ । ସ୍ଥାବର ଜଙ୍ଗମ ସହିତେ ॥୩୪
    ବ୍ରହ୍ମାଦି ଯେତେ ସୁରଦେବା । ଯାର ଚରଣେ କରେ ସେବା ॥୩୫
    ଯେ ହରି କାଳ-କର୍ମରୂପୀ । ଜଗଦୀଶ୍ୱର ବିଶ୍ୱବ୍ୟାପି ॥୩୬
    ପ୍ରାଣୀଙ୍କ ବଳ ପ୍ରାଣ ସେହି । ବାହ୍ୟ ଅନ୍ତରେ ଶୁଦ୍ଧଦେହୀ ॥୩୭
    ଇନ୍ଦ୍ରଦେବତା ଇନ୍ଦ୍ରିଗଣ । ଇନ୍ଦ୍ରିୟ-ବିଷୟ କାରଣ ॥୩୮
    ସେ ବିଷ୍ଣୁ ସଂସାର ସର୍ଜଇ । ତ୍ରିଗୁଣ ମାୟା ସଙ୍ଗେ ଲଇ ॥୩୯
    ଭୁଞ୍ଜଇ ଅଶେଷ ଶରୀରେ । କ୍ରୀଡ଼ାର ଅନ୍ତେ ଅନ୍ତଃକରେ ॥୪୦
    ହେ ତାତ ଜାଣି ତାଙ୍କୁ ସ୍ମର । ଅସୁରଭାବ ଦୂର କର ॥୪୧
    ଆତ୍ମାକୁ ଆତ୍ମଜ୍ଞାନେ ରଖ । ସକଳଘଟେ ସମ ଦେଖ ॥୪୨
    ଯେ ଭାବେ ରିପୁ-ମିତ୍ର ନାହିଁ । ସେ ଭାବେ ରହ ମନ ଧ୍ୟାୟି ॥୪୩
    ମିତ୍ର ଉଦାସ ଶତ୍ରୁପଣେ । ମନହୁଁ ଅନ୍ୟ ନାହିଁ ଜଣେ ॥୪୪
    ଏ ଭାବେ ଚିନ୍ତି ହୁଅ ସ୍ଥିର । କୃଷ୍ଣ-ସନ୍ତୋଷେ କର୍ମ କର ॥୪୫
    ତୁ ଯେ ବୋଲାଉ ବୀରମଣି । ଏ ତିନି ଭୁବନେ କାରେଣୀ ॥୪୬
    ଏ ତିନିଭୁବନ ଆବୋରି । ଭୁଞ୍ଜୁ ତୁ ଅକଣ୍ଟକ-ଶିରୀ ॥୪୭
    ମନେ ବିଚାର କରୁ ତୁହି । ସଂସାରେ ରିପୁ ମୋର ନାହିଁ ॥୪୮
    ଭୋ ତାତ ଦୋଷ କର ତ୍ରାହି । କହିବି ଶୁଣ ମନ ଦେଇ ॥୪୯
    ବ୍ରହ୍ମାଣ୍ଡେ ଯେତେ ଗୁଣ ଅଛି । ସେ ଗୁଣ ପିଣ୍ଡ ମଧ୍ୟେ ଲକ୍ଷି ॥୫୦
    ଯେ ଷଡ଼ରିପୁ କାମ ଆଦି । ହୃଦୟମଧ୍ୟେ ଛନ୍ତି ଭେଦି ॥୫୧
    ମନକୁ କରି ସେନାପତି । ଆତ୍ମାର ସମ୍ପଦ ଲୁଟନ୍ତି ॥୫୨
    ଏ ଦଶଇନ୍ଦ୍ରି ଦିଗପାଳେ । ଆତ୍ମାକୁ ନାଶନ୍ତି ସମୂଳେ ॥୫୩
    ଏହାଙ୍କୁ ଦେହେ ନ ନିବାରୁ । ମୁଁ ବୀର ବୋଲି ଗର୍ବ କରୁ ॥୫୪
    ଏହାକୁ ଜିଣିବୁ ଯେମନ୍ତେ । ଏବେ ହୋ ଦୃଢ଼କର ଚିତ୍ତେ ॥୫୫


    ନାରଦ ଉବାଚ
    ଏମନ୍ତେ ପ୍ରହଲ୍ଲାଦ ବାଣୀ । ଅସୁର ଦେହ କମ୍ପେ ଶୁଣି ॥୫୬
    ବୋଲଇ ପୁତ୍ରମୁଖ ଚାହିଁ । ନିଶ୍ଚେ ମରିବୁ ଆଜ ତୁହି ॥୫୭
    ଅଧିକ ଯେତେକଥା କହୁ । ତୁ ଏ ଅସୁର ଜନ୍ମ ନୋହୁ ॥୫୮
    ମୃତ୍ୟୁ ଯାହାର ସନ୍ନିଧାନ । ମନୁଁ ହରଇ ତାର ଜ୍ଞାନ ॥୫୯
    ଆତ୍ମାର ଗତି ନ ପ୍ରମାଣି । ବାତୁଳଭାବେ କହୁ ବାଣୀ ॥୬୦
    ଜୀବନ୍ତେ ଭାଗ୍ୟ ନାହିଁ ତୋର । ବଚନ କହୁ ଅଗୋଚର ॥୬୧
    ଏ ତିନିପୁରେ ମୁଁ ଈଶ୍ୱର । ମୋ ତହୁଁ କେବା ଅଛି ଆର ॥୬୨
    କାହାର ବୋଲେ ତୁ ପାମର । ମୋ ବାକ୍ୟେ ଅବଜ୍ଞା ତୋହର ॥୬୩
    ସ୍ଥାବର ଜଙ୍ଗମ ସହିତେ । ମୁହିଁ ପାଳଇ ଏ ଜଗତେ ॥୬୪
    ମୋ ତହୁଁ ଯେବେ ଅଛି ଭିନ୍ନେ । ଈଶ୍ୱର ଏ ତିନିଭୁବନେ ॥୬୫
    ତୁ ଯେ ବୋଲୁ ମୋ ପ୍ରଭୁ ହରି । ଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି ॥୬୬
    ଆଜ ତୁ ମୋହର ସମକ୍ଷେ । ହରିଙ୍କୁ ଦେଖାଅ ପ୍ରତ୍ୟକ୍ଷେ ॥୬୭
    ସେ ଯେବେ ସର୍ବ ବ୍ୟାପି ଥାଇ । ଏ ସ୍ତମ୍ଭେ କିମ୍ପା ନ ଦିଶଇ ॥୬୮
    ତୁ ଯେବେ ବୋଲୁ ମୋର ସଖା । ପ୍ରତ୍ୟକ୍ଷେ ସ୍ତମ୍ଭମଧ୍ୟେ ଦେଖା ॥୬୯
    ଆଜ ଛେଦିବି ତୋର ଶିର । ଆସି ରଖୁ ତୋ ଚକ୍ରଧର ॥୭୦
    ଏମନ୍ତେ ପିତାର ବଚନେ । ପ୍ରହ୍ଲାଦ ଭୟ କଲା ମନେ ॥୭୧
    ବାଳକ କୃଷ୍ଣର ବିଶ୍ୱାସେ । ଚଞ୍ଚଳେ ଚାହେଁ ଦଶଦିଶେ ॥୭୨
    ଦେଖିଲା ସ୍ତମ୍ଭମଧ୍ୟେ ହରି । ଶଙ୍ଖ କମଳ ଚକ୍ରଧାରୀ ॥୭୩
    ଉଦ୍ଦଣ୍ଡ-ଗଦା ଶୋହେ କରେ । ପ୍ରକାଶ ସ୍ତମ୍ଭର ଭିତରେ ॥୭୪
    ବୋଲଇ ପିତାମୁଖ ଚାହିଁ । କପାଳେ ବେନିକର ଦେଇ ॥୭୫
    ଭୋ ତାତ ସ୍ତମ୍ଭ ମଧ୍ୟେ ହରି । ଦେଖ ପ୍ରତ୍ୟକ୍ଷେ ଛନ୍ତି ପୂରି ॥୭୬
    ଏମନ୍ତେ ପୁତ୍ରମୁଖୁଁ ଶୁଣି । କୋପେ ଅସୁର ନୃପମଣି ॥୭୭
    ଡେଇଁ ଉଠିଲା ଶିରଝୁଣି । ଖଡ଼ଗ କରେ ବୀରମଣି ॥୭୮
    ପୁତ୍ରକୁ ଚାହିଁ କୋପ ଦୃଷ୍ଟି । ଓଷ୍ଠେ ଚାପିଣ ଦନ୍ତ ପାଟି ॥୭୯
    ତୀକ୍ଷ୍ମ ଖଡ଼ଗ ଧରି କରେ । ଅସୁର ଉଠି କୋପଭରେ ॥୮୦
    ସ୍ତମ୍ଭକୁ ଚାହିଁ କୋପ ଦୃଷ୍ଟି । ପ୍ରହାର କଲା ପାଦ-ମୁଷ୍ଟି ॥୮୧
    ତକ୍ଷଣେ ଘୋରନାଦ କରି । ସ୍ତମ୍ଭ ଭିତରେ ନରହରି ॥୮୨
    ଅତି ଭୀଷଣ ଘୋରନାଦେ । ବ୍ରହ୍ମାଣ୍ଡ ପୂରିଲା ଶବଦେ ॥୮୩
    ବ୍ରହ୍ମାଦି ଭୁବନପାଳକେ । ଭୟେ କମ୍ପିଲେ ଏକେ ଏକେ ॥୮୪
    ଶବଦ ଶୁଭେ ଘଡ଼ଘଡ଼ି । ବ୍ରହ୍ମାଣ୍ଡ ପଡ଼ିଲା କି ଝଡ଼ି ॥୮୫
    ଅଦ୍ଭୁତ ଘୋରନାଦ ଶୁଣି । କୋପେ ଧାଇଁଲା ଖଡ୍ଗ ଘେନି ॥୮୬
    ଦେଖି କମ୍ପିଲେ ଦିଗପାଳ । ଧଇଲା ପ୍ରହଲ୍ଲାଦ ବାଳ ॥୮୭
    ଦେଖିଲା ସ୍ତମ୍ଭେ କେହି ନାହିଁ । ବୋଲଇ ପୁତ୍ରମୁଖ ଚାହିଁ ॥୮୮
    ଆଜ ପେଷିବି ଯମପୁର । ଦେଖା ତୁ ସ୍ତମ୍ଭେ ଚକ୍ରଧର ॥୮୯
    ସେ ପ୍ରଭୁ ଭକତବତ୍ସଳ । ଦେଖିଲେ ଭୃତ୍ୟର ବିକଳ ॥୯୦
    ଯେ ହରି ସର୍ବଭୂତେ ପୂରି । ଭକ୍ତ ବଚନ ସତ୍ୟ କରି ॥୯୧
    ସ୍ତମ୍ଭର ମଧ୍ୟେ ଦଇତ୍ୟାରି । ନରକେଶରୀ ରୂପ ଧରି ॥୯୨
    ଅଦ୍ଭୁତ ରୂପ ଦେବରାୟେ । ଶୋହେ ମନୁଷ୍ୟ-ପଶୁକାୟେ ॥୯୩
    ଅଦ୍ଭୁତ ରୂପ ଭୟଙ୍କର । ଦେଖି ବିଚାରଇ ଅସୁର ॥୯୪
    ଏ ରୂପ ଦେଖିଲା ତ ନାହିଁ । ସ୍ତମ୍ଭେ ଏ ପ୍ରକାଶିଲା କାହିଁ ॥୯୫
    ଦଗ୍ଧସୁବର୍ଣ୍ଣ ପ୍ରାୟେ ବର୍ଣ୍ଣ । କର୍କଶ-ପିଙ୍ଗଳ-ଲୋଚନ ॥୯୬
    ସ୍ଫୁରିତ-କେଶର କମ୍ପନେ । ଜଳଦେ ଉଡ଼ିଲେ ଗଗନେ ॥୯୭
    ବିସ୍ତାରତୁଣ୍ଡ ବେନିକଳେ । ଜିହ୍ୱା ବୁଲାନ୍ତି ଅନ୍ତରାଳେ ॥୯୮
    ବିକଟ-ଦନ୍ତ ବେନିପାଟି । ନିଷ୍ଠୁର ଚଞ୍ଚଳ ଭୂକୁଟୀ ॥୯୯
    ଊର୍ଦ୍ଧ୍ୱେ ଚଳଇ କର୍ଣ୍ଣ ଦୁଇ । ଗିରି-ଗୁହାର ପ୍ରାୟେ ହୋଇ ॥୧୦୦
    ନାସିକା-ରନ୍ଧ୍ର ଅନ୍ଧକାର । ବିସ୍ତାର ହନୁ ମହାଘୋର ॥୧୦୧
    ଅଦୀର୍ଘ ସ୍ଥୂଳ ଗ୍ରୀବାଦେଶ । ଶରୀର ସ୍ପରଶେ ଆକାଶ ॥୧୦୨
    ବିସ୍ତାର ବକ୍ଷସ୍ଥଳ ସାଜେ । କ୍ଷୀଣ-ଉଦର ଯେ ବିରାଜେ ॥୧୦୩
    ଚନ୍ଦ୍ରଗଉର ତନୁରୁହେ । ବିଶ୍ୱ ପୂରତି ବିଶ୍ୱଦେହେ ॥୧୦୪
    କର ଚରଣ ନଖାୟୁଧ । ତା ଦେଖି କମ୍ପିଲେ ବିବୁଧ ॥୧୦୫
    ଅସୁର ପଳାଇଲେ ତ୍ରାସେ । ଭୟେ ଲୁଚିଲେ ଦଶଦିଶେ ॥୧୦୬
    ଏମନ୍ତ ରୂପ ଦେଖି ଆଗେ । ଦାନବପତି ମହାରାଗେ ॥୧୦୭
    ଗଦା ବୁଲାଇ ଅତି ଖରେ । ଧାଇଁଲା ନୃସିଂହ ଉପରେ ॥୧୦୮
    ଘୋର ଶବଦେ ମହାବୀର । ଦେଖି କମ୍ପିଲେ ସୁରନର ॥୧୦୯
    ଯେ ହରି ମାୟାବୀଙ୍କ ବର । ତା କାହିଁ ଜାଣିବ ଅସୁର ॥୧୧୦
    ଧାମଇଁ ଗଦା ତୋଳି ହସ୍ତେ । ଅଗ୍ନିକି ପତଙ୍ଗ ଯେମନ୍ତେ ॥୧୧୧
    ଗଦା ଉଞ୍ଚାଇ ମହାବୀର । ପିଟିଲା ନୃସିଂହ ଉପର ॥୧୧୨
    ପୁଣି ପ୍ରହାରେ ବାମ-ଦକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ ॥୧୧୩
    ଅତି ବିକ୍ରମ-ତେଜ ଦେଖି । ନୃସିଂହ ଉନ୍ମୀଳେ ନିରେଖି ॥୧୧୪
    କର ପ୍ରସାରି ନରହରି । ତକ୍ଷଣେ ଅସୁରକୁ ଧରି ॥୧୧୫
    ଗଦାଏ ଅଛି ତାର ହସ୍ତେ । ସର୍ପକୁ ଗରୁଡ଼ ଯେମନ୍ତେ ॥୧୧୬
    ତକ୍ଷଣେ ଦାନବ ନୃପତି । ହସ୍ତରୁ ଗଳି ଚିତ୍ରଗତି ॥୧୧୭
    ଗରୁଡ଼ ହସ୍ତୁ ଯେହ୍ନେ ନାଗ । ପଡ଼ି ଧାମଇଁ ଅତି ବେଗ ॥୧୧୮
    ଓଷ୍ଠ କାମୋଡ଼ି ଅତି ବଳେ । ଦେଖି ଡରିଲେ ଦିଗପାଳେ ॥୧୧୯
    ଅସାଧ୍ୟ ଦେଖି ଦେବଗଣେ । ମେଘେ ଲୁଚିଲେ ତତକ୍ଷଣେ ॥୧୨୦
    ନୃସିଂହ ହସ୍ତୁ ଯାନ୍ତେ ଗଳି । ଦେବେ ଭାଳନ୍ତି ଶୂନ୍ୟେ ମିଳି ॥୧୨୧
    ପୁଣି ଅସୁର ନାଦ କରି । ତକ୍ଷଣେ ଖଡ୍ଗ-ଚର୍ମ ଧରି ॥୧୨୨
    ଚର୍ମେ ଶୋଭିତ ଶତଚନ୍ଦ୍ର । ଦୁର୍ଜୟ ଅସୁର ନରେନ୍ଦ୍ର ॥୧୨୩
    ଖଡ୍ଗ-ମଣ୍ଡଳ ଗତି ଦେଖି । ଭୟେ ବୁଜିଲେ ସର୍ବେ ଆଖି ॥୧୨୪
    ଶୂନ୍ୟେ ଉଡ଼ଇ ବାହୁବଳେ । ପୁଣି ମିଳଇ ଭୂମିତଳେ ॥୧୨୫
    ଚଣ୍ଡାଟ୍ଟହାସେ ନରହରି । କୋପେଣ ଅସୁରକୁ ଧରି ॥୧୨୬
    ଦୃଢ଼େ ଚାପନ୍ତେ ପୁଣି ଗଳି । ତଳେ ପଡ଼ିଲା ମହାବଳୀ ॥୧୨୭
    ପୁଣି ଧରନ୍ତି ଅତିବେଗେ । ବଳେ ଉଛୁଡ଼େ ଦଶଦିଗେ ॥୧୨୮
    ପୁଣିହିଁ ଚାପିଲେ ଅଧରେ । ମୂଷିକେ ଯେହ୍ନେ ସର୍ପଧରେ ॥୧୨୯
    ସ୍ୱଭାବେ ଦୁର୍ଜୟ ଅସୁର । ବଜ୍ରହୁଁ କଠିନ ଶରୀର ॥୧୩୦
    ନୃସିଂହ-ହିରଣ୍ୟର ଯୁଦ୍ଧ । ଗଗନେ ଦେଖନ୍ତି ବିବୁଧ ॥୧୩୧
    ସଂକ୍ଷେପି କହିବଇଁ କେତେ । ପୁରାଣମତେ ଭିନ୍ନ ଯେତେ ॥୧୩୨
    ଉରୁ ଉପରେ ନରହରି । ଉତ୍ତାନ କରି ତାକୁ ଧରି ॥୧୩୩
    ବାମ ଦକ୍ଷିଣ ବେନିକରେ । ଲୀଳାମାତ୍ରକେ ନଖାଙ୍କୁରେ ॥୧୩୪
    ରୋଷେ ହୁଁକାର ନାଦକରି । ହୃଦୟକମଳ ବିଦାରି ॥୧୩୫
    ଦେବେ ଦେଖନ୍ତି ଥାଇ ଶୂନ୍ୟେ । ସର୍ପକୁ ଗରୁଡ଼ ଯେସନେ ॥୧୩୬
    ଅସୁର-ହୃଦୟ-ରୁଧିରେ । ତିନ୍ତିଲା ଲଲାଟ-କେଶରେ ॥୧୩୭
    ସିଂହ ଯେସନେ ଗଜ ମୁଣ୍ଡେ । ବସି ବିଦାରେ ଧରି ତୁଣ୍ଡେ ॥୧୩୮
    ଅସୁର ହୃଦୟକମଳ । ବିଦାରି ଅନ୍ତ କଲେ ମାଳ ॥୧୩୯
    କୋପେ ଚାହାଁନ୍ତେ ଦଶଦିଶେ । ଦୈତ୍ୟେ ମିଳିଲେ ଆସି ପାଶେ ॥୧୪୦
    ନାନା ଆୟୁଧ ଧରି କରେ । ପିଟିଲେ ନୃସିଂହ ଉପରେ ॥୧୪୧
    ତାହାଙ୍କୁ ଧରି ତତକ୍ଷଣେ । ନଖେ ବିଦାରିଲେ ଆପଣେ ॥୧୪୨
    ସହସ୍ର ସହସ୍ର ଅସୁର । ସମରେ ଗଲେ ଯମପୁର ॥୧୪୩
    ଅସୁରବଳ ରଣେ ମାରି । କୋପେ ଧାଇଁଲେ ନରହରି ॥୧୪୪
    କଟା କମ୍ପନ ଘୋରବାତେ । ମେଘେ ଉଡ଼ିଲେ ଶୂନ୍ୟପଥେ ॥୧୪୫
    ଶବଦ ଶୁଭେ ଘଡ଼ଘଡ଼ି । ଗଗନମାର୍ଗେ ପଡ଼େ ହୁରି ॥୧୪୬
    ଗ୍ରହ-ନକ୍ଷତ୍ର ମାଳମାଳ । ସ୍ୱର୍ଗୁ ପଡ଼ିଲେ ମହୀତଳ ॥୧୪୭
    ଊର୍ଦ୍ଧ୍ୱେ ଚାହାଁନ୍ତେ କୋପାନଳେ । ଦେଖି ଡରିଲେ ଦିଗପାଳେ ॥୧୪୮
    ନିଃଶ୍ୱାସବାତେ ସିନ୍ଧୁଜଳ । ଉଲ୍ଳୋଳ ଲହରୀ ସଙ୍କୁଳ ॥୧୪୯
    ଦେବେ ଗଗନୁ ଗଲେ ତ୍ରାସେ । ଗଜେ ଉଡ଼ିଲେ ଅଷ୍ଟଦିଶେ ॥୧୫୦
    ଶ୍ୱାସ-ପବନ-ଘାତ-ବଳେ । ବିମାନେ ଆକାଶ ମଣ୍ଡଳେ ॥୧୫୧
    ଉଡ଼ିଲେ ସ୍ଥାନଭ୍ରଷ୍ଟ ହୋଇ । ପାଦ ବିଘାତେ କମ୍ପେ ମହୀ ॥୧୫୨
    ନୃସିଂହ ଶରୀର ପବନେ । ପର୍ବତେ ଉଡ଼ିଲେ ଗଗନେ ॥୧୫୩
    ଦିଶ ଆକାଶ ତେଜ ନାଶେ । ଧୂମ ଯେ ପ୍ରକାଶେ ଆକାଶେ ॥୧୫୪
    ଦିଗ ଅଦୃଶ୍ୟ ଧୂମାକୁଳେ । ନିଃଶ୍ୱାସ ପବନ ନ ଚଳେ ॥୧୫୫
    ଏମନ୍ତେ ଅସୁର ସଂହାରି । ସଭାର ମଧ୍ୟେ ବିଜେକରି ॥୧୫୬
    ବସିଲେ ଅସୁର ଆସନେ । ଯେହୁ ପୂଜିତ ତ୍ରିଭୁବନେ ॥୧୫୭
    ଦେଖି ଅସୁର ପଳାଇଲେ । ଯେ ଅବା ଅବଶେଷ ଥିଲେ ॥୧୫୮
    ଶସ୍ତ୍ର ଧରନ୍ତା ନାହିଁ କେହି । ଭାଜିଲେ ଚଉଦିଗେ ଚାହିଁ ॥୧୫୯
    ହିରଣ୍ୟକଶିପୁ ଅସୁର । ତ୍ରୈଲୋକ୍ୟ କଲା ସେହୁ ଜୂର ॥୧୬୦
    ସଂଗ୍ରାମେ ହରି ତା ଜୀବନ । ସୃଷ୍ଟି ରଖିଲେ ଭଗବାନ ॥୧୬୧
    ଅସୁର-ନିଧନ-ସମ୍ବାଦେ । ବିବୁଧେ ପରମ ଆନନ୍ଦେ ॥୧୬୨
    ନନ୍ଦନବନୁଁ ପୁଷ୍ପ ତୋଳି । ଶୂନ୍ୟେ ସକଳ ଦେବେ ମିଳି ॥୧୬୩
    ହରଷ ଲୋଚନେ ଅନାଇଁ । ମଙ୍ଗଳସ୍ୱରେ ଗୀତ ଗାଇ ॥୧୬୪
    ମିଳି ସକଳ ସୁରନାରୀ । ସାନନ୍ଦେ ପୁଷ୍ପବୃଷ୍ଟି କରି ॥୧୬୫
    ଶୂନ୍ୟେ ଅସୁରେ ଭୟେ ଭାଳି । ଥିଲେ ଯେ ଦଶଦିଗେ ମିଳି ॥୧୬୬
    ଗଗନେ ବିମାନ-ସଙ୍କୁଳେ । ମିଳିଲେ ଦଶଦିଗପାଳେ ॥୧୬୭
    ଦୁନ୍ଦୁଭି ବାଦ୍ୟନାଦ କଲେ । ଗନ୍ଧର୍ବେ ଅପସରା ମେଳେ ॥୧୬୮
    ହରଷେ ନୃତ୍ୟ-ଗୀତ କରି । ଚିତ୍ତ ଆନନ୍ଦେ ମୋଦଭରି ॥୧୬୯
    ବ୍ରହ୍ମା ଶଙ୍କର ଇନ୍ଦ୍ର ତୁଲେ । ଋଷିଏ ପିତୃ ସିଦ୍ଧ ମେଳେ ॥୧୭୦
    ଉରଗ ବିଦ୍ୟାଧରଗଣ । ମନୁଏ ପ୍ରଜାପତି ପୁଣ ॥୧୭୧
    ମିଳିଲେ ଗୃହ୍ୟକ ଚାରଣ । ଯକ୍ଷ କିଂପୁରୁଷ ଏମାନ ॥୧୭୨
    ଆବର ବେତାଳ କିନ୍ନର । ଏ ଆଦି ଅଶେଷ ଅମର ॥୧୭୩
    ମିଳିଲେ ବିଷ୍ଣୁ-ପାରିଷଦ । ସନକ ସୁନନ୍ଦ କୁମୁଦ ॥୧୭୪
    କର ଅଞ୍ଜଳି ଶିରେ ଦେଇ । ମିଳିଲେ ବିଷ୍ଣୁପାଶେ ଯାଇ ॥୧୭୫
    ପ୍ରଚଣ୍ଡ ତେଜ ମହାଘୋର । ଭୟେ ରହିଲେ କିଛି ଦୂର ॥୧୭୬
    ରହିଲେ ସ୍ତମ୍ଭୀଭୂତ ହୋଇ । ସମୀପେ ନ ପାରିଲେ ଯାଇ ॥୧୭୭
    ଭୟେ ଶଙ୍କିତ ଦିଗପାଳେ । ସ୍ତୁତି କରନ୍ତି ପାଦମୂଳେ ॥୧୭୮
    ବ୍ରହ୍ମା ନୃସିଂହ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥୧୭୯


    ବ୍ରହ୍ମା ଉବାଚ
    ନମସ୍ତେ ଅନନ୍ତ ମୂରତି । ଦୂରନ୍ତବୀର୍ଯ୍ୟ ତୋର ଶକ୍ତି ॥୧୮୦
    ବିଚିତ୍ରବୀର୍ଯ୍ୟ ଶୁଦ୍ଧକର୍ମା । ଅଶେଷ ତୋହର ମହିମା ॥୧୮୧
    ଗୁଣ-ସଂଯୋଗେ ଲୀଳାମତେ । ସଂସାର ସୃଷ୍ଟି-ସ୍ଥିତି-ଅନ୍ତେ ॥୧୮୨
    ଅଶେଷ ଯାହାର ମହିମା । କେ କହିପାରେ ଗୁଣସୀମା ॥୧୮୩
    ସେ ପ୍ରଭୁ ଚରଣାରବିନ୍ଦେ । ପ୍ରସନ୍ନ ଅର୍ଥେ ମୁହିଁ ବନ୍ଦେ ॥୧୮୪
    ସେ ହରି ପ୍ରସନ୍ନ ହୁଅନ୍ତୁ । ସକଳେ ଅଭୟ ଦିଅନ୍ତୁ ॥୧୮୫


    ରୁଦ୍ର ଉବାଚ
    ଯୁଗାନ୍ତକାଳ ତୋର କୋପ । ସ୍ୱଭାବେ ଅସୁର ଅଳପ ॥୧୮୬
    ହେ ପ୍ରଭୁ ଭକତବତ୍ସଳ । ଦୁଷ୍ଟ-ଅସୁର ବିନାଶିଲ ॥୧୮୭
    ତା ପୁତ୍ର ଭକ୍ତ ପ୍ରହଲ୍ଲାଦ । ଆଶ୍ରା ନେଇଛି ତୁମ୍ଭପାଦ ॥୧୮୮
    ତା ସମ ଭକ୍ତ କେହି ନାହିଁ । ରଖ ତାହାକୁ ଭାବଗ୍ରାହୀ ॥୧୮୯
    ଏ ସର୍ବ ତୋହର କିଙ୍କର । ଜଗତ ତୋର ଲୀଳାଘର ॥୧୯୦


    ଇନ୍ଦ୍ର ଉବାଚ
    ଇନ୍ଦ୍ର ଅଞ୍ଜଳି ଶିରେ ଦେଇ । ବୋଲେ ନୃସିଂହ କର ତ୍ରାହି ॥୧୯୧
    ଏ ମହାସୁର ମହାବେଗେ । ଯଜ୍ଞ ଆରମ୍ଭେ ହବିର୍ଭାଗେ ॥୧୯୨
    ବଳେ ଭୁଞ୍ଜଇ ଏ ଆକର୍ଷି । ଆମ ହୃଦୟପଦ୍ମେ ପଶି ॥୧୯୩
    ତୁ ନାଥ ସର୍ବ ପ୍ରାଣୀଙ୍କର । ହୃଦୟପଦ୍ମେ ତୋର ଘର ॥୧୯୪
    ସେ ପଦ୍ମ ଅସୁର-ଶଶାଙ୍କେ । ମୁଦ୍ରିତ ଥିଲା ଅତିରେକେ ॥୧୯୫
    ତୁ ଏବେ ସୂର୍ଯ୍ୟ ରୂପ ଧରି । ହୃଦୟପଦ୍ମ ଭେଦ କରି ॥୧୯୬
    ତୁ ତୋର ଗୃହ ସମାର୍ଜିଲୁ । ଆମ୍ଭଙ୍କୁ ଯଜ୍ଞଭାଗ ଦେଲୁ ॥୧୯୭
    ଏ ଘୋର-ସଂସାର-ସାଗରେ । ପ୍ରାଣୀ ଜୀବନ ନିରନ୍ତରେ ॥୧୯୮
    ଗ୍ରସ୍ତ କରଇ କାଳ ବଳେ । କିବା କହିବୁ ଅନ୍ତରାଳେ ॥୧୯୯
    ତୋର ସେବକ-ପ୍ରାଣୀଙ୍କର । ତୁ ନାଥ ଶରଣ ସୋଦର ॥୨୦୦
    ଋଷି ସକଳ ଏକମେଳେ । ସ୍ତୁତି କରନ୍ତି ପାଦତଳେ ॥୨୦୧


    ଋଷିଗଣ ଉବାଚ
    ତୋର ଚରଣ ଧ୍ୟାନ ଅର୍ଥେ । ତପ ସମ୍ପାଦି ଏ ଜଗତେ ॥୨୦୨
    ତୋର ବଚନେ ଆମ୍ଭେ ରହି । ସଂସାରେ ବିପ୍ରଦେହ ବହି ॥୨୦୩
    ସେ ତପ ସାଧିବାର କଷ୍ଟ । ବଳେ ହିରଣ୍ୟ କଲା ନଷ୍ଟ ॥୨୦୪
    ତୋର ବଚନେ ତୋତେ ଭାବି । ଦୃଢ଼େ ପଦାରବିନ୍ଦେ ସେବି ॥୨୦୫
    ସେ ତପ ହରିଲା ଆମ୍ଭର । ନିଜ ପ୍ରତାପେ ଏ ଅସୁର ॥୨୦୬
    ଏବେ ଏହାକୁ ନାଶକରି । ଆମ୍ଭର ତପସ୍ୟା ଉଦ୍ଧରି ॥୨୦୭
    ରଖିଲୁ ବିପ୍ର ଋଷି ଧର୍ମ । ତୁ ନାଥ ସର୍ବ-କୁଳ-କର୍ମ ॥୨୦୮


    ପିତୃଗଣ ଉବାଚ
    ଆମ୍ଭର ଶ୍ରାଦ୍ଧକର୍ମ ଯେତେ । ପୁତ୍ରେ କରନ୍ତି ବେଦମତେ ॥୨୦୯
    ଆମ୍ଭ ଦିବସା-ଶ୍ରାଦ୍ଧକାଳେ । ଅସୁର ଭୁଞ୍ଜେ ଆସି ବଳେ ॥୨୧୦
    ତିଳଉଦକ ଯେତେ ତୀର୍ଥେ । ପୁତ୍ରେ କରନ୍ତି ଧର୍ମମତେ ॥୨୧୧
    ସେ ଶ୍ରାଦ୍ଧଜଳ ପାନ କରେ । ଅର୍ପିତ ଦାନ ବଳେ ହରେ ॥୨୧୨
    ଆମ୍ଭର ଜଳପିଣ୍ଡ ଯେତେ । ଥିଲା ଅସୁର ଗର୍ଭଗତେ ॥୨୧୩
    ନଖଅଙ୍କୁରେ ତାହା ଚିରି । ଆମ୍ଭଙ୍କୁ ଦେଲୁ ନରହରି ॥୨୧୪
    ସିଦ୍ଧେ କହନ୍ତି ଯୋଡ଼ି କର । ଶୁଣିମା ଦେବ ଚକ୍ରଧର ॥୨୧୫


    ସିଦ୍ଧଗଣ ଉବାଚ
    ଆମ୍ଭର ଯୋଗସିଦ୍ଧି ଗତି । ବଳେ ହରିଲା ଦୈତ୍ୟପତି ॥୨୧୬
    ତାହାକୁ ନଖେ ବିଦାରିଲୁ । ତୁ ନାଥ ଆମଙ୍କୁ ରଖିଲୁ ॥୨୧୭
    ତୋର ଚରଣେ ନମସ୍କାର । ଯେଣୁ ତୁ ଶରଣ ସୋଦର ॥୨୧୮
    କର ପ୍ରସାରି ବିଦ୍ୟାଧରେ । ବୋଲନ୍ତି ନୃସିଂହ ଛାମୁରେ ॥୨୧୯


    ବିଦ୍ୟାଧର ଉବାଚ
    ଆମ୍ଭର ଅନ୍ତର୍ଦ୍ଧାନ-ଗତି । ତୋର ପ୍ରସାଦେ ସେ ପ୍ରାପତି ॥୨୨୦
    ତାହାକୁ ପଶୁବଧ ପ୍ରାୟେ । ସଂହାର କଲୁ ଦେବରାୟେ ॥୨୨୧
    ମାୟା-ନୃସିଂହ-ଅବତାର । ଆମ୍ଭେ ଯେ ଶରଣ ତୋହର ॥୨୨୨
    ନାଗ ସକଳେ ଜଣାବନ୍ତି । ଶୁଣ ହେ ପ୍ରଭୁ ଲକ୍ଷ୍ମୀପତି ॥୨୨୩


    ନାଗଗଣ ଉବାଚ
    ଆମ୍ଭ ଫଣାରେ ଯେତେ ମଣି । ଯା ଗୃହେ ଉତ୍ତମ ରମଣୀ ॥୨୨୪
    ସର୍ବ ହରିଲା ବାହୁବଳେ । ଅଜେୟ ଭୁବନ ମଣ୍ଡଳେ ॥୨୨୫
    ସେ ଭୟ ନିବାରି ଗୋବିନ୍ଦ । ଆମ୍ଭଙ୍କୁ ଦେଲୁ ତୁ ଆନନ୍ଦ ॥୨୨୬
    ତୁ ନାଥ ସଂସାର ଉଦ୍ଧର । ତୋର ଚରଣେ ନମସ୍କାର ॥୨୨୭


    ମନୁଗଣ ଉବାଚ
    ବିଧାତା-ବଂଶେ ଅବତରି । ତୋହର ଆଜ୍ଞା ଶିରେ ଧରି ॥୨୨୮
    ମନୁ ବୋଲାଉଁ ଏ ଜଗତେ । ଆମ୍ଭେ ଯେ ତୋହର ଆୟତ୍ତେ ॥୨୨୯
    ଧର୍ମେ ସଂସାର-ଜନ ପାଳୁ । ତୁ ନାଥ ପରମ ଦୟାଳୁ ॥୨୩୦
    ତୋର କିଙ୍କର ଆମ୍ଭ ଦେହ । କିବା କରିବୁ ଆଜ୍ଞା ଦିଅ ॥୨୩୧
    ପ୍ରଜାପତିଏ ସ୍ତୁତି କରି । ବୋଲନ୍ତି ଶୁଣ ନରହରି ॥୨୩୨


    ପ୍ରଜାପତିଗଣ ଉବାଚ
    ତୋ ପ୍ରଜାସୃଷ୍ଟିର ପାଳନେ । ଆମ୍ଭଙ୍କୁ ସୃଜି ବିଦ୍ୟମାନେ ॥୨୩୩
    ରଖିଲୁ ପ୍ରଜାପାଳ କରି । ଆମ୍ଭେ ତୋ ଆଜ୍ଞା ଶିରେ ଧରି ॥୨୩୪
    ସୃଷ୍ଟି-ପାଳନ କରୁ ଭଲେ । ମାନବ-ପ୍ରଜାପତି ତୁଲେ ॥୨୩୫
    ଅସୁର-ଭୟ ଚିତ୍ତେ ବହି । ସ୍ଥାନେ ନ ପାରୁ ଆମ୍ଭେ ରହି ॥୨୩୬
    ସେ ବୀର ତୋର ନଖଘାତେ । ମରି ପଡ଼ିଛି ଭୂମିଗତେ ॥୨୩୭
    ତୁ ସତ୍ତ୍ୱମୂର୍ତ୍ତି ଦାମୋଦର । ଏ ତୋ ନୃସିଂହ-ଅବତାର ॥୨୩୮
    ଜଗତ-ମଙ୍ଗଳ-ବିଧାନ । ସଂସାର ରଖ ଭଗବାନ ॥୨୩୯
    ଗନ୍ଧର୍ବେ ନୃସିଂହ ଚରଣେ । କହନ୍ତି ଭକ୍ତି ଅନୁମାନେ ॥୨୪୦


    ଗନ୍ଧର୍ବଗଣ ଉବାଚ
    ଭୋ ନାଥ ତୋହର ବଚନେ । ନିତ୍ୟେ ଦେବଙ୍କ ସନ୍ନିଧାନେ ॥୨୪୧
    ନୃତ୍ୟ-ଖଟଣି ଗୀତ ସ୍ୱରେ । ଖଟୁ ଯେ ଥିଲୁ ନିରନ୍ତରେ ॥୨୪୨
    ଏବେ ତାଣ୍ଡବେ ଦୈତ୍ୟ ପାଶେ । ନିରତେ ଖଟୁ ଅବକାଶେ ॥୨୪୩
    ଭୟେ ନପାରୁ ସ୍ଥାନେ ରହି । ତାହାର ଆଜ୍ଞା ଶିରେ ବହି ॥୨୪୪
    ଉତ୍ପଥଗାମୀ ଜନଙ୍କର । କେବେହେଁ ନାହିଁ ସୁଖସାର ॥୨୪୫
    ତୋହର ଚରଣ ପ୍ରସାଦେ । ଆମ୍ଭେ ବର୍ତ୍ତିଲୁ ଅପ୍ରମାଦେ ॥୨୪୬
    ଚାରଣେ ମିଳିଣ ଜଣାନ୍ତି । ଶୁଣ ହେ ପ୍ରଭୁ ଶିରୀପତି ॥୨୪୭


    ଚାରଣଗଣ ଉବାଚ
    ଭୋ ହରି ଚରଣ ତୋହର । ଚତୁରବର୍ଗ ସୁଖକର ॥୨୪୮
    ସଂସାର ନିବୃତ୍ତି କାରଣ । ଭୋ ନାଥ ତୋହର ଚରଣ ॥୨୪୯
    ସେ ପାଦସେବା ଆମ୍ଭେ ଛାଡ଼ି । ଅସୁରଘରେ ବନ୍ଦୀ ପଡ଼ି ॥୨୫୦
    ସେ ଘୋର ଦୁଃଖ ଏବେ ଗଲା । ଯେଣୁ ଅସୁର ବୀର ମଲା ॥୨୫୧
    ଯକ୍ଷ ସକଳେ ମନ ସ୍ଥିରେ । କହନ୍ତ ନୃସିଂହ ଛାମୁରେ ॥୨୫୨


    ଯକ୍ଷଗଣ ଉବାଚ
    ସେବକ ଲୋକ ଆମ୍ଭେ ତୋର । ନିରତେ ଚରଣେ କିଙ୍କର ॥୨୫୩
    ଅନେକ ପୁଣ୍ୟ ସାଧି ପୂର୍ବେ । ତୋର ଚରଣ ସେବୁ ଆମ୍ଭେ ॥୨୫୪
    ଆମ୍ଭକୁ ଦିତିସୁତ ନେଇ । ବାହାନ କରେ ଦୁଃଖଦେଇ ॥୨୫୫
    ସେ ଦୈତ୍ୟ ଜନ ପରିତାପେ । ପ୍ରାଣ ଛାଡ଼ିଲା ତୋର କୋପେ ॥୨୫୬
    କହନ୍ତି କିଂପୁରୁଷ ମାନ । ଶୁଣିମା ପ୍ରଭୁ ଭଗବାନ ॥୨୫୭


    କିଂପୁରୁଷ ଉବାଚ
    ତୁ ମହାପୁରୁଷ ଈଶ୍ୱର । ଆମ୍ଭେ କିଙ୍କରଗଣ ତୋର ॥୨୫୮
    କୁତ୍ସିତ-ପୁରୁଷ ଏ ନଷ୍ଟ । ସାଧୁ ବର୍ଜିତ ମହାଦୁଷ୍ଟ ॥୨୫୯
    ଅନ୍ୟାୟକର୍ମ ଆଚରିଲା । ତୋର ପ୍ରତାପେ ନାଶଗଲା ॥୨୬୦


    ବୈତାଳିକଗଣ ଉବାଚ
    ଆମ୍ଭେ ସାଧୁଙ୍କ ସଭାମଧ୍ୟେ । ଯଜ୍ଞ-ଆରମ୍ଭ-ପରିବନ୍ଧେ ॥୨୬୧
    ତୋର ନିର୍ମଳ-ଯଶ ଗାଇ । ସତ୍କାର-ପୂଜା-ଧର୍ମ ପାଇ ॥୨୬୨
    ଆନନ୍ଦେ ଭୁଞ୍ଜୁ ସାଧୁମେଳେ । ଏ ମହାସୁର ତାହା ବଳେ ॥୨୬୩
    ତୋହର ଯଶ ନାଶ କଲା । ଆମ୍ଭକୁ ମହାଦୁଃଖ ଦେଲା ॥୨୬୪
    ଏ ଆମ୍ଭ ଦେହେ ବ୍ୟାଧି ଥିଲା । ତୋ ଉଗ୍ରତେଜେ ନାଶଗଲା ॥୨୬୫
    କିନ୍ନରଗଣ ହରି ଚାହିଁ । ବୋଲନ୍ତି ଶିରେକର ଦେଇ ॥୨୬୬


    କିନ୍ନରଗଣ ଉବାଚ
    ତୋର କିଙ୍କରଗଣ ଆମ୍ଭେ । ତୋ ଅନୁଗ୍ରହେ ଥାଉଁ ଦମ୍ଭେ ॥୨୬୭
    ଏ ଦିତିସୁତ ମହାନଷ୍ଟ । ଆମ୍ଭଙ୍କୁ ଦେଲା ଅତି କଷ୍ଟ ॥୨୬୮
    ଏବେ ଅସୁର ନାଶ କଲୁ । ଆମ୍ଭର ମାନ ଉଦ୍ଧରିଲୁ ॥୨୬୯
    ତୁ ନାଥ ଦେବଙ୍କର ଦେବ । ଆମ୍ଭର ମଙ୍ଗଳ-ବିଭବ ॥୨୭୦
    ଶ୍ରୀବିଷ୍ଣୁ-ପାରିଷଦ ଗଣ । ବୋଲନ୍ତି ଦେବଦେବ ଶୁଣ ॥୨୭୧


    ବିଷ୍ଣୁ ପାରିଷଦଗଣ ଉବାଚ
    ଭୋ ନାଥ ଏ ରୂପ ତୋହର । ଅଦ୍ଭୁତ ମହାଭୟଙ୍କର ॥୨୭୨
    ନୟନେ ଦେଖି ସର୍ବଜନେ । ଭୟେ କମ୍ପିଲେ ତ୍ରିଭୁବନେ ॥୨୭୩
    ତାହାଙ୍କ କର୍ମଦାତା ତୁହି । ଆମ୍ଭକୁ କଲୁ ନାଥ ତ୍ରାହି ॥୨୭୪
    ଯେଣୁ ନାଶିଲୁ ମହାସୁର । ଆମ୍ଭଙ୍କୁ ଅନୁଗ୍ରହ କର ॥୨୭୫
    କହେ ନାରଦ ମହାଋଷି । ଶୁଣ ପାଣ୍ଡବ ସୋମବଂଶୀ ॥୨୭୬
    ଏମନ୍ତେ ନୃସିଂହ ସମ୍ମୁଖେ । ସ୍ତୁତି ବଚନେ ଏକେ ଏକେ ॥୨୭୭
    କହି କରାଇ ତୋଷ ମନ । ଏବେ ହୋ ସାଧୁଜନେ ଶୁଣ ॥୨୭୮
    ନାରଦ ଯୁଧିଷ୍ଠିର ଆଗେ । ଯାହା କହିଲେ ଅନୁରାଗେ ॥୨୭୯
    ସୁଜନେ ଜନେ ଏହା ଶୁଣି । ତରିବେ ଭବ ତରଙ୍ଗିଣୀ ॥୨୮୦
    ଅଦ୍ଭୁତ ନୃସିଂହ-ଚରିତ । କହିଲା ଦାସ ଜଗନ୍ନାଥ ॥୨୮୧
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଦୈତ୍ୟରାଜବଧେ ନୃସିଂହସ୍ତବୋ ନାମାଷ୍ଟମୋଽଧ୍ୟାୟଃ ॥

    ନବମ ଅଧ୍ୟାୟ

    ନାରଦ ଉବାଚ
    ବ୍ରହ୍ମାଦି ଯେତେ ଦେବଗଣେ । ନୃସିଂହ ମୂରତି ଦର୍ଶନେ ॥୧
    କାତରେ ନାନା ସ୍ତୁତି କଲେ । ସମୀପେ ରହି ନପାରିଲେ ॥୨
    ଲକ୍ଷ୍ମୀ ଅଣାଇ ଦେବଗଣେ । ବିଶ୍ୱାସେ ମିଳିଲେ ଚରଣେ ॥୩
    ବୋଇଲେ ଯାଅ ଜନମାତ । ଶାନ୍ତି କରାଅ ତୋର କାନ୍ତ ॥୪
    ଦେବଙ୍କ ବଚନେ କମଳା । ଭାବେ କେତେହେଁ ଦୂର ଗଲା ॥୫
    ଅଦୃଷ୍ଟପୂର୍ବ ରୂପ ଚାହିଁ । ସନ୍ନିଧେ ନ ପାରିଲେ ଯାଇ ॥୬
    ନିକଟେ ପ୍ରହଲ୍ଲାଦ ଆଣି । ବିଶ୍ୱାସେ କହେ କୁଶପାଣି ॥୭
    ନୃସିଂହ ପାଶେ ବେଗେ ଯାଇ । ସ୍ତୁତିରେ ତୋଷ କର ତୁହି ॥୮
    ଭୟେ ନ ପାରୁ ଆମ୍ଭେ ଯାଇ । ତକ୍ଷଣେ ବ୍ରହ୍ମା ଆଜ୍ଞା ପାଇ ॥୯
    ନୃସିଂହ ନିକଟେ ମିଳିଲା । କରଅଞ୍ଜଳି ଶିରେ ଦେଲା ॥୧୦
    ଚରଣତଳେ ଶିର ଦେଇ । ନମିଲା ଦଣ୍ଡବତ ହୋଇ ॥୧୧
    ଦେଖି ନୃସିଂହ ଦୟାଚିତ୍ତେ । ଆନନ୍ଦେ ଧରି ତାକୁ ହସ୍ତେ ॥୧୨
    ଭୂମିରୁ ତୋଳି ବସାଇଲେ । ହସ୍ତପଙ୍କଜ ଶିରେ ଦେଲେ ॥୧୩
    ସେ ପଦ୍ମକରର ମହିମା । କି ଦେବା ତହିଁକି ଉପମା ॥୧୪
    କାଳଭୁଜଙ୍ଗ ଭୟ ପାଇ । ଯେ ପ୍ରାଣୀ ଶରଣ ପଶଇ ॥୧୫
    ସେ ପଦ୍ମକର ରଖେ ତାରେ । ବେଗେ ପଶଇ ସୁଖଘରେ ॥୧୬
    ନୃସିଂହ କର ଲାଗି ଶିରେ । ଅଶୁଭ ଗଲା ଅତି ଦୂରେ ॥୧୭
    ତକ୍ଷଣେ ଜ୍ଞାନ ପ୍ରକାଶିଲା । ଆନନ୍ଦେ ଅସୁରର ବଳା ॥୧୮
    ନୃସିଂହ-ଚରଣ-କମଳେ । ମନ ନିରୋପିଲା ନିଶ୍ଚଳେ ॥୧୯
    ରୋମ ପୁଲକ ତାର ଦେହେ । ଆନନ୍ଦେ ଅଶ୍ରୁ ଜଳ ବହେ ॥୨୦
    ଏକାଗ୍ରେ ମନ ଦୃଢ଼ କରି । ସେ ରୂପ ଅନ୍ତର୍ଗତେ ଭରି ॥୨୧
    ଚରଣେ ଦେଇ ବେନିପାଣି । କଣ୍ଠ ଗଦ୍‌ଗଦେ କହେ ବାଣୀ ॥୨୨
    ବ୍ରହ୍ମାଦି ଦେବଙ୍କ ବିଷୟେ । ଯେଣେ ନୃସିଂହ ଦୟାବହେ ॥୨୩
    ଆତ୍ମାର ନିସ୍ତାରଣ ଅର୍ଥେ । ସଂସାରୁ ତରିବା ନିମନ୍ତେ ॥୨୪
    ତ୍ରିଚତ୍ୱାରିଂଶ ପଦ ଶ୍ଳୋକେ । ସ୍ତୁତି କରଇ ଏକେ ଏକେ ॥୨୫


    ପ୍ରହ୍ଲାଦ ଉବାଚ
    ବ୍ରହ୍ମାଦି ସିଦ୍ଧ ମୁନିଗଣେ । ସ୍ୱଭାବ ସାତ୍ତ୍ୱିକ ଲକ୍ଷଣେ ॥୨୬
    ଅମୃତ-ବଚନ-ପ୍ରବାହେ । ନିର୍ମଳ-ବିଶୁଦ୍ଧ-ହୃଦୟେ ॥୨୭
    ନାନା ପ୍ରକାରେ ସ୍ତୁତି କରି । ଆରାଧି ନପାରିଲେ ହରି ॥୨୮
    ମୁଁ ଛାର ଅସୁର ହୋଇଣ । କାହୁଁ ତୋଷିବି ନାରାୟଣ ॥୨୯
    ଧନ ସତ୍‌କୁଳ ଅବା ରୂପ । ପଣ୍ଡିତପଣ ତେଜ ତପ ॥୩୦
    ବଳ ପୌରୁଷ ବୁଦ୍ଧି ଯୋଗ । ଓଜ ବିଭୂତି ବାରମାର୍ଗ ॥୩୧
    ଏ ଆଦି ଯେତେ ଗୁଣଗ୍ରାମ । ନୁହଁନ୍ତି ବିଷ୍ଣୁତୋଷେ କ୍ଷମ ॥୩୨
    କେବଳ ଭକ୍ତିଯୋଗେ ତୋଷ । ଯେସନେ ଗଜେନ୍ଦ୍ର-ବିଶ୍ୱାସ ॥୩୩
    ଦ୍ୱାଦଶଗୁଣେ ବିପ୍ର ଯୁକ୍ତ । ସେ ଯେବେ ନୋହେ ବିଷ୍ଣୁଭକ୍ତ ॥୩୪
    ସେ ବିପ୍ରଶ୍ରେଷ୍ଠ ନ ବୋଲାଇ । ସଂସାରୁ ତରିବ ସେ କାହିଁ ॥୩୫
    ଯେହୁ ଦ୍ୱାଦଶଗୁଣ ଧରେ । ସେ ବିପ୍ର ସଂସାର-ବେଭାରେ ॥୩୬
    ସ୍ୱଭାବେ ସତ୍ୟ ଶମ ଦମ । ଅହିଂସା ତପ କ୍ଷମା ଧର୍ମ ॥୩୭
    ଆର୍ଜବ ଦାନ ବ୍ରତ ଧୃତି । ଶଉଚ ଶ୍ରୁତ ଆଦି କୃତି ॥୩୮
    ଦ୍ୱାଦଶ ବ୍ରାହ୍ମଣ ଲକ୍ଷଣ । ବେଦେ ବର୍ଣ୍ଣିତ ଏତେ ଗୁଣ ॥୩୯
    ଏମନ୍ତ ବିପ୍ର ହୋଇ ଯେବେ । ଭକ୍ତି ନକରେ କୃଷ୍ଣଭାବେ ॥୪୦
    ଚଣ୍ଡାଳ ଜନ୍ମ ହୋଇ ଯେବେ । ମନ ଅର୍ପଇ କୃଷ୍ଣଭାବେ ॥୪୧
    ଆତ୍ମା ପବିତ୍ର ବେଗେ କରେ । ଚଣ୍ଡାଳ କୁଳକୁ ଉଦ୍ଧରେ ॥୪୨
    ବ୍ରାହ୍ମଣ ସର୍ବମାନ୍ୟ ହୋଇ । ଆତ୍ମା ଉଦ୍ଧରି ନ ପାରଇ ॥୪୩
    ଯେ ହରି ନିତ୍ୟ ଶୁଦ୍ଧଜ୍ଞାନ । ଆତ୍ମା ପ୍ରକାଶେ ନିରଞ୍ଜନ ॥୪୪
    ସେ କାହିଁ ଅଜ୍ଞାନ-ସଙ୍କଳ୍ପେ । ଆବର ନାନା ପୂଜା ରୂପେ ॥୪୫
    ଯେଣୁ ଦୟାଳୁ ସେ ବୋଲାଇ । ଏଣୁ ଭରସା ପ୍ରାଣୀ ପାଇ ॥୪୬
    କରନ୍ତି ପୂଜାବିଧି ଯେତେ । ଆତ୍ମା ମଙ୍ଗଳପ୍ରାପ୍ତି ଅର୍ଥେ ॥୪୭
    ସ୍ୱଭାବେ ନିଜ ମୁଖ ବେଶ । ଯେସନେ ଦର୍ପଣେ ପ୍ରକାଶ ॥୪୮
    ତେଣୁ ଭରସା ପାଇ ମୁହିଁ । ଈଶ୍ୱର-ମହିମା ବର୍ଣ୍ଣଇ ॥୪୯
    ଯଦ୍ୟପି ନୀଚ ଦେହ ମୋର । ସ୍ତବନେ ନାହିଁ ଅଧିକାର ॥୫୦
    ତଥାପି ବୁଦ୍ଧି ଯେତେ ମୋର । ସ୍ତୁତି କରିବି ତୋ ଛାମୁର ॥୫୧
    ଅବିଦ୍ୟାବଳେ ଏ ସଂସାରେ । ଏ ଜୀବ ଅଶେଷ ପ୍ରକାରେ ॥୫୨
    କର୍ମର ବଳେ ସଞ୍ଚରଇ । ତୋର ଭଜନେ ସେ ତରଇ ॥୫୩
    ତୁ ସତ୍ୟଧାମ ଦାମୋଦର । ମୁହିଁ ଯେ ତୋହର କିଙ୍କର ॥୫୪
    ବ୍ରହ୍ମାଦି ଯେତେ ଦେବଗଣେ । ସେ ସର୍ବେ ତୋହର ଚରଣେ ॥୫୫
    ତୋତେ ଚିନ୍ତନ୍ତି ଭୟଚିତ୍ତେ । ପାଦେ ସେବନ୍ତି ଅବିରତେ ॥୫୬
    ଏଣୁ ସଂସାର ରକ୍ଷାଅର୍ଥେ । ତୋ ଅବତାର ଏ ଜଗତେ ॥୫୭
    ତେଣୁ ତୋ କୋପ ତୁ ସଂହର । ତୁ ନାଥ ଜଗତ ଈଶ୍ୱର ॥୫୮
    ତୁ ଏ ଅସୁର ହତ କଲୁ । ସଂସାର ଭୟ ନିବାରିଲୁ ॥୫୯
    ଆନନ୍ଦ ସାଧୁଙ୍କର ମନେ । ସର୍ପ-ବୃଶ୍ଚିକ-ନାଶେ ଯେହ୍ନେ ॥୬୦
    ଲୋକେ ଆନନ୍ଦେ ସ୍ଥିରମନେ । ଭଜିଲେ ତୋହର ପ୍ରସନ୍ନେ ॥୬୧
    ଶୁଣ ହେ ପ୍ରଭୁ ଚକ୍ରଧର । ଏରୂପ ମହାଭୟଙ୍କର ॥୬୨
    ଏବେ ଏ ଭୟରୂପ ହର । ଲୋକଙ୍କ ଭୟକୁ ସଂହର ॥୬୩
    ଜିହ୍ୱା ଚଞ୍ଚଳ ସୌଦାମିନୀ । ପ୍ରଳୟାନଳ ନେତ୍ର ବେନି ॥୬୪
    ଭ୍ରୂକୁଟୀ କୁଟୀଳ ପ୍ରଚଣ୍ଡ । ଦଂଷ୍ଟ୍ରା କରାଳ ପାଟିତୁଣ୍ଡ ॥୬୫
    ଅସୁର-ହୃଦୟ-ରୁଧିରେ । ତା ଅନ୍ତ୍ର-ପୁଷ୍ପମାଳ କରେ ॥୬୬
    କେଶର ଦିଶେ ଶୋଣି ବର୍ଣ୍ଣ । ରୁଧିରେ ରଙ୍ଗ ବେନି କର୍ଣ୍ଣ ॥୬୭
    ତୁମ୍ଭର ଘୋରନାଦ ଶୁଣି । ପ୍ରଳୟ-ବଜ୍ର ପ୍ରାୟ ମଣି ॥୬୮
    ଅଇରାବତ ଆଦି ନାଗେ । ପଳାଇଗଲେ ଅଷ୍ଟଦିଗେ ॥୬୯
    ଅନଳ ପ୍ରାୟ ନଖପନ୍ତି । ଅସୁର ରୁଧିର ପିବନ୍ତି ॥୭୦
    ଏମନ୍ତ ରୂପ ତୋର ଚାହିଁ । ଭୋ ନାଥ ମୋର ଭୟ ନାହିଁ ॥୭୧
    ତୁ ନାଥ ଶରଣ-ବତ୍ସଳ । ଅବ୍ୟୟ ଆତ୍ମା ଆଦିମୂଳ ॥୭୨
    ତୋର ସଂସାରଚକ୍ରେ ପଡ଼ି । ଆତ୍ମାର ନିଜ ପଥ ହୁଡ଼ି ॥୭୩
    ସେ ମାୟାଚକ୍ର ମୋତେ ଘେନି । କାଳେ ଭ୍ରମାଇ ନାନା ଯୋନି ॥୭୪
    ସ୍ୱକର୍ମବଦ୍ଧେ ମୋ ଜୀବନ । ଏଣୁ ହରାଇ ନିଜ ଜ୍ଞାନ ॥୭୫
    ଏବେ ତୋହର ପାଦମୂଳେ । ଶରଣ ପଶିଲି ନିଶ୍ଚଳେ ॥୭୬
    ତୋତେ ନଭଜି ନାରାୟଣ । ମୋର ଜୀବନ ଗତି ଶୁଣ ॥୭୭
    ଏ ଘୋର ସଂସାର-ସାଗରେ । ଜନ୍ମ-ମରଣ ଅଭ୍ୟନ୍ତରେ ॥୭୮
    ସଂଯୋଗ-ବିଯୋଗ ଅଜ୍ଞାନ । ଶୋକ-ଅନଳେ ଦହେ ମନ ॥୭୯
    ଏ ଦେହେ ସର୍ବ ଦୁଃଖ ବ୍ୟାଧି । ତୋହର ଚରଣ ଔଷଧି ॥୮୦
    ସେ ପାଦ ଛାଡ଼ି ମୁହିଁ ଦୂରେ । ଭ୍ରମଇଁ ଘୋର ଅନ୍ଧକାରେ ॥୮୧
    ଏବେ ଏମନ୍ତ ଆଜ୍ଞା କର । ଯେମନ୍ତେ ସେବିବି ପୟର ॥୮୨
    ତୁ ନାଥ ପ୍ରାଣୀଙ୍କ ଜୀବନ । ପ୍ରିୟ-ଦେବତା ବନ୍ଧୁଜନ ॥୮୩
    ତୋହର ଲୀଳା-କ୍ରୀଡ଼ା ବାଣୀ । ବିରଞ୍ଚି ସଭାମଧ୍ୟେ ଭଣି ॥୮୪
    ମୁଁ ତୋର ଲୀଳାଗୁଣ ଗୁଣି । ତରିବି ଭବ-ତରଙ୍ଗିଣୀ ॥୮୫
    ତୋ ପାଦ-ପଦ୍ମବନ ମଧ୍ୟେ । ଯେ ହଂସ ଖେଳନ୍ତି ଆନନ୍ଦେ ॥୮୬
    ତାହାଙ୍କ ସଙ୍ଗୀ ମୋତେ କର । ଏ ମାୟା-ସଂସାରୁ ଉଦ୍ଧର ॥୮୭
    ବାଳକ ରକ୍ଷଣ ସଂସାରେ । ପିତାମାତା ହୁଁ ନାହିଁ ପରେ ॥୮୮
    ଅଗାଧ-ସମୁଦ୍ର ଲଙ୍ଘନେ । ପ୍ରାଣୀଙ୍କ ନଉକା ଯେସନେ ॥୮୯
    ପଥେ-ତୃଷିତ-ପ୍ରାଣୀ ଯେହ୍ନେ । ଜୀବନ ରଖେ ଜଳପାନେ ॥୯୦
    ବ୍ୟାଧିରେ ଆର୍ତ୍ତ ହେଲେ ଜନ । ଔଷଧି ହୁଅଇ ଶରଣ ॥୯୧
    ମାତ୍ର ତୋ ପାଦ କୃପା ବିନେ । ଏ କେହି ନୁହଁନ୍ତି କାରଣେ ॥୯୨
    ଏମନ୍ତ ତୋ ପଦ୍ମଚରଣ । ଏଣୁ ମୁଁ ପଶିଲି ଶରଣ ॥୯୩
    ଭୋ ନାଥ ତୋର ମାୟାବଳେ । ପ୍ରକୃତି ଏ ମାୟା ଶୟଳେ ॥୯୪
    କାଳର ବଳେ ସଙ୍ଗ ହୋଇ । ଯାହାକୁ ଯେମନ୍ତ ଭାବଇ ॥୯୫
    ଯେଣେ ଯାହାକୁ ନିଯୋଜଇ । ସେ ଫଳ ତାର ହସ୍ତେ ଦେଇ ॥୯୬
    କାହୁଁ ଆସଇ କାହିଁ ଥାଇ । କାହାକୁ କାହିଁ ନେଇ ଥୋଇ ॥୯୭
    ଜୀବକୁ କରେ ନାନା ଗତି । ଏମନ୍ତେ ପ୍ରଧାନ ପ୍ରକୃତି ॥୯୮
    ସେ ଜୀବ ତୋର ସଙ୍ଗେ ରହେ । ଭାବେ ଭ୍ରମଇଁ ସର୍ବଦେହେ ॥ ୯୯
    ଏ ଜୀବ ତୋର ଅଂଶୁ ଜାତ । ତୋହର ବଶ ଏ ଜଗତ ॥୧୦୦
    କାଳର ବଳେ ବଶ ହୋଇ । ଦେହ-ବନ୍ଧନେ ବଦ୍ଧ ଦେହୀ ॥୧୦୧
    ସଂସାରଚକ୍ରେ ଷୋଡ଼ଶାରେ । କର୍ମେ ଭ୍ରମଇ ନିରନ୍ତରେ ॥୧୦୨
    ଦଶଇନ୍ଦ୍ରିୟ ମନବନ୍ଧେ । ଶବ୍ଦ ସ୍ପରଶ ରୂପ ଗନ୍ଧେ ॥୧୦୩
    ରସେ ରସଇ ସର୍ବକାଳେ । ଏମନ୍ତେ ଭ୍ରମେ ମହୀତଳେ ॥୧୦୪
    ଏମନ୍ତ ଚକ୍ରେ ଜୀବ ବସି । କର୍ମ-ବିଷୟ ରସେ ରସି ॥୧୦୫
    ଚକ୍ରେ ଭ୍ରମଇ ଦୁଃଖ ସହି । ତୋ ବିନୁ ତାର ମୋକ୍ଷ ନାହିଁ ॥୧୦୬
    ନିତ୍ୟ ବିଜିତ ଆତ୍ମାଗୁଣ । ସ୍ୱତେଜ ବଳେ ନାରାୟଣ ॥୧୦୭
    ଏ କାଳଆତ୍ମା ବଶ କରି । ବିସର୍ଗ-ଶକ୍ତିକି ବିସ୍ତାରି ॥୧୦୮
    ସେ ସୃଷ୍ଟି କାଳଚକ୍ରେ ଥୋଇ । ସେ ଚକ୍ରେ ଜୀବକୁ ବସାଇ ॥୧୦୯
    ପେଡ଼ଇ ଈକ୍ଷୁଦଣ୍ଡ ପ୍ରାୟେ । ଏଣୁ ଡରଇ ମୋର କାୟେ ॥୧୧୦
    ଏବେ ମୁଁ ତୋ ଶରଣାଗତ । ଚକ୍ରୁ ଉଦ୍ଧର ମୋର ନାଥ ॥୧୧୧
    ମୁଁ ଏବେ ଦେଖିଲି ପ୍ରତ୍ୟକ୍ଷେ । ଭୋ ନାଥ ତୋହର ସମକ୍ଷେ ॥୧୧୨
    ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଦେବା । ମନୁଷ୍ୟ କରେ ତାଙ୍କୁ ସେବା ॥୧୧୩
    ଇଚ୍ଛନ୍ତି ଅଇଶ୍ୱର୍ଯ୍ୟ ଭୋଗ । ସାତ୍ତ୍ୱିକ ସଂଯୋଗ ବିଯୋଗ ॥୧୧୪
    ଏ ଦେବେ ମୋର ପିତା ତ୍ରାସେ । ଦଣ୍ଡେ ନଥାନ୍ତି ଅବକାଶେ ॥୧୧୫
    ତାହାର ଭ୍ରୂକୁଟୀ କୁଟୀଳେ । ଭୟେ ପଶନ୍ତି ଅନ୍ତରାଳେ ॥୧୧୬
    ତୁ ଏବେ ତାହାକୁ ସଂହାରି । ରଖିଲୁ ସର୍ବଦେବ ଶିରୀ ॥୧୧୭
    ତେଣୁ ଯେ ପ୍ରାଣୀଙ୍କ ଆଶିଷ । ଯେ ଫଳ ଏ ଭୂତ ଭବିଷ୍ୟ ॥୧୧୮
    ଆୟୁ ସମ୍ପଦ ଭୋଗ ଅର୍ଥ । ଇନ୍ଦ୍ରିୟ ସୁଖର ପ୍ରାପତ ॥୧୧୯
    ସେ ସର୍ବବାଞ୍ଛା ତୋର ବଳେ । କାଳ ହରଇ ଅବହେଳେ ॥୧୨୦
    ତେଣେ ମୋହର କାର୍ଯ୍ୟ ନାହିଁ । ତୋ ପାଦେ ରଖ ଭାବଗ୍ରାହୀ ॥୧୨୧
    ତୋ ମାୟା-ସଂସାର-ସାଗରେ । ସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ ॥୧୨୨
    ଏ କଳେବରର ମହିମା । ଅଶେଷ ରୋଗଙ୍କର ସୀମା ॥୧୨୩
    ଏ ସର୍ବ ଶ୍ରୁତିମୁଖେ ଶୁଣି । ସ୍ୱପ୍ନର ପ୍ରାୟେ ପରିମାଣି ॥୧୨୪
    ଅଛଇ ତୋର ମାୟାମୋହେ । କେବେ ହେଁ ବିରକତ ନୋହେ ॥୧୨୫
    କାମଅନଳ ମଧୁ ଲୋଭେ । କେମନ୍ତେ ଲିଭିବ ସ୍ୱଭାବେ ॥୧୨୬
    ମୋହର ଜନ୍ମ ରଜଗୁଣେ । ଅଧିକ ତାମସ ଲକ୍ଷଣେ ॥୧୨୭
    ଅସୁରକୁଳେ ଜାତ ମୁହିଁ । ତୋ ଅନୁକମ୍ପା ଅବା କାହିଁ ॥୧୨୮
    ଭୋ ନାଥ ମୋର ଶିରେ ଆଣି । ପ୍ରସନ୍ନେ ଦେଲୁ ପଦ୍ମପାଣି ॥୧୨୯
    ତୋର ପ୍ରସାଦ ପଦ୍ମନାଭ । ବ୍ରହ୍ମା ଶଙ୍କରରେ ଦୁର୍ଲ୍ଲଭ ॥୧୩୦
    କମଳା ତୋର ହୃଦେ ଥାଇ । ତୋ ଭାବ ଲଭି ନପାରଇ ॥୧୩୧
    ତୋର ମହିମା ଭାବଗ୍ରାହୀ । ପର-ଅପର ତୋର ନାହିଁ ॥୧୩୨
    ଏ ଜୀବ ପରାପର ଜାଣେ । ସଂସାରଗତି ନ ପ୍ରମାଣେ ॥୧୩୩
    ଉତ୍ତମ ସେବା ତୋ ଚରଣେ । ଯେ ପ୍ରାଣୀ କରେ ଅନୁକ୍ଷଣେ ॥୧୩୪
    ସେ ପାଦ ଯାରେ ଦୟା କରେ । ପ୍ରସନ୍ନ କଳ୍ପଦ୍ରୁମ ତାରେ ॥୧୩୫
    ସେବାନୁରୂପ ଫଳ ପାଇ । ପର-ଅପର ତୋର ନାହିଁ ॥୧୩୬
    ଏମନ୍ତେ ଭବବନ୍ଧ-କୂପେ । ବେଢ଼ି ଅଛନ୍ତି କାଳସର୍ପେ ॥୧୩୭
    ସେ କୂପେ ପଡ଼ି ସର୍ବଜନେ । କାମ କଳ୍ପନ୍ତି ନିତ୍ୟ ମନେ ॥୧୩୮
    ତାହାଙ୍କ ସଙ୍ଗତରେ ଥାଇ । ସେ କାମ କଳ୍ପୁଥାଇ ମୁହିଁ ॥୧୩୯
    ନାରଦ ମୁନି ବେଦମୟ । ସେ ମୋତେ କଲେ ଅନୁଗ୍ରହ ॥୧୪୦
    ଏଣୁ ସାଧୁଙ୍କ ସଙ୍ଗେ ଭାବି । ତୋ ସେବା କେମନ୍ତେ ଛାଡ଼ିବି ॥୧୪୧
    ଅନନ୍ତ ମୋ ପ୍ରାଣ ରକ୍ଷଣ । ପିଅର ମରଣ କାରଣ ॥୧୪୨
    ଭକ୍ତ-ରକ୍ଷଣ ବାକ୍ୟମତେ । ତୋ ଅବତାର ଏ ଜଗତେ ॥୧୪୩
    ମୋ ପିତା ଖଡ଼୍‌ଗ ଧରି ହସ୍ତେ । ପ୍ରତିଜ୍ଞା କଲା ମୋ ଅଗ୍ରତେ ॥୧୪୪
    ବୋଇଲା ଦେଖା ତୋ ଠାକୁର । ନୋହିଲେ ଛେଦିବଇଁ ଶିର ॥୧୪୫
    ମୁହିଁ ଈଶ୍ୱର ତିନିପୁରେ । ମୋ ତହୁଁ କେବା ଅଛି ପରେ ॥୧୪୬
    ଏଣୁ ମୋ ବାକ୍ୟ ସତ୍ୟ କରି । ତୋ ଅବତାର ନରହରି ॥ ୧୪୭
    ତୁ ଏ ଜଗତେ ଦେହ ଧରି । ଜନଙ୍କ ମଧ୍ୟେ ଅବତରି ॥ ୧୪୮
    ପ୍ରକାଶୁ ସ୍ଥୂଳ ସୂକ୍ଷ୍ମ ରୂପେ । ଏବେ ରହୁ ନିର୍ଲେପ ରୂପେ ॥ ୧୪୯
    ତ୍ରିଗୁଣ ସର୍ଜୁ ଗୁଣମୟେ । ମାୟା ପ୍ରକାଶୁ ନାନାଦେହେ ॥୧୫୦
    ବିହରୁ ଗୁଣମଧ୍ୟେ ପଶି । କେ କହୁ ତୋ ରୂପ ବିଶେଷି ॥୧୫୧
    ସତ ଅସତ ଏ ଜଗତ । ତୋ ତହୁଁ ନାହିଁ ଭିନ୍ନମତ ॥୧୫୨
    ମାୟାରେ ଆତ୍ମ ପର କରେ । ବିଅର୍ଥେ ବୁଦ୍ଧିରେ ବିଚାରେ ॥୧୫୩
    ପ୍ରକାଶ ସ୍ଥିତି ଅନ୍ତ ସୃଷ୍ଟି । ତରୁ-ପଲ୍ଲବେ ଯେହ୍ନେ ଅଷ୍ଟି ॥୧୫୪
    ତୁ ଏ ଜଗତେ ଆତ୍ମବଳେ । ଆତ୍ମାରେ ଥାଉ ଅନ୍ତଃକାଳେ ॥୧୫୫
    ସୃଷ୍ଟି ସଂହାରି ମାୟାବଳେ । ନାଗ ଶୟନେ ତୁ ନିଶ୍ଚଳେ ॥୧୫୬
    ତୋ ନିଜ ସୁଖେ ଅନୁଭବ । ନିରୀହ ରୂପ ପଦ୍ମନାଭ ॥୧୫୭
    ମୁଦ୍ରିତ ଲୋଚନେ ମୁରାରି । ନିଦ୍ରାକୁ ହୃଦରେ ସଂହାରି ॥୧୫୮
    ତୁରୀୟେ ସୁଖେ ରହୁ ତୁହି । ତ୍ରିଗୁଣେ ତୋର କାର୍ଯ୍ୟ ନାହିଁ ॥୧୫୯
    ସେ ଗୁଣମୟ ତୋ ଶରୀରେ । ଚେତଇ ନିଦ୍ରା ଅଭ୍ୟନ୍ତରେ ॥୧୬୦
    କାଳର ବଳେ ତୋ ନୟନେ । ଯୋଗ ସମାଧି ଅବସାନେ ॥୧୬୧
    ତୋ ନାଭିମଧ୍ୟେ ଜଳକଣେ । ବୀଜ ପ୍ରକାଶେ ତତକ୍ଷଣେ ॥୧୬୨
    ବୀଜୁ ଯେସନେ ବଟ ହୋଇ । ପଦ୍ମ ମୃଣାଳ ପ୍ରକାଶଇ ॥୧୬୩
    ସେ ପଦ୍ମମଧ୍ୟୁ ବ୍ରହ୍ମା ଜାତ । ନ ଜାଣେ ଆତ୍ମାର ବୃତ୍ତାନ୍ତ ॥୧୬୪
    ତୁ ବୀଜଆତ୍ମା ତା ଶରୀରେ । ପ୍ରକାଶୁ ବାହ୍ୟ ଅଭ୍ୟନ୍ତରେ ॥୧୬୫
    ତାହା ନଜାଣି ବେଦମୁଖ । ଆରତେ ଖୋଜିଲେ ଅନେକ ॥୧୬୬
    କାହୁଁ ଅଇଲି ବୋଲି ଚିନ୍ତି । ଭୟେ ଭାଳଇ ପ୍ରଜାପତି ॥୧୬୭
    ପୁଣି ପଶିଲା ପଦ୍ମନାଳେ । ଶତେବରଷ ଯୋଗବଳେ ॥୧୬୮
    ଅଙ୍କୁରମାର୍ଗେ ବୀଜ ଲୋଡ଼ି । ଭ୍ରମିଲା ବହୁ ଦୁଃଖେପଡ଼ି ॥୧୬୯
    ଲୋଡ଼ି ନ ପାଇ ମହାଜଳେ । ପୁଣି ଉଠିଲା ପଦ୍ମନାଳେ ॥୧୭୦
    ଭାଳଇ ପଦ୍ମମଧ୍ୟେ ରହି । ତୋ ଅନ୍ତ ପାଇବ ସେ କାହିଁ ॥୧୭୧
    ତୋତେ ନପାଇ ପ୍ରଜାପତି । ତପସାଧନେ କଲା ମତି ॥୧୭୨
    ଅନେକ କାଳ ସାଧି ତପ । ଦେଖିବା ନିମନ୍ତେ ତୋ ରୂପ ॥୧୭୩
    ତୋ ରୂପ କରି ଅନୁମାନେ । ଭୂମିରୁ ଗନ୍ଧମାତ୍ରା ଯେହ୍ନେ ॥୧୭୪
    ସହସ୍ର-ବଦନ-ନୟନ । ସହସ୍ର-ଶିର-ନାସା-କର୍ଣ୍ଣ ॥୧୭୫
    ସହସ୍ର-ଉର ସସ୍ରପାଦ । ସହସ୍ର ଭୁଜେ ସସ୍ରାୟୁଧ ॥୧୭୬
    ସେ ମାୟାମୟ ରୂପ ସୁଖେ । ବିଧାତା ଦେଖିଲା ସମ୍ମୁଖେ ॥୧୭୭
    ତୋହର ଦେଖି ଦିବ୍ୟବେଶ । ବିଧାତା ହୋଇଲା ହରଷ ॥୧୭୮
    ବ୍ରହ୍ମାର ଅର୍ଥେ ପଦ୍ମନାଭ । ରୂପ ପ୍ରକାଶ ହୟଗ୍ରୀବ ॥୧୭୯
    ବିଷ୍ଣୁର ଯୋଗନିଦ୍ରା କାଳେ । କର୍ଣ୍ଣରୁ ମଳ ପଡ଼ି ଜଳେ ॥୧୮୦
    ରଜ-ତାମସ-ଗୁଣେ ଜାତ । ମଧୁ-କୈଟଭ ବେନି ଦୈତ୍ୟ ॥୧୮୧
    ଦେବହେଳନ ମହାଘୋର । ତେଜ ପ୍ରଚଣ୍ଡ ଭୟଙ୍କର ॥୧୮୨
    ତାହାଙ୍କୁ ମାରି ଶତ୍ରୁଗଣ । ବ୍ରହ୍ମାଙ୍କୁ କଲୁ ସମର୍ପଣ ॥୧୮୩
    ଏହି ପ୍ରକାରେ ନରହରି । ନୃ ପଶୁ ଋଷି ରୂପ ଧରି ॥୧୮୪
    ଦେବତା ଜଳଜନ୍ତୁ ରୂପେ । ତୋ ଅବତାର ମହାକଳ୍ପେ ॥୧୮୫
    ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ॥୧୮୬
    ଯୁଗାନୁଧର୍ମେ ପାଳୁ ନାଥ । କଳିଲେ ନୋହୁ ତୁ ତେମନ୍ତ ॥୧୮୭
    ଏ ରୂପେ ଛନ୍ନରୂପ ହେଉ । ଏଣୁ ତ୍ରିଯୁଗ ତୁ ବୋଲାଉ ॥୧୮୮
    ନିରତେ ମାୟାଜଡ଼େ ଛନ୍ନ । ପାପ-ସଙ୍କଳ୍ପେ ଦୁଷ୍ଟମନ ॥୧୮୯
    ଏଣୁ ତୋ କଥାମୃତେ ରତି । କେ କରିପାରେ ଦୃଢ଼ ମତି ॥୧୯୦
    କାମ-ସଙ୍କଳ୍ପେ ମୁଁ ଆତୁର । କାହୁଁ ଜାଣିବି ଗତି ତୋର ॥୧୯୧
    ଏ ଦେହେ ଇନ୍ଦ୍ରିୟଙ୍କ ଗୁଣ । ଭୋ ନାଥ ସାବଧାନେ ଶୁଣ ॥୧୯୨
    ଆତ୍ମା ନରହି ହୃଦଗତେ । ଚଳଇ ଇନ୍ଦ୍ରିୟ ଆୟତ୍ତେ ॥୧୯୩
    ରସ-ଲାଳସେ ଜିହ୍ୱା ଧରେ । ତୃଷିତେ ତୃଷା ବଳ କରେ ॥୧୯୪
    ଉପସ୍ଥ ଧରେ କାମ ଭୋଗେ । ଗୁହ୍ୟ ଧରଇ ମଳୋତ୍ସର୍ଗେ ॥୧୯୫
    ଚର୍ମ ଧରଇ ଶୀତ-ଉଷ୍ମେ । ଉଦର ଧରେ ଭକ୍ଷ-କର୍ମେ ॥୧୯୬
    ଶ୍ରବଣ ଶବ୍ଦ-ଅର୍ଥେ ଧରେ । ଗନ୍ଧାର୍ଥେ ନାସିକା-ବିବରେ ॥୧୯୭
    ରୂପ ସଂଯୋଗେ ଦୃଷ୍ଟି ରହେ । ବଳ-ବିକ୍ରମ ଶକ୍ତି ବହେ ॥୧୯୮
    ଏ ଇନ୍ଦ୍ରିଗଣ କର୍ମବଳେ । ପ୍ରାଣୀ ନାଶନ୍ତି ଅବହେଳେ ॥୧୯୯
    ବହୁତ ସପତଣୀ ଘରେ । ଗୃହସ୍ଥ ରମେ ନିରନ୍ତରେ ॥୨୦୦
    ସେ ଯେହ୍ନେ ପତ୍ନୀଙ୍କ ଆୟତ୍ତେ । ନିରତେ ରମେ ନାନାମତେ ॥୨୦୧
    ସେ ନାରୀଗଣେ ତାର ଚିତ୍ତ । କରନ୍ତି ଆପଣା ଆୟତ୍ତ ॥୨୦୨
    ଯେ ଯାହାମତେ ସୁଖ ଚିନ୍ତି । ସ୍ୱାମୀ ଜୀବନ ସେ ହରନ୍ତି ॥୨୦୩
    ଏମନ୍ତେ କର୍ମପାଶ ବଳେ । ବଇତରଣୀ ଭବ ଜଳେ ॥୨୦୪
    ଜନ୍ମ ମରଣ ପ୍ରାଣୀ ବହେ । ଅନ୍ୟୋନ୍ୟ ଘଟଣା-ପ୍ରବାହେ ॥୨୦୫
    ସ୍ୱ-ପରଭେଦେ ପଥ ହୁଡ଼ି । ଯାତନା ମଧ୍ୟେ ଛନ୍ତି ଜଡ଼ି ॥୨୦୬
    ତାହାଙ୍କ ମଧ୍ୟେ ମୁହିଁ ଥାଇ । ଆତ୍ମାର ଗତି ନ ଜାଣଇ ॥୨୦୭
    ତୋ ପାଦେ ପଶିଲି ଶରଣ । ମୋତେ ଉଦ୍ଧର ନାରାୟଣ ॥୨୦୮
    ଦୁଃଖୀଜନଙ୍କ ଉପକାରେ । ତୋ ସମ ନାହିଁନା ସଂସାରେ ॥୨୦୯
    ସଂସାର ଉତ୍ପତ୍ତି ପାଳନ । ଈଷିତେ କରୁ ସଂହରଣ ॥୨୧୦
    ମୂଢ଼ପ୍ରାଣୀଙ୍କି ତୋର ଦୟା । କେ ଜାଣିପାରେ ନାଥ ଏହା ॥୨୧୧
    ଆରତ ଜନବନ୍ଧୁ ହେଉ । କରୁଣାସିନ୍ଧୁ ନାମ ବହୁ ॥୨୧୨
    ତୋହର ସେବକ ତାରଣେ । ତୁ ନାଥ ଥାଉ ଅନୁକ୍ଷଣେ ॥୨୧୩
    ତୋର ମହିମା-ଗୁଣ ଗୁଣି । ନିଶ୍ଚଳ ଚିତ୍ତେ ପରିମାଣି ॥୨୧୪
    ଏଣୁ ମୋହର ଭୟ ନାହିଁ । ବଇତରଣୀ ମଧ୍ୟେ ଥାଇ ॥ ୨୧୫
    ତୋରେ ବିମୁଖ ଯାର ମନ । ସେ ପ୍ରାଣୀ ସେ ଜଳେ ନିମଗ୍ନ ॥୨୧୬
    କୁଟୁମ୍ବ-ଭରଣ ନିମନ୍ତେ । ଭାର ବହଇ ଅବିରତେ ॥୨୧୭
    ଇନ୍ଦ୍ରିୟ ସୁଖେ ଗୃହେ ରହେ । କୁଟୁମ୍ବ ସ୍ନେହେ ମାୟାମୋହେ ॥୨୧୮
    ଏ ଯେ ସକଳ ମୁନିଜନେ । ନିର୍ମଳ-ନିଶ୍ଚଳ-ଚିନ୍ତନେ ॥୨୧୯
    ମାୟା-କଳ୍ପନା ଦୂର କରି । ମଉନବ୍ରତେ ବ୍ରହ୍ମଚାରୀ ॥୨୨୦
    ବିଜନେ ରହନ୍ତି ନିରତେ । ଜପନ୍ତି ନିଜ ମୁକ୍ତି ଅର୍ଥେ ॥୨୨୧
    ତାହାଙ୍କ ଚିନ୍ତା କାହିଁ ଏଣେ । ଯେ ବା ଭ୍ରମନ୍ତି ଭବ-ବଣେ ॥୨୨୨
    ଭ୍ରମେ ଭ୍ରମନ୍ତା ପ୍ରାଣୀଙ୍କର । ତୋ ତହୁଁ ରକ୍ଷକ କେ ଆର ॥୨୨୩
    ଏ ଗୃହେ ମୈଥୁନାଦି ସୁଖେ । ପ୍ରାଣୀ କ୍ରୀଡ଼ନ୍ତି ଦୁଃଖ ଶୋକେ ॥୨୨୪
    କଣ୍ଡୁ ଯେସନେ ନଖମାଝେ । ନିମିଷ ମାତ୍ର ସୁଖ ବୁଝେ ॥୨୨୫
    କଣ୍ଡୁ ଅନ୍ତରେ ମହାଦୁଃଖ । ତେସନେ ଗୃହବନ୍ଧ-ସୁଖ ॥୨୨୬
    ଏଣୁ ନରମେ ଜ୍ଞାନୀଜନ । ତୋ ପାଦପଦ୍ମେ ଦେଇ ମନ ॥୨୨୭
    ମଉନବ୍ରତ ଶ୍ରୁତ ତପ । ସ୍ୱଧର୍ମ ଅଧ୍ୟୟନ ଜପ ॥୨୨୮
    ଏକାନ୍ତ ସର୍ବସେବା-ବିଧି । ବ୍ୟାଖ୍ୟାନ ନିଶ୍ଚଳ-ସମାଧି ॥୨୨୯
    ଜ୍ଞାନ ଅମୃତ ଗୁରୁବାଣୀ । ସୁଜନେ ବୁଝ ପରିମାଣି ॥୨୩୦
    ଏ ଦଶ ଅପବର୍ଗ ଅର୍ଥେ । ଅଜିତେନ୍ଦ୍ରିୟ ସାଧେ ଯେତେ ॥୨୩୧
    ତାହାଙ୍କ ସୁଖ ଲେଶ ନାହିଁ । ମାୟା-ସଂସାରେ ଭ୍ରମୁଥାଇ ॥୨୩୨
    ତୋର ଚରଣ ଅବିରତ । ଜ୍ଞାନୀଜନଙ୍କ ହୃଦେସ୍ଥିତ ॥୨୩୩
    ତୋତେ ଲଭନ୍ତି ଭାବଗ୍ରାହୀ । ଦାମ୍ଭିକେ ଲଭିବେ ତା କାହିଁ ॥୨୩୪
    ଏ ସୃଷ୍ଟି ମଧ୍ୟେ ପଦ୍ମମୁଖ । ତୁ ନାଥ ହେଉ ସ୍ଥୂଳ ସୂକ୍ଷ୍ମ ॥୨୩୫
    ବୀଜରୁ ଅଙ୍କୁର ଯେମନ୍ତ । ପ୍ରକାଶ କରେ ଏ ଜଗତ ॥୨୩୬
    ସେ ବୀଜ-ଅଙ୍କୁର ତୋ ଦେହ । ତୋର ପ୍ରକାଶ ଏ ଉଭୟ ॥୨୩୭
    ତୋତେ ଯେ ଭଜେ ଅବିରତେ । ତୋ ରୂପ ଜାଣଇ ସେ ଚିତ୍ତେ ॥୨୩୮
    ଭକତି ଯୋଗମାର୍ଗେ ସାଧେ । ଅନଳ ଯେହ୍ନେ ଦାରୁ ମଧ୍ୟେ ॥୨୩୯
    ଗଗନ ସମୀର ଅନଳ । ଅବନୀ ଆଦି ମହାଜଳ ॥୨୪୦
    ମାତ୍ରା-ସ୍ୱରୂପୀ ଇନ୍ଦ୍ରିଗଣ । ଚତୁର ଅନ୍ତର କରଣ ॥୨୪୧
    ତୋ ଅନୁଗ୍ରହେ ଦେହେ ରହି । ଗୁଣ ବିଗୁଣ ଯେତେ ହୋଇ ॥୨୪୨
    ମନ ବଚନେ ଯେତେ କରି । ତୁ ସର୍ବରୂପ ନରହରି ॥୨୪୩
    ତ୍ରିଗୁଣ ମହତ୍ ଅହଙ୍କାର । ମନ ପ୍ରକୃତି ଦେବ ନର ॥୨୪୪
    ଏ ଆଦି ଅନ୍ତ ମଧ୍ୟେ ଥାନ୍ତି । କେବେହେଁ ତୋତେ ନ ଜାଣନ୍ତି ॥୨୪୫
    ସେ ଭାବ ଜାଣି ମୁନିଜନେ । ନିଶ୍ଚଳେ ରହନ୍ତି ମଉନେ ॥୨୪୬
    ଭୋ ନାଥ ତୋର ନାମ ସ୍ତୁତି । ତୋ ପୂଜା କର୍ମେ ଯାର ମତି ॥୨୪୭
    ନିତ୍ୟେ ଚିନ୍ତନ୍ତି ତୋ ଚରଣ । ତୋ ପୁଣ୍ୟ କଥନ ଶ୍ରବଣ ॥୨୪୮
    ସୁପୁଣ୍ୟ କର୍ମ ଅର୍ପି ତୋତେ । ଏ ଷଡ଼ଅଙ୍ଗ ଭକ୍ତିମତେ ॥୨୪୯
    ଯେ ଅବା ସାଧନ୍ତି ଜଗତେ । ସେ ତୋତେ ଲଭନ୍ତି ନିଶ୍ଚିନ୍ତେ ॥୨୫୦
    ଯେବେ ତୋ ଭାବେ ନାହିଁ ମନ । ସେ ତୋର ଭକ୍ତିଭାବୁଁ ହୀନ ॥୨୫୧
    ତୁ ନାଥ ଅନନ୍ତ ମୂରତି । ପରମଯୋଗୀଙ୍କର ଗତି ॥୨୫୨
    ଯେ ତୋର ଅଭୟଚରଣ । ତହିଁ ମୁଁ ନିଶ୍ଚୟେ ଶରଣ ॥୨୫୩


    ଶୁକ ଉବାଚ
    ଏମନ୍ତେ ଧର୍ମସୁତ ଆଗେ । ନାରଦ ମୁନି ଅନୁରାଗେ ॥୨୫୪
    କହନ୍ତି ସଭାମଧ୍ୟେ ବସି । ଶୁଣ ନୃପତି କୁରୁବଂଶୀ ॥୨୫୫


    ନାରଦ ଉବାଚ
    ଅସୁରସୁତ ବିଷ୍ଣୁ ଆଗେ । ଯେତେ ବର୍ଣ୍ଣିଲା ଭକ୍ତିମାର୍ଗେ ॥୨୫୬
    ଶୁଣି ସନ୍ତୋଷ ନାରାୟଣ । ଯେ ହରି ପରମ କାରଣ ॥୨୫୭
    ସୁପ୍ରୀତେ ତାଙ୍କୁ କୋଳେ ଧରି । ପ୍ରଚଣ୍ଡ କୋପ ପରିହରି ॥୨୫୮
    କହନ୍ତି ମଧୁର-ବଚନ । ଶୁଣ ହେ ଅସୁରନନ୍ଦନ ॥୨୫୯


    ନୃସିଂହ ଉବାଚ
    ସନ୍ତୋଷେ ଜାଣିଲି ତୋ ଭାବ । ଏ ନରଲୋକେ ସୁଦୁର୍ଲ୍ଲଭ ॥୨୬୦
    ମୁଁ କାମ ପୂରାଏ ପ୍ରାଣୀର । ଆତ୍ମାନୁରୂପେ ମାଗ ବର ॥୨୬୧
    ଯେ ପ୍ରୀତି ନ କରଇ ମୋତେ । ମୁଁ ତାକୁ ଦୁର୍ଲ୍ଲଭ ଜଗତେ ॥୨୬୨
    ମୋତେ ଯେ ଦେଖଇ ନୟନ । ତାର କି ତପେ ପ୍ରୟୋଜନ ॥୨୬୩
    ଏ ଘେନି ଜ୍ଞାନୀଜନ ଯେତେ । ଭାବେ ଭଜନ୍ତି ନିତ୍ୟେ ମୋତେ ॥୨୬୪
    ଚିତ୍ତ ପ୍ରସନ୍ନେ ବର ଦେଇ । ସର୍ବ ଆଶିଷ ପତି ମୁହିଁ ॥୨୬୫


    ନାରଦ ଉବାଚ
    ଏମନ୍ତ ବର-ଲୋଭ କହି । ମନ ମୋହିଲେ ଭାଗଗ୍ରାହୀ ॥୨୬୬
    ଏକାନ୍ତ ଭକ୍ତି ହୃଦେ ତାର । ବରେ ନକଲା ଅଙ୍ଗୀକାର ॥୨୬୭
    ଏମନ୍ତ ମହିମା ଯାହାର । ଦେବମାନବେ ଅଗୋଚର ॥୨୬୮
    ଯେ ଏହା ଆରତେ ଶୁଣନ୍ତି । ପଢ଼ନ୍ତି ଅବା ନିତିନିତି ॥୨୬୯
    ସେ ସର୍ବେ ସଙ୍କଟୁ ତରନ୍ତି । ହରିପାଦରେ ଲଭେ ଭକ୍ତି ॥୨୭୦
    ଶୁଣ ସୁଜନେ ଏହୁ ରସ । ହରିବ ଦୁର୍ଗତି ଅଶେଷ ॥୨୭୧
    ସେ ପ୍ରହଲ୍ଲାଦ ପାଦଗତ । ନମଇଁ ବିପ୍ର ଜଗନ୍ନାଥ ॥୨୭୨

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଭଗବତ୍‌ସ୍ତବୋନାମ ନବମୋଽଧ୍ୟାୟଃ ॥

    ଦଶମ ଅଧ୍ୟାୟ

    ନାରଦ ଉବାଚ
    ବିଷ୍ଣୁର ବରଲୋଭ ଶୁଣି । ମନେ ବିଚାରେ ଭକ୍ତମଣି ॥୧
    ଭକ୍ତିଯୋଗକୁ ବିଘ୍ନ ପ୍ରାୟେ । ମଣି ପ୍ରହ୍ଲାଦ କଲା ଭୟେ ॥୨
    ହସି ନୃସିଂହ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥୩


    ପ୍ରହ୍ଲାଦ ଉବାଚ
    ଭୋ ନାଥ ଶୁଣ ଚକ୍ରଧର । ବର-ପ୍ରସଙ୍ଗେ ମୋର ଡର ॥୪
    କାମେ ଆସକ୍ତ ପ୍ରାୟେ ମଣି । ବର ଯାଚିଲୁ ଚକ୍ରପାଣି ॥୫
    ସ୍ୱଭାବେ କାମେ ମୁଁ ଆସକ୍ତ । ବର-ଲୋଭରେ ମୋହୁ ଚିତ୍ତ ॥୬
    ମୋହର ମନ ତୋର ପାଦେ । ତୁ ମୋତେ ନ କଳ୍ପ ପ୍ରମାଦେ ॥୭
    ଭୃତ୍ୟ-ଲକ୍ଷଣ ଜାଣିବାରେ । ସ୍ୱାମୀ ସ୍ୱଭାବ ଏ ସଂସାରେ ॥୮
    କାମେ ଭ୍ରମାଇ ଭୃତ୍ୟ ଚିତ୍ତ । ଜାଣଇଁ ଭକ୍ତ କି ଅଭକ୍ତ ॥୯
    ସଂସାର-ବୀଜ ହୃଦଗ୍ରନ୍ଥି । ତେଣେ ଭ୍ରମାଉ ମୋର ମତି ॥୧୦
    ସେ କଥା ଭଲେ ଜାଣେ ମୁହିଁ । ଏଣୁ ଅନ୍ୟଥା ନ ଘଟଇ ॥୧୧
    ତୋତେ ଆରାଧି ପ୍ରାଣୀ ଯେବେ । ତୋର ଆଶିଷ ବିତ୍ତେ ଭାବେ ॥୧୨
    ଭୃତ୍ୟ ଲକ୍ଷଣ ତା ନ ଜାଣି । ଯେ ଆତ୍ମାହିତ ନ ପ୍ରମାଣି ॥୧୩
    ବଣିକ ସ୍ୱଭାବ ତାହାର । ସେ କାହିଁ ତରିବ ସଂସାର ॥୧୪
    ଯେ ପ୍ରାଣୀ ଇଷ୍ଟ ଆଶା କରେ । ଭୃତ୍ୟ ନ ବୋଲିବ ତାହାରେ ॥୧୫
    ଯେ ସ୍ୱାମୀ ଭୃତ୍ୟେ କଷ୍ଟ ଦେଇ । ତା ସ୍ୱାମୀପଣ ରହେ ନାହିଁ ॥୧୬
    ନିଷ୍କାମ ଭକ୍ତ ମୁହିଁ ତୋର । ତୁ ନାଥ ଭକତ ସୋଦର ॥୧୭
    ରାଜାର ସେବକ ଯେସନେ । ବଞ୍ଚଇ ଆଜ୍ଞା ଅଲଂଘନେ ॥୧୮
    ତଥାପି ତୋର ତୋଷ ଅର୍ଥେ । ତୋ ବାକ୍ୟ ପାଳିବା ଉଚିତେ ॥୧୯
    ମାଗଇ ବର ତୋର ପାଦେ । ଯେମନ୍ତେ ନ ପଡ଼େ ପ୍ରମାଦେ ॥୨୦
    ଏମନ୍ତ ବର ଦିଅ ମୋତେ । ତୋ ମାୟା ତରିବି ଯେମନ୍ତେ ॥୨୧
    ଯେ କାମ ମୋର ହୃଦେ ରହି । ବୃକ୍ଷ-ରୋପଣ ପ୍ରାୟେ ହୋଇ ॥୨୨
    ପତ୍ର-କୁସୁମ-ଫଳ ଯେତେ । ମୂଳ ସଙ୍କୁଳେ ଜଡ଼େ ଚିତ୍ତେ ॥୨୩
    ସେ ବୃକ୍ଷ ହୃଦରେ ନ ରହୁ । ଭୋ ନାଥ ଏହି ବର ହେଉ ॥୨୪
    ଇନ୍ଦ୍ରିୟ ମନ ପ୍ରାଣ ସ୍ତୁତି । ଆତ୍ମା ସ୍ୱଧର୍ମ ଧୃତି ମତି ॥୨୫
    ଲାଜ ସମ୍ପଦ ତେଜ ଜ୍ଞାନ । ସତ୍ୟ ସନ୍ତୋଷ ବ୍ରତମାନ ॥୨୬
    ଯେ କାମେ ଏସର୍ବ ନଶନ୍ତି । ସେ କାମୁଁ ରଖ ଦାଶରଥି ॥୨୭
    କାମ-ସଙ୍କଳ୍ପ ଯେତେ ଥାଇ । ଯେ ଜନ୍ମେ ପ୍ରାଣୀ ତା ମୁଞ୍ଚଇ ॥୨୮
    ସେ ଜନ୍ମେ ମିଳେ ତୋ ସମୀପେ । ତୋ ସମେ ଅଇଶ୍ୱର୍ଯ୍ୟ କଳ୍ପେ ॥୨୯
    ନମୋ ପୁରୁଷ ମହାତ୍ମନ । ନୃସିଂହ ରୂପୀ ଭଗବାନ ॥୩୦
    ତୁ ବ୍ରହ୍ମ ପରାମାତ୍ମା ତୁହି । ତୁ ହରି ତୋତେ ମୁଁ ନମଇଁ ॥୩୧
    ଏମନ୍ତେ ପ୍ରହଲ୍ଲାଦ ବାଣୀ । ଶୁଣି କହନ୍ତି ଚକ୍ରପାଣି ॥୩୨


    ନୃସିଂହ ଉବାଚ
    କହନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭକତ ପ୍ରଧାନ ॥୩୩
    ଏକାନ୍ତ-ଭକ୍ତ ଯେ ମୋହର । ଏ ନିଶ୍ଚେ ତାହାର ବେଭାର ॥୩୪
    କେବେ ମୋ ଆଶିଷ ନ କଳ୍ପେ । ଯେ ଭୋଗ ଇହ ପରଲୋକେ ॥୩୫
    ତୋର ସଦୃଶ ଭକ୍ତ ଯେତେ । ନିଷ୍କାମେ ଛନ୍ତି ଏ ଜଗତେ ॥୩୬
    ତୁ ଏବେ ମୋର ବୋଲ କର । ଏ ଯେତେ କାଳ ମନ୍ୱନ୍ତର ॥୩୭
    ଦୈତ୍ୟମାନଙ୍କ ମଧ୍ୟେ ରହି । ଅତୁଲ୍ୟ ଭୋଗ ଭୁଞ୍ଜ ତୁହି ॥୩୮
    ତୁ ମୋତେ ସର୍ବଭୂତେ ଭଜ । ଯଜ୍ଞ-ଈଶ୍ୱର ରୂପେ ପୂଜ ॥୩୯
    କର୍ମ ବିନାଶି ଯୋଗବଳେ । ସାଧ ଏ ଅବନୀ ମଣ୍ଡଳେ ॥୪୦
    ଶରୀର ଛାଡ଼ି କାଳବଳେ । ପଶିବୁ ମୋ ପାଦ କମଳେ ॥୪୧
    ତୁ ଯେତେ ସ୍ତୁତି କଲୁ ମୋତେ । ସଂସାର ତାରଣ ନିମନ୍ତେ ॥୪୨
    ରଜନୀଅନ୍ତେ ପ୍ରାତଃକାଳେ । ଆନନ୍ଦେ ହୃଦୟ ନିଶ୍ଚଳେ ॥୪୩
    ମୋତେ ସ୍ମରିବେ ତୋର ସଙ୍ଗେ । ପାପ ନ ରହୁ ତାଙ୍କ ଅଙ୍ଗେ ॥୪୪
    ଅଶେଷ କର୍ମ-ବନ୍ଧ-ପାଶ । ତକ୍ଷଣେ ହୋଇବ ବିନାଶ ॥୪୫
    ଏମନ୍ତେ ନରହରି ବାକ୍ୟେ । ଅସୁରପୁତ୍ର ମନ ଶୋକେ ॥୪୬
    ପ୍ରହ୍ଲାଦ କରଯୋଡ଼ି ପୁଣ । କହେ ନୃସିଂହ ଅଗ୍ରତେଣ ॥୪୭


    ପ୍ରହ୍ଲାଦ ଉବାଚ
    ଶୁଣ ହେ ପ୍ରଭୁ ଭଗବାନ । ସକଳ ଭୂତେ ତୋର ସ୍ଥାନ ॥୪୮
    ତୁ ବରଦାତାଙ୍କ ଈଶ୍ୱର । ପିତାର ଅର୍ଥେ ମାଗେ ବର ॥୪୯
    ତୁ ବ୍ରହ୍ମ ପ୍ରଭୁ ଚକ୍ରପାଣି । ତୋର ମହିମା ସେ ନ ଜାଣି ॥୫୦
    ତୋତେ ନିନ୍ଦିଲା କୋପମନେ । ବୋଲେ ଈଶ୍ୱର ମୁଁ ଭୁବନେ ॥୫୧
    ଭ୍ରାତ-ମରଣେ କୋପ ବହି । ତୋହର ମହିମା ନିନ୍ଦଇ ॥୫୨
    ତୋ ଭକ୍ତ ବୋଲିକରି ମୋତେ । କ୍ରୋଧେ ହିଂସଇ ଅବିରତେ ॥୫୩
    ସେ ପାପୁଁ ପିତାଙ୍କୁ ଉଦ୍ଧର । ଭୋ ନାଥ ମାଗେ ଏହି ବର ॥୫୪
    ଅମୃତପୂର୍ଣ୍ଣ ଦୃଷ୍ଟି ତୋର । ପଡ଼ଇ ଯାହାର ଉପର ॥୫୫
    ପବିତ୍ର ଦୃଷ୍ଟି ଯାରେ ହୋଇ । ଅଙ୍ଗେ ଦୁରିତ ନ ରହଇ ॥୫୬
    ଏମନ୍ତେ ଶୁଣି ତା ବଚନ । କହନ୍ତି ପ୍ରଭୁ ଭଗବାନ ॥୫୭


    ଭଗବାନ ଉବାଚ
    ପ୍ରହ୍ଲାଦ ଶୁଣ ମୋର ବାଣୀ । ତୋ ପିତା ମୋହର କାରେଣୀ ॥୫୮
    କଶ୍ୟପ ମରୀଚି ବିଧାତା । ସହିତେ ଉଦ୍ଧରିଲୁ ପିତା ॥୫୯
    ଅପର କଳ୍ପେ ପିତୃ ଯେତେ । ସର୍ବେ ପବିତ୍ର ତୋ ଚରିତେ ॥୬୦
    ତାହାଙ୍କ କୁଳେ ତୋର ଜନ୍ମ । ତୁ କଲୁ ସକଳ ପାବନ ॥୬୧
    ମୋର ଭକତ ଯହିଁ ଥାଇ । ସମଦରଶୀ ଶାନ୍ତ ହୋଇ ॥୬୨
    ଜଗତେ ସାଧୁ ସେ ବୋଲାନ୍ତି । ପତିତେ ପବିତ୍ର କରନ୍ତି ॥୬୩
    ପ୍ରାଣୀ-ହିଂସନ ତାଙ୍କ ନାହିଁ । ଯେ ଉଚ୍ଚ-ନୀଚେ ଦେହ ବହି ॥୬୪
    ମୋହର ଭାବେ ନିତ୍ୟେ ଥାନ୍ତି । ନିଷ୍କାମ ଭାବେ ମୋତେ ଚିନ୍ତି ॥୬୫
    ଯେ ପୁଣି ଥାନ୍ତି ତାଙ୍କ ପଛେ । ସେ ମୋର ଭକତ ପ୍ରତ୍ୟକ୍ଷେ ॥୬୬
    ତୁ ମୋର ଭକ୍ତମଧ୍ୟେ ସାର । ମହିମା ବର୍ଣ୍ଣିଲୁ ମୋହର ॥୬୭
    ଏଣୁ ତୁ ବଇଷ୍ଣବବର । ମୋର ବଚନ ଏବେ କର ॥୬୮
    ମୋର ଭକତଜନ ଯେତେ । ଯତ୍ନ କରନ୍ତି ପିତୃ ଅର୍ଥେ ॥୬୯
    ପୁତ୍ର-ସ୍ୱଧର୍ମ ଏ ବେଭାର । ପିତାଙ୍କୁ ପ୍ରେତୁଁ କର ପାର ॥୭୦
    ମୋ ଅଙ୍ଗ-ସ୍ପର୍ଶରୁ ତୋ ତାତ । ସ୍ୱଭାବେ ହୋଇଛି ମୁକତ ॥୭୧
    ବେଦବାଦୀଙ୍କ ବାକ୍ୟ ଅର୍ଥେ । ପିତୃତର୍ପଣ କର ତୀର୍ଥେ ॥୭୨
    ମୋ’ ପାଦେ ମନ କର ସ୍ଥିର । ପିଣ୍ଡେ ତୁ ପିତାଙ୍କୁ ଉଦ୍ଧର ॥୭୩


    ନାରଦ ଉବାଚ
    ନୃସିଂହ ଆଜ୍ଞା ଘେନି ଶିରେ । ପିତାର କର୍ମ ଗଙ୍ଗାତୀରେ ॥୭୪
    ଆନନ୍ଦେ ହିରଣ୍ୟର ବଳା । ପିତୃ-ତର୍ପଣ-ପିଣ୍ଡ ଦେଲା ॥୭୫
    ବିପ୍ରେ ମିଳିଲେ ବିଷ୍ଣୁ ବାକ୍ୟେ । ପ୍ରହଲ୍ଲାଦର ଅଭିଷେକେ ॥୭୬
    କ୍ଷିତିମଣ୍ଡଳେ କଲେ ରାଜା । ନୃପେ କରନ୍ତି ପାଦପୂଜା ॥୭୭
    ଅଦ୍ଭୁତ ଦେଖି ତାର କଥା । ଆନନ୍ଦମନେ ସେ ବିଧାତା ॥୭୮
    ସର୍ବଦେବଙ୍କୁ ଘେନି ସେଙ୍ଗ । ମିଳିଲେ ନରସିଂହ ଆଗେ ॥୭୯
    ଆନନ୍ଦେ କର ଦେଇ ଶିରେ । ପବିତ୍ରବାକ୍ୟେ ସ୍ତୁତି କରେ ॥୮୦


    ବ୍ରହ୍ମା ଉବାଚ
    ଭୋ ଦେବ ଦେବଙ୍କର ବର । ଅଖିଳ ଲୋକ ସୃଷ୍ଟି କର ॥୮୧
    ଭୂତଭାବନ ସର୍ବସିଦ୍ଧି । ତୁ ନାଥ କରୁଣାବାରିଧି ॥୮୨
    ଲୋକ-ସନ୍ତାପୀ ଏ ଅସୁର । ଭୋ ନାଥ କଲୁ ତୁ ସଂହାର ॥୮୩
    ମୋହର ତହୁଁ ବର ପାଇ । ମୋ ସୃଷ୍ଟି ମଧ୍ୟେ ମୃତ୍ୟୁ ନାହିଁ ॥୮୪
    ତପର ତେଜବଳେ ଦୁଷ୍ଟ । ନିଗମମାର୍ଗ କଲା ନଷ୍ଟ ॥୮୫
    ତୁ ନାଥ ତାହାକୁ ସଂହାରି । ରଖିଲୁ ବେଦମାର୍ଗ-ଶିରୀ ॥୮୬
    ତାହାର ପୁତ୍ର ଭାଗ୍ୟବନ୍ତ । ଦୁର୍ଲ୍ଲଭ ବିଷ୍ଣୁଙ୍କ ଭକତ ॥୮୭
    ତାକୁ ରଖିଲୁ ପିତା ମାରି । ମରଣ-ସଙ୍କଟୁ ଉଦ୍ଧରି ॥୮୮
    ଏ ନରସିଂହ ରୂପ ତୋର । ଧ୍ୟାନେ ଚିନ୍ତିବେ ଯେତେ ନର ॥୮୯
    ସର୍ବ ସଙ୍କଟୁ ହେବେ ପାର । ସ୍ମରଣେ ଫିଟିବ ଦୁସ୍ତର ॥୯୦
    ଏମନ୍ତେ ବ୍ରହ୍ମାର ସ୍ତବନ । ଶୁଣି କହନ୍ତି ଭଗବାନ ॥୯୧


    ଭଗବାନ ଉବାଚ
    ଶୁଣି ବିଧାତା ମୋ ଉତ୍ତର । ତପ ସନ୍ତୋଷେ ଯେବା ବର ॥୯୨
    ତପ ସମାଧି ଯୋଗ ସାଧ୍ୟେ । ନ ଦେବୁ ଅସୁରଙ୍କ ମଧ୍ୟେ ॥୯୩
    ଦୁଷ୍ଟପ୍ରାଣୀଙ୍କି ବରଦାନ । ସର୍ପକୁ ଯେହ୍ନେ କ୍ଷୀରପାନ ॥୯୪


    ନାରଦ ଉବାଚ
    ବ୍ରହ୍ମାଙ୍କୁ ବୋଧି ଏ ବଚନ । ଅଦୃଶ୍ୟ ହେଲେ ଭଗବାନ ॥୯୫
    ତକ୍ଷଣେ ଶୂନ୍ୟେ ବିଜେକରି । ଲାବଣ୍ୟ ରୂପେ ଦେବହରି ॥୯୬
    ଜୟ ଶବଦ ତ୍ରିଭୁବନେ । ପ୍ରହ୍ଲାଦ ଦେଖି ତୋଷମନେ ॥୯୭
    ଶିର-ନିବେଶି ବ୍ରହ୍ମାପାଦେ । ନମିଲା ପରମ ଆନନ୍ଦେ ॥୯୮
    ସକଳ ପ୍ରଜାପତିଗଣେ । ବନ୍ଦିଲା ଦେବଙ୍କ ଚରଣେ ॥୯୯
    ସନ୍ତୋଷ ହୋଇ ପଦ୍ମଯୋନି । ସଙ୍ଗେ ସପତଋଷି ଘେନି ॥୧୦୦
    ପ୍ରହ୍ଲାଦେ ସ୍ଥାପି ରାଜପଦେ । ଦୈତ୍ୟ-ଦାନବଙ୍କର ମଧ୍ୟେ ॥୧୦୧
    ଆଶିଷ ଦେଲେ ଦେବଗଣେ । ହସ୍ତ ପ୍ରସାରି ଜଣେ ଜଣେ ॥୧୦୨
    ପୂଜିଲା ବ୍ରହ୍ମା ଆଦିମୂଳେ । ଇନ୍ଦ୍ରାଦି ଦଶଦିଗପାଳେ ॥୧୦୩
    ଅସୁର ପୁତ୍ର ସୁପୂଜିତେ । ସର୍ବେ ପରମାନନ୍ଦ ଚିତ୍ତେ ॥୧୦୪
    ସ୍ୱସ୍ଥାନେ ଗଲେ ଦେବଗଣ । ଏବେ ହୋ ଧର୍ମସୁତ ଶୁଣ ॥୧୦୫
    ଜୟ-ବିଜୟ ବେନି ଭାଇ । ବିଷ୍ଣୁଭୁବନ-ଦ୍ୱାରେ ଥାଇ ॥୧୦୬
    ବ୍ରହ୍ମାକୁମର ଶାପ ଫଳେ । ଜନ୍ମ ଲଭିଲେ ଦିତି-କୋଳେ ॥୧୦୭
    ବଇରୀଭାବ ହୃଦେ ଭରି । ବିଷ୍ଣୁ-ଦ୍ରୋହରେ କାଳ ହରି ॥୧୦୮
    ହରିର ହସ୍ତେ ପ୍ରାଣ ଦେଇ । ପୁଣି ଜନ୍ମିଲେ ବେନିଭାଇ ॥୧୦୯
    ରାକ୍ଷସୀ ଗର୍ଭେ ଅବତାର । ରାବଣ-କୁମ୍ଭକର୍ଣ୍ଣ ବୀର ॥୧୧୦
    ସୀତା-ହରଣେ ରାମବାଣେ । ପ୍ରାଣ ଛାଡ଼ିଲେ ଘୋରରଣେ ॥୧୧୧
    ବଇରୀ ଭାବେ ଚିତ୍ତ ଦେଇ । ସଂଗ୍ରାମେ ମଲେ ବେନିଭାଇ ॥୧୧୨
    ପୁଣି ଏ ଧରଣୀମଣ୍ଡଳେ । ଜନ୍ମ ଲଭିଲେ ରାଜକୁଳେ ॥୧୧୩
    ଯେ ଦନ୍ତବକ୍ର ଶିଶୁପାଳ । ତେଜ ସ୍ୱଭାବେ ଅନର୍ଗଳ ॥୧୧୪
    ବୈରାନୁବନ୍ଧେ ହରିଦେହେ । ସାଯୁଜ୍ୟ ଲଭିଲେ ସମୂହେ ॥୧୧୫
    ଏମନ୍ତେ ଦୁଷ୍ଟ ରାଜାଗଣେ । ବିଷ୍ଣୁ ନିନ୍ଦିଲେ ରିପୁପଣେ ॥୧୧୬
    ଅନ୍ତେ ପାଇଲେ ବିଷ୍ଣୁଗତି । ଯେସନେ କୀଟ ପେଶସ୍କୃତି ॥୧୧୭
    ଯେ ପ୍ରାଣୀ ଯେମନ୍ତେ ଭଜଇ । ହୃଦେ ଭକତି ଭାବ ବହି ॥୧୧୮
    ସେହି ପ୍ରକାରେ ଲଭେ ଗତି । ଯେହ୍ନେ ଗରିଷ୍ଠ ଚେଦିପତି ॥୧୧୯
    ଏବେ ହୋ ଶୁଣ ନୃପବର । ହରି ମହିମା ଅଗୋଚର ॥୧୨୦
    ଯେବେ ପୁଚ୍ଛିଲୁ ମୋତେ ଭାବେ । ସେ ହରି ଚରିତ ପ୍ରସ୍ତାବେ ॥୧୨୧
    ସେ ସର୍ବ ପ୍ରଶ୍ନ ତୋ ଅଗ୍ରତେ । କହିଲୁ ଯଥାଶକ୍ତିମତେ ॥୧୨୨
    ଏ କୃଷ୍ଣକଥା ସୁଧାରସ । ଆଦି ଅସୁରଙ୍କ ବିନାଶ ॥୧୨୩
    ପ୍ରହଲ୍ଲାଦର ଏ ଚରିତ । ସ୍ୱଭାବେ ମହାଭାଗ୍ୟବନ୍ତ ॥୧୨୪
    ଜ୍ଞାନ-ବିରକ୍ତି-ଭକ୍ତିବଳେ । ରହିଲା କୃଷ୍ଣ-ପାଦତଳେ ॥୧୨୫
    ବିଷ୍ଣୁର ସର୍ଗ-ସ୍ଥିତି-ଅନ୍ତ । ଯେ ଗୁଣ-କର୍ମାନୁବର୍ଣ୍ଣିତ ॥୧୨୬
    ଦେବ-ଦାନବଙ୍କର ସ୍ଥାନ । କେବେହେଁ ନୁହଁଇନା ଆନ ॥୧୨୭
    ହରି ଭଜନ ଅବିରତ । ଏ ବିଷ୍ଣୁ ଜନଙ୍କର ମତ ॥୧୨୮
    ଅଶେଷ ବଇଷ୍ଣବ ଧର୍ମ । ଏ ଜ୍ଞାନ-ଅଧ୍ୟାତ୍ମ-ବର୍ଣ୍ଣନ ॥୧୨୯
    କୃଷ୍ଣ ମହିମା ପୁଣ୍ୟବାଣୀ । ଯେ ନର ଶ୍ରୁତିମାର୍ଗେ ଶୁଣି ॥୧୩୦
    ଲୋକେ କହନ୍ତି ଶ୍ରଦ୍ଧାରସେ । ସର୍ବ ଦୁରିତ ଏ ବିନାଶେ ॥୧୩୧
    ଏ ଆଦିପୁରୁଷଙ୍କ କଳା । ଶ୍ରୀ ନରସିଂହ ରୂପ ଲୀଳା ॥୧୩୨
    ଅସୁର-ବଧ-ଗତି-ବାଣୀ । ଯେ ମୁଖେ କହେ କର୍ଣ୍ଣେ ଶୁଣି ॥୧୩୩
    ସନ୍ଥଜନଙ୍କ ପୁଣ୍ୟକଥା । ଅଶେଷ ମୁନିମଧ୍ୟେ ଗାଥା ॥୧୩୪
    ପ୍ରସ୍ତାବେ ଶୁଣି ଜନମଧ୍ୟେ । ନିର୍ଭୟେ ଯାନ୍ତି କୃଷ୍ଣପାଦେ ॥୧୩୫
    ତୁ ଯେ ପାଣ୍ଡବକୁଳେ ଜାତ । ତ୍ରୈଲୋକ୍ୟେ ମହଭାଗ୍ୟବନ୍ତ ॥୧୩୬
    ଲୋକ-ନିସ୍ତାରେ ମୁନିଗଣେ । ତୋର ଭୁବନେ ଅନୁକ୍ଷଣେ ॥୧୩୭
    ମିଳନ୍ତି ଘେନି ତୋର ଭାବ । ତୋ ଗୃହେ ବସେ ପଦ୍ମନାଭ ॥୧୩୮
    ଯାର ମହିମା ଦେବଗଣେ । ଲୋଡ଼ି ନ ପାନ୍ତି ବେଦ-ବଣେ ॥୧୩୯
    ଯେ ବ୍ରହ୍ମ-ନିର୍ବାଣ-ଦୁର୍ଲ୍ଲଭ । କୈବଲ୍ୟ ମୋକ୍ଷ ଅନୁଭବ ॥୧୪୦
    ସେ ପ୍ରିୟ ସୁହୃଦ ତୋହର । ସୋଦର ମାତୁଳ କୁମର ॥୧୪୧
    ସକଳଆତ୍ମା ସେ ପୂଜିତ । ଅଖିଳଗୁରୁ ଦଇବତ ॥୧୪୨
    ତାହାର ମହିମା ବର୍ଣ୍ଣନେ । ଭବ ବିରଞ୍ଚି ଆଦି ଜନେ ॥୧୪୩
    ବସ୍ତୁ ବୁଦ୍ଧିରେ ଭାବ ଚିନ୍ତି । କେବେ ହେଁ ବର୍ଣ୍ଣି ନ ପାରନ୍ତି ॥୧୪୪
    ମଉନେ ଭକ୍ତିଯୋଗେ ଭଜି । କେବେହେଁ ନ ପାରନ୍ତି ଖୋଜି ॥୧୪୫
    ସେ ବଇଷ୍ଣବ ଜନ ଗତି । ତା ପାଦେ ରହୁ ତୋର ମତି ॥ ୧୪୬
    ସେ ହରି ତୋତେ ଦୟା କରୁ । ତୋ ଯଶ ଜଗତେ ବିସ୍ତାରୁ ॥ ୧୪୭
    ପୂର୍ବେ ଯେ ଦେବାସୁର ଯୁଦ୍ଧେ । ରୁଦ୍ରଙ୍କୁ ରଖିଲେ ପ୍ରମାଦେ ॥୧୪୮
    ସେ ତୋର କରୁ ସର୍ବଶୁଭ । ସର୍ବଦା ଲଭ ତାର ଭାବ ॥୧୪୯
    ଏ ବାଣୀ ମୁନିମୁଖୁଁ ଶୁଣି । କପୋଳେ ଦେଇ ବେନିପାଣି ॥୧୫୦
    ବୋଲେ ନାରଦ ମୁଖ ଚାର୍ହି । ଭୋ ମୁନି କର ମୋତେ ତ୍ରାହି ॥୧୫୧


    ଯୁଧିଷ୍ଠିର ଉବାଚ
    କହ କେବଣ କାଳେ ହରି । ଈଶ୍ୱର-ତ୍ରାସ ଦୂର କରି ॥୧୫୨
    ଅସୁର ବଳ କଲେ ନାଶ । ଯେ ହରି ଜଗତ-ବିଶ୍ୱାସ ॥୧୫୩
    ଏମନ୍ତ ଧର୍ମସୁତ ବାଣୀ । ଶୁଣି କହନ୍ତି ବ୍ରହ୍ମମୁନି ॥୧୫୪


    ନାରଦ ଉବାଚ
    ପୂର୍ବେ ଯେ ଦେବାସୁରଗଣେ । ଯୁଦ୍ଧେ ଜିଣିଲେ ଦେବଗଣେ ॥୧୫୫
    ଅସୁରେ ପଳାଇ ବିଷାଦେ । ମୟ ଦଇତ୍ୟ ବେନିପାଦେ ॥୧୫୬
    କାତରେ ପଶିଲେ ଶରଣ । ଭଗ୍ନସଙ୍କଳ୍ପେ ବୀରଗଣ ॥୧୫୭
    ମୟ ଦଇତ୍ୟ ତାହା ଚାହିଁ । ଅସୁରଗଣେ ଦୟାବହି ॥୧୫୮
    ବିମାନ କଲା ତିନିପୁର । ଭିତରେ ଘୋର ଅନ୍ଧକାର ॥୧୫୯
    କାଞ୍ଚନ ରୌପ୍ୟ ଲୌହମୟ । ଦେଖି ତ୍ରିଦଶେ କଲେ ଭୟ ॥୧୬୦
    ଲକ୍ଷି ନ ପାରି ତାକୁ ଭଲେ । ତା ଗତି ଯିବା ଆସିବାରେ ॥୧୬୧
    ବିତର୍କି ନୋହେ ପରିଚ୍ଛଦ । ପୂରିତ ଅଶେଷ ଆୟୁଧ ॥୧୬୨
    ସେ ରଥେ ବସି ଦୈତ୍ୟଗଣେ । ଦେବଙ୍କୁ ଆବୋରିଲେ ରଣେ ॥୧୬୩
    ତିନିଭୁବନ-ଲୋକଶିରୀ । ନାଶନ୍ତି ବଇର ସୁମରି ॥୧୬୪
    ଆକୁଳେ ତ୍ରିଭୁବନ-ଲୋକେ । ଶିବ ଭଜିଲେ ଅତିରେକେ ॥୧୬୫
    ଡାକନ୍ତି ରଖ ତ୍ରିଲୋଚନ । ତୋ ପାଦେ ପଶିଲୁ ଶରଣ ॥୧୬୬
    ଭୁବନେ ରହି ନ ପାରିଲୁ । ଅସୁରଭୟେ ପଳାଇଲୁ ॥୧୬୭
    ତ୍ରିପୁରେ ରହି ଅଲକ୍ଷିତେ । ପ୍ରଜା ନାଶିଲେ ଶସ୍ତ୍ରାଘାତେ ॥୧୬୮
    ଶୁଣି ଈଶ୍ୱର ତୋଷମନ । ବୋଲନ୍ତି ମଧୁର-ବଚନ ॥୧୬୯
    ଭୟ ନ କର ତୁମ୍ଭେ କେହି । ଅସୁର ସଂହାରିବି ମୁହିଁ ॥୧୭୦
    ଏମନ୍ତ କହି ତ୍ରିଲୋଚନ । ହସ୍ତେ ଘେନିଲେ ଶରାସନ ॥୧୭୧
    ଶର-ସନ୍ଧାନେ ସେ ବିମାନେ । ଧରି ବିନ୍ଧିଲେ କୋପମନେ ॥୧୭୨
    ରୁଦ୍ର ନାରଦ ତେଜୋମୟ । ପ୍ରକାଶେ ସୂର୍ଯ୍ୟରଶ୍ମି ପ୍ରାୟ ॥୧୭୩
    ଅଦୃଶ୍ୟପୁର ଦୃଶ୍ୟ ହୋଏ । ଭେଦିଲା ଅସୁରଙ୍କ ଦେହେ ॥୧୭୪
    ଶିର ହୃଦୟ କର ଛିଡ଼ି । ପଡ଼ିଲେ ମହୀତଳେ ମାଡ଼ି ॥୧୭୫
    ଜୀବନ୍ତେ ଭାଜିଲେ ଥୋକାଏ । ଘୋର-ପ୍ରଚଣ୍ଡ ଶରଘାଏ ॥୧୭୬
    ମୟ ଦଇତ୍ୟ ଦେଖି ତାହା । ଅସୁର ବଳେ କରି ଦୟା ॥୧୭୭
    ମିଳିଲା ଅସୁର ସମୀପେ । ପ୍ରବେଶ କଲା ସୁଧାକୂପେ ॥୧୭୮
    ଅମୃତ ରସ ଜଳ ସଙ୍ଗେ । ଲାଗିଲା ଅସୁରଙ୍କ ଅଙ୍ଗେ ॥୧୭୯
    ବଜ୍ରର ପ୍ରାୟେ ଦେହ ଧରି । ଉଠିଲେ ଘୋରନାଦ କରି ॥୧୮୦
    ପୁରେ ପ୍ରବେଶ ତତକ୍ଷଣ । ଦେଖି ଡରିଲେ ଦେବଗଣ ॥୧୮୧
    ଯୁଝନ୍ତି ନାନାଶସ୍ତ୍ର ଘେନି । ଶବଦେ କମ୍ପଇ ମେଦିନୀ ॥୧୮୨
    ଭୟେ ପଳାଇ ଦେବଗଣ । ଡାକନ୍ତି ରଖ ନାରାୟଣ ॥୧୮୩
    ଦେଖି ଶଙ୍କର ମନଦୁଃଖ । ଭଗ୍ନ ସଙ୍କଳ୍ପ ଅତିରେକ ॥୧୮୪
    ବିମୁଖ ଦେଖିଣ ଶଙ୍କର । ଉପାୟ କଲେ ଚକ୍ରଧର ॥୧୮୫
    ବ୍ରହ୍ମାଙ୍କୁ ବତ୍ସାରୂପ କରି । କୃଷ୍ଣ ସୁରଭୀ ରୂପ ଧରି ॥୧୮୬
    ବଦନ ରସକୂପେ ଭରି । ନିମିଷେ ପାନ କଲେ ହରି ॥୧୮୭
    ଯେତେ ଅସୁର ଜଗିଥିଲେ । ନିଷେଧି କେହି ନ ପାରିଲେ ॥୧୮୮
    ଚାହିଁ ଅସୁରଙ୍କ ବଦନ । ବୋଲଇ ମୟ ଯାତୁଧାନ ॥୧୮୯
    ଦେବ ଅସୁର କିବା ନର । କର୍ମକୁ ନୁହଁନ୍ତି ଈଶ୍ୱର ॥୧୯୦
    ଯେ କର୍ମ ଅତି ବଳୀୟାର । ସେ ନ ଜାଣଇ ଆତ୍ମାପର ॥୧୯୧
    ସେ ନିଶ୍ଚେ ହାନିଲାଭ କରେ । କେବା ନିବାରି ତାକୁ ପାରେ ॥୧୯୨
    ତକ୍ଷଣେ ପ୍ରଭୁ ନରହରି । ରୁଦ୍ର-ଶରୀରେ ତେଜ ଭରି ॥୧୯୩
    ସେ ବିଷ୍ଣୁଶକ୍ତି ବଳେ ବଳ । ତେଜେ ବିରାଜେ ଅନର୍ଗଳ ॥୧୯୪
    ବିରକ୍ତି ଜ୍ଞାନ ଧର୍ମ ଋଦ୍ଧି । ଯେ ତପବିଦ୍ୟା କ୍ରିୟା ଆଦି ॥୧୯୫
    ଏ ସପ୍ତଗୁଣ ସପ୍ତତେଜ । ରଥ ସାରଥି ମହାଧ୍ୱଜ ॥୧୯୬
    ସାରଙ୍ଗ ଧନୁ ତ୍ରୋଣ ଶର । ରୁଦ୍ରଙ୍କୁ ଦେଲେ ଦାମୋଦର ॥୧୯୭
    ଏ ଆଦି ନାନାଶସ୍ତ୍ର ଯେତେ । ରୁଦ୍ରଙ୍କୁ ଦେଲେ ଜଗନ୍ନାଥେ ॥୧୯୮
    ବର୍ମେ ଆଚ୍ଛାଦି ଦେହ ହର । କରେ ଧଇଲେ ଧନୁଶର ॥୧୯୯
    ମଧ୍ୟାହ୍ନ-ସମୟେ ଶଙ୍କର । ବିମାନେ ବିଜେ ରୋଷଭର ॥୨୦୦
    ଅନଳଗର୍ଭ-ବାଣ ବିନ୍ଧି । ସର୍ବ ଅସୁର ବଳ ଛେଦି ॥୨୦୧
    ତ୍ରିପୁର କଲେ ସେ ଦହନ । ହରଷ ଦେବଙ୍କର ମନ ॥୨୦୨
    ବିମାନେ ଶତଶଙ୍ଖ ଶୂନ୍ୟେ । ଦୁନ୍ଦୁଭି-ବାଦ୍ୟ-ନାଦ ଘନେ ॥୨୦୩
    ପିତୃ ଦେବତା ସିଦ୍ଧଗଣେ । ପୁଷ୍ପ ବରଷି ତତକ୍ଷଣେ ॥୨୦୪
    କୁସୁମ-ବୃଷ୍ଟି ରୁଦ୍ର ଶିରେ । ଜୟ-ଶବଦ ନିରନ୍ତରେ ॥୨୦୫
    ଆନନ୍ଦ ମନେ ଶୁଭଗାନେ । ନାଚନ୍ତି ଅପସରାଗଣେ ॥୨୦୬
    ଏହି ପ୍ରକାରେ ତିନିପୁର । ଦହନ କଲେ ଦେବହର ॥୨୦୭
    ବ୍ରହ୍ମାଦି ଦେବେ କଲେ ସ୍ତୁତି । ସ୍ୱଗୃହେ ଗଲେ ଉମାପତି ॥୨୦୮
    ଏହି ପ୍ରକାରେ ନରହରି । ମାୟା-ମନୁଷ୍ୟ ରୂପ ଧରି ॥୨୦୯
    ଯେ କର୍ମ କଲେ ଏ ଜଗତେ । ମୁନି ବର୍ଣ୍ଣନ୍ତି ତାହା ଗୀତେ ॥୨୧୦
    ଲୋକ-ପାବନ ଯା ମହିମା । ଏଣୁ କେ କହୁ ଗୁଣସୀମା ॥୨୧୧
    ସପ୍ତମ ସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୨୧୨
    ଭଣଇ ବିପ୍ର ଜଗନ୍ନାଥ । ଗୀତପ୍ରବନ୍ଧେ ଭାଗବତ ॥୨୧୩

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ତ୍ରିପୁରବିଜୟୋ ନାମ ଦଶମୋଽଧ୍ୟାୟଃ ॥

    ଏକାଦଶ ଅଧ୍ୟାୟ

    ନାରଦ ଯୁଧିଷ୍ଠିର ପାଶେ । କହନ୍ତି ଅଧ୍ୟା ଏକାଦଶେ ॥୧
    ମନୁଷ୍ୟ-ବର୍ଣ୍ଣ ଧର୍ମ ଯେତେ । ଯେ ଚାରିବର୍ଣ୍ଣ ଏ ଜଗତେ ॥୨
    ନ ଥାନ୍ତି ପାଷଣ୍ଡଙ୍କ ମତେ । ଗୋବିନ୍ଦ ଭଜି ଶୁଦ୍ଧଚିତ୍ତେ ॥୩
    ମୋକ୍ଷ ସାଧନ ଆଦି କରି । ଯେ କର୍ମେ ସିଦ୍ଧି ନରହରି ॥୪
    ଦଶଅଧ୍ୟାରେ ମହାମୁନି । କହିଲେ ଭକ୍ତିଜ୍ଞାନ ବେନି ॥୫
    ପାଞ୍ଚଅଧ୍ୟାରେ ପୁଣି ଏବେ । କର୍ମଯୋଗକୁ ସେ କହିବେ ॥୬
    ଶୁକ କହନ୍ତି ଭକ୍ତିମାର୍ଗେ । ଆନନ୍ଦେ ପରୀକ୍ଷିତ ଆଗେ ॥୭


    ଶୁକ ଉବାଚ
    ଶୁଣି ନାରଦ ମୁଖୁଁ କଥା । ସେ ଧର୍ମସୁତ ଶୁଦ୍ଧଚେତା ॥୮
    ସେ ପ୍ରହଲ୍ଲାଦର ଚରିତ । ସୁସାଧୁ-ସଭାମଧ୍ୟେ ଗୀତ ॥୯
    ଉତ୍ତମ ମଧ୍ୟେ ଯେ ଅଗ୍ରଣୀ । ଯାହାର ଆତ୍ମା ଚକ୍ରପାଣି ॥୧୦
    ତାର ଚରିତ ଧର୍ମସୁତ । ଶୁଣି ଆନନ୍ଦେ ହରଷିତ ॥୧୧
    ବ୍ରହ୍ମାନନ୍ଦନ ପରିମୁଖେ । ପୁଣି ପୁଚ୍ଛିଲେ ଆତ୍ମସୁଖେ ॥୧୨


    ଯୁଧିଷ୍ଠିର ଉବାଚ
    ମନୁଷ୍ୟ ଜନ୍ମର ସ୍ୱଧର୍ମ । ଯେ ବର୍ଣ୍ଣେ ସାଧି ଯେବା କର୍ମ ॥୧୩
    ଈଶ୍ୱରବାକ୍ୟେ ଧର୍ମ ସାଧି । ଯେବା ଆଶ୍ରମେ ଯେବା ବିଧି ॥୧୪
    ଧର୍ମ ସମ୍ପାଦି କର୍ମମଧ୍ୟେ । ଅନ୍ତେ ପଶନ୍ତି କୃଷ୍ଣପାଦେ ॥୧୫
    ଏହା ଶୁଣିବି ଇଚ୍ଛା ମୋର । ହେ ମୁନି ମୋତେ ଦୟାକର ॥୧୬
    ତୁମ୍ଭେ ଯେ ପଦ୍ମଯୋନି ସୁତ । ଜାଣ ସକଳ ପରମାର୍ଥ ॥୧୭
    ସମାଧି ତପ ଜ୍ଞାନ ତୋର । ସନ୍ତୋଷ ତୋତେ ବେଦବର ॥୧୮
    ଯେ ବିପ୍ର ନାରାୟଣ ପର । କି ଅବା ତାର ଅଗୋଚର ॥୧୯
    କରୁଣାବନ୍ତ ଶାନ୍ତ ଦେହେ । ଯେବା ଅଛନ୍ତି ତୁମ୍ଭ ପ୍ରାୟେ ॥୨୦
    ସେ ଗୁପ୍ତ ଧର୍ମକୁ ଜାଣନ୍ତି । ଯେ ଧର୍ମ ଅନ୍ୟେ ନ ଜାଣନ୍ତି ॥୨୧
    କେବଳ ଦୟାସିନ୍ଧୁ ଧୀର । ଅଶେଷ ଜ୍ଞାନର ଈଶ୍ୱର ॥୨୨
    ଏମନ୍ତେ ରାଜା ଭାବ ଘେନି । ହସି କହନ୍ତି ବ୍ରହ୍ମମୁନି ॥୨୩


    ନାରଦ ଉବାଚ
    ନମଇଁ ପ୍ରଭୁ ନରହରି । ଅଜନ୍ମା ଜନ୍ମ-ରୂପ ଧରି ॥୨୪
    ଅଶେଷ ପ୍ରାଣୀ ଧର୍ମସେତୁ । ପ୍ରକାଶ କଲେ ପାର ହେତୁ ॥୨୫
    ସେ ସନାତନ-ଧର୍ମ-ବାଣୀ । ମୁଁ ନାରାୟଣ ମୁଖୁଁ ଶୁଣି ॥୨୬
    ସକଳ ଲୋକ ଧର୍ମ ଅର୍ଥେ । କହିବି ନରନାଥ ତୋତେ ॥୨୭
    ସେ ଅବତାର ଆତ୍ମାଅଂଶେ । ଜନ୍ମ ଲଭିଲେ ଧର୍ମବଂଶେ ॥୨୮
    ଦକ୍ଷକନ୍ୟାର ଗର୍ଭେ ହରି । ଜନ୍ମିଲେ ଋଷି ରୂପ ଧରି ॥୨୯
    ସଂସାର ଲୋକ ସିଦ୍ଧି କାମେ । ସେ ବସି ବଦରିକାଶ୍ରମେ ॥୩୦
    ତପ ସାଧନ୍ତି ଦୃଢ଼କରି । ନୃ-ନାରାୟଣ ରୂପ ଧରି ॥୩୧
    ଯେ ହରି ସର୍ବଦେହେ ଆତ୍ମା । ଧର୍ମର ମୂଳ ଶୁଦ୍ଧକର୍ମା ॥୩୨
    ତାର ବଚନ ଶ୍ରୁତିପଥେ । ଯେ ପ୍ରାଣୀ ଶୁଣେ ଅବିରତେ ॥୩୩
    ଭକ୍ତି ସମ୍ପାଦି ତା ଚରଣ । ଆନନ୍ଦେ ପଶନ୍ତି ଶରଣ ॥୩୪
    ସତ୍ୟ ଶଉଚ ଦୟା ତପ । ତିତିକ୍ଷା ଶମ ଦମ କଳ୍ପ ॥୩୫
    ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ । ସାଧୁ ଶରୀର ରିପୁଭୋଗ ॥୩୬
    ସନ୍ତୋଷ ସମଦୃଷ୍ଟି ସେବା । ଯେଣେ ସନ୍ତୋଷ ଋଷିଦେବା ॥୩୭
    କର୍ମେ ନିବୃତ୍ତି ଗ୍ରାମ୍ୟଧର୍ମ । ମଉନ ଆତ୍ମବିଚାରଣ ॥୩୮
    ହୃଦେ ନିରୋଧ ଦୁଷ୍ଟମନ । ଏ ପ୍ରାଣୀ ସାଧାରଣ-ଧର୍ମ ॥୩୯
    ତତ୍ତ୍ୱ-ଧାରଣା ତତ୍ତ୍ୱଜ୍ଞାନ । ଯା ଦେଖି ରହିବ ଚେତନ ॥୪୦
    ବିଷୟ କର୍ମ ଜାଣି ବ୍ୟର୍ଥ । କେବେ ନ ଦେବ ତହିଁ ଚିତ୍ତ ॥୪୧
    ନ କରି ଅନ୍ୟ ଭୋଗାଭୋଗ । ଭୂତ ଅତିଥି ପୂଜ ଆଗ ॥୪୨
    ଆତ୍ମା ଦେବତାବୁଦ୍ଧି କରି । ଏ ଭାବେ ଗୃହେ ଥିଲେ ତରି ॥୪୩
    ଶ୍ରୀକୃଷ୍ଣ ନାମ ଅନୁକ୍ଷଣ । ସ୍ମରଣ ଶ୍ରବଣ କୀର୍ତ୍ତନ ॥୪୪
    ସେବା ପୂଜନ ଦାସପଣ । ସୁସଖ୍ୟ ଆତ୍ମନିବେଦନ ॥୪୫
    ପରମଧର୍ମ ଏ ପ୍ରସିଦ୍ଧି । ମନୁଷ୍ୟ-ଜନ୍ମର ଏ ବିଧି ॥୪୬
    କୁଳ ଲକ୍ଷଣ ଧର୍ମ ଏହି । ଯେଣେ ସନ୍ତୋଷ ଭାବଗ୍ରାହୀ ॥୪୭
    ଅଖିଳ-ସଂସ୍କାର-କାରଣେ । ବେଦ ଅଭ୍ୟାସିବେ ବ୍ରାହ୍ମଣେ ॥୪୮
    ବ୍ରାହ୍ଣଣ ଆଦି ତିନିବର୍ଣ୍ଣ । ଯଜନ ଦାନ ଅଧ୍ୟୟନ ॥୪୯
    ଜନ୍ମାଦି -କ୍ରିୟାକର୍ମ ଯେତେ । ଚତୁର-ଆଶ୍ରମ ସହିତେ ॥୫୦
    ପଠନଆଦି ଷଟକର୍ମ । ବ୍ରାହ୍ମଣ-ଜନର ଏ ଧର୍ମ ॥୫୧
    ରାଜାର ଧର୍ମ ପ୍ରଜା ରକ୍ଷା । ଆଦାନ ବିନେ ପଞ୍ଚଦୀକ୍ଷା ॥୫୨
    ବାଣିଜ୍ୟ କୃଷି ଗୋରକ୍ଷଣ । ବୈଶ୍ୟଜନର ଏ ଲକ୍ଷଣ ॥୫୩
    ଶୂଦ୍ରଜନର ଦ୍ୱିଜସେବା । ଯେଣେ ସନ୍ତୋଷ ସର୍ବଦେବା ॥୫୪
    ଯେ ଧର୍ମ ଶ୍ରୁତି-ସ୍ତୁତି-ଭେଦେ । ତାହା ସାଧିବ ନିରାପଦେ ॥୫୫
    ଆପଦେ ଅନ୍ୟ ବର୍ଣ୍ଣକର୍ମେ । ସାଧି ବଞ୍ଚିବ ତିନିବର୍ଣ୍ଣେ ॥୫୬
    ବିପ୍ର-ଜୀବନ-ବୃତ୍ତି ଅର୍ଥେ । କୃଷି ଅଥବା ଅଯାଚିତେ ॥୫୭
    ଧାନ୍ୟ-ଯାଚଜ୍ଞା ପ୍ରତିଦିନ । ଯେ ଅବା ବୃତ୍ତି ଶିଳୋଞ୍ଛନ ॥୫୮
    ବାଣିଜ୍ୟ କରି ବା ବଞ୍ଚିବ । ନୀଚକୁ ସେବା ନ କରିବ ॥୫୯
    ବିପ୍ର କ୍ଷତ୍ରିୟ ବେନିବର୍ଣ୍ଣ । ବର୍ଜିବ ନିନ୍ଦାବୃତ୍ତି ମାନ ॥୬୦
    ଏତେ ଲକ୍ଷଣ ତୋତେ କହି । ରାଜନ ଶୁଣ ମନଦେଇ ॥୬୧
    ତପ ଶଉଚ ଶମ ଦମ । ସନ୍ତୋଷ ଋଜୁ କ୍ଷମା ଜ୍ଞାନ ॥୬୨
    ସଦା ଅଚ୍ୟୁତ ଆତ୍ମା ସତ୍ୟ । ବିପ୍ରଲକ୍ଷଣ ଏ ବିହିତ ॥୬୩
    ତେଜ ଶଉର୍ଯ୍ୟ ବୀର୍ଯ୍ୟ ଧୃତି । ତ୍ୟାଗ ସଂଯମ ସତ୍ୟ ଶାନ୍ତି ॥୬୪
    ନିତ୍ୟେ ପ୍ରସନ୍ନ ବିପ୍ରରକ୍ଷା । କ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା ॥୬୫
    ଗୁରୁ ଅଚ୍ୟୁତ ଦେବେ ଭକ୍ତି । ତ୍ରିବର୍ଗ ସାଧନ ଯେ ନିତି ॥୬୬
    ଆସ୍ତିକ୍ୟ ଉଦ୍ୟମ ନୈପୁଣ୍ୟ । ବୈଶ୍ୟଜନର ଏ ଲକ୍ଷଣ ॥୬୭
    ଅକପଟରେ ସ୍ୱାମୀ ସେବା । କେବେ ହେଁ ଚୋରି ନ କରିବା ॥୬୮
    ସତ୍ୟ ଯେ ଗୋ-ବିପ୍ର ରକ୍ଷଣ । ମନ୍ତ୍ରବିହୀନେ ଯଜ୍ଞକର୍ମ ॥୬୯
    ସାଧୁ ବିନତି ଶୌଚକର୍ମ । ଶୂଦ୍ରଜନର ଏ ସ୍ୱକର୍ମ ॥୭୦
    ଏବେ ହୋ ଯୁଧିଷ୍ଠିର ଶୁଣ । ସ୍ତିରୀଜନର ଯେ ଲକ୍ଷଣ ॥୭୧
    ସ୍ୱାମୀର ଚରଣ-କମଳେ । ସେବିବ ମନର ନିଶ୍ଚଳେ ॥୭୨
    ସ୍ୱାମୀର ବନ୍ଧୁ ଥିବେ ଯେତେ । ତାଙ୍କ ତୋଷଣେ ଥିବ ନିତ୍ୟେ ॥୭୩
    ପତିବ୍ରତାଙ୍କ ଏ ଲକ୍ଷଣ । ନିଗମ-ବଚନ ପ୍ରମାଣ ॥୭୪
    ଗୃହମାର୍ଜନ ଉପଲେପ । ମଣ୍ଡନ ସାୟଂକାଳେ ଦୀପ ॥୭୫
    ଶୌଚ ମାର୍ଜନ ତନୁ କେଶ । ହରିଦ୍ରା ସୁଗନ୍ଧ ଉତ୍କର୍ଷ ॥୭୬
    ଶୁଦ୍ଧ ସୁନିତ୍ୟକର୍ମ ସ୍ନାନ । ପବିତ୍ର ସାତ୍ତ୍ୱିକ ଭୋଜନ ॥୭୭
    ଆତ୍ମ-ମଣ୍ଡନ ନିରନ୍ତରେ । ଭୂଷଣ କଜ୍ଜ୍ୱଳ ସିନ୍ଦୂରେ ॥୭୮
    ବିନୟେ ଦମେ ସାଧ୍ୱୀ ନାରୀ । ଯେ ଉଚ୍ଚନୀଚ କର୍ମ କରି ॥୭୯
    ସର୍ବଦା ସ୍ନେହ ସତ୍ୟଶୀଳେ । ଭଜିବ ପତି କାଳେ-କାଳେ ॥୮୦
    ସତ୍ୟବଚନେ ପ୍ରେମେ ସଦା । ପତିଙ୍କି ଭଜିବ ସର୍ବଦା ॥୮୧
    ସନ୍ତୋଷ ଅଲୋଭ ସୁଦକ୍ଷ । ଧର୍ମଜ୍ଞ ପ୍ରିୟ ସତ୍ୟବାକ୍ୟ ॥୮୨
    ଶୁଚି ସୁସିଗ୍ଧେ ସେ ଆନନ୍ଦେ । ନିରତେ ସେବେ ସ୍ୱାମୀପାଦେ ॥୮୩
    ସେବା କରିବ ଜନ୍ତୁଜନେ । ପରପୁରୁଷ ପିତୃଜ୍ଞାନେ ॥୮୪
    ଯେ ନାରୀ ହରି ଭାବେ ନିତି । ସେବା କରନ୍ତି ନିଜ ପତି ॥୮୫
    ସେ ନାରୀ ଲକ୍ଷ୍ମୀପ୍ରାୟ ହୋଇ । ପତିର ହସ୍ତେ ହସ୍ତ ଦେଇ ॥୮୬
    ପତି ସଙ୍ଗତେ ବିଷ୍ଣୁଲୋକେ । ବସଇ ଆନନ୍ଦେ ଅଶୋକେ ॥୮୭
    ଅନ୍ୟଜାତିର ଯେବା ଧର୍ମ । ନିୟତ କୁଳର ସେ କର୍ମ ॥୮୮
    ଏମନ୍ତ ଧର୍ମ ଯୁଗେ ଯୁଗେ । ଜାଣି ସେବନ୍ତି ଅନୁରାଗେ ॥୮୯
    ବେଦଦୃଷ୍ଟିରେ ବିପ୍ରଜନେ । ଧର୍ମ କହନ୍ତି ଅବଧାନେ ॥୯୦
    ଯେ ଧର୍ମେ ଇହ ପରଲୋକେ । ପ୍ରାଣୀ ତରନ୍ତି ଆତ୍ମସୁଖେ ॥୯୧
    ବୃତ୍ତି-ସ୍ୱଭାବେ କ୍ରିୟା ଘେନି । ଯେ ଧର୍ମ ଇହପରେ ମାନି ॥୯୨
    ବର୍ତ୍ତନ୍ତି ସ୍ୱକର୍ମ-କରଣେ । ସେ ନରେ ପଶନ୍ତି ନିର୍ଗୁଣେ ॥୯୩
    ନିରତେ ତପ-ବ୍ରତ କରି । ବିଷ୍ଣୁମାୟାରୁ ଯାନ୍ତି ତରି ॥୯୪
    ନିଷ୍କାମମାର୍ଗେ ଯେବେ ଭଜେ । ଅଙ୍କୁର ଯେହ୍ନେ ଦଗ୍ଧବୀଜେ ॥୯୫
    କେବେହେଁ ବୃକ୍ଷ ସେ ନୁହଇ । ଯତ୍ନ କଲେହେଁ ନାଶ ଯାଇ ॥୯୬
    କି ଅବା କାମ ଜଡ଼ଚିତ୍ତେ । ଯେବେ ସେବଇ ଅବିରତେ ॥୯୭
    ତେବେ ବିରକ୍ତ ଚିତ୍ତ ହୋଏ । ବହୁତ ଘୃତେ ଅଗ୍ନି ପ୍ରାୟେ ॥୯୮
    ସେ ବର୍ଣ୍ଣେ ଯେମନ୍ତ ଲକ୍ଷଣ । ବେଦେ ବର୍ଣ୍ଣନ୍ତି ମୁନିଗଣ ॥୯୯
    ତା ଅଧୋଊର୍ଦ୍ଧ୍ୱେ ଯେବେ ଦେଖି । ସେ ବର୍ଣ୍ଣଧର୍ମେ ତାକୁ ଲେଖି ॥୧୦୦
    ଏମନ୍ତ ଧର୍ମ ଅନୁବାଦେ । ମୁନି କହନ୍ତି ସଭାମଧ୍ୟେ ॥୧୦୧
    ଶୁଣି ସାନନ୍ଦ ଧର୍ମସୁତ । କହଇ ଦାସ ଜଗନ୍ନାଥ ॥୧୦୨

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ବାଦେ ସଦାଚାର ନିର୍ଣ୍ଣୟୋ ନାମ ଏକାଦଶୋଽଧ୍ୟାୟଃ ॥

    ଦ୍ୱାଦଶ ଅଧ୍ୟାୟ

    ନାରଦ ଉବାଚ
    ଶୁଣ ହେ ଧର୍ମର ନନ୍ଦନ । ବନସ୍ଥ-ବ୍ରହ୍ମଚାରୀ-ଧର୍ମ ॥୧
    ଗୃହସ୍ଥ-ଭିକ୍ଷୁଧର୍ମ ଯେତେ । ଏବେ କହିବା ତୋ ଅଗ୍ରତେ ॥୨
    ଗୁରୁ-ଭୁବନେ ବ୍ରହ୍ମଚାରୀ । ବସିବ ଦୃଢ଼ବ୍ରତ କରି ॥୩
    ସ୍ୱଭାବେ-ତପକ୍ଳେଶ ଯୁତେ । ନିରତେ ଥିବ ଗୁରୁହିତେ ॥୪
    ସୁହୃଦ-ସୁଦୃଢ଼-ଲକ୍ଷଣେ । ଆଜ୍ଞା ବହିବ ଦାସପଣେ ॥୫
    ଗୁରୁ ଅନଳ ସୁରୋତ୍ତମ । ତ୍ରିସନ୍ଧ୍ୟା କରିବ ପ୍ରଣାମ ॥୬
    ଉଭୟ ସନ୍ଧ୍ୟାରେ ମଉନ । ଜପିବ ବ୍ରହ୍ମ-ସନାତନ ॥୭
    ବେଦ ପଢ଼ିବ ନିରନ୍ତରେ । ଗୁରୁବଚନ ଧରି ଶିରେ ॥୮
    ନିକଟେ ଥିବ ଶୁଦ୍ଧଚିତ୍ତେ । ଚରଣେ ନମି ବେନିହସ୍ତେ ॥୯
    ମେଖଳା ଚର୍ମ କଉପୀନ । ଦଣ୍ଡ କମଣ୍ଡଳୁ ଧାରଣ ॥୧୦
    ଯଜ୍ଞୋପବୀତ ଦର୍ଭପାଣି । ଯେବା କଳ୍ପିତ ଅନ୍ନ ଆଣି ॥୧୧
    ବିପ୍ରଭୁବନୁ ମାଗି ଭିକ୍ଷା । ଦୃଢ଼େ ରଖିବ ଗୁରୁଦୀକ୍ଷା ॥୧୨
    ପଞ୍ଚଭୁବନୁ ଯା ପାଇବ । ଗୁରୁ-ସମୀପେ ସମର୍ପିବ ॥୧୩
    ଯେ ଧର୍ମ ବ୍ରହ୍ମଚାରୀ ଦୀକ୍ଷା । ଗୁରୁ-ବଚନେ କରି ଭିକ୍ଷା ॥୧୪
    ଗୁରୁ-ଆଜ୍ଞାରେ ତା ଭୁଞ୍ଜିବ । ନୋହିଲେ ଉପବାସେ ଥିବ ॥୧୫
    ସୁଶାନ୍ତ ମନେ ବଞ୍ଚି ଦିନ । କରିବ ଉଶ୍ୱାସ ଭୋଜନ ॥୧୬
    ଗୁରୁଙ୍କ କାର୍ଯ୍ୟେ ଦକ୍ଷପଣେ । ଶ୍ରଦ୍ଧା କରିବ ଅନୁକ୍ଷଣେ ॥୧୭
    ଇନ୍ଦ୍ରିୟଗଣ କରି ବନ୍ଦୀ । ଚଞ୍ଚଳମନ ହୃଦେ ରୁନ୍ଧି ॥୧୮
    ସ୍ତିରୀ ସ୍ତ୍ରୀବଶ ଲୋକମେଳେ । ସଙ୍ଗେ ନଥିବ ସର୍ବକାଳେ ॥୧୯
    ନଶୁଣି ସ୍ତିରୀଙ୍କ ବଚନ । ନକରି ମୁଖାବଲୋକନ ॥୨୦
    କେଶ-ପ୍ରସାଧନ ମର୍ଦ୍ଦନ । ସ୍ନାହାନ ବେଶ ଆଦିକର୍ମ ॥୨୧
    ଗୁରୁକାମିନୀଙ୍କ ଗୋଚରେ । ଦୃଢ଼େ ବର୍ଜିବ ଅତି ଦୂରେ ॥୨୨
    ଯୁବତୀଜନ ଅଗ୍ନିସ୍ତମ୍ଭ । ପୁରୁଷ-ଦେହ ଘୃତକୁମ୍ଭ ॥୨୩
    ଏଣୁ ଯୁବତୀ ଦୂର କରି । ଧର୍ମ ସାଧିବ ବ୍ରହ୍ମଚାରୀ ॥୨୪
    ଜୀବ ଈଶ୍ୱର ଭେଦଜ୍ଞାନ । ଯାବତ ନ ଛାଡ଼ଇ ମନ ॥୨୫
    ତାବତ ଥାଏ ଦ୍ୱୈତ ଭ୍ରମ । ଏ ସ୍ତିରୀ ଏ ପୁରୁଷ ଜ୍ଞାନ ॥୨୬
    ଏଣୁ ତା ଭୋଗେ ହୋଏ ମତି । ତେଣୁ ଛାଡିବ ସ୍ତ୍ରୀ ସଙ୍ଗତି ॥୨୭
    ଏ ସର୍ବ ବ୍ରହ୍ମଚାରୀ-ବ୍ରତ । ପାଳିବ ଯଦି ଯେ ଗୃହସ୍ଥ ॥୨୮
    ସ୍ତିରୀ-ଗମନ ଋତୁକାଳେ । ଉଚିତ ଗୃହସ୍ଥାଶ୍ରମରେ ॥୨୯
    ଅଞ୍ଜନ-ତଇଳ-ମର୍ଦ୍ଦନ । ସ୍ତିରୀ ବା ସ୍ତ୍ରୀ ମୂର୍ତ୍ତି ଦର୍ଶନ ॥୩୦
    ଭୂଷା-ଲେପନ ମାଲ୍ୟ ଗନ୍ଧ । ତେଜିବ ବ୍ରହ୍ମଚାରୀ ମଦ୍ୟ ॥୩୧
    ଏମନ୍ତେ ବଞ୍ଚି ଗୁରୁପୁରେ । ବେଦ-ଅଭ୍ୟାସ ନିରନ୍ତରେ ॥୩୨
    ଅଙ୍ଗ-ଉପାଙ୍ଗ ବେଦ ପଢ଼ି । ଗୁରୁ-ସମୀପେ କରଯୋଡ଼ି ॥୩୩
    ଉଭା ହୋଇଣ ଗୁରୁଆଗେ । ଆଜ୍ଞା ମାଗିବ ଅନୁରାଗେ ॥୩୪
    ଗୁରୁ-ବଚନ ଶିରେ ଧରି । ତେବେ ବଞ୍ଚିବ ଗୃହକରି ॥୩୫
    ଅଥବା ବନସ୍ତେ ପଶିବ । ସନ୍ନ୍ୟାସମତେ ବା ବଞ୍ଚିବ ॥୩୬
    ଗୁରୁ ଅନଳ ସର୍ବଦେହେ । ତୁଲ୍ୟେ ଦେଖିବ ବିଷ୍ଣୁମୟେ ॥୩୭
    ଏହି ପ୍ରକାରେ ସାଧି ଧର୍ମ । ଯେବା ଆଶ୍ରମେ ଯେବା କର୍ମ ॥୩୮
    ଯେବା ସାଧନ୍ତି ଅପ୍ରମାଦେ । ଅନ୍ତେ ପଶନ୍ତି କୃଷ୍ଣପାଦେ ॥୩୯
    ଏବେ ହୋ ଶୁଣ ମହୀପତି । ଆଶ୍ରମ ବାନପ୍ରସ୍ଥ ଗତି ॥୪୦
    ବନସ୍ତେ ଧର୍ମ ସାଧି ସୁଖେ । ଅନ୍ତେ ମିଳନ୍ତି ମୁନିଲୋକେ ॥୪୧
    ଭକ୍ଷଣ ଫଳ-ମୂଳ-ଶାକ । ଅଗ୍ନିରେ ନ କରିବ ପାକ ॥୪୨
    ନବୀନ ଫଳମୂଳ ଲାଭେ । ପୁରୁଣା ତେଜିବ ସ୍ୱଭାବେ ॥୪୩
    ବନ-ସମ୍ଭବ ବସ୍ତୁ ଘେନି । କାଳେ ପୂଜିବ ଈଷ୍ଟ ଅଗ୍ନି ॥୪୪
    ଅଗ୍ନି-ରକ୍ଷଣ ଅର୍ଥେ ଘର । ଅଥବା ପର୍ବତ-କନ୍ଦର ॥୪୫
    କେଶ-ଲୋମାଦି ନଖ ଶ୍ମଶ୍ରୁ । ଜଟିଳ କଷାବସ୍ତ୍ର ପାଂଶୁ ॥୪୬
    ଦଣ୍ଡ କମଣ୍ଡଳୁ ଅଜିନ । ବୃକ୍ଷ-ବକଳ ପରିଧାନ ॥୪୭
    ତ୍ରିସନ୍ଧ୍ୟା କରିବ ସ୍ନାହାନ । ବାଲୁକା-ମଣ୍ଡଳେ ଶୟନ ॥୪୮
    ଏମନ୍ତେ ଦ୍ୱାଦଶ-ବତ୍ସର । ବନେ ବଞ୍ଚିବ ବ୍ରତଧର ॥୪୯
    ଅଷ୍ଟ-ବରଷ କିବା ଅର୍ଦ୍ଧେ । ଧର୍ମ ସାଧିବ ଅପ୍ରମାଦେ ॥୫୦
    ବେନିବରଷ କିବା ଏକ । ବଞ୍ଚିବ ଏ ବିଧି ବିବେକ ॥୫୧
    ଧର୍ମ-ସାଧନେ ଅସମର୍ଥ । ଯେବେ ହୋଇବ ବ୍ୟାଧିଗ୍ରସ୍ତ ॥୫୨
    ଆଗମ ନିଗମ ପ୍ରମାଣେ । ସନ୍ନ୍ୟାସ କରିବ ତକ୍ଷଣେ ॥୫୩
    ସଙ୍କଳ୍ପି ଅନଶନ-ବ୍ରତ । ହରିଚରଣେ ଦେଇ ଚିତ୍ତ ॥୫୪
    ଯେ ସୃଷ୍ଟି ଶରୀର ଧାରଣେ । ନ୍ୟାସିବ ପରମ କାରଣେ ॥୫୫
    ଗଗନେ ନ୍ୟାସି ଇନ୍ଦ୍ରିଗଣେ । ନିଃଶ୍ୱାସ ନ୍ୟାସି ସମୀରଣେ ॥୫୬
    ତେଜେ ତେଜକୁ ନ୍ୟାସ କରି । ଧାତୁ ସମୂହ ଜଳେ ଭରି ॥୫୭
    ଅନଳେ ବଚନ ବିନାଶି । କ୍ଷିତି କାରଣେ ଶେଷ ନ୍ୟାସି ॥୫୮
    କରଯୁଗଳ ଇନ୍ଦ୍ରେନ୍ୟାସି । ସୁଦୃଢ଼େ ସ୍ଥାପିବ ସନ୍ନ୍ୟାସୀ ॥୫୯
    ପାଦର ଗତି ନାରାୟଣେ । ଉପସ୍ଥ ପ୍ରଜାପତିଗଣେ ॥୬୦
    ଗୁହ୍ୟ ବିସର୍ଗ ମୃତ୍ୟୁ ଅଙ୍ଗେ । ଦିଗେ ସମର୍ପି ଶ୍ରୁତିଯୁଗେ ॥୬୧
    ସ୍ପରଶ ଗୁଣ ତ୍ୱଚେ ନ୍ୟାସି । ରୂପକୁ ଚକ୍ଷୁବଳେ ଗ୍ରାସି ॥୬୨
    ରୂପେ ନିବେଶି ଦୃଷ୍ଟି ଗୁଣ । ଜିହ୍ୱାକୁ ରସେ ଗନ୍ଧେ ଘ୍ରାଣ ॥୬୩
    ମନକୁ ଚନ୍ଦ୍ରରେ ସଂହରି । ବୋଧକୁ ବୁଦ୍ଧି ମଧ୍ୟେ ଭରି ॥୬୪
    ଅଶେଷକର୍ମ ରୁଦ୍ର ଦେହେ । କ୍ରିୟାକୁ କର୍ତ୍ତବ୍ୟ ସମୂହେ ॥୬୫
    ଚିତ୍ତକୁ ସତ୍ତ୍ୱଗୁଣେ ଭରି । ଗୁଣେ ବିକାରକୁ ସଂହରି ॥୬୬
    କ୍ଷିତିକି ନ୍ୟାସକରି ଜଳେ । ଜଳକୁ ବିନାଶି ଅନଳେ ॥୬୭
    ଅନଳ ବିନାଶି ଅନିଳେ । ପବନ ଗଗନମଣ୍ଡଳେ ॥୬୮
    ଗଗନ ଅହଙ୍କାରେ ଭରି । ଅବ୍ୟକ୍ତେ ସମୂହ ସଂହାରି ॥୬୯
    ମହତତତ୍ତ୍ୱେ ଅହଙ୍କାର । ମହତ ପ୍ରକୃତି ଗୋଚର ॥୭୦
    ସେ ଗୁଣମୟ ସର୍ବବ୍ୟାପୀ । କ୍ଷର ଅକ୍ଷର ବେନିରୂପୀ ॥୭୧
    ଚିନ୍ମାତ୍ର ଅକ୍ଷର ବିଶେଷ । ଜୀବ ପରମ ପରଂହଂସ ॥୭୨
    ତହିଁ ପ୍ରବେଶ ଧ୍ୟାନମୟେ । କାଷ୍ଠ-ଦହନେ ଅଗ୍ନିପ୍ରାୟେ ॥୭୩
    ଏମନ୍ତ ସୃଷ୍ଟିକି ସଂହରି । ବିଷ୍ଣୁମାୟାରୁ ଯାନ୍ତି ତରି ॥୭୪
    ସୁଜନେ ବୋଲ ହରି ହରି । ଭବସାଗରୁ ହେବ ପାରି ॥୭୫
    ଏମନ୍ତେ ତରେ ବାନପ୍ରସ୍ଥ । କହଇ ଦାସ ଜଗନ୍ନାଥ ॥୭୬
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ବାଦେ ସଦାଚାର ନିର୍ଣ୍ଣୟୋ ନାମ ଦ୍ୱାଦଶୋଽଧ୍ୟାୟଃ ॥

    ତ୍ରୟୋଦଶ ଅଧ୍ୟାୟ

    ନାରଦ ଉବାଚ
    ଏବେ କହିବା ଯତିଧର୍ମ । ସ୍ୱଭାବେ ଅବଧୂତ-କର୍ମ ॥୧
    ମାୟାସଂସାର ଦୂର କରି । ବୁଲିବ ଦେହ ମାତ୍ର ଧରି ॥୨
    ଗ୍ରାମେ ବଞ୍ଚିବ ଏକ ଦିନ । ଦ୍ୱିଦିନ ନ ରହିବ ପୁଣ ॥୩
    ନିର୍ଜନେ ଦିଗମ୍ବର-ବେଶେ । ଯେବେ ପଶିବ ବନଦେଶେ ॥୪
    କୌପୀନ କରିବ ବସନ । ଏକା ଭ୍ରମିବ ରାତ୍ରଦିନ ॥୫
    କେବେ ହେଁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ ॥୬
    ସର୍ବଭୂତରେ ଶାନ୍ତପଣେ । ଶ୍ରୀନାରାୟଣ ପ୍ରାୟ ମଣେ ॥୭
    ସତ ଅସତ ବିଶ୍ୱ ବେନି । ତୁଲେ ଭାବିବ ଆତ୍ମା ଘେନି ॥୮
    ପରମବ୍ରହ୍ମ ଆତ୍ମା ସାର । ସର୍ବବ୍ୟାପିତ ନିରନ୍ତର ॥୯
    ଜାଗ୍ରତ-ସ୍ୱପ୍ନ ମଧ୍ୟେ ରହି । ଆତ୍ମାର ଗତି ଆତ୍ମେ ଧ୍ୟାୟି ॥୧୦
    ଆତ୍ମାର ବନ୍ଧ-ମୋକ୍ଷ ବେନି । ଲକ୍ଷିବ ମାୟା ମାତ୍ର ଘେନି ॥୧୧
    ବସ୍ତୁ ସ୍ୱଭାବ ନାହିଁ ତାର । ଏଣୁ ସର୍ବଦା ନିର୍ବିକାର ॥୧୨
    ବସ୍ତୁର ନିତ୍ୟାନିତ୍ୟ-ଭାବ । ଏଣୁ ଏ ଶରୀର ଅଧ୍ରୁବ ॥୧୩
    ଜୀବର ଉତ୍ପତ୍ତି-ମରଣ । କାଳଟି ଏହାର କାରଣ ॥୧୪
    ଏଣୁ ଶରୀର-ଧର୍ମ ଜାଣି । ଆତ୍ମାର-ଗତି ପରିମାଣି ॥୧୫
    ଅଶାସ୍ତ୍ରେ ନ କରିବ ରତି । ଜୀବିକା ଜ୍ୟୋତିଷ ପ୍ରଭୃତି ॥୧୬
    ଦୂରେ ତେଜିବ ତର୍କବାଦ । ଯେ ଶାସ୍ତ୍ରେ ପକ୍ଷପାତ ଭେଦ ॥୧୭
    ଅଭ୍ୟାସ ନ କରି ସେ ପଥେ । ଶିଷ୍ୟ ନ କରିବ ସଙ୍ଗତେ ॥୧୮
    ବ୍ୟାଖ୍ୟାନ ନିଜ ପ୍ରୟୋଜନେ । କେବେ ହେଁ ନ କରିବ ମନେ ॥୧୯
    ମଠାଦି ଗୃହକୁ ନିର୍ମାଣ । କେବେ ହେଁ ନୋହେ ଯତିଧର୍ମ ॥୨୦
    ସୁଶାନ୍ତ ବୁଦ୍ଧି ସମଚିତ୍ତ । ହୋଇବ ଅର୍ଥରେ ବିରକ୍ତ ॥୨୧
    ଦୃଶ୍ୟ-ଅଦୃଶ୍ୟ ଭାବେ ଥିବ । ବାଇବାଳକ ଚେଷ୍ଟାଭାବ ॥୨୨
    ମୂକ ବଧିର ପ୍ରାୟେ ବେଶେ । ଭାବେ ବଞ୍ଚିବ ଆତ୍ମବଶେ ॥୨୩
    ଶୁଣ ରାଜନ ସାବଧାନ । ଯେ ଇତିହାସ ପୁରାତନ ॥୨୪
    ପ୍ରହ୍ମାଦ ସଙ୍ଗେ ମୁନିବର । ନାମ ଯାହାର ଅଜଗର ॥୨୫
    ଏ ବେନିଜନଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥୨୬
    ସେ ପ୍ରହଲ୍ଲାଦ ଏକଦିନେ । ମୃଗୟା ଅର୍ଥେ ଗଲେ ବନେ ॥୨୭
    ଭୃତ୍ୟନିକର ଘେନି ସଙ୍ଗେ । ବନେ ବିହରେ କ୍ରୀଡ଼ାରଙ୍ଗେ ॥୨୮
    ଏମନ୍ତେ ସହ୍ୟଗିରି ତଟେ । କାବେରୀ ତଟେ ଭୂମିପୃଷ୍ଠେ ॥୨୯
    ଶୟନେ ଦେଖେ ମୁନିବର । ଶରୀର ଧୂଳିରେ ଧୂସର ॥୩୦
    ସ୍ୱେଦ-କର୍ଦ୍ଦମେ ସେ ଭୂଷିତ । ସମ୍ମୁଖେ ଦେଖେ ବିପରୀତ ॥୩୧
    କର୍ମ-ବଚନ-ଲିଙ୍ଗ-ବର୍ଣ୍ଣେ । ଲକ୍ଷି ନ ପାରେ ଅନୁମାନେ ॥୩୨
    କିବା ଆଶ୍ରମ ଲକ୍ଷି ନୋହେ । ଶୟନ ବିପରୀତ-ଦେହେ ॥୩୩
    ତାହାଙ୍କୁ ଦେଖି ପ୍ରହଲ୍ଲାଦ । ଭାବେ ନମିଲା ବେନିପାଦ ॥୩୪
    ଲକ୍ଷଣେ ମଣି ତାର ଗତି । ବୋଲନ୍ତି ଅସୁରଙ୍କ ପତି ॥୩୫


    ପ୍ରହ୍ଲାଦ ଉବାଚ
    ଏ ସ୍ଥୂଳ-ଶରୀର ତୋହର । ସ୍ୱଭାବେ ଦିଶଇ ସୁନ୍ଦର ॥୩୬
    ଭୋଗୀପୁରୁଷ ପ୍ରାୟେ ହୋଇ । ତୋ ଦେହ ଦେଖି ପଚାରଇ ॥୩୭
    ବିତ୍ତ-ଅର୍ଜନେ ଭୋଗୀଜନେ । ଭ୍ରମନ୍ତି ନଗର ବିପିନେ ॥୩୮
    ଭୋଗର ବଳେ ପୁଷ୍ଟଦେହୀ । ଏ ଅନୁମାନେ ମୁଁ ମଣଇ ॥୩୯
    ଉଦ୍ୟମ ନ କରି ତୁ ଧନେ । କିମ୍ପା ଶୋଇଛୁ ଘୋରବନେ ॥୪୦
    କେମନ୍ତେ ପୁଷ୍ଟ ତୋ ଶରୀର । କହ ସଂଶୟ ଯାଉ ଦୂର ॥୪୧
    କହ ତୁ ନ ଭଜି ମଉନ । ମୁଁ ଯେବେ ଶୁଣିବା ଭାଜନ ॥୪୨
    ଯେ ଦକ୍ଷ ପଣ୍ଡିତ ଚତୁର । ବିଚିତ୍ରବାକ୍ୟ ପ୍ରିୟକର ॥୪୩
    ତାଙ୍କୁ ପୁଚ୍ଛିଲେ ସର୍ବ କହେ । ମନେ ଅହଙ୍କାର ନ ବହେ ॥୪୪
    ଏମନ୍ତେ ପ୍ରହଲ୍ଲାଦ ବାଣୀ । ସେ ଅବଧୂତ କର୍ଣ୍ଣେ ଶୁଣି ॥୪୫
    ତାହାର ଅମୃତ-ବଚନେ । କହଇ ହୃଷିତବଦନେ ॥୪୬


    ଅବଧୂତ ଉବାଚ
    ତୁ ପ୍ରହଲ୍ଲାଦ ଦୈତ୍ୟବର । ଜାଣଇଁ ମହିମା ତୋହର ॥୪୭
    ସଂଶୟ ନାହିଁ ତୋର ମନେ । ତୁ ଦେଖୁ ନିର୍ମଳ ନୟନେ ॥୪୮
    ଯାର ହୃଦୟେ ନାରାୟଣ । ବସଇ ପୁରୁଷ ପୁରାଣ ॥୪୯
    ସେ ଭକ୍ତିବଳେ ତମଘୋର । ନାଶଇ ଯେହ୍ନେ ଦିବାକର ॥୫୦
    ତୁ ମୋତେ ପଚାରିଲୁ ଯେବେ । ଶୁଣ କହିବା ତୋତେ ଭାବେ ॥୫୧
    ଆତ୍ମାର ଶୁଦ୍ଧି ଯେ ଇଚ୍ଛନ୍ତି । ମହାନ୍ତ ପୁଚ୍ଛିଲେ କହନ୍ତି ॥୫୨
    ଭବ-ବାହିନୀ ତୃଷ୍ଣା ନାମ । ତାର ପୂରଣେ କେହୁ କ୍ଷମ ॥୫୩
    ସେ ତୃଷ୍ଣାବଳେ ମୁଁ ଜଗତେ । ଭ୍ରମିଲି କୋଟି ଜନ୍ମ ଶତେ ॥୫୪
    ଅଶେଷ-ଯୋନି ଗର୍ଭବାସ । ତେବେ ହେଁ ନ ପୂରିଲା ଆଶ ॥୫୫
    ଅର୍ଜିଲା କର୍ମଦୋଷେ ଭ୍ରମି । ଫୁଟି ହୋଇଲି ପଥଶ୍ରମୀ ॥୫୬
    ଯେ ଶୁଭକର୍ମ ମୋର ଥିଲା । ସେ ଫଳ ଏ ଜନ୍ମେ ଫଳିଲା ॥୫୭
    ସ୍ୱଭାବେ ସ୍ୱର୍ଗ-ମୋକ୍ଷ ଦ୍ୱାର । ଦୁର୍ଲ୍ଲଭ ମନୁଷ୍ୟ ଶରୀର ॥୫୮
    ସ୍ୱଧର୍ମ କଲେ ସ୍ୱର୍ଗବାସ । ଅଧର୍ମେ ନରକେ ପ୍ରବେଶ ॥୫୯
    ଏ ବେନିଦ୍ୱାର ଯେ ତେଜନ୍ତି । ନିଶ୍ଚଳଯୋଗେ ଆତ୍ମା ଚିନ୍ତି ॥୬୦
    ଭଜନ୍ତି ଗୋବିନ୍ଦ ଚରଣେ । ତରନ୍ତି ଏ ଜନ୍ମ ମରଣେ ॥୬୧
    ମୁଁ ଏ ସଂସାର ସୁଖ ଦେଖି । ବିଚାରି ମନେ ହେଲି ଦୁଃଖୀ ॥୬୨
    ଦ୍ୱନ୍ଦ୍ୱ ମୈଥୁନ ଗୃହବାସେ । ଇନ୍ଦ୍ରିୟ ସୁଖଭୋଗ ଆଶେ ॥୬୩
    ଅନ୍ତେ ନରକେ ବିଶ୍ରାମନ୍ତି । ଏ ଘେନି ମନେ କଲି ଭ୍ରାନ୍ତି ॥୬୪
    ଏଣୁ ମୁଁ ଗୃହଦ୍ୱନ୍ଦ୍ୱ ଏଡ଼ି । ତପ ସାଧଇ ଦୁଃଖେ ପଡ଼ି ॥୬୫
    ପ୍ରବୃତ୍ତିମାର୍ଗେ ନର ଦୁଃଖୀ । ନିବୃତ୍ତିମାର୍ଗେ ହୋନ୍ତି ସୁଖୀ ॥୬୬
    ଏବେ ମୁଁ କୃଷ୍ଣର ପ୍ରସାଦେ । ନିବୃତ୍ତି-କର୍ମଯୋଗ ସାଧେ ॥୬୭
    ନିତ୍ୟେ ଭ୍ରମଇ ଆତ୍ମାଭାବେ । ମନ ଆନନ୍ଦେ ସୁଖପ୍ଲବେ ॥୬୮
    ମନ-ସଙ୍କଳ୍ପ-ଭୋଗ ତେଜି । ପ୍ରାରବ୍ଧ-ଭୋଗ ବନେ ଭୁଞ୍ଜି ॥୬୯
    ଏଣୁ ଆତ୍ମାର ଅର୍ଥେ ମୁହିଁ । ସଙ୍କଳ୍ପି ଏକାନ୍ତେ ଭ୍ରମଇ ॥୭୦
    ଏବେ ହୋ ପ୍ରହଲ୍ଲାଦ ଶୁଣ । ବିଷୟ ବଶେ ଯେତେ ଗୁଣ ॥୭୧
    ତାମସ ରଜଗୁଣ ତେଜେ । ବିବିଧ କାମ୍ୟକର୍ମ ଭଜେ ॥୭୨
    ଆତ୍ମାର ହିତ ନ ସୁମରେ । ଅସାଧୁମାର୍ଗେ କର୍ମ କରେ ॥୭୩
    ପ୍ରାଣୀ ଭ୍ରମନ୍ତି ଘୋରପଥେ । ନାନା-ଯାତନା କର୍ମତନ୍ତ୍ରେ ॥୭୪
    ଘୋର ସଂସାରେ ସଞ୍ଚରନ୍ତି । ଏ ଘେନି ମୋର ମନେ ଭ୍ରାନ୍ତି ॥୭୫
    ଦେଖ ଅଜ୍ଞାନେ ମୋହଚ୍ଛନ୍ନେ । ସଂସାରେ ସଞ୍ଚରନ୍ତି ଜନେ ॥୭୬
    ଯେ ଜଳ ତୃଣେ ଆଚ୍ଛାଦିତ । ତାହା ନ ଇଚ୍ଛଇ ତୃଷିତ ॥୭୭
    ମୃଗତୃଷ୍ଣାକୁ ଜଳ ମଣେ । ଭ୍ରମେ ଭ୍ରମଇ ଅକାରଣେ ॥୭୮
    ତାହାର ଶ୍ରମ ମାତ୍ର ସାର । ଯେ ଆତ୍ମା ନ କରେ ବିଚାର ॥୭୯
    କର୍ମ-ଆୟତ୍ତେ ଦେହ ବହି । ଆତ୍ମାର ସୁଖ ଯେ ଇଚ୍ଛଇ ॥୮୦
    ସଙ୍କଳ୍ପି କ୍ରିୟା କରେ ଯେତେ । ନିଷ୍ଫଳ ହୋଏ କାର୍ଯ୍ୟ ଅନ୍ତେ ॥୮୧
    ଅଧ୍ୟାତ୍ମ ଆଦି ଦୁଃଖ ଯେତେ । ଆତ୍ମା ନିପାତ ଯାର ଅନ୍ତେ ॥୮୨
    ବିମୁକ୍ତ ନୋହେ ପ୍ରାଣୀ ଏଣେ । କି ପ୍ରୟୋଜନ ଅର୍ଥ କାମେ ॥୮୩
    ଲୋଭୀ ପ୍ରାଣୀଙ୍କ ଦୁଷ୍ଟ-ମନ । ବଳେ ବନ୍ଧନ କରେ ଧନ ॥୮୪
    ଧନୀଜନଙ୍କ ଦୁଃଖ ଦେଖି । ମୁଁ ଧନତୃଷ୍ଣାକୁ ଉପେକ୍ଷି ॥୮୫
    ଦେଖଇ ଧନୀଙ୍କର ଦୁଃଖ । ନିଦ୍ରା-ଭୋଜନେ ନାହିଁ ସୁଖ ॥୮୬
    ରାଜାର ଭୟ ନିତ୍ୟେ ଧନେ । ଚୌର ସ୍ୱଜନ ଶତ୍ରୁଜନେ ॥୮୭
    ଯେ ଅବା ଆସେ ଧନ ମାଗି । ତା ଦେଖି ଚିତ୍ତେ ଦୁଃଖଭାଗୀ ॥୮୮
    ଅଶେଷ ଆପଦର ସ୍ଥାନ । ଏ ଧନମୂଳୁଁ ହୋଏ ଜନ୍ମ ॥୮୯
    ଯେ ଶୋକ ମୋହ ଲୋଭ କ୍ରୋଧ । ନିତ୍ୟେ ଉଦ୍‌ବେଗ ଯେ ପ୍ରମାଦ ॥୯୦
    ଯାହାର ମୂଳୁଁ ଏ ସ୍ରବନ୍ତି । ଧନର ମୂଳେ ପ୍ରାଣଭୀତି ॥୯୧
    ଏ ଘେନି ଯେ ପଣ୍ଡିତ ଜନେ । ଲୋଭ ତେଜନ୍ତି ଜାଣି ଧନେ ॥୯୨
    ମଧୁମକ୍ଷିକା ଅଜଗର । ଏ ଜନ୍ମେ ଗୁରୁ ଏ ମୋହର ॥୯୩
    ଯେ ବଇରାଗ ପରିତୋଷ । ଏହାଙ୍କ ତହୁଁ ଉପଦେଶ ॥୯୪
    ବୈରାଗ୍ୟ ସର୍ବକାମେ ମୋର । ଏ ଶିକ୍ଷା ଦେଲା ମଧୁକର ॥୯୫
    ଅନେକ ଦୁଃଖେ ଯେ ଅର୍ଜନ । ତାକୁ ବିନାଶି ହରେ ଆନ ॥୯୬
    ଧନ ନ ଇଚ୍ଛି ତୋଷ ମନେ । ଭ୍ରମଇ ଯଥା ଲାଭ ଧନେ ॥୯୭
    ମହାସର୍ପର ପ୍ରାୟେ ହୋଇ । ବଞ୍ଚଇ ଉପଦେଶ ଧ୍ୟାୟି ॥୯୮
    ତଥାପି ଗୋବିନ୍ଦ ପ୍ରସନ୍ନେ । ନିତ୍ୟେ ଆନନ୍ଦ ମୋର ମନେ ॥୯୯
    ମୋ ଦେହେ ବଳ କାନ୍ତି ତୁଷ୍ଟି । ସୁଖ-ବର୍ଦ୍ଧନେ ଦେହ ପୁଷ୍ଟି ॥୧୦୦
    ଏ ଭାବେ ବଞ୍ଚେ ମୋର ଦେହୀ । ମୁଁ ସୁଖ ଦୁଃଖ ନ ଜାଣଇ ॥୧୦୧
    ଅଳ୍ପ-ଆହାର କାହିଁ ପାଇ । କାହିଁବା ସମ୍ପୂର୍ଣ୍ଣ ଭୁଞ୍ଜଇ ॥୧୦୨
    ସ୍ୱାଦୁ-ଅସ୍ୱାଦୁ ନ ମଣଇ । ଯେ ଦିନେ ଯେ ଅବା ମିଳଇ ॥୧୦୩
    ଗ୍ରାସକୁ ଅମୃତ ମଣଇ । ସୁମିଷ୍ଟ ମିଳେ ଅବା କାହିଁ ॥୧୦୪
    କାହିଁବା କଟୁ ତିକ୍ତ ପାଇ । ମନ-ସନ୍ତୋଷେ ତା ଭୁଞ୍ଜଇ ॥୧୦୫
    କାହିଁବା ଶ୍ରଦ୍ଧା-ଉପହୃତ । କାହିଁବା ମାନ୍ୟ ବିବର୍ଜିତ ॥୧୦୬
    କାହିଁବା ଦଧିଅନ୍ନ ଘୃତ । କାହିଁବା ଲବଣ ବର୍ଜିତ ॥୧୦୭
    ଅଳ୍ପ ବହୁତ ନ ବାରଇ । ଯହିଁ ଯା ମିଳେ ତୁଷ୍ଟ ତହିଁ ॥୧୦୮
    ଏମନ୍ତେ ପୋଷଇ ଜୀବନ । ନିଶ୍ଚିନ୍ତ ମନେ ମୋ ଶୟନ ॥୧୦୯
    ରାତ୍ର ଦିବସ ନ ଜାଣଇ । ଉଭୟ ଏକ ପ୍ରମାଣଇ ॥୧୧୦
    ପାଟବସନ କାହିଁ ପିନ୍ଧି । କାହିଁ ବୁଲଇ ଚର୍ମ ବାନ୍ଧ ॥୧୧୧
    ଚୀରାଣି ବସ୍ତ୍ର କାହିଁ ମିଳେ । କାହିଁବା ବଞ୍ଚଇ ବକଳେ ॥୧୧୨
    କର୍ମ ଆଦରି ତୋଷମନେ । ବସଇ ଇଚ୍ଛା ସୁଖ ସ୍ଥାନେ ॥୧୧୩
    କାହିଁ ବା ଧରଣୀ ଶୟନ । କାହିଁ ପାଷାଣ କାହିଁ ତୃଣ ॥୧୧୪
    କାହିଁ ପ୍ରାସାଦ ମଧ୍ୟେ ଥାଇ । କାହିଁ ପଲେଙ୍କ ନିଦ୍ରା ଯାଇ ॥୧୧୫
    କାହିଁ ହଂସୁଲୀତୂଳୀ ପରେ । କାହିଁ ଶ୍ମଶାନେ ବନ ଘୋରେ ॥୧୧୬
    କାହିଁ ବା ସ୍ନାନ କରେ ଶୁଦ୍ଧେ । ସୁବାସ ତଇଳ ସୁଗନ୍ଧେ ॥୧୧୭
    କାହିଁ ଚନ୍ଦନ ଗନ୍ଧସାର । କାହିଁ ବା ନାନା ଅଳଙ୍କାର ॥୧୧୮
    ସୁବାସ ପୁଷ୍ପମାଳ ଗନ୍ଧେ । କାହିଁ ବା ଗଜ ଅଶ୍ୱ କନ୍ଧେ ॥୧୧୯
    କାହିଁ ବେଷ୍ଟିତ ପୀତାମ୍ବର । କାହିଁ ବା ଭସ୍ମ ଦିଗମ୍ବର ॥୧୨୦
    କାହିଁ ବା ଜ୍ଞାନ ଥାଇ ଦେହେ । କାହିଁ ଭ୍ରମଇ ଗୃହୀ ପ୍ରାୟେ ॥୧୨୧
    କାହିଁ ପ୍ରମାଦ ଦେହେ ଥାଇ । କାହିଁ ବା ବୃକ୍ଷମୂଳେ ଶୋଇ ॥୧୨୨
    ହେ ପ୍ରହଲ୍ଲାଦ ଶୁଣ ଧୀରେ । ଆର କହିବା ତୋ ଛାମୁରେ ॥୧୨୩
    ବିଷୟ-ଜଡ଼େ ପ୍ରାଣୀ ଥାନ୍ତି । ନିଜ ସ୍ୱଭାବ ପ୍ରକାଶନ୍ତି ॥୧୨୪
    କାହାକୁ ନିନ୍ଦା ସ୍ତୁତି ମୋର । କେବେ ହେଁ ନ କରେ ବିଚାର ॥୧୨୫
    ସର୍ବପ୍ରାଣୀଙ୍କ ଶ୍ରେୟ ଚିନ୍ତି । ଏଣୁ ମୋ ମନେ ନାହିଁ ଭ୍ରାନ୍ତି ॥୧୨୬
    ଆନନ୍ଦେ ଗୋବିନ୍ଦ-ଚରଣେ । ଚିତ୍ତ ନିବେଶି ଅନୁକ୍ଷଣେ ॥୧୨୭
    ଚିତ୍ତ-ବିକଳ୍ପ ହୋମ କରି । ତାହାକୁ ମନ ମଧ୍ୟେ ଭରି ॥୧୨୮
    ମନ-ବିକାର ତତ୍ତ୍ୱେ ଥୋଇ । ଯେଣେ ମାୟାକୁ ଭୟ ନାହିଁ ॥୧୨୯
    ସେ ମାୟା ଆତ୍ମା ଅନୁଭୂତେ । ସତ୍ୟ ସଙ୍କଳ୍ପ ମୁନିମତେ ॥୧୩୦
    ତେଣୁ ନିର୍ବିକାର ମୋ ମନ । ନିର୍ଗୁଣ-ବ୍ରହ୍ମେ କରି ଧ୍ୟାନ ॥୧୩୧
    ଏମନ୍ତେ ଆତ୍ମା-ଅନୁଭୂତେ । କହିଲି ତୋହର ଅଗ୍ରତେ ॥୧୩୨
    ଯେ ଲୋକ-ଶାସ୍ତ୍ର ମତ ଦୁଇ । ଏଣେ ବର୍ଜିତ ମୋର ଦେହୀ ॥୧୩୩
    ତୁ ଯେଣୁ ବିଷ୍ଣୁର ଭକତ । ତେଣୁ କହିଲି ତୋ ଅଗ୍ରତ ॥୧୩୪
    ତୁ ପ୍ରହଲ୍ଲାଦ କୃଷ୍ଣଦାସ । ଏଣୁ ମୁଁ ତୋହରେ ବିଶ୍ୱାସ ॥୧୩୫


    ନାରଦ ଉବାଚ
    ଏମନ୍ତେ ମୁନି ମୁଖୁଁ ଶୁଣି । ପରମହଂସ ଧର୍ମବାଣୀ ॥୧୩୬
    ସେ ପ୍ରହଲ୍ଲାଦ ଜ୍ଞାନୀ ଧୀର । ସ୍ୱଭାବେ ବିଷ୍ଣୁର କିଙ୍କର ॥୧୩୭
    ସେ ଅବଧୂତ ତତ୍ତ୍ୱବାଣୀ । ପ୍ରବାହ-ସୁଧା ତରଙ୍ଗିଣୀ ॥୧୩୮
    ସେ ପ୍ରହଲ୍ଲାଦ ଶୁଣି କର୍ଣ୍ଣେ । ବନ୍ଦିଲା ବିବିଧ-ସ୍ତବନେ ॥୧୩୯
    ଆନନ୍ଦେ ନମି ତା ଚରଣେ । ସଦନେ ଗଲା ତତକ୍ଷଣେ ॥୧୪୦
    ଶୁଣ ସୁଜନେ ଦୃଢ଼ଚିତ୍ତେ । ହରି-ଚରିତ ଭାଗବତେ ॥୧୪୧
    ସପ୍ତମ ସ୍କନ୍ଧେ ଯେତେ ଧର୍ମ । ଯେ ଧର୍ମ ଅବଧୂତ-କର୍ମ ॥୧୪୨
    ପ୍ରହ୍ଳାଦ-ଅବଧୂତ କଥା । ଶୁଣନ୍ତେ ଖଣ୍ଡେ ଭବବ୍ୟଥା ॥୧୪୩
    ଏଣେ ନିର୍ମଳ କର ଚିତ୍ତ । କହଇ ଦାସ ଜଗନ୍ନାଥ ॥୧୪୪
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ବାଦେ ଯତିଧର୍ମେ ତ୍ରୟୋଦଶୋଽଧ୍ୟାୟଃ ॥

    ଚତୁର୍ଦ୍ଦଶ ଅଧ୍ୟାୟ

    ଯୁଧିଷ୍ଠିର ଉବାଚ
    ଶୁଣ ହେ ବ୍ରହ୍ମାର ନନ୍ଦନ । ବନସ୍ଥ ଅବଧୂତ ଧର୍ମ ॥୧
    ଶୁଣିଲି ଶାସ୍ତ୍ରର ପ୍ରସ୍ତାବେ । ଗୃହସ୍ଥ ଧର୍ମ କହ ଏବେ ॥୨
    ଦେଶକାଳାଦି ଭେଦେ ଯହିଁ । ଅନେକ ଶ୍ରେୟ ଜାତ ହୋଇ ॥୩
    ଯେ ବିଧି ଗୃହ-ଆଚରଣେ । ଆଗମ ନିଗମ ପ୍ରମାଣେ ॥୪
    ଏମନ୍ତେ ଧର୍ମସୂତ-ବାଣୀ । ଶୁଣି କହନ୍ତି ବ୍ରହ୍ମମୁନି ॥୫


    ନାରଦ ଉବାଚ
    ଗୃହସ୍ଥ ରଜନୀ ପ୍ରଭାତେ । ଶୁଚି ନିର୍ମଳ ଶୁଦ୍ଧଚିତ୍ତେ ॥୬
    ସ୍ମରିବ ନାରାୟଣ ନାମ । ହରି ଗୋବିନ୍ଦ କୃଷ୍ଣ ରାମ ॥୭
    ପୁରୁଷୋତ୍ତମ ଦାମୋଦର । ବିଶ୍ୱସମ୍ଭବ ବିଶ୍ୱମ୍ଭର ॥୮
    ଏ ଆଦି ପୁଣ୍ୟଶ୍ଳୋକ ଯେତେ । ନାମ-ସଂକୀର୍ତ୍ତନ ପ୍ରଭାତେ ॥୯
    କୃଷ୍ଣେ ଅର୍ପଣ ନିତ୍ୟେ କରି । ଗୃହସ୍ଥ ଧର୍ମକୁ ଆଚରି ॥୧୦
    ମହତ-ଜନେ ଉପାସନ । କରିବ ନିତ୍ୟେ କୃଷ୍ଣଧ୍ୟାନ ॥୧୧
    କୃଷ୍ଣର ଅବତାର କଥା । ପୁରାଣ ଆଦି ଶାସ୍ତ୍ରଗୀତା ॥୧୨
    ସଙ୍ଗ କରିବ ସାଧୁସନ୍ଥେ । ଦିନ ବଞ୍ଚିବ ଶୁଣି ନିତ୍ୟେ ॥୧୩
    ସାଧୁସଙ୍ଗତେ ଥୋଇ ମନ । ପୁତ୍ର କଳତ୍ର ଗୃହଜନ ॥୧୪
    ତାହାଙ୍କୁ ସୁଖଭୋଗ ଦେଇ । ଆତ୍ମାକୁ ସନ୍ତୋଷେ ଭୁଞ୍ଜଇ ॥୧୫
    ସମ୍ପଦ ସ୍ୱପ୍ନ ପ୍ରାୟ ମଣି । ଚିତ୍ତେ ଚିନ୍ତିବ ଚକ୍ରପାଣି ॥୧୬
    ଯାବତ ପ୍ରୟୋଜନ ଅର୍ଥ । ଗୃହେ ସାଧିବ ନିତ୍ୟ ନିତ୍ୟ ॥୧୭
    ବିରକ୍ତଚିତ୍ତ ଅନ୍ତର୍ଗତେ । ଲୋକବେଭାର ଜନ ସାଥେ ॥୧୮
    ଭ୍ରାତ ସୁହୃଦ ତାତ ମାତ । ଜ୍ଞାତି ବାନ୍ଧବ ଦାରା ସୁତ ॥୧୯
    ଯେ ବା ଇଚ୍ଛନ୍ତି ଯେ ବୋଲନ୍ତି । ଯେ ଭାବେ ସନ୍ତୋଷେ ରହନ୍ତି ॥୨୦
    ମନ ସନ୍ତୋଷେ ସୁଖ ଦେବ । ନିର୍ମଳେ ସର୍ବଦା ବଞ୍ଚିବ ॥୨୧
    ଭୂମି ଗଗନ ଅନ୍ତରୀକ୍ଷେ । ଯେ ଧନ ମିଳିବ ପ୍ରତ୍ୟକ୍ଷେ ॥୨୨
    କୃଷ୍ଣର ଦେଲା ପ୍ରାୟେ ବୁଝି । ସେ ଧନ ଦୁଃଖ ସୁଖେ ଭୁଞ୍ଜି ॥୨୩
    ଦିନ ବଞ୍ଚିବ ହରି ଭାବେ । ଯତ୍ନ କରିବ ଧର୍ମଲାଭେ ॥୨୪
    ଯାବତ ଦେହେ ପ୍ରାଣ ଥିବ । ତାବତ ସନ୍ତୋଷେ ବଞ୍ଚିବ ॥୨୫
    ଲୋଭେ ଅଧିକ ଯେ ଚିନ୍ତନ୍ତି । ଚୋର ସମାନେ ଦଣ୍ଡ ପାନ୍ତି ॥୨୬
    ଏବେ ହୋ ଶୁଣ ନୃପବର । କହିବା ସର୍ବଧର୍ମସାର ॥୨୭
    କପି ମକ୍ଷିକା ଉଷ୍ଟ୍ର ଖଗ । ମୂଷିକ ଗର୍ଦ୍ଦଭ ଯେ ମୃଗ ॥୨୮
    ଉରଗ ପତଙ୍ଗାଦି ଯେତେ । ତାହାଙ୍କୁ ପୁତ୍ରପ୍ରାୟେ ଚିତ୍ତେ ॥୨୯
    ଆତ୍ମାର ପ୍ରାୟେ ନିତ୍ୟେ ଦେଖି । ଅନ୍ତର ମନେ ନ ଉପେକ୍ଷି ॥୩୦
    ତ୍ରିବର୍ଗ କଷ୍ଟେ ନ ସାଧିବ । ଯେ ଭାବେ ନିନ୍ଦନ୍ତି ସାଧବ ॥୩୧
    ଯେ ଦ୍ରବ୍ୟ ଅତିକଷ୍ଟେ ପାଇ । ଯେ ସୁଖେ ଅତିଲୋଭ ହୋଇ ॥୩୨
    ଯେଣେ ବା ପରପୀଡ଼ା ହେବ । ଏ ତିନି ଚିତ୍ତେ ନ ଧରିବ ॥୩୩
    ଯେ ଦେଶ-କାଳ-ପାତ୍ର ମତେ । ମିଳଇ କର୍ମର ଆୟତ୍ତେ ॥୩୪
    ସେ ଭାବେ ପୋଷିବ ଜୀବନ । ଦେଖିବ ସକଳେ ସମାନ ॥୩୫
    ଶ୍ୱାନ ଚଣ୍ଡାଳ ଅନ୍ୟ ଜାତି । ଆତ୍ମାର ପ୍ରାୟେ ତାଙ୍କୁ ଚିନ୍ତି ॥୩୬
    ବିଭାଗେ ଭୋଗ ତାଙ୍କୁ ଦେବ । ଆତ୍ମାର ପରାୟେ ଭାବିବ ॥୩୭
    ଏକ ଗୃହିଣୀ ସଂଗ୍ରହଣ । ସ୍ୱଧର୍ମ ଗୃହର କାରଣ ॥୩୮
    ଅର୍ଦ୍ଧାଙ୍ଗ ସମ ଅଟେ ନାରୀ । ସାତ୍ତ୍ୱିକେ ତାହା ଭୋଗ କରି ॥୩୯
    ନିଯୋଗି ଅତିଥି ସେବନେ । ଯତ୍ନ କରିବ ନିଜ ଧର୍ମେ ॥୪୦
    ଯା ପାଇଁ ପିତା ଗୁରୁ ପ୍ରାଣ । ପ୍ରାଣୀ ହିଂସଇ ହେଳେ ଜାଣ ॥୪୧
    ଅତିଥି-ସେବାରେ ସେ ନାରୀ । ଦେଇଣ ଆପଦୁଁ ଉଦ୍ଧରି ॥୪୨
    ଆନେ ଅସାଧ୍ୟ ଯେଉଁ ହରି । ଏ ଭାବେ ତାଙ୍କୁ ସାଧ୍ୟ କରି ॥୪୩
    ଦେଖ ଏ ତୁଚ୍ଛ-କଳେବର । ଅନ୍ତେ ଭଜଇ ତ୍ରିପ୍ରକାର ॥୪୪
    ଭସ୍ମ ପୁରୀଷ କୃମିସ୍ଥାନ । ଅବଶ୍ୟ ଭଜେ ଅବସାନ ॥୪୫
    ସେ ଦେହେ ରତି ପତ୍ନୀମେଳେ । ଏ କାହିଁ ଆତ୍ମାର କୁଶଳେ ॥୪୬
    ମଜ୍ଜଇ ସୁଧାପ୍ରାୟ ମଣି । କାହୁଁ ତରିବ ମୂଢ଼ପ୍ରାଣୀ ॥୪୭
    ଯଜ୍ଞାବଶେଷ ସିଦ୍ଧଅନ୍ନେ । ଆହାର କଳ୍ପିବ ଜୀବନେ ॥୪୮
    ଅଧିକେ ମମତା ନଥାଇ । ତେବେଟି ମହତ ବୋଲାଇ ॥୪୯
    ଦେବତା ଋଷି ଭୂତଗଣେ । ଆତ୍ମା ଅତିଥି ପିତୃଜନେ ॥୫୦
    ଏହାଙ୍କୁ ବିଷ୍ଣୁପ୍ରାୟେ ମଣି । ସନ୍ତୋଷେ ଦେବ ଅନ୍ନ ପାଣି ॥୫୧
    ଆତ୍ମାଧିକାରେ ନାନାବିଧି । ଯଜ୍ଞର ସମ୍ଭାର ସମ୍ପାଦି ॥୫୨
    ବିଧିବିଧାନ ବେଦମତେ । ଯଜ୍ଞ କରିବ ଅଗ୍ନିହୋତ୍ରେ ॥୫୩
    ଅଗ୍ନିହୋତ୍ରର ଅବସାନେ । ବିପ୍ରଙ୍କୁ ତୋଷିବ ଭୋଜନେ ॥୫୪
    ବ୍ରାହ୍ମଣ-ଦେହେ ଥାଇ ହରି । ଏଣୁ ଭୋଜନେ ପୂଜାକରି ॥୫୫
    ବିପ୍ର ଭୋଜନେ ତୋଷ ଯେତେ । ସେ ନୋହେ ଯଜ୍ଞ କୋଟିଶତେ ॥୫୬
    ଏ ଘେନି ଦେବତା-ବ୍ରାହ୍ମଣେ । ପୂଜା କରିବ ଅନୁକ୍ଷଣେ ॥୫୭
    ଏଣୁ ବ୍ରାହ୍ମଣ-ମୁଖେ ଦେଇ । ପୂଜା କରିବ ଭାବଗ୍ରାହୀ ॥୫୮
    ଆଶ୍ୱିନମାସ-କୃଷ୍ଣପକ୍ଷେ । ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ ॥୫୯
    ସମ୍ଭାର ଯଥାଶକ୍ତିମତେ । ପିତୃ ପୂଜିବ ଶ୍ରଦ୍ଧାଚିତ୍ତେ ॥୬୦
    ଜ୍ଞାତି ସୁହୃଦ ବନ୍ଧୁଜନ । ଭୋଜନ ନେବ ମିଷ୍ଟଅନ୍ନ ॥୬୧
    ଏବେ ହୋ ଶୁଣ ମହୀପତି । ଗୃହସ୍ଥଜନର ଏ ଗତି ॥୬୨
    ବେନି-ଅୟନ ବିଷୁବାନ୍ତେ । ଦିବସ କ୍ଷୟ ବ୍ୟତିପାତେ ॥୬୩
    ଅକ୍ଷୟତୃତୀୟା ଦିବସେ । ଆଦିତ୍ୟ-ଶଶାଙ୍କର ଗ୍ରାସେ ॥୬୪
    ଦ୍ୱାଦଶୀ-ଶ୍ରବଣା-ସଂଯୋଗେ । ତୃତୀୟାତିଥି କ୍ଷୟଭୋଗେ ॥୬୫
    ଶୁକ୍ଳ-ନବମୀ ଭର୍ଜ୍ଜମାସେ । ଚତୁର ଅଷ୍ଟକା-ଦିବସେ ॥୬୬
    ମାଘ-ସପ୍ତମୀ ଶୁକ୍ଳପକ୍ଷେ । ପୂର୍ଣ୍ଣିମା ମିଶି ମଘାରକ୍ଷେ ॥୬୭
    ଦ୍ୱାଦଶୀ ଅନୁରାଧା ଭୋଗେ । ଶ୍ରବଣା ତ୍ରି-ଉତ୍ତରା ଯୋଗେ ॥୬୮
    ଏ ତିନିଯୋଗେ ଏକାଦଶୀ । ଶ୍ରବଣା ଜନ୍ମରକ୍ଷେ ମିଶି ॥୬୯
    ଶ୍ରେୟ-ସାଧନ-ଯୋଗ ଏତେ । ଗୃହସ୍ଥଧର୍ମ ସାଧ୍ୟ ଅର୍ଥେ ॥୭୦
    ଏ ଦିନେ ଧର୍ମକର୍ମ କଲେ । ଶ୍ରେୟ-ଆୟୁଷ ବଢ଼େ ଭଲେ ॥୭୧
    ଏ ଦିନେ ତପ ହୋମ ସ୍ନାନ । ଯଜ୍ଞେ ଦେବତା-ଆରାଧନ ॥୭୨
    ପିତୃଦେବତା ଭୂତଗଣେ । ଅନ୍ନ ଜଳ ତିଳତର୍ପଣେ ॥୭୩
    ପତ୍ନୀର ସଂସ୍କାର କାଳରେ । ଅପତ୍ୟ-ସମ୍ଭବ ଦିନରେ ॥୭୪
    ଜ୍ଞାତି-ମରଣେ ପ୍ରେତକାର୍ଯ୍ୟେ । ପୂଜିବ ବାନ୍ଧବ-ସମାଜେ ॥୭୫
    ଏବେ ହୋ ଶୁଣ ଧର୍ମଶିଷ୍ୟ । କହିବା ପୁଣ୍ୟ ସ୍ଥାନ ଦେଶ ॥୭୬
    ବିଷ୍ଣୁ ପ୍ରତିମା ବସେ ଯହିଁ । ସଚରାଚର ବିଶ୍ୱ ତହିଁ ॥୭୭
    ସତ୍‌ପାତ୍ର-ଜନ ଲଭି ଯହିଁ । ସେ ପୁଣ୍ୟତମ-ଦେଶ କହି ॥୭୮
    ବ୍ରାହ୍ମଣକୁଳ ବସେ ଯହିଁ । ଦୟା ତପସ୍ୟା ବିଦ୍ୟା ବହି ॥୭୯
    ବିଷ୍ଣୁର ପୂଜା ଯହିଁ ନିତ୍ୟେ । ସେ ପୁଣ୍ୟଦେଶ ବେଦମତେ ॥୮୦
    ଗଙ୍ଗାଦି ନଦୀ ଯହିଁ ବହେ । ସେ ପୁଣ୍ୟକ୍ଷେତ୍ର ବେଦ କହେ ॥୮୧
    ପୁଷ୍କର ଆଦି ସରୋବର । ଯହିଁ ବସନ୍ତି ବିଷ୍ଣୁ ହର ॥୮୨
    ପ୍ରୟାଗ ପୁଲହ ଆଶ୍ରମ । ନୈମିଷାରଣ୍ୟ ପୁଣ୍ୟଧାମ ॥୮୩
    ପ୍ରଭାସ କୁରୁ ବ୍ରଜଗଳି । ଗୟା ମଥୁରା କୁଶସ୍ଥଳୀ ॥୮୪
    ସେ କାଶୀ ପମ୍ପା ବିନ୍ଦୁସର । ସେତୁବନ୍ଧ ଯେ ରାମେଶ୍ୱର ॥୮୫
    ଆଶ୍ରମ ନରନାରାୟଣ । ନନ୍ଦା ସୀତୟା ରାମାଶ୍ରମ ॥୮୬
    ମହେନ୍ଦ୍ର ମଳୟ ପର୍ବତେ । ଏ ମଧ୍ୟେ କ୍ଷେତ୍ର ଛନ୍ତି ଯେତେ ॥୮୭
    ଏ ସର୍ବସ୍ଥାନ ହରିପ୍ରିୟ । ତେଣୁ ଜଗତେ ପୁଣ୍ୟମୟ ॥୮୮
    ସେ ପୁଣ୍ୟତମ ଦେଶ ଭାବି । ବିଷ୍ଣୁପ୍ରତିମା ଯହିଁ ସେବି ॥୮୯
    କୈବଲ୍ୟ ଇଚ୍ଛା ଯାର ଚିତ୍ତେ । ଏ ଦେଶେ ସେହୁ ଥିବ ନିତ୍ୟେ ॥୯୦
    ଏବେ କହିବା ପାତ୍ର ଯେତେ । ଶୁଣ ରାଜନ ଶୁଦ୍ଧଚିତ୍ତେ ॥୯୧
    ପୁରାଣପୁରୁଷ ମୁରାରି । ଯାର ଭିଆଣ ବସୁନ୍ଧରୀ ॥୯୨
    ସଚରାଚର ଯା ଶରୀର । ଋଷି ଦେବତା ବ୍ରହ୍ମା ହର ॥୯୩
    ଅଗ୍ରେ ଚରଣ ପୂଜି ଯାର । ତା ତହୁଁ ପାତ୍ର କେବା ଆର ॥୯୪
    ଦେବତା ଋଷି ସିଦ୍ଧେଶ୍ୱର । ସନକ ଆଦି ଯଜ୍ଞେ ତୋର ॥୯୫
    ସଭାରେ ସର୍ବଜନ ଥିଲେ । କୃଷ୍ଣଙ୍କୁ ଅଗ୍ରେ ପୂଜା କଲେ ॥୯୬
    ଏଣୁ ସକଳ-ପାତ୍ର-ସାର । ଅଚ୍ୟୁତ ଅଟେ ନୃପବର ॥୯୭
    ଜୀବରାଶିରେ ହୋଇ ବ୍ୟାପ୍ତ । ଯେ ଅଣ୍ଡକୋଷ ବୃକ୍ଷଶତ ॥୯୮
    ସେ ବୃକ୍ଷମୂଳ ଯେଣୁ ହରି । ତାହାଙ୍କୁ ଯେହୁ ପୂଜା କରି ॥୯୯
    ପୂଜିବା ଫଳ ଜଗତର । ନିଶ୍ଚେ ଲଭଇ ସେହୁ ନର ॥୧୦୦
    ଯାର ଶରୀର ଜୀବରାଶି । ଯେ ଅଣ୍ଡକୋଷ ମୂଳେ ବସି ॥୧୦୧
    ଯେ ହରି ସର୍ବଜୀବ-ମୂଳ । ଅଶେଷ ପୁଣ୍ୟକର୍ମ-ଫଳ ॥୧୦୨
    ନାନା ପ୍ରପଞ୍ଚେ ପୁର କରି । ତା ମଧ୍ୟେ ଜୀବ ରୂପ ଧରି ॥୧୦୩
    ହୃଦୟପଦ୍ମ ମଧ୍ୟେ ଶୋହେ । ପୁରୁଷୋତ୍ତମ ନାମ ବହେ ॥୧୦୪
    ତେଣୁ ପୁରୁଷ ପାତ୍ରୋତ୍ତମ । ଯେ ନିତ୍ୟେ ରମେ ଆତ୍ମାରାମ ॥୧୦୫
    ଯେଣୁ ଏ ପୁରୁଷଙ୍କ ଦେହେ । ସେ ହରି ତାରତମ୍ୟେ ରହେ ॥୧୦୬
    ଏ ଭାବେ ସଂଶୟ ବିଚାରି । ତ୍ରେତାଦି ଯୁଗେ ମୂର୍ତ୍ତି କରି ॥୧୦୭
    ସଂସ୍କାର-ନିଗମ-ଆଗମେ । ପୂଜା କରନ୍ତି ଗ୍ରାମେ-ଗ୍ରାମେ ॥୧୦୮
    ସେ ପୂଜା ମାତ୍ରେ ତୋଷ ହୋନ୍ତି । ବାଞ୍ଛିତ ଫଳ ନିତ୍ୟେ ଦ୍ୟନ୍ତି ॥୧୦୯
    ଯେ ପ୍ରାଣୀ ପରେ ହିଂସା କରେ । ଦେବତା ପୂଜି ସେ ନ ତରେ ॥୧୧୦
    ଏଣୁ ପୁରୁଷଙ୍କର ମଧ୍ୟେ । ଯେ ବିପ୍ର ଜ୍ଞାନୀ ବେଦ ସାଧେ ॥୧୧୧
    ତା ତହୁଁ ପାତ୍ର ଆର ନାହିଁ । ସେ ବିପ୍ର ନିଶ୍ଚେ ବିଷ୍ଣୁଦେହୀ ॥୧୧୨
    ଯେ କୃଷ୍ଣ ଆତ୍ମା ତ୍ରିଲୋକର । ବ୍ରାହ୍ମଣ ଦେବତା ତାଙ୍କର ॥୧୧୩
    ଏଣୁ ସେ ବ୍ରାହ୍ମଣ ଚରଣ । ତ୍ରୈଲୋକ୍ୟ ନିସ୍ତାର କାରଣ ॥୧୧୪
    ଏ ଭାବେ ଦେଶ କାଳ ପାତ୍ର । ଦୀକ୍ଷାଦି ଧର୍ମ ଦଇବତ ॥୧୧୫
    ନାରଦ ମୁନି ଅନୁରାଗେ । କହିଲେ ଯୁଧିଷ୍ଠିର ଆଗେ ॥୧୧୬
    ଏ ଭାଗବତ କୃଷ୍ଣବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୧୭
    ଏହା ଯେ ପଢ଼ନ୍ତି ଶୁଣନ୍ତି । ସେ ଗୃହଦ୍ୱନ୍ଦ୍ୱେ ନ ପଡ଼ନ୍ତି ॥୧୧୮
    ସପ୍ତମ ସ୍କନ୍ଧେ ଭାଗବତ । ଭଣଇ ଦାସ ଜଗନ୍ନାଥ ॥୧୧୯
    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ସଦାଚାର ନିର୍ଣ୍ଣୟୋ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ॥

    ପଞ୍ଚଦଶ ଅଧ୍ୟାୟ

    ଏ ପଞ୍ଚଦଶେ ବର୍ଣ୍ଣାଶ୍ରମ । ସାର ସଂଗ୍ରହେ ଯେବା ଧର୍ମ ॥୧
    ପ୍ରାଣୀଙ୍କ ନିସ୍ତାର କାରଣେ । ମୋକ୍ଷ ଲକ୍ଷଣ ଯେ ପ୍ରମାଣେ ॥୨
    ବର୍ଣ୍ଣିତ ନିଗମ ବଚନେ । ଶୁଣ ରାଜନ ସାବଧାନେ ॥୩
    ରାଜୁସୀ ଯଜ୍ଞ-ସଭା ଚାହିଁ । କୁନ୍ତୀନନ୍ଦନ ଭାବ ବହି ॥୪
    କହନ୍ତି ବ୍ରହ୍ମାଙ୍କ କୁମର । ଅଶେଷ ଜ୍ଞାନ ଧର୍ମସାର ॥୫


    ନାରଦ ଉବାଚ
    ବ୍ରାହ୍ମଣ କେବା କର୍ମନିଷ୍ଠ । ତପସାଧନେ କେ ପ୍ରତିଷ୍ଠ ॥୬
    ବେଦ ପଠନେ କାର ସିଦ୍ଧି । କେବା ନିସ୍ତରେ ଯୋଗସାଧି ॥୭
    ଗୃହସ୍ଥ ପିତୃଶ୍ରାଦ୍ଧ କାଳେ । ଜ୍ଞାନୀ-ପୁରୁଷ ଯେବେ ମିଳେ ॥୮
    ତାହାଙ୍କୁ ହବ୍ୟ-କବ୍ୟ ଦାନ । କଲେ ଅନେକ ହୁଏ ପୁଣ୍ୟ ॥୯
    ଜ୍ଞାନୀ ଅଭାବେ ଯଥାକ୍ରମେ । ଯେ ବିପ୍ରେ ଥାନ୍ତି ନିଜ ଧର୍ମେ ॥୧୦
    ତାହାଙ୍କୁ ଯଥାଭୋଗ ଦେଇ । ତେବେ ଉଚିତ-ଫଳ ପାଇ ॥୧୧
    ଶ୍ରାଦ୍ଧେ ଦେବତା-ଅର୍ଥେ ଦୁଇ । କରିବ ବିଶ୍ୱଦେବା ପାଇଁ ॥୧୨
    ତୃତୀୟ ପିତୃସ୍ଥାନେ ବରି । ଅଭାବେ ଏକ ଏକ କରି ॥୧୩
    ଉତ୍ତମ-ଦ୍ରବ୍ୟେ ଭୁଞ୍ଜାଇବ । ଶ୍ରାଦ୍ଧେ ବିସ୍ତାର ନ କରିବ ॥୧୪
    ଯେ ଦ୍ରବ୍ୟ ଦେଶ-କାଳୋଚିତେ । ମିଳିବ ଶ୍ରଦ୍ଧା ଅନୁମତେ ॥୧୫
    ଯେ ପାତ୍ରେ ଯେବା ଅରହଣ । ବିସ୍ତାରେ ନୁହଁଇ ଘଟଣ ॥୧୬
    ଏମନ୍ତେ ଦେବ-ପିତୃ-ଯଜ୍ଞେ । ଯେବା ପୂଜନ୍ତି ହବ୍ୟ-କବ୍ୟେ ॥୧୭
    ଉତ୍ତମ-ଫଳ ସେ ଲଭନ୍ତି । ଏ ଭବସଂସାର ତରନ୍ତି ॥୧୮
    ଏଣୁ ଯେ ଦେଶ-କାଳ-ପାତ୍ରେ । ଆମିଷ ବର୍ଜି ବନଜାତେ ॥୧୯
    ଯଥାସଂସ୍କାରେ ଦେଇ ଅନ୍ନ । ବିଷ୍ଣୁଙ୍କୁ କରି ନିବେଦନ ॥୨୦
    ଶ୍ରଦ୍ଧାରେ ସତପାତ୍ରେ ଦେଇ । ସେ ଶ୍ରାଦ୍ଧ କାମଧେନୁ ହୋଇ ॥୨୧
    ଭୁଞ୍ଜନ୍ତି ଅକ୍ଷୟ-କଲ୍ୟାଣ । ଏ ବାକ୍ୟ ନିଗମ ପ୍ରମାଣ ॥୨୨
    ଦେବ-ବ୍ରାହ୍ମଣ-ପିତୃ-ଭୂତେ । ସ୍ୱଜନ ଆଦି ବନ୍ଧୁଯୁତେ ॥୨୩
    ଏହାଙ୍କୁ ବିଷ୍ଣୁଭାବେ ମଣି । ସନ୍ତୋଷେ ଦେବ ଅନ୍ନପାଣି ॥୨୪
    ଯା ଚିତ୍ତ ଧର୍ମ-ଉପଦେଶେ । ଶ୍ରାଦ୍ଧ କରିବ ନିରାମିଷେ ॥୨୫
    ଯେ ଧର୍ମ ଲଭି ନିରାମିଷେ । ସେ କାହିଁ ଲାଭ ପଶୁହିଂସେ ॥୨୬
    ସ୍ୱଧର୍ମେ ଇଚ୍ଛା ଯାର ଥିବ । କେବେହେଁ ପଶୁ ନ ହିଂସିବ ॥୨୭
    ମାନସ-କାୟିକ-ବଚନେ । ନ କରି ପଶୁକୁ ହିଂସନେ ॥୨୮
    ଉତ୍ତମ-ଧର୍ମ ଯେ ଇଚ୍ଛଇ । ଏ ସମ ଧର୍ମ ଆଉ ନାହିଁ ॥୨୯
    ଯଜ୍ଞର ଫଳ ଯେ ଜାଣନ୍ତି । ଅନିତ୍ୟ କର୍ମମୟ ଚିନ୍ତି ॥୩୦
    ଆତ୍ମାସଂଯମ ଅଗ୍ନି ଜାଳି । ଇନ୍ଦ୍ରିୟ-ଅର୍ଥ-ଘୃତ ଢାଳି ॥୩୧
    ଏ ଜ୍ଞାନଯଜ୍ଞେ ଦୃଢ଼ କରି । ବିଷ୍ଣୁମାୟାରୁ ଯାନ୍ତି ତରି ॥୩୨
    ଯେ ଦ୍ରବ୍ୟମୟ ଯଜ୍ଞ କରେ । ତାହାଙ୍କୁ ଦେଖି ସାଧୁ ତରେ ॥୩୩
    ଏହାର ଦେହେ ଜ୍ଞାନ ନାହିଁ । ଆମ୍ଭ ଜୀବନ ରଖେ କାହିଁ ॥୩୪
    ଏ ଘେନି ଦୟା ଯାର ଚିତ୍ତେ । ଯଜ୍ଞ କରିବ ମୁନିମତେ ॥୩୫
    ବିଧର୍ମ ପରଧର୍ମ ବେନି । ଆଭାସ ଉପମାକୁ ଘେନି ॥୩୬
    ଛଳ ସମେତ ପଞ୍ଚ ଜାଣ । ଅଧର୍ମ ଶାଖା ଏ ପ୍ରମାଣ ॥୩୭
    ଯେ ଧର୍ମେ ସ୍ୱଧର୍ମେରେ ବାଧା । ସେ ଧର୍ମେ ନକରିବ ଶ୍ରଦ୍ଧା ॥୩୮
    ଯେ ଧର୍ମ ପରବାକ୍ୟେ କରି । ସେ ଧର୍ମେ କେବେହେଁ ନ ତରି ॥୩୯
    ପାଷଣ୍ଡଧର୍ମ ଉପଧର୍ମ । ଦମ୍ଭ ମତ୍ସରେ ଯେବା କର୍ମ ॥୪୦
    ଶାସ୍ତ୍ରର ତତ୍ତ୍ୱ ନ ବିଚାରି । ବାହ୍ୟଧର୍ମର ଧ୍ୱଜା ଧରି ॥୪୧
    ଯେ ଶାସ୍ତ୍ରବାକ୍ୟ ଭେଦକରି । ଛଳଧର୍ମ ଯେ ତାକୁ ବୋଲି ॥୪୨
    ଧର୍ମ ଆଭାସ ମାତ୍ର ଧରି । ଆଶ୍ରମ ଧର୍ମ ପରିହରି ॥୪୩
    ସ୍ୱଇଚ୍ଛେ ଏକଧର୍ମ କରି । ଆଭାସ ଧର୍ମ ତାକୁ ବୋଲି ॥୪୪
    ଯେ ଧର୍ମ ଆତ୍ମଶାନ୍ତି କରେ । କେ ତାହା ନିତ୍ୟେ ନ ସୁମରେ ॥୪୫
    ନିର୍ଦ୍ଧନ-ପ୍ରାଣୀ ଯେବେ ହୋଇ । ଧର୍ମ ବା ଜୀବିକାର ପାଇଁ ॥୪୬
    ଚେଷ୍ଟା ନକରେ ବହୁଧନେ । ସନ୍ତୋଷ ଅଳପ-ଭୋଜନେ ॥୪୭
    ସହଇ ଅଜଗର ଯେହ୍ନେ । ଆହାର ନ ବାଞ୍ଛଇ ମନେ ॥୪୮
    ସନ୍ତୋଷ ଆତ୍ମା ଯେବା ନରେ । ଅନ୍ତେ ପଶନ୍ତି ସୁଖଘରେ ॥୪୯
    ଯେ ଧନଲୋଭେ ଅସନ୍ତୋଷ । ଭ୍ରମେ ଭ୍ରମଇ ଦଶଦିଶ ॥୫୦
    ତହିଁରେ କଷ୍ଟ ସାର ହୋଏ । ସର୍ବ ସନ୍ତୋଷ ସୁଖମୟେ ॥୫୧
    ଚର୍ମ ପାଦୁକା ଯା ଚରଣେ । ସେ ଯେହ୍ନେ କଣ୍ଟକ-ପାଷାଣେ ॥୫୨
    ଭ୍ରମି ନ ଲଭେ କିଛି ଦୁଃଖ । ରାତ୍ର ଦିବସେ ଲଭେ ସୁଖ ॥୫୩
    କଲେ କେବଳ ଜଳପାନ । ବଞ୍ଚେ ସନ୍ତୋଷେ ସୁଖେ ଦିନ ॥୫୪
    ଜିହ୍ୱା-ଉପସ୍ଥେ ଲୋଭ ଯାର । ସେ ଗୃହପାଳ ପ୍ରାୟେ ନର ॥୫୫
    ଯେ ବିପ୍ର ହୋଏ ଅସନ୍ତୋଷ । ତାହାର ତପ ବିଦ୍ୟା ଯଶ ॥୫୬
    ଇନ୍ଦ୍ରିୟ-ଲୋଭେ ହୋନ୍ତି ନାଶ । ଅଜ୍ଞାନ-କର୍ମେ ହୋନ୍ତି ଧ୍ୱଂସ ॥୫୭
    ଯେ ଜିହ୍ୱା-ଉପସ୍ଥକୁ ଜିଣି । ସନ୍ତୋଷ ଲଭଇ ଯେ ପ୍ରାଣୀ ॥୫୮
    ସେ ପ୍ରାଣୀ ଇହପର ଲୋକେ । ଅଶେଷ ଫଳ ଭୁଞ୍ଜେ ଏକେ ॥୫୯
    ଯେ ଜନ କ୍ଷୁଧା-ତୃଷାବନ୍ତ । ସେ ନିଶ୍ଚେ କାମ କରେ ଅନ୍ତ ॥୬୦
    ହିଂସା ଉଦୟ ହୋଏ ଯାର । କ୍ରୋଧ ହୁଅଇ ଅନ୍ତ ତାର ॥୬୧
    ଯେ ଜନ ସର୍ବଦିଗ ଜିଣି । ଏକାନ୍ତେ ଭୁଞ୍ଜଇ ଧରଣୀ ॥୬୨
    ସେ ଲୋଭ ନପାରଇ ଜିଣି । ଶୁଣ ନୃପତି-ଚୂଡ଼ାମଣି ॥୬୩
    ପଣ୍ଡିତଜନ ହୋଇ ଯେବେ । ନିରତେ ଅସନ୍ତୋଷ-ଭାବେ ॥୬୪
    ଅଧୋଗମନ ତାହାଙ୍କର । ଶୁଣ ସୁମନେ ନୃପବର ॥୬୫
    କାମକୁ ଜିଣେ ଅସଂକଳ୍ପେ । ପ୍ରାଣୀ ନାଶଇ ଯାର ଦର୍ପେ ॥୬୬
    କାମର କ୍ଷୟେ କ୍ରୋଧ ଯାଏ । ଅର୍ଥ-ବର୍ଜନେ ଲୋଭ କ୍ଷୟେ ॥୬୭
    ଭୟକୁ ଜିଣେ ତତ୍ତ୍ୱଜ୍ଞାନେ । ଶୋକମୋହକୁ କୃଷ୍ଣଧ୍ୟାନେ ॥୬୮
    ମହାନ୍ତସେବା ଦମ୍ଭ ନାଶେ । ଯେ ଭାବେ କୈବଲ୍ୟ ପ୍ରକାଶେ ॥୬୯
    ତତ୍ତ୍ୱଜ୍ଞାନରେ ହୋଏ ମୁକ୍ତି । ଏ ଧର୍ମ ବଇଷ୍ଣବ ଭକ୍ତି ॥୭୦
    ଯୋଗ ସାଧନେ ଯେତେ ବିଘ୍ନ । ତାହାକୁ ଖଣ୍ଡଇ ମଉନ ॥୭୧
    ହିଂସାକୁ ଜିଣେ କାମତ୍ୟାଗେ । କାମକୁ ଜିଣେ ଯୋଗମାର୍ଗେ ॥୭୨
    ଦୟା ପ୍ରାଣୀଙ୍କ ଭୟ ହରେ । ତ୍ରିତାପ ସମାଧି ସଂହରେ ॥୭୩
    ସଞ୍ଜମ ଦେହବ୍ୟାଧି ହରେ । ନିଦ୍ରାକୁ ସାତ୍ତ୍ୱିକ-ଆହାରେ ॥୭୪
    ରଜ-ତମକୁ ସତ୍ତ୍ୱଗୁଣେ । ସତ୍ତ୍ୱକୁ ଉପଶମେ ଜିଣେ ॥୭୫
    ଗୁରୁସେବନେ ସର୍ବଦୁଃଖେ । ପ୍ରାଣୀ ତରନ୍ତି ଆତ୍ମା ସୁଖେ ॥୭୬
    ଯେ ଗୁରୁ ଜ୍ଞାନ-ଦାନ ଦେଇ । ତାକୁ ଯେ ମନୁଷ୍ୟେ ଗଣଇ ॥୭୭
    ସେ ଯେତେ ଧର୍ମ କରେ ଦେହେ । ନିଷ୍ଫଳ ହସ୍ତୀସ୍ନାନ ପ୍ରାୟେ ॥୭୮
    ଯା ଦେହେ ପ୍ରଭୁ ଚକ୍ରଧର । ପ୍ରସନ୍ନ ପୁରୁଷ ଈଶ୍ୱର ॥୭୯
    ତାର ଚରଣସେବା ଅର୍ଥେ । ଅଜ୍ଞାନୀ ନୁହଁନ୍ତି ସମର୍ଥେ ॥୮୦
    ତାହାକୁ ନରପ୍ରାୟେ ମଣି । ଅଧୋଗମନେ ଯାନ୍ତି ପ୍ରାଣୀ ॥୮୧
    ଏକାନ୍ତଭକ୍ତି ଯେଉଁ ପ୍ରାଣୀ । ସାଧଇ ଷଡ଼ରିପୁ ଜିଣି ॥୮୨
    ସର୍ବନିୟମ ସାଧି ଜାଣେ । ନିଗମ-ବଚନ-ପ୍ରମାଣେ ॥୮୩
    ଯେବେ ନ ଭଜେ ନରହରି । ସେ ଶ୍ରମଭାରେ ହୋନ୍ତି ଭାରି ॥୮୪
    ବୃତ୍ତି-କଳ୍ପନେ ଯେତେ ଅର୍ଥ । ଯୋଗେ ନୁହନ୍ତି ସାମରଥ ॥୮୫
    ଏମନ୍ତେ ଈଷ୍ଟାପୂର୍ତ୍ତିମାନେ । ଅନର୍ଥ କୃଷ୍ଣର ବିହୁନେ ॥୮୬
    ଚିତ୍ତ-ବିଜୟେ ଯତ୍ନ ଯାର । ନିଃସଙ୍ଗେ କରଇ ବିହାର ॥୮୭
    ଗୃହେ ଅସଙ୍ଗ ମନସୁଖେ । ଯୋଗ ସାଧଇ ଅତିରେକେ ॥୮୮
    ଏକାନ୍ତେ ଏକମତେ ଥାଇ । ଅଳ୍ପଭୋଜନେ ତୋଷହୋଇ ॥୮୯
    ଏକାନ୍ତମନେ ଶୁଚିଦେଶେ । ବସିବ ଆସନେ ଉଶ୍ୱାସେ ॥୯୦
    ପବିତ୍ର ସ୍ଥିର ସୁଖମନେ । ଓଁକାର କରି ଉଚ୍ଚାରଣେ ॥୯୧
    ବାମଚରଣ ଗୁହ୍ୟଦ୍ୱାରେ । ଦକ୍ଷିଣପାଦ ତା’ ଉପରେ ॥୯୨
    ଦେଇ ଟେକିବ ମେରୁଦଣ୍ଡ । ଭୁଜେ ଆମଞ୍ଚି ଜାନୁଖଣ୍ଡ ॥୯୩
    ପ୍ରାଣ-ଅପାନ-ବାୟୁବଳେ । ରସନା ତୋଳି ତାଳୁମୂଳେ ॥୯୪
    ନିଶ୍ଚଳଧ୍ୟାନ ଦୃଷ୍ଟି ଏକେ । ସାଧିବି ପୂରକ କୁମ୍ଭକେ ॥୯୫
    ରେଚକେ କରି ତାକୁ ସମ । ନାସାଗ୍ରେ ସ୍ଥାପିବ ନୟନ ॥୯୬
    ଯାବତ କାମନା ନ ତେଜେ । ତାବତ ସଞ୍ଜମ ନ ଭଜେ ॥୯୭
    ଏଣୁ ନିଶ୍ଚଳେ ସ୍ଥାପି ମନ । କରିବ ନାସାଅଗ୍ରେ ଧ୍ୟାନ ॥୯୮
    ଅଗ୍ନିର ବଳେ କାମବନ । ଜ୍ଞାନେଣ ଇନ୍ଦ୍ରିୟ ଦହନ ॥୯୯
    ଯୋଗ-ଅଭ୍ୟାସ ଧୀରେ କରି । ତହିଁ ରହିବ ମନ ଧରି ॥୧୦୦
    ନିର୍ମଳ କରି ଚକ୍ଷୁଦ୍ୱାର । କର୍ମ-ସାଧିବ ନିରନ୍ତର ॥୧୦୧
    ଅଭ୍ୟାସ-ବଳେ ଜିଣି ମନ । ଅଳପ ଅଳପ ସାଧନ ॥୧୦୨
    ଏମନ୍ତ ସାଧି-ନିରନ୍ତରେ । ସୁଖେ ମିଳିବ ମୋକ୍ଷଦ୍ୱାରେ ॥୧୦୩
    କାଷ୍ଠ-ବିହୁନେ ଅଗ୍ନିପ୍ରାୟେ । ସକଳ କାମ ଲୀନ ହୋଏ ॥୧୦୪
    ଯେ ଚିତ୍ତ ସର୍ବବୃତ୍ତିତେଜେ । କାମାଦି ରିପୁକୁ ନ ଭଜେ ॥୧୦୫
    ଯେ ଚିତ୍ତ ମିଶେ ବ୍ରହ୍ମସୁଖେ । କେବେହେଁ ନ ପଡ଼ଇ ଦୁଃଖେ ॥୧୦୬
    କେବେହେଁ ମାୟା ନ କଳ୍ପଇ । ଅନ୍ତରେ ରହେ ସୂକ୍ଷ୍ମ ହୋଇ ॥୧୦୭
    ଯେ ପ୍ରାଣୀ ଗୃହଦ୍ୱନ୍ଦ୍ୱ ତେଜେ । ତ୍ରିବର୍ଗ ଛାଡ଼ି ବନ ଭଜେ ॥୧୦୮
    ପୁଣି ମିଳଇ ଗୃହେ ଯାଇ । ନିର୍ଲ୍ଲଜ ସେହୁ ବାନ୍ତି ଖାଇ ॥୧୦୯
    ଏ ଦେହେ ସୁଖ ଯେ ଲୋଡ଼ନ୍ତି । ଅଜରାମର ପ୍ରାୟ ଚିନ୍ତି ॥୧୧୦
    ଜୀବନ ଅନ୍ତେ ଏ ଶରୀର । ଭସ୍ମ ପୁରୀଷ କୃମି ସାର ॥୧୧୧
    ଏହାକୁ ସତ୍ୟ ପ୍ରାୟେ ମଣି । ଅଧର୍ମେ ପଶନ୍ତି ଯେ ପ୍ରାଣୀ ॥୧୧୨
    ତାହାକୁ ବୋଲି ମୂଢ଼ଜନ । ନିଷ୍ଫଳ ତାହାଙ୍କ ଜୀବନ ॥୧୧୩
    ଗୃହସ୍ଥ ଗୃହଧର୍ମ ଛାଡ଼ି । ଅନ୍ୟ ଆଶ୍ରମେ ଲୋଭ ବଢ଼ି ॥୧୧୪
    ବ୍ରତକୁ ତେଜେ ବ୍ରହ୍ମଚାରୀ । ତପସ୍ୱୀଗ୍ରାମେ ବାସ କରି ॥୧୧୫
    ସନ୍ନ୍ୟାସୀ ଇନ୍ଦ୍ରି ଲୋଭେ ରସେ । ଗ୍ରାମ-ଗହନେ ଯେବେ ପଶେ ॥୧୧୬
    ଆଶ୍ରମ-ଭ୍ରଷ୍ଟ ଏତେ ପ୍ରାଣୀ । ଏହାକୁ ଆଶ୍ରମେ ନ ଗଣି ॥୧୧୭
    ଅଧର୍ମେ ବିଡ଼ମ୍ବନ-କର୍ମ । ବିଷ୍ଣୁମାୟାରେ ହୋଇ ଭ୍ରମ ॥୧୧୮
    ବୁଲନ୍ତି ମାୟାରୂପ ଧରି । ତାହାଙ୍କୁ ସମ୍ଭାଷ ନ କରି ॥୧୧୯
    ପରମଜ୍ଞାନ ଚିତ୍ତେ ଚିନ୍ତି । ଯେ ଆତ୍ମାଗତି ନ ଜାଣନ୍ତି ॥୧୨୦
    ସେ କି କାରଣେ ଦେହ ଧରି । ବହୁ ଭୋଜନେ ପୁଷ୍ଟ କରି ॥୧୨୧
    ଏବେ ହୋ ଶୁଣ ଯୁଧିଷ୍ଠିର । ଏ ନର-ଶରୀର ବେଭାର ॥୧୨୨
    ଦେହ ବହିଲା ଯେବା ଅର୍ଥେ । କେବେହେଁ ନ ଭଜେ ତା ଚିତ୍ତେ ॥୧୨୩
    ବିଧାତା-ନିର୍ମାଣ-ବିଧାନ । ଏହା ନ ଜାଣେ ମୂର୍ଖଜନ ॥୧୨୪
    ଦେହକୁ ରଥପ୍ରାୟେ ରଚି । ଦଶ ତୁରଙ୍ଗ ଯହିଁ ଯୋଚି ॥୧୨୫
    ଦଶ-ଇନ୍ଦ୍ରିୟ ଦଶ-ବାଜି । ମନ ରଶ୍ମିଏ ତହିଁ ଯୋଚି ॥୧୨୬
    ଶବ୍ଦ ସ୍ପରଶ ରସ ଗନ୍ଧେ । ରୂପରେ ଚଳେ ଅନୁବନ୍ଧେ ॥୧୨୭
    ସାରଥିପଣେ ବୁଦ୍ଧି ରହେ । ଏ ପଞ୍ଚମାର୍ଗେ ରଥ ବାହେ ॥୧୨୮
    ଏ ନରଦେହ ବନ୍ଧ ଚିତ୍ତେ । ଛନ୍ଦ ବନ୍ଧନ ଈଷଯନ୍ତ୍ରେ ॥୧୨୯
    ପ୍ରାଣ ବସଇ ଏ ଶରୀରେ । ଦ୍ୱିପଞ୍ଚ ବାହ୍ୟ ଅଭ୍ୟନ୍ତରେ ॥୧୩୦
    ସେ ପ୍ରାଣ ଅକ୍ଷରୂପ ଧରି । ବାହାର ଭିତରେ ସଞ୍ଚରି ॥୧୩୧
    ଧର୍ମ ଅଧର୍ମ ଚକ ଦୁଇ । ଏ ଜୀବ ଅହଙ୍କାର ବହି ॥୧୩୨
    ରଥେ ବସଇ ରଥୀ ରୂପେ । କର୍ମାନୁସାରେ ବଳ ଦର୍ପେ ॥୧୩୩
    ପ୍ରଣବ ହସ୍ତେ ଧନୁ ତାର । ଅକାର ଉକାର ମକାର ॥୧୩୪
    ଜୀବକୁଶର ରୂପେ କରି । ପ୍ରଣବ ଧନୁ ହସ୍ତେ ଧରି ॥୧୩୫
    ପରମଆତ୍ମା କରି ଲକ୍ଷ୍ୟ । ନାରାଚ ବିନ୍ଧିବ ପ୍ରତ୍ୟକ୍ଷ ॥୧୩୬
    ସମ୍ମୁଖେ ଯେତେ ରିପୁ ଥିବେ । ଯୁଦ୍ଧେ ସକଳେ ନାଶଯିବେ ॥୧୩୭
    ଶୁଣ ରାଜନ ଶୁଦ୍ଧଚିତ୍ତେ । ସମ୍ମୁଖେ ରିପୁ ଛନ୍ତି ଯେତେ ॥୧୩୮
    ଏ କାମକ୍ରୋଧ ଶୋକ ମୋହ । ଲୋଭ ଅସୂୟା ମାୟା ଭୟ ॥୧୩୯
    ମଦ ମତ୍ସର ଅପମାନ । ପ୍ରମାଦ ହିଂସା ମିଥ୍ୟାମାନ ॥୧୪୦
    ରଜ ତାମସ ନିଦ୍ରା କ୍ଷୁଧା । ଏତେ ଶତ୍ରୁରେ ଯହିଁ ବାଧା ॥୧୪୨
    ତ୍ରିଗୁଣମୟୀ ଯେ ପ୍ରକୃତି । ଏ ଆଦି ରିପୁ ଯେତେ ଛନ୍ତି ॥୧୪୩
    ଏହାକୁ ସମ୍ମୁଖେ ଆବୋରି । ଯେ ରଥୀ ପାରେ ଯୁଦ୍ଧେ ମାରି ॥୧୪୪
    ରଥକୁ ଆତ୍ମା-ବଶ କରି । ଜ୍ଞାନ-ଖଡ଼ଗ ହସ୍ତେ ଧରି ॥୧୪୫
    ସୁଖେ ଭୁଞ୍ଜଇ ସ୍ୱର୍ଗରାଜ୍ୟ । ଆନନ୍ଦେ ଅଷ୍ଟ ଅଇଶ୍ୱର୍ଯ୍ୟ ॥୧୪୫
    ଯେବେ ଏ ରଥ ତ୍ୟାଗକରି । ନିଶ୍ଚିନ୍ତେ ରହେ ମୋହ ଭରି ॥୧୪୬
    ଏମନ୍ତେ ରିପୁ ଯେ ନ ମାରେ । ସେ କାହିଁ ଆତ୍ମସୁଖେ ତରେ ॥୧୪୭
    ଯେବେ ଅଳସେ ରହେ ରଥେ । ତାହାଙ୍କୁ ବେଢ଼ନ୍ତି ସମସ୍ତେ ॥୧୪୮
    ଅସାଧ୍ୟ-ଅଶ୍ୱ ଯେତେ ରଥେ । ସାରଥି ବିମାନ ସହିତେ ॥୧୪୯
    ଦୁର୍ଗମ ମାର୍ଗେ ରଥ ନ୍ୟନ୍ତି । ଶତ୍ରୁଙ୍କ ମଧ୍ୟେ ପ୍ରବେଶନ୍ତି ॥୧୫୦
    ସେ ଶତ୍ରୁଗଣେ ବଳେ କରି । ଅଶ୍ୱ ସାରଥି ରଥ ଧରି ॥୧୫୧
    ସଂସାର-କୂପ-ଅନ୍ଧକାରେ । କ୍ଷେପନ୍ତି ମୃତୁ୍ୟଭୟ ଘୋରେ ॥୧୫୨
    ପ୍ରବୃତ୍ତି ନିବୃତ୍ତି ଏ କର୍ମ । ସଂସାରେ ବଇଦିକ ଧର୍ମ ॥୧୫୩
    ପ୍ରବୃତ୍ତି-ପଥେ ସଞ୍ଚରନ୍ତି । ନିବୃତ୍ତେ ଅମୃତ ଭୁଞ୍ଜନ୍ତି ॥୧୫୪
    ଯେ ଦ୍ରବ୍ୟମୟ ଯଜ୍ଞ କାମ । ଆବର ଅଗ୍ନିହୋତ୍ର ନାମ ॥୧୫୫
    ପୂର୍ଣ୍ଣିମା ଅମାବାସ୍ୟା ଆଦି । ପଶୁ ଯେ ଚାତୁର୍ମାସ୍ୟା ବିଧି ॥୧୫୬
    କୂପ ପ୍ରାସାଦ ଉପବନ । ଏ ଆଦି ଈଷ୍ଟାପୂର୍ତ୍ତି କର୍ମ ॥୧୫୭
    ହୁତ ପ୍ରହୁତ ଆଦି ଯେତେ । ପ୍ରବୃତ୍ତିପଥ-କର୍ମ ଏତେ ॥୧୫୮
    ସୂକ୍ଷ୍ମ ଦ୍ରବ୍ୟ ବିପାକମୟ । ଧୂମ ରଜନୀ ଅପକ୍ଷୟ ॥୧୫୯
    ଦକ୍ଷିଣାୟନେ ସୋମ ବୁଧ । ଦରଶ ଓଷଧି ବିରୁଧ ॥୧୬୦
    ଯେ ଅନ୍ନ ରେତରୁ ସମ୍ଭବ । ଏ ପିତୃଯାନ ପୁନର୍ଭବ ॥୧୬୧
    ଏ ଅନ୍ନରୂପେ ଏକେ ଏକେ । ଭବେ ଭ୍ରମନ୍ତି ଜୀବଲୋକେ ॥୧୬୨
    ପ୍ରବୃତ୍ତିମାର୍ଗ ଏ ପ୍ରମାଣ । ଏବେ ହୋ ଧର୍ମସୁତ ଶୁଣ ॥୧୬୩
    ଦେବଙ୍କ ରାତ୍ର ଏ ବୋଲାଇ । ଶୁଣ ଦିବସ ଏବେ କହି ॥୧୬୪
    ସମ୍ଭବୁଁ ମରଣ ପର୍ଯ୍ୟନ୍ତେ । ଦ୍ୱିଜ-ସଂସ୍କାର ବେଦମତେ ॥୧୬୫
    ସେ ଦ୍ୱିଜ ଯେବେ ଜ୍ଞାନୀ ହୋଏ । ଯଜ୍ଞ କରଇ ନିଜ ଦେହେ ॥୧୬୬
    ଇନ୍ଦ୍ରି ବନ୍ଧନ ଅର୍ଥେ କଳ୍ପେ । ହୋମ କରଇ ଜ୍ଞାନ ଦୀପେ ॥୧୬୭
    ମନେ କରିବ ଇନ୍ଦ୍ରି ଲୀନ । ବଚନେ ସଂହରିବ ମନ ॥୧୬୮
    ବଚନ ସ୍ୱରେ ଲୀନକରି । ସ୍ୱରକୁ ଓଁକାରେ ସଂହରି ॥୧୬୯
    ଓଁକାର ବିନ୍ଦୁ ନାଦେ ଦେଇ । ବିନ୍ଦୁକୁ ପ୍ରାଣ ସଙ୍ଗେ ଥୋଇ ॥୧୭୦
    ଜ୍ଞାନୀର ଏମନ୍ତ ଲକ୍ଷଣ । ଯେ ପଥେ ଯିବ ତାହା ଶୁଣ ॥୧୭୧
    ଅଗ୍ନି ଆଦିତ୍ୟ ପ୍ରାତଃକାଳ । ପୂର୍ଣ୍ଣିମା ପକ୍ଷ ଯେ ଶୁକଳ ॥୧୭୨
    ଏ ବ୍ରହ୍ମମାର୍ଗ ଅନୁପମ । ଉତ୍ତରାୟଣ ଏହା ନାମ ॥୧୭୩
    ବିଶ୍ୱ-ତୈଜସ-ପ୍ରାଜ୍ଞେ ଲୟ । ତୁରୀୟାତୀତେ ଆତ୍ମମୟ ॥୧୭୪
    ଏ ଦେବଯାନ-ପଥ ଚିନ୍ତି । ଏ ମାର୍ଗେ ଭବେ ନ ମିଳନ୍ତି ॥୧୭୫
    ଯେ ଆତ୍ମା-ଉପଶାନ୍ତ ଜନେ । ନିତ୍ୟେ ରହନ୍ତି ଆତ୍ମଧ୍ୟାନେ ॥୧୭୬
    ସେ ନ ପଡ଼ନ୍ତି ନରଲୋକେ । ନିଶ୍ଚନ୍ତେ ଥାନ୍ତି ଆତ୍ମାସୁଖେ ॥୧୭୭
    ଏ ପିତୃ-ଦେବଯାନ-ପଥେ । ଯେ ଜନେ ଯାନ୍ତି ବେଦମତେ ॥୧୭୮
    ଗମନାଗମନ କରନ୍ତି । ଜ୍ଞାନୀ ରହନ୍ତି ଏହା ଚିନ୍ତି ॥୧୭୯
    ଯେ ଆଦିଅନ୍ତ ପ୍ରାଣୀଙ୍କର । ବ୍ୟାପିଛି ବାହ୍ୟ ଅଭ୍ୟନ୍ତର ॥୧୮୦
    ପର-ଅପର ଯାହା ଦେହେ । ଯେ ଅବା ଜ୍ଞାନ ଜ୍ଞେୟ ହୋଏ ॥୧୮୧
    ବଚନ ବାଚ୍ୟ ତମ ଜ୍ୟୋତି । ଦୃଶ୍ୟ ଅଦୃଶ୍ୟ ଯେ ଅଟନ୍ତି ॥୧୮୨
    ଯେ ତାଙ୍କୁ ଯେମନ୍ତେ ଚିନ୍ତଇ । ଆଭାସ ମାତ୍ରେ ସେ ଦେଖଇ ॥୧୮୩
    ଭାବ-ପ୍ରମାଣେ ଦୃଶ୍ୟ ହୋଏ । ଦର୍ପଣେ ପ୍ରତିବିମ୍ବ ପ୍ରାୟେ ॥୧୮୪
    ବସ୍ତୁ ନୁହଁଇ କଦାଚିତେ । ଏ ଭାବ ଘଟିବ କେମନ୍ତେ ॥୧୮୫
    ଏଣୁ ନିଶ୍ଚଳ ଦୃଢ଼ଚିତ୍ତେ । ଯେ ତାଙ୍କୁ ଚିନ୍ତେ ଅବିରତେ ॥୧୮୬
    କର୍ମେ ଭଜନ୍ତି ତାର ପଥ । ଏ ଭାବ ନିଗମେ ସମ୍ମତ ॥୧୮୭
    ଏ ଭୂମି ଆଦି ପଞ୍ଚଭୂତେ । ସେ ରହେ ବାହ୍ୟ ଅନ୍ତର୍ଗତେ ॥୧୮୮
    ତାଙ୍କୁ ନ ପାଇ ଏକେ ଏକେ । ସେ ତାରତମ୍ୟ ଅତିରେକେ ॥୧୮୯
    ବନ-ସମୂହେ ଲତା ଯେହ୍ନେ । ଜାଣିଲେ କର୍ମ ଅନୁମାନେ ॥୧୯୦
    ବିଚାରେ ବହେ ଏକମୂଳେ । ଅନ୍ୟତ୍ର ନ ଲାଗେ ନିଶ୍ଚଳେ ॥୧୯୧
    ତା ଆଦି ଅନ୍ତ ଯେ ନ ଜାଣି । ଏହି ପ୍ରକାରେ ଭ୍ରମେ ପ୍ରାଣୀ ॥୧୯୨
    ନିଦ୍ରା ଜାଗ୍ରତ ସ୍ୱପ୍ନ ମଧ୍ୟେ । ଯେ ରୂପେ ଏ ବିଧି ନିଷେଧେ ॥୧୯୩
    ଯେ କ୍ରିୟା ଭାବ ଦ୍ରବ୍ୟମତେ । ମୁନି କହନ୍ତି ଶାସ୍ତ୍ରଗତେ ॥ ୧୯୪
    ଜାଗ୍ରତ ସ୍ୱପ୍ନ ନିଦ୍ରା ଯେହ୍ନେ । ନ ଲାଗେ ଶୁଦ୍ଧ ଚଇତନେ ॥୧୯୫
    କାର୍ଯ୍ୟକାରଣ ବସ୍ତୁ ଯେତେ । ଦେଖଇ ପଟ-ତନ୍ତୁମତେ ॥୧୯୬
    ଦେହରେ ଅବସ୍ତୁ-ବିକଳ୍ପ । ଏ ଭାବାଦ୍ୱୈତ୍ୟ କହି ନୃପ ॥୧୯୭
    ଶରୀର ବହି ଏ ଜଗତେ । ଯେ କର୍ମ କରି ବେଦମତେ ॥୧୯୮
    ହରି-ବିଷୟେ ସମର୍ପିଲେ । ବିଷ୍ଣୁମାୟାରୁ ତରେ ଭଲେ ॥୧୯୯
    ଏହାର ନାମ କ୍ରିୟାଦ୍ୱୈତ । ଅପରେ ଶୁଣ ନରନାଥ ॥୨୦୦
    ଶରୀର ଦାରା ସୁତ ଆଦି । ଅନ୍ୟ ବାନ୍ଧବ ଯେ ପ୍ରସିଦ୍ଧି ॥୨୧୦
    ଯେ ଅର୍ଥକର୍ମେଏହା ଦେଖି । ଏହାକୁ ଦ୍ରବ୍ୟାଦ୍ୱୈତ ଲେଖି ॥୨୦୨
    ଯେ କର୍ମ ଯେଉଁ ଉପାୟରେ । ଯାହା ସକାଶୁଁ ଯେଉଁଠାରେ ॥୨୦୩
    ଯାହାର ଯେ ନିଷେଧ ଥିବ । ବିନା ଆପଦେ ନ କରିବ ॥୨୦୪
    ଏ ଆଦି ବେଦବାକ୍ୟ ଯେତେ । ଗୃହେ ଯେ ସାଧେ ଅବିରତେ ॥୨୦୫
    କୃଷ୍ଣେ ନ କରେ ସମର୍ପଣ । ତାର ଜୀବନ ଅକାରଣ ॥୨୦୬
    ଦେଖ ତୁ ଗୃହଧର୍ମେ ଥାଇ । ସଙ୍ଗତେ ଘେନି ଚାରିଭାଇ ॥୨୦୭
    ରାଜ୍ୟ ବିହୁନେ ବନବାସେ । ଯେତେ ଭ୍ରମିଲୁ ନାନାଦେଶେ ॥୨୦୮
    ଯାର ଚରଣେ ଆଶ୍ରେକରି । ଘୋର-ସଂକଟୁ ତୁ ନିସ୍ତରି ॥୨୦୯
    ଏବେ ତୋହର ଦେଖ ଭାଗ୍ୟ । କଲୁ ରାଜୁସି ମହାଯାଗ ॥୨୧୦
    ଲଭିଲୁ ପରମ କାରଣ । ତୋତେ ସୁଲଭ ନାରାୟଣ ॥୨୧୧
    ମୁହିଁ ଯେ ପୂର୍ବେ ଦେହବହି । କୃଷ୍ଣମାୟାରେ ଭ୍ରମି ହୋଇ ॥୨୧୨
    ପୂର୍ବକଳ୍ପର ନାମ ଶୁଣ । ଗନ୍ଧର୍ବ ଉପବରହରଣ ॥୨୧୩
    ସେ କଳ୍ପଅନ୍ତେ ଦେହବହି । ଗନ୍ଧର୍ବଗଣ ମଧ୍ୟେ ଥାଇ ॥୨୧୪
    ସ୍ୱଭାବେ ରୂପ-ଗୁଣ ମୋର । ଅତି ସୁନ୍ଦର ମନୋହର ॥୨୧୫
    ଗନ୍ଧର୍ବ-ନାରୀଗଣ ମଧ୍ୟେ । ଉନ୍ମତ୍ତ ରୂପେ ମୁଁ ଆନନ୍ଦେ ॥୨୧୬
    ଯୁବତୀଗଣେ ପ୍ରିୟତମ । ଏମନ୍ତେ ଗଲା କିଛୁଦିନ ॥୨୧୭
    ଏକ-ଦିବସେ ଦେବଗଣେ । ସମସ୍ତେ ମିଳି ପୁଷ୍ପବନେ ॥୨୧୮
    ବ୍ରହ୍ମାଶଙ୍କର ଆଦି ବସି । ହରିଗାୟନ-ରସେ ରସି ॥୨୧୯
    ଗନ୍ଧର୍ବଗଣେ ଅଣାଇଲେ । ମୁହିଁ ଯେ ଥିଲି ତାଙ୍କ ତୁଲେ ॥୨୨୦
    ଯୁବତୀଗଣ ମଧ୍ୟେ ଥାଇ । ଆନନ୍ଦେ ବୀଣା-ବାଦ୍ୟ ବାଇ ॥୨୨୧
    ଆବୃତ ଅପସରାବୃନ୍ଦେ । ହସ୍ତ ନିବେଶି ତାଙ୍କ କନ୍ଧେ ॥୨୨୨
    ନୃତ୍ୟ ମୁଁ କଲି ନାନାମତେ । ତା ଦେଖି ବ୍ରହ୍ମା କୋପଚିତ୍ତେ ॥୨୨୩
    ଦେବହେଳନ କର୍ମ ଦେଖି । କୋପେ ଅରୁଣ କଲେ ଆଖି ॥୨୨୪
    ବୋଇଲେ ମୋତେ କୋପ ବହି । ଯା ବେଗେ ଶୂଦ୍ର ହୁଅ ତୁହି ॥୨୨୫
    ବ୍ରହ୍ମାଙ୍କ ଶାପ-କୋପାନଳେ । ପଡ଼ିଲି ଅବନୀ ମଣ୍ଡଳେ ॥୨୨୬
    ଲଭିଲି ଦାସୀଗର୍ଭେ ଜନ୍ମ । ଯେଣୁ ମୋ ଥିଲା ଶୁଭକର୍ମ ॥୨୨୭
    ତେଣୁ ମୁଁ ସେବି ବିପ୍ରପାଦ । ତରିଲି ଦୁର୍ଗମ-ପ୍ରମାଦ ॥୨୨୮
    ବିପ୍ର-ଚରଣ ସେବାଫଳେ । ପୁଣି ଜନ୍ମିଲି ବ୍ରହ୍ମା-କୋଳେ ॥୨୨୯
    ତୋର ଅଗ୍ରତେ ଗୃହଧର୍ମ । ବର୍ଣ୍ଣିଲି ଯଥା ବେଦକର୍ମ ॥୨୩୦
    ଏହା ଶୁଣନ୍ତେ ପାପହରେ । ଯେ ଧର୍ମେ ଗୃହେ ଥାଇ ତରେ ॥୨୩୧
    ତୁ ନରଲୋକେ ଭାଗ୍ୟବନ୍ତ । ଯେଣୁ ତୋ ବାନ୍ଧବ ଅନନ୍ତ ॥୨୩୨
    ତୋହର ଗୃହେ ନରହରି । ବସଇ ନରରୂପ ଧରି ॥୨୩୩
    ସେ ହରି ବ୍ରହ୍ମ-ନିରଞ୍ଜନ । ଧ୍ୟାନେ ନ ପାନ୍ତି ମୁନିଜନ ॥୨୩୪
    କୈବଲ୍ୟ-ସୁଖଦ ଯେ ଭକ୍ତି । ପରମ ସୁଖେ ତାର ସ୍ଥିତି ॥୨୩୫
    ସେ ତୋର ପ୍ରିୟ ଭଗବାନ । ସ୍ୱଭାବେ ମାତୁଳନନ୍ଦନ ॥୨୩୬
    ଜଗତ ଆତ୍ମା ମହାଗୁରୁ । କେବା ମହିମା ବର୍ଣ୍ଣିପାରୁ ॥୨୩୭
    ବ୍ରହ୍ମାଶଙ୍କର ଆଦି ଦେବେ । ଯାର ମହିମା ନ ଜାଣିବେ ॥୨୩୮
    ମଉନବ୍ରତ ତପ ଆଦି । ନିଶ୍ଚଳ ଧାରଣା ସମାଧି ॥୨୩୯
    ନିର୍ମଳ ଭକ୍ତି-ଉପଶମେ । ନିର୍ବାଣ ଲଭେ ଯାର ନାମେ ॥୨୪୦
    ସାତ୍ତ୍ୱତଜନଙ୍କର ପତି । ସେ ହରି ହେଉ ଆମ୍ଭ ଗତି ॥୨୪୧
    ଶୁଣ ତୁ ରାଜା ଯୁଧିଷ୍ଠିର । ଗୋବିନ୍ଦପାଦେ ଆଶ୍ରେ କର ॥୨୪୨


    ଶୁକ ଉବାଚ
    ଏମନ୍ତେ ବେଦଋଷି- ବାକ୍ୟେ । ପଞ୍ଚପାଣ୍ଡବ ଏକେ ଏକେ ॥୨୪୩
    କୃଷ୍ଣଚରଣେ ପୂଜା କଲେ । ନାରଦ ପାଦେ ପ୍ରଣମିଲେ ॥୨୪୪
    ନାରଦ ଉଠିଣ ତକ୍ଷଣେ । ନମିଲେ ଶ୍ରୀକୃଷ୍ଣ ଚରଣେ ॥୨୪୫
    ସେ କୃଷ୍ଣ ଆଜ୍ଞା ଘେନି ଶିରେ । ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ ॥୨୪୬
    ଏମନ୍ତେ ଦକ୍ଷକନ୍ୟା ଗର୍ଭେ । ଯେତେ ଉପୁଜିଲେ ଦାନବେ ॥୨୪୭
    ଦେବ-ଦାନବ ଆଦି ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥୨୪୮
    ଏବେ କହିଲି ତୋତେ ଭାବେ । ଯେ ଯହିଁ ଦେବତା-ଦାନବେ ॥୨୪୯
    ସର୍ବ କହିଲି ତୋ ଅଗ୍ରତେ । ସୁଜନେ ଶୁଣ ଏକଚିତ୍ତେ ॥୨୫୦
    ହରିଚରିତ ଭାଗବତ । ନୃସିଂହ-ଚରିତ-ଅମୃତ ॥୨୫୧
    ସପ୍ତମ ସ୍କନ୍ଧେ ଭାଗବତ । ସୁପୁଣ୍ୟ-ପ୍ରହ୍ଲାଦ ଚରିତ ॥୨୫୨
    ଯେ ଏହା ଶ୍ରୁତିପଥେ ଶୁଣେ । ମନ-ବଚନେ ପରିମାଣେ ॥୨୫୩
    ନୁହନ୍ତି ମାୟାରେ ମୋହିତ । ଭଣଇ ଦାସ ଜଗନ୍ନାଥ ॥୨୫୪
    ଶୁଣି ସଂସାରୁ ତର ପ୍ରାଣୀ । ସୁଜନ ହିତେ ମୁହିଁ ଭଣି ॥୨୫୫
    ସଂସାର-ସୁଖଦୁଃଖେ ଥାଇ । ମୂଢ଼ ତରିବେ ଏହା ଗାଇ ॥୨୫୬

    ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
    ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଯୁଧିଷ୍ଠିରନାରଦସମ୍ବାଦେ ସଦାଚାର-ନିର୍ଣ୍ଣୟେ ନାମ ପଞ୍ଚଦଶୋଽଧ୍ୟାୟଃ ॥

    No comments

    Post Top Ad

    Shubhapallaba free eMagazine and online web Portal

    Post Bottom Ad

    Shubhapallaba Hindi Portal